Unknown

 

 

 

 

 

 

 

 

 

ମାଟିମଟାଳ

(ଭାରତୀୟ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ)

ଗୋପୀନାଥ ମହାନ୍ତି

 

ମୋର ପିତୃଦେବ

 

ଯେ ଥିଲେ ବ୍ରହ୍ମବିତ୍‍, ସିଦ୍ଧ ସାଧକ, ମୋର ଗୁରୁ, ଚିରକାଳ ମୋର ପରମାରାଧ୍ୟ ସେହି ସ୍ୱର୍ଗତ ଚିନ୍ତାମଣି ମହାନ୍ତିଙ୍କ ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ ଅଶେଷ ବିନୟ ଭକ୍ତି ପ୍ରଣତି ସହକାରେ ଏ ଅଞ୍ଜଳି ଦେଲି ।

 

ଗୋପ

 

ମାଟିମଟାଳ

 

ମାଘର ଖରା କେମିତି ଛୁଟ୍‌କିନା ଚାଲିଯିବାକୁ ବସିଲାଣି, ଆଉ ଏଇଛୁଣୁକା ଚାହୁଁ ଚାହୁଁ ସଞ୍ଜ ଚାଲିଯିବ ଘୋଷାରି ହୋଇ ହୋଇ ପହଁରି ପହଁରି, ଆଉ ତା’ ପରେ ତ ରାତି, ଚାଲିଯିବ ଶିରୀପଞ୍ଚମୀର ରାତିଟା ବି ସେଇଠିକି, ଯେଉଁଠିକି ଚାଲିଯାଆନ୍ତି ସବୁ ରାତି, ସବୁ ଦିନ, ଆସ୍ତେ କାଲୁଆ ପବନ କାମିଜଟାକୁ ଝାଙ୍କି ଝାଙ୍କି ମୁଣ୍ଡ ଉପରେ ଅରଣା ବାଳଗୁଡ଼ାକ ଥରାଇ ମୁହଁ ଆଖି ଉପରେ ବେକ ପିଠିଆଡ଼େ ଶୀତୁଆ ଚେତନାରେ ତୂଳୀରେ ଆଙ୍କି ଆଙ୍କି ସେହିକଥା ମନେପକାଇଦେଇ ଯାଉଛି ଯେ ଗଲା ଚାଲି ଆଜିର ଶିରୀପଞ୍ଚମୀଟା ଆଉ ପାଣିଚିଆ ଖରାଟା, ଛାଇ ଛାଇଆ ହୋଇ ହଜିଲା ହଜିଲା ମହଳଣ ଦିଶିଲା କଣ୍ଡିଆଭର୍ତ୍ତି ଲାଗାଲଗି ହୋଇ ଦୂର କିଆରୀର ସୋରିଷଫୁଲ ସେହି ଯାହା ଟିକିଏ ଆଗରୁ ଦିଶିଥିଲା ଯେପରିକି ଟିକି ଟିକି ହଳଦିଆ ଖରାର ଜଳନ୍ତା ଦୀପଟିମାନ, ଆଉ ହେଇ ତା’ ତଳକୁ ଯେଉଁ ଲମ୍ୱ ଲାଞ୍ଜି କଜଳର ଗାର ପରି ନଈଟି ଦିଶିଲାଣି ସେ ଯେମିତିକି ଲମ୍ୱ ଶଳିତାଟାଏ ଜଳିସାରି କଳାପଡ଼ି ରହିଛି ଲାଗୁଛି ସତେ ସତେ ତା’ ଉପରେ ଧୂଆଁ ଉଠୁଥିବ ସେହି ଶେଷାଶେଷି ଧୂଆଁ, ପରିଷ୍କାର ବାରି ହୋଇପଡ଼ିବ ଆଉ ଟିକିଏ ଗଲେ ନିଶ୍ଚୟ, ମାଘସଞ୍ଜରେ ନଈ ଉପରର ଧୂଆଁ, ଆଉ ସେପାଖେ କେତେ ଦୂରକୁ ଦୂରକୁ ଦିଶିଯାଉଛି, ନିଭି ଆସିବ ସେ ବି ଆଉ ଟାଙ୍ଗି ହୋଇରହିବ ପରସ୍ତ ପରସ୍ତ କଳାକନା ପରି, ଏଡ଼େବଡ଼ କଳାଘୁମର ଆକାଶରେ ପଞ୍ଚମୀର ଜହ୍ନ କରେ କରେ ଗୋଟି ଗୋଟିକା ତାରାର ଫୁଲ ଫୁଟିବ ଆଉ ତଳୁ ଉପର ହୋଇ ବିଶାଳ ଆକାଶ ତଳେ ଚିକ୍କଣ ଅନ୍ଧାର ଓ ରୂପେଲି ଆଲୁଅ ଗୋଳି ହୋଇ ହୋଇ ଧିମେଇ ଧିମେଇ କୁହୁଳି ଉଠିବ ଛାପି ଛାପିକା ହୋଇ ସୋରିଷଫୁଲିଆ ରାତି । କ୍ରମେ ରାତି ବି ଶୋଇପଡ଼ିବ ଚୁପ୍‌ଚାପ୍‌ । କୁଙ୍କିରିକାଙ୍କିରି ହୋଇ ବାଇଗିଣି ରାତି ଶୋଇପଡ଼ିବ ଧୋବଲା କୁହୁଡ଼ିର ପୁରୁ ପୁରୁ ଶେଯ ଘୋଡ଼ିହୋଇ, ଆଉ ପୁଣି ସେ ହଜିଯାଇ ସାରିଥିବ, ଖୋଜିଲେ ମିଳିବ ନାହିଁ ।

 

ଏମିତି ଭାବୁଥିଲା ଏକ ଗଜାଭେଣ୍ଡିଆ ଯାହାର ଗଜୁରା ଗଜୁରା ନିଶ, ଆଉ ଏମିତି ଏଇ ଭାବନାକୁ ବାହନ କରି ଚେଷ୍ଟାକରୁଥିଲା ଯେପରି କି ସାମ୍ନାରେ ଶୂନ୍ୟର ପଟ୍ଟଭୂମିରେ ସେ ଆପଣାକୁ ବର୍ଣ୍ଣରେ ମରମଭାବରେ ଆଙ୍କି ଓହଳାଇ ରଖିପାରିବ, ହେଇ ଯେପରି ଧଡ଼ିରୁ ଧଡ଼ିରୁ ଅଳପେ ରଙ୍ଗେଇ ଆସୁଥିବା ସେ ମେଘଖଣ୍ଡକ ରହିଛି ସେହିପରି ।

 

ଆଖିବୁଜି ମନେମନେ ପୁଣି ସେହି ମେଘକୁ ଦେଖିଲା, ପୁଣି ଆଖି ଖୋଲିବି, ଆଉ ଲାଗିଲା ଏ କେତେବଡ଼ ଆକାଶ, ଆଉ କେଉଁ କଣରେ କଣେ ହେଇ ସେ ଟିକିମେଘ, ତା’ର ବି ଏଠି ପ୍ରତିଷ୍ଠା ନାହିଁ, ହେଇ ସେ ରୂପ ବଦଳେଇଲାଣି, ଥିଲା ଗୋଟାଏ ହାତୀପରି ଓଲଟି ଗୋଟାଏ ହଂସ ପରି ହେଲାଣି, ଦି ଦଣ୍ଡକୁ ତା’ର ନୂଆଁରୂପ ।

 

ପୁଣି ଆଖିବୁଜି ଦେଖିଲା, କଇଁଫୁଲ ନାଡ଼ ବେଣ୍ଟରେ ଯେମିତି ଛନ୍ଦାଛନ୍ଦି ହୋଇ ଗୋଟିକ ଉତ୍ତାରୁ ଆଉ ଗୋଟିଏ, ବାଟେ ବାଟେ ଦେଖି ଆସିଥିବା ଶିରୀପଞ୍ଚମୀର ଆମ୍ୱପତ୍ର ତୋରଣମାନଙ୍କ ପରି ଯେ ଗୋଟିଏ ପତ୍ର ଉତ୍ତାରୁ ଆଉ ଗୋଟିଏ ଗୁନ୍ଥା ହୋଇଛି, ସେମିତି ଏ ଦିନଗୁଡ଼ାକ, ମନେପଡ଼ିଯାଉଛି-ଗୋଟାଏ ଗଲେ ବି ଆଉ ଗୋଟାଏ, ଅଛିଣ୍ଡା, ଭାବିଲେ ଏଇଠି ସଇଲା, ଆଂଶ ଦାଢ଼ ହୋଇ ମପାଚୁପା ହୋଇ ବିଶିଷ୍ଟ ଖଣ୍ଡ ଗୋଟିଏ, ତା’ର ନିର୍ଦ୍ଦିଷ୍ଟ ପରିସର, ସୂର୍ଯ୍ୟୋଦୟ ମଝିରେ ମା’ପେଟରୁ ଭୂଇଁକି ଆସିବା ଓ ପୁଣି ପଞ୍ଚଭୂତରେ ମିଶିଯିବା ମଝିରେ ଗୋଟିଏ ବିଶିଷ୍ଟ ରୂପର ପ୍ରକାଶ, ସେ ଅନ୍ୟସବୁଠାରୁ ନିଆରା ।

 

ଅଥଚ ସରି ବି ନାହିଁ କିଛି, ଆଖିବୁଜି ହେତୁକଲେ ମାଳହୋଇ ଗୁନ୍ଥା ହୋଇଛନ୍ତି ଯେପରିକି ନାଲି ଆପ୍‌ଲ ଫଳ ଆଉ ପାଚିଲା କମଳା, ନାଲି କଇଁ ଆଉ ଚୂନ ହଳଦି ମିଶା କନକଚମ୍ପା ଗୋଟିକ ପରେ ଗୋଟିଏ ହୋଇ ଗଣିହୁଏ ନାହିଁ, ଏମିତି କେତେ ଆସିଛି କେତେ ଆସିବ ସେହି କେତେ ଅଗଣିତ ସୂର୍ଯ୍ୟୋଦୟ ଆଉ ସୂର୍ଯ୍ୟାସ୍ତ । ଗୋଳି ମିଶି ଯାଇ ଚେତନାର ଅସରନ୍ତି ସମୁଦ୍ର, ମୁହର୍ତ୍ତକୁ ମୁହର୍ତ୍ତ ନୂଆବର୍ଣ୍ଣରେ ଦିଶେ, ନୂଆ ଭାବରେ ଅନୁଭୁତ ହୁଏ ।

 

ଯାଇ ଯାଇ ଆସୁଛି ଆଉଥରେ, ଚାଲିଯିବବୋଲି, କନକଚମ୍ପା ବର୍ଣ୍ଣର କନକ ସୂର୍ଯ୍ୟ ଧୀରେ ନଇଁପଡ଼ୁଛି ପଶ୍ଚିମରୁ ଦକ୍ଷିଣକୁ ଫିଟିପଡ଼ି ଦିଗ୍‌ବଳୟଆଡ଼କୁ । ତା’ର ନିଜର ତେଇଶ ବର୍ଷ ଆୟୁଷରେ ଆଠହଜାର ଥରରୁ ଅଧିକ ହେବ ଏମିତି ସେ ନଇଁପଡ଼ି ବୁଡ଼ିଯାଇ ପୁଣି ଉଠିଛି, ଛଅ ବର୍ଷ ବୟସରୁ ଏଯାକେ ଅନ୍ତତଃ ଛ’ହଜାର ଥର ତ ତା’ର ହେତୁ ଥିବ । ଏମିତି ଲକ୍ଷ ଲକ୍ଷ ଥର କୋଟି କୋଟି ଥର ଆଗକୁ ପଛକୁ ତାହାରି ଭିତରେ କିଏ କେଉଁଠି ଆସିଛି ଯାଇିଛି ।

 

ସେ ଅଟକିଲା, ଭାବି ଭାବି ଗୋଡ଼ ଯେପରିକି ଚଳୁ ନାହିଁ । ଲାଗୁଛି ଯେପରିକି, ମଣିଷ ଚାଲୁ ନାଇଁ, ଜିଆ ଘୁଷୁରୁଚି । ଗେଣ୍ଡା ଚାଲୁଚି । କାନରେ ଏ କ’ଣ ଶବ୍ଦ ବାଜୁଛି ? ଆକଶରେ ଗମ୍ଭୀର ଶବ୍ଦର ଢେଉ ବଢ଼ି ବଢ଼ି ଉଠୁଛି, ବାରି ହେଉଛି ତ, ଉଡ଼ାଜାହାଜ ଚାଲିଛି । ହେଇ ସେଡ଼େ ଦୂରରେ, ଜିକିଜିକି ଟିକି ମେଘ ସେ କରେ ସେ ଯେଉଁ ଗାଢ଼ ନେଳି ଆକାଶ ଥିର ଅଛିଣ୍ଡା ଦହ ତା’ରି ବିଛେଇ ଉପରେ ପହଁରି ପହଁରି ସେ ଚାଲିଛି ଯେପରିକି ଗୋଟାଏ ଅସୁନ୍ଦର ମାଛ । ଏପଟେ କି ସୁନ୍ଦର ହଂସ ଉଡ଼ି ଯାଉଛନ୍ତି ଦଳ ଦଳ ହୋଇ ଏକ ଦୁଇ ତିନି ଚାରି...ଏଗାର...ତେର...ନା, ଗଣି ହେଲା ନାହିଁ, ଗୋଳମାଳ ହୋଇଗଲା । ଏକାଠି, ପଖି କତିକି ପଖି କଳା କଳା ଛାଇ ରୂପ । ଏକାଠି ବୋବେଇବାରେ ବି ବୋଧହୁଏ ଆନନ୍ଦ ଅଛି, ବୋବାଳିରେ ଅଛି କେଡ଼େ ଗୋଟାଏ ଆକର୍ଷଣ, ଦେଖା ପରଖା, ହିସାବ କିତାପ, ଲାଭ ଲୋକସାଣମୟ ସଂସାରୀ ଘରକରଣା ପ୍ରତି ଅଦେଖା ଅଜଣା ମାୟାର । ଦଳଙ୍କ ଉତ୍ତାରୁ ଦଳେ, ଉଃ, କେତେ ସେମାନେ କାହିଁ ଛପିଗଲେ ସରିଗଲେ । ଆସିଥିବା ଚାଲିଯାଇଥିବା ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ପରି । ତା’ପରେ ଉଡ଼ି ଉଡ଼ି ଗଲେ ଗୁଡ଼ାଏ କାଉ, ଯେପରିକି ଗାଁ ଗୋଟାକର ଉଡ଼ନ୍ତା ଗୋଠ । କଳାକାଉ ଖାଲି କା, କା, କା, କିନ୍ତୁ ସେହି କର୍କଶଧ୍ୱନି ଆଉ ତରତର ପଖିହଲା ଭଙ୍ଗୀରେ ବି କ’ଣ ଗୋଟାଏ ଛନ୍ଦ ରହିଛି, ଏହି ଆକାଶ ଆଉ ମାଟି ସହିତ ସମନ୍ୱୟ ଆଉ ତା’ ସଙ୍ଗେ ସଙ୍ଗେ କ’ଣ ଏକ ସନ୍ଦେଶ, ସେ ମନକୁ ଛୁଉଁଛି, ଆଉ ଲାଗୁଛି ତା’ ଆପଣାଠି ଅଛି ଆକାଶ, ସେମାନେ ସେଇଠି ଉଡ଼ିଯାଉଛନ୍ତି, ଉଡ଼ିଯାଇଥିଲେ ବି ଆଗରୁ, ସେ ତାଙ୍କ ଗତିର ସ୍ପନ୍ଦନ ଅନୁଭବ କରୁଛି ।

 

ପାଖେଇ ଆସୁଛି ଉଡ଼ାଜାହାଟା, ସେଇ ଯାହାର ମାଛ ପରି ଗଢ଼ଣ ବାଟଭୁଲା ନଡ଼ିଆ ଭଅଁର ପରି ରାଉ ରାଉ ଗର୍ଜନ । ଦୂରରେ ଥିଲା, ପାଖକୁ ଆସିଲାଣି । ପୁଣି ଏଥର ଗଛ ଉଢ଼ୁଆଳ କଟିଗଲାଣି ଆଗରେ ଦିଶୁଛି ନଈ କୂଳରେ ବୁଢ଼ାବରର ବକୁଳେଶ୍ୱର ଶିବ ମନ୍ଦିର, ପ୍ରାୟ ସାଢ଼େ ସାତଶ ବର୍ଷ ତଳର ଇଟା ଦେଉଳ ଭାଙ୍ଗିପଡ଼ିବାରୁ କାହିଁ ପାଞ୍ଚଶ ବର୍ଷ ତଳେ ପଥର ମନ୍ଦିର ଗଢ଼ାହେଲା, ମନେପଡ଼ୁଛି, ଉଡ଼ାଜାହାଜ ବିସ୍ମୟକର ପ୍ରକାଶ ନୁହେଁ, ଏଇ ମନ୍ଦିରର ପ୍ରକାଶ, ମନେ ମନେ ଆଖି ଆଗରେ ଦିଶିଯାଉଛି ମୁଖୁଶିଆଳି ଟପିଲେ ବିମାନକୁ ପଶିବା ଦୁଆରମୁହଁ ଉପରର କଳା ମୁଗୁନିପଥରର ଶିଳାଲିପି, ସେଇ ଯାହାର ଅକ୍ଷରସବୁ କେମିତି ବିଚିତ୍ର ପ୍ରକାରର, ଏବାଟେ ଯାଉ ଯାଉ ବାରମ୍ୱାର ପଢ଼ି ପଢ଼ି ଧାଡ଼ିଗୁଡ଼ିକ ମୁଖସ୍ଥ ହୋଇଯାଇଛି-

 

‘‘ନବକୋଟି କର୍ଣ୍ଣାଟୋକଳବର୍ଗେଶ୍ୱର ବୀରାଧିବୀରବର ପୁରୁଷୋତ୍ତମ ଦେବ ମହାରଜଙ୍କର ବିଜେ ଶୁଭ ସମସ୍ତ ୧୫ ଅଙ୍କ...ରବିବାର ବେଳ ୧ଦଣ୍ଡ ଅଶ୍ଳେଷା ନକ୍ଷତ୍ର...ଯେ ଅନଙ୍ଗଭୀମଦେବ ରାଜାଙ୍କ ଭାଇ ଗୋପାଳ ଛୋଟ୍‌ରାଏ ଇଟା ପୋଡ଼ାଇ ତୋଳାଇଥିଲେ ଏତେଦିନେ ଭାଗିଗଲା ତେଣୁ ପଖିଖଣ୍ଡ ଡିହର ଖଣ୍ଡାଇତରାଏ ପୀତାମ୍ବର ମହାପାତ୍ରେ ଘୋଷଣା କଲେ ଏହି ଦେବଙ୍କ ସେବକ ବରାହୀ ନାଏକ । ଶ୍ରୀକର ମହାରଣା, ଈଶ୍ୱର ମହାରଣା, ସାରଥି ମହାରଣା, ସୋଚଳ ମହାରଣା’’ ଆଉ କେତେ ଯାହାଙ୍କର ନାଁ ଘୋରି ହୋଇଗଲାଣି ସେମାନେ ଏ ଦେଉଳର ଗଢ଼ାଳି କାରିଗର ।

 

ସାଢ଼େ ଚାରିଶ ବର୍ଷତ କାଲି ସକାଳ ପରି ଲାଗୁଛି, ଶିଳାଲିପିର ଭାଷା ଲାଗୁଛି ସତେ ଯେପରି ଏବେ କିଏ ଲେଖିଛି, ସେଦିନୁ ଏଯାକେ ଏ ଦେଶର ମଣିଷଙ୍କ ବୋଲିରେ ଆଖିଦରଶା ପରିବର୍ତ୍ତନ ଘଟିନାହିଁ, ଦେଉଳ ତା’ର ପାର୍ଶ୍ୱଭୂଇଁ ସହିତ ଦବିଯାଇଛି ପୁରୁଷେ ଗହୀରରେ, କେଉଁ ମୂର୍ତ୍ତି ଅତୁଟ ଅଛି କେତେ ଅବା ଭାଙ୍ଗିଛି କେଉଁ ମୂର୍ତ୍ତି ଘୋରି ହୋଇଛି ତଥାପି ଅଦ୍ୟାପି ସେମିତି ରହିଛି ଗୋଟାସୁଦ୍ଧା ଦେଉଳଟା ଯେପରିକି ତା’ ଉପରକୁ ହୋଇ କାରୁକାର୍ଯ୍ୟମୟ ଅତିସୁନ୍ଦର ବିମାନ ତିନୋଟି, ଆଉ ଗଲାଣି ଚାଲି ସେହି ସାଢ଼େ ଚାରିଶ ବର୍ଷର ଗୋଡ଼ିଆ ଗୋଡ଼ି ଆଲୁଅ ଛାଇର କ୍ରମିକ ଇତିହାସ ।

 

ଦେଉଳର ଉପରଆଡ଼କୁ ଫାଳେ ବାହୁଡ଼ାଣି ସୁନେଲି ଖରାରେ ଓଦା ଜକ ଜକ ଦିଶୁଛି, ଆଉ ଲାଗୁଛି ଏ ବି ଏକ ବ୍ୟକ୍ତିତ୍ୱ । ତା’ ଚାରିକରରେ ଅଲେଖା ଅନୁଭୁତିର ଭୁଲିଲା କାହାଣି । ତା’ର ମିଞ୍ଜି ମିଞ୍ଜି ଅନ୍ଧାର ତଳେ ନିଛାଟିଆ ଠିଆ ହେବାର, ଯେତେବେଳେ ଫୁଙ୍ଗା ଅପନ୍ତରରେ ଏକାଠି ଝକ୍‌ଝକ୍‌ ଜୁଳୁଜୁଳିଆ ଜଳି ନିଭିବା ସହିତ ବିଲୁଆପଲଙ୍କ ଦେହ ଉଲ୍‌ସା ଚିତ୍‌କାର, ଆଉ ଏକୁଟିଆ ମୁଣ୍ଡ ଟେକି ଠିଆହେବାର କାହାଣୀ ଯେତେବେଳେ ଦର ଦର ହୋଇ ସତେକି ଆକାଶ ବୋହିପଡ଼ୁଥିବା ତଳକୁ ଆଉ ଚଡ଼୍‌ ଚଡ଼୍ କରି ବିରାଟ ଶୂନ୍ୟର ଥାଇତାପଣକୁ ଭିଣିଭିଣା କରିଦେଇ ବାରମ୍ୱାର ବିଜୁଳି ଘଡ଼ଘଡ଼ିର ବାଣଫୁଟା ।

 

ଉଞ୍ଚମୁଣ୍ଡ ସଳଖ ରଖିବାର କାହାଣୀ ।

 

ଗାଁ ଏଠି ନାହିଁ, ଅପନ୍ତରା । ଦୂରେଇ ଦୂରଇେ ଦେଉଳକୁ ଘେରିଲା ପରି ବେଣାଫୁଲର ସମୁଦ୍ରରେ ହାଲୁକା ପବନରେ ସତେକି ଦୁଧ ଉତୁରୁଛି । ଏଠିସେଠି ଘଞ୍ଚ ବେଣାବୁଦା ଆଖୁବୁଦା ପରି ହାତିଆ ହୋଇ ବଢ଼ିଛି । ଏଠିସେଠି ଗୋଟିଗୋଟିକିଆ କଣ୍ଟା ବବୁର ଗଛ ଗୋଲ ଗୋଲ ହୋଇ ଟିକି ଟିକି ଗୋଲ ହଳଦିଆ ଫୁଲ ଲଦିହୋଇ ଠିଆ ହୋଇଛନ୍ତି । ପବନରେ ବବୁର ଫୁଲର ମନଭୁଲା ମିଠା ବାସ୍ନା । ତଳେ ଅରା ଅରା ହୋଇ ଜାତିଜାତିକା ବର୍ଣ୍ଣର କୋଠି ପଡ଼ିଛି । ମଣିଷର ମପାଚୁପା ଦାଢ଼ୁଆ ସୀମାର ବାଡ଼ ନାହିଁ ତା’ଠି । ନାସି କେନା ମେଲେଇ ଗୋଟାଏ କୋଠି ଆରଟାଠି ମିଳି ମିଶି ଯାଇଛି । ତା’ର ଉଦ୍ଦେଶ୍ୟ ମିଶିବା, ଏକ ହେବା । ନିଆରା ସୀମାରେ ମୁଁ ପଣର ବାଡ଼ ରହିବା ନୁହେଁ । ସେମିତି ଏଠି ଅଂକାହୋଇଛି ଅରା ଅରା ହୋଇ ହଳଦିଆ ଫୁଲଫୁଟା.ଶାଗୁଆ ବର୍ଣ୍ଣର ଅଗରାଗଛର ଅରମା ଯେପରିକି ତା’ ଉପରେ ଫୁଲ ନୁହେଁ ଯେ ଅଗଣିତ ହଳଦିଆ ପ୍ରଜାପତି ପର ମେଲେଇ ବସିଛନ୍ତି । ଝଙ୍କା ଝଙ୍କା ବୁଦା ବୁଦା ଅରଖ ଫଳ ବଡ଼ ବଡ଼ ହୋଇଛି, କିନ୍ତୁ ଫୁଲର ଝୁଙ୍କ କମି ନାହିଁ । କାନ୍ଦି କାନ୍ଦି ହୋଇ ଫୁଟିଛି । ଟିକିଏ ନିଷ୍‌ପ୍ରଭ ହୁଏତ-। ଏ ସମୟରେ ଫୁଲ ଫୁଟିଛିବୋଲି ଲାଜରା ହୋଇ ଯେପରିକି ତଳକୁ ମୁହଁ ପୋତିଛି । କଳା ଉପରେ ହଳଦିଆ ରେଶମି ଆଉ ଟୋପା ଟୋପା ନାଲି ହଳଦୀ ବର୍ଣ୍ଣର ପୋଷାକ ପିନ୍ଧି ସେଠି ଲମ୍ୱାଳିଆ ଭଅଁରମାନେ ଅଦ୍ୟାପି ପୁଞ୍ଜା ପୁଞ୍ଜା ହେଉଛନ୍ତି । ଅରା ଅରା କୋଇଲିଖିଆ ଗହଳ ହୋଇ ଉଠିଛି । ତା’ଠି ଗୋଟା ଗୋଟା ଲମ୍ୱା ନେଳି ଫୁଲ ଗୋଛା ଗୋଛା । ମାଟି ଉପରେ ଆପଣାକୁ ବିଛେଇ ଦେଇଛି ଭୂଇଁବରକୋଳି ଲଟା, ହଳଦିଆ ଦୀପଧାସ ପରି ଖରା ଜଳି ଲାଗିଛି ଧିମେଇଁ ଧିମେଇଁ ଆଉ ସେ ଧାସରେ ଗୋଲ ଗୋଲ ନିଆଁପରି ଏମୁଣ୍ଡୁ ସେମୁଣ୍ଡ ବିଞ୍ଚି ହୋଇପଡ଼ିଲା ପରି ଖୁନ୍ଦି ହୋଇଛି ପାଚିଲା ଭୂଇଁ ବରକୋଳି । ଚିକ୍‌ ଚିକ୍‌ ଦିଶୁଛି ଖରା ଢିପ ଢାଲୁ ଉପରର ସୁନ୍ଦର ନିବିଡ଼ ଘାସ ଉପରେ, ସେ କରେ ସେ ମନ୍ଦିର ତା’ ସେ କରେ ହଳଦିଆ ସରୁବାଲି, ସେ କର ନଈଧାର, ତା’ ଉପରେ ଆକାଶ । ଏହି ଦୃଶ୍ୟ ଉପରେ ପାଖେଇ ପାଖେଇ ଆସୁଛି ଉଡ଼ାଜାହଜଟା... ଗଲାଣି ଦୂରେଇ ଦୂରେଇ... ଏଥର ସେ ହଜିଯିବ, ଦିଶିବ ନାହିଁ ।

 

ଆଜି ଆଉ ସେ ତୁଚ୍ଛା କୁତୂହଳର ପଦାର୍ଥ ନୁହେଁ, ନାଗାସାକି ହିରୋସୀମା ଧ୍ୱଂସ ହେଲା ପରେ, ତୁହାଇ ତୁହାଇ ମଣିଷର ସୁସ୍ଥ ଘରକରଣା ଉପରେ କଞ୍ଚାମାଂସ ଉପରେ ବୋମା ଗଡ଼ିପଡ଼ି ନିଆଁକୁଢ଼ ହୋଇ ହୋଇ ଜଳି ଅଙ୍ଗାର ହେଲା ଉତ୍ତାରୁ, ମଣିଷ ସମାଜର ଶତ୍ରୁ କୁତ୍ସିତ ଯନ୍ତ୍ର ବିଜ୍ଞାନର ଆସୁରୀ ବଂଶର ଘୃଣ୍ୟ ମାରଣା ପକ୍ଷୀ ଏଇ ସେହି ଉଡ଼ାଜାହଜ ଜାତି...

 

ଉଡ଼ାଜାହାଜ ଉଡ଼ିଗଲାଣି, ଆକାଶ ହେଲାଣି ମୁକ୍ତ । କିଏ କହିପାରିବ, ହୁଏତ ସେଥିର କେଉଁ ପରଦୁଃଖେ କାତର ଲୋକହିତୈଷୀହିଁ ଉଡ଼ିଗଲେ ପୃଥିବୀର ଶାନ୍ତି ପ୍ରତିଷ୍ଠା କାର୍ଯ୍ୟରେ ସାହାଯ୍ୟ କରିବେବୋଲି କିନ୍ତୁ ତଥାପି ସେହି ଉଡ଼ାଜାହଜ ଉପରେ ହିରୋସୀମାର ଛାଇ ତାକୁ ବିଶ୍ୱାସ ନାହିଁ ।

 

ଏଇ, ବକୁଳେଶ୍ୱର । ସୂର୍ସ୍ୟାସ୍ତ ପରେ ଓ ସଞ୍ଜ ଆଗରୁ ଏ ସତେକି ଦିନ ଭିତରର ଦ୍ୱିତୀୟ ପାହାନ୍ତି, ପୁରୁଣା ଦେଉଳଟି ଯେପରିକି ନୂଆ ହୋଇ ବାରି ହୋଇପଡ଼ୁଛି, କେଡ଼େ ସ୍ପଷ୍ଟ ! କେଡ଼େ ସତ ।

 

ରବି ଅଟକିଯାଇ ଚାରିଆଡ଼କୁ ଚାହିଁଲା, କେହି ନାହିଁ । ଦୂରରେ ବନ୍ଧତଳେ କେଉଁଠି କେଁ କଟର ହୋଇ ଶଗଡ଼ ଖଣ୍ଡେ ଯାଉଛି, ଦିଶୁ ନାହିଁ, ଖାଲି ଶୁଭୁଛି ତା’ର କରୁଣ ବିଳାପମୟ ସଙ୍ଗୀତ, ଯନ୍ତ୍ରର ତାର ଉପରେ କିଏ ଧନୁର ଗୁଣ ଘଷି ଘଷି ତୁହାଇ ତୁହାଇ ଗୋଟିଏ ଗୀତ ଆଳାପ କରୁଛି-। ସେହିପରି ସେ ଚକ ଭିତର ଅଖ ରଗଡ଼ି ହୋଇ ବୁଲିବାର ଶବ୍ଦ, ତା’ ସହିତ ବଳଦଙ୍କ ବେକରେ ବନ୍ଧା ହୋଇଥିବା ଘୁଙ୍ଗୁରମାନଙ୍କ ଝମ୍‌ଝମ୍ ଝମ୍‌ଝମ୍‌ ସଙ୍ଗୀତ । ଯେତିକି ଦୂରେଇ ଯାଉଛି ସେତିକି ସୁନ୍ଦର ଶୁଭୁଛି । ଖାଲି ଚାଲିଯିବାରହିଁ ସଙ୍ଗୀତ । ଏମିତି କେତେ ଯାଇଛି ! କେତେ ଶୁଭିଛି-! ସେହି ଦେଉଳକୁ ଅନାଇଁ ଦଣ୍ଡବତ କଲା । ସ୍ମରଣରେ ଥିଲା ଅନନ୍ତ ଅଖଣ୍ଡ ମହାକାଳ, ସମୟ-ଯାହା ଭିତରେ ତୁହାଇ ତୁହାଇ କେତେ ଉତ୍ପତ୍ତି ହୁଏ, ପୁଣି କେତେ ଅବସାନ ଘଟେ, ସେହି ଚିରନ୍ତନ କିଛି, ଯାହାକୁ ଆବୋରି ଜନମ ମରଣ ଉଦୟ ଅସ୍ତ ହୋଇ ଘଟନା ଘଟେ । ସମୟର ସ୍ମୃତି ପରି ଦେଉଳ ଠିଆ ହୋଇଛି, ଏ ବାଟେ ଗଲାବେଳେ ସେହିଆକୁ ସେ ନମସ୍କାର କରେ । ତେଣୁ ନମସ୍କାର କଲା-। ସବୁଦିନ ଯେପରି ମନେ ମନେ କଳ୍ପନା କରେ ଆଜି ବି ସେହିପରି କଳ୍ପନା କଲା । ଅନଙ୍ଗଭୀମଦେବଙ୍କ ବେଳଠୁଁ ଏ ଯାକେ ସମୟରେ ପ୍ରତି ଠଣା ପରି ପ୍ରତି ମୁହୂର୍ତ୍ତକୁ ପୂର୍ଣ୍ଣକରି ରଖି କେତେ ଏଇ ମନ୍ଦିର ସହିତ ସମ୍ପୃକ୍ତ, କିନ୍ତୁ ଆଜି ନାହାନ୍ତି । ଅଢ଼େଇ ଫୁଟରେ ଦେଢ଼ ଫୁଟ କରି ଇଞ୍ଚ ବହଳରେ ଇଟା ପାରିଲେ, ତଷୁ ଦେଇ ପୋଡ଼ିଲେ, ଦେଉଳ ଗଢ଼ିଲେ, ଦିଅଁ ଥାପିଲେ ।

 

ବିତିଗଲା ତିନିଶହ ବର୍ଷ–କେତେ ସେ ? –ଯେପରିକି ଇଂରେଜ ଆସି ରାଜୁତି କଲେ କଲେ, ତା’ ଆଗରୁ ମରହଟ୍ଟା, ତା’ ଆଗରୁ ପଠାଣ, ତା’ ଆଗରୁ ହିନ୍ଦୁ ରାଜାମାନେ । ‘‘ଅନଭୀଙ୍ଗମଦେବ ରାଜାଙ୍କ ଭାଇ ଗୋପାଳ ଛୋଟରାଏ ଇଟା ପୋଡ଼ାଇ ତୋଳାଇଥିଲେ, ଏତେଦିନେ ଭାଗିଗଲା ।’’ ତା’ପରେ ପୁରୁଷୋତ୍ତମଦେବଙ୍କ ରାଜୁତିରେ ୧୫ ଅଙ୍କରେ ‘‘ପକ୍ଷଖଣ୍ଡ ଡିହର ଖଣ୍ଡାଇତ ରାଏ ପୀତାମ୍ବର ମହାପାତ୍ରେ ପାଷାଣ କଲେ’’ ଗଲାଣି ତା’ପରେ ପାଞ୍ଚଶ ବର୍ଷ । କେତେ ଉତ୍ସବ ନ ହୋଇଥିବ ଏଠି । କେତେ ଗହଳି କେତେ ଯାନିଯାତ । କେତେ ମାନସିକ ନ ହୋଇଥିବ ! ‘‘ପୁଅଟିଏ ହେଉ’’, କି ‘‘ରୋଗ ଭଲ ହେଉ’’ ଠୁଁ ଲଗାଇ ‘‘ଯୁଦ୍ଧରେ ଜୟ ହେଉ’’ ପର୍ଯ୍ୟନ୍ତ । ହୁଏତ ଏଠି କେଡ଼େବଡ଼ ସହର ଥିଲା, ନ ହେଲେ, ଅପନ୍ତରାରେ କାହିଁକି ଏଡ଼େ ସୁନ୍ଦର କାରୁକାର୍ଯ୍ୟମୟ ଦେଉଳ ତୋଳା ହୋଇଥାନ୍ତା ? ହୁଏତ ସେହି ସେ ଥିଲ ପକ୍ଷୀଖଣ୍ଡ ଗଡ଼ ତାହାରି ଏ ମହାଦେବ ମନ୍ଦିର ।

 

କିପରି ଥିଲା ସେମାନଙ୍କ ଚେହେରା ଆଉ ପୋଷାକ ? ଏହି ମନ୍ଦିରରେ ଯେପରି ଅଙ୍କା ହୋଇଛି ହୁଏତ ସେହିପରି । ସଳଖ ଡେଙ୍ଗା ବଳୁଆ ପୁରୁଷ, ତା’ର ଓସାର ଛାତି, ବଡ଼ ଚେକା ମୁହଁ, .ଖଣ୍ଡା ନାକ, ତା’ର ମୁଣ୍ଡରେ ଜୁଡ଼ା, କାନ ତଳକୁ କଲି ଆଉ ନିଶ ଏକାଠି ମିଶିଥିଲା । ତା’ର କାନରେ କୁଣ୍ଡଳ, ବେକରେ ହାର, ପଦକ, ଛାତିରେ ତିନି ସରିଆ ସୁନାରହାର, ସେଥିରେ ଝରା ଲାଗିଛି । ଯୁଦ୍ଧକୁ ଗଲେ ସେ ଆଣ୍ଠୁ ଉପରେ ମାଇକଛା ମାରେ, ଦିଶେ ଯେପରିକି ଦେହକୁ ଚିପି ହେଲା ପରି ହାପ୍ ପ୍ୟାଣ୍ଟ୍‌ ପିନ୍ଧିଛି, ଅଣ୍ଟାରେ ଆଠସରି ହୋଇ ଅଣ୍ଟା ସୂତା, ମଝିରେ ସିଂହ ପାଟିରୁ କମକୂଟ ହୋଇ ଫେର ଓହଳିଛି, ଦି ଗୋଡ଼ରେ ପଟି, ମୁଣ୍ଡରେ ଶିରସ୍ତ୍ରାଣ ନ ହେଲେ ପଗଡ଼ି । ସତେ ସତେ ସେ ପାଞ୍ଚହାତ ମର୍ଦ୍ଦ, ଉଚ୍ଚତା ସାତଫୁଟ ଉପରେ, କେଡ଼େ ବଳିଷ୍ଠ ତା’ର ହାତ ଗୋଡ଼, ତା’ର ଛାତି, ତା’ର ଜଙ୍ଘ ! ତା’ରି ମଛା ତା’ର ସ୍ତ୍ରୀଲୋକ, ଉଞ୍ଚରେ ଚାରିହାତରୁ ଊଣା ନୁହେଁ, ତା’ର ସରୁ ଅଣ୍ଟା, ଓସାର ଜଙ୍ଘ ଆଉ ପଛ ବଳିଷ୍ଠ, ଓସାର ଛାତିରେ ପରିପୂର୍ଣ୍ଣ ଯୌବନର କୁମ୍ଭ ଦୁଇଟି ଅନାବୃତ, ମୁଣ୍ଡଠୁ ଗୋଡ଼ ଆଙ୍ଗୁଠିଯାକେ କି ସୁନ୍ଦର ସୁନ୍ଦର ଅଳଙ୍କାର ସେ ପିନ୍ଧିଥାଏ, ସେ କେବଳ ତଳେ ନିଆଁଜାଳି ଗୋଡ଼ ଫରକଟେଇ ଖଟୁଲି ଉପରେ ବସେ ନାହିଁ, ପୋଷା ବତକର ମୁହଁଆଡ଼କୁ ଆପଣ ମୁଣ୍ଡବାଳର ସୁଗନ୍ଧି ଜଳ ଚୁପୁଡ଼ି ଝରାଏ ନାହିଁ, ପୋଷା ଶୁଆକୁ ହାତରେ ବସାଇ ସରାଗରେ ଦେହକୁ ଆଉଜେଇ ଧରି କଥାଭାଷା ହୁଏ ନାହିଁ, ଖାଲି ନାନାଭଙ୍ଗୀରେ ନାଚେ ନାହିଁ, ତୂରୀ, ବଇଁଶୀ, ଝାଞ୍ଜ, ମୃଦଙ୍ଗ, ବୀଣା ବଜାଏ ନାହିଁ, ଅଳସେଇ ଅଳସେଇ ମୋଟା ମାଣ୍ଡିରେ ପିଠି ଆଉଜେଇ ଦେଇ ଦର୍ପଣ ଧରି ଆପଣା ମୁହଁରେ ଚନ୍ଦନପାତି ପକାଏ ନାହିଁ, ଏ ସବୁ ତ ସେ କରେ, ଦେଉଳଯାକ ତା’ର ଚିତ୍ର, ଯାହା ଅକ୍ଷତ ଅଛି ଲାଗୁଛି ଯେପରିକି କାଲି ସକାଳେ ଅଙ୍କାହୋଇଛି, ସେହି କାହିଁ ଆଠଶହ ବର୍ଷ ତଳର ସନ୍ଧ୍ୟା ଯେପରିକି ମୁହଁକତିକି ଲାଗି ଲାଗି ଆସିଛି, କିନ୍ତୁ ଆହୁରି ଦିଶୁଛି ତା’ର ସ୍ତ୍ରୀଲୋକ ଯୁଦ୍ଧର ସାଜ ମଣ୍ଡି ହୋଇ ଗୋଟାଏ ହାତରେ ଖଣ୍ଡା ଆର ହାତରେ ଲଗାମ ଧରି ଘୋଡ଼ା ଉପରେ ବସିଛି । ତା’ର ସ୍ତ୍ରୀଲୋକମାନେ ଏମିତି ଲଢ଼ୁଆ ବେଶରେ ଘୋଡ଼ା ଉପରେ ହାତୀ ଉପରେ ବସି ଦଳ ଦଳ ହୋଇ ଲଢ଼େଇକି ଚାଲିଛନ୍ତି, ଆଉ ଦିଶୁଛି ସେମାନେ ସନ୍ତାନ ପାଳୁଛନ୍ତି, ଘରକରଣା କରୁଛନ୍ତି, ଆଉ କେଉଁ ପୁରର ନୁହଁନ୍ତି ଏଇ ମାଟିରହିଁ ଝିଅମାନେ ।

 

କୁଆଡ଼େ ଗଲେ ସେମାନେ ?

 

କେଡ଼େ ଉଗ୍ର ସେହି ଦୁର୍ଦ୍ଦଶାର କ୍ରମ, ସଙ୍ଘାତ ବଳକ୍ଷୟ ଲୁଣ୍ଠନ ପରଧୀନତା ଅନାହାରର କ୍ରମ ଯହିଁରେ ଏ ଦେଶର ମଣିଷର ଏଡ଼େ ଚେହେରା ପୁରୁଷକୁ ପୁରୁଷ ଉତୁରା ଉତୁରିରେ ସାନ ହୋଇଗଲେ, ଶୁଖିଗଲା, ଶୁକୁଟିଗଲା ।

 

ସେହି କଥାହିଁ ତା’ର ମନେପଡ଼େ ଏ ବାଟେ ଗଲାବେଳେ ଯେତେବେଳେ ଏ ବକୁଳେଶ୍ୱର ଦେଉଳ ଓ ତା’ର କାରୁକାର୍ଯ୍ୟ ଦେଖୁ ଦେଖୁ ସେ ସେହି ହଜିଲା ଅତୀତକୁହିଁ ମନେପକାଏ, ଯାହାର ନିତିଦିନିଆଁ ଜୀବନର ଚିତ୍ର, ଘର ଭିତରର ପୁଣି ଘର ବାହାରର ଏଠି ଏଡ଼େ ସୁନ୍ଦର କାରୁକାର୍ଯ୍ୟରେ ଅଙ୍କା ହୋଇ ରହିଯାଇଛି ।

 

କେବଳ ମଣିଷ ତା’ର କାରିଗରି ଆଙ୍କି ନାହିଁ । ସମୟ ବି ନିଜେ ନିଜକୁ ଆଙ୍କି ଯାଇଛି । ହେଇ ସେ ସ୍ତ୍ରୀଲୋକଟି ମୃଦଙ୍ଗ ବଜାଉ ଥିଲା, କେଡ଼େ ଜୀବନ୍ତ ତା’ ଭଙ୍ଗୀ ! ହାତରେ ମୃଦଙ୍ଗଟି ଅଛି, ମୁଣ୍ଡଟି ନାହିଁ ।

 

କେମିତି ଦିଶୁଥିଲା ତା’ ମୁହଁର ଭଙ୍ଗୀ ? କେମିତି ଥିଲା ତା’ ମୁହଁ ? ଆଉ କେହି କହିପାରିବେ ନାହିଁ । ଏମିତି କେତେ ମୁଣ୍ଡ ଝଡ଼ି ପଡ଼ିଛି, କେତେ ଅଙ୍ଗ କୁଆଡ଼ୁ ଗଲାଣି । ହେଇ ସେଠି ପିଲାଟିର ହାତଧରି ସ୍ତ୍ରୀଲୋକଟି ତା’ର ଯୋଦ୍ଧା-ସ୍ୱାମୀ ଆଗରେ ଠିଆ ହୋଇଥିଲା, ପିଲାଟି ବାପ ମୁହଁକୁ ଅନାଇଛି, ବାପ ହାତରେ ଲମ୍ୱା ବାଙ୍କ ଢାଲ ପଖିଆ ପରି, ଆର ହାତରେ ଲମ୍ୱା ବର୍ଚ୍ଛା, ମୁହଁ ଗମ୍ଭୀର । କ’ଣ ଦୁଃଖ ସୁଖ ହେଉଥିଲା ତା’ର ସ୍ତ୍ରୀ ? ‘‘ଏ ମଣିଷମରା ଯୁଦ୍ଧ କେତେଦିନ ଲାଗିବ ରାଉତେ ? କେବେ ପୁଣି ତୁମେ ଫେରିବ ?’’ କି ସମସ୍ୟାର ସମାଧାନ ସେ ଦୁହେଁ ଖୋଜୁଥିଲେ ? ପାଖେ ରାଜାଙ୍କ ଆଦେଶ କି ଦେଶରକ୍ଷାର ତାଡ଼ନା, ପାଖେ ତା’ର ସ୍ତ୍ରୀ ତା’ର ସନ୍ତାନ, କି ଭାବ ଥଲା ସେ ସ୍ତ୍ରୀ ମୁହଁରେ ? ସେମିତି ସେ ଠିଆହୋଇଛି, ତା’ର ବେକଠୁ ଉପରକୁ ନାହିଁ ।

 

ତଳେ ଗୋଛା ଗୋଛା ହୋଇ ସୈନ୍ୟ ଚାଲିଛନ୍ତି, ଚାଲିଛନ୍ତି ଅସୁମାରି ହାତୀ, ଘୋଡ଼ା, ବାରଦାଉଣ୍ଡୀ ବିଜିଘୋଷ କାହାଳୀ କେତେ ବାଦ୍ୟ ବଜାଇ ବଜାଇ ଚାଲିଛନ୍ତି, ଚାଲିଛି କଳିଙ୍ଗର ଥାଟ ପଲାଣି, ସେମାନେ ଚାଲି ଚାଲିକା ଅତୀତର ସମୟ ଭିତରକୁ ଚାଲିଯାଇଛନ୍ତି । ଆଉ ଫେରିନାହାନ୍ତି ।

 

ବୋହୂଟି ସବାରୀରେ ଚଢ଼ି ଶାଶୁଘରକୁ ଯାଉଥିଲା, ଛାତ୍ର ଯାଉଥିଲା ପାଠପଢ଼ି, ମଗରମୁହାଁ ବୋଇତରେ ବସି ପାଲ ଉଡ଼େଇ ସମୁଦ୍ରରେ ଚାଲିଥିଲେ ନାବିକମାନେ, ବରଗଛର କୁଞ୍ଜ ତଳେ ଆଡ଼ହସା ଦେଇ ଯୁବକ ଯୁବତୀ ଏକାଠି ହୋଇଥିଲେ, ସାମ୍ନାରେ ବ୍ୟାସାସନରେ ପୋଥି ଖୋଲିଦେଇ ତଳେ ବସି ବୁଢ଼ା ପୋଥି ପଢ଼ୁଥିଲେ ବୁଢ଼ୀ ଶୁଣୁଥିଲେ, ଗାଁ ଦେଉଳକୁ ଯାଉଥିଲେ କୁଳବୋହୂମାନେ, ଗାଈଆଳ ଗୋରୁ ଅଡ଼ୋଉଥିଲା, ବାଘ ସଙ୍ଗେ ଲଢ଼ୁଥିଲା ଜଣେ ମାଲ, ନାଗରିକମାନେ ଦେଖୁଥିଲେ–

 

ପଥରରେ କଳା ଜୀବନ ପାଇ ରହିଯାଇଛି ଏଇ ଦେଉଳ କାନ୍ଥରେ, –ତା’ପରେ ସେମାନେ କ’ଣ କଲେ ?

 

ହେଇ ସେଠି ଘର ଜଗତୀ ଅଟାଳି କୁଟ୍ଟି ସବୁ ଦିଶୁଛି, କଦଳୀଗଛର ପତ୍ର ବରଗଛର ପତ୍ରସବୁ ବାରି ହେଉଛି, ଏପରିକି ଧୀର ପବନ ଦେଉଛି ବାରି ହେଉଛି । ପଣତ ଉଡ଼ିଯାଉଛି, ଟିକି ଟିକି ଗେଣ୍ଡୁଫୁଲ ଗୁନ୍ଥାହୋଇ ଯେଉଁ ହାର ହୋଇଥିଲା ବୃନ୍ଦାବନୀ କେଳିକୁସୁମର ହାର,-ପବନରେ ସେ ହାର ବି ଉଡ଼ିଯାଉଛି ଦିଶୁଛି ଏଇ କାନ୍ଥାରେ, ଆପଣାକୁ ଅନୁଭବ ସେହି ସେ କାଳର ଦୁନିଆଁ ଭିତରେ ।

 

ଚାଉଁକିନା ଲାଗୁଛି, ସମୟ ଚାଲିଯାଇଛି ।

 

ପୁରୁଷେ ଉଞ୍ଚରେ ପାଦୁକନଳାର ବାଟ । ଖାଲି ପାଣି ବୋହିଯିବାକୁ ଗୋଟିଏ ଜଳା ନୁହେଁ, ସନ୍ତାନକୁ କ୍ଷୀର ଖୋଇବା ଭଙ୍ଗୀରେ ହାମୁଡ଼େଇବା ଗୋଟିଏ ମାତୃମୂର୍ତ୍ତି । ତା’ର ପରିପୁଷ୍ଟ ସ୍ତନ ଦୁଇଟି, ସ୍ତନ ଅଗରେ କଣା ପାଦୁକନଳା ସେହି ମାତୃମୂର୍ତ୍ତିର ଭିତରେ ଭିତରେ ଆସି ଅଗରେ ଫୁଟିଛି, ଭିତରେ ମହାଦେବ, ବାପା, ତାଙ୍କ ପାଦୁକ ପାଣି ମା’ର କ୍ଷୀର ପରି ସନ୍ତାନମାନଙ୍କ କଲ୍ୟାଣପାଇଁ ଅଜାଡ଼ି ହେବ, ଏହିପରି ତା’ର ପରିକଳ୍ପନା ।

 

ମା’ ମୁଣ୍ଡ ଆଉ ନାହିଁ । ମା’ ଚେର ଶୁଖିଛି ।

 

ଭାବନା ଭିତରେ ଜୀବନର ତାତି ନିଭିଯିବା ଅନୁଭବ କଲା । ଦେହ ଶୀତେଇ ଉଠିଲା । ଚାରିଆଡ଼େ ଅତୀତ ଯେପରିକି ଇଟା ପଥର ହୋଇ ପଡ଼ିଛି । କୁଢ଼ କୁଢ଼ ଧ୍ୱଂସ । ଶୁନ୍‌ଶାନ୍‌ ନିଛାଟିଆ । ନଈଆଡ଼ୁ ଧଳା କୁହୁଡ଼ିର କାନ୍ଥ ଧୀରେ ଧୀରେ ଆଗେଇ ଆସୁଛି । କାଲୁଆ ପବନ ରହିରହିକା ଧୀରେ ଧୀରେ ଆସି ମଞ୍ଜ ଥରେଇ ଦେଉଛି । ଖାଲି ମନେପଡ଼ୁଛି ଚୁଲି ନିଭିଯାଇଛି, ସମସ୍ତେ ଶୋଇପଡ଼ିଛନ୍ତି । ସବୁଭୁଲି ହୋଇଯାଇଛି ।

 

ରହିଲା ପଡ଼ି ବକୁଳେଶ୍ୱର ମନ୍ଦିର ଓ ତା’ ଚାରିକରର ଧ୍ୱଂସସ୍ତୁପ, ରହିଲେ ସେଠିକାର ଝଙ୍କା ଝଙ୍କା ଅତି ପ୍ରାଚୀନ ବରଗଛମାନ, ତୁନିତାନି ବେଲବଣ, ସାମ୍ନାରେ ଏକ ଚିକ୍‍କଣ କଳାନେଳି ସଞ୍ଜ, ବାଟ କଢ଼େଇବାକୁ ପଞ୍ଚମୀର ଜହ୍ନ ଉଇଁଲା, ସେ ତର ତର ହୋଇ ଚାଲିବାକୁ ଲାଗିଲା ।

 

ଦୂରରୁ କେଉଁଠି ସଞ୍ଜର ଶଙ୍ଖବାଜି ଉଠୁଛି, ନା ଏ ତା’ର ଅନୁମାନ ? ଅତତୀ ଅତୀତରେହିଁ ରହିଯାଇଛି । ସେତେବେଳେ ଏ ଚାରିଆଡ଼େ ଘରେ ଘରେ ଆଲୁଅ ଜଳୁଥିଲା, ପ୍ରାର୍ଥନା ଆଳତି ବେଳର ଶଙ୍ଖଘଣ୍ଟା ବାଜୁଥିଲା । ଘରଦ୍ୱାର ଆଉ ସେଠି ନାହିଁ, କିନ୍ତୁ ଆଗର ଆଲୁଅ ଜଳୁଛି ଦିଶୁଛି । ଘର ଭିତରର ଡିବି ଆଲୁଅର ଧାସ ମେଲା ଦୁଆରମୁହଁ ବାଟେ ପଦାକୁ ପଡ଼ିଛି । ପୁଣି ପିଣ୍ଡାତଳେ କାଠି ପତର ଜାଳି ଫଙ୍ଗାମଣିଷ କୁଙ୍କିରିକାଙ୍କିରି ହୋଇ ନିଆଁ ପୁଉଁଛନ୍ତି । ବାଉରି ସାହି । ଖଣ୍ଡେ-ଦୂର ଛାଡ଼ି ଯେଉଁ ଅନ୍ଧାରି ଆମ୍ୱତୋଟା ଦିଶୁଛି ତା’ ଉଢ଼ୁଆଳରେ ସେ କର ଷଡ଼ଙ୍ଗୀ ସାହି, ଧନବନ୍ତ ଲୋକ, ତାଙ୍କରି ସାହିର ଦେଉଳରୁ ଆଳତି ଘଣ୍ଟ ଓ ଶଙ୍ଖ ଶବ୍ଦ ଶୁଭୁଛି ।

 

ନଈବନ୍ଧ ଉପରେ ଠାଆ ଠାଆକେ ଗୋଟିଏ ଗୋଟିଏ ହୋଇ ପାଞ୍ଚକୋଶ ବାଟ ସେ ଚାଲି ଆସିଲାଣି, ଆଉ କୋଶେ ବାଟ ଗଲେ ମଝିଲା ସହରର ସାମା ସନ୍ଧି ପଡ଼ିବ, ସେଠୁ ନାଲିସଡ଼କରେ ପନ୍ଦର କୋଶ ଗଲେ ବଡ଼ ସହର । ଆଜିକ ମଝିଲା ସହରରେ ରାତିଟା କଟେଇଲେ ସକାଳୁ ବଡ଼ ସହରକୁ ଯିବାକୁ ସର୍ଭିସ୍‌ମଟର ମିଳିବ । ଆଗରେ ପାଏ ବାଟ ଗଲେ ବାଙ୍କଟା କଟିଗଲେ ମଝିଲା ସହରର ଆଲୁଅ ଦିଶିବ । ଗଲା ବାଙ୍କଟା ବି କଟି । ବାଟକରର ଚିହ୍ନ-ପରି ଡେଙ୍ଗା ଡେଙ୍ଗା ଦେବଦାରୁ ଗଛ, ଯୋଡ଼ିକ, ସହରରୁ ବି ବାରିହୋଇପଡ଼ି ଘରର ବାଟ ମନେପକାଇଦିଅନ୍ତି ତା’ ସହିତ ଆପଣା ଗାଁର ଆରାମ ଘରର ସୁସ୍ଥି ଓ ଶାନ୍ତି ଅଥଚ ଗଲାବେଳେ ସେହି ଦେବଦାରୁତଳେ ପହଞ୍ଚିଗଲେ ଲାଗେ ବାଟ ସରିଲା, ସହର ହେଲା ।

 

ମଝିଲା ସହରର ବିଜୁଳି ଆଲୁଅ ଦିଶିଲା, ସଡ଼କର ଆଲୁଅ ପୁଣି ବଡ଼ ବଜାରର । ଆଉ ଏଣେ ବନ୍ଧକରରେ କିଆବଣ ଭିତରୁ ଦେବଦାରୁ ଦୁଇଭାଇ କେଉଁକାଳୁ କାହାର ବାରିରେ ଠିଆ ହୋଇଛନ୍ତି । କେତେଗଛ ଆମ୍ବ, ଜାମୁ, ବହୁ ପୁରୁଣା ପିଜୁଳି ଗଛଟାଏ, କେଡ଼େ ମୋଟ ତା’ର ଗଣ୍ଡି, ସାହାଡ଼ା ଗଛ, କେବେ କିଶୋରୀ ଥିଲା, ଏବେ ତ ବୃଦ୍ଧା, କହନ୍ତି ତାକୁ କେତେ ଲୋକ ବାହା ହେଲେଣି । ଦିଟା ଭାରିଜା ମଲେ ଲୋକେ ସାହାଡ଼ା ବାହା ହୁଅନ୍ତି ଓ ତା’ ପରେ ତୃତୀୟାର ଭାରିଜାକୁ ବିଭା ହୁଅନ୍ତି କୁଆଡ଼େ, ତା’ ହେଲେ ତୃତୀୟାର ଆୟୁଷ କୁଆଡ଼େ ଅତୁଟ ରହେ । ଅଭାବ, ଅନାଟନ, ରୋଗ, ଶରୀର ଭାଙ୍ଗି ପଡ଼ୁଥିଲେ ବି ପିଲାଜନ୍ମ କରିବା, ଘରୁ ଟେକାହୋଇଯାଇ ନଈ କଣ୍ଡିଆରେ ଶୋଇବା ଯେପରିକି ଗଣିତର ଫଳ । ସେହି ଲୋକେ ମନେପଡ଼ନ୍ତି, ଯେଉଁମାନେ ଏସବୁ ଗଛମାନେ ରୋପିଥିଲେ, ଯାହାଙ୍କ ଡିହ କିଆବଣ ହୋଇଛି । ସେହି ଲୋକ ପୁଣି ମନେପଡ଼ିଲେ ଯେଉଁମାନେ ଏ ଦେବଦାରୁ ଗଛ ଲଗାଇଥିଲେ । ଆଉ ସେହି ଯେଉଁମାନେ ବନ୍ଧକରର ଏତେ ଏତେ ଗଛ ତୋଟା ରୋପିଥିଲେ, ଆଉ ଆଖି ଯେତେଦୂରକୁ ଯାଉଛି ସେତେଦୂରର ଦୂରର ବାରି ବଗିଚା, ବାଉଁଶ ବୁଦା, ଆଉ ଯେଉଁମାନେ ଏହି ଏତେ ଏତେ ଜମିବାଡ଼ି ତଷି ତଷି ଗଲେ, ଏମିତି ଲମ୍ୱି ଲମ୍ୱିକା ବକୁଳେଶ୍ୱର ମହାଦେବ ମନ୍ଦିରଆଡ଼କୁ–‘‘ଅନଙ୍ଗଭୀମଦେବ ରାଜାଙ୍କ ଭାଇ ଗୋପାଳ ଛୋଟରାଏ ଇଟା ପୋଡ଼ାଇ ତୋଳାଇ ଥିଲେ । ଏତେଦିନେ ଭାଗିଗଲା-।’’ ପୁଣି ଆହୁରି ପଛକୁ ପଛକୁ ଯେତେବେଳେ କେତେ ନଈଙ୍କର ଜନ୍ମ ହୋଇନଥିଲା, ଆଉ କେତେ ନଈ, ଯାହା ଏତେବେଳକୁ ପୋତି ହୋଇ ପୂରିଯାଇ ସେଠି ଘର ବାରି ହେଲାଣି, ସେଠି ସେତେବେଳେକୁ ଅକାତ ପାଣିରେ ନାହା ଚାଲୁଥିଲା । ରବି ଆଲୁଅ ଆଡ଼କୁ ଅନାଇଁ ସେହିକଥା ଭାବିହେଲା ।

 

ଭାବେ ତାହା ଅନେକଥର କିନ୍ତୁ ଆଜିକା ଭାବନା ସ୍ୱତନ୍ତ୍ର । ଘରୁ ତାକୁ ଠେଲିପେଲି ପଠାଇଛନ୍ତି ଯେ ସେ ଚାକିରି କାମରେ ଯୋଗଦେଉ । ବାପାଙ୍କ ଜିଗରକୁ ଏଡ଼ି ନ ପାରି ଖଣ୍ଡେ ଦରଖାସ୍ତ ଦେଇଥିଲା, ଦୈବୀ ଯୋଗକୁ ଚାକିରି ଖଣ୍ଡେ ମିଳିଛିବୋଲି ଚିଠି ମିଳିଛି, କିରାନି ଚାକିରି, ଆରମ୍ଭ ସତୁରି ଟଙ୍କାରୁ । ନାହାକ ଡାକି ପାଞ୍ଜି ଦେଖି ଶୁଭ ଅନୁକୂଳ ଠିକଣା କରି ତାକୁ ଘରୁ ବିଦା କରାହୋଇଛି । ବୋଉ କହୁଥିଲା ଶଗଡ଼ ଖଣ୍ଡେ କରି ଯିବାକୁ, ବାପା ବି ସେହିପରି ଭାବୁଥିଲେ, କିନ୍ତୁ ତା’ର ଚାଲିବା ଅଭ୍ୟାସ । ଚାଲିବାକୁ ଭଲ ଲାଗେ, ତେଣୁ ଅନ୍ତତଃ ସେତିକିରେ ତା’ କଥା ରହିଲା । ଗଣକ କହିଛନ୍ତି ଏହି ସତୁରି ଟଙ୍କା କିରାନି ଚାକିରିରୁ ସେ ହୁ ହୁ ହୋଇ ବଡ଼ ହାକିମାତିକୁ ଉଠିଯିବ । ବି.ଏ.ପାସ୍‍ ସରିଗଲାଣି ଅଢ଼େଇ ବର୍ଷ ହେବ । ତା’ପରେ ଟାଇଫଏଡ଼ ଜରରେ ପଡ଼ି ସେ ଅଳ୍ପକେ ରକ୍ଷାପାଇଗଲେ, ଦେହ ଦୁର୍ବଳ ରହିଲା । ସେ ବର୍ଷକ ଚାକିରିପାଇଁ ଉଦ୍ୟମ ନ କରିବାର ଗୋଟଏ କାରଣ ମିଳିଗଲା । ତା’ ପରେ ସ୍ୱାସ୍ଥ୍ୟ ଭଲ ହେଲା, କିନ୍ତୁ ସେ ଚାକିରି କରିବା ପରିବର୍ତ୍ତେ ଆପଣାର ପୂର୍ବ ଅଭ୍ୟାସରେ ମନଦେଲା, ଜମିବାଡ଼ି ଖବର ବୁଝିଲା । ଆପେ ହାତରେ ହଳ କରିବାକୁ ତାକୁ ଭଲ ଲାଗେ । ଚାରିଆଡ଼େ ଗାଁ ଗଣ୍ଡାରେ ବୁଲିଲା । ବାଉରିସାହିରେ, ହାଡ଼ିସାହିରେ ବୁଲି ବୁଲି ଲୋକଙ୍କ ଭଲମନ୍ଦ ବୁଝି ସମୟ କଟାଉଥିଲା, ଚାକିରି କଥା କାନରେ ପକାଇଲା ନାହିଁ । କିନ୍ତୁ ଦିନକୁ ଦିନକୁ ବାପାଙ୍କ ଚାପ ବଳିଲା । ବି.ଏ.ପାସ୍‍ ଏଣିକି ସତେକି ବରଗଛ ବି କଲାଣି, କିନ୍ତୁ ବି.ଏ.ପାସ୍‍ କରି ଚାକିରି ନ କରି ଏକ ଯୁବକ ଗାଁ ଗହଳିରେ ସମୟ କଟାଉଛି, ସେ ଯେ ବ୍ୟବସାୟୀଠୁଁ ଆରମ୍ଭ କରି ନେତାମାନଙ୍କ ଯାକେ ସମସ୍ତିଙ୍କ ଭିତରୁ କାହା ଚକରେ, କେତେବେଳେ ତଡ଼ା ଗେଞ୍ଜିଦେଇ ସମସ୍ୟା ସୃଷ୍ଟି କରିପାରେ, କାହାର କେତେବେଳେ ପ୍ରତିଦ୍ୱନ୍ଦ୍ୱୀ ହୋଇପାରେ ଏଭଳି ବିଚାର ବି କେତକ ଜଣାଶୁଣା ବୁଦ୍ଧିମନ୍ତ ମଣିଷଙ୍କ ମନରେ ଉଇଁଥିଲା ଓ ସେମାନେ ପ୍ରକାରାନ୍ତରେ ପ୍ରଚାରଛଳରେ ବଟମହାନ୍ତିଙ୍କ କାନକୁ ବି ଏକ ଅନିର୍ବ୍ଦିଷ୍ଟ ସମ୍ଭାବନାର ପ୍ରସ୍ତାବ ପଠାଇଥିଲେ ଯେ ପୁଅଟା ବୃଥା ସମୟ ନଷ୍ଟ କରୁଛି, ଚାକିରି ନ କଲେ କେବଳ ଯେ ଅଯୁକ୍ତ ରହିବ ତାହା ନୁହେଁ, ବିଗିଡ଼ିଯାଇପାରେ । ବାପେ ଜୁଆ ଦେଲେ, ପାଠପଢ଼ା ପଇସା ପାଣିରେ ପଡ଼ିଲା, ଏତେ ପାଠପଢ଼ା କାମରେ ଲାଗିଲା ନାହିଁ, ଏଣେ ଜମିଦାରୀ ଉଠିଗଲା, ଭାଗଆଳି ଚାଷୀଙ୍କ ଦାଉ ବଢ଼ିଲା, ମୂଲିଆ ଆପଣା ହକ ଅଧିକାର ହକ ପାଊଣା ବିଷୟରେ ବେଶୀ ସଚେତନ, ମୂଲିଆ ଆପଣା ବାହାବଳରେ ତରିଯିବେ, ଅତିଧନୀ ଯେଉଁମାନେ ସେମାନେ ତରିଯିବେ ଆପଣା ପୁଞ୍ଜିବଳରେ, ମଝିମଝିକିଆ ବୁଡ଼ି ମରିବେ, ଅତଏବ ବେଳ ଥାଉଁ ଥାଉଁ ଚାକିରି ଖଣ୍ଡେ କରି,-ହେଇ ଯେମିତି ଚିହ୍ନାର ଜଣାର ଆଉ ପାଞ୍ଚ ଦଶଜଣ ସେମିତି, ଗୃହସ୍ଥ ହେବାକୁ ପଡ଼ିବ-

 

ବୋଉ ବି ମନେମନେ ପାଞ୍ଚିଥିଲେ, ଉଡ଼ିଲା ଦିନ ଗଲା, ଏଥର ଚଢ଼େଇ ବସା ବାନ୍ଧିବ, ପୁଅ ଚାକିରି କଲେ ସେଉଠୁ ଆଉ ପାହେଚେ, ହାତକୁ ଦି’ହାତ ହେବ । ଘରକୁ ବୋହୂ ଆସିବ ।

 

ତୁହାଇ ତୁହାଇ ହାବୁକା ଖାଇ ଖାଇ ଦେଇଥିଲା ଛାଡ଼ି ସେ ଦରଖାସ୍ତ ଖଣ୍ଡେ, କିନ୍ତୁ ସତକୁ ସତ ଚାକିରି ଖଣ୍ଡେ ମିଳିଗଲା ।

 

ତା’ପରେ ହେଇ ସେ ଚାଲିଛି ଚାକିରି କରିବାକୁ, ସେ ରବି, -ଯାହାର ଆପଣ ଜୀବନ ବିଷୟରେ ସ୍ୱାଧୀନ ମତ ଥିଲା, କିଛି ସ୍ୱପ୍ନ ସମ୍ଭାର ଥିଲା, ସେହି ଯେ ନିଭୃତରେ ବସି ଆପେ କେତେଆଡ଼ୁ କେତେକଥା ଭାବି ଆପଣକୁ ଏକ ନିଆରା ଜୀବନଯାପନ ଲାଗି ଗଢ଼ିବାରେ ଲାଗିଥିଲା ।

 

ସେହି ଦେବଦାରୁ ତଳେ ଠିଆହୋଇ ମଝିଲା ସହରର ଆଲୁଅଗୁଡ଼ାକ ଆଡ଼କୁ ଅନାଇଁ ରହିଲାବେଳେ କରୁଣା ହୋଇ ଆପଣା ଭିତରର ଛପିଲା ବ୍ୟକ୍ତିତ୍ୱ ଯେପରିକି ତା’ର ଜାଣତା ମନଆଗରେ ନିଉଛାଳି ହେଲା, ଏଡ଼େ ଶସ୍ତାରେ ବିକି ଖାଇଦେ ନାହିଁ ମତେ, ମୁଁ ବଞ୍ଚିବାକୁ ଲୋଡ଼ୁଛି, ଫୁଲପରି ଲୋଡ଼ୁଛି ।

 

ପାଖେ ସମାଜରେ ବନ୍ଧାଗତରେ ନିର୍ଜୀବ ସଂସ୍କାରର ଧାରଣା, ପରର ଦେଖି ଝରସରି ହୋଇ ଆପଣା ପ୍ରିୟତମ ଆତ୍ମଜକୁ ଯେ କଳ କରିଦେବାକୁ ମନ କରେ, ପାଖେ ତା’ର ସ୍ୱତନ୍ତ୍ର ସ୍ୱାଧୀନ ମନ । ଏହିପରି ସେ ଭାବିଲା, ଆଉ ସେ ଦେଖିଲା ଯେତେବେଳେ ଜୀବନ ପ୍ରାଚୁର୍ଯ୍ୟରେ ସେ ସୁଅପରି ବହିଯିବାକୁ ବସିଛି ସେତେବେଳେ ତା’ର ଉବ୍ଦାମ ଆବେଗକୁ ରୁହାଇବାକୁ ତା’ର ବାପା ମା’ ବନ୍ଧୁ କୁଟମ୍ୱ ସମସ୍ତେ ତାଙ୍କ ଇଚ୍ଛାଶକ୍ତି ପ୍ରୟୋଗ କରୁଛନ୍ତି, ଖାଲି ପୁଅପୁତରା ହୋଇ ସ୍ନେହକଲେ ମାନ୍ୟ କଲେ ଯଥେଷ୍ଟ ହେଲାନାହିଁ ବୋଲି ମାନି ପଖି କାଟି ପକାଇ ତାଙ୍କରି ସଙ୍ଗରେ ଥୋରିଆ ବଳଦ ନ ହେଲାଯାକେ ତାଙ୍କର ମନ ଶାନ୍ତି ନାହିଁ । ସେହି ଝୁଙ୍କ ମାନି ଚୁଲିକି ଜାଳିଣି କାଠପରି ସେ ବି ଆପଣକୁ ପେଲିଦେବ । ଅଘୋରିର ଘର ନାହିଁ, ଭୋକୀ ରଙ୍କିଙ୍କ ପେଟକୁ ନାହିଁ ଆଧାର, ଯାହାର ଧନର ବଡ଼ତି ଅଛି ତା’ର ମନରେ ପୂରିଛି ଅନ୍ଧାର ଓ ଦାରିଦ୍ର୍ୟ, ମଣିଷସବୁ ଦେବତାଙ୍କୁ ପର କରିଦେଇ ଧନ ଦେବତାଙ୍କୁହିଁ ପୂଜା କରୁଛି ଲାଗି ପାଗି, ସମାଜ ଗଢ଼ାହୋଇଛି ଧନର ତାରତମ୍ୟ ଅନୁପାତରେ, କେବଳ ଡାଲି ଚାଉଳ ନୁହେଁ, ମଣିଷର ବି ଦର କସା ହେଉଛି ଧନ ଅନୁସାରେ ଯାହାର ଧନ ନାହିଁ ତା’ର କିଛି ନାହିଁ, ପୁଣି ଯେ ଯେଉଁ ବାଟେ ଧନୀ ହେଉ, ଧନ ଥିଲେହିଁ ସେ ମଣିଷ । ଥାଉ ପଡ଼ି ଏସବୁ, ଆପଣାକୁ ପେଲି ଦେବ ବନ୍ଧାଗତରେ ଚାଲିବାକୁ । ସୁଧାରିବାକୁ କି କାହା ଭଲ କରିବାକୁ କୌଣସିଥିରେ ହାତ ଦେବ ନାହିଁ ।

 

ଏହା ବଦଳରେ ମାସ ଶେଷରେ ସେ ପାଇବ ସତୁରି ଟଙ୍କା, ସେହି ତା’ର ଯୌବନ ମୂଲ୍ୟ, ଆଶା ଉତ୍ସାହର, ମଣିଷପଣିଆର ।

 

ଯେଉଁମାନେ ତହିଁରୁ ଅଳ୍ପ ପାଇବା ଶ୍ରେଣୀରେ ଥିବେ ତାଙ୍କୁ ସେ ବଡ଼ ବଡ଼ ଆଖିରେ ଅନାଇବା, ନତୁବା ଅନୁକମ୍ପାରେ । ଯେଉଁମାନେ ତା’ଠୁ ବେଶୀ ଟଙ୍କା ପାଇବା ଶ୍ରେଣୀରେ ଥିବେ ତାଙ୍କୁ ସେ ମାନିବ, ଡରିବ, ଖାତିରକରିବ-କାରଣ ସେହି ତା’ର ଭବିଷ୍ୟତ ।

 

ପଞ୍ଚମୀର ଜହ୍ନ ତଳେ ସହରର ଆଲୁଅଗୁଡ଼ାକ ନିଷ୍ପ୍ରଭ ଦିଶୁଛି, ପାଉଁଶିଆ କୁହୁଡ଼ି ଭିତରେ ମିଟିମିଟି ରଡ଼ନିଆଁ । ଜହ୍ନ କୁହୁଡ଼ିକି ରଙ୍ଗେଇ ଦେଇଛି, ଯେପରିକି ଜହ୍ନ ଆଲୁଅ ଆପେ ବାମ୍ଫ ପାଲଟିଯାଇ ଆକାଶତଳଯାକ ପୂର୍ଣ୍ଣ କରି ରଖିଛି । ଶୁନଶାନ୍ ନଈ କୂଳ, ଆଲୁଅ ଓ ଛାଇପରି ପାଖ ପାଖ ହୋଇ ଦୁଇଜଣ ଶୋଇପଡ଼ିଲେଣି, ଜଣେ ଧୋବଲା ସରୁ ବାଲିଧାର, ଆଉ ଜଣେ ପାଣିଧାର, କଳା ଘୁମର । ଏଠି ସେଠି ନିଦୁଆ ପହରା ପରି ଗୋଟିଏ ଗୋଟିଏ ଗଛ । ଚିକ୍‍କଣ ଜିକିଜିକି ଆଲୁଅ ପକାଇ ପକାଇ ଜହ୍ନ ଡୁଙ୍ଗି ଡୁଙ୍ଗି ଦେଖୁଛି, ସେମାନେ ଶୋଇଲେଣି । ଢେଉ ଢେଉକା ଶୋଇଲା ଭୂଇଁର ଉପରିଭାଗ ଦିଶୁଛି କଅଁଳ, ଅସ୍ପଷ୍ଟ । କେତେ ଛୁଣୁକା, ସଞ୍ଜ ପହରେ ବି ହୋଇନାହିଁ, ଚାରିଆଡ଼େ ଶାନ୍ତ ପଡ଼ିଗଲାଣି ।

 

ଏଇଠି ଠିଆ ହୋଇ ମନେପଡ଼ୁଛି, କେତେ ଗାର ଏଇ ଭୂଇଁରେ ପଡ଼ି ନିଭିଛି । ଏହି ଏତେ ହଜିଲା ଯୁଗଯାକ, କେତେ ଲୋଭ, କେତେ ଆଶା, କେତେ ଅର୍ଜନ ଆଉ ଲୁଣ୍ଠନର ପାହାଡ଼, କେତେ କ୍ଷମତାର ଆସ୍ଫାଳନ କେଇଟା ଦିନପାଇଁ ଉଦ୍ଧତ ମୁଣ୍ଡ ଟେକି ପୁଣି ହଜିଯାଇଛି କୁଆଡ଼େ, ତା’ର ପତ୍ତା ନାହିଁ ।

 

ମଣିଷ ଗିଲାସକ ପାଣିକି ଆଶା କରୁ କରୁ ସମୁଦ୍ର ଶୋଷିବାକୁ ଅଣ୍ଟା ଭିଡ଼ିଛି । ଶୋଷ ନିଭି ନାଇଁ, ମଣିଷ ଚାଲିଯାଇଛି। ଚିରଦିନପାଇଁ ନିଭିଯାଉଛି ତା’ର ଅନୁଭୂତିବୋଧ, ଆଉ ଏ ଜହ୍ନରାତି ନାହିଁ ଅନ୍ଧାରରାତି ନାହିଁ କଇଁଫୁଲିଆ ସକାଳ ନାଇଁ ଗୋରୁ ବାହୁଡ଼ାଣି ଧୂଳି ଉହାଡ଼ର ସୂର୍ଯ୍ୟାସ୍ତ ନାହିଁ । ନାହିଁ, ସାଙ୍ଗସୁଖ, ମାୟା ମମତା, ସୁଖ ଦୁଃଖ ।

 

ନାହିଁ । ଦିନରାତି କୁଆଡ଼େ ଚାଲିଯାଇଛି ।

 

ଜିତିଛି ସେ, ଯେ ଇଟା ପଥର ଟଙ୍କା ସୁନା ଗୋଟାଇବାକୁ ଧାଁ ଦଉଡ଼ ନ ଲଗାଇ ଚେଇଁ ଚେଇଁ ଜୀବନ ସଙ୍ଗେ ଯୋଗ ଲଗାଇଛି ଶାନ୍ତି ଓ ଆନନ୍ଦପାଇଁ ।

 

ପଥରଘର ଭାଙ୍ଗି ଗୁଣ୍ଡାହୋଇ ଧୂଳି ବାଲି ହୋଇ ବାଲିରେ ମିଶିଯାଇଛି । ସେ ଯିବ ପତର ଘର ତୋଳିରଖିବାକୁ ଆପଣକୁ ବାନ୍ଧିବାକୁ !

 

ସତୁରି ଟଙ୍କାର ଚାକିରି, –ଜିନିଷପତ୍ର ଭାଉ ବଢ଼ିଛି,-ମାସ ଶେଷକୁ ଅଢ଼େଇ ବସ୍ତା ଚାଉଳପାଇଁ-ଏଡ଼େ ସାନ ଏଡ଼େ ସୀମିତ ଥିଲା ପାଠପଢ଼ା ଯୁବକର ନଜର ଆଉ କେବେ ! ସେ ଭାବିଲା ।

 

ନିଦରୁ ଉଠିଲାପରି ରବି ସେହି ଆଲୁଅଗୁଡାକୁ ଚାହିଁ ଦେଖିଲା, ଆଉ ନିଦ ମଳମଳ ଭାବନା ଭିତରେ ଆପଣକୁ ଆପେ ପଚାରିଲା, ଯେ କେଉଁଠା ? ବି.ଏ.ପଢ଼ା ହୋଇଥିଲା ବଡ଼ ସହରରେ, ଗଲେ ଏହିବାଟେ ଯିବାକୁ ହୁଏ, କିନ୍ତୁ ବର୍ଷକେ କେବେ କଦବା ଦି’ ଚାରିଥର ଆସିବାଛଡ଼ା ସେ ଏଣେ ବାହାରେ ନାହିଁ ଗାଁ ତାକୁ ଭଲ ଲାଗେ, ଗାଁରେ ସେ ବୁଡ଼ିଥାଏ । ତା’ପରେ ଚାଷକୁ ଧ୍ୟାନ ଦେଲେ ବଳେ ଅଠା ଲାଗିଯାଏ, ମାଟି ଛୁଟି ଦିଏ ନାହିଁ ।

 

ଫସଲ ମୋହ ତା’ଠିଁ ନ ଥିଲା, ଥିଲା ଗଢ଼ିବା ଦେଖିବା ସେବା କରିବାର ମୋହ । ମାଟିର ଅଲେଖା ଛଇ ତା’ ଧ୍ୟାନକୁ ବାନ୍ଧି ରଖିଥିଲା । ମଞ୍ଜିବୁଣା ହେବ, ଗଛ ଗଜୁରିବ, ବଢ଼ିବ, ଫୁଲଫଳ ଲଦିଦେବ । ଆଲୁଅକୁ ରଙ୍ଗ ଦେବ, ଯେଉଁପରି ବିସ୍ମୟ ଉପୁଜାଇ ସେ ପ୍ରକାଶ ପାଇଥିଲା ସେହିପରି ବିସ୍ମୟ ଭିତରେ ଅଜଣାଅଶୁଣା ହୋଇ ସେଦିନ ନ ଥିବ ଆଉ । ମଲା ଗଲା ବୋଲି କହିହେବ ନାଇଁ, କେବଳ ନ ଥିବ, ଏତିକି । କିନ୍ତୁ ଏତିକିରେ ବି ସେ ଖେଳରେ ଅବସାନ ନାହିଁ, ମାଟି ପୁଣି ଲୋଭେଇ ହେବ, ପୁଣି ଦେ, ପୁଣି ଦେ । ପୁଣି ଘାସ ଗଜୁରିବ, ଶସ୍ୟ ଅଜାଡ଼ିହେବ, ପୁଣି ଯିବ ଚାଲି ।

 

ଆଉ ଏଇ ଥାଇତା ନ ଥିବା ନିତି ଥାଇତାପଣର ଫସଲ ପରି ଗାଁ ଜୀବଜନ୍ତୁ ମଣିଷ କିଏ ନୂଆ ଆସିଛି କିଏ ଥିଲା ଆଉ ନାହିଁ, ଆଡ଼ମ୍ୱର ନାହିଁ, ଚିରଞ୍ଜୀବୀ ହେବାକୁ ଆସ୍ପର୍ଦ୍ଧା ନାହିଁକି ପଥରପଣ ନାହିଁ । ସେମାନଙ୍କୁ ଚାହିଁ ଦେଖୁଥିଲା ସିନେମା ଦେଖାଠୁଁ ବେଶୀ ଆନନ୍ଦ ସେ ପାଏ । ଖରାଏ ତରାଏ ଘୂରି ବୁଲୁଥିଲେ ତାକୁ ଲାଗେ ସେ ନାଟକ ଅଭିନୟ ଦେଖୁଛି ଓ ପୁଣି ନିଜେ ବି ଅଭିନୟ କରୁଛି । ଅଗଣିତ ସେଠି ପାତ୍ରପାତ୍ରୀ, ସୀମିତ ନୁହଁନ୍ତି । ସବୁଠି ପ୍ରକାଶ ଜୀବନ ଓ ବିଲୟର ମହାନାଟକ ।

 

ସେହି ଥିଲା ତା’ର ପରିସର, ଅଜଣା ଅଶୁଣା, ପଡ଼ିଆରେ ଏତେ ଘାସ ଭିତରୁ କେଉଁଠି ବୁଦାଏ ଘାସ ସେ ବି, ଆଉ ଅଧିକା ହେବାକୁ ସେ ଲୋଡ଼ି ନାହିଁ ।

 

ଇସ୍କୁଲରେ ଆଠବର୍ଷ ଓ କଲେଜରେ ଚାରିବର୍ଷ ବହିପଢ଼ା ଓ ପରୀକ୍ଷା ଦେବାର ଘୋଳାବଥା ତା’ର ଭଲ ହୋଇଯାଇଥିଲା । ଶିଖି ଆସିଥିବା ଜ୍ଞାନ ବହିମାନଙ୍କ ପୃଷ୍ଠା ଓ ଅଧ୍ୟାୟରେ ସମ୍ପର୍କ ତୁଟେଇ ଆପଣାକୁ ବାହାର ସଙ୍ଗରେ ଯୋଡ଼ିବାକୁ ହୋଇଥିଲା ଜୀଅନ୍ତା ବିଚାର ସାଥୀ । ସରିଗଲା ଜାଣିଗଲି, ପାଇଗଲବୋଲି ନଈବାଲିର ରଙ୍ଗ ରଙ୍ଗ ଗୋଡ଼ିପରି ଗୋଟି ଗୋଟିକିଆ ହୋଇ ସୀମିତ ନ ହୋଇ ଜୀବନକୁ ଉପଭୋଗ କରିବାକୁ ଦ୍ୟୋତକ ହୋଇଥିଲା, ନୂଆ ନୂଆ ଚିହ୍ନାଚିହ୍ନିପାଇଁ ଆଲୁଅର ରଶ୍ମି ହୋଇଥିଲା ।

 

ଦୁଇବର୍ଷର ଛୁଟି, ଖାଇବା ଶୋଇବା, ପୁଣି ଉଠି ଖାଇବା ପୁଣି ଶୋଇବା ଭଳି ଗ୍ରୀଷ୍ମଛୁଟି ନୁହେଁ । ଏ ଯେପରିକି ପାଠପଢ଼ାର କଇଦିଖାନା ଭିତରୁ ସନାତନା ବଢ଼ନ୍ତା ସରନ୍ତି ଜୀବନ ଭିତରକୁ ମୁକ୍ତପରି ପ୍ରବେଶ ।

 

ତେଣୁ ମଝିଲା ସହର କି ବଡ଼ ସହରକୁ ରୂପାୟିତ କରି ଚାହିଁ ଦେଖିବାକୁ ସେ ଚେତନା ଚଳାଇ ନ ଥିଲା ।

 

ଖବରକାଗଜ ପଢ଼େ, ରାଜନୈତିକ ସମସ୍ୟାମାନଙ୍କ ବ୍ୟାଖ୍ୟାନ ଅନୁସରଣ କରେ, ବହି ମଗାଏ, ବହି ପଢ଼େ । କିନ୍ତୁ ତା’ର ଗାଉଁଲି ବିଚାରରେ ୟୁରୋପ ଆମେରିକା ସାଧାରଣଲୋକଙ୍କଠୁ କିଛି ଭିନେବୋଲି । ଲାଗେ ହେଇତ ସେମାନଙ୍କୁ ସେ ଦେଖୁଛି ଜାଣୁଛି, ଯେପରିକି କେଉଁ ଯୁଗର ଚିହ୍ନାର ଜଣାର ଖବରକାଗଜରେ କି ଇଂରେଜି ଉପନ୍ୟାସ ଓ କାବ୍ୟକବିତା ମାଧ୍ୟମରେ । ସେମାନଙ୍କ ଜୀବନର ଚିତ୍ର ପଢ଼ିଲାବେଳେ ସେ ତନ୍ମୟ ହୋଇ ତାଙ୍କ ସହିତ ଛାତିକି ଛାତି ମିଶାଇ ଦେଇ ତାଙ୍କ ସୁଖରେ ସୁଖ ପାଏ, ଦୁଃଖୀରେ ଦୁଃଖୀ ହୁଏ । ଭିନେ ଭାଷା, ଭିନେ ଆଚାର ବ୍ୟବହାର, ଭିନେ ଚେହେରା, ଭିନେ ଜାତିର ଘର କି ଯାନବାହନ କି ଖାଦ୍ୟ ତାକୁ ଲାଗେ ମଣିଷପଣ ଉପରକୁ ଖୋଳପରି । ମନେ ମନେ ସେହି ଖୋଳକୁ ସେ ଭେଦ କରି ଭାବେ ସେମାନଙ୍କ ସଙ୍ଗେ ମିଶୁଛି, ତାଙ୍କ ସାଙ୍ଗେ ସାଙ୍ଗେ ଚାଲୁଛି । କେତେବେଳେ କେଉଁ ବହି ଖୋଲି ଧରି ସେ ହସି ହସି ଗଡ଼ିଲାବେଳେ ଚମକି ପଡ଼ି ବୋଉ ଆସି ପଚାରେ ‘‘କିରେ କ’ଣ ସେଥିରେ ଅଛି ଏତେ ହସୁଛୁ ମ’’ ସେ ଅତି ସହଜରେ ଉତ୍ତର ଦିଏ, ‘‘ସେ ଆମରିକଥା ବୋଉ, ଆମରି ପର ଲୋକଙ୍କ କଥା ।’’ କେଉଁଦିନ କେଉଁ ଅଦେଖା ବିଦେଶର ଅତ୍ୟାଚାରର କାହାଣୀ କି ଦୁର୍ଦ୍ଦଶାର କାହାଣୀ ପଢ଼ି ସେ ଗୋଳ କରେ, ଖାଏ ନାହିଁ, ପିଏ ନାହିଁ, ଆପଣା ଦୁଃଖ ଲୁଚାଇବାକୁ ବୁଲି ପଳାଏ କାଁ ଭାଁ । ଗଣ୍ଡ ମଫସଲ ଭିତରେ ଭଙ୍ଗାଗଢ଼ା ମାଟିର ଘରକରଣା ଦେଖୁ ଦେଖୁ ଚିତ୍ତ ଚହଲାଇ ଦେଇ ସେ ସାତସମୁଦ୍ର ତେରନଈ ଲଙ୍ଘି ଚାଲିଯାଇପାରେ । ଅନୁଭବ କରେ ଦୁନିଆଯାକର ମଣିଷ ଭାଇ ଭାଇ ହୋଇ ସୁଖଶାନ୍ତିରେ ଆପଣା ଧନ୍ଦାରେ ଚଳି ଜୀବନ ଉପଭୋଗ କରିବାକୁ ଇଚ୍ଛୁକଥିଲାବେଳେ ପେଞ୍ଚପାଞ୍ଚ କରି ଆପଣାସ୍ୱାର୍ଥ ଆପଣା ଢମ ତେଜି ରଖିବାକୁ ଉଦୁମୁଦା ହୋଇ ଲାଗିପଡ଼ିଥାନ୍ତି କୁଚକ୍ରୀ ଟାଉଟର । ମତାନ୍ତି, ତତାନ୍ତି, ଲୁଟନ୍ତି, କୁଟନ୍ତି, ନାଁ ଖାଲି ବଡ଼ ବଡ଼ ଘଟନା ଅବୁଝା ରହେ ନାହିଁ । ଆପଣା ସୁବିଧାପାଇଁ ନୂଆ ନୂଆ ଦୁଷ୍କର୍ମ ଭିଆନ୍ତି, ତାକୁ ମାନ ସମ୍ମାନ ଦେଇ ଟେକାଟେକି କରି ଲୋକଙ୍କୁ ଓଟାରିବାକୁ ମନକରି ସାମାଜିକ ସମ୍ବନ୍ଧ ଓ ଆଚାରମାନଙ୍କର ନୂଆ ନୂଆ ମୂଲ୍ୟ ଠିକଣା କରି ଚଳାଇ ଦିଅନ୍ତି ଯହିଁରେ ସାଧାରଣ ମଣିଷ ନୂଆ ହୋଇ ହୋ’ରେ ମାତେ, ନୂଆ ଆବଶ୍ୟକ ଅନୁଭବ କରେ, ଶେଷରେ ସବୁଠୁ ବଡ଼ ଆବଶ୍ୟକ ଦେଖେ ଯୁଦ୍ଧ, ମଣିଷମରା, ହିଂସା ।

 

ଗାଁ ମାଟି ସଙ୍ଗେ ମିଳାଇ ମଳାଇ ପଦାର ଘଟନାକୁ ସେ ଅନୁଭୂତିରେ ପଢ଼ୁଥିଲା, ଚିହ୍ନିବାକୁ ଚେଷ୍ଟାକରୁଥିଲା, ବିନା ଉଦ୍ଦେଶ୍ୟରେ । ଯନ୍ତ୍ର ବିଜ୍ଞାନର କଳ-ପିଞ୍ଜରାରେ ବନ୍ଦୀ ଛଟପଟ ମଣିଷର ଦୁଃଖକୁ ଦେଖିଲାବେଳେ ୟା ବି ଦେଖୁଥିଲା ପତ୍ର କଅଁଳୁଛି, କପା ଫାଟୁଛି, ଧୂଳି ଉଡ଼ୁଛି, ଦିନ ରାତି ହେଉଛି । ରାକ୍ଷସ କଳକାରଖାନାରେ ମିନିଟକେ ଶହ ଶହ ମଟରଗାଡ଼ି ତିଆରି ହେବାର କାହାଣୀ ପଢ଼ୁ ପଢ଼ୁ କେବେ ଲକ୍ଷ୍ୟ କରୁଥିଲା ତୁନିତାନି ହୋଇ ଚଉରାମୂଳେ ଦି’ଘଣ୍ଟା ପରିଶ୍ରମ କରି ଚାରିଆଙ୍ଗୁଳ ଗାତ ଖୋଳିସାରି ମାଈ ଏଣ୍ଡୁଅ ଚାରିଆଡ଼କୁ ଅନେଇଁ ଅନେଇଁ ତହିଁରେ ଚଉଦଟି ଡିମ୍ୱ ଛାଡ଼ିଦେଲା, ମାଟି ଘୋଡ଼ାଇଦେଲା, ମୁଣ୍ଡରେ ପିଟି ପିଟି ମାଟିକୁ ଧୁଡ଼ୁମୁସ୍‌ କଲା, ଗୋଡ଼ି ଯୋଡ଼ିଏ ଚିହ୍ନଟ ରଖି ତା’ ପରେ ଚାଲିଗଲା, ଗଲା ଓଳିଏ । ସେ ବି କରିଥିଲେ ଉତ୍ପାଦନ ।

 

ପିମ୍ପୁଡ଼ିଦଳ ପଛକୁ ପଛ ହୋଇ ଖାଦ୍ୟ ବୋହିନେବାର ସେ ଲକ୍ଷ୍ୟକରିଛି, ଦେଖିଛି ସେମାନେଙ୍କ ସମାଜ ଓ ଶୃଙ୍ଖଳା । ଗେଣ୍ଡା ଓ ଜିଆମାନଙ୍କ ତନ୍ମୟ ଗତି, ଜାତି ଜାତି ଚଢ଼େଇପଲଙ୍କ ଘରକରଣା; ପଥରତଳୁ ଅନାବନା ଉଦ୍ଭିଦମାନଙ୍କ ମୁକ୍ତି ଅଭିଯାନ । ନାନା ଋତୁରେ ଖୋଲାପଡ଼ିଆରେ ଅଣୁ ପରମାଣୁ ପରି ଟିକି ଟିକି ଗଛମାନଙ୍କ ସ୍ୱଚ୍ଛନ୍ଦ ଜୀବନ ସେ ନିଘାକରି ଦେଖିଛି । ପ୍ରକୃତିର ଛନ୍ଦୋମୟ ସୌଷ୍ଠବ ଅନୁଭବ କରି ଆପଣାକୁ ବହୁଭିତରେ ଏକ କରି ଦେଖି ଆନନ୍ଦ ଓ ଶାନ୍ତି ପାଇଛି । ତାହାର ଭିତରେ ସାଧାରଣ ମଣିଷକୁ ବୁଝିବାକୁ ଚେଷ୍ଟାକରିଛି ତାଙ୍କ କ୍ଷେତ ଆଉ ସାହାଯ୍ୟକାରୀ ପୋଷାଜନ୍ତୁଙ୍କ ମେଳରେ । ମଣିଷର ଅକପଟ ସରଳ ଭାଷା ସରଳ ସୁଖ ଦୁଃଖ ସରଳ ଜୀବନ ସହିତ ଚିହ୍ନା ନ ପଡ଼ିବା, ବଡ଼ତି ନ ଖୋଜିବା, ଦେହ ପରିଶ୍ରମମୟ ସାଧାରଣ ଜୀବନର ସୁଆଦ ଖୋଜିବାକୁ ସେ ଚେଷ୍ଟାକରିଛି । ସେମାନଙ୍କ ସରଳ ବିଚାରଧାରା ସହିତ ଆପଣା ବିଚାରକୁ ଯୋଡ଼ିବାକୁ ଚେଷ୍ଟାକରିଛି । ତାହାରି ଭିତରେ କାର୍ଯ୍ୟ କରି ଅନୁଭୂତି ସମ୍ପାଦୁ ସମ୍ପାଦୁ ସନାତନ ସମନ୍ୱୟର ତଥ୍ୟ ଖୋଜିବାକୁ ମନ ବଳାଇଛି, ସେହିପରି ସମନ୍ୱୟ ଯହିଁରେ ଗୋଟିକର ବିକାଶ ହୁଏ ଅଥଚ କୋଟିକର ସମ୍ୱନ୍ଧରେ ଅଶାନ୍ତି ଆସେ ନାହିଁ ।

 

ସେମିତି ବିତେଇଛି ଦୁଇବର୍ଷ । କଲେଜରେ ପଢ଼ା ଚାଲୁ ରଖିଥିଲେ ସେ ଏମ୍‌.ଏ.ଡିଗ୍ରିଟା ପାଆନ୍ତାଣି । ଚାକିରି କରିଥିଲେ ଟଙ୍କା ଦୁଇ, ଅଢ଼େଇ ହଜାର ରୋଜଗାର କରି ଖର୍ଚ୍ଚ କରିସାରନ୍ତାଣି-

 

ଏତେଦିନେକେ ସେ ପାଠପଢ଼ି ଶିକ୍ଷା ପାଇଥିବା ଉପାୟର ପୂର୍ଣ୍ଣତା ପାଇବାକୁ ଆଗୁସାର ହେଉଛି ଏକ ନିର୍ଦ୍ଧାରିତ ଲକ୍ଷ୍ୟଆଡ଼କୁ, ତା’ ନାଁ ଚାକିରି । ଏକ ନୂଆ ବାସ୍ତବତା ପାଖ ପାଖ ହେବାରୁ ସେ ନୂଆ ଚେତନାରେ ଝାଙ୍କି ହୋଇ ଯେପରିକି ନୂଆକରି ଦେଖିଲା । ଆଗରେ ହେଇ ମଝିଲା ସହର । ହୋଇଗଲା ଆସି । ପରିବର୍ତ୍ତନ ବାରି ହେଉଛି । ଏଇ ସ୍ଥାନଟା ତୋଟା ଥିବାର କଥା । ତା’ ସେକରେ ପୋଖରୀ ଓ ମାଇନର ସ୍କୁଲ ଯେଉଁଠି ସେ ପଢ଼ୁଥିଲା । ବାଙ୍କ ବେଢ଼ଣ ପରି ସହରର ଏଇ ଦକ୍ଷିଣପଟେ ପୂର୍ବରୁ ପଶ୍ଚିମକୁ ହୋଇ ଯେଉଁ ଅନ୍ଧାରିଆ ଆମ୍ୱତୋଟା ବଙ୍କେଇ ହୋଇ ରହିଥିଲା ଲାଗିଥିଲା ମାଇଲିଏ ଯାକେ, କେବେଠୁ ଗଲାଣି ସେ ! ଜମିଦାରୀ ଉଠିଯିବା ନାଁ ଶୁଣୁ ଶୁଣୁ ଜମିଦାରମାନେ ତାକୁ କଟାଇ ବିକେଇ ଦେଲେଣି । କେଇଟା ଅବା ଆଗରୁ ମରିଥିଲା କି ଅଧା ଅଧା ଭାଙ୍ଗିପଡ଼ି ଫାଳିକିଆ ହୋଇଥିଲା, କେଇଟା ଅବା ଅଫଳନ୍ତି ହୋଇଯାଇଥିଲା, ଆଉ କେତୁଟାରେ ଫଳ ସାନ ସାନ ହୋଇ ଯାଇଥିଲା । କିନ୍ତୁ ଗହଳି ହୋଇ ଭୂଇଁକୁ ଛାଇ ଘୋଡ଼େଇ ଠିଆ ହୋଇଥିଲା ସେ, ରଞ୍ଜାଳିଆ ଖରାବେଳେ ସେହି କଳା ସାବୁଜା ଚାନ୍ଦୁଆତଳେ ଦେହରେ ଖରା ବାଜେନାହିଁ, ପବନ ବାଜେ, ବରଷାରେ ଗୋରୁ ଗାଈ ଆଶ୍ରା ନିଅନ୍ତି, ଜହ୍ନ ଆଲୁଅରେ ତା’ତଳେ ଛାଇ ଆଲୁଅର ଛାପିଛାପିକା ଛିଟ ଛିଟ କମକୁଟ ବିଛେଇ ହୋଇଯାଏ । ଅଗଣତି ଜନ୍ତୁଜୁନ୍ତାଙ୍କ ବସା, ଅସୁମାରି ଗୀତିକାରିଆ ଚଢ଼େଇଙ୍କ ଚରାଭୂଇଁ, ପ୍ରକୃତିର ବିପୁଳ ସୌନ୍ଦର୍ଯ୍ୟର ସମ୍ଭାର, ଏତେକାଳର ଜାତୀୟ ସମ୍ପଦ ଓ ଅନୁଷ୍ଠାନକୁ ବ୍ୟକ୍ତିଗତ ଅଧିକାରର ପତିଆରା ଦେଖାଇ ମଣିଷ ଧ୍ୱଂସ କରିଦେଇ ବସିଲା ।

 

ସେହି ଫୁଙ୍ଗା ଫାଙ୍କା ସ୍ଥଳୀରେ ପୁଳାଏ ପୁଳାଏ କୋଠାଘର ଠିଆହେଲାଣି । ପାଖେ ଗୋଟାଏ ବଡ଼ ଚାଉଳକଳ, ତା’ ଚାରିପାଖେ ତା’ର ଶାବକ ପଲ ପରି ଅନେକ ସାନ ସାନ କୋଠା, ଉପରେ ଟିଣବର୍ଣ୍ଣର ଲୁହାଛାତ । ତା’ ଦେଖାଦେଖି ଆଉ ଦି’ଟା ଧାନକଳ ତିଆରି ଚାଲିଛି । ଗୋଟାକର ଅଦ୍ୟାପି ବାଉଁଶବନ୍ଧନୀ ଫିଟିନାହିଁ, ଯେପରିକି ପିଞ୍ଜରାଭିତରେ ଅସୁର ରହିଛି । ସେକରେ ଯେଉଁଠି ସହର ଉପକଣ୍ଠରେ ପାଖ ପାଖ ଗାଁର ବହୁତ ଚାଷୀଙ୍କ ଜମି ଥିଲା, ସେଠି ରାସ୍ତା କରେ କରେ ତା’ର ଘେରେଇ ହୋଇ ଗୋଟି ଗୋଟିକିଆ ମାଲିକଙ୍କର ଗୋଟି ଗୋଟିକିଆ ‘ଫାର୍ମ୍‌’, ତାରବାଡ଼ ଭିତରେ ଦଶମାଣ କୋଡ଼ିଏମାଣ ଜମି, ସେଥିରେ ପୋଖରୀ, କିଛି କିଛି ତୋଟା ଲଗାଇବା ଚେଷ୍ଟା, ଧାଡ଼ିଧାଡ଼ି କଲମି ଗଛ । ଗୋଟିଏ ଲେଖାଁ କୋଠାଘର । ଆଗରେ ହେଇ ସହର, କୋଠା ଓ ବିଜୁଳି ଆଲୁଅ । ପୁରୁଣାଯୁଗର ସ୍ମାରକ ପରି ଅଦ୍ୟାପି ମଝିରେ ମଝିରେ ମାଟିଚାଳର ବସ୍ତି ଅରାଏ ଲେଖାଁ, ବାରିରେ ସଜନା, କଦଳୀ । କିନ୍ତୁ ତା’ ମଝିକୁ ବି କୋଠା ପଶି ଆସିଛି ।’ ଆହୁରି କୋଠା ଗଢ଼ା ଲାଗିଛି, ଇଟାଥାକ ହୋଇଛି । ଆସିଛନ୍ତି ବ୍ୟବସାୟୀମାନେ ନାନାଆଡ଼ୁ । ଶରଣାର୍ଥୀ ବସ୍ତି ବସିଛି । ସହର ବଢ଼ୁଛି । ଗାଁ ସାନ ହେଉଛି ସହର ବଢ଼ୁଛି, ନୂଆ ଯୁଗ ଆସିଛି ।

 

ତା’ର ସଂକେତ ଏଇ କୋଠା ଆଉ ବିଜୁଳି । ଆଉ ଟ୍ରକ୍‌ ଆଉ ରିକ୍‌ସା । ଯୋଡ଼ି ଆଲୁଅରେ ଜହ୍ନ ରାତିକି ଚିରି ଚିରି ତୋଫାନ ପରି ମାଡ଼ିଆସୁଛି ଟ୍ରକ୍‌ ଗୋଟାକୁ ଗୋଟା, ପାହାଡ଼ ଭଙ୍ଗା ହୋଇ ପଥର ମୁଣ୍ତିଆ ଧାଇଁ ଆସୁଛି ରବର ଚକରେ । ଆସୁଛି ଲୁହାଛଡ଼, ଇଟା କୁଢ଼, ଜିନିଷପାତି, କେତେ କ’ଣ । ପାଳଗଦା ପରି ବୋଝେଇ ହୋଇ ଟ୍ରକ୍‌ରେ ଜିନିଷ ଚାଲିଯାଉଛି । ଗଲା ଏକ ଟ୍ରକ୍‌ ପାନ । ହେଇ, ପରିବା ପଳେଇଲା, ଗଦା ହୋଇଛି କଦଳୀ କାନ୍ଦିସବୁ କେତେ ଉଞ୍ଚଯାକେ । ଗୋଛା ଗୋଛା ଖଡ଼ା ବନ୍ଧା ହୋଇଛି । ଟ୍ରକ୍‌ଭର୍ତ୍ତି କୋବି । ପାଞ୍ଚ ଟ୍ରକ୍‌ ଗଲା । ଆଜି ବଡ଼ ହାଟ ଥିଲା । ଆଉ କେତେ କ’ଣ ଏବାଟେ ସେବାଟେ ଟ୍ରକ୍‌ ଚଢ଼ି ପଳୋଉଛି । ଧୂଳିରେ ନିମିଷେକ ଲାଗି ଆଲୁଅ ଚହଟୁଛି । ଗର୍‌ ଗର୍‌ ଗର୍‍ ଗର୍ । ତା’ପରେ ନାକ ରୁନ୍ଧିପକାଇଲା ପରି ଖାଲି ଧୂଳିହିଁ ଉଡ଼ିରହିଲା । ଜିନିଷ ରହିଗଲା । ବଡ଼ ବଜାର କେତେ ଖୁନ୍ଦାଖୁନ୍ଦି ହେଲାଣି । ରାସ୍ତାରେ ସାଇକଲ ରିକ୍‌ସା ଚାଲିଛି । ଦୋକାନ ଘଣ୍ଟାରେ ଆଠଟା ବାଜୁଛି । ରେଡିଓ ଖବର ଗର୍ଜୁଛି-। ବଡ଼ବଜାର ଚେଇଁଛି ।

 

ସଡ଼କ ସେମୁଣ୍ଡେ କ’ଣ ଗୋଳମାଳ ଲାଗିଛି । ଗୋଟିଏ ଟ୍ରକ୍‌କୁ ବେଢ଼ି ବହୁତ ଲୋକ ପାଟି କରୁଛନ୍ତି । କେତେବେଳୁ ହାଉଯାଉ ଲାଗିଥିଲା । ଭିଡ଼ ଘୁଞ୍ଚିଗଲା, ଟ୍ରକ୍‌ ବୁଲିପଡ଼ିଲା, ଯେଉଁଆଡ଼କୁ ଯାଉଥିଲା ଧୀରେ ଧୀରେ ତା’ର ଓଲ୍‌ଟାଆଡ଼କୁ ଚାଲିଲା । ବହୁତ ବସ୍ତା ଲଦା ହୋଇଛି, ତା’ ଉପରେ ଲୋକେ ଚଢ଼ିଛନ୍ତି । ଟ୍ରକ୍‌ ଗୋଦାମଆଡ଼କୁ ଚାଲିଲା । ଲୋକେ ପାଟି କରି କରି ଲେଉଟି ଆସିଲେ । ଟ୍ରକ୍‌ ଭର୍ତ୍ତିହୋଇ ବଡ଼ ସହରକୁ ଚାଉଳ ଯାଉଥିଲା, ଲୋକେ ଜିଗର କରିବାରୁ ନ ଯାଇ ଫେରିଆସିଲା । ସେମାନେ ଦାବି କରିଛନ୍ତି ‘‘ଏଠୁ ପଦାକୁ ଚାଉଳ ଛାଡ଼ିଦିଆଯିବ ନାହିଁ, ଏଠି ଭାଉ ଚଢ଼ିଲାଣି, ଟଙ୍କାକୁ ପାଞ୍ଚପା’ ଚାଉଳ । ତେଣୁ ଯାହା ହବାର ହଉ ପଛେ ଚାଉଳ ଛାଡ଼ିବୁ ନାହିଁ ।’’ ରାସ୍ତା ଭର୍ତ୍ତିହୋଇ ଲୋକ ଚାଲିଛନ୍ତି । ଜନତାର ବିଜୟ ଘଟିଛି ।

 

କିନ୍ତୁ କିଏ ନିର୍ଭର ଦେବ ଯେପରି ଏ ଚାଉଳ ପଠାହେବ ନାହିଁ ?

 

ଜନତାର ପ୍ରତିନିଧିତ୍ୱ କଲାପରି ଏହି ଯେଉଁମାନେ ବ୍ୟବସାୟୀର ଚାଉଳ ଟ୍ରକ୍‌ ଉପରେ ଚଢ଼ି ତା’ ଗୋଦାମକୁ ଗଲେ କେତେଯାକେ ସେମାନେ ରହିଥିବେ ସଚ୍ଚୋଟ୍‌, ଅଟଳ ଓ ନିର୍ଭୟ ? ହୁଏତ ଏ ହୋ’ରେ ଦଶ ପାଞ୍ଚଜଣ ବଡ଼ପାଟିଆ ଆପଣାପାଇଁ କିଛି ସୁବିଧା ଭେଇନେବେ । ଦଶ କୋଡ଼ିଏ ଆଜି ରାତିରେ ।

 

ଧୋବ ଫର୍‌ଫର୍‌ ଲୁଗା ପଞ୍ଜାବୀପିନ୍ଧା ମୋଟା ମୋଟା ଭଦ୍ରଲୋକ ଦି’ଜଣ ଏ ଘଟଣା ପିଷୟରେ ଆଲୋଚନା କରୁଥିଲେ । ଜଣେ ଟିକିଏ ବୁଢ଼ା, ମୁଣ୍ତ ଚନ୍ଦା, ଆଉ ଜଣକ ଆଖିରେ ଚଷମା । ହୁଏତ ସେମାନେ ନିଜେ ବ୍ୟବସାୟୀ । ଗୋଟିଏ ଗୋଟିଏ ଦୋକାନ ଆଗରେ ପଞ୍ଝା ପଞ୍ଝା ହୋଇ ଠିଆ ହୋଇ ଲୋକେ କଥାଭାଷା ହେଉଛନ୍ତି । ସେମାନେ ବି ତାଙ୍କ ମତାମତ ଦେଉଥିଲେ । ସେମାନେ କହୁଥିଲେ ଆଜି ଏ ଲୋକେ ଚାଉଳ ଟ୍ରକ୍‌ଟାକୁ ବାଟ ଛାଡ଼ି ନ ଦେଇ ଫେରାଇଦେଲେ, କାଲି ମନ କଲେ ଚାଉଳବସ୍ତା ଲୁଟି ନେବେ । ତା’ପରେ ଦୋକାନ ଲୁଟି, ଘରପୋଡ଼ି, ହାଣକାଟ । ସବୁ ଏକା ଜିନିଷର ଭିନ୍ନ ଭିନ୍ନ ପାହାଚ । ସରକାର ଯଦି ବ୍ୟବସ୍ଥା ନ କରିବେ ତ ପଛେ ଅବସ୍ଥା ସମ୍ୱାଳିବା କଷ୍ଟ ପଡ଼ିବ ।

 

ଗହଳିର ଲୋକେ ବଡ଼ପାଟିରେ କଥା କୁହାକୋହି ହୋଇ ଲେଉଟି ଚାଲିଛନ୍ତି । ବହୁତ ଉତ୍ସାହ । ସାନ ସାନ ଦଳ ହୋଇ କିଏ କେଉଁଆଡ଼େ ଚାଲିଯାଉଛନ୍ତି । ଜିଦି ରହିଛି, ଟ୍ରକ୍‌ ଫେରିଛି । ‘‘ଏମିତି ଏଥର ହାତେ ହାତେ ଦେଖିଲା କାମ ନ କଲେ ଏ ବେପାରିଏ ସାଧ୍ୟ ହେବେ ନାଇଁ ।’’ କିଏ ଜଣେ କହୁଛି ଶୁଭୁଛି ‘‘ଦେଖ, ଚାଉଳ ଭାଉ ଏମାନେ କଲେଣି ଟଙ୍କାକେ ପାଞ୍ଚପା’ ଦେଢ଼ସେର । ଫେର୍‌ ଇଆଡ଼ୁ ଚାଉଳ ବୋହିନେଇ ପଳୋଉଛି କ’ଣ ନା ସେରକ ଟଙ୍କାଏ କରିବେ ବୋଲି ନା ଆଉ କ’ଣ ?’’

 

କିଏ ଜଣେ ସରକାର ନାଁ ଧରିଲା । ଆଉ କିଏ ଜଣେ ଫାଇଁ କିନା ରାଗି ଉଠିଲା କହିଲା ‘‘ଦେବି ମୁଥେ । ସରକାର ଏକା ତାଙ୍କରିବେଳକୁ ଆମବେଳକୁ ନାଇଁ ? ସତେକି ସରକାର ଖାଲି ଏ ଲାଭଖୋରମାନଙ୍କୁ କଳାବଜାରିମାନଙ୍କୁ ଘଣ୍ଟ ଘୋଡ଼େଇ ରଖିଥିବେ; ସେତେବେଳକୁ କିଛିକିଛି କରିବେ ନାଇ, ଆମେ ଚାଉଳ ରୋକିଲେ ଆମକୁ ଧରିବେ ? ସରକାର ତାଙ୍କୁ କହିଚନ୍ତି ଚାଉଳ ବୋହିନିଅ, ଭାଉ ବଢ଼ାଅ ବୋଲି ?’’ ହାକୁଟି ମାରି ମାରି ଘାଗଡ଼ା ଗଳାରେ ଜଣେ ବୁଢ଼ା ପାଟି କରୁଛି, ‘‘ପେଟ ମୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ । ପେଟ ମୋର ସରକାର, ଆଉ ସରକାର କିଏ ?’’ ‘‘ପାଇଚି ପାନେ ଆଜି ।’’ ‘‘ମୁଁ ନ ଥିଲେ ନେଇ ପଳାଇଥାନ୍ତେ ।’’ ‘‘ଆଗ ମୁଁ ଯାଇ ଅଟକେଇଲି ।’’ ‘‘ନାଇଁ ଆଗ ମୁଁ ।’’ ନାନାପ୍ରକାର ଆଲୋଚନା କରି କରି ସେମାନେ ଚାଲିଯାଉଛନ୍ତି ।

 

ସେ ଲକ୍ଷ୍ୟକଲା ସେମାନଙ୍କୁ । ନାନା ବୟସରେ ନାନା ପ୍ରକାର ସ୍ୱାସ୍ଥ୍ୟର ନାନା ରୂପର ଭେକର ସେମାନେ । କିଏ କାମିଜ୍‌ ପିନ୍ଧିଛନ୍ତି କଲମ ଖୋସିଛନ୍ତି ଜୋତା ମାଡ଼ିଛନ୍ତି, କିଏ ଗାରିଗାରିଆ କମ୍ୱଳ ଘୋରି ହୋଇଛନ୍ତି, କିଏ କୋଟ୍‍ ମଫ୍‌ଲର ମାଙ୍କଡ଼ ଟୋପି, କାହାର ଗେରୁଆ ରଙ୍ଗର ଲୁଗା ଫୁଙ୍ଗା ଦେହ । କାହା ମୁହଁ ଦିଶୁଛି ବୋଧା, ଘରୁଆ ଲୋକର ମୁହଁପରି । କାହା ମୁହଁ ବିଶଳପାତିଆ ଚଗଲ୍‌ ବଗଲ୍‌ । ଚଁ ଚଁ କରି ବିଡ଼ି ଶୋଷୁଛି । ଟାଉ ଟାଉ କରି ଏଡ଼େ ଟାଣ ଟାଣ କଥା କହୁଛି ଯେପରିକି ପାହାଡ଼ ଲେଉଟାଇ ପକାଇବ । କିଏ ଦିଶୁଛି ତା’ରି କେଉଁ ଚିହ୍ନା ବନ୍ଧୁପରି, ସାଙ୍ଗ ପଢ଼ୁଆ ଥିଲା,-ଲାଗୁଛି ତାକୁ ସେ ଜାଣିଛି ଚିହ୍ନିଛି । ଏଇ ଏତେ ଆଡ଼ର ଏତେ ଜାତିର ଉଡ଼ା ଚଢ଼େଇ ଏ ସମସ୍ତେ ମିଶି ଜନତା ଜନାର୍ଦ୍ଦନ, ଯୋଗ ପଡ଼ିଥିଲା, ଏକାଠି ହୋଇଥିଲେ, ତା’ପରେ ଯେ ଯୁଆଡ଼େ ଉଡ଼ି ଚାଲିଯାଉଛନ୍ତି, ରାସ୍ତାଖାଲି ।

 

ମଝିଲା ସହରର ଏହି ଏକ ବିଶିଷ୍ଟ ରୂପ ତା’ର ଚେତନାରେ ଗଳିଗଲା, ଆଉ ତା’ର ଚିହ୍ନା ବନ୍ଧୁ ବିପିନ ଘରେ ରହିବ ବୋଲି ଘର ଖୋଜି ଖୋଜି ଯାଉ ଯାଉ ଠାଏ ପଦା ଜାଗା ଦେଖି ସେ ଥମ୍ୱିଯାଇ ଠିଆ ହେଲା । ୟାଡ଼ୁକୁ ସ୍ୟାଡ଼ୁକୁ ଅନାଇଁ ଦେଖିଲା କାଳେ କେହି ଆସୁଛି କି ନାହିଁ, ସରୁ ବୁଜଳାଟିକି କାଖ ବଦଳାଇ ବେକ ଭାଙ୍ଗି ଦେଇ ଆକାଶକୁ ଅନାଇଁ ଜହ୍ନକୁ ଦେଖିଲା, ଆଉ ଦେଖିଥିବା ଘଟନାଟାର ତାତ୍ପର୍ଯ୍ୟକୁ ମନ ଭିତରେ ଆଲୋଚନା କରିବାକୁ ଲାଗିଲା । କୋଠାଗୁଡ଼ାକ ସାଙ୍ଗରେ ଗୋଡ଼ାଇ ଆସି ନାହିଁ । କୋଠାଗୁଡ଼ାକ ଦେଖିଲେ ତାକୁ କିପରି ମାଡ଼ିପଡ଼େ । ଲାଗେ ଯେପରିକି ସେଗୁଡ଼ାକ ତା’ର ଚିନ୍ତାର ଗତିପଥ ରୋଧକରି ଠିଆ ହୋଇଯାଉଛି ମୁହଁ ଉପରେ । ବିଜୁଳି ଆଲୁଅ ଝଟକି ଲାଗିଛି ଖଣ୍ତେ ଦୂରରେ, ପାଖ ପାଖ ହୋଇ ଆଲୁଅର ହାର ଝୁଲୁଛି ସେଠି, ସେହି ସେ ବଡ଼ବଜାର, ଏଠି ନାହିଁ । ତୀବ୍ରଭାବେ ଉଜ୍ଜ୍ୱଳ, କିନ୍ତୁ ତା’ର ଆଭିଜାତ୍ୟ ନାହିଁ । ତା’ର ସ୍କୃତି ସମ୍ପର୍କରେ ମନେପଡ଼େ ନାହିଁ ଚିହ୍ନା ଅନୁଭୂତି ଚିହ୍ନା ଜୀବନର ଚିତ୍ର । ବରଂ ସଡ଼କର ବିଜୁଳି ଦିହୁଡ଼ି ତାକୁ ଅଡ଼ୁଆ ଲାଗେ, ଜୀବନ ପ୍ରକୃତି ସହିତ ସମନ୍ୱୟ ବୋଲି ମନେପଡ଼େ ନାହିଁ, ମନେପଡ଼େ ଇସ୍ପାତ ଲୁହାପରି ଅଚିହ୍ନା ଦର୍ଶନ ତଥ୍ୟର ଉଦ୍ଧତ ଘୋଷଣା, -ଯେ ଜୀବନ ସମନ୍ୱୟ ନୁହେଁ ସଂଗ୍ରାମ, ଏଇ ତା’ର ବିଜୟର ପ୍ରତୀକ, ହେଉ ପଛେ ସେ ସାମୟିକ, ସମ୍ୱନ୍ଧମୂଳକ ଓ ସାପେକ୍ଷ ।

 

ଏଇ ମୁହୂର୍ତ୍ତରେ ବିଜୟ ତ !

 

କିନ୍ତୁ ସଡ଼କର ବିଜୁଳି ଆଲୁଅରେ ସେ ବିଜୟ-ସ୍ନିଗ୍‌ଧ କଅଁଳ ଜହ୍ନରାତି ଉପରେ ବିଜୟ-। ସେଥିରେ ଶାନ୍ତି ଆସେ ନାହିଁ । ମନ ଦୂରକୁ ଦୂରକୁ ଭାସିଯାଏ ନାହିଁ କୁହୁଡ଼ି କଣିକାପରି ଅସରନ୍ତି ଅଯାଚିତ ସହାନୁଭୂତି ବିଞ୍ଚି ବିଞ୍ଚି ।

 

ଆଉ ସେ ବିଜୟ ତାରାଫୁଟା ଅନ୍ଧାର ରାତି ଉପରେ ବିଜୟ, ଯେତେବେଳେ ମଣିଷ ମୁହାଁମୁହିଁ ହୁଅନ୍ତା ନିଦା ନିଦା ଦେଖାପରଖା ଚଳନ୍ତି ମୂଳମରା ଘଟନା ଅନୁଭୂତି ଉହାଡ଼ର କେଉଁ ଅବ୍ୟକ୍ତ ଅସୀମ ଅତୀନ୍ଦ୍ରିୟ ଅବସ୍ଥିତ ସହିତ ।

 

ଜହ୍ନରାତି ମରେ ନାହିଁ, ଅନ୍ଧାରରାତି ମରେ ନାହିଁ । ସଡ଼କର ତେଜି ବିଜୁଳି ଆଲୁଅ ଖାଲି ମୁଣ୍ତୁଳା ବୁଲେଇଦିଏ ମଣିଷର ଅନୁଭବ ଶକ୍ତିକୁ, ତା’ର ସ୍ନାୟୁକୁ । ସେତିକିରେ ରୁହାଇଦିଏ, ଦୂରକୁ ଦେଖିବାକୁ ଦିଏ ନାହିଁ ।

 

ଯାହା କ୍ଷତି ତାହା ଖାଲି ମଣିଷର । ପ୍ରକୃତିର କ୍ଷତି ଘଟେ ନାହିଁ । ସେହି ଦର୍ଶନ ଥିଲା ତା’ ମନରେ ।

 

ଆଉ ସେ ମୁଣ୍ତଟାକୁ ପଛକୁ ଗୋଟାଏ ଝାଙ୍କ ଦେଇ କପାଳ ଉପରୁ ଅଲରା ବାଳଗୁଡ଼ାକୁ ପଛକୁ ଲେଉଟାଇ ଦେଇ ଅନାଇଁ ରହିଲା ପଞ୍ଚମୀର ଜହ୍ନକୁ, ବାଁ କରେ ସିଅ ସିଅ ହୋଇ ଖୁଣ୍ଟ ପୋତିଦେଇ ଅପନ୍ତରାରେ ବସାବାନ୍ଧି ଠିଆ ହୋଇଛି ଗୋଟିଏ ବରଗଛ, ଏପର୍ଯ୍ୟନ୍ତ ଅଛି, ତଡ଼ା ହୋଇ ନାହିଁ । ତା’ ସେ କରେ ଖୋଲା ପଡ଼ିଆ, ପାତଳ କୁହୁଡ଼ି ଶିମୂଳି ତୂଳାର ରୁଆପରି ପବନରେ ଭାସି ବୁଳୁଛି । ତା’ ସେ କରେ ଅରାଏ ସେ କାଳର ପୁରୁଣା ଚାଳଘର କୁଡ଼ିଆ, କଦଳୀ ବାରି ଭିତରେ ସମସ୍ତଙ୍କୁଠୁଁ ଉଞ୍ଚ ହୋଇ ଗୋଟିଏ କଦଳୀ ଗଛର ମୁଣ୍ତ ଦିଶୁଛି, ନିର୍ଭୟ ଉଲ୍ଲାସରେ ଓସାର ଓସାର ହାତ ଟେକି ଜହ୍ନ ଆଲୁଅକୁ ଧରିବା ଲାଗି କଦଳୀପତ୍ର ବାହା ମେଲିଛି, ଧରିଛି ବି କିଛି । ମୁହଁ ପଟେ ଖାଲି କ୍ଷେତ, ସେକରେ ଚିକ୍‍କଣ କଳା ଭଅଁର ଆକାଶ ତଳେ ଦିଗ୍‌ବଳୟରେ ଗଛମାନଙ୍କ ଅନ୍ଧାରି ଗାର ଉପରେ ଜହ୍ନ । ଯେପରିକି ପୁରୁଣା ଦୁନିଆଁରୁ କିଛି ସେମିତି ରହିଯାଇଛି, ବଦଳି ନାହିଁ ।

 

ହାଉ ଯାଉ ନାହିଁ, ତରତର ନାହିଁ, ବିଜୁଳି ଆଲୁଅ ନାହିଁ, ଭସ୍‌ ଭସ୍‌ ଘର୍‌ ଘର୍‌ ଟ୍ରକ୍‌ ନାହିଁ, ଜୀପ୍‌ଗାଡ଼ି ନାହିଁ। ଅଛି ଏଇ ଆକାଶ, ଏ ମାଟି, ଗଛ ବୁରୁଛ । ଚହଟ ଚମକ ନ ଥିବା ମାଟି ଚାଳର ଘର କେଇଟା ।

 

ଏମିତି ଥିଲା ସବୁଦିନେ, ଅଛି ବି ।

 

ଶାନ୍ତି ବିସ୍ତୃତିର ଏକ ପଟ୍ଟଭୂମି, ରହିବାକୁ ରଖିବାକୁ ନାଁ ଡାକ ହେବାକୁ ଆପଣାକୁ ଦେଖାଇ ହେବାକୁ ଉଦବେଗ ନାହିଁ ।

 

ତାହାରି ଆଗରେ ଆପଣା ଭାବନାକୁ ସେ ବିଛେଇ ଦେଲା, ଆଉ ଆଜିକାର ଅନୁଭୂତିକୁ-

 

ଆଜି ଥିଲା ଶ୍ରୀପଞ୍ଚମୀ, ତା’ର ଏକ ଅତିପ୍ରିୟ ଦିନ । ଆଜି ରାତିଟି ସାହିତ୍ୟ ସଙ୍ଗୀତ ଶାନ୍ତି ଓ ସଦ୍‌ଜ୍ଞାନର ପ୍ରତୀକ ବାଗ୍‌ଦେବୀଙ୍କ ଆରାଧନାରେ ଚେତନାକୁ ସୁସମ କରିବାପାଇଁ । ତତ୍ତ୍ୱଦର୍ଶନରେ ଜୀବନକୁ ଆଲୋକିତ କରିବାପାଇଁ, କିନ୍ତୁ ସେ ଚାଲିଛି ଚାକିରି କରିବାକୁ ।

 

ଆଜି ସେ ଦେଖୁଛି ଆସନ୍ତା ତୋଫାନର ସୂଚନାକୁ । ଭାଉ ବଢ଼ିଛି । ଭୋକରେ ନିଆଁ ଜଳି ଉଠୁଛି । ଉପରୋଧ ତୁଟି ଯାଉଛି, ଆକଟ ଆଉ ନାହିଁ ।

 

ବଜାର ଉପରେ ବୋଝାଇ ଚାଉଳ ଟ୍ରକ୍‌କୁ ତା’ର ଯିବା ବାଟରୁ ଲେଉଟାଇ ଦେବା, ଆଉ କେଉଁ ସହରରେ ବଡ଼ କଥା ନ ହେଉ ପଛେ, ସେହି ଯେଉଁଠି ଲୋକେ ଦିନ ଦିପହରେ ବଡ଼ ସହରରେ ସଶସ୍ତ୍ର ଡକାୟତି କରନ୍ତି, କିନ୍ତୁ ଏ ମଝିଲା ସହରରେ ଯେଉଁଠି ଆଗେ ମଳିମୁଣ୍ତିଆ ମୁଣ୍ତପୋତି ଆପଣା ଧନ୍ଦାରେ ଯାଉଥିଲେ, ନାଲି ପଗଡ଼ିଆ ହାସୁ କହିଲେ କୋଶେ ଧାଉଁଥିଲେ, ସେଠି ଏ ବଡ଼, ଅତି ବଡ଼ ଘଟଣା ।

 

କାରଣ ଏ ଏକ ସଂକେତ ।

 

ଏ ସେହି ଦୂରନ୍ତ ମଣିଷ ସମୁଦ୍ରର ଅଗିଆଣି ଢେଉ, ସେହି ଯେଉଁମାନେ ରାଜ୍ୟଯାକର ବଞ୍ଚିତ ଦୁଃସ୍ଥ ନିରନ୍ନ ମଣିଷ, ଏ ଦେଶର ନୁହଁନ୍ତି ସବୁ ଦେଶର, ତାଙ୍କ ଭାଷାରେ କି ଚମଡ଼ାର ରଙ୍ଗରେ କିଛି ଯାଏ ଆସେ ନାହିଁ, ଅନ୍ତରରେ ସେହି ନିଆଁ, ସେ ପରମାଣୁ ବୋମା ଦେଖି ଦେବେ ନାହିଁ, ବିଜ୍ଞ, ନୀତିକଥା କି ନୁଖୁରା ପୁରୁଣା, ବ୍ୟାଖ୍ୟାନ ଶୁଣି ନିଭେ ନାହିଁ, ବଢ଼ି ଚାଲେ ।

 

ମଣିଷକୁ ମଣିଷ ପାଗଳ କରୁଛି, ଆପେ ତାଲା ପକାଇ ସଞ୍ଚିରଖି ପରକୁ ଉପାସ ରଖି କହୁଛି ଆଇନ ମାନି ଚଳିବାକୁ । ଏଇ ଶାନ୍ତ ସୁନ୍ଦର ଶ୍ରୀପଞ୍ଚମୀର ଜହ୍ନରାତି । ଏଥିରେ ଚାଉଳ କଳ ଚାଲିଛି ଧାନକୁଟୁଣିଙ୍କ ଦାନା ମାରି ମାରି, କିଏ ବିଧବା ଅରକ୍ଷ, କାହାର ପିଲା ଆଜି ଉପାସ ଶୋଇଛି, ଲୁଗାକଳ ଚାଲିଛି ବୁଣାକାରଙ୍କ ବେଉସା ବୁଡ଼େଇ ବୁଡ଼େଇ, ଯନ୍ତ୍ର ଚାଲିଛି ମଣିଷକୁ ସାଧନ କରି, ତନ୍ତ୍ର ଚାଲିଛି ଅଲକ୍ଷ୍ୟରେ ଶୋଣିତ ଶୋଷି ନେବାକୁ, ପୁଞ୍ଜି ବଢ଼ୁଛି ଦାରିଦ୍ର ବଢ଼ୁଛି, ଆଉ ଏଇ ଶାନ୍ତି ରାତି ତଳେ ତଳେ ବଢ଼ି ଉଠୁଛି ଅଶାନ୍ତି, କିଏ କହିପାରେ କ’ଣ ହେବ କେତେବେଳ ?

 

ଯେପରିକି ଏକ ବଡ଼ ଅଗି ତିଆରି ହେଉଛି, ସମସ୍ତେ ସେଥିରେ ଆପଣା ଆପଣା ଭେଦ କୁଢ଼େଇ ଲାଗିଛନ୍ତି । କିଏ ନଡ଼ା ବିଡ଼ାଏ, କିଏ କାଠ ଖଣ୍ତେ ପରି ସ୍ୱାର୍ଥପରତା ହିଂସା ଦ୍ୱେଷ ତାଚ୍ଛଲ୍ୟ ଅନାଦରର ଇନ୍ଧନ । ଅଗି ସଜ ଉଞ୍ଚ ହେଉଛି, ଘରେ ଘରେ, ଗାଏଁ ଗାଏଁ, ସହରରେ, ଦେଶରେ, ଯେଉଁଠିକି ପରମାଣୁ ବୋମା ବି ଭେଦିପାରିବ ନାହିଁ, ଖରା ପଶିବ ନାହିଁ, ବିଜୁଳି ପଶିବ ନାହିଁ, ମଣିଷ ମନରେ ସାତତାଳ ଅନ୍ଧାରି ପାତଳର ତଳେ ତଳେ ବି ବଢ଼ି ଉଠୁଛି ବଡ଼ ଅଗି, ଜଳ ଜଳ ଦିଶୁଛି ତା’ ଆଖିକି । ଆଉ ହେଇ, ସେ ସୁସ୍ଥ ହେଲାପରି ଚାଲିଛି ଆଖି ବୁଜି କଳପରି ବନ୍ଧା ଗତରେ ମାଡି ଚାଲି ଜୀବନକୁ ବିତେଇ ଦେବାକୁ, ଯାହା ହେଉ ଦୁନିଆଁ, ତା’ର କି କର୍ତ୍ତବ୍ୟ ଏଥିକି, ମାସକୁ ସତୁରି ଟଙ୍କା, ଆହୁରି ସେ ବଢ଼ିବ !

 

ଆପଣାକୁ କଳିବାକୁ ଯାଇ ତାଟଙ୍କ ଲାଗିଲା, କୁଆଡ଼େ ଗଲା ତା’ର ଭାବନା ଆଉ ଯୋଜନା, ତା’ର ସ୍ୱାଧୀନତା ?

 

ପିଞ୍ଜରା ମୁହଁକୁ ଚାଲିଛି ସ୍ୱାଧୀନ ପକ୍ଷୀ, ଘରେ ନିଆଁ ଲାଗିଲେ ସେ ସେତେବେଳେ ଆପଣା ଅପାରଗତାକୁହିଁ ଆପଣାକୁ ଆଉ ପରକୁ ବୁଝାଇବାପାଇଁ ପ୍ରଧାନ ଉପାୟବୋଲି ଟେକି ଧରିବ । ଖାଲି ଆପଣା ପାଖେ କୈଫିୟତ-ନିଆଁ ତାକୁ ଛାଡ଼ିଯିବ ନାହିଁ ।

 

ଚାଲିଲାଣି ପୁଣି । ଏମିତି ଚାଲେ କଳ । ଆଗରେ ଲମ୍ୱା ଚାଳଘରେ ସିନେମା ଚାଲିଥିଲା । ଗୋଟିଏ ଥର ଭାଙ୍ଗିଲା, ପୁଣି ଆଉ ଥରେ ହେବ । ମଝିଲା ସହରରେ ବି ସିନେମା ହେଲାଣି । କବାଟ କିଳି ହାତ ଗୋଡ଼ ଜାକି ବସି ଚଳନ୍ତି ଛବି ଦେଖିସାରି ଦଳ ଦଳ ହୋଇ ବାହାରି ଆସୁଅଛନ୍ତି । ଦେଖିବାକୁ ନୂଆଦଳ ଆସୁଛନ୍ତି, କେତେ କେତେ ଗାଁର ସ୍ତ୍ରୀ ପୁରୁଷ ଘରଛାଡ଼ି ଆସିଛନ୍ତି, ରାଷ୍ଟ୍ରଭାଷାରେ ଗୀତ ଗର୍ଜୁଛି । ଏଇଆଙ୍କୁ ଏଣିକି ଚଷା ବିଲରେ ବୋଲିବ, ଝିଅମାନେ ତାଙ୍କ କୁଆଁର ପୁନେଇଁ ପଙ୍ଗତରେ ବୋଲିବେ, ଗାଁ ଗହଳିରେ କାନ୍ଥରେ, ଭିତରେଘରେ, ଆଖଡ଼ାଘରେ, ଚାହାଳିରେ ମରାହେବ ଏଇ ମଣିଷ ତାରକାମାନଙ୍କ ଛବି । ଏଇ ଲତିଫା ବନ୍ଦନା କଳ୍ପନା ଆଉ ନର୍ସାମ୍ମାମାନଙ୍କର । ଅଗି ଜଳିବ କେବେ, କିନ୍ତୁ ସିନେମା ଚାଲିଛି ।

 

ଆଉ ଚାଲିଛି ସେ, ହୃଦୟର ଲକ୍ଷେ ସଦ୍‌ବିଚାର ଆଉ ଦୁଇଲକ୍ଷ ହିତକାରୀ ଯୋଜନାଲାଗି ମମତାର ଜାଲ ଗୁନ୍ଥି ଗୁନ୍ଥି ଚାକିରି କରିବାକୁ ପୁଣି ବସ୍ତି । ଠାଏ ଖଞ୍ଜଣିମାଡ଼ ଶୁଭୁଛି, ପିକା ଅଗଟିମାନ ଆଉ ପାଖରେ ଘସିନିଆଁ ଅରାଏ ଜକ ଜକ ଦିଶୁଛି । ଦୁଆରେ ଝଙ୍କା ସଜନାଗଛତଳେ ବଳଦ ଶୋଇଛନ୍ତି, ବାଟ ମଝିରେ ଦିଟା ଶଗଡ଼ । ଏ ଯେପରିକି ଗାଁ ଗୋଡ଼େଇ ଗୋଡ଼େଇ ଆସିଛି । ଅଟକିବାକୁ ମନ ହେଉଛି । ଶୁଣନ୍ତା ଟିକିଏ ଭଜନ, ସେହି ଅରୂପ ଅବ୍ୟୟ ଅକ୍ଷୟ ଅଣାକାରଙ୍କ ସଙ୍ଗୀତ ଯାହା ବୁଝିହୁଏ ନାହିଁ ଅଥଚ ଶୁଣିବାକୁ ଭଲଲାଗେ । ମନଖୋଲି ଗାଉଛି, ଭଲ ବଜୋଉଛି । ଧାନ ଭାଉ ଚଢ଼ିଛି, ଝାଳ ଢାଳି ଢାଳି ଥାଳ ପୂରୁନାହିଁ, ପଖାଳ କଂସାକ ଅଧା, ତଥାପି ଚାଲିଛି ଖଞ୍ଜଣି, ଚାଲିଛି ଭଜନ । ବାଟରେ ହାଲୁକା ଧୂଆଁ କୁହୁଡ଼ି ମିଶିଯାଇଛି ।

 

ଯିବାକୁ ହେବ ଆହୁରି ଆଗକୁ । ଅରାଏ ସାନ ଆମ୍ୱତୋଟା, ଏମିତି ଏଠି ସେଠି କେତେ ପୁରୁଣା ଥିତିର ଅବଶେଷ । ସରିନାହିଁ, ଆହୁରି ଅଛି । ଛାଡ଼ି ଛାଡ଼ିକା ଅରାଏ ଲେଖାଁ ବସ୍ତି । ତା’ ସେକରେ ଠାଏ ବଡ଼ ପୋଖରୀଟା । ମଝିରେ ଦେଉଳିଆ ଦୀପିଦଣ୍ତି, ସେଠି ସଞ୍ଜଆଗରୁ ପାରାମାନେ ଛାଇ ହୋଇ ଯାଆନ୍ତି । ବିଲାତିଦଳରେ ଦହ ଭିଡ଼ିଛି, ମଝିରେ ପାଣି କେନ୍ଦୁରୀ ଆଉ ଧଳା କଇଁ । କଇଁମାନେ ଚେଇଁଛନ୍ତି, ହସୁଛନ୍ତି । ଶ୍ରୀପଞ୍ଚମୀର ଉଜୁଡ଼ା ଫୁଲଓଟରା ତାଙ୍କଯାକେ ପହଞ୍ଚିବ ନାଇଁ । ସେମାନେ ଜାଣନ୍ତି, ପଙ୍କ ଆଉ ଇଟାଜାଲ ଛଡ଼ା ଆଉ ଅଛି ଏକ ବଡ଼ ଜଗୁଆଳି, ଲୋକେ କହନ୍ତି ମଝିରେ କେଉଁ ଠାକୁରାଣୀ ଅଛି, ସେଠକି ଗଲେ ତାଙ୍କର କୋପ ଜନ୍ମେଇଲେ ଆଉ ରକ୍ଷା ନାହିଁ । ଆଗେ ସେ ମଣିଷକୁ ସାହାଯ୍ୟ କରୁଥିଲେ ବୋଲି କହନ୍ତି । ଯାହାର ବିଭା ନିମିତ୍ତ ପଡ଼େ ବାସନ କୁସନ ଦରକାର ପଡ଼େ, ପୋଖରୀକୂଳରେ ପୂଜାଟିଏ ଦେଇ ସଞ୍ଜପହରେ ପ୍ରାର୍ଥନା କରିଥିଲେ ସକାଳକୁ ବଳାଗଣ୍ଠିଏ ପାଣିରେ ତୁଠରେ ଅନର୍ଯ୍ୟାପ ବାସନ କୁସନ କୁଢ଼ା ହୋଇଥାଏ, କାମ ସରିଲେ ପୁଣି ବାସନ ପାଣିରେ ଭସେଇ ଦେବାକୁ ହୁଏ । ଦି ପୁରୁଷ ତଳେ ଥରେ କିଏ ବାସନ ନେଇ ବାସନ ଫେରାଇଲା ନାହିଁ । ଠାକୁରାଣୀ ତା’ ବଉଁଶ ଲଣ୍ତା ତ କଲା, ତା’ଛଡ଼ା ସେଦିନୁ ସେ ଆଉ ବାସନ ଦେଲା ନାହିଁ । ଏମିତି ତା’ ପ୍ରବାଦ । ଆଠମାଣ ପୋଖରୀ, ଅଧେ ଗୋଟାଏ ଧାନଜମି ହେଲାଣି । ଆଉ ଅଧକ, ସେଥିରେ ଠାକୁରାଣୀ । ପାହାଚମାନ ଫାଟି ଧସେଇ ପଡ଼ିଲାଣି ।

 

ମଣିଷର ସତ ଅଭାବରୁ ଠାକୁରାଣୀ ଆଉ ହିତ କରୁନାହାଁନ୍ତି । ସେହିପରି ଥିଲା ତା’ର ପିଲାଦିନର ବିଶ୍ୱାସ । କେତେଥର ସେ ଆଉ ତା’ର ସାଙ୍ଗ ପଢ଼ୁଆ ନୀଳ ଏ ଦୁହେଁ ଠାକୁରାଣୀକି ଦେଖିବେ ବୋଲି ଲୁଚିକରି ସୂର୍ଯ୍ୟାସ୍ତବେଳେ ଆମ୍ୱଗଛ ଆଢ଼ୁଆଳରେ ଆସି ବସନ୍ତି । ଫୁଲ, ନଡ଼ିଆ, କାକୁଡ଼ି, ଯାହା ସେମାନେ ଭାବନ୍ତି ଠାକୁରାଣୀ ଭଲପାଇବେ ବୋଲି ତାହା ଆଣି ଅତୁଠରେ ଥୋଇ ଦିଅନ୍ତି । ମାଛି ଅନ୍ଧାର ପଡ଼ିଲେ ଅତୁଠରେ ଘିଅ ସଳିତା ଜାଳି ଦିଅନ୍ତି । ନାନା ପାଞ୍ଚ ପାଞ୍ଚି ପାଞ୍ଚି ଆସିଥାଆନ୍ତି ଦୁଇବନ୍ଧୁ –ଥରେ ଯଦି ଦେଖା ମିଳିପାରନ୍ତା ତେବେ ଆଉ ଚିନ୍ତା କ’ଣ ? ସେମାନେ ଶୁଣିଥିଲେ ଠାକୁରାଣୀ ଯାହାକୁ ଦୟା କରନ୍ତି ସେ ଯାହା ମନ କରେ ତା’ କରିପାରେ । ତେଣୁ ମାଷ୍ଟର ତ ମାଷ୍ଟର ବୋଡିଂର ଅନ୍ୟାନ୍ୟ ପିଲାଙ୍କଠୁଁ ବି ଗୁପ୍ତରଖି ତୋଟାଏ ତୋଟାଏ ବୁଲି ବୁଲି ସେମାନେ ଖଞ୍ଜୁଥିଲେ ବସି ତାଙ୍କ ଯୋଜନା । କେଉଁଦିନ ସୃଷ୍ଟିର ଯୋଜନା, ବଡ଼ଘର, ବଡ଼ ବଗିଚା, ଜାହାଜ, ଉଡ଼ାଜାହାଜ, ପଢ଼ିଥିବା ନ ଦେଖିଥିବା ଜନ୍ତୁ, ଉଷ୍ଟ୍ରପକ୍ଷୀ, କଙ୍ଗାରୁ, ସିଂହ, ହାତୀ, ପଲ ପଲ ସୁନ୍ଦର ଚଢ଼େଇ, ଦେଉଳ । କେଉଁଦିନ ସଂହାରର. ମାର, ହାଣ,କାଟ, ସେହି କଣା ଡେଙ୍ଗା ହାଡ଼ୁଆ, ମାଷ୍ଟର ଯେ ବେଶି ପିଟେ ତାକୁ, ସେହି ଖିଟ୍‌ଖିଟିଆ ବୁଢ଼ା ଜଣକ, ଅଣ୍ଟା ବଙ୍କା, ଗୋଦରଗୋଡ଼ ଇସ୍କୁଲ ଦକ୍ଷିଣପଟ ତେନ୍ତୁଳି ଗଛରୁ କୟାଁ ଝାଡ଼ିଲେ ଆରପାଖ ଯେ ଖେଙ୍କି ଗୋଡ଼ାଏ, ସାଙ୍ଗେ ସାଙ୍ଗେ ଭାଉଁ ଭାଉଁ କରି ଧାଇଁ ଆସେ ତା’ କୁକୁର, ସୋରିଷତେଲ ବର୍ଣ୍ଣର ତା’ର ଟିଣାଆଖି । ଆଉ ସେ ଯୋଜନା ସର୍ବଶକ୍ତିମାନ୍‌ ହେବାପାଇଁ, ମନକଲେ ଫମ୍ପା ଟିଣ ଭିତରୁ ଯେତେ ଇଚ୍ଛା ସେତେ ବଣିଚଢ଼େଇ ବାହାର କରିହେବ, ଆପେ ମାଛି ହୋଇ ପଦାକୁ ବାହାରି ହେବ, ଉଡ଼ି ହେବ, ବୁଡ଼ି ହେବ, ସବୁ କରିହେବ, ସବୁର ସଂଖ୍ୟା ନାହିଁ, ପରିଶ୍ରମ ନ କରି ପରୀକ୍ଷା ତ ପାସ୍‍ କରିହେବ ଅତି ସହଜେ ।

 

ହେଇ ଦିଶୁଛି ଆପଣାର ସେହି କଅଁଳ ସାନ ଦିନର କଳ୍ପନାସବୁ, ପୋଖରୀ ଉପର କିଛି ଦିଶୁ ନାହିଁ । ଧୂଆଁ ଜିକ୍‌ଜିକ୍‌ ଦିଶୁଛି ଖଣ୍ତେଦୂର । ତେଣିକି ନାହିଁ । ସେତେବେଳେ ବି ଏମିତି ଥିଲା ବୋଧହୁଏ । ସେହି ଧୂଆଁ ଭିତରେ ସେକାଳର ସେହି ସ୍ୱପ୍ନଗଢ଼ା ସୃଷ୍ଟି ଯେପରିକି ଓଲଟ ପାଲଟ ଉବେଇ ଟୁବେଇ ହେଉଛି । ସେପଟେ ତେର୍ଚ୍ଛାଜହ୍ନ, ତା’ ସହିତ ଶ୍ରୀପଞ୍ଚମୀର ସ୍ମୃତି । ଏପଟେ ସେ, ଗୋଟାଏ ଅଧ୍ୟାୟର ଅତଡ଼ି ସରିଛି । ଚାକିରି କରିବ ।

 

ସେତେବେଳେ ବି ଠାକୁରାଣୀ ଦେଖା ମିଳିନଥିଲେ, ଆଜି ବି ନୁହେଁ । କିନ୍ତୁ ସେତେବେଳେ ସେ ଦେଖୁଥିଲା ପ୍ରସାରିତ ଚେତନାର ବିସ୍ତୃତି, ଆକାଶ, ଜୁଳୁଜୁଳିଆ ପୋକ, କେବେ ଜହ୍ନ, ମେଘ, ମାଛ ଡେଇଁବା, କଇଁଫୁଲ, କେତେ କ’ଣ, ଆଉ ନିଜକୁ ନିଜ ଭବିଷ୍ୟତକୁ । କେଡ଼େ ସହଜରେ ଖାଲି ପାପୁଲି ମୋଡ଼ିଦେଲାମାତ୍ରେ ମନଇଚ୍ଛା ନୂଆ ବାଗରେ ସବୁ ମନେମନେ ଗଢ଼ି ହୋଇଯାଉଥିଲା । ଏବେ ଦେଖୁଛି କୁହୁଡ଼ି । ଚେତନାରେ ବୁଝୁଛି, ପୋଖରୀ ଆରପାଖ ବସ୍ତିରେ ବନ୍ଧୁ ବିପିନ, ରାତିଟା ସେଇଠି । ସକାଳୁ ବସ୍‌ ଧରିନେଲେ କେଇ ଘଣ୍ଟାପରେ ବଡ଼ ସହର, ସେଠି ରେଳରାସ୍ତା ପରି ମପାଚୁପା ନୂଆ ଜୀବନର ଲୁହାଧାରଣା, ଭସ୍‌ ଭସ୍‌ ଭସ୍‌ ଭସ୍‌ ସାଢ଼େ ଦଶରୁ ପାଞ୍ଚଟା ଛଟାଯାକେ, ପୁଣି ଭସ୍‌ ଭସ୍‌ ଭସ୍‌ ବସା ବାହୁଡ଼ାଣି, ଦିନଟିଏ ଗଲା ।

 

ଏଇ ପୋଖରୀ–ଅତୀତର ଦିନଗୁଡ଼ାକରୁ କିଛି ଏଠି ଯେପରି ଠୁଳ ହୋଇଛି । ପାଣିରେ ଗୋଳି ହୋଇଛି । ରଙ୍ଗ ରଙ୍ଗର ସ୍ମୃତି, ସେତେବେଳେ ତା’ର ବିଶିଷ୍ଟ ରୂପ ଥିଲା । ତୁଠପାଖିଆ ଅରାଏ ଅରାଏ ସଫା ଜାଗା, ସେଠି ପରିଷ୍କାର ଦର୍ପଣଟିଏ ଲେଖାଁ । କୂଳର ବଗ ମୁହଁ ଦେଖେ, ସମ୍ଭବତଃ ପ୍ରଶଂସା କରେ ନିଜକୁ ଦେଖି ଯେ ତା’ର କେଡ଼େ ସରୁ ଡେଙ୍ଗା ଡେଙ୍ଗା ଗୋଡ଼, କେଡ଼େ ସରୁ ବଙ୍କା ବେକ, କେଡ଼େ ଲମ୍ୱା ଥଣ୍ଟ, କି ଟିକି ଟିକି ଆଖି । ପୁଣି କୂଳର ମଇଁଷି ଚରୁ ଚରୁ ମୁହଁ ଦେଖେ, ହୁଏତ ମୁହଁ ଦେଖନ୍ତି, ତା’ ପିଠି ଉପରେ ବସିଥିବା କଜଳପାତୀ, ବେକମୁଣ୍ତାରେ ଚଢ଼ିଥିବା କାଉ ।

 

ଆଉ ମୁହଁ ଦେଖେ ବୁଢ଼ା ମିଆଁ, ସେହି ଏକା ପ୍ରକାର ବେଶ ବୁଢ଼ାର ଯେବେ ଦେଖିଲେ, ମୁଣ୍ତରେ ଡୋରିଆ ଗାମୁଛାର ପଗଡ଼ି, ଦେହରେ ଡୋରିଆ ଲୁଙ୍ଗିଖଣ୍ତେ, ପ୍ରାୟ କସରା ବର୍ଣ୍ଣର, ଶୁଆଥଣ୍ଟିଆ କଳା ନାକ, ଚିବୁକରେ ଅଳ୍ପ ପୁଳିଏ ଧଳାଦାଢ଼ି ଓସାରରେ ବଢ଼ିନାହିଁ ଲମ୍ୱରେ ଓହଳିଛି-। ଏକାଠି ତିନିଟା ବନ୍‌ସି ପକାଇଦେଇ ଧ୍ୟାନସ୍ଥ ହୋଇ ବସିଥାଏ ଯେପରିକି ତା’ର ପରକାଳ ନ ହେଉ ପଛେ ଇହକାଳ ବନ୍ଧାହୋଇ ରହିଛି ସେହି ବନ୍‌ସୀ ସଙ୍ଗରେ । ଟିକିଟିକି ମଞ୍ଜିଆ କଣ୍ଟିଆରେ ତା’ର ସାନଖଳେଇ କେବେ ଭର୍ତ୍ତି ହୋଇଯାଏ, କେବେ ଖାଲି ଅଳ୍ପଦୋଟି, କେବେ ଭୁଝୁକି ଅନିସା କରିବାହିଁ ସାର ହୁଏ, କେବେ ଅକାଳେ ସକାଳେ ପଡ଼େ ଗୋଟାଏ ତିନିସେରିଆ ପାଞ୍ଚସେରିଆ ରୋହି କି ଭାକୁର, ତେଣୁ ଲୋକେ କହନ୍ତି ସେ ଭାରି ବଡ଼ ବନସୀ ଖେଳୁଆଡ଼ ।

 

ବୁଢ଼ାମିଆଁ ତାଙ୍କୁ ଘଉଡ଼ାଏ ନାହିଁ, ତାଙ୍କଦ୍ୱାରା ଜିଆ ଖୋଳାଏ, କହେ ତୁନିହୋଇ ବସି ଦେଖ୍ ।

 

ପାଣି ବୁଡ଼େଇ ନେବାକୁ ମାଇପେ ଆସନ୍ତି । କେତୁଟା ମୁହଁ, ମୁହଁ ଦେଖିଲେ ଭାରି ଖୁସି ଲାଗେ, ଇଚ୍ଛାହୁଏ ଏମାନେ ପାଖକୁ ଡାକି ଗେହ୍ଲା ଆଦର କରନ୍ତେ କି । ଆଉ କେତୁଟା ମୁହଁ ମୋଟେ ଆରାଏ ନାହିଁ, ହଉପଛେ ଯେତେ ଗୋରା, ଥାଉ ସେଥିରେ ଖଞ୍ଜାହୋଇ ଯେତେ ଦଣ୍ତୀ କି ନୋଥ । ସାହିରେ ଯେମିତି, କାହା ହାତରୁ ମେଞ୍ଚାଏ ଖଇଚକଟା ଖାଇବାକୁ ମନ ହାଇଁହାଇଁ ହୁଏ କିଏ ଥାଳିଏ ପିଠାଧରି ଆସ ଆସ ଡାକି ଗୋଡ଼ାଇଥିଲେ ଖାଲି ପଳେଇ ବୁଲିବାକୁ ମନହୁଏ, କିଏ ଯେମିତି ଛାଟଧରି ପଛେ ପଛେ ଧାଇଁଛି ।

 

ଆଉ ଦିଶେ କେବେ ପୋଖରୀ କୂଳ ଶୁନ୍‌ଶାନ୍‌ । ଚହଲା ଅନ୍ଧାରରେ ପାଖର ଘାସ ଅରାକ ବି ଲୁଚିଯାଏ । ଡାହୁକ ବୋବାଇସାରେ । ଏକାଠି ରା’ ଧରନ୍ତି ବେଙ୍ଗ । ଆମ୍ୱଗଛର ଅନ୍ଧାର ଭିତରୁ ଝିଙ୍କାରି ଝିଁ ଝିଁ ଲଗାନ୍ତି । ପୋଖରୀ ପାଣିରେ ଠାଏ ଠାଏ କଇଁଫୁଲ କତିକେ କତିକେ ତରାଟଫୁଲ ପରି ତାରା ଫୁଟନ୍ତି, କୂଳର ଗଛଯାକ ଝଲଝଲାନ୍ତି ଲେନ୍ତି ଲେନ୍ତି ଜୁଳୁଜୁଳିଆ, କୁମ୍ଭାରଶାଳରେ ଉହା ଫୁଙ୍କିଲା ପରି ଥରେ ଆଲୁଅ ଜଳଜଳ, ଛାଡ଼ିଦେଲେ ଆଉ ନାହିଁ । ପୋଖରୀର ଅଳ୍ପ ପଙ୍କୁଆ ଉଷୁମୁଳିଆ ବାସ୍ନାରେ ନିଦୁଆ ଲାଗେ । ଶୁନ୍‌ଶାନ୍‌ ଭାଙ୍ଗି ଅନ୍ଧାରରେ ଶୁଭେ ଚବର ଚବର, ଲୋକେ ଧୁଆଧୋଇ ହୁଅନ୍ତି, ମାଠିଆରେ ପାଣି ପଶିବାର ଗମ୍ଭୀର ଜୀଅନ୍ତା ସଙ୍ଗୀତ ତୁହାଇ ତୁହାଇ ଶୁଭେ ବଡ଼ ଘାସମାନଙ୍କର ସୁଲୁସୁଲୁ ପବନରେ ଖସ୍‌ଖସ୍‌ ସଣସଣ ଶବ୍ଦର ପଟଭୂମି ଉପରେ ।

 

ସେ ଆଉ ନୀଳ । ଠାକୁରାଣୀଙ୍କି ଦେଖନ୍ତି ନାହିଁ, ଅନୁଭବ କରନ୍ତି ଚାରିପାଖେ ଜୀବନ ଭିତରେ । ମମତା ଘେନି ଆସନ୍ତି, ମାୟା ଘେନି ଫେରିଯାଆନ୍ତି ଲଣ୍ଠନ ଜାଳି ପାଠପଢ଼ିବାକୁ ।

 

ମାଟ୍ରିକ ପରେ ନୀଳ ଚାଲିଲା ଡାକଘରେ ଚିଠି ବଛା କାମକରି ପେଟ ପୋଷିବାକୁ, ସେ ଅଛି ସମ୍ୱଲପୁରରେ କେଉଁଠି ।

 

ପୁରୁଣା ପୋଖରୀଟା ଚିହ୍ନା ସାଥୀପରି ଯେପରିକି ପ୍ରଶ୍ନ ବଚରୁଛି ଯେ କୁଆଡ଼େ ଚାଲିଛି ସେ ? କ’ଣ ସେଠି ଅଛି ?

 

ବିପିନ ବୁଝିବ ନାହିଁ ଏ ପ୍ରଶ୍ନ । ବିପିନ ଏଠିକାର ନୁହେଁ । ଏଠି କେବେ ପଢ଼ିନାହିଁ । କଲେଜରେ ତା’ ସଙ୍ଗେ ଚିହ୍ନା । ସେ ଦି’ବର୍ଷ ହେଲା ଚାକିରି କଲାଣି ଏ ପୋଖରୀ କୂଳକୁ ଆସିନଥିବ କେବେ ପରା ! ହଠାତ୍‌ ମନେପଡ଼ିଲା, ଅନ୍ଧାର କରିଦେଇ ଛୋଟ ଡିବିଟିଏ ନିଭି ଯାଇଥିଲା । ତା’ପରେ ସେ ଶୀତ ଅନୁଭବ କରିଥିଲା । ପଦାରେ ସେତେବେଳେ ଏମିତି ବୋଧହୁଏ କୁହୁଡ଼ିଆ ଶୀତୁଆ ଜହ୍ନରାତି । ସେହି ଅନୁଭୂତି ଭିତରେ ମନ ଭିତରେ ଚହଟି ଯାଇଥିଲା ହଜିଯିବାର ଚାଲିଯିବାର ଏକ ସଂକେତ ଧ୍ୱନି, ସାଧାରଣ ନୁହେଁ, ଯେପରି ଅତି ଶରଧାର କ’ଣ କିଛି କୁଆଡ଼େ ଆଖିଉପରୁ ଚାଲିଗଲା ।

 

କେବେ ସେ ? କେଉଁଠି ? ଧନ୍ଦି ହେଲା, ମନେପଡ଼ିଲା ନାହିଁ । କାହିଁକି ବା ସେ କେତେ ତଳର କେତେ ତାଳ ଗହୀରର ଛୋଟିଆ ଘଟଣାଟି ହଠାତ୍‌ ମନ ଉପରକୁ ଉଠିଲା ତା’ ବି ହେତୁ ହେଲା ନାହିଁ ।

 

କିନ୍ତୁ ସେତିକିରେ ବାହାରର ରଙ୍ଗ ଉପରେ ଭିତରର ରଙ୍ଗ ଲଦି ହୋଇପଡ଼ିଲା ମନ ଗଲା ଦବି । ଏତେବେଳେର ଏତେସ୍ୱପ୍ନ ସଙ୍ଗୀତର ଶେଷଖିଅଟି ବି କେଉଁଆଡ଼େ ଲୁପ୍ତ ହୋଇଗଲା-। ପରିଷ୍କାର ଆଖିରେ ପରିସ୍ଥିତିକୁ ଅନାଇଁ ରବି ଭାବିଲା, ଡେରି ହୋଇଗଲାଣି, ଶୀତ କରୁଛି, ମଝିରେ ମଝିରେ ଏଇ ଯେଉଁ ପବନ ଦମକାଏ ଲେଖାଁ ଆସୁଛି ସେ ଚେତେଇ ଦେଉଛି ଆଗ ବିଶ୍ରାମ ଦରକାର, ଲୋଡ଼ିଥିଲେ ହୁଏ ତ ଡେରି ନ ହୋଇଥାନ୍ତା ବି ।

 

ଚାଲିଲା ବିପିନର ଘର ମୁହାଁ ।

 

ରାତି ୯ଟା ପାଖ । ଦୂରରୁ ସଙ୍ଗୀତ ଶୁଭୁଛି, ହାର୍ମୋନିଅମ ସଙ୍ଗେ ସଙ୍ଗେ ମଣିଷର ସ୍ୱର, ତା’ ଉପରେ ତବ୍‌ଲା । ତିନିଟାଯାକ ମିଶୁନାହିଁ ବୋଧହୁଏ । ଯିବାକୁ ମନକଲେ ଗୋଟିକା ଗୋଟିପାଇଁ ବହୁତ ଦିଗ, କିନ୍ତୁ ଚାଲିଛି ଏକା ଜାଗାକେ, ଏକା ସମୟରେ । ସେ ସଙ୍ଗୀତରେ ମିଶିଯାଉଛି ମଣିଷଙ୍କ ବଡ଼ପାଟି, ହୋ ହୋ ହସ, ତାସ୍‍ ଖେଳର ଡାକ, ‘‘ନୋ ବିଡ୍‍’’ । ସବୁ ମିଶି ସଙ୍ଗୀତ । ସେଥିରେ ଅତନ୍ତଃ ଆବେଗ ଅଛି ।

 

ସଙ୍ଗୀତ ଲହରେଇ ଲହରେଇ ମୋଡ଼ି ମୋଡ଼ି ହେଉଛି । ଗୋଟିଏ ଶବ୍ଦ ବାରିଲା । ଦୁର୍ବୋଧ୍ୟ ନୁହେଁ । ଶବ୍ଦ ‘ଚୋର’ । ଚୋର ଶବ୍ଦକୁ ଏଡ଼େ ମିଠାକରି ଏତେ ପ୍ରକାରେ ଆବୃତ୍ତି କରିହୁଏ ବୋଲି ତା’ର ଧାରଣା ନ ଥିଲା । ତୁହାଇ ତୁହାଇ ସେହି–‘‘ଚୋର-ର’’, ‘‘ଚୋର-’’ ଚୋ ଓ ର ଅ ଅ ଅ....’’ । ବ୍ରଜକୁ ଚୋର ଆସିଛି ରେ,–

 

ବନ୍ଧୁ ବିପିନ ‘ଚୋର’ ଶବ୍ଦ ଉପରେ ଗଳା ସାଧୁଛି, ଯେପରିକି ଶବ୍ଦ ରୂପ କରୁଛି, କିନ୍ତୁ ଏ ଆଉ ପ୍ରକାରେ । ରବି ପାଖ ହେଲା । ସଙ୍ଗେ ସଙ୍ଗେ ସଙ୍ଗୀତରେ ଆଉ ଗୋଟିଏ ସ୍ୱର ମିଶିଗଲା, ସେ ଏକ କୁକୁରର ବୋବାଳି । ତାବ୍‌ଲଚି ମୋଟା ଡାକ୍ତରବାବୁ ପାଟିକଲେ ‘‘ହେଇ ଟମି ଭୁକ୍‌ ନା, ଥାଉ ।’’ ବିପିନ ତା’ର ଭାବ ଗଦଗଦ ‘ଚୋର’ ‘ଚୋର’ ଆବୃତ୍ତି ମଝିରେ ଅଟକିଯାଇ ଅନାଇଁଲା । ଏକାଠି ଅନେକେ ଅନାଇଁଲେ । ରବି ଅନାଇଁ ଦେଖିଲା, ଦେଖିବାକୁ ତା’ରି ସୁବିଧା କାରଣ ସେ ଅଛି ଅନ୍ଧାରରେ ସେମାନେ ଆଲୁଅରେ ଅଛନ୍ତି । ଏକ ପ୍ରକାଣ୍ତ ଭାଲୁଆ କଳା କୁକୁର ତା’ଆଡ଼କୁ ଦଉଡ଼ି ଆସିଲା । ଡାକ୍ତରବାବୁ ‘‘ଟମି ଟମି’’ ଡାକୁ ଡାକୁ କହିଲେ, ‘‘ଡରନ୍ତୁ ନାଇଁ, ଖାସୁଟା, କିଛି କରିବ ନାହିଁ ।’’

 

ରବି ଦେଖିଲା, ସେଇ ଚିହ୍ନା ଘର । ପାଖ ପାଖ ହୋଇ ଦି’ ବଖରା, ବଖରାକେ ରନ୍ଧା ଆର ବଖରାରେ ଶୁଆ । ସାମ୍ନାରେ ବାରେଣ୍ତା ତା’ ଆଗଟା ଖୋଲାପଡ଼ିଆ । ବାରେଣ୍ତାରେ ମୁହଁକୁ ବାହା ଛକି ଓ ଛାତି ମଝିରେ ଲୁଚାଇ ଦେଇ ବିପିନ୍‍ର ପୁଝାରି ଚାକର ବୋଲକରା ଟୋକା ନାଉରିଆ ବସି ବସି ଢୁଳୋଉଛି । ରୋଷେଇ ଘରର କବାଟ ବନ୍ଦ । ଶୋଇବାଘରେ ଗୋଟିଏ ପେଟ୍ରୋମ୍ୟାକ୍‌ସ ଜଳୁଛି, ବିଜୁଳି ଆଲୁଅ କେମିତି ୟାଡ଼ ଭୁଲିଯାଇଛି । ପେଟ୍ରୋମ୍ୟାକ୍‌ସ ଆଲୁଅରେ ଘର ଗୋଟାକର ଧୂଆଁପତ୍ର ଧୂଆଁର ନେଳି ବାରି ହେଉଛି । କରେକେ ଖଟଟା ପଡ଼ିଛି, ବିଛଣା ପ୍ରସ୍ତୁତ, କିନ୍ତୁ ସେଥିରେ ଶୋଇଛନ୍ତି ଫର୍ଦ୍ଦ ଫର୍ଦ୍ଦ ଖବର କାଗଜ, ମଡ଼ାମଡ଼ି ହୋଇ କେତେବେଳେ ବଦଳା ହୋଇଥିବା ଲୁଗା. ତଳପିନ୍ଧା, ଫିତାଡୋର ସହିତ, ଗାମୁଛା ଓ କମ୍ୱଳ । ସାମ୍ନା କାନ୍ଥ କରରେ ଫୁଲମାଳ ଘୋରିହୋଇ ଗୋଟିଏ କାଚବନ୍ଧା ଛବି, ତଳେ ଦୁଇଟି ପଙ୍ଗତ । କାନ୍ଥ ପାଖେ ବେଶି ଲୋକ, ତାସ୍‍ ଖେଳ ଦେଖିବା ଲୋକ ଉପଦେଶ ଦେବା ଲୋକ ଓ ଖେଳିବା ଲୋକ ମିଶି ପ୍ରାୟ ଆଠ ନ ଜଣ ଦୁଆର ମୁହଁ ପାଖେ ସଙ୍ଗୀତର ପଙ୍ଗତ, ବିପିନ, ତଥାପି ତା’ ମୁହଁରେ ସଙ୍ଗୀତ ବିଭୋର ଭାବ କଟିନାହିଁ, ହାତ ହାର୍ମୋନିଅମ୍‌ର ଉହା ଉପରେ ଅଛି, ତାବାଲା ପାଖେ ଏକ ପ୍ରକାଣ୍ତ ମଣିଷ, ତା’ର ଚିହ୍ନା ଡାକ୍ତର, ରଘୁନାଥ । ଗୋରା ତକ୍‌ତକ୍‌, ମୁଣ୍ତବାଳ ରୁପେଲି । ହାଡ଼ୁଆ ମୁହଁ ଧଡ଼ିଆ ଧଡ଼ିଆ ହୋଇ ଦି’ଜଣ ଶ୍ରୋତା । ଦୁଆର ମୁହଁ ଏକରେ ଗୁଡ଼ାଏ ଜୋତା, ଏପଟେ ଅତିକାୟ କଳା କୁକୁର । ତା’ର ଚଅଁର ପରି ଲାଞ୍ଜ ।

 

ସେମାନଙ୍କର ତା’ ଉପରେ ନିଘା ପଡ଼ିଲା, ମଉଜ ଜାଗାରେ ଅବରଣ କୁଣିଆଁ, ବିରକ୍ତିକର ବସ୍ତୁ, ବ୍ୟକ୍ତି ବି ନୁହେଁ । ନା କେହି ଆତୁରି ଲୋକ ? ଡାକ୍ତରବାବୁ ସହଜ ଶାନ୍ତ ଗମ୍ଭୀର ସ୍ୱରରେ ପଚାରିଲେ, ‘‘କିଏ ? କ’ଣ ଦରକାର ? କାହାର କ’ଣ ହେଇଛି ? ସବ୍‌ଇନ୍‍ସପେକଟ୍‌ର ବାବୁ ତୀକ୍ଷ୍‌ଣ ଦୃଷ୍ଟିରେ ଅନାଇଁଲେ, ତାଙ୍କର ପୁଚୁକାଗାଲ ଉଜ୍ଜ୍ୱଳ ଆଲୁଅରେ ଚିକ୍‌ଚିକ୍‌ କରୁଥିଲା । ନାକ ତଳ ଅଧାନିଶରେ ଦି’ଓଠ ଅଗ ଗୋଜିଆ ଦିଶୁଥିଲା । ହେଡମାଷ୍ଟର, ପଶୁଡାକ୍ତର, ଓଭରସିଅର, କୃଷି ଓଭରସିଅର, ସହଯୋଗ ବିଭାଗ ଅଫିସର, କଣ୍ଟ୍ରାକ୍‌ଟର ଅମରସିଂ ସମସ୍ତେ ଅନାଇଲେ । ହୁଏତ ଆଗନ୍ତୁକର ଚାଲିରେ ଅସ୍ପଷ୍ଟ ଆକୃତିରେ ସେପରି କିଛି ଥିଲା ଯହିଁରେ ସେମାନେ ଆକୃଷ୍ଟ ନ ହେଲେ ବି ଅନ୍ତତଃ ଆପଣା ଆପଣା ଚେତନାରେ ଝାଙ୍କ ଅନୁଭବ କରିଥିଲେ-। ଏପରି ବି ହୋଇପାରେ ଯେ ରାତି ଭିତରୁ ଠିକ୍‌ ସେହି ଠାଣିରେ ସେପରି ଜଣେ ମଣିଷର ଆଗମନ ତା’ ସଙ୍ଗେ ସଙ୍ଗେ ସେମାନଙ୍କର କିଛି ଅପହଞ୍ଚ ସ୍ୱପ୍ନର ଝଲକ ବି ସଙ୍ଗରେ ଘେନିଥିଲା, ଏକ ନିଶ୍ଚିନ୍ତ ସ୍ୱାଧିନ ବେପରୁଆ ପଣ, ସେମାନେ ଯାହାକୁ ହରାଇଛନ୍ତି । ବିପିନ ଚାହିଁଲା । ଆଗେଇ ଆସୁଛି ମଣିଷଟା । ବିପିନର ଆଖିରେ କୁତୂହଳ ପୂରି ଉଠିଲା, ତା’ପରେ ହସି ଉଠି ଠିଆ ହୋଇପଡ଼ି ରଡ଼ି ରଡ଼ି ବିପିନ ସମ୍ଭାଷଣ ଜଣାଇଲା,‘‘ଆରେ ରବି ଯେ ଆସ ଆସ ରବି, ଠିକ୍‌ ସମୟରେ ଆସିଛି । ଯାଇହଉ ଶ୍ରୀ ପଞ୍ଚମୀ ରାତିରେ ବନ୍ଧୁମିଳନ ସମ୍ପୂର୍ଣ୍ଣ ହେଲା ।’’

 

ହସ ହସ ବିପିନ । କଲେଜ୍‌ ଦିନଠୁଁ ଯେମିତିକି ସେମିତି । ବିପିନ-ଶ୍ରଦ୍ଧାନାମ ପିନ୍‌ । ତା’ର ହାଡ଼ୁଆ ଦେହଛାଞ୍ଚରେ ଯେପରିକି ମାଉଁସ ଲାଗିବାକୁ ମନାକଲା । ପରିଷ୍କାର ଟେରିଟି ବାଳକୁ ମଝିରୁ ଦି’ ଭାଗ କରିଛି, ମୁଣ୍ତଟି ଚଟା । ବାଳ ଚିକ୍‍କଣ ପାଲିସ୍‌ ହୋଇ କୁଣ୍ତା ହୋଇଛି, ସେଥିରେ ତେଲର ଭାଗ ବେଶି । ଅନୁମାନରେ ଜଣାପଡ଼େ ପକେଟ୍‌ ଖୋଜିଲେ ଛୋଟପାନିଆଁଟିଏ ଥିବ । ବର୍ଣ୍ଣରେ ନାଲିଚା ଗୋରା, ମୁହଁ ଗଠନର ଅନେକ ଅପୂର୍ଣ୍ଣତା ସେ ବର୍ଣ୍ଣ ଭେଟେଇ ନିଏ । ଗହଳି ଆଖିପତା ଧନୁପରି ନ ହୋଇ କପାଳ ତଳେ ଊଣା ଅଧିକେ ସମାନ୍ତରାଳ ହୋଇ ଚାଲିଛି ଏମୁଣ୍ତ ସେମୁଣ୍ତ । ନାକଟି ଖାଲି ଛୋଟ ନୁହେଁ, ନାକ ଅଗଟି ଗଜମଣ୍ତା ଅଗପରି ସିଧା ଉପରକୁ ଉଠିଛି, ତେଣୁ ସୁସ୍ପଷ୍ଟ ହୋଇ ଦୁଇଟି ନାକପୁଡ଼ା ଚଟାଗାଲ, ଥୋମଣି ଉପରେ ସିଧାକାନ୍ଥ ପରି ଠିଆ ହୋଇଛି । କାନ ଯୋଡ଼ିକ ଅପେକ୍ଷାକୃତ ବଡ଼, ମୁଣ୍ତସଙ୍ଗେ ପାରି ନ ହୋଇ ଦେଢ଼େଇ ହୋଇ ଠିଆ ହୋଇଛି । ଚିକ୍‌ଚିକ୍‌ ମୁହଁରେ ଉତ୍ସାହ ଓ ମିଶିଲାପଣରେ ଏଭଳି ଏକ ଭଙ୍ଗୀ ରହିଛି ଯେ ଆପେ ଅନୁଭବ କରିହୁଏ ୟେ ଏକ ମଣିଷ-ଚୁମ୍ୱକ । ଏତେ ଲୋକ ଯେ ଏ ଘରେ ଆସି ମଉଳ କରୁଛନ୍ତି ତା’ର କାରଣ ଏଇ ଅଖଳା ଲୋକଟିକୁ ଦେଖିପକାଇଲେ ସହଜେ ବାରି ହୋଇପଡ଼େ, ଡେଙ୍ଗା ଲୋକ, ବାଇଗଣି ଲୁଙ୍ଗି ଉପରେ ବାଇଗଣି ବର୍ଣ୍ଣର ଗରମ କନାର ଅଧାହାତ ଜାମା ଖଣ୍ତେ ପିନ୍ଧିଛି, ଆଗେଇ ଆସୁଛି ମହା ଉତ୍ସାହରେ । ଏ କାରଣ ନୁହେଁ ଖାଲି ଏତିକି ଯେ ଏଠି ତା’ର ପରିବାର କେହି ନାହାନ୍ତି, ଘର ଖାଲି ପଡ଼ିଛି, କାରଣ ସେ ନିଜେ, ମଣିଷ ତାକୁ ରୁଚନ୍ତି, ସେମାନେ ଆସନ୍ତି । କଲେଜରେ ବି ସେମାନେ ତାକୁ ଘେରି ରହୁଥିଲେ । ମନ ଭାରି ଭାରି ଲାଗିଲେ ତା’ ପାଖକୁ ଆସୁଥିଲେ ହାଲୁକା କରିବେ ବୋଲି । ଏଠିବି ସେପରି । ଚାରିବର୍ଷ ଚାକିରିରେ ସାନରୁ ଟିକିଏ ବଡ଼ ହୋଇ ସେ ଏଠି ଗୋଟିଏ ଆଞ୍ଚଳିକ ଉନ୍ନୟନ କର୍ମଚାରୀ, ଦରମା ଦେଢ଼ଶହ ଟଙ୍କା ।

 

ବିପିନ କହିଲା, ‘‘ଦେଖ ହେଇ ସେ କଣରେ ସ୍ୱରଂ ବାଗ୍‌ଦେବୀ, ମନ ହେଲେ ଦଣ୍ତବତ କରିପାର । ଆମେ ତ ତାଙ୍କ ଆଗରେ ନିର୍ଧୁମ୍‌ ଆଡ଼ା ଚଲେଇ ଦେଇଛୁ । ଦେବୀ ଆମ ହସ ପାଟି ତାସ୍‍ ଖେଳର ନିଶ୍ଚୟ ସାକ୍ଷୀ, ବିରକ୍ତ ଲାଗିଲେ ବି କହିବେ ଆଉ କ’ଣ ! ସହିବେହିଁ ।’’ ସମସ୍ତେ ହସିଲେ । ରବି ଗଭୀର ଭକ୍ତିରେ ଦଣ୍ତବତ କଲା । ସମସ୍ତେ ହସିଲେ । ରବି ଗଭୀର ଭକ୍ତିରେ ଦଣ୍ତବତ କଲା । ସମସ୍ତେ ଆହୁରି ହସିଲେ ।

 

ବିପିନ ଠିକେ ଠିକେ ଚିହ୍ନା କରାଇଦେଲା, ସମସ୍ତିଙ୍କ ସଙ୍ଗେ ରବିର, ରବି ସଙ୍ଗେ ସମସ୍ତିଙ୍କର । ଯେପରିକି ‘‘ଏଇ ଡାକ୍ତରବାବୁ, ଆଲୁଅ ଦେଖିପାରୁଚ ? ୟେ ଆମ ଅନ୍ଧାରରେ ଆଲୁଅ, ହାତ ଯାହାଠି ବାଜିଲା ସେ ମରୁଥିଲେ ବି ଉଠିପଡ଼ିବ । ଓଷଦରେ ଭଲ ହେବ ପଛେ, ଆଗ ଏ ମୂର୍ତ୍ତି ଦେଖିଲାକ୍ଷଣି ଭଲ ହେବ । ହସି ହସି ଭଲ ହେବ, ନା କ’ଣ ରଘୁବାବୁ ? କମ୍‌ପ୍ଲେକ୍‌ସ୍‌ର ରୋଗ ତାଙ୍କ ବ୍ୟକ୍ତିତ୍ୱ ଦେଖି ଭଲ ହୋଇଯିବ, ମନର ରୋଗ ଭଲ ହେବ ଗୀତ ଶୁଣି, ଯାହା ଯଦି କିଛି ଦେହ ଭିତରେ ରୋଗ ଲୁଚିଥିବ, ଏଇ ଯେପରିକି ବ୍ୟାକ୍‌ଟେରିଆ ଫ୍ୟାକ୍‌ଟେରିଆ ତ ଯିବ ଚାଲି ଅକାଟ୍ୟ ଔଷଧରେ ।’’

 

‘‘ତୁମେ ଟିକିଏ ମୋଟା ହୋଇ ପାରୁନା ଔଷଧଖାଇ ?’’ ରବି ପଚାରିଲା । ପ୍ରକାଣ୍ତ ଡାକ୍ତର ଅଧା ଗମ୍ଭୀର ହୋଇ ମୁଣ୍ତ ହଲେଇ ହଲେଇ କହିଲେ, ‘‘ତାଙ୍କପାଇଁ ମାଙ୍କଡ଼ ଗ୍ଲ୍ୟାଣ୍ତ୍‌ ଖୋଜା ଲାଗିଛି । ଲୋକମାନେ ଗଛ ଗଛ ଚଢ଼ି ଖୋଜୁଛନ୍ତି । ମିଳିଲେ ଯୋଖାଯିବ । ସରକାର ତ ଲୋକ ଲଗେଇ ମରେଇଦେଲେ ମାଙ୍କଡ଼ଗୁଡ଼ାକୁ ନ ହେଲେ ହୁଅନ୍ତାଣି ।’’

 

ସମସ୍ତେ ହୋ ହୋ ହସିଲେ । ବିପିନ କହିଲା, ‘‘ୟେ ଆମ ଇନ୍‌ସପେକ୍ଟର ବାବୁ ବିଚକ୍ଷଣ, ୟାଙ୍କୁ, ଦେଖିବ ନିଣ୍ଚୟ ସେ ଚୋରର ବିଚାର ହେବ, ଦଣ୍ତ ହେବ, ସବୁ ହେବ ।’’

 

‘‘ଆମ ସମସ୍ତିଙ୍କର ଆଜ୍ଞା’’, ସବୁ ଇନ୍‌ସପେକ୍ଟର କହିଲେ, ‘‘ଆଜି କାଲି କାହାଠି କେତେବେଳେ କେଉଁ ଶକ୍ତି କେଉଁ କ୍ଷମତା ବାହାରିବ କରିହେବ ନାହିଁ । ହାତୀ ଚୋର ମୁଣ୍ତରେ ବି ସୁନାକଳସ ଢାଳିଲେ କିଏ କ’ଣ ନାହିଁ କରିବ ? କାଲି ସକାଳେ ସେ ଫେର ଆମ ଉପରେ ଦାଉ ସାଧିବ । କାଲି ସକାଳ ତ କାଲି ସକାଳ ଆଜି ପାରି ଉଠିବା କଷ୍ଟ । କହିବେ, ଆପଣ ଆମକୁ ଅପମାନ ଦେଲେ ଆଜ୍ଞା । ଧନ୍ୟବାଦ୍‌, ବହୁତ କଷ୍ଟ ଦେଲି, ଚୌକିରେ ବସି ବସି ଶ୍ରୀ ଅଙ୍ଗକୁ ପୀଡ଼ା ହୋଇଯାଇଥିବ । ଯାଉନ୍ତୁ ।’’ ପୁଣି ହସ ।

 

‘‘ଆଉ ୟେ ଆମ ପଶୁ ଡାକ୍ତର ବାବୁ, ୟାଙ୍କ ଗୁଣ ଅପାର । ଗୋରୁ ଗାଈ, ଛେଳି ମେଣ୍ତା, କୁକୁଡ଼ା, ବାଟଯାକ ଯେତେ ଯେତେ ଦେଖି ଦେଖି ଆସିଥିବେ ସମସ୍ତେ ୟାଙ୍କ ଯଜମାନ । ତେବେ ଛେଳି କଟାନ୍ତି ଭଲ, ଉତ୍ତମ ମାଂସ ମିଳେ । ଅହିଂସାର ଅବତାର । ଉତ୍ତମ ଖାସି ପ୍ରସ୍ତୁତ କରିବା, ଉତ୍ତମ ଗୋରୁ ଉପଜାତ କରାଇବା, ଏପରିକି କୃତ୍ରିମ ପ୍ରଜନନ ସବୁ ବିଦ୍ୟା ୟାଙ୍କୁ ମାଲୁମ୍‌, ନିଜେ ବି ବହୁକୁଟୁମ୍ଭୀ, କେତେ, ନଅଟି ଆଜ୍ଞା ?’’

 

ବୃଦ୍ଧ ପଶୁଡାକ୍ତରବାବୁ ନକଲି ଦାନ୍ତ ଦି’ ପାଟି ହଲେଇ ହଲେଇ ସଂସ୍କୃତ ଚୋବେଇ କହିଲେ, ‘‘ଯା ଦେବୀ....ସା ଦେବୀ ବରଦା ଭବେତ୍‌, ସବୁ ଦେବୀ ପ୍ରସାଦାତ୍‌ ଆଜ୍ଞା ।’’ ମୋଟା କାଚର ଚଷମା, ସାନ ମୁଣ୍ତଟିର ଗଢ଼ଣ ସୁଠାମ । ଉଜ୍ଜ୍ୱଳ ଦାଉ ଦାଉ କପାଳ, ଧଳା ବାଳ ଓ ରୂଢ଼, ଯେପରିକି ରୁପାର ସରୁସରୁ ତାରଗୁଡ଼ିଏ । ବିପିନ କହିଲା ‘‘ପଶୁ ଡାକ୍ତରବାବୁ ମହା ସଂସ୍କୃତଜ୍ଞ ।’’

 

ଫେର ହସ୍‌ । ପଶୁଡାକ୍ତର ବାବୁ ରେଡ଼ିଓରୁ କହିଲା ପରି ଅଭ୍ୟସ୍ତବକ୍ତା ପରି କହି ଲାଗିଲେ, ‘‘ସବୁ ଦେବୀ ପ୍ରସାଦାତ୍‌ । ଆପଣମାନେ ଆଜିକାଲି ବିଶ୍ୱାସ କରିବେ ନାହିଁ ସିନା, ମୁଁ ଏ ତେପନ ବର୍ଷଯାକ ଅଙ୍ଗେ ନିଭେଇଛି । ହେଇ ଦିବର୍ଷ ତଳେ ଯେତେବେଳେ ଜିଲ୍ଲା ପଶୁଡାକ୍ତରଙ୍କ ସଙ୍ଗେ କଜିଆ ଲାଗିଲା, ଡାକି ହାକି କହିଥିଲେ, ଚଲେଇବି ବଗଳାମୁଖୀ ଜପ, ଦେଖିବା କିଏ କ’ଣ କରିବ । ପାଞ୍ଚ ମାସ ପୂରିନାହିଁ ସେ ଚାଲିଗଲା ।’’

 

‘‘ହଁ ସେ ଟ୍ରେନିଂପାଇଁ ବିଦେଶ ଗଲେ ।’’ ଜଣେ କିଏ କହିଲା, ପଶୁଡାକ୍ତରବାବୁ ଗାଉଁକିନା ମାଡ଼ି ବସିଲେ, ‘‘ଯୋଉଥିପାଇଁ ଯାଉନ୍ତୁ ଯୁଆଡ଼େ ଯାଉନ୍ତୁ, ଗଲେ ତ ଠିକ୍‌ ନା କିଏ ଅଟକେଇ ପାରିଲା ? ମୋର ମୁଁ ଅଦ୍ୟାପି ରହିଛି । ଏକବୁଦ୍ଧି ରହଂ ଭଦ୍ରେ କ୍ରୀଡ଼ାମି ବିମଳେ ଜଳେ-।’’

 

ଫେର ହସ, ବହୁତ ହସ । ବିପିନ ପୁଣି କହିଲା, ‘‘ଆମ କୃଷି ଅଫିସର ଭଗିବାବୁ । ଭଗିବାବୁ ୟାଙ୍କୁ ଚିହ୍ନିଥାନ୍ତୁ, ୟେ ଏକ ପ୍ରଗତିଶାଳୀ କୃଷକ । ନା କ’ଣ ରବି ? ଆପଣଙ୍କର ଆଳୁ ବିହନ ବଣ୍ଟା ହେବାପାଇଁ ଯେତେବେଳେ ଆସିବେ, ଅର୍ଥାତ୍‌ ସାଧାରଣ କୃଷକଙ୍କ କ୍ଷେତରେ ଲାଗିଥିବା ଆଳୁ ଗଛରେ ଯେତେବେଳେ ଫୁଲ ଫୁଟୁଥିବ, ଆପଣ ଅକ୍ଲେଶରେ ଏ ପ୍ରଗତିଶାଳୀ କୃଷକଙ୍କୁ ସେଥିରୁ କେତେ ମହଣ ବିକିଦେଇପାରନ୍ତି, ଅନାବାଦି ଜମିରେ ନେଇ ପରୀକ୍ଷା କରିବାକୁ-। ସେମିତି ଅଦିନେ ଧାନ ବିହନ ଗହମ ବିହନ କି ସାର ଯଦି ଆପଣ ପାଆନ୍ତି, ହେଇ ନିଅନ୍ତୁ ଆପଣଙ୍କ ଗରାଖ ।’’

 

ଏମିତି ଜଣ ଜଣ କରି ହସରେ ହସରେ ସମ୍ୱର୍ଦ୍ଧନା କି ପରିଚୟ । ହେଡ୍‌ମାଷ୍ଟ୍ରେ କହିଲେ, ‘‘ଆଉ ଆପଣା ପରିଚୟ ବି ଆପଣା ତୁଣ୍ତରେ କହି ଦିଅନ୍ତୁ ଆଜ୍ଞା ଆପଣ ଏସବୁ କାମକୁ ଭେଳେଇ ନିଜେ ଯୋଜନା, ମୂର୍ତ୍ତିମନ୍ତ, ସେ ପରିଚୟଟା କାହିଁକି ବାକି ରହିବ ?’’ ହେଡ୍‌ମାଷ୍ଟ୍ରେ ଫାଇଁକିନା ହସିଦେଲେ, ଦାଢ଼ୁଆ ହସ । ସେ ନିଜେ ଜଣେ ଫାଳିକିଆ ମଣିଷ, ପାତଳ, ଗେଟମା, ମୁହଁଟି ଯେପରିକି ଏକ ସମଷ୍ଟି ଭିତରୁ ଫାଳିକିଆ ହୋଇ ଛୁରୀରେ କଟା ହୋଇଛି । ମୋଟା ଫ୍ରେମ୍‌ର ଚଷମା ଉହାଡ଼ରେ ଟିକି ଟିକି ମୁନିଆ ଆଖିତାରା ।

 

କୃଷି କହିଲେ ‘‘ସାଙ୍ଗ ପାଖେ ସାଙ୍ଗ ଆପଣାର କି ପରିଚୟ ଦେବ ?’’ ହେଡ୍‌ମାଷ୍ଟ୍ରେ କହିଲେ, ‘‘ପରିଚୟଟା ହେବ ଆପଣା କାର୍ଯ୍ୟ କ୍ଷେତ୍ରର, ସାଙ୍ଗ ସେଠୁ ଦୂରରେ ଅଛନ୍ତି । ଜାଣିନଥିବେ । ଏ ଯେତେ ପ୍ରକାର କହିଥିଲେ ସବୁ ୟାଙ୍କର ଭିନେ ଭିନେ ରୂପ ଆଜ୍ଞା, ମୂଳ ହେଲେ ୟେ ସବୁ ପ୍ରକାର ମିଶିଗଲେ ଦେଖିବେ ବାଟଯାକ ଦୁଧ ମହୁ ବୋହିଯାଉଛି । ଦୁଗ୍‌ଧ ଏବଂ ମଧୁ । ମନେରଖିଥାନ୍ତୁ । ଆଉକିଛି ନୁହେଁ ଏ ଯୋଡ଼ିଏ ଜିନିଷ । ବର୍ତ୍ତମାନ ଏଠି ଅବଶ୍ୟ ଦୁଗ୍‌ଧର ସେରଟା ହୋଇଛି ବାରଣା, ସେ କେତେଦିନ ରହିବ ଆଉ ? ୟାପରେ ଦୁଗ୍‌ଧ ବୋହିଯିବ ।’’

 

ବିପିନ କହିଲା, ‘‘ନିଶ୍ଚୟ ବୋହିବ । କେହି ଖାଲି ଢାଳିଲେ ହେଲା, ନା କ’ଣ ?’’

 

‘‘ୟେ ବାରିକ୍‌ମିସ୍ତ୍ରୀ ବିଭାଗ, ଅତି ବିଚକ୍ଷଣ ଓଭରସିଅର ବାବୁ । ଅନ୍ଧାର ରାତିରେ କରନାଳ ବନ୍ଧରେ କିଆ ନାଗଫେଣି କରେ କରେ ଚାରି ଆଙ୍ଗୁଳି ଓସାର ବାଟରେ ତୀର ବେଗରେ ସାଇକେଲ ଚଳାଇବା ଅଥଚ ନ ପଡ଼ିବା, ଏଥିପାଇଁ ଯଦି ପୁରସ୍କାର ଦିଆହୁଅନ୍ତା ତ ୟେ ପାଆନ୍ତେ-।’’

 

‘‘ଆଉ ୟେ କଣ୍ଟ୍ରାକ୍‌ଟର ଅମରସିଂ ଅଛନ୍ତି ବା ଅଟନ୍ତି । ସିଧା ପଞ୍ଜାବରୁ ଆସିଛନ୍ତି । କେବେ ରିଫ୍ୟୁଜି ଥିଲେ । ଅଇଛାତ ଏ ଦେଶର ବାସିନ୍ଦା । ଯାହା କହିଲେ ତାହା ଯୋଗାଇ ଦେବେ, ପଇସା ଟିକିଏ ବେଶୀ ପଡ଼ିବ । ତା’ଛଡ଼ା ୟାଙ୍କର ଉଦ୍‌ଭାବନା ଅଛି । ଚଳନ୍ତି ଜିନିଷକୁ ସାମାନ୍ୟ ଟିକିଏ ବଦଳେଇ ଦେଲେ ହେଲା ଉଦ୍‌ଭାବନ । ଲୁଗା କାଚିବା ଆଗରୁ ଲୁଗାଟାକୁ ସିଝେଇବାକୁ ଏ ଗୋଟାଏ ବିଶିଷ୍ଟ ଯନ୍ତ୍ର ଫାନ୍ଦିଛନ୍ତି, କୁକୁର ପରି, ସେଥିରୁ ଅଇଛା ପଚାଶ ହଜାର ଟଙ୍କାର କିଣି ଧୋବାମାନଙ୍କୁ ଋଣ ଭଳିଆ ଧରାଇ ଦେବାକୁ ଉଦ୍ୟମ ଚାଲିଛି । ତା’ହେଲେ ଦେଶର ବହୁତ ଉନ୍ନତି ଘଟିବ । ଧୋବାମାନେ ଆଉ ହାତରେ ସିଝେଇବେ ନାହିଁ । ଏ ଯନ୍ତ୍ର ବି ପ୍ରସାର ହେବ । ଭଲ ବୁଦ୍ଧି ଅଛି । ବିଶିଷ୍ଟ କଳାବିତ୍‌ ବି ।’’

 

ଅମରସିଂ ତାଙ୍କ ଦାଢ଼ି ସାଉଁଳିଲେ ଓ ହସିଲେ । କହିଲେ, ‘‘ଯନ୍ତ୍ରର ଯୁଗ ଆଜ୍ଞା ! ସବୁ ହେବ ଯନ୍ତ୍ରରେ ।’’

 

ରବି କହିଲା, ‘‘ଜନ୍ମ ମୃତ୍ୟୁ ବି ?’’

 

ବିପିନ ହସିଲା, କହିଲା, ‘‘ଯୋଜନା ତ ସେହିପରି ।’’

 

ବିପିନ ତା’ର ପରିଚୟ ଦେଲା । ବୁଝେଇ ଦେଲା, ସେ ଭବିଷ୍ୟତର ଏକ ନେତା, କାରଣ ସେ ବି.ଏ.ପାସ୍‍ କରିଛି ଅଥଚ ଚାକିରି କଲା ନାହିଁ କି ସହରରେ ରହିଲା ନାହିଁ । ଗାଁରେ ରହିଛି, ଲୋକଙ୍କ ସଙ୍ଗେ ଜଣେ ହୋଇଛି, କ’ଣ ସବୁ ଭାବୁଛି, ଚିନ୍ତୁଛି, କରୁଛି ।

 

ରବିକୁ ଲାଗିଲା ସେ ଆହୁରି ସାନ ହୋଇଯାଇଛି । କ’ଣ ବୋଲି କହିବ ସେ ନେତୃତ୍ୱପାଇଁ ଆସିନାହିଁ ଆସିଛି ଚାକିରି କରି ! ଲାଜରେ ନଇଁ ପଡ଼ିଲା ପରି ସେ ନାନା ପ୍ରକାର ବିନୟ ଦେଖାଇ ଅସ୍ୱୀକାର କଲା । ସେ କେହି ନୁହେଁ, କିଛି ନୁହେଁ, ନେତୃତ୍ୱ ତା’ର କଳ୍ପନାରେ ନାହିଁ-

 

‘‘ଏମିତି ମନାକରିବା ବି ନେତାସୁଲଭ ହାବଭାବ । ଚାକିରି ନ କରି ଘରେ ବସିଥିଲେ କେତେବେଳେ ଭାଗ୍ୟରେ କି ସୁଯୋଗ ଆସିଯିବ ସେ କଥା କିଏ କହିପାରିବ ?’’

 

ହେଡ୍‍ମାଷ୍ଟ୍ରେ କହିଲେ, ‘‘ଯେତେ ଯେତେଠିଁ ମୁଁ ଚାକିରି କରି ଆସିଲିଣି ମୋ ସ୍ମରଣ ଭିତରେ ମୁଁ ଦେଖିଚି ଯେଉଁଗୁଡ଼ାକ ଭଲ ପଢ଼ୁଥିଲେ ସେଗୁଡ଼ା କଲେ ଚାକିରି ବାକିରି, ଅଳପ ଟଙ୍କାରେ ଛଟପଟ ହୋଇ ଟାଣିଓଟାରି ହୋଇ ସେମାନେ ସଂସାର ଚଳାଉଛନ୍ତି । ଆଉ ଯେଉଁମାନେ ସେମିତି କିଛି ନ ଥିଲେ କି ଚାକିରି ବାକିରି ପାଇପାରିଲେ ନାହିଁ ତାଙ୍କ ଭିତରୁ ଅନେକେ ମହା ଆରାମରେ ଅଛନ୍ତି, କିଏ ନେତା, କିଏ ବେପାରି, ଟଙ୍କା ବି ସୁବିଧା,-କିଛି ଅଭାବ ନାଇଁ । ମୋର ସେମିତି ଗୋଟିଏ ଛାତ୍ର ମତେ ଡାକୁଥିଲା, କହିଲା, ‘‘କେଇଟା ଟଙ୍କାପାଇଁ ଏତେ ଖଟୁଛନ୍ତି କାହିଁକି ସାର, ଆସନ୍ତୁ ୟାର ଡବଲ ଦରମାରେ ବସି ବସି ମୋ ବେପାର ହିସାବଟା ଟିକିଏ ବୁଝି ଦେଉଥିବେ ।’’ ଚୋକଡ଼ ପିଡ଼ିଆ, ମଇଳାଖତ ଆଉ ବିଲ୍ଲାତି ସାରର ଭାରି ବଡ଼ ବେପାର ଅଛି ତା’ର । ଗଲି ନାହିଁ ସିନା ଲାଜରେ, ନ ହେଲେ ଏବେବି’ତ ସେ ବାଟ ଖୋଲା ଅଛି । କିଏ ଜାଣିଥିଲା ଟୋକାଟାଠି ଏତେବୁଦ୍ଧି ଥିଲା ବୋଲି ! ଦି’ବର୍ଷ ତାକୁ ଫେଲ କରେଇଥିଲି । ଶେଷରେ ମୋରି ଦାଉରେ ପଢ଼ା ଛାଡ଼ି ଘରେ ବସିଲା । ସେ ଯେତେବେଳେ କହେ, ‘‘ସାର୍‌ ଆପଣଙ୍କ ଦୟାରୁ ମୋର ବେପାର ବୃତ୍ତି,’’ ମୁଁ ଭାବେ ସତକଥା । ପାସ୍‍ କରିଥିଲେ ସେ ବି କିରାନିଟିଏ ହୋଇଥାନ୍ତା ତେଣୁ ଯେ ବି.ଏ. ପଢ଼ି ଚାକିରି ନ କରି ଘରେ ବସେ ସେ ତ ଆହୁରି ବଢ଼ିଆ ହେବାକୁ ସୁବିଧା ଅଛି, ନ ହେବ କାହିଁକି ?’’

 

ପଶୁଡାକ୍ତର ଚଢ଼େଇପରି ଚିତ୍‌କାର କଲେ, ‘‘ସା ଦେବୀ ବରଦା ଭବେତ୍‌ । ଦେବୀ ପ୍ରସାଦାତ୍‌ ସବୁ ହେବ ଆଜ୍ଞା-’’

 

‘‘ଯେପରି ଆପଣଙ୍କର ହୋଇଛି’’, ଡାକ୍ତରବାବୁ କହିଲେ, ‘‘ୟେ ମହା ଧୁରନ୍ଧର ଆଜ୍ଞା, ପଶୁବିଦ୍ୟା ମଣିଷବିଦ୍ୟା ଦୁଇ ବିଦ୍ୟାରେ ପାରଙ୍ଗମ, ଯାହାକୁ କହନ୍ତି ସବ୍ୟସାଚୀ, ମାନେ ବାଁ ହାତ ବି ଚାଲେ । ଅମରସିଂ ବାବୁ ତାଙ୍କ ପଡ଼ୋଶୀ । ତାଙ୍କ ଭାରିଯାଙ୍କ ହାତରେ ଗୋଟିଏ ବଥ ହେଲା । ଏମିତି ଅପରେସନ କଲେ ଯେ...’’

 

ଅମର ସିଂ କହିଲେ, ‘‘ବକ୍ରିକଟା ଛୁରୀରେ,’’ ‘‘ଦେବୀ ପ୍ରସାଦାତ୍‌’’ ଡାକ୍ତରବାବୁ କହିଲେ, ‘‘ହାତଟା ଗଲା ବିଷିର୍ପି ।’’

 

ଅମର ସିଂ କହିଲେ, ‘‘ଏଡ଼େ ଫୁଲିଗଲା ଯେ ଚିହ୍ନି ହେଲା ନାଇଁ ହାତ କି ଗୋଡ଼ । ଶେଷରେ ପେନିସିଲିନ୍ ଦେଇ-’’

 

ପଶୁଡାକ୍ତର ବାବୁ ତୁନି ଥିଲେ, ହଠାତ୍‌ ଯେପରି କି ଯୁଦ୍ଧଡାକରା ଅନୁଭବ କଲେ । କହିଲେ, ‘‘ହଃ, ଆପଣ ଖାଲି ଏକା ଅପରେସନ୍‌ କରି ଜାଣନ୍ତି, ଆଉ କେହି ଜାଣନ୍ତି କି ! କୋଉଠି ତଫାତ୍‌ଟା ଅଛି ମତେ ଦେଖାନ୍ତୁ ତ ଟିକିଏ ।’’

 

ଅମର ସିଂ କହିଲେ, ‘‘ମୁଁ ବିବୀକି ସେହିକଥା କହିଲି, ସେ ଏ ଡାକ୍ତରବାବୁଙ୍କୁ ବହୁତ ଭକ୍ତି କରେ, କରିବାର କଥା । ସେ ଏତେ ପୂଜାପାଠ କରନ୍ତି ଯେ ମୋର ବି ବେଳେ ବେଳେ ଭକ୍ତି ହୁଏ । ମୁଁ କହିଲି, ‘‘ବିବୀ ତୋ’ଠି ପଶୁଛି କିଛି ତଫାତ୍‌ ନାଇଁ, ଭଗବାନଙ୍କ ଉପରେ ଫୋପାଡ଼ି ଦେଇ ସବୁ ସହିହେବ ।’’

 

ପଶୁଡାକ୍ତର ବାବୁ କ୍ଷୁବ୍‌ଧହୋଇ କ’ଣ ସଂସ୍କୃତ ଶ୍ଲୋକ ବୋଲିବାକୁ ସଜ ହେଉଥିଲେ, କଥାର ମଙ୍ଗ ବୁଲେଇ ଦେଇ ସବ୍‌ଇନ୍‌ସପେକ୍ଟର ବାବୁ କହିଲେ, ‘‘କିଛି ଭାବିବେ ନାହିଁ । ନେତା ହେବାକୁ ନିମ୍ନତମ ଯୋଗ୍ୟତା ହାସଲ କରିବାକୁ ପଡ଼ିବ । ତା’ର ଦାୟିତ୍ୱଧାରୀ ଆମେ ।’’

 

ସମସ୍ତେ ହସି ହସି ଗଡ଼ିଲେ । ରବି ତା’ର ବାଟର ଅନୁଭୂତି ବର୍ଣ୍ଣନା କଲା, ବୋଝେଇ ଚାଉଳ ଟ୍ରକକୁ ଲୋକେ ଫେରାଇ ଦେବା କଥା । ସବଇନ୍‌ସପେକ୍ଟର ବାବୁ ଠିଆହୋଇପଡ଼ି ଲୁଙ୍ଗି ଉପରେ ଅଣ୍ଟାରେ ଓ କାମିଜ ଉପରେ ତେର୍ଚ୍ଛାକରି କାନ୍ଧରୁ କଙ୍କାଳକୁ ହାତ ବୁଲାଇ ଆଣିଲେ, କିନ୍ତୁ ସେ ପୋଷାକ ପିନ୍ଧି ନ ଥାନ୍ତି, ତେଣୁ ବେଲ୍‍ଟ ନ ଥାଏ । କାନ୍ଧକୁ ଟାଙ୍କି ଛାଣ୍ଟ୍‌ହୋଇ ଓଟାରିହୋଇ ସେ କହିଲେ, ‘‘ବଡ଼ ଜରୁରି ସମ୍ୱାଦ ଦେଲେ ଆଜ୍ଞା, ଫେର୍‌ କିଏ କିଏ ନେତା ହେବାକୁ ମନ କଲେଣି । ଏମିତି ତ ସବୁବେଳେ ! ମଲା ମଣିଷ, କ’ଣ ହେଲା ବୁଝିବାକୁ ପଡ଼ିବ, ହଉ ଆଜ୍ଞା ନମସ୍କାର ।’’

 

ତାଙ୍କ ସଙ୍ଗେ ସଙ୍ଗେ ଅନ୍ୟମାନେ ବି କାର୍ଯ୍ୟ ଓ ସମୟ ବିଷୟରେ ସଚେତ ହୋଇ ଉଠିପଡ଼ିଲେ । ମୁଣ୍ତରେ କମ୍ଫଟ ବନ୍ଧାବନ୍ଧି, ବେକ ବୋତାମ ବି ଲଗାଇବା, ଜୋତା ପିନ୍ଧିବା ଚାଲିଲା ଆପେ ଆପେ ! ଅସୁବିଧା ହେଲା ଡାକ୍ତରବାବୁଙ୍କର । ମୋଟା ଲୋକ, ନଇଁପଡ଼ି ଜୋତା ଖୋଜୁଛନ୍ତି, ଜୋତା ମିଳୁ ନାହିଁ । କହିଲେ, ‘‘ଆରେ ମୋ ଜୋତା କିଏ ନେଇଚି ? ଟମି ଦେଖିଚୁ କି ରେ ?’’

 

‘‘ହେଇତି ଆଜ୍ଞା ଜୋତା,’’ ଅରଖିତିଆ ତାଙ୍କରି ଗୋଡ଼ ପାଖକୁ ହାତ ଦେଖାଇଲା ।

 

‘‘କାଇଁ କାଇଁ ?’’

 

ଦିଶି ନାହିଁ । ମଝିରେ ଆପଣା ଦେହରୁ ବାହାରିଛି ଗୋଟିଏ ସତେକି ଗୋଲାକାର ପୃଥିବୀ । ସେଇ ପୃଥିବୀର ଢାଲୁରେ ଜୋତା ଲୁଚିଯାଇଚି, ଭୂଗୋଳର ଛବିରେ ଯେପରି ପୃଥିବୀ ଗୋଲାକାର ପ୍ରମାଣ କରିବାକୁ ଯାଇ ଦିଶେ ଜାହାଜ ତା’ ଢାଲୁରେ ଲୁଚିଯାଇଛି ।

 

ବାଉରିଆ ସାହାଯ୍ୟ କଲା । ଡାକ୍ତରବାବୁ ବି ଗଲେ ।

 

‘‘ତା’ପରେ, ରବି, କୁଆଡ଼େ ଏତେଦିନେ ?’’ ତା’ର ଦୁଇହାତ ଧରିପକାଇ ବିପିନ ତା’ ମୁହଁକୁ ଅନାଇଁ ଉତ୍ତର ଖୋଜିବାକୁ ଲାଗିଲା । ରବି ହସିଲା । ତା’ର ମୁହଁର ଚେହେରାରୁ ଜଣାପଡ଼ିଲା ଯେପରି ମନରକଥା ମନେ ମନେ ମାରିବାକୁ ସେ ହସ ଗୋଟାଏ ଦୁର୍ବଳ ଉଡ଼ୁଆଳ । କହିଲା, ‘‘ଚାଲିଚି ଯୋଜନା ଭଲ ?’’

 

‘‘ହଁ ଚାଲିଚି’’, ବିପିନ କହିଲା, ‘‘ଯାହା ହୋଇଯାଇଛି, ଚାଲିଛି । ପଇସା ଖର୍ଚ୍ଚ ହେଉଛି, କାମ ହେଉଛି । ଲୋକେ ଭାବୁଛନ୍ତି ଏଇଟା ସରକାରୀ କାମ । ଯଥେଷ୍ଟ ଉତ୍ସାହ ଆସି ନାହିଁ, ପଛେ ବଳେ ଆସିବ । ଅଜ୍ଞାନ, ମୂର୍ଖତା, ବାଦ, ଛେଦ, ଟାଉଟରି, ଲୋଭ କେତେ ଏମିତି ଥାଏ, ଅଛି ସବୁଠି, ତେବେ ଏତିକି ବିଶ୍ୱାସ ଆଜି ସେଇଆ ଅଛି, କାଲି ନ ଥିବ, ସବୁଦିନେ ତ ରାତି ରହି ନ ଥିବ !’’

 

‘‘କେମିତି ଯିବ ? କ’ଣ ଯାଗଯଜ୍ଞ ?’’

 

‘‘ଯାଗଯଜ୍ଞ ବି ଦରକାର ବୋଧହୁଏ, ଅସଲ ମଣିଷଙ୍କ ମନ, ମନ ନ ବାଗେଇଲେ ଫଟା କାନ୍ଥରେ ମାଟି ନେସିଲାପରି ବଡ଼ ଲୋକ ଧନୀ ହେଉଛନ୍ତି, ସୁବିଧା ଉଠାଉଛନ୍ତି । ଯେତେ ଟଙ୍କା ଯନ୍ତ୍ରପାତି ଦିଆହେଉଛି,-ସବୁ ବିଷୟରେ, ଗରିବ ଲୋକ ସବୁବେଳେ ସେଠି ପହଞ୍ଚିପାରୁନାଇଁ, ସେ ସୁବିଧା ନେଇପାରୁନାଇଁ । ଲୋକଙ୍କ ନିଜ ଭିତରେ ତ ବାଡ଼ିଆବାଡ଼ି ଠକାଠକି, ପର କାହାକୁ କହିବା ? ତେବେ, ଯାହା କହିଲି, ଏମିତି କାମ, ପ୍ରଚାର, ମିଳାମିଶା, ବୁଝାସୁଝା ଲଗେଇଥିଲେ ଦିନେ ନା ଦିନେ ଲୋକଙ୍କ ମନ ବଦଳିବ, ଏଇ ବିଶ୍ୱାସରେ କାମ କରିବା କଥା । ତୁମଆଡ଼ଯାକେ ଯୋଜନା ଯାଇପାରିନାହିଁ ପରା ? ଯିବ ବଳେ । ସେଥିରେ କ’ଣ ଅଛି ? ଏ ବର୍ଷ ନ ହେଲେ ଆରବର୍ଷ ନ ହେଲେ ତା’ଆରବର୍ଷ । ଛାଡ଼, ଖାଲି ଯୋଜନା ! ତୁମେ କ’ଣ କ’ଣ ଯୋଜନା ବିଷୟ ବୁଝିବାକୁ ଏ ଶୀତ ରାତିରେ ଆସି ପହଞ୍ଚିଚ ? କେଭେ ନୁହେଁ ।’’

ରବି ହସିଲା ।

ବିପିନ କହିଲା, ‘‘କ’ଣ ଶୁଭକାର୍ଯ୍ୟ ହେଉଛି ଡାକି ଆସିଛି ? କେବେ ? କେଉଁଠି ?’’

ଏତିକିବେଳେ ପଶୁଡାକ୍ତରବାବୁ ତର ତର ହୋଇ ଲେଉଟି ଆସିବାର ଦେଖାଗଲା । ଦୁଆରମୁହଁରେ ଠିଆହୋଇ ସରସ୍ୱତୀଙ୍କ ଛବିଆଡ଼କୁ ଅନାଇଁ ଦଣ୍ତବତ ହୋଇ ସେ ଗଡ଼ ଗଡ଼ କରି ବୋଲିଗଲେ, ‘‘ଯା କୁନ୍ଦେନ୍ଦୁ ତୁଷାର ହାରଧବଳା-’’ ଇତ୍ୟାଦି । ବୋଲିସାରି ଯେପରିକି ଏକ କସରତ୍‌ କାର୍ଯ୍ୟରୁ ସଦ୍ୟ ଉଠିଛନ୍ତି ସେହିପରି ଧକେଇ ହୋଇ କହିଲେ, ବାଟରେ ମନେପଡ଼ିବାରୁ ଫେରିଆସିଲି ଆଜ୍ଞା, ମନେପଡ଼ିଲା ଠାକୁକୁରଙ୍କୁ ଦଣ୍ତବତ କରିନାହିଁ । ଗଲି ଆଉ ଦଣ୍ତବତ ହେଲି ନାହିଁ !’’

‘‘ଆପଣଙ୍କ ଘରେ କ’ଣ କରିନାଇଁ ? ଘରେ କୋଉ ଠାକୁର ନାହାନ୍ତି କି ?’’ –ରବି ପଚାରିଲା ।

‘‘ତା’ ଆଉ କରିନାଇଁ ? ଘରେ କୋଉ ଠାକୁର ନାହାନ୍ତି ? ତେବେ, ଠାକୁର ସବୁଠି । ଏଠି ଯାହାକୁ ଆପଣ ପାଇଚନ୍ତି ତାଙ୍କୁ ବି ଯଦି ଏଠି ଦଣ୍ତବତ ନ କରି ଯିବି ମୋ କର୍ତ୍ତବ୍ୟରେ ଖିଲାପ ହେବ । ଠାକୁର ହେଉ, ମଣିଷ ହେଉ, ଦଣ୍ତବତଟା ଛାଡ଼ିବା କଥା ନୁହେଁ ଆଜ୍ଞା, ସେଥିରେ ପଇସା ପଡ଼େ ନାଇଁ, ଦରକାରବେଳେ କାର୍ଯ୍ୟରେ ଆସେ ।’’

ଆପଣା ପ୍ରବୀଣ ବିଜ୍ଞୋକ୍ତିରେ ଆଗେ ମୁଗ୍‌ଧ ହୋଇ ସେ ହସିଦେଲେ । ସଙ୍ଗେ ସଙ୍ଗେ କହିଲେ, ‘‘ସେ ଯେଉଁ ଅମରସିଂ ସ୍ତ୍ରୀ ହାତକଥା ଆଜ୍ଞା, ମୋର ଟିକିଏ ବି ଦୋଷ ନାଇଁ । ବଥଟା ଫୋଡ଼ିଦେଇ ବ୍ୟାଣ୍ଡେଜ୍‌ ବାନ୍ଧିଦେଇ ଆଇଲି । କରିନଥାନ୍ତି ଲୋକଟା ଏଡ଼େବ୍ୟସ୍ତ ହେଲା ରାତି ରାତି ଅନିଦ୍ରା ହୋଇ ବୋପାଲୋ ମାଲୋ ହଉଚି । କ’ଣ ହେବ, ସେମାନେ ତ ସ୍ୟାଡ଼କା ଲୋକ, କିଏ କ’ଣ ବୁଝାଇଦେଲା, ‘‘ତା’ ଉପରେ କଞ୍ଚା ଡିମ୍ୱ ଭାଙ୍ଗି ବାନ୍ଧିଦିଅ, ଆହୁରି ଆରାମ ହେଇଯିବ ।’’ ଫଳ ହେଲା ସେପ୍‌ସିସ୍ । କିଏ ଏ ଦୁର୍ବୁଦ୍ଧି ଦେଲା ଜାଣନ୍ତି ? ଆମ ଗୁଣବନ୍ତ ଷ୍ଟକ୍‌ମ୍ୟାନ୍‌ ବାନାମ୍ୱର ରାଉତ । କହିଚି ତ ଆପଣଙ୍କୁ ଲୋକଟା ବଡ଼ ବଦମାସ୍ । ଏଇ ଦୁର୍ବୁଦ୍ଧି ବତେଇ ଅମରସିଂଠୁ ଗୋଟାଏ ଟଙ୍କା ନେଇଚି । ଅମରସିଂ କ’ଣ କହିବ ? ବିଚାର ଭଦ୍ରଲୋକ । ସେ ରାଉତଟାକୁ ଏଠୁ ନ ତଡ଼ିଲେ ଆପଣଙ୍କ ଯୋଜନା ଫୋଜନା କିଛି ହେବ ନାଇଁ ଆଜ୍ଞା !’’

 

‘‘ହଉ ଯାଉନ୍ତୁ ଯାଉନ୍ତୁ, ସବୁ ବୁଝିବା, ନମସ୍କାର ।’’

 

ଆଶୀର୍ବାଦ ଶ୍ଳୋକ ବୋଲି ସେ ଗଲେ ।

 

ଯାଇଛନ୍ତି କି ନାହିଁ ଖଣ୍ଡିକାଶ ଶୁଭିଲା । କମ୍ୱଳ ଘୋଡ଼ିପୁଡ଼ି ହୋଇ ମେଞ୍ଚାଏ କଳା ଅନ୍ଧାର ପରି ରାତି ଭିତରୁ ଜଣେ ବାହାରି ଚାଲିଆସିଲା, ଚାଲିଆଡ଼ ଶୁନ୍‌ଶାନ୍, ଶାନ୍ତ, ଜହ୍ନ ବୁଡ଼ୁ ବୁଡ଼ୁ, ଚଳନ୍ତା ଡେଙ୍ଗା ଅନ୍ଧାରଟା ପାଖକୁ ଆସିଲା ।

 

ବିପିନ ପଚାରିଲା, ‘‘କିଏ ?’’

Unknown

 

‘‘ଆଜ୍ଞା, ମୁଁ ଷ୍ଟକମ୍ୟାନ୍‌ ବାନାମ୍ୱର ।’’ ବାନାମ୍ୱର ପଶୁଡାକ୍ତରଙ୍କ ତଳିଆ ସାନ କାର୍ମଚାରୀ-

 

‘‘ଏତେ ରାତିରେ କୁଆଡ଼େ ବାନାମ୍ୱର ?’’

 

‘‘ଆଜ୍ଞା ଆପଣଙ୍କ ପାଖେ ଲୋକ ଥିଲେ । ସମସ୍ତେ ଗଲାରୁ ବି ତ ଦେଖୁଛନ୍ତି ଲେଉଟିକରି ଆସୁଛନ୍ତି ସେ, ଉଣ୍ଡିବାପାଇଁ ଯେ କାଳେ ବାନାମ୍ୱର ଆସିଚି କି ନା ।’’

 

‘‘ହଉ କୁଆଡ଼େ ଆସିଚ ଚଞ୍ଚଳ କହ, ଦେଖୁଚ ତ ସାଙ୍ଗରେ ମୋର ଜଣେ ବନ୍ଧୁ, ଉପାସ ଅଛୁଁ, ଭୋକ କଲାଣି ।’’

 

‘‘ହଜୁରମାନେ ବସନ୍ତୁ ଭୋଜନରେ, ଆପଣମାନେ ଭୋଜନରେ ବସିଲାବେଳେ ମୁଁ ମୋ କଥା କହୁଥିବି ଯେ, କେତେ ସମୟ ଲାଗିବ କି ? ଜାଗା କରରେ ଅରଖିତ, ସବୁ ସଜିଲ୍ ଅଛି ନା ? କାଗେଜି କାଟିଚୁ ? ନା ଦେ ନଇଲେ ମୋ ଆଡ଼କୁ ଆଣ୍ । ଏତେବେଳ ହେଲାଣି ଭାତ ତ ଶୁଖି ଚଣା ଚାଉଳ ହେବଣି । ଗରମ କରିଚୁଟିକି ନା ମୁଁ ଯିବି ହେଇରେ ?’’

 

‘‘ତୁମେ ଆମପାଇଁ ବ୍ୟସ୍ତ ହୁଅନାହିଁ ବାନାମ୍ୱର, ସେ କରିବ ଯେ,-’’

 

‘‘ବେସ୍ତ ଆଉ କ’ଣ ଆଜ୍ଞା, ଚାକିରି ଉପରେ ସିନା ମୁଁ ଜଣେ ଛୋଟ ଚାକିରିଆ ହଜୁରେ ହାକିମ, ଘରେ ତ ଆମେ ଏକାଜାତି, ଆପଣମାନେ ସିନା ବଡ଼ ବଡ଼ ହେଲେ, ଭୁଲିଯିବେ ଅବା, ଆମେ ତ ଆପଶଙ୍କୁ ଆଶା କରିଛୁଁ । ଆପଣ ଦାନାପାଣି ରଖିଲେ ରଖନ୍ତୁ ଉଠେଇଦେଲେ ଉଠେଇ ଦିଅନ୍ତୁ, ମାରିଲେ ମାରନ୍ତୁ ତାରିଲେ ତାରନ୍ତୁ, ଆପଣଙ୍କ ଦୟା, ଆପଣ ନ ରଖିଲେ ମୁଁ ଭାସିଗଲି ସାତପ୍ରାଣୀ କୁଟୁମ୍ୱ ।’’

 

‘‘କ’ଣ ହେଲା ଫେର୍ ?’’

 

‘‘ଆପଣଙ୍କୁ ତ କହିଚି ତାଙ୍କ ଗୁଣ । ସେଇ ପଶୁଡାକ୍ତରଙ୍କ କଥା ଆଉ କ’ଣ, କାହାର କେଉଁକଥା, ମୋର ସେହି କଥା-’’

 

‘‘ଯାହା କହିବ ଚଞ୍ଚଳ କହ, ବାଉରିଆ ସେଣେ ଖୁଡ୍‌ଖାଡ୍‌ କଲାଣି ନା କ’ଣ ? ନ ହେଲେ ଯାଅ, କାଲି ଆସିବ ।’’

 

‘‘ନାଇଁ ମୁଁ କହୁଚି ତେବେ । ଆପଣଙ୍କୁ କହିଚି ସେ କେମିତି ଡାକ୍ତିରଖାନା ଔଷଧକୁ ନେଇ ବିକି ବେଉସା କରନ୍ତି । ପୁଣି ଯେ ଯାହା ପଶୁ ଡାକ୍ତରଖାନାକୁ ଆଣିବ ସେ ନେବେ ତା’ ଉପରେ ବଟା । ଡାକ୍ତରଖାନାର ସବୁ ଜିନିଷ ଘର କାମରେ ଲଗାଇଲେ, ଛୁରା ବି ନାଇଁ । ପୁଣି, ଆପେ ଏଣେ ପଶୁ ଡାକ୍ତର, ତେଣେ ଯିବେ ମଣିଷ-ରୋଗୀ ଦେଖିବାକୁ, ଯେ ଯାହା ଦଉ, ଚାରଣା କି ଚାରିଟଙ୍କା । ମତେ କହିଯିବେ ପଶୁ-ରୋଗୀଙ୍କି ଚିକିତ୍ସା କର, ନିଜେ ଆସି ନାଁ ନେବେ । ହଉ ହଉ ଆଜି ଲାଗିଗଲା ଝଟାପଟା, ମତେ ଚଜିଛନ୍ତି, କହିଲେ ‘‘ମୁଁ ତମ ଚାକିରି ନେବି, ତମ ନାଁ’ରେ ୟା ଲେଖିବି ତା’ ଲେଖିବି, ନଇଲେ ମୋ ନାଁ ହ୍ୟା ନୁହେଁ ।’’ କ’ଣଗୁଡ଼ାଏ ଏଣୁ ତେଣୁ ଗାରେଇ ପକେଇଚନ୍ତି । ମୁଁ ଧାଇଁ ପଳଇେ ଆଇଲି ଆପଣଙ୍କ ପାଖକୁ, କ’ଣ କିଛି ନ କଲେ ଗଲି ମୁଁ ସଂସାରରୁ, ଆଜି ଏଇ ଡରରେ ଆମ ଘରେ ଚୁଲି ଜଳିନାଇଁ । ଏତେବର୍ଷ କାମ କଲି ବାବୁ, ଜାଣି ଏଇଥର ମୋ ଦାନାପାଣି ଉଠିଲା ।’’

 

ଲମ୍ୱା କାହାଣୀ । ବିପିନ କହିଲା, ‘‘ନ ଯାଅ ଶୋଇପଡ଼ ।’’

 

‘‘କ’ଣ କରିବି ଆଜ୍ଞା ?’’

 

କିଛି ଏ ବିଷୟରେ କରିବାକୁ ଦରକାର ନହିଁ । ଥିରିହୋଇ ଶୁଅ, ସକାଳୁ ଫେର୍‌ କାମ କର, ଯେମିତି ନା ସେମିତି, ଆପଣା କର୍ତ୍ତବ୍ୟ ନିଠେଇକରି କରି ପର ନାଁ ରେ ନିନ୍ଦା ଚୁଗୁଲି ଲଗାଇ ବୁଲିଲେ ଆପଣାର ଲୋକସାଣ ।’’

 

‘‘ଆପଣ କିଛି ନ କଲେ-’’

 

‘‘ଦେଖ,ଏକେତ ମୋ ହାତରେ କିଛି କରିବା କଥା ନାଇଁ, ଆଉ ଯଦି ବା ଉପରେ ପଡ଼ି ମୁଁ କିଛି କରିବି, ତମ ବିରୁଦ୍ଧରେ ଯଦି ଇନ୍‌କ୍ୱାରିରେ କିଛି ବାହାରିବ ତ ତୁମେ ବିପଦରେ ପଡ଼ିବ । କାହିଁକି ବୃଥା- ?’’

 

‘‘ହଉ ମୁଁ ଯାଉଚି ବାହାରି, ଆପଣଙ୍କ ଦୟା ଆଜ୍ଞା, ଆଉ କାହା ଆଗେ ଗୁହାରି କରିବି-?’’

 

‘‘ସେଇ ପଶୁଡାକ୍ତରବାବୁ ଆଗରେ ଗୁହାରି କରିବ ଯାଅ, ସେଇସବୁ ଠିକ୍‌ କରିଦେବେ ଯେ,–’’ ବିପିନ ହସିଲା ।

 

ଆଉ ଟିକିକୁ ଦେଖିବାବେଳକୁ ଲୋକଟା ନାହିଁ, ଜହ୍ନ ଅସ୍ତ ହେଲାଣି, ଯେଉଁ ଶୂନଶାନ୍‌ ସେଇ ଶୂନ୍‌ଶାନ୍ ।

‘‘ଭାତ ବାଢ଼ରେ ଟୋକା,’’ ବିପିନ କାତର ହୋଇ କହିଲା । କହିଲା, ‘‘ଭଲା ଯୋଗରେ ଆସି ପହଞ୍ଚିଲ ଯେ ଭାତ ଗଣ୍ଡିଏ ବି ସୁସ୍ଥିରେ ଖାଇପାରିଲ ନାହିଁ ଶୁଖି ଚଣା ଚାଉଳ ହୋଇଥିବ ।’’ ରବି ହସିଲା ।

ସେମାନେ ଖାଇ ବସିଲେ । ଭାତ ଖାଉ ଖାଉ ରବି ପଚାରିଲା, ‘‘କହ, ଭାଇ, କାମଦାମ କେମିତି ଚାଲିଚି ?’’

ବିପିନ ହସିଲା, କହିଲା, ‘‘ହଁ, ଚାଲିଚି, କାମ ସବୁଦିନେ ଚାଲିଥାଏ ।’’ ‘‘ନାଇଁ ନାଇଁ, ଫଳ କେମିତି ହଉଚି ମୁଁ ପଚାରୁଛି । ଉନ୍ନୟନ କାମ, ଯେଉଁଠି ଶୁଣିବ ସେଇକଥା ଅବଶ୍ୟ ଆମଆଡ଼ଯାକେ ଯାଇ ନାହିଁ ।’’

ରବି ହସିଲା କହିଲା, ‘‘ତୁମର କୋଠାଘର, ତୁମର ବଡ଼ କୁକୁଡ଼ା, ତୁମର ମାଛ, ତୁମର ସଡ଼କ, କୂଅ, ପୋଖରୀ, ବିହନ ବଣ୍ଟା, ସାର ବଣ୍ଟା ଏସବୁ ଆମପାଇଁ କାହାଣୀ, ଦୂରର ସ୍ୱପ୍ନ, ଶୁଣ ଟିକିଏ, ଅସଲ କଥା, ଲୋକଙ୍କ ଅବସ୍ଥା ବଦଳିଲାଣି ?’’

‘‘ହେବ, ହେବ,’’ ବିପିନ କହିଲା, ‘‘ଆମେ ଯୋଜନାବାଲା କାହିଁରେ ହଟୁ ନାହିଁ, କେବେ ଆଶା ଛାଡ଼ୁ ନାହିଁ । ତେବେ ସମୟ ଦରକାର, ତମ ଗାଁରେ ବି ଆମେ ପହଞ୍ଚିବୁ, ରଇଥା ଟିକିଏ ସବୁକ୍‌ କର ।’’

ରବି କହିଲା, ‘‘ସବୁର୍‌ ଆମେ ତ କରିଛୁଁ ଦେଖିଛ, ଆଜି ନୁହେଁ ଏ କାଳକଯାକ, ଇତିହାସର ପୃଷ୍ଠାଏ ପରେ ପୃଷ୍ଠାଏ ଓଲଟି ଚାଲିଛି, ଲୋକେ ଅପେକ୍ଷା କରିଛିନ୍ତି, ସତ ଉପୁଜିବ, ଉପୁଜୁ ନାହିଁ । ଦାରିଦ୍ର୍ୟ ଯିବ, ଯାଉ ନାହିଁ । ଥିଲାବାଲାର ଆହୁରି ବଡ଼ତି, ନ ଥିଲାବାଲା ଆହୁରି ଛିଣ୍ଡୁଚି, କୁଢ଼ିଆ ? ଟଳିପଡ଼ିଛି, କୋଠାରେ ବଢ଼ିଚି ବଖରାଏ । ଗ୍ରାମର ଉନ୍ନତି ଗ୍ରାମର ଉନ୍ନତି ଡାକି ଡାକିକା ଯୁଗର ହାୱା ମୁଁ ଲୋଙ୍କୁ ଓଟାରି ଆଣୁଛି ସହରତଳିକି । କ’ଣ ହେଉଛି ? ଯୋଜନାର ପହଞ୍ଚ କେତେଦୂର ? ତୁମେ ତ ଏକା କର୍ମୀ, କଲେଜରେ ଏତେ ଏତେ ଉଚ୍ଚ ବିଚାରରେ ବଳାସ କରୁଥିଲ, କହୁଥିଲ ଅବସ୍ଥା ଯେତେ ଅସମ୍ଭବ ଲାଗୁଥାଉ ପଛେ, ମନ ଟାଣ କଲେ ଲୁହା ଜାଣି ପାଣି ଦେଇହେବ । ପାରୁଛ ପାଣି ଦେଇ ? ମନ ବୁଝୁଚି ?’’

ବିପିନ କହିଲା, ‘‘ଲୁହା ଜାଣି ପାଣିଦେବା ବଡ଼କଥା, ଆମ ଜିଭରେ ହାଡ଼ ନାଇଁ ତୁଣ୍ଡରେ ଧରିବାକୁ । ଆମେ ଜାଣୁ ପଦେକଥା,–ବର୍ଷା ଦେଖି ଛତା ଆଉଜେଇବା । ଯୁଆଡ଼େ ବର୍ଷା ସିଆଡ଼େ ଛତା । ତା’ ହେଲେ ଦୁଇକୂଳ ରକ୍ଷା, ପାଖେ ଲୋକ, ଆରପାଖେ ସେମାନେ ଯେଉଁମାନେ ରାତି ଅଧରେ ସ୍ୱପ୍ନ ଦେଖି ସକାଳୁ ଆମୁକୁ କହନ୍ତି ସ୍ୱପ୍ନ ରୂପ ଦେବାକୁ ।’’

ଏଇ ବିପିନ । ଭଲ ମଣିଷଟିଏ ହେବବୋଲି ଥିଲା ତା’ର ସୂଚନା । ରବି ତାକୁ ନୂଆ ଚାହାଣିରେ ଅନାଇଁଲା । ଯେପରିକି ନୂଆକରି ତାକୁ ଆବିଷ୍କାର କରୁଛି । ବିପିନ ଚଲାଖ ହୋଇଛି, ଭାରି ଚାଇଁ, ସୁତୁରିଆ କଥା, ଏକ ସଂସ୍ଥା ଭିତରେ ସେ ତା’ର ଆସନ ଠିକଣା କରିନେଇଛି । ହୁଏତ ଚଉକସ୍‌ କରୁଛି । କିନ୍ତୁ ଏଇଥିପାଇଁ କ’ଣ ରବି ତା’ ପାଖକୁ ଧାଇଁ ଆସିଛି । ଚିନ୍ତିତ ରହି ହଠାତ୍‌ ରବି ପଚାରିଲା, ‘‘ଶୁଣ ବିପିନ, କିଛି ଭାବିବ ନାହିଁ । ତୁମେ ଯଦି ଏ ଯୋଜନାରେ ବିଶ୍ୱାସ କର ନାହିଁ, ତେବେ ଏଥିରେ ରହିଚ କାହିଁକି ?’’

 

ରବିର ଅସ୍ତିତ୍ୱ ଭୁଲିଯାଇ ସ୍ୱରରେ ବିରକ୍ତି ଫୁଟାଇ ବିପିନ କହିଲା, ‘‘ସରଳ ଉତ୍ତର । ମୁଁ ରହିଛି ଏଥିରେ ମୋର ପେଟପାଇଁ । ଖାଲି ପେଟପାଇଁ ନୁହେଁ, ମୋର କେରିଅର୍‍ ପାଇଁ । କ୍ଷତି କ’ଣ ?’’ ମୁହୂର୍ତ୍ତକେ ପୁଣି ସେ ବଦଳି ଗଲା, ହସି ଉଠି କହିଲା, ‘‘ଧେତ୍ତେରିକା, ଏମିତି କଥାକୁ ମୁଁ କ’ଣ ଉତ୍ତର ଦେବି କହ ? ଚାକିରି ଯେ କରିବାକୁ ଆସିବ ସେ କ’ଣ ଖାଲି ଆପଣା ବିଶ୍ୱାସ ଆପଣା ରୁଚି ଅନୁସାରେ କାମ ଆଉ ଥାନ ପାଇବ ବୋଲି ଆସିବ ?’’

 

‘‘କାହିଁକି ତେବେ ଆସିବ ?’’

 

‘‘ଆସିବ ଚାକିରି କରିବାକୁ, ଚାକିରି ତ ଚାକିରି ।’’

 

‘‘ଏଇଟା ଆତ୍ମପ୍ରତାରଣା ନୁହେଁ କି ?’’

 

‘‘ସେମିତି ବୁଝିଲେ ଆତ୍ମପ୍ରତାରଣା ଏ ଦୁନିଆଁସାରା, ଖାଲି ମେକ୍‌ ବିଲିଭ୍ । ବାହାଦୁରୀଟା ହଉଚି, ଆତ୍ମପ୍ରତାରଣାଟା ଏଡ଼ିକି ଜୋର ହେବ, ଏମିତି ପୂରା ମାତ୍ରାରେ ହେବ ଯେ ଲୋକ ନିଜର ବିଶ୍ୱାସ ଜନ୍ମେଇବ ସେ ଜଣେ ମେସାୟା, ମହାପୁରୁଷ, ପରର ବି ବିଶ୍ୱାସ ଜନ୍ମେଇବ-। ଚାହୁଁ ଚାହୁଁ ଦିନ ବୋହିଯିବ । ତା’ ବାଟଟା ହେବ ଫୁଲ ଫୁଟା, ଜୀବନଟା ହେବ ସେରିନେଡ୍ । ମତେ ଲାଗୁଚି ତୁମେ ବହୁତ ଉପନ୍ୟାସ ଆଉ କବିତା ବସି ବସି ପଢ଼ୁଚ । ନ ପଢ଼ିବ କାହିଁକି ! ତୁମେତ ଆଉ ଆମପରି ଖଟିଖିଆ ନୁହଁ ଭାଇ, ବାଆ କଲେ ବାୟାର କି ଯାଏ ?’’

 

ଏଥର ତା’ ସ୍ୱରରେ ଅଭିମାନ, ଆପଣା ଉପରେ ଦୟା, ରବିକୁ ବଡ଼ଲୋକ ବୋଲି ଇଙ୍ଗିତରେ ଜଣାଇଦେଇ ନିଜେ ଏକ ଶ୍ରମଜୀବୀ ବୋଲି ଜାରିକରି ଯେପରିକି ଏକ ଶ୍ରେଣୀସଂଘର୍ଷର ସାନ ଇସ୍ତାହାର । କହିଲା, ‘‘ତୁମେ କି ବୁଝିବ ଭାଇ, ତୁମକୁ ତ ଆଉ ଟିଉସନ୍‌ କରି ପାଠପଢ଼ିବା ଦାରକାର ପଡ଼ିନାହିଁ ? ଉପାସ ଭୋକର କତି ପଶିବା ଭାଗ୍ୟରେ ଘଟିନାହିଁ ? ଚାକିରି କରିବାକୁ ଗରଜ ବି ତମର ନାହିଁ, ତେଣୁ ତୁମେ ସୌଖୀନ ଆଦର୍ଶବାଦର କଥା କହିପାର । ମୋର ଏସବୁ ଘଟିଯାଇଛି । ଆଉ ମୁଁ ସେ ପୁରୁଣା ଅବସ୍ଥାକୁ ଫେରିଯିବାକୁ ଚାହୁଁନାହିଁ, ସେହି ଗରିବପଣକୁ ମୋର ଭାଇ ପ୍ରାଣେ ଡର । ତେଣୁ ମୁଁ ଅନ୍ୟକଥା ଭାବୁ ନାହିଁ, ଖାଲି ଭାବେ ଯେ ସୁରୁଖୁରୁରେ ଚାକିରିଟା ଚାଲିଲେହିଁ ହେଲା ।

 

ବିପିନର ଲମ୍ୱା କୈଫିୟତ ଶୁଣି ରବିର ମନ ଆହୁରି ଫିକା ପଡ଼ିଗଲା । ତାଙ୍କୁ ଲାଗିଲା, ସେ ଯେ ଖାଲି ଏକ ଅତି ସ୍ନେହୀ ବନ୍ଧୁର ନୈତିକ ଅଧୋଗତି ଦେଖିସାରିଛି, ଖାଲି ସେତିକି ନୁହେଁ, ଆପେ ତାକୁ ବାଛି ଖୁଣି ଅଭଦ୍ରତା ଓ ଅନଧିକାର ଚର୍ଚ୍ଚା ବି କରିସାରିଛି । ମଝିରେ ଚାରିବର୍ଷ ବିତିଗଲାଣି କଲେଜ ଛାଡ଼ିଲାଦିନୁଁ, ତା’ପୂର୍ବରୁ କଲେଜ୍‌ ଚାରିବର୍ଷ ଚିହ୍ନା । କିଏ କାହାର ଜଗୁଆଳି ? କିଏ କାହାର ବିଚାରକ ?

 

ସେମାନେ ହାତ ଧୋଇସାରି ପିଣ୍ଡାରେ ବସିଲେ । ବିପିନ ସିଗାରେଟ୍‍ ଲଗାଇଲା, ରବି ମନାକଲା । ବିପିନ କହିଲା, ‘‘କଲେଜରେ ଦେଖିଚି ଏସବୁ ବଦ୍ଅଭ୍ୟାସ ମୋର ନ ଥିଲା, ଏଠି ୟେ ହେଲାଣି ଅମଳ । ଏ ବି ଏ ଚାକିରିପାଇଁ ଏକପ୍ରକାର ବ୍ୟକ୍ତିତ୍ୱର ତ୍ୟାଗ ବୋଲିହିଁ ଧରିନେବାକୁ ପଡ଼ିବ । ଲୋକଙ୍କ ସାଙ୍ଗେ ନ ମିଶିଲେ ଯୋଜନା ବନ୍ଦ, ମିଶିବାକୁ ହେଲେ ସବୁଯାକ ଅମଳ ଆୟତ୍ତ କରିବାକୁ ପଡ଼ିବ । ଅଭ୍ୟାସ ଖରାପ ହେବ, କିନ୍ତୁ କାର୍ଯ୍ୟରେ ବାଧା ଆସିବ ନାହିଁ ।’’

 

ବିପିନ ହସିଲା ।

 

ରବି କହିଲା, ‘‘ତୁମେ ଯୋଜନା କାର୍ଯ୍ୟ କରିବ ବୋଲି ଅମଳ ବି ଧରିଲ, ଆଉ କହୁଚ ଯୋଜନାରେ ତମର ବିଶ୍ୱାସ ନାହିଁ ?’’

‘‘ବିଶ୍ୱାସ ନାହିଁ କହିଲି ? କିଛି ନ ହେଉଛି ମୁଁ କହୁନାହିଁ, କିଛି ହେଇଛି । କେଇଟା ଗାଁକୁ ରାସ୍ତା, କେତେଠି କୂଅ ପୋଖରୀ, କେଉଁଠି କେଉଁ ପୋଖରୀରେ ମାଛ ବଢ଼େଇବା, କେଉଁଠି ପନିପରିବା, ହେଉଛି ତ ଏସବୁ । ଆଗେ କ’ଣ ହୋଉଥିଲା ନା କିଏ ଏ ବିଷୟରେ ଏତେ ଭାବୁଥିଲା ? କେଉଁଠି ଚାହାଳି ଖଣ୍ଡିଏ ଟେକିବା, କେଉଁଠି ଓଷଦଗୁଡ଼ିଏ ବାଣ୍ଟିବା, କେଉଁଠି କୁକୁଡ଼ା ବିକିବା, କେଉଁଠି ଭଲ ଭଲ ଗାଈ ଉତାରିବା, କେଉଁଠି ଚାଷପାଇଁ ବିହନ ଆଉ ସାର ଯୋଗାଇଦେବା, ଗଣି ବସିଲେ ଅସଂଖ୍ୟ କାମ । ହଉ ନାହିଁ ତ ଏତେ ଲୋକ ଅଛନ୍ତି କାହିଁକି, ଏତେ ଟଙ୍କା ଯାଉଛି କୁଆଡ଼େ ? ହଉଚି, ହଉଚି, ଚାଲିଚି ଆମ ଯୋଜନା, ରଥ ଅଟକୁ ନାହିଁ ।’’

‘‘ତେବେ ତ ତେମେ ନୂଆ ଦୁନିଆଁର କାରିଗର, କାମ କରିବାକୁ ହାତ ଖଲ ଖଲ ହେଉଥିବ, ହଉନାଇଁ କ’ଣ ?’’

‘‘ଆମେ କେତେ କ’ଣ କରିଚୁଁ ତା’ର ସଂଖ୍ୟା ଗଣିଲେ ଦିଶିବ ବହୁତ, ଲୋକ ଡରିଯିବ । କିନ୍ତୁ ଆରପାଖକୁ ଯେତେବେଳେ ଆଖି ପକାଉଛୁଁ, ଦେଖୁଛୁ ଆମେ କ’ଣ କରିପାରିନାହିଁ, ତା’ର ସଂଖ୍ୟା ଆହୁରି ଅମାପ । ଧର ଚାହାଳିଟିଏ ହେଲା, ତିରିଶ ଜଣ ପାଠପଢ଼ିଲେ ଏ ତ ଭାରି ଭଲକଥା ହେଲା, କିନ୍ତୁ ଆରପାଖରେ ଦେଖ ଗଛମୂଳଯାକ କେତେପିଲା ବସିଛନ୍ତି, ମୁଣ୍ଡଗଣତି କର, ଏଠି ସେଠି ସବୁ ମିଶିଗଲେ ହେବେ ତିନିଶ-ଗାଈ ଜଗୁଛନ୍ତି, ଟିକି ଟିକି ମୁଣ୍ଡରେ ଟିକି ଟିକି ଟୋକେଇ ମୁଣ୍ଡେଇ ମାଟି ବୋହୁଛନ୍ତି, ନ ହେଲେ ଡାବୁଳୁପୁଆ ଖେଳୁଛନ୍ତି । ଧର, ଆମେ କରୋଉଚୁ କୂଅପୋଖରୀ କୋଡ଼ିଏଟା ପଚିଶିଟା, ଭାରି ଭଲକାମ ସେ, କିନ୍ତୁ ଶହ ଶହ ସୁମାରିରେ ଗାଁ ଅଛି, ଯେଉଁଠି ପାଣି ଟୋପିଏପାଇଁ ମୁଣ୍ଡ ଫଟାପଟି, ନ ହେଲେ କାହିଁ କୋଶେ ବାଟରେ ପାଣି ମନ୍ଦିଏ ଚବର ଚବର, ନିତି ସେଠିକି ଦିଓଳି ପଟୁଆର । ଆମେ ଶିଖୋଉଚୁ ସ୍ୱାସ୍ଥ୍ୟର ବ୍ୟବସ୍ଥା, ଜୀବନ-ଆଲୋକ-ପରିଚ୍ଛନ୍ନତା, ନଈରେ କିନ୍ତୁ ଚାଲିଛି ହଇଜାର ଜୟଯାତ୍ରା, ଧରିଲେ ସତେକି କାଉଁରିଆରେ ନିଆଁ, ପଟାଳି ପରି ମଣିଷ ପଡ଼ିଯାଉଛନ୍ତି, ଆମେ ଡି.ଡି.ଟି. ବିଞ୍ଚୁଚୁ । ଘରେ ଘରେ ଅଖାଦ୍ୟ ଅପରିଚ୍ଛନ୍ନତା, ସବୁ ଅଛି । ଅଭାବ ଘୁଞ୍ଚୁନାହିଁ ଯେତେ କଳକାରଖାନା ବସାଇଲେ ବି, ଖାଦ୍ୟ ଅଣ୍ଟୁନାହିଁ ଜୁଟୁନାଇଁ ଯେତେ ଧଣିଚା ହାଡ଼ଗୁଣ୍ଡି ଆମୋନିଆଁ ସାର ବିଞ୍ଚି ବିଞ୍ଚି ଜମି ଉପରେ, ସହରରେ ଯେତେ ଡାକ୍ତରଖାନା ବସେଇଲେ ବି ଗଣ୍ଡ ମଫସଲବେଳକୁ ସେହି ହରି ଭରସା, ଅତିବେଶୀ ହେଲା ‘କୁଆକ୍’ ବିଦ୍ୟା ନିପ୍ରା, ବେକରେ ଷ୍ଟେଥୋ, ହାତରେ ଇଞ୍ଜେକ୍‌ସନ୍‌ ଫୋଡ଼ଣ, ସାଇକେଲ ପଛରେ ବାକ୍‌ସ ଭିତରେ ହୋମିଓପ୍ୟାଥି, କ୍ୱିନାଇନ୍, ସଲଫା, ବାୟୋକେମିକ୍ ଓ ଜଡ଼ିବୁଟି । ଯେତେ ସହଯୋଗ ପ୍ରଚାର କରି କରି ସମାଜରେ ବଢ଼ୁଛି ଟାଉଟରି, ଜାଲିଆତି, ଲାଭଖୋରି ଆଉ ଦଳ ଫଟାଫଟି ଘରଭଙ୍ଗା, ଯେତେ ଆଲୁଅ ଜାଳିଲେ ବି ଯେମିତିକି ଅନ୍ଧାର ଆକାଶରେ ଗୋଟି ଗୋଟିକିଆ ତରା, ଯେତେ ଅଗଛା ପୋଡ଼ିଲେ ବି ଅଗନାଗ୍ନି ଅରଣ୍ୟ ଭିତରେ କେଉଁଠି ଯେମିତିକି ଖଣ୍ଡେ ଖଣ୍ଡେ ତଇଲା ବାଡ଼ି, ରାସ୍ତା କରର ସୋ’କେସ୍‌ମାନ ଆମର, ସେଇ ତ ମୋ ଦୁଃଖ ବନ୍ଧୁ, ଆମେ କିବା ମଣିଷ, କାହିଁ କେତେ ତଳେ ଯେଉଁଠି କି ଗଣତିକାର ପହଞ୍ଚିପାରିବନାହିଁ । ତଥାପି ଏଇଠୁ ଏତକରେ ବି ମନ ମାନୁନାଇଁ, କି କାମ ମୋ ଦେଇ ହୋଇପାରିବ ? ତେଣୁ ବର୍ଷାଆଡ଼କୁ ଛତା ଟେକି ଟେକି ହୁକୁମ୍‌ ତାମିଲ କରି ମୁଁ ଚାକିରି ବଜୋଉଚି, ଏଠି ପୁଣି ଯେ କବ କବ ହୁଏ ସେଇ ଆଗ ପାଏ ପାହାର, ତେଣୁ ଏସା କରେଗା ତେସା କରେଗା ଏମିତି କହି ଛଟପଟ ହେବାକୁ ବି ନାହିଁ ସୁବିଧା । ସଙ୍ଗୀତ ସିଗାରେଟ୍‍ ଆଉ ସମାଜ, ମାଧିଆଭାଇ ସବୁ କଥାକୁ ହୋଇ ହୋଇ କାହାରିକୁ କହିବୁ ନାହିଁ ‘ନାଇଁ’, ଏତିକି କରି ଚାଲିଛି ମୋ ଡଙ୍ଗା ଆଗରେ ବୋଧେ ପ୍ରମୋସନ, ପଦୋନ୍ନତି, ଦୁନିଆଁ ଅସନ୍ତୁଷ୍ଟ ନୁହେଁ, କର୍ତ୍ତା ଅସନ୍ତୋଷ ନୁହଁନ୍ତି,-କେବଳ-ବେଳେ ବେଳେ ଏ ଜୀବନ ଆଉ ଏ ମଣିଷପଣିଆର ଅଭିନୟ ଉପରେ ଧିକ୍ ଆସୁଛି, ଏତିକି ଯାହା ।’’

ରବି ତୁନିତାନି ହୋଇ ନଇଁପଡ଼ି ଯୋଡ଼ା ପାପୁଲି ଉପରେ ମୁହଁ ରଖି ତନ୍ମୟ ହୋଇ ଶୁଣୁଥିଲା ଯେପରିକି ସେ ନାହିଁ, ଯେପରିକି ସେ ଅନ୍ଧାର ଭିତରେ ମିଳେଇ ଯାଇଛି । ଶୁଣୁଥିଲା ବିପିନ ଭିତରୁ ସ୍ୱର ବାହାରୁଛି, ବିପିନ ବି ନୁହେଁ ସେ, ସେ ଗୋଟାଏ ସ୍ୱରହିଁ ।

ସ୍ୱର ନିଜେ ନିଜର ଭାବ ପ୍ରକାଶ କରୁଛି, କେବଳ ଭାଷାରେ ନୁହେଁ, ଭାଷା ତ ଖାଲି ଏକ ପତିଆରା, ନାନା ପର୍ଦ୍ଦାରେ ନାନା ଅବଲୟରେ ନାନା ଅନୁପ୍ରାସରେ ତା’ର ଭାବର ପ୍ରକାଶ । ହୁଏତ ଏମିତି ଶୂନ୍‌ଶାନ୍ ଅନ୍ଧାର ରାତି, ସାମନାରେ ଏଇ ଅନ୍ଧାରି ପଡ଼ିଆ, କତିରେ ତା’ର ବନ୍ଧୁ ବେଶରେ ଅତୀତର ସ୍ମୃତି, ଏ ସବୁ ମିଶି ସେ ଭାବକୁ ବାଟ କଢ଼େଇ ଆଣିଛି । ଅଥବା ୟେ ଏକ ଅନହୁତି ପ୍ରକାଶ, ଯାହାର ହେତୁ ବୁଝି ହୁଏ ନାହିଁ , କେବଳ ତାକୁ ଅନୁଭବ କରିହୁଏ ।

ରବି ଅନୁଭବ କଲା, ସେ ଏକ ପୀଡ଼ିତ ଅନ୍ତରର କ୍ଲିଷ୍ଟ ଆର୍ତ୍ତନାଦ, ସେ କରୁଣ, ତେଣୁ ପ୍ରାଣସ୍ପର୍ଶୀ । ଲାଗୁଥିଲା ଯେପରିକି ଉଚ୍ଚାଙ୍ଗ ସଙ୍ଗୀତ ଶୁଣୁ ଣୁଣୁ ସେ ତା’ର ସୂକ୍ଷ୍ମ କାରୀଗରିରେ ମନ ହଜାଇ ଦେଇଛି ।

ଅନ୍ଧାର ଭିତରେ ବିପିନ ଅଧାଜଳା ସିଗାରେଟ୍‌ର ଅଗରୁ ଝକ୍‌କରି ଆଙ୍ଗୁଳେ ବହଳରେ ତଳକୁ ଝଲସି ଉଠିଲା । ରବିର ଧ୍ୟାନ ଭାଙ୍ଗିଲା । ବିପିନ ଲମ୍ୱା ଶୋଷାଟାଏ ଶୋଷି ନେଇ ପିଠିଆଡ଼କୁ ବେକ ଭାଙ୍ଗି ପଛକୁ ଆଉଜି ବସିଲା, ଯେପରି ସେ ଜଣେ ଅଭିଯୁକ୍ତ ଆସାମୀ, ମନଖୋଲି ତା’ର ଦୀର୍ଘ ସ୍ୱୀକାରରୋକ୍ତି କହି ଶେଷକରିଦେଇ ଅଦୃଶ୍ୟ ଶକ୍ତିଠି ଆତ୍ମସମର୍ପଣ କରି ଫମ୍ପାହୋଇ ବସିପଡ଼ିଛି । ଆଉ ତା’ର କିଛି ନାହିଁ କହିବାକୁ ।

ଗୁମ୍‌ହୋଇ କଟିଲା ଟିକିଏ ବେଳ ।

ରବି ମନେ ମନେ ବିପିନ୍‍କୁ କଳିଲା, ତା’ର ଭାବକୁ ନୁହେଁ । ଭାବିଲା-ନିଜେ ସେ କେଡ଼େ ଛୋଟ ଅଥଚ ସେ ଆପେ ଆପେ ହୋଇଥିଲା ବିଚାରକ । ଯାତ୍ରାରେ ଦୁଆରି ବେଶରେ ସେ ନିଜେ, ରବି-ବିପିନ ନୁହେଁ । ଖାଣ୍ଟି ମଣିଷପଣିଆର ଉତ୍ସାହୀ, ସହାନୁଭୂତିଶୀଳ, ଶାଳୀନସ୍ୱରୂପକୁ ବିପିନ ଖାଲି ଜାଣିଶୁଣିଚଗୁଡ଼ାଏ ଫକ୍‌କଡ଼ କଥାଜାଲରେ ଘୋଡ଼େଇ ରଖିଛି । ସେ ଆଘାତ ପାଇଛି, ଧାଇଁବାକୁ ମନକରି ଆଗରେ କବାଟ କିଳା ହୋଇଥିବାର ଦେଖିଛି, ସାମୟିକ ବିଫଳତା ଆସିଛି । ତା’ଠି ଉଦୀସୀନତା ନାହିଁ, ଅଛି ଅନୁଶୋଚନା ।

ବିନୀତ ଭାବ ଦେଖାଇ ରବି କହିଲା, ‘‘କାହିକିଁ ଏପରି ହେଉଛି ତୁମେ ଭାବୁଛ ? କ’ଣ ୟାର ପ୍ରତିକାର ?’’

ବିପିନ ସିଗାରେଟ୍‌ଟାକୁ ଶେଷକରି ଆଉଖଣ୍ଡେ ସିଗାରେଟ୍ ଲଗାଇଲା । କହିଲା, ‘‘ମୋ ଜାଣତାରେ ପ୍ରତିକାର ବୋଧହୁଏ ତମ ଆମ ହାତରେ ନାହିଁ । ଯାହାଙ୍କ ପାଇଁ ଆମେ କରିବାକୁ ମନ କରୁଛୁଁ ପ୍ରତିକାର ବି ତାଙ୍କରି ହାତରେ, ପାସ୍‍ ହେବ କି ଫେଲ୍ ହେବ, ଜୟ କି ପରାଜୟ ସବୁକଥା ନିର୍ତ୍ତର କରୁଛି ତାଙ୍କଠି, ସେମାନେ ମାତି ଉଠିନାହାନ୍ତି ।’’

ରବି କହିଲା, ‘‘ମତେଇବାପାଇଁ କ’ଣ କରାହେଉଛି ?’’

ବିପିନ ପୂର୍ବର ଥଟ୍ଟାଳିଆ ହାଲୁକା ଢଙ୍ଗ ଦେଖାଇ କହିଲା, ‘‘ନିଦରୁ ଉଠେଇବାପାଇଁ ଢୋଲ ବାଡ଼ିଆ, ଅର୍ଥାତ୍‌ ପ୍ରଚାର । ମତେଇବାପାଇଁ ଆହୁରି ବେଶୀ ଢୋଲ ବାଡ଼ିଆ ଅର୍ଥାତ୍‌ ବେଶୀ ପ୍ରଚାର, ଅନ୍ତତଃ ପାଠ ତ ସେଇଆ କହୁଚି ।’’

‘‘ଢୋଲ ବାଡ଼େଇଲେ କ’ଣ ଶୁଣିଲା ମଣିଷର ଖଣ୍ଡିଆ ଗୋଡ଼ ଦରଜ ହେବ ? କଣା ଆଖି ଭଲ ହେବ ? ଲୋକ ମାତିବ କାହିଁକି ? ଏ ସମାଜରେ ଜଣେ ଲୋକକୁ ଆଉ ଜଣକ ସଙ୍ଗେ ବାନ୍ଧିବାକୁ ଅଇଛା କ’ଣ ଅଛି ? ଯେଝା ଯେଝା ଅଲଗା ଅଲଗା ଜଣକର ନଷ୍ଟିରେ ଆଉ ଜଣକର ପୁଷ୍ଟି । ପ୍ରତିଘରେ ଅଲଗା ଅଲଗା ଠାକୁର, ସେ ତା’ର ସ୍ୱାର୍ଥର, ଲୋଭର ପ୍ରତିମୂର୍ତ୍ତ, ତୁଚ୍ଛା ବିଚାରରେ ବି ସେ ଅନ୍ୟଜଣକୁ ଭାଗ ଦେବ ନାହିଁ । ସେ ଜାଣେ ସେ ପଡ଼ିଗଲେ ଆଉକେହି ସାହାଭରସା ନାହିଁ, ସେ ଚାଲିଥିଲେ ଚାଲିଥିବ, ତେଣୁ, ଚାରିଆଡ଼ୁ ଓଟାରି ଆପଣା ବସା ବାନ୍ଧିବାରେ ବ୍ୟସ୍ତ । ଏଇ ଖଣ୍ଡବିଖଣ୍ଡ ଲୋକଙ୍କ ଆଗରେ ଠିଆହେବ ଆସି ଯୋଜନା-ମାର୍ଗ, ସାମୂହିକ ଉନ୍ନତି, ତହିଁରେ ଫାଟଟା ନ ଯୋଡ଼ିହୋଇ ବଢ଼ିଯିବ, ଏଥିରେ ସନ୍ଦେହ କ’ଣ ଅଛି ? ଯେ ଉପକାର ପାଇବେ ତାଙ୍କର ମନ ହେବ ଅନ୍ୟମାନଙ୍କୁ ସେଥିରୁ ଦୂରେଇ ରଖିବାକୁ । ଟଙ୍କା ପାଇବା ବାଟ ଦେଖିଲେ ଲୋକେ କଳକୌଶଳ କରିବେ ଯେପରି ଆଉ କେହି ନ ପାଉ, ନିଜେ ପାଆନ୍ତୁ ଭଲକରି, ସେଥିପାଇଁ ଦି’ପଦ ମିଛ କି ଗୋଟାଏ ଯୋଡ଼ାଏ ଫନ୍ଦିରେ କ’ଣ ଯାଏ ଆସେ ? କୋଠରେ ଥିଲେ ତୋଟାରୁ ଆମ୍ୱ ଝଡ଼ି ଗଦାହେଲେ ଲୋକେ ତାକୁ ଧୀରସ୍ଥିର ହୋଇ ଗୋଟେଇ ନିଅନ୍ତେ, ତା’ ନ ହୋଇ ସମସ୍ତେ ଆପଣା ଆପଣାପାଇଁ ଆମ୍ୱ ଗୋଟେଇବାକୁ ଗଲେ କେତେ କେତେବେଳେ ଆମ୍ୱହିଁ ମୁଣ୍ଡ ଫଟାଫଟି କାରଣ ହୁଏ, ସମସ୍ତେ ଆତୁର, ବୁଢ଼ା ଆଉ ଟୋକା ମାଲ ଆଉ ମଢ଼ିଆ, ବୁଢ଼ା ଯେ ହାବୁକାଏ ପାଇବ, ମଢ଼ିଆଟା ପାଇବ ତଣ୍ଟିଆଏ, ବଳୁଆଟା ପୁଳାଏ ହାବୁଡ଼ି ନେବ, ଏଥିରେ ଆଉ ବିଚିତ୍ର କ’ଣ ? ବୋଧହୁଏ ଏହିପରି ହେଉଛି ତୁମର ପରିକଳ୍ପନାକୁ କାର୍ଯ୍ୟରେ ଗଢ଼ିଲାବେଳେ, ଗାଁରେ ମନ ଫଟାଫଟି ବଢ଼ୁଛି ଏଇଥିପାଇଁ, ଖାଲି ଯେ ଖାଇଗଲା ମୁଁ ପାଇଲି ନାଇଁ ତା’ଠୁ ଛଡ଼େଇବାକୁ ପଡ଼ିବ, ସେଥିପାଇଁ ୟାକୁ ତା’ ବିରୁଦ୍ଧରେ ମତେଇବାକୁ ପଡ଼ିବ, ବୋଧହୁଏ ଏମିତିଆ ଟିକିଏ ଟିକିଏ-’’

‘‘ଟିକିଏ ଟକିଏ କାହିଁକି, କହ ଷୋଳଅଣା । ସବୁଠି ସେଇଆ । କିନ୍ତୁ ୟାର ଉପାୟ କ’ଣ-? କ’ଣ କଲେ ଏକତା ବଢ଼ିବ, ଲୋଭ କଟିବ ? ୟେ କ’ଣ କହିଦେଲେ ହେବ ?’’

‘‘ତୁମେ କ’ଣ ଭାବୁଚ ?’’

‘‘ଆମେ ଭାବୁଁ ଧୀରପାଣି ପଥର କାଟେ, କହନ୍ତି । ଏମିତି କହି ଲାଗିଥିଲେ ହୁଏତ ଦିନେ ନା ଦିନେ କେବେ ହୋଇଯିବ ବି ସେମିତି । ଏପରି ହୋଇପାରେ ସେଦିନ ଦୂର ଅଛି, ସେଦିନ ଆମ ଦେଖନ୍ତାରେ ନୁହେଁ ।’’ ବିପିନି ଯେପରିକି ଚିହ୍ନାପଡ଼ିଗଲା, ସେ ଆଶାବାଦୀ ସ୍ୱପ୍ନବାଦୀ ବି, ଓଲଟି ପଡ଼ି ପୁଣି କହିଲା, ‘‘ସେମିତି ଓଦା କଞ୍ଚା ଅନଳ ନଳ ହୋଇ ଏ କାମ ଚାଲିଥିବ, ଯେ ଭଲ ହେବେ ଭଲ ହେବେ, ଯେ ନ ହେବେ ନାଇଁ । ଉନ୍ନତି ଘଟୁଛି ଉନ୍ନତି ଘଟୁଥିବ, ବଢ଼ୁଥିବ ତା’ ପରିସର ଧୀରେ ଧୀରେ ।’’

ରବି କହିଲା, ‘‘ଅଥଚ ତୁମେ ଅନ୍ୟଦିଗରେ ପୂର୍ବର ସଂସ୍ଥା ବଜାୟ ରଖିଥିବ । ଯେଉଁ ସଂସ୍ଥା ଫଳରୁହିଁ ଏଇ ଏତେ ଯୁଗଯାକ ତୋର ମୋର ବଢ଼ି ବଢ଼ି ଚାଲିଲା ତାକୁ ବଦଳେଇବ ନାହିଁ, ସବୁ କ୍ଷେତ୍ରରେ ବ୍ୟକ୍ତିତନ୍ତ୍ର ଓ ଧନତନ୍ତ୍ରକୁ ଅତୁଟ ରଖି ବୈଷୟିକ ଯୋଜନାବେଳକୁ କହିବ ବିଚାରଟା ସମଷ୍ଟିବାଦୀ ହେଉ । ଫଟା କାନ୍ଥାରେ ଚୂନ ନେସିଲା ପରି ତା’ ହୋଇପାରିବନାହିଁ ।’’

‘‘ଶେଷ ଆଶ୍ରା ଭଗବାନ, ଦୈବୀଶକ୍ତି, ଯେମିତି ମା’ ସରସ୍ୱତୀ, ସେହି ଦେବେ ମଣିଷକୁ ସୁବୁଦ୍ଧି, ଆଉ କେହି ନୁହେଁ ।’’

ବିପିନ ଆଉ ସିଗାରେଟ୍‍ ଲଗାଇଲା ନାହିଁ, ରବି ଆଉ କଥା କହିଲା ନାହିଁ । ତୁନତାନିହୋଇ ଦୁହେଁ ଫାଙ୍କା ପଡ଼ିଆ ଉପରେ ଦୂରକୁ ଅନାଇଁ ରହିଲେ । ଆକାଶ କେଡ଼େ ଚିକ୍‍କଣ ଅନ୍ଧାର, କେତେ ତାରା, କେଡ଼େ ଚିକ୍‌ଚିକ୍ । ଏକ ନୁହେଁ ବିରାଟ ବହୁତ୍ୱର ଧାରଣା ଘେନି ଝଲ ଝଲ ହୋଇ ମାଡ଼ିପଡ଼ୁଛି, ଏହି ଏତେ ତାରାଙ୍କ ଗୋଷ୍ଠୀ ଅଥଚ ଅନ୍ଧାର ସଙ୍ଗେ ମିଶାଇ ଦେଖିଲେ ସମସ୍ତେ ମିଶି ଏକ । ଏତେ ତାରା ଲଦିହେଇ ଅନ୍ଧାର ଆକାଶ ଆଖି ଉପରକୁ ନଇଁ ପଡ଼ୁଛି, ଏକ ସେଠି ନଗଣ୍ୟ, ଚେତନାରେ ଖାଲି ବହୁତ-ବହୁତ-ଜଣକୁ ଜିଣି ଆଉ ଜଣେ, କିନ୍ତୁ ସମସ୍ତିଙ୍କୁ ଜିଣି ବହୁତ-ବହୁତ । ରବି ସେହି ତେଣେ ମୁଗ୍‌ଧ ହୋଇ ଚାହିଁଲା ।

ସେହି ସଂଘ–ସେହି ବ୍ୟାପକ ଜନଗୋଷ୍ଠୀର ଧାରଣାହିଁ ସେଠି ମୂର୍ତ୍ତିମତୀ, ବାରମ୍ୱାର ସେହି ଗୋଟିଏ ବୋଲି ବିଚାର,–ଏକ ନୁହେଁ ବହୁ, ଏକ ନୁହେଁ ବହୁ । ଏକ କେତେବେଳେ ଆସେ କେତେବେଳେ ଯାଏ, ଗୋଷ୍ଠିମନ୍ତ୍ର ବହୁ ସେହିପରି ଝଟକୁଥାଏ । ତାହା ଆଗରେ ଆପେ ଓ ଆପଣାର ବୋଲି ସ୍ୱାର୍ଥ ମୁଣ୍ଡ ଟେକିବାକୁ ସଂକୋଚ କରୁଛି । ରବି ଭାବି ଲାଗିଲା-ସେ ଆସିଛି କାଲି ଚାକିରି କରି ଯିବବୋଲି । ନିଜ ଆଗରେ ନିଜେ ଭାବିବାକୁ ବି ମାଡ଼ିପଡ଼ୁଛି, ଯେ ସେ ଆପଣାକୁ ବାନ୍ଧିବାକୁ ଆସିଛି, ବିକିବାକୁ ଆସିଛି । ଉଦାର ଦେଶପ୍ରୀତିର ତାଡ଼ନାରେ ନୁହେଁ, ପେଟପାଇଁ ।

ଆପଣା ପେଟର ଯେଉଁ ଅଭାବ ଏତେଦିନଯାକେ ସେ ଅନୁଭବ କରିପାରିଲାନାହିଁ ତାକୁ ନୂଆକରି ଅନୁଭବ କରିବବୋଲି ଧାଇଁ ଆସିଛି । ତୁଣ୍ଡରେ ବଡ଼ ବଡ଼ କଥା, କାର୍ଯ୍ୟବେଳକୁ ସାନରୁ ବଳି ସାନ । ସେଇଥିପାଇଁ ସେ ଆସିଛି । ବାପା ମନେପଡ଼ିଲେ, ପଥରର ଦାଢ଼ ତାଙ୍କ ମୁହଁରେ, ଚାହାଣୀର ଓ ଭଙ୍ଗୀର ଗତିରେ ନୀତି ଆଉ ନିଷ୍ପତ୍ତିର ଦମ୍ଭିଲା ମପାଚୁପା ଛଟା, ଆଗରୁ ଅନୁମାନ କରିହୁଏ କେଉଁ କାରଣରୁ କେଉଁ ଫଳ ହେବ, କେଉଁ ସମ୍ୱାଦରେ କିପରି ପ୍ରତିକ୍ରିୟା ହେବ-। ସେଠି ସେ ଅନୁମାନରେ ଦେଖିଲା କଠୋରତା, କ୍ଷମାଶୂନ୍ୟତା । ପୁଣି ମନେପଡ଼ିଲେ ବୋଉ, ଗାଁ ଚିହ୍ନାଲୋକ, ସ୍ନେହଶରଧାରେ ଜୁଡ଼ୁବୁଡ଼ୁ, ଆଗ୍ରହ ସହାନୁଭୂତିରେ ଝଲଝଲ । ମାଡ଼ଗାଳି ଭୟରେ ବାଧ୍ୟରେ ପଡ଼ି ଚାହାଳିକି ଗଲାବେଳେ ମନଟା ଯେପରି କରୁଣ ଭାବରେ ପଛେଇ ପଛେଇ ହୁଏ, ଆଖିର କାନ୍ଦଣାରୁ ମନର କାନ୍ଦଣା ବହୁଗୁଣ ବଳିପଡ଼େ ସେମିତି ଆପଣା ପଛକୁ ସେ ଅନାଇଁ ଚାହିଁଲା, ନିଷ୍ପାପ, ନିଶ୍ଚିନ୍ତ, ସରଳ, ସୁସ୍ଥ । ବହୁଦୂର ଲମ୍ୱିଯିବାକୁ ପ୍ରସ୍ତୁତ ହୋଇ ଆସିଛି ସେ ଜୀବନ-। ନୀରବରେ ବାମ୍ପ ବାହାରି ଲେଉଟି ପାଉଟି ହୋଇ ଖେଳେଇ ହେଲାପରି ତୁନିତାନି ହୋଇ ତା’ର ଅନ୍ତରର କାମନା ଆପଣା ପାଖେ ଗୁରେଇ ହୋଇ ହୋଇ ଫିଟି ଦୂରକୁ ଚାଲିଗଲା, ଆପେ ସେଥିରେ ତା’ର ଜାଣତାମନ, ଘେରେଇ ହୋଇ ପୁଣି ଆପେ ସେହିଆକୁ ଦୂରରୁ ଦେଖିଲା,-ଯେ ତା’ର ଜୀବନ ଏପରି କ୍ଳିଷ୍ଟ ସଙ୍କୁଚିତ ହେବନାହିଁ ସେ ଆପଣା ରୁଚିରେ କାମ କରିବ, ଗଢ଼ିବ, ଆନନ୍ଦ ପାଇବ ଓ ବାଣ୍ଟିବ ।

ବିପିନ ବସିଛି । ଆଉ କଥାଭାଷା ନାହିଁ, ଆଉ ସିଗାରେଟ୍‍ ଜଳା ନାହିଁ । ତା’ କାର୍ଯ୍ୟର ସମାଲୋଚନା ରୂପ ପରିଗ୍ରହ କରି ଧାଇଁ ଆସିଛି ମଫସଲରୁ ସହରକୁ, ତାକୁ ମୁହାଁମୁହିଁ ଭେଟି ଦି’ପଦ ପଚାରିବାକୁ । ତା’ରି ନାଁ ରବି । ମନଗହୀରରେ ଚୋଟ ବାଜିଛି । ସେ ଭାବୁଛି, ଏମିତି ସେମାନେ ସମାଲୋଚନା କରିବେ । ଆଦୌ ବୁଝିବେ ନାହିଁ ଅଫିସରେ କେତେଘଣ୍ଟା ସେ କଟେଇଛି, କେତେ ମାଇଲ୍ ଧାଇଁଛି, ଲୋକଙ୍କୁ କେତେ ପ୍ରକାର ବୁଝେଇଛି । ଆଦୌ ସେମାନେ ହିସାବକୁ ନେବେ ନାହିଁ କେତେ କାଗଜ ରମ୍ପା ହୋଇଛି, କେତେ ଚିଠି ଲେଖାହୋଇଛି, କେତେ ଚିଠି ମିଳିଛି । ଆଗେ କ’ଣ ଅବସ୍ଥା ଥିଲା, ପରେ କ’ଣ ହେବାପାଇଁ କେତେବେଳେ ଦରକାର କିଛି ସେମାନେ ହିସାବ କରିବେ ନାହିଁ ।

ଖାଲି ଫଳ କ’ଣ ହୋଇଛି ଗଣି ଦେଖିବେ, ମାପି ଦେଖିବେ,-ନିର୍ଦ୍ଦୟ ଜନତାର ରାୟ, ଖାଲି ଫଳକୁ ଚିହ୍ନେ କାରଣକୁ ଚିହ୍ନେ ନାହିଁ । ଅଥଚ ସେ ରାୟଟା ଭୁଲ ବୋଲି ଆପଣାକୁ ବିଶ୍ୱାସ କରାଇ ପାରୁନାହିଁ, ଓଲଟି ଭାବୁଛି ଏସବୁ ଠିକ୍ ।

ବିପିନ ଆପଣାକୁ ତା’ର ଅଯୁକ୍ତ ବନ୍ଧୁ ସଙ୍ଗେ ତୁଳନା କରି ଦେଖିଲା ଓ ମନେ ମନେ କ୍ଷୁଣ୍ଣ ହେଲା । ଭାବିଲା, ସେତେବେଳେ ବି ଯେ ଥିଲା ଏମିତି । ମେଲା ଖୋଲା, ବିଳାସ କି ବଦଖର୍ଚ୍ଚଆଡ଼କୁ ତା’ର ମନ ନ ଥିଲା, ସେ ସତେକି ନିପଟ ଗାଉଁଲି, କିନ୍ତୁ ମନ କରିଥିଲେ ପଇସା ଉଡ଼େଇ ଜୀବନରେ ଟିକିଏ ରଞ୍ଜକ ଲଗେଇ ମଉଜ କରିବାକୁ ତାକୁ ମନା ନ ଥିଲା । ସବୁଠୁ ବଡ଼ କଥା, ତା’ର ଅଭାବ ନ ଥିଲା, ଦୁଃଖ ନ ଥିଲା, ଚଳଣିରେ ଢମ ନ ଥାଉ ପଛେ ।

ଏବେବି ଲାଗୁଛି ସେମିତି ଅଛି ସେ । ଜଞ୍ଜାଳ ନାହିଁ । ଚାକିରି କରିନାହିଁ, ବାହା ହୋଇନାହିଁ, ଯେଉଁ ଦୁଇଟା ବନ୍ଧନ ହାତୀକୁ ବି କାବୁ କରେ ତା’ ତାହାର ନାହିଁ, କେଡ଼େ ମଉଜି ନ ହୋଇଥିବ ତା’ର ଜୀବନ । ଅଥଚ ଆପେ ସେ, ବିପିନ ଟାଣି ଓଟାରି ହୋଇ ଆପଣାକୁ ଯେତେ ଫୁର୍ତ୍ତି ରଖିଲେ ବି ହାତେ ମାପି ଚାଖଣ୍ଡେ ଚାଲୁ ଚାଲୁ କେଡ଼େ ହନ୍ତସନ୍ତ ! ଘରେ ତା’ର ଛୁଆ ଯୋଡ଼ିଏ, ଭାରିଯା, ଚାକିରି ଆଉ ଖାଲି ସାଧାରଣ ଆବଶ୍ୟକ ନୁହେଁ, ଚାକିରି ତା’ର ଆଶ୍ରା, ସମାଜରେ ସଂସ୍ଥିତି ପାଇଁ ଏକମାତ୍ର ଭାରସା । ଯୋଜନା କଞ୍ଚା ହେଉ ଯୋଜନା ପାଚିଲା ହେଉ ତା’ର କାମ ଆଖିବୁଜି ହୁକୁମ୍‌ ମାନି ଶାନ୍ତ ସୁବୋଧ ହୋଇ ଚାକିରି କରିବା । ସେ ଆପଣା ପନ୍ଥାକୁ ସମାଲୋଚନା କରିପାରିବନାହିଁ । ଅନ୍ଧାରରେ ବାଁ ପାଖ ଓଠ ମୋଡ଼ିମୋଡ଼ିକା ଆପଣାକୁ ମନକୁମନ ପ୍ରବୋଧ ଦେଲା, ‘‘ନ ଥାନ୍ତାକି ଘରେ ଗଣ୍ଡେ ଖାଇବାକୁ, ଜମିବାଡ଼ି ନ ଥାନ୍ତା, ମୋର ପରି ଭଉଣୀ ବାହାକୁ କରଜ ବି ଥାନ୍ତା କିଛି ଶୁଝିବାକୁ, ଭାରିଯାର ପେଟ ପିଠି ସାନପିଲାଙ୍କ ଦୁଧ କଉଡ଼ି ଏତକ ଭେଟେଇବାକୁ ଚିନ୍ତା ପଡ଼ିଥାଆନ୍ତା ବଡ଼ି ସକାଳୁ ନିଦ ଭାଙ୍ଗିଲାମାତ୍ରେ, ସେତେବେଳେ ଜାଣି ଦେଖିଥାନ୍ତେ ବିଚାରର ଧାରଟା କେଉଁ ବାଟ ନିଅନ୍ତା-’’

ଉପସଂହାରରେ ଏମିତି ତା’ର ମନ୍ତବ୍ୟ କିନ୍ତୁ ସେ ତା’ ପଦାରେ ପ୍ରକାଶ କରିବ ନାହିଁ । ଯେଉଁ କାରଖାନା ଭିତରେ ସେ ଆପେ ପାଗ ହେଉଛି ସେଠି ସେ ଦେଖି ଦେଖି ଠିକିଠିକି ଶିଖିସାରିଛି,–ବାହାରେ ପାଗଯୋଗ କିପରି ଅଛି ଭଲକରି ନ ବୁଝି ନ ଶୁଝି ମନକଥା ପ୍ରକାଶ କରିବ ନାହିଁ, ହୁ’ କରି ଓଲଟି ବତେଇବ ନାହିଁ କାହାକୁ, ରୁଢ଼ କଥା କହବ ନାହିଁ ।

କହିଲା, ‘‘ଆସ ରବି ଶୋଇବା ।’’

ରବି କହିଲା, ‘‘ଭାବୁଥିଲି ତମରି ଯୋଜନା କଥା ।’’

ହାଇମାରି ବିପିନ କହିଲା, ‘‘ମୁଁ ଭାବୁଥିଲି ଘର କଥା । ଦେଖ ଏଠି ମୁଁ, ସେଠି ସେମାନେ । ବାପା ବୋଉଙ୍କ ପେଇଁ ସମସ୍ତେ ତ ଗାଁରେ ରହିବେ । ଚିଠି ଆସିଥିଲା ସାନ ଛୁଆଟାକୁ ଶାଗୁଆ ନାଳଝାଡ଼ା ହଉଥିଲା, ଏତେ ରାତି ହେଲାଣି କ’ଣ କରୁଥିବେ କେଜାଣି ? ଛୁଆଟା ଦେହ ଭଲ ନ ଥିଲେ ମା’ଟା ଆଲୁଅ ଜାଳି ଚେଇଁଥିବ ଆଉ ଭାବୁଥିବ ଭଲା ଚାକିରି ଏ କରିଚନ୍ତି, ମୋ ଛାଏଁ ମୁଁ ଦହଗଞ୍ଜ ହଉଚି ୟାଙ୍କର ଦେଖା ନାଇଁ-’’

 

ରବି କାଇଲ୍‍ ହେଲାପରି କହିଲା, ‘‘ଭାରି ଦୁଃଖିତ ହେଲି ବିପିନ । ଏମିତି ହେଇଚି ତମ ଘରେ ! ଛୁଟିନେଇ ଗଲେ କ’ଣ ହୁଅନ୍ତା ?’’

 

‘‘ଛାଡ଼ଃ !’’ ଦୀର୍ଘଶ୍ୱାସ ପକାଇ ଉଦାର ହୋଇ ବିପିନ କହିଲା । ତା’ ପରେ ଯେପରି କି ବୁଝିପାରିଲା ତା’ର କେଡ଼େ ବଡ଼ ଭୁଲଟାଏ ହୋଇଯାଇଛି, ସେ ଆପଣା ଘରୋଇ ଦୁଃଖରେ ପରଆଗେ କାତରତା ଦେଖାଇଛି । ତାକୁ ସୁଧାରିବାକୁ ଯାଇ ଆଗ୍ରହ ଉତ୍ସାହ ଦେଖାଇ ହସିଦେଇ କହିଲା, ‘‘ତୁମେ ଏତେ ଏସବୁ କଥା ଭାବୁଚ, ଏତେ ଆଗ୍ରହ ତୁମର ! ବାସ୍ତବିକ୍, ତମେ ଏଥିରେ ମିଶିବା ଦରକାର ।’’

 

‘‘ନାଇଁ ନାଇଁ, ତମେ ଘରକଥା ଆଗ ବୁଝ ବିପିନ, ଛୁଆ ବେମାର, ଏଠି ତମ ମନ କେମିତି ବାନ୍ଧି ହୋଇ ରହିବ ? ତୁମେ କାଲି ଛୁଟି ନେଇ ଯାଅ ।’’

 

ବିପିନ କହିଲା, ‘‘କାଲି ଜଣେ ଆସିବେ ପରିଦର୍ଶନ କରିବାକୁ । ପରିଦର୍ଶକମାନେ ଏଦିନେ ବେଶୀ ବେଶୀ ଆସନ୍ତି । ତୁମେ ବି ମନକଲେ ବୁଲି ବୁଲି ଦେଖିପାର ରବି, ଦେଖିଯାଅ, ସତେ ସତେ କ’ଣ ହେଉଛି । ଘରକୁ ଯିବାକଥା ମୋର ଆଉ ନାହିଁ । କେତେ ଯିବି ? ଆଜି କାହାକୁ ଜର, କାଲି ନାଳଝାଡ଼ା ପହରିଦିନ ସର୍ଦ୍ଦ । ଯାଉଣୁ ଆସୁଣୁ କେତେଖର୍ଚ୍ଚ ? ପଇସା ଦବ କିଏ ? ସେଗୁଡ଼ା ଥିଲାବାଲାଙ୍କ ସଉକ୍ । ଆମପାଇଁ ସେହି ଗାଉଁଲି କ୍ୱାକ୍, ସେହି ଆଲେ-ହୋମିଓ ୟୁନୋ-ଆୟୁର୍ବେଦାଚାର୍ଯ୍ୟ, ବଳେଇଲେ ସ୍ୱୟଂ ଭଗବାନ୍ । ସେଇ ସବୁ ଠିକ୍‍ କରିଦେବେ ।’’

 

ଅରଖିତିଆ କାଠ ଖଟପାଖେ ଗସ୍ତବୁଲା କନାଖଟ ପାରି ବିଛଣା କରିସାରିଥାଏ । ଦୁହେଁ ବିଛଣା ଧରିଲେ । ଘର ଆଲୁଅ ନିଭା ହେଲା, କବାଟ କିଳା ହେଲା । ଉଷୁମ୍‌ ବିଛଣା । ଅନ୍ଧାର । ବିପିନ କହିଲା, ‘‘ବିଭା ହେବାକୁ ମନ ହେଉନାହିଁ ରବି ? କୋଉଠି ଠିକ୍‍ ହେଲାଣି ?’’

 

ରବି କହିଲା, ‘‘ଧେତ୍ । ଗୋଟାଏ ବିଭା ! ଆ ବଳଦ ମତେ ବନ୍ଧ୍‌ ନା କ’ଣ ?’’

 

‘‘ବଳଦ ବିନ୍ଧିବ । ଟିକିଏ ଅପେକ୍ଷା କର ।’’

 

‘‘ହଉ ଦେଖିବା, ଶୋଇପଡ଼ ।’’

 

‘‘ନାଇଁ, ଖାଲି ଶୋଇଲେ ହବ ନାଇଁ । ଧ୍ୟାନକର । ମନନାଖି ଗୋଟିଏ ବଳଦ, ଯେପରି ତୁମର ଇଚ୍ଛା । ମନେ ମନେ ଡାକ । ସେ ଦେଖାଦେବ ବୁଝିଲ ଚନ୍ଦ୍ରଭାନୁ, ନିଦ୍ରାଟା ନଷ୍ଟ କରନାହିଁ ।’’

 

ରବି ଗାଲି ପାରିଦେଲେ । କିନ୍ତୁ ପ୍ରସ୍ତାବଟା ସେ ଗ୍ରହଣ କଲା । ସେ ସ୍ୱପ୍ନ ଦେଖିବ କାହାକୁ ? ଅଜାଣତରେ ନିଦ ଘୋଟିଥିଲା ।

 

ମାଙ୍କଡ଼ଗୁଡ଼ାକ ଅବିକଳ ମଣିଷ ପରି ।

 

ନଈବନ୍ଧ ସେପଟ କଣ୍ଡିଆଆଡ଼କୁ ଅନାଇଁ ଏହି ପୁରୁଣା କଥାଟା ଛବି ଘୋରତେଇ ପୋରତେଇ ହୋଇ ଭାବୁଥାଏ ।

 

କଣ୍ଡିଆରେ ରଘୁନାଥ ଯୋଗୀ ଘର କୋଳଥ କ୍ଷେତ । ନାଥ ଯାଇଥିବ କେନ୍ଦେରା ପକାଇ ଭିକ ମାଗି, ବୁଲା ମେଲା ଗାଈ ବଳଦଙ୍କ ମୁହଁରୁ ଯାହା ବଳିଥିଲା ମାଙ୍କଡ଼ ପଲ ସେତକ ଶେଷ କରୁଛନ୍ତି ବସି ବସି । ଯୋଗୀ ରଘୁନାଥର ଭିକକୁ ଆଶା, କୋଳଥକୁ ନୁହେଁ ।

 

ସତେ ଯେମିତି ମଣିଷ ପଲେ ପଡ଼ିଛନ୍ତି । ଓପାଡ଼ୁଛନ୍ତି, ଛିଣ୍ଡୋଉଛନ୍ତି, ଖାଉଛନ୍ତି । କନ କନ ହୋଇ ଏଣିକି ତେଣିକି ଅନାଉଁଛନ୍ତି । କିନ୍ତୁ ପାଟି ଖାଲିପଡ଼ୁ ନାହିଁ । କଳା କଳା ତର ତର ପାପୁଲିଟିମାନ ମୁଠୋଉଛି, ପାଟିକି ନେଉଛି ।

 

ବନ୍ଧେ ବନ୍ଧେ ଗଲେ ଗଉଡ଼ ପାଞ୍ଚଜଣ । ସହରକୁ ସକାଳୁ ଯାଇଥିଲେ ଫେରିଲେ ଅଇଛା । ବାହୁଙ୍ଗିରେ ଓହଳି ଫମ୍ପା ମାଠିଆ ନାଚୁଛି । ଆଗେ ଆଗେ ଧଡ଼ି ବେହେରା, ତା’ ପଛକୁ ଚେମେଇ ବେହେରା, କଣ୍ଡୁରି, ସଦା, ଚନ୍ଦରା । ଗାଁ-ଗାଈଙ୍କ ସବୁ ଦୁଧ ଏମାନେ ସହରକୁ ନେଇ ଯାଆନ୍ତି, ଆଣନ୍ତି ପଇସା । ଧଡ଼ି ବେହେରା ନିଲାମରେ ଏକ ଗରମ କୋଟ୍‌ କିଣିଛନ୍ତି । ଗାଁରେ କହିଲେ, ସେ ଯୁଦ୍ଧରେ ମଲା ଗୋରା ପଲ୍‌ଟଣର କୋଟ୍, ଧୋବାଘରେ ପକାଇ ରକ୍ତ ସଫାକରି ସହରରେ ବରଗଛ ମୂଳେ ନିଲାମ କରାହୋଇଥିଲା । ଧଡ଼ି ବେହେରା ହସରେ ଉଡ଼େଇଦେଲେ । କହିଲେ, ‘‘ମୁଁ ଏଥିରେ ତୁଳସୀପତ୍ର ପାଣି ଛିଞ୍ଚିଛି ।’’ ଧଡ଼ି ବେହେରାଙ୍କ ଡେଙ୍ଗା ଦେହକୁ ଓସାରିଆ କାନ୍ଧକୁ କେଡ଼େସୁନ୍ଦର ମାନିଛି ସେ କୋଟ୍ । ସେହି ଦୁଧ ବିକା ପଇସା । ଚେମେଇଁ ବେହେରାଙ୍କର ଏକ ପଟି ପଟିକା ଗେଞ୍ଜି, ବେକଠୁଁ ତଳକୁ ଚାରି ଚାରି ଆଙ୍ଗୁଳ ଓସାର ରଙ୍ଗର ପଟି ନାଲି, ଧଳା, ବାଇଗଣି, ଏମିତି । କାନରେ ନୋଳି । ବୟସ ଖସିଲାଣି, ତଥାପି ପାଦ କେଡ଼େ କ୍ଷିପ୍ର ।

 

ଚାଲିଗଲେ ସେମାନେ, ସେମାନେ ସୋଡ୍‍ ସୋଡ୍‍ ବନ୍ଧେ ବନ୍ଧେ । ମାଙ୍କଡ଼ଗୁଡ଼ାଙ୍କୁ ହାସ୍ ବି କଲେ ନାହିଁ । କାହାର କ୍ଷେତ ଉଜୁଡ଼ିଲେ ଯାଏ ତାଙ୍କର, ତାଙ୍କର ତ ନୁହେଁ ।

 

ଛବି ଅନାଇଁ ରହିଲା । ଚାଲିଛି ମାଙ୍କଡ଼ଙ୍କ ଭୋଜି ମଉଛବ । ଗଡ଼ାଗଡ଼ି ଧରାଧରି । ସତେକି ଏ କ୍ଷେତ୍ର ଖଣ୍ଡ ତାଙ୍କର, ଯୋଗୀ ରଘୁନାଥଙ୍କର ନୁହେଁ । ସୁଆଦିଆ ପାଟି । ଛୁଆଟିଏ ବି ତା’ ମନ ନ ମାନିଲେ ଦେଉଛି କୋଳଥ କେଣ୍ଡାଟା ଫୋପାଡ଼ି । କାନ୍ଧରେ ହାତ ପକାପକିହୋଇ ଦୋଟି ସଖୀ ଜିପ୍‍ତଳକୁ ଗଡ଼ି ପଡ଼ିଲେ । କ’ଣ ରହସ୍ୟ କଥା ଥିବ । ଦୁଇ ବୁଢ଼ୀ କୋତରୀ କୋଡ଼କୁ କୋଡ଼ ବସି ପଡ଼ିଲେ । ଜଣେ ଆରକର ଉକୁଣୀ ମାରି ଦେଉଛି । ଦି’ ଟୋକୀଙ୍କ କଜିଆ ଭାଙ୍ଗିବାକୁ ଦାନ୍ତଦେଖାଇ ଆକଟକରି ଧାଇଁଲାଣି ଜଣେ ଅଧାବୟସୀ, କି ସୁନ୍ଦର ଧୋବ ଜିକିଜିକି ଦାନ୍ତ ।

 

ଏ ସମସ୍ତିଙ୍କୁ ତ ସେ ଦେଖିଛି କେଉଁଠି ।

 

ଅନେଇ ରହିଲା, କ’ଣ ଯେମିତି ଖୋଜୁଛି, କିଛି ଘଟୁନାହିଁ । ମାଙ୍କଡ଼ ପଲଠୁଁ ଦୃଷ୍ଟି ଚହଲିଗଲା ଢିପ କଣ୍ଡିଆକୁ, ମହାଦେବଙ୍କ ଷଣ୍ଢ ହେଣ୍ଟାଳି ହେଉଛି । ଆଗରେ ପଲେ ଗୋରୁ ଧାଇଁଲେ ଧୂଳି ଉଡ଼ାଇ । କଜଳପାତୀଟାଏ ଷଣ୍ଢ ବେକରେ ଚୋଟ ଚୋଟ କରି ହାଣୁଛି । ମହାଦେବଙ୍କ ଷଣ୍ଢ ମୁଣ୍ଡ ହଲେଉଛି ଆଉ ଗାରଡ଼େଇ ଗାରଡ଼େଇ ବେକ ବଙ୍କେଇ ଅନାଇଁ ଶିଙ୍ଗତଳକୁ କରି ଧାଇଁଛି । ହେଲେ କ’ଣ ହେବ, ହାରିଗଲାଣି ବୁଢ଼ା ଷଣ୍ଢଟା । ଏଥର ବୋଧହୁଏ ସେଇ ଆର ଗଜା ଷଣ୍ଢଟା ସଙ୍ଗେ ଭେଟାଭେଟି । କେତେଥର ଟେକ ଦେଖାଇ ଧାଇଁଛି, ଆଉ ତା’ର ପାଖେ ହାରି ଲହୁଲୁହାଣ ହୋଇ ଫେରିଛି ମନଦୁଃଖରେ ।

 

ଗଜାଷଣ୍ଢର କେଡ଼େ ଛାଁଟ ବେକ । ହଲିଗଲେ ମାଉଁସ ପେଣ୍ଡା ଲହଡ଼ି ମାରେ । କଳା ମିଶ୍‌ ମିଶ୍‌ ଫଣକା ନାକପୁଡ଼ା ଆଉ ନି-ଡରୁଆ ଆଖି ଦି’ଟା ଦିଶେ କେଡ଼େ ନିଧଡ଼କ ଅମାନିଆଁ ।

 

ବାରିରେ ଖସ୍‌ ଖସ୍‌ ଶୁଭିଲା । ବାଇଗବା ବାଡ଼ ଫାଙ୍କରେ ଛବି ଅନାଇଁ ଦେଖିଲା । କାହିଁ କିଛି ନାହିଁତ କେଉଁଠି । ମୁଣ୍ଡ ଉପରୁ କ’ଣ ଗୋଟାଏ ଦୁମ୍‌କିନା ଖସିଲା । ଛବି ଚମକିଲା । ନଡ଼ିଆ ଗୋଟମା । ବାରି ଭିତରେ ହୁମ୍‌ ଦୁମ୍‌ ଶୁଭିଲା । ତାଟି ଆଡ଼େଇ ବାରି ଭିତରୁ ଚାଲିଯାଇ ଛବି ଦେଖଲା ତାଙ୍କ ବାରିରେ ବି ମାଙ୍କଡ଼ ପଲେ ପଶିଛନ୍ତି । ଏଠି ସେଠି ଚାରିଆଡ଼େ ସେମାନେ, ଲାଗିଲା ଯେପରିକି ସେମାନେ କାହିଁ ଅଇଲା ନୁହଁନ୍ତି, ତାଙ୍କ ଦୁନିଆଁରେ ଅନହୁତି ପଶିଛି ସେ ନିଜେ-। କଳା କଳା ମୁହଁଗୁଡ଼ାକ, କଳପରି ଅଙ୍ଗ ପ୍ରତ୍ୟଙ୍ଗ, ନିର୍ଦ୍ଦୟ ନିର୍ମାୟା, ଏକାସଙ୍ଗେ ଏତେ ମୁହଁରେ ବିଚଳିତ ବିରକ୍ତି । ବଲ ବଲ କରି ତା’ରି ଆଡ଼କୁ ଅନେଇ ଛଳେଇଲାପରି ବୁଢ଼ୀ କୋତରିଟାଏ ବାଇଗଣରେ ମୁହଁ ଲଗାଇ ଚୋବାଉଛି । ଲଙ୍ଗୁଡ଼ ପାରି ବସି ରହି ସବୁଠି ସେଇ ଏକା କାମ, ଗଛ ଲହଁସେଇ ଭାଙ୍ଗି ଛିଣ୍ଡାଇ ଛୁଆଠୁ ବଡ଼ଯାକେ ଏକ ଲୟରେ ଧ୍ୱଂସ ଲଗାଇଛନ୍ତି । କିଛି ନ ଭାବି ଖାଇଗଲା ଖାଇଗଲା ହୁରି କରି ଛବି ଗୋଟାକ ପରେ ଗୋଟାକ ବୋଲୁଅ ଫୋପାଡ଼ିଗଲା । ସେମାନେ ଖାତିର କଲେ ନାହିଁ, କାନ ପାରିଦେଇ ମୁଣ୍ଡ ନୁଆଁଇ ଦେଲେ ସବୁ ବୋଲୁଅ ଯାଏ ଭାଏଁ ଭାଏଁ । ଆହୁରି ରାଗି ମାଗି ଟାଉ ଟାଉ କରି ଛବି ହାତ ଚଲେଇଲା ଆଉ ମାଟି ଡିମାଟାଏ ଦୁମ୍‌କିନା ବସିଲା ଗୋଟାଏ ମାଙ୍କଡ଼ଟୋକା ପିଠିରେ, ସଙ୍ଗେ ସଙ୍ଗେ ଗୋଟାଏ ବିକଳ କାଉଁ କାଉଁ, ମାଈ ମାଙ୍କଡ଼ମାନଙ୍କର ଅଶ୍ରାବ୍ୟ କିଚିରି ମିଚିରି ଶୋଧା ଗାଳି । ମାଙ୍କଡ଼ଟୋକା ସେମାନଙ୍କ ପିଠିଆଡ଼େ ଆଶ୍ରୟ ପାଇଲା । ଛବି ଦେଖିଲା ଏକାଥରକେ ସାମ୍ନାରେ ଚିକି ଚିକି ଧଳା ଦାନ୍ତର ଝକ ଝକ । ସେପଟ ବାଇଗଣ ପଟାଳି ପ୍ରବଳ ଝାଙ୍କରେ ଦୋହଲି ଉଠିଲା । ଶୁଭିଲା ଏକ ଗମ୍ଭୀର ‘ହୁଂ’ । ଫକ୍‌କରି ଡେଇଁପଡ଼ି ଦାନ୍ତ କଡ଼ମଡ଼ କରି ଖକୋଖକ୍‌ ମୁଖରାବ ବୋବାଳି ଛାଡ଼ି ଦଉଡ଼ି ଆସିଲା ପ୍ରକାଣ୍ଡ କାମୁଡ଼ା ଗେଧଟା, ଯାହା ଦାଉରେ ଘର ଚାଳ ଦୁଲୁକି ପଡ଼େ, ମା’ମାନେ ଛୁଆମାନଙ୍କୁ ଘର ଭିତରକୁ ଘୋଷାରି ନେଇ କବାଟ କିଳନ୍ତି, ସାହିଯାକ ବୀରମାନେ ଜମାହୋଇ ଆପଣାକୁ ସାହସ ଦେବାକୁ ପାଟି କରନ୍ତି, ‘‘କାହିଁଗଲା-କାହିଁଗଲା-ଆରେ ହେଇତି-ଧୋ ଭାଲୁଆ’’ ସେହି ଗୋଟାଏ ଗେଧକୁ ତଡ଼ିବାକୁ ଲାଗିପଡ଼ନ୍ତି ସାହିଯାକର ପୁରୁଷ ଆଉ ତାଙ୍କ ପାଖେ ପାଖେ ଠୋଲାପେଲା ହୋଇ କୁକୁରଗୁଡ଼ିକ ।

 

ଛବି ବୁଲିପଡ଼ି ଏକା ନିଶ୍ୱାସରେ ପ୍ରାଣପଣେ ଧାଇଁଲା, ପଛେ ପଛେ ବୀର ହନୁମାନ୍ । ମନ ଭିତରେ କେବଳ ଗୋଟାଏ ଚେତନା ଆଇଲା-ଆଇଲା-ଧଇଲା,-ଖାଇଲା-ହେଇ ଲହୁଲୁହାଣ-ଛତର୍‌ ଛାଉଲ୍‍-ହୁଁ ହୁଁ-ଖକୋଖକ୍ । ଡେଙ୍ଗା କାକୁଡ଼ିଆ ଘାସ, ଲାଜକୁଳୀ କଣ୍ଟା-ଚାକୁଣ୍ଡା ବଣ,-ଅରମା-ଧାଇଁଛି ଛବି, କ’ଣ ପାଟିକରି କହୁଛି ଜାଣେ ନାହିଁ । ଗୋଟାଏ ଖାଲରେ ଝୁଣ୍ଟିପଡ଼ି ପଛକୁ ଅନାଇଁ ପାଟିକଲା, ‘‘ଇଲୋ ଇଲୋ ଇଲୋ-’’

 

ଅକସ ସରିନାହିଁ ଗେଧର, ଖେପା ମାରି ମାରି ଧାଇଁ ଆସୁଛି, କଳା ମୁହଁରେ ଧଳା ଧଳା ଦାନ୍ତଗୁଡ଼ାକ, ଦାନ୍ତରେ ଦାନ୍ତ ରଗଡ଼ୁଛି । ‘‘ଇଲୋ-ଇଲୋ-ଇଲୋ-’’ ଛବିର ଆଖିରେ ଅନ୍ଧାର । ଆଖି ବୁଜିଦେଲା । ସାଙ୍ଗେ ସାଙ୍ଗେ ମାର ମାର ପାଟିରେ ଚାରିଆଡ଼ କମ୍ପିଲା, ପାଟି ଶବ୍ଦ ତଳେ ତଳେ ବୋଲୁଅ ବୃଷ୍ଟି । ପଛଆଡ଼ୁ ବିଜୁଳି ବେଗରେ ଧାଇଁ ଆସୁଛି ଜଣେ କିଏ । ଅତର୍କିତ ଆକ୍ରମଣରେ ଭିଡ଼ିକି ଯାଇ ମହାଗେଧ ପାଖର ପହଲି ଗଛରେ ଚଢ଼ିଗଲା, ଡେଙ୍ଗା ନଡ଼ିଆ ଗଛର ଗହଳି ମହୁଡ଼ରେ ଗେଧ ଅଦୃଶ୍ୟ ହେଲା । ଛବି ଲେପ୍‌ଟେଇ ବେକ ବଙ୍କେଇ ପଛକୁ ଚାହିଲା । ଗେଧ ନାହିଁ । ମଣିଷ ।

 

ସେ ମୁହଁରେ ସହାନୁଭୁତି ପୂରିଛି, ଯେପରିକି କିଛି ନ କହିଲେ ବି ବୁଝି ହେଇଛି ସେ ଠାଣୀର ଭାଷା, -ଆଃ ! କାମୁଡ଼ି ନାହିଁ ତ । କେଡ଼େ ସଇତାନ୍ ! ପଡ଼ିଯାଇ ଖଣ୍ଡିଆ ହୋଇଛି କି ? ଆଃ କେଡ଼େ ଦୁଃଖର କଥା ! କେଡ଼େ ବିପଦ । ଛବିର ମୁହଁରେ ଆଖିରେ ସତେ ଆପେ ଆପେ ଫୁଲ ଫୁଟିଲା । ଆଶା କୃତଜ୍ଞତା କେତେ କ’ଣ କହିବାକୁ ଲୋଡ଼ୁଛି ସେହି ନୀରବ ଆଖିର ଚାହାଣି । କିନ୍ତୁ ଖାଲି ସେତିକି ନୁହେଁ । ସାରା ଦେହରେ ଖେଳିଯାଉଛି ଶିରି ଶିରି ଶୀତୁଆ ପୁଲକ, ପୁଣି ଦେହ ଉଷୁମେଇଁ ଆସୁଛି, ହାଲୁକା ପହିଲି ମ୍ୟାଲେରିଆର ସଙ୍ଖୁଳା ପରଶ ଲାଗିଲା ପରି । ଛବି ସେହି ନୂଆ ମଣିଷର ଖୋଜିଲା ପଚାରିଲା ଚାହାଣିରେ ଚାହାଣି ଗୋଳିଦେଇ ଆପଣାକୁ ହଜାଇ ଦେଲା ।

 

ଚିହ୍ନା ନାହିଁ, ପରିଚୟ ନାହିଁ, ମୁହୁର୍ତ୍ତ ଅସରନ୍ତି ହୋଇ ଶୂନ୍ୟେ ଶୂନ୍ୟେ ଦୋହଲି ରହିଲା । ଛାଇ ଲେଉଟିଛି । ଢିପି ଢାଲୁ ହୋଇ ଶାଗୁଆ ଅରମା । ଏଠି ସେଠି ଗୋଟି ଗୋଟିଏ ଗଛ ଆଉ ତା’ର ଜାତି ଜାତିକା ଛାଇ, ଲମ୍ୱା, ଛେତା । ଗଛ ଖମ୍ୱରେ ଗହଳି କୁଞ୍ଜଲତା, ତା’ର ଗୋଟି ଗୋଟକିଆ ନାଲିଫୁଲ । ଅରମାରେ ଶାଗୁଆ ଭିତରେ କୋଇଲିଖିଆ ବୁଦାର ନେଳି ଫୁଲ । ସେପଟେ ବାଡ଼ର ବହଳ ଶିମଲଟା ଉପରେ ଉହୁଙ୍କି ରହିଛି ଗୋଛା ଗୋଛା ଡେଙ୍ଗା ହରଡ଼, ଫୁଲ ଭର୍ତ୍ତି । ହାତୀ ଅନ୍ଧ, ଘର ଚାଳ, ଲାଉ କଖାରୁ ଡଙ୍କ ଓହଳିଛି, ଫଳ ଲଟକିଛି । ମୁହଁ ପଟେ ଗୋଟିକିଆ ମଣିଷ, ପଛଆଡ଼େ ଘାସ ଛାଉଣି ଉଞ୍ଚ ନଈବନ୍ଧ ଲମ୍ୱିଛି, ଉପରେ ଅକଳନ ନେଳି ଆକାଶ । ପିଠିପଟେ ଆମ୍ୱତୋଟା, ତା’ ତଳେ କଂସାରିବଣ । ବାଉଁଶ ବଣର ସାଇଁ ସାଇଁ ଶୁଭୁଛି । ସାତଭାୟା ଚଢ଼େଇଙ୍କ ଧୀର କଥାଭାଷା ଭିତରେ ଶୁଭୁଛି କଜଳପାତି ଦୁହିଙ୍କର ଡକାଡକି । ସମୟର ଏକ କ୍ଷୁଦ୍ର ଭଗ୍ନାଂଶ, ଦଶଥର ଆଖିପତା ଉଠି ବୁଜି ହୋଇଛି କି ନାହିଁ । ଛବି ମନ ଭିତରେ ଅନୁଭବ କରୁଥିଲା ନିଶ୍ଚିନ୍ତ ନିର୍ଭରଶୀଳତା ଭିତରେ ଏକ ଶାନ୍ତ ତୃପ୍ତି ମଞ୍ଜିଧରା ଘାସର ବାସ୍ନା, ଠାଏ ତେଲିଚିଆ ଝଲ ଝଲ ଠାଏ ଛାଇ ଛାଇ ରୂପର ଚମକ, ସବୁ ସେହି ତୃପ୍ତିର ରୂପବିଶେଷ ।

 

ମୁହୁର୍ତ୍ତ ଉଭେଇ ଗଲା । ଛବି ହଠାତ୍‌ ତା’ର ପରିସ୍ଥିତି ଭାବିବସିଲା । ସାନ ଖଣ୍ଡେ ପିନ୍ଧିଛି ଚିରା ପଡ଼ିଛି, ଗୋଡ଼ ମୋଡ଼ି ହୋଇ ଲେପ୍‌ଟେଇ ଗଡ଼ି ପଡ଼ିଛି ଅରମାଟା ଉପରେ । ଖେଣ୍ଟା ବାଜିଯାଇ ବଳାଗଣ୍ଠି ଉପରେ ଠାଏ ଖଣ୍ଡିଆ ହୋଇ ରକ୍ତ ବୋହୁଛି । ଆଉ କିଏ ୟେ ଅଚିହ୍ନା ଯୁବକ, ଧୋବ ଲୁଗା କାମିଜ୍‌ପିନ୍ଧି ଉହୁଙ୍କି ଗଡ଼ୁଛି ତା’ ଗୋଡ଼ପାଖେ ।

 

ତାତି ଚହଟି ଆସୁଛି । କାନମୁଣ୍ଡା, ଗାଲ, ମୁହଁ ଆଖି ରଙ୍ଗା ପଡ଼ିଯାଇ ଆଖିବୁଜି ଟାଳିଗଲା । ସେ ଜଣକ ବୋଧହୁଏ କ’ଣ ପଚାରୁଛି, ସବୁ ଗୋଳମାଳିଆ, ମୁଣ୍ଡରେ ପଶୁ ନାହିଁ । ଆପଣା କୁଞ୍ଚରୁ ଠାଏ ଦାନ୍ତରେ ଓଟାରି ହାତରେ ଫର୍‌କିନା ଚିରି ଦେଇ ଆସ୍ତେ ତା’ର ନଳି ଗୋଡ଼କୁ ଟେକିଧରି କନା ବାନ୍ଧିଦେଲା । ପ୍ରାଣପଣେ ଆପଣା ଦେହର ଥରିବାକୁ ରୁହାଇବାକୁ ମନକରି ନିଶ୍ୱାସ ବନ୍ଦକରି ଗାଲି ପାରିଦେଇ ଛଟା ଗାଳିଲା, ଆଉ ଆପଣାକୁ ଆପେ ବୁଝାଇଲା, ସେ ବଞ୍ଚି ନାହିଁ, ସେ ମରିଛି ଗୋଡ଼ଆଡ଼ୁ, ଅନ୍ତତଃ ତା’ ଗୋଡ଼ଟା ଗୋଟାଏ ମୁର୍ଦ୍ଦାରର । ବୁଜା ଆଖି ଉହାଡ଼ରେ ମନେ ମନେ ସେ ମୁହଁଟାକୁ ସେ ସାମ୍ନାରେ ଧରି ରଖିଛି । ତା’ର କଜଳ ପିନ୍ଧିଲାପରି ଆଖି ।

 

‘‘‘ଭାରି କାଟୁଚି ? ଆଉ କିଛି ହୋଇଛି ?’’ ତା’ର ସ୍ୱରରେ ସେହି ସମବେଦନା । ଛବି ଉତ୍ତର ହେଲା ନାହିଁ । ତଳକୁ ମୁହଁପୋତି ଛୋଟେଇ ଛୋଟେଇ ଘରମୁହାଁ ଚାଲିଗଲା ।

 

ଅଚିହ୍ନା ଯୁବକ ତା’ର ବାଟ ଧରିବାକୁ ବନ୍ଧଆଡ଼େ ଚାଲିଲା । କିନ୍ତୁ ତରତର ନୁହେଁ, ଟିକିଏ ଭାବିଲାପରି । ପଛରୁ ଶୁଭୁଛି, ‘‘ସେ କିଏ ଗଲା କିଲେ ଛବି ?’’ ଛବି, ନାଁଟି ସୁନ୍ଦର । ଗାଁ ମାଟିର ସଜଫୁଲ । ଆତଙ୍କରେ ମୁହଁଟି ଝାଉଁଳି ପଡ଼ିଥିଲା, ତେଜିବଣି । ବୟସ ଷୋଳ କି ଅଠର । ଡଉଲ ଡାଉଲ ବଳିଲା ଦେହ, କାମ କରୁଥିବ, ଖାଲି ଖାଇ ଶୋଉ ନ ଥିବ । କେବେ ଏପରି ଘଟିନାହିଁ ତା’ ଅଭିଜ୍ଞତାରେ, ମନରେ ଅଳପେ ମହକ ଲାଗିଯାଇଛି । ଏମିତି ଅନହୁତିରେ, କାହାର କିଏ, ସେ କାହିଁକି ବାଟ ଭାଙ୍ଗିଲା ? ନ ହେଲେ କ’ଣ ବା କରିଥାନ୍ତା । ଏମିତି ଆଖିରେ କାହାର ବିପଦ ଦେଖି କାହା ଦେହ ସହିବ ? ଆପେ ଆପେ କାନର ଗ୍ରାହିକା ଯନ୍ତ୍ରରେ ଝାଙ୍କ ଅନୁଭବ କଲା-। ଛବି କ’ଣ କହୁଛି । ଦିଶୁ ନାହିଁ, ଗଛ ଉଢ଼ୁଆଳ । ଆରକ କ’ଣ କହୁଛି । ଛବି କ’ଣ କହୁଛି । ମୋଟା ଆଉ ସରୁ, ସ୍ୱରର ଦୁଇ ପର୍ଦ୍ଦା ।

 

ଅଚିହ୍ନା ଲୋକ ବନ୍ଧ ତଳୁ ଢାଳୁରେ ଉଠିଲା । ପଛକୁ ଅନାଇଁଲା ସେହି ନଡ଼ିଆଗଛ ଆଡ଼କୁ । ଯିବା ଆଗରୁ ଗେଧଟାକୁ ଆଉଥରେ ଦେଖିଯିବାକୁ ମନ । ହେଇ ସେଇଠି ଅଛି ସେ, ବାହୁଙ୍ଗା ତଳେ ଗଛକୁ କୁଣ୍ଢେଇ ଧରି କନକନ କରି ଅନୋଉଛି । ହସ ମାଡ଼ିଲା । ଏବାଟେ ଗଲାବେଳେ ମନେପଡ଼ିବ ।

 

ଯାଉ, ଆଉ କାହିକି ? ସାମ୍ନାରେ ଗାଢ଼ ନେଳି ଆକାଶକୁ ଅନାଇଁଲା । ଆହୁରି ପାହୁଣ୍ଡେ-। ତଥାପି ଧୀର ଚାଲି, କ’ଣ କେଉଁଠି ଛନ୍ଦିହୋଇ ଯାଇଛି, ମନରେ କେଉଁଠି ଟିକିଏ ଅଜଣା ଦରଜ-

 

ଭାବିବାକୁ ତର ନାହିଁ । ଆଗକୁ ଯିବ, ଆଗକୁ । କିନ୍ତୁ ବାଟ ଆଗରେ ଜଣେ କିଏ ପ୍ରୌଢ଼ା ବାଡ଼ିପଟୁ ବାହାରିପଡ଼ି କହିଲେ, ‘‘ହେଇଟି, ଶୁଣ ଶୁଣ, ଯାଅ ନାହିଁ ।’’ ଗମ୍ଭୀର ଶାନ୍ତ କଣ୍ଠ । ସେ ଚମକି ପଡ଼ିଲା । ଅନୁଭବ କଲା ଛାତିରେ କ’ଣ ଦବି ଦବି ଯାଉଛି । ଯେପରି କ’ଣ ଅକଥା ସେ କରି ଆସିଛି, ଯାହା କରିବାର ନୁହେଁ ଯାଉ, ଫେର୍‌ କି ତେଣ୍ଟା ? କ’ଣ ସେ କରିଛି ?

 

‘‘କିଏ ତୁମେ ବାବୁ ? ତୁମ ଘର କେଉଁଠି ?’’

 

‘‘ମୋ’ ନାଁ ରବି ।’’

 

ଓଢ଼ଣା ପଡ଼ି ମୁଣ୍ଡ ଗୋଲ ଦିଶୁଛି । ଦଣ୍ଡି ଆଉ ଗୋଲ ମୁହଁରୁ କିଛି । ସେତେ ସଫା ନୁହେଁ, ମୋଟା ଶାଢ଼ି ଆମ୍ବୁଆଳି ଦେହକୁ ଢାଙ୍କି ରଖିଛି । କହିଲେ, ‘‘ଆଜି ତେମେ ନ ଆଇଥିଲେ ସବିନାଶିଆ କାମୁଡ଼ା ମାଙ୍କୁଡ଼ୁଟା ମୋ’ ଝୁଅକୁ କି ଦଶା କରିଥାନ୍ତାଟି ! ଅରଖିତକୁ ଦଇବସାହା ପରି ତମୁକୁ ବିଧାତା ପୁରୁଷ ସିନା ବରଗିଲେ, ଏଁ ! କୋଉ ରବି ବାପା ତୁମେ ? କାହା ପୁଅ ? କୋଉ ଗାଁ ?’’

 

‘‘ଆମ ଘର ବନ୍ଧମୂଳ, ମୁଁ ବଟ ମହାନ୍ତିଙ୍କ ପୁଅ, ଯାଇଥିଲି କାମରେ ସହରକୁ ଯେ ଘରକୁ ଫେରୁଚି । ବାଟରେ ଦେଖିଲି ଏମିତି କଥା ଯେ ସମ୍ଭାଳି ପାରିଲିନାହିଁ, କହିଲି ନ ଗଲେ କାମୁଡ଼ିଦବ, ମାଙ୍କଡ଼ କାମୁଡ଼ା ବିଷ ବି ହୁଏ କହନ୍ତି, ସେଇଥିପାଇଁ ବାଟ ଭାଙ୍ଗି ଦଉଡ଼ିଗଲି-’’

 

‘‘ଆଚ୍ଛା କଲ, ଭଲ କଲ, କୋଟି ପାରମାଉ ହେଇଥାରେ ବାପା । ଆଗୋ ତେମେ ବଟ ମହାନ୍ତିଙ୍କ ପୁଅ, ଆମକୁ ଲୁଚୋଉଚ ! ଆମର ବନ୍ଧୁ ମ, ଆଉ ସେକାଳ ଅଛି ଯେ କିଏ କାହାକୁ ଚିହ୍ନିବ ? ତେମେ ପିଲାଗୁଡ଼ାକ କାହିଁକି ବା କାହାକୁ ଚିହ୍ନୁଥିଲ ? ଆସ ଘରକୁ ଆସ । ନାହିଁ କର ନାଇଁ, ଆସ । ବାପା ଗାଳିଦେଲେ କହିବ ପାଟେଳିଗାଁ ଚୌଧୁରିଘର ମତେ ଅଟକେଇଦେଲେ । ଏଁ ହେଲା ତ ! ଆସ ।’’

 

ରବି ତାଙ୍କ ପଛେ ଚାଲିଲା । କହିଲା, ‘‘କାଳେ ଡେରି ହୋଇଯିବ ସେଇଥିପାଇଁ କହୁଥିଲି–’’

 

‘‘ହଃ, ବାଟ ତିନିକୋଶ ବି ହବ ନାଇଁ । ଏବ କାଳକୁ ସବୁ ଦୂର । ପିଲାଲୋକ, ଜାଣିନା, ଏମିତି ବନ୍ଧୁ ଦୁଆରୁ ବନ୍ଧୁ ଯାଆନ୍ତି ନାଇଁ । କ’ଣ କରୁଚ ? ପଢ଼ୁଚ ?’’

 

‘‘ପଢ଼ା ସରିଲାଣି ।’’

 

‘‘ଚାକିରି ?’’

 

‘‘ଚାକିରି କରିବି ନାଇଁ ।’’

 

‘‘କାହିଁକି କରିବ ? ବାପାର କୋଉ ଏବେ ନାଇଁ ? ପରଦୁଆରେ ମୁଣ୍ଡ ବିକି ବୁଲିବା କି ଦରକାର ? ଏବ କାଳକୁ ପୁଅ ଚାକିରିଟା ବଡ଼ ହେଇଚି, ଆମ କାଳେ ଛାଇତଳେ ଘରର ଶାଗ ହୋଇଥିଲା ବଡ଼ । ଏବାଟେ ଆସ, କଣ୍ଟା ମାଡ଼ିବ । ଦେଖୁଚ କ’ଣ, ସବୁତ ଭଙ୍ଗାରୁଜା । ଥିରିକିନି ଆସ, ମୁଣ୍ଡ ବାଜିବ, ସେ ନିଆଁନଗା ଖେଣ୍ଟାଟାକୁ ଯେତେ ମୁଁ ତେଣିକି ପେଲି ଦଉଚି ସେତେ ସେଇଟା ବାଟପଟକୁ ଖସି ଆସୁଚି । କ’ଣ ଦେଖୁଚ ? ନେହୁଳ ? ସେଗୁଡ଼ା ଏଠି ପଲ ପଲ, ହେଇ ଆମ ଘର । ଆଗେ କହୁଥିଲେ ଚୌଧୁରିଙ୍କ ଉଆସ । ଏବେ ୟାକୁ କ’ଣ କହିବ ?’’

 

ପଛରୁ ହୋ ହୋ ହସ । ସେପଟେ ଅରମା ଭିତରୁ ଠିଆ ହୋଇପଡ଼ିଲେ ତିନୋଟି ନାରୀମୂର୍ତ୍ତି, ନାଲି କସ୍ତା ନେଳି କସ୍ତା ବାଇଗଣି କସ୍ତା ବିନ୍ଧିଛନ୍ତି । ନାକ ପାଟି ଲୁଗାରେ ଘୋଡ଼େଇ ଠିଆ ହୋଇଛନ୍ତି । ‘‘ଆସ ମଁ ଅପା, ଆଲୋ ଗେହ୍ଲି ବୋଉ ଧଅସି କାମ ସାର ମ, ଦେଖିଲଣି ଛବିବୋଉ କାହାକୁ ବାନ୍ଧି ନଉଚି । ଇଲୋ ଦେଖଲୋ ଅପୂରୁବ ୟେ କଳିକାଳର କଥା । ଦେଖ ମଁ, ଆସ ମଁ ଧଅସି-’’

 

ଚୌଧୁରିଙ୍କ ଭଙ୍ଗା ଉଆସ ଭିତରେ ପଶିଲାବେଳକୁ ରବି ମୁଣ୍ଡରେ ଖେଣ୍ଟା ବାଜି ନ ଥିଲା, କିନ୍ତୁ ଶେଷାଶେଷି କଥାଗୁଡ଼ାକର ଆଁଶ ପଶିଥିଲା ମୁଣ୍ଡ ଭିତରେ, ଗଲୁ କରୁଥିଲା, ଆସ୍ତେ ଫିଟି ଆସୁଥିଲା, ଉଷୁମିକିଆ ଝାଳ ।

 

ଭିତରକୁ ପାଦ ପକାଇ ଚାରିଆଡ଼କୁ ବଲ ବଲ କରି ଚାହିଁଲା, କେଡ଼େ ବଡ଼ ଖାନାବାଡ଼ି-। ସବୁ ଫାଙ୍କା, ଘର ମୋଟେ କେଇଟା । ସେହି ଫାଙ୍କା ଭିତରେ ବାରିହୁଏ, ଚାକୁଣ୍ଡା ଓ ଘାସକୁ ଘେରରେ ପକାଇ ଫୁଲଫୁଟା ନାଲି ହଳଦି ଛିଟ ରଙ୍ଗଣି ଓ ଜାତି ଜାତିକା ହଜରାର ଜଙ୍ଗଲ ଗହଳି ହୋଇ ସ୍ଥାନେ ସ୍ଥାନେ ଢିପା ଢାଲୁ ହୋଇ ବଢ଼ିଛି । ଚାରିପାଖେ ଏକ ବଡ଼ ପାଚିରି ବୁଲିଥିଲା, ବାରି ହେଇଛି, ଅରମାତଳେ ଢିପା ଢାଲୁ ହୋଇ ସେ ଶୋଇ ରହିଛି ଅଣ୍ଟାଏ ଉଞ୍ଚରେ । ସ୍ଥାନେ ସ୍ଥାନେ ସେଠି ଘନ ଜଙ୍ଗଲ, ତରାଟ, ମଧୁମାଳତୀ, କନିଅର, କେତେ କ’ଣ । ପାଚିରି ଢିପ ଉପରେ ସ୍ଥାନେ ସ୍ଥାନେ ଭଙ୍ଗା ଦନ୍ଥଡ଼ା ହୋଇ ପାଚିରି କାନ୍ଥର ଖଣ୍ଡେ ଖଣ୍ଡେ ଠିଆ ହୋଇଛି । ଗୋଡ଼ି ଖପରା ମାଟି ଏକାଠି ମିଶି ବେଲଅଠାରେ ପାଗ ହୋଇ ବଳଦ ଗୋଡ଼ରେ ଚକଟାହୋଇ ଓଡ଼ିଶୀ ଉପାୟରେ କେଉଁ ପୁରା କାଳରେ ତିଆରି ହୋଇଥିଲା, ସେହିପରି କାନ୍ଥ ଯେଉଁଥିରେ ଶହେ ବର୍ଷ ବି ବିତିଯାଏ-। ସମୟ ଶହେ ବର୍ଷଠୁଁ ବି ବଡ଼, ଦି ଶହ ବର୍ଷଠୁଁ ବଡ଼ । ଅକଳନ ସମୟର ବୋଝ ସେ ଲୁହାକୁ ମୁଣ୍ଡା କରେ, ପାଚିରି କାନ୍ଥକୁ ବି କରିଛି । କେମିତି ଲାଗୁଛି ଏ ଅଗଣା ଭିତରୁ । ଗୋଟା ଗୋଟା ଡେଙ୍ଗା ଡେଙ୍ଗା ଗଛ, ଭିତରେ ଓ ବାହାରେ, ତଳେ ଅରମା, ଭଙ୍ଗା ଖଞ୍ଜାମାନଙ୍କର କୁଦ, ଏଠି ସେଠି ଢିପ ଖାଲ, ଭୁଶୁଡ଼ି ପଡ଼ିଥିବା ଖୁଣ୍ଟ ଓ ପାହାଚମାନଙ୍କ ପଥର । ଏହାରି ଭିତରେ ଘର ବି ପୁଳିଏ ପୁଳିଏ । ମଣିଷ ଗହଳି ଆଦୌ ନାହିଁ । କେବଳ କିଛି ହଜିଲା ସମୟରସ୍ୱରୂପ, ସାବୁଜା ଘେର ଭିତରେ କେମିତି ରହିଯାଇଛି । ପଶିଲେ ବାରିହୁଏ ।

 

ବାଟରେ ଠାଏ ଉଇଖିଆ ଖତିରା ଦୁଆରବନ୍ଧ ମାଟିରେ ଅଧାପୋତା ହୋଇ ଢଳି ରହିଛି । ଖଣ୍ଡିଆ କାଠକୁ ନିରେଖି ଦେଖିଲେ ଅଦ୍ୟାପି କରୁକାର୍ଯ୍ୟ ବାରିହୁଏ । ପଥର ଓ ମାଟି କୁଢ଼ଭିତରେ ଠାଏ ଗୋଟାଏ ବଡ଼ ଗୋଲ କାଠ ଜାଲି । କଳା ମିଶ୍‌-ମିଶ୍‌ କାଠ ଉପରେ ସରୁ କାରୁକାର୍ଯ୍ୟ । ରବି ପାଖକୁ ଯାଇ ଦେଖିଲା । କାଠର ଜାଲିରେ ଗୋଟାଏ ବଡ଼ ପଦ୍ମଫୁଲ ତିଆରି ହୋଇଛି, ପାଖୁଡ଼ାର ଫାଙ୍କ ମଝିରେ ଆହୁରି ଆନେକ ଛବି, ଲତା, ଚଢ଼େଇ, ଫୁଲ କେତେ କ’ଣ । ଆଉ ଠାଏ ମାଟିକୁଢ଼ ଉପରୁ ଅଧା ବାହାରିଛି କାଠଜାଲିର ଗୋଟାଏ ଚକ, ତା’ ଉପରେ ଅରମା ଲଟା ଡଙ୍କେଇଛି । ପାଉଁଶିଆ ଫୁଲ ଫୁଟିଛି । କି ସୁନ୍ଦର କାରୁକାର୍ଯ୍ୟ ! ଘଷିମାଜି ଠିକଣା କଲେ ସୁଖରେ କେଉଁ ପ୍ରଦର୍ଶନୀ ଘରେ ସ୍ଥାନ ପାଆନ୍ତା । ରବିକି ସେଠି ଟିକିଏ ମାଣ୍ଟେଇବା ଦେଖି ଛବି ବୋଉ କହିଲେ–‘‘ଏଗୁଡ଼ା ସେହି ଆଗକାଳର ଝରକା ପରା, ତମ ଘରେ ନ ଥିବକି ? ଏମିତି କେତେ ଗଡ଼ଗଡ଼ୋଉଛି । କିଏ ସାଇତୁଛି ?’’

 

ରବି କହିଲା, ‘‘ନା, ଆମ ଘରେ ଏମିତି ନାହିଁ କି ମୁଁ ଏମିତି କାରୁକାର୍ଯ୍ୟ କୋଉଠି ଦେଖିନାହିଁ । ଏଗୁଡ଼ା ପ୍ରଦର୍ଶନୀ ଘରେ ସ୍ଥାନ ପାଇବା ଦରକାର ।’’

 

‘‘ତା’ହେଲେ ସେ ଘର ଏମିତି ସେମିତି ହେଲେ ଚଳିବ ନାହିଁ ।’’ ମଳିନ ହସ ହସି ଦେଇ ଛବିବୋଉ କହିଲେ, ‘‘କେଡ଼େ ବଡ଼ ଘର ହବ ତା’ ତ ମୁଁ କଳିପାରିବିନାହିଁ । ଏ ଜିନିଷ କ’ଣ କମି ନା ଏକା ଏଇଠି ଦେଖୁଚ । ରାଇଜଯାକ ଏମିତି, କେଉଁଠି ଖତକୁଢ଼ରେ କେଉଁଠି ମାଟିତଳେ । ଏଇଠି ଏବେ ଦେଖ ମୋ ଦେଖନ୍ତରେ ଦଶଟା ଖଞ୍ଜା, ତା’ ଆଗରୁ କେତେ ଥିବ । କାହିଁ ଅଇଚ୍ଛା ? ଧୂଳିଆପିଟା ଘର, କାଠ ଶେଣି କାଠର ରୁଅ ଯେ ଯେଉଁଠି ଦେଖିବ ସେ କାଠରେ କିଛି ରୂପ ଅଙ୍କା ହୋଇଛି । ଝରକାରେ ସେମିତି, କବାଟରେ ସେମିତି ।

 

କେଉଁଟାରେ ଦଶ ଅବତାରଯାକ ଖୋଳା ହୋଇଛି । ସାକ୍ଷାତ୍‌ ଜୀଅନ୍ତା ଯେମିତିକି । କେଉଁଟାରେ ରାମ ରାବଣ ଯୁଦ୍ଧ, କେଉଁଠାରେ ଭାରତ ଯୁଦ୍ଧ । ଏଡ଼ିକି ସୁନ୍ଦର କରୁଥିଲେ ସେକାଳେ-। ପିଲିସଜ ଦେଖିଲାବେଳକୁ କେଡ଼େ ସୁନ୍ଦର ମାଇପିଟିଏ, ତା’ମୁଣ୍ଡରେ ଦୀପ, ହଳଦି କାଠୁଆରେ ବି ରୂପ । କେତେ କୁଆଡ଼େ ଖତ ହୋଇଗଲା, ଆଉ ସେଗୁଡାକୁ ଅନେଇଁଲେ କ’ଣ ହେବ ? ମଣିଷ ତ ଛିନିଛତର ହୋଇଗଲେ, ଘରକୁ କିଏ ପଚାରୁଛି ।’’

 

ତାଙ୍କର କହିବା ଭଙ୍ଗୀରେ ଥିଲା ଉଦାର ଆନ୍ତରିକତା, ରବିର ମନ ଦୋହଲି ଉଠିଲା । ସେ କେବେ ଏଠିକି ଆସି ନାହିଁ । ଅଚିହ୍ନା ଘର । ଚାରିଆଡ଼େ ଭଙ୍ଗାରୁଜା ଘର ଦୁଆର । ଘଞ୍ଚ ଅରମା । ସ୍ଥାନେ ସ୍ଥାନେ ଚାକୁଣ୍ଡା ବି ଛାତିଏ ଉଞ୍ଚରେ ଉଠିଛି । ଯାଉ ଯାଉ ଶୁଣୁଛି ମଶା ପଲ ଘାଉଁ ଘାଉଁ ହେଲେଣି । ବାଟ ବାଟେ ଚାଲିଯିବା ଲୋକ ସେ, ଚାଲିଛି ଏ ମାଇପିଟିର ପଛେ ପଛେ । ଏଡ଼ି ହୋଉ ନାହିଁ, କାଟି ଚାଲିଯାଇ ହେଉ ନାହିଁ, ଓଲଟି ନିଘା ବେଳୁ ବେଳ ବାନ୍ଧି ହୋଇଯାଉଛି । ବାଟରେ ଯାଉ ଯାଉ ଯେତେଠି ଅରମା ଆଗରେ ଛେକି ଦେଉଛି ଆଗଟା ଦିଶୁ ନାହିଁ ସେତେଠି ମନ ଭିତରେ ଉତ୍‌ପେକ୍ଷା ତେଜି ଉଠୁଛି ।

 

ସବୁ କେମିତି ଅସ୍ୱାଭାବିକ ଲାଗୁଛି, ଏଇ ବେଳ ଏଇ ସ୍ତ୍ରୀଲୋକ-କି ଅନୁଭୂତି ସେ ଜୀବନର ଯେଉଁଠି ଏତେ କ୍ଳାନ୍ତି ଏତେ ଉଦାସୀପଣ ସାଧାରଣ କଥାରେ ବି ବାରି ହୋଇପଡ଼େ ।

 

ନ ଦେଖିଲେ ବି ଅନୁମାନ କରିପାରୁଛି ଆଉ ଦି ଖୋଜ ଗଲେ କ’ଣ ସେ ଦେଖିବ । ହୋଇପାରେ-ଧାଉଡ଼ିଏ ସାନ ସାନ ବଖରା । ଚାଳରେ ଲାଉ କଖାରୁ, ଦୁଆରେ ପୁରୁଣା ସଜନା ଗଛ, ଭଙ୍ଗା ଚାଳିଆ ଉପରେ ଶୁଖି ଆସୁଥିବା ମଞ୍ଜିଆ ମଞ୍ଜିଆ ଦରମଲା ପୋଇ ଲଟାର ଜାଲ, ବାରିପଟେ ନନ୍ଦଭଙ୍ଗା କୂଅ, ଅଳ୍ପ ଛାଡ଼ି କାଗେଜି ଗଛ, କମଳା ଗଛ, କଦଳୀବାରି । ତଳ ବାରିରେ ଅଧପୋତା ହୋଇ ପଡ଼ିଛି ଏକ ଦଳୁଆ ପୋଖରୀ, ବାଉଁଶ ବଣ ଓ କିଆକସାରି ଗଛର ଜଙ୍ଗଲ । ଆମ୍ବତୋଟାରେ ପୁରୁଣା ଆମ୍ବଗଛମାନ ଯେ ଫଳେ ନାହିଁ, ଫଳିଲେ ଖାଲି ଗୁରୁଡ଼ି । ବୁଢ଼ା ନଡ଼ିଆ ଗଛ ମାଳ ମାଳ, କେବଳ ଚିଲ ବାୟାଚଢ଼େଇ ମାଙ୍କଡ଼ଙ୍କୁ ବସା ଯୋଗାଏ । ନଡ଼ିଆ ଫଳିଲେ ହୁଏ ଭୂତଖିଆ । ଅନୁମାନ କରି ହେଉଛି, ଏମିତି ତ ହୋଇଥିବ ଯେପରି ଦେଶ ଗୋଟାକାର ସବୁ ପୁରୁଣା ଖାନ୍ଦାନି ଘର, ଯାହାର ଖାଲି ନାଁ ଟା ରହିଯାଇଛି ଆଉକିଛି ରହି ନାହିଁ । ଦେଉଳ ଥିଲେ ଥିବେ ପଳପଲ ଦେଉଳିଆ ପାରା, ଚେମେଣି, ଆଉ ସେ ଆରଜାତି, ଧଳାକଳା ମିଶା ଟିକି ଚଢ଼େଇ, ତାଙ୍କର ଗୋଲ ମୁହଁ । ଭଙ୍ଗା କୋଠାଘରେ ସେହିମାନେ ବାସିନ୍ଦା । ତାଙ୍କରି ଲଦାଲଦି ଲଣ୍ଡିର ଗନ୍ଧ ହିଁ ପୁରୁଣା ଆଭିଜାତ୍ୟର ଦେହର ଗନ୍ଧ । ଏ ଢିଅରେ ପୁରୁଣା ଜନ୍ତୁମାନେ ଥିବେ, ବଳାଗଣ୍ଠିଏ ମୋଟ ନାଗ ଗୋଖର, ଡିହଢମଣା, ବୁଢ଼ା ଗୋଧି । ଆଉ ଏଠି ଥିବ କିମ୍ବଦନ୍ତୀ, କେଉଁଠି ଲେଖାହୋଇ ନାହିଁ, ଯେ ଜାଣେ ସେ ଜାଣେ ପୋତା ସୁନା ଯକ୍ଷ ହୋଇଯାଇଛି । ନିଶା ରାତିରେ ଆଲୁଅମୟ କରି ସେ ବୁଲେ, -କିଏ ଏପରି କହୁଥିବେ । ହେଇ ସେ କଣରେ କି କେଉଁ କଣରେ ରାତିରେ ବୁଲୁଥିବ ଭୁଆଷୁଣୀଟିଏ ବିକଳ ହୋଇ କାନ୍ଦୁଥିବ, ଲୋକେ କହୁଥିବେ କାହାର ସେ ଅମୋକ୍ଷ ପ୍ରେତାତ୍ମା, କେତେ ପ୍ରେତଙ୍କ ନାଁ କହୁଥିବେ । ସବୁ ଅନୁମାନ କରିହେଉଛି । ଯେତେବେଳେ ନିଶା ରାତିରେ ଜୁଳୁଜୁଳିଆମାନେ ବସି ବସି ଝକ୍‌ଝକ୍‌ ହେଉଥିବେ ତରାଟ ଫୁଲପରି, କି ନିଶବଦ ଜହ୍ନରାତିରେ ଭଙ୍ଗା ଅଧାକାନ୍ଥୀ ସେପଟେ ପୁରୁଣା ଆମ୍ବଗଛ ଉପରେ ଯେତେବେଳେ ପେଚା ବୋବାଉଥିବ ଡାକୁଥିବ କେଉଁ ଶୋଇଲା ଅତୀତକୁ ଉଠିବାକୁ, ତା’ର କଳ୍ପନାରେ ଉଉଁଥିଲା ସେ ବି । ଚୌଧୁରି ଘର ଉଆସ । ଝାଲରଲଗା ତାମ୍‌ଜାନ । ମଗରମୁହାଁ ପାଲିଙ୍କି, ତା’ର ବନୋଉତ କନା, ମଖମଲି ମାଣ୍ଡି ଗଛପଲଙ୍କ ମୟୂର ପରର ବିଞ୍ଚଣା, ଘଷାରୂପାର ଦର୍ପଣ । କେଉଁଠି ରହୁଥିଲା ସେ ସବୁ, ଗଲା କୁଆଡ଼େ ? ଦଳ ଦଳ ପୋଇଲି ପରିବାରୀ ପଲ ପଲ ଚାକର ଫରମାସ୍‌ଦାର୍‌ ଗୋଡ଼ାଣିଆ ପଲ ପଲ,-କୁଆଡ଼େ ଗଲେ ସେମାନେ ? ଏମିତି ଏଇ ରଙ୍ଗଣୀଫୁଲ ବର୍ଣ୍ଣର ପାଟ ଲୁଗାମାନ,-ନେତ ବର୍ଣ୍ଣର, ସୁନା ହଳଦି ବର୍ଣ୍ଣର ଟୋପି ଟୋପିକିଆ ଆଉ ତହିଁରେ ସୁନାଜରି ରୂପା ଜରିର କାମମାନ, କାହିଁ କୁଆଡ଼େ ଲୁଚିଲା ସେ ସବୁ ପାଟ ?

 

ମାଳ ମାଳ ଭଣ୍ଡାର ଆଉ ଧାନଗାଦି, ଶହ ଶହ ଗାଈଗୋରୁ କୋଡ଼ି ଗଣତିରେ କାମ କରିବା ଲୋକ, ଅନୁସରଣିଆ, ଗୋଡ଼ାଣିଆ, ଅସୁମାରି ଘରଚଟିଆ ଚଢ଼େଇ, ପାରା-ସେହି ଯେଉଁମାନେ ସମୃଦ୍ଧିକୁ ବାସ୍ନା ପାଇ ବୁଝିପାରନ୍ତି, ପୁଣି ବିଲେଇ, ମୂଷା, ଯୁଆଡ଼େ ଦେଖିଲେ କିଲିବିଲି ହାଉ ହାଉ ହୋଇ ବ୍ୟସ୍ତତା, ଚଞ୍ଚଳତା, ବାରଭାଇ କୁଟୁମ୍ବ ଏକାଠି ତାହାରି ଭିତରେ ମୁଣ୍ଡରେ ବେଣ୍ଟ ଦେହରେ ନାମାବଳୀ ମୁହଁଯାକ ଚିତା କେଉଁ ବୁଢ଼ା ଚେକା ପକେଇ ବ୍ୟାସାସନ ଆଗରେ ବସି ଆରପାଖକୁ ତାଳପତ୍ର ନେଇ ନିବିଷ୍ଟ ମନରେ ଲେଖନ ମୁନରେ ପୋଥି ଲେଖୁଛନ୍ତି, ସେହି ଯାହା କହନ୍ତି, ‘‘ଭଗ୍ନପୃଷ୍ଠ କଟିଗ୍ରୀବା ତୁଲ୍ୟ ଦୃଷ୍ଟି ଆଧୋଽମୁଖଃ-ଦୁଃଖେନ ଲିଖିତଂ ଗ୍ରନ୍ଥ ପୁତ୍ରବତ୍‌ପରି ପାଳୟେତ୍ ।’’ କିଏ କ’ଣ ଲେଖିଥିଲେ ? କେବେ ? ଲାଗୁଛି ହିଁ ଲେଖିଥିଲେ । ମାଟି ମାଡ଼ୁ ମାଡ଼ୁ ସବୁ ମନେ ପଡ଼ିଯାଉଛି । ଏହିପରି ତ ସବୁଠି ସବୁ ଘରେ ଏ ଓଡ଼ିଶା ଦେଶଟାଯାକ, ଆଉ ୟେ ତ ସେକାଳର ଉଆସ ।

 

କେତେ କିଏ ଲେଖିଗଲେ, କିଏ ପଢ଼ିଲେ, କିଏ ଭୋଗବିଳାସ କଲେ । ଯେ ଯାହା କଲେ ତ କଲେ ପୁଣି ଗଲାବେଳେ ଏମିତି ଗଲେ ଯେ ଏ ଖାନାବାଡ଼ି ଭିତରୁ ଚାକୁଣ୍ଡା ଅରମା ଓପାଡ଼ିବାକୁ ବି କେହି ରହିଲେ ନାହିଁ ।

 

ତେବେ ଅଥୟ ନାହିଁ, ଚାକୁଣ୍ଡାର ବି ଶେଷ ଅଛି ପରା । ଚାକୁଣ୍ଡା, କଣ୍ଟାନେଉଟିଆ, ଡେଙ୍ଗାଖଡ଼ା, ରଙ୍ଗଣୀ ଆଉ ଈଶ୍ୱରଜଟାର ଘଞ୍ଚ କାନ୍ଥ ଟପି ଛବିବୋଉ ତାକୁ ଯେଉଁଠି ପହଞ୍ଚାଇଲେ ସେଠି ଦୁଆରେ ଘାସଟିଏ ବି ନାହିଁ । ନିର୍ମଳ ହୋଇ ଗୋବର ଲିପା ହୋଇଛି । ମଝିରେ ପଥରରେ ଏକ ଅତି ସୁନ୍ଦର କାରୁକାର୍ଯ୍ୟ ଚିତ୍ର ହୋଇ ତିନି ହାତ ଉଞ୍ଚ ଦେଉଳ, ନାଲ କଳା ପଥରରେ ତିଆରି-। ତା’ର ଦହିନଉତି ଉପରେ ଝଙ୍କା ହୋଇ ବୃନ୍ଦାବତୀ ଗଛ ।

 

ତାହାରି ପଛପଟେ ତିନି ବଖୁରିଆ ହୋଇ ଲମ୍ବହୋଇ ଧାଉଡ଼ିଏ, ଆଡ଼ପଟେ ଦୋଟି ଚାଳି, ରୋଷେଇ ଘର ଓ ଢିଙ୍କିଶାଳ । ନଈବନ୍ଧ ଆଡ଼କୁ ପଛକରି ମାଟି ଉପରେ ଚାଳହୋଇ ଦମ୍ଭକରି ତିନି ବଖରା ବସିଛି । ସୁନ୍ଦର ପଥରବନ୍ଧା ପିଣ୍ଡା ପଥରର ପାହାଚ, ସେ ପଥରରେ ବି ସ୍ଥାନେ ସ୍ଥାନେ କାରୁକାର୍ଯ୍ୟ, ଯେପରିକି କାରୁକାର୍ଯ୍ୟମୟ ଭଙ୍ଗାଘର କି ଦେଉଳରୁ ଖଣ୍ଡ ଖଣ୍ଡ ପଥର ବୋହିଆଣି ଏଠି କିଏ ସଜେଇ ଦେଇଛି । ପିଣ୍ଡାତଳେ ଅଳ୍ପ ଚେକାଏ ଲଙ୍କାମରିଚ ଲାଗିଛି, ସୂର୍ଯ୍ୟମୁଖୀ ଲଙ୍କା ଗୋଛା ଗୋଛା ବାଇଗଣି ବର୍ଣ୍ଣ ହୋଇ ଗୋଜିଆ ଗୋଜିଆ ଅଗ ଉପରକୁ ଟେକିଦେଇ ଠିଆ ହୋଇ ରହିଛି । ପୂର୍ବକୁ ଗୋଟିଏ ସାନ କଦଳୀବାରୀ, ଏକାଠି ପାଞ୍ଚ ସାତ ବୁଦା କାନ୍ଦିଟିଏ ଓହଳିଛି । ପଶ୍ଚିମପଟେ ଦୁଇଟି ଉଞ୍ଚ ସଜନାଗଛ, ତା’ର ବିଶାଳ ଗଣ୍ଡି, ଚାରିଆଡ଼କୁ ବହୁତ ଶାଖା ମେଲି ଦେଇଛି ସେ ଯେପରିକି ଲେଉଟି ପଡ଼ିଥିବା ଛତାକାଠି । ତା’ ସେପାଖରେ ଅନ୍ୟ ଘରର ଚାଳ ।

 

ଏ ଘର ଦୁଆରୁ ଘର ଭିତରକୁ ଜଣେ ଧାଇଁ ପଳାଇବାର ରବି ନିଘା କଲା । ଗୋଡ଼ରେ ଧଳାକନାର ପଟି ବନ୍ଧା ହୋଇଛି, କନାପଟି ନୁହେଁ ନାଁ ଦସ୍ତଖତ୍ । ଚକିତ ଚକିତ ଚଞ୍ଚଳ ଆଖି ଦୋଟି, ହସୁଥିଲା କି ନାହିଁ ସେ ଆଖି ? ରବିର ମନ ଭିତରେ ସେହି ଏକ ନୂଆ ସମସ୍ୟା । ବିଜୁଳିର ଝଲକପରି ସେହି ଜହ୍ନିଫୁଲ ବର୍ଣ୍ଣର ହାତଗୋଡ଼ ଚମକି ଉଠି ଲହଡ଼ିପରି ପଡ଼ିଉଠି ମୁହୂର୍ତ୍ତକେ ଅନ୍ଧାର ଭିତରେ କେଉଁଠି ଲୁଚିଗଲା ତା’ ସଙ୍ଗରେ ଆଞ୍ଜୁଳାଏ ହସ ବି ବିଞ୍ଚିହୋଇ ପଡ଼ିଥିଲା କି ନାହିଁ-? ହୁଏତ ସାମ୍ନାରେ ଯେତେ ଅନ୍ଧାର ଦିଶୁଛି ପ୍ରକୃତରେ ସେତେ ଅନ୍ଧାର ନୁହେଁ । ସେଇଠି କେଉଁଠି ଖଞ୍ଜିହୋଇ ରହିଥିବ ସେହି ମୁହଁଟି, ଆଖି ଦୋଟି କୁତୂହଳରେ ଚିକ୍‌ଚିକ୍‌ ଦିଶୁଥିବ ସେହି ଅନ୍ଧାର ଭିତରେ ।

 

ସଜନାମୂଳକୁ ଚାଲିଯାଇ ଛବିବୋଇ ସେପଟର ଅରମା ଉଦ୍ଦେଶ୍ୟରେ ପାଟି ଛାଡ଼ିଦେଲେ–‘‘ଆଲୋ ଗୁରୁବୋଉ !’’ ସଙ୍ଗେ ସଙ୍ଗେ ଚାକୁଣ୍ଡା ଗହଳି ସେପଟୁ ଶବଦ ଉଠିଲା ‘‘ଓ–’’, ଲଙ୍ଗଳା ହୋଇ ଆଠ ନଅ ବର୍ଷର ପିଲାଟିଏ ଦଉଡ଼ି ଆସିଲା, ସଙ୍ଗରେ ଗୋଟିଏ କୁକୁର । ଅଚିହ୍ନା ଲୋକ ଦେଖି ଭାଲୁ ଭୁକି ଭୁକିକା ପଛେଇ ପଛେଇ ଚାରି ଛ ପାହୁଣ୍ଡ ଗଲା, ମୁତିଲା, ବେକକୁ ଆଗକୁ ଓଟାରି ନାକପୁଡ଼ା ଫଣକେଇ ଫଣକେଇ ରବିର ଚାରିକରେ ବୁଲି ଆଗକୁ ପାହୁଣ୍ଡେ ତ ପଛକୁ ଛ ପାହୁଣ୍ଡ ଏହିପରି କୁଦା ମାରି ମାରି ଏପରି ଏକ କିଳିକିଳା ବୋବାଳି ଛାଡ଼ିଲା ଯେପରି କି ତା’ର ସବୁଯାକ ଅଭିଯୋଗ ନିରାଶାର କରୁଣ ହୋଇ ଫାଟିପଡ଼ୁଛି, ଅଥବା ଏଇ ତା’ର ଚରମ ଆର୍ତ୍ତନାଦ, ଏଣିକି ତା’ର ନଶ୍ୱର ମରପିଣ୍ଡ ତା’ର ଏ ପ୍ରିୟ ଭୂଇଁରେ ଟଳି ପଡ଼ିବ । ଲଙ୍ଗଳା ପିଲାଟି ତା’ର ମୁଣ୍ଡ ଆଉଁଶି ପିଠି ଆଉଁଶି ପିଠି ଉପରେ ସବାରହୋଇ ଚଢ଼ି ପଡ଼ିଲା । ଭାଲୁ ଠାଏ ବସିପଡ଼ି ମଝିରେ ମଝିରେ ଆସ୍ତେ ଆସ୍ତେ ତା’ର ଅଭିଯୋଗ ଆବୃତ୍ତି କଲା, ଯେପରିକି ଯେ ଯେତେ ବୁଝାଇଲେ ବି ତା’ର ମନ ବୁଝୁନାହିଁ ଯେ ବାହାରର ମଣିଷ ଚୌଧୁରି ଉଆସ ଦୁଆରକୁ ବାରିବାଟେ ପଶି ଆସିବ, ପୁଣି ସେ ଜୀଇ ଥାଉଁ ଥାଉଁ ।

 

‘‘ଆମ ଦେଢ଼ଶୁରଙ୍କ ନାତି’’,-ଛବିବୋଉ କହିଲେ, ‘‘ଏତିକି ଫୁଙ୍ଗା ଏ ପିଲା, ଯେତେ ପିନ୍ଧେଇ ଦେଲେବି ଦେହରେ କିଛି ରଖିଦିଏ ନାହିଁ । ଏଣେ ଯାଇ ଚାହାଳିରେ ବସିଲାଣି । ଯା ଲୁଗା ପିନ୍ଧିଆ, ଯିବୁଟି, ସୁନାଟି ପରା-’’

 

‘‘ଉଁ, କାଇଁ ମୋ ଲୁଗା ?’’

 

‘‘ଅଛି ମ, ଯା ପିନ୍ଧିଆ ।’’

 

‘‘ହ, ପିଲାଲୋକ, ଲୁଗା ନ ହେଲେ କ’ଣ ହୋଇଗଲା ?’’ ରବି କହିଲା ।

 

‘‘ହ, ବାଇଆ ବାଇଟୂଙ୍ଗୁରିଟା’’, ରବିବୋଉ କହିଲେ, ‘‘ଗଣ୍ଡାଏ ମରି ମରି ଏଇ ଗୋଟାକ ଯମ ଅଇଁଠା ।’’ ଆସି ପହଞ୍ଚିଲେ ଜଣେ ଜୀର୍ଣ୍ଣାଶୀର୍ଣ୍ଣ ସ୍ତ୍ରୀଲୋକ । ଗୁର କୁକୁରକୁ ଛାଡ଼ିଦେଇ ଡିଆଁଟାଏ ମାରିଦେଇ କହିଲା, ‘‘ବୋଉ ହେଇତି ଦେଖ୍ ।’’

 

ନାକତଳ ଯାକେ କାନିରେ ଢାଙ୍କି ସେ ମହିଳା କହିଲେ, ‘‘କିଏ ବା ?’’

 

‘‘ଇଲୋ ଗୁରବୋଉ, ଆ ବା ପାଖକୁ, କାହାକୁ ନାଜ କରୁଛୁଲୋ । ୟେ ପରା ବନ୍ଧମୂଳ ବଟ ମହାନ୍ତିଙ୍କ ପୁଅ, ହେଇତି ଦେଖୁନୁ,-ଆମର ପୁରୁଣା ବନ୍ଧୁପରା ।’’ ‘‘ଇଲୋ ଅପୂରୂବ’’ ସରୁ କଣ୍ଠରେ ଧ୍ୱନି କରି କରି ଗୁରବୋଉ ଆସି ପହଞ୍ଚିଗଲେ । କହିଲେ, ‘‘ଇଲୋ ଏ ଅପୂରୁବ ତେମେ କୋଉଠୁ ପାଇଲ ବା ଅପା, ଏପୁଣି ଆମ ଥଟା ମଣିଷ ? ଥଟା କଲୁଣି କି ନାଇଁ ବା ?’’

 

ଓଢ଼ଣା ତଳେ ମୁହଁଟି କେଉଁଠି ଲୁଚିଯାଇଛି । ହାଡ଼ ଚମକୁ ଘୋଡ଼ାଇ ରଖି ଗୋଟିଏ ମଇଳା ଲୁଗା ବତାଉପରେ ଖୋଳ ପରି ଝୁଲୁଛି । ଲଙ୍ଗଳା ଗୁର ତାଙ୍କ କୋଡ଼ଆଡ଼କୁ ଆଉଜିଗଲା । ଚିଁ ଚିଁ ହୋଇ ହସ ଶୁଭିଲା, ମାଟିକି ଚାହିଁ ଗୁରୁବୋଉ କହିଲେ, ‘‘କାହିଁ ଦିନେ ନାହିଁ କାଳେ ନାହିଁ, ଏ କୁଣିଆ କୋଉଠି କେମିତି ଗଡ଼ି ପଡ଼ିଲେ ମ, ନା କ’ଣ ସ୍ୱପ୍ନ ଦେଖିଲେ ? ଗୋଡ଼ ଧୋଇବାକୁ ପାଣି ଢାଳେ ଦେଉନା । ବସିବାକୁ ଆସନ ଦେଉନା, କି କୁଣିଆ ଚର୍ଚ୍ଚା କରିବ ମ ?’’

 

ରବିବୋଉ କହିଲେ, ‘‘ଛିଆଲୋ ମେଞ୍ଚଡ଼ଟା ସଙ୍ଗେ ଲାଗୁଛି ।’’ ଗୁରବୋଉ କହିଲେ, ‘‘ମେଞ୍ଚଡ଼ କିଏବା ? ବାହା ହୋଇଥିଲେ କ’ଣ କହନ୍ତି ସାତଟାର ବାପ ହୁଅନ୍ତେଣି । ନାଇଁ ହେ କୁଣିଆ ।’’

 

ପିଣ୍ଡା ଉପରେ ସପ ପଡ଼ିଲାଣି । ସେ ବସିଲାଣି, ଗୁରବୋଉ ଡାକି ସାରିଲେଣି, ‘‘ଆଲେ ଛବି, ପାନ ଡାଲାଟା ବଢ଼େଇ ଦେବୁଟିଲୋ ।’’ ଘରୁ ନ ବାହାରି ଆଖିପିଛଡ଼ାକେ ଗୋରା ହାତ ଦୁଇଟି ଦେଖାଇ ପାନ ବାକ୍‌ସକୁ ପଦାକୁ ବଢ଼େଇଦେଇ ଛବି ପୁଣି ତା’ ହାତ ସହିତ ଅନ୍ଧାରର ମିଶିଗଲାଣି । ଛବିବୋଉ ଖଟର ଖଟର କରି ଗୁଆ ଭାଙ୍ଗୁଛନ୍ତି, କହୁଛନ୍ତି, ‘‘ଚୌଧୁରି ଯାଇଛନ୍ତି ଚାହାଳି କରି, ଆସୁଥିବେ ମନକଲେ । କି ଖରା କି ବରଷା କି ଶୀତ, ଚାହାଳି ହବଇ ହବ । ପିଲା ତ ପିମ୍ପୁଡ଼ି ମନ୍ଦା ପରି ଲାଗିଥିବେ । ଚାହାଳି ଅବଧାନ କାମ ସେହି ଏକା ମାଟିବଂଶକୁ ସାଜେ ସିନା-। ସେ କହନ୍ତି ସେଇଟା ଭାରି ବଡ଼କାମ, ପୂର୍ବଜନ୍ମ ସୁକୃତ ଥିଲେ ମଣିଷ ପିଲାଙ୍କୁ ବିଦ୍ୟାଦାନ କରିପାରିବ, ନ ହେଲେ ନାଇଁ । ତାଙ୍କର ଭାରି ସୁକୃତ କିନା । ସେଇଥିପାଇଁ ଜମିଦାର ଗଲା, ଘର ଭାଙ୍ଗିଲା । ଆଗେ ବଡ଼ ଚାକିରି କରିଥିଲେ ବିଦେଶ ଗଡ଼ଜାତମାନଙ୍କରେ ଥିଲେ ସେ ବି ଗଲା, ଶେଷରେ ଖାଲି ନାଁ ଟା ଆଉ ଚାହାଳି ଖଣ୍ଡକ ।’’

 

‘‘ଆଉ ଦିଟା ଦରବ ଛାଡ଼ିଗଲମ ଅପା’’, ଗୁରବୋଉ ନବଜ ଲଗାଇଲେ କହିଲେ, ‘‘ଗୋଟିଏ ତାଙ୍କର ଅରଟଟା, ଆଉ ଗୋଟାକ ଏକ କନ୍ୟାରତ୍ନ ।’’ ଘର ଭିତରେ କ’ଣ ଗୋଟାଏ ଧଡ଼କିନା ପଡ଼ିବାର ଶୁଣାଗଲା । ଗୁରବୋଉ କହିଲେ, ‘‘ଆଲୋ ଦେଖମ ଅପା । ସେ ଘରେ ବିଲେଇଟାଏ ପଶିଚି କି କ’ଣ ଦେଖ ।’’ ଛବିବାଉ କହିଲେ, ‘‘ଯାଇ ତୁଇ ଦେଖଲୋ ମା’, ତୋ କଥା-।’’

 

ରବି ବିସ୍ମିତ ହୋଇ ଆପଣା ପରିସ୍ଥିତିକୁ ନିଘା କଲା । କେବେ ଦେଖାଚାହାଁ ଜଣାଣୁଣା ହୋଇନାହିଁ, ଅଥଚ ଜଣେ ତାକୁ ଥଟ୍ଟା କରିଯାଇଛି ମନଇଚ୍ଛା ଆଉ ଜଣକର ସ୍ଥିର ସହାନୁଭୂତି, ଉଭୟଙ୍କଠୁଁ ସହଜ ଆନ୍ତରିକତା ।

 

ଛବିବୋଉ ବୁଝେଇଲେ, ‘‘ସରଦେଇପୁର ଜାଣିଚ ? ସେଇଠି ଗୁରବୋଉର ବାପଘର । ଚେମ ତା’ ବଡ଼ବାପପୁଅ ଭାଇ. ସେ ସେଟଲମେଣ୍ଟ ଅମିନ କାମ କରନ୍ତି, ତେମେ ଚିହ୍ନିଥିବ ।’’

 

ରବି ତା’ର ସ୍ମରଣ ଅଣ୍ଡାଳିଲା, ଚେମ, ସେଟଲମେଣ୍ଟ ଅମିନ, ସେଠି କେଉଁଠି ଏକଥା ଲେଖାନାହିଁ–

 

ଅପୋକ୍ଷା କରିବାକୁ ହେବ । ମଣିଷର ସମ୍ପର୍କର କାହାଣୀ ଅଛିଣ୍ଡା ଏହିପରି ଭାବି ରବି ଅପେକ୍ଷା କଲା । ଛବିବୋଉ କହିଲେ-

 

‘‘ଦି ପୁରୁଷ ଛଡ଼ା ହେଲେ ହେବ, ଏକା ରକ୍ତ ତ । ପୁଣି ଏକା ଘର ଚେମର ତାକୁ ଯେଉଁ ଲୋଭ ଯେ ଦେଖିବ ଯେ କେଉଁ ଭାଇ ଭଉଣୀକି ଏଡ଼େ ସୋଗ କରିବ । ଏବେ ସିନା ବୁଢ଼ା ହୋଇଗଲା-’’

 

‘‘ଏଁ କି ବୁଢ଼ା କ’ଣ ବାଇଗଣ ନା ଭେଣ୍ଡି ? ମୋ ଭାଇଟା... କହୁଚ କ’ଣ ନା ବୁଢ଼ା ?’’ ଗୁରବୋଉ କହିଲ ।

 

‘‘ଇଲୋ ତୋ ଭାଇକି କେହି ନେଇ ପଳୋଉନାହିଁ ବା, ସେମିତି କାହିଁକି ହଇଚୁ । ହଁ ଶୁଣ, ଚେମଙ୍କ ଶଶୁରଘର ଚନ୍ଦରିଗାଁ, ସେଠି ତମ ବୋଉଙ୍କ ପିଉସୀ ଘର, ତମ ବୋଉଙ୍କ ପିଇସାଙ୍କର ଚେମଙ୍କ ଶଶୁର ଖୁଡ଼ୁତା ଦେଢ଼ୁତିଆ ଭାଇ, ଏକା ଖଞ୍ଜ । ସେଥିପାଇଁ ଗୁରବୋଉ ତମକୁ ଭାଇଶଳା ଲେଖା କରୁଛି । କ’ଣ ସେଇଠି ସଇଲା ? ନାହିଁ । ତମ ବାପାଙ୍କ ମାଉସୀଘର ପରା ମୋ ବାପଘର ଖଞ୍ଜାରେ ମୁଁ ପିଲାଟିଏ ହୋଇଥାଏ, ତମ ବାପା ଆମଘରକୁ ଆସନ୍ତି ଦେଖିଛି-। ବନ୍ଧୁପଣ ଗାଇବସିଲେ ଅଇଛା ମାଳିକା ଲାଗିଯିବ, ସବୁ ଛନ୍ଦାଛନ୍ଦି ମ, ଯାହାକୁ କହନ୍ତି ଛେଳି-ଗୋତ୍ରୀ ।’’

 

ରବି ହସିଦେଲା ।

 

ଗୁରବୋଉ କହିଲେ, ‘‘ବନ୍ଧୁପଣ ଏଇଠି ସଇଲା ନାଇମ, ଫେର୍‌ ଲଗେଇଲେ ଲାଗିଲା, ନା କ’ଣ କହୁଚ କୁଣିଆଁ ?’’

 

‘‘ଥାଉଲୋ ଗୁରବୋଉ’’, ଛବିବୋଉ କହିଲେ, ‘‘କାହିଁକି ମିଛରେ ପିଲାଟା ସାଙ୍ଗରେ ଲଗେଇବୁ । ଆଉ କି ବନ୍ଧୁପଣ ?’’ ରବିର ଛାତି ଦବି ଦବି ଗଲା । ଟିକିଏ ରହି ଛବିବୋଉ କହିଗଲେ, ‘‘ସେ ଦିନ ନାହିଁ, ସେ ସ୍ନେହ ନାହିଁ ସେକାଳ ଗଲାଣି ।’’ ଦୀର୍ଘ ନିଶ୍ୱାସ ପକାଇ କହିଲେ, ‘‘ସେତେବେଳେ ନୋତା ଗୋତା ଅନ୍ଦି ସନ୍ଧି ଖୋଜି ଲୋକେ ହିସାବ କରି ଯୋଡ଼ୁଥିଲେ । ଭାର, ସଙ୍ଖୁଳା, ବେଭାର, ଭୋଜି ଲାଗିଥିଲା । ନିମିତ୍ତ ପର୍ବ ହେଲେ ସମସ୍ତେ ଏକାଠି । ଏକାଳେ କାହିଁ ତା-? ଏକାଳେ ଅଛି ଯେ ଆପଣାସାର୍ଥିକା ସମସ୍ତେ, ଭାଇକି ଭାଇ ପଚାରୁନାଇଁ, ବାପକୁ ପୁଅ ପଚାରୁ ନାହିଁ । ଅଳପ ପଢ଼ିକରି ଯୋଉ ବୁଦ୍ଧି ବେଶୀ ପଢ଼ିକରି ସେହି ବୁଦ୍ଧି । ଆଗ କାଳେ କୁଆଡ଼େ ଥିଲା, ଗାଁରେ ସମସ୍ତେ ନ ଖାଇସାରିବାଯାକେ ଗାଁର ମୁରବୀ ଲୋକ ପତରରେ ବସୁ ନ ଥିଲେ, ଅଇଛା କ’ଣ କେହି ସେମିତି ଭାବୁଛି ? କିଏ ବଞ୍ଚିଲେ ବଞ୍ଚୁ କିଏ ମଲେ ମରୁ, କିଏ କାହାଘରେ ଖାଉ କି ଉପାସରେ ଗଡ଼ୁ, ଆଉ କାହାର କି ଯାଏ ? ଆପଣା ପେଟ ପୂରିଲେ ସଇଲା ।’’

 

ଗୁରବୋଉ କହିଲେ, ‘‘ଖାଲି ଆପଣା କଥା, ଆଉ କାହା କଥା ନୁହେଁ । ଏ ପରା କଳିକାଳ, ଖାଲି ଛନ୍ଦ ମନ୍ଦ ସ୍ୱାର୍ଥ । ବାହା ସପ୍ତମଙ୍ଗଳା ବାସି ତିଆସି ଦିନ ଘରେ ବୁଢ଼ାବୁଢ଼ୀଙ୍କି ଆଉ ବଡ଼ ବଡ଼ିଆଙ୍କୁ ପକାଇ ଦେଇ ବର ପଛେ ପଛେ ନୂଆବୋହୂ ବି ଚାଲିବେ ବିଦେଶ ।’’

 

‘‘ଛାଡ଼,-’’ ଛବିବୋଉ କହିଲେ । ଆଜିକା କାହାଣୀ ଫେର ଆଉଥରେ ଗୁରବୋଉଙ୍କ ଆଗେ ବର୍ଣ୍ଣନା କଲେ । ଗୁରବୋଉ ଯେପରିକି ନୂଆକରି ଶୁଣୁଛନ୍ତି ସେହିପରି ଭାବ ଦେଖାଇଲେ ।

 

ଛବିବୋଉ ଛୁଟ୍‌କିନା ଘର ଭିତରକୁ ଉଠିଗଲେ । କଥା କହୁ କହୁ ସେହି କ୍ଷଣିକା । ଗୋଟଏ ଥାଳିଆରେ ଚୁଡ଼ା, ଛେନା, ଗୁଡ଼ ଏକାଠି ଚକଟିଆଣି ପାଖରେ ଥୋଇଦେଲେ, ବଳେଇ କହିଲେ, ‘‘ଏତକ ସାରିବାକୁ ପଡ଼ିବ ।’’ ସାମ୍ନାରେ ସେ ଦୁହେଁ, ଅନ୍ଧାର ଭିତରେ ଆଉ ଜଣେ, ଲାଜରା ହୋଇ ରବି ସତେ ସତେ କୁଣିଆଁ ହୋଇଗଲା ।

 

କିନ୍ତୁ ଆଲୁଅ ବି ଶେଷ ହୋଇଆସିଲାଣି, ତା’ ସଙ୍ଗେ ସଙ୍ଗେ ଉତ୍ସାହ ନିଭି ନିଭି ବଢ଼ି ଉଠିଲାଣି ଉଦବେଗ, ଯେତେ ଯୁକ୍ତି ସେତେ ବେଶି ଡେରି ହେବ ଭାବି ଯୁକ୍ତି ସମାପ୍ତ କରିଦେଇ ମୁହଁକୁ ତଳକୁ ପୋତି ସେ ସାମାନ୍ୟକିଛି ଖାଇନେଲା । ଖାଉ ଖାଉ ସେମାନେ ତା’ର ଆତ୍ମକାହାଣୀ ପଚାରିଲେ, ପାଠପଢ଼ାଠୁ ନିଯୁକ୍ତି ଯାକେ । ଧୀରେ ଧୀରେ ପରେ ଲାଜ ତୁଟିଗଲା । ଆପଣା ଘରେ ଘର ଲୋକଙ୍କ ଆଗରେ କଥା କହିଲାଭଳି ସେ ଗପିଗଲା ତା’ର ନିଷ୍ପତ୍ତି, ଯୁକ୍ତି ବି କିଛି । ସେମାନେ ତା’ ମତକୁ ସମର୍ଥନ କଲେ, ତାକୁ ଳାଗିଲା ସେ ଯେପରିକି ନୂଆ ଧର୍ମ ଆବିଷ୍କାର କରି ପ୍ରଚାର କରୁଛି ଆଉ ଏ ଦୁହେଁ ତା’ର ପ୍ରଥମ ଶିଷ୍ୟ ସେହିପରି ଏକ ଅନ୍ତରଙ୍ଗପଣ ଓ ମନର ପୁଲକ ସେ ଅନୁଭବ କଲା । ସମର୍ଥନ କରି ଛବିବୋଉ କହିଲେ-

 

‘‘ନ ହେଲେ ନାଇଁ ସେ ଚାକିରି, ତମର କ’ଣ କ୍ଷତି ହେବ ? ୟାଙ୍କ କଥାକୁ ଏବେ ଦେଖ, ତିନିଥର ଚାକିରି କରି ତିନିଥର ଛାଡ଼ିଛନ୍ତି, ଚାକିରି କରୁ କରୁ ଏଣେ ସମ୍ପତ୍ତି ଉଜୁଡ଼ିଗଲା । ଏତିକି ନା ସାର ? ଆଉ କ’ଣ ସମ୍ପାଦିଛନ୍ତି ? ଏ ଡିହରେ ଦେଖ ଯେ ଚାରି ଚାରିଜଣ ଚାକିରିଆ, ଦିଓଳି ମୁଠିଏ ଖାଇବା ମାନିଆ ଅର୍ଜିବାକୁ ଲୋକେ ହେଲେ ପରବାସିଆ, ଆଉ ବଳକା କିଛି କରିନାହାନ୍ତି । ଡିହର ଅବସ୍ଥାତ ଦେଖୁଚ । ମଣିଷ ଟିକିଏ ସୁସ୍ଥିରେ ଦଣ୍ଡେ ଘଡ଼ିଏ ବସି ନ ପାରିଲା, ଶାନ୍ତି ନ ପାଇଲା । ସୁଖ ନ ପାଇଲା ତ ସେ ବୃତ୍ତି କାହିଁକି ପାଏ ? ଆମକାଳେ ଚାକିରିକି ଲୋକେ ଏତେ ବଡ଼ କରିନଥିଲେ, ବଡ଼ ହୋଇଥିଲା ମାନ ମହତ ଆଉ ଶାନ୍ତି, ଦିହିଁକା ଦିହେଁ ଆପଣା ପିଣ୍ଡାରେ ବସିଲେ ମିଳୁଥିଲେ, ତେଣୁ ଚାକିରିକି ଏତେ ମନ ନ ଥିଲା ।’’

 

ଗୁରବୋଉ କହିଲେ, ‘‘ମଣିଷ ଜନମଟା କ’ଣ ଚାକିରି କରିବାପାଇଁ ହୋଇଛି ? ମଣିଷ ଜନମଟା କେଉଁଥିପାଇଁ ହେଇଚି ଜାଣିଲଣିନା ?’’ ହସିଦେଇ ହଠାତ୍‌ ପଚାରିଲେ, ‘‘ତୁମେ ବାହା ହେଲଣି ?’’

 

ରବି ଆପଣାକୁ ଆପେ କଥା କହିଲା ପରି କହିଲା, ‘‘ମୁଁ ବିଭା ହେବି ନାହ ।’’ କେମିତି ଅସ୍ୱାଭାବିକ ଶୁଭିଲା ଆପଣା କାନକୁ ଆଗ । ଗୁରବୋଉ କହିଲେ, ଠିକ୍‌ କହିଚ କୁଣିଆ, ତମେ ବିଭା ହେବ ନାହଁ । ଯେ ଏକଥା କ’ଣ ତେମେ ନୂଆକରି କହିଲ ? ତମ ଆଗରୁ ତମ ବାପା, ତାଙ୍କ ଆଗରୁ ତାଙ୍କ ବାପା, ତାଙ୍କ ଆଗରୁ ତାଙ୍କ ବାପା, ସମସ୍ତେ ଏମିତି ଦିନେ କହିଥିଲେ । ଖାଇ ପିଇ ଡେଇଁବାଲୋକ, ତୁଚ୍ଛାକୁ କାହିଁକି ମଣିଷ ବାହାଦେବ ?’’

 

ଛବିବୋଉ ତାଳ ଦେଇ ଦେଇ ପାନ ଛେଚୁଛେଚୁ ହସି ପକାଇଲେ, କହିଲେ, ‘‘ଯାହା ଯେତେବେଳେ ହେବାର ଥିବ ତାହା ହେବ, ପିଲାଟା ସଙ୍ଗରେ କାହିଁକି ଏତେ ଫଟେଇ ହଉଚୁ ତୁ ବା ହଇଲୋ ଗୁରବୋଉ ।’’

 

ଗୁରବୋଉ କହିଲେ, ‘‘ମତେ ଭୋଜିପିଠା ମିଳିବ ବୋଲି, ଆଉ କ’ଣ, ଆଉ କାହିଁକି ମୁଁ ଲଗେଇଚି କହ ? ଆଗରୁ କହିଥିଲେ, ସେତେବେଳେକୁ ଗରାସେ ମିଳିବ, ନା କ’ଣ, କହୁ ନା ମ କୁଣିଆଁ, ତମ ପାଟିରେ କ’ଣ ବେଙ୍ଗ ପଶିଚି କି ?’’ ଛବିବୋଉ ହସିଲେ । ଗୁରବୋଉ ଛାଡ଼ିବା ମଣିଷ ନୁହଁନ୍ତି, କହିଲେ, ‘‘ବେଳ ଥାଉଁ ଥାଉଁ ବାହା ହୋଇପଡ଼ିଥା, ହୋ ଭାଇଶଳାଏ, ପଛକୁ ଦାନ୍ତ ପଡ଼ିଯିବ, ମୁଣ୍ଡବାଳ ଉପୁଡ଼ିଯିବ, ସେତେବେଳେକୁ ବାହାହେବି ବାହାହେବି ବୋଲି ବାଇଲାଗିଲେ ଆଉ ସୁଖ ମିଳିବ ?’’

 

ସମସ୍ତେ ହସିଲେ । ଅନ୍ଧାର ଭିତରୁ ହସ ଶୁଭିଲା ନାହିଁକି ? ଖେଁ ଖେଁ ହସ-କିନ୍ତୁ ଚାପିଲା ପରି ରବି ମନକୁ ମନ ଧନ୍ଦିହେଲା, କାନ ଦିଟା ଟାଙ୍କି ହୋଇ ରହିଥିଲା ସେହି ଶବ୍ଦ ବାରିବ ବୋଲି । ଆଉ ନାହିଁ, ସବୁ ଚୁପ୍‌ଚୁପ୍‌ । ପଦାରେ ଏଇ ହସ ଯେପରିକି ତା’ର ଘରକୁ ଯିବା ସଂକେତ । ସେ ଠିଆହେଲା ।

 

ଏଥର ଦୁଇ ମହିଳା ଆପତ୍ତି କଲେ, ‘‘ସତେ ତମେ ଆଉ ଯିବ ଏତେବେଳଟାରେ କାହିଁକି ? କ’ଣ ଶତ୍ରୁ ଘରେ ଅଛକି ? ଆଜି ରାତିଟା ଏଠି କଟେଇ କାଲିକି ଗଲେ ହେବ ନାହିଁ ? ଏତେବେଳଟାରେ କାହା ଘରୁ କେହି ଯାଏ ? ଚୌଧୁରି ଆସିବେ କ’ଣ କହିବେ ?’’

 

ପ୍ରତି କାରଣ ଖୁବ୍‌ ଟାଣୁଆ କାରଣ । କିନ୍ତୁ ଯିବାକୁହିଁ ତ ପଡ଼ିବ । ରବି ମନାକଲା, କହିଲା କାମ ଅଛି ।

 

ଦଣ୍ଡବତ । ଦଣ୍ଡବତ । ବୁଢ଼ାଟିଏ ହୋଇଥା । ଫେର୍‌ ଆସିବ ଭାଇଶଳା, ଚିହ୍ନାଜଣା ନ ଥିଲା, ମନକୁ ମନ ଡୋରି ଲାଗିଗଲା । ପୋଛିଦବ ନାଇଁ ମନରୁ ଭାଇଶଳାଏ, ବୋଉକୁ କହିବ ତମର କିଏ ଜଣେ ଗାତଚୁଲି ଅଛି ସେଏମିତି କହୁଥିଲା । ଦଣ୍ଡବତ । ଦଣ୍ଡବତ । ଆସୁଥିବ, ବାପା, ତୁମକୁ ଦେଖିଲେ ପେଟ ପୂରିଉଠୁଛି, ସତେ ଯେମିତିକି କୋଉଜନ୍ମର ଆପଣାର ମଣିଷ । କାଇଁକି ୟାଡ଼କୁ ତମ ପାଦ ପଡ଼ନ୍ତା ବାପା, ତେବେ ଆଜି ତେମେ ନ ଆସି ପହଞ୍ଚିଥିଲେ ଟୋକୀଟାର କି ଅବସ୍ଥା ହୋଇଥାନ୍ତା କେଜାଣିଟି । ମୁକୁରୀ ଟୋକି ପାଇଥାନ୍ତା ପାନେ କେମିତି କାମୁଡ଼ା ମାଙ୍କଡ଼ ସାଙ୍ଗରେ ଖୁରି ଲଗେଇବାକୁ ଯାଉଥିଲା । ଦଣ୍ଡବତ । ଦଣ୍ଡବତ । କୋଟି ପରମାଇ ହୋଇଥାରେ ବାପ । ଭାଇଶଳାଏ ଆମୁକୁ ଭୁଲିବନାଇଁ, ତମ ବୋଉକୁ କହିବ ବଡ଼ ବଡ଼ ଗୁଣ୍ଡା ଖାଇବେ । ଆଉ ତମୁକୁ ଏଠିକି ଆଣି ଭେଟେଇଲା ଯୋଉ ବୁଢ଼ା ଗେଧମାଙ୍କଡ଼ କେଡ଼େ ଦୟା ନ କଲାଟି ସେ, ଆଗ କାଲି ତାକୁ ପେଟେ ଭୋଜନ ଦବା । ଫେର୍‌ ଆସିବ କୁଣିଆଁ, ଭୁଲିବ ନାଇଁ ।

 

ଏମିତି ପୁଣି ବନ୍ଧ ପାଖ ହେବାଯାକେ । ଯାହାହେଉ, ରହିଲେ ସେମାନେ ପଛରେ । ଆଉଥରେ ସବୁଯାକ ଦୃଶ୍ୟ ମନଆଗରେ ଖେଳିଗଲା । ଲଙ୍ଗଳା ପୁଅଟି ମା’ କତିକି କତି ଲାଗି ଠେଲି ହୋଇ ମା’କାନିକୁ ଏକ ଧ୍ୟାନରେ ଚୋବେଇ ଲାଗିଛି, ଶୀର୍ଣ୍ଣ ମଣିଷଟି କେମିତି ଥରି ଥରି ତେଜି ଉଠୁଛି ଯେମିତିକି ଏକ ଦୀପଶିଖା । କି ଆଶା ଜଳୁଛି ସେଠି ! ଆରଜଣକ, ଛବିର ବୋଉ, କି ଧୀର, କି ସ୍ନେହୀ, କେଡ଼େ ଭଲ । କୁକୁରଟାର ସନ୍ଦେହୀ ଚାହାଣି ହୋଇଛି ଖାଲି କୁତୂହଳୀ ଦୃଷ୍ଟି-। ସେହି ମଣିଷମାନେ, ସେହି କୁକୁର, ସେହି ଦୃଶ୍ୟ ସବୁ ଏକ ବିଚିତ୍ର ଆଲୁଅରେ ପ୍ରକାଶ ପାଇ ତା’ ଆଖିକି ଦିଶିଛନ୍ତି ।

 

ଆଲୁଅଟା କ’ଣ ସେହି ଅନ୍ଧାର ଘର ଭିତରୁହିଁ ବାହାରୁଥିଲା ?

 

କେବଳ ଗୋଟାଏ ଅଧାଛୁଆଁ ସୂଚନା, ଆପଣା ପାଖେ ଆପଣାର, ଅତି ତୁନି ତୁନି । କିନ୍ତୁ ସେମିତି ସମୁଦାୟ ବ୍ୟକ୍ତିତ୍ୱ ତା’ର ଶିର୍‌ଶିରେଇ ଉଠିଲା, କାନ ପାଖ ତାତି ଯାଉଛି, ନିଶ୍ୱାସ ତରତର ଆଉ ଉଷୁମ୍ । କେମିତି ଏକ ପ୍ରକାର ଆଚ୍ଛନ୍ନତା ଧୀରେ ଧୀରେ ଦେହଯାକ ଚହଟି ଯାଉଛି, ସେ ଅନ୍ୟମନସ୍କ ହେଉଛି । କିନ୍ତୁ ମୋଟାମୋଟିରେ ସେ ଅନୁଭବ କରୁଛି ଯେପରିକି ହଠାତ୍‌ ତା’ର ପିଠି ଉପରୁ ପଥର ବୋଝ କେମିତି ଖସି ଯାଇଛି, ହାତରୁ ଗୋଡ଼ରୁ ବେଡ଼ି ଖସି ପଡ଼ିଛି, ସମୁଦାୟ ଭାବରେ ଯେତେବେଳେ ଏକ ନୂଆ ବନ୍ଧନରେ ତା’ର ବ୍ୟକ୍ତିତ୍ୱ ଛନ୍ଦିଛାନ୍ଦି ହୋଇଯାଉଛି, ସେ ଅନୁଭବ କରୁଛି ସେ ମୁକ୍ତ ହୋଇଛି । ଚାରିପାଖର ଦୃଶ୍ୟରେ ଏକ ନୂଆ ପ୍ରକାର ଅର୍ଥ ଓ ସୌନ୍ଦର୍ଯ୍ୟ ସେ ଆବିଷ୍କାର କରୁଛି ।

 

ଆକାଶ କ’ଣ ଏତେ ଚିକ୍‍କଣ ନେଳି ଥିଲା ସେ ଘରର ହତା ଭିତରକୁ ପଶିବା ଆଗରୁ-? ବା ଘାସ ଥିଲା ଏଡ଼େ ବହଳ ? ଚାରିଆଡ଼ ଏମିତି ପୂରିଲା ପୂରିଲା ଦିଶୁଥିଲା ? ଏମିତି ଗଛ ବୁରୁଛି ଘର ଆଉ ଢିପି ଢାଲୁ ଛନ୍ଦ ଓ ବିନ୍ୟାସ ସୌଷ୍ଟବରେ ସଜାହୋଇ ରହିଥିଲା ? ଏମିତି ଚିରନ୍ତନୀ ମମତାମୟୀ ଶାନ୍ତି ତା’ର ସମୁଦାୟ ଚେତନାଶକ୍ତି ଉପରେ କଅଁଳ ସ୍ପର୍ଶ ଲଗାଇ ଆଉଁଶି ଯାଉଥିଲା ସେତେବେଳେ ବି ? ସେ ଆପଣାକୁ କଳିପାରିଲାନାହିଁ । କିନ୍ତୁ ପରିବର୍ତ୍ତନ ଅନୁଭବ କଲା । ବହୁଗୁଣେ ସେ ବଢ଼ି ଉଠିଛି ।

 

ଅତି ସ୍ପଷ୍ଟ ଓ ସହଜ ଦିଶିଲା ତାକୁ ତା’ର ନିଷ୍ପତ୍ତି, ଅତି ନିଶ୍ଚିତ ଦିଶିଲା ଯେପରି ଏହି ବନ୍ଧ-ବାଟ ପରି । ଲାଗିଲା ସେ ଆତ୍ମମର୍ଯ୍ୟଦା ଓ ଶାନ୍ତି ବାଟହିଁ ବାଛି ନେଇଛି, ମୂଳହୁଁ ଲାଗିଲା ବିଜୟୀ ପରି ।

 

ଦୂରରେ ଦିଶୁଛି ନଈକୂଳ କଣ୍ଡିଆରେ ଗୋଛା ଗୋଛା ହୋଇ ଭାରି ଲମ୍ୱ ଲମ୍ୱ ବେଣାଫୁଲ ଫୁଟିଛି । ଫେଣ ଫୋପାଡ଼ି ସମୁଦ୍ରର ଲହଡ଼ି ଯେପରି ମାଡ଼ିଆସେ ଥାକ ଥାକ ହୋଇ । ସୂର୍ଯ୍ୟଅସ୍ତ ହୋଇଛି, ସଞ୍ଜ ମାଡ଼ିଆସୁଛି, ବନ୍ଧେ ବନ୍ଧେ ଚାଲିଛି ସେ ଘରମୁହାଁ, । ନିଛାଟିଆ ବାଟରେ ଗୋଟିଏ ରେଲ୍ ଇଞ୍ଜିନ୍ ଅସରନ୍ତି ଜୀବନର ଉଲ୍ଲାସରେ ଭିତରଟା ଧକ୍‌ଧକ୍ ହେଉଛି । ଚାଲିଛି ସେ ଚାଲିଛି ।

 

ଏଣେ ଚୌଧୁରି ଘର ଦୁଆରେ କଥା ପଡ଼ିଥାଏ । ଛବିବୋଉ ରବିର ପ୍ରଶଂସା କରୁଥାନ୍ତି, କହିଲାବେଳେ ଛାଆଁ କୁଛାଆଁ ମନେପଡ଼ିଯାଉଥାଏ ଯେ ତାଙ୍କର ପୁଅ ନାହିଁ, ସେହି ଯେଉଁଟା ପେଟରେ ଛ’ମାସର ହୋଇଥିଲା, କେମିତି କ’ଣ ହେଲା ଯେ ପେଟ ଭିତରେ ମରି ଶୁଖି ତିନିଦିନ ପରେ ପ୍ରଳୟ ଘୋଟିଗଲା, କେତେ ଦିଅଁ, ମାନସିକ, କେତେ ବଇଦ ଔଷଧ, କେତେ କ’ଣ ସାଧନ ଚେଷ୍ଟା ଉତ୍ତାରୁ ହେହ ଉଶ୍ୱାସ କରି ଶତ୍ରୁ ଚାଲିଗଲାପରି ଚାଲିଗଲା । ଯଦି ସେଇଟା ଜନ୍ମ ହୋଇଥାନ୍ତା ବୋଧହୁଏ ସେଇଟା ହୋଇଥାନ୍ତା ଗୋଟାଏ ପୁଅ,-ଏ ଧାରଣା ତାଙ୍କ ମନରୁ ଯାଇନାହିଁ-। ସେଇଟା ପୁଅ ହୋଇଥାନ୍ତା କି ଝିଅ ହୋଇଥାନ୍ତା, ସେଇଟା ଜନ୍ମ ହୋଇଥିଲେ ଷଠୀଘର ଟପିଥାନ୍ତା କି ନାହିଁ, ଅଥବା କେତେଦିନ ବଞ୍ଚିଥାନ୍ତା ଏସବୁ କୌଣସି ଯୁକ୍ତି ତାଙ୍କ ମନର ସେହି ଅବସ୍ଥାକୁ ବଦଳାଇ ପାରେନାହିଁ । ସେ କେମିତି ଧରି ନେଇଛନ୍ତି ଯେ ସେଇଟା ପୁଅ ହୋଇଥାନ୍ତା ଏବଂ ବଂଶର ମୁହଁ ଉଜ୍ଜ୍ୱଳ କରିଥାନ୍ତା । ଆଉ ସେ ଆସିନାହିଁ । ମନର ଦୁଃଖ ମନରେ ସେମିତି ଜୀଅନ୍ତା ରହିଯାଇଛି । ସେ ହେଲାଣି ଛବି ଜନ୍ମ ନ ହେଉଣୁ ପାଞ୍ଚବର୍ଷ ପୂର୍ବର କଥା । କିନ୍ତୁ ଆପଣା ଦୂରବସ୍ଥା ସୁମରି ସକେଇ ହେବାକୁ ଯେତେବେଳେ ମନଲୋଭ ହୁଏ, ପୁଣି ମନେପଡ଼େ ସେହି ଘଟନା-ଲୁଗା ଝୁଲେଇ ଦେବାକୁ ଦଉଡ଼ି ଅଲୁଗୁଣି ପରି ବହୁପ୍ରକାର ଚିନ୍ତା ତହିଁରେ ଓହଳାଇ ହୁଏ ।

 

ଛବିବୋଉ କହୁଥାନ୍ତି, ‘‘ଦେଖିଲୁଟି କି ଶୋଭାକାର ମୂର୍ତ୍ତି, କି ଶୋଭା କଥା, କେଡ଼େ ସୁନ୍ଦର ବ୍ୟବହାର, ଫେର୍‌ କେତେ ପାଠ ସେ ପଢ଼ିଛି ଦେଖ ଏକ୍‌ଦମ୍‌ ବି.ଏ.ପାସ୍‍ । କଥାବାର୍ତ୍ତା କଲେ କିଏ ଜାଣିପାରିବ ଏଡ଼େ ଘରର ପୁଅ ପୁଣି ଏଡ଼େଯୋଗ୍ୟ: ଆଉ ତା’ ଇଜ୍ଜତଜ୍ଞାନ ଦେଖ । ଲୋକେ ପାଠପଢ଼ି ନ ଥାନ୍ତି ଏଣେ ଆଗ ଖୋଜନ୍ତି ଚାକିରି । ୟେ ପଢ଼ିସାରି ବି କହୁଚି କ’ଣ ନା ଚାକିରି କରିବ ନାଇଁ । କହୁଚି କାମ ନାଇଁ, ନିଜ ବିଲବାଡ଼ି କାମଠୁ ପର ଉପକାର କରିବାଯାକେ –ମଣିଷ ତୁଚ୍ଛାକୁ ଯିବ ଚାକିରି କରି କରି ସମୟ ନଷ୍ଟ କରିବ ? କହୁଚି ଥୋକାଏ ଲୋକ ତ ଚାକିରି କାମରେ ଅବଶ୍ୟ ରହିବା ଦରକାର, ତା’ ବୋଲି ସମସ୍ତେ ବାନ୍ଧିହେବା କ’ଣ ଦରକାର । ତହୁଁ ବଳି ତହୁଁ ବଳି କେତେ କେତେ ଧନ୍ଦା ଅଛି ବୃତ୍ତି ଅଛି । କି ବୁଦ୍ଧି କି କଥା, ଠିକଣା ପୁଅ ଜନ୍ମ କରିଥିଲା ତା’ ମାଆ ।’’

ଗୁରବୋଉ କହିଲା, ‘‘ହଁ ମ ଖୁଡ଼ି, କେତେ ଭଲ ଫେର୍‌ କେଡ଼େ ସହଣି ସେ ପିଲା । ଏତେ ପ୍ରକାରେ ଥଟ୍ଟା ନକଲ କଲି ପଦେ ହେଲେ ରାମ କି ବିଷ୍ଣୁ କିଛି କହନ୍ତା, ମୁହଁକୁ ତଳକୁ ପୋତି ଖାଲି ହସି ଦେଉଥାଏ, ସେତିକି ।’’

‘‘କପାଳ ଘେନି ଗୋଟିଏ ଗୋଟିଏ ପୁଅ ଏମିତି ହୁଅନ୍ତି ଲୋ, ସବୁ ପୂର୍ବଜନ୍ମର ସୁକୃତ । ଆମର ଥିଲେ କ’ଣ ଆମର ହୋଇନଥାନ୍ତା ।’’ ଛବିବୋଉ ଦୀର୍ଘନିସ୍ୱାଶ ପକାଇଲେ । ଭାବନାର ମଙ୍ଗ ବୁଲେଇ ଦେଇ ଗୁରବୋଉ ଡାକିଲେ ‘ଛବି-’

‘‘କ’ଣ ?’’

‘‘ଅନ୍ଧାରଟାରେ କାହିଁକି ପଶିଚ, ପଦାକୁ ବାହାରୁନ ?’’

‘‘ଆଲୁଅ ଲଗେଇବି ଯାଉଚି ପରା, ଦିଆସିଲିଟା ପାଉନାଇଁ, ରଇଥା ।’’

‘‘ଏତେ ଛଣିକା କ’ଣ ଆଲୁଅ ମ, ଦୀପ ପରା ଦେଇନା–’’

‘‘ଆଗ ଦିଆସିଲିଟା ଦେଲେ ସିନା–’’

‘‘ଚୁଲି ମୁଣ୍ଡପାଖେ ଠଣା ଦେଖ,’’ ତା’ ବୋଉ କହିଲେ ‘‘ଡିବି ଦିଆସିଲି ସେଇଠି ଥାଏ-।’’

ଛବି ଦୀପ ଲଗାଇ ଆଣି ଚଉରା ମୂଳେ ଥୋଇ ବୋଲିଲା–

 

‘‘ଦୀପଂ ଜ୍ୟୋତି ପରଂବ୍ରହ୍ମ ଦୀପଂ ଜ୍ୟୋତି ଜନାର୍ଦ୍ଦନ

ଦୀପଂ ଜ୍ୟୋତି ହରତେ ପାପଂ ଦିପଂ ଜ୍ୟୋତି ନମୋନମଃ ।’’

 

ଦୀପଶିଖା ଉଲୁସିଲା ପରି ହସିଲା ପରି ଫାଇଁ ଫାଇଁ ଜଳୁଚି । ଛବି ଦଣ୍ଡବତ ହେଲା । ଗୁର ବୋଉ ଛବିବୋଉ ସମସ୍ତେ ଏକାଠି ଦଣ୍ଡବତ ହେଲେ । ଭୂଇଁରେ କପାଳ ମାଡ଼ି ଅଜାଡ଼ି ହୋଇପଡ଼ି ରହିଲେ ଦୁଇମିନିଟ୍, ଉଠିପଡ଼ି ଛବି ଗଲା ନଲଟଣ ଲଗେଇବାକୁ । ଯେପରିକି ଦୀପଶିଖାକୁ ଦଣ୍ଡବତ ହେଉଥିଲାବେଳେ ସେମାନେ କଥାଭାଷା ହେଊଥିଲେ, ସେହି କଥାଭାଷାର ଖିଅ ଲମ୍ବେଇ ଦେଇ ଗୁରବୋଉ କହିଲା ଛବିବୋଉକୁ–

 

‘‘ହଁ ଭାରି ଭଲ ହେବ ମ’ ଖୁଡ଼ି, କେମିତି ହୁଅନ୍ତାକି, ସେଇକଥା ମୁଁ ଠାକୁରଙ୍କୁ ଜଣାଉଥିଲି ।’’

 

‘‘ତୋ ତୁଣ୍ଡ ସୁତୁଣ୍ଡ ହେଉ ଲୋ ଗୁରବୋଉ, ତୋ ତୁଣ୍ଡରେ ଫୁଲଚନ୍ଦନ ପଡ଼ୁ । ଯେ ସେ କୋଉ ସାମାନ୍ୟ କଥା ହୋଇଚି, କେତେ ଧନ ଦରବ ମନକଲେ ଯଉତୁକ ମାଗିବେ, ଅଣ୍ଟାରେ ବଳ ଥିଲେ ସିନା–’’

 

‘‘ଡରିଯିବା କାହିକିମ ଖୁଡ଼ି, ଚୌଧୁରି ଘର ନାଁ ଟା ତ କୁଆଡ଼େ ହଜି ଯାଇନାଇଁ. ତା’ର ତ ଫେର୍‌ ଗୋଟାଏ କିଛି ମର୍ଯ୍ୟାଦା ଅଛି, ପଇସା ଦେଇ କିଣି ହେବକି ତା’ ?’’

 

‘‘ଆଜିକାଲି ଆଉ ନାଁ, ତୁ ବାୟାଣି କିଲୋ ଗୁରବୋଉ ୟେ ଦେଖୁଚ ପରା କେଡ଼େ କେଡ଼େ କେଉଁ ପୁରୁଷର ରାଜା ମହାରାଜମାନଙ୍କର ରାଜୁତି ଚାଲିଗଲା ଯେ ତାଙ୍କ ନାଁକୁ କେହି ପାସଙ୍ଗରେ ପକାଉ ନାହିଁ, ଆଉ ସେଠି ପଡ଼ିବ କ’ଣ ନା ଚୌଧୁରି ଘର ନାଁ । ବୋଇଲା ଶିଳ ଶିଳୁପତା ଗଗନେ ଉଡ଼ନ୍ତି ଶିମିଳିତୂଳା କହୁଚି ମତେ ରଖ । ସେ ନାଁକୁ କେହି ପଚାରିବେ ନାଇଁଲୋ, କେବେ କାହା ଗୋସାବାପା ଡାମ୍ଫଣ ଆଗରେ ଘିଅ ଖାଇଥିଲେ ଯେ ସେଇକଥା ପଡ଼ିଚି । କହିଲା ଆଲୋ ମାଉସୀ ଜଡ଼ ପଇସା । ଚାହାଳି ଖଣ୍ଡେ କର କି ପଇସା ଅଛି କାଢ଼ିବେ ? ହଁ, କେବେ ଥିଲା କୁଆଡ଼େ ଭଙ୍ଗା ଘରର ପଥରଗୁଡ଼ାକ – ବରଷ ବରଷ କରି ବିକି ବିକି ଚଳି ସେ ପଥରଗୁଡ଼ାକ ବି ତ ଚାଲିଯାଇଛି । କ’ଣ ଉପାୟ ଦବୁ ଦେ–’’

 

ସେମାନେ ଧୀରେ ଧୀରେ ହେଉଥିଲେ, ଏଥର ସ୍ୱରକୁ ଆହୁରି ସାନକର ପ୍ରାୟ ଫୁସ୍‌ଫୁସ୍‌ ହେଲା ପରି ଗୁରବୋଉ କହିଲେ, ‘‘ସବୁକା ବାଟେ, ଟୋକାର ମନଟା ବାଟେ, ଆଜିକାଲିକା ପାଠପଢ଼ା ଟୋକାମାନେ କ’ଣ ଆଉ ଆଗକାଳ ପରି ବାପା ବୋଉଙ୍କ କଥାରେ ଜଡ଼ଭରତ ହେଉଛନ୍ତି ନା ଆଜିକାଲି ବୋହୂମାନେ ଶାଶୁଙ୍କ କଥାରେ କାଠ କଣ୍ଢେଇ ପରି ନାଚୁଛନ୍ତି ନା କବାଟ କଣରେ ପଶି ଚୁ ଚୁ ହୋଇ ଠାର ଠାସୁକୁରେ କଥାଭାଷା ହଉଚନ୍ତି କହ ।’’

 

‘‘ତ କ’ଣ ହେଲା ସେଥିରେ ? କ’ଣ ଭାବୁଚୁ କହଲୋ ଗୁରବୋଉ ।’’

 

‘‘ପିଲା ଯଦି କହିବ ମୁଁ ସେଇଠି ବିଭା ହେବି, ବାପ ମା’ କ’ଣ ନାଇଁ କରିବେ ? ସେ କ’ଣ ଦେଖି ନ ଥିବ ? ତା’ର କ’ଣ ଆଖି ନାହିଁ ? ୟାଠୁ ଆଉ କୋଉଠି ଭଲ ପାତ୍ରୀ ପାଇବ ସେ-?’’

 

ଜିଭ କାମୁଡ଼ି ପକାଇ ଛବିବୋଉ କହିଲେ, ‘‘ଛି-ଛି-ଛି, ୟେ ତୁ କ’ଣ କହୁଛୁ ଲୋ । ଦଇବିଯୋଗକୁ ପିଲାଟା ସଙ୍ଗରେ ଚିହ୍ନାପରିଚ ହେଲା ବୋଲି ମୁଁ କ’ଣ କହିବି ନା ତା’ ବାପା ମା’ଙ୍କ ମତ ଉପରେ ଫେର୍‌ ପିଲାର ଆଉ ଗୋଟାଏ ମତ ହଉ, ତା’ରି ମତରେ ସେ ଏଠି ବିଭା ହେଉ ? ବିଭା ସେଠି ହୋଇପାରିଲେ ଭଲ ହୁଅନ୍ତା, ତା’ବୋଲି ମାର୍ଗ ତ ଗୋଟାଏ ଅଛି, ମାର୍ଗ ଛାଡ଼ି ଯିବ ଅମାର୍ଗକୁ ! ନ ହେଲେ ପଛେ ? କପାଳରେ ନ ଥିବ ନ ହେବ, କ’ଣ ହୋଇଯିବ ? ତା’ବୋଲି ବାପମା’କୁ ଏଡ଼ି ପୁଅ ମତରେ ହେବ ବାହା ।’’

 

‘‘ମୁଁ କ’ଣ କହିଲି ଖୁଡ଼ି, ସେ ଟୋକା ତ ଆପେ ସବୁ ଦେଖି ଚାହିଁ ଗଲା, ତ ନିଜର କ’ଣ କିଛି ମତ ଠିକଣା କରିନଥିବ ? ପାଠପଢ଼ା ପୁଅ, ବାପମା’ ପଚାରିବେ ତୋ’ର ରାଜି କି ଅରାଜି । ସେ ତା’ ମନକଥା କହିବ ନାଇଁ ?’’

 

‘‘ନାଇଁ ଲୋ ଗୁରବୋଉ, ଯେତେଗୁଡ଼ାଏ ବାପମା’ଙ୍କୁ ନ ପଚାରି ଆପଣା ରାଜିରୁଜାରେ ବାଟ କାଟି ସେ ଗୁଡ଼ାଙ୍କୁ ଶାନ୍ତି ମିଳେ ନାହିଁ । ଅସଲ ସେ ବାପ ମା’, ରାଜି ନ ହେଲେ ସେଉଠୁ ପ୍ରସ୍ତାବ ଛିଣ୍ଡିଯିବ । ଆଉ ତେଣିକି ନ ଥିବ । ସେ ପୁଅର ମତ ମୁଁ ଲୋଡ଼ିବି ନାଇଁ କି ତା’ ମତରେ ମୁଁ କିଛି କରିବି ନାଇଁ । ପକାଇବା ଥରେ, ପୁଅ ଥିଲେ ଝିଅ ଥିଲେ ସଂସାରରେ ସମସ୍ତେ ପକାନ୍ତି । ପକାଇବା, ତେଣିକି ତା’ କର୍ମ । କାହା ଭାତ ହାଣ୍ଡିରେ କିଏ ଚାଉଳ ପକାଇଛି ସେକଥା ଜାଣେ ଦଇବ, ଆମେ ଜାଣିନୋଉଁ ।’’

 

‘‘ସେଇଆ,’’ ଗୁରବୋଉ କହିଦେି ଗୁରକୁ ସଙ୍ଗରେ ନେଇ ଗଲେ । ଦୀପ ସଳିତା ଜଳୁଥାଏ ।

 

ଅପଳ ବେଳ ନ ଯାଉଣୁ ସିନ୍ଧୁ ଚୌଧୁରି ଘରକୁ ଲେଉଟିଲେ । ବୟସ ପଚାଶ ପାଖର ପାଖ । ପୁରୁଣା ପରମ୍ପରାର ଚେହେରାଟା ରହିଛି ସେହି ଯାହାକୁ ଦେଖିଲେ ସେ କେଉଁ ଖୋଳ କି ଢାଙ୍କୁଣିରେ ଢାଙ୍କି ହୋଇଛି କିଛି ସେତେ ନିଘାରେ ପଡ଼େନାହିଁ ପୁରୁଣା କସରା ଗାମୁଛା କି ଧୋବ ଲୁଗା କି ଲୁଗା ଆଉ ଅଙ୍ଗୀ ଆଗ ନିଘାରେ ପଡ଼େ ସେହି ଦେହଟା, ଡେଙ୍ଗା, ଗୋରା ତ ସହଜେ, ଓସାର ଆଉ ଉଞ୍ଚ କପାଳ କେମିତି ଛାଁଟ୍‌ହୋଇ ଉଠିଯାଇଛି, କାହିଁ କେତେ ଉପରକୁ । ସେଠି ଯେମିତି ଜହ୍ନ ଆଲୁଅ ହୋଇ ବୋଳାହୋଇଛି । ତା’ର ଗଢ଼ଣରେ ଦିଶୁଛି ଚଉଖୁଣ୍ଟ ହୋଇ ଛୋଟପିଟା ଦମ୍ଭିଲା, ମୁଣ୍ଡରେ ବାଳ ପାତଳ ପଡ଼ି ଆସିଲାଣି କିନ୍ତୁ ବେଶି ପାତଳ ନୁହେଁ, ମୁଣ୍ଡକୁ ଦି’ଭାଗ କରି ଯେଉଁ ସୁନ୍ଥା ଚାଲିଯାଇଛି ତା’ ଦିକଡ଼ରେ ମୋଡ଼ି ମୋଡ଼ିକା ବାଳ, ଅଳ୍ପ ଅଳ୍ପ ପାଚି ଯାଇଛି କେମିତି ଏକ ପ୍ରକାର ସମ୍ଭ୍ରମର ଭ୍ରାନ୍ତି ଉପୁଯାଉଛି । ଆୟତ ଆଖି, ଆଖିର ଦୃଷ୍ଟି ସ୍ଥିର ଶାନ୍ତ-। ଅଗ ଆଡ଼କୁ ଅଳ୍ପ ଶୁଆଥଣ୍ଟିଆ ହୋଇ ଗୋଟାଏ ବଡ଼ ନାକ, ଲମ୍ବା, ଉଞ୍ଚା, ଦମ୍ଭିଲା, ଦେଖିଲେ ଗୋଟାଏ ବୋଧାପଣର ଆଭାସ ମିଳେ । ନାକଟା ଗୋଟାଏ ବିଶିଷ୍ଟ ନାକ, ବହୁ ଲୋକରେ ବାରି ହେଲା ପରି । ଓସାରିଆ କାନ୍ଧ ହାଡ଼, ଛାଁଟ ବେକ, ସାଧାରଣଠୁ ବହୁତ ବେଶୀ ଡେଙ୍ଗା ଦେହ ।

 

ସବୁ ମିଶିଗଲେ ଗୋଟାଏ ଅତୀତରହିଁ ଛାଞ୍ଚ ।

 

ନ ଥାଉ ସେ ଦେହରେ କରଡ଼ା ମାଂସପେଶୀମାନଙ୍କ ନାଗ ବନ୍ଧନ, ମାଲର ବଳ, ଯୋଦ୍ଧା କି ଶାସକର ଦୃପ୍ତ ଭଙ୍ଗୀ, କିନ୍ତୁ ସେ ରୂପକୁ ଅନାଇଁଲେ ନାନା ଅବସ୍ଥାରେ ଅନ୍ୟ ନାନା ସ୍ଥାନର ରୂପ ସହଜେ ମନେପଡ଼ିଥାଏ । ଦେହର ଅଂଶମାନଙ୍କ ଅନୁପାତ ଯାହା ଅଛି ସେଇଆ ରଖି ଆଉ ଟିକିଏ ଆକାରରେ ବଢ଼ାଇ ଦେଲେ ଜଣାପଡ଼ିବ, କୋଣାର୍କ ଦେଉଳର ତଳଧାଡ଼ିରେ ଯେଉଁ ସୈନ୍ୟମାନେ ଯୁଦ୍ଧକୁ ଚାଲିଛନ୍ତି ଶହ ଶହ ହୋଇ ହୁଏତ ଅବା ସେ ତାଙ୍କରି ଭିତରୁ ଜଣେ । ମନେ ମନେ କୋଟ୍‌କାମିଜ ଟାଇ ପିନ୍ଧାଇ ଦେଇ ଏ ମୁହଁର ଛବିକୁ ମନେ ପକଇଲେ ସ୍ମରଣରେ ଉଇଁବେ କେତେ ନେତା କେତେ ପ୍ରସିଦ୍ଧ ରାଷ୍ଟ୍ରନୀତିଜ୍ଞ, ଯେଉଁ ପ୍ରକାର ଛବି ସମ୍ବାଦପତ୍ରମାନଙ୍କରେ କେତେଥର ଛପା ହୋଇଥାଏ । ଅଳ୍ପ ବେଶ ବଦଳାଇ ଦେଇ ଲମ୍ବା ଦାଢ଼ୀ ଝୁଲାଇ ଦେଲେ କେଉଁ ବାବାଜି ମହାପ୍ରଭୁ ମନେପଡ଼ିବେ, ସେହିପରି କେହି ଯାହାଙ୍କୁ ଦେଖିଲେହିଁ ଗୋପନ ସ୍ନାୟୁରେ ଚହଳ ପକାଇ ସନ୍ଦେଶ ଖେଳିବୁଲେ ୟେ ଅସାମାନ୍ୟ, ୟାଙ୍କର ସାଧନାର ବହୁତ ତେଜ ।

 

ଅଥଚ ସେ ଏସବୁ କିଛି ନୁହଁନ୍ତି । ଜମିଦାର ଯାଇଛି । ଯୌବନ ଦିନେ ଗଡ଼ଜାତରେ ଚାକିରି କରିଥିଲେ, ପର୍ବତର ପାଣି ଦେହରେ ଗଲା ନାହିଁ । ଚାକିରି ଗଞ୍ଜଣା ଆଉ କୂଟ କପଟ ଦେଖି ଦେହ ଅଥୟ ଲାଗିଲା । ଦେଲେ ଇସ୍ତଫା । ସତର ବର୍ଷର ଚାକିରିର ଜଞ୍ଜାଳ ଯିବା ସଙ୍ଗେ ସଙ୍ଗେ ଚାକିରିର ଛଇଛଟକ ଆଉ ଥାତି ବି ଚାଲିଗଲା । ତା’ ପରେ ସେହି ଘର, ଆପଣା ଛାଇତଳ-। ଅବସର କଟାଇବାକୁ ଗାଁରେ ଖଣ୍ଡେ ଚାହାଳି ଠିଆକରି ପିଲାଙ୍କୁ ପଢ଼ାଇଲେ । ଅରଟ ଚଳା, ଭାଗବତ ପଢ଼ା ଆଉ ଚାହାଳି, ଜୀବନରେ ସମନ୍ୱୟ ମିଳିଥିଲା । ପିଲାଦିନର ଚିହ୍ନା ସ୍ଥଳୀରେ ଶାନ୍ତ ସହଜଭାବେ ଖାପି ଯାଇଥିଲେ ସେ ।

 

ସତକଥା, ଏଠି ପୋଷାକ ଭିଡ଼ି ହେବାକୁ ପଡ଼ିନାହିଁ, କିନ୍ତୁ ଯେତେ ଦାମିକା ଯେତେ ହଟ ଚମଟିଆ ହେଲେ ବି ସେ ଏକ ବେଶହିଁ, ଯେପରି ଯାତ୍ରା ଦୁଆରିର ବେଶ । ଏଠି ମିଳୁନାହିଁ ସେତେ ଧାଡ଼ିଧାଡ଼ି ଦଣ୍ଡବତ, ଆପଣା ସ୍ୱାର୍ଥକୁ ସିଦ୍ଧ କରିବାଲାଗି ଆସିଥିବା ଲୋକଙ୍କ ନାଲି ଛାଲି, ନେହୁରା ଖୁସାମତ । ଏଠି ସେମିତି ନାହିଁ ତାଙ୍କୁ ମିଥ୍ୟାରେ ଭେଳିକି ଲଗାଇବାକୁ କାହାରି ଅପଚେଷ୍ଟା, ପରର ନିର୍ଘଣ୍ଟରେ ତାଙ୍କ ଜୀବନ ଏଠି ବନ୍ଧା ହୋଇନାହିଁ ।

Unknown

 

ସୁଖେ ଦୁଃଖେ, ଆରେଇ ଯାଇଛି ଏ ଜୀବନ, ପଦାକୁ ଅଖ୍ୟାତ ରହି ଗାଁ ଗହଳିର ସାଧାରଣ ଚଳଣି ଭିତରେ ମୁହଁ ଲୁଚେଇ ଜୀବନକୁ ଅନୁଭବ କରିବାର ରୀତି, କ୍ଷୋଭ ନାହିଁ ।

 

ଘରର ବଡ଼ଭାଇ ସିନ୍ଧୁ । ତଳେ ଆଉ ଦି ଭାଇ, ମଧୁ ଆଉ ବିଧୁ । ମଧୁ ବହୁଦିନୁଁ ନୟାଗଡ଼ ଉଠିଗଲେଣି, ସେଠ କାଠର ପେଣ୍ଠ ଖୋଲି ବ୍ୟବସାୟ କରୁ କରୁ ସେଇଠି ବିଭାହେଲେ ସେଇଠି ରହିଲେ । ବିଧୁ ପୁରୀରେ କିଲଟରି କିରାନି, ଗାଁକୁ ଆସନ୍ତି ନାହିଁ, ତାଙ୍କର ସବୁ ସମ୍ପର୍କ ସେହି ଚାକିରି ଗାଁରେ । ପେଟ ପୋଷୁ ପୋଷୁ ପରିବାର ସମେତ ଗାଁଠୁ କାହିଁ ଦୂରରେ ଭିନ୍ନ ସ୍ଥାନରେ ସେମାନେ ସଂସାର ମେଲି ଦେଇଛନ୍ତି ।

 

ତିନି ଭାଇରୁ ଜଣେ ସେ ଏକୁଟିଆ ଘରେ । ପୁଅ ନାହିଁ, ସେହି ଗୋଟାଏ ବୋଲି ସନ୍ତାନ–ଛବି ।

 

ଆଉ ସେ ଖଞ୍ଜାରେ ଥାଆନ୍ତି ତାଙ୍କ ଖୁଡ଼ୁତାପୁଅ ଭାଇ ଶମ୍ଭୁଙ୍କ ପୁଅ ସତ୍ୟବାନଙ୍କ ସ୍ତ୍ରୀ, ଗୁରବୋଉ ଓ ତାଙ୍କ ପୁଅ ଗୁର । ଶମ୍ଭୁ ମଲେଣି, ସତ୍ୟବାନ ରୋଗୀଣା ମଣିଷ, ଜର ଲାଗି ରହିଥାଏ କିନ୍ତୁ ନିକର୍ତ୍ତବ୍ୟକୁ ଯାଇ ଜଣେ ଗୁଡ଼ିଆ ମହାଜନଙ୍କ ଘରେ ରହି ତାଙ୍କ ବ୍ୟବସାୟ ଓ ଜମିବାଡ଼ି ବୁଝାଶୁଝା କରି ଚଳନ୍ତି ରହନ୍ତି ଡିଙ୍ଗିସର ଗାଁରେ । ବାଟ ଛ କୋଶ, ଗାଁଠୁ, କିନ୍ତୁ ଘରକୁ ଆସି ହୁଏନାହିଁ । ସାହୁ ଘରର ଧାନ ଚାଉଳର ବେପାର, ଗାଁରେ ସଂଗ୍ରହ କରି ସହରକୁ ପଠାଇବାକୁ ପଡ଼େ । ତା’ରି ଦାୟିତ୍ୱ ସତ୍ୟବାନଙ୍କଠିଁ । ଦରମା ଚାଳିଶ ଟଙ୍କା ।

 

ନାଁ ଡାକ ଜମିଦାର ଘର, ପାଟେଳି ଗାଁ ଚୌଧୁରିଏ ।

 

ପୁରୁଣା ଲୋକଙ୍କ ତୁଣ୍ଡରେ ସେକାଳର କାହାଣୀ ରହିଯାଇଛି, କିଣାବିକା ବେପାରବଣିଜର କାହାଣୀ ନୁହେଁ, ଦେବା ବାଣ୍ଟିବା ଉଡ଼େଇବାର କାହାଣୀ, ପୁରୁଷ ପୁରୁଷର । କିଏ ନ ଶୁଣିଚି ନଅଙ୍କବେଳର କଥା, ଯେତେବେଳେ ଏଇ ଉଆସ ଆଗରେ ଏ ମୁଣ୍ଡୁ ସେ ମୁଣ୍ଡୁ ଖନ୍ଦା ଖୋଳାହୋଇ ଦିନରାତି ରୋଷେଇ ଲାଗିଥିଲା, ଶହ ଶହ ଲୋକଙ୍କୁ ଅନ୍ନଛତ୍ର ଦିଆ ହେଉଥିଲା । ଦିନେ ପକ୍ଷେ ନୁହେଁ ଦି’ମାସଯାକେ, ଚୌଧୁରି ଘର ଭଣ୍ଡାର ଉଜାଡ଼ି ଦେଇଥିଲେ । ଆଉ ସେମିତି ବଡ଼ ନଈବଢ଼ିବେଳେ ଯେତେବଳେ ଏଇ ଦାଣ୍ଡରେ ପାଣି ଭର୍ତ୍ତି ହୋଇଥିଲା ଦାଣ୍ଡଟାହିଁ ହୋଇଥିଲା ରାଇଜଯାକର ଡଙ୍ଗାମାନଙ୍କ ପେଣ୍ଠ, ଡଙ୍ଗା ଯାଉଥିଲା ଉଦ୍ଧାର ହୋଇ ଲୋକ ଆସୁଥିଲେ, ଆପଣା ରହିବାମାନିଆଁ ବଖରା କେଇଟା ଛାଡ଼ିଦେଇ ବାକି ସବୁ ବଖରାରେ ସେମାନେ ଖୁନ୍ଦି ହେଉଥିଲେ । ଆଉ ପୁଣି ଚୌଧୁରିଘର ଯାନିଯାତ ଆଜି ରାମଲୀଳା, କାଲି ଭାରତଲୀଳା ପହରଦିନ ବାଦିପାଲା ଲାଗିଥାଏ । ଆଉ ସବୁଠୁ ବେଶୀ ନାଁ ଡାକ –ରାସଲୀଳା ଯେଉଁଥିରେ ଅଜସ୍ର ଟଙ୍କା ଖର୍ଚ୍ଚ ହେଉଥିଲା-। ରାଧାକୃଷ୍ଣ ଠାକୁରଙ୍କର ବିଶିଷ୍ଟ ଯାତ୍ରା ସେ । ସେଇ ଯେଉଁ ବିଗ୍ରହମାନେ ପୁରୁଣା ଇଟା ଦେଉଳ ବଢ଼ିରେ ଭାଙ୍ଗି ପଡ଼ିଲା ପରେ ଦାଣ୍ଡରେ ଗୋଟିଏ ଚାଳିଆ ଘରେ ପୂଜା ପାଉଛନ୍ତି । ସେତେବେଳେ ସେହି ମନ୍ଦିର ଥିଲା ଏ ଖଣ୍ଡକଯାକରେ ଅତି ପ୍ରସିଦ୍ଧ, ଚୌଧୁରି ଘର ଇଷ୍ଟଦେବତାଙ୍କ ଦେଉଳ, ତାଙ୍କର ବାରିବଗିଚା କେତେ କ’ଣ । ସେହି ରାସଲୀଳା ହେବ ବୋଲି ରାସମଣ୍ଡପ ଚାରିପାଖେ ଚମ୍ପା ବଉଳ ନାଗେଶ୍ୱର ଆଦି ପବିତ୍ର ପଞ୍ଚବୃକ୍ଷ ରୋପା ହୋଇଥାନ୍ତି, ଶୁଆ ଶାରୀ ମୟୂର ପୋଷା ହୋଇ ରହିଥାନ୍ତି, ରାହାସ ଲାଗେ, ଅତିଥି ଅଭ୍ୟାଗତଙ୍କ ପାଇଁ ଘିଅକାକରା ଛଣା ହେଉଥାଏ କରେଇ ବସି, କରେଇ ଓହ୍ଲା ହୁଏ ନାହିଁ ।

 

ସଂକୀର୍ତ୍ତନ ଶବ୍ଦରେ ଦାଣ୍ଡ କମ୍ପେ, ପ୍ରକାର ପ୍ରକାରର ବାବାଜି ବୈଷ୍ଣବ ଆସୁଥାନ୍ତି ଦଳ ଦଳ ହୋଇ, ସେ କେତେକଥା ।

 

ଖାଲି ଘର ନ ଥିଲା । ସେ ଥିଲା ଏକ ଅନୁଷ୍ଠାନ, କେବଳ ନାଁକୁ ଚୌଧୁରି ଘର । ସେଇଆକୁ ଅବଲମ୍ବନ କରି ଗାଁରେ ଦେଣନେଣର ଗୋଟାଏ ପ୍ରକାର ସମାଜନୀତି ଚଳି ଆସୁଥିଲା-। ମାନମର୍ଯ୍ୟାଦା, ଆଚାରବ୍ୟବହାର ବିଚାର ଆଉ ମତବାଦ ସମାଜରେ ସବୁଥିରେ ପଡ଼ୁଥିଲା ଦିନେ ଚୌଧୁରି ଘରର ପ୍ରଭାବ । ଲୋକେ ସେହିଆଡ଼କୁ ଅନାଇଁ କଥାକୁ ଉପଲକ୍ଷ ଦେଉଥିଲେ, ଆପଣା ଚଳଣିକି କଳୁଥିଲେ । ଘରେ ପିଠା ହେଲେ ଯେପରି କହୁଥିଲେ, ‘‘ହେଲେ କ’ଣ ହେଲା, ଚୌଧୁରି ଘର ଆରିସା ପିଠାକୁ କ’ଣ ସରି ହେବ ?’’ ଯେପରି କେଉଁଠୁ ଭୋଜିଖାଇ ଫେରିଲା ବାଟରେ କୁହାକୋହି ହେଉଥିଲେ, ‘‘ଯେତେହେଲେ ଚୌଧୁରି ଘର ଭୋଜିପରି କେଉଁଠୁ ହେବ ।’’ ନ ହେଲେ କହୁଥିଲେ, ‘‘ମାଛ ମୋହରଟା ଆଜି ହୋଇଥିଲା ଏକା ସତେ ଯେମିତିକି ଚୌଧୁରିଘର ମୋହର ।’’ ପରାମର୍ଶ ଦରକାର ପଡ଼ିଲେ ଯେପରି କହୁଥିଲେ, ‘‘ଚାଲ ଚୌଧୁରିଙ୍କି ପଚାରିବା ।’’ ସେତେବେଳେ ଘୋଡ଼ାଶାଳ ଥିଲା, ତା’ ଆଗରୁ ହାତୀ ଦୁଇଘର ବି ରହୁଥିଲେବୋଲି କିମ୍ବଦନ୍ତୀ ଅଛି । କାରୁକାର୍ଯ୍ୟମୟ ଝାଲର ଲଗା ନାଲି ବନୋଉତ କନାର ଢାଙ୍କୁଣୀ ଲାଗି ହୋଇ ମଗର ମୁହାଁ ସବାରି ପାଲିଙ୍କି, ରଙ୍ଗ ରଙ୍ଗର ଚିତ୍ର ଅଙ୍କା ହୋଇ ଧାଡ଼ି ଧାଡ଼ି ହୋଇ ଥୁଆହୋଇଥିବା ସିନ୍ଦୁକ ମାଳ ମାଳ କେତେ ଏମିତି ।

 

ଆଉ ଆଜି ଯେଉଁ ମସ୍ତବଡ଼ ଖାନାବାଡ଼ି ଶୁନ୍‌ଶାନ୍‌ ହୋଇ ପଡ଼ିଛି ସେଠି କନ୍ଦି ବିକନ୍ଦି ମଣିଷ ସାଲୁ ସାଲୁ, ଘରଲୋକ ଚାକର ପରିବାର, ଗୋଡ଼ାଣିଆଁ । କୁକୁର, ବିଲେଇ, ଘରଚଟିଆ, ପାରା, ବଣିଚଢ଼େଇ ଅନ୍ଧାରି ଗମ୍ଭୀରି ଭିତରେ କାନ୍ଥଯାକ ଅସରପା ସାଲୁ ସାଲୁ, ବାହାରେ ଧାଡ଼ି ବନ୍ଧା ହୋଇ ଗୁହାଳ ଘର, ଗାଈଗୋରୁ ଛେଳି ମେଣ୍ଢାପଲ ପଲ, ବାରିରେ ଘଞ୍ଚ ବଗିଚା, ପୂରା ଘର-

 

ବାହାରୁ ଦେଖିଲେ ନିଦା ଧୂଳିଆ ପିଟା ଘର । ଆଭିଜାତ୍ୟର ଚିହ୍ନସ୍ୱରୂପ ତା’ର ଫରଚା ଘୋଷରା ପାହାଚ, ଯେପରିକି ଚୌଧୁରିଙ୍କ ପାଲିଙ୍କି କରେ କରେ ଯୋଡ଼ି ମଶାଲ ।

 

ପିଲାଙ୍କ ପାଟି, ଠାକୁର ପୂଜାବେଳର ଘଣ୍ଟି ଶବ୍ଦ, ଦେଉଳର ଆଳତି ବାଜଣା । ଦାଣ୍ଡରେ ବାଳଲୀଳା, କାଙ୍ଗାଳି ଭୋଜନ କି ମଉଛବର ଚହଳ ।

 

ସବୁ ଏକାଠି କଲେ ଏକ ପ୍ରକାଣ୍ଡ ଜୀଅନ୍ତା ସଂସ୍ଥା, ଧକ୍‌ଧକ୍‌ ଇଞ୍ଜିନ୍‌ପରି, ପଦାରୁ ଲୋକେ ଦେଖିଲେ ଆପେ ଆପେ ଭାବି ହୋଇଯାଏ ଯେପରି କି – ୟେ ରହିଥିବ, ଆମେ ରହିଥିବା, ଦୁନିଆଁଟା ଆଜି ଯେମିତି ଅଛି କାଲି ବି ସେମିତି ରହିଥିବ, ଆଜି ଯେଉଁ ଗଛ ଲଗା ହୋଇଛି କାଳକ୍ରମେ ସେ ବଡ଼ ଫୁଲ ଫୁଟିବ, ଫଳିବ ।

 

ସେହି ସଂସ୍ଥା ରହିଲା ନାହିଁ, ଗୋଟାଏ ଜୀବନର ଅନୁଭୂତି ନ ସରୁଣୁ କାହିଁ କୁଆଡ଼େ ବିଲୁପ୍ତ ହୋଇଗଲା, ଏହି କଥାଟା ଅନୁଭବ କରନ୍ତି ସିନ୍ଧୁ ଚୌଧୁରି, କାରଣ ସେ ଥିବାକାଳୁ ଦେଖିଛନ୍ତି, ଏହି କଥାଟା ଅନୁଭବ କରନ୍ତି ତାଙ୍କ ସ୍ତ୍ରୀ, ଆଉ ଗୁରବୋଉ । ଦୁନିଆର ଚଳନ୍ତି ଚକରେ ଘୂରି ବୁଲୁ ବୁଲୁ କେବେ କେମିତି ମନଟା ଘୂର୍ଣ୍ଣନ ବାହାରକୁ ଚାଲି ଆସି କଳିବସେ, ସେତେବେଳେ ଲାଗେ ଯାହା ଥିଲା ତା’ ନାହିଁ ।

 

ଚାହାଳି କାମସାରି ପଦାରେ ଘେରାଏ ବୁଲିଆସି ଘରକୁ ପଶି ଆସିଲାବେଳେ କେତେଥର ସିନ୍ଧୁ ଚୌଧୁରି ଚମକିପଡ଼ି ସେହିକଥା ଭାବନ୍ତି, ଲାଗେ ଗଲାବେଳେ ଥିଲା, ଫେରିଲାବେଳେ ନାହିଁ । ଏଇଠି ଥିଲା ସେ ସବୁ ଘର, ଏଇଠି ସେତେବେଳେ ମଣିଷ ବସିଥିଲେ, ଖାଉଡ଼େ ମଣିଷ, ଯେଝା ଯେଝା କାମରେ ଆପଣାକୁ ପ୍ରକାଶ କରୁଥିଲେ, ସେହି ଦଶ ଅଂଶର କୁଟୁମ୍ବର ଲୋକେ । କାହା ଚେହେରାର କେଉଁଆଡ଼ ଚେନାଏଁ ଦିଶିଲାପରି ଲାଗେ, କିଏ ବୃଦ୍ଧ ବସିପଡ଼ିଥିଲେ ପୋଥି ଖଟୁଲି ପାଖେ, ବ୍ୟାସାସନ ଉପରେ ମେଲା ପୋଥି, ବେକରେ ଶ୍ଲଥଚମ ତଳୁ ଝୁଲୁଛି ତୁଳସୀ ମାଳି, ମୁଣ୍ଡବାଳ ଗୋଲ ହେଇ କଟା ହୋଇଛି, ନଡ଼ିଆ ଭୁଣ୍ଡି ପରି ବେଣ୍ଟ ଉଠିଛି ସିଧା । କେଉଁ ପିଣ୍ଡାରେ କିଏ ଗୋଡ଼ ଲମ୍ବେଇ ବସି ଶାମୁକା ବୁଡ଼େଇ ପିଲାଙ୍କୁ ଦୁଧ ପିଆଇ ଦେଉଥିଲେ, କିଏ ବସି କାହା ମୁଣ୍ଡ ବାନ୍ଧି ଦେଉଥିଲେ ଭିଡ଼ି ଭିଡ଼ି, ପାଲିସ୍‌ ଜିକିଜିକି ଦିଶୁଥିଲା ମୁଣ୍ଡ-। କିଏ କୁଆଡ଼େ ତରତର ହୋଇ ଚାଲିଯାଉଥିଲେ ଏଘରୁ ସେ ଘର- ହେଇଟି ତ, ସେମାନେ ଅଛନ୍ତି ଯେମିତି ଥିଲେ ସେମିତି । ମୁହୂର୍ତ୍ତରେ ଚଳନ୍ତି ଛବି ଉଠିଯାଇଥିଲା ସ୍ମରଣ ପଟରେ, ଦିଶୁଛି ସେଥିରୁ ଗୋଟାଏ ।

 

ତା’ପରେ ଆଉ ନାହିଁ ... ନାହିଁ ।

 

ଛବିବୋଉ ଭାରି ହସ ହସ, କହିଲେ, ‘‘କୁଆଡ଼େ ଥିଲମ ଏତେବେଳଯାଏ ? ଶୁଣିଲଣି-?’’

 

ଫୁସ୍‌ଫୁସ୍‌ କରି କହିଗଲେ ସବୁ । କହିଲେ, ‘‘କ’ଣ ନାଙ୍କରା ହୁଅନ୍ତା ? କେଡ଼େ ସୁନ୍ଦର ସୁଧାର ପିଲା । ଆଉ ତ ନାହିଁ, ଏଇ ଗୋଟିକ ଆମର, ଠାକୁରେ କରନ୍ତେ, ଭଲରେ ରହନ୍ତା ଭଲା । ଲୋକା ନାହାକଙ୍କୁ ପଠାନ୍ତ ନାହିଁ ଟିକିଏ, କିଏ ଜାଣିଚି ? ପୁଅ ଥିଲେ ସଂସାର ଏମିତି ପକାନ୍ତି, ଆମେ ବି ପକାଇବା, କାଳେ କପାଳରେ ଥିବ–’’

 

ହସିଦେଇ ସିନ୍ଧୁ କହିଲେ ଏକ ବିଚିତ୍ର ଭଙ୍ଗୀରେ, ଯେପରି କେଉଁ ଗହନ ଜୀବନ ଅଭିଜ୍ଞତାର ତୁଳ ଯନ୍ତ୍ରରେ ସଙ୍ଗେ ସଙ୍ଗେ ତଉଲି ଦେଇ ସେ ଓଜନ ଦେଖିନେଲେ, ‘‘ହେତୁ କଲ ଥରେ, ତମକୁ ବାହା ହବା ଆଗରୁ ମୁଁ କ’ଣ ତମ ଘରକୁ ଯାଇଥିଲି ? ନା ମାରଣା ଷଣ୍ଢ ତମୁକୁ ଭୂଷି ଗୋଡ଼ାଇଥିଲା କି କାମୁଡ଼ାମାଙ୍କଡ଼ ତମକୁ ଗୋଡ଼ାଇଥିଲା ମୁଁ ଛଡ଼େଇ ଯାଇଥିଲି ? ନା ତମକୁ କିମ୍ଭୀର ଘୋଷାଡ଼ି ନେଉଥିଲା ମୁଁ ଯାଇ ଓଟାରି ଆଣିଥଲି ନା କ’ଣ କରିଥିଲି ? କହ, କରିଥିଲି ମୁଁ କିଛି ? କିଛ ନ କରି ବି ମୁଁ ମୋର ପାଗ ପୁଟୁଳା ବାନ୍ଧି ତମ ଗାଁ ଗୋହିରି ବାଟେ ପାଲିଙ୍କି ଚଢ଼ି ଯାଇଥିଲି ଆଉ ତମୁକୁ ନେଇ ଆସିଥିଲି ଆମ ଘରେ ମାଣ୍ଡିଆ ଜାଉ କୋଳଥ ପଇତି ଖାଇ କାମକରିବାକୁ । କହ, ସତ କି ମିଛ ?’’

 

‘‘ହଁ ହଁ, କଥାଟା ପାସଙ୍ଗରେ ପଇଲା ନାଇଁ ପରା, ଦିନୁଁ ଦିନ ପିଲା ହେଇ ଯାଉଚ ? କଥାପଦେ କହିଲି ତ ଦେଲେ ହସରେ ଉଡ଼େଇ । ଭାରି ତ କିମ୍ଭୀର ଦାଉରୁ ଥରେ ଓଟାରି ଆଣିଥିଲେ ବୋଲି କଥା ପଦେ ପଦକେ ଜୀବନଯାକ ତା’ରି ଉଲଗୁଣା-’’

 

‘‘ପିଲା ମୁଁ ନୁହେଁ ଛବିବୋଉ, ପିଲା ତମେ । ଛାଡ଼, ମନ ବେସ୍ତ କରନାହିଁ, ବାହାଘର ଯୋଉଠି ହବାର ଥିବ ହବ, ଏତେ ତ ଧନ୍ଦି ହେଲେଇଁ, ଏତେ ଠାଆରେ ପକେଇଲେଇଁ କ’ଣ ହେଇଗଲାଣି ? ହେବାର ଯୋଗ ଫିଟିଲେ ବଳେ ହେବ, ତା’ବୋଲି ଯାତ୍ରାରେ ସୁଆଙ୍ଗ କାଢ଼ିଲେ କିଛି ହୁଏ ନାହିଁ, ଆପେ ମଣିଷ ଲୋକହସା ହେବା ସାର ହୁଏ । ଛାଡ଼, ସବୁ ସାଙ୍ଗକୁ ଏ ବି ଏକ ଯୋଗ, ନ ହେଲେ ମାଙ୍କଡ଼ଟା ପିଲାକୁ ଗୋଡ଼ାନ୍ତା କାହିଁକି ? ଛବି କାହିଁ ଗଲା ? ଦେଖେଁ କେମିତି ଖଣ୍ଡିଆ ହେଇଚି–’’

 

‘‘ତମେ ମତେ ପିଲା କହ, ଯାହା କହ, କଥାଟା କାନରେ ପକାଅ ଥରେ’’, ଛବି ବୋଉ ଅତି ଗମ୍ଭୀର ହୋଇ କହିଲେ । ଏ ଯେପରିକି ବରଷିବା ଆଗର ମେଘ । ସିନ୍ଧୁ ପିଲାଙ୍କୁ ବୁଲେଇଲା ପରି କହିଲେ ।

 

‘‘ହଉ ହେଲାବେଳେ ଯାହା ହେଲେ ହେବ । ସେଥିପାଇଁ ଏତେ ବ୍ୟସ୍ତ କାହିଁକି ? ତମରି କଥା ରହୁ, ଲୋକା ନାହାକ ଯାଉ ପଛେ ଭଲଲୋକ ହୋଇ । ହୋହା କରନାହିଁ । ପିଲାଳିଆମିତ ବହୁତ କଲଣି ଏଥର ଶାନ୍ତ ହୁଅ । ବହୁତ ଠିକି ଅନ୍ତତଃ ଏତିକି ଶିଖିବାର ଥିଲା ଯେ ଏମିତି ଇନ୍ଦ୍ରଧନୁ ମଣିଷ କେତେବେଳେ ଦେଖେ ଜାଣିଚ ? ଯେତେବେଳେ ଆପଣା ଭାଗ୍ୟ ବି ମୁରୁକିହସା ଦିଏ । କାହିଁଗଲା ଛବି ?’’ ଛବିବୋଉ ଛାଇପରି ଉଠି ଚାଲିଗଲେ, କହିଲେ, ‘‘ଦୀପଟା ଜାଳି ଦେ ଲୋ ଛବି ।’’

 

ସଞ୍ଜ ପହିଲି ପହର, ରୋଷେଇବାସ ଅଧାଅଧି ସରିଥାଏ, କାହାର ବା ବାରପଣି । ଗେହ୍ଲିବୋଉ ଭାତ ଡାଲି ଓହ୍ଲେଇ ଦେଇ ତରକାରି ସନ୍ଧାନରେ ଶୋଇବା ଘରେ ପଶିଥାନ୍ତି । ସାହାଯ୍ୟ କରୁଥାଏ ଗେହ୍ଲି, ତା’ ହାତରେ ଏକ ବଡ଼ ପିତଳ ଡିବି, ପ୍ରାୟ ଉଣେଇଶି ବର୍ଷତଳେ ଯେତେବେଳେ ପ୍ରଥମଥର ଗେହ୍ଲିବୋଉ ଏ ଘରକୁ ଆସିଥିଲେ, ଗେହ୍ଲି ଜନ୍ମ ହେବାର କାହିଁ ପାଞ୍ଚ ବର୍ଷ ଆଗରୁ, ସେତେବେଳେ ଏ ପଦାର୍ଥଟି ତାଙ୍କ ସାଙ୍ଗରେ ଆସିଥିଲା । ତରକାରିଟା ଯେ ବିଶେଷ ଆବଶ୍ୟକ ଥିଲା ତା’ ନୁହେଁ, ବଡ଼ ବଡ଼ ବାଇଗଣ ଚାରିଟା ପୋଡ଼ାହୋଇ ଚୁଲି ଝିଙ୍କପାଖେ ଥୁଆହୋଇ ରହିଛି । ପିଆଜ ତ ମୁଣ୍ଡ ଉପରେ ଚାଳରୁ ଓହଳିଛି ମେଣ୍ଟି ବନ୍ଧାହୋଇ, କଞ୍ଚାମରିଚ ସଞ୍ଜରୁ ଅଗଣାରୁ ତୋଳାହୋଇ ଥୁଆହୋଇଛି । ସେହି ଗୋଟିଏ ଦ୍ରବ୍ୟ ହେଲେ ଗେହ୍ଲି ବୋଉଙ୍କ ପରିବାରର ସୁଖରେ ଭାତ ଉଠିପାରେ । କୋଳଥ ଡାଲିରେ ଫାଳ ଆମ୍ବୁଲ ପଡ଼ିଛି, ଗେହ୍ଲି ବାପାଙ୍କର ଭାରି ଶରଧା । କିନ୍ତୁ ଠିକ୍‌ ତା’ର ଅଳ୍ପ ଆଗରୁ ଗେହ୍ଲି ବାପା ବାଉରି ସାହିରୁ ସାରୁପତ୍ରରେ ବାନ୍ଧି ଚେଙ୍ଗ ଗଡ଼େଇ ମହୁରାଡ଼ି କରି ଦୁଇ ଆଞ୍ଜୁଳା ମାଛ ଘେନି ଆସି ପହଞ୍ଚିଥାନ୍ତି । ତେଣୁ ତରକାରିଭଳିଆ ତରକାରିଟାଏ ହେବ ବୋଲି ସମସ୍ତିଙ୍କ ମନରେ ଆଶା । ଆପେ ରୋଷେଇଘର ଦୁଆରମୁହଁରେ ଡିବିଟିଏ ଜାଳି ରଖି ପାଉଁଶଗୋଳେଇ ମାଛ କାଟିବା କାର୍ଯ୍ୟରେ ବ୍ୟସ୍ତଥାନ୍ତି । ମାଛଟା କିପରି ବୁଦ୍ଧିକରି ପାଇଲେ ସେକଥା କହିବା ସରି ନ ଥାଏ, ସେହି ସେ ବେଳ ।

 

ସେ ଗୋଟିଏ ସାଫଲ୍ୟର କାହାଣୀ । ଛୋଟ ଦୁଆର ସେପଟୁ ଧୂଆଁରେ ଆକାଶ ମଝିରେ ତାଙ୍କର କଥା ଶୁଭୁଥାଏ ମହା ଉଲ୍ଲାସରେ । ନିଜ ଉପାୟ ଓ ଉଦ୍ୟମକୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଆପଣା ବ୍ୟକ୍ତିତ୍ୱର ପ୍ରକାଶ, ଏକ ଆସ୍ପର୍ଦ୍ଧା, ଯେ ପଇଁଚାଳିଶି ବର୍ଷ ବୟସରେ ଜର, ଝାଡ଼ା ଓ ଅଭାବର କ୍ରମାଗତ ଦାଉରେ ଭାଙ୍ଗିଯାଉ ପଛେ ସ୍ୱାସ୍ଥ୍ୟ, ମୁଁ ପଣ ଭାଙ୍ଗିନାହିଁ ତା’ର ତେଜ ଅତୁଟ ରହିଛି ବୋଲି ଏକ ଅଭିବ୍ୟକ୍ତି, ଯହିଁରେ ଆପଣାର ବିଶ୍ୱାସ ଉପୁଜେଇବା ସଙ୍ଗେ ସଙ୍ଗେ ଅପରକୁ ଦୀକ୍ଷିତ କରିହୁଏ ।

 

କହୁଥାନ୍ତି ନୀଳୁଦାସେ,–‘‘ଆରେ ବାପ, କଳିରେ ଆମ ଜନ୍ମ, କଳିରେ ଆମ ଜୀବନ, କଳି ଭିତରେ ଦିହାତିଟା ବିତିଲା, କଳି ଭାଙ୍ଗି ଭାଙ୍ଗି ପୁଣି ଲଗେଇ ଲଗେଇ ଦେହ ପାକଳ ହେଲା, ହାତ ଚିକ୍‍କଣ ହେଲା ଆଉ ଏତକ ବୁଦ୍ଧି ନାଇଁ ଯେ କୋଉ କଳିରୁ ମଣିଷର କୋଉ ଲାଭଟା ଉଠିପାରିବ, ନା କ’ଣ କହୁଛ ? ଆଚ୍ଛା ଦେଖ ଯେ ଦୁଇ ରଜାଙ୍କ ମଧ୍ୟସ୍ଥି କଲେ ଦିଆଡ଼ୁ ମିଳିବ ଧନରତ୍ନ, ଜମିବାଡ଼ି, ଚାଷୀଲୋକଙ୍କ କଳିରେ ମଝିରେ ପଶିଲେ କିଛି ନ ହେଲେ ପନିପରିବା ଦିଟା ତ ମିଳିପାରିବ, ଆଉ ମୂଲିଆ ଘର କଳିରେ ମଝିରେ ପଶିଲେ କିଛି କ’ଣ ମିଳିବ ନାଇଁ ? କାଇଁ ସେଥର ତ ପାଟୁଆ ବିଚରା କଦଳୀ କାନ୍ଦିରୁ ଅଧେ ଆଣି ଦେଇଗଲା, ଆଉ ଏଥର ଦେଖ ଏତକ, ଅମିନ ବୁଦ୍ଧି, ହେଁ.....’’

 

ପାଟୁଆ ଭାଟୁଆ ଦୁଇଭାଇ, ପାଟୁଆ ବଡ଼ ଭାଇ, ଟିକିଏ ଦୁର୍ବଳିଆ, ଭାଟୁଆ ସାନଭାଇ, ହୃଷ୍ଟପୃଷ୍ଟ । ସେହି ଯେ କାହିଁ ଦୁଇବର୍ଷ ହୋଇଗଲା ଗୋଟାଏ ଛେଳି ବିଷୟରେ ଦିଭାଇଙ୍କର କଜିଆ ଲାଗିଲା । କିଏ ନେଲା କିଏ ଖାଇଲା ଜଣାନାହିଁ, ପାଟୁଆ କହିଲା ଭାଟୁଆ ଖାଇଛି, ଭାଟୁଆ କହିଲା ଭାଇ ଖାଇଛି, ଲାଗିଛି ସେଦିନୁ ଘୋର କଜିଆ, ସେ ଆଉ ସରୁ ନାହିଁ । ଚାରି ଚାରି ହାତ ଲେଖାଁ ଘର ହୋଇଛି ସାବକ ବଖରାକ ମଝିରେ କାନ୍ଥ ପକାଇ କିନ୍ତୁ ଦୁଆରଟା ଖୋଲା ପଡ଼ିଛି କଜିଆ କରିବାପାଇଁ । ଦୁଇଭାଇ ମୂଲଲାଗି ଗଲେ ଘରେ ଦି’ଜାଆ ଥିଲେ ସେମାନେ କଜିଆ ଲଗାନ୍ତି । ତଣ୍ଟିର କସରତ ଅଣ୍ଟାର ବି, ଦୁଇଭାଇ ଆସି ପହଞ୍ଚିଲେ ସେମାନେ ବି ଲାଗିପଡ଼ନ୍ତି, ଲାଗେ କଜିଆ ଘମାଘୋଟ, ଗାଁର ସେ ଖଣ୍ଡକଯାକ ଚମକି ଉଠେ । ସକାଳୁ ରାତି ପହରେ ସରିବାଯାକେ ଲାଗିଥାଏ ଏହି ଐକ୍ୟତାନ, ତେବେ ସମୟ ଦେଖି ସେ ସ୍ୱରରେ ଊଣାଅଧିକ ଅଛି, ସେ ରାଗିଣୀରେ ବିଶିଷ୍ଟ ପ୍ରଭେଦ ବି ଅଛି । ସକାଳୁ ସେ ଖୁବ୍‌ ପ୍ରାଣସ୍ପର୍ଶୀ, କିନ୍ତୁ ଅଳ୍ପକ୍ଷଣସ୍ଥାୟୀ,–‘‘ଇଲୋ ଯୋଗିନୀଖାଇଲୋ ! ଇଲୋ ଯାହା ଛୁଆ ମୋ ଘର ଦୁଆର ମୁହଁରେ ଏମିତି କରିଛି ତାକୁ ବାଡ଼ି ଖାଉଲୋ,’’ ଏହିପରି ସବୁ ମଙ୍ଗଳ କାମନା ।

 

କିନ୍ତୁ ଅସଲ ପ୍ରଳମ୍ବିତ ଧ୍ରୁପଦର ବେଳ ସଞ୍ଜବୁଡ଼, ସେତେବେଳେ ପରସ୍ପରଠୁଁ ଛ ଆଠ ହାତ ଦୂରରେ ଠିଆହୋଇ ଅଣ୍ଟାରେ ହାତ ଦେଇ ଦୋହଲି ଦୋହଲି ଯୋଡ଼ିଏ ମାଇପେ ଯାହା କୁହାକୋହି ହୁଅନ୍ତି ତା’ ସହଜେ ପାଟିକି ଆସିବ ନାହିଁ, ଅନ୍ତତଃ ଦିନଯାକ ନ ଭାବିଲେ ।

 

ଆଜି ସଞ୍ଜରେ ବି ଲାଗିଥିଲେ ଦୁହେଁ, କେହି କାହାକୁ ଊଣା ନୁହଁନ୍ତି । ଜଣକ ବୟସ ଏକୋଇଶ ତ ଆଉ ଜଣକ ବୟସ ବାଇଶି, ରାଗୁ ରାଗୁ ପାଟୁଆର ସ୍ତ୍ରୀ ଆପଣା ଅଜାଣତରେ ଧାଇଁଗଲା କେତେବେଳେ ସାନ ଜା’ ପାଖକୁ, ନିଜେ କ’ଣ କରୁଛି ଭାବିବା ଆଗରୁ ଧରି ପକାଇଲା ତା’ ମୁଣ୍ଡର ଗହଳ ବାଳରୁ ମୁଠାଏ, ନାକରେ ଏମିତି ବିଧାଏ ଦେଲା ଯେ ଗଳ ଗଳ ରକ୍ତ, ଆଉ ‘‘ଇଲୋ ବୋପାଲୋ ମରିଗଲିଲୋ-’’ ବଡ଼ ଜା’କୁ କୁଣ୍ଢେଇ ଧରି ତା’ ସଙ୍ଗେ ମଲ୍ଲଯୁଦ୍ଧରେ ମଜ୍ଜିଯିବା ଆଗରୁ ଭାଟୁଆର ସ୍ତ୍ରୀ ଆପଣା ଅବସ୍ଥା ବିଷୟରେ ଦୁନିଆକୁ ଜଣାଇବାପାଇଁ ଏପରି ଇସ୍ତହାର କୁହାଟ ଛାଡ଼ିଲା ଯେ ସେ ବାଟେ ଯାଉଥିବା ମଣିଷ ନୀଳୁ ଦାସେ ଭୁଷ୍‌କିନା ଦଉଡ଼ିଗଲେ ତାଙ୍କ ଅଗଣାକୁ ।

 

ଭାଟୁଆ ଠିକ୍‌ ସେତିକିବେଳେ ମାଛଗୁଡ଼ିଏ ଧରି ଘରେ ପହଞ୍ଚୁଥାଏ, ମାଛଖଳେଇ କାନ୍ଧରେ ଝୁଲୁଛି, ପିନ୍ଧା କର୍‌ହିଆଟା ଓଦା ସରସର, ସିଝୁବାଡ଼ ପାଖେ ଦେଖା ଦିଜଣଙ୍କର । ନୀଳୁ ଦାସ ପାଟି କଲେ, ‘‘ଭାଟୁ କିରେ, ଆରେ ଦେଖୁଛୁ କ’ଣ ଧର୍‌ ଧର୍‌ ଧର୍‌ ଧର୍‌ । ଆରେ ମାଛ ଥୋଇଦେ ମଣିଷକୁ ସମ୍‌ହାଳ ଆରେ ଦେଖୁଛୁ କ’ଣ ?’’ ଭାଟୁଆ ଯେପରିକି ତାଙ୍କରି କଥାରେ ଖଳେଇକି ପିଣ୍ଡାରେ ଥୋଇଦେଇ କଳିଆଡ଼କୁ ଧାଇଁ ଯାଇଛି ତ ମଝିରେ କୁଆଡ଼ୁ କଟୁରିଟାଏ ଧରି ପାଟୁଆ ଚମକି ଆସି ପହଞ୍ଚିଯାଇ କହିଲା, ‘‘ବୁଝ ଖବରଦାର୍‌ ମାଇପେ ମାଇପେ କଳି, ତୁ ଯାଇଚୁ କି ଭାଇଫାଇ ମାନିବି ନାଇଁ, ଏଇଠି ଅଇଛା ତୋ ମୁଣ୍ଡଟା ଗଡ଼ିଯିବ ।’’ ତା’ର ସେ ବିକୋଦର ମୂର୍ତ୍ତି ଦେଖି ଭାଟୁଆ କାବାହୋଇ ଅଟକିଲା, ପାଟୁଆ ଡାକି ଶୁଣେଇ କହିଦେଲା, ‘‘ଭାରି ବାହାବଳ ହେଇଯାଇଚି, ଗଣ୍ଡି ବାନ୍ଧିଚୁ । ନାଇଁରେ, ତୋ’ର ସବୁଦିନେ କି ମୋର ଏକାଦିନେ । ତୁ ଏଣେ ପାଦେ ଆଇଚୁ କି ମୁଁ ଫାସି ଚାଲିଯିବି ପ୍ରେତାତ୍ମା ଥାଇ ଦେଖିବ । ହେଇ ବୁଝ ମୋର ପ୍ରତଗ୍ୟାଁ ।’’

 

ଠିକ୍‌ ଯେତିକିବେଳେ ଭାଟୁଆର ବିଷମ ଅବସ୍ଥା, ଗଲେ କ’ଣ ହେବ ଜଣାନାଇଁ ନ ଗଲେ ମଣିଷପଣ ଆପଣାକୁ ଧିକ୍‌କାରି କୁହୂଳି ଉଠି ଦେହଟାକୁ ଥରେଇ ଦେଉଛି, ସେତେବେଳେ ଗୋଟିଏ ହାତରେ ଖଳେଇକି ଟେକି ଧରି ଆର ହାତରେ ନୀଳୁ ଦାସେ ଭାଟୁଆକୁ ଟେକି ଧଇଲେ, ‘‘ତୁ ବାଇ ହ’ନା ମୋ କଥା ଶୁଣ୍‌, ୟାଡ଼େ ଆ, ।’’ ପାଟୁଆର ଏ ଅବତାର ଦେଖି ଆପେ ଦି ମାଇପେ ଛଡ଼ାଛଡ଼ି ହୋଇଗଲେ । ପରସ୍ପରକୁ ଗାଳି ବର୍ଷି ଲାଗିଲେ । ଭାଟୁଆ ମଧ୍ୟ ସୁଯୋଗ ପାଇଲା ବଡ଼ପାଟି କରି କହିବାକୁ, ‘‘ମତେ ଧରି ପକାଇଲ ବାବୁ, ନ ହେଲେ ଆଜି ଦେଖିଥାନ୍ତି କାହା ମୁଣ୍ଡଟା ଗଡ଼ିଥାନ୍ତା । ଆରେ କଟୁରି କାମ ଏକା ସେଇ ଜାଣେ ନା ଆଉ କାହାକୁ ବି ଜଣାଅଛି ମ ?’’ ଆଉ ନିଳୁ ଦାସେ ତାକୁ ଚାରିପାହୁଣ୍ଡ ଝିଙ୍କିନେଇ କହିଲେ, ‘‘ବଳ ଖର୍ଚ୍ଚ କରିବା କିଛି ଦରକାର ନାହିଁ । ମୁଁ ଖଣ୍ଡେ ଦରଖାସ୍ତ ଲେଖିଦଉଚି, ଦେ ଛାଡ଼ି ଯାଉ ଥାନାକୁ, ପଇସା କେଇଟା ପଡ଼ିବ କି ନାଇଁ ବଳେ ଇନ୍‌କୁଆରି ହବ ସବୁ ଧରାପଡ଼ିବ, ଏତେ ହୀନି ଅବସ୍ଥା କାହିଁ ପାଇଁ ?’’ ଭାଟୁଆ କହିଲା, ‘‘ଯାହା ପଡ଼ିବ ପଡ଼ୁ ପଛେ ଆଜି ଲେଖିଦିଅ ।’’ ସେ କହିଲେ, ‘‘ଆଜି ରାତି ହେଲାଣି ଥାଉ କାଲି ଲେଖାହେବ, ଆଜି ତୁନିହୋଇ ଶୋଇପଡ଼ ।’’ କହି ଖଳେଇ ଧରି ଚାଲି ଆସିଲେ ।

 

ଦିଖୋଜ ନ ଯାଉଣୁ ଫେରିଆସି କହିଲେ, ‘‘ଆରେ ତୋ ଖଳେଇଟା ମୁଁ କାହିଁକି ନେଇଯାଇଥିଲି, ନେ ତୋ ଖଳେଇଟା ନେ ମାଛ ଅଛିପରା–କାଲିକି ସକାଳୁ ଆସିବୁ ଟିକିଏ ଝଅଟି, ଦରଖାସ୍ତଟା ଭାବିଚିନ୍ତି ଲେଖି ତତେ ଥାଇଥାନ କରେଇଲେ ଫେର ମୁଁ ମୋ କାମକୁ ଯିବି । ଆଜି ଯା ଚଉକିଆକୁ ଖୋଜି ବାହାର କର–କହିଥା–ଏଥିରୁ ମତେ ମାଛ ଦି’ଟା ଦେଲେ ମୁଁ କାଲି ତତେ ପଇସା ଦେଇଥାନ୍ତି ।’’

 

ଆଉ ଭାଟୁଆ କହିଲା, ‘‘ମୁଁ ଯାଉଚି ଆଜି ଆଉ ମାଛ ରନ୍ଧେଇ ଖାଇବାକୁ ବାବୁ, ତମେ ଆପଣ ନେଲେ ମୋର ଶରଧା । କି ମାଛ ଯେ ଆଉ ପଇସା ନେବି, ଏଣେ ମୋ ଘର ଭାଙ୍ଗିଯାଉଛି, ୟା ଦାଉରେ, ମୁଁ ଯାଏଁ ଚଉକିଆ କତିକି–’’

 

‘‘ଭାଟୁଆ ଭାରୀଯା ବଡ଼ପାଟି କରି ଗାଳି ଦେଉଥାଏ, ପାଟୁଆ ଭାରୀଯା ଦେଉଥାଏ ତା’ର ଉତ୍ତର, ପାଟି ଘୋଳିହେଲେ ଦୁହେଁ ତୁନି ପଡ଼ିଥିବେ । ଭାଟୁଆ ତ ଯୋଉ ଚଉକିଆକୁ ଖୋଜି ପାଇବ ଯେ ଜଣେଇ ଜଣା, ଚଉକିଆ ଆସିଲେ ବି କାହାକୁ ହାଣ୍ଡିରେ ପୂରେଇ ଫାଣ୍ଡିକି ନବ । ଯାହାହେଉ ମଧ୍ୟସ୍ଥି କରି ମାଛ ଦୋଟି ମିଳିଗଲା । ନାଙ୍କରା କ’ଣ ? କାଲିକି ଯଦି ଆସିବ ତା’ପାଇଁ କ’ଣ ବରଗିବା ଠିକଣା କରି ରଖିଥା । କାଠ ଦିଖଣ୍ଡ ମାହାଳିଆରେ ଚିରେଇନେଇ ପାରିବ ତ, ନାଙ୍କରା କ’ଣ ?’’ ମକଦ୍ଦମା କ’ଣ ସତରେ ସେ କରୁଚି ନା କଲେ ଗଦେଇ ଲେଙ୍କା ଅଗଣୀ ରାୟ ଥାଉ ଥାଉ ଆମ ପତରେ କିଛି ପଡ଼ିବ- ଏମିତିଆ ଯାହା –ଉଠ ଉଠ –’’ ବିଲେଇଟା ମାଛକୁ ଅନିଷା କରି ମ୍ୟାଉଁ ମ୍ୟାଉଁ ହେଉଛି । ପାଖକୁ ପାଖକୁ ଆସୁଛି । ଏଥର ଆସ୍ତେ ଗୋଟିଏ ହାତ ଦେବ ବଢ଼ାଇ । ପାଟି କଲେ । ‘‘ଆରେ ଯାଉଛୁ ନା’ ? ମଲା ଏ କ’ଣ ଭାରି ଜଣେ ! ଏଡ଼େ ତରକା ପଡ଼ିଚୁ ତୁ ମନେ ମନେ ? ଦଉଚି ରଇଥା- ଭଲରେ ଏ ଦୁନିଆଁ ନାଇଁ ପରା ।’’

 

କାଠଫାଳିଆ ଉଞ୍ଚେଇ ଗୋଡ଼େଇ ଗଲେ, ଫେରି ଆସିଲାବେଳକୁ ସବୁଠୁ ବଡ଼ ଗଡ଼େଇ ମାଛଟାକୁ ପାଟିରେ କାମୁଡ଼ି ଧରି ଭୁଆ ବିଲେଇଟାଏ ଧାଇଁ ପଳୋଉଛି । ପାଟି କଲେ, ‘‘ଗଲା ଗଲା, ନେଇ ପଳେଇଲା ।’’ ବିଲେଇ ଉପର ରାଗ ଝିଅ ଆଉ ଭାରିଯାଙ୍କ ଉପରେ ଅଜାଡ଼ି ପକାଇ କହିଲେ, ‘‘ହେ ତମେତ ସବୁ କେହି ଆସିବ ନାଇଁ ଆଉ ବିଲେଇ ନ ନବ ତ କ’ଣ ହବ ? ମୁଁ ପରା ମିଛରେ ତୁମରିମାନଙ୍କପାଇଁ ଧନ୍ଦି ହେଇ ମରୁଛି । ଆଉ ତେମେ ଆଳୁ ଦିଟା ପେଇଁ ଯାଇଚ ନା ଯାଇଚ, ଆଉ ଆସିବାକୁ ମନ ନାଇଁ ମନ କଲେ ପାନ ଖାଇ ଫିଟିବଣି । ଓଲୁ ମୁଁ, ଶାହାସ୍ତ୍ର ପୁରାଣ ଠିକ୍‌ କହିଚି, ଏ ଖାଲି ଲୁବ୍‌ଧକ ବନ୍ଧନରେ ପଡ଼ି ଛଟପଟ ହେବା କଥା, ୟାଙ୍କରିପାଇଁ, ଇଲୋ ଗେହ୍ଲି ତୁ କ’ଣ କରୁଛୁ ?’’

 

‘‘ଡିବିଟାକୁ ଧରିଚି ପରା, ବୋଉ ଆଳୁ ବାଛି ବାଛି ନଉଚି ।’’

 

‘‘ହଁ, ଡିବିଟା ଥୋଇଦେଲେ ହନ୍ତା ନାଇଁ, ମନେ ମନେ ଗୋଟାଏ ରୁଖା ହେଇଗଲାଣି ପରା-ଆଉ ତେମେ ୟେ ଆଳୁ ବାଛୁ ବାଛୁ ତମକୁ ଯୁଗ ପାହିଲାଣି, ଏତିକିବେଳେ ଆଳୁ ଲଗା ହୋଇ ଗଛ ହନ୍ତା’ଣି ମନ କଲେ-’’

 

‘‘ଯୋଉ ଆଳୁଗୁଡ଼ାକ ଟିକିଏ ଖରାପ ହେଇଯାଇଚି ତାକୁ ଆଗ ବାଛି ନେଇଯାଇ ତୁଣ କରିଦେଲେ ସିନା ହବ । ନଇଲେ ସେଗୁଡ଼ା ସଢ଼ିଯିବ ଯେ-’’

 

‘‘ହ ସେମିତି ବାଛି ବାଛି ମଣିଷକୁ ସବୁଦିନେ ସଢ଼ା ଆଳୁ ତ ଖୋଉଚନ୍ତି, ଛୋଟଲୋକ ଘର ଝିଅ ନ ହେଲେ ଏମିତି ବୁଦ୍ଧି ଆସିବ କୁଆଡ଼ୁ ?’’

 

‘‘କ’ଣ କହିଲ ? କ’ଣ କହିଲ ? ଫେର୍‌ ଆଉଥରେ କହିଲ କ’ଣ କହୁଚ ? ସମସ୍ତେ ଛୋଟଲୋକ ଘର ଝିଅ, ଆଉ ୟାଙ୍କରି ଖାଲି ବଡ଼ଲୋକ ? ମୋ ବାହାଘର ଯୌତୁକ ବାସନ କୁସନ ବିକି ଦେଣା ଶୁଝି ମୁଠିଏ ଖାଇବାକୁ ପାଇଲେ ଏଇ ଭାରି ବଡ଼ଲୋକ, କ’ଣ କହନ୍ତି ନାଇଁ-ମାଟିଏ ପୁଅଟିଏ, ଘରେ କାନ୍ଥ ନାଇଁ ରୁଅଟିଏ, ବାଲିଙ୍ଗି ବାହାରୁଚି, ଚାତର, ମୋ ବାପଘର ଫେର୍‌ ଛୋଟଲୋକ, ଏଇ ବଡ଼ଲୋକ ।’’

 

‘‘ରଖିଦିଅ ତମ ବାପଘର କଥା, ଅଦିଆ ପୁଣି ବିନ୍ଧଣା । ତୋଡ଼ ଦେଖ ହୋ ! ସବୁଗୁଡ଼ାକ ତୁଚ୍ଛା ଖଣ୍ଟଗୁଡ଼ାକ, କହିଲା’’ ବାଜୋଽଅପି ଖଣ୍ଟ୍‌, ଥବିରୋଽଅପି ଖଣ୍ଟ୍‌, ଯତି ସତୀ ସର୍ବଜନୋଽପି ଖଣ୍ଟ୍‌-’’

 

‘‘କ’ଣ କହିଲ ? କ’ଣ କହିଲ ? ଫେର୍‌ ଆଉଥରେ କହତ ! ଦିନୁ ଦିନ ତମର ମୁହଁ ବଢ଼ିଯାଉଚି । ମଣିଷର ଏମିତିଆ ରାତି ଅଧରେ କଳି କରିବାକୁ ମନହୁଏ ? ପ୍ରକୃତି, ଆଉ କ’ଣ କରିବ ?’’

 

କଜିଆଟା ସମ୍ଭବତଃ ଚାଲିଥାନ୍ତା କିଛିବେଳ, କିନ୍ତୁ ଏତିକିବେଳେ ଦାଣ୍ଡ କବାଟରେ ଧଡ଼ ଧଡ଼ ଶୁଭିଲା । ଗେହ୍ଲି କହିଲା ‘‘କିଏ ଡାକିଲାଣି’’ ଗେହ୍ଲି ବୋଉ କଷ୍ଟରେ ଆପଣାକୁ ରୋକି ନେଲେ-–ଘର କଜିଆ ଘରେ, କାଳେ କିଏ ଶୁଣି ପକାଇବ ମହତ ଯିବ, ସତେକି ଶୁଣା ହେବାକୁ ବାକି ଆଉ କେଉଁ କଥା, - କହିଲେ, ‘‘ହଉ ରହିଲା ହବ ପରେ ।’’

 

ନୀଳୁ ଦାସେ କେଉଁ କଜିଆ ଡରିବା ଲୋକ । କହିଲେ, ‘‘ମାଛ ବଛା ଧୁଆ ସବୁ ହୋଇଗଲା, ତମେ ଆସୁଚ ନା ମୁଁ ବସେଇବି, କ’ଣ କହୁଚ କହିଦିଅ-’’

 

‘‘ଏମିତି ଯଦି ହାତ ଖଲ ଖଲ ହେଉଚି ତ କ’ଣ କରୁଚ କରୁନଁ. ବଇଚ କାହିଁକି ? ଆଉ ନଇଲେ, -ହଃ’’ ଗେହ୍ଲି ବୋଉ ଫୋପାଡ଼ିଲା ପରି କହିଲେ । ‘‘ହଉ ।’’ ନୀଳୁ ଦାସେ ଅବଜ୍ଞା ଦେଖାଇ କହିଲେ, ‘‘ଏବେ ସିନା ସଟିଲ୍‌ମେଣ୍ଟରେ ଦିନାକେତେ ହେଲା ଡକରା ଆସିନାଇଁ ଯେ ମଣିଷ ତମ ହାତରନ୍ଧା ଖାଇବାକୁ ଘରେ ବସିପଡ଼ିଚି, ନଇଲେ କୋଉଠି ଥିଲ ତୁମେ, ନା ଆମେ ଉପାସ ପଡ଼ୁଥିଲୁଁ ତମେ ନ ରାନ୍ଧୁଥିଲ ବୋଲି ? ହଉ, ନ ଆସ ଗେହ୍ଲି କପାଳରେ ଅଛି ସୁଆଦିଆ ତରକାରିଟାଏ ଖାଇବ ବୋଲି, ସେଇଥିପାଇଁ ମୁଁ ରାନ୍ଧିବି । କେତେ ପାହାଡ଼ ପର୍ବତରେ ରାତି ଏତିକିବେଳେ ଏଇ ହାତରେ ଠେକେରା ବସେଇଚି ତେମେ କିଏ କାହାର ହୋ । ସେଇଆ ହଉ, ମୁଁ ରାନ୍ଧୁଚି, ତେମେ ବସ । କ’ଣ କହନ୍ତି ନାଇଁ

 

‘‘ଖଣ୍ଟସ୍ୟ ପୁରୀ ଖଣ୍ଟସ୍ୟ ନଗରୀ

ବିନାନୁଖଣ୍ଟେ ପ୍ରସବନ୍ତି-’’

 

ୟାପରେ କ’ଣ ବାହାରିବ ଗେହ୍ଲିବୋଉ ଜାଣନ୍ତି, ତେଣୁ ମଝିରେ ବାଧାଦେଇ କହିଲେ ‘‘ରଖିଥାଅ ତମ ପିଣ୍ଡତପଣ, ସେଣେ କିଏ ଆସିଲେଣି ।’’

 

ସକୁ ସତ ଆସିଲେଣି ବି ଜଣେ, ସେ କନବୋଉ, ଗେହ୍ଲିବୋଉଙ୍କ ଗଙ୍ଗାଜଳ । ସାତ ଘର ତାଙ୍କ ଘର, ହେଇ ସେହି ଯେଉଁଠି ଗାଁ ଗୋହିରିଟା ବାଙ୍କ ବୁଲିଛି, ବାଡ଼ରେ ଆମ୍ବଡ଼ାଗଛ ତିନିଟା, ସେଇ ସଳଖେ ତାଙ୍କ ଘର । ଓଢ଼ଣାଟାକୁ ଆହୁରି ଚାଖଣ୍ଡେ ଆଗକୁ ଓଟାରି ଦେଇ ଦେହକୁ ଆସ୍ତେ ନୁଆଇଁଦେଇ ସେ ଆସି ଡିବିରି ଆଲୁଅରେ ଠିଆ ହେଲେ, ଗେହ୍ଲିବୋଉ ସଙ୍ଗେ ସଙ୍ଗେ କହିଲେ, ‘‘ସେ ସିଆଡ଼େ ମଁ, ଏଠି କେହି ନାହାନ୍ତି, କୁଆଡ଼େ ଆଇଲ ?’’

 

କନବୋଉ ଓଢ଼ଣାକୁ ପଛକୁ ଓଟାରି ଓଟାରି ଏକ ହସ ହସ ଚନ୍ଦ୍ରବଦନ କାଢ଼ି ଦେଖାଇଲେ, କିନ୍ତୁ ସେ ଚନ୍ଦ୍ର ପୂର୍ଣ୍ଣିମୀର ନୁହେଁ, କାହିଁ ପଞ୍ଚମୀ କି ଷଷ୍ଠୀର । କପାଳ ଉପରୁ ଲାଣ୍ଡି ହୋଇ ହୋଇ ଉଠିଯାଇଛି ଠିଆ କାନ୍ଥପରି ଖଣ୍ଡେ ଖଣ୍ଡେ ଉଞ୍ଚ, ଦି’ଗାଲ ଟାକୁଆ ପଡ଼ିଯାଇଛି ତ ସହଜେ କିନ୍ତୁ ତାଙ୍କ ଅନ୍ତବର୍ତ୍ତୀ ଦୂରତାଟା ବି କମି କମି ଆସିଛି ଯେପରି ମୁହଁଟି ଫାଳିକିଆ ଦିଶିବ । ପାନ ଖାଇ ଖାଇ ଦାନ୍ତମୂଳଟିମାନ ଖୋଳି ହୋଇ ହୋଇ ଦାନ୍ତଗୁଡ଼ାକ ବଡ଼ ବଡ଼ ଦିଶୁଛି, ସହଜେ ତ ପାନ ଖାଇ ଖାଇ ଦାନ୍ତ ପାଚି ଯାଇଛି, ଦିଶୁଛି କଳା ନାଲି । ନାକପୁଡ଼ାଟିମାନ କନ କନ ହୋଇ ଉଠୁଛି ଥରୁଛି ତା’ର ଦାଢ଼, ସେତିକି ଦେଖି ଗେହ୍ଲି ବୋଉ ଠଉରେଇ ନେଲେ ଗଙ୍ଗାଜଳ କିଛି ସମ୍ବାଦ ଆଣିଛନ୍ତି । କହିଲେ ‘‘ଗେହ୍ଲି, ତୁ ଯା, ଏ ଆଳୁତକ ନେଇ ଯା, ବାପା ଏକୁଟିଆ–’’ ଗେହ୍ଲି ଗଲା ।

 

ସପ ପାରିଦେଲେ । ବସିଲେ ଦୁଇ ଗଙ୍ଗାଜଳ । ଗେହ୍ଲିବୋଉଙ୍କ ଓସାରିଆ ମୁହଁ କତିକି କନବୋଉଙ୍କ ଫାଳିକିଆ ମୁହଁଟି ଧୀରେ ଧୀରେ ଘୁଞ୍ଚି ଘୁଞ୍ଚି ଆସିଲା ପାଖକୁ ପାଖକୁ, ଆହୁରି ପାଖକୁ-। ଜଣକର ନିଶ୍ୱାସର ପବନ ଆର ଜଣକର ଗାଲରେ ବାଜିଲା, ଜଣକର ପାଟିର ଗନ୍ଧ ଆର ଜଣକର ନାକରେ ପଶିଲା,- ଆହୁରି ପାଖକୁ - ଆହୁରି କତିକି କତି, ଲଗାଲଗି, -ଜଣକର ଦେହର ତାତି ଆଉ ଜଣେ ଅନୁଭବ କଲା ଆପଣା ମୁହଁରେ । ଫୁସ୍‌ଫୁସ୍‌ କଥା, ଭାରି ଫୁସ୍‌ଫୁସ୍‌, ତଣ୍ଟି ବସେଇ ବସେଇ । ମୁହଁ ସାମ୍ନାରେ ଆର ମୁହଁଟା, ଆଉ କିଛି ଦିଶୁ ନାହିଁ, ଅସ୍ତିତ୍ୱ ଏତିକି, ସଂସାର ଏତିକି, ଭ୍ରୁଲତା ନାଚୁଛି, ଆଉ ଡୋଳାରେ ବିଜୁଳି ଚମକୁଛି, ଆପଣାଠି ଅଣ୍ଡାଳି ଅଣ୍ଡାଳି କିଛି ନ ପାଇ ଯେଉଁ ବ୍ୟକ୍ତିତ୍ୱ ଜୀବନରେ ବିଚିତ୍ରତା ଖୋଜିବା ଭୁଲି ଯାଇଥିଲା ହିଂସାରେ ଉନ୍ମତ୍ତ ହୋଇ ସେ ଫୁଲି ଫୁଲି ଉଠୁଛି ।

 

ଦୁହିଙ୍କଠି ଦୁହିଙ୍କର ଆବଦ୍ଧ ଧ୍ୟାନ ଭାଙ୍ଗଗଲା, ଯେତେବେଳେ ହଠାତ୍‌ ‘‘କେଁ କେଁ-’’ କରି ଟିକିଏ ଶବ୍ଦ ହେଲା, ଘରର ବିଲେଇ ଖଟତଳୁ ଗୋଟାଏ ବଡ଼ ମୂଷାକୁ କାମୁଡ଼ିଧରି ବାହାରି ଚାଲିଗଲା ।

 

‘‘ଇଲୋ କେଡ଼େ ବଡ଼ ମୂଷାଟାକୁ ନେଇଗଲା ଲୋ–’’

 

‘‘ଏମିତି କେତେ ମଲେଣି ମ ଗଙ୍ଗାଜଳ, ଭୁଲୁକୀ ଭାରି ଶିକାରୀ, ଦେଖିଲ ନାଇଁ ଅଇଛା କେମିତି କଲା ? ଥିବ ଥିବ ଛପି ଛପି ମାଡ଼ିବସିବ ଯେ ଠିକ୍‌ ତଣ୍ଟିରୁ କିନା, ସେଉଠୁ ତ ନେଇ ଛୁ । ହଁ, ଯାହା କହୁଥିଲ, ହଇଲୋ ସତରେ ? କ’ଣ ଚିହ୍ନିବ ଏ କଳିକାଳର ମଣିଷଙ୍କୁ ଲୋ ମାଆ ରାଣୀ-।’’

 

ଉଭୟେ ହସିଲେ । ଦୁଇ ମୁହଁ ଧୀରେ ଧୀରେ ଦୂରେଇ ଗଲା ପରସ୍ପରଠୁ ପରସ୍ପରକୁ ଚାହିଁ ହାବଭାବରେ ପରସ୍ପରକୁ ସମ୍ବର୍ଦ୍ଧନା ଜଣାଇଲା ଯେ ଉଭୟେ ସିଆଣୀ ସେତିକି ।

 

ପଦାରେ ସୁନ୍ଦର ଜହ୍ନରାତି, ପରିଷ୍କାର ଆକାଶରେ ଜହ୍ନ ଝଟକୁଛି, ତାରା ଝଲଝଲୋଉଛନ୍ତି । ହାଲୁକା କୁହୁଡ଼ି ଛୁଆଣି ହୋଇ ବସୁନ୍ଧରାର ଛାଇରୂପ ଗୋଟିକାଗୋଟି ଯେପରିକି ନୂଆ ଅର୍ଥରେ ନୂଆ ଅବସ୍ଥିତିରେ ଆବିର୍ଭୂତ ହୋଇଛନ୍ତି । ମାଘ ଶୁକ୍ଲ ଷଷ୍ଠୀର ରାତି, ସମୁଦ୍ରକୂଳରେ ଚନ୍ଦ୍ରଭାଗା ତୀର୍ଥରେ ମରୁଭୂମିରେ ବାଟୋଇ ଯାତ୍ରୀ-ପରିବାର ପରି ବସିପଡ଼ିଥିବେ ସହସ୍ର ସହସ୍ର ପରିବାର, ହରଡ଼ ଝାଟିରେ ଲୁଗା ବେଢ଼େଇ ଦେଇ ରାତିକପାଇଁ କାନ୍ଥ କରିଥିବେ, ବାଲି ଉପରେ କିଆଫଳକୁ କରିଥିବେ ଚୁଲି ଝିଙ୍କା, ହାଣ୍ଡି ବସିଥିବ, ଭୋର ପାହାନ୍ତାରୁ ମାଘସପ୍ତମୀ ବୁଡ଼ ।

 

ଏଠି ସେ ଜହ୍ନର ଆଦର ନାହିଁ । ଚାଳଟା ନ ଥିଲେ ଜହ୍ନ ଦିଶନ୍ତା, ମୋଟେ ସେତିକି ବ୍ୟବଧାନ, କିନ୍ତୁ ସେତିକିରେହିଁ ଆକାଶ ତଳର ବିରାଟ ଚେତନା ସମୁଦ୍ରଠୁ ଅଲଗାହୋଇ ସେ ଗୋଟିଏ ଅନ୍ଧାରି ଗୁମ୍ଫା ପାଲଟିଛି । ସେଠି ଜହ୍ନ ନାହିଁ ତାରା ନାହିଁ ଅଛି ଡିବି ଆଲୁଅ, ଫୁଲ ହେଲାଣି ଡିବି ସଳିତା ଉପରେ, ଆଲୁଅ ନାଚୁଛି, ଦିଟା ମୁହଁର ଛାଇ ନାଚୁଛି, ଦିଟା ମନ କନ୍ଦରାର ହିଂସ୍ର ଔତ୍ସୁକ୍ୟ ନାଚି ଉଠୁଛି ନୀରବରେ । ଟେଁ ଟେଇଁ ଟେଁ ଟେଇଁ କରି ଚହଳ ପକାଇ ମୁକ୍ତିର ସଙ୍ଗୀତ ଶୁଣାଇ ଉପରେ ଉପରେ ଉଡ଼ି ଉଡ଼ି ଚାଲିଗଲା ଚଢ଼େଇ । କିନ୍ତୁ ରନ୍ଧାଘରର ତୀବ୍ର ଚେଁ ଚେଁ ଶବ୍ଦ ଲାଗି ରହିଲା ବହେ ବେଳ । ବାରିପଟୁ ହେନାଫୁଲର ବାସ୍ନା ଦୁଆର ପଟୁ ଗଙ୍ଗଶିଉଳୀର ବାସ୍ନା ବୃଥା ଚେଷ୍ଟା ଚଳାଇଛନ୍ତି ସେ ଘର ଭିତରେ ପଶିବେ ବୋଲି, ପାରୁନାହାନ୍ତି ।

 

କଥାଟା ବି ପଡ଼ିଥିଲା କେଳା-ଭାରୀଯା ଘରେ, ତହିଁ ଆରଦିନ ଦିପହରେ । ଗେହ୍ଲି ବୋଉ କନବୋଉ ତ ଥିଲେ, ପଦୀବୋଉ, ଚେମାବୋଉ । ପଦୀଟି ଆଠ ବର୍ଷର ଝିଅ, ନାଲି କସ୍ତା ଖଣ୍ଡେ ପିନ୍ଧି ପାହୁଡ଼ ଝମର ଝମର କରି ପିଣ୍ଡାକୁ ଚାଲି ଯାଉଥାଏ ଯେଉଁଠି କେଳାବୋଉ ବୁଢ଼ୀ ତାଙ୍କ ସାଙ୍ଗେ ଦି’ ଜଣକୁ ଏକାଠି ଭେଳେଇ ଆପେ ଚଷମା ନାଇ ପଢ଼ୁଥାନ୍ତି ରାମାୟଣ, ପୁଣି ଏପାଖକୁ ଆସୁଥାଏ ଏ କଥା ଶୁଣିବାକୁ । ସେଠି ପିଣ୍ଡାରେ ପଡ଼ିଥାଏ ସୀତାଚୋରି ପଛର କଥା, ରାମ ଲକ୍ଷ୍ମଣ ବଣଯାକ କାନ୍ଦି କାନ୍ଦି ବୁଲି ବୁଲି ଗଛପତ୍ର ଜନ୍ତୁଜୁନ୍ତା ସମସ୍ତଙ୍କୁ ପଚାରୁଛନ୍ତି, ବୁଢ଼ୀ କେଳାବୋଉ ବି କାନ୍ଦୁଛନ୍ତି, ତାଙ୍କ ସଙ୍ଗରେ ସପନୀବୋଉ ଆଉ ଋକୁଣୀ ବୋଉ, ମଝିରେ ମଝିରେ ଡାକୁଛନ୍ତି, ‘‘ଆଗୋ କୁଆଡ଼େ ଗଲ ବା ବୋହୂ, ଆସୁନା ଶୁଣିବ’’ ।

 

‘‘ତେମେ ପଢ଼ୁଥା ମୁଁ ଯାଉଚି’’ କେଳା ଭାରୀଯା କହେ, ଆଉ ଏଣେ ଏପାଖର କଥା ପଡ଼ିଥାଏ । ଅତି କୁତୂହଳରେ ସମସ୍ତେ ଚାହିଁ ବସନ୍ତି, ୟାପରେ କ’ଣ ହେବ ? ୟା ପରେ କ’ଣ କହିବ ? କେଳା ଭାରୀଯା କଥା କହୁଥାଏ ।

 

ପଦୀ ଟିକିଏ ବସିପଡ଼େ, ପାନ ଚୋବାଏ, ୟା ମୁହଁକୁ ଅନାଏଁ ତା’ ମୁହଁକୁ ଅନାଏଁ, ଭାବେ ସେ ବୁଝିପାରୁଛି । ପୁଣି ଉଠି ଚାଲିଯାଏ କେଳାବୋଉ କେମିତି କାନ୍ଦୁଛନ୍ତି ଦେଖିବାପାଇଁ ।

 

କେଳା ଭାରୀଯାର ଛୁଆପିଲା ଜଞ୍ଜାଳ ନାହିଁ । ସେ ବାଞ୍ଝ । କୋଡ଼ିଏ ବର୍ଷର ଘରକରଣା ପରେ ତା’ ଦେହରେ ଡଉଲ ଡାଉଲ ପୂରିଲାପଣ । ଗାଲରେ ସାନ ସାନ ଆବୁ ବାହାରେ, ମାଂସର କୁଞ୍ଚ ତଳେ ଟିକି ଆଖିଯୋଡ଼ିକ ସତେ ଯେପରି କି ପୋତିହୋଇପଡ଼େ । ତା’ର ଜିକି ପାଲିସ୍‌ ସୁନ୍ଥା, ସଫା ଲୁଗା, ଖଟ ଉପରେ ଧୋବ ଫର ଫର ବିଛଣା, ପରିଷ୍କାର ପରିଚ୍ଛନ୍ନ ଘର, କାନ୍ଥରେ ତିଳେ ଜାଗା ନାହିଁ, କାନ୍ଥଯାକ ଛବି, ନୂଆଲୁଗା ଉପରୁ ଓଟାରା ହୋଇ କାନ୍ଥରେ ଲାଗିଛି । କେଉଁ ଠାକୁର, କେଉଁ ବଡ଼ ମଣିଷ, କେଉଁ କଳ୍ପନା । ଯାତ୍ରାରୁ କିଣାହୋଇ ଛବି ଆସିଛି, ଠାକୁର ଠାକୁରାଣୀ, ଦେଶର ପୂଜ୍ୟ ନେତାମାନେ, ରାମାୟଣ ମହାଭାରତର ଦୃଶ୍ୟ, କେଉଁ ଅଭିନେତା, ଅଭିନେତ୍ରୀ, କେତେ ସୁନ୍ଦର ଚେହେରା ଯେଉଁମାନଙ୍କ ପରିଚୟ ଜଣାନାହିଁ ।

 

କେଳାଭାରୀଯା ଛବି ଭଲପାଏ । କେଳା ନିଜେ କେତେ କିଣି ଆଣିଦେଇଛି, ସେହି ଯେତେବେଳେ ସେ ଘରେ ଥିଲା, ବିଦେଶ ଯାଇ ନ ଥିଲା । ଚାରିବର୍ଷ ହେଲା ସେ କାମପାଇଁ ଚାଲି ଗଲାଣି, କେଉଁ ଚେଙ୍ଗଲରେ ସେ ରହେ, ବର୍ଷକୁ ଥରେ ଆସେ । ଦଶରା ଘଡ଼ିରେ, ସାତ ଆଠ ଦିନ ରହି ଚାଲିଯାଏ । ମାସକୁ ମାସ କେଳା ଭାରୀଯା ତିରିଶିଟି ଟଙ୍କା ପାଏ ଡାକରେ, ଆଉ ଖଣ୍ଡେ ଚିଠି, ଯେ ସେ ଭଲ ଅଛି । ଏମିତି ଯାଇଛନ୍ତି ଶହ ଶହ ଲୋକ, କେଳା ଭାରୀଯା ମନର ସକ ମନେ ମନେ ମାରେ, ଧରିନିଏ, ମଣିଷ ଜୀବନର ଏ ବି ଏକ ଅବସ୍ଥା, ଯେତେବେଳେ ସ୍ୱାମୀ ବିଦେଶରେ ରହିବ, ରୋଜଗାର କରିବ, ସ୍ତ୍ରୀ ରହିଥିବ ଘରେ । ଆଉ ସେ ମନେ ମନେ କେବେ ଗଢ଼ିବସେ ସେହି ଜୀବନର ପୁଣି ଆଉ ଗୋଟାଏ ଅବସ୍ଥା ବି, ଯେତେବେଳେ କେଳା ଫେରି ଆସିଥିବ, ଆଉ ଯିବ ନାହିଁ । ଆପଣା ଚିଠିରେ ଆଭାସ ଦିଏ, କିନ୍ତୁ ବଳାଏ ନାହିଁ । ସାଙ୍ଗମାନେ ହିତେଇ ହୋଇ କହିଲେ କେବେ କେବେ ହସିଦେଇ କହେ- ‘‘ଓଃ ! ଏଡ଼େ ଛୋପରା କଥା ଫେର୍‌ ଶୁଣିବ, ମିଣିପେ ଆଉ କାମକୁ ଯିବେ ନାଇଁ ଯେ ମଣିଷର ମୁହଁ ଚାହିଁ ବସିଥିବେ ! ଏତେ ଫଳ ମଣିଷ ଖାଉଚି, ଗୋଟିଏ ଫଳ ନ ଖାଇଲେ ସେଉଠୁ କ’ଣ ହୋଇଗଲା ?’’ ସେ ଖୁସି ଖୁସି ହିଁ ଦିଶେ, ଯେପରିକି ନିଶ୍ଚିନ୍ତ ମଣିଷ । ଯେଉଁ ନିଶ୍ଚିନ୍ତପଣ ମାଇପେ ଆପଣାଠି ପାଆନ୍ତି ନାହିଁ ସେତିକି ପାଇବା ଲୋଭରେ ଧାଇଁ ଆସନ୍ତି ତା’ ସଙ୍ଗେ ଦୁଃଖସୁଖ ହେବାକୁ, ତା’ର ସେହି ଛବିଘରେ ଟିକିଏ ବସିପଡ଼ି ତା’ ହାତରୁ ସୁଆଦିଆ ପାନ ଦି’ଖଣ୍ଡ ଖାଇ ଦି’ପଦ ପରଚର୍ଚ୍ଚା କରି ସେମାନେ ଖୁସିହୋଇ ଯାଆନ୍ତି, କେଳାଭାରୀଯା ବି ପରର ଅନୁଭୂତିରେ ମନେ ମନେ ବାହିଯାଏ ଖଣ୍ଡେ ବାଟ ।

 

ଧୋବ ବିଛଣା ପଡ଼ିଥିବା ପୁରୁଣା ପଲଙ୍କ ଆଡ଼ୁ କାନ୍ଥକୁ ସିଧା ଚାହିଁଲେ କାହା କାହା ଆଖିରେ ପଡ଼େ ଗୋଟିଏ ସୁନ୍ଦର ଛବି, ଆଣ୍ଠେଇବା ଅବସ୍ଥାରେ ମୁହଁ ବୁଲେଇ ଚାହିଛନ୍ତି ବାଳଗୋପାଳ, କି ସୁନ୍ଦର ହସ ହସ କୁଲୁକୁଲୁଆ ମୁହଁ, ଲାଗେ ଯେପରିକି କେଳାଭାରୀଯା ଦି ହାତ ବଢ଼େଇ ସେ ପଲଙ୍କ ଉପରୁ ଅପେକ୍ଷା କରି ବସିଛି ଆ ଡେଇଁପଡ଼ କହିଲା ଭଙ୍ଗୀରେ, ସେ ଆସୁନାହିଁ । କିନ୍ତୁ କେଳାଭାରୀଯା କେଉଁଦିନୁଁ ସେ ଛବିଟାଆଡ଼କୁ ଅନାଇବା ଭୁଲି ଗଲାଣି । ସଉକ ଆଗେ ଥିଲା, ସତକୁ ସତ ସେ ଛବିକୁ ମନେ ମନେ ଲୋଭୋଉଥିଲା । ସେତେବେଳେ ପୁରୁଣାକାଳିଆ ମରହଟୀ ବୁଢ଼ୀ ଶାଶୁ କହୁଥିଲେ ଯେ ସେ ତାଙ୍କ ବୋହୂଦିନେ ଶୁଣୁଥିଲେ ଏମିତିଆ ସୁନ୍ଦୁରିଆ ପିଲାଙ୍କ ଛବିକୁ ଆଖି ଆଗରେ ରଖିଲେ ଆପଣାର ପିଲା ସୁନ୍ଦର ହୁଅନ୍ତି, ଯେ ଯାହାକୁ ଭଜେ ସେ ତାକୁ ପାଏ ।

 

ସତେ ହୁଏ ଏମିତି ! କେଳା ଭାରୀଯା ବିଡ଼ୁଥିଲା, ତା’ପରେ ମିଛଟାରେ ବର୍ଷ ଉତ୍ତାରୁ ବର୍ଷ ଗଡ଼ି ଚାଲିଲା । ଗଡ଼ି ଚାଲିଲା । ଶାଶୁ କେତେ ଦିଅଁ ଦେବତା ମାନସିକ କଲେ, କେତେ ପୂଜା ଓଝା ଆଉ ବ୍ରାହ୍ମଣ ଭୋଜନ ।

 

ବାକି ରହିଗଲା ହଟକେଶ୍ୱର ଯିବା । ପ୍ରତ୍ୟକ୍ଷ ଠାକୁର, ସେହି ଯେଉଁ ଦେଉଳଠୁ ଖଣ୍ଡେଦୂରରେ କାଉକୁଣ୍ଡ ଭିତରେ ସାବୁଜା ପାଣି ଟକଟକ ଫୁଟୁଛି, ଗନ୍ଧକ ଗନ୍ଧ ହେଉଛି, ତାହାରି କରରେ ଅରାଏ ଖଣ୍ଡେ ସେହି ପାଣିତଳୁ ଝରି ଝରିକା କାଦୁଅ ପଙ୍କ, ମାଘ ସପ୍ତମୀ ପାହାନ୍ତିଆରୁ ଆଖି ବୁଜିଦେଇ ସେହି ପଙ୍କରୁ ଚିପି ଚିପି ଯାହା ମିଲିଲା ତାହା ଗର୍ଭକୁ କ୍ଷେପିଦେଲେ ପୁଅ ନିଶ୍ଚୟ ହେବ । ସମସ୍ତେ କହନ୍ତି, ନିଜେ ଉଦିଆ ପଧାନୁଣୀ ଯାଇଥିଲା ଫଳ ପାଇଥିଲା । କହୁଥିଲା ସିଏ କୁଆଡ଼େ କଣ୍ଟିଆ ମାଛଟାଏ ପାଇଥିଲା ଯେ ଗିଳିଦେଇଥିଲା ତା’ର ପୁଅ ହେଲା । ଉଦିଆ ପଧାନୁଣୀ କହୁଥିଲା, ଖାଇଲା କଣ୍ଟିଆ, ପାଇଲା ହଟିଆ ।

 

କିନ୍ତୁ ଶେଷଯାକେ କେଳାଭାରୀଯା ଟାଣ ହୋଇ ରହିପାରିଲା ନାହିଁ । ଏତେ ମଣିଷଙ୍କ ଚକଟା ଚକଟି ଭିତରୁ ଗେଣ୍ଡା କି କଣ୍ଟିଆ କି କାଦୁଅ କି ଗୋଡ଼ି ଗୋଟେଇ ନେଇ ଖାଇବାକୁ ତା’ର ମନ ହେବନାହିଁ ବୋଲି ଜିଦି ଧରିଲା । ଶାଶୁ ଯେତେ ବୁଝାଇଲେ କହିଲେ, ‘‘ମୋର ଯହୁଁ ନ ହେଲା, ଡେରି ହେଲା, ମାନସିକ କରି ବାସି ଗୋବର ପୁଳାଏ ଗିଳିଥିଲି, ମୋ କେଳାଟିକି ପାଇଲି’’ ବୋହୂ ହସି ଦେଇ କହିଲା, ‘‘ସେହି ଗୋବର ନଣ୍ଡାକ ତାଙ୍କ ମୁଣ୍ଡ ଭିତରେ ରହିଗଲା ବୋଉ, ଆଉ ଗଲା ନାହିଁ ।’’

 

ତେବେ ସେ ସବୁ ତ ପଛକଥା, ଆଉ ତହିଁକି ତା’ର ଆଶ ତେଜୁ ନାହିଁ, ଥୋବରା ହୋଇଗଲାଣି, ହସିଦେଇ ସେହି ପୁରୁଣା କଥା କହେ, ‘‘ସମସ୍ତେ କ’ଣ ସବୁ ଫଳ ଖାଉଛନ୍ତି ? ନ ହେଲା ବା କେଉଁ ଫଳଟା । କ’ଣ ହେଲା ?’’

 

କେଳା ଭାରୀଯା ଶୁଣାକଥାକୁ ଉପଲକ୍ଷ ଦେଇ କହୁଥାଏ ଏକ କାହାଣୀ । ଏମିତି କାହାଣୀ ସେ ବହୁତ ଜାଣେ, ତା’ ବାପଘର ତଳହଟିଆଡ଼େ, ସତେକି ସେଇଠି କାହାଣୀର ବି ଫସଲ ପାଚେ ।

 

କହୁଥାଏ, ‘‘ଆମରି ସେଇଠିକାର ଝିଅ, ଆମ ଗାଁ ନୁହେଁ,-’’ ଆପଣା ଗାଁ ଗୁମର ସେ ଭାରି ଜଗେ, ତା’ ଗାଁ ନୁହେଁ, ତା’ର କେହି ନୁହେଁ, ସେ ନିଜେ ଏମିତି ନୁହେଁ, ସେ ନିଜେ ଏମିତି ନୁହେଁ, ଏଇଆ କହିବ, ତେଣୁ ।

 

‘‘ଆମ ଗାଁ ନୁହେଁ, ଆମ ଗାଁ ପାଖ । ବାରି ପଛଆଡ଼େ ଅରମା, ସେକରେ ପୋଖରୀ, ସବୁରି ବାରି ପଛଆଡ଼େ । ଖଣ୍ଡେ ଦୂରଛାଡ଼ି ଆର ତୁଠରେ ଦେଖାଦେଲା ସହରି କୁଣିଆଁ, ବନସିରେ ଭାତ ଗୁନ୍ଥି ଗୁନ୍ଥି କେରାଣ୍ଡି ଧରେ ଗୀତ ରଚନା କରି ଗାଏ ଗୋଟିଏ ଗୋଟିଏ, ସେ କୁଆଡ଼େ ଭାରି କବି ।

 

ଝିଅଟି ନା ଉକି । ଘଡ଼ି ଘଡ଼ିକେ ବାରିଆଡ଼କୁ ଯାଏ । ପେଟରେ ପିଆଦା ବାଡ଼ୋଉଚି, କିଏ ଜାଣେ ଲୋ ମା’ । ଦାଣ୍ଡରେ ଏତେ କଟକଣା, ସେମାନେ ଏମିତି ମରହଟୀ ଯେ ନାହିଁ ନ ଥିବାର । ବାରିଆଡ଼େ କିଛି ନାହିଁ । ଆଉ ସେ ସହରିଆ କୁଣିଆ ଜଣକ ଫେର୍‌ ଏମିତି କବି, ଏତେ ହୁନ୍ଦର ଜାଣେ ।

 

କେବେ ତାଙ୍କର ଚିହ୍ନା ପରିଚ ? କେବେ ଏତେ ସେତେ ? କୁଣିଆ ବି ଦିନାକେତେ ରହିଗଲା, ସବୁରି ସଙ୍ଗରେ ଚିହ୍ନାଜଣା ହେଲା, ସମସ୍ତିଙ୍କି ଆପଣାର କରିନେଲା । କାହାପାଇଁ କେତେ ଦରଖାସ୍ତ ବି ଲେଖିଦେଲା । କହିଲା ୟା ହବ ତା’ ହବ, ସବୁ ବଦଳି ଯିବ । ପିଲାଙ୍କୁ ଗୀତ ଲେଖିଦେଲା, ବୋଲା ହେଲା ତାହାରି ଗୀତ । ଝିଅମାନେ ଶିଖିଲେ ।

 

ଆଉ ସେଥର ହେଇଥିଲା କୁଆଁର ପୁନେଇଁ । କୁଣିଆ କୁଆଡ଼େ ସହରରେ ବଡ଼ ପାଠ ପଢ଼ୁଥିଲା, ସେତେବେଳେ ତା’ର ଛୁଟି ହୋଇଥାଏ କେଡ଼େ ସୁନ୍ଦର ସୋରିଷଫୁଲିଆ ଜହ୍ନ ପଡ଼ିଥାଏ-। ଝିଅମାନେ ସବୁ ଗୀତ ବୋଲୁଥାନ୍ତି । ସେଉଠୁ କ’ଣ ହେଲା ନା–

 

କହି ଉଠିଲ, ‘‘କିଏ ଜାଣେ ନା କିଏ ଆଖିରେ ଦେଖେ ?’’

 

ଗେହ୍ଲିବୋଉ କହିଲେ, ‘‘ତେବେ ୟେ ଯାହା କହିଲି ୟେ ଆଖିରେ ଦେଖିବାର ବଡ଼ବୋପା, ଆଉ କ’ଣ ?’’ କନବୋଉ କହିଲେ, ‘‘ବେଶୀଦିନ ଝିଅକୁ ବାହାକରି ନ ପକାଇ ରଖିଲେ ଏମିତି ହୁଏ । ନିନ୍ଦିବ କାହାକୁ ? ଆଉ ତା’ ବୋଉ କ’ଣ କମି ସିଆଣିଆ କି, କଥାଟା ଯେମିତି ନିଜ ନିଘାରେ ପଡ଼ିଚି, ସେମିତି ଜାଲ ମେଲେଇ ଦଉଚି । ଏକଦମ ଟୋକାଟାକୁ ବାନ୍ଧି ପକେଇ ବାହା କରେଇ ଦେଲେ ଯାଏ । ସେଇଥିପେଇଁ ଫୁସୁଲେଇ ଡାକିନେଲା ପରା, ଆମେ ଠିଆ ହେଇଥିଲୁ ।’’

 

‘‘କେଜାଣି ଲୋ ମା’, ହେଇଥିବ ।’’ କେଳା ଭାରିଯା ହସିଦେଇ କହିଲା । ଉଠିପଡ଼ିଲା ଶାଶୁଙ୍କ ଆର୍ଦୋଳି ଆଉ ଏଡ଼ି ହେବ ନାହିଁ । ତେବେ ତା’ ହସରୁ ସବୁ ଜଣାପଡ଼ିଲା । ଖବରଟା ସେ ଜାଣିଗଲା । ଏଥର ଆଉ ଦଶ ଜଣଙ୍କୁ କହିବ ।

 

ଗେହ୍ଲିବୋଉ, କନବୋଉ ବି ଖୁସି ହେଲେ । ସମସ୍ତେ ଏକାଠି ଉଠିଗଲେ ରାମାୟଣ ଶୁଣିବାକୁ ।

 

ଖୁଣ୍ଟପରି ବସିଥିଲେ ପଦୀବୋଉ । ତାଙ୍କ ମୁହଁଟି ପ୍ରକାରେ, ଯେପରି କି ଗୋଟିଏ କଅଁଳା ବାଛୁରୀ ମୁଣ୍ଡକୁ ଟିକିଏ ବାଗେଇ ଦେଇ ମଣିଷ ମୁଣ୍ଡ କରି ଦିଆହୋଇଛି ସେହିପରି ସେ ମୁହଁର ଗଢ଼ଣ । ବହୁବର୍ଷର ଆମ୍ବିଳ ଆମାଶୟରେ ମୁହଁର ପାଣି ଶୁଖି ଯାଇଛି । ଖାଲି ହାଡ଼ର ଛାଞ୍ଚ ଉପରେ ମଳିନ ପଡ଼ିଥିବା ହଳଦିଆ ଚମଡ଼ାର ଢାଙ୍କୁଣି । ଆଖି ଯୋଡ଼ିକ ବଡ଼ ବଡ଼, କ୍ଲାନ୍ତ, ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ, ଯେପରି କି ସଂସାରରେ ସବୁ କଥାକୁ ସେ କାବାକାବା । ଦୁଇଟା ହାଡ଼ୁଆ ମୁଠା ଉପରେ ସେ ମୁହଁ ଭରା ଦେଇ ଥୁଆ ହୋଇଥିଲା ।

 

କାହାଣୀ ସରୁ ସରୁ ସେ କହିଲେ, ‘‘ଇଲୋ ମା’ଲୋ, ଏତେକଥା ଚାଲିଛି ଏଥିରେ । ବଡ଼ ଘର ଚୂନା ହେଲେ ଏମିତି ମାନମହତ ବି ଚୂନା ହୁଏ । ହଁ, କେଡ଼େ ଘର ହେଇଥିଲା, କେଡ଼େ କଥା ଥିଲା, କ’ଣ ପୁଣି ନ ହୁଏ । ଦିହିଁଙ୍କ ମନ ତ ରାଜି, ଏତେ ଲୁଗାଚୋରା କାହିଁକି ? ବାହାଘର ହେଲେ କ’ଣ ନାଙ୍କରା ହବ ? ଏମିତି ମିଛ ପେଖନା କାହିଁକି, ମାଙ୍କଡ଼ ନାଁରେ ଦୋଷ ଲଗେଇ ଛଟାଗଳା କାହିଁକି ? ଡକେଇ ନେଇ ଫୁସୁଲା ଫୁସୁଲି କାହିଁକି ? ସଫା ବାହାହୋଇ ପଡ଼ିଲେ ଗଲା; ଉପଯୁକ୍ତ ସମ୍ବନ୍ଧ, ଭଲ ହୁଅନ୍ତା । ତେବେ, ହଁ- ଦବାନବା କଥାଟା ଅଛି । ବଟ ମାହାନ୍ତି ସେ, ୟେ ଦେଇ ଦେଇ କ’ଣ ଅଛି ଯେ ଦେବେ ? ସେ କ’ଣ ନିମ୍ବକାଠି ନେଇ ବୋହୂ ଆଣିବାକୁ ମଙ୍ଗିବେ ? ନା ପୁଅକୁ ପାଠ ପଢ଼େଇଛନ୍ତି, କଉଡ଼ି ସାରିଛନ୍ତି ଖୋଜିବେ ବେଶି ଦିଆନିଆ ? କେଜାଣି ଲୋ ମା’, କ’ଣ କେମିତି ହବ କେଜାଣି !’’

 

ସପନୀ ମା’ ଠିଆ ହେଲେ ଡେଙ୍ଗାଟା ଦିଶନ୍ତି, ହାଡ଼ୁଆ ମଣିଷ, ତାଙ୍କର ବି ପେଟ ଭଲ ରହେ ନାହିଁ, ଅଳ୍ପ ଖାଇଲେ ପେଟଟା ପୂରିଲା ପରି ଲାଗେ, ଆମ୍ବିଳା ହାକୁଟି ଆସେ ।

 

ଠିଆ ହୋଇପଡ଼ି ସେ କହିଲେ, ‘‘ସେ ବାହାଘର ହଉ କି ନ ହଉ କିଏ ପଚାରେ, କଥାଟାକୁ ଆଗ ଦେଖ । ଟିକିଏ ହେଲେ ସରମ ନାହିଁ ତୋ ମୁହଁକୁ ? ଛି- ଛି- ଛି କି କାଳ ହେଲା ବା ! କି କାଳ ହେଲା !’’

 

ସମସ୍ତେ ଦୀକ୍ଷା ପାଇ ଫେରିଗଲେ, ଯେ ଯାହା ବାଟ ଧରିଲେ । ଗାଁ ଗୋହୀରି ଭିତରେ ଠାଏ ବାଡ଼ ପାଖେ ପଦୀବୋଉ ଗେହ୍ଲିବୋଉଙ୍କ ହାତକୁ କଟକଟ କରି ମୁଠେଇ ଧରି ଠିଆ ହେଲେ-। ଦୁଇପଟେ ବାରିର ମାଲିକ ରାଜ୍ୟ ବିସ୍ତାର କରୁ କରୁ ମଣିଷଚଲା ରାସ୍ତାଟା ସଂକୀର୍ଣ୍ଣ ହୋଇ ଆସିଛି । ଯାହା ବା ନ ହୋଇଥାନ୍ତା, ଗୋଟାଏ ପଟୁ ବାଡ଼ଆଡ଼ୁ କଣ୍ଠାଗିଲ ବଳିଷ୍ଠ ହାତ ବଢ଼େଇ ବାଟୋଇଙ୍କି ଧରିବାକୁ ଯାଉଛି ତ ଆରପଟୁ ଘଞ୍ଚହୋଇ ମାଡ଼ି ଆସିଛି ମଧୁମାଳତୀ, ଧୋବଲା ନାଲି ପେନ୍ଥି ପେନ୍ଥି ଟେକି ଧରିଛି । ମୁଣ୍ଡ ଉପରେ ଟେକିଛି ଗୋଟାଏ ପୁରୁଣା ସଜନା ଗଛ, ବହଳ ହୋଇ ସଁ ବାଳୁଆ ଲାଗିଛନ୍ତି, ସତେ ଯେପରି ଗଛଟା ଗରମକୋଟ ପିନ୍ଧିଛି, ତା’ ଉପରେ ଲହ ଲହ ହୋଇ କଷି ସଜନାଛୁଇଁ ଓହଳିଛି ।

 

ସେଇଠି ପଦୀବୋଉ ଗେହ୍ଳିବୋଉଙ୍କ ହାତଧରି ପକାଇଲେ ଦୃଢ଼ ମୁଠାରେ । ଫୁସ୍‌ଫୁସ୍‌ କରି ପଚାରିଲେ, ‘‘ମାଲୋ ! ଏଡ଼େ ହଟହଟା । ସତ କହିଲ ଦେଖିଚ ତୁମେ ? କ’ଣ ଦେଖିଚ ?’’ ସେହି ବାଛୁରୀ ମୁଣ୍ଡ ଭିତରେ କେଉଁଠି ଧକ୍‌ଧକ୍‌ ହୋଇ ଜଳି ଉଠିଥିଲା ଉତ୍ତେଜନା, ଅତୀତର କେଉଁ ପାଛୋଟା ଢେଉ । ସଜନା ଗଛରେ ଲମ୍ବଥଣ୍ଟିଆ ଚଢ଼େଇ ଯୋଡ଼ାଏ ଡେଉଁଛନ୍ତି, ସଁ ବାଳୁଆ ଝଡ଼ୁଛନ୍ତି, ସେଥିକି ନିଘା ନ କରି ପଦୀବୋଉ ଔତ୍ସୁକ୍ୟରେ ଅପେକ୍ଷା କର ରହିଲେ । ପଚାରିଲେ, ‘‘ତମୁକୁ ମୋ ରାଣ, ସତ କହ କ’ଣ ଦେଖିଚ ?’’ ଗେହ୍ଲିବୋଉ ହସିଦେଇ ଫୁସ୍‌ଫୁସ୍‌ କରି କହିଲେ, ‘‘ଇଲୋ ମୋ ପଦୀବୋଉ ଅପା, ମୁଁ ମିଛ କହିଲେ ତେମେ ଜଳିଯିବ, ତମ ରାଣ ପକାଉଛି, ତେବେ ମୋର ଅବସ୍ଥା କ’ଣ ହେବ, ତମପରି ମଣିଷଟିଏ ମୁଁ କାହୁଁ ପାଇବି କହିବଟି ? ସତ କହିବି ନାହିଁ ଆଉ ମିଛ କହୁଥିଲି ତମ ଆଗରେ ?’’

 

‘‘ସତ କହ, ସତ କହ, କ’ଣ ଦେଖିଚ ।’’ ତାଙ୍କ ମୁଠା ଥରୁଥାଏ, ଥରେ ଛାଡ଼ିଦେଇ ପୁଣି ଯାବୁଡ଼ି ଧରୁଥାନ୍ତି । ଗେହ୍ଲିବୋଉ କହିଲେ, ‘‘ଛିଆ ମତେ କ’ଣ ପଚାରୁଚ ବା, ତେମେ କ’ଣ କେବେ ବଅସର ମଣିଷ ହୋଇ ନ ଥିଲ, ନା ଏମିତି ଥିଲ ? ତେମେ ନିଜେ ବୁଝିପାରୁନାହଁ । ଏମିତି ସବୁ ହଏ, ଆଖିରେ କ’ଣ ସବୁ କଥା ଦେଖିହୁଏ ? ପରପୁଅ ଗୁଞ୍ଜାରୁଅ ଆଇଲା ଦେଖିଲି, ୟାକୁ ଦେଖିଲି ତାକୁ ଦେଖିଲି, ସବୁକଥା ବୁଝିଲି । ଯେ ମୁଁ କୋଉ କାଲା ଆଗରେ ଢୋଲ ପିଟିବାକୁ ଯାଉଚି ? କହନ୍ତି ନାଇଁ ନଗରନାହୁଲି କହିଲେ । ରଜା କୁଣ୍ଡା ପିଠା ଖାଇଲେ । ଯାହା ଘରେ ଯେ ଯାହା କରୁ ୟେ ତ କଳିକାଳ, କୋଉ ଆମ କଥା ରହୁଛି ଯେ କାହାକୁ କହିଲେ କିଛି ଲାଭ ପାଇବା-? ଯାହା ଦେଖିଲି ଯାହା ଜାଣିଲି ହେଇ ତମରିମାନଙ୍କ ଆଗେ କହୁଚି-’’ ପଦୀବୋଉଙ୍କ ଉତ୍ତେଜନା କମି ନ ଥାଏ, କହିଲେ, ‘‘ଅନ୍ତକପଟୀଟାଏ ଲୋ ପେଟରେ ରଖିଚୁ । କହୁନୋଉଁ । କହ, କ’ଣ ଦୋଷ ହେଇଯିବ ନା କିଏ ଜାଣୁଚି, ଏଠି ତ ତୁ ମୁଁ ଏକୁଟିଆ–’’

 

ଗେହ୍ଲିବୋଉ କହିଲେ, ‘‘ତମକୁ କିଛି ଲୁଚାଉନାଇଁ ମ ଅପା, ଦେଖିଲାଠୁଁ ବଡ଼ କଥା କଲି ଜାଣିଲି । ଲୁଚିଲା ମଣିଷର ଗୋଡ଼ ଦିଟା ଦେଖି ବାରିହୁଏ, ମୁଁ ସେମିତି ଜାଣିଲି । ଛାଡ଼, ଶୁଖୁଆପୋଡାକୁ ବାଉଁଶ ନିଆଁ ଆମର କି ଯାଏ । ମୁଁ କାହିଁକି ମୁହଁ ଖୋଲନ୍ତିକି ? ତେବେ କଥା କ’ଣକି, ଚାଲୁଣୀ କହିବ ନାଇଁ ଛୁଞ୍ଚିକି । ଯେଉଁମାନେ ଜାଣିଶୁଣି ଏତେ ନାଟ ଲଗାଉଚନ୍ତି, ସେମାନେ ପରକୁ ବାଛିବେ ନାଇଁ । କମି କଥା କହନ୍ତି ସବୁ ସେମାନେ । ତାଙ୍କ ଆଖିରେ ସମସ୍ତେ ଖରାପ ଆଉ ସେହିମାନେ ଖାଲି ଭଲ । ଦେଖୁନା, ଛବିବୋଉ ସିନା ଆଉ ପ୍ରକାରେ, ତାଙ୍କ ଶାଶୁ ମୂର୍ତ୍ତିକ କ’ଣ କମି କଥା ଧରୁଥିଲେ ? କିଏ କାଶିଲା, କିଏ ଛିଙ୍କିଲା କାହାକୁ ନ ବାଛିଚନ୍ତି, କାହା ଦୋଷ ନ କହିଚନ୍ତି ! ମନେଅଛି ମୁଁ ଯେତେବେଳେ ନୂଆ ହୋଇ ଶାଶୁଘରକୁ ଆସିଥାଏ । ମାଲୋ କି କଥା, ତାଙ୍କୁ ଦେଖିଲେ ମୋ ଛାତିରୁ ରକ୍ତ ଶୁଖିଯାଏ । ତାଙ୍କରି ଘର ତ ।’’

 

‘‘ଇଲୋ ଦେଖ ଲୋ ନଟିଆ ଓଝା ବାରିରେ ଗୋରୁଟାଏ ପଶି କେମିତି ବାଇଗଣ ଗଛଗୁଡ଼ାକ ଭିଡ଼ି ଭିଡ଼ି ଚୋବାଉଚି, ହେଇ ସେ ଗିଲଗଛ ମୂଳରେ ଦେଖ ବା ସତ୍ୟାନାଶ କଲା ବାଇଗଣ ବାରିଟାକୁ । ନଟିଆ ଓଝା କେତେ ବାଇଗଣ ପାଇଥାଆନ୍ତାଟି । ତା’ ଝିଅ ଥିବ ବା ଡାକି କହିଦେବା–’’ ପଦୀବୋଉ କହିଲେ ।

 

‘‘ହଃ ଆମର କ’ଣ ଯାଉଚି !’’ ଗେହ୍ଲିବୋଉ କହିଲେ, ‘‘ତମୁକୁ କେଜାଣି କେବେ ଦେଇଥିବ, ମତେ କେବେ ତ ତା’ ବାଡ଼ିର ଫସଲ କିଛି ଦେଇ ନାଇଁ କି ଦବ ନାଇଁ, ମୋର କ’ଣ ଯାଉଚି ।’’

 

‘‘ଖାଇଯାଉଚି ବା ଖାଇଯାଉଚି ବା’’–ପଦୀବୋଉ ପାଟିକଲେ ।

 

ଗେହ୍ଲିବୋଉ କହିଲେ, ‘‘କିଏ କୋଉଠି କ’ଣ ଖାଉଚି ଉଜାଡ଼ୁଚି । ଯାଉଚୁ ଆମେ ବୁଝି-? ଯାହାର ଯେ ସେ ବଳେ ବୁଝିବ । ଯିବି ଲୋ ମା’ ଧାନ ଉଷେଇଁବି–’’

 

ସେ ଚାଲିଗଲେ, ପଛେ ପଛେ ପଦୀବୋଉ ।

 

ଆରତ ଅମିନଙ୍କ ଢିଙ୍କିଶାଳରେ କଥାଟା ପଡ଼ିଥାଏ । ପଧାନସାହିର ଶିଖର ମା’ ଢିଙ୍କି ଖାଲରେ ହାତ ପୂରାଇ ଲେଉଟାଇ ଦେଉଥାଏ, ଚଢ଼ିଥାନ୍ତି କେଉଟ ସାହିର ଚମ୍ପୀମା’, ତେଲିସାହିର ରଘୁଆ ମା’ । ଏ ତିନିହେଁ ଗାଁର ପେଶାଦାର ଧାନକୁଟୁଣୀଙ୍କ ଭିତରେ ଅଗ୍ରଣୀ । ସେଇଥିରେ ବଞ୍ଚନ୍ତି, କୁଡ଼ିଆ ଖଣ୍ଡେ ଖଣ୍ଡେ, ଏ ଓଳି ଥିଲେ ଆର ଓଳିକି ନାହିଁ । ଶିଖର ମା’ର ଅଧେବାଳ ପାଚିଲା, ବଡ଼ ବଳିଷ୍ଠ ଗଢ଼ଣ, ଗାଁରେ କେହି କେହି କହନ୍ତି ହନୁମନ୍ତ ବୁଢ଼ୀ ବୋଲି, ଗୋରା ଗୋଲ ମୁହଁରେ ପାଟିରେ ଦି’କଳ ପାନ ଗୁଞ୍ଜି ଦେଇ ବୁଢ଼ୀ ହସି ହସି କଥା କହେ, କାକରା ପିଠା ପରି ଦିଶେ ତା’ର ଦିଟା ଆବୁଆବୁଆ ଗାଲ । ଚମ୍ପୀମା’ ଚିକ୍‍କଣ କଳା ସଳଖ ଡେଙ୍ଗା, ଛଡ଼ ପରି, ତା’ ମଝିଆଁ ପୁଅ ଗଙ୍ଗା ଗାଁର ରାମନବମୀ ଯାତରେ ରାବଣ ହୁଏ, ମା’ ଓଳି ଆଣିଛି, ଚାରିହାତ ଉପରେ ଡେଙ୍ଗା । ଚମ୍ପୀମା’ର ଢିଙ୍କିଚଢ଼ା ଠାଣିରେ ତରତର ହୋଇ ଯୁଦ୍ଧକୁ ଧାଇଁବାର ଠାଣି, ଅଳସ ସହେ ନାହିଁ, ବାଁ ନାହିଁ ଡାହାଣ ନାହିଁ ।

 

ରଘୁଆ ମା’ ବୟସରେ ଏ ତିନିଙ୍କ ଭିତରେ ସାନ, ନାଁକୁ ରଘୁଆ ମା’, ରଘୁଆର ବୟସ ଆଠ ବି ପୂରି ନାହିଁ, ଆପେ ଗେଣ୍ଡୁ ଫୁଲ ପରି ଗୋରା । ପାଞ୍ଚ ବର୍ଷ ହୋଇଗଲା ସ୍ୱାମୀ କଲିକତାରେ ରହିଗଲା ଆଉ ପଚାରିଲା ନାହିଁ, ବାପଘର କୁଳରେ କେହି ନାହିଁ । ଦୁଇବର୍ଷକାଳ ଉପାସଭୋକରେ ପଡ଼ି ଘରର ଯାହାକିଛି ଥିଲା, ଗୋରୁଗାଈ, ବାସନକୁସନ ସବୁ ବିକାଭଙ୍ଗା କରିସାରି ଭୁଆସୁଣୀପଣର ମହତ ଜଗି ଚଳି ଯେଉଁଠୁ ଖବର ପାଇଲା ସେ ତେଣେ ଅନ୍ୟ ସଂସାର କଲାଣି, ଯାହା ପାଉଚି ସେହି ଆରକକୁ ଦେଉଛି, ସେତେବେଳେ ରଘୁଆ ମା’ ଧାନକୁଟିବାକୁ, ଦୁଃଖଧନ୍ଦା କରିବାକୁ ପଦାକୁ ବାହାରି ପଡ଼ିଲା, ତା’ର ଜୀବନ ବି ଖାଲି ପଡ଼ି ନାହିଁ । ହଜରା ବାଟି ନଖ ପଚାଇଛି, ପାପୁଲିଯାକ ମେଞ୍ଚା ମେଞ୍ଚା ନାଲି ଚିହ୍ନ ।

 

ତା’ର ଧାନ ପତ୍ର ପରି ଧାର ମୁହଁ । ଗୋରା ମୁହଁରେ ଚିବୁକ ଉପରେ ନେଳି ଚିତାଟିଏ, ପିଲାଦିନେ କୁଟା ହୋଇଥିଲା । ପାନଖାଇବା ଅଭ୍ୟାସ କରିଛି, ଧଳା ନିଲିପ୍ତ ଲଗାଲଗି ଦାନ୍ତଗୁଡ଼ିକ ଉପରେ ନାଲି ପାନବୋଳର ରଙ୍ଗ ମାନେ ଭାରି ସୁନ୍ଦର । ଠିକ୍‌ କାନ ଉପରେ ବହଳ କଳା ବାଳର ଢେଉ । ଅଳ୍ପ ମସିଆ ସାଧା ଶାଢ଼ି ପିନ୍ଧି ଧାନକୁଟିଲା ଅବସ୍ଥାରେ ଆପଣା ଅଜଣାରେ ସେ ଯୌବନ ଓ ରୂପର ଛଇ ଫୁଟାଇ ଚାଲିଥିଲା । ଆଗେ ହତାଶ୍‍ ଓ ଅବସାଦ ତା’ର ଚେହେରା ଉପରେ ଯେପରି କଳା ଛାଇ ଢାଙ୍କି ଦେଇଥିଲା, ଜୀବନର ସ୍ୱଚ୍ଛନ୍ଦ ସହଜ ବିକାଶ ଯେପରି କି ମଳିଚମକୁ ଠେଲି ଦେଇ ନୂଆ ଚମ ବାହାର କଲା ପରି ସେହି କଳାଛାଇକୁ ଆସ୍ତେ ଆସ୍ତେ ପଛକୁ ଠେଲି ଠେଲି ଦେଇଛି । ଏହିପରି ତା’ର ବ୍ୟକ୍ତିତ୍ୱ ଜଣାପଡ଼ୁଛି । ଯେପରି କି ବଉଦ ଘୁଞ୍ଚିଯାଉଛି, ଜହ୍ନ ଫିଟି ବାହାରୁଛି । ରଘୁଆ ମା’ ତା’ର ବାପ ମା’ ଦିଆ ନାଁ ନୀଳୀ । ପୁଣି ଜୀବନର ସୁଆଦ ଚାଖୁଛି, ତା’ର କ୍ଷୋଭ ନାହିଁ । ସାହିପଡ଼ିଶା ଗାଁରେ କିଏ କେତେ ତା’ ନାଁରେ ବି ଟୁପୁରୁଟାପୁରୁ ହୁଅନ୍ତି, ଦେଖେଇ ଲଗେଇ କହନ୍ତି ବି କେହି କେହି, ସେ ସବୁ କଥା ପଛକୁ ପକେଇ ଦିଏ । ଦିବର୍ଷ ବୁଝୁଥିଲା ପେଟର ଦାଉ, ବଡ଼ ଦାଉ ତା’ଠୁଁ ବଳି ଆଉ କିଛି ନାହିଁ; ତେଣୁ କଥା ଶୁଣିଲେ ସେ କହେ ତତଲା ପାଣିରେ ଯେମିତି ଘର ପୋଡ଼ିବ ନାହିଁ, କଥା ଶୁଣିଲେ ସେମିତି ଦେହଟା ଛିଣ୍ଡି ପଡ଼ିବ ନାହିଁ । ଲୋକେ ତାକୁ ଅବା ଦଶକଥା କହିବେ, କହନ୍ତୁ । କିନ୍ତୁ ତା’ ଦେହ ଖଟଣିପାଇଁ ସବୁଠି ମୂଲ ଅଛି, ଯେତେଠିଁ ଅଛି ଢିଙ୍କି, ଯେତେଠିଁ ଅଛି ଫେଷାଫେଷି ।

 

ଆରତ ଅମିନଙ୍କ ଭାରିଯା ଢିଙ୍କିଶାଳରେ ବସି କଣ୍ଟାନେଉଟିଆ ଶାଗରୁ ପତର ଛିଣ୍ଡେଇ ଛିଣ୍ଡେଇ କୁଲାରେ ରଖୁଥାନ୍ତି । ଗୋଟା ଗୋଟା ଲଙ୍କାମରିଚ କୁଲା କୁଲା ରସୁଣ ଆଉ ଦଣ୍ଡୀଖିରି ମହୁରାଡ଼ି ଜହ୍ଲା ଯାହା ହାବୁଡ଼େ ପଡ଼ିଲା ସେଥିରୁ ପୁଳିଏ ଏକାଠି ମିଶି ପରସ୍ତ ପରସ୍ତ ପାଣିକଖାରୁ ପତ୍ରରେ ଗୁରେଇ ଏକ ସୁନ୍ଦର ପତର ପୋଡ଼ା, ହଳଦୀ ଗରଗର, ସେହି ସେ କାର୍ଯ୍ୟର ପରିଣତି । ପୁଅ ଝିଅ ଖାଇବେ, ସବା ସାନଟା, ତା’ ନାଁ ଚଗଲା, ଦଶ ବର୍ଷର ଗେହ୍ଲା ପୁଅ । ଏବେ ସୁଦ୍ଧା ଲଙ୍ଗଳା, ତା’ପରେ ଆଉ ହେବ ନାହିଁ । ବେଶି ତା’ରି ଶରଧା ପତରପୋଡାକୁ ।

 

ଆରତ ଅମିନ ଅମିନକାମ କରି କରି ବିଦେଶ ବୁଲି ବୁଲି ଦିହକ କଟେଇ ଦେଲେ, ଘର ସମ୍ଭାଳିବା, ବିଲବାଡ଼ି କୋଠିଆ ମୂଲିଆ ବୁଝିବା, ଛୁଆଙ୍କ ଦାଉ ସମ୍ଭାଳିବା ସବୁ ଦାୟିତ୍ୱ ତାଙ୍କର । ତେଣୁ ଅଭ୍ୟାସ ପଡ଼ିଯାଇଛି ଆପଣା ନୀତି ଉପରେ ଟାଣ ହେବା ନାଁରେ ଆପଣା ମତ ଉପରେ ଟାଣ ହେବାକୁ । ଆପଣା ଧନ୍ଦା ଛାଡ଼ି ପଦାକୁ ନାହିଁ କିନ୍ତୁ ଶୁଣାଶୁଣିରେ ବି ଯାହା ହାବୁଡ଼େ ପଡ଼େ ସେ ତା’ ବିଷୟରେ ଚଞ୍ଚଳ ଏକ ମତ ତିଆରି କରିନେଇ ଦୃଢ଼ ଭାବରେ ପ୍ରକାଶ କରନ୍ତି । ଯାବୁଡ଼ି ଧରନ୍ତି ବି ଆପଣା କଥାକୁ ମାଙ୍କଡ଼ ମୁଠିଆ କରି ।’’ ପରକୁ ଅବିଶ୍ୱାସ ତାଙ୍କର ଏକ ଉପାୟ, ସେ ଭାବନ୍ତି, ତହିଁରେ ଆପଣା ପାଦ ଦମ୍ଭ ହୁଏ, ନିଘା ଟାଣ ହୁଏ । ଆପଣା ମତ ତ ଦୃଢ଼ ହୁଏ ନିଶ୍ଚୟ । ଶିଖର ମା’ ବୁଢ଼ୀ ହିଁ ତ ଆସୁ ଆସୁ କଥାଛଳରେ କହିଥିଲା, ‘‘ତମ ବାରି ଦୁଆର ସେକର କଣ୍ଟାଶାଗ ଗଛଗୁଡ଼ାକ କେଡ଼େ ଭାଲୁ ପରି ବଢ଼ିଚି ମ, ତେମେ ତାକୁ ଛୁଇଁବ ନାଇଁ ପରା; ମତେ ତର ମିଳିଲେ ପୁଳାଏ ଖୁଣ୍ଟିନିଅନ୍ତି, ଶାଗ କରନ୍ତି ।’’ ‘‘ମୁଁ ପରା ତାକୁ ବଢ଼େଇଚି ଲୋ’’, ସେ ସଙ୍ଗେ ସଙ୍ଗେ କହିଲେ-। ‘‘ଶାଗ ରହିଚି ପତର ପୋଡ଼ା ହବ । ଡାଳ ପଡ଼ିବ କାଞ୍ଜିରେ । ଆଜିତ ପତର ଖୁଣ୍ଟିବି ଭାବିଥିଲି । ଦେଲୁ ଭାଙ୍ଗି ଦି ଡାଳ ।’’ ଶିଖର ମା’ କଣ୍ଟାରେ ପଶି ଡାଳ ଡାଳ କରି ଭାଙ୍ଗିଆଣି ଥୋଇଲା, ତା’ର ପାଊଣା ସେତିକି ବେଠି ଶ୍ରମ ।

 

ଦମ୍ଭିଲା ମଣିଷ ଆରତ ଅମିନଙ୍କ ସ୍ତ୍ରୀ, ଦେହର ସୁ ଅଙ୍ଗ ପ୍ରତ୍ୟଙ୍ଗ ପମ୍ପ୍‍ ମାରି ମାରି ଫୁଲେଇଲା ପରି । ଏଡ଼େ ମୁହଁ, କେତକୀ ଗୋରା, ଉପର ଓଠରେ କହରା କାଳିଚା ରୁମ ଧାଡ଼ିଏ, ଭଗାରି କହନ୍ତି ଶଙ୍ଖୀବୋଉ ଅଧେ ପୁରୁଷ, ଅମିନ ତ ତା’ ଛେଳି, ଶଙ୍ଖୀବୋଉର ନିଶ ଅଛି ।

 

ଧାନ କୁଟୁ କୁଟୁ ଶିଖର ମା’ ସେହି ଆର କଥାଟା ପକେଇଲା, ଉପକ୍ରମଣିକା ଦେଇ କହିଥିଲା, ‘‘ଦେଖ କାଳ ଏମିତି ହେଲାଣି ।’’ ଉପସଂହାରରେ କହିଥିଲେ, ‘‘ଆଉ ଏ ଗାଁରେ ଧର୍ମ ଅଧର୍ମ ମାନ୍ୟ ମାନତ ରହିବ କୁଆଡ଼ୁ ?’’

 

କାଳେ ଆଉକିଛି ଖବର ମିଳିପାରିବ ଏହି ଆଶାରେ ଶଙ୍ଖୀବୋଉ ଖୋଳିତାଡ଼ି ପଚାରିଲେ । ‘‘ହଇଲୋ ଏତେକଥା ହେଲାଣି ? କାହିଁ ଆମୁକୁ ତ କିଛି ଜଣାନାହିଁ । ଘରକୁ ଡାକିନେଇ ଛବିବୋଉ କ’ଣ କଲା ବା ? କ’ଣ ଠାକୁର ଛଆଁଇଁ ନିୟମ କରେଇନେଲା ବାହା ହ ବୋଲି ନା ଆଉ କ’ଣ କହିଲା ? କହିବୁ ଯଦି ଫିଟେଇ କହିବୁ, ନ କହିଲେ ନାହିଁ ଏମିତି କ’ଣ ମ-?’’ ଖବରଟା ତାଙ୍କୁ ସେଡ଼େ ନୂଆ ନୁହେଁ । କନବୋଉ ନିଜେ ଆସି ସକାଳେ କହିଦେଇ ଯାଇଛନ୍ତି, ଚୁଲୀରୁ ନିଆଁ ଟିକିଏ ନେବାପାଇଁ ଏତେ ଘର ଟପି ଚାଲି ଆସିଥିଲେ ।

 

ଶିଖିରାବୋଉ କହିଲା, ‘‘ମୁଁ କୋଉ ଥିଲି ନା କ’ଣ ଜାଣିଚି ? ଗଲି ଆଇଲି ଯାହା ଶୁଣିଲି ତା’ କହିଲି । ଘରକୁ ତ ଡାକିନେଲେ, ଫଳରେ ତାଙ୍କର ତାଙ୍କର କ’ଣ କଲେ ତା’ ଆଉ କିଏ ଦେଖୁଚି ? ତେବେ ମାଆ ତ, ଜନମ କରିଛନ୍ତି, ଯାହା ଗୋଟାଏ କରିଥିବେ ନା ଆଉ ଛାଡ଼ିଥିବେ ? ହେଲେ ଦୋଷଟା କ’ଣ ହେଲା ? କୋଉଟା ପଛରେ ହୋଇଥାନ୍ତା, ଆଗରେ ହେଲା, ଜାତି କୁଳ ଗୋତ୍ର କୋଉଥିରେ ତ ଅଡ଼ୁଆ ହବ ନାହିଁ ଅଡ଼ୁଆ ଖାଲି ଏଇ ଯାହାକୁ କହନ୍ତି ମହତଟା-’’

 

ଚମ୍ପିବୋଉ କହିଲା, ସେଇ ମହତଟା ତ ଅସଲ, ସେଇଟା ଗଲେ ଆଉ ରହିଲା କ’ଣ ? ଆମେ ଲୋ ମା’ ଦୁଃଖଧନ୍ଦା କରି ଦି ମୁଠା ଖାଉ ସିନା, ଆମର ମହତକୁ ଭାରି ଡର । ସେଇଥିପାଇଁ ଦୁଧଦାନ୍ତି ଉଆକୁ ମୋର କାହା କଥା ନ ମାନି ହାତକୁ ଦି’ହାତ କରିଦେଲି । କୋଉ ବୟସ ବଳେଇ ପଡ଼ୁଥିଲା ? ତେର ପୂରି ଚଉଦ ଚାଲିଥାନ୍ତା । ତା’ ବାପା ଯେତେ ମନାକଲା ମାନିଲି ନାଇଁ । ଆମର ତ ସେତିକି ପାଣ୍ଠି- ମହତ ‘‘ତମ ବଡ଼ଲୋକିଆଙ୍କର ସିନା ଆଉ କଥା ଅଛି-’’

 

ରଘୁଆ ମା’ କହିଲା, ‘‘ତେମେ ଯାହା କହ ପଛେ ଶୁଣା କଥାକୁ ମୋର ବିଶ୍ୱାସ ନାଇଁ । ଲୋକେ ସଜଫୁଲରେ ପୋକ ପକାନ୍ତି–’’

 

ଶିଖରାବୋଉ ହସିଲା, କହିଲା ‘‘ଏହେ, ପୋକ ମନ କଲେ ଗୋଟେଇକରି ଆଣି ଛାଡ଼ୁଥିବେ । ତୁ କହିବୁ ନାଇଁ କାହିଁକି ?’’

 

ଚମ୍ପୀବୋଉ ବି ହସିଲା ରଘୁଆ ମା’ ନାଲି ପଡ଼ିଗଲା, କଥାଟାକୁ ଧରିଲା । କହିଲା, ‘‘ମୁଁ କହିବା ନ କହିବାକୁ କାହିଁକି ନିଖ ମରିଚି ମ, ମୁଁ କାହା ଖାଇବା ପତରରେ ଧୂଳି ପକାଇଲି, କାହା ମୁହଁରେ ନିଆଁ ଦେଲି ?’’

 

ଶିଖର ମା’ କହିଲା, ‘‘ଆଲୋ ରାଗୁଛୁ କାହିଁକି ? ଭଲ କଥା କହିଲି, ତୁ ଭଲ ଲୋକ, ତୋ ଆଖିରେ ଦୁନିଆଟଯାକ ସମସ୍ତେ ଭଲ ଲୋକ, ଚୁ କୋଉଥିରେ ଦୋଷ ଦେଇପାରୁନୋଉଁ, ତୋ’ର ବଳ ଅଛି କହୁଚୁ ସିନା, ରାଇଜଯାକ ଲୋକେ ଆଉ ଦେରେ କହୁଛନ୍ତି ।’’

 

ରଘୁଆ ମା’ କହିଲା, ‘‘କହିଲା ଭଲା ଅପା, ଏମତି ହଏ କେବେ ? ଜଣା ନାଇଁ ଶୁଣା ନାଇଁ, ବାଟରେ ଯିବା ଲୋକ ସାଙ୍ଗରେ କିଏ ଚିହ୍ନା ଲଗେଇବ ଚିହ୍ନା ତ ଚିହ୍ନା, ଫେର ଦୁଃଖ ସୁଖ ହସ ଖୁସି ହେବ ? ମା’ ବାପ ଜାଣିବେ ନାଇଁ, ସାଇ ପଡ଼ିଶା ଜାଣିବେ ନାଇଁ, ବାଟ ଘାଟରେ ଆଉ ମଣିଷ ନାହାନ୍ତି । ପୁଣି ଝୁଅର ଗୁଣ ଦେଖି ତା’ ବେକରେ କଟୁରି ନ ପକାଇ ଲୋକେ ଯିବେ ପର ମଣିଷକୁ ଘରକୁ ଡାକି ଆଣି ନିୟମ କରେଇବାକୁ କ’ଣ ନା ଯାହା ହେଲା ହେଲା, ତୁ ବାହା ହ । ଆଉ ଦୋଷୀ ମଣିଷ ଯେ ସେ ମୁହଁ ଲୁଚେଇ ପଳେଇବ କ’ଣ ଓଲଟି ସେ କୁଣିଆ ହୋଇ ସେଇ ଘରକୁ ଯିବ ? ସେ ପ୍ରଶଂସା ପାଇବ ଲୋକେ ତାକୁ ନେହୁରି ହେବେ ବୋଲି । ,ଳୋକଙ୍କ କଥାରେ କ’ଣ ଅଛି ? ଲୋକେ ଯଦି ଅଇଛା କହିବେ ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦୟ ହେଲେବୋଲି ତେବେ ତାଙ୍କ କଥାରେ କ’ଣ ମଣିଷ ବିଶ୍ୱାସ କରି କହିବ ହଁ ପଶ୍ଚିମ ଦିଗରେ ଉଦେ ହେଲେ । ଯେ ଯାହା ମନ ତା’ କହୁ ବିଶ୍ୱାସ କରିଯିବ । ଆପଣାର ବିଚାର ନାହିଁ ?’’

 

ଚମ୍ପୀବୋଉ କହିଲା, ‘‘ଛାଡ଼ ବା, ସବୁ ବିଚାର ଖାଲି ୟାରି ପାଖରେ । ଗାଁ ଯାକ ଲୋକ କ’ଣ କହୁଛନ୍ତି ଶୁଣିବୁ ଯା, ସେଇଠୁ ଆସି କହିବୁ ।’’

 

ଅମିନ ଭାରିଯା କହିଲେ, ‘‘ତା’ବୋଲି ତାଙ୍କ ଘରେ ଯାଇ ଗପିବୁ ନାହିଁଟି ରଘୁଆ ମା’, ସତରେ ଘରେ ନିଆଁ ନାଗିବ, ଆମର କ’ଣ ଥାଏ କାହା କଥାରେ ?’’

 

ଚମ୍ପୀବୋଉ ରଘୁଆ ମା’ ଦିହେଁ ମିଳିଗଲେ । ଚମ୍ପୀବୋଉ କହିଲା, ‘‘ଆମର କି ଯାଏ ଲୋ ମା’, ଦୁଃଖ କଲେ ଖାଇବୁ, କାହା କଥାରେ ଆମର କ’ଣ ଅଛି ? ଆମେ କ’ଣ କହୁଥିଲୁ ? କଥା ପଡ଼ିବାକୁ ସିନା–’’

 

ରଘୁଆ ମା’ କହିଲା, ‘‘ୟା କଥା ତା’ ଆଗରେ ତା’ କଥା ୟା ଆଗରେ କଲେ ଆମକୁ ଆଉ ତେମେ ପାଖରେ ପୂରେଇବ ?’’

 

ଶିଖର ମା’ ହସିଦେଇ ଅଣ୍ଟାରୁ କାଢ଼ି ପାନଖଣ୍ଡେ ପାଟିରେ ପକାଇଦେଲେ କହିଲା, ‘‘କହିବାକୁ କେହି କହୁ ନାହିଁ ଯେ, ତା’ବୋଲି ମଣିଷ କାନ ବନ୍ଦ କରିବ ନା ଆଖି ବନ୍ଦ କରିବ ।’’

 

ଅମିନ ଭାରିଯା କହିଲେ, ‘‘ପାଟି ବନ୍ଦ କରିବ ।’’

 

ଶିଖର ମା’ ଆହୁରି ହସିଲା, କହିଲା, ‘‘ମୂଲିଆ ମୁଣ୍ଡ, ହାତ ଚାଲୁଥିଲେ ପେଟକୁ ଆଧାର ଯାଉଥିବ, କେଇଟା ଦିନକୁ ମଣିଷ ଆସିଚି ଯେ ଏତେ ଡର ? କାହିଁକି ବା ? କରିବା ଲୋକକୁ ତଣ୍ଡ ନାହିଁ, କହିବା ଲୋକକୁ ତଣ୍ଡ ?’’

 

ଗପ ଚାଲିଲା ।

 

ନଈବନ୍ଧରୁ ଗାଁ ଭିତରକୁ ଯିବାକୁ ଠିକ୍‌ ଯେଉଁଠି ଗଡ଼ା ପଡ଼ିଛି ଆଉ ତ ତଳକୁ ଆରମ୍ଭ ହୋଇଛି ଗୋହୀରି ସେଠି ଗଡ଼ି ଗଲାବେଳକୁ ବାଁ ହାତି ଢିପ ଉପରେ ହରି ସାହୁର ଦୋକାନ, ଆଉ ଖଣ୍ଡେ ଦୂର ଛାଡ଼ି କିଣେଇଁ ଓଝାର କମାରଶାଳ । ଶଗଡ଼ରେ ମାଲ ଆଣିଲେ ଖଲାସ କରିବାକୁ ବେଶୀଦୂର ଯିବାକୁ ପଡ଼େ ନାହିଁ, ବାଟର ବାଟୋଇ ବି ବନ୍ଧ କର ଦୋକାନରେ ଜିନିଷ କିଣି ନିଏ । ଖାଲି ଏଠି ବୋଲି ନୁହେଁ, ନଈବନ୍ଧ ଯେଉଁଠି ରାସ୍ତା, ସେଠି ଗାଁ ତଳେ ଅନ୍ତତଃ ଗୋଟାଏ ଦିଟା ଦୋକାନ ଠିକ୍‌ ଏହି ବନ୍ଧ କରରେ । ଲୋକେ ବସିବାକୁ ସୁବିଧା ସ୍ଥାନ, ବାଟ ମୁଣ୍ଡ ଉପରେ ଝଙ୍କା ବରଗଛ, ତା’ ତଳେ ଅରାଏ ଫରଚା ଥଳ । ଆଗେ ଖରାଦିନେ ଚୌଧୁରି ଜମିଦାର ଘର ଏଠି ଜଳଛତ୍ର ବସାଉଥିଲେ, ଘୋଳଦହି ବାଣ୍ଟୁଥିଲେ, ସେଦିନ ସରିଛି, ତେବେ ପିଇବା ପାଣି ମନ୍ଦିଏ ହରି ସାହୁ ବି ଦିଏ କାଳି ବାସି ବି ଦିଏ ଲୋକ ଦେଖି । ବହୁତ କାଳର ପୁରୁଣା ଦୋକାନ ଖଣ୍ଡିକ ତା’ର, ତେଇଶି ବର୍ଷ ପୂରିଗଲାଣି, ତାକୁ ତିରିଶ ବର୍ଷ ହୋଇଥିଲା, ଦିନେ ଗଣକ ଦେଖାଇ ଦିନ ଧାର୍ଯ୍ୟ କରି ‘ଶିଳ୍ପୀ’ ଦେଖାଇ ସ୍ଥାନ ପରଖ କରି ଚୌଧୁରି ଘରକୁ ଦିମାଣ ଜମି କଣ୍ଟବନ୍ଧକ ଲେଖି ଦେଇ ଟଙ୍କା ଆଣି ସେ ତା’ର ଦୋକାନ ଖଣ୍ଡିକ ଠିଆ କରିଥିଲା । ଗାଁର ସେ ଶିଳ୍ପୀ ମଲାଣି, ଶିଳ୍ପୀ ଡିହରେ ସଦେଇ ଜେନା ଗଉଡ଼ର ଗଜା ଆମ୍ବଗଛମାନ ଫଳିଲାଣି, ଶିଳ୍ପୀ ପୋଥିକୁ ଊଇ ଖାଇଲା, ଗାଁରେ ସେ ବିଦ୍ୟା ନାହିଁ ଯେ ମାଟିଚାଖି ଦେଖି ଶଂକୁ ଦେଖି କିଏ କହିଦେବ ଏଠି ଘର କଲେ ଏଇଆ ଫଳ ହେବ । ସେ ଗଣକ ବୁଢ଼ା ବି ମଲାଣି । ବଞ୍ଚିଥିବା ଲୋକ କହନ୍ତି ସେ ଯାହାକୁ ଯାହା କହିଥିଲା ଫଳିଗଲା ସାକ୍ଷାତ୍‍ରେ । କିନ୍ତୁ ସେ ନିଜେ ହେଇ ତ ଅଛି, ଦୋକାନ ଖଣ୍ଡିକ ଅଛି, ସମ୍ପତ୍ତି ବାଡ଼ି ହୁ ହୁ କରି ମାଡ଼ି ଯାଇ ନାହିଁ ସତ, କିନ୍ତୁ ହାତରେ ତାଷ, ତା’ର ଷୋଳପ୍ରାଣୀ କୁଟୁମ୍ବ, ପୁଅ ବୋହୂ ନାତି ନାତୁଣୀ ସମସ୍ତେ ଖାଇପିଇ ମୁଠିଏ ବଳେ । ଦୋକାନ ଘରର ଚେହେରାଟା ବି ବହୁତ ବଦଳିଛି । ଆଗେ ଥିଲା କେବଳ ଗୋଟାଏ ସାନ ଗୁମ୍ଫା, ତା’ପରେ ଝାଟିମାଟିର ହେଲେ ବି ଖଣ୍ଡେ ଫରଚା ହୋଇ ଘର ହେଲା । ତା’ପରେ ସେ ହେଲା କଞ୍ଚା ଇଟାର ଚାଳଘର, ବଖରାକରୁ ହେଲା ଦି ବଖରା, ତା’ପରେ ତିନି ବଖରା, ସେଇଠି ଅଟକିଲା । ସେଥିରୁ ବଖରାଏ ଦୋକାନ, ଦି ବଖରା ଗୋଦାମ । ଲୋକେ କେତେ ବୁଝେଇଲେଣି ଚାଳଘର ଛୁଆଣିକି ବଡ଼ ହୀନସ୍ତା, ଧଳା ଧଳା ଲୁହାପତ୍ର ବିଛେଇ ଦେଇ ଛାତ କରିଦେଲେ କାମ ସରିଲା । ହରି ସାହୁ ସେ କଥାଟାର ଉପକାରିତା ଯେତେ ବୁଝିଲେ ସୁଦ୍ଧା କରିବାକୁ ମନ କରେନାହିଁ, କହେ ସେମିତି କଲେ ଦେଖେଇ ହେଲା ପରି ହେବ, ସତେ ସାହୁ ଗୋଟାଏ ମଣିଷ ହୋଇଗଲାଣି । ଥାଉ ମଣିଷ ଜୀବନ ତ ସବୁଦିନିଆ ହୋଇ ରହୁ ନାହିଁ, ଆଉ ଘର ! ଆଉ କହେ, ‘‘ଠାକୁରେ ଯୋଉ ଦଶ ମାଣ ଦେଇଚନ୍ତି ନଡ଼ା କିଛି ବି ତ ମିଳିଯାଉଚି, ଚଳି ଯାଉଚି, ଅଟକିଲେ ଦେଖାଯିବ ।’’

 

ହରି ସାହୁର ବଡ଼ ଟାଣୁଆ ମତ ଆଉ ନୀତି, ସେହି ପୁରୁଣା କଥାଟାକୁ ସେ ଏମିତି ଟାଣ ମୁଠାରେ ଜାବୁଡ଼ି ଧରିଥିବ ଯେ ଆଉ ଛଡ଼େଇ ହେବ ନାହିଁ ।

 

ତା’ର ଗୋଟାଏ ଟାଣ ମତ ତା’ ଦୋକାନ ଆଗଛମା ବରଗଛରେ ଠାକୁରାଣୀ ବସେଇ ନ ଦେବା ବିଷୟରେ । ଅନେକଥର ଚେଷ୍ଟା ହୋଇଛି ଗଣ୍ଡିରେ ସିନ୍ଦୂର ବୋଳିବାକୁ, ମାଟିରେ ତିଆରି ହାତୀଘୋଡ଼ା କଣ୍ଢେଇଟିମାନ ଆଣି ବରଗଛ ତଳେ ଥୋଇବାକୁ, ଅନ୍ତତଃ ଗଛ ଡାଳରେ ଗୋଟିଏ ଧଳା ପତାକା ବାନ୍ଧିବାକୁ । ହରି ସାହୁ ଖେଙ୍କି ଗୋଡ଼ାଏ, କହେ ମଣିଷ ଥଳ ଏ, ୟାକୁ ଦେବସ୍ଥଳ କର ନାହିଁ, ମଣିଷଙ୍କୁ ଅସୁବିଧା, ଠାକୁରଙ୍କୁ ଅସୁବିଧା । ସାମ୍ନାରେ ଠାକୁରାଣୀ ବିଜେ କରାଇବ, ସେ ଖାଇବ ଆଗ ମୋ ଦୋକାନଟାକୁ, ତା’ ସାଙ୍ଗରେ ମତେ । ଆଗ ମଣିଷ ତ ସେଠି କେହି ବସିବେ ନାହିଁ, ଅନ୍ଧାର ହେଲେ ବାଟ ପଡ଼ିବ ଡରରେ । ଗୋରୁ ବନ୍ଧା ହେବ, ମୂତିବେ, ଲୋକେ ବସିବେ, ଛେପ ପକାଇବେ । ମାଇପଙ୍କ କାନି ବାଜୁଥିବ, ଛୁଆଁ ଅଛୁଆଁ ବାରଣ ରହିବ ନାହିଁ, କ’ଣ ହେବ । ୟେ କ’ଣ ହେବାର କଥା ?’’

 

ଆଉ ତା’ର ଗୋଟାଏ ଟାଣ ମତ, ସେ କଳିଗୋଳକୁ ଓହ୍ଲାଇବ ନାହିଁ । ସେ କହେ, ‘‘ପଟ ନିଆନେଇ ମତେ ଆସେ ନାହିଁ କି କୂଟ ବୁଦ୍ଧି ଖେଳାଇବାକୁ ମୋର ମୁଣ୍ଡ ନାହିଁ କି ପରକୁ ଉପଦେଶ ଦେବାକୁ ମତେ ବେଳ ନାହିଁ । ଆମେ ହେଲୁ ବେପାରୀ ଲୋକ ବାବୁ, ତେମେ ଆସିବ ପଇସା ଦବ, ଜିନିଷ କିଣିନବ, ସେ ଆସିବ ପଇସା ଦବ, ଜିନିଷ କିଣିନବ, ଏଥିରେ ପଟ ନିଆନେଇ କ’ଣ, ସାହି ବାଡ଼ କ’ଣ ? ଆମେ ବୁଦ୍ଧି ଦବା ମାମଲା ଭାଙ୍ଗିବା ଯୋଉ କଥା କି ନା, ସେଥିପାଇଁ ଭିନେ ଲୋକେ ଅଛନ୍ତି । ଘରଟା କେମତି ସୁରୁଖୁରୁରେ ଚଳେଇବାକୁ ହବ ସେତିକି ପାଇଁ ତ ବୁଦ୍ଧି ଅଣ୍ଟୁ ନାହିଁ, ପରକୁ ଦବାକୁ କାହିଁ ଆଉ ?’’

 

ଗାଁ ଟରଣି ଅଗଣି ରାୟ ଆଉ ଗଦେଇ ଲେଙ୍କା ନାନା ଉପାୟ ପାଞ୍ଚିଲେ ତାକୁ କେମିତି ଗୋଟାଏ ମକଦ୍ଦମା ଭିତରକୁ ଟାଣିବାକୁ । କିଛି ନ ହେଲେ କାହା ପଟିଆ ହୋଇ ସେ ଟିକିଏ ଆଉଜି ଯାଆନ୍ତା ଯଦି ! ହରି ସାହୁ ସେଥିରେ ବି ଗୋଡ଼ ଦେଲା ନାହିଁ । ଏପରିକି ଗାଁ ଦଳାଦଳିରେ ଯଦି କେବେ କିଛି ପୂଜା ଉଝା ନାଁରେ କେବେ ଭେଦା ପଡ଼େ, ଦୋକାନୀ ହରି ସାହୁ ନାଁରେ ସେଠି ଶୂନ୍‌, କେବଳ ଅଷ୍ଟପ୍ରହରୀ ନାମ କୀର୍ତ୍ତନ, ବାଳଲୀଳା, ଭାଗବତ ସପ୍ତା ଆଉ ଝୁଲଣକୁ ଛାଡ଼ି, ସେଥିକି ସେ ମୁକ୍ତ ହସ୍ତରେ ଦିଏ, ଆଉ କେଉଁଥିକି ନାହିଁ । ଯୁଦ୍ଧବେଳର କଣ୍ଟରୋଳ ଆସିଲା, ଚିନି କିରୋସିନି ସୂତା କେତେ କାରବାର । ତା’ ପଛେ ପଛେ ଆସି ପହଞ୍ଚିଲା କଳା ବଜାର; ରାତି ରାତି ନ ହେଲେ ବି ମାସ କେଇଟାରେ ବଡ଼ ଲୋକ ହେବାର ବଳବତୀ ଆଶା, ଭଲେଇ ହୋଇ କେତେ ଲୋକ ବାଁରେଇ ହୋଇ ଆସି ବାଟ ବତେଇଲେ, ହରି ସାହୁ ଚଙ୍କିଲା ନାହିଁ ତିଳେ, କହିଲା, ‘‘ଏ କଣ୍ଟରୋଳ ଗାଧୋଇ ଯିବ, ଏ ଯୁଦ୍ଧ ପାଣି ଫାଟିଯିବ, ଏ ନୂଆ କାରବାର ଭୁଶୁଡ଼ି ଯିବ । ଏ ପୁରୁଣା ଦୋକାନ ଖଣ୍ଡ ବି ଭାଙ୍ଗିଯାଇପାରେ, ତେବେ ଦିନଟା ଦିନ ଆଉ ରାତିଟା ରାତି ରହିଥିବ କାଳେ କାଳେ । ମୋର ଆଉ କେଉଁଥିକି ଆଶା ନାହିଁ ।

 

ଏପରି ଯେଉଁ ହରି ସାହୁ ସେ ତା’ର ଦୋକାନ ଖଣ୍ଡକ ବଳରେ ହୁଏତ ଗାଁରେ ଜଣେ ନେତା ହୋଇ ରହି ପାରିଥାନ୍ତା, ତା’ ତାକୁ ଲୋଭେଇ ନାହିଁ କେବେ, ସେ ସମସ୍ତିଙ୍କଠୁଁ କରଛଡ଼ା ଦେଇ ରହି ଶିଖିଛି । କାହା ପିଣ୍ଡାରେ ବସେ ନାହିଁ, କାହାରିକୁ ପିଣ୍ଡାରେ ବସାଇ ଆପ୍ୟାୟନ କରେ ନାହିଁ, କୌଣସି ଦଳ କି ପତଙ୍ଗରେ ଦେଖା ପଡ଼େନାହିଁ । ସକାଳେ ସୂର୍ଯ୍ୟ ଯେମିତି ଦୋକାନ ଆଗରେ କିରଣ ଢାଳେ, ସେ ବି ସେମିତି ଯାଇ ବସେ ଦୋକାନ ଭାଡ଼ି ଉପରେ, ଚିକିଟା ହୋଇ ଛୋଟ ଖଣ୍ଡେ ପିନ୍ଧେ, ଆଉ ଖଣ୍ଡେ ଚିକିଟା କୋଚଟ ଗାମୁଛା କାନ୍ଧରେ ପକାଇଥାଏ ଝାଳ ପୋଛିବାକୁ, ସବୁବେଳେ ପାନ ଚୋବୋଉଥାଏ । ଦୋକାନ ବନ୍ଦ କରି ଘରକୁ ଗଲେ କାହା ସଙ୍ଗେ କଥାବାର୍ତ୍ତା ବେଶି ହୁଏ ନାହିଁ, ଖାଲି ଅଣ୍ଟାରୁ ଖଡ଼ି ଗୋଟାଳି କାଢ଼ି ପିଣ୍ଡାଯାକ ଲୀଳାବତୀ ସୂତ୍ର ଚାଟ ଇଚ୍ଛାବତୀ ସୂତ୍ର ଅନ୍ଧ ନାହାକ ସୂତ୍ର ଏହିସବୁ ପୁରୁଣା ଅଙ୍କ କଷେ । କେହି ପଚାରିଲେ ବତାଏ ବି ନାହିଁ, ବୁଝାଏ ବି ନାହିଁ, ଖାଲି ଅଙ୍କ ଲେଖୁଥାଏ, ସେହି ତା’ର ଖେଳ, ତା’ର ଆନନ୍ଦ, ରାତି ହେଲେ କେବେ କେବେ ଜଡ଼ାତେଲର ଦୀପ ଲଗାଇ ସେହିସବୁ ପୋଥି ପଢ଼େ । ସେଥିରୁ ସେ ଯେଉଁ ଆନନ୍ଦ ପାଏ, ସେତକ ତା’ର ନିଜସ୍ୱ, କେହି ଅନ୍ତ ପାଆନ୍ତି ନାହିଁ କିଛି ।

 

କେବଳ ଗୋଟିଏ ବିଷୟରେ ସେ ପଦାଲୋକଙ୍କ ସଙ୍ଗେ ଆଲୋଚନା କରେ, ସେ ହେଉଛି ଖବରକାଗଜରୁ ପଢ଼ା ରାଜନୀତି । କିନ୍ତୁ ସେଥିରେ ବି ସେ ଅଗଣି ରାୟ, ଗଦେଇ ଲେଙ୍କା ପ୍ରଭୃତିଙ୍କ ଜାଲରେ ଧରା ଦିଏନାହିଁ; କାରଣ ତା’ର ରାଜନୀତି ଚର୍ଚ୍ଚା ବେଶୀଭାଗ ଭାରତ ବାହାରର କଥା, କେଉଁ କେଉଁ ଦେଶଯାହାର ଭୌଗୋଳିକ ମାନ ଚିତ୍ର ବି ସେ କେବେ ଦେଖିନାହିଁ, ଖାଲି ଜାଣେ ସେ ଗୋଟାଏ ସ୍ୱତନ୍ତ୍ର ଦେଶ । ଆଉ ସେ ଆଲୋଚନା କରେ ଭାରତର ମହତ୍ତ୍ୱ ବିଷୟରେ କେଡ଼େ ପ୍ରତିଷ୍ଠାମନ୍ତ ଦେଶ ଆମର, କେଡ଼େ କାମ କରୁଥିଲେ ଏ ଦେଶର ଋଷି ମୁନିମାନେ, କେମିତି ଦେବଅଂଶୀ ଲୋକେ ଏ ଦେଶର ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ହେରିକା, ଏହିସବୁ କଥା, ଏଥିରେ ବି କାହାରି କିଛି କଜିଆ ନାହିଁ କି ଥାନାରେ ରିପୋର୍ଟ କଲାପରି କିଛି ନାହିଁ । ଗାଁ କଥା ଅନ୍ୟମାନେ ଆଲୋଚନା କରନ୍ତି, ହରି ସାହୁ ପଥର ପରି ବସିଥାଏ, ଗରାଖ ଆସିଲେ ସଉଦା ଦିଏ, ଲୋକେ ଜାଣନ୍ତି ତା’ଠୁଁ କିଛି ମିଳିବ ନାହିଁ ଉଁ କି ଚୁଁ, ଚାଲିଯାଆନ୍ତି ।

 

ସେଦିନ ଛାଇଲେଉଟାଣିବେଳେ ଚେମେଇ ବେହେରା ସଙ୍ଗରେ ସେ କଥାଭାଷା ହେଉଥିଲା ଭାରତ ବାହାର ଧଳା ଲୋକଙ୍କ ବର୍ଣ୍ଣଭେଦ ପନ୍ଥା ବିଷୟରେ । ଚେମେଇଁ ତା’ର ସମବୟସୀ, ସେହି ତେପନ କି ଚଉବନ, ଦିହେଁ ଏକାଠି ଚାହାଳିରେ ବସୁଥିଲେ । ଚେମେଇ ଧନୀ ହୋଇଥିଲା, କିନ୍ତୁ ପଡ଼ିଲା ଦୁର୍ଦ୍ଦଶା । ପଟପାଟ ପଚିଶିଟା ଗାଈ ମରିଗଲେ । କଲିକତାରେ ବେଉସା କରୁଥିଲା ପୁଅ । ସେ କି ମକଦ୍ଦମାରେ ପଡ଼ିଲା ଯେ ତା’ପାଇଁ ଘରୁ ପଇସା ସାରି ସାରି ଜମି ବାଡ଼ି ବିକି ସର୍ବସ୍ୱାନ୍ତ ହେଲା ତା’ ବାପା, ତା’ପରେ ପୁଅଟାକୁ ବି ହେଲା କି ବାତ ଯେ ସେ ଘରୁ ଉଠି ପାରୁନାହିଁ ବାରବର୍ଷ ହୋଇଗଲା, ଖୁଆଇ ଦେଲେ ଖାଏ, ଗାଧୋଇ ଦେଲେ ଗାଧାଏ, ଘରେ ଗଡ଼ୁଥାଏ । ବୁଢ଼ାର ନାତି ତିନୋଟି ପାରିବାର ହୋଇଗଲାଣି; କିନ୍ତୁ ବୁଢ଼ାର ଅଭ୍ୟାସ ରହିଛି, ସେ ଆପେ ଛ କୋଶ ଯାଇ ଛ କୋଶ ଲେଉଟି ଆସେ, ମଝିଲା ସହରରେ ଦୁଧ ବିକେ ।

 

ଖବରକାଗଜରେ ସେହି ବର୍ଣ୍ଣବିଦ୍ୱେଷର ନମୂନା ବାହାରିଛି । ଦକ୍ଷିଣ ଆଫ୍ରିକା । ହରି ସାହୁ କହୁଥାଏ, ‘‘ଆଫିରିକା କହ, ଆମିରିକା କହ, ସବୁଠି ଏକା କଥା । ସେ ଗୋରାସାଇବମାନେ କଳା ଲୋକଙ୍କ ଛାଇ ପଇଲେ ଡିଅଁନ୍ତି, ସେ ତ ମୁଁ ଯୋଉଦିନୁ ଖବରକାଗଜ ପଢ଼ିଛି ଦେଖିଆସୁଛି । ଆଜି ଶୁଣିବ କଳା ଲୋକଟାକୁ ଧରି ନିଆଁରେ ପୋଡ଼ିଦେଲେ, କାଲି ଶୁଣିବ କଳା ଲୋକଙ୍କୁ ଏକଘରିକିଆ କଲେଣି, ସେଠି ଲୋକ କଳା ହୋଇ ଜନ୍ମ ହେଲେ ଗଲା ତା’ କପାଳ ଫାଟିଲା, ତା’ ପିଲେ ଗୋରା ପିଲାଙ୍କ ସାଙ୍ଗେ ଏକାଠି ବସି ପଢ଼ିବେ ନାଇଁ, ସତେ ଯେମିତି ଦେହରେ କଳା ଲାଗିଯିବ, ଆମର ଏଠି ଛୁଆଁ ଅଛୁଆଁ ଭେଦଭାବ କ’ଣ ଦେଖୁଛ, ୟେ ସିନା କାହା ବୃତ୍ତି ଘେନି ଯେ ଅମୁକ ଜାତିଟା ଗୋରୁ ଖାଆନ୍ତି, ଆମେ ତାଙ୍କଠୁ ଦୂରୁ ଦୂରୁ ହଉଛେ, ତାହି ବା ଆଉ ଅଛି କୋଉଠି-। ମହାତ୍ମା ସମସ୍ତିଙ୍କି ମିଶେଇଦେଲେ, ଆମ ଆଖି ଫିଟେଇଦେଲେ । ସେଠି ଦେଖୁଛ ୟେ ଚମର ରଙ୍ଗ ଘେନି ମଣିଷକୁ ଘୃଣା କରୁଚନ୍ତି, ଆଉ ସେଭଳି ଲୋକଙ୍କୁ ତେମେ ବୁଦ୍ଧିଆ କହୁଚି ? ଏ ତ ଅଧର୍ମ, ୟେ ଅଧର୍ମରେ ମଣିଷ ନାଶ ହୁଅନ୍ତି, ତେବେ ହଉ ନାହାନ୍ତି ଏଇଥିପାଇଁ ଯେ ତାଙ୍କ ଦେଶରେ ବି ଆମ ଦେଶ ଭଳି ଭଲ ଲୋକସବୁ ଅଛନ୍ତି, ସେମାନେ ବରାବର ଆପତ୍ତି କରୁଛନ୍ତି, କଳା ଲୋକଙ୍କ ପଟ ନେଇ କେହି କେହି ଆପେ କେତେ ଗଞ୍ଜଣା ବି ଭୋଗୁଛନ୍ତି, ତେବେ ଦେଖ ସେ ଲୋକଗୁଡ଼ାଙ୍କ କାରବାର ଟିକିଏ-’’

 

ଚେମେଇ ବେହେରା ମୁଣ୍ଡ ହଲେଇଲା, ବୁଢ଼ାର ନୋଳି ଦିଟା ଜିକିଜିକି ହେଲା, ପଦେ କହେ, କହିଲା, ‘‘ପାପ ।’’

 

ହରି ସାହୁ କହିଲା, ‘‘ଆଉ ସେଠିକି ଟରଣି ଟାଉଟରଗୁଡ଼ାଙ୍କ କଥା ଦେଖ, ସାଧାରଣ ଲୋକ ତ ସବୁଠି ଭଲ ମଣିଷ, ସେଠି ବି ଭଲ ମଣିଷ, ଦୟାଧର୍ମ ଶାନ୍ତି ପ୍ରୀତି ଥିବ, ତେବେ, ଲୋକେ ଯଦି କହୁଚନ୍ତି କଳିଗୋଳ କରିବାନାଇଁ କାମ କରିବା, ଖାଇବା, ଆପଣା ଘରେ ଥିରି ହୋଇ ବସି ନିଶ୍ୱାସ ମାରିବା-ତାଙ୍କ ଟରଣି ଟାଉଟରଗୁଡ଼ାକ ତେଜୁଚନ୍ତି, ୟା ପଟ ନେଇ ତାକୁ ମାର, ତା’ ପଟ ନେଇ ୟାକୁ ଭସ୍ମ କର, ଯୁଦ୍ଧ କର ଯୁଦ୍ଧ, ନ ହେଲେ ଆଉ ମଣିଷ କ’ଣ ? ସେ ଗୁଡ଼ାକ ଅସଲ ବାଇଡଙ୍କ । ଲୋକଙ୍କୁ ବାଇ ଲଗେଇ ଦଉଚନ୍ତି ବି, ଯୋଉ ପାଟି ତୁଣ୍ଡ, ଯୋଉ ଭୁଲାଭୁଲି କିଏ କେତେ ସମ୍ଭାଳିବ ? ମୁଁ ତ ଯେତେ ଖବରକାଗଜ କଥା ଭାବୁଚି ସେତେ ମୋର ବିଶ୍ୱାସ ହେଉଛି ଏ ଦୁନିଆଁରେ ଘରଭଙ୍ଗା ଲୋକଙ୍କ ବଉଁଶ ବଢ଼ୁଚି, ଆରେ ବାବୁ, ଆପେ ଭଲ ରହ ପରକୁ ଭଲ, ତା’ ନାହିଁ ସେ ଗୁଡ଼ା ଖାଲି ଓର ଉଣ୍ଡୁଚନ୍ତି କେମିତି କଜିଆ ଲାଗୁ, ହଣାକଟା ନହୁ ନୁହାଣ ହୋଇ ମଣିଷ ମରନ୍ତୁ । ବୁଦ୍ଧି ତ ଏତିକି, ଆଉ କହି ହଉଚନ୍ତି କ’ଣ ଆମର ଗୋରାଚମଡ଼ା, ଆମେ ବଡ଼, ଆମର ୟା ଅଛି, ତା’ ଅଛି, ବୋମା ଅଛି, ବୁଦ୍ଧି ଅଛି ! ସେପଟେ ଏମିତି ଅନ୍ଧ ମଣିଷଗୁଡ଼ାକ ବେଶି ଅଛନ୍ତି ଲାଗୁଚି, ଭଲ ମଣିଷଙ୍କ ବୁଦ୍ଧିବଣା କରୁଚନ୍ତି, ନଖରେ ନଖ ଘଷୁଥିବେ ମନ କଲେ, ନାରଦ ଋଷି କ’ଣ ସେଇଠି ଜନ୍ମ ହେଇଥିଲେ ନା କ’ଣ ?’’

 

ଚେମେଇ ମୁଣ୍ଡ ହଲେଇ ହଲେଇ କହିଲା, ‘‘ସେଇଠି ।’’

 

କମ୍ଭାର କିଣେଇଁ ଓଝା ସେତିକିବେଳେ ଧୂଆଁ ପତର ଅଣାକର କିଣିବାକୁ ଶାଳରେ ଆସି ପହଞ୍ଚିଥିଲା । କହିଲା, ‘‘ତମେ ଖାଲି ଲୀଳାବତୀ କଷୁଥିବ, ବିଦେଶ କଥା ଭାବୁଥିବ, ଏଣେ ସ୍ୱଦେଶରେ ଆମ ଗାଁରେ ଆମ ପଡ଼ିଶାଭିତରେ କ’ଣ ହେଲାଣି ଖିଆଲ କରୁନା ଟିକିଏ ହେଲେ !’’

 

ହରି ସାହୁ କହିଲା, ‘‘ଏଣ କଥା ଖିଆଲ କରିବାକୁ ତେମେ ସବୁ ଅଛ । ମୋର ସେତେ ଅକଲ ବି ନାଇଁ, ତେଣିକି ନିଘା ବି ନାଇଁ ।’’

 

ବୁଢ଼ା କିଣେଇଁ ଓଝାର ଝୋଟ ପରି ହେଲାଣି ଆଖିପତାର ବାଳ, ତା’ର ଦାଢ଼ୁଆ ମୁଁହଟାକୁ ଚେମେଇ ବେହେରାଆଡ଼କୁ ଗେଞ୍ଜି ଦେଇ ସେ କହିଲା, ‘‘ଆଉ ତେମେ ବି ଶୁଣିଥା । ବଡ଼ ଲୋକଙ୍କୁ କଥା ନାହିଁ କି ସ୍ୱର୍ଗକୁ ନିଶୁଣି ନାହିଁ । ୟେ ସତକଥା ଯେ ବଡ଼ଲୋକ ଅକର୍ମ କଲେ ମଣିଷ ପାଟିରେ ବେଙ୍ଗ ପୂରେଇ ବସିବା କଥା ନୁହେଁ, ପଦେ ପଚାରିବା କଥା । ତମର ତେବେ କି ବିଚାର କହ ?’’

 

ଚେମେଇ କହିଲା, ‘‘ପଖାଳ ।’’ କହିଦେଇ ସଉଦା ପୁଟୁଳିଟି ଧରି ସେ ଚାଲିଗଲା ।

 

କିଣେଇଁ ଓଝା କହିଲା, ‘‘ସେଇ ସିନ୍ଧୁ ଚୋଧୁରି । ଆମେ ଜାଣୁ ବାବୁଘର, ହାତୀ ମଲେ ବି ଲକ୍ଷେ ଟଙ୍କା, ଏଣେ ବାବୁଙ୍କ ପିଠିରେ ଉଠିଲାଣି ଆବୁ ।’’

 

ହରି ସାହୁ କହିଲା, ‘‘ତମର ତ ସେଠି ହତିଆର ପକୋଉଚ, ଆବୁ କାଟିପକାଅ, ହେଇ ନିଅ ତମର ଧୂଆଁପତର । ହଁ କହିବୁଟି କୁଳି ମଜିକ, ତୋର କ’ଣ !’’

 

‘‘ବାଆକୁ ଜର । ଶାଗ ଚାରି ପଇସାର ।’’ ପିଲା ପରି ମୁହଁ, ବଳିଷ୍ଟ ଗଢ଼ଣ ଭେଣ୍ଡିଆ କୁଳି ମଳିକ କହିଲା ।

 

‘‘ଆରେ କି ଜରରେ ? କମ୍ପ ହଉଚି ?’’

 

‘‘କମ୍ପ ଜର, ମାଡ଼ି ବସିଲେ ବି କମ୍ପୁଚି । ବାନ୍ତି, ମୁଣ୍ଡବଥା କହନା, କହନା ।’’

 

‘‘ନେ ଏ କୋଇଲାଇନି ବଟିକା’’, ତା’ର କୁଣ୍ଠିତ ଭାବ ଦେଖି ହରି ସାହୁ କହିଲା, ‘‘ନେଇଥା, ପଇସା ପଛେ ଦବୁ, ବାପା ଭଲ ହଉ । କମ୍ପଜରକୁ କୋଇଲାଇନି । ତୋ’ଠି କାହା ପଇସା ବୁଡ଼ିଲାଣି ନା ବୁଡ଼ିବ ?’’

କିଣେଇଁ ଓଝା କହିଲା, ‘‘ଏ ଧୂଆଁ ପତର ପଇସାଟା ରହିଲା, ପଛେଦେବି ।’’

ହରି ସାହୁ କହିଲା, ‘‘ଏମିତି ରହିଲା ରହିଲା ଯଦି ସମସ୍ତେ କହିବେ ତ କାହୁଁ ହବ ? ମହାଜନକୁ ଶୁଝିବି କ’ଣ ?’’

ଗାଁର ଏକ ଯୁବକ ପରିଆ ଅବଧାନ ଆସି ପହଞ୍ଚିଲା, ସେ ଅବଧାନ ବୃତ୍ତି କରେ ନାହିଁ, ବାପାକୁ ନିୟମିତ ଚାଷ କାମରେ ସାହାଯ୍ୟ ବି କରେ ନାହିଁ, ମାଏ ଭଲ, କିଣେଇଁ ଓଝା ଶାଳରେ ବସି କେବେ କେବେ ଗୀତ ଶୁଣାଏ । ଘରେ କେତେବେଳେ କେଉଁ କାମଟା କରେ କି ନାହିଁ, କିନ୍ତୁ ଗାଁରେ ବୁଲି ସର୍ଦ୍ଦାରି କରେ । କଳାପାତଳ ଯୁବକ, ମୁଣ୍ଡବାଳରେ ତେଲ ଜୁଡ଼ୁବୁଡ଼ୁ, ବାଳସବୁ ଆଠଦଶଟା ଢେଉ ହୋଇଛି ।

କିଣେଇଁ ଓଝା ତା’ର ଗଣ୍ଠିଗଣ୍ଠିକିଆ ଭାଲୁଆ ଦେହଟାକୁ ଟାଙ୍କି ଦେଲା, କୁଜ ପରି କାନ୍ଧ ଦିଟାକୁ ଫୁଲେଇ ଦେଇ କହିଲା, ‘‘ଦବୁଟି ପରି, ୟାକୁ ଚାରିଟା ପଇସା, ମୁଁ ତତେ ପଛେ ଦେବି । ଆରେ ଲୁହା ବାଡ଼େଇଲେ ଠାକୁରେ ପଇସା ଆଣି ଦେବେ, ରହିଗଲାଣି କୋଉ କଥାଟା । ଶୁଣ ହରି, ଶୁଣିଲେ କାନରେ ହାତ ଦବ, ଯାହା ଶୁଣିଲେ, ଏ ଗାଁ ହେଲାଦିନୁ କେହି କେବେ ଶୁଣି ନ ଥିବେ । ସିନ୍ଧୁ ଚୌଧୁରି ଝିଅକୁ ବାହା କରି ଦେଲା ନାହିଁ, ଏଣେ ଘରେ କିମ୍ଭୀର ପଶିଲାଣି । ଆଜି ଆସିଥିଲା ବଟ ମହାନ୍ତି ପୁଅ ବନ୍ଧମୂଳ ଗାଁରୁ । ଦେଖ ବନ୍ଧମୂଳ କାହିଁ, ପାଟେଳି ଗାଁ କାହିଁ । କଥାଟା ଧରା ପଡ଼ିଚି ।’’

କଥା ମଝିରେ ଆସି ପହଞ୍ଚିଲା ବିକା ମୁଦୁଲି, କାଶୁଛି ଆଉ ପିଙ୍କା ଟାଣୁଛି ଥର ଥର କରି, କହିଲା, ‘‘ଚେନି ଚାରି ପଇସାର, ଡିଆସିଲି ଗୋଟାଏ ।’’

ହରି ସାହୁ ସଉଦା ଦେଉଥାଏ । କଥା ଶୁଣି ପରିଆ ହସିଲା, ଅଣ୍ଟାରୁ କାଢ଼ି ଚାରିଟା ପଇସା ଥୋଇଲା । ବିକା ମୁଦୁଲି ଚମକି ପଡ଼ିଲା ପରି ବିଳିବିଳେଇଲା, ‘‘ଓହୋ, କେମଁତ ! କେମଁତ !’’

ହରି ସାହୁ ମୁହଁଟା ପାତିମାଙ୍କଡ଼ ମୁହଁପରି ଦିଶୁଥାଏ । ଓଠଚଦି’ଟାକୁ ଏକାଠି ଚାପି ଦେଇଛି । ସାନ ସାନ ଆଖିଦିଟା ସ୍ଥିର, ଯେମିତି କୁହୁଳୁଛି ସେମିତି ଦିଶୁଛି । ଭ୍ରୁଲତା ଗାଲ ଆଉ ଓସାର ଥୋମଣିରେ ପଥରରେ ଖୋଳିଲା ପରି ଗାରଗୁଡ଼ାକ ପଡ଼ିଛି ।

କିଣେଇଁ ଓଝା କହିଲା, ‘‘ଶୁଣିଲେ ତ ଏଥର, ତମେ ସାହାବ ସାହାବ ହେଉଥିବ ୟେ ଯେମିତିକି ଏ ଗାଁଯାକ ଭେଣ୍ଡିକିଆରିକି ସାହାବ ରୋଗ, ଗୋଟାକୁ ଘୋଟିଲା ସେଠୁ ଡେଇଁବ ଆଉ ଗୋଟାକୁ, ସେଉଠୁ ଆଉ ଗୋଟାକୁ । ଧର୍ମ ଗଲା, ମହତ ଗଲା, ସବୁ ପୋଡ଼ି ଖାଇଦେଲେ, କ’ଣ କରିବ କହ ।’’

ବିକା ମୁଦୁଲି କହିଲା, ‘‘କଞ୍ଚା ହାଣ୍ଡି, ମାରାହେଲେ ଫୋପଡ଼ା, ତାଙ୍କୁ ସେଇଆ ଶାସ୍ତି-। ଏଇଥିରେ ପର ପିଲାଙ୍କୁ ପାଠପଢ଼ାଇବା ବୋଲି ବସି ମାଷ୍ଟରି କରୁଚନ୍ତି କ’ଣ, ଘରକୁ ନିଘା କରନ୍ତୁ-।’’

ପରିଆ ହସିଲା, ସେମିତି ତରଳ ମାଇଚିଆ ଦାୟିତ୍ୱହୀନ ନିର୍ବୋଧ ହସ, ହସି ହସି ଗଲା ।

ହରି ସାହୁ କହିଲା, ‘‘ତମକୁ ସବୁ ଦଇବ ଛାଡ଼ିଲା, ତମରିମାନଙ୍କ ପେଇଁ ଏ ଗାଁକୁ ଧର୍ମ ଛାଡ଼ିଲା, ମୋ ମନ କଥା ଖୋଲି କହିଦେଲି, ମୋର ଯାହା କରିବ କର ।’’

 

ସେମାନେ ତା ମୁହଁକୁ ଅନାଇଁଲେ । ବଜ୍ରର ଯଦି ମଣିଷ ମୁହଁ ହୁଅନ୍ତା, ତେବେ ସେ ବୋଧହୁଏ ଦିଶନ୍ତା ଏମିତି, ଦବି ଦବି ପରିଆ ଭାବିଲା ।

 

କିଣେଇଁ ଓଝା ଖୁଜୁ ବୁଜୁ ହେଲା, ତା ଦେହରେ ନିଆଁ ଖେଳିଗଲା । ଦୋକାନ ଭାଡ଼ି ଉପରକୁ ଉହୁଙ୍କି ପଡ଼ି ସଁ ସଁ ହୋଇ କହିଲା, ‘‘କେମନ୍ତ, ଦଇବଟା ଛାଡ଼ିଲା ଆମକୁ ?’’

 

ହରି ସାହୁ ହାଇ ମାରି ଆପଣା ହାତରେ ଫୁଟୁକି ଫୁଟାଇ କହିଲା, ‘‘ତମେ ତ ଜାଣିଚ, ମତେ ଉଚ ବାଚ ହୋଇ ଆସେ ନାଇଁ, ତମର ତେମେ ଯାହା କହିବ କହ, ଯାହା ଭାବିବ ଭାବ, ଏସବୁ କଥା ମୋ ଆଗରେ ପକୋଉଚ କାଇଁକି ? ମୁଁ ତ ମାଇ ନୁହେଁ କି ଗାଇ ନୁହେଁ, କାହାର କି କାମ ହବ ମୋ ଦେଇ ? ତେବେ କଥାଟା କ’ଣ କି, ପରଘର ଇଜତ ଉପରେ ଏଇମିତିଆ କଥାଗୁଡ଼ାକ କହିଲେ ଦଇବ ଛାଡ଼େ, ତମୁକୁ ସବୁ ବି ଛାଡ଼ିଲା, ଆଗ ବହେ ଆପଣାଭିତରେ ଚୁଟି ଧରାଧରି ହଉ ହଉ ତମର କଥା ସରିଯିବ, ଆସିବେ ଅଗଣି ରାୟ, ଗଦେଇ ଲେଙ୍କାଙ୍କ ପରି ମାମଲତକାରମାନେ ତମୁକୁ ସଳଖ କରିବାକୁ, ବାଡ଼ିଆପିଟିଆ, ମାଲିମକବ୍ଦମା, କେତେ କ’ଣ । ସେଉଠୁ ଆସିବ ଧରମଦଣ୍ଡ, କ’ଣ ଆଉ କହିବି ସେକଥା-’’

 

‘‘ତେମେ ଭାବିଚ ଏ ପୃଥିବୀ ଜଳୁଥିଲେ ତେମେ ଏମିତି ତମ ଦୋକାନ ଭାଡ଼ି ଉପରେ ସଉଦା ବିକୁଥିବ ହରି ସାଉ ।’’ କିଣେଇଁ ଓଝା କହିଲା ।

 

‘‘ଏତେକାଳ ତ ବିକିଲେ । କିଏ ଭେଦା ଟଙ୍କା ତୋଷରପାତ କଲା, କିଏ ଗାଁରେ ପୋଖରୀ ଖୋଳେଇବେ, କୂଅ ଖୋଳେଇବେ, ସଡ଼କ ପକେଇବେ ବୋଲି ଟଙ୍କା ଆଣି ଖାଇଦେଲେ, ବାଡ଼ିଆପିଟା ଲଗେଇଲେ, ମୋର ମୁଁ ଦୋକାନ ଭାଡ଼ିରୁ ଘୁଞ୍ଚି ନାଇଁ, ତମର ମନ ନ ହେବ ଏ ଦୋକାନ ପିଣ୍ଡା ଆଉ ନ ମାଡ଼ିବ, ଆଉମାନେ ଆସି କିଣୁଥବେ । ନାହିଁ କେହି ନ ଆସିବେ ନାହିଁ, ଦୋକାନଘର ତାଲା ପଡ଼ିବ, ଡରଉଚ କାହାକୁ ହୋ ?’’

 

‘‘ଆରେ ୟେ ତ କ’ଣ ଭାରି ବଢ଼ି ବଢ଼ି କଥା କହିଲେଣି ହୋ, ଦେଖୁଚ ବିକା ମୁଦୁଲିଏ, ପଇସା ହେଲେ ଏମିତି ମୁଣ୍ଡକୁ ପିତ୍ତ ଉଠିଯାଏ ପରା ! ଶୁଣୁଚ ହୋ ପଧାନେ,-’’

 

ସେବାଟେ ଯାଉଥିଲା ସଉରି ପଧାନ ବୁଢ଼ା, କିଣେଇଁ ଡାକିଲା, ସଉରି ପଧାନ ଶୁଣି କହିଲା, ‘‘ୟେ ହରି ସାଉତ ସବୁଦିନେ ଜାଣିଚ ଆଉ ପ୍ରକାରେ, ତାଙ୍କ ସାଙ୍ଗରେ କାହିଁକି ଆଉ ବୋଲାବୋଲି ?’’ ସଉରି ପଧାନ ହରି ସାହୁଠୁ କୋଡ଼ିଏ ଟଙ୍କାର ସଉଦା ଧାରିଛି, କହି ଦେଇ ଚାଲିଗଲା ।

 

କିଣେଇଁ ଓଝା କହିଲା, ‘‘ନାଇଁ ଡରିବେ ୟାଙ୍କୁ ଆ ?’’

 

ହରି ସାହୁ ତା’ ମଝିଆ ପୁଅକୁ ଡାକିଲା, ‘‘ଆରେ ଷଣ୍ଢୂ, ଆସିବୁଟି ଟିକିଏ ୟେମାନଙ୍କୁ କହ ଯାଉନ୍ତୁ ବାହାରି । ମୋ ମୁଣ୍ଡ ବଥେଇଲାଣି ୟାଙ୍କ କଥା ଶୁଣି ।

 

ଆର ଘରୁ ଷଣ୍ଢୁ ଆସିଲା, ଆକାରରେ ଯୁବକ, ଲୋକ ଗଲେ ଘଡ଼ିଏ ଅନେଇବେ, କିନ୍ତୁ ଆଖି ଦିଓଟି ତଳକୁ, ମୁହଁରେ ଶୀତଳ ଠାଣି । ଛାତି ଉପରେ ବାହା ଛକି ଦେଇ ଗଜା ଶାଳଗଛ ପରି ଦୋକାନକୁ ଆଗୁଳି ଠିଆ ହୋଇ କହିଲା, ‘‘ଯାଅ ଯାଅ ବାବୁ, ବା’ର ଦେହ ବେସ୍ତ ହେବ ।’’

 

ଷଣ୍ଢୁ ବୁଢ଼ାର ଗେହ୍ଳାପୁଅ । ତା’ର ଟିକିଏ ବୋଲି ହୁମ୍‌ଦୁମ୍‌ ନାହିଁ, ଓଜର ଆପତ୍ତି ନାହିଁ, ବାପର ନିଷ୍ପିତ୍ତି ତା’ ପାଇଁ ବେଦର ଗାର । ବସ୍ କହିଲେ ବସିଲା ଉଠ୍ କହିଲେ ଉଠିଲା, ତୁଣ୍ଡ ମୁଣ୍ଡ ନାହିଁ, ତା’ର ସଉକ ନାହିଁ, ଅଳି ନାହିଁ, ଯୁକ୍ତିତର୍କ ନାହିଁ । ସେ ଯେପରି କି ଏକ ପ୍ରକାଣ୍ଡ ଇଞ୍ଜିନ୍, ବାପର ଇଙ୍ଗିତକୁ ଅପେକ୍ଷା କରେ, ଚଳେଇଲେ ଚାଲେ । ଆଉ ଚାଲେ ବୋଲି ଏମିତି ସେମିତି ନୁହେଁ, ହାତ ଥକେ ନାହିଁ, ପାଦ ଅଟକେ ନାହିଁ, ସେ ବୁଝେ ନାହିଁ କ୍ଳାନ୍ତି ଅବସାଦ । ବାପ କାମ ବରିଗଲେ କାମ ରୁହାଇବାକୁ ହେବ ବୋଲି ଆପେ ଖବର ରଖି ବେଳ ଦେଖି ନିର୍ଦ୍ଦେଶ ଦିଏ, ଷଣ୍ଢୁ ଅଟକେ । ଦେହ ପରିଶ୍ରମରେ ସିଝି ଯାଇଥିଲେ ବି ପଦେ ତା’ ତୁଣ୍ଡରୁ ବାହାରେ ନାହିଁ ।

 

ପିଲାଦିନେ ସମସ୍ତେ ବଢ଼ି ଉଠୁଥିଲେ, ସେ ବି ବଢ଼ିଲା, କିନ୍ତୁ ତା’ ଦେହରେ ବଢ଼ତି କେମିତ ଯେମିତିକି ସାଧାରଣ ବଢ଼ତିର ଦୋହରା ହୋଇ ହୋଇ ଚାଲିଲା, ଉଞ୍ଚ ଚାରି ହାତ ଉପରେ, ଲୁହା ଖମ୍ବ ପରି ଗୋଡ଼ ହାତ, ଦେହରେ ଅମାପ ବଳ । ହରି ସାହୁ ଆପେ ତା’ର ଖୋରାକକୁ ନିଘା ଦେଲା, ଦିନକୁ ଦେଢ଼ ସେର ଦୁଧ ଏକା ତା’ରି ପାଇଁ । ଷଣ୍ଢୁ ନିଘା ଦେଲା ପରିଶ୍ରମକୁ, ହଳ କରିବା, ମାଟି ହାଣିବା, କାଠ ଚିରିବା, ଶଗଡ଼ରେ ଜିନିଷ ଲଦିବା, କାଦୁଅରେ ବଳଦ ହାଲିଆ ହେଲେ ଆପେ ଶଗଡ଼ ଓଟାରିବା, ବୋଝ ଟେକି ନେଇ ଥୋଇବା, ଏଇ ତା’ ଛାଁ କୁ ଛାଁ କସରତ । କିନ୍ତୁ ସେ ବଳର ଦର୍ପ ଦେଖାଏ ନାହିଁ, ଯେପରି ଏକପ୍ରକାର ବିନୟ ତାକୁ ନୁଆଁଇ ରଖେ, ପରିଆ ପରି ଗାଁର ଟୋକାଏ ତାଙ୍କ କଙ୍କି ଛାତି ପରି ଛାତିକୁ ଟାଙ୍କ ବାହା ଛାଟି ଦେଇ ଚାଲୁଥିଲାବେଳେ ଷଣ୍ଢୁ ତୁନି ତାନି ଚାଲିଯାଏ ମୁହଁ ତଳକୁ ପୋତି ।

 

କିନ୍ତୁ ତା’ ଦେହ ବଳର କରାମତି ଏ ଗାଁର କାହାଣୀ । ସହରରେ ଥରେ ଶଗଡ଼ ନେଇ ମାଲ ଆଣିବାକୁ ଯାଇ ସେ ଠାଏ ଅଟକି ଅପେକ୍ଷା କରିଥିଲା, ପାଖରେ ଲାଗିଥିଲା ଆଖଡ଼ାରେ ପଞ୍ଝାଙ୍କ କୁସ୍ତି ପ୍ରତିଦ୍ୱନ୍ଦ୍ୱିତା । ‘‘ଆରେ ଏ ମଫସଲିଆ କ’ଣ ହାତୀ ପରି ଫୁଲିଚି, ଦେଖିବା ତୋ’ଠି ପଖାଳ ତୋରାଣି ମାଣ୍ଡିଆ ଜାଉ କୋଳଥ ପଇତିର ବଳ କେତେ’’ବୋଲି କହି ଲଢ଼ୁଆ ଗଞ୍ଜା କୁକୁଡ଼ା ପରି ପ୍ରଧାନ ମାଲ ତାକୁ ଆସି କୁଣ୍ଢେଇ ଧରି ଝାଙ୍କେ ଦେଇ କହିଲା, ‘‘ଦେଖୁଥା ଭାଇମାନେ, ଦେହଟା ଫୁଲୁକା ହେଲେ କିଛି ଯାଏ ଆସେ ନାହିଁ, ତାକତଟା ସେଠି ନ ଥାଏ, ପେଞ୍ଚଟା ଫେର୍ ତାକତ ଠୁଁ ବଳିକରି, ଦେଖ କେମିତି ୟେ କଦଳୀଗଛ କାଟିଲା ପରି ପଡ଼ିବ ।’’ ଷଣ୍ଢୁ ବହୁତ ଆପତ୍ତି କରି ଛାଟିପିଟି ହେଲା, ମାଲ ତା’ କାନ୍ଧରେ ବାହାରେ ପାପୁଲି ଥାପୁଡ଼େଇ କହିଲା, ‘‘ଆରେ ରହ ବଚା, ତତେ କିଏ ଖାଇଯାଉଚି ଥୋଡ଼ା, ଖାଲି ଲୋକଙ୍କୁ ବୁଝେଇବାକୁ ତୋ ଉପରେ ଟିକିଏ ପରୀକ୍ଷାଟାଏ ଦେଖେଇ ଦଉଚି, ତୋ’ର କିଛି ହବ ନାଇଁମ, ଧର୍ ମତେ, ମତେ ଫୋପାଡ୍-’’

 

‘‘ତେମେ ମୋର କି ଦୋଷ କରିଚ, କାଇଁକି ତୁମକୁ ଫୋପାଡ଼ିବି ଆଜ୍ଞା-’’ ନିରୀହ ଷଣ୍ଢୁ କହିଲା, ‘‘ଆରେ ୟେ ଖେଳ ଅଛି, ନିଜେ ଖଲିଫା ଡାକୁଛନ୍ତି ତୋ’ର କେଡ଼େ ଭାଗ୍ୟ, ‘‘କିଏ ଜଣେ କହିଲା, ‘‘ଲାଗ୍ ଲାଗ୍, ଡର ନାଇଁ ।’’

 

ଷଣ୍ଢୁ ଯେତେ ଆପତ୍ତି କଲେ ବି ପ୍ରଧାନ ମାଲ ତାକୁ କୁଣ୍ଢେଇ ଧରି ତାରି ଗୋଡ଼ ସନ୍ଧିରେ ଗୋଡ଼ ପୂରାଇ ଦେଲା ଏକ ମୋଡ଼, ପାଟି କଲା, ‘‘ହେଇଦେଖ ଦେଖ, ହାତୀ ପଡ଼ୁଚି- ।’’ କାଟିଲା ଷଣ୍ଢୁକୁ ଟିକିଏ, ଆଖି ପିଛୁଳାକେ ତା’ ଦେହଯନ୍ତ୍ର ଭିତରେ ଠେଲି ପେଲି ହୋଇ ଖେଳିଗଲା ଗୋଟାଏ କୁହାଟ, ସେହି ନାଁ ଡାକ କୁକୁଡ଼ା ମାଲକୁ ବିଲେଇ ମୂଷା ଟେକିଲା ପରି ଶୂନ୍ୟେ ଶୂନ୍ୟେ ଟେକି ନେଇ ଦି ଭଉଁରି ଚକ୍ରି ବୁଲେଇ ଦେଇ ଦୁଲ୍‌କିନା ତଳେ କଚାଡ଼ି ଦେଲା । ତା’ପରେ ଆପଣା କାର୍ଯ୍ୟର ପରିଣାମ ବୁଝିପାରି ଝର୍ ଝର୍ କାନ୍ଦି ଉଠି ଆହାହା କ’ଣ ହେଲା ବୋଲି କହି ପୁଣି ତାକୁ ତଳୁ ଗୋଟେଇ ନେଇ କାଖେଇ ଧରି ଠିଆ ହୋଇ ତା’ ମୁହଁକୁ ଚାହିଁଲା । କହିଲା, ‘‘ବାବୁ, କାହିଁକି ମତେ ନିର୍ଦ୍ଦୋଷରେ ଦୋଷୀ କରେଇଲ ?’’

 

ଏତିକିବେଳେ ଚୁପ୍ ଚୁପ୍ ଜନତା ଭିତରୁ ତା’ ଉପରେ ଫଟୋ କ୍ୟାମେରାର ଆଲୁଅ ଝଲସିଥିଲା, ହନୁମନ୍ତ ପାହାଡ଼ ଟେକିଲା ପରି ତା’ର ସେ ଚେହେରାର ବଡ଼ ଫଟୋ ଛବି ଖବରକାଗଜରେ ପହିଲି ପୃଷ୍ଠାରେ ଲୋକେ ଦେଖିଥିଲେ, ଇଂରେଜୀ ଓଡ଼ିଆ ମାସିକ ପତ୍ରରେ ତା’ ଛପା ହେଲା, ସହରର ଫଟୋ ଦୋକାନମାନଙ୍କରେ ଲୋକେ ଦେଖିବାକୁ ଯେଉଁ ଛବିମାନ ରଖା ହୋଇଛି, ବହୁକାଳ ପର୍ଯ୍ୟନ୍ତ ସେଠି ରହିଥିଲା ସେ ଛବି ।

 

କିନ୍ତୁ ଏତେବଡ଼ କୀର୍ତ୍ତି କରି ନାଁ ସେ ନେଲା ନାହିଁ । ସେ ଖୁସି ହୋଇଥିଲା ଯେତେବେଳେ ମାଲ ଆଖି ଖୋଲି ତାକୁ ଅନାଇଁଲା, ମା’କୁ କୁଣ୍ଢାଇଲା ପରି ତାକୁ କୁଣ୍ଢେଇ ଧରି ରକ୍ତସରସର ପାଟିରେ ବିକୃତ ହୋଇ ହସି ଦେଇ କହିଲା, ‘‘ବଚା ଦେଖିଲି ତତେ ଜଣେ ମଣିଷ, ତୁ ମୋ ସଙ୍ଗାତ ହେବୁ ?’’

 

ଥିରିକିନା ତାକୁ ତଳେ ଥୋଇ ଦେଇ ଷଣ୍ଢୁ ଆପଣା କାମରେ ମନ ଦେଲା, ଜିନିଷ ବୋଝେଇ ଆରମ୍ଭ କରିଦେଲା । ସେମାନେ ବହୁତ ତା’ ପିଛା ଧରିଲେ, ପଇସା, ସମ୍ମାନ, ବହୁତ କଥା ଯାଚିଲେ, କେତେ ଲୋକ ଦେଶର ଟେକର ଦ୍ୱାହି ହେଲେ, କହିଲେ, ‘‘ଏତେ ବଳ ତୁମଠୁଁ ଅକାରଣେ ଯାଉଛି, ଆମ ଆଖଡ଼ାରେ ମିଶନ୍ତ । ସାମାନ୍ୟ ତାଲିମ କରିଦେଲେ ବାହାରି ପଡ଼ନ୍ତ, ଏ ଦେଶଯାକ ପହିଲମାନମାନଙ୍କ ଚୁଟି କାଟି ଆଣନ୍ତ । ତମ ଉପରେ ବାଜି ବସେଇଦେଲେ ତ ଲକ୍ଷ ଲକ୍ଷ ଟଙ୍କା ଉଠିଯାଆନ୍ତା, ନିଅ କେତେ ନଉଚ । ଆମ ଓଡ଼ିଶା ଖଣ୍ଡକର ନାଁ ବି ଚାରିଆଡ଼େ ଉଡ଼ନ୍ତା, କ’ଣ ତମର ନଷ୍ଟ ହେଇ ଯାଉଚି ?’’

 

ନାଇଁ ନାଇଁ, ୟେ ଦେହ ଦେଖେଇ ଦେଖେଇ ବୁଲି ପଇସା କମେଇବାକୁ ବା’ ମଙ୍ଗିବ ନାଇଁ । ଛି, ମୁଁ କ’ଣ ମେଣ୍ଢା କି ଗୋରୁ କୁକୁଡ଼ା ହେଇଚି ବୁଲି ବୁଲି ପଟ ନଢ଼ିବି । ମୁଁ କାଇଁକି ଯିବି ମୋ କାମ ଛାଡ଼ି ୟେ ବେପାରରେ ମାତିବି । ସେ ନାଁ, ସେ ଟଙ୍କା ମୋର କ’ଣ ହେବ ?

 

ଏଇ ଥିଲା ତା’ ବକ୍ତବ୍ୟର ସାରାଂଶ, କିନ୍ତୁ ଏମିତି ଏକାଥରରେ ସେ କହିନଥିଲା । କହିଥିଲା ମଝିରେ ମଝିରେ, ପଦେ ପଦେ, କେତେବେଳେ ତା’ର ଚାହାଣିରେ ଫୁଟି ଉଠିଥିଲା ପାପ କାମ ପ୍ରତି ଭୟ, କେତେବେଳେ ଘୃଣା, ସବୁବେଳେ ତା’ର ଠାଣିରେ ଦିଶୁଥିଲା ଅଟଳ ଟାଣପଣ, ତା’ ଜୀବନରେ ଏ ଉପାଖ୍ୟାନ ଏତିକିରେ ସରିଥିଲା ।

 

ସେହି ସେ, ଷଣ୍ଢୁ ସାହୁ,-ଆମ୍ବ ଗୋଟିଆ କି ମାଛମରା, ରଜପର୍ବର ଡୁ ଡୁ କି ଦୋଳପର୍ବର ବିମାନ ଜଗୁଆଳ, କେଉଁ ବଳ କଷାକଷି ରଙ୍ଗସ୍ଥଳକୁ ସେ ଯାଏ ନାହିଁ, କାହାରି ପଟ ନୁହେଁ, କାହାରି ଶତ୍ରୁ ନୁହେଁ, ତା’ ବାପ ପରି ।

 

‘‘ଦେଖୁଚୁ ଏଗୁଡ଼ାଙ୍କୁ,’’ ବାପ କହିଲା, ‘‘କେଡ଼େ ସତ୍ୟାନାଶିଆ ମଣିଷ ଏମାନେ–’’

 

‘‘ଥାଉ ବା’’, ଷଣ୍ଢୁ କହିଲା, ‘‘ଆମର କି ଯାଏ ।’’

 

‘‘ମୁଁ ଦେଖୁଚି ଏ ଗାଁର ଏଣିକି ଶିରୀ ତୁଟିଗଲା, ଏଗୁଡ଼ାକ ଅମଙ୍ଗଳର ଶଙ୍କୁ, ଲୋକଙ୍କ ବୁଦ୍ଧି ଦେଖ । ହଉ, ଯାହା ସେ ପରମାନନ୍ଦ ମାଧବଙ୍କ ଇଚ୍ଛା ‘‘ ଷଣ୍ଢୁ କିଛି କହିଲା ନାହିଁ ।

 

କଥାଟା ଫେଣେଇ ହୋଇ ବଢ଼ି ଉଠିଲା ଗାଁରେ । ସଭା ସମିତି ହେଲା ନାହିଁ, ବଡ଼ ଦଳରେ ଆଲୋଚନା ହେଲା ନାହିଁ, ଦି’ଜଣ କୁହାକୋହି ହେଲେ ଜଣେ ଜଣକୁ ସନ୍ଦେହ କଲା । ‘‘ୟେ କେଉଁ ପଟର ? ୟେ କେତେ ଜାଣିଚି ? ଆପଦ ଭିଆଇବ ନାହିଁ ତ ?’’ ତେଣୁ ବଙ୍କେଇ ବଙ୍କେଇ ଅଧେ କହି ଅଧେ ଛପାଇ କଥାଟାକୁ ଆଂଶିକ ଭାବରେ ରୂପ ଦିଆହେଲା, ଶ୍ରୋତା ଉପରେ ଭରସା ହେଲେ ପୁଣି ମୁହାଁମୁହିଁ ।

 

ସାନ ସାନ ଦଳ ହୋଇ ମାଇପେ ମିଣିପେ କୁହାକୋହି ହେଲେ, କାହା ଓଳିତଳେ, ହାତୀଅନ୍ଧ ଉଢ଼ୁଆଳରେ, ପିଣ୍ଡାରେ, କାହା ବାରିଆଡ଼େ କୂଅମୂଳେ, କେଉଁଟି ଚାକୁଣ୍ଡା ବଣରେ, ମୁହାଁମୁହିଁ ହୋଇ ପୋଖରି ବସିଲାବେଳେ, କେଉଁଠି ଦି’ପହରେ, କୋଳଥ କିଆରୀରୁ ମାଙ୍କଡ଼ ହୁରୁଡ଼େଇବାକୁ ଗଛମୂଳେ ବସିଥିଲାବେଳେ, ଏମିତି ଏଠି ସେଠି ଗପ ତିଆରି ହେଲା । ମଣିଷ ଚରିତ୍ରଠି ସାଧାରଣ ଅବିଶ୍ୱାସ, ସନ୍ଦେହ, କୁସଂସ୍କାର, ଅନ୍ଧବିଶ୍ୱାସ, ଆପଣା ମନଗହୀର ତଳେ ସାତତାଳ ପଙ୍କରେ ରୁନ୍ଧି ହୋଇ ପୋତିହୋଇ ରହିଥିବା ଲାଳସାମୟ ବିକାର ଦୁଃସ୍ୱପ୍ନ, କେଉଁ ଗାଁରୁ କେଉଁ ବୋହୂ ସଙ୍ଗରେ ଗୋଡ଼ାଇ ଆସିଥିବା କେଉଁ କାଳରେ କଳଙ୍କ କାହାଣୀ, କେତେ ଆଈବୁଢ଼ୀଙ୍କ ଗପ, ପାତ୍ର ଅନୁସାରେ ଏସବୁଥିରୁ କିଛି କିଛି ମିଶି ମିଶି ନାନା ସ୍ଥାନରେ ନାନା ରୂପରେ ସେ କୁତ୍ସିତ ଅପବାଦ ଗଢ଼ି ହେବାକୁ ଲାଗିଲା, ଆଉ ପକ୍ଷୀ ଲାଗିହୋଇ ଉଡ଼ି ବୁଲିଲା ଏଠୁ ସେଠିକି ।

 

କେଳାଭାରିଯା ବି ତା’ କାହାଣୀଟା ବର୍ଣ୍ଣନା କରିଥିଲା, ସେହି ତଳମାଳର କଥା, ନାୟିକାର ନାଁ ଉଳି, ନାୟକର ନାଁ ସେ କହିଲା ନାହିଁ-ସେ ଖାଲି ‘କୁଣିଆଁ’ । ସେହି କୁଆଁରପୁନେଇଁ ରାତିରେ ଧରାପଡ଼ିଥିଲେ ଦି’ ଜଣଯାକ, ବାରିଆଡ଼େ ପୋଖରୀ କୂଳରେ ବାଉଁଶବୁଦା ସେକରେ ଜହ୍ନ ଆଡ଼କୁ ମୁହଁକରି ବସି କଥାଭାଷା ହେଉଥିଲା । ଏମିତି ଅନୁରାଗ ବଳିପଡ଼ିଥିଲା ଯେ କାହିଁକି ହୋସ୍ ନ ଥିଲା, ନା ନ’ନୁଆଣୀଙ୍କି, ନା ଭୂତପ୍ରେତ ପିଶାଚଙ୍କୁ । ସାହି ମାଇପିଟିଏ ଆସିଲା । ଖଣ୍ଡେ ଛାଡ଼ି ତୁଠରେ ବାସନ ଧୋଇ ବସିଲା । ପାଣି ଚବର ଚବର ହେଲା, ତାଙ୍କର ତଥାପି ହୋସ୍ ହେଲା ନାହିଁ । ‘‘ସେ ଜିନିଷ ସେଇଆ, କାନକୁ ବି ବଧିରା କରିଦିଏ ।’’ ଦୀର୍ଘଶ୍ୱାସ ପକାଇ କେଳାଭାରିଯା କହିଥିଲା, ‘‘ଛାତି ଦୁମୁ ଦୁମୁ ପଡ଼ୁଥିବ, କାନମୁଣ୍ଡା ଝାଇଁ ଝାଇଁ, ମୁଣ୍ଡ ଖାଲି ଭାଁ ଭାଁ, ଦେହ ଭିତରେ ଯେମିତି କି ଗରମ ତୋଫାନ ବହୁଥିବ, ଏଣେ ପଦାକୁ-ଜାଣ ହାତ ଗୋଡ଼ ମାଦଳା, ଅଚଳ, ଘୁଞ୍ଚିଯିବାକୁ ବି ମନ ହେବ ନାହିଁ ପରା-’’ ବାଁ’ରୁ ଡାହାଣକୁ ମୁଣ୍ଡ ହଲେଇ ହଲେଇ ସେ ଆଖି ମିଞ୍ଜି ମିଞ୍ଜି କରି ଦୀର୍ଘଶ୍ୱାସ ପକାଇ ପକାଇ କହିଥିଲା, ସତେ ଯେପରି କି ଆପଣା ଅଙ୍ଗେ ନିଭେଇଥିବା କାହାଣୀ; ଆଉ ଶୁଣାଳିମାନେ ମୁହଁ ଚାହାଁଚାହିଁ ହୋଇ ହସିଥିଲେ ମୁରୁକି ମୁରୁକି ।

 

‘‘ପଥର ଖଣ୍ଡକ ଉପରେ ଲଗାଲଗି ହୋଇ ବସି ସେମାନେ ଯେତେବେଳେ ଫୁସ୍ ଫୁସ୍ ହେଉଥିଲେ, ଆଉ କୁଣିଆଁ କହୁଥିଲା ଆମେ ବିଭା ହେବା, ନ ହେଲେ ମୋ ଜୀବନ ରହିବ ନାଇଁ ଆଉ ଉକି କହୁଥିଲା ମୋ ମନ ବି ସେଇଆ କହୁଚି । ହେଲେ ଏ ଦଇବ କ’ଣ ସତରେ କରେଇ ଦେବ ? ଠିକ୍ ସେତିକିବେଳେ ତୁଠରେ ଥାଇ ସେ ମାଇପିଟା ହାଉଳି ଛାଡ଼ିଲା ୟେ ବାରିଆଡ଼େ ଏମାନେ କିଏଲୋ ମା’, ଏ ଦେଖିବଟି ଟିକିଏ ଆଉ; ସେ ସହରିଆ କୁଣିଆଁ ସେଇ ଯେ ଏଡ଼େ କବି ଏଡ଼େ ପାଠୁଆ ତା’ ଧଇର୍ଯ୍ୟ କୁଆଡ଼େ ପାଣି ହୋଇଗଲା ଯେ ସେ ଏକା ଦମ୍‌ରେ ଦୌଡ଼ିଲା, ଆଉ ଉଳି ବିଚରାଟି, ସେ ଠିଆ ହୋଇପଡ଼ି ଟଳି ଯାଇ ଗଛ କାଟିଲା ପରି ଅଜାଡ଼ି ହୋଇ ପଡ଼ିଲା, ସେଉଠୁ-’’

ସେଉଠୁ କ’ଣ ହେଲା ସେ ରହିଲା ଆରଥରକୁ । ସାଇକଲ ଗଡ଼େଇ ଗଡ଼େଇ ଡାକବାଲା ଆସି ଦାଣ୍ଡରେ ଅଟକିଲା, ତା’ ପଛେ ପଛେ ସାହିର ଆଠ ଦଶଜଣ ମିଣିପେ, ପିଲା ପ୍ରାୟ ପନ୍ଦର ଜଣ, ସେ ଗୋଟିଏ ଛୋଟିଆ ପଟୁଆର । ସୁଭଦ୍ରାପୁରରୁ ଆସିଛି, ପହଞ୍ଚୁ ପହଞ୍ଚୁ ହେଇ ଆସି ଛାଇ ଲେଉଟିଲାଣି ।

ଆଗେ ଯେଉଁ ପୁରୁଖା ମଣିଷଟି ଆସୁଥିଲା ୟେ ସେ ନୁହେଁ, ଚାରି ଦିନ ନ ଖାଇଥିବା ବଡ଼ ଜାତି ହଡ଼ା ପରି ଦିଶୁଥିଲା ସେ ମଣିଷଟି, ଓସାର କାନ୍ଧ ଆଉ ଛାତି. ବଡ଼ ଦେହ, କିନ୍ତୁ ଦେହ ଉପରର ମାଂସ ଆଉ ଚମର ଛାଉଣି କେମିତି ଢିଲା ହୋଇ ଓହଳି ପଡ଼ିଛି, ମୁହଁଯାକ ରୁଢ଼, ମୁଣ୍ଡବାଳ ବୋଝେ ଯେ କେମିତି ଯେପରିକି କିଏ ଟୋକେଇରେ ଆଣି ତା’ ମୁଣ୍ଡ ଉପରେ ଅଜାଡ଼ି ଦେଇଛି ସେହିପରି ଅସଜଡ଼ା । ତା’ର ମସିଆ କାମିଜ ଆଉ ପାଇଜାମା କେମିତି ଢିଲା ଢିଲା । ଆଉ ତା’ର ଚେକା ମୁହଁର ଠାଣିବି ପାଟି କ’ଣରୁ ପାନ ପିକର ଧାର ଯେମିତି ହୁଗୁଳି ଯାଇ ବୋହିପଡ଼େ ସେମିତି ଦୁଇପଟେ ବୋହି ଲାଗିଥାଏ । ତା’ ମୁହଁରୁ ହସ, ଦୁଇ କରକୁ ହାତ ବଢ଼ାଇ ଦେଇ ଯେମିତି ସେ ପାନ ଗୋଟାଏ ଆଉ ଗୋଟାକ ପରେ ଗୋଟାଏ ନେଇ ପାଟିରେ ଭର୍ତ୍ତି କରେ, ସେମିତି ଦୁଇପଟେ ହାତ ଉହୁଙ୍କେଇ ସେ ପିଲାଙ୍କ ମୁଣ୍ଡ ବି ଆଉଁଶିଦିଏ, କୁତୁକୁତୁ କରିଦିଏ, ଟୁମୁକା ଟୁମୁକା ପେଟ ଦେଖିଲେ ଆଙ୍ଗୁଠି ଗେଞ୍ଜି ଗେଞ୍ଜି ସଲ ସଲ କରେ, ହସେ ହସାଏ ।

ନା,ନୁହେଁ ୟେ ସେ, ୟେ ଖାଲି ଆଉ ଜଣେ ନୁହେଁ, ଆଉ ବାଗର ବି, କେଳାର ସ୍ତ୍ରୀ ଅନାଇଁ ଅନାଇଁ ନିଘା କଲା । ସେହି ଆରଜଣକର ବର୍ଣ୍ଣ ଥିଲା ଖରଭଜା ଫାଳ ଝାଇଁ ମୁଗ ପରି, କପାଳଯାକ ଗାର ଗାର, ତା’ର ଗାଲ କରିକିଆ ହୋଇ ଢଳି ରହେ, ବଡ଼ ବଡ଼ ଆଖି ଡେରି ଦେଇ ସମସ୍ତଙ୍କର ସବୁ ସୁଖଦୁଃଖର କଥା ସେ ଯେପରିକି ଆଖିବାଟେ ପିଇଥାଏ । ଆସ୍ତେ ଆସ୍ତେ ମୁଣ୍ଡ ହଲାଇ, ଶୁଣାକଥାରେ ପରିତାଳ ପରି ତା’ର ଅଭିଜ୍ଞ ମୁହଁ ଉପରେ ସହାନୁଭୂତିରେ ତରଳ ଭାବ ଖେଳୁଥାଏ । ସେ ଖାଲି ଚିଠିପତ୍ର ମନିଅର୍ଡର ଘେନି ଆସେ ନାହିଁ, ସେ ଆଣିଥାଏ ଆଶା, ସହାନୁଭୂତି । ପରସ୍ତ ପରସ୍ତ ହୋଇ ଯେଉଁ ଚମଡ଼ାର କଳା ମୁଣିଟି ସେ କାନ୍ଧରେ ପକାଇ ଆସେ, ଯହିଁରେ ଥାଏ ହସ କାନ୍ଦର କାହାଣୀ କେତେ କେତେ, ତା’ଠୁଁ ବଳି ତାକୁ ଜିଣି ତା’ର ସେ ଅତିଚିହ୍ନା ମୁହଁର ଠାଣିରେ ସର୍ବସହଣି ଅଭୟ ଆଉ ଆଶା ବିଶ୍ୱାସ ।

ଯେ ସେ ନୁହେଁ ଏହି ସେ ଅଚିହ୍ନା ଟୋକା ଡାକବାଲାକୁ ଦେଖୁ ଦେଖୁ ସେହି ଆରକ ମନେପଡ଼ିଯାଉଛି କେଳାଭାରିଯାର, ସେ ଖାଲି ଡାକବାଲା ନୁହେଁ, ଖଲି ମଣିଷ ବି ନୁହେଁ । ପ୍ରତୀକ୍ଷା ଶେଷରେ ଆଶାରହିଁ ପ୍ରତୀକ ।

‘‘କ’ଣ ଲେଖିଚି ? ଜର ହେଇଚି ବୋଲି ତ ? ସେ କିଛି ନୁହେଁ, ଏତେବେଳକୁ ଜର ଛାଡ଼ିଯିବଣି, ଭାଷା ଆସୁଥିବ........’’

‘‘ଟଙ୍କା ପଠେଇ ନାହିଁ ? ପଠେଇବ ପଠେଇବ, ଦମ୍ଭ ଧର, ଥୟ ହୁଅ । ଆଜିକାଲି ତ ଦେଖୁଚ କେତେ ଖରଚ, ପଇସା ରହୁଛି କୋଉଠି, ସବୁ ତ ମହରଗ । ଆପେ ଚଳି ଯାହାହେଲେ ଦି ପଇସା ସେ ରଖୁଥିବ, ସବୁ ଏକାଠି କଲେ ପଠେଇବ, କ’ଣ ଆଉ କରିବା, କହ ?’’

 

‘‘ଚିଠି ଲେଖୁନାଇଁବୋଲି ବେସ୍ତ ହଉଚ ? ବେସ୍ତ ହନା, ଚିଠି ବଳେ ଆସିବ । କାମ କାର୍ଯ୍ୟର ଘଡ଼ି, କାମରୁ ଫେରି ବସାକୁ ଆସିଲାବେଳକୁ ତ ଜାଣି ହାଲିଆଘାଲିଆ, ମଣିଷ ଟିକିଏ ନିଶ୍ଚଳ ହେଇ ବସିଲେ ତ ଦିଧାଡ଼ି ଲେଖିବ ? ବେଳ ମିଳୁ ନାଇଁ । ସେଥିପାଇଁ ବିଚରା ଚିଠି ଲେଖିପାରିନାଇଁ । ହେଲେ ମନଟା ତ ସବୁବେଳେ ଥିବ ତମରିଠେଇଁ, ଭାବୁଥିବ, ଦେଖୁଥିବ, ହେଇ ତେମେ ଯେମିତି ଏଠି ଥାଇ ସବୁବେଳେ ତାକୁ ଦେଖୁଚ ମନେ ମନେ, ସେମିତି । ଚିଠି କ’ଣ ୟାଠୁ ବେଶୀ ?’’

 

‘‘କ’ଣ ହେଲା ? ଆହାହା ମରିଗଲା ବୋଲି ଚିଠି ଆସିଚି । ହାୟ ହାୟ କେଡ଼େ ଦୁଃଖର କଥା ! ମୋ କପାଳଟା ଆଜି ମନ୍ଦ, ମୁଁ ଏଡ଼େ ଖରାପ ଖବର ନେଇକରି ଆସିଚି । ହେଲେ ମା’, ଭଗବାନଙ୍କ ବିଚାର ଉପରେ ଆଉ ଶକ୍ତି କାହାର ଅଛି ? କିଏ କ’ଣ କରିପାରିବ ? ସୁଖ ଦେବେ ସେ ଦୁଃଖ ଦେବେ ସେ । ତେବେ, ରାତି ଆସିଲେ କ’ଣ ହେଲା ଫେର୍ ତା’ ପଛେ ପଛେ ଦିନ ବି ଆସିବ । ଏ ବାଟେ ତମର ସବୁ ଚୂନା ହେଇଗଲା । ଭଗବାନ ଆଉ କୋଉ ବାଟେ କ’ଣ ଭଲ କରିପାରେ, କିଏ ଜାଣେ ? ସଂସାରକୁ ଆସିଚ, ତମ କାମ ତେମେ କରିପାରିବ, ତା’ କାମ ଉପରେ କହିବାକୁ ତେମେ ଆମେ କିଏ ? ସେ ତ ସାକ୍ଷାତ୍ ସ୍ୱୟଂ କରତା, ହସ ବି ଦଉଚି କେତେବେଳେ ହସୁଥାଇଁ, କାନ୍ଦ ପଠେଇଚି କାନ୍ଦିବା, ଫେର୍ ସେଇ ତମ ଆଖିରୁ ଲୁହ ପୋଛିବ ମା’, ମଣିଷ ପାରିବ ନାଇଁ, ହଉ ମୁଁ ଯାଉଚି-’’

Unknown

 

ପିଲାଟାଏ ତା’ ସାଇକଲଘଣ୍ଟି ଟିଂ ଟିଂ କରୁଛି, ବଗୁଲିଆ ବାଇଡଙ୍କ ଖେତେରା ତା’ର ପାତଳ ତଳି ଓଠକୁ ବାସିଧୋବ ଜିକିଜିକି ଦାନ୍ତରେ କାମୁଡ଼ି ଧରି ଲୁହାଖଡ଼ିକାର ଚଟୁ ପରି ପାତଳ ଦମ୍ଭ ସାନ ପାପୁଲିଟିଏ ଟେକି ସେ ଚିହିଁକି ଉଠୁଛି । ଛନଛନିଆ କଳା ଛାଁଟ୍‌ହୋଇ ସରୁଆ ମଣିଷ, ତିରିଶି ବର୍ଷ ହୋଇନଥିବ । ମୁଣ୍ତରେ ସଳଖ ଫିରେଇ ଦିକରେ କଣ୍ଟରେ କାଟିଲା ପରି ଚିକି ଚିକି ମୁଣ୍ତବାଳ, ଠିକ୍‌ ଦୁଇ ନାକପୁଡ଼ା ତଳେ ସଳଖ ହୋଇ କଟାହୋଇ ନିଶ ମେଞ୍ଚାଏ, ଯେମିତି ନାଶ ଶୁଂଘୁ ଶୁଂଘୁ ମେଞ୍ଚାଏ ଲାଗିଯାଇଛି ଆଉ ଗଛ ହୋଇଯାଇଛି । ଶାଗୁଆ ପୋଷାକ, ଦେହକୁ କଣ୍ଟିଲା ପରି, ଟିକିଏ ସାନ ବଡ଼ ନୁହେଁ । ପାତାଳ ଧାର ମୁହଁ, ପଥରରୁ କଟା ହେଲା ପରି, ଆପଣାର ମନଭାବ ସେଠି କାହିଁ କେଉଁ ତଳେ ଛପିରହେ । ସେ କାମର ମଣିଷ ଡାକବାଲା ।

 

‘‘ସମସ୍ତିଙ୍କି ଡାକିଦିଅ, ଆସ ଚଞ୍ଚଳ ନେଇଯାଅ, ମୋର ବହୁତ କାମ ଅଛି । ଏଇଠି ସବୁ ଦେଇଦେଲେ ଆର ଗାଁକୁ ଯିବି ।’’

 

‘‘ହାଁ ଜେମି ବେଓ୍ୟା, ଜେମି ବେଓ୍ୟା କିଏ ? ହେଇ ଟୋକା ମୋ ସାଇକେଲରେ ଲାଗ ନାଇଁ ଜାଣିଥା । ହାଁ ଜେମି ବେଓ୍ୟା, ନିଅ ତମ ଚିଠି । ସୁଦର୍ଶନ ଦାସ । ବାମନ ମହାନ୍ତି ମନିଅର୍ଡର ଅଛି ପଚିଶ ଟଙ୍କା, ଗାଁ ଚୌକିଆକୁ ଡାକିଆଣ ଚିହ୍ନଟ ଦବ ।’’

 

‘‘କ’ଣ ଚୌକିଆ ଚିହ୍ନଟ ଦରକାର ପଡ଼ିଲା କି । ଆମେ ଭଦରଲୋକେ ଚିହ୍ନଟ ପଇଲେ ଚଳିବ ନାହିଁ ?’’ ସୁଦର୍ଶନ ଦାସ ପିଠିଆଡ଼କୁ ତାଙ୍କ ଲମ୍ୱା ବେକକୁ ଭାଙ୍ଗି ଦେଇ ବେକରେ ଗୋଟାଏ ବଡ଼ ଶଙ୍ଖ ଉଦ୍ୟତ କରି ପଚାରିଲେ । ସେ ଆଗେ ତହସିଲ ପଞ୍ଚାଏତ କାର୍ଯ୍ୟ କରୁଥିଲେ, କହିଲେ, ‘‘ତମ ଆଗରୁ ଯେଉଁ ଜଣକ ଆସୁଥିଲେ ସେ ତ କାହିଁ ଚଉକିଆ ଚିହ୍ନଟ ଖୋଜୁନଥିଲେ-’’

 

‘‘ସେଥିପାଇଁ ବୋଧହୁଏ ସେ ସସପେଣ୍ଡ ହୋଇଚନ୍ତି, ମନିଅର୍ଡର ଗୋଲମାଲ, କୋଉ ଭଦରଲୋକ କାହାକୁ ଦେଖାଇ କାହା ଟଙ୍କା ତ ହାତ କରିନେଲେ କି କ’ଣ ମଝିରେ ୟେ ଖାପ୍‌ଚାରେ ପଡ଼ିଗଲେ । ଏ ଭଦରଲୋକଙ୍କୁ ବିଶ୍ୱାସ ନାଇଁ ।’’

 

‘‘କ’ଣ କହିଲ କ’ଣ କହିଲ, କହିଲ ଆଉଥରେ ?’’

 

‘‘ଇରେ ମୋ ଗେଣ୍ଡୁନାରେ । ଇରେ ଦାଦି ପାଖରେ ତତେ ଟାଇଫଟ୍ ଜର ହେଲା–ଇରେ ମୁଁ କି ବୁଦ୍ଧି କରିବିରେ-’’ ମୁଣ୍ଡରେ ହାତ ଦେଇ ବସି ହାଉଳି ହେଇ ବାହୁନିଲାଣି ଜେମି ବୁଢ଼ୀ-। ଶଶୀ ତା’ର ଚିଠି ପଢ଼ି ଦେଉଥିଲା, ଶଶୀ ସୁଦର୍ଶନ ଦାସଙ୍କ ପୁଅ, ମାଇନର ଯାଏ ପାଠପଢ଼ି ବାରମ୍ବାର ଫେଲ୍ ହୋଇ ପଢ଼ାଛାଡ଼ି ଘରେ ବସିଛି, ପନ୍ଦର ବର୍ଷର ଟୋକା, ଆଚ୍ଛା ମୋଟମାଟ । ସୁଦର୍ଶନ ଦାସ ତେଣେ ଧ୍ୟାନ ଦେଲେ । ଡାକବାଲା ବେସ୍ତ ହେଉଛି, ‘‘ଆଚ୍ଛା କଥା, ମଣିଷର କାନ ପାଖେ ଏମିତି ପାଟିକଲେ ଆଉ କାମ କରି ହେବ ନାହିଁ ।’’

 

‘‘ହ ହୋ ରହ,’’ ସୁଦର୍ଶନ ଦାସ ଖେଙ୍କିଲେ, ‘‘ଲୋକର ଆଉ ଭଲମନ୍ଦ ନାହିଁ, ତା’ ପୁଅଟାକୁ ଟାଇଫଏଡ୍ ହେଇଚି, ଚିଠି ଆସିଚି, ସେ କାନ୍ଦିବ ନାଇଁ ଆଉ କ’ଣ ହସିବ ? ତମ କାମ ତମେ କରୁନଁ ?’’

 

‘‘ନାଇଁ ମୋ କାମ ଅଟକୁଚିବୋଲି ମୁଁ କହୁଚି ସିନା । ଥାଉ କାନ୍ଦନା ବୁଢ଼ୀ, ଔଷଧ ଖାଇଲେ ଜର ଭଲ ହେବ, ଘରକୁ ଯାଅ ଭାରି ବୁଢ଼ୀ, ହଁ ସଦେଇ ଗୋଛେଇତ ।’’

 

‘‘ୟେ କାହାକୁ ବୁଢ଼ୀ ବୁଢ଼ୀ କହୁଚି ମ, ୟେ ଗେଣ୍ଡୁ ବୋଉକୁ ?’’ ବୁଢ଼ୀ ଜଣେ ଆପତ୍ତି କଲେ, ‘‘ଭଲ କଥା, ଆମ ଆଗରେ ବାହା, କାଲି ସକାଳେ, ଗିରସ୍ତ ମରିଗଲା ଦୁଃଖ ପାଇଗଲା ବୋଲି ସିନା ଏଡ଼େ ଧଅସି ଶୁଖିଗଲା, ନଇଲେ ସେ କାଇଁକି ବୁଢ଼ୀ ହବ ବା ?’’

 

‘‘ହଁ, ସଦେଇ ଗୋଛେଇତ, ତାଙ୍କର ମନିଅର୍ଡର ଆସିଚି କୋଡ଼ିଏ ଟଙ୍କା, ଟିକିଏ କିଏ ଡାକି ଦିଅ, ଗଲ, କାହିଁ ତାଙ୍କ ଘର କେଉଁଟା ?’’

 

ବୁଢ଼ା ବାସୁ ପଟନାଏକ କଥାଟାକୁ ଧରିଲେ, ହାଡ଼ ଚମ ହୋଇ ଶୁଖିଲା ନୋତରା ବାଙ୍ଗରା ବୁଢ଼ୀଟିଏ, କିନ୍ତୁ ଭାରି ଖେଙ୍କା ବୁଢ଼ା, ସମସ୍ତେ ମଲେଣି ବୁଢ଼ା ଏକୁଟିଆ, ଆପଣା ହାତରେ ଠେକେରା ବସାନ୍ତି । ଯେ ହାବୁଡ଼େ ପଡ଼ିଲା ଗରଗର ହୁଅନ୍ତି । ଆଉ ଯାହାର ଯାହା ଚିଠି ଆସୁ ମନିଅର୍ଡର ଆସୁ ତାଙ୍କର କେବେ କିଛି ଆସିବ ନାହିଁ ସେ ଜାଣନ୍ତି, ତେଣୁ ଡାକବାଲାକୁ ଉପରୋଧ ବି ନାହିଁ । କହିଲେ, ‘‘ତେମେ ବାବୁ ଭଦ୍ରଲୋକ ହେଇଚ, ଦାୟିତ୍ୱପୂର୍ଣ୍ଣ କର୍ମଚାରୀ ହେଇଚ, ଏତକ କେମିତି ବୁଦ୍ଧି ନାହିଁ, ମାହାନ୍ତି ସାହିରେ ଗୋଛେଇତ ଘର ଖୋଜୁଚ, ହଇଓ ? କିହୋ ସେ ପରା ପାଣ, ସେ ଏଠି ଆସିବୁ କୁଆଡ଼େ ? ମାନ୍ୟ ଗଲା, ମାନତା ଗଲା, କାଳ ଦୋସରା ହେଲା, ତା’ ତୁମେ କହିବ ନାଇଁ କାହିଁକି ? ଦେଖୁନା ସଦା ପାଣ ନାଁରେ କୋଡ଼ିଏ ଟଙ୍କା ମନିଅର୍ଡର ଆସୁଚି, ଆଉ ଏ ସାହିରେ ଯେ କାହାରି କିଛି ନାଇଁ, ହେଃ ।’’

 

‘‘ଦେହରେ ଯାଉ ନାହିଁ ପରା ?’’ ଛୁରୀରେ ଭୂଷିଲା ପରି ଯୁବକ ଡାକବାଲା ଦେଲା ଧରି କେଞ୍ଚାଏ, କହିଲା, ‘‘ମଣିଷ ବିଦେଶ ଯିବ, ମେହେନତ କରି ପଇସା ପଠେଇବ, ଗାଁରେ ବସିଲା ଲୋକଙ୍କର ଦେଖିଲା ଲୋକଙ୍କ ହାଡ଼ରୁ ମାଉଁସ ଝଡ଼ିପଡ଼ିବ, ଏ କାଳଟା ହେଲାଣି ଏଇଆ । ଦିଅ ଦିଅ ମାଉସୀ, ତମ କାନ୍ଦଣା ବନ୍ଦ କର । ଆଉ ପାଣ ପାଣ କ’ଣ, ସବୁ ତ ହରିଜନ, ସେକାଳ ପଖାଳ ମିଳିବ କାହୁଁ ।’’

 

ସଦାର ପୁଅ ହୁଦା ପଠାଇଥିବ–ଲୋକେ କୁହାକୋହି ହେଲେ–ହୁଦା ତା’ ମାମୁଁ ସଙ୍ଗରେ ଚାଲିଯାଇ ଜାହାଜରେ ଚାକିରି କରିଛି । କେଡ଼େ ଗୋଟାଏ ଯୋଦ୍ଧା ପରି ତା’ ଗଣ୍ଡି ହୋଇଛି, ଆସିଥିଲା ବର୍ଷେତଳେ ଏଇ ଶୀତଦିନେ, କୋଟ ପ୍ୟାଣ୍ଟ ଜୋତା ଟୋପି, ଗାଁ ଦାଣ୍ଡରେ ଚାଲିଥିଲା ମଚ୍ ମଚ୍, ସେ କୁଆଡ଼େ ବିଲାତ ବି ବୁଲି ଚାଲି ଆସିଲାଣି, ଜାହାଜରେ ମେହେନ୍ତର, ଦି’ଦିମାସରେ କୋଡ଼ିଏ ତିରିଶି ଲେଖାଁ ପଠାଏ, ସଦା ଟଙ୍କା ଠୁଳ କରି ଜମି କିଣିଲାଣି । ଆପେ ଚାଷ କରେ ।

 

ବାସୁ ପଟନାଏକେ ଦବି ଗଲେନାହିଁ, କହିଲେ, ‘‘ଭାରି ହରିଜନ ପଟ ନେଇ କଥା କହୁଚ, ତମେ ନିଜେ କ’ଣ ସେଇଆ କିହୋ ବାବୁ ! ଘର କେଉଁଠି ?’’

 

ପରିଷ୍କାର ମୁନିଆଁ ମୁନିଆଁ ଦାନ୍ତ ଦେଖାଇ ହସି ଦେଇ ଡାକବାଲା କହିଲା, ‘‘ଆମକୁ ବି ହରିଜନ କହିବାରେ ଆପତ୍ତି ନାହିଁ । ତେବେ ବାପ ଅଜା କାଳରୁ ପଘାଟାଏ ପଡ଼ିଚି ବେକରେ, ଏଇ ପୋଷାକ ତଳେ ଅଛି, ସେଇଟା କାହାରି କିଛି କ୍ଷତି କରୁନାହିଁ । ଘର ସାଂଜ୍ଞା ମହାପାତ୍ର, ଗୋତ୍ରଟା ବଚ୍ଛସ, ଘରଟା ଚନ୍ଦନପୁର ଶାସନ, ସେ ଯାଇଁ ପୁରୀଆଡ଼େ ।’’

 

‘‘ବଚ୍ଛସ ?’’ ବାସୁ ଖତେଇ ହେଲା ପରି କହିଲା, ‘‘ବଚ୍ଛସଟା ଫେର କି ହରିଜନଙ୍କ ଗୋତ୍ରରେ ବାବା, ଆଜିକାଲି ଖାଲି ଜାତିଜାତିକା କଥା ଶୁଣିବ-’’

 

‘‘ସେଇଟା ଗୋଟାଏ ସେମିତିକା ସେମିତିକା ଗୋତ୍ର, ତେବେ ପୁରୀ ଠାକୁର ରଜା ସେ ଗୋତ୍ରର ଲୋକଙ୍କ ଗୋଡ଼ତଳେ ପଡ଼ନ୍ତି, ଏମାନେ ତାଙ୍କର ପୁରୋହିତ କିନା, ତେବେ ସେ ରାଜା ବି ତ ଚଣ୍ଡାଳ କାମ କରନ୍ତି, ଯେମିତି ରାଜାଙ୍କୁ ସେମିତି ପୁରୋହିତ ।’’

 

‘‘ମଲା ମଲା, ବଚ୍ଛସ ଗୋତ୍ରୀ ସାମନ୍ତ ବ୍ରାହ୍ମଣ, ଠାକୁରରାଜାଙ୍କ ପୁରୋହିତ, ସେ କଥା କହୁନା କାହିଁକି ? ଏଡ଼େ ଛୋପରା ହଉଚ । ସେଥିପାଇଁ ଏଡ଼େ ତେଜ ।’’

 

ଡାକବାଲା ହସିଲା, କହିଲା, ‘‘ତେଜ ଥିଲେ ଏ ଚାକିରି କାହିଁକି ? ପେଜ ତ ନିଅଣ୍ଟ ହେଲା, ତେଣେ ପାନ ବରଜ ବିଗିଡ଼ିଗଲା ଆଉ ତେଜ ଆସିବୁ କୁଆଡ଼ୁ ? ଛାଡ଼, ଡେରି ହେଲା, ଗୋଛେଇତ ତମର ଏଠିକି ଆସିଲେ ଯଦି ତମର କିଛି ମାରା ହୋଇଯିବ, ମତେ ଟିକିଏ ବାଟ ଦେଖାଇଦେଲେ ମୁଁ ତା’ ଘଟିକି ଯିବି । ହେଲା ତ ?’’

 

ତେଣେ ସୁଦର୍ଶନ ଦାସ ପୁଅ ହାତରୁ ନେଇ ଜେମି ବୁଢ଼ୀର ଚିଠି ପଢ଼ୁଛନ୍ତି, ଜେମି ବୁଢ଼ୀର ଲୁହ ଝରି ପଡ଼ୁଛି, ବୁଢ଼ୀ ବାହୁନୁଛି ଠାକୁରଙ୍କୁ ଡାକୁଛି । ‘‘ଆରେ ଶଶୀ,’’ ଦାସେ ପାଟିକଲେ, ‘‘ତୁ କ’ଣ ପଢ଼ିଲୁ କ’ଣ କହିଲୁ । ଗେଣ୍ଡୁକୁ ଟାଇପିଷ୍ଟ କାମରେ ଦେଇଚନ୍ତି, କିରେ ଗେଣ୍ଡୁତ ଚାକିରି ପାଇଲାଣିରେ, ହେ ଗେଣ୍ଡୁବୋଉ, ଆଲୋ ଶୁଣ୍ ତୋ ପୁଅ ଚାକିରି ପାଇଲାଣି, ଆଉ ତୁ କ’ଣ ପଢ଼ିଦେଲୁ ହଇରେ ଶଶୀ ! ଭଲା କପାମଞ୍ଜି ଦେଇ ତୋତେ ପାଠପଢ଼େଇଥିଲି ରେ ଚଣ୍ଡାଳ, ଖାସା ପାଠପଢ଼ିଲୁ କ’ଣ ନା ଟାଇଫଡ୍ !’’

 

ଶଶୀ ଦବିବା ପିଲା ନୁହେଁ, ଚିଠିଟା ଓଟାରି ନେଇ ଫେର ପାଟିକରି ‘‘ଗେଣ୍ଡୁକୁ ଟାଇଫଡ୍ ବେମାରି ହେଇଛି-ହେଇତି ପରା–’’

 

‘‘ହଃ । ବେହିଆଙ୍କ ମୁହଁକୁ ଲାଜ ସରମ ଥାଏ କି ?’’

 

ସୁଦର୍ଶନ ଦାସ କହିଲେ, ‘‘ଟାଇପିଷ୍ଟକୁ ପଢ଼ୁଛି ଟାଇଫଡ୍ କାମରେ ଦେଇଛନ୍ତି କହିଲେ ପଢ଼ୁଛି ବେମାରି ହେଇଚନ୍ତି, ଏମିତିଆ ଆଲ୍ ବୋଇଲେ କାଲ୍ ପଢ଼ିକରି ପରୀକ୍ଷାରେ କ’ଣ ଗୁରାଏ ଲେଖିଦେଇ ଏସି ଥରକୁ ଥର ତିନିବାଜି ଫେଲ୍, ସାମାନ୍ୟ ମାଇନର ଖଣ୍ଡକ ବି ହେଲା ନାଇଁ ତା’ ଦେଇ, କ’ଣ କହୁଚ ?’’

 

ଜେମି ବୁଢ଼ୀ ଓଠ ଥରେଇ ଭଗବାନଙ୍କ ନାମ ନେଉଥାଏ, ତା’ କାନ୍ଦ ବନ୍ଦ ହେଇଗଲାଣି, ଶଶୀ ଲାଜରା ହୋଇଅଛି । ଜେମି ବୁଢ଼ୀ ଛାନିଆଁ ହୋଇ ଏମିତି ଝାଙ୍କେ ପାଇସାରିଥାଏ ଯେ ପୁଅ ଚାକିରି ଖଣ୍ଡେ ପାଇଲାଣିବୋଲି ଶୁଣି ଖୁସି ହେବା କଥା ତା’ ମୁଣ୍ଡରେ ପଶୁ ନ ଥାଏ ।

 

‘‘ଦେଖିଲ ମାଉସୀ’, ଡାକବାଲା କହିଲା, ‘‘ପୁଅ ତ ଚାକିରି ପାଇଲା ଆଉ କାନ୍ଦୁଥିଲ କାଇଁକି ? ଯାଅ ମିଠେଇ ଆଣ ।’’

 

‘‘କଇଲାଣ କରୁଥାରେ ବାପ ! ଜେମି ବୁଢ଼ୀ କହିଲା ତା’ ଆଖିରୁ ପୁଣି ଲୁହ କେରାଏ ଗଡ଼ିପଡ଼ିଲା, ଦଶ ବର୍ଷର ହେଇଥିଲା ବାପାକୁ ଖାଇଲା, ଦାଦି ଦୟାରୁ ଯାହା ଦି’ଅକ୍ଷର ଦେଖିଲା, ସତେ ସେ ସଂସାରରେ ରହିବ ମୁଣ୍ଡ ଟେକି ଠିଆ ହେବ । କିଏ ବିଶ୍ୱାସ କରିଚି ?’’

 

ଆର ଡାକବାଲା ହୋଇଥିଲେ କଥାରେ କଥା ଯୋଡ଼ି ଦୁଃଖ ସୁଖ ହୋଇଥାନ୍ତା ବହେ ବେଳ, କିନ୍ତୁ ନୂଆ ଡାକବାଲା ହଠାତ୍ ଗମ୍ଭୀର ହୋଇଗଲା, ମୁଣି ବନ୍ଦକରି ଠିଆ ହୋଇପଡ଼ିଲା କହିଲା, ‘‘ବାକି ରହିଲା ମନିଅର୍ଡର ଦିଟା, ଟିକିଏ କିଏ ବାଟ ଦେଖାଇଦିଅ, ନ ହେଲେ ଫେର୍ ଆର ବାରିକି ଗଡ଼ିଯିବ । ଚାଲଯିବା ।’’

 

ତା’ ପଛେ ପଛେ ଗହଳି ଭାଙ୍ଗିଗଲା ।

ଅଧଆଉଜା କବାଟ ଉହାଡ଼ରେ କେଳାଭାରିଯା ଫଁ କରି ଗୋଟାଏ ଦୀର୍ଘଶ୍ୱାସ ଛାଡ଼ିଲା-। ତା’ରି ଅକୁହା କଥାକୁ ସ୍ୱର ଦେଲା ପରି ଡାକବାଲାକୁ ଘେରିଯାଇ ଗାଁର ଆଉ ଦିତିନିଜଣ ପାଟିକରି ଉଠିଲେ, ‘‘ମୋର କିଛି ଚିଠି ନାହିଁ ?’’ ‘‘ମୋର କିଛି ନାହିଁ ?’’

ଘରୁ ଶାଶୁ ପାଟିକଲେ, ‘‘ହାଉଜାଉରେ ବେଳ ଗଡ଼ିଗଲା, ମୁଗଟା ରଗଡ଼ିବୁ କହୁଥିଲୁ ପରା ।’’

କେଳାଭାରିଯା ଦେଖିଲା, ଡାକବାଲା ଚାଲିଯାଉଛି, ତା’ର କିଛି ନାହିଁ ।

କିଣେଇଁ ଓଝା ହରି ସାହୁ ଦୋକାନରୁ ଲେଉଟି ଯାଇ ଆପଣା ଶାଳରେ ବସିଲା ଆଉ ଯେ ସେ ବାଟେ ଆସିଲା ଗଲା ତା’ ଆଗରେ ମନଖୋଲି ଆପଣା ମତ ବ୍ୟକ୍ତ କଲା । କେତେବେଳେ ସିଧା ସିଧା କେତେବେଳେ ବଙ୍କେଇ ବଙ୍କେଇ, ଲୋକ ଦେଖି କଥା, ଯେମିତି ସେ ପିଟିପିଟିକା ଲୁହା ପରଖି ନିଏ, କେଉଁଟା ଟାଣ କେଉଁଟା ନକନକିଆ । ତା’ର କଥାର ଉଦ୍ଦେଶ୍ୟ ସେହି ସିନ୍ଧୁ ଚୌଧୁରି ଘର ବିଷୟରେ ବଦନାମ ରଟେଇବା । ହରି ସାହୁଠୁ ପରାଭବ ପାଇଲା ପରେ ତା’ ଜିଦିଟା ଯେମିତିକି ବଢ଼ିଯାଇଛି ଆହୁରି ଦଶଗୁଣା । ପରିଣାମ କ’ଣ ହେବ, କେଉଁ କଥା କେଉଁଠି ଯାଇ ବାଜିବ, ତା’ର ସେଥିକି ସେତେ ଖାତିରି ନ ଥାଏ ।

ବିକା ମୁଦୁଲି ସେ ବାଟେ ଯାଉଥିଲା, ଆପେ ଆପଣାକୁ ପ୍ରଚାରକ ନିଯୁକ୍ତ କରିଥିବା କିଣେଇଁ ଓଝା ସେତିକିବେଳେ ଗାଁ ଦାଣ୍ଡକୁ ସମ୍ବୋଧନ କରି କହିଲା, ‘‘ଓହୋ ଯୁଗ କ’ଣ ନ କଲା । ଅଭାବରେ ପଡ଼ି ସ୍ୱଭାବ ନଷ୍ଟ ।’’

ବିକା ମୁଦୁଲି ସେହି କଥାରେ ମନ୍ତ୍ରରେ କମାରଶାଳ ଆଡ଼କୁ ଆଉଜି ଆସିଲା । ପାଳିଧରି ସେ କହିଲା, ‘‘କଳିକାଳ ୟେ କଳିକାଳ, ମାଳିକା ଆଉ କ’ଣ ମିଛ କହିଚି, ଏବେ ଘରେ ଘରେ ଅଣ୍ଟିରେ ନିଆଁ ପୂରେଇ ବସିଚନ୍ତି । କାହାକୁ କହିବି ? କାଲି ସକାଳେ ଦେଖୁଚ ଏତେ ଧନଦରବ ଖଟେଇ ଯୋଗିଆ ପେଇଁ କନିଆଁ ଆଣିଲି, ବୋପା ଘରକୁ ଗଲା ଯେ ଆଉ ଆଇଲା ନାହିଁ । ଅଇଛା ତା’ ବାପ ନଗେଇଚି ମୋ ସାଙ୍ଗରେ ମୋ ଝିଅକୁ ଛାଡ଼ପତ୍ର କରେଇ ଦେ, ତା’ର ତୋ ଘରକୁ ଯିବାକୁ ମନ ନାଇଁ, ଆଉ ଘର କରିବ । କ’ଣ କହିବି, ଘରକଥା, ସେ ସମୁଦି ତ ସଫା ସଫା କହି ଦଉଚ, ମୋ ଝିଅର ଆଉଠେଇଁ ମନ, ଆଜିକାଲି ତ କେଡ଼େ ବଡ଼ ବଡ଼ ଘରେ ରାଜିରୁଜାରେ ବାହାଘର ହଉଚି, ବାହାଘର ଭାଙ୍ଗୁଚି, ମୋର କୋଉ ଅପରାଧ ତୁ ଛାଡ଼ପତ୍ର ଦେଲେ ମାନେ ମାନେ ତୁଟିଯିବ, ନ ଦେଲେ ସବୁକଥାକୁ ପିଠି ବୁଲେଇ ଦେଇ ମୁଁ ମୋର କରିଯିବି, ଧର ସେଇଟା ବି ତମରି ପୁଅ । କ’ଣ କହିବି କହିଲ, ତା’ଠି ଟଙ୍କା ବଳ ଅଛି–’’

 

‘‘ହଃ ତେବେ ଖାଲି ତମରି ଗଣ୍ଡାକ ନିଘା କରିଚ । ଆରେ ୟେ ବଡ଼ଲୋକଙ୍କ କଥା ଦେଖ, ୟାଙ୍କର ପୁଣି ବଡ଼ ମୁଣ୍ଡ, ବଡ଼ ନାଁ, ଗାଁକୁ ବଡ଼ ହୋଇଚନ୍ତି । ଲୋକେ ୟାଙ୍କୁ ଦେଖି ଶିଖୁଥିଲେ, ୟେ ଲଗେଇଲେଣି ନାଟ, ୟାଙ୍କର ଦେଖି ଗାଁ ଟୋକାଙ୍କର ଆଚାର ଭ୍ରଷ୍ଟ ହେବ ନା ନାହିଁ । ତମେ ଦେଖିବ ସବୁ ଟୋକା ସବୁ ଟୋକୀଙ୍କ ମୁଣ୍ଡ ବିଗିଡ଼ିଯିବ ଏଇଥିରେ, ସବୁ ଘରେ ନିଆଁ ଲାଗିଯିବ ଦେଖିବ ରଇଥା, ଏ କ’ଣ ସାମାନ୍ୟ ଜାଣିଚ ?’’

 

‘‘ହଇ ହଇ’’ ବିକା ମୁଦୁଲି କହିଲା, ‘‘କଥା ତ ସେଇଆ, ତମ ଆମ ଘର କଥା ନିଆରା, ବଡ଼ଲୋକଙ୍କ ଘର କଥା ନିଆରା । ଆମର ଏମିତି ହେଲେ କିଏ ପଚାରୁଚି ? ଧୋବା ଘରେ କୁକୁର ପଶିଲେ କ’ଣ ଆଉ ଅଧିକା ମାରା ହେବ ? ଠାକୁର ଘରେ କୁକୁର ପଶିଲେ ସିନା ଦେଉଳ ଶୁଦ୍ଧ ହେବ, କଥା ତ ସେମିତିଆ, ଆଉ କ’ଣ ?’’

 

କିନ୍ତୁ କଥାଟା କିଣେଇଁ ଓଝାକୁ ସେତେ ରୁଚିଲା ନାଇଁ, ମୁହଁ ଆମ୍ବିଳା କରି କହିଲା-‘‘ହ-ଘର ନା ଯୋଉ ଘର । କ’ଣ କହନ୍ତି ନାଇଁ, କିଏ ଦେଶାନ୍ତରି କିଏ ଫଲାରି (ଫେରାର), କିଏ ଗୁଡ଼ିଆ ସାହୁର ଦୋକାନ ଜଗୁଚି ତ କିଏ ନୟାଗଡ଼ରେ ଗଛ ଜଗିଚି, କିଏ ଦରିଆକୂଳରେ ଦରିଆ ଜଗିଚି, ଯୋଉ ଘର ! ଖଣ୍ଡିଆ କାନ୍ଥରେ ଛେଳି ଡେଉଁଛନ୍ତି, ସାଆନ୍ତେ ମୁଣୋହିରେ ବଇଚନ୍ତି ନା ଢିଙ୍କି ଲାଞ୍ଜରେ ବସି କୁଲାରୁ ବାଛି ବୁଛି ମୁଢ଼ି ଟୋକୁଚନ୍ତି । ସୁଳିଆକୁ ଯାଇଚନ୍ତି ନା ଅରମା ଦରାଣ୍ଡୁଚନ୍ତି କୋଉଠି ବସିଲେ ସୋବିଧା ହବ । ଆଉ ଥାଇ ଥାଇ ଥିଲା ସେ ନାଁରେ ମହତଟା, ସେତକ ବି ଗଲା ।’’ ‘ସେତକ ବି ଗଲା’ କହିଲାୟବେଳେ ‘ବି’ ଉଚ୍ଚାରଣକୁ ଲମ୍ବେଇ ସେ ଏଭଳିଭାବେ କଥା କହିଲା ଯେପରି କି ଅର୍ଥ ହେବ ଯେ ସେ ଘର ଆଉ ଠିଆ ହେବ ନାହିଁ, କାଳକାଳକୁ ତା’ କଥା ସରିଗଲା ।

 

ବିକା ମୁଦୁଲି ମୁଣ୍ଡ ହଲେଇ କହିଲା, ‘‘ଯାହା କହିଲ, ଯାହା କହିଲ ।’’

 

ସେବାଟେ ଯାଉଥିଲେ ଗାଁ ଭେଣ୍ଡିଆ ଅପର୍ତ୍ତିଆ ପରିଆ । କିଣେଇଁ ଓଝା ତାଙ୍କ ସଙ୍ଗରେ ବି କଥାଭାଷା ହେଲା, ଟେହିଦେଇ କହିଲା, ଏବକାଳକୁ ଟୋକା ବି ହେଲେଣି କେଞ୍ଚୁଡ଼ି, ଆମ ଟୋକାଦିନ ହୋଇଥିଲେ ହାତୁଡ଼ି ପାହାରଟାକୁ ପୃଥିବୀ ପ୍ରଳଏ, ଏବ ଟୋକାଙ୍କର ତ ଖାଲି କଥା-’’

 

ଅପର୍ତ୍ତି ଓ ପରିଆଙ୍କୁ ଏ କାହାଣୀ ନୂଆ ନୁହେଁ, ପହିଜ ଦେଖାଇ ବାହା ଥାପୁଡ଼େଇ ଅପର୍ତ୍ତିଆ କହିଲା, ‘‘ହାବୁଡ଼େ ପଡ଼ିଥିଲା ଏକା ଯାବୁଡ଼ାକେ ତାକୁ ବୋପାକୁ ମଉସା ଡକାଇଥାନ୍ତି; କୋଉବାଟେ ଆସୁଥିଲା କୋଉବାଟେ ଲୁଙ୍ଗୁଡ଼େଇ କରି ପଳୋଉଥିଲା ଯେ କେହି ତା’ର ଅନ୍ତ ପାଇଲୁ ନାହିଁ, କ’ଣ କରିବୁ ?’’

 

କାଶି କାଶିକା ବୁଢ଼ା ସଉରି ପଧାନ ଆସି ହାବୁଡ଼ିଲା, ଅଣ୍ଟାରୁ ଭାଙ୍ଗିପଡ଼ି ସାମ୍ନାରେ ବାଡ଼ି ଉପରେ ଭରା ଦେଇ ଘୁଷୁରିଲା ପରି ଆଗକୁ ଆଗକୁ ଚାଲିଥାଏ, କେବଳ ମାଳ ହୋଇ ହାଡ଼ଗୁଡ଼ିଏ ଖଞ୍ଜା ହୋଇଛି । ଟାଇଁ ଟାଇଁ ଟାଙ୍ଗରା ମୁଣ୍ଡଟି, କୋରଡ଼ ଆଖି, ପାକୁଆ ପାଟି, ଖାଲ ଖାଲ ଗାଲ ଉପରେ ଉଞ୍ଚ ଉଞ୍ଚ ହାଡ଼ର ହିଡ଼, ସତେକି ସେଥିରେ ଗୋଟିଏ ବଙ୍କା ଲାଙ୍ଗୁଡ଼ ଲାଗି ହୋଇ ସେଇଟା ମୁର୍ଦ୍ଦାରଖାନାରୁ ଉଠି ଆସିଛି; ଏମିତି ବାଡ଼ି ଉପରେ ଭରା ଦେଇ କହିଲା, ‘‘ନଅଙ୍କ ଦିନେ ଏ ଘର କେମିତି ଥିଲା ତା’ ମୋ ବାପାଙ୍କଠୁଁ ଶୁଣିଛି, ଆଉ ଅଇଛା ଦେଖୁଛି । କେଉଁଦିନୁଁ ଏ ଘରର ଶିରୀ ତୁଟିଗଲାଣି ଏଣିକି ଏଇ ବିଘଟନ ସବୁ । ଯେ ହାବୁଡ଼େ ପଡ଼ିଥିଲେ ତେମେହେଲେ କ’ଣ କରିପକାଇଥାନ୍ତ କାହାର ? ଆଉ ତମର ସେ ବଳ ଅଛି ନା ମେଣ୍ଟ ଅଛି ଯେ ତୁମେ କିଛି କରିବ ? ଅଇଛା ଯଦି କିଏ ପଦାରୁ ଆସି ଗାଁଭିତରେ ପଶି କାହାକୁ ଗୋଗୋଛବାଡ଼ିଆ କରିଦେବ ତ ତେମେ ସବୁ ଖାଲି ଜୁଳୁଜୁଳୁ କରି ଦେଖୁଥିବ ସିନା, କେହି ପଦେ ଉଁ କି ଚୁଁ ପାଟି ଫିଟାଇବ ନାଇଁ, ତମ ଦେଇ କି ଦେଇ କାମ ହବରେ ?’’

 

ଅପର୍ତ୍ତିଆ ଆଗକୁ ମାଡ଼ିଯାଇ ହେଣ୍ଟାଳିଲା, ‘‘ସେମିତି କହ ନାଇଁ ଅଜା, ଆମେ ମରି ନାହୁଁ, ଆମେ ବଞ୍ଚିଚୁ । ଆମ ଗାଁକୁ ଅପବାଦ ଆସିଲେ ହତିଆର ଚାଲିବ ।’’

 

‘‘ହଃ ହତିଆର ଚଳେଇବ ତୁମେ ନାଁ ତୁମ ପରି ଦଶଟା’’, ଅବିଶ୍ୱାସରେ ହସିଦେଇ ସଉରି ପଧାନ କହିଲା, ‘‘ତମେ ସବୁ ପରା ଥିଲା, ସେଦିନ ମୋ ଘର କୋରଖ କରି ଖାଇବା ବାସନ ସୁଦ୍ଧା ଘିତି ପଳେଇଲେ, ଛୁଆ ମାଇପେ କେତେ କାନ୍ଦିଲେ, ତମକୁ କେତେ ନେହୁରା ହେଲି, କେତେ ରାଣନିୟମ ପକାଇଲି । ଆସିଥିଲି କେହି ମୋ ଦୁଆରକୁ ? କାହିଁକି ନ ଆସିଲ ? ଡରିଲ । କାଳେ ପୁଲିସି ଧରିନେବେ । କାହିଁକି ଡରିଲ ? ତମ ରକତ ପାଣି ବୋଲି । କାହିଁକି ରକତ ପାଣି ? ତେମେ ପିଲାକାଳୁ କିଛି ଖାଇନା ପିଇନା ବୋଲି । ଥରକେ ଗୋଟାଏ ଲେଖାଁ ଇଲିଶି ଶୁଖୁଆ ମୁଁ ବଜେଇ ଦେଉଥିଲି, ଦି ଦି’କଂସା ବିରି ଡାଲି, ଚୁଡ଼ା ସେରେ ଅଣ୍ଟିରେ ପଶିଲା ତ ବିଲରୁ ଘେରାଏ ବୁଲି ଆସିଲାବେଳକୁ ସରିଯାଇଥିବ । ଖାଇଲେ ପିଇଇେ ତାକତ, ନ ଖାଇଲେ କିଛି ନାହିଁ । ତେମେ କାହୁଁ ପାଇବ ? ମତେ ଷାଠିଏ ବର୍ଷ ପୂରିବାଯାକେ ଦଶଟା ମୁଣ୍ଡର ଏଡ଼େ ଏକ କାଠର ତାଟ ବାନ୍ଧି ମୁଁ ରାବଣଶର ନାଚୁଥିଲିଟି, ଦେହରେ ସାମାନ୍ୟ ବଳ ଥିଲା ?’’

 

ଲାଙ୍ଗୁଡ଼ରେ ଠିଆହୋଇ ଫଣା ଟେକିଲା ପରି ବେକଭାଙ୍ଗି ଦେଇ ଅନାଇଁଥିଲା ନରକଙ୍କାଳ, ଦୁଇ ହାତରେ ମୁଠେଇ ଧରିଥିଲା ବାଡ଼ି ଖଣ୍ଡକୁ, ଆସ୍ପର୍ଦ୍ଧା ଦେଖାଇ କହିଥିଲା, ‘‘ଆରେ ତମଦେଇ କିଛି ହବ ନାଇଁ, ରକ୍ତ ତମର ପାଣି । ଢକ ଢକ ହେଇ ଅଣ୍ଟା ତମର ମୋଡ଼ି ହୋଇପଡ଼ୁଚି, ଛାତିରେ ପଞ୍ଜରାହାଡ଼ ଗଣି ହଉଚି, ଏମିତିଆ ମଢ଼ସବୁ ଦାଉ ସାଧିବେ ? ଅକଲ ଶିଖେଇବେ ?’’ ସେହି ନରକଙ୍କାଳଟା କହିଲା, ସେହି ଯାହା ନା ସଉରି ପଧାନ, କହିଲା, ‘‘ଚାରି କୋଡ଼ି ବର୍ଷ ଡେଇଁ ଆସିଲି, ତିନି ତିନିଟା ଭାରିଜା ଗଲେ, ଏଣିକି ସିନା ଆମେ ପାଚିଲା ଆମ୍ବ, କେତେବେଳେ ଦୋହଲାଏ ଦେଲେ ଝଡ଼ିପଡ଼ିବୁଁ, ସେତେବେଳ ଆମେ ମାଲ ବୋଲାଉଥିଲୁ । ଚାଲିଗଲେ ଜାଣ ଗର୍ଭିଣୀ ଗାଈ ବାଟ ଛାଡ଼ୁଥିଲା, ଏମିତି ନାଁ ଉଡ଼ୁଥିଲା ଯେ ସାତଖଣ୍ଡି ଗାଁରେ ଚହଳ ପଡ଼ିଥିଲା । ଏକା କ’ଣ ମୁଁ ? ସେତେବେଳେ ସେମିତି ସବୁ ମାଲ ଥିଲେ ଯୋଦ୍ଧା ଥିଲେ, ଏବ କାଳକୁ ସିନା ବାଇଗଣ ଗଛକୁ ଆଂକୁଶି ବଢ଼େଇଲେ, ଗଲା; ସେକାଳ ଆଉ ଫେରିବ ନାଇଁ । ହେଇ ହେତୁ କର, ଗାଁ ଦାଣ୍ଡରେ ପଡ଼ିଚି ସେ ସାତ ମହଣିଆଁ ପଥର ପେଣ୍ଡୁଟା । ପଡ଼ିଚି ନା ପଡ଼ିଚି । କିଏ ଆଉ ଉଠେଇ ପାରୁଚ ? ମୋର ତ ନିତି କସରତ ଚାଲିଥିଲା ସେଇଟା ସାଙ୍ଗରେ । ତଳେ ସିଧା ହୋଇ ଆଣ୍ଠୁ ଯୋଡ଼ି ବସିବି, ସେଉଠୁ ଆଗକୁ ନଇଁପଡ଼ି କହୁଣିଠୁ ପାପୁଲିଯାକେ ସେ ପଥର ପେଣ୍ଡୁ ଦି କରେ ଭୂଇଁରେ ପାରିଦେବି, ଛାତିରେ ଭରା ଦେବି, ସିଧା ହେବି, ପଥରଟାକୁ ସେମିତି ଛାତିରେ କୁଣ୍ଢଇ ଧରି ବସିବି, ଠିଆ ହେବି. ଉପରକୁ ଟେକିବି, କେତେବେଳେ ପିଠି ଉପରେ ଗଡ଼େଇଦେବି, କେତେବେଳେ ଜଙ୍ଘ ଉପରେ, କେତେବେଳେ ବାହା ଉପରେ, ମତେ ତ ଲାଗୁଥିଲା ଫୁଲ ପରି, ସତେଯେମିତି କି ପଥର ନୁହେଁ ସେଇଟା ଯେ ସିଏ ଗୋବରାବୋଉ-’’

 

ଗୋବରା ତା’ରି ବଡ଼ ପୁଅ । ହସିଲେ ସମସ୍ତେ ।

 

ଆଖି ତରାଟି ସଉରି ପଧାନ କହିଲା, ‘‘ହ ହ, ହସିଦେଲା । ଗୋବରାବୋଉକୁ ଦେଖିଚ ତେମେ ଯେ ହସୁଚ ? କେଡ଼େ ଭାରି ଓଜନ ମାଇପିଟା ଜାଣିଚ ? ଅଇଛା କାହାନ୍ତି ସେମିତିଆ ? ନିଦା, ଛେଚା ପିଟା । କାହାନ୍ତି ଆଜି ବୋହୂ ଭୂଆସୁଣିଏ, ସେତେ କାମର କାଣିଚାଏ ବି କେହି କରିବେ ? ଦେଖେଇବ ଚାଲିଲ ? ଓଃ ! ହସିଦେଲେ । ସେ କାଳ ସାଧନା ଭଙ୍ଗା, ସେ କାଳ ମାଲଗିରି, ସେ ବାଡ଼ିବୁଲା, ସେ ପତରିଖେଳ, କାହିଁ ଆଜି ସେଇଟା ସବୁ ? ତେମେ କେଞ୍ଚୁଡ଼ିମାନେ ଆମ ଆଗରେ ପହିଜ ଦେଖାଉଚ-’’

 

ଅତିପୁରୁଣା କଥା ଏସବୁ, କିନ୍ତୁ ଅକ୍ଷରେ ଅକ୍ଷରେ ନ ହେଲେ ବି ମୋଟାମୋଟିରେ ସତ, କିଣେଇଁ ଓଝା ବିକା ମୁଦୁଲି ତା’ର ସାକ୍ଷୀ, ସେମାନେ କିଛି କହିଲେ ନାହିଁ । କିନ୍ତୁ ପରିଆ ବୁଢ଼ାର ଏ ଶେଷ ଅବସ୍ଥା ଉପରେ ବି ଚୋଟ ହାଣିବାକୁ ପଛେଇଲା ନାହିଁ । କହିଲା, ‘‘ହୋ ହୋ, ଭଉତୁ ଶୁଣିଚୁଁ, ଏଡ଼େ ବଡ଼ ମାଲ ହୋଇଥିଲେ, ନଉତିଏ ଚାଉଳର ଭାତ ଖାଉଥିଲେ, କୋଦୀ ଗୋବରାବୋଉ ଆଈକି ଟେକୁଥିଲ କଚାଡ଼ୁଥିଲ, ମାଙ୍କଡ଼ାପଥର ପୋଡ଼ପିଠା ଖାଉଥିଲ, ସବୁ ତ କରୁଥିଲ, ଜମିଦାର ଘର ପିଆଦା ପାଖରେ ବି ଛେଳି ହେଇ ରହିଥିଲ କାହିଁକି ? ଡରି ହରି ଆପଣାରାଇଜ ଆପଣାଜମିଦାରି ଆପଣାଜମିବାଡ଼ି ସବୁ ପରଲୋକଙ୍କୁ ଖୁଆଇଦେଇ ତୁଳସୀମାଳି ଗଡ଼ୋଉଥିଲ କାହିଁକି ? ତେମେ ସାତ ମହଣ ପଥର ଟେକୁଥିଲ, ଆଉ ତମୁକୁ ସାହାବମାନେ ଛେଳିକରି ରଖିଥିଲେ, ଆମେ ବାଇଗଣଗଛକୁ ଆଂକୁଶି ବଢ଼ୋଉଚୁ ସତ ଯେ ଯେ ଆମ କାଳ ଲୋକେ ସେଇ ସାହାବକୁ ଦରିଆପାରି କରେଇ ଦେଶକୁ ସ୍ୱାଧିନ କଲେ । ପୋଢ଼କୁ ହେତୁ କର, ତା’ର କେତେ ବଳ ନାହିଁ, ତା’ ଆଗରେ ମଣିଷ କି ଛାର ? ତଥାପି କେହି କହନ୍ତି ନାଇଁ ମଣିଷଠୁ ଅଣ୍ତିରା ମଇଁଷିଟାର ଅଧିକା ଟେକ ବୋଲି–’’

 

ସଉରି ପଧାନ ଉତ୍ତର ଦେବବୋଲି ପାଟି ଖୋଲିଲା, କିନ୍ତୁ ନଟରା କାଶରେ ସେ ଏମିତି ଝାଙ୍କି ହୋଇଗଲା ଯେ ଲାଗିଲା ସତେ କି ଏଇଠି ଅଇଛା ତା’ ପ୍ରାଣ ଉଡ଼ିଯିବ । କହିଲା, ‘‘ଆଉ ଦିନେ ଜବାବ ଦେବି, ଆଜି ଯାଉଚି ।’’

 

ଚାଲିଗଲା ସେ କାଳର ରାମନବମୀର ରାବଣେଶ୍ୱର, କିନ୍ତୁ ସେ ଆଉ ରାବଣେଶ୍ୱର ନୁହେଁ, ନଉକେଶୀ ବୁଢ଼ୀର ଜେଜେମା’ । କିଣେଇଁ ଓଝା, ବିକା ମୁଦୁଲି ଦିହେଁ ପରିଆକୁ ଗାଳିଦେଲେ । କିଣେଇଁ ଓଝା କହିଲା, ‘‘ତୁ ଗୋଟାଏ କାଲିକାର ଟୋକା ପରିଆ, ଭାତ ଖାଇ ଆଞ୍ଚୋଇ ଜାଣିନୋଉଁ, ଆଉ ତୁ ଫେର୍‌ ଗୋଟାଏ ମଣିଷ ହେହଲୁଣି ଯେ ଗାଁର ଯେ ସବୁଠୁ ବଳି ବୁଢ଼ା ମଣିଷ ତାକୁ ବି ତୁ ଥଟ୍ଟା କରିବୁ ! ଧାତ୍‌ତେରିକା । ହଇରେ କ’ଣ ଏଗୁଡ଼ାକ କହୁଚୁ କି ସାହାବ କି ସ୍ୱାଧିନ କି ଜମିଦାର ପିଆଦା-ଏଗୁଡ଼ା ଆଜିକାଲିକା ବାର ନବରଙ୍ଗ ଶୁଣି ଶୁଣିକା ତମର ସବୁ ମୁଣ୍ତ ବିଗିଡ଼ି ଯାଉଚି । ଆଉଦିନେ ଏମିତି ବୁଢ଼ା ମଣିଷଙ୍କୁ କାଇଲି କରିବାକୁ ମନ ବଳେଇବୁ ନାହିଁ, ତେମେ ଜାଣ କ’ଣ, ତମର ହେତୁ ହେଲା କୋଉଦିନ ଯେ ତେମେ ସଉରି ପଧାନ ସଙ୍ଗରେ କଥାକୁ କଥା ପରି ତାଳ ଲଗେଇବ ।’’

 

ଅପର୍ତ୍ତିଆ କହିଲା, ‘‘ବୁଢ଼ାଟା ସେମିତି ଗୋଟାଏ ଆପଣା ଟେକ ଦେଖାଇ କହିଲା ବୋଲି ସିନା, ନଇଲେ କିଏ କହିବାକୁ ଯାଉଥିଲା ? ଆରେ ବାବୁ, ତେମେ ତ ବୁଢ଼ା ଲୋକ, କୋଉଦିନ ଡକରା ଆସିବ ଠିକଣା ନାଇଁ, ତେମେ କ’ଣ କୋଉଠି କେବେ କରିଥିଲି କି ନ କରିଥିଲା ସେଗୁଡ଼ା ଏତେ ବାହୁନିହେବା ଦରକାର କ’ଣ ? ଛାଡ଼, ଏ ବିଷୟରେ କ’ଣ କହିବଟି । ଆଗ ୟେ ସିନ୍ଧୁ ଚୌଧୁରିଙ୍କି ଏକଘରିକିଆ କରାଯାଉ ।’’

 

ବିକା ମୁଦୁଲି କହିଲା, ‘‘କରିବି କିଏ ? ସେ ତ ହେଲେ ସାଆନ୍ତ ଘର, ଲୋକେ କ’ଣ ମଙ୍ଗିବେ ? ୟେ ଆମ ଲୋକ ପରା ଆଗେ ସେଇଠି ଯାଇ ଗୋଡ଼ତଳେ ମୁଣ୍ଡ ଗେଞ୍ଜି ଗେଞ୍ଜି ପଶିବେ । ହେଇ ଦେଖୁନା, ଯିଏ ତାଙ୍କୁ ବାର ଅବସ୍ଥା କରି ଦଣ୍ଡ ଦେଇ ଦେଇ ଶିକାର କରୁଥିଲେ ୟେ ଲୋକେ ତାଙ୍କୁ କଲେ ଆଗ, ଆଉ ସମସ୍ତିଙ୍କି ପଛ ।’’

 

କିଣେଇଁ ଓଝା କହିଲା, ‘‘ଆଗ କିଛି ଗୋଟାଏ ନ କଲେ ହବ ନାଇଁ, ଆଗ ଉଠିଯାଇ ତାଙ୍କ ଚାହାଳି ଖଣ୍ଡକ । ଆମ ଗାଁ ପେଇଁ ତ ନି: ପ୍ରା: ଇସ୍କୁଲ ଖଣ୍ଡେ ମଞ୍ଜୁର ହେଇସାରିଚି, ଟଙ୍କା ମଞ୍ଜୁର ହେଇଚି, ଇସ୍କୁଲ ଘରଖଣ୍ଡ ଠିଆହବ, ମାଷ୍ଟର ଆସିବ । ସେତେବେଳେ ଚାହାଳିରୁ ଛାଁକୁ ପିଲା ଭାଙ୍ଗିଯିବ । ତା’ ଆଗରୁ ପିଲାଙ୍କୁ ଛଡ଼େଇ ଦେଲେ ଚୌଧୁରି ଅନ୍ତତଃ ବୁଝିବେ, ଏଇଥିପାଇଁ ପିଲା ଆସୁ ନାହାନ୍ତି, ପାନେ ପାଇବେ । ଆଚ୍ଛା କହ, ଯାହାର ନିଜ ଘର ଉପରେ ଅକ୍ତିଆର ନାହିଁ ସେଇଟା ଗୋଟାଏ ପର ପିଲାଙ୍କୁ ସମ୍ଭାଳିବ କେମିତି, ତା’ଠୁ କିଏ କି ବୁଦ୍ଧି କି ଅକଲ ଶିଖିବେ ?’’

 

ବିକା ମୁଦୁଲି କହିଲା, ‘‘ଏଇଟା ଉଆଜିବି କଥା ।’’

 

ପରିଆ କହିଲା, ‘‘କ’ଣ କହୁଚୁ ମ ଚାହାଳିଖଣ୍ଡ ଉଠେଇବା କଥା, ଗୋଟାଏ ଦିଆସିଲି କାଠିକି କାମ ନାଇଁ ।’’

 

କିଣେଇଁ ଓଝା ଥଟ୍ଟା ଆଉ ଗାଳି ମିଶେଇ କହିଲା, ‘‘ବଗୁଲିଆଟା, ୟାରି ନାଁ ଟୋକାଟାକିଳିଆ କଥା, ହଇଓ ବାବୁ, ଦିଆସିଲି କାଠି ମାରି ତେମେ କାହାର କ’ଣଟା କରି ପକେଇବ ? ତମ ବୁଦ୍ଧିକି ଚାହିଁ ଅସଲ ମଣିଷ-ପିଡ଼ିଆ ।’’

 

ପରିଆ କଥା ବାଁରେଇ ଦେଇ କହିଲା,. ସେମିତି ଖାଲି କହୁଥିଲି ନା–’’

 

ଅପର୍ତ୍ତିଆ କହିଲା, ‘‘ଛାଡ଼ ସେଇଟା କଥା । ସେମିତି ନୁହେଁ । ବଳେ ହବ, ତା’ ଛାଆଁକୁ । ପାଞ୍ଚ ଗାଁ ଭାଇ ଯେମନ୍ତ କହିବେ କି ୟାଙ୍କ ଗୁହାଳିରେ ଆମ ପିଲା ପଢ଼ିବେ ନାଇଁ ୟେ କାହାକୁ ହାଣ୍ଡିରେ ପୂରାଇ ଫାଣ୍ଡିକି ନେବେ ?

 

କିଣେଇଁ ଓଝା, ବିକା ମୁଦୁଲି ଉଭୟେ କହି ଉଠିଲେ, ‘‘ହଁ ହଁ ସେଇଆ, ସେଇଆ ।’’

 

ଅପର୍ତ୍ତିଆ ମୁରୁକି ହସି ପରିଆର ହାତକୁ ଝାଙ୍କେ ଦେଇ ଓଟାରି ନେଇ ଚାଲିଲା, କହିଲା, ‘‘ଡବଡବାଟା ହେଲୁ, କିଛି କାମର ନୋହୁଁ । ଆ ଚାଲିଆ ମାଗୁଣିଆକୁ ଖୋଜିବା, ସେ ନ ହେଲେ କିଛି କାମ ହେବ ନାଇଁ ।’’

 

ବିକା ମୁଦୁଲି କିଣେଇଁ ଓଝାକୁ କହିଲା, ‘‘ଏଥର ଲାଗିଲା ।’’

 

କିଣେଇଁ ଓଝା ଗଞ୍ଜେଇ ଚିଲମ କାଢ଼ିଲା । ପାପୁଲିରେ ଗଞ୍ଜେଇ ଥୋଇ ଟିପରେ ରଗଡ଼ି ରଗଡ଼ି ଚିଲମରେ ପୂରାଇଲା, ନଡ଼ିଆ କତାରୁ ମେଞ୍ଚାଏ ଟେଳା କରି ତା’ ଆଗରେ ମାଡ଼ିଦେଇ ନିଆଁ ଲଗେଇଲା । ଚିଲମକୁ ଧରି ଅଜଣା ଦେବତା ଉଦ୍ଦେଶ୍ୟରେ ଦଣ୍ଡବତଟିଏ କରି ଆପେ ଦମେ ଟାଣିନେଇ ବିକା ମୁଦୁଲି ହାତକୁ ବଢ଼େଇଦେଲା, କହିଲା, ‘‘ଏସବୁ ଘର ଏମିତି ଭାଙ୍ଗେ, ଏମିତି ଏକା ଫୁଙ୍କାକେ ଯାଏ । ଅଧର୍ମ ବିତ୍ତ ଫଳେ ବହୁତ ଗଲାବେଳେ ଯାଏ ମୂଳ ସହିତ, ବୁଝିଲ ମୁଦୁଲିଏ, ଚୌଧୁରି ଘର ବଡ଼ଲୋକ କେବେ ହୋଇଥିଲେ, ଅଇଛା ଯାହା କହନ୍ତି କଟାସ ବି ମହାବଳ, ଯାହା ଅଛି ସେତକ ବି ଯିବ, ସେମାନେ ଆମ ରକତ ଶୋଷୁଥିଲେ ଆମେ ତାଙ୍କ ନାଁ ଗାଁ ବି ଶୋଷିନବୁ, ଡର କାହାକୁ, ଠାକୁରେ ଅଛନ୍ତି ଚଉବାହାକୁ ।’’

 

ବିକା ମୁଦୁଲି ଛାତି ଭର୍ତ୍ତି କରି ଆହୁରି ଦମେ ଟାଣି ନେଇ କହିଲା, ‘‘ଯାହା କହିଲ । ଏ ସଂସାରଟା ଖାଲି ଗଞ୍ଜେଇ ଧୂଆଁ । ହେଲେ ଆମ ଯୋଗିଆ ଭାରିଯା କଥା କ’ଣ କରିବା କହୁଚ ?’’

 

‘‘ସବୁର କର, କ’ଣ ହଉଚି ହଉ, ନଈ ନ ଦେଖି ନଙ୍ଗଳା କାହିଁକି ହଉଚ ?’’ ଗଞ୍ଜେଇ ଧୂଆଁ ସଙ୍ଗେ କଳ୍ପନା ଆଉ ବାବାଜି, ବାବାଜି ଧାରଣା ସହିତ ପରମାର୍ଥ ଭାବ ଆସି ପହଞ୍ଚିଥିଲା । ବିକା ମୁଦୁଲି କହିଲା, ‘‘ହଉ, ଠାକୁରେ ଯାହା କରିବେ ।’’

 

ରାତିରେ ଛବିବୋଉ ସବୁଦିନ ପରି ଝିଅକୁ କୋଡ଼ରେ ପୂରାଇ ଶୋଇଥିଲେ । ଚଞ୍ଚଳ ନିଦ ଆସୁ ନ ଥାଏ ।

 

ମନେ ମନେ କେତେ ଦେବାଦେବୀ ମନାସୁଥିଲେ । ଦିଶିଯାଉଥିଲା, ବଟେଶ୍ୱର ମହାଦେବଙ୍କ ପୁରୁଣା ଇଟାଦେଉଳ, ସେହି ଯେଉଁଠୁ ଗମ୍ଭିରା ଭିତରୁ ପଲ ପଲ ଚେମେଣି ଚଢ଼େଇ ସାଇଁ ସାଇଁ ଉଡ଼ି ପଳାନ୍ତି । ଚେମେଣି ଲଣ୍ଡିର ଉଗ୍ର ଗନ୍ଧ ଆଉ ଗମ୍ଭିରାର ଅନ୍ଧାରି ପବନ । ପାହାଚେ ପାହାଚେ ଓହ୍ଳାଇ ଯାଆନ୍ତି ତଳକୁ ତଳକୁ, ସେହି ଯେଉଁଠି କେତେ ତଳେ ପୁରୁଣା ଶିବଲିଙ୍ଗ, ତାଙ୍କ ଉପରେ ଅଷ୍ଟଧାତୁର ସାପ ଫଣା ଟେକିଛି । ଏକାଠି ଗଦା ହୋଇଛି ଗାଢ଼ ସାବୁଜା ବେଲପତ୍ରି, ଧଳା ଧଳା ଗଇଶଫୁଲ, ଧୁତୁରା ଫୁଲ, ଧଳା-ମାଉଁସିଆ ଅରଖ ଫୁଲ ଲେନ୍ତି ଲେନ୍ତି, କେଣ୍ଡା କେଣ୍ଡା ତୁଳସୀଫୁଲ ଆଉ ତୁଳସୀପତ୍ର, ଦଅଣା, ଜିକିଜିକି ଲହୁଣୀ ଆଉ ଦୁଧ ପାଣି । ମନେ ମନେ ସେଇଠି ଘିଅ ଦୀପ ଉଠେ, ଆଉ ସେ ନଇଁ ପଡ଼ନ୍ତି ଚିକ୍‍କଣ ଚାକ୍‌କଣ ନାଲି ପଥରର ବାସୁଆବଳଦ ଗୋଡ଼ତଳେ । ଢଂ ଢଂ ହୋଇ ଗମ୍ଭୀରା କମ୍ପେଇ ବାଜେ ଘଣ୍ଟା, ଦୀପ ସଳିତା ସତେକି ଚମକି ଉଠେ-। ଅଜଣା ହାତରେ ଶୂନ୍ୟରୁ ପାଣି ଢଳା ହୁଏ, ମହାଦେବ ଦେଉଳ ଭିତରର ବିଶିଷ୍ଟ ବାସ୍ନାବିଶିଷ୍ଟ ନିଛାଟିଆ ଅନୁଭୂତିରେ ପୂରିଉଠେ ତାଙ୍କ ମନ । ସେଇଠି ସେ ମନେମନେ ବାରମ୍ବାର ଓଳଗି ହେଉଥିଲେ, ମାନସିକ କରୁଥିଲେ ଆଉ କୁଣ୍ଢ ଭିତରେ ଯାବୁଡ଼ି ଧରିଥିଲେ ଝିଅକୁ । ଯାବ ପଡ଼ିଯାଇଥିଲା ।

 

ପୁଣି ଲାଗୁଥିଲା କିଏ ଯେପରି ତାଙ୍କଠୁ ତାଙ୍କ ଝିଅକୁ ଛଡ଼େଇ ନେବାକୁ ଆସିଛି, ସଣ୍ଢୁଆସୀ ପରି ଗୁରେଇ ହୋଇଯାଉଥିଲା ଦୁଇବାହୁ, ପଦାରେ ଦୁନିଆଁ ଭାଙ୍ଗିପଡ଼ୁ ପଛେ, ପ୍ରଳୟ ଘୋଟୁ, ସେ ଆଉ ଛବି ଅଭିନ୍ନ । ଗୋଟିକରୁ ଦୋଓଟି ନାହିଁ, ସେତିକି ତାଙ୍କର ସବୁ । ତାଙ୍କରି ଉପରେ ଘୋଟିଯାଉ ସବୁ ବିତ୍ପାତ, ତା’ର କିଛି ନ ହେଉ । ଅଧରାତିରେ ନିଦ ଭୋଳରେ ଆଖିରୁ ଲୁହ ବୋହି ବୋହି ଗାଲ ଓଦା ହୋଇ ତକିଆ ତିନ୍ତିଥିଲା, ନିଶ୍ୱାସ ଚାଲିଥିଲା ଖର ଖର ।

 

ଛବି ଶୋଇଥିଲା ସବୁଦିନେ ମା’ କୋଡ଼ରେ ବୁଡ଼ିଗଲେ ଆଖିପତା ଆପେ ଆପେ ବୁଜି ହୋଇଯାଏ । ବର୍ଷ ଉତ୍ତାରୁ ବର୍ଷ ଧାଇଁ ପଳେଇଛି, ଏଇ ଘରେ ଏମିତି ସବୁଦିନେ । କାହାର କେତେ କ’ଣ ବଢ଼େ ଛିଡ଼େ, କେତେ ଘଟଣା ଘଟେ, ତା’ର ସବୁଦିନେ ଏଇଠି ଶାନ୍ତି । ଏଇଠି ଏମିତି ଏକାପରି । କିନ୍ତୁ ତା’ ଅସ୍ତିତ୍ୱରେ ସେହି ଏକାପ୍ରକାର ଶାନ୍ତ ସୌମ୍ୟ ଭିତରେ କେଉଁଠି ଗୋଟିଏ ନୂଆ ସୁଅ ପଶି ଆସିଥିଲା, ସେଥିରେ ଥିଲା କାମନା ଓ ଉତ୍ତେଜନାର ଅଶାନ୍ତ ସୁଖ, କେତେ କଳ୍ପିତ ଅନୁଭୂତିର ଟିକି ଟିକି ନିଆଁ ହୁଳା । ସେ ବାରମ୍ବାର କର ଲେଉଟାଥାଏ, ବାରମ୍ବାର ତା’ର ନିଦ ଭାଙ୍ଗିଯାଉଥାଏ ଚାଉଁକରି ।

 

ସେତେବେଳେ ସେ ବଲ ବଲ କରି ଚାରିଆଡ଼କୁ ଅନାଏଁ । ଅନୁଭବ କରେ ମଶା, ଛାରପୋକ କାମୁଡ଼ୁଛନ୍ତି । ଅସରପାମାନେ ସାଇଁ ସାଇଁ ହୋଇ ଦଉଡ଼ି ପଳାଉଛନ୍ତି, ଚିହ୍ନା ପରିବେଷ୍ଟନୀ ଭିତରେ ଅଜଣା ଆତଙ୍କରେ ଦେହ ଶୀତେଇ ଉଠେ, ସେ ଗାଲିପାରି ଶୋଇପଡ଼େ ।

 

ଗୋଡ଼ର ଖଣ୍ଡିଆରେ ସେହି ପଟି ବନ୍ଧା ହୋଇଛି, ସେହି ଯେ ଜଣକର ପିନ୍ଧା ଲୁଗାରୁ ଚିରୁଡ଼ାଏ ଚିରାଳ, ବାରମ୍ବାର ସେଇଠିକି ମନଟା ଚହଲିଯାଏ । ମୁହଁପାଖେ ସେହି ମଣିଷର ସ୍ମୃତି ଠିଆହୋଇ ରହେ; ଚବି ଡରି ଡରି ତା’ର ମୁହଁକୁ ଆଖିକୁ ଚାହେଁ, ସଁ ସଁ ହୋଇ ଆପଣା ନିଶ୍ୱାସର ତୋଫାନ ଆରମ୍ଭ ହୋଇ ସ୍ନାୟୁ ଭିତରେ ଜୁଆରର ଚହଳ ଖେଳି ଉଠୁ ଉଠୁ ମନେପଡ଼ିଯାଏ, ହେଇଟି ତ ବୋଉ, ବୋଉ କୋଡ଼ରେ ସେ, ସେ ସହଜ ହେବାକୁ ଚେଷ୍ଟାକରେ ।

 

ଆର ବଖରାରେ ସିନ୍ଧୁ ଚୌଧୁରି । ଖଟ ତଳେ ପୁଳିଏ ସାରୁ, ପୁଳିଏ ଆଳୁ ଗଡ଼ୁଛି । ଖୁନ୍ଦାଖୁନ୍ଦି ହୋଇ ଧାନ ଓଳିଆଗୁଡ଼ିଏ, ଗୋଟିଏ ବାଉଁଶ ପାତିଆର ଓଦରରେ ଅଛି ଧାନ । ଛାତରୁ ଶିକାରେ ପଶି ହାଣ୍ଡିମାନ ଓହଳିଛି । ଖଟ ଉପରେ ଛିଣ୍ଡା ସପ ଉପରେ ଛିଣ୍ଡା ବିଛଣା, ତା’ ଉପରେ ସେ ।

 

କେଉଁ ଅତୀତରେ ଶେଯ ଖଣ୍ଡ ତିଆରି ହୋଇଥିଲା, ସେତେବେଳେ ସେ ଚାକିରି କରୁଥିଲେ, ମାସକୁ ମାସ କଞ୍ଚା ଟଙ୍କା ମିଳୁଥିଲା, ଖଞ୍ଜାରେ ଏତେ ଘର ଭୁଶୁଡ଼ି ପଡ଼ିନଥିଲା । ସଉକ ଥିଲା, କୁଞ୍ଚକୁଞ୍ଚିଆ ଅତି ପାତଳ ଧୋତି ଚାଦର ସାଙ୍ଗକୁ ଧୋବ ଫର୍‌ଫର୍‌ ଲମ୍ବ ଜାମା । କୁଞ୍ଚ ପକାଇବାକୁ ଲୋକ ଥିଲେ, ଆଉ ବିଛଣା ସଜେଇ ଦେବାକୁ, ଆଉ ପଦାକୁ ବାହାରି ପଡ଼ିଲେ କାନ୍ଧରେ ଗାମୁଛା ପକାଇ ହାତରେ ପ୍ରକାଣ୍ଡ ପାନଡିବା ଧରି ପଛେ ପଛେ ଚାଲିବାକୁ । ଲୋକ ଥିଲେ ସବୁ ମଠାମଠି ସଫାସଫି କରି ସାଇତି ସଜେଇ ରଖିବାକୁ । ଧନ ଥିଲା, ନାଁ ଥିଲା, କ୍ଷମତା ଥିଲା, ଲୋକେ ଆଲୋଚନା କରୁଥିଲେ-‘‘ବଡ଼ ସାଆଁନ୍ତେ ଏପରି କହୁଥିଲେ,’’.....‘‘ବଡ଼ ସାଆଁନ୍ତଙ୍କ ମତ ଏହିପରି.....’’

 

ଆଉ ସେତେବେଳେ ଥିଲା ଏ ଦେହରେ ବଳ ଆଉ ଯୌବନ । ଏକେ ତ ଚୌଧୁରି ଘରର ସମସ୍ତଙ୍କଠି ଥାଏ । ସେହି ବଂଶର ବିଶିଷ୍ଟ ମୋହର ପରି କେତେକ ସାଧାରଣ ବିଶିଷ୍ଟତା, ଯେ ଦେହର ଉଚ୍ଚତା ଆଉ ବର୍ଣ୍ଣ, ଓସାର କପାଳର କେମିତି ଏକପ୍ରକାର ଛେଚାପିଟା ଠାଣି, ସେହି ବିଖ୍ୟାତ ନାକ, ହାତ, ଗୋଡ଼, ଛାତି, ଅଣ୍ଟାର ସ୍ୱତନ୍ତ୍ର ଆଡ଼ା ଯାହା ଆଉମାନଙ୍କଠି ଦିଶେ ନାହିଁ । ତା’ଛଡ଼ା ସେ ଥିଲେ ସମସ୍ତଙ୍କଠୁଁ ବଳି ସୁନ୍ଦର । ଗାଁର ଚିତ୍ରକର ତାଙ୍କ ଛବି ଆଙ୍କିଥିଲା ସେହି ଅତି ଚିହ୍ନା ସାଧାରଣ ବେଶରେ, ଖାଲି ଦେହରେ କାନ୍ଧ ଉପରେ ପାଚିଲା ଗାମୁଛା, ହାତରେ ନାଗେଶ୍ୱର ଡାଙ୍ଗଟିଏ, ସେଥିରେ ଯୋଡ଼ିଏ ଫୁଲ, ଚାରୋଟି ପତ୍ର, ଓଠର ବାଙ୍କ ଆଖିର ଠାଣିରେ ଅଧା କୌତୁକ ଭଙ୍ଗୀ । ଛବିଟାକୁ ଉଇ ଖାଇଗଲା ସିନା । ଛବି ନାହିଁ, ଚିତ୍ରକର ନାହିଁ । ସେହି କାଳର ସେ ପୁରୁଣା ଶେଯଟା ଅଛି । କୌଣସିମତେ ଅଛି, ନ ହେଲେ ଧୋକଡ଼ା ଛାଲ ପରି ହେଲାଣି ତା’ ଖୋଳ, କେତେଠି ଚିରିଯାଇ ପୁଣି ସିଲେଇ ହୋଇଛି, ଓଲରା ହେଲା ପରି ସ୍ଥାନେ ସ୍ଥାନେ ତା’ର ତୂଳା, କେତେଠି ମେଞ୍ଚା ମେଞ୍ଚା କେତେଠି କିଛି ନାହିଁ, କେତେଠୁଁ ତୂଳା ଗଲାଣି ବାହାରି । ଯେମିତି ଏ ଦେହଟା ବି ଯାହା ଥିଲା ତା’ରି ସ୍ମାରକ, ସେ ନୁହେଁ ।

 

ଛବି ଏଥର ବାହା ହେବ । ବହୁଦିନୁ ଏ ଧାରଣାଟା ତାଙ୍କ ଚେତନା ଭିତରେ ପଶିଲାଣି । ଦି’ ଦିନପାଇଁ ମମତା ଲଗାଇ ଦେଇ ପରଗୋତ୍ରୀ ଝିଅ ଆପଣା ବସା ବାନ୍ଧିବାପାଇଁ ପରଘରକୁ ଚାଲିଯାନ୍ତି, ଜୀଅନ୍ତାରେ ସମ୍ବନ୍ଧ କଟାକଟି, ବାହା ବେଦୀରେ ନାନ୍ଦୀମୁଖୀ ଶ୍ରାଦ୍ଧ ଦେଇ ଜନମକୁଳର ସମ୍ବନ୍ଧ ସମାପ୍ତ କରିଦେଇ ଆପଣା ଭାଗ୍ୟ ଆଦରି ସେ ପର ହୋଇଯାଏ । ସେମିତି ଚାଲିଯାଇଛନ୍ତି ତାଙ୍କ ପିଉସୀମାନେ, ସେମାନେ ବି କେଡ଼େ ଗେହ୍ଳା ହୋଇଥିଲେ । ଆଉ ସେମିତି ଚାଲିଯିବ ତାଙ୍କର ଝିଅଟି, ଛବି, ହେବ ପରର ବୋଲକରା, ପରର ଦ୍ରବ୍ୟ, ତାଙ୍କର ଖାଲି ନାଁକୁ ।

 

ଆସିଲାଣି ଏ ଧାରଣା ବହୁଦିନୁଁ । ଦିନେ ଆନୁଷ୍ଠାନିକ ଭାବରେ ଆସିଥିଲା, ଯେଉଁଦିନ ଛବିବୋଉ କାନ୍ଦି କାନ୍ଦି କହିଲେ, ଚବି ବଡ଼ ହୋଇଛି । ଯାଉରନ୍ଧା ଉତ୍ସବ ହେଲା, କିନ୍ତୁ ଲାଗିଲା ଉତ୍ସବଟାହିଁ ଅନୁଷ୍ଠାନ, କାନ୍ଦଣାଟାହିଁ ସ୍ୱାଭାବିକ ସତ । ତା’ପରେ ସେଦିନ ବି ଭୁଲି ହୋଇଗଲା, ଭୁଲି ହୋଇଗଲା ଛବି ବଡ଼ କି ସାନ । ଝିଅ ସେ, ସବୁଦିନେ ଝିଅ ।

 

ଛବିବୋଉ ଯେତେବେଳେ ତା’ ବାହାଘର ବାହାଘର ଧୁମ୍‌ ଲଗାନ୍ତି, ରାତିରେ ଏହ ଖଟ ଉପରେ ପଡ଼ି ପଡ଼ି ତା’ରି ପିଲାଦିନର କଥା ମନେପଡ଼େ । ଲାଗେ, କେଇଟା ବା ବର୍ଷ ସେଥିରେ ସେ କେତେପ୍ରକାର ବଦଳିଲାଣି । ଆଗେ ମୂଷାଛୁଆଟିଏ ପରି ଥିଲା, ଏଇ ବିଛଣା ତା’ରି ମୂତରେ ଜୁଡ଼ୁବୁଡ଼ୁ । କେମିତି ଧୀରେ ଧୀରେ ସେ ବଡ଼ମଣିଷଙ୍କ ପରି ଭାଷା କହି ଶିଖିଲା, କେତେ ହସାଉଥିଲା ସେତେବେଳେ । ତା’ର କେତେ ଖେଳ କଉତୁକ । କେତେ ଅଳି । କେତେ ମାନ ଅଭିମାନ ।

 

ଦିନ ପାଖେଇ ଆସୁଛି, ସେ ଚାଲିଯିବ । ଛବିବୋଉର କଥା ତାଙ୍କ ମନରେ ପ୍ରତିଧ୍ୱନି ଉପୁଯାଇଥିଲା, ଆଉ ଲାଗୁଥିଲା ଆସନ୍ତା ଘଟନାର ଧାସ ଯେପରି କି ତାଙ୍କ ମୁହଁରେ ବାଜିଯାଉଛି ।

 

ଝିଅ ବିଭାର କଳ୍ପନା ସଙ୍ଗେ ସଙ୍ଗେ ଚିନ୍ତା ବି ମାଡ଼ିପଡ଼େ । ଝିଅ ପର ହୋଇ ଚାଲିଯିବ ଏ ଧାରଣା କେବଳ ମରମଭାବର । ବିଚାରରେ ଦିଶେ ସେହି ଧାରଣାର ସଂସାରୀ ଦିଗଟା, ମଣିଷ ସମ୍ପର୍କ, ଜିନିଷ ଆଉ ଟଙ୍କା ପଇସାର କଥା, ଦିଶିଯାଏ ବିବାହ କ୍ରିୟାର ସେହି ବିଶିଷ୍ଟ ରୂପଟା ଯାହା ସେ ଆପଣା ସମାଜରେ ବିଭିନ୍ନ ସ୍ଥାନରେ ଦେଖି ଦେଖି ବଡ଼ ହୋଇଛନ୍ତି, ଆପଣା ସଂସାରୀ ଅବସ୍ଥା ସଙ୍ଗେ ତୁଳନା କରୁ କରୁ ମନରେ ଆଉ ଏକ ରାଗିଣୀ ଖେଳିଯାଏ, ସେ ଏଇ ବଡ଼ ଘର ଭାଙ୍ଗିବାର ରାଗିଣୀ, ମଣିଷ ଚାଲିଯିବାର, ଅବସ୍ଥା ସଙ୍କୁଚିତ ହୋଇ ଆସିବାର । ସେତେବେଳେ ସେହି ପୁରୁଣା ଖଟ ଉପରେ ପୁରୁଣା ଶେଯ ଉପରେ ଶୋଇ ରହି ସେ ସେହି ବାଇସ୍କୋପ ଦେଖନ୍ତି ।

 

ଇସ୍କୁଲରେ ପାଠପଢ଼ିଯିବା କଥା ହେଲା । ଅଜା ଥିଲେ, ବାରମ୍ବାର ମନାକରିଥିଲେ । କହିଥିଲେ ଏ ଭାଷା ଛୁଅଁନା, ଏ ପାଠପଢ଼ନା, ଏଇ ଶେଷରେ ତମକୁ ସତ୍ୟାନାଶ କରିବ ତେମେ ଦେଖିବ । ବାପା ନମ୍ରତା ସହକାରେ ତଳକୁ ମୁହଁପୋତି କହିଥିଲେ ଭାଷାରେ କ’ଣ ଅଛି, ପାଠରେ କ’ଣ ଅଛି, ସବୁ ତ ବିଦ୍ୟା, ସେକାଳକୁ ଏକାଳ କେତେ ବଦଳିଗଲା । ଯେଉଁ ମାର୍ଗରେ ବିଦ୍ୟାଟା ଏବେ ଶିକ୍ଷା ଦିଆହେଉଛି ଆଉ ଯେଉଁ ଭାଷାରେ ଶାସନ ଦରବାର ଚଳୁଚି ତାକୁ ନ ପଢ଼ିଥିଲେ ମଣିଷ ପଛରେ ପଡ଼ିଯିବେ, ଆଉମାନେ ମାଡ଼ିବସିବେ, ଠକିନେବେ, ଏମାନେ ହଟହଟା ହେଉଥିବେ । ହେଇ ଦେଖୁନାହାନ୍ତି ଲୋକଙ୍କ ଜମିଦାରୀ କେମିତି ଚାଲିଗଲା, ଏପରିକି ରୋଢ଼ଙ୍ଗ ବକ୍‌ସିଙ୍କର ବି । ସାହାବ ମାଡ଼ିଆସିଲେ ଏ ଦେଶ ଜିଣିଲେ, ଯାହାଙ୍କୁ ଆଗ ଜିଣିଲେ ସେମାନେ ସାହାବଙ୍କ ଭାଷା ଆଗ ଶିଖିଲେ, ସେହିମାନେ ସାହାବଙ୍କର ସେବାକାରୀ ହେଲେ, ବିଶ୍ୱାସୀ ହେଲେ, ଶେଷରେ ଆମରି ଉପରେ ଚଢ଼ୋଉ କରି ଆମରି ଲୋକଙ୍କ ଧନଦରବ ଜମି ଜମିଦାରୀ ଠକିଠାକି ନେଲେ, ଆମର ପୁରୁଷ ପୁରୁଷର ରାଇଜ ଚଳେଇବା ଅଧିକାରର ଇତିହାସ ସାଇତା ହୋଇ ରହିଲା ଘରେ ଘରେ ତାଳପତ୍ର ଭଉଁରିଆରେ, ହେଇ ଯେଉଁମାନେ ସାହାବଙ୍କ ପାଠ ଶିଖିଥିଲେ ତାଙ୍କରି କୃତ୍ରିମରେ କଲିକତାରେ ଅନହୁତି ନିଲାମ ହୋଇଗଲା ଆମ ଲୋକଙ୍କ ଜମିଦାରୀ, ଆଉ ମାସେ ପକ୍ଷେକେ ଦାରୋଗା ବରକନ୍ଦାଜ ଫଉଜ ଧରି ଆସି ଜମିଦାରୀ ଅଧିକାର କଲେ । ସେଇମାନେ ଦେଖନ୍ତୁ ବାବୁ ହେଲେ, ଆମ ଦେଶ ଅମଳ କଲେ, ଉପୁରି ପଇସା ଲୁଟିଲେ, କ’ଣ ନ କଲେ । କାହିଁକି ନା ସେମାନେ ଏ ବିଦ୍ୟା ପଢ଼ିଚନ୍ତି, ତାଙ୍କ ଆଖି ଫିଟିଛି, ଆମର ନାହିଁ ।

 

ଜେଜେବାପା ବାଙ୍କ ହସ ହସି କହିଥିଲେ, ସେଇଥିପାଇଁ ପୁଅଙ୍କୁ ଇଂଗିରିଗିଜି ପଢ଼େଇବ ପରା, ବାଟରେ ଗୋରୁ ମୂତିମୂତି ଗଲେ ଯେମିତି ଦିଶେ ସେହି ଭାଷାର ଅକ୍ଷର । କ’ଣ ନା ଯେ ଆମୁକୁ ଗୋଇଠା ମାରିଲା ତା’ରି ଗୋଡ଼ ତଳେ ପଡ଼ିବା, ଯେ ଆମ ରାଇଜ ଛଡ଼େଇନେଲା ତା’ରି ଅଇଣ୍ଠା ପତର ଚାଟିବା । ଏଇ ଅକଲ । ଭଲ । ବକ୍‌ସି ଜଗବନ୍ଧୁ ବିଦ୍ୟାଧରେ, ପୁରିଆ ପାଟଯୋଶିଏ, ଜଇ ରାଜଗୁରୁଏ, ଚାଖି ଖୁଣ୍ଟିଆଏ ଆହୁରି ଗଣ୍ଡା ଗଣ୍ଡା ଭେଣ୍ଡାଏ ଯେତେ ଯିଏ ମାତୃଭୂମିପାଇଁ ଲଢ଼ିଥିଲେ ତାଙ୍କର ଉପଯୁକ୍ତ ତର୍ପଣ ହୋଇଗଲା ଏ ବିଚାରଦ୍ୱାରା । ସେମାନେ ଯାହାକୁ ତଡ଼ିବେବୋଲି ଜୀବନକୁ ପାଣି ଛଡ଼ାଇ ଦେଇଥିଲେ ତେମେ ତାଙ୍କରି ଗୋଲାମ ହବବୋଲି ତାଙ୍କ ଭାଷା, ତାଙ୍କ ଧରଣ ସବୁ ଶିଖିନବ । ଭଲ ।

 

ବାପା ପୁଣି ଅଳି କରିଥିଲେ, ବାପାଙ୍କ ପାଖେ, ଗୁରୁଜନଙ୍କ ପାଖେ ଅଳିକରିବା ଛଡ଼ା ସେତେବେଳେ ଆଉକିଛି ଉପାୟ ନ ଥିଲା, ସେ କହିଥିଲେ ସମୟ ସଙ୍ଗେ ତାଳ ରଖି ନ ଚାଲିଲେ ଆମେ ଆମ ନିଜ ଅଭିମାନ ରଖି କେତେଦିନ ଆଡ଼େଇ ହୋଇ ମୁଣ୍ଡଟେକି ରହିପାରିବା ?

 

ଅଜା ବୁଢ଼ା ଦମ୍ଭ ଦେଖାଇ ଉତ୍ତର ଦେଇଥିଲେ-ଆରେ ସବୁଦିନେ ମୁଣ୍ଡଟେକି ରହିଥିବାରେ ସବୁଦିନେ, ଯେମିତି ଦେଖୁଚ ଆମର ବଡ଼ଦେଉଳ ମୁଣ୍ଡ ଟେକି ରହିପାରିଚି, ଆଉ ରହିପାରିଚି ଲିଙ୍ଗରାଜ ଦେଉଳ ସେମିତିଆ ତ । ତା’ ନ ହେଲେ ଆପଣା ଧର୍ମ ଆପଣା ନୀତି ଧରି ଆମେ ପଛେ ମାଟିରେ ମିଶିଯିବା ସେଥିରେ ବି ଗୌରବ ଅଛି । କେତେ ଦେଉଳ ତ ପୁଣି ଭାଙ୍ଗିପଡ଼ି କଣ୍ଟାବଣରେ ମିଶିଚି, କେତେ ପୋଥି ତ ପୁଣି ବଇତମ ହୋଇ ଜଳଶାୟୀ ହୋଇଛି, ଯାହା ଯିବାର ତା’ ଯାଉ, ତା’ବୋଲି ପରର ଅଇଣ୍ଠା ଚାଟିବା, ଛିଃ ।

 

ବାପା ହାତଯୋଡ଼ି ନିବେଦନ କରିଥିଲେ ଯେ ପାଠପଢ଼ାଟା ପରର ଅଇଣ୍ଠା ଚାଟିବା ନୁହେଁ, ସେଇଟା ବିଦ୍ୟାଶିକ୍ଷା, ଜ୍ଞାନ, ଖବର ଜାଣିବା ଏମିତିଆ ଜିନିଷବୋଲି ଲୋକେ କହିଥାନ୍ତି ।

 

ଜେଜେବାପା ଏଇ ଯୁକ୍ତିଟାକୁ ହସରେ ଉଡ଼େଇ ଦେଇଥିଲେ ତାଙ୍କର ସେହି ବିଖ୍ୟାତ ହସରେ ।

 

ଖଟରେ ଶୋଇ ଆଖିବୁଜି ଧ୍ୟାନ କଲାବେଳେ ସେହି ଚେହେରାଟା ବି କେବେ କେବେ ମନେପଡ଼େ, ଆଉ ସେ ହସିବା ନାହିଁ । ଆଉଟା ସୁନା ପରି ବର୍ଣ୍ଣ, ଏଡ଼େ ଓସାର ଆଉ ଉଞ୍ଚ ସେ କପାଳ, ଏଡ଼େ ଆୟତ ସେ ଆଖି, ଏଡ଼େ ପ୍ରବଳ ସେ ଚାହାଣି, ଏଡ଼େ ପ୍ରକାଣ୍ଡ ମୁଣ୍ଡ, କୁଞ୍ଚିକୁଞ୍ଚିଆ ବାବୁରି ବାଳ, ଗାଲମୁଛା, ବହଳ ମୋଡ଼ା ନିଶ । ନିର୍ଭୀକ ତୀଖ ବେଖାତିର ଅଥଚ ଅତ୍ୟନ୍ତ ଭାବପ୍ରବଣ ନାମ, କାଟିକାଟି ଗଢ଼ିଲା ପରି ବଳିଷ୍ଠ ଥୋମଣିର ଦାଢ଼ । ସବୁଠୁ ବେଶୀ ଆକର୍ଷଣକାରୀ ସେ ମୁହଁର ସଂଯତ ସୌମ୍ୟ ସ୍ଥିର ଠାଣି, ଯହିଁରେ ସେ ମୁହଁର ଗଢ଼ଣର ପ୍ରତ୍ୟେକ କ୍ଷୀଣ ଭଗ୍ନାଂଶ ବି ସମଷ୍ଟି ସହିତ ପୂର୍ଣ୍ଣ ସମନ୍ୱୟରେ ଖାପି ରହେ । ସେହି ସ୍ଥିରପଣରୁ ବାହାରେ ଏକ ଉଚ୍ଚ ଶାଳୀନତା, ପ୍ରସନ୍ନାତାରେ ବି ସେ ସମ୍ଭ୍ରମ ଉପୁଜାଏ । କି ଶକ୍ତି କି ତେଜ ଥିଲା ସେ ମୁହଁରେ ! କି କଠିନତା ଥିଲା ସେଇ ବଳିଷ୍ଠ ବେକରେ ! କି ଧୈର୍ଯ୍ୟ କି ସାହାସ କି ନିର୍ଭରର ବିଶ୍ୱାସ ଆଣୁଥିଲା ସେହି ଓସାର କାନ୍ଧ ଆଉ ଛାତି । ଏତେ ବୟସରେ ବି ତା’ର ଆଡ଼ା ଦବି ନ ଥିଲା ଯଦିଚ କାନ୍ଧର ରୋମ ଛାତିର ରୋମ ଠାଏ ଠାଏ ଧଳା ପଡ଼ିଯାଇଥିଲା ।

 

ହସିଦେଇ ସେ କହିଥିଲେ ଭାଷାରେ କିଛି ଯାଏ ନାହିଁ ଏକଥା କିଏ ନ ଜାଣେ କି, ଆମ ବାପା ଜେଜେବାପା ଖାଲି ସଂସ୍କୃତ କ’ଣ ବଙ୍ଗଳା, ତେଲୁଗୁ, ବ୍ରଜବୋଲି ଆଉ ଫାରସି ବି ଭଲ ଜାଣିଥିଲେ, ବହି ପଢ଼ୁଥିଲେ, ଲେଖୁଥିଲେ । ଆମ ଲୋକ କେତେ କେତେ ବଙ୍ଗଳା, ତେଲେଙ୍ଗା, ବ୍ରଜବୋଲିରେ ସବୁ ଗ୍ରନ୍ଥ ଲେଖିଯାଇଛନ୍ତି, ସଂସ୍କୃତ ତ ଜାଣି ଆମ ମାତୃଭାଷା ପରି, କେତେଠିଁ ମାଇପେ ସଂସ୍କୃତରେ ଆପଣା ଭିତରେ କଥାଭାଷା ବି ହୁଅନ୍ତି, ତେବେ ଭାଷାରେ ଭାଷା ଅଛି, ବିଦ୍ୟାରେ ବିଦ୍ୟା ଅଛି, ଏସବୁ ହେଲା ଆମ ଦେଶର ବିଦ୍ୟା, ସତେ କି ସବୁ ଭାଷା ଏଠି ଏ ଦେଶର ସମସ୍ତିଙ୍କର, ଖାଲି ଜାଣିଲେଇ ହେଲା । ଏତେ ଭାରଥ ରାମାୟଣ ତ ପଢ଼ିଚ, ଶୁଣିଚ, ଦେଖିଚ ଆମର କୌଣସି ହେଲେ ପୋଥିରେ କୋଉଠି ହେଲେ ଅଛି କୋଉ ଭାଷାକୁ ନିନ୍ଦା କି କୋଉ ଧର୍ମକୁ ନିନ୍ଦା ? ନାଇଁ ଏ ଦେଶରେ ତା’ ନ ଥିଲା । ଏ ଦେଶରେ ଆମରବୋଲି ଭିନେ ହେଲେ ବି ଭଲମନ୍ଦ ନ୍ୟାୟ ନୀତିର ଧାରଣାଟା ଗୋଟାଏ, ଏଠି ଗୋଟାଏ ନିକିତି ଚାଲେ, ହିମାଳୟଠୁଁ କନ୍ୟାକୁମାରୀ ବୁଲ, ଦେଖିବ ବାପମା’, ଗୁରୁଜନ, ଗୋରୁ, ବ୍ରାହ୍ମଣ, ଠାକୁର, ଗ୍ରନ୍ଥ ୟାଙ୍କ ସମସ୍ତିଙ୍କର ଭଗତି, ଦାନ ପୁଣ୍ୟ ଦୟା ବିନୟ ସେବା ପରୋପକାର ସ୍ୱାର୍ଥତ୍ୟାଗ ସତ୍ୟ, ଅହିଂସା, ଆତ୍ମସଂଯମ, ଇନ୍ଦ୍ରିୟଜିଣା, ଭାଗବତଭାବ ୟାକୁ ସମସ୍ତେ ବଡ଼ ମଣନ୍ତି, ଭିକାରୀଠୁ ରାଜରାଜେଶ୍ୱରଯାକେ ସମସ୍ତେ, ସମସ୍ତେ କହିବେ, ନିଜକୁ ପଛ କରିବା ପରକୁ ଆଗ କରିବା । ତମ ନ ଦେଖାଇ ମୁଣ୍ଡକୁ ତଳକୁ ପୋତି ରିପୁ କବଳରେ ପଡ଼ି ମୁଣ୍ଡ ଠିକ୍‍ରଖି ଆପଣା କର୍ତ୍ତବ୍ୟ କରି କରି ଦିନ ବିତେଇଦେବା, ହରିଙ୍କି ସମସ୍ତିଙ୍କଠି ପୁଣି ସବୁ ପଦାର୍ଥରେ ଦେଖିବା, ମୁଁକାରକୁ ଭାଜିବା ଓଁକାରକୁ ଭଜିବା । ଭାଷା ଯାହାର ପଛେ ଯାହା ହୋଇଥାଉ, ଦୀକ୍ଷା କି ସମ୍ପ୍ରଦାୟ ଯାହାର ଯାହା ହୋଇଥାଉ ୟେ ଭାରତ ଧର୍ମଭୂମିଯାକ ମୋଟାମୋଟି ତେମେ ସବୁଠି ଏଇଆ ପାଇବ, ଯେଉଁଠିକି ଯାଅ, ସବୁଠି ବ୍ରତ, ଉପାସନା, ଏକାଦଶୀ ପୂଜା, ଦାନଧ୍ୟାନ, ସବୁଠି ସେହି ଘିଅଦୀପ, ଫୁଲ ଚନ୍ଦନ, ଝୁଣା ଗୋଗୁଳ ବାଇଦ ବାଜଣା ଆଳତି; ସବୁଠି ହରିକଥା, ହରିଙ୍କି ସବୁ ସମର୍ପି ଦେଇ ନିଊନ ହୋଇ ଶାନ୍ତିରେ ଚଳିବାର ବାଗ । ଏଇ ଆମ ଦେଶରେ ରୀତି, ଆମ ବିଦ୍ୟା ମଣିଷଙ୍କୁ ଏଇ ରୀତିରେ ପକେଇବାକୁ ଶିଖାଏ, ସେ ବିଦ୍ୟାକୁ ତେମେ ସଂସ୍କୃତରେ ପଢ଼ ତେଲେଗୁରେ ପଢ଼ କି ମରହଟିରେ ପଢ଼, ସେଥିରେ କିଛି ଯାଏଆସେ ନାହିଁ । ପୁଣି ଜଗନ୍ନାଥଙ୍କ ଦୁଆର ତ ସମସ୍ତିଙ୍କପାଇଁ ଖୋଲା ।

 

ବାପା ବି ହସିଥିଲେ, କହିଥିଲେ ଆପଣ ଯାହା କହିଲେ ଏ ସାକ୍ଷାତ୍‌ ଆର୍ଯ୍ୟ ସତ୍ୟ । ତେବେ ଏ ନୀତିକଥା ତ ସବୁ ବିଦ୍ୟାକୁ ପ୍ରଯୁଜ୍ୟ, ଇଂରେଜି ଭାଷାର ଆଉ ଅଧିକା ଦୋଷ କ’ଣ ?

 

ଜେଜେବାପା ସଂଯତଭାବେ କହିଥିଲେ, ଇଂରେଜି ବି ମଣିଷଙ୍କର ତ ଭାଷା, ଆମ ଭାଷା ବି ସେ ହୋଇପାରିଥାନ୍ତା, ଭାଷା ସଙ୍ଗେ ମୁଁ ବିବାଦୀ ନୁହେଁ । ତେବେ ସେ ଭାଷା ପଢ଼ିଲେ ସେଇବାଟେ ଆମ ପିଲେ ତାଙ୍କ ସମାଜ ନୀତି କଥାଟା ଶିଖିବେ । ସେମାନେ ବେଶୀ ଯୁଗର ଲୋକ ନୁହଁନ୍ତି, କାହିଁ ମହାଭାରତରେ ତାଙ୍କ କଥା ନାହିଁ ତ । ତେବେ ହଁ ରୁଦ୍ରାନଦୀ ଆରପାରି ଥୋଡ଼ାଏ ଅନାଚାରୀ ଲୋକଙ୍କ କଥା ସାରଳାଦାସେ ଲେଖିଛନ୍ତି; ସେଇ ଯେଉଁମାନେ ଅଭକ୍ଷ ଖାଉଥିଲେ, ଅଗମ୍ୟକୁ ଯାଉଥିଲେ, ଶାସ୍ତ୍ରୀୟ ଆଚାର ଯେଉଁଟା ଠିକ୍‍ ତା’ର ଓଲଟାଟା କରୁଥିଲେ । ତେବେ ସେମାନେ ବୋଧହୁଏ ଏ ସାହବ ନୁହଁନ୍ତି, ତେବେ ସେଇଆ, ୟାଙ୍କ ଆଚାରଟା ଆମର ନୁହେଁ ।’’

 

ଶେଷଚେଷ୍ଟାକରି ବାପା କହିଥିଲେ, ‘‘ସାହାବଙ୍କ ଭିତରେ ବି କେତେ ଭଲ ମଣିଷ ଅଛନ୍ତି, କେତେ ସାଧୁସନ୍ଥ ଅଛନ୍ତି, ଅନାଚାରୀ କ’ଣ ସମସ୍ତେ ? ସେମାନେ ଅଇଛା ରାଜାଜାତି; ଲୋକେ ତାଙ୍କୁଇ କହୁଚନ୍ତି ବେଶୀ ସଭ୍ୟ, ବେଶୀ ଶିକ୍ଷିତ । ଆଗେ ଆମେ ବେଶୀ ଶିକ୍ଷିତ ହେଇଥିଲୁଁ; ଏତେବେଳକୁ ହେଇଚନ୍ତି ସେମାନେ । ତାଙ୍କ ବିଦ୍ୟା ପଢ଼ିଲେ ଆଖି ଫିଟିଯିବ–’’

 

ଜେଜେବାପା ଗମ୍ଭୀର ହୋଇ କହିଲେ, ‘‘ଆଖି ଫିଟିବ ନା ଫୁଟିବ କିଏ କହିବ ? ଭଲ ମଣିଷ ସାଧୁ ବାବା ତାଙ୍କ ଭିତରେ ବି ଥିବେ, ସେମାନେ ସବୁ ଜାତିରେ ଅଛନ୍ତି । ତେବେ ସେଇମାନେ କ’ଣ ୟାଙ୍କୁ ପଠେଇଥିଲେ ତେମେ ଯାଇ ସାତସମୁଦ୍ର ତେରନଈ ଡେଇଁ ପରଦେଶରେ ମଣିଷମରା ଘରପୋଡ଼ା ଲଗେଇ ଦେଶ ଦଖଲ କରି ଭାଲୁଶୋଷା ଚଳେଇଦିଅ କହି ? ନା କହିଥିଲେ ତନ୍ତୀଙ୍କ ବୁଢ଼ା ଆଙ୍ଗୁଠି କାଟିବ, ମଣିଷଙ୍କୁ କଲବଲ କରିବ, ନୁଣ ଉପରେ ବି ପାନୁ ବସେଇବ, ଖଜଣାକୁ ପାଞ୍ଚଗୁଣ ବଢ଼େଇବ, ଗୋରୁ ମାରିବ, ଚଢ଼େଇ ମାରିବ, ଯାହା ଦେଖିବ ତା’ ମାରିବ, ଘୋଡ଼ା ବୁଢ଼ା ହୋଇଗଲା, ଦିଅ ଗୁଳିକର । କୁକୁର ଛୁଆ ପଲେ ହେଲେ, ଦିଅ ଗୋଟି ଗୋଟିକରି ଗରମପାଣିରେ ପକାଇ ମାର, କେତେ ଦୟା ଦେଖ ।’’

 

ବାପା କହିଲେ, ‘‘ଯେ ଯେଉଁ କାମ କରିବ ସେ ତା’ ଫଳ ପାଇବ, ବିଦ୍ୟାରେ କ’ଣ ଲେଖାହୋଇଛି ଅକଥା କରିବାକୁ ?’’

 

ଜେଜେବାପେ କହିଲେ, ‘‘କ’ଣ ଲେଖା ହେଇଚି ସେ ଯେ ପଢ଼ିବ ସେ ଜାଣିବ, ତେବେ ତାଙ୍କ ଧରଣଟା କେମିତି ଭିନେ ରକମର ଲାଗୁଚି, ସେଥିରେ ଆମ ଏଠାପରି ତ୍ୟାଗ ତପସ୍ୟା ଆଚାର ବିଚାରର ଜୟଜୟକାର ନାହିଁ, ପଇସାବାଲାର ଜୟଜୟକାର, ପଇସାକୁ ସେମାନେ ଆଗ ଚିହ୍ନନ୍ତି, ସେଇଥିପାଇଁ ବୋଇତ ଚଢ଼ି ଏ ଦେଶକୁ ଆସିଲେ, ହଣାକଟା କୂଟକପଟ କଲେ, ତନ୍ତୀଙ୍କ ଆଙ୍ଗୁଠି କାଟିଲେ । ଦେଶକୁ ଆସିଲେ, ହଣାକଟା କୂଟକପଟ କଲେ, ତନ୍ତୀଙ୍କ ଆଙ୍ଗୁଠି କାଟିଲେ । ସେଇଥିପାଇଁ ବାହାହେଲା ପୁଅ ବାପମା’ଙ୍କଠୁଁ ଭିନେ ହୁଏ । ଆଗ ନିଜ ସ୍ୱାର୍ଥ ନିଜ ସୁଖ, ଆପଣା ବାପମା’ବି କେହି ନୁହଁନ୍ତି । କେହି କାହାର ସହେ ନାହିଁ, ମନ ନ ମାନିଲେ ମାଇପ ଘଇତାକୁ ଛାଡ଼ି ଚାଲିଯାଏ, ନୂଆ ଘର କରେ ।

 

ପାଞ୍ଚ ପତି ବଞ୍ଚିଥିଲେ ବି ପୁଣି ପଞ୍ଚମ ଜଣକ ଘର ଭାଙ୍ଗିଦେଇ ଆଉ ଜଣେ ଷଷ୍ଠ ସ୍ୱାମୀ ଗ୍ରହଣ କରିବା ତାଙ୍କ ସମାଜରେ ଅତି ସାଧାରଣ କଥା । ଆମର ଯଦି ଲୁଚେଇ ହେଲେ ଆନନ୍ଦ ତାଙ୍କ ଆନନ୍ଦ ଦେଖେଇ ହବାରେ, ପୋଷକ ସେମିତି, ବେଶ ସେମିତି, ଆଚାର ସେମିତି । ସେ ଯେଉଁ ଲୋକ ଦେଖାଣି କୁଣ୍ଢାକୁଣ୍ଢି ବୋକ ଦିଆଦେଇ, ମଣିଷ ଭାବିବ କ’ଣ ନା ୟାଙ୍କର ପାଣି ଗଳୁ ନାଇଁ । ଏଣେ ସ୍ୱାମୀ ସ୍ତ୍ରୀ ମୁହଁ ଚାହାଁଚାହିଁ ହେବେ ନାଇଁ ଆଉ ଟିକିଏ ଗଲେ, ପିଲାଙ୍କୁ ପଠେଇ ଦେବେ କୁଆଡ଼େ ନାଇଁ କୁଆଡ଼େ । ବୁଢ଼ା ବୁଢ଼ୀଙ୍କି ଅଲଗା କରିଦେବେ, ଏମିତିଆ ତ, ଖାଲି ଆପଣାସାର୍ଥିକା ଜୀଊଣା, ସେଠି ଦାଦି ପୁତୁରା, ମାମୁଁ ଭଣଜା, ମାଉସୀ ଝିଆରୀ, ଶାଶୁଶ୍ୱଶୁର, ନୋତାଗୋତା, ଅଳିଆବାଳିଆ ହେଇ ଛନ୍ଦାଛନ୍ଦି ସ୍ନେହ ପ୍ରୀତିର ଘରକରଣା କାହିଁ ? ସମସ୍ତେ ଜାଣନ୍ତି, ପାଞ୍ଚ ଆଙ୍ଗୁଠି ସମାନ ନୁହେଁ , ପୁଣି ଦେଶକେ ଫାଙ୍କ୍‌ ନଈକେ ବାଙ୍କ୍‌, ମଣିଷଙ୍କ ଆଚାର ବିଚାର ଭିନେ ହୋଇଥିବ । ତାଙ୍କ ଆଚାର ବିଚାରରେ ସେ ଚଳି ଆସିଛନ୍ତି, ସେଭଳି ଧରଣ ତାଙ୍କୁ ଆରେଇ ଯାଇଛି । ତେବେ ଆମର ପରା ଆଉ ପ୍ରକାରେ ଚଳି ଆସିଛି କେଉଁ ଅନାଦି କାଳରୁ, ତାଙ୍କଟାକୁ ଶିଖିଲେ ଆମରଟା ଭାଙ୍ଗି ଚୂନା ହୋଇଯିବ ଯେ, ତାକୁ ଯୋଡ଼ିବ କିଏ ? ସାହାବଙ୍କ ପଛରେ ଗୋଡ଼ାଣିଆ ହୋଇ ଧାଇଁଲେ ଯେଉଁ ଧନ ମିଳିବ, କ୍ଷମତା ମିଳିବ, ତା’ ବଦଳରେ ମୂଲ ଦେବାକୁ ପଡ଼ିବ ଖାଲି କ’ଣ ତାଙ୍କ ଭାଷା ଶିଖି କି ମୁଣା ଆଉ ଓଲଟା ପଲମ ପରି ଟୋପର ପୋଷାକ ପିନ୍ଧି ? ନାଇଁ, ମୂଲ ଦେବାକୁ ପଡ଼ିବ ଆପଣା ଆଚାର, ବିଚାର, ଧର୍ମ, ସମାଜ ସବୁ ନିଆଁରେ ଆହୁତି ଦେଇ । ଖାଲି କ’ଣ ଚୁଟି, ମାଳି, ଖାଲି ଏ ବେଶ ଚାଲିଯିବ ଭାବିଛ ପିଲେ, ବିଚାରଟା ଚାଲିଯିବରେ, ଏ ଷାଠିଏ ପ୍ରାଣୀ କୁଟୁମ୍ବଙ୍କ ଏ କୋଠଘର ଏ ସନାତନ ସମାଜ ଯେଉଁଠି ଏକା ଡୋରରେ ସମସ୍ତ ଛନ୍ଦାଛନ୍ଦି ସେଇଟା ଭାଙ୍ଗି ଧୂଳି ହୋଇଯିବ । ଇଂରେଜି ପଢ଼ୁଆ ଟୋକାଏ ଆପଣା ଆପଣା ଭାରିଯାଟିମାନଙ୍କ ହାତଧରି ଏରୁଣ୍ଡି ଟପି ସାହବ ହବାକୁ ବିଦେଶକୁ ଚାଲିଯିବେ, ଖାଲି ଆପଣା ପେଟ ପୋଷିବା ହେବ ତାଙ୍କ ଜୀବନର ଉଦ୍ଦେଶ୍ୟ । ତାଙ୍କଠୁଁ ଦେଖିବେ, ଆପେ ସେଇଆ ହେବେ, ଚମଡ଼ା ଆଉ ଭାଷା ଛଡ଼ା ଆଉ ସବୁଥିରେ ସାହାବ ପାଲିଟି ଯିବେ, ଧନ ପାଆନ୍ତୁ, କ୍ଷମତା ପାଆନ୍ତୁ, ମନଟା ତ ଯିବ, ଖାଲି ଆପଣାସାର୍ଥିକା ପେଟବିକଳିଆ ପଲେ, ଗାଁ ଛାଡ଼ି ସହରରେ କିଲିବିଲି ହେଉଥିବେ, ଆମୁକୁ ବଡ଼ବଡ଼ୁଆବୋଲି ପାଣି ଆଞ୍ଜୁଳାଏ ଦବ କିଏରେ ? ଦରକାର ନାଇଁ ଆମର ସେ ପାଠ, ଆଉ ସେକଥା ଉଠାନା, ଛି–’’

 

ଜେଜେବାପା ଗୁରୁଜନ, ସମାଜପତି, ପଦେ କହିଦେଲେ ଯଥେଷ୍ଟ ହୋଇଥାନ୍ତା; କିନ୍ତୁ ତାଙ୍କର ନୀତି ଥିଲା ଭିନେ, ସାମାନ୍ୟ ବିଲେଇ ଛୁଆଟିଏ ପଛେ ହେଉ, ସେ ବୁଝେଇ ଶୁଝେଇ ବିଧାନଟିଏ ଦେବେ, କହିବେ, ‘‘ସବୁର କର, ଏମିତି ତରତର କାହିଁକି ? ବିଧାମାରି ପଣସ ପଚେଇଲେ କିଛି କାମ ହୁଏ ନାହିଁ, ମଣିଷ ହୃଦୟରେ ପରମାତ୍ମା ଅଛନ୍ତି । ଡାକିଲେ ‘ଓ’ କରନ୍ତି, ବୁଝେଇଲେ ବୁଝିବେ ନାହିଁ !’’

 

ଖଟରେ ପଡ଼ି ପଡ଼ି ସିନ୍ଧୁ ଦେଖନ୍ତି ସେହି ଜେଜେବାପାଙ୍କ ମୂର୍ତ୍ତିକି । ଯେମିତି କି ଅନ୍ଧାର ଭିତରେ ଆଲୁଅ ପିଣ୍ଡୁଳାଟି ଭିତରେ ପଦ୍ମାସନରେ ବସି ଜେଜେବାପା ଭାସି ଭାସି ଆସନ୍ତି, ପୁଣି ଅନ୍ତର୍ଦ୍ଧାନ ହୋଇଯାଆନ୍ତି ।

 

ଆଉ ସେ ଭାବନ୍ତି, ଯୁଗ ଉତାରୁ ଯୁଗ ବିତେଇ ବିତେଇ ଯେତେ ସମାଜପତି ଏ ପୂଣ୍ୟଭୂମିରେ ଆପଣା ଦିହାତିରେ ଦିଗ ମହକେଇ ଗଲେ, ଯିଏ ଗଢ଼ିଥିଲେ ଏ ଦେଉଳମାନ, ଏ ଦିଅଁମାନଙ୍କୁ ଥାପିଥିଲେ, ଏ ଗ୍ରନ୍ଥମାନ ଲେଖିଥିଲେ, ଚଳେଇଥିଲେ, ସେହି ଦେବଅଂଶୀ ମହାମଣିଷଙ୍କ ଭିତରେ ଶେଷ ଅବତାର ତାଙ୍କ ବଂଶରେ ଥିଲେ ସେହି ଜେଜେବାପା । ବାପା ଭାରୀ ସ୍ନେହୀ ଭାରି ଉଦାର, କିନ୍ତୁ ସେ ଜେଜେବାପାଙ୍କ ପରି ନ ଥିଲେ ।

 

ସେମାନଙ୍କର ଇଂରେଜ ପାଠପଢ଼ା ପ୍ରସଙ୍ଗ ସେତିକିରେ ଜାଣି ଶେଷ ହୋଇଥାନ୍ତା, ହୁଏତ ତାଙ୍କ ଘରସବୁ ପୁରୁଣା ମରହଟିଘର ପରି ଏବେବି ଗୋଟାଏ ପ୍ରକାରେ ରହିଯାଇଥାନ୍ତା, ଯେମିତି ରହିଯାଇଛି ସେକାଳର ମାଟିକାନ୍ଥ, ଯେଉଁଥିରେ କାଦୁଅ, ଗୋଡ଼ି, ଖପରା, କେନ୍ଦୁଅଠା ସବୁ ଏକାଠି ଚକଟା ଚକଟି; କିନ୍ତୁ ବରଷେ ନ ପୁରୁଣୁ ଜେଜେବାପା ଚାଲିଗଲେ । ଅଶୀବର୍ଷ ପୂରିବାକୁ ଥିଲା ଆହୁରି ସାତମାସ, ପଞ୍ଚୁକର ଶେଷଦିନ, କାର୍ତ୍ତିକ ପୂର୍ଣ୍ଣିମୀ । ସକାଳୁ ନିତ୍ୟକର୍ମ ସାରି ଠାକୁର ଦର୍ଶନକୁ ଯାଇଥିଲେ । ରାଧାମାଧବଙ୍କ ମୁହଁକୁ ଚାହିଁ ହାତ ଯୋଡ଼ିଛନ୍ତି, ପ୍ରାଣ ଛାଡ଼ିଗଲା । ଦେହଟା ଟଳି ପଡ଼ୁ ପଡ଼ୁ ପଛରୁ ବାପା ଧରି ପକାଇଲେ । ଝାଞ୍ଜ ମୃଦଙ୍ଗ ହରିଧ୍ୱନି ସଂକୀର୍ତ୍ତନ କରି ଫୁଲଚନ୍ଦନ ଦେଇ ମହାସମାରୋହରେ ତାଙ୍କୁ ନେଇଚାଲିଲେ ବାଇଶିଖଣ୍ଡି ମୌଜାର ଲୋକ ସତୀଗାଡ଼ିଆ ମଶାଣିକି, ଆଗେ ଯେଉଁଠି ଏଇ ବଂଶର ଏକ ପ୍ରପିତାମହୀ ସତୀ ଯାଇଥିଲେ, ଯେଉଁଠି ତାଙ୍କର ପୂର୍ବପୁରୁଷମାନେ ଦାହ ହୁଅନ୍ତି ସେହିଠିକି, ଗୁଆଘିଅ ଚନ୍ଦନକାଠ ଜାଳି ସେ ଦେହକୁ ଭସ୍ମ କରାଗଲା, ହଜାର ହଜାର ଲୋକଙ୍କୁ ଭୋଜି ଦିଆଗଲା, ସରିଗଲା ଗୋଟାଏ ଯୁଗ ।

 

ତା’ପରେ ବାପା ଏକା ଜିଦି କରି ତିନି ପୁଅଙ୍କୁ ସହରକୁ ପଠାଇଲେ ଇଂରେଜୀ ଇସ୍କୁଲରେ ପାଠପଢ଼ିବାକୁ । କହିଲେ ଯେଉଁ ଯୁଗକୁ ଯେଉଁ ବେଭାର ଇଂରେଜୀ ରାଜଭାଷା, ଭଲ କରି ଶିଖିନିଅ, ପଛେଇ ରହ ନାହିଁ, ଆଲୁଅକୁ ବାହାର ।

 

ବାହାରିଲେ ସମସ୍ତେ ନୂଆ ଆଲୁଅକୁ । ଶେଷରେ ପରିଣତି କ’ଣ ହେଲା ? ଜେଜେବାପା କେମିତି ଏତେ ଆଗକୁ ଦେଖିପାରିଥିଲେ ? ବିଧୁର ଗଲା ଚରିତ୍ର ଆଉ ସଂଯମ । ମଧୁ, ବିଧୁ ଦୁହିଁଙ୍କର ଗଲା ଘରପ୍ରତି ସ୍ନେହ, ଗାଁ ପ୍ରତି ମମତା, ସତକୁ ସତ ଆପଣା ଆପଣା ଭାରିଯାଟିମାନଙ୍କ ହାତଧରି ସେମାନେ ଘର ଦୁଆରବନ୍ଧ ଡେଇଁ ଉଡ଼ି ଚାଲିଗଲେ । କୁଟୁମ୍ବ ଖିନିଭିନି ହେଲେ, ନିଆଶ୍ରୀ ବିଧବା ପିଇସୀମାନେ ଆଉ ତାଙ୍କ ପରିବାର । ନିପାରିଲା ବନ୍ଧୁ ସମ୍ପର୍କୀୟ ଲୋକେ ଆଉ ତାଙ୍କ ପରିବାର ଯେଉଁମାନେ ସମସ୍ତେ ଏ ଢିଅରେ ଏକା କଣ୍ଟରେ ଚଳୁଥିଲେ, ସବୁ ଯେଝା ଯେଝା କର୍ମ ଘେନି ଏ ଢିଅ ଛାଡ଼ି ବାହାରି ଚାଲିଗଲେ, ଗଲେ ଚାକର ବାକର, ପୋଇଲି ପରିବାରୀ, ସେହି ଯେଉଁମାନେ, ଆପଣା ଆପଣା ଶକ୍ତି ଅନୁସାରେ କାମ କରି ପେଟ ପୋଷୁଥିଲେ, ଆଉ ଏ ଢିଅକୁ ମଣୁଥିଲେ ଆପଣା ଘରବୋଲି । କୁଆଡ଼ୁ କେମିତି କ’ଣ ହୋଇଗଲା, ଜମି ଜମିଦାରୀସବୁ କୁଆଡ଼େ ଚାଲିଗଲା, ଘର ଭାଙ୍ଗିପଡ଼ିଲା, ଗୋରୁ ମଣିଷ ଖିନିଖରାପ ହୋଇଗଲେ, ଅବସ୍ଥା ସରିଆସିଲା ।

 

ସେକାଳେ ମହାଭାରତ ବୋଲା ହେଉଥିଲା, ପଦୁଟିଏ ପବନରେ ଭାସି ଆସି କାନରେ ବାଜେ, ସିନ୍ଧୁ ଚୌଧୁରି ନିଜକୁ ଭୁଳିଯାଇ କେବେ କେବେ ହୁଅନ୍ତି ଗୋଟିଏ ହାହାକାରର କ୍ଷୀଣ କରୁଣ ରାଗିଣୀ-ଭାସି ଚାଲିଯାଆନ୍ତି ।

ହା ଦଇବ ପୁରୁଷ ୟେହା ମୋତେ କଲୁ

ଚିତ୍ରପଟଳ ପରାୟେ ଦେଲୁ କରି ହରିଲୁ

ଆଉ ପୁଣି ଭୂଇଁରେ ଦମ୍ଭ ପାଦ ଲଗାନ୍ତି ଭାଗବତକୁ ଆଶ୍ରାକରି, ହାହାକାରର ଲୋଭ କଟାଇ ଦେଇ ଜୀଗ୍ରତ ଜୀବନ ବଞ୍ଚନ୍ତି ।

ପାଟେଳିଗାଁରୁ ବନ୍ଧମୂଳ-ବାଟ ତିନି କୋଶ, ପୂର୍ବକୁ । ଏକା ନଈବନ୍ଧ ବୁଲି ବଙ୍କେଇ ଚାଲିଯାଇଛି, ବନ୍ଧମୂଳ ନଈରେ ତଳପଟେ । ପୁରୁଣା ଗାଁଟା ନାଁ ଥିଲା ଆରୋଳ । ପ୍ରଚଣ୍ଡ ନଈବଢ଼ିରେ ଆରୋଳ ସଫା ପୋଛି ହୋଇଗଲା, ଏପରି କି ଆରୋଳେଇ ଠାକୁରାଣୀ, ଯାହାକୁ ଲୋକେ ମାନିଥିଲେ ଯୁଗଯୁଗର ପ୍ରତ୍ୟକ୍ଷ ଦେବତାବୋଲି, ତାଙ୍କର ଦେଉଳର ତ ଆଉ ପତ୍ତା ରହିଲା ନାହିଁ, ଠାକୁରାଣୀ ବି ସୁଅ ତୋଡ଼ରେ କି ବାଲି କୁଢ଼ରେ କୁଆଡ଼େ ଯେ ଗଲେ କି ରହିଲେ ତା’ ବି କେହି ଜାଣିପାରିଲେନାହିଁ । ଗାଁ କାଳିସୀମାନଙ୍କୁ ସପନ ହେଲା ତିନି ଚାରି ଥର, ଏଠି ଖୋଳ ସେଠି ଖୋଳ, ଏମିତିଆ ଖୋଳା ବି ହେଲା, କିଛି ମିଳିଲା ନାହିଁ । ଯେଉଁ ଗାଁରୁ ଏମିତିଭାବେ ପୁରୁଣା ଠାକୁରାଣୀଙ୍କ ଦୟା ବି ଅପସରି ଗଲା ସେଠି ଆଉ ଥରେ ଘର ତୋଳି ରହିବାକୁ ଲୋକେ ଡରିଲେ । ଯେ ଯିବାର ସେ ଅନ୍ୟଗାଁକୁ ଉଠିଗଲା ପରେ ଯେଉଁମାନେ ରହିଲେ ସେମାନେ ଖଣ୍ଡେ ଛାଡ଼ି ବାଲି ପଠାରେ କେଳା-ଭଅଁରା ପରି ସାନ ସାନ କୁଡ଼ିଆ କରି ରହିଗଲେ । କ୍ରମେ ସେଇଠୁ ଆରମ୍ଭ କରି ନଈ ଉପରପଟଆଡ଼କୁ ବଡ଼ ବନ୍ଧ ପଡ଼ିଲା, ବନ୍ଧର ସେ ମୂଳବୋଲି ସେହି ବସ୍ତିର ନାଁ ହେଲା ବନ୍ଧମୂଳ । ପଛେ ସେଠି ବି ଆଉ ବନ୍ଧର ମୂଳ ଅଟକିଲା ନାହିଁ, ତା’ଠୁ ପାଞ୍ଚକୋଶ ତଳଯାକେ ବି ବଡ଼ ବନ୍ଧ ଲମ୍ବିଗଲା । ତଥାପି ସେ ଗାଁ ନାଁ ରହିଗଲା ବନ୍ଧମୂଳ ବୋଲି ।

ସେହି ଗାଁର ଖାନ୍ଦାନି ମଣିଷ ବଟ ମହାନ୍ତିଏ, ଚାଷୀ ଆଉ ମହାଜନ । ପାଖ ପାଖ ବାଟିଏ ତାଷ, ହାତତାଷ ଦଶମାଣ । ତୋଟା, ବାଡ଼ି, ଜୋର, ପୋଖରୀ ଛାଡ଼ି ଜମିଦାରୀବେଳର କେଉଁଠି କେଉଁ ଅନାବାଦୀ ବି ଅଛି, ନାଁକୁ ତାଷ ହୋଇଛି ଦେଖାଇବାକୁ ଯେ ବି ଥିଲା ନିଜ ତାଷରେ, କେଉଁଥିରେ ପୁଳାଏ ଦିପୁଳା ହରଡ଼ ଗଛ, କେଉଁଥିରେ ଗୋଟାଏ କଦଳୀବାଡ଼ି ଗୋଟାଏ କୁଡ଼ିଆ ଘର, ଏମିତି ସବୁ । ଗାଈଗୋରୁ ଶଗଡ଼ ଅମାର ଗୋବର ଖାତ ଖଳାବାରି ହୋଇ ଦେଖିବାକୁ ଗଲେ ଗାଁଯାକରେ ତାଙ୍କର ଗୋଟାଏ ବଡ଼ ଆସ୍ଥାନ । ବୁଢ଼ା ବୁଢ଼ୀ ଆଉ ପଢ଼ା ଶେଷକରି ସାନ ପୁଅ ରବି ଏତିକି ଖାଲି ଘରେ । ବଡ଼ ପୁଅ କବି ପୁଲିସ୍‌ ସବ୍‌ଇନ୍‍ସପେକ୍ଟର ଯେ ତାଙ୍କ ପରିବାର ତାଙ୍କ ଚାକିରି-ଗାଁରେ ।

 

ବଡ଼ ପୁଅର ‘କବି’ ନାଁରେ ଟିକିଏ ବିଶେଷତ୍ୱ ଥିଲା । ବଟ ମହାନ୍ତିଙ୍କର ଭାରି ସଉକ ଥିଲା । ସେ ତାଙ୍କ ଯୌବନ କାଳରେ ‘କବିତ୍ୱ’ କରିପାରୁଥିଲେ, ଗାଁ ଯାତ୍ରାରେ ଅନେକ ଗୀତ ତାଙ୍କ ରଚନା । ସେ ଥିଲା ତାଙ୍କର ମୃଦଙ୍ଗ ସାଧନାର ବେଳ, ବାପେ ଘର ବୁଝୁଥିଲେ, ପୁଅ ବେଳ କଟାଉଥିଲେ ଗାଁ ଆଖଡ଼ାରେ । ଏ ବହିରୁ ଉତାରି ସେ ବହିରୁ ଉତାରି ମଝିରେ ମଝିରେ ନିଜର କିଛି ‘କବିତ୍ୱ’ ଯୋଡ଼ିଦେଇ ସେ ରାମଲୀଳା ଆଉ ଭାରତଲୀଳା ଲାଗି ନିଜ ଭଣିତାରେ ଗୀତ ରଚନା କରୁଥିଲେ, ତା’ଛଡ଼ା ବିବାହ ସଭାମାନଙ୍କରେ ସେ କାଳରେ ଯେତେବେଳେ ବରପକ୍ଷ କନ୍ୟାପକ୍ଷମାନଙ୍କ ଭିତରେ କବିତା ପ୍ରତିଯୋଗିତା ଓ ଅଙ୍କ ପ୍ରତିଯୋଗିତା ହେଉଥିଲା, ସେତେବେଳେ ସେ କେତେଠି ‘ଆପଣା’ କବିତାପାଇଁ ପ୍ରଶଂସା ବି ପାଇଥିଲେ ।

 

କିନ୍ତୁ ଗାଁ ଲୋକେ ଯେତେ ପ୍ରଶଂସା କରି କହିଲେ ବି ତାଙ୍କର ମନ ମାନୁନଥିଲା । ଯେତେଥର ସେ ଆପଣା ରଚନାକୁ ଦେଶର ନାମଗଣ୍ୟ କବିମାନଙ୍କ କୃତି ସଙ୍ଗେ ତୁଳନା କରି ଦେଖୁଥିଲେ, ସେତେଥର ଅନୁଭବ କରୁଥିଲେ ନିଜର ଖର୍ବତା । ଲାଗୁଥିଲା, କବିକଳା ତାଙ୍କଠି ନାହିଁ, ଖାଲି ଟିକିଏ ତା’ର ପାଣି ପଡ଼ିଯାଇଛି କେଉଁଠି ଟିକିଏ । ରାମଲୀଳା ଲେଖନ୍ତି, ପ୍ରସିଦ୍ଧ ବିଶ୍ୱନାଥ ଖୁଣ୍ଟିଆଙ୍କ ବିଚିତ୍ର ରାମାୟଣର ଗୋଟିଏ ଗୋଟିଏ ଛାନ୍ଦକୁ ଆଖି ଆଗରେ ରଖି ପଦ ବଦଳରେ ପଦ ଥୋଇ ଥୋଇ ଗୁନ୍ଥି ବସନ୍ତି ପଦ୍ୟର ହାର, କଣଘରେ କବାଟ କିଳି ବସି ଶୋଇ ଅସ୍ଥିର ହୋଇ ପିଞ୍ଜରାରେ ବାଘ ପରି ଏକର ସେକର ବୁଲି ଅଖିଆ ଅପିଆ ବି ଲାଗିପଡ଼ନ୍ତି । କେବେ କେବେ, ହାର ଛିଣ୍ଡିଯାଇ ଶୂନ୍ୟରେ ମିଶିଯାଏ ତାର ଛିଣ୍ଡା ପାଖୁଡ଼ାଗୁଡ଼ାକ, ମନ ଅଶାନ୍ତିରେ ଛଟପଟ ହୁଏ, ଆଉ କେବେ କେବେ ସେ ଚେଷ୍ଟା କରନ୍ତି ସରଳ କଥିଚ ଓଡ଼ିଆଭାଷାରେ ଅନଙ୍ଗ ନରେନ୍ଦ୍ରଙ୍କ ରାମଲୀଳା ଢାଞ୍ଚାରେ ରଚନା କରିବାକୁ, ଯେପରି ନରେନ୍ଦ୍ର ଲେଖିଛନ୍ତି–

 

ଖରାକାଳ ପର୍ବତ ପରାୟେ ଦିଶେ ରାମ

ଶର ଦିଶେ ବଣପୋଡ଼ି ଅନଳର ସମ ।

 

ତଥାପି, ଭାବି ଭାବି ସୁଦ୍ଧା ଆସେ ନାହିଁ ଉପମାଗୁଡ଼ାକ, ଯାହା ବା ହୁଏ, ଗାଁ ଲୋକେ ଟେକାଟେକି କରି କହନ୍ତି ସିନା, ମନ ବୁଝେ ନାହିଁ ।

 

ଲାଗିଥିଲା ଏହିପରି ତାଙ୍କର କବିତାସୃଷ୍ଟିର ପର୍ଯ୍ୟାୟ । ତା’ପରେ ଗାଁ ଭିତରକୁ ଭାସିଆସିଲା ନୂଆ ଯୁଗର ନାଟ୍ୟାଙ୍ଗୀ ଗୀତ, ଧାନକାଟି ଶେଷରେ ଖାଁ ଖାଁ କ୍ଷେତରେ ନାନା ଜାତି ଅନାବନା ଫୁଲ ପରି, ସେଥିରେ ଚୁଟୁଚୁଟିକିଆ ନାନାଜାତି ରାଗିଣୀ, କେଉଁଟା କେଉଁ ବୁଲା ଥିଏଟର, କେଉଁଟା କେଉଁ ବିଦେଶୀ ଗୀତର, ତା’ ସଙ୍ଗରେ ଆସିଲା ହାର୍ମୋନିଆଁ, ସାହିତ୍ୟ ଥାଉ ନ ଥାଉ ହାର୍ମୋନିଆଁର ସ୍ୱର ସଙ୍ଗକୁ ନାଟ୍ୟାଙ୍ଗୀ ଗୀତ ଆଉ ଏକ ଦୁଇ ତିନି ତାଳେ ତାଳେ ଗୋଟିପୁଅ ନାଚ କିଣିନେଲା ଦେଶ ଗୋଟାକୁ, ବୁଢ଼ା ବୁଢ଼ାଏ ବି ପଦାରେ ଯେତେ ନାକ ଟେକିଲେ ମୁହଁ ମୋଡ଼ିଲେ ସୁଦ୍ଧା ଚୁଟି ଭୁଣ୍ଡି ସାଉଁଳି ସାଉଁଳି ପାଣିଚିଆ ଆଖିକରି ଆଁ କରି ଅନାଇଁ ଅନାଇଁ ନୂଆ ନାଟର ନୂଆ ଗୀତକୁ ଉପଭୋଗ କଲେ, ଯେତେବେଳେ ଲମ୍ବା ବାଳରେ ଫିରେଇ କାଟି ପ୍ରଜାପତି ପରି ନିଶ ରଖି ଲୁଙ୍ଗି ଉପରେ ଫୁଟି ଫୁଟିକିଆ ଗୋଞ୍ଜି ପିନ୍ଧି ଜିଆନାଳ ପରି ଗାଁ ଭେଣ୍ଡିଆମାନେ ତଣ୍ଟିକି ବସେଇ ଭାଙ୍ଗି ପେଁ ପେଁ ହାରମୋନିଆଁ ସଙ୍ଗରେ ଗୀତ ବୋଲି ଦେଉଥିଲେ । ସେହି ସେ ବେଳ ଯେତେବେଳେ ଗାଁ ଦୋକାନରେ ଚାହା ପୁଡ଼ିଆ ଆଉ ବିଡ଼ି ବଣ୍ଡିଲି ଆସି ବିକ୍ରୀହେଲା, ପତ୍ର ବଳି କାହାଳି କରି ସେଥିରେ ଧୂଆଁପତ୍ର ପିଇବା କି ଧୂଆଁପତ୍ର ବଳି ପିକା ତିଆରି କରି ଶୋଷିବା ଅଭ୍ୟାସ ଚାରିଆଡ଼ ଘୁଞ୍ଚି ଘୁଞ୍ଚି ରହିଲା ଖାଲି ବୁଢ଼ାଙ୍କଠି । ପୁରୁଣା ଓଡ଼ିଶୀ ସଙ୍ଗୀତ ଆଉ ରାମଲୀଳା ଭାରତଲୀଳା କେତେ ପଛରେ ପଡ଼ିଗଲା, ଆଉ ତା’ ସହିତ ଶେଷ ହୋଇଗଲା ବଟ ମହାନ୍ତିଙ୍କ କବିତ୍ୱ ପ୍ରକାଶ ।

 

ଆଶାଟା ଆଶାରେହିଁ ରହିଗଲା ।

 

ବଡ଼ପୁଅ ଯେତେବେଳେ ଜନ୍ମ ହେଲା ସେତେବେଳେ ଲାଜରା ଲାଜରା ହୋଇ ବୋଉଙ୍କ ପାଖକୁ ବଟକୃଷ୍ଣ କହି ପଠାଇଥିଲେ- ପୁଅ ନାଁ କବି ଦେଲେ କ’ଣ ନାଙ୍କରା ହୁଅନ୍ତା ? ଭଲ ନାଁଟିଏ, ଯୋଡ଼ିଏ ଅକ୍ଷର, ଉଚ୍ଚାରଣକୁ ସହଜ ।

 

ଅବଧାନ ଆଉ ପୁରୋହିତ ବି ପୁଅର ବାପଠୁଁ ଆଗତୁରା କିଛି ଅସୁଲ କରି ସେହି ନାଁ ରଖିବାକୁ ମତ ଦେଲେ, ପୁରୋହିତ ବୁଝାଇଦେଲେ କବି କିଏ ? ସ୍ୱୟଂ ଭଗବାନ । ନିଜେ ସାରୋଳଦାସେ ମହାଭାରତ ପୋଥିରେ ପରା ଲେଖି ଯାଇଛନ୍ତି-କାବ୍ୟକାର ପୁରୁଷ ଅନନ୍ତ ରୂପ ଇନ୍ଦୁ । ଏଡ଼େ ଭଲ ନାଁ ପାଇବା କାହା ଭାଗ୍ୟରେ ଘଟେ ? ଅତଏବ ଜାତକ ନାମ ପଛେ ରହିଲା ଗୋବର୍ଦ୍ଧନ ଧାରଣ, ଶ୍ରଦ୍ଧାନାମ ରହିଲା କବିଶେଖର, ସଂକ୍ଷେପରେ କବି ।

 

କିନ୍ତୁ କବି କବିତା ଲେଖିଲେ ନାହିଁ କି କବିତା ପଢ଼ିବାକୁ ତାଙ୍କର ଝୁଙ୍କ ରହିଲା ନାହିଁ, ବରଂ ସବୁମନ୍ତେ ଟିକିଏ ହୁର୍ଦ୍ଦୁଙ୍ଗା, ଡେଇଁବା ଧରିବା ମାରିବା କାର୍ଯ୍ୟରେ ବେଶୀ ପାରଙ୍ଗମ, ବେଶୀ ଲକ୍ଷ୍ୟ ପେଟେ ଖାଇବା ଓ ମନଇଚ୍ଛା ହୁଣ୍ଡାମି କରି ପଦାରେ ବୁଲିବା । ସେକେଣ୍ଡ କ୍ଳାସରୁ ଘରେ ରହି ଭେଣ୍ଡା ବୟସରେ ବଡ଼ ଘର ବିଭା ହୋଇ ପୁଲିସ୍‌ ବିଭାଗୀୟ ବଡ଼ କିରାନି ଶଳାଙ୍କ ସାହାଯ୍ୟରେ ପୁଲିସ୍‌ ସବ୍‌ଇନ୍‍ସପେକ୍ଟର କାର୍ଯ୍ୟ ପାଇ ରହିଗଲେ । ସ୍ୱାସ୍ଥ୍ୟ ଆଉ ଚେହେରାର ଟେକ ରଖିବାକୁ ସେ ଉତ୍ସାହ ପାଇଲେ । ଘରକୁ ଫଟା ପାହୁଲା ନ ପଠାଇଲେ ବି ଯଦି କେବେ ତାଙ୍କର ଚାକିରି ପୋଷାକ ପିନ୍ଧି ମୁଣ୍ଡରେ ମୋଟା ଟୋପି ଦେହରେ ଚମଡ଼ା ପଟି ଓ ଗୁଳି ରଖିବା କମରବନ୍ଧ ପାଦରେ ଜେନ ବୁଟ୍‌ପିନ୍ଧି ହାତରେ ଖଣ୍ଡେ ହାତିକିଆ ସାନବାଡ଼ି ଧରି ସାଇକେଲ ଘଣ୍ଟି ଟିଣି ଟିଣି କରି ବନ୍ଧେ ବନ୍ଧେ ଗାଁକୁ ଫେରୁଥିଲେ ତେବେ ବାଟରେ ବିଲରେ କାମ କରୁଥିବା ଗାଁ ଚଷାମାନେ ଦେଖା ପଡ଼ିଗଲେ ଓଳିଗି ହେଉଥିଲେ, ପଡ଼ିଆରେ ମାଇପେ ମେଞ୍ଚାମେଞ୍ଚି ଠେଲାଠେଲି ହୋଇ ଓଢ଼ଣା ତଳେ ନୋଥ ନୋଲକ ଆଉ ଜଳ ଜଳ ଆଖି ଦେଖାଇ ଅନାଇ ରହୁଥିଲେ । ଖବର ପାଇ ଗାଁ ଚଉକିଆ ଅଇଣ୍ଠୁ ମଳିକ ତରତରରେ ତା’ ନେଳି ପୋଷାକ ଆଉ ନେଳି ପଗଡ଼ି ଭିଡ଼ି ହୋଇ ଧପାଲି ଆସୁଥିଲେ, ତା’ କାମ ପଡ଼ିଯାଏ ବଗିଚା ଟୁଙ୍ଗିରେ କୁକୁଡ଼ା ଓ ଡିମ୍ବ ପହଞ୍ଚାଇବା, ଗାଁରେ ହୁରି ପଡ଼ୁଥିଲା ।

 

ବଟ ମହାନ୍ତିଏ ଅନୁଭବ କରୁଥିଲେ, ତାଙ୍କର ମାନ ବଢ଼ିଛି । ସେତେବେଳେ ସାହିର ଦଶଜଣକ ଆଗରେ ସେ ସ୍ୱଚ୍ଛନ୍ଦରେ କହିପାରୁଥିଲେ, ଟଙ୍କା କମେଇବା ବଡ଼ ନୁହେଁ, ସେ ଚ ହାଡ଼ି ବି କମାଏଁ, ମାନ ଇଜ୍ଜତ ସିନା ବଡ଼, ନା କ’ଣ କହୁଚ ?

 

ଗାଁ ଲୋକେ କହୁଥିଲେ, ହଁ ସତକଥା । ବଟ ମହାନ୍ତିଏ ବୁଝୁଥିଲେ, ତାଙ୍କର ଧାରଣାରେ ଏତେଟିକିଏ ମିଛ ନାହିଁ, କହୁଥିଲେ ସେକାଳକୁ ବଡ଼ ହୋଇଥିଲେ ରାଜା ମହାରାଜା, ଏ କାଳକୁ ଏଇମାନେ ବଡ଼, ଏଇ ଯାହାଙ୍କ ହାତରେ କ୍ଷମତା ଅଛି ।

 

ଏଇ ତଥ୍ୟକୁ ସମର୍ଥନ କରିବାକୁ ଯାଇ ବୁଢ଼ା କୀର୍ତ୍ତନ ରାଉତ ଯାହା କହିଥିଲେ ତା’ କେଉଁଠି ଲିପିବଦ୍ଧ ହୋଇନାହିଁ । ଗାଁରେ ସେ ଜଣେ ଜାଣିବା ଲୋକ, ବିଲାକାମକୁ ଛଅ ପୁଅ ଧନୁର୍ଦ୍ଧର । ସେ କହିଥିଲେ, ‘‘ଖେମେତାଟା ରାଜକଳା, ସମସ୍ତିଙ୍କୁ କାହୁଁ ମିଳିବ ? ଝାଳ ବୁହାଇଲେ ଟଙ୍କା ଫଳିଲା, ବାଇଗଣ ତ ବାଇଗଣ, ସହରକୁ ଗଲେ ସାଧାରଣ ଖଡ଼ା ଗଛେ ବିକିଲେ ମିଳିବ ଦି’ଅଣା ପଇସା, କାହାର ତେଲ ଘଣାରୁ ଟଙ୍କା, କାହାର ଚୋକଡ଼ ବିକାରୁ ଟଙ୍କା, କିଏ ହଜାରେ କାଢ଼ିଲେ କିଏ ଦଶ ହଜାର । କ’ଣ ହେବ ? ମାନ୍‌ଟା ଆସିବ କୋଉଠୁ ବିନା ଖେମତା ନ ଥିଲେ ? ଠେଙ୍ଗାଖଣ୍ଡେ ଧରି ମୁଣିଟାଏ କାନ୍ଧରେ ପକାଇଲେ ସାମାନ୍ୟ ଚଉକିଆଟାଏ ପରା ମହାଜନକୁ ବି ଧମକେଇ ଦେଇପାରୁଚି, କହୁଚି ରଇଥା ରଇଥା ତୋ ଦିନ ଆସିବ ଯେ ! ଆଉ ଚଉକିଆ ଉପରେ କନଷ୍ଟବଳ, ତା’ ଉପରେ ହାବିଳିଦାର ଏମିତି ଏଡ଼େ ବଡ଼ ଥାଟ ଉପରେ ଯେ ମଉଡ଼ମଣି, ତାଙ୍କର କ’ଣ କମି ଖେମତା ? ଏ ବାପ ଯେମିତି ରାଉତ ଉପରେ ଦଳବେହେରା !

 

ଚେକା ମୁହଁ ଠିଆ ନିଶ ଗୋଲାପି ଆଖି କବି । ମୋଟା ବେକ, ଗେଧେକା ଗେଧେକା ବଳିଲା ବଳିଲା ହାତଗୋଡ଼ । ଚେହରାକୁ ଚାହିଁଦେଲେ ଡେଙ୍ଗା ଅପେକ୍ଷା ଓସାରଟାହିଁ ଆଖିରେ ପଡ଼େ । କାନ୍ଧ ଦିଟା ସଳଖ ନୁହେଁ, ଅଳ୍ପ ଢାଲୁ ଗୋଟାଏ ବାହା ଆଗକୁ, ଗୋଟାଏ ବାହା ପଛକୁ ଦୋହଲେଇ ଦୋହଲେଇ ଚାଲିଲେ ଯେଉଁ ଠାଣି ଦିଶେ, ସେଥିରେ ମନେପଡ଼େ ଯାବୁଡ଼ି ଯାକିଧରି ମାଡ଼ିବସିଲା ପରି ଛବି, ଯେପରି କି କୌଣସି ବଣ୍ୟଜନ୍ତୁର । ଏଇ ଠାଣି ସଙ୍ଗେ ମିଶିଯାଏ ଗୋଟାଏ ହଠାତ୍‌ ବେକକୁ କଣିକିଆ କରି ବାଁ କାନ୍ଧଆଡ଼କୁ ଝାଙ୍କି ଢୁଲେଇଦେଇ ତଳ ଓଠକୁ ଟାଙ୍କଦେଇ ସଳଖେ ଚାହିଁବାର ଭଙ୍ଗୀ, ଏ ଉଭୟ ତା’ଠିଁ ଆଗେ ନ ଥିଲା, ଚାକିରିର ଦି’ବର୍ଷ ପୂରୁ ପୂରୁ ଛାଆଁକୁ ଆସିଗଲା । ସେତେବେଳେ ପୋଷାକ ପିନ୍ଧି ଠାଣିରେ ଠିଆହେଲେ ଚାଲିଲେ କି ଚାହିଁଲେ ବାପାଙ୍କ ଛାତି ଭିତରେ ବି ଚାଉଁ କରେ, ଏ ଯେପରି କି ତାଙ୍କର ପୁଅ ନୁହେଁ, ୟେ ଗୋଟାଏ ଅଚିହ୍ନା ଛାଞ୍ଚରେ ତିଆରି କର୍ମଚାରୀ, ଯେପରି ଆଉ କେଉଁଠାରର ।

 

ଚାକିରି କ୍ଷେତ୍ରରେ ବୁଲୁ ବୁଲୁ କବି ବିଦେଶରେହିଁ ରହିଗଲା, ଗାଁକୁ ଆସିଲେ କେବେ କଦବା ବର୍ଷକେ ଅଳ୍ପଦିନପାଇଁ ଥରେ, ତା’ ବି କେଉଁ ବର୍ଷ ଘଟେ ନାହିଁ । ତା’ର ବେଶୀ ସମ୍ବନ୍ଧ ଶଶୁରଘର ସହିତ, ଛୁଟି ମିଳିଲେ ସେଇଠିକି ସେ ଯାଏ ।

 

ଫଟା ପାହୁଲା ପଛେ ଘରକୁ ନ ଦେଉ, ବଟ ମହାନ୍ତିଙ୍କର ପେଟ ପୂରିଉଠେ । ଓଲଟି ଧାନ ଚାଉଳ, ଘିଅ, ନଡ଼ିଆ, ଚୁଡ଼ା, ପନିପରିବା ଘେନି ବର୍ଷକେ ଦୁଇ ତିନି ଥର ଟିକଟ କାଟି ରେଳଚଢ଼ି ସେ ପୁଅ ବୋହୂ ନାତି ନାତୁଣୀଙ୍କି ଦେଖିବାକୁ ଯାଆନ୍ତି । ଗେଲବସର ପିଲା ଚାରୋଟି, ନଅ ବର୍ଷର ଝିଅ ସୁନା । ତା’ ତଳେ ସାତ ବର୍ଷର ପୁଅ କୁନା, ତା’ ତଳେ ପାଞ୍ଚବର୍ଷର ଝିଅ ରୁନା, ତା’ ତଳେ ମୁନା ତିନି ବର୍ଷର ପୁଅ । ସୁନା କୁନା ଇସ୍କୁଲକୁ ଗଲେଣି ପାଠ ପଢ଼ିଲେଣି । ଚାରିଚାରିଟା ଛୁଆଙ୍କ କଉତୁକ ଖେଳ ବିଦେଶରେ ବଢ଼ୁଛି ଗାଁରେ ଛାଇ ପଡ଼ୁନାହିଁ । ବୁଢ଼ାଙ୍କର ମନହୁଏ ସେମାନେ ତାଙ୍କ କତିରେ ଥାଆନ୍ତେ କି, ସେମାନେ ନାତି ନାତୁଣୀ ଖେଳାନ୍ତେ । ମନକଥା ମନରେ ରହେ । ପିଲାଙ୍କୁ ଆଖିରୁ ଅନ୍ତର କରିବାକୁ କି ନିଜେ ଯାଇ ମଫସଲରେ ରହିବାକୁ ବୋହୂଙ୍କର ଅମତ, ବୋହୂ ବାପଘରର ଆପତ୍ତି, ପୁଅଙ୍କର ହଁ ହୁଏ ନାହିଁ ।

 

ତଥାପି ଗୁଞ୍ଜିହୋଇ ବଟ ମାହାନ୍ତି ଯାଆନ୍ତି ଦେଖିବାକୁ, କହିବାକୁ । ସିପେହି ସଲାମ କରେ-ଦାରୋଗା ବାବୁଙ୍କ ବାପା ।

 

କବି ପରେ ଦଶ ବର୍ଷ ଫାଙ୍କ । ତା’ପରେ ଆସିଲା ରବି । ବଟକୁ ଏଥର ତା’ର ନାଁ ଦେଲାବେଳକୁ ତାଙ୍କର ବାପା ନାହାନ୍ତି, ବୋଉ ନାହାନ୍ତି, ସେ ନିଜେ ମୁରବି । ବୟସ ବି ଚାଲିଶି ଡେଇଁ ସାରିଛି, ସଂସାରରେ ପଶି, ଜିନିଷ ଆଉ ଜମି ବନ୍ଧା ରଖି ସୁଧ ଅସୁଲ କରି ଜମିରେ ଜମି ମିଶେଇ ଜମି ବଢ଼େଇ ପୁରୁଣା ଭାଗଚାଷୀଙ୍କି ବଦଳେଇ ନ ହେଲେ ତଡ଼ି ନୂଆ ଚାଷୀ ଲଗାଇ କଡ଼ାକ୍ରାନ୍ତି ହିସାବ କରି ଆପଣା ପାଊଣା ଉପରେ ବଳକା ‘ଲାଭ’ ଆଦାୟ କରି ସମ୍ପତ୍ତି ଆଉ ପ୍ରତିପତ୍ତି ବଢ଼ାଇବାକୁ ନାନା ଉପାୟରେ ନାନା ଫେରଫାର କରି ଚେହରା ଉପରେ ବୟସର ଛାଇ ଆହୁରି ବଢ଼ିଯାଇଛି ବହଳ ହୋଇଯାଇଛି । ପାନ ଚୋବାଇ ଚୋବାଇ ଦାନ୍ତଗୁଡ଼ାକ ବି ଫାଙ୍କ ହୋଇଯାଇଛି, ଉପର ପାଟିରୁ ଛାମୁଦାନ୍ତରୁ ଗୋଟାଏ ଗଲାଣି । ପାତଳ ହୋଇଯାଇଥିବା ଓ କପାଳ ଉପରକୁ ଉଠିଯାଇଥିବା ମୁଣ୍ଡବାଳ, ଲହୁଣି ଉଠିଯାଇଥିବା ଆଉ ଠାଏ ଠାଏ ଚେକା ଚେକା ହୋଇ ଦବି ଯାଇଥିବା କପାଳ, ଠେଲି ହୋଇ ଉପରକୁ ଉଠିଥିବା ଗାଲ ହାଡ଼, ତଳମୁହାଁ ହୋଇ ଅଳ୍ପ ଝୁଲି ପଡ଼ିଥିବା ଛାତିର ମାଂସପୁଟ ଓ ବାହାର ମାଂସପେଶୀ ସହିତ ସେହି ଗୋଟିଏ ଦାନ୍ତ ଫାଙ୍କା ମୁହଁର ଛଇ ତାଙ୍କର ଗାମ୍ଭୀର୍ଯ୍ୟହିଁ ବଢ଼ାଉଥାଏ । ଏହି ବୟସରେ ଆସିଲା ଏକ ସନ୍ତାନ । ସେ ବ୍ୟସ୍ତ ହୋଇ ପଡ଼ିଥିଲେ ।

 

କବିର ନାଁ ସଙ୍ଗେ ପଦ ପକାଇବାକୁ ପିଲାର ନାଁ ଦିଆଗଲା ରବିନାରାୟଣ । ନାଁ ଦେବା ଉହାଡ଼ରେ ଲୁଚିଥିଲା ଗୋଟିଏ ଆଶା-ରବି-ସେ ତେଜୀ ପିଲା ହେଉ । ବଂଶର ମାନ ରଖୁ ।

 

ପିଲାଦିନେ ତା’ର ଠାଣି ଆଉ ସ୍ୱଭାବ ଦେଖିଲେ ଲାଗୁଥିଲା, ତା’ର ରବି ନାଁ ନ ରଖି ଚନ୍ଦ୍ର ବୋଲି ନାଁ ରଖିଥିଲେ ବୋଧହୁଏ ଭଲ ମାନିଥାନ୍ତା । ମେଞ୍ଚାଏ କୁଞ୍ଚୁ କୁଞ୍ଚୁଆ ବାଳ ତଳେ କଅଁଳ ସରୁ ବାଲିଚର ପରି ଚେନାଏ ଶାନ୍ତ କପାଳ, ତା’ ତଳେ ନିଦୁଆ ନିଦୁଆ ଆଖି ଦୋଟି, ଯେପରି ତା’ର ସବୁଥିଲେ ଶାନ୍ତ, ସବୁଥିରେ ସନ୍ତୋଷ । ଚୁପ୍‌ଚାପ ହୋଇ ଖୋଲୁଥାଏ ବୁଜୁଥାଏ ତା’ର ହସ, ଛାଁକୁ ଛାଆଁ ଯେପରି କି ମନକୁ ମନ କେଉଁଥିରୁ ସେ ତା’ର ଆନନ୍ଦ ପାଏ । କାହା ସଙ୍ଗେ ଖୁରି କରେ ନାହିଁ, କେଉଁ ଜିନିଷରେ ଲାଗେ ନାହିଁ, ଯେଉଁ ଗୋଟିଏ ଜାଗାରେ ବସେଇ ଦେଲେ ସେଇଠି ବସିଥାଏ, ବେଶି କାନ୍ଦେ ନାହିଁ କି ରା ଧରେ ନାହିଁ ।

 

ଜଉତିଷ ଅବଧାନ ବଳି ନାହାକ-ବଟଙ୍କର ତାଙ୍କ ଉପରେ ମୂଳୋହୁ ବିଶ୍ୱାସ,-ହାତ ଦେଖି କହିଥିଲେ ପିଲା ହାତରେ ବଇଷମ ରେଖା ଅଛି, ଆଗରୁ ବାଟ ନ କଲେ ଏ ପିଲା କଉପୁନି ମାରି ଦେଶାନ୍ତରୀ ହୋଇ ଚାଲିଯିବ ।

 

‘‘ତା’ କପାଳରେ ପାଠ ଅଛିଟି ? ଅବଧାନେ, ଟିକିଏ ଭାବିଚିନ୍ତି କହ’’, ବଟ ପଚାରିଥିଲେ । ଭ୍ରୁଲତା କୁଞ୍ଚ କୁଞ୍ଚ କରି ମିଞ୍ଜି ମିଞ୍ଜି ଆଖି କରି ଅନାଇଁ ରଖିଥିଲେ ଅବଧାନଙ୍କର ଲମ୍ବା ମୁହଁକୁ ।

 

ଅବଧାନେ ଖଡ଼ିଗୋଟାଳିରେ ଭୂଇଁରେ ଚକ୍ର କାଟି ଅଙ୍କ କଷି ଏଠି ନିଭେଇ ସେଠି ଲେଖି ବିଡ଼ି ବିଡ଼ି ହୋଇ ମନକୁମନ ନାନା ଶ୍ଳୋକବୋଲି ପୁଣି ଆଙ୍ଗୁଠି ପଗରେ ଟିପ ମାରି ମାରି ଗଣି ବହୁତ ଭାବିଚିନ୍ତି ଉତ୍ତର ଦେଇଥିଲେ । ସେତେବେଳେ ବଟ ମହାନ୍ତି ଦେଖିଥିଲେ ତାଙ୍କର ଆବୁ ପରି କପାଳକୁ, ସେଥିରେ ଝାଳ ବିନ୍ଦୁ ବିନ୍ଦୁ ଜକୋଉଥିଲା, ତାଙ୍କର ଚଟା ଲମ୍ବ ମୁଣ୍ଡ ଖପୁରିକୁ, ସେଠି ଆଗଆଡ଼ୁ ପାତଳ ହୋଇ ହୋଇ ପଛଆଡ଼କୁ ଗୋଟିଏ ଦମ୍ଭ ଗୋଜିଆ ମେଣ୍ଟି, ଯହିଁରେ ବଟ ମହାନ୍ତିଙ୍କ ମନରେ ଦମ୍ଭ ବିଶ୍ୱାସର ସଂଚାର ହୁଏ, ଜୀବନଯାକ ତ ଏହି ନାହାକଙ୍କୁ ପଚାରି ପଚାରି ଭବିଷ୍ୟତର ଫଳ ବିଷୟରେ ଅନୁସନ୍ଧାନ କରି କରି ତେବେ ସେ କୌଣସି କାର୍ଯ୍ୟ କରିବାକୁ ପାଦ ବଢ଼ାଇଛନ୍ତି । ସେ କାମ ପରକୁ ଟଙ୍କା କରଜ ଦେବା ହେଉ କି ଆମଦାନୀ ହୋଇଥିବା ଫସଲ ବଳିବା ହେଉ କି ଗାଁରୁ ସହରକୁ ଯିବା ହେଉ । ସେ ଭାବନ୍ତି ଅବଧାନଙ୍କ କଥା ଫଳିଯାଏ, ଟଳେ ନାହିଁ ।

 

ଅବଧାନ କହିଲେ, ‘‘ପାଠ ବିଷୟରେ ଚିନ୍ତା ନାହିଁ । ୟେ ପିଲା ପାଠକୁ ଜାଣ ଗୋଳି ବାଟି ପିଇଦେବ । ବିଦ୍ୟାକୁ ରାହୁ । ଏଣ୍ଟେ୍‌ନସ କି ସାମାନ୍ୟ, ଏମେ ଉପରେ ଏଲେ ଉପରେ ଏଫେ ପାସ୍‍ କରି ବିଦ୍ୟା ଆଣିବ । ବଂଶ ଉଜ୍ଜ୍ୱଳ କରିବ । ହୃଦରେ ଭଗତି ଭାବ, ଦୟା ଭାବ ସବୁ ବହୁତ ବହୁତ । ଦାନକୁ କର୍ଣ୍ଣ, ମାନକୁ ଦୁର୍ଯ୍ୟୋଧନ, ଧନ କୁବେର ପରି ଅର୍ଜିବ ସିନା, ଦେଇଦେଉଥିବ, ଖର୍ଚ କରିଦେଉଥିବ, ରଖିପାରିବ ନାହିଁ । ଯେ, ଗୋଟିଏ କଥା । ୟେ ବାପମା’ଙ୍କ ସେବା କରିବ । ମାନ୍ୟମାନତା କରିବ । ସବୁ କରିବ ସିନା, ବାହା ହେଲାବେଳକୁ ଅଡ଼ୁଆ ଲଗେଇବ । ଆପଣା ମନମାଫି କନିଆଁ ବାହା ହେବ, ମନାକଲେ ନେଇ ପଳେଇବ, କାହାରି କଥା ମାନିବ ନାହିଁ, ୟେ ତ ଲଢ଼ୁଆ ମେଣ୍ଡା ପରି, ଯୁଆଡ଼େ ମୋହିଁବ ମାଡ଼ି ଦଳି ଚାଲିଯିବ, କାହାରି ମୁହଁକୁ ଅନେଇବ ନାହିଁ । ଅବଧାନେ ପୁଣି ଶ୍ଳୋକ ବୋଇଲେ ।

 

ବଟ ମହାନ୍ତି ଚାଇଁକିନା ପଚାରିଲେ, ‘‘ଏଣେ କହୁଚ ବଇଷମ ହେବ, ତେଣେ କହୁଚ ମନଇଚ୍ଛା ବାହା ହେବ, ବାହାହେଲେ ଫେର ବଇଷମ କ’ଣ ହେବ ?’’

 

‘‘କ’ଣ କରିବି, ପାଠ ଯାହା ଡାକିବ ତାହା କହିବି ସିନା ଆଜ୍ଞା, ଆମେ ମନକୁ ମନ ଇଚ୍ଛା କଲେ କ’ଣ କିଛି ହୋଇଯିବ ? ନିଜେ ଶ୍ରୀ ରାମଚନ୍ଦ୍ର ଚଉଦ ବର୍ଷ ବନବାସ ବୁଲିଲେ, ଶ୍ରୀକୃଷ୍ଣ ସାମାନ୍ୟ ଶବର ହାତରେ ପ୍ରାଣ ଦେଲେ, ଗ୍ରହରୂପୀ ନାରାୟଣ, ଆମର ଚାରା କ’ଣ ?’’

 

‘‘ନାଇଁ ନାଇଁ, ବାବଲା ଶରକୁ ଫେର ତ ହାବୋଡ଼ା ଶର କାଟୁ କଲା, ଦିଟାଯାକ ଏକାଠି ହେବାର ଦେଖାଉଥିଲେ ଦିଟାଯାକ କଟାକଟି ହୋଇ ଭଣ୍ଡୁର ହେବ, ବଇଷମ ବି ହେବ ନାହିଁ, କାହା ଘରୁ ଝିଅ ନେଇ ପଳେଇବ ନାହିଁ । ଏମିତି କ’ଣ ହୁଏ ନାହିଁ ?’’

 

‘‘ତେମେ ଆପଣ ଯାହା ବୁଝିଚ ତା’ ଯଥାର୍ଥ, ତେବେ ଏକାବେଳକେ ଦୁଇଟାଯାକ ଘଟୁଥିଲେ ସିନା ତାଳକୁ ପରିତାଳ ହୁଅନ୍ତା ? ୟେ ପରା ଆଗ ପଛ । ଧର ଆପେ କେଉଁଠି ବାହା ହବାକୁ ଜିଦ ଧରିଲା କି କାହାକୁ ସଙ୍ଗରେ ନେଇ ପଳେଇଲା, ବାପମା’ ଗାଳିଦେଲେ, ହେଲା ବଇଷମ, କିଏ ନାହିଁ କରିବ ? କି ନ ହେଲେ ଆଗ ବଇଷମ ହୋଇ ବୁଲିଲା ପରସ୍ତେ । ସେଉଠୁ ଏଠି ସେଠି ଦେଖୁ ଦେଖୁ କୋଉଠି ମନ ମାନିଗଲା, ସଂସାରୀ ହେବାକୁ ମନହେଲା, ସେଉଠୁ-ନାଇଁ ଯେଉଁ ଗଛର ମଞ୍ଜି ସେହି ଗଛର ଫଳ ସେ ଗଛରେ ଫଳିବ । ସେ କ’ଣ ଆଉ କାହାଘର ଛୁଆ ଯେ ବାଇଟୁଙ୍ଗୁରି କି ଛତରା ହେବ ? ଯାହା କହ, ବଇଷମ ହେବାଟା କାହା କପାଳରେ ଥାଏ ? ଏକା ନଟକେ ସପ୍ତପୁରୁଷ ଉପରକୁ ସପ୍ତପୁରୁଷ ତଳକୁ ଉଦ୍ଧାର ହୋଇଯାଆନ୍ତି ।’’

 

କବାଟ କଣରୁ ବାହାରିପଡ଼ି ରବିବୋଉ କହିଲେ, ‘‘ୟେ ମୋର ଯାଉଚି ! ପୁଅ ତ ବଇଷମ ହବ ଆଉ ତା’ ତଳକୁ ସପ୍ତପୁରୁଷ ଆସିବେ କୋଉଠୁ ବା ଉଦ୍ଧାର ହେବାକୁ ।’’

 

ହସିଦେଇ ଅବଧାନେ କହିଲେ, ‘‘ପୁଅ ତ ବଇଷମ ହେବ, କାହା ଝିଅକୁ ନେଇ ପଳେଇ ମନଇଚ୍ଛା ବାହାହେବ, ତେବେ ଆମେ ସବୁ ଗ୍ରହପୁତ୍ରେ ଅଛୁ କାହିଁକି ? ଏସବୁ ଶାସ୍ତ୍ର କାହିଁକି ହୋଇଛି ? ଉପାୟ କରିଦେବା, ୟେସବୁ କିଛି ହେବ ନାହିଁ ।’’ ବାପମା’ ଉଭୟେ କହିଥିଲେ-‘‘ୟେ ଭଲ କଥା, ଏଇ ଭଲ ।’’

 

ତା’ପରେ ଅବଧାନେ ଦେଲେ ଗ୍ରହ ‘ଶ୍ୟାନ୍ତି’ ଆଉ ପୂଜାଓଝା କରିବାକୁ ଏକ ଲମ୍ବା ବ୍ୟବସ୍ଥାପତ୍ର ।

 

ପୁରୋହିତେ ସମର୍ଥନ କଲେ, ବଡ଼ ପାକଳ-ଲୋକ, ପ୍ରକାଣ୍ଡ ବଡ଼ ଗୋଲ ମୁଣ୍ଡ, ସଫା ଗୋରାବର୍ଣ୍ଣ, ଡେଙ୍ଗା ଯେମିତି ମୋଟମାଟ ସେମିତି, ବଡ଼ ପେଟ । ବାଳ ବେଶୀ ଭାଗ ପାଚିଗଲାଣି-। ବହଳ ଧଳାଦାଢ଼ି ଛାତିକୁ ଲମ୍ବିଛି । ତାଙ୍କ ଉପରେ ବି ବଟ ମହାନ୍ତିଙ୍କର ଅଟଳ ବିଶ୍ୱାସ ଥିଲା । ଜନ୍ମଠୁଁ ମରଣଯାକେ ସମସ୍ତିଙ୍କର ସବୁ ଅବସ୍ଥାରେ ସେ କ୍ରିୟାକର୍ମ କରିଛନ୍ତି । ତାଙ୍କ ହାତର ଦୂବଅକ୍ଷତ ଆଉ ଶାନ୍ତିଉଦକ ପଡ଼ିଲେ ଫଳ ଫଳେ । ତାଙ୍କ ତୁଣ୍ଡର ଆଶୀର୍ବାଦରେ ରିଷ୍ଟ କଟିଯାଏ । ଏହିପରି ତାଙ୍କ ବିଶ୍ୱାସ । ବଟ ମହାନ୍ତି ଭାବନ୍ତି, ଯେତେବେଳେ ଯାହା ତାଙ୍କର ବଢ଼ତି ହୋଇଛି କି ଲାଭ ହୋଇଛି-ହେଇ ଯେପରି କେତେ ଲୋକ କେତେ ସୁନା କେତେ ଜମି ଆଣି ବନ୍ଧକ ଦେଇଗଲେ, ଆଉ ମୁକୁଳାଇ ପାରିଲେନାହିଁ କି ଅବା ଯେତେ ଯାହା ଯେଉଁବେଳେ ଅସୁବିଧା ଆସୁ ପଛେ ତା’ ଭିତରେ ଯେତେବେଳେ ସୌଭାଗ୍ୟ ଉଦୟ ହୋଇଛି ସେଥିପାଇଁ କମ୍‌ କାରଣ ନୁହଁନ୍ତି ଏ ପୁରୋହିତେ । ତାଙ୍କରି ଦୟାରୁ କବି ଜନ୍ମ । ତାଙ୍କରି ଦୟାରୁ ରବି । ଆଉ ସବୁଠିଁ ମୁହଁ ଭୁର୍କୁଣ୍ଡା କି ଫଣ ଫଣ କରନ୍ତୁ ପଛେ ଏଠି ସେ ଓଳଗି ହୋଇଥାନ୍ତି ।

 

ପୁଅ ବଇଷମ ନ ହେଉ କି ମନଇଚ୍ଛା କାହା ଝିଅକୁ ବିଭା ହେବ ବୋଲି ଧରି ନ ପଳାଉ, ଏ ଉଭୟ ସମ୍ଭାବିତ ସଙ୍କଟରୁ ଉଦ୍ଧାର ପାଇବାଲାଗି ଭବିତବ୍ୟକୁ ବଦଳାଇବାପାଇଁ ପୁରୋହିତେ ଅବଧାନେ ପୁରୁଣା ପୋଥିପତ୍ର ଘାଣ୍ଟି ଭାବିଚିନ୍ତି ଯେଉଁ ବ୍ୟବସ୍ଥା ଦେଲେ ବଟ ମହାନ୍ତିଏ ତାକୁ କାଷ୍ଠା ନିଷ୍ଠା କରି ମାନି କାମ କଲେ । ପଚାଶମୂର୍ତ୍ତି ବ୍ରାହ୍ମଣ ବରଣ କଲେ । ପାଟିକି ପାଣି ଟୋପାଏ ନ ଦେଇ ପାନ ପାଇଁ ଟକଟକ ପାଟିକି ତୁଚ୍ଛା ପାକୁ ପାକୁ କରି ବଟ ମହାନ୍ତିଏ ତିନିଦିନକାଳ ନିତି ସକାଳୁ ସଞ୍ଜଯାକେ ନାଲିପାଟ ପିନ୍ଧି ପାଟଚାଦର ପକାଇ ଝାଳ ସରସର ହୋଇ ହୋମ ନିଆଁପାଖେ ବସିରହିଲେ । ବେଦୀରୁ ଉଠିଲେ, ଏକାଠି ଦି’ ଦି’ ଖଣ୍ଡ କରି ତା’ ଉପରେ ତା’ ଉପରେ ପାନ, ତେଣିକି ହବିଷ୍ୟାନ୍ନ । ମହାଦେବଙ୍କୁ ପାଣିଲାଗି କରାଇଲେ । ଭାଗବତ ସପ୍ତା, ସତ୍ୟନାରାୟଣ ପାଲା, ତ୍ରିନାଥମେଳା ସବୁ କଲେ । ଦାନ ଦେଲେ–ବାରଣା ଓଜନର ସୁନାର ପୋଲା ମେଣ୍ଢା, ଚାରଣା ଓଜନର ସୁନା ଧନୁ, ସାତଆଙ୍ଗୁଳିଆ କଳା ଶାଢ଼ି, ଖସା ଆଉ କେତେ କ’ଣ । ଭାତ, ଡାଲି, ଖଡ଼ା, କଖାରୁ, ସାରୁ ଏକାଠି ଘଣ୍ଟାଘଣ୍ଟି ତରକାରି, ଏହିପରି ନଉତି ନଉତି କରି ରାନ୍ଧି ଦୁଃଖୀରଙ୍କିକି ଭୋଜି ଦେଲେ । ମୁଢ଼ୀ ନଡ଼ିଆ ତୁଣ୍ଡପୋଡ଼ା ପତ୍ର ଏକାଠି ମିଶାଇ ଗାଁ ଯାକ ପିଲାଙ୍କୁ ବାଣ୍ଟିଦେଇ ବାଳଲୀଳା କଲେ । ଘରଆଗ ଦାଣ୍ଡରେ ଖଜୁରି ବାହୁଙ୍ଗାରେ ଛାମୁଣ୍ଡିଆ ବନ୍ଧାହୋଇ ଢୋଲ ଢାଉଁ ଢାଉଁ ବାଜିଲା ସାତଦିନଯାକେ । ଏମିତି ସବୁ କ୍ରିୟାକର୍ମ ହେଲାବେଳକୁ ରବିକୁ ଚାରି ବର୍ଷ ପୂରିଲା ।

 

ପାଞ୍ଚବର୍ଷବେଳକୁ ରବିକୁ ଧରିଲା ହଗାଲଗା ରକ୍ତଝାଡ଼ା; ଚାରି ମାସଯାକେ ଚାଲିଲା । ନାଣ୍ଡି ବଗୁଲି ମଞ୍ଜି, କଞ୍ଚାବେଲ ପୋଡ଼ା, ପୁରୁଣା କାଞ୍ଜି ଆଉ ଗାଁ ବଇଦଙ୍କ ଗୁଳି ବାରମ୍ବାର ଖାଇ ଖାଇ ଟିକିଏ ରହି ଟିକିଏ ହେଇ ଚାଲିଲା ସେ ବେମାରି, ପିଲାଟିର ହାଡ଼କଣ୍ଟା ଦୋହଲିଲା । ରୋଗର ଶେଷଆଡ଼କୁ ଗାଁକୁ ଦିନେ ଜଣେ ବାବାଜି ଆସିଲେ । ମୁଣ୍ଡରେ ପାନଟୋକେଇ ପରି ବୋଝେ ବଳିଲା ବଳିଲା ଜଟ; ମୁହଁରେ ଲମ୍ବା ଦାଢ଼ି ଛାତି ମଝିକି ଓହଳିଥାଏ, ବେକଠୁ ତଳକୁ ସରୁ ସରୁ ଅବୟବ, ଅଣ୍ଟା ବିରୁଡ଼ି ଅଣ୍ଟା ପରି । ବାବାଜି ବଟ ମହାନ୍ତିଙ୍କ ପିଣ୍ଡାରେ ଚିମୁଟା ପୋତି ଧୁନି ଲଗାଇ ତାହାରି କତିରେ ପଦ୍ମାସନ ପକାଇ ବସିଲେ, କିଛି କହିଲେ ନାହିଁ । ବହୁତ ଲୋକ ତାଙ୍କ ଦର୍ଶନପାଇଁ ଆସୁଥାନ୍ତି । ଗଲାଦିନ ଧୁନିର ନିଭିଲା ପାଉଁଶ ଟିକିଏ ବଟ ମହାନ୍ତିଙ୍କ ହାତକୁ ଦେଇ ବିଦାୟ ହେଲେ, ସେତିକି ରୋଗ ଭଲ ହେଲା । ବାବାଜିଙ୍କ ମହିମା ବ୍ୟାପିଲା, ବାବାଜି ଆଉ ଆସିଲେ ନାହିଁ ।

 

ତେବେ ଏ କ’ଣ ହେଲା ? ରବିର ବାପା ବୋଉଙ୍କର ଭାଳେଣି ପଡ଼ିଗଲା ଏତେ ପୂଜାଓଝା କରି ତଥାପି ପୁଅ ବେମାର ?

 

ଅବଧାନେ ବୁଝାଇଦେଲେ ଯେ ଏଥରକ ପୂଜାର ଫଳ ଆଖି ଆଗରେ ଫଳିଗଲା । ସେ କହିଲେ, ଏଥରକ ଏମିତି ରିଷ୍ଟ ଯେ ଜାଣି ଅବା ଏ ମୁଣ୍ଡ ରହିନଥାନ୍ତା । ଏତିକିରେ ଅଳ୍ପକେ କଟିଗଲା, ଭଲ । କାହିଁ, ଏକଥା ଆଗରୁ କହିଲେ ନାହିଁ କାହିଁକି ? ବଟ ପଚାରିଲେ । ଆଗରୁ କହିଲେ ମନ ବ୍ୟସ୍ତ ହୋଇଥାନ୍ତା ସିନା, ଆଉ ଅଧିକା କ’ଣ ହୋଇଥାନ୍ତା ? ତା’ ଅପେକ୍ଷା ତା’ର ଉପାୟ କରିଗଲେ ଭଲ, ଏଇ ବିଚାରରେ ରହିଲି । ଏହିପରି ବୁଝାଇଲେ ଅବଧାନେ, ପୁରୋହିତ । ମନ ବୁଝିଗଲା ।

 

ପ୍ରତିବର୍ଷ ଶୀତ ଆରମ୍ଭରେ ଦିନାକେତେ ପିଲାଟିକୁ ମ୍ୟାଲେରିଆ ଜର ହୁଏ, ବର୍ଷାବେଳେ କାଶ, ସର୍ଦ୍ଦି, ତଣ୍ଟି ଦରଜ, ନିଦାଘ ଖରାଦିନେ କେବେ କେବେ ନାଳ ଝାଡ଼ା, ଗାଁର ଏ ସାଧାରଣ ଗତରୁ ରବି ମଧ୍ୟ ଛାଡ଼ ପାଇଲାନାଇଁ । ପ୍ରତିଥର ବେମାରିରୁ ଉଠିଲେ ଅବଧାନେ କହନ୍ତି, ‘‘ରିଷ୍ଟ କଟିଗଲା ।’’ ପୁରୋହିତେ ତା’ ମୁଣ୍ଡରେ ଦୁବ ଅରୁଆ ଚାଉଳ ପକାଇ ମନ୍ତ୍ର ବୋଲନ୍ତି, ଆଉ ବୋଉ କହନ୍ତି, ‘‘ଡାଆଣୀ ରୋଗ ମୋ ପୁଅକୁ କେତେ ଦୁର୍ବଳିଆ କରିଦେଇ ଗଲା ଲୋ, ମତେ ଝାଡ଼ିଝୁଡ଼ି ଦେରେ ବାପ, ଶରୀର ନିରୋଗୀ ହଉ ।’’

 

ରବି ବଢ଼ି ଉଠିଲା । ମଝିଲା ସହରରେ ମେସ୍‌ରେ ରହି ସେ ହାଇସ୍କୁଲରେ ପଢ଼ିଲା, କିନ୍ତୁ ଉତ୍‌କଟ ଗ୍ରହପୂଜା ଯେପରି କି ଉତ୍‌କଟ ଫଳ ଫଳାଇଥାଏ, ମୂଳରୁ ସେ ଯେତେ ଗୁଣ କି ଶଙ୍କୁ ଦେଖାଇଲା ସେସବୁ ବୈଷମ ହେବାର ଠିକ୍‌ ଓଲଟା, ସେ ହେଲା ଘୋର ବିଷୟୀ । ଅତି ପିଲାଟିଦିନୁ ଘରକାମରେ ସେ ମନ ବଳାଇଲା, ଛ ବର୍ଷର ପିଲା ଛାଞ୍ଚୁଣି ଉଠେଇ ନେଇ ଘର ଓଳାଇ ପକାଏ, ପରିବାପତ୍ର ଏକାଠି ଗୋଟେଇ ରଖେ, ପଦାରେ ଯାହା ପାଏ ଆଳୁକୁଚି ମାଳୁକୁଚି ତାକୁ ବୋହିଆଣି ଘରେ ପୂରାଏ । ବାପମା’ ଆପତ୍ତି କରନ୍ତି, ମାନେ ନାହିଁ । କେବେ କେବେ ମା’ ଦେଖନ୍ତି ପୁଅ ଅଇଣ୍ଠା ଉଠାଇ ପକାଉଛି, ନ ହେଲେ ରେକେଟା ବାସନ ମାଜିବାକୁ ଆରମ୍ଭ କଲାଣି, ପାଟିକରି ଦୌଡ଼ିଯାଇ ଆଡ଼େଇ ଦେଲାମାତ୍ରେ ଦେଖିଲାବେଳକୁ ପୁଅ ଧାଇଁଗଲାଣି ପାଲଟା ଲୁଗା ପାଖକୁ, ଉବ୍ଦେଶ୍ୟ, ତାକୁ ଆଣି ଖଟ ଉପରେ ଥୋଇବ, ଏମିତି ତା’ର ବାଳଲୀଳା, କୂଅମୂଳେ ପଇସା ପୋତେ, କହେ ଗଛ ହେବ, ଆମ୍ବଡାଳ ଡିମିରିଡାଳ ଭାଙ୍ଗିଆଣି ମାଟିରେ ପୋତି ଦିଏ, କହେ ତୋଟା ହେବ । ଲୋକେ କହିଲେ ଘରକରଣା ବୁଦ୍ଧି ଭାରି । କିନ୍ତୁ ବଇଷମ ହେବା ଗୁଣ ନ ଥିଲା ।

 

ଇସ୍କୁଲ ପଢ଼ୁଆ ପିଲା ବହିଘୋଷାକୁ ବେଶି ନିଘା ନ ଦେଇ ବେଶି ଝୁଙ୍କ ଦେଲା ଗୋରୁଗାଈଙ୍କ ପ୍ରତି, ଚାଷବାସ ପ୍ରତି । ଗୁହାଳ କେମିତି ସଫା ହୁଏ ତା’ ସେ ଅଭ୍ୟାସ କରିଛି । ଗୋରୁ ମୋହିଁବା, ଗାଈ ଦୁହିଁବା କାମରେ ସେ ଧୁରନ୍ଧର । ହଳିଆଙ୍କଠୁଁ ଛଡ଼ାଇନେଇ ଲଙ୍ଗଳରେ ବଳ ଖଟାଏ, ଧାନ କେମିତି ବୁଣା ହୁଏ, ରୁଆ ହୁଏ, ବେଉଷଣ ହୁଏ, କେମିତି ମୁଠେଇ ଧରିଲେ ଭଲ କାଟିହୁଏ, କଚଡ଼ା କେମିତି ଛେତାକରି ପକା ହୁଏ, ପାଳ କେମିତି କାଇଦାରେ ଗଦାମଡ଼ା ହୁଏ, ଅମଡ଼ା ଧାନ କି ଚାତୁରୀରେ ଚଉଖାନି କରି ଗଦାମଡ଼ା ହୋଇ ମୁଣ୍ଡି ମରାଯାଏ, ଯେ ଧାନତକ ଭିତରକୁ ରହିଲେ ପାଳତକ ପଦାକୁ ଯେ ଯେଡ଼େ ବରଷା ହେଲେ ବି ସେ ଧାନର କିଛି ହୁଏ ନାହିଁ । ଏସବୁ କଥା ତ ସେ କେବେଠୁଁ ଜାଣି ସାରିଥିଲା, ଖାଲି ନିରେଖି, ପଚାରି, ଆପେ କାମ କରି କରି ତା’ର ଜ୍ଞାନ ଆସିଯାଇଥିଲା କାହିଁ, ବାପଙ୍କଠୁଁ ବହୁତ ବେଶୀ ହେବ ପଛେ ଊଣା ନୁହେଁ । କିନ୍ତୁ ସେଥିରେ ସେ ବାପଙ୍କଠୁଁ ପ୍ରଶଂସା ଶୁଣି ନାହିଁ, ମନେ ମନେ ଯଦିବା କେବେ ଭାବୁଥିବେ ଯେ ପୁଅର ଘରକରଣା ବୁଦ୍ଧି ବେଶି, ତୁଣ୍ଡରେ କହିଲାବେଳକୁ ବାହାରେ ଭିନେ ପଦମାନ ଯେ-

 

‘ମୋ ଉଞ୍ଚା ମୁଣ୍ଡଟା ତଳକୁ କରିଦେଲୁରେ କୁଳାଙ୍ଗାର, ପାଠପଢ଼ି ଭଦ୍ର ହେବୁ କ’ଣ ଓଲଟି ନିପଟ ମୂଲିଆ ହେବାକୁ ତୋ ମନହେଲା, ହଇରେ ! ଖାଲି ବଳଦ ବେକ କୁଣ୍ଢେଇ ଧେଇ ଧେଇ ହବୁ, ହଳିଆ ଗୋଡ଼ରେ ଓଷଧ ଲଗେଇବୁ, ବାଉରୀ କଣ୍ଡରା ହାଡ଼ି ପାଣଙ୍କ ସଙ୍ଗରେ ସଙ୍ଗାତ ମଇତର ହୋଇ ବୁଲିବୁ, ପଢ଼ୁଆ ପିଲା ଧୋବଧାଉଳିଆ ହୁଅନ୍ତୁ, ଭଲ ବୁଦ୍ଧି, ଭଲ କାମ, ମାନ ମହତ କୁଆଡ଼ୁ କିଛି ନାହିଁ, ଖାଲି କାଦୁଅ ଚକଟା, କୋଡ଼ି ହଣା, ଦାଣ୍ଡ ଖରକା, ଅସନା ସଫା ଏଇଗୁଡ଼ାକ ଲାଗିଚି ବେପାର । ଆମେସବୁ ପିଲା ହୋଇନଥିଲୁ ନା ଆଉ ।’’

 

ମୁଣ୍ଡକୁ ତଳକୁ ପୋତିଦିଏ, ଠିଆହୋଇ ଟାଳିଯାଏ । ଜାଣେ ୟେ ଆରମ୍ଭ ହେଲେ ଅସରା ପରେ ଅସରା ଆସିବ, ଆସେ ବି ଆଉ ଅସରାଏ-

 

‘‘ଭଲା କହ ତ, ଏତେ ପରର ହାନି ନାଭ ଚିନ୍ତା ତୋ’ରି ମୁଣ୍ଡ ଉପରେ କାହିଁକି ଲଦା ହେଇଚି ? କାହା ଘରେ କ’ଣ ଅଛି କି ନାହିଁ, ସହରରୁ କାହାର କ’ଣ ଆସିବ, କାହା ଗୋରୁ ଗୋଡ଼ରେ ଫାଟୁଆ ହୋଇଛି, କାହା ଛେଳି ଛେରି ହେଉଛି, ଏଇସବୁ ଖବର ତୁ ବୁଝିବୁ ନା ପାଠପଢ଼ିବୁ ? ନା ପଢ଼ୁଆ ପିଲାର ଏଇ କାମ ? ମତେ ତ ଲାଗୁଛି ବାଳୁଙ୍ଗା ହେଇଯିବୁ । ସହରରେ ଅଛୁ ଯେ ବହି ସଙ୍ଗରେ ଦେଖା ହୁଏନା, ଏଠିକି ଆସିଲେ ଯେମିତି ବାଇଟୁଙ୍ଗୁରି ପରି ବୁଲୁ ସେଠି ବି ସେଇଆ ।’’

 

ନା ପାଠପଢ଼ାରେ ସେ ଖଇଚା କରିନାହିଁ । ପାଠପଢ଼ାଟାକୁ ସେ ଗୋଟାଏ କର୍ତ୍ତବ୍ୟ ବୋଲି ଧରି ନେଇଥିଲା,-ବୟସରେ ଯେପରି କରିବାକୁ ହୁଏ, ତା’ଛଡ଼ା ବାପା କହିଛନ୍ତି । ତେଣୁ-

 

କିନ୍ତୁ ନିଜେ ବିଚାର କରି ଦେଖିବାକୁ ମନହୁଏ, ବଡ଼ ପାଟିକରି କାହା ଆଗରେ ମତ ବ୍ୟାଖ୍ୟାନ ସେ କରେନାହିଁ, କିନ୍ତୁ ସେ ଭାବେ ।

 

ସେ ଭାବେ ଇଂରେଜୀ ପାଠପଢ଼ିବା ଘୋଷିବା ଯେପରି କି ଏକ ଅକାମୀ ବୋଝ । ପୃଥିବୀରେ ଏତେ ଭାଷା, ସବୁ କ’ଣ ସେ ଶିଖିବ ? ଦେଶଯାକ ଏତେ ଲୋକ ଅଛନ୍ତି, ସେମାନେ ବି ଆପଣା ଆପଣା କାମ କରୁଛନ୍ତି । କେଇଜଣ ସେଥିରୁ ଇଂରେଜୀ ଜାଣନ୍ତି ? ଭଲ ଇଂରେଜୀ ଜାଣିଲେ ବହୁତ ବହି ସେ ପଢ଼ିପାରିବ, ଜାଣିପାରିବ ବୋଲି କ୍ଲାସରେ ଶିକ୍ଷକ କହନ୍ତି, ଆଉ ସେ ମନକୁ ମନ ପଚାରି ହୁଏ, ଆଉ ସବୁକାମ ଛାଡ଼ି ଏତେ ବହି ପଢ଼ିବାକୁ ସେ ବେଳପାଇବ କେତେବେଳେ ? କିଏ ବା ପାଏ ?

 

ଆଉ ସେ ଏପରି ବି ଭାବୁଥିଲା ଯେ ଶବ୍ଦଗୁଡ଼ାକ ବୋଧହୁଏ ଅନୁବାଦ କରି ହୁଏ ନାହିଁ-। ଖାଲି ଠାସକୁ ମାରିବା କଥା, ନ ହେଲେ କେଉଁ ସାହେବ ଭାତ ରାନ୍ଧେ କି ଭାତ ଖାଏ ଯେ ରାଇସ କହିଲେ ଆମେ ଯାହାକୁ ଭାତବୋଲି କହୁଁ ତାକୁ ସେ ବୁଝିବ ? ଚାଉଳ ବଛା, ଚାଉଳ ପାଛୁରା, ଚାଉଳ ଧୁଆ, ହାଣ୍ଡି ବସା, ଚାଉଳ ପକା, ଭାତ ଗଳା, ଏତେ କାମ ସରିଲେ ହାଣ୍ଡି ଭିତରେ ଚାଉଳ ଦୋଟି ଫୁଟି ରହେ, ରାଇସ ବୋଲି କହିଦେଲେ ବୁଝାଇବ ଏତେ କଥା ? ଟେମସ୍‌ନଈର ପୋଲ କି ଡେଜି ଫୁଲ ବିଷୟରେ କବିତା ତା’ ମନରେ କିଛି ଉନ୍ମାଦନା ଆଣେ ନାହିଁ । ଓଲଟି ଇଂରେଜି ପଢ଼ିବାକୁ ବସିଲେ ସେ ଭାବେ ଇଂରେଜୀ ଅମଳ କଥା, ପରାଧୀନତା, ସ୍ୱାଧୀନତା ଆନ୍ଦୋଳନ, ଦମନ ଓ ଅତ୍ୟାଚାରର କାହଣୀ, ସାଧୀନତା-ଏହିପରି କେତେକଥା । ଇଂରେଜୀ ପଢ଼ା ଲାଗେ ଯେପରି କି ଜାତୀୟ ଚେତନାରେ ପୁରୁଣା ଖଣ୍ଡିଆ ଦାଗ ପରି, ଖୋଳପା ତଳେ ଶୁଖି ନାହିଁ-। ଶୁଖିଥିଲେ ବି ନାଲିଆ ଚିହ୍ନଟା ରହିଛି ସେହିପରି । ଲାଗୁଥିଲା, କାନ୍ଥରୁ ରଜାରାଣୀ ଛବିଟା ଉଠାଇନେଇ ସେଠି ମହାତ୍ମା ଗାନ୍ଧୀଙ୍କ ଛବି ଟାଙ୍ଗିଦେଲେ ବି ଯଥେଷ୍ଟ ହୋଇନାହିଁ । ପରମ୍ପରା ତୁଟି ନାହିଁ । ଇଂରେଜୀ ଭାଷା ତା’ର ସେହିକଥା ମନେପକାଇ ଦିଏ । ପରାଧୀନ ଭାରତର ଏକ ଲଜ୍ଜାକର ପରିଚ୍ଛେଦ । ତାହାରି ମୋହର ପରି ବିଜେତାର ଭାଷା-ଇଂରେଜୀ । ଯାହାକୁ ପଢ଼ିଲେ ଲାଗନ୍ତା ଯେ ସେ ଲୋକମାନେ ଅତିମାନବ । ତାଙ୍କ ଦେଶ ଏକ ସପନପୁରୀ-ବିରକ୍ତ ଲାଗେ, ଲାଗେ ଏଗୁଡ଼ା କଞ୍ଚା ମିଛ ।

 

ଖାଲି ଇଂରେଜୀ ନୁହେଁ, ଅନେକ ପାଠ ତାକୁ ଲାଗେ ଅଦରକାରୀ ବୋଲି । ଯେପରି, ଇତିହାସ । ଏତେ ରାଜା, ଏତେ ଲଢ଼େଇ, ଏତେଗୁଡ଼ାଏ ତାରିଖ, ଏତେ ଘଟନା । ଘୋଷିଲେ ମୁଣ୍ଡ ବଥାଏ । ଆଲ୍‌ଫ୍ରେଡ୍‌ଠୁଁ ଆଉରଙ୍ଗଜେବ ।

 

ଭାବେ, କିଏ କାହାର ? କିଏ ସ୍ଥିର ? ଭାବେ,ୟେ ତ ଗଲା ବଡ଼ ଲୋକଙ୍କ କାହାଣୀ, ଗରିବର କାହିଁ ? ପାଠ ବହିର ଇତିହାସ କହେ ଗୋଟାଏ ଯୁଗରେ ଗୋଟାଏ ରଜାର କଥା, ଆଉସବୁ ମଣିଷଙ୍କ ଭଲ ମନ୍ଦର କଥା ଗଲା କୁଆଡ଼େ ? ସେତେବେଳେ ପିଲାଏ ପାଠ ପଢ଼ୁଥିଲେ-? ଲୋକେ କେମିତି ରହୁଥିଲେ ? କ’ଣ ଖାଉଥିଲେ ? କି କାମ କରୁଥିଲେ ? କେମିତି ଚଳୁଥିଲେ-? ଗାଈ, ଗୋରୁ, ବାରିବଗିଚା ଅବସ୍ଥା ଥିଲା କେମିତି ? ଲୋକେ କି ପ୍ରକାରେ ହରବର ହେଉଥିଲେ ? ପୁଣି ଭଲ ବା ହେଉଥିଲେ କେମିତି ?

 

ଡରି ଡରି ସାଙ୍ଗ ପଢ଼ୁଆଙ୍କଦ୍ୱାରା କ୍ଳାସରେ ଥରେ ପଚରାଇଥିଲା । ମୌର୍ଯ୍ୟ ଶାସନପଦ୍ଧତି ପଢ଼ାହେଲାବେଳେ ସେ ପଚରାଇଥିଲା ଯେ ସେ କାଳରେ ଗାଁମାନଙ୍କରେ କି କି ପୂଣ୍ୟପର୍ବ କରୁଥିଲେ ? କି ପ୍ରକାରର ପିଠାପଣା କରୁଥିଲେ ? ତା’ ପ୍ରଶ୍ନରେ ସମସ୍ତେ ହସିଥିଲେ । ଶିକ୍ଷକ ଭାବିଲେ ସେ ବଗୁଲିଆମି କରୁଛି । କୁତୂହଳ ଦେଖାଇ ସେ ତା’ ବଦଳରେ ଗାଳି ଖାଇଥିଲା-

 

ବିଧିରକ୍ଷା କରି ପାଠ ଘୋଷିଯାଏ, କିନ୍ତୁ କେତେବେଳେ ଭାବେ ଅନ୍ୟକଥା, ଯେପରି କୁଳିଆ ବଢ଼େଇ ବିଷୟରେ । ଜରରେ କତରାଲଗା ହୋଇ ପୁଣି ଉଠିପଡ଼ି ନିହାଣବାରିସି ଧରି ସେ ମୂଲପାଇଁ ଧାଇଁଛି । ଶିର ଦଉଡ଼ିବଳା ହାତ ହେଲେ କ’ଣ ହେଲା, ବଡ଼ ସୁତୁରା ତା’ କାମ । ଆଗେ ପରା ବଢ଼େଇକୁଳ ଏମିତି ବୋଇତ ଗଢ଼ି ଦେଉଥିଲେ ଯେ ସେଥିରେ ହାତୀ ବୋଝେଇ ହୋଇ ବିଦେଶକୁ ଯାଉଥିଲେ ବିକ୍ରି ହେବାକୁ । ଆଉ ପଥରରେ କାରିଗରୀ ଦେଖାଇ ଦେଉଳ ଦେହରେ ଛୁଞ୍ଚିକାମ କରୁଥିଲେ ପରା । ସେ ବେଳରୁ କୁଳିଆ ବଢ଼େଇ ଯାକେ କେତେ ପାହାଚ ?

 

ଏଇ ଲୋକେ ଜାହାଜ ଚଢ଼ି ଏତେ ଦେଶ ବିଦେଶ ବୁଲୁଥିଲେ, ଏତେ ବଡ଼ ବଡ଼ କାମ କରୁଥିଲେ । ସେତେବେଳେ ତାଙ୍କ ଚଳଣି କ’ଣ ଏମିତି ହୋଇଥିଲା ? ନା ଥିଲା ଆଉ ଭିନେ କିଛି-? କୁଆଡ଼େ ଗଲା ସେସବୁ ଚଳଣି ? କୁଆଡ଼େ ଗଲେ ସେକାଳ ମଣିଷ ସେହି ଯେଉଁମାନେ ପହିଲ୍‌ମାନ ପରି ହୋଇଥିଲେ–ପାଞ୍ଚହାତ ଭେଣ୍ଡାମାନେ, ଦେଉଳ ଚିତ୍ରମାନଙ୍କରେ ଯାହାଙ୍କ ଛବି ମାଳ ମାଳ ।

 

ନା ସେ ଚିତ୍ରସବୁ କ’ଣ ଖାଲି ଶିଳ୍ପୀର କଳ୍ପନା ! ଖାଲି ମନଗଢ଼ା ଛବିସବୁ ! ବୁଢ଼ା ବୁଢ଼ୀଙ୍କ ହାଡ଼ର ଛାଞ୍ଚ ଆଉ ଆଡ଼ା ଟୋକାଟୋକୀଙ୍କଠି ଆଉ ନାହିଁ । ଉପଯୁକ୍ତ ଖାଦ୍ୟ ନ ପାଇ ଲୋକେ ବଢ଼ିପାରୁ ନାହାନ୍ତି, ଶୁଖିଲେ ସେମେଟା ହୋଇଯାଉଛନ୍ତି । ବେମାରି ଦାଉରେ ଗଜା ଭେଣ୍ଡିଆ ମାଟି କାମୁଡ଼ୁଛନ୍ତି । ଭାଉ ବଢ଼ୁଛି । ଦୁଧରେ ଖଡ଼ି ଆଉ ପାଣି, ଘିଅ ପରିବର୍ତ୍ତେ ଘାସଘିଅ, ସୋରିଷ ତେଲରେ ଅଗରା ମଞ୍ଜିତେଲ, ମହୁରେ ଆଉଟା ଗୁଡ଼ପାଣି, ଚାଉଳ ଯେ ସେ କଳକୁଟା, ସାର ତାଞ୍ଛିହୋଇ ଚାଲିଯାଇଛି, କେଡ଼େ କଷ୍ଟରେ ଜୀଊଣା ମଣିଷଙ୍କର ! ଆଉ ଅଭାବ ସଙ୍ଗକୁ ଅଶାନ୍ତି ଓ ରୋଗ । ସତେ କି ମଣିଷ ଜୀବନରୁ ସୁଖ ସରି ସରି ଆସୁଛି । ଆଉ ଏଥିରେ ସେ ପଢ଼ୁଥିବ ତା’ର ପାଠ-ସାହିତ୍ୟ, ଇତିହାସ । କଥା କହି ଶିଖୁଥିବ, ଇଂରେଜୀ ଓ ଓଡ଼ିଆ ଭାଷା ଚିକଣେଇ ଚିକଣେଇ ଲେଖି ଶିଖୁଥିବ । କାହା ଦୁଃଖ ଯିବ ସେଥିରେ ?

 

ବହି ରଖିଦେଇ ଉଠିପଡ଼େ । ଅନ୍ୟମାନଙ୍କ ସଙ୍ଗେ ଆପଣା ମତ ଯୋଖେ, ସେମାନେ ସାନ ସାନ ଦଳ ହୋଇ ଏ ଦେଶକଥା ପୁଣି ଦୁନିଆକଥା ଆଲୋଚନା କରନ୍ତି । ଖବରକାଗଜ ଆଉ ଅନ୍ୟାନ୍ୟ ଲେଖାମାନ ପଢ଼ି ସେଥିରୁ ଯାହା ବୁଝନ୍ତି, ଯାହା କଳ୍ପନା କରନ୍ତି ବୁଝୁଛନ୍ତି ବୋଲି, ସେହି ବିଷୟରେ ପ୍ରବଳ ଉତ୍ସାହରେ ତର୍କ ଆରମ୍ଭ କରିଦିଅନ୍ତି । ଦେଶରେ ନାନା ପ୍ରକାର ପରିବର୍ତ୍ତନ ଘଟୁଛି, ଉନ୍ନତିପାଇଁ ନାନା ପ୍ରକାର ଯୋଜନା କାର୍ଯ୍ୟକାରୀ ହେଉଛି, ଯେପରି ବ୍ୟବସାୟ ବାଣିଜ୍ୟ ବଢ଼ିବ, ଚାଷ ବଢ଼ିବ, ଧନ ବଢ଼ିବ, ଦାରିଦ୍ର୍ୟ ଘଞ୍ଜିବ । କେତେବେଳେ ମହାଉତ୍ସାହରେ କେଉଁ କଥାକୁ ସମର୍ଥନ କରି ଆଶା ଆଉ ଖୁସିରେ ଛଳଛଳେଇ ହୋଇ କଥା କହନ୍ତି । ଆଉ କେତେବେଳେ କରନ୍ତି ନିରାଶାମୟ ସମାଲୋଚନା, କହନ୍ତି ଗରିବଙ୍କ ହିତ କରୁଛୁଁ ବୋଲି କହିବାଟା ଗୋଟାଏ ଢପ ହୋଇଗଲାଣି, ସେ ଖାଲି ଗୋଟାଏ ଭେକ, ସେଥିରେ ଆନ୍ତରିକତା ନାହିଁ । ଖାଲି ସମସ୍ତିଙ୍କ ମୁଣ୍ଡରେ ଆପଣା ଲାଭର ଫିକର, ନ ହେଲେ ତୁଚ୍ଛା ବଡ଼ପାଟି, ଆଉ କିଛି ନୁହେଁ । ସବୁ ଦେଶରେ ସାଧାରଣ ଲୋକେ ଆପଣା କର୍ମ ଘେନି ଆପଣା ଦୁଃଖ ଆବୋରି ପଡ଼ିଛନ୍ତି । ତାଙ୍କର ଅସଲ ଉପକାର ହେଉ ନାହିଁ । ଧନୀ ଲୋକେ ବେଶି ଧନୀ ହେଉଛନ୍ତି । କୁଚକ୍ରୀ ଲୋକେ ବଡ଼ ହେବାକୁ ଫାନ୍ଦ ପାତି ଭେଳିକି ଲଗାଉଛନ୍ତି । ସେହିମାନେ ଲାଭ ଖାଇବାକୁ ପରକୁ ଟେହାଟେହି କରିଦେଇ କଳିଆ ଲଗାଇ ଦେଉଛନ୍ତି, ସେହିଥିରୁ ଗାଁରେ ଦଳ ଦଳ ହୋଇ କଜିଆ, ଦେଶରେ କ୍ଷମତା ଲଢ଼େଇ, ପୃଥିବୀରେ ଦେଶ ଦେଶ ଭିତରେ ଖୁରି, ହାଣକାଟ, ଯୁଦ୍ଧ ।

 

ପୃଥିବୀର ସବୁ ମଣିଷପିଲାଙ୍କ ପରି ସେହି ଶାନ୍ତିକାମୀ ଛାତ୍ରଦଳ ସମଗ୍ର ମଣିଷ ଜାତିର ଶୁଭ ଆଉ ସୁଖ ମନାସନ୍ତି । ସେତେବଳେ ଭାଷା କ’ଣ ଦେଶ କ’ଣ ସମଗ୍ର ପୃଥିବୀର ମାନଚିତ୍ରଟା ସଙ୍କୁଚିତ ହୋଇଯାଏ, ସତେକି ଆପଣା ପଢ଼ାଘରର ଚଟାଣ, ସତେକି ବହିରେ ପଢ଼ା ଛବିରେ ଦେଖା ଦୂରଦୁନିଆ କ’ଣର ମଣିଷ ଆପଣା ଦେହର ପୋଷାକ ଆଉ ରଙ୍ଗ ଉତାରି ପକାଇ ଭାଷା ପାଲଟି ପକାଇ ଚିହ୍ନାମଣିଷଙ୍କ ଚିହ୍ନାଚେହେରାରେ ମିଶିଯାଆନ୍ତି । ଆଉଲାଗେ ଖବରକାଗଜର ସମ୍ବାଦ ରେଡ଼ିଓର ସମ୍ବାଦ ଯେପରି କି ଆପଣାର ଚିହ୍ନା ସହରର ଆଉ ଗାଁର ହିଁ କାହାଣୀ, ତାଙ୍କର ଦୁଃଖ ଆଉ ସମସ୍ୟା ଆପଣାର ଚେତନା ସମୁଦ୍ରରେ ଜୁଆର ଖେଳାଏ, ଲାଗି ରହିଥାଏ ସେମିତି ଅଗଣିତ ଲହଡ଼ି, ଅଗଣିତ ରୂପର ସୃଷ୍ଟି ଆଉ ବିଲୟ, ଅନ୍ଧାରରେ କିମିଆ ଆଲୁଅର ଢେଉ ମାଡ଼ିଆସେ, ପୁଣି ଅନ୍ଧାରି ଆଳତି ହୋଇ ଭାସିଉଠି ପୁଣି ଅଦୃଶ୍ୟ ହୋଇଯାଏ । ସେମାନେ ଆତୁର ହୋଇ ପରସ୍ପର ସହିତ ଯୁକ୍ତି ଲଗାଇ ଦିଅନ୍ତି ଯେ ଆମେରିକାର ସମସ୍ୟା କି ଇଜିପଟ୍‌ ସମସ୍ୟା କି ଚୀନ୍‌ କି ଜାପାନ୍‌ କି ଇନ୍ଦୋନେସିଆର ସମସ୍ୟା ବିଷୟରେ, ତାହାରି ଉପରେ କେତେ ବନ୍ଧୁପଣର ସମ୍ବନ୍ଧ ଭାଙ୍ଗିଯାଏ କି ବଢ଼ିଉଠେ । କେତେଦିନ କେତେରାତି ବିତିଯାଏ ଗୋଟାଏ ଆଚ୍ଛନ୍ନ ଭାବନା ଭିତରେ, ଭୋକ ଶୋଷ ଭୁଲି ହୋଇଯାଏ, କିଏ କେତେବେଳେ ହସେ କି କାନ୍ଦେ, ଆପଣାର ଭବିଷ୍ୟତର କର୍ମପନ୍ଥାପାଇଁ ଶପଥ ଘେନି ହୁଏ, ପ୍ରତିଜ୍ଞା କରିହୁଏ, କାର୍ଯ୍ୟରେ କିଛି ନ ଘଟୁ, ମାନବିକତାର ମହାଭାବ ଭିତରେ ମନେ ମନେ ଆପଣା କୁଣ୍ଢ ଭିତରେ ଏକାଠି ଗୋଟେଇ ହୁଅନ୍ତି ଦୁନିଆଯାକର ସାଧାରରଣ ମଣିଷ ସମସ୍ତେ, ନିଗ୍ରୋ କି ଇଂରେଜ, ମିସର କି ହଙ୍ଗେରି, କୋରିଆ କି ମାଓରି ସବୁ ଲୋକେ । ସେତେବେଳେ ବିଦେଶର ଅଦେଖାଅଚିହ୍ନା କବି କି ଚିତ୍ରକରଙ୍କ ମୃତ୍ୟୁଖବର ପାଇ କାନ୍ଦିକାଟି ଉପାସ କରିହୁଏ, ତିଳତର୍ପଣ କରିହୁଏ ।

 

ଅନ୍ୟମାନଙ୍କ ସଙ୍ଗରେ ରବି ବି ସେତେବେଳେ ହିରୋସୀମାକୁ ଦୁଃସ୍ୱପ୍ନରେ ଦେଖିଛି, ଦେଖିଛି ଯୁଦ୍ଧରେ ପୋଡ଼ା ୟୁରୋପର ରଣଭୂମିକି, ଭାରତର ସାମ୍ପ୍ରଦାୟିକ ହାଣକାଟକୁ, ଲକ୍ଷ ଲକ୍ଷ ରିଫ୍ୟୁଜିଙ୍କି, ସ୍ତାଲିନ୍‌ଗ୍ରାଡ୍‌ର ବୀରାଙ୍ଗନାମାନଙ୍କ ସଙ୍ଗେ ମିଶି ଭଙ୍ଗାଘରର ଇଟା ଉହାଡ଼ରୁ ଯୁଦ୍ଧ ନିଆଁ ଧୂଆଁ ଭିତରେ ଶେଷ ନିଶ୍ୱାସ ଥିବାଯାକେ ଲଢ଼ିଛି ସ୍ୱାଧୀନତାର ସଂଗ୍ରାମରେ କଲେଜ୍‌ର ଖେଳପଡ଼ିଆ ଧଡ଼ିରେ ଠିଆ ହୋଇ ।

 

ନାଲି ସୂର୍ଯ୍ୟାସ୍ତଆଡ଼କୁ ଚାହିଁ ନିମିଷକେ ଉଡ଼ାଇ ଦେଇଛି ଆପଣାର ସୂକ୍ଷ୍ମ ଚେତନାକୁ; ଦୂରକୁ ଭାସିଯାଇ ମିଶିବାକୁ ଦୁନିଆର କେଉଁ କେଉଁ ପ୍ରାନ୍ତର ମଣିଷ ଗ୍ରହଣରେ, ସେହି ଯେଉଁଠି-ସେ ଭାବିଛି ମଣିଷ ଅତ୍ୟାଚାରିତ, ଲୁଣ୍ଠିତ, ଅପମାନିତ । ସ୍ୱପ୍ନ ଦେଖିଛି ।

 

ପୁଣି–ପାଠପଢ଼ିଛି, ପରୀକ୍ଷା ଦେଇଛି ଗୋଟାକୁ ଗୋଟା, ପାସ୍‍ କରିଛି । ସ୍କୁଲ କଲେଜ ବିଶ୍ୱବିଦ୍ୟାଳୟ ନିର୍ଘଣ୍ଟମୟ ଶ୍ରେଣୀଗତ ପାଠପଢ଼ା ଟପି ଟପି ଆସୁ ଆସୁ ଖିଅର ହୋଇଛି, ଦେହ ଟାଙ୍କିଦେଇ ପିଠିର ଛାତିର ବାହାର ମାଂସପେଶୀ ଫୁଲାଇ ଫୁଲାଇ ଅନୁଭବ କରିଛି ଯୌବନର ବଢ଼ନ୍ତା ଢେଉକୁ, ଅଜାଣତରେ କେତେବେଳେ ତା’ର ମନ ଚଇତନ ବିଚାର ଆଉ ସ୍ନେହ-ଅନୁଭୂତି ତରଳ ପିଲାପଣ ଛାଡ଼ି ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱର ଛାଞ୍ଚରେ ଢାଳି ହୋଇଛି, ଆଶା ଆଉ ସାହାସ ସହିତ ଦୂରଦୃଷ୍ଟି ମିଶାଇ ବିଶ୍ଳେଷଣ କରି ଶିଖିଛି, ମଣିଷପଣର ଟାଣ ଚାଲି ଆସିଛି ଆପେ ଆପେ ।

 

ବାପେ ଦେଖିଛନ୍ତି, ପୁଅ ବି.ଏ.ପାସ୍‍କଲା. ତା’ପାଇଁ ସୀମିତ ପରିସରର ସ୍ୱପ୍ନ ଦେଖି ଖୁସି ହୋଇଛନ୍ତି ଯେ ଯାହା ଥିଲା ଅନିର୍ଦ୍ଧିଷ୍ଟ ସେ ନିର୍ଦ୍ଧିଷ୍ଟ ପନ୍ଥାପାଇଁ ଉପଯୁକ୍ତ ହୋଇଛି, ଚାକିରୀ, ଦରମା, ବିବାହ, ଚାକିରିରେ ପଦୋନ୍ନତି, ବିବାହିତ ଜୀବନରେ ସନ୍ତାନସନ୍ତତି । ସେ ଭାବିଛନ୍ତି, କଞ୍ଚାମାଲ କଳରେ ପଶିଥିଲା, ବାହାରି ଆସିଛି ତିଆରି ଜିନିଷ, ମପା ଚୁପା ବନ୍ଧା ସମାଜ ସଂସ୍ଥିତିପାଇଁ ଉପଯୋଗୀ ଭଦ୍ର ସଭ୍ୟ ଉପକରଣ ।

 

ଅଥଚ ସେ ଅନୁଭବ କରିଛି ଭିନେ । ଭାବିଛି ସେ ନିର୍ଦ୍ଧିଷ୍ଟ ଭିତରୁ ଅନିର୍ଦ୍ଧିଷ୍ଟ ଅବସ୍ଥା ଭିତରକୁ ଚାଲି ଆସିଛି, ଆଉ ପାଠ୍ୟପୁସ୍ତକ ନାହିଁ, ପାଠନିର୍ଘଣ୍ଟ ନାହିଁ, ଆଉ ନାହିଁ ପରୀକ୍ଷା କି ମପାଚୁପା ପାଠପଢ଼ାର ପରଖ । ସେ ଦେଖିଛି ସେ ସ୍ୱାଧୀନ ହୋଇଯାଇଛି, ସାମ୍ନାରେ ସୁସ୍ଥ ଜୀବନର ଅଜଣା ଧାରା ଯେଉଁଠି ସେ ଆପଣା ସହାନୁଭୂତି ବଳରେ ବାଟ ବାଛି ନେଇ ପରିଶ୍ରମ ସେବା ଆଉ ତ୍ୟାଗରେ ଆପଣାକୁ ପରିପୁଷ୍ଟ କରି ଜୀବନକୁ ଉପଭୋଗ କରିବାକୁ ହୁଏତ ସୁଯୋଗ ପାଇପାରିବ ।

 

ବାପେ ଯଦି କାଗଜରେ ଗାର କାଟିଛନ୍ତି, ରୂପ ଆଙ୍କିଛନ୍ତି, ସେ ତା’ର ଛବି ଆଙ୍କିଛି ବ୍ୟୋମର ପଟ ଉପରେ ବିଚାର ଆଉ ସ୍ନେହପ୍ରବଣତାର ରଙ୍ଗ ଦେଇ ।

 

ଦୁହେଁ କେବେ ଆପଣା ଆପଣା ଖାତା ଖୋଲି ବସି ହିସାବ ମିଳାମିଳି କରିନାହାନ୍ତି ।

 

ବଟ ମହାନ୍ତିଏ ସବୁ ପଦାର୍ଥ ଉପରେ ଆପଣା ଜୀବନ ଅନୁଭୂତିରେ ଚିହ୍ନା ମୂଲକୁ ଧରିନେଇ ନିଶ୍ଚିତ ଅଛନ୍ତି । ସେ ଦେଖିଛନ୍ତି, ଜମି ଲାଗି ଦେଇଥିଲେ, ଫସଲ ପାଇବା କେବେ ଅଟକି ନାହିଁ, ବରଂ କଣ୍ଟ କରି ସଞ୍ଜା ଦେଇ ଦେଖିଛନ୍ତି ଭାଗୁଆଳି ଚାଷୀ ତା’ର ହଳ ବଳଦ ବିକି ତାଙ୍କର ନିର୍ଦ୍ଧିଷ୍ଟ ଅଂଶଆଣି ବୁଝେଇ ଦେଇ ଯାଇଛି- ଯଦି ଏପରି କେବେ ହୋଇଛି ଯେ ଇନ୍ଦ୍ର ଭଲ ପାଳି ନାହିଁ । ଟଙ୍କା କରଜ ଦେଇ ସୁଧ ମିଳିଯାଇଛି ଠିକଣାରେ, କିଏ ବିବାହପାଇଁ ନେଉ କି ଶ୍ରାଦ୍ଧପାଇଁ ନେଇଥାଉ, ଆଳୁ ଲଗାଇବାକୁ ନେଇଥାଉ କି ଚାକିରି ଖୋଜିଯିବ ବୋଲି ବାଟଖର୍ଚ୍ଚପାଇଁ ନେଇଥାଉ, ସୁଝି ନ ପାରିଲେ ବନ୍ଧକି ଜିନିଷ କି ଜମି ନିଜର ହୋଇ ରହିଯାଇଛି ।

 

ସେମିତି ଆପଣାର ପାଠପଢ଼ା ପୁଅଟି । ବାରମ୍ବାର ପଚାରିଛନ୍ତି, ‘‘ଅବଧାନେ, ଦେଖିଲ ଆଉଥରେ ଜାତକଟା । ତା’ର ବୃହସ୍ପତି କେବେ ଚଳୁଛନ୍ତି ?’’

 

‘‘ବସ ଅବଧାନେ, କହ କ’ଣ ଦେଖିଲ ? ଚାକିରି କେବେ ମିଳିବ ? କେଉଁ ପ୍ରକାର ? ବିଭାରାତ୍ର କେବେ ଫିଟିବ ? କେଉଁ ଦିଗରେ ? ବୋହୂଟି କେମିତି ପଡ଼ିବ ? ପଚାରିବଟି ଆମ ବୁଢ଼ାବୁଢ଼ୀଙ୍କି ?’’

 

ପୁଅ ଆଗରେ ବେଶୀ ପାଟି ଫିଟାଇବା ସେ ଭାବନ୍ତି ଭାକୁଚିଆଳି ହେବା ଖାଲି । ଯେମିତି ଜମି ଅଛି, ତୋଟାବାଡ଼ି ଅଛି, ନଈ ଅଛି, ଚିହ୍ନା ଦୃଶ୍ୟ ସବୁ ଅଛି, ଯେ ଯେଉଁଠି ଥିଲା, ସେମିତି ପୁଅମାନେ ଅଛନ୍ତି । ଆପଣା ମନକୁ ହସି ହସି ଭାବନ୍ତି, ପୁଅ ଯେତେ ପାଠପଢ଼ିଲେ ଯେତେ ବୁଦ୍ଧିଆ ହେଲେ କ’ଣ ହେଲା ? ଭୀମର ବଳ କ’ଣ କୁଇନ୍ତାଙ୍କୁ ଅଜଣା ?

 

ଖାଲି ଶୁଭ ମୁହୂର୍ତ୍ତମାନଙ୍କ ଅପେକ୍ଷା, ସେହି ଯେଉଁ ମୁହୂର୍ତ୍ତସବୁ ଆସେ ଗ୍ରହମାନଙ୍କ ଚଳାଚଳ ଆଉ ମୁହଁ ଦେଖାଦେଖି ଘେନି, ଯହିଁରେ ହଠାତ୍‌ ଦିନେ ଗଛଟା ଡାଳ ମେଲିଦିଏ, ଫୁଲ ଧରେ ।

 

ଆଉ ଅପେକ୍ଷା କରନ୍ତି ଭଗବାନଙ୍କ ଆଶୀର୍ବାଦକୁ, ସେଥିରେ ସେ ଏକା ନୁହଁନ୍ତି, ତାଙ୍କର ସହଧର୍ମିଣୀ ବି । ଠାକୁରଙ୍କୁ ଉଦ୍ଦେଶ୍ୟ କରି ଦଣ୍ଡବତ ହେଲାବେଳେ ଆଖି ଆଗରେ ଆପଣାର ଅଧା ଚିହ୍ନା ଯୋଜନାମୟ ଆଶା ବି ମଞ୍ଜିରୁ ଫୁଟି ଗଜା ହୁଏ, ଗଜାରୁ ଗଛ, ତା’ପରେ ଫୁଲ ଆଉ ଫଳ । ଆଖିବୁଜି ନିଶ୍ୱାସ ରୁନ୍ଧି କହନ୍ତି- ଜୟ ପ୍ରଭୁ, ତୋ’ର ଇଚ୍ଛା ।

 

ସେଦିନ ଫୁଲାମନରେ ଘରକୁ ଫେରିବାକୁ ଆରମ୍ଭ କରିଦେଇଥିଲା ରବି, ତା’ପରେ ବାଟରେ ସେହି ଘଟଣାଟା ।

 

ଅନହୁତି କାହାଣୀ ଛିଲିକାଏ, କିନ୍ତୁ ଆପଣାଠି କେଉଁଠି କ’ଣ ଘଟିଛି ନ ଜାଣୁଣୁ ଜୀବନର କେଉଁ ଏକ ତରତର ଗଡ଼ାଣି ସୁଅରେ ଆଖି ପିଛଡ଼ାକେ କେତେଦୂରକୁ ସେ ଗଡ଼ି ଚାଲି ଆସିଥିଲା, ତା’ର ଚେତନା ଉପରେ ନୂଆ ରଙ୍ଗର ଅନନୁଭୂତ ଆଚ୍ଛନ୍ନତା । ଯେପରି ହଠାତ୍‌ କାହାର ବାଟୁଳିଖଡ଼ାରୁ ବାଟୁଳି ଆସି ବାଜିଛି ତା’ର ମନଗହୀରରେ, ସେଇଠି ସେ ଲାଗିଯାଇଛି । କେବଳ ମନ ନୁହେଁ ଦେହର ସ୍ନାୟୁ ଭିତରେ ବାରମ୍ବାର ଚମକ ଆଉ ଚହଳ, କେବଳ ନୁହେଁ ମୁଣ୍ଡ ଝାଇଁ ଝାଇଁ ଉଷୁମ ମନ, ମନେ ମନେ କେଉଁ ଅଧଛୁଆଁ ଗୁଣୁ ଗୁଣୁ ସଙ୍ଗୀତର ଅସ୍ପଷ୍ଟ ବାଣୀ, ଛାତିର ଦପ୍‌ଦପ୍‌, କେବଳ ଏକ ଅଜଣା ମହକ ନୁହେଁ । ସେ ଅନୁଭବ କରୁଥିଲା ଏ ଆପଣା ଚେତନା ତଳେ ତଳେ କିପରି ଏକ ପ୍ରକାର ରୁଗୁ ରୁଗୁ ଜ୍ୱାଳା, ପୁଣି ତହିଁରେ କିପରି ଏକପ୍ରକାର ବିଚିତ୍ର ସୁଖ ଅନୁଭୂତି ଆଉ ପ୍ରବଳ କାର୍ଯ୍ୟକାରୀ ଶକ୍ତି । ଉଦ୍ଦାମ ତାପମୟ ଶକ୍ତିରେ ହଠାତ୍‌ ଯେପରି କି ସେ ରୂପାନ୍ତରିତ ହୋଇଯାଇଛି, ଯେପରି କି ଗଢ଼ିବାକୁ କି ଭାଙ୍ଗିବାକୁ ତା’ ଭିତରେ ଏକ ପ୍ରବଳ ଝଞ୍ଜା, ଅଥଚ ସେହି ଝଞ୍ଜାର ମୂଳକେନ୍ଦ୍ର ଏକ ଶାନ୍ତି ଅଳସ ସ୍ୱପ୍ନିଳ ସୁଖଲିପ୍‌ସା । ଆପଣା ପ୍ରତି ତା’ଠି ଥିଲା ବିସ୍ମିତ ପ୍ରଶ୍ନଟଳଟଳ ଅନିର୍ଦ୍ଦିଷ୍ଟ ଭଙ୍ଗୀ, ସେ ନିଜେ ଆଶ୍ଚର୍ଯ୍ୟ ହେଉଥିଲା, କିନ୍ତୁ ଆଶ୍ଚର୍ଯ୍ୟ ହେବାକୁ ବି ସ୍ଥିର ନ ହେଉଣୁ ସୁଅ ତୋଡ଼ରେ ତଡ଼ିହୋଇ ଚାଲିଯାଉଥିଲା ଅଣାୟତ୍ତ ସ୍ପନ୍ଦନ ଅନୁଭୂତିର ମୁଣ୍ଡ ଘୁରି ହୋଇ-

 

ଭାବିବାକୁ ଲମ୍ବାବାଟ ତିନି କୋଶ, ଓସାର ଫରଚା ହୋଇ ମେଲା ଖୋଲା ଜହ୍ନରାତି । ଅତି ପାତଳ ହାଲୁକା କୁହୁଡ଼ିରେ ମୁହଁପଟେ ତେଚ୍ଛ । ଜହ୍ନ ଆଲୁଅରେ ତିଆରି ମାୟା ସ୍ଥୂଳତା, ସ୍ଥାନେ ସ୍ଥାନେ ଧୋବଲା ପାରାର ପେଟତଳି ସରୁ ରୁମ ଜୁକୁ ଜୁକୁ, ସ୍ଥାନେ ସ୍ଥାନେ ଗଛ ଅନ୍ଧାରର ବଙ୍କା ଢଙ୍କା ତଳୁଆ ବଉଦ ।

 

ସେ ଭାବିଥାନ୍ତା ।

 

ସ୍ଥାନେ ସ୍ଥାନେ ବନ୍ଧତଳି ବସ୍ତିରେ ମଣିଷ ଘରକରଣାର ଗହଳି ଗୀତି, ଆଖି ଆଗରେ ତା’ର ସାରକ ଛବି, ବାରି, ଘର, ଗୋଟିଗୋଟିକିଆ ମଣିଷ, ଆଲୁଅ ଧାସ, ଗୋଠଛଡ଼ା ଗୋଟିଗୋଟିକିଆ ଗାଈଗୋରୁ, ସାହିରେ ଧାଡ଼ି ଧାଡ଼ି ବସି ଗପୁଥିବା ଲୋକ ନିଶ୍ୱାସରେ ମଣିଷ ମଣିଷ ହୋଇ ଚିହ୍ନା ବାସ୍ନା ଯହିଁରେ ଆପେ ଆପେ ମନେ ମନେ ଖେଳିଯାଏ ସମାଜରେ ଛନ୍ଦାଛନ୍ଦି ସମ୍ପର୍କିମୟ ରହଣିର ରୂପ, ବିଶ୍ୱାସ ଆଉ ନିର୍ଭରର, ଘରର ନିଶା ଘାରେ ।

 

Unknown

ଭାବିଥାନ୍ତା ସେ, ଯେପରି ଭାବିଭାବିକା ଚାଲିଆସିଥିଲା । କସରା କସ୍ତା ଖଣ୍ଡେ ପିନ୍ଧି ସୁନା ଖଡ଼ିକା ପରି ଚିରୁଡ଼ାଏ ମଣିଷ ତା’ର ବୋଉ, ସେ ଠିଆ ହୋଇଥିବା ଦେଖୁ ଦେଖୁ ହସି ଉଠିବ, ହସିଲେ ତା’ର ଗୋଟାଳିଆ ନାକଟି କେମିତି କୁଞ୍ଚୁ କୁଞ୍ଚୁ ହୋଇଯାଏ । ମନେ ମନେ କହିବ, ସତେ ଠାକୁରେ ମୋ ଡାକ ଶୁଣିଲେ । ବାପାଙ୍କ କଥାକୁ ସେ କେବେ ଓଲଟି ଜବାବ ଦେଇନାହିଁ । କାହା ସଙ୍ଗେ କଥାରେ କନ୍ଦଳ ଲଗାଇଲା ଭଳି ମଣିଷଟାଏ ସେ ବୋଲି ଭାବିନାହିଁ ଆପଣାକୁ କେବେ । ନିଜକୁ ନିଭେଇ ଦେବାକୁ ଚେଷ୍ଟାକରିଛି ପୁଅପତି ଗାଁ ଜ୍ଞାତିଙ୍କ ଶୁଭ ମନାସି ପରିଶ୍ରମକରି-। ପାଟିରେ ପ୍ରତିବାଦ ନ କଲେ ବି ଆପଣା ମତକୁ ନାନା ଉପାୟରେ ସେ ପରିଷ୍କାର କରି ଜଣାଇ ଦେଇଛି, ସେ ଲୋଡ଼ିନଥିଲା ପୁଅ ଯାଇ ମୁଣ୍ଡବିକି ପଇସା କମାଉ, ସହରରେ ବାବୁ ହେବ ବୋଲି ବାପାମା’ଙ୍କ କତିରୁ ଅଦେଖା ହୋଇ ରହୁ, ଗାଁ ମାଟିରୁ ପାଦ ଉଠାଇ ନେଉ । ସେଇ ତ କହୁଥିଲା-ପାଠପଢ଼ିବା କେଡ଼େ କଷ୍ଟ, ରକତ ପାଣି ହୁଏ, ମାଉଁସ ଶୁଖିଯାଇ ଶିରଦଉଡ଼ି ବାହାରେ, ଆଖି ତଳେ ବୋଳିହୁଏ କାଳିଚା । ଫେର ତା’ ଉପରେ ଚାକିରି ! ହେଇ ଯେମିତି ବଡ଼ ପୁଅ ଏରୁଣ୍ଡି ଡେଇଁ ଯାଇ ବିଦେଶରେ ରହିଲା ! ଆମର କ’ଣ ହେବ ସେ ! ବାପେ ପଠଉଛନ୍ତି, ମୁଁ ମାଇପି ଲୋକ କିଛି ଜାଣେ ନାହିଁ । ହଉ ତାଙ୍କର ଇଚ୍ଛା ।

 

ମୋରି କର୍ମଟା ସେମିତିଆ ସିନା ! ଖାଲି ହନ୍ତସନ୍ତ ଏ ପୋଡ଼ାଜୀବନ । ହଉ ଯେ ଯାହା କରୁ ସେମାନେ ଶରୀର ନିରୋଗୀ ହୋଇ ସୁଖ କରୁଥାନ୍ତୁ, ତାଙ୍କରି ଆଗରେ କେମିତି ମୋ ଦିନ ସରିଯାଉ, ମୁଁ ଚଞ୍ଚଳ ଚାଲିଯାଏଁ । ନ ହେଲେ ମା’ ମନ ବୁଝିବ କିଏ ? ମା’ ଦୁଃଖ ଛଡ଼େଇନବ କିଏ-? ଘୁଅ ମୂତ କରି ବାର ଅନିଭୋଗ ସହି ଡିମ୍ବରୁ ଛୁଆ ଫଟେଇ ଆପଣା ଜୀବନ ଦେଇ ପାଳି ଏଡ଼ୁଟିରୁ ଏଡ଼େଟିଏ କରିବ, ଶେଷରେ ସେ ବି ଉଡ଼ି ଚାଲିଯିବ ।

 

ଏମିତି କହିଥିଲା ସେ, ଏଇ ତା’ର ଭାଷା । କିନ୍ତୁ ଏ ଭାଷା ବି ଯେଡ଼େ ନିଠେଇ କହିଲେ ତା’ ମନକଥାକୁ ରୂପ ଦେବାକୁ ଅଣ୍ଟେ ନାହିଁ, କୂଅକୁ ଦଉଡ଼ି ପାଏ ନାହିଁ । ପାରେ ବି ନାହିଁ ପୂରାକରି ସେ ମନଭାବକୁ ଫୁଟାଇ ତା’ ଆଖିର ସେ ଝର ଝର ଧାରା, କହୁ କହୁ କୋହ ଆସେ, ଗଡ଼ିପଡ଼େ ଟପଟପ, ତା’ପରେ ସେ ହୁଏ ଅମାନିଆଁ ସୁଅ ।

 

କାହିଁକି ଯେ ଏତେ କାନ୍ଦେ ! ନା କ’ଣ ସେହି ତା’ର ରୂପ ଭେଜ, ନିଛାଟିଆ ଛାଇଛାଇଆ ଗହନ ମନର ଖୋଲ ଭିତରେ ଲୁହାର ଅଥଳ ଗଣ୍ଡରେ ଆପଣାଭୁଲା ଝିଲିମିଲିଆ ସ୍ନେହ ମମତାର କିମିଆଁ ଆଲୁଅ ଜୁଡ଼ୁବୁଡ଼ୁ ହୋଇ ଅଜଣା ଅପହଞ୍ଚ ହୋଇ ସେମିତି ଚିରନ୍ତନୀ ତା’ର ମାତୃମୂର୍ତ୍ତି ?

 

କିଛି ନ ହେଲେ ତା’ରି କଥା ବାଟେ ବାଟେ ଭାବିଥାନ୍ତି ରବି, ଆଉ ଭାବିଥାନ୍ତା ଯେ ବାପା ବୁଝିଲେ ହେଲେ ବୋଉ ବୁଝିବ, ତା’ ସମ୍ପର୍କରେ ସେ ବୋଉ ଯେ ଆପଣାପାଇଁ କେବେ କିଛି ଖୋଜି ନାହିଁ କି ଖୋଜିବ ନାହିଁ, ଖାଲି ସେତିକି ନୁହେଁ, ସେ କେବେ ଖୋଜିବ ନାହିଁ ପୁଅର ମାନମର୍ଯ୍ୟାଦା, ପଦପଦବୀ କିମ୍ବା ସେଇଆକୁ ନିର୍ଭର କରି କିଛି ସୁଖର କଳ୍ପନା କରିବାକୁ ।

 

ଆଉ କେହି ଖୁସି ନ ହୁଅନ୍ତୁ, ପୁଅ ଚାକିରି କଲା ନାହିଁ ଶୁଣି ମା’ ମନ ଖୁସି ହେବ ।

 

ରବି ତା’ ବି ଭାବିଲା ନାହିଁ, କିଛି ପୁରୁଣା କଥା ଭାବିପାରିଲା ନାହିଁ, ଜହ୍ନ ପଡ଼ିଲେ ଯେପରି ପୃଥିବୀଠୁଁ ଆକାରରେ ହଜାର ହଜାର ଗୁଣ ବଡ଼ ହୋଇ ବି ତାରା ବି ଖାଲି ଆଖିକି ଦିଶନ୍ତି ନାହିଁ, ସେହିପରି ନୂଆ ଅନୁଭୂତିର ତେଜ ଲାଗି ହୋଇ ପୁରୁଣା ଜୀବନର ସମ୍ବନ୍ଧମୟ ସ୍ମୃତି ବି କାହିଁ କୁଆଡ଼େ ଚାପିହୋଇ ଛପି ଯାଉଥିଲା । ସେକଥା ଆଉ ଉଠି ନାହିଁ ।

 

କେବଳ ସେ ଅନୁଭବ କରିଥିଲା ଆପଣା ଜୀବନର ପହିଲି ବସନ୍ତ, ତା’ପାଇଁ ନ ଥିଲା ସେ ରାତି କି କୁହୁଡ଼ି କି ନିଛାଟିଆ ବନ୍ଧ ବାଟ ।

 

ବାରମ୍ବାର ସେହି ସେହି ଦୃଶ୍ୟ ଚେତନା ଭିତରେ ପୁଣି ପୁଣି ଦିଶି ଯାଉଛି, ଥରେ ଗଲେ ଆହୁରି ଥରେ । ଯେତେଦୂର ଆଗକୁ ଗଲେ ବି ସେହି ଏକ ଦୃଶ୍ୟ, ଏଡ଼େ ବିଶାଳ ଚଳନ୍ତି ପଟ୍ଟଭୂମି ଆଖି ଆଗରେ ଲମ୍ବି ରହିଲେ ବି ତାକୁ ଦିଶୁଛି କାହିଁ ପଛରେ ରହିଯାଇଥିବା କେଉଁ ସାନ ପରିସର ଟିକିଏ, ଯେତିକି ତା’ର ଲାଜରା ଆଖିରେ ଗଡ଼ି ଯାଇଥିଲା ଛାଇ ଲେଉଟାଣି ବେଳେ, ସେହି ଘର, ସେହି ମଣିଷମାନେ ତା’ର ବାଟଚଲାବେଳେ, ବାସ୍ତବ ସତେ କି ଖାଲି ସେତିକି, ଆଉ ସେହି ସେତିକିର ସମ୍ପର୍କରେ ବାରମ୍ବାର ଘଡ଼ିବାଣ ଫୁଟି ଝଡ଼ିପଡ଼ିଲା ପରି କଳ୍ପନାରେ ଝରଝରେଇ ଉଠୁଥିବା ତା’ର ବ୍ୟକ୍ତିତ୍ୱକୁ ଅବଲମ୍ବନ କରି ଖିଆଲର ଖେଳ ।

 

ସେହି ସାନ ପରିସର ଭିତରେ ସେ ଦେଖୁଥିଲା ଛବିର ମୁହଁକୁ, ତା’ର ଆଖିର ସେ ଭଙ୍ଗୀକୁ, କେତେ ନୂଆ ଠାଣି ନୂଆ ଭାବ ବି ତା’ର କଳ୍ପନାରେ ଗଢ଼ି ହେଉଥିଲା, ସେତିକି ତା’ ଘଡ଼ିବାଣରୁ ରଞ୍ଜକର ନିଆଁ, ସେ ବାରମ୍ବାର ସହସ୍ରେ ଧାରାରେ ଉପରକୁ କୁଲୁରି ଉଠି ଭୁରୁ ଭୁରୁ ହୋଇ ଝଡ଼ୁଥିଲା ନାନା ବର୍ଣ୍ଣରେ, ନାଲି ଶାଗୁଆ କମଳା ନେଳି ଆଉ ନାନା ଜାତି ରଙ୍ଗ ତା’ଠି, ସେହି ଥିଲା ତା’ର ସେତିକି ବାଟର ଜୀବନ ବେଳର ଖିଆଲି ଖେଳ ।

 

ତତଲା ନଈ ବାଲିରେ ଖାଲି ଗୋଡ଼ରେ ଚାଲିଲାବେଳେ ମଝିରେ ମଝିରେ ଓଦା ଗାମୁଛାକୁ ତଳେ ଫୋପାଡ଼ି ତା’ରି ଉପରେ ମୁହୂର୍ତ୍ତେ ଠିଆ ହେଲା ଭଳି ହୁଏତ ତା’ର ଜୀବନ ଭିତରେ ସେତିକିହିଁ ହେବ ସ୍ମୃତିରେ ସ୍ମୃତିରେ ଆଶ୍ରୟ, ଜୀବନକୁ ସରସ କରି ତୀକ୍ଷ୍‌ଣ ଅନୁଭୂତି ଭିତରେ କେବେ ଦଣ୍ଡକ ଲାଗି ହେଲେ ଶାନ୍ତିର ଥାଇତାପଣ ଉପୁଜାଇବା ଲାଗି । କି ନ ହେଲେ ସେ ହେବ କେଉଁ ପାସୋରା ଦିନର ହଜିଲା ଛାଇ ।

 

କ’ଣ ହେବ ସେ ଭାବି ନାହିଁ, କଳି ନାହିଁ । ଢେଉରେ ଧମକି କଦମ ଧାଉଁଥିବା ଘୋଡ଼ା ପିଠିରେ ବସି ନୂଆ ହୋଇ ଧାଇଁଲା ପରି ତା’ର ମୁଣ୍ଡ ଧମକୁଥିଲା, ନୂଆ ଚାଖୁଥିବା ବେଗର ସୁଆଦରେ ଉନ୍ମନ ଆଉ ଉଦ୍ଦାମ ହୋଇ ସେ ବାଟକୁ ଭୁଲି ଯାଇ ତଥାପି ବାଟେ ବାଟେହିଁ ଚାଲିଥିଲା-। ତାକୁ ଲାଗୁଥିଲା ଯେପରି ଏ ତା’ର ଏକ ସ୍ୱତନ୍ତ୍ର ଆବିଷ୍କାର, ଆଉ ଆଗେ କିଏ ଠିକ୍‌ ଏମିତି ମୁଣ୍ଡ ଝାଇଁ ଝାଇଁ କରି ଏହିପରି ଝଳଝଳ ସ୍ୱପ୍ନବିଭୋର ହୋଇ ଯାଇଥିବେ ଅଥବା ଏମିତି ଧାଇଁବାହିଁ ମଣିଷ ଜାତିର ନିହିତ ଭ୍ରମ ଆଉ ଧର୍ମ-ଛୁଇଁ ନ ଥିଲା ଏ ବିଚାର ତାକୁ, ସେ ଖାଲି ଅନୁଭବ କରିଥିଲା ।

 

ଗାଁ ପାଖ ହେଲା । ଚେତନାରେ ଚିହ୍ନା ପରିବେଷ୍ଟନୀର ସ୍ପର୍ଶ ପାଇଲା, ତା’ର ସେ ନିଶା କଟିଗଲା । ଦୁର୍ବଳ ଲାଗିଲା । ଆପଣା ଘର ଆଗଣା ଭିତରକୁ ପଶିଯାଇ ଅନୁଭବ କଲା, ଅନ୍ଧରଟା ଯେପରି କି ସାଧାରଣଠୁଁ ବଳି ନିଛାଟିଆ, ଜହ୍ନକୁ ସେ ଅନୁଭବ କରୁନାହିଁ, ଯେପରି କି କେଉଁଠି କ’ଣ ବହୁମୂଲ୍ୟ ପଦାର୍ଥ ସେ ହଜାଇ ଦେଇ ଆସିଛି । ଆକୁଳତା ଆଉ ନିଛାଟିଆ ଅନ୍ଧାର ଭିତରେ ଆପଣା ଅତ୍ମାକୁ ବୋଧଦେବାକୁ ମନେପଡ଼ିଲା ତା’ର ସୃଷ୍ଟି ସହିତ ବଢ଼ି ଉଠୁଥିବା ଗୋଟିଏ ମନ୍ତ୍ରର ସଦା ସାର୍ତକତା, ତା’ର ବୋଉ ପଦଟି । ପ୍ରାଣପଣେ ବୋବାଳି ଛାଡ଼ି ଡାକିଲା, ‘‘ବୋଉ !’’

 

‘‘ଆଲୋ ମୋ ପୁଅ କିରେ-।’’ ସେ ଦାଣ୍ଡ ଘର ଟପି ଖଞ୍ଜା ଭିତରେ ଭିତର ଅଗଣାରେ ପହଞ୍ଚିଲାଣି, ରୋଷେଇ ଘରୁ ବୋଉ ଆସିଲେଣି, ନିଶ୍ଚିନ୍ତ ଆନନ୍ଦରେ ସେହି ପ୍ରତ୍ୟାଶିତ ସ୍ୱରର ସଙ୍ଗୀତରେ ଘୋଡ଼େଇ ଧରିଲା ପରି ଶୁଭିଲା ତାଙ୍କ ସ୍ୱାଗତବାଣୀ ।

 

‘‘ଆସିଲୁ କିରେ ? କ’ଣ ହେଲା ?’’

 

‘‘ଭଲ ହେଲା, କହୁଚି ରଇଥା । ଭୋକରେ ହଂସା ଉଡ଼ୁଚି । ଆଗ ଦେଲୁ ପଖାଳ କଂସାଏ । କାଞ୍ଜିପାଣି ରଖିଚୁ ?’’

 

‘‘କିରେ ଫାଙ୍ଗୁଳା ଛୁଆଟା ଏତେବେଳେ କି ପଖାଳ ଖାଇବୁରେ ? ପାଟି କୋଲ ମାରିବ ନାଇଁ ? ଶୀତ କାକରରେ ରାତି ଦି ଘଡ଼ିବେଳେ ଖାଇବୁ ପଖାଳ ? ଜଳଖିଆ କର । ଚୁଡ଼ା ଅଛି ଛେନା ଅଛି ନଡ଼ିଆ କୋରିଦେବି । ଯା ଗୋଡ଼ ଧୋ, ଯା । ଚାକିରି କଥା କ’ଣ ହେଲା ? ନାହାନ୍ତି ସେ ବାହାରପାଣି ଯାଇଛନ୍ତି, ଅଇଛା ଆଇଲେ ପଚାରିବେ । ତାଙ୍କର ତ ଆଗ ଖାଲି ସେଇକଥା । ଠିଆ ହନା ଯା, ଲୁଗା ପଟା ଓହ୍ଳା ।’’

 

‘‘ଚାକିରି ହେଲା ନାଇଁ ।’’

 

‘‘ଏଁ, ହେଲା ନାଇଁ ।’’

 

‘‘ସେ ବାର ହୀନସ୍ତା, ବାର ହରବର । ମନକୁ ପାଇଲା ନାଇଁ ।’’

 

ରବିର ବୋଉଙ୍କ ସ୍ମରଣରେ ଖେଳିଗଲା ସେହି ତା’ର ପିଲାଦିନ କଥା, ଦିନେ ଦିନେ ଯେମିତି ସେ ଲୁଚି କରି ଆସି ଅଳି ଧରେ, ‘‘ଆଜି ଇସ୍କୁଲକୁ ଯିବି ନାଇଁ ବୋଉ !’’

 

ଆଉ ସେ ନିଜେ ହସି ଦେଇ ତା’ର ମୁଣ୍ଡ ଆଉଁଶି ଦେଇ କହନ୍ତି, ‘‘ନ ଯା, କିଏ ତତେ ତଣ୍ଡୁଚି ନା କ’ଣ ?’’ ରବିର ସ୍ୱର ଆଉ ଭଙ୍ଗୀ ଯେପରି କି ସେହିକଥା ଜଣାଇ ଦେଇଛି । ଲାଗୁଛି, କିଛି ଗୋଟାଏ ଘଟିଛି ପରା, ତେବେ ସେତ ନିରାପଦରେ ଅଛି, ଆଉ ଅଧିକ ଦରକାର ନାହିଁ । ପୁଣି ହସିଦେଇ ସେ କହିଲା, ‘‘ଚାକିରି ମୋ ଦେଇ ହବାକଥା ନୁହେଁ ବୋଉ, ତେବେ ଆଉ ଗୋଟାଏ କଥା ହେଲା-’’ କହିଦେଇସାରି ସେ ଆପଣାକୁ ରୁହାଇ ଦେଲା, ଯେପରି କି ମନେ ମନେ ଚମକି ପଡ଼ିଛି ।

 

‘‘ଆଉ କି କଥା ହେଲା ରେ !’’

 

ହସି ଦେଇ ସେ କହିଲା, ‘‘ମନଟା ଥଏ ହେଲା ।’’

‘‘କ’ଣ ଥଏ ହେଲା ମନଟା ? ଏ ପିଲାଙ୍କର ଯୋଉକଥା, ମଣିଷ କ’ଣ ବୁଝିବ ସେ କଥାରୁ ?’’

 

‘‘ମୁଁ ରହିବି, ଯିବି ନାଇଁ, ଆଉ କେବେ ଯିବି ନାଇଁ ।’’

 

‘‘କିଏ ତତେ ମନା କରୁଚି ?’’

 

‘‘ଦବୁ କି ନାଇଁ ପଖାଳ କହିଲୁ ?’’

 

‘‘ଆରେ ମୋ ପୁଅ ! ଭଲ କଥା ନଅସରେ ମୁଁ ରହିଗଲି । ମତେ ମରଣ ହଉ ନାଇଁ ! ହଉ, ପଖାଳ ଖାଇବୁ ତ ଖାଇବୁ । ଦିଟା କ’ଣ ଭାଜି ଦିଏଁ ।’’

 

‘‘ବଡ଼ି ପୋଡ଼ା ।’’

 

‘‘ଆଉ କହିବୁ ଆଳୁ ଭରତା । ହଉ ଖାଇଦେ ଏକଦମ୍‌ ପେଟେ । ଥିରି ହେଇ ଯାଇ ଶୋଇପଡ଼େ । କେତେ ବାଟ ଚାଲିକି ଆସିଚୁ, ଦେହଟା ବାଧିକା ହୋଇଯାଇଥିବ ।’’

 

‘‘ଦେହ ଭଲ ଅଛି ଯେ ତୁ ଆଗ ପଖାଳ ବାଢ଼ । ହଁ, ଅଦା ଜିରା ଚୂରା । ଆଉ, ମୁଁ ତୋ ପଥୁରିରେ ଖାଇବି, କଂସାରେ ନୁହେଁ । କାଞ୍ଜି ରଖିଚୁଟି ?

 

‘‘ହଉ ହଉ ତୁ ଯା କାମ ସାର୍‌ ଝଅଟି ।’’

 

ସେମାନଙ୍କ ଘରେ ରହିବା ଚାକର ନାହିଁ । ବଟ ମହାନ୍ତି ସେଥିରେ ପଶନ୍ତି ନାହିଁ, ହାତରେ ଘରକାମ କରାଇବା ଓ ନିଜେ କରିବା ତାଙ୍କର ଅଭ୍ୟାସ, ଦିନବେଳେ ମୋଟା କାମ କରିବାକୁ ଲୋକ ଥାଆନ୍ତି, ରାତିରେ ନାହିଁ ।

 

ଆପଣା ବଖୁରିରେ ପଶି କାମିଜ ଓହ୍ଲାଇ ଥୋଇ ଲୁଗା ପାଲଟିଲାବେଳକୁ ପୁଣି ମନ ଭିତରେ ଉଙ୍କିମାରି ନିଭିଗଲା ସେହି ପଟେଳିଗାଁର କାହାଣୀ, ଆଉ ହଠାତ୍‌ ବେଶି ନିଛାଟିଆ ଲାଗିଲା । ଆଉ ସେ ଭାବିଲା, ବାପା ବୋଉ କେତେ ଏକୁଟିଆ ହୋଇ ଦିନ କାଟୁଛନ୍ତି । ଆଉ, ବେଳେ ବେଳେ ଯେମିତି ତା’ର ମନେପଡ଼ନ୍ତି, ଭାଇ ଭାଉଜ ଆଉ ତାଙ୍କର ପିଲାମାନେ ମନେପଡ଼ିଲେ, ସେହି ଯେଉଁମାନେ ଏତେ ପାଖର ହୋଇ ବି ଏତେଦୂରରେ ଥାଆନ୍ତି । ମନ କରିଥିଲେ ଘର ତ ହସୁଥାନ୍ତା, ପଡ଼ିଥାନ୍ତା କାହିଁକି ଏମିତି ତୁନିତାନି ହୋଇ ?

 

ଦଶବର୍ଷ ତଳେ ଆସିଥିଲେ ଭାଉଜ, ଚିତ୍ରାଙ୍ଗଦା, ଆପଣା ନିଶକୁ କାଟି ପ୍ରଜାପତି କଲା ପରି ତାଙ୍କ ନାଁକୁ ବି କାଟି ଛୋଟ କରି ଦେଇ ଚିତ୍ରା ବୋଲି ଲେଖାଯାଉଥିଲେ ଭାଇ, ଦାମୀ ଦାମୀ ଛିଟ ଶାଢ଼ି ଛିଟ ଜାମା ଆଉ ନାନା କାରିଗରୀର ସରୁ ସରୁ ସୁନା ଅଳଙ୍କାର ନାଇ ସେ ବି ଦିଶୁଥିଲେ ସୁନ୍ଦର ପ୍ରଜାପତିଟିଏ ପରି । ସାହି ପଡ଼ିଶାରେ ତାଙ୍କ ରୂପର ଯେତିକି ପ୍ରଶଂସା ଉଡ଼ୁଥିଲା, ସେତିକି ରଟିଥିଲା ତାଙ୍କ ଚାଲିଚଳନ ବିଷୟରେ ସମାଲୋଚନା-‘‘ଏ କ’ଣ ମ, ବୋହୂ ଝିଅଟିଏ ପରି ଚଳୁଚି ! ଓଢ଼ଣାଟା ମୁଣ୍ଡ ମଝିରେ, ସେଥିରେ ପୁଣି ଫୁଲ ଖୋସା, ନଇଁ ଶିଖି ନାହିଁ, ଠିଆ ଚାଲି, ଶାଢ଼ିଗୁଡ଼ାକ ଦେଖାଇ ହେଲାପରି, ଅଳଙ୍କାରର କାରିଗରୀ କିଏ ପଚାରେ, ସତେ ଯେମିତି କୁଟାଖିଏକେ ତିଆରି ଗୋଟାଏ ଗୋଟାଏ, ଲୁଚାଲୁଚି ନାହିଁ, ଲାଜ ସଙ୍କୋଚ ନାହିଁ, ଖିଦ୍‌ଖାଦ୍‌ ହୋଇ ମାନ୍ୟରେ ବଡ଼ ହେବା ମାଇପଙ୍କ ଆଗକୁ ବାହାରି ପଡ଼ି ସିଧାସଳଖେ ମୁହଁକୁ ଚାହିଁ କଥା କହୁଚି, ଆଉ କି ଶୋଭା କଥା, କି ଶୋଭା କାମ । ୟାରି ନାଁ ସହରିଆ ବୋହୂ ! କେମିତି ଆରେଇବ ଲୋ ମା’ ଏ ଘରକୁ ।’’

 

ବୋଉ ସବୁ ଆଦରି ନେଇଥିଲା । ଆପେ କାମ କରି ଛତିଶା ନିଯୋଗ ଖଞ୍ଜି ଦେଇ ରାଜରାଣୀ ପରି ରଖିଥିଲା । ବାପା ବି ସ୍ନେହ କରୁଥିଲେ ବହୁତ । ତଥାପି କ’ଣ ହେଲା ? ଏ ଘରେ ତାଙ୍କର ମନ ମାନିଲା ନାହିଁ । ତାଡ଼ାତାଡ଼ା ଚିଠି ଲେଖିଲେ ବସି ବସି, ବାପ ଘରକୁ, ଭାଇଙ୍କ ପାଖକୁ-। ତାଡ଼ାତାଡ଼ା ଚିଠି ଆସିଲା । ବାପଘର ଲୋକେ ଆସି ନାକ ଟେକିଦେଇ ଗଲେ । ଭାଇ ବି ଆଗ ଅଳ୍ପ ଅଳ୍ପ ପଛେ ବେଶି ଜିଗର ଲଗାଇ କଥା କହିଲେ ଯେ ଗାଁ ତ ଅଭ୍ୟାସ ନ ଥିଲା ତାଙ୍କର, ତାଙ୍କୁ ଏଠି ଆରୋଉ ନାହିଁ । ଏଠି ରହିଲେ ତାଙ୍କ ଦେହ ଖରାପ ହୋଇଯାଉଛି । ଖୋଇପେଇ ସେବାଯତ୍ନ କରି ବୋଉ ତାଙ୍କୁ ଯେତେ ଡଉଲ ଡାଉଲ କରି ରଖିଲେ ବି ଭାଇ ଆସିଲେ କହନ୍ତି ସେ ଆଗ ଥରଠୁ ଆହୁରି ଶୁଖି ଯାଇଛନ୍ତି । ପଛେ ପୂର୍ଣ୍ଣ ହେଲା ସେମାନଙ୍କ ମନକାମନା ।

 

ଚିତ୍ରା ଭାଉଜ ଗାଁ ଛାଡ଼ି ବିଦେଶ ଗଲେ ।

 

ତା’ପରେ କେମିତି କେମିତି ହୋଇ ଡୋରଟା ହୁଗୁଳା ହୋଇଗଲା ଯେ ଭାଇ ବି ଯଦି ଆସନ୍ତି ତେବେ କାହିଁ କେବେ କଦବା । ନିନ୍ଦି ହେବ ନାହିଁ, ପରଦୁଆରେ ମୁଣ୍ଡ ବିକିଛନ୍ତି, କହନ୍ତି କାମରେ ରହିଗଲେ ଅଖିଆ ଅପିଆରେ ଏକାଠି ଅଠର ଘଣ୍ଟା ବି ବିତିଯାଏ, ଆଖିପତା ବୁଜି ହୁଏ ନାହିଁ । ଦାୟିତ୍ୱ କାମ, ଛାଡ଼ ପିତୃକାର୍ଯ୍ୟ କର ରାଜକାର୍ଯ୍ୟ ।

 

କିନ୍ତୁ–

 

ସେହି କିନ୍ତୁ ତଳେ କେତେ କୁହେ ଅକୁହା କଥା ରହିଥାଏ । ବେଳେବେଳେ ବୋଉା କାନ୍ଦଣା । ବେଳେବେଳେ ଫୁସ୍‌ଫୁସ୍‌ କରି ତା’ର ସାଙ୍ଗ ମଣିଷଙ୍କ ସଙ୍ଗେ କୋହଭରା ତିନ୍ତିଲା ତିନ୍ତିଲା କଥା–’’ ମୁଁ କି ଦୋଷ କଲି, ହଇଲୋ ଗୋକୋଳି ବୋଉ, ମୋ ମନ କଥା ଏଇଆ ବୁଝିଲେ ସେମାନେ ? ଯାହା କହନ୍ତି ଭାତ ଖାଇଲେ ଆପଣା ହାତରେ ଆଞ୍ଚୋଇ ଦେଇ ନାଇଁ । ଜରରେ ଘୋଷାରି ହେଇ ବି ଦିନେ କହିନାଇଁ ବୋହୂ ମୋ ଦିହରେ ଟିକିଏ ହାତ ଛୁଆଁଇ ଦିଅ ବୋଲି । ଆଉ ହଁ, ଆମର ୟେ ମଫସଲ ସତ, ସେ କଥା କିଏ ନାହିଁ କରୁନାହିଁ । ତେବେ ଚଉଦପୁରୁଷି ତ ବିତିଗଲା ଏହ ମଫସଲରେ, ଆମେ ବୋହୂ ହେଇନୋଉଁ କି ଆମ ଶାଶୁ ବୋହୂପଣ କରିନଥିଲେ କି ତାଙ୍କ ଶାଶୁ କରିନଥିଲେ । ବହୁକୁଟୁମ୍ବୀ ହେଲେ ତ କାମ କରି କରି ନାକ ଘୁଷୁରିଯାଏ, ମାଇକିନିଆ ଜନମ ପାଇ ଆପଣା ସୁଖ କଥା ଭୁବୁଥାଏ କିଏ ମ ? ଏଇ ଗାଁ ଗାଉଁଲିରେ ଏତେ ଏତେ ଘରେ ଏତେ ବୋହୂ ଘରକରଣା କରୁଛନ୍ତି, ଆଉ ମୋରି ବୋହୂଟାକୁ ଏ ଲାଗିଲା ଅଡ଼ୁଆ । ଛାଡ଼, ତୁ ବୋଲି କହିଲି ସିନା, ନଇଲେ କୋଉଠି ନାଇଁ କୋଉଠି ଯାଇ କଥା ଫୁଟିବ, ଯୋଉତକ ଅଛି ସେତକ ବି ରହିବ ନାହିଁ । ଆମ ମନକଥା ଆମରି ମନରେ ମରିଯାଉ, ଏ ଦେହ ସଙ୍ଗେ ସଙ୍ଗେ ସେ ବି ପାଉଁଶ ହେଉ । କାହିଁକି ମିଛରେ !’’ ବୋଉ ରବିକୁ କହେ ନାହି, ବାଁରେଇ ଦିଏ ।

 

ଭାଇ, ଭାଉଜ, ନଅ ବର୍ଷର ଝିଅ ସୁନା, ବାପ ପରି ଗଢ଼ଣ, ସେମିତ ଗୋଲ ମୁଣ୍ଡ, ଚେକା ମୁହଁ । ତା’ ତଳେ ସାତ ବର୍ଷର ପୁଅ କୁନା, ତା’ ମୁହଁ ତା’ ମା’ ମୁହଁପରି, ଆଉ ପାତଳା ଢକଢକା । ତା’ତଳେ ପାଞ୍ଚବର୍ଷର ଝିଅ ରୁନା, ସେ ତ ଅବିକଳ ତା’ର ମା’ ପରି, ସେମିତି ମୁହଁ ନାକ ଆଖି, ହାତ ଗୋଡ଼, ସବୁଠି ଫୂର୍ତ୍ତି ସେ । ସବା ସାନଟି ମୁନା, ତିନି ବର୍ଷର ପୁଅ, ସେ ପୁଣି ସବୁଠୁ ସୁନ୍ଦର । ଦେଖାହେଲେ ଦାଦି ଦାଦି ଡାକି ବେଢ଼ି ଯାଆନ୍ତି, କିଏ ପିଠିଆଡ଼ୁ ହେଲେ ତ କିଏ ଛାତିଆଡ଼େ ବେକରେ ଲମ୍ବେ, କିଏ ପକେଟ ଅଣ୍ଡାଳେ ତ କିଏ ହାତଧରି ଓଟାରେ, କ’ଣ କିଛି ଫରମାସି ଲଗାଏ । ହେଇ ତ ଭାବିଲାକ୍ଷଣି ଗୋଟାସୁଦ୍ଧା ଦିଶିଯାଉଛନ୍ତି ସେମାନେ, ରଙ୍ଗରଙ୍ଗର ପଟିପଟିକିଆ ଫ୍ରକ ପିନ୍ଧି ସୁନା, ଚିକ୍‍କଣ ମୁଣ୍ଡରେ ରଙ୍ଗରଙ୍ଗର ଫିତା ଫୁଲ ପରି ବନ୍ଧା ହୋଇଥିବ । ପଲେ ସାଙ୍ଗ ଧରି ବୁଲୁଥିବ କୁଆଡ଼େ କୁଆଡ଼େ, ଗୋଟାଏ ଚିତ୍ରାକାବର ହୃଷ୍ଟପୃଷ୍ଟ ସୁସ୍ଥ କୋଦା ବିଲେଇ ପରି । କୁନା ତା’ର ଠିକ୍‌ ଓଲଟା, ସବୁବେଳେ ନଟୁରୁକୁଟୁରୁ କରି ଯେତେବେଳେ ଦେଖିଲେ ବି ତା’ ଦେହରେ ଦିଟା ଗୋଟାଏ ଖଣ୍ଡିଆ, ଗାଲରେ କାଦୁଅ, ହାତରେ ଗୋଡ଼ରେ ଠାଏ ଠାଏ କାଦୁଅ, ସ୍ୟାହି, ନାହି ତଳେ ମସିଆ ହାଫ୍‌ପ୍ୟାଣ୍ଟଟା; ଏ କୌଣସିମତେ ଦେହରେ ଲାଖିଥିବ, ଦିଶୁଥିବ ଯେମିତି ସରୁଆ କଦଳିପୁଆଟାଏ ପରି, ତଳର ଶୁଖିଲା ସେନ୍ତେରା ପଟୁକା ଉପରକୁ ଛନଛନିଆ ଗଣ୍ଡିର ପଗ, ଆଉ ତା’ ଉପରେ ତା’ର ପାତଳ ଦୁଧିଆ ମୁହଁଟି, ସବୁବେଳେ ଗୋଟାଏ କିଛି ଭାବନା ଖେଳୁଛି । ରୁନା ଯେମିତି କି ସଜାସଜି ହୋଇ ଚିତ୍ରଟିଏ, କପାଳଯାକ ଚନ୍ଦନପାଟି, ଲମ୍ବ ଲାଞ୍ଜ ହୋଇ ଆଖିର କଜଳ କାନଯାକେ ଟଣା ହୋଇଛି । ତା’ ବୋଉ ତାକୁ ସଜଉଥାଏ ବେଳ ପାଇଲେ । ଯେତେବେଳେ ଦେଖିଲେ ସେ ତା’ର ଅମାପ ସମ୍ପତ୍ତି ଖେଳାଇ ଦେଇ ବସି କ’ଣ ନା କ’ଣ କରୁଥିବ । କେତେ କାଗଜଖୋଳ, ଟିଣଖୋଳ, ରଙ୍ଗରଙ୍ଗର କନା ସାନସାନ କଣ୍ଢେଇ, ନାନା ଦ୍ରବ୍ୟ, ମନକୁ ମନ ଗୀତ ବୋଲୁଥିବ, ଭୁଟୁରୁ ଭୁଟୁରୁ ହେଉଥିବ ।

 

ସେମାନେ ସମସ୍ତେ ଏ ଘରେ ଥିଲେ ଘର ପୂରିଥାନ୍ତା ।

 

କୁଆଡ଼େ ଯାଏ ମଣିଷର ପୂର୍ବ ସ୍ନେହ । କେଡ଼େ ଚଞ୍ଚଳ ଲୋକ ବଦଳେ, ଆଉ ଚାରିଆଡ଼ୁ ଆପଣାର ସ୍ନେହ ଶରଧା ଗୋଟେଇ ପୋଟେଇ ଆଣି ଠୁଳ କରି ରଖେ ନିଜ ‘ମୁଁ’ ପଣର ଚାରିକତି-। ତେଣିକି ଖାଲି ମୋର ଭାରିଯା, ମୋର ଛୁଆପିଲା, ମୁଁ । ଭାଇଙ୍କର ବି ଆସି ସେହିପରି ଅବସ୍ଥା ହୋଇଛି । ସେ ଖାଲି ବିଦେଶରେ କାମ କରୁନାହାନ୍ତି, ତାଙ୍କ ମନ ବି ବିଦେଶର ସଂସାରରେହିଁ ଆବଦ୍ଧ ହୋଇ ରହିଛି । ଯେପରି କି ଜଣେ ଏ ଗାଁରୁ ଉଠି ବିଦେଶକୁ ଚାଲିଗଲା, ସେଇଠି ରହିଲା, ସଂସାର ସେଇଠି କଲା । ଗାଁରେ ଖାଲି ନାଁ ଟା ଶୁଭେ ଏଇଠି ଅମୁକ ଲୋକର ଘର ଥିଲା ।

ଆପଣାକୁ ସଂଯତ କରିବାକୁ ଚେଷ୍ଟାକରି ମନେପକାଇଲା, ଏ କ’ଣ ସେ ଭାବୁଛି । ଏକି ସମାଲୋଚନା ! ଅବିକଳ ଏଇ ଯୁକ୍ତି ତ କରନ୍ତି ଏ ଗାଁର ସ୍ପଷ୍ଟବାଦୀ ବୁଢ଼ା ଦୀନବନ୍ଧୁ ମିଶ୍ରେ । ବାପା ସେତେବେଳେ ସେ କଥାକୁ ଉଡ଼େଇ ଦେବାକୁ ଚେଷ୍ଟାକରନ୍ତି; କହନ୍ତି, ‘‘ନାଇଁ ହୋ ମିଶ୍ରେ, ତେମେ କିଛି ଜାଣିନା, କବି ଆମର କ’ଣ ଏମିତି ସେମିତି ପିଲା ? ଯୋଉ କାମକୁ ସେଇ ଚଳଣି ସିନା, ତେମେ ଆମେ ଦିହେଁ ଗାଁରେ ବସି ଖାଲି କହିଦବା କିନା ଯେ ଯୋଉଠି ବିଦେଶରେ ଥାଉ ସେ ଖାଲି ଗାଁକୁ ଦଉଡ଼ୁଥିବ, ସେ ସେଠି ହୋଟେଲରେ ଖାଉଥିବ, ତା’ ପିଲାଏ ଗାଁରେ ରହୁଥିବେ ? ସବୁ ଚାକିରିଆଙ୍କର ଆଜିକାଲି ପିଲାଛୁଆ ସଙ୍ଗେ ସଙ୍ଗେ । ତା’ଛଡ଼ା ସହରରେ ସୁବିଧା ମଫସଲରେ କାହିଁ ? ବୋହୂ ପୋଖତି ହେବ ତ ସେଠି ଡାକ୍ତରାଣୀ ଲାଗିବେ, ଏଠି ମିଳିବେ ବାଉରାଣୀ । ସହରରେ ରହିଲେ ପିଲାଏ ହେଲେ ଦଶକଥା ଶିଖିବେ, ଏଠି ବାଳୁଙ୍ଗା ହୋଇ ଡେଇଁବେ ।’’

‘‘ହଃ, ଏଠି ଆଉ ସେ ସହରିଆ ବାବୁମାନଙ୍କ ମାମାନେ ପୋଖତି ହେଲେକି ? ବାବୁମାନେ ସବୁ ଆକାଶରୁ ପଡ଼ି ଜନ୍ମ ହେଲେ ପରା ! ମା’ଠୁଁ ନୁହେଁ ! ତାଙ୍କ ବାପାମାନେ ମଣିଷ ହେଲେକି ? ସବୁ ଗୋଟିକାଗୋଟି ଦଣ୍ଡାବାଳୁଙ୍ଗା ଯଥା ତେମେ ଆଉ ମୁଁ । ଯୁଗ ସେମିତି ହେଲାଣି, କିଏ ନାହିଁ କରୁଚି କି ? ତେବେ ୟା ହବ ବୋଲି ଆଗରୁ ଜଣାଥିଲା, ପୋଥି ପୁରାଣରେ ଲେଖା ଅଛି, ମାଳିକା କହିଚି । ଆମ ଲୋକଙ୍କ ମୂଳୁଦୁଆଟା ଏଇ ଗାଁ ମାଟି, ସେଇଟା ତଡ଼ା ହବ, ଲୋକେ ତାଙ୍କୁ ଭୁଲିବେ, ଆପେ କଲମି ଗଛ ପରି ଧାଡ଼ି ଧାଡ଼ି ହୋଇ ଲଗା ହେବେ ସହରରେ । ଘଣଛାଡ଼ି ଗୁହାଳରେ ପଶିବେ, ଭାରିଯାକୁ ଆଗ କରିବେ, ମାକୁ କରିବେ ପଛ; ବନ୍ଧୁ ସମ୍ପର୍କ, ସମାଜ ସମ୍ପ୍ରଦାୟ ସବୁ ଛାଡ଼ି ହେବେ ଗୋଟିଗୋଟିକିଆ ପେଟବିକିଳିଆ, କେହି ମନକୁ ହେଉ ନାହିଁ, ସବୁ କଳିଯୁଗ କରଉଛି । ସବୁ ଘରେ ତ ଏଇ ନିଆଁ, ତେମେ ଅଣ୍ଟିରେ ପୂରେଇ ଘୋଡ଼େଇ ପକେଇଲେ ସେ ଲୁଚିବ ତେମେ ଭାବିଚ ?’’

ବାପା ଛାଡ଼ନ୍ତି ନାହିଁ, କହନ୍ତି ହାତୀ ବନସ୍ତରେ ବୁଲିଲେ ବି ରଜାଙ୍କର ।’

‘‘ସେଇଆ ଜପୁଥା, ମନ କାଳେ ବୁଝିବ,ଅବୁଝା ମନଟାକୁ ବୁଝେଇବାକୁ ପଡ଼ିବ ତ ।’’ ମିଶେ କହନ୍ତି, ‘‘ନଇଲେ ନେଡ଼ିଗୁଡ଼ କହୁଣୀକି ବୋହିଯାଇଚି ।’’

 

ଭାଇ ଭିନେ ରକମ ଥିଲେ, ରବି ଭାବିଲା, ଆଉ ଭାଉଜଙ୍କୁ ଆଣିବାକୁ ସେ ନିଜେ ଯାଇଥିଲା ମାରକଣ୍ଡୀ, ସେତେବେଳେ କ’ଣ ଆଶା କରିନଥିଲା ।

 

ଖୁସି ଲାଗିଲା, ସେ ଚାକିରି କଲା ନାହିଁ । ଅନ୍ତତଃ ଗୋଟାଏ ଘାଟି କଟିଲା । ପୁଣି ସନ୍ଦେହ, ବାପା କ’ଣ କହିବେ ? ଆଉ ସନ୍ଦେହ ଉହାଡ଼ରେ ଆହୁରି ଥରେ ସେହି ନୂଆଦେଖା ମୁହଁଟି ।

 

ଚାକିରି ତା’ର ହେଲା ନାହିଁ, ତା’ ତା’ର ମୁହଁ କହିଦେଉଛି, ରବି ବୋଉ ଭାବୁଥିଲେ । ସେ ସୁସ୍ଥ ଅଛି, ନିଶ୍ଚିତ ଅଛି । ଯେପରିକି ମୁଣ୍ଡରୁ ତା’ର କେଡ଼େ ବଡ଼ ବୋଝ ଖସେଇ ଦେଇ ଆସିଛି-

 

ତା’ର ଅର୍ଥ ପରିଷ୍କାର । କେଡ଼େ ଅନିଚ୍ଛାରେ ସେ ଘରୁ ଗୋଡ଼ କାଢ଼ିଥିଲା, ଅମଣିଆଁ ବଳଦ କେମିତି ଶେଷକୁ ବାଣି ଛିଣ୍ଡେଇ ଘରକୁ ପଳାଇ ଆସିପାରିଛି ସେ କଥା ସେ ବଳେ କହିବ ପଛେ ।

 

ଏଥର ଗୁଣି ତା’ର ପୁରୁଣା ଧନ୍ଦା, କାହାର କ’ଣ ଦରକାର ସେ ବୁଝିବ, ଘରଛୁଆଣି ବନ୍ଦୋବସ୍ତ କରେଇବାଠୁ ବଇଦ ଡାକିବାଯାକେ, ପରର ବୋଝ ଓଟାରି ନେଇ ଯେ ଆପଣା ମୁଣ୍ଡରେ ଲଦିବାକୁ ଭଲ ପାଏ, ଆଉ ଭଲ ପାଏ ଖରାଏତରାଏ ବୁଲିବୁଲି ହାତରେ କାମ କରିବାକୁ, ତା’ର ସହସ୍ରେ ଧନ୍ଦା, ପୁଣି ତାକୁ ସେମାନେ ବେଢ଼ି ଯିବେ, ସେହି ଯେତେ ତା’ର ସାଙ୍ଗମାନେ, କୁରୁପାବାଉରି କି ବିଶିପାଣ କି ନୁଖୁରି ପଧାନ କି ଆଉ କିଏ, ଯାହାର ଯାହା ଦରକାର । ନ ହେଲେ କାହା ନିଶ୍ୱାସ ପଡ଼ିଲା ଯେ କାମରେ ଯୋଗଦେବା ମଣିଷ ପୁଣି ଆସି ଘରେ ଠିଆ ।

 

ନ ହେଲେ ଆଉ କ’ଣ ଅଛି ତା’ ମନରେ ? ପୁଣି କ’ଣ ସେ ଚାକିରି କରି ଯିବ ଆଉ କେବେ ନା ଆଉ କିଛି କରିବ, ଯେପରି ସେ କହ ?

 

ଯାହା ସେ କରୁ କି ନ କରୁ, ପରଙ୍କ ସଙ୍ଗେ ତୁଳନା କରି ଖେଳନ୍ତୁ ଯେତେ ତା’ ବାପା, ରବିର ବୋଉ ତା’ ଘେନି ଗର୍ବ ଅନୁଭବ କରନ୍ତି, ସେ ତାଙ୍କରି ବାପାଙ୍କୁ ତାଙ୍କୁ ମନେପକାଇ ଦିଏ । କେତେ ଛିଲିକାରେ ସେ ତା’ ଅଜାତଳି ଆଣିଛି । ଖାଲି ସେହି କପାଳ, ସେହି ନାକ କି ଆଖି ନୁହେଁ, ଖାଲି ନୁହେଁ ସେହି କଥାଭାଷାର ଠାଣି, ସେମିତି ମନଖୋଲା ହସ, ତା’ ଭିତରେ ଯେଉଁ ଆଲୁଅଟା ଜଳୁଛି ସେ ବି କେଜାଣି କେମିତି ସେହି ପ୍ରକାରର, ମଣିଷଟା ସେହି ଢାଞ୍ଚାରେ ଢଳେଇ ହୋଇ ଗଢ଼ା, ବିଚାରଟା ସେହିପରି । ଥରକର ଘଟନା ମନେପଡ଼ିଗଲା ।

 

ଘରର ଅବସ୍ଥା ସଜାଡ଼ିବେବୋଲି ରଜାଘରେ ଚାକିରି କରିବାକୁ ଗଡ଼ଜାତକୁ ଯାଇଥିଲେ-। ଗାଁକୁ ଖବର ଆସିଲା, ଏଥର ତାଙ୍କ ଭାଗ୍ୟ ତେଜିଗଲା, ରାଜଅନୁଗ୍ରହ ମିଳିଛି । ସେ ଦେଶ ପଣ୍ଡିତମାନେ ବି ତାଙ୍କ ବଡ଼ପଣ ସ୍ୱୀକାର କରୁଛନ୍ତି,ଏତେ ବୁଦ୍ଧି, ଏତେ ପାଣ୍ଡିତ୍ୟ, ଏଭଳି ବ୍ୟବସ୍ଥା, ଏଭଳି କାମ, ରଜାଘର ସଞ୍ଚା ଖଞ୍ଜି ଦେଲେଣି, ପୁଣି ନୌକର, ଘୋଡ଼ା, କ୍ଷମତା, କ’ଣ ନାହିଁ ? ଏଡ଼େ ବସା ଘର ! ଏତେ ସୁବିଧା । ଗୌଣୀରେ ଏଥର ଟଙ୍କା ମାପିବ ତେମେସବୁ । ଗାଁ ଲୋକ ସେଠି କାମ କରନ୍ତି ଦେଖିଆସି କହିଲେ । କହିଲେ ତସିଲଦାର ହୋଇଛନ୍ତି, ଦେଖୁ ଦେଖୁ ଯାଇ ଦିବାନ ହୋଇଯବେ ।

 

କିନ୍ତୁ ପକ୍ଷେ ପୂରି ନାହିଁ ବିଛଣାପତ୍ର ବାନ୍ଧି ସେ ଆସି ଘରେ ହଜାର । କହିଲେ ଠାକୁରକୁ ପୂଜା ଶିଖିଛି ସିନା ମଣିଷକୁ ଠାକୁର କରି ଶିଖି ନାହିଁତ । କିଏ ମୋର ଯାଉଚି ଆପଣା ବିଚାର ଛାଡ଼ି ପରର କାଠିରେ ନାଚୁଥିବ । ବିବେକକୁ ବଳିଦେଇ ଆଖି କାନ ବୁଜି ଯାହା ବତେଇଲେ ସେହିଆ କରୁଥିବ ଦିନ ରାତି । ଯାଉ ସେ ପଇସା, ଆମୁକୁ ଆରେଇବ ନାହିଁ ସେ ଜୀବନ । ଆମୁକୁ ଏଇ ଶାଗ ପଖାଳ ଭଲ । ଓଃ ମଣିଷ ଏଠି କେଡ଼େ ଶାନ୍ତିରେ ନିଶ୍ୱାସ ମାରି ପାରୁଛି ।

 

ଯେ ଯେତେ କହିଲେ ଯେତେ ବୁଝେଇଲେ ହେଲା ନାହିଁ, ରହିଗଲେ ସେ ସେମିତି । ଆକାରରେ ରବି ତା’ ବାପାଙ୍କ ଆଡ଼ା ଆଣିଛି, ଅଜାଙ୍କର ଆକୃତି ସାନ ଥିଲା । ସେ ୟାଠୁ ଆହୁରି ଫୂର୍ତ୍ତି ମଣିଷ, ଆହୁରି ତେଜୀ, ଯାହାକୁ କହନ୍ତି ବିଜୁଳି ଖଣ୍ଡେ ।

 

କିନ୍ତୁ ତାଙ୍କୁହିଁ ସେ ମନେପକାଇଦିଏ-ରବି ବୋଉ ଭାବିଲେ, ଏମିତି ଫେର୍‌ ମିଳିଯାଏ ଗୋଟାଏ ମଣିଷର ସ୍ମୃତି ଆଉ ଗୋଟାକ ସହିତ ! କେତେବର୍ଷ ବିତିଗଲାଣି ସେ ମଣିଷ ଆଉ ନାହାନ୍ତି । ବାପଘର ଏରୁଣ୍ଡି ଡେଇଁ ଶାଶୁଘରକୁ ଗଲେ ନୂଆ ସଂସାର । ସବୁ ଅଲଗା । ଗଣି ହେଉନାହିଁ ଏତେ ବର୍ଷ ସେ ହେଲାଣି । କେମିତି ପୁଣି ଆଜି ସେ ମନେପଡ଼ିଛନ୍ତି । ତା’ ବି କେଉଁ ଅକାଳେ ସକାଳେ ।

 

ଭାବିଲେ ଆଜିବି ଆଖିରୁ ଲୁହ ଧାର ଛୁଟୁଛି । ଜୀବନ ପ୍ରାଣ କରି ଆଦରରେ ବଢ଼େଇଥିଲେ ବାପା ବୋଉ, ଡକାଡକି ହେଲାପରି ଗଲେଣି ଚାଲି କେଉଁକାଳୁ । ଏମିତି ମଣିଷ ଜନମ, ଏମିତି ତା’ ଘରକରଣା, ଗୋଟାଏ ଅବସ୍ଥାକୁ ମୂଳପୋଛ କରିବାପାଇଁ ଆଉ ଗୋଟାଏ ଅବସ୍ଥାର ମୂଳୁଦୁଆ ପକେଇବା, ଏମିତି ଗଡ଼ିଗଡ଼ି ଆପେ ନିଶ୍ଚିହ୍ନ ହେବାଯାକେ, ୟାରି ନା ଜୀବନ !

 

ବିକଳ ହୋଇ ଅତୀତକୁ ଅନାଇ ରବି ବୋଉ ତାଙ୍କ ବାପାଙ୍କୁ ଦେଖୁଥିଲେ-

ସେହି ସାନ ମଣିଷ ବକଟକ, ଦିହାତି ଗଲା ଆଣ୍ଠୁ ଲୁଚିବ ନାହିଁ ଖଦିଲୁଗା, ମୁଣ୍ଡ ପଛଆଡ଼େ ବାଳତକ ଏକଠି ଗଣ୍ଠି ହୋଇଛି । ପଦାକୁ ଗୋଡ଼ କାଢ଼ିଲେ ଠକର ଠକର କଠୋଉ ଦି’ଟା ଆଉ ହାତରେ ଖଣ୍ଡେ ବାଡ଼ି, ଧନ୍‌-ଜନ୍‌-ମରଣ୍‌ ଧନ-ଜନ୍‌-ମରଣ୍‌ବୋଲି ଗଣ୍ଠିଗୁଡ଼ାକ ଗଣିଗଲେ ଜନଠେଇଁ ଗଣ୍ଠି ସରିଛି । ହସିଦେଇ କହନ୍ତି, ‘ଧନ୍‌’କୁ ଆଶା କରିବ ନାହିଁରେ ପିଲାଏ, ଜନ୍‌ ଅସଲ, ଜନ୍‌ ଥିଲେ ସବୁ ଭଲ ସିନା, ଧନ୍‌ ଆସିବ ତା’ ମନକୁ । ସେହି ଭେକର ସେହି ଚେହେରାର ମଣିଷ, କେଡ଼େ ଖାତିରି କେଡ଼େ ମାନ ତେରଖଣ୍ଡି ମଉଜାରେ । ସମସ୍ତିଙ୍କି ସତେକି ସେ ଭେଳେଇ ରଖିଥିଲେ, କଥା ପଦେ ନୁହେଁ ତ ବେଦର ଗାର, ବାଘ ଛେଳି ଏକାଘାଟକେ ପାଣି ପିଉଥିଲେ । ଅବାଗିଆ କଥା ଆଖିରେ ଯିବ ନାହିଁ । ଚାଉଳଟିଏ କୋଉଠି ପଡ଼ିଛି ଦେଖିଲେ ଗୋଟେଇ ଥୋଇଦେବେ, ଏଣେ ଭାତ ଥାଳିପାଖେ ବିଲେଇ ବେଢ଼ିଥିବେ, ଛୁଆ ବେଢ଼ିଥିବେ, ଗୁଣ୍ଡା ବଳି ବଳି ପାଟିକି ବଢ଼େଇ ଦେଉଥିବେ କିନ୍ତୁ କିଏ ଭାତ ଗୋଟିଏ ଛାଡ଼ିବାକୁ ସାଧ୍ୟ ନାହିଁ । ଘରେ ସବୁ ଭାଇଙ୍କ କୁଟୁମ୍ବ ମିଶି ଚାଳିଶି ପ୍ରାଣୀ, ସମସ୍ତିଙ୍କି ସମ୍ଭାଳିଥିଲେ । ଚଳୋଉଥିଲେ ଏକା କଣ୍ଟରେ । ଏକା ରୋଷେଇରେ ସମସ୍ତେ, କିଏ ଶହେ ଟଙ୍କା କମଉଛି, କିଏ କିଛି କମେଇପାରୁନାହିଁ । ଶାଢ଼ି କିଣା ହେବ ତ ସମସ୍ତିଙ୍କ ପାଇଁ ସମାନ, ନ ହେବ ତ କାହାରି ନାହିଁ । ଭଣଜା, ଭାଣିଜୀ, ଝିଆରୀ, ପୁତୁରା, ନୋତା ଗୋତା ,ଆଇଲା, ଗଲା, ସମସ୍ତିଙ୍କି ସମାନ ଆଦର, ଆପଣା ପର ନାହିଁ । ସମସ୍ତିଙ୍କ ଭଲ ମନ୍ଦ ବୁଝି କାମ କରୁ କରୁ ଛୁଟ୍‌କିନା ଦିନ ଯାଇ ରାତି ହୁଏ । ଆପେ କାମରେ ଲୋଟନ୍ତି ବୋଲି ଘରଯାକ ସମସ୍ତେ ଲାଗିଥାନ୍ତି କାମରେ, କିଏ କେତେ କାମ କରିପାରୁଛି ସେଥିଘେନି ଲାଗେ ବାଦବୁଦିଆ, ତାଙ୍କ ମୁହଁରେ ଟିକିଏ ହସ ଦେଖିବାପାଇଁ ସମସ୍ତିଙ୍କର ଜୀବନମୂର୍ଚ୍ଛ କାମ । ଯଦି କେବେ କେଉଁଠି ଟିକିଏ ବିଗଡ଼ ଲାଗେ, କେମିତି ସେ ଜାଣିପାରନ୍ତି, କାହାରିକି କିଛି ନ କହି ଭାତ ଥାଳି ପାଖରୁ ଉଠିଯାଆନ୍ତି । ସେତିକିରେ ଘରଯାକ ଚହଳ ପଡ଼େ, ବୁଝାମଣା ଲାଗେ, କାଇଲ ଲୋକ କାଇଲ ହୋଇ ଦୋଷ ସ୍ୱୀକାର କରି ଆପଣାକୁ ସଜାଡ଼ି ନିଏ । ଘର ଫାଟେ ନାହିଁ ।

 

‘‘ନଖି, ମା’ ପାନ ଦି’ଖଣ୍ଡ ଆଣିଲୁ । କ’ଣ କିଛି ଖାଇଲୁଣି ?’’

 

ମୁହଁ ଦିଶୁଛି ହସରେ ଜିକିଜିକି । ବାପା ଡାକୁଛନ୍ତି ।

 

‘‘କ’ଣ କିଛି ଖାଇଲୁଣି ମା’ ?’’ ସେତିକିରେ ସବୁଯାକ ସ୍ନେହ, ପ୍ରଶ୍ନଟା ଖାଲି ଗୋଟାଏ ଠାରକଥା ପରି, ଯେତେବେଳେ ହାବୁଡ଼େ ପଡ଼ିଗଲେ ମୁଣ୍ଡରେ ହାତ ବୁଲେଇଦେଇ ସେହି ପ୍ରଶ୍ନ, ବାପର ହୃଦୟର ଅସରନ୍ତି ସକ ଶରଧା ସେତିକି କଥାରେ ତାଙ୍କୁ ବାରମ୍ବାର ତିନ୍ତେଇଦିଏ, ତା’ପରେ ପାଦଟା ହାଲୁକା ହୋଇପଡ଼େ, ଲାଗେ ତଳେ ଭୂଇଁ ନାଇଁ, ସାଇତା ହୋଇ ଛଞ୍ଚା ହୋଇ ଶୂନ୍ୟେ ଶୂନ୍ୟେ ମନ ଖୁସିରେ ଜୀବନ ନିଧଡ଼କ ।

 

‘‘ବୋଉ, ଦେଲୁ ?’’

 

‘‘ଦଉଚିରେ ବାବୁ, ଏଇ ଭଜା ଦିଖଣ୍ଡ ପକେଇଛି, ହେଇଗଲେ ଦଉଚି ।’’

 

ଆଖିରେ ପରଳ ପରି ସ୍ମରଣ ଉପରେ ପର୍ଦ୍ଦା ପଡ଼ି ଯାଉ ଯାଉ ଜାଲ-ଜାଲୁଆ ହୋଇ ଦିଶିଯାଉଛି କେତେ କଥା; ଗୋଳିଆମିଶା ହୋଇଯାଉଛି, ନିଭି ନିଭି ଯାଉଛି । ତେର ବର୍ଷ ହେଉ ହେଉ ସେମାନେ ତାଙ୍କୁ ପରଗୋତ୍ରୀ କରିବାକୁ ବ୍ୟସ୍ତ ହୋଇପଡ଼ିଲେ, ଲାଗିଲା ଖୋଜାଖୋଜି, ବୁଝାବୁଝି । ସାଙ୍ଗ ସୁଖରେ କିଛି ଅଛପା ରହେ ନାହିଁ, କୁଆଡ଼ୁ କୁଆଡ଼ୁ ଆସି କାନରେ ପଡ଼େ, କଥା ଶୁଣି ବେଳେ ବେଳେ କେମିତି ସ୍ୱପ୍ନ ଦେଖିଲା ପରି ଲାଗୁଥିଲା ସିନା, ସେତେବେଳେ ସାଙ୍ଗମାନେ ଆକାଶରୁ ତୋଳି କେତେ ପ୍ରକାରେ ସଜେଇ ସଜେଇ ଗଢ଼ି ଦେଉଥିଲେ ଭବିଷ୍ୟତର ଘରକରଣାକୁ, କିନ୍ତୁ ପରଘରେ ସେହି ଖେଳଘରେଇ କଳ୍ପନା କରୁ କରୁ କୁତୂହଳ ହେଉ ହେଉ ତୁଚ୍ଛାକୁ ଡର ମାଡ଼ୁଥିଲା, କାନ୍ଦ ମାଡ଼ୁଥିଲା, ପାହୁଣ୍ଡ ପାହୁଣ୍ଡ ହୋଇ ସେହି କୌତୂହଳମୟ ଆଶଙ୍କାର ଦିନ ଯହୁଁ ଯହୁଁ ପାଖେଇ ଆସୁଥିଲା ତହୁଁ ତହୁଁ ବଳିପଡ଼ୁଥିଲା ସମସ୍ତିଙ୍କର ସ୍ନେହ । ସେ ବି ସବୁ ପାସୋରି ପକାଇ ମନଇଚ୍ଛା ଖେଳୁଥିଲେ ବୁଲୁଥିଲେ ଗାଁସାରା, ୟେ ଗାଁ ନୁହେଁ ସତେ କି ଗୋଟାଏ ଘର । ମନେପଡ଼େ ଏଇଦିନେ ତ, ଦଣ୍ଡୀ କରେ କରେ ବେତାବେତା ଭୂଇଁ ବରକୋଳି, ଭଇଁଚିକୋଳି । ସାଙ୍ଗସୁଖ ହୋଇ ତୋଳୁ ତୋଳୁ ଦିନେ ଦିନେ ଦିପହରଟା ସେଇଠି ବିତିଯାଏ । ତା’ପରେ ବିଲେଇ ପରି ଏଘରୁ ସେଘର ହେଉ ହେଉ ରାତି ଦି’ଘଡ଼ି । ଘରକୁ ଆସିଲାବେଳେ କନକନ ହୋଇ ଚାରିଆଡ଼କୁ ଅନାଇଁ ଅନାଇଁ ପଶିଯିବାକୁ ପଡ଼େ । କାଳେ କେଉଁଠି ସେ ଥିବେ, ପଚାରିଦେବେ ।

 

କେବେ ଆକଟନ୍ତି ନାହିଁ, ଓଲଟି ବୋଉ କହିଲେ କହନ୍ତି, ଝୁଅ ମୋର ବୁଲିବ, ମନଇଚ୍ଛା ବୁଲୁ, କିଛି କହନା । ଖାଲି ତା’ ଖାଇବା ବେଳଟା ଜଗିଥିବଟି, ଦେହ ଯେମିତି ଖରାପ ନ ହେବ ।

 

କୁଆଡ଼େ ଗଲା ସେ କାଳ । କେଉଁ ଚୁଲୀରେ ପଶିଲା । ଏତେବେଳେ ସେ ପଛକୁ ଅନାଇଁଲେ ସେଠି ଆଉ ସେ ଚିହ୍ନ କି ବର୍ଣ୍ଣ ନାହିଁ, ସବୁ ଉଭେଇ ଯାଇଛି । ଯାଇଥିଲେ ସେଠିକି ସେ ଦି’ବର୍ଷ ତଳେ, ସାନ ଭାଇ ମୋହନ ତା’ର ଝିଅ ବାହା କଲା, ନେଇଥିଲା । ପାଞ୍ଚ ଭାଇଙ୍କ ଭିତରେ ମୋହନ ସବା ସାନ, କିନ୍ତୁ ସବୁଠୁ ବେଶି ପାରିବାର । ସହରରେ ବେପାର କରେ, ଗାଁରେ କୋଠା କରିଛି, ଜମି କିଣିଛି, କିନ୍ତୁ ସେ ପ୍ରାୟ ଗାଁରେ ନ ଥାଏ, ପିଲାପିଲି ତା’ର ସହରଘରେ, ସହର ତାଙ୍କୁ ଆରେଇ ଗଲାଣି । ମୋହନ ଦୁଇ କୁଳ ଜଗିଛି, ଏଣେ ସହରରେ ଟ୍ରକ୍‌, ମିଲ୍‌, ଦୋକାନ ତେଣେ ଗାଁରେ ଚାଷବାସ, ମାମଲତକାରୀ, ରାଜନୀତି । ସେ ଖଦଡ଼ ଛଡ଼ା ଅନ୍ୟକୌଣସି ବେଶରେ ପଦାକୁ ଆସେ ନାହିଁ, ମୂଳରୁ ସେ କଂଗ୍ରେସର ମେମ୍ବର । ଖାତିରି ବି ଅଛି । ଲୋକଙ୍କୁ ଦିଆ ଘେନା କରେ, ତାଙ୍କ ଖବର ବୁଝେ । ସେ ବିଷୟରେ ସେ ଟିକିଏ ଟିକିଏ ତ ବାପାଙ୍କ ପରି । ଯାହାର ଯାହା ଦରକାର ସମସ୍ତେ ମୋହନ ବାବୁ, ମୋହନ ବାବୁ ବୋଲି ଅଥୟ କରନ୍ତି, ସେ କାହାକୁ କଥା ପଦେ କହିଲେ ତା’ କାଟୁ କରେ ।

 

କିନ୍ତୁ ବେପାର ବଣିଜ ନ କରି ଚାକିରି ନ କରି କୋଠା ନ ତୋଳି ତାଙ୍କ ବାପା ଯେଉଁପରି ଗୋଟାଏ ପ୍ରଚଣ୍ଡ ଗଣ୍ଠିରେ ସମସ୍ତିଙ୍କି ବାନ୍ଧି ରଖିପାରିଥିଲେ ମୋହନ ଦେଇ ତା’ ସମ୍ଭବ ହୋଇପାରିଲାନାହିଁ, କାହାରି ଦେଇ ହେଲାନାହିଁ । ସମସ୍ତେ ଫିଟିଫାଟି ଗଲେ, ଗୋଟା ଗୋଟା ହୋଇଗଲେ, ଯେ ପାରିଲା ଠିଆ ହେଲା, କିନ୍ତୁ କାହାରି ଆଉ କାହାରି ସହିତ ସମ୍ବନ୍ଧ ନାଇଁ, ଓଲଟି ଟିକି ଟିକି କଥାରେ ମନ ଫଟାଫଟି, କହାରି ଭଲ ଦେଖିଲେ ଖୋଲାଖୋଲିରେ ଶତ୍ରୁତା ନ ହେଲେ ବି ଈର୍ଷା । ଯେ ନ ପାରିଲା ଗଡ଼ିମଲା ସେ, ପର ପଛେ ପଚାରିଲେ ଆପଣା ଲୋକ ଆଡ଼ଆଖିରେ ଅନାଇଁଲେ ନାହିଁ । ସେ ଘରୁ କେତେ ମଣିଷ ବାହାରି ଆପଣା ଶିଂଘରେ ମାଟି ତାଡ଼ି ତାଡ଼ି ଆପଣା କର୍ମ ଘେନି କେତେଠି କେଉଁ ପ୍ରକାରେ ହେଲେ ଜୀଊଣା ଗୋଟାଇ ରହିଛନ୍ତି ବଢ଼ୁଛନ୍ତି, କିଏ କରୁଛନ୍ତି ଚାକିରି, କିଏ ଦୋକାନ କି ବେପାର, ବଡ଼ କି ସାନ ଯେ ଯାହା କରୁ ଡିହରେ କାହାରି ଛାଇ ପଡ଼ୁନାହିଁ ।

 

ଆଃ ! କ’ଣ ଥିଲା, କ’ଣ ହେଲା !

 

ପୁଅ ହେଣ୍ଟାଳୁଛି, ତର ସହୁ ନାହିଁ । ‘‘ହଁ ହଁ ଯାଉଚି-’’ କାନିରେ ଲୁହପୋଛି ଦେଇ ଆପଣାକୁ ଝାଙ୍କେ ଦେଇ ସେ ତରତର ହୋଇ ସଜ ହେଲେ । ଏଥର ଜାଗ୍ରତ ବର୍ତ୍ତମାନ, ତା’ର ସ୍ପଷ୍ଟ ଅବୟବ । ପଛ କଥାର ଖାଲି ଗୁଣୁଗୁଣୁ ରହିଗଲା, ଦୃଶ୍ୟ ବଦଳିଗଲା ।

 

ରୋଷେଇଘରେ ଚୁଲୀଠୁଁ ଚାରି ହାତ ଛାଡ଼ି ରବି ଖାଇ ବସିଛି, ସାମ୍ନାରେ ପଖାଳ ପଥୁରିକ, ଥାଳିଆରେ ବାଇଗଣ ଭଜା, ଆଳୁ ଭର୍ତ୍ତା, ବଡ଼ିଚୂନା, ଲୁଣ ଲଙ୍କା ଠା ଠା ହୋଇ ଥୁଆ ହୋଇଛି । ଆଉ ଅଛି କାଞ୍ଜିପାଣି ଗୋଟିଏ ରସ ତାଟିଆରେ । ଆଉ ସାମ୍ନାରେ ଚୁଲୀର ରଡ଼ନିଆଁ, ତା’ର ସେ ଟହ ଟହ ନାଲି ଯେମିତିକି ମନ ଭିତରୁ ବୋଲି ନାସି ବଢ଼ାଉଛି, ଉଷୁମ କରୁଛି । କାଠ ବଇଠା ଉପରେ ନଲଟଣଟିଏ ଜଳୁଛି । ଘରତଳ, ଚୁଲୀ କରରେ ଅଧାକାନ୍ଥି, ଘର ଭିତରର କାନ୍ଥ ମାଟି ଗୋବରରେ ମଣିଷ ହାତର ଅସଂଖ୍ୟ ଆଉଁସା ପାଇ ପାଇ ଆଖିକୁ ଏମିତି କଅଁଳ ଆଉ ସ୍ୱାଭାବିକ ଦିଶୁଛି ଯେପରି ତା’ଠି ଜୀବନ ଅଛି, ତା’ର ବି ଅଛି ଗୋଟାଏ ଜୀଅନ୍ତା ଚେହେରା । ଅତି ଆପଣାର କେହି ଜଣେ ଖାଲି ତାକୁ ତା’ର ସ୍ନେହୀ ଦୃଷ୍ଟିରେ ସ୍ନାନ କରାଇଦେଉଛି । ଚାଳ ତଳ ପଟେ ବାଉଁଶକୁ ଲାଗି ଲାଗି ଯେଉଁ ପୁଳିଏ ପୁଳିଏ କନା ପୁରୁ ପୁରୁ ହୋଇ ଓହଳିଛି ତା’ ବି ସେହି ସ୍ୱାଭାବିକ ବ୍ୟକ୍ତିତ୍ୱରେହିଁ ଖାପିଯାଇଛି । ଭାତ ଖିଆ ପାଖେ ମ୍ୟାଉଁ ମ୍ୟାଉଁ ବିଲେଇ, କାନ୍ଥରେ ଲାଖିଥିବା ଝିଟିପିଟି, ସେହି ଯେ ଲାଙ୍ଗୁଡ଼ ହଲଉଛି, ଏକ ଦୃଷ୍ଟିରେ ତା’ର ଆଧାରଆଡ଼କୁ ଅନାଇଁ ରହିଛି, ଆଉ ଏଇ ଯେଉଁ ଚୁ ଚୁ ହୋଇ ଲମ୍ବା ଶୁଣ୍ଢରେ ସତେ ଅବା ଘରେ ଓଳେଇ ଓଳେଇ ତରତର ହୋଇ ଧାଇଁଛି ଚିହ୍ନା ଚୁଚୁନ୍ଦ୍ରାଟା, ବୋଉ କହୁଚି ହାସୁ ହାସୁ । ଚୁଲୀ କତିରେ ସାନ ବେଦୀ ଉପରେ ଧାଡ଼ି ହୋଇ ହାଣ୍ଡିଗୁଡ଼ିକ, ପଖାଳ ହାଣ୍ଡି, କାଞ୍ଜିପାଣି ହାଣ୍ଡି, ଭାତ ହାଣ୍ଡି, ରୋଷେଇ କରିବାକୁ ଅନ୍ୟାନ୍ୟ ହାଣ୍ଡିସବୁ, କାହା ଉପରେ ପଲମ, କାହା ଉପରେ କାଠଚଟୁ, ନଡ଼ିଆ ଡଙ୍କା, ସବୁ ମିଶିଛି ସେହି ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଦେହରେ । ବୋଉ ବସିଛି । ସେ ସେହି ଦୃଶ୍ୟର ଜୀବନ । କାନକୁ ମଧୁର ପ୍ରାଣକୁ ଶୀତଳ କବିତାର ରସ । ଏହି ଚିହ୍ନା ପରିବେଷ୍ଟନୀ ତାକୁ ଉଷୁମ ନିବୁଜ କରି କୁଣ୍ଢେଇ ଧରିଛି । କାନି ଘୋଡ଼େଇ କୋଡ଼ରେ ବସାଇଛି ଯେପରି ମା’ ବସାଏ ଛୁଆକୁ ।

 

ତୃପ୍ତି ।

 

ଖାଲି ତୃପ୍ତି ନୁହେଁ, ଅବସ୍ଥା ସହିତ ଏକ ଅଭେଦପଣ, ସହଜ, ନିଖର୍ବିତ, ନିଃସଂକୋଚ ସ୍ଥିତି ଆଉ ବ୍ୟାପ୍ତି ସେଠି, ତା’ର ଆଉ ତା’ ପୃଷ୍ଠଭୂମିର । ପାଟିରେ ଗୁଣ୍ଡା ପୂରାଇଲାବେଳେ ପରିସ୍ଥିତିର ସ୍ୱଚ୍ଛଳତାରେ ସୁଖରେ ବଢ଼ି ଉଠି ସତେ କି ତା’ର ବ୍ୟକ୍ତିତ୍ୱ ଆପଣାକୁ ଓଟାରି ଓଟାରି ଡେଙ୍ଗା କରି ଟିପ ଆଗରେ ଠିଆ ହୋଇ ସ୍ପର୍ଦ୍ଧାରେ ଚାହିଁଲା ତା’ର ଆଉ ଗୋଟାଏ ଦବିଯାଇଥିବା ବ୍ୟକ୍ତିତ୍ୱଆଡ଼କୁ, ସେଇଟା ବାମନ, ସେଇଟା କୁରୂପ, ସେଇଟା ସେଇବେଳର ଯେତେବେଳେ ସେ ଚାକିରି କରିବାକୁ ଯାଇଥିଲା, ବିପଦରୁ ଉଧୁରି ବିପନ୍ନକାରୀକୁ ଶ୍ଳେଷଦୃଷ୍ଟି ହାଣିଲା ପରି ସେ ବି ଗର୍ବ ଅନୁଭବ କଲା ଯେ ସେ ହାରିନାହିଁ, ବନ୍ଧା ହୋଇନାହିଁ, ଚାଲି ଆସିଛି ।

 

ଅତି ବିଶ୍ୱାସରେ ମନକଥା ଖୋଲି କହିଲା ପରି ସେ ତା’ ବୋଉ ଆଗରେ କହିଲା–

 

‘‘ହେଇ ଦେଖି, ଯେମିତି ଜମିଦାରୀ ରହିଲା ନା ଗଲା ? କ’ଣ ହେଲା ? ସେମିତି ।’’ କଥାଗୁଡ଼ାକ ପ୍ରକୃତରେ ସେ ମନେ ମନେ କହୁଥିଲା, ତହିଁରୁ ଗୋଟାଏ ଅଂଶ କେମିତି ଯେପରି କି ତା’ ତୁଣ୍ଡରେ ଫୁଟି ପଦାରେ ପଡ଼ିଲା ।

 

ବିସ୍ମିତ ହୋଇ ତା’ ବୋଉ ପଚାରିଲେ, ‘‘କାହା କଥା କହୁଚୁ ?’’

 

ଯେପରି ସେ ଆଗକୁ କହିସାରିଛି ସେହିପରି ସେ କହିଲା, ‘କହିଲି ପରା, ସେମିତି ସବୁ-।’’

 

‘‘କ’ଣ ?’’

 

‘‘କୌଣସି କଥା ନେଇ ଗୌରବ ପାଇବା ବି ଗୋଟାଏ ଗୋଟାଏ ସମୟର ଠାଣି, ହପ୍‌ପାଟା ଗୋଟାଏ ଖିଆଲର ହଲପା ପବନ, ସରିଗଲେ ଯୁଗର ମତ ବଦଳିଗଲା ।’’

 

‘‘କ’ଣ ତୁ କରୁଚୁ ମ, ପାଗଳା ବାତୁଳା ବାଇଟୁଙ୍ଗୁରିଟା, ମନକଥା ଖୋଲି କହିଲେ ସିନା କିଏ ବୁଝନ୍ତା ! ମଣିଷକୁ କୁହୁଚୁ ନା ପଖାଳ କଂସା ସଙ୍ଗେ କଥାଭାଷା ହଉଚୁ, ହଇରେ–’’

 

ରବି ଚମକି ପଡ଼ି ହସିଦେଲା, ଯେପରି କି ଭିତର ପର୍ଦ୍ଦା ଟେକି ବାହାରେ ଖରାରେ ଆସି ଠିଆହେଲା ତା’ର ଚେତନା । କହିଲା, ‘‘ଓ, ବୁଝିପାରିଲୁ ନାଇଁ କି ବୋଉ ! ଆଗେ ଜମିଦାର ହବାଟା ଥିଲା ଗୌରବର ଚିହ୍ନ । ସେଇଥିପାଇଁ ଗୋପାଳ ସାହୁ ଗୁଡ଼ିଆ ମିଠେଇ ବିକୁ ବିକୁ ଦି’ପଇସିଆ ଜମିଦାରୀ ଅଂଶଟିଏ କିଣିଲେ । ଏ ଚାକିରି ଖିଆଲଟା ବି ସେହି ଗୌରବ ପାଇବା ଖିଆଲ, ଶେଷରେ ସେଥିରୁ ଗୌରବ ପାଇବା ଆଶାଟା ବି ଗଲା ଉଡ଼ି, ବେଳ ଆସିବ ଯେତେବେଳେ ଲୋକେ ଭିନେ ବାଟ ଦେଖିବେ, ଆସୁଛି ବେଳ ।’’

 

‘‘କ’ଣ ସରକାର ଜମିଦାରୀ ଉଠେଇଲେବୋଲି ଚାକିରି ବାକିରି ଉଠେଇ ଦେବୁ କହୁଚୁ-?’’

 

‘‘ଚାକିରି ଉଠିଲେ କାମ ଚଳିବ କେମିତି ? ତା’ ନୁହେଁ ଲୋ ଓଲି, ମୁଁ କହୁଚି ଅଇଛା ଯେମିତି ଆମକୁ ରୋଗ ଘୋଟିଚି, ପାଠପଢ଼ା ସରୁଣୁ ନ ସରୁଣୁ ଆଖିବୁଜି ଉଦୁମୁଦା ହୋଇ କ’ଣ ନା ଚାକିରି କର, ଭବିଷ୍ୟତରେ ଲୋକେ ତା’ କରିବେ ନାହିଁ । ପ୍ରଥମ କଥା ଯେ ଟଙ୍କା ପାଇବାପାଇଁ ଚାକିରିକି ଆସିବେ ନାହିଁ, ଅନ୍ୟବାଟରେ ଟଙ୍କା ରୋଜଗାର କଲାବାଲା ଯିବେ । ସେଇମାନେ ଆସିବେ ଯାହାଙ୍କ ମନ ଡାକିବ ଆପେ ପେଟରେ ଓଦାକନା ପକାଇ ଦଶଜଣଙ୍କ ଉପକାରପାଇଁ ଦାୟିତ୍ୱ ମୁଣ୍ଡାଇବାକୁ ।’’

 

‘‘ତେବେ ତୋ’ର କ’ଣ ଅଡ଼ୁଆ ହଉଚି ? ତୁ ତ ସେଇଆ ଖୋଜୁଚୁ ।’’

 

ଅଇଛା ସେ ଅବସ୍ଥା ଆସି ନାହିଁ, ଅଇଛା ଲୋକେ ପେଟପାଇଁ ଚାକିରି କରୁଛନ୍ତି, ତାଙ୍କ ଭିତରେ ମୁଁ ନାହିଁ ।’’ କହିଦେଇ ସିଧା ଚାହିଁ ସେ ହସିଦେଲା ।

 

ବୋଉ ବୁଝିପାରିଲେ । ହସି ଦେଇ କହିଲେ, ‘‘ତୋ ଇଛା, ମୁଁ କ’ଣ ନାହିଁ କରୁଚି ।’’

 

‘‘ତେବେ ତୁ ବାପାଙ୍କୁ ବୁଝେଇଦବୁ ।’’

 

‘‘ତାଙ୍କୁ ବୁଝେଇବା ଦରକାର କ’ଣ ? ସେ କ’ଣ ତୋ କମେଇଁ ଖାଇବେ ବୋଲି ତତେ ଚାକିରି କରିବାକୁ ଜିଗର ଧରିଥିଲେ ? ଖାଲି ତୋ’ରି ହିତପାଇଁ ତ, ଆଉ କାହିଁକି ? ତୋ ମନ ଯଦି ସେଥିରେ ନ ବୁଝିଲା ତେବେ ନ ବୁଝିଲା, ଏଣିକି ତମ ଘର ସଂସାର ତେମେ କରିବରେ ବାବା, ଆମର କ’ଣ ଅଛି ।’’

 

‘‘ଘର, ଫେର୍‌ ସଂସାର,ଖାଲି ଘର ନୁହେଁ !’’ ଭ୍ରୁଳତା ନଚେଇ ରବି କହିଲା ।

 

‘‘ଘର ଥିଲେ ସଂସାର ଏ ତ ଜଗତଯାକର କଥା, ତେମେ ଆଉ ନୂଆ କରିବ ?’’ ହସି ଦେଇ ବୋଉ କହିଲେ, ‘‘ଖାଉ ନୋହୁଁ ଖାଲି କଥାଗୁଡ଼ାଏ ଗପୁଚୁ ।’’

 

‘‘କୋଉଠି ଗପିଲି ? ମୁଁ ତ କିଛି ପଚାରି ନାହିଁ ମୋଟେ,’’ ରବି କହିଲା, ‘‘ଆଚ୍ଛା କହିଲୁ, କୁରୁପା ବାଉରି ବିଚରା ଜରରେ ପଡ଼ି ଯାଇଥିଲା, ତା’ ଘରେ ହରବର, ଚାଉଳ ଦେଇ ପଠେଇଥିଲୁ, ତତେ କହିଯାଇଥିଲି ?’’

 

‘‘ନଇଲେ ତୁ ମତେ ରଖନ୍ତୁ ! ବାଟଯାକ ସେଇଆ ଭାବୁଥିଲୁ ପରା ! ତା’ ଭଉଣୀ ଆଇଥିଲା ଯେ ଦି ଗଉଣୀ ଚାଉଳ ନେଇଯାଇଚି ।’’

 

‘‘ଆଉ ସେ ସପନି କେଉଟ ବୋହୂଟା ପୋଖତୀ ହେଇ ବେମାର ପଡ଼ିଥିଲା, କହି ପଠେଇଥିଲା ତା’ ଓଷଧ ଖର୍ଚ୍ଚ ପେଇଁ ଦି’ଟଙ୍କା ଦବାକୁ–’’

 

‘‘ତା’ ବି ଦିଆହେଇଚି । ତୋ ବାପେ ତ କହି ହଉଥିଲେ ଦିଅ, ଦିଅ, ଯେ ଯାହା ମାଗୁଚି ଦେଇଦିଅ, ରବି ମୋର ଯାଇଚି ତା’ କାମ ସଫଳ ହେଉ ।

 

ହସିଦେଇ ରବି କହିଲା, ‘‘ଅବିଶ୍ଵାସ କରୁଚୁ କି ? ଚାକିରି ସିନା କଲି ନାହିଁ, ଜୀବନ ସଫଳ ହେଲା, କୂଳ ପାଇଲି । ‘‘ଠାକୁରେ ତମର ଭଲ କରନ୍ତୁରେ ବାବା–’’

 

‘‘ଆଉ ଗୋଟିଏ କଥା ପଚାରିବି ବୋଉ–

 

‘‘ଜାଣିଚି ଯେ, ତାଙ୍କ ଘର ଗାଈ କଥାତ, କଇଁଫୁଲ ପରି ମାଈ ବାଛୁରୀଟିଏ ହେଲା ।’’ ଆଶ୍ଚର୍ଯ୍ୟ ହୋଇ ଖୁସିହୋଇ ରବି ବଡ଼ପାଟି କଲା, ‘‘କହ, କହ ତୁ କେମିତି ଜାଣିଲୁ ବୋଉ !’’

 

ଲକ୍ଷ୍ମୀ ହସରେ ଗଦଗଦ ହୋଇ ପାଟି ଲଗେଇ ଲଗେଇ କହିଲେ, “ଶୁଣମ ୟା କଥା । ହଇରେ ତୁ ପରା ମୋରି ପେଟରୁ ଜନମ, ତୋ ମନକଥା ମୁଁ ଜାଣିବି ନାଇଁ ମତେ ବଳେଇବ !’’

 

‘‘ହଃ ସବୁ ଜାଣିପକେଇବୁ ।”

 

‘‘ସବୁ ଜାଣିଚି ସବୁ ଜାଣିଚିରେ ସବୁ ।’’ ସେ ଗର୍ବରେ କହିଲେ ।

 

ମଞ୍ଜା ରାଇ ଭଣ୍ଡା ତରକାରି ଘେନି ଆସି ପହଞ୍ଚିଲେ ଆରସାହିର ଜଗୁଦାସଙ୍କ ଘର ବୋହୂ କଳଜୀମା’, ସତୁରି ଦାସର ସ୍ତ୍ରୀ, ସତୁରି ଦାସ ବୟସରେ ବଟ ମହାନ୍ତିଙ୍କ ସାଙ୍ଗ ସରି, ତାଙ୍କ ସ୍ତ୍ରୀ ରବି ବୋଉଙ୍କଠୁଁ ବର୍ଷେ ଛ’ମାସ ବଡ଼ । କିନ୍ତୁ ମାନ୍ୟରେ ସତୁରି ଦାସ ରବିର ପୁତୁରା ସମ୍ପର୍କ ହେବେ । ତେଣୁ କଜଳୀମା’ ସମ୍ପର୍କରେ ବୋହୂ । ସାତଟି ପିଲାର ମା’ କଜଳୀମା’ଙ୍କ ସ୍ୱାସ୍ଥ୍ୟ ତୁଟିଛି କୋଉକାଳୁ, ମୁଣ୍ଡରୁ ବାଳ ପାତଳ ହେଇଯାଇଛି, ହାଡ଼ୁଆ ମୁହଁଟା ହୋଇଯାଇଛି ଫାଳିକିଆ, ଦାନ୍ତ ରୋଗରେ ଗୋଟାଏ ପାଖରୁ ଦାନ୍ତଗୁଡ଼ାଏ ଉପୁଡ଼ି ଯାଇଥିବାରୁ ଗାଲଟା ଫାଳିକିଆ ହୋଇ ରହିଛି ସତେ ଅବା ସବୁବେଳେ କାହାକୁ ଚଦୁଛନ୍ତି । ହାତଗୋଡ଼ ଡାଙ୍ଗ ସରୁ ସରୁ । ଛାତିଟା ଚଟା ଶିଲ୍‍ପଟ୍-। ମୁଣ୍ଡରେ ରୋଗ, ମୁଣ୍ଡ ବୁଲାଏ, ଦାନ୍ତରେ ରୋଗ, ଶୂଳେଇ ହୁଏ, ଦାନ୍ତମୂଳ ଫୁଲେ, ଛାତିରେ ରୋଗ, ଥରେ, ଦାଉଁ ଦାଉଁ ପଡ଼େ, ପେଟରେ ରୋଗ, ସର ସରିଆ ପେଟ ଯେ ନାଳ ଝାଡ଼ା ଛାଡ଼େ ନାହିଁ, ଗୋଡ଼ ହାତ ଘୋଳାବିନ୍ଧା ହୁଏ, ଦେହଯାକ ସବୁଠି ରୋଗ ପୂରି ରହିଛି । ସେଥିପାଇଁ ବାର ତୁଟୁକା ବାରପ୍ରକାର ଗାଉଁଲି ଔଷଧ ସବୁବେଳେ ଚାଲିଥାଏ । କେତେବେଳେ ସହରି ଔଷଧର ବାଟୁଳି ବି ପଡ଼େ, କିଛି ହୁଏ ନାହିଁ । ଗାଁର ‘କୁଆକ’ ଡାକ୍ତର ମଧୁସୂଦନ ତାଙ୍କ ନିଜ ପୁତୁରା, କିନ୍ତୁ ସେ ଯେତେପ୍ରକାର ପ୍ରଲୋଭନ ଦେଖାଏ, ହୋମିଓପ୍ୟାଥି ଏଲୋପ୍ୟାଥି ଇଞ୍ଜିକ୍‍ସନ୍ ଆଉ ଟେଥୋକୋପ୍ସେ କେମିତି ତା’ଠୁ ଆଡ଼େଇ ହୋଇ ରହନ୍ତି । କହନ୍ତି, ଡରମାଡ଼େ । ଏପରି ଯେଉଁ କଜଳୀମା’ ଯେ ତାଙ୍କ ସଂସାରର ବି ଏକ ସମସ୍ୟା, କୌଣସିମତେ ଜୀବନଟା ରହିଥାଏ ପିଣ୍ଡରେ, ସେ ବି ରବି ବୋଉଙ୍କ ଗୋଡ଼ତଳେ ପଡ଼ିସାରି ଦେହମୁଣ୍ଡ ଆଚ୍ଛାକରି ଘୋଡ଼େଇ ଲହ ଲହ ଓଢ଼ଣା ଝଲେଇ ତାଙ୍କ ପୁଅ ବୟସର ରବିର ଗୋଡ଼ତଳେ ପଡ଼ିଲେ, ମାନ୍ୟକରି କରପଟିଆ ଆଡ଼େଇ ଠିଆହୋଇ ରବିର ବୋଉଙ୍କୁ ଫୁସ୍ ଫୁସ୍ କରି କହିଲେ, ‘ଟିକି’ ଦାଦି କେତେବେଳେ ଆସିଲେକି ? କ’ଣ ଛୁଟି ହେଲା ?’’

 

ହସିଉଠି ରବି କହିଲା, ହଁ ବୋଉ କହିଦେ, ଚାକିରିରୁ ଛୁଟି ସବୁଦିନପାଇଁ ହୋଇଗଲା । ମନ ହେଲାନାହିଁ । ଯୋଉ ତ ଚାକିରି !’’

 

କଜଳୀମା’ ରବିର ବୋଉକୁ କହିଲେ, ‘‘ଏତେ ପାଠପଢ଼ି ଟିକି ଦାଦି ଆମର ଚାକିରିକି ବେପସନ୍ଦ କରି ଦେଉଛନ୍ତି, ଆଉ ଗନ୍ଧିଆ କଥାକୁ ଦେଖୁଚ, ମାଇନର ଖଣ୍ଡେ ତା’ଦେଇ ହେଲାନାହିଁ, ଘରେ କୁଟା ଖଣ୍ଡକ ଦି’ଖଣ୍ଡ କରିବ ନାହିଁ । ଏଣେ କି ଚାକିରି ନିଶାରେ ତା’ ମୁଣ୍ଡ ବିଗିଡ଼ିଚି ଯେ ଚାକିରି କରିବ କରିବ ବୋଲି ଦଉଡ଼ି ଦଉଡ଼ି ତା’ ଗୋଡ଼ରୁ ପାଣି ମଲାଣି । ତାଙ୍କ କପାଳ ।’’

 

ଗନ୍ଧିଆ ତାଙ୍କ ସାନ ପୁଅ । ତା ଉପରେ ଜୋତି ।

 

ରବି ବୋଉ ପଚାରିଲେ, ‘ଜୋତି କେମିତି କରୁଚି ?’’

 

କଜଳୀମା’ କହିଲେ, ‘‘ସେଇ ତ ଘର ଚଳାଉଚି, ଆଉ କିଏ ? ମନକୁ ମନ ଗୀତ, ନାଚ ଶିଖି ଅଧିକାରୀ ହେଲା, ହାର୍ମୋନିଆଁ ପେଁ ପେଁ କରି ଗାଁକୁ ଗାଁ ତା’ ଦଳ ନେଇ ବୁଲି ବୁଲି କମି ଖଟୁଛି ସେ ! କ’ଣ କରୁଚି ସେଇ ଜାଣେ, ମାସକୁ ମାସ ପଠୋଉଚି ତ, କିଛି ନ ହେଲେ ଏ ମହରଗ କାଳକୁ-’’

 

ରବି କହିଲା, ‘‘ଜୋତି ଗୋଟାଏ ମଣିଷ ପରି ମଣିଷ ହେବ । ଜନ୍ମରୁ ପ୍ରତିଭାମନ୍ତ ।’’

 

ତା’ବୋଉ କହିଲେ, ‘‘କୋଉଟି କମି ସେଥିରୁ ? ଉଦ ସିନା ପଦାକୁ ଗଲାନାଇଁ, ଘରଦ୍ୱାର ତ ତା’ରିପେଇଁ ।’’

 

କଜଳୀମା’ ଦୀର୍ଘଶ୍ୱାସ ପକାଇଲେ, କହିଲେ, ‘‘ହତଭାଗାଟା, ତା’ କଥା କ’ଣ କହିବି ? ଏଡ଼େ କଷ୍ଟରେ ଦୋକାନ ଖଣ୍ଡକ କଲା । ଲୋକେ କାଳିବାସୀ ନେଇ ସେତକ ଚଳୁ କରିଦେଲେ । ତାଷ କଲା ଯେ ଗୋଟାକୁ ଗୋଟା ବଳଦ ମରି ଶୋଇଲେ । ଭାରିଯା ତ ସବୁଦିନେ ବେମାରିଆ । ଲାଗିଚି ତା’ ପାରୁ ପରିଯନ୍ତେ, ଘରକୁ ଚାଉଳ ଗଣ୍ଡାକ ପନିପରିବା ଦିଟା ଆସୁଚି । କିଣି ଖାଇବାକୁ ହେଲେ ବଉଁଶ ଗୋଟାକ ତିନିଓଳି ଉପାସ ପଡ଼ନ୍ତେ । ଯେ କ’ଣ ହେବ ? କିଛି ବଳୁଚି ନା ଅଣ୍ଟୁଚି-? ସାନ ପଣତ, ଏ ମୁଣ୍ଡରୁ ଓଟାରିଲେ ସେ ମୁଣ୍ଡରେ ଫୁଙ୍ଗା, ସେ କୋଉ ବଡ଼ ପଣତ ହେଇଚି ?’’

 

ସେ ଚାଲିଗଲେ ।

 

ରବିବୋଉ କହିଲେ ‘‘ଯାହାଠୁ ଶୁଣିବୁ ସେଇଆ । ସମସ୍ତେ ଦୁଃଖରେ ଅଛନ୍ତି । ଚାଉଳ ତ ଟଙ୍କାକୁ ଦି’ସେର ମିଳିବା କଷ୍ଟ, ଲୋକେ ଚଳିବେ କେମିତି ?’’

 

‘‘ସେଇଆ ତ ଭାବିବା କଥା ହେଇଚି,’’ ରବି କହିଲା, ‘‘ଏକା ଏଇଠି ନା ସବୁଠି ! ଯେ ଖାଲି ତଣ୍ଡରେ କହିଲେ କି ଭାବିଲେ କ’ଣ ହେବ ? ସମସ୍ତେ ଛଟପଟ, ଆପଣା ଦୁଃଖକୁ ବାହୁନିବା ଛଡ଼ା ସମସ୍ତଙ୍କ ପାଇଁ କରୁଛି କିଏ କ’ଣ ? ଖାଲି ତୁଣ୍ଡରେ ଆହା ଚୁ ଚୁ କହି ଲୁହ ଗଡ଼େଇଦେଲେ ସଂସାର ଉଧୁରିବ ନା ଆପେ ଭଲରେ ମୁଠିଏ ଖାଇପାରିଲେ ସାଇପଡ଼ିଶାର ଦୁଃଖ ଯିବ ? ଜୋତି ହେଲା କି ଉଦ ହେଲା, ଏମାନେ ଅନ୍ତତଃ ପରିବାରର ସମସ୍ତିଙ୍କ ପାଇଁ ଖଟୁଛନ୍ତି । ଆଉ ଯେଉଁମାନେ ପାଠପଢ଼ି ଚାକିରି କରି ଚାକିରି-ଗାଁରେ ଚଳୁଛନ୍ତି, ସେ ସୁଖରେ ଥିଲେ ଆଉ କାହାର ଯାଏ ଆସେ କେତେ ?’’

 

ରବିବୋଉ ଉତ୍ତର ଦେଲେ ନାହିଁ, ତାଙ୍କର ତାଙ୍କ ବଡ଼ପୁଅ କବି ମନେପଡ଼ିଲା ।

 

ରବି ଉଠି ଚାଲିଗଲା ସିଧା ସିଧା ଦାଣ୍ଡକୁ । ଜହ୍ନ ନିଭିନାହିଁ, କିନ୍ତୁ କୁହୁଡ଼ି ଆଉ ଧୂଆଁ ମିଶିଯାଇ ସବୁ କେମିତି କାଉନ୍ଦା ପାଉଁଶିଆ ହୋଇଯାଇଛି । ଦୂରକୁ ଅନାଇଁ ଠିଆହୋଇ ରହିଲା । ଆଖି ଆଗରେ ଖୋଲିମେଲି ହେଲା ଗୋଟାଏ ପୁରୁଣା ଛବି । ଯେପରି କି ସେ ଦେଖୁଛି ଘର ନାହିଁ କାନ୍ଥ ନାହିଁ ଛାତ ନାହିଁ, ଖାଲି ଉପର ତଳର ବିସ୍ତୃତି ଭିତରେ ପୁଞ୍ଜି ପୁଞ୍ଜି ହୋଇ ମଣିଷ ଗୋଷ୍ଟିଟିମାନ । ଯେ ଯାହାର ଆପଣା ପରିସରର ସ୍ୱତନ୍ତ୍ରତା ଆବୋରି ପଡ଼ିଛନ୍ତି । ଯେପରିକି ଅସୁମାରି ଟିକି ଟିକି ବାଲୁଙ୍କା ଦେଉଳ ପାଖକୁ ପାଖ ହୋଇ, ଥମ୍ବି ରହିଛି କୁହୁଡ଼ିଆ କି ଜହ୍ନଆଲୁଅର ସମୁଦ୍ର ତଳେ ତଳେ । ଏକ ଉପାଦାନରେ ତିଆରି, କିନ୍ତୁ ନିଆରା ନିଆରା, କେଉଁଟା ଭାଙ୍ଗିଲେ କି କେଉଁଟା ଠିଆହେଲେ ଆଉ କେଉଁଟା ଧାଇଁ ଆସୁନାହିଁ ତା’ କତିକି ସାହାଯ୍ୟ କରିବାକୁ । ସବୁ ଗୋଟିଗୋଟିକା ଗଢ଼ା ହେଉଛି ଠିଆ ହେଉଛି ଧୀରେ ଧୀରେ ଭାଙ୍ଗିପଡ଼ୁଛି । ପୁଣି ଗଢ଼ା ହେଉଛି । ଏକ ହେଉ ନାହିଁ ।

 

ଏମିତି ତା’ର ଗାଁ, ସବୁ ଗାଁ, କାମ ବାକି ପଡ଼ିଛି ।

 

ଯେପରିକି ମଣିଷ କେଉଁ ଅନ୍ଧାରି ଅତୀତରେ ସୃଷ୍ଟ ହୋଇ ଧୀରେ ଧୀରେ ଗତି କରି କରି ଆସୁଥିଲା ଆଗକୁ ଆଗକୁ । ପଥର ଖୋଲରୁ ଆସିଲେ, ଗଛ କୋରଡ଼ରୁ, ଆସିଲେ, ଘର କଲେ, ସମାଜ କଲେ, ଆଗେଇ ଆସୁଥିଲେ ଏକାଠି ମିଶି ଗୋଟାଏ ଦୁନିଆ ଗଢ଼ିବେବୋଲି । ଅଟକି ଯାଇଛନ୍ତି ଅଧବାଟରେ । ଆପଣ ଆପଣା ସ୍ୱାର୍ଥ ସଜାଇବାକୁ ବିକଶି ଉଠୁ ଉଠୁ ଚଳନ୍ତି ସୁଅ ନ ହୋଇ ହୋଇଛନ୍ତି ଟିକି ଟିକି ପଚ ପଚ ଟୁବି ଗାଡ଼ିଆ । କାମ ବାକି ପଡ଼ିଛି ।

 

ରବିର ବଢ଼ନ୍ତା ସ୍ୱପ୍ନର ଭାବର ଢେଉ ତାକୁ ଘେନିଗଲା ଦୂରକୁ ଦୂରକୁ । ଯେପରି କି ଅକଳନ୍ତି ମଣିଷଙ୍କ ସୁଖ ଦୁଃଖରେ ସେ ହୃଦୟ ମିଶାଇବାକୁ ଲୋଡ଼ୁଛି, ଯେପରି କି ତା’ର ଆନନ୍ଦ ସମସ୍ୟାର ସମାଧାନରେ ନୁହେଁ, ଏକ ବିଶାଳ ମାନବିକ ସହାନୁଭୂତିରେ ଏକ କୁହୁଡ଼ିଆ ଜହ୍ନରାତିର ବିସ୍ତୁତିରେ ଆପଣାକୁ ପରିଣତ କରି କଣିକା କଣିକା ହୋଇ ଚାରିଆଡ଼େ ବିଛେଇ ହୋଇ ବ୍ୟାପିବାକୁ । ସେ ସ୍ୱପ୍ନ ଦେଖିଲା, ମଣିଷ ମଣିଷର ହୃଦୟ ଛନ୍ଦିବାକୁ ଆଉ ଦୁଃଖକୁ ତରଳାଇ ସୁଖ ଉପୁଜାଇବାକୁ ଅସୁମାରି ହାତ ଗୋଛାହୋଇ ଲାଗିପଡ଼ିଛି, କୋଣାର୍କ ଗଢ଼ାହେଇଛି, ସେଥିରୁ ଯୋଡ଼ିଏ ହାତ ତାଆରି, ସେ ବି ଏକ କାରିଗର ।

 

ସେହି ଚିଆଁ ସ୍ୱପ୍ନକୁ ଉଷୁମ ଦେଉଥିଲା ମନର ତଳିରେ ଛବିର ମୁହଁ ଯେପରିକି ତାହାରି ଆଗରେ ପାରିଲାପଣର ଟାଣ ଦେଖାଇ ଆପଣା ବ୍ୟକ୍ତିତ୍ୱକୁ ପ୍ରସାରିତ କରିବାକୁ ଭିତରୁ ଉଦ୍ଦୀପନା ଆସୁଛି, ଯେପରି ସେ ହଜିଲା ମଧ୍ୟଯୁଗର ସାଞ୍ଜୁପିନ୍ଧା ଦୁଃସାହସୀ ବୀରପୁରୁଷ, କେବଳ ତା’ର ବ୍ୟକ୍ତିତ୍ୱର ପ୍ରକାଶ ଭିନ୍ନ ପନ୍ଥାରେ, ଭୂଷାଭୂଷି ହଣାହଣିରେ ନୁହେଁ, ଗଢ଼ିବାରେ ।

 

ଦେଖିପାରିଲା ବାପା ଆସୁଛନ୍ତି । ତାଙ୍କ ସଙ୍ଗରେ ମୂଷି ପଣ୍ଡା, ଦିହେଁ ସାଙ୍ଗସୁଖ ହୁଅନ୍ତି, ସଂସାରଯାକ ବିଷୟରେ ଆପଣା ଆପଣା ମନ୍ତବ୍ୟ ତଉଲାତଉଲି ହୁଅନ୍ତି । ରବି ଅପେକ୍ଷା କରି ରହିଲା । ପ୍ରଶ୍ନ ଆସୁଛି ।

 

ଲାଗିଲା, ସେ ଉତ୍ତର ଦେଇପାରିବ, କୁଣ୍ଠା ନାହିଁ ।

 

ପାଟଳି ଗାଁରେ–

 

ବଡ଼ି ଅନ୍ଧାରୁ ସିନ୍ଧୁ ଚୌଧୁରି ଉଠିପଡ଼ିଲେ କେଉଟ ସାହିରୁ ଏକାଠି ବହୁତ ଢିଙ୍କିର ଚୁଡ଼ାକୂଟା ପାହାର ଶବ୍ଦ ଆସିବା ସଙ୍ଗେ ସଙ୍ଗେ । ଏପଟେ ବାଉରି ସାହିର ଗଞ୍ଜାକୁକୁଡ଼ା ସେପଟେ ମଳିକ ସାହିର ଗଞ୍ଜାକୁକୁଡ଼ା ବାଦବୁଦିଆ ହୋଇ ବୋବାଇଲେ । ଗାଁରେ ଏତିକିବେଳେ ଉଠିପଡ଼ନ୍ତି ଅନେକେ । ସୂର୍ଯ୍ୟୋଦୟ ପୂର୍ବରୁ ଗାଧୁଆ ପାଧୁଆ ଘରଲିପା ଖରକା ଛଡ଼ା ଅନେକେ ଆଉ ଆଉ କାମ ବି ବଢ଼େଇ ଦେଇଥାନ୍ତି ।

 

ଏତିକିବେଳୁ ଉଠିପଡ଼ି ନିତ୍ୟକର୍ମ ଛିଣ୍ଡେଇବା ତାଙ୍କର ବହୁତ ଦିନର ଅଭ୍ୟାସ, ଗାଁ ମତରେ ନୁହେଁ, ଚାକିରି-ଗାଁର ଅଭ୍ୟାସ । ସେଠି ଗାଧୋଇପାଧୋଇ ଆପଣା ହାତେ ହାତେ ଠେକେରା ବସେଇ ଚାଉଳ ଡାଲି ଘିଅ ହଳଦି ଏକାଠି ରାନ୍ଧିଦେଲେ ଦିନଯାକପାଇଁ ତିଆରି, ତା’ପରେ ଭାତଖିଆ ହେଇଥାଉ ପଛେ ଯେତେବେଳେ, ବୁଲା କାମ, ତହିଁକି ଥାଇତା ନାହିଁ । ଘରେ ବସିଗଲା ପରେ ସକାଳର ଖେଚେଡ଼ି ଖିଆ ଆଉ ନାହିଁ, ଉଠିବା ଅଭ୍ୟାସ ରହିଯାଇଛି ।

 

ଆଉ ଟିକକୁ ଛବିବୋଉ ଉଠିବେ, ଅଳ୍ପ ଛାଡ଼ି ଛବି । ଘରର କାମ ଚାଲିବ, ଯେମିତି ଚାଲେ ସବୁଦିନେ । ସେ ବି ଯେପରିକି ଅଭ୍ୟାସ । ସେଇଥିରେ ଘଷରା ହୋଇ ହୋଇ ଗୋଟାଏ ପରେ ଗୋଟାଏ ଦିନ ଝଡ଼ି ପଡ଼େ, ତା’ର ହିସାବ ନାହିଁ ।

 

ଆଜି ବି ଦିନଟା ଯେମିତି ଆସିଛି ସେମିତି ଚାଲିଯିବ । ଏକୁଟିଆ ନଈ କି ଗାଧୋଇ ଯିବା ବାଟରେ ସିନ୍ଧୁ ଭାବୁଥିଲେ, ଏମିତିଆ ହୁଏତ କେଉଁଦିନ ଆଉ ତାଙ୍କପାଇଁ ଆସିବ ନାହିଁ । ସେ ନ ଥିବେ । ଆପଣ ଭିତରେ ଜୀବନ ହଟି ହଟି ଯାଉଥିବାର ଭଟ୍ଟାର ଗତି ସେ କେଉଁଦିନୁ ଅନୁଭବ କଲେଣି, ତା’ର ସଂକେତ ବଢ଼ି ଉଠୁଥିବା ନିଜୋରପଣ, ଆଉ ସାଙ୍ଗସୁଖ ହେବାଠାରୁ ନିବୃତ୍ତି, ଖାଲି ଆପଣାକୁ ବୋହି କୌଣସିମତେ ବେଳ କଟାଇ ଦେବାକୁ ମନ, ତା’ ସହିତ ଭାଗବତ ।

 

ଚାରିଆଡ଼କୁ ଆଖି ପକାଇ ଯେତେବେଳେ ହଟିଛି ହଟିଛି ଭାବି ଭାବି ଅବସାଦ ମାଡ଼ିବସେ, ସେତେବେଳେ ବହୁ ଜୀବନର ସଞ୍ଚିତ ଅଭିଜ୍ଞତାରେ ତିଆରି ଜୀବନର ଦର୍ଶନତତ୍ତ୍ୱ ଆଶ୍ରା । ଯାବେ, ଆଉଜିଗଲେ ଲାଗେ ଏ ବି ସହି ହୋଇଥିବ, ଏ ବି ଭୁଲି ହୋଇଯିବ, ଛଟପଟ ହୋଇ ଫଳ ନାହିଁ, ସବୁ ଏ ମଣିଷ ଜାତିର ଦେହସହା ।

 

ତାହାରି ସନ୍ଧିରେ ବେଳେ ବେଳେ ପୁଣି ହେତୁ ପଡ଼େ ଜୀଅନ୍ତା ଜୀବନର ଆବେଗ ଆଉ ପୀଡ଼ା କେଉଁ ସାମାନ୍ୟ କଥାରୁ ତେଜିଉଠି ଭାଗବତର ଶୀତଳ ଶାନ୍ତିକୁ ଚହଲେଇ ଦିଏ, ମନଟା ପୁଣି ସ୍ଥିର ହୋଇ ଝୁଲି ରହୁ ରହୁ ଏପଟ ସେପଟ କେତେ ଦୋହଲି ସାରିଥାଏ ।

 

ବିଶେଷତଃ ସେପରି ହୁଏ ଯେତେବେଳେ ହଠାତ୍ ମୁଣ୍ଡରେ ପଶେ ଯେ ସମୟ ଚାଲିଯାଉଛି ଆଉ ତାହାରି ସଙ୍ଗେ ସଙ୍ଗେ ମନେପଡ଼େ ଯେ କେଉଁ କାମଟା ଅଟକି ଯାଇଛି । ସେତେବେଳେ ଜଳନ୍ତା ନିଆଁ ଗୋଜିଣାରେ ଚିଆଁ ଦେଲାପରି ବ୍ୟକ୍ତିତ୍ୱ ସାରା ଥରିଉଠେ, ଛଟପଟ ହୋଇ ଲାଗେ ବର୍ତ୍ତମାନ କେମିତି ସମାପ୍ତ କରିପାରନ୍ତିକି, ଏଇ ବର୍ତ୍ତମାନ, ବେଗର ଜ୍ୱାଳାରେ ଦେହ ଆଉ ମନ ତାତି ଉଠେ । ଏ ପୃଥିବୀରେ ଏ ଜୀବନରେ ଆପଣା ଅବସ୍ଥିତିର ସବୁ ସମ୍ବନ୍ଧରେ ଡୋରି ଝାଙ୍କେ ଲେଖା ପାଏ । ଉଦ୍‍ବିଘ୍ନ ହୋଇ କିଛି ବେକ କଟାଉ କଟାଉ ପୁଣି ସବୁ ଭୁଲି ହୋଇଯାଏ । ଭାବୁଥିଲେ ଛବି ବିଭା ହୋଇନାହିଁ ।

 

ତାହାରି ସହିତ ମନେପଡ଼ୁଥିଲା, ପଛ ଜୀବନଟାକୁ ଆଖି ପକାଇ ଆଣିଲେ ଦିଶୁଛି କୌଣସି ଅବସ୍ଥାରେ ତାହା ମନଲାଖି ହୋଇନାହିଁ ବାକି ରହିଯାଇଛି । କେତେ ଖାଲି ଝୁରିଲା ଝୁରିଲା ନ ହେବା କଥା ମନେ ମନେ ମରିଛି । ପୁଅ ନାହିଁ ସେ ଦୁଃଖ କେଉଁକାଳୁ ଭୁଲି ହୋଇଛି । ହୁଏତ ତାହାରି ପ୍ରତିକାରସ୍ୱରୂପ ଚାହାଳି ଗଢ଼ା, ସେଠି ଗୋଠେପୁଅ । ଧନନାହିଁ, ତା’ ବି ଭୁଲି ହୋଇଛି, ପରର ଭଲ ଦେଖି ଆପେ ଖୁସି ହେବା ସାଧନା ପର ଦୁଃଖରେ ଦୁଃଖୀ ହେବା ସାଧନାଠୁ ବହୁତ ଅଧିକ କଷ୍ଟକର, ତା’ ବି ଅଭ୍ୟାସ ହୋଇଯାଇଛି କିଛି କିଛି । କିନ୍ତୁ ଛବିର ବିଭାଘର-ନିଜେ ଆଖି ବୁଜିଲେ ତା’ର କ’ଣ ହେବ ? ଦାଦିମାନେ ଆଦରିବେ କରିବେ ଉଠେଇବେ ? ଟଙ୍କାପଇସା ଦେବାନେବାର ସଂସାରୀ ସମ୍ପର୍କ ଯୌତୁକ ନେଇ ବର ଠିକଣା କରିବାକୁ ଅଣ୍ଟାବଳ ନାହିଁ । ହେଇ ଦିଶୁଛି ଆଗରେ କେତେ ଲୋକ ଝିଅ ବିଭା ଦେଲେଣି । ସେ ପାରିନାହାନ୍ତି । ଖାଲି ମନେ ମନେ ବିଚାର ଆଉ ଟାଳଟୁଳ ।

 

ଓସାର ନଈ ବାଲି ଉପରେ ଅନ୍ଧାର ଫାଟି ଫରଚା ହେଉଛି । ଅସ୍ପଷ୍ଟ ହୋଇ ଦିଶୁଛି ସ୍ତ୍ରୀଲୋକମାନଙ୍କୁ ଗାଧୋଇବା ଘାଟଆଡ଼କୁ ଯେଉଁ ଘୋଷରା ପଡ଼ିଛି, ସେ ବାଟେ ଧାର ଚାଲିଛନ୍ତି । ଧାର ଉତ୍ତାରୁ ଧାର, କେତେ ଏମିତି । ସଂସାରୀ ମଣିଷ ଚାଲିଛନ୍ତି ହଟି ନାହାନ୍ତି । ଦାୟିତ୍ୱ କହିଲେ ଯାହା ବୁଝାଏ ସବୁ ତୁଲୋଉଛନ୍ତି ଆପଣା ଆପଣା ସାଧ୍ୟ ଅନୁସାରେ । ଖାଲି ଏକୁଟିଆ ପଛରେ ପଡ଼ିଛନ୍ତି ସେ । ଆପଣାର ନିପାରିଲା ପଣରେ ମନ ଦବୁଛି, ଝୁରୁ ଝୁରୁ କାକର ନଈବାଲି ଉପରେ ଗଳି ପଡ଼ିଥିବା ପାଦକୁ ଘୋଷାରି ଘୋଷାରି ଅଧେ ଟଳିଲା ପରି ନଈଆଡ଼କୁ ଚାଲିଛନ୍ତି ସେ । ନିଜେ ଆଉ ନିଜର ଗ୍ଲାନି, ଏକାଠି । ଖାଲି ସେତିକି ନୁହେଁ ଛବିର ବିଭାଘର ଚିନ୍ତା ପଛେ ପଛେ ଅଛି ତା’ର ଅପଢ଼ା ଆରପୃଷ୍ଠାଟା ଦେଖାହୋଇନାହିଁ ସତ, ଅନୁମାନ କରି ହେଉଛି । ସେ ଗୋଟାଏ ଫାଙ୍କା ଡିହ, ସେଠି କେତେ ପୂର୍ବପୁରୁଷଙ୍କ ସ୍ମୃତି । ସେମାନେ ଘରତୋଳି ରଖି ଯାଇଥିଲେ । ଦୀପ, ସଳିତା ଜଳୁଥିବ ସେଠି, ଗୁଲିଥିବ ହାତକୁ ହାତ ହୋଇ ପୁରୁଷକୁ ପୁରୁଷ, ଠାକୁରମାନେ ପୂଜା ପାଉଥିବେ, ବଡ଼ବଡ଼ୁଆ ପୂଜାପାଣି ପାଉଥିବେ, ପୁରୁଣା ପୋଥିଗାଦି ପୁରୁଣା ବିଚାର ସନାତନ ଜ୍ଞାନର ପ୍ରତୀକ ହୋଇ ବସି ରହିଥିବେ ସବୁକାଳେ ବଂଶଧରମାନଙ୍କୁ ସଦ୍‍ବୁଦ୍ଧି ଆଉ ଆଶୀର୍ବାଦ ଯୋଗାଇଦେବାପାଇଁ । ଛବିଟି ଉଡ଼ିଯିବ । ତାଙ୍କର ବଡ଼ ଅଂଶର ଶେଷ କର୍ତ୍ତବ୍ୟ ସରିଯିବ । ତା’ପରେ କେବେ ହେଲେ ଜଣକ ଉତ୍ତାରୁ ଆଉଜଣେ ହୋଇ ଦି’ଟା ମଣିଷ ଚାଲିଯିବେ । କେବେ କେଉଁ ମଣିଷ ତା’ର ଅଂଶ ବଢ଼ାଇବାର ଯାତ୍ରା ଆରମ୍ଭ କରିଥିଲା । ଏ ଡିହରେ ତା’ର ସେ ଇତିହାସ ସରିଯିବ । ସେ ତ ସେହି ଚୌଧୁରି ସେ ନିଜେ । ଆଉ, ଭାବି, ବସିଲେ ସେହି ଯେପରି କି ତା’ର ଉଚିତ ପରିଣତି, କ୍ରମେ କ୍ରମେ ଗୋଟାଏଆଡ଼ୁ ହୋଇ ମରି ମରି ଆସିଛି ସେ ଇତିହାସ, କେତେ ଅଂଶ ଗୁଣ୍ଡା ହୋଇ ଝଡ଼ିପଡ଼ିଛି । ସବୁ ନିଭି ନିଭି ଶୀତଳ ହୋଇ ଆସିଛି । ଖାଲି ଫାଙ୍କା ବାଲି, ଏମିତି ।

 

କେମିତି କେଉଁଠି ଅଖଞ୍ଜ ହୋଇଗଲା ! ଲାଗୁଛି ଏ ବିଲୋପଟା ନିହିତ ଥିଲା ସେ ସଂସ୍ଥା ଭିତରେ, ଯେପରି ମରଣ ଲୁଚି ରହିଥାଏ ଜାଅଁଳା ଶିଶୁର ଜନମପାଞ୍ଜିରେ ସେହିପରି ସେ ଥିଲା । ଆଗରୁ ଲେଖାଥିଲା ଏହିପରି ଖଣ୍ଡ ଖଣ୍ଡ ହୋଇ ମରିମରିକା ଶେଷରେ ପିଣ୍ଡ ବି ଯିବ । ଶାସ୍ତ୍ର କହେ, ଏଥକୁ ଶୋଚନା କରନାହିଁ । ଶୋଚନା କେହି କରନ୍ତି ନାହିଁ, କରେ ଏହି ରକ୍ତ ମାଂସର ଦେହ । ତା’ର ସ୍ଵଭାବ, ପ୍ରକୃତି ।

 

ତା’ର ସେ କରୁଥାଉ । ଭାଗବତ ଚିନ୍ତାରେ ଭରା ଦେଇ ସିନ୍ଧୁ ଚୌଧୁରି ବେକଉପରୁ ମୁହଁ ଉଠାଇ ସାମ୍ନାକୁ ଚାହିଁଲେ । ସୁନ୍ଦର ସକାଳ ଖୋଲିଲାଣି । ନିଶ୍ୱାସରେ ଲମ୍ବା ଦମେ ଟାଣିଲେ ସକାଳ ଭିତରୁ, ଆଖିରେ ପିଇଗଲେ ତା’ର ରୂପ । ଅଭ୍ୟାସରେ ମନେପଡ଼ିଲା ସବୁ ଦିନର ଚିହ୍ନା ଅନୁଭୂତି, ଆପେ ଆପେ ଗଢ଼ି ହେଲା । ସେ ପାଣିକି ଓହ୍ଲେଇଲେ ।

 

ବୁଡ଼ିପଡ଼ି ଉଠି ପାଣିଆଞ୍ଜୁଳା ଧରି ପୂର୍ବଆଡ଼କୁ ମୋହି ଜଙ୍ଘେ ପାଣିରେ ଠିଆ ହେଲାବେଳକୁ ମୁହଁପଟେ ନଈ ଆରକର ଧାଡ଼ି ଧାଡ଼ି ଗଛର ମହୁଡ଼ ଉପରେ କଅଁଳା ସୂର୍ଯ୍ୟ ମୁହଁ ଦେଖାଇଲେଣି, ଆଶା ଓ ଆଲୋକର ଚିହ୍ନ ମୂର୍ତ୍ତିଟି । ସେହି ଉଦୟରେ ଚାରିଆଡ଼େ ସୌମ୍ୟ ଆନନ୍ଦ ଖେଳିଯାଇଛିବୋଲି ସେ ଅନୁଭବ କଲେ । ଯେପରିକି ସମଗ୍ର ପ୍ରକୃତି ସହିତ ସେହି ଉଦୟର ଗୌରବ ଓ ଆନନ୍ଦରେ ଭାଗୀ ହେବାକୁ ମନକରି ସିନ୍ଧୁ ଚୌଧୁରି ଆପଣାର ଖୋଳ ଭିତରୁ ବାହାରିଯାଇ ପଦାରେ ବିଞ୍ଚିହୋଇ ବିଛେଇ ହୋଇପଡ଼ିଲେ ।

 

ଓଦା ଦେହରେ ଲାଗୁଛି ସକାଳର ପବନ, ମଞ୍ଜ ଶିରିଶୋରାଉଛି । ସେ ଗୁମହୋଇ ଘାରି ହେବାକୁ ଦେବନାହିଁ, ଥରେଇ ହଲେଇ ମୁକୁଳେଇ ଦେଇଛି ବ୍ୟକ୍ତିତ୍ଵକୁ । ଆକାଶ ମଝିକି ରଙ୍ଗ ରଙ୍ଗର ବାଟ ଖୋଲିଗଲା ପରି ଆଙ୍କି ହୋଇ ରହିଛି । ସତେ କି ସେ ଏକ ସଂକେତ । ଚଲାପାଣି ଉପରେ ସଜ ପ୍ରଫୁଲ୍ଲତା । ଆଖିକି ସୁନ୍ଦର, ସ୍ନିଗ୍ଧ, ମନକୁ ଆନନ୍ଦ । ଭୁଟୁକି ମାରି ମାରି ଦଳ ଦଳ ଏଣ୍ଡୁଳାମାଛ ଚାଲିଛନ୍ତି, ତଳେ ବେଢ଼ି ବେଢ଼ି ଦେହକୁ ଜହ୍ଲାମାଛ ଟୋକୁଛନ୍ତି । ଚାରିଆଡ଼ ଚେଇଁ ଉଠିଛି ଚଳନ୍ତି ଜୀବନର ଛବିରେ । ପାଣି କୂଳେ କୂଳେ ବଗ ଟେଁଟେଁଇ । ଉପରେ ଏପାରି ସେପାରି ହେଉଛନ୍ତି ଦଳ ଦଳ ଚଢ଼େଇ । ଦୁଇପଟେ ଗାଧୁଆ ଘାଟମାନଙ୍କରେ ସକାଳ ଗାଧୁଆଳିମାନଙ୍କ ଚହଳ । ବାଲିର ବିଛେଇ ସତେକି ଜୀବନ ପାଇ ଚେଇଁ ଉଠିଛି । ନିତି ଦିନର ଚିହ୍ନ ଦୃଶ୍ୟ । ସେପଟେ ନଈ ତାଳୁରେ ଗାଁର ବସ୍ତି, ବଗିଚା, ଗଛ । ବାରି ହେଉଛି, ଆରପଟେ ଭୋଳିଗୁଡ଼ିଆ ଘରର ହାତୀଅନ୍ଧ ଚାଳରେ ଖରା ପଡ଼ିଛି ଆଉ ନାରୁ ବିଶ୍ୱାଳ ଘର ଆଗର ଝଙ୍କା ସଜନାଗଛ ଉପରେ । ନାହା ବନ୍ଧା ହୋଇଛି, ଘାଟ ବାଉଁଶ ଉପରେ ସ୍ଥିର ଦୃଷ୍ଟିରେ ମାଛରଙ୍କା ବସିଛି । ସେପଟ ବନ୍ଧ ଉପରେ ଗୋରୁ ଆଉ ମଣିଷ ବୁଲିଲେଣି ।

 

ଗାଧୋଇବାକୁ ଛବି ଆଉ ତା’ ବୋଉ ଆସୁଥିବେ, ହୁଏତ ମିଶିଯିବେଣି ଆସି ।

 

ଏହିସବୁ ସମ୍ପର୍କରେ ସେ ନିଜେ, ତାଙ୍କର ଜୀବନ ଆଉ ଅବସ୍ଥିତି । ଅଲଗା ହୋଇ କିଛି ନାହିଁ । ସବୁଠି ପୂରିରହିଛି ଜୀବନ, ଏମିତି ନିତି ସଜ ପାଣି ଆଉ ଆଲୁଅର ଧାରା ପରି । ଅଛି ତ ଆନନ୍ଦ, ନାହିଁ ତ ନାହିଁ ବିସ୍ମୃତି । ସେଥିରେ ଅନୁଶୋଚନା ନାହିଁ । ସବୁଠୁ ମୁହୁର୍ତ୍ତ ମୁହୁର୍ତ୍ତକର ରୂପର ଛଇ । ଅଛି ତ ଅଛି ନାହିଁ ତ ନାହିଁ, ଧନ୍ଦି ହେବାକୁ ଦୁଃଖ କରିବାକୁ କିଛି ନାହିଁ ।

 

ସବୁଦିନ ପରି ଉଦାର ଶାନ୍ତିରେ ଆପଣା ଆସନରେ ମନକୁ ସ୍ଥିର ରଖି ଈଶ୍ୱରଙ୍କ ଯଶ ଗାଇବାର ମନ୍ତ୍ର ଗୁଣୁ ଗୁଣୁ ହୋଇ ସେ ଗାଁକୁ ଫେରି ଆସିଥିଲେ । ଏହାପରେ ବି ଯାହାହେବ ସେଥିପାଇଁ ଅଭ୍ୟାସର ନିର୍ଘଣ୍ଟ ରହିଛି । ଗାଧୁଆ ପରେ ପୂଜା, ତା’ପରେ ଚୁଡ଼ାଗୁଡ଼-ଯେତେଥର ପଖାଳ ଖାଇବାକୁ ମାଗିଲେ ବି ଛବି ବୋଉ ମନାକରନ୍ତି । ତା’ପରେ ଅଷ୍ଟଚିରା ବିଛାପାଟିଆ ସିଲେଇ ପଡ଼ିଥିବା ଚିକିଟା ଲାଗିଥିବା ଗାମୁଛା ଖଣ୍ଡେ ପିନ୍ଧି ସିଧା ଗାଁ ମଝିର ଚାହାଳି ଘରକୁ ।

 

କେତେ କୋବଲେଇ ଛଳେଇ କହିଲେଣି ଛବିବୋଉ ଯେ ଖଣ୍ଡେ ଲୁଗା କିଣ । ସବୁଥର ସେହି ଏକା ଉତ୍ତର, ‘‘ଆଗ ତୁମପାଇଁ ହେଉ, ପଛେ ମୋର ।’’ କେବେ ଛବିବୋଉ ଛିଗୁଲାନ୍ତି, ‘‘ତମର ପରା ଦି’ ଭାଇ ଅଛନ୍ତି, କ’ଣ କାହାପାଇଁ ନ କରିଥିଲ ଯେ ଚିଠିଖଣ୍ଡେ ଲେଖିଦେଲେ ସେମାନେ ତମପାଇଁ ଲୁଗାଖଣ୍ଡେ କରେଇ ଦିଅନ୍ତେ ନାହିଁ ? ଏକା ନାହି ଦି’ଖଣ୍ଡ ପରା, ସେଠି କି ଲାଜ କରିବ ? ମଁ ସିନା ପର, ସେମାନେ ତ ତମ ଆପଣାର ।’’

 

ଆଜିବି ଛବିବୋଉ ସେହିପରି କହି ଆରମ୍ଭ କଲେ, ଆଜିବି ଚୌଧୁରି ହସି ଦେଇଥିଲେ-। କିନ୍ତୁ ଛବିବୋଉ ଆଜି କଥାଟା ବଢ଼େଇ ଖେଣ୍ଟାଦେଇ ତାଙ୍କୁ ଊସ୍କେଇବାକୁ ମନ କରିଥିଲେ । ଟାଣକରି କହିଲେ–

 

‘‘ତେମେ ଏମିତି ଭଲା ଧରମବକ ହୋଇ କେଇଦିନ ବସିଥିବ କହିଲ ? ଝୁଅ କ’ଣ ବୁଢ଼ୀ ହେବ ?’’

 

‘‘କ’ଣ ଏମିତି ବୟସଟାଏ ହୋଇଯାଇଚି ଝିଅକୁ କହୁଚ ?’’

 

‘‘ନାଇଁ, ହେବ ନାହିଁ ତମରି ପେଇଁ ବସିଥିବ ଆଉ । ଆଜି ତେମେ ନୋକା ଅବଧାନଙ୍କୁ ଡାକ ।’’

 

‘‘ହଉ, ଡାକିବି ତ, କ’ଣ ହେଲା ?’’

 

‘‘ଆଜି ତମ ଭାଇମାନଙ୍କ କତିକି ଚିଠି ଲେଖ, ପରାମର୍ଶ ମାଗ ।’’ ହସିଦେଇ ସିନ୍ଧୁ ଚୌଧୁରି କହିଲେ, ‘‘ତମ ପରାମର୍ଶଠୁ ଆଉ କୋଉ ପରାମର୍ଶ ବଳିପଡ଼ିବ ?’’ ଛବିବୋଉ ଅଣ୍ଟାରେ ହାତଦେଇ ଝାଙ୍କି ହୋଇ କହିଲେ, ‘‘ରଖିଥା ତମ ବେହେଲ । ଏମିତି କଥାରେ ପଟେଇ ପାଟେଇ ସବୁଦିନେ ଦାଣ୍ଡକୁ ଛୁ’ କରିବ ମନକରିଚ ? କହିଲଦେଖି, ମୁଁ ମାଇପି ଲୋକ ଖାଲି ଧନ୍ଦି ହୋଇ ମରୁଥିବି ? ମୁଁ କ’ଣ ଟଙ୍କା କୋଉଠୁ ଜନମ କରିବି ?

 

‘‘ଲାଗିଲା ଟଙ୍କା ଟଙ୍କା ବକର ବକର, ଗଲା ଆଜି ଦିନଟାଯାକ ଅଶାନ୍ତି ।’’

 

‘‘ତମର ତେମେ ଶାନ୍ତିରେ ବସିଥାଅ । ମତେ କୁଆଡ଼େ ପଠେଇଦିଅ ।’’

 

‘‘କାହିଁକି ବୃଥାଟାରେ ଲାଗିଛି କହିଲ ?’’

 

‘‘ତମେ ତ କିଛି ବୁଝିବ ନାହିଁ, କୋଉଆଡ଼କୁ ଦୃଷ୍ଟି ଦେବନାହିଁ । ମୁଁ କ’ଣ ପଦାକୁ ଯିବି ନା ମୋ ଦେଇ କିଛି ହବ ? ଲେଖୁନା ତମ ଦି’ ଭାଇଙ୍କି ଟଙ୍କା ପଠାଇବେ, ଝିଅ ବାହାଘର ହେବ ! ତମର ତ ଏ ଅବସ୍ଥା । ନିଜ ପିନ୍ଧା କରିବାକୁ ଲେଙ୍କୁଡ଼ି ଛିଡ଼ୁଚି, ସେମାନେ ନ ଦେଲେ ଏ ଫେର୍ ହବ କେମିତି କହୁନା ?’’

 

ବିରକ୍ତ ହୋଇ ସିନ୍ଧୁ କହିଲେ, ‘‘ଆଃ ! ଆଛାକଥା ବାହାର କରୁଚ । କେବେ ଦେଖିଥିଲ କାହାକୁ ହାତ ପାତିବାକୁ ଯାଇଥିଲି ?’’

 

‘‘ସେତେବେଳେ ତମ ହାତରେ କଲମ ଥିଲା । କରଜ ମାଗିଲେ ଲୋକେ ଗୁଳଗୁଳୁ ହୋଇ ଦେଇଦେଉଥିଲେ । ଅଇଛା କାହାକୁ ଅନେଇଁ କରଜ ଦେବେ ?’’

 

‘‘ମୁଁ କୁଆଡ଼େ ଗଲିକି ? ମୁଁ ତ ନିଜେ ଅଛି ।

 

‘‘ଅଛ କିଏ ମନାକରୁଛିକି ? ଯେ ତମର ଆଉ ଦାମ୍ ନାହିଁ ।’’ କହିଦେଇ ଛବିବୋଉ ଲାଜରା ହୋଇ ଜିଭକାମୁଡ଼ି ପକାଇ ମୁହଁ ବୁଲାଇଦେଲେ ।

 

ସିନ୍ଧୁ ଚୌଧୁରି ଗମ୍ଭୀର ହୋଇ କହିଲେ, ‘‘ଜାଣିଚ ତ ମୋର ଦାମ୍ ନାହିଁ, କହୁଚ କାହିଁକି-? କ’ଣ କଟାଘାଆରେ ଲୁଣ ଦବାକୁ ?’’

 

ଧୀରେ ଧୀରେ ଦାଣ୍ଡଆଡ଼େ ମୋହିଲେ । ପଛରୁ ମାଡ଼ିଯାଇ ଛବିବୋଉ କହିଲେ, ‘‘ଶୁଣ, ମୋ କଥାକୁ ଓଲଟା ବୁଝ ନାହିଁ ।’’

 

‘‘ନାଇଁ ମୁଁ ସିଧା ବୁଝିଚି । ମୋର ଦାମ୍‍ ନାହିଁ ସେ କଥା କ’ଣ ମୁଁ ନୂଆ ବୁଝୁଛି ? ଯାହାଠି ପଇସା ବଳ ନାହିଁ ତା’ର କିଛି ମୂଲ୍ୟ ନାହିଁ-ନା ଦେଶରେ ନା ଘରେ ନା ଭାଇ ପାଖରେ ନା ଭାରିଯା ପାଖରେ । ଏଇ ତ ସଂସାରୀ ମତ, ତୁମେ ଆଉ ନୂଆ କ’ଣ କହିଲ ?’’ ତାଙ୍କର ସ୍ଵର ଶୁଭୁଥିଲା ଉଦାସ ଆଉ କ୍ଳାନ୍ତ ।

 

ଛବିବୋଉ ଦୁଇଟା ଭାବର ପ୍ରଭାବରେ ପଡ଼ି ଛଟପଟ ହେଉଥିଲେ । ଆଖିରେ ଲୁହ ଠେଲି ହେଉଥିଲା, ଏଣେ ଲାଜରେ ମୁହଁ ଜଳିଯାଉଥିଲା । ଆପଣାକୁ ସମ୍ଭାଳିବାକୁ ପ୍ରାଣପଣେ ଚେଷ୍ଟାକରି ସେ ସ୍ୱର ନୁଆଇଁ କହିଲେ, “ଯାଃ, ମୋ ବୁଦ୍ଧି କୁଆଡ଼େ ପୋଡ଼ିଜଳି ଗଲାଣି, ତମୁକୁ ପାନଖଣ୍ଡେ ଦେଇନାଇଁ ।’’ ସେହି ସ୍ୱରର କରୁଣ ଅନୁନୟ ତାଙ୍କ ସ୍ୱାମୀଙ୍କ ପ୍ରାଣରେ ଭେଦିଗଲା । ବୁଲିପଡ଼ି କହିଲେ ‘‘ଆଜି ତମର କ’ଣ ହେଇଚିକି ?’’

 

ସେତିକିରେ ଥିଲା ବୁଝାବୁଝି ଆଉ କ୍ଷମା । ଛବିବୋଉ କହିଲେ, ‘‘ଆଜି ସକାଳୁ ମୁଣ୍ଡଟା କାହିଁକି ବୁଲୋଉଚି, ଛାତି ଥରୁଚି ।’’

 

ସିନ୍ଧୁ ଚୌଧୁରି ରହସ୍ୟ କରି କହିଲେ, ‘‘ତେମେ ବେଶୀ ମୋଟା ହେଇଯାଉଚ, ବୋଧେ ସେଇଥିପାଇଁ ।’’ ହସିଦେଲେ ।

 

ଛବିବୋଉ ପୁଣି ଆଗର ପାହାଚକୁ ଲେଉଟିଗଲେ, କହିଲେ, ‘‘ଆଜି ମଧୁ, ବିଧୁଙ୍କ ପାଖକୁ ଚିଠି ଲେଖ । ଆଜିକା କଥା ଆଜି । କାଲି କାଲି କରି କିଛି ହେବ ନାହିଁ ।’’

 

‘‘ତୁମେ କ’ଣ ତାଙ୍କୁ ସପନ ଦେଖିଲକି ?’’

 

‘‘ନ ଦେଖିବି କାଇଁକି ? ଯୋଉ ସୁଆଗୀ ଦିଅରମାନେ ତ, ଭାଉଜ ଭାଉଜ କହି ପାଣି ପିଅନ୍ତି ନାଇଁ । ସେ ଯାହାହେଉ, ଆଡ଼େଇ ରହିଲେ ଚଳିବନାଇଁ । ଜବରଦସ୍ତି ମାଡ଼ିବସିବାକୁ ହବ । ଚିଠି ଲେଖ, ଯାଅ ତାଙ୍କ ପାଖକୁ । ଯେମିତି କର, ସେମାନେ ଟଙ୍କା ଦେବାକୁ ବାଧ୍ୟ । ଯେ ଯାହାର କରିଥାଏ ସେ ତାକୁ ଆଶା କରେ ନାଇଁ ?’’

 

ବାଧାଦେଇ ସିନ୍ଧୁ କହିଲେ, ‘‘ନା ।’’

 

‘‘ରଖ ତମର ନା । ତାଙ୍କ ପିଛା ତେମେ ତ ପୁଣି ଏତେଟଙ୍କା ସାରିଲ ?’’

 

‘‘ଛି ଛି କ’ଣ ସାରିଲି ? ଆଉ କ’ଣ ଭାଇ ହେଇଥିଲି ମୋ କର୍ତ୍ତବ୍ୟ କରିନଥାନ୍ତି ? ପଇସା ରହେ କାହାଠି ? ଯାହା ଯାହା ପାଇଁ କରିଥିଲି କରିଥିଲ । ଆଉ ସୁଯୋଗ ପାଉଛ ପଇସାଟିଏ କାହା ପିଛା ଖର୍ଚ୍ଚ କରିବାକୁ ?’’

 

‘‘ହଉ ହଉ, ପାଇବ, ଅପେକ୍ଷା କରିଥା’’ ଛବିବୋଉ ଛିଗୁଲେଇଲେ, କହିଲେ, ‘‘ତେମେ ତମର ସୁସ୍ଥରେ ଥା, ମୁଁ ଦହଗଞ୍ଜ ହୋଇ ମରେ । ଶୁଣ, ମୁଁ ଅନ୍ତଫାଡ଼ି ପିଲା ଜନମ କରିଚି, ମୋର ଦୋଅଟି ନୁହେଁ, ତିନୋଟି ନୁହେଁ, ସେହି ଗୋଟିକ । ତମ ଭଳିଆ ଲେଙ୍ଗୁଟି ମାରି ବାବାଜି ହେଲେ ମୋର ଚଳିବ ନାହିଁ । ଉପାଧିଆ ପଡ଼ିଲେ, ପାଣିଲାଗି କଲେ କହନ୍ତି ମହାଦେବଙ୍କ ଆସନ ଟଳେ, ଆଉ ତୁମେ ତ ସତେ କି କାଠପଥର । ମଣିଷ ଗଛ ରୋପିଥିଲେ ଫଳ ଖାଇବାକୁ ତ ପୁଣି ଆଶା କରେ । ତୁମେ ତାଙ୍କର କ’ଣ ନ କରିଛକି ? ପୁଅଠୁ ବଳି ପାଳିଲ, ସମ୍ପତ୍ତି ବିକି ଉଜାଡ଼ି ମଣିଷ କରି ଠିଆକଲ, ଆଉ ଅଇଛା-’’

 

ମଣିଷଟା ଗଇଁସଇଁ ହୋଇ କେତେକଥା କହିଯାଉଛି, ଏମିତି ସେ ଉତୁରି ପଡ଼େନାହିଁ । କିନ୍ତୁ ଅଟକେଇ ଦେଇ ସିନ୍ଧୁ ଚୌଧୁରି ପାଟିକଲେ, ‘‘ଛି ଛି ଛି ! କ’ଣଗୁଡ଼ାଏ ଗପି ଯାଉଛ । ଏମିତି ଯଦି ବାରମ୍ବାର ମୋ ସଙ୍ଗେ କିତିରି କିତିରି ଲଗେଇବ ତମର ତେମେ ଯାହା କରିବ କର, ମୁଁ ଆଉ ଏ ଘରକୁ ଆସିବି ନାହିଁ ପଛେ-’’

 

ଛବିବୋଉ ଚାହିଁଦେଇ ଥପ୍‍କରି ଦବିଗଲେ । ଆପଣା ମଣିଷପଣିଆର ମର୍ଯ୍ୟାଦାର ଉଦ୍ଧତ ଠାଣି ସେଠି, ଛଳ ଛଳ ଆଖି, ନାକପୁଡ଼ା ଫଣଫଣେଇ ଉଠୁଛି, ଏମିତି ସେ କେବେ ଦେଖିନାହାନ୍ତି । ଯେପରି କି ଦୂଇପଟେ ଦୁଇଟା ଅବତାର ମୁହାଁମୁହିଁ ଠିଆହେଲା, ଗୋଟାଏ ଦବି ଦବି ସାନ ହୋଇ ହୋଇ କେଉଁଠି ହଜିଗଲା । ଛବିବୋଉ ଶୁଣିଲେ, ସିନ୍ଧୁ କହୁଛନ୍ତି, ‘‘ରୋପିଲା ଗଛର ଫଳକୁ ଯେ ଆଶା କରେ, ସେ ଓଲୁ । ଯେ ରୋପନ୍ତି ସେ ଖାଆନ୍ତି ନାଇଁ, ଖାଆନ୍ତି ସେମାନେ ଯେ ତାଙ୍କ ଅନ୍ତେ ସେ ଗଛମୂଳକୁ ଆସନ୍ତି । ତମର ଯଦି ଖାଇବାକୁ ମନ, ଟିକିଏ ଥଏ ଧର, ମୁଁ ଯାଇସାରେ, ବୁଝିଲ ?’’

 

ତା’ପରେ ପୁଣି ବୁଝେଇଲେ, ‘‘କାହିଁକି ମୋ ଭାଇମାନଙ୍କୁ ଲେଖିବି ? ବିଚରାଟିମାନେ କିଏ କେଉଁଠି ପିଲାଛୁଆ ଘେନି ଆପଣା ଦୁଃଖସୁଖରେ ପଡ଼ିଚନ୍ତି, କିଏ ଆସୁଚି ଏ ଢିଅରେ ମୂତିବାକୁ ? କିଏ କାହାର କ’ଣ କରିପାରିଛି ନା ପାରିବ ? କଲା କରତା ଜଣେ, ସେଇଆକୁ ବିଶ୍ଵାସ କର । ସେମିତି ବୁଝିବାକୁ ଗଲେ ମତେ ତ ମୋ ବାପମା’ କରିଥିଲେ । ତମୁକୁ ତ କିଏ କରିଥିବେ । କଥାଗୁଡ଼ାକ ଭଲୁଗୁଣା ଦେଇ କହ କାହିଁକି ? କ’ଣ ଲାଭ ପାଅ ?’’

 

ଛବିବୋଉ ତଳକୁ ଚାହିଁ ତୁନିହୋଇ ଠିଆହୋଇ ରହିଲେ । ସିନ୍ଧୁ ଚୌଧୁରି ଚାହାଳିକି ଗଲେ ।

 

ଚାହାଳି ଘରର ହାତୀଅନ୍ଧ ଦିଶିଲା । ବହଳ ହୋଇ ନାଲି ଶିମର ଲଟା ମାଡ଼ିଛି, ଅସଂଖ୍ୟ ଟିକି ଟିକି ହାତରେ ଅଗଣତି ନାଲି ଫୁଲର ନିଶାଣ ସିଧା ଠିଆହୋଇ ଟେକା ହୋଇଛି, କେତେଟାରେ ତଳୁ ଉପରଯାକେ ପେନ୍ଥା ପେନ୍ଥା ନାଲି ଶିମ ଖୁଦିହୋଇ ଫଳିଛି । ସକାଳ ଖରା ତେର୍ଚ୍ଛା ହୋଇ ପଡ଼ିଛି ତା’ ଉପରେ । କାଉଟାଏ ଚାଳ ଉପରେ ବସି ଗୋଡ଼ରେ ଧରି କ’ଣଟାଏ ଛିଣ୍ଡାଉଛି ।

 

କର ବୁଲିଗଲାବେଳକୁ ଚାହାଳିର ବାରିପଟ । କଦଳୀବାଡ଼ିରେ କଦଳୀ କାନ୍ଦିଟା ଓହଳିଛି ସେମିତି, ଅଠର ଫେଣା ଅଗରେ ନାଲି ଭଣ୍ଡାଟିଏ । କାଗେଜି ବୁଦାରେ ବଡ଼ ବଡ଼ ହଳଦୀ ଗରଗର କାଗେଜି କେଇଟା । ସୂର୍ଯ୍ୟମୁଖୀ ଲଙ୍କାମରିଚ କେଇବୁଦା ଅଣ୍ଟାଏ ଲେଖାଁ ଉଞ୍ଚ ହୋଇ ବଢ଼ିଛି । କଳାପତ୍ର ସନ୍ଧିରୁ କଣ୍ଟାପରି କଳା ଲଙ୍କାମରିଚସବୁ ସିଧାସଳଖ ହୋଇ ଠିଆ ହୋଇଛି ଗଛଯାକ । ଧାଡ଼ି ଧାଡ଼ି ହୋଇ ଅମୃତଭଣ୍ଡା ଗଛଗୁଡ଼ିକ, ପୁରୁଷେ ପୁରୁଷେ ଉଞ୍ଚ ଗଛରେ ସାନ ସାନ ଲୋଟା ଆକାରରେ ଫଳ ଖୁନ୍ଦି ହୋଇଛି । ପିଜୁଳିଗଛ, ବରକୋଳିଗଛ ଯେପରି କି ପ୍ରତିଦ୍ୱନ୍ଦ୍ୱିତା ଲଗାଇ ଦେଇଛନ୍ତି କିଏ ବେଶୀ ଜାଗା ଦଖଲ କରିବ । କାଲିକାର ପିଲା ଦୁହେଁ, କେଡ଼େ ଚଞ୍ଚଳ ଚଞ୍ଚଳ ବଢ଼ିଗଲେ ।

 

ଆଗେ ଏଠି ଜଣକର ଗୁହାଳ ଥିଲା । ଖତ ଭର୍ତ୍ତି ବାରି । ଖୁବ୍‍ ଉର୍ବର । ବାଇଗଣ ପଟାଳି ବାଡ଼ି ସନ୍ଧିବାଟେ ଅଳ୍ପ ଅଳ୍ପ ବାରିହେଉଛି । ଛନଛନିଆ କଳା କଳା ବାଇଗଣ ଅପର୍ଯ୍ୟାପ୍ତ । ତା’ ପାଖକୁ ବିଲାତିବାଇଗଣ, ହାତେ ଉଚ୍ଚ ଭାଡ଼ି ଉପରେ ଗଡ଼ୁଛି ବଡ଼ ବଡ଼ ଫଳ । ଦେଖିଲେ ବିଶ୍ୱାସ ହେବ ନାହିଁ ଏ ପିଲାଙ୍କ ବଗିଚା ବୋଲି । ସେଇଠି ଅଛି ନାନାଜାତି ଶାଗ ଆଉ ପନିପରିବାର ଟିକି ଟିକି ପଟାଳିମାନ, ସବୁଥିରୁ କିଛି କିଛି ।

 

ଯାଃ ଚାଳଟା ଛୁଆଣି ହୋଇପାରିଲାନାହିଁ ଏ ବର୍ଷ ସିନ୍ଧୁ ଚୌଧୁରି ଭାବିଲେ । ଆରମ୍ଭବେଳେ ଗାଁ ଲୋକଙ୍କର କେତେ ଉତ୍ସାହ, ଆଉ ଅଇଛା ସବୁ ଧିମେଇଁ ଆସିଲାଣି ।

 

ଶହେ ହାତରେ ଷାଠିଏ ହାତ ହୋଇ ଚାହାଳି ଘରର ହତା, ମଝିରେ ବାର ହାତରେ ଦଶ ହାତ ହୋଇ ଲମ୍ବାଳିଆ ଘରଟି । ମାଟି ଘର, ଚାଳ ଛାତ । ଦେଖୁ ଦେଖୁ ପ୍ରାଣରେ ଶାନ୍ତି ଆସୁଛି । ଏଇ ତାଙ୍କର ଆର ଖୋଳଟି, ଏଠୁ ଦୁନିଆର ଘଟନା ଆଉ ସମସ୍ୟା ଦୂରେଇ ରହେ, ଗୋଟାଏ ଶୀତଳ ସୁସ୍ଥିରେ ନିଶ୍ୱସ ମାରୁ ମାରୁ କେମିତି ଯେ ଏପାଖ ଛାଇ ସେପାଖକୁ ଲେଉଟିଯାଇ ଦିନ ହଜିଯାଏ, ତା’ ଜଣାପଡ଼େ ନାହିଁ ।

 

ଜାଗାଟା ସେ ଦେଇଥିଲେ ତା’ ଛଡ଼ା ପୁରୁଣା ଡିହରୁ ପଥର, ସେଠି ଚାରା କରି ତାଡ଼ କରି ଗଛି । ଗାଁ ଲୋକେ କାମ କରିଦେଇଥିଲେ । ନାଲି ବାଇଗବାରେ କାମଡ଼ା ଭିଡ଼ି ବାଡ଼ କରାହୋଇଛି । ବାଡ଼ କରେ କରେ ବହୁତ କାଠଚମ୍ପା । ପତ୍ର ନାହିଁ, ଫୁଲ ଭର୍ତ୍ତି । ବୁଦା ବୁଦା ଅପରାଜିତା, ଧଳା, ନେଳି, ମନ୍ଦା ମନ୍ଦା ନାଲି କନିଅର, ସେଥିରେ ବି ଫୁଲ ଲଦି ହୋଇଛି । ସବୁଠୁ ଆଖିଦୁରୁଶିଆ ଗଜା ନଡ଼ିଆଗଛ ଆଠଟା, ଚାରି କଣରେ ଚାରିଟା , ସାମ୍ନାପଟେ ଆଉ ଚାରିଟା । ଘରର ଛାତ ପତ୍ତନ ଉଞ୍ଚରେ ବଢ଼ି ଉଠୁ ଉଠୁ ଏକାଥରେ ଫଳିବାକୁ ଆରମ୍ଭ କରିଛନ୍ତି । ଅପର୍ଯ୍ୟାପ୍ତ ଫଳ । ଏତକ ଗାଁ ଲୋକଙ୍କ ଉଦ୍ୟମରେ ହୋଇଛି । ସାମ୍ନା ପୋଖରୀଖଣ୍ଡ ଉଝାଳିଲାବେଳେ ସେହିମାନେ ତ ଆଣି ତା’ ମୂଳରେ ପଙ୍କ ଆଉ ଗେଣ୍ଡା ଅଜାଡ଼ି ଦେଇଯାଇଥିଲେ ।

 

ବାଡ଼ ଦୁଆର ମୁହଁରେ ଯେଉଁ ଗୋଲ ଛାମୁଡ଼ିଆ ହୋଇଛି ତା’ ଉପରେ ମଧୁମାଳତୀ ଢାଙ୍କି ପକାଇଛି, ଏକରେ ସେକରେ ଝୁମ୍ପା ଝୁମ୍ପା ହୋଇ ଫୁଲ ଓହଳିଛି, ତା’ ବି ସେମାନେ କରିଥିଲେ, ଘର ତୋଳିବାଠୁଁ କୂଅ ଖୋଳିବା, ବଗିଚା ଲଗାଇବାଯାକେ । ପିଲାଏ ଦି’ ଅକ୍ଷର ପଢ଼ିବେବୋଲି କେଡ଼େ ଆଗ୍ରହ ସେମାନଙ୍କର ।

 

ସାମ୍ନା ପଟୁ ଦିଶୁଛି । ଚାଳରେ କଖାରୁ ଲଟା, ଲାଉ ଲଟା ଶୁଖିଯାଇ ଶୋଇଛି, କିନ୍ତୁ ଶୁଖିଲା ଲାଉ ଡଙ୍କ ଅଗରେ ଠାଏ ଠାଏ ସବୁଜ ଢଙ୍କ ଆଉ ପତ୍ର ଅଳ୍ପ ଅରାଏଲେଖାଁ ମାଡ଼ି ରହିଛି, ସମାପ୍ତିର ଦିନ ପାଖ ହେଲେ ବି ତଥାପି ସେ ମାଣ୍ଟୋଉଛି । ଫାଟକ ପାଖରେ, ଫାଟକଠୁ ଦୁଆରମୁହଁଯାକେ ଆଉ ଚାଳ ତଳେ ତଳେ ଦଉଡ଼ିରେ ବନ୍ଧା ହୋଇ ଶିରୀପଞ୍ଚମୀ ଦିନର ଆମ୍ବ ତୋରଣ ଶୁଖିଯାଇଛି, କିନ୍ତୁ ଏବେବି ରହିଛି ।

 

ବାଡ଼ର ବାଟ ମୁହଁରୁ ଚାହାଳି ଦୁଆରମୁହଁକୁ ଯିବାକୁ ଫରଚା ରାସ୍ତା । ଦିକରେ ଦି’ ଦି’ ହାତ ଓସାରର ମଲ୍ଲୀ ପଟାଳି ଲମ୍ବଛି । ଖେଳିବାକୁ ଫରଚା ଘାସ ପଡ଼ିଆ ଛାଡ଼ି ଦିଆହୋଇଛି । କରେଇ କରେଇ ସ୍ଥାନେ ସ୍ଥାନେ ଡେଙ୍ଗା ଡେଙ୍ଗା ଚରାଟ ଗଛ, ବୁଦ ବୁଦା ହୋଇ ଛାଡ଼ିଛାଡ଼ିକା ନାଲି କନିଅର, ମନ୍ଦାର, ସାନ ସାନ ଭାଡ଼ିରେ ଯୂଈ, ଯାଈ, ଲମ୍ବ ଲମ୍ବ ପତ୍ର ମେଲେର ଦୁଇ ତିନି ପ୍ରକାରର ବାକ୍ସ ଗଛ । ଗୋଟାଏ କରରେ କୂଅ ଆଉ ବାଉଁଶ ତେଣ୍ଡା, ତା’ ପାଖରେ ଗୋଲ ବୁଲି ଝଙ୍କା ହୋଇ ବୁଦାଏ ଅଶୋକ ଗଛ, ପେନ୍ଥା ପେନ୍ଥା ହୋଇ ଗୋଳିଆ ଗୋଳିଆ କଢ଼ ଧରିଛି, ଗୋଟିଏ ଗୋଟିଏ ଫୁଟି ଆସୁଛି ।

 

ଚାହାଳି ଘର ହତାର ପଶ୍ଚିମପଟେ ପୁରୁଣା ଲୋଟଣି ବର ଦି’ ଦି’ ପୁରୁଷ ଉଞ୍ଚ ଗଣ୍ଡି ଓହଳର ଖମ୍ବ ଉପରେ ବିଛେଇ ହୋଇପଡ଼ିଛି ବଡ଼ ଚକଡ଼ାକ ଉପରେ । ସାମ୍ନାରେ ବଡ଼ପୋଖରୀ, ନାଲି ପଦ୍ମଫୁଲରେ ଭର୍ତ୍ତି । ମଝିରେ ଦୀପଦାଣ୍ଡି ଉପରଯାକ ଦେଉଳିଆ ପାରା ଗହଳି ହୋଇ ବସିଛନ୍ତି, ପଦ୍ମପତ୍ର ଉପରେ ହାଲୁକା ପାଦରେ ଧାଉଁଛନ୍ତି ଡାହୁକ, ପାଣିକୁଆ, ବଗ; ହଂସ ଖେଳୁଛନ୍ତି-। ପାଖରେ ଅରାଏ ଫାଙ୍କା ପଡ଼ିଆ, ତା’ ଧଡ଼ିରେ ପାଞ୍ଚଟା ଆମ୍ବଗଛ । ଆଉ ଏକର ସେକର ହୋଇ ସାହିଗୁଡ଼ିକ ନଡ଼ିଆ ତୋଟା, ଆମ୍ବତୋଟା, ଲଗାଲଗି ଡେଙ୍ଗା ଡେଙ୍ଗା ନଡ଼ିଆଗଛ ଗହଳି ତଳେ ଧାଡ଼ି ହୋଇ ଘର, ଉଞ୍ଚ ପିଣ୍ଡା ।

 

ପର ଆଉ ଆପଣାର ସମସ୍ୟା ପଛରେ ପକାଇ ଦିନଟିଯାକ ଏଇଠି ବିତେଇ ବିତେଇ ଏ ଦୃଶ୍ୟ ତାଙ୍କର ଅବସ୍ଥିତିର ସହଜ ଛବି ହୋଇଯାଇଛି । ଏଇଠି ଆଖି ଉପରେ ଅତି ଆପଣାର ଜୀବନର ସହଜ ଦୃଶ୍ୟ ଛଇ ଫୁଟାଏ । ଏଇ ଚିହ୍ନା ମଣିଷମାନେ, କିଏ ଗୋବର ଟୋକେଇ ବୋହୁଛି, ଗୋବର ସର ସର ହୋଇଛି, କିଏ ଗୋରୁ ଅଡ଼େଇ ନେଉଛି, କିଏ ହଳ ଇଙ୍ଗଳ ନେଇ ବିଲକୁ ଯାଉଛି, କିଏ ଗାଧୋଇପାଧୋଇ ଓଦାଲୁଗା ପିନ୍ଧି ଓଦାଗାମୁଛା କାନ୍ଧରେ ପକାଇ ଦିନଟା ଭିତରେ ମନରେ ଟିକିଏ ନିଛାଟିଆ ପବିତ୍ରତା ଆଣିବାକୁ ଚେଷ୍ଟାକରି କ’ଣ ମନ୍ତ୍ର ଗୁଣୁ ଗୁଣେଇ ଘରକୁ ଫେରୁଛି, ଗଛ ଚେରରେ ଗଛ ଚେର ଛନ୍ଦିହେଲା ପରି କେଉଁ ଅନାଦିକାଳରୁ ପରମ୍ପରାଗତ ହୋଇଛି ।

 

ଏମାନଙ୍କ ସଙ୍ଗେ ତାଙ୍କ ସମ୍ବନ୍ଧ । ଖାଲି ଜଣ ଜଣକିଆ ନୁହେଁ, ସେମିତି ଦେଖିଲେ ତ ଅନାଇଁଦେଲାମାତ୍ରେ ହେତୁ ପଡ଼ିଯିବ କାହାର କି କାହାଣୀ, ଜାଣି ସମସ୍ତେ ସମସ୍ତିଙ୍କି ଫୁଙ୍ଗାରେ ଦେଖିଛନ୍ତି, ଭଲ କେତେ ମନ୍ଦ କେତେ, ଏଠି ଦେଖେଇ ହେବାକୁ ମୁଖା ପିନ୍ଧିଲେ କେହି ଭୁଲିବେ ନାହିଁ । ସମ୍ବନ୍ଧଟା ଯେପରିକି ଏଇ ମାଟି ସଙ୍ଗରେ । ଏଥିରେ ଗୋଟାଏ ଚେତନାରେ ସବୁ ଏକାଠି ଗୋଳି ମିଶି ହୋଇଯାଏ, କାହା କାନ୍ଥରେ ଘଷି ଫରାମାନ ବସନ୍ତ ଖୋଳପା ପରି ଲାଗିଛି ତ କାହା କାନ୍ଥରେ କୋଠି କୋଠି ହୋଇ କମକୂଟ ହୋଇ ପିଠୋଉରେ ଚିତା କୁଟା ହୋଇଛି, କାହା ଅଗଣାରେ ପାରିବା ଘୋରିହେଲା ଚିରା ହେଂସ, ଚିରା କନା ଶୁଖୁଛି ତ କାହା ଦୁଆରେ ଶୁଖୁଛି ଧାନ, କାହାର ଗୋଟାଏ ଭଙ୍ଗା କୁଡ଼ିଆ, ତା’ର ଆଉଜି ପଡ଼ୁଥିବା କାନ୍ଥରେ ଢିରା ଦିଆହୋଇଛି, ଫଡ଼ା ଫଡ଼ା କଣାରେ ଗୁଞ୍ଜା ହୋଇଛି ନଡ଼ିଆ ଚାଞ୍ଚ, କାହାର ସାହାଲା ସାହାଲା ବଡ଼ ଖର, ଉଞ୍ଚପିଣ୍ଡା, ପଥର ଖୁଣ୍ଟ । ସବୁ ମିଶି ଗାଁ ଗୋଷ୍ଠୀ, ମଣିଷର ଏକ ଅଖଣ୍ଡ ସନାତନ ଜୀଅନ୍ତା ସମାଜ, ସୁଖ ଦୁଃଖ ଖାଲି ତା’ର ଚଳନ୍ତି ରଙ୍ଗ, ପ୍ରାଣ ନୁହେଁ ।

 

ଗଛରେ କଷି ଧରିଲା ପରି କାହା ଘରେ ପିଲା ହୁଅନ୍ତି, କାହା ଗୁହାଳରେ ବାଛୁରୀ, କିଏ କେତେବେଳେ ବଡ଼ ହୋଇଉଠେ, କାଲିକା ପିଲା ଆଜି ବାନ୍ଧେ ଠେକା, ପିକା ଲଗାଏ, ବୁଢ଼ା ବାପପରି କାନ୍ଧ ଟାଙ୍କି ଟାଙ୍କି ମୁଣ୍ଡ ହଲେଇ ହଲେଇ ଖଲେଇ ଖଲେଇ କଥା କହେ, ସେ ବି ପିଲାର ବାପ ହୁଏ, ପୁରୁଣା ରୀତିରେ ପିଲାର ବାହାଘର କରେ । କିଏ କେତେବେଳେ ଏ ଦୃଶ୍ୟରୁ ଥିରିକିନା ଅପସରି ଯାଏ, ଗାଁ ଦାଣ୍ଡରେ ଆଉ ତା’ର ଛାଇ ପଡ଼େନାହିଁ । କେଉଁଠି ଭଙ୍ଗା ଡିହରେ ପୁଣି ବଡ଼ଘର ତୋଳାହୁଏ, ଆଉ କେଉଁଠି ବଡ଼ଘର ଝୁରୁଖୁରୁ ହୋଇ ଝରିପଡ଼େ । ପୋଖରୀରେ ପାଣି ଛଳଛଳ ହେଲାପରି କାହାର ହସ କି ଗୀତର ଶବ୍ଦ ପବନରେ ଭାସିଆସେ, ଆଉ କେଉଁଘରୁ ବିକଳ ବାହୁନା, ଏକକୁ ଲୟ ନ କରି ଗୋଷ୍ଠୀକୁ ଲୟ କଲେ ଲାଗେ ଲାଗିଥିଲା ଏ ଚିରକାଳ, ସବୁ ମିଶିଗଲେ ସେହି ଗାଁ, ସେହି ଯେ ସମସ୍ତିକୁ ଆଦରି ନିଏ ଆପଣା କୁଣ୍ଡରେ, ଯେପରି କି ଏଠି ସମସ୍ତିଙ୍କପାଇଁ ସ୍ଥାନ ଅଛି, ପୁଣି ସବୁପ୍ରକାରପାଇଁ, ଆହୁରି କିଛି ଅଛି ବଳକା, ଆଇଲାଗଲାଙ୍କପାଇଁ ଛାଡ଼ି ଆହୁରି । ଅସୁମାରି ଫରଚା ଆକାଶ, ଅକଳନ ପୃଥ୍ୱୀ, ପବନ କେଡ଼େ ହାଲୁକା, ଚାରିପଟ କେଡ଼େ ଚିହ୍ନା ଚିହ୍ନା ଆଉ ବିଶ୍ୱାସୀ, ଜୀବନ କେଡ଼େ ନାଁ ନ ଥିଲା ପରି ଆଉ ସହକ ।

 

ଏଇ ମଣିଷଙ୍କ ସଙ୍ଗେ ମଣିଷ ହୋଇ ଆଉ ଗଛ ବୁରୁଛ ଛେଳିଗୋରୁଙ୍କ ସଙ୍ଗେ ଜଣେ ହୋଇ ରହି ନାମହୀନ ମଣିଷପଣିଆରେ ବୁଡ଼ି ରହି ବିତିଯାଇଛି ଦିନଗୁଡ଼ାକ, ବର୍ଷ ପରେ ବର୍ଷ ହୋଇ ସାତଟା ବର୍ଷ, ବାହାର ଭୂଲି ହୋଇଛି । ପଦାରେ ଯେଉଁ ବ୍ୟସ୍ତ ଜୀବନ ସଙ୍ଗେ ଏତେ ଯୁଗର ପରିଚୟ ସେହି ଯେଉଁଠି ମଣିଷ ନାଁ ଆଉ କ୍ଷମତା ବଢ଼ାଇବାରେ ଆପଣା ମନ ଆଉ ସମୟକୁ ଘୋରୁଥାଏ ସରିବାଯାକେ-ଯେଉଁଠି ସେ ସଂଜ୍ଞା ଧାର୍ଯ୍ୟ କରିଛି ଯେ ଜୀବନ ଏକ ସଂଗ୍ରାମ, ପରିସ୍ଥିତି ସଙ୍ଗେ ଖାଲି ନୁହେଁ, ମଣିଷ ମଣିଷ ଭିତରେ, ତେଣୁ ପରକୁ ଗୋଡ଼ରୁ ଧରି ଭିଡ଼ି ତଳକୁ ଓଟାରିବା, ନଖ ଆଉ ଦାନ୍ତ ଲଗେଇ ଭିଣିଭିଣା କରିବା, ଠେଲିପେଲି ଆଗ ବଳିପଡ଼ି ଆପେ ମୁଣ୍ଡ ଟେକିବା, ସେ ସେଠି ଜୀବର ସାଧାରଣ ଧର୍ମ, ସଭ୍ୟତା ଓ ବ୍ୟସ୍ତତା ଦୁହେଁ ଏକା ସାଙ୍ଗର, ଜୀବନର ସେ ଚିତ୍ର, ସେ ସଂଜ୍ଞା ସେ ମନରୁ ପୋଛି ଦେଲେଣି ।

 

ଏକଦା ରୁପାର ପକେଟ ଘଣ୍ଟା ଥିଲା, ହୃତ୍‍ପିଣ୍ଡ ସଙ୍ଗେ ଲଗାଲଗି ହୋଇ ଚାଲୁଥିଲା ଟିକ୍ ଟିକ୍ ଟିକ୍ । ଘଣ୍ଟାର କଳ ଭାଙ୍ଗି ଯାଇଛି । କଥାକଥାକେ ଆପଣା ଭିତରେ ଜୀବନ ଭିତରେ ତା’ର ସେହି ଆଖିଦୁରୁଶା ନିତି ଘସରା ମୁହଁ ଫାଳକ ମନେପଡ଼େନାହିଁ, ଯେଉଁଥିରେ ଖାଲି ଚାଉଁ ଚାଉଁ ଲାଗୁଥିବ, ମାଡ଼ି ପଡ଼ୁଥିବ ଏତେଟା ବାଜିଲା, ସେତେଟା ବାଜିଲା, ସମୟ ଗଲା... !

 

ଏଠି ନାହିଁ ସେ ରୋଗ ।

 

ଖବରକାଗଜ ବି ସେ ପଢ଼ନ୍ତି ନାହିଁ, ଚିଠି ଲେଖନ୍ତି ନାହିଁ, ସହରକୁ ଯାଆନ୍ତି ନାହିଁ । ଖାଲି ଏଇ ଚାହାଳି, ଆଉ ଘର, ଆଉ ଗାଁ ପରିସର । ଆଖି ଆଗରେ ନୀରବରେ ଆଲୁଅ ଛାଇର ଖେଳ । କାନରେ ଚିହ୍ନା ସଙ୍ଗୀତ ପରି ମଣିଷ ଘରକରଣାର ପାଟିଗୋଳ, ଲୋକେ କଥା କହୁଛନ୍ତି, ଧୋବଣୀ ଲୁଗା କାଚୁଛି, ସର୍ର ସର୍ର ହୋଇ କ୍ଷେତଆଡ଼କୁ ହଳ ଯାଉଛି ।

 

ସବୁଠି ଜୀବନ, ସବୁ ଘଟରେ ବ୍ରହ୍ମ, ବ୍ରହ୍ମହିଁ ଜୀବନ ।

 

ସେହି ବିଚାରରେ ଲୟ ଲଗାଇବାପାଇଁ ଏଇ ଚାହାଳିହିଁ ତାଙ୍କର ଯୋଗାସନ ।

 

ଏଇ ଚାହାଳି । ଏଇ– ।

 

ଏତେବେଳଯାଏ ଖାଲି ପଡ଼ିଛି କ’ଣ ? କେହି ଆସି ନାହାନ୍ତି ! ଧନ୍ଦି ହେଲେ, କାହିଁ ସେ ତ ଛୁଟି କରେଇ ନାହାନ୍ତି । କ’ଣ ସେ କାଲି କହିଦେଲେ ଯେଉଁଥିରେ ପିଲାଏ ଭୁଲ ବୁଝିଲେ ? ସେପରି କିଛି ମନେପଡ଼ୁନାହିଁ । ତେବେ କ’ଣ ପୁଣ୍ୟପର୍ବ ? ତା’ବି ନାହିଁ କିଛି । ହୁଏତ ତୁଚ୍ଛା ଅଳସୁଆମି, କି ବାଟରେ ଆଉ କ’ଣ ମଜା ମିଳିଯାଇଛି ପିଲାଙ୍କୁ । ଆସୁଥିବେ । ତା’ହେଲେ ବି ବିଶୃଙ୍ଖଳା କହିବାକୁ ପଡ଼ିବ ।

 

ମାଗେଣା ଚାହାଳି, ପଇସା ପଡ଼େନାହିଁ । ଦରମା ଦିଆ ନ ହେଲେ ବି ତା’ର ବିଧି, ନିୟମ ଶୃଙ୍ଖଳା କୌଣସିଥିରେ ଊଣାନାହିଁ । ପିଲାଙ୍କ ସଂଖ୍ୟା ବଢ଼ି ଚାଲିଛି । ସାତ ବର୍ଷ ହୋଇଗଲାଣି, ଖୁସିରେ ଖୁସିରେ ସବ୍ଇନ୍‍ସପେକ୍ଟର ଆଉ ଅନ୍ୟାନ୍ୟ ଅଧିକାରୀ ଆସି ଦେଖିଗଲେଣି କେତେଥର; କିନ୍ତୁ ମଞ୍ଜୁରି ମିଳିନାହିଁ, ଗାଁଲୋକ କେତେଥର ଦରଖାସ୍ତ କରି ଥକିଲେଣି । ତା’ର କାରଣସ୍ୱରୂପ କର୍ମଚାରୀମାନେ କହନ୍ତି ଯେ ଏଠୁ ମାଇଲିଏ ଦୂରରେ ଆର ଗାଁରେ ଗୋଟିଏ ନି: ପ୍ରା: ସ୍କୁଲ ମଞ୍ଜୁରି ପାଇ ଚଳୁଛି । ଏମିତି ପାଖକୁ ପାଖ ହୋଇ ଛତୁ ଫୁଟିଲା ପରି ଏତେଗୁଡ଼ିଏ ନି: ପ୍ରା: ସ୍କୁଲ ମଞ୍ଜୁରି ଦେବାକୁ ସେମାନଙ୍କର ଇଚ୍ଛା ନୁହେଁ, ବରଂ ସମସ୍ତେ ମିଳିମିଶି ଆର ସ୍କୁଲକୁ ପିଲା ପଠାଇ ତାକୁ ଦମ୍ଭ କଲେ ଆହୁରି ଭଲ । ଗଲା ସନ ସବ୍ଇନ୍‍ସପେକ୍ଟର ଆସିଥିଲାବେଳେ ଗାଁ ଲୋକେ ପୁଣି ଆପତ୍ତି ଜଣାଇଥିଲେ, କିନ୍ତୁ ସେ ଓଲଟି କହିଗଲେ ଯେ ଏଇ ଯେଉଁସବୁ ଗାଁ ଗାଁକେ ସ୍କୁଲ ନ ଥାଇ ବି ଲୋକେ ମନଇଚ୍ଛା ଚାହାଳି ଖୋଲି ଦେଉଛନ୍ତି, ସେମାନେ ଶିକ୍ଷାଯୋଜନାର ଶତ୍ରୁ । ଏଗୁଡ଼ାକ ନ ରହିବା ଉଚିତ ।

 

ଉଚିତ ହେଉ ଅନୁଚିତ ହେଉ ଚଳେଇଛନ୍ତି ସେ ତାଙ୍କ ଚାହାଳି । ଗାଁର ଉନ୍ନତିପାଇଁ ଏତିକି ତାଙ୍କର ଆଖିଦୁରୁଶା ଦାନବୋଲି ସେ ଭାବନ୍ତି, ବାକିସବୁ ମନକଥା, ମୁଣ୍ଡକଥା । ଆଶା ଥିଲା ଏଇ ଚାହାଳି ବଢ଼ି ବଢ଼ିକା ହେବ ନି: ପ୍ରା:, ଉ: ପ୍ରା:, ମାଇନର, ହାଇସ୍କୁଲ, ଶେଷରେ ଅନ୍ତତଃ ହାଇସ୍କୁଲ । ନି: ପ୍ରା:ଟାହିଁ ମଞ୍ଜୁରି ନ ପାଇ ସେ ଆଶା ଗଲାଣି କେଉଁକାକୁ । ଆଉ କୁଟାନିଆଁ ପରି ଗାଁ ଲୋକଙ୍କ ଉତ୍ସାହ । ଦପ୍‍କରି ଦିନେ ଜଳିଉଠେ, ସେତେବେଳେ ଦେଖିଲାବେଳକୁ ଛୁଆବୁଢ଼ା ସମସ୍ତିଙ୍କ ତୁଣ୍ଡରେ ସେହିକଥା । ଆଉ କିଛିଦିନ ପରେ ତା’ର ଆଉ ଶୁଣାଗୁଣା ନ ଥାଏ । ଚାହାଳିଟାର ବି କଥା ସରିଯାଆନ୍ତାଣି କେଉଁଦିନୁଁ, ଖାଲି ସେଇଟା ତାଙ୍କ ନିଜର ସମ୍ପତ୍ତି ବୋଲି ରହିଯାଇଛି, ଆଉ ଏଇଥିପାଇଁ ଯେ ସେଇଟା ଜାତିଧର୍ମ ନିର୍ବିଶେଷରେ ସମସ୍ତିଙ୍କପାଇଁ ଖୋଲା, ତେଣୁ ଜଣକର ଲୋଭୀ ଆଖିକି ଆଉ ଜଣେ ଛକିଛି । ଆଉ, କିଏ ଏ ଅନଷ୍ଠାନରେ ସେକ୍ରେଟେରୀ ହେବ ସେଥିପାଇଁ କିଛି କଳିଗୋଳ ନାହିଁ । ବଗିଚାରେ ଫସଲ ହେଲେ ସବୁ ଛାତ୍ର ଭାଗ ପାଆନ୍ତି, ଭାଗବତ ଜନ୍ତାଳକୁ ଯାଏ, ଦୁଃଖୀରଙ୍କିଙ୍କି ବଣ୍ଟାଯାଏ । ତେଣୁ ଗୋରୁ ପଶିବାକୁ ଚେଷ୍ଟାକଲେ କେହି ନା କେହି ଅଡ଼େଇ ଦିଏ, ଝରକା କବାଟ ଚୋରିଯାଏ ନାହିଁ , ଫସଲ ଚୋରିହେଲେ ଲୋକେ ଖୋଜ ଉଣ୍ଡନ୍ତି ।

 

ଗାଁର ସମୂହଚେତନା ଅନ୍ତତଃ ଏଇଠି ଏକାଠି ହୁଏ ।

 

ଲୋକେ ଅନାନ୍ତି ସେହିଆଡ଼କୁ, ଆପଣା ଘରୁ ଖାଇ ଆପଣା ସମୟ ଖର୍ଚ୍ଚ କରି ବିନା ଆଡ଼ମ୍ବରରେ ସିନ୍ଧୁ ଚୌଧୁରି ଏକୁଟିଆ ଏହି ଅନୁଷ୍ଠାନଟିକି ଚଳାଇ ଆସିଲେଣି ସାତବର୍ଷ ହେଲା, ଗାଁ ପିଲାଏ ଦି ଅକ୍ଷର ଶିଖୁଛନ୍ତି ।

 

ସିନ୍ଧୁ ଚୌଧୁରି ଚାହାଳି ଘରକୁ ଗଲେ । ପିଲାଏ ଆସି ନାହାନ୍ତିବୋଲି ଘରଟା ଖାଇ ଗୋଡ଼ୋଉଛି । ଆଗେ ଘେରାଏ ବଗିଚା ବୁଲିବା କଥା, ସେତେବେଳେ ପିଲାଏ ବି ପଛେ ପଛେ ଗୋଡ଼େଇଥାନ୍ତି । ଛବି ଏଇଠି ପାଠପଢ଼ି ଯାଇ ଘରେ ରହିଲା । ବନ୍ଧା ନିର୍ଘଣ୍ଟ ନାହିଁ, ପ୍ରାଥମିକ ଶିକ୍ଷା ଦେଉ ଦେଉ ଉଦ୍ଭିଦ ବିଦ୍ୟା, ପ୍ରାଣୀ ବିଦ୍ୟା, ସାଧାରଣ ଜ୍ଞାନ, ଉଚ୍ଚାଙ୍ଗ ଓଡ଼ିଆ ସାହିତ୍ୟ, ସମାଜ ନୀତି, ଭୂଗୋଳ, ଇତିହାସ, କୃଷିବିଦ୍ୟା, ସୂତାକଟା, ଏପରିକି ଜରିବ ମାପ, ଯେତେଯାହା ସେ ଜାଣନ୍ତି ଆଉ ଶିଖାଇପାରନ୍ତି, ସବୁପିଲାଙ୍କୁ ଶିଖାଇବାକୁ ଚେଷ୍ଟାକରନ୍ତି । କେତେବେଳେ ବଢ଼େଇ, କମାର, କୁମ୍ଭାର, ପୁରୁଖା ଚାଷୀ, ଗଉଡ଼, ପୁରାଣ ପଣ୍ଡା, ଏମାନେ ବି ତାଙ୍କ ଡକରାରେ ଗଡ଼ିପଡ଼ନ୍ତି ପିଲାଙ୍କୁ ଆପଣା ଆପଣା ବିଦ୍ୟା ବିଷୟରେ କିଛି କିଛି କହିବାପାଇଁ । ଗାଁର ପିଲା ଗାଁର ବିଦ୍ୟା ଶିଖିବା ଦରକାର, ସେ ଭାବନ୍ତି, ଆଉ ଶିଖିବା ଦରକାର ଗାଁର ଯୁଗଯୁଗର ଅଭିଜ୍ଞତାରୁ କିଛି, ଯେପରି କି ଚରିତ୍ର ଭଲ ହେବ, ସେମାନେ ମଣିଷ ହେବେ ।

 

ଏମିତି ନିଷ୍କତ୍ତି ତ ସେତେବେଳେ ନିଆ ହୋଇଥିଲା, ସେହି ସାତବର୍ଷତଳେ ଯେତେବେଳେ ପୁରୁଣା ଯୁଗର ସ୍ମାରକ ସେହି ବଗିଚା ଘର ଡିହ ଉପରେ ଗାଁର ସ୍କୁଲ ବସାଇବା କଥା ସେ ସ୍ଥିର କରିଥିଲେ । ସେହି ଅତୀତରେ ବଗିଚା ଘରଟା ଥିଲା ଚୌଧୁରି ପରିବାରର ଅଏସ୍ ମଜଲିସ୍ କରିବାର ଅନେକ ସ୍ଥାନ ଭିତରୁ ଗୋଟିଏ । ଆଗରେ ଏଇ ପଦ୍ମପୋଖରୀ, କରରେ ପଛରେ କେଉଁଠି ଘରବାରି ଅଛି କେଉଁଠି ପଡ଼ିଆ ସବୁ ସାମିଲ ହୋଇ ହୋଇଥିଲା ଏକ ମସ୍ତବଡ଼ ଚକଡ଼ା । ଧୀରେ ଧୀରେ କେତେବେଳେ ସେହି ମଧୁବନ ତୋଟା ହଣାକଟା ହୋଇ ଭସ୍ମ ହୋଇ ସେହି ସୁନାର ଲଙ୍କା ଚୂନା ହୋଇଯାଇଛି, କେଉଁ କ୍ରମରେ ପୁରୁଣା ଜମିଦାର ଘରର ପଡ଼ତି ସଙ୍ଗେ ସଙ୍ଗେ ସେଥିରୁ ଚେନାଏଁ ଚେନାଏଁ କାହାକୁ ଦେଇ ଦିଆହୋଇଛି, ଯାଇ ଯାଇ ଘରପୋଡ଼ିରୁ ସଳିତାଏ, ସେ ବି ଉଜୁଡ଼ା ନିଭିଲା ସଳିତା । ଘର ନାହିଁ, ଫୁଙ୍ଗା ଡିହ । କେତେ ନାଚ କେତେ ଅନ୍ଧାରି ସୁଆଗ ବୋହିଯାଉଥିଲା ସେଠି କେଉଁ ଯୁଗରେ, କିଏ କାନ୍ଦିଥିଲା, କିଏ ହସି ଥିଲା ।

 

ଆଉ ସେଇଠି ଜ୍ଞାନର ବତୀ ଜାଳି ଥୋଇବାପାଇଁ ଚୌଧୁରିଏ ନିଷ୍ପତ୍ତି କରିଦେଲେ । ଗାଁଲୋକେ ଭରସା ଦେଇଥିଲେ, ସେମାନେ ଲାଗିପଡ଼ିବେ । ଖାଲି ଘର ତୋଳିବା ତୋଟା ରୋଇବାପାଇଁ ନୁହେଁ, ସେମାନେ ପଣ କରିଥିଲେ ଆପେ ଯେ ଯାହା ଜାଣେ ଆସି ଓଳିଏ ଓଳିଏ ମାଷ୍ଟରି କରିବେ, ପିଲାଙ୍କୁ ଠୁଳ କରି ଆଣି ପହଞ୍ଚାଇବେ । ଏମିତି କେତେକଥା ।

 

ହପ୍ତାଏ ନ ପୂରୁଣୁ ସବୁ ଉତ୍ସାହ ଘୋଳି ହୋଇପଡ଼ିଲା, ଯେ ଯାହା ଘରେ ଛପିଲେ । ଓଲଟି କହିଲେ ମାଷ୍ଟର କାହିଁ ? ମାଟିବଂଶ ଅବଧାନ ଏ ଦେଶର ପ୍ରାଥମିକ ଶିକ୍ଷାର ଭାର ନେଇଥିଲେ, ଯୁଗେ ଯୁଗେ ସେହିମାନେ ଘରେ ଘରେ ଗୁରୁ । ସେ ଯୁଗ ସରିଛି । ମାଟିବଂଶ ଅବଧାନଙ୍କ ଦାନାମାରି ନୂଆ ଶିକ୍ଷାପଦ୍ଧତିରେ ନୂଆ ମାଷ୍ଟର ଆସି ଗ୍ରାମେ ଗ୍ରାମେ ନି: ପ୍ରା: ସ୍କୁଲରେ ଚାକିରି କରି କୁଟୁମ୍ବ ପୋଷୁଛନ୍ତି । ମାଷ୍ଟର କାହିଁ ଯେ କିଏ ନିଯୁକ୍ତ କରିବ ?

 

ସେତେବେଳେ ସେ ମନେ ମନେ ହସିଥିଲେ, ଗାଁ ଲୋକଙ୍କୁ ହେମନ୍ତ ଦେଇ କହିଥିଲେ, ‘‘ହଉ ଦେଖାଯାଉ, ମୁଁ ତ ଖାଲି ଘରେ ବସିଛି, ପିଲାଏ ବସନ୍ତୁ ଆସି ମୋ ପାଖେ ଘଡ଼ିଏ ଘଡ଼ିଏ-’’

 

ଆଉ ବସିପଡ଼ିଛନ୍ତି ସେ ।

 

ନୂଆ ଶିକ୍ଷା-ପଦ୍ଧତିରେ ନୂଆ ମାଷ୍ଟର କେମିତି ପଢ଼ାଉଚି ଦେଖି ଆସିବାକୁ ପଧାନସାହି ନି: ପ୍ରା:କୁ ଥରେ ଯାଇଥିଲେ । ପକ୍କା ଘର, ତା’ର ଟିଣ ଛାତ । ଖରାବେଳେ ତାଉ ଉଠୁଥାଏ । ଟୋକା ମାଷ୍ଟର, ତା’ର ଗଜୁରା ଗଜୁରା ନିଶ, କଅଁଳିଆ ସରଳ ମୁହଁଟି । ପଧାନସାହିରେ ତିନିଶହ ପିଲା ହେବେ । ନି: ପ୍ରା: ସ୍କୁଲରେ ମୋଟେ ପଚିଶଟି । ସେ କହିଲା, ସେଠି ଗୋଟିଏ ଶିକ୍ଷକପାଇଁ ଗ୍ର୍ୟାଣ୍ଟ୍ ଅଛି, ତେଣୁ ପଚିଶିହିଁ ଯଥେଷ୍ଟ । ସେଥିରୁ ଊଣେଇଶିଟି ଉପସ୍ଥିତ ଥିଲେ । କଳାପଟାରେ ସେ ଶବ୍ଦମାନଙ୍କ ବନାନ ଲେଖିଥିଲା ପ ହ୍ରସ୍ୱଇ ଅମ୍ପ ହ୍ରସ୍ୱ ଉକାର ଡ଼ ଦୀର୍ଘଈ ପିମ୍ପୂଡ଼ି, ହ ଆକାର ତ ହ୍ରସ୍ୱଇ ହାତୀ, ଏହିପରି ସବୁ । ଭୁଲ ବାଛିଦେଲାରୁ କହିଦେଲାରୁ କହିଥିଲା, ବନାନରେ କିଛି ନାହିଁ, ଶିଖିଲେହିଁ ହେଲା । ତା’ ନିଜ ନାଁ ଗଗନବିହାରୀ, କୁତୂହଳ ହୋଇ ସେ ନାଁର ମାନେ ପଚାରିଲାରୁ ସେ କହିଲା, ଗଗନ ଅର୍ଥାତ୍ ଆକାଶରେ ଯେ ଉଡ଼େ, ଶାଗୁଣା ଚିଲ ଆଦି ଆଉ କ’ଣ ! ପୃଥିବୀ କାହିଁକି କମଳାଲେମ୍ବୁପରିବୋଲି ସେ ପିଲାଙ୍କୁ ବୁଝାଉଥିଲା । କହିଲେ କମଳାଲେମ୍ବର ଉପରଟା ଯେପରି ଖାଲ ଢିପ ପୃଥିବୀ ଉପରଟା ବି ସେହିପରି । ସ୍କୁଲ ଘର କାନ୍ଥରେ ବିଡ଼ି ଆଉ ଗୁଡ଼ାଖୁର ବିଜ୍ଞାପନ ସମେତ ସୁନ୍ଦର ମଣିଷ ଛବି ଥାଇ କ୍ୟାଲେଣ୍ଡର ଝୁଲୁଥିଲା । ଆଉ ପିଲାଙ୍କୁ ସାଧାରଣଜ୍ଞାନ ଶିଖାଇବାପାଇଁ ସେ କାନ୍ଥରେ ଲେଖି ରଖିଥିଲା ସ୍କୁଲ ସ: ସ: ଇ: (ସହକାରୀ ସବ୍‌ଇନ୍‍ସପେକ୍ଟର), ଇନ୍‍ସପେକ୍ଟର ଆଦିଙ୍କ ନାମ । ଗଗନବିହାରୀ ଗାଁ ସ୍କୁଲରେ ସେକ୍ରେଟେରିଙ୍କ ପୁତୁରା, ନିଜେ ମାଟ୍ରିକ ଫେଲ ।

 

ତା’ପରେ ନି: ପ୍ରା: ପଦ୍ଧତି ପ୍ରତି ସେ ଆଉ ଆଗ୍ରହ ଦେଖାଇ ନାହାନ୍ତି । ଅବଶ୍ୟ ଅନ୍ୟ ସ୍କୁଲବି ଥିଲା, ଚମ୍ପାପୁରର ଶିକ୍ଷକ ନିଜେ କବି, ହରିପୁର ସବୁ ବର୍ଷ ବୃତ୍ତି ପାଇ ଆସୁଛି, ସେଠି ଶହେ ପିଲା, ସେଠା ଶିକ୍ଷକ ଏଣ୍ଡି ଚାଷ କରନ୍ତି, ନିଜେ ଏଣ୍ଡି ଚାଦର ଆଉ ଥାନ ବୁଣନ୍ତି ।

 

କିନ୍ତୁ ଚୌଧୁରି ଭାବିଥିଲେ, ନୂଆରେ ଯେତେ ଖାଲଢିପ ସବୁ, ଖାଲି ପରଖାପରଖି, ନିର୍ଦ୍ଧାରିତ କିଛି ନାହିଁ, କେଉଁଟା କେମିତି । ମଡ଼େଇ ମେଥଡ଼ ନୂଆପ୍ରଣାଳୀ, ଏ ସବୁ ତାଙ୍କୁ କାବା କାବା ଲାଗୁଥିଲା, ଆଉ ସେ ଭାବୁଥିଲେ ଶସ୍ତାରେ ଭଲ ମାଷ୍ଟର ପାଇବା ଆହୁରି ଦୁରୂହ ।

 

ପିଲାଏ ତଥାପି ଆସିଲେ ନାହିଁ ।

 

ମନଟା ମଉଳି ପଡ଼ିଲା, ଲଗିଲା ଏଡ଼େ ସୁନ୍ଦର ଛନଛନିଆ ବଗିଚାର କିଛି ଅର୍ଥ ନାହିଁ । ଏତେ ପ୍ରଜାପତି ଉଡ଼ୁଛନ୍ତି, ଏଠୁ ସେଠି ଉଡ଼ି ବସୁଛନ୍ତି ବଣି, ଲମ୍ବଲାଞ୍ଜିଆ, କଜଳପାତୀ, ସବୁଦିନେ ଏତିକିବେଳେ କୁଆଡ଼ୁ ଗୋଟିଏ ହଳଦୀବସନ୍ତ ଉଡ଼ି ଆସେ, ଗଜା ନଡ଼ିଆଗଛ ଗୋଟାକରୁ ଆଉ ଗୋଟାକୁ ଉଡ଼ି ଉଡ଼ି ଯାଏ, ଲୁଚେ ମୁହଁ ଦେଖାଏ । ସେ ବି ଆସିଲାଣି । ହେଇ ଆସିଲା ନେଉଳଟା, ବଣି ଚଢ଼େଇ ଦଳ ତା’ ଉପରେ ଉପରେ ଉଡ଼ି ଉଡ଼ି ଚହଳ କରୁଛନ୍ତି, ଧୀରେ ଧୀରେ ସେ ଆରକରକୁ ଚାଲିଗଲା । ଏତେ ଦୃଶ୍ୟ ଥାଇବି ସେମାନେ ନାହାନ୍ତି ଯେ ଏ ଦୃଶ୍ୟକୁ ଜୀବନ ଦିଅନ୍ତି–ମଣିଷ ।

 

ଭାବିଲେ, ଏମିତି ଏ ଦୁନିଆଟା ପଡ଼ି ରହିଥିଲା, ଯେତେବେଳେ ଏଠି ମଣିଷ ନ ଥିଲେ, ମଣିଷ ଆବଶ୍ୟକ ହେବାରୁ ସ୍ରଷ୍ଟା ତାକୁ ଗଢ଼ିଲେ । ସେ ନିଜେ ତ କହିଛନ୍ତି, ପ୍ରାଣୀଭିତରେ ମୁଁ ମଣିଷ !

 

ଅ ଆ ହେଉ ପାଠ ମୁଖସ୍ଥ ହେଉ ଚାରିକରେ ସେମାନଙ୍କ ସ୍ୱରର ଗହଳି, ଆଖି ଆଗରେ ସେମାନଙ୍କର ସରଳ ପିଷ୍ପାପ ଟିକିରୂପ, ଜୀବନରେ ଚଞ୍ଚଳ, ମନେପକାଇଲେ କଉତୁକ ଲାଗେ । ସବୁ ସାନ ଦେହରେ ଅଛନ୍ତି ପରଂବ୍ରହ୍ମ, ଦୀପର ଜ୍ୟୋତି ଏହି ଏତେ ଘଟରେ, ମନରେ ତାଙ୍କରି ଅସରନ୍ତି ତେଜ, ମଙ୍ଗଳ ବିଚାର, ସେମାନେ ପୁଣି ବଡ଼ ହେବେ, ସଂସାର କରିବେ, କିଏ କହିପାରିବ କାହା ଶକ୍ତିରେ ଏ ଜଗତର କି ଉପକାର ହେବ । ପାଠ ଶିଖିଗଲେଣି ଦଳ ଦଳ ହୋଇ, କିଏ ଚାଷ କରୁଛି, କିଏ ମୂଲ ଲାଗୁଛି, କାହାର ଅବା କେତେ ବୃତ୍ତି, କେହି ନିକମା ନୁହଁନ୍ତି । ଛବିବୋଉ ପୁଅପାଇଁ ମନ ବ୍ୟସ୍ତକରେ, ପୁଅ–ଏତେ ପୁଅ ସେମାନେ । ଆସିଛନ୍ତି, ଆସିବେ, ତାଙ୍କ ମଝିରେ ନିଜେ ସେ, ସମସ୍ତିଙ୍କପାଇଁ ମଙ୍ଗଳ କାମନା, ଭଲରେ ଥାଆନ୍ତୁ ସେମାନେ, ମଣିଷ ହୁଅନ୍ତୁ ।

 

ଚାରିଆଡ଼େ ହେଇ ତାଙ୍କ ସ୍ୱାକ୍ଷର ସଜା ହୋଇ ରହିଛି । ଭୂଇଁରେ ରାମ୍ପି ରାମ୍ପି ଏତେ ଗାର, ନିଭେଇ ନିଭେଇ ନିଭୁ ନାହିଁ । କିଏ ମାଟି ଚକଟି ଟିକି ଘୋଡ଼ାଟିଏ କରିଥିଲା, କିଏ କରିଥିଲେ ମାଟିର କୁଣ୍ଢେଇଟିଏ । ନଡ଼ିଆ ପତ୍ର ଚଟେଇ, କତା ବଳି ବଳି ଦଉଡ଼ି, ମୋଡ଼ା ଦଉଡ଼ିରେ ପଟିଟିଏ ବୁଣିବାକୁ ଉଦ୍ୟମ, କାଠିକୁଟାରେ କଣ୍ଢେଇ ଘର, ବିମାନ, କାଗଜରେ ତ ନାନା ଢଙ୍ଗର ଫୁଲ ଅଙ୍ଗାରରେ ଚିତ୍ର, ଖଡ଼ିରେ ଚିତ୍ର, ଟିକି ଟିକି ମନର କଳ୍ପନାକୁ ରୂପ ଦେଇଛନ୍ତି । କିଏ ସିଲଟ ଛାଡ଼ି ଯାଇଛି, କାହାର ହସ୍ତାକ୍ଷର ଖାତା ପଡ଼ିଛି । ଏ କଣରେ, ଜଣକର ଫଟା ଡାରାଟାଏ, ଗୋଟାଏ ସ୍ୟାହି ଦୁଆତ । ଗୋଡ଼ି, ଖପରା, ତେନ୍ତୁଳି, ମଞ୍ଜି, କାଇଁଚ, ନାନା ପ୍ରକାର । କେଡ଼େ ଫାଙ୍କା ଫାଙ୍କା ଲାଗୁଛି ! ମଣିଷ ନାହାନ୍ତି ଅଥଚ ଠାଆଠାଆକେ ମଣିଷର ସ୍ମରଣ ମୂର୍ତ୍ତି ।

 

ଯେମିତି ଏ ଦୁନିଆଁରୁ ମଣିଷ ଅପସରି ଯାଇଛନ୍ତି । କେବଳ ଅଛନ୍ତି ସେ । ଏକୁଟିଆ ।

 

ଅଣ୍ଟାରୁ କଞ୍ଚିକାଠି କାଢ଼ି ତାଙ୍କ କାଠ ବାକ୍‌ସ ଖୋଲି ଗୋଟିଏ ବାକ୍‌ସ ଅରଟ ଆଉ କିଛି ତୂଳା ବାହାର କରି ସେ ନଡ଼ିଆ ଚଟେଇ ଉପରେ ବସିପଡ଼ି ସୂତାକଟା ଆରମ୍ଭ କରିଦେଲେ । ସେପଟ କାନ୍ଥରୁ ମାହାତ୍ମା ଗାନ୍ଧୀଙ୍କ ଛବିଟି ଯେପରି କି ତାଙ୍କଆଡ଼କୁ ଅନାଇଁ ହସୁଥିଲା ।

 

ଭାବିଲେ, ଏମିତି ଦିନ ଆସିବବୋଲି ଯେପରିକି ଆଗରୁ ଛାଁ’କୁ ଛାଆଁ ତାଙ୍କୁ ଲାଗୁଥିଲା, ଯେତେବେଳେ ପିଲାଏ କେହି ଆସିବେ ନାହିଁ, ଚାହାଳି ଘର ଖାଲି ପଡ଼ିଥିବ ।

 

ଅନୁଷ୍ଠାନ ଖୋଲା ରହିଥିବ, ମଣିଷ ନ ଥିବେ ।

 

ଭାବିଲେ, ସେହି ତ ଅସଲ ସମସ୍ୟା-ଅନୁଷ୍ଠାନ ଗଢ଼ିବା ନୁହେଁ, ମଣିଷର ମନ ଗଢ଼ିବା । ଏଇ ଏତେ ବାଦଛେଦ, ସ୍ୱାର୍ଥ ହିଂସା ଦିନୁଦିନ ବଢ଼ି ଚାଲିଛି, କେତେବେଳେ କି ଉପସର୍ଗ କି ବିକାର ହୋଇ ଫୁଟି ବାହାରୁଥିବ, କି ସନ୍ଦେହ କି ଅବୁଝାମଣା ରୂପ ଘେନି ବାରୁଦ ପରି ଫାଟୁଥିବ, ଫଟାଉଥିବ, ତା’ପରେ ଖାଲି ଭେଦାସୁରର ହେଣ୍ଟାଳ, କଳିତକରାଳ । କେଡ଼େ କଷ୍ଟରେ ହାତ ଓଠ ଧରି ଶାନ୍ତ କରିଥିଲେ, ପୁଣି କିଏ କାହାମୁଣ୍ଡରେ କ’ଣ ପୂରାଇ ଦେଲାଣି, କିଏ ଖୋଜିଲାଣି ଲୋକଙ୍କୁ ଭେଳାଇ ନିଜେ ମୁଣ୍ଡିଆଳ ହେବାକୁ, କାହାକୁ ଅକଡ଼େଇବାକୁ, କେଉଁଠି ଘୂରି ବୁଲିଲାଣି ଖଣ୍ଡିଆଭୂତ । ତାହାରି ଆଭାସ କ’ଣ ସେ ଦେଖିନଥିଲେ କାହା ମୁହଁର ଭଙ୍ଗୀର ଛଇରେ ? କାହା ହାବଭାବରେ ବ୍ୟବହାରରେ ? ଧନ୍ଦି ହେଲେ, କପାଳର ମଝିରେ ଭଉଁରି ଖେଳିଲା, ପୁଣି ସେ ଫରଚା ହେଲା, ସ୍ଥିର ହେଲା, ଯେପରିକି ଥମ୍ବିଲା ଶୂନ୍ୟରେ ଲୟ ଲଗାଇଲେ ।

 

ବାରମ୍ବାର ବାରମ୍ବାର ଛାତିରେ ହାବୋଡ଼ାହାବୋଡ଼ି ହୋଇ ଟାଣ ହୋଇ ବାଜୁଥାଏ ସେହି ଚେତନା-ପିଲାଏ ଆଜି ନାହାନ୍ତି । ମଣିଷ ନାହାନ୍ତି, ସ୍ଥଳୀ ପଡ଼ିଛି । କିଏ ସେହି ଟିକି ଟିକି କଅଁଳ ମନରେ ପୂରାଇ ଦେଇଛି କି ଛାନିଆଁ, କି ସନ୍ଦେହ, କି ବିଷ । ଏଇ ଭେଦ ଦିନେ ବଢ଼ିଉଠିବ, ହାତୀଶାଳପରି ମାଳ ମାଳ ଘର ପଡ଼ିରହିଥିବ ଶୂନଶାନ ହୋଇ, ଜଙ୍ଗଲ ବଢ଼ିଉଠୁଥିବ, ଚାରିଆଡ଼ୁ ମାଡ଼ିଆସୁଥିବ; ମଣିଷ ଛପି ରହିଥିବେ ଆପଣା ଆପଣା ଅନ୍ଧାରି ଖୋପ ଭିତରେ, ଖୋଲ ଭିତରେ, କେବଳ ଚଦାଚଦି, ହତିଆର ପଜାପତି, ଏକାଠି ହେଉଥିବେ ଖାଲି ପରସ୍ପର ଉପରେ ଝାମ୍ପ ମାରିବାପାଇଁ । ସେହି କ’ଣ ହେବ ହିଂସାର ଚରମ । ଗାଁ ଯାହା, ସହର ସେଇଆ, ରାଜ୍ୟ ସେଇଆ, ଦୁନିଆ ସେଇଆ । ସତେକି ଉତ୍ତରପାଇଁ କାନ୍ଥର ସେ ଛବିକୁ ଅନାଇଁଲେ । ତଥାପି ସେ ମୁହଁରେ ସେହି ହସ, ଲାଗିଲା ସେ ଆଖି ଡୋଳା ବୁଲୁଛି, ସେ ଓଠ ଥରୁଛି ।

 

କେହି ଆସନ୍ତୁ ନ ଆସନ୍ତୁ, କର୍ତ୍ତବ୍ୟ କରିବାକୁହିଁ ପଡ଼ିବ, ଚାହାଳି ଖୋଲା ରହିଥିବ । ତା’ପରେ ସେମାନେ ଆସିବେ । ସଦ୍‌ବିଚାର ଖୋଲା ରଖିଥିଲେ ଲୋକେ ଯେତେ ଅବୁଝା ହେଲେ ବି ଦିନେ ନା ଦିନେ ନିଶ୍ଚୟ ବୁଝିବେ ।

 

ସେହି କଥା କହୁଥିଲେ ମହାତ୍ମାଜୀ, କହିଛନ୍ତି ସବୁ ସନ୍ଥ, ସବୁ ଗ୍ରନ୍ଥ । ଆଉ ଯଦି କେହି ନ ବୁଝିବେ, ତଥାପି ନିଜର କର୍ତ୍ତବ୍ୟ ନିଜେ କରିଯିବାକୁହିଁ ପଡ଼ିବ ।

 

ଏଇ ଚାହାଳି ଖଣ୍ଡିକ, ସେ ବି ସତେକି ଗାଁ ଇତିହାସର ରୂପକ କାହାଣୀ । ଆଗେ ଥିଲା ଗାଁ ଗୋଟାକପାଇଁ ଯେଉଁ ଅନୁଷ୍ଠାନଟି ହେବ ତାକୁ ଗଢ଼ିବେ ଚଳାଇବେ ଏଇ ଚୌଧୁରି ବଂଶ । ସେମାନେ ଚାହଳି ରଖିଥିଲେ, କିନ୍ତୁ ସେ ଥିଲା ତାଙ୍କରି ଦାଣ୍ଡଘରେ । ସେଥିରେ ଥିଲା ତାଙ୍କରି ଆଭିଜାତ୍ୟର ମୋହର ଛାପା, ସେଠି କିଏ ବସିବ କିଏ ନ ବସିବ ସେଥିପାଇଁ କାଟୁ କରୁଥିଲା ତାଙ୍କରି କଥା । ଅଛବ ସେ ଦାଣ୍ଡ ମାଡ଼ୁନଥିଲେ, ପାଟକ ଜାତିର ପିଲାଏ ଆସୁଥିଲେ କ୍ୱଚିତ୍‌ । ତା’ପରେ ଚୌଧୁରି ଘର ଦବିଗଲା, ଚାହାଳି ସେଠୁ ଉଠିଗଲା । ଅବଧାନ ଡାକି ମାସେ ପକ୍ଷେ କେହି ଆପଣା ଆପଣା ସାହିରେ ଚାହାଳି ଘର ବସାଇ ଚଳାଇଲେ । ଅବଧାନକୁ ଭେଦାର ଦରମା ଦିଆ, କିଏ ଦେଲେ କିଏ ନ ଦେଲା । ୟା ତା’ ଘରେ ପାଳିକରି ମୁଠିଏ ଭୋଜନ, ତା’ ବି ମନଜାଣି ନୁହେଁ, ସତେକି ସେହିଦିନକ ଚାଉଳରେ ପୋକ ସାଲୁ ସାଲୁ, ଡାଲିରେ ବେଶି ପାଣି । ଆଉ ଭିଡ଼ା ଓଟରା, କଳି । ଅବଧାନ ରହିଲେ ନାହିଁ । ଗାଁ ପିଲାଏ ଡାବୁଳୁପୁଆ ଖେଳି ବୁଲିଲେ । ତା’ପରେ ଚାକିରି କରି ବୁଲିବୁଲି ଆସି ସେ ଯେତେବେଳେ ଲୋଡ଼ିଲେ ଗାଁ ମାଟିରେ ଚେର ଲଗାଇବାକୁ, ଗାଁ ଗୋଟିକୁ ଭେଳାଇ ପିଲାଙ୍କୁ ଏଠି ଦି ଅକ୍ଷର ପଢ଼ାଇବା କାମରେ ସେ ଆପଣାକୁ ଢାଳିଦେଲେ, ସତେକି ଜୀବନଯାକର ହାଇଁପାଇଁ ମେଣ୍ଟିଲା ଏଇ କାମରେ । ଖୋଲିଲା, ଅଘୋରଦୁଆରି ଜନତାଙ୍କ ଚାହାଳି, ଭେଦାଭେଦ ନାହିଁ, ବାଦଛେଦ ନାହିଁ । ଗାଁର ସବୁ ମନ ଏଇଠି ଗଣ୍ଠି ପଡ଼ିଥିଲା ଗାଁଟା ପିଣ୍ଡ ହେଲେ ଏଇ ତାର ଧୁକ୍‌ଧୁକି ।

 

ଆଜି ସେ ବି ତୁନି ପଡ଼ିଛି ।

 

ଅରଟ ସଙ୍ଗୀତ ଧରିଛି । ଚକ ବୁଲୁଛି । ସୂତା ଲମ୍ବି ଯାଉଛି । ଗୁରେଇ ହେଉଛି । ଆଖି ଆଗରେ ଭାସି ଉଠି ଉଭେଇ ଯାଉଛି ନାନା ଛବି । ମଣିଷ ଅଙ୍କ କଷେ, ମିଶାଏ ଗୁଣେ, ଦୁଇ ଦୁଇ ମିଶି ଚାରି ହୁଏ ନାହିଁ, ସହଜ ପରିଣତି ଅସଜ ହୁଏ, ଅକ୍ଷର ନିଭିଯାଏ । ‘‘ଶୂନ ନେଇଗଲା ବୁଢ଼ୀ ମାଉସୀ, ରହିଲା କେତେ ଗଲା କେତେ ?’’ ଛବିବୋଉ ଭାଇ ଭାଇ ବୋଲି ଉଲୁଗୁଣା ଦିଏ, ବିଧୁ ରହିଲା ପୁରୀରେ, ମଧୁ ରହିଲା ନୟାଗଡ଼ରେ । କେବଳ ନାଁ ଦୁଇଟି । କେବେ ଦେଖାହୋଇଥିଲା ? କେତେବର୍ଷ ତଳେ ? ସେ ଦିହେଁବି ଦିନେ ହୋଇଥିଲେ ଏଇ ପିଣ୍ଡର ଅଛିଣ୍ଡା ଅଂଶ, ଏଇ ରକ୍ତର, ଏଇ ହୃଦୟର-ଏକାଧାର । ବଢ଼ିଲେ । ବୋହୂ ଆସିଲେ । ତା’ପରେ ଉଡ଼ିଗଲେ । ଖୁଡ଼ୁତା ପୁଅ ଭାଇ ସତ୍ୟବାନ, ଗୁରର ବାପ, ଇଙ୍ଗିସରରେ ଥାଏ ଛ କୋଶ ଦୂରରେ । କେବେ କେବେ ଆସେ । ଦେଖାହୁଏ । ଗୋଟାଏ କଳ । ସେ ଆପଣା ଗତରେ ବୁଲେ । ଯେତିକି ଚାବି ଦିଆହୋଇଛି ସେତିକି । ଯେଉଁ ବାଗରେ ଯେଉଁ ଠାଣିରେ ଘୂରିବାକୁ ତିଆରି ହୋଇଛି ସେତିକି । ସେ ହସ ଶେଥା-। ସେ ଚାହାଣି ନିରର୍ଥକ । ସେ ମଣିଷ ନାହିଁ, ସେ ମନ ଉଡ଼ିଯାଇଛି । ଜନ୍ମ ପରିବର୍ତ୍ତନ ମରଣ । ଆଖି ଖୋଲିବା ଆଖି ବୁଜିବା । ଜୀବନର ଅର୍ଥ କ’ଣ ନାହିଁ ? ଏଇ ସ୍ପନ୍ଦନ, ଚେତନା ସମେତ ଏଇ ସ୍ପର୍ଶ-ଆହୁରି ସୂକ୍ଷ୍ମ ହୋଇପାରିଲେ ଏହାରି ଉହାଡ଼ରେ କେଉଁଠି ଅଛି ଅର୍ଥ ଯହିଁରେ ଉଦବେଗ, ନାହିଁ ହଲଚଲ ନାହିଁ, ସ୍ଥିର ଆନନ୍ଦ ଆଉ ଶାନ୍ତି, ଭାଗବତ କହିଛନ୍ତି ।

 

ଚରଖା ଚାଲିଥାଏ, ସିନ୍ଧୁ ଚୌଧୁରି ତହିଁରେ ନିବିଷ୍ଟ ହୋଇପଡ଼ିଥାନ୍ତି, ଯେପରିକି ସେହି ଗତିରେହିଁ ଆପଣାକୁ ମିଶାଇ ଦେଇଥାନ୍ତି ।

 

୧୯୨୧ ସାଲର କଥା, ଆଜିକି ବହୁତ ଦିନ ହୋଇଗଲାଣି ।

 

ସିନ୍ଧୁ ଚୌଧୁରି ସେତେବେଳେ ପହିଲି ଚାକିରିଆ, ସେଟ୍‌ଲମେଣ୍ଟ ଅମିନ । ଜିଭ ପଇସା ସୁଆଦ ପାଇଛି, ବୟସ ଖୋଜୁଛି ଭୋଗ, ମନ ଲୋଡ଼ୁଛି ଧନ ଅରଜି ଭୁଶୁଡ଼ି ପଡ଼ୁଥିବା ପୁରୁଣା ଗାରିମାକୁ ଟେକି ଆହୁରି ବଡ଼କରି ଠିଆ କରିବାକୁ । ଆଜି ଏ ଜମିଦାରୀ ଗଲା, କାଲି ସେ ଜମିଦାରୀ, ଶୁଣି ଶୁଣି ଦେହସହା ହୋଇଯାଇଥାଏ, ଆଶା ଦେଖାଇଥିଲା, ଚାକିରି, କିଛି କରିହେବ ପରା !

 

ଘର ନଇଁ ପଡ଼ୁଥାଏ, ଭାଙ୍ଗି ନ ଥାଏ, ତଥାପି ଏଇ ସାବକ ଡିହରେ ସାତ ଭାଇଙ୍କ କୁଟୁମ୍ବ । ଘୋଡ଼ାଶାଳରେ ଘୋଡ଼ାଟାଏ ବନ୍ଧା ହେଉଥାଏ ଯଦିଚ ସେଇଟା ବୁଢ଼ା ଆଉ ରୋଗିଣା । ଦାଣ୍ଡର ଧୂଳିଆ ଘରଗୁଡ଼ାକ ହାଡ଼ ଚମର ହାତୀପରି ଠିଆ ହୋଇଥାନ୍ତି । ଯେମିତି ତାଙ୍କ ଦେହରେ ବଡ଼ ବଡ଼ ଘା ସେମିତି ଠାଏ ଠାଏ କଣା ଫଟା । ତଥାପି ସେ ଘରଗୁଡ଼ାକରେ ଖୁନ୍ଦି ହୋଇଥାଏ ବହୁତ କାଠ ସିନ୍ଧୁକ, ପୁରୁଣା ଆଳକୁଚି ମାଳକୁଚି, ଭଡ଼ା ଭଡ଼ା ତାଳପତ୍ର ଖେଦା, ‘ଭଉଁରିଆ’, ପୁରୁଷ ପୁରୁଷର ବଂଶାନୁବଳୀ, କୁଆଡ଼େ ଥାଏ ସେଥିରେ ଯେ କେଉଁ ପୁରୁଷରେ କ’ଣ ହୋଇଥିଲା, କିଏ କ’ଣ କରିଥିଲେ । ଆଉ ସେମିତି ବର୍ଷ ବର୍ଷକର ଜମିଦାରୀ ଆୟବ୍ୟୟର ହିସାବ, ଆଉ କେତେ କାରବାରର । ରୁପାର ଗଛ ପିରିସଜ, ପିତ୍ତଳର ଆଲୁଅ ଝାଡ଼, ବଡ଼ ବଡ଼ ଗାଧୁଆ କୁଣ୍ଡ, ଯାତ୍ରାର ସାଜ, ଠାକୁର ବାହାରିବାର ପୁଣି ଜମିଦାର ବିଜେ କରିବାର, ଆଲଟ ଚାମର ଛତ୍ର ଦଣ୍ଡ, ବୀର କାହାଳୀ, ଜାତି ଜାତି ତୂରୀ, ଯୋଡ଼ି କାହାଳୀ, ରୁପା ଛାଉଣି ଜିନିଷ । ସେମିତି ନାନା ଜାତି ହତିଆର, ଖଣ୍ଡା, ଫରୀ ଛେଲ, ଫାର୍ସା, ତରବାରୀ, ବର୍ଚ୍ଛା, ତେଣ୍ଟା, ଏକମୁନା, କଇଁଛ ଖୋଳର ଢାଲ, ଆହୁରି କେତେ କ’ଣ । ଆଉ ପୂର୍ବକାଳର ପହରାଏ ଧରୁଥିବା ପିତ୍ତଳ ବନ୍ଧା ହୋଇଥିବା ବାଡ଼ି ନଉଡ଼ି । ଭଡ଼ା ଭଡ଼ା ପୁରୁଣା ପୋଷାକ, ଜରି ଲାଗିଥିବା ନାଲି, ନେଳି, ହଳଦିଆ ହୋଇ ନାନା ବର୍ଣ୍ଣର, କେଉଁଟାରେ ଛିଟ ପଡ଼ିଛି, ଚୌଧୁରିମାନଙ୍କର ପୁଣି ଚୌଧୁରି ଶାସନର ନାନା କର୍ମଚାରୀମାନଙ୍କର ପାଗ, ଅଙ୍ଗୀ, ପାଆପଟି, ଅଣ୍ଟାଭିଡ଼ା, ମୂଷାକଟା ପୋଖଣିଆ ଫୋଡ଼ ଫୋଡ଼ ଫଡ଼ା ଫଡ଼ା ହୋଇ ପୁରୁଣା ବେତ ପେଡ଼ିରେ ଭର୍ତ୍ତି ହୋଇ ଆଉକେତେ ଏଠୁ ସେଠୁ ଓହଳି ଓହଳି । ଆଉ ସେମିତି ଘୋଡ଼ାହାତୀଙ୍କ ସାଜ ପୋଷାକ ଫଟା ଚିରା ଖଣ୍ଡିଆ, ଏମିତି କେତେ ପଦାର୍ଥ ।

 

ସେଠି ଆଉ ଥିଲା ଚାରି ପାଞ୍ଚଟା ସବାରୀ, ଗୋଟାଏ ଭଙ୍ଗା ପାଲିଙ୍କି, ଗୋଟାଏ ଦର୍‌ହ, ଅତି ସୁନ୍ଦର କାରୁକାର୍ଯ୍ୟମୟ କାଠକାମ, ବଡ଼ ବଡ଼ ରୁପାଖୋଳ ଥିଲା ତା’ର ବାହୁଙ୍ଗୀପାଇଁ ତା’ ଅଗରେ ବଡ଼ ମଗରମୁହଁ, ଆଉ ତା’ର ମଖମଲର ସାଜ, ଛିଟ ପଡ଼ିଥିବା ନାଲି ବନୋଉତର ଢାଙ୍କୁଣି, ମୂଷା କାଟିଥିଲା, ପୋକ ଖାଇଥିଲା ।

 

ଅଳିଆ ଆବର୍ଜନା ହୋଇ ଖୁନ୍ଦି ହୋଇ ରହିଥାଏ ଭଡ଼ାଏ ଭଡ଼ାଏ, ଫୋପଡ଼ା ହୋଇ ନ ଥାଏ, ଚଢ଼େଇ ଆଉ ମୂଷା ବସା କରନ୍ତି । ସାପ ବୁଲନ୍ତି । ପିଲାଙ୍କୁ ତେଣେ ଯିବାକୁ ମନାକରାହୁଏ, ତଥାପି ପିଲାଏ ଲୁଚକାଳି ଖେଳନ୍ତି, ଆଳୁକୁଚି ଗୋଟାନ୍ତି, କେତେବେଳେ ଖେଣ୍ଟା ବାଜି ଖଣ୍ଡିଆ ବି ହୁଅନ୍ତି ।

 

ସେମିତି ସେତେବେଳେ ଥିଲା ଘରଠୁ କିଛି ଦୂରରେ ମସ୍ତବଡ଼ ଗୁହାଳ ସାହାଲା, ଧାଡ଼ି ଧାଡ଼ି ହୋଇ ସହଜରେ ଶହେ ଗୋରୁ ବନ୍ଧା ହୋଇ ରହିପାରିବେ, ପଥର ଚଟାଣ, ପଥରର ନଳା ଏମୁଣ୍ଡୁ ସେମୁଣ୍ଡୁ, ଧାଡ଼ି ହୋଇ ଗୋରୁ କୁଣ୍ଡଗୁଡ଼ିକ, ଘର ଭାଙ୍ଗିପଡ଼ୁଥିଲା, ସେତେବେଳେ ବି ଚାରିହଳ ବଳଦ, ତିନି ଚାରୋଟି ଗାଈ ଥିଲେ । ବାକି ପଡ଼ିଥିଲା ଫାଙ୍କା, ସେଠି ତଳୁ ଉପର ହୋଇ ବଡ଼ ବଡ଼ ବୁଢ଼ୀଆଣି ଜାଲ, ଠାଏ ଠାଏ ହୁଙ୍କା, ଆଉ ଭଙ୍ଗା ମାଟିର କୁଢ଼ ଏଠି ସେଠି ।

 

ଆଉ ଥିଲା ଚୌଧୁରି ଘରର ପ୍ରସିଦ୍ଧ ଅମାର ଘର, ଭାଙ୍ଗିପଡ଼ୁ ଥିଲେବି ଥିଲା, ଯାଇନଥିଲା । ଠାକୁର ଘର ବେଢ଼ା ପରି ହାତେ ବହଳରେ ଚଉଖୁଣ୍ଟ ହୋଇ ମସ୍ତବଡ଼ ପାଚେରୀ, ଚାରିପାଖେ ନଡ଼ିଆ ଗଛ, ଆଗରେ ଦି’ ଭାଗ ହୋଇ ଖୋଲା ଜାଗା, ଠାଏ ଖଳା, ଦେଉଳ ପରି ଧାନଗଦା, ଧାନମରେଇ, ଖଣି ପକାଇବାକୁ ପ୍ରକାଣ୍ଡ ଚକଡ଼ାଏ । ଆରପାଖେ ଶଗଡ଼ ଥୁଆ ହେବା ଜାଗା । ଦୁଆର ମୁହଁରେ ମୁଣ୍ଡ ଉପରେ ଗଜଲକ୍ଷ୍ମୀ ମୂର୍ତ୍ତି, ସାମ୍ନାରେ କାରୁକାର୍ଯ୍ୟମୟ ଦେଉଳ ପରି ଚଉରା, ପଥରର ଷୋଡ଼ଶୀମୂର୍ତ୍ତିମାନଙ୍କ ମୁଣ୍ଡ ଉପରେ ଚଉରାର ପଥର ହାଣ୍ଡି, ସେହି ଛାତିଏ ଉଞ୍ଚରେ ଝଙ୍କା ତୁଳସୀ ଗଛର ମୂଳ । ହତା ଭିତରେ ଚଉଖୁଣ୍ଟ ହୋଇ ପାଚିରୀ କରେ କରେ ଚାଳି, ସେଠି ନାନାଜାତି ଚାଷ ସରଞ୍ଜାମ, ଟୋକେଇ, ଓଦର ଲଙ୍ଗଳ ଯୁଆଳି, ଓଳିଆ । ଆଉ ଧାଡ଼ି ଧାଡ଼ି ହୋଇ ପୁରୁଣାକାଳିଆ ଧାନ ଅମାରର ବଖରାଟିମାନ, କାଠଭାଡ଼ି ଉପରେ ମାଟିରେ ତିଆରି ବଖୁରିକିଆ ଘର ଆକାରରେ ଚାରିପଟେ ଗୋଲ ହୋଇ ଡବା ଘର, ତା’ ତାଳୁରେ ଧାନ ପୂରାଇବାପାଇଁ ଦି ଦି ହାତ ଜଳା ବାଟ, ସେଥିରେ ଦି’ହାତ ଲମ୍ବ ଦି’ହାତ ଓସାର କବାଟ ଲାଗିଥାଏ, ମସ୍ତ ବଡ଼ ବଡ଼ କୋଲପ ଝୁଲୁଥାଏ । ଏମିତି କେତେ ଅମାର, କେଉଁଟା ଭାଙ୍ଗିଯାଇଥାଏ, କେଉଁଟା ଫାଟି ଆଁ କରିଥାଏ, କେତେଗୁଡ଼ାଏ ତୁଚ୍ଛା ଖାଲି । ଡର ମାଡ଼େ ଭିତରକୁ ପଶିବାକୁ, ଲୋକେ କହନ୍ତି ସେଠି କୁଆଡ଼େ ନାନାଆଡ଼ୁ ଆସି ଭୂତମାନେ ବସା କରିଥାନ୍ତି ।

 

ସେତେବେଳେ ବି ସେବାକାରୀ ନିତି ଖଟୁଥିଲେ, ଗାଁରେ ହୁକୁମ ଖଟୁଥିଲା । ସୁନିଆକୁ ଭେଟି ଆସୁଥିଲା ସାରୁ ଆଳୁ କି ମାଛ କି ପନିପରିବା, ଜମିଦାରୀର ପ୍ରଜାଏ ଯେ କଲିକତା କି କାଳିମାଟି ଯାଉଥିଲେ ଆପଣା ମନଇଚ୍ଛାରେ ମନିଅର୍ଡର କରି ଭେଟିପାଇଁ ଟଙ୍କା ପଠାଉଥିଲେ । ଟଙ୍କାକର ମାଛକୁ ଚୌଧୁରି ଘରର କେହି ଯଦି ଚାରିଅଣା ଫୋପାଡ଼ି ଦେଇ ନେଇ ଯାଉଥିଲେ କେହି ପାଟି ଫିଟାଉ ନ ଥିଲେ । ଚାକର ବାକର ଯା ଆସ ହେଉଥିଲେ, ହଳିଆ କୋଠିଆ ପୋଇଲୀ ପରିବାରୀ ବି ଥିଲେ କିଛି । କାମ କଲା ଲୋକ ଗାଳିଗଞ୍ଜଣା କ’ଣ ବିଧାଏ ଦି’ବିଧା ଖାଇଲେ ବି ପାଟି ଫିଟାଉ ନ ଥିଲେ, ପିଠିରେ ସହିଲେ ପେଟରେ ଖାଇବେବୋଲି ସବୁ ଟାଳି ଯାଉଥିଲେ । ନାଁ ଉଡ଼ୁଥିଲା, ସାତଖଣ୍ଡି ଗାଁରେ ଟେକ ଥିଲା । ଥାନାରୁ ମୁନ୍‌ସି ଅଇଲେ କି ଡାକବାରିକି ଡାକବାଲା ଆସିଲେ ତାଙ୍କ ରହିବାପାଇଁ ଘର ରଖା ହୋଇଥିଲା, ଛଞ୍ଚା ଯାଉଥିଲା ।

 

ସେତେବେଳେ ଦି’ପହର ନିଦରୁ ଉଠି ଛାମୁ ଚୌପାଢ଼ିରେ ବସି ସତରଞ୍ଜି ଖେଳ ଆଉ ପଶାପାଲି ମେଲି ଦେଉଥିଲେ । ଘରେ ଲାଗିଥିଲା ପିଠାପଣା, ଭୋଗରାଗ । ମାଇପେ ଲୋଟାପରି ପିକଦାନି ପାଖେ ଅଳସେଇ ବସି କଥା ଗପୁଥିଲେ । ପିଲାଏ ପାରା ଉଡ଼ାଉଥିଲେ ।

 

ହଳଦିଆ ପଡ଼ି ଆସିଥିଲା ପୁରୁଣା ଚଳଣି । ଖତରା ଆଉ ମାନ୍ଦା । ଦାଣ୍ଡରେ ଅଳିଆ ଅଗଛିଆ । କାନ୍ଥରେ ଅତି ସୁନ୍ଦର ଚିତା ପଡ଼ିଥିଲେ ବି ଘର କଣରେ ଅନ୍ଧି ସନ୍ଧିରେ ପାନପିକ । ଅସୁମାରି ଅଣଓଳିଆ ଅମରାମତ ଘର । ଅଗଣା ନଳାରେ ଗନ୍ଧ । ସରତଞ୍ଜି ଆଉ ପୁରୁଣା ଶେଯରେ ଧୂଳି ।

 

ଦର୍ପ ଆଉ ଅହମିକା ପୂରି ରହିଥିଲା, କେବଳ ନ ଥିଲା ଶକ୍ତି । ପ୍ରାଚୀନ ଆଭିଜାତ୍ୟର ମୁର୍ଦ୍ଦାର ପାଣିରେ ଫୁଲିଲା ପରି ଫୁଲି ଉଠି ବି ବିଶ୍ୱାସ କରିନଥିଲା ମରିଛି ବୋଲି । ତଥାପି ଆଶା ରଖିଥିଲା–ଚାଲିଆସିଛି–ଚାଲିଛି–ଚାଲିବ ଏମିତି ସବୁଦିନେ ।

 

ଆସିଲା ୧୯୨୧, ୧୯୨୨ । ପବନରେ ଉଡ଼ି ଉଡ଼ି ନୂଆ ନାଁ ଆସି କାନରେ ବାଜିଲା–’’ମହାତ୍ମା ଗାନ୍ଧୀ’’ ।

 

ସେ କିଏସେ ? ଇଂରେଜହିଁ ତ ରାଜା, ବ୍ରିଟିଶ ସରକାର !

 

‘‘ସେ ମହାତ୍ମା, ସେ ଅବତାର । ଧରଣୀର ଭାରା ବଳିପଡ଼ିଲା, ତେଣୁ ସେ ଆସିଲେ । ହାତରେ ଚକ୍ର ପରି ଚରଖା । ଅଣ୍ଟାରେ କୌପୁନୀ । ସଙ୍ଗରେ ସଖାଏ ବି ଅଛନ୍ତି, ଯେପରି ଓଡ଼ିଶାରେ ଗୋପବନ୍ଧୁ । ସତ ଉପୁଜିବ । ମାଳିକା କହିଥିଲା । କଳି ସରିଲା, ସତ ଉପୁଜିବ ।’’

 

ଘରେ ଘରେ ସ୍ତ୍ରୀ ପୁରୁଷ ଯୋଡ଼ପାପୁଲି ମୁଣ୍ଡରେ ଲଗାଇ ଦଣ୍ଡବତ ହେଲେ, ମନ୍ତ୍ର ପରି ଗୁଣୁ ଗୁଣୁ ହେଲେ ‘‘ଗାନ୍ଧୀ ମାହାତ୍ମା ! ମହାତ୍ମା ଗାନ୍ଧୀ !’’ ଦପଦପ ଆଶା ଆଉ ରୁନ୍ଧିରଖିଥିବା ଦୀର୍ଘଶ୍ୱାସରେ ପୂଜା ରଚିଲେ ସେହି ନାଁର । ବିଶ୍ୱାସ କଲେ, ଦୁଃଖ ଆଉ ରହିବ ନାହିଁ, ମିଛ ରହିବ ନାହିଁ, ପାପ ରହିବ ନାହିଁ, ଦେଶ ଉଦ୍ଧାର ହେବ, ଯୁଗ ଓଲଟିବ, ଆଉ ଭୟ ନାହିଁ ।

 

‘‘ସ୍ୱରାଜ ଆସିବ, ଭାରତ ସ୍ୱାଧୀନ ହେବ ।’’ ଖେଳିଗଲା ବାର୍ତ୍ତା । କେମିତି ସେ ସ୍ୱରାଜ-? ‘‘ଇଂରେଜ ଯିବେ । ନାଲି ପଗଡ଼ି ଆଉ ନାଲି ଆଖି ଆଉ ରହିବ ନାହିଁ । ରହିବ ନାହିଁ ଅନାଚାର, ଅତ୍ୟାଚାର, ଶୋଷଣ, ପେଷଣ, ଆପଣା ଭଲ ବିଚାରି ଆପଣା ଦେଶକୁ ଶାସନ କରିବେ ଏ ମଣିଷ । ଆମର ପୁରୁଣା ଆଚାର ବିଚାର, ଧର୍ମ କର୍ମ ପୁଣି ଚଳିବ । ସମସ୍ତେ ସୁଖରେ ଖାଇପିଇ ଚଳିବେ । କାହାରିକି ଦୁଃଖ ପଡ଼ିବ ନାହିଁ । ପୁଣି ପୁରୁଣା ଓଡ଼ିଆ ପାଠ, ସଂସ୍କୃତ ପାଠରେ କାମ ଚାଲିବ । ପୁଣି ଜୀଇଁ ଉଠିବେ ତନ୍ତୀକୁଳ, ଆଉ ଦେଶର ଯେତେ ଶିଳ୍ପୀ କାରିଗର, ପଦାକୁ ପଇସା ଯିବ ନାଇଁ, କାହାରି ଶରଣ ଆମେ ପଶିବୁ ନାଇଁ । ଆମର ଏଡ଼େବଡ଼ ଦେଶ । କ’ଣ ନାଇଁ ଏଠି ? ଆମ ଦେଶ ଜିନିଷ ଆମରି ଲୋକଙ୍କ କାମରେ ଲାଗିବ, ବିଦେଶକୁ ବୁହା ହେବ ନାହିଁ । ସମସ୍ତେ ସମସ୍ତିଙ୍କୁ ଅନେଇଁବେ । ଭାଇ ଭାଇ ହୋଇ ଚଳିବେ । ୟାର ନ ଥିଲେ ସେ ଦେବ । ତା’ର ନ ଥିଲେ ୟେ । ମଣିଷକୁ କେହି ଦୂର୍‌ଦୂର୍‌ କରିବେନାହିଁ, ଏଇଟା ଅଛୁଆଁ, ସେଇଟା ପଠାଣ ଏ ସଂକୀର୍ଣ୍ଣତା ରହିବ ନାହିଁ କାହାରି । ଛୁଆଁ ଅଛଆଁ ରହିବ ନାହିଁ । ମାଲିକ ମୂଲିଆ ରହିବ ନାହିଁ । ବାବୁ ଚାକର ରହିବ ନାହିଁ । ସମସ୍ତେ ସତ କହିବେ, ସତ ଭାବିବେ, ପରସ୍ପରଙ୍କୁ ଭଲପାଇବେ, ଦିଆଘେନା କରିବେ, ଆଦର କରିବେ । ସମସ୍ତେ କାମ କରିବେ, ଖାଇବେ । କେହି ଆମକୁ ଡରେଇବେ ନାହିଁ, ଲୁଟିବେ ନାହିଁ, ବେଠି ଖଟେଇବେ ନାହିଁ, କାହା ଦୁଆରେ ଯାଇ ଗୋଡ଼ଭାଙ୍ଗି ଠିଆହେବାକୁ ପଡ଼ିବନାହିଁ । ଏଇ ତ ସ୍ୱରାଜ ଆଉ କ’ଣ ?’’

 

ଘଷି ପାରୁଛି କାଣୀ ବୁଢ଼ୀ, ସେ ବି ଜାଣେ । ଜାଣନ୍ତି ସମସ୍ତେ, ଚଷା ମୂଲିଆ, ଜମିଦାର ଦୋକାନୀ । ଗାଁ ଚୌକିଆ ପୋଷାକ ପିନ୍ଧି ଥାନାରେ ଡିଉଟି କଲାବେଳେ ମନେ ମନେ ଭାବେ, ‘‘କେବେ ୟେ ଯିବେ ! ଦିନ ତ ହେଇଗଲା । ମାହାତ୍ମା ଆସିଗଲେ ।’’

 

ହାଟରେ ବାଟରେ ଭାଗବତ ଟୁଙ୍ଗୀରେ ପଶାଖେଳ ପାଖରେ ସମସ୍ତିଙ୍କ ମୁହଁରେ ସେହିକଥା, ‘‘କଳିଯୁଗ ସରିଗଲା, ଗାନ୍ଧୀଯୁଗ ଆସିଗଲା ।’’

 

ସେହିବାର୍ତ୍ତାର ପ୍ରଚାରକ ପରି ଗାଁରେ ଆସି ପହଞ୍ଚିଲେ ଶୁଭାର୍ଥୀ ସାହୁ । ଡେଙ୍ଗା ମଣିଷ, ଚେକା ବଡ଼ ମୁହଁଟି କେମିତି ଖୋଲା ଖୋଲା ଦିଶେ । ଆଖିରେ ଚଷମା । ମୋଟା ଖଦଡ଼ ପିନ୍ଧି ଆଣ୍ଠୁଏ ଧୂଳି ହୋଇ ଆସି ପହଞ୍ଚିଲେ । ତା’ ଆଗରୁ ଗାଁରେ ଆସି ପହଞ୍ଚିଥିଲା ତାଙ୍କ ନାଁର ମହକ । ଏତେ ପାଠପଢ଼ିଲେ ଯେ ବହି ଶଗଡ଼ ଶଗଡ଼, ମନ କରିଥିଲେ ସରକାର କେଡ଼େବଡ଼ ଚାକିରି ଦେଇନଥାନ୍ତେ । ପୁଣି କେଡ଼େ ଥିଲାଘର ପିଲା, ଜମି ଜମିଦାରୀ କୋଠାବାଡ଼ି ବେଉସା କାହିଁରେ ଊଣା ! ନା ଡାକ ସାହୁଘର, ତାଙ୍କ ଘରୁ କିଏ କେତେ ନ ଧାରିଛି, କିଏ କେତେ ନ ଖାଇଛି ! ଏହିପରି ତାଙ୍କ ଇଲାକାର ଖାନ୍ଦାନି ଘର ସେମାନେ । ଆଉ ଅଇଛା ସବୁ ଛାଡ଼ିଛୁଡ଼ି ଦେଇ ଏଇଥିରେ ମିଶିଛନ୍ତି, ଖାଲି ଚାଲି ଚାଲି ପାଦର ତଳି ଛିଣ୍ଡିଯାଉଛି, ଖାଇବାକୁ ବଗଡ଼ା ଶୁଣ୍ଠା, ଯେଉଁଠି ଯାହା, ଶୋଇବାକୁ କାହାଘର ପିଣ୍ଡା କି ମେଲା, ନିର୍ବିକାର । ଗାଁ ଲୋକଙ୍କ ସଙ୍ଗେ ଅତି ଆପଣାର ହୋଇ ହସି ହସି ମିଶିଯାଆନ୍ତି, ଯେତେବେଳେ ଦେଖିଲେ ପ୍ରସନ୍ନ ମୁହଁ, କ୍ଳାନ୍ତି ନାହିଁ, ସତେ ଯେପରିକି ଗାଁର ଧୂଳି ଦେହରେ ବୋଳିହେଲେହିଁ ତାଙ୍କର ଶାନ୍ତି, ଖରାଏ ତରାଏ ବୁଲିବୁଲିକା ପରର ଉପକାରପାଇଁ ଦେହଟାକୁ ଘୋରିଦେଲେହିଁ ଆନନ୍ଦ ।

 

ଏମିତି ଖବର ଆଗେ ଆଗେ ଉଡ଼ିଉଡ଼ିକା ଆସିଥିଲା ସେ ନ ଆସୁଣୁ । ବନ୍ଧେ ବନ୍ଧେ ଯେତେବେଳେ ଚାଲି ଚାଲିକା ଆସୁଥିଲା, ଗାଁ ଗାଁକେ ଲୋକେ ବାଉଁଶ ପୋତି ଆମ୍ବପତ୍ର ଆଉ ଫୁଲହାର ଟାଙ୍ଗି ରଖିଥିଲେ, କାମ ବନ୍ଦ କରି ପିଲା ବଡ଼ ସମସ୍ତେ ଆସି ରୁଣ୍ଡ ହୋଇଥିଲେ ତାଙ୍କୁ ଦେଖିବାପାଇଁ, ଆଖିରେ କଳା ବେଣ୍ଟର ଚଷମା, କପାଳରେ ଭାବୁକତା, ମୁହଁରେ ହସ, ଫୁଙ୍ଗା ଦେହ, ଡେଙ୍ଗା ଲୋକ ଯେପରି କି ତୀଖ ସରଳ ନିର୍ଭୀକ ସତ ବିଚାର ପରି ରୂପ ।

 

ସେତେବେଳେ ଲୋକଙ୍କୁ ମତେଇବାକୁ ଭେଳେଇବାକୁ କେହି ଯାଇନାହିଁ, କେହି କହିବାକୁ ଯାଇନାହିଁ ନେତା ଆସିଲେ ତୁମେ ଠିଆ ହେବ, ହୁଳୁହୁଳି ପକାଇବ, ଆମେ ‘‘ହମାରା ନେତା’’ବୋଲି ଧ୍ୱନି ଦେଲେ ତୁମେ ସମସ୍ତେ ସମସ୍ୱରରେ ପାଳି ଧରିବ ‘‘ଶୁଭାର୍ଥୀ ସାହୁ’’ । କେହି କହିନାହିଁ ତୁମେ ବାଟକରରେ ଆମ୍ବତୋରଣ ସଜେଇବ, ଘରେ ଚିତା ପକାଇବ । ଆପେ ଆପଣାର ମନ କହିଥିଲା, ପବିତ୍ର ନିର୍ଭୀକ ବିଚାରର ବାଟ କଢ଼େଇବାପାଇଁ ଘର ଦେହ ମନ ବାଟ ସବୁ ନିର୍ମଳ ରଖିବାକୁ ପଡ଼ିବ, ଜରରେ କମ୍ପୁଥିଲେ ବି ନାଉ ହେଇ ଆସିବାକୁ ପଡ଼ିବ ଟିକିଏ ଆଖିରେ ଦେଖିବାପାଇଁ, ପ୍ରତି ଅନ୍ତରର ନିବୁଜା ଆଶା କିପରି ରୂପ ପାଲଟି ଚାଲିଛି ଏଇ ବାଟେ ବାଟେ, ଶରୀରର ପ୍ରତି ରୋମକୂପ ବାଟେ ଅନୁଭବ କରିବାକୁ ପଡ଼ିବ ସେହି ପୁଲକ ।

 

ତେଣୁ ସେମାନେ ଆସିଥିଲେ । କିଏ ହସିଥିଲା, କିଏ କାନ୍ଦିଥିଲା ଝରଝର, ଆଗରୁ ଠିରିକାଠିରିକି ହେଲା ପରି ସେମାନେ ସମସ୍ୱରରେ ଜାତି ଜାତି ଧ୍ୱନି ଦେଇଥିଲେ । ଗାଁ ସଂକୀର୍ତ୍ତନ ପଞ୍ଝାମାନ ମୃଦଙ୍ଗ ବଜାଇ ତୁଣ୍ଡେ ତୁଣ୍ଡେ ସ୍ୱାଧୀନତାର ଗୀତ ରଚନା କରି କରି ସଂକୀର୍ତ୍ତନ କରି କରି ଚାଲିଥିଲେ, ଆଉ ବୋଲିଥିଲେ ପୁରୁଣା ସଂକୀର୍ତ୍ତନର ଗୀତ, ଏମିତି ଏ ଦେଶର ଗାଏଁ ଗାଏଁ ଦିନେ ଚାଲିଥିଲେ ଶ୍ରୀଚୈତନ୍ୟ, ଯାହା ବୋଇଲେ ଯାହା ଶୁଣିଲେ ମଣିଷ ହୃଦୟରେ ହୃଦୟ-ଅଠା ଲାଗିଯାଏ, ଆସେ ପ୍ରେମର ପୁଲକ, ତା’ ବୋଲିଥିଲେ । କେହି ଶିଖେଇ ନାହିଁ, ଠେକା ବାନ୍ଧି ଲଙ୍ଗଳ ଧରି ଚାଷୀ ପଟୁଆର କରିଥିଲେ, ଧାଡ଼ି ଧାଡ଼ି ହୋଇ ଗାଁ ଚାହାଳିର ଛାତ୍ରଛାତ୍ରୀ, ଗହଳି ହୋଇ ଗାଁ ଲୋକେ । ଆଉ ସେମିତି, କୁଳଭୁଆସୁଣୀ ଏକାଠି ହୁଳହୁଳି ଦେଇଥିଲେ, ହଳଦୀମିଶା ଅରୁଆ ଚାଉଳ ଛାଟିଥିଲେ, ଘିଅ ଦୀପ ଜାଳି ବନ୍ଦାପନା କରିଥିଲେ । ଶଙ୍ଖୁଆ ଶଙ୍ଖ ବଜାଇଥିଲା, ଢୋଲିଆ ଢୋଲ, ଶୁଭ ମଙ୍ଗଳ ଅନୁଷ୍ଠାନପାଇଁ ଯେ ଯାହା ଜାଣେ ସେ ତା’ ଆପେ ଆପେ କରିଥିଲା । ହୃଦୟମତ୍ତା ହୋଇ କରିଥିଲା । ନଈର ଏକର ସେକର କୋଶେ କୋଶେ ଦୂରକୁ ଶୁଭିଥିଲା ହଜାର ହଜାର କଣ୍ଠରେ ସେହି ଏକ ଅଭୟ ବାଣୀ, ଚେଇଁ ଉଠିଥିବା ଭାରତର ପ୍ରଥମ ଜୀଅନ୍ତା ଭାଷା–

 

‘‘ମହାତ୍ମା ଗାନ୍ଧୀ କୀ ଜୟ !

ଭାରତ ମାତା କୀ ଜୟ !’’

 

ସବୁ ତ ମନେପଡ଼ିଯାଉଛି ଭାବି ବସିଲେ, ହେଇ ଲାଗୁଛି କାଲି ପରି ଶୁଭାର୍ଥୀ ସାହୁ ଆସିଥିଲେ । ସେତେବେଳେ ଏ ଚାହାଳିଘର ନ ଥିଲା । ଗାଁ ମଝି ଦାଣ୍ଡରେ ଲୋକଙ୍କୁ ଜାଗା ହେବ ନାହିଁ ବୋଲି ନଈ ବନ୍ଧ ତଳେ ଝଙ୍କା ବରଗଛ ତଳେ ସଭା ହେଲା ଯେ ଲାଗିଗଲା ଦଣ୍ଡାଏ ଦଣ୍ଡାଏ କାହିଁ ଦୂରକୁ ବୋଲି । ସେ କ’ଣ ଗୋଟିଏ ଗାଁର ଲୋକ ! ସତେ ଯେମିତି ଦୋଳ ମେଲଣ, କେତେ ଚିହ୍ନାମଣିଷଙ୍କ ସଙ୍ଗେ ଭେଟାଭେଟି । ବାଡ଼ି ଧରି ଥୁରୁଥୁରୁ ବୁଢ଼ାବୁଢ଼ୀମାନେ, ଛୁଆ କାଖେଇ ମାଇପେ । ଖବର ଚହଳି ଯିବାରୁ ଗଦା ହୋଇପଡ଼ିଲେ କୁଆଡ଼ୁ କୁଆଡ଼ୁ । ମୁଣ୍ଡ ଉପରୁ ଖରା ତଳୁ ତଳୁ ଲାଗିଗଲା ବଡ଼ ସଭା ।

 

ଆଉ ଶୁଭାର୍ଥୀ ସାହୁ କହିଲେ, ‘‘ଏହିପରା ସେହି ପାଟେଳି ଗାଁ, ଯାହା ନାଁ ଚାରିଆଡ଼େ ଲୋକେ କହନ୍ତି ! ଏବେବି ଅଛନ୍ତି ଏ ଗାଁ ଚୌଧୁରି ବଂଶ ଯାହାଙ୍କ ପୂର୍ବପୁରୁଷ ଥିଲେ ଯୋଦ୍ଧା, ବୀର, ସେନାପତି । ଆପଣା ପରାକ୍ରମଲାଗି ଚୌଧୁରି ପଦ ଅର୍ଜିଥିଲେ । ଦେଶରେ ମୁକ୍ତି ଲାଗି ବକ୍‌ସି ଜଗବନ୍ଧୁ ଯେତେବେଳେ ଲଢ଼ିଥିଲେ, ସେତେବେଳେ ଚୌଧୁରି ବି ଥିଲେ ତାଙ୍କ ସଙ୍ଗରେ । ଜଣେ ନୁହଁନ୍ତି, କେତେ ଗାଁର କେତେ ଚୌଧୁରି ଥିଲେ । ଏକା ନ ଥିଲେ, ତାଙ୍କ ସଙ୍ଗେ ସଙ୍ଗେ ଥିଲେ ଏ ଦେଶର ଅଗଣିତ ନରନାରୀ । ଆଜି କ’ଣ ସେ ରକ୍ତ ପାଣି ଫାଟିଗଲା ? ଆଜି ପୁଣି ସମୟ ଆସିଛି, ହିମାଳୟଠୁଁ କୁମାରୀକାଯାକେ ସମଗ୍ର ଭାରତ ଚେଇଁଉଠିଛି । ଆମେ ଅଳ୍ପ ନୋହୁ, ତିରିଶି କୋଟି ମଣିଷ ଆମେ । ଆମ ଦେଶ ଖାଲି ଗୋଟାଏ ପାଟେଳି ଗାଁ କି ଗୋଟାଏ ଓଡ଼ିଶା ନୁହେଁ । ଭାରତବର୍ଷ ଗୋଟାକଯାକ ଆମେ ଏକ, ଏଡ଼େ ବଡ଼ ଦେଶ, ଦେଶ ନୁହେଁ ମହାଦେଶ ଆମର । ମମସ୍ତେ ଆମେ ଭାଇ ଭାଇ, ହିନ୍ଦୁ ମୁସଲମାନ, ଜାତି ଅଜାତି । ମହାତ୍ମା ଗାନ୍ଧି ଏ ଦେଶକୁ ଡାକୁଛନ୍ତି, ଏ ଦେଶକୁ ଏକାଠି ହେବାକୁ ପଡ଼ିବ, ଏକ ମନ ଏକ ଆତ୍ମା ହୋଇପାରିଲେ ଦଣ୍ଡକେ ସ୍ୱରାଜ୍ୟ ଆମ ହାତପାଆନ୍ତିରେ, ଏ ରଥକୁ ରୁହାଇବ ଏଡ଼େଶକ୍ତି କାହାର ? ସମସ୍ତେ ଆସ ଡେଇଁପଡ଼ ଏ ଯଜ୍ଞର, ଭାରତ ସ୍ୱାଧୀନ ହେବ, ବିଦେଶୀ ଦ୍ରବ୍ୟ ଛାଡ଼, ବିଦେଶୀ ମୋହ ଦିଅ କାଟି, ହାତରେ କୁଟି ହାତରେ କାଟି ମୋଟା ଖାଇ ମୋଟା ପିନ୍ଧି ଲାଗିପଡ଼ ସମସ୍ତେ ଦେଶସେବାରେ । ଆଉ ତର ସହୁନାହିଁ, ନେଡ଼ିଗୁଡ଼ କହୁଣିକି ଗଡ଼ିଗଲାଣି । କେତେଦିନଯାକେ ବିଦେଶୀ ଗୋଡ଼ତଳେ ବନ୍ଦୀହୋଇ ପଡ଼ିଥିବ ଏ ଦେଶ ? କହ ଭାଇ, ଭାରତ ମାତାକୀ ଜୟ ! ମାହାତ୍ମା ଗାନ୍ଧୀକୀ ଜୟ !’’

 

କେତେ ନୂଆ ଶବ୍ଦ ! ଦେଶ-ଭାରତ-ସ୍ୱାଧୀନତା-ସ୍ୱଦେଶୀ-ମହାତ୍ମା ଗାନ୍ଧୀ । ଖାଲି ଶବ୍ଦ ନୁହେଁ, ଖାଲି ନୁହେଁ ମନ୍ତ୍ର । ଏତେ କାଳର ଅନ୍ଧାରି ଅବସାଦକୁ ଜାଳିବାକୁ ନିଆଁ ଗୁଲ । ଆଉ ଜୀଅନ୍ତା ମଞ୍ଜି, ପଡ଼ୁ ପଡ଼ୁ ଲାଖିଯାଏ, ଗଛ ହୁଏ ।

 

ଶୁଭାର୍ଥୀ ସାହୁ ଚାଲିଗଲେ । କିନ୍ତୁ ଦେଶ ଦୁଲୁକିଥିଲା । ‘‘ଭାଇରେ, ଆଜି ଆସିଚି ଦିନ’’ବୋଲି ଗୀତ ଗାଇ ଗାଇ ସଂକୀର୍ତ୍ତନ କରି ଏ ଗାଁର ହିନ୍ଦୁ ଆଉ ସମ୍‌ସେର୍‌ପୁରିଆ ମୁସଲମାନମାନେ ଏକାଠି ହୋଇ କୁଣ୍ଢାକୁଣ୍ଢି ହେଲେ । ଜାତିଅଜାତି ପାଣବ୍ରାହ୍ମଣ ଏକାଠି ମଉଛବ କରି ଖାଇଲେ । ଚାଲିଲା ଅରଟ ଘରେ ଘରେ । ବୁଢ଼ାବୁଢ଼ୀମାନେ ବୋହୂ ଭୁଆସୁଣୀଙ୍କି ସୂତାକଟା ଶିଖାଇଲେ ଆଉ କଥା ଗପିଲେ ସେମାନେ କେମିତି ଆଗକାଳେ ଅରଟରେ ସୂତା କାଟୁଥିଲେ । ଅରଟ ସଙ୍ଗେ ସଙ୍ଗେ ତନ୍ତ ପଡ଼ିଲା । ବାରିରେ ବିଲରେ କପା ଚାଷ ଆରମ୍ଭ ହେଲା । ସମସ୍ତଙ୍କଠୁଁ ଚାନ୍ଦା ଭେଦା ସଂଗ୍ରହ କରି ଗଢ଼ି ହେଲା ଗାଁ ପାଣ୍ଠି । ‘ମୁଷ୍ଟିଭିକ୍ଷା’ପାଇଁ ଘରେ ଘରେ ଗୋଟିଏ ଲେଖାଁ ମାଠିଆ ରଖାହେଲା । କେତେକାଳର ପୁରୁଣା କଳି ଭାଙ୍ଗିଦେଇ ଲୋକେ ଏକାଠି ମିଶିଗଲେ । ଗାଁରେ ବଢ଼ିଉଠିଲା ଏକତା । ନିଶାପାଣି ଛାଡ଼ବୋଲି ବୁଝେଇ ବୁଝେଇ ଟୋକାମାନେ ସାହି ସାହି ବୁଲିଲେ । କେହି କେହି ପାନ ଧୂଆଁପତ୍ର ବି ଛାଡ଼ିଦେଲେ । ଯାହାଠିଁ ଶୁଣିଲେ ଏକତା କଥା, ସ୍ୱରାଜ କଥା । ଟୋକା ବୁଢ଼ାଙ୍କୁ ଏକାଠି ଭେଳେଇ ରାତିରେ ଡିବିଜାଳି ପାଠପଢ଼ା ହେଲା । ଯାହା ଘରେ ଯେଉଁ ବହି ଥିଲା ମାଗିଯାଚି ଆଣି ଏକାଠି କରି ଗାଁ ‘ଲାଇବ୍ରେରୀ’ ଗଢ଼ାହେଲା, ସେଠି ଅହରହ ପଡ଼ିଲା ସ୍ୱରାଜ୍ୟ କଥା ଆଉ ଗାନ୍ଧୀ ମାହାତ୍ମାଙ୍କ କଥା । ସେତିକିବେଳେ ବସିଗଲା ଗୋଟିଏ ପଢ଼ିବା ଘର, ଯେ ଯାହା ଜାଣେ ସେ ସେତିକି ଶିଖାଇଲା । ବିଦେଶୀ ବର୍ଜନ ଖୁବ୍‌ ଜୋରରେ ଆରମ୍ଭ ହୋଇଗଲା । ଗାଁ ଟୋକାଏ ଘର ଘର ବୁଲି ବୁଲି ବିଲାତିଲୁଗା ବିଲାତିଶାଢ଼ି ମାଗିଆଣି ଝାଞ୍ଜମୃଦଙ୍ଗ ବଜାଇ ଗାଁଦାଣ୍ଡରେ ତାକୁ ଅଗି ଲଗାଇଲେ । ଯେଉଁଠି ଦେଖିଲେ ନୂଆ ଉତ୍ସାହ, ଘଟଣା ଆଉ ମଣିଷଙ୍କର ନୂଆ ମୂଲ ତଉଲ, ମଣିଷଙ୍କ ମନରେ ନୂଆ ଆଶା ।

 

ସେତିକିବେଳେ ଧାନ କାଟୁ କାଟୁ ଶୁକୁଟା ବାଉରି ବିଲ ମଝିରେ ଠିଆହୋଇ ଦାଆଧରା ହାତକୁ ଦୂରକୁ ଦେଖାଇ ଅଭ୍ୟସ୍ତ ବକ୍ତୃତାକାରୀ ପରି ଅଭିଭାଷଣ ଦେଉଥିଲା-‘‘ପୁରୁଣାବେଳ କଟିଗଲା, ସତେକି ମେଘ ଅନ୍ଧାରମୟ ଶୀତୁଆ ରାତି । ଆଉ ନାଇଁ, ଏଣିକି ସତ୍ୟଯୁଗ ଆସିଗଲା, ଗାନ୍ଧୀ ଅମଳ । ଆଉ ଆମକୁ କେହି ଡରେଇ ପାରିବେନାହିଁ, ଦବେଇ ପାରିବେନାହିଁ । ସତେ ହୋ, ୟେ ଯେମିତି କି ଗୋସେଇଁ ମା’ କହୁଥିଲା କାହାଣୀ, ଯେ ବାଘଛୁଆଟା ନିଜକୁ ନିଜେ ଚିହ୍ନିନଥିଲା ଯେ କୁକୁରକୁ ଦେଖିଲେ ଛାନିଆଁ ହଉଥିଲା । ଆଉ ଚିହ୍ନି ପକାଇଲା ଯେମିତି କି ସେମିତି ତା’ ରଡ଼ିରେ ଗଛରୁ ପତ୍ର ଝଡ଼ିଲା, ଯେ ଯୁଆଡ଼େ ଛାଡ଼ି ପଳାଇଲେ । ସେମିତି । କିହୋ କମି ମଣିଷ ଆମେ ! କମି ରାଜ୍ୟ ଆମର ! ଦେଖିନା, ଜଗନ୍ନାଥ ମହାପୁରୁଙ୍କ ଦର୍ଶନକୁ ଯୋଉମାନେ ଆସନ୍ତି, କେତେ କିସମ ବୋଲି, କେତେ କିସମ ପୋଷାକ, କାହା ଘର ଚଲାବାଟରେ ସେଠୁ ଛ’ ମାସ ଦୂରରେ ତ କାହା ଘର ବରଷକର ବାଟ ଦୂରରେ । ହେଲେ କ’ଣ ହେଲା, ସମସ୍ତେ ଆମରି ଭାଇ ତ ! ସବୁ ଏକା ପୃଥୀର ମଣିଷ, ସମସ୍ତେ ଭାଇ ଭାଇ । ଅଇଛା ନିଦ ଭାଙ୍ଗିଚି, ସମସ୍ତେ ଏକା ମେଣ୍ଟ ହୋଇଚନ୍ତି । ଆଉ କିଏ ପାରିବ ?’’

 

ଗାଁର ସବୁଠୁ ବେଶି ବୁଢ଼ୀ ଯେ କନୀ ବୁଢ଼ୀ ଭଣ୍ଡାରୀଘର ବୁଢ଼ୀ, ସେ ଘର ଦୁଆରମୁହଁରେ ଗୋଡ଼ ଲମ୍ବେଇ ବସି ଆଙ୍ଗୁଠି ଅଗରେ ଚିରା ଘୋରିହେଲାଟାକୁ ବାଛିଲା ପରି ଓଟାରି ଓଟାରି ବିଡ଼ିର ବିଡ଼ିର ହଉଥାଏ, ‘‘ସତେ ସତ୍ୟଯୁଗ ଆସିଲା ! ସତେ ଉଷୁନାଧାନ ଗଜା ହେବ ! ସତେ ମୋ ଗୋପାଳିଆ ପୁଅ ପୁଣି ଉଠିଆସିବ ମୋ କତିକି !’’ ଗୋପାଳ ବୁଢ଼ୀର ସାନପୁଅ, ମରି ହେଲାଣି ପନ୍ଦର ବର୍ଷ, ମଲାବେଳକୁ ତାକୁ ବୟସ ବାଉନ ।

 

ଚାରିଆଡ଼େ ଉତ୍ତେଜନା, ଘୋର ଉତ୍ତେଜନା । ଗାଁ ଗାଁକେ ଭେଦା ଉଠିଲା, ମାଇପେ କାନରୁ ସୁନା ଓହ୍ଳେଇ ଦେଇ ଦେଉଥାନ୍ତି । ଗାଁକୁ ଗାଁ ସଭାସମିତି, ପଟୁଆର । ଗାଁ ଗାଁ ହୋଇ ବୁଲି ବୁଲି ଲୋକେ ମନ୍ତ୍ରଣା କରୁଥାନ୍ତି, ଯେ ପାଞ୍ଚଣ ବାଡ଼ିଟିଏ ଟେକିବାକୁ ତ ଗାନ୍ଧି ମହାତ୍ମା ମନାକରିଛନ୍ତି, କ’ଣ କଲେ ଦେଶ ସ୍ୱାଧୀନ ହେବ, ସରକାର ହଟି ପଳେଇବ ?

 

ସେତେବେଳେ ସିନ୍ଧୁ ଚୌଧୁରି ଭାବିଥିଲେ ସିନା, ଢଳି ନ ଥିଲେ । ସେ ହେତୁ କରିଥିଲେ ବଡ଼ ସହର, ଫଉଜି ପୁଲିସଙ୍କ ଛାଉଣି, ନିଦା ଆଉ ମୋଟା କାନ୍ଥର ବଡ଼ ବଡ଼ ଘର,-ସରକାରୀ ଅଫିସ୍‌, କଚିରି-ଆଉ ବଡ଼ ଛବିଟା, ବିଲାତର ରଜାଙ୍କର-

 

ଗଜାମୁହଁ ଦେଖି ଦେଖି ମନରେ ରହିଯାଇଛି, ମୁଣ୍ଡର ସେ ବିଚିତ୍ର ମୁକୁଟ, ରଙ୍ଗରଙ୍ଗର କୋଠି କୋଠି ହୋଇଛି, କମକୂଟ ହୋଇଛି-ଆଉ ଲୋକେ କହନ୍ତି ସବା ଉପରେ ହେଇ ସେ ଭାରତର ହୀରା, କୋହିନୂର । ଏଡ଼େବଡ଼ ସମ୍ରାଟ୍‌, ପୃଥିବୀଯାକ ତାଙ୍କ ରାଜ୍ୟ, ଲୋକେ କହନ୍ତି ତାଙ୍କ ରାଜ୍ୟରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ, କେଉଁଠି ନା କେଉଁଠି ନିଶ୍ଚୟ ଥିବେ ।

 

ତାହାରି ପଛଆଡ଼େ ଦିଶିଯାଏ ଅସୁମାରି ଥାଟର ଛବି, ଜାହାଜ ଆଉ ଘୋଡ଼ା ଆଉ ହୃଷ୍ଟପୃଷ୍ଟ ମଣିଷ, ମୁଖାପିନ୍ଧି ଠିଆ ହୋଇଥିଲା ପରି, ଟେକି ହୋଇଥିବା ସଙ୍ଗୀନ ଖଞ୍ଜା ବନ୍ଧୁକର ଜଙ୍ଗଲ ବଡ଼ ବଡ଼ ତୋପର ଛବି, କଳା କିଟିକିଟି ଯମ ଅସ୍ତ୍ର !

 

ଝଣ ଝଣ ଜଞ୍ଜିର, ଗଡ଼ପରି ଜେଲ୍‌ ତା’ର ଲୁହାଫାଟକ ।

 

ପ୍ରକାଣ୍ଡ ବିକଟ ଦୁର୍ଦ୍ଧର୍ଷ ବଳର ଭୟଙ୍କର ଛବି, ତା’ର ଆସ୍ଫାଳନ ଦେଖି ଛାତିରୁ ରକ୍ତ ଶୁଖିଯାଏ ।

 

ସେ ଜର୍ମାନୀକୁ ଜିତିଛି, ପୃଥିବୀରେ ସେ ଅଦ୍ୱିତୀୟ ବିଜେତା, ସେ ଏକାଙ୍ଗ ଚକ୍ରବର୍ତ୍ତୀ ।

ତା’ରି ଛାଇ ପଡ଼ିଛି ସବୁଠି, ଗାଁ ଗହଳିରେ, ମନୁଷ୍ୟର ସାମାଜିକ ଅନୁଷ୍ଠାନ ଉପରେ, ମନ ଭିତରେ ବି । ଟୋପି ଆଉ ପ୍ୟାଣ୍ଟ, ପଗଡ଼ି ଆଉ ପୋଷାକ, ଧଳା କାଗଜରେ ଛପା ଇଂରେଜୀ ଅକ୍ଷର, ସବୁ ସେହି ଇଂରେଜ ଶକ୍ତିରହିଁ ପ୍ରତୀକ ।

ସେହିପରି ଜମି ଛେଦର ଚିହ୍ନଟ ପଥର, ବିଲ ମଝିରେ ଗୋଟି ଗୋଟିକା ତା’ର ଖୁମ୍ବ, କୁଆଡ଼େ ନାହିଁ କୁଆଡ଼େ ଚାଲିଯାଇଛି, ଦଣ୍ଡା ପାହାଡ଼ ଟପି ବନ୍ଧ ଉପରେ ଯେଉଁ ରେଲ ଲାଇନ୍‌ ଚାଲିଯାଇଛି, ସବୁ ସେହି ସରକାରର ହିଁ ଥାଇତା ସ୍ୱାକ୍ଷର । ପାହୁଲାକ ଉପରେ ବି ରଜାମୁଣ୍ଡ, ଡାକ ଟିକଟ ଉପରେ ବି । ଘରେ ଘରେ ଖଜଣାର ପାଉତି, ଗାଏଁ ଗାଏଁ ଚଉକିଆ, ଆଇନ୍‌, କର୍ମଚାରୀ, ସରକାରୀ ଅନୁଷ୍ଠାନ, ସବୁ ତ ତାଆରି, ସବୁଠି ସରକାର, ମାଟିରେ ସତେ କି ତା’ର ଚେର ଭେଦିଛି, ବାଘ ଛେଳିକି ଏକା ଘାଟରେ ପାଣି ପିଆଇଛି, କିଏ ତା’ର କ’ଣ କରିପାରିବ ?

ସିନ୍ଧୁ ଚୌଧୁରି ନୂଆ ଆନ୍ଦୋଳନକୁ ଖାଲି ଚାହିଁ ଚାହିଁ ଦେଖିଥିଲେ, ଆଉ ଚାଲି ଯାଇଥିଲେ ଚାକିରି କରିବାକୁ ଟଙ୍କା ଅର୍ଜନ କରିବାକୁ । ପଟୁଆର ଆଉ ସଭା ଦେଖିସାରି ବୁଢ଼ା ବୁଢ଼ାମାନେ ଲେଉଟି ଆସି ପିଣ୍ଡାରେ ବସି ନିରାଶ ଅବିଶ୍ୱାସରେ ସମାଲୋଚନା କରିଥିଲେ, ଟୋକାମାନେ ଯେତେ ମତାଇଲେ ବି କହିଥିଲେ-‘‘ହଉ ଦେଖିବ ଦେଖିବ, ପାଇବ ପାଇବ ।’’

ଅବିଶ୍ୱାସବି ସତେକି ଫଳିଗଲା ଚାହୁଁ ଚାହୁଁ । ପୁଲିସର ଠେଙ୍ଗା ପାହାର ପଡ଼ିଲା, ଧରପଗଡ଼ ଲାଗିଲା, ଲୋକଙ୍କ ଅଭାବ ଅଶିକ୍ଷା ଆହୁରି ସେ ଦୁଃଖକୁ ତେଜିଦେଲା । କଣ୍ଠ ସାହୁଙ୍କ ପାଖେ ଚାନ୍ଦା ଟଙ୍କା ଜମା ହୋଇଥିଲା, ସେ ତାକୁ ଚଳୁ କରିଦେଲେ । ଗାଁ ମୁଠିର ଚାଉଳ ଯନ୍ତାଳରେ ଖର୍ଚ୍ଚ ହେଲା । ‘ଲାଇବ୍ରେରୀ’ ବହିକି ଯେ ପାରିଲା ସେ ନେଇ ମାଡ଼ିବସିଲା । ଅରଟ ଭାଙ୍ଗିଲା, କପା ଲୁଚିଲା, କପା ଚାଷ ପୁଲିସ ଭୟରେ ବନ୍ଦ ହେଲା, ତନ୍ତ ବିକା ହେଲା ।

 

ପୁଲସି ଆସିଲାକ୍ଷଣି ଆଗ ସମସ୍ତେ ଭୁରୁଡ଼େଇଲେ ଫାଙ୍କିଲେ, ପଚ୍ଛେ ଦେହ ଦୁଃଖ ବଳେଇଲାରୁ ଏ ତା’ ଉପରେ ସେ ୟା ଉପରେ ପକାଇଲେ । ହଳ ହଳ ହୋଇ ବନ୍ଧା ହୋଇ କେତେ ଲୋକ ଗଲେ, ସହରରେ ଦିନାକେତେ ରହି ଗାଁକୁ ଫେରିଲେ । କେତେ ଘର ଭାଙ୍ଗିଲା, କେତେ ଟୋକା ପଢ଼ା ଛାଡ଼ି ବାଳୁଙ୍ଗା ହୋଇ ବୁଲିଲେ, କେତେ ଲୋକ ଚାକିରି ଛାଡ଼ି ଘରେ ବସିଲେ-

 

ଗାଁରୁ ତିନିଜଣ ଜାଣି ସବୁଦିନପାଇଁ ଗଲେ-ଜଣେ ଗଲା ଶୁକୁଟା ବାଉରି, ପିଠିରେ ଯେତେ ଗେବା ବସିଲେ ବି ତୁଣ୍ଡରୁ ବାହାରେ ଖାଲି ‘ଗାନ୍ଧୀ ମାହାତ୍ମା’ ପଦଟା । ବରଷେ ଜେଲ ଖଟି ଧଡ଼ିଆ ସେମେଟା ହୋଇ ଫେରି ସେହି ବର୍ଷ ଜରରେ ଜରରେ ସେ ମରିଗଲା । ଆଉଜଣେ ଗଲା ଶିବ ଚୌଧୁରି, ଭେଣ୍ଡା ଟୋକାଟା, ବାହା ସା ହେଲାନାହିଁ, ଜେଲରୁ ଫେରି ପୁଣି ଖଦୀ ଗଣ୍ଡିରା ପିଠିରେ ବୋହି ବିକି ପୁଣି ଜେଲ ଯାଇ ପୁଣି ଲେଉଟି ଆସି କାମକରି ଏମିତି ତିନିଥର ଜେଲରୁ ଫେରିଲା ପରେ ଥରେ କି ରୋଗ ନେଇ ଫେରିଲା ଯେ ଛାତିକି ମାରେ, ଅଳ୍ପ ଅଳ୍ପ ଜର ହୁଏ । ରହୁଥିଲା ଟାଇଁସୋ ହାଡ଼ି ସାହିରେ ଖଣ୍ଡେ କୁଡ଼ିଆରେ, ସେଇଠି ରକ୍ତ ବାନ୍ତିକରି ମରିଗଲା ।

 

ଆଉଜଣେ ଗଲା ଆରତ ପଣ୍ଡା, କେଡ଼େ ବଡ଼ ତାଷୀ ଥିଲା, କେତେ ଯଜମାନି । ଘର ପୋଡ଼ିଗଲା, ତାଷ ଉଜୁଡ଼ିଗଲା, ଭାରିଯା ଛୁଆପିଲା ଘେନି ଭାଇପାଖେ ଆଶ୍ରାନେଲା । ଆରତ ପଣ୍ଡା ଏକା ଜିଦିରେ ପ୍ରଚାର କାର୍ଯ୍ୟ ଚଳାଇରଖି ଯେତେ ଜେଲ ଗଲେବି ଲାଗିରହିଲା ସେହି କାମରେ ପନ୍ଦର ବର୍ଷ । ଏ ମଫସଲରେ କିଏ ତାଙ୍କୁ ନ ଚିହ୍ନେ ଏପରି ନାହିଁ, ଠିଆ ଛଡ଼ ପରି ସରୁ ହୋଇ ପୂରା ପାଞ୍ଚହାତ ଡେଙ୍ଗା ମଣିଷ, ଭାଲୁପରି ଦାଢ଼ୀ, ଲମ୍ବି ଆସିଛି ଛାତି ଅଧକୁ । ସ୍ୱରାଜ୍ୟ ହେଲା, ଏଣେ ଦାଢ଼ୀ ଅଧେ ଅଧେ ପାଚି ଗଲା, ହଠାତ୍‌ ଯେପରି କି ସେ ରଙ୍ଗଭୂମିରୁ ଅପସରିଗଲେ, କାହିଁ ଦୂର ଗଡ଼ଜାତରେ କେଉଁ ଅଚିହ୍ନା ଗାଁରେ କ’ଣ ଆଶ୍ରମ ଅଛି, ସେଇଠି ସେ ଥାଆନ୍ତି, ସୂତା କାଟନ୍ତି । ଲୋକଙ୍କ ଗହଳିରେ କ’ଣ ସେବାକାର୍ଯ୍ୟ କରନ୍ତି । ଆଉ ପଦାକୁ ବାହାରନ୍ତି ନାହିଁ ।

 

ଗଲା ସବୁ ଭାଙ୍ଗିରୁଜି, କିନ୍ତୁ ସତେ ଯେପରି ବାହାରୁ ଭାଙ୍ଗି ଭିତରେ ଗଢ଼ିହେଲା, ଲୋକଙ୍କ ମନ ବଦଳିଗଲା । ଯେତେ ହାରିଲେ, କଥା ରହିଗଲା ସେହି ।

 

ଯେ ‘‘ଆମେ ନ ପାରିଲେ ବିଦେଶ ପାରିବ ଅବଶ୍ୟ, ଆମେ ହାରିଗଲେ କି ଆମପରି ସତର ପୁଞ୍ଜା ହାରିଗଲେ କ’ଣ ହେବ ? ଗାନ୍ଧୀ ମାହାତ୍ମା ତ ହାରିବେ ନାଇଁ, ଜୟ ତାଙ୍କରି ହେବ ଶେଷରେ, ଅବଶ୍ୟ ।’’

 

ଚାକିରିରୁ ଲେଉଟି ସିନ୍ଧୁ ଚୌଧୁରି ଯେତେବେଳେ ଘରେ ବସିପଡ଼ିଲେ, ସ୍ମରଣ ପଡ଼ିଗଲା ଗାଁର ସେହି ତତଲା ଦିନର କଥା । ମନ ଭିତର ହାୟ ହାୟ କଲା ।

 

ଆଉ ସେ ଦିନ ନାହିଁ, ସେ ଭାବ ନାହିଁ, ଖଦଡ଼ ଟୋପି ଖଦଡ଼ ଭେକ କେତେ ନୂଆ । ଲୋକଙ୍କର, ଯେଉଁମାନଙ୍କୁ ସେ ଆଗେ କେବେ ଦେଖିନଥିଲେ । କିନ୍ତୁ ସୂତାକଟା ନାହିଁ । ସେ କାଳର ଚେହେରାବି ନାହିଁ । ଦେଶ ଆଉ ଲଢ଼େଇ କରୁନାହିଁ, ସମସ୍ତେ ସ୍ୱାଧୀନ ।

 

କିନ୍ତୁ ଆପଣା ଭିତରେ ଦୁଡ଼ୁଗୁଡ଼ୁ ଲାଗିଲା, ଇଚ୍ଛା ହେଲା କିଛି ପ୍ରାୟଶ୍ଚିତ୍ତ କରି ଆତ୍ମଶୁଦ୍ଧି କରିବାକୁ, ଅନ୍ତତଃ ଆପଣା ମନେ ମନେ । ତେଣୁ ଅବେଳାରେ ଆରମ୍ଭ କଲେ ଏଇ ଚାହାଳି ଆଉ ସୂତାକଟା । ପ୍ରାଣ ଶାନ୍ତି ପାଇଲା ।

 

କାହାନ୍ତି ଆଜି ପିଲାଏ ? କ’ଣ କେଉଁଠି ବିଗିଡ଼ି ଯାଇଛି !

 

ଦାଣ୍ଡେ ଦାଣ୍ଡେ ଗଲା ଅପର୍ତ୍ତି ପଧାନ, ଗୋଟାଏ ଗାରଡ଼ବେକକୁ ଗାମୁଛାରେ ବାନ୍ଧି ଘୋଷାରି ଘୋଷାରି ନେଇ ଚାଲିଛି । ଚାହାଳି ପାଖ ହେବାରୁ ପାଞ୍ଚଣ ଉଞ୍ଚେଇ ନାଟ୍ୟାଙ୍ଗୀ ଭଙ୍ଗୀରେ ଦାୟିକା ଝାଡ଼ିଲା–

 

‘‘ନୀତିରେ ଅନୀତି କଲୁ ମନ୍ଦମତି

ତାକୁ ଧରରେ, ତାକୁ ମାରରେ,

ତାକୁ ରଖ ନେଇ କାରଗାରରେ ।’’

 

ଗାରଡ଼ ବୋବାଳି ଛାଡ଼ିଛି, ବାଡ଼ ଭିତରକୁ ଭୂଷି ପଶିବାକୁ ଚେଷ୍ଟାକରୁଛି, ପଛରୁ ମାଗୁଣି ବେହେରା ଶବଦ କଲା–‘‘କି ସମୁଦି, ମନ୍ଦମତି କ’ଣ କଲା ?’’

 

ଚାହାଳି ଆଗରେ ହାତ ହଲେଇ ଅପର୍ତ୍ତିଆ ସୁଆଙ୍ଗ ଗାଇଲା,

 

‘‘ଶୁଣ ଶୁଣ ମନ୍ତ୍ରୀବର ରାଜ୍ୟର ଏ ସମାଚାର–’’

 

ମାଗୁଣି କହିଲା, ‘‘ହଉ ହଉ ।’’

 

ଅପର୍ତ୍ତିଆ କହିଲା, ‘‘କି କହୁଚ ହଉ, ଖାଅ ମାଣ୍ଡିଆଜାଉ,

 

ମନ୍ତ୍ରୀ,

 

‘‘ମନ୍ଦମତି କିସ ନ କଲା,

କୁଳର ମୁହଁରେ କାଳି ବୋଳିଲା ।

ଆରେ, ଥିଲା ତା’ର ଦୋହିତା ଏକ,

ଷୋଳବରଷୀର ବହପ ଦେଖ,

ନିଛାଟିଆବେଳେ ବାରି ଆମ୍ବମୂଳେ

ପର ଭେଣ୍ଡିଆକୁ ଡାକି ଆଣିଲା,

କାନ ପୁଣି ୟା ଶୁଣିଲା ।’’

 

ଅପର୍ତ୍ତିଆ ପଚାରିଲା–‘ମନ୍ତ୍ରୀ !’

 

ମାଗୁଣି କହିଲା–‘‘ହଇ ହଇ ।’’

 

‘‘ତୋ’ର ଗୋଟାଏ ଝୁଅରେ ଯାଏ କି ଗାଁ ଭାଇରେ ଯାଏ ?’’

 

ମାଗୁଣି କହିଲା, ‘‘ମୋର ଗାଁ ଭାଇରେ ଯାଏ ।’’

 

ଅପର୍ତ୍ତିଆ କହିଲା, ‘‘କର ତାକୁ ଗାଁ ବାହାର,

ଲେପି ତା ମୁହଁରେ ଗୋବର–’’

 

ତା’ପରେ ‘‘ହେଇଟ୍‌ ହେଇଟ୍‌’’ କେହି ଘୋଷାରି ଘୋଷାରି ନେଇଗଲା ଗାରଡ଼କୁ ।

 

ସିନ୍ଧୁ ଚୌଧୁରି ଶୁଣିଲେ । ଧନ୍ଦି ହେଲାପରି କପାଳର ଚମ ଟାଣିଟୁଣି ହେଲା । ପୁଣି ଅରଟ ଚାଲିଲା ।

 

ଲୋକନାଥ ନାୟକ ଘର ଆଗରେ ତା’ ବୁଢ଼ୀ ହେଁସ ଉପରେ ନୂଆ ଉଷୁନା ଧାନ ଶୁଖାଉଛି, ଗୋଡ଼ରେ ପେଲି ପେଲିକା ବିଛେଇ ଲାଗିଛି ଧାନ, ଖଣ୍ଡେଦୂରରେ ଦାମୁଡ଼ିଟା ଖୁଣ୍ଟରେ ବନ୍ଧା ହୋଇଛି ଯେ ବାରମ୍ବାର ଧାନଆଡ଼କୁ ଚାହିଁ ବେକ ହଲୋଉଚି ମୁଣ୍ଡ ଛାଟୁଛି । ଲୋକନାଥ ନାୟକର ବୋହୂ ପିଲାଙ୍କ ମଇଳା କନାପଟା ଏକାଠି ଯାକି ଯାଉଛି ପୋଖରୀକି, ପାଖ ପୋଖରୀରୁ ଲୁଗାକଚା ଶବ୍ଦ ଶୁଭୁଚି ଆଉ ଶୁଭୂଚି ମାଇପି ଲୋକଙ୍କ ଚହଳ ।

 

ସିନ୍ଧୁ ଚୌଧୁରି ପହଞ୍ଚିଲେ ।

 

‘‘ନାହାକେ ଅଛନ୍ତି ?’’

 

ଲୋକନାଥ ନାହାକର ବୁଢ଼ୀ ଚାହିଁଦେଇ ହାତେ ଓଢ଼ଣା ଟାଣିଦେଲା, ପାଦରେ ଛାଟି ଛାଟି ଧାନ ବିଛେଇବା ଥପ୍‌କରି ବନ୍ଦ କରିଦେଇ ଗୋଟାଏ କରକୁ ଆଡ଼େଇ ଠିଆ ହୋଇ ଯାଇ ଭୁଟୁରୁ ଭୁଟୁରୁ ହେଲା–‘‘ଆଜି କି ଭାଗ୍ୟ, ନିଜେ ସାଆନ୍ତେ ଆମେ ଦୁଆରକୁ ଆସିଛନ୍ତି । କ’ଣ କରିବିଟି, ହେରେମା ଟୋକାଟା ଏମିତିବେଳେ କୁଆଡ଼େ ପଳେଇଗଲା ।’’ ସୁବିଧା ଦେଖି ଦି’ଟା କାଉ ଆସି ଫକ୍‌ଫକ୍‌କରି ଡେଇଁ ଧାନ ଟୋକିବାକୁ ଆରମ୍ଭ କଲେ, ଲୋକନାଥ ନାହାକର ବୁଢ଼ୀ ମାନସମ୍ଭ୍ରମ ଭୁଲି ହାତ ଉଞ୍ଚେଇ ଗାଳି ଦେଇ ଦେଇ କାଉ ଅଡ଼େଇବାକୁ ଦଉଡ଼ିଗଲା–‘‘ନିଆଁ ନଗା କାଉ, ଚୁଲୀପଶା କାଉ, ମଣିଷ ଏତେକଷ୍ଟରେ ଧାନ ଗଣ୍ଡିଏ ଉଷେଇଁ ଶୁଖେଇଚି ତମରି ପାଟିରେ ନାଗିବ ବୋଲିରେ ?’’

 

ସିନ୍ଧୁ ଫେର ପଚାରିଲେ-‘‘ନାହାକେ ଅଛନ୍ତି ?’’

 

ଧାନକୁ ଆଖି, କାଉକୁ ଆଖି, ଦାମୁଡ଼ିଟା ବି ଦଉଡ଼ା ହୁଗାଳି ଦେଲାଣି, ତେଣେ ବି ଦୃଷ୍ଟି, ମାନ୍ୟମାନତାରେ ପାଟି ସାନକରି ସରୁଗଳା କରିବାକୁ ଯାଇ ବିକୃତ କଣ୍ଠରେ ବୁଢ଼ୀ କହିଲା–‘‘ଗାଧୋଇ ଆସି ପୂଜାରେ ବଇଥିଲେ, ସରି ଆସିବଣି ଯେ, ଯାଏଁ ଡାକିଦେବି ।’’

 

ବୁଢ଼ୀ ଗଲା । ସଙ୍ଗେ ସଙ୍ଗେ କା’ କା’ ରବକରି କାଉମାନେ ଧାନରେ ବେଢ଼ିଗଲେ । ସିନ୍ଧୁ ଚୌଧୁରିଙ୍କି କାଉ ହୁରୁଡ଼େଇବା କାମ ମିଳିଗଲା । କାଉମାନେ ଗାଳି ଦେଇ ଦେଇ ଉଡ଼ିଗଲେ-। ହଠାତ୍‌ ପୁଣି ମନେପଡ଼ିଲା ଚାହାଳି, ମନଟା ଚାଉଁକଲା । ଏଇଠି ପଚାରିବାକୁ ପଡ଼ିବ-

 

ଲୋକନାଥ ନାହାକ ପହଞ୍ଚିଗଲେ । ବୁଢ଼ା ଉଞ୍ଚରେ ସିନ୍ଧୁଙ୍କ ଉପରେ ଆଉରି ଚାରି ଆଙ୍ଗୁଳ । ଦୁଇ କାନରେ ଦୁଇମେଞ୍ଚା ଠିଆ ଠିଆ ରୁମ, ପାଚି ଯାଇଛି, ଆଖିପତା ବାଳ ପାଚିଛି, ଛାତିଯାକ ରୋମର ଜଙ୍ଗଲ, ସେ ବି ପାଚିଛି, କଳା ଦେହରେ ଧଳା ମୁଣ୍ଡ ଧଳା ରୁଢ଼ ସମେତ ଦିଶେ ଗୋଟିଏ ପାକଳ ଅବସ୍ଥା, ପାକଳ କିନ୍ତୁ ଝଡ଼ିବାର ସୂଚନା ନାହିଁ, କାନ୍ଧ ଦି’ଟା ତଥାପି ବହେ ଓସାର, ବଳ ଅଛି ।

 

ଚୌଧୁରିଙ୍କି ନଇଁପଡ଼ି ଦଣ୍ଡବତ ହୋଇ ନୋକା ନାହାକ କହିଲେ ‘‘କୁଆଡ଼େ ଆଜି ନିଜେ ଚାଲି ଆସିଛନ୍ତି ଆଜ୍ଞା, କାହାଦ୍ୱାରା ଡକେଇଥିଲେ ତ-’’

 

‘‘ଛାଡ଼ ସେଥିରୁ କ’ଣ ମିଳିବ, ଯାହାର କାମ ତା’ର ନିଜେ ଚାଲି ଆସିବା ଭଲ ।’’ ଉଭୟେ ହସିଲେ, ଉଭୟେ ଜାଣନ୍ତି ଡାକିବାକୁ ଲୋକ ପଠେଇବା ଚୌଧୁରିଙ୍କ ହାତ ପାଆନ୍ତିରେ ନାହିଁ ।

 

ଚମକିପଡ଼ି ନୋକା ନାହାକ କହିଲେ, ‘‘କାମ ? ଆଜ୍ଞା କିଛି କାମ ଅଛି ? ଆଣିବି ପାଞ୍ଜି ବିଡ଼ାଟା ?’’

 

ସେ କଥା ପଛେ ହେବ । ଆଗ ଯୋଉଥିପାଇଁ ଆସିଛି ସେ କଥା କହେଁ । ଛବିର ବିଭାଘର ବିଷୟରେ-’’

 

ସଙ୍ଗେ ସଙ୍ଗେ ନୋକା ନାହାକ ‘‘ମଙ୍ଗଳଂ ଭଗବାନ ବିଷ୍ଣୁ’’ବୋଲି ମଙ୍ଗଳାଷ୍ଟକ ଆରମ୍ଭ କରିଦେଲେ । ଅପ୍ରସ୍ତୁତ ହୋଇ ଚୌଧୁରି କହିଲେ ‘‘ଅଃ ରହ, କୋଉବେଳ ଚାଲିଯାଇଚି-’’ ‘‘ମଙ୍ଗଳ କଥା ପଇଲେ ମଙ୍ଗଳାଷ୍ଟକ ବୋଲା ନ ହେବ ତ କେତେବେଳେ ହବ ଆଜ୍ଞା ! ପହିଲି ପ୍ରଥମ ହୋଇ କଥାପଡ଼ିଚି, ସେମିତି ଯୋଗ ପଡ଼ିଛିବୋଲି ନା । ତେବେ ଆଜ୍ଞା, ଟିକିଏ ବସିବା ହଉନ୍ତୁ । ଠିଆହୋଇ ରହିଲେଣି ଖରଟାରେ, ଅଙ୍ଗକୁ ବାଧା ହେଉଥିବ । ଆଣେ ସପଖଣ୍ଡେ ।’’

 

ଅଣଓସାର ପିଣ୍ଡା ଉପରେ ଛିଣ୍ଡା ସପ ଖଣ୍ଡେ ବିଛାହେଲା, ଚୌଧୁରି ବସିଲେ । ତଳେ ଠିଆହୋଇ ବଟୁଆ ଖୋଲି ଗୁଆକାତିରେ ଗୁଆ କାଟି କାଟି ନୋକା ନାହାକେ ସାଆନ୍ତଙ୍କପାଇଁ ପାନ ଭାଙ୍ଗିବା କାମ ଆରମ୍ଭ କରିଦେଲେ, ଆଉ ସେହି ଛଳରେ କହିଲାଗିଲେ-

 

‘‘ଆଜ୍ଞା, ଠିକ୍‌ ଧରିଛନ୍ତି, ନିମିତ୍ତ ଉଠେଇଦେବା ଉଚିତ, ଶୁଭସ୍ୟ ଶୀଘ୍ର, କଥାରେ ଅଛି ଝିଅ ଘିଅ-ଘିଅ ଘରେ ରହିଲେ କଡ଼ୁଆ, ଝିଅ ଘରେ ରହିଲେ ଅଡ଼ୁଆ, ଆଉ ରାଇଜ ଲୋକଙ୍କ କଥା ତ ଆପଣ ଜାଣନ୍ତି, ଏଯୁଗରେ ଧର୍ମ ନାହିଁ, ସଜ ଫୁଲରେ ପୋକ ପକେଇବେ ୟେ ଲୋକ-ତେବେ ମୁଁ କ’ଣ କାହାକୁ ଡରେ ନା କ’ଣ, ଅଇଛା ଗଇ ଖୋଳି ବସିଲେ ସପ୍ତପୁରୁଷ ଉଝାଳି ଥୋଇଦେବି, ଆଉ ମୁଁ ଡରିବି ? କହିଲି ବୁଝି ଖବରଦାର, ମୁହଁ ସମ୍ଭାଳି କଥା କହ, ଧର୍ମକୁ ଅନେଇ କଥା କହ, ନଇଲେ ଏ ଜିଭ ଛିଣ୍ଡି ପଡ଼ିବ, ଧର୍ମ ସହିବ ନାହିଁରେ ଧର୍ମ ସହିବ ନାହିଁ ।’’

 

ନୋକା ନାହାକଙ୍କର ଦି’ଆଖି ନିଆଁ ଛାଟିଲା ଅଦେଖା ବଇରିଙ୍କ ଉପରକୁ, ସ୍ୱର ଚଢ଼ିଗଲା । ସିନ୍ଧୁ ଚୌଧୁରି କାବା ହେଇ ତାଙ୍କ ମୁହଁକୁ ଅନେଇ ରହିଲେ । କଥା ନ ସୁରୁଣୁ କହିଲେ-‘‘ୟେ କି କଥା ୟେ ? କାହା କଥା କହୁଚ ନାହାକେ ?’’

 

କଥାର ଉତ୍ତର ନ ଦେଇ ନୋକା ନାହାକ ମନଇଚ୍ଛା କହି ଚାଲିଲେ, ମୁଁ କହିଲି, ଆରେ ଖାଉନ୍ଦ ସେ, କ’ଣ ନ ଖାଇଚ ତାଙ୍କର, କ’ଣ ନ ନେଇଚ ? ତମ ଦାନ୍ତମୂଳ ଖୋଳିଲେ ଅଇଛା ବାହାରିବ, ହଇରେ ତମେ ଗ୍ୟା’ପ ଇନ୍ଦ୍ର ଚନ୍ଦ୍ର ମାନୁନା, ଏଇଆଙ୍କୁ କହନ୍ତି ଖଣ୍ଡିଆ, ତମରି ପରି ଲୋକଙ୍କୁ କହନ୍ତି କୁଳନାଶବେଳେ ଘୋଡ଼ାମୁହାଁ ପୁଅ ଜାତ, ତମେ ଗ୍ୟା’ପ କ’ଣ ଏମିତି ହେଇଗଲ ଯେ ଶଳା ରଜାଘର ପୁଅକୁ ବେ କହିଦେବ । ଆରେ ହାତୀ ମରିଗଲେ ବି ଲକ୍ଷେ ଟଙ୍କା, ତାଙ୍କର କଥା ପଦକୁ ତମର ସାଗ ମୁଗତକ ସରି ହେବ ନାହିଁ । ସେଇ ଅପର୍ତ୍ତିଆଟା ମତେ କହୁଚି କ’ଣ ନା ଦେବି ଯେ ଦି’ବିଧା । ମୁଁ କହିଲି, ଦେରେ ପୁଅ ଦେ ଦେ, ତତେ ତୋ ମା’ ମାଣ୍ଡିଆ କୋରମେଇଁରେ ଜନ୍ମ କରିଥିଲା, ମାଣ୍ଡିଆ ଜାଉ ଖାଇ ଗଣ୍ଡି ବଢ଼େଇଚୁ, ନ ଦେବୁ କାହିଁକି ବାପ, ଥୋଇଦେ ଦିଟା ମୋ ପିଠିରେ, ତୋ ବୋପା ଯାହା ନ ପାରିଚି ତା’ ତୁ ପାରିବୁ, ଯୋଗ୍ୟବାନପୁଅ ମାର୍‌ ମତେ, ହେଲେ ତୁ ଏମିତି ପ୍ରପଞ୍ଚ କଥାଗୁଡ଼ାକ କହନା, କୁଳ ବୁଡ଼ିଯିବ–’’

 

ବୁଢ଼ା କିଣେଇଁ ଓଝା କମାର ଲଙ୍ଗଳ ଫାଳଟିଏ ଧରି ସେହି ବାଟେ ଯାଉଥିଲା, ଅଟକି ଯାଇ କହିଲା–’’କେମନ୍ତ, କେମନ୍ତ, କାହା କୁଳ ବୁଡ଼ୋଉଚ ହୋ ନାହାକେ ? କିଏ କାହାର କ’ଣ କଲା, କାହା କୁଳ ବୁଡ଼ିଯିବ ?’’

 

ନୋକା ନାହାକ ମୁହଁ ଭ୍ରୂକୁଟି କରି କହିଲା–‘‘କାହିଁକି, ତମର ନ ହେଲା କାହିଁକି ? ୟାଙ୍କୁ କ’ଣ ସାମାନ୍ୟ ପାଇଛନ୍ତିକି ସାଆନ୍ତେ ? ୟେ ଧୂଳିଆ ନାଗ ୟେ । ସବୁଥିରେ ଥାଆନ୍ତି, କୋଉଥିରେ ନ ଥାନ୍ତି, ୟାଙ୍କର ପେଟରେ ଦାନ୍ତ । ଏଣେ କଜିଆ ନଗେଇ ଦେବେ, ତେଣେ ନଖ ଘଷିବେ । ନାଟର ଗୋବର୍ଦ୍ଧନ । ମଣିଷର ଅପରଛନ ପ୍ରକୃତି, ପ୍ରକୃତି ମଲେବି ଯିବ ନାହିଁ ।

 

‘‘କିହୋ କିହୋ କିହୋ-’’ କିଣେଁଇ ଓଝା ଚିହିଁକି ଉଠିଲା, ‘‘ସକାଳଟାରୁ ସିଧା ବାଟରେ ଯିବା ଲୋକଙ୍କୁ ମୁହଁହୁଡ଼ି ଶୋଧୁଚ କାହିଁକି ? କ’ଣ ମୁଣ୍ଡକୁ ପିତ୍ତ ଉଠିଗଲାକି ?’’

 

‘‘ସିଧା ବାଟରେ ଯିବା ଲୋକ !’’ ନୋକା ନାହାକ ଖତେଇ ହେଲା, ‘‘ଭଦରଲୋକ, ଭଦରଲୋକ ନା ଭଲ୍ଲୁକ ବୁଢ଼ା ଭା’ଲ୍ଲୁ । ବୁଝିଲେ ସାଆନ୍ତେ, ଏଇ ବୁଢ଼ା ଯାତ୍ରାରେ ଦୁଆରୀ । ଟେଳେ ଅଫିମ ପକେଇଦେଲେ ରାତିକି ରାତି ସପନ ଦେଖି ପକେଇବ ୟେ ୟା କଲା, ସେ ତା’ କଲା, ସେଇଠୁ ଟୋକାଙ୍କୁ ଆଜ୍ଞା ପତ୍ରିକା ଦବ ବୁଲେଇ ଛାପିବାକୁ, ମିଛୁଟାରେ ଗାଁରେ ହାଟ ବସେଇବ, ମିଛରେ ଆଉ ବାପମା’ ନାଁ ଦେଇଥିଲେ କି କିଣେଁଇ ଓଝା, ଚୁପ୍‌ ସଇତାନ୍‌ ଏ ହାଟରେ ବିକି ସେ ହାଟରେ କିଣିବ ।’’

 

କିଣେଇଁ ଓଝା ରାଗରେ ତମତମ ହୋଇ ପାଟିରେ ଦାଣ୍ଡ କମ୍ପେଇ ଏକର ସେକର ଡେଇଁବାକୁ ଆରମ୍ଭ କଲାଣି । ‘‘ଦେଖ ହୋ, ବାଟରେ ଯିବା ଲୋକକୁ ଧରି ବେଜମାନ କରୁଛି । ଏଁ, ମୁଁ ଚୁପ୍‌ ସଇତାନ ନା ତୁ ଚୁପ୍‌ ସଇତାନ, ଆରେ ତୁଟା ତ ଚୋର, ନବଘନ ଦାସ ବାହାଘରକୁ ଯାଇଥିଲୁ ପରା, ଭଲ ଭଲ ଲୁଗା ଗଣ୍ଡିରା ବାନ୍ଧି ଲୁଚେଇଥିଲୁ । କନିଆ ଘର ତୋ ମୁହଁରେ ଚୁନକାଳି ବୋଳି ଛାଡ଼ି ଦେଇଥିଲେ । ଆରେ, ସେଦିନ ସକାଳେ ବେନୁଆ କେଉଟ ବାଇରେ ପଶି ବାଇଗଣ ଚୋରି କରୁଥିଲୁ, ତତେ ପୁଲିସରେ ଦବାକୁ ବସିଥିଲେ । ଆରେ ତୁଟା କାହା ଆଗରେ ଥୋରପାହାଡ଼ କାଢ଼ୁଛୁ ହଇବେ–’’

 

‘‘ଏଁ ଏଁ କ’ଣ କହିଲୁ, ମୁଁ ଚୋର ନା ତୁ ଚୋର, ତୋ ଚଉଦ ପୁରୁଷ ଚୋର ।’’

 

‘‘ଶଳାକୁ ଦେବି ଯେ ଦି’ବିଧା ଅଇଛା ଅଣ୍ଟା ଭାଙ୍ଗିଯିବ । କ’ଣ କରି ପାଇଚୁକି, ଆରେ ବୁଢ଼ା ହେଲେ ବି ଲୁହାପିଟା ହାତରେ–’’

 

‘‘ଆରେ ଫେର୍‌ କହୁଚୁ, ତୁ ଶଳା ମୋ ଦାଣ୍ଡ ମାଡ଼ିଚୁ କି ଦେଉଚି ତୋ ଗୋଡ଼ ଛୋଟାକରି, ଗ୍ୟା’ପ ‘‘ଶନିଗ୍ରହ–’’

 

‘‘ଏଁ ଏଁ ଦାଣ୍ଡ ମନାକରିବେ ୟେ, ଦାଣ୍ଡଟା କିଣିଚନ୍ତି ୟେ, କପାମଞ୍ଜି ଦେଇ ଦାଣ୍ଡଟା କିଣି ପକେଇଚନ୍ତି, ଗାଁଯାକରେ ଷଣ୍ଢ ହେଇଚନ୍ତି । ହଇରେ ଚୋରିହାରି ପଇସାରେ ଏଡ଼େ ଚାତର ଦେଖୋଉଚୁ-’’

 

‘‘ଫେର୍‌ ଫେର୍‌’’

 

ଦୁଇ ବୁଢ଼ା ଫୁରୁକୁଟି ପରି ନାଚୁଛନ୍ତି ।

 

ନୋକା ନାହାକ କହୁଚି–‘‘ଦେବି ଦେଖିବୁ ଅଇଛା–’’

 

‘‘ହାଁ ମାରିବୁ ନା ମାରିବୁ ? ଆଇଲୁ ଦେଖିବା କେମିତି ମାରିବୁ ?’’ ଗାଁ ଗୋହୀରିର ଗତ-

 

ଛକାଛକି ହୋଇ ଗାଳି ଦିଆଦେଇ ହୋଇ ଘୂରି ବୁଲୁଚନ୍ତି ଦୁଇବୁଢ଼ା, ଗାଳିରେ ଦାଣ୍ଡ ଉଠୁଚି ପଡ଼ୁଛି । ଦେଖାଣାହାରୀ ଜମା ହେଲେଣି, ପିଲାଏ, ସ୍ତ୍ରୀ ଲୋକମାନେ । ଏଥର ତାଙ୍କ ଭିତରେବି ପଦକୁ ପଦ, ଏ ତାକୁ ସେ ୟାକୁ ବତେଇ ଦେଉଛନ୍ତି । ଗାଁ ନିଆଁପରି ଗାଁ କଜିଆ ମାଡ଼ି ଚାଲିଛି । ତା’ର ସ୍ୱତନ୍ତ୍ର ଭାଷା, ସ୍ୱତନ୍ତ୍ର ଭାବ–ପଡ଼ିଯାଉଛି କେତେ ସମ୍ବାଦ, କେତେ ଇତିହାସ, ସବୁ ବଙ୍କା ଢେମେଣା, ବିକୃତ, ଖଣ୍ଡିଆ । କ୍ରମେ ସେ ହେଉଛି ଅସଭ୍ୟ, ବୀଭତ୍ସ, ଅରଣା ମଣିଷର ପୁରୁଷପଣର ଫୋପଡ଼ା ଫୋପାଡ଼ି, ଛଟାଛଟି ।

 

ସିନ୍ଧୁ ଚୌଧୁରି ତୁନି ହୋଇ ସେଠୁ ଚାଲିଆସିଲେ, କାହାରିକୁ କିଛି ପଚାରିବାକୁ ମନ ଗଲାନାହିଁ । ଘଟଣାଟା କ’ଣ ସେ ଜାଣନ୍ତି ନାହିଁ, କିନ୍ତୁ ଛଟାଛଟି ମାଟିଗୋବର ପାଣି ଯେମିତି କି ତାଙ୍କ ମୁହଁରେ ବି ବାଜିଛି, ସେ ସେଥିରୁ ବାଦ୍‍ ନୁହଁନ୍ତି ।

 

ହେଇ, ଦୂରେଇ ଆସୁଛି ସେମାନଙ୍କ ପାଟିତୁଣ୍ଡ, ଦିଶିଯାଉଛି ଉଡାକଥାର ଗୋଟାଏ ଗୋଟାଏ ଖିଅ । ତେବେ କ’ଣ କଜିଆର ଉପଲକ୍ଷ ସେ ନିଜେ ସିନ୍ଧୁ ଚୌଧୁରି । ନୋକା ନାହାକର ବଙ୍କା କଥାରେ ଯେମିତି କିଛି ଅର୍ଥ ଅଛି ଜଣାଗଲା, ହୁଏତ ତା’ର ଉଦାରପଣ ଗୋଟାଏ ମୁଖା, ଆଉ ସେ ବାହାଦୁରୀ ନେବାକୁ ମୂଲୋଉଥିଲା ।

 

ଗମ୍ଭୀର ହୋଇ ଛାତି ଉପରେ ଲଦିହୋଇ ପଡ଼ିଛି ମୁଣ୍ଡଟା, ଧୀରେ ଧୀରେ ସେ ଚାଲି ଯାଉଛନ୍ତି । ଭାବିଲାବେଳକୁ କାନମୁଣ୍ଡା ତାତି ଯାଉଛି, ପୁଣି ଆରକ୍ଷଣରେ ସବୁ ତାତି ପାଣି ହୋଇଯାଇ ଆସୁଛି ଭୟ-ଦୁନିଆର ଲୋକେ ନଖ ଲହ ଲହ ଆଙ୍ଗୁଠି ମେଲେଇ ସହସ୍ରେ ହାତ ବଢ଼େଇ ଓଟାରି ନେବାକୁ ଆସୁଛନ୍ତି ତାଙ୍କର ସବୁଠାରୁ ପ୍ରିୟ ଯାହା ଅଛି ତାକୁ, ଆଉ ସେ ଏକୁଟିଆ, ନିଃସହାୟ ।

 

କଟି ଯାଉଛି ବିଲ, ପଦା, ଘର, ଚିହ୍ନା ଦୃଶ୍ୟ, ଚିହ୍ନା ପରିସ୍ଥିତି, ସେମିତି ଠିଆହୋଇ ରହିଛନ୍ତି ତୋଟାମାଳ, ମୁହଁ ଟେକି ଗୋରୁ ଚାହୁଁଛନ୍ତି, ଭାବନା ମୁଣ୍ଡେଇ ଚାଲି ଲାଗିଚି ମଣିଷ, ବାଟ ସରୁଛି ଭାବନା ସରୁନାହିଁ, ଭାବନା ସଙ୍ଗେ ତାଳ ରଖିବାକୁ ଆହୁରି ବାଟ ଦରକାର, ଆହୁରି କାମ ।

 

ନିଛାଟିଆ ଦଣ୍ଡା ମଝିରେ ଦି’କେନିଆଁ ଆମ୍ବଗଛମୂଳେ ଯେଉଁଠି ଦି’ଗାଁକୁ ଦି’ବାଟ ପଡ଼ିଛି, ଥକ୍‌କା ହୋଇ ସିନ୍ଧୁ ଚୌଧୁରି ସେଠି ଠିଆ ହେଲେ । ହେତୁହେଲା–ବହୁତ ବାଟ ସେ ଚାଲିଆସିଲେଣି, କେମିତି ଯେମିତି ଝିମି ଝିମି ଲାଗୁଛି, ଝାଳ ଫିଟିଲାଣି । ବାଏଁ ଡାହାଣେ ମଶାଣି ଦଣ୍ଡା, ଏଠିସେଠି ହାତଗୋଡ଼ ପଡ଼ିଛି । ବରଗଛତଳେ ବିଲୁଆଟିଏ ବୁଲୁଥିଲା । ପଚାରିଲା ପରି ଦୂରରୁ ଅନାଇଁ ରହିଛି ତାଙ୍କୁ ।

 

ସେଇଠି ଠିଆହୋଇ ଭାବିବାକୁ ମନହେଲା । ସମସ୍ତେ ସତେକି ପଚାରିବାକୁହିଁ ବ୍ୟାକୁଳ-। ବିଲୁଆ ଚାହିଁ ରହିଚି, ଗଛ ଝୁଙ୍କି ଅନେଇଛି, ଆଉ ଗଛ ଉପରୁ ଚଢ଼େଇ, ଆରପାଖରୁ ଥୁଣ୍ଟା ଗଛ, ଏଠିସେଠି କିଆଭେଡ଼ା, ଆଉ ହେଇ ସେପାଖରେ ଉଞ୍ଚ ଉଇ ହୁଙ୍କାଟା, ଆଉ ଏଇ ସବୁଦିନେ ଚିହ୍ନା ପାଦତଳେ ଭୂଇଁ, ତା’ର ଢାଲୁଢିପ, ସେହି ଘାସ ଗଛମୂଳେ ସେହି ଶୁଖିଲା ପତର, ଆଉ ମୁଣ୍ଡ ଉପରେ ସବୁଦିନିଆ ସେହି ଅନାଦିକାଳର ସୂର୍ଯ୍ୟ । ସମସ୍ତେ ସେମିତିକି ଏକାଠିହୋଇ ପ୍ରଶ୍ନ ପଚାରୁଛନ୍ତି- ’’ଗୋଟିକିଆ ମଣିଷ, ଆଜି କେଉଁବାଟେ ? କେତେବାଟ ଆଗେଇଛକି ଖାଲି ତଳକୁ ତଳକୁହିଁ ଖସିଚାଲିଛ ? ମଣିଷପଣର ହେତୁ କ’ଣ ଆଉ ତା’ର ବଡ଼ିମା ବା କେଉଁ ଗୁଣେ ? ଗୋଟିକିଆ ମଣିଷ, ତମର କେଉଁ ବାଟ, କିବା ଗତି ? ସୁଖ କି ଦୁଃଖ ? ଅମୃତ କି ବିଷ ?’’

 

ତୁଚ୍ଛାକୁ ଏଇ ଭାବନାଗୁଡ଼ିକ ମୁଣ୍ଡକୁ ଆସେ; କହିଲେ ଲୋକେ ତ କହିବେ ବଦ୍ଧପାଗଳଟାଏ, ହୁସିଆର ରହ, ୟେ କାମୁଡ଼ି ଗୋଡ଼େଇବ । ଆଉ ଗୁମ୍‌ମାରି ବସିପଡ଼ିଲେ ଭାରିଯା ବି କହିବ ଏଇଟା ଅପଦାର୍ଥ, ଖାଲି ଖାଇ-ଗଧ ।

 

ଦୀର୍ଘଶ୍ୱାସ ପକେଇ ହାଉଲେ ହାଉଲେ ଗଛମୂଳେ ସେ ବସିପଡ଼ିଲେ । ଧୀରେ ଆଉଜି ପଡ଼ିଲେ ପଛକୁ, ବିଲୁଆଟା ଚାଲିଗଲାଣି, ହାଡ଼ଗୁଡ଼ାକ ଦିଶୁଚି କେଡ଼େ ଜକଜକ । ଓଃ, ସବୁ ପଚରାପଚରିର ଶେଷ ଆଖର ଏଇ, ଆଜି ବସି ହେଉଛି, ସେତେବେଳେ ପଡ଼ିଯିବ ଏ ଦେହ ତା’ ମନକୁ, ଠିକ୍‌ କହିଚି ଭାଗବତ, ଖାଲି ଚମ ଢାଙ୍କୁଣି । ତଥାପି ସେହି ଚମ ଢାଙ୍କୁଣିରେ ପବନ ପଶି ଦେଖାଏ କେମିତି ନାଟ ? ପାଞ୍ଚ ମନ, ପଚିଶ ପ୍ରକୃତି ଆଉ ଛଅ ରିପୁ ମିଶି କେତେ ଛଇ, କେତେ ଛଟକ, ତୁଚ୍ଛା ମୁଁ ପଣ, ମିଛମାୟା । ସେହି ମିଛମାୟାରେ ଘାରିହୋଇ ବାର ଅନିଭୋଗ, ବାର କଷ୍ଟ ଦହଗଞ୍ଜ, ପରର ଗଞ୍ଜଣା, ଅପମାନ । ଓଃ ! କେଇଟା ଦିନକୁ କେଇକଥା ।

 

ପଦ ମନେପଡ଼ିଲା–‘‘କର୍ମ କଷଣ ଦେହ ସହେ, ଅରଣ୍ୟେ ଅଜଗର ପ୍ରାୟେ ।’’

 

ମନ ହେଉଛି-ଏଠୁ ଉଠିବି ନାହିଁ, ଆଉ କୁଆଡ଼େ ଯିବି ନାହିଁ, ରୁକୁଣା ରଥ ଆଉ ଫେରେନାହିଁ । ଇଚ୍ଛା ଡାକୁଛି, ମରଣ-ମରଣ-ମରଣ, ଆଉ ଯେମିତି ନ ହେଉ । ଯେ ଭଲ ଅସାର ଖୋଜିନାହିଁ, ଲଗେଇବାକୁ କି ପିନ୍ଧିବାକୁ କି ଜିଭଲାଲଚା ଗେଫା ମାରିବାକୁ-ଖାଲି ଛିଣ୍ଡା ଫଟା ହୋଇ ଖଣ୍ଡେ ପିନ୍ଧି ପେଜପାଣି ଯାହା ମିଳିଲା ପିଇ ତୁଣ୍ଡମୁଣ୍ଡ ମାରି ଆଡ଼େଇ ହୋଇ ଦିନ କଟେଇ ଯିବାକୁ–ତାକୁବି ଏ ଦୁନିଆଁ ଅଦୋଉତି ସାଧିବ, ଖାଲି ଚିଆଁ, ଚିଆଁ, ଚିଆଁ ଉପରେ ଚିଆଁ–ଆଉ ବେକରେ ଫାଶ, ନାକରେ ଦଉଡ଼ି, ଖାଲି ଖଣ୍ଡିଆ ଆଉ ଘୋଷରା, ମାଟିରେ ଏ ଦେହ ଟଳିପଡ଼ିବାଯାକେ ।

 

ଘର କରିବାକୁ ବିଭାଘର, ସଂସାର-ଖାଲି ମଲାଯାକେ ସନ୍ତୁଳି ହେବାକୁ । ଏ ଦିକିସିକିଆ କେଞ୍ଚାଏ ମେଞ୍ଚାଏ ପୃଥିବୀରେ ଖାଲି ଅଭାବ ଅଭାବ, ସମସ୍ୟା, ଧନ୍ଦା । ମନ ଦିକ୍‌ହୋଇ ବାରମ୍ବାର ଡକା ଛାଡ଼େ, ଭଗବାନ, ନେଇଯା ମତେ, ମୋର ଦରକାର ନାହିଁ ।

 

ଝିଅଟିଏ, ବିଚରା ଛବି, କାହାର ସେ କ’ଣ କରିଚି ? ନିରୀହା ନିରିମାଖି ବିଚରା, ଭଲକରି ଖଣ୍ଡିଏ ଖାଇବାକୁ ବି ଦେଇହେଉନାହିଁ, ଭଲଲୁଗା ତ ଲୁଗା, ପେଜପାଣି ଖାଇ ଆପଣା ସୁଖେ ଆପେ, ତଥାପି ସେ ଘର ଆଲୁଅ କରି ରଖିଚି, ତେବେ ତା’ରବି ଛାଡ଼ ନାହିଁ । ତଣ୍ଟିଆ ମାରି ପେଲିବାକୁ ହେବ ତାକୁ ଶାଶୁଘରକୁ ନୁହେଁ ତ କଂସେଇ ଘରକୁ । ତାକୁ ଜଞ୍ଜାଳୀ କରିବାକୁ ଅଣ୍ଟାଭିଡ଼ି ଲାଗିବାକୁହିଁ ହେବ, ବାହା ହୋଇଗଲା କି ଗଲା । ତେବେ ଏ ଲୋକେ ଏମିତି-କଲବଲ ନ କଲେ ମନସାଧ ମେଣ୍ଟେ ନାହିଁ, ମରିବାକୁ ଗଲା ଲୋକର ବାଟରେବି କଣ୍ଟା ପୋତିଥିବେ । ବିଚରା, ଛବି, ଭାତଖାଇ ହାତଧୋଇ ଜାଣେନାହିଁ, ଗରିବ ଛୁଆ, ଗାଁରେ ଖଣ୍ଡିଆମାନେ ହାଟ ବସେଇଛନ୍ତି, ଶୁଣିଲେ ସହିବ ତ !

 

ଏତେବେଳେ ଲାଗିଲା ତାଙ୍କୁ ବ୍ରହ୍ମାଣ୍ଡ ଫାଟିଯାଉଛି । ଟପ ଟପ ପାଣି ନିଗିଡ଼ି ପଡ଼ିଲା ଆଖି କୋଣରୁ, ଚେତା ହେଲା ଚାଇଁକରି, ଭାଗବତ ତ କହିଚି ଏଇ ତ ମାୟା, ଦୁଃଖ ମଣୁ ଯାହାକୁ ସେଇ ତ ସଂସାରୀ ସୁଖ, ଆଉ ଯେଉଁ ସୁଖ ଏ ସଂସାରୀ ସୁଖଦୁଃଖ ବାହାରେ, ତାକୁ ଚର୍ମଚକ୍ଷୁ ଦେଖିବ ନାହିଁ, ମାଟିଘଟ ଚିହ୍ନିବ ନାହିଁ ।

 

ସତକଥା, ବେଳ ଯାଉଛି, ଭଲ୍ଲୋକ ବରଗିବାକୁ ହେବ ଯେ ଛବିପାଇଁ । ଚଞ୍ଚଳ ଉଠିପଡ଼ି ଚାଲିଲେ ଘରମୁହାଁ ।

 

ସେହି ଦୃଶ୍ୟ ସେମିତି ରହିଚି, ବିଲୁଆଟା ବି ମୁଣ୍ଡ ତଳକୁ କରି ଆପଣା କାମରେ ଧାଇଁଛି-। ନ ଜାଣିଲେ ବି ସେମାନେ ଉତ୍ତର ପାଇଛନ୍ତି–ଏମିତି ଯୁଗେ ଯୁଗେ, ଏମିତି ସବୁଦିନେ, ଅନ୍ଧାର ଭିତରେ ଆଲୁଅ, ଆଉ ଅନ୍ୟ ଉତ୍ତର ନାହିଁ ।

 

ଯିଦ୍‌ଧରି ଟୋକୀଟା ବଡ଼ି ସକାଳୁଟାରୁ ନଈକି ଗାଧୋଇଯିବ, କ’ଣ କାଖର କୋଡ଼ର ହୋଇଛି ଯେ ମାଡ଼ିବସି ଜବରଦସ୍ତି ଅଟକେଇ ହବ ? ଯାଉ, ତା’ ମନ, ଏଣେ ପଛେ ନେଙ୍କୁଡ଼ି ଛିଣ୍ଡୁଥାଉ, ମନକୁ ନଙ୍ଗଳ ଦଉଡ଼ି ପାଏ ନାହିଁ । ନ ହେଲେ ଏ ଯେଉଁ ପୁଷକାହାଳୀ, କୁହୁଡ଼ିରେ ମୁହଁକୁ ମୁହଁ ଦିଶୁ ନାହିଁ, ସେଥିରେ କି କିଏ ଘରୁ ଗୋଡ଼ କାଢ଼େ ? ‘‘ଯାଉ ତ ସବୁଦିନେ ଆଜି ଯିବୁ, ବୋଉକୁ ପଚାରୁଛୁ କାହିଁକି ? ବୋଉ ମନାକଲେ କ’ଣ ସତରେ ତୁ ମନା ମାନିବୁ ? ଯାଉଚୁ, ଧଅସି ଆସିବୁଟି–’’

 

‘‘ତୁ ଆସୁନୋଉଁ ବୋଉ, ଆ ମ ଶୀତ କରିବନାଇଁ, କୁହୁଡ଼ିରେ ଶୀତ କରେ ନାଇଁ ବା-’’

 

‘‘ୟେ ମୋର ଯାଉଛି ! ଶୀତକୁ ଡରିକରି ବୋଉ ଗାଧୋଇ ଯାଉନାହିଁ, ବୋଉପାଇଁ ଗରମ ପାଣି ତତା ହେବ, ପୋଇଲୀ ପରିବାରୀ ଖଟିବେ, ଶୁଣ ମ କଥା ! ମୋର ବାସିକାମ ପଡ଼ିଛି ଭଡ଼ାଏ, ମୁଁ ଅଇଛା ହଳଦୀକାଠୁଆ ଧରି ନଈକି ଯିବି କେମିତି ମ ? ତୁ ଯା ଗୁରବୋଉ ସାଙ୍ଗରେ, ଆସିବୁଟି ଝଅଟ ।’’

 

ଗୁରବୋଉ ହସୁଛି ।

 

ବାଟେ ବାଟେ ସେ, ଗୁରବୋଉ ଆଉ ଗୁର । ଗୁର ତ ଖାଲି କୁଦା ମାରୁଛି ଆଉ ଗୀତ ଯୋଡ଼ି ଦଉଚି ପଦକୁ ପଦ-

 

‘‘ଶୀତ ପଚାରେ ଗୀତ ଭାଇ, ନଣ୍ଡାମୁଣ୍ଡିଆକୁ ଦେଖିଚୁ କାଇଁ ?’’

 

ବନ୍ଧ ଉପରୁ ଦୂରକୁ ଚାହିଁଲେ ଖାଲି କୁହୁଡ଼ି, କୁହୁଡ଼ି, ପାଖରେ ଅରାଏ ଦିଶୁଛି ଆଉ ତେଣିକି ନାହିଁ, ସବୁ ଲୁଚିଯାଇଛି, ଦେଖା ପରଖା ଯେତେ ଯାହା କାହାରି ପତ୍ତା ନାହିଁ । ସେଇ ତ ମଉଜ, ସବୁ ଥାଇ ବି କିଛି ଦିଶିବ ନାହିଁ, କେହି କାହାକୁ ଦେଖିବେ ନାହିଁ ଅଥଚ ଅନ୍ଧାର ନୁହେଁ ଆଲୁଅ । ଆଉ ଆଶା, ଆଉ ଦିନ । ରାତିରେ ସିନା ମନଟା ସଙ୍କୁଚି ହୋଇଯାଇ ଗପିଯାଏ ସତେ କି ଫାଟ ଭିତରେ, କୁହୁଡ଼ିଲଦା ସକାଳବେଳେ ମନଟା କେମିତି ଫୁଲି ଉଠେ, ବିଛେଇ ହୋଇଯାଏ କୁହୁଡ଼ି ସଙ୍ଗରେ, ଆଉ କୁଦା ମାରେ ଆପଣା ମନଇଚ୍ଛା ଆପଣା ଛାଏଁ । କେହି ଦେଖିବେ ନାହିଁ, କେହି ବାଛିବେ ନାହିଁ । ବାଃ, କି ମଜା ।

 

ଏହି ମଜା ଭାବୁ ଭାବୁ ଛବି ହଜିଯାଇଥିଲା ।

 

ପଛରୁ ଗୁରବୋଉ ଚିଁ ଚିଁ ହୋଇ କୁହାଟ ଛାଡ଼ୁଛି- ‘‘ଆଲୋ ଛବି, ଆରେ ଗୁର, ଆରେ କୁଆଡ଼େ ଗଲରେ ?’’

Unknown

 

ଭଲ, ପାଉ ଗୁରବୋଉ କେଞ୍ଚାଏ ଥଟ୍ଟା କରୁଥିଲା, ପାଉ । ଛବି କୁହୁଡ଼ି ଭିତରୁ ପାଟିକଲା-‘‘ଭାଉଜୋଉ, ମୁଁ କାଇଁ ?’’

 

ଲମ୍ବେଇ ଦେଲା ସେ ‘କାଇଁ’ ପଦକୁ ଦି’ଭାଗ କରି ।

 

‘‘ହଁ ଲୋ, ହଁ ଲୋ, ମୁଁ ଜାଣିଚି । ଲୁଚିଚି ନା ଗୋଡ଼ ଦିଟା ଦିଶୁଚି-’’ ଫେର-’’ଭାଉଜୋଉ, ମୁଁ କାଇଁ ?’’ ଆଉ ଛବିର ଫେଁ ଫେଁ ହସ ।

 

‘‘ତେମେ କ’ଣ ଆଉ ଏଇଠି ଅଛ ? ତେମେ ପରା କେତେଦୂରରେ । କ’ଣ ମ ସେ ଗାଁ ନାଁଟା ମୋ ଜିଭ ଅଗରେ ଅଛି, ତେମେ ଯାଇ ସେଇଠି ଉଠି ସାଇଲଣି ପରା ! ଟିକିଏ ତର ସହୁ ନାହିଁ ଗୋ ସ୍ୱୟମ୍ବରା ! ପିନ୍ଧାଲୁଗା ମୁଣ୍ଡରେ ବାନ୍ଧି ଏ କଣ୍ଡିଆଏ ଦଉଡ଼ି ପଳାଇବ ଛଡ଼ା ପରି ! ଆଲୋ ଛବି, ଟିକିଏ ରହବା, ଏମିତି ପଳାନା, ନୂଆ ମଣିଷ ଦେଖି ପୁରୁଣା ଲୋକଙ୍କୁ ଏମିତି ପର କରିଦିଅନ୍ତି ନା ?’’

 

‘‘ତୋ ମୁଣ୍ଡଗଣ୍ଡି ।’’

 

ଏଥର ଗୁରବୋଉର ଜିତାପଟ ।

 

କଣ୍ଡିଆ ତଳେ ଗୁର ଗୋଟେଇନେଲା ଗୋଟାଏ ସଙ୍ଗୀ । ‘‘ଏ ଭାଲୁ ଆ, ଆ, ତୁ-ତୁ-’’ ଭାଲୁ ଗୋଟିଏ ଗାଁ-କୁକୁର, ସେ ଯେ ଡାକିଲା ତା’ର । କୁହୁଡ଼ିଆ ସକାଳେ ନଈଯାକେ ବାଲିବାଲିଏ ଧାଇଁବାକୁ ଭାଲୁ ବେଶ୍‌ ପସନ୍ଦ କଲା । ଗୋଡ଼ରେ ବାଲି ଛାଟିଛାଟିକା ତୀର ବେଗରେ ଗୁରେଇ ତୁରେଇ ଧାଇଁ, ଗଡ଼ି ଉଠିପଡ଼ି ମଣିଷ ଆଗରେ ବାହାଦୂରୀ ଦେଖାଇବାକୁ ଭାଲୁକୁ ଭଲ ଲାଗେ । ଚଞ୍ଚଳ ଭାଲୁ ତା’ର ବାହାଦୁରୀ ଦେଖାଇଦେଲା, ଗୁରବୋଉ ପାଟିକଲା-‘‘ଏ ଚୁଲୀପଶା କୁକୁର, ଆରେ ମୋ ପୋଛିହେଲା କନାଖଣ୍ଡ କୁଆଡ଼େ ନେଇ ପଳେଇଲା, ମୁଁ କ’ଣ କରିବିଟି’’-ଆଉ ଗୁର କୁକୁର ଧକ୍‌କା ଖାଇ ବାଲିରେ ପଡ଼ି ପାଟିକଲା । ‘‘ରହ ତତେ ମାରିବି’’, ଆଉ ଛବିର ଛାତି ଅଧଯାକେ ଚଢ଼ିଯାଇ ଗୁରବୋଉର ପୋଛିହେଲ କନା କାମୁଡ଼ି ଧରି ମୁହଁ ଝାଡ଼ି ଝାଡ଼ି ଭାଲୁ ମୁରୁକି ହସିଲା, କନାଖଣ୍ଡ ଛଡ଼େଇରଖି ଛବି ତା’ର କାନ ମୋଡ଼ିଦେଲା । ପୁଣି ଭାଲୁ ଛୁଟିଲା ବିଜୁଳି ବେଗରେ–

 

ମନଟା ବି ତା’ର ହୁଏ ଠିକ୍‌ ଏଇ ଭାଲୁ କୁକୁରର ମନ ପରି । ଏମିତି କୁହୁଡ଼ି ତଳେ ଲୁଚି ଛପି ମନଇଚ୍ଛା କୁଆଡ଼େ ପଳେଇବାକୁ, ପୁଣି ଫେରି ଆସିବାକୁ, ପୁଣି ପଳେଇବାକୁ । ସେ କୋଉ ସପନ ରାଇଜ, ସେଠି ସବୁ ସମ୍ଭବ, ସେଠି ସବୁ ଆପଣା ମନଲାଖି, ବାଧା ନାହିଁ ।

 

କିନ୍ତୁ ବାହାରେ-ମଣିଷ ଆଉ କୁକୁରର ତଫାତ୍‌ ସେତିକି; ହେଲ ତ ଭାଲୁ କୁକୁର ଊର୍ଦ୍ଧ୍ୱଶ୍ୱାସରେ ଛୁଟିଲାଣି ଫେର, ତା’ର ଡର ନାହିଁ କି ଚକ୍ଷୁଲଜ୍ଜା ନାହିଁ ।

 

କେତେ ଜାତି ନଈବାଲି–କଣ୍ଡିଆ ତଳେ ଢିପ ଉପରେ ପରସ୍ତ ପରସ୍ତ ପଟୁ ବାଲି, ଢଳେଇ ହୋଇଛି, ଗୋଡ଼ ପଡ଼ିଲେ ଆସ୍ତେ କଅଁଳ ହୋଇ ଫାଟିଯାଏ, ପାଦକୁ ଲାଗେ ମଖମଲ ପରି, ଆଉ ତଳକୁ ସରୁବାଲିର ଖଣି, ଧୂଳିପରି, ଗୋଡ଼ ପଶିଲେ ବି ଆଉଁଶିଲା ପରି ଲାଗେ, ଆଉ ତେଣିକି ରେଗେଡ଼ା ବାଲି, ଶୀତରେ କଣ୍ଟାପରି, ଗୋଡ଼ ବିନ୍ଧେ, ଆଉ ଘୁଙ୍ଗାବାଲି ଯାହାକୁ ଯେତେ, ଚାଲିଲେ ରସ୍‌ରସ୍‌ ମସ୍‌ମସ୍‌, ଶୀତରେ କାକର, ଚାଲିଲେ ଉଷୁମ ଉଠେ । ଯେତେଦୂର ଗଲେ ପୁରୁଣା ବାଲି ନୂଆ ଲାଗୁଛି, ଏମିତି ନୂଆ ଉତାରୁ ନୂଆ, ଆହୁରି ନୂଆ, । ଆଉ କୁହୁଡ଼ି ସେପାରି ଗୋଟାଏ ମୁର୍ତ୍ତି ଭାସିଉଠେ ସତେକି ।

 

ସେ ମାଙ୍କଡ଼ ହୁରୁଡ଼ାଏ ।

 

ଛିଃ, କେଡ଼େ ଲାଜ କଥାଟା ।

 

କାହାର କିଏ ? ଖଲି କୁହୁଡ଼ି, ଆଉ କୁହୁଡ଼ି ଭିତରେ ଚଳନ୍ତି ଛାଇ, ଏକର ସେକର ।

 

ଏଥର ପାଟି ଶୁଭୁଛି, ଦିଶି ଯାଉଛନ୍ତି କିଏ ଗୋଟିଗୋଟିକିଆ, ପଞ୍ଝାପଞ୍ଝା, କୁହୁଡ଼ିରେ ମଣିଷ ବି ଏମିତି ଛାଇ ପରି ଦିଶନ୍ତି । ସତ ନୁହେଁ, ସବୁ ମିଛ ଅବା । ତାଙ୍କ ପାଟି ବି କେମିତି ଶୁଭୁଚି-। କେତେବେଳେ ପାଖରେ, କେତେବେଳେ ଦୂରରେ, ଶବ୍ଦ ବି କୁହୁଡ଼ିରେ କିମିତି ଆଉ ପ୍ରକାରେ । କିଏ କେଉଁଠି ଅଛି ଜଣାନାହିଁ, ଚାରିଆଡ଼େ ଖାଲି ବାମ୍ଫ । ଏଇ ବାମ୍ଫର ଦୁନିଆ ଭିତରେ କ’ଣ ସତେକି ଆଚମ୍ବିତ ବାହାରିବ । ଧ୍ୟାତ୍‌, ଫେର ସେଇକଥା । କିଏ କଥା କହୁଛନ୍ତି ? ଗଡ଼ର ଗଡ଼ର ଗଡ଼ର । ସେମାନେ ସେ ସାହିର ମାଇପେ, ତାଙ୍କର ତୁଠ ନିଆରା । କେଡ଼େ ଚଞ୍ଚଳ ନଈ ହୋଇଗଲା, ଦି’ପା ବାଟ, ତଥାପି ଚାଲିଲା ପରି ଲାଗିଲା ନାହଁ । ଆଜି ଭଳି ସକାଳେ, ଯେତେ ଚାଲିଲେ ବି କିଛି ଲଗିବ ନାହିଁ ପରା ! ଗୁରବୋଉ ପଛରେ ଆସୁଥିବ, ଆଖିବୁଜି ଚାଲିଲେ ସେହି ଏକା ଘାଟରେ ଭେଟାଭେଟି । ଗୁର ଧରିଥିବ ବୋଉର ପଣତକାନି । ଗୁରବୋଉ ଏତେ ଭାବୁ ନ ଥିବ, ଯେତେ ହସିଲେ ଯେତେ ହସାଇଲେ ବି ଖାଲି କାମର ମଣିଷ, ଧନ୍ଦା ଧରିଲେ, ବଅସ ହେଲେ ମଣିଷ ଏମିତି ହୁଏ ପରା ! ଗୁରବୋଉ ଭାବୁଥିବ ଏ କୁହୁଡ଼ି କଥା ନ ଏ ସକାଳ କଥା ନା ଆଉ କିଛି । ଭାବିଲେ ହସ ମାଡ଼େ । ଗାଧୋଇ ଲେଉଟିଗଲେ ସତେ କି ବାସି ବିଛଣାରୁ ଉଠି ସଙ୍ଗେ ସଙ୍ଗେ ଖାଲି ବାସି କାମ ତୁଟେଇଛି, ଗୋଟାଏ ଦଫା ଗଲା, ଆଉ ଗୋଟାଏ ଦଫା ଆସିବ ।

 

ନଈ ଘାଟମାନଙ୍କରେ ପାଣି ଛଳଛଳୋଉଚି, ଶୁଭୁଛି କଥାଭାଷା, ଡକାଡକି । ଅଳ୍ପ ଛାଡ଼ିଛାଡ଼ି ଘାଟଗୁଡ଼ାକ । ଏକା ନଈ, ଏକା ପାଣି, ସେଥିରେ କେତେ ଘାଟ । ଛବି ଭାବିଲା । ଏକା ଘାଟ ହେଲେ ନାକରା ହୁଅନ୍ତା କ’ଣ ? ନା, ତା’ ହେବ ନାହିଁ, ଲୋକେ ପାଣିର ବି ବାଡ଼ ପକାଇବେ, ୟା ଦେହ ପାଣି କାଳେ ଆସି ତା’ ଦେହରେ ଲାଗିଯିବ । ପାତକ ପଡ଼ିବ ତ ।

 

କୁହୁଡ଼ି ଫାଟି ଆସୁଛି, କେଉଁଠି ହେଲାଣି ସୂର୍ଯ୍ୟ । ନାଁକୁ ଖାଲି ପାହାନ୍ତା ହୋଇଥିଲା । ଏଥର ସମସ୍ତେ ବେଢ଼ିଗଲେ । ‘‘ତୁମେ କେତେବେଳେ ଗଡ଼ିପଡ଼ିଲ ମ, ସତରେ ତମେ ମାୟାବୀ ଯାହା କହନ୍ତି, ଇଲୋ ନାଇଁଲୋ, ମାୟାବିଣୀ ।’’ ରୋହିବୋଉ କହୁଚି, ଲେଖାରେ ଭାଉଜ ହୁଏ । ‘‘ଇଲୋ ମାୟାବୀ ନ ଥିଲେ ମାୟାବିଣୀ କୁଆଡ଼ୁ ହବ ମ,’’ କନବୋଉ କାଟପ୍ରସ୍ତାବ ଆଣିଲା, ‘‘ମାୟାବୀ କି ମାୟାବିଣୀ । ଥିରିକିନି ଗଡ଼ିପଡ଼ିଲେ, ଏତେ ଜଣେଇ ଜଣେଇ ବାଇଦ ବଜେଇ କ’ଣ ହବ ବା; କାମ ତ ହାସଲ-’’ ହିଁ ହିଁ ହିଁ ହିଁ ହସ, କନବୋଉ ଭାଉଜ ପକ୍‌କା ଜଣେ । ‘‘କହୁଥାଉ ସେ ବଳେ ତା’ ପାଟି ଘୋଳି ହେବ । ତୁ କି ପାଇବୁ ଲୋ ଝୁଅ, ଗାଧା ତୁ ଗାଧା , ଉଛୁର ହେବ,’’ ଗୁରବୋଉ କହୁଛି । ‘‘ତମେ ଚାଳିଆସିଲଣି କି ?’’ ଛବି ପଚାରିଲା । ଗୁରକୁ ଦେଖି ଧାଇଁଗଲା ତାକୁ ଗାଧୋଇଦବାକୁ । ଗୁର ଧରା ନ ଦିଏ-’’ନାଇଁ ନାଇଁ ନାଇଁ, ମତେ ଶୀତ କରିବ, ।’’ ‘‘ଥାଉ ତୁ ଗାଧା ଛବି, ସେଇଟା ସେମିତି ଫକର ଫକର ଡେଉଁଥାଉ ।’’

 

ଛବି ପାଣିକି ଯାଇ ବୁଡ଼ ମାରିଲା, ମନଇଚ୍ଛା ଗାଧେଇଲା । ଦେହ ଭିତରେ ନିଶା ଚହଟୁଛି । ନଈ ସୁଅ, ଆଉ ଚାରିପାଖେ ଯେତେ ଚିହ୍ନା ମାଇପେ, କି ଆନନ୍ଦ । ଆଉ କୁହୁଡ଼ି ରଙ୍ଗେଇ କଅଁଳ ସୂର୍ଯ୍ୟ, ମୁହାଁମୁହିଁ ଚାହିଁଛି, କି ସୁନ୍ଦର । କାହିଁକି ସବୁ ଜୀବଜନ୍ତୁ ଆଲୁଅ ଆଡ଼କୁ ମୋହିଁ ଧାଇଁଯବାପାଇଁ ପାଗଳ ? ପ୍ରାଣ ଭିତରେ ଏଇ ଆଲୁଅର ମଞ୍ଜି ନିଶ୍ଚେ ଥିବ, ବୀଜ ବୁଡ଼ିଗଲେ ଜୀବନ ଶେଷ ସେଇଥିପାଇଁ । ଛବି ଭାବିଲା, ଏଇ ସୂର୍ଯ୍ୟକୁ ଚାହିଁଲେ ଅତି ଗହନରେ ଚିହ୍ନାଚିହ୍ନି, ସେଇ ଆନନ୍ଦରେ ମନ ହେଉଛି ଏତେ ସମସ୍ତିଙ୍କି କୁଣ୍ଢେଇ ପକାଇବାକୁ ।

 

ପ୍ରାଣର ଉଲ୍ଲାସରେ ଯୌବନର ସବୁ ସମ୍ଭାର ନୈବେଦ୍ୟ ପରି ମେଲେଇ ଦେଇ ଛବି ସୂର୍ଯ୍ୟକୁ ଚାହିଁ ଠିଆହେଲା । ଦେହ ଶିରିଶିରେଇ ଆସିଲା, ଆଖି ବୁଜି ଆସିଲା ।

 

ପଛରୁ ଶୁଭିଲା ଗେହ୍ଳି ବୋଉଙ୍କ ତୁନି ତୁନି କଥା, ‘‘କ’ଣ ଭାବୁଚ କି ? ସିଏ ମନେପଡ଼ୁଛନ୍ତି ?’’ ହିଁ ହିଁ ହସ ।

 

ଅନ୍ୟମନସ୍କ ହୋଇ ଛବି ବୁଲିପଡ଼ି ପଚାରିଲା-’’କିଏ ? କାହା କଥା ଭାଉଜ ?’’

 

ସମସ୍ତେ ହସି ହସି ଫାଟିପଡ଼ିଲେ ।

 

କନବୋଉ କହିଲା, ‘‘କେବେଠୁ ଗେଧମାଙ୍କଡ଼ଟିଏ ପୋଷିଲଣି ବା ଛବି ? ମଲା ମର, ଲୁଚୋଉଚ କାହିଁକି ମ, ତେମେ ଏଡ଼େ ଅନ୍ତକପଟୀ ?’’

 

ଫେର ହୋ ହୋ ହସ ।

 

ଖଣ୍ଡେ ଦୂରରୁ ଚନ୍ଦରାବୋଉ ବୁଢ଼ୀ ପାଟି କଲା–

 

‘‘ଛିଆକର, ଛିଆକର । ଆଜିକାଲି କି କାଳ ହେଲା ଲୋ ମାଆ ! ସରମ କଥାରେ ନାଜ ନାଇଁ ଯେ ଫେର ହସ । ହଉଲୋ ମାଆ, ୟେ ତ ଟୋକାଟୋକୀ କାଳ, ବାପଘରେ ଥାଇ ଅଭିଆଡ଼ୀ ରହି ପରପୁଅ ଡାକି ଲୀଳା ଲଗେଇଲେ କିଏ କହିଦବ ପଦେ ? ଆକଟ ଯୁଗ ତ ନାଇଁ, ଆମେ ତ ବୁଢ଼ୀହାଡ଼ୀ, ଆମ କାଳ ଗଲାଣି, ତମ ମନ ଇଚ୍ଛା ଯାହା କର, ହେଲେ ଏତେଦିନକେ ଏ ଗାଁର ମହତ ବୁଡ଼ିଲା ।’’

 

‘‘ୟେ ଅପା ଯାହା କହନ୍ତିଟି-’’ ରଘୁଆବୋଉ କହିଲେ, ‘‘ଆଜିକାଲି ଗାଁ ମହତଟିଏ ଫେର କିଏ ପଚାରୁଚି ବା, ଖାଲି ଆପଣା ସୋବିଧା ଦେଖି ବାଟ କାଟିବା କଥା, ଅଭାବରେ ପଡ଼ି ସ୍ୱଭାବ ନଷ୍ଟି ତ ହବଇ, ଅଭାବ ନ ଥିଲେ କାଇଁକି ହଅନ୍ତା ? ପେଟ ପୋଡ଼ିଗଲେ ସିନା ସାହୁଘର ପିଲା ହାଡ଼ି ଘରେ ପଶେ, ଛତରକୁ ଯାଏ, ନଇଲେ କାହିଁକି ? ତମେ ଆମେ କେତେ ବରଷ ହୋଇଥିଲା ବାହାହେଇ ଆଇଲେଇଁ-ହେତୁ କରୁଛଟିକି, କାହାକୁ ତେର, କାହାକୁ ଚଉଦ, କାହାକୁ ପନ୍ଦର । ଏବ କାଳ ଝିଅ ଆଗକାଳ ହେଇଥିଲେ ସାତୁଟାର ମା’ ହନ୍ତେଣି ନା ନାଇଁ ? ତେବେ ତେମେ ବାହା ନ ଦେଲ, କ’ଣ ହେବ, ପ୍ରକୃତି ଛାଡ଼ିବ କିଏ ? ପ୍ରକୃତି ତ ବିଧାତା ସର୍ଜନା, ସମସ୍ତିଙ୍କର ସମାନ, ସବୁଠି ଦେଖ ଧାନଟି ଭିତରେ ଚାଉଳଟିଏ, ଆଉ ଦୋଷ ଦେବ କାହାକୁ, ତୋ ଝୁଅ ଯିଏ ମୋ ଝୁଅ ସିଏ ।’’

 

‘‘ଭଲା ପଦେ କହିଲା ୟେ ରଘୁଆବୋଉ, ଆଁ-, ଇଲୋ ଧାନୁଟି ଭିତରେ ଚାଉଳଟିଏ ଲୋ-ହେଃ-ହେଃ-’’

 

ଲାଗିଗଲା ହସ, ଆଉ ଚାରିଆଡ଼େ ଖାଲି ସେଇ କଥା, ‘‘ଧାନୁଟି ଭିତରେ ଚାଉଳଟିଏ ।’’ କନବୋଉ କଥାଟି ଧରିଲେ, ପଚାରିଲେ, ‘‘ସତରେ ଛବି, ଧାନୁଟି ଭିତରେ କେଡ଼େ ହେଲାଣି ମ ଚାଉଳଟିଏ ? ଆଲୋ କହବା–’’

 

ଗୁରୁବୋଉ ତୁନି ଥିଲେ, ଫଁ କରି ଗର୍ଜିଉଠି କହିଲେ,’’କୋଉ କଥାକୁ ଛୁଆଟାକୁ ଉଲୁଗୁଣା ଦେଇ ଚୋଟ ଚୋଟ କରି ହାଣୁଚ ବା, ସେ ଜିଭ ରହିବଟି ? ସେ ପାଟିରେ ପୋକ ପଡ଼ିବ ନାଇଁ ? ହେ ମାହାପୁରୁ, ହେ ଧର୍ମପୁରୁଷ, ତେମେ ସାକ୍ଷୀ, ଯୋଉମାନେ କହୁଚନ୍ତି ତାଙ୍କ ପାଟିରେ ପୋକ ପଡ଼ୁ, ପୋକ ପଡ଼ୁ, ପୋକ ପଡ଼ୁ । ହଇଲୋ, ତୁଛେଇଁକି ଏମିତି କଣ୍ଟାବାଡ଼ରେ ଲୁଗା ପକେଇ କଳି କରି ମରିବାକୁ ମନ ହୁଏ, ଏଁ ?’’

 

ସମସ୍ତେ ସତେକି ଏତିକି କଥାକୁ ଅପେକ୍ଷା କରିଥିଲେ, ଲାଗିଗଲା ଘମାଘୋଟ ହାଉ ହାଉ ଗର୍ଜନ, କଳି, ଚାରିଆଡ଼ୁ ଗୁରବୋଉ ଉପରେ ବାଣ ବରଷିଲା ।

 

‘‘ଛି, ସେ ମୁହଁକୁ ଲାଜ ନାହିଁ, ଫେର କଥା କହୁଛନ୍ତି ।’’

 

‘‘ଆଲୋ ହଇଲୋ ଦୂତିକା, ଆଲୋ ୟେ କ’ଣ କହିବ, ୟାଙ୍କ ଗଇ କ’ଣ ଆମୁକୁ ଜଣାନାଇଁ ? ସତେଇ ପଣରେ ମାଧେଇ, କ’ଣ ନା ଯା ଚାଲି ଯା ଗାଧେଇ, ବେଲେ ବେଲେ । ବିଲେଇ ଆଖବୁଜି ଦୁଧ ପିଉଚି । କ’ଣ ନା ଲୁଚିଚି ଗୋଡ଼ ଦୋଟି ଦିଶୁଚି ।’’

 

‘‘ଆଲୋ ଦାଣ୍ଡରେ ପଡ଼ି ହାଟରେ ଗଡ଼ଗଡ଼ୋଉଚି, ଛୋପରା ହଉଚନ୍ତି । ବାରିଆଡ଼ ବାଟେ ଡାକିଆଣି ନିତି ନିତି ତାମସା ଲଗେଇ ମାୟାଧୂଳି ପକେଇ ଜୋଇଁ ବରଣ ଚାଲିଚି, ଫେର୍‌ କୋଉ ମୁହଁରେ ଭଲେଇ ହଉଚ ମ, ଆଉ କୋଉ ମହତଟା ବାକି ରଖିଚ !’’

 

‘‘ଗେଧ ମାଙ୍କଡ଼ ଲୋ, ଗେଧ ମାଙ୍କଡ଼, ମାଙ୍କଡ଼ ଫେର୍‌ ଏମତି କିମିଆ ଜାଣିଥିଲା କୋଉଠି କିଏ ଶୁଣିଥିଲା ! ସୁନେଇ ରୁପେଇ କଥା ପରି ମ ।’’

 

‘‘ଇଲୋ ଟିକିଏବୋଲି ମାଡ଼ି ପଡ଼ିଲା ନାଇଁ ? ଦାଣ୍ଡଲଜ୍ଜା ମନେପଡ଼ିଲା ନାଇଁ ? ଜୋଇଁଟାଏ ତ ଯୁଆଡ଼ୁ ହେଲେ ମିଳିଥାନ୍ତା, ତା’ ବୋଲି ଲୁଚିଲୁଚିକା ଏ ରାହାସ ଲଗେଇ ଜୋଇଁ ଭୁଲେଇବାକୁ ଗଲ କାହିଁକି ବା ? ଝୁଅ ବୋଝ ଯଦି ଇମତି ବଳେଇ ପଇଲା, ଜହର ଟିକିଏ ମିଳିଲା ନାଇଁ ? କନିଅର ମଞ୍ଜି ନାଇଁ ? ଗୁଡ଼କୋଚିଳା ନାଇଁ ? ମୋ ତୁଣ୍ଡ ତ କ’ଣ–’’

 

‘‘ହଉ, ପାଇବ ଯେ ପାଇବ । କଲା କର୍ମର ଫଳ ଭୁଞ୍ଜିବ ନାଇଁ ଆଉ କ’ଣ ମାହାଳିଆରେ ଯିବ ? ନା ପକେଇଲେ କ’ଣ ଖାଲି ଜଣକୁ ନିନ୍ଦା ? ସାହିଯାକକୁ ନିନ୍ଦା, ଗାଁକୁ ନିନ୍ଦା, କୁଳ ମୁହଁରେ ତ କାଳି ସହଜେ । ସେଇଥିପେଇଁ ପରା ଛୁଆଙ୍କୁ ତାଙ୍କ ଚାହାଳିକି ଯିବା ମନାକରିଦେଲେ, ଆଉ କାହିଁକି କି ? ଆପଣା ଘର ଯେ ସମ୍ଭାଳି ପାରୁନାହିଁ, ଖୀର ଉତୁରି ନିଆଁରେ ପଡ଼ୁଚି, ସେ ଫେର ପରପିଲାଙ୍କୁ କି ପାଠ ବତେଇବ ?’’

 

କୁକୁର ମାଛି ପରି ଗୁରେଇତୁରେଇ ହେଇ ଲାଗିଗଲେ । ଗୁରବୋଉ ଏକୁଟିଆ, ତହିଁରେ ପୁଣି ଦୂର୍ବଳିଆ । ଛବି ଆଖରୁ ଛୁଟିଛି, ଗାଳିର ଭାଷା ତାକୁ ଜଣାନାଇଁ ।

 

ହଠାତ୍‌ ସେଇ ଗାଧୁଆ ତୁଠଟା ହିଂସ୍ର ହୋଇ ଉଠିଛି । କିଏ କୂଳରେ ଠିଆ ହୋଇ ନଇଁପଡ଼ି ଗୋଡ଼ ରଗଡ଼ି ହେଉଛି, କିଏ ଛାତିଏ ପାଣିରେ ଡୁବ ଦେଉଛି ଉଠୁଛି, କିଏ ଲୁଗା ହକାଳୁଛି, କିଏ ଅବା ଚୋଟ ହାଣିବବୋଲି ଲାଗିଆସି ପାଖରେ ଠିଆ ହୋଇଛି । କିନ୍ତୁ ସମସ୍ତଙ୍କ ଠାଣିରେ ସେହି ଏକାପ୍ରକାର ଉଦ୍ଦେଶ୍ୟ ଫୁଟି ଉଠୁଛି, ଯେପରି କି ହିଂସ୍ରକ ଅରଣା ମଣିଷ, ହାତରେ ଛେଲା କାତି, ସାମ୍ନାରେ ନିରୀହ ଗୋରୁ, ହାଣି ହାଣି ଚେନାଏଁ ଚେନାଏଁ ନେବାକୁ ହିଁ ପଡ଼ିବ ।

 

ଗୁରବୋଉ ଝଅଟି ଝଅଟି କାମସାରି କହିଲା, ‘‘ଚାଲ ଯିବା ଛବି ! ଭୁକୁ ଥାଆନ୍ତୁ ବା ଏଗୁଡ଼ାକ । କଥାରେ କହନ୍ତି ନାଇଁ, ହାତୀ ଚାଲେ ବଜାର୍‍ ନା କୁକୁର୍‍ ଭୁକେ ହଜାର୍‍ ।’’

 

ହଳନ୍ତ ଲଗେଇ ହିନ୍ଦି କହି ଗୁରବୋଉ ଆପଣାକୁ ଦମ୍ଭ ଦେଲା, ଛବିକୁ ଓଟାରି ଧରି ନେଇ ଚାଲିଲା ସତେ କି ଶତ୍ରୁବ୍ୟୂହ ଭିତରୁ । କୁହୁଡ଼ି କାହିଁ ଦୂରେଇ ଦୂରେଇ ପାତଳ ପଡ଼ି ଆସୁଛି । ଖରା ଜଳିଲାଣି । ଖରାରେ ଦିଶୁଚି ଖାଲି ବାଲି ବାଲି, ଘୁଙ୍ଗା ବାଲି । ପଛଆଡ଼ୁ ସେମାନଙ୍କର ହସ ପାଟି ଶୁଭୁଚି । ଅରୁଚିକର, ଅପମାନସୂଚକ । ଜୀବନଟାଯାକ ଯେମିତି କି ଅଛିଣ୍ଡା ବାଲି ପାଲଟି ଯାଇଛି । ତରତର ହୋଇ ଏଇ ବାଲି ପେଲିପେଲିକା ଯିବାକୁ ପଡ଼ିବ ।

 

ବାଲିକୁଦ ସେ କରେ ଛପିଥିବା ମଣିଷ ଭୁସ୍‌କରି ଉଠିପଡ଼ି ଗୋଟି ଗୋଟି ହୋଇ ନଈଆଡ଼େ ଯାଉଚନ୍ତି । ଗାଧୋଇସାରି ଆଗପଛ ହୋଇ ଚାଲିଛନ୍ତି କେତେ । କିନ୍ତୁ ଚିହ୍ନା ଦୃଶ୍ୟ ଆଖି ଆଗରେ ଉକୁଟିଯାଇ ବିଷ ପାଲଟି ଯାଇଛି, ଉଭେଇ ଯାଇଛି ନିର୍ଭର ଆଉ ବିଶ୍ୱାସ, ସବୁ ।

 

ଘର ପାଖ ହେଲାରୁ ଛବି କଇଁ ଧରିଲା ।

 

‘‘ଛି ଛବି, ବାଟଟାରେ ଏମିତି ହୁଅନ୍ତି ? କାନ୍ଦୁଛ କାହିଁକି ? କାହା କଥାକୁ ଛଳ ? କିଏ କ’ଣ କହିଲା ତା’ ମୁହଁରେ ପୋକ ପଡ଼ୁ । ଆମର କି ଯାଏ ?’’

‘‘କାହିଁକି କହିବେ ?’’ ଛବି କାନ୍ଦି କାନ୍ଦି କହିଲା, ‘‘ଏଡ଼େ କୁହାଳିଆ ପଡ଼ିଛନ୍ତି ସବୁ ? କିଏ କ’ଣ କରିଚି ଏମିତି ସବୁ କହିବେ । ଆମ ଘରେ ଆମେ, ତାଙ୍କ ଘରେ ସେମାନେ, ଉପରେ ପଡ଼ି କାହିଁକି ମିଛଟାରେ ଏମିତି ଲଗେଇବାକୁ ଆସିବେ ?’’

‘‘ସଂସାରଟା ଭଲ ହୋଇଥିଲେ ଲୋକେ ଏମିତି ନରକରେ ଘାଣ୍ଟି ହେଉଥାନ୍ତେ କାହିଁକି-? ତେମେ ଆମେ ଭଲବୋଲି କ’ଣ ଏ ରାଇଜରେ ଚୋର ତସ୍କର ରହିବେ ନାଇଁ ? କଟକଟୀ ଝରସରୀ ସତରଘରଭାଙ୍ଗୀ ଚୁଲୀପଶି ଛତରଖାଈ ରହିବେ ନାଇଁ ? ଆମର ତାଙ୍କୁ ପାଟି ନ ଫିଟେଇଲେ ଗଲା । ମଣିଷ ନ ମାଇଲେ କ’ଣ ଧରମ ନାଇଁ ? ସେ ତାଙ୍କ କଥା ବୁଝିବ–’’

ମୁହଁରେ ଲୁଗାମାଡ଼ି ଛବି ଫାଇଁ ଫାଇଁ କାନ୍ଦି କାନ୍ଦି ଚାଲିଛି ।

ଗୁରବୋଉର ରାଗ ଜଳୁଚି, ଆଖିରୁ ଲୁହ ନିଗୁଡ଼ୁଚି । ଲାଗୁଚି ନିଜେ ସେ କେଡ଼େ ଦୁର୍ବଳ, କେଡ଼େ ଅସହାୟ ! ଗୋଟି ଗୋଟି ହୋଇ ଦୁଃଖର କଥା କେତେ ମନେପଡ଼ୁଚି, ନ ଥାଉ ପଛେ ଛବି ସହିତ ତା’ର ସମ୍ବନ୍ଧ ।

ହେଇତ ଆଗେ ଆଗେ ବିଚରା ଗୁରଟି ଚାଲିଚି । ବାହାର ଲୋକ ଆଗରେ ଟେକ ଦେଖେଇ ସିନା କହିବାକୁ ପଡ଼େ–’’ ସେଇଟା ସେମିତିଆ, ଲଙ୍ଗଳା ହୋଇ ବୁଲିବାକୁ ଭଲ ପାଏ, ଯେତେ ପିନ୍ଧେଇଦେଲେ କାଢ଼ି ଫୋପାଡ଼ିଦେବ । କ’ଣ କରିବ କହ ?’’ ପିଲାବୋଲି ସବୁ ଚଳେଇ ହୁଏ ସିନା, ମନ ଭିତର କାନ୍ଦି ଉଠେ ।

ଗୁର ଲୁଗା ଫୋପାଡ଼ି ଦିଏ ନାହିଁ, ଓଲଟି ୟାର ତା’ର ଦେଖି ଲୁଗା ପିନ୍ଧିବ ଜାମା ପିନ୍ଧିବ ବୋଲି କାନ୍ଦେ । ମିଳିବ କାହୁଁ ? କିଏ ଦେବ ?

ବାପର ତ ବାରଦିନେ ତେର ରୋଗ, ମଣିଷପଣର କି ସୁଖ ପାଉଛନ୍ତି ? ଜୀବନ ବଞ୍ଚେଇବାକୁ ଗୁଡ଼ିଆ ସାହୁ ଘରେ ଚାକିରି, ଦରମା ମିଳନ୍ତା ଭଲା ମାସକୁ ମାସ, ତା’ର କି ଥାଇତା-?

ଘର ଚାଳ ମାଡ଼ି ମାଡ଼ି ବସୁଛି । ଦି’ ଦି’ ବର୍ଷ ବିତିଗଲା ଘରଛୁଆଣି ନାହିଁ । ଏଇ ତ ଗରିବର ସଂସାର, ଅଣ୍ଟା ବଳ ନାହିଁ, ସାହାପକ୍ଷ ନାହିଁ, ଆଉ ଆଇଛା ଗାଁ ଲୋକେ ମିଛରେ ଦାଉ ଲଗାଇଲେ, ହୀନବଳ ଦେଖି ତୁଣ୍ଡ ସୁଖ ସାଧିନେଲେ, କପାଳରେ ଏଇଆ ଅଛି ?

 

ଏଇ କାନ୍ଦୁରା ଚିନ୍ତା ମିଶିଗଲା ପରିସ୍ଥିତି ସଙ୍ଗରେ, ଛବି କାନ୍ଦୁଛି, ବୋଧ ମାନୁ ନାଇଁ ।

 

ଛବି ବେଶି ବେଶି କାନ୍ଦୁଛି । ବାହାରୁ କୁତ୍ସିତ ଅସନା ନିଷ୍ଠୁର ପାହାର କେଞ୍ଚା ଖାଇ ମନ ଗହୀରରୁ ସେହି ଥରେଦେଖା ମୁହଁଟି ଥିରି ଥିରି ବାହାରି ଆପଣା ଚେତନା ଆଗରେ ଉଭା ହେଉଛି, ଆପଣା ସଙ୍ଗେ ଲୁଚକାଳି ଖେଳ ଆଉ ନାହିଁ, ଚିହ୍ନିପାରୁଛି ସେହି ତ ତା’ର ସପନଗଢ଼ା ମଣିଷ । ଦୁନିଆ ତାକୁ ଆଣି ଦେଉ କି ନ ଦେଉ ଆପଣା ସୁଖେ ନଈ ତା’ର ସମୁଦ୍ର ବାଛି ନେଇଛି । ଏଇ ଚିହ୍ନାଚିହ୍ନିବେଳ ସଙ୍ଗେ ଏକାଠି ମିଶି ବିଦାବିଦିବେଳ ବି ଯେପରି କି ଆସିଛି, ମନ ମାନୁନାହିଁ, ଲୁହ ବାଟେ ଖୋଜୁଛି ସାନ୍ତ୍ୱନା ।

 

ଆପଣା ଘରଡ଼ିହ ଉପରେ ଠିଆହୋଇ ଛବିବୋଉ ଅଦେଖା ଶତ୍ରୁମାନଙ୍କ ନାଁରେ ଗାଳି ବର୍ଷୁଥିଲେ । ଏଇ ତ ପ୍ରାଚୀନ ପଦ୍ଧତି, ଆପଣା ଛାତିର ବୋଝ ହାଲୁକା କରିବା ବାଟ । ଦୁଃଖ, ଅପମାନ ଓ ରାଗରେ ଏ ତାଙ୍କର ନୂଆ ଅବତାର । ବାରମ୍ବାର ଦୈବକୁ ସାକ୍ଷୀ ଦେଇ, ଭଗବାନଙ୍କୁ ଡାକି ସେ ତାଙ୍କ ଶତ୍ରୁମାନଙ୍କପାଇଁ ଅମଙ୍ଗଳ କାମନା କରୁଥିଲେ-’’ହେ ମହାପ୍ରଭୁ, ଯୋଉ ନାନ୍ଦୁରୀଗୁଡ଼ାକ ଏମିତି କହୁଛନ୍ତି ତୁ ତାଙ୍କ କଥା ବୁଝିବୁ । ଆଜି ଏ ଚୌଧୁରି ଘର ଏମିତି ବସିପଡ଼ିଛିବୋଲି ସିନା ତାଙ୍କର ଏଡ଼େ ବହପ ହେଲା ଏଡ଼େ ବଡ଼ ବଡ଼ କଥାଗୁଡ଼ାକ କହିବାକୁ । କଅଁଳ ଲୁହା ବିଲେଇ କାମୁଡ଼ୁଚି-ଏ ଯୁଗ ସିନା ଇମିତି ବିଙ୍ଗଟଣ କଥାମାନ ଶୁଣୋଉଚି ! ଏ କ’ଣ ସାମାନ୍ୟ କଥା ପଡ଼ିଚି । ଆଜି କୁକୁରଗୁଡ଼ାକ ମୁଣ୍ଡ ଉପରେ ଚଢ଼ି ଯାଉଚନ୍ତି । ଦେଖ କଥା ! କଅଣ କହିବ ଏ କାଳକୁ ! ହେ ମହାପ୍ରଭୁ, ତାଙ୍କ ମୁହଁ ପୋଡ଼ୁ, ତାଙ୍କ ବଉଁଶ ବୁଡ଼ୁ, ତାଙ୍କୁ ବାଡ଼ି ପଡ଼ୁ । ଆସନ୍ତୁ ସେ ଦେଖୁଚି । ଇସ୍କୁଲ ! ଇସ୍କୁଲ ! ଲଜ୍ଜା ନାହିଁ ତାଙ୍କ ମୁହଁରେ ଯେ ପୁଣି ଇସ୍କୁଲ ଖୋଲି ବସିଚନ୍ତି ୟାଙ୍କ ପିଲାଙ୍କୁ ସବୁ ପାଠପଢ଼େଇବେ । ଆଗୋ ମଣିଷ ହୋଇ ଏଡ଼ିକି ପଥର, ଟିକିଏ ଛଳ ନାହିଁ, ଥିରି ହୋଇ ବସି ଚରଖା ଘୂରୋଉଚନ୍ତି, ବାବାଜି ବଇଷମ ହେଇଚନ୍ତି, ସେଇଥିପାଇଁ ସିନା ଏ କୁକୁରଗୁଡ଼ାକ ଆଜି ଏଡ଼େ ବହପରେ କଥା କହୁଚନ୍ତି, ନଇଲେ କାହିଁକି ? ଆସନ୍ତୁ ବୁଝନ୍ତୁ ସମ୍ଭାଳନ୍ତୁ ତାଙ୍କ ଘର- ।’’

 

କେହି ପାଖକୁ ଆସିଲେ ନାହିଁ । ଠାରାଠରି ହୋଇ ଆସି କେହି କେହି ବାଡ଼ମୂଳେ ଛପି ଛପି ଠିଆ ହୋଇ ଶୁଣି ଯାଉଥିଲେ । କ’ଣ ନା, ଘଟନା ଘଟିଛି, କଥାଟା କଲି ମେଲିବ, ଲାଗିବ ଗୋଟାଏ କିଛି ଗପିଲା ଭଳିଆ ମଉଜ । ମାନ୍ଦା ଘଷରା ଗାଁ ଜୀବନରେ ଚମକ ଲାଗିବ ।

 

ବାଟେ ବାଟେ ଚାଲିଯିବା ମାଇପେ କେହି କେହି କୁହାକୋହି ହେଉଥିଲେ, ‘‘ସତଟା ଶୁଣିଲେ ହାଡ଼ରେ ନିଆଁ ଲାଗେ, ତା’ ବୋଲି ସତଟା ଛପିବ କେଇଦିନ ?’’

 

‘‘କହୁଥାଉ ବା, ତା’ ଗାଳି ତାକୁ ଫଳିବ । ଗାଁ ଲୋକେ ଏତେଦିନଯାକେ କିଛି କହୁନଥିଲେ, ଆଜି ୟାଙ୍କର ଶତ୍ରୁ ହେଇପଡ଼ିଲେ ? ଜାଣିସିଆଣିଆ ବା, ଛୋପରା ।’’

 

ଗୁରବୋଉ ଶୁଣିଲା, ମନାକଲା, ‘‘ଏମିତି କହି କିଛି ଲାଭ ନାହିଁ, ଆପଣା ପାଟି ଘୋଳି ହେବ । କୁକୁରଟାଏ ଆସି ଆମକୁ କାମୁଡ଼ିବବୋଲି କ’ଣ ଆମେ ତାକୁ କାମୁଡ଼ିବା ? ମିଛରେ ପାଟି କରି କରି ହାଲିଆ ହବ ।’’

 

‘‘ତୁ କ’ଣ କହୁଚୁ ଲୋ ଗୁରବୋଉ, ଏ କ’ଣ ସାମାନ୍ୟ କଥା ! ସେ କାଳ ହେଇଥିଲେ ପାଟି ଉପରେ କୋରଡ଼ା ମାଡ଼ ପଡ଼ନ୍ତା, ଏମିତି ସବୁ କୁହାଳିଆ ପଡ଼ିଛନ୍ତି !’’

 

ଗୁରବୋଉ ଆପଣା ଧନ୍ଦାରେ ଲାଗିଗଲେ । କୌଣସିମତେ ଦି’ଟା ପେଟକୁ ପୋଷିବାକୁ ପଡ଼ିବ । ସେ ଆଉ ଗୁର । ଛୁଆଟା ପେଜପାଣିରେ ବଞ୍ଚିଛି ଜାଣି, ଦୁଧ ଟୋପିଏ ପାଇଁ ପଇସା ନାଇଁ-। ଖାଇବାକୁ ଭାତ ବି ଅଣ୍ଟେ ନାହିଁ ପେଟପୂରା, ଏଣୁ ତେଣୁ ମିଶାଇ ଯେମିତି ଯେମିତି ହେଲେ ଚଳିଯାଏ । ପିଢ଼ାରେ ଲାଉଗୁଡ଼ାଏ ହୋଇଛି, ସିଝେଇଦେଲେ ମିଠା ଲାଗେ, ଅଳ୍ପ ଭାତ ସାଙ୍ଗରେ ବେଶି ଲାଉ ସିଝା, ଚଳିଯାଏ । ଆଳୁ ଦିନେ ଆଳୁ ଭେଡ଼ାଏ ଖଣ୍ଡେ ବାଟ, ଭାତ ବଦଳା । ତରକାରି, ପାଇଁ ସଜନା ଗଛର ଶାଗ, ବାରିର ଆଉ ଯେତେ ଯାହା । ତାଙ୍କ ଜମି ଭାଗକରେ କୋଳଥ ଦି’ଟା ହୁଏ । ମୁଗ ଦୁଷ୍ପ୍ରାପ୍ୟ, କୋଳଥ ଚୂନାରେ ଛତୁ, ଭଜା କୋଳଥରେ ଡାଲି, ଆଉ କୋଳଥ ଜାଉ, ଯାହା ନାଁ କୋଳଥ ପଇତି । ତାଙ୍କ ଘରେ ବି ଏମିତି ଚଳିଯାଏ, ଦିନ କଟିଯାଏ । ଗୁର ଅଝଟ ଧରିଛି, ସେ ଚୁଡ଼ା ଖାଇବ, ଚୁଡ଼ା ନାହିଁ ।

 

ସୁକୁ ସୁକୁ ଘରକରଣାକୁ ଚାରିପାଖେ ବଢ଼ାଇ ରଖିଲା ପରି ସମାଜରେ ଭଦ୍ରତାର ଆବରଣ । ଭିତରେ ଯେତେ ଭଙ୍ଗାରୁଜା, ଯେତେ ଧୂଳି, ଫିମ୍ପି ଆଉ ଅଳନ୍ଧୁ, ବାହାରେ ନାଁ ଟା । ସେତିକି ଜଗି ରଖିବାକୁ ଯେତେ ଓଳି ଉପାସ ପଡ଼ିଲେ ବି ପଦାକୁ ଉଁ ନାହିଁ ଚୁଁ ନାହିଁ, କାହା ପାଖେ ଦୈନ୍ୟ ଦେଖାଇ ଦାନ୍ତ ନିକୁଟିବା ମନା, ମୂଲ ଖଟିବା ମନା, ଜିନିଷ ବିକିବା ମନା, ମନା ତ ବହୁତ କଥା ।

 

ଆପେ ଶୁଖି ଶୁଖି ଏତେ କରି ସାଇତି ରଖିଥିବା ଦାଣ୍ଡ ମହତର ଘୋଡ଼ଣି ଦେହରେ ବି ଲୋକେ ଖେଣ୍ଟା ମାରିବାକୁ ଛାଡ଼ୁ ନାହାନ୍ତି, ଛବିବୋଉ ଅସମ୍ଭାଳ ହେଇଚନ୍ତି । କି ସାନ୍ତ୍ୱନା ଦେବେ ସେ !

 

ତେବେ ୟେ ବି ରହିବ ନାହିଁ ଉଡ଼ିଯିବ ପରା, ଏହ କଷ୍ଟର ଜୀବନ ଆଉକିଛି ନ ଶିଖାଇଲେ ଅନ୍ତତଃ ଏତିକି ଶିଖାଇଛି ଯେ ମାଟିକାମୁଡ଼ି ପଡ଼ିଥିଲେ ଅନୋଉଁ ଅନୋଉଁ ସବୁଦୁଃଖ ପାସୋର ହୋଇଯାଏ, ରାତି ଗଲେ ଦିନ ଆସେ । ଯାଉ ଯାଉ ଦୁଃଖର ଜୀବନଟା ବି ଦିନେ ଚାଲିଯାଏ ।

 

ସେମିତି ଏ ଦୁଃଖ, ଏ ଅଶାନ୍ତି ବି ଯିବ ଚାଲି ।

 

ଗୁରବୋଉ କାମରେ ମନ ବୁଡ଼ାଇ ଆହୁରି ଭାବିଲେ, ହୁଏତ ୟେ ଘଟି ନାହିଁ, ୟେ ନାହିଁ-। ଗୁରକୁ କୋବଲେଇ ଡାକିଲେ, ‘‘ଆ, ମୋ ସୁନାଟି ପରା, ଗୁଡ଼ ଟିକିଏ ପକେଇ ଦେଇଚି । ଚୂନା କେଡ଼େ ସୁଆଦ ହେଇଚି ଦେଖିବୁ ଆ, ଚାଖିବୁ ମତେ କହିବୁ-’’

 

ଛବିବୋଉ ଆପଣା ମନର ରାଗ ଚାରିଆଡ଼େ ଫୋପାଡ଼ୁ ଥାନ୍ତି । ଛବି ଗାଲରେ ହାତ ଦେଇ ମୂଷା ପରି ତୁନି ହୋଇ ବସିଥାଏ ଆଉ ଭାବୁଥାଏ, ଯେପରି ସେ ଲୁଚି ରହିଛି, କିନ୍ତୁ ବଞ୍ଚୁଛି ତୀବ୍ରଭାବେ ।

 

ଘଟଣାଟା ଗାଁ ଯାକ ଖେଳିଗଲା । ପୁଣି ଲାଗିଗଲା ଟୀକା ଆଉ ବ୍ୟାଖ୍ୟାନ, ମାଜୁ ମାଜୁ କଥାଟା ମୋଟ ହେଲା । ମାଜିବାକୁ ଲୋକଙ୍କର ଅବସର ଥିଲା, ମନ ଥିଲା, କଥାର ସରଳ ଅର୍ଥ ଛଡ଼ା ତା’ର ଇଙ୍ଗିତଟାକୁ ବୁଝିବାକୁ, ପୁଣି ଫେଣେଇଁ ଫେଣେଇଁ ବନେଇ ଚୂନେଇ ପର ଆଗରେ କହି ହେବାକୁ । ଗାଁରେ ଏମିତି ସାଧାରଣଭାବେ କଥାଟା ଯାଏ ନାହିଁ, ଏଠି ରୋକଠୋକ ମୂଲ ତଉଲ ନାହିଁ । ଲୋକେ ଭାବନ୍ତି କିଏ କାହାକୁ ଦଣ୍ଡବତ ନ ହେଲା, କିଏ କାହାକୁ ଅନେଇ ଦେଇ ମୁହଁ ବୁଲେଇ ଚାଲିଗଲା-ୟେ ବି ହୁଏ ଆଲୋଚନାର ବିଷୟ, ସେଥିପାଇଁ ସମୟ ଅଛି ।

 

ଏହି ଆଲୋଚନା ଲାଗୁ ଲାଗୁ ଲୋକେ ଆପଣା ଆପଣା ମନର ପଟ ଥୟ କଲେ, ଯେ କିଏ କେଉଁଆଡ଼େ ଆଉ ଯିବ, ଚୌଧୁରିଙ୍କ ଆଡ଼େ ନା ଆର କରେ । ଏହି ବିଚାରର ପିଠିଆଡ଼େ ଗଲା ଦିନର କେତେ ପଛକଥା ସଜେଇ ହୋଇ ରହିଗଲା, ଖାଲି ଚୌଧୁରି ଘର ସମ୍ପର୍କରେ ନୁହେଁ, ପରସ୍ପର ସମ୍ପର୍କରେ ମଧ୍ୟ । ଯାହାର ଯାହାର ଆଗରୁ ଅପଡ଼ ସେ ତା’ ପଟନିଆ ଦେଖି ଆରପଟେ ରହିବ । ଲୁଚି ଛପି ରହିଥିବା କେତେ କାଳର କେତେ ମନ ଫଟାଫଟି ଯେପରି କି ପାଗ ପାଇଲା ଆପଣାସ୍ୱରୂପ ଦେଖାଇବାକୁ । ଗାଁର ମତ ଛୁରୀରେ କାଟି ଦି’ଖଣ୍ଡ କଲା ପରି ଦି’ଭାଗ ହୋଇଗଲା-

 

ଆଉ ସେହି ଫଟାଫଟିରେ ଚୌଧୁରି ଆଡ଼ର ବିପରୀତ ପଟେ ଆଗୁଆଳ ପରି ଠିଆହେଲା କମ୍ଭାର ବୁଢ଼ା କିଣେଁଇ ଓଝା । ଏବେବି ସେ ଲଙ୍ଗଳ ଫାଳ ଗଢ଼େ, ଶଗଡ଼ ଚକପାଇଁ ଫିତା ଗଢ଼ି ପିନ୍ଧେଇପାରେ, ଦାଆ କଟୁରୀ ପନିକି କୋଡ଼ି ଏବେବି ସେ କରିପାରେ, ନାଁ ଡାକ ଅଛି ଗାଁର ସୁତୁରା କାରିଗର । ମୋଟା କାମରେ ସେ ପୁଅ ପୁତୁରାଙ୍କ ସାହାଯ୍ୟ ଲୋଡ଼ିଥାଏ; ହେଲେ ବି ମାପଚୁପକୁ ଠୋକ ଠୋକରକୁ ଅକଲ ସରସ ତାହାରି, ଅନେକ କାମ ତ ନିଜେ ନିଜେ କରିଯାଏ । ବଜାରକୁ ବିଦେଶୀ ଜିନଷ ଆସିଛି, ଏବେ ତ ଘରେ ଘରେ, କିନ୍ତୁ ତା’ର ବେଉସା ମାନ୍ଦା ପଡ଼ିନାହିଁ, ଅଳ୍ପକୁ ଆଶା କରିଥାଏ ସେ, ତା’ ଗଣ୍ଡାକ ତା’ ପାଇଁ ଥୁଆ । ଆଗେ ବି ଥିଲା, ଏବେବି ଅଛି । ଉହା ଜାଳି ଲୁହାପିଟି ସେ ଆପଣା କମେଇରେ ଆପେ ବଞ୍ଚି ଆସିଛି ସବୁକାଳେ ।

 

ଧୋବଲା ଆଖିପତା ଉହାଡ଼ିରୁ ନେଳିଚା ପଡ଼ି ଆସୁଥିବା ଆଖିରେ ପଛକୁ ଅନାଇଁ କିଣେଇଁ ଓଝା ଯେତେ ବାଟ ଦେଖିପାରେ ସେ ଦେଖେ ଏ ଗାଁରେ ଆପଣା ହାତ ଗୋଡ଼ରେ କାମକରି ବଞ୍ଚିଛନ୍ତି ସମସ୍ତେ ।

 

କେବଳ ଏଇ ଚୌଧୁରି ଘରଛଡ଼ା । ଏଇମାନେ, ନ ହେଲେ ୟାଙ୍କରି ପରି ଆଉ କେହି, ଯେ ପୋଲାରେ ବଞ୍ଚିଛନ୍ତି, କାମ କରି ନାହାନ୍ତି ।

 

ପିତୃଅର୍ଜିତ ଜମି ଜମିଦାରୀ, ଜନ୍ମରୁ ଖଜଣା ଗଣ୍ଡାକରେ ଦାବି, ଭାଗରେ ଦାବି, ହିଡ଼ମୁଣ୍ଡ ନ ଦେଖନ୍ତୁ ପଛେ । ପର ଉପରେ ହାକିମାତି ଅଧିକାରଟା ସତେ ଯେମିତି କିଏ ଜନ୍ମରୁ ଖଞ୍ଜି ଦେଇଛି, ଯେ ଏଇ ବଡ଼ ଆଉ ସମସ୍ତେ ସାନ । ବଡ଼ପଣଟା ଯେମିତି ଆପେ ନ ଖଟି ପରଙ୍କ ଖଟଣିରେ ଚଳିବାକୁ ସୁବିଧା ଅଛିବୋଲି, ଓଲଟି ଯାହାଙ୍କ ପରିଶ୍ରମରେ ଏମାନଙ୍କ ପିଣ୍ଡ ଗଢ଼ା ତାଙ୍କୁହିଁ ତଳ କରିବାଟା ସେହି ବଡ଼ଲୋକିର ଚିହ୍ନ ।

 

ଏଥିପାଇଁ ଏମାନେ ପୁଣି ଅଧିକାର ଅଛିବୋଲି ଦାବି କରନ୍ତି । ସେଥିରେ ତାଙ୍କର ସାହାପକ୍ଷ ଆଗ ବ୍ରାହ୍ମଣ ପୁରୋହିତ । ବଡ଼ଲୋକ ଦାବି କରନ୍ତି ତାଙ୍କର ଅଧିକାର ବିଧାତାଦତ୍ତବୋଲି । ପୁରୋହିତ ଶାସ୍ତ୍ର ବୋଲି ବୋଲି ବୁଝାଇ ଦିଅନ୍ତି, ହଁ, ସେଇଆ ସତ-ଯାହାକୁ ବିଧାତା ଆଗରୁ ଯେମିତି ଗଢ଼ିଛି ସିନା, କିଏ କ’ଣ କରିବ ? କାହାର କି ଚାରା ? ପାଞ୍ଚ ଆଙ୍ଗୁଠି ସମାନ ନୁହେଁ । ବଡ଼କୁ ସାନ ନ ମାନିଲେ ସମାଜ ରହିବ ନାହିଁ । ସବୁ ପୂର୍ବଜନ୍ମର କର୍ମଫଳ, ଯେ ଯେଉଁଠି ଅଛି ସେ ସେଇଠି ଥିବ, ସବୁ ଉପରେ ପୁରୋହିତ ବ୍ରାହ୍ମଣ, ତା’ ତଳକୁ ରାଜା ଜମିଦାର ମକଦ୍ଦମ ଏହିମାନେ ।

 

କହିବେ ତ ପୁରୋହିତେ-କିଣେଇଁ ଓଝା ଭାବେ, ସାଆନ୍ତମାନେ ଖଞ୍ଜା ଦେଇଛନ୍ତି, ପୂଜାଓଝା ବାହାନିମିତ୍ତରେ ଦିଅନ୍ତି ଭଲ । ଏତେ ଭୋଗରାଗ, ଘିଅ, ଅରୁଆ ଚାଉଳ, ଭୋଜି ବିଦାକି କିଏ ଦେଇପାରିବ ପୋଲାଖିଆଙ୍କ ଛଡ଼ା ? ଯେ ଆପେ ଖଟିଖାଏ ସେ ସିନା ବୁଝେ ଖଟଣି ମୂଲରେ ଜିନିଷ ମୂଲ କେତେ, ଏମାନେ କାହିଁକି ନ ଦେବେ ? ତେଣୁ ପୁରୋହିତଙ୍କ ବିଚାର ବ୍ୟବସ୍ଥାରେ ପୂର୍ବଜନ୍ମର ସୁକୃତଟା ଏହିମାନଙ୍କପାଇଁ ଥୁଆ, ଅନ୍ୟମାନଙ୍କ ବିଭାଘରରେ ତାଳି ଫୁଟୁକି ମିଶେଇ ଦଣ୍ଡକେ ବେଦୀ କାମ ତୁଟେଇଦେଲେ ୟାଙ୍କ ଘର ବିଭାଘରରେ ମହୁମାଛି ପରି ସଂସକୃତ ବୋଲି ସେ ନେବେ ଚାରି ଘଣ୍ଟା, ଲମ୍ବୋଉଥିବେ, କ’ଣ ନା ସବୁ ଭଲ ୟାଙ୍କରି ଏକା ମାଡ଼ିଯାଉ !

 

କିଣେଇଁ ଓଝା ସବୁଦିନେ ଭାବିଥିଲା, ଆପଣା ବିଚାରରେ ନ୍ୟାୟ ଅନ୍ୟାୟ ଧାରଣାକୁ ମନେ ମନେ ମାରିଥିଲା ଖାଲି ଡରରେ ।

 

ତା’ପରେ ସେ ଦେଖିଲା ଡର ଗଲା । ସାଆନ୍ତଘର ମେଘନାଦ ପାଚିର ଭୁଶୁଡ଼ି ପଡ଼ିଲା-। ଭଙ୍ଗା ଡିହରେ ରାତିରେ ବିଲୁଆ ଝାଡ଼ା ଫେରିଲେ ସକାଳକୁ ଦିଶିଲା । ସେ ଖୁସି ହୋଇଥିଲା । ଭାବିଲା, ୟେ ତା’ରି ପରି ଲୋକଙ୍କ ନିଶ୍ୱାସ ।

 

କାଲିପରି ଲାଗୁଛି, ସେ ଭୁଲିପାରିନାହିଁ କିବା ସାମାନ୍ୟ କଥାକୁ ଗଦେଇ ଚୌଧୁରି ବଜେଇଥିଲେ ତା’ ବାଁ ଆଖି ଉପରେ ଯାବୁଡ଼ାଏ । ସାତଦିନକାଳ ସେ ଆଖିରେ ଭଲକରି ଦେଖିପାରିନାହିଁ । ଆଖି ମନ୍ଦାରଫୁଲ ପରି ନାଲି ପଡ଼ିଯାଇଥିଲା । ମାଈ ଦୁଧ ପକାଇ ପକାଇ ଆଖି ଭଲ ହେଲା । ଯେଉଁ କଷ୍ଟ ! ଖାଲି ଗୋଟାଏ ପାହାର ନୁହେଁ, ଇଜ୍ଜତ୍‌ ଉପରେ ପାହାର ସେ ଅନେକଥର ସହିଛି । ପରକୁ ଅପମାନ ନ ଦେଲେ ଯେପରି କି ଆପଣା ଟେକ ରଖି ହୁଏନାହିଁ, ସବୁ ତାଙ୍କ ପାରିଲାପଣ । ବଡ଼ଲୋକଙ୍କ ଆଖିରେ ସତେକି ଆଉ କାହାରି ଇଜ୍ଜତ୍‌ ନାହିଁ, ଆଉ କାହାରିକି କିଛି କାଟେ ନାହିଁ, ବାଧେ ନାହିଁ । ସେ ଠାକୁରଙ୍କୁ ଡାକିଛି ଆଉ ଅପେକ୍ଷା କରିଛି ।

 

ତା’ପରେ ବଡ଼ଘର ଯେତେବେଳେ ଖଣ୍ଡି ଖଣ୍ଡି ହୋଇ ଚେନା ଚେନା ହୋଇ ଚୂନା ହେଲା, ସାଆନ୍ତଘର ଭଙ୍ଗା ବଖରାମାନଙ୍କ ଚାଳପଛରୁ ବତା ଭିଡ଼ିନେଇ ସେ ଜାଳିଛି, ସମସ୍ତିଙ୍କ ପରି ସେ ବି ଗାଁର ଜଣେ ଭାଇ । ଦଶ ଜଣଙ୍କ ପରି ସେ ବି ତାଙ୍କ ଭଙ୍ଗା ଡିହମାନଙ୍କରୁ ପଥର ବୋହିନେଇ ଦୁଆରେ ପକାଇଛି, ଆଉ ଗୁହାଳଘର ଚଟାଣରେ, ଯେପରି ପଙ୍କ ଉଠିବ ନାହିଁ । ସୁବିଧା ଦେଖି ସେ ବି ଲୁଚେଇ ଛପେଇ ଏହିପରି ଉପାୟରେ ତା’ର ପାରିଲାପଣ ଦେଖାଇଛି । ସେ- କିଣେଇଁ ଓଝା । ଖୁସି ହୋଇଛି ଯେ ସେମାନେ ନାହାନ୍ତି, ସେ ଅଛି । ତାଙ୍କ ଘର ଅଇରି ଖପରା ବଇରି ବା, ତା’ ଘର ଯେମିତି ହସୁଥିଲା ସେମିତି ହସୁଛି ଆପଣା ଶ୍ରମରେ ।

 

ତା’ର ଏହି ଉପରପଣର ଆନନ୍ଦ ଅନୁଭବ କରିବାଲାଗି ଆଉ ଦଶଜଣଙ୍କ ସଙ୍ଗେ ସେ ବି ତୁଣ୍ଡ ସହାନୁଭୁତି ଗାଇଛି ‘‘ଆଃ ! କି ଘର ଥିଲା କି ସରି ହେଲା ! କେଡ଼େ ଛାରଖାର ! କପାଳ-!’’

 

କିଣେଇଁ ଓଝା ଆଶା ବାନ୍ଧି ବସିଛି ଆହୁରି ଦେଖିବ । ଖାଲି ଏଇ ପୁରୁଣା ସାଆନ୍ତପଣିଆର ଗଣ୍ଡିଟା ମାଟିରେ ମିଶିଲା ସେତିକି ନୁହେଁ, ନାଁଟା ବି ଯାଉ ।

 

ତେଣୁ ସେ ଆପେ ଆପଣାର ବିଶ୍ୱାସ ଜନାଇଥିଲା ଯେ ଯେଉଁ ହଟା ଉଠିଛି, ସେଇଟା ସତ ହୋଇଥାଉ । ପଟ ନେବାକୁ ଭଗବାନ ଆରା ଆଣି ଦେଇଛି, ସେ ଭୁଲିବା କଥା ନୁହେଁ ।

 

କିଣେଁଇ ଓଝାର ‘‘ଦଣ୍ଡ ସାଜ ଦଣ୍ଡ ସାଜ’’ବୋଲି ଆଗିଆଣ ଚଢ଼ାଉ ଡାକକୁ ଅପର୍ତ୍ତି ପଧାନ ଓ’ କଲା ।

 

ଭାବିଲା, ଓ’ କରିବ ତ, ବଡ଼ଘାଏଁ ଓ’ କରିବ, କାହାର ସେ ଖାଏ ନା ଧାରେ ? ସେମାନେ ତାକୁ କହନ୍ତି ଛତରା, ବଗୁଲିଆ, ହେରେସା, ହୁର୍ଦ୍ଦୁଙ୍ଗା, ହେଇ ଗାଁଯାକର ଭଦରଲୋକେ, କହନ୍ତି ସେ ଚାରି ଦଉଡ଼ିକଟା । ତେଣୁ ଡାକି ହାକି ସେ ଖୁରି କରିବ, ତା’ର ସେ ଲୋକଲଜ୍ଜା ନାହିଁ ଯେ ହଜିଯିବବୋଲି ଭୟ ।

 

ବିଧବା ଗେଣ୍ଡେଇ ତାଷୁଣୀର ପୁଅ । ମା’ ଟୋକୀ ବୟସରୁ ହାତରୁ ଖଡ଼ୁ ଓହ୍ଳଇଥିଲା । ବାପକୁ ସେ ଦେଖି ନାହିଁ । ଶୁଣିଛି ବାପବୋଲି ଜଣେ କିଏ ଥିଲା, ବେଙ୍ଗଲ ଚଟକଳରେ କାମ କରୁଥିଲା, ସେଇଠି ସେ ମଲା ।

 

ତା’ ଦେଖନ୍ତରେ ତାଙ୍କ ସାନ ଟୁଙ୍ଗୀ ଘରେ ସେ ମଣିଷ ଦେଖିଛି । ନିଶା ଅନ୍ଧାରରେ ନିଦ ଭାଙ୍ଗିଯାଇ କେବେ କାନ୍ଦି ଉଠିଥିଲେ କେହି ହେଲେ ତାକୁ ଗେଲ ଆଦର କରିଥିବେ, କିଏ ଅବା କୋଡ଼ରେ ଶୁଆଇ ନିଦ-ଗୀତ ଗାଉଥିଲେ ।

 

‘‘ଧୋରେ ବାଇଆ ଧୋ, ଯୋଉ କିଆରୀରେ କଅଁଳ ମାଣ୍ଡିଆ ସେଇ କିଆରୀରେ ଶୋ-।’’ ପିଲାଦିନେ ସେ ସେତିକି ସାଧାରଣଙ୍କ ସମ୍ପତ୍ତି । ବାର ଘରେ ମା’ ଦୁଃଖ ଖଟେ । ବାରଘରୁ ତା’ପାଇଁ ପତର ଘୋଡ଼େଇ ଖାଦ୍ୟ ଆଣିଦିଏ, ପିଠା, ତରକାରି, ଭାତ, ଯେତେବେଳେ ଯାହା । ଲୋକେ ପଇସା ବି କେବେ କେବେ ଦିଅନ୍ତି । କଅଁଳେଇ କହନ୍ତି ନେ, ମୁଆଁ କିଣିବୁ । ଆଉ ମା’ ତା’ର ପିଠି ଆଉଁଶି ପକାଏ, ମୁଣ୍ଡ ଆଉଁଶି ପକାଏ, କିରି କିରି ହସୁଥାଏ । ମନେପଡ଼େ ତା’ର ମାଉଁସିଆ ଗୋଲ ମୁହଁଟି, ଆଉ ଚଉଡ଼ା ମଢ଼ିଆ, ହସିଲେ ସେ ମଢ଼ିଆ ବି ଦିଶେ ।

 

ଟିକିଏ ବଡ଼ ହେଲା । ପଦାକୁ ଦଉଡ଼ିଲା । ସେହି ତାଙ୍କର ସାନ ଘର ଅନ୍ଧାରୁଆ ଗହଳି ଟିକିବାରିର ବାଡ଼ ସେପାଖକୁ । ଆଉ ତା’ ବାହାରକୁ, ସେହି ଯେଉଁଠି ଜୋର କରେ କରେ ଆଳୁ ପିଆଜ କ୍ଷେତ, ତା’ ତେଣିକି ଯେଉଁଠି ଚେନାଏ ଧାନ ବିଲ ତାକୁ ଟପି । ତା’ପରେ ସାହି ଉତ୍ତାରୁ ସାହି । ମା’ ପଛେ ପଛେ ଗୋଡ଼େଇ ଶିଖୁ ଶିଖୁ ଅଭ୍ୟାସ ହୋଇଗଲା । ସେଠି ଏତେ ମୁହଁ, ଏତେ ଘର, ଖେଳିବାକୁ ଏତେ ସାଙ୍ଗୀ ।

 

ସେତିକିବେଳେ ସେ କାନ୍ଥଟାକୁ ଅନୁଭବ କଲା, ଯେଉଁଆଡ଼େ ଧାଇଁଲେ ଆଗରେ ସେହି କାନ୍ଥ । ପିଲାଏ ତା’ ପାଖକୁ ଖେଳିବାକୁ ଆସିବାକୁ ମନକଲେ ବି ତାଙ୍କ ବାପମା’ଙ୍କ ଆଖିରେ ସେ ଦେଖେ ଶତ୍ରୁତା । ଯେପରିକି ସେ କ’ଣ ଅସନା ଆବର୍ଜ୍ଜନା । ବଡ଼ ପିଲାଏ ତାକୁ କ’ଣ କହି ଥଟ୍ଟା କରନ୍ତି, ସେ ବୁଝିପାରେ ନାହିଁ । ଦେଖେ ତା’ ମା’ କେଉଁ ପିଲାଙ୍କୁ ଦାନ୍ତ କଡ଼ମଡ଼ କରି ଗୋଡ଼ାଉଛି । କାହାକୁ ଗାଳି ଦେଉଛି, ଟେକା ଫୋପାଡ଼ୁଛି । ତାକୁ ବି ବୁଲେଇ ନେବାକୁ ତା’ ମା’ ମନ କରେନାହିଁ, ବାରମ୍ବାର କହେ, ଘରେ ବସି ଖେଳୁଥା ।

ସେତିକିବେଳେ ସେ ଅନୁଭବ କଲା, ତାଙ୍କ ଘରେ ଯେଉଁମାନଙ୍କୁ ଦେଖି ଭାବିଥିଲା ଅତି ଆପଣାରବୋଲି, ପଦାରେ ସେମାନେ ତାକୁ ଚିହ୍ନନ୍ତି ନାହିଁ । ଗେହ୍ଳେଇ ହୋଇ ପାଖକୁ ଗଲେ ଉଠି ପଳାନ୍ତି ।

ଥରେ ସେ ଜଣକଠୁଁ ଆହୁରି ଅଧିକ ଶିକ୍ଷା ପାଇଥିଲା । ବିଧୁ ଚୌଧୁରି । ଗୋରା ହୋଇ ବଳିଲା ବଳିଲା ସୁନ୍ଦର ଗଢଣ । ହାତରେ ବଡ଼ ଡଉଁରିଆଟା, ନାଲି ଡୋରରେ ବନ୍ଧା । ଘରେ କେତେଥର ସେ ଡଉଁରିଆଟାକୁ ସେ ଓଟାରିଛି, ଦେଖିଛି, ସବୁବେଳେ ତାଙ୍କର ମିଠାହସ । ଗାଁ ଦାଣ୍ଡରେ ଥରେ ସେ ଠିଆ ହୋଇଥାନ୍ତି । ଅପର୍ତ୍ତି ହସି ହସି କିଲିକାଲିଆ ହୋଇ ଯାଇ ତାଙ୍କ ଆଣ୍ଠୁକୁ କୁଣ୍ଢେଇ ଧରିଲା । ପଛରୁ କିଏ ହସିଲା । ବିଧୁ ଚୌଧୁରି ବସେଇଦେଲେ ଦି’ଟା ଠାଇ ଠାଇ, ଏଡ଼େ ଜୋରରେ ମାରିଲେ ଯେ ସେ ପ୍ରାୟ ହତଜ୍ଞାନ ହୋଇଯାଇଥିଲା । ମୁଦି ବାଜି ଗାଲରୁ ରକ୍ତ ବାହାରୁଥାଏ । ପଛରୁ ତା’ ମା’ ଆସି ଯେତେବେଳେ କାନ୍ଦିବୋବେଇ କଟାଳ ଲଗାଇଲା, ବିଧୁ ଚୌଧୁରି ତାକୁ ବି ମାରିବାକୁ ଗୋଡ଼େଇଲେ । ରାଗରେ ରଡ଼ୁଥାନ୍ତି, ‘‘କୁଆଡ଼ର କିଏ ଗୋଟାଏ, ଇନ୍ଦ୍ରଚନ୍ଦ୍ର ମାନୁ ନାଇଁ, ଏଡ଼େ ବହପ !’’

ସେଦିନ ବି ଭୁଲିବାର ନୁହେଁ । ଶରଧା ବଦଳରେ ସେ ଜାବୁଡ଼ା ପାଇଥିଲା । ଆହୁରି ବଡ଼ ହେଲା, ଆହୁରି ଅନୁଭବ କରି ଶିଖିଲା, ଖାଲି ଦେହକୁ ମାଡ଼ ନୁହେଁ, ମନକୁ କିପରି ମାଡ଼ କାଟେ ।

ଦାଣ୍ଡରେ ଧୂଳି ଖେଳ ଖେଳିଲା, କେତେ ପିଲା ମିଶିଲେ । ଖେଳରୁ ଖୁରି, ମାଡ଼ ପିଟାପିଟି । ସେ ଯେତେ ଛେଚା ଖାଇଲେ ହାରିଗୁହାରି ନାହିଁ ଆଉ କିଏ ଭେଁ କଲେ ତାଙ୍କ ଲୋକେ ତାକୁ କୁଟିବାକୁ ଧାଇଁ ଆସନ୍ତି, ଛତରଖିଆ ପିଲାଟା, ସବୁ ଦୋଷ ତାଆରି ।

ମା’ ତାଙ୍କ ସଙ୍ଗେ କଳି କରେ । ଅଣ୍ଟାରେ ଲୁଗା ଭିଡ଼ି ପିଲାକୁ ପିଠିଆଡ଼ କରି ଗର୍ଜି ଗର୍ଜି ଦେଖାଏ ତା’ର ମା’ପଣ, କହେ ତା’ ବାପ ନାଇଁବୋଲି ସିନା ତେମେ ସବୁ ଏଡ଼େ ଅନିଭୋଗ ଦଉଚ, ନ ହେଲେ କହନ୍ତ ?

ସେ ନିଜେ ସେତେବେଳେ ଏକ କଳ୍ପିତ ବାପକୁ ସ୍ମରଣ କରି ସଜେଇ ହୁଏ । ତା’ ବାପ ନାଁ ପଇଲେ ସେମାନେ ହସରେ ଉଡ଼େଇ ଦିଅନ୍ତି, ଯୁଦ୍ଧରେ ମା’ର ଜୟ ହୁଏ ନାହିଁ । ଜଣକୁ ଦଶଜଣ, କିଏ ପିଣ୍ଡା ଉପରୁ, କିଏ ହାତୀ ଅନ୍ଧ ପାଖରୁ, କିଏ ଘର ଓଳୋଇ ଓଳୋଇ ଦୁଆରମୁହଁ ପାଖରୁ, କିଏ ଗୋବର ଗୋଟୋଉ ଗୋଟୋଉ ଗୁହାଳ ଚାଳି ଭିତରୁ ଏକା ସଙ୍ଗରେ ଛାଡ଼ନ୍ତି କଥାର ବାଣ, ସେଥିରେ କେତେ ଗଇ ଖୋଳାଖୋଳି, କେତେ କାଳର କେତେ ଅଚହ୍ନା ଉପାଖ୍ୟାନ, ସେ କଥାର ଖିଅ ଧରିପାରେନାହିଁ, ଖାଲି ଦେଖେ ଗାଳି ଦେଉ ଦେଉ ମା’ ଆଖିରୁ ପାଣି ଝର ଝର ବୋହୁଛି, ଆଉ ଧୀରେ ଧୀରେ ତା’ର କଳିର ଗର୍ଜନ ଗୋଳିହୋଇ ଯାଉଛି ଲୁହରେ, ବୁଡ଼ିଯାଉଛି, ମା’ ତା’ର ବାହାକୁ ଚିପିଧରି ଘୋଷାରି ଘୋଷାରି ଘରକୁ ନେଇ ଯାଉ ଯାଉ ଆହୁରି ଦି’ଟା ବଳେଇଦିଏ ଆଉ କହେ, ‘‘ଏଇ ଅଲେଖେଣାଟାପାଇଁ ପରା ସବୁ ନାଟ, ଏଇ ଚୁଲୀଗାତଟା ମତେ ଖାଲି ବାନ୍ଧି ରଖିଚି । ନ ହେଲେ କୋଉ କାଳୁ ମୁଁ କୁଆଡ଼େ ଯାଆନ୍ତିଣି । ଏତେ ଲୋକଙ୍କୁ ମରଣ ହଉଚି, ମତେ ମରଣ ନାଇଁ, ହା’ରେ ଦଇବ !’’

କେବେ ସେ କାନ୍ଦି ପକାଇ ମା’କୁ କୁଣ୍ଢେଇ ଧରି କହେ, ‘‘ନାଇଁ ନାଇଁ ନାଇଁ ।’’ ‘‘ସୋଗେଇତର ହେଲେ,’’ ଭାଲୁ ପରି କୁଣ୍ଢେଇ ଧରି ମା’ କହେ, ‘‘ଦେଖ ସୋଗ ଦେଖ, ମା’ ମରିବ ନାଇଁ, ୟାରିପେଇଁ କଳି କରିବାକୁ ବଞ୍ଚିଥିବ, ଗାଳିମାଡ଼ ଖାଇ ଦୁଃଖଧନ୍ଦା କରି ମା’ ବସିଥିବ ସବୁଦିନେ, ଆଣି ଦଉଥିବ ୟେ ଖାଉଥିବ ।’’

ଆକଟ କରେ, ‘‘ଫେର୍‌ ସେଗୁଡ଼ାଙ୍କ ସଙ୍ଗେ ଖେଳିବାକୁ ଯାଇଚୁ କି ଅପର୍ତ୍ତିଆ, ତୋ ପିଠି ଭାଙ୍ଗିବି ।’’

ସେ ପୁଣି ଯାଏ ।

କିନ୍ତୁ ସେହି ପିଲାଦିନୁ ତା’ ମନରେ ହେତୁ ପଶିଥିଲା, ଏମାନେ ତା’ର ଶତ୍ରୁ । ତାକୁ ଦେଖାଇ ଦେଖାଇ ସେମାନେ କଦଳୀ ଖାଆନ୍ତି, ଫୋପାଡ଼ନ୍ତି ତା’ ଆଡ଼କୁ ଚୋପା । ଆତ ଖାଇ ମଞ୍ଜି ଫୋପାଡ଼ନ୍ତି । ତଥାପି କିଏ କିଏ କହନ୍ତି, ‘‘ଏ ଡାଆଣା ଟୋକାଟା ଅନେଇଚି, ପେଟରେ ପଶିଯିବରେ, ପେଟକୁ କୋରିବ ।’’ ଭୋକ ହେଲେ ମା’ ସଙ୍ଗେ କଜିଆ କରି ଯେତେବେଳେ ଖାଦ୍ୟ ପରିବର୍ତ୍ତେ ସେ ମାଡ଼ ଖାଏ, ସେତେବେଳେ ମନେପଡ଼େ । ସେ ପ୍ରତିହିଂସା ମନାସେ ।

ବଡ଼ହେଲେ ସେ ଦାଉ ସାଧିବ । କେବେ ?

ସେ କଳ୍ପନା କରେ, ବଡ଼ହେଲେ ସବୁ ହେବ । ମା’ କେତେବେଳେ ତାକୁ ଛାତିକି ଟାଣିନିଏ ଆଉ ଗେହ୍ଲେଇ ହୋଇ କହେ, ‘‘ସତେ ମୋ ପୁଅ ମଣିଷ ହେବ, ତା’ ମୁଣ୍ଡକୁ ହାତ ପାଇବ !’’

ଟିକି ହାତରେ ଆପଣା ମୁଣ୍ଡ ଅଣ୍ଡାଳି ଅଣ୍ଡାଳି ସେ କହେ, ‘‘ଦେଖୁନୁ ମୋ ମୁଣ୍ଡକୁ ହାତ ପାଇଲାଣି, ମୁଁ କ’ଣ ବଡ଼ ହେଇନାଇଁ !’’

ମା’ର ସାଙ୍ଗମାନେ ଆସିଥାନ୍ତି, ଶିଖର ମା’ ବୁଢ଼ୀ, ଚମ୍ପୀ ମା’, ଆହୁରି କେତେ । ଏକାପରି ଭେକ, ମାଟିବର୍ଣ୍ଣର ଚିରା ଲୁଗା ପିନ୍ଧିଥାନ୍ତି; କାନିରେ ଗଁଠା ହୋଇଥାଏ ପାନ ଖଣ୍ଡେ ଦି ଖଣ୍ଡେ, ସେମିତି ବହେ କଥା ତୁଣ୍ଡରେ ଆଉ ଭୁସ୍‌ଭାସ୍‌ ହୁମୁଦୁମିଆ ଚାଲି । ଶିଖର ମା’ ବଡ଼ ପାଟିରେ ହସେ । କହେ, ‘‘ଶୁଣ୍‌ ଗେଣ୍ଡେଇ, ଅପର୍ତ୍ତିଆ ବଡ଼ ହେଲେ ତୋ ଦୁଃଖ ଆଉ ରହିବ ନାଇଁ । କମି ଟୋକା ହବ ନାଇଁ ଏ ଖଣ୍ଡକ, ମାରି ପିଟି ସମସ୍ତିଙ୍କି ସାଧ୍ୟ କରିବ ।’’

ସେହି ଆଶାରେ ତ ସେ ବି ବଢ଼ିଉଠେ, ଡାଙ୍ଗଖଣ୍ଡେ ହାତରେ ପଡ଼ିଲେ ଗଛକୁ ବାଡ଼କୁ ଛେଳିକୁ ଗୋରୁକୁ ପାହାରେ ଲେଖାଁ ପିଟି ହିଡ଼େ ହିଡ଼େ ଧାଏଁ ଖଣ୍ଡିଆଭୂତ ପରି ।

ଧୂଳିରେ ଗଡ଼େ । ଏଣୁ ତେଣୁ ଖାଏ । ମାଣ୍ଡିଆ ଯାଉ କି ବାସିପଖାଳ ଯାହା ମିଳିଲା ପାଇଦେଇ କହେ, ‘‘ଆହୁରି ଦେ ।’’

ରୋଗ ତାକୁ ଛୁଏଁ ନାହିଁ । ଖାସୁଲା ଖାସୁଲା ବଳିଲାବାଳିଲା ହୋଇ ବଢ଼ିଆଳି ପିଲାଟିଏ, ବଳରେ ସେ ସମସ୍ତିଙ୍କି ଜିତେ ।

ଆଠ ବର୍ଷରେ ଛେଳି ଜଗିଲା । ପଲେ ଛେଳିଙ୍କ ଉପରେ ଅଖଣ୍ଡ ରାଜୁତି । ବାଡ଼େଇ ବାଡ଼େଇ ପଡ଼ିଆଯାକ ଗୋଡ଼ାଏ । କାହା ବିଲ ବାରିରେ ପଶିଲେ ତୁନି ହୋଇ ଠିଆ ହୋଇ ମଜା ଦେଖେ । ଲୋକ ଦେଖି ପକାଇଲେ ଛାଟ ଧରି ଗୋଡ଼ାଏ । ଆଠ ବର୍ଷବେଳୁ ସେ ରୋଜଗାର କରି ଶିଖିଲା ।

 

ଆଉ ଟିକିଏ ବଡ଼ ହେଲାରୁ ଗାଈ ଜଗିଲା । କ୍ରମେ ହେଲା ହଳିଆ । ଅପର୍ତ୍ତି ପଧାନ ମଣିଷ ହେଲା । ଭେଣ୍ଡା ଯୁଆନ । ଜଣେ ମଣିଷ ତିନିଜଣ ମଣିଷର କାମ ଉଠାଏ । ହଳିଆପଣ ଛାଡ଼ି ସେ ଯେତେବେଳେ କଲିକତା ପ୍ରବାସୀ ବୀଣା ଗଉଡ଼ ବନ୍ଧୁଆ ଗଉଡ଼ଙ୍କର ଭାଗୁଆଳି ଚାଷୀ ହେଲା, ତା’ ସଙ୍ଗେ ସଙ୍ଗେ ବାରିକ ମିସ୍ତ୍ରୀ ବନ୍ଧ କାନ୍ତରାଟିର ହାତବାରିସୀ, ସେତେବେଳେ ଗାଁ ଭିତରେ ସେ ବି ହେଲା ଜଣେ । ସାହି ନିଶାପବେଳେ ସେ ବି ବସିଲା, ପୁଣି ଆଖଡ଼ାରେ, ଯାତ୍ରାରେ-

 

ଗେଣ୍ଡେଇ ତାଷୁଣୀ ପୁଅକୁ ଘରକଲା ବାଟରେ ବସେଇ ଦେଇ ଆଖି ବୁଜିଥିଲା । ଅପର୍ତ୍ତିଆ ପଛକଥା ଭୁଲି ମାଟିରେ ଚେର ଲଗାଇଲା ଗାଁରେ ଜଣେ ।

 

ଦୁର୍ବଳିଆ ନୁହେଁ । ହଟିଲାବାଲା ନୁହେଁ । ଦେହରେ ଜନ୍ତୁର ବଳ, ମନରେ ବି । ସେହି ମନ ମୋହିଁଦେଇ ସେ ଚାରିଆଡ଼କୁ ଚାହିଁ ଗ୍ରାସ କରିବାକୁ ଆଁ କରେ, ଯେଉଁଠି ବାଧାପାଏ ସେଇଠି ଉପୁଜେ ତା’ର ରାଗ, ମନଟା କଟକଟ ଡାକେ ବାଗରେ ପଡ଼ିଲେ ଦାଉ ସାଧିବାକୁ ।

 

ବାଧା ସେ ଭେଟିଲା ପଦେ ପଦେକେ । ତା’ର ହାତପାଆନ୍ତିରୁ ଗ୍ରାସ ଛଡ଼େଇ ନେବାକୁ ଗାଁ ସମାଜର ସଂସ୍କାର, ରୀତି, ଚଳଣିର ଅଲେଖା ଆଇନ । ସେହି କଷଟିରେ ତା’ର ଦାମ କେତେ ତଳେ । ସେ ବୁଝିଲା, ଯେତେ ଯାହାର ଅଣ୍ଟାରେ ବଳ ଥାଉ, ଯେ ଯେତେ ଅରଜୁ, ସମାଜର ପୁରୁଣା ବଡ଼ ସାନ ନିକିତିରେ ତା’ ଓଜନ ତଉଲା ହେବ, ତାଠିଁ ନିହାତି କାହାରି ଦରକାର ନ ପଡ଼ିଲେ ବଡ଼ଲୋକଙ୍କଠୁଁ ସେ ମାନ ପାଇବ ନାହିଁ । ତା’ ପଛେ ପାଇବେ ଶୁକୁଟି ମିଶ୍ର ବ୍ରାହ୍ମଣ ଯାହାଙ୍କ ଘରେ ଦି ଓଳିରେ ଚୁଲୀ ଜଳେ ନାହିଁ, ଜୀର୍ଣ୍ଣଶୀର୍ଣ୍ଣ ବୁଢ଼ା ଲୋକ । ଅଛୁଆଣି କୁଡ଼ିଆ ଘରୁ ବାଡ଼ି ଧରି ବାହାରି ନାକବାଟେ କହିବେ, ‘‘ଆୟୁଷ୍ମାଁ ଭବ ।’’ ମାନ ପଛେ ପାଇବେ ସିନ୍ଧୁ ଚୌଧୁରି, ବିଦେଇ ରାଉତ, କି ଗଉଡ଼ ବେହେରା ନଦିଆ ।

 

ପଞ୍ଚୁକ ଉତ୍ତାରୁ ଛାଡ଼ଖାଇ ଦିନ । କୁଶିଆ କେଉଟ ନଈରେ ଖେପା ଜାଲ ପକାଉଛି । ମାଛ ସତେକି ଛାଡ଼ଖାଇ କଥା ଜାଣିପାରି ପାଣିରୁ ଅନ୍ତର୍ଦ୍ଧାନ । କେଉଁ ଘଡ଼ିକେ ପହରକେ ଗୋଟିଏ ଗୋଟିଏ ମୀନ । କୁଶିଆର ମାଛଖାଳେଇରେ ଜମା ଗୋଟିଏ ମାଛ । ଅଧସେରିଆ ଜଳଙ୍ଗଟିଏ ।

 

‘‘କୁଶିଆ ଭାଇ, ମାଛ ଅଛି କିରେ ?’’

 

‘‘କାହିଁ ମାଛ ? ଗୋଟିଏ ମୋଟେ ଜଳଙ୍ଗ ପଡ଼ିଛି । ଆଜି ତ ମାଛ ଘରେ ଶୂନ୍‌ । ଏଇଟା କେମିତି ବାଟବଣା ହୋଇ ଚାଲିଆସିଲା ସିନା !’’

 

‘‘ଦବୁ ? କେତେ ନବୁ ? କେତେ ?’’

 

କୁଶିଆ ଆଉ କଥା କହିଲା ନାହିଁ । ଡଙ୍ଗା ଉପରେ ଠିଆ ହୋଇଛି । କୁଆଡ଼େ ଅନେଇଛି । ଶୂନ୍‌ଶାନ୍‌ ନଈକୂଳ । ମାଛରଙ୍କା ଚଢ଼େଇ ଉଡ଼ୁଛନ୍ତି ଖାଁ ଖାଁ ବାଲିଏ ବାଲିଏ ପାଞ୍ଜିର ସଂକ୍ରାନ୍ତି ପୁରୁଷର ଛବିପରି ବଙ୍କା ବୁଢ଼ାଟିଏ ବାଡ଼ି ଭରାଦେଇ ଗୋଟିଏ ଗୋଟିଏ ହୋଇ ପେଲି ଆସୁଛି । ଶୁକୁଟି ମିଶ୍ର । କୁଶିଆ ସେହିଆଡ଼େ ଅନାଇଛି ।

 

‘‘ଦଉନୁ କୁଶିଆଇ ? କେତେ ନବୁ କହ ବା-’’

 

କୁଶିଆ କଥା କହୁନାହିଁ ।

 

ଶୁକୁଟି ନନା ପହଞ୍ଚିଗଲେ, ଗୋଡ଼ ଥର ଥର । ବେକ ଟେକି ବଗ ପରି ଅନେଇଲେ ଡଙ୍ଗା ଉପରକୁ । କୁଶିଆ ଠିଆ ହୋଇଗଲା, ଲୁହାର ତିଆରି ଭାଲୁଆ ମରଦଟା । ଆଖି ପିଛୁଡ଼ାକେ ଭାଙ୍ଗିପଡ଼ି ମୁଣ୍ଡକୁ ଅଣ୍ଟା ସଳଖେ କରି କହିଲା, ‘‘ନାନା, ଓଳିକି ଓଳିକି-’’

 

ଶୁକୁଟି ନନା ହସିଲେ । ଅପର୍ତ୍ତି ରବେଇଖବେଇ ହୋଇ ମନେମନେ ଉପମା ଦେଲା ୟେ ସତେକି ପୋଡ଼ା ଗୋଜିଣାରେ ନିଆଁ ଲାଗିଲା । ନନା ନାକବାଟେ ଚିଁ ଚିଁ ହୋଇ ଆଶୀର୍ବାଦ କହିଲେ, ‘‘ଆୟୁଷ୍ମାଁ ଭବ-’’ । ଅପର୍ତ୍ତି ପୁଣି ଶିର ଝୁଣିଦେଲା, ମନେ ମନେ କହିଲା, ‘‘ୟାଙ୍କରି ଆଶିରିପାଦକୁ ଆୟୁଷ ଅପେକ୍ଷା କରି ବଇଚି ଆ-ଲୋକଟାର ମତଲବ ତ ଠିକେ ଠିକେ ବାରି ହେଉଛି । ନଇଲେ ବାଲିରେ ଚାଲି ଏତେବାଟ ଆସିଚି ଖାଲି ଆଶିରିପାଦ କରିବ ବୋଲି ନା କ’ଣ-?’’ ଶୁକୁଟି ନନା ତା’ଆଡ଼କୁ ମୁହଁ ମୋଡ଼ିଦେଇ ଅନେଇଁଲେ, ଅପର୍ତ୍ତି ମନେପକାଇଲା ସେହି ଶାଗୁଆ ଓଟ ବେକ ‘ନଈରେ-ପାଣି କେତେ’ ଡାଆଣୀ ପୋକକୁ ଦଣ୍ଡବତ କଲେ ଚଟ୍‍କିନା ସେ ଦୁଇ ଥୋଡଧ ହାତକୁ ସିଧା ଯୋଡ଼ି ବଢ଼ାଇ ଧରିବ, ୟାରି ନାଁ ତା’ର ଆଶୀର୍ବାଦ, ମନରେ ଆଇଁଷ ଲୋଭ । ସେହି କାଚପରି ନିଥର ଆଖି ଦି’ଟାକୁ ଦେଖି ସେ ଟାଣ ହୋଇ ଅନାଇଁଲା, ଶୁକୁଟି ନନା ମୁହଁ ବୁଲାଇନେଲେ ।

 

‘‘କୁଆଡ଼େ ନନା ?’’ କୁଶିଆ ପଚାରିଲା ।

 

କାଶି ସାରି ଆପଣାକୁ ତିଆରି ଶୁକୁଟି ନନା କହିଲେ, ‘‘ଆରେ ମାଛ ଅଛି କିରେ ? ଛାଡ଼ଖାଇଟା ଆଜି, ଯୁଆଡ଼େ ଖୋଜିଲେ ମାଛ କାତିଟାଏ ବି ନାଇଁ ।

 

ଅପର୍ତ୍ତି ମନେ ମନେ କହିଲା, ‘‘ସାପ କାତି ଅଛି ନବ ?’’

 

କୁଶିଆ କହିଲା, ‘‘ସକାଳ ଯାଇ କଅଁଳ ଗାଧୁଆବେଳ ହେଲା, ପଡ଼ିଚି ଗୋଟିଏ ବୋଲି ମାଛ, କ’ଣ କରିବ କହ ? ନବ ଏଇଟାକୁ ? ନିଅ । ଜଳଙ୍ଗ ।’’

 

‘‘କେତେ ନବୁ ?’’

 

‘‘ଆଜିପରା ଦିନେ ଦେଢ଼ଟଙ୍କାକୁ ବିକନ୍ତି । ତେମେ ଦିଅ ଟଙ୍କାଏ ।’’

 

‘‘ଆରେ, ବାଇଆ ହେଲୁ ବାପ ? ଛଅଣା ପଇସା ହେଇ ଦେଖ ଖୋଷଣିରେ ମାରିଚି । ଗୋଟିଏ ବିଧି ରକ୍ଷା, ନଇଲେ ଆଜିକାଲି ମହରଗ ଦିନେ ମୁଁ କିଏ, ଜଳଙ୍ଗ ମାଛ କିଏ ?’’

 

‘‘କୁଶିଆଇ !’’ ଅପର୍ତ୍ତି ପାଟିକଲା, ‘‘ମୁଁ ଆଠଣା ଦଉଚି ।’’ କୁଶିଆ ମାଛଟାକୁ କାଢ଼ୁଛି, ମୁଣ୍ଡ ହଲେଇ ତାକୁ ନାହିଁ କରୁଛି, ଅପର୍ତ୍ତିଆ ଚିର୍ଚେଇଲା, ‘‘ହେଉ ନେ ବାରଣା, ଆଛା ଟଙ୍କାଏ ପଛେ ନେ । ଦେ ମୋ ଆଡ଼କୁ, ଟଙ୍କାଏ ଦଉଚି, ହେଇଟିନେ–’’

 

କୁଶିଆ ସେ ମାଛଟାକୁ ଶୁକୁଟି ମିଶ୍ରଙ୍କ ହାତକୁ ବଢ଼େଇଦେଲ କହିଲା, ‘‘ନିଅ ନନା, ତମ ସାଙ୍ଗରେ ଭାଉ ପଟାପଟି କ’ଣ, ସାତଣା ଦବ ।’’

 

‘‘ଆରେ ଛ’ଣା ଅଛି ପରା ।’’

 

‘‘ହେଇଟି କୁଶିଆଇ, ଟଙ୍କାଟାଏ ମୁଁ ଦଉଚି ।’’

 

‘‘ନେଇ ଯା ନନା, ଘୋଡ଼େଇ କରିନିଅ, ନ ହେଲେ କାହା ଦୃଷ୍ଟି ପଡ଼ିବ । ଆଜି ଛଅଣା ଦେଇଥା, ପଛେ ଆଉ ଅଣାଏ ଦବ ।’’ ପାଟି ପାକୁ ପାକୁ କରୁଛି ମାଛଟା । ଖୁସିଟାଏ ହୋଇ କଇଲ୍ୟାଣ କରି କରି ମାଛକୁ ଗାମୁଛାରେ ବାନ୍ଧି ନେଇ ଶୁକୁଟି ମିଶ୍ରେ ଚାଲିଗଲେ ।

 

ଅପର୍ତ୍ତିଆ କହିଲା, ‘‘ତାକୁ ସାତଅଣାକୁ ଦେଲୁ, ମୁଁ ଟଙ୍କାଏ ଯାଚିଲି ମତେ ଦେଲୁ ନାଇଁ କୁଶିଆଇ ?’’

 

କୁଶିଆ ହସି ହସି ବୁଝେଇଲା, ତୋ ପରି ତାଙ୍କର ଥିଲେ ସେ କ’ଣ ଟଙ୍କାଟାଏ ଦେଇନଥାନ୍ତେ ? ନାହିଁ ବୋଲି ସିନା ! ନ ହେଲେ ନ ଥାଉ, ଏମିତି କ’ଣ କିଏ ଯଖ ହେଇଚି ନ ଦେଲେ ନ ଚଳେ, ନା କୋଉ ଏଇ ପଇସାଟା ସବୁଦିନେ ରହିଥିବ ! ଛାଡ଼ଖାଇବୋଲି ମାଛ ନେବବୋଲି ନନା ଆଶା ମୁହିଁରେ ଧାଇଁ ଆସିଛି, ମନା କରିଦେଲେ ମତେ ଧରମ ସହନ୍ତା, ହଇରେ-!’’

 

‘‘ଓହୋ ! ଭାରି ବାହ୍ମୁଣ ନା ବାଇଗଣ !’’

 

‘‘ହେଉ ତୁ କହିବୁ କହ, ବାଇଗଣ କହ, କଖାରୁ କହ, ଯାହା କହିବୁ କହ । ତା’ ବୋଲି ଏ ଜନ୍ମରେ ସତେ କ’ଣ ତୁଟା ବାହ୍ମୁଣ ହେଇଯାଉଚୁ ?’’

 

‘‘ବାହ୍ମୁଣ ନ ହେଲେ ମଣିଷ ତ, ନା ବାହ୍ମୁଣ ହେଲେ ପାଞ୍ଚଟା ହାତ ଆଠଟା ଗୋଡ଼ ହୁଏ-?’’

 

‘‘ଆରେ ମଣିଷ ତ ସମସ୍ତେ, ତା’ ବୋଲି ତ ବଡ଼ ସାନ ଅଛି, ମାନ୍ୟ ମାନତା ଅଛି । ତୁ ତୋ’ର ପଇସାରେ ବଡ଼ ହେଇଥା, ଶୁକୁଟାନା ମାନ୍ୟରେ ବଡ଼, ତା’ ଗୋଡ଼ଧୂଳି ନେଇ ମୁଣ୍ଡରେ ମାରିଲେ ପୁଣ୍ୟ ହବରେ, ବାହ୍ମୁଣଙ୍କୁ ନିନ୍ଦା କରିବୁ ନାଇଁ, ଶାହାସ୍ତ୍ର ଦ୍ରୋହ ହେବ ।’’

 

‘‘ରଖିଥା ତୋ’ର ଶାହାସ୍ତ୍ର ଦ୍ରୋହ, ମାଛଟା ତ ଦେଲୁ ନାଇଁ, ହଉ ହଉ-’’

 

‘‘ଯା ଘଡ଼ିଏ ଛାଡ଼ି ଆସିବୁ ମାଛ ପଡ଼ିଥିବ ଯେ–’’

 

‘‘ହଃ ଆଉ ମୋର ଯାଉଚି,–ଆଜି ନା କାଳକାଳକେ–’’

 

‘‘ଓ ହୋ ହୋ ! ମାଛଖିଆ ଛାଡ଼ି ଦବୁ ପରା ! କ’ଣ ବଇଷମ ହବୁ ?’’

 

‘‘ଆରେ ମାଛଖିଆ କାହିକି ଛାଡ଼ିବି ମ ? ଆଉ କ’ଣ କିଏ ମାଛ ଧରନ୍ତି ନାହିଁ ? କେହି ଦେବେ ନାଇଁ ଖାଲି ତୁଇ ଜଣେ ମାଛ ଧରୁଚୁ ? ନା ମାଗଣାରେ କେହି ଦେଇଦବ ? ହଉ ହଉ, ଏକଥା ରହିଲା ।’’

 

‘‘ଶୁଣ୍‌ ଶୁଣ୍‍ ଅପର୍ତ୍ତି’’ କୁଶିଆ ବୁଝେଇଥିଲା, ‘‘ତୁ ଜାଣିବା ଶୁଣିବା ଲୋକଟା ହେଇ ଏମିତି ଚିଡ଼ିଗଲୁ ? ମୁଁ କହୁଚି କ’ଣ ଶୁଣ, ମଲା,–’’

 

‘‘ଆଉ ଶୁଣିବି ଛେନା, ତାକୁ ମାଛ ଦବୁ, ମତେ ଅକଲ ଦବୁ । ହଉ, ଏ ଗାଁ ଲୋକ ତୁଚ୍ଛା କଥାକୁ ବାଇ, ସେଇଥିପାଇଁ ତାଙ୍କୁ ପଇସା ଗନ୍ଧାଏ, ପଖାଳ କଂସାଏ ପଡ଼ିଗଲେ ସରଗ ଦିଆଙ୍ଗୁଳ, ଜାଣିଲୁ ।’’

 

‘‘ତୁ, ତ ଖଣ୍ଡିଗୁଣିଆଟା । ମାନିବୁ ନାଇଁ, ମୁଁ କ’ଣ କରିବି ? ନଇଲେ ନାଇଁ ଯା । କ’ଣ କରିବୁ କର୍‌ । ତା’ବୋଲି ପଇସାକୁ ଆଗ କରିବ, ବାହ୍ମୁଣକୁ ପଛ କରିବ କୁଶୁନ ବେହେରା ? ବାପ ଶିଖେଇ ନାଇଁ ।’’

 

ଅପର୍ତ୍ତିଆ ଆଖି ତରାଟି କହିଲା, ‘‘ହେଉ ହଉ, ଏକା ମାଘକେ ଶୀତ ଯାଏ ନାଇଁ ।’’ କୁଶିଆର ଭାଲୁଆ ମୁହଁ ମୁହର୍ତ୍ତକେ ବଦଳିଗଲା, ଯେପରି କି ନଈ-ପାଣିରେ ମେଘର ଛାଇ ପଡ଼ିଲା-। କହିଲା, ‘‘କେମନ୍ତ ? ମତେ ଚଦୁଚୁ ? କାନ୍ତରାଟି ପଇସା ମୁଣ୍ଡକୁ ଉଠିଚି ପରା, ପିତ୍ତ ଚଢ଼ିଯାଇଚି-। କ’ଣ ମାଘ ମାଘ ହଉଚୁ ମ ? କେତେ ମାଘ ତ ଦେଖିଲିଣି ଆଉ ତୁ ଦେଖେଇବୁ ଅଧିକା ?’’

 

ଅପର୍ତ୍ତିଆ କିଛି ନ କହି ବୁଲିପଡ଼ି ଚାଲି ଆସିଲା ।

 

ଭୁଲିପାରିନାହିଁ ।

 

ଏମିତି କେତେ ଗୋଟି ଗୋଟିକିଆ ଅନୁଭୁତି ମିଶି ତା’ର ମନଗହୀରରେ ନିଆଁ କୁହୁଳୁଥିଲା । ସେ ଓର ଉଣ୍ଡୁଥିଲା ।

 

ଗାଁ ସମାଜକୁ ଆଖି ପକାଏ । ସେ ଗଜା ଭେଣ୍ଡିଆ । ଜର ନାଳଝାଡ଼ା, ଅଭାବ ଦାରିଦ୍ର୍ୟର ଶୁଖିଲା ଧଡ଼ିଆ ଗାଁ ଗୋଠ ଭିତରେ ସତେ କି ସେ ଜଣେ ମାଲ । ଛାତି ସାଉଁଳି ସାଉଁଳି ବାହା ଛକି ଦେଇ ବାଟ ମଝିରୁ ସେ ସାହିର ପିଣ୍ଡାକୁ ଅନାଏଁ । ଗାଁ କନିଆ ତାକୁ ସିଂଘାଣିନାକୀ ଦିଶନ୍ତି ନାହିଁ, ସେ ଦେଖେ ତାଙ୍କଠି ତା’ର ମୋହକୁ । ପଦେପଦେକେ ଲୋଭାଇ ପଦେପଦେକା ଝୁଣ୍ଟେ । ଭାଁ ମଣିଷ ଏତେ ପାଖରେ ଥାଇ ବି ଏତେଦୂରରେ ତା’ଠୁଁ, ସମସ୍ତେ ଆପଣା ଆପଣା କକ୍ଷରେ ବୁଲୁଛନ୍ତି ନିରାପଦରେ । ଜାତି, ଶ୍ରେଣୀ, ଯେଝା ଯେଝାର ନିଜର । ପରିଚୟ ତାକୁ ତରାଳାଇ ପାରିବ ନାହିଁ, ଅନୁପାତରେ ତା’ର ମୂଲ ତା’ର ସ୍ଥାନ ଦେଖାଇଦେବ । ସେଥି ଭିତରୁ ଜଣେ କହି ତାକୁ ଆଉ କେହିବୋଲି ଭାବିବେ ନାହିଁ, ସେ ବି ସେମିତି ଚାହିଁଥିବ ସିନା, ମନକଥା ତୁଣ୍ଡରେ ଧରିଲେ ତା’ର ଆଉ ମୁଣ୍ଡ ରହିବ ନାହିଁ । କାହାପାଇଁ ନହକା ଗଛରେ ଚଢ଼ି ପିଜୁଳି ତୋଳି ଦେଇଛି, ଆପେ ନ ଖାଇ ଜାମୁକୋଳି ତୋଳି ଆଣି ଦେଇଛି, ବେତନାସି କିଆବଣରେ ପଶି ବେତକୋଳି, କଣ୍ଟେଇକୋଳି, କିଆଫୁଲ ଆଣି ଦେଇଛି । ଗାଁର ପୁଅ ସେ, ଜନ୍ମରୁ ଗାଁ ଝିଅଙ୍କର ବେଠିଆ, ଦରକାର ପଡ଼ିଲେ ଫରାମାସି, ସେମାନେ ତା’ର ବଳ ଆଉ ସାହସକୁ କାର୍ଯ୍ୟରେ ଖଟାନ୍ତି-। କିନ୍ତୁ ଆଲି ସେତିକି, ଆଉ ବେଶି ନୁହେଁ ।

 

ତା’ର ଛପିଲା ଶରଧାର ସପନ-କନ୍ୟାମାନେ ଗାଲ ଆଉଣ୍ଡି ଆଉଣ୍ଡି ତା’ରି ହାତରେ ତୋଳା କୋଳି ଚୋବାଇବା ଦୃଶ୍ୟ ସେ ଉପଭୋଗ କରେ, ଦେଖେ ସେ ଯେଉଁ କିଆଫୁଲ ତୋଳି ଆଣି ଦେଇଥିଲା ସେଇଥିରୁ ପାଖୁଡ଼ାଏ ପାଖୁଡ଼ାଏ ଗଭାରେ ଖୋଷି ସେମାନେ ବାଟେ ବାଟେ ଗଲେ ।

 

ତୁଛା ପବନରେ ସେ ହାତ ପୂରାଇ ମନର ଅସୁରକୁ ମନେ ମନେ ଉପାସରେ ମାରେ । ସାର ହେଲା ମୁହଁଯାକ କାଠୁଆ ବ୍ରଣ, ଯେତେ ଛେପ ବୋଳିହେଲେ ଗଲା ନାହିଁ । ଆପଣା ମୁହଁଟାକୁ ଥିରପାଣିରେ ଦେଖିଲେ ଚାଉଁକରେ, ଥମ ଥମ ଭୁର୍କୁଣ୍ଡା ମାଉଁସିଆ ବଡ଼ ଚେକା ମୁହଁ । ମୁଣ୍ଡରେ ବେତାଏ ବାଳ, ଆଖି ସତେକି ଗୋରୂମୂତ ପରି ।

 

ଅଠରୁ ବର୍ଷରେ ବାହାହେବା ମଣିଷ ବାହା ହେଲା ଛବିଶି ବର୍ଷରେ । ଏକ ସ୍ୱତନ୍ତ୍ର ମୂର୍ତ୍ତି ଘେନି ତା’ର ସ୍ୱତନ୍ତ୍ର ସମ୍ପତ୍ତି ହୋଇ ଯେଉଁ ଲକ୍ଷ୍ମୀ ତା’ ଘରକୁ ଆସିଲା ତା’ର ଚେକା ମୁହଁ, ଦୋପୁରି ଦେହ, ଦମ୍ଭ ଓସାର ଅଣ୍ଟା , ସେ ତ୍ରିପଣ୍ଡ କାଳୀ, ତା’ର ନାକ ଚେପ୍‌ଟା । ତାଁ’ଠି ସେ ସୌନ୍ଦର୍ଯ୍ୟ ଦେଖିଲା, ଗଢ଼ଣରେ ନ ହେଉ ପଛେ, ବଳରେ । ଭାବିଲା, ମା’ ଥାଆନ୍ତା, କି ! ଅସରାଏ କାନ୍ଦିଲା ବି । ଗାଁ ଲୋକେ କହିଲେ, ‘‘କାମିକା ବୋହୁ, ତା’ର ହାତ ଗୋଡ଼ କହି ଦଉଚି ।’’

 

ଗାଁ ଝିଅମାନେ ଟାପରା ବି କଲେ ।

 

କିଏ ପ୍ରଶଂସା କରି କିଏ ଅବା ତାର ଚେହେରା ବାହୁନି ହେତୁ କରାଇଦେଲେ ୟେ ତା’ର, ଏକୁଟିଆ ତା’ର, ଆଉ ସେ ଶିମିଳିତୂଳା ନୁହେଁ, ଗାଁର ଜଣେ ଗୃହସ୍ଥ ।

 

ଅପର୍ତ୍ତି ପଧାନର ମନର ଓରମାଣ ମେଣ୍ଟିଲା ନାହିଁ, ନିଆଁ ନିଭିଲା ନାହିଁ, ସେ ଭୁଲିଲା ନାହିଁ । ଅପର୍ତ୍ତି ପଧାନ ଯେପରି କି ଅପେକ୍ଷା କରିଥିଲା ।

 

କିଣେଇଁ ଓଝା ମନରେ ଥିଲା ହିଂସା, ଅପର୍ତ୍ତି ପଧାନ ମନରେ ବି; ତଥାପି ଦୁହେଁ ଦୁହିଙ୍କଠୁଁ ଭିନ୍ନେ । ଆଉ ସେହିପରି ପରସ୍ପରଠୁଁ ଭିନେ ହେଲେ ବି ଗାଁରେ ଆହୁରି ଅଛନ୍ତି ଅନେକେ, ତାଙ୍କ ମନରେ ବି ସାଆନ୍ତ ବଂଶ ପ୍ରତି ହିଂସା ।

 

ସେହି ଚାପିହୋଇ ପଡ଼ିଥିବା ଲୋକ ଯେତେ, ଏ ଗାଁର ଗଉଡ଼ ସାଆନ୍ତମାନଙ୍କ ସବାରି କାନ୍ଧେଇ କାନ୍ଧେଇ ପିତୃପୁରୁଷଙ୍କ ଅମଳରୁ କାନ୍ଧରେ ବିଣ୍ଡି ପଡ଼ିଥିଲା । ଯୁଗ ସେମାନଙ୍କୁ ମୁକ୍ତି ଦେଇଛି । କିଛି ନ ହେଲେ କଲିକତାରେ ଦୁଧ ବିକି ବିକି ବଡ଼ଲୋକ ହେଲେଣି । ସେପରି ସବୁ ଜାତିର ଲୋକେ । କେହି ଗାଁରେ ଚାଷୀ ତ କେହିଁ ପଦାରେ ବେପାରୀ । ତାଙ୍କ ପିଲାଏ ବି କିଛି କିଛି ପାଠପଢ଼ିଲେଣି, ଭଲ ଲୁଗାପଟା ପିନ୍ଧିଲେଣି, ଭଲ ଘରେ ରହିଲେଣି । ବାବୁଭେକ କାହାରି ଏକଚାଟିଆ ନୁହେଁ । ଘରଣୀ ପିନ୍ଧିଲେଣି ସାୟା ବ୍ଳାଉଜ୍‌ ଜର୍ଜେଟ୍‌ ଆଉ ଜାତିଜାତି ଶାଢ଼ି, ହାତରେ ନାକରେ କାନରେ ଗହଣା ଆଗପରି ବୋଦକା ବୋଦକା ନୁହେଁ, ସରୁ କମକୁଟମୟ । ସାବୁନ୍‌ ବାସ୍ନାତେଲ,ଏସବୁ ସେଠି ତ ବେଶି । ପଲାଙ୍କର ହାଫ୍‌ପାଣ୍ଟ କାମିଜ୍‍ । ବଡ଼ଙ୍କର ଚାହା ଅମଳ ଘୋଟି ଆସୁଛି, ଦୋକାନମାନଙ୍କରେ ହାର ପରି ଯେଉଁ କାଗକ ପୁଡ଼ିଆ ଚାହା ଟଙ୍ଗା ହୋଇଥାଏ, ସେହିମାନେ ତ କିଣନ୍ତି ବେଶି । ସେମାନଙ୍କ ସାହିରେ ସାଇକଲ ବି ଖଣ୍ଡେ ଦି’ଖଣ୍ଡ ଅଛି, ଅନ୍ତତଃ ଗୋଟିଏ ପେଟ୍ରୋମ୍ୟାକ୍‌ସ ଆଲୁଅ ଅନେକଥର ଖରାପ ହେଲେ ବି ବେଳେ ବେଳେ ଜଳେ, ପୁରାଣ ବୋଲାହୁଏ । ଟର୍ଚ୍ଚଲାଟ୍‌ ବହୁତ, କେତେବେଳେ କାହା ଗୁହାଳ ଘରେ କେତେବେଳେ କାହା ହିଡ଼ ଉପରେ ଝକ୍‌କରି ଦିଶେ ଟର୍ଚ୍ଚ ଲାଇଟ୍‌ ଆଲୁଅ । ଦାଣ୍ଡରେ ତ ବହୁତ ଥର ଦିଶେ, ଲୋକର ମୁହଁ ଉପରେ ସିଧା ଆଲୁଅ ପକାଇ ସେମାନେ ବାଟ ଚାଲନ୍ତି । ଆଉ ସେହି ଆଲୁଅରେ ଦିଶେ-ଯେଉଁମାନେ ଆଗେ ଥିଲେ ବଡ଼ଲୋକ, ବାବୁ, ଖାନ୍ଦାନି ସାହି ଦାଣ୍ଡିଆରେ ମଝିରେ ମଝିରେ କାହାର କେଉଁଘର ଅଜାଡ଼ି ହୋଇପଡ଼ିଛି, ପଞ୍ଜରା ହାଡ଼ପରି ଖୋଲା ବାଉଁଶ ପାଟିଆ ଥୋଡ଼ ବଢ଼ାଇ ନଇଁ ପଡ଼ିଛି, ଘର ପାଚିରୀ କାନ୍ଥର ମେଲା ହାଉଁ ବାଟେ ଦୁଆର ଭିତରେ ଆଲୁଅ ପଡ଼ିଗଲେ କିଏ ଗାଳିଦିଏ, କିଏ ପାଟିକରି ଉଠେ ‘‘ହେଇ, କିଏ ଯାଉଚି ? ଏମିତି ଆଲୁଅ ପକାଇଲାବାଲ କିଏ ହେଇଚ ? କାହାର ଏଡ଼େ ଉଗୁରି ମ ?’’ ଆଲୁଅବାଲା ଅନ୍ଧାର କରିଦେଇ ତୁନିତାନି ଚାଲିଯାଏ, ପୁଣି ଆଲୁଅ ପକାଏ ।

 

ସହରକୁ ବାହାରିଲେ ତାଙ୍କ ଭିତରୁ ବି ଅନେକ ଯୁବକ ବାବୁ-ଭେକ ପିନ୍ଧି ଯାଆନ୍ତି । ନ ଥାଏ ସେତେବେଳେ ଧୂଳି ଧସରିଆ ଖୋଲା ଦେହ, ଆଣ୍ଠୁ ଉପରକୁ ମାଟିଆ ମସିଆ ଲୁଗା, ମୁହଁରେ ରୁଢ଼, ମୁଣ୍ଡରେ ଅବର୍ଦ୍ଧା ବାଳ, ବେଣ୍ଟ କି ଚୁଟି । ବରଂ ସେହି ପୁରୁଣା ଭେକକୁ ଜାଣି ଜାଣି ଭୁଲିବା ଉଦ୍ଦେଶ୍ୟରେ ସେମାନେ ଆପଣା ଦେହ ଓ ପୋଷାକ ପ୍ରତି ବେଶି ଯତ୍ନଶାଳ । ସରୁ ବାସିଧୋବ ମିଲ୍‌ ଲୁଗା, କରଡ଼ା ଓସାର କାନ୍ଧ ଉପରେ ଗଣ୍ଠି ଗଣ୍ଠିଆ ଗଣ୍ଡି ଉପରେ ଦି’ଭାଗ ହୋଇ ଦିଶୁଥିବା ଆବୁ ଆବୁଆ ଛାତି ଉପରେ ଫୁଲ ଫୁଟିଲା ପରି ଜାଲ ଗେଞ୍ଜି, ତା’ ଉପରେ ଚୂନ ଧୋବକନାର ପଞ୍ଜାବୀ କି ଡୋରିଆ ମହମବୋଳିଲା ପରି ଜିକିଜିକି କନାର ପୁଗହାତ କାମିକ, ମୁହିଁଟିମାନ ତଞ୍ଚାତଞ୍ଚ୍ଥି ଆଉ ଚିକ୍କଣ, ତେଲ ଜୁଡ଼ୁବୁଡ଼ୁ ଲମ୍ୱା ବାଳ ଫିରେଇ ପଡ଼ି ପାଲିସ୍‌ହୋଇ ସାନ ବଡ଼ ହୋଇ ଦି ଭାଗ, ମୁହରେ ଠାଣିରେ ସ୍ୱସ୍ଥ୍ୟର ତେଜ ଆଉ ଦାମ୍‌ ଚଢ଼ିଥିବା ଦିନରେ ଆପଣା ହାତଚାଷ ଜମିର ଫସଲର, ପୂରା ମରେଇ ଓଳିଆ କୋରମେଇଁର, ଆପଣା ବୃତ୍ତିରେ ସ୍ୱାଧୀନଭାବେ ପେଟ ପୋଷିପାରୁଥିବା ମଣିଷର ଆତ୍ମବିଶ୍ୱାସ–ସେ ବି ଝଳିଉଠେ ସେ ଠାଣିରେ । କାହା ହାତରେ ଥାଏ ସୁଟ୍‌କେଶ୍‌, କିଏ ବି ଗୋଟିଏ ମୁଣି ଓହଳାଏ । ଖଦଡ଼ ସାଜ ଉପରେ ଟୁମୁକା ମୁଣି, ନ ହେଲେ କାହାରି କାହାରି କେଉଁ ବିଚିତ୍ର ମୁଣି, ଖାକି କନାର କି ଚମଡ଼ାର, ଚିହ୍ନି ହୁଏ ୟେ ବିଦେଶ ଦେଖିଛନ୍ତି ବୋଲି । ଆଉ ଏମାନଙ୍କ ଭିତରୁ ଅନେକେ ଚଢ଼ିଛନ୍ତି ରେଲ, ମଟର, ପଦା ଦେଶ ଦେଖିଛନ୍ତି ।

 

ଚଳନ୍ତି ଦୁନିଆର ଖବରଅନ୍ତର ସେମାନେ ବେଶି ରଖନ୍ତି, ବେଶି ଜାଣନ୍ତି ଆଉ ଗପନ୍ତି ଗାଁରେ ବେଶି ବେଶି । କଲିକତା, କାଳିମାଟି, ଡ଼ୁଡ଼ୁମା, ହୀରାକୁଦ, ରାଉରକେଲା, ଆଉ କାହିଁକାହିଁକା କଥା ।

 

ବାବୁମାନେ ଶୁଣନ୍ତି, ଆଉ ମୁଣ୍ଡ ଟୁଙ୍ଗାରନ୍ତି ।

 

ସେହି ଲୋକେ, କିଏ ଚଷା, କିଏ କେଉଟ, ଗଉଡ଼, ଗୁଡ଼ିଆ, କମାର, କୁମ୍ଭାର, ଆଉ କେତେ ଜାତି । ଦେଶକୁ ସ୍ୱାଧୀନତା ଆସିଛି । ଗାଁର ବାବୁଭାୟା ଦେଖୁଛନ୍ତି, ଆଖିଆଗରେ ପୁରୁଣା ଅମଳ ସାଆନ୍ତପଣର ଅଧିକାର, ଜମିଦାରିର ରାଜୁତି, ଏପରି କି ଭାଗରେ ତଷୋଉଥିବା ଆପରା ଜମିର ଫସଲର ବଡ଼ ଭାଗର ମାଲିକପଣ କୁଆଡ଼େ ଉଭେଇ ଯାଇଛି, ଘର ଛୁଆଣିକି ନଡ଼ା ନାହିଁ, ଘର ଲିପିବାକୁ ମଣିଷ ନାହାନ୍ତି, ଚାକର ସମ୍ପ୍ରଦାୟ କାହିଁ ସ୍ୱପ୍ନ ହେଲାଣି । ପୁରୁଣା ଯୁଗ ଯାଇ ନୂଆ ଯୁଗ ଆସିଛି ଯେ ଖାଲି ଦହଗଞ୍ଜ, ଛଟପଟ, କେବଳ ବଞ୍ଚିରହିବାପାଇଁ କେତେ ଫନ୍ଦିଫିକର କରିବାକୁ ପଡ଼ୁଛି, କେତେ ପ୍ରକାରେ ଟାଣିଟୁଣି ହେଲେ ବି ଯେଉଁ ଫୁଙ୍ଗାକୁ ସେହି ଫୁଙ୍ଗା ।

 

କିନ୍ତୁ ଏମାନେ ଚାହୁଁଛନ୍ତି ଆଗକୁ ଆଗକୁ । ସ୍ୱଧୀନ ଦେଶରେ ସ୍ୱାଧୀନ ଭୋଟର ଅଧିକାର ମିଳିଛି, ଦଳର ମୁଣ୍ଡ ଗଣତିରେ ବଳର ଆକାର । ଭୋଟ ଭୋଟ, ସବୁଠି ନିର୍ବାଚନ, ବେଶି ଲୋକ ଯେଉଁ ପଟେ ସେହି ପଟେ ମତର ବଳ । ଦେଶରେ ଭୋଟ ଲଢ଼େଇ ହୋଇଯାଇଛି । ନେତାମାନେ ଆଉ ପ୍ରଚାରକମାନେ ଆସି ଘର ଘର ଡାକି ତୁହାଇ ତୁହାଇ ବୁଝାଇଦେଇ ଯାଇଛନ୍ତି-ତେମେ ବଡ଼, ତେମେ ହାତୀ, ସୁନକଳସ ତମରି ହାତରେ, କାହା ମୁଣ୍ଡରେ ଢାଳିବ ତା’ ତୁମର ମରଜି । ଫୁସୁଲେଇଛନ୍ତି, କାହା ପଟ ନେଲେ କିଏ କି ଉପକାର କରିଦେବ । ଆଖି ଝଲସି ଯାଇଛି-। ଆପଣା ଗୁରୁତ୍ୱ ବୁଝି ୟାକୁ ଦେବା ନା ତାକୁ ଦେବା, ଆପଣା ଦୟାରେ ତଉଲି କେହି କେହି ତ କିଛି ଠିକଣା ନ କରିପାରି ଭୋଟ ଦେଇନାହାନ୍ତି ଆଦୌ । ଶୋଇଲା ମଣିଷ ଚେଇଁଉଠି ଦେଖିଛି ତା’ଠି ବଳ ପୂରିଛି, ଦୁନିଆଁରେ ତା’ର ନୂଆମୂଲ, ଆପଣା ବଳକୁ ଆପେ ଚିହ୍ନିଛି ଟିକିଏ । ଆଉ ସଙ୍ଗେ ସଙ୍ଗେ ତା’ର ନୂଆ ପାଇଥିବା ଦୃଷ୍ଟିଭଙ୍ଗୀ ଆଗରେ ପୁରୁଣା ଅମଳର ପ୍ରତୀକ ପରି ପୁରୁଣା ସଂସ୍ଥାର ଚିହ୍ନବର୍ଣ୍ଣ ଅଡ଼ୁଆ ଦିଶିଛି, ଅଧୀର ଲାଗିଛି-ଯେ ଫେର୍‌ ଏଗୁଡ଼ାକ ରହିଛି କାହିଁକି ? ଯିବ କେବେ ? କାହିକି ଯାଉ ନାହିଁ ?

 

ଏଇ ଯେତେ ନୁଖୁରା ଦାଉ, ମାହାଳିଆ ହାମ୍‌ବଡ଼ାମିର ଜୀଅନ୍ତା ଅଳିଆ କୁଢ଼, ଏଗୁଡ଼ାକ ଯିବ କେବେ ?

 

ଆଉ ସେତିକିବେଳେ ଗାଁ ଗାଁକେ ସେମାନେ ଦେଖିଛନ୍ତି ସାଆନ୍ତପଣ ଚାଲିଯାଇଥିବା ସାଆନ୍ତମାନେ ଆଉ ଧନ ସରିଥିବା ବାବୁ ସମ୍ପ୍ରଦାୟରୁ କେହି କେହି ଆପଣା ଆସନ ବଞ୍ଚାଇ ରଖିବାପାଇଁ ବେଶ ପାଲଟି ହୋଇଛନ୍ତି ବୁଦ୍ଧିଦାନୀ, ଟାଉଟର, ଗାଁ ନେତା । ଏ ଘରେ ମାଉସୀ ସେ ଘରେ ପିଉସୀ ହୋଇଛନ୍ତି, ଡାଆଣୀ ହୋଇ ଲଗାଇଛନ୍ତି, ଗୁଣିଆଁ ହୋଇ ଝାଡ଼ିଛନ୍ତି । ଆଗେ ଯଦି ଗାଁ ଟରଣି ଖାଲି ମକଦ୍ଦମା ଲଗାଇଦେଇ ଦି’ପଇସା ଲାଭ ଉଠାଉଥିଲା, ଏମାନେ ଗଢ଼ୁଛନ୍ତି ଦଳ, ପ୍ରତିଶ୍ରୁତି ବାଣ୍ଟୁଛନ୍ତି, ପିଟିସନ ଲେଖାଇ ପଠାଉଛନ୍ତି, କାଳି ଲଗାଉଛନ୍ତି, ଗାଁ ଲୋକଙ୍କ ପ୍ରତିନିଧିତ୍ୱ କରି ସରକାରଠୁଁ ଟଙ୍କାଆଣି ଆପଣା କାର୍ଯ୍ୟରେ ଲଗାଉଛନ୍ତି, ଗୋଟିଏ ଜମିକି ଦଶ କାମରେ ବନ୍ଧା କି ଜାମିନ ଦେଖାଇଦେଇ ଟଙ୍କା ଆଣି ଚଳୁଛନ୍ତି, ଆଣିଦେବି, କରେଇଦେବି କହି ଲୋକଙ୍କୁ କାନିରେ ବାନ୍ଧି ନେତୃତ୍ୱ କରୁଛନ୍ତି-ତାଙ୍କର ଘର ଭର୍ତ୍ତି ହେଉଛି । ତାଲିମକରି ଦେଇଗଲା କଣ୍ଟରୋଳ କାଳ, ଭୋଟ ଲଢ଼େଇ, ରାଜନୈତିକ କ୍ଷମତା ହୋଇ ଲଢ଼େଇ ଏହିମାନଙ୍କୁ ସୁବିଧା କରିଦେଲା, ପଛେ ଅନ୍ୟମାନେ ବି ତାଲିମ ହୋଇ ତାଙ୍କ ସାଙ୍ଗକୁ ବାହାରିଲେ, ଟିକିଏ ଚାଇଁ ଟିକିଏ ଫୂର୍ତ୍ତି ଗାଁର ନିକମା ଟୋକା ବି ଏପକ୍ଷ ସେପକ୍ଷ ବୁଲାବୁଲି କରି ଗତଗାତ ଉଣ୍ଡିପାରିଲେ ନେତାପଣରେ ଆପଣାର ଭବିଷ୍ୟତ ଦେଖିପାରୁଛି, ବଡ଼ ବଡ଼ ଲୋକଙ୍କ ନାଁ ସଙ୍ଗେ ନିଜକାର୍ଯ୍ୟକ୍ରମକୁ ଯୋଡ଼ିଦେଇ ବଡ଼ ବଡ଼ କଥା କହି ଲୋକଙ୍କ ଆଶା କି ହିଂସା ତେଜିଦେଇ ନୂଆପ୍ରକାର ମଧ୍ୟପାତ୍ର ହୋଇ ଲାଭ ଉଠାଇବାକୁ ଚେଷ୍ଟା ଚଳାଉଛି । ଗାଁର ସେହି ନୂଆ ଚେଇଁଥିବା ଖଟିଖିଆ ଲୋକ ଏମାନଙ୍କୁ ବି ଦେଖୁଛନ୍ତି, ତାଙ୍କ ଅଭୀଷ୍ଟ ଆଉ ତାଙ୍କ ନିଜ ମଝିରେ କୁହୁଡ଼ି ପରି ଘୋଟିଥିବା ଏଇ ନୂଆ ସଂସ୍ଥାକୁ ଦେଖୁଛନ୍ତି, ୟେ ବି ଭଦରଲୋକେ, ସାଆନ୍ତପଣର ନୂଆ ରୂପ –ହାତମୁଠା କଟକଟ ଡାକୁଛି, ସେମାନେ ଅଧୀର ହେଉଛନ୍ତି । ତାଙ୍କର ବି ହିଂସା ଏହି ପୁରୁଣା ସାଆନ୍ତକୁଳ ଉପରେ-ଆଶା କରୁଛନ୍ତି-ନିଆଁ ଲାଗିବ ।

 

ସେହି ପୁରୁଣା ପାଣିଚୋଟଖିଆ ନଈବନ୍ଧର ଫାଳ, ସମୟର ତଡ଼ା ହଣା ଖାଇ ବଙ୍କାଢଙ୍କା ଦାଢ଼ୁଆ ଆଉ ଦାନ୍ତୁରା, ଯୁଗ ଯୁଗର ମଡ଼ାବାଟ ହୋଇ ପାଦରେ ଚାପି ହୋଇ ସେ ଟାଣ ହୋଇଛି, ଦେହରୁ ପଛେ ଫାଳ ଫାଳ ଉଡ଼ିଯାଉ ସେ ଠିଆ ଠିଆ ବିଲୋପ ମୂଲୋଉଛି-ଅନ୍ଧାରି ମଧ୍ୟଯୁଗର ବିଶ୍ୱାସ ଉପରେ ତା’ର ଭିତ୍ତି, ଯୁକ୍ତିକୁ ତା’ର ଗୋଟିଏ ଉତ୍ତର-ଯେ ସେ ସମୟର ପରଖରେ ପରିଖି ହୋଇଛି । ସେହି ପରଖରେ ପରଖି ହୋଇଛି ସେ କହିବ-ରଜା, ପ୍ରଜା, ସମାଜ, ବଡ଼ ସାନର ସମାଜ, ଦେଉଳରେ ଘଣ୍ଟି ଜଣଜଣ, ଘରେ ବୁଢ଼ା ବୁଢ଼ାଙ୍କୁ ମାନ୍ୟ ମାନ୍ୟତା, ଝିଅ ବୋହୂଙ୍କୁ ଆକଟ ମୁଣ୍ଡରେ ଲମ୍ୱା ଚୁଟି, ବେକରେ ମାଳି, ବ୍ରାହ୍ମଣ ବଇଷମଙ୍କୁ ସମ୍ମାନ, ଦିଅଁଙ୍କୁ ପୂଜା । ନୂଆଯୁଗର ନୂଆ ପ୍ରବାହକୁ ସେ କହେ ପ୍ରଳୟପୂର୍ବର ବଡ଼ ବଢ଼ି, ସମତାକୁ କହେ ବାରଜାତି ତେରଗୋଲା, ସାମ୍ୟକୁ ଆକ୍ଷେପ କରି କହେ ଏଇ ଆଖରର ସୂଚନା, ସର୍ବେ ହୋଇବେ ଏକାକାର, ନ ଥିବ ବେଦର ବିଚାର, ଆପଣା ସଂସ୍ଥାରୁ ଆପଣା ସମାଜର ସ୍ୱାର୍ଥରୁ ଫାଳ ଫାଳ ଫାଟି ନଈରେ ତଳେଇ ଗଲେ ସେ ଦୁଆ ଦିଏ ଧର୍ମ ନାଁରେ-କହେ ଧର୍ମ ଗଲା, ଧର୍ମ ଗଲା ।

 

ନୋକା ନାହାକ ସେହି ସମ୍ପ୍ରଦାୟର, ତା’ର ମଙ୍ଗଳାଷ୍ଟକ ଆଉ ପାଞ୍ଜିର ଫଳ ଉପରୁ ଲୋକଙ୍କ ବିଶ୍ୱାସ ତୁଟିଲେ ତା’ର ବଞ୍ଚିବାର ଅର୍ଥ ତୁଟିଯିବ, ତେଣିକି ସେ ଗାଁର ଚାଷୀ, ବିଶିଷ୍ଟତା ନାହିଁ । ଚାଷୀ ପାଖରେ ଚଷାଛୁଆ ସଙ୍ଗେ ସମକକ୍ଷ ହେବା ତା’ ପକ୍ଷରେ କାଟିକର ପାଠ । ସାହିପରି ଶୁକୁଟି ମିଶ୍ରେ, କାରଣ ସେ ଧନୀ ହୋଇନାହାନ୍ତି, ତଥାପି ସେହି ଠାକୁରପୂଜା ଓ ପୋଥିପଢ଼ାରେ ଲିପ୍ତ । ଏମାନେ ଗାଁଆରେ ସାଆନ୍ତପଣର ପୁରୁଣା ମନ୍ତ୍ରୀ, ସେନାପତି, ନୂଆ ଯୁଗର ନୂଆ ଧନୀଙ୍କୁ ଦେଖି ଡରରେ ଆଡ଼େଇ ହୁଅନ୍ତି । କହନ୍ତି–‘‘ଛାଡ଼ ଏ ଲୋକଙ୍କ କଥା, ‘ମର୍ଯ୍ୟାଦା’ ଜାଣନ୍ତି ନାହିଁ ।’’

 

ଏମାନେ ସିନ୍ଧୁ ଚୌଧୁରି ପଟ ନେବେ ହିଁ ତ, ଲଢ଼ିବାକୁ ଖାଲି ତୁଣ୍ଡର ବଳ, ବାଦ ବିଧିକୁ ଆଶ୍ରା । ମତାଉ ମତାଉ ଯେ ମାତିଲା, ସେ ବଳ ବଢ଼ାଇଲା ।

 

ମାତିବା ଲୋକ ବି ଊଣା ନାହାନ୍ତି । ଯେଉଁମାନଙ୍କର ନିଜର ମତାମତ ନାହିଁ, ପିଲାକାଳୁ ବଡ଼ ହେବାଯାକେ ଏକପ୍ରକାର ଚଳାଚଳ, ଦରିଦ୍ର ଗାଉଁଲି ଗୃହସ୍ଥପଣରୁ ବଡ଼ତି ହୋଇନାହିଁ, ଛିଡ଼ିନାହିଁ ବି ବେଶୀ, ଏକାପ୍ରକାର ସିଧା ସରୁ ଗାର, ପରିବର୍ତ୍ତିନ ନାହିଁ । ଭାବିବା ଦରକାର ପଡ଼ିନାହିଁ, ଯାହା ଆସୁ ଭାଗ୍ୟକୁ ଆଦରି କର୍ମର ନାଁ କହି, ଆଖିବୁଜି ଚଳି ଆସିଛନ୍ତି । ଆଉ ପିଲାକାଳୁ ମନ ଭିତରେ ସେହି ପୁରୁଣା ସଂସ୍କାର ପ୍ରତି ବିଶ୍ୱାସ, ବଡ଼ ସାନର ଧାରଣା, ଜାଣି ଜାଣି ହେତୁ ନ କଲେ ବି ମନର ତଳେ ତଳେ । ଅବସ୍ଥା ଚକ୍ରରେ ପଡ଼ି ଏମାନେ ସହଜେ ‘ମାଧିଆ ଭାଇ, ସବୁକଥାକୁ ହୋଇ ହୋଇ ।’ ଯେ ଅଡ଼େଇ ପାରିଲା ସେମାନେ ତା’ର ଗୋଠ, ଯେ ମତେଇ ପାଗିଲା ଏମାନେ ତାହା ପଟ । କିନ୍ତୁ ସବୁଦିନକୁ ନୁହେଁ, ଏ ବିଷୟରେ ଏମାନଙ୍କର ସ୍ମରଣଶକ୍ତି ବେଶୀ ନୁହେଁ । ତେଣୁ ଅତିଶୀଘ୍ର ପଟ ଓଲଟାନ୍ତି । ସାମାନ୍ୟ କଥାରେ ଅଡ଼ି ବସନ୍ତି । ଓଟାରିବା କଷ୍ଟ ନୁହେଁ, ହୁରୁଡ଼େଇବା ଆହୁରି ସହଜ । ଏମାନେ ରାଜନୈତିକ ଦଳଗଢ଼ାମାନଙ୍କର ଏକାଧାରରେ ଆଶାର ଭୂମି ଓ ହତାଶାର ବାଳିଭୁଷା, ମୁଣ୍ଡଗଣତିରେ ମୋଟା ମୋଟି ଏହିମାନେ ହିଁ ଉଭୟ ପକ୍ଷପାଇଁ ‘‘ଆମ୍ଭ ଗ୍ରାମ ଲୋକେ ।’’

 

ଏଠି ଅପର୍ତ୍ତି ପଧାନ ବି ଦଳ ଗଢ଼ିଲା, ନୋକା ନାହାକ ବି ଦଳ ଗଢ଼ିଲା । ଏହାରି ତଳିତଳାନ୍ତ ଯେତେ, ଅଳ୍ପ କେତେ ଡରୁଆ, ବୁଢ଼ାଳିଆ ମଣିଷ, ଯେଉଁମାନେ କୁହାକୁହି ହୁଅନ୍ତି, ‘‘ଆମର କି ଯାଏ ହୋ,’’ ସେମାନେ ଦୁଇ ଦଳର, ଯେତେବେଳେ ଯାହାକୁ ଦେଖିଲେ ତା’ର, ଉଭୟ ପକ୍ଷଙ୍କୁ ଏକାଠି ଦେଖିଲେ ଏମାନେ କେବଳ ଦେଖେଣାହାରି, ନିରୀହ ଜନତା ।

 

ଝିମିଟିଖେଳରୁ ମହାଭାରତ ପରି ହଠାତ୍‌ ପାଟେଳି ଗାଁରେ କୁହୁଳି ଉଠିଲା ଦୁଇଟା ମତବାଦ, ନୋକା ନାହାକ ଓ କିଣେଇଁ ଓଝା କଳିକୁ କେନ୍ଦ୍ରକରି ଆଉ ତା’ର ପିଠିଆଡ଼େ ପରଘର କଥା, ସିନ୍ଧୁ ଚୌଧୁରି ଘର କଥା, ପାଖେ ଯଦି ଦୋଷୀ କହିଲେ, ପାଖେ କହିଲେ ନିଦୋଷୀ । ମନକୁ ମନ ଏପଟ ସେପଟ ହୋଇ ଲୋକେ ଆଉଜିଗଲେ, ସତେ ଯେପରି କି ଦି’ଭାଗ ହେବାକୁ ଆପଣା ଆପେ ଗାଁର ମନ, ଦରକାର ଥିଲା ଖାଲି ଗୋଟିଏ ଘଟଣାର ପତିଆରା । ଠିକ୍‌ ଏତିକିବେଳକୁ ମନେପଡ଼ିଲା, କିଏ କାହା କଥାରୁ କେବେ ବାହାର ହୋଇଥିଲା, କିଏ କାହାକୁ କେବେ ଅପମାନ କରିଥିଲା, ସମାଲୋଚନା କରିଥିଲା, କିଏ କାହାର ଶିରୀ ଦେଖିପାରେନାହିଁ, କିଏ କାହାକୁ ଜମି ନ ବିକି ଆଉ କାହାକୁ ବିକିଛି, କିଏ କାଳିରେ ସଉଦା ଦେଇନାହିଁ. କିଏ ଉଧାର ଦେଇ ବାଟରେ ଘାଟରେ ମାଗିଛି, କିଏ କାହା ହଳିଆକୁ ଛଡ଼େଇ ନେଇ ଚାକିରି ରଖିଛି । ଅତଏବ ଜଣେ ଏପାଖେ ରହିଲେ ଆଉଜଣେ ସେପାଖେ ରହିବ । ୟେ ‘ଭୁଲ’ କହିଲେ ସେ କହିବ ‘ଠିକ୍‌’ । ଆଲୋଚନା କରୁ କରୁ ବହୁଳ ପ୍ରଚାର, ସେଥିରେ ମାଇପଙ୍କ ବିଚାର, ଘରଆଡ଼ୁ ନିର୍ଦ୍ଦେଶ ଘେନି ପୁରୁଷଙ୍କ ମତଗଡ଼ା । ହଠାତ୍‌ ଜଣେ ଆବିଷ୍କାର କରୁଛି, ଆରଜଣକ କେଡ଼େ ଖରାପ !

 

ସଞ୍ଜକୁ ଗାଁରେ ଦୁଇ ବାଡ଼ ।

 

ସିନ୍ଧୁ ଚୌଧୁରି ମେଘୁଆ ମୁହଁ କରି ବନ୍ଧେ ବନ୍ଧେ ଏକୁଟିଆ ବୁଲି ବୁଲି ଫେରିଲେ । ଘରେ ଭାରିଯା ତଥାପି ଗର୍ଜୁଛନ୍ତି । ଦୀପ ଲାଗିଲା ପରେ ସବୁଦିନ ପରି ଭାଗବତ ପଢ଼ିବାକୁ ଲାଗିଲେ । ଲାଗିଲା ତା’ର ଆବଶ୍ୟକ ଥିଲା, ଅନ୍ତତଃ ସଂସାର ଭୁଲି ହୁଏ ।

 

ପିଠେଇ ଦେଲେ ସବୁ ସହି ହୁଏ, ରବି ଭାବି ସାରିଥିଲା, ବାପା ଗାଳି ଦେଉଥିବେ, ତୁନିକରି ମୁହଁପୋତି ତାଙ୍କ ପାଦ ଦି’ଟାକୁ ଅନେଇଁ ରହିଲେ, କ୍ରମେ ସେ ଶାନ୍ତ ହେବେ, ଆଉ ଯେତେ ବୟସ ହେଲେ ବି ବୋଉ କୋଡ଼ରେ ମୁଣ୍ଡଟା ଭୂଷିଦେଇ ଘଡ଼ିଏ ପଡ଼ି ରହିଲେ ତା’ର ବି ରାଗ ଖସିପଡ଼ିବ, ସେ ପିଠି ଆଉଁଶି ଦେବ, ମୁଣ୍ଡ ଆଉଁଶି ଦେବ, ପଟନେଇ ବାପାଙ୍କୁ କହିବ ପଦେ-। ଏତିକିରେ ସବୁ ରିଷ୍ଟ ଖଣ୍ଡନ ହୋଇଯିବ । ତା’ପରେ ତ ଆପଣା ରୁଚି ଜୀବନ ।

 

ବାପା ବୋଉ ସବୁଦିନେ କହନ୍ତି, ପୁଅ ତୋ’ର ବୁନ୍ଧି ହେଲା ନାହିଁ, ଆମେ ତ ଆଉ ସବୁଦିନେ ନ ଥିବୁ । ସବୁ ବାପା ବୋଉ ସବୁଦିନେ ସେମିତି କହି ଆସିଛନ୍ତି; କିନ୍ତୁ ରବି ଭାବେ ସେମାନେ ଚିରନ୍ତନ, ଖାଲି ସେମାନେବୋଲି ନୁହଁନ୍ତ, ତା’ର ଘର, ତା’ର ଏ ଜୀବନ, ଏଇ ପଖାଳ କଂସା, ସବୁ ସବୁଦିନିଆଁ । ନିଃସନ୍ଦେହରେ ଜୀବନ ଗଡ଼ିଚାଲେ, ଜୀବନରୁ ପୂରା ମଜା ଉଠେଇହୁଏ-

 

ତେଣୁ ଯେତେବେଳେ ଚାକିରି ନ କରି ସେ ସୁନାପୁଅ ପରି ଘରକୁ ଫେରିଆସିଲା ଆଉ ବାପା ଦେଖିପାରିଲେ ସାମ୍ନାରେ ତା’ର ନିକମା ଜୀବନ, ତା’ଦ୍ୱାରା କିଛି ହେବନାହିଁ, ଆଉ ମନଇଚ୍ଛା ଝିଙ୍ଗାସିଲେ, ସେତେବେଳେ ଭାବପ୍ରବଣ ପରୀକ୍ଷାର୍ଥୀ ପରି ମୋଟେ ତା’ ମନରେ ପଶିଲା ନାହିଁ, ଚଳନ୍ତି ରେଳଗାଡ଼ି ଆଗରେ ଡେଇଁବା ପ୍ରସଙ୍ଗ ବା ପଟାସିଅମ୍‌ ସାଇନାଇଟ୍‌ ବା ତା’ର ଗ୍ରାମ୍ୟ ସଂସ୍କରଣ-ଗୁଡ଼, କୋଚିଲା, କନିଅର ମଞ୍ଜି, ପାଳଦଉଡ଼ି, କିଛି ନ ହେଲେ ଗମ୍ଭୀରା ଘରେ ପଶି ଅସରାଏ ଖଣ୍ଡେ କାନ୍ଦିବା କଥା । ଆଦୌ ଭାବିଲାହିଁ ନାହିଁ ସେ । ରାସ୍ତାର ଶ୍ରମ ମାରିବାକୁ ରାତିଏ ଦମ୍‌ ମାରିସାରି, ଗେଞ୍ଜିଗାଞ୍ଜି ସହରର ମଟରତେଲ ଆଉ ସଡ଼କ ଧୂଳି ମିଶା ମୋଟା ପବନର ନାକରୁନ୍ଧା ସ୍ମୃତି ମନ ଭିତରୁ ଉଝାଳି ପକାଇବାକୁ ଦି’ଦିନ ଗାଁରେ ବୁଲିସାରି ରବି ପୁଣି ଯାଇ ଚାଷ କାମରେ ମନ ଦେଲା ।

 

ସହରରୁ ଲେଉଟିବା ସଙ୍ଗେ ସଙ୍ଗେ ଲୁଗାରେ ମୁଣ୍ଡବାଳ ଭିତରେ ଯେପରି ସହରିଆ ଧୂଳି ଲାଗି ରହି ମଇଳା କରିଛି ସେମିତି ମୁଣ୍ଡ ଭିତରେ ଲାଗି ଆସିଛି କେତେଟା ଧାରଣା, ସହରର ଚଳନ୍ତି ବୋଲିରେ ଯାହାକୁ କହନ୍ତି, ‘‘ଆଇଡ଼ିଆ’’ । ଗାଁରେ ପହଞ୍ଚି ସେଥିରୁ ଗୋଟିକିଗୋଟି ସେ ଯେପରି କି ମୁଣ୍ଡ ଭିତରୁ ଦି ଆଙ୍ଗୁଠିରେ ଚିପି ପଦାକୁ ବାହାର କଲା, ଆଖି ଆଗରେ ଟେକି ଧରିଲା, ଗାଁ ଆଲୁଆରେ ଭଲକରି ଦେଖି ଦେଖି ପରୀକ୍ଷା କଲା ।

 

ମହାତ୍ମା ୰ଅନାଦି ଦାସଙ୍କ ମାଟି ସମାଧି ପାଖ ବିଶାଳ ବରଗଛ ଆଗରେ-ନିଛାଟିଆ ଥାନ, ଏକରେ ନଈ ଦିଶେ, ସେକରେ ଦଣ୍ଡାମାଳ, ଗୋରୁ ଚରନ୍ତି ଆଉ ଅଳ୍ପ କିଛି କଣ୍ଟାଫିରିକି ବଣ, ସେଇ ବରଗଛ ଛାଇରେ ବସି ରହି ରବି ଉକୁଣୀ ବାଛିଲା ପରି ଗୋଟିକି ଗୋଟି ନୂଆ ଧାରଣାମାନ ସେ ମୁଣ୍ଡ ଭିତରୁ ବାହାର କରି ଦେଖିଲା ।

 

ଚକଡ଼ା ଜମିରେ ଟ୍ରାକର ଚାଷ, କ’ଣ ନାଙ୍କରା ହୁଅନ୍ତା ? କଳରେ ସବୁ ଚାଲନ୍ତା, ଏତେଲୋକ ଦରକାର ନାହିଁ, ବିଚରା ବଳଦମାନେ ରକ୍ଷା ପାଇ ଆଶୀର୍ବାଦ କରନ୍ତେ, ମନ୍ଦ କ’ଣ ? ଆଉ ଏତେ ଏତେ ଢିଙ୍କି ପରିବର୍ତ୍ତେ ପୁଞ୍ଜା ପୁଞ୍ଜା ମଉଜାରେ ପେଣ୍ଠଜାଗା ଦେଖି ଗୋଟାଏ ଲେଖାଁ ଧାନକଳ, ସେହିପରି ତେଲକଳ, ଆଖୁକଳ, ସବୁ କଳ । ସବୁବର୍ଷ ଘରଛାଉଣି ପରିବର୍ତ୍ତେ ଏକାମଛାକେ ଆଜ୍‌ବେଷ୍ଟସ୍‌ ଛାତର ଘର । ଘରଛୁଆଣିଆ କ’ଣ ଦରକାର, ଖଡ଼ କି ଲୋଡ଼ା ? ଗୋରୁ ଖାଇବେ, ଦୁଧ ଦେବେ । ସମବାୟ ଗଢ଼ିଲେ କଳର ଦୁନିଆ ସହଜରେ ଗଢ଼ିହେବ, ଯନ୍ତ୍ର ବି ଯାଚି କରି ଦେଉଛନ୍ତି ଶସ୍ତାରେ ଆଉ ସୁବିଧାରେ ।

 

ଅନୁମାନ କଲା ଅନାଦି ଦାସଙ୍କ ଚେହେରା, ଦେଖିନାହିଁ, ଶୁଣିଛି । ପ୍ରକାଣ୍ଡ ଡେଙ୍ଗା ଲୋକ, ଧୋବଲା ଜଟ ଦାଢ଼ି ଶହେ ବର୍ଷା ବୁଢ଼ା, ଜାତିରେ ବାଉରି ଥିଲେ । ଲୋକେ ମାନୁଥିଲେ ମହାତ୍ମା ବୋଲି ।

 

‘‘ଅନାଦି ଦାସ, ଟ୍ରାକ୍ଟର-ଯୁଗ ଅନୁମାନ କରିପାରୁଛ ? ସବୁ କଳରେ, ସବୁ ହେବ ଯନ୍ତ୍ରରେ, ଏବେ ତ ସହରରେ ସୁଦ୍ଧା କୃତ୍ରିମ ପ୍ରଜନନ ପ୍ରଣାଳୀରେ ଗାଈ ଫଳ ଯାଇପାରୁଛି । ଆଉ ଦିନାକାତେ ଗଲେ ମଣିଷ, ପଚାଶ ବର୍ଷପରେ ଜନ୍ମ ହ’ ଅନାଦି ଦାସ-କୃତ୍ରିମପ୍ରଜନନ ପ୍ରଣାଳୀରେ-।’’ ମନେ ମନେ ଯେପରି କି ଅନାଦି ଦାସଙ୍କ ଜବାବ୍‌ ଶୁଣୁଛି–

 

‘‘ଟ୍ରାକ୍ଟର ହଳ କରିବ, ତେବେ ବଳଦ କରିବେ କ’ଣ ? କାହାର ବଂଶ ରକ୍ଷାକରିବେ ନା କିଏ ଖାଇବ ସେମାନଙ୍କୁ ? ଲୋକ ମଇ ପାଇବେ କାହୁଁ / ଧାନକୁଟୁଣୀ କ’ଣ କରିବେ, କୁଆଡ଼େ ଯିବେ ଏତେ ବୃତ୍ତିର ଲୋକ ?’’

 

‘‘ଲାଗିଯିବେ ସମସ୍ତେ କଳକାରଖାନାରେ ଅନାଦି ଦାସ, ସାଇରନ ବାଜିଲେ ଧାଇଁଯିବେ କାମକୁ । ପ୍ରକାଣ୍ଡ ପ୍ରକାଣ୍ଡ କଳକାରଖାନା, ଏକ ମନରେ ଏକ ସମୟରେ ସମସ୍ତେ କଳରେ ଲାଗିବେ, ଜିନିଷ ଉପୁଜେଇବେ, ସେଇଠି ପାଇବେ ଏକତାର ପତ୍ତନ, ଛାତିକି ଛାତି, ହାତକୁ ହାତ । ଜଞ୍ଜାଳ ନାହିଁ–’’

 

କେବେ ନ ଦେଖିଥିବା କଳ୍ପନାଗଢ଼ା ମୁହିଁଟି ଟାହିଟାପରାରେ କେମ୍ପେଇ ଯାଇଛି ।

 

‘‘ନା-କୃତ୍ରିମ ପ୍ରଜନନ ପ୍ରଣାଳୀ । ମଣିଷ ଜୀବନ ବଦଳରେ ଗୋରୁବଳଦଙ୍କ ଗୋଠ-ଅଡ଼ୋଉଥିବ ଭାଗବତ ନୁହେଁ ଯେ କଳର ସିଟି । ଗାଁ ପବନ ବଦଳରେ ସହରର ବହଳ ଧୂଳି, କୋଇଲା ଗୁଣ୍ଡ, ଯନ୍ତ୍ର ତେଲର ଗନ୍ଧ, ଛାତି ଭିତରେ ଯକ୍ଷ୍ମା, ମନ ଭିତରେ ରୁଦ୍ଧ ପରାହତ ଆଶା ଆକାଙ୍‌କ୍ଷାର ବିଷ । କଳରେ ଜିନିଷ ଉପୁଜାଉଥିଲେ କଞ୍ଚାମାଲପାଇଁ ନୂଆ ଦେଶ, କିଣାଳି ଗୋଟେଇବାକୁ ନୂଆ ଦେଶ, ସେଉଠୁ ଯୁଦ୍ଧ । ଆଉ କେମିତି ଯୁଦ୍ଧ ? ଜଣକୁ ଜଣେ ମାଲବିନ୍ଧା ନୁହେଁ, ଶରବିନ୍ଧା ନୁହେଁ । ମଣିଷ ନ ଥିବା ଯନ୍ତ୍ର ଶୂନ୍ୟେ ଶୂନ୍ୟେ ଉଡ଼ିଯିବ ଶତ୍ରୁର ଦେଶ ଭସ୍ମ କରିବାକୁ, ବାଟରେ ବିଗିଡ଼ି ଖସିପଡ଼ି ଧ୍ୱଂସ କରୁଥିବ ଆପଣା ଦେଶକୁ । ନ ହେଲେ ଯାହାର ଏ ଯୁଦ୍ଧରେ କିଛିନାହିଁ ସେହିଭଳି ନିରପରାଧ ମଣିଷଙ୍କୁ । ଏଣୁ ଯିବ ଧ୍ୱଂସର ଅସ୍ତ୍ର, ତେଣୁ ଆସିବ ଧ୍ୱଂସର ଅସ୍ତ୍ର, ବାଣ ପରିତାଳ ଲାଗି ମଣିଷର ସଂସାର ଧ୍ୱଂସ ହେବ, ଆଉ ଥରେ ସେହି କୁରୁକ୍ଷେତ୍ର ଧ୍ୱଂସରେ ବାବା, ତା’ପରେ ପୁଣି ଯୁଗ ଓଲଟିବ, ପୁଣି ଗଡ଼ିଚାଲିବ ସତ୍ୟ ଦ୍ୱାପର ତ୍ରେତୟା କଳି । ହବ ବାପା, ହବ, ସିଦ୍ଧ ପୁରୁଷମାନେ ଲେଖିଯାଇଛନ୍ତି । କାଳ କରୋଉଚି, ମଣିଷର ଚାରା ନାହିଁ, ସବୁ କୃତ୍ରିମ ହୋଇଯିବ ଶୁଖି ଝଡ଼ିପଡ଼ିବା ଆଗରୁ ।’’

 

‘‘ସବୁ ଯଦି ଧ୍ୱଂସ ହେବ ତେବେ ଲୋକ ଶାନ୍ତି ଆଉ ସୃଷ୍ଟିର କଥା କାହିଁକି ଭାବୁଛନ୍ତି ଅନାଦି ଦାସ ? ତେବେ ମୋ ମନରେ ଏ ଉନ୍ମାଦନା କାହିଁକି ? କାହିଁକି ଏ ଯନ୍ତ୍ରରୋଳ ଭିତରେ ପୃଥିବୀସାରା ଚହଳ ଶୁଭୁଛି ଶାନ୍ତି-ଶାନ୍ତି-ଆମେ ଶାନ୍ତି ଚାହୁଁ ?’’

 

‘‘ଅନ୍ଧାର ଭିତରେ ଆଲୁଅ ଚହଳ ପକାଉଛି ବାବା, କଳି ପେଟ ଭିତରେ ସତ୍ୟଯୁଗ କୁଆଁ କୁଆଁ ଡାକୁଛି । କଳି ପୂର୍ଣ୍ଣ ହୋଇଗଲା । ତା’ ପେଟରେ ସତ୍ୟଯୁଗରେ ଦଶମାସ ହୋଇଗଲା । ସେ ଏଥର ପେଟଚିରି ବାହାରିବ, କଳି ମରିଯିବ । ଏମିତି କେତେ ପାଟି ତୁମେ ଏଣିକି ଶୁଣିବ । ଆଖିରେ ବି ଦେଖିବ । ଖାଲି ପୂର୍ଣ୍ଣ କଳିର ବିଘଟନ ଦେଖିବ ନାହିଁ । ସତ୍ୟ ଯୁଗର ସିନ୍ଦୁରା ବି ଦେଖିବ । ସାଧୁ ସନ୍ଥ, ସଦ୍‌ବିଚାର, ଛପି ରହିଥିବା ଦିଅଁଦେବତା, ପୋଥିଜ୍ଞାନ, କେତେ ଦେଖୁଥିବ ବାବୁ, ଖାଲି ଆପଣା ଚିତ୍ତକୁ ଶାନ୍ତ କର । ଆନନ୍ଦ ଖୋଜ, ଦୁଃଖ, ଜୀବନ ମନାସ, ମରଣ ନୁହେଁ, ଏ କଳ, ଏ କୃତ୍ରିମ, ଏ ଦପଦପ, ଏ ହଟଚମକ କୁଆଡ଼େ ଉଡ଼ିଯିବ । ଆନନ୍ଦ ଆସିବ, ଧରଣୀ ହସୁଥିବ-।’’

 

ଶାନ୍ତିରେ ମୁଣ୍ଡ ନଇଁଗଲା । ଅଳସେଇ ସେ ଦେଖିଲା ଦୂରକୁ ଦୂରକୁ, ଆଉ ତା ସଙ୍ଗେ ସଙ୍ଗେ ସେହି ନୂଆ ମୁହଁଟିକୁ-ଛବିର-ଯେ ତା’ର ଚେତନା ଭିତରେ ଆପଣା ସ୍ଥାନ ବାଛି ନେଉଛି, ନିଜକୁ ଖେଳେଇ ଦେଖିଲେ ଆଗ ଦିଶେ ସେ ।

 

ଆଶା ଆଉ ଭିତ୍ସାହର ଦ୍ୟୋତକ ସତେ କି ସେ । ତାହାରି ପାଖରେ କତିକି କତି ରଖି ଆପଣା ମନଗଢ଼ା ଅନାଦି ଦାସଙ୍କ କଲ୍ପିତ ଆଶାର ବାଣୀ ଏକାଠି ଖାପିଗଲା, ଉଭୟେ ତା’ ହୃଦୟର ।

 

କିଛିବେଳ ପରେ ମୁହଁ ଟେକି ଅନାଇଁଲା । ସାମନାରେ ବରଗଛ । ସେ କରେ ଗୋରୁ ଚରୁଛନ୍ତି । ତା’ ସେ କରେ କ୍ଷେତ ।

 

ରବି ଭାବିଲା ଏହିବାଟେ ଚାଲି ଯାଇଛନ୍ତି ରଣରଙ୍କା ଥାଟ ପଲ ପଲ, ଛାତିରେ ଆଣ୍ଟ ଥିଲା, ଜାଳିବେ ହାଣିବେ ଜୟ କରିବେ, ଧରି ରଖିବେ । ଭୂଇଁ ଦୁଲୁକେଇ ଧୂଳି ଉଡ଼େଇ ଚାଲି ଯାଇଛନ୍ତି ଚତୁରଙ୍ଗ ବଳ ଘେନି । କାହିଁ ତାଙ୍କର ଚିହ୍ନବର୍ଣ୍ଣ ? ଗଲେ କୁଆଡ଼େ ? ଯେମିତି ଖରାକୁ ଅନ୍ଧାର କରି ଆକାଶବ୍ୟାପୀ ପଙ୍ଗପାଳ ଉଡ଼ିଯାଆନ୍ତି । ତା’ପରେ ଆକାଶ ଯେମିତି କି ସେମିତି । ଦୁନିଆଁଯାକ ଯୁଦ୍ଧ କ୍ଷେତ୍ର, କେଉଁଠି ଶସ୍ୟକ୍ଷେତ୍ର ହେଲାଣି, ଯୋଦ୍ଧାଙ୍କ ହାଡ଼ ଫସଲକୁ ସାର ହୋଇଛି-। ସେମିତି ଯିବେ ଯାଉନ୍ତୁ ଆହୁରି କେତେ ଥାଟ, ଖାଁ ଖାଁ କ୍ଷେତରେ ଖାପିଯିବେ । ଆକାଶରେ କେଉଁ କଣରେ ଖାପିଯିବ ଉଡ଼ାଜାହାଜ ମାଳ ମାଳ, ଭୂଇଁରେ ବୋମା ମାଡ଼ । ପୁଣି ମେଘ ହେବ, ପୁଣି ବଢ଼ି ହେବ, ପୁଣି ଏ ଧରଣୀ ହସୁଥିବ, ହସି ଆସିଛି ସବୁକାଳେ ।

 

ମାଘର ମଝି ଶୀତ ସରିନାହିଁ । ଉତ୍ତରା ପବନ ଏବେବି କଅଁଳ କଣ୍ଟାରେ ଆଞ୍ଚୁଡ଼ି ଦେଇଯାଏ, କିନ୍ତୁ ଏହି ସନ୍ଧି ଘଡ଼ିରେ ମନେପଡ଼େ, ଶୀତ ବି ରହନ୍ତା ଦୁହେଁ ସରନ୍ତା । ଖାଁ ଖାଁ ଶୁଖିଲା କ୍ଷେତକୁ ଦେଖିଲେ ମନେପଡ଼େ ଏଠି ପୁଣି ସାବୁଜା ଧାନଗଛ କାଦୁଅରେ ଠିଆହେବ ଆଉ ଛେଚା ବରଷାର ସୁଅ ପଡ଼ିବ ଭୁସ୍‌ ଭୁସ୍‌ । ବର୍ଷ ଘୂରିଯିବ । ଉତ୍ତରା ପବନ ନିସ୍ତେଜ ହୋଇ ଥମ୍ୱି ରହେ, ଜୀବନ ସରିଆସୁଥିବା ବୁଢ଼ା ମଣିଷର ଅଙ୍ଗ ପରି, ଦେହରେ ବାଜେ ଦକ୍ଷିଣା ପବନର ସୁଲୁକାଏ, ଏହି ଯେପରି ଦେହକୁ ସଲସଲ କରିଯାଉଛି ।

 

ଏହି ଚୋରା ବସନ୍ତ ଦିନେ ପଦାକୁ ଫୁଟିବ, ଶୀତ ଚିତ୍‌ ହେବ, ମାନ୍ଦା ସୁସ୍ଥିକୁ ଝାଞ୍ଜିରେ ଜାଳି ଭସ୍ମକରି ସେହି ଆଣିବ ସର୍ଜନପାଇଁ ଝଡ଼ି ବରଷା, ଏହି ତା’ର ପରିଚୟ ।

 

କବାଟ କଟେଇ ରୁପେଈମା ଧୋବଣୀ ଘରର ମେଲା ବାଡ଼ପାଖେ ଆଁ କରି ପାଳଧୁଆ ଗଛଆଡ଼କୁ ସେ ଅନେଇଁ ଠିଆ ହେଲା, କାନ୍ଦିଏ ଦରଫୁଟା କଢ଼ ସାଙ୍ଗରେ ଗୋଟାଏ ପ୍ରଚଣ୍ଡ ନାଲି ପାଳଧୁଆ ଫୁଲ, ଆଉ ଲାଗିଲା, ସବୁ ଫୁଟିବ ସେ ଦେଖିପାରୁଛି, ଏକା ଗୋଟିଏ ନୁହେଁ, ପତର ନ ଥିବା ଥୁଣ୍ଟା ଧଳା ଡାଙ୍ଗରେ ଲାଗିଯିବ ରକ୍ତନାଲି ପାଳଧୁଆ ଫୁଲର ରୋଶନି । ସବୁ ଫୁଲ ଫୁଟିବ ।

 

ବନ୍ଧ ତଳେ କାଳିଆ ସାହୁ ଦୋକାନ । ମାଛି ଅନ୍ଧାରବେଳୁ ଗହଳି କଟଗଲାଣି, ହେଲାଣି ମୁହଁସଞ୍ଜ । ତଥାପି କାଳିଆ ସାହୁ ଅପେକ୍ଷା କରି ଦୋକାନ ଖୋଲି ବସିଛି । ବନ୍ଧମୂଳ ଗାଁ ଭିତରେ ତା’ରି ଦୋକାନଟି ଟିକିଏ ଚଳେ, ହେଲାଣି ଆସି ସାତବର୍ଷ । କିଏ ଗାଁ ଯାଇଥିବ, ଫେରୁ ଫେରୁ ଡେରି, ଆସୁଥିବ ଚାଉଳ ଗଣ୍ଡିଏ କିଣିବାକୁ । କେତେ ଲୋକ ତ ଏଇ ପହିଲା ପହରରେ ଆବିଷ୍କାର କରନ୍ତି ଲଣ୍ଠନରେ ତେଲ ନାହିଁ, ଡିବି ସୁକୁ ସୁକୁ । ତା’ ଛଡ଼ା ସେ ମନେରଖିଛି, କେତେଜଣଙ୍କ ଘରେ ଜର ହୋଇଥିଲା, ମିଶ୍ରି ଆଉ ବାର୍ଲି କିଣି ନେଇଥିଲେ ସରିଯିବଣି, ଏ ଓଳି ପୁଣି ଆସିବା କଥା । ଦୋକାନ ବନ୍ଦ କଲେ ଲୋକେ ଯାଇ କଟାଳ କରିବେ ଏଇଟା ଦିଅ, ସେଇଟା ଦିଅ । କିଣିଖିଆ କେଇଜଣ ବାକି ଅଛନ୍ତି, ଚାଉଳ ଡାଲି ଲୁଣ ତେଲ ନେବେ, କାହିଁ ଦେଖା ନାହିଁତ ଏତେବେଳଯାକେ ! କାଳିଆ ସାହୁ ଦୀର୍ଘଶ୍ୱାସ ପକାଇଲା । ସେ ମାଗଣା ଦିଏ ନାହିଁ, କାଳି ଦେବାକୁ ଚିଡ଼େ, କାରଣ କାଳି ମୁହଁ ଦେଖାଇଦେଲେ ଲୋକେ ଠାକୁର ଖାଇ ଖଟୁଲି ଖାଇ-ଦେବେ । କିନ୍ତୁ ତା’ର ହୃଦୟ ଅଛି । କିଏ କଣ, କିଣେ କିଏ କ’ଣ ନ କିଣେ, ଲୋକଙ୍କର ଏଇ ଅଭ୍ୟାସଗୁଡ଼ିକ ସହିତ ତା’ର ଗହନ ଚିହ୍ନାଚିହ୍ନି, ଭାବି ବସିଲେ ସେ ଲୋକଙ୍କ ଚଳଣିର ନାଡ଼ି ଚିପିପାରେ । ସେହି ଅନ୍ଦାଜରେ ସେ ଠଉରେଇଲା ଆଜି ଅନ୍ତତଃ ସାତଘର ଉପାସ । ବିଶି ପଟନାଏକର ମା’ ଦି ଦିନ ହେବ ପାନ କିଣି ନାହିଁ, ବିଶି ଚାକିରି ଗାଁରୁ ଟଙ୍କା ପଠାଇ ନାହିଁ । ତେଣୁ, ବିଶି ବି ସେଠି ପୂରା ଫୂର୍ତ୍ତିରେ ଦିନେ କାଟୁଛିବୋଲି ଖବର ମିଳିଥିଲା, ଏଣେ ମା’ର ପାନଖିଆ ବନ୍ଦ ହେବାକୁ ବସିଲା । ଘର ମହାନ୍ତିଏ ଚା’ପୁଡ଼ିଆଟିଏ ନେଇଥିଲେ ଆଜିର ଦିନକୁ ଆସି ହେଲା ସାତଦିନ । ଭାରି ଚାହାଖୋର ବୁଢ଼ା । ଘରେ ବସି ପଡ଼ିଚନ୍ତି । ଚାହା ବନ୍ଦ ହେଲା । କଷ୍ଟ ପାଉଥିବେ । ବୁଢ଼ା ଦିନେ କି ଦଶା ହେଲା ଲୋକଟାର ।

 

କାଳିଆ ସାହୁ ଅପେକ୍ଷା କଲା, ଆଉ ଭାବିଲା । ଟିକିଏ ଭାବିଲେ କେତେକଥା ନିଘାରେ ପଡ଼େ । କାହାର କିଣିବା ଶକ୍ତି ବଢ଼ି ଉଠୁଛି, କାହାର ଛିଣ୍ଡୁଚି, । ଗାଁ ଗୋଟାକରେ କେତେ ଓଲଟପାଲଟ । ଭାଗ୍ୟ କିଏ କହିବ କାହାର କାଲି କ’ଣ ହେବ ? ଠାକୁରେ ଯାହା କରିବେ ! ଧର୍ମ ଭାବ ଆସିଲା । ଅନାଇଁଲା, କେହି ଆସିଲେ ନାହିଁ । ଠାଆକରୁ ଚିଲମ ବାହାର କଲା । ନେଡ଼ିରେ ମଳି ମଳି ଗଞ୍ଜେଇ କଲିକୁ ଗୁଣ୍ଡାକଲା । ଚିଲମରେ ପୂରେଇ ନଡ଼ିଆକତାକୁ ଗୋଲକରି ଚିଲମରେ ମାଡ଼ି ନିଆଁ ଲଗାଇଲା, ପାପୁଲି ଯୋଡ଼ି ଠାକୁରଙ୍କୁ ଦଣ୍ଡବତ କରି ଟାଣିଲା ଖୁବ୍‍ ଜୋରରେ ଦମେ, ନାକ ପାଟି ବନ୍ଦ କରି ଛାତି ଭିତରେ ଖେଳେଇନେଲା ଆଚ୍ଛାକରି । ତା’ପରେ କାଶିଲା ।

 

ଗଞ୍ଜେଇ ତା’ର ବହୁତ ଦିନର ଅଭ୍ୟାସ, କିନ୍ତୁ ସେ ଅଳ୍ପ ଖାଏ । ସକାଳୁ ଉଠି ଗାଧୋଇସାରି ଥରେ, ଦି’ପହରେ ଭାତ ଖାଇସାରି ଥରେ, ସଞ୍ଜରେ ଏତିକିବେଳେ ଥରେ, ଏଇଥରଟା ଟିକିଏ ମନଖୁସିରେ । କଳ୍ପନା ତେଜିଉଠେ, ଖେଳେଇ ହୋଇପଡ଼େ, ଭାବପ୍ରବଣତାରେ ବିହ୍ୱଳ ହୋଇ ସେ ଆପଣା କଥା ଛାଡ଼ି ପରର ସଂସାରକଥା ଭାବେ, କାହା ଭଲମନ୍ଦରେ ପଦେ କହିବାକୁ ମନହୁଏ, କେହି ଥିଲେ ଗପେ, ଦମ୍‌ ଉତ୍ତାରୁ ଦମେ ଚଲେଇ ଗଲେ ଇଚ୍ଛାହୁଏ ଦୁନିଆଁରେ ଯେତେ ଅନାଚାର ଅନ୍ୟାୟ ଅତ୍ୟାଚାର ଅଛି ବୋଲି ସେ ଭାବୁଛି ସବୁ ବିଷୟରେ ବଡ଼ପାଟିରେ ତା’ର ମନ୍ତବ୍ୟ ଜଣାଇବାକୁ ।

 

କାଳିଆ ସାହୁ ବର୍ଣ୍ଣରେ ଗୋରା, ସରୁ ଶୁଖିଲା ପାଉଁଶିଆ ଡେଙ୍ଗା ଲୋକ, ମୁଣ୍ଡରେ କଞ୍ଚା ପାକେଲା ହୋଇ ବହଳବାଳ, କପାଳରେ ଲମ୍ୱା ସୁନ୍ଦର କଲି । ଆଖି ସବୁବେଳେ ଗୋଲାପି ।

 

ଦମ୍‌ ଟାଣି ତା’ର ମନହେଲା, ଏ ଚଳନ୍ତି କାଳକୁ ମନକଚ୍ଛା ଗାଳି ଦେବ ବୋଲି । ଖରାପ କାଳ, ବର୍ଷା ଊଣା ପଡ଼ିଗଲା, ଫସଲ ଆଗଠୁ ଅଧା, ଖାଇବାକୁ ଜନ୍ଦା ପିମ୍ପୁଡ଼ି ପରି ଲୋକ ସାଲୁସାଲୁ, ଚେହେରା ଝିଣ୍ଟିକା ପରି, ପାଗଯୋଗ ଠିକ୍‍ ନାହିଁ, ଶୀତଦିନେ ଗରମ, ତାକୁ ଗରମ ଲାଗୁଛି ତ । ସମସ୍ତେ ସମସ୍ତିଙ୍କ ଶତ୍ରୁ, ବଡ଼ସାନ ବିଚାର ନାହିଁ, ମାନ୍ୟମାନତା ନାହିଁ । ପୃଥିବୀକି ସୁସ୍ଥି ନାହିଁ, ଗାରେ କେତେ ମଣିଷ ହଇରାଣ ହରକତ । ଦିନ ଭଲ ନୁହେଁ । କାହିଁକି ? କାହା ପାପରୁ ?

 

ପୁଣି ମନେ ମନେ ବୁଲୁଛି ଅଛିଣ୍ଡା ଚକ, ପାପର ଭାରା ବଳେଇଲା, ଲୋକେ, ସ୍ୱାର୍ଥରେ ମାତି ଅପକର୍ମ କଲେ, ହରିନାମ ଭୁଲିଲେ, ସଂସାରରେ ସବୁ ଅନୀତି ହେଲା, ତେଣୁ ସବୁ ଜଳିଯାଉଛି ।

 

ସାମ୍ନାରେ ଭଗିଆ ବାଉରି ।’’କିରେ, କ’ଣ ତୋ’ର ?’’

 

‘‘ଳୁଣ ଦି ପଇସାର ଆଉ ପଇସାକର ଲଙ୍କାମରିଚ ।’’

 

‘‘ଲଙ୍କାମରିଚ ଫେର କିଣିଲ, ବାରିରେ ଲଗେଇବାକୁ ହାତ ଯାଉ ନାହିଁ । ମଣିଷପଣରୁ ସରିଗଲ । ଯେ ପଇସାକର ଲଙ୍କା କେତେ ହେବ ? କାଳ ଖରାପ ପଡ଼ିଛି ।’’ ଚାରିଆଡ଼େ ଅନ୍ୟାୟ ଅନୀତି । ଏଥର ବାଡ଼ି ପଶିବ, ଯିବେ ସବୁ ଗୋଟିକି ଗୋଟି । ଲାଗିଲା ଭଗିଆ ବାଉରି ସଙ୍ଗେ ଆଲୋଚନା । ଦିହେଁ ସମବୟସୀ, ପଚାଶ ସେପାଖ । ବାଉରି ସାହିରେ ଖଞ୍ଜଣି ମାଡ଼ ସଙ୍ଗେ ସଙ୍ଗେ ଧର୍ମଚର୍ଚ୍ଚା ହୁଏ । ଆଗତ ଭବିଷ୍ୟ କଥା ପଡ଼େ । ଦୁର୍ନୀତି କଥା କହୁ କହୁ ବହୁତ ଘରର ଝିଅବୋହୁଙ୍କ କଥା ପଡ଼ିଗଲା । କିଏ ଶାଶୁ ଶଶୁରଙ୍କୁ ମାନେ ନାହିଁ । କିଏ ପେଟକାବୁରୀଟାଏ । କାଳିଆ ସାହୁ ଆପଣା ଘରକଥା କହିଗଲା, ମଣିଷ ଆପଣା ଘରର ଧର୍ମ ରକ୍ଷାକରିବା ସକାଶେ କିପରି ବଜ୍ର ପରି ଟାଣ ହେବା ଦରକାର । ତା’ ଝିଅ ସୁନା, ବିଧବା । ଦିଅରକୁ ଦୁତୀଅ ହେବକା ଏକା ଜିଦ । କାଳିଆ ସାହୁ ଟାଣ କରି ନାହିଁ ନାହିଁ କରୁଛି । କହିଲା, ‘‘ତୁ ବିଭା ହେଲାବେଳକୁ ସେ ଦୁଧ ଦାନ୍ତର ପିଲା । ମା’ ପରି ପାଳିଲୁ ପୋଷିଲୁ । ସେଠି ଗୋଟିଏ ଦୁତୀଅ ଘର କଥା କେମିତି ତୁ ଭାବି ପାରୁଛୁ ? ଆଉ କେଉଁଠି ମିଳିଲେ ଭିନେ କଥା ସେଠି ଆଉ ନାହିଁ, ସେ ଅନୀତି ।’’

 

ସେହିକଥା ସେ ବନେଇଁ ଚୁନେଇଁ କହୁଥାଏ, ଆପଣା ଟାଣପଣର ଉପଲକ୍ଷ ଦେଉଥାଏ-। ସେ ନିଜେ ଯାହା ବୁଝିଛି ସେଇଆ, ସେ ଟଳେ ନାହିଁ ।

 

ବନ୍ଧରେ ସାଇକଲ ଘଣ୍ଟି ଶୁଭିଲା । ଆସି ପହଞ୍ଚିଲା ଚନ୍ଦ୍ରପୁରର ସତାର ମିଆଁ । ସହରରୁ ଫେରୁଛି । କହିଲା, ‘‘ବିଡ଼ି ସରଗଲା ।’’

 

ବିଡ଼ି ବଣ୍ଡଲେ ଧରେଇ ଦେଇ କାଲିଆ ସାହୁ କହିଲା, ‘‘ବସ ଟିକଏ ।’’ ସତାର ମିଆଁ ବସିପାରିବ ନାହିଁ କହିଲା । ଦୂର ବାଟ । ଦି ଚାରି ପଦ କଥା ହୋଇ ପଳାଇଗଲା ।

 

କାଳିଆ ସାହୁ କହିଲା, ‘‘ଦେଖିଲୁ କେମିତି ? ସବୁବେଳେ ତରତର । ଭାରି ଘର କରୁଛନ୍ତି । ତୋଟାବାଡ଼ି ତାଷ କାହିଁରେ କ’ଣ ! ଆମ ଗାଁ ଲୋକ ବସି ଖାଲି କଥା ଗପିବେ ।’’

 

‘‘ସତ କଥା ।’’

 

ପଞ୍ଝାଏ ଗରାଖି ଆସିଗଲେ । କଳ ପରି ହାତ ଚାଲିଲା । ଗଲେ ସେମାନେ । ଏକୁଟିଆ ଠିଆ ହୋଇଛି ରାଧୀ କଣ୍ଡୁରୁଣୀ । କହିଲା, ‘‘ମୋ କଥା ଟିକିଏ ବୁଝିଲ ନାଇଁ ?’’

 

‘‘କି କଥା ?’’

 

‘‘ଚାଉଳ ଅଧସେରେ କାଳିରେ ଦେଇଥାନ୍ତ ପରା, କାଲି ପଇସା ଦେବି ।’’

 

‘‘କହଲି ପରା, ନାଇଁ ନାଇଁ, ହବ ନାଇଁ ।’’

 

‘‘ହବ ନାଇଁ କହିଲେ କେମିତି ହବ, ସମସ୍ତେ ଉପାସ ପଡ଼ିବେ ?’’

 

‘‘ସେଥିକି କ’ଣ ମୁଁ ଲଗା ?’’

 

ରାଧୀ କଣ୍ଡୁରୁଣୀ ହଟିଲା ନାହିଁ, ଭାରି ଚେମେଡ଼ା ମଣିଷ, ଭାବୁଥିଲା ଏମିତି ଲାଗିରହିଲେ ଦେବ ସେ, ପଛେ ଡେରି କରିବ, କିନ୍ତୁ ଦେବ । ସେତିକିବେଳେ ଆସି ପହଞ୍ଚିଲା ଯୋଗୀ ପଧାନ । ତା’ର ସଉଦା ଦରକାର । କାଳିଆ ସାହୁ ସଉଦା ଦେଲା । ଯେଗୀ ପଧାନ କହିଲା ଏକ କାହାଣୀ । ଆରମ୍ଭ କଲା, ‘‘ଶୁଣିଲଣି ସାହୁ ! ବଡ଼ଲୋକଙ୍କୁ କଥା ନାଇଁ କହନ୍ତି ସିନା, ବଡ଼ ଲୋକଙ୍କ କାଣ୍ଡ ଦେଖ । ଆମ ରବିବାବୁ ମ, ବଟ ମହାନ୍ତିଙ୍କ ସାନ ପୁଅ ।’’

 

‘‘କ’ଣ ହେଲା ?’’

 

ଯୋଗୀ ପଧାନ ବସିପଡ଼ି କହିଲା, ‘‘ଆଉ କହନା କହନା । ହାଟବସିଚି । ମଣିଷ ସିନା କାନରେ ଶୁଣିବା କଥାକୁ ଅବିଶ୍ୱାସ କରେ, ମୁଁ ପରା ଆଖିରେ ଦେଖି ଆସିଲି, ଆଉ ଅବିଶ୍ୱାସ କରିବି କେଉଁ କଥାକୁ ?’’

 

‘‘କ’ଣ ହେଲା ଶୁଣିବା ନା, କଥା ନାଇଁ ବାର୍ତ୍ତା ନାଇଁ କ’ଣ ନା ହାଟ ବସିଚି, ଆଖିରେ ଦେଖିଆସିଲି ।’’ ରାଧୀ କଣ୍ଡୁରୁଣୀର ଆଖି ଜଳୁକୁଳୁ ଦିଶୁଛି, ପିଣ୍ଡା ତଳେ ଅନ୍ଧାରରେ ଚେକା ପକେଇ ବସି ପଡ଼ିଲାଣି ତୁନି ହୋଇ । ଆଉ କେହି ନାହାନ୍ତି । ଯୋଗୀ ପଧାନ କାନମୁଣ୍ଡ କରି ଗାମୁଛାଟାକୁ ଥୋମଣି ଉପରୁ ମୁଣ୍ଡ ଉପରଯାକେ ଗୁରେଇଥିଲା, ଫିଟେଇ ପକାଇଲା, ତା’ର ମୋଟା ମୋଟା ଘୋଷରା ନିଶକୁ ହଲେଇ ହଲେଇ ମୁଣ୍ଡକୁ ଏକର ସେକର ଝାଙ୍କି ଝାଙ୍କି ତା’ର କଥା କହିଗଲା–’’ ପାଟେଳି ଗାଁ ସିନ୍ଧୁ ଚୌଧୁରି ଘର, ଜାଣିଚ ତ କେଡ଼େ ଘର ଥିଲା, ଏବେ ପଡ଼ିଗଲାଣି । ତାଙ୍କର ଗୋଟିଏବୋଲି ଝିଅ । ବନ୍ଧ କୂଳେ ଘର । ୟେ ବାବୁ ସହରକୁ ଯାଉଛନ୍ତି କହି ଯାଆନ୍ତି ଯେ କେମିତି କେମିତି ହୋଇ ବିଲେଇ କି ଶୁକୁଆପୋଡ଼ା ପରି ଭାବନାବ ହୋଇଗଲା-। ଚାଲିଲା ଦୁଃଖ ସୁଖ ଗୁପୁଚୁପିଆ । କୁଆଡ଼େ ସତ୍ୟ କରାକରି । ଆରେ ବାବୁ, ସବୁର କର, ହାତକୁ ଦି’ହାତ ହଉ । ତା’ ନାହିଁ, ଯାହାକୁ କହନ୍ତି ଏବେ ଜାଣ କଳାବଜାର । କୁଆଡ଼େ ଶିଖାଶିଖି ହେଇ ଦେଶାନ୍ତରୀ ହେବେ, କଥା ହଉଥିଲା । ଯେ ଏଣେ ବଟବୁଢ଼ା ତ ମହା ଚିପା, ପଇସା କାଇଁ ଆଉ ତେଣେ ସିନ୍ଧୁ ଚୌଧୁରୀ ଖଣ୍ଡଧାର, ଶୁଣିଲେ ରଖନ୍ତା ନାଇଁ, ହତୀ ମଲେ ବି ଲକ୍ଷେ ଟଙ୍କା ତ ନା ଆଉ ଊଣା, କହୁନା ତେମେ–’’

 

‘‘ରାମ ରାମ, କେଡ଼େ ଅନାଚାର ।’’ କାଳିଆ ସାହୁ କହିଲା, ‘‘ହଁ, ଯୁଗ ସବୁ କରେ ।’’

 

‘‘ଶୁଣିଲଣି କୋଉଠି ? ଥଏ ଧର ନା । କଥା ପ୍ରଘଟ ହେଲା–’’

 

‘‘କିଏ ଦେଖିଲା ?’’

 

‘‘ସେଥିରୁ ତେମେ ଆମେ କ’ଣ ପାଇବା ? କ’ଣ ଖାଲି ଚିଲମଟା ନା କିଛି ଅଛି ?’’

 

‘‘ଦଉଚି ରହ । କ’ଣ ହେଲା ତା’ପରେ ? ୟେ ତ ଭାରଥ ପୋଥିର ଅର୍ଜୁନ ସୋଭଦ୍ରା କଥା ।’’ ‘‘କଥା ପ୍ରଘଟ ହେଲାରୁ ଲୋକେ ଛିଆ ଛିକର କଲେ । ଆଉ ଦଳେ ଚୌଧୁରି ପଟିଆ, ସେମାନେ ଏ କଥାକୁ କହିଲେ କଞ୍ଚାମିଛ । ଗାଁରେ ଆଗରୁ ଚ ବିଗିଡ଼ାବିଗିଡ଼ି ଥିଲା, ଆଜିକାଲି କୋଉ ଗାଁରେ ନାହିଁ ? ଏଇ କଥାପାଇଁ ଦି’ଦଳ ଫାଟିଗଲେ । କେତେକାଳର ଅକସ ମନେପଡ଼ିଲା, କେତେ ଗଇ ଖୋଳାଖୋଳି । କାଲି ସଞ୍ଜବୁଡ଼େ ବନ୍ଧ ଉପରେ ଠେଙ୍ଗାବାଡ଼ି ଧରି ଦି’ଦଳ ମୁହାଁମୁହିଁ ହେଲେ । ଠେଙ୍ଗାକୁ ତଳେ ପିଟି ପିଟି ଚଦାଚଦି ହେଉଥାନ୍ତି, ବାହା ବାଡ଼େଇ, ଜଙ୍ଘ ଚାପୁଡ଼େଇ, ଯାହାର ନିଶ ଅଛି ସେ ନିଶକୁ ମୋଡ଼ି ଏମିତି ହଉଥାନ୍ତି, ଦେଖିଲେ ଡରିବ । ମୁଁ ତ ଆସିପାରିଲିନାହିଁ, କାଠପରି ଠିଆ ହୋଇଗଲି । ହେଇଯାଇଥାନ୍ତେ ମରାମରି ଯେ ସେତିକିବେଳେ ଗୋବରପଡ଼ା ଗାଁର ଦଶ ବାର ଜଣ ଏକାଠି ଆସିଗଲେ, ହାଁ ହାଁ କରିବାରୁ ଦି’ପକ୍ଷ ଅଲଗା ହେଲେ-। ନ ହେଲେ କଥା ସରିଥାନ୍ତା । କାହିଁକି କ’ଣ ଇମିତି ହେଲାବୋଲି ଟିକିଏ ଗାଁକୁ ଗଡ଼ିପଡ଼ି ପଚାରିଲି ତ ଶୁଣିଲି ଇମିତି ଇମିତି । ଅଇଛା ସେ ଝିଅର କ’ଣ ଦଶା ହବ କହ ।’’

 

‘‘ସେ ନିଶ୍ଚେ ବେକରେ କାନି ଗୁରେଇ ଓରାରୁ ଓହଳି ପଡ଼ିବ, ନା କ’ଣ କହୁଚ ?’’ ଚିଲମରେ ନିଆଁ ଲଗାଇ ଦି ଦମ୍‌ ଶୋଷି ଶୋଷି ଓଟାରି ନେଇ କାଳିଆ ସାହୁ ଯୋଗୀ ପଧାନ ହାତକୁ ଚିଲମ ବଢ଼େଇଦେଲା, କହିଲା, ‘‘ଇଜ୍ଜତ ତ ଗଲା । ଆଉ ତା’ ଜୀବନରେ କି କାମ ? ଏଣେ ୟେ ଭଦ୍ରଲୋକଙ୍କୁ ଦେଖ, ଯାହା ତ କଲେ କଲେ, ଗୋଟାକର ସର୍ବନାଶ କଲେ, ଏଣେ କେଡ଼େ ଶାନ୍ତ ସୁଧାର, ମଲା ମାଛିକି ମଅ ନାହିଁ । ଏମିତି ତ ଦୁନିଆ-’’

 

‘‘ସେଇଥିପାଇଁ ପରା ଚାକିରି କଲେ ନାଇଁ । ଦୂରରେ କିଏ ରହେ ? ହ, ବଅସ ବେଳ ପଡ଼ିଚି, ଘରେ ତ ଅଭାବ ନାହିଁ, ଯାହା ମଉଜ ଏତିକିବେଳେ । ନା କ’ଣ କହୁତ ? ଦେଖୁଚ ତ, ଏଇଆକୁ କହନ୍ତି କଳିକାଳ ଟୋକା, ମୁହଁକୁ ଦେଖିଲେ ସାକ୍ଷାତ୍‌ ତୁଳସୀବୃକ୍ଷ, ତେଣେ ପେଟରେ ଦାନ୍ତ ।’’

 

‘‘ହ, ହୋ ଆମର କି ଯାଏ । ଯେ ଯାହା କରିବ ତା’ ଫଳ ସେ ପାଇବ, ଆମର ସେ କଥା ପକେଇ ଲାଭ କ’ଣ ?’’

 

‘‘ଲାଭ ହବ ଏଇଆ, ଯେ କହିବ ତା’ ମହତ ଯିବ । ଯେ କାହା ତୁଣ୍ଡରେ କିଏ ବାଡ଼ବତା ଦବ ? ତୁଣ୍ଡ ବାଇଦ ସହସ୍ର କୋଶ । ଯେତେ କୋଶ ଗଲେ ବି ୟାଙ୍କର କ’ଣ ହେବ ? ପିତ୍ତଳ ହାଣ୍ଡି ମାଜିଦେଲେ ସଫା, ମାଟି ହାଣ୍ଡି ସିନା ଛୁଇଁଲେ ମାରା ହୁଏ । ସେଇ ଟୋକିଟାକୁ ବାଛନ୍ଦ ପଡ଼ିଯିବ । ତା’ ବାପମା’ କାନ୍ଦି କାନ୍ଦି ମରିବେ । କି ଭାଗ୍ୟ ନେଇ ସେ ଜନ୍ମରେ ବାବୁ, କପାଳରେ କ’ଣ ଅଛି କେଜାଣି !’’

 

ଯୋଗୀ ପଧାନ ଗଲା । କାଳିଆ ସାହୁ ଠିଆ ହେଇ ପଡ଼ିଲା । ଏଥର ସେ ଦୋକାନ କବାଟ ପକାଇବ । ରାଧୀ କଣ୍ଡୁରୁଣୀ ଠିଆ ହୋଇପଡ଼ି କହିଲା, ‘‘ଦବ ନାଇଁ ? ଆମେ କ’ଣ ଉପାସରେ ମରିବୁଁ ? ସମସ୍ତିଙ୍କି ଏତେ ଦୟା, ଆମୁକୁ ନାହିଁ କରି ଦଉଚ ? ତେମେ ବଡ଼ଲୋକେ ଆମ ଗରିବଗୁରୁବାଙ୍କୁ ଦୟା ନ କଲେ ଆମେ ବଞ୍ଚିବୁ କେମିତି ? ଦିଅ ବାବୁ ତମର ଧର୍ମ ହେବ ।’’

 

‘‘ଯାଇନୋଉଁ କିଲୋ ? ଏତେ ଉଛୁର ହେଲାଣି, ବସିଚୁ ?’’

 

‘‘ତେଣେ ତ ପାଣି ହାଣ୍ଡି ବସେଇ ଦେଇ ଆସିଚି, ଖାଲି ହାତରେ ଗଲେ କ’ଣ କରିବି-?’’

 

‘‘ହଉ ହଉ ନେ ନେ,’’ କାଳିଆ ସାହୁ କହିଲା, ‘‘ଆଉ ଗୋଟିଏ କଥା । ଯୋଗୀ ପଧାନ ଯାହା ମତେ କହିଲା ସବୁ ତ ଶୁଣିଥିବୁ, କହିବୁ ନାଇଁଟି କାହାକୁ–’’

 

‘‘ମତେ ଚାଉଳ ସେରେ ଦେଲ, ମୁଁ ଯାଏଁ । ଯୋଗୀ ପଧାନ କ’ଣ ତମୁକୁ କହିଥିବ ତେମେ ଜାଣିଥିବ, ମତେ କି ଜଣା ? ମୋର ଏଣେ ତିନି ଓଳିରେ ଚୁଲୀ ଜଳୁନାଇଁ, ଯାଉଚି ପର କଥାରେ ମୁଣ୍ଡ ଖେଳେଇବାକୁ–’’

 

‘‘କିଲୋ ଅଧସେରେ ନବୁ କହୁଥିଲୁ ପରା !’’

 

‘‘ନାଇ ସେରେ ଦିଅ ବାବୁ, ତା’ ବା’ କାଲିକି ଆସିଲେ ପଇସା ଦେଇଦବ ନାଇଁ ଆଉ କ’ଣ ବାକି ରଖିବ ? ଅଧସେରେ କାହିଁକି ପାଏ ?’’

 

‘‘ହଉ ନେ, କହିବୁ ନାଇଁ–’’

 

‘‘ମୋ ଆଖି ଛୁଉଁଚି ବାବୁ, ମତେ କିଛି ଜଣାନାଇଁ, ମୁଁ କାହାକୁ କ’ଣ କହିବି ? ଦିଅ ମୋ କାନିରେ ଅଜାଡ଼ି ଦିଅ ।’’

 

ରାଧୀ କୁଣ୍ଡୁରୁଣୀ ବଇ ମଳିକର ଖୁଡ଼ୀ ।

 

ବଇ ପିଲାଦିନୁ ରବିର ଚେଲା, ବୋଲକରା, ହାତବାରିସୀ । ରବିଠୁଁ ଯେତେବେଳେ ଯେଉଁ ବିଚାର ଶୁଣେ ରବି ପରି କୁରୁପା ବି ସ୍ୱପ୍ନ ଦେଖେ, ବଡ଼ ବଡ଼ ଆଖି କରି ତା’ ମୁହଁକୁ ଅନାଏଁ, କଥାଗୁଡ଼ାକ ଗିଳିପକାଏ । ପାଞ୍ଚ ଶୁଣିଲେ ପନ୍ଦର କରି ସାଙ୍ଗ ଲୋକଙ୍କ ଆଗରେ କହେ । ନିଜେ ସେ ପାଠପଢ଼ିନାହିଁ, ହଳ କରେ, ମୁଲଲାଗେ, କିନ୍ତୁ ତା’ ମନ ଭିତରେ ଗୋଟିଏ ଫାଳ ରହିଯାଇଥିଲା ଯେଉଁଟା ଏଇ ସାଧାରଣ ଧରାବନ୍ଧା ନିତିଦିନିଆ କାମରେ ବୋଧହୁଏ ନାହିଁ, ଆହୁରି ଆହୁରି ଖୋଳେ । ସେଇଟା ଆଶ୍ରା କରିଥିଲା ରବିକୁ । ସେ ତା’ର ନେତା ।

 

ବର ଆଗ ବହେ ଖୁଡ଼ୀ ସଙ୍ଗେ କଳି ଲାଗିଲା । ଖୁଡ଼ୀ ବୁଝାଇଲା, ‘‘ଗବାଟାଏ ତ ହେଲୁ, କୋଉ କଥା ତୋ ମନରେ ପଶିଲାଣି ନା ଆଗ ? ସତ କି ମିଛ ତା’ ଭଗବାନଙ୍କୁ ଜଣା, ତୁ ମୁଁ କ’ଣ ଜାଣିବା ? ଗଲି ଅଇଲି ଯାହା ଶୁଣିଲି ତା’ କହିଲୀ । ମତେ ଚିଡ଼ୁଛୁ କାଉଁକି ?’’

 

ବଇ କହିଲା, ‘‘ଏଗୁଡ଼ା କୋଉ ଘରଭଙ୍ଗା ଲୋକ ଲଗେଇ ଯୋଡ଼ି କହିଚି, ମିଛ କଥା ।’’

 

‘‘ତୋ ତୁଣ୍ଡ ସୁତୁଣ୍ଡ ହଉ ।’’

 

‘‘ଆମ ବାବୁ କ’ଣ ଏମିତିଆ ହେଇଚନ୍ତି ? ଏଗୁଡ଼ା କିଏ ବାହାର କରିଚି ।’’

 

‘‘ଯେ ଯାହା କରୁ ତୁ କାହିକି ନାଚୁଚୁ ? କହିବୁ ନାଇଁଟି ତାଙ୍କ ଆଗରେ । ବୋପାଲେ !’’

 

‘‘ବଅସ ଦିନରେ ସବୁ ମିଛ କଥାଗୁଡ଼ାକ ସତ ହେଇଥାଏରେ ପୁଅ, ସେ ନିଆଁନଗା ତ ସେମିତି, ବଅସ ମଣିଷଙ୍କୁ ବାଇ କରେ, ଉଲୁରି ନଗାଏ, ନଚାଏ । ଲୋକେ ବି କହନ୍ତି, କହି କହି ପାଟି ଥୋବରା ହେଇଯାଏ, ଗଲା କଥା ଯାଏ, କିଏ ମନେରଖେ ? ଯାହାଙ୍କ ନାଁରେ କହନ୍ତି ଫେର୍‌ ସେଇ ପୁଅ ଝୁଅ ବାହା ହଅନ୍ତି ନାଇଁ ନା ତାଙ୍କର ପିଲାଛୁଆ ହଅନ୍ତି ନାଇଁ ? ଲୋକଙ୍କ କହିବା କଥା-! ସବୁ ହିଂସିକା ।’’

 

ବଇ ମଳିକ ୟେ ଗୋଳିଆପୋଳିଆ କଥା ମାନିନେବାକୁ ରାଜି ନ ଥିଲା, କହିଲା, ‘‘ବାବୁ ଆମର କେଭେ ସେମିତି ନୁହଁନ୍ତି । ଏ କଥାର ଭେଦ ବୁଝିବାକୁ ପଡ଼ିବ ।’’

 

ରାତି ପହରେ । ତା’ ଖୁଡ଼ୀ ଚୁଲୀ ଲଗାଇ ଭାତ ରାନ୍ଧୁଛି । ଦାଦି ଥାନା ପାଳିରୁ ଆସିଛି, ନିଧି ମଳିକ । ପିଣ୍ଡରେ ନଡ଼ିଆ ପତର ଜାଳି ନିଆଁ ପୋଉଁଛି ।

 

ତାକୁ ବେଢ଼ି ବସିଛନ୍ତି ବଉଁଶ ଲୋକେ । ଘର ଭିତରେ ଟୋକେଇ ଭିତରେ କୁକୁଡ଼ା ଅଛନ୍ତି, ମଝିରେ ମଝିରେ ଗୋଟିଏ କେଉଁଟା ସ୍ୱପ୍ନରେ ବିଳିବିଳେଇଲା ପରି ବସିଲା ପାଟିରେ କ’କ’ କରୁଛନ୍ତି । ଛେଳି ବୋଦାଟା ଆପଣା ପରିବାରଙ୍କ ସଙ୍ଗରେ ଏକାଠି ଚାରିଗୋଡ଼ ମେଲେଇ ଦେଇ ଚେଇଁ ଚେଇଁ ପଡ଼ିରହିଛି ଆଉ ମଝିରେ ମଝିରେ ଖୁବ୍‌ ଜୋରରେ ଛାଡ଼ୁଛି ସଁ ସଁ ଶବ୍ଦ । ମୁଣ୍ଡ ହଲୋଉଛି । ଏହି ଅତି ଆପଣାର ସହଜ ପରିସ୍ଥିତି ସହିତ ଆସି ମିଶିଯାଇଛି ଗୋଟିଏ ଅସଜ ସମ୍ୱାଦ ଯେ ଏତେଦିନର ଆଦର୍ଶଟା ଥୁଆ ହୋଇଥିଲା ଠାକୁର ମୂର୍ତ୍ତିପରି, ଦେଖି ଦଣ୍ଡବତ କଲେ ମନ ଭିତର ଉଲୁସି ଉଠୁଥିଲା, ସେଥିରେ କିଏ ଘଷି ପାରିଦେଇଛି । ସ୍ୱୀକାର କରି ହେଉ ନାହିଁ ।

 

ନିଧିମଳିକ ତୁନି ହୋଇ ବସିଥିଲା । କହିଲା, ‘‘ମୁଁ ବି ଶୁଣିଛି ପାଟେଳି ଗାଁରେ କଳି ଲାଗିଛିବୋଲି । ସେ ଗାଁ ଚଉକିଆ କହୁଥିଲା । ଦି’ଦଳ ହେଲେଣି । ତାଙ୍କର ସବୁ ଆଗରୁ ମନ ଫଟାଫଟି ଥିଲା, ଅଇଛା ତେଜିଛି । କଜିଆ ଲାଗିବାକୁ ମନହେଲେ ଲୋକେ ମିଛରେ ହେଲେ ଗୋଟିଏ ଉପଲକ୍ଷ ଯୋଡ଼ି ଦିଅନ୍ତି । ସେଥିରେ କ’ଣ ଥାଏ ? ତମର ତେମେ ଝଡ଼େଇ ହବାକୁ ମନକରିବ, ଦି’ଦଳ ହବ, ଆପଣା ଆପଣା ପଟେ ବାନା ପୋତିବ, ଢୋଲ ବାଡ଼ିଆ ହେଲେ ଢୋଲ ଫୋପଡ଼ା ଫୋପଡ଼ି ହେଇ ସେଇଠି ନଉଡ଼ି ପିଟାପିଟି ହୋଇ, ମୁଣ୍ଡ ଫଟାଫଟି ହେବ, ହଳହଳ ହେଇ ବନ୍ଧାହୋଇ ଥାନାକୁ ଯିବ, ସେଥିରେ ୟା ତା’ ନାଁ ଯୋଡ଼ି ଦବ କାହିଁକିରେ ବାବୁ ? ଲୋକଙ୍କ ଖୋଇ ସେମିତିରେ ବାବୁ ! ମଲେ ବି ନାନ୍ଦୁରା ଲୋକ ଖୋଇ ଛାଡ଼ିବେ ନାଇଁ ।’’

 

ଖୁଡ଼ୀ ହସିଲା । କହିଲା, ‘‘ତାଙ୍କର ସେମାନେ ବାଡ଼ିଆପିଟା ହଉଥାନ୍ତୁ ଏଣେ ଖଙ୍ଖ ହୁଳହୁଳି ପକେଇ କନ୍ୟା ଘେନି ବାହାରି ଆସିଲେ ଗଲା, କୋଉ ଅଜାତି ନା ଅକୁଳ ନା କ’ଣ କି ? ମନକଲେ ବାହାଘର ହେଲା, ଭଇ ହଅନ୍ତା ତ । ନାଙ୍କରା କ’ଣ ?’’

 

‘‘ରବି ବାବୁଙ୍କୁ ତୁ ଚିହ୍ନିନୋଉଁ ଖୁଡ଼ୀ । ସେ ବାହା ହେବେ ନାଇଁ । ସେ ଦେଶ କାମ କରିବେ । ଚାକିରି ନ କଲେ କାହିଁକି ଆଉ ? କହୁଥିଲେ ପରା, ରାଇଜଯାକ କାମ ପଡ଼ିଚି । ଯେ ପଦାକୁ ବାହାରିଲେ ସେ ଖାଲି ନାଁ ପାଇଁ ନଇଲେ ପଇସାପାଇଁ । ତୁଣ୍ଡ ମୁଣ୍ଡ ନ କରି ଗାଁ ଗହଳିରେ ପଡ଼ିରହି ଲୋକଙ୍କ ହିତ କରିବାକୁ ଲାଗିଛନ୍ତି କେଇଜଣ ?’’

 

‘‘ହଁ ହଁ, ଜାତିଏ ମଣିଷ ସେ, ‘‘ ନିଧି ମଳିକ କହିଲା, ‘‘ନିଘାଟା ଯେଡ଼ିକି ବଡ଼ ମନଟା ଆହୁରି ।’’

 

ବଇ ମଳିକ ନିଷ୍ପତ୍ତି କଲା, ଯୋଗୀ ପଧାନଠୁ ତଦନ୍ତ ବୁଝିବ ।

 

ନିଛାଟିଆରେ ରବି ଆପଣା ଭିତରର ଅନୁଭୁତିରେ ଘାରି ହେଉଥିଲା । ସେହି ମୁହିଁଟି-ଭୁଲି ହୁଏ ନାହିଁ ସେ । ତାକୁ ନାନା ସ୍ଥାନରେ ନାନା ଅବସ୍ଥାରେ କଳ୍ପନା କରି ସେ ଖେଳେ ଅବାଟରେ ଖେଳ । ପଡ଼ିଆ ମଝିରେ ସେହି ତ ବସିଛି । ଟୁବି ଗାଡ଼ିଆ ପାହାଚେ ପାହାଚେ ସେହି ତ ଉଠି ଆସୁଛି । ମହାଦେବଙ୍କ ପାଖ ଚମ୍ପାଗଛ ତଳେ ସେହି ତ ଠିଆ ହୋଇଛି । ଗହନ ମନର ଲୁଚକାଳି ଖେଳ, ପଦାରେ ନାହିଁ ।

 

ତାହାରି ସହିତ ସମତୁଲ ହୋଇ ଜୀବନ ଅନୁଭବ କରିହୁଏ, ଆସେ ଆଶା, ଉତ୍ସାହ । ଚାକିରିରେ ଛନ୍ଦି ହେବ ନାହିଁ । ହଟଚମଟରେ ମାତିବ ନାହିଁ । କାମ କରିବ । ସରଳ ସହଜସୁନ୍ଦର ହୋଇ ଜୀବନର ପରିକଳ୍ପନା, ସ୍ନେହ ପ୍ରୀତିମୟ ମଣିଷ ସଂସାର । ସେଠି ହିଂସା ନାହିଁ, ଦାଉ ନାହିଁ, ଦକ ନାହିଁ । ଖାଲି ଶାନ୍ତି ଆଉ ମଙ୍ଗଳ । ଗଢ଼ି ହେବ ନାହିଁ ଏପରି କିଛି ?

 

ସେହି ଦିନେ-ଦେଖା ମୁହଁ ହସେ । ରବି ବିଶ୍ୱାସ କରେ ।

 

ଭାବିଗଲେ କହିଗଲେ ଏତେ ଭାବୁକ ଆଉ କବି, ଆନନ୍ଦକୁ ପୂଜା କରିଗଲେ । କିଏ ମାନିଲା କିଏ ପାଳିଲା ? ଲୋକେ କ’ଣ ପାଇଁ ବାଇ ? ସବୁଆଡ଼ୁ ସରି ସରି ଯାହା ବା ଟିକିଏ ସହ ସୁନ୍ଦର ଆଉ ସୁସ୍ଥହୋଇ ଗାଁ ଗହଳିରେ ଥିଲା, ମଣିଷର ଜୀବନ-ପଦ୍ଧତି ଭିତରେ ଆପେ ଆପେ ଧରା ଦେଉଥିଲା, ତା’ ବି ଶୁଖି ଆସିଲା, ଏଠି ବି ଭେଦ, ସ୍ୱାର୍ଥ, କୂଟକପଟ ଆଉ କଳି । ଆପଣା ମନବିକାରକୁ ବିଚାରରେ ଖଞ୍ଜି ଲୋକେ ଧାଇଁଛନ୍ତି କ’ଣ କରିବେ କରିବେ ବୋଲି, ଜୀବନର ସହଜ ସମ୍ଭାରଠାରୁ ଦୂରେଇ ଦୁରେଇ ଯାଇଛନ୍ତି । କବିତା ଲେଖିବାକୁ ମନକରି ଲେଖିଛନ୍ତି ମୋଟା ମୋଟା ଅଭିଧାନ ଆଉ ବ୍ୟାକରଣ, ଫୁଲକୁ ଖୋଜୁ ଖୋଜୁ ଓଜନ ତଉଲ ଆଉ ଭଣ୍ଡାରରେ ହିସାବ କିତାବରେ ବ୍ୟସ୍ତ ରହିଛନ୍ତି । ହୁଏତ ଆରପାଖଟା ବି ସମ୍ଭବ, ଆଖିଦୁରୁଶା ନା ଡାକ ନ ହୋଇ ଜୀବନର ସୌନ୍ଦର୍ଯ୍ୟ ଆଉ ତୃପ୍ତିରେ ଶାନ୍ତ ହୋଇ ଆପଣାକୁ ବୁଡ଼ାଇ ଦେବାର ଆନନ୍ଦ, ହୁଏତ ମଣିଷ ସମାଜ ବି ଏହିପରି ତା’ର ସ୍ୱାଭାବିକ ପ୍ରବଣତାରେ ବିକାଶ ପାଇପାରିବ, ତା’ର ସମ୍ପଦ ହେବ ସ୍ନେହ ଶାନ୍ତି ଆଉ ଆନନ୍ଦ ।

 

ରବି ଭାବନାକୁ ତଉଲୁ ଥିଲା । ସ୍ୱପ୍ନକୁ ରୂପ ଦେଉଥିଲା ମନେ ମନେ । ଭାବୁଥିଲା, ଆରମ୍ଭ କରିବ କେଉଁଠୁ ?

 

ସେତିକିବେଳେ ବଇ ମଳିକ ଆସି ଖବର କହିଗଲା ।

 

ଚମକି ପଡ଼ି ରବି ଚାହିଁ ଦେଖିଲା ହାଠାତ୍‌ ସତେ କି ଫୁଲ ପାଉଁଶ ହୋଇଯାଇଛି ।

 

କାହିଁକି ଏ ଅଭିଯୋଗ ? କାହାର କି ଦୋଷ କରିଛି ସେ ? ମୁଣ୍ଡଘୁରା ଥମ୍ୱିଯାଇ ଅବସ୍ଥାକୁ ଭାବି ବସିଲାବେଳକୁ ରବି ମନେ ମନେ ପ୍ରଶ୍ନ ପଚାରିଲା ।

 

ଏତେ ସହଜରେ ଆପଣା ପାଖ ନିଜକୁ ସଫେଇ ଦେଇପାରିଲା ନାହିଁ । ଅନୁଭବ କଲା, ମନ ଭିତରେ ଅଚିହ୍ନା ମମତାର ଚେର କେଉଁ ଗହନକୁ ଭେଦି ଚାଳିଯାଇଛି, ବାହାରୁ ଏ ଦାରୁଣ ଆଘାତ ନିଠେଇ ନିଠେଇ ସେହି କଥାକୁ ମନେପକାଇ ଦେଉଛି । ସେ ଛବିକୁ ଭଲ ପାଇଛି ।

 

ସେ କାହାରିଠୁ କିଛି ଖୋଜୁ ନାହିଁ, ଲୋଡ଼ୁନାହିଁ । ସେ କାହାରି କିଛି ଅନିଷ୍ଟ କରିନାହିଁ । ତଥାପି ଏକାଠି ଅଜାଡ଼ି ହୋଇ ପଡ଼ୁଛି ଲାଜ ସଂକୋଚ, ମନ ଡାକୁଛି ପଳା ପଳା ।

 

ଏକୁଟିଆ ଏପାଖ ସେପାଖ ହେଉ ହେଉ ଅନ୍ଧାର ପଡ଼ିଲାଣି । କେଡ଼େ ସୁନ୍ଦର ବୁଲି ବୁଲିକା ସେ ଗାଁକୁ ନୂଆ ଆଖିରେ ଦେଖୁଥିଲା । ନିଶ୍ଚିନ୍ତ, ନିଧଡ଼କ । ପରୀକ୍ଷା ନାହିଁ, ଚାକିରି ନାହିଁ, ତରତର ହେବାକୁ ଗରଜ ନାହିଁ । ସେପଟେ ନଈ, ଏପଟେ କ୍ଷେତ, ଦଣ୍ଡା, ତୋଟାମାଳ, ସୂର୍ଯ୍ୟାସ୍ତବେଳେ ଗାଁର ଧୂଳି, ଗାଁର ଚଢ଼େଇ, ଖରା ଝଲ ଝଲ ନଡ଼ିଆ ବାହୁଙ୍ଗା, ଖୋଲା ଆକାଶ ଯେପରିକି ଭାବ ଛଳଛଳ । ଯୁଗ ଯୁଗର ଥାଇତା ରୂପକୁ ସେ ଆଖିରେ ଦେଖୁଥିଲା, ଭାବୁଥିଲା ଏମିତି ପୁରୁଷ ପୁରୁଷ ଗଲା, ଲୋକେ ଏ ସଭାରେ ଭଦୟ ହୋଇଛନ୍ତି ଅସ୍ତ ହୋଇଛନ୍ତି । ସେମାନଙ୍କର ସାଇତିବା ରଖିବା ସାର ହୋଇନାହିଁ । ଜୀବନ ଭୋଗ କରିବା ସାର ହୋଇଛି ।

 

ହଠାତ୍‌ ସବୁ ବଦଳି ଯାଇଛି । ଚିନ୍ତାର ବେଗ ପାଦକୁ ଧରିଛି । ସେ ଅମଡ଼ା ମାଡ଼ି ଚାଲିଛି । ଭାବିବାକୁ ଆରମ୍ଭ କଲା ଠିକ୍‌ ସେତିକିବେଳେ ଯେତେବେଳେ କାଲୁଆ ଚିକିଟା ହୋଇ କ’ଣଟାଏ ସେ ମାଡ଼ି ପକାଇଲା । ଗୋଡ଼ ତଳବାଟେ କରପଟିଆ ହୋଇ କ’ଣଟାଏ ସୁ ସୁ ହୋଇ ଚାଳିଗଲା । ପଳାଇ ବୁଲିବା ମନୋବିକାର ପାହାର ଖାଇ ଉଭେଇଗଲା । ମୁଣ୍ଡ ଥଣ୍ଡା କରି ସେ ଅନୁଭବ କଲା ପାଦ ତଳେ ଦମ୍ଭମାଟି ।

 

ସେତେବଳେ ସେ ଦେଖିଲା, ବନ୍ଧ ଉପରୁ ଘର ଘରକର ସାହିର ଆଲୁଅ କି ସୁନ୍ଦର ଝଟକୁଛି । ଆକାଶରେ ତରାଟ ଫୁଲ ପରି ତାରା ଫୁଟିଛି । ସାମ୍ନାରେ ଜୀବନଯାକ ପଡ଼ିଛି । ତା’ର କିଛି ଘଟିନାହିଁ । ଏଇ ଖୋଲା ଦାଣ୍ଡଟା ପାରିହେଲେ ତା’ ଘରର ଉଞ୍ଚ ପିଣ୍ଡା, ତା’ପରେ ଦାଣ୍ଡଘର, ତା’ପରେ ଖଞ୍ଜା । ତା’ର ଦୁର୍ଗ ଅକ୍ଷତ ରହିଛି, ତା’ ସହିତ ତା’ର ଅବସ୍ଥିତି । ସେ ଶୁଖିଲାରେ ଅଛି, ନିରାପଦରେ ।

 

ଦୂରରେ ଛବିର ଘରକୁ ବି ସେ ମନେ ମନେ ଦେଖିଲା, ଶୁଣା କଥାକୁ ଭାବିଲା । ମନକୁ ପ୍ରବୋଧ ଦେଲା, ଈଶ୍ୱର ଅଛନ୍ତି, ନିର୍ଦ୍ଦୋଷୀକୁ ଦଣ୍ଡ ନାହିଁ ।

 

ବାପା ଆଉ କିଛି କହୁନାହାନ୍ତି । ବୋଉ କିଛି କହେନାହିଁ । ତଥାପି ସେ କେମିତି ଅନୁଭବ କରିପାରେ ଯେ ତାକୁ ନୂଆ କଥା କହିଲାଭଳି ତାଙ୍କର ବହୁତ ଅଛି ।

 

ସେ କରଛଡ଼ା ଦିଏ । ଚାଷ କାମରେ ଆପଣାକୁ ବ୍ୟସ୍ତ ରଖେ । କାମ ବି ଅସୁମାରି । ବଡ଼ଧାନ ଅମଳ ସାରି ଅମାରରେ ସାଇତା ହେଲା । ସଙ୍ଗେ ସଙ୍ଗେ ଧାନ ବିଲରେ ଝାଇଁମୁଗ ବୁଣା-। ତେଣେ ସେପାଖ ଆଳୁ ବିଲରେ ହୁଡ଼ା ଟେକା, ଘାଇରୁ ଆଖୁ ଅମଳ, ଗୁଡ଼ ରନ୍ଧା । ପଠାଜମିରେ ପରିବା ଚାଷ । ସବୁଠି ନିଘା ଆବଶ୍ୟକ । ନିଘା ଊଣା ହେଲେ ଟୋକେଇ ଟୋକେଇ ବାଇଗଣ କୁଆଡ଼େ ଅଦୃଶ୍ୟ ହୋଇଯିବ । ତା’ଛଡ଼ା ନୂଆ ବାରି ତିଆରି, ଜୋର ଉପରେ ଅରାଏ ଘେରେଇବ ବୋଲି ତା’ର ବହୁଦିନର ଆଶା ।

 

ହଳିଆ ଅଛନ୍ତି । ତା’ଛଡ଼ା ଭାଗୁଆଳି ରଇତମାନେ । ବହୁତଦିନର ସଂସ୍ଥା, କିଏ କେତେବେଳେ କେଉଁ କାମଟା କରିବ, କ’ଣ ପାଇବ, କେତେ ଦେବ, ସେ ତା’ ମନକୁ ମନ ହୁଏ । ବାବୁଘର ପାଠପଢ଼ା ପୁଅପାଇଁ କାମ ଅପେକ୍ଷା କରେନାହିଁ । କିନ୍ତୁ ରବି ତା’ ଆପଣା ମନସୁଖେ ତାଷଧନ୍ଦାରେ କାନ୍ଧ ଲଗାଇବାକୁ ଭଲ ପାଏ । ସେ ଥିଲେ କାମିଆ ଲୋକଙ୍କୁ ବି ଭଲଲାଗେ, ଖାଲି ତା’ କଥା ଶୁଣିବାକୁ ନୁହେଁ, ତା’ କଥାକୁ ତ ସେମାନେ ପିଇଯାଆନ୍ତି । ତା’ଛଡ଼ା ସେ ଥିଲେ ଯେଉଁ ଟିକିଏ ଟିକିଏ ମନଜାଣି ସୁବିଧା କରିଦିଏ ସେମାନେ ଭାରି ଆନନ୍ଦ ସେଥିରେ । କିଏ ଘରକୁ ଦିଟା କ’ଣ ନେବ, କିଏ ଟିକିଏ ଛୁଟି ନେଇ ଯାଇ ତା’ର କ’ଣ କାମ କରି ଆସିବ । ସେ ନାହିଁ କରେ ନାହିଁ, ତା’ ଛଡ଼ା ବେଳକାଳକେ ସୁ’କାଏ ଅଧୁଲିଏ ମାଗିଲେ ମିଳେ । କାମ ଢିଲା ପଡ଼େନାହିଁ । ବେଶି ବେଶି ଉଠେ, ଅନ୍ୟବେଳେ ଯୁଗଧର୍ମରେ ପଡ଼ି ଯଦି କେହି ଗାମୁଛାକୁ ମୁଣ୍ଡତଳେ ଦେଇ ଚିତ୍‌ହୋଇ ଗଛମୂଳ ଦେଖି ଟିକିଏ ଢୁଳେଇ ପଡ଼ୁଥିଲା, ସେ ଥିଲେ ତା’ ସେମାନେ କରନ୍ତି ନାହିଁ, ଜଣକୁ ଆଉ ଜଣେ ଆକଟ କରି କହେ-‘‘ଛି’’-

ଆଉ ସେ ତାଙ୍କୁ କହେ ନୂଆ ନୂଆ କଥା । କହେ ପରିଶ୍ରମ କରୁଥିବାଯାକେ କାହା ଦାନା କେହି ମାରିପାରିବ ନାହିଁ । କାମ କଲେ ଖାଇବାକୁ ଅଧିକାର ଅଛି । ଚାଷୀର ମାନ ସବୁଠୁ ବଡ଼, ସେ ସମସ୍ତିଙ୍କ ଜୀବନ ବଞ୍ଚାଏ । ନିଜେ ବି ସେ ପରିଶ୍ରମର ପ୍ରତିମୂର୍ତ୍ତି ହୋଇ ଯେତେବେଳେ ସେମାନଙ୍କ ସଙ୍ଗରେ ମିଶିଯାଏ ସେମାନେ ତାକୁ ଆପଣାର କରି ଆଦରି ନିଅନ୍ତି, ତା’ର ଜ୍ଞାନ ତା’ର ଉତ୍ସାହ ତାଙ୍କୁ ଲାଗେ ତାଙ୍କରି ନିଜର ବୋଲି ।

ଆଉ ସେ କହେ ତାଙ୍କ ମନ ଭିତରର କଥା, ସେମାନେ ଯାହାକୁ ପ୍ରକାଶ କରନ୍ତେ, କରିପାରି ନାହାନ୍ତି । ସେ କହେ ସମସ୍ତେ ଆସନ୍ତି ଚାଷୀକୁ ଶିଖାଇବାକୁ, କିନ୍ତୁ ଯୁଗ ଯୁଗ ଏହି କାମରେ ବିତେଇ ସେମାନେ ଯାହା ଶିଖିଛନ୍ତି, କି ଚାଷ ବିଷୟରେ, କି ଚଳଣି ବିଷୟରେ, ଲୋକେ ଆସନ୍ତି ନାହିଁ ତାକୁ ଶିଖିବାକୁ । ଶିଖି ପାରିଲେ, କାମରେ ଲଗାଇ ପାରିଲେ ଏ ସଂସାର ସୁସ୍ଥ ହୁଅନ୍ତା ପରା ।

ଗାଁରେ ବି ତା’ ରହଣିର ପ୍ରଭାବ ପଡ଼ିଲା । କେଉଁ କାଳରୁ ପଙ୍କରେ ପୋତିହୋଇ ପଡ଼ିଥିଲା ଗାଁ ମୁଣ୍ଡର ପୋଖରୀ ସିଧଗାଡ଼ିଆ, ଅନାଦି ଦାସ ଯେଉଠି ସମାଧି ପାଇଛନ୍ତି ସେଠୁ ଅଳ୍ପ ଛାଡ଼ି, ବଡ଼ ବରଗଛ ସେକରେ । ସର୍ବସାଧାରଣ ପୋଖରୀ, ତେଣୁ ତାକୁ ଖୋଜିବା କାହାରି ଜଣକର ସ୍ୱାର୍ଥ ନୁହେଁ । କିନ୍ତୁ ସେ ପୋଖରୀ ବିଷୟରେ ଲୋକେ କିମ୍ୱଦନ୍ତୀ କହନ୍ତି ବହୁତ । ସିଦ୍ଧ ଅନାଦି ଦାସ ଗୋସେଇଁ କୁଆଡ଼େ ସେ ପୋଖରୀକୂଳରେ ଜପ କରୁଥିଲେ । ସବୁଠି ପଦ୍ମ ଜଳିଗଲେ ବି ସେଠି କୁଆଡ଼େ ପାହାଚ ପାଖେ ଗୋଟିଏ ହେଲେ ପଦ୍ମଫୁଲ ଫୁଟି ରହୁଥିଲା । ଅନାଦି ଗୋସେଇଁଙ୍କ ମହିମା ବଳରେ କେଉଁଦିନ କୁଆଡ଼େ ସେ ପୋଖରୀଯାକ ପାଣି କ୍ଷୀର ହୋଇଯାଇଥିଲା, ପୁଣି କେଉଁଦିନ ହୋଇଥିଲା ହଳଦୀପାଣି । ସେ ପୋଖରୀରୁ ପାଣି ନେଇ ପିଉଥିଲେ କୁଆଡ଼େ ରୋଗ ଭଲ ହେଉଥିଲା । ଆହୁରି କେତେ ଅଲୌକିକ କାହାଣୀ, କିନ୍ତୁ ପୋଖରୀରେ ପାଣି ନାହିଁ ।

ଲୋକ ଲଗାଇ ପୋଖରୀ ଖୋଳା ଆରମ୍ଭ କଲା, ରବି କେହି କେହି ଠିଆ ହୋଇ ଦେଖିଲେ, କହିଲେ ଭଲ କାମ । ରବି ନିଜେ ଖୋଳୁଛି ଦେଖି କେହି କେହି ଟିକିଏ ଟିକିଏ ମିଶିଗଲେ, ଭାବିଲେ ୟେ ବି ଏକ ମଜା କାମ । ନି:ପ୍ରା: ସ୍କୁଲର ଯୁବକ ଶିକ୍ଷକ ବି ପିଲାଙ୍କୁ ସଙ୍ଗରେ ଘେନି ଶ୍ରମଦାନ ଦେବେବୋଲି ଆସି ପହଞ୍ଚିଲେ, ଦି’ଦିନ ଆସିଲା ପରେ ଆଉ ଆସିଲେ ନାହିଁ । କିନ୍ତୁ ଲୋକେ ଦେଖିଲେ, ରବି ଖାଲି ପୋଖରୀ ଖୋଲାଉ ନାହିଁ, ଯେତେକ ପଙ୍କ ଖୋଳା ହେଉଛି ସେତକ ସବୁ ବୁହାଇ ଆପଣା ନଡ଼ିଆ ବାରିରେ ନଡ଼ିଆ ମୂଳେ ଗଦା କରୁଛି । କହିଲେ ୟେ ଚିଜ ଖୋଜିଲେ ମିଳେନାହିଁ, କେଉଁ ବିଲାତି ସାର ସରିହେବ ୟା ସାଙ୍ଗରେ ? ନଡ଼ିଆ ମୂଳେ ଦିଅ, କାଗେଜି ମୂଳେ ଦିଅ. ଫଳ ଅଜାଡ଼ି ପକାଇବ । ସାତଦିନ କାଳ ଜଣେ ଲୋକ ମୂଲିଆ ଲଗାଇ ଆପେ ମିହନ୍ତ କରି ଏଠୁ ପଙ୍କ ତଡ଼ାଇ ନେଉଛି ଦେଖି ଲୋକେ କୁହାକୋହି ହେଲେ, ଚେତିଲେ, ଲୋଭେଇଲେ । କଥା ଖେଳିଲା-ଖାଲି ପଙ୍କର ବଳ ନୁହେଁ ତ, ସିଧ ପୋଖରୀର ଆଶ୍ଚର୍ଯ୍ୟ ଶକ୍ତି ବି ରହିଥିବ ହୁଏତ ଏ ପଙ୍କରେ । ତା’ପରେ ଗାଁ ଲୋକେ ପଙ୍କ ଖୋଳି ନେବାକୁ ଓହ୍ଲାଇ ପଡ଼ିଲେ ! ଲୋକ ଥାଟପଟାଳି, ମାଛ ଗୋଳିରେ ବି ଏତେ ହୁଅନ୍ତି ନାହିଁ ।

ମଉଛବ କଲାପରି ଲାଗିଗଲା ସିଧ ପୋଖରୀ ଖୋଳା କାମ ଆପେ ଆପେ, ଦୁଇଶହ ବର୍ଷର ନିଦ ଯେପରି କି କ୍ଷଣେକେ ଭାଙ୍ଗିଗଲା । ସମବେତ ଶକ୍ତି ଉପରେ ଆତ୍ମବିଶ୍ୱାସ ଲେଉଟି ଆସିଲା, । ତା’ ପଛକୁ ଆରମ୍ଭ ହୋଇଗଲା ଭାଗବତ ଘରକୁ ନୂଆକରି ଭଲକରି ତୋଳିବା କାମ, ସେଥିରା ବି ବପୁଳ ଉତ୍ସାହ ।

 

କାମ କରି କରି ଫୁରୁସତ ମିଳେ ନାହିଁ । ବାପାଙ୍କ ସଙ୍ଗେ ଅଳ୍ପ ଦେଖାହୁଏ, କିନ୍ତୁ ସେତିକିରେ ବି ସେ ଉତ୍ସାହ ଦେଖେ ନାହିଁ । କହୁ କହୁ କଥା ରୋକି ନିଅନ୍ତି । ଥରକୁ ଥର ଅନାନ୍ତି କେମିତି ନୂଆ କରି ନିରେଖିଲା ପରି ।

 

ବୋଉ ଓଲଟି ଗେହ୍ଲା କରି ବସେ ଆହୁରି ବେଶି । ମାଠିମୁଠି ରନ୍ଧାରନ୍ଧି କରି ଉପାସରେ ଅନାଇଁ ବସିଥାଏ । ବଳେଇ ବଳେଇ ଖୁଆଏ । କହେ ତୁଚ୍ଛାକୁ ଏତେ ରାଇଜଯାକର ବୋଝ ମୁଣ୍ଡେଇଛୁ କାହିଁକି ? ଯାହା କହନ୍ତି ଭାତ ଖାଇ ଆଞ୍ଚେଇ ଜାଣିନୁଁ, ଖଟି ଖଟି କେଡ଼େ କଳା ପଡ଼ିଗଲୁଣି ? ଆରେ ଦେହପା’କୁ ଅନା ।

 

ବୋଉ ଆଉ କହେ, ତୁ କ’ଣ ଏତେ ଭାବୁଚୁ କହିଲୁ ? ଭାତ ଖାଇବସିଚୁ, ମନଟା ଆଉ କୋଉଠି । କାହିଁକି ଏମିତି ଶୁଖିଲା ଦିଶୁଚୁ ? ଅଣ୍ଡିରିପୁଅ, କୋଉ କଥାକୁ ପରେଇ ? ଯାହା ମନ କରିବୁ ତା’ ହେବ । ତୋ’ର ତୁ ଚାକିରି ନ କଲୁ, ଯେମିତି ଖୁସି ସେମିତି ଚଳିବୁ, କିଏ ମନାକରୁଚି ?

 

ସ୍ନେହରେ ବୋଉର ଆଖି ସେତେବେଳେ ଛଳଛଳ ଦିଶେ, ସେ ଦୀର୍ଘଶ୍ୱାସ ପକାଏ, ରବି ଚମକେ । କେବେ କେବେ ବାପାବୋଉ ମନ୍ତ୍ରଣା କରୁଥିବାର ଦେଖାଯାଏ । ତାକୁ ଦେଖିଲେ ତୁନି ହୁଅନ୍ତି, ବାପା ଉଠି ଅନ୍ୟକାମରେ ଚାଲିଯାଆନ୍ତି, ସେ ନିଘା କରେ ତାଙ୍କ ମୁହଁରେ ଚିନ୍ତାର ଛାଇ ।

 

ଠାକୁର ଘରପାଖ ଟୁଙ୍ଗୀ ଘର, ବାପାଙ୍କ ବୈଠକଖାନା, ସେଠିକି ଗାଁର ପୁରୁଖା ଲୋକମାନେ ଯା’ ଆସ କରନ୍ତି । ଅନେକ ଥର ଯାଆନ୍ତି ଜଉତିଷ କାଶୀ ଅବଧାନ, ହାତରେ ପାଞ୍ଜି, ଆଖିରେ ଚଷାମା । ଦେଖାପଡ଼ିଲେ ମୁହଁକୁ ଚାହିଁ ହସି ଦିଅନ୍ତି । ସେହିପରି ମୂଷି ପଣ୍ଡା, ବାପାଙ୍କ ସାଙ୍ଗ, କିପରି ଯେପରି ଇଙ୍ଗିତ ଥିଲାପରି କଥା କହନ୍ତି, ‘‘କାହାଁତକ ଖୋଲାରେ ବୁଳୁଥବ ବାବୁ, ତେମେ ସିନା ଯୁଆଳିକି ଛାଡ଼ିଲ, ଯୁଆଳି ତମୁକୁ ଛାଡ଼ିବ କୋଉଠୁ ? ଆସୁଚି ଦେଖିବ । ପୁରୋହିତ ପରି ତିହାଡ଼ି କହନ୍ତି, ‘‘ଆମ କଥା ଭୂଲିଯିବ ନାଇଁ ବାବୁ !’’ ହସନ୍ତି ।

 

ସବୁ ଯେପରିକି ଏକାଠି ଗୁନ୍ଥିଲେ ଗୋଟିଏ ହାର ହୁଏ । ତା’ର ଅର୍ଥଟା ଅନୁମାନ କରିହୁଏ । ବାପାଙ୍କ ବ୍ୟବହାର ବେଳେ ବେଳେ ଅସ୍ୱାଭାବିକଭାବେ ରୁକ୍ଷ ଜଣାପଡ଼େ, ଅନ୍ୟ ଲୋକଙ୍କ ଉପରେ ଖେଙ୍କି ଉଠନ୍ତି । ହେଇ ଯେପରି ସେଥର ଶନିବାର ଡାକବାରିଦିନ । ଉପରଓଳି ଡାକବାଲା ଆଣି ଚିଠି ଦେଇଗଲା । ପଢ଼ିସାରି ବଟ ମହାନ୍ତିଏ ଉଠିପଡ଼ିଲାବେଳକୁ ସାମ୍ନାରେ ରବି । ବୋଉଙ୍କ ଉପରେ ରାଗ ଓଝାଳି ଦେଇ ଗର୍ଜନ କଲେ ।

 

‘‘କ’ଣ ହେଲା ! ବୁଢ଼ାଦିନେ କବି ମତେ ବୁଦ୍ଧି ଶିଖେଇବ ? ଆମେ ଓଲୁ, ଆଉ ସେ ସିଆଣା ? ହଉ, ତାଙ୍କ ବୁଦ୍ଧି ତାଙ୍କଠି ଥାଉ । ପୁଅ ଜନମ କରିଥିଲ ପରା, ନିଅ–‘‘ଚିଠିଟା ଟିକିଟିକି କରି ଚିରି ପକାଇ ବୋଉଙ୍କ ଉପରକୁ ଫୋପାଡ଼ିଲେ ।

 

କ’ଣ ଥିଲା ସେଥିରେ ? ରବି ସାହସ କରିନାହିଁ ପଚାରିବାକୁ । ସନ୍ଦେହ ବଢ଼ି ଉଠୁଥିଲା-

 

ଘରର ପଶ୍ଚିମ ଅରାଏ ତୋଟା ଲଗାଇବା ଉଦ୍ୟମ ହୋଇଛି । ମଝିରେ ସାନ ପୋଖରୀ ତୋଟାକୁ ପାଣି ତେଣ୍ଡିବାକୁ ଖୋଳା ହୋଇଥିଲା, ବହୁତ ମାଛ । ପୋଖରୀ ହୁଡ଼ାରେ ନଡ଼ିଆଗଛ ଲାଗିଛି, ଆଚ୍ଛା ପୁରୁଷେ ପୁରୁଷେ ଠିଆ ହେଲାଣି, ଚେକା ହୋଇ ବାହୁଙ୍ଗା ମେଲିଛି । ତା’ ଚାରିକରେ ଜାତିଜାତିକା କଲମି ଆମ୍ୱଗଛ, ସେପେଟା, ପିଜୁଳି, ଡାଳିମ୍ୱ, କାଗେଜି, ଆଉ କେତେ ପ୍ରକାର, ପଣସ, କରମଙ୍ଗା, ନଅରକୋଳି, ଆମ୍ୱଡ଼ା, ଏମିତି କେତେ କେଉଁଟା ମୁଣ୍ଡେ ଉଞ୍ଚ, କେୁଁଟା ଆଉ ବେଶୀ । ସେମିତି ପୋଖରୀ ଚାରି କଣରେ ଚାରିଟା ଚମ୍ପାଗଛ, ପାଉଛ ପାଖରେ ଗୋଟିଏ ପଟେ ବଉଳ ଗଛ, ଗୋଟିଏ ପଟେ ନାଗେଶ୍ୱର ଗଛ । ରବିର କେତେ ଥରର କେତେ ଖିଆଲରେ ବଗିଚା ବଢ଼ିଉଠୁଛି, ପିଲାଏ ଖେଳଣା କିଣିଲାପରି ସେ କିଣେ ଗଛ, ଆଣି ଲଗାଏ । ଚାରିକରେ ବାଡ଼ । ବାଟମୁହଁ କରରେ ପଦାରେ ପଳଗଦା ।

 

ସେଦିନ ଦି’ପହର ଗଡ଼ି ଯାଇଥାଏ । ଏକୁଟିଆ ରବି ଗଛମାନଙ୍କ ମେଳରେ ବୁଲୁଥାଏ, ଦେଖୁଥାଏ । ସେ.ବି.ଏ ପାସ୍‍ କରୁ କରୁ ଏମାନେ କେଡ଼େ କେଡ଼େଟିମାନ ହୋଇ ଠିଆ ହୋଇ ଫଳ ଫଳିଲେଣି । ଏ ପ୍ରତି ଗଛରେ ସମୟ ସଞ୍ଚି ହୋଇ ରହିଯାଉଛି । ଗଛ ବଢ଼ୁଛି । ଆଉ କେତେ ବର୍ଷରେ ଏଠି ଗୋଟିଏ ଗହଳି ତୋଟା ଠିଆ ହୋଇଥିବ । ଗଛ ବଢ଼ୁ ବଢ଼ୁ ଏଠି ଡାଳରେ ସାନ ସାନ ଚଢ଼େଇବସା ଖଞ୍ଜି ହେଲାଣି, ଗୁଣ୍ଡୁଚିମୂଷା ଦୌଡ଼ାଦୌଡ଼ି ଲଗାଇଲେଣି । କାପ୍ତା ବୋବାଉଛି । ଗୋଟିଏ ନୂଆ ସର୍ଜନର ଶୁଭ ଶଙ୍କୁନ ନାନା ରୂପରେ ଆଖିରେ ପଡ଼ୁଛି ।

 

ପୋଖରୀରେ ଖରା ପଡ଼ିଛି । ଭୁରୁ ଭୁରୁ ହୋଇ ସାନ ସାନ ମୀନ ଖେଳୁଛନ୍ତି ଅସଂଖ୍ୟ । ଠାଏ ଠାଏ ବଡ଼ ମାଛ ଧୀରେ ଉଠିପଡ଼ି ପୁଣି ଥିରିକିନା ବୁଡ଼ି ଯାଉଛନ୍ତି । ଗୋଟିଏ ସାନ କଇଁଛ ବେକ ଉହୁଙ୍କେଇ ଆହୁଲା ମାରି ମାରି ଚାଲିଛି ପୋଖରୀ ଚାରିକରଯାକ । ତା’ର ବୁଲା ସରୁ ନାହିଁ । ପାଣିରେ ନଡ଼ିଆ ବାହୁଙ୍ଗାର ଛାଇ ଝିଲି ଝିଲି ହେଉଛି ।

 

ବାଟମୁହଁ ସେ କରୁ ପାଟି ଆଉ ହସ ଶୁଭିଲା । ରବି ଦେଖିଲା, ସେବତୀ ଆଉ ତା’ ବୋଉ ଦୁହେଁ ପାଳ ଗଦୋଉଛନ୍ତି । ମୂଲିଆ ମଣିଷ ଦିହେଁ । ମୁଣ୍ଡିରାର ଉପରେ ହାଣ୍ଡି ଥୁଆହୋଇ ସେବତୀ ମା’ ଦରମଲା ଡଙ୍କ ଗୁରେଇ ହେଲାପରି ।

 

ଉଞ୍ଚ ମଢ଼ିଆରେ କଳା ହସ ହସି ସେବତୀ ମା’ କହିଲା, ‘‘ବାବୁଙ୍କର ଆମର ପରା ବିଭାଘର ହଉଚି, ଆଲୋ ସେବତୀ, ଏଡ଼େଡ଼େ କାକରା ପିଠା ଖାଇବୁ ଲୋ, ଘି’ ପିଠା ଖିରି ପୁରି ଭାସିଯିବ, କେତେ କିଏ ଖାଇବ ? ଖାଇ ଖାଇ ପେଟ ଫାଟିଯିବ ।’’

 

ମା’ କତିରେ ନଇଁପଡ଼ି ପାଳ ଗୋଟେଇ ଗୁରୋଉଥିଲା ସେବତୀ, ବୟସ ଅଠର ଊଣେଇଶି, ମା’ କଥା ଶୁଣି ଲୁହାପାତିଆ ପରି ଛାଟି ହୋଇ ହସି ହସି ଦୋହଲି ସ୍ଥିର ହେଲା, କସରା କଳା ଲୁହା ପାତିଆ, ପିଚ୍‌ କରି କରକୁ ପାନପିକ ପିଚିକାରି ମାରି ଦେଇ କହିଲା, ‘‘ସତେରେ ବୋଉ ?’’

 

‘‘ସତେରେ ନୁହେଁ ଆଉ କ’ଣ ମିଛେରେ ? କାଇଁକି ? ତୋ ଆଖିକି କ’ଣ ଦୁଶୁଚି କି ? ଛୋଟ ବାବୁଙ୍କର ଆମର ବାହା ହବାକୁ ବୟସ ହେଇ ନାଇଁକି ? ଏଇଦିନେ ସିନା ବାହାଘର, ଆଉ କ’ଣ ଏ ଦିନ ଥାଏ ନା ଏ ମନ ଥାଏ ? ଏ ହୁଣ୍ଡୀଟାର ଭାରି ବଡ଼ ବଡ଼ ଆଖି ଛୋଟବାବୁ !’’ ଝିଅର ପିଠି ଆଉଁଶି ସେବତୀ ମା’ କହିଲା, ‘‘ସାନ ସାନ ୟା ଆଖିକି ପସନ୍ଦ ହନ୍ତି ନାଇଁ, ଯେ ଯେତେ ମାଗି ଆସିଲେ ଏକା ନାଇଁ, କହିବ କ’ଣ ନା ଛି ସେଇଟା ବରୁଗୁଡ଼ିମୁହାଁ । ହେ ସେଇଟା ମୁଣ୍ଡରେ ବାଳ ନାଇଁ, ଆଉ ହେ ସେଇଟା ଧଡ଼ିଆଟା–’’

 

ସେବତୀ ଆପତ୍ତି କଲାପରି ବୋଉ ପାଟିରେ ହାତ ମାଡ଼ିଲା, ରବିକୁ ଚାହିଁ ହସିଲା, ସେବତୀବୋଉ କହିଲା, ‘‘କହିଦେବି ବୋଲି ମୋ ପାଟିରେ ହାତ ମାଡ଼ୁଚି । ହେଇତି ଅନେଇଲ ବାବୁ, ମତେ କହୁଚି କ’ଣ ଜାଣିଚ ? କହୁଚି ଯେ ଏମିତି ହେଇଥିବ ଏଇ ଆମର ଛୋଟ-’’

 

‘‘ବୋଉ–’’ ସେବତୀ ରଡ଼ିଲା, କାନିଟାକୁ ଟେକି ମେଞ୍ଚାଏ ତହିରୁ ତା’ ବୋଉ ପାଟିରେ ମାଡ଼ିଦେଇ କହିଲା, ‘‘ସେମିତି କହିଲେ ମୁଁ ଏଠି ରହିବି ନାଇଁ ପଳେଇବି ଜାଣିଥା–’’ ଲାଜରା ଲାଜରା ହୋଇ କଣେଇ କଣେଇ ଅନେଇଲା ରବି ମୁହଁକୁ ପୁଣି ତଳକୁ ।

 

ତା’ ବୋଉ କହିଲା, ‘‘ହଉ, ଗଣ୍ଠିଧନ କରି ରଖିଥା ତୋ କଥା ତୋ କାନିରେ ବାନ୍ଧି, ଆଲୋ ମୁଁ କିଛି କହିବି ନାଇଁମ, ମୋର ଯାଉଚି–’’

 

ସେବତୀ କହିଲା, ‘‘ଭାରି ହିତେଇ ହଉଚି ଆଉ ।’’

 

‘‘ଚିଡ଼ୁଚୁ କାଇଁକି ମ ? ବାବୁ, ଶୁଣ ମୋ କଥା । ଜଉତିଷ ତା’ ବା’କୁ କହିଥିଲା, ଏ ଟୋକୀ ସାମାନ୍ୟ ନୁହେଁ, ୟେ ବଡ଼ଆଖିଆ ହବ, ବଡ଼ଲୋକ ଆଶ୍ରା ପାଇବ । ବା’ତ ଗେହ୍ଲା କରି କରି ସରଗପୁରୁକୁ ଗଲା, ଅଭଛା ୟାକୁ କ’ଣ କରିବି, କୋଉଠି ନେଇ ଥୋଇବି, ମୋ ମୁଣ୍ଡ ବଥୋଉଚି ।

 

ସେବତୀ କହିଲା, ‘‘ଇଲେ ବୋଉ ଦେଖଲୋ, କେଡ଼େ ଟିକିଏ ନଡ଼ିଆ ଗଛରେ ଚଅଁର ପଡ଼ିଲାଣି । ମୁଁ ଟିକିଏ ଯାଆନ୍ତି ଦେଖି ଆସନ୍ତି ।’’

 

‘‘ଯାଉନୁ, କିଏ ମନାକରୁଚି କି ?’’ ତା’ ବୋଉ କହିଲା, କହିଲା, ‘‘ଛୋଟବାବୁ, ଯୋଉ ସୁନ୍ଦର ବଗିଚା ହେଇଚି ଏଠି ଖଣ୍ଡେ ଛୋଟିଆ କରି ବଗିଚା-ଘର ତୋଳ, ଭାରି ମାନିବ ।’’ ପୁଣି କହିଲା, ‘‘ଦେଖିଲ ବାବୁ, ଲୁଗା ନାଇଁ, କି ଅବସ୍ଥା ! ଝିଅଟାର ପିନ୍ଧିବାକୁ ଦର୍‌ହା ବୋଲି ଖଣ୍ଡେ ନାଇଁ, ଅଷ୍ଟ ଚିରା, କେତେ ଗୁରେଇ ହବ ! ଆମୁକୁ ଖଣ୍ଡେ ଖଣ୍ଡେ ନୂଆ ଲୁଗା କିଣିଦିଅ ବାବୁ, ନଇଲେ କ’ଣ ପିନ୍ଧି ତମ ବୋହୁ ଦେଖିବାକୁ ଯିବୁ !’’

 

ଏପର୍ଯ୍ୟନ୍ତ ରବି ତୁନି ହୋଇ ଠିଆ ହୋଇଥିଲା । ଭିତରେ ସେ କେମିତି ବିଚିତ୍ର ଅନୁଭବ କରୁଥିଲା । ହଠାତ୍‌ ଚମକିପଡ଼ି କହିଲା–

 

‘‘କ’ଣ ବକୁଚ ସେବତୀ ମା’, କାହା ବାହାଘର ହଉଚି ? ମୁଁ ତ ବିଭା ଦେବି ନାହିଁ ।’’

 

‘‘ସତେ ! ଏଡ଼େ କଥା ! ବିଭା ହବ ନାଇଁ ! ଆମ ଭୋଜିଭାତ, ଆମ ପାଇଁ ଲୁଗାଖଣ୍ଡେ, ଏଇତକପାଇଁ ଏଡ଼େ କଥା କହୁଚ ?’’

 

ସେବତୀ ହସିଦେଲା । ରବିକୁ ସବୁ ଯେମିତି କି ବାଇବିଛୁ ପରି ଲାଗିଲା, କହିଲା, ‘‘ଲୁଗା ଦରକାର, ଯିବ ବୋଉକୁ ମାଗିବ, ମତେ ସେଗୁଡ଼ା କହିଲେ କ’ଣ ହବ ?’’ ବିରକ୍ତ ହୋଇ କହିଲା, ‘‘ଯାଅ କାମ କର, ନଇଲେ ଯୁଆଡ଼େ ଯିବ ଯାଅ, ମତେ ଏସବୁ ବାଜେକଥା କହିବା କ’ଣ ଦରକାର ?’’

 

‘‘ମୁଁ ଯାଉଚି ଲୋ’’, ସେବତୀ ମା’ କହିଲା, ‘‘ମୁଁ ଥିଲେ ଛୋଟବାବୁ ଚିଡ଼ୁଚନ୍ତି-’’ ସେ ଦୂରେଇ ଗଲା । ସେବତୀ କ’ଣ ଯେପରି କହିବ କି ଶୁଣିବ ଥଙ୍ଗେଇ ଥଙ୍ଗେଇ ହେଲା, ତଳକୁ ମୁହଁ ପୋତି ଠିଆହୋଇ ରହିଲ, ମୁହଁ ଟେକି ଦେଖିଲା ରବି ବଗିଚା ଉଢୁଆଳରେ ଦୂରେଇ ଯାଉଚି । ସେବତୀ ଗୋଟିଏ ଗୋଟିଏ ହୋଇ ମା’ଆଡ଼କୁ ଚାଲିଗଲା ।

 

ରବି ଚାଲିଗଲା । ଦୂରେଇ ଦୂରେଇ ଲୋକ ଅଛନ୍ତି । ପାଖରେ କେହି ନାହିଁ । ଚଙ୍ଗ ଚଙ୍ଗ ଲାଗୁଛି । ଏଣିକି ଦଣ୍ଡା । ଦଣ୍ଡା କରରେ ନିଛାଟିଆ କିଆ ଅରାଏ, ବିଲ ହିଡ଼ରେ ଗୋଟି ଗୋଟିକିଆ ଖଜୁରି ଗଛ । ଏଠି-ସେଠି ଅନାବନା ଉଇ ହୁଙ୍କା । ଏଗୁଡ଼ା ଯେପରି ମାଟିପତ୍ତନରୁ ଭୁସ୍‌ଭାସ୍‌ ଉଠି ଠିଆ ହେଉଛନ୍ତି ତାକୁ କିଏ ସେ ବୋଲି ପଚାରିବାକୁ । ମନର ଅନ୍ଧାରୀ କନ୍ଦରାରେ ଉଭା ହୋଇଥିଲା ମାଟିର ତମସା, ସେ ଦବି ଦବି ଯାଛଛି, କିନ୍ତୁ ମାଟିର ଦେହ ଉପରେ ତା’ର ପ୍ରଭାବ କଟିଯାଇ ନାହିଁ, ଅନୁଭବ କରୁଛି ଆପଣାଠି ଉତ୍ତେଜନା ।

 

କମ୍ପନ ଥମ୍ୱି ଆସିଲା । କପାଳର ଝାଳ ମରିଗଲା । ମନରେ ପୂରିଗଲା ସହାନୁଭୁତି । ଭାବିଲା, ‘‘ଆହା, ଗରିବ ବିଚରାଟିମାନେ, ପିନ୍ଧିବାକୁ ଖଣ୍ଡେ ଦର୍‌ହା ହୋଇ ଲୁଗା ନାହିଁ । ପୁଣି ମନେ ମନେ ଖେଲାଇଲା, ତା’ର ସପନ-ଗଢ଼ା ସମାଜର ଛବି-ସମସ୍ତେ ମୁଠିଏ ଖାଇବାକୁ ପାଆନ୍ତେ, ସମସ୍ତେ ପାଆନ୍ତେ ପିନ୍ଧିବାକୁ ଚଳିବାକୁ !’’

 

ଡଉଁରିଆ ଛୁଇଁ ମନକୁ ଦମ୍ଭ ଦେଲାପରି ଛବିର ମୁହଁକୁ ମନେ ପକାଇଲା । ଆଶା ଆଉ ବିଶ୍ୱାସରେ ମନ ଟାଣ କଲା ।

 

ସଂସାରରେ ଏ ଦିନ ରହିବ ନାହିଁ, ରବି ଭାବିଲା । ପ୍ରଶାନ୍ତ ଦୟାଦ୍ର ଦୃଷ୍ଟିରେ ଚାରିଆଡ଼କୁ ଚାହିଁ ଦମ୍ଭ ହୋଇ ଚାଲିଲା ବୀରପୁରୁଷ, ଲାଗିଲା କେଉଁଠି କ’ଣ ସେ ଜୟ କରି ଆସିଛି-

 

ଦମ୍ଭ ଚାଲି ଧୀରେ ଶିଥିଳ ହୋଇଯାଇ ହୁଏ ସାଧାରଣ, ଛାଁଟ୍‌ ଓଟରା କାନ୍ଧ ଧୀରେ ଢିଲା ହୋଇଯାଏ, ଓସାର ଛାତି ସଙ୍କୁଚିଯାଏ, କୁଣ୍ଡଳିନୀ ଫଣା ନୁଆଇଁ ଜଳଶାୟୀ କେଶବଙ୍କ ପରି ଆପଣାଠିଁ ଧ୍ୟାନ ଲଗାଏ, ଆଖି ଥିଲା ସାମ୍ନାକୁ, ଦୂରଆକାଶ ତଳର ଅସ୍ପଷ୍ଟ ଗୋଲେଇ ଉପରେ ଥିଲା ଦୃଷ୍ଟି, ମନକୁ ମନ ଦୃଷ୍ଟି ନଇଁଆସେ ଧୂଳି କାଦୁଅର ମଡ଼ାବାଟକୁ, ଯେୁଁ ବାଟେ ଲୋକେ ଯାଇଛନ୍ତି, ପାଦର ମାଡ଼ ଖାଇ ଖାଇ ଘାସର ଚିହ୍ନ ନିଭିଛି, ହୁଗୁଳା ପାଦ ସେହି ବାଟେ ବାଟେ ପଡ଼ିଯାଏ ।

 

ସତେ ଅବା ଶଗଡ଼ିଆ ଶୋଇପଡ଼ିଛି । ନ ଭାବିଲା ଛନ୍ଦରେ ଯୋଡ଼ିବଳଦଙ୍କ କାନ୍ଧ ଉଠୁଛି ପଡ଼ୁଛି, ପଡ଼ୁଛି ଆପେ ଆପେ, ରାସ୍ତା ଲମ୍ୱିଛି । ଶଗଡ଼ ଚାଲିଛି ।

 

ତଥାପି ସେହି ଚାଲିବା ଭିତରେ ଜିଅନ୍ତା ରହିଛି ସବୁ ଆଦର୍ଶ, ସବୁ ବଳ । ଖାଲି ଡିଆଁ ଡେଇଁରେ ଆପଣାକୁ ପ୍ରକାଶ କରେ ନାହିଁ ସେ ଜୀବନ, ତା’ର ପରିଚୟ, ତା’ର ପ୍ରବାହ, ଘନଘଟା ନାହିଁ, ଗର୍ଜନତର୍ଜନ ନାହିଁ ବା ଲମ୍ଫ ନାହିଁ ।

 

ତେଣୁ ରବି ତା’ର ଟାଣୁଆ ପ୍ରତିଜ୍ଞାର ଢମ କଲା ନାହିଁ, ଆପଣା ଚିତ୍ତବୋଧକୁ ମଧ୍ୟ । ବାପମା’ଙ୍କର ସୁବୋଧ ପିଲା, ବୋଉଙ୍କ ଆଖିରୁ ସ୍ନେହ ନିଗିଡ଼ିପଡ଼େ । ବାପାଙ୍କ ଚାହାଣି ଯେତେ କଠୋର ହେଲେବି ସେ ଖାଲି ପତିଆରା, ପଦାର ଦଶ ଜଣଙ୍କ ଆଗରେ ପ୍ରଶଂସି ହୁଅନ୍ତି, ସେହି ପ୍ରଶଂସା ଦଶଗୁଣ ବଢ଼ିଯାଇ ରବି କାନରେ ପହଞ୍ଚେ-

 

‘‘ହିଁ, ରବି ମଣିଷ ହେବ, ଘର କରିବ, ତା’ପାଇଁ ମୋର ଦକା ନାହିଁ, ବରଂ ଦକା ବଡ଼ ପୁଅପାଇଁ, ସେହି କବିପାଇଁ । ଚାକିରି କରିଛନ୍ତି ସେ, ଚାକିରି ତ ସତରେ ତାଳଗଛ ଛାଇ, ଆଜି ଅଛି କାଲିକି ନାଇଁ । ତାଙ୍କର ପୁଣି ଘୋଡ଼ାଚଢା ମନ, ଯେତେହେଲେ ଆମରି କଳା ତ, କାହାରି ଗୋଡ଼ ଧରିବେ ନାହିଁ, କାହାରି ପାଖେ ନଇଁବେ ନାହିଁ, ଚଦ୍ରାଚ ସବୁବେଳେ ମନକଷ୍ଟ ଯେ ଉପରଓ୍ୱାଲା ପାତରଅନ୍ତର କଲେ, ଆମୁକୁ ଆହୁରି ବଡ଼ ପଦ ଦେଲେ ନାଇଁ । କର୍ମକୁ ବାହୁନୁ ବାହୁନୁ କେତେବେଳେ ଯେ ନିଜେ ତଡ଼ା ଖାଇବେ, କିଏ କହିବ ସେ କଥା ? ଚାକିରି ତ ଚାକିରି, ପର ଗୋଡ଼ତଳେ ମୁଣ୍ଡ ବିକା, ମନଟାକୁ ଅକ୍ତିଆରରେ ରଖି ସବୁବେଳେ ପର ଗୋଡ଼ତଳକୁ ଆଖି ନ ରଖିଲେ ସୁବିଧା ହୁଏ ନାହିଁ । ଏଣେ ସେ କାମ ବି ତମ ଆମ ଭଳିଆ ସାତ ପୁରୁଷି ସାଆନ୍ତଙ୍କ ଦେଇ ହୁଏ ନାହିଁ । ମୋଟାମୋଟି କଥାଟା ହେଲା ଏଇ । ତେବେ ପଶିଚ ତ, ୟେ ବୋଝ ତୁଲେଇବାକୁ ହବ, ହାକିମି ଅଛି, ଖାତିରିଟା ଅଛି, ସେଇଟା କୋଉଠୁ ମିଳେ ? ସେ ଫେର୍‌ ଯାହା କମେଇଁଲେ ତା’ ଉଡ଼େଇଲେ, ଓଲଟି ଘରୁ ଯିବ । ଘର କାହାକୁ କହନ୍ତି ତା’ ତ ବୁଝିଲେ ନାଇଁ, ଘୋଡ଼ା ଲାଙ୍ଗୁଡ଼ରେ ବାଳ ଉଠିଲେ ସେ ଆପଣା ପଛ ଘୋଡ଼େଇବ ନା ଆଉ କାହା ପଛ ଘୋଡ଼େଇବ ?

 

‘‘ରବିଟି ସେମିତି ନୁହେଁ, ସେ ପିଲା ନିଆରା, ଯାହା କହନ୍ତି ଯେଉଁ ମାଟିରେ ଗଜା ହେଲା ସେଇଠି ସେ ଚେର ଲଗାଇ ପାରିବ । ଖଟିବ ଖାଇବ ରଖିବ ସମ୍ଭାଳିବ, ତା’ପାଇ ମୁଁ ନିଧଡ଼କ ।’’

 

ରବି ଭାବି ଦେଖେ, ଭାଇଙ୍କ ଚିଠି ଚିରି ପକେଇବା ନିଦଠୁଁ ବାପାଙ୍କର ଏ ମତ ପରିବର୍ତ୍ତନ । ଏ ଦୁଇ କଥାର ଯେପରି କି କିଛି ସମ୍ୱନ୍ଧ ରହିଛି । ତେବେ ବାପାଙ୍କ ପାଖକୁ ଭାଇ କ’ଣ ଲେଖିଥିଲେ ?

 

କୁତୁହଳ ଯେମିତି ସେଇଠି ଅଟକିଯାଏ, ଆଉ ଆଗକୁ ମାଡ଼େ ନାହିଁ । ଭାଇଙ୍କ କଥା ମନେପକାଇଲେ ଲାଗେ ସେ ଯେପରି କି ତା’ର ଜନ୍ମରୁ ଜଣେ ଆଉ କେହି । ତାଙ୍କର ସ୍ୱତନ୍ତ୍ର ସଂସାର, ସ୍ୱତନ୍ତ୍ର ଜୀବନ, ସବୁ ଅଲଗା ଆଉ ଏକୁଟିଆ । ବହୁତ ଉପରେ ହୁଏ ତ, କିନ୍ତୁ ବହୁତ ଦୂରରେ । ତାଙ୍କ ସଙ୍ଗେ ସମ୍ୱନ୍ଧଟା ଇତିହାସଜନିତ, ଦୁହେଁ ଏକ ବାପମା’ଙ୍କର ସନ୍ତାନ, ଯେପରି ସମସ୍ତେ ପ୍ରଭୁ ପରମପିତାଙ୍କ ସନ୍ତାନ ସେହିପରି । ଆଉ, ଭାଇ କହିଲେ କିଛି ଭୟ, କିଛି ଆକଟଳ ମନ ଶଙ୍କିଯାଏ ।

 

ଅଭାବଟା ପୂରଣ କରେ ଆପଣାର କଳ୍ପନା,–ସେ ଭାଇ ।

 

ଆଉ ଭାଉଜ–ଗୋଟିଏ ପାଖରୁ ପର, ଆରପାଖୁ ଆପଣାର, ଯଦିଚ ଏହି ଦ୍ୱିତୀୟ ଭାବଟା ଦୂର ହୋଇଯାଏ ତାଙ୍କର ଅତିଭଦ୍ର ଅତିମଧୁର କରଛଡ଼ା ବ୍ୟବହାରରେ, ଯେ ଜଣେଇଁଦିଏ–ତୁମେ ଦୁଇଦିନପାଇଁ ଆସିଛ, ବେଶ୍‍ ଭଲ, ଘରକଥାର ତଳିତଳାନ୍ତି ଚିକିଟା କୁଣିଆର ଦେହ ମୁଣ୍ଡପାଇଁ ନୁହେଁ, ସେ କୁଣିଆଁ, ତାକୁ ଚିହ୍ନି ହେବ ଦେଖିଲାମାତ୍ରେ, ବେକରେ କୁଞ୍ଚ କୁଞ୍ଚ ଚାଦର, ତଳେ ଆସନ, ଦାଣ୍ଡଘରେ କାନ୍ଥକୁ ଢିରା ଦେଇ ବସିଥିବ, ମୁହଁପାଖେ ପାନ ଥାଳିଆ ପିକିଦାନି ଆଉ କୁଣ୍ଡ, ଦାଣ୍ଡ ପିଣ୍ଡାରେ ପାଣି ଢାଳ, ପିଣ୍ଡା ପାଉଛରୁ ତଳକୁ ଲମ୍ୱି ଯାଇଥିବ ଗୋଡ଼ଧୂଆ ପାଣିର ଧାର । ଦାଣ୍ଡ ଦୁଆର ମୁହଁ କରକୁ ଧୂଳି ସରସର ଜୋତାଯୋଡ଼ାଟା ।

 

ବସ କୁଣିଆଁ, ସବୁ ଭଲ ତ ? କେମିତି ଚାଲିଛି ?

 

ତୁମେ ଦାନ୍ତ ଦେଖାଇ କହିବ–ହିଁ ଚାଲିଚି ସେମିତି ।

 

ଭାଉଜବୋଉ ହତାଦର କରନ୍ତି ନାହିଁ, କିନ୍ତୁ ଫେରିଲାବେଳେ ଲାଗେ ଫମ୍ପା ଫମ୍ପା । ରବି ନିଜକୁ ପଚାରେ-କୃଆଡ଼େ ଯାଇଥିଲି ? ଆଣିଛି କ’ଣ ?

 

ପିଲାଏ ବି ସେମିତି, କେଡ଼େ ସୁନ୍ଦର କାବା କାବା ହୋଇ ଅନାନ୍ତି । ସହରିଆ ସୁତୁରା ପିଲାଏ, ପରିପାଟୀ ବେଶ, ଗାଁ ପିଲାଙ୍କ ପରି ମୋଟେ ନୁହଁନ୍ତି, ଯେପରି କି ନୂଆ ଜନ୍ତୁ କିଏ ? ତା’ପରେ ଦଉଡ଼ି ପଳାନ୍ତି ଆପଣା ଧନ୍ଦାରେ, ସହଜରେ ସମସ୍ତେ ପଳାନ୍ତି ।

 

ଯେତେଥର ଦେଖିଲେ ଅକୁହା କଥା ପଦେ ଯେପରି କି ବାକି ରହିଯାଏ–ୟେ ତୁମ ଦାଦି ପିଲାଏ, ୟାଙ୍କ ଘର ବନ୍ଧମୂଳ, ନମସ୍କାର କର । ଅକୁହା କଥା ବ୍ୟବହାର ଆଉ ପରିସ୍ଥିତିରେ ନିଜ ରୂପ ପ୍ରକଟି ଦେଇ ମିଳେଇ ଯାଏ । ଆଉ ରବି ଗାଁକୁ ଫେରିଆସେ ।

 

ଭାଇଙ୍କ ପାଇଁ ହାଇଁପାଇଁ ହେଲାବେଳେ ରବି ଚେଷ୍ଟାକରି ବି ସ୍ୱାର୍ଥପର ପରି ଭାବେନାହିଁ, ଖାଲି ଇଛାହୁଏ ପରମେଶ୍ୱରଙ୍କର ଏତେ ଯେ ସନ୍ତାନ ସମସ୍ତେ ଭାଇ, ଏକମନ ହୋଇ ଏକା ଶେଣୀ ତଳେ ଏକାଠି ଥିଲେ କେଡ଼େ ସୁନ୍ଦର ହୁଅନ୍ତା ! ଶେଣୀର ଲମ୍ୱା କେତେ ତା’ ମନେପଡ଼େନାହିଁ, ଆଖିରୁ ଲୁଚିଯାଏ ବର୍ଣ୍ଣ-ବୈଚିତ୍ର୍ୟରୁ ଆନନ୍ଦ ଘେନିବା ଅଭ୍ୟାସ । ଏକ ହେବାକୁହିଁ ମନେପଡ଼େ ।

 

ବାପା ତାକୁ ଭାଇଙ୍କଠୁ ବଢ଼ିଆ ବୋଲି ଭାବିଛନ୍ତି, ସେତିରେ ତା’ର ଗୌରବ ନାହିଁ, ସେ ସମ୍ପୂର୍ଣ୍ଣ ଉଦାସୀନ ।

 

ସୁବୋଧ ବାଳକ ତା’ର କାମ କରିଯାଏ, ସୌମ୍ୟଶାନ୍ତ ମଣିଷ ଖୋଳ ଭିତରେ ସମ-ଆଚରଣ ଉଢ଼ୁଆଳରେ ଅତି ତର ତର ଋତୁ ବଦଳୁଥାଏ, ତଥାପି ପ୍ରତୀକ୍ଷା ମେଣ୍ଟେନାହିଁ, ପୁଣି ଋତୁ ବଦଳେ, ପୁଣି, ପୁଣି ନୂଆ ସୃଷ୍ଟି ପାଇଁ ।

 

ବଟ ମହାନ୍ତି ।

 

କାନରେ ବାଜିଛି ପାଟେଳି ଗାଁର ହପ୍‌ପା, ଆଉ ତହିଁରେ ଗୁରେଇ-ଗାରେଇ ହୋଇ ଗୋଟିଏ ନାଁ-ରବି ।

 

ପ୍ରଥମେ ଯେଉଁଦିନ ଶୁଣିଲେ ଲାଗିଲା ଯେପରି କି ଆପଣାର ସବୁ ଭୁଶୁଡ଼ି ପଡ଼ି ଅରକ୍ଷ ହୋଇଛନ୍ତି, ଗୋଟିଏ ପ୍ରତିହିଂସା ଜଳିଉଠିଲା–ପାଟେଳି ଗାଁ ଭସ୍ମ ହେଉ । ରବିର ଭେକ ତଳେ ଦିଶିଲା ଗୋଟିଏ ଗୁସ୍ତମାରୁ ଶତ୍ରୁ, ଯେ ଆସ୍ପର୍ଦ୍ଧା କରିଛି ବଟ ମହାନ୍ତିର ଖାନ୍ଦାନି ନାଁକୁ ତଳେ ପକାଇ ଧୂଳିରେ ଘୋଷାରିବ । ସେହି ନାଁ, ସେହି ମୁଁ’ ପଣ, ସେଇଆକୁ ଲୋକ ଆଖିରେ ଗଢ଼ି ଉଞ୍ଚ କରିବାକୁ ଲାଗିଗଲା ଗୋଟିଏ ଜନ୍ମ ।

 

ତା’ପରେ ସେ ଦାପ୍‌ଟ ଅବା ଧିମେଇଁ ଆସିଲା, ରବି ଆଉ ନିଜକୁ ସେ ଅଭିନ୍ନ ଦେଖିପାରିଲେନାହିଁ ଯେପରି କି ହୋ’ଟା ଉଠିଛି ତାଙ୍କ ନାଁରେ ।

 

ମନ କହିଲା, ସେ ଅସମ୍ଭବ ।

 

ଆଜି ଦେହକୁ ଜରା ଘୋଟିଲାଣି, ମନକୁ ପରମାର୍ଥ ଘୋଟିଲାଣି, ରୁଚିଲେ କାଠିନ୍ୟ ଓ ଶାଳୀନତା, ଅମରକୋଷ ଓ ବ୍ୟାକରଣ ଆଲୋଚନା କରିବାକୁ ମନହୁଏ, ପଢ଼ିବାକୁ ସେହିଆ ରୁଚେ, ଯାହାର ଅର୍ଥ ସହଜେ ବୁଝିହୁଏ ନାହିଁ ଝାଳ ବୁହେ, ଦାନ୍ତ ଲାଗେ । ଅଙ୍ଗ ପ୍ରସାରଣ ଆଜି ହାଲୁକା ଲାଗେନାହିଁ, ହାତଟା ଥାପିଦେଲେ ଲାଗେ ଦଶସେରିଆ କିଛି ଗୋଟିଏ କୁଢ଼େଇ ଦେଲାପରି ବିଛଣାରେ ପଡ଼ିଗଲେ ସୁଦ୍ଧା ଲାଗେ ଗୋଟିଏ କାର୍ଯ୍ୟ ହେଲା, ବଳଦ ଖୋଲିନେଇ ଭାରି ଶଗଡ଼ଟା ନୁଆଁଇ ଥୁଆ ହେଲା । ଆଜି ପ୍ରଶ୍ୱାସରେ ଧୂଳି ଉଡ଼େ, ତଣ୍ଟି ଘଡ଼ଘଡ଼ରେ କେନ୍ଦରା ବାଜେ । ଦେହ ଉଠିବାକୁ ଚାହେଁ ନାହିଁ ।

 

ତେଣୁ ମନ କହିଲା, ସେ ଅସମ୍ଭବ ।

 

କିନ୍ତୁ ଦେହର ଅତୀତ ଯେଉଁ ଚୈତନ୍ୟ ଯେ ନିଦା ନିକିତିର ମାପକୁ ଆସେ ନାହିଁ, ସେତିରେ ଛିଣ୍ଡା ସ୍ୱପ୍ନ-ଅନୁଭୂତି ଭାସି ଚାଲିଯାଏ, ସେସବୁ ସ୍ତ୍ରୀ ଲୋକର ।

 

ଗୋଳମାଳ ଲାଗେ,-ଆଗ କିଏ ପଛ କିଏ ?

 

କଳ ପରି ଦେହ, କଳର ଖଣ୍ଡ ଖଣ୍ଡ ଅଂଶ ପରି ଅଙ୍ଗପ୍ରତ୍ୟଙ୍ଗ । ବଟ ମହାନ୍ତି କ୍ଷୋଭରେ ଭାବନ୍ତି, କଳର କେଉଁ ଅଂଶ ଖଣ୍ଡ ଭଲା ଘୋରି ହୋଇ ନାହିଁ ବ୍ୟବହାରରେ ? ପ୍ରବୃତ୍ତିର ମାର୍ଗରେ ବିଫଳତା କ୍ରମେ କାନ୍ଥ ପରି ବଢ଼ି ଉଠିଛି, ଲାଗିଛି-ଏଇ କାନ୍ଥ ବି ଈଶ୍ୱରସୃଷ୍ଟ । ଧାରଣାଟା ବଡ଼ ଡେରିରେ ଜନ୍ମିଛି ସତକଥା, ସେତେବେଳେ ଆଗେ ପ୍ରତ୍ୟେକ ବାଧା ପ୍ରତ୍ୟେକ ବିଫଳତା ଲାଗିଥିଲା ସ୍ୱଧୀନ ଗୋଡ଼ରେ ହଠାତ୍‌ ବେଡ଼ି ପକାଇଲାପରି, ସେତେବେଳେ ଦିନ ଯାଇ ରାତି ଆସୁଥିଲା, କଟକଟ ହୋଇ କାଟୁଥିଲା ସେହି ବିଫଳତାର ବେଡ଼ି-ତା’ର କି ଯାତନା, କି ମନକଷ୍ଟ । ଆଜି ସ୍ଥବିରପଣରେ ଭାବିହେଉଛି ସେତେବେଳେ ଥିଲା ଅସହିଷ୍ଣୁ ମନ, ସହିବା ଯେଉଁ ମହତ୍‌ଗୁଣ ତାକୁ ଶିଖିବାକୁ ଦରକାର ହୁଏ ପାକଲା ବାଳ । ଉବାର ହୋଇ ହସି ହୁଏ । ପ୍ରବୃତ୍ତି ମାର୍ଗରେ କନ୍ଦି ବିକନ୍ଦି ଆଉ ବାଙ୍କ ଫାଙ୍କରେ ଯେତେଠିଁ ଯେତେ ଠିଆ ହୋଇଛି ଉଞ୍ଚ ଉଞ୍ଚ କାନ୍ଥ ସେଥିରେ ସତେକି ପୁରାତନ ବୁନିଆଦିର ଚିହ୍ନପରି ବାଳ ବାଳୁଆ ଶିଉଳି ଆଉ ପାଣିବନଖିଆ ଦେଉଳଆ ବର୍ଣ୍ଣ, ଦେଉଳ ତ ସତେ ସିଏ ! ଶାସ୍ତ୍ରର ବଚନ ସେ ପବିତ୍ର ସଂଯମ । ତା’ ସେପାଖେ ପାପ । ସେହି ସଂଯମର କାନ୍ଥ ଯାହାର ଯେତେ ସେତିକି ସେ ସଭ୍ୟ । ସବୁ କାନ୍ଥ ପାଖକୁ ପାଖ ଲାଗି ସବୁ ଫାଙ୍କ ଚୁଣ୍ଟିଦେଲେ ଦେହ ହେବ ଦାରୁବ୍ରହ୍ମ ଆଉ ସଙ୍ଗେ ସଙ୍ଗେ ଆତ୍ମାର ବଇକୁଣ୍ଠ ଲାଭ । ଦାରୁଠି ଦୁଃଖ ନ ଥିବ । ଯଦି କିଏ କହେ ସୁଖ ବି ନ ଥିବ, ତେବେ ସେ ବୁଝିନାହିଁ, କାରଣ ଜାଣିବା ଲୋକେ କହନ୍ତି ଏ ସୁଖ ମିଛ ସୁଖ, ଅସଲ ସୁଖ ଈଶ୍ୱର ମିଳନ, କୃଷ୍ଣପ୍ରାପ୍ତି । ସେମିତି ଦେହ-ବାର୍ଦ୍ଧକ୍ୟପାଇଁ ଏ ଯେଉଁ କ୍ଷୋଭ ସେ ବି ମିଛ କ୍ଷୋଭ, ଐହିକ ଅନୁଶୋଚନା । ଖାଲି ମାୟା । ବଟ ମହାନ୍ତିଏ ଏହିପରି ଭାବନ୍ତି ପରମାର୍ଥପଣରେ ।

 

ଶାସ୍ତ୍ର ଆଲୋଚନା ଭିତରେ ଯଦିବା ପ୍ରୟୋଜନ ପଡ଼େ କରଜ ଦେଇଥିବା ଟଙ୍କାପାଇଁ କସି କରି ସୁଧ ଅସୁଲ କରିବା, କଡ଼ାକ୍ରାନ୍ତି ହିସାବ କରି ବିଲର ନଡ଼ା କି ତାଳଗଛର ଫୋପଡ଼, ଆମ୍ୱତୋଟାର ଝଡ଼ିଲା ପତ୍ର ପରଠୁଁ ଅସୁଲ କରିବା ତେବେ ତା’ ସେ ଗୃହ-ଧର୍ମବୋଲି ଭାବି ଚଳେଇ ନେଇ ହୁଏ । ମଣିଷ କୃଷ୍ଣନାମ ଜପିଲେ କ’ଣ ଭାତ ଖାଇଲାବେଳେ ଥାଳି ପାଖେ ବସିବ ନାହିଁ ? ତେବେ ଯାହାକଲେ ମନେ ମନେ ଗୋବିନ୍ଦଙ୍କୁ ସମର୍ପଣ କରିଦେଲେ ସବୁ ପୁଣ୍ୟ, ସବୁ ପବିତ୍ର ।

 

ତେବେ, କେତେଗୁଡ଼ାଏ କଥା ଅଛି ଯେଉଁଗୁଡ଼ାକ ବିଷୟରେ ସେ ମନେ ମନେ ଗୋବିନ୍ଦଙ୍କ ସଙ୍ଗରେ ଲୁଚକାଳି ଖେଳନ୍ତି ସେଗୁଡ଼ା ଗୋବିନ୍ଦଙ୍କୁ ସମର୍ପଣ କରିବା ଯୋଗ୍ୟ ନୁହେଁବୋଲି । ସେ ତ ଘଟଧର୍ମ, ଦେହ-ଧର୍ମ । ଏ ଦେହକୁ ଗଢ଼ିଚି କିଏ ? ସେହି ଗୋବିନ୍ଦ ତ ? ତେଣୁ ସେ ସବୁ ଚିନ୍ତାରେ ଗୋବିନ୍ଦଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧିବାକୁ ହାତ ବଢ଼େଇଲେ ବି ଘଟ-ଧର୍ମରେ ସବୁ ଚଳେ, ଏ ଜୀବ ଦୋଷରେ ଭାଗୀ ନୁହେଁ । ନ ହେଉ ବା ତର୍କରେ ସୁସିଦ୍ଧ, ଅଧେ ୟେ ତର୍କ ତ ଅଧେ ବିଶ୍ଵାସ । ଶାସ୍ତ୍ରହିଁ ତ ବତେଇଛି ବିଶ୍ୱାସେ ମିଳଇ କୃଷ୍ଣ ତର୍କେ ବହୁଦୂର ? ସେହି ଘଟଧର୍ମରେ ଅତୀତର ସେହି ଚିତ୍ରଗୁଡ଼ାକ ରକ୍ତରେ ଖେଳିଯାଏ ।

 

କିଛି ନ ହେଲେ ବି ସ୍ମରଣରେ ଉଷୁମ୍ ଉଠୁଛି, କୁହା ନ ହେଉ ପଛେ ତାକୁ ତାତି ବୋଲି-। ଦେହରେ ସେହି ଉଷୁମ୍ ଖେଳାଇବାକୁ ଭଲ ଲାଗେ ।

 

ସେ ଗୁଡ଼ାକ ଅତି ଗୋପନ କଥା-

 

ଗୋଟାଏ ଗୋଟାଏ ନାଁ, ନାଁ ସଙ୍ଗେ ସଙ୍ଗେ ଗୋଟାଏ ନା ଗୋଟାଏ କିଛି ଇନ୍ଦ୍ରିୟ ଅନୁଭୂତି ଆଉ ଗୋଟାଏ ଛାଇ, ଗୋଟାଏ ଛିଲିକା ।

 

ଅତି ଉତ୍କଟ ମଲ୍ଲୀଫୁଲ ବାସ୍ନା ବିଞ୍ଚିଦେଇ ପହଞ୍ଚିଯ।ଏ ଗୁଡ଼ାଏ ଅନ୍ଧାର ବାରିଆଡ଼େ ଗୋଟିଏ କଣରେ । ସେପାଖେ ଭଙ୍ଗା ବାଡ଼, ସେପାଖେ ବାରି, ସେପାଖେ ଗୋଟିଏ ଖଞ୍ଜାର ବାରି କବାଟ । ସବୁ ବାରି ହୁଏ, ଠାସୁକୁମାରି କହିଦେଇ ହେବ ବାରି କବାଟ ତଥାପି ବନ୍ଦ ରହିଛି, ଏପାଖେ ଶିଙ୍କୁଳି । ନିଶା ଅନ୍ଧାର ଜମିଯାଇଛି ଭଲ, ହୁ ହୁଆ ପବନରେ ସ।ଇଁ ସାଇଁ ଗତି । ତଥାପି ଏଇ ଦକ୍ଷିଣାପବନ ତଳେ ତଳେ କି ଇଜାଟ ତାତି, ଦେହ ଝାଳେଇ ଯ।ଉଛି, ଛାତିରେ ପଡ଼ୁଛି ଚୁଡ଼ାକୂଟା ପାହାର । ଏକ ଦୃଷ୍ଟିରେ ସେ କଣର ସେହି ମେଞ୍ଚିମାଞ୍ଚି ଅନ୍ଧାରଆଡ଼କୁ । ଏଥର ଗୋଟାଏ ନଗି ଅଗରେ ଗୋଟାଏ ଚୁନ ହାଣ୍ଡି ମୁଣ୍ଡ ଟେକିବକି ? ଥରି ଉଠୁଛି ଧଳା ହାଣ୍ଡିମୁଣ୍ଡିଆ ନଗି, ତା’ ସଙ୍ଗରେ ଜାଣିଲା ପରି ଝଣଝଣ ଝଣଝଣ । ଆଉ ଅପେକ୍ଷା ନାହିଁ । ପାଖକୁ ଧାଇଁ ଯାଉ ଯାଉ ସେହି ଉତ୍କଟ ମଲ୍ଲୀଫୁଲ ବାସ୍ନା ଯେପରି କି ବିହଳ ହୋଇ ଘୋଡ଼େଇ ପକାଉଛି ଚାରିଆଡ଼ୁ । ଅନ୍ଧାରକୁ କୁଦାମାରି ଚେତନା ଲୁପ୍ତ । ଗୋଟାଏ ନୂଆ ଜୀବନ, ସତେ କି ଆପେ ଗୋଟାଏ ରାଉ ରାଉ ତୋଫାନ, ଖାଲି ବେଗ ଆଉ ବଳ, ଆଉ ଅବସର ନ ଦେଇ ତା’ ଉପରେ ତା’ ଉପରେ ଝକମକି ବିଜୁଳି, ତା’ପରେ ସବୁ ଇନ୍ଦ୍ରିୟ ସ୍ତବ୍‌ଧ ବିସ୍ମିତ କରିଦେଇ ପ୍ରବଳ ପ୍ରକମ୍ପ ଆଣି ଅକସ୍ମାତ୍ ଗୋଟାଏ ଘଡ଼ଘଡ଼ି, ଆଖି ନ ଖୋଲୁଣୁ ଗଳ ଗଳ ବରଷା, ତୋଫାନ ଆଉ ନାହିଁ । ବିରଟ ଅବସାଦରେ ମେଘ ଅଜାଡ଼ି ଦେଇ ଆକାଶ ଆଖି ବୁଜିଛି । ଅନ୍ଧାର, ଖାଲି ଅନ୍ଧାର ।

 

ସମୟର ଚେତନା ଫେରି ଆସିଛି । ମେଘ ଅସରା ସରିଛି । ଓଦା ଓଦା ଓଦା, ଚାରିଆଡ଼ ଓଦା କାଉନ୍ଦ । ଓଦା ମାଟିର ସୌରଭ । ସେଥିରେ ହଳଦୀର ବାସ୍ନା, ଚୁଆ ଚନ୍ଦନର । ଅତି ନିଭୃତ ଆଉ ନିବିଡ଼, ଅତି ସୁକ୍ଷ୍ମ । କ୍ରମେ ଲେଉଟି ଆସୁଛି ମଲ୍ଲୀଫୁଲର ବାସ୍ନା, ଚାଲିଗଲାବେଳେ ଲାଗୁଛି କେଡ଼େ ଉତ୍କଟ ।

 

ମଲ୍ଲୀଫୁଲର ବାସ୍ନା ମନେପକାଇ ଦିଏ । ଅସ୍ପଷ୍ଟ ଲାଗେ ଘଟନା, ଆହୁରି ଅସ୍ପଷ୍ଟ ହୋଇ ଅନ୍ଧାରରେ ବିଞ୍ଚି ହୋଇ ଭୁଲି ହୋଇଯାଏ ନାଁଆଁ ।

 

ଦିନ ଥିଲା ଯେତେବେଳେ ସେ ବି ଥିଲା ଉଜ୍ଜ୍ୱଳ, ସତ । ଆଉ ନାହିଁ ।

 

ଯେଉଁଠି ଏତେ ଘନିଷ୍ଠତା, ରକ୍ତରେ ରକ୍ତ ଗୋଳିଆଗୋଳି, ମନରେ ମନ ଆଉଟାଆଉଟି, ସେଇଠି କାହିଁକି ରୂପର ସବୁଯାକକୁ ମୂର୍ତ୍ତିଗଢ଼ି ମନଇଚ୍ଛା ଦେଖାପାଇଁ ରଖିହୁଏ ନାହିଁ ? ଧନ୍ଦି ହୋଇ ଦରାଣ୍ଡି ବୁଲିଲେ ଖଣ୍ଡ ଖଣ୍ଡ ଅବୟବ ଗୋଟେଇ ହୁଏ, ସେହି ଅବୟବକୁ ଧ୍ୟାନ କଲେ ଗୋଟାସୁଦ୍ଧା ମଣିଷଟାକୁ ଦେଖିଲାପରି ଲାଗେ-ତୃତୀୟା ଜହ୍ନର ଉଜ୍ଜ୍ୱଳ ଫଳକକୁ ଅନାଇଁଲେ ତାକୁ ଲାଗି ଅନ୍ଧାରରେ ଥିବା ବଡ଼ ଗୋଲେଇଟାର ଅଭାବ ଯେପରି ଆଖିରେ ପଡ଼େନାହିଁ, ସବୁ ମିଶି ଯେପରି ପୂର୍ଣ୍ଣଚନ୍ଦ୍ରର ଅସ୍ତିତ୍ୱହିଁ ଜଣେଇଁ ଦିଏ, ତୃତୀୟା ଜହ୍ନ ସେହିପରି । ଅବୟବ ଖାଲି ଅବୟବ ନୁହେଁ, ଗୋଟାଛାଏଁ ମଣିଷ , ଖାଲି ଉଭା ପୋତାର ଭେଦ ସତେକି ।

 

ତେଣୁ ସବୁ ମନେପଡ଼େ ।

 

ବୋଧା ମନରେ ବି ଆପଣାକୁ କ୍ଷମା କରିହୁଏ ଗୋଟାଏ ନିଃଶବ୍ଦ ବାଙ୍କ ହସରେ, ମନେ ମନେ କହି ହୁଏ-ଡିଣ୍ଡା ବେଳଟା ହୁଣ୍ଡା ବେଳ, ରକ୍ତ ଗରମ ଥିଲା, ମନରେ ଅଜ୍ଞାନ ।

 

ଈର୍ଷା ନ ଉପୁଜିଲେ ସମସ୍ତିଙ୍କୁ କ୍ଷମା କରିହୁଏ ।

 

ରବିକୁ ବି ।

 

କିନ୍ତୁ କ୍ଷମାର ବିଚାର ଉଠେ କଥାଟା ଦୂରେଇ ଦେଖିଲାବେଳକୁ, ଯେତେବେଳେ କର୍ତ୍ତବ୍ୟ କରିବାପାଇଁ ହାତ ଟେକିବା ଦରକାର ପଡ଼େନାହିଁ ସେତିକିବେଳଯାକେ । ନିଜ ଉପରେ କାମକରିବା ଦାୟିତ୍ୱ ପଡ଼ିଲେ ଏକା ଫୁଙ୍କାରେ ଯେମିତିକା ସବୁ କଅଁଳ ସ୍ମୃତି-ଗୁଣ । ଭାବନାର ଦୁନିଆଁ ଉଡ଼ି ଚାଲିଯାଏ, ପୁଣି ନୂଆ ଦୁନିଆଁରେ ନୂଆ ଅବତାର, ରବି ତାଙ୍କଠୁଁ ଶଙ୍କି ରହେ । ଭାବେ ବୟସ ହେଲେ ମଣିଷ ଏମିତି କାଠୁଆ ହୁଏ, ଦୟା ଧର୍ମର କଥା ଖାଲି ତୁଣ୍ଡରେ, ନାମାବଳୀ ଉପରେ, ଆଉ ଭିତରକୁ ନାହିଁ । ଆଉ ଆପଣାର କାଠୁଆପଣର ପୁଣି ବଡ଼େଇ କରେ ସଂସାର-ଅଭିଜ୍ଞତା ନାଁ ଦେଇ । ମୂଲିଆ ବସି ଝାଳ ମାରିବ ନାହିଁ, ପାନ ଭାଙ୍ଗିବ ନାହିଁ, ପାଦରେ ଫାଟୁଆ ହେଲେ ବି କାମରେ ଢିଲା କରିପାରିବନାହିଁ, ସର୍ଦ୍ଦଜରରେ ମୁଣ୍ଡ ବଥେଇ ଫାଟି ଯାଇଥିଲେ ବି ଅତି ଭୋରରୁ ଉଠିବାକୁ ବାଧ୍ୟ । ଖାତକ ପେଟ ମୁଣ୍ଡ ଦେଖାଇଲେ ବି ତା’ର କଥା ଶୁଣ ହେବନାହିଁ । ଟୋକାଟୋକୀଙ୍କର ଯେତେ ହସ ଖେଳ କି ପ୍ରାଣ-ଚଞ୍ଚଳତା ସେଗୁଡ଼ା ସବୁ ଫାଜିଲାମି, ତା’ର କ୍ଷମା ନାହିଁ । ପର ନାଁରେ ଯେତେ ଦୁର୍ନାମ ସେଗୁଡ଼ା ସବୁ ସତ । ଉଞ୍ଚନୀଚ ସାନବଡ଼ର ଭେଦ ନ ମାନି ମଣିଷ ସଙ୍ଗେ ସମାନ ମଣିଷ ହେଇ ମିଶିବାକୁ ଚେଷ୍ଟାକଲେ ମର୍ଯ୍ୟାଦା ହାନି । ଆଉ, ସବୁଠୁ ବଡ଼କଥା-ତାଙ୍କରି କଥାହିଁ ବେଦର ଗାର, ଆଉ କାହାରିକି କହିବାକୁ ଦିଆହେବ ନାହିଁ, ଯେ କହିବ ସେ ଖାଲି ମୁଣ୍ଡ ଟୁଙ୍ଗାରି “ଠିକ୍ କଥା’’, “ଆଚ୍ଛା କିଥା’’ “ଏମିତି ଆଉ କିଏ କହିବ !” ଏତିକି କହିବାରେ ଅଧିକାରୀ, ଆଉ କେଉଁଥିରେ ନୁହେଁ ।

 

ରବି ବାର୍ଦ୍ଧକ୍ୟକୁ ଦେଖେ ଦାନ୍ତକୋଲମରା ହାଡ଼ ଠକଠକ ଶୀତରାତି ପରି । ଭାବେ, ସେ ବୁଢ଼ା ହେବନାହିଁ, ବରଂ ତା’ ଆଗରୁ ମରିଯିବ, ଏ ଜୀଅନ୍ତା ମରଣ ତା’ର ଦରକାର ନାହିଁ, ପରଠୁଁ ଭୟ ଥରଥର ମାନତା ଦରକାର ନାହିଁ ଖାଲି ଟିକିଏ ନୁଖରା ସ୍ନେହ, ସରଳ ବିଶ୍ୱାସ ଟିକିଏ, ମଣିଷକୁ ସେ ମଣିଷବୋଲି ଚିହ୍ନିବ, ମଣିଷ ବି ତାକୁ ମଣିଷବୋଲି ସ୍ଵୀକାର କରିବ, ଆଉ ଅଧିକା କ’ଣ ହେବ ?

 

ତଥାପି ମଞ୍ଜ ଥରେଇ ଥରେଇ ସେହି ଶୀତ ରାତି ଧରିବାକୁ ହାତ ବଢ଼ାଏ । ସେହି ତ ବାପା, ସେହି ତ ସମାଜ, ସନାତନ ଅଚଳ ଚଳଣି । ସେମାନେ ତା’ର ତଣ୍ଟି ଚିପିଦେବେ, ଈର୍ଷାରେ ରାଗରେ ନୁହେଁ, ତୁଚ୍ଛା ସ୍ନେହରେ । ପବିତ୍ର ସ୍ନେହରେ ତା’ ଛାତି ଉପରେ ପଥର ଲଦି ହାତୁଡ଼ି ପିଟିବେ । ଉପାୟ ଦିଶେ ନାହିଁ । ଯଦି ଏହି ମାନ୍ଦା ବୋଝ ଫୋପାଡ଼ି ଦେବାକୁ ଆପଣା ଭିତରେ ଆହ୍ୱାନ ଶୁଣେ, ଆହୁରି ଡର ମାଡ଼େ । ସ୍ନେହର ବୁଢ଼ିଆଣୀ ଜାଲକୁ ତରବାରି ଚୋଟରେ ଗରଗର କରି ହାଣିବା ବି ସତେକି ଅସମ୍ଭବ । ସାହସ ହଜିଯାଏ ।

 

ତେବେ ବି ଆପଣା ଭିତରୁ ବାହାରି ଫୁଆରା ପରି ଚାରିଆଡ଼କୁ ଛିଟିକି ପଡ଼େ ଆଶାର ଝରଣା, ପଦାରେ ସେହି ଫୁଆରାରେ ଇନ୍ଦ୍ରଧନୁ ପଡ଼େ, ଛବିର ମୁହଁଟି ଦିଶେ ।

 

ସେଦିନ ଛାଇ ଲେଉଟିଥାଏ । ରବି ତରତର ହୋଇ ପଦାକୁ ବାହାରିଥାଏ ଗଉଡ଼ ସାହିକି ଯିବବୋଲି । ଗଉଡ଼ ସାହିର ଉନ୍ନତି ବିଷୟରେ କଥାଭାଷା ପଡ଼ିଥାଏ । ସାହିଟାକୁ ଅନ୍ତତଃ ପରିଷ୍କାର ରଖିବାକୁ ପଡ଼ିବ ଯେପରି ଠିକ୍ ଦୁଆର ମୁହଁ ଆଗରେ ଗୋବର ଅସନା ନ ହୋଇ କରପଟିଆ ହୋଇ ଦୂରଛଡ଼ା କରି ଖାତରେ ସେଗୁଡ଼ାକ ଠୁଳ କରାଯାଇପାରିବ । ସମସ୍ତଙ୍କ ମତ ଏକାଠିକରି ଏଇଠୁ ଆରମ୍ଭ କଲେ ତା’ପରେ ଅନ୍ୟକଥା ଅଛି, ମେଣ୍ଟ ହୋଇ ସମସ୍ତେ ଭଲରେ ଚଳିପାରିବା ଭଳି କଥା । ସେ ଦେଖୁଛି ଖାଲି ସବୁ ସାହିରେ ନୁହେଁ, ସବୁଠି କିଛି ନା କିଛି ଉନ୍ନତି କରିବାପାଇଁ କାମ ଅଛି ।

 

ପଦାକୁ ବାହାରି ପଡ଼ିଲବେଳକୁ ସେ ଦେଖିଲା ବାପାଙ୍କ ଟୁଙ୍ଗୀଆଡ଼ୁ ଆସୁଛି ଜଣେ ଅଚିହ୍ନା ବୁଢ଼ା, ଡେଙ୍ଗା ମଣିଷ, ଧଳା ମୁଣ୍ଡ, କପାଳରେ ଧଳା ଚିତା, ଧଳା ଆଖିପତା, ଡେରା ଡେରା କାନ ଦି’ଟାରେ ଦି ମେଞ୍ଚା ଧଳା-କହରା ରୋମ, ଧଳା ଜଙ୍ଗଲ ଭର୍ତ୍ତି ହୋଇ ଛାତି । ଧଳା ଲୁଗା, ଚିକ୍‍କଣ କଳା କାନ୍ଧରୁ ଲମ୍ୱିଛି ଧଳା ଚାଦର, କାଖ ତଳେ ନାଳି କନାରେ ବନ୍ଧା ହୋଇ ବସ୍ତାନି ବିଡ଼ା-। ଚେହେରା ଆଉ ଠାଣିରେ ବିଶିଷ୍ଟତା ଅଛି । ଦୂରେଇ ଦୂରେଇ ଲୋକେ ସେହିଆକୁ ଅନାଇଁଛନ୍ତି । ଆଖିପତାକୁ ମିଞ୍ଜି ମିଞ୍ଜି କରି ରବିକୁ ଟିକିଏ ଚାହିଁଦେଇ ବୁଢ଼ା ଦଣ୍ଡବତ କଲା । ଆପଣା ପରିଚୟ ଦେବାକୁ ଯାଇ କହିଲା, "ଆଜ୍ଞା ମୋ ନାଁ ଲୋକନାଥ ନାୟକ । ଆମ ଘର ପାଟେଳି ଗାଁ, ସେଠା ଚୌଧୁରି ଘରର ମୁଁ ଜ୍ୟୋତିଷ ଅବଧାନ । ଚୌଧୁରି ଗୋଟିଏ କାର୍ଯ୍ୟରେ ପଠାଇଥିଲେ ଯେ ଆସିଥିଲି ।’’

 

ରବି କହିଲା, ‘‘ଓ"

 

ଲୋକନାଥ ନାୟକ କହିଲେ, “ଆପଣ ପାଟେଳି ଗାଁ ବିଜେ କରିଥିଲେ ଶୁଣିଥିଲୁଁ । ଚୌଧୁର ଘର ଉଆସ ଏବେ ଭଙ୍ଗିପଡ଼ିଚି ! କ’ଣ କରିବା, କାଳସ୍ୟ କୁଟୀଳା ଗତି । ନ ହେଲେ ଥିଲା ଦିନେ ସେ ଘର, ଏ ଖଣ୍ଡଯାକରେ କାହିଁ ଏଡ଼େବଡ଼ ଘର, ଏଡ଼େ ଖାନ୍ଦାନି, ସାକ୍ଷାତ୍ ରାଜା ଘର-। ଯାଉ ସବୁ ପଛେ, ସେ ଘରେ ଏବେବି ମଣିଷପଣ ଅଛି, ସିନ୍ଧୁ ଚୌଧୁରି ସାକ୍ଷାତ୍ ସାଧୁ ପୁରୁଷ, କି ମହତ୍, କି ଉଦାର, ଆପଣ ଦେଖିଲେ ଭକ୍ତି କରିବେ । ଆପଣଙ୍କ ପରି ଉଚ୍ଚଶିକ୍ଷିତ ଉନ୍ନତ ଉଦାର ହୃଦୟବାନ୍ ସତ୍‌ପୁରୁଷ ସିନା ତାକୁ ଚିହ୍ନିବେ, ନ ହେଲେ ଚିହ୍ନିବ କିଏ ? ଆପଣଙ୍କ ଗୁଣାବଳୀ କିଏ ନ ଜାଣେ ? ସମସ୍ତେ ପାଠପଢ଼ନ୍ତି ଚାକିରି କରିବାକୁ, ଆଁପଣ ବିଦ୍ୱାନ୍ ହୋଇ ଚାକିରି ନ କରି ଦେଶସେବା କରିବେବୋଲି ସମସ୍ତେ କହୁଛନ୍ତି । ହଉ, ଈଶ୍ୱର ଆପଣମାନଙ୍କୁ କୁଶଳ ରଖନ୍ତୁ, ଆପଣମାନଙ୍କ ସୁଖ ଆନନ୍ଦ ଦେଖି, ଯଶ ଶୁଣି ଶୁଣି ଏ ଜୀବ ଚାଲିଯାଉ, ଆପଣ ଦୀର୍ଘଜୀବୀ ହୋଇଥାନ୍ତୁ ।’’ ବୁଢ଼ା ହାତ ଟେକି ଆଶୀର୍ବାଦ କଲେ ।

 

ଯେପରି କି ବନ୍ଧନୀ ଭିତରେ ରହିଯାଇଛି କେତୋଟି ଅକୁହା କଥା, ରବି ତାକୁ ପଢ଼ିପାରିଛି । ସେ ଗମ୍ଭୀର ହୋଇ ମୁହଁକୁ ତଳକୁ ପୋତି ଠିଆହେଲା, ଲାଜରେ ମୁହଁ ତାତି ଯାଉଥାଏ । ଲାଗିଲା ତା କାନରେ ନୂଆ କଥା ପଡ଼ୁଛି । ସେବତୀ ମା’ଠୁ ସେ ସମ୍ୱାଦ ପାଇଥିଲା, ତା’ପରେ ବାପା ବୋଉଙ୍କ ଗତିବିଧି, ତା’ପରେ ସିନ୍ଧୁ ଚୌଧୁରିଙ୍କ ଲୋକ । ତା’ର ଆପଣା ମନର ପ୍ରବଣତା ଯେପରି କି ତାଙ୍କୁ ବାଟ କଢ଼ାଇ ଏଠିକି ଘେନି ଆସିଛି । ପ୍ରତ୍ୟାଶିତ ମୁହୁର୍ତ୍ତ ପାଖକୁ ଲାଗି ଆସୁଛି । ସେ ଅଛି । ସେ ଅନୁଭବ କରିପାରୁଛି । ଏଇ ବୁଢ଼ାଟି ଲାଗୁଛି ଯେପରି କି ସ୍ନେହ ସହାନୁଭୂତିର ପ୍ରତିମୂର୍ତ୍ତି ପରି ।

 

କହିଲା, ‘‘ବାପା କାହାନ୍ତି ?’’

 

ରବି ହାତ ଦେଖାଇ ଟୁଙ୍ଗୀ ଘରଆଡ଼କୁ ଇଙ୍ଗିତ କଲା, କହିଲା, ‘‘ଯାଉନ୍ତୁ ସେଠି ଦେଖା ହେବ ।’’ ତା’ପରେ ତାକୁ ଲାଜ ମାଡ଼ିଲା । ସେ ତର ତର ହୋଇ ଚାଲିଗଲା । କିନ୍ତୁ ଗଉଡ଼ ସାହିକୁ ଯାଇପାରିଲାନାହିଁ । ମନଟା ତା’ର ଘୁରି ବୁଲିଲା ସେହି ଲୋକ ପଛେ ପଛେ । ଭାବିଲା, ଆଉ ଟିକିଏ ଛାଡ଼ିଗଲେ ଠିକ୍ ହେବ । ଘର ପାଖରେ କାମ ଲାଗିଛି, ଟିକିଏ ତଦାରଖ କରି ଯିବାକୁ ଇଚ୍ଛା ହେଲା । ପୁଣି ମନ ହେଲା ପାଣି ମନ୍ଦିଏ ପିଇ ଯିବ । ଘର ଭିତରକୁ ଗଲା । ତା’ର ଶୁଖିଲା ମୁହଁର ଠାଣି ଲକ୍ଷ୍ୟ କରି ବୋଉ କହିଲେ, ‘‘ଖାଇ ପିଇସାରି ଟିକିଏ ଶୋଇଲୁ ନାହିଁରେ ପୁଅ, ଯେତେବେଳେ ଦେଖିଲେ ଟଙ୍ଗର ଟଙ୍ଗର ? ଲେଖା, ପଢ଼ା, ନ ହେଲେ ବୁଲା, କାମ, ଏଇଥିପାଇଁ ଘରେ ରହିଲୁ, ଖାଲି ସବୁବେଳେ ଏମିତି କାମ କରୁଥିବୁ ବୋଲି ? ଯେତେ କହିଲେ ଶୁଣିଲୁ ନାଇଁ, କେଇଟା ଦିନରେ କ’ଣ ହେଲୁଣି ?’’

 

‘‘ବସିବା ଲୋକ ଜାତିଏ ଅଛନ୍ତି ସାଆନ୍ତାଣି, ଏ ବାବୁ ଆମର ସେମିତି ନୂହନ୍ତି, କାମ ଦେଖୁଥିବେ, କାମ କରୁଥିବେ, ମଣିଷ ଯେ ଏଇଆକୁ କହିବ । ଏ ଘର କରିବେ ।’’ ବାରିପଟୁ ହାଙ୍କିଲା ସେବତୀ ମା’ ।

Unknown

 

‘‘ତୋରି ଆଖିକି ଖାଲି ମୋ ପୁଅର କାମ କଲାପଣ ଦିଶୁଚି ଆ-’’। ରବି ବୋଉ କହିଲେ, ‘‘ଯା ତୋ’ର ତୁ କାମ କର, ଭାକୁଚିଆଳି ହ ନା । ଯାହା କହନ୍ତି ପୁଅ ମୋର ଭାତ ଖାଇ ଆଞ୍ଚୋଇ ଶିଖି ନାଇଁ, ଏ କାମ କରିବ, ମଣିଷ ହବ, ଘର କରିବ କହିଦେଲା ପଦେ–’’

 

‘‘ତେମେ ଦେଖିବ ସାଆନ୍ତାଣି, ଆମେ ଛୋଟଲୋକବୋଲି କ’ଣ ଆମର ଆଖି ନାଇଁ, ଆମେ ଜାଣୁନାହୁଁ, ମଣିଷ ଯେ ସେ ମଣିଷ, ସମସ୍ତେ କୋଉଠୁ ହେବେ ?’’

 

‘‘ହଉ ହଉ, ଯା କାମ କର ।’’

 

ରବି ବାରିବାଟେ ବାହାରିଲା । ଟୋକେଇଟାଏ ଧରି ଡିହ ଦାଢ଼ିରେ ସେବତୀ ମା’ ଠିଆ ହୋଇଛି । ପଛଆଡ଼େ କାନି କାମୁଡ଼ି ଧରି କୁଙ୍କୁରିକାଙ୍କରି ହେଲା ପରି ସେବତୀ । ତଳ ବାରିରେ ଖାଲ ଭର୍ତ୍ତି ହୋଇ ଚଉକସ ହେଉଛି, ଦୂରରେ ଜଗା ବାଉରି ପୁରୁଣା ଖତଗଦା ହାଣି ମାଟି କାଢ଼ୁଛି, ମା’ ଝିଅ ଆଣି ଖାଲରେ ପକାଉଛନ୍ତି ।

 

ସେବତୀ ମା’ କହିଲା, ବାବୁ ଆସିଲେବୋଲି ସିନା ଏତେକାମ ଲଗେଇଦେଲେ, ନ ହେଲେ ଏତେକାମ କୋଉଠି କିଏ କରାଉଥିଲା ? କେହି ନ ହେଲେ ଆମେ କେଇଟା ଗରିବଗୁରୁବା ମୂଲପାତି ପାଇ ତ ବଞ୍ଚିଗଲୁ ? ହେଲେ ଯେ କାମ ମାହାଳିଆ ଯିବ ନାଇଁ, ୟେ ବାରିରେ ଗଛ ବୁରୁଛ ଲାଗିବ । ୟେ ପୁଣି ହସି ଉଠିବ ।’’

 

ରବି କହିଲା, “ଭଲକରି ମନଦେଇ କାମକର, ଯେତେ କରିପାରିବ ସେତେ ଅଛି ।’’

 

ସେବତୀ ମା’ କହିଲା, ‘‘ନୁଣ ଖାଇଚୁ, ଜୀବନ ବଞ୍ଚୋଉଚ, ଲାଗିବୁ ନାଇଁ ?’’ ସ୍ୱର ନୂଆଁଇ କହିଲା, “ଯେ ବାବୁ, ଲୁଗାଖଣ୍ଡେ ଲେଖାଁ ଦବ ବୋଲି ମାଗି ଥିଲୁଁ । ପଦେ ହୁକୁମ କଲେ ?’’

 

“ଯାଉନୁ ବୋଉକୁ କହୁ ନୋଉଁ ?’’

 

‘‘ଆମେ କହିଲେ କ’ଣ ହବ ? ତେମେ ଆପଣ ଦୟା ନ କଲେ ?’’ କଥା ବୁଲେଇଦେଇ କହିଲା, “ବାବୁ, ସବୁ ସାହିରେ ପାଦ ପଡ଼ୁଚି ଯେ ହସି ଉଠୁଚି ସେ ସାହି । ଲୋକଙ୍କୁ କହି ପୋଛି କେତେ ଭଙ୍ଗା କୁଡ଼ିଆକୁ ଦଢ଼ କରୁଚ, ଅଛୁଆଣି ଘର ଛପର କରୋଉଚ, ଆମ ସାହିରେ ଟିକିଏ ପାଦ ପଡ଼ୁନାଇଁ ଆମ ଭଙ୍ଗା କୁଡ଼ିଆ ଦେଖିବାକୁ ? ‘‘

 

‘‘ମୁଁ ଯାଇ କ’ଣ କରିବି ? ତେମେ ଲୋକଙ୍କୁ କହୁନା ?’’

 

‘‘ଆମ କଥା କିଏ ଶୁଣିବ ? ସମସ୍ତେ ତ ମୂଲିଆମୁଣ୍ଡ, କାମ ମାରାକରି କିଏ ଆସିବ ଆମ ଘରଖଣ୍ଡ ଟେକି ଦେବାକୁ ? ୟାର କ’ଣ ବା’ ଅଛି ? କିଏ ଆମପେଇଁ ପଦେ କହିବ ? କାନ୍ଥରେ ଠାଏ ଫାଳେ ଭାଙ୍ଗି ପଡ଼ିଚି ଯେ ସେ ବାଟେ ବିଲୁଆ ପଶିବ । ଘର ଛୁଆଣି ହେବାକୁ ନାଇଁ ଦି’ ବର୍ଷ ହେଲା । ଏ ଅମୃତ ଦୃଷ୍ଟି ଭଲା ପଡ଼ନ୍ତା ଥରେ, ଆମ ଦୁଃଖ ଚାଲିଯାଆନ୍ତା !’’

 

‘‘ହଉ ହଉ ବୁଝିବା କେତେବେଳେ, ଯା କାମ କର ।’’

 

ସେବତୀ ମା’ ମାଟି ବୋହିବାକୁ ଜଗୁଆ ପାଖକୁ ଗଲାଣି । ସେବତୀ ମାଣ୍ଟେଇ ମାଣ୍ଟେଇ ହେଉଛି । ମାଟିକୁ ଗୋଡ଼ରେ ଖେଳାଇ ଖେଳାଇ କୁଦୁଛି । ହଠାତ୍ ସେବତୀ କଣେଇଁ ଚାହିଁ ମନ ଖୁସିରେ ଫାଇଁ କରି ହସିଦେଲା, ଚାଲି ଯାଉ ଯାଉ ରବି ଲକ୍ଷ୍ୟକଲା ଆଉ ତା’ର ମନରେ ପୂରିଗଲା ଅଶାନ୍ତ ଅପବିତ୍ରତା, ଆଉ ଦେହରେ ରାଗ ଚହଟିଗଲା ।

 

ତର ତର ହୋଇ ଚାଲି ଯାଉ ଯାଉ ଆଗେ ଆଗେ ଯେପରି କି ଗୋଟାଏ କାଳିଚା ଛାଇ ଚମକି ଉଠି ପୁଣି ଭସ୍ମ ହୋଇଗଲା । ଚାଲିଗଲେ ସେଠି ସେବତୀ ଆଉ ସେବତୀର ମା’, ଆଉ ତାଙ୍କ ଅସହାୟପଣ ପ୍ରତି ତା’ର ସହାନୁଭୂତି, ମନରେ କବାଟ ପଡ଼ିଗଲା ।

 

କାମ ଉପରେ ବୁଲିଦେଇ ଏକାଥରେ ଦାଣ୍ଡକୁ । ଟୁଙ୍ଗୀ ଦୁଆର ମୁହଁ ପାଖରେ ସେହି ବୁଢ଼ା ଜଣକ ଲେଉଟି ଆସିବାକୁ ବୁଲି ପଡ଼ିଛି । ପଛରୁ ଶୁଭୁଛି ବାପା ଗର୍ଜୁଛନ୍ତି । ବୁଢ଼ା ଖୁବ୍ ଟାଣ ପାଟିରେ ଜବାବ୍ ଦେଉଛି; ତା’ର ସ୍ୱରରେ ଅପମାନିତ ଲୋକର ଦୁଃଖ । କଥାରେ ଝାଞ୍ଜି ଫୁଟୁଛି । ଋବି ଅଟକିଗଲା ।

 

ବୁଢ଼ା କହୁଛି, ‘‘ତାଙ୍କର ବି ଏଡ଼େ ଅଶରଣିଆଁ ପଡ଼ିନାହିଁ ଆଜ୍ଞା, ପୁଅ ଥିଲେ ଝିଅ ଥିଲେ ପଡ଼େ, ସେଇଥିପାଇଁ ପଠାଇଥିଲେ, ଆପଣଙ୍କ ଦୁଆରକୁ ଆସିଥିଲି । ନ ହେଲେ କାହାର କ’ଣ ବଳେଇ ପଡ଼ୁଛି ? ଆସିଲୁଁବୋଲି କ’ଣ ଭାରି ପାପଟାଏ ହେଇଗଲା ଯେ ଆପଣ ଏମିତି ହୀନିମାନ କରି କଥାଗୁଡ଼ାକ କହିବେ ? କାହିଁ ଏଇ କାମ କରି ତ ବାଳ ପାଚିଗଲା, କେଡ଼େ କେଡ଼େ ବଡ଼ ବଡ଼ ଘରକୁ ସମ୍ୱନ୍ଧ ନେଇଯାଇଚି, ଏମିତି ତ କୋଉଠୁ ଶୁଣି ନାଇଁ ! ଯେ ମୋର କ’ଣ ଯାଉଚି ନା ମୁଁ କୋଉ ଛଳ କରିଚି କାହା କଥାକୁ, ଆପଣ ଯାହା କହିଲେ ମୁଁ ସେଇଆ କହିଦେବି, ମୋର କି ଯାଏ-? ତେବେ କଥାଟା ରହେ କାଳକଳକୁ । ସେଇଆ |”

 

‘‘ହଉ ଚାଲ ଭଲଲୋକ, ବିଦା ହବଟି, କଥା ରଖିଥିବ କାଳକାଳକୁ । ଯା କହିଦବ, ଆଉ ଯୋଉଠି ପକେଇବେ ସେଥର ଦାଣ୍ଡ ବାଟରେ ଆଗ ଆସିବେ, ବାରିବାଟେ ଚେଷ୍ଟାକରିବେ ନାଇଁ ।’’

 

‘‘ହଉ ହଉ କହିବି କହିବି । ଆପଣ ଏଡ଼େବଡ଼ ଲୋକ, ଘରେ ଏତେଧନ, ଗାଁରେ ଏଡ଼େ ନାଁ, ଆପଣ ଯୋଉ କଥାମାନ କହୁଚନ୍ତି ସେ କ’ଣ କମି ଦାମୀକଥା ଯେ କିଏ ତଳେ ପକେଇବ ? ଯେ ତାଙ୍କୁ ଆଉ ଦାଣ୍ଡବାଟ ବାରିବାଟ ଆଜି ଆପଣ ବୁଝାଇବେ ? ଦାଣ୍ଡ ବାଟରେ ଭାତ କୁଢ଼େଇ କୁଢ଼େଇ ତ ସେମାନେ ଆଜି ଫତୁର ହୋଇଗଲେ, ଯେ ଗୋଟେଇପୋଟେଇ ବାରିବାଟେ ନେଇ ଘର ଭର୍ତ୍ତିକଲେ ସେମାନେ ଆଜି ବଡ଼ଲୋକ । କେତେ ବଡ଼ଲୋକ ଦେଖିଛି ଆଜ୍ଞା, ଆପଣମାନଙ୍କ ଦୟାରୁ । ଆୟୁଷ ଥିଲେ ଆହୁରି ଦେଖିବି । ଯେ କ’ଣ ହବ, ବଡ଼ଲୋକୀ ବି ସବୁଦିନିଆ ନୁହେଁ, ଏ ଯୁଗରେ ପୁଣି ସବୁ ଓଲଟପାଲଟ । ହଉ ଯାଉଚି, ଆପଣଙ୍କ ଇଚ୍ଛା, ଆହୁରି ଭାବନ୍ତୁ; ଏଡ଼େ ଭଲ ସମ୍ୱନ୍ଧ-’’

 

‘‘ହଉ ହଉ ଥାଉ ଥାଉ ନାହାକେ, ଯା ଯା, ଆମ ସପ୍ତପୁରୁଷ ଉଦ୍ଧାର ହେଇଥାନ୍ତେ, ନ ହେଲା ହେଲା ନାହିଁ ।’’

 

ରବି ଦୂରରୁ ଦେଖିଲା, ବାପା ଘରୁ ବାହାରି କଠୋଉ ଠକର ଠକର କରି ଏକମୁହାଁ ହୋଇ ଚାଲିଗଲେ ଦେଉଳଆଡ଼କୁ । ଆଉ ଠିକ୍ ତା’ର ବିପରୀତ ଦିଗରେ ଚାଲିଗଲା ସେହି ବୁଢ଼ାଜଣକ । ଲୋକେ ଅନାଁଇଛନ୍ତି, ସେ କୁଆଡ଼କୁ ଚାହିଲା ନାହିଁ ।

 

ରବିର ମନ ଭିତରେ ସତେକି ଅନ୍ଧାର ଘୋଡ଼େଇ ପକାଇଲା । ଅନ୍ଧାର ଭିତରେ ନାନା ଜାତି ଭଙ୍ଗାରୁଜା ଶବ୍ଦ, ଆଉ ହାଉଳି ହେବାର । ଧୀରେ ଧୀରେ ଯେପରିକି ଗୋଟାଏ ବତାସ୍‍ ଘୋଟି ଅଇଲା । ଆପଣାକୁ ସମ୍ଭାଳିବାକୁ ଚେଷ୍ଟା କରୁ କରୁ ସେ ତା’ର ନିର୍ଘଣ୍ଟ ଅନୁସାରେ ଗଉଡ଼ ସାହିଆଡ଼କୁ ଚାଲିଲା ।

 

ଦିଶିଲା ପରି ଲାଗୁଛି, ଦୂରରେ ଠିଆ ହୋଇଛି ଛବି । ସେଠି ଅନ୍ଧାର ନାହିଁ, ଆଲୁଅ ।

 

କାମ ସରିଲା, ମାଛି ଅନ୍ଧାର ଗଡ଼ିଗଲା, ସେ କେତେକଥା କହିଲା, କେତେକଥା ଶୁଣିଲା, ସମସ୍ୟା ଆଉ ଉଦ୍ୟମର ଅଛିଣ୍ଡା କାହାଣୀ ।

 

କିନ୍ତୁ ମନ ମାନିଲାନାହିଁ, ଛାତିତଳେ ସେମିତି ଫମ୍ପା, ମନରେ ସେମିତି ଅନ୍ଧାର । ଭାବିଲା ସେ ଠାକୁର ଦର୍ଶନକୁ ଯିବ, ତା’ର ଶାନ୍ତି ଦରକାର ।

 

ପହିଲି ପହର ଅନ୍ଧାର । ସୁଲୁସୁଲିଆ କାଲୁଆ ପବନ ଦେଉଛି । ରବି ବେଢ଼ା ବାହାରେ ଦୁଆର ମୁହଁ ପାଖେ ଅଟକିଲା । ଆଉଜିବାକୁ ବଉଳ ଗଛର ଗଣ୍ଡି । ସବୁ ଦୁଆର ଟପି ସିଧାସଳଖ ହୋଇ ଦୃଷ୍ଟି ଚାଲିଯାଉଛି ଭିତରକୁ ବୋଲି । ସାମ୍ନାରେ ହେଇ ମୁଗୁନି ଶିଳାରେ ଗୋପାଳମୂର୍ତ୍ତି, ଜୀବନର ଦେବତା, ହାତରେ ବଂଶୀ ଧରିଛନ୍ତି । ଅନ୍ଧାରରେ ଛପି ରହି ଆଲୁଅରେ ରବି ଦେଖୁଛି ବିହ୍ୱଳ ହୋଇ । ଭିତରେ ଏତେ ଦୀପାଳି ଆଲୁଅରେ ଝଲ ଝଲ ସେହି ପ୍ରେମର ଦେବତା ନେଳି ଧୂପଧୂଆଁରେ ସତେକି ଭାସୁଛନ୍ତି, କ୍ଷଣକେ ଅତି ସ୍ପଷ୍ଟ ଆଉ କ୍ଷଣକେ ଅସ୍ପଷ୍ଟ । ଆଳତି ବୁଲୁଛି, ଘଣ ମାଦଳ ବାଜୁଛି । ଲୋକେ ବେଢ଼ିଛନ୍ତି, ପାଦୁକ ପାଇ ଫେରୁଛନ୍ତି । ରବି ମୁଗ୍‍ଧ ହୋଇ ଚାହିଁଲା ଆଉ ଭାବିଲା, କେତେ ଲୋକ ଏହି ଦୃଶ୍ୟ ଦେଖି ଦେଖି ହଜିଗଲେଣି ।

 

ଆହୁରି ଯିବେ କେତେ । ମନକଥା ମନେ ମନେ ଜଣାଇ ଫେରି ଯାଇଛନ୍ତି, କେତେ ତୋଫାନ ଆସିଛି ଏଠିକି ଚାହଁ ଚାହିଁ ପୁଣି କେତେ ତୋଫାନ ଉଠିଛି । ଅତୀତ ଏଠି ବର୍ତ୍ତମାନ ସଙ୍ଗେ ହାତରେ ହାତ ଛନ୍ଦିଛି, ମଣିଷର ଶିଳ୍ପୀ ମନ ନିରାକାରକୁ ରୂପ ଦେଇଛି, ଏଇଠି ଥାପିଛି ମନଲାଖି ସୁନ୍ଦର କରି ଗଢ଼ି ସମାଜର ମଞ୍ଜ ।

 

ଭାବି ଲାଗିଲା, ପୁଞ୍ଜି ପୁଞ୍ଜି ହୋଇ ଏ ଦୀପମାଳିକା କ’ଣ ଖାଲି ଦୀପ ? ନା ମଣିଷର ଅନ୍ତରର ଅର୍ଘ୍ୟ, ପ୍ରଦୀପ ତା’ରି ପ୍ରତୀକ ? ଧୂପର ଧୂଆଁ ସତେକି ତା’ର ବିଶ୍ୱାସର ସୌରଭ, ଯୁଗେ ଯୁଗେ । ଭାବିଲା, ଭିତରେ ଏତେ ଦୀପ ପରି ମନ୍ଦିର ବାହାରେ ସେ ବି ଗୋଟିଏ ଦୀପ, ତା’ର ବି ପ୍ରକାଶ ଆଲୋକ ଶିଖାର ସ୍ପନ୍ଦନରେ ।

 

ମହାକାକର ସମୁଦ୍ରରେ ଚେତନାକୁ ହଜାଇ ଦେଇ ସେ ମନର ଉଦବେଗକୁ ଭୁଲିଗଲା । କେତେବେଳେ ଗଲା, ଦୀର୍ଘଶ୍ୱାସ ଛାଡ଼ି ପୁଣି ସେ କୂଳକୁ ଫେରି ଆସିଲା, ପୁଣି ଆପଣାକୁ ଅନୁଭବ କଲା, ସେ ଅଛି, ତା’ରି ନାଁ ବ୍ୟକ୍ତି, ଚଳନ୍ତି ନାଁ ରବି । ସେ ନିଜେ ।

 

ଚେତି ଉଠି ଭାବିଲା, ଆଗରେ ହେଇ ଚିରଆନନ୍ଦର ରୂପକ, ଯୌବନ ଜୀବନ ଆଉ କଲ୍ୟାଣର ବଂଶୀର ବାଣୀରେ ଅଭୟ ଆଉ ମୁକ୍ତିର ସନ୍ଦେଶ, ଆଉ ସମନ୍ୱୟର, ମହାସୁଖ ଆଉ ମହା ସାମ୍ୟର ଆଦର୍ଶ ଗଢ଼ି ମଣିଷ ଏହି ଦେବତାଙ୍କୁ ପୂଜାକରି ଆସିଛନ୍ତି, ଖୋଜିଛନ୍ତି ମଣିଷ ମଣିଷ ଆଉ ମଣିଷ ଓ ସୃଷ୍ଟି ଭିତରେ ମିଳନର ଛନ୍ଦ । ଆକାଶ ପରି ଅନନ୍ତ, ଉଷା ପରି ଶୁଭ, ପବନ ପରି ଉଦାର ଓ ସ୍ଵଚ୍ଛନ୍ଦ ଗତି ଜୀବନ ଖୋଜିଛନ୍ତି, ସମତା ଖୋଜିଛନ୍ତି, ଆକାରରେ ନୁହେଁ, ବ୍ୟବହାରରେ ନୁହେଁ, ସବୁଠି ସେହି ଦୀପର ଜ୍ୟୋତି ଅଛନ୍ତି ବୋଲି ।

 

ଆଗରେ ଏହି ଆଦର୍ଶ ଆଉ ସଦ୍‌ବିଚାର ଅଥଚ ମଣିଷ ଭାବନାରେ ଆଗକୁ ଧାଇଁ କାର୍ଯ୍ୟରେ ପଛକୁ ଖସିଛି, ଅସତ୍ ଅବିରର ନିଷ୍ଟୁରତା ଆଉ ସ୍ୱାର୍ଥରେ ଗଡ଼ି ଗଡ଼ି କାଦୁଅରେ ପଡ଼ି ଚାହିଁ ରହିଛି ଆକାଶର ତାରାକୁ । ଅପବିତ୍ର ଘଟର କଳଙ୍କିତ ହାତରେ ଦେବତାଠି ଫୁଲ ଚଢ଼େଇଛି, ଲୁଣ୍ଠନ ଓ ପ୍ରତାରଣାର ଧନରେ ସେଠି ଖଞ୍ଜିଛି, ଅଳଙ୍କାର, ଦେଉଳ ତୋଳିଛି, ପୋଖରୀ ଖୋଳିଛି । ବଂଶୀର ନାଦକୁ ପତିଆରା ଦେଇ ପଶୁ ଗର୍ଜନ ଶୁଣି ବାଟ ଚାଲିଛି, ଆଦର୍ଶର ଭେକ ପିନ୍ଧାଇ ଗଢ଼ିଛି ମୋହ ଓ ସ୍ୱାର୍ଥର ସମାଜ, ସବୁଠି ବ୍ରହ୍ମ, ସମସ୍ତେ ଏକ ବୋଲି ଚିତ୍କାର କରି କରି ଆପଣାମାନିଆଁ କରି ଘରସଂସାର କରିଆସିଛି, ଠକିଛି, ଲୁଟିଛି, ଭେଦ ଈର୍ଷା ହିଂସାକୁ ଯୋଗାଇଛି ଇନ୍ଧନ, ଭଦ୍ରତା ସମାଜ କର୍ତ୍ତବ୍ୟ କେତେ ନାଁ ଦେଇ ଆପଣା ଚାରିପାଖେ ପାଚିରୀ ଟେକିଛି । ଏହି ଚଳଣିକି ମାନି ଚାଲିଲେ ଜୀବନଟା ହେବ ଗୋଟାଏ ଦଣ୍ଡବତମୟ ସିଧା ଦଣ୍ଡା । ସେ ବି ହେବ ଭଦ୍ର ଗୃହସ୍ଥ, ଶାନ୍ତ, ସୁବୋଧ, ନିରାପଦ ।

 

ଅନ୍ଧାର ଭିତରେ ରହି ଆଲୁଅ ଜଳ ଜଳ ଠାକୁର ପ୍ରତିମାଆଡ଼କୁ ଅନାଇଁ ରହି ରବି ଭାବିଲା, ହେଇ ସେ ଅବାଧ୍ୟ, ଦୁର୍ବିନୀତ, ବିପ୍ଳବୀ ।

 

ଯେତେଥର ଜନଗୋଷ୍ଠୀ ସୁସ୍ଥିରେ ଢୁଳେଇ ପଡ଼ିଛି, ବନ୍ଧନର ଶିକୁଳିକୁ ମାନିନେଇଛି ଭୂଷଣବୋଲି, ସ୍ୱାର୍ଥ ଓ ସୁବିଧାକୁ ଆଶ୍ରାକରି ନିରାପଦରେ ରହିବାପାଇଁ ଶିକୁଳିରେ ବାନ୍ଧି ବାନ୍ଧି ସମାଜ ଗଢ଼ିଛି, ସେତିକିବେଳେ ବାଜି ଉଠିଛି ସେହି ବଂଶୀ, ମୋହ ଛିଣ୍ଡିଛି, ସଂସ୍କାର ଖିନିଭିନି ହୋଇଛି, ଗତି ବିଚିତ୍ରତା ଓ ମୁକ୍ତିର ବାଟ ଖୋଲିଯାଇ ଘଟିଛି ବିକାଶ ।

 

ମଣିଷ ବଞ୍ଚିପାରିଛି ସେ ଅବାଧ୍ୟ ହୋଇପାରିଛି ବୋଲି ।

 

ମନେ ମନେ ଠାକୁରଙ୍କ ସଙ୍ଗେ ତା’ର କଥାଭାଷା ସରିଗଲା । ସେ ଆଶୀର୍ବାଦ ପାଇଥିଲା । ଦୀର୍ଘ ପ୍ରଣାମ କରି ସେ ଆପଣାର ଚେତନାରେ ପହଁରି ପହଁରି ଲେଉଟି ଚାଲିଗଲା ।

 

ଡେଙ୍ଗା ନଡ଼ିଆ ଗଛଟା ବଙ୍କା ହୋଇ ଠିଆହୋଇଛି ଡିହ ଆବୋରି, ତା’ର ବୟସ ହେଲାଣି । ଅବିକଳ ବୁଢ଼ା ଲୋକ ପରି । ଦେହଯାକ କେତେ ଖରା ପୋଡ଼ି ଆଉ ପାଣି ଦାଗ, ଜୀବନଯାକର ଚିଆଁ–ତା’ର ଅବଦାନ ଖାଲି ପଥୁରିଆ ଗୋଟମା, ଅଧାରୁ ଶୁଖି ଝଡ଼ିପଡ଼େ, ଯଦିବା କେବେ ନଡ଼ିଆ ହୁଏ ସେ ଭୂତଖିଆ ।

 

ତଥାପି ତା’ର ଆପଣାଠି ପ୍ରୟୋଜନ ସରିନାହିଁ, ସେ ବଞ୍ଚିଛି । ସେ ଗର୍ବରେ କହିପାରନ୍ତା ସେ ଦେଖିଛି । ଜନ୍ମ, ବୃଦ୍ଧି, କ୍ଷୟ ଆଉ ବିନାଶ ହୋଇ ଗୋଟିଏ ଗୋଟିଏ ଜୀବନ, ଏପରି ସେ ଅନେକ ଦେଖିଛି । କେତେଥର ସୂର୍ଯ୍ୟ ଉଇଁ ବୁଡ଼ିଛି, ରାତି ଘୋଟିଛି, ତାହା ବିଞ୍ଚି ହୋଇପଡ଼ିଛି ଆକାଶରେ, ସେ ଦେଖିଛି ।

 

ପବନର ସାଇଁ ସାଇଁରେ ଶୁଣିଛି ସମୟର ବାର୍ତ୍ତା, ଗଜା ହେବା ଆଉ ଝଡ଼ିବାର କାହାଣୀ; ଆଉ ତା’ଠି ପ୍ରୟୋଜନ ଅଛି ଅନ୍ୟମାନଙ୍କର । ଏମିତି ଠିଆ ହୋଇ ରହି ପାରିପାଶ୍ୱିକ ଦୃଶ୍ୟସମଷ୍ଟି ଭିତରେ ସେ ବି ହୋଇଛି ଗୋଟିଏ ବିଶିଷ୍ଟ ଉପାଦାନ । ତାକୁ ଦୃଷ୍ଟିରେ ରଖି ଯେଉଁକଥା ଯେ ଭାବିଲେ ବି ଭାବନାର ପୃଷ୍ଠ ପଟରେ ରହିଆସିଛି ତାଆରି ରୂପ, କେବେ କାହା ଅଜାଣତରେ କାହା ଭାବନାକୁ ସେ ଉସେଇଛି, ବାଟେଇ ଦେଇଛି, କେତେ ଜୀବନରେ ତା’ର ବଙ୍କା ରୂପର ଛଇ ଫୁଟିଉଠି ପୁଣି ଜୀବନ ଶେଷରେ ମିଳେଇ ଯାଇଛି ।

 

ବଡ଼ ବଡ଼ କଳା ନଡ଼ିଆ ଭଁର ତା’ ଦେହରେ କୋରଡ଼ କରି ବସା ବାନ୍ଧିଛନ୍ତି, ଅଛନ୍ତି କେତେ ପୋକଯୋକ, ଉଚ୍ଚ, ସାପ, ଆଉ-କେତେଛୁଣିକା ମାଘ ସରି ଫଗୁଣ ପଶିଲାଣି, ବାୟା ଚଢ଼େଇ ବସାବାନ୍ଧି ସାରିଲେଣି, ଦକ୍ଷିଣା ପବନରେ ବାୟା ବସା ଦୋହଲୁଛି ପୁଞ୍ଜାକୁ ପୁଞ୍ଜା, ବାୟାର କି ଯାଏ, ନା ବାଆ କଲେ ବସା ଦୋହଲୁଥାଏ ।

 

ଖରା ମହଳଣବେଳେ ସେହି ନଡ଼ିଆ ଗଛଆଡ଼କୁ ମୁହଁ ଡେରି ପାଟେଳି ଗାଁରେ ଛବି କାବା ହୋଇ ଥମି ରହେ କିଛି ବେଳ, ଆପେ ଆପେ ଫଁ ଫଁ ଦୀର୍ଘଶ୍ୱାସ ବହେ । ସେ ଜାଣି ଜାଣି ନଡ଼ିଆ ଗଛକଥା ଭାବେନାହିଁ, କିନ୍ତୁ ସେଇଠି ସେହିପରି ଛାଇ ଲେଉଟାବେଳେ ଠିଆ ହେଲେ ପୁରୁଣା କଥା ଫେରିଆସେ ସତେକି ଫେରିଆସି ପୁଣି ଚାଲିଯାଏ, ହଜିଯାଏ ।

 

ଦୂରରୁ ଗୁରିଆବୋଉ ତା’ର ସେ ଅବସ୍ଥା ଲକ୍ଷ୍ୟ କରେ, ତା’ର ଶୁଖିଲା ଝାଉଁଳା ମୁହଁ ଚାହିଁ ଅନୁମାନ କରେ ତା’ର ଖର ନିଶ୍ୱାସ, ଧୀରେ ଧୀରେ ମନକୁ ମନ କହେ, ‘‘ମଲା ମର, ମାଇକିନିଆ ଝୁଅଟାପାଇଁ ଏଡ଼େ ହଟହଟା ଦଇବ ରଖିଚି, ମାଇକିନିଆ ଝୁଅ କହନ୍ତି ପରା ତମ୍ପସାପ ପରି, ତା’ ନିଶ୍ୱାସ ଯାହାଙ୍କ ଉପରେ ପଡ଼ୁଚି ସେମାନେ କ’ଣ ଉଧେଇବେ ? ଧରମ କ’ଣ ନାହିଁ ?’’

 

ଛବିର ଦୃଷ୍ଟିପରିସର ଭିତରେ ଭାସିଯାଏ, ଘରଚଟିଆ ଚଢ଼େଇ ହସାହସି ହେଲାପରି ଚହଳ ପକେଇ ଗୋଡ଼ିଆଗୋଡ଼ି ଲଗାଇ ଭିଡାଓଟରା ହେଉଛନ୍ତି, କାଉ କାଠିକୁଟା ଥଣ୍ଟରେ ବୋହି ନେଉଛି ବସା ବାନ୍ଧିବ ଡିମ୍ବ ଦେବ ବୋଲି, ଆକାଶଯାକ ଲାଗିରହିଛି ଚିଲମାନଙ୍କ ପଇଁନ୍ତରାମରା, ଜଣକ ପଛରେ ଆଉଜଣେ ଧାଇଁଛି ।

 

ଦୃଷ୍ଟି ପରିସରରୁ ନିଃସ୍ୱ ଚିନ୍ତା ଲେଉଟିଆସି ମନରେ ପଶେ ।

 

ମନ ଝୁରେ ।

 

ସେମିତି ସେଦିନ ବି ଥିଲା ଏହି ବେଳ, ଏହି ଦିନ ସରିଲାବେଳର ଖରା । ରବି ଆସିଥିଲା । ଆଉ ସେ ଆସିଲା ନାହିଁ । ସେଦିନୁଁ ଏଯାକେ କେତେଥର ଏ ବେଳ ଗଲାଣି । ସେବହୁଁ ଏବଯାକେ କେତେ ପରିବର୍ତ୍ତନ ! କଣ୍ଡିଆରେ ଫୁଟି ତରଭୁଜ ଗଡ଼ିଲାଣି । ଧାନ ବେଙ୍ଗଳା ପକେଇ ସାଇତି ରଖିବା ଦିନ । ପବନ ମୁହଁକୁ କୁଲାରେ ଧାନ ଟେକି ଦେଇ ପବନରେ ଧାନରୁ ଅଗାଡ଼ି ଉଡ଼େଇବା ସାଧାରଣ ଦୃଶ୍ୟ । ଧାନ ଖାଇବାକୁ ପଞ୍ଝା ପଞ୍ଝା ଦେଉଳିଆ ପାରା ଗାଁକୁ ଉଡ଼ି ଆସୁଛନ୍ତି-

 

ଶିବରାତ୍ରି ପାଖ ହେଲା, ସେ ବି ଜାଗର ଜଳା ଦେଖିଯିବ ।

 

ଆଉ ଦୋଳପୂର୍ଣ୍ଣମୀ, ମେଳଣ, ବିମାନ ।

 

ରାତି ରାତି ଖଳାରେ ବେଙ୍ଗଳା ପକେଇବା ଗୀତ ।

 

ବଡ଼ିଅନ୍ଧାରୁ ଘରେ ଘରେ ଧାନ ଉଷୁମ, ଧାନ ଉଷୁମେଇଁ ଦେହ ଉଷୁମୋଉଁ ଉଷୁମୋଉଁ ଚୁଡ଼ାକୁଟା ପାହାର ଶବ୍ଦ । ସେଉଠୁ ଲମ୍ୱା, ରାତି ସରି ଦିନ ଆରମ୍ଭ ।

 

ଶୀତ ସରି ଆସିଲାଣି, ପାହାନ୍ତିଆକୁ ଥଣ୍ଡା ବେଶୀ ।

 

ତୋଟାରେ ଆମ୍ୱଚଣାରୁ ଆସି ଏଡ଼େ ହେଲାଣି, ଝଡ଼ିଲେ ରାଇ-ଆମ୍ୱୁଇ ହେଲାଭଳି ଘରେ ଘରେ କାଞ୍ଜିପାଣି, ଏଥର ମୂଳା-କାଞ୍ଜିପାଣି ।

 

ସେଦିନୁ ଏପର୍ଯ୍ୟନ୍ତ ଏତେ ନୂଆକଥା, ଏତେ ପରିବର୍ତ୍ତନ । ଆଉ ଗାଁରେ ନୂଆ ଇତିହାସ ସୃଷ୍ଟି, ଦୁଇ ଦଳ, ତାଙ୍କର କଳିଗୋଳ, ଛକାଛକି ।

 

ଛବିର ମନକଥା ମନେ ମନେ ଉଭେଇଯାଏ । ବଙ୍କା ନଡ଼ିଆଗଛ ଉପରକୁ ଉପରକୁ ସୁନେଲି ଖରା ସତେ କି ଖେପା ମାରିଲା ପରି ଚଢ଼ି ଚଢ଼ି ଚାଲିଯାଏ, ନିଶ୍ଚିହ୍ନ ହେବାଯାକେ, ତଳେ ଗଛର ଛାଇ ଆହୁରି ଲମ୍ୱିଯାଏ ।

 

ତା’ର ଜୀବନର ନୂଆ କାହାଣୀ ଘଟି ନାହିଁ ।

 

ହଠାତ୍ ସତେକି ଅତିସ୍ନେହୀ ଅତି ଆପଣାର ପୁରୁଣା ଗାଁଟା ବଢ଼ିଲା ନଈରେ ଗୋଳିପାଣି ପରି ଫେଣେଇ ଉଠିଛି । ଅତି ହିଂସ୍ରକ ତା’ର ଧାପ, ଅସ୍ଥିର ଉତ୍‍କଟ ତା’ର ବେଗ, କାହାକୁ କେଉଁଠୁ ଓଟାରି ନେଇ କେଉଁଠି କଚାଡ଼େ । ଥଳ ନାହିଁ, କୂଳ ନାହିଁ । ତଳକୁ ଦୃଷ୍ଟି ଭେଦେଇ ଦେଖିବା ଅସମ୍ଭବ । କାହା ମନରେ କ’ଣ ଅଛି ? କେଉଁ ପଙ୍ଗତରେ କି ବିଚାର ? କେଉଁ ସୁଅର ଗତି କୁଆଡ଼େ ? ଘର ପୋଡ଼ିଲେ ନୂଆଘର ଠିଆକରି ହୁଏ । ବେମାରି ଘାଟିଲେ ବେମାରି ପୁଣି ଛାଡ଼ିଯାଏ, କିନ୍ତୁ ଏପରିଭାବେ ଯେଉଁଠି ଦିଫାଙ୍କିଆ ହୋଇ ଗାଁ ଫାଟେ, ଯୁଆଡ଼େ ଗୋଡ଼ ଲମ୍ୱେଇଲେ ଦୁଇପଡ଼ା ଏକାଠି ହୋଇ ଢାଇ ଢାଇ ବାଜି ଧୂଳି ଉଡ଼ାଏ, ସେଠି ବୁଦ୍ଧି ବଣା । ସମାଜ ବିଷ ହୋଇଯାଇଛି | ଛାଡ଼ି ପଳେଇବାକୁ ଆଉ ଗତି ନାହିଁ, ରହିଲେ ଶାନ୍ତି ନାହିଁ, ମୁକ୍ତି ନାହିଁ ।

 

ଛବିବୋଉଙ୍କର ଦୋପୂରିଆ ଦେହ, ଦମ୍ଭଅଣ୍ଟା, ଟାଣହୋଇ ଠିଆହୋଇ ତାତିଯାଇ ଶୋଧା ଉଡ଼ୋଉଥିଲାବେଳେ ଶତ୍ରୁ ଶଙ୍କିଯାଏ, ସାକ୍ଷାତ୍ ହୃଦ୍‌ବୋଧ ହୁଏ ମଣିଷ କଥା କହୁଛି । କେଡ଼େ ଛାତି, କେଡ଼େ ଟାଣ, ହାତୀ ମଲେ ବି ଲକ୍ଷେ ଟଙ୍କା । କିନ୍ତୁ ସେଦିନ ଉପରଓଳି ଘର ପଛଆଡ଼େ ବନ୍ଧ ଉପରେ ଯେତେବେଳେ ଦୁଇଦଳ ହୋଇ ମାଡ଼ ଫଉଜଦାରିର ପୂର୍ବ ଲକ୍ଷଣ ପରି ଦାୟିକା ଚାଲିଲା, ଗର୍ଜନରେ କଟାଳ ପଡ଼ିଲା, ଜଣେ ଆଉ ଜଣକୁ ‘‘ଆଇଲୁ କ’ଣ କରିବୁ, ଦେଖିତା ଦେଖି’’ କହି ଦୋକଛି ଚଢ଼େଇ ମାରିବାକୁ ମୁସ୍ତେଜ ହେଲାବେଳେ ଆପଣା ପକ୍ଷର ଲୋକେ ‘‘ହାଁ ହାଁ’’ କହି କୁଣ୍ଢେଇ ଧରି ପକେଇଲାବେଳେ ଧରାହେଲା ଲୋକର ସବୁଯାକ ବୀରତ୍ୱ, ପଦାକୁ ହେଣ୍ଡାଳିହେଲା ହାତଗୋଡ଼ ଛାଟି ‘‘ମତେ ଛାଡ଼ିଦିଅ’’ ‘‘ମତେ ଛାଡ଼ିଦିଅ’’ ରଡ଼ିରେ, ସେତେବେଳେ ଛବିବୋଉ ଠକ ଠକ ଥରିଥିଲେ । ସତକୁ ସତ ଆଶଙ୍କା ଘୋଟିଥିଲା-ଘର ଖଣ୍ଡ ରହିବ ତ ? ଗୁର ଆସି କହିଦେଇ ଯାଉଥିଲା- ‘‘ବାଡ଼ିଆବାଡ଼ି ହେବେ ବୋଲି ଚାଳରୁ ବତା ଭିଡ଼ି ନେଉଛନ୍ତି ।’’

 

‘‘ହଇଲୋ ଗୁରବୋଉ, କ’ଣ କରିବା ? କ’ଣ ହବ ?’’

 

‘‘ତୁଚ୍ଛାକୁ ଡରୁଛ ଖୁଡ଼ୀ !’’ ବତାଫାଳ ପରି ଶୁଖିଲା ଗୁରିଆବୋଉ ପ୍ରବୋଧ ଦେଇଥିଲା । ‘‘ଭୁକିଲା କୁକୁର କାମୁଡ଼େ ନାଇଁ । ଯେ ବାଡ଼ିଆପିଟା ହବାର ସେ ଦଣ୍ଡକେ ନହୁନୁହାଣ ହେଇଯାଆନ୍ତି । ଏମିତି ମାରିବି ମାରିବିବୋଲି ଚଦାଚଦି ହୁଅନ୍ତି ନାହିଁ । ବଳେ ଭୁକାଭୁକି ପରସ୍ତେ ହୋଇ ପାଟି ଘୋଳିହେଲେ ଘରକୁ ଲେଉଟିଯିବେ, ତୁମେ ଦେଖିବ ରଇଥା ।’’

 

‘‘ନାଇଁଲୋ, ତୁ କ’ଣ କହୁଚୁ ? ଘଡ଼ିକିଘଡ଼ି ନିଆଁ ଲାଗିଲା ପରି ଏ କଳି କୁହୁଳି ଉଠୁଛି ଦେଖୁନୋଉଁ ? ମୁଣ୍ଡକୁ ପିତ୍ତ ଉଠିଯାଇଛି, ବାଇଆ କୁକୁର ଲୋ, ମଣିଷ ନୁହଁନ୍ତି । କୋଉ କାଳର କେତେ ଗଲାକଥା ଉଝୁଳା ଲାଗିଚି ଦେଖୁନୁ । କ’ଣ ଗାଁ ଭେଦା ଟଙ୍କା କାହାପାଖେ କେବେ ଜମା ରହିଥିଲା, କିଏ ଖାଇଦେଇ କହୁଚି-କିଏ ବାବଦ ବୁଝେଇ ଖର୍ଚ୍ଚ ମଜୁରୀ ଦେଇ ଝାଡ଼ିଝୁଡ଼ି ହଉଚି । କୋଉ ବର୍ଷ କାହାଘର ନାଁରେ କିଏ କ’ଣ ରଟେଇଥିଲା ସେ କଥା ପଡ଼ୁଚି ଅଇଛା । କୋଉକଥା କୋଉଠୁ ଗଡ଼ି ଗଡ଼ି ଆସି ଅଇଛା ଗାଧୁଆ ପୋଖରୀ କଳିରେ ଠେକ ଦେଲାଣି । ଗାଧୋଉ ଗାଧୋଉ କାହା ଦେହରୁ ପାଣି ଟିକିଏ ଆସି କାହା ଉପରେ ଛିରିକି ପଇଲା ସେଉଠୁ କ’ଣ ନା ଗୋଟାଏ ପଟକୁ ପୋଖରୀ ଅଟକ । ତମର କେହି ଆସିବେ ନାଇଁ ଏ ପୋଖରୀରେ ଗାଧୋଇବାକୁ, ବୁଝି ଖବରଦାର, ପୋଖରୀ ହୁଡ଼ା ମାଡ଼ିବେ ନାଇଁ ଏ ଗୋଛିଣ୍ଡା କଥା ଭଲା କିଏ କାହିଁକି ମାନିବ, ଆରପଟ ଜିଦି ଧରିଲେଣି କେଉଟ ଡକେଇ ସେହି ପୋଖରୀରୁ ମାଛ ମରେଇବେ କୁଆଡ଼େ, ଅଇଛା ତ ଅଥଳ ପାଣି । ଦେଖ କେଉଁଠୁ କୋଉଯାକେ ଆସିଲାଣି କଥା, ଇଆରି ନାଁ ବେମୁରବୀ ଗାଁ, କାହା କଥା କାହା ଦେହରେ ଯିବ ନାହିଁ, ଚୁଚ୍ଛା କଥାକୁ କଳି ଉପୁଜି ଅଇଛା କେତେକଥା ନ ପଡ଼ଚି ଦେଖ । ଏ ଲୋକଙ୍କୁ ବାୟା ଘୋଟିଲାଣି, ଭଲ ଦଶା ନାଇଁ-’’

 

ବନ୍ଧ ଉପରୁ କିଏ ଜଣେ ପାଟିକଲା, ‘‘କୁଆଡ଼େ ଗଲ ହୋ ସିନ୍ଧୁ ଚୌଧୁରୀଏ, ପଦାକୁ ତ ଭାରି ମୁହଁ ଭଡ଼କ । ଏସା କରେଙ୍ଗା ତେସା କରେଙ୍ଗା, ଆଉ ସିପେଇକି ଦେଖିଦେଲେ ଶୋଇ ପଡ଼େଙ୍ଗା । ବାହାରି ଆସ ହୋ ବୀରପୁରୁଷ ! କାଞ୍ଜିକଣ ଛାଡ଼ି ମାଇକିନିଆଙ୍କ ପଣତ ଉହାଡ଼ରୁ ବାହାରି ଆସୁନ କାଇଁକି ପଦାକୁ ?’’

 

ଫେର ଉଭୟ ଦଳ ଭିତରେ କଳିଗୋଳର ଘୋ ଘା ।

 

କଥାଗୁଡ଼ାକ ଛବିବୋଉ ଛାତିରେ ଛୁରୀ ପରି ବିନ୍ଧିଲା, କହିଲେ, “ଆଲେ ଗୁରବୋଉ, ମତେ ଧର ଲୋ !’’

 

ଛବି ଥନ ଥନ ହୋଇ କହିଲା, ‘‘କ’ଣ ହେଲା ବୋଉ !’’

 

ଗୁରବୋଉ କହିଲା–“ତୁମେ ଏ ମଦୁଆ କଥାଗୁଡ଼ାକ କାନରେ ପକୋଉଚ ଖୁଡ଼ୀ ! ଆମେ କାହା ମୁହଁରେ ନିଆଁ ଦେଇଚୁ କି କିଏ ଆମର କ’ଣ କରିବ ? ତୁନି ହୋଇ ବସ ।

 

ଛବିବୋଉ ହାମ୍ପେଇ ହାମ୍ପେଇ ତୁନି ହେଲେ ।

 

ଘରେ ସିନ୍ଧୁ ନ ଥାନ୍ତି । ପଦାରୁ ଆସି ପୁଣି ସଙ୍ଗେ ସଙ୍ଗେ ଯେମିତି ସେ କହିଲେ–‘‘କଜିଆ କରି ମରିଯିବେ ଏଗୁଡ଼ାକ, ଯାଏଁ ମୁଁ ଦେଖିଆସେ’’- ସେମିତି ଏ ହାତଧରି ଛବିବୋଉ, ସେ ହାତଧରି ଛବି ପ୍ରାୟ ଓହଳି ପଡ଼ି ପାଟିକଲେ, ‘‘ନାଇଁ ନାଇଁ, ତମେ ସେ ଜାଗାକୁ ଯାଅ ନାଇଁ । ମାରଣା ମାତିଛନ୍ତି ।’’

 

‘‘ମାରଣା !’ ‘ସିନ୍ଧୁ କହିଲେ, “କିଏ ମ ମାରଣା ? ଗାଁର ଏ ଅପର୍ତ୍ତିଆ, ଗନ୍ଧିଆ, ଶୁକୁଟା, ହାଡ଼ିଆ ଏଗୁଡ଼ାକ ଫେର ମାରଣା କେବେ ହେଲେ ? ଗୋଟାଏ କଜିଆରେ ଗଞ୍ଜେଇ ନିଶା ଚଢ଼ିଚି, ମଗଜସବୁ ତାତି ଯାଇଚି । ଶନି ଘୋଟିଲେ ସେମିତି ବିନାଶ ବାଟ ଦିଶେ । ରହ ମୁଁ ଆସେଁ ।’’

 

‘‘ତୁମୁକୁ ମୋ ରାଣ । ତମେ ଗଲେ ମୁଁ ମୁଣ୍ଡବାଡ଼େଇ ଦେଇ ମରିଯିବି ।" ଛବିବୋଉ କହିଲେ, “ମୋ ସାନକୁହା ମାନ, ତମେ ଯାଅ ନା ।’ ‘

 

ଅଳ୍ପ ସମୟ ପରେ ଯୋଦ୍ଧୃବର୍ଗ ଗାଳି ଦେଇଦେଇକା ଦି ଦଳ ଦି ବାଟରେ ଗଲେ । ପାଟି ଦୂରେଇ ଦୂରେଇ ଶୁଭିଲା । ଛବିବୋଉ ହଠାତ୍ ହାଉଳା ବାଉଳା ହୋଇ ଉଠିପଡ଼ି ଏକ ରାଆରେ ଗାଳି ଗାଇବାକୁ ଲାଗିଲେ–“ଯୋଉମାନେ ଏମିତି ହଉଚନ୍ତି ସେ ଅଳ୍ପାଇସା ହଉନ୍ତୁ ହେ ମହାପ୍ରଭୁ ଜହ୍ନିଫୁଲ ପରି ସଞ୍ଜରେ ଫୁଟି ସକାଳକୁ ଆଉ ନ ଥାନ୍ତୁ ହେ ମହାପ୍ରୁ !’’

 

ସିନ୍ଧୁ ବସି ପିକା ବଳୁଥିଲେ, ପାଟିକଲେ, ‘‘ଛି ଛି, ଏଗୁଡ଼ା କ’ଣ କହୁଚ ତାଙ୍କୁ ବାଇ ଲାଗି ସେମାନେ ବାୟାକୁକୁର ହେଲେ ବୋଲି ତମେ କ’ଣ–’’

 

ଗୁରବୋଉ ବୁଝେଇ ବସିଲେ ।

 

ସବୁ ତୁନି ପଡ଼ିଗଲା ।

 

ଛବିବୋଉ କହିଲେ–‘‘ୟେ ମାଲୋ, କ’ଣ ହଉଚନ୍ତି ଏ ଗାଁ ଲୋକେ, ଠିକ୍ ଯେମିତି ସାତଭାଇଆ ଗେଧମାଙ୍କଡ଼, ପୁଲିସିରେ କହି ଏଗୁଡ଼ାକୁ ସାଧ୍ୟ କରି ଦଉନାହାନ୍ତି, ଗାଁ ଚଉକିଆ ଆଉ କ’ଣ ନେଫେଡ଼ା କରୁଚି ?’’

 

ଗୁରବୋଉ କହିଲେ–“ଗୋଟାଏ କିଏ ହେଲେ ସିନା ପୁଲିସି ଡକାଡକି, ରାଇଜଯାକ ସମସ୍ତେ ଉତୁପାତ ହେଲେ କୋଉ ପୁଲିସି ଆସି କ’ଣ କରି ପକେଇବ ? କାହା ନାଁରେ କିଏ କହିବ, ସମସ୍ତେ ତ ହେଲେ ଚାଲୁଣି, କୋଉ ଗୋଟିକ ଏଥିରେ ଛୁଞ୍ଚି ? ପୁଲିସ ଆସିଲେ କାହାକୁ ପଟ କରିବ, କାହାକୁ ପର କରିବ, ଏଇ କଥାଟି ଖୁଡ଼ୀ ଆଗ ବତେଇଲ ?’’

 

‘‘ଭଲ କଥା ତୁ କହୁଚୁ ଗୁରବୋଉ, ରାଜ୍ୟ ଉଜୁଡ଼ିବ କୁଆଡ଼ୁ କିଛି ହବ ନାଇଁ ? ରକ୍ଷାରକ୍ଷଣ କିଛି ନାଇଁ ?’’

 

‘‘ରଖିବ କିଏ ? ଯେ ରଖିଲା ଲୋକ ସିଏ ତ ନିଜେ ଦୋଷୀ । ସମସ୍ତିଙ୍କ ମନରେ ସିନା ରାଇଜ ଚଳେ, ଦଶଜଣ ମନକଲେ ଦଶ ତୁଣ୍ଡରେ ତ ଛେଳି ହୁଏ କୁକୁର ଖୁଡ଼ୀ ! କୋଉଠୁ ଏତେ ପୁଲିସି ଆସିବେ ଯେ ଘର ଘରକେ ଜଣ ଜଣକୁ ଜଗୁଆଳ ହେବେ ଗୋଟାଏଲେଖାଁ ଯୋଡ଼ାଏଲେଖାଁ ପୁଲିସି ? ଆପଣା ପୁଲିସି ଆପେ ହୋଇ ସିନା ସଂସାରଟା ଚାଲିଥାଏ, ତେଣିକି ଗାଁ ଭିତରେ କଦବା କୋଉଠି କିଏ ଚୋରିହାରି କଲେ ପୁଲିସି ଡକାହୁଏ, ଏମିତି ଦେଶ ଗୋଟାକଯାକ ହୋ’ ହେଇ ଉଠିଲେ କିଏ କ’ଣ କରିବ ?’’

 

‘‘ସତ୍ୟଙ୍କୁ ଖବର ଦେବା, ସେ ଆସନ୍ତୁ ବୁଝି ଶୁଝି ଯାହା ଗୋଟାଏ କରନ୍ତୁ । ୟେ ତ ହେଲେ ନିର୍ମାୟା ପୁରୁଷ, ଛନ୍ଦମନ୍ଦ କିଛି ଜାଣନ୍ତି ନାହିଁ, ୟାଙ୍କଦ୍ଵାରା ଶାଗ ସିଝିବ ନାଇଁ । . ଏମିତି ବଇଷମ ହୋଇ ମଝି ମଝିକିଆ ରହିଥିଲେ ଖାଉଥିବେ ଦି’ଆଡ଼ୁ ପାହାର, ଭଲ ଲୋକ ବୋଲି କିଏ କ’ଣ ଛାଡ଼ିଦେବ ? ଜାଣୁଚୁ ତ ସବୁକଥା–’’

 

ଗୁରବୋଉ ହସିଲେ, କହିଲେ, ‘‘ଆଉ ସେ ଆସିଲେ ଖାଲି ତାଡ଼ି ପକେଇବେ ସତେକି-। ନିଆଁନଗା ଜର ତ କତରାଲଗା କଲାଣି, ଦିନେ ଭଲ ହେଲେ ତ ଆଉ ଦିନକୁ ଶୋଇଲେଣି । ଦେହରେ କୋଉ ବଳ ଅଛି ଯେ କାହା ସାଙ୍ଗେ ତୁମେ କି ଦୁମେ ହେବେ ?”

 

‘‘ଆଲୋ ବଳ ଅସଲ ନୁହେଁଲୋ ଅସଲ ବୁଦ୍ଧି । ତୁ ତ ହେଇ ଶୁକୁଟା ହୋଇ ମଣିଷଟାଏ, ଫୁଙ୍କିଦେଲେ ଟଳି ପଡ଼ିବୁ, ତତେ କାଇଁକି ପଚରା ହେଉଚି ? କ’ଣ ନା ତୋ ବୁଦ୍ଧିଟା ସରସ । ଯାହାକୁ କହନ୍ତି-ମୁଣ୍ଡ ଅଛି ।’’

 

ଗୁରବୋଉ ଏ ଚାଟୁ କଥାରେ ହସିଦେଇ କହିଲେ–‘‘କିଛି ବେସ୍ତ ହେବା ଦରକାର ନାହିଁ ଖୁଡ଼ୀ ! ଲୋକଙ୍କ ଦେହରେ ବଦରକ୍ତ ବଢ଼ିଚି, ଥୋଡ଼ାଏ ଝଡ଼େଇ ହୋଇ ବଦରକ୍ତ ବାହାର କରିଦେଲେ ଆପେ ସମସ୍ତେ ଥଣ୍ଡା ହୋଇଯିବେ । ତମେ ଥିରି ହୋଇ ବସ, କିଛି ହବ ନାଇଁ ।’’

 

‘‘ଆଉ ହବାକୁ କ’ଣ ବାକି ଅଛି କି ଲୋ !’’ ଦୀର୍ଘଶ୍ୱାସ ପକାଇ ଛବିବୋଉ ଉଠିଗଲେ ।

 

ଥରେ କଜିଆଟା ଆରମ୍ଭ ହୋଇଯିବା ପରେ ଗାଁଟା ଫାଟି ଛତରଛାଉଳ । ଯେପରି କି ମୁହଁର ତେଲ ହଳଦୀର ପୁଟ ହଠାତ୍ ଯାଇଛି ପୋଛିପାଛି ହୋଇ, ଆଉ ତଳେ ଦିଶୁଛି ପ୍ରକୃତ ଚମଡ଼ା, ସେଠି ଯୁଗଯୁଗର ଫାଟ ଆଉ ଗାଡ଼, ବୟସର କାତି, ପୁରୁଣା ରୋଗର ଚିହ୍ନ, ଶୁଖି ଯାଇଛି ଖାଲି ଚଳିବା ପକ୍ଷେ, ସୁଧୁରି ନାହିଁ । କଳିଙ୍କିଲଗା ସମାଜ ଗାତ୍ରରେ ଆଗରୁ ଅବା ଥିଲା ଏହି ବିଯୋଡ଼ପଣ, ନୂଆ ସମୟର ଲୁଣି ହାଓ୍ୱାର ଚପଟ ଖାଇ ସମ୍ଭାଳି ପାରିନାହିଁ, ନୂଆ ସୃଷ୍ଟି ନ ଘଟୁଣୁ ପୁରୁଣାହିଁ ଝୁରୁ ଝୁରୁ ହୋଇ ମିଳେଇ ଯାଇ ଝଡ଼ିପଡ଼ିଲାଣି ଠାଏ ଠାଏ ।

 

ନୋକା ନାହାକର ଦଳ ଆଉ କିଣେଇଁ ଓଝାର ଦଳ ସେହି ଦିନର ଆକସ୍ମିକ କଜିଆ ପରେ ଥରେ ବାଡ଼ିଆପିଟା ହେବାକୁ ମେଳିବାନ୍ଧି ମୁହାଁମୁହିଁ ଠିଆ ହେଲାପରେ ଅନେକଥର ଦୁଇଦଳ ଭିତରେ ଏପରି ଭେଟାଭେଟି ଘଟିଗଲାଣି, ଠିକ୍ ରାମଲୀଳା ଅଭିନୟର କାଇଦାରେ । ସେଦିନ ଆଖି ଆଗରେ ଥିଲା ଗୋଟାଏ ବିଶିଷ୍ଟ ଘଟଣା କାରଣସ୍ୱରୂପେ, ସିନ୍ଧୁ ଚୌଧୁରିଙ୍କ ଝିଅର ବଦନାମ୍, କଥାକଥାକେ ଲୋକା ନାହାକ ଓ କିଣେଇଁ ଓଝାଙ୍କ ଭିତରେ ଗାଳି ଦିଆଦେଇ । ସେଦି ମୁଁ କେତେ କାରଣ ଉପରେ କାରଣ ଲଦା ହେଲାଣି, ମୂଳ କାରଣ କେଉଁଠି ପୋତିହୋଇ ପଡ଼ିଲାଣି । ପ୍ରତ୍ୟେକର ଅଭିଯୋଗ କେବଳ ଉପସ୍ଥିତ କାରଣ, ତା’ ପଛକୁ ଆଉ ତେଣିକି କେହି ମନେରଖିନାହିଁ ।

 

ସିନ୍ଧୁ ଚୌଧୁରିଙ୍କ ଚାହାଳି ଭାଙ୍ଗିଛି, ପିଲାଏ ଖୁସି, ଯେଉଁ ଚାହାଳିରେ ପଇସା ପଡ଼େ ନାହିଁ, ଯାହା ଆପେ ମିଳେ କିଣିବା ଦରକାର ପଡ଼େନାହିଁ ସେ ଗଲେ ବି କାହା ମନରେ ଆଞ୍ଚ ନାହିଁ-। କିନ୍ତୁ ସିନ୍ଧୁ ଚୌଧୁରିଙ୍କି ଏକଘରିକିଆ କରିବା ସମ୍ଭବ ହୋଇନାହିଁ, ସେବା ଅଟକେଇବାକୁ ସେବାଏତ୍ ରାଜି ହେଲେ ନାହିଁ । ଏଣେ ଦୁଇଦଳର ଉତ୍‌କଟ କଜିଆରେ ସିନ୍ଧୁ ଚୌଧୁରି ଗଲେଣି କୁଆଡ଼େ ଆଡ଼େଇ ହୋଇ, ନାଁକୁ ଚୌଧୁରି ସିନା କଜିଆବେଳକୁ ନିତାନ୍ତ ନିରୀହ, ତୁଣ୍ଡ ନାହିଁକି ତେଜ ନାହିଁକି ଫନ୍ଦି ନାହିଁ, ଟେହାଟେହି ପରୀକ୍ଷା ଗାଳିଦେବା ପରୀକ୍ଷା ସବୁ ପରୀକ୍ଷାକୁ ନାପସନ୍ଦ୍ । କେବଳ ତୁନି ହୋଇ ବସି ଅରଟକାମ, ନ ହେଲେ ମନକୁ ମନ ଭାଗବତ ପଢ଼ା । ବିପକ୍ଷ ପଟ ଆଗେ ମାନୁଥିଲେ, ବର୍ତ୍ତମାନ ଆଉ ମାନୁ ନାହାନ୍ତି, ଦଣ୍ଡବତ ହେଉ ନାହାନ୍ତି, କଥା କହୁ ନାହାନ୍ତି, ବେଶ୍ ସେତିକି ଛିଣ୍ଡିଗଲା କଥା, ଦେହକୁ ଓଟାରି ଲଢ଼େଇକି ଓହ୍ଲେଇବା ଲୋକ ସେ ନୁହଁନ୍ତି । କିଏ କେବେ ମାନୁଥିଲେ ଠାକୁରବୋଲି, ନ ମାନିଲେ ପଥର, କିନ୍ତୁ ପଥର ଛାଏଁ ପଥର ଥାଉ, ଗୋଡ଼ରେ ଗଡ଼େଇଲେ ଖାଲି ଗୋଡ଼ ଘୋଛିହେବା ସାର ହେବ । ଅପର୍ତ୍ତି ପଧାନ ଏହି ମର୍ମରେ ବୁଝେଇଦେଲା ମାଗୁଣି ବେହେରାକୁ ।

 

‘‘ଅଇଛି । ବୁଝିଲୁ ତ, ଆଉ ମତେ ବଳାନା, ଜାଣିଲୁ । ମାଛି ମାଇଲେ ହାତ ଗନ୍ଧାଏ । କ’ଣ ବା ତା’ର ଅଛି ? ଗାଈ ନୁହେଁ କି ମାଈ ନୁହେଁ, ପିନ୍ଧୁଛି ତ ଛିଣ୍ଡା ନେଙ୍କୁଡ଼ି, ଖାଉଚି ବାସି ପଖାଳ ନ ହେଲେ ମୁଢ଼ି ନ ହେଲେ କୋଳଥ ଛତୁ । ଦାଣ୍ଡକୁ ଦେଖେଇବାକୁ ଅମୁକ ଘରବୋଲି ଯାହା ବା ନାଁ କି ମାନଇଜ୍ଜତ୍ ଥିଲା, ସେତକ ବି ଆଚ୍ଛାକରି ଉଡ଼ିଗଲା । କଥା କହିଲେ ତ ଉତ୍ତର ଦବ ନାଇଁ । ସେଦିନ ବଢ଼େଇ ସାହିଆ ପିଲାଯାକ ଯେ ଆଗେ ତା’ ଚାହାଳିରେ ବସି ଆପଣେ ଆପଣେ ହଉଥିଲେ, ସେଗୁଡ଼ା ତାଳି ମାରି ମାରି ‘ଗାନ୍ଧି–ଗାନ୍ଧି’ ବୋବେଇ ବୋବେଇ ଯେତେ ପଛେ ପଛେ ଚିଡ଼େଇବାକୁ ଧାଇଁଲେ ଚିଡ଼ିବ କ’ଣ ଓଲଟି ବୁଲିପଡ଼ି କହିଲା, ‘ତେମେ ପିଲାଏ ସବୁଦିନେ ଯଦି ଏଇ ଗାନ୍ଧୀ ନାଁ’ଟି ଘୋଷିବ ତେବେ ଆସିବ ମୁଁ ତମୁକୁ ମୁଢ଼ି ତୁଣ୍ଡୁପୋଡ଼ା ଭୋଗ କରି ବାଣ୍ଟିବି । ଏମିତିଆ ନିଲଜିଆ ଲୋକକୁ ଚିଡ଼େଇଲେ ଖାଲି ପାଟି ଘୋଳିହବ । ସେଇଟା ଗୋଟାଏ ଆମ ସାଙ୍ଗେ ଲଢ଼େଇ କରିବାକୁ ଯୋଗ୍ୟକି ?’’

 

ମାଗୁଣି ରହସା କରି କହିଲା, “ତା’ ହେଲେ ତ ଏଥର ବାଟ ସାଫ୍ । ଖାଲି ଆମୁକୁ ଜାତିରେ ଚଳେଇଦେଲେ ସେ ବି ନିଶ୍ଚିନ୍ତ ହନ୍ତା, ପଦାରେ ଏତେ ଖୋଜାଲୋଡ଼ା ଦରକାର ପଡ଼ନ୍ତା ନାଇଁ, ଆମେ ବି ହେଇଯାନ୍ତେଇଁ ବନ୍ଧୁ, ବେଶ୍, ନଟ ତୁଟିଯାଆନ୍ତା ।’’ ମନରେ ଯାହା ଥାଉ ଅପର୍ତ୍ତି ପଧାନ ଏତେଟା ତୁଣ୍ଡରେ ଭରସିବାକୁ ବି ରାଜି ନ ଥିଲା, କହିଲା, “ଚୁପ୍ ଚୁପ୍, ତୋ ପାଟିକି ବାଡ଼ବତା ନାହିଁନା ?’’

 

ତା’ର ମନକଥାକୁ ଭାଷାରେ ଫୁଟାଇବାକୁ ରୋକିଥିଲା ଗୋଟାଏ ସଂସାର, ସେ ତର୍କ କରି ଶିଖି ନାହିଁ ।

 

କିନ୍ତୁ ବାଡ଼ିରେ ବାଡ଼ି, ଖଣ୍ଡାରେ ଖଣ୍ଡା ଲଢ଼େଇବାକୁ ସିନ୍ଧୁ ଚୌଧୁରି ନ ମିଳିଲେ ବି ତାଙ୍କୁ ଆଡ଼େଇଦେଇ ଅନେକ ଲୋକ ପରସ୍ପର ହାବୁଡ଼ିଲେ । ଲୋକା ନାହାକ ସତେ କି ଶକତ ଏକ ଜନ୍ତୁ, କଥାରେ କୋବଲେଇ ଅପର ପକ୍ଷପାଇଁ ମୂଷଳ ସଜାଡ଼େ । ସମସ୍ତେ ଚାହାନ୍ତି ସମସ୍ତେ କହନ୍ତି, "ଗାଁକୁ ଗଢ଼ିବା, ଗାଁକୁ ସଜାଡ଼ିବା,’’ ଏ ଦଳ ଗଢ଼ୁ ଗଢ଼ୁ ସେ ଦଳ ବି ଗଢ଼େ, ଯେଉଁ ବାଙ୍କ ବୁଲିଲେ ଦୁଇଦଳ ଠିଆ ମୁହାଁମୁହିଁ ।

 

ପାଖ ପଡ଼ିଶା ନୋତାଗୋତା ହୋଇ ସୁଖର ଦୁଃଖର ହୋଇ ସମସ୍ତେ ତ ଥିଲେ, ସକାଳ ହେଲେ ୟା ଚୁଲୀରୁ ସେ ତା’ ଚୁଲୀରୁ ଯେ ନିଆଁ ମଗାମଗି, ଲୁଣ ଟିକିଏ ପାନପତ୍ର ଅଭାବ ହେଲେ ଯା ମାଗିଆଣ୍‍, ଖଡ଼ା ଚାରି ଗଛ ଓପଡ଼ା ହେଲେ କି ସଜନାଛୁଇଁ ଦିଟା ପରାହେଲେ ଯା ସାହିରେ ଦେଇଆ, ବୋହୁ ଘରୁ ଭାର ଆସିଛି ତ ଆଗ ସାହିରେ ବାଣ୍ଟ, ଆଉ ନିତିଦିନ ତରକାରି ଦେଣନେଣ ପିଠାପଣା ପଠାପଠି ଏ ତ ରହିଛି ହିଁ, ଏତେ ସୂତ୍ରରେ ଗାଁର ଲୋକ ଜଣକ ସଙ୍ଗେ ଜଣେ ଛନ୍ଦାଛନ୍ଦି, ଜାତି ବର୍ଣ୍ଣକୁ କରକୁ ଆଡ଼େଇ ଦେଇ ଅତି ଆପଣାର ହୋଇ ଡକାଡକି ଦାଦି, ଭାଇ, ଅପା, ଖୁଡ଼ୀ, ମାଉସୀ, ମାମୁଁ ।

 

କିନ୍ତୁ ହଠାତ୍ ଦେଖାଯାଉଛି, ବିଲରୁ କି ଦୋକାନରୁ କିଏ ଫେରିଲାବେଳକୁ, ମୁହଁଟା ହାଣ୍ଡିପରି, ଘର ଛୁଇଁଲାବେଳକୁ ପାଦ ଦୁଲ୍‌ଦାଲ୍ କଚାଡ଼ି ଗୋଡ଼ ଠାଏ ତ ହାତ ଠାଏ, ତୁଣ୍ଡରେ ଘଡ଼ଘଡ଼ି ପରି ଭାଷା । ହଠାତ୍ ତାକୁ ପାଖପଡ଼ିଶା ଗନ୍ଧେଇ ଉଠୁଛି, ସେ ଘରକୁ ଅନେଇଁଲେ ଲାଗୁଛି ସେଇଟା ଆଖିରେ ଖେଣ୍ଟା, ଭାରିଯାକୁ ଡାକି ଉପଦେଶ ଦେଉଛି- ‘‘ଶୁଣିଲଣି ତାଙ୍କ ଘରକଥା, ଯାହା ଶୁଣି ଆସିଲି କହୁଚି ସବୁ ରଇଥା, ମନଦେଇ ଶୁଣ । ଆଉ ବୁଝି ଖବରଦାର, ତାଙ୍କ ଘର ତମେ ମାଡ଼ିବ ନାହିଁ କି ଆମ ଘର ସେ ମାଡ଼ିବେ ନାହିଁ । ଯାହା ପେଟରେ ଦାନ୍ତ, ଯେ ଖାଲି ଆମର ମନ୍ଦ ମନାସୁଛି, ତା’ ସାଙ୍ଗରେ ଆମର କାମ କ’ଣ ?” ପିଲାଛୁଆଙ୍କ ଉପରେ ବଜ୍ର କଟକଣା–‘‘ହେ ଧୂଳିଆ, ଆଲୋ ସାବୀ, ସବୁବେଳେ ତାଙ୍କ ସାହିରେ ଯାଇ ପଶୁଚ, ତାଙ୍କ ପିଲାମାନଙ୍କ ସାଙ୍ଗରେ ସାଙ୍ଗ ହଉଚ, ଏଣିକି ଫେର୍ ଯଦି ଦେଖିବି ଗୋଟାଏ ଗୋଟାଏ ଯାବୁଡ଼ାରେ ମୁହଁ ବଙ୍କା କରିଦେବି, ଆଉ ଜାଣିଥା, ତାଙ୍କ ଘର ବିଲେଇଟା ବରାବର ଆମ ଘରକୁ ଆସୁଚି, ହାଣ୍ଡିରେ ଖାଇଯାଉଚି, ଲୋକେ ଆପଣା ଆପଣା ଜନ୍ତୁଙ୍କ ଜବତ୍ କରନ୍ତୁ, ସେ ବିଲେଇଟା ଆସିଚି କି ତା’ ଗୋଡ଼ ଛୋଟା କର । ସାବୀଟା ସବୁବେଳେ ସେ ବିଲେଇକି ଅଣ୍ଟିରେ ପୂରେଇ ବସେ, ଫେର୍ ଯଦି ଦେଖିବି ତୋ ଗୋଡ଼ ଛୋଟା କରିବି ।’’

 

କିଏ ଆସନ୍ତି ଟୁପ୍‌ଟାପ ଫୁସ୍‌ଫାସ ହେବାକୁ, ସଞ୍ଜକୁ ନିଆରା ଗୋଠ, ଦଳ ବଢ଼ି ଉଠିଲା, ଅଲଗା କେଉଁଠି ବସିପଡ଼ି ଲାଗିରହିଥିବ ଆଲୋଚନା–କିଏ କାହାକୁ କ’ଣ କହିଲା, କେମିତି କାହାକୁ ଜବତ କରାଯିବ, ଏହିପରି ବଡ଼ ବଡ଼ କଥା । ସେଥିରେ ଲୋକ ଗୋଟାଗୋଟାଙ୍କର ଜୀବନଯାକର ଇତିହାସ ଆଲୋଚନା ପଡ଼େ, ଦିନ ଦିନକର ପାସୋରାକଥା, ଶୁଣାକଥା ଜଣାକଥା, ଖାଲି ଏ ପୁରୁଷର ନୁହେଁ, ଦି ପୁରୁଷର, ତିନି ପୁରୁଷର । ଆଉ ଲାଗେ ଉପାୟ ବିଷୟରେ ଗବେଷଣା, ମଫସଲ ଲୋକର ରାଜନୈତିକ ବୁଦ୍ଧି ଖର୍ଚ୍ଚ କରିବାକୁ ବାଟ ମିଳେ-। ଗାଁ ଗାଁକେ ଏହିପରି ପଙ୍ଗତ, କେବଳ ପାଟେଳି ଗାଁ ପରି ମଝିରେ ମଝିରେ କେଉଁଠି କ୍ୱଚିତ୍ ଖଣ୍ଡିଏ ଖଣ୍ଡିଏ ଗାଁ ବାକି ଥିଲା, ପବନ ସେଠି ବି ବାଜୁଛି । ଯେପରି କି ମଧ୍ୟଯୁଗର ହିନ୍ଦୁ ଇତିହାସର ପୁନରାବୃତ୍ତି, ଏମାନେ ବି ହିନ୍ଦୁ ସତ ।

 

ଆଉ ଫଳ ଫଳି ପାଚି ନୂଆ କଜିଆପାଇଁ ନୂଆ କାରଣର ମଞ୍ଜି ସୃଷ୍ଟି ହେଉଛି ନିତିଦିନ-। ଧୋବେଇ ଜେନାର ନୂଆ ଘରପାଇଁ କବାଟ ହେବ ବୋଲି କାଠ ପଡ଼ିଥିଲା । ଅନହୁତି ଦିଶୁଛି ସେ କାଠ ନାହିଁ । ଆର ପାଖେ ଗୋବିନ୍ଦ ଓଝାର ନିବୁଜା ବାଡ଼ ଭିତରେ ହଠାତ୍ କାଠ ଉପରେ କୁରାଢ଼ି ପାହାର ଦୁଲ୍‌ଦାଲ ଶୁଭୁଛି, ଧୋବେଇ ଜେନା ଘର ଲୋକେ ଦୁଆର ମୁହଁରେ ବସି ଧର୍ମକୁ ସାକ୍ଷୀ ରଖି ନାଁ ଜଣାନଥିବା ଚୋରକୁ, କଟାସମ୍ପା କରିବାଛଡ଼ା ଅନ୍ୟଉପାୟ ନାହିଁ । ତେବେ ଗୋବିନ୍ଦ ଓଝାକୁ ସତେକି ଧର୍ମ ଦଣ୍ଡ ପଡ଼ିଯାଉଛି, ରାତିରାତି ବାଡ଼ିରୁ ଫାଳେ ଭାଙ୍ଗି ନିଶ୍ଚିହ୍ନ ହୋଇଯାଉଛି ଆପେ ଆପେ, ଆଉ ଗୋବିନ୍ଦ ଓଝା ବାରିର ବିଶେଷତ୍ୱ ଯେଉଁ ପ୍ରକାଣ୍ଡ ପ୍ରକାଣ୍ଡ ହାତୀଖୋଜିଆ ଖମ୍ୱ ଆଳୁ, ଏ ବର୍ଷ କାହିଁ ଦି ମହଣ ବିକିଥାନ୍ତା, ତା’ର ପତ୍ତାହିଁ ନାହିଁ, ମୂଳରୁ ପିଣ୍ଡ ବୁଡ଼ିଗଲା । କାହାର ଚାଳ ଭଙ୍ଗା ହୋଇ ଅନ୍ୟ କାହାର ଧାନ ଉଷୁଆଁ ହୋଇଯାଉଛି ତ କାହାର ଧାନ କଳେଇ ଗଦା ଭଙ୍ଗା ହୋଇ ଅନ୍ୟ କାହାରି ଗୋ, ଗୋଠ ଭୋଜି ଖାଉଛନ୍ତି ।

 

ସେହିପରି, ନଈକି ଗାଧୋଇଯିବା ବାଟରେ ପଡ଼େ ପଠା, କେତେବେଳେ ଓର ଉଣ୍ଡି କିଏ କାହାର ଫୁଟି ତରଭୁଜ ପନିପରିବା ଉଠେଇନେଇ ଛୁ । କିଛି ନ କରିପାରିଲେ ପଠାଆଡ଼କୁ କ୍ଷେତଆଡ଼କୁ ବାରି ଭିତରକୁ ଗୋରୁ ପଲ ଅଡ଼େଇ ଦେଲେ ତଥାପି ମନର ଓରମାନ ମେଣ୍ଟେ, ଗୋମାତା ବଧ୍ୟ ନୁହେଁ, ଧରିବାକୁ ବାନ୍ଧିବାକୁ ଚେଷ୍ଟାକଲେ ସେ ଖୁବ୍ ତରକା, ତା’ କଦରରେ ସେ । କାଞ୍ଜିଆଉଦା ଏଠୁ ତିନି କୋଶ ବାଟ, ଯଦିବା ଅଧ୍ୟବସାୟ ଦେଖାଇ କିଏ ସେ ଉଦ୍ଦେଶ୍ୟରେ ଗୋରୁ ଅଡ଼େଇ ନେଇ ଚାଲିଲା, ତେବେ ବାଟରେ ଦଳବାନ୍ଧି ଯାଇ ଠେଙ୍ଗାବାଡ଼ି ଦେଖାଇ ଛଡ଼େଇ ନେବା ନିଜର ପାରିଲାପଣ । ମକଦ୍ଦମା କରିବା କଥା । ଖେସରା ନାଲିସ୍ କଥା ଭାବିବାହିଁ ସ୍ୱତନ୍ତ୍ର ଗାଁରେ ଏତେ ଘଟଣା, ସବୁ କଥାକୁ ମକଦ୍ଦମା ସମ୍ଭବ ନୁହେଁ, କଚିରି କହିଲେ ଅଭ୍ୟାସ ନ ଥିବା ମଫସଲ ଲୋକକୁ ଭାରି ଅଡ଼ୁଆ, ଭାରି ଡର, କହନ୍ତି ପରା-ବାଡ଼ି ପଶିଲେ ଯିଏ, ମକଦ୍ଦମା ପଶିଲେ ସିଏ । ତଥାପି–ଉଭୟ ପକ୍ଷର ଟାଉଟରମାନେ ଆଶାଛାଡ଼ି ନାହାନ୍ତି, ଏଇ ତ ମୌକା ପଡ଼ିଛି, ‘‘ଗାଁ ଲୋକେ କ’ଣ ତଥାପି ବୁଝିବେ ନାହିଁ ଆଇନ କ’ଣ, ନିଜର ହକ୍‍ କେତେ, ଦାବି କେତେ–ଆଇନ ଅନୁସାରେ ନିଜର ଯାହା ଅଧିକାର ତା’ ଛାଡ଼ିଦେବେ ଖାଲି ଓଲାପଣରେ ?” ତେଣୁ ସେମାନେ ବିନାମୂଲ୍ୟରେ ଜ୍ଞାନ ବିତରଣ କରି ଲାଗିଛନ୍ତି, ଆଶା ଅଛି, ଲୋକେ ବୁଝିବେ ।

 

ହେଇ ତ ଆଖି ଆଗରେ ଜାଜ୍ଜ୍ୱଲ୍ୟମୟ ପ୍ରମାଣ- ଧନୁଆଁ କେଉଟର ଡେଙ୍ଗା ଖାସିଟା ଦିନେ ହଠାତ୍ ଦେଖିଲାବେଳକୁ ଅଦୃଶ୍ୟ । ଧନୁଆଁ କେଉଟ ତ ଲୋକା ନାହାକ ପଟ ଲୋକ । ବିଚରା ଖୋଜି ଖୋଜି ହଇରାଣ । ଆଉ କାଉ ରଡ଼ିବାକୁ ତାଳ ଝଡ଼ିବା ଭଳି ଠିକ୍ ସେହିଦିନ ରାତିକି ଅପର୍ତ୍ତି ପଧାନ ପଟଙ୍କର ବଟେଶ୍ୱର ମହାଦେବଙ୍କ ଦଣ୍ଡାରେ ଭୋଜି ମଉଛବ, ଜାଗର ଯାତର କିଛିଦିନ ପୂର୍ବରୁ, ଆଉ ଭୋଜିରେ ମହା ଆନନ୍ଦରେ ମାଉଁସ ଭାତ । ଯାହାକୁ ପଚାରିଲେ ମାଉଁସ କେଉଁଠୁ ଆସିଲା, ସେ କହୁଛି, ‘‘ମୁଁ କି ଜାଣେ ? ସତ ତ, ଲୋକେ ସିନା ଭୋଜି ଖିଆରେ ଭାଗୀ, କିଏ ପରିବାକୁ ଯାଉଛି କେଉଁଠୁ କ’ଣ ଆସିଲା ? ଅଦା ବେପାରୀର ଜାହାଜ ମୂଲ କରିବା କି ଦରକାର ?

 

କଥାଟା ଗଣ୍ଠି ପକେଇ ଧରିଲା ଅଗଣି ରାୟ, ଏପଟର ଗଦେଇ ଲେଙ୍କାଙ୍କ ସଙ୍ଗକୁ ମାମଲତକାରୀ ଓ ଟରଣିଗିରିରେ ପଟ ପକାଇବାକୁ ସେପଟେ ଅପର୍ତ୍ତି ପଧାନ ଗୋଷ୍ଠୀରେ ମୁଖିଆ ଅଗଣି ରାୟ । ଉଭୟେ ବନ୍ଧୁବାନ୍ଧବ ସମ୍ପର୍କ, ଏ ଅଞ୍ଚଳରେ ଖଣ୍ଡାୟତ ସଭାର ଉନ୍ନତି ଲାଗି ବେଳପଡ଼ିଲେ ଦିହିଁକା ଦିହେଁ ଧନୁ ଧରି ଠିଆ ହୁଅନ୍ତି ବୁଦ୍ଧି ଦେବାକୁ, ହେମନ୍ତ ଦେବାକୁ । କିନ୍ତୁ ମାମଲତକାରୀରେ ଦିହେଁ ବାଦବୁଦିଆ ହୋଇ ସଦାଦିନେ ଦି’ପଟ । ସହର ଯା ଆସ ଅଛି, ଓକିଲ ମୁକ୍ତିଆରକୁ ମହକିଲ ଯୋଗାଇଲେ ଲୋକ ଦେଖି କାରବାର, ପ୍ରସାର ଜମେଇଁ ତରତର ହୋଇ ନାଁ କମେଇବାକୁ ବ୍ୟାକୁଳ, ନୂଆ ଓକିଲ କି ନୂଆ ମୁକ୍ତିଆରଙ୍କୁ ମହକିଲ ଦେଲେ ଟଙ୍କାକେ ଆଠଅଣା ଦଶଅଣା ବି କମିଶନି ମିଳେ, କିନ୍ତୁ ଏ ଦୁହିଁଙ୍କୁ ବେଶୀ ଖୋରାକି ଏ ଗାଁରୁ କେବେ ମିଳିନାହିଁ, ମିଳିଛି ପାଖ ଗାଁରୁ ବା ଟଙ୍କା ଝଡ଼େଇବାକୁ ସୁବିଧା ଆଉ କଅଁଳ ଗାଁ । ଫେରନ୍ତା କଇକତିଆ ଭାଇମାନଙ୍କଠାରୁ; କାରଣ ପଦାକୁ ଯାଇଁ ଆଖି ଫିଟିଯାଇ ସେହିମାନେ ସିନା ଟିକିକ କଥାକୁ ଚିହିଙ୍କି ଉଠନ୍ତି ନିଜ ହକ୍‍ ବିଷୟରେ, ଦାବି ବିଷୟରେ ଥାଡ଼କିଲାସ ରେଳଡିବ ଚଟାଣରେ ଟିକିଏ ପାଦ ମାଡ଼ିଦେଇ ବସିଲାଭଳି ଜାଗାପାଇଁ ଯେମିତି ଘଣ୍ଟା ଘଣ୍ଟାଯାକେ କଜିଆ କରିପାରନ୍ତି, ଧକାଧକି ଖୁପୁରା ଖୁପୁରି ହୋଇପାରନ୍ତି, ସେମିତି ଗାଁକୁ ଲେଉଟିଲେ ଦୋସିମାଳି ହିଡ଼ରେ ଥିବା ଗୋଟାଏ ଥୁଣ୍ଟା ଖଜୁରି ଗଛ ଉପରେ ଆପଣା ହକ ସାବ୍ୟସ୍ତ କରି ଇଜ୍ଜତ ଅରଜିବାକୁ ଦି ହାତରେ ଟଙ୍କା ବିଞ୍ଚି ମକଦ୍ଦମା ଲଢ଼ିପାରନ୍ତି, ଥୁଣ୍ଟା ଖଜୁରି ଗଛଟାପାଇଁ ସବୁ ପୁଞ୍ଜି ଯଦି ବା ସରିଗଲା, ତେବେ କଲିକତା ତ ସରିନାହିଁ, କଲିକତା ଅଛି, ଆଉ ଚିନ୍ତା କ’ଣ ? ତେଣୁ ଗଦେଇ ଲେଙ୍କା ଅଗଣି ରାୟଙ୍କର ସେହିମାନେ ଥିଲେ ଦୁହାଁଳ ଗୋଠ, କିନ୍ତୁ ବାରମ୍ବାର ମନରେ ଗୋଟାଏ ଆଶା ରହିଆସିଛି, ଗୋଠଟା ହାତ ପାଆନ୍ତିରେ ଥାଆନ୍ତାକି, ଏଇ ଗାଁରେ ?

 

ଅଗଣି ରାୟ ଉପରେ ପଡ଼ି ଜନ-ଗୋଷ୍ଠୀର ହିତ କରିବାପାଇଁ ଧନୁଆଁ କେଉଟର ଖାସି ଖୋଜିବାରେ ଲାଗିପଡ଼ିଲେ, ଖାସି ତ ବିଭକ୍ତ ହୋଇ ମିଶିଯାଇଥିବ ଅନେକ ଲୋକଙ୍କ ପାକସ୍ଥଳୀର ହଜମି ରସରେ, ସେ ଖୋଜି ବସିଲେ ଖାସିର କୃଷ୍ଣ ପ୍ରାପ୍ତିର ଇତିବୃତ୍ତ ଓ ତା’ର ନଶ୍ୱର ଦେହର ଧ୍ୱଂସାବଶେଷ । ଖୋଜୁ ଖୋଜୁ ବଟେଶ୍ଵରଙ୍କ ଦଣ୍ଡା କରରେ କିଆଭେଡ଼ା ଘେରେଇ ହୋଇ ଗୋଟିଏ ଭଙ୍ଗା କୁଡ଼ିଆ ପାଖେ, ଆଗେ ଯେଉଁଠି ଥିଲା ଗୋଟିଏ ବାବାଜିଙ୍କ ଟୁଙ୍ଗି, ସେଠି ଗୋଟାଏ ଶାଗୁଆତି ଘଟିଥିବାର ସବୁ ଚିହ୍ନବର୍ଣ୍ଣ ମିଳିଲା; କିନ୍ତୁ ଦିନ ବିତିଥିଲା, ବହୁତ ଗବେଷଣା ଫଳରେ ମିଳିଲା ଯୋଡ଼ିଏ ଶିଙ୍ଘ, ଧନୁଆଁ କେଉଟକୁ ସେଠିକି ଡାକି ଆଣି କ’ଣ ଘଟିଥିବ ସେ ବିଷୟରେ ଅଭିନୟ ସମେତ ଗୋଟିଏ ଓଜସ୍ୱିନୀ ବକ୍ତୃତା ଦେଲାପରେ ଦିବ୍ୟଦୃଷ୍ଟିରେ ଧନୁଆଁ କେଉଟ ତା’ର ଖାସିଟିର ଅନ୍ତିମ ଦୃଶ୍ୟ ସତେକି ଦେଖିପାରିଲା, ଆଉ ବିଶ୍ୱାସ କଲା, ଏ ଶିଙ୍ଘ ତା’ରି, ଆଉ କାହାରି ନୁହେଁ, ଏ ଶିଙ୍ଘ ତା’ର ସେ ଖାସିର ଶିଙ୍ଘ । ସେ ବିଶ୍ୱାସ କଲା–ତା’ରି ଖାସିଭୋଜି ଜନ୍ତାଳର ଟେକ ରଖିଛି ।

 

କିନ୍ତୁ ଧନୁଆଁ କେଉଟକୁ ଯେତେ ଢିରା ଦେଇ ରଞ୍ଜା ଦେଇ ମକଦ୍ଦମା କରେଇବାକୁ ଠିଆ କରେଇଲେ ବି ଅଗଣି ରାୟଙ୍କ ଚେଷ୍ଟା ବିଫଳ ହେଲା । ଧନୁଆଁ କେଉଟ ମକଦ୍ଦମାକୁ ଠିକ୍ ପାଣିକି ଛେଳିପରି । ସବୁ ଭଣ୍ଡୁର କରେ ସିନ୍ଧୁ ଚୌଧୁରି । ତାଙ୍କରି କଥା ଯଥାସାଧ୍ୟ ଉଦ୍ଧୃତ କରି ନିର୍ବୁଦ୍ଧିଆ ନିରକ୍ଷର ଧନୁଆଁ କେଉଟ ପାଠପଢ଼ା ଅଗଣି ରାୟକୁ ତା’ର ମୋଟାବୁଦ୍ଧିରେ ବୁଝେଇଦେଲା–‘‘ଗଲା ତ ଗଲା । ଖାସିଟାଏ ତ ଗଲା ରାୟ ଆପଣେ, ମକଦ୍ଦମା କଲେ ଦାନକୁ ଦକ୍ଷିଣା ପରି ଆହୁରି ଦି ଚାରିଟା ଖାସି ହାତରୁ ପଡ଼ିବ । ଏ ଦେଖ ଇନକ୍ୱାଇରି ଆସିଲେ ଆହୁରି ଗୋଟାଏ ଖାସି, କଚିରିରେ ମକଦ୍ଦମା ପଡ଼ିଲେ ଫି ତାରିଖ ଆଗରୁ ସାକ୍ଷୀମାନଙ୍କୁ ଏକାଠି କରି ଥରକେ ଗୋଟାଏ ଲେଖା ଖାସି, ମକଦ୍ଦମା ଜିତିଲେ ବଡ଼ ଭୋଜି କରି ଏକା ଥରକେ ଦିଟା ଖଣ୍ଡେ ଖାସି । କାହୁଁ ପାଇବି, ଗରିବ ଲୋକ, ସବୁ ସରିଲା ସରିକି ଆପେ ଖାସି ହେଇ ଯାଇଥିବି । ଓକିଲ କଉଡ଼ି, ତମ ପାଉଣା, ସାକ୍ଷୀଙ୍କ ଫରମାସି କାହାପେଇଁ ଛତା କାହାପେଇଁ ଜୋତା, କାହାପେଇଁ ଗୁଡ଼ାଖୁ ତ କାହାପେଇଁ ଘୋଡ଼ା ହାତୀ, ସେ କ’ଣ ମାଗଣା ପଡ଼ିଛି ? ଆଉ ଦେଖ ତାରିଖ ବାରିକି ବାରି କଚିରି ଦଉଡ଼ିବା କଥା, କିଏ କହିପାରିବ କେଇଟା ତାରିଖ ଲାଗିବ ? ସକାଳୁ, ସଞ୍ଜଯାକେ ବରଗଛମୂଳେ ଖରାଏ ଖରାଏ ଟହଲୁ ଥା, ସଞ୍ଜ ବୁଡ଼ିଲାକି ପଚାରିଲେ କହିବେ, ହାକିମ ଗଲେଣି- ତାରିଖ ହେଲାଣି । ୟା ଭିତରେ ହାକିମ ବଦଳି ହେଲେଣି ତ ନୂଆ ହାକିମଙ୍କ ପାଖେ ଫେର୍ ଦଳେଇ ଆଇଲେ ମୂଳରୁ ଗା । ତା’ ଉପରେ ଫେର ବେଜମାନ ଉପରେ ବେଜମାନ ଗାଳି ଅପମାନ, ଓକିଲ ଜେରା କଲାଣି ତ ଚପରାସି ଘଉଡ଼ିଲାଣି, ଲୋକେ ପଦେ ‘ଶଳା’ ପଦ ପେଇଁ ଦିବରଷ ମକଦ୍ଦମା ଲଢ଼ି ହଜାରେ ଶଳା ପଦ ଶୁଣି ଶୁଣି ଫେର ମକଦ୍ଦମା ହାରି ଫେରି ଆସନ୍ତି । ଖାସିଟା ଗଲା ଯାଉ, ଯେବେ ହେଲେ ତ ମରିଥାନ୍ତା; ମୋର ଏ ପାଠରେ କିଏ ପଶେ ?’’

 

ଧନୁଆଁ କେଉଟ ହାତରୁ ଖସିଗଲା, ଅଗଣି ରାୟ କହି ବୁଲିଲା, ‘‘ମୂଲିଆ ମୂରୁଖଙ୍କ ସ୍ଵଭାବ ଏଇଆ, କାଇଁକି ନା ସେମାନେ ପାଠପଢ଼ି ନାହାନ୍ତି, ତାଙ୍କ ଆଖି ଖୋଲି ନାଇଁ, ଜାଣନ୍ତି ନାଇଁ ଆଇନ କ’ଣ, ନିଜର ଦାବି କ’ଣ, ନିଜେ କ’ଣ କ’ଣ ପାଇବାକୁ ହକଦାର । ଯେଉ ପରିଯନ୍ତ ସେମାନଙ୍କଠି ଶିକ୍ଷା ନ ପଶିଚି, ସେଯାକେ ଏମିତି ଥିବେ, ଭଲ ବୁଦ୍ଧି ଦେଲେ ବି ନେବେ ନାଇଁ–’’

 

ଧଡ଼ିଆ ଭଣ୍ଡାରି ଥଟ୍ଟାକରି କହିଲା–‘‘ବୁଦ୍ଧି ନେବେ ନାଇଁ କି ତମୁକୁ ଅକଲ ସଲାମି ପାହୁଲାଟିଏ ଦେବେ ନାଇଁ, ତେବେ ତମ ବେଉସା କେମିତି ଚଳେ ?’’

 

ଅଗଣି ରୟ କହିଲା, ଆରେ ତୁଟା ତ ଭଣ୍ଡାରିଟାଏ, ତୁ କାହୁଁ ବୁଝିବୁ କୋଉଟା କ’ଣ ? ପାଠପଢ଼ିଥାନ୍ତୁ କି ଜାଣିଥାନ୍ତୁ ।’’ ଦଶ ଜଣଙ୍କୁ ସାକ୍ଷୀ କରି କହିଲା, “ଧନୁଆଁ କେଉଟ ଯଦ୍ୟପି ଛେଳିଚୋରି ମକଦ୍ଦମାଟାଏ ଦାଏର କରିଥାନ୍ତା, ଦେଖିଥାଆନ୍ତ ଆରପଟି କେମିତି ସାଧ୍ୟ ହୋଇଥାନ୍ତେ । କ’ଣ ଜଣେ ? ଦଳକଯାକ ଭୋଜିକରି ଖାଇଛନ୍ତି, ଦଳକଯାକ ବନ୍ଧାହୋଇ ଯାଇଥାନ୍ତେ, ମକଦ୍ଦମା ହୋଇଥାନ୍ତା ଘରେ ପଶିଲେ, ମାଡ଼ ମାଇଲେ, ଛେଳି ନେଇଗଲେ, ଦେଖିଥାନ୍ତ କେଇଟା ଦଫା ଯୋଡ଼ା ହୋଇଥାନ୍ତା । ମୁଁ କହିଦେଉଚି ଜାଣିଥା, ଏ ଯୋଉ ଅଦୋଉତି ଲଗେଇଚନ୍ତି ସେମାନେ, ବିନା ମକଦ୍ଦମା ନ କଲେ କେହି ସାଧ୍ୟ ହେଇନାହାନ୍ତି କି ସେମାନେ ସାଧ୍ୟ ହେବେ ନାହିଁ, ଏ କଥାକୁ ଭଲକରି ବୁଝ । ମକଦ୍ଦମା କରିବାକୁ ଭେଦା କରି ହେଲେ ପଇସା ଛଞ୍ଚ, ନ ହେଲେ ଦେଖିବ- ସମୟ ଗଡ଼େଇଲେ ରୋଗ ବଢ଼େ ସିନା, କମେ ନାଇଁ ।’’

 

ଅଗଣି ରାୟର ବକ୍ତୃତା ଖାଲି ପଥର ଉପରେ ସୋରିଷ ବିଞ୍ଚିଲା ପରି, ତେବେ ପଥରରେ ବି ତ ଫାଟ ଥାଏ, ଫାଟ ଭିତରୁ ଗଜା ବାହାରି ସେ ମଧ୍ୟ ତ ଗଛ ହୁଏ । ମକଦ୍ଦମା ନ ହେଉ ପଛେ, ଲୋକେ କୁହାକୋହି ହେଲେ ।

 

ବିଚିତ୍ର ଲୋକ ଅଗଣି ରାୟ, କଳା ହୋଇ ପାତଳ ହୋଇ ଡେଙ୍ଗା ହୋଇ ଲେକଟା, ହାଡ଼ୁଆ ମୁହଁ ଚିକ୍‍କଣ ଖିଅର ହେଲା ପରି ଦିଶେ, କାରଣ ସେ ଜନ୍ମରୁ ମାଖୁନା, ଆଉ ସେ ଡେଙ୍ଗା ଛଡ଼ ଉପରେ ଗୋଟାଏ ଲମ୍ୱା ବେଲ ପରି ତା’ର ଟାଙ୍ଗର ମୁଣ୍ଡ । ବଦଭ୍ୟାସ କେବଳ ପିଙ୍କା, ତା’ର ସେ ହାତରେ ବଳି ଖାଏ । ବୟସ ବାଉନ, ବେକରେ ଘାଗୁଡ଼ା ତୁଳସୀମାଳି, ମୁଣ୍ଡରେ କାନତଳିରେ ଧଳା ଚିତା, ସହରକୁ ଗଲେ ଧାନ ଉଷୁଆଁ ହାଣ୍ଡି ବର୍ଣ୍ଣର ଗୋଟାଏ ପୁରୁଣା ଲମ୍ୱା କୋଟ ଗଳାଏ, ତା’ର ଉପର ବୋତାମ କେଇଟା ନାହିଁ, ତେଣୁ ସ୍ୱଚ୍ଛନ୍ଦରେ ତୁଳସୀମାଳି ମୁହଁ ଦେଖାଏ, କାନ୍ଧରେ ଖଣ୍ଡେ କଷ ଗାମୁଛା ଓହଳାଏ, ଆଉ ଛତା ଧରେ । ଏତିକିରେ ଗୋଟାଏ ବିଶିଷ୍ଟତା ବାହାରେ ଆଉ ବଢ଼ିଯାଏ ପଦେ କଥା କହିଲେ । ଅଗଣି ରାୟ କାହାରି ମୁହଁକୁ ନ ଚାହିଁ ଭାବି ଭାବି ଅଳ୍ପ କଥା କହେ, ବାକି ସମୟ ତା’ର ଥୋମଣି ଆସ୍ତେ ଆସ୍ତେ ବୁଲୁଥାଏ । ଭାବନା ସଙ୍ଗେ ସଙ୍ଗେ ଯେପରି କି କଥାଗୁଡ଼ାକ ଭାବି ହେଉଛି ସିନା, ପଦାକୁ ଆସିବାକୁ ପୂର୍ଣ୍ଣ ହୋଇ ପକ୍ୱ ହୋଇନାହିଁ । ଯଦି ସେ କାହାକୁ ମୁହାଁମୁହିଁ ଚାହିଁଦିଏ ତା’ର କୋରଡ଼ ଭିତରର ଛୋଟ ଛୋଟ ଆଖିରେ, ତେବେ ତା’ର ସ୍ଥିର ଦୃଷ୍ଟି ପରକୁ ଆଗ କାଟେ, ତା’ପରେ ଯାବୁଡ଼ିକରି ଯେପରିକି ଧରି ରଖେ ।

 

ଅଗଣି ରାୟର କଥା ଅଳ୍ପଦିନେ ଫଳିଗଲା, ଯେତେବେଳେ ଦେଖାଗଲା ଯେ ଏକା ଧନୁଆଁ କେଉଟର ନୁହେଁ ଅନ୍ୟ କାହାରି କାହାରି ବି ଛେଳି ଅନହୁତି ଅନ୍ତର୍ଦ୍ଧାନ ହେବାକୁ ଲାଗିଲେ ଆଉ ଜନ୍ତାଳର ଧୂମ ବଢ଼ି ଉଠିଲା । ଦିନେ ଦି’ଦିନ ଛାଡ଼ି, କେବେ କେଉଁ ଆମ୍ବ ତୋଟରେ ତ କେବେ କଣ୍ଡିଆ ତଳେ ନଈ କରେ, ଗୋଠରେ ଚରିବାକୁ ଯାଇ ଗୋରୁ ଫେରିଲାବେଳକୁ ଗାଈର ଲାଞ୍ଜରେ ବାଳ ନାହିଁ, ବଳଦ ଖଲଉଛି, ଅପର୍ତ୍ତି ପଧାନ ପଟ ପରିଷ୍କାର ଜଣେଇଁ ଦେବାକୁ ଚାହାଁନ୍ତି ତାଙ୍କର ପରିକ୍ରମ କେତେ ।

 

ଅଗଣି ରାୟ କହିବୁଲିଲା, ମକଦ୍ଦମାକୁ ଡରିଲେ ଚଳିବ ନାହିଁ, ଉଠ, ଚେତ, ଅଣ୍ଟା ଭିଡ଼, ଚାଲ ଯିବା ବନ୍ଧେ ବନ୍ଧେ ।

 

କିନ୍ତୁ ହଠାତ୍ ଦିନେ ରାତି ପହିଲି ଅନ୍ଧାରବେଳେ ତା’ର ଉତ୍ତର ତାକୁ ମିଳିଗଲା । ସହରରେ ଟରଣିଗିରି କରି କଳାକୋଟ ପିନ୍ଧି ବନ୍ଧେ ବନ୍ଧେ ସେ ଫେରୁଥିଲା । ଗାଁ ଥ।ଏ କିଛିଦୂର, ପାଖେ ନଈବାଲି, ପାଖେ ତାଷ ଜମିର ଚକ, ସେ ମୁଣ୍ଡରେ ବନ୍ଧର ଦି’ପାଖରେ ଗୋଟାଏ ଆମ୍ୱତୋଟା, ସେଠି ଅନ୍ଧାର ଜମିଥାଏ । ଲୋକେ ସେ ଜାଗାକୁ ଟିକିଏ ଡରନ୍ତି, କହନ୍ତି ଭୂତ ଥାଏ, ଝୁଣା ଗୋଗୁଳ ବାସେ, ବିରି ଚକୁଳି ପରି ବାସ୍ନା ହୁଏ, ପବନ ବାରି ନ ହେଲେ ବି ଗଛର ଅଗଡାଳସବୁ ଜୋରରେ ଝାଇଁ ହୁଏ, ଗଛରୁ ଝର ଝର ହୋଇ କ’ଣ ଝଡ଼ିପଡ଼େ । ଚଲା ବାଟୋଇର ଛାତି ଧଡ଼ ଧଡ଼ ପଡ଼େ, ଲୁହା ଖଣ୍ଡେ ମୁଠେଇ ଧରି ଇଷ୍ଟନାମ ଜପି ଜପି ଜୀବନ ମୂର୍ଚ୍ଛାହୋଇ ସେତେବେଳେ ସେ ତୋଟାଚକ ଟପିଯାଏ । ଅଗଣି ରାୟର ସେ ସବୁ ଭୟ ନ ଥିଲା । କଚିରିରେ ବୁଲି ମାଲିମକଦ୍ଦମାର ପୋକ ହୋଇ ଅନ୍ତତଃ ଏତିକି ସେ ବୁଝିଥିଲା- ଏଗୁଡ଼ାକ ଅନ୍ଧବିଶ୍ୱାସ, ଆଖିରେ ଦେଖିଥିଲେ ବି ବୁଦ୍ଧିଆ ଓକିଲଙ୍କ ଜେରା-ଚୋଟରେ ଥିବା କଥା ନ ଥିବା ହୋଇ ମିଛ ହୋଇଯାଏ, ଆଉ କି ଦେଖିବା କଥାକୁ କି ବିଶ୍ୱାସ । ଆଉ ସେ ବୁଝିଥିଲା-ମରିଗଲେ ମାମଲା ସରିଯାଏ, ଶମନ ପାଖକୁ ସମନ ଯାଏ ନାହିଁ, ଓ୍ୱାରଣ୍ଟ ଯାଏ ନାହିଁ, ମଲା ଲୋକକୁ କହନ୍ତି ମୁତାଫା, କେଶ ସରିଲା । ଏଇ ବନ୍ଧେ ବନ୍ଧେ ତିରିଶି ବର୍ଷ ହେଲା ଧାଉଡ଼ି ତା’ର, ହଇଜା ଦିନେ ହଇଜା ମୁର୍ଦ୍ଦାର ବନ୍ଧତଳେ ଗଡ଼ୁଥାନ୍ତି, ସେମାନେ ଆଉ ଉଠିବେ ନାହିଁ, କଥା କହିବେ ନାହିଁ, ଟରଣି କି ଓକିଲଙ୍କୁ ପଇସାଟିଏ ଦେବେ ନାହିଁ, ମକଦ୍ଦମା ଲଢ଼ିବେ ନାହିଁ । ଆଉ ତେବେ କ’ଣ ଅଛି ? ଭୟ ଖାଲି ଆପଣା ଭିତରେ, ଆପଣାଭୂତ ଆପେ, ନ ହେଲେ ଭୂତ ଫୁତ ମିଛ ।

 

ତେଣୁ ଆପଣା ଚିନ୍ତାରେ ମସ୍ତ ଥାଇ ସେ ବନ୍ଧ ଉପରେ ଗହଳି ତୋଟା ଭିତରେ ପଶିଲା-

 

ଅତି ବାସ୍ତବ ସଂସାରୀ ଚିନ୍ତା ତା’ର । ଯଦୁ ବରାଳ ଦି’ଟା ଟଙ୍କା ଦେଇଛି । ମକଦ୍ଦମାରେ ପଶିଗଲାଣି, ଆହୁରି ଦେବ । ଘନ ପଇଡ଼ା ଘରେ ଭାଇତିରିଆ କଜିଆ ଲାଗିବାର ମୂଳଦୁଆ ପଡ଼ିସାରିଛି । ଘନର ଭାଇ ବନ କଲିକତାରୁ ଫେରିଛି । ଦି’ଭାଇ ମିଶି ଭଉଣୀ ବିହାକୁ ଟଙ୍କା କରଜ କରିଥିଲେ । ବନ ପଇଡ଼ା ଅଗଣି ରାୟଠୁ ବୁଦ୍ଧି ନେଇଛି, “ହଇରେ ବାପା ବନ, ସେ ତ ବଡ଼ ଭାଇ, ତୋ ବାପା ତାକୁ କରିଥିଲା, ତମୁକୁ କରିବାକୁ ତ ସେ ବାଧ୍ୟ, ଶାସ୍ତ୍ର କହିଚି । ତୁଟା ତ ଲଙ୍ଗଳା ଲଫଙ୍ଗା, କଲିକତାରୁ କିବା ମୁଠି ବା ଆଣିଥିବୁ ଯେ ଦେଣା ସୁଝି ପକେଇବୁ । ଯେତେଦିନ ବିଦେଶରେ ଥିଲୁ ଜମି ଫସଲରୁ କାଣିଚାଏ କିଛି ତୁ ପାଇଚୁ ନା ବାଡ଼ିର ପରିବାରୁ ସାରୁଟିଏ କି ଆଳୁଟିଏ ତୁ ଦେଖିଚୁ ? ସବୁ ତ ସେ ଖାଇଲା, ତା ପିଲାମାଇପ ଖାଇଲେ । ବାହାଚୋରା ବି ହେଇନୁ, ଭାଇ କହିଦେଲାବୋଲି କରଜ ଶୁଝିବାକୁ ତୁ କାନ୍ଧ ଲଗେଇବୁ ନା ? ସେ ଶୁଝୁ, ତୁ ଥିରି ହେଇ ବ ।’’ ଘନର ବନର ବୋଲାବୋଲି ହେଲେଣି ଦି’ପରସ୍ତ । ଗଦେଇ ବି ଯା’ଆସ ଲଗେଇଛି । ଘନକୁ ଧରୁଥିବ । ଘନ କରିଥିଲା ଢିଅ ବାଇଗଣ ଦି’ବିଶାଯାକେ ଅଣ୍ଟିରେ ପୂରେଇ ଆଣି ବନ ଅଗଣିକି ଦେଲାଣି, ମଉସା ଡାକିଲାଣି, “ମଉସା, ଦେଖୁଚୁ ଭାଇ ଯେମିତି ହଉଚି, ତୋ ଛଡ଼ା ମୋର ଆଉ କିଏ ସାହା ଭରସା ଅଛି ? ଏ ଗାଁ ଲୋକ ତ ସମସ୍ତେ ଭାଇ ପଟେ, ମତେ କହୁଚନ୍ତି- କାଇଁକି ତୁ କରଜ ନ ଶୁଝିବୁ ? ଏଡ଼େ ଉଗୁରୁ ଏଡ଼େ ଟାଣ କାହିଁକି ?” “ବଇଥାରେ ପୁଅ, ଥିରି ହେଇ ବଇଥା, ଦେଖାଯାଇ କୋଉ ପାଣି କୁଆଡ଼ିକି ଯାଉଚି । ୟା ପରେ ? କେଉଁ କାଣ୍ଡ ?

 

ମୁଣ୍ଡ ଉପରେ ଗୋଟାଏ ଗଛର ଝଙ୍କା ଡାଳ ସର ସର ଚର ଚର ହୋଇ ଝାଙ୍କି ହେଲା, ତା’ପରେ କଅଁଳା ପିଲା କାନ୍ଦିଲା ପରି କୁଆଁ କୁଆଁ କାନ୍ଦଣା । ଅଗଣି ଭାବିଲା- ଶାଗୁଣା ଛୁଆ କରିଛି, ଆପଣା ବିଜ୍ଞତାରେ ଆପେ ମୁରୁକେଇ ହସିଲା, ଏମିତି ଲୋକ ଭେଟେଣା ହୁଅନ୍ତି, କହନ୍ତି ଭୂତ । ସଙ୍ଗେ ସଙ୍ଗେ ହୁଂ ହୁଂ ଶବ୍ଦ, ଆଉ ଦି’ତିନିଟା ଗଛ ଝାଙ୍କି ହେଲା । ଶାଗୁଣା ଛୁଆ କାନ୍ଦଣାରେ ପରେ ମାଙ୍କଡ଼ ଚିହିଙ୍କି ଉଠିଛନ୍ତି ନିଶ୍ଚୟ । ଅଗଣି ଆଗକୁ ଚାଲିଲା । ତା’ପରେ କିଳିକିଳା ରଡ଼ି, ଏଗଛରୁ ସେ ଗଛ । ଏମିତି କ’ଣ ? କୋଚିଳାଖାଇ ଚଢ଼େଇ ? ବଣୁଆ ଚଢ଼େଇ ଆଉ କିଛି ? ଏପରି ସେ କେବେ ଶୁଣିନାହିଁ । ତରତର ହୋଇ ଚାଲିଲା । ଖଣ୍ଡେ ଆଗରେ, ତୋଟାର ଶେଷ ଗଛ ପାରି ହେଲା ଉତ୍ତାରୁ ଅଗଣି କାବା ହୋଇ ଠିଆ ହେଲା । ବନ୍ଧ ଉପରେ ଅଦଭୁତ ଲଙ୍ଗଳା ଚାରିଟା କିଏ କଳା କଳା, ହାତ ଧରାଧରି ହେ।ଇ ଥେଇ ଥେଇ ନାଚୁଛନ୍ତି, ଭତ୍ତରୀ ବୁଲିବୁଲିକା ନାଚ, ଉଃ, କି ବିକଟ ! ସେମିତି ନାଚି ନାଚି ବାଁ ପଟକୁ ବନ୍ଧ ତଳ ମଶାଣିଆଡ଼କୁ ଚାଲିଗଲେ । ଅଗଣିର ଆତ୍ମବିଶ୍ଵାସ ଲେଉଟି ପଡ଼ିଲା, ସେ ଠକ ଠକ ହୋଇ ଥରିଲା, ପାଟି ଅଠା ଅଠା ହୋଇଗଲା, ଦେହରୁ ଉଷୁମିଆଁ ଝାଳ ଫିଟିଗଲା । ପଛଆଡ଼ୁ, ତୋଟାରୁ ଶୁଣିଲା କିଳିକିଳା ରଡ଼ି । ଗାଁ ଆଉ ଥିବ ମୋଟେ ଦି’ପା ବାଟ । ଅଗଣି ଅପେକ୍ଷା କଲା ନାହିଁ, ଚାରିଆଡ଼କୁ ଥରେ ଚାହିଁଦେଇ କେହିନାହିଁ ଦେଖି ସେ ବନ୍ଧେ ବନ୍ଧେ ଉର୍ଦ୍ଧ୍ୱଶ୍ୱାସରେ ଦୌଡ଼ିଲା । କିନ୍ତୁ ଭୂତର ବି ଗୋଡ଼ ଅଛି, ଆଉ ପୁଣି ସେ ପବନ ଆଶ୍ରୟ । ତା’ର ପଛଆଡ଼ ଶୁଭିଲା ଅଁ ଅଁ ରବ, ଗୋଡ଼େଇଲା ପରି ଶବ୍ଦ, ପାଖକୁ ପାଖ ଲାଗି ଆସୁଛି, ଅଗଣି ଧାଇଁଛି । ଏଥର କୋକିଗାତରେ ଗୋଡ଼ ପଶିଯାଇ ସେ ଚିତପଟାଙ୍ଗ ହୋଇ କଚଡ଼ା ଖାଇଲା । ଦେହଯାକ ଖଣ୍ଡିଆ ଖାଉଡ଼ା । କିନ୍ତୁ ସେ କଥାକୁ, ଭାବିବାପୂର୍ବରୁ ଚାରି ଚାରିଟା ଲଙ୍ଗଳା ଭୂତ ତାକୁ ଘେରିଯାଇ ନୃତ୍ୟ କରିବାକୁ ଲାଗିଲେ । ଖାଲି ଧେଡ଼େଂ ଧେଡ଼େଂ ଅନ୍ଧାର ପ୍ରତିମା ! ବୁଡ଼ିଯାଉଥିବା ଚେତାର ଶେଷ ରଶ୍ମିକୁ ଧରି ଅଗଣି ପ୍ରାଣବିକଳରେ ଧାଇଁଲା, ଏଥର ବନ୍ଧେ ବନ୍ଧେ ନୁହେଁ, ବିଲମାଳ ବାଟେ ସିଧା କର୍ଣ୍ଣମାର୍ଗରେ ଗାଁଆଡ଼କୁ । ଏତିକିବେଳେ ପିଠିରେ ବସିଲା ଗୁମ୍‌ଗାମ ଗୁମ୍‌ଗାମ୍‌, ବାପରେ- ଭୂତର ହାତ କେଡ଼େ ଟାଣ ! କଚାଡ଼ି ହୋଇ ପଡ଼ିଲା । ବର୍ଷିଗଲା ଦେହଯାକ । ଘୁଷୁରି ଘୁଷୁରି ପୁଣି ଠିଆ ହୋଇ ପୁଣି ଟଳିଟଳିକା ଧାଇଁଲା ଅଗଣି ରାୟ, କେମିତି କ’ଣ ହେଲା ସେ ଜାଣେନାହିଁ, କେତେଥର ପଡ଼ୁଛି, କେତେଥର ଉଠୁଛି । ନ ଦେଖିଲେ ବି ଦିଶୁଛି କାଳିଆ କାଳିଆ ହୋଇ ଚାରିଟା ଲଙ୍ଗଳା ଭୂତ । ବାଉଁଶବଣ ଟପି ବାଉରିସାହି ଦାଣ୍ଡରେ ସେ ମୂର୍ଚ୍ଛାହୋଇ ପଡ଼ିଗଲା । ଭୂତ ଛାଡ଼ିଗଲେ ।

 

ଅଗଣି ରାୟ ଦି’ଦିନ ପଡ଼ିଗଲା । ତା’ପରି କଞ୍ଜୁସ ମଖିଚୋଷ ଲୋକ, ସେ ବି ଗୁଣିଆ ଡାକିଲା, ଠାକୁର ମନ୍ଦିରରେ ପାଣିଲାଗି କରାଇଲା । ତା’ର ଈଶ୍ୱରବିଶ୍ୱାସ ଆସିଲା ଅନ୍ତତଃ ଦେହ ଭଲ ହେବାଯାକେ ।

 

କଥାଟା ଦାଣ୍ଡକୁ ଉଠିଲା ।

 

ଅପର୍ତ୍ତି ପଧାନ ଦାଣ୍ଡ ମଝିରେ ସମସ୍ତିଙ୍କି ଡାକିହାକି କହିଲା–‘‘ଅନ୍ଧାରୁଆ ଗୋଟାକେତେ ବସିଚି ତ, ଏଥର କରୁ ସେ ମକଦ୍ଦମା, କାହା ନାଁରେ କରିବ କରୁ । ଏକ ନମ୍ବର ମୁଦାଲା ବାବନା ଭୂତ, ଦି ନମ୍ୱର ବାସ୍ତୁରା ଭୂତ, ତିନି ନିମ୍ୱର, ଚାରି ନମ୍ୱର, ପାଞ୍ଚ ନମ୍ୱର ଏମାନେ ସବୁ ଭୂତମାନେ–’’

 

ଗଦେଇ ଲେଙ୍କା ଖଲିଆ ଲୋକ, କହିଲେ–“ସେମିତି ନୁହେଁ ସେମିତି ନୁହେଁ । ଉକ୍ତ ଦିନ ଉକ୍ତ ସମୟରେ ଉକ୍ତ ସ୍ଥାନରେ ୟେ ମୁଦାଲାମାନେ ଜମାଏତ୍ ବସ୍ତୁ ହୋଇ ଆମ୍ଭକୁ ନାନା ବେଜମାନ କରି ଗାଳି ଫୈଜତ କରି ଖାଇଯିବାକୁ ଡରାଇ ବିଧାଚାପୁଡ଼ା ଗୋଇଠା ଆଦିରେ ବେଦମ ମାଡ଼ ମାରି ବେହୋସ କରି ଫୋପାଡ଼ିଦେଲେ । ଏଥିକୁ ସାକ୍ଷୀ ଅଣ୍ଡିରା ବିଲୁଆ ଦି’ ମୁର୍ତ୍ତି, ଆମ୍ୱଗଛ ଚାରି ଜଣ, ଶାଗୁଣା ପକ୍ଷୀ ଜଣେ, ଏପରି ଅନ୍ୟାନ୍ୟ ସାକ୍ଷୀ ଅଛନ୍ତି । ମତେ କହିଲେ ମାଗଣାରେ ଦରଖାସ୍ତ ଲେଖି ଦିଅନ୍ତି ।’’

 

ଉନ୍ନୟନ କର୍ମଚାରୀ ବିପିନ କାମ ଦେଖି ବାହାରିଥିଲା । ରବିଠୁଁ ସେ ଗୋଟିଏ ଚିଠି ପାଇଛି । ଚିଠିଟା ପକେଟରେ ଅଛି, ଚିଠିରେ ଲେଖା ହୋଇଥିବା ବିଷୟରୁ କିଛି ରହିଯାଇଛି ତା’ ମନରେ ।

 

ସେହିକଥା ମନେପଡ଼ି ଯାଇଥିଲା । ବିପିନ ଭାବୁଥିଲା–ରବି ତା’ହେଲେ ଚାକିରି କରି ଯିବ ବୋଲି ଆସିଥିଲେ । ପରେ ସେ ମତ ବଦଳାଇଲା । ସୁଖରେ ଅଛି, ବିଲରୁ ଧାନ, ଉପରେ ଉପରେ ସବୁ, ଆପେ ପରିଶ୍ରମ କରି ଜୀଊଣା ଅରଜିଲା ଦରକାର ପଡ଼େନାହିଁ, ସେଇଥିପାଇଁ ତ ଚାକିରି ନ କରି ଘରେ ରହିବାକୁ ସେ ନିଷ୍ପତ୍ତି କରିପାରିଲା ! ଦି ପହରେ ଖାଇସାରି କେଡ଼େ ସୁନ୍ଦର ନିଦ ହେଇଥିବ । ସଞ୍ଜେ ସକାଳେ ବୁଲାବୁଲି । ସଞ୍ଜରେ ପ୍ରାର୍ଥନା ବି କରିପାରୁଥିବ । ହାତରେ ସମୟ ଥିବ ବହୁତ–ଗାଁ ବୁଲିଯିବାକୁ, ଗପ କରିବାକୁ ଗାଁ ଲୋକଙ୍କ ଆଗରେ ଲମ୍ୱାକଥା କହିବାକୁ । ଗାଁ ଲୋକଙ୍କ ମତକୁ ଆପଣା ପଟକୁ ଓଟାରି ନେବାକୁ ବାହାରର ବଡ଼ଲୋକେ ଯେଉଁଠି ଗାଁର ମାମଲତକାର ଟାଉଟର ଏପରି କି ନି: ପ୍ରା: ସ୍କୁଲର ନିରୀହ ନିରାଡ଼ାମ୍ୱର ଶିକ୍ଷକମାନଙ୍କଠୁଁ ବି ସାହାଯ୍ୟ ଲୋଡ଼ନ୍ତି ସେଠି ସୁସ୍ଥ ଶିକ୍ଷିତ ସ୍ୱାବଲମ୍ୱୀ ରବି ହୋଇପାରିବ ଏକ ପ୍ରବଳ ଶକ୍ତି, ଏଥିରେ ଆଉ ସନ୍ଦେହ କ’ଣ ? କେବଳ ଲୋକଙ୍କୁ ମତେଇ ହାତରେ ରଖିପାରିଲେ ବାହାରର ବଡ଼ ଲୋକେ ବଳେ ତା’ ପାଖକୁ ଧାଇଁବେ । ତା’ ଭଳି ଲୋକ ଖାଲି ହସିଦେଇ ପଦେ କଥା କହିଲେ ଗାଁ ଲୋକେ କହିବେ ସେ ତାଙ୍କପାଇଁ ବଡ଼ କଥାଟାଏ କରିପକାଇଲା, ଆଉଜି ଆସିବେ । ସେ ହେବ ନେତା ।

 

ତେଣିକି ସବୁ ସହଜ । ମନ କଲେ କ୍ଷମତା ପାଇସାରି ସେ ବ୍ୟବସାୟ ବି କରିପାରିବ । ଧନ, କ୍ଷମତା, ଜନବଳ, ଖବରକାଗଜରେ ନାଁ, ସବୁ ତା’ପାଇଁ ଥୁଆ । ପାଞ୍ଚ ବର୍ଷରେ କ’ଣ ନ ହେବ ରବି ! ବୁଦ୍ଧିଆ କାମ କରିଛି । ପଛେ ଲୋକେ କହିବେ ଏ ତା’ର ତ୍ୟାଗ, ତା’ର ଜନସେବା । ସେ ଯାହା କରିଛି ଯାହା ନ କରିଛି ସବୁ ହେବ ତା’ର କୀର୍ତ୍ତିର ଉଦାହରଣ ।

 

ଆଉ ସେ ନିଜେ, ବିପିନ ?

 

ଏମିତି ଖଟୁଥିବ, ବୁଲୁଥିବ, କାମକରି ମରୁଥିବ ଦିନରାତି, ଏଇଥିପାଇଁ ଯେ ତା’ର ଚାକିରିଟି ନ ଯାଉ ଯେମିତି, ହୁଏତ ତା’ର କାମଦେଖି ପ୍ରଶଂସା କରି କି ଦୟା କରି ଦି’ପଦ କେହି ଭଲ ଲେଖିଲେ ତ ଚାକିରିରେ ଉନ୍ନତି ହେବ । ସେ ଥାଇ କେଇଟା ଟଙ୍କା ବେଶି ପାଇବ ।

 

କିଏ ଜାଣିଚି ସେତିକିବେଳକୁ ତା’ର ସର୍ବେସର୍ବା ହୋଇ ରବିହିଁ ଅବା କ୍ଷମତା ଧରି ନ ପହଞ୍ଚିଯିବ ବୋଲି ? ସବୁ ସମ୍ଭବ । ଗରିବ ପଡ଼ିଶା ଘର ପୁଅ କାଲିକା ପିଲା ଭଲ ପାଠପଢ଼ି ଉପରକୁ ଉଠି ହଠାତ୍ ତା’ର ବଡ଼ ହାକିମ ହୋଇ ଆସିବା ଯେପରି ସମ୍ଭବ, ସେହିପରି ସମ୍ଭବ ଯେ ଆଜି ଯେଉଁ ଲୋକ କାମଦାମ ନ କରି ଗାଁରେ ରହି ଲୋକକଙ୍କ ଭିତରେ ବୁଲୁଛି; ଲୋକଙ୍କୁ ସେବା କରିବା ନାଁରେ ଆପଣ ଭବିଷ୍ୟତପାଇଁ ଜନମତ ଗଢ଼ିବାରେ ଲାଗିଛି, କାଲିକି ସେ ଆସିଯିବ ଅସାଧାରଣ ଶକ୍ତି ଆଉ କ୍ଷମତା ଧରି ତାରିଠୁଁ ଦଣ୍ଡବତ ଓ ସେବା ଘେନିବାକୁ । ସେପରି ଅନେକ ସମ୍ଭାବନା ତା’ ଦେଖାନ୍ତରେ ଘଟି ସାରିଲାଣି ।

 

ଚାକିରିରେ ବାନ୍ଧି ନ ହେବାଯାକେ ସବୁ ସମ୍ଭବ । ସେ ବାନ୍ଧି ହୋଇଛି ।

 

ଆଉ ବନ୍ଧା ବୋଲି ବନ୍ଧା ? କେହି ଯଦି ମୁହଁ ଫୁଲେଇଲା ତାକୁ ଲାଗିଲା ଦୁଶ୍ଚିନ୍ତା । ମଣିଷ ଦେଖିଲେ ଆପେ ଭାବି ହୁଏ ତା’ର କି ପ୍ରକାର ଅନିଷ୍ଠ ୟେ କରିପାରିବେ ଓ କରିବାକୁ ଇଛୁକ । ଯେତେ କାମ କଲେ ବି କ୍ଷୁଦ୍ର ଚାରି ଆଙ୍ଗୁଳିଆ ଆକାଶନାମା ଅଭିଯୋଗ କାଗଜ ଖଣ୍ଡିଏ ଆସିଗଲେ ରାଗିଯିବା ହଲାପଟା । ଅଭିଯୋଗ ମିଛ ହେଲେ ବେନାମୀ ଲେଖକର କିଛି ହେବ ନାହିଁ କିନ୍ତୁ ମିଛ ହେବ କି ସତ ହେବ ସେହି ଆଶଙ୍କାରେ ସେ ଦୁଲୁକୁଥିବ । ଖୁର ଧାରରେ ବାଟଚଲା ଅଥଚ କାମ ଯେ କାମ, ଏକାଠି ଏତେ ଯେ ବୋପାରାଣ ଢିଙ୍କିଗିଳ । ଢିଙ୍କି ନ ଗିଳିଲେ ତା’ର ନିସ୍ତାର ନାହିଁ । ଏଣେ ଗିଳିବାକୁ ଶକ୍ତି ନାହିଁ । ସବୁ ବୁଦ୍ଧି ଖର୍ଚ୍ଚ କରି ବଙ୍କେଇ କଥା କହି ତାକତରଜରେ ଥାଇ ଆତ୍ମରକ୍ଷାର ଉପାୟ ଭାବୁ ଭାବୁ ଗୁରୁ ଚିନ୍ତାରେ ବିନ କଟିଯାଏ, ଆଗ ଆତ୍ମରକ୍ଷା, ପରେ କାମ, ଯେତିକି ଯାହା ହୋଇପାରିଲା । ଅନ୍ୟ କାହା ମୁଣ୍ଡକୁ ଟାଳିପାରିଲେ ଭଲ-

 

ଚିଠରେ ରବି ପଚାରିଛି ଉନ୍ନୟନର ଦିଗ ବିଷୟରେ କେତେକ ମୌଳିକ ପ୍ରଶ୍ନ । ସେ କଥା ଭାବୁଥାନ୍ତି ଭନ୍ନୟନର କାରିଗରମାନେ, ବିପିନର କାମ ଉପରୁ ଆସୁଥିବା ହୁକୁମ୍ ତାମିଲ୍ କରିବା ଏବଂ ଏପରିଭାବେ ତାମିଲ୍ କରିବାକୁ ପଡ଼ିବ ଯେପରି ତା’ ମୁଣ୍ଡକୁ ବିପଦ ନ ଆସିବ । ରବି ଏ ଫାଶରେ ବେକ ଲଗାଇଥିଲେ ହୁଏତ ବୁଝିଥାନ୍ତା ମୌଳିକ ଆରମ୍ଭ ବିଚାର କଲେ ଏଠି ରହଣି କେତେ ଘଡ଼ି ।

 

ହୁକୁମ୍‌ ପାଇ ସେ ରାତାରାତି ଗାଡ଼ି ନେଇ ଯାଇ ଷ୍ଟେସନରୁ ହଇଜା ମୁର୍ଦ୍ଧାରଙ୍କୁ ବୁହାଇ ଆଣି ଲେ।କ ଲଗାଇ ପୋଡ଼ିଛି । ହୁକୁମ୍ ପାଇ ଅବେଳାରେ ଯାଇ ଜିନିଷ ବାଣ୍ଟିଛି, କାମ କରାଇଛି ଗାଳି ଖାଇଛି । ଧାନ ଜବତ କରିବାକୁ ଯାଇ ମାରଣାଙ୍କ ଘେରରେ ପଡ଼ି ମୁହଁ ଭଡ଼କ ଦେଖାଇ ବୁଦ୍ଧି ଦେଖାଇ ଖସି ଆସି ପାଇଛି ଗାଳି । ସେହି ହୁକୁମ୍ ପାଇ ସେ କୋଠା ତୋଳାଇଛି, ପୋଖରୀ ଖୋଳାଇଛି, ବନ୍ଧ ବନ୍ଧାଇଛି, ଚଞ୍ଚଳ ଟଙ୍କା ଖର୍ଚ୍ଚକରି କାମ କରାଇପାରିଲେ ତା’ର ଅବ୍ୟାହତି, ତେଣିକି କାମର ଯାହାହେଉ ସେ ଲଗା ନୁହେଁ । ନ କରିପାରିଲେ ତା’ର ବିପଦ ।

 

ଖର୍ଚ୍ଚ କରିବା ବି ସେଡ଼େ ସହଜ ନୁହେଁ । କେଉଁ ଦରର କାମ ହେଲା, ତା’ର ଉପଯୋଗିତା କେତେ, ଲୋକେ ତହିଁରୁ କେତେ ଉପକାର ପାଇବେ କି ନ ପାଇବେ, ହୁଏତ ସେସବୁ ବିଷୟ ସେ ନ ଭାବିପାରେ, ସେଥିପାଇଁ ଲୋକଙ୍କୁ ସେ ଦାୟୀ କରିବ । ସେସବୁ ବିଷୟ ଭାବନ୍ତୁ ସେମାନେ ଯାହାଙ୍କର ସମୟ ଅଛି । କାମ ଉଠିଗଲେ, ଖର୍ଚ୍ଚ ସରିଗଲେ ତା’ର ବୋଝ ଉଠିଗଲା । କିନ୍ତୁ ସେହିଯାକେ ବହୁତ ଅଡ଼ୁଆ । ଖର୍ଚ୍ଚ କରିବାର ବାଗ ସମ୍ପର୍କରେ ବହୁତ ରୀତି, କେଉଁ ଗୋଟିକର ପାଦ ପୂରଣ ନ ହେଲେ ତାଳଟା ଠିକ୍ ତା ବେକ ଉପରେ ଛିଣ୍ଡିବ । କାଗଜ ଠିକଣା ନ ରଖିଲେ ତା’ର ଚାକିରି ନେଇ ଟଣାଓଟରା ଲାଗିଯିବ, ପିଠିରେ ପଡ଼ିବ କିଏ ? ଏହି ଯେଉଁମାନେ ହିତେଇ ହୋଇ କହିବାକୁ ଆସନ୍ତି, ସେମାନେ ! କାମ ପଛେ ଭୁଲି ହୋଇଯିବ, କାଗଜ ଭୁଲି ହେବ ନାହିଁ । ସେତେବେଳେ କେହି ମନେପକାଇବେ ନାହିଁ ତା’ର ସଦିଚ୍ଛା ଥିଲା, ଆଦର୍ଶ ଥିଲା, ସେ କେତେ ଖରାରେ ଖରାରେ ଝାଳ ନାକ ହୋଇ ଉପାସ ଭୋକରେ ପଡ଼ି ଦୌଡ଼ିଥିଲା, ଉଦ୍ୟମ କରିଥିଲା । ବାଗର ନ ଥିଲେ କାହିଁ ପାଞ୍ଚବର୍ଷ ପରେ ବି କାଗଜ ଭିତରୁ ଭୂତ ବାହାରିବ, ସେତେବେଳେ କିଏ ରକ୍ଷା କରିବ ?

 

ରବିର ପ୍ରଶ୍ନ ମୌଳିକ । ମୌଳିକ ! ଦେଶ କେମିତି ଗଢ଼ା ହେବ । ମଣିଷ ମନ କେମିତି ବଦଳିବ । ଏକତା ଆସିବ । ଆତ୍ମବିଶ୍ୱାସ ଆସିବ । ୟା ଆସିବ । ତା’ ଆସିବ, ସତ । କିନ୍ତୁ ତା’ର ନିଜର ପ୍ରଶ୍ନ ଆତ୍ମରକ୍ଷାମୂଳକ । ରବି ବିଶ୍ୱାସ କରୁଛି, ମଣିଷଠି ଭଲ ପଣ ଅଛି । ମଣିଷ ସତ୍ ସୁଧାର, କିନ୍ତୁ ତାକୁ ଯେଉଁ ରୀତିରେ କାମ କରିବାକୁ ପଡ଼ୁଛି ସେଥିରେ ଧରି ନିଆହୋଇଛି ଜଣେ ଜଣକୁ ଠକେ ଆଉ ଖାଲରେ ପକାଏ, ତେଣୁ ପଦେ ପଦେ ପାହାଚ ପାହାଚକେ ବନ୍ଧା ରୀତି ଆଉ କଟକଣା, ସେଇଆ ଜଗୁ ଜଗୁ ବୁଦ୍ଧିର ପୁଞ୍ଜି ଯାଏ ଖର୍ଚ୍ଚ ହୋଇ, ଚିଠି ଗୁରୁଣ୍ଡି ଗୁରୁଣ୍ଡି ଚାଲେ, କ୍ଷେତ୍ରରେ ବିହନ ପହଞ୍ଚୁ ପହଞ୍ଚୁ ଧାନ ଠିଆହୋଇ ଯାଏ ହାତେ ଉଞ୍ଚା । ଅବିଶ୍ୱାସକୁ ଆଶ୍ରା କରି ସବୁ ଜଳା ଆଉ ଗୋଦାଚୂରି ଚୁଣ୍ଟି ଆତ୍ମରକ୍ଷା ପାଇଁ ବିହିତ ବ୍ୟବସ୍ଥା କରି କଥାପଦେ କହିବାକୁ ସମୟ ଲାଗେ ।

 

ଏତେ ତାକତରକରେ ଚାଲି ତଥାପି ବନ୍ଧା ସମୟ ଭିତରେ ଟଙ୍କା ଖରଚ କରିବାକୁ ପଡ଼ିବ । ଆଗରେ ଅପ୍ରେଲ ପହିଲା । ମାର୍ଚ୍ଚ ଏକତିରିଶ ତାରିଖ ସହିତ ବର୍ଷଯାକର ହିସାବରେ ମୁଣ୍ଡି ମରିବ । ତା’ପରେ ହିସାବ ହେବ ଏ ବର୍ଷ କେତେ ଟଙ୍କାର କାମ ସେ କରିପାରିଲା । ଅନ୍ୟମାନଙ୍କ ସଙ୍ଗେ ତା’ର ତୁଳନା ହେବ । ହିସାବ ହେବ, କେତେ ଟଙ୍କା ବଳି ପଡ଼ିଲା । ସେହି ହେବ ତା’ର ନିପାରିଲା ପଣର ମାପ । ସବୁ ବେପାରୀ ଅପେକ୍ଷା କରି ବସିଛନ୍ତି ସେହି ମାର୍ଚ୍ଚର ଫସଲକୁ । ମାର୍ଚ୍ଚ-ମାର୍ଚ୍ଚ-ଘମାଘୋଟ କାମର ଦିନ, ଏକମାତ୍ର ଚିନ୍ତା ଟଙ୍କା ଖର୍ଚ୍ଚ ହୋଇଯାଉ, କିଛି ନ ବଳୁ ତା’ର ଅପବାଦ ନାଗରା ପିଟିବାକୁ ।

 

ଆଉ ତା’ରି ମଝିରେ ଅନହୁତି ଏକ ଆଶ୍ଚର୍ଯ୍ୟ ଚିଠି, ସେଥିରେ ତା’ର କାମକୁ ତଉଲା ପାଇଁ ଏକ ନୂଆ ନିକିତି । ସେଥିରେ ଲାଗିଆସିଛି ଗାଁର ସଜପବନ, ଓଦା ନଈବାଲିର ବାସ୍ନା, ଯେପରି ଲାଗିଥାଏ ତରକାରି ହୋଇଥିବା ନଈମାଛରେ, ପୁରୁଣା ଘସି ନିଆଁରୁ ଉଠୁଥିବା ମଠୁଆ ମଠୁଆ ମାନ୍ଦା ଗନ୍ଧ କି ବାସ୍ନା ଯେଉଁଥିରେ ସେହି ମାନ୍ଦା ସହଜ ଘରୁଆ ଜୀବନର ଛବି ମୁଣ୍ଡରେ ଆସି ମନ ଭିତରେ ସଞ୍ଚରି ଯାଏ, ଆଉ ଲାଗିଆସିଛି ଜଳ ଜଳ ଆଖିର ଚାହାଣି, ଯେ ମାଗେ ନାହିଁ, ଯାଚେ ନାହିଁ, ଖାଲି ଦେଖେ ସେଇ ଭଙ୍ଗୀ, ଯହିଁରେ ବାରିହୁଏ ସେ ମୁହଁରୁ ବିଶ୍ୱାସ ଛାଡ଼ି ନାହିଁ, ଆଭା ତୁଟି ନାହିଁ, ଆଶା ତୁଟିନାହିଁ, ସେ ଧାନରୁ କ୍ଷୀର ଛାଡ଼ି ନାହିଁ ସେ ଗାଲରୁ ଓଠରୁ ଛାଡ଼ି ନାହିଁ ସରୁ ସରୁ ନରମ ଟିକି ଟିକି ରୁମ, ଘର ଚାରି କଣ ଓଳେଇ ଆଣିଲେ ସୋରିଷଟିଏ ନ ମିଳୁ ପଛେ ସେ ମନରୁ ଛାଡ଼ିନାହିଁ ଟାଣ କି ଆଣ୍ଟ, ଖାଲି ଏକ ଭଗବାନଙ୍କ ଉପରେ ନୁହେଁ, ବଡ଼ ବଡ଼ଆଙ୍କଠୁଁ ଷଠିଦୁଛେଇଙ୍କଠୁଁ ଆରମ୍ଭ କରି ଗ୍ରାମ ଦେବତୀଙ୍କ ଯାକେ ଅସଂଖ୍ୟ ଦିଅଁ ଦେବତାଙ୍କ ଉପରେ ଭରସା, ଆଉ ସତ ଉପରେ, ଈଶ୍ୱରଙ୍କ ବିଚାର ଉପରେ, ସ୍ୱର୍ଗ ନରକ ଉପରେ, ଶାସ୍ତ୍ର ଉପରେ, ଆଉ ଯେତେ ହୀନଅବସ୍ଥା ହୋଇ ନାକ ଘୋଷାରି ହେଲେ ବି କେବେ ନ ଆସିବା କାଲିକା ଶୁଭଦିନ ଉପରେ...

 

ଖାଲି ଆଶା ବିଶ୍ୱାସ ଭରସା ନିର୍ଭର ।

 

ଲାଗି ଆସିଛି ସବୁ ସେ ଚିଠିଖଣ୍ଡକ ଦେହରେ, ଆସି ପହଞ୍ଚିଛି ତା’ରି ପାଖରେ, ତା’ର ପଇଡ଼ ପାଣି କାଞ୍ଜିପାଣି ବାସିପଖାଳ ସକାଳଗାଧୁଆ ଆଉ ଛାଇ କଳରସ୍ୱରୂପ ଧରି ପହଞ୍ଚିଛି ତା’ରି ପାଖରେ ଯେଉଁଠି ସେ ଚାଲିଛି ଘରଘର ତରତର ହୋଇ ଏହି ଜୀପ୍ ଗାଡ଼ି ପରି ଅଥବା କ୍ଳୀପ କ୍ଳୀପ ଶବ୍ଦ ବୋବେଇ ବୋବେଇ ଆକାଶଛତା ମୁଣ୍ଡଘୂରା ସ୍ପୁଟ୍‌ନିକ୍ ପରି, କଅଁଳ ଆଉ ନାହିଁ ତା’ଠି, ଅଛି କର୍କଶ ଦୀପ୍ତି, ଶାନ୍ତିର ଅଜଣା ଅଶୁଣା ଥାଇତାପଣ ନାହିଁ ତାଠି, ଅଛି ଅଶାନ୍ତିର ଗାରିମା, ଅନୁଭୂତି ଭାବିବାକୁ ବେଳ ନାହିଁ ଅଛି ବେଗ, ମୁକ୍ତି ନାହିଁ ଗତି ଅଛି, ଅତି ତୀବ୍ର ଗତି । ଜୀବନର ମାପ ମୁହୁର୍ତ୍ତରେ ତା’ରି ପାଖକୁ ସେ ଆସିଛି ଦୁଃଖସୁଖ ହେବାକୁ ଲୁହାପଥର ବୁହା ରେଲଗାଡ଼ି ପାଖକୁ ଏକ ବଳଦିଆ ଶଗଡ଼ ଗାଡ଼ି, ବଳଦ ବେକରେ ଫୁଲି ମୁହଁରେ କଉଡ଼ିର ନାକୁଶି ପିନ୍ଧି ଆସିଛି କାରଣ ପଚାରିବ ଲକ୍ଷ୍ୟ ବୁଝିବ ବୋଲି । ବାହ୍‌ ବାହ୍‌ ମଜା !

 

ହସିବାକୁ ଇଚ୍ଛା ହେଲା, କିନ୍ତୁ ସେ ଛାଡ଼ିଲା ଉଦାସୀ ଦୀର୍ଘଶ୍ୱାସ । ଆଖି ଆଗରେ ଭାସିଉଠିଲା ତା’ର ଗାଁର ଛବି, ଅଦ୍ୟାପି ଗାଁ ସଙ୍ଗେ ଡୋର ଛିଡ଼ି ନାହିଁ, ସେଠି ବାପା ବୋଉ ତା’ ଭାରିଯା ଆଉ ପିଲାଏ ଅଛନ୍ତି, ସେ ଟଙ୍କା ପଠାଏ, କିନ୍ତୁ କାହିଁ ସେ ଗାଁ ! କେତେଥର ବା ସେ ଯାଏ-! ଗଲେ କେଇଟା ଦିନ ଛୁଟିରେ ଘର ଭିତର କଥା ବୁଝିବାକୁ ତ ତର ମିଳେ ନାହିଁ, ବାହାରକୁ ଯିବାକୁ କାହିଁବା ମିଳେ ଫୁରୁସତ ! ଖାଲି ଯେମିତି କି ସଞ୍ଜର କୁଣିଆ ସକାଳକୁ ଭାଗେ । କେତେ ଅଂଶରେ ଛୁଇଁପାରେ ସେ ତା’ର ଗାଁକୁ !

 

ପଦାରେ ଏତେ ଉନ୍ନୟନ, ଆପଣା ଗାଁ ପାଇଁ କିଛି ସେ କେବେ କରିପାରିନାହିଁ, ସେ ସେଠି ସେହି ପୁରୁଣା ଗତ, ସବୁଥିରେ ଈଶ୍ୱରଙ୍କ ଭରସା ଆଉ ଆପଣାର ଭାଗ୍ୟ, ନା ସଡ଼କ ନା କୂଅପୋଖରୀ ନା ଇସ୍କୁଲ ଘର ନା ଡାକ୍ତରଖାନା । କେବେ କାହାର କି କାମରେ ସେ ଆସିବ ସେ ଜାଣେନାହିଁ । କଲିକତାରେ ପାନଦୋକାନ କରି ତା’ ଗାଁର ଭୋଳି ବାରିକ ପଛେ ଗ୍ରାମଦେବତୀ ଚାଚିକେଇଙ୍କ ଆସ୍ଥାନ ପାଖରେ ଗୋଟିଏ କୂଅ ଖୋଳି ପାରିଲା, ଭାତ ବିକି ସାଧୁ ନନ୍ଦ କରିପାରିଲା ଖରାଖିଆ କୁକ୍‌କଟେଶ୍ଵର ମହାଦେବଙ୍କ ଉପରେ ଗୋଟିଏ ଛୋଟ ମନ୍ଦିର, ଶାମ ବୋଇତାଳ ବୁଢ଼ାବୁଢ଼ୀ ପୋଖରୀରୁ ପଙ୍କ କାଢ଼ିଲା, ଜଟି ସାହୁ କିଣିଦେଲା ଗମନାମୀ ଯାତ୍ରାପାଇଁ ସବୁଯାକ ମୁଖା ଆଉ ଜରିଲଗା ପୋଷାକ, ଯେ ଗଲେ ବିଦେଶ କାରଖାନାର କୁଲି ମଜୁରିଆ ହୋଇ ସେମାନେ ଜଣକ ଦି’ଜଣ ପାଞ୍ଚ ଜଣ ଗ୍ରାମ ଲୋକଙ୍କୁ ନିଯୁକ୍ତି ଦିଆଇ ଦାନା ଯୋଗାଇଦେଲେ, ସେ କାହାରି କିଛି କରିନାହିଁ, କାହାରିକି କିଛି ଦେଇନାହିଁ, ଗାଁ ନିଶାପରେ ବସିନାଇଁ, ଗାଁ କଳି ଭାଙ୍ଗିନାହିଁ, ଗାଁର କାହାରି କୌଣସି କାମରେ ଆସିନାହିଁ ସେ, ସେହି ଯେ ଗାଁର ସବୁଠୁ ବଡ଼ ଚାକିରିଆ, ବାବୁ, ତଥାପି ଗାଁ ଲୋକ ସ୍ନେହରେ ତା’ କଥା ଭାବନ୍ତି, ତାକୁ ବି ଆଶା କରିଛନ୍ତି- ତାକୁ ବି !

 

ତାଙ୍କ ଆଖିରେ ସେ ପୁଣି ସବୁଠୁ ବେଶି ପାଠୁଆ, ବି. ଏ. ପାସ୍‍ । କିଏ ପାଠୁଆ ! ଭବିଲାବେଳେ ଦବିଗଲା ସେଇଠି ଯେପରି କି ତା’ର ଚକ, ସ୍ମରଣରେ ମନେପଡ଼ିଲା କେଇଟା ବୁଢ଼ାଙ୍କ ମୁହଁ, ମୁଣ୍ଡରେ ଏବେବି ଆଗପରି ବେଣ୍ଟ, ବେକରେ ମାଳି, ଦେହରେ ସାନ ଖଣ୍ଡେ, କେବେ କୋତରା କେବେ ସଫା, କଳା ନାଲିଚା ହୋଇ ପାନଖିଆ ପାଟି, ଦୃଷ୍ଟି ବିଲମାଳ ପରି ଖୋଲା ଆଉ ହଟଚମକଶୂନ୍ୟ, ଭଙ୍ଗୀରେ ଝାମ୍ପି ବସିବା, ଦେଖେଇ ହେବା କି ମୁଁ ପଣ ଟେକିଲା ଭଳି ଭାଙ୍ଗ ନାହିଁ, ଖୋଜନ୍ତି ନାହିଁ କେହି କାଳେ ପଚାରୁ ବୋଲି । ସେହି ବୁଢ଼ାମାନଙ୍କୁ ଡରେ ସେ, ସେହି ଯେଉଁମାନଙ୍କ ନାଁ ଏ ଦେଶର କୌଣସି ପଣ୍ଡିତସଭାର ତାଲିକାରେ ନାହିଁ, ଯେଉଁମାନଙ୍କ ନାଁ ବାହାରେ ନାହିଁ ଛପା କାଗଜରେ, ଯେ କୌଣସି ସଭା ମଞ୍ଚରେ କେବେ ବସନ୍ତି ନାହିଁ; ତଥାପି ଯେଉଁମାନେ ଆପଣା ଆପଣା ଉପାୟରେ ପୁରୁଣାକାଳର ପାଠ ପଢ଼ିଛନ୍ତି । କଥାକଥାକେ ପଚାରିଦେବେ, କେବେ ସଂସ୍କୃତ, ମାଘ କି ଭାରବୀ କି କାଳିଦାସ କି ଅବା ମହାନାଟକରୁ କି ସଂସ୍କୃତ ଭାଗବତରୁ । କେବେ ବା ଓଡ଼ିଆରୁ କିଛି, ରକ୍ତ ପାଣି ହୋଇଯାଏ ଅର୍ଥ କରିବାକୁ କହିଲେ,

 

‘‘ଉପଇନ୍ଦ୍ର ଉପଇନ୍ଦ୍ର ଉପଇନ୍ଦ୍ର ଉପଇନ୍ଦ୍ର ବୀର

ଭଞ୍ଜ ଭଞ୍ଜ ଭଞ୍ଜ ଭଞ୍ଜ ଭଞ୍ଜ ଭଞ୍ଜ ସାର’’

 

କେବେ ବୈଦେହୀଶବିଳାସରୁ, କେବେ କୋଟିବ୍ରହ୍ମାଣ୍ଡ ସୁନ୍ଦରୀରୁ, କେବେ ରସକଲ୍ଲୋଳରୁ, କେବେ ରାଘବବିଳାସରୁ । ଅତି ସରଳ ଶୁଭେ ଯେଉଁ ଜଗନ୍ନାଥ ଦାସଙ୍କ ଭାଗବତ ତା’ର ବି ଦି’ ଧାଡ଼ି ବ୍ୟାଖ୍ୟା କରିବାକୁ କହିଲେ ଲାଜରେ ମନହୁଏ ପୃଥିବୀ ଫାଟିଯାଆନ୍ତା କି । ଜୀବନଯାକ ପୋଥିକାଟ ତାକୁ ପଚାରି ବସନ୍ତି ତାଙ୍କ ଜୀବନଯାକର ସନ୍ଦେହକୁ ଫିଟାଇଦେଇ ବୁଝାଇ ଦେବାକୁ, ଚର୍ଚ୍ଚା କରିବାକୁ ଆଗେଇ ଆସନ୍ତି କେଉଁ ଅଳଙ୍କାରର କିପରି ଭେଦ, ରସ କ’ଣ, ଭକ୍ତି କେତେ ପ୍ରକାର, ବନ୍ଧ କେତେ, ଛନ୍ଦ କେତେ, କେଉଁ ପ୍ରକାର ନାୟିକାର କିଭଳି ସାଜ କିଏ କିଏ ଦେଇଛନ୍ତି, ଏ ସବୁଥିରେ ଆଜିକାଲି ନୂଆ ନୂଆ କ’ଣ ଚାଲିଛି ସହରରେ, ଗଲାଣି କେତେ ବାଟ ?

 

ସେ ପଳାଇ ଲୁଚିବାକୁ ବାଟ ପାଏ ନାହିଁ, ଭୁଲାଇ ବସିଲେ ଫଳ ନାହିଁ, ସେମାନଙ୍କ ମାନ୍ଦା ଆଖି ହସିବ ନାହିଁ କି ଗାଳି ଦେବ ନାହିଁ, ଖାଲି ଜାଣିବ ୟେ ଅଗାଡ଼ି ।

 

ଗାଁର ସେ ଭଷା, ଗାଁର ସେ ପାଠ, ସବୁ ଗାଁରେ, ସେ ପାଠ ପଢ଼ିଛି, ସେ ପାଠ ନୁହେଁ ଅନ୍ୟପାଠ, ଯାହାକୁ ସେମାନେ ଚିହ୍ନନ୍ତି ନାହିଁ । ସେ ନିଜେ କ’ଣ ଚିହ୍ନେ ?

 

ଖାଲି ଦୀର୍ଘଶ୍ୱାସ ! ଦୀର୍ଘଶ୍ୱାସ ! ଚାକିରି ଥିବାଯାକେ ଏମିତି ଜୀପ୍‌ ଗାଡ଼ି ବୁଲୁଥିବ, ହେଇଥିବ ତାଲିକାଭୁକ୍ତ ମଣିଷଙ୍କ ଭିତରୁ ଜଣେ । ତା’ପରେ କ’ଣ ହେବ ? ତାଳଗଛ ଛାଇ ଚାହୁଁ ଚାହୁଁ ମିଳେଇଯିବ, ଏକର ସେକର ହୋଇ କେଇଟା ଜାଗା ବୁଲୁ ବୁଲୁ । ତା’ପରେ କ’ଣ ହେବ ? ଯେଉଁମାନଙ୍କ ପାଇଁ ସେ ଝାଳନାଳ ହୋଇ ଧାଉଁଛି ସେମାନେ ତାକୁ ମନେରଖିବେ ନାହିଁ । ସେ ବଦଳି ହେଲା ଉତ୍ତାରୁ କେତେ କିଏ ଆସିଥିବେ, ଯାଇଥିବେ, ଗାଁ ଲୋକେ ବି ଭୁଲି ଯାଇଥିବେ । ପରୁଣା ମାଟିର ଚେର ଉପୁଡ଼ି ଯାଉଛି । ଶିମିଳିତୁଳା କେଉଁ ସହରତଳିରେ ଘର ଖଣ୍ଡେ ତୋଳି ଆଉଜି ପଡ଼ିବ, ପେନସନ ପାଉଥିବ, କିଣୁଥିବ ଖାଉଥିବ, ନ ହେଲେ ବଳ ଥିଲେ ଖଟୁଥିବ, ପିଲାଏ ପାରିବାର ହେଲେ ପୋଷୁଥିବେ । ପଡ଼ୋଶୀ ତା’ର ଧନ୍ଦାରେ ଯାଉ ଯାଉ ଆଡ଼ ଆଖିରେ କେବେ ଚାହୁଁ ଥିବେ । ହୁଏତ ସେ ବି ରହିଯିବ ରିଫ୍ୟୁଜି ପରି; ରିଫ୍ୟୁଜି ହି ତ । ଦୀର୍ଘଶ୍ୱାସ ! ଦୀର୍ଘଶ୍ୱେସ ! ତା’ପରେ କ’ଣ ହେବ । ଓଃ, ଭୁଲିଯାଉଛି ଯେ, ସେତେବେଳକୁ ଏ ଉନ୍ନୟନ ବ୍ୟବସ୍ଥାମାନ ଫଳ ଦେଉଥିବ, ସମସ୍ତିଙ୍କପାଇଁ କାମଧନ୍ଦା ଓ ସୁବିଧାପାଇଁ ବାଟ ଖୋଲି ସାରିଥିବ, ତା’ପାଇଁ ବି ।

 

ସେଇଆ ତ ଯୋଜନାର ଉଦ୍ଦେଶ୍ୟ–ଉତ୍ପାଦନ ବଢ଼ିବ, ସୁବିଧା ସୁଯୋଗ ବଢ଼ିବ, ପରିଶ୍ରମ କଲେ କାହାରି ପେଟ ଅପୋଷା ରହିବ ନାହିଁ ।

 

ଗଣ୍ଡ ମଫସଲ ଭିତରେ ବି ରତିରେ ବିଜୁଳି ଆଲୁଅରେ ଝଲମଲ କରୁଥିବ । ଚାରିଆଡ଼ କୋଠାମୟ ହୋଇଯାଇଥିବ । ସହରରେ, ଗାଁରେ, ଅନେକ କାରିଗରୀ, ଅନେକ କାରଖାନ ଚାଲିଥିବ । ଯେଉଁଠି ଦେଖିଲେ ବି ଆପଣ ଆପଣା କାମଧନ୍ଦାରେ ବ୍ୟସ୍ତ ଶିକ୍ଷିତ ମଣିଷ, କେହି ନିକମା ବୁଲୁ ନାହିଁ । ଚାରିଆଡ଼େ ଅନୁଷ୍ଠାନମାନ, ଇସ୍କୁଲ, ଡାକ୍ତରଖାନ, କୋଠଭଣ୍ଡାର, ଫ୍ୟାକ୍ଟରି ଆଦି, ଚାଷରେ ବହୁତ ଆମଦାନି, ଜାପାନୀ ପ୍ରଣାଳୀ ଯାଇ ଗବେଷଣାରୁ ବାହାରିଥିବା ଓଡ଼ିଶୀ ପ୍ରଣାଳୀ ଚାଲୁ ହୋଇଥିବ । ପାଚି ଠିକ୍ ପୁରୁଣାକାଳର ବର୍ଣ୍ଣନା ପରି ନ ହେଲେ ଆହୁରି ବେଶି । ନାଳ, ପୋଖରୀ, ଗହୀର ନଳକୂଅ, ଚାଷପାଇଁ ପାଣି ଭରାଭର । ଆଉ ଏତେ ଜାତିର ସାର ଯେ ଫସଲଟା ଏକର ତିନି ଗୁଣ । ସୁସ୍ଥ ସବଳ ଗୋରୁଗାଈ ବହୁତ, ପ୍ରଚୁର ଘିଅଦୁଧ ମାଛମାଂସ ଡ଼ିମ୍ୱ ଆଉ ସବୁ ପ୍ରକାରର ପୁଷ୍ଟିକର ଖାଦ୍ୟ । ବହୁତ ଛେଳି ମେଣ୍ଢା କୁକୁଡ଼ା, ଖୁବ୍ ଶସ୍ତା । ଖୁବ୍ ଶସ୍ତାରେ ପ୍ରଚୁର ପନିପରିବା । ଦେଶଯାକ ଜାଲ ପରି ରାସ୍ତ, ରାସ୍ତାରେ ଯାନ ବାହନ । ସୁଖସୁବିଧା ପ୍ରାଚୁର୍ଯ୍ୟର ସୁନ୍ଦର ଦୁନିଆଁ । ସେହି ତ ଏସବୁ ଯୋଜନାର ଲକ୍ଷ୍ୟ । ତା’ର ଚାକିରି ସରି ପେନ୍‌ସନ୍ ମିଳିଲା ସରିକି ଏ ଦୁନିଆଁ ଗଢ଼ାହୋଇ ସରିଥିବ ଅନେକ ଅଂଶରେ । ସମସ୍ତେ ସୁଖରେ ରହିଥିବେ । ସମସ୍ତିଙ୍କ ସଙ୍ଗରେ ସେ ବି ।

 

ରବି ପଚାରିଛି ସେହି ପୁରୁଣା ପ୍ରଶ୍ନ, ଧନ ମନର ସମ୍ବନ୍ଧି ବିଷୟରେ । ଉତ୍ପାଦନ ଆଉ ବଣ୍ଟନର ସମ୍ବନ୍ଧ ବିଷୟରେ । ପରଖାପରଖି ପରେ ମନ ବଳେ ଠିକଣା ହୋଇ ସାରିଥିବ, ଅଭାବରେ ସିନା ସ୍ୱଭାବ ନଷ୍ଠ, ପ୍ରାଚୁର୍ଯ୍ୟ ଥିଲେ ସ୍ୱଭାବ ବିଗିଡ଼ିବ କାହିଁକି ? ସ୍ନେହ ପ୍ରୀତି ବଢ଼ିବ, ସବୁ ଠିକ୍ ଚାଲିବ, ଆଗ ଦରକାର ଉତ୍ପାଦନ । ନ ହେଲେ କ’ଣ ଯେ।ଜନା ଛାଡ଼ି ଲୋକ ଯିବ ଧର୍ମପ୍ରଚାର କରିବାକୁ ?

 

କିନ୍ତୁ ଯେତେ ଆପଣାକୁ ଯୁକ୍ତିରେ ଢିରା ଦେଲେ ବି ମନ ମାନୁନାହିଁ, କେଉଁଠି ଯେପରି କି ରହିଯାଉଛି କିଛି ଅଡ଼ୁଆ । ରବିର ଚିଠି ସେହି ଅଡ଼ୁଆକୁହିଁ ଖେଞ୍ଚିଖେଞ୍ଚି କାଢ଼ୁଛି, ସେହି ସନ୍ଦେହକୁ, ସେହି ଅଶାନ୍ତିକୁ । ସେହି ସେ ବିରାଟ ପ୍ରଶ୍ନ ଚିହ୍ନ, ତା’ର ଲେଖା ଯେତେ ଅଲେଖା ତହିଁରୁ ବହୁଗୁଣ ବେଶି । କେବଳ ଅନୁଭବ କରିହୁଏ, କହିହୁଏ ନାହିଁ ।

 

ଚାଲିଛି ଜୀପ୍ ଗାଡ଼ି । ଦୁଇ କରେ ସେହି ଚିହ୍ନାଦୃଶ୍ୟ ଦେଖି ଦେଖି ଅଭ୍ୟାସ ହୋଇଗଲାଣି ଯେପରି କି ସେ ଦୃଶ୍ୟ ଆଉ ନାହିଁ, କିଛିନାହିଁ, କେବଳ ଗାଡ଼ି ଚାଲିଛି । ଡ୍ରାଇଭର ବି ଯେପରି କି ନାହିଁ, ଡାହାଣ ଗାଲକୁ ପାନରେ ଠେଲାଇ ଦେହକୁ ଅଳ୍ପ ବଙ୍କାଇ ଦେଇ ଆଗକୁ ଚାହିଁ ଡ୍ରାଇଭର ବସିଛି, ସେମିତି ତା’ର ଚନ୍ଦା ମୁଣ୍ଡ ଖପୁରୀ, କାନ ଉପରେ ଅଳ୍ପ ଅରାଏ ଧକାକଳା ମିଶା ପାତଳ ବାଳ । ସେ ଚନ୍ଦା ସେହିପରି ଥିବ, ଆଉକିଛି ହେବ ନାହିଁ । କପାଳରେ ସିନ୍ଦୂର ଟୋପାଟିଏ, ତା’ ଉପରେ ଚନ୍ଦନ ଟିକିଏ, ସେ ବି ସେମିତି ସବୁଦିନେ ରହିଥିବ ପରା ! ସବୁ ମିଶି ସେ ସେହି ଗାଡ଼ିର ଏକ ଅଂଶ, ସେଠି ସ୍ୱତନ୍ତ୍ର ହୋଇ ମଣିଷ କେହି ନାହିଁ ।

 

କେବଳ ଚଳନ୍ତା ଗାଡ଼ିର ବେଗ, ତା’ ବି ଅନୁଭବ କରିହେଉଛି କେବଳ ଏଥିପାଇଁ ଯେ ଯାହା ସେ ଦେଖୁଛି ତା’ ଖୁବ୍ ଜୋରରେ ପଛକୁ ପଳାଇ ଯାଉଛି, ଏମିତି ପଳାଇଯିବା ପଳାଇଯିବାହିଁ ଏକାଠି ହାର ହୋଇ ତା’ର ଗତିର ଚେତନା । ସେଥିରେ ବି ନୂଆ କିଛି ନାହିଁ । ଯେପରି କି କ’ଣ ଆସିବ ପୁଣି ପଳେଇଯିବ ସେ ଜାଣେ, କେଉଁ ବାଙ୍କ କେଉଁଠି କେଉଁ ପୋଲ କେଉଁ ଗାଁ କେଉଁ ଛକ ବୁଲି ବୁଲି ସବୁ ତା’ର ଅଭ୍ୟାସ । ଆଉ ଏଗୁଡ଼ା ସାଇଁ ସାଇଁ ହୋଇ ପଛକୁ ପଛକୁ ଚାଲିଯିବ । ଫେରିଲାବେଳେ ପୁଣି ଆସିବ, ପୁଣି ଚାଲିଯିବ ।

 

ଆପଣାକୁ ସେ କେବଳ ମେଲିଦେଇଥିଲା ଆପଣ ଚିନ୍ତାରେ । ତା’ ବି ଅଭ୍ୟାସ ହୋଇଗଲାଣି, ଗାଡ଼ି ଚାଲୁଥିବ ସେ ଆପଣା ଭାବନାରେ ବୁଡ଼ି ରହିଥିବ । କିନ୍ତୁ ଚିନ୍ତ।ର ଫସଲ କେଉଁଦିନ କ’ଣ ତା’ ସେ ଆଗରୁ କହିପାରେନାହିଁ । ବରଂ ଏଇ ଭବନାର ଗୋଟିଏ ଅଧ୍ୟାୟ କଟିଗଲେ ସେ ଅନୁଭବ କରେ ସେ ନିଜେ ଯେପରିକି ନୂଆ କିଛି ହୋଇ ଗଢ଼ି ହେଇଛି, ସେହି ଗଢ଼ି ହେବା ପ୍ରକ୍ରିୟାହିଁ ଯେପରି କି ତା’ର ଭାବନ। ରାସ୍ତାର ମାଇଲଖୁଣ୍ଟି ପରି ସେ ଅବସ୍ଥା ବି କେଉଁଠି କେଉଁ ପଛରେ ପଡ଼ି ରହେ । ଚାଲେ ଆଉ ଗୋଟାଏ ।

 

ରାସ୍ତ କରରେ ଗଲା ଗୋଟିଏ ସୁନ୍ଦର ଜଳଭଣ୍ଡାର । ପାଣି ଭର୍ତ୍ତି ଅଛି । ତଳେ କ୍ଷେତରେ ଗହମ ବଢ଼ିଛି । ଜଳଭଣ୍ଡାରଟି ଅଧେ ସାହାଯ୍ୟ ଦେଇ ସେ କରାଇ ଦେଇଛି । ଭଲ କାମ ହୋଇଛି-। ଜମିରୁ ଚଉଦ’ଣା ଘର ଜଣେ ବଡ଼ ଚାଷୀର, ମାଧବ ଆଚାର୍ଯ୍ୟ, ଏ ଗାଁର ମହାଜନ । ଉଦଯୋଗୀ ଚାଷୀ, କାଳକ୍ରମେ ଗାଁର ସବୁ ଭଲ ଭଲ ଜମି ତାଙ୍କ ହାତକୁ ଚାଲିଆସିଛି । ଟଙ୍କା ଖଟାଇ କାମ କରୁଛନ୍ତି, ମାଛ ବି ଛାଡ଼ିଛନ୍ତି, ହେଇ ଗଲା ଆଚାର୍ଯ୍ୟଙ୍କ ଧାନ କଳ ଘର, ଚାଲିଥିବ ଇଞ୍ଜିନ । ନଈ ପୋଲ ପାଖେ ଦିଶିବ, ନଈ କୂଳରେ ପମ୍ପ ଲଗାଇ ନଈରୁ ପାଣି ଟେକି ଆଚାର୍ଯ୍ୟ କି ସୁନ୍ଦର ଆଖୁ କରିଛନ୍ତି । ପମ୍ପଟା ବି ଅଧେ ସାହାଯ୍ୟ, ଅଧେ ଆପଣ ଟଙ୍କାରୁ ।

 

ତା’ ସେପାଖେ ଶେଖ୍ ସୁଲେମାନଙ୍କର ଗୋରୁଗାଈ ଓ କୁକୁଡ଼ା ପାଳନ କେନ୍ଦ୍ର । ବହୁତ ଜନ୍ତୁ ପୋଷିଛି, ସେ ପାଖରେ ଅଛି ସାନ ବକଟେ ପଶୁ ଚିକିତ୍ସାଳୟ । ଶେଖ୍ ସୁଲେମାନ ଉତ୍ସାହୀ ବେପାରୀ । ଭଲ ଦରରେ ସହରରେ ନେଇ ବିକେ, ସେଥିପାଇଁ ଚାକର ଅଛନ୍ତି । ନିଜେ ବି ରହେ ଏ ଫାରମରେ । ପଶୁଙ୍କ ପାଇଁ ଘର, କୁକୁଡ଼ା ଡିମ୍ୱ ଫୁଟାଇବାପାଇଁ କୁଡ଼ୁକୀ କଳ, ଗୋରୁ ଚୋକଡ଼ କାଟିବା କଳ, ଗୋରୁ ଖାଇବେବୋଲି ଦି’ମାଣ ବିଲରେ ବଢ଼ିଆଳି କାକଡିଆ ଘାସ ହାତୀ ଉଞ୍ଚ, ସବୁ ବ୍ୟବସ୍ଥା ସେ କରିଛି ପଶୁ ବିଭାଗର କର୍ମରୀଙ୍କ କହିବା ଅନୁସାରେ ।

 

ତା’ପରେ ଏହି ଆରମ୍ଭ ହେଲା ଭୋଳି ପଟ୍ଟନାୟକଙ୍କ ଶହେମାଣିଆ ଫାରମ । ସଡ଼କର ବାଁପାଖରେ । ଏହି ଅରାଏ ତୋଟା ଠିଆ ହୋଇଛି, କି ସୁନ୍ଦର ଧାଡ଼ି ଧାଡ଼ି ହୋଇ ଗଛ, ଅଲଗା ଅଲଗା ଗୋଟିଏ ଗୋଟିଏ ପ୍ରକାର ନଡ଼ିଆ, ଆମ୍ୱ, ସପେଟା, ପିଜୁଳି, ନୀରସ ଜମିରେ ବାଜାମ୍ୱ, ପନିପରିବା ବଗିଚା, ଆଖୁକ୍ଷେତ, ଫାଟକ ସଳଖେ ଫାରମ ଘର ପୋଖରୀ ଉପରେ, ପୋଖରୀ ସେ କରେ ଧାନ ବିଲ । ଚାରି କରେ କଣ୍ଟାତାର ବୁଲିଛି, ପୁଣି ତାର କରେ କରେ ଗହଳି ହୋଇ କଞ୍ଚାବାଡ଼ ବଢ଼ି ଉଠିଛି । ସୁନ୍ଦର ଫାରମ, କି ସୁନ୍ଦର କୋବି, ମଟରଛୁଇଁ, ମୁଗ, ଗହମ, ହରଡ଼ ହୋଇଛି, ଆହୁରି ନାନାଜାତି ଫସଲ । ସବୁଜ ଦିଶୁଛି । ଏହା ଭିତରକୁ ପଶିଗଲେ ସହଜେ ବାରି ହୋଇପଡ଼ିବ ଉନ୍ନତ ଧରଣର ଚାଷରୁ ଲାଭ କେତେ, ସାରମାନଙ୍କର ବଳ କେତେ । ୟୁରିଆ, ସୁପର ଫସ୍‌ଫେଟ୍, ହାଡ଼ଗୁଣ୍ଡି, ଆମୋନିଆଁ, ସାବୁଜା ଧଣିଚା, ସଢ଼ାପତ୍ର, ଗୋବର ପୁଣି ଆହୁରି କେତେପ୍ରକାର, ଆଉ ଜାପାନୀ ପ୍ରଣାଳୀ, ଆମେରିକା ପ୍ରଣାଳୀ, ରୁଷ ପ୍ରଣାଳୀ ନାନା ପ୍ରଣାଳୀର ଉପଯୋଗିତା । ପଟ୍ଟନାୟକେ କୃଷି ବିଭାଗକୁ ସବୁ ସୁବିଧା ଦେଇଛନ୍ତି, ତାଙ୍କର ଏ ଜମିରେ ରକମ ରକମର ଭଲ ଚାଷ ଉଠିଆ କରାଇବାକୁ, ଯେପରି ଅନ୍ୟଲୋକେ ଦେଖିବେ ଆଉ ଶିଖିବେ, କେବଳ ତାଙ୍କର ଗୋଟିଏ ସର୍ତ୍ତ-ଯେପରି କ୍ଷତି ନ ହୁଏ । ଅବଶ୍ୟ ଜମି ମରାମତି କରାଇବାଠୁଁ କୂଅ ପୋଖରୀ ଖୋଳିବା, ସାର କିଣିବା, ପୋକମରା ଔଷଧ କିଣିବା ଏପରି କି ଚାରା ଓ ବିହନ କିଣିବା କାର୍ଯ୍ୟରେ ବି ବହୁତ ପ୍ରକାର ମାଫି ସାହାଯ୍ୟ ପଟ୍ଟନାୟକେ ପାଇଛନ୍ତି ଓ ଲୋକେ କହନ୍ତି ସେ ମାଛ ତେଲରେ ମାଛ ଭାଜନ୍ତି, କିନ୍ତୁ ଏ ଅଞ୍ଚଳରେ ଏଡ଼େସୁନ୍ଦର ଫାର୍ମ ଆଉ କାହାର ଅଛି ? ଏ ଅଞ୍ଚଳର ଉନ୍ନୟନର ନମୁନାସ୍ୱରୂପ ଏହି ଫାର୍ମର ଫଟୋହିଁ ତ ନାନା ସ୍ଥାନରେ ଛପାହୁଏ, କେତେ ଆକ୍ରାନ୍ତରୁ କେତେ ଫସଲ ଆମଦାନୀ ହେଲା ଲେଖା ହୋଇଥାଏ । ତା’ ପାଖେ ଥାଏ ପଟ୍ଟନାୟକଙ୍କ ଫଟୋ, ଚାରିଆଡ଼ ଗୋଲଗାଲ କଳାମିଚିମିଚି ମଣିଷ, ସାଧାରଣଙ୍କଠୁ ବେଶି ଡେଙ୍ଗା । ହେଲେ କ’ଣ ହେଲା, ଛାତି ଅଣ୍ଟା ପେଟ ଓସାର ଆଉ ଗୋଲଗାଲ ହୋଇ ବଢ଼ିଥିବାରୁ ଦୂରରୁ ବାଙ୍ଗରା ଦିଶନ୍ତି । ଧୋବ ଖଦଡ଼ର ଲମ୍ୱ ଲୁଗା ପଞ୍ଜାବୀ ପିନ୍ଧିଥାଶି । କାନ୍ଧରେ ଖଦଡ଼ ଚାଦର, ହାତରେ ବଡ଼ ରୁପା ପାନଡ଼ିବା, ବେକରେ ଘାଗଢ଼ା ତୁଳସୀମାଳି-କିନ୍ତୁ ସେ ଆଇଁଷ ଖାଆନ୍ତି–ବଡ଼ ମୂଣ୍ଡଟାଏ, ସେଥିରେ ଜିକିଜିକି ଫିରେଇ, କିନ୍ତୁ ପଛଆଡ଼େ ଚୁଟି ।

 

ଆଦର୍ଶ ଚାଷୀ ବୋଲି ପଟ୍ଟନାୟକଙ୍କର ଯେଉଁ ଫଟୋ ଛପା ହୋଇଥାଏ, ସେ ଛବିରେ ନ ଥାଏ ତାଙ୍କ ବ୍ୟକ୍ତିତ୍ୱର ପରିଚୟ, ତହିଁରୁ କିଛି ଜଣାପଡ଼େ ନାହିଁ, ତାଙ୍କର ଚଟା କପାଳ ତଳେ ଜିକିଜିକି ପଥର ପରି ବସିଥିବା ତାଙ୍କର ସାନ ସାନ ଆଖି ଯୋଡ଼ିକକୁ, ସେ ଆଖିକୁ ଚାହିଁଲେ ମାଡ଼ିପଡ଼େ ସିନ ତା’ ଭିତରକୁ ପଶି ହୁଏ ନାହିଁ । ଆଉ କିଛି ବାରିହୁଏ ତାଙ୍କର ତରତର ଚାଲିରୁ, ଯେତେବେଳେ ଏତେ ପ୍ରକାଣ୍ଡ ମଣିଷ ମେଞ୍ଚାଏ କିଛି ଶବ୍ଦ ନ କରି ତରତର ହୋଇ ମାଡ଼ିଆସେ । ପଟ୍ଟନାୟକେ ଭାରି ପାରିବାର ମଣିଷ, ଖାଲି ଚାଷୀ ନୁହଁନ୍ତି, ନେତା, ବ୍ୟବସାୟୀ, ମହାଜନ ।

 

ଏଇ ଫାରମ ତାଙ୍କର ପାରିଲାପଣର ପ୍ରମାଣ । ଜମିଦାରୀ ଉଠିଗଲା ଉତ୍ତାରୁ ଯେତେବେଳେ ଆଇନ ହୋଇଗଲା ଯେ ଜମିଦାରମାନେ ତାଙ୍କ ଅନାବାଦୀ ଜମିକୁ ବିକିପାରିବେ ନାହିଁ ବୋଲି, ସେତେବେଳେ ପଟ୍ଟନାୟକେ ପିଛିଲା ତାରିଖ ଲେଖାଇ ଜମିଦାରଙ୍କଠୁଁ ବାର ବର୍ଷର ପାଉତି ଲେଖାଇ ନେଇ ପାଖରେ ରଖିଲେ । ସେଥିରୁ କେଉଁଠି ଖଣ୍ଡେ ଖଣ୍ଡେ ଆଗେ କେଉଁ ଗରିବଗୁରୁବା କରୁଥିଲେ, ଆପରି କଲେ, ରହିଲା ନାହିଁ । ଅଡ଼ି ବସିଲେ, କାମ କରିବାକୁ ମୂଲିଆ ଦେଲେ ନାହିଁ । ତା’ପରେ ପଟ୍ଟନାୟକେ ସହରରୁ ଆଣିଲେ ଷଣ୍ଢକଳ, ଦକ୍ଷିଣ ଦେଶର କୁଲି ଘେନି ଆସି ପହଞ୍ଚିଗଲେ । ଚାରିପଟେ ଲୁହାର କଣ୍ଟାତାର ବୁଲିଲା, ଭିତରେ ବୁଲି ଲାଗିଲା ଲୁହାର ଷଣ୍ଢକଳ । ମୂଳିଖୁଣ୍ଟି ଖୋଳିତାଡ଼ି ଢିପଖାଲ ସମାନ କରି ମଝିରେ ପୋଖରୀ ଖୋଳି ହିଡ଼ରେ ମାଟି ପକାଇ ପୁଣି ଜମି ଖୋଳିତାଡ଼ି ତିଆରି କରି ଦେଖାଇଦେଲା ତା’ର କରାମତି । ଆରମ୍ଭ ହୋଇଗଲା ଫାର୍ମ କାମ । ପଛେ ସେହି ଅଡ଼ିବା ଲୋକ ତଳକୁ ଖସିଲେ, ମୂଲ ଖଟିବାକୁ ଆସିଲେ । ପଟ୍ଟନାୟକେ ନାହିଁ କଲେନାହିଁ । ସେମାନଙ୍କ ହାତରେ ଜମି ଥିଲେ କେବେହେଲେ ହୋଇଥାନ୍ତା ଏଡ଼େ ବଡ଼ ଫାରମ !

 

ଏମିତି କେତେପ୍ରକାର, ରାସ୍ତା କରେ କରେ । ଦେଶଯାକ ନାନା ଉପାୟରେ ଉନ୍ନୟନ ହିଁ ଚାଲିଛି । ମୂଲପାତି ଅଭାବ ନାହିଁ । ଗାଁରେ ଏହିପରି ଧନ୍ଦା, ସହରରେ କଳକାରଖାନା ଶହ ଶହ ହଜାର ହଜାର ଲୋକଙ୍କୁ ମୂଲ ଯୋଗାଉଛି ।

 

ହିଂସିକା ଲୋକେ କହୁଛନ୍ତି ତେଲିଆ ମୁଣ୍ଡରେ ତେଲ, ସ୍ଵାର୍ଥପର ଲୋକେ ପାଟି କରୁଛନ୍ତି, ସେ ଖାଇଗଲା ଆମକୁ ମିଳିଲା ନାହିଁ । ପରର ଶିରୀ ଦେଖିଲେ ଆଖିରେ ସହୁନାହିଁ । ଆଗ ଉତ୍ପାଦନ, ଉତ୍ପାଦନ, କଳି କରିବାକୁ ବେଳ ଅଛି ବହୁତ ।

 

ହେଇ ଆଗରେ ଏକ କଳି । ଲୋକ ଜଗିଛନ୍ତି । ବିପିନ ଗାଡ଼ି ଅଟକାଇଲା । ଇସ୍କୁଲ ଘରଟାଏ ତୋଳା ହେଉଥିଲା । ଝରକା ପତ୍ତନରେ କାନ୍ଥ ଉଠିଯାଇଛି, କାମ ସେଇଠି ଅଟକିଛି । ସେହି କରବାଟ ଦେଇ ଗୋଟାଏ ସଡ଼କ ଖୋଲୁଥିଲା ଗହୀରବିଲ ଭିତର ଦେଇ ଆର ଗାଁକୁ । ଏପଟୁ କିଛି ସେପଟର ସବୁ ମାଟି ପଡ଼ି ରାସ୍ତ ହୋଇଛି, ମଝିରେ ଠାଏ ରାସ୍ତା ହଳ କରାହୋଇଛି, ଚାରିକରେ କଣ୍ଟା ଛଟା ହୋଇଛି । ଏସବୁ ସେହି ଗୋଟାଏ ଲୋକର କାମ । କାହିଁ ଗଲା ସେ ଦୁଷ୍କର୍ମା ? ଥିବ ତ ସେଠି ?

 

ଆଜି ଯାହାହେଲେ ଗୋଟାଏ କିଛି ହୋଇଯାଉ । ଏମିତି ଏ ଲୋକଗୁଡ଼ାକ ଉନ୍ନୟନ କାର୍ଯ୍ୟରେ ପ୍ରତିବନ୍ଧକ– ।

 

‘‘ନମସ୍କାର ! ନମସ୍କାର ! ନମସ୍କାର ! ଦଶ ଏଗାର ଜଣ ସେମାନେ, ଆଉ ଟିକିଏ ଆଡ଼େଇ ହୋଇ ଆଉ ଜଣେ, ବୟସ ତିରିଶି ଉପରେ ହେବ, କରଡ଼ା ବାଳଗୁଡ଼ାକ ମୁଣ୍ଡ ଉପରେ ଅଲରା ହୋଇ ପଡ଼ିଛି, ଯେପରି କଳା କଳା କାଠିଗୁଡ଼ାଏ ଅଡ଼ୁଆ ହୋଇ ଗଦା ହୋଇଛି । ଆଖି ପଶିଯାଇଛି, ତଳକୁ ମହଁପୋତି କଣେଇଁ କଣେଇଁ ଅନୋଉଛି । ମୁହଁଯାକ ରୁଢ଼, ସେଥିରୁ ଗୋଟାଏ ଗୋଟାଏ ପାଚିଯାଇଛି । ଗଢ଼ଣ ଆଚ୍ଛା ଟାଣୁଆ, ଗଣ୍ଠି ଗଣ୍ଠିଆ ଦେହ, କିନ୍ତୁ ଟିକିଏ ବଙ୍କେଇ ରହିଛି, ଯେପରି ଓର ଉଣ୍ଡୁଛି, ଛକିଛି । ଗେଣ୍ଡାପରି ନାକଟା କିନ୍ତୁ ତା’ର ଅଗ ଯେମିତି କି ଆଗକୁ ଝୁଙ୍କି ରହିଛି, ଆଉ ସେମିତି ତା’ର ଦାଢ଼ୁଆ ଥୋମଣିର ଅଗଟ, ଆଗକୁ ଗେବି ହୋଇଛି । କପାଳରୁ ଥୋଡ଼ି ଅଗଯାକେ ଦାଆଫାଳ ପରି ବଙ୍କା । ଚିଡ଼ା ଚିଡ଼ା ଅମାନିଆ ମୁହଁର ଠାଣି, ଏଇ ନିଶ୍ଚୟ ସେହି ଗୋଠଖଣ୍ଡିଆ ଅମାନିଆ ମଣିଷ ଜଣକ, ଆଖି କାନ ସବୁ ତରଳି ରହିଛି । ସେ ବି ଦୁଇ ପାପୁଲି ଯୋଡ଼ି ଦଣ୍ଡବତ କଲା, କିଛୁ ସେ ଦଣ୍ଡବତରେ ଉତ୍ସାହ ନ ଥିଲା । ବିପିନ୍‍ର ନିଘା ବେଶି ତହାରିଆଡ଼କୁ ଚହଲିଗଲା ।

 

“ଆରେ, ପଇଡ଼ ହାଣ ମ, କ’ଣ ଦେଖୁଛ ?’’ ଲୁଗା ଉପରେ ମଠାକୋଟ ଉପରେ ମାଣିଆବନ୍ଦି ଚାଦର ପକାଇ ବାଙ୍ଗର ପୌଢ଼ ଭଦ୍ରଲୋକ, ବହଳିଆ ବଡ଼ ବଡ଼ ନିଶ, ହାତରେ ଖଣ୍ଡେ ମଗରମୁହାଁ ବାଡ଼ି, ଏଇ ସିଧ ଓଝା ମୁଖିଆ ଲୋକ, ଗାଁର ଭଲମନ୍ଦ ପାଇଁ କହିବାକୁ ବେଶି ଏ ପଦାକୁ ବାହାରିବାର ଦେଖାଯାଏ । ଖୁବ୍ ବ୍ୟସ୍ତ ହୋଇ ପଇଡ଼ ପାଇଁ ଡାକ ଛାଡ଼ିଲେ । ପଇଡ଼ ଧରି ଲୋକ ପ୍ରସ୍ତୁତ ଥିଲା । ଗିଲାସରେ ପଇଡ଼ ଢଳା ହେଲା । ଗୋଟାଏ, ଦିଟା–‘‘ନାଇଁ ଥାଉ, ଆଉ ନାହିଁ ।’’ ତା’ପରେ ଚପରାସି । ଡ୍ରାଇଭର । ତା’ପରେ ପାନ ଡବା, ଚାରି ପାଞ୍ଚ ଜଣ ଭଦ୍ରଲୋକ ଆପଣ ଆପଣା ପାନଡ଼ବା ଖୋଲି ଧରିଲେ । ପିଠି ଆଡ଼ କରି ଚପରାସି ଏକାଠି ଦି’ଖଣ୍ଡ ପାନ ପାଟିରେ ଗେବିଲା, ଡ୍ରାଇଭର ପକେଟରେ ଭର୍ତ୍ତି କଲା । ତା’ପରେ ସିଗାରେଟ୍‍ । ବିପିନ କଳେ ଧୂଆଁ ଛାଡ଼ି ନ ଜାଣିଲା ପରି ପଚାରିଲା-

 

‘‘କହନ୍ତୁତ, କ’ଣ ହେଇଚି ଆପଣମାନଙ୍କର ଏଠି ? ଉନ୍ନୟନ କାମ ଆଗେଇ ପାରୁନାହିଁ କାହିଁକି ? ଅସୁବିଧା କ’ଣ ?’’

 

ବରଗଛ ଛାଇରେ ଜୀପ୍ ରହିଛି, ପିଲାଏ ବେଢ଼ିଛନ୍ତି । ରାସ୍ତା ଆରକରେ ପୋଖରୀରେ କଅଁଳ ଗାଧୁଆ ଲାଗିଛି, ଓଦା ଲୁଗାକୁ ପାଟିରେ କାମୁଡ଼ି ଧରି ମାଇପେ କରପଟ ବୁଲେଇ ଦେଇ ବଙ୍କେଇ ଚାହୁଁଛନ୍ତି । ଗାଁ ଲୋକେ ଗୋଟିଏ ଗୋଟିଏ ହୋଇ ଆସି ଅଟକୁଛନ୍ତି, କତିକି ଆସୁଛନ୍ତି, କିଏ ତେଲ ଲଗେଇଛି, କାହାର ଅଣ୍ଟାରେ ଗାମୁଛା ଗୁରା ହୋଇଛି, କିଏ ଗୁଆକାତି ଧରି ଗୁଆ କାଟି କାଟି, କିଏ ଜାଲ ବୁଣି ବୁଣି । ଲୋକେ ଆପଣା କାମରେ ଯାଉ ଯାଉ କେବଳ କୁତୁହଳରେ ଟିକିଏ ଚାହିଁଦେବାକୁ ଆସୁଛନ୍ତି । ତାହାରି ଭିତରେ ବାରି ହୋଇ ପଡ଼ିଛନ୍ତି ସିଧ ଓଝା, ଏକର ସେକର ତରଂ ତରଂ, ତାଙ୍କ ସହିତ ଗାଁର ଅନ୍ୟାନ୍ୟ ମୁଖିଆମାନେ, ବ୍ୟବହାରରେ ଫୁଟିଉଠୁଛି ଅତ୍ୟନ୍ତ ମନୋଯୋଗ, ସମ୍ଭ୍ରମ ଓ ବ୍ୟସ୍ତତା । ଅଧାତିଆରି ଇସ୍କୁଲ ଘର ହତାରେ ଝଙ୍କା ପଣସ ଗଛ ଛାଇତଳେ ଟେବୁଲ ଚଉକି ପଡ଼ିଛି । ବସିଲା ବିପିନ । ବେଞ୍ଚ ଉପରେ ଗାଁର ମୁଖିଆଲୋକେ ଠେଲାଠେଲି ହୋଇ ବସିଲେ । ବିପିନ ପାଖକୁ ଦନେଇ ରାଉତ, ପ୍ରକାଣ୍ଡ ଦେହ, ବାଳବାଳୁଆ କଚଟି ଉପରେ ହାତଘଣ୍ଟା ବନ୍ଧା ହୋଇଛି, ପ୍ରକାଣ୍ଡ ପାଟିରେ ପାନ ଚୋବାଇବା ଚକି ବୁଲୁଛି, ଡିମା ଡିମା ଆଖି, ଗହଳି ଅରମା ପରି ଭ୍ରୂଲତା, ଦେହରେ ଖାଲି ଖଣ୍ଡ ଧୋବ ଜାଲଗେଞ୍ଜି ପେଟ ଉପରଜାକେ ଲମ୍ୱି ଆସିଛି । ସେ ଠାଣିରେ ପାରିଲାପଣ ସହିତ ଦାମ୍ଭିକତା ପୂରି ରହିଛି । ଦନେଇ ରାଉତ ଆପଣା ଧାନର ବଳ ପୁଣି ଫିକରର ବଳ ବିଷୟରେ ଅଭିଜ୍ଞ । ସେ ପାଖେ ପୁର କାଣ୍ଡି, ବଳିଲା ବଳିଲା ଗଢ଼ଣ, ଡେଙ୍ଗା ଲୋକ, ଛାତି ଉପରେ ବାହା ଛକି ଦେଇ ଦି’ପାଟିରେ ଓଠକୁ ଏପରିଭାବେ ଚିପିଦେଇ ବସିଛନ୍ତି କାଳେ କିଛି କଥା ବାହାରିଯିବ । ଆଖିରେ ଚଷମା । ଛୁଞ୍ଚିପରି ଠିଆ ଠିଆ ନିଶ, ଅଧେ କହରା ଅଧେ କଳା, ଛାତିବାଳ ଅଧେ ଅଧେ ପାଚିଲାଣି । ଲୋକେ କହନ୍ତି ପୁର କାଣ୍ଡି କେବେ ତୁନି ପଡ଼ି ନ ଥାନ୍ତି, ଯେତେବେଳେ ହେଲେ ଦେଖ ସେ ଭାବୁଥାନ୍ତି କାହା ଘର ଜୁରିବେ କି ଭାଙ୍ଗିବେ । ପୁର କାଣ୍ଡି ଓ ଦନେଇ ରାଉତ ଏ ଦୁହିଁଙ୍କ ମଝିରେ ଚିପି ହୋଇ ଜଣେ ଧଡ଼ିଆ ଯୁବକ, ଅରି ମିଶ୍ର, ଲୁଗା ଉପରେ ଡୋରିଆ ଅଧା କାମିଜ ଖଣ୍ଡେ ପିନ୍ଧିଛନ୍ତି, କାନ୍ଧରେ ମୁଣି ଓହଳିଛି । ଛାତି ପକେଟରେ ତିନିଟା ଶସ୍ତା ଫାଉଣ୍ଡେନ୍ ପେନ୍ ମରା ହୋଇଛି, ବାରିହୋଇ ପଡ଼ୁଛି ଆଉ ବାରି ହେଉଛି ଶଙ୍ଖ ପରି ତାଙ୍କ ଘଣ୍ଟିକାଟା, ଆଗକୁ ଉହୁଙ୍କି ସେ ବସିଛନ୍ତି, ଗାଁ ରାଜନୀତି ଅଭ୍ୟାସ କରୁଛନ୍ତି, କିପରିଭାବେ ବୁଲିବାକୁ ପଡ଼େ, ଲୋକଙ୍କୁ ମତେଇବାକୁ ପଡ଼େ ଓ ଲୋକଙ୍କୁ ଭେଳାଇ ଦରଖାସ୍ତ ଓ ଟେଲିଗ୍ରାମ ପଠାଇବାକୁ ପଡ଼େ ଓ ଏହି ପର୍ଯ୍ୟାୟରେ ଅନେକ ଦରକାରୀ ବିଦ୍ୟା ସେ ଅଭ୍ୟାସ କରୁଛନ୍ତି । ଏମିତି ନ ଦଶ ହୋଇ ଗୋଟିକି ଗୋଟି ମୂର୍ତ୍ତିଏ, ସମସ୍ତେ ଅନୁଭବ କରୁଛନ୍ତି ପଦାର ହାକିମଙ୍କ ଆଗରେ ଜଣେ ହୋଇ ଏହି ଆସନରେ ବସିବାକୁ ସମସ୍ତିଙ୍କର ଅଧିକାର ଅଛି । ତେଣୁ ସେ ବେଞ୍ଚରେ ଠେଲାଠେଲି ଲାଗିଛି, ବସି ପଡ଼ିଛନ୍ତି ସମସ୍ତେ ।

 

ବସି ନାହିଁ ସେହି ଆର ଲୋକଟା, ଯାହା ବିରୁଦ୍ଧରେ ସେମାନେ ଫେରାଦ ହୋଇଥିଲେ-। ଅଲଗା ଠିଆ ହୋଇ ଅପେକ୍ଷା କରିଛି । ଏମାନେ କହିସାରିଲେ ତା’ ପାଳି ପଡ଼ିବ, ସେତେବେଳେ ସେ କହିବ କିଛି । ସିଧ ଓଝା କହିଗଲେ ଅନର୍ଗଳ, ତା’ ପଛକୁ ଦନେଇ ରାଉତ, ତା’ ପଛକୁ ପୁର କାଣ୍ଡି, ମଝିରେ ମଝିରେ ଅରି ମିଶ୍ର, ଏମିତି ଆଉ କେତେ ଜଣ ବି । ସେମାନଙ୍କ କଥା ଅନୁସାରେ ବୁଝିବାକୁ ଗଲେ ସେ ଗୋଟାଏ ଗୁଣ୍ଡା ଶ୍ରେଣୀର ଲୋକ, ସେ-କୁମରା ସେଣ, ହେରେମା ଅମାନିଆଁ ସ୍ୱାର୍ଥପର ନୀଚ ଜଘନ୍ୟ-କାହିଁରେ କ’ଣ । ସେ କୁମର ସେଣ, ଗାନ୍ଧୀ ଆନ୍ଦୋଳନ ଘଡ଼ିରେ ଏମାନଙ୍କୁ ବାଟ ବତେଇଥିଲାବୋଲି ସମସ୍ତେ ଫନ୍ଦିକରି ତାକୁ ପୁଲିସରେ ଦେଇଥିଲେ, ପୁଲିସହିଁ ପ୍ରମାଣ ନ ପାଇ ମୁକୁଳେଇ ଦେଲା, ନ ହେଲେ ଜିହଲ ହୋଇଥାନ୍ତା । ଏମାନେ ଆପଣା ନାଁରେ ବଣ୍ଟାକୁଣ୍ଟା କରି ଉନ୍ନୟନ କାମର କଣ୍ଡ୍ରାକ୍‌ଟିରି ନେଉଛନ୍ତି । କୁମର ସେଣ ରାଗରେ ଜଳି ଜଳି ମନେ ମନେ ଆଉଣ୍ଡି ହେଉଥାଏ । ଏଇ ଦନେଇ ରାଉତ ନେଇଛି ଇସ୍କୁଲ ଘର ତୋଳିବା କାମ, ଏ ରସ୍ତା ନେଇଛି ପୁର କଣ୍ଡି । ଅରି ମିଶ୍ର ପାଇଛି କୂଅ ଖୋଳିବା କାମ, ସିଧ ଓଝା ତ ସର୍ଦ୍ଧାର, ସବୁ ବଡ଼ ବଡ଼ କାମ ତା’ରି, ମାଟିକାମ ଦେଖାଇବାପାଇଁ ମାଟିକାମର ପୁରୁଣା ଗାତକୁ ଆଉ ଥରେ ଥରେ ଉପରେ ଉପରେ ତାଞ୍ଛି, ପୁରୁଣା ଖନ୍ଦକ ମଝିରେ କାଦୁଅରେ ‘ସାକ୍ଷୀ’ ଗଢ଼ି ଶୁଖାଇ ସେ ନୂଆ ମାଟିକାମର ପ୍ରମାଣ ଗଢ଼ିଦେଇ ପଇସା ନେଇଛି । କେତେ ଉପାୟ ନ ଜାଣେ ସେ ! କହିଲେ ପୁରାଣ ହେବ ।

 

ଆଉ ଏ ଲୋକମାନେ ତା’ ବିରୁଦ୍ଧରେ ଫେରାଦି ହେଇଛନ୍ତି ।

 

କହି ଯାଆନ୍ତୁ, କହି ଯାଆନ୍ତୁ ମନଇଚ୍ଛା, କୁମର ସେଣ ମନକୁ ମନ କହିହେଲା ଆଉ ମୁଣ୍ଡ ଟୁଙ୍ଗାରିଲା, ହେଉ ଏଥର ଗରମ ଗରମ ଚାହା ବି ଆଣିଲେଣି, ପିଅନ୍ତୁ ମନଇଚ୍ଛା ।

 

“ଶୁଣୁଚ କୁମରା ସେଣ ?’’

 

“ଆଜ୍ଞ’’ ! ସେ ବଙ୍କେଇ ବଙ୍କେଇ ଅନାଇଁଲା, ଗାରଡ଼ ଯେପରି ଅନାଏ ଭୁଷିବା ଆଗରୁ, ନାକ ଫଣ ଫଣ ।

 

“କହ ତ କେଡ଼େ ଅକଲ କାମଟାଏ ତେମେ କଲ, କୁମର ସେଣ ? ଇସ୍କୁଲ ଘରଟା ତୋଳା ହେଉଥିଲା ଯେ ତାକୁ ବନ୍ଦ କରେଇଲ, ଏଣେ ସଡ଼କରୁ ପୁଳାଏ ହଳକରି ପକାଇ କଣ୍ଟା ଛାଟିଦେଲ । ତମରି ପରି ଯଦି ପ୍ରତି ଗାଁରେ ଜଣେ ଲେଖାଁ କର୍ମୀ ବାହାରି ପଡ଼ିବେ, ତେବେ ଉନ୍ନୟନର ବଡ଼ବୋପା ହୋଇଯିବ, ନା କ’ଣ କହୁଚ ?’’ ବିପିନ ପଚାରିଲା ।

 

ତଥାପି ସେ ନିରୁତ୍ତର । କ’ଣ ହେବ ଏଠି ପାଟି ଫିଟାଇ ? ସତେ କଣ ଯେ ଦୁଃଖ ବୁଝିବେ ? କିନ୍ତୁ ସିଧ ଓଝା, ଦନେଇ ରାଉତରା ତଥାପି କେଞ୍ଚୁଛନ୍ତି । ସେମାନେ ଧରିନେଲେଣି ତାଙ୍କରିହିଁ ଜିତାପଟ । ସିଧ ଓଝା କହିଲେ, ‘‘ହଜୁରଙ୍କ କଲମରେ ମିଳି ଯାଆନ୍ତା କି ମକଦ୍ଦମା ଫଇସଲ କ୍ଷମତାଟା, ଏକାଥରକେ ଏ ବାଲିଙ୍ଗି ଛଡ଼େଇ ଦିଅନ୍ତେ । ଏମିତି ଶସ୍ତା ପଡ଼ିଛି ଲୋକେ ଆସି ସରକାରୀ କାମକୁ ଅଟକେଇ ଦେବେ ।’’

 

କୁମରା ସେଣର କାନମୁଣ୍ଡ ତାତିଗଲା, କହିଲା, “ତମର ସିନା ମକଦ୍ଦମା ଫଇସଲ କରିବା ଖେମେତାଟା କେବେ ଆସିବ, ଅଇଛି ତ ଆଉ କାହା ହାତରେ ଥିବ ? କିଏ ଯଦି ଦୋଷ କଲା କରୁନା ଯାଇ ମକଦ୍ଦମା, ଦେଖିବା ।’’

 

ଅରି ମିଶ୍ର ବିପିନ୍‍କୁ ଅନାଇ ଆଖିମିଟିକା ମାରି ହସିଲେ । ଦନେଇ ରାଉତ ସଫା କହିଦେଲେ, ‘‘ଖାଲି ମକଦ୍ଦମା ମକଦ୍ଦମା, ବୁଝନ୍ତୁ ହଜୁରେ–’’

 

କୁମରା ସେଣ ବର୍ଷିବାକୁ ଆରମ୍ଭ କଲା ତା’ କାହାଣୀ, ପ୍ରଥମେ ଆସ୍ତେ ଆସ୍ତେ ତା’ପରେ ଅନର୍ଗଳ । ନୂଆ ରୂପରେ ବିପିନ ସେହି ଘଟନାଟାକୁ ଦେଖିବାକୁ ଆରମ୍ଭ କଲା, ଆଉ ଏହି ମଣିଷମାନଙ୍କୁ, କୁମରା ସେଣର ବରଷଣା କାହାଣୀରେ ସତେ ଯେପରି କି ସୁଅ ପଡ଼ିଗଲା, ଭାସିଗଲା ସବୁ ପୁରୁଣା ପୁରୁଣା ଥାଇତା ସଂସ୍ଥା ।

 

ସେହି କାହାଣୀ–

 

ତା’ରି ଏ ଘରବାରି, ଯେଉଁଠି ଇସ୍କୁଲ ଘର ତୋଳା ହେଉଛି, ରାସ୍ତା ହୋଇଥିବା ଯେଉଁ ଖଣ୍ଡକ କଣ୍ଡା ଘେରା ହୋଇଛି ତା’ର ଭାଇ ଭାଗ ଅଂଶର, ଆର ଅଂଶଟା ତା’ ବଡ଼ଘଇ ନକୁଳ ସେଣର ଅଂଶ, ଏବେବି ପୁତୁରାମାନେ ଦଖଲ କରୁଛନ୍ତି । ମହାଜନ ଏଇ ସିଧ ଓଝା, ତାଙ୍କରି ପାଖରୁ କେଉଁ ଭଟ ଅମଳରେ ପନ୍ଦରଟି ଟଙ୍କା ସେ କରଜ ଆଣିଥିଲା, ସେଥିପାଇଁ କାହିଁ ଦେଢ଼ଶହ ଟଙ୍କା ଶୁଝିଥିବ । ମହାଜନ ଲଗେଇଲା ଆହୁରି ବାକି ! ଆହୁରି ବାକି ! ଚକ୍ରବୃଦ୍ଧି କ୍ରମରେ କଳନ୍ତରର କଳନା । ତାହାରି ତେଣ୍ଟାରେ କୁମର ଗଲା କଲିକତା ଦେହ ମେହେନତ କରିବ, ଘରକୁ ଟଙ୍କା ପଠାଇବ ମାସକୁ ମାସ, ମହାଜନର କରଜ ଶୁଝାହେବ, ଘର ଚଳିବ । ରହୁ ରହୁ ବିତିଗଲା ସାତବର୍ଷ । ଏହା ଭିତରେ ଘରକୁ ଆସିଥିଲା ତିନିଥର, ଶେଷଥର ପରେ ତିନିବର୍ଷ ବିତିଗଲା, ଆଉ ଆସି ନାହିଁ । କ’ଣ ଦେଖିବାକୁ ଆସନ୍ତା ? ମା’ ମଲା ହଇଜାରେ । ଗୋଟିଏ ବୋଲି ସାନ ଛୁଆ, ଝିଅଟିଏ, ତା’ର ବି କ’ଣ ହେଲା ସେ ମରିଗଲା । ଭାରିଯା ଆଉ ଜଣକ ସଙ୍ଗରେ କୁଆଡ଼େ ଚାଲିଗଲା । ଘର ଛୁଆଣି ନ ହୋଇ ଟଳିପଡ଼ିଲା ।

 

ତା’ପରେ ଆସିଗଲେ ଏ ଉପକାରିଆ ଗାଁ ଲୋକେ । ଜମିକୁ ସରକାରଙ୍କୁ ଲେଖି ନ ଦେଲେ ଇସ୍କୁଲ ଘର ତୋଳିବାକୁ ଟଙ୍କା ମିଳିବ ନାହିଁ । ତେଣୁ ସେମାନେ ତାହାରି କମି ଉପରେ ନିଘା ଦେଲେ । ତା’ ବଡ଼ଭାଇ ନକୁଳ ସେଣର ବଡ଼ପୁଅ ମଙ୍ଗୁଳି ସେଣକୁ ହାତକରି ତା’ରି ଘରଢିଅ ଖଣ୍ଡକ ଇସ୍କୁଲ ଘର ତୋଳିବାପାଇଁ ଲେଖାଇଦେଲେ, ପୁଣି ତା’ରି ଉପରେ କୋଠା ଗଢ଼ା ଆରମ୍ଭ କରିଦେଲେ । ରାସ୍ତାଟା ବାଗେଇଦେଲେ ତାହାରି କମି ଉପରବାଟେ, କ’ଣ ନା ପରପୁଅ ମଲା, ରୋଗ ବାହାରେ ବାହାରେ ଗଲା ।

 

କଲିକତାରୁ ଘରକୁ ଫେରିଲା, ମା଼ ନାହିଁ, ଭାରିଯା ନାହିଁ, ଛୁଆ ନାହିଁ, ଘରଡ଼ିଅ ଉପରେ ଇସ୍କୁଲ ଘର ତୋଳା ଜମି ଉପରେ ଛେଚା ହେଉଛି ସଡ଼କ । ଆପଣା ଅଧିକାରପାଇଁ ପ୍ରତିରୋଧ କଲା । ସବୁ ତ ଯାଇଛି, ଖାଲି ଅଛି ତା’ର ବେକଟା । ଧର ସେଇଟା ବି ଛିଣ୍ଡିଯିବ, କ’ଣ ହେବ ? ତା’ ବେଲି ଦେହରେ ଜୀବନ ଥାଉ ଥାଉ ଏ କଥା ପୁଣି ସେ ଆଖିରେ ଦେଖିବ ଆଉ ସହିବ ! ହେବ ନାହିଁ ତା ଆଦୌ ।

 

କଥା ନ ସରୁଣୁ ଗାଉଁକିନା ମାଡ଼ି ବସିଲେ ମାମଲତକାରମାନେ-ହଉ, ହଉ, ସାକ୍ଷୀ ଆଣ, କାଗଜ ବାହାର କର, କିଏ ତୋ ପଟେ କହୁଚି ଦେଖିବା, ଡକାହଉ ମଙ୍ଗୁଳି ସେଣ, ସେ ନିଜେ ତ ଇସ୍କୁଲ ଘରପାଇଁ ଜମି ଲେଖି ଦେଇଚି, କହୁ ସେ କାହା ଜମି, ତା’ ବାପର ନା ତା’ ଦାଦିର-। ଏମିତି ଯଦି ତୋର ହକ୍‌ଟା କିଏ ନେଇଯାଇଚି, କର ମକଦ୍ଦମା ।

 

ବୁଢ଼ା ମିଛୁ ମିଶ୍ରେ ବାଡ଼ି ଖଣ୍ଡିଏ ଧରି ଥରି ଥରିକା ଆସି ପହଞ୍ଚିଗଲେ । କହିଲେ, “ନ୍ୟାୟଟା ତମ ପଟେ ଥିଲେ ତେମେ କରୁନା ମକଦ୍ଦମା, ତାକୁ କାହିଁକି କହୁତ ? ଜବରଦସ୍ତି ଗୋଟାଏ ଲୋକର ଘର ଢିଅ ଉପରେ ଇସ୍କୁଲ ଘର ତୋଳୁଛି, ତମକୁ ଧର୍ମ ସହିବ ନା ?’’

 

Unknown

‘‘ହେଇ ଦେଖ, କୁଆଡ଼ୁ ଖବର ପାଇ ଶୁଙ୍ଘ ଶୁଙ୍ଘିକା ଆସି ପହଞ୍ଚିଗଲେ, ହେଇ ଦେଖ ଏ ଆରକ, ୟାଙ୍କୁ ଚିହ୍ନନ୍ତୁ ଆଜ୍ଞା–"

 

‘‘ଆହେ ତେମେ ଚିହ୍ନ, ତାଙ୍କୁ କ’ଣ କହୁଚ, ସେ କୋଉ ଏ ଗାଁର କି !” ‘‘ମିଛୁ ମିଶ୍ର କହିଲେ, ଆଉ ତାଙ୍କର ଲମ୍ୱା ଶୁଆଥଣ୍ଟିଆ ନାକର ଅଗ ମୋହିଁ ରହିଲା ସିଧ ଓଝାଙ୍କ ଆଡ଼କୁ । “ତେମେ ଆମୁକୁ ଚିହ୍ନ ତ, ଶୁଣୁଚ ସିଧ, ତମ ଆଗରୁ ତମ ବାପେ ଚିହ୍ନିଥିଲେ, ମାଧ ଓଝାଏ । ସେ ଥିଲେ ଗାଁଟା ଏମିତି ହେଇନଥାନ୍ତା, ସେ ତ କେଡ଼େ ନ୍ୟାୟବନ୍ତ ପୁରୁଷ ଥିଲେ । ସେ ତମପରି ନେତା ନେଁମ୍ୱର ମଣିଷ ନ ଥିଲେ, ତେମେ ସେତିକିରେ ବଢ଼ିଗଲ ।

 

ଘନ ବାଉରି ଗୋଡ଼ହାତ କାଦୁଅ ସରସର ହୋଇ ଆସି ପହଞ୍ଚିଲା । ଗାଲରୁ କାଦୁଅ ପୋଛୁ ପୋଛୁ କହିଲା, “ଏଇ କୁମର ସେଣ ଡିହ କଥା ନା, ମିଛଟାରେ ଲୋକଟାକୁ ଏମାନେ ବୁଡ଼େଇ ମାରିବାକୁ ବସିଛନ୍ତି ବାବୁ, ଇସ୍କୁଲ ଘର ତୋଳୁଛନ୍ତି, ଏଇଟା ତା’ରି ଡିହ , ଗସ୍ତାରେ ଯୋଉତକୁ ଘେରେଇଚି ସତରେ ତା’ରି ଜମି । ଦେଖିଲ ମିଛୁ ନନା କ’ଣ କହିଲେ । ଗାଁ ଗୋଟାକରେ ଯେତେ ବାଗରେ ଯେତେ ମିଛ ପୂରିଲେ ବି ସତ ସରି ନାହିଁ , କେହି ତ ହେଲେ ଥିବେ ! ଧର ଲୋକଟା ବିଦେଶରେ ଥିଲାବୋଲି ତେମେ ଗୋଟାଏ କାଇଲ କାମ କରି ପକାଇଛି, ତା ଜମିକୁ ତା ଅନୁମତି ନ ଥାଇ ସରକାରକୁ ଲେଖାଇ ଦେଇ କାମ ଆରମ୍ଭ କରେଇ ଦେଇଛି । ହଉ, ତାକୁ କ’ଣ ବଦଳ ଦବ ଦିଅ, ଗାଁର ଭାଇଟାଏ, ସେ ପୁଣି ଚଳିବ ତ !’’

 

କେତେ ଲୋକ ଏ ପଟେ କହିଲେ, କେତେ ଲୋକ ସେପଟେ କହିଲେ । ବିପିନ କିଛି ନିଷ୍ପତ୍ତି କରିପାରିଲା ନାହିଁ, ଲୋକଙ୍କ ହାଉ ହାଉ ବଢ଼ିଲା, ଆଉ ସେ ଛାଇ ତଳେ ବସି ସେହିମାନଙ୍କୁ ଅନାଇ ବିରକ୍ତ ହୋଇ ସିଗାରେଟ୍‍ ଟାଣିଲା ।

 

ହଠାତ୍ ସେ ପଚାରିଲା–‘‘ପୁରୁଣା ଜାଗାଟା ଗଲା କୁଆଡ଼େ ? ସେଠି ତ ପୁଣି ଇସ୍କୁଲ ହଉଥିଲା ।’’

 

‘‘ଦନେଇ ରାଉତ ଆଗ ବଳିପଡ଼ି କହିଲେ, “ହେଏ-ସେଇଟା ଗୋଟାଏ ଜାଗା ! ପାଚିଆ ପରି ଏଡ଼ିକି ଟିକିଏ !’’ ସିଧ ଓଝା ବେପସନ୍ଦ କରି ହସିଲେ । ଅରି ମିଶ୍ର ହସୁ ହସୁ ସ୍ୱରଭଙ୍ଗ ହୋଇ କୁକୁଡ଼ା ପରି ବୋବେଇଲା, ‘‘ଇସ୍କୁଇ ନ ଗୁହାଳ ଥିଲା ସେଇଟା ! ଗୋଟାଏ ମେଣ୍ଢା କୁଡ଼ିଆ-।’’

 

ଘନ ବାଉରି କହିଲା, ‘‘ଗୁହାଳ ସେଠି କିଏ କଲା, ହଜୁରେ ପଚାରନ୍ତୁ ଟିକିଏ । ଏଇ ସିଧ ଓଝାଏ । ଆଗ ଇସ୍କୁଲ କରପଟ ଖାଲି ଜାଗାକୁ ବାରି କରି ବାଡ଼ ବୁଜି ଦବା ଲୋକ ଏଇ । ଇସ୍କୁଲ ଘର କାଛକୁ ଲଗେଇ ବାଡ଼ ଓ ବୁଜି ସବୁ ପୋଛି ଦେଲେ । ଗୋଟାଏ ପଟ ହାତୀଅନ୍ଧ ପାଖଟା ପଡ଼ିଆ ଥିଲା, ଇସ୍ତୁଲ ଚାଳ ତଳେ ତାଟି ଆଉଜେଇ ଦିନରେ ସେଠି ଗୋରୁ ରଖିଲେ । ରାତି ହେଲେ ପୁରାଇଲେ ଇସ୍କୁଲ ଘରେ । ନିଅ, ଗୋରୁ ଗୁରି ଏକାଠି ହୁଅ, ଏକ ଆତ୍ମା ହରିହର । ଇସ୍କୁଲ ଘରକୁ ଛୁଆଣି କଲେନାହିଁ ଯେ ଚାଳ କଣା ହେଲା, ଏଣେ ଓଳିକି ଭିଡ଼ି ଖାଇଗଲେ ତାଙ୍କ ଗୋରୁ । ବରାବର ସବଇନ୍‍ସପେଟର ବାବୁଙ୍କ ସଙ୍ଗେ ଲଗେଇଲେ ଆଗରେ ଯେଉଁ ବରଗଛଟା ଅଛି ତାକୁ କାଟ, ସେଇଠି ଇସ୍କୁଲ ଘର ବସାଅ, ଖେଳ ବୁଲ କରିବାକୁ ବରଗଛ ଆଗ ମଶାଣି ଦଣ୍ଡା-। ଖାଲି ଲଗେଇଲେ ଏଇଟା ମୋ ଜାଗା ମତେ ଛାଡ଼ିଦିଅ । ଏଣେ ଇସ୍କୁଲ ଏଠି ବସିଲାଣି ଜାଣି ତିରିଶି ବର୍ଷ ହେଲା, ଶେଷକୁ କୁମରା ତ କଲିକତା ଯାଇଥିଲା, ତା’ ଘରଢିଅଖଣ୍ଡ ହାବୁଡ଼ିଗଲା ନିଘାକୁ, ସେ ପୁରୁଣା ବରଗଛଟା ବଞ୍ଚିଗଲା–’’

 

ଦନେଇ ରାଉତ ତାଙ୍କ ପ୍ରକାଣ୍ଡ ଶରୀରଟାକୁ ଟେକି ଠିଆ କରେଇ ବେକକୁ ବା କାନ୍ଧ ଉପରକୁ ବଙ୍କେଇ ମୁଣ୍ଡ ହଲେଇ ହଲେଇ କହିଲେ, “କ’ଣ ଏଡ଼େ ବାଲିଙ୍ଗି ବାହାର କରୁଚୁ ମ, ଭାରି କୁହାଳିଆ ପଡ଼ିବୁ, ହେଇରେ ହେ ବାଉରି ଟୋକା–’’

 

ଘନ ବାଉରି ଦାନ୍ତ ଦେଖାଇ କହିଲା, “କ’ଣ ନାଙ୍କରା କଥା କହିଲା ବାଉରି ଟୋକା ହଇଏ ରାଉତ ସାଆନ୍ତେ, ଏମିତି ତେଜି ଉଠୁଚ କାହିଁକି ମ, କଥା- କଥାକେ ପିତ ଚଢ଼ିଯାଉଚି ?’’

 

ସିଧ ଓଝା ଠିଆ ହୋଇପଡ଼ି କହିଲେ, ‘‘ଥାଉ ମ ରାଉତେ, ସେଇଟା ସାଙ୍ଗରେ କାହିଁକି ମିଛରେ-କିଏ କେମିତିଆ ଲୋକ ତା’ କ’ଣ ହାକିମ ବୁଝୁନାହାନ୍ତି ନା ଆମେ କହିବା ! କିଏ ଗୋରୁ ଚରେଇବା ଲୋକ ହେଲେ ସେ ତ ଜାଣି ମଣିଷ ଚିରେଇବା ଲୋକ, ତାଙ୍କୁ କୋଉ କଥା ଅଛପା ଯେ ଯେ ଅଇଲେ ବୁଝେଇବାକୁ ?

 

ବିପିନ କହିଲା, “କ’ଣ ସେ ପୁରୁଣା ଇସ୍କୁଲ ଘର କଥା ଆଜ୍ଞା ? କାହିଁ ସେ ଜାଗା ?’’

 

କୁମର ଗୋଟାଏ ବିକୃତ ହସ ହସି କହିଲା, କହନ୍ତୁ ସେ, ସେଇ କହନ୍ତୁ ।’’

 

ମିଛୁ ମିଶ୍ରେ କହିଲେ, ‘‘ବାହାରିବ ବାହାରିବ, ସତ ଉପୁଜିବ ଯେ-’’

 

ସିଧ ଓଝା । କହିଲେ, ‘‘ସତ ବାହାରିବ ନାଇଁ ଆଉ କ’ଣ ମିଛ ବାହାରିବ ! କିଏ ନିଆଁରେ ମୂତିଚି କି ?’’

 

ଘନ ବାଉରି କହିଲା, ‘‘ନାଇଁ ଭଦରଲୋକ, ଭାଇଜାଗା ଦେଖିଲେ ମୂତିବେ ଝାଇବା ପତରରେ–’’

 

ବିପିନ କହିଲା, ‘‘ହଉ ହଉ, ରହ । ହଁ, କ’ଣ କଥା ଆଜ୍ଞା ?”

 

ସିଧ ଓଝା କହିଲେ, “ଆଜ୍ଞା, ସେ ଜାଗା ବକଟକ ଗୋଟାଏ ବାପ ଛେଉଣ୍ଡ ନାବାଳକ ପିଲା ଭାଗରେ ପଡ଼ିଲା, ସେ ଆମରି ଅଂଶୀଦାର । ଜାଗାଟା ଆମରି, ପଡ଼ିଆ ପଡ଼ିଥିଲା ଯେ ଆମେ କହିଲୁ କାହିଁକି ମାହାଳିଆ ପଡ଼ିଥିବ, ସେଠି ଗାଁପିଲାଏ ହେଲେ ପଢ଼ୁଥାନ୍ତୁ । ନିଜେ ପଇସା ଖର୍ଚ୍ଚକରି ଇସ୍କୁଲ ଘର ଖଣ୍ଡ ଠିଆ କରେଇଥିଲି ।’’

 

ଘନ ବାଉରି କହିଲା, ‘‘ହଁ ନିଜେ କରେଇଥିବ ! ଯୋଉ ଦୟା ! ଗାଁଯାକ ମଣିଷ ଲାଗିଗଲେ, କିଏ ଦେହ ମିହନ୍ତ କଲା, କିଏ ଦେଲା ବାଉଁଶ, କିଏ ନଡ଼ା, ଆଉ ତେମେ କ’ଣ ଦେଲ-?’’

 

ସିଧ ଓଝା କହିଲେ, “କହୁଥା ତୋ’ର ତୁ, ଆଜିକାଲି ତ ତମରି ରାଜ୍ୟରେ ବାପା !” କହିଗଲେ, “ସେଉଠୁ ପାଞ୍ଚବର୍ଷ ତଳେ ଆମର ବଣ୍ଟନପତ୍ର ତିଆରି ହେଲା, ସେ ପିଲାଟି ଭାଗରେ ସେ ଜାଗାପଡ଼ିଲା, ତା’ ମା’ କାନ୍ଦିକାଟି ଗାଁର ଭଲଲୋକଙ୍କ ଆଗରେ ଗୁହାରି କଲା ମୋ ଜାଗା ମତେ ଦିଅ–’’

 

କୁମର କହିଲା, “ତା’ ମା’ ତ ବାରଘରେ ଧାନକୁଟି ଖାଏ, କହୁଥିଲା ନା ତେମେ କହିଲ-? ଆଜ୍ଞା, ସେ ମାଇପିଟିକି ଇଝାର ହଉ, ତା’ ଗିରସ୍ତ ୟାଙ୍କୁ ମଣିଷ କରିଥିଲା, ତା’ର ସବୁ ସମ୍ପତ୍ତିବାଡ଼ି ୟେ ମାରିପିଟି ଖାଇଲେ, ଶେଷରେ ତା’ ନାଁ ଦଉଚନ୍ତି କ’ଣ ନା ସେ କୁଆଡ଼େ କହୁଥିଲା ୟେ ଇସ୍କୁଲ ଘର ଭାଙ୍ଗି ମୁଁ ଘର ତୋଳିବି !’’

 

ସିଧ ଓଝା କହିଲେ, ‘‘ଆରେ କାହାଘର କଥା ତୁ କି ଜାଣିବୁ, ତୁ ତ ଫଲାରି ଲୋକଟା ପରି ।’’

 

କୁମର କହିଲା, ‘‘ହଁ ମୁଁ ତ ମଣିଷ ମାରିଚି, ଫଲାରି ନ ହେବି କାହିଁକି ?’’

 

ସିଧ ଓଝା କହିଲେ, “ଶୁଣିବା ହଉନ୍ତୁ ଆଜ୍ଞା, ତା’ ମା’ ଯହୁଁ ଗାଁ ଲୋକଙ୍କୁ ଧଇଲା, ଆମେ କହିଲୁ ସତକଥା, ତା’ କର୍ମକୁ, ତ ଏ ଜାଗାଟା ଗୁଳାରେ ପଇଲା, ତା’ ବାଣ୍ଟଟା ତାକୁ ଭୋଗ ହେଉ, କି ଜାଗାଟାଏ ଯେ ଏଇଠି ଇସ୍କୁଲ ଘର ରହିଥିବ ? ତା’ ବାରି ଖଣ୍ଡକ ତ ସେ ଆଗରୁ ଦଖଲ କରୁଥିଲା–’’

 

ଘନ କହିଲା, “ଦ-ଖ-ଇ ! ବୋପାଲୋ ! ମନକଲେ ନଡ଼ିଆ ଗଛ ଲଗେଇଥିବ ! କାଳକ ତ ଇସ୍କୁଲ ଘର ବଗିଚା ହେଇଥିଲା, ଆଉ ଦଖଲ କଲା କିଏ କେବେ ?’’

 

ସିଧ ଓଝା କହିଲେ, “ଏଣେ ଚାହାଳି ଘର କୁଡ଼ିଆଟା ଭାଙ୍ଗି ପଡ଼ିବାକୁ ବସିଲା, ତେଣେ ସେ ମାଇପିଟା ଜିଗର ଧରିଲା, ଆମେ କହିଲୁ ଗୋଟାଏ ଭଲ ଜାଗାରେ ଇସ୍କୁଲଟା ହଉ, ଆଉ ଦଇବିଯୋଗକୁ–’’

 

ମିଛୁ ମିଶ୍ର କହିଲେ, ‘‘ଦଇବି ଯୋଗକୁ କୁମରା ବି କଲିକତାରେ ରହିଲା, ତା’ ଘର ଭାଙ୍ଗି ପଇଲା, ତା’ ପୁତୁରା ବି ତମ କାଠିରେ ନାଚିଲା, କ’ଣ କରିବ, ତା’ର କି ଚାରା । ତା’ଠୁ ତ କାଗଜରେ ଟିପ ନେଇ ରଖିଚ, କ’ଣ ନା ଭଉଣୀ ବାହାକୁ ୨୦ଟି ଟଙ୍କା ନେଇଥିଲା, ନା କ’ଣ ? ଟଙ୍କା ବି ମିଳିଗଲା ଉପରୁ ଉପରୁ, ଅଧେ ଫେରପାର କରିଦେଲେ ଆଉ ଅଧକରେ କାମ ହବ, ବୁଦ୍ଧି କ’ଣ କମ୍ କି !’’

 

ସିଧ ଓଝା କହିଲେ, ‘‘ବାବୁ, ମୁଁ ସରଳିଆ ମଣିଷ, ମୋର ସଫା ସଫା, ଜଣେ ତା’ ଦରବଟା ପାଇଁ କାନ୍ଦୁଚି, ମୁଁ ସବ୍ଇନ୍‍ସପେକ୍ଟର ବାବୁଙ୍କୁ କହିଲି ବୋଲି କ’ଣ ମୋର ଦୋଷ ହେଲା-? ଜାଗାଟା ବି ମଙ୍ଗୁଳି ସେଣଠୁ, ମୁଁ ନିଜେ କିଣି ଆଣିଲି, ନା ତେମେ କିଏ ଗୋଟିଏ ପଇସା ଦେଇଚ ? ସେ ଜାଗା ତ ମଙ୍ଗୁଳିଆର ଘର ତଳ ବାରି, ଏଇଟା ତ ବୁଲାଟା, ଯାର କେବେ କୋଉକାଳେ ସେଠି ଘର ଥିଲା, ମତେ ତ ଆଚମ୍ବିତ ଲାଗୁଛି ।’’

 

କୁମର ସେଣ କହିଲା, “ତୁମକୁ କୋଉ କଥା ଆଚମ୍ୱିତ ନ ଲାଗେ କି ? ରାତିଟା ତମର ଦିନ, ଦିନଟା ରାତି । ହଇଓ ମୁଁ ମଣିଷଟା ବଞ୍ଚିଚି, ଆଜି ମୋ ଘର ଖଣ୍ଡ ବି ତେମେ ଏମିତି ଫୁଟୁକି ମାରି ଉଡ଼େଇ ଦଉଚ ?’’

 

ପୁର କାଣ୍ଡି ଓଠ ମୋଡ଼ି ମୋଡ଼ି ଚୋବେଇ ଚୋବେଇ କହିଲେ, ‘‘ହଉ ତୋ ନାଁରେ କାଗଜ ଥିବ, ପାଉତି ଥିବ, ତୁ ଦେଖେଇବୁ ନାଇଁ କି ?

 

କୁମର ବଡ଼ ପାଟିରେ କହିଲା, ‘‘କାଗଜ ମୋ ବଡ଼ ଭାଇ ନାଁରେ, ଆମର କାଗଜ ଫଡ଼ା ହେଇ ନାଇଁ କି ବଣ୍ଡାକୁଣ୍ଟା ହେଇ ନାଇଁ, ମୋ ଘର–’’

 

ପୁର କାଣ୍ଡି କହିଲେ, “ବେଶିଗୁଡ଼ାଏ କୁହାଳିଆ ହ ନା କୁମର ! ତୋ ଭାଇର ଘରବାରି । ତତେ ସେ ଏପଟେ ସାହାଡ଼ା ଗଛ ପାଖେ ବଖରାଟିଏ ଛାଡ଼ି ଦେଇଥିଲା, ଆର ପଟଟା ତ ଗୁଆଳ ପାଖ ବାରି, ତୁ ଆଉ ଏଡ଼େ ଫିସାଦି ବାହାର କରୁଚୁ କାହା ଆଗେ ?’’

 

ସିଧ ଓଝା, ଅରି ମିଶ୍ର, ତାଙ୍କ ଦଳର ସମସ୍ତେ ମୁଣ୍ଡ ହଲେଇ ହଲେଇ ସମର୍ଥନ କଲେ । ସେ ପଟେ ନାନା ତୁଣ୍ଡରେ ପ୍ରତିବାଦ ଆଉ ଭର୍ତ୍ସନା ଉଡ଼ିଲା । ସିଧ ଓଝା ହାତଯୋଡ଼ି କହିଲା, ‘‘ହଜୁର, ଗୋଟାଏ କଥା । ଏମାନଙ୍କର ଏ ଶତ୍ରୁତା ଦେଖୁଛନ୍ତି । ସବୁ ତ ବୁଝଥିବେ, ମୁଁ ଆଉ କ’ଣ କହିବି ? ୟାଙ୍କ ଦାଉରେ ଗାଁର କେବେ କିଛି ଭଲ ହବ ନାଇଁ, ମିଛରେ ମଣିଷର ଇଜତ ଯିବ । ମତେ ହଜୁର କ୍ଷମା ଦିଅନ୍ତୁ, ମୁଁ ଆଉ କେବେ ଏ ଉନ୍ନୟନ କାମରେ ପଶିବି ନାହିଁ । ଘରୁ ଖାଇବି, ଘୋଡ଼ା ଆଗରେ ଡେଇଁବି, ସେଉଠୁ, ଏମାନେ ମତେ କେଣ୍ଟା କେଣ୍ଟା କରି ଖାଉଥିବେ । ବାପରେ, ୟାକୁଇ କହନ୍ତି, ଦେଶସେବା ! ମୁଁ ଆଡ଼େଇ ହେଇ ଯାଉଚି । କରନ୍ତୁ ଏମାନେ ଇସ୍କୁଲ, ସଡ଼କ, ପୋଖରୀ, ଡାକ୍ତରଖାନା, ଏମାନେ ଏତେ ପାରିବାର ହେଇଚନ୍ତି, ସିଧ ଓଝା ନ ହେଲେ କାମ ଅଟକିବ ! କର ବାବା କର, ଆମେ ଏଥିରୁ ଯାଉଚୁ, ତେମେ କର, ତେମେ ଚଳାଅ-ୟେ ଭଦ୍ରଲୋକର ସ୍ଥାନ ନୁହେଁ-’’

 

ହାଉ ହୋଉ ଉଠିଲେ ସମସ୍ତେ । ପୋଖରୀପଟୁ ମାଇପେ ଗାଳି ଦେଉଛନ୍ତି । ବଡ଼ ପାଟିରେ ବିଧବାଟିଏ ହାଉଳି କରୁଚି, ‘‘ଏଇ ଛତରଖିଆ, ଏଇ ଘରଭଙ୍ଗା, ଏଇ ଖଣ୍ଡିଆ ନିଆଁନଗା ଯୋଗିନିଖିଆ ପେଇଁ ଗାଁ ଭାଙ୍ଗୁଚି, ସମସ୍ତେ ଘୋଷରା ହଉଚନ୍ତି । ମରିଗଲେ କ’ଣ ନେଇଯିବ ସାଙ୍ଗରେ ବୋଲି ଏତେ ବାଦଛେଦ କାଢ଼ୁଚି । ଏଇ ଛତରଖିଆଗୁଡ଼ାକ କାହାରିକି ରଖିଥୋଇ ଦେଲେ ନାଇଁ ।’’

 

ସିଧ ଓଝା କହିଲା, ‘‘ଶୁଣନ୍ତୁ ବୁଝନ୍ତୁ, ହଜୁର ତ ନିଜେ ଆସିଛନ୍ତି । ଏଥିରେ କି କାମ ହବ-!’’ ମାଇପିଟି ଶୁଣେଇ ଶୁଣେଇ ମନ୍ତବ୍ୟ ଗାଉଚି, ‘‘ଦଶ ଆଙ୍ଗୁଠି ନେଇ ପାଟିରେ ପୂରେଇବ । ଠାକୁର ଖାଇ ଖଟୁଲି ଖାଇବ । ଫୁଲ ଶୁଙ୍ଘେଇ ମେଣ୍ଢା କରିଦେବ । ଏ ହାଟରୁ ନେଇ ସେ ହାଟରେ ବିକିବ । ଦଣ୍ଡକେ ଚଳୁ କରିଦବ । କେତେ ଘର ବୁଡ଼େଇଟି ଏଇ ଛତରଖିଆ–’’

 

ବିପିନ ହାତଘଡ଼ିକୁ ଦେଖି ଝଟ ଠିଆ ହୋଇପଡ଼ିଲା, କହିଲା, ‘‘ଏମିତିରେ ଉନ୍ନୟନ ହେବ ନାଇଁ । ଚଞ୍ଚଳ ମିଳାମିଶା ହେଇଯାଅ, ତା’ପରେ କଥା–’’ କିଛି ନିଷ୍ପତ୍ତି କରିନପାରି ସିଧା ମୋହିଁଲା ଜିପ ଗାଡ଼ିକୁ । ଲୋକ ଜମିଲେଣି ପଚାଶ ହେବ । ଗାଡ଼ି ଚାଲିଗଲା ।

 

ଆଗରେ ନୂଆ ମାଟି ପଡ଼ି ସଡ଼କ ହୋଇଛି ଗାଁ ଗାଁକୁ, ଏମିତି କେତେ । କେତେ ପୋଖରୀ ଖୋଳା ହୋଇଛି । ସ୍ଥାନେ ସ୍ଥାନେ ଗୋଟିଏ ଗୋଟିଏ ନୂଆ ନୂଆ ପ୍ରକାରର ଗୋରୁ ମେଣ୍ଢା ବେଳେ ବେଳେ ଆଖିରେ ପଡ଼ୁଛନ୍ତି । ଏଇଟା ହରିଆନା ଷଣ୍ଢର ପିଲା ପରା, ଏଇଟା ନାଲି ସିନ୍ଧି ଗାଈ ମିଶା । ଏଇଟା ଗୋଦାବରୀ । ହେଇ ସେଠି ଡେଙ୍ଗା ଛେଳିଟାଏ, ବଡ଼ ବଡ଼ ଓସାର ଝୁଲା କାନ । ବାଟରେ ବାଉରି ସାହିରେ ପାଣ ସାହିରେ କେଉଁଠି ପଲେ ଆର୍ ଆଇ ଆର୍ କୁକୁଡ଼ା, କେଉଁଠି ଧୋବ ଲେଗ୍‍ ହର୍ଣ୍ଣ । ଚାଲିଛି ଉନ୍ନୟନ ଯୋଜନା । ଅଟକି ନାହିଁ । ସେମିତି ଆହୁରି ଆହୁରି ଚକବନ୍ଦି ବିଲ, ପମ୍ପରେ ପାଣି ଉଠେଇ ମଡ଼େଇବା, ଠାଏ ଠାଏ ଗଜା ତୋଟା । ଶଗଡ଼ରେ ଗୁଡ଼ ହାଣ୍ଡି ହାଣ୍ଡି ବୋଝେଇ ହୋଇ ଚାଲିଛି, ବିପିନ ଗାଡ଼ି ଅଟକାଇ ଦେଖିନେଲା ଅଧୂଆ ଚୂଲୀରେ ଲୁହା କରେଇରେ ରନ୍ଧା ହୋଇଥିବା ଗୁଡ଼, ପୁରୁଣା ଲହୁଣୀ ବର୍ଣ୍ଣର । ସଙ୍ଖାଳି ଜେନାଙ୍କ ଗୁଡ଼, ଜେନା ଆଖୁ କରନ୍ତି ବାଟିଏ ଜମି, ଭାରି ବଡ଼ ତାଷୀ ।

 

ଚାଲିଛି ଉନ୍ନୟନ । ପୁଣି ରବିର ସେ ଚିଠିକଥା ଭାବି ଲାଗିଲା । କାହାପାଇଁ ଏ ସବୁ ସରଞ୍ଜାମ ? କାହା କାହା ହାତରେ ଧନ ଆସିଗଲା, ମନ କାହିଁ ? ଆତ୍ମା କାହିଁ ? ହୃଦୟ କାହିଁ ? ମଣିଷ ମଣିଷଙ୍କ ମନ ଫଟାଫଟି ହୋଇ ଚିରଶାନ୍ତିମୟ ପଲ୍ଲୀର ପାଣିପବନରେ ଯେପରି ପିତା ଉଠିଯାଉଚି, କେତେ ଗୁଡ଼ ଅଜାଡ଼ିଲେ ସେ ମିଠା ହେବ । କେତେ ପମ୍ପ ଲାଗି ପାଣି ଉଠେଇଲେ ହେଲେ କେତେ ପାଣିମଡ଼ା ଯୋଜନା କାମ କଲେ ହେଲେ ଶୀତଳ ହେବ ଏ ନିଆଁ । କାହିଁକି ଏମିତି ଘୋଟୁଛି ? କିଏ ଶାନ୍ତ କରିବ ? ଏ ମଣିଷ କେତେବେଳେ ଆପଣାକୁ କାମୁଡ଼ି ଖାଉଥିବେ ତ କେବେ ପରକୁ, ଯେତେ ସବୁଜସାର ଆଉ ୟୁରିଆ ଆମୋନିଆ ସୁପରଫସ୍‌ଫେଟ ଅଜାଡ଼ୁଥିଲେ ବି ସଦ୍‌ବିଚାରର ଫସଲ ଏଠି ହେଉ ନାହିଁ କାହିଁକି ?

 

ଆଗରେ ପୁଣି ଲୋକେ ଜିପ୍ ଅଟକେଇଲେ । ସେମାନେ ଦରଖାସ୍ତ ଲେଖି ଆଣିଥିଲେ ବଢ଼େଇଦେଲେ ଆଉ ସଙ୍ଗେ ସଙ୍ଗେ ଆପଭି ଜଣାଇଲେ । କେନ୍ଦ୍ର ଘରଟା ତାଙ୍କ ଗାଁରେ ନ ହୋଇ ସେଠୁ ପାଏ ବାଟରେ ଆର ଗାଁରେ କାହିଁକି ତୋଳା ହେବାକୁ ହୁକୁମ୍ ହୋଇଛି ? ତାଙ୍କ ଗାଁର ଇଜତ ତଳେ ପଡ଼ିଲା । ଯିବେ ନାଇଁ ସେ କେନ୍ଦ୍ରକୁ ସେମାନେ । ସେମାନେ ଦଶଖଣ୍ଡି ଗାଁର ଜନମତ ସଂଗ୍ରହ କରିଛନ୍ତି, କାଗଜରେ ଦିଫାଳ ଖାଲି ଦସ୍ତକତ୍ । ‘‘ଆମର ଦାବି, ଏ କେନ୍ଦ୍ରଘର ଆମରି ଗାଁରେ ହଉ–’’

 

“ହଉ, ବିଚାର ହେବ ।’’

 

ଏଣିକି ଏଥର ଉଠାଣି ପାହାଡ଼ିଆ ରାସ୍ତ, ସାନ ସାନ ହୋଇ ଗୁଡ଼ିଏ ମୁଣ୍ଡିଆ । ତଳେ ତଳେ ଅରାଏ ଅରାଏ ବଣ ରହିଯାଇଛି, ବୁଦାଳିଆ । ବଡ଼ଗଛ ହଣା ହୋଇ ଚାଲିଯାଇଛି । ସ୍ଥାନେ ସ୍ଥାନେ ଖାଲି ରୁକ୍ଷ ପଥର । ତା’ପରେ,- ଆଗରେ ପଡ଼ିଛି ଶଗଡ଼ଟା । ତେଣୁ ଆସୁଥିଇା, ଡାହାଣ କରମାଡ଼ି ବସି ପଡ଼ିଛି । ଡାହାଣପଟ ପୋଢ଼ଟା ହାମୁଡ଼େଇ ପଡ଼ିଛି, ତା’ର କଙ୍କାଳ ହାଡ଼ ଜଖମ ହୋଇଛି । ଶଗଡ଼ରେ ଅସମ୍ଭବ ପ୍ରକାରେ ଲମ୍ୱ ଲମ୍ୱ ମୁଣ୍ଡି କାଠ ବୋଝେଇ ହୋଇଛି, ତଳେ ବି ବନ୍ଧା ହୋଇଥିଲା । ସେଥିରୁ ଦିଟା ପୋଢ଼ର ପିଠି ଉପରେ ଭରା ଦେଇ ଇମ୍ୱିଛି । ଶଗଡ଼ିଆ ଆର ପୋଢ଼ଟାକୁ ଫିଟେଇ ନେଇ ସଡ଼କ କର ଗଛରେ ବାନ୍ଧିଛି, ଏ ପୋଢ଼ଟାର ବେକରୁ ଦଉଡ଼ି ଫିଟେଇ ଦେଇଛି, କିନ୍ତୁ ପୋଢ଼ ଆଉ ଉଠୁନାହିଁ । ଶଗଡ଼ଟା ଠେକ ଦେଇ ଅଟକେଇଛି ।

ଜିପ ଗିଅର ଦେଇ ଗର୍ଜନ କରି କରି ବେଗ କମେଇଁ ପାଖ ହେଲା, ପୋଢ଼ଟାର ହଲଚଲ ନାହିଁ, ମୁହଁକୁ ଆଗକୁ ମାଡ଼ି ଦେଇ ନିଶ୍ଚଳ ହୋଇ ଏକା ଧ୍ୟାନରେ ଯେପରି କି ସେ ଅପେକ୍ଷା କରି ରହିଛି । ବଡ଼ ବଡ଼ କଳା କଳା । ଆଖି ଦିଟା ଡବ ଡବ ଜକ ଜକ ହୋଇ ଅନାଇଁ ରହିଛି, ଯେପରି କି ନିର୍ବାକ ନିରାଶରେ ସ୍ଥିର ହୋଇ ଅଟକି ରହିଛି ସେଠି ଜୀବନ । ସେ ମଣିଷଠୁଁ କିଛି ମାଗୁ ନାହିଁ କି ଲୋଡ଼ୁ ନାହିଁ ।

ଖାଲି ଅପେକ୍ଷା କରି ରହିଛି ।

ଭଗ୍ନଦୂତ ଆସି ଖବର ଦେଲା, ସିନ୍ଧୁ ଚୌଧୁରି ଶୁଣିଲେ । ଏଇ ତ ଗୋଟାସୁଦ୍ଧା ଲୋକା ନାହାକ, ରାଗ ଅପମାନରେ ମୁହଁଟା ପିଁ ପିଁ କରୁଛି । କହିଲାବେଳେ ଆଖି କୁହୁଳି ଉଠୁଛି, ବେଳେ ବେଳେ କଥା ଉପରେ କଥା ଏମିତି ପେଲିପେଲି କରୁଛନ୍ତି ଯେ ଭାଷାର ବ୍ୟାକରଣରେ ଗୋଳମାଳ ହୋଇଯାଉଛି, ଆଉ ବେଳେ ବେଳେ ସେ ତୁନିତାନି ଧକେଇ ହେଉଛି, ପୁଣି ଉଠୁଛି କୋହ ।

ସିନ୍ଧୁ ଚୌଧୁରି ତୁନିତାନି ବସି ତା’ର ବିକଳ ଦେଖିଲେ, କିଛି କହିଲେ ନାହିଁ । ଲୋକା ନାହାକ ଉପସଂହାର ଦେଲା, ‘‘ଜାଣି ନ ଥିଲୁ ସେ ଏଡ଼େ ଛୋଟଲୋକ ବୋଲି ଆଜ୍ଞା ! ହେବ ନାହିଁ କାହିଁକି ? କେତେ ପୁରୁଷର ଘର କି ? ପଚାରିଲେ ଗୋସେଇଁବାପା ନାଁ ଆସିବ ନାହିଁ ପରା । ଖାଲି ଧନ ଅଛି ଧନ, ଏକପୁରୁଷିଆ ଦି’ପୁରୁଷିଆ ଧନ ଯେ ଧନଟା ପୁରୁଣା ହେଲେ ସିନା ମଣିଷପଣ ଫିଟେ, ନ ହେଲେ ତ ଖାଲି ମୁଣ୍ଡରେ ପିତ୍ତ ବଢ଼ାଏ, ଦେହଯାକ ନେସି ହୁଏ । ସେ କାହୁଁ ଆପଣଙ୍କ ପାଦତଳକୁ ସରି, ତାଙ୍କର ଏତେକର୍ମ କାହିଁ ଏ ଘରର ରତ୍ନ ନେଇ ଆପଣା ବେକରେ ଝୁଲେଇବେ ! ବର କୋଉ ଅପ୍ରାପତ ହୋଇଚନ୍ତି ନା ଏ ଘରର ଝିଅ ଆଉ କେବେ ଶାଶୁଘର ମୁହଁ ଦେଖିନାହାନ୍ତି ! ଥାଉ, ଦେଖାଯିବ । ଛେଃ !” ନଣ୍ଡାଏ ଛେପ ପକାଇଦେଲା । ସେହି ପୂର୍ଣ୍ଣଚ୍ଛେଦ । ନାହାକେ ଉଠିଗଲେ ।

ଛବିବୋଉଙ୍କର ଦଶଶିରା ଫାଟି ଲୁହ ବୋହି ଯାଉଥାଏ । ସେ ଧରିନେଇଥାନ୍ତି, କିଏ କ’ଣ କହିଛି, ସବୁ ଏଇ ଗାଁ ଲୋକଙ୍କ କୀର୍ତ୍ତି, ଆଉ ଏହି ଯେଉଁ ମୂର୍ତ୍ତିକ ତାଙ୍କର ସ୍ୱାମୀ ଦେବତା, ଯାହାଙ୍କଠି ସବୁ ଆଶା ଭରସା, ସେ ଭଲ ମଣିଷ ହୁଅନ୍ତୁ ପଛେ, ଦୂର୍ବଳ । କାହାରିକି କିଛି କହିବେ ନାହିଁ, ଭଗାରି ଦାଉ ବଢ଼ିବ ।

ସିନ୍ଧୁ ଚୌଧୁରି ଗାଧୋଇ ପାଧୋଇ ବସି ପୋଥି ପଢ଼ୁଥାନ୍ତି, ଆଗରେ ସାରଳା ଦାସଙ୍କ ମହାଭାରତ ତାଳପତ୍ର ପୋଥି, ଅତିପୁରୁଣା, ମୁହଁରେ ପ୍ରଶାନ୍ତ ସ୍ୱପ୍ନିଳତା । ଗାଁରେ କଳି, ପାଠଶାଳାକୁ ପିଲାଏ ଆସୁ ନାହାନ୍ତି, ଏତେ ବର୍ଷର ଧନ୍ଦା ଯେପରି କି ହଠାତ୍ ତୁଟିଯାଇଛି । ଦାୟିତ୍ୱର ଗୁରୁ ଚାପ ନାହିଁ । ପାଖରେ ମୁହଁସଳଖେ ଘରଚଟିଆ ଚଢ଼େଇମାନେ ସାଇଁ ସାଇଁ ହୋଇ ଉଡ଼ାଉଡ଼ି ହେଉଛନ୍ତି, ଦି ଚାରିଟା ତଳେ ବସି ପଡ଼ିଛନ୍ତି ଅଳ୍ପ ଛାଡ଼ି, ଡେଉଁଛନ୍ତି ଆଉ ତାଙ୍କରିଆଡ଼କୁ ଅନେଇଛନ୍ତି । ଚାଳ ତଳେ ହାଲୁକା ଅନ୍ଧାରରେ ସକାଳର ଆଲୁଅ ମିଶିଯାଇ ଅଦ୍ଭୁତ ଉଷା ଘୋଟିଛି, ଦୂଆରେ ଝଲ ଝଲ ଆଲୁଅରେ ଖଡ଼ା ଗଛଗୁଡ଼ିକ ବି ସତେଜ ହୋଇ ଛଇ ଫୁଟାଇଛରି ଜୀବନର ବିକାଶର ! ସାମ୍ନାରେ ସ୍ତ୍ରୀ ଆସି ଅଳି କଲାପରି ଢଳି ଢଳି ଲୁହ ଢାଳି ଢାଳି ସତେକି ଦୀପ ତେଜୁଛନ୍ତି । ଆଃ ! କ’ଣ ପୁଣି ଏ ରୂପ, ମଣିଷ ଯଦି ଆପଣାର ଭିତରର ଆଲୁଅରେ ପ୍ରକାଶ ପାଏ ଏ ଆଲୁଅ ଯେପରି କି ପୁରୁଣା କଳାପଡ଼ା ନଲଟଣରେ ଫାଇଁ ଫାଇଁ ବତୀ ନିଆଁ, ଏ ଛବିରେ ଖାପୁ ନାହିଁ । ଜନ୍ମ କରିଥିଲା ମା’, ମନ ମାନୁ ନାହିଁ । ଜୀବଟା କଷ୍ଟ ପାଉଛି । ଆପଣା କଷ୍ଟ ଆପେ ତିଆରି କରି ସନ୍ତୁଳି ହୋଇ ଛଟପଟ ହେଉଛି । ହେଇ ତା’ର ବିକଳ ଗୁହାରି । ଆପେ ଜଳି ତାଙ୍କୁ ବି ଜାଳିବାକୁ ହାତ ବଢ଼ାଉଛି, ହାତରେ ଜଳନ୍ତା ନିଆଁ ।

‘‘ପିମ୍ପୁଡ଼ି ସଙ୍ଗେ ଲାଗିଲେ ପିମ୍ପୁଡ଼ି ବି ପୁଳାଏ କାମୁଡ଼ି ଦଉଚି, ଆଉ ତମର ଛଳ ନାଇଁ ? ଯାଅ, ଅଇଛା ଯାଅ ବୁଝ କିଏ ସେ କ’ଣ ଲଗେଇ ଯୋଡ଼ି କହିଚି, ନଇରେ କାଇଁକି ସେମାନେ ମନା କରନ୍ତେ ! ହୀନିବଳିଆ ଦେଖି ଭଗାରି ଗୋଇଠା ମାରୁଚି, ଆଉ ତମ ଦେହରେ ରକତପାଣି ଫାଟିଯାଇଚି, ତମର କରିବାକୁ କିଛି ଶକ୍ତି ନାଇଁ ? ଆଜି ଯେ ମାରୁଚି ଗୋଇଠାଏ, କାଲି ସେ ଦବ ଖୁନ୍ଦାଏ, ତମେ ବସି ବସି ପୋଥି ପଢ଼ୁଥିବ ?

‘‘ହେଇ ଶୁଣ, ହେଇ ଶୁଣ,” ସିନ୍ଧୁ ଚୌଧୁରି କହିଲେ, “କେଡ଼େ ସୁନ୍ଦର ଲେଖିଛି ଶୁଣ, ଏତେ ଲୋକ ଥାଉ ଥାଉ ମହାପ୍ରଭୁ ଅକୁରକୁ ଏଡ଼େ ଶରଧା କଲେ କାହିଁକି ? ତାକୁଇ କାହିଁକି ବ୍ରହ୍ମଜ୍ଞାନ ବତେଇଲେ ?

ଅକୁର ବୋଲି ଯେହୁ ହିଂସା ତାହାର ନାହିଁ

ତେଣୁ କରି ଦୟା କଲେ ଜଗତଗୋସାଇଁ

ମହାଭାରତ ଯୁଦ୍ଧେ ରହିଲେ ସେ କୃପ ଅସସ୍ତମା

ଅକୁର ରହିଲା ସେ ନାରାୟଣ କ୍ଷେମା

 

‘‘ତେମେ ପୁରାଣ ପଢ଼ .ବଞ୍ଚିଥିଲାଯାକେ ଆତ୍ମା ଶୀତଳ ହେବ, ମଲେ ସ୍ୱର୍ଗ ପାଇବ ।’’

 

“ତମର ତେମେ ପଢ଼ୁଥା ବସି, ଖାଇପିଇ ଛାଇ ତଳେ ଶୋଉଥା, ବୁଝିଲ, ଆଉ ଧନ୍ଦି ହୋଇ ମୁଁ ମରୁଥ।ଏଁ । ଲାଜ ନାଇଁ କି ଛଳ ନାଇଁ, ଭଗାରିହସା ହେଇ ମଣିଷଟା ପୁରାଣ ପଢ଼ୁଚି ? କାହିଁକି ? ତମର କ’ଣ ହାତଗୋଡ଼ ନାଇଁ ? ଲୋକେ କହି କୁହାଇ ତମ ଝିଅ ବାହାଘର ଭାଙ୍ଗୁଥିବେ, ତମ ମାନମହତ ମୁହଁରେ ମୂତୁଥିବେ, ତେମେ ବସିଥିବ ହୁଙ୍କା ହେଇ ?’’

 

‘‘କହ କହ, ଆହୁରି କହ । ଜାଣିଚ ତ ପଥରଟାଏ ମୁଁ । ପଥରଟାକୁ ବିଧା ମାଇଲେ ତମ ହାତକୁ କାଟିବ । ବୃଥା କାହିଁକି ଏତେ ଭାବୁଚ ? ପଡ଼ିଥିଲା ନ ହେଲା, କାହାର ଭାସିଗଲା ? ଯେଉଁଠି ଯୋଗ ଥିବ ବଳେ ହେବ । ତେମେ ପର ନିଜେ କହ, ବାହାରାତ୍ର ପିଟିଲେ ଝୁଅପାଇଁ ତା’ ମନକୁ ବରଘର ଠିକଣା ହେବ ତେମେ ଏଡ଼େ ବ୍ୟସ୍ତ ହଉଚ କାହିଁକି କହିଲ ?’’

 

‘‘ବେସ୍ତ ହେବି ନାଇଁ ? ହସିବି ବସି ?’’ ବାରମ୍ବାର ନାକ ସୁଁ କରି ବାରିମ୍ୱାର ମୁହଁପୋଛି ବାରମ୍ବାର ସେ କାନ୍ଦିଲେ ଅସରାକୁ ଅସରା ।

 

ସିନ୍ଧୁ ଚୌଧୁରି କହିଲେ, ‘‘ଦେଖ, ଠିକଣା ହୋଇ ଆପଣା ସ୍ଥାନରେ ବସିଥିବାଯାକେ କିଛି ବିପତ୍ତି ନାହିଁ, କିଛି ଆଡ଼ୁଆ ନହିଁ, ଆସନ ଦୋହଲିଲେ ସ୍ଥିତି ଦୋହଲିଗଲା । ତୁମେ କୋଉ କଥାକୁ ଏତେ କାନ୍ଦୁଛ ? ଶୁଣ,

 

ଭାଳନ୍ତି ଶ୍ରୀକୃଷ୍ଣ କେମନ୍ତ ଉପାଏ କରିବା

କେମନ୍ତ ପ୍ରକାରେ ସମସ୍ତ କ୍ଷୟେ କରାଇବା

ମୁହିଁ ଅରଜିଲି ମୁହିଁ ନାଶ କରିବି କେମନ୍ତେ

ବଡ଼ ଦୁରାପଦ ତ ଲାଗିଲାକ ମୋତେ ।

 

ଅରଜିବାଟା କଷ୍ଟ ନୁହେଁ, ଅପଣା ହାତରେ ତାକୁ ଭାଙ୍ଗିବାଟା କଷ୍ଟ, ସବୁ ଛାତିରେ ସେ ସହେ ନାହିଁ । ଭଗବାନ ନିଜେ ପଡ଼ିଗଲେ ଅଡ଼ୁଆରେ, ଆଉ ମଣିଷ କି ଛାର !

 

ଶୁଣ ହେ ରାଜନ କୃଷ୍ଣ ଭାଳିଣ ସେ କଲେକ ଉପାୟ

ଦ୍ଵାରକା ଭୁବନକୁ ସେ ଲାଗିଲା କୋକୁଆଭୟ

ଅଦଭୁତେ ଶୁଭିଲା ସେ ଆଇଲା କୋକୁଆ

ପଳାଅରେ ପୋଏ ଖାଇବଟି କୋକୁଆ

ଭଏ କରି ପୋଏ ଲୁଚିଲେ ଭିତରେ

ସାନ ପୋଏ ଲୁଚନ୍ତି ସେ ମାତାଙ୍କର କୋଡ଼ରେ ।

 

ହେଇ ଶୁଣ, ବିନାଶପୂର୍ବରୁ ଠାକୁରେ ଦିଅନ୍ତି ଭୟ । ସେଇ ଭୟଟା ବିନାଶକୁ କଢ଼େଇ ଆଣେ, ଆଉ କ’ଣ ? ଭୟକରି ସାପ ଫଣାଟେକେ, ଆଉ ଛେଚାଖାଏ । ଭୟକରି ଜଣେ ଆଉ ଜଣକୁ ବାଡ଼ାଏ, ପୁଣି ଦୁହେଁ ବାଡ଼ିଆପିଟା ହୋଇ ମରନ୍ତି । ପୃଥିବୀଯାକ ହେଇ ଶୁଣୁଚ ଯେତେ ଯୁଦ୍ଧ ଫୁଦ୍ଧ ସବୁ ସେହି ଭୟରୁ ଉତ୍ପତ୍ତି, ହେଇ ସ୍ୟାଡ଼କୁ ଅନା–’’

 

ଆରିସିଟା ଛବି ତଳେ ଥୋଇ ଦେଇଯାଇଛି । ଆରିସିରେ ମୁହଁଦେଖି ଗୋଟିଏ ଘରଚଟିଆ ତା’ ସଙ୍ଗେ ଲଗାଇଛି ଘମାଘୋଟ ଯୁଦ୍ଧ, କାଚକୁ ଥଣ୍ଟରେ ପିଟି ପିଟି ହାଲିଆ ହୋଇ ଢଳି ପଡ଼ିଛି, ଫେର୍ ଉଠି ତା’ ସଙ୍ଗେ ଲଗେଇଛି ।

 

ଚୌଧୁରି କହିଲେ, “ଦେଖିଲତ କଳିଟା, ଆପଣା ହୃଦ ଭିତରଟାକୁ ଥଣ୍ଡା ନ କଲେ ତମେବି ହେବ ସେମିତିଆ । କ’ଣଗୁଡ଼ାଏ ଏଣୁ ତେଣୁ ବସି ଭାବି ଭାବି ମନ ଖରାପ କରୁଚ ? ଯାଅ, ଆପଣା କାମକର ।’’

 

‘‘ତମ ବ୍ରହ୍ମଜ୍ଞାନ ।’’ ଅଭିମାନରେ ଛବି ବୋଉ କହିଲେ ।

 

‘‘ହଁ ଯେ ବ୍ରହ୍ମଜ୍ଞାନ । ସେ କ’ଣ ତମ ଆମ ଦୁର୍ବଳ ସକେଇ ହେବାଠୁ ଭଲ ନୁହେଁ ? ମନଟା ଏଇଥିରେ ପୂରାଅ, ପୁଣି ଏଇବାଟେ ଅନାଅଁ ତମ ଚାରିପାଖକୁ, ସେତେବେଳେ ବୁଝିବ ।’’

 

ଛବିବୋଉ ଉଠି ଚାଲିଗଲେ । ବେଳ ବୋହିଗଲା । କିଏ ଘଣ୍ଟାର କଣ୍ଟା ଦେଖି, କିଏ ଆପଣା ଦେହର ଝାଳ ଦେଖି, କିଏ କାକର ପରିମାଣ ଦେଖି ମାପିଗଲେ, ଆପଣ କଣ୍ଟରେ ଆପଣା ସମୟ । ସିନ୍ଧୁ ଚୌଧୁରି ବୁଡ଼ି ରହିଲେ ସେହି ପୁରୁଣା ପୋଥିରେ, ତା’ର ସାଉଁଳିଆ ପୁରୁଣା ପତ୍ର, ପୁରୁଷ ପୁରୁଷର ମଣିଷଙ୍କ ହାତର ଛୁଆଁ ଲାଗିଛି ସେଥିରେ । ଅତି ନିବିଷ୍ଟ ମନରେ ପଢ଼ୁ ପଢ଼ୁ ପଢ଼ା ପୋଥିରୁ ଆଖି ଉଠିଯାଇ ରହିଲା ସାମ୍ନାକୁ, ଫାଙ୍କା ଶୂନ୍ୟକୁ ଶ୍ରୀକୃଷ୍ଣ ଭଗବାନଙ୍କ ଲୀଳାର ଶେଷଦୃଶ୍ୟ ଦେଖୁ ଦେଖୁ ଗଭୀର ଦୁଃଖ ଭିତରୁ ଚେଇଁ ଉଠିଲା କୁତୂହଳ, ବିସ୍ମୟ । ଭାବିଲେ ଯେ ଏଡ଼େବଡ଼ ସ୍ରଷ୍ଟା, ସେ କେମିତି ଆପେ ଏହି ସଂସାରି ମୋହରେ ପଡ଼ି ବଇକୂଲ୍ୟରେ ଘାରି ହେଉଛନ୍ତି । ଆପେ ଭିଆଇଲା, ଆପେ ଭାଙ୍ଗିଲା, ପୁଣି ଆପେ ସେ ମୋହରେ ପଡ଼ି ଦୁଃଖ କରୁଛି, ଆଉ ଅପସରି ଯାଉଛି । ନା ଏଇଥିରେ ଅଛି ଏ ସୃଷ୍ଟିଯାକର ସତ୍ୟ ।

 

‘‘ଏହାନ୍ତ ହୃଦରେ ଯେ ଲାଗିଲା ସନ୍ଦେହ

ପଡ଼ିଲା ଆପଦ ବୁଡ଼ିଲା ଜଳେ ମାୟାମୋହ

ହେ ପଣ୍ଡିତଜନେ ବହୁତ କୁଟୁମ୍ୱେ ବହୁତ କ୍ରୋଧୀ ହୋଇଲେ ଶ୍ରୀ ବାସୁଦେବ ।

ଏତେ କୁଟୁମ୍ୱ ଯେ ଅର୍ଜିଲି ୟେକା ମୁହିଁ

ଯେହା ପୁଣି ମଗାଇଲି ଅନ୍ୟା ଅନ୍ୟ ହୋଇ

ସମସ୍ତ ମଗାଇ ଯେ ମୁହିଁ ହୋଇଲି ୟେକା

ଦଶଦିଗ ଅନ୍ଧାର ହୋଇ ବୁଲଇ ତାଟକା–’’

 

ସମସ୍ୟାରୁ ପଳାଇ ଯାଇ ଚେତନା ସୃଷ୍ଟିର ବୈଚିତ୍ର୍ୟରେ ଆପଣାକୁ ପ୍ରସାର କରିଥିଲା । ସେ ଚିନ୍ତାରେ ଛବିବୋଉ ନ ଥିଲେ, ଆପଣାର ସମସ୍ୟା ନ ଥିଲା ।

 

ସେ ଥିଲେ ଗୋଟାଏ ଧ୍ୟାନରେ । ଆଖି ଆଗରେ ଏହି ସୃଷ୍ଟି । ଯେ ପୁଣି ଭାଙ୍ଗ ହେଉଛି-। ଗଢ଼ି ହେଉଛି । ମାୟାଟା ତହିଁରେ ଅନ୍ଧାର ପରି ମିଶିଛି । ଭାବିଲେ, ଖାଲି ଆଲୁଥରେ କୌଣସି ଜିନିଷର ଚେହେରାଟା ବୋଧହୁଏ ଆଖିକି ଦିଶିବ ନାହିଁ । ଆଲୁଅ ଅନ୍ଧାର ମିଶିଗଲେ ଦିଶିବ । ତେଣୁ ତ ଏ ସୃଷ୍ଟିରେ ମାୟା ଢାଙ୍କିଛି ।

 

ଖରା ବଢ଼ିଲା । ଭାତ ବଢ଼ା ହେଲା । ପୋଥିରେ ଡୋରି ବନ୍ଧା ହୋଇଛି । ଛବିବୋଉର ମୁହଁ ସବୁଦିନିଆ । ଛବି ପରଷୁଛି । ଯେମିତି ସବୁଦିନେ । ଚାହିଁଦେଲେ କରୁଣାରେ ତାଙ୍କ ଛାତି ଭିତର କମ୍ପିଯାଉଛି, ଆପେ ଆପେ ଧାରା ଛୁଟୁଛି ମଙ୍ଗଳ କାମନାର, ମନ ଭିତରେ ପୁରାଣର ଭାବର ରାଗିଣୀର ଶେଷାଶେଷି ପ୍ରତିଧ୍ୱନି, ଏମିତି ଏ ସୃଷ୍ଟି, ଘଡ଼ିକେ ଆଖି ଭର୍ତ୍ତିକରି ସବୁ । ଆଉ ଘଡ଼ିକେ କିଛି ନାହିଁ । ଶ୍ରୀକୃଷ୍ଣଙ୍କ ମର ଦେହ ବି ଉଭେଇ ଯାଉଛି । ଭାବୁ ଭାବୁ ଭାତଖିଆ ସରିଯାଉଛି । ଭାବିଲାବେଳକୁ ଭାତଗଣ୍ଡାକ ବି ଲାଗୁଛି ବଡ଼ ବିଚିତ୍ର । ନିଜର ପରିଶ୍ରମ ନାହିଁ, ତଥାପି ଭାତଗଣ୍ଡାକ ଛାଡ଼ି ଯାଇନାହିଁ, ଆସୁଛି । ଏମିତି ଦିନେ ନ ଆସିବ ତ ନ ଆସୁ, ଦେଖାଯିବ । ଅକ୍ଷୟ ଭଣ୍ଡାର ଥାଇ ସ୍ୱୟ ଶ୍ରୀକୃଷ୍ଣ ଚାଲିଗଲେ ଆଉ କି ଗଲା ଆଇଲା ଥିଲା ନ ଥିଲା ଏଡ଼େ ବଡ଼-? ତା’ପରେ ଚାଲିଲା ଅରଟ ।

 

ତାହାରି ତାଳେ ତାଳେ ପୁଣି ଚିନ୍ତା, ଆହୁରି ଆହୁରି । ପାଖି ଖୋଲା ରଖିଲେ ପୋଥିରେ କେତେବେଳେ କେଉଁ କଥା ପଡ଼ିଯାଏ, ଆଖିକି ଦିଶେ । ମନଖୋଲା ରଖିଲେ କେତେବେଳେ କେଉଁ ଭାବନା ଆସି ଫାଙ୍କ ଭର୍ତ୍ତି କରିଦିଏ, ପୁଣି ଚାଲିଯାଏ ।

 

ସେ ଭାବୁଥିଲେ ଗାଁ କଳି କଥା । ଶୁଖିଲା ପବନରେ ବି ସତେକି ପାଗଳ ରୋଗ, ଆଖି ଦେଖୁଛି, କାନ ଶୁଣୁଛି । ଆଖି ଆଗରେ ଗାଁଟା ଫାଟି ଧ୍ୱଂସ ହେବାକୁ ବସିଛି । କହିଲେ ଶୁଣିବ କିଏ-? ଏ ଭାବନାର ରାଗିଣୀରେ ମନଟା ଉଦାସ ଲାଗୁଥିଲା । ଏଥିରେ ବି ସତେକି ଆପଣାର ସମ୍ପର୍କ ନ ଥିଲା । ଏ ବି ଏକ ଧ୍ୟାନ । ଆଖି ଆଗରେ ସେହି ଜଳ ଭଉଁରୀ । ନିଜେ ଯେ ଅତଡ଼ା ଉପରେ, ଖାଲି ଦେଖଣାହାରୀ ।

 

ଓହ୍ଲେଇ ସେ ପାରନ୍ତି ନାହିଁ । ଯାହା ରୁହାଏ ତାକୁ ସେ ଭାବନ୍ତି, ବଂଶ ପରମ୍ପରାର ଶାଳୀନତାବୋଲି । ମିଶିବାକୁ ହେଲେ ଗନ୍ଧ ଆଉ ଅଳିଆକୁ ବି ଆଦରିବାକୁ ପଡ଼ିବ, ଅଶ୍ମୀଳ ବୋଲି କି ଆପଣାର କରିବାକୁ ପଡ଼ିବ, ହୋ ହୋ ହସିବାକୁ ପଡ଼ିବ, ହସ ସହିବାକୁ ପଡ଼ିବ । ସେ ପାରିବେ ନାହିଁ । କଳି ଦ୍ଵନ୍ଦ୍ୱମୟ ସମାଜ ଭିତରେ ଆଗୁଆଳି ଭାରୋଇମଲ୍ଲ ହେବା ତାଙ୍କ ଦେଇ ହେବ ନାହିଁ, ହୁଣ୍ଡା ଗୁଣ୍ଡା କଳିକି ଆଗ ହେବ ଟାଣ ଭେଣ୍ଡା, ଯେ ତେଜିବ, ଟେହିବ, ହେରେମାପଣ କରି ଆଗେ ଆଗେ ଯାଇ ବାଟ ଦେଖାଇବ ନୂଆ ଖୁରି କରିବାକୁ । ତେବେ ତା’ ପଛରେ ଲୋକେ ଧାଇଁବେ । ହେବ ନାହିଁ ତାଙ୍କ ଦେଇ । ଖାଲି ଦେଖିବାକୁ ପଡ଼ିବ । ମନ ଭିତରୁ ଉତ୍ତର ମିଳିଲା ୟେ ମାୟା ମାୟା, ଯେ ବି ବଦଳିବ ।

 

କିନ୍ତୁ ମାୟା ଦାଉରେ ମୁହଁ ଉପରେ ବିଷଣ ଛାଇ ପଡ଼ିଥାଏ, ସେ ଚିନ୍ତିତ ଅଥଚ ଛବିବୋଉ କଳ ପରି କାମରେ ଲାଗିଥାନ୍ତି ।

 

ଫଗୁଣ ଆସୁଛି । ବାରିରେ ବାଡ଼ରେ ଝାଟି ପରି ଗଛଗୁଡ଼ାକରେ କେଡ଼େ ଛଛନିଆ ପତ୍ର-। ଉପରେ ଉପରେ ସବୁଜ ଜାଲ ବିଛେଇ ବଡ଼ ବଡ଼ ଗଛ, ପରିଷ୍କାର ବାରିହେଉଛି, ପୁରୁଣା ଟାଆଁସିଆ ଗାଢ଼ ନେଳିସାବୁଜା ପୁରୁଣା ପତ୍ର ଉପରେ ଛନଛନିଆ ହାଲୁକା ସାବୁଜା, କେଉଁଠି ନାଲି ନାଲି ପତ୍ର । ଗଛ ତଳେ ଆମ୍ୱ ବଉଳର ବାସ୍ନା, ପୁଣି ପଣସ ଫୁଲର, ପୁନାଙ୍ଗ ଫୁଲର, ଆଉ ନିମ୍ୱ ଫୁଲର । ନାଲି ହୋଇ ଫୁଟିଯାଉଛି ଶିମିଳି ଗଛର ଫୁଲ, ଠାଏ ଠାଏ ପାଟେଳି, ପାଳଧୁଆ । କୃଷ୍ଣଚୂଡ଼ା ଗଛରେ କାନ୍ଦି କାନ୍ଦି ଫୁଲ ଧରିଛି ।

 

ଦେହକୁ ସୁଖ ଦେଇ ପବନ ଝଲକାଏ ଲେଖାଁ ମାଡ଼ି ଆସୁଛି । ସେଥିରେ ନାନା ବାସ୍ନା । ସବୁ ବୀବଜନ୍ତୁଙ୍କଠି ଏକ ପ୍ରକାର ନୂଆ ଚଞ୍ଚଳତା । ଗେଧ ମାଙ୍କଡ଼ଗୁଡ଼ାକ ଯେଭଳି ବେଶି ଉଲ୍ଲାସରେ ଡିଆଁଡେଇଁ କରୁଛନ୍ତି । ଚଢ଼େଇ କଣ୍ଠ ଯେପରି କି ଆଗଠୁ କେତେଗୁଣ ଖୋଲିଯାଇଛି, ବଣି, କଜଳପାତୀ, ହଳଦୀବସନ୍ତ, ସାତଭାୟା ସବୁବେଳେ ଚବର ଚବର ! ରାତିଯାକ ବୋବେଇ ବୋବେଇ ଦୂର ଆକାଶରେ ହଂସମାନେ ଚିଲିକାଆଡ଼ୁ ଫେରି ଯାଉଛନ୍ତି ।

 

ବସନ୍ତ ଆସିଛି । ହିଡ଼ରେ, ବନ୍ଧରେ, ସ୍ଥାନେ ସ୍ଥାନେ ସାପ କାତି । ଗାଁ ମଣିଷଙ୍କ ଚଞ୍ଚଳପଣ ଯେପରିକି ପ୍ରକଟି ଉଠୁଛି ଫୁସଫାସ ମନ୍ତ୍ରଣାରେ, ଗାଁ କଳିରେ ନୂଆ ଯୋଜନା କରିବାରେ । ଆଜିକାଲି ପାଟେଳି ଗାଁରେ ଦୁଇ ବାଡ଼କୁ ଦୁଇଟା ଆଖଡ଼ା ଘର, ଏଥର ଦୋଳକୁ ହେବ ଦୁଇ ଦଳର ଦୁଇଟି ବିମାନ, ଦୁହେଁ ମହା ସମାରୋହରେ ବାଜା ବଜେଇ ବାଣ ଫୁଟେଇ ଆପଣା ଆପଣା ବିମାନକୁ ସୁଭଦ୍ରାପୁର ମେଳଣକୁ ନେବେ । ଦେଖାଯାଉ ମେଳଣ ଦାଣ୍ଡରେ ଆଗ କିଏ ପଶୁଛି, କିଏ ଆଗ ହେବ, କିଏ ପଛ ହେବ, କିଏ କାହା ବାଁ ଡାହାଣେ ଯବ ! ସେଇଠି ଜଣାପଡ଼ିବ କେଉଁ ପଟର କେତେ ବୁଦ୍ଧି କେତେ ବଳ । ଠେଙ୍ଗାବାଡ଼ି ଉଠିବ, ଯେ ତ ଜଣାକଥା । ପୁଲିସ ଅପେକ୍ଷା କରିଛନ୍ତି । ଓକିଲ ମୁକ୍ତିଆର ଚାହିଁ ବସିଛନ୍ତି । ଲାଗିବ, ଲାଗିବ । ଏସବୁ କଥାପାଇଁ ଆଗ ଟଙ୍କା ଦରକାର, ଏକଥା ଉଭୟ ପକ୍ଷ ବୁଝନ୍ତି ।

 

ତେଣୁ ଗାଁରେ ଭେଦ ପଛେ ପଛେ ଭେଦା । ଦୁଇଦଳଯାକ ଚାନ୍ଦା ଉଠାଇବାରେ ବ୍ୟସ୍ତ । କାହାଠୁଁ ବା ଦୁଇପଟପାଇଁ ଦୋହରା । ପଟ ସଜାଇବାପାଇଁ ଭେଦା ଉଠାଇବାକୁହିଁ ହେବ । ପାରିଲେ ବହୁତ କାମ କରିହେବ ।

 

ଭିନେ ହେଲା ଘରେ ଦିଟା ହାଣ୍ଡି ହେଲା ପରି ଫଟା ଗାଁଟାରେ ଦି’ଟା ଆଖଡ଼ା ଘର, ଦୁଇ ଦଳର । ସେଠି ମନ୍ତ୍ରଣା ହୁଏ, ଆର ପଟର ଜଞ୍ଜାଳ କେମିତି ବଢ଼ିବ, କି ପେଞ୍ଚ ପାଞ୍ଚିଲେ ଆର ପଟର ନାକକୁ ଭୂଇଁରେ ଘୋଷାରି ହେବ, ମୁହଁରେ ବୋଳି ହେବ ଚୂନକାଳି । ଗାଳି ତ ଅନେକ ଉପାୟରେ ଦିଆଯାଇପାରେ । ବାଦୀ ପାଟୁଆ ବାହାର କରାଯାଇପାରେ, ସେ ଆର ପଟକୁ ଶୋଧିବ । ଫରଚା ବାଟ, ଲଢ଼େଇ ପାଲା ଠିଆ କରିବା, ଗଇ ଖୋଳି ଖୋଳି ଗୀତ ଗାଇ ଗାଇ ଚଅଁର ଢିଅ ମାରୁଥିବ ପାଲାବାଲା ବାରମ୍ବାର, ଦେବ ଆଚ୍ଛା ପାନେ । କାଳୀ ବାହାରିପାରିବ, କାଳିସୀ ବାହାରିପାରିବ, ମନ କଲେ ସୁଆଙ୍ଗଟାଏ ବି ଠିଆ କରାଯାଇପାରେ, ଗାଁରେ କବି ତ ପୁଞ୍ଜା-ପୁଞ୍ଜା । ତା’ ଛଡ଼ା ବାଜା ଓଡ଼ିଶୀ ବାଜାରେ ମୃଦଙ୍ଗ, ପୁଣି ଏମିତି ବୋଲ ହାଙ୍କି ପାରିବ ଯେ ଋଷି ମୁଣ୍ଡବାଳ ଛିଣ୍ଡେଇ ମରିବ, ଯେମିତିକି

 

‘‘ତାତ ତାତ ଥେୟା,

ଯା–ଧୋଇଥା, ଯା ଧୋଇଆ’’

 

ଘଣ୍ଟ ପିଟିବା–କାଇଦାରେ ଘଣ୍ଟ ଶବ୍ଦରୁ ଗାଳିସ୍ୱର ବାହାରିବ, ଚିହ୍ନରା ଗ୍ରାହକ ଚିହ୍ନିନେବେ କାନରେ ପଡ଼ିଲେ, କ’ଣ ନା

 

“ଘଣ୍ଟ ଥୁଅ ମାଦଳ ଥୁଅ ଡେଇଁପଡ଼ରେ- (ଅମକ) ପୁଅ । ” କହି ଛିଗୁଲେଇ ଶୁଣେଇ ଶୁଣେଇ ଲୋକକୁ ପାଗଳ କରିବାକୁ ପଡ଼ିବ, ଥରେ ପାଗଳ ହେଲେ ଲାଗିଯିବ ପିଟାପିଟି, ଗାଁ କଜିଆର ନିଆଁ ଲହ ଲହ କରି ଉଠିବ ସହସ୍ର ଫଣାରେ, ଅପେକ୍ଷା ସେଇଥିପାଇଁ ।

 

ଛକାଛକି ଅଡ଼ାଅଡ଼ି ପେଲାପେଲି । ୟେ ତା’ ଗୋରୁ ସେ ୟା ଗୋରୁ କାଞ୍ଜିଆଉଦାକୁ ଅଡ଼େଇ ନେବାକୁ ବ୍ୟସ୍ତ, ଅତି ଆଦିମ କୌଶଳ, ବାଧା ଦେବାକୁ ଗଲେ ମୁଣ୍ଡ ଫଟାଫଟି ହେଉ ନ ହେଉ ପରସ୍ତେ ଗାଳି ଲାଗିବାକୁ ଭଲ ଭପାୟ । ବିଲ କଳି ତ ହାତପାଆନ୍ତିରେ, ଆଗ ହଳ ଲଙ୍ଗଳ ନେବାକୁ ବାଟ ବନ୍ଦ, ସେପଟ ଲୋକର ବିଲ ବାଟରେ ପଡ଼ିଲେ ଆଗପରି ସେ ବାଟ ଛାଡ଼ିବ ନାହିଁ, ବଳେଇବ ଦଣ୍ଡାବାଟେ ବୁଲିକରି ଯିବାକୁ ।

 

ଛୋଟ ବଡ଼ ହୋଇ ଅଦୋଉତି ଲାଗି ରହିଛି, ସମସ୍ତେ ବଳ ଥିବାଯାକେ ଗଳା ସାଧୁଛନ୍ତି-। ଦୁଆରମୁହଁରେ ଠିଆହୋଇ ଅଣ୍ଟାଠୁଁ ତଳକୁ ଓହଳି ପଡ଼ି ପଠିଆଡ଼େ ହାତ ଠେକ ଦେଇ ଦୋହଲି ଦୋହଲି ସାହି କମ୍ପେଇ ଶୋଧା ଝାଡ଼ୁଛନ୍ତି ସ୍ତ୍ରୀଲୋକ, ଜଣେ ଟିକିଏ ଥକିଗଲେ ପଛଆଡ଼ୁ, ପାଳି ଧରିବାକୁ ଆଉ ଜଣେ ।

 

ଜଣେ ବିଦେଶୀ ଏ ଗାଁର ଏମୁଣ୍ଡ ସେମୁଣ୍ଡ ଥରେ ଚାଲିଗଲେ ବିନା ନିଘାରେ ବି ଜାଣିପାରିବ କିଏ କାହା ବାରିରୁ ବାଉଁଶ ହାଣି ନେଇଛି, କିଏ କାହା କ୍ଷେତ ଉଜାଡ଼ିଛି, କିଏ କାହା ବଳଦକୁ ଗୋଠରୁ କାଞ୍ଜିଆହୁଦାକୁ ନେବାକୁ ଯତ୍ନ କରୁଥିଲା, କାହା ଘର ପିଲା ଆଉ କାହା ଘର ଦାଣ୍ଡରେ ପୋଖରୀପାଣି ବସିବାକୁ ଭଲପାଏ, କାହା ରୋଷେଇ ହାଣ୍ଡିର ଭାତ ଆଉ କାହା ଘର ବୁକୁର ବିଲେଇଙ୍କୁ ପାଟିରେ ଲାଗିଯାଇଛି, କାହାର କେଉଁ ପୁରୁଷରେ କେଉଁ ପୂର୍ବପୁରୁଷ କି କାମ କରିଥିଲା ଯେ କଥାଟା ଏବଯାକେ ନିଭିନାହିଁ, ଏହିପରି ।

 

ଦାଣ୍ଡରେ ବାଟରେ ପୁରୁଷମାନଙ୍କର ରେରେକାର ଶବ୍ଦ, ହଠାତ୍ ଏ ପାଖରୁ ପାଞ୍ଚଜଣ ସେ ପାଖରୁ ସାତଜଣ କେଉଁଆଡ଼ୁ ଦଉଡ଼ି ଆସି ମହାଁମୁହିଁ ହୋଇ ତୁଣ୍ଡଯୁଦ୍ଧରେ ମୁଖରାବ ବୋବିରେ ଗଗନ ଫଟେଇଲେ, ଚଦାଚଦି ହେଲେ, ଖାଲି ଦେହରେ ଉଦୁଉଦିଆ ଖରାରେ ଏମିତି ଡିଆଁ ଡେଆଁଡେଇଁ କଲେ ଯେ ଲାଗିଲା ଅବା ସତେ ଗୋଟାଏ ଦି’ଟା ଗଣ୍ଡି ପଡ଼ିଯିବ ଏଇଠି, କିନ୍ତୁ କିଛି ଘଟନା ଘଟିଲା ନାହିଁ, ପୁଣି ଦେଖିଲାବେଳକୁ ଦାଣ୍ଡ ଶୂନ୍ୟ ।

 

ଦୋକାନୀ ହରି ସାହୁ ଦମ୍ଭ ହୋଇ ବସି ରହିଲା । ଦୋକାନ ଭାଡ଼ିରେ, ଆଉ ଯେତେବେଳେ ଯାହାର ଦୋଷ ଦେଖିଲା ସେତେବେଳେ ଟାଣଟାଣ ହୋଇ ଦି’ପଦ ଝାଡ଼ିଦେଲା । ଶୂନ୍ୟେ ଶୂନ୍ୟେ, ଚଦିଲା ତା’ ସଙ୍ଗରେ ଲାଗିଲେ ସେ ଦୋକାନରୁ କାହାରିକି ଏ ଗାଁରେ କିଛି ବିକିବ ନାହିଁ, ପୁଲିସ ଡାକିବ, ହାକିମକୁ ଦରଖାସ୍ତ ଦେବ, ହଳହଳ କରି ବନ୍ଧେଇ ପଠେଇଦେବ । ଲୋକେ ଜାଣନ୍ତି, ସେ ଅଡ଼ି ବସିପାରେ, ତା’ର ଅଭାବ ନାହିଁ କି ମୋହ ନାହିଁ । ସାହାହେବାକୁ ଭେଣ୍ଡା ଭେଣ୍ଡା ପୁଅ । ସେ ଆଗରୁ କେବେ ଭେଦା ଦେଇନାହିଁ, ଏବେବି ଦେଲାନାହିଁ ।

 

କିନ୍ତୁ ସାନ ଦୋକାନୀ ଧୋବା ନାୟକ ଏ ତୋଫାନ ଦାଉରୁ ଉଧୁରିଲା ନାହିଁ ! କେଉଟସାହି ମୁଣ୍ଡରେ ବନ୍ଧ କରରେ ତା’ର ସାନ ଦୋକାନ ଖଣ୍ଡିକ, ତା’ର ବେଶି ଗରାଖି ଗଉଡ଼ ଆଉ କେଉଟ, ସେମାନେ ଉଧାର ନିଅନ୍ତି, କିନ୍ତୁ ବୁଡ଼ାନ୍ତି ନାହିଁ, ଶୁଝୁଥାନ୍ତି ନେଉଥାନ୍ତି, ଅଳ୍ପକିଆ ସଉଦା । କିନ୍ତୁ ସେ ଲୋକା ନାହାକର କୂଟୁମ୍ବରୁ ଜଣେ, ଆଉ ଅପ ପଧାନ ତାଠିଁ ବହୁଦିନୁଁ ତିନିଟଙ୍କା ବାକି, ସେଥିପାଇଁ ସେ ଅନେକଥର ମାଗିଲାଣି । ଅପର୍ତ୍ତି ପଧାନ ତା’ ବିରୁଦ୍ଧରେ ଲୋକଙ୍କୁ ମତେଇଲା । ଅଥଚ ଆରପଟେ ବି ତା’ ପ୍ରତି ଖୋଲାମନ ନୁହେଁ, ସେମାନେ ଜିଗର ଧରୁଛନ୍ତି ସେ ଯେପରି ଆରପଟ ଲୋକଙ୍କ ସଙ୍ଗେ କୌଣସି ସମ୍ୱନ୍ଧ ନ ରଖେ । ଧୋବା ନାହାକ ଆପତ୍ତି କରେ-“ମୁଁ ଆଡ଼େଇ ହୋଇ ରହିଲେ ମୋ ଟଙ୍କା ଅସୁଲ କରିବ କିଏ ? କେଉଟ ଆଉ ଗଉଡ଼ଙ୍କ ଉପରେ ତ ମୋର ପଚାଶ ଟଙ୍କା ବାକି ଗଡ଼ୁଛି ? ମୁଁ ତୁମକୁ ଭେଦା ଦେବି ସିନା, ଲୋକଙ୍କ ସଙ୍ଗେ ରଟ୍‌ରାଟ୍‌ ଛିଣ୍ଡିଯାଇ ରୁମେକେ ଦୁମେ ହେଲେ ମୋ ବେପାର ଚଳିବ କେମିତି ?” କିନ୍ତୁ ତା’ର ଏ ଟଙ୍କା ଅଣା ପାହୁଲା ହିସାବ ଲୋକା ନାହକ ଦଳର ହୃଦ୍‌ବୋଧ ହେଲାନାହିଁ । ସେମାନେ କହିଲେ, ‘‘ଧେଡ଼େଙ୍ଗା ବିଶଳପାତିଆମୁହାଁ କଅଁଳକୁହା ମଣିଷଟା ଭାରି ସୁତୁରେଇ କହି ଜାଣେ, କ’ଣ ନ ପାରେ ସର ପକେଇବ, ଏଣେ ହବ ଘରଢିଙ୍କି କିମ୍ଭୀର, ଢୋଲ ଭିତରେ ମୂଷା, ଏଣୁ ଶୁଣି ସେପଟେ ଆମ ଗୁମର ଖୋଲି ଦଉଚି । କେହି ଯାଆନା ତା’ କତିକି ।’’ ତା’ର ଉଭୟ କୁଳ ଗଲା, ବାକି ଟଙ୍କା ବୁଡ଼ିବାକୁ ବସିଲା ।

 

ଆଉଜଣେ ଯେ ୟେ ଦୋସିମାଳିରେ ପଡ଼ି ହରବର ହେଲା ସେ ଯୁଜେଷ୍ଟି ଧୋବା । ଯୁଜେଷ୍ଟି ଆଉ ତା’ ପୁଅ ମିଶି ପାଟେଳି ଗାଁରେ ଘରେ ଧୋବା, ଯଦିଚ ତାଙ୍କର ଅଲଗା ଅଲଗା ଘର-। ଗାଁରେ ଖାସି ପଡ଼ିଲେ ଏଇ ଧୋବା ଦୁହେଁ ହାଣନ୍ତି, ହାଣିଲେ ମିଳେ ମୁଣ୍ଡଟା । ଗଛ କାଟିବାକୁ ହେଲେ ପ୍ରଥା ଅନୁସାରେ ଧୋବାହିଁ ଡକାହେବ । ଗଛ ହାଣିରେ ଅଗିରା, ଛେଲି ଆଉ ମୂଳ ସେମାନେ ପାଆନ୍ତି । କେହି ଯଦି ଖଟ ଉପରେ ଶେଯରେ ଶୋଇ ମରେ, ତେବେ ମଶାଣିରୁ ଶେଯ ଖଟ ଲୁଗାପଟା ଉଠେଇନେଇ ବ୍ୟବହାର କରିବା ଅଧିକାର କେବଳ ତା’ରି । ତା’ ଛଡ଼ା ବାହା ନିମିତ୍ତ ପୂଣ୍ୟପର୍ବ ଅଛି । ସେଥିରେ ପିଠାପଣା ଛାଡ଼ି ବି ତା’ର ପାଊଣା ବନ୍ଧା, ଲୁଗାକଚା ପଇସା ତ ଥୁଆ । କେବେ ଚୌଧୁରି ଘର ଜାଗିରି ପାଞ୍ଚମାଣ ଖଞ୍ଜି ଦେଇଥିଲେ କେଉଁ ପୁରୁଷରେ, ଚୌଧୁରି ଘରେ ଅଇରି ଖପରା ବଇରି ବା ହୁଅନ୍ତୁ ପଛେ ପାଞ୍ଚମାଣ ଜମିକି ଅଢ଼େଇ ଅଢ଼େଇ ମାଣ କରି ଯୁଜେଷ୍ଟି ଆଉ ତା’ ପୁଅ ହୃଦା ଅଦ୍ୟାପି ତଷନ୍ତି । ଆଉ ପୁରୁଷ ସ୍ତ୍ରୀ ଅଣ୍ଡା ବଚା ମିଶି ଗାଁ ମୁଣ୍ଡ ପୋଖରୀରେ ଧୋବାତୁଠରେ “ରାମରାମ’’ ପାଟି କରି ଲୁଗା କାଚୁଥାନ୍ତି ।

 

ଗାଁ ପରିଗୁଣ ଧୋବାତୁଠରୁ ଭାବି କେହି ଅନେଇଁଦେଲେ ଦେଖିବ ସେଠି ଅନ୍ତତଃ ପାଞ୍ଚ ସାତଖଣ୍ଡ ଭଲ ଶାଢ଼ି, କେତେଖଣ୍ଡ ଭଲ କାମିଜ, ଭଲ ବ୍ଲାଉଜ ସାୟା, ତେଣୁ ଭାବିବ ଏ ଗାଁରେ ଗଣ୍ଡ ମଫସଲରେ ବି ଏପରି ପିନ୍ଧିବା ଲୋକ ଅଛନ୍ତି । କିନ୍ତୁ ଯୁଜେଷ୍ଟି ଧୋବା ଭଲ କାଚେବୋଲି ଅନ୍ୟ ଗାଁରୁ ଲୁଗା କାଚିବାକୁ ବହିନା ପାଏ, ହେଇ କୋଶେ ଦୂରରେ ତ ଶାଳୀଶାଳିଆ ମୌଜା ମହାପାତ୍ର ଘର, ସେମାନେ ଅଧା କଲିକତିଆ କହିଲେ ଚଳେ । ତାଙ୍କର ଦରକାର ଯୁଜିଆ ଧୋବା ହାତ ଇସ୍ତିରି । ଯୁଜିଆ କପାଳରେ ଦି ପାପୁଲି ଯୋଡ଼ି ଖାଉନ୍ଦ ଚୌଧୁରି ଘରର ପ୍ରଶଂସା କରେ, କହେ ସେମାନେ କାମ କରେଇ ଶିଖେଇଛନ୍ତି ବୋଲି ସିନା ତା’ ନାଁ ଡାକ, ଆଗେ ତାଙ୍କରି ଖଞ୍ଜାରୁ ତ ପଡ଼ୁଥିଲା ଗଣ୍ଡିରା ଗଣ୍ଡିରା ଲୁଗା ! ବର୍ତ୍ତମାନ ଯୁଜେଷ୍ଟି ଆଉ ହୃଦାନନ୍ଦ ଦିହେଁ ପର ଗାଁରୁ ଲୁଗା କାଚିବାକୁ ଆଣି ଏ ଗାଁ ପରିଗୁଣ ବଢ଼ାନ୍ତି, ଆଉ ପ୍ରଚୁର ଲୁଗା ପାନ୍ତି ପିନ୍ଧିବାକୁ । ଲୁଚା ଚୋରା ତାଡ଼ି ଛଡ଼ା ନିଷାପାଣି ନାହିଁ, କିଛି ପଇସା ସଞ୍ଚନ୍ତି ବି । ତାଙ୍କରି ଉପରେ ପଡ଼ିଲା ଚଡ଼କ । ଏ ଦଳ ଆସି କହିଦେଇଗଲେ, “ବୁଝି ଖବର୍ଦାର, ତେମେ ସେପଟ ଲୋକଙ୍କ ଲୁଗା କାଚିଛ କି ଗାଁରୁ ବାହାରିଯାଅ-।” ଏ ପାଖ ଲୋକ ବି ଅବିକଳ ସେଇଆ କହିଦେଇ ଗଲେ । ଏ ଅବସ୍ଥା ଦେଖି ଯୁଜେଷ୍ଟି ଘରେ ବସିପଡ଼ିଲା ପାଞ୍ଚଦିନ, ମିଛରେ ପ୍ରଚାର ବରାଇଲା ଯେ ତା’ର ଦେହ ବାଧିକା ହୋଇଛି । ଭିନେ ହେଲା ଆଗରୁ ବାପ ପୁଅଙ୍କ ଭିତରେ ଦି’ଥର ବାଡ଼ିଆବାଡ଼ି ହୋଇଥିଲା । କିନ୍ତୁ ଏ ସମୂହ ସଂକଟରେ ପୁଣି ଦୁହେଁ ହେଲେ ଏକ, ଯୁଜିଆର ଖଟ ପାଖକୁ ହୁର୍ଦା ଆସିଲା ଦିହେଁ ପରାମର୍ଶ କଲେ, ତାପରେ ହୁର୍ଦ୍ଦା ପାଞ୍ଚଦିନ ପେଖେନା କଲା ତାକୁ ମେଲେରିଆ ଜର । ଲୋକଙ୍କ ଲୁଗା ପଡ଼ିରହିଲା, ଗାଁର ଦୁଇ ପକ୍ଷର ଭୋକ ଅଲଗା ଅଲଗା ବେଳରେ ଧୋବା ଘରକୁ ଆସି ଉଜୁରି ଲଗାଇଲେ, ‘‘ଲୁଗା ଦେ, ଲୁଗା ଦେ ।’’ ଚଦାଚଦି କଲେ । ପୁଣି ବାପପୁଅ ପରାମର୍ଶ କରି ଦୁହେଁ ବିଛଣାରୁ ଉଠିପଡ଼ି ତୁଠ ଆଡ଼କୁ ମୋହିଲେ । କିନ୍ତୁ ସେଠି ଆହୁରି ବିପଦ, ଏ ପକ୍ଷର ଲୋକ ଆସି ପାଟି କରନ୍ତି ସେ ପକ୍ଷର ଲୁଗା କାହିଁକି କଚା ହେଉଛି । ହେଉ ହେଉ ଗାଳିରୁ ଉପୁଜିଲା ମାଡ଼-। ହୁର୍ଦ୍ଦା ଧୋବା ଯଦି ଏ ପକ୍ଷରୁ ଥାପଡ଼େ ଖାଇଲା ସେ, ପକ୍ଷରୁ ଯୁଜେଷ୍ଟି ଖାଇଲା ଦୁଇ ଥାପଡ଼-। ବାପ ପୁଅ ବସି ବିଚାର କଲେ ଆଉ ଏ ଗାଁର କାହାରି ଲୁଗା କାଚିବା ନାହିଁ, ପଛେ ଦେଖାଯିବ-। କିନ୍ତୁ ଘରେ ବସି ରହିଲେ ବି ରକ୍ଷା ମିଳିଲା ନାହିଁ, ଗୋଟାଏ ପକ୍ଷ ଧରିଲେ-‘‘ଦଧିବାବନ ଠାକୁରେ ଏ ବର୍ଷ ନୂଆକରି ଚନ୍ଦ୍ରପୁର ମେଳଣକୁ ବହାରିବେ, ଭେଦା ପଡ଼ିଚି, ତମୁକୁ ଦି’ଟଙ୍କା ଦେବାକୁଇଁ ହେବ । ଆରପକ୍ଷ ଡରେଇଲେ–“ଖବର୍ଦ୍ଧାର, ଦଧିବାବନଙ୍କପାଇଁ ତମେ ଭେଦା ଦେଇପାରିବ ନାଇଁ, ତମେ ଆମ ପଟିଆ, ସବୁଦିନେ ସାଆନ୍ତଙ୍କ ସେବକ, ରାଧାଶ୍ୟାମ ଠାକୁରଙ୍କ ମେଳଣ ହେବ, ଠାକୁରେ ଫେର୍ ଚନ୍ଦ୍ରପୁର ଯିବେ, ଭେଦା ପଡ଼ିଚି ତୁମୁକୁ ଦି’ଟଙ୍କା ଦେବାକୁହିଁ ହେବ ।’’

 

ଗୋଟାଏ ପକ୍ଷ କହିଲେ, “ତମର ଭାରି ଦିମାକି ବାହାରୁଚି, ନା ?’’ ଆମ ଲୁଗା ଯଦି ନ କାଚିବ ତେବେ ନିକଲ୍ ଏ ଗାଁରୁ, ବାଟ ଚଲେଇ ଦବୁ ନାଇଁ, ଶଳେ, କ’ଣ କରି ପାଇଚ କି ? ଭଲ ଦଶା ଅଛି ତ ଲୁଗା କାଚ ।’’

 

ଆର ପକ୍ଷ କହିଲେ–“କିବେ, ମଗରା ହେଇଚ, ନାଇଁ ? ମୁଣ୍ଡକୁ ପିତ୍ତ ଉଠିଗଲାଣି, ଇନ୍ଦ୍ର ଚନ୍ଦ୍ର ଆଉ ଖାତିରି ପଡ଼ୁନାହାନ୍ତି । ଧୋବା ହେଇଚନ୍ତି ଲୁଗା କାଚିବେ ନାଇଁ, ଭଣ୍ଡାରି ହେଇଚନ୍ତି ମୁଠି ଧରିବେ ନାଇଁ, ଖିଅର କରିବେ ନାଇଁ, ଗଉଡ଼ ହେଇଚନ୍ତି ସୁଆରି କାନ୍ଧେଇବେ ନାଇଁ, ଏଣିକି ମନକୁ ଲଙ୍ଗଳ ଦଉଡ଼ି ପାଉନାହିଁ, ସରଗ ଦି’ଆଙ୍ଗୁଳ । ବୁଝି ଖବରଦାର, ଲୁଗା ଯଦି ନ କାଚିବ, ସେତେବେଳକୁ ଦେଖିଲା କାମ କରିଦେବୁ, ଦୋଷ ଦବ ନାହିଁ । ଘରେ ପଶି ବେକରେ ପାଳଦଉଡ଼ି ପକେଇ ଦାଣ୍ଡକୁ ଘୋଷାରି ଆଣି ହବ ଉତ୍ତମ ମଧ୍ୟମ, ଘର ଓଲରା ହବ । ଲୁଗା ନ କାଚିବ, ଯାଅ ଗାଁ ଛାଡ଼ି, ଭାଗ ଯୁଆଡ଼େ ମନ, ବାବୁ ହବାକୁ ଇଚ୍ଛା କଲିକତା ଯାଅ, କାଳିମାଟି ଯାଅ, ଗାଁରେ ଥିବାଯାକେ ଯୋଉ ଧୋବାକୁ ସେଇ ଧୋବା ।’’

 

ଅତଏବ ହୁର୍ଦ୍ଦୁ ସେଠି, ଯୁଜେଷ୍ଟି ସେଠି ଗାଁର ଖୁବ୍ ବଡ଼ ସମସ୍ୟା, ଅସଲ କଳି ମଞ୍ଜି । ଅଡ଼ୁଆ ଫିଟି ପାରିଲା ନାହିଁ, କିଛି ନିଷ୍ପତ୍ତି ହେଲା ନାହିଁ । ଧୋବାଘର ରାମ ନାମ ଭଜି ଦିପଟକୁ ମୁଣ୍ଡ ନୂଆଇଁ ଡରି ଡରି ଜଗି ଜଗି ଚଳିଲେ, ଦିନେ ବିତିଲେ ଯୁଗେ ବିତିଲା ।

 

ପଦାରେ ଗ୍ରାମ ସଙ୍ଗଠନର ଯୋଜନା, ଉନ୍ନତି ବିଷୟରେ ପ୍ରଚାର ।

 

ଆଉ ଭୋଟର ସମସ୍ତେ ।

 

ଗାଁ କଜିଆର ଚାପ ଖାଲି ମଣିଷ ଆଉ ପଶୁଙ୍କ ଉପରେ ପଡ଼ିଲା ତା’ ନୁହେଁ, ପଡ଼ିଲା ମାଟି ଉପରେ ଆଉ ଗଛ ଉପରେ । ହିଡ଼ହଣା, ଗଛହଣା ତ ସାଧାରଣ କଥା । ଅପର୍ତ୍ତି ପଧାନ ହେଣ୍ଡି ମାରିଲା ଯେଉଁଦିନ କୁର୍‌ହାଡ଼ି ଚୋଟ ପଡ଼ିଲା ବନ୍ଧ ସେପାଖ କଣ୍ଡିଆର ବିଖ୍ୟାତ ଓସ୍ତଗଛ ଉପରେ । ମସ୍ତବଡ଼ ଉଞ୍ଚ ଝଙ୍କା ଅତି ପୁରୁଣା ଓସ୍ତଗଛ । ସତେକି ପାଟେଳି ଗାଁର ମୁକୁଟ । ବନ୍ଧେ ବନ୍ଧେ ଆସିଲେ କେତେଦୂରରୁ ଦିଶେ । ପରବାସ ଲେଉଟା ଗ୍ରାମ ଲୋକ ଥକ୍‍କା ହୋଇ ଦୂରର ଗଛ ଗହଳି ଉପରୁ ପାଟେଳି ଗାଁର ଓସ୍ତଗଛକୁ ଚାହିଁ କହେ, ‘‘ହେଇ ମୋର ଗାଁ’’

 

ସେ ବଢ଼ି ଉଠିଥିଲା ପ୍ରକୃତିର ଜୀବନ ମତ୍ତତାରେ, ସେହି ଜୀବନୀଶକ୍ତିର ବିକାଶ ଦେଖାଇ କେବଳ ବଳରେ ସୌନ୍ଦର୍ଯ୍ୟରେ ଲୋକଙ୍କ ସମ୍ମାନ ଅରଜିଥିଲା । କେଡ଼େ ବଡ଼ ଗଛ ! ଆଖପାଖର କୋଚିଲା ଗଛ ବରଗଛ ଆଉ ମାହାଳ ଗଛ ପରି ସେ ମଣିଷ-ଗଢ଼ା ଠାକୁର ନୁହେଁ କି ଠାକୁରଙ୍କ ଆଶ୍ରୟସ୍ଥଳ ନୁହେଁ । କୋଚିଲା ଗଛରେ କୋଚଳେଈ ଠାକୁରାଣୀ, ବରଗଛର ସାତ ସିଅ ମିଶି ନିଜେ ସାତ ଭଉଣୀ, ମାହାଳ ଗଛରେ ଜାଗୁଳେଈ । ସେମାନେ ଗାଁର ରକ୍ଷାକାରିଣୀ । ତେଣୁ ତାଙ୍କ ଦେହରେ ବଡ଼ ବଡ଼ ମେଞ୍ଚା ସିନ୍ଦୂର, ତଳେ ମାଟି ଘୋଡ଼ା ଅପର୍ଯ୍ୟାପ୍ତ, ପୁଣି ପଣାହାଣ୍ଡି, ଭୋଗ ସରାର ଖପରା ! ଓସ୍ତଗଛ ଧର୍ମ ଭେକରେ ବଡ଼ ନୁହେଁ, କେବଳ ଆପଣ ବିକାଶରେ ବଡ଼, ଯେପରି ଏକ ପ୍ରାକ୍-ବୈଦିକ ଆର୍ଯ୍ୟ ।

 

ନଈ ବନ୍ଧ ସେପାଖେ କଣ୍ଡିଆର ଅତଡ଼ା ଦାଢ଼ରେ ତା’ର ଆସନ, ଓହ୍ଲେଇ ଗଲେ ବହୁଦୂରବ୍ୟାପୀ ନଈ ବାଲି । ବଢ଼ିବେଳେ ସେ ପାଣି ମଝିରେ ଠିଆ ହୁଏ, ପାଣି ଛାଡ଼ିଲେ ଠିକ୍‍ ତା’ରି କରବାଟେ ଘଳିଆରେ ପାଣି ଗଡ଼େ । ମୂଳରୁ ଫାଳକରେ ମାଟି ବୋହିଯାଇ ଜଟ ପରି ଚେରଗୁଡ଼ାକ ଦିଶୁଛି, ତଥାପି ତା’ର କିଛି ହୋଇନାହିଁ । ସେହିପରି ସିଧା, ସେହିପରି ଅଟଳ ।

 

କାହା ଜମିରେ ସେ ଠିଆ ହୋଇଛି, କେହି କେବେ ପଚାରି ନାହିଁ । ସେହିବାଟେ ଲୋକେ ନଈକୁ ଯାଆନ୍ତି । ଖରାବେଳେ ଓଦାଲୁଗା ଗଣ୍ଠେଇ ପାଲ ପରି ଫଡ଼କେଇ ତତଲା ନଈବାଲିରେ ଛଟପଟ ହୋଇ ଗାଧୋଇ ଫେରିଲାବେଳେ ତାହାରି ମୂଳରେ ଦମ୍ ମାରନ୍ତି । ଲୁଗା ବଦଳାନ୍ତି । ବନ୍ଧ ଉପରେ ଠିଆ ହୋଇ ନଈଆଡ଼କୁ ଚାହିଁଲେ କଣ୍ଡିଆ ନଈବାଲି ଆଉ ନଈ ଖାଲର ଫାଙ୍କ ଅପନ୍ତରାଦୃଶ୍ୟକୁ ଯଦି କେହି ଭାଙ୍ଗିଦେଇ ଶୂନ୍ୟ ଭିତରେ ଛବି ବିନ୍ୟାସ କରେ, ତେବେ ସେ ଏହି ଡେଙ୍ଗା ଓସ୍ତଗଛ । ବନ୍ଧରେ ଠିଆ ହୋଇ ଅନ୍ୟମନସ୍କ ହୋଇ ଅନାଇ ଥିଲେ ହଠାତ୍ ମନେପଡ଼େ ସେ, ଦାଉ ଦାଉ ଖରାରେ ଆଖି ଜଳକା କରି ଝିଲ ଝିଲ୍‌ ପତ୍ର, ଜହ୍ନ ରାତିରେ ଝିଲ୍‌ ଝିଲ୍, ବର୍ଷାରେ ରାଉ ରାଉ, ତୋଫାନବେଳେ ମହାଯୋଦ୍ଧା, ନଈବଢ଼ିର ପ୍ରଳୟ ମଝିରେ ସ୍ଥିତିର ଟେକ ରଖି ଏକୁଟିଆ ଠିଆ ହୋଇଥାଏ । ସେତିକିବେଳେ ତା’ର ଅସ୍ତିତ୍ୱ ମଣିଷ ହୃଦୟରେ ପଶେ, ଧର୍ମର ପ୍ରତୀକ ନ ହେଉ, ଜୀବନର ପ୍ରତୀକ ହୋଇ ସେ ଦମ୍ଭପଣର ଆଶ୍ଵାସ ଦିଏ । ବୁଢ଼ା ଓସ୍ତକୁ କଳିଯୁଗ ଭେଣ୍ଡାପରି ଠିଆ ହୋଇଥିବାର ଦେଖୁଥିଲେ ସତେ କି ଲାଗୁଥାଏ, ଯେତେ ଯାହା ଆସୁ ଏ ଗାଁର କ୍ଷୟ ନାହିଁ, ବିଲୋପ ନାହିଁ, ଯେତେ ଯାହା ଆସୁ ସବୁ ଏ ଟାଳିଯିବ, ଅଭାବ, ବଢ଼ି, ବାଡ଼ି, ଘରପୋଡ଼ି, ମଡ଼ି ମଡକ, ସବୁ ଗଛଟା ଅଛି ନା ଅଛି । କାହା ଗଛବୋଲି କେହି କେବେ ପଚାରି ନାହିଁ । ଗାଁ ଯାକର ମାଙ୍କଡ଼ ମାଙ୍କଡ଼ମରା ଦିନେ ତା’ର ଅଗ ଡାହିରେ ଜମା ହୁଅନ୍ତି । ସେଠି ରହନ୍ତି ଯେତେ ଯାବତ ଚଢ଼େଇ । ଆଉ ଓସ୍ତଗଛ, ଲୋକେ କହନ୍ତି ତା’ର ତଳ ଅଧକରେ କୋରଡ଼ କରି ନାଗ ସାପ ଅଛନ୍ତି, ଉପରେ ଥାଏ କଟକଟିଆ ନାଗ ଅଥଚ କାହାରି ସେମାନେ କିଛି ଅନିଷ୍ଟ କରିନ୍ତି ନାହିଁ । ଗଛଟା ସତେ କି ସମସ୍ତିଙ୍କର, ଖରା ବଢ଼ିଲେ ଯେ ଆସେ ସେ ଛାଇ ପାଏ, ଗଛର ଅଳ୍ପ ବହୁତ ପାତର ଅନ୍ତର ନାହିଁ ।

କିନ୍ତୁ ହଠାତ୍ ଦିନେ ଅପର୍ତ୍ତି ପଧାନ ଘୋଷଣା କଲା, ସେ ଯେଉଁ ଜମିଟା ରାଣ୍ତୀ ଅନ୍ଧୁଣୀ ଗୁଡ଼ିଆଣୀ ବୁଢ଼ୀଠୁଁ କଣ୍ଟକବଲା କରିନେଇଛି, ଓସ୍ତଗଛର ଅଧେ ସେଥିରେ ପଡ଼ିଛି, ଆର ଅଧକ ପଡ଼ୁ ପଛେ ମଦନା ନାହାକ ଜମିରେ ଓ ଗଛଟା ଯେତେବେଳେ ତା’ ଜମି ଉପରେ ମାଡ଼ିବସିଛି, ଚେର ଲମ୍ୱେଇଛି, ତା’ର ବି ଉଚିତ ଗଛକୁ ହାଣି ଦଖଲ କରିବା ।

‘‘ଏଁ, ଶରଦୀ ଗୁଡ଼ିଆଣୀ ଜମିରେ ଓସ୍ତଗଛ !’’ ଲୋକା ନାହାକ କହିଲେ, ‘‘କାହିଁ ମୋର ଆୟୁଷ ସରିଲା, ଏ କଥା ତ ମୁଁ ଶୁଣି ନାହିଁ ।’’

‘‘ମାପ କର,’’ ଅପର୍ତ୍ତି ପଧାନ ହାଙ୍କିଲା ।

‘‘ଶରଦୀ ଜମି ତ ହେଇ ସେକରେ, ଯୋଉଠି ତୁ କୋଳଥ ବୁଣୁଚୁ, ତୋ ଆଗରୁ ଶରଦୀ ତାଷ କଲା କାଳକଯାକ । ତା’ ଆଗରୁ ତା’ ବର, ତା’ ଶଶୁର, ତା’ ଅଜାଶୁର । ମଝିରେ ପଚାଶ ହାତ ଟପି ନଈକି ଯିବା ବାଟକୁ ମିଶେଇ ଏକଦମ ଓସ୍ତଗଛକୁ ଶରଦୀ ଜମି କେବେ ଡେଇଁଲାରେ-?’’

‘‘ହଉ, ମାପ କର, ନକ୍‌ସା ଦେଖ ।’’

‘‘ତେବେ ଆଗରୁ ତାଷ ହେଇନଥିଲା କାହିଁକି ?’’

‘‘ଆରେ ଏ ତ ଆଛାକଥା, ମୋ ଜମି ମୁଁ ପଡ଼ିଆ ପକେଇଲି ବୋଲି କ’ଣ ତମର ହୋଇଗଲା ?’’

ଅପର୍ତ୍ତି ପଧାନ ଆଣି ହାଜର କରେଇଲା ଆର୍ତ୍ତ ମହାନ୍ତି ଅମିନଙ୍କୁ । ମାପ ଆରମ୍ଭ ହେଲା । ଗାଁ ଲୋକେ ଅଣ୍ଟାରେ ହାତଦେଇ ଅନେଇଁ ଅନେଇଁ ପାନ ଚୋବେଇଲେ, ମନରେ କୁତୂହଳ, କେମିତି ଏ ଅସମ୍ଭବ ସମ୍ଭବ ହେବ । ଆରତ ଅମିନ ଚାରିପଟେ ବୁଲି କେଉଁଠୁ କେଉଁଠୁ ଚିହ୍ନ ପଥର ବାହାର କଲା । କହିଲା, ଖୋଜ ଏଇଠୁ ପଥର ଅଛି । ପଥର ବାହାରିଲା, ସମସ୍ତଙ୍କ ଆପତ୍ତି ସତ୍ତ୍ୱେ ଲାଇନ୍ ନେଇ ମାପି ଠିକ୍ ବସେଇଦେଲା ଓସ୍ତଗଛକୁ ଶରଦୀ ଗୁଡ଼ିଆଣୀ ଜମିରେ ।

ଗାଁ ଲୋକେ ଆଁ କରି ଦେଖିଲେ । ଅପର୍ତ୍ତି ପଧାନ ମୁରୁକି ମୁରୁକି ହସୁଛି । ଆରତ ଅମିନ ଓସ୍ତଗଛର ଅଧିକରୁ ବେଶୀ ଶରଦୀ ଗୁଡ଼ିଆଣୀ ଆଡ଼େ ଦେଖାଇ ଦେଇ ଗଛ ପଛଆଡ଼େ କୀଳା ପୋତିଦେଲା । କହିଲା, ‘‘ଏଇଠି ପନ୍ଦର କଢ଼ି ସଇଲା, ଶରଦୀ ଗୁଡ଼ିଆଣୀର ଏଇତକରେ ସରିଲା ।’’

 

ଗୋଠେ ଲୋକ, କାହାରି ମୁହଁରୁ କଥା ବାହାରିଲା ନାହିଁ । ବେଳ ଆସି ମୁଣ୍ଡ ଉପରେ । ଅପର୍ତ୍ତି ପଧାନ କହିଲା, ମୋ ଜମିଟାକୁ ସତ୍ୟାନାଶ କଲା । ଏ ଓସ୍ତଗଛ, ଯାହା ହେଉ, ଆଜି ଦି’ଶଗଡ଼ କାଠ ହାଣିଦେଲେ କାମରେ ଆସିବ ।’’

 

ଲୋକା ନାହାକ ମୁଣ୍ଡ ହଲେଇ ହଲେଇ କହିଲା–‘‘କେମନ୍ତ ! ଓସ୍ତ, ଗଛରେ କୁର୍‌ହାଡ଼ି ପଡ଼ିବ ? ଫେର୍ ଗାଁଯାକର ଗଛ ଉପରେ ?’’

 

ଅପର୍ତ୍ତି କହିଲା, ‘‘ନ ପଡ଼ିବ କାହିଁକି ? ଯେଝା ଘରେ ଯେଝା, ଏଇ ତ ନ୍ୟାୟ । ମୁଁ ତ କାହା ଘରେ ପଶିବାକୁ ଯାଉ ନାଇଁ ଯେ କିଏ କହିବ । ସେପାଖ ଫାଳେ ତ ମଦନା ନାହାକ ଜମିରେ ପଡ଼ୁଚି । ହାଣି ନଉ ସେପାଖ ଡାହିକୁ ସେ, କିଏ ପାଟି ଫିଟେଇବ ?’’

ହଠାତ୍ ଦି’ପକ୍ଷ ହୋ ହୋ ହୋଇଉଠିଲେ । ଶୁକୁଟି ମିଶ୍ରେ ନାକ ବାଟେ ଚିଁ ଚିଁ କରି କହିଲେ, ‘‘ଅଧର୍ମ, ଅଧର୍ମ, ଏ ଘୋର କଳି । ଅଶ୍ୱତ୍‌ଥ ବୃକ୍ଷ କିଏ ରୋପେ, ଧର୍ମ କରେ, ଆଉ କୋଉ କୁଳାଙ୍ଗାର ପାଞ୍ଚେ ତାକୁ ହାଣିବାକୁ । ଏ ମାପ ଭୁଲ । ଏ ନିଶାପ ଭୁଲ, ଏଥିରେ ସବୁ ଭୁଲ-।’’

ଆରତ ଅମିନ ହଠାତ୍ ତାତିଯାଇ ମିଶ୍ରଙ୍କ ମୁହଁ ସାମ୍ନାରେ ନାଚିଲା ପରି ଝାଙ୍କି ହୋଇ ଗର୍ଜନ କଲା, ‘‘କ’ଣ କହିଲ ? କ’ଣ କହିଲ ? ଏ ମାପ ଭୁଲ ! ଏଡ଼େ ମାପିଲାବାଲା ତମେ ହେଇଚ ? ଶ୍ଲାଃ ବ୍ରହ୍ମାଦେଶରୁ ହଜାରିବାଗ୍ ଖୋର୍ଦ୍ଧା ଅଠର ଗଡ଼ଜାତ ବଇପାରିଗୁଡ଼ା ଦୁନିଆଁ ଯାକ ମାପି ମାପି ଆଇଲି, ବାଳ ପାଚିଲା, ଆଜି ଏ ଶୁକୁଟି ବ୍ରାହ୍ମଣ କହିଦେବ କ’ଣ ନା ଆରତ ମହାନ୍ତି ମାପଟା ଭୁଲ ଆଉ ଆରତ ମହାନ୍ତି ଏଡ଼େ ଗୋବରଗଣେଶ ହେଇଚି ଯେ କପାମଞ୍ଜି ଦେଇ ପାଠପଢ଼ି ଥିଲା ମାହାଳିଆ ସାର୍ଟିଫିକେଟ ହାସଲ କରିଚି ଛତିଶି ବାବୁଠୁଁ, ଦୁର୍ଯ୍ୟୋଧନ ବାବୁଠୁଁ, କାହ୍ନୁ ବାବୁଠୁଁ, ଜମିର୍ ସାହବଠୁଁ, ଦନାଲ ସାହାବଠୁଁ, ନାଇଁ ? ମୁହଁସମ୍ଭାଳି କଥା କହ ନନା ! ତୁମକୁ ତମ ତାଳିମରା ବୁଜୁଳିବନ୍ଧା ବିଦ୍ୟା ଜଣା ସିନା, ଏ ମାପ ଚୁପ୍ କଥାରେ ତମେ ପାଟି ଫିଟେଇବ ନାଇଁ ।’’

ବିଦେଇ ବେହେରାର ଝୋଟ ପରି ବାଳ । କହିଲା, ‘‘ମତେ ଏ ମାପ କେମିତି କେମିତି ଲାଗୁଚି । ତମେ ଯୋଉ ପଥରଠୁ ମାପ ନେଇ ଆଇଲ, ମତେ ତ ଯେମିତି ଲାଗୁଚି ସେଠି ସେ ପଥର ତ ନ ଥିଲା ।’’

ତା’ର ଜବାବ ଦେଲା ଅପର୍ତ୍ତିଆର ସାଙ୍ଗ ମାଗୁଣି ବେହେରା, କହିଲା, ‘‘ନ ଥିଲା ଆଇଲା କୋଉଠୁ, କ’ଣ ପାତଳଫୁଟା ମହାଦେବ ? ଆଖିରେ ତ ଦେଖିଲ, ନଈବଢ଼ି ପଟୁରେ ପୋତିହେଇ ପଡ଼ିଥିଲା ।’’

 

ବିଦେଇ କହିଲା, ‘‘ନା, ମୋ ମନ ମାନୁ ନାହିଁ, ତମେ ଗାଁ ସେ ମୁଣ୍ଡରୁ ବିବାକ ମାପ କରି ଆଣ ।’’

 

ଆରତ କହିଲା, ‘‘କ’ଣ ଗାଁ ଗୋଟାକଯାକ ସର୍ଭେ କରି କରି ଆସିବି ? ଏଇଆ କହୁଚ-? ହଉ, କରିଦେବି । ଯେତେଦିନ ଲାଗୁ ଗାଁଯାକ ମାପକରି କାଢ଼ିଦେବି, କିଏ କାହା ଜମିରେ ମାଡ଼ିଚ, କାହା ବାଡ଼ିରେ ଘର କରିଚ, ସର୍ବସାଧାରଣ ରାସ୍ତାରୁ କେତେଲେଖାଁ ଖାଇଚ, ସବୁ ମାପିଦେବି । ସାରୁ ଖୋଳୁ ଖୋଳୁ ମହାଦେବ ବାହାରିବେ । ମୋର କି ଯାଉଚି ? ତେବେ ଗାଁଯାକ ମାପ ହବ ଯେ ଆଗ ମୋ ଫିଜ୍ ପକା । ଥୋଇବଟି ଆଗ ପନ୍ଦର ଟଙ୍କା, ବାକି ପଛେ ଦବ । ଆଣ ଅଇଛା । ମାପ ଆରମ୍ଭ କରିବି ।’’

 

ଲୋକା ନାହାକ କହିଲା,–‘‘କାହିଁର ଫିଜ୍‌ନା ପିଜ୍ ହୋ ? କିହୋ ଆମେ କାଇଁକି ଟଙ୍କା ଦେବୁ ?’’

 

‘‘ନ ହେଲେ ନ ଦିଅ, କିଏ ଭିକ ମାଗୁଚି କି ? ନ ଦବ ତ ନାଇଁ ଥିରି ହେଇ ରହିବ, ଆଉ କହୁଚ କାହିଁକି ଏଇଟା ମାପ କର ସେଇଟା ମାପ କର । କ’ଣ କାମ ହେଇଯିବ ଖାଲି ମାଗଣାରେ ନାଁ କ’ଣ ?’’

 

ହୋ ହା ବଢ଼ିଲା, ଅପର୍ତ୍ତି ପଧାନ କହିଲା, ମୁଁ ମୋର ମାପ କରି ସମସ୍ତିଙ୍କ ଆଗରେ ଦେଖେଇଦେଲି, ତମେ କେହି ଆପତ୍ତି କରିବ ତ ତମ ମନଇଚ୍ଛା ଅମିନ ମଗେଇ ମପାଉଥା । ମୋ ଦଖଲ ତ ତମେ ଦେଖିନେଲ, ଆଉ କ’ଣ ?’’

 

ପାଟି କରି କରି ଗୋଟିଏ ଗୋଟିଏ ହୋଇ ପଛଘୁଞ୍ଚା ଦେଇ ଲୋକେ ଖସିଗଲେ । ଖିଆପିଆ ବେଳ, ଭୋକ କଲାଣି । ଖରା ବଢ଼ିଲା, ଓସ୍ତଗଛ ଡାହିରେ ବସି ସବୁଦିନ ପରି ଚଢ଼େଇମାନେ କଚିରିମିଚିରି ହେଲେ । କେତେକାଳର ପ୍ରାଚୀନ ଗଛ । ତାହାରି ଛାଇତଳେ ମଣିଷ ଦଳ ଭିତରେ ଏତେବଡ଼ ଐତିହାସିକ ନିଷ୍ପତ୍ତି ଘଟିଗଲା, ତା’ର ପରିବର୍ତ୍ତନ ନାହିଁ, ସେ ଅବିଚଳିତ । ସେମିତି ଚଢ଼େଇମାନେ ଏ ଡାଳରୁ ସେ ଡାଳ ଉଡ଼ି ବୁଲୁଛନ୍ତି; ସବୁଦିନ ପରି ସେମିତି ତା’ର ମହମବୋଳା ପତ୍ରସନ୍ଧିରେ ଛାଇ ଆଲୁଅ ଲୁଚକାଳି ଖେଳୁଛନ୍ତି । ତଳେ ଶୋଇଛି ଆସି ମହାଦେବଙ୍କ ବୁଢ଼ାଷଣ୍ଢ, ପାକୁଳି କରୁଛି । ପୁରୁଣା ଓସ୍ତଗଛ ସତେକି ସମୟ ଲହରୀରେ ଛାଇଟିଏ, ସୂକ୍ଷ୍ମଦେହୀ, ସୁଖଦୁଃଖର ସ୍ପର୍ଶ ବାଧେ ନାହିଁ । ଚାରିପାଖର ବସ୍ତୁବୋଧ ତାକୁ ଛୁଏଁ ନାହିଁ ଅଥବା ସେହି ଏକା ସ୍ଥୂଳ ବସ୍ତୁ । ବାକି ଚାରିପାଖେ ସବୁ ଛାଇ । ଏହି ଯେତେ ଗାଁର ଘର, ମଣିଷ, ଏ ମଣିଷଙ୍କ ଆଜିକା ସମାଜ । ଠିଆ ଠିଆ ଆପଣା ଛାଇ ଲମ୍ୱାଇ ସମୟକୁ ମାପ କଲା । ସକାଳର ଆଶାୟୀ ସୂର୍ଯ୍ୟ ଉଦାସ ହୋଇ ଜଳି ଆସିଲାଣି । ପାଖେଇ ଆସିଛି ତା’ର ମୁକ୍ତି । ଛାଇ ଲେଉଟିଲାଣି । ଏଥର ଗାଁ ଗୋଟିଏ ସ୍ନିଗ୍‌ଧ ଛବି, ସେପାଖେ ନଈବାଲିରେ କୋମଳ ଅନ୍ତିମ ଶଯ୍ୟାର ସୂଚନା ଓ ପ୍ରଲୋଭନ ।

 

ସେତିକିବେଳେ ଆଗେ ଆଗେ ଅପର୍ତ୍ତି ପଧାନ ପଛେ ପଛେ କୋଡ଼ିଏଜଣ ସରିକି ଲୋକ ଓସ୍ତମୂଳେ ପହଞ୍ଚିଲେ । ସେମାନେ କାନ୍ତାରାଟିର ବିଦେଶୀ କୁଲି, ଏ ଗାଁରୁ ଛ ମାଇଇ ତଳେ ସେମାନଙ୍କ ଛାଉଣି । ଅପର୍ତ୍ତି ପଧାନ ଦେଖାଇ ଦେଲା ଏଇ ପାଖେ ହାଣ ।’’ କୁଲିମାନେ ଗଛରେ ଚଢ଼ି ଡାହି ହାଣିବାରେ ଲାଗିଗଲେ ।

 

ତଳେ ଗାଁର ଲୋକ ରୁଣ୍ଡିଲେ, ଲାଗିଗଲା ବଚସା, କଳିଗୋଳ, ଉପରେ ଦୁଲୁଦାଲ ପାହାର ପକେଇ ଡାଳିହଣା ଏକାରାଆରେ ଚାଲିଲା । ଅପର୍ତ୍ତି ପଧାନ ବିବୃତି ଦେଲା-‘‘ଏ ଗଛରୁ ମୋ ଭାଗକ ମୁଁ କାନ୍ତରାଟି ବାବୁଙ୍କୁ ବିକିଦେଇଛି । ସେ ହକ କୁଲି ପଠେଇଛନ୍ତି । କାମ ଅଟେକେଇଲେ ଅଟକାଅ, ମୋର କିଛି ଯିବ ନାହିଁ । ଖାଲି ଏତିକି ହେତୁ ରଖି ଯାହା କରିବ କର । ସେ ବାରିକିମିସ୍ତ୍ରୀ କାନ୍ତରାଟି, ତାଙ୍କ ହାତରେ ଦି’ହଜାର କୁଲି ଆଉ ଟଙ୍କା ତ କୋରମେଇଁରେ ମାପନ୍ତି । ତମର ଏ ଗାଁ ଖଣ୍ଡକୁ ମନକଲେ ପୋତି ପକେଇବେ ଟଙ୍କାରେ । ଭାରି ଇଜତବାଲା, କଥା କଥାକେ ମକଦ୍ଦମା ଦାଏର କରନ୍ତି ।’’

 

ତେରିମେରି ହେଉ ହେଉ ଦି’ଘଣ୍ଟା ବିତିଗଲା ।

 

ସୂର୍ଯ୍ୟ ବୁଡ଼ି ଆସୁଥାଏ । ପ୍ରଚଣ୍ଡ ଶବ୍ଦକରି ଆଗପଛ ହୋଇ କଚାଡ଼ି ହୋଇ ପଡ଼ିଲା ଓସ୍ତଗଛର ହଣାହେଉଥିବା ଦି’ଟା ଖୁବ୍ ବଡ଼ ବଡ଼ ଡାହି । ସତେ ଅବା ଗଣ୍ଡି ସମେତ ଦିଟା ବଡ଼ ଗଛ-

 

ତଳେ ଜନତାର ଉତ୍ତେଜିତ ଚିତ୍‌କାର । ଅପର୍ତ୍ତି ପଧାନ ଦେଖିଲା ସମସ୍ତିଙ୍କୁ ପଛକରି ତା’ର ମୁହାଁମୁହିଁ ନିଜେ ସିନ୍ଧୁ ଚୌଧୁରି । ମଲା ମାଛିକି ମ ନ କହିବା ଲୋକ ଯେପରି କି ଆଧୀନ୍ୟ ଦେଖାଇ ନେହୁରି ହୋଇ କହୁଛନ୍ତି–

 

‘‘ଅପର୍ତ୍ତି, ଏଥର ବନ୍ଦ କର ବାପା, ମୋର ସାନକୁହା ମାନ । ଲୋକଙ୍କ ମନରେ କି ଦୁଃଖ ହେଉଛି ଦେଖୁଛ ତ ? ଏ ଡାହି ଦିଟା ଆମ ଗୋସେଇଁ ବାପାଙ୍କଠୁ ଆହୁରି ବୁଢ଼ା । ଗଛକୁ ଅନାଅଁ, କେମିତି ଦିଶୁଛି । ଆଜିଠୁ ତା’ର ଶିରୀ ତୁଟିଗଲା । ଏଇ ତ ଗଛରେ ତମ ହାତର ମାର୍କା ରଖିଦେଲ । ଏତିକିରେ କ’ଣ ମନକାମନା ପୂରି ନାହିଁ, ଫେର୍ ଆହୁରି ହଣୋଉଚ ? କେତେଦିନକୁ କେଡ଼େକଥା ଆହା ! ଥାଉ ଅପର୍ତ୍ତି, ଏଥର ବନ୍ଦ କର ।’’

 

ଅପର୍ତ୍ତି ତାଙ୍କ ପଛକୁ ଅନାଇଁଲା । ଲୋକ ଥାଟପଟାଳି । ମଣିଷ ଗହଳିରେ ତୋଫାନ ଉଠି ଆସୁଛି । ଏଥର ସଞ୍ଜ ବୁଡ଼ିବ । ସେ ଓଲୁ ନୁହେଁ । ଡାକିଲା, ‘‘ଏଥର ଗଛକଟାଳିଏ ଓହ୍ଲେଇ ଆସ । ଏଇତକ ତ ଦଶ ଶଗଡ଼ ହବ । କାନ୍ତରାଟି ବାବୁଙ୍କୁ କହିଦେବ । ସଞ୍ଜ ବୁଡ଼ିଲା, ଥାଉ ଆଉ ଦିନେ ।’’

 

କୁଲି ଓହ୍ଲେଇ ଚାଲିଗଲେ । ତାଙ୍କ ସଙ୍ଗେ ସଙ୍ଗେ ଗଲା ଅପର୍ତ୍ତି ପଧାନ । ଆଜି ସେ ଗଡ଼ ଜିତିଛି । ବନ୍ଧ ଉପରୁ ଗଛଟାକୁ ଚାହିଁଲା । ଏପାଖେ ତଳର ଦି’ଟା ଡାହି ଝଙ୍କା ହୋଇ କେତେଦୂର ମାଡ଼ିଥିଲା, ଆଉ ସେ ନାହିଁ । ତା’ ପରିବର୍ତ୍ତେ ଖୋଲାଏ ଖୋଲାଏ ଦିଶୁଛି ନଈ ଉପରର ମିଞ୍ଜି ମିଞ୍ଜି ଛାଇ ଅନ୍ଧାର, ଗୋଟାପାଖ ଲଣ୍ଡାଳିଆ ହୋଇ ଗଛଟା କେମିତି ଦିଶୁଛି ହାତକଟା ଭୂତ ପରି ।

 

ଗାଁ ଲୋକେ ତାକୁ ଯେତେଥର ଦେଖୁଥିବେ, ସେତେଥର ନିଶ୍ଚୟ ଭାବୁଥିବେ ତା’ କଥା-। ଭୁଲିବେ ନାହିଁ । ହୁଏତ ତାଙ୍କର ଜ୍ଞାନ ଗଜୁରିବ ।

 

ବୁଲିପଡ଼ି ଅପର୍ତ୍ତି ପଧାନ ଅଦୃଶ୍ୟ ହେଲା ।

 

ଗାଳି ଦେଇ ଦେଇ ବକର ବକର ହୋଇ ଲୋକେ ଚାଲିଗଲେ ।

 

ବାଟ ବନ୍ଦକରି ଡାଳ ଦି’ଟା ପଡ଼ିରହିଲା, ଅଣ୍ଟାପାଣି କରିବାକୁ ଗୋଟିଏ ଗୋଟିଏ ହୋଇ ଗାଁ ଲୋକେ ମାଇପେ ମିଣିପେ ନଈକି ଗଲେ । ଡାଳ ଦି’ଟା ପାଖ ହେଲେ କଥା ବନ୍ଦ ହୋଇଯାଏ-। ଛାତିଟା ଚାଉଁକିନା ଲାଗେ । ତୁନି ତୁନି କଥା କହି ଆଡ଼େଇ ଆଡ଼େଇ ଲୋକେ ଚାଲି ଯାଉଥାନ୍ତି ।

 

ଡାଳ ନୁହେଁ, ଦି’ଟା ଶବ ।

 

ଓସ୍ତଗଛ ତଥାପି ନିର୍ବିକାର, ତଥାପି ଟାଣ, ସଳଖ ।

 

ସେମିତି ସିଧା ଠିଆ ରହି ଆକାଶର ତାରାଙ୍କୁ ସବୁଦିନ ପରି ସମ୍ଭାଷଣ ଜଣାଇଲା, ଯାଉ ପଛେ ଦେହରୁ ଫାଳେ ।

 

ଛବି ।

 

ରବିର ଚେତନା ଭିତରେ ସେ ଭେଦିଯାଇଛି, ସତେକି ତା’ର ରକ୍ତ ଭିତରେ ବଢ଼ି ଉଠିଛି ତା’ରି ସ୍ମୃତି, ମନେ ମନେ ନାନା ଭଙ୍ଗୀରେ ସେ ଗଢ଼ିହୁଏ, ମନ ଗହୀରରୁ ଛାଁକୁ ଛାଁ ବାହାରିଆସେ ତା’ର ଚିଆଁ ମନର ଜଣା ସୁମରଣାକୁ । ହେଇ ସେଥରକ ଚାଉଁକରି ନିଦ ଭାଙ୍ଗିଯାଇଥିଲା, ସଁ ସଁ ହୋଇ ନିଶ୍ୱାସ ମାରି ମାରି ସେ ଦାଣ୍ଡ ପିଣ୍ଡାକୁ ଉଠିଯାଇଥିଲା । ସାମ୍ନାରେ ଚାଉଁ ଚାଉଁଆ ଜହ୍ନରାତି, କେଡ଼େ ଚୁପ୍‍ଚାପ, କେଡ଼େ ଛାଇଛାଇଆ । ଲାଗୁଥିଲା କ’ଣ ଯେପରି କି ସେ ଖୋଜିଖୋଜିକା ନିଦରୁ ଉଠି ଆସିଛି, ଆଉ ଏମିତି ରାତି, ଜହ୍ନ, ତଳେ ତଳେ ନାନା ରୂପରେ ଛାଇ କାଳିହୋଇ ଯାଇଛି, ଆଗରେ ସବୁ ଜାଣିଥିବା ଜୀଅନ୍ତା ଜହ୍ନରାତି, କେଉଁଠି ଟିକିଏ କ’ଣ ବାଜିଗଲେ ସତେ ଯେପରି ସେ ଚେଇଁ ଉଠିବ । ସେହି କିମିଆଁ ଲଗା ରାତିରେ ନିଦୁଆ ବାଉଳା ଚେତା ଭିତରେ ତ ସେ ଛବିକୁହିଁ ଧ୍ୟାନ କରୁଥିଲା, ଆଉ କାହାକୁ ?

 

ଆଉ ସେଥର, ରାତି ଆକାଶରେ କାହିଁ କେଉଁଦୂରରେ ଚିଲିକା ଲେଉଟାଣି ଘରମୁହାଁ ହଂସ ଉଡ଼ିଗଲେ ଯେ ଝଡ଼ିପଡ଼ିଥିଲା ତାଙ୍କର ଘରବାହୁଡ଼ା ରାଗିଣୀରୁ କିଛି ପଦ । ଆକାଶର ଅଛିଣ୍ଡା ବାଟରେ ସତେକି ତା’ରି କାମନା ମାୟା ହୋଇ ଉଡ଼ି ଚାଲିଗଲା ମନ ସୁଖେ, ସେତେବେଳେ ବି ସେ ଛବିକୁହିଁ ଅନୁଭବ କରିଥିଲା ।

 

ସେମିତି ତ ଛବି, ଆଖିରେ ଦିଶେନାହିଁ, ଅନୁଭବ କରିହୁଏ ଦୂରର ସଂକେତ । ଚାରିଆଡ଼ ଯେତେବେଳେ ନିଛାଟିଆ ପଡ଼ିଯାଏ, ଚାରିପଟେ ବର୍ତ୍ତମାନର ନିବୁଜା କାହାଣୀ ଶୋଇପଡ଼େ, ଖୋଲେ ମନର ଦିଗ୍‍ବଳୟ, ଯେଉଁଠି ଅତୀତ ଆଉ ଭବିଷ୍ୟତ ହାତରେ ହାତ ଛନ୍ଦନ୍ତି, ସେତେବେଳେ ସେହି ମୁହଁଟି ମନେପଡ଼େ, ସେହି ସଂକେତ ଉଠାଏ ଜୁଆର । ଆପେ ସେହି ଜୁଆରରେ ଫୁଲି ଫୁଲି ଲହଡ଼ି ଖେଳୁ ଖେଳୁ ପୁଣି କେତେବେଳେ ଚେତନା ଧରେ ନୂଆ ପତ୍ତନ କି ଦିଗ, ଛବି ପୁଣି ବୁଡ଼ିଯାଏ ମନର ଗହୀର ତଳକୁ ।

 

ଜାଣତା ମନରେ ରବି ତଉଲି ବସେ ଛବିର କାହାଣୀ । ଯେତିକି ଦେଖିଥିଲା । ତା’ଠୁ ବହୁଗୁଣ ମିଶେଇ ଯୋଡ଼ି ସେ ତାକୁ ଜୀଅନ୍ତା ରୂପ ଦିଏ । ତା’ର ସେ ନିଭୃତ ଧୂଳି ଖେଳ ସଙ୍ଗେ ଆପଣାର ସମ୍ପର୍କ କଳି ବସେ । ବୃଥା ଲୋକେ କେତେ ଅପବାଦ ସେହି ସରଳା ନିଷ୍ପାପା ନିର୍ଦ୍ଦୋଷୀ ଝିଅଟି ନାଁରେ ଲଗାଇଛନ୍ତି । ତାକୁ ବି ସେ ବୁଝିବାକୁ ଚେଷ୍ଟାକରେ, ନିର୍ଭୟ ହିଂସ୍ରକ ଈର୍ଷାନ୍ୱିତ ଲୋକଙ୍କ ଅକାରଣ ଦାଉକୁ । ଭାବେ, ମଣିଷ କାହିଁକି ଏମିତି ସାପଠୁ ବଳି ହୁଏ, କାହିଁକି ଅକାରଣରେ ଧ୍ୱଂସ କରେ, ଖାଲି ଦେଶ ନୁହେଁ, ପଦାର୍ଥ ନୁହେଁ, ପରର ସୁଖଶାନ୍ତିକି, ଏପରିକି ତୁଚ୍ଛା ନାଁ ଟିକକୁ । ସେ ଭାବେ ସେମାନେ ପାଗଳ, ମନ ଅସୁସ୍ଥ ନ ହେଲେ କେହି ଫୁଲକୁ ଚିରି ଗୋଡ଼ରେ ଦଳିଦିଏ ନାହିଁ । ଏମିତି ଅସୁସ୍ଥ ଏ ଜଗତଯାକ ଅଛନ୍ତି ଏମୁଣ୍ଡ ସେମୁଣ୍ଡ, କିଏ ରାଷ୍ଟ୍ର ଧ୍ୱଂସ କରେ, ଯୁଦ୍ଧ ଲଗାଏ, କିଏ ପରର ତଣ୍ଟି ଚିପେ । ସେହି ଏକା ବିଷର ବିକାର । ଭାବେ, ଗାଁ ଲୋକଠୁ କିଏ ଖାଲି ସାଧୁସନ୍ଥ ସଦାଚାରୀ ମହାପୁରୁଷ ହେଲା ଭଳି ପ୍ରବଣତା ଦେଖିଛନ୍ତି, କିନ୍ତୁ ସେହି ଗାଁ ଟାଉଟର ଆଉ ଘରଭଙ୍ଗେଇ ମାଇପିଲୋକଙ୍କ ଭିତରେ ରହିଛି ଠିକ୍ ତା’ର ଆରପଟଟା ପାଇଁ ପ୍ରବଣତା, ଟିକିଏ ବଢ଼ିବାକୁ ସୁଯୋଗ ପାଇଥିଲେ କିଏ ହୋଇପାରିଥାନ୍ତେ ଯୁଦ୍ଧ ଆଉ ମାରଣର କାରିଗର, ବିଚକ୍ଷଣ କୂଟନୀତିଜ୍ଞ ଆଉ ଯୁଦ୍ଧଲୋଭୀ, ଯାହାଙ୍କ ନାଁ ଛପା ଅକ୍ଷରରେ ବାହାରେ, ପଢ଼ିଲେ ଦେଖିଲେ ରକ୍ତ ପାଣି ଫାଟିଯାଏ, ଆଶଙ୍କା ହୁଏ ପୁଣି କି କୂଟ କରିବେ ୟେ ।

 

ନିଜକୁ ଛବିର ଦୁର୍ଦ୍ଦଶାର ନିମିତ୍ତବୋଲି ସେ ବେଳେ ବେଳେ ଭାବେ, ସେତେବେଳେ ସେ ଅଧୀର ହୋଇପଡ଼େ । କାରଣ ଯାହାହେଉ, ମନ ଭିତରେ କହେ ସେ ଦାୟୀ, ସେ ନିଜେ । ଛବିର ଅପମାନ କଥା ଭାବିଲେ ଆଦୌ ସେ ନିଜକୁ ତହିଁରୁ ମୁକ୍ତ କରିପାରେନାହିଁ, ଯୁକ୍ତି ହାରିଯାଏ-

 

କେମିତି କ’ଣ ହେଲା କି ନ ହୋଇଥାନ୍ତା । ଯାଉ ସେ କଥା, ସେ ସତେ କି ଖୁଣୀଟାଏ । ପଦା ଲୋକଙ୍କ ରଟନା କଥା ମନେପକାଇଲେ ତା’ର ବଢ଼ନ୍ତି ଚେତନାରେ ସଫା ଚାଦର ଉପରେ ପହିଲି କଳା ଲାଗିଥିବାର ତାକୁ ଅନୁଭବ ହୁଏ । ପଦାକୁ ମିଛ, କିନ୍ତୁ ମନ କହେ ୟେ ସତ ହୋଇପାରିଥାନ୍ତା । ଏଠି ମିଛଠୁଁ ସତ ଫରକ ଖାଲି ଯେମିତି ଗୋଟାଏ ବାଙ୍କ ଯୋଗୁ । ପୁଣି ସେହି ମିଛର ସମ୍ଭାବନାମୟ ସୂଚନାରେହିଁ ତା’ର ମନ ମହକି ଉଠେ, ଅତି ଆପଣାର ସେ, ମନଗହନରେ ଗୁପ୍ତରେ ତା’ର ଥିତି । ବାହାରୁ ପାହାର ପାଇଲେ ନିଘା ସେଇଠିକି ଚାଲିଯାଏ, ବାରମ୍ବାର ବୁଝେ, ଅଛି ସେ ଆପଣାଠିଁ, ସେ ସ୍ମୃତି ତା’ର ନିଜସ୍ୱ, ଆପଣା ପାଖେ ସ୍ୱୀକାର କରେ ସେ ମୋହକୁ ।

 

ଏ ସମ୍ପର୍କରେ କ’ଣ ହେବ ୟା ପରେ ? ସେ ଧନ୍ଦି ହୁଏ ନାହିଁ । ମନ ଭିତରର ସମ୍ଭବ ଧାରଣାର ଶୀତଳି ମନ ବାହାରେ ବି ଚହଟି ରହେ । ହେଇ ତ ସେ, ତା’ ଭିତରେହିଁ ବସା ବାନ୍ଧିଛି । ଆଉ କେତେବେଳେ ଲାଗେ ଉଦ୍ଧାମ ଉଚ୍ଚାଟ । ଅନୁଭବ କରେ, ଯେପରିକି ଟାଣୁଛି ସେପଟୁ ସେ, ଆପଣାକୁ ସେହିପରି ଭାବି ଭୁଲାଏ, ଗୁପ୍ତରେ ବିଶ୍ୱାସ ଜନ୍ମାଏ, ସୁଖ ପାଏ । ଯେପରି ସେ ମିଛିମିଛିକିଆ ଖେଳ ଖେଳୁଛି, ପିଲାଦିନେ ସେପରି ଖେଳ ବି ଖେଳିଥିଲା । କେତେବେଳେ ନିଛାଟିଆ ଚାଳିରେ ଖଣ୍ଡେ ଅଦରକାରୀ କାଠ ଉପରେ ବସି ଭାବିଥିଲା, ଏଇ ପକ୍ଷୀଲଗା ଘୋଡ଼ା, ଏଇ ଘୋଡ଼ା ଉଡ଼ିଲା ଆକାଶରେ, ଏଇ ଉଡ଼ିଲା ଉଡ଼ିଲା, ଗଛ ଉପରେ, ଦେଉଳ ଉପରେ ଆହୁରି ଦୂରକୁ ଆକାଶ ଭିତରେ ଯେଉଁଠି ଟାଙ୍ଗି ହୋଇ ରହିଛନ୍ତି ମାଳ ମାଳ ତାରା ।

 

ଆଉ କେତେବେଳେ ଚମକି ଉଠେ, ପଳେଇ ଯାଉଥିବା ପବନର ଦୂରର ଘୁମୁରା ଶବ୍ଦକୁ କାନ ଡେରି ଭାବିଲା ପରି ଛାତି ଧକଧକ କରି ଭାବେ, ଗଲା ଚାଲି, ଆଉ ଫେରିବ ନାହିଁ, ସବୁଦିନପାଇଁ ସରିଗଲା । ସେତେବେଳେ ସେ ଅନୁଭବ କରେ ସମୟର ଝାଙ୍କକୁ । ତା’ର ମନେ ମନେ, ସେହି ଓଟରା ଯେଉଁଥିରେ ମା’ କୋଳରୁ ଶିଶୁ ଓଟରା ହୋଇ ଚାଲିଯାଏ, ହଜିଯାଏ ।
 

ପୁଣି ଶାନ୍ତ ହୋଇ ଭବିଷ୍ୟତକୁ ଚାହିଁବାକୁ ଭାବିବାକୁ ମନ ବଳାଏ, ଆଗରେ ଲମ୍ୱା ବାଟ-। ନାଲି ଚାଆଁସିଆ ଟାଇଁସିଆ ଉପରେ ଖରାରେ ଦାଉ ଦାଉ ଜଳୁଛି ଯେପରି । କୁରୁମପିଠିଆ ହୋଇ ଆଖି ଆଗରେ ବିଛେଇ ହୋଇଛି ରୁକ୍ଷ ପୃଥିବୀ ଦିଗ୍‌ବଳୟଯାକେ । କାଠ ହୋଇ ଚାଲିବାକୁହିଁ ହେବ ନାକସଳଖା, ବାଁ ନାହିଁ, ଡାହାଣ ନାହିଁ, ଗଛ ନାହିଁ, ଚଟିଘର ନାହିଁ, ଖାଲି ସଳଖେ ସଳଖେ, ଆଗକୁ ଆଗକୁ ।

 

ଯିବାକୁ ପଡ଼ିବ ତ ।

 

ଏତେ ମଣିଷ, ଏତେ ସମସ୍ୟା, ଏତେ ଲୋକଙ୍କର ଏତେ ଜାତିର ଦୁଃଖ, ଏଇ ହାତରେ ତୋଳି ଦେବାକୁ ପଡ଼ିବ ଦୁଃଖୀର ଭଙ୍ଗାଘର, ବଙ୍କା ଭଙ୍ଗା ମଣିଷକୁ ସଳଖେଇ ଠିଆ କରିବାକୁ ପଡ଼ିବ ଗୋଡ଼ି କି କୁଆପଥର ମାଡ଼ରେ ବେକ ସଳଖେଇ ବାଟ ଚାଲିବାକୁ । ସ୍ୱପ୍ନକୁ ବାସ୍ତବ କରିବାକୁହିଁ ପଡ଼ିବ, କାହିଁ ଏଠି ନିକମା କାଉଳାପଣପାଇଁ ଥାନ ? ସ୍ମୃତି ହେଉ ସେଠି ଘଷରା ବାଟର କବିତା, ଯନ୍ତ୍ରର ଶକ୍ତି, ଯିବାକୁ ପଡ଼ିବହିଁ ।

 

ଗାଁ ହିପାଜିତରେ ମନ ବଳାଇଛି, ଆପଣାପାଇଁ କାମ ତିଆରି କରିଛି, ଅନର୍ଯ୍ୟାତା, ନିର୍ଘଣ୍ଟ ଆଉ ଯୋଜନା କରି ସମୟକୁ ବାନ୍ଧିବାକୁ ଚେଷ୍ଟାକରିଛି, ଏତେ ଘରେ ଏତେ ଅଡ଼ୁଆଖିଅ, ଏତେ ଭୂଇଁରେ ଏତେ ଅବସ୍ଥା ଅଗଛିଆ, କାମ-କାମ-କାମ । ବେଳ ମିଳିଲେ ବିଚାରାର ପରଖ ଆଉ ତଉଲ । ଚାରିଆଡ଼ୁ ପ୍ରତିଧ୍ୱନି ପରି ବାପା ବୋଉଙ୍କ କାନରେ ବାଜେ । ସେମାନେ କେହି ତାକୁ ପଚାରନ୍ତି ନାହିଁ, କ’ଣ ସେ କରିବ ? ବାପା କେତେ କ’ଣ ପରାମର୍ଶ କରୁଥାନ୍ତି । ସେ ବି ମୁହଁ ଗଳାଏ ନାହିଁ ତେଣେ । କାମର ଝୁଙ୍କରେ ବିଛେଇ ହୋଇପଡ଼େ, ସାହସ ବଢ଼େ ଆହୁରି ନୂଆ ସୃଷ୍ଟିର ପରିକଳ୍ପନା ଗଢ଼ିବାକୁ । ଯେତେ ଖଟିଲେବି ଆହୁରି ଜୀଅନ୍ତା ଲାଗେ । ସେ ସ୍ଵପ୍ନ ଦେଖେ ।

 

ସହରକୁ ଯିବାକୁ ପଡ଼ିବ । ଦିନାକେତେ ହେଲା ପାହାନ୍ତାରୁ ଉଠିବାକୁ ଭାରି ମନ ହେଉଛି । ବିପିନ ଚିଠି ପାଇ ଉତ୍ତର ଦେଇଛି, ବହୁତ କରି କହିଛି ପୁଣିଥରେ ଯିବାକୁ । ମନେପଡ଼ୁଛି ତା’ର ବି ଦରକାର, କେତେ ଲୋକଙ୍କର କେତେ ଦରକାର ଅଛି, ବିଶେଷତଃ ସେ ଯେପରି ଗାଁ ଉନ୍ନତି କାମରେ ଲାଗିପଡ଼ିଛି, ସହରରୁ ସେଥିପାଇଁ କେତେଗୁଡ଼ିଏ ସୁବିଧା କରାଇ ଆଣିବା ଦରକାର । ଗାଁକୁ ଟିକାଦିଆ ଆସିବା ଦରକାର, ବସନ୍ତ ରୋଗର ବେଳ ପାଖେଇ ଆସୁଛି । ଆଖପାଖରେ ଗୋରୁଙ୍କୁ ହେଲାଣି ଫାଟୁଆ, ପଶୁଡାକ୍ତର ଯାଇ ସହରରେ । ଚାଷୀଙ୍କ କ୍ଷେତପାଇଁ ଭଲ ବିହନ ଆଉ ସାର ଠାବ କରିବାକୁ ପଡ଼ିବ । ଆଉ ପୁଣି ଲାଗିଛି ସେଠି ପ୍ରଦର୍ଶନୀ । କେତେପ୍ରକାର ଆବଶ୍ୟକ, ଭାବିଲେ ତାଲିକା କରିହୁଏ, ନିଜର ନ ଥିଲେ ବି ବାପାଙ୍କ ଦରକାର ପାଇଁ । ଏତେ କାରଣ ଉପରେ ବହକି ମାଡ଼ି ଆସୁଛି ଖାଲି ଗୋଟାଏ ଇଛା, ଯାହାର ସଂଜ୍ଞା ନାହିଁ । ରବି ଯିବାକୁ ବାହାରିଲା ।

 

ବାପା ହସିଲେ । ସେ ହସରେ ହଁ ନାହିଁ କି ନା ନାହିଁ । ବୋଉର ସେହି ପୁରୁଣାକଥା–କାହିଁକି ଏତେସରି ? ଆପଣା ଛାଆଁକୁ ବାଲିପଟାରେ କୁହୁଡ଼ି ପହଁରିବାକୁ ଏମିତି ଭୂତର ଡାକ ଶୁଣି ମଣିଷକୁ ବାଇ ଲାଗେ ଯେ ଗାଁ ଯାକ ଧାଉଡ଼ି ଲଗେଇ ଅଣ୍ଟୁ ନାହିଁ ପୁଣି ଗାଁରୁ ସହର, ସହରରୁ ଗାଁ-? ହଉ ହଉ ଉଡ଼ୁଥାରେ ପୁଅ, ଯେତେଦିନଯାଏ ଯୋଗ ଅଛି । ବାପେ କହୁଥିଲେ ଯେ–

 

ବୋଉର ବି ହସ ।

 

ରବି ବୁଝିପାରିଲା । ବାପା ପାଞ୍ଜି ଗଡ଼ୋଉଛନ୍ତି । ହସି ହସି ସେମାନେ ତାକୁ ଛନ୍ଦିବାକୁ ଅଠାକାଣ୍ତିଆ ଯୋଖୁଛନ୍ତି । ସେମାନଙ୍କ ଆଖିରେ ତା’ର ପରିଣତିର ଗୋଟାଏ ରୂପ ଠିଆ ହୋଇଛି-। ନିରାଶ ହେଲେ ତା’ ଉପରେ କ’ଣ ଭାବିବେ ସେମାନେ ?

 

ବାଟ ତା’ର ଭାବନା ବଦଳାଇଦେଲା । ମୁହଁ ଉପରେ ସକାଳର ପବନ ବାଜିଲା । ନିଶ୍ଚିତ ହୋଇ ଚାଲିଛି ବନ୍ଧେ ବନ୍ଧେ ସ୍ଵାର୍ଥର ବୋଝ ନାହିଁ ତା’ର ଚେତନା ଉପରେ । ପରିଷ୍କାର ବିଚାରରେ ସେ ଚାରିଆଡ଼କୁ ନିଘା କଲା ଆଉ ସ୍ନେହରେ ଆବୋରିନେଲା ତା’ର ପରିସ୍ଥିତିକୁ । ଏଇ ବନ୍ଧ ଲମ୍ୱିଛି ମଝିଲା ସହରକୁ ବୋଲି । କଣ୍ଡିଆ ଧଡ଼ିରେ ଠାଏ ଠାଏ ମେଞ୍ଚା ମେଞ୍ଚା । ଗଛ ଉପରେ ଛଛନିଆ ନୂଆପତ୍ର ଖରାରେ ଝଟକୁଛି । ଗୋଟିଏ ଗୋଟିଏ ଗାଁ ଲୋକେ ଏକର ସେକର ହେଉଛନ୍ତି । ଯେଉଁ ଗାଁ ପଡ଼ୁ, ସବୁ ଲାଗୁଛି ଚିହ୍ନା ଚିହ୍ନା ଆପଣାର । ଲାଗୁଛି ସତେକି, ଏଠି ଯେ କୌଣସି ଘର ହୋଇଥାନ୍ତା ବି ତା’ ନିଜଘର, ସେମିତି ସତେକି ଏକାପରି ଚାଳ କାନ୍ଥ ବାରି ବାଡ଼, ଆଖ ପାଖର ତୋଟା ନଡ଼ିଆଗଛ । ହେଇ ଯେଉଁ ମଣିଷଟି ଖୁରୁପି ଧରି ଘାସ ଛେଲୁଛି, ଯେ ହଳ ଅଡ଼େଇ ଅଡ଼େଇ ବିଲଆଡ଼କୁ ଧାଇଁଛି, ଯେ ବାହୁଙ୍ଗୀ କାନ୍ଧେଇ ନାଚିଲା ଭଙ୍ଗୀରେ ଚାଲିଛି, ହେଇ ଏମାନେ ସମସ୍ତେ ତା’ ଗାଁ ଲୋକ । ପର ଗାଁରେ କାହାଘରେ ଆଖି ପଡ଼ିଗଲେ ଯେପରି ଲାଗୁଛି ଆପଣା ଗାଁର କେଉଁ ସାହି ବଡ଼ ବାପା, ଭାଇ, କି ଖୁଡ଼ୁତାଙ୍କ ଘର, ଅଟକି ରହି ଅନାଇଲେ ହୁଏ ତ ସେମାନେ ବାହାରିବେ, ସେହି ଚିହ୍ନା ପିଲାଏ ଖିଦିଖାଦିଆ ହୋଇ ଧାଇଁ ଆସିବେ । ପଛେ ପଛେ ଖଡ଼ୁ କାଚ ବଟଫଳ ନାଇ ମସିଆ କୋରା ଲୁଗା ବାଁ ଗୋଡ଼ ଉପରୁ ଟେକିଦେଇ ପିନ୍ଧି ଠିଆ ହୋଇଥିବେ ସ୍ନେହ ଢଳ ଢଳ ଆଖିକରି କେଉଁ ଅପା କି ଖୁଡ଼ୀ କି ଭାଉଜ । ଏକ ତ ସବୁ, ସବୁଠିଁ ସବୁରି ଘର ।

 

ଅନୁଭବ କରୁଥିଲା, ଏହି ତ ତା’ ଜନ୍ମଭୂମିର ସବୁ କାଳର ରୂପ, ସବୁଠି କରୁଣା । ଭେକ ଭୂଷାର ଆଢ଼ୁଆଳ ନାହିଁ, ମିଠା କଥାର କଇତବ ନାହିଁ । ସମସ୍ତେ ତା’ରି ।

 

ଏଇ ବାଙ୍କଟା ଯିବ, ସେଠାରୁ ପାଟେଳି ଗାଁ ପଡ଼ିବ । ନଈ ଏଠି ବନ୍ଧପାଖକୁ ଘୁଞ୍ଚି ଆସିଛି, ସରୁ ତୀଖ ଅତଡ଼ା, ତା’ ତଳକୁ ଅଣଓସାର ବାଲିଚର । ବନ୍ଧ ଉପରେ କାଳି ତୋଟା, କେଉଁଠି ମହୁଫେଣା ହୋଇଛି, ବାଘରା ମହୁ ହୁଁ ହୁଁ ଗରଜୁଛନ୍ତି । ଆମ୍ୱ ବଉଳର ଛପିଲା ବାସ୍ନାରେ ଗୋଳିହେଇ ଯାଇଛି ପୁନାଙ୍ଗ ପୁଲର ଉଗ୍ର ବାସ୍ନା । ଦେହ ଅଳସ ଲାଗୁଛି । ରବି ନଈଆଡ଼କୁ ଚାହିଁଲା । ପାଣିପାଖେ ବାଲି ଉପରେ ଥଣ୍ଟିଆ କିମ୍ଭୀର ଆଉଜିଛି । ପାଣକୂଳରେ ଡେଙ୍ଗା ଗୋଡ଼ିଆ ଧଳା ବଗ । ଟିକି ଟିକି ଚଢ଼େଇ ପାଣି ଉପରେ ଲୋଟିପଡ଼ିଲା ପରି ଗୋଲ ବୁଲି ବୁଲି ଗୋଡ଼ିଆଗୋଡ଼ି ହେଉଛନ୍ତି । ପୋହଳା ଥଣ୍ଟ ଇନ୍ଦ୍ରନୀଳ ଦେହ ମାଛରଙ୍କା ଚଢ଼େଇ ଶୂନ୍ୟେ ଶୁନ୍ୟେ ସିଧା ଠିଆହୋଇ ଝାମ୍ପ ମାରୁଛି ପାଣିକି । ବେଳ ନଅଟା ହେବ । ଖରା ଧାସ କାଟିଲାଣି ଅଳପେ । କପାଳରେ ହାର ସରି ସରି ପରି ବୁନ୍ଦା ବୁନ୍ଦା ଝାଳ । ନଈରୁ ଉଠିଆସୁଛି ଓଦା ସରସର ପବନ, ସେଥିରେ ନଈଆଳି ବାସ୍ନା, ଓଦା ବାଲିର ଆଉ ନଈପାଣିର ।

 

ରବି ଅଟକି ରହି ଥଣ୍ଟିଆ କିମ୍ଭୀରକୁ ଅନାଇଲା । କେଡ଼େ ସୁନ୍ଦର ଦିଶୁଛି ତା’ର ଗୋଲାପୀ କହରା ଲାଞ୍ଜ । କେଡ଼େ ସ୍ଥିର ଦିଶୁଛି ତା’ ଚେହେରା । କିମ୍ଭୀର ପ୍ରତି ତା’ର ରାଗ ହେଲା ନାହିଁ । କିମ୍ଭୀର ମଣିଷ ଖାଏ, ଆଉ ଏ ନଈର ଅଘାଟ ଅତୁଠ ଗଣ୍ଡମାନଙ୍କରେ ଆଖି ପିଛୁଡ଼ାକେ ମଣିଷଖିଆ କିମ୍ଭୀର ମୁଣ୍ଡିକାଠ ପରି ଭାସି ଉଠନ୍ତି, ଏ ଧାରଣା ତା’ର ମନେପଡ଼ିଲା ନାହିଁ । ଆପଣା ଖିଆଲରେ ପାଣିଆଡ଼କୁ ଓହ୍ଲାଇଗଲା । ମନେପଡ଼ିଗଲା ପିଲାଦିନର କଥା-

 

ନୂଆ ବୋହୂଟି

ନଈକି ଗାଧୋଇ ଯିବୁ ନାହିଁଟି

ଥଣ୍ଟିଆ କିମ୍ଭୀର ଜଗି ବସିଛି

ଟାକୁକିନା ଗଳିଦବଟି ।

 

ଡର ମାଡ଼ିଲା ନାହିଁ । ଥଣ୍ଟିଆ କିମ୍ଭୀରକୁ ଅବଲମ୍ବନ କରି ମନ ଭିତରେ ଗଢ଼ା ହେଲା ଖାଲି ପଦେ କଥା–

 

ନୂଆ ବୋହୁଟି–ନୂଆ ବୋହୁଟି–

 

ନୂଆବୋହୁର ରୂପ ଯୋଜନାରେ ସ୍ମରଣ- ପ୍ରତିମା ଝିଅଟିଏ, ବାଙ୍କ ବୁଲିଗଲେ ପାଟେଳି ଗାଁ ।

 

ମନେ ମନେ ଛବି ଆସିଛି ପାଣିକି, ଆଉ ପଛରୁ ଯାଉଛି ସେ ନିଜେ । ଥଣ୍ଟିଆ କିମ୍ଭୀର ଆଉ ସେ ଭାଇ ଭାଇ ।

 

କେହି କୁଆଡ଼େ ନାହିଁ । ପାଣି କୂଳ ବାଲିରେ ଝଙ୍କା ବେଣାବୁଦାର ଅରମା ଅରାଏ ।

 

ନୂଆ ବୋହୁଟି,

ଥଣ୍ଟିଆ କିମ୍ଭୀର ଜଗିବସିଛି ଟାକୁକିନା ଗିକିଦବଟି ।

 

ଗୋଟିଏ ଗୋଟିଏ ହୋଇ ଗଲା ପାଣି କୂଳକୁ ।

 

ଥଣ୍ଟିଆ କିମ୍ଭୀର ଟୁବୁକିନା ବୁଡ଼ିଗଲା । ବଗ ହୁରୁଡ଼ିଲେ । ଟିକି ଟିକି ଚଢ଼େଇଙ୍କ ଗୋଲ ଭଉଁରୀ ଖେଳ ଦୂରେଇଗଲା ଦୂରପାଣି ଉପରକୁ । କୁଆଡ଼ୁ ଉଡ଼ିଆସି ତା’ ମୁଣ୍ଡ ଉପରେ ପଇଁତରା ମାରି ଟେଣ୍ଟେଇ ଚଢ଼େଇ ଦି’ଟା କାନ ଅତଡ଼ ପକାଇ ପାଟିକଲେ । ବାଲିରେ କେଉଁଠି ଡିମ୍ୱ ଦେଇଥିବେ ବୋଧହୁଏ । ବିନା ଦୋଷରେ ଚଢ଼େଇ ବୋଲିରେ ଗାଳି ଅପବାଦ–‘‘ଏ ଚୋର, ଏ ଆମ ଡିମ୍ୱ ଚୋରି କରିବ ।’’ ଅପ୍ରସ୍ତୁତ ଲାଗିଲା । ଚଢ଼େଇ ଯୋଡ଼ାକ ବସେଇ ଉଠେଇ ଦେଲେ ନାହିଁ, ମୁଣ୍ଡ ଉପରେ ଉଡ଼ିଉଡ଼ିକା ହୁରି ପକେଇଲେ । ଭାବିବା ଆଗରୁ ରବି ଚାଲିଲା ପାଣି କୂଳେ କୂଳେ ।

 

ବାଲିରେ ସ୍ଥାନେ ସ୍ଥାନେ ମଣିଷଙ୍କ ପାଦଚିହ୍ନ । କେତେ ଆସିଛନ୍ତି, କେତେ ଗଲେଣି । ଦୂରରୁ ଦିଶେ ଅତଡ଼ା ତଳେ ତଳେ ସିଢ଼ିପରି କୋକେଇ ବାଉଁଶ, ଛିଣ୍ଡା ହେଂସ, ଚିରା ଲୁଗା । ଏଠି ସେଠି ପାଖକୁ ପାଖ ଚିଡ଼ିଆ ଚିହ୍ନପରି ବୁନ୍ଦା ବୁନ୍ଦା ହୋଇ ଧାର ଲାଗିଛି ।

 

ରାତି ବୁଲା ବିଲୁଆ, କୋକିଶିଆଳିଙ୍କ ପାଦ ଚିହ୍ନ ।

 

ବାଲିର ଛାତି ଉପରେ କେରା କେରା ହୋଇ ପାଦ ଚିହ୍ନର ହାର ।

 

ସେମାନେ ଚାଲି ଯାଇଛନ୍ତି ।

 

ସ୍ଥାନେ ସ୍ଥାନେ କଣ୍ଟା ଅଗରାରେ ଫୁଲ ଫୁଟିଛି, ଛଡ଼ା ହୋଇ ଅଙ୍କରାନ୍ତି ପଟାଳି ମାଡ଼ିଛି । ପାଣି କୂଳରେ ସ୍ଥାନେ ସ୍ଥାନେ ସାନ ସାନ ଗଛ, ଅଦିନରେ ଅଥାନରେ ଉଠିଛି ଶୁଖିଲା ଗେଣ୍ଡୁଫୁଲମାଳରୁ ଗେଣ୍ଡୁଗଛ, ତୁଳସୀ ଧଣ୍ଡାରୁ ତୁଳସୀଗଛ, ଜନ୍ତୁ ଦେହରେ ଲାଗିହୋଇ ଆସି ହଠାତ୍ ଏଠି ସେଠି ବାଘନଖୀ ଗଛ ହୋଇଛି । ବାଲିରେ ଜୀବନ ଫୁଟିଛି ।

 

ମଣିଷର ସଂକେତ ଅଛି । କେଉଁଠି ବା ପରିଚୟ ରହିଯାଇଛି । ବାଲିରେ ପାଣି ହାବୁକା ଖାଉଛି, କେହି ନାହାନ୍ତି ।

 

ଯେତେବେଳେ ଖିଆଲ ହେଲା, ଦେଖିଲା ଆଗରେ ମାଇପି ଗାଧୁଆ ଘାଟ, ମାଇପେ ଗାଧୋଉଛନ୍ତି, ପାଣିରେ ଚହଳ ପଡ଼ିଛି । ପଛକୁ ଚାହିଁଲା, ବାଙ୍କ ଆଉ ଦିଶୁ ନାହିଁ, କାହିଁ କେତେ ପଛରେ ରହିଲାଣି । ପାଟେଳି ଗାଁର ତୁଠ ନିଶ୍ଚୟ ୟେ । ହଠାତ୍ ଲାଜ ମାଡ଼ିଲା । ମନହେଲା ଏଠୁ ଦଉଡ଼ି ପଳାଇଯିବାକୁ । ତୀରମାରିଲା ପରି ଲାଗେ ସେହି ଗାଧୁଆ ପଞ୍ଝା ଭିତରକୁ ଅତି ତରତର ହୋଇ ଦୃଷ୍ଟି ଫୋପାଡ଼ି ମାରିଲା । ଲାଜରେ ମୁହଁ ଉଷୁମ ଚଡ଼ଚଡ଼ ଲାଗୁଛି ଆବାକାବା ଭଙ୍ଗୀରେ ଆପଣାକୁ ଲୁଚାଇବାକୁ ଚେଷ୍ଟାକରି ମୋହିଁଲା ଅବାଟକୁ, ବାଲିକୁଦ ପିଠିଆଡ଼କୁ, ହେଉ ପଛେ ଅଥାନ ! କୁଦ ଆଉ ଖାଲବାଟ ହୋଇ ତରତର ହୋଇ ରାହା ଧରିଲା ବନ୍ଧଆଡ଼କୁ ବଙ୍କେଇ ବୁଲି ପଳେଇ ପଳେଇ । ବନ୍ଧ ଉପରକୁ ଉଠିଲା । ଆଗକୁ ପଛକୁ ଚାହିଁଲା । କେତେ ପଛରେ ରହିଲାଣି ସେ ଘର, ଖରା କେତେ ତେଜିଗଲାଣି, ସୂର୍ଯ୍ୟ କେତେ ଉଞ୍ଚକୁ ଗଲାଣି । ଏ ସେହି ଟାଆଁସିଆ ବାଟ-। ଝୋଲା ମାରି ହାଉଲା ହୋଇ ପଡ଼ିଲାଣି ତା’ର ମନର ଉତ୍ସାହ । ଖାଲି ଲାଗିଲା । ବୃଥା ସେ ପିଲାଖେଳ ଖେଳିଛି ମୂର୍ଖ ପରି, ବେଳଗଲା, ସହର କେତେଦୂର । ଘୁଙ୍ଗାବାଲି ଉପରେ ନେଳିଚା ଧୂଆଁଳିଆ ତାତିଢେଉ ଚମକିବାରେ ଲାଗିଛି ।

 

ଖାଲି ବାଟ ଏଥର, ଆଉ ଖରା ।

 

ମନର ସରାଗ ଯେପରି କି ପାଣିଧାର ପରି କାଲିରେ ମାଡ଼ି ମାଡ଼ି ବାଲିରେହିଁ ଶୁଖିଯାଇଛି ।

 

Unknown

ସହରରେ ପହଞ୍ଚି ତାକୁ ଲାଗିଲା, ଯେପରି କି ସେ ତା’ର ଆସିବାର ଉଦ୍ଦେଶ୍ୟ ଭୁଲିଯାଇଛି, ଖାଲି ଭିଡ଼ ଦେଖି ମଣିଷ ଗହଳି ମଝିକୁ ପଶିଯାଇ ଏକର ସେକର ଅନାଇଁ ଅନାଇଁ ଛନ୍ଦିବାନ୍ଧି ହେଉଛି, ଦେଖିବାକୁ ମନ ନାହିଁ, ଲେଉଟିବାକୁ ରାହା ନାହିଁ ।

 

ଆଉ ଲାଗୁଛି, ଏଇ ସହର ଗୋଟାଏ ବାକ୍‌ସ, ତା’ର ଢାଙ୍କୁଣି ଅଛି, ତା’ରି ଭିତରକୁ ପଶିଆସିଛି ସେ । ଏହି ଏତେ ଲୋକଙ୍କ ଭିତରେ ଜଣେ ହେଲେବି ସେହି ମପାଚୁପା ସଡ଼କରେହିଁ ବାଟଚଲା, ତା’ର ବାଡ଼ ଗୋଟିଗୋଟିକିଆ ମଣିଷଙ୍କ ଦାବି ଓ ଅଧିକାରରେ ଗଢ଼ା, ବ୍ୟକ୍ତିର ସ୍ଵତନ୍ତ୍ରତା ଆପଣାକୁ ଅତୁଟ ରଖିବାକୁ ଯେତିକି ବ୍ୟଗ୍ର ସଂଯତ ଓ ସୀମାବଦ୍ଧ ।

 

ଖାଲି କୋଠାର ଦାଢ଼ ନୁହେଁ, ହତାର ପାଚିରି ନୁହେଁ, ଜଣଜଣଙ୍କର ସ୍ୱତନ୍ତ୍ର ବୃତ୍ତି ଓ ଉଦ୍ଦେଶ୍ୟ ଏଠି ଏକାଠି ହୋଇଛି, ଜୀବନ ଏଠି ସେହି ଉଦ୍ଦେଶ୍ୟରେହିଁ ଛନ୍ଦାଛନ୍ଦି, ଯେପରିକି ତା’ର ବିକାଶହିଁ ବାନ୍ଧିହୋଇ ପଡ଼ୁଛି ସେହି ଧନ୍ଦାରେ ଧନ୍ଦା ବଢ଼ା ହେଉଛି, ବଢ଼ୁଛି, ଜୀବନର ମୂଲ ତଉଲ ତାହାରି ଓଜନରେ ।

 

ସହର ତାକୁ ନୂଆ ନୁହେଁ, ଏମିତି ସହରରେ ରହି ସେ ପାଠପଢ଼ିଛି, ସେତେବେଳେ ଏହି ତ ଥିଲା ତା’ର ପରିବେଷ୍ଟନୀ, ତା’ର ଅବସ୍ଥିତିର ମାଧ୍ୟମ । ଏଠି ଏତେ ସାଙ୍ଗଦଳ, ଆପଣା ଖୁସିଖିଆଲ ପାଇଁ ସହରର ବିଶିଷ୍ଟ ସ୍ଥାନ, ବିଶିଷ୍ଟ ଅନୁଷ୍ଠାନହିଁ ଥିଲା ତା’ରି ପଟ୍ଟ ଭୂମି । ଏଠି ଉଦ୍ଦେଶ୍ୟରେ ଆଲୁଅ କରିଥିଲା ସେ ଆପଣା ଚଉକତି, ସେହି ଆଲୁଅରେ ସମ୍ପର୍କ ଭିତରେ ପ୍ରାଣ ଦେଖିଥିଲା । ଉଦ୍ଦେଶ୍ୟ ନିଭି ଯାଇଛି କେତେ ଚଞ୍ଚଳ, ଆଉ ତା’ ସହିତ ଉଭେଇ ଯାଇଛି ସେକାଳର ଅର୍ଥବିନ୍ୟାସ । ଗାଁରୁ ଆସି ଗାଉଁଲି ଆଖିରେ ଚାହୁଁଛି ଆଉ ନୂଆ ସବୁ ଦେଖୁଛି, ଲାଗୁଛି ଏଠି ସେ ପର ହୋଇଛି, ଏଠି ତା’ର କେହି ନାହିଁ ।

 

ସ୍ୱତନ୍ତ୍ର ଉଦ୍ଦେଶ୍ୟର ବର୍ଚ୍ଛା ମୁନ ପରି ଖେଦି ଲାଗିଛି ଏକର ସେକର ରୂପସମଷ୍ଟି, ଘର ତୋଳା ଇଟା ବାଲି ଲୁହା ଛଡ଼ ଧାଇଁଛି ଟ୍ରକ୍ ଚଢ଼ି, ଲୋକ ଚାଲିଛନ୍ତି ଗାଡ଼ିଚଢ଼ି, ପାଦରେ ଚାଲି, ଦୋକାନରେ ବିକାଳି କିଣାକି, ଦପ୍ତରରେ ଓ କାଗଜରେ କାମ କରୁଛନ୍ତି ମଣିଷ, ଇସ୍କୁଲରେ ପଢ଼ା ଲାଗିଛି । ଉଦ୍ଦେଶ୍ୟରେ ସମସ୍ତେ ଚଞ୍ଚଳ, ଗତିଶୀଳ, ପ୍ରାଣବନ୍ତ ।

 

ଖାଲି ସତେକି ଉଦ୍ଦେଶ୍ୟ ନାହିଁ ତାହାରି । ସେ କ୍ଳାନ୍ତ ।

 

ଗାଁ ଆସିଛି । ମୁଣ୍ଡବୋଝିଆର ଟୋକେଇରେ ଛନଛନିଆ ଶାଗ, ବାଇଗଣ, ଦୋକାନରେ ଚାଉଳ, ପରିବା ଦୋକାନରେ କୁଢ଼ କୁଢ଼ ପରିବା ଗଦା ହୋଇଛି, ମଉଳି ପଡ଼ିଛି, ତା’ ଉପରେ ଧୂଳିର ପୁଟ । ସତେଜ କରିବାକୁ ଦୋକାନୀ ପାଣି ଛିଞ୍ଚୁଛି । ମାଡ଼ ଖାଇ ଖାଇ ଆଖି ପିଛୁଡ଼ା ପକାଇ ପକାଇ ଷଣ୍ଢ ଚରି ଯାଉଛି ମୁହଁ ଉହୁଙ୍କେଇ ଏ ଦୋକାନରୁ ସେ ଦୋକାନ ।

 

ଗାଁ ଆସିଛି, ଏହି ଯେ ଏତେ ଲୋକ ପ୍ରାୟ ସମସ୍ତେ ତ ଗାଁରୁ, ଏଠି ଖାଲି ନୂଆ ରୂପ । ଏଠି ଯେ ଦମ୍ଭିଲା ଆସନରେ ଗାଡ଼ିରେ କି ଚୌକିରେ ବସିଛନ୍ତି ସେ ବି । ଏହି ଯେତେ ମୂଲିଆ ପଲ ପଲ, ସେମାନେ ବି । ଆନ୍ଧ୍ରର ଚାଷୀ ଗାଁ କ୍ଷେତ ଛାଡ଼ି ମୂଲ ଅରଜି କୁଟୁମ୍ବ ପୋଷିବାକୁ ଏତେ ବାଟକୁ ଆସିଛନ୍ତି, ଆଉ ଆରପଟୁ ଗଡ଼ଜାତର ଚାଷୀ । ଦୂର ପଞ୍ଜାବରୁ ରିଫ୍ୟୁଜି ଆସି ମିସ୍ତ୍ରୀ କାରିଗର ଦୋକାନୀ ହୋଇ ବ୍ୟବସାୟ ଆରମ୍ଭ କରିଛନ୍ତି । ପୂର୍ବବଙ୍ଗର ରିଫ୍ୟୁଜି ଦେଇଛନ୍ତି ସ୍ଥାନେସ୍ଥାନେ ଦୋକାନ, କୁଆଡ଼ୁ କିଏ ଆସିଛନ୍ତି ଜୀବିକା ଆହରଣପାଇଁ । ପେଟପାଟଣାପାଇଁ ଉଦ୍ୟମ ମଣିଷକୁ ଭୂଇଁରୁ ଓଟାରିଆଣି ଏକାଠି ଠୁଳ କରିଛି । ବଞ୍ଚି ରହିବାକୁ ଉଗ୍ର ଉଦବେଗ ନୂଆ ରୀତିରେ ସୃଷ୍ଟି ଗଢ଼ୁଛି । ଗହମ କ୍ଷେତର ଛବି, ତୋଟା ମାଳ ମାଳ ନଡ଼ିଆତାଳ, ଧାଡ଼ି ଧାଡ଼ି ବନ୍ଧେଇ ଧାନକ୍ଷେତର ମୋହ, ବଡ଼ ନଈପଠାରେ ବାରିବଗିଚା, ପଟୁମୟ ଖୋଲା ଚକରେ ଗହଳି ଧାନ ଆଉ କାଉଁରିଆ ବତାର ଢେଉ, ସବୁ ଡୁବି ଯାଇଛି ଧୂଳି ଧୂଆଁ କଳରବମୟ ସହର ଭିତର ଜୀବିକା ଅର୍ଜନର ନିଶା ଆଢ଼ୁଆଳରେ । ପୁରୁଣା ସୃଷ୍ଟିର କଅଁଳ ଆଭା ସଙ୍ଗେ ପୁରୁଣା ସମାଜର ନୀତି ଆଉ ମୂଲକୁ ନୂଆଦିନର ସମସ୍ୟା ଯୁଦ୍ଧରେ ଆହୁତି ଦେଇ ପରିସ୍ଥିତିକୁ ଦେହସହା କରିବାକୁ ଚେଷ୍ଟାକରି ମଣିଷ ବାହାରୁଛି ନୂଆରୂପରେ, ଯେପରି ଆଗେ କେବେ ନ ଥିଲା । ଅତୀତ, ଇତିହାସ, ବଂଶ କି ଗୋଷ୍ଠୀର ଗାରିମା, ଭାଷା କି ଜାତିର ଢମ, ପୁରୁଣା ସମ୍ୱନ୍ଧରେ ଡୋରି, କଟିଯାଇଛି ତା’ ମନରୁ ଯେପରି କଟିଯାଏ ବାଇସ୍କୋପର ରିଲ୍, ତା’ପରେ ଏଇ ଦାଉ ଦାଉ ଆଲୁଅ, ଏକ, ଚିନ୍ତା ବଞ୍ଚିବାକୁ ହେବ ।

 

ଚାହଁ ଚାହୁଁ ଭାବୁ ଭାବୁ ପୁଣି ତେଜିଉଠିଲା ସେ । ମୁଣ୍ଡଘୂରା ବ୍ୟସ୍ତତା, କାନ ଅତରା ଗହଳି, ଗେଞ୍ଜା ଗେଞ୍ଜି କୋଠାମାଳ, ଧୂଳି ଧୂଆଁ ଅସନା ଅଳିଆ ଏ ଯେପରି କି ସେହି ଦୃଶ୍ୟର ଖାଲି ଉପର ଢାଙ୍କୁଣିଟା, ତଳେ ତଳେ ଯୁଗଜିତା ନୂଆ ମଣିଷ । ପୁରୁଣା ଚଳନ୍ତି ଧାରଣାରେ ତା’ର ଭଲ ମନ୍ଦର ମାପ ହେବ ନାହିଁ । ପୁରୁଣା ରୀତି ତା’ର ପେଟକୁ ଭାତ ଯୋଗାଇ ପାରିନାହିଁ । ସମସ୍ୟାରେ ପଡ଼ି ବଞ୍ଚିବାକୁ ଅଣ୍ଟାଭିଡ଼ି ଲାଗି, ସୁସ୍ଥି, ସୁଷ୍ଣୁତା, ଶାଳୀନତା, ନ୍ୟାୟ ନୀତି ଯେତିକି ସେ ଛାଡ଼ି ଦେଇ ଘେନିଛି ନୂଆରୂପ ସେ ତା’ର ସେହି ସଂଘର୍ଷରହିଁ ଯୁଦ୍ଧ କ୍ଷତି ତା’ର ଗୋଟାଏ ଧ୍ୱନି-ବଞ୍ଚିବାକୁ ହେବ ।

 

ସାନ ବଡ଼ କଳକାରଖାନା ତୋଳା ଲାଗିଛି । ହେଇ ଦେଖୁଛି ଖରାପୋଡ଼ିରେ କାମ କରିଚାଲିଛନ୍ତି ଗୋଟିକ ପଛେ ଗୋଟିଏ ହୋଇ ସ୍ତ୍ରୀଲୋକ । ଯୁବତୀର କଅଁଳପତର ମୁଣ୍ଡ ଉପରେ କଠିନ ଇଟା ବୋଝ ଲଦା ହୋଇଛି । ଖାଲି ପାଦ ପଡ଼ୁଛି ତତଲା ଭୂଇଁରେ । ପବନ ବାଲି ଛାଟୁଛି, ଲୁଗା ଉଡ଼ୋଉଛି । ଦାନ୍ତରେ କାମୁଡ଼ି ଧରିଲେ ବି ଅଟକୁ ନାହିଁ, ଦିନ ଦିପହରେ ଗହଳି ସହରରେ ନାରୀର ଲଜ୍ଜା ଉଜୁଡ଼ି ଯାଉଛି । ଘରର ରାଣୀ ଆଉ ଲକ୍ଷ୍ମୀ ଲୋଟି ପଡ଼ିଛନ୍ତି କୁଲି କାମରେ । ଅବସ୍ଥା ଆଦରି ହୋଇଯାଇଛି, ନୂଆ ଲାଗୁ ନାହିଁ । ଯାଉ ଯାହା ଯିବାର ତା । ସେ ବଞ୍ଚିବାକୁ ଲଢ଼ିଛି, ହାରି ନାହିଁ ।

 

କ୍ରମେ ଏଇ ମେଳାର ମଣିଷ ଧରିବେ ଗୋଟାଏ ବାଣୀ । ନୂଆ ଇତିହାସ ଗଢ଼ିବେ । ଆଜିକାର ଅନୁଶୀଳନ ହେବ କାଲିକାର ନୀତି । ମଣିଷ ଜାତି ବଞ୍ଚିବାକୁ ହେଲେ ସମସ୍ତେ ବଞ୍ଚିବେ । ମଣିଷକୁ ଏକାଠି ହେବାକୁହିଁ ପଡ଼ିବ, କି ସହରରେ କି ଗାଁରେ ।

 

ଯାହା ଅନ୍ତରାୟ ହେବ ସେ ଭାଙ୍ଗି ଚୂରି ହୋଇ ବାଟ ଫିଟିଯିବ ବଳେ ବଳେ । ସେହି ତ ସେ ଅଲେଖା ପ୍ରବଣତାର ଲିପି, ମାଳିକାର ଭାଷା, ମଣିଷ ଛାତି ସୁଖରେ ଦୁଃଖରେ ଏକ ହେବ ।

 

କେବେ ? ସମୟର କଳନା ନ ଥିଲା । ତା’ ଆଖି ଆଗରେ, କେବଳ ଦୂରକେ ସେହି ମହାବିକାଶର ସ୍ୱପ୍ନ, ଯେପରି କି ସତ ହୋଇ ଝଲସୁଛି, ଆଉ ତା’ ମନ କହୁଛି-ସେ ହେବ ହିଁ ।

 

କିନ୍ତୁ ପଦାରେ ଥୁଆଁ ହୋଇଛି ବଢ଼ନ୍ତା ସହରର ରୂପ । ଏତେ ସେ ସେଦିନ ରାତିରେ ନିଘା କରିପାରିନଥିଲା । ଫରଚା ରାସ୍ତାର କଳା ପିଠି । ଧାଡ଼ି ହୋଇ ବିଜୁଳିଖୁଣ୍ଟ ଲମ୍ୱିଯାଇଛି ଦର କ୍ଷେତ ସେପାରିକି । ଲମ୍ୱା ବଜାର ପଡ଼ିଛି, କେତେ ସାନ ସାନ ହୋଟେଲ, କେତେ ଦୋକାନ, ସବୁଠି ଆଗ ମୁହଁରେ ମହୁମାଛି ପରି ମଣିଷ । ଦୂରରେ ଉଚ୍ଚରେ ଗୋଟାଏ ପାଣି ଟାଙ୍କି ଖରାରେ ଝଟକୁଛି, ରାସ୍ତା ଛକରେ ପାଣିକଳ । ଖୁନ୍ଦାଖୁନ୍ଦି ହୋଇ କେତେ ଘର । ଆହୁରି ତୋଳା ଲାଗିଛି ଅନେକ ଅନେକ । ବଡ଼ ବଡ଼ ହତା ବୁଲିଛି, ଭିତରେ ଲଗାଲଗି କୋଠା, ନାନା ଶିଳ୍ପପ୍ରତିଷ୍ଠାନ ବଡ଼ ସାନ ସାଇନବୋର୍ଡ଼ ମାରି ସବୁ ଘର ଆପଣାର ପରିଚୟବୋଲି ଦେଖାଇଛନ୍ତି । ସଡ଼କରେ ଏତେ ସାଇକେଇ ରିକ୍‌ସା କେବେ ଆସି ଜମା ହେଲା ? ଆଉ ଏତେ ନମ୍ୱର ଦେଖାଇ ଦେଖାଇ ମଟର, ଟ୍ରକ ! ଦୁଇଟା ପେଟ୍ରୋଲ ପମ୍ପ୍‌ ଦେଖିଲାଣି, ସେଠି ଅପେକ୍ଷା କରିଥିବା ମଟରଗାଡ଼ିର ଭିଡ଼ । କଳ କାରଖାନାର ଘର ଘର ଶୁଣି ଶୁଣି ଯାଉଛି । ଦୂରରେ ଦିଶୁଛି ଡେଙ୍ଗା ଡେଙ୍ଗା ହୋଇ ଆହୁରି ଗୋଟାଏ ଗୋଟାଏ । ବିଜ୍ଞାପନ ଲଗାଇ ଡାକ୍ତର, ଓକିଲ, ବ୍ୟବସାୟୀ, ନୂଆ ନୂଆ ସର୍ବଭରତୀୟ ନାଁ । ମହାତ୍ମାଙ୍କ ମୂର୍ତ୍ତି ଥାଇ ବଗିଚାମୟ ହୋଇ ଗାନ୍ଧୀ ପାର୍କ, ଆହୁରି ପାର୍କ । ମୁନିସିପାଲିଟି ଘର । ବକ୍ତୃତା ଘର । ରାସ୍ତାରେ ଭିଡ଼, କାନ୍ଥଯାକ ଗୋଟାକ ଉପରେ ଗୋଟାଏ ହୋଇ ବିଜ୍ଞାପନ, ରାସ୍ତା କରେ କରେ ଧାଡ଼ି ଧାଡ଼ି ଖୋଲା ଦୋକାନ । ଆହୁରି ନୂଆ ସଡ଼କ ପଡ଼ୁଛି । ନୂଆ କରନାଳି, ଘର କାମ ଲାଗିଛି । ପଲା ମାରି ମାରି କୁଲି ବସ୍ତି ବସାଇଛନ୍ତି । ଗଛତଳେ ମେଲା ଖୋଲାରେ ଘର ଜିନିଷ ଖେଲେଇ ରଖି ଚୁଲୀ କରି ମଣିଷ ରହି ଯାଇଛନ୍ତି, ଅସନା ଛିଣ୍ଡା କନାରେ ସାନ ପିଲା ଗଡ଼ୁଛନ୍ତି । ଆଉ ସେହି ସହରର ରାସ୍ତାଏ ରାସ୍ତାଏ ଚାଲିଛନ୍ତି ଦଳଦଳ ହୋଇ ଭିକାରୀ । ଦୋକାନରୁ ଦୋକାନରୁ ରେଡ଼ିଓ ଗର୍ଜୁଛି, ନାନାଜାତି ଶବ୍ଦରେ ସହର କହୁଛି ତା’ର ଦୁର୍ବୋଧ୍ୟ ଭାଷା । ଲାଗୁଛି ସେ ଏଠି ହଜିଯାଇଛି । ଏହି ଗୋଟା ଗୋଟା ହୋଇ ଏତେ ମଣିଷ ଭିତରୁ ଗୋଟାଏ । ସ୍ୱପ୍ନକୁ ଛାତିତଳେ ଯାପି ସେ ଗଲା ବିପିନ ଘର ଖୋଜି ।

 

ପୋଖରୀ ଏକରେ ନୂଆ ଦେଉଳ ତୋଳା ହୋଇଛି ଦୁଇ ଠାଆ, ଚଟା ଛାତ ହୋଇ ନୂଆ କୋଠା । ଲୋକ ଯା ଆସ କରୁଛନ୍ତି । ଆଉ ସ୍ଥାନେ ଲାଗିଛି ସଂକୀର୍ତ୍ତନ । ପୋଖରୀ ଆରକରେ ଏତେବେଳେ ବି ଲୋକେ ଖିଅର ହେଉଛନ୍ତି ।

 

ସେ କହେ ସବୁଦିନିଆଁ ହୋଇ ଶାନ୍ତ ସାଧାରଣ ଗାଁ, ସହର ତାକୁ ରୁଚେ ନାହିଁ । ସେ କହେ ନୂଆ ସହର ଯେମିତିକି ପୁରୁଣା ଭାରତର ମାଟିରେ ଛତୁ ଫୁଟିଲାପରି, ତା’ର ଆଭିଜାତ୍ୟ ନାହିଁ, ସୌନ୍ଦର୍ଯ୍ୟ ନାହିଁ । ପାହାଚ, ବସିବା ଆସନ, ପଥର ହୁଡ଼ା, ସଫା ଫରଚା ଦେଖି ସ୍ଥାନେ ସ୍ଥାନେ ଗୋଟିଏ ଲେଖାଁଏ ମୁଣ୍ଡ ଆଦରି ନେଇ ଠିଆ ଠିଆ ନଇଁପଡ଼ି ବସିପଡ଼ି ନାନା ଭଙ୍ଗୀରେ ଭଣ୍ଡାରୀ କଳାକାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । କେଡ଼େ ସୁସ୍ଥିରେ ଲୋକେ ଆତ୍ମସମର୍ପଣ କରି ଦେଇଛନ୍ତି ଖୁର କଇଁଚି ତଳେ, କାହାର କାନକୁ ଓଟାରି ଧରି କାନ ସନ୍ଧିରୁ ଭଣ୍ଡାରୀ ବାଳ କାଟୁଛି, କାହା ମୁଣ୍ତକୁ ଦେଇଛି ଦାବି କୋଡ଼ ତଳକୁ, କାହା ଗାଲକୁ ନେଡ଼ିରେ ଥାପୁଡ଼େଇ ଥାପୁଡ଼େଇ ମୁଣ୍ଡକୁ ଘୂରେଇ ଭଣ୍ଡାରୀ ଠିକଣା ଠାଣିକି ଆଣୁଛି, କିଏ ନିଶ୍ୱାସ ବନ୍ଦକରି ଆକାଶକୁ ନାକ ଟେକି ଓଟ ପରି ବେକ କରି ବସିଛି ଆଉ ନିବିଷ୍ଟ ମନରେ ଖୁର ଧରି ଭଣ୍ଡାରୀ ତା’ର ନାକତଳେ ତାଞ୍ଚ୍ଥି ତାଞ୍ଚ୍ଥି ନିଶ ବାଗୋଉଛି ଯେପରି କି ଗୋଟାଏ କଠିନ ଅପରେଶନରେ ବ୍ୟସ୍ତ, ଜୀବନ-ମରଣ ସମସ୍ୟା । ଆଉ କାହାକୁ ମର୍ଦ୍ଦନ ଚାଲିଛି, ଛୋଟିଆ ଖଣ୍ଡେ ପିନ୍ଧି ପେଟେଇ ପଡ଼ି ପିଠିପଟଟାକୁ ସମର୍ପି ଦେଇଛି ଭଣ୍ଡାରୀ ହାତରେ ଖୋଳ ହେବା ପାଇଁ । ଆଉ ସେଇଠି ଚାଲିଛି ସ୍ତ୍ରୀ ପୁରୁଷଙ୍କ ଭିଡ଼, କିଏ ପୋଖରୀଆଡ଼କୁ, କିଏ ପଦାକୁ, କିଏ ଅବା ବାଟେ ବାଟେ । ଖିଅର ହେବା ଲୋକ ତେଣିକି ନିର୍ବିକାର, ଚାଲିଛି ରିକ୍‌ସା ଶଗଡ଼ ସାଇକଲ, କେତେବେଳେ ବାଲି ବୁହା, ଇଟା ବୁହା ଟ୍ରକ । ଯେ ଯାହା ଭାବୁ ଆପଣା ଉଦ୍ଦେଶ୍ୟରେ ସୁପ୍ରତିଷ୍ଠିତ ମଣିଷ ଆପଣା ସୁବିଧା ଦେଖି କାମ କରିଯାଉଛି ସହରର ସ୍ପଭାବସିଦ୍ଧ ରୀତିରେ ।

 

ସହର ବଢ଼ି ଚାଲିଛି । କେଉଁଠି ପୂରା ସହର କୋଠାକୁ କୋଠା ଲଗାଲଗି ହୋଇ ଦୋକାନର ଗହଳି, ମଝିରେ ମଝିରେ ଦରଜି ଦୋକାନ, ସାନ ହୋଟେଲ, ସୁନାରୂପା କାରିଗରୀ ଦୋକାନ ଆଉ ଜାତି ଜାତି ମନୋହାରୀ ଦୋକାନ । କେଉଁଠି ଅରାଏ ଲେଖାଁ ସହରର ଛିଟିକା ଲାଗିଯାଇଛି, ଚାଳଘର ମଝିରେ ବି କୋଠାଘର, ସାନ ସାନ ଦୋକାନ ଯେ କାଲି ବଢ଼ିବ । ଆଉ କେଉଁଠି ଖାଲି ମଫସଲହିଁ ଥିଲା, ଚାଳଘରେ ଗୋଟାଏ ଗୋଟାଏ ସବୁ ମିଳିବା ଦୋକାନ, ଚାଉଳଠୁ କୁଇନାଇନ୍ ଯାକେ, କିନ୍ତୁ ସେଠି ବି ସହରିଆ ପରିବର୍ତ୍ତନ ବାରି ହୋଇପଡ଼ୁଛି, ବରା ପିଆଜି ବିକ୍ରୀ ହେବା ଦୋକାନରେ ବି ଦି’ଟା ଗୋଟାଏ ଚଉକି, ସାମ୍ନାରେ କାଚ ପାତ୍ରରେ ପଶି କୋରା ଜଲିବି ସହିତ ରସଗୋଲା, ଗୋଲାପଜାମୁ, ଚାଉଳ ଦୋକାନରେ ସାମ୍ନାପଟେ କାଚ ବୋତଲରେ ରଙ୍ଗ ରଙ୍ଗର ଲେମନ୍‌ଚୁସ୍, ନଡ଼ିଆ କତାର ଦଉଡ଼ି ଯେଉଁଠୁ ଓହଳିଛି, ତା’ ପାଖରେ ମୁଣ୍ଡରେ ବାନ୍ଧିବା ରଙ୍ଗଫିତା ଓହଳିଛି । ଆଉ ମାଳ ମାଳ ଚାହାଗୁଣ୍ଡ ଥିବା କାଗଜପୁଡ଼ିଆର ହାର । ମଝିରେ ମଝିରେ ପାନ ଦୋକାନ, ସେଠି ଥାକ ଥାକ ହୋଇ ସିଗାରେଟ୍‍ ଖୋଳ ସଜା ହୋଇଛି, ସାମ୍ନାରେ ରଙ୍ଗପାଣି, କାଠ ପଟାରେ ମରା ହୋଇଛି କେଉଁ କେଉଁ ଦେଶ ନେତାଙ୍କ ଛବି, ପୁଣି ସିନେମା ଅଭିନେତ୍ରୀଙ୍କର । ମଝିରେ ମଝିରେ ସାଇକଲ ମରାମତ ଦୋକାନ, ଦର୍ଜି ଦୋକାନ, ଅଟାପେଷା କଳ, ବଢ଼େଇ କାରଖାନା । ଖାଲିଦେହ ଲୋକଙ୍କ ସଂଖ୍ୟା କେତେ କମିଗଲାଣି, କେତେ ପରିମାଣରେ ବଢ଼ି ଯାଉଛି ପ୍ୟାଣ୍ଟ୍ ହାୱାଇ ଚପ୍‌ଲ, ସିଗାରେଟ୍‍ ଓ ସାଇକଲ । ଏହି ତ ସହରର ଛିଟିକା ବାରି ହୋଇପଡ଼ୁଛି । କ୍ରମେ ଏ ବଢ଼ିଯିବ, ଗାଉଁଲିପଣ ପାଲଟିଯିବ ପୂରା ସହରିଆ-। ଚାଲିଛି ଏ ପରିବର୍ତ୍ତନ, ସହର ପାଖ ପଲ୍ଲୀଠୁଁ ମଫସଲଯାକେ ।

 

କେଉଁଠି ମାଟିପିଣ୍ଡାକୁ ତାଡ଼ି ଇଟା ଖଞ୍ଜି ସିମେଣ୍ଟ କରା ହେଉଛି, କେଉଁଠି ଚାଳଘର ବଖରାଏ ଭାଙ୍ଗି ନଡ଼ା ଅଭାବରୁ ପ୍ରତିବର୍ଷ ଛୁଆଣି କରିବାର ଦାୟିତ୍ୱରୁ ମୁକ୍ତି ପାଇବାପାଇଁ ଟିଣ କରାହେଉଛି, କେଉଁଠି ତୋଳା ହେଲାଣି ବଖରାଏ ପାଇଖାନା, ସେ ବି ସେହି ସହରରହିଁ ଛିଟିକା । ଧୀରେ ଧୀରେ ସବୁ ଗଢ଼ି ହୋଇଉଠୁଛି ସେହିପ୍ରକାରେ ।-ପକା ଘର, ଆପଣାର ଏକୁଟିଆ ଘରସଂସାର, ମପାଚୁପା ଯାନ୍ତ୍ରିକ ଜୀବନ, କାର୍ଯ୍ୟବ୍ୟସ୍ତତା, ସେହିକଥା ସତେକି କହୁଛି କଳବାଜା, ସାଇକଲ, କଳଘର ଆଉ ଚାହା ଦେକାନ, ଗୋଟାଏ ନୂଆ ଯୁଗର କଥା, ଯହିଁରେ ଗଣ୍ଡ ମଫସଲରେ ହାଣ୍ଡିଶାଳରେ ବି ପରିବର୍ତ୍ତନ ବଢ଼ି ଉଠୁଛି, ମାଳ ମାଳ ହାଣ୍ଡି ପଲମ ପରିବର୍ତ୍ତେ ଦେଖାଦେଲାଣି ଡେକ୍‌ଚି, କରେଇ, ପାଣି ପିଇବାପାଇଁ କଂସା ଗିଲାସ ପରିବର୍ତ୍ତେ କାଚ ଗିଲାସ, ପଣା ଆଉ ପଇଡ଼ ପରିବର୍ତ୍ତେ ଚାହା, ପାନ ପରିବର୍ତ୍ତେ ସଫା ଜିକ୍ ଜିକ୍ ଦାନ୍ତ ରଖି ଓଠ ସନ୍ଧିରେ ବିଡ଼ି ସିଗାରେଟ୍ । ତାହାରି ପ୍ରଭାବରେ ଗାନ୍ଧୀ-ଅରଟ ବଦଳି ହେଲାଣି କଳର ଅମ୍ୱରଚରଖା, ଖାଲି ସହରର ପ୍ରସାର ନୁହେଁ, ଗୋଟାଏ ନୂଆ ଯୁଗର ନୂଆ ରୂପ, ସହରରେ ସେ ଚଞ୍ଚଳ ଗାଦି, ମାଡ଼ୁଛି । କିନ୍ତୁ ସହର ମଫସଲ ସବୁଠି ଘୋଟୁଛି ନୂଆ ରୂପ, ନୂଆ ଭେକ; ଚେହେରା ବଦଳି ଯାଉଛି ।

 

ବିପିନ୍‍ର ଘର ହେଲା । ବିପିନ ନାହିଁ, ଗସ୍ତରେ ଯାଇଛି । ଅରଖିତିଆ ଅଭ୍ୟର୍ଥନ ଜଣାଇଲା, ତା’ର ବାବୁ ନ ଥିଲେ କ’ଣ ହେଲା ? ବସା ତ ଅଛି, ସେ ତ ଅଛି ସେବା କରିବାପାଇଁ । ଚାଲିଗଲେ ବାବୁ ଆସିଲେ ମନଦୁଃଖ କରିବେ । ରହିବାକୁହିଁ ପଡ଼ିବ । ସବୁ ସରଞ୍ଜାମ ପ୍ରସ୍ତୁତ ଅଛି-। ଅରଖିତିଆ ରୋଷେଇ ବସେଇଲା ।

 

ବାଟ ଚାଲି ଚାଲି ଆସି ଡେରିରେ ଖାଇ କ୍ଲାନ୍ତ ନିଦ ଘୋଟିଯାଇଥିଲା, ନିଦ ଭାଙ୍ଗିଲା ଅରଖିତିଆର ଓ ଆଉ ଜଣକର ହସ ପାଟିରେ । ଉଠିପଡ଼ି ପଦାକୁ ଆସିଲା, ଆରଜଣକ ଗୋଟିଏ ଯୁବତୀ । ତାକୁ ଦେଖି ପଳାଇ ଅରଖିତିଆ ବଡ଼ ପାଟିରେ କହିଲା, ‘‘ଭଲକରି ମାଜିବୁ, ହେଇ ସୁନା, ରେକେଟା ରହିବ ନାଇଁ ଯେମିତି ଛାଡ଼ିଯିବ, ନ ହେଲେ ବାବୁ ଅସୁକ ବାରିବେଟି, ଜାଣିଥା-’’ ଆଉ ଯୁବତୀଟି ପିଠିଆଡ଼େ ଲମ୍ୱିଥିବା ବେଣୀକି ଛାଟି ଦେଇ ଦେହରେ ଢେଉ ଖେଳାଇ ଖେଳାଇ କହିଲା, ‘‘ମୁଁ ହାତ ଦେଲେ ଶୁଖିଲା ରେକେଟା ରହେ ନାଇଁରେ, ସବୁ ଜିକିଜିକି ଦିଶେ, କଥା ଗପି ଗପି ବେଳ ଗଡ଼ଁଉଚୁ, ଝିଅଟି ରୋଷେଇ ଘରୁ ବାହାର କରିଦିଅନ୍ତୁ ସିନା, ଉଠୁ ଉଠୁ-।’’ କଣେଇଁ କଣେଇଁ ରବିକୁ ଅନାଇଲା, ଦୁଷ୍ଟ ହସ ହସି ଚଞ୍ଚଳ କାନ୍ଧ ପଟୁ କାନି ଖସେଇ କାନି ସଜାଡ଼ି ନେଇ କହିଲା, ‘‘କ’ଣ ଭାବୁଙ୍କ ଭାଇ ?’’ ଅରଖିତିଆ କହିଲା, ‘‘ନାଇଁ, ସାଙ୍ଗ ।’’ ବିନା କାରଣରେ ଫାଇଁ କରି ହସିଦେଇ ଆଉଥରେ ରବିକୁ ଚାହିଁଦେଇ ସେ ତା’ର କାମ କରିବାକୁ ଲାଗିଲା । ତା’ରି ସଙ୍ଗେ ଏଇଟା କର, ସେଇଟା କର ବୋଲି କାମ ବରଗିବାକୁ ଅରଖିତିଆ ବି ଭିତରକୁ ଓଟାରି ହୋଇଗଲା-। କ’ଣ ଯେପରିକି ମନେପଡ଼ିଗଲା ସେହିପରି ଭଙ୍ଗୀରେ ପୁଣି ରବି ପାଖକୁ ଲେଉଟି ଆସି କହିଲା, ‘‘ଚାହା କରିବି ?’’ ‘‘ନାଇଁ ମୁଁ ଚାହା ଖାଏ ନାହିଁ ।’’

 

ସୁନାର ଘର ଓଳିଆ ଶବ୍ଦ ପାଖେଇ ଆସୁଛି । ରବି ବସି ରହିଛି ଚୌକିରେ । ଏଥର ଦିଶିଲା, ଦୁଆର ବନ୍ଧ ଆର କରେ ସିଧା ସଳଖେ ସୁନାର ନଇଁ ପଡ଼ିଥିବା ଦେହଟା ଘର ଓଳେଇ ଲାଗିଛି । ତା’ର ରଙ୍ଗ ସେତେ କଳା ନୁହେଁ । ଦେହରେ ବୟସର ଶିରୀ । ପାଦ ଦି’ଟା ସାଧାରଣଠୁଁ ଟିକିଏ ବଡ଼ । ମୁହଁଟି ପିଲାଳିଆ ଦିଶୁଛି । ପାତଳ ଶାଗୁଆ ବର୍ଣ୍ଣର ଶାଢ଼ିଖଣ୍ଡେ ପିନ୍ଧିଛି, ଉପରେ ଖଣ୍ଡେ ଅଧାହାତ ଫତୁଆ । ନଇଁପଡ଼ି ଢଳି ଆଗୋଉଛି, ହାତରେ ଛାଞ୍ଚୁଣି । ଆର ପଟେ ଅରଖିତିଆ ଠିଆ ହୋଇଛି ବାରି ହେଉଛି ।

 

ରବି ସୁନାକୁ ଅନୁମାନ କଲା କାହାର ଘରଣୀ ରୂପରେ । ସେ ଏମିତି ପର ଘରେ କାମ କରିବାକୁ ଅରକ୍ଷଭାବେ ଆସନ୍ତା ନାହିଁ, ଆପଣା ଘର ଓଳୋଉ-ଥାଆନ୍ତା । ଅନୁମାନ କଲା ସେ ମୁହଁର ଠାଣି, ସେ ଦେହର ଭଙ୍ଗୀ । ଏଇ ନଇଁପଡ଼ିଥିବା ଦେହରୁ ଯେପରି ଅସୁସ୍ଥ ଧାରଣାର ତତଲା ଢେଉ ତୁହାଇ ତୁହାଇ ଧାଇଁଆସି ତା’ ଦେହରେ ଧକ୍‌କା ମାରୁଛି, ଅରଖିତିଆକୁ ତତୋଉଛି, ତାତି ସେଠି ନ ଥାନ୍ତା, ତା’ ବଦଳରେ ସେଠି ଥାଆନ୍ତା ଶୀତଳ ଉଶ୍ୱାସ, ଘର ଘର ବ୍ୟକ୍ତିତ୍ୱର ସ୍ପର୍ଶ ଆଉ ବାସ୍ନା, ଯେ କଥା ନ କହି ବୁଝେଇଦିଏ ସେ ଶାନ୍ତି ସୁସ୍ଥତା ଆଉ ମଣିଷ ମର୍ଯ୍ୟାଦାର ପ୍ରତୀକ । ହେଇ ଯେମିତି ଘରେ ଘରେ । ଆଉ ଏଠି ସୁନା, ନ ଜାଣିବେ ବି ଧାରଣା କରି ହେଉଛି ତା’ର ପୃଷ୍ଠପଟ ବିଷୟରେ । ସତ ହେଉ କି ମିଛି ହେଉ ଧାରଣା କରି ହେଉଛି । ପାହାଚେ ପାହାଚେ ଲମ୍ୱି ଯାଉଛି ଧାରଣା ଆଗକୁ ଆଗକୁ । ତା’ପରେ ? ତା’ପରେ ?

 

ଅରଖିତିଆ ଯେପରି କି ତା’ର ଦିଘା ବାରିପାରିଲା, କହିଲା, ‘‘ଆପଣ ଯାଇନାହାନ୍ତି ତ, ଘରେ ଅଛନ୍ତି, ମୁଁ ଟିକିଏ ବଜାରରୁ ଆସନ୍ତି । ଖୋଲା ଜାଗାଟା କିନା, ମଣିଷ ନ ଥିଲେ ପଦାରେ ଜନିଷ ରହେ ନାଇଁ ।’’

 

ସୁନା କିଛି କହିଲା ନାହିଁ । ଓଳେଇ ଓଳେଇ ଘରକଣରେ ଠାଏ ବସିପଡ଼ି ବେକ ଭାଙ୍ଗିଦେଇ ରବିକୁ ପୁଣି ଛାଟି ମାରିଲା ଏକ ଲମ୍ୱା ଗୋଜିଆ ଚାହାଣି; ଓଳେଇ ଓଳେଇ ଆଗେଇ ଆସିଲା ତା’ ଆଡ଼କୁ । ଉଠିପଡ଼ି ପଦାକୁ ଚାଲି ଆସିଲା । କହିଲା, ‘‘ନାଇ, ତୁମେ ଯିବ ଯଦି କାମ ସରିଲେ କବାଟ ବନ୍ଦ କରି ଯାଅ, ମୁଁ ବାହାରି ପଡ଼ୁଛି । ବହୁତ କାମ ।’’

 

ସେଦିନ ରାତିରେ ଦିଶି ନ ଥିଲା, ବର୍ତ୍ତମାନ ଦିଶୁଛି, ବିପିନ୍‍ର ବସା ସେପଟେ ଖଣ୍ଡେଦୂର ଛାଡ଼ି ଗୋଟାଏ ଜକାଜକି ସାନ ସାନ କୁଡ଼ିଆର ବସ୍ତି, କେଉଁଟାର ଗଡ଼ଣ କଇଁପରି, ଏକା ମଛାକେ ନୁହେଁ । ଭଙ୍ଗାରୁଜା, ଦରିଦ୍ରପଣର ସେଠି ମୋହର ମରିଛି । ପଚାରିଲା, ‘‘କିଏ ଥାନ୍ତି ସେଠି ?’’ ଅରଖିତିଆ ମହା ଉତ୍ସାହରେ ବୁଝେଇଲା, ‘‘କୁଆଡ଼ୁ ଗଡ଼ଜାତଆଡ଼ୁ ପୁଣି ଦକ୍ଷିଣରୁ ଲୋକେ କାମଧନ୍ଦାପାଇଁ ଆସିଥିଲେ, କୁଡ଼ିଆ ମାରି ରହି ଯାଇଚନ୍ତି । କୁଲି କାମ ବି ସବୁଦିନେ ସମସ୍ତିଙ୍କି ମିଳେନାହିଁ, କାମ କରିବାକୁ ବହୁତ ଲୋକ । ନାନା ଉପାୟରେ ଦୁଃଖଧନ୍ଦା କରି ପେଟ ପୋଷନ୍ତି । ସୁନାର ଘର ବି ସେଇଠି ।

 

ଖରା ନଇଁଗଲାଣି । ସେ ପାଖର ନାଟକ ଆଖିରେ ପଡ଼ୁଛି । ଜଣେ ପୁରୁଷ ଜଣେ ଯୁବତୀ ଉଘା ଉଘି ହୋଇ ଭାରି ପାଟିରେ କଜିଆ କରୁଛନ୍ତି । ପୁରୁଷଟା ସ୍ତ୍ରୀକୁ ମାରିବାକୁ ଧାଇଁଯାଉଛି, ସ୍ତ୍ରୀର ଅଙ୍ଗଭଙ୍ଗୀ ଆଉ ଭର୍ତ୍ସନାର ଦାଉରେ ଅଟକି ଯାଉଛି । ଦିହେଁ ନାନା ପ୍ରକାର ମୁଦ୍ରା କରୁଛନ୍ତି । ଅରଖିତିଆ କହିଲା, ‘‘ଆଗେ କେଡ଼େ ସୁନ୍ଦର ଥିଲେ, ଏବେ ଦିନାକେତେ ହେଲା ଏମିତି ଝଟାପଟା ଚାଲିଚି । ମାଇକିନିଆଟା ଭାରି ଖରତୁଣ୍ଡୀ ।’’

 

ସୁନା ବାସନ ମାଜୁଥିଲା । କହିଲା, ‘‘ହକ ଦେହ ମେହେନତ କରି ରୋଜଗାର କରୁଚି, କାହିଁକି ସେଇଟାଠୁଁ କଥା ସହିପଡ଼ିଥିବ ମ ? ଘରୁ ଫୁସୁଲେଇ ଆଣିଲା, ବିଦେଶରେ ରଖିଲା, ସେଇଠୁ ପୁଣି କୁକୁର ପରି ସତର ପତରରେ ଅଇଣ୍ଠା ଖାଇଲା, ଅଇଣ୍ଠାଚଟା ଅଲାଜୁକଟା, ଭାରି ଅଣ୍ଡିରାପଣ ଦେଖେଇ ହଉଚି, ଲାଜ ନାଇଁ ତା’ ମୁହଁକୁ ।’’

 

ଏତିକିରେ ଯେପରି କି ସୁନା ଆପଣାର ରୁଚି ଆଉ ଅଭିଳାଷ ବର୍ଣ୍ଣନା କରିଗଲା, ସେ କାହାର ବୋଲଣା ସହିବ ନାହିଁ, ଘର କରିବାକୁ ହେଲେ ତା’ର ସେମିତି ମଣିଷ ଦରକାର ଯେ ତା’ର ହୋଇ ରହିଥିବ, ଆଉ କାହାଠି ମନ ସମର୍ପିବ ନାହିଁ, ଯାହାର ହୃଦୟ ଥିବ, ଯେ ଦେହ ଲାଳଚାରେ ବାଇ ହେବ ନାହିଁ ପଶୁପରି । ସାଧାରଣ ନାରୀର ମନର କଥା, ସୁନାର ମନ ତହିଁରୁ ବାହାର ନୁହେଁ । କିନ୍ତୁ ସୁନା ନିଜେ କ’ଣ ସେହିଭଳି ଜୀବନପାଇଁ ଆପଣାକୁ ତିଆରି କରୁଛି ? ଏଇ ଠାଣି, ଏଇ ଛଇଛଟକ, ଏଇ ଅଲୋଡ଼ା ହସ ଆଉ ଚାହାଣି, ଏସବୁ କ’ଣ ସେହି ଉଦ୍ଦେଶ୍ୟପାଇଁ ତିଆରି ହେବାରୁ ତା’ର ସରଞ୍ଜାମ ?

 

ଅରଖିତିଆ କହିଲା, ‘‘ଏକା କ’ଣ ତାରିଠି ନିଖ ମରିଚି ତାକୁ ବାଛିବୁ ? କିଏ କୁଆଡ଼ର ଆସି ଏକାଠି ହେଇଚନ୍ତି, କେତେବେଳେ ଧରାପରା ଛାଡ଼ିଚି ନା କଳିଗୋଳ ବନ୍ଦ ଅଛି ?’’

 

ସୁନା କହିଲା, ‘‘ମୋ ବା ସେଗୁଡାକୁ ଦୁଆରବନ୍ଧ ମଡ଼େଇ ଦିଏ ନାଇଁ । ମା’ ଠାକୁରାଣୀ ଆଖି ଦି’ଟା ନେଇଗଲେ ବୋଲି ସିନା, ହେଲେ ହାତରେ ଧରି ପକେଇଲେ ହାଡ଼ ଗୁଣ୍ଡା କରିଦବ, କାଠ ହାଣି ହାତ ପଥର ହୋଇଯାଇଚି, ବେଆଡ଼ା ଦେଖିଲେ ପ୍ରାଣରୁ ମାରିଦବ । ଭାଇ ବି ଭାରି ରାଗୀ, ତା’ ଡରରେ ଆମ ଭଉଣୀମାନଙ୍କୁ ପଦେ ପାଟି ଫିଟେଇବାକୁ ସେଗୁଡ଼ାଙ୍କ ସାହସ ହୁଏ ନାଇଁ ।’’ ସେପଟେ ବସ୍ତିରେ ଦୁଇଟି ଯୁବତୀ ଏଣର ଦାଣ୍ଡପିଣ୍ଡାଆଡ଼କୁ ଅନେଇଁ ଗେଲରେ ଗେଲରେ ଠେଲାଠେଲି ହେଲେଣି, ସୁନାଆଡ଼କୁ ଅନାଇଁ ହାତଠାରି ଡାକିଲେଣି ହସି ହସି । ରଙ୍ଗଶାଢ଼ି ପିନ୍ଧି ସୁନ୍ଥା ଜିକିଜିକି କରି ସେମାନେ ଯେପରି କି କୁଆଡ଼େ ଯିବେବୋଲି ସଜ ହୋଇଛନ୍ତି-। ସୁନା ବଡ଼ ପାଟିରେ ହାଙ୍କିଲା, ‘‘ଯାଉଚି ବଉଳ, କାମ ସାରିଲେ ଯିବି ।’’ ବଉଳ ଦୁହେଁ ମାଡ଼ି ଆସୁଥିଲେ, ସାଇକଲ ଚଢ଼ି ଜଣେ ଯୁବକ ଆସି ସେମାନଙ୍କ ଆଗରେ ଓହ୍ଲେଇ ପଡ଼ି କ’ଣ କଥା ଆରମ୍ଭ କରିଦେଲା । ପାତଳ ଲୋକ, ପ୍ୟାଣ୍ଟ, ହାଓ୍ୟାଇ ପିନ୍ଧି ଫିଟ୍‌ଫାଟ୍‌ ଦିଶୁଛି । ସୁନା ହସି ହସି ଗଡ଼ିଲା, କହିଲା, ‘‘ମଲା ଆଜି ବଉଳ ! ୟେ ବାଟ ଆଜି ଛାଡ଼ୁଚି ନା ବଉଳ ଆସୁଚି ?’’

 

ଅରଖିତିଆ କହିଲା, ‘‘କିଏ କି ସେ ?’’

 

ସୁନା କହିଲା, ‘‘କିଏ କ’ଣ ମୁଁ ଜାଣିଚି ? ଆମେ ଜାଣିମାରେ ବାବୁ । ଏଃ ବାବୁ ନା ପିଠିରେ ଉଠିଚି ଆବୁ ଭାରି କୁହାଳିଆ, ଭାରି ସୁତୁରେଇ ଜାଣେ । ବଉଳ ସାଙ୍ଗେ ଲଗେଇଚି ମୋର ଭାରିଯା ନାଇଁ, ମୋର ଘର କରିବୁ ଆ । ବଉଳ ତ ଯୋଉ ଫୁଲେଇ ଯେ ଗୋଡ଼ କରି ବସିଚି । ବାବୁ କହୁଚି ମୋର ଜମି ଏତେ, ମୋର ଗାଈଗୋରୁ ଏତେ, ଘର ଏତେ ବଖରା, ଏମିତି ଚଳେ, ସେମିତି ଚଳେ । ବଉଳ ମନେ ମନେ କହୁଥିବ ଆହୁରି କହ, ଆହୁରି କହ । ସେ କହୁଥିବ, ବଉଳ ଶୁଣୁଥିବ । କାଲି ସଞ୍ଜରେ ଆସିଥିଲା ଯେ କହୁଥିଲା ପୋଖରୀ କଥା । କେଇ ଟଙ୍କାର ଯାଆଁଳ ଛାଡ଼ିଥିଲା, କେଡ଼େ ଛୁଣୁକା ବଡ଼ ବଡ଼ ହେଇଗଲେ । ରାତିରେ କିଏ ଜାଲ ପକାଉଥିଲା, କେମିତି ଧରାପଡ଼ିଲା । କେମିତି ଏ ଖେପକ ଜାଲ ପକାହେଲା ଯେ ମାଛଗୁଡ଼ାକ କଅଁଳା ବାଛୁରୀ ପରି କୁଦା ମାରୁଥିଲେ । ଏମିତିଆ କେତେ କଥା ସେ ଗପିଗଲା । ବଉଳ ତ ବାଁ କାନ୍ଧ ଉପରକୁ ବେକକୁ ଢଳେଇ ଦେଇ ମଲା ଭଳିଆ ବସିଥାଏ ଆଉ ଶୁଣୁଥାଏ । ତା’ ପ୍ରାଣଟା ଉଡ଼ିଯାଇଥାଏ ପରା ସେ ପୋଖରୀ କୂଳକୁ ଯୋଉଠି ମାଛଗୁଡ଼ାକ ପାକୁପାକୁ ହୋଇ ଖାଲି କୂଳରେ ପିଟି ହଉଥାନ୍ତି । ବଉଳ ମନେ କଲେ ଗୋଟାକୁଗୋଟା ମାଛ ଭାଜି ପକାଉଥାଏ, ପଖାଳ ଖାଇବବୋଲି । କଥା ଶୁଣେ– ।’’

 

ଅରଖିତିଆ ହସିଲା । ରବିର ଆଡ଼ ଆଡ଼ ଭାଙ୍ଗିଗଲା । ଅଳ୍ପ ହସି କହିଲା,-‘‘ଭଲ କଥା ତ, ବଉଳ ଭଲ ଘରେ ବାହା ହେବ, ଭଲ ହେବ ।’’

 

ସୁନା ଦେହ ଝାଡ଼ିଦେଇ କହିଲା, ‘‘ହେଁ, ଭଲ ହେବ । ବଉଳ ଛୋପରା ହେଇଚି । ଯୋଉ ଲୋକର ଏତେ ବିଲବାରି, ପୋଖରୀ, ଘରଦୁଆର, ସେ କାଇଁକି ଆସି କାନ୍ତରାଟି ପାଖରେ ଚାକିରି କରିଚି ଯେ ଖରାଟାଯାକ ଦିହେ ଦିହେ ଭେଦୁଚି ? ଏତେ ତ ଅଛି, ତାକୁ ଗାଁ ଯାକରେ କନିଆଁ ମିଳିଲାନାଇଁ ଯେ ସେ ଧାଇଁଆଇଲା ବଉଳ କତିକି ? ନାଇଁ ନାଇଁ, ବଉଳ ନାକରା ନୁହେଁ ଯେ, କହିଲି କଥାକୁ । ଆମେ ଯେତେ ହେଲେ ମୂଲିଆମୁଣ୍ଡ । ଏ ବଡ଼ବଡ଼ିଆ ବାବୁ ସାହାବ ସବୁ କ’ଣ ଆମରି ସାହିକି ବୋହୂ ଦେଖିବାକୁ ଆସନ୍ତି ? ସେଗୁଡ଼ା ସେମିତିଆ ଲଫଙ୍ଗାଗୁଡ଼ାକ ନା, ଖାଲି ଭୁଲେଇବାବୁ ଫୁସୁଲେଇବାକୁ ଆସନ୍ତି । ମନ ବଦଳିଗଲେ ଯେଝା ବାଟଯରେ ଯେ, ଆଉ କିଏ କାହାର ବା ?

 

ଯେମିତି ମନ ଭିତରେ କେଉଁଠି ପୁରୁଣା ନିଆଁଟା କୁହୁଳି କୁହୁଳି ଉଠିଲା ସେମିତି ମୁହଁ ବିକିଟେଇ ସୁନା କହିଲା, ‘‘ସମସ୍ତେ ଖାଲି ସୁଖର ସାଥୀ, ଦୁଃଖବେଳକୁ କେହି ଦେଖାନାଇଁ । ଶରଧା ନା ଗାତ ଚୂଲୀ, ଖାଲି ଲୋକ ଦେଖାଣିଆକୁ ।’’

 

ସୁନା ଉଠି ଚାଲିଗଲା । ସେଇକଥା କେଇପଦ ଆଉ ସୁନାର ମୁହଁରୁ ଛିଲିକାଏ ତା’ର ମନରେ ରହିଗଲା । ଲାଗିଲା, ସୁନା ଭିତରର ଦୁଇଟା ମଣିଷଙ୍କର ସେ ଚିହ୍ନା ପାଇଛି । ଗୋଟିଏ ଯେ ଜନ୍ତୁ । ଭୋକ ତାକୁ ବାଟ କଢ଼ାଏ, ତତାଏ, ନଚାଏ, ତେଣୁ ସେ ଧରେ ମାରେ ଆଉ ଖାଏ । ଅସୁରୀ ପରି ତା’ର ଆଗ୍ରହ ।

 

ଚିହ୍ନି ପାରିଥିଲା, ସେ ତା’ଠି ବି ଚେଇଁ ଉଠିଥିଲା ଜନ୍ମର କୁତୁହଜଳ, ଆପଣାକୁ ଦାବିବାକୁ ଯାଇ ଡରିଥିଲା । ଅନୁଭବ କରିଥିଲା, ତା’ର ପଥର ପଣ ତଳେ ଥରଥର ସ୍ନାୟୁ, ଟଳମଟଳ ସଂଯମ, ନିଜକୁ ରୋକି ନ ପାରିଲେ ସେ ବି ଧାଆଁନ୍ତା ସେଇ ବାବୁ ପରି । ଆରଟା ଜନ୍ତୁ ନୁହେଁ, ଆଘାତ ଖାଇ ଖାଇ ପାକଳ ହୋଇଥିବା ଦୁଃଖୀ ମଣିଷ, ତା’ର ଆଖିରେ କିମିଆ ଲଗେଇବାକୁ ଅଞ୍ଜନ ନାହିଁ, ଲୁହରେ ଧୋଇ ହୋଇଯାଉଛି । ତା’ର ହୃଦୟରେ ମହୁ ପିତା ହୋଇ ଯାଇଛି । ତା’ଠି ନାହିଁ ଲୁଲ କି ବିଶ୍ୱାସ, ସେ ଦେଖିଛି, ଜାଣିଛି, ଚିହ୍ନିଛି ଏ ଦୁନିଆକୁ ।

 

କାହିଁକି ସୁନା ଦୂର ଗାଁରେ ଆପଣାର ସ୍ୱଚ୍ଛନ୍ଦ ଜୀବନ ଛାଡ଼ି ସହରର ଏ ପଲ୍ଲୀରେ ରହି ପରଘରେ ଆସି ବାସନ ମାଜି ବୁଲେ ? ଏମିତି ଏ ପଲପଲ ସୁନାରୁପା, ବଉଳ ଆଉ ଆମ୍ୱକଷି, ଗାଁ ସମାଜର ସାଇତା ଝିଅ ଭଉଣୀ ପରି ଭାବିବାକୁ ସେମାନଙ୍କୁ ମନଗଲା, ସେ ଜାଣେନାହିଁ ସୁନା କେବେ ଗାଁ ମାଡ଼ିଛି ନା ଆଉ କେଉଁ ସହରତଳିରେ ଅନ୍ଧାରୁଆ ସନ୍ତସନ୍ତିଆ ଘରେ ତା’ର ଜନ୍ମ । କିନ୍ତୁ ଗାଁର ପଟ୍ଟଭୂମିରେହିଁ ତାକୁ ଖଞ୍ଜି ରଖି ଭାବିବାକୁ ସହଜ ଲାଗୁଥିଲା, ମୁଦିକୁ ଆଙ୍ଗୁଠି ପରି ।

 

ଲାଗୁଥିଲା, ସେଠୁ ସେ ଓପଡ଼ା ହୋଇଛି, ଗାଁ ପୋଖାରୀର ସଜ କଇଁଫୁଲ ଓପଡ଼ା ହୋଇ ପଡ଼ିଛି ସଡ଼କର ନାଲି ଧୂଳିରେ ।

 

କିଏ ତା’ର ସବୁଦିନିଆଁ ଛାଇ ଛଡ଼େଇ ନେଇଛି ? କିଏ ତାକୁ ମୋହି ଦେଇଛି ଏଇ ଝାଞ୍ଜି ଦାଉକୁ । ଆଜି ନ ହେଉ କାଲି, କାଲି ନ ହେଉ ପହରିଦିନ, ଝାଉଁଳି ପଡ଼ିବ ସେ, ଶୁଖିବ, ଧୂଳି ହେବ ।

 

ପେଟପାଇଁ ହାକୁ ହାକୁ ସହରିଆ ମୂଲିଆ, ଏତେ ଘରତୋଳା ହେଉଛି, ଏତେ କାରଖାନା ବସୁଛି, ପେଟ ପୂରେଇବାପାଇଁ ଏତେ ବାଟ । ମୂଲ ମିଳୁଛି, କିନ୍ତୁ ଆପେ ମଣିଷ ପଣିଆର କି ମୂଲ ଦେଇ ତା’ ବଦଳରେ ମଣିଷ ପଇସା ମୂଲ ଗୋଟୋଉଛି ? ଆଉ ଭଙ୍ଗା ଭଉଁରିଆପଲର ଠିକ୍‌ ଆଗରେ ସେ ଘରେ ରହେ ବିପିନ । ସେ ଯୋଜନା କରୁଛି । ଦୁନିଆ ଯୋଜନା କରୁଛି । ହୁଏତ ସତକୁ ସତ କିଛି ହେବ ଅବା ଦିନେ, ଏମାନଙ୍କ ଅବସ୍ଥା ସୁଧୁରିବ ।

ସେ ବେଳ ତ ଡେରି ଅଛି ।

ବୁଲି ବାହାରିଲା । ବସ୍ତି ମଝିରେ ଅଣ୍ଟାଏ ଉଞ୍ଚ ପକାଜାଲି ପାଚିରୀଘେରା ହୋଇ ପାର୍କ ହୋଇଛି, ଛକି ରାସ୍ତା ପାଖରେ । ପାର୍କରେ ପାଣି ଢଳା ହେଉଛି, କେତେ କଷ୍ଟରେ ଏଠି ଘାସ ବଞ୍ଚା ହେଉଛି-ସତେ କି ଏଠିକି ଘାସ ବି ସହଜେ ଭରସେ ନାହିଁ । ବଗିଚା ଆଉ ଘାସ ଉପରେ ଧୂଳି ବସିଛି, ଯେତେ ସଜାସଜି କରି ତାଙ୍କୁ ହସାଇବାକୁ ଚେଷ୍ଟା କଲେବି ତାଙ୍କ ମନରେ ଖଲି ବନ୍ଦୀର ହସ । ଲୋକ ଆସୁଛନ୍ତି, ଲୋକ ଯାଉଛନ୍ତି, ପଞ୍ଝାକୁ ପଞ୍ଝା ଅଚିହ୍ନା ଚଢ଼େଇ । ସବୁ ବଡ଼େଇ ଦେଇ କୋଳାହଳ । ଚାରିଆଡ଼େ ଲାଉଡ଼୍‌ସ୍ପିକର ମୁହଁବାଟେ ସଙ୍ଗୀତର ଗର୍ଜନ । ପରସ୍ପର ବିରୋଧୀ ରାଜନୀତି ଗର୍ଜନ କରି ତିନିଚାରିଟା ମଟର ଧାଇଁ ପଳାଇଲା, ସଭାର ସମ୍ୱାଦ, ଦଳ ଗଢ଼ିବା ଉଦ୍ୟମ-। ନାନା କଥା କହୁଛି, କାନ୍ଥରେ ବାଡ଼ରେ ଏପରିକି ରାସ୍ତା ଉପରେ ଅଠାଲଗାଇ ମରାହୋଇଥିବା ଛପା କାଗଜ, କୁସ୍ତିଯୁଦ୍ଧଠୁ, ଖେଳ ଯୁଦ୍ଧଠୁ ରାଜନୀତି ଯୁଦ୍ଧଯାକେ, ଗୁଡ଼ାଖୁର ମାହାତ୍ମ୍ୟଠୁଁ ସିନେମାର ନୂଆ ଛବିଯାକେ, ସିଧାସଳଖେ ମଣିଷର ବିଚାରକୁ ଲାଖକରି ସୂଚନା ଫୋପାଡ଼ୁଛି ଯେ ନୂଆ ନୂଆ ଅଭାବ ଅନୁଭବ କରି ଅଭାବ ମେଣ୍ଟାଇବାକୁ ହୃଦୟ ଢାଳିବା ହିଁ ତା’ର ଜୀବନର ହେତୁ । ପାର୍କରେ ସଜା ହୋଇ ଥୁଆ ହୋଇଛନ୍ତି ଇଟା ସିମେଣ୍ଟରେ ତିଆରି ହଂସ ଧାଡ଼ିଏ, ସିମେଣ୍ଟରେ ତିଆରି ମାଛ ପାଟିବାଟେ ଉପରକୁ ଝରଣା ଡେଉଁଛି, ପଡ଼ୁଛି ସିମେଣ୍ଟରେ ତିଆରି ପହ୍ମଫୁଲ ଉପରେ । ସେହି ପାର୍କରେ ଠିଆ ହୋଇ ରହି ତେର୍ଚ୍ଛାରେ ସୂର୍ଯ୍ୟାସ୍ତବେଳର ଆକାଶକୁ ଅନାଇଁ ରବି ହେତୁକଲା ସେପାଖର ସେହି ଦୋମହାଲା ଉପରର ହୋଟେଲ ଘରର ବ୍ୟକ୍ତିତ୍ୱକୁ ଯାହାର ତଳେ ଗୋଟିଏ ମନୋହାରୀ ଦୋକାନ, ଗୋଟିଏ ଜୋତା ଦୋକାନ ଓ ଗୋଟିଏ ଛାପାଖାନା, ଯେଉଁଠି ଲୋକେ ରାତିଏ କି ଦିନେପାଇଁ ଜୀବନକୁ ବିଛେଇ ଦିଅନ୍ତି, ପୁଣି ଗୋଟେଇପୋଟେଇ ଓହ୍ଲେଇ ଯାଆନ୍ତି ଆପଣା ଧନ୍ଦାରେ, ଆଉ ତା’ର ମନେପଡ଼ିଲା ସେହି ଖାଦ୍ୟପାତ୍ର ଯାହାକୁ କିଏ କେବେ ବ୍ୟବହାର କରି-ଯାଇଛି ତା’ର ଲେଖା ନାହିଁ । ସେହିପରି ସେହି ଖଟ ଚୌକି, ଅଧା କାନ୍ଥରେ ଥୁଆହୋଇଥିବା ଗଛକୁଣ୍ଡ, ଫୁଲକୁଣ୍ଡ, ଯାହାକୁ ଆଖି ଆଗରେ ଚାହିଁ ଆପଣାର କରିଯାଆନ୍ତି କେତେ କିଏ ଦଣ୍ଡକପାଇଁ ମୋଟେ । ଲାଗିଲା, ଯେପରି କି ବଢ଼ନ୍ତି ସହର ଖାଲି ମଣିଷର ଗୋଟିଏ ମାନସିକ ଅବସ୍ଥାର ଅନୁରୂପ ପଚ୍ଚଭୂମି ।

ଆପଣା ମନର ଅସ୍ଥିରପଣରେ ସେହି କଳ୍ପିତ ମଣିଷକୁ ସେ ରୂପ ଦେବାକୁ ଲାଗିଲା, ଯେପରି କି ହେଇ ସେ ଭାଡ଼ାଗାଡ଼ିରେ ଭଡ଼ା ଗୋଡ଼ରେ ଚଢ଼ି ଟଳି-ଟଳି ସେ ମଣିଷ ଧହ୍ଲେଇଗଲା, ପାନ ଦୋକାନରୁ ପାନକିଣି ଚୋବେଇ ପିକ ପକାଇଲା ଗୋଟାଏ କର୍ତ୍ତବ୍ୟ କଲାପରି, ରାସ୍ତାକର ଦୋକାନରେ ବସିପଡ଼ି ଢକ ଢକ କରି ତତଲା ଚା’ ପିଇଲା, ସିଗାରେଟ୍‍ କିଣି ଚଁ ଚଁ କରି ଶୋଷିଗଲା, ଗୋଟିକିଆ ଆଖିବାଟେ ହଳଦିଆ ପଡ଼ିଥିବା କାନ୍ଥ ଉପରେ ଟଙ୍ଗା ହୋଇଥିବା ଅଚିହ୍ନା ନାରୀଦେହର ଛବିକୁ ଅନାଇଁଲା, ତା’ପରେ ହାତଘଣ୍ଟାକୁ ଆଉ ଉଠିପଡ଼ି ଟଳି ଟଳି ପଶିଗଲା ସେହି ହୋଟେଲ ଘରକୁ, ଉଠିବାର ଗାଢ଼ ମୁହଁ ପରି ଅନ୍ଧାରି ସିଢ଼ିଘରର ମୁହଁ ଭିତରକୁ । ଆଉ କଳ୍ପନା କଲା ସେ, ଟଳି ଟଳି ଯାଇ ସେହି ଆରକ ସାନ ବଖରାକର ବୁଜା କବାଟ ତାଲାକୁ ଆପଣା ଚାବିରେ ଫିଟାଇଲା, ଭିତରୁ ବନ୍ଦ କଲା, କ୍ଳାନ୍ତ ଦେହକୁ ଅଜାଡ଼ିଦେଲା ଗୋଟାଏ ଛାଟପୋକମୟ ପଟାଖଟ ଉପରେ । ତା’ପରେ ଖୋଲି ଦେଇ ଥୋଇ ଦେବାକୁ ଆରମ୍ଭ କଲା । । ଆଗ ଦି’ପାଟି ଦାନ୍ତ, ନକଲ ଦାନ୍ତ ତା’ର । ଗଲା ଗୋଟିଏ କାଚ ଆଖି, ନକଲି । ମୁଣ୍ଡବାଳ ଗଲା, କି ସୁନ୍ଦର ଖଞ୍ଜା ହୋଇଛି, ଯେ କହିବ ସତ । ତଳେ ଟାଙ୍ଗରା ମୁଣ୍ଡ ବିଛଣା ପାରିଲା, ତକିଆରେ ଆଉଜି ପଡ଼ିଲା । ଗଲା ତା’ର ଗୋଡ଼ରୁ ଗୋଟାଏ, ନକଲି ଗୋଡ଼, ଜଙ୍ଘଯାକେ । ଆଉ ତା’ର ନକଲି ପଞ୍ଜରା ହାଡ଼ରେ ଖୋଳ, ଲୁହାରେ ତିଆରି । ଅମେଣ୍ଟା ମନର ହାକୁ ହାକୁ ସଙ୍ଗେ ସଙ୍ଗେ ଅପହଞ୍ଚ ଉତ୍ତେଜନା । ମନେପକାଇ ପକାଇ ସେହି ନିଆଶ୍ରା ଦୁର୍ବଳ ଦେହ ଭିତରଟାକୁ ଉଷୁମ ଦେଲା, ଅତୀତରେ ବିଫଳତାର ଅଭିଜ୍ଞତାକୁ ବାରମ୍ୱାର ମନ ଭିତରେ ଓଲଟପାଲଟ କଲା ସଙ୍ଗୀତର ପଦ ଗୁଣୁଗୁଣୁ ହେଲା ପରି । ଆଉ ଲାଗିଲା, ସେଠି ସେ ମଣିଷ ନାହିଁ, ନିଜେ ସେ ଅଛି, ମିଶିଯାଇଛି ନିଷ୍ପ୍ରଭ ସୂର୍ଯ୍ୟାସ୍ତ ଦେହରେ ।

ପୁଣି ଫେରିଆସି ଦେହ ଧରିଲା, ଚେତନାରେ ଟାଣ ଆଉ ଥାଇତାପଣ, ଆଖିରେ ଛବି, ତା’ର ପିଠିଆଡ଼େ ଗାଁ ଓ ପରମ୍ପରା, ଆଖିରେ ଓଠରେ ସ୍ଥିର ଶୀତଳ ଶାନ୍ତିର ଦ୍ୟୋତନା, ଧ୍ୟାନରେ ନିର୍ଦ୍ୱନ୍ଦ ଆନନ୍ଦ । ସଞ୍ଜ ଛାଇ ଘୋଡ଼େଇଲା, ବିଜୁଳିବତୀର ହାର ଜଳି ଉଠିଲା । ମନେପଡ଼ିଲା ମୁହଁ, ଆଉ ଚାଳ ତଳର ଅନ୍ଧାର, ଯେଉଁବାଟେ ଚେମେଣି ଚଢ଼େଇ ଉଡ଼ିପଳାନ୍ତି ଫାଙ୍କା ଅନ୍ଧାରରେ ରୂପ ଓ ଗତିର ଝଲକ ଦେଖାଇ, ଆଉ ଲାଗିଲା ଗାଁ ଗାଁ ବାସ୍ନା, ପୁଣି ତୁଳସୀ ଚଉରା, ଚଉରା ପାଉଛରେ ସଞ୍ଜସଳିତାର ଜ୍ୟୋତି, ଆଉ ସେହି ମୁହଁ, ନାନା-ଭଙ୍ଗୀରେ, ବାରମ୍ୱାର । ଆପଣା ଭିତରକୁ ସୁଅ ପଡ଼ିଛି ଲାଗିଲା ସତେକି, ହେଇ ତା’ର ମାଠିଆ ଗବଗବ ହୋଇ ଗୀତ ଗାଇ ଗାଇ ପୂରି ଉଠୁଛି, ଅବସାଦ କଟିଗଲା, ସେ ଚାଲିଲା, । ଭାବୁ ଭାବୁ ଦେହରେ ସୁଖ ଅନୁଭୂତିର ଉଷୁମ ଖେଳିଯାଉଛି, ବଢ଼ି ବଢ଼ି ଯାଉଛି, କ୍ରମେ ହେଲା ସେ ଉଦ୍ଦୀପନା । ତାହାରି ସହିତ ଆସୁଛି ଆତ୍ମବିଶ୍ୱାସ, ଜୀବନରେ ଆଉ ସ୍ୱପ୍ନରେ ବିଶ୍ୱାସ । ଅନୁଭବ କରି ହେଉଛି, ସେ ଯୁବକ, ତା’ର ସାମାର୍ଥ୍ୟ ଅଛି, ଆଖି ଆଗରେ ଅମାପ ପରିସର । ଉତ୍ସାହରେ ବେଗ ଲାଗୁଛି, କଳ୍ପନାରେ ଲାଗୁଛି ପକ୍ଷୀ । ତା’ର ସ୍ୱପ୍ନିଳ ଆଖି ଆଗରେ ସହର ପୁଣି ଆଉଥରେ ରୂପ ବଦଳାଇ ନେଲା । ସେ ଅନୁଭବରେ ଦେଖିଲା, ସହର ନୁହେଁ, ଗାଁ ନୁହେଁ, ମଣିଷ । କେଉଁ ଦୁରଦୁରାନ୍ତ ମଣିଷ ଏଠିକି ଏକାଠି ହେବାକୁ ଆସୁଛନ୍ତି, କେତେ ମନ ଏକାଠି ହେଉଛି, କେତେ ଭାବ ମିଳୁଛି, ବିଚାର ଏଠି ଏକାଠି ହୋଇ ପରିଖି ହୋଇ ଧାରା ହୋଇ ଫିଟିଯାଉଛି ଦୂରକୁ, ଦୂରକୁ । ଏଠିବି ସମୟର ରଙ୍ଗରେ ଆପଣାକୁ ରଙ୍ଗେଇ ଆଗକୁ ଆଗକୁ ଆଲୁଅ ପକାଇ । ଖୋଜି ଖୋଜି ମଣିଷ ଆତ୍ମପ୍ରକାଶ କରୁଛି ସନ୍ଧାନୀ ଔତ୍ସୁକ୍ୟରେ, ଯୁଗକୁ ରୂପ ଦେଉଛି । ସହରର ଏ ରୂପ ବି ଦଣ୍ଡକେ ବଦଳିଯିବ, ସହର ତା’ର ଆତ୍ମାର ବନ୍ଧନଯୋଡ଼ି ନୁହେଁ, ତା’ର ଏକତ୍ୱମୟ ଗୋଷ୍ଠୀଜୀବନ ପ୍ରକାଶର ଭିନ୍ନ ରୂପ ।

ହୋଟେଲ ଘରର ଦୋମାହାଲାରେ ସେହି କଳ୍ପିତ ମଣିଷଟାକୁ ସେ ଆହୁରି ଥରେ ଦେଖିଲା, ଅନ୍ଧାରଫୁଟା ବିଜୁଳି ଆଲୁଅର ପଟ୍ଟଭୂମିରେ ,ଏତେ ଜାତିର ଏତେ ସ୍ୱରର ଦର୍ପିଷ୍ଟ ଚିତ୍‌କାରର ପଟ୍ଟଭୂମିରେ, ସାଧାସିଧା ଘାସ-ଛୁଆଣି ଅପନ୍ତରା ଉପରେ ମାପିଚୁପି ମନଇଚ୍ଛା ସଜେଇ ସେ ଧାଡ଼ି ଧାଡ଼ି ଘର ଛାଡ଼ିଦେଇଛି, ଗାଳୁ ଆକାଶ ମେଘ ବିଜୁଳି ଶୀତକାଳର ତୋଫାନ ଆଉ ଝାଞ୍ଜି, ଆପଣା ଶକ୍ତିରେ ସେ ନିରାପଦ ଦୁର୍ଗ ଗଢ଼ି ରହିଛି । ଗୋଟିଏ ଗୋଡ଼ ଖୋଲି ଥୋଇ ଦେଉ, ଗୋଟିଏ ଆଖି କାଢ଼ି ରଖିଦେଉ, ଦାନ୍ତ କାଢ଼ି ପକାଉ, ଳୁହାରେ ତିଆରି ପଞ୍ଜରା ଖୋଳ କାଢ଼ି ପକାଉ, ସେ ନିଘା କଲା ସିଧା ସଳଖେ ସେହି ଲୋକଟାର ବ୍ୟକ୍ତିତ୍ୱକୁ, ତା’ ଭିତରେ ବିଜୁଳି ଲାଗିଛି ଅନିଭା ଅଖଣ୍ଡ ଦୀପ । ପୃଥିବୀ ଭିତରର ତାତି ପଛେ ଶୀତଳ ହୋଇ ଆସୁ, ତା’ ଭିତରେ ଆପଣାକୁ ପ୍ରତିଷ୍ଠା କରି ଆଗକୁ ପାହୁଣ୍ଡ ପକାଇବା ତା’ର ବାକି ନାହିଁ ।

ଆଉ ସେ କଳ୍ପନା କଲା, ସେହି ପଙ୍ଗୁ ଦୁର୍ବଳ ଦେହଧାରୀ ମଣିଷଟା ତା’ର ଆବଶ୍ୟକ ଉପାଦାନ ଗଢ଼ି ନେଇପାରିଛି । ଏତେଯାକ ସବୁ ଗଢ଼ିଛି, ଆହୁରି ଗଢ଼ିବାକୁ ବସିଛି, ଦେହରୁ ଫାଳ ଫାଳ ହୋଇ ଉଡ଼ିଗଲେ ବି ବୀର ଦର୍ପରେ ଛାତି ଦେଖାଇ ଲାଖିରଖିଛି ସୁଅ-ଉଜାଣି ।

ଘାସରେ ଧୂଳି ଲାଗିଯାଉ ପଛେ, ଘାସକୁ ସେ ଗଜୁରାଇଛି । ସହର ନୁହେଁ, ଗାଁ ନୁହେଁ, କୋଠା ନୁହେଁ, କୁଡ଼ିଆ ନୁହେଁ, ତା’ର ଅନ୍ତର ଭିତରେହିଁ ତା’ର କାରିଗରୀ ।

ଆପଣା କରଣିଘେରରେ ପଡ଼ି ସେ କଳ ପାଲଟିଲେହେଁ ତା’ର ଶକ୍ତି ଅଛି ପୁରୁଣା ଘରକୁ ଭାଙ୍ଗି ନୂଆ ଘର ଗଢ଼ିବାକୁ, ପୁରୁଣା ସଂସ୍ଥାକୁ ଭାଙ୍ଗି ମୋଡ଼ି ବଦଳାଇ ପଛକୁ ଆଗକୁ ମାଡ଼ିବାକୁ ।

ଯେଉଁମାନଙ୍କ ପାଖକୁ ସେ ଯାନ୍ତା, ତାଙ୍କ ଘର ସେ ଦେଖିନାହିଁ । ଅଳ୍ପ ଖୋଜି ବିପିନର ବସାକୁ ସେ ଫେରୁଥିଲା । କେତେ ଅଚିହ୍ନା ବସ୍ତି ଗଢ଼ାହେଲାଣି ଯାହାକୁ ସେ ଚିହ୍ନନାହିଁ, କେତେ ଚଞ୍ଚଳ ଲୁପ୍ତ ହୋଇଗଲାଣି ପୁରୁଣା ସ୍ମାରକ ଚିହ୍ନମାନ, କେଉଁ ଗଛ, କେଉଁ କୋଠା, କେଉଁ ଫାଙ୍କା ପଡ଼ିଆ ଯାହାକୁ ନିଘାକରି ସେ ଆଗେ ବାଟ ଚିହ୍ନୁଥିଲା । ଦୋକାନର ହାଉହାଉ କଳର କଳରୋଳ, ମାଇକ୍‌ବାଟେ ରେଡ଼ଓର ଗୀତ ଆଉ ବକ୍ତୃତା, ନାନା ଲୋକଙ୍କ ପାଟି, ଯନ୍ତ୍ରର ଶବ୍ଦ ଏକାଠି ହୋଇ ସହରର ବିଶିଷ୍ଟ ଶବ୍ଦ ସୃଷ୍ଟି କରୁଛନ୍ତି । ସବୁ ମିଶି ଗୋଟିଏ ଶକ୍ତିର ପରିଚୟ, ଆଉ ଜୀବନ ବଞ୍ଚିବାର ଅଦମ୍ୟ ଉତ୍ସାହର ।

 

ପଞ୍ଝା ପଞ୍ଝା ଲୋକ କାମସାରି ଘରକୁ ଫେରୁଛନ୍ତି । କେତେ ଦେଶର କେତେ ଭାଷା ଏକାଠି ହେଉଛି । ବାରମ୍ୱାର କେତେ ତୁଣ୍ଡରେ ଶୁଭି ଶୁଭି ଯାଉଛି ସେହି ଚିହ୍ନା ଶବ୍ଦଟା । ବିଭିନ୍ନ ଭାଷାରେ–‘‘ଟଙ୍କା-’’ ‘‘ପଇସା-’’ ‘‘ଡାବୁ-’’ ‘‘ରୂପେୟା-’’

 

ଗହଳି ଛାଡ଼ି ଧରିଲା ଫାଙ୍କା ବାଟ । କେଡ଼େ ଚଞ୍ଚଳ ସହର ଲୁପ୍ତ ହୋଇଯାଇଛି ଅନ୍ଧାରି ଆକାଶ ତଳେ । କରକେ ଧନୁପରି ବାଙ୍କ ଧାଡ଼ିରେ ନାନା ସ୍ତରରେ ସହରର ଆଲୁଅ ଦିଆଲୀବତୀ ପରି ସଜାହୋଇ ରହିଛି, ତା’ ଉପରେ ଆକାଶରେ ହାଲୁକା ଧାସ । ଆଉ ତଳେ ଉପରେ ଚିହ୍ନା ଅନ୍ଧାର, ସବୁଠି ଯେମିତି ଏଠିବି ସେମିତି, ଆଦିମ ଅନ୍ଧାର, ଯେ କହେ ଶୋଇପଡ଼, ଦିନ ସରିଯାଇଛି, ଶୋଇପଡ଼, ଦେବି ଆଉଁସି ଆଉଁସି ସବୁ ଘୋଳାବଥା ଛଡ଼େଇ । ଚଳନ୍ତି ନକ୍ଷତ୍ର ପରି ତଳେ ବେଳେ ବେଳେ ଦିଶିଯାଉଛି ମଟରର ଆଲୁଅ ଉଡ଼ି ଚାଲିଯାଉଛି । ଜୁଳୁଜୁଳିଆ ପରି ସାଇକଲ ଆଉ ରିକ୍‌ସା ଆଲୁଅ ଦିଶୁଛି, ଅନ୍ଧାରରେ ପହଁରି ଚାଲିଯାଉଛି । ପଛରୁ ଅନ୍ଧାରରେ ସେହି ଜୁଳୁଜୁଳିଆ ଡାକ ପକାଉଥିଲା, ‘ବାବୁ, ରିକ୍‌ସା ?’’ ନା, ତା’ର ରିକ୍‌ସା ଦରକାର ନାହିଁ । ଜୁଳୁଜୁଳିଆ ଉଡ଼ିଗଲା । ପୁଣି ସେହି ନିଛାଟାଆ ବାଟ । ରାସ୍ତା କରରେ ଝଙ୍କାଗଛ ଅନ୍ଧାରର ମୂର୍ତ୍ତି ହୋଇ ଠିଆ ହୋଇଛନ୍ତି । ଏଠି ସେଠି ବସ୍ତିରେ ଆଲୁଅ ଜଳୁଛି । ପୁଣି ଅନ୍ଧାର । ପବନ ହେଲା, ଆସ୍ତେ ବଢ଼ି ଉଠିଲା ତା’ର ବେଗ । ଅନ୍ଧାରମୟ ଝଙ୍କାଗଛ ଦୋହଲିଲା, ପତ୍ରସବୁ ଏକାଠି ହୋଇ ଫୁସ୍‌ଫୁସ୍‌ କରି ଏକାଠି କଥାକହି ଲାଗିଲେ, ଯେପରି ଯେପରି ଗାଁ ମାଇପେ ଅନ୍ଧାରରେ ଏକାଠି ହୋଇ ବସି ଫୁସ୍‌ଫୁସ୍‌ କରି କାହାଘର କଥା କୁହାକୋହି ହେଉଛନ୍ତି । ଆପେ ଆପେ କାନ ଟଣକି ଉଠିଲା । କାନରେ ବାଜିଲା, ପାଖ ଗାଁରୁ ଝାଞ୍ଜ ମୃଦଙ୍ଗ ଶବ୍ଦ ଉଡ଼ି ଆସୁଛି । ଲାଗିଥିବ ସଂକୀର୍ତ୍ତନ । ସ୍ୱର ଶୁଭୁଛି, ଭାବରେ ମାତି ଉଠି ପାନଖିଆ ପାଟିରେ ପ୍ରକାଣ୍ଡ ଆଁ ମେଲିଦେଇ ବେକଶିରା ଫୁଲେଇ ଫୁଲେଇ ପରସ୍ପରଆଡ଼କୁ ମୁହଁ ଢଳେଇ ଅବଲୟ କରି ମେଲି ଦେଇଥିବେ ସ୍ୱର ସଂକୀର୍ତ୍ତନିଆମାନେ, ମହାଉତ୍ସାହରେ ମୃଦଙ୍ଗ ଉପରେ ଖଇ ଫୁଟୋଉଥିବେ, ତାଳିରେ ତାଳି ଠାଇ ଠାଇ । ଶୋକ ଅଭାବ ସମସ୍ୟାର କୂଳଠୁ, ଦୂରରେ ଭାବସମୁଦ୍ରରେ ଭାସୁଥିବ ଗାଁ ଗୋଠ ।

 

ଗାଁ-ଗାଁ-ସବୁଠି ତା’ର ସ୍ପର୍ଶ । ତା’ ଘର ପିଣ୍ଡା ଉପରୁ ବି ଦିଶୁଥିବ ଆକାଶର ଏଇ ତାରା-। ବୋଉ ବସି କଥା ଗପୁଥିବ । ବାପା ମାଳା ଗଡ଼ୋଉଥିବେ ।

 

ଆଉ ପାଟେଳି ଗାଁରେ ସେହି ଝଅଟି । ସେ ସତେକି ଏକ ସ୍ୱତନ୍ତ୍ର ସୃଷ୍ଟି । ଦୀର୍ଘନିଶ୍ୱାସ ପକାଇ ଆପଣା ମରମର ଦରୋଟି ଭାଷାରେ ସେ ବର୍ଣ୍ଣନା କରି ଲାଗିଲା । ପତ୍ରର ଫୁସ୍‌ଫୁସ୍‌ ତା’ର ମନକୁ ଦେଲା ନୂଆ ନୂଆ ସଂକେତ । ପ୍ରତୀକ୍ଷାର ଚମକ ଖେଳିଗଲା । ଅନ୍ଧାରୁଆ ନିଛାଟିଆ ବାଟରେ ଯାଉ ଯେପରି କି ସେ ଅପେକ୍ଷା କରି ରହିଛି ଦୂରର ଅଦେଖା ନଲ୍‌ଟଣ ଆଲୁଅକୁ, ଦେଖାପଡ଼ିବ ପରା ଏଇ ବାଙ୍କଟା ବୁଲିଗଲେ । ନ ହେଲେ ଆର ବାଙ୍କରେ । ଆପଣା ଜୀବନକୁ ତାହାରି ସଙ୍ଗେ ମିଶାଇଦେଇ ରବି ବାଟକୁ ମାପି ଚାଲିଲା ତା’ର ଖିଆଲି ତାହାରି ଭାବନାରେ ।

 

ବାଟକରରେ ଦଣ୍ଡେ ଅଟକିଗଲା । ପଲ୍ଲୀରୁ ଶୁଭୁଛି ଅନ୍ଧାରରେ ଖଞ୍ଜଣି ମେଳର ଛନ୍ଦ । ଯେପରି ଏକାଠି ହୋଇ କେଳା ଧୁଡ଼ୁକିଗୁଡ଼ିଏ ବାଜୁଛି । ଟପ ଟପ ହୋଇ ସଙ୍ଗୀତ ଝଡ଼ିପଡ଼ୁଛି ଆଉ ତାହାରି ତାଳେ ତାଳେ ଅଣାକାରଙ୍କ ଭଜନ । ବିନା ଆଡ଼ମ୍ୱରରେ ଜୀବନ ଆପଣାକୁ ମେଲେଇ ଦେଇଛି । ସେହି ସଙ୍ଗୀତରେ ବି ଜଳି ଲାଗିଛି ଜୀବନର ଅଖଣ୍ଡ ଦୀପ ପରମ ଜ୍ୟୋତି । କେତେ ଛଇ ଫୁଟାଇ, କେତେ ନାଟ ଦେଖାଇ ପ୍ରକୃତି ଖେଳି ଲାଗିଛି, କେତେ ରୂପ ଧରୁଛି, ସହସ୍ରଦଳ ପଦ୍ମ ଉପରେ ନିର୍ବିକାର ହୋଇ ହଂସ ଖେଳୁଛି । ସୃଷ୍ଟି ବିକଶୁଛି, ଘଟରୁ ଘଟାନ୍ତର ଘଟୁଛି, ଅଖଣ୍ଡ ଜଳୁଛି-। ବିତିଯାଇଛି କେତେ ସମୟ, କେତେ ସୁଖ ଦୁଃଖ କେତେ ଆୟୁଷ । ମେରୁଠୁ ବିଷୁବଯାକେ ଜୀବନର ଦୀପ ଜଳୁଛି ।

 

ପାଇବା ନ ପାଇବା ହାରିବା ଜିତିବାର ମୋହ ଏଡ଼ାଇ ସେ ଦୂରକୁ ଧ୍ୟାନ ଦେଲା, ଅନ୍ଧାରରେ ଚାଲିଲା ଶକ୍ତିର ସ୍ପୁଲିଙ୍ଗ ହୋଇ ଜୁଳୁଜୁଳିଆ, ସେ ବି । ଅନ୍ଧାରରେ ପବନ ବହିଲା । ଆକାଶରେ ତରା ଢାଙ୍କି ହୋଇଗଲେ କେଉଁଠି ଗୋଟିଏ ଗୋଟିଏ ମିଞ୍ଜି ମିଞ୍ଜି ହୋଇ । ରବି ତା’ର ଭବିଷ୍ୟତକୁ ରୂପ ଦେଇ ବସାକୁ ଲେଉଟିଲା । ଜୀବନକୁ ଉପଭୋଗ କରିବାର ନାନା ବାଟ ଦିଶୁଛି ଅନ୍ଧାରରେ ମିଞ୍ଜି ମିଞ୍ଜି ହୋଇ । କେଜାଣି କେତେଥର ମଣିଷ ଜନ୍ମ ହୋଇ କେତେ ଖେଳା କରି ପୁଣି ମୁକ୍ତ ହୋଇ ନୂଆ ବାଟ ଧରିଥିବ, ଆପଣାକୁ ପ୍ରକାଶ କରିଯାଇଥିବ, ରଖି ନାହିଁ, ନେଇ ନାହିଁ-। ଭାବନା ଭିତରେ ପୁଣି ସେ ଖଞ୍ଜଣି ମାଡ଼ । ଏଥର ଖେଳରେ ଆଗରେ ଦିଶୁଛି ମଣିଷ ମେଳା, ଅନ୍ଧାରି କଣରେ ଆଲୁଅ ଜାଳି ରଖିବାକୁ ହେବ, ଆଲୁଅର କାରିଗର ହେବ, ଆଉ ମଣିଷ ହୃଦୟର, କିପରି ତା’ ହୁଏ ? ଗଛର ପତ୍ର ପୁଣି ରାଉ ରାଉ ହୋଇ କଥା କହୁଛନ୍ତି ତୁହାଇ ତୁହାଇ, ସ୍ଥାନେ ସ୍ଥାନେ ଗଛ, ବୁଦା, ଢିପ, ଅନ୍ଧାରି ରୂପର ଅସ୍ପଷ୍ଟ ଆକାର ଦେଖାଇ ଠିଆ ହୋଇ ରହିଛନ୍ତି ।

 

ସେମାନଙ୍କର କାହାଣୀ ଅଛି ।

 

ସେହି କାହାଣୀ ତ ଶୁଣି ଶୁଣି ସେ ତା’ ଜୀବନକୁ ନୂଆ ବାଟରେ ମେଲି ଦେବାକୁ ସ୍ୱପ୍ନ ଦେଖିଛି । ପୁଣି ସେମାନେ ମୁଖର ହୋଇ ଉଠିଛନ୍ତି । ଜୀବନ ସରି ସରି ନାହିଁ, ପୁଣି ଲେଉଟ ପାଲଟ, ଜନ୍ମ-ପ୍ରଜନନ-ମୃତ୍ୟୁ, ଚକା ଚକା ଭଉଁରୀ, ଚାଲିଛି ପୁଣି ପୁଣି । ତାହାରି ଭିତରେ ପୁଣି ପୁଣି ସେ କାହାଣୀଉପରକୁ କୁଦାମାରି ରଥ ଅଶ୍ୱ ସମେତ ତଳକୁ ଦବି ଦବି ଯିବାର, ଆଉ ଅମେଣ୍ଟା ଆଶାର, ଅବିଭା ଭୋକ ଉପାସର, ନିପାଣିଆ ମରମ ମରୁର, ଯେଉଁଠି ସ୍ନେହ ଶୁଖିଯାଇଛି ।

 

କେଡ଼େ ଆଦରରେ ସୁଆଗିଆ ନାଁର ବିଶେଷଣ ଆଉ ଅଳଙ୍କାର ଗଢ଼ି ମଣିଷ ଯୁଗେ ଯୁଗେ ତା’ର ଆଶାକୁ ସଜେଇ ସୁଖ ପାଇଛି, ବଡ଼ ନାଁ-ଜୀବନ, ପୁଣି ସ୍ୱର୍ଗ, ସୁଖ, ମଧୁମୟ,-ଦୈନ୍ୟ ହିଂସା ଅବିଦ୍ୟା ଆଉ ସ୍ୱାର୍ଥର ନିଆ ଜଳି ଲାଗିଛି, ଗୋଟିଏ ଜନ୍ମର ଅଶାନ୍ତି ଶେଷ ହୋଇଛି ଦେହ ନିକ୍ଷେପରେ । ଫଟାମନ ଯୋଡ଼ିବାକୁ, ଫଟାକାନ୍ଥ ଦଢ କରିବାକୁ ଟିକିଏ ହେଲେ ପ୍ରଚେଷ୍ଟା-ଅନ୍ଧାର ଦୂର କରିବାକୁ ଗୋଟିଏ ହେଲେ ଟିକି ଦିଆସିଲିକାଠି-ଜୀବନରେ ଆନନ୍ଦ ପାଇବାକୁ ସେ ଏହି ବାଟ ବାଛିନେଇଛି । ସେହି ତା’ର ଅଲେଖା ଶପଥ ।

 

ରାତି ନଅଟା ପାଖ ହେବ । ବିପିନ ଘରପିଣ୍ଡାରେ ନଲଟଣ କମେଇ ଦେଇ ଅରଖିତିଆ ବସି ତାକୁ ଅପେକ୍ଷା କରିଛି । ଚଞ୍ଚଳ ହୋଇ ଉଠିପଡ଼ିଲା । ଅରତିଆ ହସ ହସ । ରୋଷେଇ ସରିଛି-। ଅରଖିତିଆ ବାଢ଼ିଦେଲା, ଖୁବ୍‌ ଯତ୍ନନେଇ ଖୁଆଇଲା । ଏପାଖ ଶୂନ୍‌ଶାନ୍‌ ପଡ଼ିଲାଣି । ଦୂରରୁ କଳ ଚାଲିଥିବାର ଶବ୍ଦ ଆସୁଛି । ଅରଖିତିଆ କତିରେ ବସି ଆପଣାର ଲୋକପରି ବଳେଇ ବଳେଇ ଖୁଆଉଛି । କେତେକଥା କହିଯାଉଛି । ଗାଁ, ତା’ ଘର, ବାପ ମା’, ଗାଁ’ର ନାଚ-ଦଳ ସେଠି ସେ ରାଧା ହୁଏ, ରାଣୀ ହୁଏ, ସେ ନ ଥିଲେ ନାଚ ଜମେ ନାହିଁ । ଗାଁ ଲୋକେ କେତେ କରି ବଳେଇ କହିଲେ, ଯା ନା ଅରଖିତ, ତୁ ଗଲେ ସଙ୍ଗୀତ ଆଖଡ଼ା ଭାଙ୍ଗିଯିବ । ରବିକୁ ସାକ୍ଷୀ ରଖି ସେ କହିଲା-ଗାଁରେ ସଙ୍ଗୀତ ବଢ଼େଇ କୁମ୍ଭାର ବି ଗାଁ’ରେ ବୃତ୍ତିକରି ବଞ୍ଚିପାରୁ ନାହାନ୍ତି ଯେ ବାରଦୁଆର ନ ବୁଲିଲେ ଅଚଳ-ମୂଲ ନ ଲାଗିଲେ କିଏ ଦେବ ? ଆଜିକାଲି କାଳରେ ଫେର୍‌ । ଗାଁ ନାଚ ଆଖଡ଼ା ଯେଡ଼େ ପ୍ରିୟ ହେଉ ତାକୁ ସେ ଛାଡ଼ି ଅଇଲା । ବିପିନ କହିଛି ଚପରାସି ଚାକିରିରେ ହେଊେ ରଖେଇ ଦେବ, ତେଣୁ ସେ ପଡ଼ିଛି । ବାବୁ କେଡ଼େ ଭଳଲୋକ । ଖାଇବାକୁ ଦେଇସାରି ହସି ହସି ଅରଖିତିଆ ଅନୁମତି ମାଗିଲା, ଠାଏ ଗୋଟିପୁଅ ନାଚ ହେଉଛି, ଦୁଇଘଣ୍ଟାପାଇଁ ସେ ଯାଇ ନାଚ ଦେଖିଆସିବ ।

 

ଅରଖିତିଆ ଗଲା । ଏଥର କେହି କୁଆଡ଼େ ନାହିଁ । ଗୋଟିକିଆ ଘରଟାରେ ସେ ଏକୁଟିଆ । ଆକାଶ ଅନ୍ଧାର, ମେଘ ଘୋଡ଼େଇଛି । ପବନ ଦେଉଛି । ଅଳ୍ପ ଦୂରରେ ଭଙ୍ଗାବସ୍ତିକୁ ସେ ନିଘାକଲା, ମିଟିମିଟି ହୋଇ ନଲ୍‌ଟନ କେଉଁଠି ଜଳୁଛି, ଦିଶୁଛି । ଏ ଘରେ ବିପିନର ରହଣିକୁ ମନେପକାଇଲା, ଏଡ଼େ ନିଛାଟିଆରେ ଗୋଟିକିଆ ହୋଇ ବିପିନ, ଗାଁରେ ତା’ର ପିଲାଏ । ଆଉ ମନେପକାଇଲା ସୁନାକୁ । ପୁଣି ସେହି ବସ୍ତିକୁ । ପବନର ସାଇଁ ସାଇଁ ସହିତ ଅନୁଭବ କଲା ଆପଣାଠି କ’ଣ ଗୋଟିଏ ଉତ୍ତେଜନା । ମନହେଉଛି କୁଆଡ଼େ ବୋଲି ସେ ଫିଟି ଚାଲିଯାଆନ୍ତା, ନ ହେଲେ କ’ଣ କିଛି ଭାଙ୍ଗନ୍ତା ତାଡ଼ନ୍ତା, ଝାଳ ବୁହାଇ ଶୀତଳ କରନ୍ତା ତା’ର ଭିତରର ତାତିକୁ । ଆଉ ହେଇ ତ ସେ ବନ୍ଧା ପଡ଼ିଛି, ଯେପରି କି ସହରକୁ ଆସିବାର ସମ୍ପୂର୍ଣ୍ଣ ଉଦ୍ଦେଶ୍ୟ, ଯେପରି କି ଅରଖିତିଆ ନାଟ ଦେଖିଯିବ ।

 

ଆଉ ସେ ଭାବିଲା, ଏମିତି ମଣିଷ ତୀର୍ଥ ଦେଖିବାକୁ ଆସି ମଠର ମହନ୍ତ ହୋଇ ସମ୍ପତ୍ତି ଜଗି ବସେ ।

 

ପିଣ୍ଡାରେ ବସି ଏଣୁ ତେଣୁ ଭାବୁଛି, ଧରାଧରି ହୋଇ ହସି ହସି କିଲିକାଲିଆ ହୋଇ କିଏ ଦି’ଜଣ ସ୍ତ୍ରୀଲୋକ ପିଣ୍ଡା ଉପରକୁ ଚଢ଼ି ଆସିଲେ । ଚିହ୍ନାପାଟିରେ ଶୁଭିଲା-

 

‘‘ଅରଖିତିଆ ଅଛି ?’’

 

‘‘ନାଇ ।’’

 

‘‘ଏକୁଟିଆ ବସିଚ ବାବୁ ? କେହି କୁଆଡ଼େ ଗୋଟିଏ ନାଇଁ । କେଡ଼େ ଅନ୍ଧାର ।’’ ତା’ର ସ୍ୱରରେ ଥଟ୍ଟା । ଆରକ ହସୁଛି ।

 

‘‘କିଏ ସୁନା କି ?’’

 

‘‘ଏତେବେଳେ କୁଆଡ଼େ ସୁନା ?’’

 

ସେପଟେ ଚାପିଲା ଚାପିଲା ହସ । ସୁନା ପାଖକୁ ଘୁଞ୍ଚି ଆସି କହିଲା, ‘‘ନୂଆବାବୁ ଆସିଛନ୍ତି । ଅରଖିତିଆ କ’ଣ ସୁଆଦିଆ ତରକାରି କରିଥିବ । ବଉଳ କହିଲା । ଚାଲ୍‌ ମାଗି ଆଣିବା-।’’

 

ବଉଳର ହସ ଯେମିତି କି ଚେଁ ଚେଁ ଚିତ୍‍କାର । ସୁନାର ମୁହଁ ମୁଖା ପରି, ଗୋଟିଏ ଠାଣି ବାନ୍ଧି ହୋଇ ରହିଛି ।’’

 

ସେମାନେ ଅପେକ୍ଷା କରିଛନ୍ତି । ଫୁସ୍‌ ଫୁସ୍‌ ହେଉଛିନ୍ତି । ହସାହସି ହେଉଛନ୍ତି । ତା’ର ଅନ୍ତର ଭିତରକୁ ରାତି ତତଲା ଆଙ୍ଗୁଠି ବଢ଼ାଇ ଦେଉଛି । ରବି ଠିଆ ହୋଇପଡ଼ିଲା । କହିଲା, ‘‘ଅରଖିତିଆ ନାଚ ଦେଖି ଯାଇଚି, ଅଇଲେ କହିଦେବି, କାଲିକି ତରକାରି କରି ରଖିଥିବ, ଦି’ପହରେ ଆସିଲେ ନେଇଯିବ । ଅଇଛା ଘରକୁ ଯା, ମୁଁ ଯାଉଚି ଶୋଇବି । କାଲିକି ଆସିବ–’’

 

ଘରେ ପଶି କବାଟ ବନ୍ଦ କଲାବେଳେ ଶୁଭିଲା କିଏ ପଦାରେ ଛିଗୁଲେଉଚି–

 

‘‘ଆଜି ତ ପେଟ ପୂରିଲା ନାହିଁ । ଆଉ ଖାଲି କାଲି–’’

 

ରବି କବାଟ କିଳି ଶୋଇଲା ।

 

ଅରଖିତିଆ ଶୁଣିଲା, ଯେପରି କି ସାଧାରଣ ଘଟନାଟାଏ । ହସିଦେଇ କହିଲା, ‘‘ସେମାନେ ସେମିତିଆ । କେତେଥର ନା’ ଏଇଥରକ ଖାଲି । ତରକାରି ମାଗି ଆସନ୍ତି, ଭାତ ମାଗି ଆସନ୍ତି, ଯେତେବେଳେ ଯାହା ଦରକାର ପଡ଼ିଲା ମାଡ଼ି ଆସିଲେ ଧାଇଁ ଗୁଡ଼ୁ ଗୁଡ଼ୁ । ବାବୁ ତ ଅତି ଭଲ, କହିଲେ ହୁରୁଡ଼ା ନା; ଅଛି ତ ଦେଇଦେ, ଗରିବଗୁରୁବା ଖାଆନ୍ତୁ । ସେଇଥି ପେଇଁକି ତାଙ୍କରି ସାହିରେ ଅଛୁଁ ତ, ସାଇପଡ଼ିଶା–’’

 

ସକାଳେ ସୁନା ଦେଖାପଡ଼ିଲା । ରାତିର ପାଗଳାମି ନାହିଁ । ରବି କହିଲା, ‘‘ଅରଖିତିଆକୁ କହିଦେଇଛି, ତରକାରି ନେଇଯିବୁ ।’’ ସୁନା କଥା ବଳେଇଲା ନାହିଁ । ମୁରୁକି ହସିଦେଇ ବାସନ ରଗଡ଼ିଲା । ଅରଖିତିଆ ଶୁଣିପାରି ଆସି କଥା ପକେଇଲା, ‘‘କ’ଣ ତରକାରି ମାଗି ଆସିଥିଲ, ହଇଲୋ ? ବାବୁତ କହୁଚନ୍ତି ରାତିରେ ଦେଖି ପକେଇ ଭେଟେଣା ହେଲେ । ସାକ୍ଷାତ୍‌ ପିଚାଶୁଣୀ, କ’ଣ ଗୋଟାଏ ? ଯୋଡ଼ାଏ ଯୋଡ଼ାଏ ।-’’ ସ୍ଥାନ ହସିଲା, କହିଲା, ‘‘ତୁ ତ ନ ଥିଲୁ, ନଇଲେ ଦେଖିଥାନ୍ତୁ ପିଚାଶୁଣୀ କି ଡାଆଣୀ । !’’

 

ରାତିରେ ଯାହା ମାଡ଼ି ମାଡ଼ି ପଡ଼ୁଥିଲା ସକାଳେ କୁଆଡ଼େ ହସରେ ଉଡ଼ିଗଲା । ରବି ଗଲା ଆପଣା କାମରେ । ଅରଖିତିଆ ଠିକଣା ବତେଇ ଦେଇଛି, ଭୁଲ ହେବ ନାହଁ ।

 

ପଶୁ ଡାକ୍ତରଖାନା । ଜୀର୍ଣ୍ଣଶୀର୍ଣ୍ଣ ବଳଦଟିଏ ଠିଆ ହୋଇଛି, ତା’ ଲୋକେ ହାତରେ ତା’ର ଦଉଡ଼ିଟି ଧରିଛନ୍ତି । ବେକ ଉପରେ ଘା । ପଛଆଡ଼େ ତରଳ ଝାଡ଼ା ବୋହିଯାଉଛି, ବାଁପାଖ ପଛଗୋଡ଼ବାଟେ ତଳକୁ ଧାର ଲାଗିଛି । ପୁଶୁ ଡାକ୍ତରବାବୁ ଚୌକିରେ ବସି ଗୋଟିଏ ମୋଟା ବହି ଖୋଲା ପକାଇ ଧ୍ୟାନରେ ବସିଲା ପରି ନିରେଖି ଦେଖୁଛନ୍ତି । ‘‘ନମସ୍କାର ।’’ ଏକାଠି ଧଳା ବାଳ, ଖଣ୍ଡା ନାକ ଆଉ ମୋଟା ଚଷମା ଝକ୍‌ କଲା, ‘‘ନମସ୍କାର; ସା ଦେବୀ ବରଦା ଭବେତ୍‍ । ବସନ୍ତୁ ବସନ୍ତୁ ।’’ ପଶୁ ଡାକ୍ତରବାବୁ ବୁଝେଇଲେ, ‘‘କୌଣସି କେଶ୍‌ ଧରିବାପୂର୍ବରୁ ଆପଣା ଜ୍ଞାନ ଉପରେ ନିର୍ଭର ନ କରି ପୋଥିକୁ ଆଚ୍ଛାକରି ପଚାରିବା ଉଚିତ । ଅନେକ ଭ୍ରମରୁ ରକ୍ଷା ମିଳେ । ଶୁଦ୍ଧ ସୂର୍ଯ୍ୟାଲୋକ ପରି ଜ୍ଞାନ ଉଦୟ ହୁଏ । ହେଇ ଦେଖନ୍ତୁ ଏ ଗୋଟିଏ କେଶ୍‌ । ଆପଣମାନେ ନବ୍ୟ ସଭ୍ୟମାନେ ହୁଏତ କହିବେ ଏଥିରେ ଏତେ ସମୟ ଦେବା ଦରକାର କ’ଣ ? ଝାଡ଼ା ହୋଇଛି, ପାନେ ଔଷଧ ଦେଇଦେଲେ ଝାଡ଼ା ବନ୍ଦ ହେବ । କିନ୍ତୁ ସେହି ପାନକ ମିଳିବ କେଉଁଠୁ ? ପାତ୍ର ଭେଦରେ ପ୍ରତି ରୋଗ ତା’ର ସ୍ୱତନ୍ତ୍ର ପ୍ରକ୍ରିୟା କରିଯାଏ । ଦେହଯାକ ଶହ ଶହ ଯନ୍ତ୍ର । ନ ଭାବି ନ ଚିନ୍ତି ଯାହାପାରି ତା’ ଦେଇଦେବା ଉଚିତ ନା ସ୍ୱତନ୍ତ୍ରଭାବେ ପରୀକ୍ଷା କରି ଭାବିଚିନ୍ତି ଅଗ୍ରସର ହେବା ଉଚିତ ? କେବଳ ପୋଥି ଦେଖିଲେ ବି ହେବ ନାହିଁ । ପୋଥିକୁ ଦେଖି ପଢ଼ି ରୋଗୀର ସବୁ ଚିହ୍ନବର୍ଣ୍ଣ ସଙ୍ଗେ ମିଳାଇ ତା’ପରେ ନକ୍ଷତ୍ର ତିଥି ପାଗଯୋଗ ସଙ୍ଗେ ମିଳାଇ ଭକ୍ତି ସହକାରେ ଦେବୀଙ୍କୁ ସ୍ମରଣ କରି ତାଙ୍କରି ଆଶୀର୍ବାଦ ମାଗିସାରି ପାନେ ଔଷଧ ଦେଲେ କାର୍ଯ୍ୟରେ ଆସିବ । ଧୈର୍ଯ୍ୟ ଦରକାର ଆଜ୍ଞା, ଧୈର୍ଯ୍ୟ ବଡ଼-’’।

 

ରବି ତା’ର ଧୈର୍ଯ୍ୟର ପରୀକ୍ଷା ନ ଦେଇ ସଙ୍ଗେ ସଙ୍ଗେ ତା’ର ଉଦ୍ଦେଶ୍ୟ ପ୍ରକାଶ କଲା । ସେ ଖବର ପାଇଛି କେତେଠି ଗୋରୁଙ୍କୁ ଫାଟୁଆ ହୋଇଛି । ଆଉ କେତେ ଗୋରୁଙ୍କଠି କେତେ ରୋଗ, ଡାକ୍ତରବାବୁ ଦୟାକରି ଥରେ ଯାଇପାରିଲେ ଭଲ ହୁଅନ୍ତା ।

 

ଡାକ୍ତରବାବୁ ଠିକଣା ଟିପି ନେଲେ । ଏହିପରି କେତେଆଡ଼ୁ କେତେ ଅନୁରୋଧ ଆସିଛି-। ଯାହା ପରେ ଯେଉଁଠାରେ ଖବର ମିଳିଲା, ସହି ଅନୁସାରେ ସେ ଟିପି ରଖିଛନ୍ତି ।

 

‘‘ସବୁଆଡ଼କୁ ଯିବାକୁ ପଡ଼ିବ ତ, ତେଣୁ ଯଦି ଟିକିଏ ଡେରି ହେବ ବିରକ୍ତ ହେବେ ନାହିଁ-। ଜଣିକିଆ ଲୋକ, ଜାଣନ୍ତି ତ ଏ ଦେଶରେ କେତେଟା ଗାଁକୁ ଗୋଟିଏ ପଶୁଡାକ୍ତର ?’’

 

ରବି ବୁଝିଲା । ବିଦାହୋଇ ଆସିଲା ।

 

ସହରର ଆରମୁଣ୍ଡରେ କୃଷିବିଭାଗର ଅଫିସ । କର୍ମୀମାନେ କାମରେ ଯାଇଛନ୍ତି । ଅଫିସ୍‌ ଅଛି । କାନ୍ଥରେ ମରାହୋଇଛି ଚାଷ ବିଷୟରେ ଅନେକ ଜାଣିବା ବିଷୟର ଛବି । ସାର, ବିହନ, ଚାଷ ଉପକରଣ ସବୁ ଅପେକ୍ଷା କରି ରହିଛି । ଜିନିଷ ଦେଖି ମୂଲ୍ୟ ଟିପି ନେଇ ସେ ଲେଉଟି ଚାଲିଲା ।

 

ଆଉ ଏକ ସ୍ଥାନରେ ସ୍ୱାସ୍ଥ୍ୟବିଭାଗର ଦପ୍ତର । ସେମାନେ ପ୍ରତିଶ୍ରୁତି ଦେଲେ, ଯାହା କରିବା ଦରକାର, ତା’ ସେମାନେ ଶୀଘ୍ର ବ୍ୟବସ୍ଥା କରିବେ ।

 

କିଣାକିଣି ଭିତରେ ବାପାଙ୍କପାଇଁ ଗୁଡ଼ାଖୁ ଓ ବଳଦଙ୍କପାଇଁ ଘଣ୍ଟି । ବଳଦ ଘଣ୍ଟି ତା’ର ଭାରି ସଉକ ।

 

ଦ୍ୱିପ୍ରହରେ ବସାକୁ ଫେରିଲା । ବିପିନର ଅନୁପସ୍ଥିତି ବେଳେ ତା’ ବସାରେ ଆତିଥ୍ୟ ବିଷୟରେ ଚିଠି ଲେଖି ରଖିଯାଇ ବାହାରୁ ଚାରିଟା ପାଖ ହେଲା । ତିନିଟା ବାଜିଲା ପରେ ହଠାତ୍‌ ମେଘ ଘୋଡ଼େଇଛି । ସବୁ ଥମ୍ୱିଲା ପରି । ବେଳୁବେଳ ମେଘ ବହଳ ହୋଇଆସୁଛି । ମେଘର ସୂଚନା ସଙ୍ଗେ ସଙ୍ଗେ ଆପଣା ଭିତର ଚଞ୍ଚଳ ହୋଇ ଉଠୁଛି । ଅରଖିତିଆ ଉପଦେଶ ଦେଲା, ଆଜିକ ରାତି ରହି କାଲି ସକାଳେ ଗଲେ ଭଲ ହେବ । ବାଟର ନିଶା ଓଟାରିଲା । ରବି ଆଶ୍ରା ଛାଡ଼ି ରାସ୍ତା ଧରିଲା ।

 

ତରତର ଘରମୁହାଁ । ବିପଦ ବେଢ଼େଇ ହୋଇ ଲାଗି ଲାଗି ଆସୁଛି, ହାତ ପାଆନ୍ତାରେ ହେଇ ତା’ର ଆଶ୍ରୟ, ସେ ବିଞ୍ଚିବାକୁ ଚାହେଁ । ଆଗ ଜୀବନ ।

 

ଥଏ ଧରି ଭାବିବା ଆଗରୁ ସେ ଦୌଡ଼ିବା ଆରମ୍ଭ କରିଦେଇଥିଲା । ବାରିଆଡ଼ ଟପି, ଭଙ୍ଗା ମୂଳଦୁଆ ଖୋଲା ଅଗଣା ପାରିହୋଇ ଏକାଥରକେ ଯାଇ ଦୁଆରେ । ଉଚିତ ଅନୁଚିତ ନ ଭାବୁଣୁ ଆପଣା ତଣ୍ଟିରୁ ସ୍ୱର ବାହାରିଥିଲା, ତିନିଟା ପ୍ରବଳ ରଡ଼ି-‘‘କିଏ ଅଛି ?’’

 

କୁକୁରଟାଏ ଭୁକିଲା, ସାମ୍ନା ଘର ଧାଉଡ଼ିକରୁ ଗୋଟିଏ ବଖରାର କବାଟ ଫିଟିଗଲା । ଗୋଟିଏ ହାତରେ ଗୋଟିଏ ବହି ଆର ହାତରେ ଗୋଟିଏ ନଲ୍‌ଟଣ ଟେକିଧରି ପିଣ୍ଡାରେ ଠିଆହୋଇ ସିନ୍ଧୁ ଚୌଧୁରି ଅନ୍ଧାରକୁ ଡାକ ପକାଇଲେ, ‘‘କିଏ ସେ ସେଠି ?’’

 

ଏଥର ଲାଜରେ ତା’ର ଗୋଡ଼ଠୁ ଅବଶ ହୋଇଗଲା, ଇଚ୍ଛା ହେଲା ମିଳେଇ ଯାଆନ୍ତା ଏଇ ଅନ୍ଧାର ଆଉ ବର୍ଷାରେ, କିଛି ନ କହି ମୁଣ୍ଡଭାଙ୍ଗି ଖୁଣ୍ଟପରି ଠିଆ ହୋଇ ରହିଲା । ସିନ୍ଧୁ ଚୌଧୁରି ପଖିଆ ମୁଣ୍ଡେଇ ଆଗକୁ ଆସୁଛନ୍ତି, କହିଲେ, ‘‘କିଏ ସେ ସେଠିଟାରେ ବର୍ଷାରେ ତିନ୍ତୁଛ ? ପିଣ୍ଡାକୁ ଆସ ।’’

 

ହାଣକୁ ନେଲାପରି ତାଙ୍କ ଦୃଷ୍ଟିରେ ଓଟରାହୋଇ ରବି ପିଣ୍ଡାକୁ ଉଠିଗଲା, ଦେହ ଶୀତେଇ ଉଠୁଥାଏ । କେବେ ଦେଖି ନାହିଁ । ଅନୁମାନ କଲା, ଏ ସିନ୍ଧୁ ଚୌଧୁରି ।

 

କହିଲେ, ‘‘ଓଃ ! ଜୁଡ଼ୁବୁଡ଼ୁ ହୋଇଯାଇଛ ଯେ । ଏ ଯୋଉ ଅଦିନିଆ ବରଷା, ହାବୁଡ଼ିଗଲେ ଅବସ୍ଥା ସାରିଦେବ ।’’

 

ପିଣ୍ଡା ଦାଢ଼ରେ ଠିଆହୋଇ ରବି ଲୁଗା ଚୁପୁଡ଼ୁଥାଏ । ନିଘା କଲା, ଘର ଦୁଆରମୁଁହରେ ଅଧଆଉଜା କବାଟ ଫାଙ୍କରେ ଦିଶିଲାଣି, ଛବିବୋଉ ଠିଆ ହୋଇଛନ୍ତି, ତାଙ୍କ କାନ୍ଧପାଖେ ଆଉ ଗୋଟିଏ ମୂର୍ତ୍ତି ଉଙ୍କି ମାରୁଛି, ସେ ଛବି ।

 

ରବି ଲାଜରେ ସଢ଼ିଗଲା । ଛବି ବୋଉ ଆଗକୁ ଆସିଲେ । ପଚାରିଲେ, ‘‘କିଏ ବା ତୁମେ ?’’ ସିନ୍ଧୁ ଚୌଧୁରି ଗାମୁଛା ବଢ଼େଇ ଦେଲେ, ‘‘କହିଲେ, ପୋଛିହୁଅ, ପୋଛିହୁଅ-।’’

 

ହଠାତ୍‌ଛବିବୋଉ ଚିହ୍ନିପାରିଲେ, ପାଟି ଆଁ ହୋଇ ଖସି ପଡ଼ି ବୁଜି ହେଲା ।

 

ଗୋଟିଏ ସ୍ୱର ଥରେ,–“ତୁମେ !’’

 

ସେତିକିରେ କେତେକଥା । ମୁଣ୍ଡ ଉପରକୁ ଓଢ଼ଣା ଟାଣିଦେଲେ ।

 

ପଦାରେ ଯାଦୁକର ସୃଷ୍ଟି କରୁଛି ଅଦିନିଆଁ ବର୍ଷା ସହିତ କଳା କିଟି କିଟି ରାତି । ଭିତରେ ତା’ର ବାହାର ସହିତ ଯୋଗସୂତ୍ର ଲଗାଇ ଏଭଳି ଯୋଗ ଖଞ୍ଜିଦେଇଛି ଯେପରିକି ବର୍ଷା ବଢ଼ିଲାସରିକି ଅନ୍ଧାର ପଡ଼ିଲାବେଳକୁ ସେ ଠିକ୍‌ ଆସି ହୋଇଥିବ ପାଟେଳି ଗାଁ ମୁଣ୍ଡରେ । ଭାବିଲାପରି ହୋଇ ବାଟ ନ ଚାଲି ମାଡ଼ି ଆସୁଥିଲା ହାଲୁକା ଅସରା ମୁହଁପଟେ ବାଁପାଖେ ଫାଙ୍କା ନଈର ଛଇ ଡାହାଣେ ମିଞ୍ଜିମିଞ୍ଜି ଆଲୁଅରେ ଖୋଲା କ୍ଷେତର ଦୃଶ୍ୟ ନ ଦେଖି ଯଦି ସେ ତରତର ହୋଇ ଚାଲିବାକୁ ମନେକରିଥାନ୍ତା, ତେବେ ପାଟେଳି ଗାଁ ଟପି କାହିଁ ହୁଅନ୍ତାଣି ସେ । ନ ହେଲେ ସେ ସହରରୁ ଆଦୌ ବାହାରିନଥାନ୍ତା ଗୁରୁବାର, ବାରବେଳା, ଯାତ୍ରାମୁହଁରେ ଯୋଗିନୀ । ଏକା ବାପା ମାନନ୍ତି, ଗାଁଲୋକେ ମାନନ୍ତି ସେତିକି ନୁହେଁ, ସେ ବି ଭାବେ ଗାଁର ପୁରୁଣା ବିଶ୍ୱାସ ପ୍ରକୃତ ସତ୍ୟ ଉପରେ ପ୍ରତିଷ୍ଠିତ, ଅଭିଜ୍ଞତାରେ ସୁପରୀକ୍ଷିତ ।

 

ନିଘା କରିନଥିଲା କ’ଣ ସେ ? ପଞ୍ଝା ପଞ୍ଝା ଘରଚଟିଆ ଧୂଳି ଗାଧୋଉଥିଲେ । ଗଛରେ ବଣି ବସାରେ ଚହଳ ପଡ଼ିଥିଲା ଢମଣା ସାପ ଗଛରେ ଚଢ଼ିଥିଲା ବୋଲି । ସଞ୍ଜଗାଧୁଆ ପରେ ମଇଁଷି ଦେହରେ ହାତ ମାରିଥିଲେ ଜାଣିଥାନ୍ତା, ମଇଁଷି ଦେହ ଉଷୁମ୍‌ ।

 

ତଥାପି ଜାଣିଶୁଣି ସେ ଆସିଥିଲା ।

 

ରାଉ ରାଉ ତୋଫାନରେ ତୁହାକୁ ତୁହା ଚଟକଣା ପିଟିଲା ପରି ଯେତେବେଳେ ବର୍ଷା ଗାଳିଲା, ଅନ୍ଧାରରେ ସବୁ ଲୁଚିଗଲା, ସେତେବେଳେ ନଈୟବନ୍ଧ ଉପରେ ଖସଡ଼ା ବଟରେ ଏକୁଟିଆ ଚାଲିଥିଲା ସେ । ଆଗରେ ହେଇ ତାଙ୍କ ଘର, ଭରସା ନାହିଁ ଆଉ ସେ ଆଗକୁ ଯାଇପାରିବ ।

 

ପବନରେ ମେଘର ଝାପ୍‌ଟା ହାବୁକା ମାରି ଯେପରି କି ତଳକୁ ଗଡ଼ାଇ ଦେଉଛି, ନ ସମ୍ଭାଳିଲେ ଆଣ୍ଠୁଗଣ୍ଠି ଛିଣ୍ଡିଯିବ । ଅନ୍ଧାର ଉପରେ ଅନ୍ଧାର ଲଦି ହେଇପଡ଼ୁଛି, ମଝିରେ ଚଡ଼ ଚଡ଼ ଢାଇକରି ଘଡ଼ ଘଡ଼ି ମାରିଦେଉଛି । ଲାଗୁଛି ସତେ ଅବା ପଡ଼ିଗଲା ଏହି ସାମ୍ନାରେ । ଏପରି ପାଗରେ ଗଛ ଉପୁଡ଼ି ପଡ଼େ, ଗଛ ମୂଳ ନିରାପଦ ନୁହେଁ । ରବି ଭାବିଲା । ସିନ୍ଧୁ ଚୌଧୁରୀଙ୍କ ଘରପାଖେ ଠିଆ ହୋଇ ରବିର ଜୀବନ ଉପରେ ମାୟା ବହକି ପଡ଼ିଲା, ଆଉ ମାଡ଼ି ପଡ଼ିଲାପରି ଲାଗିଲା ସବୁଯାକ ବିପଦ । ଆପଣାକୁ ବୁଝାଇଲା–ଏଭଳି ପାଗରେ ନିୟମ ନାହିଁ, ଶିଷ୍ଟାଚାର ନାହିଁ, ଆଗ ଦରକାର ଆପଣାକୁ ନିରାପଦରେ ରଖିବ । ।

 

ବିଜୁଳି ମୁରୁକିହସା ଦେଲା । କୁଟିଳ ଚାଇଁ ହସରେ ସତେ କି ଝଡ଼ି ଅନ୍ଧାରର ସେହି ଭୀଷଣ ପାଗ ମୁହୁର୍ତ୍ତ ମୁହୂର୍ତ୍ତକେ ଆପଣା ଚରିତ୍ର ଆଉ ଉଦ୍ଦେଶ୍ୟ ପ୍ରକାଶ କଲା-ସେ ନିର୍ମମ, ତା’ର ଉପରୋଧ ନାହିଁ । ସେ ଠାବ ଦେବ ନାହିଁ । ଗାଉଁ ଗାଉଁ ପବନର ଝଙ୍କାରେ ଝଙ୍କାରେ ମନ ଭିତରେ ଚିତ୍‌କାର କଲା ଜନ୍ତୁର ଆଦିମ ଆକାଙ୍‌କ୍ଷା । କାଠ ପରି ଠିଆ ହୋଇ ରହିଲେ, ଆଉ ପଦେ ବି କଥା ନାହିଁ । ସିନ୍ଧୁ ଚୌଧୁରି କାବାହୋଇ ରହଲେ । ରବି ଦେହକୁ ପଥର କରି ଖାଲି ଲୁଗା ଚୁପୁଡ଼ିବାରେ ଲାଗିଛି । କ’ଣ ଘଟିଯାଉଛି, କ’ଣ ନ ଘଟୁଛି, ସତେ ଯେପରି କି ତା’ର ଆଉ ସେ ଚେତନା ନାହିଁ । ଛବିବୋଉ ଧୀରେ ଧୀରେ ଭିତରକୁ ଚାଲିଗଲେ । କହିଲେ, ‘‘ଚାଲ୍‌ ଲୋ ଓଲି, କ’ଣ ଠିଆଟା ହୋଇ ଅନେଇଚୁ ।’’

 

ଏଥର ରବି କୈଫିୟତ୍‌ ଦେଲା । ତତଲା ଟଳଟଳ ତା’ର ଭାଷା, ତା’ର ଅବସ୍ଥାକୁ ସହଜ କରିଦେଇ ସହାନୁଭୂତିରେ ମୁଣ୍ଡ ହଲେଇ ହଲେଇ ସିନ୍ଧୁ ଚୌଧୁରି କହିଲେ, ‘‘ଏମିତି କେତେଥର ଘଟେ, ଖୁବ୍‌ ଭଲ କଲ ଏଠିକି ଚାଲିଆସିଲ, ପାଖରେ ଘର ଥାଉଁ ଥାଉଁ ଜାଣିଶୁଣି ମଣିଷ ଆପଣା ଜୀବନକୁ ବିପଦରେ ପକାଇବ କାହିଁକି ?’’ କହିଲେ, ‘‘ହଇଏ, ତମେ କୁଆଡ଼େ ଚାଲିଗଲ ? ମୋ ଲୁଗାଟା ଚାଦରଟା ଟିକିଏ ବଢ଼େଇ ଦିଅନ୍ତ ନାଇଁ, ସେ ବଦଳି ପକେଇବେ ? ଆଃ ବିଚରା ଜୁଡ଼ୁବୁଡ଼ୁ-। ଉହ୍ମେଇରେ ନିଆଁ ଟିକିଏ ଦେଲେ ଭଲ ହୁଅନ୍ତା, ସେକି ହେଇ ପଡ଼ନ୍ତେ ।’’

 

ଦୁଆର ମୁହଁବାଟେ ହାତଟିଏ ପଦାକୁ ବାହାରିଲା, ଛବିବୋଉ ଲୁଗା ଚାଦର ବଢ଼େଇ ଦେଲେ । ବର୍ଷାର ରାଆ ହଠାତ୍‌ ନିଃଶବ୍ଦ ପଡ଼ିଗଲା । ରବି ଆତୁର ହୋଇ ଜଣାଇଲା, ‘‘ବର୍ଷା ସରିଲା, ଯାଏଁ ମୁଁ ଏଥର, ଯାଉଚି–’’

 

‘‘ପାଗଳ ନା କ’ଣ ? ଏ ରାତିରେ କିଏ ପିଣ୍ଡାରୁ ଗୋଡ଼ କାଡ଼େ ? ଆସ ଭିତରକୁ ଯିବା-। ଏଗୁଡ଼ା ଥାଉ କାଲି ଶୁଖିବ । ହେଇ ଦେଖ, ଫେର୍‌ କେମିତି ଆସିଲା । ଆସ ।’’

 

ଆଗେ ଆଗେ ସେ ତାଙ୍କ ଶୋଇବା ବଖରାକୁ ଚାଲିଗଲେ । ଡାକିଲେ, ‘‘ଆସ–’’

 

ଫେର୍‌ ବଡ଼ ଅସରା । ରବି ତା’ର ଅପ୍ରାକୃତ ଅବସ୍ଥାକୁ ଆଦରି ନେଲା । ପଦାରେ ଅନ୍ଧାର, ବରଷା । ଘର ସାମାନାରେ ଅରାଏ ନଲ୍‌ଟଣ-ଆଲୁଅ । ଅନ୍ଧାରରେ ଭାସନ୍ତା ଜୀବନ ପରି ଗୋଟିଏ ଭାସିଲା ଆଲୁଅର ଛୋଟ ଦ୍ୱୀପ, ଏକାଠି ଗୁନ୍ଥାଗୁନ୍ଥି ଗୋଟିଏ ସଂସାର । ତା’ ମଝିରେ ସେ ବି ଜଣେ । ଟିକିଏ ଅଟକିଗଲା । ଅନୁଭବ କଲା, ଝମକା ବରଷାରେ ଯେପରି କି ରୁନ୍ଧି ରଖା କାନ୍ଦଣା ଶୁଭୁଛି, ଅଜାଡ଼ି ହୋଇଯାଉଛି ମନର ସବୁ ଓରମାଣ । ସେ ଘର ଦୁଆରମୁହଁରୁ ସିନ୍ଧୁ ଚୌଧୁରି ସ୍ନେହରେ ଡାକୁଚନ୍ତି-‘‘ଆସ’’ । ମଣିଷ ଘର ଚାଳତଳର ଉଷୁମ୍‌ ଆତିଥ୍ୟ ତା’ପାଇଁ ମେଲା ହୋଇରହିଛି ଉଦାର ମାନବିକତାର ସଂକେତ ଘେନି ।

 

ଚୁପ୍‌ଚାପ୍‌ ହୋଇ ନଲ୍‌ଟଣ ଜଳି ଲାଗିଛି । ସିନ୍ଧୁ ଚୌଧୁରି ଚେକା ପକାଇ ବସି ଖୋଲା ହୋଇ ପଡ଼ିଥିବା ଭାଗବତ ପୋଥି ଉପରେ ନଇଁ ପଡ଼ିଛନ୍ତି, ଆଖି ତଳକୁ । ମୁହଁରେ ଥମ୍ୱିଲା ଥମ୍ୱିଲା ନିବିଷ୍ଟ ଭାବ । ନଲ୍‌ଟଣ ଆଲୁଅ ସେ ମୁହଁ ଉପରେ ବିଛେଇ ହୋଇପଡ଼ିଛି ଯେପରି କି ଜହ୍ନଆଲୁଅ ପଡ଼ି ରହେ ଦୂରରେ କ୍ଷେତ ପଡ଼ିଆ ଉପରେ । ରବି ଦେଖିଲା, ସ୍ତବ୍‌ଧ ଶାନ୍ତ ଭଙ୍ଗୀରେ ମିଶିଯାଇଛି ରହସ୍ୟର ଛଇ, ସେ ବିସ୍ମୟ ଭେଦକରି ହେଉ ନାହିଁ । ପଦାରେ ମେଘ ଅନ୍ଧାର ଦୁଲୁକୁଛି, ଅନ୍ୟ ବଖରାରେ କେଉଁଠି କ’ଣ କାମ ଲାଗିଛି ଅନୁଭବ କରିହେଉଛି; କିନ୍ତୁ ଏ ଘରେ ପୋଥି ଆଗରେ ନିଶ୍ଚଳ ହୋଇ ଧ୍ୟାନରେ ବସିଲା ପରି ସେ ମଣିଷଟି ଆଉ ଦେଖିବାକୁ, ଭାବିବାକୁ ଧନ୍ଦିହେବାକୁ ସେ ନିଜେ ।

 

ସେହି ସ୍ତବ୍‌ଧ ମୁହଁ ଉପରେ ସେ ଆପଣାର ଭାବନାକୁ ଖଞ୍ଜି ଦେଇ ପଡ଼ିଗଲା, ଏହି ମର୍ଯ୍ୟାଦାମନ୍ତ ଶ୍ରୀମନ୍ତ ଛବି, ଏଇ ବିଶିଷ୍ଟ ଗଠନ ଯେପରି କି ଏ ଓସାର କପାଳ, ଭ୍ରୁଲତାର ଏ ବାଙ୍କ, ଏଇ ଉଞ୍ଚ ନାକଦଣ୍ଡା ଆଉ ତା’ ଉପରର ତୀଖ ଗାର, ଥୋମଣିର ଦାଢ଼ି ସଙ୍ଗେ ସମକୋଣୀ ଭଙ୍ଗିରେ ଗାଲର ସଳଖପଣ, ସବୁରି ଉପରେ ଏହି ଭାବ ଯାହା କେବଳ ଦେଉଳର ପ୍ରାଚୀନ ମୂର୍ତ୍ତିରେହିଁ କେବେ କେବେ ଦେଖିବାକୁ ମିଳେ । କ’ଣପାଇଁ ମଣିଷ ଏପରି ଆତ୍ମସ୍ଥ ହୋଇଯାଇପାରେ ? ପରମ ସମ୍ଭ୍ରମ ସହକାରେ ରବି ସେହି କଥାହିଁ ମନେ ମନେ ଭାବିଲାଗିଲା । ଭାଗବତ ତ ସେ ନିଜେ ବି ପଢ଼େ, ପୁରୁଷ ପୁରୁଷ ଜୀବନ ବିତେଇ ଦେଇ ସବୁକଥା ଅଙ୍ଗେ ନିଭେଇସାରି କମେତି ଚଳିଲେ ମଣିଷ ଆପଣା ଜୀବନକୁ ଠିକଣା ବାଟରେ କଟେଇପାରିବ, ସେହିକଥା ସେଥିରେ ନାନା ଉପଲକ୍ଷ ଦେଇ ବୁଝେଇ ବୁଝେଇ ଲେଖା ହୋଇଛି । ତା’ରି ନାଁ ଧର୍ମ, ସବୁ ଉପାୟର ଗଣ୍ଠି ସ୍ରଷ୍ଟା, ନିୟନ୍ତା ସେହି ଭଗବାନ । କିନ୍ତୁ ଭାଗବତ ପଢ଼ିଲାବେଳେ ଏ ମୁହଁର ଯେଉଁ ଛବି ଦିଶୁଛି, ସେଥିରୁ ଜଣାପଡ଼ୁଛି କେବଳ ନୀତି କି ସୂତ୍ରରେ ସୀମିତ ହୋଇ ରହୁନାହିଁ ଏ ମନ । ଏ ଯେପରି କି ସେହି ପୁରୁଣା ପୁଷ୍ଠାରେ ଗୋଟିଏ ସମ୍ପୂର୍ଣ୍ଣ ସୃଷ୍ଟିକୁ ଦେଖୁଚି, ବାହାରଆଡ଼ୁ ଚିତ୍ତବୃତ୍ତିକୁ ଓଟାରିନେଇ ସେଥିରେ ନିଜକୁ ଖେଳେଇ ଦେଉଛି, ଯେପରି କି ତା’ ବାହାରେ ୟେ ଲୋକର କିଛି ଆବଶ୍ୟକ ନାହିଁ ।

 

ସେ ନିଜେ ଏ ଘରେ ଏ ବରଷା ଅନ୍ଧାର ଦାଉରୁ ଆତିଥ୍ୟ ପାଇଛି । ପାଖରେ ବସି ଆରକ ତା’ଠାରୁ ବହୁତ ଦୂରରେ । ତା’ର ମନକୁ କେଉଁଥିରେ ହେଲେ ଯୋଖିବା କି ଚଳେଇବା ଦାୟିତ୍ୱ ତା’ର । ସବୁ ଏକା ଏକା, ଏଥିରେ କେହି ତାକୁ ସାହାଯ୍ୟ କରିବେ ନାହିଁ । ଅବସ୍ଥାରସ୍ୱରୂପ ବୁଝିବାକୁ ଚେଷ୍ଟାକଲା । ସିନ୍ଧୁ ଚୌଧୁରିଙ୍କ ଅନାସକ୍ତ ଅବସ୍ଥା ତାକୁ ଭାବିବାକୁ ସାହାସ ଦେଲା, ଅନ୍ତତଃ ସିଧାସଳଖେ ବିବ୍ରତ ହେଲାଭଳି କିଛି ନାହିଁ, ସବୁ ଚୁପ୍‌ଚାପ୍‍ ।

 

କିନ୍ତୁ ଏଇ ବରଷାର ଘୁମୁରା ଶବ୍ଦର ପଟ୍ଟ ଭୂମିରେ ସେ ଭାବି ଲାଗିଲା, ତାକୁହିଁ ମିଛିରେ ଗୋଟିଏ କରି, ଘର ବିଷୟରେ ଏତେକଥା ଉଠାଇ ଲୋକେ ହଟା କରିଛନ୍ତି, ହୁଏତ ମିଛର ମିଛପଣ ପ୍ରମାଣ କରାଇବାପାଇଁ ତା’ର ଏଠା ଛାଇ ମାଡ଼ିବା ଉଚିତ ହୁଅନ୍ତା ନାହିଁ ଅଥଚ ଯୋଗ ଏପରି ପୁଣି ସେ ଏଠିକି ଆସିଛି-ଏତେ ହୋ ଉଠି ସାରିଲା ପରେ ।

 

ପୁଣି କ’ଣ ହୋ ଉଠିବ ? କି ବିକୃତ କୁତ୍ସିତ ବ୍ୟାଖ୍ୟାନ ହେବ ? ଗାଁ ଗୋହରିଗତ, ବାପା ଶୁଣି କ’ଣ କହିବେ ? ଅଜାଣତରେ ହେଉ, ଅକାରଣରେ ହେଉ, ତା’ରି ନାଁରେ ଯୋଡ଼ି ଯୋଡ଼ି କଥା ଉଠାଇ ଗୋଟାଏ ନିରୀହ ପରିବାରର ଅନିଷ୍ଟ କରାହେଉଛି । ତା’ ବିଷୟରେ କ’ଣ ଭାବୁଥିବେ ସେମାନେ ? ଅନ୍ତତଃ ସେ-ସେ କ’ଣ ଭାବୁଥିବ ! କେଉଠି ଥିବ ସେ ?

 

ଏପାଖେ ପୋଥିପଡ଼ା ଲାଗିଛି, ସେହି ଧ୍ୟାନସ୍ଥ ଭାବ । କାନପାରି ଅନ୍ୟପଟର ଶବ୍ଦ ବାରିବାକୁ ସେ ଚେଷ୍ଟାକଲା । ମନେ ମନେ ରୂପ ଆଙ୍କି ହେଲା । ସେହି ରୂପରେ ସେ ସଂଯୋଗ କଲା ଭଙ୍ଗୀ । କାନେଇଲା, କିଛି ଶବ୍ଦ ନାହିଁ । ଏକୁଟିଆ ବସି ବସି ବନ୍ଧନରେ ପଡ଼ିଲା ପରି ଲାଗିଲା-। ଭାବିଲା, ସିନ୍ଧୁ ଚୌଧୁରିଙ୍କର ଏ ଯେଉଁ ଉଦାସଭଙ୍ଗୀ, କିଏ କହିପାରିବ ହୁଏତ ତାହାର ଉଢ଼ୁଆଳରେ ସେ ତାକୁହିଁ କଳି ସାରିଥିବେ, ଭାବିଥିବେ, ଏଇ ସେଇ ଲୋକଟା, ଯାହାପାଇଁ ବିନା କାରଣରେ ଏତେ ଅପବାଦ, ଏତେ କ୍ଷତି-କିଏ କହିପାରିବ ?

 

ଛବିର ବୋଉ ଆସୁ ନାହିଁ, ଛବି ତ ଆସନ୍ତାହିଁ ନାହିଁ । ମନ ଭିତରେ ବାଧାପାଇ ଯେପରି କି ସେ ମନେ ମନେ ସମାଜ ସଂସାରକ ହୋଇଯାଇଛି । ଭାବିଲା, ବ୍ୟବହାର ମଝିରେ ଏ କାନ୍ଥ ବଡ଼, ଛନ୍ଦର କ୍ରମ ମଝିରେ ସ୍ଥାନେ ସ୍ଥାରେ ପାଚେରୀ, ମଣିଷ ସଂସାର ଗଢ଼ିଛି କ’ଣ ଆପଣାକୁ ସୁଖ ଦେବାକୁ ନା ଦୁଃଖ ଦେବାକୁ ! ଜୀବନର ସଞ୍ଜ ମଉଳିଯିବ, ରାତି ପାହି ଦେଖାଦେବ ସିନ୍ଦୂର, ଖାଲି ପଡ଼ି ରହିବ ପାନ୍ଥଶାଳା ଆଗରେ ଟାଆଁସିଆ ଝୋଲାମରା ବାଟ । ଚକ ଗଡ଼ି ଚାଲିବ । କ’ଣ ତା’ପରେ ? ସମୟ ସୁଯୋଗ ଝଡ଼ିପଡ଼ିଥିବ ଅପନ୍ତରାରେ ।

 

ମୁହଁ ବୁଲେଇ ନେଇ ଦେଖିଲା, ଭାଗବତ ପୋଥିକୁ ଅନାଇଁ ସିନ୍ଧୁ ଚୌଧୁରି ନୀରବରେ ହସୁଛନ୍ତି ।

 

ଛାତିରେ ଛୁରୀର ଅଗ ଭୁଷିଲା ପରି ଚୋଟ ମାରିଲା ସେ ହସ । ହସୁଛନ୍ତି । କାହିଁକି ? ସେ କ’ଣ ତାକୁହିଁ ବିଦ୍ରୁପ, ଯେପରି କି ତା’ର ଦମ୍ଭନାହିଁ, ଆଣ୍ଟନାହିଁ, ସେ କେବଳ ଏକ କାଙ୍ଗାଳ ଭିକାରୀ, ଝଡ଼ି ବରଷାରେ ଅନ୍ଧାର ରାତିରେ ଫଟାଥାଳ ଧରି ବଳେ ବଳେ ଶରଣ ପଶିଚି ଆସି ଭିକାରୀ ।

 

ସିନ୍ଧୁ ଚୌଧୁରି ହସୁଛନ୍ତି । ନା, ଯେମିତି ଆସିଥିଲା ସେମିତି ସେ ହସ ନିଶ୍ଚିହ୍ନ ହୋଇଗଲାଣି । ଆହୁରି ପୃଷ୍ଠାଟିଏ ଲେଉଟିଲା । ତା’ ଆଡ଼କୁ ତାଙ୍କର ଦୃଷ୍ଟି ନାହିଁ ।

 

ଉଦାସ ହୋଇ ବରଷା ଆଡ଼କୁ ଚାହିଁ ଚାହିଁ ଭାବିଲା । ସେହି ମାଟିଚାଳ ଘରର ନିଭୃତ କୋଣ ଭିତରୁ ପୁରୁଣା ଭାଗବତର ଉଦାସପଣ ବାହାରି ଯେପରିକି ପଦାରେ ଛାଇ ହୋଇଯାଇଛି । ସେ କାମନାକୁ ଉପହାସ କରୁଛି । ମଣିଷ ଯାହା ପାଇବାପାଇଁ କାହା ପଛରେ ଗୋଡ଼ାଏ । ସବୁ କଥାକୁ ତୁଚ୍ଛ କରିଦେଇ ତଥାପି କହେ ଜୀବନ ବଡ଼, ଜୀବନ ସୁନ୍ଦର, ଚିରନ୍ତନ, କହେ ସେହି କାରଣରୁ ସ୍ୱର୍ଗର ଦେବତା ନରଦେହ ଧରି ମର୍ତ୍ତପୁରରେ ଜନ୍ମ ହୁଅନ୍ତି ।

 

ଉଦାସ ବୈରାଗ୍ୟରେ ବରଷା ଅନ୍ଧାରକୁ ଚାହିଁ ରବି ଭାବିଲା, ସବୁ ତା’ର ମନେ ମନେ ଘଟୁଛି, ପଦାରେ କାହିଁ ? ରାତି ହେବଣି ନଅଟା ସେପଟେ, ସେ ଖାଲି ବସିଛି, ସେହିପରି ବସିରହିଛି ।

 

ପୁଣି ବରଷାରେ ମନ ଲଗାଇଲା । ବରଷା ରାଉ ରାଉ ନୁହେଁ, ଝିପିରି ଝିପିରି । ଚାରିଘଣ୍ଟା ଅନବରତ ବରଷା ଫଳରେ ସବୁ ତିନ୍ତିବୁଡ଼ି ଓଦା କାଉନ୍ଦା ହୋଇଯାଇଛି । କାଲୁଆ ପବନ, ସନ୍ତସନ୍ତିଆ ପାଗ । ରହିରହିକା ହୁ ହୁ କରି ଓଦା ଜିଭରେ ଚାଟିଦେଲା ପରି ଦେହ ସଲ ସଲ କରି ପବନ । ବହଳ ଅନ୍ଧାର ଭିତରେ ଏ ଗଛରୁ ସେ ଗଛ ଜୁଳୁଜୁଳିଆ ମାଳ ଲାଗିଛନ୍ତି । ବରଷାର ବିଶିଷ୍ଟ ବାସ୍ନା ନାକରେ ବାଜୁଛି, ଘଡ଼ଘଡ଼ିର ହାଲୁକା ଆମ୍ୱିଳା, ଓଦା ମାଟିର, ଧୁଆ ନଡ଼ାର-। ଅଦିନ ପାଗ ନୁହେଁ, ସତେ ଯେପରିକି ବରଷା ଋତୁର ଗୋଟିଏ ରାତି, ଯେପରି କି ସବୁଦିନେ ଲାଗି ରହିଥିଲା ଏ ବରଷା । ସମବେତ ସଙ୍ଗୀତପରି ସେହି ପାଗର ବିଶିଷ୍ଟି ଶବ୍ଦ ଶୁଭୁଛି, ଦୂରରୁ ବେଙ୍ଗ ବୋବାଳି, ଝିଙ୍କାରି, ଆଉକେତେ ପୋକଯୋକଙ୍କ ଚେଁ ଚେଁ ସେଁ ସେଁ, ଏଇ ମାଟିରେ ଅପେକ୍ଷା କରି ମୁହଁମାଡ଼ି ପଡ଼ିଥିଲେ ଅଗଣିତ ପ୍ରାଣୀ । ବରଷା ଆଣି ଦେଇଛି ତାଙ୍କରି ସମବେତ ଆତ୍ମପରିଚୟ । ପିଣ୍ଡାରୁ ଏଇ ଯେଉଁ ବେଙ୍ଗଟି ପ୍ରାଣପଣେ ବୋବାଳି ଛାଡ଼ିଛି, କିଏ ଆଗେ ଜାଣିଥିଲା ତା’ର ପରିଚୟ ? ଦି’ପାଖରୁ ଖୁଣ୍ଟ ସନ୍ଧରୁ ଯୋଡ଼ିଏ ଝିଙ୍କାରି କାନ ଅତାରା ପକାଉଛନ୍ତି ।

 

ସିନ୍ଧୁ ଚୌଧୁରି ପୋଥି ବୁଜିଲେ । ଓଟାରି ଧରି ଟାଣକରି ଭିଡ଼ି ଭିଡ଼ି ପୋଥିରେ ଡୋର ଗୁଡ଼ାଇଲେ, ସଳଖେ ତିନି ବନ୍ଧ, ପୁଣି ଛକି ଦୋଓଟି, ପରସ୍ତ ପରସ୍ତ କରି ଗୁଡ଼େଇଲେ । ରବିର କୁତୂହଳ ଦେଖି ସିନ୍ଧୁ ଚୌଧୁରି ହସିଦେଇ କହିଲେ, ‘‘ଆଜିକାଲି ସବୁଠି ଛପା ବହି । ତେଣୁ ପୋଥିର ଆଦର କମିଗଲାଣି । କିନ୍ତୁ ଖଣ୍ଡେ ପୋଥି ଯେତେଦିନ ରହିପାରିବ, କାଗଜରେ ଛପାବହି ତା’ର ଚଉଠା ରହିଲେ ବି ବହୁତ ହେଲା । ଏଇ ପୋଥିଖଣ୍ଡିକ ଦେଖିଚ, ଦେଢ’ଶହ ବର୍ଷରୁ ବେଶୀ ହେଲାଣି, ୟେ ତାଳପତ୍ରରେ ଉତରା ହୋଇଥିଲା ।’’

 

ରବି ପୋଥିଖଣ୍ଡିକ ହାତରେ ଧରି ଗଡ଼େଇ ତଡ଼େଇ ଦେଖିଲା । ଦେଖିଲା, ଚାରିଆଡ଼ୁ ନିବୁଜ । ସିନ୍ଧୁ ଚୌଧୁରି କହିଲେ, ‘‘ପୋଥି ବନ୍ଧନ ନିରନ୍ଧ୍ର ନ ହେଲେ କୀଟ ଖାଇଯିବେ । ହସିଦେଇ କହିଲେ, ‘‘ଏଇ ଆମ ପୁରୁଣାକାଣିଆ ଚଳଣିର ଶିକ୍ଷା । ମଣିଷ କହ, ସମାଜ କହ, ଯାହା କହ, ନିଛିଦ୍ର ଆଉ ଗୋଟାହୋଇ ନ ରହିଲେ ବେଶୀଦିନ ଭୋଗ କରିପାରିବନାହିଁ ।’’

 

ପୋଥିର ମଲାଟ-ପଟା ଉପରେ ଗୋଟିଏ ସଂଖ୍ୟା ଖୋଳା ହୋଇଛି ୨୭ । ସିନ୍ଧୁ ଚୌଧୁରି ବୁଝାଇଲେ, ପୂର୍ବକାଳରୁ ତାଙ୍କ ଘରେ ହଜାର ହଜାର ପୋଥି ସଞ୍ଚା ହୋଇଥିଲା, ତା’ ସହିତ ତାଳପତ୍ର ପୋଥିରେ ଲେଖା ହୋଇ ଗୋଟିଏ ପୋଥି ତାଲିକା ବି ଥିଲା । ତାଲିକାର ସଂଖ୍ୟା ଚିହ୍ନାଇବାକୁ ମଲାଟ ଉପରେ ସଂଖ୍ୟା ଖୋଳା ହୋଇଛି । କାଳକ୍ରମେ ପୋଥିଗୁଡ଼ିକ ନଷ୍ଟ ହୋଇଯାଇଛି; ଏମିତି ଅଳ୍ପ କେତୋଟି ବଞ୍ଚିଯାଇଛି । ଏଇ ପୋଥିଟିର ବିଶିଷ୍ଟତା ବିଷୟରେ କହିଲେ, ‘‘ଛପା ବହି ସଙ୍ଗେ ମିଳାଇଲେ ଦେଖାଯାଉଛି, ଏଥିରେ ଠାଏ ଠାଏ କେତେ ଲେଖା ଅମେଳ ପଡ଼ୁଛି ।’’

 

ପୋଥି ଟେକା ହେଲା । ସିନ୍ଧୁ ଚୌଧୁରି ଭିତର ଆଡ଼ର କବାଟ ପାଖେ କହିଲେ, ‘‘ଜାଗା କର, ଡେରି ହୋଇଯାଇଛି ।’’ ରବିକୁ ପଦାକୁ ଡାକିନେଲେ ହାତ ଧୋଇବବୋଲି । ରବି ଖାଇବ ନାହିଁ ବୋଲି ଆପତ୍ତି କଲା । ପଛଆଡ଼ୁ ଘର ଭିତରୁ ଘିଅରେ ଭଜା ହୋଇଥିବା ପୁରି ବାସ୍ନା ମହକି ଉଠିଲାବେଳକୁ ରବି କହିଲା, ‘‘ଭୋକ ନାହିଁ ଆଜ୍ଞା, ପେଟେ ଖାଇ ଆସିଛି ।’’ ସିନ୍ଧୁ ଚୌଧୁରି ହସିଦେଇ କହିଲେ, ‘‘ଆସ ଆସ, ଟୋକା ଲୋକ, ନିଅ ହାତ ଧୁଅ, ଗରମ ଭାଙ୍ଗିଯିବ ।’’

 

ଛବିବୋଉ ପରଷୁଥିଲେ । କଥା କହୁନଥିଲେ; ମୁହଁ ସତେକି ଭାବହୀନ, ମୁଖା ପିନ୍ଧିଲାପରି । ରବିର ଚାହାଣିରେ ଚାହାଣି ନ ମିଶାଇବାକୁ ତାଙ୍କର ଯତ୍ନ । କିନ୍ତୁ ତାଙ୍କର ଏ ଅସଜ କାଠୁଆ ଛବିଟା ଯେପରି କି ଜାଣିଶୁଣି ତିଆରି କରାହୋଇଛିବୋଲି ବାରି ହୋଇପଡ଼ୁଥିଲା । ବେଳେ ବେଳେ ତଳି ଓଠ ଥରି ଉଠୁଥିଲା, ବେଳେ ବେଳେ ସେ ଟଳଟଳ ହୋଇ ଯାଉଥିଲେ । ତରତର ଚାଲି ଓ କ୍ଷିପ୍ର ଭାବଭଙ୍ଗୀରେ କିପରି ଏକପ୍ରକାର ଆବେଗ ଓ ଆଗ୍ରହ ବାରି ହୋଇପଡ଼ୁଥିଲା । ସବୁ ମିଶି ଗୋଟିଏ ନୀରବ ନିବେଦନ-ରବି ମୁଣ୍ଡ ନୁଆଁଇ ରଖି ଦୀର୍ଘଶ୍ୱାସ ପକାଇଲା ।

 

ପାଖରେ ସିନ୍ଧୁ ଚୌଧୁରି ! ରବି ଦେଖିଲା, ସେଠି ଶାନ୍ତ ଆତ୍ମସ୍ଥ ସ୍ଥିରଭଙ୍ଗୀ, ସେଠି ଆଉକିଛି ଅର୍ଥ ନାହିଁ, ଅସଜ ହୋଇ କିଛି ନାହିଁ । ଛବିବୋଉ ଭିତରକୁ ଚାଲିଯାଇ ଟିକିଏ ଡେରି କଲେ । ଖିଆ ଶେଷଆଡ଼କୁ ମଝିକବାଟ ପାଖେ ଅକସ୍ମାତ୍ ଅଜାଣତରେ ପହଞ୍ଚିଗଲା ପରି ଛବି ଜିଭ କାମୁଡ଼ି ଠିଆ ହୋଇଯାଇ ସଙ୍ଗେ ସଙ୍ଗେ ଅନ୍ତରାଳକୁ ଚାଲିଯାଇଥିଲା । ସିନ୍ଧୁ ଚୌଧୁରି ତାକୁ ଲକ୍ଷ୍ୟ କଲେକି. ନାହିଁ; କିନ୍ତୁ ସେ ନିଜେ ଲକ୍ଷ୍ୟ କରିଛି । କିଛି ସମୟ ପରେ ସହଜ ସ୍ୱାଭାବିକ ସ୍ୱରରେ ସିନ୍ଧୁ ଚୌଧୁରି ଡାକିଲେ, ‘‘ଛବି !’’

 

‘‘ବୋଉକୁ କହିଦେ ଆଉ କ’ଣ ଦବ, ତରକାରି ସରିଗଲା ଯେ ।’’

 

‘‘ଆଜ୍ଞା !’’

 

ପରିଷ୍କାର ଆଉ ମିଠାହୋଇ ତା’ର ସ୍ୱର, ଅନ୍ଧାରରେ ଗୋଟିଏ ସ୍ୱର । ସେଇଆକୁ ଆଶ୍ରା କରି ଅନ୍ଧାରରେ ବିଛଣାରେ ପଡ଼ି ପଡ଼ି ରବି ନାନା ରୂପ ଗଢ଼ିଥିଲା । କେଉଁଠି ଟିକିଏ ଖୁଡ୍‍କିନା ଶବ୍ଦ ହେଲେ ତା’ର କାନ ସେ ଶବ୍ଦକୁ ଧରିଥିଲା । ନିଦ ଯେପରି କି କୁଆଡ଼େ ପଳାଇଛି । ଅନ୍ଧାରକୁ ଅନାଉଁ ଅନାଉଁ ଅନ୍ଧାର ସହିତ ତା’ ଆଖି ଏଭଳି ଚିହ୍ନା ହୋଇଯାଇଥିଲା ଯେ ଆସ୍ତେ ଆସ୍ତେ ଘର ଭିତରର ନାନା ଦ୍ରବ୍ୟର ରୂପ ସେ ବାରିପାରିଥିଲା । ଆଉ ସେ ଭାବିଥିଲା, ସେହି ଏକା ଧାଉଡ଼ି ଘର, ଉପରେ ଏକା ଚାଳ, ଆଗରେ ଏକା ପିଣ୍ଡା, ଏକା ଅଗଣା । ସେଥିରେ ଗୋଟିଏ ବଖରାରେ ସେ ଶୋଇଛି, ଆଉ କେଉଁ ବଖରାରେ ଥିବ ଛବି । ଛବି, ତା’ର ବାପା ମା’ ଆଉ ସେ ସମସ୍ତେ ଏକାଠି । ଯେପରି କି ଏ ତା’ର ଜୀବନର ଗୋଟିଏ ରୂପ, ସହଜ ହୋଇ ଆଦରି ହୋଇଯାଇଛି । ଯେପରି କି ଏହିପରି ଆଗରୁ ବି ଥିଲା ଜୀବନ, ଏବେବି ଅଛି । ପୁଣି ନିଃସନ୍ଦେହରେ ଭାବିହୋଇ ଯାଉଛି, ଏହିପରି ସେ ରହିଥିବ,। ଅସଜ ଅଯୋଡ଼ କିଛି ନାହିଁ । ସବୁ ପ୍ରତ୍ୟାଶିତ ।

 

ସବୁ ସହଜ ସହଜବୋଲି ଭାବି ଭାବି ଅସଜ ହୋଇ କଟି ଲାଗିଲା ତା’ର ରାତି, ଆଖିରେ ନିଦ ନାହିଁ । ଦେହରେ ବାରମ୍ବାର ଉଷୁମ ମନ ଭିତର ଛନଛନ । କାନ ପାତଳ, ଆଖି ଉପର ଗରମ, ଛାତି ଦୁମୁଦୁମୁ । ପଦାରେ ବରଷାର ଘୋରତେଇ ପୋରତେଇ ହାଲୁକା ଅସରାର ଏକ ପ୍ରକାର ଶବ୍ଦ ଭିତରେ ସେ ବାରିଲା ନାନା ପ୍ରକାର ସଙ୍ଗୀତ, ଆଉ ମନମତାଣିଆ ନିଭୃତ ଭାଷା-। ଲାଗିଲା ଯେପରିକି ସାଧାରଣ ଅବସ୍ଥିତି ସଙ୍ଗେ ସଙ୍ଗେ ସାଧାରଣ ଅନୁଭୂତି ଘେନିବା ପରିବର୍ତ୍ତେ ତା’ର ବ୍ୟକ୍ତିତ୍ୱ ଆଉ କେଉଁ ଅସାଧାରଣ ମାଧ୍ୟମ ଭିତରେ ପହଁରି ଲାଗିଛି । ନୂଆ ସୂଚନାରେ ଅକୁହା ଭାଷାର ଅର୍ଥ ଘେନୁଛି ତା’ର ସାରା ଅସ୍ତିତ୍ୱ । ସାପପରି ଶୁଣୁଛି ସ୍ନାୟୁଜାଲ ବାଟେ ନୁହେଁ । ଅନ୍ଧାର ଆଉ ବରଷାର ସେହି ସଂକେତମୟ ଭାଷା ଯେପରି କି ତା’ର ନିଭୃତ ଉପାଦାନ ସହିତ ତାକୁ ଚିହ୍ନାଚିହ୍ନି କରାଇ ଦେଉଛି । ସେଠି ପରାଜୟ ନାହିଁ, ଦୁଃଖ ନାହିଁ, କାନ୍ଥବାଡ଼ ନାହିଁ, ପରିସମାପ୍ତ ନାହିଁ । କେବଳ ମରମ ଭାବର ମୁହୂର୍ତ୍ତ ମୁହୂର୍ତ୍ତକର ନିତି ନୂଆକାହାଣୀରେ ପଦେ ପଦେ ଜୀବନକୁ ଅନୁଭବ କରିବା ଆଉ ବିରାଟ ବ୍ୟାପ୍ତିରେ ଦୋହଲି ଦୋହଲି ସ୍ଥାନ ଓ ସମୟକୁ କିଣି ପ୍ରାଣ ପ୍ରକାଶ କରିବା । ସେଠି ତା’ର ଦିଗବଳୟରେ ନାହିଁ ସମାଜର ସୀମିତ ବିଚାର, ଜୀବନର ନିୟନ୍ତ୍ରିତଧାରା କେବଳ ଏକ ଅଜଣା ଅକଳନ ସହାନୁଭୂତି ଆଉ ଆପଣା ମନର ଅସମ୍ଭବ ନରମପଣ ଆଉ ସୁଖ-ସେ ଆପଣାପାଇଁ ସାଇତି ରଖିବା କି ସାଉଣ୍ଟି ନେବା ଯୋଗୁଁ ନୁହେଁ । ଆପଣାକୁ କାର୍ଯ୍ୟକାରୀ କରି ଖୋଲି ଉଜାଡ଼ି ବାଣ୍ଟିଦେଇ ଫତୁର କରିଦେବାରେ ।

 

ସେହି ଉଦାରତାରେ ସେ ମନେ ମନେ ଏହି ପରିବାରକୁ ବି ଆପଣାର କରି ଆପଣା ଭିତରକୁ ଟାଣିନେଲା । ଆଉ ତାହା ଆଗରେ ଲାଗିଲା-ବିବାହ- ସେ ତ ଅତିସାମାନ୍ୟ କଥା । ସେ ବା ଆଉ କେଉଁ ହାତପାଆନ୍ତି ଦୂରରେ । କେତେ ଅବା ଅପହଞ୍ଚ ସେ । ସମ୍ପର୍କ-ସମାଜଗତ କି ଦେହଆଶ୍ରୀ-ସେ ବି ଅତି ସାନ, ଅତି ତୁଚ୍ଛ । ଲାଗିଲା ଯେପରି କି–ମନରେ ମନ ମିଶିଯାଇଛି, ଜୀବନରେ ଜୀବନ-ଆଲୁଅ ସହିତ ଛାଇ ପରି ସେମାନେ ଆଉ ସେ ଅଚ୍ଛେଦ୍ୟ ସମ୍ପର୍କରେ ଏକୀକୃତ-

 

ଯେପରିକି ପୂର୍ବଜନ୍ମର ସମ୍ବନ୍ଧର କଥା ଏ ଜନ୍ମରେ ମନେପଡ଼ିଯାଇଛି । ଏହି ଅବସ୍ଥାରେ ଭାସୁ ଭାସୁ କେତେବେଳେ ପୁଣି ତାକୁ ନିଦ ହୋଇଯାଇଥିଲା । ଦେହରେ ବୋଳି ହୋଇଯାଇଥିଲା ତୃପ୍ତି ଓ ଶାନ୍ତି । ଅନ୍ଧାରୁଆରୁ ଉଠି ସିନ୍ଧୁ ଚୌଧୁରି କେତେବେଳେ ତା’ ପାଖକୁ ଆସି ତା’ର ମୁହଁକୁ ଅନାଇଁ ଠିଆ ହୋଇ ରହିଥିଲେ, ଘୋରିହେଲା ଘୋରେଇ ଦେଇଥିଲେ, ମଶା ହୁରୁଡ଼େଇ ଥିଲେ, ସେ ହେତୁ କରିନାହିଁ ।

 

ତା’ପରେ ଆଉଥରେ ଯେତେବେଳେ ସେ ଆସିଲା, ସଜ ଗାଧୁଆ ଆକାଶରେ ଫୁଟି ଉଠୁଥିଲା ପାହାନ୍ତି ପହରର ହାଲୁକା ସିନ୍ଦୂରା । ତା’ର ଆଖି କସରା ନିଦ ଧୀରେ କୋହଳ ହୋଇଯାଇଥିଲା । ଆଗ ଲାଗୁଥିଲା କିଏ ସେ ଯେପରି କି ଏଠାରେ ବୁଲୁଛି । ଆଖି ମଳୁ ମଳୁ ଶୁଭିଲା ପାହାନ୍ତିର ପହିଲି ସ୍ୱର, ଯେ ମଶାପଲ ଘାଉଁ ଘାଉଁ ହେଉଛନ୍ତି । ଥରେ ବଢ଼ିଯାଉଛି, ଥରେ କମିଯାଉଛି ସେ ଘାଉଁ ଘାଉଁ । ଶୁଭିଲା, କଜଳପାତୀ ବୋବାଉଛି, କି ସୁନ୍ଦର ଶୁଭୁଛି ତା’ର ସ୍ୱରଲହରୀ । ଗୋରୁଗାଈଙ୍କ ହମ୍ବାରଡ଼ି ଶୁଭିଲା, ଆଉ ଶୁଭିଲା ଲାଗିଛି ଢିଙ୍କିକୂଟା ଛନ୍ଦ ଅନବରତ । ସକାଳର ଚେତନା ସଙ୍ଗେ ସଙ୍ଗେ ମନେ ମନେ ଅନୁଭୂତ ହେଲା, ବାସିଗୁହାଳର ଗନ୍ଧ କଡ଼ା ଗୋରୁମୂତର ଗନ୍ଧ, ଗାଁ ଓଳିତଳର ମୂତ ଗନ୍ଧ । ପରିସ୍ରା ମାଡ଼ିଲା । ଏହି ସାଧାରଣ ଦେହ ଆବଶ୍ୟକ ସଙ୍ଗେ ସଙ୍ଗେ ବର୍ତ୍ତମାନର ଚେତନା ଫେରି ଆସିଲା । ନିଦରୁ ଉଠିଥିବା ଆଖି ଯୋଡ଼ିକ ନୂଆ ପାହାନ୍ତିକି ନୀରବରେ ଅଭିବାଦନ ଜଣାଇଲା । ଲାଗିଲା, ଏହି ଜାଙ୍ଗୁଲୁ ଜାଙ୍ଗୁଲବେଳୁ ସେ ବିଦା ହୋଇଯିବ, କେହି ଦେଖିବେ ନାହିଁ । ତା’ପରେ କ’ଣ ଖସ୍‌ଖସ୍‌ ଶୁଭିଲାବୋଲି ପରିସ୍ଥିତିଆଡ଼କୁ ଚେତିଉଠି ବୁଲିପଡ଼ି ସେ ଦେଖିଲେ-ସିନ୍ଧୁ ଚୌଧୁରି । ସେହି ଶାନ୍ତ କପାଳ, ବିଛେଇ ହୋଇ ରହିଛି ଧୈର୍ଯ୍ୟ ଓ ସହିଷ୍ଣୁତାରସ୍ୱରୂପ ପରି । ତୀଖ ନାକର ଢାଲୁରେ ଭାବୁକତାହିଁ ମନେପକାଇ ଦେଉଛି । ଉଦାର ସହାନୁଭୂତିରେ ଢଳଢଳ ଦିଶୁଛି ଆଖି । ଓଠର ବାଙ୍କରେ ହସ ନାହିଁ, କିନ୍ତୁ ହସିଲା ପରି । ପହିଲି ନିଦରୁ ଉଠି ଏଇ ମୁହଁଟିକୁ ସକାଳୁ ଦେଖି ଲାଗୁଛି, ଏ ଯେପରି କି ମଧ୍ୟଯୁଗର କେଉଁ ହଜିଲା ଚିତ୍ରପଟ ଭିତରୁ ଗୋଟିଏ ଚିତ୍ର । ଜହ୍ନ ଆଉ ପାହାନ୍ତି ଆଲୁଅ ମିଶାମିଶି । ହେଇ ତ ସେ ସ୍ୱପ୍ନରେ ଦେଖା ହାଲୁକା ବର୍ଣ୍ଣର ଚିହ୍ନ । ପାହାନ୍ତି ପହରେ ଧୀରେ ଧୀରେ ଯାହାର ବର୍ଣ୍ଣ ଦିନ ଆଲୁଅରେ ମିଶିଯାଉଛି । ମଳିନ ସେ ନୁହେଁ, ମଉଳି ପଡ଼ିଥିବା ଫୁଲ ନୁହେଁ, ଯେପରିକି ଦେଖିପାରୁଛି ନ ଦେଖିପାରୁଛି ଛୁଇଁବା ନ ଛୁଇଁବା ବାହାରେ ଅନ୍ତରଭେଦୀ ସଜ ଧାରଣାଟିଏ, ଯେ ଚେତେଇ ଦେଉଛି, ସକାଳ ହେଲା । ଆଶା ଆନନ୍ଦ ଲାଗି ତା’ର ଅସୀମ ପ୍ରବଣତା । ତା’ର ଧ୍ୟାନର ମାର୍ଗ ଭିନେ । ବକଳ ଲାଗିଥିବା କ୍ଷୁଧା ଓ ପ୍ରବୃତ୍ତିମୟ ମୋଟା ଇନ୍ଦ୍ରିୟବାଟେ ତାକୁ ଛୁଇଁ ହୁଏ ନାହିଁ । ଅନ୍ତରରେ ଗ୍ରହଣ କରିହୁଏ ବିନା ଉଦବେଗରେ । ଅଳସେଇ ପଡ଼ିରହି ସ୍ମରଣ ଲେଉଟାଇ ଗାଧୋଇବାକୁ ମନହେଲା ସେହି ଧାରଣାରେ-ସକାଳର ପହିଲି ଗାଧୁଆ, ସେହି ଯେଉଁଥିରେ ଆଲୁଅ ଅଛି, ତା’ର ତୀବ୍ର ଜ୍ୱାଳା ନାହିଁ, ଆଶା ଅଛି, ନିରାଶାର ଆଶଙ୍କା ନାହିଁ । ମୂଲ ତଉଲ, ଲାଭ ଲୋକସାନ ବିଚାରର ଧନ୍ଦା ନାହିଁ । ଓଟାରିବା ଛାଡ଼ିବା, ଓଟାରିବା ଛାଡ଼ିବାର ଯନ୍ତ୍ରଣା ନାହିଁ । ନାହିଁ ମୁହୂର୍ତ୍ତପାଇଁ ଦକା କି ଚିରନ୍ତନ ପଣପାଇଁ ଝୁଙ୍କ, ସମୟର ଛନ୍ଦ ସହିତ ସମତା ରଖି ଅପାର ଆନନ୍ଦରେ ଛାଁକୁ ଛାଁ ବିକଶି ଉଠୁଛି ତା’ର ବ୍ୟକ୍ତିତ୍ୱ । ଫୁଲପରି ଫୁଟି ଉଠୁଛି । ସକାଳ ଫିଟିଛି, ମନରେ ସେହି ଚିରକାଳର ଚିହ୍ନା ପୃଥିବୀ । ଯେ ଦୁଃଖ ବାହୁନେ ନାହିଁ, ସହେ, କିନ୍ତୁ ସହିବାର ବଡ଼େଇ କରେନାହିଁ । ଆଖି ଚେଇଁଉଠୁଛି ସତେକି ତାହାରିଆଡ଼କୁ । ସେହି ଢାଲୁ ଆଉ ବିସ୍ତୃତି । ଗଛ ଢିପ ଘର ହୋଇ ସ୍ଥାଣୁମନ୍ତ ଦୃଶ୍ୟ, ତାହାରି ଅନ୍ଧିସନ୍ଧିରେ ଚଳନ୍ତି ସାଜ ଯାହାର ନାଁ ନାହିଁ । କେଉଁଠି ଉଡ଼ିଉଡ଼ିକା ଟିକି ପ୍ରଜାପତିଟିଏ, ଫଡ଼ଫଡ଼ ହଳଦୀ ଗରଗର ଆଲୁଅଟିଏ ଏକର ସେକର ହେଉଛି । କେଉଁଠି ନାନା ଭଙ୍ଗୀରେ ଡେଉଁଛି ଚଢ଼େଇଟିଏ, କେଉଁଠି ପତ୍ରଉପରେ ଘୁଷୁରିଛି ପାଉଁଶିଆ ସାଁବଳୁଆ । ଗାଢ଼ ସାବୁଜା ଘାସ ପଡ଼ିଆରେ ବାରି ହେଉଛି କେଉଁଠି ଟିକିଏ ଅତି ନାଲି ଟିକି ଫୁଲ, ଏକା ଜାଗାକେ ରହୁ ନାହିଁ । ଅଦେଖା ପବନରେ ଏକର ସେକର ମୋହିଁ ଯାଉଛି, ଆଉ ତାହାରି ଭିତରେ ବୁଲୁଛନ୍ତି ଗୋରୁ, ମଣିଷ କାହାର କି ପରିଚୟ, କିଏ କୁଆଡ଼େ ଯାଉଛି, ଆଉ ଯେପରି କି ସବୁ ଚାଲୁଛି, ରହିଛି ଏକ ଶକ୍ତିରେ ଯେ ସାରା ସୃଷ୍ଟିରେ ଯାହାକୁ ଯେପରି ଠେଲୁଛି କରାଉଛି, ନ କରାଉଛି । ସକାଳ ଆଲୁଅର ଆବିର୍ଭାବ ଯେପରି କି ତାହାର ତହିଁ ଯେପରି ତାରାଫୁଟା ଅନ୍ଧାର ରାତିର । ତାହାରି ଉଦ୍ଦେଶ୍ୟରେ ହିତ ନଈପାଣିରେ ଠିଆହୋଇ ପାଣି ଆଞ୍ଜୁଳା ଟେକୁଛନ୍ତି ଦଳଦଳ ହୋଇ ସ୍ତ୍ରୀ ପୁରୁଷ, ଆଉ ପିଣ୍ଡାରେ ବସି ଅନ୍ଧ ପିଟୁଛି ଖଞ୍ଜଣି । ଆଉ ଗୀତା, ଭାଗବତ, କୋରାନ୍‌, ବାଇବଲ ଆଉ ଆଉ ଧର୍ମରେ ଯେତେ ଯେତେ ଅଛି ଇଟା-ପୋଥି କାଗଜପୋଥି ତାଳପତ୍ର ଅଲେଖା ପୋଥି ଖାଲି ମଣିଷ ସ୍ମରଣରେ ସବୁ ତ କେବଳ ତାହାରି ବିଷୟରେ, ତାହାରି ଉଦ୍ଦେଶ୍ୟରେ ସାବୁଜା ସକାଳର ସଜ ବାସ୍ନା, ମଣିଷ ସ୍ୱରର ମାଧୁରୀ, ଗଛରୁ ଗଛ ନାନା ଚଢ଼େଇଙ୍କ ସଙ୍ଗୀତମୟ ଘେନାଘେନି । ତାହାର ଏହି ଆନନ୍ଦମୟ ପ୍ରକାଶ । ସିନ୍ଧୁ ଚୌଧୁରି, ଭାଗବତ, ଚିରକାଳ ଏଇ ଚାଳଘର । ଏଇ କଅଁଳ ସୁନାର ସରି ସରି ନଡ଼ା, ଏଇ ବିଶ୍ରାମ, ଏଇ... ।

 

ହଠାତ୍‌ ଧଡ଼ପଡ଼ ହୋଇ ବିଛଣାରୁ ଉଠିପଡ଼ି ସେ ତାଙ୍କୁ ନମସ୍କାର କଲା । ଦୂରେଇ ଚାଲିଗଲା ତା’ର ମୁଣ୍ଡ ପଛଆଡ଼କୁ ସେହି ଅଧା ଅଧା ଭାବିଥିବା ରୁପସମଷ୍ଟି ଭାବନାର କଳରୋଳ ଯେପରି ଛଳଛଳ ଝରଣାର ଗୁଞ୍ଜନ ଚଢ଼େଇଗୀତ, ମଣିଷଭାଷା, ଜନ୍ତୁବୋବାଳି ଏକାଠି ଦୂରେଇ ଦୂରେଇ ଯାଉଛି ସମବେତ ଯନ୍ତ୍ରସଙ୍ଗୀତର ଗୁଞ୍ଜରଣ, ପଛେଇ ପଛେଇ ଯାଉଛି, ଦବି ଦବି ଯାଉଛି, ଆଉ ଯେପରି ତାକୁହିଁ ଆକାଶରୁ ଆଣି ତଳେ କିଏ ଠିଆ କରିଦେଇ ଅପସରି ଯାଉଛି । ହଠାତ୍‌ ଚମକି ଉଠି ଦେଖୁଛି ଜଳଜଳ ନିତିଦେଖା ଦୁନିଆଁ । ଏଠି ‘ମୁଁ’ କହିଲେ ସ୍ୱତନ୍ତ୍ରତା ଅଛି, ପୁଣି ‘ସେ’ବୋଲି କହିଲେ, ଆପଣା ଆଉ ଆପଣା ବାହାର ଭିତରେ ନାନା ସମ୍ପର୍କ ସମ୍ବନ୍ଧରେ ବାଗେଇ ହେଉଛି ତା’ର ଦେଖିବା ଭାବିବା ଚାଲିବା ବାଟ ।

 

ସିନ୍ଧୁ ଚୌଧୁରି ହସୁଛନ୍ତି । ଗାଧୋଇ ପାଧୋଇ ମୁଣ୍ଡବାଳ ଜିକିଜିକି ଦିଶୁଛି । କାନ୍ଧରେ ଗାମୁଛା । କହିଲେ, ‘‘ଏଡ଼େ ସକାଳୁ ଉଠିପଡ଼ିଲ ଯେ ! କାଲି ତ ମଶା କାମୁଡ଼ାରେ ଡେରିରେ ଶୋଇଥିଲ !’’

 

‘‘ମୁଁ ସବୁଦିନେ ଏତିକିବେଳେ ଉଠେ ଆଜ୍ଞା !’’

 

‘‘ହଉ ନଈକି ଯିବ ନା କୂଅମୂଳେ ?’’

 

‘‘ମୁଁ ଘରକୁ ଯିବି ଆଜ୍ଞା !’’

 

‘‘କ’ଣ ଏମିତି ଏମିତି ? ଦାନ୍ତଘଷା ନାଇଁ, ଜଳଖିଆ ନାଇଁ, ଉଠୁ ଉଠୁ ଘର ମନେପଡ଼ିଲା ?’’ ଲାଜରା ହୋଇ ତଳକୁ ମୁହଁପୋତି ରବି କହିଲା ‘‘କାଲି ରାତିଯାକ ସେମାନେ ଭାବିଥିବେ, ଧନ୍ଦି ହେଉଥିବେ, କାଲି ଫେରିବାର ଥିଲା ।’’

 

ସିନ୍ଧୁ ଚୌଧୁରି ଖାଲି ହସିଲେ । ବଳେଇଲେ ନାହିଁକି ଯିବାକୁ କହିଲେ ନାହିଁ ।

 

ରବି କହିଲା, ‘‘ଆଜ୍ଞା, ନମସ୍କାର, ମୁଁ ଯାଉଛି । କାଲି ଦୁର୍ଯ୍ୟୋଗ ରାତିରେ ବର୍ଷାମାଡ଼ ଭିତରେ ମୁଁ ଏଠି ଆଶ୍ରା ପାଇଥିଲି ।’’

 

‘‘କ’ଣ ଅଧିକାଟା, କିଏ ତମପାଇଁ କରି ପକାଇଲା ? ଆଶ୍ରା କ’ଣ ? ବରଷାବେଳେ ଯେଉଁଠି ହେଲେ ଟିକିଏ ଠିଆ ହୋଇଯିବା କଥା । ଯେ ସେ କଥା ନାଇଁ, ତମେ ଏମିତି ମୁହଁ ନ ଧୋଇ ଉଠିଲାକ୍ଷଣି ଚାଲିଯାଉଛ ।’’

 

ତରତର ଭାବ ଦେଖାଇ ରବି କହିଲା, ‘‘ଟିକିଏ ଅଟକୁ ଅଟକୁ ଡେରି ହେଇଯିବ ଆଜ୍ଞା, ବାଟ ନ ଧରିବାଯାକେ ଅଳସ କଟିବ ନାହିଁ । ଯାଉଛି ଆଜ୍ଞା, ନମସ୍କାର ।’’

 

ତାଙ୍କ ପିଠିଆଡ଼େ ପିଣ୍ଡା ସେକରେ ଦୁଆରବନ୍ଧ ପାଖେ ତାଙ୍କ ସ୍ତ୍ରୀ ଠିଆ ହୋଇଥିଲେ । ରବି ତାଙ୍କୁ ଦୂରରୁ ଓଳଗି ହେଲା । ଆଖି ପଡ଼ିଗଲା, ଆର ଦୁଆର ବନ୍ଧର କାଠ ଉପରେ ଗୋଟିଏ ହାତ ପାପୁଲିର ଅଗରୁ ଚେନାଏ ଅଠାରେ ଯୋଖିଲା ପରି । ତା’ଠୁ ଟିକିଏ ଉପରେ ଗୋଟିଏ ମୁହଁରୁ ଟିକିଏ ତେର୍ଚ୍ଛା ହୋଇ କାଠ କରକୁ ବାହାରି ପଡ଼ିଛି, ଗୋଟିଏ ଆଖି ଦିଶୁଛି । ନା, ଆଉ ନାହିଁ-

 

ରବି ବାହାରି ଚାଲିଗଲା । ଇଛା ହେଲା ପୁଣି ପଛକୁ ଅନାଏଁ । ଅନାଇଁ ପାରିଲା ନାହିଁ ।

 

ବନ୍ଧମୂଳ ଗାଁରେ ବଟ ମହାନ୍ତିଙ୍କ ଘରେ ସେହିଦିନ କଥାଟା ପଡ଼ିଲା । ମଝି ଦ୍ୱିପ୍ରହରବେଳ, ରବି ଠିକ୍‌ ଭାତ ଖାଇ ବସିଥାଏ । ବାପା ବୋଉ ଦିହେଁ ଥିଲେ, ସେ କହିଲା, କାଲି ରାତିରେ କିପରି ବାଟରେ ଅଟକିଗଲା । ବାପା ଗମ୍ଭୀର ହୋଇ ହମାରଡ଼ି ଛାଡ଼ିଲେ-‘‘ରବି !’’

 

‘‘ଆଜ୍ଞା !’’

 

ଭାତଥାଳି ଉପରୁ ମୁହଁଟେକି ସେ ତାଙ୍କ ଦୃଷ୍ଟିକୁ ଭେଟିବାକୁ ଚେଷ୍ଟାକଲା । ଜଳୁଛି ତାଙ୍କ ଆଖି, ଖରାପରି ଭେଦିଯାଉଛି ତା’ର ମୁହଁ ଉପରେ । ସେହି ଝାଞ୍ଜିପରି ଚାହାଣି ଆଉ ନାଁ ଧରି ଡାକିଲାବେଳେ ସ୍ୱରର ସେ ଭାଙ୍ଗ ଆଉ ଝାଙ୍କ, ସେତିକିରେ ଯେପରି ସେ ଅନେକ ଭାବ ବ୍ୟକ୍ତ କଲେ, ଯାହାପାଇଁ ଭାଷା ନାହିଁ । ସେ ତ କହିଥିଲା ତା’ର ଅନହୁତି ଦୁର୍ଦ୍ଦଶାର କାହାଣୀ, ଆଉ କିପରି ସେ ସିନ୍ଧୁ ଚୌଧୁରିଙ୍କ ଘରେ ବରଷା ଦାଉରୁ ଆଶ୍ରା ପାଇଲା, କେଡ଼େ ଯତ୍ନ ନେଲେ ସେ, ଏହିପରି କଥା । କିନ୍ତୁ ତାଙ୍କର ଡାକର ସ୍ୱରରେ କେଞ୍ଚିହୋଇ ତା’ର ମନର ତଳିରୁ ବାହାରିଲା ଭିନେ କାହାଣୀ, ଯାହା ସେ କହିନାହିଁ । ଅନ୍ଧାର ଅନ୍ଧାର ଦୁଆର ମୁହଁ ଉହାଡ଼ରୁ ଜଣକର ମୁହଁରୁ ଚେନାଏ, ଗୋଟିଏ ଆଖି, ଦୁଆରବନ୍ଧ ଉପରେ ତା’ର ହାତ ପାପୁଲିର ଅଗ, ତା’ର ଆପଣା ମନ ଭିତରର କେଉଁ ଗୁପ୍ତ ମହକ । ସେ ଚାହାଣିକି ରବି ରୋକିପାରିଲା ନାହିଁ । ଭାତକୁ ଧ୍ୟାନ କଲା । ବାପା ପିଠି ବୁଲେଇ ଦେଇ ଚାଲିଗଲେ ।

 

ବୋଉ କଥା ଲମ୍ବେଇଲେ, ‘‘ହଇରେ, ସେ ସିନ୍ଧୁ ଚୌଧୁରି ଘର ଚଳେ କିମିତି ? ଆମର ପୁରୁଣା ବନ୍ଧୁ ରେ ସେମାନେ । ଆଗେ ଭାରି ବଡ଼ ଘରୁଆ ହେଇଥିଲେ । ଆମ ଘରେ ପାଟେଳି ଗାଁ ଚୌଧୁରି ଘର ନାଁ ଶୁଣିଛି । ଜମିଦାରୀ ତ ଗଲାଣି, ଘର ସାନ ପଡ଼ିଯିବମଣି, ଅଇଛା ଚଳୁଛନ୍ତି କେମିତି ?’’

 

ରବି କହିଲା, ‘‘ଆଗେ ହୋଇଥିବେ ବଡ଼ଲୋକ । ବହୁତ ଘରଦ୍ୱାର ଥିଲା ବୋଧହୁଏ । ଖାଲି ଅଗଣାଯାକ କୁଦ କୁଦ ହୋଇ ତା’ର ଚିହ୍ନ ପଡ଼ିଚି । କାହା ଚଳଣି କିଏ ବୁଝିଚି । ତେବେ ଲୋକ ତ ଭାରି ଭଲ, ବ୍ୟବହାର କହିଦେଉଚି ଭାରି ମାନତା ଲୋକ ।’’

 

ବୋଉ ଦୀର୍ଘଶ୍ୱାସ ପକାଇଲେ, କହିଲେ, ‘‘ତୁଟା ଜନ୍ମ ହେଲୁ କେବେ, କେବେ ମଣିଷ ହେଇଗଲୁ, କାହା ବ୍ୟବହାର ତୁ କ’ଣ ବୁଝିବୁ, କାହା ପେଟରେ ପଶିବୁ ?’’

 

ଭାତ ଖାଉ ଖାଉ ରବି କହିଲା, ‘‘ଦେଖି ଅଇଲି ଯାହା କହୁଚି । ଭଲ ଲୋକ ।’’ ଚାଉଁକିନା ଅତର୍କିତରେ ବୋଉ ପଚାରିଲେ, ‘‘ତୁ କୋଉ ଲୋକଟାକୁ ଦେଖିଲୁ ବା ?’’

 

‘‘କାହିଁ ସିନ୍ଧୁ ଚୌଧୁରିଙ୍କୁ, ତାଙ୍କ ସ୍ତ୍ରୀଙ୍କୁ ବି ଦେଖିଲି, ଭିତରେ ଥାଇ ସବୁ ବରାଦ କରୁଥାନ୍ତି-। ତାଙ୍କୁ ତ ଆଗରୁ ଦେଖିଥିଲି । ବର୍ଷାରେ ତିନ୍ତିବୁଡ଼ି ଜଣେ ବାହାରିଆ ମଣିଷ ଆସି ପହଞ୍ଚିଲା । କ’ଣ ସେ ଖାଇବ, କେମିତି ସେ ରହିବ, ତା’ର ଯତ୍ନ ବୁଝ, ୟା କର, ତା’ କର– ।’’

 

‘‘ତୁଟା ତ ଯୋଉ ମଣିଷ । ଯେ ଟିକିଏ ମିଠାକଥା କହିଲା, ତାକୁ ନେଇ ମୁଣ୍ଡରେ ବସାଇବୁ । କି ଚର୍ଚ୍ଚାଟାଏ କିଏ ତୋ’ର କରିପକାଇଲା ମ ? କିଏ କ’ଣ ନ କରନ୍ତା ଯେ ସେ କଲେ-?’’

 

ଲୋକେ ତ ଫେର୍‌ ଅଛନ୍ତି । କହନ୍ତେ ଏଇଟା ଗୋଟିଏ ଅଡ଼ୁଆ ଆସି ପହଞ୍ଚିଲା, ୟେ ଯାଉ କେମିତି । ସେ ଓଲଟି ଅଟକାଇଥିଲେ–’’

 

ବୋଉ କହିଲେ, ‘‘ଆରେ ଏ ଯୁଗରେ ସବୁ ଧର୍ମ ଲୋପହେଲାଣି ସିନା, ରାତିବିକାଳି କିଏ କେମିତି ପହଞ୍ଚିଗଲେ କୁଣିଆ କଥା ବୁଝିବା ଧର୍ମଟା ଏବେବି ଯାଇନାଇଁ । କରିବେ ନାହିଁ କେମିତି ? କରିବେ । ଯାହାର ନାହିଁ ସେ ତ ପୁଣି କଂସା ନୋଟା ହେଲେ ବନ୍ଧା ପକାଇ କରୁଚି । ପରଙ୍କୁ ଖୋଇ ଖୋଇ ଲୋକେ ଖପ୍ତି ହେଇଯାଆନ୍ତି, ତେବେବି ଛାଡ଼ନ୍ତି ନାଇଁ । କ’ଣ ସବୁ କରିଥିଲେ ?’’

 

ରବି କହିଲା, ‘‘କରିବେ ଆଉ କ’ଣ ? ତାଙ୍କର ଯାହା ଖାଆନ୍ତି, ସେଇଆ ଦେଇଥିବେ । ଭଲ ରାନ୍ଧିଥିଲେ ।’’

 

‘‘କେମିତି, ତୋ ବୋଉ ରନ୍ଧାଠୁ ସୁଆଦିଆ ନା ?’’ ବୋଉ ହସିଲେ । ରବି ହସିଲା । ବୋଉ କହିଲେ, ‘‘ତାଙ୍କର ପରା ଗୋଟିଏ ଝୁଅଟିଏ ଅଛି ? କେମିତି ଝୁଅଟିଏ ?’’

 

କହିବି କହିବି ଭାବି ରବି କିଛି କହିପାରିଲାନାହିଁ । ହଠାତ୍‌ ଆରମ୍ଭ କଲା ତରକାରିରୁ ବଡ଼ି ବାଛି ବାଛି ଖାଇବାକୁ । ଟିକିଏ ବେଳ ଗଲା । ଦେଖିଲା ବୋଉ ତଥାପି ତା’ ମୁହଁକୁ ଚାହିଁଛନ୍ତି । ପୁଣି କହିଲେ, ‘‘କେମିତି ଝୁଅଟିଏ ?’’

 

ଶୁଖିଲା ହସ ହସି ରବି କହିଲା, ‘‘କୋଉ ଝିଅ କେମିତି ସେ ସବୁକଥା ମତେ କି ଜଣା-?’’ ବୋଉ ଗମ୍ଭୀର ହୋଇଗଲେ । ଭାବିଲା ପରି ହୋଇ କହିଲେ, ‘‘କେଜାଣି ଲୋ ମା’ କିଏ କହିପାରିବ କାହା ହାଣ୍ଡିରେ କିଏ ଚାଉଳ ପକେଇଚି ? ପିଲାଲୋକ, ଏମିତି ହସି ଖେଳ ଜୀବନ କଟାଅରେ ବାପା ! ଠାକୁରେ ଘଣ୍ଟ ଘୋଡ଼େଇ ରଖିଥାନ୍ତୁ । ସେଇ ଠାକୁରେ ଦେବେ, କରିବେ ବାପା ବୋଉ । ଯାହାଙ୍କର ବାପା ବୋଉ ଅଛନ୍ତି, ପିଲାଙ୍କ ମୁଣ୍ଡରେ କି ବୋଝ ଲଦା ହୋଇଛି ଯେ ପିଲାଏ ମୁଣ୍ଡ ଖେଳେଇବେ ? ବାପାଙ୍କ ଆଖିକି କ’ଣ ନିଦ ଅଛି ? ଖାଲି ଜାତକ ଦେଖ୍‌, ପତର ଦେଖ୍‌, ଏ ପାତ୍ରୀ କଥା ବୁଝ, ସେ ପାତ୍ରୀ କଥା ବୁଝ । ମତେ ଝୁଣି ଖାଉଛନ୍ତି, କହୁଛନ୍ତି, କହ କୋଉ ପାତ୍ରୀକୁ ଆମ ରବି ପେଇଁ କଲେ ଭଲ ହେବ । କିହୋ, ମୁଁ ତ ମାଇପି ଲୋକ, ମତେ କ’ଣ ପଚାରୁଛ ? ତୁମ ବୁଦ୍ଧିଠୁଁ କ’ଣ ମୋ ବୁଦ୍ଧି ସରସ ?’’

 

ରବି କହିଲା, ‘‘ମତେ ଏଗୁଡ଼ା କାହିଁକି କହୁଚୁ ବୋଉ ? କିଏ ବାହା ହବାକୁ ଯାଉଚି ଯେ ଏତେ ଘଣ୍ଟାଚକଟା ଲାଗୁଚି ?’’

 

ବୋଉ କହିଲେ, ‘‘ପାଠ ପଢ଼ିଲୁ, ବୟସ ହେଲା, ବାହା ହବୁ ନାଇଁ କ’ଣ ବସିଥିବୁ ? ତତେ ହାତକୁ ଦି’ହାତ କରିଦେଲେ ଆମ ଦାୟିତ୍ୱ ସରିଯିବ । ତେଣିକି ତମ ଘର ତେମେ ସମ୍ଭାଳ ।’’

 

‘‘ସଂସାରରେ ଆଉ କିଛି କାମ ନାଇଁପରା ତୁ ଭାବିଚୁ ?’’ ରବି କଥାଟାକୁ ହସରେ ଉଡ଼େଇଲା ।

 

ବୋଉ କହିଲେ, ‘‘ତେମେ ପିଲା, ତମର ଦିନ ଆସୁଛି, ମନ ଇଛା କାମ କର । ଆମର ଦିନ ତ ସରିଗଲା, ଆଉ କି କାମ ? କାମ ସେହି ଗୋଟିଏ । ଦେହରୁ ବଳ ହଟିଲା, ଏତେ କାମ ଏକୁଟିଆ ମୁଁ କାହୁଁ ତୁଲୋଉଥିବି ଯେ ବୋହୂ ଆଣିବି ନାଇଁ, ନିଜେ ସବୁ ଚଳେଇବି ?’’

 

ରବି କହିଲା, ‘‘ପାରିବୁ ଯଦି ତୋ ବୋହୂ ତ ଅଛି ତାକୁ ଆଣୁନୁ ? ଭାଇଙ୍କୁ ଲେଖିନୁ ?’’

 

ଅଜାଣତରେ ରବି ତାଙ୍କର କ୍ଷତ ଉପରେ ଚୋଟ ମାରିଲା । କହିଦେଇ ମୁହଁଟେକି ଦେଖିଲା ତାଙ୍କ ଆଖିରୁ ଲୁହଧାର ନିଗୁଡ଼ୁଛି । ଉଚ୍ଛନ୍ନ ହୋଇ କହିଲା, ‘‘କ’ଣ ହେଲା ବୋଉ, କାନ୍ଦୁଚୁ କାହିଁକି ?’’ ପୁଣି ଆଉଗୋଟିଏ ଭୁଲ । ଯେଉଁ ବୋହୂ ଏ ଘରକୁ ଆସିଲାଦିନୁଁ ତା’ର ସ୍ୱତନ୍ତ୍ର ସଂସାର ଖୋଜିଲୋଡ଼ି ନେଇ ବିଦେଶରେ ବିଦେଶରେ ରହିଆସିଛି, ଯେଉଁ ପୁଅବୋହୂ ନାତିନାତୁଣୀଙ୍କର ଏ ଘରେ ଛାଇ ପଡ଼େନାଇଁ, ତାଙ୍କରି କଥା ସେ ତାକୁହିଁ ଚେତେଇଦେଲା । ମନେପଡ଼ିଗଲା ଭାଇ ବାହାଘର ଉତ୍ତାରୁ ସେ କେଇଦିନଯାକେ କେତେ ତା’ର ଆଗ୍ରହ । ଏବେବି କେମିତି ତାଙ୍କରି ଭଲ ମନାସି କେତେଥର ସେ ଠାକୁରାଣୀ ମାଜଣା, ଠାକୁର ପାଣିଲାଗି କରାଏ, କେଡ଼େ ଆଶାରେ ନିରାଶ ହୋଇ ବୁଢ଼ାବୁଢ଼ୀ ଦୂରକୁ ଅନାନ୍ତି, କାଳେ ଘର ବୋଲି ଭାଇଭାଉଜ ଆସନ୍ତେ ପଚାରନ୍ତେବୋଲି । ନଈରୁ ଧାର ଫିଟି ଅଲଗା ବୋହି ଚାଲିଯାଇଛି, ଆଉ ସେ ଆସିଲା ନାହିଁ ।

 

ବୋଉ ବି ସେମିତି ଅଭିମାନରେ ଗୋଦରା ପାଟିରେ କହିଲେ, ‘‘ମାଆ ମନ ତୁ କି ବୁଝିବୁରେ ପୁଅ ? ମୋର ମୁଁ କେତେବେଳେ କାନ୍ଦିଲି, ହସିଲି, ତୁକି ପାଇବୁ ସେଥିରୁ ? ସେ କଥା ଛାଡ଼ । ବଡ଼ବୋହୁ ମୋର ତା’ ଧନ୍ଦାରେ ସେ ଅଛି । ପିଲାଛୁଆବାଲୀ । ତା’ ଘଇତାଟା ତ ପରଦୁଆରେ ମୁଣ୍ଡ ବିକିଚି । ତା’ କଥା ବୁଝିବା ତାକୁ ଚଳେଇବା ତା’ ଦେଇ କାଠିକର ପାଠ । ସେ କାହୁଁ ଆସିବ, ଘରେ ରହି ବଡ଼ବଡ଼ୁଆଙ୍କୁ ପାଣି ଦବ ବୋଲି ? ନାଇଁ, ତା’ଠେଇଁ ମୋର ମନ ଓରମାଣ ନାଇଁ । ତେବେ ମା’ ମନ ତ, ସେ ତାଙ୍କର ଯେତେ ଭୋଗଭାଗ୍ୟରେ ରହିଲେ ଯେଉଁଥିପାଇଁ ରହିଲେ ହେଲେ ମୋ ପାଖରେ ତ ନାହାନ୍ତି !’’

 

ପୁଣି କାନ୍ଦି ପକାଇଲେ ଆଉକିଛି କହିଲେ ନାହିଁ । ଖାଇସାରି ରବି ଉଠି ଚାଲିଗଲା ।

 

ତାକୁ କେହି କିଛି ନ କହିଲେ ବି ଆପଣା ମନର ଆଚ୍ଛନ୍ନ ଅବସ୍ଥା ବେଳେ ବେଳେ ରବି ଅନୁଭବ କରେ । ଜାଣି ଜାଣି ଇଚ୍ଛା ନ କରି ସେ ଭାବି ହେଇଛି । କାମଆଡ଼କୁ ମୁହଁଟା ଥିଲେବି କେତେବେଳେ ପାଞ୍ଚ ଡାକ ପରେ ଚମକିପଡ଼ି ସେ ‘ଏଁ’ କରେ । ଘରକୁ ଆସିଲେ ବାପା ବୋଉଙ୍କ ନିଘା ଆଗରୁ ସେ ପଳାଇବାକୁ ମନ କରେ । ଭାତଖିଆ କାଉ ଖୁମ୍ପିଲା ପରି, ଚଞ୍ଚଳ କେମିତି ସରିଗଲେ ଗଲା । କ୍ଷେତବାଡ଼ି ବୁଲୁଛି, ଗାଁ ଲୋକଙ୍କ ଭଲମନ୍ଦ ବିଷୟରେ ଖବର ବୁଝୁଛି, ଆଲୋଚନା ବି କରୁଛି । କ’ଣ କଲେ ଗାଁର ଭଲ ହେବ, ଲୋକଙ୍କୁ ଏକାଠି କରିବାପାଇଁ କେତେକାଳର କଳିଗୋଳ ବି ତୁଟା ହେଉଛି । କିନ୍ତୁ ସତେ ଯେପରି ଭିତରେ ଭିତରେ ସେ ବାଟ ଦରାଣ୍ଡି ହେଉଛି, ଭାବନାରେ ବୁଡ଼ିଯାଉଛି । ନିଜ ଦୃଷ୍ଟିରେ ନିଜେ ସେ ଗୋଟିଏ ସମସ୍ୟା ।

 

ଆଉ ଆଉ ଦିନେ ସେହି ଭାତଥାଳି ପାଖେ ପଚାରିଲେ, ‘‘କିରେ ସେମିତି କାହିଁକି ହଉଚୁ, ଖାଉନୁ ?’’

 

‘‘ଏଁ ?’’

 

‘‘ରବି, ସତ କହିଲୁ, ମୋ ରାଣଟି କହ ତୋ’ର କ’ଣ ହେଇଚି ?’’

 

‘‘ଧ୍ୟାତ୍ ।’’

 

‘‘ଯେମିତି ଡାହାଣୀ ଦୃଷ୍ଟି ପଡ଼ିଚିରେ ତୋ’ଠିଁ । ତୁ ତ ଏମିତି ନ ଥିଲୁ । ସତେ ଯେମିତି କି କ’ଣ ହା’ ପଶିଯାଇଚି । ସବୁ ଛି କରିଦେବାକୁ ବସିଚୁ । ସେ ଆଖି କ’ଣ ହେଲାଣି ? ସେ ମୁହଁ କ’ଣ ହେଲାଣି ? ମୋରି ପେଟରୁ ଜନ୍ମ ହୋଇ ତୁ ମତେ ଲୁଚେଇବୁ ? କହ, ତୋ’ର କ’ଣ ହେଇଚି-? ତୁ କାହିଁକି ଏତେ ଭାବୁଚୁ ? ନିଆଁସି ଚିନ୍ତା ମୁହଁରେ ନିଆଁ ଦେଇଦେ । କହିଦେ ମତେ ସବୁକଥା ତୁ’ଟା ପୁରୁଷ ପୁଅ, କ’ଣ ମାଇକିନିଆ ଝୁଅ ହେଇଚୁ ? ପରେଇ କାହାକୁ ? ଯାହା ମନ କରିବୁ, ତା’ ହବ । କହ କ’ଣ ଭାବୁଚୁ ?’’

 

‘‘ଧ୍ୟାତ୍, ମିଛୁଟାରେ କାହିଁକି ବାଉଳି ହଉଚୁ ? ଦେ ଆଉ ଗିଲାସେ ପାଣି ।’’

 

‘‘କ’ଣ ଖିଆ ସରିଗଲା କି ?’’

Unknown

 

‘‘ଆଉ କ’ଣ ମୁଁ ଅସୁର ହେଇଚି ?’’

 

‘‘ହଇରେ !’’

 

ସେ ଉଠିଗଲାଣି ଦାଣ୍ଡକୁ ।

 

ଯେବେ ବଳେଇଲେ ଏମିତି । ମନକଥା ମନେ ମନେ ମରେ, କହି ହୁଏନାହିଁ । ରବିବୋଉ ବିକଳ ହୋଇ ଦେଖନ୍ତି । ପୁଅ ଘୁଙ୍ଗା ପରି ଜୁଳୁଜୁଳୁ ହୋଇ ଅନାଏଁ । ଖାଏ କି ନ ଖାଏ ଉଠି ଚାଲିଯାଏ । ଦେହରୁ ସତେକି କଳାପାଣି ବୋହିପଡ଼ୁଛି । ଲୋକଦେଖାଣିଆକୁ ଟାଣି ଓଟାରି ହସ, ସେଥିରେ ସରାଗ ନାହିଁ । ଯେତେ ପାରେ ସେତେ ଭାଏଁ ଭାଏଁ ପଦାରେ ବୁଲେ ।

 

ତାଙ୍କ ମନ ଝୁରେ, ଖାଲି ଦୀର୍ଘଶ୍ୱାସ ପକାନ୍ତି । ଏଡ଼ିକି ଟିକିଏ ପିଲାହୋଇ ବି ବୁଢ଼ା ଲୋକଙ୍କ ପରି କେତେକଥା ସେ ମନ ଭିତରେ ଭାବି ହେଉଚି । ଶୁଖିଯାଇଛି । ବ୍ୟବହାରରେ ଯେପରିକି ସେ ବାବାଜିପରି, କିନ୍ତୁ ତାଙ୍କ ମନ ଚାହେଁନାହିଁ ବାବାଜି । ସେ ଖୋଜନ୍ତି ପୁଅ ମଣିଷ ହେବ । ଏତେ ନ୍ୟାୟ ଅନ୍ୟାୟ ଭଲ ମନ୍ଦ ବିଷୟରେ ବୁଦ୍ଧି ନ ଖେଳାଇ ବରଂ ସେ ହୁଅନ୍ତା ହେଲେ ହେରେମା, ହୁର୍ଦ୍ଦୁଙ୍ଗା, ବଳୁଆ । ମାରିଜୁରି ହେଲେ ପଛେ ସେ ତା’ର ସୁଖ ଆଦାୟ କରି ମୋଟା ହୁଅନ୍ତା । ଏତେ ଅନାନ୍ତା ନାହିଁ ଚାରିଆଡ଼କୁ । କିନ୍ତୁ ସେ ସେପରି ନୁହେଁ । କିଛି କହିବ ନାହିଁ । ଖାଲି ଉଦାସିଆ ପଡ଼ି ଆସୁଛି । କେତେବେଳେ କହୁଛି ସେ ଆଉ କେଉଁଠିକି ଯାଇ କ’ଣ ପୁଣି ଗାଁ ଗଢ଼ିବା କାମ କରିବ, ରହିବ । ସତେ ଯେପରି ତା’ପାଇଁ କେଉଁକାମ ଅପେକ୍ଷା କରିଚି ! ଦିନଯାକ ପଦାରେ ବୁଲି ବୁଲି ରାତିକି ଘରକୁ ଲେଉଟିଲେ ଗଦା ଗଦା ବହି ପଢ଼ାରେ ମନଦିଏ । ଆଲୁଅ ଜାଳି କେତେ ରାତିଯାକେ ପଢ଼େ । କେତେବେଳେ ତା’ର ଆଖି ଯୋଡ଼ିକ ଚକ୍‌ଚକ୍‌ ଦିଶେ, କିଛି କହେ ନାହିଁ, କେବଳ ହସିଦିଏ । ଆଉ କେତେବେଳେ ବସିଥାଏ ତା’ର ଘର ବଖୁରିଟିରେ, କାଗଜ କଲମ ବିଛେଇ ରଖି ଝରକା ସେପଟେ ଆକାଶକୁ ଅନାଇଁଥାଏ । କ’ଣ ଦେଖେ ସେଠି ସେ, ତା’ ମନ ଜାଣେ ।

 

ସେ ଆସି ଗୋଳେଇ ପୋଳେଇ ହୁଅନ୍ତି, ବାଁରେଇ ହେଲାପରି । ଘର କେଉଁଠି ଅଳିଆ ହୋଇଚି, ଲୁଗାଗୁଡ଼ାକ ମଇଳା ହୋଇ କୁଢ଼ା ହୋଇଛି । ଗୋଟେଇ ରଖିବାକୁ ହେବ । ସେହିଆକୁ ଉପଲକ୍ଷ କରି କଥା ଯୋଡ଼ନ୍ତି ଆଉ କହନ୍ତି, ମୁଣ୍ଡରେ ଦେହରେ ତେଲ ବାଜୁ ନାହିଁ । ବାଳ କେମିତି ଫୁରୁଫୁରୁ ଉଡ଼ୁଛି, ଦେହଟା ସିଠା ପଡ଼ିଯାଇଛି । ସେ ତ ଖୋଜନ୍ତି ତା’ର ଚିନ୍ତା ଆଉ କଳ୍ପନାର ଅନ୍ଧିସନ୍ଧିରେ ବି ତା’ ପାଖେ ପାଖେ କେମିତି ଲାଗି ରହନ୍ତେ । କେଉଁକାଳେ ଜନ୍ମ କରିଥିଲେ ସତ, ସେ କେବର କଥା ହେଲାଣି । ସେ ଲୋଡ଼ନ୍ତି ତାକୁ ନୂଆକରି ଚିହ୍ନିବାକୁ । ପିଲାଦିନେ ତେଲହଳଦୀ ବୋଳି ବୋଳି ସାଉଁଳିଲା ପରି ତା’ର ଏ ବଢ଼ି ଉଠିଥିବା ମନ ଉପରେ ସ୍ନେହ ସହାନୁଭୂତିର ପରଶ ବୋଳି ବୋଳି ସଜାଡ଼ନ୍ତେ ତାକୁ, ତା’ର ଅଜଣା ଦୁଃଖର ବୋଝ ଆପଣାକାନ୍ଧକୁ ନିଅନ୍ତେ । ତଥାପି ଏତେପାଖରେ ଥାଇ ସେ ଧରାଦିଏ ନାହିଁ । ଆଉ ବାଧେ ବେଳେ ବେଳେ ତା’ର ଦୁଃଖକାରତର ଆଖି ଦୋଟି ଦେଖି । ସବୁବେଳେ ନୁହେଁ କେବେ କେମିତି । ସେତେବେଳେ ତା’ର ମନ ଭିତରେ କେଉଁ ଅଜଣା ଆନ୍ଦୋଳନ ଲାଗିରହେ । ତରତର ବହେ ନିଶ୍ୱାସ । ଝଟ୍‌କରି କେତେବେଳେ ଏଣୁତେଣୁ ଦି’ପଦ ସେ କହିପକାଏ, ଯେପରି ବୋଉକୁ ଆଗରୁ କହିଥିଲା, କହି ଆସୁଥିଲା ସେହି କ୍ରମରେ । ସେ ଦିନ ଭାତ ଖାଇଲାବେଳେ ଯେପରି ସେ ଛଟପଟ ହେଲାପରି କଥା କହୁଥିଲା ଭୁଲି ହୁଏ ନାହିଁ । କହିଲା-

 

‘‘ଦେଖ, ଆମେ କେଡ଼େ ସୁନ୍ଦର ଦିବ୍ୟ ଆହାର ପାଉଛୁଁ । ଆଉ ଠିକ୍ ଏତିକିବେଳେ ସେମାନେ ବି ଅଛନ୍ତି ଯେ ଆଜି ଉପାସ ରହିବେ । ଯେ ପାରୁଛି ସେ ଖାଇ ଯାଉଛି, ଯେ ନ ପାରୁଛି ନାହିଁ, କାହାପାଇଁ କେହି ଭାବୁନାହିଁ ଏ ଦୁନିଆଁରେ । ଖାଲି ଆମେ-ଆମେ-ଆମେ, ଆମେ ଖାଇବୁଁ, ସୁଖରେ ରହିବୁଁ । ଆମରି ଭଲ ହେବ, ଆଉ କେହି ନାହିଁ ।’’

 

କେମିତି କଳି କଲାପରି, କଟାଳ କଲାପରି ବେଳେ ବେଳେ ତା’ର ସ୍ୱର ଶୁଭେ, ଯେପରି ତା’ ଭିତରେ ଆଉ ଗୋଟିଏ କିଏ କଥା କହୁଛି । କାଲି ତ ସେ କହୁଥିଲା, ‘‘କେତେକାଳ ସମସ୍ତେ ଅନ୍ଧ ହୋଇ ରହିଥିବେ ଯେ ତାଙ୍କୁ ଠକି ହେଉଥିବ, ଶୋଷି ହେଉଥିବ ? ଦିନେ ନା ଦିନେ ଆଖି ଖୋଲିବ ତ ? ତା’ପରେ ଚକ ବୁଲିଯିବ । ଯେ କେବେ ତା’ ହେବ ? ହିଂସାରେ ହିଂସାରେ ଦୁନିଆଁ ଜଳି ନ ଯାଇଥିଲେ ରକ୍ଷା ।’’ ଉପରେ ପଡ଼ି ସେ କହିଥିଲେ, ‘‘କିଏ କାହାକୁ ହିଂସା କଲାରେ ପୁଅ ?’’

 

‘‘କିଏ ନୁହେଁ ? ସମସ୍ତେ ସମସ୍ତିଙ୍କି । ହିଂସା ଆଉ ଭୟରେ ଚାଲିଛି ମଣିଷସମାଜ । କେଉଁଠି କାହାକୁ ତୁଣ୍ଡରେ ଟିକିଏ ଟେକିଦେଲେ କେଉଁଠି ସଡ଼କଟାଏ କି କୁଅ ପୁଞ୍ଜାଏ କରିଦେଲେ, କେଉଁଠି ଗୋଟିଏ କଳକାରଖାନା ଗଢ଼ିଦେଲେ ଏ ସମସ୍ୟା ସୁଧୁରିବ ନାହିଁ । ମଣିଷ ମଣିଷ ଭିତରେ କି ରାଷ୍ଟ୍ର ରାଷ୍ଟ୍ର ଭିତରେ ଖାଲି ଚିକ୍‍କଣ କଥା କୁହାକୋହି ହୋଇ ବେଳ ଗଡ଼େଇଦେଲେ ଏ ନିଆଁ ଲିଭିବ ନାହିଁ । ବାହାରିବାକୁ ପଡ଼ିବ । ସୁସ୍ଥି ଆଉ ସ୍ନେହର ମାୟା, ଅଳସେଇ ହେବାର ମାୟା, କେତେ ଖାଲଖମା ଅଛି ବାଟେ ବାଟେ, ଗଲେ ବାହାରିଯିବାକୁ ହେବ, ନ ହେଲେ ଦେଖୁଥିବ ଘର ଜଳୁଛି ଜଳୁଥିବ । ଖାଲି ତୁଣ୍ଡ କଥା, ତୁଣ୍ଡ ସକ-ସମୟ ନଷ୍ଟ ।’’

 

କ’ଣ ଏସବୁ କଥାର ଅର୍ଥ ? କି ଧାରଣା ଖେଳିଯାଏ ତା’ ଆଖି ଆଗରେ ? ହୁଏ ତ କିଛି ନୁହେଁ, ଉଡ଼ିଲା ଚଢ଼େଇରୁ ଗୋଟିଏ ଗୋଟିଏ କେତେବେଳେ ଅଗଣାରେ ଆସି ବସିପଡ଼ିଲା ପରି କେତେବେଳର କେଉଁ ଚିନ୍ତା ହଠାତ୍ ଆସିପଡ଼େ ତୁଣ୍ଡକୁ । ତା’ର ବାପା କହନ୍ତି ସେଗୁଡ଼ା କିଛି ନୁହେଁ । ବହିରେ ପଢ଼ିଥିବା ପାଠର ଗୁଣ୍ଡା, ବାନ୍ଧି ହୋଇନାହିଁ, ଘରେ ଆସି ବସି ପଡ଼ିଛି, ଏଣେ ମନଟା ଉଡ଼ୁ ଉଡ଼ୁ ହେଉଛି । ସଂସାରରେ ପଶିଲେ ବଳେ ସବୁ ଶୀତଳ ପଡ଼ିଯିବ । ତାଙ୍କରି କଥାର ଖିଅ ଧରି ସେ ଭରସା କରି ତାଙ୍କୁ ତିଆରିବାକୁ ଚେଷ୍ଟା କରିଥିଲେ, କହିଲେ,-

 

‘‘ମତେ ଲାଗୁଛି ସେଇ ସିନ୍ଧୁ ଚୌଧୁରି ଝିଅ ବିଷୟରେ ସମ୍ବନ୍ଧଟା ପକାନ୍ତ । ଭଲ ଘର, ଭଲ ଲୋକ, ଗୋଡ଼ହାତ ଥିବା ପିଲା, କିଏ ଜାଣିଚି କାଳେ ସେଇଠି ତା’ର ମନ ମାନିଥିବ-। ଲାଜରେ କହୁ ନାହିଁ । କରିଗଲେ ହଁ କରନ୍ତା, ନ ହେଲେ ଏପରି ପିଲାକୁ ବାନ୍ଧିବ କେଉଁ ଉପାୟରେ-?’’

 

ମୁହଁ ଭୁର୍କୁଟି କରି ବାପେ ଉତ୍ତର ଦେଲେ, ‘‘ବାନ୍ଧିବ କୂଅ ଦଉଡ଼ିରେ, ଜବରଦସ୍ତି ବାନ୍ଧିବ-। ସିନ୍ଧୁ ଚୌଧୁରି ଘରୁ ଝିଅ ଆଣିବି । ମୋର ବୁଦ୍ଧି ଅକଲ କୁଆଡ଼େ ପୋଡ଼ିଜଳି ଗଲାଣି, ନା-? ଯେଉଁ ଲୋକେ ଖାଲିଟାରେ ବାଟରେ ଯିବା ମଣିଷକୁ ଧରିଆଣି ସିଆଡ଼ୁ ସିଆଡ଼ୁ ତାକୁ ପୋଷା ମନାଇବାକୁ ଚେଷ୍ଟାକରନ୍ତି, ଏଣେ ଗାଁରେ ହାଟ ବସିଲାଣି, ରାଜ୍ୟ କମ୍ପିଲାଣି, ଆମକୁ ପଦେ ପଚରା ନାଇଁ, ତାଙ୍କରି ସଙ୍ଗେ ବନ୍ଧୁ ବାନ୍ଧି ହେବି ମୋ ଘର ବୁଡ଼େଇବାକୁ, ଏଇଆ ବୁଦ୍ଧି ଶିଖୋଉଚ-? ଥରେ କହିଦେଇଛି ଯାହା ସେଇଆ, ବଟ ମହାନ୍ତି ବାରି କବାଟ ବାଟେ ନିମିତ୍ତ କଥା ପକାଏ ନାହିଁ । ସେ ବାଟ ହୁଡ଼ିଲେ, କାଇଲ କାମ କଲେ ମୁଁ ସେଥିକି ଲଗା ନୁହେଁ । ଭଙ୍ଗା ଡିହରେ କି ବଂଶମର୍ଯ୍ୟାଦା କାଢ଼ିବ ସେ ମୋ ଆଗରେ ? ସେ କଥା ନାଆଁ ମୋ ଆଗରେ ଆଉ ଧରିବ ନାହିଁ-?’’

 

‘‘କ’ଣ କିଏ କଲା ତେମେ ଏମିତି ହଉଚ ? ତେମେ ଭାବୁଚ ରବି ପରି ପିଲା ତା’ ମନରେ କେଉଁଠି ହେଲେ ମଳିଧୂଳି ଥିବ ? କିଏ ଘରଭଙ୍ଗା ବାଦୁଆ ସତର ପ୍ରକାରେ ଯୋଡ଼ିଛନ୍ତି । ସେ ତ ସେଥର ନିଜେ ତା’ ତୁଣ୍ଡରେ କହୁଥିଲା କେମିତି ମାଙ୍କଡ଼ ଗୋଡ଼େଇଥିଲେ ସେ ଯାଇ ପହଞ୍ଚିଥିଲା ।’’

 

‘‘ଆରେ ଜଗତଯାକ ଯେଉଁଠି ଯାହାକୁ ମାଙ୍କଡ଼ ଗୋଡ଼େଇଲା କି ଷଣ୍ଢ ମାରିଧାଇଁଲା କି ବିରୁଡ଼ି ହୁରୁଡ଼େଇଲା ସେଠି ମୋ ପୁଅଟା ଯିବାକୁ କାହିଁକି ଦରକାର ପଡ଼ିବ, ଆଉ କ’ଣ ନାଇଁ ? କିଛି ନୁହେଁ, ଏଗୁଡ଼ା ଛଟାଗଳା କଥା । କ’ଣ ନା ଷଡ଼ଯନ୍ତ୍ର ।’’

 

‘‘ତୁମେ ମିଛରେ ସେମିତି ଭାବୁଚ– ।’’

 

‘‘ମିଛରେ ହଉ ସତରେ ହଉ, ମୋର ସେଠିକି ମତ ନାହିଁ, ଗଲା କଥା ସରିଲା । ଆଉ ମତେ ତ ଚିହ୍ନିଛ, ତେମେ ମା ପୁଅରେ ମୋ ମତ ବିରୁଦ୍ଧରେ କିଛି କରିବାକୁ ଯାଇଛ କି ଦେଖିବ ମୁଁ ଆଉ ଏ ଘରେ ରହିବି ନାହିଁ । ଜୀବନ ସଉଦା ଯେ, ପିଲାଖେଳ ନୁହେଁ । ଚାରିଆଡ଼କୁ କେତେ ଭାବିଚିନ୍ତି କାମ କରିବାକୁ ହୁଏ । ସ’କରେ ଭାସିଗଲେ ଚଳିବ ନାଇଁ । ମୋର ଇଜ୍ଜତ ମହତ ଅଛି, ବାଇଶ ଖଣ୍ଡ ଗାଁରେ ନାଁ ପଡ଼େ । ଲୋକେ କହିବେ କି ଘର ମଣିଷ କି କଥା କି କୁଳ ଶେଷରେ ଏଇଆ କଲା, ଆଉ କୋଉଠି ଦିଶିଲା ନାହିଁ ? ମିଛରେ ବ୍ରହ୍ମ ଜଳିଉଠେ, ଛାଡ଼ ସେ କଥା, ଆଉ ପକାଅ ନାହିଁ ।’’

 

ସେପଟେ ବାପ, ଏପଟେ ପୁଅ ।

 

ମଝିରେ ସେ ନିଜେ । ଠାକୁରଙ୍କୁ ଡାକି ଅପେକ୍ଷା କରିବା କଥା । ଯେତେ ହେଲେ ମନ ମାନେନାହିଁ । ଅଜାଣତରେ ଛାତି ଭିତରଟା ଥରିଉଠେ ।

 

ବରାହ ଦ୍ୱାଦଶୀ, ଆଜି ଭଗବାନ ବରାହ ଅବତାର ହୋଇ ଜନ୍ମ ହୋଇଥିଲେ । ବନ୍ଧମୂଳ ଗାଁ ଦକ୍ଷିଣକୁ ଗହୀର ସେପଟେ ଦଣ୍ଡା । ସେଠି ଅରାଏ ବୁଦା ଜଙ୍ଗଲ । ତାହାରି ଭିତରେ କେଉଁକାଳର ସାନ ଇଟା ଦେଉଳଟିଏ ଠିଆ ହୋଇଛି । ତହିଁରେ କଳା ମୁଗୁନି ପଥରର ଦି’ହାତ ଉଞ୍ଚ ପାଲିସ୍‌ ବରାହମୂର୍ତ୍ତି । ଦାନ୍ତ ଅଗ ଆଉ ଦମ୍ଭ ଥୋମଣି ଉପରେ କଳା ମୁଗୁନି ପଥରର ଅଧା ଗୋଲ ପୃଥିବୀ ଥୁଆ ହୋଇଛି । ଯେପରି କି ବଣର ବାର୍‌ହା ବେଲ ଫାଳେ ଧରି ଠିଆ ହେଉ ହେଉ ବେଲ ଆଉ ବାର୍‌ହା ଦିହେଁ ପଥର ପାଲଟି ଯାଇଛନ୍ତି । ବର୍ଷଯାକ ତା’ର ସେ କେମିତି ଥାଏ, କେମିତି ଚଳେ, କେହି ତତ୍ତ୍ୱ ନେବାକୁ ଆସନ୍ତି ନାହିଁ । ପୂଜା ସେବା ଖଞ୍ଜା ଅଛି କହନ୍ତି, କିନ୍ତୁ ସେବାୟତ କହନ୍ତି କେଉଁ ପୁରୁଷରୁ ତାଙ୍କର ଖଞ୍ଜା ଜମି ଗଲାଣି । ଅଛି ଆଜିର ଦିନକର ସେବାଟା, ଭୋଗରୁ ଆଠପଣି, ଆଉ ଖୁସିରେ ଯଦି କିଏ କେବେ ମାନସିକ କରେ ଅକାଳେ ସକାଳେ ।

 

ଆଜି ଦିନଟା ସେଠି ଯାତ୍ରା ହୁଏ । ଆଖପାଖ ଗାଁରୁ ଲୋକେ ରୁଣ୍ଡ ହୁଅନ୍ତି । ଦେଉଳ ଆଗରେ ଅରାଏ ସଫା ହୁଏ । ପାଖରେ ଥିବା ପୁରୁଣା କୂଅର ଫନ୍ଦ ଚାରିକର ଅଗଛା ହଣାହୋଇ ସେଥିରେ ଗୋଟିଏ ନୂଆ ଦଉଡ଼ି ପଡ଼େ, ପାଣି କଢ଼ା ହୁଏ । ବୁଦା ତଳେ ତଳେ ଜାଗା କରାହୋଇ ସାନ ବଡ଼ ହୋଇ କେତେ ପସରା ବସି ଲାଗେ ବିକାକିଣା । ସାପ, ଚଢ଼େଇ ଆଉ ବିଲୁଆଙ୍କୁ ହୁରୁଡ଼େଇ ଗହୀର ଆଉ ବଣ ତୋଟା କମ୍ପେଇ ଲାଗେ କିଛି ସଂକୀର୍ତ୍ତନ, କିଛି ସଙ୍ଗୀତ, ଝାଞ୍ଜ, ମୃଦଙ୍ଗ ସାଙ୍ଗକୁ ଖଞ୍ଜଣି ମେଳ । କେଉଁଠ କେଳା ଧୁଡ଼ୁକି ବି ଶୁଭେ । କେବେ କେବେ ଖଣ୍ଡେ ହାର୍ମୋନିଆଁ । ଦିନରେ ରାତିରେ ଠାଆ ଠାଆ ହୋଇ ମଉଛବକାରିଆଙ୍କର ଅନେକ ଚୁଲୀ ଜଳେ ।

 

ବରାହ ଆଜି ମନିଛା ଗାଧାଏ । ତା’ ଦେହରେ ଲହୁଣୀ ମାଲିସ୍‌ କରାହୁଏ । ଗଜାମୁଗ, ଗଜାବୁଟ, ନାନା ଶସ୍ୟର ନାନା ଗଜା ସହିତ ସରପୁଳି ଆଉ ଘିଅ ଲହୁଣୀ ସରସର ମାଣ୍ଡିଆ ପିଠା, ଏଇ ତା’ର ଆଜିକାର ବିଶିଷ୍ଟ ଭୋଗ । ତା’ ଛଡ଼ା ଯେ ଯାହା ଶରଧାରେ ଦେଲା । ଖିରୀ, ଖେଚେଡ଼ି, କଦଳୀ, ନଡ଼ିଆ, ପିଠାପଣା, ଭାତ, ତିଅଣ । ତା’ର ଚାରିଟାପୁ ତଳେ ମୁଣ୍ଡ କୋଡ଼ି ପ୍ରଣତି ଜଣାଇଁ ଲୋକେ ମାଗନ୍ତି ଭୋଗଭାଗ୍ୟ, ସନ୍ତାନ, ଧନ, ରୋଗମୁକ୍ତି, ଯାହାର ଯାହା ମନ ।

 

ଆଉ ସେମାନେ ଆବିଷ୍କାର କରନ୍ତି । ନିତି ଦିନର ନିଦା ମୋଟା ଘରକରଣିଆଁ ଚିନ୍ତା ଭିତରେ ହଠାତ୍‌ କେଉଁ ଫାଟବାଟେ ଝରିଝରି ଆସେ ମଣିଷ ମନର ନିଦାନ ବେଳର ଆଚମ୍ବିତ ହେବା ଗୁଣ । କେଉଁ ଅନାଦି କାଳର ଶୁଖିଲା ନଈ ତଳୁ ଫଲ୍‌ଗୁଧାରା ବାହାରେ । ସେଥିରେ ସତେକି ଆଖି ତିନ୍ତେଇ ମଣିଷ ଚାହେଁ ଚାରିପଟକୁ । ଚାଇଁ ଚାଇଁ ଲାଗେ, ଚମକି ଚମକି ପଡ଼େ । ସେହି ଦଣ୍ଡା ବଣ, ତା ସେ କରେ ଟେଳା ବଣ । ସେହି କେତେଥର ଦେଖା ପୁରୁଣା ସ୍ଥଳୀ । ଛେଳି ଗୋରୁ ଚରିବାକୁ ଆସନ୍ତି । କରେ କରେ ଛକାଛକି ହୋଇ ଏ ଗାଁରୁ ସେ ସେ ଗାଁକୁ ବାଟ ପଡ଼ିଛି । ସେଠି କେତେ ଅନ୍ୟାନ୍ୟ ଜିନିଷ ଆଖିରେ ପଡ଼େ । ଖାଲି ସମୟ ଆଉ ମଣିଷ ସ୍ମୃତି ଆଉ କଳ୍ପନା ଗୋଳାଗୋଳି ହୋଇ ଛାୟା ସୃଷ୍ଟି ।

 

ହେଇ ଆଁ କରି ଅନାଇଁ ଠିଆ ହୋଇଛନ୍ତି ପଲେ ଗୋଟିଏ ଖାଲ ଦାଢରେ, ସ୍ତ୍ରୀ ପୁରୁଷ, ପିଲାଠୁ ବୁଢ଼ାଯାକେ, ଖାଲରେ କ୍ଷୀରିକୋଳି, ଭଇଁଚିକୋଳି, ଲୁଣୁକୋଳି । ଆଉ ବୁଦା ଅରମା ବହଳ ହୋଇ ମାଡ଼ିଛି । କେଡ଼େ ଛନଛନିଆଁ ତେଲିଆ ତେଲିଆ ଦିଶୁଛି ଖରାରେ ତା’ର ପତ୍ର ଗହଳି ଉପରର ଶାଗୁଆ ଢେଉ, ଦି’ଟା କଜଳପାତୀ, ଗୋଟିଏ ଭଦଭଦଳିଆ ଚଢ଼େଇ କଳି କରୁଛନ୍ତି । ହାଲୁକା ଢାଉଆ ଶାଗୁଆ ପଟିପଟି ହୋଇ ଭଦଭଦଳିଆ ସୁନ୍ଦର ଦିଶୁଛି, କିନ୍ତୁ କେଡ଼େ କର୍କଶ ଶୁଭୁଛି ତା’ର ପାଟି । ଆଉ ଖାଲ ଦାଢ଼ରେ ଏଠି ସେଠି ହୋଇ ବୁଦାଗଛ ମଝିରେ ଠିଆ ହୋଇଛି ଗୋଟାଏ ଗୋଟାଏ ଅଳ୍ପ ଡେଙ୍ଗା ଡେଙ୍ଗା ଗଛ । କେନ୍ଦୁ, ଡିମିରି, ଖଜୁରି, ବେଲ-ମଝିରେ ମଝିରେ ପାଟଳି ଲଟେଇଛି । ରକ୍ତ ନାଲି ଫୁଲ ଯେପରି କି ଅଜାଡ଼ି ହୋଇପଡ଼ୁଛି ଡାହି ସମେତ । ଆଉ ସେକର କୁଦ ଉପରେ ଝିଲିଝିଲି ସାବ୍‌ଜା ଜାଲି ବିଛେଇଛି ଗୋଟିଏ ତେନ୍ତୁଳି ଗଛ । ତା’ ସେପାଖେ ଦମ୍ଭ ହୋଇ ଠିଆ ହୋଇଛି ଗୋଟିଏ ଝଙ୍କା ଡେଙ୍ଗା ଶିମିଳି ଗଛ । ପତ୍ର ଦିଶୁନାହିଁ, ଖାଲି ନାଲି ନାଲି ଫୁଲ । ତା’ ଏକରକୁ ଅଧା ଥୁଣ୍ଟା ଫାଳେ ମାଟି ଫାଳେ ଗଛ ହୋଇ ପୁରୁଣା ବରଗଛଟା ଅଧାରୁ ନାହିଁ । ଲାଗି ଲାଗି ହୋଇ ଖୁଣ୍ଟପରି ଓହଳ ଗଛ । ଉପରୁ ଉପରୁ ଭାଙ୍ଗି ପଡ଼ୁଛି ସେହି ଭେଟବର । ବାରମ୍ବାର ସେହି ପୁରୁଣା କିମ୍ବଦନ୍ତୀଟାହିଁ ଚେଇଁଉଠୁଛି ଆଖି ଆଗରେ । କିଏ କେତେବେଳେ କହିଥିଲା, କାହାରି ହେତୁ ନାହିଁ । କହିଥିବ, ନିଶ୍ଚୟ କେହି ଜଣେ ଟିକିଏ ଆଗରୁ କଥାଟା ପକାଇଥିବ । ଏମିତି ଜଣ ଜଣ କରି କେତେ ପଞ୍ଝାରେ କେତେଜଣ ପକାଇଥିବେ ସେ କଥା । ଖିଅ ଧରାଧରି ଲୋକେ ଆଲୋଚନା ବି କରିଥିବେ । ତା’ପରେ ଏହି ଉତ୍ସୁକ ଚାହାଣି । ଏଇ ସେଇ ଖାଲ-

 

ସେତେବେଳେ ଏଇ ଖାଲଟା ଥିଲା ରଜାଘର ନଅର ଦାଢ଼ର ପୋଖରୀ । ସେପାଖ ଢିପଟା ଥିଲା ରାଜାଘର । ଏ ପାଖେ ତାଙ୍କରି ପୂର୍ବପୁରୁଷ ଏ ବରାହନାଥଙ୍କୁ ଥାପିଥିଲେ । ନଅର ଭିତରେ ସେ ରହିବେ ନାହିଁ, ପଦାରେ ବୁଲିବା ଠାକୁର । କିନ୍ତୁ ପାଖରେ ରହିବେ, ନିତି ଦର୍ଶନ ହେବ-। ଏଇ ଭେଟବର ସେତେବେଳେ ଖାଲି ବଡ଼ ଝଙ୍କା ବରଗଛ । ଏଇ ପୋଖରୀରେ କାଚ ଖମ୍ବ ପାଣି-। କୂଳରେ ନଡ଼ିଆ ଗଛ, ଚମ୍ପା ଗଛ, କଦଳୀ ଗଛ-ହୁଏତ ଏମିତିବି କାହା କଳ୍ପନାରେ ରାଜାଘରର ବଗିଚାବୋଲି ଧାରଣା ହେଉଥିବ, ଯେ ଜାତି ଜାତି ଦରକାରୀ ଗଛ ଏକାଠି । ଗୋଧୂଳିବେଳେ ଏଇଠି ଏଇ ଗଛମୂଳେ ଦେଖାହେଲା ରାଜାଙ୍କର ଆଉ ଜଣକର । ପାଣିରୁ ଉଠି ଆସୁଥିଲା ପଦ୍ମିନୀ ସ୍ତ୍ରୀ । ପଦ୍ମ ବାସ୍ନାରେ ଭଅଁର ଗୋଡ଼େଇଥିଲେ ।

 

‘‘ଏଇଠି !’’ ‘‘ହଁ ଏଇଠି !’’ ଆଗରୁ ଉହୁଁକି ହୋଇଯାଇଛି ବେକ । ଆଖି ଡେରି ହୋଇ ରହୁଛି ବିସ୍ମୟରେ । ତରଳି ବାମ୍ପେଇ କୁଆଡ଼େ ଉଡ଼ି ଚାଲିଯାଉଛି ଏଇ ଅପନ୍ତରା ଦଣ୍ଡା ବଣବୁଦା । ବସତିର ଛବି ଫୁଟି ଉଠୁଛି ସେଠି ଆଉ ତା’ ସେକରେ ନଅରର । କଣ୍ଟାବୁଦା ଛାଉଣି ଅଗଭୀର ଖାଲ ନୁହେଁ, ଆଗରେ ଏଠି କାଚଖୁମ୍ବ ପାଣି ଭର୍ତ୍ତି ପଦ୍ମପୋଖରୀ, ତା’ର ସୁନ୍ଦର ପାଉଛ, କରେ କରେ ଫୁଲ । ପଦ୍ମିନୀ କନ୍ୟା ପାଣିରୁ ଉଠି ଆସୁଛି, ଅନାଇଁ ରହିଛି ରାଜା ।

 

କାହାଣୀ କୁହାହୋଇଛି–ଯେ ସେତେବେଳେ ସତରେ ନଅର ଏଠି ନ ଥିଲା, ଥିଲା ଶବର ପଲ୍ଲୀ । ସେତେବେଳେ ଏ ଖଣ୍ଡମଣ୍ଡଳରେ ଶବରମାନେ ରାଜା, ଏକାମ୍ର ତାଙ୍କର ରାଜଧାନୀ-। ଢେଙ୍କାନାଳ କପିଳାସ ପାହାଡ଼ ଉପରେ ସନ୍ଥ ଶିଖରା ଶବର ତପସ୍ୟା କରି ହେଲେ ଶିଖରେଶ୍ୱର ମହାଦେବ । ତାଙ୍କର ବଂଶରେ ପଛେ ଦଣ୍ଡୀ ପାଟ ମହାଦେଈ । ସେପଟେ ସମୁଦ୍ର କୂଳଆଡ଼େ ତାଙ୍କରି ଗୁରୁ ସନ୍ଥ ମୁଦ୍‌ଗଲ, ଯାହାଙ୍କର ମୂର୍ତ୍ତି ଏବେବି ଅଛି । ସେହି ତ ସେ ଶବର ଜଗନ୍ନାଥଙ୍କୁ ଆଗେ ଯେ ପୂଜୁଥିଲେ । ବଣ ପର୍ବତଗୁଡ଼ାକଙ୍କ ନଟି ଛୁଆଣି ବାଲିବନ୍ତ, ଝାଉଁବଣ ସେପଟେ ମହୋଦଧି, ଟାଙ୍ଗର କି ସମତଳ, ସବୁଠି ସେହି ଶଅର-ଶଅର-ଲେଖାନାହିଁ ମହାଭାରତରେ ? ଏଁ-?

 

ଶଅର ପଲ୍ଲୀଟିଏ ଥିଲା ସେକରେ । ଏକରେ ବଡ଼ ପଦ୍ମପୋଖରୀ । ରାଜା ପାରିଧିକି ଆସିଥିଲେ । ପଲ୍ଲୀ ଦାଣ୍ଡରେ ଗଲାବେଳେ ଦେଖିଯାଇଥିଲେ କାହା ପିନ୍ଧାଶାଢ଼ି ଖଣ୍ଡେ ଶୁଖୁଛି ଯେ ସେଥିରେ ଭଅଁରମାନେ ବସିଛନ୍ତି । ରାଜା ଜାଣିପାରିଥିଲେ ଏଠି କିଏ ପଦ୍ମିନୀ କନ୍ୟା ଅଛି । ଓର ଉଣ୍ଡିଥିଲେ, ତା’ପରେ ପୋଖରୀ କୂଳରେ ଚାରିଆଖି । ତାଳପତ୍ର ପୋଥିରେ ଯେମିତି ପଦ୍ମିନୀକନ୍ୟାର ଚିତ୍ର ଅଙ୍କା ହୋଇଥାଏ, ଅବିକଳ ସେମିତି ଢାଞ୍ଚାର ତା’ର ଗଢ଼ଣ । ବିରୁଡ଼ି ଅଣ୍ଟା ପରି ଅଣ୍ଟା, ହରିଣ ଆଖି ପରି ଆଖି, ଇତ୍ୟାଦି ଇତ୍ୟାଦି ।

 

ଏଗା ଶଅର ରାଜି ହେଲା ଝିଅକୁ ବିଭା ଦେବ । କିନ୍ତୁ ଗୋଟିଏ ସର୍ତ୍ତରେ-ରାଜା ନଅର ତୋଳି ରହିବ ଏଇଠି, ଝିଅ ଏଇଠି ରହିବ, ସହରକୁ ଯିବ ନାହିଁ । ରାଜା ରାଜି ହେଲେ । ତା’ପରେ ଏଇଠି ତୋଳାହେଲା ନଅର ଆଉ ଗଡ଼ । ବରାହନାଥ ସ୍ଥାପନା ହେଲେ । ପଦ୍ମିନୀ ଶବରୀ କନ୍ୟାର ହେଲେ ତେରଟି ପୁଅ । ସେମାନଙ୍କୁ ଗୋଟିଏ ଗୋଟିଏ ଗଡ଼ରେ ସାମନ୍ତ କରାଇ ରଖାଗଲା । ସେହିମାନେ ଯାହାକୁ ଏବେ କହନ୍ତି ତେର ସଉରୀ ଖଣ୍ଡାଏତ ।

 

‘‘ଏଇଠି ! ଏଇଠି !’’ ରାଜା, ତାଙ୍କର ସ୍ୱଭାବ ପାରିଧିକି ଯିବା । ତାଙ୍କ ଖେଳ ଶଓରା ପଲ୍ଲୀରେ ପଦ୍ମିନୀ କନ୍ୟା ପାଇଲେ ବିଭା ହେବା । ଶିକାର, ରାଜୁତି, ହାକିମାତି, ଦେହ ସୁଖ, ଆଉ ଅନ୍ୟ ସମସ୍ୟାହିଁ ଯେପରି ନାହିଁ ।

 

‘‘ଏଇ ଦେଖ, ଆରପାଖେ ସେ ଯେଉଁ ଢିପଢିପ ଦିଶୁଛି, ସେଇଥିଲା ମୁଖିଙ୍କ ଉଆସ । ମୁଖି ବୋଲନ୍ତେ ରାଜାଙ୍କ ମୁଖ୍ୟମନ୍ତ୍ରୀ । ଗୋଟିଏ ରାଜାଙ୍କ ଅମଳରେ ମୁଖ୍ୟ ଆଉ ବ୍ରାହ୍ମଣମାନଙ୍କ ଭିତରେ ଭାରି ଟକାଟକି ଲାଗିଥିଲା । ବ୍ରାହ୍ମଣମାନେ ମହାପଣ୍ଡିତ । ରାଜା ତାଙ୍କରି କଥା ମାନି ଚଳନ୍ତି । ତାଙ୍କୁ ବହୁତ ଦିଆଘେନା କରନ୍ତି । ମୁଖିଙ୍କ ଦେହରେ ସହେ ନାହିଁ । ମୁଖି ଭାବନ୍ତି, ରାଜା ଏ ପଣ୍ଡିତଙ୍କ କଥାକୁ ବେଶି ବେଶି ମୁଣ୍ଡରେ ମୁଣ୍ଡାଉଛନ୍ତି । ତାଙ୍କର ଦିନକାଳ ଗଲା । ତେଣୁ ମୁଖି ବୁଦ୍ଧି ପାଞ୍ଚିଲେ । ଗୁପତରେ ଲୋକ ଲଗାଇ ଦେଇ ବ୍ରାହ୍ମଣଙ୍କ ଖତକୁର ଗଦାରେ ଗେଣ୍ଡା ଖୋଳପା, ମାଛ କଣ୍ଟା ଏମିତି ସବୁ ପୋତିଲେ । ରାଜାଙ୍କୁ ଖବର କରିଲେ ଯେ ଏ ବ୍ରାହ୍ମଣେ ଅନାଚାରୀ, ଆଚାର ହୁଡ଼ି ଆଇଁଷ ଖାଇଲେଣି । ଏପରିକି ଗେଣ୍ଡା କୋଚିଆ ଖାଉଚନ୍ତି । ମଣିମା ଦେଖିବା ହେଉ ସେମାନଙ୍କ ଖତକୁର । ରାଜା ଦେଖିଲେ । ଗମ୍ଭୀର ହୋଇ ବ୍ରାହ୍ମଣମାନଙ୍କୁ ଆଦେଶ ହେଲା, ‘‘ଏଇ ତ ଗେଣ୍ଡା ଖୋଳପା, ମାଛ କଣ୍ଟା ତମ ବାରିଦୁଆରେ, କ’ଣ ଏଥିକି ଉତ୍ତର ?’’

 

ବ୍ରାହ୍ମଣେ ସେହି ଗେଣ୍ଡା ଆଉ ମାଛ କଣ୍ଟାମାନଙ୍କ ଆଡ଼କୁ ଲୁହ ଛଳଛଳ ଆଖିରେ ଅନାଇଁ କହିଲେ, ‘‘ବାବୁ, ଆମେ ତମକୁ ଆଣି ନାହୁଁ, ଆମେ ତମକୁ ଚିହ୍ନି ନାହୁଁ, ସତରେ ଯଦି ଆମେ ତମକୁ ଆଣିଛୁ, ତେବେ ଯେମିତି ଅଛ ସେମିତି ଥାଅ, ନାହିଁ ଯଦି ତୁମକୁ ଆଉ କିଏ ଆଣିଛି, ତୁମେ ନିଜ ରୂପ ଧରି ତାହାରି ପାଖକୁ ଚାଲିଯାଅ ।’’

 

ଚାହୁଁ ଚାହୁଁ ସେହି ମଲା ହାଡ଼ ଜୀଅନ୍ତା ପ୍ରାଣୀ ହୋଇଗଲା । ଗେଣ୍ଡା, ମାଛ, କୋଚିଆ, ଯାହାର ଯେପରି ହାଡ଼ ଥିଲା । ସେମାନେ ଗୋଛା ହୋଇ ଚାଲିଲେ ମୁଖିଙ୍କ ଆଡ଼କୁ । ରାଜା ମୁଖିଙ୍କ କାରସାଦି ବୁଝିଲେ । ହୁକୁମ୍‌ ହେଲା ତାଙ୍କୁ ସବଂଶେ ହାଣି ପକାଇ ତାଙ୍କ ବଂଶ ଲଣ୍ଡା କରିବାକୁ । ହେଇ ସେ ବାଟେ ସେ ଯେଉଁ ଆର ଗାଡ଼ ଦିଶୁଛି ସେଇଠି ପରା ମୁଖି ବଉଁଶକୁ ହତ୍ୟା ହୋଇଥିଲା-

 

ତା’ପରେ ହେଇ ଦେଖ ପୂର୍ବପଟ ଢିପ, ଯେଉଁଠି ପୁରୁଣାଗଛ ସିଝୁଗୁଡ଼ାକ ଠିଆ ହୋଇଛି, ତା’ ବେକଯାକେ ପୁରୁଷେ ଉପରେ ଉଞ୍ଚ ହୁଙ୍କା । କେଉଁ ପୁରୁଷରେ ଏକ ରାଜା ତନ୍ତ୍ର ପୂଜାରେ ସିଦ୍ଧି ପାଇବବୋଲି ତନ୍ତ୍ରଗୁରୁ ବରଣ କଲା । ତନ୍ତ୍ରକାର କହିଲା, ପୂରା ହଜାରେ ଶ୍ରୋତ୍ରିୟ ବ୍ରାହ୍ମଣଙ୍କୁ ବଳି ଦେବାକୁ ପଡ଼ିବ । ସେହି ମଢ଼ମାନଙ୍କ ଉପରେ ଆସ୍ଥାନ ଥୋଇ ତା’ ଉପରେ ବସାଇବ ଠାକୁରାଣୀ, ତେବେ ସିଦ୍ଧି ସୁନିଶ୍ଚିତ । ସେ ଠାକୁରାଣୀ ପୋଷା ହେଲାପରି ରାଜାର ବୋଲକାରିଆ ହୋଇ ରହିଥିବ । ହଜାରେ ପ୍ରେତ ପିଠିରେ ବସି ସେ ରାତି ରାତି ମନଇଚ୍ଛା ବୁଲୁଥିବ । ଦିନ ହେଲେ ଯେଉଁଠି ସେଇଠି ।

 

ପଦାକୁ ପ୍ରଘଟ କରାହେଲା ଯେ ରାଜା ପୁଅଙ୍କ କାନଫୋଡ଼ି ହେବ, ତେଣୁ ହଜାରେ ଶ୍ରୋତ୍ରିୟ ବ୍ରାହ୍ମଣ ବରଣ ହୋଇଛନ୍ତି । ଚାରିପାଖେ ଉଞ୍ଚା ପାଚିରୀ, ବାଟ ମୁହଁରେ ପହରା । ଜଣେ ଭିତରକୁ ପଶି ସାରିବ, ଭିତରୁ ଖବର ଆସି ସାରିବ, ତା’ପରେ ଆଉ ଜଣେ । ଶହେ ଗଲେ, ଦୁଇ ଶହ ଗଲେ, ଦୁଇ ଶହ ଏକାବନ ଜଣ ଗଲେ । ଭିତରେ ଦେବୀ ଥାପନା କରାହୋଇଥାଏ । ଆସନରେ ବସିଥାଏ ତନ୍ତ୍ରକାର । ରାଜାଘର ପାଟ ମଳିକ, ଯେ ଦଶରାକୁ ପୋଢ଼ ବଳି ହାଣେ । ସେ ପାଟଖଣ୍ଡା ଧରି ଠିଆହୋଇ ରହି ଚୋଟକେ ଜଣକୁ ଦିଗଡ଼ କରୁଥାଏ । ଲୋଭ ଆଉ ଭୋକ ସମ୍ଭାଳି ପାରିଲାନାହିଁ ଦୁଇଶହ ବାଉନ ଜଣକ । ଭାବିଲା, ଅନ୍ୟମାନେ କେଜାଣି କେତେ ଖାଇବେଣି, କେତେ ପାଇବେଣି, ଏ ପହରା ମତେ କହୁଚନ୍ତି ପଛକୁ ଥା । ସେ ନଡ଼ିଆ ଗଛରେ ଚଢ଼ି ଉହୁଙ୍କି ଅନାଇଁ ଦେଖିଲା ତା’ ଆଖି ଆଗରେ ଦୁଇଶହ ଏକାବନ ଜଣକର ଦଶା କ’ଣ ହେଲା-? କେତକୀ ପରି ଗୋରା, ଶାଳଗଛ ପରି ସିଧା ଡେଙ୍ଗା ହୋଇ ଭେଣ୍ଡାଟିଏ ସେ । କେଡ଼େ କଅଁଳ ତା’ ମୁହଁଟି । ତା’ କାନ୍ଧରେ ଉତ୍ତରୀ ଥିଲା । ହାତରେ ଥିଲା ପୋଥି । ନିମିଷକେ ସବୁ ଶେଷ-

 

ପାଗଳ ପରି ନଡ଼ିଆ ଗଛ ଉପରୁ ଚିତ୍‌କାର କଲା ସେହି ଦୁଇ ଶହ ବାଉନ୍‌ ଜଣକ । ଅଚିହ୍ନା ଜନ୍ତୁର ବୋବାଳି ପରି ଶୁଭିଲା ତା’ ପାଟି । ସେ ଚିର୍ଚ୍ଚିରେଇ ଚିର୍ଚ୍ଚିରେଇ ସବୁ କଥା କହିଦେଲା । ସମସ୍ତେ ହୁରୁଡ଼ି ପଳାଇଲେ । ତାକୁ ମାରିବାକୁ ଗୋଡ଼ାଇବାରୁ ତନ୍ତ୍ରିକାର କହିଲା, ‘‘ଆଉ କିଛି କଲେ ଫଳ ହେବ ନାହିଁ ରାଜା ! ଦେବୀର ଇଚ୍ଛାନାହିଁ । ତେଣୁ ତ ବିଘ୍ନ ହୋଇଗଲା । ଯେତିକି ମିଳିଲା ସେତିକି ପୋତିଦେଇ ଦେ ଥୋଇ ଦେ ।’’ ସେଇଆ ହେଲା ।

 

ଦେବୀ ମୂର୍ତ୍ତି ଥିଲା । ସେ ମୂର୍ତ୍ତିକୁ ନେଇଗଲା କଳାପାହାଡ଼ । କୁଆଡ଼େ ଭାଙ୍ଗିଭୁଙ୍ଗି ଫୋପାଡ଼ି ଦେଇଥିବ । ବରାହ କେମିତି ଛପି ରହିଥିଲା ତା’ ଧାପବେଳେ । ସେକାଳ ସହର, ସେ କାଳର ଗାଁସବୁ କୁଆଡ଼େ ଉଭେଇଗଲା । ଦଣ୍ଡା, ବିଲ, ତୋଟା ଆଉ ପୁରୁଣାକାଳର ସ୍ମାରକ ଏଇ ତଷୁପୋଡ଼ା ଇଟାରେ ତୋଳି ଦେଉଳ ଭିତରେ ପାଲିସ୍‌ ମୁଗୁନି ପଥର ତିଆରି ବରାହନାଥ । ଏତିକି ପଡ଼ିଛି, ଆଉ ନାହିଁ ।

 

ଆଜି ବରଷକେ ଥରେ ମଉଛବପାଇଁ ରୁଣ୍ଡ ହେଲାବେଳେ ମନେପଡ଼ୁଛି ସେହି ପୁରୁଣା କିମ୍ବଦନ୍ତୀ, ଶୂନ୍ୟରୁ ସୃଷ୍ଟି ହେଉଛି । ଦଳ ଦଳ ହୋଇ ଲୋକେ ଆଖିଫାଡ଼ି ମନେ ମନେ ସେହିଆକୁ ଦେଖୁଛନ୍ତି । ମଣିଷର ସ୍ମରଣରେ ଅତୀତ ଆଉ ବର୍ତ୍ତମାନ ଏକ ହୋଇଛି । ରାଜା, ମନ୍ତ୍ରୀ, କଟୁଆଳ, ପୁରୋହିତ, ତାନ୍ତ୍ରିକ । ସେମାନଙ୍କ ଭୋଗ୍ୟବସ୍ତୁ ପରି ସାଧାରଣ ମଣିଷ, ତା’ର ମାଂସ, ତା’ର ରକ୍ତ, ତା’ର ସମ୍ପଦ, ଯେତେବେଳେ ଯାହା ଆବଶ୍ୟକ । ତା’ର ମନକୁ ବାଗ ମନାଇବାପାଇଁ ନାନା ପୂଜା, ଉପଚାର, ନାନା ଶ୍ଳୋକ ଶ୍ଳୋକାନ୍ତ ଆଉ ଶାସ୍ତ୍ର, ସ୍ୱର୍ଗ-ଲାଞ୍ଚର ଆଶ୍ୱାସ, ନରକର ଭୟ ।

 

ଖାଲ ଦାଢ଼ରେ, ବଣ ଭିତରେ, ଦଳ ଦଳ ରଙ୍ଗ ରଙ୍ଗର ମଣିଷ । ବର୍ଣ୍ଣ ବର୍ଣ୍ଣର ଶାଢ଼ି, କାମିଜ, ପିଲାଙ୍କ ଅଙ୍ଗୀ, ଗେରୁଆ ଲୁଗା ସାଙ୍ଗକୁ ଚମ୍ପାଫୁଲିଆ ଗାମୁଛା, କଳା ମଣିଷ, ଗୋରା ମଣିଷ, କଳା କି କହରା ମୁଣ୍ଡବାଳ । ଅଳ୍ପ କେଇଟା ଧଳା ମୁଣ୍ଡ ବି । ସେମାନେ ବୁଲୁଛନ୍ତି ଏ କନ୍ଦି ସେ କନ୍ଦି । ମଣିଷ ତା’ର ସ୍ପର୍ଶ ରଖି ଯାଉଛି, ଖାଲି ପାଦ ଚିହ୍ନ ନୁହେଁ, କେଉଁ ସାବୁଜା ଘାସ ଉପରେ ପାନପିକ କି କି ବିଡ଼ି, କେଉଁଠି ଅରାଏ ଲେଖାଁ ଓଦା ଓଦା, ଆଉ କେଉଁଠି ଭଙ୍ଗା ଖପରା, ଶୁଖିଲା ପତର, ଖାଦ୍ୟପଦାର୍ଥ ଶେଷ ଅଂଶ, ଆଉ କେତେ ଆଳକୁଚି ମାଳକୁଚି । ସେ ଗୋଟିଏ ଯେତେ ତହିଁରୁ କମ୍‌ ଫୋପାଡ଼େ ନାହିଁ । ଉଡ଼ି ବୁଲୁଛି ତା’ ଦେହର ଜୀଅନ୍ତା ଉଷୁମ, ଆଉ ତା’ ଦେହର ମଣିଷ ମଣିଷ ଗନ୍ଧ କି ବାସ୍ନା । ସେହି ଯେପରି ଟିକିଏ ଆଗରୁ ମଣିଷ ବସିପଡ଼ି ଚାଲି ଯାଇଥିଲେ ମରୁଭୂମି ବାଲିରେ କି ଅଗ୍ନାଅଗ୍ନି ବନସ୍ତ ଭିତରେ ବି ସେହିକ୍ଷଣି ଆଉ ଲୋକ ପହଞ୍ଚିଗଲେ ଅଳ୍ପେ ଅଳ୍ପେ ବାରିହୁଏ, ଏଇଠି ମଣିଷ ବସିଥିଲେ ବୋଧହୁଏ ।

 

ଚାହୁଁ ଚାହୁଁ ତା’ର ସ୍ମୁତି ବି ବଦଳିବାକୁ ଆରମ୍ଭ କଲାଣି ସେ ସେଇଠି ଥାଉ ଥାଉ । ଗୋଟା ଗୋଟା ଭାତ କି ଚାଉଳକୁ ଚଢ଼େଇ ଟୋକି ନେଲେଣି, ପିମ୍ପୁଡ଼ି ବୋହିନେଲେଣି ଦାନାଟିମାନ, କେଉଁଠି କ’ଣ ପଡ଼ିଯାଇଥିଲା । ସଳିତା ଟିକିଏ କି ଛିଣ୍ଡା ଟୋକେଇଟିଏ ଯେ ଆସ୍ତେ ଆସ୍ତେ ତା’ ଉପରେ ଉଇ ଚଢ଼େଇବାକୁ ଲାଗିଲେଣି ପାତଳ ମାଟି ଢାଙ୍କୁଣି । ଗଛରୁ ପତ୍ର ଝଡ଼ିଛି, ଫୁଲପାଖୁଡ଼ା ଝଡ଼ୁଛି, ମଣିଷଠୁ ବି ଝଡ଼ୁଛି ତା’ର ଅବସ୍ଥିତିରୁ ଅଦେଖା ତେଜ । ସବୁ ପୁଣି କୁଆଡ଼େ ବଦଳି ଯାଉଛି, ଉଭେଇ ଯାଉଛି । ଛାଇ ଆଲୁଅ ପବନ ଏକାଠି ମିଶି ପୂରି ଚାଲିଛି ଏଇ ବଣ ଆଉ ଦଣ୍ଡାରେ ବି, ନିମିଷକେ ତା’ର ନୂଆ ନୂଆ ରୂପ ।

 

ବସିଯାଇଛି ଦି’ ଧାଡ଼ି ହୋଇ ଦୋକାନ । ମାଳି କରଧୁନିମୟ ପାଟରା ଦୋକାନ, ଗୁଡ଼ିଆର ମୁଆଁ ଘି’ପିଠାଠୁଁ ରସଗୋଲାଯାକେ । ବଢ଼େଇ, କମାର, କୁମ୍ଭାର, ତନ୍ତୀ ସମସ୍ତେ ଆଣିଛନ୍ତି ଆପଣା ଆପଣା ପସରା ତା’ ଛଡ଼ା କଳକାରଖାନା ତିଆରି ତାଜା ଜିନିଷ ଆସିଛି ଗଦା । ଲୁଗାପଟା, ମିଠେଇ, ବାସନ, କେତେ କେତେ ପଦାର୍ଥ । ପାନ, ବିଡ଼ି, ସିଗାରେଟ୍‌ ଦୋକାନ ଏଠିବି ସଜା ହୋଇଛି । ଟିଣ ଦୁଧରେ ତିଆରି ଗୁଣ୍ଡ ଚା’ ଏଠିବି ଉଠାଚୁଲୀ ଉପରେ ସିଝୁଛି । ମୁହଁ ତଳକୁକରି ମାଟିଆ ମାଟିଆ ଚାହା କପ୍‌ଗୁଡ଼ାଏ ଥୁଆ ହୋଇଛି ଯେପରି କି ବହୁ ଲୋକଙ୍କ ଅଇଣ୍ଠା ହୋଇସାରି ଲାଜ ମାଡ଼ୁଛି ଅଥଚ ଆହୁରି ବହୁ ଲୋକଙ୍କ ପାଟିରେ ଲାଗିବାକୁ ପଡ଼ିବ । ପସରା ଉପରେ ଉପରେ ଗୋଟିଏ ଛାମୁଡ଼ିଆ ବାନ୍ଧିବାକୁ ଚେଷ୍ଟା କରାହୋଇଥିଲା । ହେଇନପାରି ଅଧାଭଙ୍ଗା ଅବସ୍ଥାରେ ପଡ଼ିରହିଛି । ଅଛି ମନକୁ ମନ କିଛି ଛାଇଦେଲାଭଳି ଗଛ । ଛୋଟ ହେଉପଛେ-ଗୋଟିଏ ଗୋଟିଏ ଅଁଳାଗଛ ଗୋଟିଏ ଲେଖାଁ ଜାମୁଗଛ, ଗୋଟିଏ ଲେଖାଁ ଏଣୁତେଣୁ ଗଛ । ସେଥିରେ ଅନାବନା ଲଟା ଗୁରେଇ ହୋଇଛି । ଗଛ ଆଉ ଲଟା ଏକାଠି ମିଶି ଖୋପ ଖୋପ ହୋଇ ସାନ ସାନ କୁଞ୍ଜ ଅନେକଗୁଡ଼ିଏ ଅଛି । ସେଠି ନାନା ପ୍ରକାର ବଣ ଫୁଲ । ପସରା ସେକରେ ଦଣ୍ଡାର ବଣ । ଗୋଟାଏ ଗୋଟାଏ ବଡ଼ ବଡ଼ ଗଛ । ସୋରିଷିଆ କି କୋଚିଲା କି ବର କି ଓସ୍ତ । ଏଠି ସେଠି ନାଲି ଟହ ଟହ ଫୁଲର ବୋଝ । ଗୋଟିଗୋଟିକିଆ ଶିମୁଳି, ପଳାଶ, ଲଟା ପଳାଶ, ପାଳଧୁଆ । ଦେଉଳ ଆଖପାଖରେ ପୁରୁଣା ବଉଳ ଗଛ, ପୁରୁଣା ନାଗେଶ୍ୱର ଗଛ, କେତୁଟା ପୁରୁଣା କୃଷ୍ଣଚୂଡ଼ାଗଛ ଠିଆ ହୋଇଛି । ଫଗୁଣ ପବନରେ ବାସ୍ନା ଚହଟି ଯାଇଛି । ଆଉ ଆସୁଛି ବାସ୍ନା ଚୋରା କେତକୀ ଫୁଲର । ଏଇ ବଣ ଭିତରେ କେଉଁଠି ଛପି ରହିଛି ଆଉ କୁରେଇ ଫୁଲର ଉଗ୍ର ବାସ୍ନା, ସେ ସବୁଠି । ବଣା ଅରମା ଓ ସଭ୍ୟ ମଣିଷ ଏକାଠି ହୋଇଛନ୍ତି ଆଜି ଦିନକ । ଆଜି ବରାହନାଥଙ୍କ ଜନ୍ମଦିନ ।

 

ଜାଗା ମାଡ଼ୁ ମାଡ଼ୁ ଶୁଣା ଅତୀତ ମନେପଡ଼ି ଯାଇଛି, ଖାଲି କିମ୍ବଦନ୍ତୀ । ଜେଜେବାପା ତାଙ୍କ ଆଈଙ୍କଠୁ ଶୁଣିଥିଲେ । ତାଙ୍କ ଝିଅ ଆଗରେ କହିଥିଲେ । ପିଇସୀ କହିଲେ ପୁତୁରାଙ୍କୁ–ଯେ କହୁଥିଲେ ସେମାନେ ବି ଗଲେଣି ।

 

ମଣିଷ ଯାତ୍ରା ଗହଳିରେ କିମ୍ବଦନ୍ତୀ ଆଲୋଚନା କରୁଥିଲାବେଳେ ଚାଲିଛି ବସନ୍ତ । ନାଲି ଆଉ ସାବୁଜା । ସେପାଖ କାଳୀ ଆମ୍ବ ତୋଟାରୁ ବଉଳର ବାସ୍ନା ଆସୁଛି, ଘାସ ଉପରୁ ମୁହଁଟେକି ନାଲ ଫଣକେଇ ରଖିଛି ଏ ଯେଉଁ ଧଳା ଗାଈ ତା’ ମୁହଁରେ କଳା ଟୋପା ଟୋପା ସେ ସମ୍ଭବତଃ ସେହି ବାସ୍ନା ଘେନୁଛି । ଏକା ଧାଡ଼ିରେ ତିନିଟା ବୁଢ଼ା ତେନ୍ତୁଳି ଗଛ । ମାଘରେ ଫଳ ପାଚି ଝଡ଼ିଗଲା ପରେ ବି ଗୋଟିଏ ଗୋଟିଏ ରହିଯାଉଛି ଗଛରେ । ପୁଣି ମୁଥେ ଟିକି ଟିକି ନୂଆ ନୂଆ ପତ୍ର, ହାଲୁକା ସାବୁଜା । ଅତି ପୁରୁଣା ନିମ୍ବଗଛ ଦି’ଟା । ନାଲିଚା ପତ୍ର ସନ୍ଧିରେ କଢ଼ ଖୁନ୍ଦି ହୋଇଛି । ତଳ ଅରମାରେ ଗିଲ ବୁଦା ଫଳ ଅଜାଡ଼ି ଦେଇ କ୍ଳାନ୍ତ ହୋଇ ଶୋଇଛି । କିଆ ବୁଦାର ତଳିପତ୍ର ପାଚି ପାଚି ଆସିଲାଣି, ଉପର ଗାଢ଼ ଶାଗୁଆ । କଣ୍ଟେଇ କୋଳି, ନିରାସ କୋଳି ପାଚି ଝଡ଼ି ପୁଣି କେତେ ଶୁଖିଯାଇ ଗଛରେ ରହି ଯାଇଛି । ଟିକି ଟିକି ନୂଆ ନୂଆ ପତ୍ର କଅଁଳି ଉଠୁଛି । ନୂଆ ପତ୍ର, ନୂଆ କଢ଼, ନୂଆ ବାସ୍ନା । ବୁଦା ଅରମାକୁ ବି ନାନା ଭଙ୍ଗୀରେ ନଚେଇ ନଚେଇ ବସନ୍ତ ପବନ ଖେଳି ଯାଉଛି । ସେ ଆଣିଛି ସର୍ଜନ ପୁଲକ ଓ ସ୍ୱପ୍ନ । ତାହାରି ଭିତରେ ବରାହ ଅବତାରଙ୍କ ଜନ୍ମର ପରିକଳ୍ପନା । ବରାହ-ସେ ହିରଣାକ୍ଷ ଅସୁରକୁ ମାରିଥିଲେ । ଆଉ ପୃଥିବୀ ଯେତେବେଳେ ପାପର ଭାରା ସହିନପାରି ରସାତଳକୁ ବୁଡ଼ି ଯାଉଥିଲା, ସେତେବେଳେ ତାକୁ ଟେକି ଧରିଥିଲେ ଦାନ୍ତ ଅଗରେ ।

 

ଗହଳି ଲାଗିଛି, ଇଟା ଦେଉଳ ଦୁଆର ମୁହଁରେ ଠେଲାଠେଲି, କିଏ ଆଗ ସେ ବିଗ୍ରହଙ୍କୁ ଚାହିଁ ମୁଣ୍ଡିଆ ମାରିବ । ଏଇଦିନ ଏଇସ୍ଥଳରେ ଏମିତି ମୁଣ୍ଡିଆ ମାରିଛନ୍ତି ଏଇ ଅଞ୍ଚଳଯାକର ଲୋକେ କେତେ ନାହିଁ କେତେ ପୁରୁଷ, ସେମାନେ ସମସ୍ତେ ସମର୍ଥନ ଜଣାଇଛନ୍ତି ପାପ ଦୂର ହେଉ, ପୁଣ୍ୟ ପ୍ରତିଷ୍ଠା ହେଉ । ସଦ୍‌ବିଚାର ସତ୍‌କାର୍ଯ୍ୟ ବିରାଜୁଥାଉ ଏ ପୃଥିବୀରେ । ମନୁଷ୍ୟ ଶାନ୍ତି ପାଉ, ଗ୍ରହ ଶାନ୍ତି ପାଉ, ସୃଷ୍ଟି ଶାନ୍ତି ପାଉ । ଅରମା ଭିତରେ ଅପନ୍ତରାରେ ମଣିଷ ସତ୍ୟ ଓ ଶାନ୍ତିକୁ ପୂଜା କରୁଛନ୍ତି, ଦୀପ ସଳିତା ଜାଳୁଛନ୍ତି, ବାଜା ବାଜୁଛି, ବିଜୟ ଧ୍ୱନି ଉଠିଛି, ପାଦୁକ ଆଉ ଭୋଗ ବଣ୍ଟା ହେଉଛି ।

 

ବୁଦା ଉହାଡ଼ରେ ଛପି ରହି କୋକି, ବିଲୁଆ, ଠେକୁଆ, ଗଧିଆ ଦେଖୁଛନ୍ତି । ଏମିତି ଅନେଇଁ ଆସିଛନ୍ତି ତାଙ୍କ ପୂର୍ବପୁରୁଷ ବି । ବିଗ୍ରହମୁଣ୍ଡ ଉପରେ ଯେଉଁ ବଣୁଆ କଳା ଝିଟିପିଟିଟି ପେଟେଇ ବସିଛି ସେ ଯେପରିକି ପଚାରିଲା ଚାହାଣିରେ ଅନାଇଁ ରହିଛି ଏ ଭକ୍ତମାନଙ୍କୁ । ନାଁ ନ ଥିବା ଶାନ୍ତି ଭିତରେ କାହିଁକି ଏ ଉଦବେଗ ଓ କଳମୁଖରତା ?

 

ବରାହ ଆଶୀର୍ବାଦ କରିବ, ଅଭାବ ମେଣ୍ଟାଇବ, ରୋଗ ଭଲ କରିବ, ପିଲାଝିଲା ଦେବ, ମକଦ୍ଦମା ଜିତେଇବ । ବିକିବା ଜିନିଷର ଭାଉ ବଢ଼ାଇବ, କିଣିବା ଜିନିଷର ଭାଉ କମାଇବ, ଫସଲ ଭଲ କରିବ, ମଣିଷ ଯାହା ଭାବିପାରୁଛି ତା’ସବୁ ପୂରଣ କରିବ, ଯାହା ଭାବି ନ ପାରୁଛି ତା’ ବି । ଜଣାଇଲେହିଁ ସୁଖ ।

 

ବରାହ ଯାତକୁ ଗାଧୁଆବେଳୁ ଧାର ଲାଗିଯାଇଛି । ଦୂରରୁ ଦୂରରୁ ବି ଯାତଦେଖାଳି ଆସି ପହଞ୍ଚୁଛନ୍ତି । କେତେକେ ପୁଣି ଲେଉଟି ଆସୁଛନ୍ତି, ଅତି ପାଖୁଆ ଯେଉଁମାନେ । ଆଉ କିଏ ଅଟକୁଛନ୍ତି । ଖାଲି ଦିନ ନୁହେଁ ରାତିକି ବି ଏଠି ମେଳା ମଉଛବ ହେବ । ସଂକୀର୍ତ୍ତନ, ପାଲା, ମୃଦଙ୍ଗ, ତାଳ ପରିତାଳ, ନାଟ ସୁଆଙ୍ଗ । ବିଲରେ କଟା ହୋଇ ଯାଇଥିବା ନଡ଼ାର ମୂଳି ଠିଆ ହୋଇଛି । ମାଟି ଫାଟିଛି, ମଖମଲ ପରି ଗୋଲ ଗୋଲ ନାଲି ଫୁଲର ପେଣ୍ଡୁ ଫୁଟି ଉଠିଛି । ଅରାଏ ଅରାଏ ଆଖୁ ଏବେବି ଠିଆ ହୋଇଛି । ଠାଏ ଠାଏ ଅରାଏ ଅରାଏ ବାଡ଼ବୁଜା ବାରି, ତେଣ୍ଡା ଉଠୁଛି ପଡ଼ୁଛି । ପାଖେ ଶୁଖିଲା ନଈ ଧାର କରେ କରେ କୋଠା ଉଞ୍ଚରେ କୁଦ ତା’ ଉପରେ ଇଙ୍କଡ଼ ବୁଜାହୋଇ ପାନ ବରଜ । ଧାଡ଼ି ଧାଡ଼ି ଅସମ୍ପୂର୍ଣ୍ଣ କିଆଭେଡ଼ା ଲମ୍ବି କେଉଁଠି ଅଟକି ଯାଇଛି-। ଚଟା ସମତଳରେ ଠାଏ ଠାଏ ପୋଖରୀ ଗାଡ଼ିଆ, ନେଳୀ ଢଳଢଳ, କରେ କରେ ନଡ଼ିଆଗଛ । ଫଗୁଣରେ ଧୂଳି ଉଠିଲାଣୀ । ଆକାଶ ଅଳ୍ପ ଧୂଆଁଳିଆ । ବିଲ ଦାଢ଼ରେ, ପୋଖରୀ ହୁଡ଼ା ଉପରେ, ବାଉଁଶ ବଣ ତଳେ । ତୋଟା ଛାଇତଳ ଚଲାବାଟରେ କୁଆଡ଼ୁ କୁଆଡ଼ୁ ଧାର ଲମ୍ବିଛନ୍ତି ମଣିଷ । କେତେବେଳେ କେଉଁ ଗାଁ ଗୋହିରୀବାଟେ ବାଦ୍ୟକାର ଯାଉ ଯାଉ ଦି’ ଥର ଢୋଲ ଢାଉଁଢାଉଁ କରିଦେଉଛି । କେଉଁ ଗାଁ ଦାଣ୍ଡରେ କିଏ ଟିକିଏ ବସି ପଡ଼ୁଛନ୍ତି । ଲୋକେ ତାଙ୍କୁ ଘେରି ଯାଉଛନ୍ତି । ପୋଖରୀ ପାଖ ପଡ଼ିଆରେ କିଏ ଲୁଗା ପାଲଟି ଥୋଇଦେଇ ତଳକୁ ଓହ୍ଳେଇ ଯାଉଛି । ପିଲା କାଖ ହୋଇଛନ୍ତି, ପିଲା କାନ୍ଧ ହୋଇଛନ୍ତି । କାହା ପିଠିଆଡ଼େ ଗଣ୍ଡିରା, କାହା ମୁଣ୍ଡରେ ବୋଝ । କାନ୍ଧରେ ତ ପ୍ରାୟ ସମସ୍ତଙ୍କର ବୋକର ଓହଳିଛି । ତରତର କଥା, ହସ, ନକଲ-। ଜୁଡ଼ା ତେଲ ଚିକ୍‌ ଚିକ୍‌, ଦେହରେ ସଫାଲୁଗା ଯାହା ଏଇ ମାଟିକି ଅନଭ୍ୟସ୍ତ ଦିଶେ । ଧୁଆ ନ ହୋଇଥିବା ସେମିତି ନୂଆ ଲୁଗା ନୂଆ କାମିଜ୍‌ । ଗାଲ ଟୁମୁକା ନ ଭାଙ୍ଗୁଣୁ ତଳେ ନ ବସି ଖାଲି ଚାଲି ଧିମେଇଁ ଦେଇ ଠିଆ ଠିଆ ବଟୁଆ ଖୋଲି ପାନ ଭଙ୍ଗା, କଥା କହୁ କହୁ ମଝିରେ ମଝିରେ କୁହାଟ, ଚିହ୍ନା ପକାଇଦିଏ ଏମାନେ ଯାତ ଦେଖାଳି ।

 

ବେଶୀ ଆଗ୍ରହ ସ୍ତ୍ରୀଲୋକମାନଙ୍କର । ଘର ଚଉହଦି ଭିତରେ ଆବଦ୍ଧ ରହି ରହି ଲମ୍ବା ବାଟରେ ଗୋଡ଼ ମେଲେଇ ଦେବାକୁ ଏଇ ସୁଯୋଗ, ଦାୟିତ୍ୱ ନାହିଁ ଖାଲି ଉଡ଼ି ବୁଲିଲାଭଳି ।

 

ବରାହନାଥ-ପରମେଶ୍ୱର-ଧର୍ମ, ଏ ଯେପରି କି ଆପେହିଁ କେବଳ ରୂପକ, ତା’ ସେକରେ ସତ୍ୟ କେବଳ ସନାତନ ଅଖଣ୍ଡ ଜୀବନର ଚେତନା । ସେହି ଚେତନାରେ ଆପେ ଆପଣାର ପୁଲକ ଭିଆଇବାକୁ ଚାଲିଛନ୍ତି ତୀର୍ଥଯାତ୍ରୀ ସତେକି ମଣିଷ ମେଳକର ଚନ୍ଦ୍ରଭାଗାରେ ବୁଡ଼ ପାରିବାକୁ । ସବୁ ବ୍ୟକ୍ତିତ୍ୱର ସ୍ପର୍ଶ ପାଇ ଏକାଠି ଏକାଠି ଭାଗରେ ଚିରନ୍ତନପଣର ସୁଆଦ ପାଇ ଫେରିବାକୁ । ମନରେ ଗୋଟିଏ ଝଙ୍କାର-ଯେ ଏମିତି ଯୁଗେ ଯୁଗେ ।

 

ନିତିଦିନର ଦେହଘଷରା ଜୀବନ-ନିର୍ଘଣ୍ଟ ଯେପରିକି କଳି ଘରକରଣା ପାଲଟି ଯାଇଛି । ଯାତ୍ରା ନାଁରେ ଦିନେହେଲେ ବି ଛୁଟି ନେଲେ ବଳେ ମନ ଭିତରେ ଅଳିନ୍ଧୁ ଓଳେଇ ହେଉଛି । ପୁରୁଣା ଚଳଣିର ଧାରାରେ ଖିଅ ଧରି ଧରି ନିଜକୁ ପଚାରି ବି ହେଉଛି ଦି’ଟା ଗୋଟାଏ ପ୍ରଶ୍ନ । ପରକୁ ତ ସହଜେ ।

 

‘‘ଏଇଟା କ’ଣ ବିଚାରର କଥା କଲେ ସମୁଦି !’’ ଜଣେ ବୁଢ଼ୀ ତାଙ୍କ ସାଙ୍ଗ ଲୋକକୁ କହି କହି ଯାଉଥାନ୍ତି । ‘‘ଏକା ତ ତାଙ୍କ ଝିଅବୋଲି ନୁହେଁ, ଘରେ ସେମିତି ତିନୋଟି ଯାଆ ଅଛନ୍ତି, ନଣନ୍ଦ ବି ଗୋଟିଏ ଭଗବାନ ଦେଇଛି । ଏମିତି ହେଲେ ଚାରିଜଣ । ଆପଣା ଝିଅପାଇଁ ଖଣ୍ଡେ କୋଡ଼ିଏ ଟଙ୍କିଆ ଶାଢ଼ି ଆଣି ନ ଦେଇ ସେଇଆକୁ ଚାରିଜଣକୁ ବାଣ୍ଟିଦେଇ ପାଞ୍ଚ ଖଣ୍ଡ ସାଧାସିଧା ଶାଢ଼ି ଆଣି ଦେଇଥିଲେ କେଡ଼େ ମର୍ଯ୍ୟାଦା ହୋଇଥାନ୍ତା, କେଡ଼େ ସୁଖରେ ସମସ୍ତେ ପିନ୍ଧିଥାନ୍ତେ । ଖାଲି ଆପଣା ଝିଅଟି ଆଖିରେ ଦିଶିଲା, ପର ଝିଅଟି ତ ଦିଶିଲା ନାହିଁ । ତେବେ ସଂସାର କେମିତି ଚାଲିବ ?’’

 

ସାଙ୍ଗର ବୁଢ଼ୀ ଜଣକ ଅଳ୍ପ ଛୋଟେଇ ଛୋଟେଇ ଅଣ୍ଟାରେ ହାତ ଦେଇ ଚାଲିଥାନ୍ତି । କହିଲେ, “ୟେ ବୁଦ୍ଧି କ’ଣ ଆଉ ଏବକାଳକୁ ଅଛି ଲୋ ଭଉଣୀ ! ଖାଲି ମୋର ମୋର ବୋଲି ଏ ଦୁନିଆଟା ସରିଗଲା, ଆଉ କ’ଣ ଅଛି ? ଏବେ ଭାଇଭଉଣୀ କଥାଟା କେମିତି ବୁଝୁଚି ଦେଖ ଆମରି ଘରେ । ଗନ୍ଧିଆ ଚାକିରି ଗାଁରୁ ଆସିଥିଲା । ଭାଇ ଆଉଚି ବୋଲି ତା’ ଭଉଣୀ ଗୋଡ଼ ତଳେ ପଡ଼ୁନଥାଏ । ଭାରିଯାପାଇଁ ହାରଟାଏ ଆଣିଦେଲା, ଭଉଣୀପାଇଁ କିଛି ନାହିଁ । ବାଁରେଇ କହିଲା, ‘କ’ଣ ନା ତା’ ବାପଘର ଦେଇ ପଠାଇଥିଲେ’ । ଏଇ ତ କଳିକାଳ, ଆଉ କ’ଣ ଗଛରେ ଫଳେ !’’

 

କୁଆଡ଼ୁ ଆସିଲେ କୁଆଡ଼େ ଗଲେବାହାରି ସେ ଦୁହେଁ । ଆଉ ଦୁଇଜଣ ଘରଣୀ କଥା ହେଉଛନ୍ତି । ଜଣେ ବକଟେ ନାଁକୁ ମଣିଷ, ତିନି ହାତରୁ ଚାଖଣ୍ଡେ ବେଶୀ । ଖୁବ୍ ସରୁ ଦେହ, ପୋଛିଲା ପରି ହାଡ଼ୁଆ ମୁହଁ ଯେ କେତେଟା ଦାନ୍ତ ପଡ଼ିଯାଇ ପାଟି ଦବି ଦବି ଯାଇଛି, ଫିକା ଗୋରା ବର୍ଣ୍ଣ । ଆଉଜଣେ ଧେଡ଼ଙ୍ଗୀ ଡେଙ୍ଗେଇ, ଆଖି ଯୋଡ଼ିକ ପଶି ପଶି ଯାଇଛି । ଟାକୁଆ ଗାଲ ଠାଏ ପାନରେ ଠେଲି ହୋଇ ଆବୁ ହୋଇଛି । ମୁଣ୍ଡରେ ଲମ୍ବା ଓଢ଼ଣା, କିନ୍ତୁ ଗୋଲ ନଥଟା ଲୁଚି ନାହିଁ, ଜିକ୍ ଜିକ୍ ଦିଶୁଛି । ସାନ ଜଣକ କହୁଥାନ୍ତି-

 

‘‘ସେଇଠୁ କହିଲି ବୁଝି ଖବର୍ଦ୍ଦାର୍, ତେମେ ତା’ ଘର କୋରଖ କରିପାରିବନାହିଁ । ବିଚାରୀ ମାଇପି ମଣିଷ, ଘରେ ଗିରସ୍ତ ନାହିଁ । ଏତିକିବେଳକୁ ତୁମକୁ ଖଞ୍ଜ ପଇଲା ଯେ କୋରଖ ଧରି ଆସିଛ, ମୁହଁକୁ ଲାଜ ନାହିଁ । ପଳେଇବ ତ ପଳା, ନ ହେଲେ କିଏ କୁଆଡ଼େ ଥିବେ ଡାକି ପକାଇଲେ ଆସିବେ । ଫଉଜଦାରି ହଉ, ଗୋଟାକେତେ ମୁଣ୍ଡ ନ ହେଲେ ଫାଟୁ । ଯାହା ସରିବାର ତା’ ସରୁ, ଯେତେଟଙ୍କା ଲାଗୁ ଦେଖାଯିବ । ତା’ବୋଲି ମଣିଷର ଇଜ୍ଜତ ଯିବ ନା କ’ଣ ? ଆଜି ତାଙ୍କର ହରବର ପଡ଼ିଚି, କାଲି ଆମର ପଡ଼ିବ । ଖାଲି କୁଳୁକୁଳୁ କରି ଅନେଇଁଥିବା ?

 

ସେଉଠୁ କୁରୁପା ବୋଉ ଜାଣ ମୁଣ୍ଡ ଟେକିଲା, ଲୁହ ପୋଛି ଦେଇ ଆଚ୍ଛା ଟାଣ ଟାଣ କରି ଦି’ପଦ କସି କରି ବତେଇ ଦେଲା । ଆଉମାନେ ମିଶିଲେ, ଘରେ ମଣିପି ଲୋକ ନାହାନ୍ତିବୋଲି କୋରଖ ବାହୁଡ଼ି ଗଲା ।’’

 

ଦୁଇ ଯୁବକ କଥାଭାଷା ହୋଇ ଚାଲିଛନ୍ତି । ପଛଆଡ଼ୁ, ଦେଖିଲେ ଦେହର ପ୍ରାୟ ଏକ ଆଡ଼ା, ଗୋଡ଼ ବି ଧନୁ ପରି ବଙ୍କା ବଙ୍କା, ବାଙ୍ଗର ଚେହେରା, ଦେହି ଅନୁପାତରେ ମୁଣ୍ଡ ଓ ହାତ ବଡ଼ ଦିଶୁଥାଏ । ଜଣେ କହୁଥାଏ-

 

‘‘ଭାଗ ହେବ ତ ଆଚ୍ଛାକରି ଭାଗ ହେବ । ସେଥିରେ ଉପରୋଧ କ’ଣ ? ବାଟ ଘରଟା ମୋଟେ ପାଞ୍ଚ ହାତ ଓସାର ଥିଲା । ହଉ ଅଢ଼େଇ ଅଢ଼େଇ ହାତ, ମଝିରେ କାନ୍ଥ ପକେଇଲି । ଯାହାଥିଲା ସବୁ ଅଧା ଅଧା । ଭାରତ ପୋଥିରୁ ଥିଲା ଖାଲି ଆରଣ୍ୟକ ପର୍ବ ଖଣ୍ଡକ, ତା’ ବି ସବୁ ନ ଥିଲା, ପଛରୁ ପୁଳାଏ ନାହିଁ । ତାକୁ ବି ଅଧା କରାଗଲା । ଭିନେ ହେଲା ଭାଇ, ସେ କାହିଁକି ବେଶୀ ନେଇଯିବ ? ଯାହା ଭାଗ ନ ହୋଇପାରିଲା, ତାକୁ ବିକି ଦିଆଗଲା । ପଇସାକୁ ଅଧା ଅଧା କଲୁଁ । ଶୁଆଟାଏ ଥିଲା ଯେ ତାକୁ ଉଡ଼େଇ ଦେଲୁ, ଗଲା ଯା କାମ ସଇଲା ।’’

 

ମଣିଷ ଚାଲି ଯାଉଛନ୍ତି, ଭାଏଁ ଭାଏଁ କଥା ଉଡ଼ି ଚାଲିଯାଉଛି । କେଉଁ ସମୟରେ କେଉଁ ଜାଗାରେ, କାହାର ବ୍ୟକ୍ତିତ୍ୱର ପ୍ରକାଶ, ତା’ପରେ ସେଠି ଆଉ ସେ ନାହିଁ ।

 

ଚାଲିଛି ଘୁ ଘୁ ପବନ । ପବନରେ ଗାର ନାହିଁ । ଖିଲ ନାହିଁ ।

 

ଅଥଚ ଏମିତି ଏଇ ମାଟିର ମଣିଷ କେଡ଼େ କେଡ଼େ ବିଚାର ଆଉ ମଣିଷପଣିଆର କଥା କହୁଛି । ପୁଣି ସ୍ଵାର୍ଥର କଥା । ଅବିକଳ ଏମିତି କଥା ମଣିଷ କହିଛି ଅନେକଥର । କେବେ କେଉଁଠି ଠିକ୍ ହେତୁ ନାହିଁ, କିନ୍ତୁ କହିଛି । ତା’ର କଥାର ମଞ୍ଜିପଡ଼ି ପୁଣି ସେଥିରୁ ନୂଆ ମଣିଷ ବାହାରିଛନ୍ତି ସେହିକଥା ତୁଣ୍ଡରେ ଧରି । ଲାଗିଛି ଅବତାର ପରେ ଅବତାର, ଅସଂଖ୍ୟ ଅବତାର, ଦେବତାର ନୁହେଁ ମଣିଷର ।

 

ଏମିତି ଏଇ ମାଟିଚାଳର ଘର, ବଡ଼ସାନ, ଦରଭଙ୍ଗା । ଏମିତି ଏଇ କ୍ଷେତଦଣ୍ଡା, ଦଳୁଆପୋଖରୀ, ତୋଟାବାରି, ଗାଈଗୋରୁ, ମଣିଷ, ଏଇ ଚିହ୍ନ । ଗଛ - ଠିଆ ଠିଆ ନଡ଼ିଆ ଗଛ, ଫୁଲଭର୍ତ୍ତି ସଜନା, ଲମ୍ବପଣତ ହଲେଇ ହଲେଇ କଦଳୀ ଗଛ, ଭିଡ଼ାଭିଡ଼ି ଆମ୍ବଗଛ, ବାଟେ ବାଟେ କିଆବୁଦା, ନାଗଫେଣୀ, ହୁଙ୍କା, ବାଉଁଶ ବଣ, ବର, ଓସ୍ତ, ଦେବଦାରୁ । ଏମିତି ଏଇ ହାଲୁକା ହଳଦିଆ ଆଉ କସରା ବର୍ଣ୍ଣ ମିଶି ମାଟି, କେଉଁ କାଳରୁ ଖଞ୍ଜା ହୋଇରହିଛି ଏଠି କେତେବେଳେ ଏପାଖରୁ ଗୋଟାଏ ଯାଇଛି ସେ ପାଖରେ ଗୋଟାଏ ବଢ଼ି ଉଠୁଛି, ମୋଟାମୋଟି ଏକାଦୃଶ୍ୟ । ମାଟି ଖୋଳିଲେ ପରସ୍ତ ପରସ୍ତ ହୋଇ ସେହି ଘରକରଣାର ଚିହ୍ନ, ଭଙ୍ଗାଖପରା ଯୁଗଯୁଗର, ଭଙ୍ଗାପଦାର୍ଥ, ଭଙ୍ଗାହାଡ଼ । କେବର କଥା ହେଲାଣି ସେ, ବରାହଦଶମୀ ଯାତ୍ରା ଦେଖିବାକୁ ସେତେବେଳୁ ଏମିତି ଧାର ଲାଗିଥିଲା । ସେମାନେ ନାହାନ୍ତି, କିନ୍ତୁ ମଣିଷ ଅଛନ୍ତି ।

 

ଏଇ ମାଟି ଉପରେ ଯୁଗ ଉତ୍ତାରୁ ଯୁଗ ବୋହି ଚାଲିଯାଇଛି । ମାଡ଼ି ଚାଲି ଯାଇଛି ପଟୁଆର ଗୋଟାଏ ପରେ ଗୋଟାଏ ।

 

ସମୟ ବଦଳିଛି । ଚାପି ରଖିଥିବା ତାଙ୍କୁଣି ଉଠିଯାଇଛି । ଢାଙ୍କୁଣିଟା ନ ଥିଲା ସବୁଦିନେ, ତେବେ ମଝିରେ ଦେଢ଼ଶହ ବର୍ଷ ତ ନିଶ୍ଚୟ ଥିଲା । ହଠାତ୍ ଆସିଛି ସ୍ୱାଧୀନତା । ପିଞ୍ଜରାର ଚଢ଼େଇ ପଦାକୁ ଆସି ଭିଡ଼ିମୋଡ଼ି ହୋଇ ଡେଣା ସଳଖୋଉଛି । କିଏ ତ ଏପର୍ଯ୍ୟନ୍ତ ବି ଅନୁଭବ କରିନାହିଁ ଯେ ସେ ମୁକ୍ତ ହୋଇଛିବୋଲି । ସାଆନ୍ତଙ୍କ ଖାଉନ୍ଦପଣ, ରାଜାଙ୍କ ରାଜୁତି ଲୋପ ହୋଇଛି କାହା ଆଖିରେ ଏପର୍ଯ୍ୟନ୍ତ ବି ରହିଯାଇଛି ସେହି ପୁରୁଣା ମୋହ ଯାହାର ଜନ୍ମ ଭୟରୁ, ପୁଣି ଭୟର ଜନ୍ମ ଯୁଗ ଯୁଗର ପେଷଣ ଶୋଷଣରୁ, ତେଣୁ ହାସୁବୋଲି ପାଟି କଲେ ଏବେବି ଆପେ ଆପେ ତା’ର ଗୋଡ଼ରେ ଗତି ଲାଗିଯାଉଛି । ସେ ଧାଉଁଛି, ପୁରୁଣା ସାଆନ୍ତ ଟାଣ କରି କହିଦେଲେ ସେ ମୁଠି ଉଞ୍ଚୋଉ ନାହିଁ । ମୁଣ୍ଡ ନୁଆଁଇ ରହୁଛି, ବୋଲ ବତେଇଲେ ବୋଲ କରୁଛି । ଯେପରି କରିଥିଲେ ତା’ର ପୂର୍ବପୁରୁଷ । ସେହି ଅନ୍ଧାରି ଯୁଗର ଧରପଗଡ଼ ଧମକ ଆଉ ଅତ୍ୟାଚାରରେ ତାତି ତରଳି ଛାଞ୍ଚରେ ଢାଳି ହୋଇ ଗଢ଼ି ହୋଇଛି ତା’ର ନୀତି ଅନୀତି ପାପ ପୁଣ୍ୟ ବିଷୟରେ ଧାରଣାମାନ, ସେଥିରେ ବିଚାର ଲାଗେନାହିଁ, ବିଶ୍ୱାସ ଲାଗେ । ଯେତିକି ଅଧିକାର ତା’ଠୁ ଆଗରୁ ଆଗରୁ ଛଡ଼ାଇ ନିଆହୋଇଥିଲା, ସେ ଧରି ନେଇଛି ଯେ ତା’ ତା’ର ନୁହେଁ । ସେଥିକି ହାତ ବଢ଼େଇଲେ ସେ ହେବ ପାପ, ଦୋଷ ।

 

ସେହିପରି ସେ ଧରି ନେଇଛି ଯେ ଜମି ମାଲିକର, ତା’ର ନୁହେଁ । ଭାଗର ପରିମାଣ ଭାଗ ରାଷୀକୁ ତିନି ଭାଗ, ଜମି ମାଲିକକୁ ଦୁଇଭାଗ ହେବ ବୋଲି ସରକାର ଆଇନ କରିଦେଲେ ବି ସେ ଭାବୁଛି ମାଲିକର ଆଠପଣି କିମ୍ବା ଦଶପଣି ଭାଗ ଈଶ୍ୱରଦତ୍ତ ଅଧିକାର । ଆଇନ ବାଟରେ ଯାଇ ସେତକ ନ ଦେଲେ ସେ ଅସତ ହେବ, ତା’ର ପାପ ହେବ । ଯେମିତି ହରିଜନମାନଙ୍କର ମନ୍ଦିର ପ୍ରବେଶ । ଆଗ ଆଗ ସେହି ବୁଢ଼ା ବୁଢ଼ା ହରିଜନମାନେ ତ ନିଜେ ଛାନିଆଁ ହେଲେ, ଭାବିଲେ ଦେଉଳରେ ପଶିଲେ ଛାତି ଫାଟିଯିବ, ଆଗର ଚଳଣିହିଁ ଭଲ ।

 

ଯେଉଁଠି ଜ୍ଞାନ ପଶି ନାହିଁ, ଆଲୁଅ ପଶି ନାହିଁ, ମଣିଷ ମନରେ ଅନ୍ଧାର ଆଉ ଅନ୍ଧ ବିଶ୍ୱାସର ଭୟ ସେଠି ସ୍ଵାଧୀନତା ଆସିବି ଭୟ ସଂକୋଚରେ ଗଢ଼ା ପୁରୁଣା ସଂସ୍କାରର ରାଜୁତି ଏବେବି ଚାଲିଛି, ତୁଟି ନାହିଁ । କିନ୍ତୁ ସେ ଅନ୍ଧାର, ସେ ସନ୍ଦେହ ରହିଛି ପୁରୁଣା ମରହଟିଆଙ୍କ ମନ ଭିତରେ । ଆଉ ଗଣ୍ଡ ମଫସଲରେ କି ଅନ୍ଧାରି ବଣମାଳରେ କେଉଁଠି, ଯେଉଁଠି କି ପଦାର ସମ୍ବାଦ ସହଜେ ପଶେନାହିଁ ।

 

ଅନ୍ୟଠି ଯେଉଁଠି ସହର ଅଛି କି ସହର ସଙ୍ଗେ ସମ୍ବନ୍ଧ ଅଛି, ଯେଉଁଠି କୁଲିଗିରି କରିବାକୁ ଯାଉ ପଛେ ଲୋକ ପଦାରେ ବୁଲି ଆସିଛି, ଦଶକଥା ଦେଖି ଆସିଛି-ଅବସ୍ଥା ସେଠି ଭିନେ । ନଈକୂଳିଆ ବନ୍ଧମୂଳ ଗାଁ ସହରଠୁ ବେଶୀ ଦୂରରେ ନ ଥିଲା । ପାଞ୍ଚକୋଶ ବାଟ, ଏକା ନଈ; ସେହି ବହି ଆସିଛି ସହରପଟୁ ଏଣିକି । ସମ୍ବନ୍ଧ ଯୋଖିଛି ଲମ୍ବା ବନ୍ଧବାଟ ଆଉ ନଈରେ ଯା ଆସ କରେ ଯେଉଁ ନାହାମାନ ସେ । ପଦାରୁ ଏ ବାଟେ ଯେଉଁ ସାଇକଲମାନ ଯାଏ, ଯେଉଁ ବୁଲାବିକାଳି କେବେ କେବେ ଆସନ୍ତି, ଆସେ ଯେଉଁ ଡାକବାଲା, କେବେ କେମିତି ଆପଣାକୁ ପ୍ରଚାର କରାଇବାକୁ ଅକସ୍ମାତ୍ ଗଡ଼ିପଡ଼ିନ୍ତି କେଉଁ ନେତା । ଯେଉଁ ଟରଣି ଟାଉଟରଙ୍କ କାମହେଲା ଘର ଘର ବୁଲି ମକଦ୍ଦମାପାଇଁ ସଜ କରାଇବା, ସେମାନେ ବି ଆଣିଥିଲେ ଚଳନ୍ତି ଦୁନିଆର ବଦଳିଥିବା ସମାଜ ଚେତନାର ସନ୍ଦେଶ । ଆଣି ବାଣ୍ଟି ଦେଇଥିଲେ ।

 

ନୂଆ ବିଚାର ଲାଗିହୋଇ ବଢ଼ି ଉଠିଥିଲା ନୂଆ ମଣିଷ । ସେ କେବଳ ସୁସ୍ଥି ଆଉ ଶରୀର ନୀରୋଗରେ ଶାନ୍ତି ପାଉନାହିଁ । ମନ ଖୁଜୁବୁଜୁ ହେଉଛି ଅଧିକାର ପାଇବାପାଇଁ । ଆପଣା ଖଟଣିରେ ଯାହା ସେ ଗଢ଼ିବ, ସେତକ ତା’ର ହେବ । ସେଥିରୁ ପରର ଅଧିକାର ଲୋପପାଇବ । ଯେଉଁଠି ସେ ରହିବ, ଚଳପ୍ରଚଳ ହେବ, କାମ କରିବ, ସେତକ ଷୋଳଅଣା ତା’ର ହୋଇରହିବ, ଆଉ କେହି ଭାଗ ନେବେନାହିଁ । ବଞ୍ଚିବାପାଇଁ ନିମ୍ନତମ ଯେତେକ ଦରକାର ସେଥିରେ ତା’ର ଆପେ ଆପେ ଅଧିକାର । କାରଣ ସେ ମଣିଷ । ସେ ଜନ୍ମ ନ ହେଉଣୁ ତା’ପାଇଁ ଏ ପୃଥିବୀକୁ ଗଢ଼ି ରଖିଛି ସ୍ରଷ୍ଟା । ଅନ୍ତରାୟ ହୋଇ ଯେତେଯେତେ ଚଳଣି ରହିଛି ସେ ଖାଲି ଫାଉମରା ଲୋକପାଇଁ ବାଟ ସଫା ରଖିବା ଲାଗି ନ୍ୟାୟ ନୀତି ଭେକ ପିନ୍ଧି ବୃଦ୍ଧ ଭଣ୍ଡାମି, ସେ ତା’ର ଆଶାକୁ ପ୍ରତିକୂଳ, ସେଥିରେ ତା’ର ବିଶ୍ୱାସ ନାହିଁ ।

 

ପାଖେ ବଦଳି ଯାଇଥିବା ସମୟ, ପାଖେ ବଦଳି ଯାଇଥିବା ସାଧାରଣ ଶ୍ରମଜୀବୀ । ଦୁଇହାତରେ ଏ ଦୁଇ ପ୍ରଚଣ୍ଡଶକ୍ତିକୁ ଠେଲି ଠେଲି ଦୂରରେ ରଖିବାକୁ ମଝିରେ ସେ ମଝିମଝିଆ ଶ୍ରେଣୀ, ସେ ବେପାର କୁବେର ନୁହେଁ କି ବସ୍ତୁଉତ୍ପାଦନକ୍ଷମ ଶ୍ରମିକ ନୁହେଁ ଅଥଚ ବୁଦ୍ଧିରେ ସଙ୍ଗଠନରେ ସେ ସମାଜରେ ନେତା ହୋଇ ଚଳିଆସିଛି ପୁରୁଷ ପୁରୁଷଯାକେ । ବର୍ତ୍ତମାନ ତ ଛଟପଟ ହାଉ ହାଉ । ଆପଣା ହାତରେ ହଳଧରି ଶିଖିନାହିଁ, କୋଡ଼ିହାଣି ଶିଖିନାହିଁ, କେବେ ଯଦି କରିଛି ସେ କାମ ସେ ଖାଲି ଅଳ୍ପ ସମୟପାଇଁ । ଆପଣ ମନ ଖୁସିରେ ମଉଜପାଇଁ ବୃତ୍ତିପାଇଁ ନୁହେଁ-। ଏମିତି ଗେଲରେ ଗେଲରେ ସେ କେବେ ବାରି ଅରାଏବି କରିଛି । କେବେ ମୂଲିଆ ସଙ୍ଗେ ବିଲରେ ସାହା ଦେଇଛି । କିନ୍ତୁ ଆପଣା ଦେହ ମେହେନତ ଉପରେ ତା’ର ନିର୍ଭର ନାହିଁ । ସେ କାମ ସେ ଛାଡ଼ି ଦେଇଥିଲା ଚାଷୀ ମୂଲିଆମାନଙ୍କୁ । ସେମାନଙ୍କ ଶ୍ରମର ଫଳରୁ ଭାଗ ନେଉଥିଲା । ନିଜପାଇଁ ଦଶଅଣା, ସେମାନଙ୍କର ଛ’ଅଣା । ନିଜର ଆଠ’ଅଣା, ସେମାନଙ୍କର ଆଠଣା । ଯେତେବେଳେ ଯେଉଁପରି ସୁବିଧା ଓ ସମ୍ଭବ । ନିଜେ ସେ ଧରୁଥିଲା ଅନ୍ୟବୃତ୍ତି, ଯେଉଁଥିରେ ଏତେ ଦେହର ବଳ ଲାଗେନାହିଁ, କିନ୍ତୁ ମୁଣ୍ଡ ଖର୍ଚ୍ଚହୁଏ, ବିଦ୍ୟାବୁଦ୍ଧି ଲାଗେ । କେଉଁଥିରେ ବିଶେଷ କୌଶଳ ବି ଆବଶ୍ୟକ ହୁଏ । ନତୁବା ଆପଣା ଚାଷ କାମ ପର ଉପରେ ନ୍ୟସ୍ତ କରିଦେଇ ସେ ହେଉଥିଲା ପରଦେଶୀ ଚାକିରିଆ, କିଏ ବେଙ୍ଗଲ ଚଟକଳରେ ଶ୍ରମିକ, କିଏ ବାବୁଘରେ ଚାକର ପୂଝାରି ତ କିଏ ସରକାରୀ କର୍ମଚାରୀ, ଚପରାସିଠୁ ହାକିମଯାକେ ।

 

ଯେତେଯେତେ ବ୍ୟବସାୟୀ ଓ ବୃତ୍ତିଜୀବୀ, ଡାକ୍ତର, ଓକିଲ, ଶିଳ୍ପପତି, ଯେତେ ଶିକ୍ଷକ, ପଣ୍ଡିତ, ବୁଦ୍ଧିଜୀବୀ, କଳାବିତ୍, ଯେଉଁମାନେ ସାମାଜିକ ନୀତି ଓ ବିଚାରର ପ୍ରବର୍ତ୍ତକ କି ପ୍ରଚାରକ, ଯେଉଁମାନେ ସାମ୍ୟ ସମାଜବାଦ, ଶ୍ରମର ମୂଲ୍ୟ, ଶ୍ରମିକର ମର୍ଯ୍ୟାଦା ଆଦି ନୂଆ ବିଚାରର ଆବାହକ, ଆନ୍ଦୋଳନକାରୀ, ଯେଉଁମାନେ ଜ୍ଞାନ ଓ ବିଚାର ମାର୍ଗରେ ଅନୁଶୀଳନ କରି ବୁଝାଇ ମତାଇ ଶ୍ରମଜୀବୀକୁ ଚେତାଇ ଦେଲେ ତା’ର ଅଧିକାର ଆଉ ଦାବି ବିଷୟରେ, ଆପଣା ‘ଜାଗତିକ ଚଳଣିରେ ସେମାନେ ସମସ୍ତେବି ଆପଣା ଜମିର ଚାଷକାର୍ଯ୍ୟ ସେହି ପୁରୁଣା ରୀତିରେ ଚାଷୀମୂଲିଆଙ୍କ ଉପରେ ଛାଡ଼ିଦେଇ ସେମାନଙ୍କଠୁ ଭାଗନେଇ ଚଳୁଥିଲେ । ପରର ଶ୍ରମଝାଳରେ ଉପୁଜିଥିବା ଶସ୍ୟରୁ ଭାଗେ ଗାଁରୁ ଅସୁଲ କରିଆଣି ନିଶ୍ଚିନ୍ତରେ ଖାଇ ସହରରେ ରହି ଆପଣାର ଅନ୍ୟାନ୍ୟ ବୃତ୍ତି ଚଳାଇ ବିଚାରର ବିଳାସରେ ପ୍ରବୃତ୍ତ ହୋଇ ତାଙ୍କରି ଭିତରୁ ଲୋକେ ଭାବୁଥିଲେ, କହୁଥିଲେ, ବୁଝାଉଥିଲେ ସେହିକଥା, ଯାହା ଉଚିତବୋଲି ସେମାନେ ହୃଦୟ ଭିତରେ ବୁଝନ୍ତି, କିନ୍ତୁ କାର୍ଯ୍ୟରେ କରିପାରନ୍ତିନାହିଁ, କାର୍ଯ୍ୟରେ ସେହି ଚଳି ଆସିଥିବା ଚଳଣିକୁହିଁ ମାନନ୍ତି । ସେମାନେ କହୁଥିଲେ ବେଠି ବେଗାରି ଲୋପ ହେବା ଉଚିତ, ସୁଧର ପରିମାଣ କମିବା ଉଚିତ । ଜମି ଉପରେ ଯେ ନିଜେ ଖଟେ ତା’ରି ହେଉ ଫସଲର ବଡ଼ ଭାଗଟା, ବରଂ ଜମି ତାହାରି ହେଉ । ନୂଆ ଯୁଗ ଆପଣାର କଥା ତାଙ୍କରି ତୁଣ୍ଡରେ କୁହାଇଥିଲା, ହେଉ ପଛେ ତାହା ସେମାନଙ୍କ ଚଳଣି ରୀତି ପ୍ରତି ରାଧାଚଡ଼କ ।

 

ତା’ପରେ ସତକୁସତ ଯେତେବେଳେ ଚାଷୀମୂଲିଆ ଆପଣାର ଦାବି କଥା ପକାଇ ସୁବିଧା ସୁଯୋଗ ମାଗିବାକୁ ଆରମ୍ଭକଲେ, ସେତିକିବେଳେ ଲାଗିଗଲା ଅଡ଼ୁଆ । ମଝିଲା ଶ୍ରେଣୀର ଆକାଶୀ ସୌଧର ତଳୁ ଉପରଯାକେ ଲାଗିଗଲା ଟଳଟଳ କମ୍ପ । ମୂଲିଆ ଆଉ ମାଗଣାରେ ବୋଲଟାଏ କରି ଦେଇଯିବନାହିଁ, ଶସ୍ତାରେ ମୂଲ ଲାଗିବନାହିଁ, ଆଗପରି ଗୁଳୁଗୁଳୁ କରି ଆଣି ଅଜାଡ଼ି ଦେଇଯିବନାହିଁ । ବାବୁଘରେ ତା’ଘର ଆଗର ଆମ୍ବଗଛରୁ ଆମ୍ବରୁ ଭାଗ, ତା’ ଘରପାଖ ଟୁବିଗାଡ଼ିଆରୁ ମାଛରୁ ଭାଗ, ଜମିରୁ ନଡ଼ା, ଭାଗ ଜମିରୁ ଆଠପଣ କି ଦଶପଣ ଆଣି ଦେଇଯିବନାହିଁ, ଓଲଟି ଆପେ ଦଶପଣ ରଖି ଜମି ମାଲିକକୁ ଛପଣ ଆଣି ବୁଝେଇ ଦେଇଯିବା ବି କାଠିକର ପାଠ । ନାଲିଆଖି ଦେଖାଇଦେଲେ ସେ ଆଉ ଆଗପରି ସୁରୁଖୁରୁରେ ଜମି ଛାଡ଼ିଦେବନାହିଁ, ଘର ଛାଡ଼ି ଉଠିଯିବନାହିଁ । ସେ ନେହୁରା ହେବନାହିଁ, ଦେହଟାକୁ ମୋଡ଼ିମୋଡ଼ି ବଙ୍କା ହୋଇ ତଳକୁ ମୁହଁପୋତି ଠିଆହୋଇ ବିନୟ ଭକତି କରିବ ନାହିଁ । ଆଉ ଆଗପରି ନାହିଁ ଯେ ଯେତେ କାଳି ଗଡ଼ୁଥିଲେ ବି ଗୁଡ଼ିଆ ସାହୁ କରଜ ଦେଉଥିବ, କେଉଟ ଚୁଡ଼ା ଦେଉଥିବ । ଗଉଡ଼ ସବାରି କାନ୍ଧେଇବେନାହିଁ, ବାଉରାଣୀ ସୁକାଏ ମସାଏ ଦେଲେ ଘର ଲିପିବାକୁ ଆସିବେନାହିଁ । ନାହିଁ-ନାହିଁ-ନାହିଁ । ସେ କାଳ କଥା ଗଲାଣି ପାସୋରି, ପର ଉପରେ ହାକିମାତି ଲୋପ ହୋଇଆସୁଛି । ଯାହାକୁ ଯାହା ଆଗେ ଆପେ ଆପେ ମିଳି ଯାଉଥିଲା, ଆଉ ତା’ ମିଳୁନାହିଁ-। ଏପରିକି ଦଣ୍ଡବତ ବି କାହିଁ କେତେ ଊଣାପଡ଼ିଯାଇଛି । ହାତରେ କାମକରି ବଞ୍ଚି ଶିଖିନଥିବା ମଝିଲା ଶ୍ରେଣୀର ଲୋକପାଇଁ ଗାଁରେ ରହି ଚଳିବା କ୍ରମେ ଅସମ୍ଭବ ହୋଇପଡ଼ୁଛି । ସହରରେ ବରଂ ପଇସା ଖର୍ଚ୍ଚକଲେ ସବୁ କିଣି ହୋଇପାରୁଛି । ଗାଁରେ ପଇସା ବି ସେତେ କାଟୁ କରୁନାହିଁ ।

 

ମଝିଲା ଶ୍ରେଣୀର ଲୋକେ ଭାବୁଛନ୍ତି ଅତି ତରତର । କେତେଠି ହତାଶଭାବ । ଯେଉଁପରି ସୂତ୍ରରେ ପୂର୍ବପୁରୁଷ ରଖିଯାଇଥିବା ଜମିର ଫସଲ ଆପେଆପେ ଭୋଗ ହୋଇ ଗଡ଼ିଆସିଲା, ଆପଣା ପୁଅନାତିଙ୍କବେଳକୁ ହୋଇପାରିବନାହିଁ, ବୋଧହୁଏ ତା’ । ଏ ଜମିବାଡ଼ି ସେମାନଙ୍କର ହୋଇରହିବନାହିଁ । ଚାକିରିରୁ ପେନ୍‍ସନ୍‍ ପାଇଲାପରେ ଘରେବସି ସୁଖରେ ଚଳିହେବନାହିଁ ଭାଗଧାନକୁ ଆଶ୍ରାକରି । କିଏ ରାଣ୍ଡୀଖଣ୍ଡୀ, କିଏ ଅଳ୍ପ ବେତନଭୋଗୀ ଚିରାଚରିତ ରୀତିରେ ସେହି ପରଙ୍କ ଶ୍ରମରୁ ଭାଗନେଇ ଚଳିଯାଉଥିଲେ, ଆଉ ବୋଧହୁଏ ସମ୍ଭବ ହେବନାହିଁ ପରା ତାହା । ଜୀବନ ବଞ୍ଚିବାର ପୁରୁଣା ଧରଣକୁ ବଦଳାଇ ନୂଆ ଧରଣକୁ ଅଭ୍ୟାସ କରିବାକୁ ବେଳ ବୟସ ବି ନାହିଁ ଆଉ । ପରଶ୍ରମରୁ ଭାଗପାଇବା କମି ଆସିବା ସଙ୍ଗେ ସଙ୍ଗେ ପୁରୁଣା ମର୍ଯ୍ୟାଦା ବି କମିଯିବ, ଭୂଇଁରେ ଲୋଟୁଥିବା ଲୁଗାପିନ୍ଧା, ଡବାଡବା ପାନ, ପୁନିଅଁ ପର୍ବରେ ପିଠାପଣା ଖାଇବା ଖୋଇବାର ଧୁମ, ଭାରଥୋର ଦିଆଘେନା, ବନ୍ଧୁକୁଣିଆ ସଙ୍ଖୋଳାରେ ଆଡ଼ମ୍ବର, ବାହା ନିମିତ୍ତ ଯାନିଯାତର ଆଡ଼ମ୍ବର କେତେ କ’ଣ ବଦଳିଯିବ । ଖଣ୍ଡିଆକାନ୍ଥ, କଣାଚାଳ, ଖାଲଡିହ, ପରିଶ୍ରମକୁ ଅନଭ୍ୟସ୍ତ ସୁକୁମାରିଆ ଦେହଧରି ଶ୍ରମସଂଘର୍ଷର ଜୀବନ ଭିତରେ ଦୁର୍ବଳ ପ୍ରତିଯୋଗିତା, ଆଚରଣରେ ନୈରାଶ୍ୟମୟ ସାନମନ, ହୁଏତ ଏହିପରି ହେବ, ମଝିଲା ଶ୍ରେଣୀର ତଳସ୍ତରର ଚିହ୍ନବର୍ଣ୍ଣ, ପୁଣି ସେ ସ୍ତର ଗାଁର ସାଧାରଣ ଖଟିଖିଆ ସମାଜ ସହିତ ମିଶିଯିବାଯାକେ ।

 

ସେପରି ମିଶିବାକୁ ଖାଲି ଦେହ ଅପାରଗତାହିଁ ଅନ୍ତରାୟ ନୁହେଁ । ଆଗ ଅନ୍ତରାୟ ତ ସମାଜର ପୁରୁଣା ସଂସ୍କାର, ଯେତେ ଦୁଃଖୀ ବିଧବା ହେଲେବି ସାଆନ୍ତ ଘରର ବଡ଼ବୋହୁ ବିଲ ବାଛିବାକୁ ଯିବ କିପରି ? ତା’ ଅପେକ୍ଷା ପଛେ ଘରେ ପଡ଼ି ମରିବାକୁ ଲୋଡ଼ିବ ସେ । କିନ୍ତୁ ମରଣକୁ ଆଲିଙ୍ଗନ କରିବା ଭାବନାବି ଖାଲି ଏକ ମନର ଖିଆଲ । ଗୋଟାଏ ଝୁଙ୍କର କଥା । ଅଳ୍ପ କେତେଜଣ ଝୁଙ୍କରେ ଭାସି ମଶାଣିକି ଯାଇପାରନ୍ତି, କିନ୍ତୁ ଈଶ୍ୱରଗଢ଼ା ଦେହର ଆବଶ୍ୟକ ଆଉ ନିତି ସତେଜ ଅଖଣ୍ଡ ଜୀବନର ଲୋଭ ବଳେ ଜୟକରିବ ମନର ଝୁଙ୍କକୁ, ଯେଉଁ ଝୁଙ୍କର ମୂଳଦୁଆ କେବଳ ସଂସ୍କାର, କେବଳ ଅତୀତର କାହାଣୀର ଧୂଆଁ, ବର୍ତ୍ତମାନର ମାଟିମଟାଳ ନୁହେଁ । ମଝିଲା ଶ୍ରେଣୀ ତେଣୁ ଭୟଭୀତ, ଚିନ୍ତିତ । ତେଣୁ ସେ କାନ୍ଥଆଡ଼କୁ ପିଠି ଡେରିଦେଇ ଶେଷ ଲଢ଼େଇ କରିବାରେ ବ୍ୟସ୍ତ । ବେଳ ଥାଉ ଥାଉ ଆପଣା ଜମିରୁ ଭାଗଚାଷୀକୁ ଉଠାଇଦେଇ ଜମିକୁ ଆପଣା ଅକ୍ତିଆର ତଳକୁ ଆଣିବାକୁ ପଡ଼ିବ । ସାଧା କାଗଜରେ ଟିପ ନେଇ ଚାଷୀ ମୂଲିଆକୁ ବାନ୍ଧିରଖି ଜମି ଦେବାକୁ ହେବ ।

 

ପଛେ ଯଦି ଭାଗଚାଷୀ ଆଇନ ଅନୁସାରେ ପାଞ୍ଚଭାଗରୁ ତିନିଭାଗ ଦାବି କରିବ, ପୂର୍ବ ଚଳଣି ପ୍ରକାରେ ସଞ୍ଜାଭାଗ, ଧୂଳିଭାଗ ଆଠପଣି ଭାଗ ନ ଦେବ କି ଜମି ଛାଡ଼ିଦେ କହିଲେ ଛାଡ଼ିବାକୁ ମନାକରିବ, ତେବେ ସେହି କାଗଜରେ ମନଇଛା କରଜ ନେଇଥିଲାପରି ଲେଖିଦେଇ କି ଅନ୍ୟାନ୍ୟ ବାକି ବକେୟା ଲେଖିଦେଇ ତା’ ଉପରେ ମକଦ୍ଦମା କରିହେବ । ଆଉ କରିବାକୁ ପଡ଼ିବ ପେଞ୍ଚପାଞ୍ଚ, ନାନାଶାଠ, ନାନାବାଟ, ତାଙ୍କରି ଭିତରେ କଳିଗୋଳ ଲଗାଇଦେଇ ତାଙ୍କରିପଟ ଲୋକଙ୍କୁ ଆଣି ନିଜପଟେ ରଖିବାକୁ ପଡ଼ିବ । ବୁଝାଇ, ମତାଇ, ଫୁସୁଲାଇ, କୋବଲାଇ ଆଇନକୁ ଏଡ଼ିକରି ରଖିବାକୁ ପଡ଼ିବ ନାନା ଉପାୟ, ଯେପରି ଆପଣାର ସ୍ୱାର୍ଥ ଅତୁଟ ରହିଥିବ କି ସୁଧ ବିଷୟରେ କି ଜମିଚାଷ ବିଷୟରେ ଚାଷୀମୂଲିଆଙ୍କୁ ଯେତେ ସୁବିଧା ଯେତେ ଅଧିକାର କରାଇଦେବା ସକାଶେ ଆଇନ ଉତ୍ତାରୁ ଆଉ ନୂଆ ଆଇନ ଗଢ଼ା ହେଲେ ବି ସେମାନେ ସେଥିରୁ ସୁବିଧା ପାଇପାରିବେନାହିଁ । ପ୍ରକୃତରେ ତା’ କାର୍ଯ୍ୟକାରୀ ହୋଇପାରିବନାହିଁ । କେବଳ ସଂଖ୍ୟାଗରିଷ୍ଠ ହେଲେ ଗୋଟାଏ ଶ୍ରେଣୀ ବଳିଷ୍ଠ ହୋଇଯାଏନାହିଁ । ପାଖେ ସେ, ପାଖେ ମଝିଲା ଶ୍ରେଣୀର ବୁଦ୍ଧିର ବଳ, ତା’ର ବୃତ୍ତିହିଁ ହୋଇଆସିଛି ବୁଦ୍ଧିରେ ବଞ୍ଚିବା ।

 

ବରାହଦଶମୀର ମେଳା ମଉଛବ ଦେଖି ଯାଉ ଯାଉ ବି ବାଟେ ବାଟେ ସମାନଧର୍ମୀ-ମଣିଷ ଦେଖିଲେ ବଡ଼ ବଡ଼ଙ୍କର ଏହି ଆଲୋଚନା, ବଦଳି ଯାଇଥିବା ସାମାଜିକ ସଂସାର ପଟ୍ଟ ଭୂମି ଆଗରେ ଦେଶର ଅବସ୍ଥା, ଜାଗ୍ରତ ସମସ୍ୟା ।

 

ଡାଆଣିଆ ଖରାବେଳ ସରି ସରି ମଉଳି ପଡ଼ୁଥାଏ ଗୋରୁବାହୁଡ଼ା ବେଳଆଡ଼କୁ । ସଂକୀର୍ତ୍ତନରେ କାନଅତଡ଼ା ପଡ଼ୁଥାଏ । ପଞ୍ଝା ପଞ୍ଝା ହୋଇ ଖଞ୍ଜଣିମେଳ ବସିପଡ଼ିଥାନ୍ତି । ଗହଳି ଭରାଭର । ସଂକୀର୍ତ୍ତନଠୁ କରଛଡ଼ା ଦେଇ ଦୂରେଇ ଦୂରେଇ ଏଠିସେଠି ଛୋଟ ଛୋଟ ଦଳ ଆଲୋଚନାରେ ଲାଗିଥାନ୍ତି । ସେମାନେ ଆଖପାଖ ଗାଁଗୋଷ୍ଠୀର ମୁରବୀ ଶ୍ରେଣୀର ଲୋକେ । କେଉଁ ଗାଁରେ କ’ଣ ଖବର ସେ କଥାବି ପଡ଼ିଯାଉଥାଏ । ଆଉ ଚାଷବାସ କଥା, ଭାଗଚାଷୀ ଉଚ୍ଛେଦ କରିବାକଥା, ମାଲିମକଦ୍ଦମା କଥା ।

 

ଜମିଦାରୀ ଚାଲିଯାଇଥିବା ପୁରୁଣା ଜମିଦାରମାନେ, ଭାଗରେ ଚାଷକରାଉଥିବା ବଡ଼ ବଡ଼ ଜମିମାଲିକମାନେ, ପେନ୍‍ସନ୍‍ ନେଇ ଚାଷଜମିକୁ ଆଶ୍ରାକରି ଘରେ ବସିଥିବା ସରକାରୀ କର୍ମଚାରୀ, ସାଧାରଣ ଲୋକେ କେହି କେହି ଯେଉଁମାନେ ଅଳ୍ପବିତ୍ତ ହେଲେବି ସବୁକାଳେ ବୁଦ୍ଧି ଖଟେଇ ପରଙ୍କୁ ହାତରେ ରଖି ଘର ଚଳାଇ ଆସିଛନ୍ତି, ଏହିପରି ନାନା ଶ୍ରେଣୀର ଲୋକ ଏକାଠିହୋଇ ଆପଣା ଆପଣା ଅନୁଭୂତି ଅଭିଜ୍ଞତା ତୁଳନା କରୁଥାନ୍ତି । ସମସ୍ତିଙ୍କ ଆଲୋଚନାରେ ବାରି ହୋଇପଡ଼ିଥାଏ ସମୟ ବିରୁଦ୍ଧରେ ଅଭିଯୋଗ । ସେଥିପାଇଁ କେହି କେହି ଯଦି ସରକାରଙ୍କୁ ଦାୟୀ କରୁଥାନ୍ତି, କେହି କେହି ଦାୟୀ କରୁଥାନ୍ତି ଦେଶର ଲୋକଙ୍କୁ, ନିଜକୁ ଛାଡ଼ି ଆଉ ସମସ୍ତଙ୍କୁ । ପଚାଶ ଷାଠିଏବର୍ଷ ଆଗେ ଯଦି ଏ ଆଲୋଚନାରେ ପଡ଼ୁଥିଲା ନୂଆ ଚଳଣି ବିରୁଦ୍ଧରେ ଅଭିଯୋଗ-। କିଏ ଇଂରେଜପଢ଼ୁଆ ଭାରିଯାକୁ ନେଇ ପଦାରେ ବୁଲିଲାଣି । କିଏ ଲୁଗା ନ ପାଲଟି ଘର ଭିତରେ ପଶୁଛି । କିଏ ଛାଡ଼ିଦେଲାଣି ଚିତା, ମାଳି, ତିନି କର୍ମ ଆଚାର, କିଏ ଅଜାତିରେ ବାହାଘର ସମ୍ବନ୍ଧ କଲାଣି । ଶଏ ବିଶା ଶହେବର୍ଷପୂର୍ବେ ଯଦି ଆଲୋଚନା ପଡ଼ୁଥିଲା ପୁରୁଣା ଜମିଦାରୀ ଲାଟରେ ଉଠିବାକଥା, ବଙ୍ଗୀୟ କିରାନୀ ଶାଗମାଛ ଦରରେ କଲିକତାରେ ଜମିଦାରୀ ନିଲାମ ଧରି ଓଡ଼ିଶାରେ ଆସି ଚେକା ଚୌଧୁରି ହୋଇ ବସିବାର କଥା. ବର୍ଷକୁ ବର୍ଷ ଖଜଣା ବଢ଼ିବା କଥା, କରଭାର ଆଉ ଲୁଣ୍ଠନ ଅତ୍ୟାଚାରରେ ଗାଁ ଉଜୁଡ଼ିବା କଥା । ଯଦି ପନ୍ଦରବର୍ଷ ପଚିଶବର୍ଷ ତଳେ କଥା ପଡ଼ୁଥିଲା ମହାତ୍ମା ଗାନ୍ଧୀ ଓ ସ୍ୱରାଜ ଆନ୍ଦୋଳନ କଥା । ଘରେ ଘରେ, ବାଟରେ ଘାଟରେ, ଆଜିର ମେଳା ମଉଛବରେ, ଯାନିଯାତରେ ଆଲୋଚନା ପଡ଼ିଛି ମାଡ଼ିଆସୁଥିବା ଏହି ସାମାଜିକ ବିପ୍ଳବର କଥା । ଯେତେବେଳେ ବହୁକାଳର ସୁପ୍ରତିଷ୍ଠିତ ମଝିଲା ଶ୍ରେଣୀ ଧୀରେ ଧୀରେ ଭାଙ୍ଗି ପଡ଼ିଛି, ରୂପ ବଦଳାଉଛି, ଚେଷ୍ଟାକରୁଛି ଅନ୍ୟମାର୍ଗଧରି ବି ଟାଳିଯିବ ଏ ବେଳକାଳେ, ଏହି ସଂଘର୍ଷରୁ ଆପେ ଆପେ ଉପୁଜୁଛି ଦଳଗଢ଼ାଗଢ଼ି, ମେଣ୍ଟ କଜିଆ, ଗଣ୍ଡଗୋଳ, ଠକପଣ, ନେତା କଜିଆ, ହିଂସା ।

 

ଅଭିମାନପୁର ମୌଜାର ପୁରୁଣା ଜମିଦାର ଆନନ୍ଦ ପଟ୍ଟନାଏକ କଥା ହେଉଥାନ୍ତି ମଙ୍ଗରାଜପୁର ମୌଜାର ପୁରୁଣା ଜମିଦାର କେଳୁ ପାଇକରାଙ୍କ ସଙ୍ଗରେ । ପାଖରେ ଥାଆନ୍ତି ଅଭିମାନପୁରର ମଣି ମହାନ୍ତି, ନାରଣ ମହାପାତ୍ର, ମଙ୍ଗରାଜପୁରର ଯୁଗଳ ଜେନା, କୁଶଳ ଷଣ୍ଢ, ଗୋବିନ୍ଦ ହାତୀ, ରଣଭାଡ଼ିକୁଦାର ମକଦ୍ଦମ ଯୋଗୀନ୍ଦ୍ର ଦାସ । ଆନନ୍ଦ ପଟ୍ଟନାଏକ ଡେଙ୍ଗା ଗୋରା ନହକା ମଣିଷ, ଝୋଟପରି ବାଳ, ଲମ୍ୱା ଲମ୍ବା ଧଳାନିଶ, ଟିକି ଟିକି ଆଖି, କାଚ ପରି ଜିକିଜିକି କପାଳ । ଧୋବ ଲୁଗା ଧୋବ ପଞ୍ଜାବୀ ଉପରେ ଲମ୍ବ ଚାଦର ଏବେବି ପଡ଼ିଛି । କିନ୍ତୁ ଆଉ କୁଞ୍ଚୁ କୁଞ୍ଚୁ ନାହିଁ, ପାନଡିବା ଧରି କାନ୍ଧରେ ଗାମୁଛା ପକାଇ ଭଣ୍ଡାରୀ ପଛେ ପଛେ ଥାଏ, ସେ ତ କେବଠୁଁ ଗଲାଣି । ପଟ୍ଟନାଏକେ ସାଇକଲ ଚଢ଼ି ଶିଖିଛନ୍ତି । ସାଇକେଲ ଡେରା ହୋଇଛି ହେଇ ସେ ଶିମିଳିଗଛ ଦେହରେ, ତା’ର ସଟ୍‌ରେ ନାଲି କନା ବନ୍ଧାହୋଇଛି । କେଳୁ ପାଇକରା ଓସାର ଓଜନ ମଣିଷ, ଶ୍ୟାମଳ ବର୍ଣ୍ଣ, ବଡ଼ ମୁଣ୍ଡ, ଚେପ୍‌ଟା ମୁହଁ, ଶୁଆଥଣ୍ଟ ପରି ନାକ, ହଳଦିଆ କାମିଜ ପେଟ ଉପରେ ଠେଲି ହୋଇ ରହିଛି । ପାନ ଆଦାନପ୍ରଦାନ ହୋଇସାରି ଦୁଇବନ୍ଧୁ ହସାହସି ହୋଇ ଅତୀତ କଥା ପକାଉଥାନ୍ତି । ପାଇକରାଏ ଅଭିମାନପୁରର ବୁଢ଼ା ପଟ୍ଟନାଏକଙ୍କ ଝିଅର ପୁଅ, ସମ୍ପର୍କରେ ଆନନ୍ଦ ପଟ୍ଟନାଏକଙ୍କର ପିଉସୀପୁଅ ଭାଇ । କଥା ପଡ଼ିଥିଲା, ସେତେବେଳେ ପାଇକରାଏ ଅଭିମାନପୁର ଗଲେ କେମିତି ଭୋଜିଭାତ ହେଉଥିଲା । ଓଳିକେ ଅନ୍ତତଃ ଗୋଟାଏ ଖାସି କଟା ହେଉଥିଲା । ଖିରୀପୁରି ଭାସୁଥିଲା, କୁଆଡ଼େ ଗଲା ସେକାଳ ଅମଳ, ସେ ଅଏସ, ସେ ମଉଜ । ପଟ୍ଟନାଏକ କହୁଥିଲେ, “ମଙ୍ଗରାଜପୁରରେ ତା’ଠୁ ବଳି, ଘିଅ ଖୋଜିଲେ ବାହାରୁଥିଲା ପଚାଶବର୍ଷର । ମୋଟା ମୋଟା ଘିଅ-ପୋକ ଭଜା ଖାଲି ମିଳୁଥିଲା ମଙ୍ଗରାଜପୁରରେ, ଆଉ କି ଅମାର ! କେଡ଼େ ଗୋଠ ! ହଠାତ୍ ଚାହୁଁ ଚାହୁଁ କୁଆଡ଼େ ଉଭେଇ ଗଲା ।’’ ପଟ୍ଟନାଏକ କହିଲେ, ଆଉ ସମସ୍ତେ ପାଳି ଧରିଲେ, “ଯାହା ଆମେ ଫୋପାଡ଼ି ଦେଉଥିଲୁଁ ତା’ ବି ଆଜି ଆମକୁ ମିଳୁନାହିଁ-।” ଛୋଟ ଲୋକେ ଉପରମୁହାଁ ହୋଇଯାଉଛନ୍ତି ।’’ ସେ କଥା ବି ପଡ଼ିଥିଲା । ତାଙ୍କୁ କାବୁ କରିବାକୁ ନାନାଦି ଉପାୟ ଖଞ୍ଜିବାର ବିଷୟ ପଡ଼ୁ ପଡ଼ୁ ଆହୁରି କଥା ପଡ଼ିଗଲା । କେତେ ସ୍ଥଳରେ ପୁରୁଣା ମର୍ଯ୍ୟାଦାରୁ ବିଚ୍ୟୁତି ଘଟୁଥିବା ସମ୍ବାଦ ।

 

‘‘ଆମ ଗାଁ ହରି ପଟ୍ଟନାୟକଙ୍କ ପୁଅ ଗଦେଇ ହଳଟିଏ କରି ଆପେ ହାତରେ ହ-ହ-ଡ଼ି-ଡ଼ି-କରୁଛନ୍ତି । ଦୋକଛି ଚଢ଼େଇ ମୁଣ୍ଡରେ ଗାମୁଛା ବାନ୍ଧି ହାତରେ ପାଞ୍ଚଣବାଡ଼ି ଧରି ସେ ଯେଉଁ ଦୃଶ୍ୟ ଯେ ଆଉ କ’ଣ କହିବି ?’’ ଆନନ୍ଦ ପଟ୍ଟନାଏକେ କହିଲେ, “କାନ୍ଧରେ ବନ୍ଧୁକ ପକାଇ ଆରାମ୍ ପୁଲିସି ହେଇଥିଲେ, ବଳିଲା ବଳିଲା ନିଶ ହଳେ ରଖିଥିଲେ । ସରକାର ଏଠୁ ନେଇ କଳାହାଣ୍ଡି କାଶୀପୁର ବଦଳି କଲେବୋଲି ୟେ ପୋଷାକ ଛାଡ଼ି ହଳ ଧରିଲେ । ସତେକି ସରକାର ୟାଙ୍କୁ ଲେଖିଦେଇଥିଲେ ଚାକିରି କରୁଥିବାଯାକେ ଘରପାଖିଆ ହୋଇ ରହିଥିବେବୋଲି । ଅବଶ୍ୟ ଏଣେ ଫେର୍ ଭାଗୁଆଳି ଚାଷୀଙ୍କି ଡର, କାଳେ ଜମି ମାଡ଼ିବସିବେ । ଯାହା ହଉ ସେ ଏଇ ବାଟ ଧରିଲେ, ଲାଜ ସରମ ଜାଣି ଗଲା, କ’ଣ କରିବେ, ଆଗ ପେଟ–’’ |

 

‘‘ସେ କଥା କ’ଣ କହୁଚ’’, ପାଇକରାଏ କହିଲେ, ‘‘ଆମ ଖୁଡ଼େଇଙ୍କି ଦେଖ । ହଁ ଦାଦି ମରିଗଲେ, ଅବସ୍ଥା ଖରାପ ହୋଇଗଲା ତ କିଏ ମନାକରୁଚି ? ଆମେ ସବୁ ଏତେଲୋକ ଅଛଁ, କ’ଣ ଚଳିଯାଇ ନ ଥାନ୍ତା ? ନାଇଁ, ତାଙ୍କର ମୁଠି ଦରକାର ପଡ଼ିଲା, ଝିଅ ଘରକୁ ବୋହିବେ । ସେଥିପାଇଁ ନିଜେ ଚକୁଳିପିଠା, ବରା, କାକରାପିଠା, ବଡ଼ି, ଆଚାର ଏମିତି ସବୁ ନାନାପ୍ରକାର କରି ସଫା ବିକ୍ରୀ କରିବାକୁ ଆରମ୍ଭ କରିଦେଇଛନ୍ତି । ସକାଳୁ ଦେଖିବ, ତାଙ୍କ ଖଣ୍ଡିଆ ହାତୀ ଅନ୍ଧ ସେପଟେ ଗହଳି, ସବୁ ଜାତି କ’ଣ ନା ସରୁଚକୁଳି, ବୁଢ଼ାଚକୁଳି-ଆଉ କେଉଁ ମାନ ମହତଟା ରହିଲା-? ଆମେ ଭିନେ ହେଲା ଭାଇ, ଭଗାରିଠୁ ବଳି । ଦାଦି ଥିଲାବେଳେ ଗୋଟା କେତେ ମାଲିମକଦ୍ଦମା ବି ଲାଗିଥିଲା । ଯେତେ ଯାହା ହେଲେ ଏମିତି ମଣିଷ ଇଜ୍ଜତ ମହତ ଖାଏ ?’’

 

ଗୋବିନ୍ଦ ହାତୀ ବୁଢ଼ା ମଣିଷ । ଶଙ୍ଖକଣ୍ଢେଇ ପରି ଗୋରାଦେହ ଶୁଖି ସେନ୍ତେରି ଯାଇଥାଏ, ନଇଁ ପଡ଼ିଥାନ୍ତି । କହିଲେ, ‘‘ଜାତି ଗଲା, ଇଜ୍ଜତ ମହତ ଗଲା, ସତ ବୁଡ଼ିଲା, ଧର୍ମ ଲୋପହେଲା । ଏଥର ଆମେ ଗଲେ କାମ ସରିଲା । ଆସନ୍ତୁ ଯେ ଆସିବେ ତେଣିକି, ଆମେ ନ ଥିବୁ ଦାୟୀ ହେବାକୁ ।’’

 

ମକଦମ୍ ଗୋବିନ୍ଦ ଦାସ ଗୋଲଗାଲ ହୋଇ ବାଙ୍ଗରା ମଣିଷ । ଗୋଲ ମୁହଁ, ସାନ ସାନ ପାତଳ ଓଠ । ଓଠକୁ ମୋଡ଼ି ମୋଡ଼ି ହସ ରୋକୁଥାନ୍ତି । ଗୋଟିଏ ବି ବାଳ ପାଚିନାହିଁ କି ଡଉଲ ମୁହଁରେ ଟିକିଏବୋଲି ଗାର ପଡ଼ିନାହିଁ । କହିଲେ, ‘‘ତମର କ’ଣ ଊଣା ପଡ଼ିଛି ହାତୀଏ ! ତେଣେ ଦି’ଜଣ ପୁଅ ଚାକିରି କରିଛନ୍ତି, ରୋଜଗାରିଆ, ଏଣେ ଧୀରେ ଧୀରେ ସବୁ ଜମିତକ ହାତଚାଷକୁ ଆଣିସାରିଲଣି । ବାଉରି ପ୍ରଜା ତ କାଗଜ ଲେଖିଦେଇ କରଜରେ ବନ୍ଧା, କିଏ ସିନା ଦଉଡ଼ିରେ ବାନ୍ଧେ, ତମର ବନ୍ଧନୀ ତ ସଫା ଲୁହାଶିଙ୍କୁଳିରେ, କିଏ ଫିଟିପାରିବ ? ତମର ଯାହା ଥିଲା ସେଇଆ ଅଛି, ବଢ଼ିଛି ସିନା ଛିଡ଼ିନାହିଁ ।’’

 

‘‘ଛିଡ଼ି ନାଇଁ ତେମେ ଦେଖିଚ ? ଅଇଛା ବୁଢ଼ା ହେଲୁଁ, କିହୋ ? ଆଗେ ଏକୁଟିଆ କଂସାଏ ବିରିଡ଼ାଲି, ବେଲାଏ ଦୁଧ, ଗୋଟାଏ ଇଲିଶ ଶୁଖୁଆ, ଅଧସେର ଖାସି ମାଉଁସ, ଦଶଗଣ୍ଡା ନଡ଼ିଆ କାକରା....’’

 

‘‘ସେ ତ ଈଶ୍ୱର ସର୍ଜନ ହାତୀଏ, ସମସ୍ତେ ଆମେ ବୁଢ଼ା ହେବା, ସେ ଅବସ୍ଥା ଉପରେ ତ କାହାରି ହାତନାହିଁ । ଅସଲ ହେଲା ଏଇ ଯାହା, ଚଳାଚଳ ଅବସ୍ଥା, ତେମେ ଆଗରୁ ହୁସିଆର ।’’

 

‘‘ହେଇ ଦେଖ, ଆହୁରି ବଡ଼ ହୁସିଆର ଜଣେ ଆସିଲେଣି”-ମଙ୍ଗରାଜପୁର ଯୁଗଳ ଜେନା କହିଲେ । ବାଙ୍ଗରା ଗୋରା ଟାଙ୍ଗରାମୁଣ୍ଡା ଭଦ୍ରଲୋକ, ବହଳ ଲମ୍ବା ଓହଳା ନିଶ, ଓସାର ପାଟିରେ ସବୁବେଳେ ପାନ ଆଉ ହସ, କେବଳ ବହଳ ବଙ୍କା ଭୂଲତା ତଳେ ଚଞ୍ଚଳ ଆଖି ଦି’ଟାକୁ ଅନାଇଁଲେ ଜଣାପଡ଼େ କେମିତି ତରକା ଏ ମଣିଷଟା, ଫରକଟା, ଚଟାଚଟା କାନ ଦି’ଟା ସେହି ଆଂଶଆଂଶିଆ କପାଳକୁ କେମିତି ପବନରେ ଉଡ଼ିଲାବେଳର ଭଙ୍ଗୀ ଦିଏ, ତା’ ସଙ୍ଗେ ଖାପିଯାଏ ତାଙ୍କର ଦାଢ଼ୁଆ ନାକ, ତା’ର ଅଗଟା ଉପରକୁ । ଲୋକେ କହନ୍ତି, ଯୁଗଳ ଜେନା ପତରଗଳି, ଏଇ ମଗରମୁହାଁ ବାଡ଼ିଖଣ୍ଡ ଧରି କାମିଜ୍ ଉପରେ ନାଲି ଗାମୁଛା ପକାଇ ଘେରାଏ ଯାଇ ବୁଲିଆସିଲେ ତାଙ୍କ କାନରେ ସବୁ ଖବର ପଡ଼ିଯାଏ ।

 

କହିଲେ, “ବନ୍ଧମୂଳ ବଟ ମହାନ୍ତିଙ୍କ ପୁଅ ରବିବାବୁ ଯେ, ବି ଏ ପାସ୍‍ । ବଟ ମହାନ୍ତିଙ୍କି ଯେ କହିବ କ’ଣ ନା ପରମାର୍ଥ ପୁରୁଷ, ଏଣେ କେତେ ଚାଷୀଙ୍କି ଭାଗ ଜମିରୁ ଛଡ଼େଇଦେଇ ସବୁ ଜମି ତୋଟା ବାରି ତାଙ୍କର ସେ ହାତତାଷରେ ରଖି ସାରିଲେଣି । ୟେ ପିଲା ତ ବି.ଏ . ପାସ୍‍ କରି ଖାସ୍ ସେଇଥିପାଇଁ ବସିରହିଲା ଘରେ । ଆପଣା ସମ୍ପତ୍ତି ଉଜାଡ଼ି ଦେଇ କେଇଟା ଟଙ୍କାକୁ ମୁଣ୍ଡ ବିକିଥିଲେ କ’ଣ ବଳକା ଉପକାରଟା ହୁଅନ୍ତା ? ଖାଲି ସେତିକି ? ପାସ୍‍ କରିସାରି ଘରେ ବସିପଡ଼ି ଖାଲି ଏ ଗାଁ ସେ ଗାଁ ବୁଲାବୁଲି କରୁଥିଲେ ଲୋକେ ନେତା ବୋଲି ଖାତିର କରିବେ । ୟେ ତ କ’ଣ ଆସୁ ଆସୁ ଲୋକଙ୍କୁ ଭେଳେଇଲେଣି, ନାଇଁ, ଫିକର ଅଛି, ଜମିବାଡ଼ି କରଜଦାମ ସବୁ ଆପଣା ନିଘାରେ ରହିବ, ତେଣେ ୟେ ହେବେ ନେତା, ଦେଖିବ ମୋ କଥା ସତ କି ମିଛ, ୟେ ବି ଦିନେ ମନ୍ତ୍ରୀ ନ ହୋଇଛନ୍ତି ଯଦି-’’ ଆନନ୍ଦ ପଟ୍ଟନାଏକେ ହସିଦେଇ କହିଲେ, ‘‘ନେତା ହେବା ତ ଦରକାର, ସମସ୍ତେ କ’ଣ ପାରୁଛନ୍ତି ? ତେମେ ହଉନା ? ଆଗେ ଥିଲା ବାପଅଜା ଚଉଦପୁରୁଷିରୁ ନେତାପଣଟା ଗଡ଼ିଗଡ଼ିକା ଚାଲିଆସୁଥିଲା ଜମି ଜମିଦାରୀ ସଙ୍ଗେ ସଙ୍ଗେ, ତେମେ ବଡ଼ ଘରେ ଜନ୍ମ ହେଲ ତ ଓଳିଆରୁ ପଡ଼ି ଗଜା, ଅଇଛା ନେତାପଣଟା । ହାସଲ କରିବାକୁ ହେଲେ ନିଜେ ଚେଷ୍ଟାକରିବାକୁ ପଡ଼ିବ ।’’

 

ପାଇକରାଏ କହିଲେ, “ବୁଦ୍ଧିବଳଟା ସବୁକାଳେ ଥିଲା, ଏବେବି ଅଛି । ୟେ ଟୋକାଖଣ୍ଡକର ବେକ ଚାରିପାଖେ ବୁଦ୍ଧି । ତେଣେ ଭାଇ ପୁଲିସ, ବାପ ଯକ୍ଷ, ଏଣେ ୟେ ବସି ପଡ଼ିଲେ ଗାଁରେ, କ’ଣ ନା ଗ୍ରାମ ସଙ୍ଗଠନ କରୁଛନ୍ତି, ବେଳ ଆସିଲେ ବସିପଡ଼ିବେ ଗାଦିମାଡ଼ି, ସେତେବେଳେ ଆଉ ପଚାରେ କିଏ ? ଡାକ ଡାକ, ଦି’ପଦ କଥା ହେବା ।’’

 

ଯୁଗଳ ଜେନା ଡାକ ପକାଇଲେ, ଆଗରୁ ଚିହ୍ନା ଥିଲା । ରବି ଆସିଲା, ଯୁଗଳ ଜେନା ଗୋଟି ଗୋଟି କରି ଚିହ୍ନା କରାଇଦେଲେ । ରବି ବିନୀତ ହୋଇ ଦଣ୍ଡବତ କରି ଅପେକ୍ଷା କରି ଠିଆହେଲା ।

 

ପାଇକରାୟ କଥା ଆରମ୍ଭ କଲେ, “ଭଲହେଲା ଆପଣ ଗାଁରେ ରହିଲେ, ଏତେ ପାଠପଢ଼ି କୋଉ ଗରଜ ପଡ଼ିଛି ଚାକିରି କରିବେ, ଏଣେ ଗାଁରେ କେତେ କାମ କରିବାକୁ ଅଛି । କେମିତି ଚାଲିଛି ? ଲୋକଙ୍କ ମତି ଗତି କ’ଣ ?’’

 

ରବି କାବା ହୋଇ ଅନାଇଁ ରହିଲା ।

 

ଆନନ୍ଦ ପଟ୍ଟନାଏକ ପଚାରିଲେ, ‘‘ବାପା ଭଲ ଅଛନ୍ତି ?’’

 

‘‘ହଁ ।’’

 

‘‘ଯାହା ହଉ, ବାପା ଭାରି ବୁଦ୍ଧିଆ କାମ କରିଛନ୍ତି, ଭାଗଚାଷୀମାନଙ୍କୁ ଜମିରୁ ଉଠାଇଦେଇ ଚାଷକୁ ଆପଣା ହାତକୁ ଆଣିଛନ୍ତି, ସେ ଟାଣୁଆ ଲୋକ, ତାଙ୍କର ଛାତି ଅଛି, କରିଦେଇପାରିଲେ, ଆମେ ପଛେଇ ପଛେଇ ହରବରରେ ପଡ଼ିଥିବୁ । କ’ଣ ହେଲା, ଲୋକେ କିଛି ଅଡ଼ୁଆ ଲଗାଉ ନାହାନ୍ତି ତ ?’’

 

ନୂଆ ଖବର, ରବିର ମୁଣ୍ଡ ଘୂରିଗଲା, କଥାଟାକୁ ବିଶ୍ୱାସ କରିପାରିଲାନାହିଁ, କହିଲା, ‘‘କାହିଁ, ମତେ କିଛି ଜଣାନାହିଁ ତ ।’’

 

ଯୁଗଳ ଜେନା ହସିଲେ, କହିଲେ, ‘‘ସମସ୍ତେ କରୁଛନ୍ତି, ସେ କଲେ ନାଙ୍କରା ହେଲା ! ଜମି ତ ପଡ଼ିଛି କାହିଁକା କାହିଁ କେତେ ଗାଁରେ, କିଏ ତା’ ଅନ୍ତପାଉଛି ? ସବୁ ଚାଷୀ ତମସୁକ ଲେଖି ଦେଇଛନ୍ତି, ପାଟି କରିବ କିଏ ? ଭଲ ହେଲା, ଯେସାକୁ ତେସା, ପରଧନ ଖାଲି ପୋଲା ପଡ଼ିଛି ଯେ ଇଚ୍ଛା ସେ ମାଡ଼ି ବସିବେ ?’’

 

ବିରକ୍ତ ହୋଇ ରବି କହିଲା, ‘‘ଯେ ପରିଶ୍ରମ କରିବ ସେ ତା’ ପରିଶ୍ରମର ଫଳ ନ ପାଇବ କାହିଁକି ? ସମସ୍ତେ ତ ଖାଇବେ, ବଞ୍ଚିବେ ।’’

 

ରବି ଚାଲିଗଲା, ଏମାନେ ମୁହଁ ଚାହାଁଚାହିଁ ହେଲେ । ଯୁଗଳ ଜେନା ମୁଣ୍ଡ ହଲେଇ ହଲେଇ କହିଲେ, “ଦେଖିଲ ତ ? ଯେମିତି ବାପ ସେମିତି ପୁଅ । ବାଘ ପାଟିରୁ କେହି କଥା ନେବ, ଏଡ଼େ ସହଜ ପଡ଼ିଛି ?”

 

ପାଇକରାୟ କହିଲେ, “ପିଲାଲୋକ, ତାକୁ ଏତେ ଖୋଳିତାଡ଼ି ପଚାରିଲେ କ’ଣ ହେବ-?’’

 

ଆନନ୍ଦ ପଟ୍ଟନାଏକେ କହିଲେ, “କାହାର କିଏ କ’ଣ କରୁଛି ଆମର କି ଯାଏ ?’’

 

ଦାସପୁରର ଚାଷୀବୁଢ଼ା ଜଗୁ ପଧାନ ଖଞ୍ଜଣି ମାଡ଼ ମେଳକରୁ ତରତର ହୋଇ ଉଠିଆସିଲା । ଯୁଗଳ ଜେନାଙ୍କୁ ପଚାରିଲା, ‘‘ବାବୁ କିଏ ସେ କି ?’’ ତା’ ପଛରେ ଆହୁରି ତିନିଜଣ-। ଯୁଗଳ ଜେନା ଚିହ୍ନା କହିଦେଲେ । ଜଗୁ ପଧାନ କହିଲା, “ଯିବା ତାଙ୍କୁ ଖୋଜିକା, ଗୁହାରି କରିବା-। ଦଶବର୍ଷ ହେଲା ଜମି ଚାଷକରୁଥିଲି ଯେ ଛଡ଼େଇ ଦେଇ ପାଣୁ ପଶାଏତ୍‌କୁ ଜମି ଦେଇ ଦେଇଛନ୍ତି । ଯାହା କରିବେ କରିବେ, କହିବା ତ ପଦେ ।’’

 

ଯୁଗଳ ଜେନା କହିଲେ, ‘‘ଯାଅ ଯାଅ–’’

 

ଜଗୁ ପଧାନ କହିଦେଇଗଲା, ‘‘ବାପେ ତ କାନରେ ପକାଇଲେ ନାହିଁ, କେଜାଣି ଅବା ୟେ ଶୁଣିବେ ମନକଲେ । ଏକା କ’ଣ ଆମକୁ ? କେତେ ଲୋକଙ୍କୁ ଛଡ଼େଇ ଦେଇସାରିଲେଣି । ବାବୁ, ୟେ କ’ଣ ଧର୍ମ କଥା ? ସରକାର ମନ ହେଲା ଆଇନ କଲେ ଭାଗଚାଷୀ ପାଞ୍ଚଭାଗରୁ ତିନିଭାଗ ରଖିବ, ୟା ପାଇବ ତା’ ପାଇବ । ଅଧିକାର କଥା କହିବାକୁ ଗଲେ ପୃଥିବୀସାରା ପଡ଼ିଛି, ଯେ ଆମେ କୋଉ ମାଗୁଛୁ ନା କଳି କରୁଛୁ ? ତେମେ ଆମକୁ ଯାହା ଦଉଥିଲ ସେଇଆ ଦବ, ଜମି ଛଡ଼େଇନେଲେ ଲୋକେ ବଞ୍ଚିବେ କେମିତି ?’’

 

‘‘ଠିକ୍ ଠିକ୍ ।’’ ପାଇକରାୟ କହିଲେ, “ଯାଅ, କହିବ ଯାଅ-’’

 

“ବାବୁ, ବାବୁ–’’ ଡାକ ଶୁଣି ରବି ପଛକୁ ଅନାଇଁଲା । ଚାରିଜଣ ଚାଷୀ, ଆଗରେ ଜଗୁ ପଧାନ ବୁଢ଼ା । ବିନା ବଚନିକାରେ ଆରମ୍ଭ କଲା, ‘‘ଏଇଟା କ’ଣ ଠିକ୍ ହେଲା ବାବୁ ? ” ତା’ପରେ ସେ ଅନର୍ଗଳ କହିଗଲା ତା’ର ଦୁଃଖ । ରବି ଆଶ୍ଚର୍ଯ୍ୟ ହୋଇ ଚାହିଁଲା, ଧୀରେ ଧୀରେ ୟେ ସବୁ ନୂଆ ଅବିଷ୍କାର । ବିଶ୍ଵାସ କରିହେଲାନାହିଁ । ଯାହାକୁ ସେ ଘୃଣାକରେ, ଯାହା ବିରୁଦ୍ଧରେ ତା’ର ବିଚାର ପ୍ରଚାର ସବୁ, ସେହି ତା’ର ନିଜ ବୁନିଆଦି । ଭାବପ୍ରବଣ ହୋଇ ବ୍ୟଥିତ ହୋଇ ଚାହିଁ ଦେଖିଲା, ଲାଗିଲା ମାଟି କଥା କହୁଚି, କି ଚିହ୍ନିଛି ତାକୁ ସେ । ତା’ର ଦୁଃଖ କଷ୍ଟକୁ । କେବଳ ବହିପଢ଼ା, କେବଳ କେତେଗୁଡ଼ାଏ କଥା, ଗୁଡ଼ାଏ ଭାବନା । ଏଣେ ତା’ରି ବାପା ଭାଗଚାଷୀଙ୍କୁ ଜମିରୁ ଉଠାଇ ଦେଉଛନ୍ତି ।

 

ବରାହଦଶମୀର ମଉଛବ ଲାଗିଛି । ସୂର୍ଯ୍ୟ ଓହଳି ପଡ଼ିଲେଣି । ଗହଳି, ଭିଡ଼, ବହୁତ ଲୋକ, ବହୁତ ରଙ୍ଗ । ଆଗରେ ଠିଆ ହୋଇ ରହିଛି ହେଇ ଜଗୁ ପଧାନ, ଗଣ୍ଠିଗଣ୍ଠିଆ ଦେହରେ ଚମ ଧୁଡ଼ୁକା ପଡ଼ି ଆସୁଛି, ମୁହଁରେ ନାନା ଗାର, ନାନା ଖାଲ, ଭ୍ରୂଲତାରେ ଅଳ୍ପ ବାଳ, ଆଖି କେମିତି ନେଳିଚା ଧୂଆଁଳିଆ ଦିଶୁଛି, ସତେ ଅବା କୁହୁଳୁଛି । କଳା କହରା ନିଶ ଉପରେ ଗେଣ୍ଡା ନାକଟା ଠିଆ ହୋଇ ରହିଛି, ସବୁ ମିଶି ଗମ୍ଭୀର ଠାଣି, ଚାଇଁଖରା ଉଢ଼ୁଆଳରେ ଛାଇପଡ଼ି ଆହୁରି । ଜଗୁ ପଧାନ ଜବାବ ଖୋଜୁଛି ।

 

‘‘ପିଲାଏ କହିଲେ–ଛାଡ଼ିବା ନାହିଁ ବାପା, ଯା ହବାର ହଉ, ଏମିତି ଯଦି ସମସ୍ତେ ତାଙ୍କ ଭାଗ କମିଟିମାନ ଛଡ଼େଇ ଛଡ଼େଇ ନେବେ ତ ଆମେ ଖାଇବା କ’ଣ, ଚଳିବା କେମିତି ? ମୁଁ କହିଲି, ନାଇଁ, ସେକଥା ହେବ ନାଇଁ, ବୁଢ଼ାଦିନେ ମୁଁ ସତଟାକୁ ଛାଡ଼ିବି ? କୁହାପୋଛା କରିବା, ଦେଖିବା ତା’ପରେ ।’’

 

‘‘ହଉ, ବୁଝିବା ପଧାନେ !’’ ରବି କହିଲା ।

 

‘‘ସେତିକି ।’’ ସେମାନେ ଚାଲିଗଲେ ।

 

କିନ୍ତୁ ସେଇଠି ସରିଲାନାହିଁ । କଥାଟା କେମିତି କେମିତି ହୋଇ ଅନ୍ୟାନ୍ୟ ଭାଗଚାଷୀଙ୍କ ଭିତରେ ଖେଳିଗଲା । ଅନ୍ୟମାନେ ବି ରବିର ପିଛାନେଲେ । ଏକର ସେକର ହେଉହେଉ ସଙ୍ଖାଳିପୁରର ବିଷ୍ଟୁ ରାଉତ, ଅରୁଆଗାଁର କୁଳମଣି ଜେନା, ତେନ୍ତୁଳିଆର ମାଧବ ପାତ୍ର ଏ ତିନିହେଁ ବି ଜଣ ଜଣ କରି ଆସି ଫେରାଦ ହୋଇ ଗଲେ । ବଟ ମହାନ୍ତିଏ ତାଙ୍କଠୁଁ ବି ଭାଗ ଜମି ଛଡ଼ାଇ ନେଉଛନ୍ତି । ସେମାନଙ୍କୁ ବି ରବି ଆଶ୍ୱାସ ଦେଲା ଯେ ତାଙ୍କ କଥା ବୁଝିବ । ବାପାଙ୍କର କେଉଁଠି କେଉଁ ଜମିବାଡ଼ି ପଡ଼ିଛି ସେ ହିସାବ ରଖିନାହିଁ । ସେ ଦେଖିଛି ଗାଁ ଜମି, ଆଉ ଫୁଲସରା, ଯେଉଁଠି ଆଗେ ତାଙ୍କର ଜମିଦାରୀ କଚିରୀ ଥିଲା, ତା’ପରେ କଚିରୀ ଉଠିଲା, ବହୁତ ପଡ଼ିଆଜମି ପଡ଼ିଛି, ନାଁକୁ ନିଜ ଚାଷଜମି; କିନ୍ତୁ ସେଥିରୁ ଖଣ୍ଡେଖଣ୍ଡେ ଚାଷ ହୁଏ । ବାକି ସବୁ ସେମିତି ପଡ଼ିଆ ପଡ଼ିଥାଏ-। କୁଆଡ଼ୁ, କୁଆଡ଼ୁ, ଧାନ ଆସେ, ନାନା ଫସଲ, ଗଛର ଫଳ ଆସେ, କେତେ ରହେ, କେତେ ବିକା ହୁଏ । ସେ ପାଠ ପଢ଼ୁଥିଲା, ସେଥିପାଇଁ କେବେ ଟଙ୍କା ଅଭାବ ହୋଇନାହିଁ । ବାପାଙ୍କର କିଛି ମହାଜନି ବି ଅଛି ସେ ଜାଣେ, ମଫସଲରେ ସେମିତି ସବୁ ଘରୁଆ ଲୋକଙ୍କର ଥାଏ, ଆଉ ଅଧିକା ସେ ଜାଣେନାହିଁ, ଯାହା ପାଇଛି ତାହା ଗ୍ରହଣ କରିନେଇଛି, ସବୁ କଥାକୁ ବାପା-

 

କିନ୍ତୁ ଏଥର ସେ ନୂଆ କରି ଦେଖିଲା ଆପଣା ମୂଳଦୁଆକୁ । ଯେଉଁ ଅତ୍ୟାଚାର ଶୋଷଣକୁ ସେ ଘୃଣା କରି ଶିଖିଛି ତା’ ଅଛି ତା’ ଆପଣା ଘରେ । ମହାଜନିର ଚଢ଼ା ସୁଧ କଥା ତା’ ନିଘାରେ ପଡ଼ିଥିଲା ଥରେ ଅଧେ, ତେବେ ସେ ଆଶା କରିଥିଲା ବାପା ନିଶ୍ଚୟ ସୁବିଚାର କରିବେ । ଖାଲି ଜଣେଅଧେ ନୁହେଁ, ଚାରିଗାଁର ଚାରିଜଣ ଭାଗଚାଷୀ କହିଦେଇ ଗଲେ, ଅନ୍ୟ ଗାଁରେ ଜମି ଥିଲେ ଏପରି ଅନ୍ୟ ଲୋକ ବି ଥାଇପାରନ୍ତି । ‘ବାପା’-ମାଡ଼ିପଡ଼େ, ସେଠି ବଳ କଷାକଷି ଚଳିବନାହିଁ, ଯୁକ୍ତି ଚଳିବନାହିଁ, ତାଙ୍କ ମୁହଁକୁ ଚାହିଁ ସେ କଥା କହିନାହିଁ । ସ୍ନେହ, ଆଶ୍ରୟ, ନିର୍ଭର, ତା’ ସହିତ ବିଚାର, ବିବେକ ଧର୍ମନିଷ୍ଠା, ଦୟା, ଏତେ ପ୍ରକାର ଧାରଣା ସେ ନାଆଁଟି ସହିତ ମନେପଡ଼ିଯାଏ । ସେ ତାଙ୍କୁ ସମ୍ମାନ କରିବାକୁ ମନ କରିଥିଲା; ତେଣୁ ତାଙ୍କଠି ଆରୋପ କରିଥିଲା ସେହି ସେହି ଗୁଣକୁ, ଯାହାକୁ ସେ ସମ୍ମାନ କରେ ।

 

ଅଥଚ ସେଇଠି ତା’ର ଆରମ୍ଭ, ପାପରୁ, ଶୋଷଣରୁ, ନିର୍ମମପଣରୁ, ମନରେ ଯାହା ଭାବୁ, ତୁଣ୍ଡରେ ଯାହା କହୁ, କାର୍ଯ୍ୟରେ ସେ ସେହି ଉପାୟରେହିଁ ପ୍ରତିପାଳିତ ।

 

ରବି ଅନୁଭବ କଲା, ଆଗରେ ଦିଶୁଛି ସଂଘର୍ଷ ଆସୁଛି । ଆପଣା ନୀତି ବିରୁଦ୍ଧରେ ଚଳଣିକୁ ସେ ସ୍ୱୀକାର କରିପାରିବନାହିଁ । ସେ ବଦଳିବ ନାହିଁ, ବାପା ବଦଳିବେ ନାହିଁ, ବାଟ ଭିନେ-। ମନେପଡ଼ିଗଲା ପାଟେଳିଗାଁ ସିନ୍ଧୁ ଚୌଧୁରି ଘର ମଧ୍ୟସ୍ଥ ଯେଉଁଦିନ ଗାଳିଖାଇ ଫେରିଗଲା, ବାପାଙ୍କର ରାଗ ଓ ଜିଦି । ଆଉ ଯେଉଁଦିନ ଖାତକ ଆସି ଅଳି କରୁଥିଲା ସୁଧ ଛାଡ଼ିବା ବିଷୟରେ । ଆଉ ଏମିତି କେତେକଥା । ଯେଉଁ ବାଟରେ ସେ ତାଙ୍କ ଜୀବନକୁ ଚଳାଇ ନେଉଛନ୍ତି ତାକୁ ବଦଳାଇବାକୁ ତାଙ୍କର ଗରଜ ପଡ଼ିନାହିଁ, ସେ ମୁରବୀ, ସେ ଘର ସମ୍ପତ୍ତିର ମାଲିକ, ସେ ବାପା । ଅଥଚ ରବି ନିଜେ ବି ଅନୁଭବ କରୁଛି ତା’ର ସ୍ୱତନ୍ତ୍ରତା ଅଛି, ମନ ବିଚାର, କଳ୍ପନା ସବୁ ତା’ର ଆପଣାର, ତାକୁ ଛାଡ଼ିଲେ ଯେପରି କି ତା’ର ଅସ୍ତିତ୍ୱ ନାହିଁ ।

 

ଉଦାସ ହୋଇ ମୁହଁ ବୁଲାଇ ସେ ଫାଙ୍କା କ୍ଷେତଆଡ଼କୁ ଚାହିଁ ରହିଲା, ନିଜେ ଯେପରି କି ଏକ ପଥରର ମୂର୍ତ୍ତି, କେତେକାଳର ମୂର୍ତ୍ତି, ମାଟି ତଳୁ ଖୋଳା ହୋଇ ବାହାରି ପଡ଼ିଛି । ସେହି ପଥରର ମୂର୍ତ୍ତି ଚେତନା ଲାଗି ହୋଇ ସତେକି ଭାବି ଲାଗିଲା, କେତେଥର ଏ ପୃଥିବୀରେ ଘଟିଛି । ଏ କଥା, ବାପାର ବାଟଛାଡ଼ି ପୁଅ ଧରିଛି ଭିନେ ବାଟ, ନିଜର ସ୍ୱତନ୍ତ୍ର ନୀତିରେ ଚଳି, ନିଜ ଅନୁଭୂତିରେ ଏ ଜୀବନକୁ ଅନୁଭବ କରିବାକୁ, ପୁଣି ପରଖିବାକୁ ।

 

ଅନ୍ୟମନସ୍କପଣରୁ ଚମକିପଡ଼ି ସେ ଦେଖିଲା ମାଇପେ ଦଳହୋଇ ଧାର ହୋଇ ଯାତ୍ରା ସ୍ଥଳୀରୁ ଫେରି ଚାଲି ଯାଉଛନ୍ତି । ସଞ୍ଜ ପାଖ ହେଲା, କେତେ ଫେରିବେ । ଚାଲିଯାଉଥିବା ଧାର ଭିତରୁ କେଉଁ ଗୋଟିକର ଛାଇଛାଇଆ ମୁହଁରେ ଆଉ ଏକ ମୁହଁର ଛିଲିକା ଦେଖିଲା ସେ । ଧାର ଚାଲିଗଲା । ଫେର ଚେଇଁଉଠିଲା ସେ ସ୍ମୃତି ।

 

ମୁହାଁମୁହିଁ ହେବାକୁହିଁ ପଡ଼ିବ, ନ ହେଲେ, ବୋଉକୁ କହିଲେ ବୋଉ କହୁଥିବ ବାପାଙ୍କୁ କହ, ମୁଁ କି ଜାଣେ, ମାଇପି ଲୋକ ? ମନେପଡ଼ିଗଲା ଥରେ ସେ କେମିତି ଆପତ୍ତି କରିବାକୁ ଯାଇଥିଲା କଲେଜର ପ୍ରିନ୍‌ସିପାଲଙ୍କ ମୁହଁ ଛାମୁକୁ, ଯେ ଦରମା ନ ଦେଇପାରିବାରୁ ଏହି ଯେଉଁ ପାଞ୍ଚଜଣ ଛାତ୍ରଙ୍କ ନାଁ କାଟିଦିଆ ହୋଇଛି, ସେ ନାଁକଟା ହୁକୁମ ଉଠେଇ ନେଇ ପୁଣି ମାସେ ଅପେକ୍ଷା କରାଯାଉ । ପିନ୍‌ସିପାଲଙ୍କର ସ୍ଥିର ଆଖିଡ଼ୋଳା ଆଉ ଓଠରେ କଣିକିଆ ହସର ବାଙ୍କ ଗାର ଏବେ ମନେପଡ଼ିଗଲେ ଛାତି ଦବିଯାଏ । ପାଖେ ତା’ର ହୃଦୟର ଉଚ୍ଛ୍ୱାସ, ଆରପାଖେ ଏକ ଭୂମି ଯେଉଁଠି ତା’ର ଅଧିକାର ନାହିଁ, ବ୍ୟକ୍ତିଗତ ସମ୍ବନ୍ଧ ବି ସ୍ପଷ୍ଟ ନୁହେଁ, ବାଟ କଢ଼ାଇଥିଲା ତା’ର ବିଶ୍ଵାସ, ଯାହାକୁ ସେ ଉଚିତ ଓ ସତବୋଲି ମଣେ ।

 

ଘରଠୁ ଟିକିଏ ଛଡ଼ା ଟୁଙ୍ଗି ବଖରାରେ କାନ୍ଥକୁ ଆଉଜି ସପ ଉପରେ ବଟ ମହାନ୍ତି ବସିଥିଲେ, ଆଖିରେ ଚଷମା, ହାତରେ ଭାଗବତ ଏକାଦଶସ୍କନ୍ଧ । ମଝି ଦି’ପହରର ଟିକିଏ ଆଗରୁ, ଖାଇସାରିଲେ ସେ ଏଠିକି ଉଠିଆସନ୍ତି, ଦିନବେଳପାଇଁ ୟେ ଏକପ୍ରକାର ଦୋଘରା । ସପରେ ତକିଆ ଥୁଆହୋଇଛି । ପାଖରେ ଖଣ୍ଡେ ବିଞ୍ଚଣା, ସେଥିରେ ନାଲିକନା ଲାଗିଛି । ଆଉ ଅଛି ଗୋଟାଏ ପିକଦାନି । କାନ୍ଥକୁ ଡେରି ହୋଇ ଦି’ଟା ଆଲମାରି ଥୁଆହୋଇଛି, ଛୋଟ ଝରକା ତଳେ ଗୋଟାଏ ଟେବୁଲ, ଟେବୁଲକୁ ଲାଗି ଚୌକି । କରେକେ ଗୋଟାଏ ସିନ୍ଦୁକ ବି ଅଛି ।

 

ଇସ୍କୁଲ ପଢ଼ା, ସେଥିପାଇଁ ବି ସହରରେ ରହଣି । କଲେଜରେ ଚାରିବର୍ଷ, ସେତେବେଳେ ବି ସହରରେ । ଗାଁ ଖାଲି ଗୋଟାଏ ନାଁ । କେତେବେଳେ ମନଭର୍ତ୍ତି କରିବାପାଇଁ କେତେଗୁଡ଼ିଏ ଚିତ୍ର, କେତେବେଳେ ପାରାମାନେ ଘୁମୁରୁଛନ୍ତି, କେତେବେଳେ ମନେପଡ଼ୁଛି ଆମ୍ବ ଚୁପୁଡ଼ା, ଦୁଆରେ ଆମ୍ବଚୋପା ଆମ୍ବଟାକୁଆ ଗଦା, କେତେବେଳେ ଆଉ କ’ଣ, ଆଉ ସବୁବେଳେ ଘର ଘର ଧାରଣା । ଘର ସହିତ ସମ୍ପର୍କ ଏହିପରିଭାବେ ମନେପଡ଼ିଥିଲା । କିନ୍ତୁ ବତ୍ତି ବାଡ଼ିର ହିସାବ କିତାପ, ସଂସାର ଚଳାଇବା ସମ୍ପର୍କରେ ବାପାଙ୍କର ବ୍ୟକ୍ତିତ୍ୱରସ୍ୱରୂପ-ଏ ତା’ର ଅଜଣା, ତା’ ପରିସରର ବାହାରେ । ଏମିତି ଏଇ ପରଖ ବେଳରେ ମନେପଡ଼ିଲା, ବାପା ସବୁଠୁ ବଳି ଆପଣାର ହେଲେବି କେଡ଼େ ସ୍ଵତନ୍ତ୍ର ତା’ଠୁଁ, ଏତେ ପାଖରେ ଥାଇ କେତେ ଦୂରରେ । ନିଜେ ମଣିଷ ନିଜକୁ ଇତିହାସ, ଅନ୍ୟଠୁଁ ସ୍ୱତନ୍ତ୍ର । ସେଠୁ ସେ ସ୍ନେହ ଆଦର ପାଇଛି, ଯାହା ଆବଶ୍ୟକ ସବୁ ପାଇଛି, ସେହି ଗଛରୁ ଓହଳ ହୋଇ ଲମ୍ୱିଯାଇ ବଢ଼ି ଉଠିଛି; ତଥାପି ଦୁହେଁ ଭିନେ ମଣିଷ, ତାଙ୍କୁ ସେ ଚିହ୍ନେ ନାହିଁ ।

 

ଟାଣ ହୋଇ ଭରସି ଭରସି ଯାଇ ସେ ପଚାରିଦେଲା । ସେ ଆଗ କାବା ହୋଇ ଚାହିଁଲେ, ତା’ପରେ ଆପେ ଆପେ ସେ ମୁହଁରେ ଭ୍ରୂକୁଟି ଫୁଟିଉଠିଲା । ସେ କହିଲେ, “ହଁ, ମୋର ବି ପଚାରିବାକୁ ଥିଲା ତତେ, ପାଠ ତତେ ଏଇଆ ଶିଖେଇଲା ? ଏଇଥିପାଇଁ ଏତେପଇସା ଖର୍ଚ୍ଚକରି ତତେ ପାଠ ପଢ଼େଇଥିଲି ? ତୁ ଶିଖିଲୁ ଯୋଉ ଡାଳରେ ଚଢ଼ିଥିବୁ ସେଇ ଡାଳକୁ କୁରାଢ଼ିରେ ହାଣିବୁ, ଏଇଆ ? ଚାକିରି ବାକିରି ତ କଲୁନାଇଁ, ଅଳସୁଆ ହୋଇ ଘରେ ବସିବୁ ଭାବିଲୁ, ତେବେ ଏ ସମ୍ପତ୍ତି କେମିତି ସମ୍ଭାଳିବୁ ? ଲୋକଙ୍କୁ କେମିତି ଜିତିବୁ ଏଣେ ସିନା ଧ୍ୟାନ ଦିଅନ୍ତୁ, କ’ଣ ନା ଠିକ୍ ଓଲଟା ? ଯାହାଙ୍କ ଛାଇ ପଡ଼ିଲେ ଲୋକ ଦୂରେଇ ରହେ, ତୁ ଯାଇ ତାଙ୍କରି ସଙ୍ଗେ ମିଶୁଛୁ । ସାନ ସାନ ଲୋକଗୁଡ଼ାଙ୍କ ଆଗରେ ବଡ଼ ବଡ଼ କଥା କହୁଚୁ, ତାଙ୍କ ମୁଣ୍ଡରେ ବୁଦ୍ଧି ପୂରାଇବା କଥା, ସେ ଯାହା ଟିକିଏ ଚପିଚାପି ଥିଲେ ଆହୁରି ଅଧିକ ମାତିବେ, ବେମହତିଆ ହେବେ, ଗୋଟାଏ ତ ରହିଲା ଚାକିରି ଗାଁରେ, ଘର ବୋଲି ନାଁ ଧରିଲା ନାହିଁ, ତୁ ତ ହେଲୁ ଏମିତି, ମୁଁ ଆଖି ବୁଜିଲେ ତ ସବୁ ଉଜୁଡ଼ିଯିବରେ ! ଭୂତ ଖାଇବେ, କିଛି ରହିବ ନାହିଁ ।’’

 

କଳ୍ପିତ ଆଶଙ୍କାରେ ତାଙ୍କ ଭ୍ରୂଲତା ଟେକି ହୋଇ ରହିଲା ମିନିଟିଏ କାଳ, କପାଳ ଉପରେ ଚମରେ ଅନେକ ଭାଙ୍ଗ ପଡ଼ିଗଲା, ଯେପରିକି ସେ ଦେଖିପାରୁଛନ୍ତି, ଏଇ ଆଖିଆଗରେ ଚାଲିଯାଉଛି ସବୁ । କହିଲେ-

 

‘‘ଆରେ ଜମି ତ ମୋର, ସେଥିରେ ତାଙ୍କର କି ଅଧିକାର ଅଛି ? ଯୋଉପରି କଲେ ଲାଭ ମିଳିବ, ମଣିଷ ଆପଣା ସମ୍ପତ୍ତିବାଡ଼ି ବିଷୟରେ ସେହିପରି କରିବ ନା ଭୂତ ଖୁଆଇବ ? ସେତେବେଳେ ଜମି ଭାଗରେ ଦେଇଥିଲି ଲାଭ ଥିଲା, ଏବେ ନଷ୍ଟି । ଏବେ ଦେଲେ ମାଡ଼ି ବସିବେ, ଭାଗ ଗଣ୍ଡାକ ତ ଅସୁଲ କରିବା କଷ୍ଟ । ଆଉ ବେଶୀ କ’ଣ କହୁଚୁ ? ମୋର ମୁଁ ଜମି ଛଡ଼େଇଲି, ଆଉ କାହାକୁ ଦେଲି କି ଯାହା ମନ ତା’କଲି, କାହା ବାପର କ’ଣ ଯାଏ ? ତୋ’ର ଏସବୁ କଥାରେ ମୁଣ୍ଡ ଗଳେଇବା ଦରକାର କ’ଣ ? ସମ୍ପତ୍ତି କେମିତି ଆସେ, କେମିତି ରଖାଯାଏ, କେମିତି ଦାଉ ସମ୍ଭାଳିବାକୁ ପଡ଼େ, କ’ଣ ତତେ ଜଣା ? ତୁ କି ମଣିଷଟାଏ ହେଇଗଲୁ ଯେ ପରଙ୍କ କଥା ନେଇ ମୋ ସାଙ୍ଗେ ତର୍କ କରିବୁ ? ଆରେ, ତମ କମେଇକି ଆଶା ରଖି ନାଇଁରେ, ସେ ବେଳ କେବେ ଆସିଲେ ମତେ ପଛେ କହିବୁ । ଅଇଛା ବୁଝି ଖବରଦାର, ଆଉ ଦିନେ ନାଇଁ ।’’

 

ଗର୍ଜି ଗର୍ଜି ରାଗ ଟିକିଏ ତଳକୁ ଖସିବାରୁ ଫେର ବୁଝେଇଲା ପରି କହିଲେ, “ଘରେ ବସିଚୁ, ଭଲା ଏସବୁ କଥା କେମିତି କ’ଣ ହୁଏ ଟିକିଏ ବୁଝନ୍ତୁ । ଏଡ଼େ ସହଜ କଥା ନୁହେଁରେ, ସିଧା ଆଙ୍ଗୁଠିରେ ଘିଅ ଉଠେନାଇଁ । ଭଲ ପାଠପଢ଼, ବେତା ବେତା ଭଲ କଥା କହ, କିଏ ମନା କରୁନାହିଁ, କାମ କଲାବେଳକୁ ଏଡ଼େ ସିଧା ସରଳ ହେଲେ ଚଳିବନାହିଁ । ସଂସାରରେ ଥିଲେ ସଂସାରୀ ବାଟ କରିବାକୁ ହୁଏ । ତା’ ଧର୍ମଟା ଭିନେ । ବୁଝିଲୁରେ ଓଲୁ, ଯେଉଁ କାମକୁ ଯେଉଁ ବାଟ, ଜମିବାଡ଼ି କାମ, ମହାଜନୀ କାମ, ଏସବୁ ଦାୟିତ୍ୱ ତ ତୁମରି ଉପରେ ପଡ଼ିବ । ଅଇଛା କାମିଜ କୁର୍ତ୍ତା ପିନ୍ଧି ଲମ୍ବାଲମ୍ବା ବକ୍ତୃତା ହାଙ୍କି ଯୋଉ କାମକୁ ନାକ ଟେକୁଚ, ତୁମେ ଖାଇପିଇ ମଣିଷ ହେଇଚ, ପୋଷି ହେଉଛ ସେହି ବାଟରେ, ତାକୁ ନିନ୍ଦା କରନାହିଁ । ଅତି ଦୟାଧର୍ମ ଦେଖାଇଥିଲେ ସବୁ ଉଡ଼ିଯିବ ପଛେ ଯେ ପାଉଥିବ, ଫେର୍ ଆଜିକାଲି ଯୋଉ କାଳ ଯେ କହିଲେ ନ ସରେ, ବସିଥିବ ଅରକ୍ଷିତ ହୋଇ ପର ହାତଟେକାକୁ ଅପେକ୍ଷା କରି ।’’

 

ବକ୍ତୃତା ଶେଷ କରିବାକୁ ବିଜ୍ଞ ଲୋକପରି ନିଜେ ନିଜର ବିଶ୍ୱାସ ଉପୁଜାଇ ମୁଣ୍ଡ ହଲାଇ ହଲାଇ କହିଲେ, “ଏ ସଂସାରରେ କେଡ଼େ କେଡ଼େ ଲୋକ ଅଛନ୍ତି, ଆମେ କେତେକେରେ କେତେ-? ଖାଲି ଆମରି ଜମି ଚାଷଠିଁ ନିଖ ମରିଛି, ଆଉ କାହାରି ନାହିଁ ? ଆମ ବାପଅଜା ଚଉଦପୁରୁଷି ଯେମିତି ଚଳି ଆସିଲେ, ଆମେ ସେମିତି ଚଳିବା । ଲୋକେ କିଏ କେତେ ପ୍ରକାର କହିବେ, ସେଥିରେ ଆମର ଯାଏକେତେ, ଆସେକେତେ ?’’

 

ପୁଣି ସେ ଭାଗବତ ଏକାଦଶସ୍କନ୍ଧରେ ଲୟ ଇଗାଇଲେ । ରବି ତଳକୁ ମୁଣ୍ଡ ପୋତି ଫେରିଆସିଲା ।

 

ଜମିରୁ ତଡ଼ା ଖାଇଥିବା ଭାଗଚାଷୀମାନଙ୍କ ଆପତ୍ତି କୁଆଡ଼େ ଭଣ୍ଡାରୀ ନଳାରେ ଗଲା । ଲାଜ ଆଉ ଦୁଃଖରେ ରବିର ମୁହଁ ସିଝିଯାଇଥାଏ, କାନମୁଣ୍ଡା ଝାଇଁଝାଇଁ କରୁଥାଏ, ଲାଗୁଥାଏ ଆଗରେ ସତେକି ଠିଆ ହୋଇଛନ୍ତି ସେହି ଚାଷୀମାନେ, ସମସ୍ତଙ୍କ ଆଗରେ ସେହି ବୁଢ଼ା ଜଣକ, ସେମାନଙ୍କ ନାଁ ମନେନାହିଁ ।

 

ଆଗରେ ଠିଆ ହୋଇଛନ୍ତି ସେମାନେ, ଏ ଦେଶର ଚାଷୀଙ୍କ ପ୍ରତିରୂପ । ଏପାଖେ ସେ, ଶିକ୍ଷିତ ଆଶାୟୀ ଆଦର୍ଶବାଦୀ ଯୁବକ, ପଚାରୁଛନ୍ତି ସତେକି-‘‘କ’ଣ ବୁଝିଲ ଆମ କଥା ? କେମିତି ସମାଧାନ କରୁଛ ଆମ ସମସ୍ୟା ? ସାଆନ୍ତ ସମ୍ପ୍ରଦାୟର ସୁବୋଧ ବାଧ୍ୟ ସନ୍ତାନ, କାମବେଳକୁ ତୁମେ ତାଙ୍କରି କଥା ମାନି କାମ କରିଯିବ, ସେହି ରୋଜଗାରରେ ବଞ୍ଚିବ । ଆମକୁ ଭୁଲେଇବାକୁ ଖାଲି କଥା-କଥା-’’

 

ଉପାୟ ନାହିଁ, ତା’ର ହାତଗୋଡ଼ ବନ୍ଧା । ବୋଉକୁ ସେ ତା’ ମନର ଦୁଃଖ ଜଣାଇଲା ନାହିଁ, ମନ ହେଲାନାହିଁ ତାକୁ ଧନ୍ଦାରେ ପକାଇବାକୁ । ଯେ ଯାହା ମାଗୁ, ଦୁଃଖୀ, ରଙ୍କି, ବୋଉ ତା’ର ସାଧ୍ୟ ଅନୁସାରେ ଦିଏ । କେବେ ବ୍ରାହ୍ମଣ ଭୋଜନ, କେବେ ବାଳଲୀଳା ବି କରାଏ, କିନ୍ତୁ ଘର କି ଜମିବାଡ଼ି ଖବରରେ ସେ ନ ଥାଏ । କେତେଥର କଥାଛଳରେ ସେ କହିଛି-’’ପୁଅ ପତି ଯାହା ଆଣି ଦେବେ, ଆମେ ସେଇଆକୁ ସିନା ରାନ୍ଧିବାଢ଼ି ଦେବୁଁ, ପଦା କଥାକୁ ଆମର କି ବଳ ? ମାଇପିଜାତି ପରା, ବାପ କି ସ୍ଵାମୀ କି ପୁଅ ଯେତେବେଳେ ଦେଖିଲେ କାହାରି ହେଲେ ଆୟତ୍ତରେ, ନିଜର ଆୟତ୍ତ ଆସିବ କାହୁଁ ? କୌଣସି କଥାରେ ଆପତ୍ତି ନ ଉଠାଇ ଶାନ୍ତହୋଇ ସେ ଦିନ କଟାଇଦେଇ ଚାଲନ୍ତି । ବ୍ରତ, ଉପାସ, ପୂଜା ଲାଗିଥାଏ ଗୋଟାଏ ନା ଗୋଟାଏ, ପୁଅକୁ ଯେତେ ସ୍ନେହ ଯେତେ ଗେହ୍ଲା ବାପକୁ ବି ବହୁତ ନିଘା, ବହୁତ ଯତ୍ନ । ଲାଗେ ଯେପରି କି ଦିନ ଭିତରେ ସ୍ଵାମୀଙ୍କର ଅଭ୍ୟାସ ଅନୁସାରେ ସବୁ ଭାବ ସବୁ ଭଙ୍ଗୀକୁ ଆଗରୁ ସେ ଘଣ୍ଟା ମିନିଟ କସି ନିର୍ଘଣ୍ଟକରି ରଖିଛନ୍ତି, ତାକୁ ଧ୍ୟାନ ରଖିବା ତାଙ୍କ ଜୀବନର ପ୍ରଧାନ କର୍ତ୍ତବ୍ୟ ।

 

ରବି ବି ବାପାଙ୍କ ନିର୍ଘଣ୍ଟମୟ ଚଳଣିକୁ ଧ୍ୟାନଦେଇ ଅନିଷା କଲା, ସବୁ ଯେପରି କି ବନ୍ଧାଗତ । ଭୋର ପାହାନ୍ତାରେ ସକାଳୁ ଉଠିବା, ବିଛଣାରେ ବସି ନାମ ଜପିବା, ନାମ ଜପି ଜପି ନଈକୁ ଗାଧୋଇଯିବା, ପୁଣି ନଈରୁ ବାହୁଡ଼ିବା, ତା’ପରେ କିଛି ଖାଇସାରି କାନ୍ଧରେ ଗାମୁଛାଟିଏ ପକାଇ ଧନ୍ଦା ବୁଝିବାକୁ ଗାଁ ବୁଲା, ପୁଣି ଲେଉଟି ଭାତ ଖାଇବାପୂର୍ବରୁ ଠାକୁରପୂଜା, ଠାକୁରଙ୍କୁ ଗାଧୋଇ ଦେଇ ସ୍ତୋତ୍ରରେ ସଙ୍ଖୁଳି ଭୋଗ ଲଗାଇବା, ତା’ପରେ ଟୁଙ୍ଗୀ, ସେଠି ନିଦ ଲାଗିବାଯାକେ ଭାଗବତ ପଢ଼ା, ଉଠିଲେ କାଗଜପତ୍ର ଦେଖାଦେଖି, ଡାକବାଲା ଖବରକାଗଜ ଦେଇଯାଇଥିବା ଖବରକାଗଜ ପଢ଼ା, ବନ୍ଧୁମାନଙ୍କ ସଙ୍ଗେ ଆଲୋଚନା, ମୁହଁ ସଞ୍ଜବେଳେ ଏକୁଟିଆ ବସି ନାମ ବୋଲା, ରାତିରେ କେବେ କେବେ ପୋଥିପଢ଼ା, କେବେ ନ୍ୟାୟନିଶାପରେ ବସିବା, ଚଞ୍ଚଳ ଖାଇଦେଇ ପୁଣି ଠାକୁରଙ୍କ ନାମ ନେଇ ନେଇ ଆପଣା ଆତ୍ମାର ସଦ୍‌ଗତିପାଇଁ ଗଦ୍‌ ଗଦ୍ ହୋଇ ଅଳି କରୁ କରୁ ନିଦ । ଏମିତି ଚଳିଆସିଛି ସବୁଦିନେ । ସେ ଜୀବନ ଅପେକ୍ଷା କରେନାହିଁ ଆଉ କାହାରି ସୁଆଗ ଆଦର କି ସାହାଯ୍ୟ, ଯେପରିକି ଚାରିଆଡ଼ୁ ଚାରିଆଡ଼ୁ ଅପସରି ଆସି ବାପା ଏଇ ନିର୍ଘଣ୍ଟ ଭିତରେ ଟାଣହୋଇ ଆପଣାଠି ବସା ବାନ୍ଧିଛନ୍ତି । ଗଢ଼ିଛନ୍ତି ଗୋଟିଏ ଅଜେୟ ଗଡ଼ । ସବୁ ଖାଲି କର୍ତ୍ତବ୍ୟ ପାଲଟି ଯାଇଛି, ଯେପରି ଠାକୁରପୂଜା, ଭାଗବତ ପଢ଼ା ସେହିପରି ଆପଣ ସମ୍ପତ୍ତିବାଡ଼ି ବୁଝା । ସେ କାହାଠୁଁ ପରାମର୍ଶ ଲୋଡ଼ନ୍ତି ନାହିଁ, ସାହାଯ୍ୟ ଲୋଡ଼ନ୍ତି ନାହିଁ, ଏପରି କି ନିଜ ବିଛଣାଟି ନିଜେ ପାରି ପୁଣି ନିଜେ ତାକୁ ଗୋଟେଇପୋଟେଇ ଥୋଇବା ବି ତାଙ୍କ ଅଭ୍ୟାସ । ଅନୁମାନ କରିହୁଏ, ଯେଉଁ ପରିମାଣରେ ସେ ବଡ଼ପୁଅକୁ ସ୍ନେହ କରିଥିଲେ, ଆଶା ରଖିଥିଲେ ପୁଅ, ବୋହୂ, ନାତି, ନାତୁଣୀଙ୍କୁ ଏକାଠି ଭେଳେଇ ଏପରିକି ସେମାନଙ୍କୁ ଆପଣ ଚାରିପଟେ ଘୋଡ଼ିପୁଡ଼ି ହୋଇ ରହି ଜୀବନ ବିତେଇବେ, ସେଥିରେ ବାଧା ପାଇ ସେ ଆପଣାପାଇଁ ଏଭଳି ଗୋଟିଏ ଖୋଳ ଗଢ଼ି ରଖିଛନ୍ତି । ଏପରି ବି ହୋଇପାରେ ଯେ ବହୁବର୍ଷଯାକେ ପ୍ରତିଦିନ ଏତେ ନାମ ନେଇ ଭାଗବତ ପଢ଼ି ଏ ଜୀବନର ନଶ୍ୱରତା ଓ ପରକାଳର ଗୁରୁତ୍ୱ କଥା ଭାବୁ ଭାବୁ ଅନାସକ୍ତ ନ ହୋଇ ସେ ଏମିତି ଏକୁଟିଆ ଏକୁଟିଆ ହୋଇଯାଇଛନ୍ତି । କାରଣ ଯାହା ହୋଇଥାଉ, ହାବଭାବରେ ଚାହାଣିରେ ବି ତାଙ୍କଠି କେମିତି ଏକୁଟିଆ ଏକୁଟିଆ ଦୂରଦୂର ଠାଣି, ସେ ଭିତରକୁ ପଶି ହୁଏ ନାହିଁ, ଦୂରେଇ ରହିବାକୁ ହୁଏ । କେବେ ପିଲାକାଳେ ସେ ତାକୁ ଗେଲ କରୁଥିଲେ, ତା’ ସଙ୍ଗେ ବସି କଥା କହୁଥିଲେ ତା’ ତା’ର ସ୍ମରଣତଳେ ପଡ଼ିରହିଛି, ପୁରୁଣା ଚିଠି ପଢ଼ିଲାପରି ବେଳେବେଳେ ଅବସର ସମୟରେ ମନେପଡ଼େ, ପଦାରେ ଖୋଜିଲେ ମିଳେନାହିଁ । ରବି ଦୂରେଇ ରହେ, ଶଙ୍କିଯାଏ, ଯେପରି ସେ ଦେଖେ ଅଳ୍ପ କେଇଜଣ ଯେପରି କି ମୂଷି ପଣ୍ଡା, ଦୀନବନ୍ଧୁ ମିଶ୍ର କି ଅରି ତିଆଡ଼ି କି କାଶୀ ଅବଧାନେ । ସେହିମାନେ ଆସିଲେ ତାଙ୍କ ସଙ୍ଗେ ଦୁଃଖସୁଖ ହୁଅନ୍ତି, ନ ହେଲେ ଆଉ କେହି ନାହିଁ । ଭୁଲ କରୁଛନ୍ତିବୋଲି ଜାଣି ଜାଣି ସେ ଭୁଲ କରନ୍ତି ନାହିଁ । ସବୁ କର୍ତ୍ତବ୍ୟ, ଚିରାଚରିତ ପଦ୍ଧତିରେ କର୍ତ୍ତବ୍ୟ, ତହିଁରେ ଅଟଳ ବିଶ୍ଵାସ ତାଙ୍କର, ଭାଗଚାଷୀକୁ ଜମିରୁ ତଡ଼ିବାଠୁଁ ଏକାଦଶସ୍କନ୍ଧ ପଢ଼ିଲାଯାକେ ।

 

ଏକାଠି ବସିଲେ ସେଠି ସେମାନଙ୍କର ଯେଉଁ ମତମାନ ପଡ଼େ ସେ ପୁରୁଣା ଆଉ ପଥୁରିଆ ଆଉ ସ୍ପଷ୍ଟ । ସେମାନେ ବିଶ୍ୱାସ କରନ୍ତି ସେହି ମତକୁ କାର୍ଯ୍ୟରେ ଲଗାଇ ଲୋକେ ଏତେ ଯୁଗଯାକେ କୁଟୁମ୍ବ ସମ୍ଭାଳି ଆସିଛନ୍ତି । ସମାଜ ରଖିଛନ୍ତି, ନିଜକୁ ରଖିଛନ୍ତି, ନୂଆ ପରଖାପରଖିକୁ ସେମାନଙ୍କର କେବଳ ଅବିଶ୍ୱାସ ନୁହେଁ, ଅବଜ୍ଞା ।

 

ସେମାନେ କହନ୍ତି, ସାନ ବଡ଼ ନ ରହିଲେ ସଂସାର ରହିବ ନାହିଁ । ତେଣୁ ବିଧାତା ସର୍ଜନା । ଯାହାକୁ ବିଧାତା ଯେତିକିରେ ରଖିଛି, ଯେଉଁ କୂଳରେ ଜନ୍ମଦେଇଛି, ଯାହା ଦେଇଛି ତା’ର ସେତିକି, ଆଉ ବେଶିକୁ ହାତ ବଢ଼ାଇଲେ ଅବ୍ୟାପାର, ଅନର୍ଥ ।

 

ସେମାନେ କହନ୍ତି, ଏ ନୂଆଯୁଗ, ଏ ନୂଆଚଳଣି ଏସବୁ ଦି’ ଦିନିଆଁ ଏମିତି କେତେ ଆସିଛି ଯାଇଛି ଯୁଗକୁ ଯୁଗ, ନୂଆ ଫିକରରେ ନୂଆ ନୂଆ କଥା, ଏସବୁ ଉଡ଼ିଯିବ ।

 

ସେମାନେ କହନ୍ତି, ଗତିମୁକ୍ତିପାଇଁ ମଣିଷ ତୁଣ୍ଡରେ ହରିନାମ ନେଉଥିବ, କାନରେ ଶୁଣୁଥିବ, ଆଖିରେ ଶୁଭ ଦେଖୁଥିବ, କିନ୍ତୁ କାର୍ଯ୍ୟରେ କାହାର ଲୋଭ ମୋହ ନାହିଁ, ସ୍ୱାର୍ଥନାହିଁ ଏକଥା କହିଲେ ସେଇଟା ଠକାମି ସିନା, ସତ ନୁହେଁ । ସଂସାରରେ ମଣିଷ ହୋଇ ରହିଲେ ଯେତିକି ଦରକାର ଅନ୍ତତଃ ସେତିକିଯାକେ ନରକରେ ଘାଣ୍ଟିହେବାକୁ ତ ପଡ଼ିବ, ଯେଡ଼େ ବାବାଜି ହେଉ କିଏ ଝାଡ଼ା ଫେରି ନ ଯାଏ, କିଏ ବାଁ ହାତରେ ଛଞ୍ଚି ନ ହୁଏ ? କାହାଠି ନାହିଁ ଘୁଅ ମୂତ ରକ୍ତ ପୂଜ ନାଳ ? ଲୋକ ଛଟଛଟ ହଉଥିବା କଉ ଗଡ଼ିଶାଙ୍କୁ ଆଖିଆଗରେ ଦେଖି ଦେଖି ଛେଚି ଛେଚି ମାରନ୍ତି । ଛେଳିମେଣ୍ଢା ମାରନ୍ତି, ମାଉଁସ କରନ୍ତି, ଖାଆନ୍ତି, ପୁଣି ହରିନାମ ନିଅନ୍ତି । ଥୋଡ଼ାଏ କାମ ତମୁକୁ କଠିନ ହୋଇ କରିବାକୁ ପଡ଼ିବ, ସେଥିରେ ପରର କଷ୍ଟ ହେବ । ସତ କହିବା ଉଚିତ, କିନ୍ତୁ ସେମାନେ ବିଶ୍ୱାସ କରନ୍ତି ନାହିଁ ଯେ କେହି ସବୁବେଳେ ସତ କହେବୋଲି । କେତେବେଳେ ଆପଣ ସୁବିଧାପାଇଁ ମିଛ କହିବାକୁ ପଡ଼ିବ, ସେମାନେ ନଜିର ଦିଅନ୍ତି ପୁରାଣରୁ ।

 

ସେମାନେ କହନ୍ତି, ‘ଏ ମଣିଷ ଦେହରେ ନରକ ଅଛି, ପୁଣି ବ୍ରହ୍ମଅଛି, ଏଇ ଜନ୍ମରେ ପାପଅଛି, ପୁଣ୍ୟ ଅଛି, ପରପାଇଁ ମମତା ଅଛି, ପୁଣି ସ୍ୱାର୍ଥ ଅଛି । ସବୁଥିରୁ ଦୁଇ ଦୁଇ ପ୍ରକାର ଅଛି; ଆଲୁଅ ଅଛି ପୁଣି ଅନ୍ଧାର ଅଛି । ମଣିଷଟା ଦେବତା ହେବାକୁ ଖୋଜିବା ବୃଥା, ଏ ଦେହରେ ହୋଇ ହେବ ନାହିଁ । ସେମାନେ ବିଶ୍ୱାସ କରନ୍ତି, ମଣିଷ ସିଦ୍ଧ ହୋଇପାରିବ, ମହାତ୍ମା ହୋଇପାରିବ; କିନ୍ତୁ ତା’ ସବୁ ମଣିଷଙ୍କ ପକ୍ଷରେ ସମ୍ଭବ ନୁହେଁ । କାହିଁ କୋଟିକରେ ଗୋଟିଏ । ପୂର୍ବ ଜନ୍ମର ସୁକୃତ ଥିଲେ ବଳେ ହେବ, ସେଥିପାଇଁ ଭାଳି ହେଲେ ସମୟ ନଷ୍ଟ । ସେ ଆଦର୍ଶକୁ ସେମାନେ ଦଣ୍ଡବତ କରନ୍ତି, ଆଶା ବଳାନ୍ତି ନାହିଁ । ଏ ଜନ୍ମରେ ପାଳିବା ଦରକାର ଗୋଟିଏ ନୀତି-ମାତ୍ରା ଜଗିବା, ଅତିଗୁଡ଼ାଏ ହୋଇଯିବା ଆଦୌ ଭଲ ନୁହେଁ । ଏପାଖେ ବଳିଗଲେ ଲୋକ ବାବାଜିଆ ହୋଇଯିବ, ସଂସାରୀ କାମ କରିପାରିବନାହିଁ, ସେପାଖେ ବଳିଗଲେ ଲୋକ ପାଷାଣ୍ଡ ହୋଇଯିବ, ଭ୍ରଷ୍ଟ ନଷ୍ଟ ପିଶାଚ । ସମାଜକୁ ଦେଶକାଳକୁ ପୁଣି ନିଜକୁ ଯାହା ଭଲ ତାହା ବିଚାରି ମାଛ ଖାଇ ଦରକାର ମାନିଆଁ ମିଛ କହି ପୁଣି ନ୍ୟାୟ ନୀତି ମାନି ଠାକୁରପୂଜା କରି ଲୋକ ମଝିମଝିକିଆ ବାଟରେ ଚାଲିବ । ଚଳନ୍ତି ରୀତିକୁ ମାନିବ, ସୁଖେଦୁଃଖେ ଦିନ ବିତେଇ ଦେବ, ହୁରୁହୁରୁ ହେବ ନାହିଁ ।

ଏଇ ଭାବଧାରାରେ ବିଚାର ଚାଲେ ଦେଶର ସବୁକଥା ବିଷୟରେ, ଯେତେବେଳେ ଯାହା କଥା ପଡ଼େ, ଇଂରେଜ ରଜା ଯେ ରାଜୁତି କରୁଥିଲା, ସେତିକି ଦିନକୁ ତାକୁ ଭୋଗ ଥିଲାବୋଲି । ତା’ ଭୋଗକାଳ ସରିଲା, କପାଳରେ ଆଉ ନ ଥିଲା, ସେ ଚାଲିଗଲା, ୟେ ଆଇଲେ-। କହନ୍ତି, ଲୋକେ ଯେ ପାଟି କରୁଛନ୍ତି ଦେଶପାଇଁ ଆମେ ୟା କରିଛୁ, ତା’ କରିଛୁବୋଲି, ସେଗୁଡ଼ା ସବୁ ମିଛକଥା । କେହି କିଛି କରେନାହିଁ, କରେ ତ ଭାଗ୍ୟ କି କାଳ କି ଭଗବାନ, ବୋଇଲା ଏଡ଼େବଡ଼ ଭାରତ ଯୁଦ୍ଧ ହେଲା ଯେ ଦେଖେଣାହାରୀ କହିଲା ଶଙ୍ଖ ବାଜୁଛି ଚକ୍ର ଛେଦୁଛି ଆଉ କିଛି ନାହିଁ, ସେମିତିଆ ୟେ । କଳିକାଳ ୟେ, ଅଇଛା ଦେବତା ଲୁଚିଛନ୍ତି, ବଧିରା ହୋଇଛନ୍ତି-। ଅଇଛା ସବୁ ଓଲଟା ଓଲଟା ଚାଲିବ, କେହି କାହାକୁ ମାନିବେ ନାହିଁ । ବାଉରି କହିବ ମୁଁ ବ୍ରାହ୍ମଣ ସଙ୍ଗେ ବସିବି, ବ୍ରାହ୍ମଣ କହିବ ମୁଁ ହାଡ଼ି ସଙ୍ଗେ ବସିବି । ଏ ଯୁଗରେ ଛୋଟ ଲୋକେ ବଡ଼ ହେବେ, ଭଦ୍ରଲୋକର ମାନ ଯିବ । ସେଇଥିପାଇଁ ଆପଣା ଖଞ୍ଜରେ ଥାଇ ଆପଣାକାମ ଆପେ କର । ଆଲୋସଖି, ଆପଣା ମହତ ଆପେରଖି । ସବୁଆଡ଼େ ଖରାପ ହେଉଛି, ଆହୁରି ହେବ । ଆଗ ସର୍ବେ ହୋଇବେ ଏକାକାର, ପଛେ କଳି ପୂରିଲେ ସବୁ ମରିବେ । ଏ ଯେତେ ଆନ୍ଦୋଳନ ଦେଖୁଛ, ରଜାଙ୍କ ରାଜ୍ୟ ଗଲା, ଜମିଦାରଙ୍କ ଜମିଦାରୀ ଗଲା, ଏଥର ଜମିମାଲିକ ହାତରୁ ଜମି ଚାଲିଯିବାପାଇଁ ଖଞ୍ଜ ହେଲାଣି । ଯୁଆଡ଼େ ଶୁଣିବ ଟିକସ ବସୁଛି, ଏ ଜାଣ ସେହି ଘୋର କଳିଯୁଗର ପ୍ରମାଣ । ଆଉ କ’ଣ ଦେଖୁଛ ? ଭାଉ ତ ହୁହୁ ହୋଇ ବଢ଼ିଛି । ଇନ୍ଦ୍ର ତ ଆଗପରି ପାଳୁ ନାହିଁ, କେତେବର୍ଷ ଯେ ମରୁଡ଼ି ପଡ଼ିଛି ତା’ ଠିକଣା ନାହିଁ । ଫସଲ ଆଗପ୍ରତି ପାଞ୍ଚଣା ଛ’ଅଣା । ମରିବା ଖବରଟା ଜାଣ ବେଶି, ହଇଜା, ବସନ୍ତ, ନୂଆନୂଆ ରୋଗ, ଯାହାର ନାଁ କେବେ ଶୁଣାନଥିଲା, ବ୍ୟାପୁଛି ଗଲା ଜାଣ । ଆୟୁଷ ଊଣା ପଡ଼ିଲାଣି, କେବେ ଥିଲା କଳିଷଠା ଷାଠିଏ, ଏବେ ତ ପଚାଶ ଟପୁ ନାହିଁ କେତେ ଲୋକଙ୍କର । ଚୋରି ଡକଏତି କଳି ଟାଉଟରି ବଢ଼ିଛି, ଯୁଆଡ଼େ ଶୁଣିବ ଖାଲି ଅଶାନ୍ତି । ଲଢ଼େଇ ଲାଗିବ ଲାଗିବବୋଲି ଲୋକେ କହୁଚନ୍ତି, ଲାଗିଲେ ଏ ସୃଷ୍ଟି ପୋଡ଼ିଜଳି ଭସ୍ମ ହେବ । କି ଭଲଟା ଏଣିକି ମାଡ଼ି ଆସୁଛି ?

ଏଇଥିରୁ ଜଣାପଡ଼ିଥିଲା ସେମାନଙ୍କ ଦୃଷ୍ଟିଭଙ୍ଗୀ ।

ସେମାନେ ଆପଣା ନାଁ କି ବଡ଼େଇ ଖୋଜୁ ନ ଥିଲେ । ସେମାନଙ୍କର ଉତ୍ସାହ ନ ଥିଲା ନୂଆକଥାପାଇଁ । ପୁରୁଣା ରୀତି ଚଳାଇ ଆପେ ସବୁଥିରେ ସୁସ୍ଥିରେ ନିରାପଦରେ ଅଥଚ ଲାଭରେ ରହିବା ଥିଲା ସେମାନଙ୍କ ଉଦ୍ଦେଶ୍ୟ । ଏମିତି ଚଳି ଆସୁଥିଲା ।

ଦୂରରୁ ଦେଖି ନିକୁଟି ନିକୁଟି ସେମାନଙ୍କ ବିଷୟରେ ରବି ଏହିପରି ଭାବି ଭାବି ଧାରଣା କରିଥିଲା । ଭାବୁଥିଲା, କ’ଣ କଲେ ଏଇ ଘଷରା ଥୋବରା ଅଚେତ ମାଟିରେ ଚେତନା ଉପୁଜା ଯାଇପାରିବ ?

 

ଖାଲି ଦୂରରୁ ଅନାଇଁ ଅନାଇଁ ଭାବିବା କଥା; କିନ୍ତୁ ବାପାଙ୍କୁ ମୁହାଁମୁହିଁ ବତାଇବା ଏପର୍ଯ୍ୟନ୍ତ ତା’ ଦେଇ ହୋଇନାହିଁ । ତା’ର ଧାରଣା ଅଛି ସତ, କିନ୍ତୁ ସେ ଭଲ ପିଲା, ସେହି ସଂଜ୍ଞା ଅନୁସାରେ ଜୀବନ ବଞ୍ଚିବାକୁ ଯାଇ ବଳେ ସେ ମାଡ଼ିମୁଡ଼ି ହୋଇ ରହେ । ବାପାଙ୍କଠୁଁ ହାସୁ ଶବ୍ଦ ଶୁଣିଲେ ଯେପରି କି ସେ ଛାଁ’କୁ ଛାଁ ପଳାଇଯାଇ କୁଆଡ଼େ ଛପିଯିବ ।

 

କିନ୍ତୁ ବିଚାର ଆଉ ଅଭ୍ୟାସ, ବିବେକ ଆଉ କାର୍ଯ୍ୟ-ଏହା ଭିତରେ ଯେଉଁ ବିସଦୃଶ ଉପୁଜୁ ଥିଲା, ସେ ବିଷୟରେ ସେ ତୀକ୍ଷ୍‍ଣଭାବେ, ଗଭୀରଭାବେ ଚିନ୍ତା ଆରମ୍ଭ କରିଦେଲା । କାହିଁକି ଆଉ କିଭଳି କ୍ରମରେ ଯୁଗଯୁଗର ଏତେ ଆଦର୍ଶବାଦୀ କ୍ରମେ ଆପଣାର ରୂପ ବଦଳାଇ ସାଧାରଣ ସଂସାରୀ ଲୋକ ହୁଅନ୍ତି, ସେ ଭାବିଲା ତା’ର ସେ କିଛି କାରଣ ଖୋଜି ପାଇଛି । ଜନ୍ତୁର ଜୀବନ ସଙ୍ଘର୍ଷ ଏଡ଼ି ସୁଖ ନିରାପତ୍ତା ଖୋଜିବାକୁହିଁ ଲୋଡ଼େ, ତାକୁ କାଟିବେ କେତେଜଣ ? ମନ ଯେତେ ଯୁକ୍ତି କରୁ, ପ୍ରବୃତ୍ତି ମଣିଷକୁ ଓଟାରି ନେଇ ଚାଲେ ସହଜ ସୁଖର ବନ୍ଧା ବାଟରେ । କେତେବେଳେ ମଣିଷ ତା’ର ବିଚାର ଓ ଯୁକ୍ତିକୁ ପରିସ୍ଥିତିକୁ ଖାପିଲା ଭଳି ନୁଆଁଇ ଦିଏ, ସାଲିସ କରେ, କେତେବେଳେ ସେ କଥା ଉଠାଏ ବି ନାହିଁ, ପାସୋରି ଯାଏ । ଆଖି ଆଗରେ ଅଛି ଉଦାହରଣ । ପିଲାଦିନୁ ଯେତେ ଯେଉଁମାନଙ୍କୁ ନେତା ନେତାବୋଲି ମାନୁଥିଲା, ତାଙ୍କ ଭିତରୁ କେତେ କେତେ ତ ରୂପ ବଦଳାଇଲେଣି ।

 

ଗଭୀର ଚିନ୍ତା ଭିତରେ ସେମାନେ ବି ମନେପଡ଼ନ୍ତି । କେଉଁ ହଜିଯାଇଥିବା ଗଣ୍ଡ ମଫସଲରେ ମାଟିଘର ପିଣ୍ଡାରେ ବସି ସେ ଆକାଶକୁ ଅନାଏଁ । ହଜିଲା ଶରତର ନାଁ ଦେଇ ନ ହେବା ନେଳୀରୁ ଟୋପାଏ ଟୋପାଏ ଦୂର ଆକାଶରେ କେବେ କେବେ ଦିଶିଯାଏ, ନ ହେଲେ କେବେ ଟାଆଁସିଆ ନେଳୀ, କେବେ ପାଉଁଶିଆ କସରା, ଧୂଆଁଳିଆ ଦିଶେ ଫଗୁଣର ଆକାଶ । ଦୂରର ବିସ୍ତୃତି ଉପରେ ଧ୍ୟାନ ଦେଉ ଦେଉ ଖରାତାଉରେ ଭାସିଲା ପରି କେଉଁଠି କେଉଁଠି ଦିଶେ ହାଲୁକା ସାବୁଜା ବାମ୍ପ ପରି ବିଛେଇ ହୋଇଥିବା ଗଛଟିଏ, ଟୋପି ଟୋପି ନାଲି ନାଲି ହୋଇ ଗୋଲ ବୁଲିଥିବା ଆଉ କେଉଁ ଗଛ, ପଡ଼ିଆରେ ଗୋରୁଗାଈ, ଆକାଶ ତଳେ ଉଡ଼ାଉଡ଼ି ହେଉ ହେଉ ଚିଲ ଦୋଓଟି । ସେହି ପଟ୍ଟଭୂମିରେ ଦୂରକୁ ଦେଖୁ ଦେଖୁ ସେହି ବନ୍ଧୁମାନେ ମନେପଡ଼ନ୍ତି, କାହା ସଙ୍ଗେ ମୁହାଁମୁହିଁ ଚିହ୍ନା, କିଏ ଖାଲି ଖବରକାଗଜରୁ ଚିହ୍ନା, ଖାଲି ଛବି ଦେଖି, ଖବର ଶୁଣି ଶୁଣି । ସେଇଠି ମନେପଡ଼େ ପରିବର୍ତ୍ତନ ।

 

ସୁନ୍ଦରରାଏ-ଏତେ ମଜଦୂର ମଜଦୂର ପାଟି କରି କମ୍ପାଉଥିଲେ, ତରୁଣ ନେତା, କେତେ ଲୋକଙ୍କ ଆଶାର ଦୀପ ହୋଇ ଆଗେ ଆଗେ ଝଟକୁଥିଲେ, ଭୋକିଲା ସର୍ବହରାଙ୍କ ଜୟଗୀତି ଗାଉ ଗାଉ ଉଠିଲେ ଯାଇ କମ୍ପାନୀ ଚାକିରିରେ, ବଡ଼ ଚାକିରି, କୋଠାବାଡ଼ି, ଗାଡ଼ି, ଅଧିକାର, କର୍ମୀ ନୁହନ୍ତି ଆଉ । ଚକ୍ରବର୍ତ୍ତୀ-ଲୋକସେବା ନାଁ ପଡ଼ିଲେ ଲୋକେ ତାଙ୍କରି କଥା ଆଗ କହନ୍ତି, ଅଖିଆ ଅପିଆ, ଛୋଟ ଖଣ୍ଡେ ପିନ୍ଧି ଅନ୍ଧାର ରାତିରେ କାଦୁଅ ପାଣିରେ ବୁଲୁଥିଲେ ରୋଗୀ ଦେଖି ଦେଖି ଗଣ୍ଡମଫସଲର ଗହୀର ଭିତରେ ଗାଁକୁ ଗାଁ, ଛାଡ଼ିଦେଇ କ୍ଷମତାପନ୍ନ ହେଲେ, ସିଗାରେଟ୍‌ ମୁହାଁ ଫିଟ୍‌ଫାଟ୍‌ କଳାସାହେବ, ବେକରେ ଫାଶ, ଚିହ୍ନି ହୁଏ ନାହିଁ । ଦଧିବାବନ ମିଶ୍ର-ସାଇକଲ ଚଢ଼ି ଫୁଙ୍ଗା ଦେହ ଡେଙ୍ଗା ହାଡ଼ୁଆ ଲୋକଟାକୁ ଏବେବି ଏ ଦେଶ ଭୁଲି ନାହିଁ, ତୀଖ ନାକ, ଗାଡ଼ ଭିତରେ କୁହୁଳିଲା ପରି ଆଖି ଦି’ଟା, ଯୁଆଡ଼େ ଗଲେ ପୁଲିସ୍ ଲାଗିଥାନ୍ତି, ଯୁଆଡ଼େ ଗଲେ ଭେଳେଇଲା ସେଠା ଲୋକଙ୍କୁ, ଥିଲାବାଲାଙ୍କ ଗୋଷ୍ଠୀ ଭିତରେ ଥରହର ପଡ଼ିଯାଏ, ଋଣ ଶୁଝିଯାଏ, ମୁଣ୍ଡବିକା କୋଠିଆ ମୁକୁଳିଯାଏ, ଦଧିବାବନର ପୁନର୍ଜନ୍ମ ହୋଇଛି, ୟେ ସେ ଲୋକନୁହେଁ, ୟେ ନିଜେ ଭାଗଚାଷୀଙ୍କି ନିଜ ଜମିରୁ ତଡ଼ିଦେଇ ହାତଚାଷ କରୁଛି । ଆଉ ଯେଉଁମାନେ ରାଇଜଯାକର ଜଣେଇଜଣା, ଅସଂଖ୍ୟ ତାଙ୍କ ନାଁ, କାଲି ସର୍ବସ୍ୱ ପାଣିଛଡ଼େଇ ଦେଇ ହସି ହସି ବିପଦ ବରଣକରି କେତେ ଦୁଃଖକଷ୍ଟ ସହୁଥିଲେ, ଆଜି ସେମାନେ ପୁଞ୍ଜିର ଅଧିକାରୀ, କ୍ଷମତାର, ସୁଖଲାଳସାର, ଅବଧୂତ ହୋଇଛି ମଠମହନ୍ତ । ତା’ର ଛୋଟିଆ ଜୀବନ ଭିତରର ଅଭିଜ୍ଞତାରୁ ଯେଉଁଠୁ ହେଲେ ଆଞ୍ଜୁଳାଏ ଉଠେଇ ନେଇ ଭାବି ଲାଗିଲେ ରବି ଦେଖେ ପରିବର୍ତ୍ତନଶୀଳ ଦୁନିଆରେ ମଣିଷର ଦମ୍ଭ ଆଉ ଉଦ୍ଦେଶ୍ୟରେ ମଧ୍ୟ କେତେଠି କେତେ ପରିବର୍ତ୍ତନ ଘଟିଯାଇଛି, ପୁଣି କେତେ ଘଟୁଛି । କେତେ କିଏ ଏପଟୁ ସେପଟ ହେଉଛନ୍ତି, କାଲିକା ସମ୍ବାଳୁଆ ଆଜିର ପ୍ରଜାପତି, ଚାଲିଛି କ୍ରିୟା-ପ୍ରକ୍ରିୟା ।

 

ତାହାରି ଭିତରେ ସେ ବାଟ ଖୋଜୁଥିଲା, ଆପଣା ଆଦର୍ଶକୁ ଆଖି ଆଗରେ ରଖି ସିଧାସଳଖ ହୋଇ ନୀତିରେ ଅଟଳ ରହି ସେ କାର୍ଯ୍ୟ କରିପାରିବ, କ’ଣ ତା’ର ଉପାୟ !

 

ତା’ପରେ ଆସିଲା ଦିନେ ମୂଳି ଦଳେଇ, ବିଧବା ମୋତି କାଲୁଣୀର ପୁଅ । କାହିଁ ଦଶବର୍ଷ ହେବ ସେ ବିଦେଶ ଯାଇଥିଲା ଯେ ଘରକୁ ଭାଷାଖଣ୍ଡେ ନାହିଁ । ବତିଶବର୍ଷ ବୟସ ହୋଇଥିଲା, ପୁଅ ଭାରିଯା ବସନ୍ତରେ ମରିସାରିଥିଲେ, ଗାଁରେ ଚଳିବାକୁ ଅସମ୍ଭବ ହେଲାରୁ ରୋଜଗାର କରିବାକୁ ଯାଇଥିଲା । କରଜ ଶୁଝିବ, ଘରଖଣ୍ଡ ଭାଙ୍ଗି ପଡ଼ୁଛି ମରାମତ କରିବ, କିଛି ପଇସା ହେଲେ ଆଉଥରେ ବିଭା ବି ହେବ, ଏପରି ବି ବୋଧହୁଏ ତା’ର ଯୋଜନା ଥିଲା । ବୟାଳିଷବର୍ଷରେ ବାଷଠୀବର୍ଷର ବୁଢ଼ା ହୋଇ ଫେରି ଆସିଛି ଭେଣ୍ଡା ମୂଳି ଦଳେଇ, ମୁଣ୍ଡବାଳ ଝୋଟ ହୋଇଛି, ସେମିଟି ଯାଇଥିବା ମୁହଁରେ କପାଳ ଉପରଯାକ ଗାର ଗାର ବହୁତ, ବାଉଁଶପରି ହାତଗୋଡ଼, ବତାପରି ଛାତିହାଡ଼ ଗଣି ହେଉଛି । କେଉଁଠି ଥିଲା, କ’ଣ ରୋଜଗାର କରୁଥିଲା ପଚାରିଲେ ଫାଳିକିଆ ହସଟିଏ ହସିଦେଉଛି ଯେ ଦିଶୁଛି ଫାଳେ ଦାନ୍ତ କେଉଁଠି ଝଡ଼ି ପଡ଼ିଛି, ଆଉ ଫାଳେ ଅଧେ ଅଧେ କଳା, ହସିଦେଇ କହୁଛି, ‘‘ସେ ବହୁତ ଗହନ କଥା, ଏଡ଼େ ଚାଣ୍ଡେ ଛିଡ଼ିଯିବ କି କହିଦେଲେ ?’’

 

ସେନ୍ତେରା ହେଉ ସେମେଟା ହେଉ ତା’ ପୁଅକୁ ଫେରିପାଇ ବୁଢ଼ୀ ମୋତି କାଲୁଣୀ ଯେପରିକି ଆଗଠୁ କେତେ ଚେଙ୍ଗାହୋଇ ଉଠିପଡ଼ିଛି । ବୁଢ଼ୀର ଗୋଟାଏ ଗୋଡ଼ ଗୋଦର, ମୁଣ୍ଡ ଚନ୍ଦା ହୋଇ ଗୋଟାଏ ଶୁଖିଲା ଫଳ ପରି, ସେହି ଯେଉଁଗୁଡ଼ାକ ବେଳେ ବେଳେ ବଢ଼ିରେ କୁଆଡ଼ୁ ଭାସିଆସେ ସେହିପରି ଅଣ୍ଟା ବଙ୍କା ଯେ ନଇଁ ନଇଁ ଚାଲେ । ଯେତେବେଳେ ଦେଖିଲେ ତା’ ମୁହଁ ତଳକୁ, ହାତରେ ଗୋଟାଏ ବାଡ଼ି, ଲାଗେ ତିନିଟା ଗୋଡ଼ରେ ଘୋଷାରି ହୋଇ ଚାଲିଲାପରି । ଏବେ ସେ ସେମିତି ନଇଁପଡ଼ିଲା ଠାଣିରେ ମୁହଁଟେକି ଅନାଉଛି ବାରମ୍ବାର, ବାଟ ଲୋକଙ୍କ ସଙ୍ଗରେ କଥାଭାଷା ବି ହୋଇଯାଉଛି ଦି ଦି ପଦ, ଦାଣ୍ଡେ ଦାଣ୍ଡେ ତରତର ଚାଲି । ଏବେବି ଅଳ୍ପ ଦୃଷ୍ଟିଶକ୍ତି ରହିଛି ତା’ ଆଖିରେ । ରବି ଦିନେ ଦେଖିଥିଲା, ଚିହ୍ନିଲା, ଚିହ୍ନିଲା ପରି ଚାହାଣିରେ ବୁଢ଼ୀ ତାକୁ ଅନାଇଁ ଦେଖିଥିଲା, ଭ୍ରୂଲତାରେ ଅଳ୍ପ ପାତଳ ବାଳ, କହରା ଚମରେ ମିଶିଯାଏ । ବାରି ହୁଏ ନାହିଁ ଅଛି ବୋଲି । ‘‘ବଟ ମହାନ୍ତିର ପୁଅ ନା ତୁ, କୋଟି ପରମାଉ ହେଇଥାରେ ବାପ, ମୂଳିଆ ଆସିଛି, ଯିବି ଯେ ତମ ଘଟିକି, କେଡ଼େ କାମ ଅଛି, ଯିବି ନାଇଁ !’’ କାମଟା ଯେପରିକି ଗୋଟାଏ ଗୋପନ ରହସ୍ୟ, କଥା ରୋକିଦେଇ ବୁଢ଼ୀ ଚାଲିଯାଇଥିଲା ।

 

ତା’ପରେ ସେଦିନ ଛାଇଲେଉଟାବେଳେ ବଟ ମହାନ୍ତି ଟୁଙ୍ଗୀରୁ ଠିକ୍‌ ଘରକୁ ଫେରୁଥାନ୍ତି, ଘର ଦୁଆର ମୁହଁରେ ହାବୁଡ଼ିଗଲେ ଦିହେଁ, ବୁଢ଼ୀ ଆଉ ତା’ ପୁଅ ମୂଳି, ଗୋଡ଼ତଳେ ପଡ଼ିଲେ, କେତେ ପ୍ରକାରେ ଅନୁନୟ କରି କହିଲେ । ତା’ରି ବାପାଙ୍କ ଛାମୁରେ ଅଳି କରୁଥିଲେ ସେ ଦି’ଟା ମଣିଷ, ଗୋଟାଏ କେତେବେଳେ ଟଳିପଡ଼ିବ ତା’ର ଠିକଣା ନାହିଁ, ଆରଟା ଭଙ୍ଗା ମଣିଷ, ନୋଚା କୋଚା, ଟାଣ କରି କହିବାକୁ ବି ସତେକି ତା’ ଦେହରେ ଶକ୍ତି ନାହିଁ । ସେହିଦିନ ରବି ବୁଝିଥିଲା ବାପାଙ୍କ ଅସଲ ଆଳୁଜମିର ଇତିହାସ କ’ଣ-ମୂଳି ଦଳେଇ ନଗଦ ଶହେଟଙ୍କା ନେଇ ବାକି କରଜ ବାବତକୁ ପଚାଶଟଙ୍କା ମଜୁରୀ କରି ପାଞ୍ଚମାଣ ଜମି କଣ୍ଟକବଲା କରିଦେଇଥିଲା ପାଞ୍ଚବର୍ଷକୁ । ପାଞ୍ଚବର୍ଷରେ କରଜ ଶୁଝି ନ ପାରିଲେ ଜମି ହେବ ମହାଜନର । ମୂଳି ଦଳେଇ ଫେରିଛି, ତା’ର ସେ ପାଞ୍ଚମାଣ ଜମି ପାଇଲେ ତା’ପରି ସେ ହୋଇ ଠିଆ ହେବ, ଭଲ ଜମି, ଗାଁର ଧୁଆଧୋଇ ଖାରିପାଣି ସେଥିରେ ପଶେ, ବିଶେଷତଃ ଗଉଡ଼ସାହି ତଳଟା, ଗୋବର ଖତର ଧୁଆଧୋଇ ପାଣି ମନକୁ ସେଠିକି ନିଗିଡ଼ି ଆସେ । ମୂଳି ଦଳେଇର ଘର ଡିହଟା ବି ଠିକ୍ ସେ ଜମି ଦାଢ଼ରେ ।

 

ଭଙ୍ଗାରୁଜା ମୂଳି ଦଳେଇ ଆଶା କରି ଆସିଥିଲା ପୁଣି ସେ ଘର ଖଣ୍ଡେ ଠିଆ କରିବ । ମା’ତ ଭଉଁରିଆ ଟେକି ରହିଛି, ମୁଣ୍ଡ ଉପରେ ଛାଇ କଲାଭଳି ଯେତିକି ଥାନ, ଦିନ ଦିନ କରି ନେହୁରା ହୋଇ ୟାକୁ ତାକୁ କହି ସେତକ କରେଇଛି । କିନ୍ତୁ ମୂଳି ଦଳେଇ ଦି’ବଖରା ଘର ତୋଳିବ, ହଳେ ବଳଦ କରିବ, ରାଜୁଆ ବାଉରି ରାଜି ହୋଇଛି ତା’ ପାଖେ କୋଠିଆ ରହିବ, ଦିହେଁ ଦେହ ମେହନତ କରି ଜମିତକ ଚଷିବେ । ନାନା ଶବ୍ଦରେ ଏଇ କଥାକୁ ବର୍ଣ୍ଣନା କରୁଥିଲେ ମା’ପୁଅ ଦିହେଁ ବଟ ମହାନ୍ତିଙ୍କ ଆଗରେ, ବୁଢ଼ୀ ମେଣ୍ଢୀ ପରି ମୋତି ବୁଢ଼ୀ ଅଣ୍ଟାରୁ ଆଗକୁ ଭାଙ୍ଗିପଡ଼ି ଭୂଇଁ ଉପରେ ବିଛେଇ ହୋଇ ସାମ୍ନାକୁ ଉହୁଙ୍କି ପଡ଼ି କଥା କହୁଥିଲା, କହିଲା-

 

‘‘ତମ କଇଲାଣରୁ ପୁଅ ମୋର ଘର କରିବ ବାପା, ବିଦେଶ ଯାଇ ଅଖିଆ ଅପିଆ ବାର ଅଯତ୍ନରେ କେଡ଼େଘାଁଏ ଧିଅ ଝଡ଼ିଯାଇଚି ଏଇଠି ହେଲେ ଛାଇତଳେ ସୁସ୍ଥ ହେବ ।’’ ପୁଣି କହିଲା, “ବୟସ କୋଉ ବଳେଇ ଯାଇଛି କି, ଦିକୋଡ଼ି ପୂରି ନ ଥିବ, କାଲିକାର ପିଲାଟା, ତମ କଇଲାଣରୁ ଆଉ ଗୋଟିଏ କୋଉଠୁ ବୋହୁଟିଏ ଘରକୁ ଆଣିବି, କିଏ ଜାଣିଚି ନିଆଁଲଗା ଅନୋଡ଼ା ଜୀବନଟା ତ ଯାଉବୋଲି କହିଲେ ବି ଯାଉନାହିଁ । ପୁଣି ନାତି ନାତୁଣୀଙ୍କ ମୁହଁ ଦେଖି ମରିବି ନାଇଁ ବୋଲି କିଏ କହିବ ?’’ କାନ୍ଦି ପକେଇ ବୁଢ଼ୀ କହିଲା, ଗାଈବାଛୁରୀ ତ ଦିହିଁକାଦିହେଁ ଚାଲିଗଲେ, ମୋ କରମ ପୋଡ଼ିଗଲା, କ’ଣ କରିବି ? ଘର ପୋଡ଼ିଗଲେ ଲୋକେ ପୁଣି ଫେର୍‍ ତ ଘର ତୋଳନ୍ତି, କ’ଣ କରିବା ।’’

 

ବଟ ମହାନ୍ତି ସବୁ ଶୁଣି ଶୁଣି ଗମ୍ଭୀର ହୋଇ କହିଲେ, “ଗାଆଁର ପୁଅଟା ଗାଁକୁ ଫେରି ଆସିଲା, ଘର କରି ରହିବ, କାହାକୁ ଅସାର ? ଏ ତ ଭାରି ଭଲକଥା । ପଇସା ଥିଲେ ଜମି କିଣ । କ’ଣ ବିଦେଶ ଯାଇଥିଲା ଯେ ଆଣିଚି କିଛି କି ନାହିଁ ? ନାହିଁ । ହଉ, ଆଗ ଭାଗରେ ଜମି ଚାଷ, ଆମେ ତ ଆଉ ସେମିତି ଦେଉନୋହୁଁ ଗାଁରେ, ଆଉମାନଙ୍କଠୁଁ ବୁଝ, ଯେ ମଥୁରି କି କୁଞ୍ଜ କି ଅଦେଇ କାହାକୁ ହେଲେ ପଚାର । ଦେଖ, ଭାଗରେ ତଷୁ ତଷୁ ଫେର ଆପଣା ଅଣ୍ଟା ଦମ୍ଭ ହୋଇଯିବ ନାହିଁକି ?’’

 

ତମ ଗୋଡ଼ତଳେ ପଡ଼ୁଚି, ତା’ର ବାପଅଜା କାଳର ସେ ଜମି ପାଞ୍ଚମାଣ ତାକୁ ଛାଡ଼ିଦିଅ, ସେଇ ଆଶାରେ ସେ ଦଉଡ଼ି ଆସିଚି ।’’

 

‘‘ଆଉ ସେ ଆଶା କାହିଁକି କରୁଚ ?’’ ବିରସ ହୋଇ ମୁହଁ ନେଫେଡ଼ି ଦେଇ ବଟ ମହାନ୍ତି କହିଲେ, ‘‘କଣ୍ଟକବଲା ଲେଖିଦେଇଥିଲ ପାଞ୍ଚବର୍ଷପାଇଁ । ପାଞ୍ଚବର୍ଷ ଭିତରେ ଟଙ୍କା ଫେରେଇଥିଲେ ଜମି ନେଇଥାଆନ୍ତ, ଟଙ୍କା କ’ଣ କମି, ନଗଦ ଶହେ, ସେତେବେଳର ଶହେକୁ ଅଇଛା ସାତଶହଟଙ୍କା ସରି । ଧାନ ଭାଉରୁ ଦେଖୁନା । ପୁଣି ଅଇଛା ବେପାରର ଫେରଫାର ଦେଖିଲାବେଳକୁ ବର୍ଷକେ ଶହେଟଙ୍କାଟା ବଢ଼ି ବଢ଼ି ପାଞ୍ଚଶହ ହଜାରେ ହଉଛି, ପାଞ୍ଚବର୍ଷ କଣ୍ଟକବଲା ମିଆଦକୁ ଆସି ବାରବର୍ଷ ହେଲାଣି, ସେତେବେଳେ ଯେଉଁଥିରେ ଶହେଟଙ୍କା ପକାଇ ଦେଇଥିଲେ ଅଇଛା ହୁଅନ୍ତାଣି ଦଶ ବାରହଜାର-’’

 

‘‘ହଁ ହଁ ନ ହନ୍ତାଣି କାହିଁକି ?” ମୂଳି ଦଳେଇ କହିଲା, ‘‘ବିଦେଶରେ ଦେଖି ଆଇଲି ସେମିତି ହଉଚି ନା । ଯାହା ହେଲା, କ’ଣ ଆଉ କରିବି, ମୂଳେ ମୂଳେ ଶହେଟଙ୍କା ଶୁଝିଦେବି, ଆଉ ପାଇବି କାହିଁ ?”

 

‘‘ଆରେ ବାୟା ହେଲୁ, ଟଙ୍କା ତ ଯାହା କହିଲି ସେତେବେଳର ଶହେ ଏତେ ବେଳର ଯାହା ହେଲା, ପୁଣି ସେ ଜମିରେ ଖର୍ଚ୍ଚ କଲିଣି କେତେ ? କଳିପାରିବୁ ? ଜମି କ’ଣ ଏୟା ଥିଲା ? କେତେ ଖୋଳେଇଲି, କେତେ ବସ୍ତା ହାଡ଼ଗୁଣ୍ଡ ବିଲାତିସାର ପିଡ଼ିଆ କେତେ ଶଗଡ଼ ଶଗଡ଼ ଗୋବର ଖତ, କେତେ ଓଡ଼ ଧନିଚା ଛଣପଟ ଖତ, କେତେ ଦ୍ରବ୍ୟ ପକାଇ ପକାଇ ଜମିକୁ ପାଗ କଲି, ତା’ର କ’ଣ ହିସାବ ଅଛି ଟଙ୍କାର ? ଜାଣ ସେଠି ଟଙ୍କା କୁଢ଼ା ହୋଇଛି । ପ୍ରତି ଚାଖଣ୍ଡେକେ ଟଙ୍କା ପଡ଼ିଛି । ଏତେ କରିବାରୁ ସେ ହେଲା ଆଳୁଜମି । ପୁଣି ଆହୁରି ଖର୍ଚ୍ଚ ଲାଗିଚି । କ’ଣ ଲାଭ ପାଇବିବୋଲି ? ନା, ଗୋଟାଏ ସଉକ ।’’

 

‘‘ଆଜ୍ଞା, ଜମିଟା ତ ମୋର ସେତିକି ବୋଲି, ମୋ ଜୀବନର ଆଧାର, ବନ୍ଧାକୁ ସିନା ଦିଆହୋଇଥିଲା, ନ ଦେଲେ ମୁଁ ମରିଯିବି ନାହିଁ !’’

 

‘‘ବନ୍ଧା ନୁହଁରେ କଣ୍ଟବନ୍ଧା, ମିଆଦ ପୂରି ଚାରିଲାଣି ସାତବର୍ଷ, ଜମି ତ ମୋର ହୋଇସାରିଚି, ଆଉ ତୋ’ର କି ଜମି ? ସେ ତ କାଗଜପତ୍ର କଥା, ତୁ ମୁଁ କହିଲେ କ’ଣ ହେବ ?’’

 

କାନ୍ଦି ଉଠିଲା ବୁଢ଼ୀଟା, ବାରମ୍ବାର ଗୋଡ଼ତଳେ ପଡ଼ିଲା । ମୂଳି ଦଳେଇ ନେହୁରା ହେଲା । ବଟ ମହାନ୍ତି ପିଠି ବୁଲେଇଦେଇ କହିଲେ, ‘‘ଯାଅ ଯାଅ, ଘରକୁ ଯାଅ । ପର କଥାରେ ପଡ଼ି ନାଚ ନାହିଁ । ନ ହେବା କଥାକୁ ମନ ବଳାଅ ନାହିଁ । ଯାଅ ।’’ ରବି ଘର ଭିତରେ ଥାଇ ଦେଖିଲା, ସେମାନେ ଫେରିଗଲେ । ଆପେ ଭରସି ପଦାକୁ ଯାଇପାରିଲାନାହିଁ । ଆପଣା ହୃଦୟରେ ସେମାନଙ୍କପାଇଁ ଏତେ ସହାନୁଭୂତି ସାଇତି ରଖି ତଥାପି ସେ କିଛି କରିପାରିଲାନାହିଁ, କହି ବି ପାରିଲାନାହିଁ ପଦେ ।

 

ଖାଲି ଦେଖିଲା । ତା’ରି ଆଖି ଆଗରେ ଦୁଇଟା ମଣିଷ ଯେପରି କି ମଣିଷ ହୋଇ ଆସିଥିଲେ, ମୁର୍ଦ୍ଦାର ହୋଇ ଫେରିଗଲେ । ମଣିଷ ଯେତେବେଳେ ଜାଣିପାରେ, ଏ ଜୀବନରେ ଆଉ ତା’ର ଆଶାଭରସା ନାହିଁ, ସେ ମରିବ, କେହି କୁଆଡ଼େ ସାହାନାହିଁ, ଶାଖାନାହିଁ, ସେତେବେଳେ ଏକ ମୁହୂର୍ତ୍ତରେ ଯେପରି ତା’ର ମୁହଁରୁ ଆଲୁଅ ନିଭିଯାଏ, ଯେପରି ନିଷ୍ଫଳ ବେଦନାରେ ଓହଳି ରହେ ମୁହଁର ମାଂସପେଶୀମାନ ଆଉ ଛାଲ, ମୁଖା ପରି ନିର୍ଜୀବ ହୋଇ ରହେ, ସେହିପରି ଦିଶୁଥିଲା ସେ ମୁହଁ ଦୁଇଟା ଚାଲିଗଲାବେଳେ !

 

ଜୀବନଯୁଦ୍ଧରେ ଭଙ୍ଗାରୁଜା ପ୍ରାଣୀ ଦୁଇଟା ଆଶାମୁହଁରେ ଧାଇଁ ଆସିଥିଲେ, ଅଶ୍ରା ନ ପାଇ ଲେଉଟିଗଲେ । ଯେପରି କି ନିକିତିରେ ତଉଲି ମୂଲ କଷି ଦେଇଗଲେ ଏ ଘରର ମଣିଷପଣିଆର, ଯେଉଁଥିରେ ଗର୍ବ କରିବାକୁ କିଛି ରହିଲାନାହିଁ, ଲାଜରେ ଖର୍ବ ହୋଇ ମୁହଁ ଲୁଚେଇବାକୁ ଘଟନା ଘଟିଲା, କାରଣ ରହିଗଲା ।

 

ଉତ୍ତ୍ୟକ୍ତ ହୋଇ ଭିତରକୁ ଧାଇଁଯାଇ ରବି ପାଟିକଲା, ‘‘ବୋଉ, ବୋଉ, ଶୁଣିଲୁଣି ? ବୋଉ ଆଗରେ ଯେତେ ଟାଣକରି ବୁଝାଇ କହିଲେ ବି ଆଶା ମେଣ୍ଟିଲାନାହିଁ, କହିଲା, ‘‘ଆମର କେଉଁ ଊଣାପଡ଼ିଛି ? କ’ଣ ଖାଇବାକୁ ନାହିଁ ? ତା’ବୋଲି ବିଧବା, ଗରିବ ଦୁଃଖୀ ଲୋକ, ଯାଙ୍କରିଠୁଁ ନେଇ ସମ୍ପତ୍ତି କରିବାକୁ ଥିଲା ! ଭାଇ ତ ବାହାରେ ରହିଲେ, ଘରେ ଖାଲି ତିନିଟା ପେଟ, ମୁଁ ବି ମନକଲେ ବୃତ୍ତି ଧରିପାରନ୍ତି, ଏଇଥିପାଇଁ ଏତେକଥା !’’

 

‘‘ତିନିଟା ପେଟ ହେଲେ କ’ଣ, ତିରିଶିଟା ପେଟ ହେଲେ କ’ଣ, ଘରକରଣା ତ ସମସ୍ତେ କରନ୍ତି, କିଏ ଆଉ ଉଜାଡ଼ି ଦେଇ ବସେ, କହିଲୁ ପୁଅ ! ସବୁ ତ ପରହାତକୁ ଟେକି ଦେବ, ଆପେ ଚଳିବ କେମିତି ? ସବୁକଥାରେ ଗୋଟାଏ ଗୋଟାଏ କଣ୍ଟଥାଏ, ଆଜି ଏଇଟା ଛାଡ଼ିଦେଲେ କାଲିକି ଆଉ ଗୋଟାଏ ଛାଡ଼ିଦେବାକୁ ପଡ଼ିବ, ସବୁ ଯିବ ଗୋଟି ଗୋଟି ହୋଇ । ପିଲାଳିଆ ବୁଦ୍ଧି ଭିନେ, ଘରକରଣା ବୁଦ୍ଧି ଭିନେ । ମୁଁ ତ ମାଇପିଲୋକ, ମତେ ଏଥିରୁ କ’ଣ ଜଣା ? ଯେ କାରବାର କରନ୍ତି ସେ ଜାଣନ୍ତି ।’’ ହସୁ ହସୁ ତାଙ୍କ ମୁହଁ ଧୀରେ ଧୀରେ ଗମ୍ଭୀର ହୋଇଗଲା, କହିଲେ, ‘‘ବାପାଙ୍କୁ କିଛି କହିବୁ ନାହିଁଟି, ସେ ଅଇଁଗୁଣ ବୁଝୁଛନ୍ତି, ଭାବୁଛନ୍ତି ତାଙ୍କ କଥାକୁ ସମାଲୋଚନା ହେଲା । କହୁଛନ୍ତି, ପୁଅ ବଡ଼ହେଲା, ପାଠପଢ଼ି ସାରିଲା, ଏଥର ମତେ ସାହାଯ୍ୟ ହୁଅନ୍ତା ନା ଓଲଟି ସେ ଗୋଟାଏ ଗୋଟାଏ ଅଡ଼ୁଆ ଧରୁଛି । ୟାକୁ ତାକୁ କ’ଣ କହିଦେଉଛି ଯେ ଲୋକେ ମାତି ଉଠୁଛନ୍ତି । ଟୋକାଟାକିଳିଆ କଥା, ଖାଲି ତତେଇଦେଲେ କ’ଣ କାମ ସରିଗଲା ? ସବୁ କଥା ତୁଲେଇ ପାରିଲେ ସିନା ! ସେ ଏମିତି କହୁଛନ୍ତି, ତାଙ୍କ ମନରେ ଅଶାନ୍ତି ।’’

 

ଏକା ବୋଉ ନୁହନ୍ତି, କୁଞ୍ଜଭାଇ, ମୂଷି ପଣ୍ଡା ବି କହୁଥିଲେ ସେପରି, ବୁଲେଇ ବଙ୍କେଇ ଜଉତିଷ କାଶୀ ଅବଧାନେ ମଧ୍ୟ । ପୁଅ ଚାକିରି କଲା ନାହିଁ ଏଥିପାଇଁ ତାଙ୍କ ମନରେ ଦୁଃଖ ନୁହେଁ, କିନ୍ତୁ ବହିରୁ ପଢ଼ିଥିବ, ସହରିଆ ବକ୍ତୃତାରୁ ଶିଖିଥିବ ! ଅଚଳନ୍ତି ସମାଜନୀତି ଛାଞ୍ଚରେ ଖଣ୍ଡଖଣ୍ଡ ଅଯୋଡ଼ା କଥା ସେ ଗାଁ ଲୋକଙ୍କ ଆଗରେ କହି ଦେଇଛି, ଏଇଥିପାଇଁ ତାଙ୍କ ମନଦୁଃଖ । ସେ କହନ୍ତି, ଖାଇପିଇ ସୁସ୍ଥରେ ଶୁଅନ୍ତା ହେଲେ ପୁଅ, ତା’ ନାହିଁ, ସେ ଭାବୁଛି, କଥା କହୁଛି, ଯାହା ଭାବୁଛି, ଯାହା କହୁଛି ତ ଏ ମଫସଲରେ ଚଳି ନାହିଁ କି ଚଳିବ ନାହିଁ ।

 

ବୋଉ ବି ସେହିକଥା କହିଲେ । ବାପାଙ୍କୁ କହି ଫଳ ହେବ ନାହିଁ । ସେ ଯାହା ଧରିଥାନ୍ତି ସେଇଆ ।

 

ରବି ଗୁମ୍‍ହୋଇ ଆପଣା ବଖୁରି ଭିତରେ ରହି ରହି ବେଳ କଟାଇ ଦେଲା । ଅନୁଭବ କଲା, ତା’ ଚାରିପାଖେ ଗୋଟାଏ ପିଞ୍ଜରାର ବାଡ଼ । ସେ ଦେଖିବ, ଭାବିବ, କଲାବେଳକୁ ଦେଖୁଛି ସେ ଅଟକି ପଡ଼ିଛି । ଯେଉଁ ଶକ୍ତି ତା’ ଭିତରେ ଠେଲୁଛି, ଅସ୍ଥିର ହେଉଛି, ସେ ବି ମନ ଭିତରେ କେବେ ଯିବ ମରି । ଏମିତି ଶାନ୍ତ ସୁବୋଧ ହୋଇ ବାପର ଆୟତ୍ତ ହୋଇ ରହିଥିଲେ ତା’ଦେଇ ବି କିଛି ହେବ ନାହିଁ । ସେ ବି ହେବ ସାଧାରଣ, ଅତି ସାଧାରଣ ।

 

ଅତି ତୀବ୍ରଭାବେ ତା’ର ଆପଣାର ବୁନିଆଦି ବିଷୟରେ ସେ ଭାବିଛି, ଏକା ତା’ର ବୋଲି ନୁହେଁ, ଏ ଯୁଗରେ ଏମିତି କେତେ ଲୋକଙ୍କର । ଯେଉଁ ନିଷ୍ଠୁରତା, ଶଠତା, ଶୋଷଣ ପ୍ରବୃତ୍ତିକୁ ସେ ଓପାଡ଼ି ଫୋପାଡ଼ି ଦେବାକୁ ଚାହେଁ, ଠିକ୍ ତାହାରି ଭିତରୁ ତା’ର ଜନ୍ମ, ସେଇଥିରେ ତା’ର ସ୍ଥିତି । ମୂଳି ଦଳେଇ କ୍ଷେତର ଆଳୁ ସେ ଖାଇଛି, ସେହି ଆଳୁବିକା ପଇସା ତା’ର ପାଠପଢ଼ାର ଖର୍ଚ୍ଚଆଡ଼କୁ ଭେଟେଇଛି । ଭାଗଚାଷୀ ତଡ଼ା ହୋଇଥିବା ଜମିର ଫସଲ ସେ ଅସୁଲ କରିବ, ଖର୍ଚ୍ଚ କରିବ ।

 

ଆଉ ଏଇ ତା’ର ବାପା । ମନେମନେ ହସୁଥିବେ ତାକୁ, ତା’ର ଉଦ୍ଦେଶ୍ୟକୁ ।

 

ପଛକୁ ଛାଇଲେଉଟା ଆଡ଼କୁ ହାବୋଡ଼ିଲେ କାଶୀ ଅବଧାନେ, ଟୁଙ୍ଗୀଆଡ଼ୁ ଫେରୁଥାନ୍ତି, ଗୋଲ ମୁହଁରେ ଝାଳ ଲାଗି ଝଟକୁଥାଏ, କଦମପୁଲିଆ ହୋଇ ରୁଢ଼ ଉଠିଥାଏ । ପାନ ଚୋବେଇବାକୁ କଳ ବୁଲେଇବା ଅଟକେଇ ଦେଇ ନୀରବ ହସରେ ପାଟିକି ଏତେ ଫାଡ଼ିଦେଲେ ଯେ କଳ ପାଖରେ ଉପର ତଳ ଦି’ ଦାନ୍ତସନ୍ଧିରେ ଗେଞ୍ଜି ହୋଇଥିବା ପାନଖଣ୍ଡକ ବି ଦିଶିଲା । ହସିଦେଇ କହିଲେ- ‘‘ଆମ ବକ୍‍ସିସ୍ ରଖିଥାଆନ୍ତୁ । ଖୋଜୁ ଖୋଜୁ ଏମିତି ଠାଏ ମିଳିଗଲା ଯେ ନାହିଁ ନ ଥିବାର ମେଳକ ଶୁଝା, ଯାହାକୁ କହନ୍ତି ହରପାର୍ବତୀ ମେଳକ । ଫଳ ଫଳୁଥିବା ଦେଖୁଥିବେ, ମତେ ପଛେ କହୁଥିବେ ।’’

 

ରବି କହିଲା–‘‘କି ବକ୍‌ସିସ୍‌ ଅବଧାନେ ? ଆମେ ହଳୁଆ ମଣିଷ, ଆମର ମେଳକ ଦରକାର ପାଗଯୋଗ ସଙ୍ଗେ, କ୍ଷେତବାଡ଼ି ସଙ୍ଗେ, ଆଉ କୋଉ ମେଳକରୁ ଆମେ କ’ଣ ପାଇବା-?’’

 

ଆଖିମିଟିକା ମାରି ଅବଧାନେ କହିଲେ, “ଯେ ମେଳକ ଜୀବନ ସଙ୍ଗେ ଜୀବନର, ଆଉ କ’ଣ ସାମାନ୍ୟ ହେଇଚି ? ତାଳକଣା ଗାଁ ଚରଣ ପଟ୍ଟନାଏକଙ୍କ ନାତୁଣୀ, ନିଜେ ଭାଲୁ ପଟ୍ଟନାଏକଙ୍କ ଝିଅ, ଭାଲୁ ପଟ୍ଟନାଏକେ କେଡ଼େ ଲୋକ, ସହରରେ ବଡ଼ ବେପାର, ଘରେ ବଡ଼ ଚାଷ, କ’ଣ ନାଇଁ କ’ଣ ଅଜାଡ଼ି ପକାଇବେ ମନ କଲେ । ବାପାଙ୍କ ମନ ଭାରି ପାଇଚି, ନିର୍ବନ୍ଧପାଇଁ ଦିନ ଠିକଣା ହେଉଛି, ଆଉ କ’ଣ, ଏଥର ତ ଲକ୍ଷ୍ମୀଲାଭ । ଏମିତି ମେଳକ ଶୁଝିଛି ଯେ ବୋହୂ ଘରେ ପାଦ ଦେଉ ଦେଉ ଲାଭ ଶୁଭ ମାଡ଼ିଯିବ । ଏମିତି ଫେର୍ ସେ ପାତ୍ରୀ । ସହରରେ ତାଲିମ୍, ଗାଇ ବଜେଇ ବି ଜାଣେ । ବାପା ତ କହୁଛନ୍ତି ସଞ୍ଜବୁଡ଼େ ବୋହୁ ଭଜନ ଗାଇ ଶୁଣାଉଥିବ ।’’

 

ଗମ୍ଭୀର ହୋଇ ରବି କହିଲା, ‘‘ଏ ଖେଳରେ ମାତ ନାହିଁ ଅବଧାନେ, ଏ କାମ ହେବାର ନୁହେଁ ।’’

 

‘‘ଆଉ ହେବାର ନୁହେଁ ? ଜବାବ ଦେଇ ଭାଷା ଯିବାକୁ ବସିଲାଣି, ହେବାର ନୁହେଁ କେମିତି ?’’

 

‘‘ନାଇଁ ନାଇଁ, ହେବାର ନୁହେଁ ।’’

 

‘‘ୟେ ତ ବଡ଼ କାବା କଥାରେ ବାବୁ, ଖଡ଼ି ଡାକୁଛି ହବ, ଜାତକ କହୁଛି ହବ, ବାପା କହୁଛନ୍ତି ହବ, ଆଉ ଆପଣ ଖାଲି କହୁଛନ୍ତି ହେବ ନାହିଁ ।’’

 

‘‘ବାପାଙ୍କୁ କହ, ମୁଁ ତ ସେଠି ବିଭା ହେବିନାହିଁ, ଭୁସ୍‌ଭାସ୍ କରି ଏଠିସେଠି ଜବାବ ଦେଇଦେଲେ ପଛେ ଖାଲି ଭାଣ୍ଡିଆ ହେବାକଥା ସିନା, କାହିଁକି ଏସବୁ ହୋହା ?’’

 

‘‘ହେଇ ଦେଖନ୍ତୁ, ଶୁଣନ୍ତୁ, ‘‘ଅବଧାନେ ବୁଝାଇଲେ, ‘‘ପିତୃ ଆଜ୍ଞା ଅଲଙ୍ଘନୀୟ, ରାମଚନ୍ଦ୍ର ପିତୃସତ୍ୟ ପାଳନ କରିବାକୁ ଚଉଦବର୍ଷ ବନବାସ କରିଥିଲେ–’’

 

ରବି କହିଲା, “ଆଉ ସେସବୁ ପକାନ୍ତୁ ନାହିଁ, ବାପାଙ୍କୁ କହ ।’’

 

ମୁଣ୍ଡ ଖପୁରିର ମଝିଟା ତାତିଯାଇ ଦପ୍‌ ଦପ୍ ହେଲାଭଳି ଲାଗୁଥାଏ, ଆଖି ଭିତରକୁ ତାତିର ଧାର ନିଗିଡ଼ି ନିଗିଡ଼ି ଆସୁଥାଏ । ଲାଗୁଥାଏ, ଜୀବନଟା ଖାଲି ଚାରିଆଡ଼ୁ ବୁଜା ପିଞ୍ଜରା ନୁହେଁ, ପିଞ୍ଜରା ଚାରିଆଡ଼ୁ ଚାପି ହୋଇ ହୋଇ ଆସୁଛି, କେବଳ ବନ୍ଧନ ନୁହେଁ, ବନ୍ଧନର ଅନୁଭୂତି କାଟୁଛି ତୀବ୍ରଭାବେ । ପ୍ରତିରୋଧ କରିବାକୁ ସଜ ହେଉଛି ପ୍ରାଣପୁରୁଷ, ତୀକ୍ଷ୍ଣ ଉତ୍ତେଜନାରେ ପରିସ୍ଥିତି ପାସୋରି ହୋଇଯାଉଛି । ଆଖି ସଫା ହୋଇ ସ୍ପର୍ଶଶକ୍ତି ଲେଉଟି ଆସିଲାବେଳକୁ ଦେଖିଲା, ଅବଧାନେ ନାହାନ୍ତି, ଖାଲି ଦାଣ୍ଡ । ଚେତନାରେ ବାଜି ଉଠିଲା, ସମସ୍ୟା ଅଛି, ସମାଧାନର ଉପାୟ ଆଖିରେ ଦିଶୁନାହିଁ । ଏଥିରେ ବି କ’ଣ ସେ ଆଖିବୁଜି ଠେଲି ହୋଇ ଚାଲିବ । ହିସାବୀ ବାପର ଯୋଗ୍ୟ ପୁଅ, ବାପ ରାଣ୍ଡୀ ମୋତି ବୁଢ଼ୀର ଜମି ନେଇଛି, ସୁଧ ଓଟାରୁଛି କଷି କଷି ଖାତକମାନଙ୍କଠୁଁ, ଭାଗଚାଷୀଙ୍କୁ ଜମିରୁ ତଡ଼ୁଛି, ପୁଅ ବସି ଖାଉଛି, ସମ୍ପତ୍ତି ଭୋଗକରୁଛି । ସେହିପରି ବିନା କାରଣରେ ହେଉପଛେ, ପୁଅ ନାଁ ସଙ୍ଗେ ଯୋଡ଼ି ହୋଇ ଧୂଳିରେ ଘୋଷରା ହେଇଛି ଗୋଟିଏ ନିରୀହ ବାଳିକାର ନାଁ, ତା’ର ଜୀବନ ନଷ୍ଟ ହେବ । ମନେ ମନେ ଯେଉଁ ଚିତ୍ରକୁ ଆଖିଆଗରେ ରଖି ସେ ଖିଆଲରେ ଘରକରଣା ଖେଳିଛି, ସେ ଚିତ୍ର ମରିଯିବ ସେହି ମନେ ମନେ, ଆଉ ସେ ବିଭାହେବ କେଉଁ ତାଳକଣା ଗାଁରେ, ଗାଇ ବଜେଇ ବି ଜାଣେ ସେ ! ବାପାଙ୍କ ବାଧ୍ୟପୁଅ ହୋଇ ସେ ତୁଣ୍ଡମୁଣ୍ଡ ନ ଫିଟାଇ ସେଇଠି ମୁଣ୍ଡ ନୁଆଁଇ ଦେବ !

 

କିଏ ଉଦ୍ଧାର କରିବ ? ରବି ଭାବିଲା । ମନେପଡ଼ିଲା ସେହି ଅଦୃଶ୍ୟଶକ୍ତି, ଯେ ଅନହୁତି ଘଟନା ଘଟାଏ, ମଣିଷର ବିଚାର ଆଉ ଯୋଜନାରେ ଖଞ୍ଜାଖଞ୍ଜି ମପାଚୁପା ନିର୍ଘଣ୍ଟ ଭିତରେ ସବୁ ଓଲଟପାଲଟ କରିପକାଏ । ଉପାୟ ଭାବିବାର ଦାୟିତ୍ୱର ଝାଞ୍ଜି ଆପଣାଠି ନ ବାଜୁଣୁ, ଅପ୍ରୀତିକର ସଂଘର୍ଷର ଚିନ୍ତା ଆପଣା ମନରେ କଣ୍ଟା ନ ଫୋଡ଼ୁଣୁ ଆପେ ମନ ଲମ୍ୱିଯାଏ ସେହି ଅସମ୍ଭାବ୍ୟ ସମ୍ଭାବନାଆଡ଼କୁ । କିଛି ଗୋଟାଏ ଘଟିବ, ସେ ଅନୁଭବ କଲା, କିଛି ଗୋଟାଏ କରିବାକୁହିଁ ପଡ଼ିବ-

 

Unknown

ଯେପରି ସବୁ ଆର୍ତ୍ତ ଡାକନ୍ତି ଭଲ କରିଦିଅବୋଲି, ସେହିପରି ଭଲ କରିଦିଅବୋଲି ଡାକି ଡାକି ଉପାୟ ଖୋଜି ଖୋଜି ରବି ପହଞ୍ଚିଲା ଅନାଦି ଦାସଙ୍କ ସମାଧି ପଡ଼ିଆରେ । ବରଗଛର ଛାଇ ଲମ୍ୱିଛି । ନଈ ବାଲିରେ ଶୀତୁଳି ପଡ଼ିଛି । ଆଗରେ ଏଇ ମାଟି ଢିପ, ତାଙ୍କ ସମାଧି, ଲୋକେ କହନ୍ତି ସଂକଟବେଳେ ଏଇଠି ଭୂଇଁରେ ଉପାଧିଆ ପଡ଼ିରହିଲେ ସ୍ୱପ୍ନରେ ସେ ଦେଖାଇ ଦିଅନ୍ତି କ’ଣ କରିବାକୁ ପଡ଼ିବ, କ’ଣ ହେବ, ଆଗତ କଥା ଦିଶିଯାଏ ।

 

ଭୂଇଁରେ କହୁଣି ଭରାଦେଇ ରବି ସେଠି ହାଲେଇ ପଡ଼ିଲା, ମନ ଭିତରେ ବାରମ୍ୱାର ସେହି ଅଛିଣ୍ଡା ପ୍ରଶ୍ନ, ଯେ କ’ଣ ସେ କରିବ ?

 

ଆଗରେ ସେହି ଚିହ୍ନାଦୃଶ୍ୟ, କ୍ଷେତ ପଡ଼ିଆ, ତୋଟା, ନଈଧାର, ନଈ ସେ ପାରିର ଗହଳି ଶ୍ୟାମଳିମା, ପବନରେ ସେହି ଚିହ୍ନା ଚିହ୍ନା ବାସ୍ନା, ଗାଁରୁ ଦୂରକୁ ଗଲେ ଯେପରି ମନେପଡ଼େ-। ଯାହା ଦେଖୁଛି, ଯାହା ଅନୁଭବ କରୁଛି ସବୁଠି ଲାଗି ରହିଛି ତା’ରି ନିଜର ସମ୍ପର୍କ । ସବୁ ତା’ର ଅତୀତର ଚିହ୍ନ, ଏକାଠି ଗୁନ୍ଥିଲେ ତା’ର ଜୀବନ, ଅତୀତରୁ ଆସିଛି, ଭବିଷ୍ୟତକୁ ଲମ୍ୱିଯିବ । ଏହି ମାଟିର ମୋହରେ ଧୀରେ ଧୀରେ ବୁଡ଼ି ବୁଡ଼ି ଯାଉଛି ସେ ନିଜେ, ଯେପରିକି ଏଇ ଗାଁ ମାଟିର ଅସଂଖ୍ୟ ରୂପ ଭିତରୁ ଗୋଟିଏ ରୂପ ।

 

ସତେ ଯେପରି ସେ ଏ ବୁଢ଼ା ବରଗଛର ଓହଳମାନଙ୍କ ଭିତରୁ ଗୋଟିଏ, ପ୍ରକୃତିର ନିୟମରେ ତଳକୁ ତଳକୁ ବଢ଼ୁଛି, ଅସଂଖ୍ୟ ତା’ର ସମ୍ଭାବନା ।

 

ଅଥବା ଆଗରେ ଏତେ ଯେଉଁ ଗୋଟା ଗୋଟା ଗଇଶଗଛ ପଡ଼ିଆଯାକ ଉଠିଛି, ସେ ତାହାରି ଭିତରୁ ଗୋଟିଏ ସାନଗଛ ।

 

ନ ହେଲେ ଏ ଯେଉଁ ଗୁଣ୍ଡିଚି ମୂଷା, ଚଟର୍ ଚଟର୍ ହୋଇ ଅଳ୍ପ ନାଚି ନାଚି ବରଗଛଆଡ଼କୁ ଦୌଡ଼ି ଆସୁଛି, ଅଟକି ଅଟକି ଆସୁଛି, ପୁଣି ପଛେଇ ଯାଉଛି ।

 

ନତୁବା ଏଇ କହରା ପିମ୍ପୁଡ଼ିଟି, ଅଣ୍ଟା ସଳଖେଇ ଚାରିଆଡ଼କୁ ଚାହୁଁଛି, ପୁଣି ଆଗକୁ ଚାଲିଛି ।

 

ତାଙ୍କରି ସାଥି ହେଇ ନିତିଦିନର ପରମ୍ପରାଗତ ମଣିଷ, ଅନ୍ତରରେ ବୃଦ୍ଧିର ସ୍ପନ୍ଦନ, ଜନ୍ମ ତା’ର ଅଚିହ୍ନା, କ୍ଷୟ ତା’ର ଭାବନା ବାହାରେ, ଚେତନାରେ ଜୀବନର ସୁଆଦ । ସନାତନ ମଣିଷ, ସେମିତି ସେ ।

 

ଆଉ ସାମ୍ନାରେ ଅନାଦି ଦାସଙ୍କ ଗାଦି, ସେ ବି ସନାତନ, ଚିରକାଳ ଗାଁର ଆଦର୍ଶ, ଗାଁର ଗୁରୁ, ଆଶ୍ୱାସ ଆଉ ବିଶ୍ୱାସର ରୂପ–ସବୁଦିନେ ।

 

ଦୂରେଇ ଚାହୁଁ ଚାହୁଁ ସେ ଅନୁଭବ କଲା-ଆପଣାଠି ପରିଷ୍କାର ମନର ଶାନ୍ତି, ବଳର ସୁଖ, ବୟସର ଆଶା ।

 

ଆଉ ବସନ୍ତ ଋତୁ, ତା’ର ଆମ୍ୱୁଆଳି ବାସ୍ନା, ତା’ର ରଙ୍ଗ, ତା’ର ତେଜ ।

 

ମନ ଭିତରେ କଥାର ଧାର ଚହଲିଗଲା, ଭାସି ଚାଲିଲା ହୁଗୁଳା ହୋଇ...

 

ନୂଆ ବଗିଚାଟି ଭଲ ହୋଇଛି ।

 

ପାଟଗାଈ ଫଳ ଯାଇଛି, କେମିତି ହେବ ତା’ ବାଛୁରୀ, ବଡ଼ଜାତି ନା ସାନଜାତି ?

 

ଗୋଠ ଭିତରୁ ଦୋଓଟି ଅଣ୍ଡିରା ବାଛୁରୀ ସେ ବାଛିନେଇଛି, ଭଲ ହଳଟିଏ ହେବ ସେମାନେ ବଢ଼ି ଉଠିଲେ । ଆଗ ଧରେଇବାକୁ ପଡ଼ିବ ଯେ, ନ ହେଲେ ସେଗୁଡ଼ା ଷଣ୍ଢ ହେବେ ।

 

କଅଁଳା ବାଛୁରୀ ଦି’ଟା ଲହୁଣୀ ପରି ଧଳା, କେଡ଼େ କୁଲୁକୁଲିଆ, କୌତୁକିଆ । ଦି’ଦିନ ତଳେ ତା’ ମୁହଁକୁ ଚାହିଁରହି ମୁଣ୍ଡ ହଲେଇ ହଲେଇ ସତେକି ତାକୁ ଖେଳିବାକୁ ଡାକୁଥିଲେ, ତା’ ଚାରିପଟେ ଗୁରେଇ ତୁରେଇ ହେଇ ଗୋଡ଼ିଆଗୋଡ଼ି ଖେଳିଥିଲେ । ତାଙ୍କୁ ଧରେଇ ଖାସୁକରି ବଳଦ କରିବାକୁ ପଡ଼ିବ, ଦେବ ଚିପି ଫଟା ବାଉଁଶ ସନ୍ଧିରେ ସଦା ବାଉରି ।

 

ଓଃ କି କଷ୍ଟ ! କି କଷ୍ଟ !

 

ସେହି କଳ୍ପିତ କଷ୍ଟରେ ରବିର ଆଖି ଉପରେ ବି ନଈ ଉପରେ ଦିନାନ୍ତର ଛାଇର ମହଳଣ ଘୋଟିଗଲା । ରବି ମୁହଁଟେକି ଅନାଦି ଦାସଙ୍କ ସମାଧିଆଡ଼କୁ ଅନାଇ ରହିଲା, ଯେପରି ସେ ଆଖିରେ ଅଳି କରୁଛି ।

 

ଆଉ ତା’ର ଚେତନା ଆଗରେ ଭାସି ଚାଲିଲା ପଟୁଆର, ମାଳମାଳ ହୋଇ ଖାସୁ ହୋଇଥିବା ବଳଦ ଓ ଛେଳି, ଅବସ୍ଥା ଦାଉରେ ପଡ଼ି ନୁଖୁରା ସେମେଟା ହୋଇ ସତେ ଯେପରି କି ଖାସୁ ହୋଇଥିବା ମଣିଷମାନେ ।

 

ବସନ୍ତ ତା’ର କ୍ଷତିପୂରଣ ନୁହେଁ । ଗାଁର ଶାନ୍ତି ନକଲି କଲେଇ । ଏ ରଙ୍ଗରେ ଚଳିବ ନାହିଁ । ଖାଲି ଫାଳିକିଆ ଚେହେରାର ଫୁରୁଫୁରୁ ବାଳ ଟାକୁଆ ଗାଲ ନିସ୍ତେଜ ମୁହଁ ବନ୍ଧନରେ କଲବଲ ଅଧାମଣିଷଦଳ, ଆଉ ତାଙ୍କରି ମେଳରେ ସେ ବି ।

 

ସେହି ଦୁର୍ଦ୍ଦଶାକ୍ଳିଷ୍ଟ ସଂସାର ଭିତରେ ଦୁର୍ବଳ ଯୋଗୀନାଥ ।

 

ମହାପୁରୁଷ, ଏ ବନ୍ଧନ କାହିଁକି ?

 

ସମାଜସଂସ୍ଥାରେ ଶୋଷଣ, ସମାଜନୀତିରେ ଅନ୍ଧସଂସ୍କାର, କେବଳ ସହିବାକୁ ପଡ଼ିବ, କାହିଁକି ?

 

ପୁଣି ସେହି ମୁହଁ, ଛବି । ଆପଣା ଭିତରେ ତୋଫାନର ସାଇଁ ସାଇଁ । ଅଦେଖା ଅନାଦି ଦାସଙ୍କୁ ଅନୁମାନ କରିପାରୁଛି, ଯେପରି ତାଙ୍କର ଆସନ ଥରୁଛି, ଆଖି ଖୋଲୁଛନ୍ତି । ଶାନ୍ତ ସ୍ଥିର ଦୃଷ୍ଟି ଜହ୍ନଆଲୁଅ ପରି ତା’ ମୁହଁରେ ପଡ଼ିଛି । ଅନାଦି ଦାସ କହୁଛନ୍ତି–

 

‘‘ବନ୍ଧନର ହେତୁ ଭୟ, ଭୟ ବି ଦୁଃଖର ହେତୁ । ଆପଣାର ଦୁର୍ବଳମନ ଭୟ ହୋଇ ଆପଣାକୁ ମାଡ଼ିବସେ । ମଣିଷ ଆପଣାର ବାଟ ହୁଡ଼ିଦେଇ ଯୁଗଯୁଗର ମଡ଼ାବାଟହିଁ ଧରେ, ସେଥିରେ କଣ୍ଟାଝଣ୍ଟା ଯେମିତି ନାହିଁ, ସେମିତି ନାହିଁ ମାନସମ୍ମାନ । ଖାଲି କଇଦୀ ପଲଙ୍କର ମଡ଼ାବାଟ, ବନ୍ଧନ ସଂସ୍କାର ହୋଇ ଭୟ ଦେଖାଏ ।’’

 

ଚମକିପଡ଼ି ପରିସ୍ଥିତିକୁ ଫେରିଆସିଲା, ଗାଦିଆଡ଼କୁ ଅନାଇଁ ଦଣ୍ଡବତ ହୋଇ ଘରକୁ ଗଲା ।

 

ଏକା ହୋ’ରେ ଚାଲିଆସିଛି । ସେ କହିବ, ପ୍ରତିଜ୍ଞାର ତାତିରେ ମୁଣ୍ଡ ଭିତର ଦପ୍‌ ଦପ୍ ହେଉଛି, ତୁହାଇ ତୁହାଇ ଆପଣା ମୁହଁ ଉପରେ ତାତିର ଢେଉ ଖେଳିଯାଉଛି । କେବେ ନ କରିବା କଥା ଆଜି ସେ କରିବ, ଅନ୍ଧାରି ଗମ୍ଭୀରାରୁ ବାହାରି ଆଗ ତା’ ବୋଉର ଜଳ ଜଳ ଆଖି ଆଗରେ ଠିଆ ହେବ, ତା’ର ଅତି ଆପଣାର ସରମ ସରାଗର କଥା-ମୁହୁର୍ତ୍ତକେ ଦେଖିଲାବେଳଠୁଁ ସେ ଜଣକୁ ଭଲ ପାଇଛି । ସାନପିଲାର ଭଲପାଇବା ନୁହେଁ, ଯେମିତି ଯୁଗେ ଯୁଗେ ପୁରୁଷ ଭଲ ପାଇଛନ୍ତି ସେମିତି ।

 

ଧୂଳି ଗୋଟେଇଆଣି ପାଣି ଢାଳି ଢାଳି ସେ ରୂପ ଗଢ଼ିଥିଲା, ରୂପ ଜୀବନ ପାଇଛି, ସତ ହୋଇଛି । ତା’ର ଅସ୍ତିତ୍ୱ ସହିତ ଗୁରେଇ ହୋଇଯାଇଛି ଛବି, ସେ ମୋହ ନୁହେଁ ।

 

ନିତ୍ୟକର୍ମ ଶେଷ କରିଛି, ପୋଖରୀରେ ଧୁଆଧୋଇ ହୋଇ ଆସିଛି, ଛାତି ଧକ୍‍ ଧକ୍‍ ଲାଗୁଛି-ବେଳ ପାଖେଇ ଆସିଲା, ସେ କହିବ । ଲାଗୁଛି, ଏପରି ଆଗେ କେହି କହିନଥିଲା, ସେ ନୂଆ ।

 

ଦୁଆରେ ଅନ୍ଧାର ଉପରେ ତରାଟଫୁଲ ପରି ତାରା ଫୁଟିଛନ୍ତି । ଆକାଶର ଅନ୍ତନାହିଁ, ତାରା ଆଲୁଅର କ୍ଷୟନାହିଁ । ଅଳ୍ପ ବେଳ ଠିଆହୋଇ ସେ ଟାଣହେଲା, ଭାବିଲା-ଖୋଲାକଥା କହିବାକୁ ଆପତ୍ତି କ’ଣ ? ରୋଷେଇ ଘର ଦୁଆରମୁହଁକୁ ଯାଇ ଡାକିଲା–‘‘ବୋଉ ! ‘‘

 

ପିଣ୍ଡା ପାହାଚ ଉପରେ ସେ ଠିଆ ହୋଇ ରହିଛନ୍ତି, ଦୁଆରେ ରବି । କେମିତି କ’ଣ ଆରମ୍ଭ କଲା ସେ ଜାଣେନାହିଁ, କିନ୍ତୁ ସେ କହିସାରିଛି । ଭିତରର ରୂପ ସ୍ପଷ୍ଟତର ହୋଇଛି । ଏକା ଝାଙ୍କରେ ନିଜକୁ ପିଲାପଣରୁ ଓଟାରି ନେଇ ସେ ଖୁଣ୍ଟପରି ଦୁଆରେ ଠିଆ କରାଇଛି ଟାଣ ମଣିଷ ହୋଇ !

 

ସେ କେତେକଥା ତ କହିଛି, ଆପଣାର ହୃଦୟର କଥା, ପୁଣି ଯୁକ୍ତି ଯେ ବିନା କାରଣରେ ଲୋକେ ତା’ରି ନାଁକୁ ମିଶାଇ ଅପବାଦ ରଟେଇଛନ୍ତି ସେ ଝିଅ ନାଁରେ, ତା’ର ଜୀବନ ମାଟି ହେବ । ସେଠି ତା’ର କର୍ତ୍ତବ୍ୟ ରହିଛି ।

 

ଏତେକଥା ସେ କହିଗଲା ସତ, କିନ୍ତୁ ତା’ ବୋଉ ପାଟି ଫିଟାଇ ନାହାନ୍ତି ।

 

କଥା ସରିଗଲାପରେ ମୁଣ୍ଡ ଭିତରକୁ ଗଳୁଛି, କଥା ନୁହେଁ, କଥାର ପ୍ରତିଧ୍ୱନି । କାବା ହୋଇ ଚାହିଁଛନ୍ତି, କିଏ ସେ ଦୁଆରେ ?

 

ପୁଅ ନୁହେଁ, ଜଣେ କିଏ ପର ମଣିଷ ।

 

ପୁଅ ତ ଖେଳଣା କଣ୍ଢେଇ, ସର ଲହୁଣୀଖିଆ ବାଳଗୋପାଳ ।

 

ପୁଅ ତ ମା’ର, ଏନ୍ତୁଡ଼ିଶାଳରୁ ମନେପଡ଼ିଯାଏ, କେତେ ଟିକିଟିଏ ସେ ହୋଇଥିଲା, କେଡ଼େ ନିଃସହାୟ । ସେହିଦିନୁ ତା’ କଥା ପଡ଼ିଲେହିଁ ଲାଗେ ସେ ନିଃସହାୟ, ସାନ, ସେ ସରଳ, ସହଜ । କୌଣସି ସ୍ତ୍ରୀଲୋକର ଛାଇ ତା’ ଉପରେ ପଡ଼େନାହିଁ ।

 

ଏ ଯେ କହିଗଲା ସେ ପିଲାନୁହେଁ, ବଡ଼ମଣିଷ । ପୁଅ ନୁହେଁ, ପର । ପରମଣିଷ କହିଦେଲା ତା’ର କ’ଣ ଦରକାର ? ସେ ତା’ ବାଟରେ ଯିବ, ତା’ କର୍ମ ଭୁଞ୍ଜିବ, ମନଖୋଲି କଥା କହିଛି, ଦି’ପଦ ସହାନୁଭୂତିହିଁ ପାଇବ, ସେତିକି ସମ୍ୱନ୍ଧ ତା’ ସଙ୍ଗେ ।

 

‘‘ବୋଉ !’’ ଏ ସ୍ଵର ତାଙ୍କ ପୁଅର ।

 

ଆପେ ଆପେ ଝରିଲା ସ୍ନେହର ଧାରା, “ କ’ଣ କହୁଛୁରେ ବାବୁ ? ତୁ ବାପାକୁ କହ ।’’

 

ପୁଅ ନାହିଁ, ପରଲୋକ, ଚେତନା ବୁଝିଲା । ଆପେ ଆସିଲା ଶତ୍ରୁତା । ଆପେ ଉତ୍ତର ଦେଇ କହିଲା– ‘‘ତୁ କହ ।’’

 

ବୁଲିପଡ଼ି ରୋଷେଇଘର ଭିତରେ ପଶିଗଲେ । ଶୁଭୁଥିଲା ସେ ଚୁଲୀ ଫୁଙ୍କୁଛନ୍ତି ।

 

କିନ୍ତୁ ଶୁଭୁନଥିଲା କି ଦିଶୁନଥିଲା ଯେ ବୋଉଙ୍କ ଚେତନା ଭିତରେ କେତେବଡ଼ ତୋଫାନ ଚାଲିଥାଏ । ଚୁଲୀ କେଞ୍ଚୁ କେଞ୍ଚୁ ଆଖିରୁ ଧାର ଛୁଟିଥାଏ । ପୁଅ ହେଲା ପରପୁଅ, କଥା କହିଦେଲା, ଚାଉଁକିନା ପହିଲି ଚମକ ଲାଗିଲା । ଗଲା ସେ କଥା । ତା’ପରେ ସେ ଅନୁଭବ କରିଥିଲେ, ହୃଦୟରେ କ୍ଷତ ବାଜିଛି, ଆପଣା ପାଇଁହିଁ ସେ ବିଳାପ କରୁଥିଲେ ହୃଦୟ ଭିତରେ ।

 

ରବିକୁ ହାଲୁକା ଲାଗୁଥିଲା, ସେ ବୋଉକୁ କହିଛି । ଆଉ କାହାକୁ କହନ୍ତା ? ବୋଉ ତ ସବୁଦିନେ ବୋଉ,-ମା’ଟି, ସବୁ ଅଦୋଉତି ସହୁଥିବ, ପିଲାଦିନର ଘୁଅମୂତ ମାଡ଼ବିଧାଠୁଁ ବଡ଼ଦିନର ବଡ଼କଥା ଯେତେ । ସେଠି ଛଳ କ’ଣ ? ମାନ ଅପମାନ ବି କ’ଣ ?

 

ରବି ଦାଣ୍ଡକୁ ଚାଲିଗଲା । ତେଣେ ରବିବୋଉ ରୋଷେଇରେ ମନ ଦେଲେ । ଏମିତି ଏଠି ସବୁଦିନେ, ଚେଇଁଲା ବେଳ ଭିତରୁ ବେଶି ଭାଗ କଟେ ରୋଷେଇ ଘରେ, କିନ୍ତୁ ହାତ ହୁଗୁଳା ହୋଇଯାଉଛି, ଲାଗୁଛି କାହିଁକି ଏସବୁ ? ଲାଗୁଛି ସତେ ଯେପରି କି ସାଧାରଣ ଜୀବନକ୍ରିୟାର ସବୁ କାହିଁକିରେ ଉତ୍ତର ଯେପରିକି ସେ ହରାଇ ବସିଛନ୍ତି, ମନରେ କେବଳ ବ୍ୟର୍ଥତା ।

 

ମନେପଡ଼ୁଛି ବଡ଼ପୁଅ କବି ଆଉ ତା’ର ସ୍ତ୍ରୀ । ଘର କରିବେବୋଲି ବୋହୂ ଆଣିଥିଲେ ଯେ ପୁଅଙ୍କ ହାତ ଧରି ବୋହୂ ବିଦେଶ କରିଗଲେ । ଦିନେ ପଚାରନ୍ତେ କି ଶାଶୁବୋଲି ! କେବଳ ପ୍ରତିଥର ପିଲା ଜନ୍ମ ହେବା ଆଗରୁ ଫରମାସି ଆସେ–ଅସଜ ମଣିଷ, ଶାଶୁ ନ ଆସିଲେ ବିଦେଶରେ ଘର ସମ୍ଭାଳିବ କିଏ ? ସ୍ୱାମୀ ବିଷୟଧନ୍ଦାରେ ବ୍ୟସ୍ତ, ଦିନଯାକ ତାଙ୍କ ନୀତି ଜଗିବାରୁ ଯେତିକି ସମ୍ପର୍କ, ଏ ମଣିଷର ଭଲ ଅସାର ଦୁଝିବାକୁ ତାଙ୍କୁ ବେଳ ନ ଥାଏ । ଆଉ ଏ ସାନ ପୁଅଟି, କେଡ଼େ ଶାନ୍ତ ସୁଧାର, ମା’ ମନକଥା ସତେକି ସେଇ ବୁଝୁଥିଲା, ଯେ ତା’ ମନ ଭିତରେ ଅଛି ଜଣେ ନୂଆ ମଣିଷ, ଆଜି ନୁହେଁ ରହିଆସିଛି । ସେଇଆକୁ ତା’ର ଲୋଭ, ମା’କୁ ନୁହେଁ । ଏ ପୁଅ ବି ସତେ ପର ହୋଇଗଲା !

 

ଓଠ ଥରୁଛି, ମନକୁ ମନ କ’ଣ ଭୁଟୁରୁ ଭୁଟୁରୁ ହେଉଛନ୍ତି । ନିଜକୁ ଚୁମୁଟିଲା ପରି ଚମକିପଡ଼ି ସେ ଭାବିଲେ–କ’ଣଗୁଡ଼ାଏ ସେ ହେଜୁଛନ୍ତି ? ଏ ତ ଖୁସି ହେବା କଥା, ପୁଅ ତା’ ମନକୁ ମନ ବୋହୂ ବାଛିଚି । ବାପେ ବୃଥା ଅଝଟ ହୋଇ ଅଡ଼ିବସି ମନାକରୁଛନ୍ତି । ପୁଅ ସୁଖରେ ରହୁ ।

ହସି ହେଲାନାହିଁ, ହସିଲା କଥା ଭାବୁ ଭାବୁ ଫେର୍ ବୋହିଲା ଲୁହ । ଲୁହ ଜୁଡ଼ୁବୁଡ଼ୁ ଆଶୀର୍ବାଦ କରୁ କରୁ ପୁଣି ମନେପଡ଼ିଲା ନିଜ ସୁଖକଥା ମନଲାଖି ବୋହୂ ଆସିବ, ଘର ହସିବ ।

ଆପଣାର ପୁଣି ସୁଖ ହେବ ! କି ଶୋଭା କପାଳ ! ଚାରିଆଡ଼କୁ ଚାହିଁଲାବେଳକୁ ସବୁ ସତେକି ଖତେଇ ବିଗୁଲେଇ ହେଉଛି । ବୟସ ମାଡ଼ି ଚାଲିଛି ମଶାଣିମୁହାଁ, ସବୁ ଥାଇ ଜୀବନଟା ଯେମିତି ଲଣ୍ଡା ପଡ଼ିଆସିଛି, ଶୂନ୍‍ଶାନ୍‍ ଖାଁ ଖାଁ ତା’ପରେ ସେ ସରିଯିବ, ଭୁଲ ହୋଇଯିବ ।

ଆଗରେ ଏଇ ଚୁଲୀ ଜଳୁଛି, ଏଇ ଭାତହାଣ୍ଡି ବସିଛି, ଏଇ ଅଛନ୍ତି ଜୀବନଯାକର ସାକ୍ଷୀ-। ଏଇଠି ବସି ବସି କେତେ ଆଶା, କେତେ ଖିଆଲ । ସବୁ ପାସୋରି ହୋଇଯାଇଛି ଗୋଟାଏ ତୁଛା କିଛି ନାହିଁ ଭିତରେ । ଏ ଘରେ ବୋହୂପଣ କରିବେବୋଲି ଆସିଥିଲେ ସେ ନିଜେ । ଦାଣ୍ଡଦୁଆରମୁହଁ ମଣିଷ ଗହଳିରେ ଫାଟି ପଡ଼ୁଥିଲା । ଶଙ୍ଖ ହୁଳହୁଳି, ପାଟିଗହଳି, ମଙ୍ଗଳାଷ୍ଟକ ବୋଲା ସହିତ ଦି’ପଟେ କାନି ଧରି ଧରି ମୁଣ୍ଡ ଉପରେ ପାଟପତନି ଟାଙ୍ଗି ଦାଣ୍ଡଦୁଆର ମୁହଁରୁ ଯେ ଶୋଇବାଘର ଦୁଆରମୁହଁଯାକେ ଲୋକ ତାଙ୍କ ଉପରେ ଚାନ୍ଦୁଆ ବିଛେଇ ପାଛୋଟି ନେଇଥିଲେ । ନଇଁନଇଁକା ଗୁଆ ଚାଉଳର ଅଞ୍ଜଳି ଧରି ଘରଭିତରକୁ ପଶିଗଲାବେଳକୁ ଚାରିଆଡ଼ୁ, ଯେତେବେଳେ, ପୁଷ୍ପବୃଷ୍ଟି ହେଉଥିଲା, ସେତେବେଳେ ପବନରେ ଭାସି ଆସୁଥିଲା ଗୋଟାଏ ମହକ, ବିନମ୍ର ମୁହଁରେ ନିରୀହ ଶୋଭାର ଅନ୍ତରାଳରେ ଜଳୁଥିଲା ଆଶାର ତୀବ୍ର ଉତ୍ତେଜନା । ଆଗରେ ଥିଲା ଗୋଟାଏ ସ୍ଵପ୍ନ, ଯାହାକୁ ହସି ହସି ବାସ୍ତବ କରି ଗଢ଼ିବାକୁ ପଡ଼ିବ ।

ଘର ସଂସାରର ଲୀଳା ଲାଗିଲା, ପିଲାଏ ହେଲେ, ପକ୍ଷୀ ଲାଗିଲା, ସେମାନେ ଉଡ଼ିଲେ, ତା’ ସଙ୍ଗେ ସଙ୍ଗେ ଜୀବନଟା ବି ହେଲା ମାନ୍ଦା, ଚକି ପେଷିଲା ପରି ଆପଣାଠିଁ ଆପେ ଘର୍‌ର୍‌ ଘର୍‌ର୍‌, ଖାଲି ଚକି ବୁଲିଛି ।

ରବି ବିଭାହେବ, ବୋହୂ ଆସିବ ।

ହାଣ୍ଡିରେ ହାଣ୍ଡିଫୁଟା ପକାଇ ଡାଲି ବଘାରୁଛନ୍ତି । ଫୁଟଣର ଚଡ଼ ଚଡ଼ ଶବ୍ଦ ଆଉ ଛୁଙ୍କର ତୀବ୍ର ବାସ୍ନା ନାକବାଟେ ପଶିଯାଉଛି । ଭାବୁ ଭାବୁ ମନର ପରଳ ଅପସରି ଯାଉଛି । ଭାବିଲେ,-ରବି ଏପରି କ’ଣ କହିଲା ? ଏପରି କ’ଣ ହୁଏ ? ମନର ଗୁମର ମନ ଭିତରେ ତାଲା ପକାଇ ରଖି ଲୋକେ ସଂସାର କରିଯାଆନ୍ତି । ଛାତିକୁ ପଥର କରନ୍ତି । ନୂଆ ଯୁଗରେ ସବୁ ଓଲଟା । ମିଣିପେ ହେଉଛନ୍ତି ନାକକାନ୍ଦୁରା, ମାଇଚିଆ, ମାଇପେ ହେଉଛନ୍ତି ଡିହାରି, ଅଣ୍ଡିରୀ । ରବି ସେହି ନୂଆ ଯୁଗର ବିଘଟନରେ ମନ ମତାଇଛି । କାହିଁ ଗଲା ସେ ?

ଡାକ ପକାଇଲେ, ‘‘ରବି, ରବି !’’

ରବି ନାହିଁ ।

ମନଟା ଗୋଳେଇପୋଳେଇ ହେଲା । ବାପେ ବୃଥା ମନା କରୁଛନ୍ତି, ସହଜଟାକୁ ଅସଜ କରୁଛନ୍ତି । କଥା ମାଜିଲେ ମୋଟ । ଆପଣା ଅତୀତରୁ ଅଜଣା ଢେଉ ଆସି ମନରେ ବାଜୁଛି । କେବଳ ଦୀର୍ଘଶ୍ୱାସ ଗୋଟାଏପଟୁ ଦେଖିଲେ ଦିଶୁଛି ସେ ଆପଣା ମନଇଚ୍ଛା କରିପାରିନାହାନ୍ତି, ଖାଲି ସୁଅ ତୋଡ଼ରେ ଭାସିଛନ୍ତି ।

ମଣିଷ ଜନ୍ମଟାହିଁ ସେହିପରି ପରା, ସେ ସ୍ୱାଧୀନତା’ର ସ୍ଵପ୍ନଦେଖେ, ନାଚେ ପରକୁହାରେ, ସ୍ଵଚ୍ଛ ହସରେ ଜୀବନକୁ ପୂଜା କରେନାହିଁ, ଲୁହରେ ତା’ର ତର୍ପଣ କରେ ।

 

ଅନ୍ଧାରରେ ବୁଲି ବୁଲି ରବି ବି ଭାବୁଥିଲା ସେହି କଥା, କିନ୍ତୁ ତା’ର ଭାବିବାର ବାଗ ଭିନେ । ବିଛଣାରେ ପଡ଼ିଥିବା ଦୁର୍ବଳ ରୋଗୀପରି ସେ ଭାବୁ ନ ଥିଲା, ସେ ବାଟ ଖୋଜୁଥିଲା ।

 

ଶାନ୍ତ ଅନ୍ଧାର ଘୋଟିଛି । ରାତି ଏଠି ରାତି, ଟୋପା ଟୋପା ବିଜୁଳି ଆଲୁଅର ଘା ନାହିଁ । ଏଇ ରାତିରେ ଅସୀମ ବ୍ୟାପ୍ତିର ଧାରଣା ଆସୁଛି, ପୁଣି ବିରାଟ ଐଶ୍ଵର୍ଯ୍ୟର ଦିନରେ ସୀମା ଦିଶେ, ଖାଲି ଅସମ୍ଭବପଣର ପୂର୍ଣ୍ଣଚ୍ଛେଦ । ରାତିରେ ଲାଗୁଛି, ସବୁସମ୍ଭବ । ଏଇ ତ ତା’ର ଚଇତିଘୋଡ଼ା ପକ୍ଷୀ ଲାଗିହୋଇ ଆକାଶମୁହାଁ ଛୁଟି ଯାଇପାରୁଛି, ଉପରେ ତାରା ହସୁଛନ୍ତି, ଆଗରେ ଏଇ ପୃଥିବୀ, ଏକ ଆଉ ବଡ଼ । ଅନ୍ଧାର ତଳେ ଜିକିଜିକି ଧଳା ବାଟ ଦିଶୁଛି । ବାଟ ନିଶ୍ଚୟ ଅଛି ।

 

ତହିଁ ଆରଦିନ ନଈରୁ ଗାଧୋଇସାରି ଫେରି ସେ ଯେତେବେଳେ ଚୁଡ଼ା ଆଉ କନ୍ଦ ଗୋଳାଉଥିଲା, ପାଖରେ ବସି ବୋଉ କୋରଣାରେ କୋରି କୋରି ନଡ଼ିଆକୋରା ଦେଉଥିଲେ, ବୋଉ କହିଲେ, ‘‘ବାପା ଖୋଜୁଥିଲେ–’’

 

‘‘କାହିଁକି ?’’

 

‘‘ତା’ ତ ମୁଁ ଜାଣି ନାହିଁ । ଦାଣ୍ଡ ବଗିଚାରେ ଅଛନ୍ତି, କହିଲେ ରବିକି ଟିକିଏ ପଠେଇଦେବ ।’’

 

ଖାଇସାରି ମୁହଁ ଧୋଇ ସେ ଦାଣ୍ଡ ବଗିଚାକୁ ଗଲା । ଫାଟକ ଖୋଲି ମଧୁମାଳତୀ ଜାଲରୁ ଆପଣାକୁ ମୁକ୍ତକରି ଆଗକୁ ଚାଲିଲା । ଦୂରରେ ସେ ଦିଶୁଛନ୍ତି, ବୁଲି ବୁଲି ଗଛଗୁଡ଼ାକୁ ଦେଖୁଛନ୍ତି । ସଜ ସାବୁଜା କଞ୍ଚା ବାଡ଼ରେ ବସନ୍ତର ବିପ୍ଳବ ମୂର୍ତ୍ତିମନ୍ତ । ଅରମାରେ ଫୁଲ ଫୁଟିଛି । ଟିକି ଟିକି ଚଢ଼େଇ ବାଡ଼ ଭିତରେ ଲୁଚୁକାଳି ଖେଳୁଛନ୍ତି । ତାଙ୍କର ଦୃଷ୍ଟି ବଉଳିଥିବା କଲମି ଆମ୍ବଗଛରେ ଲାଖିଛି । କ’ଣ ସେଠି ଦେଖୁଛନ୍ତି ? ଉଇ ?

 

ହଠାତ୍ ତା’ଆଡ଼କୁ ବୁଲିପଡ଼ି ସେ ତାକୁ କଟମଟ କରି ଚାହିଲେଁ ! ଆଗ ଚମକିପଡ଼ି ଛୋଟ ଆଁ କରି ସେହି ଚାହାଣୀମାଡ଼ ତଳେ ତଳେ ସେ ଟାଣ ହେବାକୁ ଆରମ୍ଭ କଲା । ତାଳୁରୁ ତଳିପାଯାକେ ସେ ଅନାଇଁ ଯାଉଛନ୍ତି । ବଗିଚାରେ ଆଉ କେହିନାହିଁ । ଗଛ କେଉଁ ଆଦିମପଣର ପଟ୍ଟଭୂମି । ମନେପଡ଼ୁଛି, ପିଲାଦିନେ କେତେଥର ତା’ର ମୁଣ୍ଡବାଳଧରି କାନଧରି ସେ ତାକୁ ଟେକି କଚିଛନ୍ତି, ମାଡ଼ କୋରିଛନ୍ତି, ବର୍ତ୍ତମାନ ବି ଆଖି ଦି’ଟା ଜଳୁଛି । କିନ୍ତୁ ମୁହାଁମୁହିଁ ରହିଲେ ତାଙ୍କଠି ସେ ଆହୁରି ଚାରି ଆଙ୍ଗୁଳ ଉଞ୍ଚ ।

 

କହିଲେ, ‘‘ମୁଁ ଡକେଇଥିଲି ।’’

 

ରବି ଅପେକ୍ଷା କଲା ।

 

କହିଲେ, ‘‘ବି.ଏ. ପାସ୍‍ ଯାଏ ପଢ଼େଇଲି, ମନହେଲେ ଆହୁରି ପଢ଼ିଥାନ୍ତୁ, ମନ ହେଲେ ଚାକିରି କରିଥାନ୍ତୁ, କଲୁ ନାହିଁ, ସେ ତୋର ଇଚ୍ଛା–’’

 

ରବି କହିଲା, ‘‘ନା ମୁଁ ଚାକିରି କରିବିନାହିଁବୋଲି ଠିକ୍‍ କଲି, କରିବାକୁ ବହୁତ କାମ, ଚାକିରିପାଇଁ ବେଳ କାହିଁ ?’’

 

ସେ କହିଲେ, ‘‘ତୋ କଥା ତୁ ବୁଝିବୁ, ମୁଁ ସେ ବିଷୟରେ ତୋ ସଙ୍ଗେ ଆଲୋଚନା କରୁନାହିଁ । ଆମର ତୋ ପ୍ରତି ଗୋଟିଏ କର୍ତ୍ତବ୍ୟ ଅଛି, ଏଥର ତତେ ବାହା କରେଇବା । ପାତ୍ର ଠିକଣା ହୋଇଛି, ତାଳକଣା ଗାଁ ଭାଲୁ ପଟ୍ଟନାୟକଙ୍କ ଝିଅ । ଆମର ମନ ମାନିଛି, ଏଇ ଚଇତ୍ର ବୈଶାଖକୁ କରିଯିବାକୁ ମୋ ମନ । ମହାପ୍ରସାଦ ନିର୍ବନ୍ଧ ହେବ । ଆମବେଳେ ତ ଏତେକଥା ବରକୁ କୁହା ହେଉନଥିଲା, ବିଭାଘର ଦିନେ ଥାଇ କହିଦେଲେ ହେଲା, ଯେମିତି କର୍ମ ହେଲାବେଳକୁ ସେ ଘରେ ଥିବ, କୁଆଡ଼େ ଯାଇନଥିବ । ଏବେ ଏ ତ କଳିଯୁଗ, ଭିନେ ଅମଳ, ସେଇଥିପାଇଁ ଆଗରୁ କହିଦେଲି ।

 

ଯା– ।’’

 

ମୁହାଁମୁହିଁ ଠିଆ ହୋଇଛନ୍ତି ବାପପୁଅ । ଗମ୍ଭୀର ହୋଇ ରବି କହିଲା, ‘‘ମୁଁ ତ ସେଠି ବିଭା ହେବି ନାହିଁ ବାପା !’’

 

‘‘ହେବୁ ନାଇଁ ? କାହିଁକି, ସେଠି ନାଙ୍କେରା କ’ଣ ?’’

 

‘‘କିଛି ନୁହେଁ ଯେ, ମୁଁ ସେଠି ବିଭା ହେବି ନାହିଁ । ଏକେ ତ ବର୍ତ୍ତମାନ ଆଦୌ ବିଭା ହେବାକଥାହିଁ ମୁଁ ଭାବି ନାହିଁ; ତା’ପରେ ଭବିଷ୍ୟତରେ ଯଦିବା ବିଭାହେବି, ତେବେ ସେ ଆଉ ଠାଏ–’’

 

‘‘କ’ଣ କହିଲୁ ?’’

 

‘‘ପାଟେଳିଗାଁରେ ଅଛନ୍ତି ସିନ୍ଧୁ ଚୌଧୁରୀ ।’’

 

କଥାରେ ବାଧାଦେଇ ଗର୍ଜନ କରି ବଟ ମହାନ୍ତି କହିଲେ, ‘‘କୁଳାଙ୍ଗାର ପୋଡ଼ାମୁହାଁ, ମୁଁ ଶୁଣିଥିଲି ଜାଣିନଥିଲି । କାହାର ପୁଅ, କାହାର ନାତି, ମୋ ଉଞ୍ଚମୁଣ୍ତ ତୁ ତଳକୁ କଲୁ, ମୋ ବଂଶରେ କାଳି ବୋଳିଲୁ । ତତେ ତ୍ୟଜ୍ୟପୁତ୍ର କଲେ ମଣିଷକୁ ପାପ ଲାଗିବନାହିଁ । ପଢ଼େଇଲି, ମଣିଷ କଲି, ଅଇଚ୍ଛା ଗୁଣ ବାହାରିଲା, ଛି ଛି, କଥା ଶୁଣିବା ଆଗରୁ ମଣିଷ ମରିନଗଲା କାହିଁକି !’’ ଥରେ ମୁହଁ ଖୋଲି ଦେଲାପରେ ସାହସ ବଢ଼ିଯାଇଛି । ରବି କହିଲା, ‘‘ମିଛରେ ତାଙ୍କର ଶତ୍ରୁମାନେ କିଏ ସବୁ ଅପବାଦ ଗାଉଛନ୍ତି, ଆକାଶରୁ ତୋଳି କଥାମାନ କହୁଛନ୍ତି, ବିନା କାରଣରେ, ବିନା ଦୋଷରେ ଜଣେ ଭଦ୍ରଲୋକର ମାନ୍‌ଇଜ୍ଜତ୍‍ ତଳେ ଘୁଷୁରୁଛି; ଗୋଟିଏ ନିରୀହା ବାଳିକାର ଭବିଷ୍ୟତ ନଷ୍ଟ ହେଉଛି । ସେହି ତ ଆଗ ବେଶି କାରଣ, ଯେଉଁଥିପାଇଁ ମୁଁ ଏ ନିଷ୍ପତ୍ତି ନେଲି-’’

 

‘‘ନିଷ୍ପତ୍ତି ! ଓହୋରେ ନିଷ୍ପତ୍ତି ! ବାପା ଥାଉଁ, ବଡ଼ ଭାଇ ଥାଉଁ ନିଜ ମନକୁ ମନ ଖାଲି ନିଷ୍ପତ୍ତି । କାଲିକା ଛୁଆ, ମୁହଁତୋଡ଼ ଦେଖ । ମରିଯାଉ ନାହୁଁ ଯାହା ତୁ ମୋ ଆଗରେ ଠିଆ ହୋଇ କଥା କହୁଛୁ ।’’

 

‘‘ଆପଣ ବୃଥା ରାଗୁଛନ୍ତି ବାପା, ମୋର କିଛି ଦୋଷନାହିଁ ।’’

 

‘‘କିଛି ଦୋଷନାହିଁ, ତୁଳସୀ ବୃକ୍ଷଟିଏ ! ଛି ଛି, କୁଳାଙ୍ଗାର କାହାଁକା !’’ କଥା ଅଧା ରଖି ସେ ତରତର ହୋଇ ବଗିଚାର ଗଛଗହଳି ଭିତରକୁ ଚାଲିଗଲେ । ତାଙ୍କର ମୁହଁ ଫୁଲିଲାଫୁଲିଲା ଦିଶୁଥିଲା, ବେକ ଫୁଲିଥିଲା, କପାଳ ଉପରେ ଶିର ଟାଙ୍କି ହୋଇଥିଲା, ଓଠ ଆଉ ଗାଲ ପଥର ପରି ଟଣକା ଟାଆଁସିଆ ଦିଶୁଥିଲା, ସବୁ ମିଶି ମୁହଁର ଠାଣି ଦିଶୁଥିଲା ଯେପରି କି ଏକ ଉନ୍ମାଦର, ସେଠି ନିଜ ମନର ଉଗ୍ର ଚିନ୍ତାଛଡ଼ା ଆଉ କିଛି ପଶିପାରୁନାହିଁ । ତାଙ୍କର ଏଭଳି ଭୟଙ୍କର ରାଗ ରବି କେବେ ଦେଖିନାହିଁ । ତା’ର ଆଖିରୁ, କାନରୁ ହୁଳା ବାହାରୁଛି, ତାତିରେ ମୁହଁ ଜଳିଯାଉଛି ।

 

ଗୋଟିଏ ଗୋଟିଏ ହୋଇ ସେଠୁ ସେ ଲେଉଟି ଚାଲିଆସିଲା । ଲାଗିଲା, ଯେପରିକି କେତେ କ’ଣ ପରିବର୍ତ୍ତନ ଘଟିଯାଉଛି, ସମସ୍ୟା ଆସିଥିଲା ତା’ର ସମାଧାନ ହୋଇସାରିଛି, ଏଣିକି ସଳଖ ବାଟ ।

 

ଗମ୍ଭୀର ହୋଇ ମାଡ଼ି ମାଡ଼ି ପଡ଼ିଲା, ଲାଗିଲା ତା’ର ବୟସ ବଢ଼ିଯାଇଛି । ଜୀବନର ଗୋଟାଏ ଅଧ୍ୟାୟ ସରିଛି, ଏଣିକି ନୂଆ ଦିନ, ନୂଆ ଦାୟିତ୍ୱ । ଆପଣା ହାତରେ ସେ ତା’ର ପିଲାଖେଳ ଭାଙ୍ଗିଦେଇ ଆଗକୁ ମାଡ଼ିଛି ।

 

ଏ ତ ହେବାର ଥିଲା, ସେ ଭାବିଲା, ଦୁଇ ବିପରୀତ ଧର୍ମପରି ଦୁଇ ବିପରୀତମତ ଏକାଠି ହୁଅନ୍ତା କିପରି ? ଦୁଇଟା ବ୍ୟକ୍ତିତ୍ୱର ସଂଘର୍ଷ, ଦୁଇଟା ଇତିହାସର । ଅଥଚ ସେ ନିଜେବି ତାଙ୍କରି ତହୁଁ ସମ୍ଭୂତ । ହୁଏତ ତାଙ୍କଠି ବି ଏ ଦିଗଟା ଥିଲା, ଅଛି ବି, କାହିଁ ତଳେ ଚାପିହୋଇ ରହିଛି-। ସବୁ ମଣିଷଠି ସବୁଅଛି, ନାନା ରୋଗଜୀବାଣୁ କେବଳ ନୁହେଁ, ନାନାଭାବ ଜୀବାଣୁ ମଧ୍ୟ, ନାନା ଗଛର ନାନା ମଞ୍ଜି, କିନ୍ତୁ ବଢ଼େ ନାହିଁ ସବୁ । ଯାହାଠିଁ ଯେଉଁଟା ବଢ଼େ ।

 

ସେ କାହିଁ ଆସିଲେ ନାହିଁ, ନୂଆକଥା, ଏପରି କେବେ ହୁଏନାହିଁ-ରବିବୋଉ ଭାବୁଥିଲେ-। ଜଳଖିଆ ଖାଇବା ନାହିଁ, ପୋଥିପଢ଼ା ନାହିଁ, ଏପରିକି ଠାକୁରପୂଜା ନାହିଁ, ଭାତ ଖାଇବାକୁ ଆସିଲେ ନାହିଁ । ପାଖପାଖ ମୁଣ୍ଡେ ଖରା, ଏ କ’ଣ ହେଲା ? ଦିନ ଏଗାରଟାବେଳେ ରବିବୋଉ ସାହିର ଲେଖାଯୋଖା ଦିଅର କୁଞ୍ଜକୁ ବରଗିଲେ–‘‘ଗଲ କୁଞ୍ଜ, ଏତେବେଳଯାଏ କହିଁକି ସେ ଆସିଲେ ନାହିଁ, ଡାକିଦେଲ ଟିକିଏ । ଆଜି କ’ଣ ଭୋକଶୋଷ ମନେପଡ଼ୁ ନାହିଁକି ?’’

 

ତହିଁର ଅଧଘଣ୍ଟାଏ ପରେ କୁଆଡ଼ୁ, ବୁଲି ବୁଲି ରବି ଆସି ପହଞ୍ଚିଲା । ଝର ଝର ଝାଳ ବୋହିଯାଉଛି । ହସି ହସି କହିଲା, ‘‘ଭାତ ଦବୁ ତ ଦେ, ନ ହେଲେ ମୁଁ ଚାଲିଲି–’’

 

‘‘କୁଆଡ଼େ ଏଡ଼େ ତର ତର ମ ?’’

 

‘‘ଫୁଲଶରା ଯିବି ।’’

 

‘‘ଏଡ଼େ ଖରାଏ ଖରାଏ ?’’

 

‘‘ଖରାବୋଲି କ’ଣ କାମ ଅଟକୁଛି ବୋଉ ?’’ ରବି ହସିଲା, ‘‘କୋଉକାଳୁ ବିଚରା ପଡ଼ିଚି ଫୁଲଶରା, କେହି ପଚାରୁ ନାହାନ୍ତି । ଜମିଦାରୀ ଉଠିଗଲା, ସେ ଘରଗୁଡ଼ାକ ଛୁଆଣି ହଉଚି କି ନାହିଁ ଆଉ ଜଣାନାହିଁ । ବୋଝ ବୋଝ ଜମି ପଡ଼ିଛି, ଦିନାକେତେ କୁଆଡ଼େ ଚାଷ ହେଉଥିଲା, ମୁଁ ଯେତେବେଳେ ପିଲା ହୋଇଥିଲି, ଅଇଛା କୁଆଡ଼େ ବଣ ଡିଙ୍ଗର । ଫୁଲଶରାରେ ଚେକାପକାଇ ବସିଲେ ସେ ତ ବୋଧହୁଏ ଗୋଟାଏ ବଡ଼ ଫାର୍ମ ହୋଇପାରନ୍ତା, କେତେଲୋକ ପୋଷି ହୁଅନ୍ତେ, ମିଛରେ ପଡ଼ିଛି ନା, କେହି ସେକଥା ବୁଝୁଛି ?’’

 

ବୋଉ ଚିନ୍ତିତା ହୋଇ କହିଲେ, ‘‘କାହିଁ ଆମ ନନ୍ଦ ତସିଲଦାର୍ କୁଆଡ଼େ ଗଲେକି ? ତାଙ୍କରି ଜିମାରେ ତ ସବୁଥିଲା, ଗଛ ମାଛ, ଜମିବାଡ଼ି ସବୁ, ସବୁ ବୁଝୁଥିଲେ, କରୁଥିଲେ, ଏବେ କ’ଣ ହେଲାକି ?’’

 

‘‘ମୁଁ ସେକଥା କହିପାରିବି ନାହିଁ, ତେବେ ଏତିକି ଜାଣେ ଯେ ଫୁଲଶରା ପ୍ରତି ବହୁଦିନୁଁ ଆମେ ଧ୍ୟାନ ଦେଇନୁଁ । ସମ୍ପତ୍ତି ଖାଲି ଥିଲେତ ହବନାହିଁ, ତାକୁ ଭୋଗ କରିବାକୁ ମଣିଷ ଥିବା ଦରକାର, ପୁଳାଏ ପୁଳାଏ ମାଡ଼ିବସି ଆଇନ ଅଧିକାର ବଳରେ ପରଙ୍କୁ ହୁରୁଡ଼େଇ ଆପେ ପଡ଼ିଆ ପକେଇ ରଖିଥିଲେ କାହାର କି ଉପକାରରେ ଲାଗିବ ? ଭାବୁଛି, ମୁଁ ଯାଇ ବସିବି ସେଠି, ବାପା ତ ଏଠି ବୁଝୁଛନ୍ତି । ବାଣ୍ଟି ହୋଇ ବୁଝିବା-’’

 

ଭାତ ବଢ଼ା ହେଲାଣି, ରବି ଖାଇ ବସିଛି । ବୋଉ କହିଲେ-

 

‘‘ବାପାଙ୍କୁ ପଚାରିଛୁ ?’’

 

‘‘ତୁ କହିଦେବୁ । ଭଲ କଥାକୁ ସେ କ’ଣ ମନାକରିବେ ? କାମ ଦେଖାଇଲେ ସମସ୍ତେ ବିଶ୍ୱାସ କରିବେ, ଖୁସିହେବେ, କାମ ନ ଦେଖାଇଲେ କେହି ନାହିଁ । ଚାକିରି ବାକିରି ବାଟ ଛାଡ଼ିଦେଇ ଏଇଥିରେ ତ ଲାଗିଲେଇଁ, ଭଲକରି ଲାଗିବା ଦରକାର । ମୁଁ କରିସାରିଲେ ତମେ ସବୁ ଯାଇ ଦେଖିବ–’’

 

‘‘ହଁରେ ପୁଅ, ଆମର ଆଉ ବୟସ ଆସୁଛି ଦେଖିବାକୁ ? ଏଣିକି ତେମେ କେମିତି ସୁଖରେ ରହିବ, ସେଇଆ ଦେଖୁ ଦେଖୁ ଆଖି ବୁଜିଦେଲେ ଆମର ଶାନ୍ତି । କୋଉଠୁ ଭଲ ଅମଳ ହେବ, କୋଉଠୁ ଧନ ଆସିବ, ଏ କଥାକୁ କିଏ ପଚାରୁଛି ?’’

 

ତା’ପରେ କହି ଆସୁଥିଲେ, ‘‘ବୋହୂ କରିବିବୋଲି ତ ସବୁଠୁ ସବୁ ଠିକଣା କରି ଆଶା କରି ବସିଥିଲି ଯେ-’’

 

ସେଇଠି ଅଟକିଯାଇ ପୁଅ ମୁହଁକୁ ଅନାଇଁଲେ, ଦେଖିଲେ, ସେ ତଳକୁ ମୁହଁପୋତି ନିବିଷ୍ଟ ମନରେ କଞ୍ଚା ଲଙ୍କାମରିଚକୁହିଁ କାମୁଡ଼ିଛି ।

 

କଥା ବୁଲେଇ ଦେଇ କହିଲେ, ‘‘ଭାଇ ଭାଉଜ ତ ଚାକିରି ଗାଁରେ, ବାପା ତାଙ୍କ ଧନ୍ଦା ବେଉସାରେ, ତୁ ହେଲେ ମୋ ପାଖରେ ରହିବୁବୋଲି ଆଶା କରିଥିଲି ଯେ ତୁ ତୋର ଚାଲିଲୁ ଫୁଲଶରା–’’

 

‘‘ମୁଁ କ’ଣ ପୁଣି ଆସିବି ନାହିଁ ?’’

 

ମେଘ ଘୋଡ଼ିଆଘାଡ଼ି ଚାଇଁଖରାପରି ବିଷର୍ଣ୍ଣ ହସ ହସି ସେ କହିଲେ, ‘‘ମୁଁ ତ ଖୋଜୁଥିବି, ନିତି କାଉକୁ ଆଧାର ଦେଉଥିବି, ତୁ ଯେମିତିଆ ପିଲାଟା ନା, ତୁ ଏଡ଼େ ଚଞ୍ଚଳ ଲେଉଟି ଆସିବୁ, ମୋର କାଇଁ ବିଶ୍ୱାସ ହେଉନାହିଁ ।’’ ବୁଝେଇ ଶୁଝେଇ କହିଲାପରି କହିଲେ, ‘‘ଅଣ୍ଡିରି ପୁଅ, କ’ଣ ମାଇକିନିଆ ଝୁଅ ହେଇଚୁ, ଲାଜ କରିବୁ, ଯାହା ମନ କରିବୁ ତା’ ହେବ, ସବୁର କରିବାକୁ ପଡ଼େ, ସହିସମ୍ଭାଳି କାମ କରିବାକୁ ପଡ଼େ, ଛାନିଆ କାହିଁକି ? ଏତେ ଛଟପଟ କାହିଁକି ? ଆତ୍ମାକୁ କଷ୍ଟ ଦେଇ କିଛି କରନାହିଁ । ଆତ୍ମା କୁଶଳେ ସର୍ବସିଦ୍ଧି-’’

 

‘‘ସେଇ ଆତ୍ମା କୁଶଳେ କରୁ କରୁ ତ ଆମ ଦେଶଟାଯାକ ଲୋକେ ଆପଣା ଚୁଟି ପରହାତରେ ଦେଇ ବାସି ତୋରାଣି ପିଇ ଭଙ୍ଗାଘର ପିଣ୍ଡାରେ ଶୋଇ ଦିନ କଟାଇଛନ୍ତି, ଖାଲି କୁଲିମୂଲିଆ ଜନ୍ମ ହେଉଛନ୍ତି ପଲପଲ ହୋଇ ।’’

 

‘‘ଏଡ଼େ ନାକଟେକା କାହିଁକି ହଉଚୁ କହିଲୁ ? ବାସି ତୋରାଣି ଭଲ । କୁଲିମୂଲିଆ ବି ନାଙ୍କରା କିଛି ନୁହେଁ, କାହା କର୍ମରେ ଅଛି କିଏ ଗୋରୁ ଚରାଉଛି, କାହା କର୍ମରେ ଅଛି କିଏ ମଣିଷ ଚରାଉଚି, ଅସଲ ଏ ମଣିଷର ଶାନ୍ତିଟା, ସେ ଥିଲେ ସବୁ ଅଛି ।’’

 

‘‘ଅଣ୍ଟି ଭିତରେ ନିଆଁ ପୂରେଇ ରଖି କି ଶାନ୍ତି ବୋଉ ?’’

 

‘‘ଆଉ ଦିଟା ଭାତ ଖା ।’’

 

‘‘ନାଇଁ, ନାଇଁ ।’’

 

‘‘ଆରେ ପେଟପୂରା ଦି’ଟା ଖାଇ ଯାଇଥା, ହୁରୁ ହୁରୁ ହ ନା–’’

 

‘‘ପେଟ ପୂରିଲାଣି, ଆଉ ଖାଇଲେ ଫାଟିବ ।’’

 

‘‘ଧଅସି ଲେଉଟି ଆସିବୁ । ସେଠି ଖାଇବୁ କ’ଣ, ରହିବୁ କୋଉଠି, ଚଳିବୁ କେମିତି ?’’

 

‘‘ସେଠି ବି ମଣିଷ ଅଛନ୍ତି, ଘର କରିଛନ୍ତି ବୋଉ, ସେମାନେ ଚଳୁଛନ୍ତି, ଆଉ ମୁଁ ଅଚଳ ହେବି ?’’

 

‘‘ନାଇଁ ନାଇଁ, ସେମିତି ଅଖଞ୍ଜ ଅସୁବିଧାରେ ପଡ଼ିଯାଇ ଫଳନାହିଁ । କ’ଣ କରିବି, ମୁଁ ଯାଇଥାନ୍ତି ୟେ ୟେ ତ ଦଣ୍ତେ ଚଳିପାରିବେ ନାହିଁ ।’’

 

‘‘ତୁ ଥା । ଏଇ ଫୁଲଶରା ବିଲାତ କି ଆମେରିକା ତ ନୁହେଁ ? ମୋ’ପାଇଁ ଏତେ ଚିନ୍ତା କ’ଣ ?’’

 

ଦିନ ବାରଟାବେଳ ହେବ, ରବି ଯେତେବେଳେ ତା’ର ଲୁଗାପଟା ବହିପତ୍ର ମିଶାଇ ପୁଟୁଳିଟିଏ କରି ଆସି ତାଙ୍କ ଗୋଡ଼ତଳେ ପଡ଼ି ବିଦାହେଲା, ରବିବୋଉଙ୍କୁ କାବା ଲାଗିଲା । ମନରେ ସାମାନ୍ୟ ମେଘ ଘୋଟି ପୁଣି ସଫା ହୋଇଗଲା । ରବିର ମୁହଁ ବଡ଼ ହସ ହସ । ପୁଣି ସେହି ପ୍ରଶ୍ନ–‘‘ଧଅସି ଆସିବୁଟି ? କେବେ ? କାଲି ନା ପଅରିଦିନ ?’’ ରବିର ମୁହଁରେ ଖାଲି ହସ, ‘‘ଯାଉଛି ବୋଉ, ଏଁ–’’

 

କିନ୍ତୁ ସେ ଚାଲିଗଲା ପରେ ମନରେ ସନ୍ଦେହ ଲାଗିଲା । ଆଜି କେମିତି ସବୁ ବିଚିତ୍ର, ଅଦ୍ଭୁତ-ସେହି କଥା ଭାବିଲେ । ଆଗରୁ କୁହାନାହିଁ ପୋଛିନାହିଁ ପିଲାଟା ବୋକଚା ବାନ୍ଧି କ’ଣ ଫୁଲଶରା ଗଲା, ଦିନ ବାରଟା ବାଜିଲାଣି, କାହିଁ ସେ ଏପର୍ଯ୍ୟନ୍ତ ଖାଇବାକୁ ଆସିଲେ ନାହିଁ !

 

ମାଡ଼ି ମାଡ଼ି ପଡ଼ୁଛି, ଏମିତି କେବେ ଘଟେ ନାହିଁ । ସେ କ’ଣ ରୁଷିଲେ ?

 

ରାଗିଗଲେ ବରାବର ତ କହନ୍ତି, ‘‘ଜାଣିଛ, ସଂସାରଟାକୁ ମୂର୍ଚ୍ଛି ଦେଇପାରେ,-ମୋର ସେଡ଼େ ମମତା ନାହିଁମ, ଗଲାବେଳେ କ’ଣ ସାଙ୍ଗରେ ବାନ୍ଧିକରି ନେବିକି ?’’

 

ତାଙ୍କ କଥାକୁ ଡର ମାଡ଼େ । ଲୋକେ ଶଙ୍କି ଯାଆନ୍ତି । କହନ୍ତି, ପଦେ କଥାର ଲୋକ, ତୋଖଡ଼ ଲୋକ, ଟାଣୁଆ ଲୋକ; ଭାଙ୍ଗିବେ ସିନା, ନଇଁବେ ନାହିଁ ।

 

ଅବସ୍ଥା ଅନୁସାରେ ବିଚାରବୁଦ୍ଧି ଖେଳାଇ ନିଜକୁ ପରିସ୍ଥିତି ସଙ୍ଗେ ମିଶାଇ ନେଇପାରିବା ଶକ୍ତି ତାଙ୍କର ନାହିଁ । କିନ୍ତୁ ଲୋକଙ୍କ ତୁଣ୍ଡରୁ ଏପରି ଶୁଣିବାକୁ ତାଙ୍କୁ ଭଲ ଲାଗେ, ଲାଗେ ୟେ ଗୌରବ । ହସିଦେଇ କହନ୍ତି, ‘‘ମୁଁ ସରଳିଆ ମଣିଷ, ମୋର ପଦେ କଥା ।’’

 

ବୁଝିପାରନ୍ତି ନାହିଁ ଯେ ତାଙ୍କର ଆତ୍ମବଡ଼ିମାର ଏଇକଥା କେଇପଦକୁ ଯଥାର୍ଥ କରିବାଲାଗି ଅନ୍ୟମାନଙ୍କୁ କେତେ ପରିଶ୍ରମ ପଡ଼େ, କେତେ ସୁଖର ବାଟ ରୁନ୍ଧି ପଦେ ପଦେ ଡରି ଡରି ଖଣ୍ଡାଧାରରେ ବାଟ ଚାଲିବାକୁ ପଡ଼େ । ଲୋକଙ୍କୁ ହଇରାଣ ନ କଲେ ସେ ଆପଣାକୁ ‘‘ପଦେ କଥାର ମଣିଷ’’ ବୋଲାଇବେ କିପରି ? ସେଇଆ କ’ଣ ସଂସାରରେ ପ୍ରକୃତ ବଡ଼ପଣ ? ନା ଏତେ ଟାଣ ନ ହୋଇ ମଣିଷର ହୃଦୟଜାଣି ଆପଣାକୁ ଚଳେଇନେଇ ଆପେ ହସି ଜଗତକୁ ହସାଇ ଜୀବନ ବିତେଇ ଦେବାଟା ଅସଲ ବଡ଼ପଣ ?

 

କେଉଁ କଥାଟା ବଡ଼ ? ଆପଣା ଆଣ୍ଟ ନା ପରର ହୃଦୟ ?

 

ନିଜେ ଖାଇନାହାନ୍ତି, ଅପେକ୍ଷା କରିଛନ୍ତି । ତାଙ୍କର ଏ ଅଭ୍ୟାସ । କିନ୍ତୁ ମନ ଅଶାନ୍ତି, ଶଙ୍କାର ଛାଇ ବି ପଡ଼ୁଛି ସେଠି । ପାଖେ ସେ ପାଖରେ ସ୍ୱାମୀ, ପାଖେ ଏପାଖରେ ପୁଅ, ମନଟା ଦୋହଲି ଲାଗିଛି । ତା’ ସଙ୍ଗେ ସଙ୍ଗେ ସେ । ଖରାରେ କୁହୁଳି କୁହୁଳି ଆଗ ଦାଣ୍ଡରେ ବୁଲୁଥିଲେ, ବାଡ଼ରୁ ଉହୁଙ୍କିପଡ଼ି ଦୂରକୁ ଅନାଉଁଥିଲେ କାଳେ ସେ ଆସୁଥିବେ ବୋଲି । ଡେରି ହେଲା । ଘରକୁ ଚାଲିଗଲେ ।

 

ଆପଣାର ପୁଅ ନୂଆରୂପ ଘେନି ଆତ୍ମପ୍ରକାଶ କଲା । ବଟ ମହାନ୍ତି ରାଗରେ ଜର ଜର ହୋଇ ବଗିଚାର ଜଙ୍ଗଲ ଭିତରେ ପଶିଗଲେ, ସତେ ଅବା ସେହି ତାଙ୍କର ବାନପ୍ରସ୍ଥ ।

 

ଯାହାକୁ ପାଳିଥିଲେ, ଆଶା ରଖିଥିଲେ, ହଠାତ୍ ଦିନେ ଦେଖିଲାବେଳକୁ ସେ ନାହିଁ, କାହିଁ ଉଭେଇ ଯାଇଛି । ଚେହେରାରେ ତାହାରି ଛଦ୍ମବେଶ ଧରି ଠିଆହୋଇ ରହିଛି ଆଉ ଜଣେ, ସମକଛ ହେଲାପରି ଠିଆ ହୋଇଛି, ସତେକି ଜଣକୁ ଜଣେ । ସେ ଶାସନ ମାନିବାକୁ ରାଜି ନୁହେଁ, ତାଙ୍କରି ଘରଭିତରେ ରହି ସେ ଚଳେଇବ ନୂଆ ଶାସନ, ସମ୍ପରି ଉଜାଡ଼ିବ, ତଳିଆ ଗୋଡ଼ାଣିଆଙ୍କୁ ବିଗାଡ଼ିବ, ମନଇଚ୍ଛା ବାହାହେବ, ଚାକିରି ବି କରିବ ନାହିଁ ।

 

ହଠାତ୍ ଯେପରି କି ମାଙ୍କଡ଼ ଯୂଥ ଭିତରେ ହାବୋଡ଼ାହାବୋଡ଼ି ହୋଇ ଦୁଇଟା ହନୁଗେଧ । ଆଉ ସେହି ଆଗନ୍ତୁକ ଅନ୍ୟକେହି ନୁହେଁ ସେ ତାଙ୍କରି ଅତୀତ, ତାଙ୍କରି ଯୌବନ, ଚାପିହୋଇ ରହିଥିଲା ଯେ ପୁଣି ଉଠିପଡ଼ିଛି ତାଙ୍କର ବାର୍ଦ୍ଧକ୍ୟ ଉପରେ ଆତ୍ମପ୍ରତିଷ୍ଠା କରିବାକୁ । ତେଣୁ ସେ ମୁହଁକୁ ମୁହଁ ଚାହିଁପାରୁଥିଲା, ତା’ର କଥାରେ ବିନୟ ସହିତ ଦୃଢ଼ତାହିଁ ଥିଲା, କାତରତା ନ ଥିଲା ।

 

ସେ ଯେତେବେଳେ ରବିକୁ କହିଥିଲେ, ‘‘ମରିଗଲୁ ନାହିଁ !’’ ସେ ସେତେବେଳେ ତାଙ୍କର ସମୁଦାୟ ଇଚ୍ଛାଶକ୍ତି ପ୍ରୟୋଗକରି ସେହି ଦୁର୍ଜୟ ଯୌବନର ବିଲୟ ମନାସି ଥିଲେ, ତା’ପରେ ସେ ଚାଲିଯାଇଥିଲେ ।

 

ବଗିଚା ଭିତରେ ଠାଏ ଗୋଲ ବୁଲିଥିବା ମିଶାମିଶି ତରାଟ ଓ ମନ୍ଦାର ଗଛର ବଣ, ଉପରେ ଉପରେ କୁଞ୍ଜଲତାମାନ ମାଡ଼ିଛି, ଶିଙ୍ଗପରି ଠିଆ ହୋଇଛି ନାଲିଫୁଲ ଗୋଟା ଗୋଟା, ତଳଟା ଗୁମ୍ପା ପରି । ତା’ ବାଟମୁହଁରେ ପର୍ଦ୍ଦାପରି ମଧୁମାଳତୀ ଲଟା, ଲୋଟଣୀ ପିଜୁଳୀଗଛ ଉପରକୁ ଫୁଲ ଲଦିହୋଇ ଝୁଲି ରହିଛି । ଏଠିସେଠି ହୋଇ ଯେଉଁପରି ସେହିପରି ଗଛ ଉପରେ ମଧୁମାଳତୀ ବୋଝେଇ ହୋଇଛି । ତା’ ଆଗରେ କଦଳୀବାରି, ସେଠି ଲମ୍ୱାପତ୍ର ବିଛେଇ ଦେଇ ନାନା ଉଚ୍ଚତାରେ କଦଳୀଗଛ ।

 

ବଗିଚାର ଏ ଅଞ୍ଚଳଟା ଯେପରିକି ଗୋଟାଏ ଭୁଲା ରାଇଜ ।

 

ବଟ ମହାନ୍ତି ନ ନୁଆଣି ନ ମାନି ଗୁଗୁଚିଆ ଗୁନ୍ଥି ହୋଇ ଟଭା ଗଛରେ ଆମ୍ପୁଡ଼ି ହୋଇ ତାହାରି ଭିତରେ ହଜିଗଲେ, ସେହି କୁଞ୍ଜଲତା ଆଉ ତରାଟ ମନ୍ଦାରଡାଳ ଗୁନ୍ଥାଗୁନ୍ଥି ଗୁମ୍ଫା ଭିତରେ ଆପଣାକୁ ଅଜାଡ଼ି ଦେଇଥିଲେ, ଗାଲରେ ହାତଦେଇ ବସି ବସି ଖାଲି ଭାବିଥିଲେ ।

 

ଆଜି ତାଙ୍କର ପୃଥିବୀ ଓଲଟି ପଡ଼ିଛି ।

 

ତାଙ୍କ ମନରେ ବାଜୁଥିଲା ଗୋଟିଏ ରାଗିଣୀ । ସେହି ସଙ୍ଗୀତର ଗୋଟିଏ ଘୋଷା-ଯେ ପୁଅକୁ ମଣିଷ କରିଥିଲି, ହେଲା ପର ।

 

ଗୋଟିଏ କଥାର ଖିଅ ଧରୁ ଧରୁ ସେ ଯେପରିକି ଏକ ସାଧାରଣ ସତ୍ୟ ଆବିଷ୍କାର କରି ପକାଇଥିଲେ–ଯେ କେହି କାହାର ନୁହେଁ, ବଡ଼ ହେଲେ ମଣିଷ ଛୁଆ ଗୋଟି ଗୋଟି ନାଗସାପ ହୋଇ ବାହାରି ଚାଲିଯାଆନ୍ତି, ସଂସାର ଜଙ୍ଗଲ, ମଣିଷ ହିଂସ୍ରଜନ୍ତୁ ।

 

ଏହି ହିଂସ୍ର ଅବିଶ୍ୱାସର ବିଷରେ ମନ ଜରି ଉଠିଥିଲା, ଗୋଳମାଳିଆ ତତଲା ମୁଣ୍ଡଭିତରେ ଉବେଇ ଟୁବେଇ କଳା କଳା ଅସ୍ଥିର ଦ୍ୱୀପପରି ମଝିରେ ମଝିରେ ଏହିପରି ଗୋଟାଏ ଗୋଟାଏ ଧାରଣା ଉପରକୁ ଉଠେ, ପୁଣି ବୁଡ଼ିଯାଏ, ତତଲା ବଢ଼ିପାଣି ଗର୍ଜନ କରିଉଠେ-’’ମନଇଚ୍ଛା ବାହାହେବେ ! ମନଇଚ୍ଛା ଚଳିବେ ! ଆମେ ତେବେ କିଏ ? ଘାସକଟା ? ବାପ କ’ଣ ? ପୁଅ କ’ଣ ? ଘର କ’ଣ ? ସମାଜ କ’ଣ ?

 

ମୁଁ’ପଣ ବୋଡ଼ାସାପ ପରି ଆପଣା ଲାଙ୍ଗୁଡ଼ରୁ ପୁଳାଏ ପୁଳାଏ ଆପେ ଖାଇ ପୁଣି ଛଟପଟ ହେଉଥିଲା । ସମୟ ଜଣାପଡ଼ୁନଥିଲା ।

 

ଉତ୍ତେଜିତ ଆହତ ଜନ୍ତୁପରି ବଟ ମହାନ୍ତି ସେହି ଅରମାରେ ପଡ଼ି ପଡ଼ି ବହୁତ ବେଳଯାକେ ଫୁଲି ଫୁଲି ଧକେଇ ହେଲେ । ଖରାର ତାତି କମିଲା, ତା’ ସହିତ ଖସିପଡ଼ି କମିଗଲା ଆପଣ ଆୟୁଷରୁ ଗୋଟିଏ ସକାଳ ।

 

କ୍ରମେ ରାଗର ତାତି କମି କମି ହେଲା କ୍ଷତିର ବିଷାଦ, ବାରମ୍ୱାର ଭାବିଲେ, ଏପରି ପୁଅ ପୁଅନୁହେଁ, ୟା’ର ମୁହଁ ଚାହିଁ କରି ନାହିଁ ।

 

ସେହି ରାଗରେ ରବି ସଙ୍ଗେ ସଙ୍ଗେ ପଡ଼ିଗଲେ ତା’ ବୋଉ । ବଟ ମହାନ୍ତି ଭାବିଲେ, ସେହି ତ’ ମୁହଁ ଦେଇ ଦେଇ ତା’ ମୁହଁ ବଢ଼େଇ ଦେଇଚି ।

 

ଆଉ ମନେପଡ଼ିଲେ ବଡ଼ପୁଅ କବି–‘‘ବାଟ ଦେଖେଇ ଦେଇଚି ସେ, ଏରୁଣ୍ଡି ଟପେଇ କୁଳର ବୋହୂକୁ ଘରୁ ଗୋଡ଼କଢ଼େଇ ନେଇଗଲା, ହେଲେ କେଳାକେଳୁଣୀ, ତାଙ୍କର ସେ ଯାହା ମନ ତାହା ହେଲେ କାହାର କ’ଣ ଯାଉଚି ? ଘୋଡ଼ା ଲାଙ୍ଗୁଡ଼ରେ ବାଳହେଲେ–ସବୁ ଖରାପ, ସବୁ ଅବିଶ୍ଵାସୀ, ସମସ୍ତେ ପର, ତାଙ୍କର କେହି ନୁହେଁ ।

 

ଅଥଚ ସେ ଏତେ ଯେ ଧନ୍ଦି ହୋଇ ଆପଣାକୁ ଛନ୍ଦିବାନ୍ଧି ଜୀବନ ବିତେଇ ଘରକରଣା କରି ଆସିଲେ, ସେ କେବଳ ଏଇମାନଙ୍କପାଇଁ । ଏଇ କୁଟୁମ୍ୱ ପୋଷିବାପାଇଁ ମଣିଷ ସିଂହ ହୋଇ ସୁଦ୍ଧା ମୂଷାପରି ଚଳେ । ଯାହାଙ୍କପାଇଁ ଏତେ ଦୁଃଖ ସହେ, ତାଙ୍କଠିଁ କୃତଜ୍ଞତାହିଁ ନାହିଁ, ପ୍ରତ୍ୟୁପକାର କିଏ ପଚାରେ ?

 

କେହି କାହାରି ନୁହେଁ-ମନ ଡାକୁଛି ସେ ଆଉ ସେ ଘରକୁ ଯିବେ ନାହିଁ ।

 

‘‘ଭାଇ ! ଭାଇ !’’ କୁଞ୍ଜ ଡାକୁଛି, ବଗିଚାରେ ପଶି ଏକର ସେକର ଉଣ୍ଡୁଛି । ବଟ ମହାନ୍ତି ଆହୁରି ମେଞ୍ଚିମାଞ୍ଚି ହୋଇ ବସି ରହିଲେ । ତଣ୍ଟି ଭିତରଟା କ’ଣ ଗତ ଗତ ହେଉଛି, କାଶିଲେ ଭଲ ହୁଅନ୍ତା ! କିନ୍ତୁ ଜବରଦସ୍ତ କାଶକୁ ରୋକି ଛପି ରହିଲେ । କୁଞ୍ଜ ଲେଉଟି ଯାଉଛି । ଦେଖି ଉଶ୍ୱାସ ଲାଗିଲା ।

 

ଚିହ୍ନାଜଣା ପରିସ୍ଥିତି ଭିତରେ ଅଜଣାପରି ପାସୋରି ହୋଇ ରହିବାର ନୂଆ ଅଭିଜ୍ଞତା ଉପଭୋଗ କରିବାକୁ ଲାଗିଲେ ।

 

ବିଷାଦ ପରେ ବୈରାଗ୍ୟ ଆସିଲା, ତାଙ୍କ ଚେତନା ସେହି ବୈରାଗ୍ୟ ବୋଳିହୋଇ କେତେଦୂରକୁ ଲମ୍ୱିଗଲା; ମାଟିକୁ ଛାଡ଼ି ଆକାଶକୁ ଉଠିଲା, ପହଞ୍ଚିଲା ପ୍ରେତପୁରୀରେ-ଭାବିଲେ, କେହି କାହାରି ନୁହେଁ, ‘ଘଟ ଛୁଟିଲେ ତୋତେ ବୋଲିବେ ଭୂତରେ’ । ଏହି ସଂସାରସ୍ଥଳୀ ପଡ଼ି ରହିଥିବ, ଲୋକ ଅଦୃଶ୍ୟ ହୋଇଯିବ ।

 

ତା’ପରେ ? ସମସ୍ତିଙ୍କି ଦେଖୁଥିବ, କେହି ତାକୁ ଦେଖିପାରିବେନାହିଁ । ସମସ୍ତିଙ୍କ କଥା ଶୁଣୁଥିବ, ମନ ବିଡ଼ୁଥିବ, କେହି ତାକୁ ଜାଣିପାରିବେନାହିଁ ।

 

ଶୁଭୁଛି, କୁଞ୍ଜ ପଦାରେ ପାଟିକରୁଛି, ‘‘କୁଆଡ଼େ ଗଲେ କାହିଁ ଦିଶୁ ନାହାନ୍ତି ତ ! ଗୋହିରିରେ ତାଙ୍କରି ବିଷୟରେ ନାନା କଥା ପଡ଼ିଛି, ଯେ ସେ କୁଆଡ଼େ ଗଲେ କୁଆଡ଼େ ରହିଲେ ବୋଲି ।

 

ଏମିତି ସବୁ ଲୋକେ ହାଉଳି ହେଉଥିବେ, ଗଲା ଗଲା ବୋଲି ପାଟି କରୁଥିବେ, ଆତ୍ମା ଏ ମାଟିଘଟ ଛାଡ଼ି ଅନ୍ତରୀକ୍ଷ ମାର୍ଗ ଧରିବ । କେଇଟାଦିନର ଖେଳ ୟେ, ପୁଅ କାହାର, ଝିଅ କାହାର, ଘର କାହାର, ଦୁଆର କାହାର ?

 

ସବୁ ମାୟା ।

 

ମନେମନେ ଲାଗୁଛି, ଆପଣାର ୟେ ଉଡ଼ିଲାପରି ଚିତ୍ତ ଚେତନା ଯେପରି କିଏ ସଂସାର ଛାଡ଼ିଲା ଉପରେ । ହଠାତ୍ ଭାବି ହୋଇଯାଉଛି ସବୁ ବନ୍ଧକି କାଗଜ, କରଜ କାଗଜ, ଖାତକମାନଙ୍କ ମୁହଁ, ବାକ୍ସ ସିନ୍ଦୁକ, ଗୋରୁଗାଈ, ଜମିବାଡ଼ି, ତୋଟା ପୋଖରୀ, ସଂସାରର ଏହି ଏତେ ଜିନିଷ ଯେଉଁଗୁଡ଼ାକର ଛାଇ ତାଙ୍କ ମନରେ ପଡ଼ି ଧରାହୋଇ ସାଇତା ହୋଇ ରହିଛି ମନ ଭିତରେ । ସେଗୁଡ଼ାକ କେହି ଗୋଡ଼ାଇ ଯିବେ ନାହିଁ ।

ଏହି ବୈରାଗ୍ୟରେ ଭାବୁ ଭାବୁ ସଙ୍ଗେ ସଙ୍ଗେ ସେଗୁଡ଼ାକର ସ୍ମୃତି ଗୋଡ଼ାଇଛି । ତା’ପରେ ଆଉ ଭାବି ହେଉନାହିଁ । ଯେପରିକି ଦେହର ବଳସବୁ ଖର୍ଚ୍ଚ ହୋଇଯାଇଛି । ଅଳସୁଆ ଲାଗୁଛି । ହାଇ ଉପରେ ହାଇ ।

ଜୁଆର ଆସିବବୋଲି ଅପେକ୍ଷାକରି କୂଳରେ ଶୁଖିଲା ଠାଉଠାଉରେ ଏକ ଡଙ୍ଗା ପଡ଼ିରହିଛି । ଖରାପଡ଼ୁଛି । ଗଛଲଟାର ଜାଲ ଭିତରେ ଗାଁର ଗହଳି ମଝିରେ ଏ ନିଛାଟିଆରେ ଏ ଦିଶୁଛି ଗୋଟିଏ ନୂଆ ଦୁନିଆ ।

ସମାଜପତି ବୃଦ୍ଧ ବଟ ମହାନ୍ତି ସମୟ ଖର୍ଚ୍ଚକରି ଦେଖୁଛନ୍ତି ଯୋଡ଼ିଏ ଏଣ୍ଡୁଅ ଗୋଡ଼ିଆଗୋଡ଼ି ହୋଇ ଛନ୍ଦାଛନ୍ଦି ହେଉଛନ୍ତି । ଲାଞ୍ଜରେ ଲାଞ୍ଜ ଅଠା ଲାଗିହୋଇ ପ୍ରଜାପତି ଦି’ହଳ ତରାଟଗଛ ଡାଳରେ ବସି ପକ୍ଷୀ ମିଟିମିଟି କରୁଛନ୍ତି, ଯେପରିକି ସୃଷ୍ଟିରେ ସବୁଠୁ ବଡ଼ କାମ ହେଲା ଏମିତି ବସି ରହି ପକ୍ଷୀ ଫଡ଼କେଇବା, ମୁଦିବା ।

ପାଖରେ ମଲା ଡାଙ୍ଗ ଅଗରେ ବସି ପାକଲା ଏଣ୍ଡୁଅ ସବୁ କଥାକୁ ସମର୍ଥନ କଲାଭଳି ମୁଣ୍ଡ ଟୁଙ୍ଗାରୁଛି ।

ଠିକ୍‍ ଠିକ୍‍ । ଏମିତି ତ ଚଳନ୍ତି ଜୀବନ, ବଡ଼ ନାହିଁ ସାନ ନାହିଁ । କୋଟି କୋଟି ଘଟରେ କୋଟି କୋଟି ଉପାୟରେ ବର୍ଣ୍ଣଛଟାରେ ଜୀବନୀଶକ୍ତିର ପ୍ରକାଶ ।

ବିଶ୍ଵ ରୂପ– ।

ରବିର ଅବାଧ୍ୟପଣ, ଆପଣାର ବୈରାଗ୍ୟ, ଚାଷ ଜମିରୁ ଭାଗତାଷୀକି ତଡ଼ିବାର ଚିନ୍ତା, ଖାତକଠୁଁ ପୁରୁଣା କରଜ ଅସୁଲ କରିବା ଚିନ୍ତା, ପାକଲା ଏଣ୍ଡୁଅ, ଭାଗବତ ଓ ଆପଣା ଅତୀତର ଛବିସବୁ ଏକାଠି ମିଶିମାଶି ଗଲା ଦଳୁଆ ଗଣ୍ଡର ଥମ୍ୱିଲା ପାଣିରେ ରହିରହିକା ମାଛମାନଙ୍କ ରୂପ ଦିଶିଲାପରି । କେଉଁକଥାର କେଉଁଅଂଶ କେତେବେଳେ ଜାଣତା ମନର ନିଘାଆଗରେ ଝଟକି ଯାଏ, ଯେପରି କି କାହାର ଗୋଟାଏ ହଲର ହଲର ପକ୍ଷୀ । କାହା ଲାଞ୍ଜର ଛାଟିଲା ଛଇ । କାହା ନାଲି ପାଟିର ଅଗ, କାହାର ଅବା ଗୋଟିଏ ଆଖି ।

ପୁରୁଣା ପାଣିଖିଆକାଠ ଦେହରେ ଛତୁଫୁଟି ବଢ଼ିଲାପରି ବଟ ମହାନ୍ତିଙ୍କ ବ୍ୟକ୍ତିତ୍ୱ ଉପରେ ବଢ଼ିଲାଗିଛି ଗୋଟାଏ ନୂଆ ବ୍ୟକ୍ତିତ୍ୱ ।

 

ଅଧାଶୁଆ ହୋଇ ପଡ଼ିରହି ସେ ଦେଖୁଛନ୍ତି-ଚିଡ଼ିକ୍‍ ଚିଡ଼ିକ୍‌ ବୋବେଇ ବୋବେଇ ଗୁଣ୍ଡୁଚି ମୂଷାଟିଏ ରୁମ ଫୁଲେଇ ମାଡ଼ିଆସୁଛି । ଅଟକି ଯାଉଛି, ଟିକିଏ ଆଗୋଉଛି, ଟିକିଏ ଅଟକୁଛି ।

 

ସରୁ ଫଟା କଳା ଜିଭଟିଏ ଶରପରି ମାରି ପୁଣି ଭିତରକୁ ଓଟାରି ଘୁଷୁରି ଘୁଷୁରି ଗେଧକା ଗୋଧିଟିଏ ବାଡ଼କୁ ପଳେଇଲା ।

 

ନେଉଳ ଦୋଓଟି ଆଗପଛ ହୋଇ ଦୌଡ଼ି ଦୌଡ଼ି ଗଲେ ।

 

ଜିଆ ଘୁଷୁରୁଛି, ଆପଣାକୁ ଓଟାରି ଓଟାରି ନେଇ ଚାଲିଛି ଗୋଟିଏ ଛୋଟ କୁଜି ଗେଣ୍ଡା-

 

ଚିକି ଚିକି ଖରାରେ ଦିଶୁଛି–ପଲପଲହୋଇ ଉଡ଼ିଆସୁଛନ୍ତି କେତେ ଉଡ଼ାପୋକ । ସାନ, ବଡ଼-କୁଆଡ଼େ ଆସୁଛନ୍ତି, କୁଆଡ଼େ ଉଡ଼ି ପଳାଉଛନ୍ତି । ମଧୁମାଳତୀ ଲଟାର ଗୋଟିଏ ଝୁଲିଲା ଡାଳକୁ ଧରି ଦୋଳି ଖେଳୁଛି ଗୋଟିଏ ଟିକି ଚଢ଼େଇ । ତା’ର ଗୋଜିଆ ଥଣ୍ଟକୁ ନାଲି ଧଳା ଫୁଲପେନ୍ଥାରେ ବାରମ୍ୱାର ଭୁଷୁଛି, ଉଠୋଉଛି । ତା’ର ନେଳୀ ସାବଜା ପିଠି ମିଶି ରହିଛି ମଧୁମାଳତୀ ପତ୍ରରେ ।

 

ଯେଝାକୁ ଯେଝା କାମବଡ଼ । ସମସ୍ତେ ଆପଣ ଆପଣା କାମରେ କେଡ଼େ ନିବିଷ୍ଟଭାବେ ଲାଗି ପଡ଼ିଛନ୍ତି ।

 

ଟିକି ବୁଢ଼ୀଆଣୀଟିଏ ତରାଟ ଗଛର ଦୁଇ ଡାଳସନ୍ଧିରେ ଜାଲ ବୁଣୁଛି । ସଁବାଳୁଆଟିଏ ତାଙ୍କରି ମୁହଁ ଆଗରେ ଅତି ଧୀରେ ଧୀରେ ଗୋଟିଏ ତରାଟପତ୍ରକୁ ଜାଲିକରି ପକାଉଛି । କଳା ଆଉ ନାଲି ସରୁ ସରୁ ମାଳି ଏକାଠି ଗୁନ୍ଥି ଗୁନ୍ଥି ବୁଣିଲା ପରି ତା’ର ଟିକି ଦେହଟି ।

 

ସୁଲୁସୁଲିଆ ପବନ ଦେଉଛି । ବାରି ହେଉଛି ଦଅଣା ତୁଳସୀ ଆଉ ପୋକଶୁଙ୍ଘାର ବାସ୍ନା ଏକାଠି ।

 

ଦୂରରୁ କେଉଁଠି ଶଙ୍ଖଚିଲ ବୋବାଉଛି-ଟେଁଏଁ-ଟେଁଏଁ-

 

ସେତିକି ସଂକେତ ସତେକି ଦରକାର ଥିଲା । ଶଙ୍ଖଚିଲ ବୋବାଳି ସଙ୍ଗେ ସଙ୍ଗେ ଅଧା ସ୍ମୃତିରେ ମନେପଡ଼ିଲା ଠାକୁର ପୋଖରୀର ନିଦୁଆ କଳାପାଣି, ପଦ୍ମବଣର ବାସ୍ନା, ନିଦ୍ରିତା ସ୍ତ୍ରୀର ଅଲରା ମୁଣ୍ଡବାଳ ପରି ଦଳର ଢାଲ, ଥିରପାଣି ଉପରେ ବଡ଼ ଗଛର ଛାଇ, କାଗଜଡଙ୍ଗା ଭାସିଲାପରି ହଂସମାଳିକା । ସ୍ମୃତିରେ ଖରା ମଉଳିଯାଇ ଆକାଶରେ ବଉଦ ଢାଙ୍କିଲା ।

 

ବଟ ମହାନ୍ତି ଶୋଇପଡ଼ିଲେ ।

 

ଶୁଆଇ ପକାଇବା ଗୀତ ଗାଇଲାପରି ଘାସ ସନ୍ଧିରୁ ଝିଣ୍ଟିକାଟାଏ ଶବ୍ଦ ଆରମ୍ଭ କଲା-‘‘ଚଟ୍ର-ଚଟ୍ର -ଚିଟ୍ର -ଟ୍ର -ର–’’ ଆଉ କାପ୍ତା ବୋବାଇଲା ।

 

ଅରମା ଅବର୍ଦ୍ଧାର ସଂସାର ନିବିଡ଼ଭାବେ ତାଙ୍କୁ ଆଦରି ନେଇଥିଲା । ଶୁଖିଲାକାଠ ଖଣ୍ଡେ ପଡ଼ିଛି-ଗଛଗୁଡ଼ାକ ଠିଆହୋଇଛି–ବୁଢ଼ାଟିଏ ଶୋଇଛି ଶୋଇ ରହିଛି-ସତେକି ଏହି ସମ୍ବନ୍ଧ ରଖି ଠିକ୍ ଏହିପରିଭାବେ ସବୁଦିନେ ସେ ରହିଛନ୍ତି, ଏହି ତାଙ୍କର ସହଜ ଜୈବିକ କ୍ରିୟା ।

 

ଆଉ ବସନ୍ତରା ହାଣ୍ଡିରୁ ପାଣି ନିଗିଡ଼ିଲାପରି ଶୂନ୍ୟ ଉପରେ ସମୟ ବୋହି ପଡ଼ୁଛି ଥପ୍‍ ଥପ୍‍ ହୋଇ, ନିଗିଡ଼ି ଲାଗିଛି, ବୋହିଯାଉଛି ।

 

ନିଦ ଭାଙ୍ଗିଲାବେଳକୁ ଦେହଯାକ ନାନାପ୍ରକାର ଅନୁଭୂତି । କେଉଁଠି ପୋଡ଼ା, କେଉଁଠି ସଲ ସଲ, କେଉଁଠି ଗଲୁ । ନାକ ଅଗରେ ନାଲି ଟହ ଟହ ହୃଷ୍ଟପୁଷ୍ଟ କଙ୍କିଟିଏ ବସିଥିଲା, ଉଡ଼ିଗଲା-। ପିଠିରେ ସ୍ଥାନେ ସ୍ଥାନେ ଏକପ୍ରକାର ବଡ଼ମୁଣ୍ଡିଆ ଘାସପିମ୍ପୁଡ଼ି ପୁଳାଏଲେଖାଁ କାମୁଡ଼ି ଧରିଛନ୍ତି । ମୁଣ୍ଡବାଳ ଭିତରେ ମାଟିର ଟିକିଜନ୍ତୁ ତରତର ହୋଇ ବସତି ଥାପିବା ଆରମ୍ଭ କରି ଦେଇଛନ୍ତି । ଆଣ୍ଠୁ ତଳ ସନ୍ଧିରେ ସଁବାଳୁଆଟିଏ ଶୋଇଛି । ଗୋଡ଼େ ଗୋଡ଼େ ସାନ ସାନ ପୋକ ଚଢ଼ିଛନ୍ତି ।

 

ଧଡ଼ପଡ଼ ହୋଇ ବଟ ମହାନ୍ତି ଉଠି ଠିଆ ହୋଇପଡ଼ିଲେ । ତରତର ହୋଇ ଝାଡ଼ିହେଲେ । ଚାପୁଡ଼ା ମାଡ଼ରେ କେତେ ଚଞ୍ଚଳ ସବୁ ସଫା ହୋଇଯାଉଛି ! ରବି ମନେପଡ଼ିଲା, ଆଉ ଲାଗିଲା, ଏମିତି ଏକା ଥାପୁଡ଼ାକେ ସବୁ ସଫା ହୁଅନ୍ତା, ସହଜ ହୁଅନ୍ତା, ହେବ ବି ।

 

ବଡ଼ ଡେରି ହୋଇଗଲାଣି । ଠାକୁରେ ଉପାସ ଥିବେ । ଦେହ ଅବଶ ଲାଗୁଛି । ବଟ ମହାନ୍ତି ଜୀବନରେ ପହିଲି ଥର ନିଜ ଆଗରେ ନିଜେ ସ୍ୱୀକାର କଲେ ଯେ ସେ ବୁଢ଼ା ହୋଇଯାଇଛନ୍ତି ।

 

ଦୋଳ ପୁନେଇ ପଛେ ପଛେ ତାଙ୍କ ଜନ୍ମଦିନ ଆସିବ, ଅଠାବନ ଚାଲିବ । ବହୁଦିନୁଁ ଜନ୍ମଦିନ ବନ୍ଦାପନା ହୋଇନାହିଁ । ବହୁଦିନ ପରେ ତାଙ୍କ ବାପା ବୋଉ ମନେପଡ଼ିଲେ । ସେମାନେ ସୁଖୀ ଥିଲେ, ସେ ନିଜେ ଥିଲେ ସୁପୁତ୍ର, ସେତେବେଳେ କାଳ ଭିନେ ପ୍ରକାର ଥିଲା । ଆଉ ଆଜିକାଲି ପରି-

 

ଘରେ ପହଞ୍ଚି ଆପଣା ଡେରିପାଇଁ କାରଣ ବୁଝାଇବା ଆଗରୁ ସେ ତାଙ୍କ ସ୍ତ୍ରୀକୁ ପଚାରିଲେ, ‘‘ରବି କୁଆଡ଼େ ଗଲା ?’’

 

‘‘ତୁମ ସଙ୍ଗେ କ’ଣ କଥାଭାଷା ହୋଇ ଆସି ଫୁଇଶରା ଗଲାପରା ! କୁଆଡ଼େ ଏଠି ତୁମେ ବୁଝାବୁଝି କରୁଚ, ସେଠି ସେ ବୁଝାବୁଝି କରିବ, କ’ଣସବୁ ଉଜୁଡ଼ି ଯାଉଛି ତା’ର ବନ୍ଦୋବସ୍ତ କରିବ, କେତେକଥା ତ କହୁଥାଏ । କହିଲା, ବାପାଙ୍କୁ କହିବୁ, ବାପା କ’ଣ ମନାକରିବେ ?’’

 

ଥକ୍‌କା ହୋଇ ଠିଆହୋଇ ରହିଲେ ସେ, ଯେମିତିକି ମୂହଁଟା ହଠାତ୍ ପଥର ପାଲଟି ଯାଇଛି । ଦି’ମିନିଟ୍ କଟିଲା, ତା’ପରେ ଭୁସ୍ କରି ତାଙ୍କ ପାଟିରୁ ବାହାରି ପଡ଼ିଲା, ‘‘ଦି ପୁଅ ଜନମ କଲ ଯେ, ଯେ ତ ଯେଝା ବାଟରେ ଗଲେ, ଆମ ବୁଢ଼ାବୁଢ଼ୀ ଦି’ଟାଙ୍କ ମଲା ହଜିଲା କିଏସେ ଖୋଜିବ ?’’ ଛୋଟପିଲା ବିକଳ ହୋଇ ଅଳି କଲାପରି ସେ କହିଲେ । ରବିବୋଉଙ୍କ ଦେହରେ ଚାଉଁକିନା ଗଳିଗଲା କଥାଗୁଡ଼ାକ, କୋହ ଉଠିଲା । ପାଟି ଥରେଇ ଥରେଇ ଓଲଟା ଅଭିମାନରେ ସେ କହିଲେ, “ତେମେ ତ ବୁଝିଲ ନାଇଁ, ପିଲା ଆଉ ପିଲାପୁଅ ହେଇଚନ୍ତି ? ତାଙ୍କ ମନ ନ ମାନିଲେ, କଥା ନ ରହିଲେ ସେମାନେ ସୁଖ ପାଇବେ ? ହେଇଥାନ୍ତା ବାହାଘର ସେଇ ସିନ୍ଧୁ ଚୌଧୁରୀ ଘରେ, କ’ଣ ଦୁନିଆ ଓଲଟି ପଡ଼ିଥାନ୍ତା ? ଫେର୍ ଜାତି ଅଜାତିରେ ଲୋକେ ବାହା ହେଉଛନ୍ତି, ସାହାବାଣୀ ବାହା ହେଉଛନ୍ତି, ସେମାନେ କ’ଣ ଚଳୁ ନାହାନ୍ତି ଯେ ତୁମେ ଖାଲି ଛୁଞ୍ଚିମାଛି ପରଖ କରୁଥିବ । ଛାଡ଼, ଆମ କପାଳରେ ନାହିଁ ।’’

 

ହଠାତ୍ ସେ ପୁଣି ଟାଣ ହୋଇଗଲେ, କହିଲେ, “ତୁମେ ବୁଝିନା, ଯାଉ ଯୁଆଡ଼େ ମନ ସିଆଡ଼େ । କଅଁଳ ଲୁହା ବିଲେଇ କାମୁଡ଼େ ନାହିଁ ? କୁକୁରକୁ ମୂହଁଦେଲେ ଉପରକୁ । ହଉ, ଦେଖାଯାଉ କୋଉପାଣି କୋଉ କିଆରୀକି ଯାଉଚି-’’

 

ଏଥର ପୁଣି ତାଙ୍କ ମୁହଁ ପଥରପରି, କିନ୍ତୁ ସେ ଠାଣିରେ ପିଲାଳିଆ ନିଃସହାୟତା ନ ଥିଲା, କଠିନତା ସହିତ ଉଦାସୀନତାହିଁ ବାରି ହୋଇପଡ଼ୁଥିଲା ।

 

କହିଲେ, ‘‘ସେ ଗୁଡ଼ା ଭାବନାହିଁ । ଗୋଡ଼ ହେଇଚି, ଚାଲିବେ; ପକ୍ଷୀ ଲାଗିଚି, ଉଡ଼ିବେ; କେହି ତମ ଆମ ସାଙ୍ଗରେ ଗୋଡ଼େଇ ଯିବେନାଇଁ । ମିଛମାୟାକୁ ସତବୋଲି ଭାବି ଛଟପଟ ହେବି କାହିଁକି ? ମଣିଷ କର୍ତ୍ତବ୍ୟ କରିବାକୁ ଆସିଛି, କର୍ତ୍ତବ୍ୟ କରୁ କରୁ ଟଳିପଡ଼ିବ, କାହାଠୁ କିଛି ପାଉଣା ପାଇବା ଆଶା ତ ନାହିଁ । ତୁମେ ଯାହାପାଇଁ ଏତେ ଭାବୁଚ, ସେ କ’ଣ ତମକଥା ଭାବୁଚି ନା ତମୁକୁ ଖାତିର୍ କରିଚି ? ବଞ୍ଚି ଥାଇ ଥାଇ ବାଘ ଘରେ ମିରିଗର ନାଟ ମୁଁ କରାଇ ଦେବିନାହିଁ, ବାପା ଶିଖେଇ ନାହାନ୍ତି ।’’

 

ଗଲେ ସେ ଠାକୁର ପୂଜା କରି ।

 

ରବିବୋଉଙ୍କ ବିଚାର ଆଗରେ ଯେପରି କି କୁହୁଡ଼ି ଉଠିଗଲା, ରବିର ଫୁଲଶରା ଯିବା ବିଷୟଟା ପରିଷ୍କାର ହୋଇ ବାରି ହୋଇପଡ଼ିଲା ।

 

ତା’ ସହିତ ଆଖିର ଦୃଷ୍ଟି କୁହୁଡ଼ିଆ ହେଲା, ପାଟି ଥରିଲା । ଘରଟା ଖାଇ ଗୋଡ଼େଇଲା-। ଯାଉ ସେ, ଅଣ୍ଡିରିପୁଅ, ଯୁଆଡ଼େ ଗଲେ ଆପଣା କର୍ମ ସଙ୍ଗେ ସଙ୍ଗେ ଅଛି । ଉପରେ ଧର୍ମଅଛି, ସେ ବିଡ଼ି ବିଡ଼ି ହେଲେ । ରବିର ଶୁଭମନାସି କବାଟ ଦୂଆର ବନ୍ଧରେ ଢୁ ଢୁ କରି ମୁଣ୍ଡ ବାଡ଼େଇ ବାଡ଼େଇ ଠାକୁରଙ୍କୁ ଦଣ୍ଡବତ କଲେ ବି ଅବୁଝା ଲୁହ ବାଧା ମାନିଲା ନାହିଁ ।

 

ଦୂଆରେ କାଉଟାଏ କା କଲା । ବୁଲିପଡ଼ି ଲୁହ ଜାଲୁଜାଲୁଆ ଅଖିରେ ତା’ଆଡ଼କୁ ଅନାଇଁ କହିଲେ, “କ’ଣ କହୁଛୁରେ ? ଶୁଭ କାଉ ଶୁଭେ ରଡ଼ି, ରବି ଆଜି ସଞ୍ଜକୁ ଲେଉଟି ଆସିବଟି-?’’

 

ଆପଣା ମନ ଆପଣାକୁ ଛାନିଆଁ କରି ଉତ୍ତର ଦେଇଥିଲା-ସେ ଏଡ଼େ ଚଞ୍ଚଳ ଆସିବ ନାହିଁ ।

 

ଶୁଭୁଥାଏ ରବିର ବାପା ଘଣ୍ଟି ଠଣଠଣ କରି ଠାକୁର ପୂଜା ଆରମ୍ଭ କରି ଦେଇଥାନ୍ତି । ତୁଚ୍ଛା ଦାଣ୍ଡକୁ ଅନେଇଁ ବାଟଘରେ କବାଟକୁ ଆଉଜି ରବିବୋଭ ଠିଆ ହୋଇଥାନ୍ତି । ଏଇ ଘଣ୍ଡି ଠଣ୍‌ ଠଣ୍‌ ସଙ୍ଗେ ସଙ୍ଗେ ମନେ ପଡ଼ିଯାଇଥାଏ, କୁଆଡ଼େ ଥିଲା କିଲିକିଲିଆ ହୋଇ ପିଲାଟିଏ ଦୌଡ଼ି ଦୌଡ଼ି ଆସୁଛି । ତା’ ମୁଣ୍ଡରେ ବଡ଼ ବଡ଼ କୁକୁଞ୍ଚିଆ ବାଳ ଲହଡ଼ି ପରି ନାଚୁଛି ! ମୁହଁରେ ଅଖିରେ ଉତ୍ତେଜନା । ସେହି ଘଣ୍ଟି ଠଣ୍‌ ଠଣ୍‌ ସଙ୍ଗେ ମନେପଡ଼ିଯାଉଛି, ଟିକିଏ ଗୁଡ଼ କି ଛେନା, ସେଥିରେ ତୁଳସୀପତ୍ର ଦୋଟି ଗୋଟିଏ ଲାଗିଥିବ । ସେହି ପ୍ରସାଦ ପାଇବବୋଲି ସେ ଧାଇଁ ଧାଇଁ ଆସୁଛି । ସେଇଥିଲା ରବିର ପିଲାଦିନ, କୁଲୁକୁଲିଆ ପିଲାଟିଏ, ବେକରେ ସରୁ ସୁନା ଗୋପ । କାହିଁ କେତେକାଳର କଥା ହେଲାଣି ସେ ! ନିଘା ପଡ଼ିଲା, ଫୁରୁରଫାର୍‌ର ହୋଇ ଘରଚଟିଆମାନେ ଚାଳତଳେ ଉଡ଼ୁଛନ୍ତି । ଗୋଟାକୁ ଗୋଟା ପଦାକୁ ଉଡ଼ି ଯାଉଛନ୍ତି । କେତେ ଏମିତି ! କିଏ କେବର-!

 

ଆଉ ଏବାଟେ ପିଲା ଆସୁନାହାନ୍ତି । କେବେ ମନକଲେ ସାହିରୁ ଡାକି ଆଣିଲେ କେହି ଆସିବେ । ନ ହେଲେ ନାହିଁ ।

 

ଖାଲି ଘର, ଖାଲି ଦାଣ୍ଡ । ବଡ଼ପାଟି କରି ବଟ ମହାନ୍ତି ଭାଗବତ ପଢ଼ୁଛନ୍ତି, ତରତର ତର ତର ହୋଇ ଛାଟିପିଟି ହେଉଥିବା ଶବ୍ଦସମୁଦ୍ର । ଅର୍ଥ ଫୁଟି ବାହାରିବାପାଇଁ ସେ ଅପେକ୍ଷା ରଖିନାହିଁ । କେବଳ ନାଦବ୍ରହ୍ମ, ଇହକାଳରେ ଆତ୍ମା ଶୀତଳ ହେବ, ପରକାଳରେ ମୁକ୍ତି ମିଳିବ ।

 

କିନ୍ତୁ ସେ ରାଗିଣୀରୁ, ସ୍ଵରର ସେ ଭଙ୍ଗାରୁ ଯେପରି କି ଶୁଭିଯାଉଛି ଗହନ ମନର ଉଛୁଳା ଅଭିମାନର ଶବ୍ଦ ।

 

ଦୀର୍ଘନିଃଶ୍ୱାସ ପକାଇ ପକାଇ ରବିର ବୋଉ ଗଲେ ଠାଆ କରିବାକୁ ।

 

ବଇ ମଳିକ ଓଳିତଳେ ବସି ଆମ୍ବକଷି ଲଗାଇ ପଖାଳ ଖାଉଥିଲା । ଦୂଆରେ ସାନ ସାଆନ୍ତକୁ ଦେଖି ହସଟାଏ ହସି ଠିଆ ହୋଇପଡ଼ି ହାତଯୋଡ଼ି ଦଣ୍ଡବତ କଲା, ବଡ଼ ବ୍ୟସ୍ତହୋଇ ପାଟିକଲା, ‘‘ବୋଉ, ପାଣି ଦେ ହାତ ଧୁଏ ।’’

 

‘‘ଟାଉ ଟାଉ ହ’ନା ବଇ !’’ ରବି କହିଲା, ‘‘ଖାଇଦେ, ମୁଁ କହୁଛି ।’’

 

ବଇର ବୋଉ ସେରେନ୍ତୀ ଆସିଲା, ଖୁସି ହୋଇ କହିଲା, ‘‘କୂଆଡ଼େ ମ, ଅପୂରୁବ, ଅଇଣ୍ଠା ଦୂଆରେ ସାଆନ୍ତଙ୍କ ପାଦ ପଇଲା, ମୁଁ କ’ଣ କରିବିଟି ! ଆରେ ବଇଆ, ତରତର ଗେଫା ମାରିଦେ, ଅନେଇଚୁ କ’ଣ ବୋକାଟା, ଦେ କଂସାକୁ ମୁହଁରେ ଲଗେଇଦେ–’’

 

‘‘ଥାଉ ଥାଉ ବଇବୋଉ, ଗୋଟାଏ ଠାଥାକୁ ଯିବି ଯେ ବଇକି ଟିକିଏ ସାଙ୍ଗରେ ନେବିବୋଲି ଡାକି ଆସିଥିଲି । କାମ ତ ଆଉ ବଳେଇ ଯାଉ ନାଇଁ, ସେ ବସି ବସି ଖାଉ–’’

 

‘‘ସାଙ୍ଗରେ ଯିବେବୋଲି ସାଆନ୍ତେ ନିଜେ ଡାକି ଆସିଚନ୍ତି ! କା’ହାତରେ କହି ବଟେଇ ଥିଲେ ତ ବଇଆ ଦଉଡ଼ି ଯାଇଥାନ୍ତା । ଯିବନାଇଁ କାଇଁକି ? କହିଲେ କୋଡ଼ିଏ କୋଶ ଦଉଡ଼ିବ । ତମରି ଜାଗାରେ ଘର କରିଚେ ବାବୁ, ସାତପୁରୁଷ ତମରି ଦାନା ଖାଇ ବଞ୍ଚିଚୁ, ତମର ନ କରିବୁ ତ ଆଉ କାହାର କରିବୁ ?’’

 

ବଇର ଭଉଣୀ ଗେହ୍ଲୀ ହାତରେ ଲମ୍ବ ନଗୀଟିଏ ଧରି ଘର ପଛଆଡ଼ୁ ବାହାରିପଡ଼ି ହସି ହସି ଠିଆ ହେଲା ଆଉ ତା’ର ସାନ ଭାଇ ଗଇ ଦଶବର୍ଷର ଇଙ୍ଗଳା ଟୋକା ଘର ଭିତରୁ ବାହାରିପଡ଼ି ରବି ପାଖକୁ ଆସି ଭଦ୍ରଲୋକ ପରି ପିଠିଆଡ଼େ ହାତଯୋଡ଼ି ସାମ୍ନାରେ ଠିଆହୋଇ ତାକୁ ଅନେଇ ରହିଲା । ପଛଆଡ଼ୁ ଆସିଲା ବଇ ମଳିକର ଦାମୁଡ଼ି ପଟକ । ଜିକିଜିକି ନାକ ଟେକି ରବିର ପିଠିଆଡ଼ୁ, ଛୁଇଁ ଶୁଂଘିବାକୁ ଲାଗିଲା, ଧୀରେ ବଢ଼େଇଦେଲା ଏକ କାଳିଚା ଜିଭ, ଚାଟିବାକୁ ଅରମ୍ଭ କଲା ।

 

କୁଡ଼ିଆ ଆଗରେ ଶୁଖି ଆସୁଥିବା ପୋଇ ଲଟାର ଭାଡ଼ି ଭାଙ୍ଗି ପଡ଼ିଛି । ପୋଇ ଜଙ୍ଗଲ ଭିତରେ ଛପି ଛପି ବୁଲୁଥିଲା ଗୋଟିଏ ବିଲେଇ, ହଠାତ୍ ଅଟକିଯାଇ ପ୍ରଶ୍ନସୂଚକ ଭଙ୍ଗୀରେ ରବିଆଡ଼କୁ ଅନେଇଁ ରହିଲା ।

 

ବଇ ମଳିକ ଗୁଣ୍ଡା ଉପରେ ଗୁଣ୍ଡା ଚଲେଇଛି, ପାଟିରେ ଭାତ ଥାଇ ଗାଉଁ ଗାଉଁ ହୋଇ କଥା କହୁଛି ।

 

ସାମ୍ନାରେ ଏହି ତା’ର ଅଢ଼େଇ ବଖୁରିଆ ସାନକୁଡ଼ିଆ, ଭାଙ୍ଗିବା ଫାଟିବା ଆଉ ମରାମତ ହେବା ଲାଗିରହିଛି । ଛାପିଛାପିକା ଛାଇ କରି ଘର ଓ ଅଗଣାକୁ ଘୋଡ଼େଇ ରଖିଛି ଦଶପାଞ୍ଚଟା ସଜନାଗଛ, ଉପରେ କଷିଛୁଇଁ ସରୁ ସରୁ ପୋକ ପରି ଓହଳିଛି, ଗଣ୍ଠିରେ ମେଞ୍ଚା ମେଞ୍ଚା ହଳଦିଆ ନାଲି ଅଠା ଆଉ ବେକରେ ଗରମକୋଟ୍ ପିନ୍ଧିଲାପରି ସାଁବାଳୁଆପୁଟ । ପାଖରେ କିଆବାଡ଼, ଟୁବିଗାଡ଼ିଆ, ବାଉଁଶବଣ, ଆମ୍ବତୋଟା ।

 

ହଠାତ୍ ନୂଆ କରି ଗାଁଆଟା ଯେପରି କି ରବିର ଆଖି ଆଗରେ ଝଟକି ଉଠୁଛି, ନୂଆ ହୋଇ ଚିହ୍ନା ଦେଉଛି ଗାଁର ସବୁ ପୁରୁଣା ଦୃଶ୍ୟ ।

 

ରବି ଦୀର୍ଘଶ୍ୱାସ ପକାଇଲା ।

 

ତରତର ଭୋଜନ ସାରି ପାଟିରେ ପାନଖିଲ ଯାକି ବାହୁଙ୍ଗୀଟା ଧରି ପ୍ରସ୍ତୁତ ହୋଇ ବାହାରିପଡ଼ିବାକୁ ବଇ ମଳିକକୁ ଦଶ ମିନିଟ୍‍ରୁ ବେଶୀ ଲାଗିଲା ନାହିଁ । ଆଖଡ଼ାଘର ପିଣ୍ଡାରେ ଖୋଲାରେ ଥୁଆ ହୋଇଥିଲା । ରବିର ସାମାନ୍ୟ ବୋକଚା-ବୁଜୁଳା, ଆଉ ଖଣ୍ଡେ ଛୋଟ ସୁଟ୍‌କେଶ-

 

ରବି କହିଲା, “ଗୋଟାଏ ମଣିଷମାନିଆଁ କିଛି ବୋଝ ଭାର ନାଇଁରେ ବଇ, ମୁଁ ବୋହି ନେଇଥାନ୍ତି । କିନ୍ତୁ ଚାରିଆଡ଼କୁ ଭାବି ଦେଖିଲି, ବାଟକୁ ଜଣେ ସାଙ୍ଗୀ ଦରକାର ।’’

 

‘‘ମୁଁ ଥାଉଥାଉ ତମେ ଆପଣ ଜିନିଷ ବୋହିବ ?’’ ବଇ କହିଲା ।

 

ବଇ ତା’ରି ସମବୟସୀ, ପିଲାଦିନୁ ତା’ ସାଙ୍ଗ । ରବି ଜାଣେ, ବଇ ତା’ରିପାଇଁ ପାଣିକି ଡେଇଁବ ।

 

କିନ୍ତୁ ସାହସ କରି ବଇ ମଳିକକୁ ସାଙ୍ଗରେ ଧରି ନୂଆ ବାଟରେ ଗଲାବେଳେ ପଦେ ପଦେ ପୁରୁଣା ମାଟିର ମୋହ ମନକୁ ଘାରୁଥାଏ । ପିଲାଦିନୁଁ ସେ ଓ ଏଇ ଗାଁ ଏକାଠି । ପ୍ରତି ସ୍ଥାନ ସହିତ ସ୍ମୃତି ଗୋଳିଆମିଶା ହୋଇ ରହିଛି । ଏଇ ଦାଣ୍ଡରେ ଦୋଳକୁ ମେଳନ ହେବ, ଆଖପାଖ ପନ୍ଦରଖଣ୍ଡି ଗାଁରୁ ଠାକୁରେ ଆସିବେ ଭୋଗ ଖାଇବାକୁ, ରାମନଅମୀକୁ ରାମାୟଣ ଲୀଳା ଲାଗେ ଲାଗେ ଚାଲିବ ଏକୋଇଶ ରାତି । ରଜକୁ ଲଢ଼େଇ ପାଲା ହେବ, ବର୍ଷଯାକ କେତେ ଯାନିଯାତ । ଏହିପରି ଗୋଟି ଗୋଟି କରି ହିସାବ କରିଗଲେ କେତେକଥା ! କେତେ ସ୍ନେହୀ ଲୋକ ଏ ଗାଁରେ, ସମସ୍ତେ ଏକାଠି ଛନ୍ଦାଛନ୍ଦି । ଆପଣା ଜୀବନକୁ ଲେଉଟାଇ ଭାବିଲେ ସବୁଠି ଏଇ କ୍ଷେତ ପଡ଼ିଆ ତୋଟା ଘରବାରି ଆଉ ମଣିଷ, କଳ୍ପନାରେ ନୂଆ ସୃଷ୍ଟି କଲେ ଖାଲି ଏହାର ଏପାଖ ସେପାଖ । ଏ ଗାଁର ସେ ଧାରିଛି, ଶୁଝାଇ ପାରିନାହିଁ କାଣିଚାଏ ବି । ଗାଁର ଅଭାବ କଥା ଭାବିଛି, ମେଣ୍ଟାଇ ନାହିଁ କିଛି ।

 

ଗାଁ ସାରି ବନ୍ଧେ ବନ୍ଧେ ଖଣ୍ଡେବାଟ ଗଲାପରେ ଜକେଇ ଉଠୁଥିବା ମନ ଟାଣହୋଇ ପୁଣି ତା’ର ପୂର୍ବଅବସ୍ଥାକୁ ଫେରିଆସିଲା । ରବି ପୁଣି ଭାବିଲା, ଗାଁ ଦରିଦ୍ର ରହି, ଅନ୍ଧ ରହି କେବଳ ଦର୍ଶନଶାସ୍ତ୍ର ଅବଲମ୍ବି ମନେମନେ ସୁଖ ପାଇ ସ୍ଥିର ରହିଛି, ଦୁଃଖକୁ ସୁଖପରି ମଣୁ ମଣୁ ଦୁଃଖକୁହିଁ ନିଦାନବୋଲି ଆଦରି ନେଇ ଅଚଳ ରହିଛି ।

 

ପଡ଼ିଲା ଖଣ୍ଡେ ପୁରୁଣା ଆମ୍ବତୋଟା । ବୁଢ଼ାଗଛ ଭର୍ତ୍ତି, ବେଢ଼ଙ୍ଗ ଗଛଗୁଡ଼ାକ, କେଉଁ ଗଛଟା ଫାଳେ ଗଛ ପରି ଦିଶୁଛି, କେଉଁଟା ଅଧା ପରି, କେଉଁଟା ଡେଙ୍ଗା ସୋଡ୍‍ ସୋଡ୍, ମଝିରେ ମଝିରେ ଗୋଟାଏ ଗୋଟାଏ ଯେମିତିକି ଭଙ୍ଗା ଛତାପରି । ଜମି ଦଶମାଣ ମାଡ଼ି ରହିଥିବ ଏ ତୋଟା, ଅନ୍ୟ ଚାରିଆଡ଼େ ଯେତେବେଳେ ଆମ୍ବଗଛରେ ଚଣା କଷି ଭୁରୁଭୁରୁ ହୋଇ ଉଠିଛି, ଏଠି କିଛିନାହିଁ ।

 

ଲମ୍ବାଲମ୍ବା ପାହୁଣ୍ଡ ବଢ଼େଇ ଦେଇ ଧାଇଁଲା ବଇ ମଳିକ, ଆଦୌ ବୁଝି ପାରିଲାନାହିଁ କାହିଁକି ରବି ଆଜି ଏପରି ବଢ଼ୁଛି । ରବିର ଉତ୍ସାହରେ ସେ’ବି ମାତିଗଲା, ବୁଝୁ ନ ବୁଝୁ ପ୍ରାଣପଣେ ରବିର କଥାକୁ ସମର୍ଥନ କରି କହିଲା, ‘‘ଠିକ୍ କଥା, ଠିକ୍ କଥା–’’

 

ବନ୍ଧେ ବନ୍ଧେ ଖୁବ୍ ଉତ୍ସାହରେ ଗପି ଗପି ଚାଲିଲେ ଦୁଇଯୁବକ, ସେମାନଙ୍କୁ ଖରାତାତି ବାଧୁ ନ ଥାଏ, ପଥଶ୍ରମ କାଟୁ ନ ଥାଏ । ଦରଦର ଝାଳ ବୋହି ଯାଉଥାଏ, ସ୍ୱପ୍ନଗଢ଼ା ସଂସ୍କାର କାର୍ଯ୍ୟ ଚାଲିଥାଏ ତୁଣ୍ଡେ ତୁଣ୍ଡେ, ଅତି ତର ତର ହୋଇ ।

 

‘‘ଏଇ ପୁରୁଣା ତୋଟାକୁ ଦେଖ ବଇ’’ ରବି କହିଲା, ‘‘ଯାହା ଏଥିରେ ଦେଖୁଚୁ ସବୁ କୋଉ ମାନ୍ଧାତା ଅମଳର, ନୂଆ ଗୋଟିଏ କିଏ ଲଗେଇଛି ଇଆ ଭିତରେ, ନା’ ପାରିବ ଏଥିରେ ଜାଗା ଅଛି ? ଖାଲି ଅଫଳନ୍ତି ଗଛଗୁଡ଼ାକ, ତା’ ବି ଅବସ୍ଥା ନାହିଁ ।’’

 

‘‘ହାଣି ସଫା କରିଦେଲେ କାଠଗୁଡ଼ାକ କାମରେ ଲାଗନ୍ତା, ଦି’ଶହ ବାହାଘର ନିମିତ୍ତ ଅକ୍ଳେଶରେ ଉଠି ଯାଆନ୍ତା । ମୂଳ ଖୋଳି ତାଡ଼ି ପୁଣି ଥରେ ଆଚ୍ଛାକରି ସାର ଚଢ଼େଇ ଲଗେଇ ଦିଅନ୍ତା କିଏ କଲମି, ଆମ୍ବତୋଟା କି ଦେଖନ୍ତ ! ହେଲେ ବୁଢ଼ାମାନେ କ’ଣ ମଙ୍ଗିବେକି ? କହିବେ କିଏ ଲଗେଇଥିଲା, ଥାଉ–’’ ବଇ ହସିଲା, କହିଲା, “ଯାହା ନୂଆକରି ଗୋଟାଏ କରିବାକୁ ଯିବ ସେମାନେ ଆସି ଆଗୁଳିବେ ।’’

 

ରବି କହିଲା, “ଏଇ ପୁରୁଣା ଆମ୍ବତୋଟାପରି ଆମ ପୁରୁଣା ସମାଜ ଚଳଣିରେ ବଇ, ଏହି ଚଳଣିରୁ ଏତେବଡ଼ ମଣିଷ ବାହାରୁଥିଲା, ଅଇଛା ଅଫଳନ୍ତି । ସେଥିରୁ ଯେଉଁତକ ଭଲ ସେଇତକ ରଖି ଆଉଥରେ ନୂଆକରି ଗଢ଼ିପାରିଲେ ସିନା ସମସ୍ତିଙ୍କର ମଙ୍ଗଳ, ନ ହେଲେ କଅଣ ହେବ ? ଯୁଆଡ଼େ ଚାହଁ କାହାର କେଞ୍ଚାଏ ତ ଅଳ୍ପ କେଇଟାଙ୍କ ମେଞ୍ଚାଏ । ଜାତି ଅଜାତି, ଛୁଆଁଅଛୁଆଁ, ପାତରଅନ୍ତର, ଏ ଦଳ ସେ ଦଳ, ହିଂସାବାଦ, ଏଇତ ଆମ ସମାଜ ! ମଣିଷପଣିଆଁ ତ ସରିଯାଉଛି, ଖାଲି ମୁର୍ଦ୍ଦାର ଉପରେ ଅତର ଛିଞ୍ଚିଲାପରି ବାହାର ଚିକ୍‍କଣ ଦେଖାଇବାକୁ ଥୋଡ଼ାଏ ସଡ଼କ କି ପୋଖରୀ କି ଏଣୁ କି ତେଣୁ କରିଦେଲେ କ’ଣ ହେବ ?’’

 

ବଇ ମଳିକ କହିଲା, ‘‘ଅକ୍ଷରେ ଅକ୍ଷରେ ସତ ବାବୁ ! କାହାର କ’ଣ ଯାଉଛି କି ? ତୋଡ଼ ପଡ଼ୁଚି ଆମ ଗରିବ ମଳିମୁଣ୍ଡିଆଙ୍କ ଉପରେ । ସମସ୍ତେ ଊଣାଅଧିକେ ଯାହା ଯେମିତି କଲେ, ଆମ ବେଳକୁ କିଛିନାହିଁ ।

 

‘‘ସେଇ ଅବସ୍ଥା ବଦଳାଇବାକୁ ପଡ଼ିବ, ନୂଆ ସମାଜ ଗଢ଼ିବାକୁ ପଡ଼ିବ । ରବି କହିଲା । ତାତି, ତତଲା କଥା, ଝାଳ ଓ ଖରା ମିଶି ତା’ ମୁହଁ ବିଚିତ୍ର ଦିଶୁଥାଏ । ବଇ ମଳିକ ତା’ର ଆଲୁଅ ଜକ ଜକ ମୁହଁକୁ ଚାହିଁଲା । ନଈ ବନ୍ଧରେ ବଡ଼ଜାମୁଗଛମୂଳେ ସେମାନେ ଟିକିଏ ଠିଆ ହୋଇପଡ଼ିଥାନ୍ତି, ଥକିଲାପଣପାଇଁ ଯେତେ ନୁହେଁ, ତୁଚ୍ଛା କଥା ଗପିବାପାଇଁ । ରବି କହି ଲାଗିଲା, ‘‘ଜନମ ହେଲାବେଳେ ସମସ୍ତେ ଆସନ୍ତି ସମାନ ହୋଇ, ଗଲାବେଳେ ଯାଆନ୍ତି ସମାନ, ମଝିରେ ଦେଖ କେହି କାହା ସମାନପଣ ମାନୁ ନାହିଁ । ଯେ ହେଲେ କହୁଚି ମୁଁ ବଡ଼, ମୁଁ ଭଲରେ ଚଳୁଥିବି, ମୋରି ସୁଖ ମାଡ଼ିଯାଉଥିବ, ଆଉ କାହାରି ନୁହେଁ, ମୁଁ ଖାଇବି, ମୁଁ ଖର୍ଚ୍ଚ କରିବି, ଆଉ କାହାରିକି ବାଣ୍ଟ ଦେବିନାହିଁ । ସବୁ ଫଟା ଫଟା, ସବୁରି ମନ ସମାଜ ପ୍ରତି ଖଟା, କ’ଣ ହେବ ଏମିତି ସମାଜର-? ୟେ କେବେ ଉଧେଇବ ?’’

 

ବଇ ମଳିକ ପାଳି ଧରିଲା, “କେମିତି ଉଧେଇବ ? ଏ ଭସ୍ମ ହେବ ।’’

 

ରବି କହିଲା, ‘‘ଆରେ, ଭସ୍ମ କରିବାପାଇଁ ତ ସମସ୍ତେ ଫିକର କାଢ଼ୁଛନ୍ତି, ତୁ ଆଉ ଅଧିକା କ’ଣ କହିଲୁ ! ବିଜ୍ଞାନ ଆସିଲା ଯେ ଲୋକଙ୍କ ଭଲ କରିବାପାଇଁ, ଯାହାଯାହା ଆବିଷ୍କାର କରାହେଲା ଓଲଟି ତାକୁ ଲୋକେ ମଣିଷ ମାରିବା କାମରେ ଖଟାଇଲେ । ଗୋଟାଏ ପକାଇଦେଲେ ଖଣ୍ଡେ ପୃଥ୍ୱୀ ଜଳି ଭସ୍ମ । କାଉ କେମିଟି ଜଳନ୍ତା ଘିଅ ସଳିତା ନେଇଯାଇ ଘରଉପରେ ପକାଇଦେଲେ ସାହି ଜଳିଯାଏ ଶୁଣିଚୁତ, ଗୋଦସ୍ତା ଯାମୁଡ଼ିହି ଗାଁ ସେମିତି ଜଳିଗଲା-। ଏ ବୋମା କାମ ତା’ଠୁଁ ବଳି, ଯେ ପଡ଼ିଗଲେ ଜାଳିବ ମାରିବ ଫଟେଇବ, ପବନକୁ ବିଷ କରିଦେବ, ମାଟି ଧୂଳିକୁ ବିଷ କରିଦେବ । ଉଡ଼ାଜାହାଜରେ ବୋମା ବୁହା ହୋଉ ଯା ଆସ ହେଉ ହେଉ, କେଉଁଠି ଯଦି ଗୋଟିଏ ଉଡ଼ାଜାହଜ କଳ ବିଗିଡ଼ିଯାଇ ଖସିପଡ଼ିବ କି ଆଉକିଛି ଯୋଗୁଁ ନିଆଁ ଲାଗିଯିବ, ଯେମିତି ନିତି ହେଉଚି ଶୁଣୁଛୁଁ, ତେବେ ଅନହୁତି ପୃଥିବୀର ଗୋଟାଏ ପ୍ରାନ୍ତରେ ସବୁ ପ୍ରଳୟ ହୋଇଯିବ । ରାଗ ରୋଷ, କଳିଗୋଳ ଯୁଦ୍ଧ ଲାଗିବାପାଇଁ ସବୁ କାରଣ ତ ସବୁବେଳେ ରହିଛି, ଖାଲି ଟିକିଏ ରଞ୍ଜକରେ ନିଆଁ ଲାଗିଗଲେ ସବୁ ସରିଲା । ସେତେବେଳେ କୋଉଠି ରହିବ ତମ ସମାଜ କି ଧର୍ମକର୍ମ, ଦେଉଳ କି ମସଜିଦ୍, କୋଠା କି କୁଡ଼ିଆ ?’’

 

ବଇ ମଳିକ ପାଳି ଧରିଲା, “କିଛି ରହିବ ନାହିଁ, ସବୁ ଭସ୍ମ ହେବ ।” ଅସ୍ଥିର ହୋଇ ରବି କହିଲା, “ସବୁ ଯଦି ଭସ୍ମ ହେବ ତେବେ ତେମେ ଆମେ ଅଛୁଁ କାହିଁକି ? ଏକା କ’ଣ ତୁ ଆଉ ମୁଁ ? ଏମିତି ଆମପରି କୋଟି କୋଟି ମଣିଷ ଅଛନ୍ତି, ଯେଉଁମାନେ ଯୁଦ୍ଧ ନ ହେଉବୋଲି ଦିନରାତି ଇଚ୍ଛା କରୁଛନ୍ତି । ସେମାନେ ଖୋଜୁଛନ୍ତି ସମସ୍ତେ କେମିତି ମିଳିମିଶି ସୁଖରେ ଚଳୁଥାନ୍ତୁ, କାହାରି ସଙ୍ଗେ କାହାରି ଖୁରି ନ ଲାଗୁ, ମନାନ୍ତର ନ ହେଉ । ସେମାନେ ବଡ଼ ବଡ଼ କଥା ଖୋଜନ୍ତି ନାହିଁ, ଆପେ ଭଲ ଆଉ ଦୁନିଆଁ ଭଲ ଥିଲେ ତାଙ୍କର ପରମ ଆନନ୍ଦ । ଏତେ ଏଭଳି ଲୋକ ଥାଉ ଥାଉ ତଥାପି ଏ ଦୁନିଆଁ ଟା ଛାରଖାର ହେବ ନା ?’’

 

ବଇ ଉତ୍ସାହରେ କହିଲା, ‘‘କଦାପି ନୁହେଁ ।’’

 

ରବି କହିଲା, ‘‘ଖାଲି କହିଲେ ହେବନାହିଁ, ଭାବିଲେ ହେବନାହିଁ, କାମ କରିବାକୁ ପଡ଼ିବ-। କିଏ କରିବ ? ଆମେ କରିବୁଁ । ପ୍ରତିଘର ହୋଇଯିବ ହିଂସାକୁ ନିକାଲି ନିର୍ମଳ ରହିବାପାଇଁ ଗୋଟିଏ ଗୋଟିଏ ଦୂର୍ଗ, ପ୍ରତି ମନୁଷ୍ୟ ହେବ ଶାନ୍ତି ଓ ମୈତ୍ରୀର ଅଗ୍ରଦୂତ, ଏକ ବିରାଟ ଭାଇପଣ ଗଢ଼ାହେବ ଘରେଘରେ, ଗାଁଏଗାଁଏ । ଯେମିତି ଖାଲି ତୁଣ୍ଡରେ କହିଦେଲେ ଚଳିବନାହିଁ, କାର୍ଯ୍ୟରେ ଦେଖାଇ ଦେବାକୁ ପଡ଼ିବ, ସୁଖରେ ଦୁଃଖରେ, ସମ୍ପଦରେ ବିପଦରେ ସବୁ ମଣିଷ ଭାଇ ଭାଇ-’’

 

ବଇ ଅନେଇଁ ରହିଥିଲା ତା’ ମୁହଁକୁ । ତନ୍ମୟ ହୋଇ ବୁଡ଼ି ରହିଥିଲା । କଥାର ଅର୍ଥ ବୁଝୁ କି ନ ବୁଝୁ, ସେ ଏକ ଭାବରେ ବୁଡ଼ିଯାଇଥିଲା । ସେ ଭାବରେ ଥିଲା ଆଶା, ଉତ୍ସାହ, ବିପୁଳ ଆନନ୍ଦ-। ସେପରି କି ମନ ଗହୀରରେ ସେ ଏକ ସଙ୍ଗୀତ ଶୁଭୁଥିଲା, ତା’ରି ଲହରେ ଲହରେ ଉଠୁଥିଲା ପଡ଼ୁଥିଲା ତା’ର ଚେତନା ।

 

ଉଲ୍ଲାସରେ ସେ ଚିତ୍କାର କରି ଉଠିଲା, ‘‘ସେଇଆ ହବ । ସେଇଆ ହବ ।’’ ରବି କହିଲା–‘‘ଛାଁକୁ ହେବ ନାହିଁ, ଆମୁକୁ ଗଢ଼ିବାକୁ ପଡ଼ିବ । ସବୁଗାଁରେ ସବୁଦେଶରେ । ବଳେ ସବୁଆଡ଼ୁ ଆସି ମଶାଲସବୁ ଏକାଠି ହେବ, ଅନ୍ଧାର ରହିବ ନାହିଁ ।’’

 

ଦେହକୁ ଝାଙ୍କି ଝାଙ୍କି ମୁଣ୍ଡ ହଲେଇ ହଲେଇ ବଇ ତହିଁରେ ସମର୍ଥନ ଜଣାଇଲା । ଦୁଇଜଣ ଯୁବକଙ୍କ ଆଶାୟୀ ମନ ଅଗରେ ଅବସାଦ ନ ଥିଲା । କିଛି ଅସମ୍ଭବବୋଲି ଧାରଣା ନ ଥିଲା, କେବଳ ଆଲୁଅ ଆଉ ଆଶା ଆଉ ତେଜ ।

 

ନଈବନ୍ଧ । ବାଁଏ ତା’ର ଢାଲୁ ଓହ୍ଳେଉଛି ଚାଷ ଜମିକୁ, ଖାଲି କ୍ଷେତ ଉପରେ ଖରା ନାଚୁଛି । ଡାହାଣେ ଅରାଏ ପଟୁମାଟିର କଣ୍ଡିଆ, ଅତଡ଼ା ତଳେ ବାଲି ଅରାଏ, ତା’ପରେ ନଈ । ସେକରେ ନାଲି ସାବ୍‌ଜା ହୋଇ ଧାଡ଼ି ହୋଇ ଗଛ ଦିଶୁଛି । କେବଳ ଖରାର ତାଉ ଝଲସୁଛି, ଫାଙ୍କା ହାଲୁକା ନେଳୀ ଆକାଶ । ବନ୍ଧ ଏକରେ ଗୋଟା ଗୋଟା ହୋଇ ପୁରୁଣା ଗଛ ଠିଆହୋଇଛି, ପତ୍ର ବେଶି, ଚଢ଼େଇ ବେଶି । ଏଇ ଖରାରେ ଠାଏ ଠାଏ ଏକାଠି ହୋଇ ଚଢ଼େଇମାନେ ଯେପରି କି ସମବେତ ସଙ୍ଗୀତ କରୁଛନ୍ତି । ଦେହ ଉଲୁସେଇ ଦେଇ ଫଗୁଣର ଖୋଲା ପବନ ଲାଗି ରହିଛି ।

 

ଚାଲିଛନ୍ତି ଗଡ଼ଜିଣା ସୈନିକ ପରି ଦୁଇ ଯୁବକ । ଆଖିରେ ଉତ୍ସାହ ପୂରିଛି, ମୁହଁ ଆଗରେ ସ୍ୱପ୍ନ ଓ ବିଶ୍ୱାସ ।

 

ପୁରୁଣା ନଈବନ୍ଧ ଉପରେ ଚାଲିଛି ନିତି ନୂଆ ଅବତାର, ସେ ଜୀବନ ଯୌବନ ଆଉ ବସନ୍ତର ।

 

ସେହି ପୁରୁଣା ନଈବନ୍ଧ ଦେଖିଛି ଆଗରୁ କେତେ ଅବତାର ଯାଇଛି ସେହି ବାଟ । ସରିନାହିଁ, ଲାଗିଛି ପୁଣିପୁଣି । ଆଲୁଅ ନିଭିଛି, ପୁଣି ଲାଗିଛି; ନଈକୂଳିଆ ପବନରେ ଘର ଭାଙ୍ଗି ପଡ଼ିଛି, ପୁଣି ତୋଳା ହୋଇଛି ।

 

ଆଶାର ଧାର ଶୁଖିନାହିଁ, ଜୀବନର ଆନନ୍ଦପାଇଁ ଝୁଙ୍କ କମିନାହିଁ, ମଣିଷ ପରଖି ଲାଗିଛି ଏବେବି । ଆନନ୍ଦ ଅଛି ।

 

ବାଁ’କୁ ବାଟ, ନଈବନ୍ଧରୁ ଓହ୍ଳାଇ ଗଡ଼ାଏ ଗଡ଼ାଏ ତଳକୁ । ବନ୍ଧତଳେ ଗୋଟି ଗୋଟିକିଆ ଝଙ୍କା ଗଛ, କିଆ ଭେଡ଼ା, ପୁଳାଏ ପୁଳାଏ ବାଉଁଶ ବୁଦା ତା’ ସେକରେ ଖାଲି ଢିପ ହୋଇ ଦଣ୍ଡା ଯେ ସେଠି ଦେଉଳିଆ ହୋଇ ଅଳ୍ପ ଅଳ୍ପ ଛାଡ଼ି ଅସଂଖ୍ୟ ହୁଙ୍କା । ହୁଙ୍କା ଆଗରେ ସ୍ଥାନେ ସ୍ଥାନେ ଶିରିକୋଳି ବୁଦା ବାହାରିଛି ମହମମଖା ଜିକିଜିକି ସବୁଜପତ୍ର ପୁଳିଏ ପୁଳିଏ, ତା’ଉପର ସ୍ତରରେ ଅତି ଧଳା ଫୁଲ ପେନ୍ଥି ପେନ୍ଥି । ସ୍ଥାନେ ସ୍ଥାନେ ହାତ ଟେକିଛି ନାଗଫେଣି, ଚଟା ପାପୁଲିପରି ମୋଟ ମୋଟ ସାବ୍‌ଜା ଖଣ୍ଡମାନ, କଣ୍ଟାରେ କଦମଫୁଲିଆ ଆଗରେ କଢ଼, ଠାଏ ଠାଏ ନାଲିଫୁଲ । ଗୋଟାଏ ଗୋଟାଏ ହୁଙ୍କା ଦେହଯାକ ଲଟାର ଜାଲ ମାଡ଼ିଛି, ରଙ୍ଗ ରଙ୍ଗ ଫୁଲର କମକୁଟ ହୋଇ ଶୋଭା ପାଉଛି । ଆମ୍ବଗଛ ଭିତରୁ ବାଘେରା ମହୁର ଗୁଣୁ ଗୁଣୁ । ପଣସ ଫୁଲର ମହକ ଆସୁଛି । ଡକାଡକି ହୋଇ ଚଢ଼େଇ ଯୋଡ଼ିଏ ବୋବାଉଛନ୍ତି, ନା, ବାଦବୁଦିଆ ହୋଇ ଗୀତ ବୋଲୁଛନ୍ତି ।

 

ଫୁଲଶରା ଗାଁକୁ ପଡ଼ିଥିବା ବାଟର ମୁଣ୍ଡ ଏଇ । କ୍ଷେତ କରେ କରେ ଦଣ୍ଡାଏ ଦଣ୍ଡାଏ ସାପେଇ ସାପେଇ ଚଲା ବାଟ ଚାଲିଯାଇଛି ।

 

ବଇ କହିଲା, “ଏଇ ସବୁ ହୁଙ୍କା । ଯେମିତି ସଭାରେ ବସିଥିଲେ ଲୋକେ ବସି ବସି କ’ଣ ଭାବୁଥିଲେ । ତା’ପରେ ହୁଙ୍କା ହୋଇଗଲେ ।’’

 

ରବି କହିଲା, “ବାଲ୍ମୀକି ଧ୍ୟାନ କରୁ କରୁ ହୁଙ୍କା ହୋଇ ଯାଇଥିଲେ । କେତେ ସେମିତି ହେଲେ । କାଇପଦର ଯିବୁ, ଦେଖିବୁ ଗୋଟିଏ ବଡ଼ ଗୋଟିଏ । ସାନ ମାଟିଗଦା, ଚନ୍ଦନ ଲେପା ହୋଇଛି । ଲୋକେ କହିବେ ବଡ଼ଟି ପୀର ସାନଟି ଚେଲା । ସେମାନେ ବି ଧ୍ୟାନ କରୁ କରୁ ହୁଙ୍କା ହୋଇଥିଲେ ।

 

ବଇ କହିଲା, “ୟେ ବି କେମିତି ଯୋଗୀଋଷି ସ୍ଥଳପରି ଲାଗେ । କେତେ କାଠଚମ୍ପାଗଛ ଏଠି, ଆଉ ହେଇ ସେପଟେ ପୁରୁଣା ବଉଳ ଗଛଟା ।’’

 

ରବି କହିଲା, “ଆରେ ଆଉ କେଇଦିନ ମଣିଷ ହୁଙ୍କା ହୋଇ ବସିଥିବେ ? ହୁଙ୍କାର ବି ନିଦ ଭାଙ୍ଗୁଛି । ସେଇଥିପାଇଁ ତ ହୁଙ୍କା ଚୂଳରେ ଧଳା ଧଳା ଫୁଲ ଫୁଟିଛିରେ ! ହୁଙ୍କା ବି ଜୀବନ ପାଇ ଠିଆ ହେଉଛି । ଶୁଖିଲା କାଠରେ ବି ରସ ସଞ୍ଚରୁଛି । ଏଥର ମଣିଷ ହୃଦୟରେ ହିଂସା ବି ସ୍ନେହ ପାଲଟିଯିବ, ଦୁନିଆ ନୂଆ ହେବ ।”

 

ଉଦ୍‌ବୁଦ୍ଧ ହୋଇ ବଇ ମଳିକ କହିଲା, “ସବୁ ହେବ, ମନଥିଲେ ସବୁ ହବ । କହନ୍ତି ସବୁଠୁ ସାର ୟେ ମଣିଷ ଜୀବନ । ଦେବତାମାନେ ଲୋଭାନ୍ତି, ପାଆନ୍ତି ନାହିଁ ।’’

 

ମାଳ ମାଳ ହୋଇ ତାଳଗଛ ଠିଆ ହୋଇଛି, ଧାଡ଼ି ଧାଡ଼ି ଖଜୁରିଗଛ । ଗୋରୁ ଚରୁଛନ୍ତି-। ଏକର ସେକର ସରୁ ଚଲାବାଟରେ କିଏ କେତେବେଳେ କୁଆଡ଼େ ଯାଉଛି । ତୋଟା ତଳ ଛାଇ, ପୁଣି ଫୁଙ୍ଗା ଖରା । ଠାଏ ଠାଏ ବାଏଁ ଡାହାଣେ ଗହଳିତୋଟା ସନ୍ଧିରୁ ବାଉଁଶବଣ ସନ୍ଧିରୁ ଗାଁ ମାନଙ୍କ ଘର ଚାଳ ଦିଶୁଛି ।

 

କଥା ଗପି ଗପି ଚାଲିଛନ୍ତି ଦୁଇ ଯୁବକ ଉତ୍ସାହରେ ।

 

ରବି କହୁଥାଏ, ‘‘ଦୁନିଆସାରା ଆମରିପରି କେତେଲୋକ କେତେମନ୍ତେ ଚେଷ୍ଟା କରୁଛନ୍ତି ସମସ୍ତେ କେମିତି ସୁଖଶାନ୍ତିରେ ରହିବେ, ସବୁକାଳ ଲାଗି ଯୁଦ୍ଧ ବନ୍ଦ ହେବବୋଲି । କାହାର ଚମ ଧଳା, କାହାର କଳା, କାହାର ହଳଦିଆ । କାହାର କେମିତି ଚେହେରା, କେମିତି ଭାଷା, କେମିତି ପୋଷାକ । ସମସ୍ତିଙ୍କ ହୃଦୟରେ ଏକ ଉଦ୍ଦେଶ୍ୟ, ସମସ୍ତିଙ୍କ ପ୍ରତି ସ୍ନେହ ବିଶ୍ୱାସ ।’’

 

ବଇ କହିଲା, ‘‘ମଣିଷ କ’ଣ ନାଁକରା ? ସବୁ ମଣିଷ ଭଲ । ସକଳ ଘଟେ ନାରାୟଣ ।’’

 

ରବି କହିଲା, ‘‘ସ୍ନେହ କଲେ ମଣିଷ ମଣିଷ ହୁଏ, ଡର ଭୟ ଜିତିପାରିଲେ ମରଣକୁ ବି ଜିଣି ହୁଏ । ମଣିଷ ଜୀବନ କମି ସୁନ୍ଦର !’’

 

ବଇ କହିଲା, ‘‘ହେଇ ଆଗରେ ଦିଶୁଛି ଫୁଲଶରା ଗାଁ । ଯାହା କହ ପଛେ, ନାଁ’ଟା କିଏ ବାଛି କରି ଦେଇଥିଲା । ଆଉ ଏତେ ପୁରୁଣାକାଳିଆ ଗଛ ଖଣ୍ଡମଣ୍ଡଳରେ ନଥିବ ।’’

 

ତା’ହେଲେ, ଏଇ ହୋଇଗଲା ଫୁଲଶରା ଗାଁ–ରବିର ଚେତନା ଉପରେ ସରୁ ଲହଡ଼ିଟିଏ ଚହଲିଗଲା । ଖଣ୍ଡେଦୂରରୁ ଢିପ ଉପରେ ଅଟକି ଠିଆ ହୋଇଥିଲେ ସେ ଆଉ ତା’ର ସମବୟସୀ ବଇ ମଳିକ, ଏକା ମଛାକେ ଦିଶୁଛନ୍ତି ଦିହେଁ ପାଖକୁପାଖ ହୋଇ, ଜଣେ ଗୋରା, ରବି, ଆର ଜଣକ କଳା ମିଶ୍‍ ମିଶ୍‍, ଖୋଲା ଦେହ, କୁନ୍ଦିଲା ପରି ହୋଇ ଗଣ୍ଠିଗଣ୍ଠିଆ ହାତଗୋଡ଼, ଓସାର କାନ୍ଧ, ମୁଣ୍ଡରେ ବେତାଏ କୁଞ୍ଚିକୁଞ୍ଚିଆ ବାଳ ଯେ ସେ ମୋଡ଼ି ମୋଡ଼ି ହୋଇ ଏକର ସେକର ମୋହିଛି । ଆପଣା ଗାଁ ବନ୍ଧମୂଳରୁ ରବି ସଙ୍ଗେ ସଙ୍ଗେ ସେ ଚାଲିଚାଲି ଆସିଛି, କାନ୍ଧରୁ ବୋକଚା ଓହ୍ଲାଇ ନାହିଁ, କାନ୍ଧ ବଦଳେଇ ନାହିଁ । ଏଇଠି ତଳେ ଥୋଇଦେଲା, ଝାଳ ଦର ଦର ବୋହୁଥିଲା ଯେ କାନିରେ ପୋଛିହେଲା । ମୁଣ୍ଡ ଉପରେ ଏକ ପୁରୁଣା ବରଗଛ, ଧାଡ଼ି ଧାଡ଼ି ହୋଇ ପାଖକୁ ପାଖ ବର ଓହଳର ଖୁମ୍ବଗୁଡ଼ାଏ । ପାଖେ ଗଛମୂଳେ ଆଉଜେଇ ଥୁଆ ହୋଇଛି ଗୋଟିଏ ପଥରମୂର୍ତ୍ତି । ସେଥିରେ ଏତେ ବହଳରେ ସିନ୍ଦୁର ନେସା ହୋଇଛି ଯେ କିଛି ରୂପ ବାରି ହେଉନାହିଁ-। ହୋଇପାରେ ସେ କୌଣସି ପୁରୁଣା ଦେଉଳ ଦେହର ଭଙ୍ଗା ସିଂହ ମୂର୍ତ୍ତିରୁ ଖଣ୍ଡେ, କି ଅବା କେଉଁ ଧ୍ୟାନୀବୁଦ୍ଧ, ନ ହେଲେ ସେ ହୋଇଥିବ ପରା ଅଳସକନ୍ୟା ମୂର୍ତ୍ତି କି ନର୍ତ୍ତକୀ, ବୃଷଭ କି ଗରୁଡ଼ କି କାର୍ତ୍ତିକେୟ, ନ ହେଲେ ଦୁର୍ଗାମୂର୍ତ୍ତି ଅବା ହୋଇଥିବ, କ’ଣ ସେ ସେଥିରେ କିଛି ଯାଏ ନାହିଁ, ଲୋକେ ମାନନ୍ତି ଗାଁର ସେ ଗ୍ରାମଦେବତୀ, ଗାଁର ହାନିଲାଭକୁ ସେ ଦାୟୀ । ମାଟିକଣ୍ଢେଇ ଗଣ୍ଡା ଗଣ୍ଡା ଯେ ସେଠି ଥୁଆ ହୋଇଛି ସେ ତାଙ୍କର ପୁଅ ଝିଅ । ଯାନବାହନ ବି ଖଞ୍ଜା ହୋଇଛି, ମାଟିର ହାତୀଘୋଡ଼ା, ଘୋଡ଼ାହିଁ ବେଶୀ । ପିଠିଆଡ଼ର ଗଛ ଗଣ୍ଡିରେ ବି ସିନ୍ଦୂର ବୋଳା ହୋଇଛି, ଖୋଲରେ ଗେଞ୍ଜା ହୋଇଛି କଳାକନା ଖଣ୍ଡମାନ, କେଉଁ ଭକ୍ତ କେତେବେଳେ ପିନ୍ଧେଇଛି । ପଣା ଭୋଗ ଦେଉ ଦେଉ ଆଗରେ ଭଙ୍ଗା ଖପରା ଗଦାଟିଏ ହେଲାଣି । ପୁରୁଣା ଗାଁର ପୁରୁଣା ଠାକୁରାଣୀ, ଲୋକେ କହୁଥିବେ, କେତେ କାହାକୁ ସପନୋଉଥିବେ । କାଳିସୀ ଉପରେ ଅବତରୁ ଥିବେ । ଏହିପରି ହେଉ ହେଉ ତାଙ୍କର ଗୋଟିଏ ବିଶିଷ୍ଟରୂପ ବିଶିଷ୍ଟ ବେଶ ବି ଲୋକେ ମନେ ମନେ ସାଇତି ରଖିଥିବେ, ଯେ ସେ ଦେଖିବାକୁ ବୃଦ୍ଧା ନା କିଶୋରୀ, ନାକରେ ନୋଲକ ନାଆନ୍ତି ନା ଗୁଣା ନା ଦଣ୍ଡୀ । ପୁଣି ତାଙ୍କର ରୁଚି ଅରୁଚି ବିଷୟରେ, ଯେ ସେ ଏଣ୍ଡୁରିପିଠା ଭଲ ପାଆନ୍ତି ନା ପାଣିଗଇଁଠା, ମଣ୍ଡା ନା ଛଣାକାକରା ।

 

ସେହି ରୂପକୁ, ସେହି ବିଶିଷ୍ଟତାକୁ ମନେ ମନେ ଧ୍ୟାୟି ଭକ୍ତ ମାନସିକ ଯାଚିଥିବେ କାହିଁ ରେଙ୍ଗୁନରେ କଲିକତାରେ କିବା ଗାଁ ସାହିରେ ଆପଣ ପିଣ୍ଡାରେ । ପିଲାଜନ୍ମ, କାନଫୋଡ଼ା, ବ୍ରତ, ବାହାପୁଆଣି ଏପରିକି ମୃତ୍ୟୁକ୍ରିୟା ଶୌଚରେ ବରଣ ହେଉଥିବେ ଏଇ ଗ୍ରାମଦେବତୀ ।

 

ୟାଙ୍କରିଠୁଁ ଆରମ୍ଭ ହେଉ ତା’ର ଏ ଗାଁ ସହିତ ଆହୁରି ନୂଆକରି ଚିହ୍ନାଜଣା, ରବି ହସି ହସି ଭାବିଲା । ଆଗରୁ ସେ ଆସିଛି ଦି’ଥର ଥରେ, କାହିଁ କେବେ ସେ ? ଆଇ. ଏ. ପରୀକ୍ଷା ପରେ ଖରା ଛୁଟିରେ ଶେଷଥରକ ଆସିଥିଲା, ରହି ଯାଇଥିଲା ପାଞ୍ଚଟିଦିନ । ଏ ଗାଁରେ ରାମନଅମୀ ଯାତ ହେଉଥିଲା । ଅନଙ୍ଗନରେନ୍ଦ୍ରଙ୍କ ରାମାୟଣ ଛାନ୍ଦ । ଅତି ସୁନ୍ଦର, ସୁଲଳିତ, ସରଳ ! ଗାଁ ଲୋକେ ନେହୁରି ହୋଇ ବରଣ କରି ଆଣିଥିଲେ ପ୍ରସିଦ୍ଧ ଗାୟକ ଓ ବାଦକ ଫେତ ସିଂଙ୍କୁ । ଫେତ ସିଂ ଆପେ ପଖୋଉଜ ବଜାଇ ଆପେ ଯେତେବେଳେ ରାମଲୀଳା ଗାଆନ୍ତି ସମଗ୍ର ପୋଥି ତାଙ୍କର କଣ୍ଠସ୍ଥ, ସେତେବେଳେ ତନ୍ମୟ ହୋଇ ଗାଁ ଯାକ ସମସ୍ତେ ଶୁଣନ୍ତି । ତାଙ୍କର ସେ ପ୍ରଚଣ୍ଡ ଘାଗଡ଼ା ସ୍ୱରରେ ସତେକି ମୋହିନୀ ଅଛି । ସମସ୍ତେ କହନ୍ତି ନିଜେ ରାମଲୀକା ଲେଖକ କବି ରାଘବ ବଇରିଗଞ୍ଜନ ତାଙ୍କ କଣ୍ଠରେ ପ୍ରସନ୍ନ ହୁଅନ୍ତି । ଭାବିଲେ ଏ ଗାଁର କେତେ ଦୃଶ୍ୟ ବି ମନେପଡ଼ିଯାଏ-। ଗାଁ ସେମୁଣ୍ଡେ ଶୀର୍ଣ୍ଣା ଚେରେଙ୍ଗୀ ନଈକୂଳ, ବୁଦୁବୁଦିକିଆ ବଣରେ ଛାଉଣି ହୋଇଯାଇଛି ବାରମାଣିଆ ଚକ । ଗାଁର ବଡ଼ ପୋଖରୀଟାଏ ଯେଉଁଠି ଠାଏ ତେନ୍ତୁଳି ମୂଳେ ସେ ବସିଥିଲା, ପଦ୍ମଫୁଲ ଦେଖୁଥିଲା, ହଠାତ୍ ଡେଇଁଥିଲା ଗୋଟାଏ ବଡ଼ ମାଛ । ଆଉ କେହି କେହି ମଣିଷ ବି ମନେପଡ଼ୁଛନ୍ତି । କୁଆଡ଼େ ଥାଏ ଏସବୁ ସ୍ମୃତି ମଣିଷର ମନଭିତରେ ସାଇତା ହୋଇ, ସେ ଭାବିଲା, ଜାଗା ଉପରେ ପାଦ ଦେଲେ ଆପେ ବାହାରିପଡ଼େ ।

 

ତେବେ ସେଥର ସେ ଆସିଥିଲା ବାହାରର ଦେଖଣାହାରୀ ହୋଇ, ଏଥର ତା’ର ଭିନେ ଉଦ୍ଦେଶ୍ୟ । ସେଇଠି ଠିଆହୋଇ ଆଗରେ ଦିଶୁଥିବା ଗାଁ ଉପରର ଝଙ୍କା ଗଛମାନଙ୍କୁ ସେ ଅନାଇଲା, ଆଉ ସଙ୍ଗେ ସଙ୍ଗେ ମନ ଚହଲିଗଲା ତା’ ଆପଣା ଗାଁକୁ, ବନ୍ଧମୂଳ । ଆଗ ବୋଉ ମନେପଡ଼ିଲା, ତା’ପରେ ବାପା, ତା’ପରେ ଚାଉଁକିନା ମନେପଡ଼ିଲା ପାଟେଳିଗାଁରେ ସିନ୍ଧୁ ଚୌଧୁରୀଙ୍କ ଘରର ଦୃଶ୍ୟ । ସେଠି କବାଟ ସେପଟେ ଅଧା ଆଡ଼ ଆଡ଼ ହୋଇ ତା’ର ମାନସପ୍ରିୟା, ଛବି । ଏଇ ସମକ୍ତିଙ୍କୁ ଏକାଠି ଭେଳେଇ ଏଇ ମାଟିରେ ଚାଲନ୍ତା ତା’ର ନୂଆ ଜୀବନ । ସେ ଦୀର୍ଘଶ୍ୱାସ ପକାଇଲା ।

 

ଜାଲ ଲେଉଟିଛି । କେତେ ଉଞ୍ଚ ଆଉ ଆକାଶୀ ଦିଶୁଛି ଏ ଗାଁର ବଡ଼ ବଡ଼ ଝଙ୍କା ଝଙ୍କା ଗଛମାନ-ଚାକୁଣ୍ଡା, ସୋରିଷିଆ, ଶିମୂଳି, ବର, ଓସ୍ତ । ତା’ ତଳ ଥାକରେ ଦିଶିଯାଏ ସେହିପରି ଝଙ୍କା ଝଙ୍କା ଆମ୍ବଗଛ ଆଉ କି କି ଗଛ । ତଳୁ ଉପରଯାକେ ସବୁ ଥାକରେ ଦିଶି ଦିଶିଯାଏ ନଡ଼ିଆ ଗଛର ବାହୁଙ୍ଗାମାନ । ତଳେ ବାଉଁଶ ବଣର କାନ୍ଥି ଦିଶୁଛି । ମଝିରେ କିଆବୁଦା ଆଉ ଅରମା ଘେର ସନ୍ଧିରେ ଅଣଓସାର ବାଟ ପଡ଼ିଛି ଗାଁ ଭିତରକୁ ପଶିବାକୁ । ବିଲମାଳଆଡ଼ୁ ଆସି ଅନାୟାସରେ ସେହି ବାଟ ଭିତରେ ଘଡ଼ର ଘଡ଼ର ହୋଇ ପଶିଲା ଗୋଟାଏ ବଳଦ ଶଗଡ଼, ଓଦର ବନ୍ଧା ହୋଇଛି, ଧୂଳି ଉଡ଼ି ଉଡ଼ି ଚାଲିଲା ।

 

ପଦାକୁ ବାହାରିଲେ ଆଠ ଦଶ ବର୍ଷର ପିଲା ଚାରୋଟି, ଦି’ଜଣଙ୍କ ହାତରେ ବାଉଁଶକଣିର ବନ୍‌ସିଖଡ଼ା । ଜଣକ ହାତରେ ଗୋଟାଏ ପାଚିଆ, ଆଉ ଜଣେ ଫାଳେ ସଢ଼େଇ ଧରିଛି । ‘‘କିରେ ପିଲେ, କୁଆଡ଼େ ବାହାରିଲ ?’’ ରବି ଡାକିଲା । ଛତରଛାଉଲ୍‌ ହୋଇ ପିଲାଗୁଡ଼ାକ ଧାଇଁ ଧାଇଁ ପଳେଇଗଲେ ।

 

ଦିହେଁ ହସିଲେ । ବଇ କହିଲା, ‘‘ଦିପହର ଗୋଟାକର ଖରା ଦିହେ ଦିହେ ଯାଇଛି । ମନ ତ ଦୁଡ଼ୁଗୁଡ଼ୁ, କିଏ ଡାକିଦେଲା କି ଚିଲା ମାରି ଛୁ ।’’

 

‘‘ଗୋଟାଏ ଇସ୍କୁଲ କଲେ ପଢ଼ନ୍ତେ ଦି’ଅକ୍ଷର ।’’ ରବି କହିଲା, ‘‘ଯୁଆଡ଼େ ଯାଅ ତ ଏଇଆ, କ’ଣ ହେବ ? ପିଲାଙ୍କୁ କିଏ ନିଘା ଦେଇଛି ? ଲୋକଙ୍କ ନିଘା ବଡ଼ ବଡ଼ଙ୍କୁ, ମାନେ ଅଇଛା ଯାହା ଅଛି ସେହିଆକୁ, କାଲି କ’ଣ ହେବ ସେଇଟା ପଛକଥା । ହଉ, ବଦଳିବ ଯେ । ଚାଲ ଯିବା । ଜମିଦାରୀ ବେଳର କଚିରି ଘରଟା ସେ ମୁଣ୍ଡରେ ପରା ।’’

 

ସେମାନେ ଗାଁ ଭିତରେ ପଶିଲେ । ସେହି ପୁରୁଣା ଦୃଶ୍ୟ । ଛାଡ଼ିଛାଡ଼ିକା ସାହି । ବାଟରେ ତୋଟା, ବାରି ବାଡ଼, ଟୁବି ଗାଡ଼ିଆ, ପୋଖରୀ । ଘର ଆଗରେ ଖୋଲା ଗୁହାଳ, ଅରାଏ ଅରାଏ ଗୋରୁମୂତ, କାଦୁଅ ଚକଟାଚକଟି, ଗୋବର ଖାତ । କାନ୍ଥରେ ଘସିଫରା, କେଉଁଠି ବା ପିଠୋଉ ଚିତା । ଭଙ୍ଗାରୁଜା ଗରିବ ଘର ବହୁତ । ଠାଏ ଠାଏ ଢିଙ୍କି ପଡ଼ିଛି, କୁଟା ଲାଗିଛି । ଅଚିହ୍ନା ମଣିଷ ଦେଖି ସ୍ଥାନେ ସ୍ଥାନେ ଦୂରେଇ ଦୂରେଇ ସାନ ପିଲା ପିଛା ନେଉଛନ୍ତି । ବାଟଚଲାଳୀ ସ୍ତ୍ରୀଲୋକ ମୁଣ୍ଡରେ ଓଢ଼ଣା ଓଟାରି ଦେଇ ପାଟି ଆଉ ନାକ ତଳଯାକେ ବୁଜି ଦେଇ ପିଠି ମୋଡ଼ି ଦେଇ ଠିଆ ହୋଇ ଯାଉଛନ୍ତି ।

 

ଚାଲିଛି, ଚାଲିଛି, ସେହି ପୁରୁଣା ବାଟ । ଗୋଟିଏ ଗୋଟିଏ ଘରଆଗରେ ପଥର ପାହାଚ । ସବୁ ଘର ଆଗରେ ତୁଳସୀଚଉରା । ଗୋରୁବନ୍ଧା ଖୁଣ୍ଟ । ବାଟ କର ବାରିରେ ମଲା ଶୁକୁଟା ହୋଇ ଏବେବି ଗେଣ୍ଡୁଗଛ ଠିଆ ହୋଇଛି କେଉଁଠି କେଉଁଠି । ତା’ ପଛକୁ ପୋଖତା ବାଇଗଣ କିଆରୀ, ପୁଣି ନୂଆ ବାଇଗଣ କିଆରୀ, ଲଙ୍କାମରିଚ । ବୁଢ଼ା ହୋଇ ଆସୁଥିବା ଭେଣ୍ଡିଗଛ, ଗୋଟାଏ ଗୋଟାଏ କେମ୍ପା ଭେଣ୍ଡି ଡାଳ ଅଗରେ ଲାଗିଛି । ବାଡ଼ରେ ବାସଙ୍ଗ, କଞ୍ଚନ, ପାଳଧୁଆ ଫୁଟିଛି । ଛପିଛପିକା କେଉଁଠୁ ଆସୁଛି ନାଗେଶ୍ୱର ଫୁଲର ବାସ୍ନା ଆଉ ପଣସ ଫୁଲର । ଫୁଲଭର୍ତ୍ତି ସଜନାଗଛ ଚାରିଆଡ଼କୁ ଶାଖା ବଢ଼େଇଛି, ପତ୍ର ଅଳ୍ପ । ଚାଳ ଉପରଯାକ ଏବେବି ଲାଉ ଡଙ୍କ, ଶିମ ଡଙ୍କ ଲଦାଲଦି, ମରି ମରି ଆସୁଛି, ଓଳିରୁ ଗୋଟାଏ ଗୋଟାଏ ଲାଉ ଓହଳିଛି । ବାଟେ ବାଟେ ନାନା ଭଙ୍ଗୀରେ ନଡ଼ିଆ ଗଛମାନ, ସଳଖ, ତେର୍ଚ୍ଛା, ବାଙ୍କୁଲି । ବାରିରେ କଦଳୀ ଗଛମାନ ।

 

ସେହି ପୁରୁଣା ଦୃଶ୍ୟ । କେତେଘର, ଖାଲି ଡିହ, କେତେ ସାହି-ପଡ଼ିଆ, କେଡ଼େଠି ଅବା ଦର୍‌ହ । ସବୁରି ଉପରେ ଘୋଡ଼େଇ ପକାଇଲାପରି ଗାଁର ସ୍ଵଭାବର ବିଶିଷ୍ଟ ସଭା ଜଣାପଡ଼ୁଛି । ଭଲ ମନ୍ଦ, ଧନୀ ଦୁଃଖୀ ସବୁ ତା’ରି ତଳେ ।

 

ଏମିତି ଅବା ଚାଲିଆସିଛି ଯୁଗେ ଯୁଗେ, ଗାଁ ସେମୁଣ୍ଡରେ ଖଣ୍ଡେ ଛାଡ଼ି ଆଗରେ ଜମିଦାରଙ୍କ ହତାଘର । ଚାରିଆଡ଼େ ଜଙ୍ଗଲ ପରି ଅରମା, ଚାଳ ଦବିଲାଣି, ଘର କାନ୍ଥ ପଲସ୍ତରାରେ ଫଟା ଫଟା, ହୁଙ୍କା, ଗଛ, ଗାତ । ହତା ଅଗଣାରେ ଏଠିସେଠି ଭଙ୍ଗାଘର ।

 

ବଇ ଛେପ ଲଣ୍ଡାଏ ପକାଇ ମନକଥା ଖୋଲି କହିଦେଲା, ‘‘ଇସ୍ ଥୁ, ମଣିଷ ରହନ୍ତି ଏଠି ?’’ ଚାଳ ତଳେ ବୋଝ ଥୋଇଦେଇ ଅବଜ୍ଞାରେ ଚାରିଆଡ଼େ ଅନାଇଲା ।

 

ରବି କହିଲା, ‘‘ଏଇଠି ମୁଁ ରହିଲି ଅଇଛା, ତୁ ତ ଲେଉଟି ଯିବୁ । ବ’ ଝାଳ ମାର, ମୁଁ ଯାଇ ଦେଖେଁ ତୋ’ପେଇଁ କ’ଣ ଖାଇବାକୁ ମିଳୁଛି । ମୁଁ ତ ଆସିଛି ରହିବି ଏଠି ।’’ ରବି ତର ତର ହୋଇ ଚାଲିଗଲା । ବଇ ବସି ବସି ଝାଳ ମାରିଲା । ରବି ପ୍ରତି ସ୍ନେହ କୃତଜ୍ଞତାରେ ତା’ର ମନ ପୂରିଗଲା । ଆପେ ବସି ବିଶ୍ରାମ ନ କରି ସେ ଯାଇଛି ବଇ କ’ଣ ଖାଇବ ତା’ ବୁଝିବାକୁ, ଠିକଣା କରିବାକୁ । ଭାବିଗଲା, ସବୁଦିନେ ଉଦାର ସେ ଏମିତି, ଖୋଲା ମଣିଷଟା, ସ୍ନେହୀ । ଏଡ଼େ ଭଲ ଏଡ଼େ ସୁଧାର ମଣିଷଟା ନାହିଁ ନ ଥିବାର । ବଇ ମଳିକ ଜନ୍ମରୁ ସମାଜର ତଳ ସ୍ତରରେ, ତା’ର ଅଧିକା ଆବଶ୍ୟକ କିଛିନାହିଁ-ପେଟପୂରା ଗଣ୍ଡିଏ ଖାଇବାକୁ, ମଣିଷ ବୋଲି କିଏ ତାକୁ ପଚାରିବ, ଏତିକି । ତା ବି ମିଳେନାହିଁ ସମାଜର ମଣିଷଙ୍କଠୁଁ, ‘ବଇ’ବୋଲି ଡାକପଦେ ଶୁଣେ ନାହିଁ, ଯେ ଡାକିଲେ ବି ‘‘ବଇଆ-ଆବେ ବଇଆ- ।’’ ସେ ବ୍ୟବହାର ବି ଜନ୍ମରୁ ତା’ର ଦେହସହା ହେଲାଣି, ଭାବୁଥିଲା, ଭଗବାନ ଯାହାକୁ ଯେତିକିରେ ରଖିଛି ସିନା, ଆପଣା କର୍ମକୁ ଆଉ କାହାର ଦୋଷ ? ଭାବୁଥିଲା ଏ ଜନ୍ମର ଯେତେ ନିରାଶା, ମନର ଓରମାଣ ଆର ଜନ୍ମରେ ବଡ଼ ଘରେ ଜନ୍ମ ହେଲେ ସବୁ ସେ ମେଣ୍ଟେଇବ, ସେପର୍ଯ୍ୟନ୍ତ ସବୁର କରିବାକୁ ପଡ଼ିବ ।

 

କିନ୍ତୁ ରବିର କଥାଗୁଡ଼ାକ ତା’ର ସେ ଧାରଣାକୁ ଓଲଟେଇ ଦେଲା । ମୂଳରୁ ରବି ପ୍ରତି ତା’ର ବିଶ୍ଵାସ । ତା’ ଜାଣତାରେ ଏହି ଏକମାତ୍ର ମଣିଷ ଯାହାର ଜାତି ଅଜାତି ବିକାର ନାହିଁ, ଆପଣା ପର ଭେଦ ବିଚାର ନାହିଁ । ତେଣୁ ତ ସେ ସମସ୍ତିଙ୍କର ବନ୍ଧୁ । ତାକୁଇ ଆଶା ସମସ୍ତିଙ୍କର । କଥାଗୁଡ଼ାକ ତା’ ତୁଣ୍ଡରୁ ଶୁଭିବାରୁ ବେଶୀ ସତ ଲାଗିଲା । ବଇ ଭାବି ଲାଗିଲା, ଧର ଯଦି ଦୁନିଆଁର ସାନ ବଡ଼ ଗରିବଧନୀ ପାତର ଅନ୍ତର ବ୍ୟବସ୍ଥା ଭଗବାନଙ୍କ ତିଆରି ନ ହୋଇ ଖାଲି କେତେଟା ଲୋକଙ୍କ ହାତଗଢ଼ା, ତେବେ ଏ ଅବସ୍ଥା କେଡ଼େ ଭୟାନକ ! କେଡ଼େ ଶଠତା, ଠକାମି, ଚୋରି, ଡକାୟତି ଅଥଚ ଆଗରୁ ଗଡ଼ି ଆସୁଛିବୋଲି ସହିବାକୁ ପଡ଼ୁଛି । ରବି କହିବା କଥା ମନେପଡ଼ିଲା-‘‘ଦେଖ୍‌ ବଇ, ଆପଣା ଦେହକୁ ଦେଖ୍, ପେଟକୁ ଦେଖ୍ । ମଣିଷ ହେଇ ବି ତୁ ମନଇଚ୍ଛା ଖାଇବାକୁ ପାଉନୁ, ପିନ୍ଧିବାକୁ ପାଉନୁଁ, ସେ କ’ଣ ତୋ’ର ଦୋଷ ? ନୁହେଁ । ଯେଉଁମାନେ ତୋ’ରି ପରି ଗରିବଙ୍କ ଲହୁ ଲୁହ ଠୁଳେଇ ବଡ଼ଲୋକ ହୋଇଛନ୍ତି, ତାଙ୍କରି ଚକ୍ରାନ୍ତରେ ତୋ’ର ଏ ଦୁର୍ଦ୍ଦଶା । ଗୋଟିଏ ବିଷୟ ଦେଖ୍‍-ଭାତ ରନ୍ଧା ହୋଇଛି, ଘରର ସମସ୍ତେ ଯେମିତି ଖାଇବାକୁ ପାଇବେ ସେ କଥାକୁ ଲୟ ନ ରଖି ଦି’ତିନି ଜଣ ଯଦି ସବୁଯାକ ଗେଫା ମାରିଦେଲେ ତେବେ ସେମାନେ ଅନ୍ୟମାନଙ୍କ ମୁହଁରୁ ଛଡ଼େଇ ଖାଇଲେ କି ନା ? ସଂସାରଯାକ ଧନ ବଣ୍ଟା ମଧ୍ୟ ଅବିକଳ ସେଇଆ । ଅଳ୍ପ ଲୋକ ବାଡ଼େଇପିଟି ଖାଇ ଯଦି କୋଠା ଗଢ଼ିଲେ ତ ଅନ୍ୟମାନେ ଉପାସରେ ଗଡ଼ିମଲେ ।’’

 

ରବି କଥା ଶୁଣି ତାକୁ ଲାଗିଲା ଯେ ଥାଆନ୍ତା ଯଦି କେହି ହାତପାଖିଆ ଶତ୍ରୁ, ତେବେ ସେ ଆଗ ତା’ର ମୁଣ୍ଡଟାକୁ ଛିଣ୍ଡାନ୍ତା । ତା’ର ରାଗ ଆସିଛି, ନିଇବଢ଼ି ଯେମିତି ଆସେ । ସରଳ ଲୋକ ମନରେ ସନ୍ଦେହ ଆସିଛି, ବିନ୍ଦୁପରି ଦିଶୁ ନାହିଁ । ଦିଶୁଛି ବଡ଼ ମେଘ ପରି ।

 

ନୂଆ ଦୃଷ୍ଟିରେ ସେହି ଅରମା ଅଲରା ବାରିଟାକୁ ଅନାଇଁ ଦାନ୍ତ ରଗଡ଼ି ଫଁ ଫଁ ନିଶ୍ୱାସ ଛାଡ଼ି ବଇ ମଳିକ କହୁଛି-‘‘ଠକିଦେଲେ ହୋ ଆମକୁ, ହେଃ ।’’ ଯେପରି କି ଏ ତା’ର ଗୋଟାଏ ନୁଆ ଆବିଷ୍କାର, ଆପଣା ଦୂରବସ୍ଥା ସହିତ ପୃଥିବୀର ସମାଜନୀତି ଯୋଖି ଗୋଟାଏ ନୂଆ ସୂତ୍ରର ବ୍ୟାଖ୍ୟା ସେ ଶୁଣିଛି ।

 

ତା’ର ମନର ସେ ଅବସ୍ଥା ସହିତ ସମାନ ରଙ୍ଗର ହୋଇ ଦିଶୁଛି ଅଯତ୍ନରେ ଭାଙ୍ଗିପଡ଼ିଥିବା ସେହି ହତାଟାର ଛବି । ବଡ଼ ହତାଟାଏ, ଚାରିପାଖର କଞ୍ଚାବାଡ଼ ଉଠିଛି ଜଙ୍ଗଲ ପରି-। କିଆ, ସିଝୁ ମଞ୍ଜୁଆତି, ବାଇଗବା । କେଉଁଟା କେଉଁଆଡ଼କୁ ମାଡ଼ିଯାଇଛି । ଏକାଠି ଦିଶୁଛି ଅସାମଞ୍ଜସ୍ୟ, କୁତ୍ସିତ । ବାଡ଼ରେ ନାନା ପ୍ରକାର ଲଟାର ମଡ଼ାଗଡ଼ି ଛନ୍ଦାଛନ୍ଦି, ହଳଦିଆ ନିର୍ମୂଳି, ଅତି ସାବ୍‌ଜା ଶତମୂଳୀ, ଗୋଲ ଗୋଲ ନାଲି ନାଲି ଫଳ ବାଇଆ ଇଟା, କାଇଁଚ, ଖମ୍ବଆଳୁ, କେତେ କ’ଣ ? କେତେ ମଲା, ଦରମଲା, କେତେ ଅତି ସତେଜ । ହତା ଭିତରେ ସ୍ଥାନେ ସ୍ଥାନେ କିଆ ଭଉଁରୀ, ଗୋଟା ଗୋଟା ସିଝୁ ଗଛ, ଭଙ୍ଗାରୁଜା ବାଇଗବା, ଆଣ୍ଠୁଏ ବହଳରେ ଘାସ, ଚାକୁଣ୍ଡା ଅଗଛିଆ । ଭୁଷୁଡ଼ି ପଡ଼ିଥିବା କୂଅଟାଏ ଦିଶୁଛି । ତା’ର ପକ୍‌କା ଚାଦିନି ଫାଟି ଚଉଚିର୍ । ସେ ପାଖେ ଦିଶୁଛି ଭଙ୍ଗାଘର ଧାଉଡ଼ିଏ । ଭଙ୍ଗା ଚାଳ କରିକେ ଅଜାଡ଼ି ହୋଇଛି, ସତେଅବା କଳା କହରା ହାଡ଼ ବୋଝେ ପଡ଼ିଛି । ଏ କର ସେ କର ଆଉଜି ଢଳି ଅଧେ ଅଧେ ଫଟାକାନ୍ଥ; ମୁଣ୍ଡା ମୁଣ୍ଡା କାନ୍ଥ ଗଦା ହୋଇଛି । ତା’ ଉପରେ ଅଗଛିଆ ବଢ଼ିଛି । ବଡ଼ ବଡ଼ ହୁଙ୍କା କେନା ମେଲାଇ ଠିଆ ହୋଇଛି । ପାଖ ପାଖ ହୋଇ ଫୁଲ ଲଦି ହୋଇ ଅରଖ, ଧୁତୁରା, ଅରମା ଗଛ । ଏଠି ସେଠି ବଡ଼ ବଡ଼ ଝଙ୍କା ଗଛ, ସୋରିଷିଆ, ଚାକୁଣ୍ଡା, ଆମ୍ବ, ଦୂରରେ ପୁରୁଣା ବରଗଛ । ଚଳିବା ଭଳି ରହିଛି ଦି’ବଖୁରି ଘଉ । ଚାଳ ଛୁଆଣି ହୋଇନାହିଁ, ମାଡ଼ିବସିଲା ପରି ଦିଶୁଛି, କାନ୍ଥଯାକ ହୁଙ୍କା ଆଉ କଣା, ପିଣ୍ଡା ଆବୁଆବୁଆ । ଦୁଇ ବଖରା ଦୁଆର ମୁହଁରେ ବଡ଼ ବଡ଼ ଥଣ୍ଠିଆ ତାଲା ଓହଳିଛି । ବୁଢ଼ୀଆଣି ଜାଲ ଛାଇ ରହିଛି, ତାହାରି ସାମ୍ନାରେ ଅରମା ଭିତରେ ଧଳା ଦିଶୁଛି ସରୁ ମଡ଼ା ବାଟ । ପୁରୁଣା ଅବର୍ଦ୍ଧା ଅଲରାବଲରା ସମାଜର ରୂପ ସତେକି ସେହି ପୁରୁଣା ଜମିଦାର-କଚିରି ହତାରେ ରୂପ ପାଇଛି । ଚାରିଆଡ଼େ ସବୁ ଧକାଧକି ପେଲାପେଲି ଚଢ଼ାଚଢ଼ି ଆଇ ଭୁଶୁଡ଼ାଭୁଶୁଡ଼ି ହୋଇ ଏକାକାର । ରବିଠୁ ଶିଖିଥିବା ନୂଆ ଭାଷାରେ ନିଃଶବ୍ଦ ହୋଇ ବଇ ମଳିକ ଏକୂଟିଆ ବସି ବସି ଦେଖୁଛି, ହାତ ଖଲ ଖଲ ହେଉଛି ।

 

ହଠାତ୍ ତା’ର ନିଘା ପଡ଼ିଗଲା ତକର ଅରମା ଉପରେ ପଇଁତରା ମାରି ବୋବେଇ ବୋବେଇ ଉଡ଼ୁଛନ୍ତି ବଣି ଚଢ଼େଇ ଦି’ଟା । ଏଠୁ ଉଡ଼ି ସେଠି ବସୁଛନ୍ତି । ପୁଣି ଚହଳ ପକାଇ ଉଡ଼ୁଛନ୍ତି । ବଇ ମଳିକର କୁତୂହଳ ବଢ଼ିଲା, ଠିଆ ହୋଇପଡ଼ିଲା । ନିଘା କଲା ଅରମା ଭିତରେ କ’ଣ ହଲର ହଲର ଲାଗି ରହିଛି, ଆଗକୁ ଚାଲିଲା । ହାତେ ଟେକି ହୋଇ ଫଣା ବିଛେଇ ସୁ ସୁ ହୋଇ ଏକର ସେକର ଚାହିଁଲା ଏକ ପ୍ରକାଣ୍ଡ ଗୋଖର ସାପ । ଆପଣ ଅଭିମାନରେ ଯେପରି କି ଆହୁରି ଫୁଲିଗଲା, ଆହୁରି ଉଞ୍ଚ ଦିଶିଲା । ଆକୁଳ ହୋଇ ଚିତ୍‌କାର କରୁଥିବା ବଣି ଚଢ଼େଇଙ୍କଆଡ଼କୁ ଚୋଟ ହାଣି ହାଣି ସତେ କି ଆପଣାକୁ ପ୍ରଚାର କଲା–

 

ବଡ଼ ମୁଁ, କାରଣ ମୋର ବିଷ ଅଛି ।

 

ବଇ ମଳିକର ମନେପଡ଼ିଲା-ଦଶହରା ପର୍ବରେ ସହରକୁ ଥରେ ଯାଇଥିଲା । ବୁଲି ବୁଲି ପହଞ୍ଚିଥିଲା ଯାଇ ଏକ ବଡ଼ ସଭାଘର ଆଗରେ, ସେଠି ନାନାଜାତି ସାଜସଜ୍ଜା, ପାଖ ପାଖ ହୋଇ ଜିକିଜିକି ମଟରଗାଡ଼ି ଗହଳି, ବଡ଼ ମଟରରୁ ଓହ୍ଲେଇ ସଭାଘରଆଡ଼କୁ ଗଲେ ଜଣେ ଉଞ୍ଚା ପୂରାହୋଇ ଦେଖିଲା ଭଳିଆ ଲୋକ, ସତେକି ଦଶଟା ମଣିଷ ଏକାଠି ମିଶି ଗାଁ ଯାତରେ ଭାଡ଼ି ଉପରେ ରାବଣେଶର ପରି ଗୋଟାଏ ମଣିଷ-ପର୍ବତ । ଏମିତି ବେକ ମୋଡ଼ି ମୋଡ଼ି ଦର୍ପରେ ଛାତି ଫୁଲେଇ ଫୁଲେଇ ସେ ଚାରିଆଡ଼କୁ ଅନେଇଥିଲେ, ବଇ ମଳିକ ଦେଖିବାପାଇଁ ପାଖକୁ ଭରସୁ ଭରସୁ ପୁଲିସ୍‍ ବାଡ଼ି ଅଗରେ ତାକୁ ଠେଲି ଦେଇଥିଲେ, ଆଉ ସେତିକିବେଳେ ପଦାରେ କାହିଁକି ହୋ ହୋ ହୋଇଥିଲା, ପଡ଼ିଥିଲା ବାଡ଼ି, ବାଡ଼ି ଖାଇ ପଦାର ମଳିମୁଣ୍ଡିଆ ଛତରଛାଉଳ ହେଲାବେଳେ ବଇ ମଳିକ ବି ପଳେଇ ଆସି ଦୂରରୁ ଚାହିଁଥିଲା ସେହି ମଣିଷଟାକୁ । ଏଥର ରାଗର ବିଷରେ ଜରଜର ହୋଇ ସେ ଭାବିଥିଲା ସତେଅବା ସେ ଲୋକଟା ତା’ର ସେ ଚାହାଣୀରେ କହୁଚି–

 

ଦେଖ ମତେ, ସବୁଠୁ ବଡ଼ ମୁଁ; କାରଣ ମୋର ସମ୍ପଦ ଅଛି, ଶକ୍ତି ଅଛି, ଆଉ ସବୁଠୁ ବଡ଼ କଥା-ଅଛି ବିଷ ।

 

ପିଠି ଆଉଁସି ଆଉଁସି ତା’ର ସେ ବିଷାକ୍ତ ଅନୁଭୂତି ନେଇ ବଇ ମଳିକ କଣ୍ଡରା ସେ ସ୍ଥାନରୁ ଫେରି ଆସିଥିଲା । ଅଧା ସ୍ମୃତିରେ ଅବଚେତନ ମନରେ ଅନୁଭବ କଲା–ସତେଅବା ଏହି ଜନ୍ତୁଟା ସେହି ।

 

ପାଖରେ ପଡ଼ିଥିବା ପୁରୁଣା ଡେଲିଙ୍ଗି ଖଣ୍ଡେ ଗୋଟେଇ ନେଲ ବଇ ମଳିକ ଆଗ ପଛ ଭୁଲି ଉଦୁମୁଦା ହୋଇ ଧାଇଁଗଲା । ମୁଣ୍ଡ ଭିତରେ ଗୋଟାଏ ବୋଲି ରାଆ–ସେ ମାରିବ, ଦେବ ‘ମୁଁ’ ପଣର ସେ ପ୍ରକାଣ୍ଡ ପାଣିଫୋଟକାକୁ ଚୂନାକରି, ଆଗ ଧ୍ୱଂସ, ପଛେ ଆଉ ଯାହା । ପହିଲି ପାହାର ଖାଇ ଗୋଖର ସାପ କୁଦାମାରି ଆକ୍ରମଣ କରି ଆସିଲା, ନାଚି ନାଚି ଗୁଡ଼େଇତୁଡ଼େଇ ପିଟିଗଲା ହୁଣ୍ଡା ମଣିଷ, ବୁନିଆଦୀ ଆଦିମ ମଣିଷ । ସୋରିଷିଆ ଗଛ ଡାଳରେ ବସି ବଣିଚଢ଼େଇ ଦିହେଁ ହୁଳହୁଳି ପକେଇଲେ, ଗୋଖର ସାପ ବଧ ହେଲା । ବାଉଁଶ ଅଗରେ ମଲା ସାପକୁ ଓହଳେଇ ଠିଆହୋଇ ଚାରିଆଡ଼କୁ ଅନେଇଲାବେଳେ ବଇଆର ପିଲାଳିଆ ଆନନ୍ଦ ଆସିଲା, ଇଚ୍ଛା ହେଲା କାହା ଗଳାରେ ସେଇଟା ସେ ଲମ୍ବେଇ ଦିଅନ୍ତା । କାହା ବେକରେ ? ମନେପଡ଼ିଗଲେ ଗୋଟିକା ଗୋଟି ମୁହଁ, ମଫସଲର ପ୍ରେତପରି ମଣିଷ, ଯେଉଁମାନେ ଗରିବ ମଳିମୁଣ୍ଡିଆଙ୍କ ଉପରେ ଚରିବୁଲି ଛାରପୋକ ପଲପରି ନୋତାଗୋତା ବଂଶ କୁଟୁମ୍ବ ବଢ଼ାନ୍ତି, ବୋଲାନ୍ତି ବଡ଼ ମଣିଷ, ଅଛୁଁଆଁ ଗରିବ ଦୁଃଖିରଙ୍କିଙ୍କି ଛୁଆଁତିଭାବି ଉପରୁ ଅନାନ୍ତି ଅବଜ୍ଞାରେ, ତାଙ୍କରି ଭିତରୁ କାହାରି ବେକରେ ଲମ୍ବେଇ ଦିଅନ୍ତା ଏ ମଲାସାପଟା । ହୋ ହୋ ହସିଉଠିଲା । ସାପଟାକୁ ସମ୍ପାଦି ରଖିଲା ରବିକି ଦେଖେଇବ-

 

ଶେଷଖରା ଚାଉଁ କଲା । ବଇ ମଳିକ ନୂଆ ଦୃଶ୍ୟରେ ମନ ବଳେଇଲା । ଏହି ଅରମା ଅପନ୍ତରା ନିଉଁଛୁଣା ହତା କେଡ଼େ ସୁନ୍ଦର ଦିଶୁଛି ଚାଉଁଖରାର ରଙ୍ଗ ପରଶରେ; ସତେକି ମଲା ଥିଲା, ଜୀଇ ଉଠୁଛି, ଆଉ ଚାରିଆଡ଼େ ଜାତି ଜାତି ଅନାବନା ଫୁଲ ଫୁଟିଛି, ତଳମୁହାଁ ହୋଇ ଦି’ହାତ ଉଞ୍ଚରେ ଉଡ଼ୁଛନ୍ତି ପ୍ରଜାପତି, କଙ୍କି ଅନର୍ଯ୍ୟାପ୍ । ସବୁ ଫୁଲର ମିଶାମିଶି ସୂକ୍ଷ୍ମ ବାସ୍ନା ଅନୁଭବ କଲା, ନିଘା କଲା କଚିରି ଘର ଆଗରେ କୃଷ୍ଣଚୂଡ଼ା ଗଛ ଫୁଲଭର୍ତ୍ତି, ଏଠି ସେଠି ସୁନାରି ଗଛରେ କାନ୍ଦି କାନ୍ଦି ଫୁଲ, କଢ଼ । ହଠାତ୍ ତା’ର ଚେତନାରେ ଆସିଲା–ଏ ପୃଥିବୀ ମରିଯାଇନାହିଁ, ବଞ୍ଚିଛି, ଯଦିଚ ଏଠି ଅଳିଆଅରମା, ସାପ, ଗୋଧି, ଜୀବନରୁ ସୁଆଦ ତୁଟିନାହିଁ ତଥାପି ଅଛି, ଯଦିଚ ଜୀବନ ଅଭାବ ଅତ୍ୟାଚାରରେ କ୍ଲିଷ୍ଟ, ପୀଡ଼ିତ, ଆଶା ଅଛି, ଅନ୍ଧାର ଭିତରେ ଆଲୁଅ ଅଛି, ଅମଙ୍ଗଳ ଭିତରେ ଶିରୀ ଅଛି, କଲେ ସବୁ ସୁନା ହ’ନ୍ତା ।

 

ଗାଁକୁ ଲେଉଟିଯିବା କଥା ସେ ଭୁଲିଯାଇଛି ।

 

ରବି ଆସି ପହଞ୍ଚିଲା, ସାଙ୍ଗରେ ନନ୍ଦ ତସିଲ୍‌ଦାର, ନଇଁ ପଡ଼ିଥିବା ବୁଢ଼ାଲୋକ, ମୁଣ୍ଡ ଛୋଟ, ମୁହଁ ଗାଡ଼ ଗାଡ଼, ନାକ ଅଗଯାକେ ଖସିଆସିଛି ସରୁ ଚଷମା, ଆପଣା ସନ୍ତକସ୍ୱରୂପ କାନରେ କଲମ ଖୋସା ହୋଇଛି, ତକିଆ ଖୋଳପରି ଖଣ୍ଡଡୋରିଆ କାମିଜ୍ ଗଳେଇଚନ୍ତି, ବୋତାମ ନାହିଁ, ଛାତି ଉପର ବିଦାକାଠିପରି ହାଡ଼ ଦିଶୁଛି, ବେକରେ ମାଳି । ଡେଇଁଲାପରି ଚାଲୁଛନ୍ତି, ଗୋଟାଏ ହାତରେ ବଡ଼ ଚାବି ପେନ୍ଥାଏ, ଆର ହାତରେ ମସିଆ ଗାମୁଛାରେ ବନ୍ଧାହୋଇ ଏକ ବୁଜୁଳା । ଦିହେଁ କଥା କହି କହି ଆସୁଥାଆନ୍ତି ।

 

ନନ୍ଦ କହିଲେ, ‘‘ଆଜ୍ଞା, ଆଜିକାଲି କାଳ ତ ଯେମିତି, ସେଥିରେ ଜମିଦାରୀ ଗଲାପରେ ଯୋଉ ଅବସ୍ଥା । ଆଉ କିବା ଜମିଦାରୀ ବା ଥିଲା, ଏ ଗାଁ ଖଣ୍ଡକ ଖାଲି, ପ୍ରଜା ଖଜଣା ଦେବେନାହିଁ, ଭାଗ ମାଗିଗଲେ ବାଡ଼ି ଉଠେଇବେ, ଖାଲି ମୁଁ ସେମିତି ପଡ଼ି ରହିଥିଲିବୋଲି ସିନା, କ’ଣ କରିବି ଦରମା ନ ମିଳିଲେ ନାହିଁ, ସତ ବୁଡ଼େଇବି କେମିତି ? ଆଉ ଦୂରବସ୍ଥାକୁ ମୋର କି ହାତ ? ଏଠିତ ପାଣ୍ଠି ନାହଁ ଖାଲି ଯାହା କିଛି ଧାନଗଣ୍ଡାକ, ଜମିଦାର ଟଙ୍କା ପଠେଇଲେ ଏସବୁ ସଂସ୍କାର ହେବ ହେବ ବୋଲି ଜମିଦାରୀ ଉଠିଲା । ଭାଗଧାନକୁ ଆଜିକାଲି କିବା ଭରସା, କୋଉ ବର୍ଷ ଇନ୍ଦ୍ର ନ ପାଳିଲା ତ କୋଉ ବର୍ଷ ଭାଗୁଆଳି ରଇତ ଚିତା କାଟିଲେ । ଏଇ ତ ଅବସ୍ଥା । ଘର ତ ଦେଖୁଛନ୍ତି । ଆପଣ ଏଠିଟାରେ କେମିତି ରହିବେ ?’’

 

ରବି କହିଲା, ‘‘ମୁଁ ଏଇଠି ରହିବି ।’’

 

ବଇ ମଳିକ ଅତି ଆଗ୍ରହରେ ସାପଟାକୁ ଟେକି ଦେଖାଇଲା । ରବି ଚମକି ପଡ଼ି ଚିତ୍କାର କଲା- ‘‘ଏଇଟା କ’ଣ ?’’

 

ନନ୍ଦ ଆଶ୍ଚର୍ଯ୍ୟ ହେଲେ ନାହିଁ, କହିଲେ ଏଗୁଡ଼ାକ ବହୁତ ଅଛନ୍ତି । ଗୋରୁଙ୍କୁ ଅପଘାତ ହୁଏ ବୋଲି ଲୋକେ ଏୟା ଭିତରକୁ ଗୋରୁ ପୂରେଇବାକୁ ଡରନ୍ତି । ମାରିଦେଲ ! ଆଜି ଗୁରୁବାରଟା । ହଉ, ସାପକୁ ଦେଖିଲେ ମାରି ।’’

 

ରବି କହିଲା–‘‘ବଇ, ଜଳଖିଆ ଆସିଚି, ଏତକ ଚୁଡ଼ାକଦଳୀ ଚକଟି ସାରିଦେଇ ଚଞ୍ଚଳ ଘରକୁ ଯା । ଡେରି ହୋଇଗଲା, ପହଞ୍ଚୁ ପହଞ୍ଚୁ ରାତି ହେବ ।’’

 

ବଇ ଅବଜ୍ଞାରେ ଗୋଟିଏ ଶବ୍ଦ କଲା । କହିଲା, ‘‘ହ, ଯାଉଚିଆ । ଏ ଅରମା, ଏ ବଣ, ଏ ସାପ, ଏ ଅବର୍ଦ୍ଧା, ତମେ ଆପଣ ରହିବ ଏଇଠି, ଆଉ ମୁଁ ଘରକୁ ସୁଖରେ ଫେରିଯିବି, ନାଇଁ ? ତମକୁ ଏଠି ଏକା ଛାଡ଼ିଦେଇ ପାଦେ ଚଙ୍କୁନାଇଁ । ଆଉ ଯୋଉ କଥା କହିବ କରିବି ସିନା, ସେ କଥା କହିବ ନାଇଁ ।’’

 

‘‘ଆରେ ମୋର ଏଠି ଦିନାକେତେ ଲାଗିଯିବରେ–’’

 

ନନ୍ଦ ମୁହଁ ନେଫେଡ଼ିଦେଲେ । ବଇ କହିଲା, ‘‘ମୋର ଆଉ କୋଉ ଉତାଣି ପିଲାଟା କ୍ଷୀର ଖାଇବାକୁ କାନ୍ଦୁଚି କି !’’

 

ସମସ୍ତେ ହସିଲେ ।

 

ଅଡ଼କରା କୁଣିଆଁ ଅନହୁତି ଆସିଥିଲା ମେଘଦରଦର ଅନ୍ଧାର ରାତିରେ, ସକାଳୁ ସେ ଚାଲିଗଲା । ଦିନ ଉଇଁଲା, ତା’ପରେ ଆସିଲା ଗଲା କେତେଦିନ । ଛବିର ଚେତନା ଭିତରେ ଲାଗିରହିଲା ଅନ୍ଧାର । ଖାଁ ଖାଁ ରାଆଲଗା ଦୀର୍ଘଶ୍ୱାସରେ ବୋହିଚାଲିଲା ତା’ର ଜୀବନର ଅଭିବ୍ୟକ୍ତି, ନିଜକୁ ନିଛାଟିଆକୁ ଓଟାରି ନେଇ ଯେତେବେଳେ ସେ ଆପଣା ଅନ୍ତରର ସଙ୍ଗୀତକୁ କାନେଇ ରହିଲା, ଖାଲି ଶୁଭିଲା ବେଦନାର ସ୍ପନ୍ଦନର ଆକୁଳ ସଙ୍ଗୀତର ଗୁଣୁ ଗୁଣୁ, ଆଶା ବଳି ବଳି ନିରାଶ ହେବାର ଧ୍ୱନିର ସମନ୍ୱୟ, ଖାଲି ଲେଉଟି ଯାଇଥିବା ଦୂରେଇ ଦୂରେଇ ଶୁଭୁଥିବା ପାଦଧ୍ୱନି, ପବନରେ ଗୋଳି ହୋଇ ପାତଳ ପଡ଼ିଯାଇଥିବା ଲିଭିଲା ସଳିତାର ନୁଖୁରା ଧୂଆଁର ବାସ୍ନା, ମଉଡ଼ ମରି ସାରିଲା ପରେ ଅଜାଡ଼ି ହୋଇ ପଡ଼ୁଥିବା ଘରର ଚିତ୍ର, ଆଉ... କେଉଁ ଆଈମା’ କାହାଣୀର ଶେଷକଥା ଆସିଥିଲା...ଚାଲିଗଲା ରଜାପୁଅ, ଆଉ ଆସିଲା ନାହିଁ ।

 

ଆଗେ ତା’ ଚାରିପାଖେ ଏଇ ପୃଥିବୀରେହିଁ ଥିଲା ଆଲୁଅ ଆଉ ଆନନ୍ଦ, ଏଇ ଘର, ବାପା, ବୋଉ, ଅଳପ ହେଉନ୍ତୁ ପଛେ କେତୋଟି ତା’ର ସାଙ୍ଗସାଥୀଙ୍କ ମେଳ, ଆନନ୍ଦ ଥିଲା । ଏଇ ସ୍ନେହରେ ଢାଙ୍କିଢୁଙ୍କି ହୋଇ ବଞ୍ଚିବାରେ, ଦେଖିବା, ଖେଳିବା, ଖାଇବା ପିଇବା, କାମ କରିବା, ସବୁଠି ଥିଲା ତା’ର ଆନନ୍ଦପାଇଁ ଉପକରଣ । ତା’ପରେ ଚାରିଆଖି ହେଲା, ଚେଇଁଉଠିଲା ଚାର ମଞ୍ଜି ଭିତରୁ ଆଉ ଗୋଟାଏ ଛବି, ଗୋଟାଏ ବ୍ୟକ୍ତିତ୍ୱ ତା’ର ମନ ଅଜାଣତରେ ଖସିପଡ଼ିଲା ଅନ୍ଧାରତଳି ଭିତରକୁ, ଯେପରି ଅବା ପାଲଟି ଦେଇଥିବା ପୁରୁଣାଲୁଗା ଆସ୍ତେ ଖସି ପଡ଼ିଲାପରି । ତା’ପରେ ଯାହାହୋଇ ସେ ପ୍ରକାଶ ପାଇଲା, ସେ ଆଗଠୁ ବହୁତ ସୁନ୍ଦର, ରସ ଟୁଳୁଟୁଳୁ, ସେଥିରେ ବହୁତ ଶ୍ରୀ ଥିଲା, ପୂର୍ଣ୍ଣତା ଥିଲା, ଶକ୍ତି ଥିଲା । ଗୋଟାଏ ସ୍ତରରୁ କେଡ଼େ ଚଞ୍ଚଳ ବଢ଼ି ଉଠିଥିଲା ସେ ଆଉ ଗୋଟାଏ ସ୍ତରକୁ । ମନରେ ଅପାର ଆଶା, ଅପାର ଆନନ୍ଦ, ସ୍ନେହ, କରୁଣା । କେତେବେଳେ କେଉଁ ଛଟକରେ ନାନା ବିଚିତ୍ର ଛାଇ ଫୁଟି ଉଠୁଥିଲା ତାଠି । ସତେ ଅବା ସେ ଏକ ଚିରନ୍ତନ ସମୁଦ୍ରର ହିଁ ଛବି, ବେଳୁବେଳ ନୂଆ ନୂଆ, ସବୁବେଳେ ପୂର୍ଣ୍ଣ ଆଉ ସୁନ୍ଦର ।

 

ଭବିଷ୍ୟତ ଆଉ ଜୀବନର ଯୋଜନା ସହିତ ମିଶାଇ ସେ କଳନାକରି ଭାବିନଥିଲା କେବେ; ଭାବିନଥିଲା ଜୀବନକୁ ଘଟନାର ସମଷ୍ଟି ବିଚାରରେ, କେବଳ ସେ ବଦଳି ଥିଲା ଆଉ ବଢ଼ିଥିଲା ।

 

କଥା କହୁ କହୁ କେତେବେଳେ ସ୍ଵରରେ କେଉଁଠି କେଉଁ ଭାଙ୍ଗ - ସେ ପବନରେ ହଜିଯିବା ଆଗରୁ ଶୁଣିବା ଲୋକକୁ ଚମକାଇ ଦିଏ, ତା’ର ଦୃଷ୍ଟିରେ ବୋଳିଦିଏ ସରୁକରି କ’ଣ ନୂଆ ରଙ୍ଗ, ଚାଲିଚଳଣରେ କେତେବେଳେ କେଉଁ ଛାଇ ଫୁଟେ, ଆଖିରେ କେଉଁ ଠାଣି ଉଙ୍କି ମାରିଦେଇ ପୁଣି ଛପିଯାଏ, କେତେବେଳେ ଗଦ୍‌ଗଦ୍‌ ହୋଇ ବୋହିଯାଏ ଅଖଳା ହସର ଝରଣା, ପୁଣି ଅଟକିଯାଏ, ସେହି କେତେବେଳେ ଅସ୍ଥିର ବ୍ୟଞ୍ଜନା ପ୍ରକାଶ କରେ ଖାଲି ସୂଚନାରେ, ଯେ ଏହି ମୂର୍ତ୍ତି ଭିତରେ ଚେଇଁଉଠିଛି ଚିନ୍ମୟୀ ଜାହ୍ନବୀର ପୂତ ଧାରା- ଯୁଗେ ଯୁଗେ ଯେ ସୃଷ୍ଟି କରିଆସିଛି, କରିବ ।

 

ରଞ୍ଜାଳିଆ ଝାଞ୍ଜିପରି ତୁହାକୁ ତୁହା ହୋଇ ଭାସିଆସିଲା ପଦାର ଖବର, ଫୁଟିଉଠୁଥିବା ଫୁଲ ଚାରିକରେ ପାଖୁଡ଼ା ଯେପରିକି ଆସ୍ତେ ଟାଆଁସିଆ ହୋଇଆସିଲା, ରବି ଆସିଲା ଗଲା, ଗୋଟାଏ ପ୍ରଚଣ୍ଡ ଚମକ ଲାଗିହୋଇ ଫୁଲି ଉଠି ପୁଣି ନିବୁଜ ହୋଇଆସିଲା ଜାଣତା ମନର ପ୍ରକାଶର ପରିବେଷ୍ଟନୀ, ଆଶା ଆଉ ଆଲୁଅ ମରି ମରି ଗଲା ପରି ଲାଗିଲା, ଉଦାସ ହୋଇ ଛବି ଆପଣା ଭିତରକୁ ଚାହିଁ ଚାହିଁ ଅଟକିଗଲା ।

 

ଗାଁ ପଙ୍ଗତକୁ ସେ ଡରି ଡରି ଆଡ଼େଇ ରହେ । କାମ ସାରି ଗୋଡ଼ ଲମ୍ବେଇ ଏକାଠି ମେଳବାନ୍ଧି ଗାଁର ବୋହୂଝିଏ ବସି ଦି’ପହର ଗୋଟାକ ରହସ୍ୟ ଓ ସମାଲୋଚନାରେ କଟାଇ ଦିଅନ୍ତି-। କିଏ କାହା ମୁଣ୍ଡ ବାନ୍ଧିଦିଏ, ବାରଘର କଥା ପଡ଼େ । ଛବି ନ ଥାଏ ସେଠି ।

 

କାହା ଘରେ କବାଟ କିଳି ଦଶ ଘର ଝିଅ ଏକାଠି ହୁଅନ୍ତି ସେହି ଦି’ ପହରେ, ହସାହସି ହୁଅନ୍ତି । ପାହୁଡ଼ ନେପୁର ଖଡ଼ୁକାଚ ଦୁମୁଦୁମୁ ଶୁଭେ, ଲାଗେ ପୁଚିଖେଳ । ପୁଚି ଲୋ ପୁଚି- ପୁଚି ଯାଉଚି ଘୁଁଚି । କିଏସେ ସରୁଗଳା ବସେଇ ବସେଇ ଗାଏ ବୋହୂ କାନ୍ଦଣା, ତୁଣ୍ଡେ ତୁଣ୍ଡେ ରଚନା କରିଯାଏ, ମିଛିମିଛିକିଆ କାନ୍ଦୁ କାନ୍ଦୁ ସତେ ସତେ ଆଖିରୁ ଲୁହ ବୁହେ । ତା’ ଦେଖାଦେଖି ଆଉ ଯେତେ ଝିଏ ସମସ୍ତେ ମେଳିହୋଇ ବୋହୂ କାନ୍ଦଣା କାନ୍ଦନ୍ତି । ଦଶ ତୁଣ୍ଡରେ ଦଶ ପଦ ରଚନା ବନ୍ଧାହୋଇ ଅଲେଖା ଗାଁ-ଗୀତ ମତୁଆଳୀ ହୋଇ ମାଡ଼ିଚାଲେ, ବାହୁନା ମାତ୍ରା ଟପିଯିବାରୁ କିଏ ଧାଇଁ ଆସି କବାଟ ଧଡ଼ ଧଡ଼ କରି କହେ, ‘‘ହେଲା ହେଲା, ଥାଉ ସେତିକି...’’ । ଲାଜରା ହୋଇ ସମସ୍ତେ ହସାହସି ହୁଅନ୍ତି । ଆଖିରୁ ଲୁହ ପୋଛିଲାବେଳେ ଆହୁରି ହସନ୍ତି ।

 

ଛବି ନ ଥାଏ ସେଠି ।

 

ଘରେ ତିନିଜଣଙ୍କପାଇଁ ରୋଷେଇ, ବଡ଼ କଥା ନୁହେଁ । ବୋଉ ନିଜେ ଚାହେଁ ଉପରେ ପଡ଼ି ସବୁକାମ କରିଯିବ । କହେ–ଯା ଲୋ ତୁ, ଥିରି ହେଇ ବସ, କୋଉ କାମ ଯେ ମତେ ବଳେଇବ ? ଅବସର କଟାଇବାପାଇଁ ବିଶିଷ୍ଟ ଘରକାମ ଛଡ଼ା ତା’ର ଅନ୍ୟକିଛି ଯୋଜନା ନାହିଁ । ସେ ଯେତେବେଳେ ଆରମ୍ଭ ହୁଏ କଟିଯାଏ କିଛି ବେଳ । ବଡ଼ି ପକେଇବା, ଗୁଣ୍ଡି ତିଆରି କରିବା, ପିଠା ହେବ ବୋଲି ବିରି ଚାଉଳ ତିନ୍ତେଇ, ବାଟି, ନଡ଼ିଆ କୋରି ସବୁକଥା ଯୋଗାଡ଼ କରିବା, ଧାନ ଉଷେଇଁ, ଶୁଖେଇ, କୁଟି ଚାଉଳ କରିବା କାର୍ଯ୍ୟରେ ସହଯୋଗ ଦେବା ଓ ତଦାରଖ କରିବା, ଏସବୁ ବିଶିଷ୍ଟ ଘରକାମ, ବଳ ଖର୍ଚ୍ଚ ହୁଏ, ସମୟ ଯାଏ । କିନ୍ତୁ ସବୁଦିନେ ନ ଥାଏ ।

 

ମଫସଲରେ ଅନ୍ୟ ଝିଅଙ୍କପରି ତା’ର ବି ଗୋଟିଏ ପ୍ରଧାନ ସମସ୍ୟା ହୁଏ ଦ୍ୱିପ୍ରହର ବେଳର ଅବସର ବେଳ କେମିତି କଟେଇବ ତା’ର ଉପାୟ ଖୋଜିବା ।

 

ସେତେବେଳେ ବୋଉ କହେ–‘‘ଖାଲିଟାରେ ଏକର ସେକର କାହିଁକି ହଉଚୁ, ଲୋ ଛବି, ଶୋଇପଡ଼ ।’’ ଅଳସ ଲାଗେ, କିନ୍ତୁ ଚାଉଁ ଚାଉଁ ଲାଗେ, ସେ ଅବସ୍ଥାରେ ନିଦକୁ ଆଶା ହୁଏ ନାହିଁ, ବିନା ଅତି କ୍ଲାନ୍ତ ନହେଲେ ।

 

ବାପା ଉପଦେଶ ଦିଅନ୍ତି ସୂତା କାଟିବାକୁ ଓ ଭାଗବତ ପଢ଼ିବାକୁ । କହନ୍ତି, ‘‘ସଂସାରଯାକ ରନ୍ଥାଳି ରନ୍ଥାଳି ଚାରିଆଡ଼େ ବୁଲିବୁଲି ଫେରି ମୁଁ ଏତିକି ପାଇଲି ।’’ ବିଶ୍ୱାସ ଆସେ ନାହିଁ ।

 

ମୋଟେ ଏତିକି ! ରଙ୍ଗ ନାହିଁ, ରସ ନାହିଁ, ଉଚ୍ଛ୍ୱାସ ନାହିଁ, ଖାଲି ସୂତାକଟା ଓ ଭାଗବତ-!

 

ଛବି ଅଭ୍ୟାସ କରେ, କିନ୍ତୁ ସବୁଦିନେ ନୁହେଁ । ମନ ଯାଏ ନାହିଁ ।

 

ସେହି ଅବସରବେଳେ ବାରମ୍ବାର ଆସେ ଆପଣା ବୟସର ପ୍ରବୃତ୍ତି- ରଙ୍ଗପାଇଁ, ସୌନ୍ଦର୍ଯ୍ୟପାଇଁ, ସଙ୍ଗୀତପାଇଁ, ଉଚ୍ଛ୍ୱାସପାଇଁ ।

 

ସେତିକିବେଳେ ତା’ର ଅଭାବବୋଧ ବଳାଏ ।

 

ତାହାରି ତାଡ଼ନାରେ ସେ ସୁନ୍ଦର ସୁନ୍ଦର ଶିଳ୍ପ ଗଡ଼େ, କିନ୍ତୁ ଉପକରଣ ସଂଗ୍ରହ କରିବାକୁ ପଇସା ନାହିଁ । ଯାହା ମିଳେ ସେତିକିରେ ତା’ର କାମ ହୁଏ । ବଡ଼ିପାଇଁ ବଟା ବିରିରେ ସେ ବେଙ୍ଗ ଗଢ଼ିଛି, କୁମ୍ଭୀର ଗଢ଼ିଛି, ନାଲି କାଇଁଚ ଗେଞ୍ଜି ତା’ର ଆଖି କରିଛି । ରଙ୍ଗ ରଙ୍ଗର ସରୁ କାଚମାଳି ଗୁନ୍ଥି ଗୁନ୍ଥି ସେଥିରେ ସେ ଗାଞ୍ଜିଆ କରିଛି, ବଟୁଆ କରିଛି, କଲମ ପେନ୍‌ସିଲ୍ ଉପରେ କାଚମାଳି ବୁଣି ତାକୁ ସୁନ୍ଦର କରିଛି । ମାଛକାତିକୁ ଏକାଠି କରି ସେଥିରେ ସେ କୁକୁଡ଼ା ଓ ମୟୁର ଗଢ଼ିଛି, ଇନ୍ଦ୍ରଯବ ମଞ୍ଜିରେ ଥଳି କରିଛି, ମଣ୍ଡା କାଇଁଚରେ ହାର, କାଇଁଶରେ ପେଡ଼ି, ବିଞ୍ଚଣା, ଛିଣ୍ଡାଲୁଗା ଧଡ଼ିରେ ପର୍ଦ୍ଦା, ତକିଆ ଖୋଳ କରିଛି, ଆଉ କରିଛି ଜାତିଜାତିକା ବିଞ୍ଚଣା ତାଳପତ୍ରରେ, କାଇଁଚରେ, ବେଣାଚେରରେ- ତହିଁରେ ରଙ୍ଗ ଦେଇଛି, ଝାଲର ଦେଇଛି, କମକୂଟ କରିଛି । ଗୋଟାଏ ଭଙ୍ଗା ପେଟ୍ରା ତା’ର ଶିଳ୍ପ କାମରେ ଭର୍ତ୍ତି । ଖୋଲିଦେଲେ ଦିଶେ ନାନା ରଙ୍ଗର ସମାବେଶ, ସତେ କି ତା’ର ହୃଦୟ ଖୋଲି ଦେଖିଲାପରି ।

 

ସେହି ରାତି ପରେ ତା’ର ସେ ଶିଳ୍ପରୁ ବି ଯେପରିକି ମନ ଛାଡ଼ିଯାଇଥିଲା । ହାତରେ ଥିଲା ଗୋଟାଏ ଅଧା ତିଆରି କଣ୍ଢେଇ, ଭିତରଟା ପାଳକୁଟା, ଉପରେ କନାସିଲେଇ, ରଙ୍ଗରଙ୍ଗ ମାଳିରେ ପୋଷାକ ସଜାସଜି । ରବି ସଙ୍ଗେ ଦେଖାହେଲା ପରେ କେବେ ଦିନେ ତାକୁ ସେ ଆରମ୍ଭ କରିଥିଲା । ତା’ପାଇଁ କରି ରଖିଛି କନା ଓ କାଠିର ଛତ୍ରି, ସରୁ କାଚମାଳି ଗୁନ୍ଥା ଆଲଟ, ଚାମରପାଇଁ ପୁରୁଣା ଚଉଁରିଭୁଣ୍ଡୀ ସଂଗ୍ରହ କରି ରଖିଛି, ତା’ପରେ ସେ କଣ୍ଢେଇଟି ସମ୍ପୂର୍ଣ୍ଣ ହୋଇଥାନ୍ତା ଛବି, ତା’ର ଅଭିଷେକ କରିଥାନ୍ତା, ଖେଳିଥାନ୍ତା ତାକୁ ଧରି ମନଇଚ୍ଛା, କ୍ରମେ ସେ ହାତରୁ ଖସି ପଡ଼ିଛି, ଆଉ ନାହିଁ ।

 

ଖରାବେଳେ ଗାଲେଇ ପଡ଼ିଲେ ଝାଞ୍ଜିବେଳେ ହୁତୁହୁତିଆ ଦୂର ପବନର ଶବ୍ଦହିଁ ସେ ଶୁଣେ, କ୍ଲାନ୍ତିରେ ଦେହମନ ଅଳସ ଲାଗେ, ସେ ରାହା ଦେଖେ ନାହିଁ ।

 

ଗାଁରେ ରଟନା ବାସି ହେଲେ ବି ଲୋକେ ଭୁଲି ନାହାନ୍ତି, ଲୋକେ କେବେ କେବେ ଚର୍ଚ୍ଚା କରନ୍ତି, ଦଶମୁହଁରେ ଦଶକଥା ଫାନ୍ଦି କେତେବେଳେ କେଉଁଠୁ କେଉଁ ଉଦ୍ଭଟ ବିଜ୍ଞପ୍ତି କୁହୁଳି କୁହୁଳି ଅରାଏ ଅଞ୍ଚଳ ବ୍ୟାପେ । ଲୋକେ ନାନା ଉପାୟରେ ଖବର ନେଇ ଘଟନାର ସତ ମିଛ କଳନ୍ତି, ବିଡ଼ନ୍ତି । ବାଦାନୁବାଦ ଲାଗେ, ପରେ ସେ ଭୁଲି ହୋଇଯାଏ । ଛବି ସେସବୁ କଥାକୁ କାନ ଦିଏ ନାହିଁ, ଡରି ଡରି ଆଡ଼େଇ ରହେ । ସାହି ବୁଲି ଯାଏ ନାହିଁ, ନଈକି ଯାଏ ନାହିଁ, ଗାଧାଏ ଘରେ କୂଅମୂଳେ । ତଥାପି ଶୁଙ୍ଘୁ ଶୁଙ୍ଘୁହୋଇ ଗାଁର କେହି ବୋହୂଝିଅ ବାଁରେଇହୋଇ ବୁଲି ଆସନ୍ତି । ତାଙ୍କୁ ଦେଖିଲେ ତା’ର ପୋଷ ପୋଷ ରକ୍ତ ଶୁଖିଯାଏ, ତା’ର ବୋଉ କି ଗୁରବୋଉ କାହାକୁ ଜଣକୁ ସାଙ୍ଗ ନ କଲେ ତା’ ଦେହରେ ପ୍ରାଣ ପଶେ ନାହିଁ ଯଦିଚ ସେମାନଙ୍କୁ ଦେଖିଲାମାତ୍ରେ ସେ ବିନୟରେ ହସେ, ବନ୍ଧା କଥାରେ ସ୍ୱାଗତ ଜଣାଇ କହେ, ‘‘ଆଜି କି ଅପୂରୁବ ମୁଁ, ମହାଭାଗ୍ୟ !’’ ଆଉ ସପ ପାରିଦିଏ, ପାନ ଭାଙ୍ଗେ, ଚର୍ଚ୍ଚା କରେ ।

 

ସେତିକିବେଳେ ଶୁଣେ ସେ ଅଯାଚିତ ସହାନୁଭୂତି–‘‘ଆହା ହା ଛବିବୋଉ, ଛବିଟି ଏଡ଼େଘାଏଁ କାଇଁ ଶୁଖିଯାଉଚି–ସତେ କିଲୋ ! କି ଶୋଭା ରୂପ, କ’ଣ ହେଲାଣି, ମୁଁ ମରିଯାଏଁଟି ।’’

 

‘‘ଯେମିତି କି କାହା ଦୃଷ୍ଟିପଡ଼ିଚି ମ ଅପା, ମଣିଷ ହଉ କି ଗଛବୁରୁଛ ହଉ କି ଆଉ ଜୀବଜନ୍ତୁ ହଉ, ଛନଛନିଆ ହେଇ ବଢ଼ି ଉଠୁଥିବ, ସେଉଠୁ ପଡ଼ିବ କାହା ଦୃଷ୍ଟି ଯେ ଶୁଖିଯିବ, ଶୁଖିଯିବ, ତମେ କାହାକୁ ପଚାରି ବୁଝ ମ ଛବିବୋଉ, କାହାକୁ ଦେଖାଅ ।’’

 

‘‘ଆଲୋ ଖାଲି ଦୃଷ୍ଟି ପଡ଼ିଚି ବୋଲି କାଇଁକି କହୁଚୁ ମ ଅପା,’’ ଆଉ କିଏ କହେ, ‘‘ଦୃଷ୍ଟି ତ ବାରିଆଡ଼େ କି ଚାରିଆଡ଼େ । ସମସ୍ତିଙ୍କ ଉପରେ ଦୃଷ୍ଟି ପଡ଼ୁଥିବ । ସମସ୍ତେ ନ ଶୁଖି ଜଣେ କାଇଁକି ଶୁଖିଯିବ ?’’

 

‘‘ନାଇଁଲୋ ଓଲି, ସମସ୍ତେ ଚାଲିଯାଆନ୍ତି ବାଟେ ବାଟେ ଦୃଷ୍ଟି ଜଣକୁ ସିନା ଲାଗେ, ଠାକୁରାଣୀ ଜଣକୁ ଧରେ, ଡାଆଣୀ ଜଣକୁ ଲାଗେ, ଆଲୋ ସେ ‘ଭୂତକେଳି’ ବହିରେ କ’ଣ ଲେଖିଚିଟି ?’’

 

ଆଲୋଚନା ଏଭଳି ଜମକରେ ପହଞ୍ଚିଲେ ଛବି ସତେକି ଚେତନାଶକ୍ତି ହରାଇ ମୁହଁକୁ ତଳକୁ ପୋତି ବସିରହେ । ପାନଶିର ଛିଣ୍ଡେଇ ଛିଣ୍ଡେଇ, ତଳେ ଗାର କାଟି କୋଠି କରିବାକୁ ବି ଭୁଲିଯାଏ । ଛବିବୋଉ କଥାକୁ ବୁଲେଇବାକୁ ଚେଷ୍ଟାକରନ୍ତି, ଗୁରବୋଉ ପିଠି ପତେଇଦିଏ, ନ ହେଲେ ପକାଏ ଆଉ କାହା ଘର କଥା, କିନ୍ତୁ ଯେଉଁମାନେ କଥା ପକେଇ ମାଡ଼ ଦେବାକୁ ଆସିଥାନ୍ତି, ସେମାନେ ଭୁଲନ୍ତି ନାହିଁ । କହିବା କଥା କହିଦେଇ ଯାଇ ପଦାରେ ଆପଣା ବାହାଦୁରି ବଖାଣନ୍ତି ।

 

ଆଲୋଚନା ଲାଗେ–

 

‘‘ମଣିଷ କ’ଣ ମାହାଳିଆ ଶୁଖିଯାଏ ? ରୋଗ ବଇରାଗ ନାହିଁ ଏମିତି ଖାଲିଟାରେ ?’’

 

‘‘ଏ ଅପା, କେମିତି କଥା ମ ! ଖାଲିଟାରେ ଶୂନ୍ୟରୁ କୋଉଠୁ କିଛି ହୁଏ ? ସେଥିରେ କଥା ଥିବ, ଯେ କାହା ମନକଥା କିଏ ସେ ଜାଣିପାରିବ ? ପଦାକୁ ତ ସମସ୍ତେ ସୁନ୍ଦର ଲୋ ମା’ ! ଏ ଚମଢାଙ୍କୁଣି ଭାରି ଜକଜକ । ଭିତରେ ପୁଣି ତ ପାଞ୍ଚ ମନ ପଚିଶ ପରକୁତି ଅଛି, ପବନ ଆତଯାତ ହଉଛି, ସେଥିରେ କିଏ ପଶି ପାରିବ କହ ?’’

 

‘‘ଆଉ ଯୁଗକୁ ଦେଖୁଚଟି ? କଳି ଯୁଗ ଆସି ଶେଷ ହେବାକୁ ବସିଲା । କହନ୍ତି ନାଇଁ ରାତି ପାହାନ୍ତିକୁ ନିଶା ବେଶି ଗରଜେ, ଅନ୍ଧାର ବେଶି ଗାଢ଼ା ହୁଏ । ସେମିତି । ଏକାଳେ ବେଶି ବିଘଟଣ, ଆଉ କ’ଣ ମାନ୍ୟ ଅଛି ନା ମାନତା ? ଅଇଛା ମନକୁ ମନ । ଚୋରାଲୁଚା–’’

 

‘‘କଳା ବଜାର–’’

 

‘‘ଯାହା କହିଲ, କଳା ବଜାର ଘୋଟିଚି ଏ ପୃଥୀକି । ନଇଲେ ଏଡ଼େ କଥା ପୁଣି ଏଡ଼େ ଘାଏଁ ଆଗେ କୋଉଠି ଶୁଣୁଥିଲ ? ଅଇଛା ଟୋକାଟୋକୀଙ୍କ ମନ ଅନୁସାରେ କାମ, ଯାହାର ଯୋଉଠିକି ଯିବାକୁ ମନ ହେଲା ଗଲେ । ଯେ ଭଲ କହି ଆକଟିଲା, ସେ ହେଲା ସଲ । ଯେ ତମ ଆକଟ ମାନୁଚି କିଏ, ତାଙ୍କ ବାଟରେ ସେ ଯିବେ, ମଝିରେ ତେମେ ଚିହ୍ନା ପଡ଼ିବ । ବେଦୀ ବାହାଘର ନ ହେଲା ଭାସିଗଲା, ଘରୁ ପଳେଇଯାଇ ରେଜେଷ୍ଟିରି ବାହାଘର ବି ତ କରି ନଉଚିନି । ତା’ ବି ନ ହେଲେ କିଏ ବାଡ଼େଇ ପକୋଉଚି ? ଆଜିକାଲି କାଳ କ’ଣ ହେଲା ସତେ ! ଗୋଟି ଗୋଟି କରି କେତେଟା ଘଟଣା କହିବି କହ । ହେଇ ଶୁଣ–’’

 

କଥାପେଡ଼ି ଖୋଲିଯାଏ । ସେ ଆଉ କାହା କଥା, ଯେ ଉପସ୍ଥିତ ନାହିଁ, ଯେ ପ୍ରତିବାଦ କରିବ । ଏ ପଦେ ସେ ପଦେ ଉଦାହରଣ ଉପାଖ୍ୟାନ ଯୋଡ଼ିଦିଅନ୍ତି । ସାହି ମାଇପେ ସେମାନେ, ସମାଜର ରୀତିନୀତି ବିଷୟରେ ଆଲୋଚନା କରିବାକୁ ତାଙ୍କର ଅଧିକାର ଅଛି, କରିବେ । ପଡ଼ିଗଲା ଏମିତି ଭାଏଁ ଭାଏଁ ଦଶ ପଦ । ମୁହଁ ପାଖେ ମୁହଁ ଯୋଡ଼ିଦେଇ ଗିଳିପକାଇଲାପରି ବଡ଼ ବଡ଼ ଆଖି କରି ଶୁଣି ବସିଥିବେ ଝିଅବୋହୂମାନେ । ହାଇଁପାଇଁ ମନ ଅନ୍ତତଃ କଳ୍ପନାରେ ହେଲେ ଚରିବୁଲି ଆସୁଥିବ ପଦାରୁ ପଦାରୁ, ଆପଣା ଗୋଡ଼ରେ ପଛେ କୋଡ଼ିଏ ମହଣ ଓଜନର ରୀତି ଆଉ ନୀତି ଛନ୍ଦା ହୋଇଥାଉ । ପାଟିରେ ପାନ ଥାଇ ବି କଳ ବୁଲୁ ନ ଥିବ, ଭାସିଲା ଭାସିଲା ଆଖିରେ ଉଛୁଳୁଥିବ ଆଲୁଅ । କାହାଣୀ ସରିଲେ ଦୀର୍ଘଶ୍ୱାସ, ଆକାଶରେ ନାରଙ୍ଗି ନାଲି ବଉଦକୁ ଚାହୁଁ ଚାହୁଁ ସେଠି କେଉଁ ଅଧାଚିହ୍ନା ଅଧାଭୁଲା ଗାଁ ଗୋହିରିର ଛବି ଦିଶୁଥିଲା । ଆପଣା ମନଗହୀରରୁ ଉଠି ଆସି ବଢ଼ା ହୋଇଥିଲା ମନସାଧ ଭୋଜି । ହଠାତ୍ ତା’ ଗଲା ଛପି, ଅନ୍ଧାର ପଡ଼ିଗଲା । ଉଠି ଯାଉ ଯାଉ ତୁଣ୍ଡରେ ନିନ୍ଦାବାଦର ଧ୍ୱନି–‘‘ଛିଆକର, ଛିଆକର !’’

 

‘‘କହନା ସେ କଥା ଆଉ ।’’ ‘‘ଛି ଛି କ’ଣ ହେଉଚନ୍ତି ଏଗୁଡ଼ାକ !’’

 

ଆଉ ଠିକ୍ ସେତିକିବେଳେ ବାଁରେଇ ହୋଇ କରପଟିଆ ହୋଇ ଆଡ଼େଇ ଠିଆହୋଇ ଛିଲିକାତି ଫୋପାଡ଼ି ମାରିଲାପରି କାହାର ପଦେ ସମାଲେଚନା- ‘‘କେଡ଼େ ଶାନ୍ତ ସୁଧୀର କେଡ଼େ ଭଲ ପିଲା ତମ ଛବିଟି, ଛନ୍ଦ ମନ୍ଦ କିଛି ଜାଣେ ନାହିଁ, ସେଠୁ ସହସ୍ର କୋଶରେ ଥାଏ ସେ । ଏଠି ଏତେକଥା ପଡ଼ିଗଲା, ଦେଖୁଛ ତାକୁ ଏଠି ? ଏସବୁ କଥା ଶୁଣିବ ସେ ! ସେ କି ତା’ କାମ, ଆଉ କିଛି କୋଉଥିରେ ପାଟି ଫିଟେଇବ ନାହିଁ । ତାକୁ ଯେ ବୋହୂକରି ନବ ତା’ କପାଳ । ଯାହା କହ ପିଲାଟା କେମିତି ହାରିଗଲାପରି ଦିଶୁଛି । ଯେମିତି ମନରେ ସୁଖ ନାଇଁ ସେମିତି । କ’ଣ ହେଇଚି ? କୋଉଠି ଲାଗିଲାଣି ?’’

 

ଏମିତି ବୁଲେଇ ବଙ୍କେଇ, କେତେବେଳେ ଅବା ସିଧା ସଳଖ ଚୋଟ ।

 

କିଏ କହିଲା ? ତା’ର କି ସମ୍ୱନ୍ଧ ଏଠି ? କାହିଁକି ପରଘର କଥାରେ ସେ ତୁଣ୍ତ ସୁଖ କରିନେବ ?

 

ଉଠେ ନାହିଁ ସେ ପ୍ରଶ୍ନ ଏଠି ।

 

ଗାଁ ମାଇପେ, କହିବାକୁ ଅଧିକାର ଅଛି–ତୁମେ ତାଙ୍କ କଥାକୁ ଘେନ କି ନ ଘେନ । ଯାହାଙ୍କ ବୟସ ବଢ଼ିଛି, ବାଳ ପାଚିଛି, ଗାଲ ଟାକୁଆ ହୋଇଛି, ତାଙ୍କ ଅଧିକାର ଯେପରି କି ଆହୁରି ପାହାଚେ ଉପରକୁ ।

 

‘‘ଇଲୋ ଛବି ବୋଉ, ମୋ କଥା ମାନ୍, ଇଲୋ ଖାଲି ବସିଚ କ’ଣ, ଝୁଅଟାକୁ କୋଉଠି ବାହା ଦେଇପକା । ତେଣିକି ତାଙ୍କ କର୍ମ ତାଙ୍କର, କପାଳରେ ଥିଲେ କାହିଁରୁ କ’ଣ ହେଇଯିବ । ଏତେ ଛୁଞ୍ଚି ମାଛି ପରଖ କରୁଥିଲେ ଖାଲି ବସି ରହିଥିବ, ବେଳ ଗଡ଼ିଯିବ । ବୟସ ବସିଛି ନା ଯାଉଚି ହଇଲୋ ? ପୁଅ ସିନା ଜନମ କଲୁ ନାଇଁ, ସେଇ ତ ପୁଅ, ସେଇ ତ ଝୁଅ । ନାତି ମୁହଁ ଦେଖିବାକୁ ମନ ହଉନାଇ ହଇଲୋ ? ଆଉ ଡେରି କରନା, ଖୋଜୁଥିଲେ ଖୋଜୁଥିବ, ଆଶା ମେଣ୍ଟିବ ନାହିଁ, କରିପକା ଯୋଉଠି ହେଲେ, ମୋ କଥା ମାନ୍ ।’’

 

କହନ୍ତୁ ଯେ ଯାହା, ତାକୁ ପାଛୋଟି ନେବାକୁ ହେବ, ମସିଣା ପାରିଦେଇ ବସେଇବାକୁ ହେବ, ତାଙ୍କ ପିଛା ସମୟ ଖର୍ଚ୍ଚ କରିବାକୁ ହେବ । ପାନ ଭାଙ୍ଗି ଦେବାକୁ ହେବ । ସେ କହୁଥିବେ ଶୁଣିବାକୁ ହେବ, ସହିବାକୁ ହେବ ।

 

ଏଇ ଗାଁ ମାଟିରୁ ତ ସମସ୍ତେ, ସେଠି କେହି ବଡ଼ ନାହିଁ, ସାନ ନାହିଁ । ଗାଁ ଚାରିଆଡ଼େ ଯେଉଁ ଶହ ଶହ ବର୍ଷର ପୁରୁଣା ବରଗଛମାନ ଅଛି, ପୁଅଠୁଁ ପଣନାତି ହୋଇ ୟା ଓହଳରୁ ସେ ଗଛ, ତା’ ଓହଳରୁ ସେ ଗଛ ଏହିପରି ହୋଇ କୁଟୁମ୍ୱ ବଢ଼ାଇଛନ୍ତି । ସେମିତି ଏ ଗାଁର ପୁରୁଣା ଘରସବୁ, ବ୍ରାହ୍ମଣଠୁଁ ପାଣଯାକେ ସମସ୍ତେ । ସମସ୍ତେ ସମସ୍ତିଙ୍କି ଲଙ୍ଗଳା ଦେଖିଛନ୍ତି । ଦେଖିଛନ୍ତି କେତେବେଳେ କାହା ଘର ଛାତ ଧୂଳିଆ ପିଟା ହୋଇଛି, ଆଉ କେତେବେଳେ ଭଙ୍ଗାଡିହ ଉପରେ କାନ୍ଥ ଭୁଶୁଡ଼ି ପଡ଼ି ପାଣିରେ ବୋହିଯାଇଛି, ଅରମା ବଢ଼ିଛି । କେତେ ଏଇ ଗାଁ ଲୋକ ବିଦେଶ ଯାଇ ବଢ଼ିଛନ୍ତି, ପୁଣି ଛିଡ଼ି ଛିଡ଼ି ଆସି ଏଇ ଧୂଳିରେ ନୂଆକରି ଖଡ଼ି ଧରିଛନ୍ତି । ଯୁଗେ ଯୁଗେ ଏଇ ମଳିମୁଣ୍ଡିଆଙ୍କ ରୁଚି ଅରୁଚି ଘେନି ଗଢ଼ା ହୋଇଛି ଗାଁ ମତ, ସେହି ଏକାଠି ହୋଇ ସମାଜର ମତ । ବରଷଯାକ ପୁନିଅଁ ପର୍ବ ଓଷାବାରର ଜାଲ, ନିତି ସକାଳେ ସଞ୍ଜେ ଠାକୁର ପାଖେ ଜେ’ ଜେ’, ସଞ୍ଜରେ ଚଉରାମୂଳେ ସଞ୍ଜବତୀ । ଘରେ ଘରେ ବଡ଼ବଡ଼ୁଆ, ଭଲ ମନ୍ଦରେ ଦିଅଁମଙ୍ଗୁଳା ଠାକୁରାଣୀ ମାଜଣା-ସବୁ ବୁଝାଏ ସେହି ଗୋଟାଏ କଥା, ଯେ ଏଇ ପୁରୁଣା ଗାଁର ନିଜର ଗୋଟାଏ ଅଲେଖା ନୀତି ଅଛି, ଗୋଟାଏ ବିରାଟ ସମ୍ବିଧାନ, ଅକଳନ ସମୟର ଚାପ ଆଉ ତାତିରେ ସେ ପାଗ ହୋଇଛି, ଅଗଣତି ଘରକରଣା ମଣିଷ ଆପଣା ଜୀବନ ବଞ୍ଚି ତାକୁ ଗଢ଼ି ରଖିଦେଇ ଯାଇଛନ୍ତି-। ସେ ଗୋଟିକିଆ ମଣିଷର ବ୍ୟକ୍ତିଗତ ରୁଚି ଅରୁଚି ମତାମତଠୁଁ ବଡ଼, ତାକୁ ମାନିବାକୁ ପଡ଼ିବ ।

 

କିନ୍ତୁ ସେଥିରେ ବି ତ ଥିଲା ଆପଣା ସ୍ୱାର୍ଥକୁ ପଛକରି ସମସ୍ତିଙ୍କ ମଙ୍ଗଳକୁ ଆଗ କରିବା କଥା, ଆପେ ନଷ୍ଟରେ ପଡ଼ିଲେ ଚିନ୍ତା ନାହିଁ ସମସ୍ତିଙ୍କର ଭଲ ହେଉ । ସେଥିରେ ଥିଲା, ସମସ୍ତେ ଆଗ ଦେଖିବେ ଏ ଗାଁରେ କେହି ଯେପରି ଉପାସରେ ନ ରହିବ, ଯେପରି ଚାଷୀକୁ ଜମି ମିଳିବ । ମୂଲିଆକୁ ମୂଲ ମିଳିବ, କମାର ହେଉ, କୁମ୍ଭାର ହେଉ ଯେ ଯେଉଁ ବୃତ୍ତି ଧରିଛି ସେ ଯେପରି ତା’ର ସେ ବୃତ୍ତି ଚଳେଇ କୁଟୁମ୍ୱ ପୋଷି ପାରିବ, ସେଥିରେ ଥିଲା–ପୋଷାଜନ୍ତୁ ହେଉ କି ଗାଁର ମଣିଷ ହେଉ ଅପାରଗ ହୋଇପଡ଼ିଲେ ତା’ର ଯେପରି କି ବଞ୍ଚିବାକୁ ବ୍ୟବସ୍ଥା ଥିବ, ଦୁର୍ବଳକୁ ଗାଁ ସାହାପକ୍ଷ ହେବ, କାହାରି ନିକୁଛିଆ ଗୁଜୁରାଣ ଅମେଣ୍ଟ ରହିବ ନାହିଁ । ବାଦ ଛେଦ ଛାଡ଼ି ଗାଁଯାକ ଗୋଟିଏ ଘର ପରି ପରସ୍ପରକୁ ଦେଖି ଚାହିଁ ଆଦରି ଭଲପାଇ ଗୋଟାଏ ହୋଇ ସୁଖରେ ରହିଥିବେ ଗାଁ ଗୋଟାକର ଲୋକେ, ଠାକୁରଙ୍କୁ ପୂଜା କଲାବେଳେ ପିତୃପୁରୁଷଙ୍କୁ ଜଳ ଆଞ୍ଜୁଳି ଟେକିଲାବେଳେ ମନରେ ଥିବ ଆତ୍ମବିଶ୍ୱାସର ନିବେଦନ–

 

‘‘ଏ ଗାଁର ମଣିଷ ମୁଁ, ନୀତିକି ତଳକୁ ପକାଇ ଦେଇନାହିଁ, ଟେକି ଧରିଛି । ତେଣୁ ମୁଁ ତମର ଉପଯୁକ୍ତ ଦାୟାଦ, ତମ ଧର୍ମର ଅଧିକାରୀ ।’’

 

ଗଲାଣି ସେ ମଣିଷ, ମାଟିତଳେ କେତେ ଗହୀରରେ କେଉଁଠି ପୋତି ହୋଇ ପଡ଼ିଥିବ ତା’ର ହାଡ଼ । ତା’ର ଚାଉଳ କେଉଁ ତଳେ କଳା କଳା ଅଙ୍ଗାରପରି ହୋଇ ମାଟିରେ ମିଶିଥିବ । ସେହି ମାଟିତଳେ କେଉଁଠି ବିଛେଇ ହୋଇ ପଡ଼ିଥିବ ତା’ ସତୀ ସ୍ତ୍ରୀର ରକ୍ତ ପୋହଳା କଣ୍ଠି, ହାତୀ ଦାନ୍ତର ମାଳି, ମୋତି ହାର, ରଙ୍ଗବୋଳା ମାଟିର ଅଳଙ୍କାର, କାନର ପଣସଫୁଲ । କେଉଁଠି ପଡ଼ିଥିବ ତା’ର ଘରକରଣାର ସହସ୍ରେ ଶଙ୍କୁ । ତଷୁରେ ପୋତା ହୋଇ ବେତ ପେଡ଼ିରେ ପଶି ଲୁହା ସିନ୍ଦୁକରେ ନିବୁଜ, ହୋଇ କେଉଁ ଗହୀରରେ ପୋତା ହୋଇଥିବ ତା’ର ସେ ଶହ ଶହ ବର୍ଷର ପୋଥି, ତା’ର ଶାସ୍ତ୍ର, ତା’ର ଭଉଁରିଆ, ତା’ର ଇତିହାସ । ଆଉ ଉପରେ ଖାଲି ଟାହି ଟାପରା କରିବାକୁ କେଉଁଠି କେମିତି ଗୋଟାଏ ଗୋଟାଏ ପୁରୁଣା ଦେଉଳ, ଯେ କହେ–କ’ଣ ଥିଲୁ କ’ଣ ହେଲୁ ଦେଖ, ପୁରୁଣା ପାଖରେ ନୂଆକୁ ଥୋଇ କଣ୍ଟ, ଆହୁରି ବଡ଼ ବଡ଼ ଆଖିକରି ଅନା, ଅନାଇଁଥା-

 

ସେହି ପୁରୁଣାକୁ ଖାଲି ମୁଣ୍ଡିଆ ମାରି ମଣିଷ ଦିନ ଚଳାଏ । ତୁଣ୍ଡରେ ପଦେ ଅବିଶ୍ୱାସର ମନ୍ତବ୍ୟ, ସେହି ତା’ର ଅତୀତ ପ୍ରତି ସଂଭ୍ରମ ‘‘ସେଦିନ ଯାଇଛି, ଆଉ ଆମ ଦେଇ ହେବ ନାହିଁ ।’’

 

କର୍ତ୍ତବ୍ୟ କଥା ଭୁଲି ହୋଇଯାଇଛି, ଅଧିକାରଟା ଛାଡ଼ି ହୋଇନାହିଁ, ପର କଥାରେ ମୁଣ୍ଡ ଗଳେଇ ତୁଣ୍ଡ ସୁଖ କରିବାର ଅଧିକାର । ଅତୀତର ସନ୍ତକକୁ ମୁଣ୍ଡ ନୁଆଁଇଲା ଭଳି ତାକୁ ବି ଏ ଗାଁର ମଣିଷ ମୁଣ୍ଡ ନୁଆଇଁ ତୁନୀ ରହେ । ତେଣୁ ତାଙ୍କ କଥା ଶୁଣିବାକୁ ପଡ଼େ ।

 

ଆଡ଼େଇ ହୋଇ ଘର ଭିତରେ ଆପଣା କାମ କରୁ କରୁ ଛବିର କାନରେ ବାଜିଯାଏ, କାନ ଠିଆ ହୋଇ ରହେ, ଆଖିରୁ ଧାର ଛୁଟେ । ଏ ଘରର ମଲା ହଜିଲାରେ ଯାହାଙ୍କ ତୁଣ୍ଡରୁ ପଦେ କଥା ବାହାରିବ ନାହିଁ, ମନ୍ତବ୍ୟ ଦେବାକୁ ବସିଲେ ତାଙ୍କ ତୁଣ୍ଡରେ ସତେ କି ଘଡ଼ିବାଣ ଫୁଟେ-

 

‘‘ଦିଅ, ବୋଝ ଉଠେଇଦିଅ, ଆଉ ରଖିବ କାଇଁକି ?’’

 

‘‘ଦଶରୁ ବାର ଗୌରୀ ଦାନ । ତା’ ଯଦି ନୋହିଲା ଅନ୍ତତଃ ପନ୍ଦର, ସତର । ଆଉ ରଖି ବସିଥିବ ବୁଢ଼ୀ ହେବାଯାଏ ?’’

 

‘‘ଯା ହାଣ୍ଡିରେ ଯେ ଚାଉଳ ପକେଇଥିବ ବଳେ ହେବ, କାହା କହିବାରେ କ’ଣ ଅଛି ?’’

 

‘‘ତେବେ ମଣିଷର ଚେଷ୍ଟା ତ, ଥିରି ହେଇ ହାତ ଗୋଡ଼ ଯାକି ବସିଥିଲେ କ’ଣ ହେବ ? ଖାଲି ଠାଆକୁ ଠାଆ ପକେଇ ପକେଇ ଭାଙ୍ଗୁଥିବ ନା ଆଉ କ’ଣ ?’’

 

‘‘ଆଖି ବୁଜି କରିଯାଅ, କର୍ମରେ ଥିଲେ ସେଇଠି ମାଡ଼ିବ । ଶୁଣିନା ରଜାଝିଅ କଥା ? ତିନି କଡ଼ା କଉଡ଼ିରେ ଅଗନାଗିନି ବନସ୍ତରେ ଯାଇ କେଡ଼େକଥା କଲା ! କହିଲା, କଡ଼ାକେ ମାରି, କଡ଼ାକେ ତାରି, କଡ଼ାକେ ଘର ଦୁଆର କରି ।’’

 

‘‘ବିଶଳପଡ଼ା ଯୋଗୀ ମାହାନ୍ତି ପୁଅ ଭଗିଆ ବିଷୟରେ ପରା ସମ୍ବନ୍ଧ ଆସିଥିଲା ? ସେମାନେ ତ କହୁଚନ୍ତି ଜାତକ ଶୁଝେଇବେ ନାଇଁ, ସର୍ବମଙ୍ଗଳ ଜଗନ୍ନାଥ କରି ଚାଲିଯିବେ । ଦୋଭେଇ ବର ହଁ, ତେବେ ସେଥିରେ କ’ଣ ଯାଏ ? ଭାରିଯା ତ ମଲାଣି ପାଞ୍ଚ ବର୍ଷ ହେବ । ପିଲା ଦି’ଟା ଛାଡ଼ିଯାଇଚି ଯେ ସେମାନେ ତ ଆଉ କାଖର କୋଡ଼ର ନୁହନ୍ତି ଯେ କିଏ ତାଙ୍କର ଘୁଅମୂତ କରିବ କି ପିଠିରେ ପକେଇ ବୁଲିବ । ସେମାନେ କାମକୁ ସାଆ ହେବେ । ଭଗିଆ କେଡ଼େ ଭଲପିଲା, କେଡ଼େ ଘରକରଣା, ବିଲ ବାରି ସେଇ ତ ସମ୍ଭାଳିଚି । ମାଆ ଠାକୁରାଣୀ ଟିକିଏ ଛିଞ୍ଚି ଦେଇ ଯାଇଚନ୍ତି, ଆଖିଟିଏ ନେଇ ଆୟୁଷ ଦେଇ ଚାଲିଗଲେ । କ’ଣ କରିବ, ଗାଁରେ ଘୋଷରା ପଡ଼ିଗଲା । ତା’ ଭାରିଯାଟି ଅହ୍ୟରାଣୀ ହୋଇ ଚାଲିଗଲା, ସେ ବି ପଡ଼ିଗଲା । ଯାହା ଯେତେବେଳେ ଘଟେ, କାହା ହାତରେ ଅଛି ?’’

 

‘‘ଖାଲି ଆଖି ନୁହେଁ ମ, ଗୋଟିଏ ଗୋଡ଼ ବି ଟିକିଏ ଖଲେଇ ଖଲେଇ ଚାଲେ ।’’

 

‘‘ଯା ମ, ବାଛୁଥିଲେ ବାଛୁଥିବ, କମ୍ୱଳଯାକ ବାଳ । ଜମିବାଡ଼ି ତ ଅଛି, ଖାଇ ପିଇ ବରଷଯାକ ଚଳେ, ଆଉ କ’ଣ ଦରକାର ?’’

 

‘‘ନ ହେଲେ ବୁଝୁନ ଉଦେପୁର ଶତମନୁ କାନଗୋଇ ପୁଅ ବିଷୟରେ ? କ’ଣ ନାଙ୍କେରା ହବ ? ଘର ଦୁଆର ଭାଙ୍ଗି ଯାଇଥିଲେ ବି ଅଛି । କେହି ତ କହିବେ ନାଇଁ ସେ ଅଘୋରି ବୋଲି । ବାପା ମା’ ନାହାନ୍ତି, ନ ଥାନ୍ତୁ ? କାହା ବାପ ମା’ ବସିଥାନ୍ତି ସବୁଦିନେ ? କଂଗ୍ରେସରେ ମିଶି କାମ କରୁଥିଲା ଜିହଲ ଭୋଗିଲାବୋଲି ବେଶୀ ବଡ଼ପାଠ ପଢ଼ିପାରିଲାନାଇଁ । ତା’ବୋଲି କ’ଣ ଅଟକିଲା ? ଅଇଛା ଗାଁରୁ ବାହାରୁ ସମସ୍ତେ ତା’ ପଛେ ପଛେ ଗୋଡ଼େଇଛନ୍ତି, ଯୁଆଡ଼େ ଗଲେ ବୀରବାବୁ ବୀରବାବୁ ବୁଝିଲ ନାଇଁ ଟିକିଏ ଆମକଥା ? ଟିକିଏ ମନ୍ତ୍ରୀଙ୍କି କହିଲ ନାଇଁ ? ମୁନିସୀବାବୁ ବି ଯାଉଣୁ ଆସୁଣୁ ଦଣ୍ଡବତ । ଦେଖିବ ସେଇ ଉଠିବ ରଇଥା, ଦିଟା ବର୍ଷରେ ଟଙ୍କା ଗଦେଇ ପକେଇ କୋଠା ପିଟିଦବ । ବୁଝ ।’’

 

‘‘ନ ହେଲେ ଜମିବାଡ଼ି ଯଦି ଖୋଜୁଚ ମଧୁ ପଧାନ ପୁଅ ଜଗବନ୍ଧୁ ବିଷୟରେ ବୁଝୁନ ? ପଧାନ ଆଉ ଆଗପରି ଅଛି ? ଝୁଅ ଦିଟା ବାହା କଲା କରଣ ଘରେ, ବଡ଼ବୋହୂ ଆଣିଚି କରଣ ଘରୁ । ସେ ତ ଚାହିଁ ବସିଚି । ଏପାଖେ ଚାଷ, ସେପାଖେ ବେପାର ଅଇଛା କାହିଁରୁ କ’ଣ ତେଜିଲାଣି । ଅଇଛା ଜାତି ଅଜାତି କିଏ ପଚାରୁଚି ! ବାଛିଲେ ବାଛନ୍ତୁ ଆମେ, ତେବେ ଆମେ ତ କହୁଚ ତେମେ ଯେମିତି ମନ ସେମିତି ଝିଅ ବୋଝ ଉଠାଅ, ଆଉ କୋଉ କଥାକୁ ପରେଇ ?

 

ଉପଦେଶ ! ଉପଦେଶ ! ହାତରେ ନ ମାରି ଉପଦେଶ କୁଢ଼େଇ ଜୀଅନ୍ତା ପୋତି ପକାଇବାକୁ ଖୋଜୁଛନ୍ତି ସମସ୍ତେ ।

 

ଦୁନିଆଟା ଦିଶେ ଯେମିତିକି ଖାଲି ଉପଦେଶମାନଙ୍କ କଟାକଟି ଲଢ଼ାଲଢ଼ି ପରି । ଲୋକେ ମାଡ଼ିଆସନ୍ତି ଧର୍ମପ୍ରଚାରକଙ୍କ ଉତ୍ସାହ ଘେନି, ଉପକାର କରିବାର ପତିଆରା ଦେଖାଇ । ‘‘ଆମେ ଉପକାରୀ ବନ୍ଧୁ, ନିଅ ଆମ ଉପଦେଶ, ନ ହେଲେ ଚୁଲୀକି ଯାଅ ।’’ ଛବି ଦୂରରୁ ଶୁଣେ, ସେହି ଉପଦେଶ-ବାଣ ହାବୁଡ଼ରୁ ପଳାଇବାକୁ ମନ ହୁଏ । ପଳାଇବା ଖାଲି ମନେ ମନେ, ଖାଲି କଳ୍ପନାରେ ।

 

ସେମିତି କଳ୍ପନାରେ ସେ ଭାବି ହୁଏ, ଅଛି ପରା ଆଉ ଗୋଟାଏ ବାଟ ? ଲୋକେ ମରି ଗାଥା ରଖିଦେଇ ଯାଇଛନ୍ତି, ସେମାନେ ଜିତିଛନ୍ତି କି ହାରିଛନ୍ତି, କଥା ରହିଛି । ଭାବେ, ଆପଣ ହାତରେ ଆପଣ ଦେହର ଜେଲଖାନା ଭାଙ୍ଗିଦେଇ ଯେଉଁମାନେ ଉଡ଼ି ପଳାଇଛନ୍ତି, ସେମାନେ ଡରକୁଳୀ ନ ଥିଲେ ପରା ! ଲୋକେ କହନ୍ତି ଆତ୍ମଘାତିନୀକି ତିନିପୁରେ ଠାବ ନାହିଁ । କହନ୍ତୁ ଯେ ଯାହା, ସେମାନେ ଉଧୁରିଛନ୍ତି । ଜୀଅନ୍ତାବେଳେ ଏଇ ସମାଜର ଲୋକେ ଯାହାଙ୍କୁ ଶିକାର କରୁଥିଲେ, ମରି ସେମାନେ କୁଆଡ଼େ ଓଲଟି ହୁଅନ୍ତି ଶିକାରୀ । ଯୋଗିନୀ ଡାଙ୍କୁଣୀ ହାଡ଼ବାଈ ପେତିନୀ ହୋଇ କେଉଁ ବରଗଛରେ କି କେଉଁ ଖଜୁରୀଗଛରେ ରହିଥାନ୍ତି, ଧରନ୍ତି ଯାହାକୁ ମନ ତାକୁ, କାହା ଘରର ଭୁଆସୁଣୀ ଉପରେ ଆଶ୍ରା କଲେ ସେ ଲଙ୍ଗଳା ମୁକୁଳାହୋଇ ଦାଣ୍ଡଯାକ ଡେଇଁ ଡେଇଁ ହି ହି ହସେ । ପଚାରିଲେ କହେ ମୁଁ ପରା ଅମୁକ, ମତେ କଲବଲ କରିଥିଲେ, ମୁଁ ଦଉଡ଼ି ଦେଇଥିଲି ।

 

ପିତା ମନରେ ଭାବି ଯାଉ ଯାଉ ଆପଣା ଜୀବନର ଲୋଭ ବଳାଏ, ଆପଣା ଭିତରୁ ଜୀବନ ପ୍ରତିବାଦ କରି ଉଠେ,-ତୁଚ୍ଛା ଦୁର୍ବଳତା, ଦୟା କରିହୁଏ, ସମ୍ମାନ ଆସେ ନାହିଁ । ସେତେବେଳେ ତା’ର ନାକପୁଡ଼ା ଫୁଲି ଫୁଲି ଉଠେ, ନିଶ୍ୱାସ ଖର ବୁହେ । ଭାବେ, କାହିଁକି କାହା କଥା ସହିବାକୁ ପଡ଼ିବ ? କିଏ କାହାର ଗାତଚୁଲୀ ?

 

ଦିନ ବିତିଯାଏ ।

 

ବାପା ବସି ଭାଗବତ ପଢ଼ନ୍ତି, ନ ହେଲେ କୁଆଡ଼େ ଯାଆନ୍ତି, ଏକୁଟିଆ । ତାଙ୍କ ମୁହଁର ଛଇ ସେହି ଏକାପରି, ପ୍ରଶ୍ରାନ୍ତ ।

 

ବୋଉ ଦୀର୍ଘଶ୍ୱାସ ପକାଏ, ଛବିର ମୁହଁକୁ ଚାହିଁଲେ ଅନାଏ କଣେଇଁ କଣେଇଁ, ସିଧା ନୁହେଁ, ଆଉ ‘ଛବି’ ବୋଲି ଡାକିଲେ ବେଳେ ବେଳେ ଗଳାଟା ତା’ର ଥରି ଉଠେ ।

 

ସାଥୀ ହେବାକୁ ଆସେ ଗୁର । ସାନ ପିଲାଟିଏ ହେଲେବି ସେ ଗାଁ ଗୋଟାକର ଖବର ରଖେ । ଖବର କହିବାକୁ ଆସେ, ପତରଗଳିପରି ଚାରିଆଡ଼େ ବୁଲି ତା’ର ଟିକି ମୁଣ୍ଡ ଭିତରେ ଯାହା ସଞ୍ଚି ରଖିଥାଏ, ଟିକିଏ ଥାପଡ଼ା ଆଉଁସା ପାଇଲେ ସବୁ ଝାଡିଝୁଡ଼ି ଦେଇଯାଏ । ତାକୁ କିଛି ନ କହିଲେ ବି ତା’ର ପିଲାମନ ଆପେ ଆପେ ହସ କାନ୍ଦର ଲହଡ଼ି ଛୁଇଁ ପ୍ରତିକ୍ରିୟା କରେ । ଦୁଃଖର କାରଣ ସେ ବୁଝେ ନାହିଁ, କିନ୍ତୁ ଛବିର ମୁହଁ ଯେତେବେଳେ ଝାଉଁଳିଥାଏ, ମନରେ ଯେତେବେଳେ ତୋଫାନ, ସେତେବେଳେ ବାଁରେଇ ହୋଇ ଚାରିପାଖେ ଗୁରେଇ ତୁରେଇ ହୋଇ ତା’ର ମନ ଭୁଲେଇବାକୁ, ଖୁସି କରିବାକୁ ଚେଷ୍ଟା କରେ ।

 

‘‘ଛବି ଅପା, ଚେମ ଦାଦାଙ୍କ ବୁଢ଼ୀ ଆଜି ନଈକି ଯାଉ ଯାଉ ଯୋଉ କଚଡ଼ା ଖାଇଲା ! ଉଠିପାରୁନାଇଁ, ପାଟି ପାକୁ ପାକୁ କରୁଚି ।’’

 

‘‘ଆଜି ଆମ ଗାଁ ଷଣ୍ଢ ତାଙ୍କ ଗାଁ ଷଣ୍ଢ ଭୁଷାଭୁଷି ହେଲେ, ଓଃ, କେତେ ଲୋକ ଜମା ହେଇପଡ଼ିଲେ, ଧୂଳି ଉଡ଼ିଲା ଯେ ନାକ କାନ ରୁଦ୍ଧ ହେଇଗଲା ।’’

 

‘‘କାଣୀ କୁକୁର ଚାରିଟା ଛୁଆ କରିଚି ଗୋଟାଏ ଠା’ କେରେ, ମୁଁ ଦେଖି ଆସିଚି, ଆଣିବା ଆମର ଗୋଟାଏ ?’’

 

‘‘ଠାକୁର ଦୋଳକୁ ଯିବେବୋଲି ବିମାନ ଧୁଆଧୋଇ ପୋଛାପୋଛି ହଉଚି । ବିନା କହୁଥିଲା ଏଥର ଦୋଳଯାତକୁ କୁଆଡ଼େ ଫଉଦାରି ହବ, ତା’ ବାପାଠୁ ଶୁଣିଥିଲା । ଫଉଦାରି କ’ଣ-? ଆମକୁ ଫଉଦାରି ଦେବେ ? ଆମର ଆଣିବା !’’

 

ସେମିତି ଦିନେ ଦି’ପହରେ, ଗୁର ଦଉଡ଼ି ଦଉଡ଼ି ଆସି ଛବି ଆଣ୍ଠୁକୁ ବେଢ଼େଇ ଧରି ନାଟ କଲା । କହିଲା, ‘‘ଦେଖିବୁ ଆ ଲୋ ଛବି ଅପା, ତୋର ବାହାଘର ହଉଚି, ଦେଖିବୁ ଆ ।’’

 

‘‘ଧାତ୍ ।’’

 

‘‘ଧାତ୍ କ’ଣ ? ସତରେ ଲୋ, ପରା ‘ଭଲ୍ଲୋକ’ ଆସିଚି । ହାତୀ ଅନ୍ଧ ପାଖେ ତୋ ବୋଉ ଆଉ ମୋ ବୋଉ ଆଉ ସେ କଥାଭାଷା ହେଉଚନ୍ତି । ମୁଁ ପଚାରିଲି ବୋଉ ସେ କିଏ ? ବୋଉ କହିଲା ‘ଭଲ୍ଲୋକ’ । ସେ ଖାଲି ତା’ ବାହାଘର କଥା କହୁଚି । କେଡ଼େ ସୁନ୍ଦର ଧୋବ ଲୁଗା ଧୋବ ଚାଦର ଅଛି ତା’ର, ଆଉ ମୁଣ୍ଡରେ ଚିତା ନାଇଚି । ବାପା ଆଇଲେ ମୁଁ କହିବି ମତେ ଧୋବ ଲୁଗା ଆଉ ଚାଦର ଆଣିଦବ । ମୁଁ ଭଲ୍ଲୋକ ହେବି ଛବି ଅପା, ହେବି ନାଇଁ ?’’

 

ବାଁରେଇ ହେଇ ଛବି ଉଠି ଚାଲିଗଲା । ଗୁର କହିଦେଇ ଧାଇଁଗଲାଣି ପୁଣି ‘ଭଲ୍ଲୋକ’ ପାଖକୁ । ଛବି ଅନ୍ଧାର ଘରେ ପଶି ଝରକା ପାଖେ ଠିଆ ହେଲା । କଣାବାଟେ ଦେଖିଲା, ଗୁର କଥା ସତ । ଗୁର ବୋଉ ଓ ତା’ ବୋଉ ଦିହେଁ ଜଣେ ଅଚିହ୍ନା ଲୋକ ସଙ୍ଗେ କଥା ହେଉଛନ୍ତି । ଗୋରା ଡେଙ୍ଗା ଭେଣ୍ଡା ବ୍ରାହ୍ମଣ । କାନେଇଁଲା, ତା’ରି ବାହାଘର କଥା । ବନ୍ଧମୂଳ ବଟ ମହାନ୍ତି ଘରୁ ମଧ୍ୟସ୍ଥ ଆସିଛି । କହୁଚି–ତାଙ୍କର ଭାରି ଇଚ୍ଛା, ନିଜେ ମା’ କହି ପଠାଇଛନ୍ତି । ଧନ ଦରବ ଚାହାନ୍ତି ନାହିଁ, ଖାଲି ଦରକାର ପାତ୍ରୀଟି । ଜବାବ ଦେଲେ ବାହାଘର ହେବ, କିଛି କଷ୍ଟ ନାହିଁ । ଲୋକ ନାହାକ ଯାଇଥିଲେ, ସେତେବେଳେ ତାଙ୍କର ସବୁ ମନ ଭଲ ନ ଥିଲା, କଥାଟା ଭଲ କରି ପଡ଼ିପାରିନାହିଁ । ଯେ ଯେତେ ନାହିଁ କଲେ କ’ଣ ହେବ ? ଯାହାବର ଯାହାକନ୍ୟା ତାକୁ ଆଗରୁ ପ୍ରଜାପତି ଗଢ଼ିଚି । ସେହି ତ ଘଟନା ଭିଆଏ, ଚାରି ଚକ୍ଷୁ କରାଏ, ସବୁ ତା’ରି ଭିଆଣ, ମଣିଷର କି ଚାରା !

 

ଆଉ ଶୁଣିବାକୁ ତା’ର ଧୈର୍ଯ୍ୟ ନ ଥିଲା । ଲାଗୁଥିଲା ସେ ଚୋରି କରିଛି, ଚୋରାମାଲ ସମ୍ଭାଳି ପାରିବ ନାହିଁ, ଧରା ପଡ଼ିଯିବ । ମୁହଁ ଗରମ ହୋଇଗଲା । ସେ ଘରୁ ବାହାରି ଦୁଆରମୁହଁ ଟପୁ ଟପୁ ଲାଗିଲା ସେ ବହୁତ ପରିଶ୍ରମ କରିଛି, ଆଉ ପାରିବ ନାହିଁ । ଏ ଘରୁ ବାହାରି ଆର ଘରେ ପଶି ସେ ପେଟ୍ରା ଖୋଲିଲା । ତା’ର ଆଳୁକୁଚି ମାଳୁକୁଚି ସନ୍ଧିରୁ ଘାଣ୍ଟି ଘାଣ୍ଟି ବାହାର କଲା ଶୁଖିଲା ରକ୍ତଲଗା ଚିରାକନା ଖଣ୍ଡେ । ସେ ରବିର ପିନ୍ଧା ଲୁଗାରୁ ଚିରୁଡ଼ାଏ, ପହିଲି ଭେଟାଭେଟି ଦିନ ତା’ର ଗୋଡ଼ରେ ଗୁରା ହୋଇଥିଲା । ସେହି କନାଖଣ୍ଡକୁ ବକା ପରି ଚାହୁଁ ଚାହୁଁ ମନେ ମନେ ଦେଖିବାକୁ ଲାଗିଲା ସେଦିନର ରବିକୁ । ମନେ ମନେ ଯେପରି କି ସେ କଥାଭାଷା ହେଲା-ତମେ ନବାକୁ ଆସିଛି ! ଏତେ ଦିନକେ ?

 

ପେଟ୍ରା ସେମିତି ଖୋଲା ପଡ଼ିଛି । ଛବି ଭେଁକିନା କାନ୍ଦି ଉଠି ମୁହଁକୁ ତଳେ ମାଡ଼ିଦେଲା । ସବୁ ଭାବପ୍ରବଣ ମୁହୂର୍ତ୍ତ ପରି, ପୁଣି ତାକୁ ଲାଗିଲା ସେ ନିଃସହାୟା, ତା’ର ଚାରା ନାହିଁ ।

 

ବ୍ରାହ୍ମଣ ମଧ୍ୟସ୍ଥ ଦିଜ ଆଚାର୍ଯ୍ୟ ପାଟେଳି ଗାଁକୁ ଆସିଥିଲେ ନିଜେ ଉଦ୍ଦେଶ୍ୟର ସଫଳତା ବିଷୟରେ ନିଶ୍ଚିନ୍ତ ହୋଇ । ଦେବା ନାହିଁ, ନେବା ନାହିଁ, ଜାତକ ଶୁଝା ନାହିଁ, କିଛି ନାହିଁ । କନ୍ୟାଘର କ’ଣ ପ୍ରସଙ୍ଗ ପକାଇବ ଓଲଟି ବରଘରୁ ଆସୁଛି ପ୍ରସଙ୍ଗ । କନ୍ୟାଘର ଗରିବ, ବର ଘର ଥିଲାବାଲା-। ଏଥିରେ ଆଉ ଭାବିବାକୁ କ’ଣ ଅଛି ? ମନେ ମନେ ସେ ରବିବୋଉଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିଥିଲେ, ରୁଷିଆ ପରି ଘର ଛାଡ଼ି ଫୁଲଶରା ପଳେଇଥିବାରୁ ରବିର ବ୍ୟବହାରକୁ ଧିକ୍‌କାର କରି ଦୁଃଖିତ ହୋଇ ଦାର୍ଶନିକ ପରି ଭାବିଥିଲେ ଯେ ଯେଡ଼େ ବଡ଼ ଲୋକ ହେଉ ପଛେ, ଯେଡ଼େ ମାନୀ, ଯେଡ଼େ ପ୍ରତାପୀ, ବେଳ ଆସେ ଯେତେବେଳେ ଅବସ୍ଥାଚକ୍ରରେ ପଡ଼ି ସେ ଗଧ ପାଦ ଧରେ ।

 

ତାଙ୍କର ସବୁ ସମ୍ଭବ କଳ୍ପନାରେ ପ୍ରଚଣ୍ତ ମାଡ଼ ଦେଇ କେବଳ ଗୋଟିଏ ମିଠା ହସ ହସ ସିନ୍ଧୁ ଚୌଧୁରି ଯେତେବେଳେ ନାସ୍ତିବାଣୀ ଶୁଣାଇଦେଲେ, ସେତେବେଳେ ପାଟି ଆଁ କରି ଠିଆହୋଇ ଆତ୍ମସ୍ଥ ହେବାକୁ ଚେଷ୍ଟାକରିବା ଛଡ଼ା ତାଙ୍କର ଅନ୍ୟ ଉପାୟ ନ ଥିଲା ।

 

‘‘କହିଦେବେ, ମୁଁ ରାଜି ନୁହେଁ ।’’

 

ବସି ବସି ଅରଟ ଘୂରୋଉଦେଲେ ସିନ୍ଧୁ ଚୌଧୁରି, ସବୁ ଶୁଣିସାରି ଖାଲି ଏତିକି କହିଲେ-। ପିଠି ବୁଲେଇ ଦେଇ ତାଙ୍କ ସ୍ତ୍ରୀ ଘର ଭିତରକୁ ପଳାଇଲେ । ଦିଜବର ଦମ୍ ନେଇ ଯୁକ୍ତି ଆରମ୍ଭ କଲେ, କହି କହି ଥକି ପଡ଼ିଲେ, କିନ୍ତୁ ଅରଟ ଅଟକିଲା ନାହିଁ । ସିନ୍ଧୁ ଚୌଧୁରି ଆଉ ସେ କଥା ଉଠାଇଲେ ନାହିଁ । ବକି ବକି ଘୋଳି ହୋଇ ଆଶୀର୍ବାଦ କରି ଯେତେବେଳେ ଦିଜବର ବିଦା ହେଲେ, ସେତେବେଳେ ଅନ୍ତତଃ ଏତିକି ସାନ୍ତ୍ୱନା ଘେନିଗଲେ ଯେ ଯାହା ସେ ଚେଷ୍ଟା କରିଛନ୍ତି ମଣିଷ ତହିଁରୁ ଅଧିକ କରିବା ଅସମ୍ଭବ ।

Unknown

 

ସିନ୍ଧୁ ଚୌଧୁରି ସଫେଇ ଦେଲେନାହିଁ, ତାଙ୍କ ଅଭ୍ୟାସ କି ରୀତି ନୀତି ଟିକିଏ ବୋଲି ବଦଳିଲା ନାହିଁ, ଗୋଟା ସୁଦ୍ଧା ଆଗପରି, ଯେପରି କିଛି ଘଟି ନାହିଁ । ଅଭାବର ତୀକ୍ଷଣତା ଆହୁରି ବଢ଼ି ଚାଲିଛି , ଘରେ ଦଢ଼ ହୋଇ ଲୁଗା ଖଣ୍ତିଏ ବି ନାହିଁ, ଗାମୁଛାଟି ଫଡ଼ା ଫଡ଼ା, ଭୋଜନରେ ଚଳିଲା ଭଳି ପରିପାଟୀ ବି ନାହିଁ । ତଥାପି ତେଣିକି ଭ୍ରୂକ୍ଷେପ ନାହିଁ । ସେ ଯେପରି କି ସଂସାରରେ ଥାଇ ବି ନାହାନ୍ତି । ଫଁ ଫଁ ହୋଇ ସ୍ତ୍ରୀ ବୁଲେଇ ବୁଲେଇ ଛବିର ବାହାଘର କଥା ପକାଇ ଚୋଟ ହାଣୁଛନ୍ତି । ଅବସୋସରେ କେତେବେଳେ କାନ୍ଦି ପକାଉଛନ୍ତି, କେତେବେଳେ ରୁଷୁଛନ୍ତି । ଝିଅ ଶୁଣି ଶୁଣି ଯାଉଛି, ମନରେ ସରାଗ ନାହିଁ । ଅବସ୍ଥା ବୁଝି ହୋ ହୋ ହୋଇ ହସି ଉଠି ଥଟ୍ଟା କରୁଛି, ଖେଣ୍ଟା ମାରୁଛି ଦୁନିଆଁ । ତଥାପି ସବୁ ନ ଶୁଣିଲା ପରି ଚାଲିଛି ଅରଟ, ଭାଗବତ ପଢ଼ା ।

 

ଛବିବୋଉଙ୍କୁ ହଠାତ୍ ଦିନେ ମୁଣ୍ତବୁଲା ବେମାରି ଧରିଲା । ଛାଇ ନେଉଟା ବେଳ । ବସିଲାଠୁଁ କଚାଡ଼ି ହୋଇ ପଡ଼ି ସେ ଅଚେତ ହୋଇଗଲେ । ଘରେ କନ୍ଦାବୋବା ହୋହା ଲାଗିଗଲା-। ମୁହଁରେ ପାଣି ଛାଟି କପାଳରେ ମହୁ କାଗେଜିଲେମ୍ୱୁ ରସ ଘଷି କିଛି ସମୟ ପରେ ଯେତେବେଳେ ତାଙ୍କର ହୋସ୍ ହେଲା, ସେତେବେଳେ ଚଟାଣ ଉପରେ ଲମ୍ୱହୋଇ ତାଙ୍କୁ ଶୋଇ ଦିଆହୋଇଛି । ଛବି ବସିଛି । ଆପେ ସିନ୍ଧୁ ଚୌଧୁରି ବିଞ୍ଚୁଛନ୍ତି, ହସିଦେଇ କହିଲେ, ‘‘ଭଲ ଲାଗିଲା ଏଥର ?’’

 

ମୁହଁ ପାଖେ ଉହୁଙ୍କି ପଡ଼ି ବୋଉ ବୋଉ ବୋଲି ଛବି ଡାକୁଛି, ଗୁର ଅନେଇଛି, ଗୁର ବୋଉ ଖଣ୍ତେ ଦୂରରେ ଲମ୍ୱ ଓଢ଼ଣା ତଳୁ ଅନିଷା କରିଛି ।

 

‘‘ପାନଟା କେମିତି ଢୋକି ହୋଇଯାଇ ହଠାତ୍‌କିନା ମୁଣ୍ତ ବୁଲେଇ ଦେଲା ।’’ ଛବି ବୋଉ କୈଫିୟତ୍ ଦେଲେ ‘‘ଓଃ, ଲାଗୁଥିଲା କେମିତି ! ଯାଇହଉ, ଅଇଛା ଆଉ କିଛି ନାହିଁ, ଭଲ ଲାଗୁଚି ।’’

 

‘‘ଯା ଲୋ ଛବି, ପାଣିରେ କାଗେଜିଲେମ୍ୱୁ ଚୁପୁଡ଼ି ଟିକିଏ ପେଇଦେ ।’’ ସିନ୍ଧୁ ଚୌଧୁରି ଛବିକୁ ପଠାଇଦେଲେ । ସ୍ତ୍ରୀଙ୍କ କହିଲେ, ‘‘ଘର କଥା ଆଉ ଝିଅ କଥା ଭାବି ଭାବି ତ ମୁଣ୍ତରେ ବାଇ ଲାଗିଛି । ଅଇଛା ତୁମେ ଚାଲି ଯାଇଥାନ୍ତ ଆଖି ନ ଫିଟାଇଥାନ୍ତ ଯଦି, ଏଗୁଡ଼ା କ’ଣ ତମ ପଛରେ ଗୋଡ଼େଇ ଯାଇଥାନ୍ତା ?’’

 

ଛବି ବୋଉଙ୍କ ଆଖି କ’ଣରୁ ଲୁହଧାର ଗଡ଼ିବାକୁ ଲାଗିଲା, କିନ୍ତୁ ସିନ୍ଧୁ ଦବିଲେ ନାହିଁ । କହିଲେ, ‘‘ମିଛ ମାୟାରେ ମନଦେଲେ ମିଛରେ ଏମିତି କାନ୍ଦିବାକୁ ହୁଏ । ତମେ କ’ଣ ଭାବୁଚ ମନ କାନ୍ଦୁଚି ? ମନ କାନ୍ଦେ ନାହିଁ, ଚମ କାନ୍ଦୁଚି । ତୁମେ ଏଗୁଡ଼ାକୁ ଏଡ଼େ ବଡ଼ ବୋଲି ଭାବୁଚ କାହିଁକି ? ମୁଣ୍ତ ବୁଲେଇ ମୂର୍ଚ୍ଛା ହୋଇ ପଡ଼ୁଚ କାହିଁକି ? ‘‘

 

ଛବିବୋଉ କିଛି କହିଲେ ନାହିଁ, ଦୋଷ ଦେଲାପରି ଅନେଇଁ ରହି ଅପେକ୍ଷା କଲେ । ସିନ୍ଧୁ ଚୌଧୁରି ସେ ଚାହାଣୀକୁ ଉପେକ୍ଷା କରି କହିଗଲେ-

 

‘‘ଭାଗବତ କ’ଣ କହିଛନ୍ତି ?

 

ଏ ପୁତ୍ର ଦାରା ବନ୍ଧୁ ସଙ୍ଗ

ଯେସନେ ସମୁଦ୍ର ତରଙ୍ଗ

।।

ପଥିକ ଯେହ୍ନେ ବୃକ୍ଷ ତଳେ

ଶ୍ରମେ ବସନ୍ତି ଏକ ମେଳେ

।।

ଶ୍ରମ ସରିଲେ ଯେଝାମତେ

ଚଳନ୍ତି ବୃକ୍ଷ ଛାଡ଼ି ଏଥେ

।।

ଯେସନେ ପ୍ରାଣୀ ନିଦ୍ରାଗତେ

ସମ୍ପଦ ଦେଖେ ସ୍ୱପ୍ନଗତେ

।।

ଏହି ପ୍ରକାରେ ଗୃହବାସ

ନ କର ଏଥିରେ ବିଶ୍ୱାସ

।।

ଏହା ତୁ ବୁଝ ଯଦୁବୀର

ଚଞ୍ଚଳ ମନ ସ୍ଥିର କର

।।

ଅନିତ୍ୟ ଅସତ୍ୟ ଶରୀର

ଅନ୍ତେ ଲଭଇ ତମ ଘୋର

।।

ଏଣୁ ଅତିଥି ପ୍ରାୟ ହୋଇ

ମୋର ଭକତ ଗୃହେ ଥାଇ

।।

 

ମନଟାକୁ ତେଣେ ଦିଅ, ବୁଝ ୟା ଅର୍ଥ କେଡ଼େ ସରଳ । ସବୁ ଜାଣୁଚ, ସବୁ ବୁଝୁଚଟି, ନିତି ଭାଗବତ ପଢ଼ା ହଉଚି, ତଥାପି ତୁମେ ବୁଝୁନା, ହେତୁରେ ପୂରୋଉନା, ମିଛରେ ଏତେକଷ୍ଟ ପାଉଚ । ଆପେ ବାୟା ହେଲେ କିଏ ଭଲ କରିପାରିବ କହ ? ସବୁବେଳେ ଖାଲି ଘର ଚିନ୍ତା ! ଆଚ୍ଛା କଥା !’’

 

ଛବି ବୋଉ କାନିରେ ଆଖିପୋଛି କହିଲେ, ‘‘ଆଗୋ, ଭାବିବ ନାହିଁ, ମନରେ ପୂରେଇବ ନାହିଁ ତ ସଂସାର କଲ କାହିଁକି ? ବାବାଜି ହୋଇ ବୁଲିଥିଲେ ତ ହେଇଥାନ୍ତା ଏବେ ଅଇଛା ଦେଖ, ତମେ ତ ପଣ କଲ କିଛି ବୁଝିବ ନାଇଁ, ଆପଣା ଘରେ କୁଣିଆଁ ପରି ରହିଥିବ । ତେବେ ତମ ଘରକଥା ବୁଝିବ କିଏ ? ଝିଅ ବୋଝ ଉଠେଇବ କିଏ ? ସେ ବି ତ ଗୋଟିଏ ଜୀବ, ତାକୁ ଭଗବାନ ଜନ୍ମ ଦେଇଚନ୍ତି ।’’

 

ହସି ହସି ସିନ୍ଧୁ ଚୌଧୁରି କହିଲେ, ‘‘ହଁ, ଦେଇଚନ୍ତି ତ । ଭଗବାନ ଜନ୍ମ ଦେଇଚନ୍ତିବୋଲି କହୁଚଟି ? ନା ତୁମେ ଜନ୍ମ ଦେଇଚବୋଲି କହୁଚ ? ତେବେ ସେ ତ ଜନ୍ମ ଦେଇଛନ୍ତି ସେ ବୁଝିବେ; ତମର ଏତେଚିନ୍ତା ପଡ଼ିଚି କାହିଁକି ? ତାଙ୍କର ଉପରେ ଛାଡ଼ିଦିଅ ।’’

 

‘‘ହଁ, କହିବ ନାଇଁକି ? ତାଙ୍କରି ଉପରେ ଛାଡ଼ିଦିଅ ! ଭଗବାନ ସମ୍ୱନ୍ଧ ପଠେଇଲେ, ଆମର ମଗା ନାହିଁ, ଯଚା ନାହିଁ ତ ବରଘର ଲୋକ ଦୁଆର ମୁହଁରେ ଆସି ଉଭା । ଆଉ ଭାଙ୍ଗିଦେଲ ତୁମେ । ମୁଁ ତ କହୁଚି ମୋ ଝିଅକୁ ସେଇଠି କରିବି, ଭାଙ୍ଗିଦେଲ ତୁମେ । ଆଉ ଓଲଟି ଶାସ୍ତ୍ରପୁରାଣ କଥା ପକେଇ ବାବାଜି ହେଇଯାଉଚ, କରିବାକୁ ମୁରାତକ ନାହିଁ, ଭାଙ୍ଗିବାକୁ ଆଗ ।’’

 

‘‘ତୁମେ ଫେର୍ ସେ କଥା ପକେଇଲ ।’’

 

‘‘ପକେଇବି ନାହିଁ କାହିଁକି ? ତମେ କି ବୁଝିବ ମଣିଷର ମନ ? ତମର ଚିନ୍ତା କ’ଣ ଅଛି-? ଭାଗବତ ପଢ଼, ବଇଷମ ହ, ଖୁସିରେ ଥାଅ । ନିଶ୍ୱାସ କାହାକୁ ପୋଡ଼ୁଚି ? ମତେ ତ ?’’

 

‘‘ଦେଖ ତମ ମନ ଥଏ ନାହିଁ, ନ ହେଲେ ତମେ ଏମିତି ସନ୍ତୁଳି ହୁଅନ୍ତ ନାହିଁ । ଭୁଲି ଯାଉଛ, ତମେପରା କହିବୋଲି ନୋକା ନାହାକକୁ ସମ୍ୱନ୍ଧ ପକେଇବାକୁ ପଠେଇଥିଲ, କ’ଣ ହେଲା-?’’

 

ଛବିବୋଉ ଯୁକ୍ତି କରିବାକୁ ଉଠି ବସିଲେ । କହିଲେ, ‘‘ମୁଁ ଜାଣିଚି ଯେ, ତମେ ସେଇକଥାକୁ ଗଣ୍ଠି କରି ଧରିଚ । ଭାରି ଅପମାନ ଲାଗିଗଲା କିନା ? ବୁଝିପାରୁନା, ତମ ମାନଅପମାନରେ ମଝିରେ କ୍ଷତି ହବ କାହାର ? ତମରି ଝିଅର ତ ? ଗଣ୍ଠି ପକେଇ କଥାକୁ ଧରିଥିଲେ କାହାର ଦିନ ସରେନାହିଁ । ନା କ’ଣ କହୁଚ ?’’

 

ସିନ୍ଧୁ ଚୌଧୁରି ସ୍ଥିର ଦୃଷ୍ଟିରେ ସ୍ତ୍ରୀଙ୍କ ମୁହଁକୁ ଚାହିଁଲେ । କହିଲେ, ‘‘ହଉ, ତୁମେ ଯାହା ବୁଝିଚ ସେଇଆ ହଉ । ଧର ଅପମାନ ଲାଗିଚି । କ’ଣ ହେଲା ? ଲୋକଙ୍କୁ ଛଳ ବି ତ ପଶେ, ଅପମାନ ବି ତ ଲାଗେ । ଆଉ ସେ କଥା ବଳେଇ ବସିଲେ କ’ଣ ହେବ ?’’

 

ଛବି ବୋଉ କହିଲେ, ‘‘ଏ ଖଣ୍ତିଆ କାନ୍ଥ ଉପରେ ଠିଆହୋଇ ଲୋକେ ଫେର୍ ମାନ-ଅପମାନ କଥା ଭାବନ୍ତି ନା ? ଏ ଯାହା କହନ୍ତି ଚାଳ ନାଇଁ କି ଚୁଲୀ ନାଇଁ, ତହିଁରେ ପୁଣି ଲୋକଙ୍କୁ ଏମିତି ଛଳ ପଶିଯାଏ ଯେ ପାଇଲା ଲକ୍ଷ୍ମୀକି ଗୋଡ଼ରେ ଠେଲି ଦିଅନ୍ତି ?’’

 

ସିନ୍ଧୁ ଚୌଧୁରି ରାଗିଲେ ନାହିଁ, ଥଣ୍ତା ହୋଇ କହିଲେ, ‘‘ତୁମ ଆମର ବୁଝିବା ଭୁଲ । ଯାହା ଆସି ଗୋଡ଼ରେ ଗୁରେଇ ହୁଏ, ତା ଲକ୍ଷ୍ମୀ ନୁହେଁ । ଯେଡ଼େ ଗରିବ ହୁଅ ପଛେ ଶସ୍ତା ପାଇଲ ବୋଲି କୁଟାକାଠି ନେଇ ଘରେ ସାଇତିବାକୁ ଯାଅନାହିଁ, ବିପଦରେ ପଡ଼ିବ । ତମେ ଭାବିଚ ବୋଧହୁଏ, ଲୋକା ନାହାକକୁ ସେମାନେ ଦଶ କଥା ଶୁଣେଇଁ ଫେରେଇଦେଲେ ବୋଲି ମୁଁ ତାଙ୍କ ମଧ୍ୟସ୍ଥକୁ ଫେରେଇଦେବି । ତୁମର ଭାବିବା ଭୁଲ । ଥରେ ଚେଷ୍ଟାକରି ଦେଖିଥିଲ, ଦେଖିଲ ସେଠି ହେବାର ନୁହେଁ । ତା’ପରେ ପ୍ରଲୋଭନରେ ପଡ଼ି ସେଠିକି ଯିବାମାନେ ଭଗବାନଙ୍କ ବିରୁଦ୍ଧରେ ଯିବା । ଚାରିଆଡ଼କୁ ଭାବ, ସେଠି ହେବାର ନୁହେଁ । ତାଙ୍କର ଗରଜ ପଡ଼ିଥିଲାବୋଲି ସେମାନେ ଲୋକ ପଠାଇଥିଲେ, ସେଥିରେ ଆମର କ’ଣ ଥାଏ ? ଯୋଗ ଯେ ଗଡ଼ିଯାଇଚି, ଠାକୁରେ ଜବାବ ଦେଇଚନ୍ତି ।’’

 

‘‘ତୁମେ ପାଗଳ– ।’’

 

‘‘ହଉ, ତୁମେ ଭଲ ଲୋକ ହୋଇ ଘରକୁ ଗଲ ଅଇଛା ।’’

 

ତାଟକା ହୋଇ ଛବି ବୋଉ ତାଙ୍କ ଆଡ଼କୁ ଅନେଇଁ ରହିଲେ । ପୁଣି ମୁଣ୍ତ ଭିତରେ ଧୀରେ ଧୀରେ ଭଉଁରୀ ବୁଲିଗଲା । ଭାବିଲେ–ଲୋକଟା କ’ଣ ସତେ ପଥର ? ନା ପାଗଳ ! କିବା କଥାକୁ ଛଳକରି ଚାକିରି ଛାଡ଼ିଦେଇ ଆସି ଘରେ ବସିଲେ, ବସୁ ବସୁ ସବୁ ଶେଷ । ସ୍ୱାମୀଙ୍କଆଡ଼କୁ ଅନାଇଁରହି ଭାବୁ ଭାବୁ ଆପଣା ମୁଣ୍ତ ଭଉଁରୀରେ ସତେ କି ଅତୀତଟା ଝାପ୍‌ସା ହୋଇ ଦିଶିଗଲା, ମୁଣ୍ତ ଭିତର ରଟ୍ କଲା, ସେଇଠି ଅଟକିଗଲା ସେ ଛବି । ଛବି- ବୋଉଙ୍କ ମନ ସ୍ୱାମୀଙ୍କ ଆଡ଼କୁ ଅତି କଅଁଳ ଗଦଗଦ ହୋଇ ଆସିଲା, ସବୁଯାକ ଅଭିମାନ ବୋହିଚାଲିଲା ଦୁନିଆ ଆଡ଼କୁ ।

 

ବହୁଦିନ ପରେ ଯେପରିକି ଆଜି ସେ ସ୍ପଷ୍ଟ କରି ଦେଖିପାରିଲେ ଯେ ସାମ୍ନାରେ ଏ ଯେଉଁ ମଣିଷଟି, ଯେତେ ଛଳେଇ କହିଲେ ବି ମୁହଁଟି ପୋଛିଦେଇ କିଛି ନ ଶୁଣିଲାପରି ଯେ ସଦାବେଳେ ପ୍ରଫୁଲ୍ଲ, ହସ ହସ । ସେ ଏ କେଇବର୍ଷରେ କଷ୍ଟ ପାଇଛନ୍ତି, ଟାଣ ହୋଇଛନ୍ତି, ବଦଳିଛନ୍ତି । ମୁହଁରେ ଦେହରେ ସେହି ଚିଆଁରା ସ୍ପଷ୍ଟ ଦାଗ । ମନର କ୍ଷତ କଳି ହେଉ ନାହିଁ, ଦେହରେ ଚିହ୍ନି ବାରି ହେଉଛି । ଏହି ତ ସେ ଲୋକ, କୌଣସି କଥାକୁ ପରେଇ ନ ଥିଲା । ପଇସାକୁ ମଣୁଥିଲେ ମାଟି ଗୋଡ଼ି, ଅମୀର୍ ମନ, କେତେ ଯେ ଦେଇଛନ୍ତି କେତେ ଯେ ଖୋଇଛନ୍ତି ତା’ର ହିସାବ ନାହିଁ । କାହାନ୍ତି ସେମାନେ ଆଜି ? କିଏ ପିଠିରେ ପଡ଼ୁଛନ୍ତି ? ନା ଭାଇ, ନା ବନ୍ଧୁ । ଶସ୍ତା କାଳ ଥିଲା । ସେତେବେଳେ ସାଇତି ଥିଲେ କ’ଣ ରହି ନ ଥାନ୍ତି ? କିନ୍ତୁ ସେତେବେଳେ ସେ ହସୁଥିଲେ, କହୁଥିଲେ, ‘‘ସମ୍ପାଦିଲେ ରହେନାହିଁ ।’’

 

ଆଜି ତାଙ୍କ ପରି ଲୋକଙ୍କୁ ବି ହୀନିମାନ ସହିବାକୁ ପଡ଼ୁଛି ।

 

କାହାପାଇଁ ? ସ୍ତ୍ରୀପାଇଁ, ସନ୍ତାନପାଇଁ ତ ! ନ ହେଲେ ଗୋଟାଏ ପେଟକୁ କାହିଁର ଚିନ୍ତା-? ସବୁ ଯାଇ ଆଗ ମନର ଆଣ୍ଟହିଁ ରହିଛି କେବଳ, ଝିଅକୁ ପାରି କରିବାକୁ ତାକୁ ବି ଛାଡ଼ି ଧୂଳିରେ ନାକ ଘୋସାରିବାକୁ ପଡ଼ିବ ।

 

ସିନ୍ଧୁ ଚୌଧୁରି ସ୍ତ୍ରୀଙ୍କ ମୁହଁକୁ ଅନାଇଁରହି ତାଙ୍କ ବିକଳ ଭାବନାର ଉତ୍ତର ଦେଲା ପରି କହିଲେ- ‘‘ମନ ଥଏ କର, ବଞ୍ଚିଥିଲେ ସବୁ ଦେଖିବାକୁ ପଡ଼େ । ସେଥିପାଇଁ ଡର କାହିଁକି ? ଭଗବାନ ଝିଅଟାଏ ଜନ୍ମ ଦେଇଉନ୍ତି, ତା’ର ଉପାୟ ସେ କରିବେ । ଆଉ ନ କରିବେ ? ବିଶ୍ୱାସ ରଖ । ସବୁ ତାଙ୍କର ଲୀଳା ।

 

‘‘କରି କରାଉଥାଏ ମୁହିଁ, ମୋ ବିନୁ ଆନ କେହି ନାହିଁ ।’’ ସିନ୍ଧୁ ଚୌଧୁରି ପଦାକୁ ଚାଲିଗଲେ ।

 

ଛବିବୋଉ ଘର ଭିତରକୁ ଗଲେ । ଛବି ସବୁ ଶୁଣୁଥିଲା । ଏତେକଥାରେ ସୂର୍ଯାସ୍ତ ସରି ଗୋଧୂଳି ସରିଯାଇଛି । ଛବି ଗରା ଧରି ବାରିଆଡ଼କୁ ପାଣି ଆଣି ଗଲା ।

 

ଆଉ ଥକ୍‌କା ହୋଇ ଠିଆ ହୋଇ ରହିଲା ମାଛି ଅନ୍ଧାର ଆଡ଼କୁ ମୁହଁ କରି ।

 

ରବି ଚାଲିଗଲା ପରେ ବନ୍ଧମୂଳ ଗାଁରେ ବଟ ମହାନ୍ତିଙ୍କ ଘରେ କୌଣସି ଆଖିଦୁରୁଶା ପରିବର୍ତ୍ତନ ଘଟିନାହିଁ, ବାହାର ମଣିଷ କାଲି ଯାହା ଥିଲା ଆଜି ବି ତାହା ଅଛି, ମୁଣ୍ତ ବାଡ଼େଇଲେ ସୁଧ ପାହୁଲାଟିଏ ଏଠି କମୁ ନାହିଁ. କଣ୍ଟ ଦିନେ ବି ଘୁଞ୍ଚୁ ନାହିଁ, କ୍ଷେତର ଫସଲ ଉପରେ ଭାଗ ସେ ଯାହା ନେଉଥିଲେ ସେଇଆ ନେଉଛନ୍ତି ସହରିଆ ଆଇନ ଯାହା ହେଉ ଗାଁ ଗାଉଁଲିରେ ବଟ ମହାନ୍ତି ଓ ସେହିମାନଙ୍କପରି ଯେଉଁ ମୁରବୀ ଘରୁଆମାନେ ତାଙ୍କରି ଆଇନହିଁ ତଥାପି ଚାଲିଛି ।

 

କିନ୍ତୁ ବାହାର ଲୋକଙ୍କ ଆଖି ଉଢ଼ୁଆଳରେ ସେ ଘରେ ଦରବୁଢ଼ା ଦରବୁଢ଼ୀ ହୋଇ ଦିଜଣ ମୋଟେ ମଣିଷ–ବଟ ମହାନ୍ତି ଓ ତାଙ୍କ ସ୍ତ୍ରୀ, ଦୁହେଁ କଳ ପରି ନିଜ ନିଜ କାମ କରି ଯାଉଥିଲେ ବି ଦୁହିଁଙ୍କ ଚେତନାରେ ସେ ଘରେ ଯେପରି କି ପିଣ୍ତ ଅଛି ପ୍ରାଣ ନାହିଁ, ତୁଚ୍ଛା ଘର ହୋଇଛି, ମଣିଷ ନାହାନ୍ତି । ବଟ ମହାନ୍ତି ଭାତ ଖାଇ ବସିଲାବେଳେ କି କେବେ କେବେ ତାଙ୍କୁ ପାନ ଭାଙ୍ଗି ଆଣି ଦେଲାବେଳେ ଯେତେବେଳେ ରବିବୋଉଙ୍କୁ ଅବସର ମିଳେ ଆଉ ସ୍ୱାମୀ ସ୍ତ୍ରୀ ମୁହଁକୁ ମୁହଁ ଚାହାଁଚାହିଁ ହୁଅନ୍ତି ସେତେବେଳେ ବିନା ଭାଷାରେ ଖାଲି ଚାହାଣୀରେ ଚାହାଣୀରେ ଚାଲେ ସେହି କଥା-ଏ ଘରେ ପିଣ୍ତ ଅଛି ତ ପ୍ରାଣ ନାହିଁ,ସବୁ ଥାଇ ବି ମଣିଷ ଥୁଣ୍ଟାଥୁଣ୍ଟୀ, ସଂସାରଟା ଖାଲି ମିଛ ଭେଳିକି, ତେବେ କାହିଁକି ଏ ଘରକରଣା ?

 

ଜଣକ ମନକଥା ଆରଜଣକ ବୁଝେ, କିନ୍ତୁ ପାଟି ଫିଟାଏ ନାହିଁ କେହି, ଛାତି ଯାଏ ନାହିଁ, ବଟ ମହାନ୍ତି ବାହାରେ ବୁଲନ୍ତି, ରବିର ବୋଉ ଘରେ ଥାଇ କେବେ କେମିତି ଅସରାଏ ଅସରାଏ କାନ୍ଦନ୍ତି, ମୁହଁ ପୋଛିଦେଇ ପ୍ରସ୍ତୁତ ହୁଅନ୍ତି ଏଓଳି ଆରଓଳିକି, ଆଜି କାଲିପାଇଁ ।

 

ମନକୁ ସାକୁଲାନ୍ତି ସେହି ପୁରୁଣା କଥା କହି- ମା’ ଜନ୍ମ ଦେଇଛି ସିନା, କର୍ମ ତ ଦେଇନାହିଁ ।

 

ଖିଆପିଆ ସରି ବାରିଆଡ଼କୁ ବାସନ ଉଠିଗଲେ କୁଆଡ଼େ ଥାଏ ଚିଲପରି ଛୁଟି ଆସେ ଗୋଟାଏ ଛଉକୀ କୁତ୍ତୀ, ଅଇଁଠା ବୁହା ହୋଇ ଆସୁ ଆସୁ ମଣିଷ ମୁହଁକୁ ମଣିଷ ପରି ଅନାଏ , ତଳେ ଥୁଆ ନ ହେବାଯାକେ ଚାହିଁ ଠିଆହୋଇଥାଏ ବଲବଲ କରି । ଚାରିଟା ଛୁଆ ଦେଇଥିଲା, ଦିଟା କୁଆଡ଼େ ଗଲେଣି, ଆଉ ଦି’ଟା ମା’ ସଙ୍ଗରେ ଗୋଡ଼େଇଥାନ୍ତି । ଏମିତି କେତେଛୁଆ ସେ ବର୍ଷକୁ ବର୍ଷ ଜନ୍ମ କରେ । କୁଆଡ଼େ ଯାଆନ୍ତି ସେମାନେ !

 

ତା’ରି ପ୍ରତି ଓ ତା’ର ସେ ଛୁଆ ଦି’ଟାଙ୍କ ପ୍ରତି ରବିବୋଉଙ୍କର ମମତା ବଢ଼ିଛି ଟିକିଏ, ପାଇଟିଆଳୀ ସ୍ତ୍ରୀଲୋକ ସୁଲି ବାଉରାଣୀକି ସେ ହିତୋପଦେଶ ଦିଅନ୍ତି, ‘‘ଆଲୋ ସୁଲି, ଏଡ଼େ ଜୋରରେ ବାଡ଼ା ନାଇଁ ସେ ଛଉକୀକି ଲୋ, ଦେଖୁନୁ ଛୁଆବାଲୀଟାଏ ।’’ ଚୁ’ ଚୁ’ ହୋଇ ଡାକ ପକେଇ କେବେ କେବେ ତାଙ୍କୁ ମୁଠିଏ ଦିଅନ୍ତି । ସୁଲି ମୁହଁ ମୋଡ଼ିଦିଏ, କହେ, ‘‘ଅ- ଦେଖିଲେ ବାନ୍ତି ମାଡ଼ୁ ଚି-ଯୋଉ ମା’, ଯୋଉ ଛୁଆ ! ଗୋଟାକୁ ତ ବିଲୁଆ ଖାଇଲା, ଆରଟାକୁ କିଏ ମାରି ପକେଇଲା, ଆଉ କୁଟାଖିଅ ପରି ଏଇ ଦିଟା ପୋକ ସାଲୁସାଲୁ ହେଇ ଗୋଡ଼େଇଚନ୍ତି ଯେ ଏଇଆଙ୍କୁ ମୋର ଏତେ ସୋଗ ପଡ଼ିଚି । କୁକୁରକୁ ମୁହଁ ଦେଲେ ମ’ ମା’ ଉପୁରୁକୁ,ଦୂରଦୂର, ବାଡ଼ିଆ-’’

 

‘‘ଆଲୋ ସୁଲି, ସେମିତି ଦୂରଦୂର କର ନାଇଁ ଲୋ, ସମସ୍ତିଙ୍କଠି ଜୀବ ଅଛି, ସବୁ ଜୀବ ସମାନ । ତୋ ପିଲାଟି ତତେ ଯେମିତି, ତା’ ପିଲାଟି ତାକୁ ସେମିତି ।’’

 

‘‘ସବୁ ଜୀବ ସମାନ କାଇଁକି ହବ ମ’ ସାଆନ୍ତାଣି, ଜୀବରେ ଜୀବ ଅଛି । ଯୋଉ ଜୀବଗୁଡ଼ାକ ଅଲୋଡ଼ା, ଖାଲି ହୀନମାନ ସହିବା, ଦୂରଦୂର ଛୁରଛୁର, ସେ ଜୀବ ଭାରି ଟାଣ, ସହଜେ ଯାଏ ନାଇଁ । ହେଇ ଦେଖୁନା, ଘରେ ପଶେବୋଲି ଏତେ ଗୋଗୋଛବାଡ଼ିଆ ଖାଏ, ଖାଲି ଧେଡ଼ ପଡ଼ୁଥିଲା, ଏଡ଼େବଡ଼ ଶୀତ ଗଲା, ଏ ଛଉକୀ ବୁଢ଼ୀ ଶୁଆ ପରି ପକ୍ଷୀ ଝାଡ଼ିଦେଲା, ମଲା କୋଉଠି !’’

 

‘‘ଆହା, ପିଲାବାଲୀଟା !’’

 

ଆପଣା ମନ ସଙ୍ଗେ ଏକା ଥାଟର ହୋଇ ଖାପିଯିବାକୁ ଚାରିଆଡ଼େ କେତେ ଏମିତି ପିଲାବାଲୀ ରବିବୋଉଙ୍କ ଆଖିରେ ପଡ଼ନ୍ତି, ସବୁଠି ସତେକି ସେ ଦେଖନ୍ତି ସେହି ବିଚ୍ଛେଦର ଏକା ରୂପ,- ଆହା, ଯେତେ ଛନ୍ଦାଛନ୍ଦି ହୋଇ ଏ ସଂସାର ଜାଲ ବିଛେଇ ହୋଇଥିଲେ ବି କିଏ କାହାର ! କିଏ କାହାର ! ମା’ ଜନ୍ମ ଦିଏ, ତା’ପରେ ଯେ ଯୁଆଡ଼େ ବିଞ୍ଚି ହୋଇଯାଆନ୍ତି । ମା’ ମନ ବୁଝେ କିଏ-? ବୁଝିଲେ କ’ଣ ନ ବୁଝିଲେ କ’ଣ ! ସଂସାରର ଗତ ଏଇ ଫିଟିହୋଇ ପଡ଼ି ଚାରିଆଡ଼େ ଛତରଛାଉଳ ହେବାରେ । ଏକା କ’ଣ ମଣିଷ ? ଯୁଆଡ଼େ ଦେଖ ଏକା କଥା ।

 

ଘରେ ନ ଥିଲା ଦୁଇ ପୁଅଙ୍କପାଇଁ ଶୋକ କରି କରି ରବିବୋଉ ଚାରିଆଡ଼କୁ ଚାହାନ୍ତି, ଆଗେ ନ ଭାବିଥିବା କେତେ ନୂଆକଥା ମନ ଭିତରେ ଖେଳିଯାଏ । ଅନାନ୍ତି ଗାଈ ବଳଦଙ୍କୁ, କିଏ କେଉଁ ଗାଁର, କାହାର କାହିଁ ମା’ ! ବାଛୁରୀ ହୋଇ ଧୂଳି ଉଡ଼େଇ ନାଚି ବାହୁଡ଼ାଣି ବେଳେ କିଏ କେତେ ହମ୍ୱାରଡ଼ି ଦେଇ ଡାକ ଛାଡ଼ିଥିଲା, କେଉଁ ଗାଁର ପିଲା କେଉଁଠି କାହାପାଇଁ ଆସି ହଳ କରୁଛି-। ଆଉ ଜୀବନରେ ମା’ପୁଅଙ୍କର ଭେଟ ନାହିଁ । ସେ ବି ତ ଦିନେ ମା’ କୋଡ଼ରେ ପୁଅ ହୋଇଥିଲା-। କାନ୍ଦୁରା ଚିନ୍ତାଗୁଡ଼ିକ । ଭାବୁ ଭାବୁ ହୋଇଯାଆନ୍ତି ଆପେ ଯେମିତି ମା’ଧରିତ୍ରୀ, କାକର ଟୋପା ଜମା ହେଲାପରି ଦି ଆଖିରେ ଲୁହ ପୂରିଯାଏ, ଲୁହ ଶୁଖିଯାଏ, ଉଡ଼ିଚାଲେ ଉଦାସୀ ଚିନ୍ତା, ନିଷ୍ଫଳ ପବନ ହାବୁକା ପରି, ଚେତନାରେ ଶୁଖିଲା ଦୁଃଖ, ଖାଲି ଧୂଳି ଆଉ ଝଡ଼ି ପରି ସେ ତୁହାଇ ତୁହାଇ ଲାଗି ରହିଥାଏ, ପାସୋରି ହୁଏ ନାହିଁ ।

 

ବଟ ମହାନ୍ତି ସବୁ ଜାଣି ଗାଲେଇ ରହିଯାଇଥିଲେ, ସ୍ତ୍ରୀଙ୍କ ସଙ୍ଗେ ଏ ବିଷୟରେ କଥା ପକେଇବା ପୂର୍ବରୁ ମନ ନିଜକୁ ନିଜେ ହେଜା କରେ–ସେ ବଟ ମହାନ୍ତି, ସେ ବଟ ମହାନ୍ତି । ପ୍ରସ୍ତାବ ପଡ଼ିଥିବା ବିଭାଘରକୁ ସେ ବାଁରେଇ କଥା ବୁଲେଇ ଅଟକାଇ ଦେଲେ, ମନେ ମନେ ବୁଝିଲେ ଏ ଗଲା ଭାଙ୍ଗି । ତାଙ୍କ ସ୍ତ୍ରୀ କହିପୋଛି ଦ୍ୱିଜବର ଆଚାର୍ଯ୍ୟଙ୍କୁ ମଧ୍ୟସ୍ଥ କରି ପଠାଇଲେ । ସେଥିରେ ତାଙ୍କ ମତାମତ ନିଆ ହୋଇନାହିଁ । ସେ ତୁନୀ ହୋଇ ରହିଲେ, ଅପେକ୍ଷା କରିଥିଲେ । ଦ୍ୱିଜବର ନାସ୍ତିବାଣୀ ଘେନି ଫେରିଆସିଲା ଉତ୍ତାରୁ ବଟ ମହାନ୍ତି ଅପମାନ ଘେନିଲେ ନାହିଁ, ରାଗିଲେ ନାହିଁ, ଓଲଟି ମୁଁ ପଣ ଯେପରି କି ହେଣ୍ତିମାରି ଡେଇଁ ଉଠିଲା । ସେ ଅର୍ଥ କଲେ-ସିନ୍ଧୁ ଚୌଧୁରି ଡରିଲା, ତାଙ୍କ ଡରରେ ନାହିଁ କଲା । ପୁଣି ମନ ନିଜେ ନିଜ ପ୍ରଶସ୍ତି ଗାଇ ଉଚ୍ଚାରଣ କଲା–ବଟ ମହାନ୍ତି, ବଟ ମହାନ୍ତି ! ସେହି ବିଚାରରେ ପୁଅ ବି ଗୋଟାଏ ପ୍ରତିଦ୍ୱନ୍ଦୀ ଛଡ଼ା ଆଉକିଛି ନୁହେଁ ଏବଂ ସେ ହାରିଛି, ହାରୁଥିବା ଯେତେ ବଳ କଷୁ ।

 

ଦିନ ଗଲା, ରବି ଫେରିଲା ନାହିଁ । ପ୍ରଥମେ ଲାଗୁଥିଲା ଏ ପିଲା-ଖେଳ, ମୋଟାବୁଦ୍ଧିଆ ଏକବାଜିଆଟାଏ ସେ, ଗ୍ରହର ଖେଳଣା ହୋଇଛି । ଗଣକମାନଙ୍କୁ କଥା କଥାକେ ସେ କହିଥିଲେ- ଦେଖ ତ ଅଇଛା ତା’ର କ’ଣ ପଡ଼ିଛି ? କେହି ତାଙ୍କ ମନ ଭିତରେ କଥା ବୁଝିଲେ ନାହିଁ, କିଏ ବା ପଇସା ପାଇବାକୁ ଆଶା କରିଛି, କିଏ ଟଙ୍କା ଧାରିଛି, କିଏ ଅନୁସରଣ କରୁଛି । ସମସ୍ତେ ତାଙ୍କ ମୁହଁକୁ ଚାହିଁ ଅଙ୍କ କଷିଦେଇ ଶ୍ଳୋକ ଗାଇ ଦେଇ କହି ଚାଲିଗଲେ- ତା’ର ଭାରି ଭଲ ସମୟ ପଡ଼ିଛି, ଏଭଳି ସମୟ ପଡ଼ିଲେ ଡାକିହାକି ବିଭାଘର ହୁଏ, ବଡ଼ ଚାକିରି ମିଳେ, ଧନରେ ଘର ଭର୍ତ୍ତି ହୁଏ, କ’ଣ ନ ହୁଏ ? ବଟ ମହାନ୍ତିଙ୍କ ମନ ମାନିଲା ନାହିଁ । ତେଣୁ ସେ ବୁଢ଼ା ଅବଧାନଙ୍କୁ ସୁମରିଲେ । ଅବଧାନ କହିଲେ- ତା’ର ଭାରି କର୍ମମନ୍ତ ବେଳ ପଡ଼ିଛି, କାମ କରେଇବ ଯେମିତି ଲାଭ ଆଉ ଯଶ ଦେବ ସେମିତି । ତଥାପି ମନଟା ପୂରିଲା ନାହିଁ, ବଟ ମହାନ୍ତି ବୁଝିଲେ–ମନରଖା କଥା ଏଗୁଡ଼ା, କାହାକୁ ପଚାରି କିଛି ଫଳ ନାହିଁ । ଦୈବ ତାକୁ ଠୋକର ଦେବ, ଅବାଧ୍ୟ ପିଲା ଦୋଷ ମାନିହୋଇ ଚୋରପରି ଲୁଙ୍ଗୁଡ଼େଇ ଲୁଙ୍ଗଡ଼େଇ ଲେଉଟିଆସି ମୁଣ୍ତ ତଳକୁ ପୋତି ହାତଯୋଡ଼ି ଗୋଡ଼ଭାଙ୍ଗି କରିକିଆ ହୋଇ ଠିଆହେବବୋଲି ସେ ଅପେକ୍ଷାକରି ରହିଲେ । ତେଣୁ ସବୁ ସମ୍ୱାଦ ପାଇ ବଡ଼ ପୁଅ କବି ଯେତେବେଳେ ଲେଖି ପଠାଇଲେ, ‘‘ଆପଣ କଠୋର ବ୍ୟବସ୍ଥା ଅବଲମ୍ୱନ କରନ୍ତୁ । ନ ହେଲେ ରବି ଆମ ଚିନ୍ତାର କାରଣ ହେବ, ହୁଣ୍ତାପରି ବୁଲୁ ବୁଲୁ ଯଦି ରାଜନୀତିରେ ପଶିବ ତେବେ ତା’ ବଗୁଲିଆମିପାଇଁ ଏଠି ମୋ ଚାକିରିଖଣ୍ତିକ ଟଳମଳ ହେବ, ଆପଣଙ୍କୁ ଲାଗିଲା, ଘରେ ଥିଲେ ମୁଁ ତାକୁ ଠିକଣା କରିଥାନ୍ତି, କିନ୍ତୁ ମତେ ଛୁଟି ନାହିଁ । ପାରିବେ ତ ତାକୁ ମୋ ପାଖରେ ଛାଡ଼ି ଦେଇଯାଆନ୍ତୁ କିଛି ଦିନ ସକାଶେ-’’ । କବି ଏଭଳି ଲେଖିବାରୁ ବଟ ମହାନ୍ତି ଟିକିଏ ହସିଲେ, ଚିଠିକି ଗାବିଦେଲେ ।

 

କିନ୍ତୁ ରବି ବେମାର ପଡ଼ିଲା ନାହିଁ, ଠୁକର ଖାଇଲା ନାହିଁ, ଖବର ମିଳିଲା ସେଠି ସେ ଟୋକାଙ୍କୁ ଭେଳେଇ ଗୋଟାଏ କ’ଣ କରୁଛି, ସେମାନେ ନିପାରିଲା ଲୋକର ଘର ତୋଳି ଦେଉଛନ୍ତି, ବିଲ ତଷି ଦେଉଛନ୍ତି, ଗାଁରେ ଅଳିଆ ସଫା କରୁଛନ୍ତି ଖାଲୁଆ ଗୋହିରିରେ ମାଟି ପକାଉଛନ୍ତି, ରାତିରେ ବୁଢ଼ାଙ୍କୁ ପାଠ ପଢ଼ୋଉଛନ୍ତି, ଲୋକଙ୍କୁ ମତେଇ ଲାଗିଛନ୍ତି ନୂଆ ନୂଆ କଥାରେ । ଫୁଲଶରା ଗାଁ ଉଠୁଛି କି ପଡ଼ୁଛି । ଯେ ଆସୁଛି ସେ ରବିକି ପ୍ରଶଂସା କରୁଛି ।

 

ରବି ସେଠି ବି ନେତା ହେବ ! ଭାଙ୍ଗିବ ନାହିଁ ସେ !

 

ଭାବିବାକୁ ଫୁର୍ସତ୍ ନାହିଁ । ଦୋଳ ପୁନେଁଇ ମାଡ଼ି ଆସିଲା, ଝାଞ୍ଜ ମୃଦଙ୍ଗ ଶବ୍ଦରେ ଦେଶ ଉଲୁସିଲା । ଯାତ୍ରାକୁ ଠାକୁରେ ବିମାନରେ ଯିବେ, ଲାଗିଗଲେ ବଟ ମହାନ୍ତି, ଯାହା କଲେ ଖାଲି ଠାକୁରଙ୍କ କାମ ।

 

ଏହି ବ୍ୟସ୍ତତା ଭିତରେ କେଉଁଠି ଫାଙ୍କ ଥାଏ ସେଠି ମନ ଠାକୁରଙ୍କ ପାଖେ ଆପଣା ଓରମାଣ ଜଣାଏ ଓ ସାନ୍ତ୍ୱନା ଖୋଜେ ଏବଂ ବଟ ମହାନ୍ତି ପଚାରନ୍ତି–କି ଉପାୟ କଲେ ଦୁର୍ବିନୀତ ପୁତ୍ର ବାଧ୍ୟ ହେବ ? ସତେ ତା’ ମନ ଫେରିବ ?

 

ସେ ପଇସା ମାଗି ନାହିଁ, ଏତେଦିନ ଗଲାଣି କୌଣସି ସାହାଯ୍ୟ ମାଗି ପଠାଇ ନାହିଁ । ଓଲଟି ସେ ଗଲାପରେ ଫୁଲଶରା ଗାଁରୁ ଦି’ଥର ପରିବା ଭାର ଆସିଥିଲା । ଫୁଲଶରା ନାମତଃ ଜମିଦାରୀ ମାତ୍ର, ଫୁଲଫଳ ସେଠୁ ଆସେ ନାହିଁ, ରାଜସ୍ୱ ବାକି ନ ପଡ଼ିଲେ ହିଁ ସେଠିକା କାରପଟଦାର ନନ୍ଦ ତସିଲ୍‌ଦାର ଧନ୍ୟବାଦ ପାଆନ୍ତି । ତେଣୁ ସେଠୁ ପରିବାଭାର ଦେଖି ବଟ ମହାନ୍ତି ଚମକିଥିଲେ, ଲୋଭଇଥିଲେ । ଆଉ ଯେତେବେଳେ ଭାରୁଆ କହିଲା ସେଠା କଚିରିଘର ଚେହେରା ବଦଳିଛି, ଅଳିଆ ସଫା ହୋଇଛି, ଘର ପରିଷ୍କାର ହୋଇ କାନ୍ଥରେ ମାଟି ନେସା ହୋଇଛି, ହତାରେ ନୂଆ ଘରମାନ ତୋଳା ହେଉଛି, ଯେତେବେଳେ ଦେଖିଲେ ଗାଁ ଲୋକଭରା, ଆଉ ତା’ ସଙ୍ଗେ ସଙ୍ଗେ କହିଲା, ରବି କେତେ ନୂଆ ନୂଆ କାମରେ ଗାଁ ଲୋକଙ୍କୁ ଭେଳେଇଲାଣି, ଉଦ୍ୟମ ଚାଲିଲାଣି ଗାଁଯାକ ମିଶି ହେବ ଗୋଟାଏ ଗୋଠ, ସେଠି ଚାଲିବ ନୂଆ ପ୍ରକାର ସାମାଜିକ ରୀତି ଯେ ଜଣକର ଯାହା ସମସ୍ତିଙ୍କର ତାହା, କାହାରି ବଳକା ପଡ଼ିବ ନାହିଁକି କାହାର ଅଭାବ ପଡ଼ିବ ନାହିଁ, ଗାଁ ଗୋଟାକର ଯାହା ଦରକାର ତା’ ଗାଁ ନିଜେ ନିଜେ କମେଇବ ଯେମିତି ପଦାରୁ କିଛି କିଣିବାକୁ ନ ଥିବ ।

 

ସେତେବେଳେ ନୂଆ ଦୁନିଆଁ ଗଢ଼ାଳୀ ଟୋକାମାନଙ୍କର ଟୋକାଟାକିଳିଆ କଥାକୁ ବଟ ମହାନ୍ତିଏ ଗୋଟିଏ ସରୁ ବାଙ୍କୁଲି ହସରେ ଉପରେ ଉପରେ ଉଡ଼େଇ ଦେଇଥିଲେ ସତ, କିନ୍ତୁ ଭିତରେ ଭିତରେ ସେ କେତେ କାଳ୍ପନିକ ଚିନ୍ତାର କେଞ୍ଚା ଖାଇ ଚମକି ପଡ଼ିଥିଲେ । ଆଦୌ ଲାଗିଲା ନାହିଁ ଯେ ସେ ରବି ହାଲଚାଲ ଶୁଣୁଛନ୍ତି । ସେ ଶୁଣୁଛନ୍ତି ଯେପରି କି ଆଉ କାହାକଥା, ଯାହାକୁ ସେ ଚିହ୍ନନ୍ତି ନାହିଁ, ଦୂରରୁ ଦୂରରୁ ଶୁଣାଶୁଣିରେ ପରିଚୟ ମିଳୁଛି ।

 

ଆପଣାର ଅତୀତକୁ ମନେପକାଇ ସେ ପୁଅର ମନର ଅବସ୍ଥା ବୁଝିବାକୁ ଚେଷ୍ଟାକରିଥିଲେ । କିଛି ମନେପଡ଼ିଲା ନାହିଁ, ଯହିଁରୁ ସେ ରବିକୁ ମନେ ମନେ ଗଢ଼ିପାରନ୍ତେ । ଆପଣାକୁ ବାହାଦୁରୀ ଦେଇ ଭାବିଲେ–ସେ ନିଜେ ଥିଲେ ବାଧ୍ୟ, ସୁସ୍ଥ, ମୁଣ୍ତପାଗଳା ନ ଥିଲେ, ଅକୁହାର ନ ଥିଲେ । ଚିରାଚରିତ ବ୍ୟବସ୍ଥା ଅନୁସାରେ ସମାଜ ସବୁ ଅନୁଷ୍ଠାନ ପୂର୍ଣ୍ଣ ରଖିଛି, ଲୋକେ ଏହି ବ୍ୟବସ୍ଥା । ଭିତରେ ହସିଖେଳି ଗଲେଣି କେତେ ନାହିଁ କେତେ, ଆଉ କି ପରିବର୍ତ୍ତନ ଲୋଡ଼ା ?

 

ତୁଚ୍ଛା ଟୋକାଟାକିଳିଆ ହୋ ହା, ଦି ଦିନରେ ଏ ବି ଯିବ ଉଡ଼ି, ଥାଉ ତାକୁ ବାଧାଦେବା ଦରକାର ନାହିଁ, କୁଟାନିଆଁ ପରି ଆପେ କଳା ପଡ଼ିଯିବ କୁହୁଳି କୁହୁଳି । ଭାବିଲେ ହସ ମାଡ଼େ, ଅଭିଜ୍ଞ ମନର ସୂକ୍ଷ୍ମ ବିଚାର ଅର୍ଥ କରେ–ବିଭାହେଲା ଆଗରୁ ଟୋକାଙ୍କ ମନରେ ଯେତେବେଳେ ତାତି ଚହଟେ, ସେତେବେଳେ ଏମିତି ସେମାନେ ଗୋଟାଏ ନା ଗୋଟାଏ କିଛି ଆରା ବାହାର କରି ଝଡ଼େଇ ହୁଅନ୍ତି । ସେ କିଛି ନୁହେଁ, ବଳେ ଝାଳ ବୋହିଗଲେ ମନ ଥଣ୍ତା ହୁଏ । ହୁଏତ ରବିର ହୋ ହା ବି ସେଇଆ, ତା’ ସାଙ୍ଗକୁ ସେଠି ମିଳିଥିବେ ଆହୁରି ଦି’ଗଣ୍ତା ବାବନାଭୂତ ବାସ୍ତୁରା ଭୂତ ।

 

ଏହି ଭାବନାରେ ଆପଣା ଭେଣ୍ଡାପଣରୁ ତତଲା ଦିନଗୁଡ଼ାକଆଡ଼କୁ ଯେପରି କି ଏକ ସରୁ କଳା ଫିଟିଗଲା । ଦୋଳର ହୁଲୁସ୍ତୁଲରେ ଯେତେବେଳେ ଗାଁର ପୁରୁଣା ମଞ୍ଜ ଥରି ଉଠିଲା, ଚାରିଆଡ଼େ ଜିକିଜିକି ପତ୍ର, ଜିକିଜିକି ମୁହଁ ଆଭ ଜିକିଜିକି ରଙ୍ଗ ରଙ୍ଗର ଲୁଗାପଟା, ଦେଶର ଏ ବିପୁଳ ଉତ୍ସାହ ଯେପରି କି ଏକ ସୂଚନା ଆଣିଦେଲା,–ଗୋଟାଏ କିଛି ଘଟିବ, ଗୋଟାଏ କିଛି ଘଟିବ,–ସେତେବେଳେ ପରିଷ୍କାର ଦିଶିଗଲା, ଟୋକା ଦିନେ ସେ ବି ତ ମାତି ଉଠିଥିଲେ ନୂଆ ଉତ୍ସାହରେ, ଆଉ ମାତିଥିଲେ ତାଙ୍କ ସାଙ୍ଗର କେତେ ଲୋକ । ତାଙ୍କର ଝୁଙ୍କ ଉଠିଥିଲା ଗାଁରେ ଗୋଟିଏ ସବୁଦିନିଆ ଯାତ୍ରା ଆଖଢ଼ା ଗଢ଼ା ହେବ । ଘରୁ ଲୁଚି ଲୁଚି ପଳେଇଯାଇ ଗାଁ ସେ ମୁଣ୍ଡରେ ଜଣକର ନିଅଂଶୀ ଟୁଙ୍ଗୀରେ ସେମାନେ ଜମା ହେଉଥିଲେ, ସମସ୍ତିଙ୍କ ଉଦ୍ୟମରେ ଟୁଙ୍ଗୀଟି ବି ସତେକି ନୂଆ ଚମ ଲାଗି ହୋଇ ହସି ହସି ଠିଆହେଲା, ଘଞ୍ଚବାଡ଼ ଘେରେଇ ହୋଇ ଅଗଣା ସଫା ହୋଇ ମନ୍ଦମନ୍ଦା ରଙ୍ଗଣୀ, କନିଅର, ତରାଟ ସେଠି ବସିଲା । ଘରୁ ବୋଉ ବାକ୍‌ସରୁ ଚୋରି କରି କି ନିଜ ପେଟରୁ କାଟି ପଇସା ସଂଗ୍ରହ କରି ଏକାଠି ଭେଦା କରି ଗାଁ ଆଖଡ଼ାର ପାଣ୍ଠି କରାହେଲା-। ସହରରୁ କିଣା ହୋଇ ଆସିଲା ନିଶଦାଢ଼ି, ଅଠା, ମୁଣ୍ଡବାଳ, ମୁଖା ଓ ପୋଷାକ, ପେଁ ପେଁ ହାରମୋନିଆଁ ଖଣ୍ଡିଏ ଜଣକର ପୁରୁଣା ଥିଲା, ମରାମତ ହୋଇ ଆସିଲା, ଶିଖେଇବାକୁ ଅସିଲେ ଏକ ଗୁରୁ । ସେତେବେଳେ ବଟ ମହାନ୍ତି ମୃଦଙ୍ଗ ଗଡ଼ୋଉ ଗଡ଼ୋଉ ବଡ଼ ଉତ୍ସାହରେ ହାର୍ମୋନିଆଁ ଉପରେ ସଙ୍ଗୀତ ବର୍ଷି ଲାଗିଥିଲେ, ହାର୍ମୋନିଆଁ ବାଜୁ ପଛେ ଯେଉଁ ବାଟେ, ଲାଖୁ ବା ଗଡ଼ୁ ଟିପ, ତା’ର ତଳେ ଯେତେ କାଗଜ ଠେକ ଦେଲେ କି ମିଡ଼୍ ଉପରେ ଯେତେ ଚଟକଣା ବଜେଇଲେ ଲାଗିଥାଉ ପଛେ ସେଠି ଏକ ଗଁ ଗଁ, ସେହି ଅଦ୍ଭୁତ ସ୍ୱରସମୁଦ୍ରକୁ ପିଠିଆଡ଼ କରି ଅନବରତ ରଡ଼ି ଚାଲିଥିଲା ଏକ କଣ୍ଠ । ସେ ଦିନର ପଦେ ପଦେ ଗୀତ ମନେପଡ଼ିଲେ ସେହି ହଜିଯାଇଥିବା ପାହାଡ଼ତଡ଼ା ଯୌବନର ଛିଲିକାଏ ଛିଲିକାଏ ଏବେବି ଯେପରିକି ଆଗୁଆ ମନକୁ ଛିରିକି ଆସେ ।

 

–‘‘ଆରେ ଆରେ ନବୀନ–

 

ତୋ ପାଦେ ହେଲି ମୁଁ କିଣା, ଆରେ ହେଲି ମୁଁ କିଣା–’’

 

ବୁଢ଼ା ବୁଢ଼ାଙ୍କଠୁ ଗାଳି ଖାଇ ସବୁ ପିଠେଇ ଦେଇ ସେତେବେଳେ ଆଖଡ଼ା ଖଣ୍ଡିକ ଠିଆ କରିବା ଉଦ୍ଦେଶ୍ୟରେ ସମସ୍ତେ ଲାଗି ପଡ଼ିଥିଲେ । ଆଶା ଥିଲା ଆଖଡ଼ଟା ଥିଲେ ଗାଁରେ ଯାତ କରିହେବ, ଆପଣା କବିତ୍ଵକୁ ଦେଖାଇବାପାଇଁ ଗାଁ ଟୋକାଙ୍କୁ ଉତ୍ସାହ ମିଳିବ, ଆଖଡ଼ା ଆନୁକୂଲ୍ୟରେ ଗାଁରେ ଟୋକାଙ୍କର ଭୋଜି ବି ହୋଇପାରିବ କେତେଥର, ବାଜିରଖି ଦି’ପଞ୍ଝା ହୋଇ ଡୁଡୁଖେଳ, ଗୁଡ଼ି ଲଢ଼େଇ, ବୋଦା ଲଢ଼େଇ ଆଉ ମୃଦଙ୍ଗ ଧରି ବାଆକ ଲଢ଼େଇ ଅର୍ଥାତ୍ ବାଦକ ପ୍ରତିଯୋଗିତା ବି କରାହୋଇପାରିବ । ଲାଗୁଥିଲା ଏହିସବୁ କଲେ ଗାଁ ଭିତରେ ମଣିଷପଣର, ପ୍ରଚୁର ବିକାଶ ହୋଇପାରିବ, ଗାଁର ନାଁ ବଢ଼ିବ ସେମାନେ ବି ଆଦର୍ଶକୁ ଆଗରେ ରଖି ଲାଗି ପଡ଼ିଥିଲେ । ତାଙ୍କ ମେଣ୍ଟ ଟାଣ ଥିଲା, ତେଣୁ ମନଫୁଲାଣିରେ ଯେ ଯେଡ଼େ ଗର୍ହିତ କାମ କରୁ ପଛେ ପଦାକୁ ସମସ୍ତେ ଥିଲେ ଧଳା ।

 

ସେହି ଟାଣୁଆଁ ମେଣ୍ଟରେ ବାନ୍ଧିହୋଇ ରହି ସେମାନେ ପାରିଥିଲେ ଗୋଟାଏ କାମ କରି, ସେଥିପାଇଁ ବୁଢ଼ାବୁଢ଼ାଙ୍କଠୁଁ ସେତେବେଳେ ସେମାନେ ଧନ୍ୟବାଦ ଅରଜିଥିଲେ । ଗାଁ ଭିତରକୁ ସ୍ୱଦେଶୀ ଧାରଣା ଯେତେବେଳେ ମତ୍ତଗଜପରି ମାଡ଼ି ଆସୁଥିଲା, ସହରର ପାଟି ଗାଁକୁ ଶୁଭୁଥିଲା, ପ୍ରଚାର କରି କରି ଧୂଲିଆ ଝାଳୁଆ ହୋଇ ଗୋଠରୁ ଫିଟି ପଡ଼ିଲାପରି ଘାଲେଇ ପଡ଼ି ପ୍ରଚାରକ ମାଗୁଥିଲେ ଆସି ପାଣି ଆଉ ସହାନୁଭୂତି, ସେମାନେ ପ୍ରଚାରକଙ୍କ ସମେତ ସେସବୁ ଧାରଣାକୁ ଦୂରକୁ ଠେଲି ଘଉଡ଼େଇ ଦେଇଥିଲେ । ନୂଆ ଧାରଣା ଶିଖେଇବାକୁ ଆସିଥିଲା ସମସ୍ତେ ସମାନ ମଣିଷ ଭାଇ, ଜାତି ମିଛ, ଅଛୁଆଁ କେହି ନୁହେଁ, ହିନ୍ଦୁ ପଠାଣ ଏକା ରକ୍ତ ଧାର ଧାର, ଜମିଦାରର ଅଧିକାର ନାହିଁ, ବିଦେଶୀ ଛାଡ଼ ବିଲାତି ଲୁଗା ପୋଡ଼, ଦଳଗଢ଼ି ଇଂରେଜକୁ ତଡ଼ । ପଧାନପୁର ଗାଁରେ ତଷାଏ ସେମିତି ଏକ ଗୁରୁକୁ ଠାବ ଦେଇ ତା’ଠୁ ମନ୍ତ୍ର ନେଇଥିଲେ, ନୂଆ ପତକା ଟେକିଥିଲେ, କପା ଚାଷ କରିଥିଲେ, ଅରଟ ବୁଲେଇଥିଲେ, ଖଜଣା ଫାଙ୍କି ଦେଇଥିଲେ । କିନ୍ତୁ ବନ୍ଧମୂଳ ଗାଁରେ ବଟ ମହାନ୍ତିଙ୍କ ନେତୃତ୍ୱରେ ଜାଗାଟୋକାଏ ମୃଦଙ୍ଗମାଡ଼ ଓ ହାରମୋନିଆଁ ବାଜାରେ ଗାଇଥିଲେ, ‘ଜୟ ଜର୍ଜ ମେରୀ ‘, ଆଉ ସ୍ପଷ୍ଟ ବୁଝେଇ ଦେଇଥିଲେ ଏଠି ଯୁଗଓଲଟା କଥା କହିଲେ ଖାଲି ଗୋଗୋଛବାଡ଼ିଆ ଛଡ଼ା ଆଉକିଛି ନାହିଁ । ତେଣୁ ଏ ନୂଆ ଧାରଣା ପଛେ ପଛେ ଯେତେବେଳେ ଠେଙ୍ଗା ଉଞ୍ଚେଇ ପୁଲିସ୍‍ ଦଉଡ଼ି ଆସିଲେ, ଘୋଡ଼ାଚଢ଼ି ପୁଲିସ୍‍ ସାହାବ, ସେତେବେଳେ ସେମାନେ ଚାଲିଗଲେ ବାଟେ ବାଟେ ପଧାନପୁର । ସେ ଗାଁ ଲୋକେ ମାଡ଼ ଖାଇଲେ, ବନ୍ଧା ହୋଇଗଲେ । ପଧାନପୁର ତିନି ଥର ପୋଡ଼ିଲା । ଆଉ ଏ ଗାଁର ସମାଜପତି ଏ ଗାଁର ଯୁବଶକ୍ତିକି ଆଶୀର୍ବାଦକରି ସେ ଗାଁକୁ ଧିକ୍‌କାର କରି କହିଲେ- ‘‘ଓହୋ, କିଏ କହେ ମୋର ସବୁଦିନେ ନା ଭାଗ୍ୟ କହେ ମୋର ଦିନେ । କଳିକାଳରେ ବି ଦୃଷ୍ଟକୁ ସାଧ୍ୟ କରିବାକୁ ରିଷ୍ଟ ପଡ଼େ । ମଗର ! ତଷା ପାଇଲେ ପାନେ, ସବୁଦିନେ ଆମର ଗୋଟାଏ ବାଟ ତ ତାଙ୍କର ନିଆରା ବାଟ । ତୁଳା । ଖଣ୍ଟଗୁଡ଼ାକ !”

 

ସେ ତ ସେ କାଳର କଥା, ବିଭା ହୋଇ ଅଳ୍ପ କିଛିଦିନ ନ ଯାଉଣ ଗୋଟିଏ ଗୋଟିଏ ହୋଇ ଭେଣ୍ଡାମାନେ ଯେ ଯାହା ଧନ୍ଦାରେ ଖସିଗଲେ । ଆଖଡ଼ା ଭାଙ୍ଗିଗଲା ।

 

କିନ୍ତୁ ଥିଲା ଦିନ ସେ ବି !

 

କେତେମୁହଁ ମନେପଡ଼େ-ସେ ଗୁଡ଼ା ତୁଚ୍ଛା ହୁଣ୍ଡାଦିନର ମୂରୁଖ କଥା । ପଦାରେ ପକାଇ ହୁଏ ନାହିଁ ଅଥଚ ବଳେବଳେ ମନେ ପଡ଼ିଲେ ମନ ଭିତର କୁତୁକୁତୁ ହୁଏ ।

 

ରବିର ନୂଆ ଆନ୍ଦୋଳନ ସେହି ବାଟର ପରା ; କିନ୍ତୁ ପାଣି ବୋହିଯିବ ହିଁ, ଅଟକାଇ ଫଳ ନାହିଁ ।

 

କବି କଥାରେ ଆଉ ସେତେ ବିଶ୍ୱାସ ନାହିଁ ତାଙ୍କର । ସେ ଗାଁର ନୁହେଁ, ସହରର । ସେ ବୁଝିପାରିବନାହିଁ ସେ ଘରକୁ ଆସେ ନାହିଁ, ଘରକଥା ବୁଝେ ନାହିଁ ।

 

ଦି’ ମାସରେ ତିନି ମାସରେ ଖଣ୍ଡେଖଣ୍ଡେ ଚିଠି ।

 

କବିଠୁ ତଥାପି ରବି ଉଜ୍ଜ୍ୱଳ ହୋଇ ଲାଖି ରହେ ।

 

ଫୁଲଶରା ଗାଁରେ–

 

କଚିରି ହତାକୁ ଲାଗି ଦକ୍ଷିଣକୁ ଥିଲା ସାଧୁ ଜେନାର ଘରବାରି । କଚିରି ହତା ଭିତରେ ଘରଠୁ ଖଣ୍ଡେ ଛାଡ଼ି ମଝିରେ ଗୋଟିଏ ବାଡ଼ ପଡ଼ିଛି । ସାଧୁ ଜେନାର ବାରି ଏ ନୂଆ ବାରିରେ ମିଶିଯାଇଛି । ତା’ର ବି ବାଡ଼ହିଡ଼ ଆଉ ନାହିଁ । ତା’ ସେପାଖେ ଗଙ୍ଗା ଗୁଡ଼ିଆର ବାରି, ଉମା ପଶାଏତ୍‌ର ବାରି, ରଘୁଆ ଭଣ୍ଡାରିର ବାରି । ସବୁରି ବାଡ଼ ଉଠିଯାଇ ହୋଇଛି ଏକ ସାମିଲ । ରଘୁ ଜେନା ବାରି ସେପାଖେ ପଡ଼େ ଜମିଦାରଙ୍କର ଗୋଟାଏ ତିନିମାଣର ପୁରୁଣା ପୋଖରୀ, ଚାରିପାଖରୁ ପୋତିହୋଇ ଆସିଛି, ମଝିରେ ଟୁବ ପରି ଅରାଏ ପାଣି ରହେ । ପୋଖରୀ ସେପାଖେ ଖାଲଢ଼ିପ ଜମି ପାଞ୍ଚମାଣ, ନାଁ ପାଞ୍ଚମାଣିଆଁ, ଅନାବାଦୀବଣ, ଖାଲି ସାନ ସାନ କଣ୍ଟାଗଛ ଓ ଏଠି ସେଠି ବେତ ଅରାଏ, ଆତଗଛ ପୁଳାଏ ପୁଳାଏ, ଥାକଥାକ ହୋଇ ସିଝୁ, କିଆ, କଂସାରି, ଏହିପରି ଯେତେ, କେବଳ ଗାଁର ଗୋଧି, ସାପ, ବିଲୁଆ ରହିବା ସ୍ଥାନ, ଢିପୁଆ ବାଲିଆ ଜାଗା ଦେଖି ଧାଡ଼ି ଧାଡ଼ି ହୋଇ ନାଗଫେଣୀ ଚେକା ହୋଇ ବସି ପଡ଼ିଛି, ମୁଣ୍ଡ ଉପରେ ଗୋଟାଏ ଗୋଟାଏ ନାଲି ଫୁଲ । ସେହି ବଣ ଅରାକ ମଝିରେ ଢିପ ଉପରେ ହାତ ଧରାଧରି ହେଲାପରି ଦି’ଟା ପାଳଧୁଆ ଗଛ, ନାଲି ଟହ ଟହ ଫୁଲ ଭର୍ତ୍ତି । ଅନାବାଦୀର ପୂର୍ବକୁ ସରୁଧାର “ଚେରେଙ୍ଗୀ ନଈ’’, ବଙ୍କେଇ ବଙ୍କେଇ ଚାଲିଯାଇଛି । ନାଁ ନଈ ହେଲେ ବି ଗୋଟାଏ ଖାଇ ମାତ୍ର, ଅନାବାଦୀ ସରିଲେ କ୍ଷେତ ଆରମ୍ଭ ।

 

ଉଦୁଉଦିଆ ଦି’ପହରେ ସେହି ‘ପାଞ୍ଚମାଣିଆଁ’ ଅନାବାଦୀ ଉପରେ ଏଠି ସେଠି ହୋଇ ଗଛକଟାଳୀ ଲୋକଙ୍କ କଳରବ ଶୁଭୁଥିଲା, ସ୍ତ୍ରୀ ପୁରୁଷ ମିଶାମିଶି, ରବିର ନିର୍ଦ୍ଦେଶରେ ସେମାନେ ବଣ ହାଣି ସଫା କରୁଥିଲେ । ଢିପ ଉପରେ କଟା ହୋଇ ଗଦା ହୋଇଥିବା ଅରାଏ କଣ୍ଟା କରରେ କାନ୍ଧରେ ଜିକିଜିକି ଟାଙ୍ଗିଆ ପକେଇ ଠିଆ ହୋଇଥିଲେ ତିନିଜଣ ଯୁବକ-ରବି, ବଇ ମଳିକ ଓ ଗଙ୍ଗା ଗୁଡ଼ିଆ । ବୁଢ଼ା ନନ୍ଦ ତସିଲ୍‌ଦାର ଆଁ’କରି ପାଳଧୁଆ ଗଛଆଡ଼କୁ ଅନେଇଁ ରହିଥିଲେ, ସତେକି ସେ ପାଳଧୁଆ ଫୁଲର ସୌନ୍ଦର୍ଯ୍ୟରେ ମୁଗ୍‌ଧ ।

 

ରବି ଟାଙ୍ଗିଆ ଓହ୍ଲେଇ ଧରି କହିଲା, ‘‘କଥା କଥାକେ ବହୁତ ବେଳ ଗଲା, ଏଥର କାମ ହେଉ ।’’ ତା’ପରେ ପାଳଧୁଆ ଉପରେ ପକାଇଲା ପହିଲି ଚୋଟ, ତା’ପରେ ବଇ ମଳିକ, ତା’ପରେ ଗଙ୍ଗା ଗୁଡ଼ିଆ । ଦ୍ୱିତୀୟଥର ଟାଙ୍ଗିଆ ପଡ଼ିବା ଆଗରୁ ନିନ୍ଦ ତସିଲ୍‌ଦାର ଚିତ୍କାର କରି ଉଠିଲେ-’’ରହ, କଥା ଶୁଣ ।’’ ରବି ହସି ହସି ଫାଟି ପଡ଼ିଲା । କୁରାଢ଼ୀକି ଫେର୍ କାନ୍ଧରେ ପକାଇ ପଛଆଡ଼କୁ ଅଣ୍ଟା ବଙ୍କେଇ କହିଲା, “ଫେର୍ ରହ ରହ । ଆହୁରି ଆମର କଥା ହେବାକୁ ବାକିଅଛି ନନ୍ଦ ମଉସା !’’ ବୁଢ଼ା ତହସିଲ୍‌ଦାର ବାବୁଙ୍କୁ ମଉସା କହିବାକୁ କେଉଁକାଳୁ ତା’ର ତୁଣ୍ଡ ଆପେ ଆପେ ଓଲଟି ଯାଇଛି, ସେହି ସୂତ୍ରରେ ମଉସାଙ୍କ ଉପରେ ଅଳିବି ଖଟେଇ ନିଏ । କହିଲା, “ଲୋକ ରୁଣ୍ଡ ହୋଇ କାମ ଆରମ୍ଭ କଲେଣି । ଏଥର ଚଞ୍ଚଳ ଏ ବଣ ଅରାକ ସଫା ସୁତୁରା କରିଦେଲେ ଯାଏ । ଆଉ ଅପେକ୍ଷା କାହିଁକି ?’’

 

ନନ୍ଦ କହିଲେ–‘‘କି ଘର ପୁଅ କି ଘର ନାତି ଏମିତି ଏମାନଙ୍କ ସାଙ୍ଗରେ ମୂଲିଆ ପରି ହେଇ କଣ୍ଟା ଝଣ୍ଟା ମାଡ଼ି କୁରାଢ଼ୀ ଢିଅ ନ ପକେଇଲେ ନ ହୁଏ ବାବୁ ? ”

 

“ମୂଲିଆ ତ, ମୂଲିଆପରି କ’ଣ ?” ରବି କହିଲା, ଆମେ ସମସ୍ତେ ମୂଲିଆ, ମୁଣ୍ଡରେ ଯେ ଯେତେ ପଛେ ଭାବୁ ହାତରେ କାମ ନ କଲେ ମଣିଷ ମଣିଷ ହୋଇ ରହେ ନାହିଁ । ଛାଡ଼, ତେମେ କ’ଣ କହୁଚ କହ ମଉସା, ମୁଁ ତୁନୀ ହୋଇ ବସିବି, ଏମାନେ ସବୁ କାମ କରିବେ ?

 

‘‘ନାଇଁ, କାମ ଆଉ କ’ଣ କରିବେ ? ଯାହା ହେଲେ କଣ୍ଟାଝଣ୍ଟା ଗଛ ଦି’ଟା ଥିଲା, ସେତକ କାଟିଦେଲେ ଏତକ ବି ଶେଷ । ମୁଁ କହୁଥିଲି, ଅଇଛା ଥାଉ, ବାବୁଙ୍କୁ ପଚାରିବା, ସେଇଠୁ ଯାଇ ହଉ ହବ । ୟାକୁ ପକେଇ ରଖିବେ କି କାହାକୁ ଦେବେକି ଭାଙ୍ଗି କରି ଜମି କରିବେ, ତେଣିକି ତାଙ୍କ ଇଚ୍ଛା । ଯଦି ପକେଇ ନ ରଖିବାର ହୁଏ, ତେବେ ପିଛିଲା ତାରିଖ ଦେଇ ପାଉତି ଲେଖି କାହାକୁ ପଟ୍ଟା ଲଗେଇଦେଲେ ତ କଞ୍ଚାଟଙ୍କା ସଲାମି ମିଳିଯିବ । ହେଇ ଦେଖ ଯେ ନଟ ସାଉ, ଆଦିକନ୍ଦ ସାଉ, ପଇସାବାଲା ଲୋକ, ତାଙ୍କ ଜମି ଅବା ଏଠୁ କେତେଦୂର ? କେତେଥର ଦଉଡ଼ା ଲଗେଇଚିନି ମୋ କତିକି ଯେ ବାବୁ ପଛ ତାରିଖରେ ପାଉତି କରେଇ ଦେଇ ପଛରୁ ବାର ବରଷର ଆମୁକୁ ଦଖଲ ଦେଖେଇ ଦେଇଦିଅ, ଯାହା ଦର ମାଗିବ ତା’ ଦବୁଁ ।

 

ପାଖରେ କଣ୍ଟା କାଟୁଥିଲା କୁରୁପା ବାଉରି, ତାଳି ମାରିଦେଇ କହିଲା, ‘‘ଏଇଠି ତ, ଗୁମର ଫିଟିଗଲା । ହେଲେ ତସିଲ୍‌ଦାରେ କିଛି ଅଣ୍ଟାଗୁଞ୍ଜା ପାଇଚିନି, ପାଇଚିନି ତ, ଆଉ ଲୁଚେଇଲେ କ’ଣ ହବ ?” ବୁଦା ଉହାଡ଼ରୁ ଆହୁରି ଲୋକେ କିରି କିରି ହସିଲେ । ହସରୁ ହସ ଦଳରୁ ଦଳ ଚହଟିଗଲା, ଗୋଳମାଳ ଭିତରୁ ଗୋଟାଏ ହୋ ଶୁଭିଲା, ଦଳେ ଲୋକ ଏକା ରାଆରେ ପାଟି କଲେ, ‘‘ହୋ ହୋ ହୋ–ବିଲୁଆ ନନା ବାହାରିଲା, ଆରେ ଧୋ-ଧୋ-ଧୋ–’’

 

କାମ କାମପରି ଲାଗୁ ନାହିଁ, ଖାଲି ମଉଜ, ଗେଲବସର ହେଲା ପରି ।

 

କିନ୍ତୁ ନନ୍ଦ ତହସିଲ୍‌ଦାର ରାଗିଗଲେ । ରାଗିଲେ ବୁଢ଼ା ଓଲାରି ହେଲା ପରି ଦିଶନ୍ତି, ସଁ ସଁ ହେଉ ହେଉ ସବୁ ଯେପରିକି ହୁଗୁଳା ହୋଇଯାଇ ଏକର ସେକର ହୋଇଯାଏ, ଆଉ ଆଗ ଆଗ ପାଟି ଖନି ବାଜିଯାଏ । କୁରୁପା ବାଉରିଆଡ଼କୁ ଦି’ପାଦ ଚମକି ଯାଇ ପାଟିକରି ଉଠି ବୁଢ଼ା କହିଲେ–‘‘ଆରେ ତୋ- ତୋ- ତୋ’’-ରାଗରେ ତଣ୍ଟିରେ କଥା ଅଟକିଗଲା ।

 

ବଇ ମଳିକ କୁରାଢ଼ୀ ଝୁଲେଇ ଦେଇ ନଣ୍ଡାଏ ଛେପ ପକେଇଦେଲା, କହିଲା ‘ଥୋଃ’ । ଏକର ସେକର ହୋଇ କଣ୍ଟା ଡାହିଗୁଡ଼ାକୁ ଗୋଡ଼ରେ ଗଡ଼େଇବାକୁ ଲାଗିଲା । କୁରୁପା ଜବାବ୍ ଦେଲା–‘‘ଆରେ ମୋ - ମୋ - ମୋ, କହୁନ କ’ଣ କହିବ, ନୂଆବାବୁ ସିନା ଏ ଗାଁକୁ ନୂଆ ଆଇଚନ୍ତି ଯେ କିଛି ଜାଣନ୍ତି ନାଇଁ, ଆମେ କ’ଣ ଜାଣି ନୋଉଁ ବାବୁ ତମ ଖୋଇ ! ଏମିତି ରାଗି ଉଠୁଚ କାଇଁକି - ତୋ-ତୋ- ତୋ ? ଅଇଛା ଜମିଦାର ଘର ଖଣ୍ଡେ କଣ୍ଟାଖାପୁରା ବଣ ସଫା ହେଲାବେଳକୁ ଏତେକଥା ବାହାର କରୁଚ ଆଉ ଭଲ ଭଲ ନିଜିଚାଷ ଜମି, ନଡ଼ିଆବାରି, ତୋଟା, ପଡ଼ିଆ ପଇସାବାଲା ଲୋକଙ୍କୁ ପଟ୍ଟା କରିଦେଲାବେଳେ କୋଉଠି ଥିଲା ଏ ବିଚାର ? ନା ସେତେବେଳେ ଜମିଦାର କହିଥିଲେ ? ନା ସେ ଜାଣନ୍ତି ? ନା ତାଙ୍କୁ ପଚାରିଥିଲ ? କାଗଜ ସିନା ରଖି ନ ଥିବ ପୋଡ଼ିପାଡ଼ି ଖାଇଥିବ, ଏ ଗାଁ ମଣିଷ କ’ଣ ନ ଥିଲେ ? ସେମାନେ କ’ଣ ଜାଣିନାହାନ୍ତି ? ତାଙ୍କୁ ପଚାରିଲେ ସେ କ’ଣ କହିବେ ନାଇଁ ?’’

 

‘‘ଛାଡ଼ ଛାଡ଼,” ରବି କହିଲା, “ଥାଉ ଏ ବାଦାନୁବାଦ, କୁରୁପା, ତୁନୀ ହ ।’’

 

‘‘ହଁ, କାଳ ତ ସେମିତି ହେଇଚି’’-ନନ୍ଦ ତସିଲ୍‌ଦାର କହିଲେ, ‘‘ନଇଲେ ଛୋଟ ଲୋକେ ଆଗରେ ଠିଆହୋଇ ଅଣ୍ଟା ହଲେଇ କଥା କହିବେ ? ଏଡ଼େ ମଗରା ହୋଇଗଲେ ଲୋକେ - ମୁଣ୍ଡକୁ ପିତ୍ତ ଉଠିଗଲା ! କ’ଣ ନ ହେଲା ଏ ଦୁନିଆଁ ? ଥାଉ ଏଠି କଥା କହିବା ବେକୁବି ।’’ ରାଗରେ ତମତମ ହୋଇ କୁରୁପାଆଡ଼କୁ ଅନାଇଁ ରହିଲେ । ଏଥର କତିରେ ଆସି ଠିଆ ହେଲେଣି ଅନେକେ । ଚହୁଦିନ ପରେ କଜିଆ ପରି କଜିଆଟାଏ ଲାଗିଆସୁଛି, ପୁଣି କାହା କାହା ଭିତରେ ନା କାହିଁ ଗାଁ ତସିଲ୍‌ଦାର ନନ୍ଦବାବୁ ତ କାହିଁ ମୂଲିଆ କୁରୁପା ବାଉରି ।

 

ନାକ ଟେକି ଦେଇ ଓଠ ଭୁର୍କୁଣ୍ଡାକରି ଗଙ୍ଗାଗୁଡ଼ିଆ ନନ୍ଦଙ୍କୁ ଉତ୍ତର ଦେଲା -’’ଏଃ । ସମସ୍ତେ ଖାଲି ଛୋଟଲୋକ, ଛୋଟଲୋକ, ଆଉ ଏଇ ଏକା ବଡ଼ଲୋକ । ଯାହାକୁ ବାବୁ ଛୋଟ କରିଥିଲେ ନ୍ୟାୟ ଉପରେ ତାଙ୍କରି ଆଗେ ପରାସ୍ତ ହବ ତୁମେ, ସତେ ତ, କାଳ କଥା କହୁଚି । ମନେନାଇଁ ବାବୁ, ଯୋଉଥର କାଆଳିଘାଇ ବନ୍ଧ ଭାଙ୍ଗି ନଈ ପାଣିରେ ହାବୁକା ଚାଲିଲା, ତଳିଆ ଜାଗା ବୋଲି ମୋ ଘର କାନ୍ଥ ଦୁଲ ଦୁଲ କଚାଡ଼ି ହେଇ ପଡ଼ିଲା, କୋଉଠି ମୁଣ୍ଡ ଗୁଞ୍ଜିବିବୋଲି ମତେ ବୁଦ୍ଧି ଦିଶିଲା ନାହିଁ, ତମ କତିରେ ନେହୁରାହୋଇ କହିଲି କୋଉଠି ଆଉ ପଲା ଖଣ୍ଡ ଟେକିବି, ରଙ୍ଗୀବୋଉ କେଉଟୁଣୀ କି ଯୋଉ ଢିଅ ଖଣ୍ଡ ଦେଇଥିଲେ, ସେ ମଲା ପରେ ସେମିତି ପଡ଼ିଆ ପଡ଼ିଚି, ସେଠି ବିଲୁଆ ହଗୁଛନ୍ତି, ମତେ ପଟ୍ଟା କରିଦିଅ ସେ ଖଣ୍ଡ । ଦେଇ ତ ନାଇଁ, ଓଲଟି ତେମେ କ’ଣ କହିଲ ? ହେତୁ କର ଟିକିଏ, ତେମେ କ’ଣ କହିଲ ? କେଇଟା ଦିନକୁ ସଂସାରରେ ଏ କଣ୍ଢେଇ ଘର, ସେଥିପାଇଁ କେତେ ପାତର ଅନ୍ତର ?’’

 

‘‘ଛାଡ଼ ଗଙ୍ଗାଧର, ପଛକଥା ଭୁଲିଯାଅ,’’ ରବି କହିଲା, ‘‘ଆଗତ କଥାକୁ ଅନେଇଁ କାମ କର । କେବେ କ’ଣ ହଉଥିଲା, କେତେ ଅଦୋଉତି ନ ସହିଚି ଏ ମାଟି, ସେଇଗୁଡ଼ା ଧରି ବସିଥିଲେ କାମ ହବ ନା ? ସତ୍ ମନରେ ତମେ କେଇଜଣ ଏକାଠି ହୋଇଚ, କାହାରି ସଙ୍ଗରେ କଜିଆ ନାହିଁ, କିଛି ନାହିଁ, ହାତରେ ନିଆଁହୁଳା ନାଇଁ କି ତୁଣ୍ଡରେ ନିଆଁଗିଳା କଥା ନାହିଁ, ବଡ଼ଲୋକ ହେବାକୁ ଇଚ୍ଛା ନାହିଁ କି ନେତା ହେବାକୁ ଉଦ୍ଦେଶ୍ୟ ନାହିଁ, ଯେଉଁତକ ଏ ବାଟରେ ଆସି ମିଶିଛ କେମିତି ଅଣ୍ଟା ବାନ୍ଧି ଲାଗିପଡ଼ି ଏ ନୂଆ ଧରଣଟାକୁ କାମ କରେଇ ଲୋକଙ୍କ ଆଖି ଆଗରେ ଦେଖାଇଦେଲେ ସିନା ସେମାନଙ୍କର ବିଶ୍ୱାସ ହବ ଯେ ଏଇ କୋଠରେ ଚାଷ କଲେ, କୋଠରେ ଚଳିଲେ ମଣିଷ ଚିନ୍ତାରୁ ନିଶ୍ଚିନ୍ତ, ସେଇଠୁ ସେମାନେ ଆମ ଦଳରେ ମିଶିବେ, କ୍ରମେ ଗାଁଯାକ ମିଶି ହେବ ଏକ । ଏ କାମରେ ଆମେ ସମସ୍ତିଙ୍କ ସହାନୁଭୂତି ଖୋଜୁଛୁ । ଯାହା ମନରେ ଯାହା ଥାଉ, ପଛ କଥା ଘାଣ୍ଟି ଚକଟି କିଛି ଲାଭ ନାହିଁ ।’’

 

ନନ୍ଦ ବୁଢ଼ା ଗୁମ୍ ଥିଲେ, କିନ୍ତୁ ସେ ରାଗରେ ସନ୍ତୁଳି ହେଉଥିଲେ, ହଠାତ୍ ବେକକୁ ପଛକୁ ଭାଙ୍ଗି କହିଲେ–‘‘ନା, ଏ ଖେଳ ବହୁତ ଦୂରକୁ ଗଡ଼ିଯାଉଚି । ଏ ଯାହା ମୁଁ ଦେଖିଲିଣି ଗୋଇ ଖେଳୁ ଖେଳୁ ତେଲ ବାହାରିବ । ଏ ମେଣ୍ଟ କ’ଣ, ଏ କୋଠ କ’ଣ, ମୁଁ ତ କିଛି ବୁଝିପାରୁନାଇଁ । ତମେ ବାବୁ ୟାକୁ ବନ୍ଦ କର ।”

 

ଆସିଲାଦିନୁ ରବିକୁ ଏପରି କେବେ ଦେଢ଼ିକରି ସେ କହିନଥିଲେ କି କୌଣସି କାମରେ ବାଧା ଦେଇନଥିଲେ । ହଠାତ୍ ଯେପରି କି ତାଙ୍କର ନୂଆ ଅବତାର ହୋଇଛି ଆଉ ଦିଶୁଛି ଏ ଅବତାର ଆଜିକାର ନୁହେଁ, ବହୁ ପୁରୁଣାଯୁଗର, କେବଳ ଘୋଡ଼ିଘାଡ଼ି ହୋଇଥିଲା ଆଉ ବଚସାର ଦୋହଲା ଦୋହଲିରେ ତା’ର ଉପରର ଖୋଳଟା ଝଡ଼ି ପଡ଼ିଛି । ସେ କହିଗଲେ, “ପହିଲୁ ତୁମେ ଯେତେବେଳେ କାମ ଆରମ୍ଭ କଲ, ମୁଁ ଭାବିଲି ଏ ଖେଳ ଘରେଇ- ‘‘

 

‘‘ଖେଳ ଘରେଇ !’’ ପାଖରେ ଲୋକେ ଖତେଇ ହେଲେ, ‘‘ହକ ଦେହ ମେହେନତ କରି ପୋଷ ପୋଷ ଝାଳ ଢାଳିଦେଲେ ତା’ ନାଁ ଖେଳ ଘରେଇ ! ସତେ !’’

 

ନନ୍ଦ ଏସବୁ କଥାକୁ ଭ୍ରୁକ୍ଷେପ କଲେ ନାହିଁ, କହି ଚାଲିଲେ, ‘‘ଖେଳ ଘରେଇ ନୁହେଁ ତ ଆଉ କ’ଣ ? କୌଣସି ବୁଦ୍ଧିଥିଲା ଲୋକ ପରର ସମ୍ପତ୍ତି, ଘରର ଘରକରଣା ଏକାଠି କରିବାକୁ କାମ ବୋଲି କହିବ ? ଏଠି କାମ ନାଁରେ ଯେତେ ବାଇଆ କଥା । ତେଣୁ ଭାବିଲି, ସାଆନ୍ତଙ୍କ ସାନପୁଅ, ଗେହ୍ଲାପୁଅ, ତହିଁରେ ପୁଣି ପାଠପଢ଼ା ପୁଅ, ୟେ ଗୋଟାଏ ଭେଣ୍ଡା ବୟସର ଖିଆଲ । ଖିଆଲ ବି ଭଲ, ଦଶ ଲୋକ ଏକାଠି ହେଲେ, ଗାଁରୁ କଳିକଜିଆ ନିଷ୍ପତ୍ତି ହୋଇ ତୁଟିଗଲା ଦାଣ୍ଡେ ଦାଣ୍ତେ, କେତେ ଲୋକଙ୍କ ଭଙ୍ଗାଘର ମରାମତି ହେଲା, ଅଳିଆ ସଫା ହେଲା, ଗାଁ ରାସ୍ତା ଭଲ ହେଲା । ମୁଁ ଭାବିଥିଲି ଖେଳରେ ଖେଳରେ ଏ ଯାହା ଚାଲିଛି ଏ ତ ଭଲକଥା । ସେଇଠି କ’ଣ ନା ମଝିରୁ ମଝିରୁ ବାଡ଼ କଟା ହୋଇ କେତେ ଲୋକଙ୍କ ବାରି ସାମିଲ କରାହେଲା, ଚାଲିଲା ଏଥର ପଡ଼ିଆ ଜମି ଉପରେ ପାହାର । ସବୁ ତ ଏକାକାର ହବ, ନା କ’ଣ ?’’

 

ଶାନ୍ତ ହୋଇ ରବି କହିଲା, “ବୁଝୁଚି କୋଉଠି ତମର ଭୁଲ ହଉଚି । ଏକା ତମର ନୁହେଁ, ତମପରି ଯେତେ ସମସ୍ତିଙ୍କର । ତମେ ଭାବୁଚ ଏ ଯେଉଁ ଯାହା ଯେତେ ତମେ ଅଇଛା ଦେଖୁଚ କି ଦେଖିଆସିବ ଏସବୁ ଏମିତି ରହିଥିବ । ମୁଁ ବଞ୍ଚିଥାଏଁ, ବସିଥାଏ ଏମିତି ଯୁଗେ ଯୁଗେ ବୋଲି ସମସ୍ତିଙ୍କର ମନ, ସେଇଥିପାଇଁ ଲୋକେ ନାକରେ ତେଲ ପକେଇ ପୁରୁଣା କଥାକୁ କୁଣ୍ଢେଇ ଧରି ବସିଥାନ୍ତି । କାହିଁ ଆଗ କଥା ଆଉ ? ଦେଖୁନା, ତମ ପିଲାକାଳକୁ ଏଯାକେ କେତେ କ’ଣ ବଦଳିଛି-!’’

 

‘‘ଦେଖୁଚି ତ,’’ ନନ୍ଦ କହିଲେ, “ ଦେଖୁ ନାଇଁ କେମିତି ? କାହିଁ ଆମ ବେଳର ମାନ୍ୟ, ମାନତା, ଭଦ୍ରାମି, ଭଲଲୋକି, ଜମିଦାର ପୁଅ ଧରିଲେଣି ହଳ, କୁରାଢ଼ୀ, ଆଇ ଏ ଯୁଗ କେତେ ବଦଳିବ ?’’

 

‘‘ହେଲାଣି କୋଉଠି ? ହେଇ ନାଇଁ । ଜମିଦାର ପୁଅ ହେଲେ କ’ଣ ଭାସିଗଲା ? କାମ ନ କଲେ କେହି ଖାଇବାକୁ ଦେବେ ନାଇଁ । ଜମିଦାରୀ ଥାଇ ଖାଲି ହେଲା ଖୋଳପା । ଶେଷରେ ସେ ବି ଗଲା । ଏ ପୃଥ୍ୱୀରେ ଲୋକ ବଢ଼ିଲେଣି, ଖାଇବାକୁ ହାଁ ହାଁ ; ସେମାନେ ଚାରିଆଡ଼େ ମାଡ଼ି ଦଳି ତଷିଯିବେ । ଏବେ ଫସଲର ଭାଉ ହେଲାଣି ଯାହାକୁ ଯେତେ, ମୂଲ୍ୟ କାହିଁରୁ କ’ଣ ବଢ଼ିଗଲାଣି । ଆପଣା ପେଇଁ ନ ଖଟି ପରପାଇଁ କାହିଁକି କିଏ ଖଟିବାକୁ ଯିବ ? ସେଇଥିପାଇଁ ଗାଁ ଗାଁକେ ମୂଲିଆ ଲମ୍ୱେଇଲେଣି ଗୋଡ଼ । ଅଇଛା ତ ସେମାନେ ତଥାପି ସାକୁଲା ସାକୁଲିକୁ ମଙ୍ଗୁଛନ୍ତି, ଯେତେ ଅଡ଼ିବସି ଘରେ ରହିଲେ ବି ତମ ପୁରୁଣା ଖାତିରିରେ ଟିକିଏ ହେଲେ ତରଳିଯାଇ ବାପଲୋ ଧନଲୋ କଲେ ଆସୁଛନ୍ତି, ଦିନାକେତେ ଗଲେ ସେ ଫମ୍ପା ମୋହମତ ବି ସେମାନେ ପାସୋରି ଯିବେ, ଆଉ ତମ କାମ କରିବାକୁ ସେ ଆସିବେ ନାଇଁ, ସେଇଠୁ କ’ଣ କରିବ-? ବାବୁଗିରି ରଖିବ କେମିତି ? ଆଗରୁ ହଳ ଧରିଥିଲେ କି ହାତ ଚଳେଇଥିଲେ ତାଙ୍କ ସାଙ୍ଗରେ ଜଣେ ହୋଇ କାମ କରି ହେଲେ ତେମେ ବଞ୍ଚିପାରିବ, ନ ହେଲେ ଗଡ଼ି ମରି ଭୂତ ହୋଇ କୂଆଡ଼େ ଉଡ଼ିଯିବ । ଏ ନୂଆ ଯୁଗ ଦେଖ ଖାଲି କାମିକା ଲୋକଙ୍କପାଇଁ, ଅଳସୁଆଙ୍କର ଏଠି ଥାନ ନାହିଁ ।"

 

‘‘ଗାନ୍ଧୀଯୁଗ ସବୁ ଅଳସୁଆଙ୍କୁ ଭିଣିଭିଣା କରି ଫୋପାଡ଼ି ଦେବାକୁ ଶିଖେଇ ଦେଇଗଲା,’’ ବଇ ମଳିକ ହେଣ୍ଡି ମାରିଲା, “ଅଜା, ତମେ ଆଉ ସେ ପୁରୁଣା କଥାଗୁଡ଼ାକ କହ ନାହିଁ, ଗାନ୍ଧୀ ମହାତ୍ମା ଲୋକଙ୍କ ଆଖି ଫିଟାଇ ଦେଇଚନ୍ତି-’’

 

ନନ୍ଦ ତସିଲ୍‌ଦାର ଖେଙ୍କିହେଇ କହିଲେ, ‘‘ଅହହ, କହନା, କହନା, ବାସ୍ତରା କେଇଟା ଧୂଳିଆ ପିଟିଲେ, କେଇଟା ମଟରରେ ଚଢ଼ିଲେ, ପାଞ୍ଚ ପାହୁଲା ଜିନିଷକୁ ପାଞ୍ଚଟଙ୍କା କଲେ, ଅସତ ପଣରେ ଦୁନିଆଁ ବୁଡ଼ିଚି, କେହି କାହାକୁ ମାନିବାକୁ ନାଇଁ, ଯାରି ନାଁ ଗୋଟାଏ ନୂଆ ଯୁଗ, ଏଇଥିପେଇଁ ଏତେ ହେଣ୍ଡି ମାରୁଚ ! ଆରେ ଓଲୁ, ମାନ୍ୟ ମାନତା ନ ଥିଲେ ଦୁନିଆଁ ଚଳେ ନାଇଁ । ଗାଁ ଗୋଟାକରେ କେହି ଯଦି କାହାକୁ ନ ମାନିବେ, ତେବେ ସମସ୍ତେ ମରାମରି ହେଇ ମରିବେ । ଶାସ୍ତ୍ରପୁରାଣ କାହିଁକି ଅଛି ? ବଡ଼ସାନ କାହିଁକି ଅଛି ? ଧର୍ମ କ’ଣ କହୁଚି ? ହଁ, ଯୁଗ ମାତିଛି ତମେସବୁ ମାତିଚ, ନାହିଁ କରୁନାଇଁ କିନ୍ତୁ ଏ ଖାଲି ଏରକାର ବନରେ କାଦମ୍ବରୀ ପିଇକରି ମାତିଲା ପରି-’’

 

ଏରକାର ବନ ! କେତେଥର ରବି ଶୁଣିଛି ଏକଥା ! ଚିନ୍ତିତ ହେଲା । କିନ୍ତୁ ତା’ର ଚିନ୍ତାକୁ ଅଖନା ହସରେ ଉଡ଼େଇଦେଇ ଉତ୍ତର ଦେଲା କୁରୁପା ବାଉରି । କହିଲା, “ହୋ ହୋଃ, –ଏଇ ବିନା ସାଉ, କପିଳି ବିଶ୍ୱାଳ, ଧଡ଼ି ନନ୍ଦ ଏମିତିଆ ଲୋକଙ୍କ କଥା କହୁଚ ନା ବାବୁ ! ହଁ, ସେମାନେ ବାଇଟୁଙ୍ଗୁରିହୋଇ ବୁଲୁଥିଲେ, ଅଇଛା ଫେରଫାର କରି ଘର ଖଣ୍ଡେ ଖଣ୍ଡେ ଠିଆ କଲେଣି । ତାଙ୍କ ଲୁହାଛଡ଼ ପକ୍‌କା କାନ୍ଥ ଟିଣ ଛାତ ତମ ଛାତିରେ ବିନ୍ଧୁଚି । ସେଇଥିପାଇଁ ପେଟଟା ବଥୋଉଚି, ଆଖିରେ ସହି ହେଉନାଇଁ, ନୁହେଁ ? ତେବେ ତେମେ ଠିକ୍ କଥାଟା ଧରିପାରୁନାହଁ । ଆରେ ବାବୁ, ଯୁଗଯୁଗକୁ କବାଟଟା ବନ୍ଦଥିଲା, ମହାତ୍ମା ଗାନ୍ଧୀ ଆସିଲେ, ସେ କବାଟଟା ଖୋଲିଦେଲେ । ସେ ବାଟ ଖୋଲିଲେ ସତ ପଶିବ ବୋଲି, ତା’ ସାଙ୍ଗେ ସାଙ୍ଗେ କେତେ ରାମନବମୀ ବେଶ ହୋଇ ଅସତ୍ ବି ଥୋଡ଼ାଏ ପଶି ଆସିଲେ, ସେଇଟା ଦେଖି ତମେ କହୁଚ କବାଟ ଖୋଲିବାଟା ଭୁଲ ହେଲା । କବାଟ କିଳା ହୋଇ ଅନ୍ଧାରଟା ଥିଲେ ତମକୁ ଭଲ ହୋଇଥାନ୍ତା । ସେଇଥିପେଇଁ ଟିକ କଥାରେ ଏଇ ଛତରଖିଆଗୁଡ଼ାଙ୍କ କଥାକୁ ଉଲୁଗୁଣା ଦଉଚ । ଭାବୁଚି ଭାରି ଭଲକଥା କରୁଚ ବୋଲି । ଟିକିଏ ବୁଝୁନ, ଏ ଅସତ ବି ଦି’ଦିନିଆ ଯେ । ଯୋଉ କବାଟ ଖୋଲା ହେଇଚି ସେମାନେ ପଶି ଆସିଚନ୍ତି, ସେଇ କବାଟ ଖୋଲାଥିବ ସେଇବାଟେ ତାକୁ ଆମେ ବାଡ଼େଇ ବାହାର କରିବୁଁ, କ’ଣ ଭାବିବ ? ଅସତର ଦୁଆ ଦେଇ ସତକୁ ପଛକୁ ପେଲିଦବାଟା କୋଉ ବିଚକ୍ଷଣ କଥା ତମେ କହୁନା-’’

 

ଆଁ’କରି ରବି କୁରୁପା ବାଉରି ମୁହଁକୁ ଚାହିଁଲା, ସେ ପାଠ ପଢ଼ିନାଇଁ, ସେ ଗଜ ମୂରୁଖ, ତଥାପି ସେ କଥା କହୁଚି ।

 

ବଇ ମଳିକ ତୁନୀ ଥିଲା, ଏଥର ସେ ନନ୍ଦ ତସିଲ୍‌ଦାରଙ୍କୁ ଆଇନ ବତେଇଲା, କହିଲା, “ଏତେ ପାଟି ତୁଣ୍ଡରେ କ’ଣ ଅଛି ବାବୁ ? ଯାହାର ସମ୍ପତ୍ତି ତାଙ୍କ ପୁଅ ନିଜ ଇଚ୍ଛାରେ ଯେମିତି ମନ ସେମିତି ଖର୍ଚ୍ଚ କଲେ, ତଳିଆ ଲୋକସିନା ବୋଲମାନି କାମ କରିବେ, ଏତେ ଆପତ୍ତି ଉଠେଇବାକୁ ଅଛି କିଏ ? ଏଇ ତ ସାନବାବୁ ନିଜେ ଆଇଛନ୍ତି, ନିଜେ ମନଇଚ୍ଛା ତାଙ୍କ ଅନାବାଦୀର କି ଆଉ କୋଉ ଜମିର ଯାହାହେଲେ ବ୍ୟବସ୍ଥା କରୁଛନ୍ତି, କାହାର କ’ଣ ଯାଉଚି ? ଲୋକ ସାଧାରଣ ହେଲେ କ’ଣ ଚାକର ବାକର ବି ଘୋଡ଼ା ଚଢ଼ିବେ ?’’ ନନ୍ଦ ତସିଲ୍‌ଦାରଙ୍କ ମୁହଁ ଜଳିଗଲା, କିନ୍ତୁ ବଇ ମଳିକ ପୁଣି କହିଲା, “ବୁଢ଼ା ବାବୁ ତ ମାଳା ଗଡ଼େଇଲାବାଲା, ବଡ଼ବାବୁ ତ ବିଦେଶରେ ଥାଆନ୍ତି ଯେ ସେ ଭଲ କି ତାଙ୍କ ଚାକିରି ଭଲ । ଜମିବାଡ଼ି ଧନ୍ଦା ସବୁ ବୁଝନ୍ତି ସାନବାବୁ । ସଂକର୍ତ୍ତା ନିଜେ ଜାଗା ଉପରେ ଠିଆ ହେଇ ବରଗୁଛନ୍ତି ଏ କଣ୍ଟାବଣ ସଫା ହେବ, ସେ ବାଡ଼ଟା ହଣା ହବ, ସେ ପୋଖରୀଟା ଖୋଳା ହବ, ସେ ଜମିଟା ଏମିତି ନାଇଁ ସେମିତି ତଷା ହବ । ଭଲ ତମୁକୁ ସେ ରଖିଛନ୍ତି ତାଙ୍କ କାମ କରିବାପାଇଁ । ତାଙ୍କୁ ଯୋଉଟା ଭଲ ଦିଶିଲା, ସେ କରିବେ । ତାଙ୍କର ହୋଇ ହୋଇକି ତମର ନାଇଁ ନାଇଁ କାହିଁକି ବାବୁ ? କାମ ବନ୍ଦ କରିବାକୁ ତମେ ଆମେ କିଏ, ମୁଁ ତ କିଛି ବୁଝିପାରୁନାହିଁ ।’’

 

ଥକା ହୋଇ ନନ୍ଦ ବୁଢ଼ା ଠିଆହୋଇ ରବିକି ଅନାଇଁ ରହିଲେ । ସୁନ୍ଦର ସ୍ୱାସ୍ଥ୍ୟବାନ ଡେଙ୍ଗା ହୋଇ ଜଣେ ବଡ଼ ମଣିଷ, ପିଲା ପୁଅ ନୁହେଁ । ଏପର୍ଯ୍ୟନ୍ତ ସେ ଖାଲି ଅଳି କରିଛି, ବୁଝାଇ କହିଛି, କୌଣସି କଥାକୁ ଛଳ କରିନାହିଁ । ବଇ ମଳିକର ଭାଷ୍ୟ ସହିତ ମିଳାଇ ପଡ଼ିଲାରୁ ସେ ଦିଶିଲା ଅନ୍ୟପ୍ରକାର । ପୁରୁଷାନୁକ୍ରମିକ ତହସିଲ୍‌ଦାର ବଂଶର ଅବତଂଶ ନନ୍ଦବୁଢ଼ା, ସେମାନେ ଚାକିରି କରୁ କରୁ ହାତ ପଇଠକରି ନିଜର ସୁବିଧା କରିଛନ୍ତି ସତ, କିନ୍ତୁ ଆଗ ମୁନିବଙ୍କ ମନ ଜଗି ଚଳିଛନ୍ତି, ହାଇ ଶୁଣି ଫୁଟୁକି ଫୁଟେଇଛନ୍ତି, ବର୍ଷାଆଡ଼କୁ ଛତା ଦେଖାଇଛନ୍ତି, ମୁନିବକୁ ମୁନିବବୋଲି ମାନିଛନ୍ତି । ସେ ଯେଉଁ ଜାତିର ହେଉ ପଛେ, ଯାହା ହେଉ ତା’ର ସ୍ଵଭାବ କି ଆଚରଣ । ନୂଆ ଯୁଗରେ ତାଙ୍କର ସ୍ୱାଭାବିକ ଭକ୍ତି ବି ଢିଲା ହୋଇଯାଇଛି; କିନ୍ତୁ ଯେତେ ହୁଗୁଳିଲେ ବି ସେ ସରି ଯାଇନାହିଁ । ବଇ ମଳିକର ଚେତନାବନୀରେ ତାଙ୍କର ଚେତା ଆସିଲା । ଦୃଷ୍ଟି ନଇଁଗଲା । ଭାବିଲେ, ଏ ପାଗଳ । ସେଥିରେ ମୋର କ’ଣ ଯାଏ ? ବୃଥା ଅପଡ଼ ହେବା କଥା ।

 

ମନେପଡ଼ିଲା, ଏଠା ହାଲ୍‌ଚାଲ ବଟ ମହାନ୍ତିଙ୍କୁ ଜଣାଇବାକୁ ସେ ଲୋକ ପଠାଇଥିଲେ-। ବଟ ମହାନ୍ତି ସବୁ ଶୁଣିଲେ, କିଛି ଉପଦେଶ ଦେଲେ ନାହିଁ । କଣ୍ଡୁରି ବାରିକ ବେଉରା ଆଣିଲା । ବୁଢ଼ାବାବୁ କହିଲେ–‘‘ରବି ଭଲ ଅଛି ତ ?” “ଆଜ୍ଞା, ହଁ ।’’ ‘‘ସବୁ ଗୋବିନ୍ଦଙ୍କ ଲୀଳା’’ ବୁଢ଼ାବାବୁ କହିଲେ ।

 

ମନେପଡ଼ିଲା, ଏମିତି ଧ୍ୱଂସ ହୋଇଛନ୍ତି କେତେ ବଡ଼ ବଡ଼ ଜମିଦାର, କେତେ ରାଜାମହାରାଜ ଖାଲି ଆପଣା ଖିଆଲ ପଛରେ ଗୋଡ଼େଇ । କିଏ ପର୍ବତ ଉପରଯାକ ପୋଖରୀ ଖୋଳେଇଛି ତ କିଏ ଗହୀର ପାଟରେ ନଅର ତୋଳିଛି, କିଏ କୁକୁର ଗୋଠ ପୋଷିଛି ତ କିଏ ବାଘ ଗୋଠ ଜଗିଛି, କିଏ ଗୋଟି ଗୋଟି କରି ଭାରିଯା ଆଣି ଠୁଳ କରିଛି ତ କିଏ ରାଜ୍ୟଯାକର ଭାଟନାଟଙ୍କୁ ପୋଷି ପାଳି ଅମାର ଉଜାଡ଼ିଛି, ଆଉ ଏ ବା ଏଡ଼େ ବଡ଼ କ’ଣ ? କିବା ବିତ୍ତ !

 

ଆପଣା ଆହତ ଅଭିମାନକୁ ଗିଳି ପକେଇବାକୁ ସେ ସ୍ମରଣ କଲେ–ବଂଶ ନାଶବେଳେ ଘୋଡ଼ାମୁହାଁ ପୁଅ ଜନ୍ମ ହୁଅନ୍ତି । ୟା ମୁହଁଟା ଘୋଡ଼ା ମୁହଁପରି ହେଉ କି ନ ହେଉ, ଆଚରଣ ଠିକ୍‍ ସେହିପରି । ତୁଳନା କଲେ, ଏଇ ବୟସର ପୁଅ ତାଙ୍କର ବି ଅଛି, ବିଚରା ବାଞ୍ଛୁଟି, ସେ ସହରରେ ମୋହରିରଙ୍କ ସଙ୍ଗେ ବୁଲାବୁଲି କଲାଣି । ସାମ୍ନାରେ ପଇସା ଓ ଗାଁ–ପ୍ରତିପତ୍ତିମୟ ଟରଣିତ୍ୱ । ଭଗବାନ ତାଙ୍କ ପ୍ରତି ଦୟାଳୁ, ବାଞ୍ଛୁ ଗୋଟିଏ ପିଲାର ବାପ ହେଲାଣି, ପାଗଳ ନୁହେଁ ।

 

ଉଠି ଆସୁଥିବା ବାଙ୍କୁଲି ହସକୁ ଗାଲ ମୋଡ଼ିଦେଇ ମୁଖ ବିକୃତିରେ ଢାଙ୍କିଦେଇ ନନ୍ଦ କହିଲେ–“ହଉ ମୁଁ ଯାଉଛି । ଏଗୁଡ଼ା ଦେଖିଲେ ବାପା ଗାଳିଦେବେ ।’’

 

ମଝିରୁ ଦ୍ଵନ୍ଦ୍ୱ ହଠାତ୍ ଭାଙ୍ଗିଗଲା, ବେଳ ନ ହେଉଣୁ ଯାତ୍ରା ଭାଙ୍ଗିଗଲାପରି, ଆଉ ସରଳ କଥା ଦିପଦ, ‘ବାପା ଗାଳିଦେବେ’ । ରବିର ମନେପଡ଼ିଲା ।

 

କିନ୍ତୁ ଚାରିଆଡ଼ ଗଛ କଟାକଟିର ହୋ ହା ଶୁଭୁଛି, ମୂଢ଼ପରି ଭାବୁ ଭାବୁ ପୁଣି ସେ ବର୍ତ୍ତମାନର ପରିସ୍ଥିତିକୁ ଫେରିଆସିଲା । ମୁହଁ ଟେକି ଚାହିଲା, ପାଳଧୁଆ ଫୁଲ ଖରାରେ ଝଟକୁଛି । ତା’ର ସେ ଉଗ୍ର ନାଲି ଯେପରି କି ରବିର ଭାବନା କାଟିବାକୁ ସାହାଯ୍ୟ କଲା, ଆଖିପତା ମିଞ୍ଜି ମିଞ୍ଜି କରି ପଛଆଡ଼କୁ ମୁଣ୍ଡକୁ ଝାଙ୍କି ଦେଇ ଦୃପ୍ତ ଭଙ୍ଗୀରେ ଠିଆହୋଇ ରହି ସେ ତରତର କରି ତୀକ୍ଷ୍ଣ ଚିନ୍ତାରେ ମନକୁ ମନ ଢିରା ଦେଲା- କାହିଁର ସନ୍ଦେହ ପୁଣି ? ତା’ ବାଟ ତ ସେ ବାଛି ନେଇଛି !

 

ରବି ଦ୍ୱିଗୁଣ ଉତ୍ସାହରେ କୁରାଢ଼ୀ ଟେକି ପାଳଧୁଆ ଗଛକୁ ଆକ୍ରମଣ କଲା, କିନ୍ତୁ କାମ ଆଜି ଯେପରିକି ପଦେ ପଦେ କେବଳ ତର୍କରେ ଅଟକିଯିବ । ବଇ ମଳିକ ହସି ଦେଇ କହିଲା-

 

‘‘ଏ ପାଳଧୁଆ ଗଛ ଦିଟା କିଦେରେ ଦୁଶୁଚି କହିବି ?”

 

ରବି କହିଲା–‘‘କହ’’ ।

 

‘‘ଠିକ୍ ଯେମିତି ଭୁଆସୁଣୀ ଯୋଡ଼ାଏ, ହାଣିବାକୁ ହାତ ଯାଉ ନାଇଁ ।"

 

ସମସ୍ତେ ହୋ ହୋ ହୋଇ ହସିଲେ, ରଘୁଆ ଥଟ୍ଟା କଲା, ‘‘ତେବେ ତୁ ଏଥିରୁ ଗୋଟାକୁ ବା’ହ ।’’ କୁରୁପା କହିଲା, “ସତରେ ଯାହା କହ, ସୁନ୍ଦୁରିଆ ଜିନିଷକୁ ହାଣିବାକୁ ହାତ ଯାଏ ନାଇଁ । ଗାଁ ପାଖରେ ଥିଲେ ପିଲାଏ ଏ ଫୁଲ ନେଇ ଖେଳନ୍ତେ ।’’

 

‘‘ଖାଲି କ’ଣ ଖେଳ ! ପାଳଧୁଆ ଫୁଲ ରାନ୍ଧିଲେ ଲାଗେ ପ୍ରକାରେ । ଏକା ସତେରେ ଦିଟାଯାକ ଗଛ ଯେମିତିକି ରଙ୍ଗ ଅଳତା ବୋଳା ହେଇଚି ।’’

 

ରବି କହିଲା, “ସୁନ୍ଦର ସତ ଯେ ଏଥିରେ କି ଉପକାର ଅଛି ? ଭଲା ବାଡ଼ିରେ ଥାଆନ୍ତା, କ୍ଷେତ ମଝିରେ ଏଥିରୁ ଠିଆହେବ ଦିଟା ! ଏମିତି ସୁଦର ଦେଖୁଥିଲେ ତ ହାତ ଚଳିବ ନାଇଁ, ଗୋଡ଼ ଚଳିବ ନାଇଁ । ଯାହାଙ୍କର ପୋଲାରେ ଖାଇବାକୁ ଅଛି ଦେଖୁଥାଉନ୍ତୁ କୋଠା ଉପରେ ସେମାନେ ଏମିତି ସୁନ୍ଦର ଯେତେ ନାହିଁ ସେତେ । ସଂସାରର ଚଷାଭୂଷା ମୂଲିଆ ଝାଳୁଆ ଯେଉଁମାନେ ତାଙ୍କ ଆଖିରେ ଯଦି ଗୋଟାଏ ଜିନିଷକୁ ଆଗ ମଣିଷର ଭାତ ଲୁଗାପାଇଁ କାମରେ ଲଗେଇ ହବ ପୁଣି ସେ ଜିନିଷଟା ହେଇଥିବ ଆଖିକି ସୁନ୍ଦର, ତେବେ ଯାଇ ସେ ହେବ ସୁନ୍ଦର । ଉପକାର ନାହିଁ, ଖାଲି ଦେଖା ସୁନ୍ଦର, କି ମିଳିବ ସେଥିରୁ ?’’

 

କୁରୁପା କହିଲା- “ଯେମିତି କି ଚହଟ ଚିକ୍‍କଣ ନେସେମା ଦେହ ବାବୁ ।’’

 

ବଇଆ କହିଲା, “ନାଇମ, କୁଟାଖଣ୍ଡକ ଦି’ଖଣ୍ଡ କରିବ ନାଇଁ, ପଲଙ୍କରୁ ଓହ୍ଲାଇବ ନାହିଁ, ଜାତି ଜାତି ଶାଢ଼ି ପିନ୍ଧିଥବ, ହାର୍ମୋନିଆଁ ବଜୋଉଥିବ, ବଡ଼ଘର ବୋହୂ" । କହିସାରି ଜିଭ କାମୁଡ଼ି ପକାଇଲା, ମନେପଡ଼ିଗଲା ରବି ବି ଯେତେହେଲେ ତ ଜମିଦାର ପୁଅ, କିଏ ଜାଣେ– ? କଥା ବାଁରେଇ କହିଲା,–‘‘ନାଇଁମ, ମୁଁ କାହିଁକି କହିଲିକି ? ସୁନ୍ଦର ଯେ ସେ ସୁନ୍ଦର, ଯେତେ ଯାହାହେଲେ କ’ଣ ସୁନ୍ଦରଟା ଅସୁନ୍ଦର ହବ ? ମୁଁ ଗେଲରେ କହିଲିନା; କାଉଟା ଆଉ କ’ଣ ବଗୁଟାଏ ହବ ନା ଆମଘର ମାଇପେ ବଡ଼ଘର ମାଇପଙ୍କ ପରି ହେବେ ? କାହିଁ ରାଣୀ କାହିଁ ଚନ୍ଦ୍ରକାଣୀ ?’’ ଆଉ କହିପାରିଲା ନାହିଁ, ଲାଜରା ହୋଇଗଲା, ଯେପରିକି ତା’ର ଗୋପନ ମନର ଛପିଲା କଥା ସେ ଜିଭ ହଲେଇ ଦେଇ ପଦାକୁ ପକାଇ ଦେଇଛି । ସମସ୍ତେ ହସିଲେ । ରବି କହିଲା, ‘‘ତୁ ଭୁଲ ବୁଝିଚୁ ବଇ, ସମସ୍ତିଙ୍କ ମାପ ଯଦି ଏକା କଣ୍ଟରେ ହୁଅନ୍ତା, ତା’ହେଲେ ଦେଖନ୍ତୁ ବୋଧହୁଏ ତମରି ଘର ମାଇପେଇଁ ସୁନ୍ଦର । କାରଣ ସେମାନେ କାମ କରି ବଞ୍ଚନ୍ତି ।’’

 

ଆପଣା ତୁଣ୍ଡରେ ନାରୀ-ସୌନ୍ଦର୍ଯ୍ୟର ଆଲୋଚନା କରିଦେଇ ସେ ବି ଲାଜରା ହୋଇଗଲା, କିନ୍ତୁ କଥା ଯେପରିକି ଆପଣା ଭିତରୁ ଗଜୁରି ଉଠୁଛି, ମନରେ ଉତ୍ତେଜନା, ରବି କହିଗଲା, ‘‘ନଈ କଣ୍ଡିଆରେ ଧୋବଧାଉଳିଆ ବେଣାଫୁଲ ସୁନ୍ଦର, ହଳଦୀ ଗରଗର ଶଣଫୁଲ ସୁନ୍ଦର । ପୁଣି ମତୁଆଳି ଧାନକ୍ଷେତ ବି ସୁନ୍ଦର, ବାଡ଼ି ବଗିଚା ସୁନ୍ଦର । ପେଟକୁ ଖାଇବାକୁ ଥିଲେ ଫନ୍ଦା ସୁନ୍ଦରପଣରେ ମନ ମଜେଇ ହୁଏ, ନ ହେଲେ ନାଇଁ । ଆମର ଦରକାର ସେମିତି ସୁନ୍ଦର ଯହିଁରେ ଅଭାବ ମେଣ୍ଟିବ କି କାମ କରିବାକୁ ମନ ଉଲୁସିବ, ଆଉ ରାଇଜଯାକ ସୁନ୍ଦର ଅସୁନ୍ଦର ଥାକ ଥାକ କରି ବାଛିବାକୁ ଆମର ବେଳ ନାହିଁ, ଚଲା କୁରାଢ଼ୀ, ତୁଚ୍ଛା ଗପରେ ବେଳ ଗଲା ।’’

 

ପଡ଼ିଲା ପାହାର ।

 

ତାହାରି ଭିତରେ ରବିର ମନେ ମନେ ଗଲୁ କଲା ବଢ଼ିଆଳ ଜୀବନ । ଗୋଟିଏ ମୁହଁ ମନେପଡ଼ିଲା । କୁରୁପା କହିଲା,’’ଥାଉ ବାବୁ, ଆମେ ତ ହାଣୁଚୁ, ତେବେ କ’ଣ ହେଲାଣି ଯାଇ ଟିକିଏ ଦେଖିଆସିଲେ ଭଲ ।’’

 

ରବି ଆପତ୍ତି ନ କରି ବୁଲି ଦେଖିଗଲା ।

 

ଏଥର ଆଖି ଆଗରେ ଥିଲା ଗୋଟିଏ ସ୍ଵପ୍ନ, ସବୁ ଆଉ ସମସ୍ତିଙ୍କର ମିଶି ଗୋଟାଏ ପ୍ରକାଣ୍ଡ ଅଞ୍ଚଳ ହୋଇଛି, ସମସ୍ତିଙ୍କୁ ଧରିଛି, ସମସ୍ତିଙ୍କୁ ପୋଷିଛି, ସେଠି ହିଡ଼ବାଡ଼ ନାହିଁ, ମନଖୁସିରେ ଏକାଠି ସମସ୍ତଙ୍କ ଦରକାରମାନିଆଁ ବଡ଼ ବଡ଼ ବଗିଚା, ବଡ଼ ବଡ଼ କ୍ଷେତ, ଆଉ ସୁସ୍ଥ ସବଳ ମଣିଷଙ୍କ ମୁହଁରେ ହସ ଉଛୁଳି ପଡ଼ିଛି, ସମସ୍ତେ ନିଧଡ଼କ ।

 

ଦାଣ୍ଡ କମ୍ପେଇ ଦୋଳର ମଉଜ ଲାଗିଲା, ଲୋକେ କାମ ବନ୍ଦ କଲେ, ଲାଗିଲେ ମିଠାମଠି ହେବାରେ, ତେଲ ଜିକି ଳିକି ମୁଣ୍ଡରେ ଫିରେଇ କାଟି ନୂଆଲୁଗା ପିନ୍ଧି କଳ ବୁଲେଇ ବୁଲେଇ ପାନ ଚୋବାଇ ବାଜା, ସଙ୍ଗୀତ, ଯାତ୍ରା, ମେଳଣ ଓ ବନ୍ଧୁଘର ହୋଇ ହୋଇ ଚାହଁ ଚାହୁଁ ଦୋଳଘଡ଼ି କଟିଯିବାକୁ ଲାଗିଲା । କାମରୁ ଛୁଟି, ବଡ଼ ପର୍ବ, ଅହୋରାତ୍ର ସଂକୀର୍ତ୍ତନର ଧୂମ୍ ଲୋକକୁ ଘର ଭିତରୁ ଭିଡ଼ି ଘେନିଯାଏ । ସପ୍ତାହରେ ଦିନ ଦିନ କରି ବାରି ପକାଇଦେଲେ ସବୁଦିନେ କେଉଁଠି ନା କେଉଁଠି ନିଶ୍ଚୟ ମେଳଣ ଥିବ । ବହୁତ ପଇସା ଗାଁ ଗାଁକରୁ ବୋହି ଚାଲିଛି ସହରକୁ, ଦାମି ଦାମି ସଉକ, ସହରିଆ ଦୋକାନରୁ ଭଡ଼ାରେ ଲାଇଟ୍ ଚାଲି ଆସୁଛି, ବଡ଼ ବଡ଼ ସାହେବସାହେବାଣୀ, ବୁଢ଼ାବୁଢ଼ୀ, ରାବଣ, ଜଟାୟୁ ପକ୍ଷୀ, ଘୋଡ଼ା, ଓଟ, ଏହିପରି କେତେ ବେଶ ଆସୁଛି । ତେଲିଙ୍ଗୀ ବାଜା ଦଳକୁଦଳ, ପଞ୍ଝାକୁ ପଞ୍ଝା ନାଟବାଲା, ଆଉ ଜାତି ଜାତି ବାଣ, ରୋଶ୍‍ନି, ଫୁଲ ଓ ମେଢ଼ର ସାଜ, ତାହାଛଡ଼ା ପ୍ରତିଦଳର ନିଜର ବିମାନ, ଠାକୁର, ସଂକୀର୍ତ୍ତନ ସମ୍ପ୍ରଦାୟ, ମେଳଣ ପଡ଼ିଆରେ ଥାଟପଟାଳି ଲୋକ, ଧାଡ଼ି ଧାଡ଼ି ହୋଇ ଦୋକାନ, କେତେ ମଜା । ମଫସଲରେ ହିଡ଼େ ହିଡ଼େ ବନ୍ଧେ ବନ୍ଧେ ଲାଗିଗଲା ମଣିଷ ସୁଅ, ସ୍ତ୍ରୀ ପୁରୁଷ, ଛତାବାଡ଼ିପୁରା ବୁଜୁଳିଧରି ରଙ୍ଗ ରଙ୍ଗ ଜାମାପିନ୍ଧା ପିଲାଙ୍କୁ କାନ୍ଧରେ ବସାଇ ଜାମାଯୋଡ଼ ହୋଇ ମଣିଷ, ଟୋକାଙ୍କର ନୂଆ ନୂଆ ବେଶ, ନୂଆ ନୂଆ ଫେସନ ସହର ମଫସଲ ମିଶାମିଶି, କାହାର ଫୁଲ ଜାଲିର ଗେଞ୍ଜି ତ ଝୋଲାମରା ଖରାରେ ବି ବେକରେ ସାତବର୍ଣ୍ଣର ଉଲ୍ ମଫଲର୍, କିଏ ଚାଲିଛି କ୍ୟାନଭାସ ଜୋତା ପିନ୍ଧି, ହାତରେ ଝକ୍‌ ଝକ୍ ହାତଘଡ଼ି, ଛାତି ପକେଟରେ ପୁଞ୍ଜାଏ ଫାଉଣ୍ଟେନ୍ ପେନ୍-ଚାଲିଚି ସେ ଯାତ୍ରା ଦେଖାଳୀ, ପାନ ବୋଳରେ ପାଟି କଳା-ନାଲିଚା, କାନରେ ସୁନା କୁଣ୍ତଳ, ହାତରେ ଲମ୍ୱା ଟର୍ଚ୍ଚ ଲାଇଟ୍ ଓ କାନ୍ଧରେ ପଟି ପଟି ରଙ୍ଗର ମୋଟା ଗାଧୁଆ ତଉଲିଆ । ରଙ୍ଗ ରଙ୍ଗ ଲୁଗା ପିନ୍ଧି ଝମର ଝମର ପାହୁଡ଼ ନେପୁର ଖଞ୍ଜିହୋଇ ଭୂଇଁ ଦୁଲୁକେଇ ଧରାଧରି ହୋଇ ଚାଲିଛନ୍ତି ପଲ ପଲ ମାଇପେ । ମଫସଲି ଧୂଳିଆ ସଡ଼କରେ ତା’ ପଛକୁ ତା’ ପଛ ତାଟଲଗା ଶଗଡ଼ ଗାଡ଼ି ଭିତରେ ଅସଂଖ୍ୟ ଯାତ୍ରାଦେଖାଳୀ ସ୍ତ୍ରୀଲୋକ, ଇଟା ବାଲିବୁହା ବାଉଁଶବୁଣା ଖୋଲା ଓଦର ଭିତରେ ଜକାଜକି ହୋଇ ସେହିମାନେ । ଚାରିଆଡ଼େ ରଙ୍ଗ ଓ ଚହଳ, କାମ କିଏ କରେ ?

 

କିନ୍ତୁ ରବି କାମ ଅଟକେଇଲା ନାହିଁ । ଲାଗି ରହିଥାଏ ହଣାହଣି, ତଡ଼ାତଡ଼ି, ବାଡ଼ବନ୍ଦି, ଘର ମରାମତି, କେତେ କ’ଣ । ‘‘ତୁମେ କାମ ନ କରିବ ତ ନ କର ।" ରବି ତା’ର ବନ୍ଧୁମାନଙ୍କୁ କହିଦେଲା, “ମୁଁ କାହାରିକି ବାଧ୍ୟ କରିବି ନାହିଁ । କିନ୍ତୁ ମୁଁ ଦେଖୁଛି ମୋର ଛୁଟି ନାହିଁ, ବହୁତ କାମ ବାକି ପଡ଼ିଛି ।’’ ଏତେ ଖଟୁଛି ଜଣେ ଲୋକ, ନିଜପାଇଁ ନୁହେଁ ତାଙ୍କପାଇଁ, ସେହି ତା’ର ସହଜ ନେତୃତ୍ୱ । ସେମାନେ ଆପତ୍ତି କଲେ ନାହିଁ । କିନ୍ତୁ ସେହି କଥାଟା ଘୁଙ୍ଗୁଳେଇ ହେଲା ମନେ ମନେ, ଏବଂ ସେ ଦିନ, ଯେତେବେଳେ ଅରକ୍ଷ ବୁଢ଼ୀ ଜଗୁଆମାର ଘର ମରାମତି ସେମାନେ କରୁଥାନ୍ତି, ଲୋକେ ଲାଗିଥାନ୍ତି ମାଟି କାଦୁଅ ଚକଟି ଗୋଟାଏ କାନ୍ଥ ଗଢ଼ିବାକୁ ତ ଆଉ ଲୋକେ ଆଉ ଫାଳେ ଏକାଧାଡ଼ିକେ ଝାଟି ପିଟୁଥାନ୍ତି । ବୁଲେଇ ବଙ୍କେଇ କଥାଟା ପଡ଼ିଗଲା ।

 

ଜଗୁଆମା’ ଜାତିରେ ତାଷୁଣୀ, ପିଲାଛୁଆ ନାହାନ୍ତି, ବର କେଉଁଦିନୁ ମଲାଣି । ଦି’ମାଣ ଜମି, ଭାଗରେ ତାଷ ହୁଏ, ଅନ୍ୟମାନେ ମାରିପିଟି ଖାଆନ୍ତି, ଜଗୁଆମା’ ବୁଢ଼ୀ ଦିନେବି ଦୁଃଖ କରି ବଞ୍ଚେ । ‘‘ଜଗୁଆମା’, ଚଳିବୁ ତୁ ଆମ କୋଠରେ ? ତୋ’ର ଖୋରାକ ପୋଷାକ ଭଲମନ୍ଦ ଭାର ଆମର, ତୋ ଜମି ଦି’ମାଣ କିନ୍ତୁ କୋଠରେ ଚାଷ ହେବ ।’’ ଜଗୁଆମା’ ହେଣ୍ଡିମାରି ହଁ ଭରିଥିଲା । ତା’ପରେ ଦିନେ ତା’ରି ଆଖି ଆଗରେ ସେ ଦେଖିଲା ଯେ ତଳକୁ ମାଡ଼ି ବସିଥିଲା ତା’ ଚାଳ, ତଳୁ ଟେକା ହୋଇ ଉଠିଲା । ଦି’ ବଖରା ଘରୁ ବଖରାକର ଦି’ଟା କାଛ ଭାଙ୍ଗି ପଡ଼ିଥିଲା, ଲାଗିଛି ସେହି କାମ । ଜଗୁଆମା’ ବୁଢ଼ୀ ନଇଁ ନଇଁକା ଏକର ସେକର ଦେଖି ଦେଖି ଆସୁଛି, କରୁଛି କଲ୍ୟାଣ- ‘‘ଆହାହା କ’ଣ ହେଇ ପଡ଼ିଥିଲା ଏ କୁଡ଼ିଆ ଦି’ ବଖରା, କ’ଣ ନ ହେଲା ! ବିଧାତା କୋଟି ପରମାୟୁ ଦେଇଥାନ୍ତୁରେ ତମୁକୁ, ଗାଁରେ ତମରିମାନଙ୍କ ପରି ଆଉ ଦଶଟା ଗଜା ଭେଣ୍ଡିଆ ଥିଲେ ଗାଁର ଶିରୀ ଫେରି ପଡ଼ନ୍ତା । ଆଜିକାଲି ତ ସମସ୍ତେ ଗୋଶିଙ୍ଗ ଦଇତରେ ବାପ, କାହା କଥା କିଏ ବୁଝୁଛି ?’’ ‘‘ଏତିକ କ’ଣ ଦେଖୁଚୁ ଜଗୁଆମା’,’’ ରବି କହିଲା, ‘‘ଯେତେବେଳେ ଦେଖିବୁ ତୋ ଘରଯାକ ପିମ୍ପୁଡ଼ି ପରି ଛୁଆ ଧାର ଲାଗିଯିବେ, ଖାଲି ତୋରିଠୁଁ ସେ କାଳର ଗପ ଶୁଣିବାକୁ, ଆଉ ତୋ ବାରିରେ ଫଳିଥିବ ବଡ଼ ବଡ଼ ପିଜୁଳି, ଗଛରେ ଚଢ଼ି ସେମାନେ ଦୋଳିମାଙ୍କୁଡ଼ି ଖେଳୁଥିବେ, ମା’ମାନେ କାମକୁ ଗଲେ ତାଙ୍କ ପିଲାଙ୍କୁ ତୁ ଜଗିବୁ, ଜାଣି ସେତେବେଳେ ବୁଝିବୁ ସତରେ ତୋ ଘର ହସିଲା ।’’

 

ସାଧୁ ଜେନା କହିଲା, ‘‘ସେଇଥିପେଇଁ ପରା ଦୋଳରେ ବି କାମ ଲାଗିଛି । ଏକା ତୁମେ ଯାହା କହ, ଦୋଳରେ ଦଶଦିନ ହାତ ଟେକି ବସିଥିଲେ ମନଟା ଟିକିଏ ଫୂର୍ତ୍ତି ହେଇଥାନ୍ତା । ଯୋଉଦିନୁଁ ଜ୍ଞାନ ହେଲାଣି ଏମିତିରେ ଦୋଳଟା ମୋର କେବେ କଟି ନାଇଁ । ବରଷକେ ଥରେ ଆସିବ ପୁନେଇଁ ପରବ, ବଞ୍ଚିଥିଲେ ଆର ବର୍ଷକୁ । ଛାଡ଼ିଦେଲେ ହାଇଁପାଇଁ ହବାକୁ ହୁଏ ।’’

 

ରବି କହିଲା, ପୂନେଇଁ ପର୍ବପାଇଁ ବର୍ଷକେ କେଇଦିନ ଆମ ଦେଶରେ କାମ ମାରାହୁଏ ଜାଣିଚ ଜେନାଏ ? ଏକେ ତ ଆମ ଏଠା ଲୋକେ କେତେ ଅଳସୁଆ ଜାତି । ଓଳିଏ ଖାଇବାକୁ ଥିଲେ ଦିଦିନ କାମକୁ ଯିବେ ନାଇଁ । ତହିଁରେ ଏ ପୁନେଇଁ ପରବ ଅବିକଳ କଙ୍କଡ଼ାକୁ ଗୋଳିପାଣିପରି । ଗୋଡ଼ ଲମ୍ବେଇ ପିଣ୍ଡାରେ ବସିବାକୁ ମଉଜ । ତମେ ହିସାବ କର, ଜଣେ ଲୋକ ଯଦି ଦିନେ କାମ ମାରାକଲା ଶହେ ଲୋକ ଦିନେ ଦିନେ କାମ ମାରା କଲେ, କେତେ କାମ ମାରା ହେଲା ? ଜଣେ ଲୋକର ଶହେଟା ଦିନର କାମ । ଅନବରତ ଶହେ ଦିନ ଲାଗିରେ ଗୋଟାଏ ଲୋକ କ’ଣ କ’ଣ କରିପାରେ ? ଅଇଛା ସିନା ପାରୁନ, ତମେ ହେତୁ କର, ଶହେ ଦିନ ଅନବରତ ଖଟି ପାରୁଥିଲେ ତୁମେ କ’ଣ କ’ଣ କରିପାରୁଥିଲ ? କେତେ ବିଲ ଚଷି ପାରୁଥିଲ, କେତେକାଠ ହାଣିପାରୁଥିଲ, କେତେ ସପ ମସିଣା ବୁଣି ପାରୁଥିଲ, କେତେ ଘର ତୋଳି ପାରୁଥିଲା । କେବଳ ଜଣେ ଲୋକ । ସେମିତି ହିସାବ କର ବର୍ଷଯାକର ପର୍ବପର୍ବାଣି, ଦେଶସାରା କେତେ ଲୋକ ନିକମା ହେଇ ବସନ୍ତି, ସେତିକିବେଳେ କେତେ କାମ କରି ହୁଅନ୍ତା । ତା’ ହେଲେ ତେମେ ବୁଝିବ ଆମର ନଷ୍ଟି କେତେ ?’’

 

‘‘ସତ, ସତ,” ସାଧୁ ଜେନା କହିଲା, ଆଁ କରି ଅନେଇଁ ରହିଲା ଦୂରକୁ, ଯେପରି କି ସେ ଦେଖିପାରୁଛି, ହେଇ ଏତେକାମ ନଷ୍ଟ ହୋଇ କୁଢ଼ା ହୋଇ ପଡ଼ିରହିଛି ପର୍ବତ ପରି କାମ ।

 

ଆଉ ସେହି ଚିନ୍ତା ଉପରେ ରଙ୍ଗ ବିଛେଇ ଦେଇ ରବି କହିଚାଲିଛି- ‘‘ପର୍ବତ ପରି କାମ ନଷ୍ଟ ହେଉଛି ।

 

ସକାଳୁ ଉଦୟ ହୋଇ ଆର ଓଳିକି ଜଗତ ଅନ୍ଧାର କରି ସୂର୍ଯ୍ୟ ଅସ୍ତ ଯାଉଛି, ଆପଣା ଆୟୁଷରୁ ସରୁଛି ଦିନଟିଏ, ଆଉ ସେ ଆସିବ ନାହିଁ । ନ କରିଲା କାମ ଆଉ କରିହେବନାହିଁ । ବୁଝିପାରୁନା, ମୃଦଙ୍ଗ ବଜେଇ ତାନାନାନା କରି ଆମରି କୋକେଇ ବୋହି ଆମେହିଁ ଚାଲିଛୁଁ ମଶାଣିକି । ଏ ସଉକରେ ଲାଭ କ’ଣ ଅଛି ? ମଲେ ଯାଇ ଛୁଟି, ସେ ପର୍ଯ୍ୟନ୍ତ କାମ କର, କାମ କର । ସ୍ଵୟଂ ଭଗବାନ କହିଛନ୍ତି, ନିୟତଂ କୁରୁ କର୍ମ ତ୍ୱଂ ।’’

 

ସଂସ୍କୃତ ଶୁଣି ସମସ୍ତେ ଗୁମ୍ ମାରି ରହିଲେ । ଜଗୁଆମା’ ପୁଣି ଘେରାଏ । ବୁଲି ଆସି କଥାରୁ କିଛି ଶୁଣି କହିଲା–“ଆହାହା, କି ଶୋଭାକଥା ! କି ଶୋଭା ରୂପ ! କୋଟି ପରମାଇ ହେଇଥାରେ ପୁଅ, କୋଟି ପରମାଇ ହେଇଥା ।’’

 

ଉମା ପଶାଏତ କହିଲା, ‘‘କାମ ନଷ୍ଟ କଥା କହୁଚ ଯେ ବାବୁ, ତା’ବୋଲି ତ ଧର୍ମ କର୍ମ ଅଛି, କରିବାକୁ ହେବ, ନ ହେଲେ ଜୀବର ମୁକ୍ତି ହେବ କେମିତି ?’’

 

ସାଧୁ ଜେନା କହିଲା, ‘‘ସତ ତ, ପୂର୍ବପୁରୁଷ ଆମର ସେହି କଥା କରି ଆସିଲେ । ବେଳ ଯେତେ ଗଲେ ଯାଉ, ପଇସା ଯେତେ ସରୁ, ଧର୍ମଟା ଯିବ କୁଆଡ଼େ ? କ’ଣ କହନ୍ତି ନାଇଁ-ପଇସା ଧିଅର ମଳି, ତା’ବୋଲି ଧର୍ମ ବୁଡ଼ିବ ?’’ ରବି ହସିଲା । କହିଲା, “ଯେଝା ଧର୍ମ ଯେଝା ନିଜର । ଆମେ ଦଳ ବାନ୍ଧି ହୋ ହା କଲେ କ’ଣ ଆମ କଥାଟା ବେଶୀ ଭଗବାନଙ୍କ କାନରେ ପଡ଼ିବ ? ଆମେ ଅଥାର ବସେଇଲେ କି କାମ ବନ୍ଦ କରି ଘରେ ରହିଲେ କ’ଣ ଠାକୁରେ ବେଶୀ ଆମୁକୁ ପରସନ ହେବେ ? ନା ଓଲଟି କହିବେ, ଏଗୁଡ଼ା ଅଳସୁଆ, ଠାପୁଆ, ହତଲକ୍ଷ୍ମୀଆ ? କାମବେଳେ କାମ ହେବ । କାମ ନ ଥିଲାବେଳେ ଧର୍ମ ହବ । କାମ ଘେନି ଧର୍ମ ମାରାପଡ଼ିବ ନାଇଁକି ଧର୍ମ ଘେନି କାମ ମାରାପଡ଼ିବ ନାଇଁ ।’’

 

‘‘ବାସ୍, ଏଇ ତ ସାର କଥା ।” ବଇ ମଳିକ କହିଲା ।

 

ରବି କହିଲା, “ସେଇଥିପାଇଁ ଆମେ ଓଲଟି ବାଦବୁଦିଆ ହେଇ କାମ କରିବା । କାମ ଘେନି ସବୁ ଜିନିଷର ମୂଲ, ସବୁ ମଣିଷଙ୍କ ମୂଲ । ଆମର ଯେ ଯେଡ଼ିକି କାମିକା, ସେ ସେଡ଼ିକି ଦରକାରୀ ମଣିଷଟା । ଆମେ ଦୋଳ ବି କରିବୁଁ, କାମ ବି କରୁଚୁଁ । ଅଳସୁଆମି ନାହିଁ । ଲାଗ, ଆଜି ଭିତରେ ଏ କାନ୍ଥଟା ଉଠେଇବାକୁ ପଡ଼ିବ, ନ ହେଲେ ଏ ଭଙ୍ଗା ଘର ଆମ ଆଖିରେ ଖେଣ୍ଟା, କହିବେ ଦେଖ ଏମାନେ କହୁଥିଲେ କ’ଣ, କଲେ କ’ଣ ? କହିଲାବେଳକୁ ଘୋଡ଼ା କରିବୁ, ହାତୀ କରିବୁ, କଲା ବେଳକୁ ଫୁସ୍– ।’’

 

‘‘ନାଇଁ ନାଇଁ ନାଇଁ, ଫୁସ୍ ହବ ନାଇଁ ।’’ ଘାଗଡ଼ା ପାଟିରେ ଗଣରୋଳ ଶୁଭିଲା, “ଏଯାକେ ଦେଖ ଆମ କାମ ସରସ, ଆହୁରି ସରସ ହଉଥିବ, ଯାହା କମେଇଗୁଁ ସମସ୍ତିଙ୍କପାଇଁ, ଯାହା କରିଯିବୁ ସମସ୍ତଙ୍କର ହେଇ ରହିବ ।’’

 

‘‘ଭଲା ଏମିତି ଭଲା ଏ ଗାଁରେ ଆଗରୁ କେବେ ହେଇଥିଲା କି ?’’ ଗଙ୍ଗା ଗୁଡ଼ିଆ କହିଲା, “ସତେ ଯେମିତି ମଲା ଦରମଲା ଗାଁଟା, ଠାପୁଆ ଅଳୁସୁଆ, ଏଣେ ଲେଙ୍କୁଡ଼ି ଛିଣ୍ଡୁଚି, ତେଣେ କଥା ଶୁଣିବ ବେତା ବେତା । ଆଉ କେହି କାହାରି ଶିରୀ ଦେଖିପାରୁନାହିଁ, ଶାଗଖିଆକୁ ପେଜଖିଆ ଦେଖିପାରୁନାହିଁ । ଏଇ ତ ଗାଁ ଅବସ୍ଥା । ଅଇଛା ଆମେ କେଇଜଣ ଏକାଠି ହେଇଚୁଁ ଯେ ଲୋକଙ୍କ ଆଖି ଖୋସି ହେଇପଡ଼ୁଚି । ନୂଆ ଘରକରଣା, ଯେ ଯୋଉଠି ଥାଉ ଏକ ଘର ଏକା କଥା, ଆଗରୁ ଜାଣିଥିଲା ଏମିତି କିଏ ?’’

 

‘‘ସମସ୍ତେ ଜାଣିଥିଲେ,’’ ରବି କହିଲା, ‘‘ନ ହେଲେ ଏ ପର୍ଯ୍ୟନ୍ତ ଗାଁ ଗାଁକେ କୋଠଘର ଥାଆନ୍ତା କି ? ଆମେ ଅଇଛା ଦେଖୁଛୁଁ ଦେଉଳର ଭଙ୍ଗା ପଥର, ତା’ବୋଲି କ’ଣ ମୂଳରୁ ଲୋକେ ଏଇ ଭଙ୍ଗା ପଥର ଗଢ଼ିଥିଲେ ? ପଥର ଖଣ୍ଡିକ ଦେଖିଲେ ମନେପଡ଼େ, ଦିନେ ଥିଲା ଗୋଟାଏ ଦେଉଳ ସେମିତି କୋଠ ପରିବାର ଦେଖିଲେ ମନେପଡ଼େ, ଆମର ବି ଥିଲା ଦିନେ କୋଠ ଗାଁ, କୋଠ ଦେଶ, ସମସ୍ତିଙ୍କର ଯାହା ଜଣକର ତାହା । ଆମର ସେ ଦେଉଛି ଭାଙ୍ଗିପଡ଼ିଛି, ପୁଣି ମୂଳରୁ ଗଢ଼ିବାକୁ ହେବ । ଏଇ ଯେମିତି ଆମ ଗାଁରେ ଆମେ ଲୋକଙ୍କ ଭଙ୍ଗାଘର ତୋଳି ଠିଆ କରୁଚୁ । ଯଦି ବଣ୍ଟାକୁଣ୍ଟାପାଇଁ କଳିଆ ନ ରହେ, ତେବେ ଜଣେ ଜଣକର ତଣ୍ଟି କାଟିବ କାହିଁକି ?’’

 

ସାଧୁ ଜେନା କହିଲା, ‘‘ଭଲା କଥା ମନେପକେଇ ଦେଲ, ବୁଢ଼ା ବୁଢ଼ାମାନେ କହନ୍ତି, ତାଙ୍କୁ ଦେଖନ୍ତରେ ବି ଗୋଟା ଗୋଟା ଗାଁ କୋଉଠି କୋଉଠି କୋଠରେ ଚଳୁଥିଲେ । କେତେଠି ଶାସନ ଗାଁସବୁ ସେମିତି ଥିଲା । ତାଙ୍କର କୋଠରେ ଚାଷ, କୋଠରେ ଅମାର, ଆଉ କେତେ ପାଇକାଳି ଗାଁ, କେତେ ଚାଷୀ ଗାଁ । ଭାରି ମେଣ୍ଟ, କାହାକୁ ପରେଇ ନ ଥାଏ ।”

 

ଜଗୁଆମା’ କହିଲା, “ଆଗକାଳ କଥା ଆଉ ଅଛି କିରେ ବାପ ? ଅମ ଦେଖନ୍ତରେ ତ କୋଉ ଗାଁରେ କିଏ ଉପାସରେ ରହୁଥିଲା ? ରାଣ୍ତୀ ହଉ କି ଖଣ୍ତି ହଉ, ଓଳିଏ କିଏ ଉପାସରେ ପଡ଼ୁଥିଲେ ଲୋକେ କହୁଥିଲେ ମଲା ମଲା, ଗାଁକୁ ନିନ୍ଦା ହେଲା, ଆଗ ତା’ କଥାଟି ବୁଝ । ଷାଠିଏ ସତୁରି ପ୍ରାଣୀ ଏକା ରୋଷେଇରେ ଚଳୁଥିଲେ । କୁଆଡ଼େ ଗଲା ସେ ଦିନ ! ତୋର ମୋର ବଢ଼ିଲା, ଏକା ଘରେ ରହି ପାଞ୍ଚ ଘରଣୀ ପାଞ୍ଚଠି ପାଣ୍ଠି କଲେ । କୋଠ ଜିନିଷ ବିକିଭାଙ୍ଗି ଆପଣା ସୁବିଧା ଆପଣା ବାଟ କରି ଲାଗିଲେ, ସେ ଘର ବି ଭାଙ୍ଗିଲା, ସମସ୍ତିଙ୍କ ଶିରୀ ବି ତୁଟିଲା । ଛିଆ ଏ କଳିକାଳ ! ମଣିଷକୁ ନ ମାରି ଦଇବ ରଖିଚି କାହିଁକି ହଟହଟା ହବାକୁ କେଜାଣି ! ସେ କାଳ ମଣିଷ ବି କୁଆଡ଼େ ମରିହଜି ଗଲେ, ସେ ସ୍ନେହ ସରାଗ ବି ପୋଡ଼ିଜଳି ଗଲା । ସେଇଠୁ ଇନ୍ଦ୍ର ବି ପାଳିଲା ନାହିଁ, ଭୂଇଁ ଆଉ ସେ ଫଳ ଦେଲା ନାହିଁ, ଗାଈ ଚିର ବି ଶୁଖିଗଲା ! ଆଉ ସେ କାଳ ପଖାଳ ସାତ ସପନ ।’’

 

‘‘ସାତ ସପନ ଫେର୍ ସତ ହବ ଜଗୁଆମା’ !’’ ରବି ଆଶ୍ୱାସ ଦେଲା, ‘‘ଏ ମାଟି ଶୋଇପଡ଼ିଥିଲା, ପୁଣି ଚେଇଁ ଉଠିବ । ଯେଉଁ ମାର୍ଗରେ ଭାଙ୍ଗିଚି ପୁଣି ସେଇ ମାର୍ଗରେ ଗଢ଼ି ହେବ-। ଖାଲି ଆମ ମନ ଦୃଢ଼ କଲେ- ।"

 

‘‘ତମ କଥାରେ ଫୁଲ ଚନ୍ଦନ ପଡ଼ୁ ବାପ ! କୋଟି ପରମାଇ ହେଇଥାଉ । ଆମର କୋଉ ଆଇଷ ଆସୁଚି ଆମେ ଦେଖିବୁକି, ସରଗପୁରେ ଥାଉଁ କି ନରକପୁରେ ଥାଉ ଆମେ କଲ୍ୟାଣ କରୁଥିବୁ ।”

 

‘‘ତୋର ମୋର ଭାବ ଆସେ ଅଭାବରୁ । ଗାଁ ଗୋଟାକ ଏକ ହୋଇ ଆମେ ଯଦି ସମସ୍ତଙ୍କପାଇଁ ଭାତ, ଲୁଗା ଆଉ ଘର ଯୋଗାଇ ପାରିବା, ଆଉ ସମସ୍ତେ ଚଳିବେ ଏକା କଣ୍ଟରେ, ତେବେ ଆଉ କଳି କାହି-ପାଇଁ ? କେହି ଧନୀ ହେବ ନାହିଁ, କେହି ଦରିଦ୍ର ହେବ ନାହିଁ, କେହି ସାହୁ ରହିବ ନାହିଁ, କେହି ଖାତକ ରହିବ ନାହିଁ, କେହି ସାଆନ୍ତ ରହିବ ନାହିଁ, କେହି ଚାକର ରହିବ ନାହିଁ । ସମସ୍ତେ ହେବେ ଗାଁ ଗୋଟାକର ରୋଜଗାରିଆଁ ପୁଅ ଝିଅ । କମେଇ ପାରିଲେ–ସମସ୍ତିଙ୍କ ପତରରେ ଘିଅ ଭାତ । କମେଇଁ ଊଣା ହେଲା–ସମସ୍ତେ ନୁଣ ଟୋକି ଭାତ ଖାଇବେ । ଏ ଗାଁ ସବୁରି ପିଲାଙ୍କୁ ପାଠପଢ଼ାଇବ । କିଏ ଜାଣେ ଏଇ ବାଉରି, କଣ୍ଡରା, ତଷା, ମୂଲିଆ.ଘର ପୁଅଝିଅଙ୍କ ଭିତରେ କି ବୁଦ୍ଧି କି ପ୍ରତିଭା ଲୁଚି ରହିଚି ! ଏମାନେ ସତେ କି ପଡ଼ିଆ ଭୂଇଁ, ଯେଉଁଠି କେବେ ତାଷ ହୋଇନାହିଁ, କେହି ଜାଣେନାହିଁ ତାଷ ହେଲେ ଏଠି କେତେ ପାଚିବ ? କେହି କେବେ ତାଙ୍କୁ ସୁବିଧା ଦେଇଥିଲା ? ନା, ସତେକି ପାଠପଢ଼ିବା, ଆଉ ମଣିଷ ହେବା ଖାଲି ହଜାର ଜଣରେ ପାଞ୍ଚ ଜଣଙ୍କ ଏକଚାଟିଆ, ଆଉ କାହାରି ମୁଣ୍ଡ ନାହିଁ, ଆଉ କେହି ମଣିଷ ନୁହେଁ, ଖାଲି ଦି’ ଗୋଡ଼ିଆ ପଶୁ । ଆଉ କାହାରି ସଉକ ନାହିଁ, ମନ ନାହିଁ, ଶରଧା ନାହିଁ । କ’ଣ ହେବ ଏମିତି ସମାଜ ରଖି ? ମଣିଷ ହୃଦ ନ ବୁଝି ସମସ୍ତିଙ୍କି ଝୁଣି ଖାଇ ହଜାରେ ଦିଅଁ ଦେବତା ପୂଜିଲେ ବି ଧର୍ମ ହବ ନାହିଁ । ରଖି ଦିଅ ତମ ଧର୍ମ କର୍ମ, ଏଣେ ମଣିଷ ଗଡ଼ି ମରୁଚି, ଜଣେ ହସୁଚି ତ ହଜାରେ ଜଣ କାନ୍ଦୁଚନ୍ତି । ଜଣକର ପୁଅ ଗେଲବସର ହଉଚି ତ ରାଇଜଯାକର ପୁଅ ଅଭେକା ହୋଇ ଗଡ଼ୁଚନ୍ତି । ଯେ ଯେତେ ବଡ଼ ହେଉ ଜଣକ କଥା ପଛ, ଦଶଜଣଙ୍କ କଥା ଆଗ । ବାରଶ ବଢ଼େଇରେ ଯାଏ କି ଗୋଟିଏ ପୁଅରେ ଯାଏ ? ବାରଣ ବଢ଼େଇରେ ଯାଏ । ସେଇଥିପେଇଁ ଆମେ ପଣ କରିଚୁ ନୂଆ ସମାଜ ଗଢ଼ିବୁଇଁ ଗଢ଼ିବୁଁ । ଆମକୁ କେହି ଅଟକେଇ ପାରିବେ ନାହିଁ ।’’

 

କାମ କରୁ କରୁ କେଉଁ ଖଞ୍ଜରେ ହାତ ଅଳସ ହୋଇ କାନ ଡେରି ହୋଇ ରହିଲା ରବିର କଥା ଶୁଣିବାକୁ ।

 

ମଣିଷ ନୁହେଁ, ଯୁଗଦେବତା ମନ୍ତ୍ର ପଢ଼ୁଛି, ସମସ୍ତେ ଶୁଣୁଛନ୍ତି ।

 

ଆଖିରେ ନୂଆ ସ୍ୱପ୍ନ, ପ୍ରାଣରେ ନୂଆ ଅନୁଭୂତି, ନୂଆକରି ଦେଖୁଛନ୍ତି ପରିସ୍ଥିତିକୁ ।

 

ବଡ଼ ବଡ଼ ନିଃଶ୍ୱାସରେ ଛାତି ଉପରେ ଢେଉ ଖେଳିଯାଇଛି ।

 

ମଣିଷ ଆପଣାର ବଳକୁ ଚିହ୍ନୁଛି ।

 

ଘର ଆଗରେ ଗୋଟିକିଆ ସଜନା ଗଛ ଯେପରି କି ବୋଧିଦ୍ରୁମ, ତା’ର ନୂଆ ଶୋଭା, ତା’ର ନୂଆ ସନ୍ଦେଶ, ଆଉ ତାହାରି ତଳେ ସବୁ ଜାତି ମିଶାମିଶି, ଏ ଏଗାର ଜଣ ଯେପରି କି ନୂଆ ଦିନର ବୌଦ୍ଧଭିକ୍ଷୁ ଆଉ ବୃଦ୍ଧା ଭିକ୍ଷୁଣୀ ଏଇ ଜଗୁଆମା’ ।

 

ଆଲୋକ ଲୋକରୁ ଝରି ପଡ଼ୁଛି ଆଦି ବୁଦ୍ଧଙ୍କ ଅମୃତ ବାଣୀ, ଭାଷାର ଆଶୀର୍ବାଦ, ଜୀବନର ସ୍ୱଭାବ ସଙ୍ଗୀତ !

 

ଘର ତୋଳା ହେଉଛି, ସେଠି କାଦୁଅ, ମାଟି, ଝାଟି, ବାଉଁଶ କାମୁଡ଼ା ବିଛେଇ ହୋଇ ପଡ଼ିଛି ।

 

ଆଗରେ ଭଙ୍ଗା ଘରର କଙ୍କାଳ । ନିତିଦେଖା ସରଳ ଜୀବନର ସମ୍ଭାରକୁ ଆବୋରି ନେଇ ଶୂନ୍ୟରେ ଝଲସି ଉଠୁଛି ନୂଆ ଦିନର ସ୍ୱପ୍ନ ।

 

ସମସ୍ତେ ଖାଇବେ, କେହି ଉପାସ ରହିବ ନାହିଁ ।

 

ସମସ୍ତେ ଘରେ ରହିବେ, କେହି ପଡ଼ିବ ନାହିଁ ଗଛମୂଳେ ।

 

ଜାତି ଥାଉ, ଧର୍ମ ଥାଉ, ସବୁ ମଣିଷ ଭାଇ ଭାଇ ।

 

କିଛି ନ ଥିଲା, ଜଗୁଆମା’ ଭୋ’କିନା କାନ୍ଦି ପକେଇଲା । ଯେପରି କି ଧନୁର ଗୁଣ ଟଣକି ଉଠୁଥିଲା, ଝଣକରି ଛିଣ୍ଡିଗଲା ।

 

ସମସ୍ତେ ଚମକି ଗଲେ, “କ’ଣ ହେଲା, କ’ଣ ହେଲା ଜଗୁଆମା’ ?’’ ଜଗୁଆମା’ ଶୁଣୁ ନାହିଁ, କାନ୍ଦୁଛି । ବଇ କହିଲା, “ ଆହା, ବୁଢ଼ୀ ମଣିଷ, କ’ଣ ଗୋଟାଏ ମନେପକେଇଚି ।’’

 

ଗଙ୍ଗା କହିଲା, “ବିଚରା ଜନମଦୁଃଖୀ ଅରକ୍ଷ ମଣିଷଟାଏ | ମନେପଡ଼ିଲେ ପଡ଼ିଯିବ ଗଦା ଗଦା । କୋଉ ଦୁଃଖ ତା’ର ନ ହେଇଚି ?’’ ସାଧୁ ଜେନା କହିଲା, ‘‘ତା’ ବର ଥିଲା ପିତେଇ ସୋଇଁ । ପାଞ୍ଚହାତ ମଣିଷଟା, ଠିଆ ହେଇଥିଲେ ଗୋଟାଏ ଅର୍ଘାସୁର । ଜଗୁଆ ଜନ୍ମ ହେଇଥାଏ, ପୁଅ ହେଇଚିବୋଲି ମନ ଖୁସି ସିନା, ଯେତେହେଲେ ମୂଲିଆ ମୁଣ୍ଡ ତ, ଦେଣା ଭାରରେ ପିଠି ଭାଙ୍ଗିପଡ଼ୁଥାଏ । ଭରତ ସାଉ ମହାଜନ ଯୋଉଠୁ ଡରେଇଲା, କହିଲା ଏଥର କୋରଖି ଆଣି ଡିହକୁ ତାଡ଼ିକରି ନେଇଯିବି, ସେଇଠୁ ବିଚରା ବେଶୀ ପଇସା ଅରଜିବବୋଲି ଗଲା କଲିକତା ।’’

 

ଜଗୁଆମା’ର କଇଁ ଉଠୁଥାଏ ।

 

ଗଙ୍ଗା ଗୁଡ଼ିଆ କହିଲା, ‘‘ହଁ, ଗଲା ଯେ ଗଲା, ତାଙ୍କ ବାରିକି ଅନେଇଁ ଅନେଇଁ ଘର ଭୁଆସୁଣୀ ଆଖିରୁ ପାଣି ମଲା । ଆଉ ଅଇଲା ନାହିଁ କି ଭାଷା ଖଣ୍ଡେ ଦେଲା ନାହିଁ ।’’

 

ରବି କହିଲା, ‘‘କୋଉଠି ଅଛି ସେ ?’’

 

ସାଧୁ ଜେନା କହିଲା, ‘‘ହାବୁଡ଼ା ପୋଲ ଦେଖିଲା, କାଳୀ ଦେଖିଲା, କଲିକତା ଦେଖିଲା, ଦି ଦି ବର୍ଷ କମେଇଲା ଖାନିକୀ ପିଛା ସବୁ ଉଡ଼େଇଲା, ଶେଷରେ ଚଟକଳ ତାକୁ ଭିଡ଼ିନେଲା, ସେଇଠି ଖତମ୍ ।’’

 

ରବି କହିଲା, “ସେଇଠୁ ?”

 

ଗଙ୍ଗା କହିଲା, “ଯା ହୁଏ ସେଇଆ ହେଲା । ଜଗୁଆମ ଦୁଃଖ କରି ବଞ୍ଚୁଥିଲା, ଦୁଃଖ କରି ବଞ୍ଚିଲା । ଜଗୁଆଟା ହେଲେ ଥାନ୍ତା ! ମୋରି ସାଙ୍ଗର ଟୋକା, ଭଗବାନ ତାକୁ ବି ନେଇଗଲେ-। ବାଡ଼ିରେ ଗଲା ।’’

 

ଜଗୁଆମା’ର କାନ୍ଦଣା ଏଥର ଜନ୍ମର ଗେଁ ଗେଁ ପରି ।

 

ସାଧୁ ଜେନା କହିଲା, “ଦୁତୀଅ ହେଲା ନାହିଁ । ଲୋକେ ଯେତେ କହିଲେ କାନ ଦେଲା ନାହିଁ । ଏମିତି ଧାନ କୁଟି ମୂଲ ଲାଗି ଦୁଃଖ ଧନ୍ଦା କରୁ କରୁ ଯାହା ରଖିଥିଲା, ଗାଁର କିଏ ଠାବକରି ସେତକ ଚୋରି କରି ନେଲା । ବୟସ ସରିଲା, ବଳ ବହପ ହଟିଲା, ବୁଢ଼ୀଟା ପଡ଼ିରହିଲା ଖାଲି କାନ୍ଦି କାନ୍ଦି ମରିବାକୁ । ଆଃ, ଭଗବାନ ଦୁଃଖ ଦିଅନ୍ତି ଯାହାକୁ, ଦିଅନ୍ତି ଆଚ୍ଛା ପାନେ !’’

 

ନୂଆ ଯୁଗର ସିନ୍ଦୂରାକୁ ଦେଖି ଜଗୁଆମା ତା’ର ପୋଡ଼ାପାଉଁଶ ଜୀବନକୁ ହେତୁ କରି କାନ୍ଦୁଥିଲା ।

 

Unknown

ରବିର ଆଖି ଛଳଛଳ ହେଲା । କହିଲା, ‘‘ଥାଉ ମା’ ଥାଉ, ଭାବିନେ ଆମେ ସବୁ ତୋ’ର ପୁଅ । ଗୋଟିଏ ପୁଅ ହରେଇଚୁ, କୋଟିଏ ପୁଅ ପାଇଚୁ । ଏଇ ଅନା, ଆମେ ସବୁ ଜୀଇଚୁ ତ, ଟଳି ପଡ଼ିନୋଉଁ । ସେତେବେଳଯାକେ ତୋ’ର କାହିଁର ଚିନ୍ତା ?

 

ମନେପଡ଼ିଲା, ବିଜୟର ଦୁନ୍ଦୁଭି ବାଜିବ, ଅବଶ୍ୟ ବାଜିବ । ସେହି ଉଆସର ତଳେ ତଳେ ଧୂଳିକଣାପରି ଲାଖି ରହିଥିବ ଅତୀତର ଅନ୍ଧାରୀ ଯୁଗର ଦୁଃଖ-ଅତ୍ୟାଚାର-ଜର୍ଜରିତ ମଣିଷର ସୃତି । ସେ ତର୍ପଣ ଖୋଜୁଥିବ ।

 

କ’ଣ ତାଙ୍କପାଇଁ ସହାନୁଭୂତି ? କିଛି ନାହିଁ । ଯେ ଯାଇଚି ସେ ଯାଇଚି ।

 

ଜଗୁଆମା’କୁ ସହାନୁଭୂତି ଦେଇ ହେବ ନାହିଁ । ସମୟ କଟିଯାଇଛି,–ସୁଖରେ ହେଉ ବା ଦୁଃଖରେ, ଆଉ ସେ ଫେରିବ ନାହିଁ ।

 

ଯେତେବେଳର ଯେଉଁ ସମ୍ଭାବିତ ଅନୁଭୂତି ଯେ ହରେଇଛି, ଆର ସେ ଫେରିବ ନାହିଁ ।

 

ସୟୟ ଚାଲିଯାଉଛି ।

 

ସମୟ ଚାଲିଯାଉଛି ! ପୁରୁଣା କଥାଟା ନୂଆକରି ଯେପରି କି କାହା ତୁଣ୍ତରୁ ସେ ଶୁଣିଲା-। ମନେ ମନେ ଉଦାସ ହୋଇ ପଛକୁ ଅନେଇଲା । ସମୟ ଚାଲିଯାଉଛି । ସେ ବି ଚାଲିଯାଉଛି । ତଥାପି ଗଢ଼ିବାକୁ ହେବ ଯେ, ଆପଣାପାଇଁ ନ ହେଉ ମାନବ ଜାତିପାଇଁ । ମଣିଷ ମରେ, ମଣିଷ ଜାତି ମରେ ନାହିଁ ।

 

ଜଗୁଆମା’ ସକେଇ ହୋଇ ହୋଇ ତୁନୀ ହେଲାଣି । ଦଳର ଲୋକେ ବଟୁଆଖୋଲି ପାନ ଭାଙ୍ଗି ବସିଲେଣି । କିଏ ପାନପତ୍ରରେ ଚୂନଖାଇରୁ ଚୂନ ବୋହୁଛି ତ କିଏ ଗୁଆକାତିରେ ଖଟର ଖଟର କରି ଗୁଆ କାଟୁଛି । କିଏ ବଟୁଆର ପରସ୍ତ ପରସ୍ତ ଭିତରେ ଅଣ୍ଡାଳି ଲାଗିଛି ଖଇର ଟିକିଏପାଇଁ ।

 

ରବି ଚିତ୍କାର କଲା, “ବେଳ ଗଲା ଯେ, କାମ ବନ୍ଦ ହେଲା ।’’

 

ରଘୁଆ କହିଲା, “ଆରେ ଲାଗ ଲାଗ ଲାଗ–’’

 

ପୁଣି କାମ ଚାଲିଲା ।

 

କୁରୁପା ବଡ଼ ଆଁଟାଏ କରି ପାଟି ଭିତରକୁ ଗୁଣ୍ଡି ମେଞ୍ଚାଏ ଛିଞ୍ଚାଡ଼ି ମାରିଲା । ହସି ଦେଇ କହିଲା, ‘‘ତମେ ଆପଣ ଯାହା କହ ବାବୁ, ଏ ଦୋଳଘଡ଼ି, ଏ ଚଣାଆମ୍ୱ, କୁହୁ କୁହୁ କୋଇଲି ଆଉ ଘାଉଁ ଘାଉଁ ମହୁମାଛି, ଏ ସମିୟା ନିଆରା । ତୁଚ୍ଛାକୁ ମଣିଷ ଅଳସେଇ ହୁଏ ।’’ କୁରୁପା ଆଖିମିଟିକା ମାରି କଥା ପଦେ କହିଦେଲା । ସମସ୍ତେ ହସିଲେ । ଋବି ହସି ହସି ଚେଷ୍ଟା କରୁଥିଲା ଅଖି ଆଗରୁ ଗୋଟାଏ ସ୍ଵପ୍ନକୁ ହୁରୁଡ଼େଇବାକୁ ।

 

ରାତି ଅଧ । କଚିରିଘର ପିଣ୍ଡାରେ ଖଜୁରି ପଟି ଉପରେ ରବି ପଡ଼ି ରହିଥାଏ । ନିଦ ନାହିଁ । ମଶା ବେଢ଼ିଥାନ୍ତି । ରହିରହିକ ହୁ’ହୁଆ ପବନ ଦେହରେ ବାଜେ, ମଶାଙ୍କ ଜ୍ଵାଳା କମେ, କିନ୍ତୁ ଫଗୁଣର ସେହି ମନଉଲୁସା ପବନରେ ଚିନ୍ତାର ଜ୍ୱାଳା ବଢ଼େ । ବାରମ୍ବାର ମନେପଡ଼େ ଛବି ।

 

ଏହି କେତେଦିନରେ ନୂଆ ଦୁନିଆଁ ଗଢ଼ାଳୀର ତରୁଣ ଉଚ୍ଛ୍ୱାସରେ ଆତ୍ମ-ବିଶ୍ଵାସ ତା’ର ଆସିଛି, ଯେପରିକି ପାଦ ଅନୁଭବ କଲାଣି ତଳର ଟାଣ ମାଟି, ଏଥର ସେ ବାଟ ଚିହ୍ନି ଆଗକୁ ମାଡ଼ିଯିବ । ମନଟାଣ କରି ଟାଣ ଚାପୁଡ଼ାରେ ଆପଣାକୁ ପିଟି ମଶା ହୁରୁଡ଼େଇଲା ପରି ସେ ନିଜକୁ କଠୋର ପ୍ରଶ୍ନ ପଚାରି ଛାଟ ମାରେ-କାହିଁକି ତା’ର ଏ ବିକାର ? ଏ କ’ଣ ଦୁର୍ବଳତା ନୁହେଁ ? କାମନାକୁ ନିରୋଧ ନ କଲେ ଶାନ୍ତି କାହିଁ ? ନାରୀ ଚିନ୍ତାରେ ମନ ମୋହିଁ ଦେଲେ କିପରି ଗଢ଼ିପାରିବ ସେ ତା’ର ଯୋଜନାକୁ ?

 

ତର୍କ ଉଭେଇଯାଏ । ବିକଳ ହୋଇ ବାରମ୍ବାର ସେ ଛବିର ସ୍ଵପ୍ନ ରୂପକୁ ଆଖି ଆଗରେ ଦେଖେ, ନିରାଶ୍ରୟ ଲାଗେ, ଲାଗେ ସତେ କି ସେ ତା’ର ଜୀବନର ଅପୂର୍ଣ୍ଣ ଅଂଶ ନ ପାଇବାଯାକେ ଜୀବନର ଅର୍ଥ ନାହିଁ, ଉଦ୍ଦେଶ୍ୟ ନାହିଁ, ମୂଲ୍ୟ ନାହିଁ । ସଂସାର ଶୋଇ ରହିଛି, ଅଳ୍ପ ଛାଡ଼ି ଖାଲି ଭୂଇଁରେ ପଡ଼ିଛି ବଇ ମଳିକ, ତା’ର ଘୁଙ୍ଗୁଡ଼ିର କ୍ରମିଜ ରଡ଼ି ଯେପରି କି ନିଶା ରାତିର ଛନ୍ଦ । ଜହ୍ନ ଆଲୁଅ ଖେଳେଇ ହୋଇପଡ଼ିଛି । ଦୂରର ଶବ୍ଦ ଢେଉରେ ଭାସି ଆସୁଛି ଦୋଳ ବାଜଣାରେ ଦୋଳ-ଘଡ଼ିର ଅତ୍ମା । ରବି ସେହି ମାୟା ସୃଷ୍ଟିରେ ମନ ମେଲିଦେଇ ଅନୁଭବ କରୁଛି ସେ ଅତ୍ମା ଛବିର, ଦୂରରୁ ଏହି ନିର୍ଜନ ଜହ୍ନ ରାତିରେ ସେ ଓଟାରୁଛି, ଓଟାରୁଛି, ସେଠି ପହଞ୍ଚିବାକୁ ଆଶା ନାହିଁ, ଧରିବା ତ ସ୍ଵପ୍ନାତୀତ । ନିପାରିଲାପଣରେ ମନର ଉଦବେଗ ବଢ଼ିଉଠୁଛି, ବାରମ୍ୱାର ତେଜି ଉଠି ଆଲୁଅ ଝଲଝଲ କିମିଆଁ ରାତିରେ ଛାତିକି ଛାତି ମିଶାଇ ଏକ ହୋଇ ଭାସି ଯାଉ ଯାଉ ବାରମ୍ୱାର ସେ ଗଡ଼ି ପଡ଼ୁଛି ନୈରାଶ୍ୟର ଅନ୍ଧାର ଭିତରକୁ, ଫେର୍ ଉଠୁଛି, ଥର ଥର ଛାତି, ଦେହରେ ଚମକ ଉତ୍ତାରୁ ଚମକ, ଆଖିପତା ତଳ ଉଷୁମ୍ ଟାଆଁସିଆ ।

 

ଆପଣାକୁ ପଚାରେ–କିପରି ସେ ସମ୍ଭବ ହେବ ? କାହିଁକି ତା’ର ଏ ମାୟା-ମରୀଚିକା ପଛେ ପଛେ ଧାଇଁବା ? ହୃଦୟ ସ୍ତବ୍‌ଧ ହୋଇ ଆସେ, ଖାଲି ଗୋଟାଏ ଚେତନା ହୋଇ ସେ ଭାସି ଚାଲିଯାଏ, ଦେହର ସଭା ପାସୋରେ ।

 

ଅନୁଭବ କଲା କେଉଁଠି ଗୋଟାଏ ଆପଣା ଭିତରେହିଁ ଲାଗିରହିଛି ଦ୍ୱନ୍ଦ୍ୱ ଅସହିଷ୍ଣୁ ହେଲା, ଧଡ଼ପଡ଼ ହୋଇ ଉଠିପଡ଼ିଲା । ଲାଗିଲା, ସେ ଚେଇଁଛି, ଦେହରେ ଅକାରଣ ଦୁର୍ବଳତା । ଅବଶ ଲାଗୁଛି । ଭିଡ଼ିମୋଡ଼ି ହୋଇ, ବାହାକୁ ଟାଙ୍କି ବିଛେଇ ଭାଙ୍ଗି ସେ ବଳ ପରଖି ନେଇ ସଜାଡ଼ି ହେଲା । ଆସିଲା ଏକ ପ୍ରକାଣ୍ଡ ହାଇ, ତା’ପରେ ଆଉ ଗୋଟାଏ, ତା’ପରେ ଆଉ ଗୋଟାଏ, ପୁଣି ଦେହଯାକ ବିଛେଇ ହୋଇଗଲା ଗୋଟାଏ ଅବଶ ଭାବ । ମନରୁ ଅନ୍ୟ ଚିନ୍ତା ହୁରୁଡ଼େଇବାକୁ ପଣ କରି ସେ ତା’ର ଯୋଜନା କଥା ଭାବିଲା । ବୁଲି ଲାଗିଲା ଏକର ସେକର ।

 

ଯେଉଁ କାମ ତା’ର ଅନ୍ତର ଭିତରୁ ବାହାରି ହାତରେ ଦାୟିତ୍ୱ ହୋଇଛି ତାକୁ କରିବାକୁ ପଡ଼ିବ । ପ୍ରଥମେ ଦଶୋଟି ଘରର ଏକା ମେଣ୍ଟ, ତା’ପରେ ଆଉ ପାଞ୍ଚ ଦଶ ଘରକୁ ଏଥିରେ ଛନ୍ଦିବାକୁ ପଡ଼ିବ, ତା’ପରେ ଅନ୍ୟମାନଙ୍କୁ, ଏହିପରି ଗାଁ ଗୋଟାକୁ, ଗାଁ ପରେ ଗାଁ, ଗାଁ ପରେ ଗାଁ , ଅଞ୍ଚଳ ଗୋଟାକୁ । ଯୁଆଡ଼େ ଗଲେ ହିଡ଼ ବାଡ଼ ନାହିଁ, ସାନ ବଡ଼ ନାହିଁ, ତୋ’ର ମୋର ନାହିଁ, ସବୁ ସବୁରି, ସମସ୍ତେ ସମସ୍ତଙ୍କର, ତେବେ ହେବ ମଣିଷ ଭାଇ ଭାଇ; ପୃଥିବୀ ଏକ ହେବ । ଝଙ୍କାଗଛ ତଳର ଅନ୍ଧାର ପରି ତା’ର ଚେତନା ଉପରେ ଛାଇ ଲମ୍ୱେଇଲା ଦେଶ ବିଦେଶର ମଣିଷ ଭାଇର ଦୁଃଖ, ନିଗ୍ରୋ, ୟାଙ୍କି ମୂଲିଆ, ଚୀନ ଚାଷୀ, ସାହେବ କୋଇଲା ଖୋଳାଳୀ, ଇହୁଦୀ ବାରବୁଲା, ଭୋକିଲା ଇରାନୀ, ଅତ୍ୟାଚାରିତ ଜଂଲୀ, ଏ ଦେଶର ଅଗଣିତ ମୂଲିଆମୁଣ୍ଡ, ନୁଖୁରାମୁଣ୍ଡ । ପେଟରେ ଭୋକ, ପିଠିରେ ଚିଆଁ ଦାଗ, ଦେହରେ ନୋଳା, ସେମାନେ କାନ୍ଦୁଛନ୍ତି । ଶୋଷି ଖାଉଛି ଆଦିମ ବର୍ବର ସ୍ଵାର୍ଥର ପୁଞ୍ଜି, ହାଡ଼ ଗୁଣ୍ଡାକରି ଯୁଗ ପରେ ଯୁଗ ଉଡ଼ିଯାଉଛି, ସେମାନେ କାନ୍ଦୁଛନ୍ତି । ଖଣ୍ଡବିଖଣ୍ଡ ସେମାନେ, ବ୍ୟଷ୍ଟିରେ ହୀନବଳ, ସେହି ଉପାସ ଅରକ୍ଷ ନଗଣ୍ୟ ଅଗଣିତ ମଣିଷମୟ ଦୁନିଆର ପ୍ରତିନିଧି ବୋଲାଇ ଫନ୍ଦି ଫିକରର ଭେଳିକି ଲଗାଇ ଭୋକିଲା ପାଟିକି ବୋମା ଫୋପାଡ଼ି ମାରି ଯନ୍ତ୍ର ଚଳାଉଛି ଅସଭ୍ୟ ସ୍ୱାର୍ଥବାଦର ରାକ୍ଷସ, ନାନା ଭେକରେ, ନାନା ବେଶରେ । ମଣିଷ ଜାତି ବଞ୍ଚି ରହିବାକୁ ହେଲେ ଏକ ହେବାକୁହିଁ ପଡ଼ିବ ସେମାନଙ୍କୁ, ସେହି ଏକତାର ସେତୁ ଗଠନରେ ତା’ର ବି କର୍ତ୍ତବ୍ୟ ଅଛି, ସେ ଗୁଣ୍ଡିଚିମୂଷା ବାଲିବୁହାଳୀ, ଭାଙ୍ଗିବାକୁ ପଡ଼ିବ ସଂସ୍କାରର ଜଡ଼ ପାହାଡ଼ ମହାସେତୁର ବାଲିକଣା ସୃଷ୍ଟି କରିବାପାଇଁ, ସେଇଥିପାଇଁ ଅବା ଏ ମଣିଷ ସୁଅର ଭିଆଣ ।

 

ସମୟ ନାହିଁ, ସେମାନେ କାନ୍ଦୁଛନ୍ତି ।

 

ଆପଣା ଅନ୍ତରରେ କାନ୍ଦଣା ଅନୁଭବ କଲା, ଅନୁଭବ କଲା ସେ ବିଛିନ୍ନ, ସେ ଉତ୍‌ପାଟିତ, ପୁଣି ସେହି ଅନୁଭୂତିର ଅପୂର୍ଣ୍ଣତାର ଉତ୍ତରସ୍ଵରୂପ ଆସି ପହଞ୍ଚିଲା ଛବି ।

 

ଭାବୁ ଭାବୁ ହଠାତ୍ ଲାଗିଲା ତା’ରିପାଇଁ ସେ ସକେଇ ହେଉଛି, ଅସ୍ଥିର ହେଉଛି । ଏକର ସେକର ହେଉ ହେଉ ତା’ର ଗତିରେ ଆସିଛି ସମାନ ଛନ୍ଦ, ଯେପରି କି ସେ କାନ୍ଥ ଘଣ୍ଟାର ଦୋଳଣ ଛବିହିଁ ଯେପରିକି ବ୍ୟାପକଭାବେ ତା’ର ଅଭାବର ଉତ୍ସ, ସେହିଠୁ ଝରୁଛି ଅଭାବ ମେଣ୍ଟାଇବା ଯୋଜନା, ଗଢ଼ିବା ପ୍ରବୃତ୍ତି, ସେ ମଣିଷ ନୁହେଁ, ପ୍ରକୃତି, ଆକର୍ଷଣରେ ଜନ୍ମାଏ ଧ୍ୱଂସପାଇଁ ଓ ସର୍ଜନପାଇଁ ଶକ୍ତି, ପ୍ରବଣତା ମୁକୁଳା ରଖି ଜୀବନର ଜୁଆର ବୁହାଏ ।

 

ଚମକିପଡ଼ି ଅଟକିଲା । ଅର୍ଥ ପାସୋରି ଯାଉଛି । ଲାଗିଲା ଅର୍ଥ ନୁହେଁ ଅବା, ଭ୍ରାନ୍ତି । ଆପଣାକୁ କଳି ବଳକୁ ଦୁର୍ବଳତାବୋଲି ଭାବି ଭୟ ହେଲା । ଚିନ୍ତାର ମଙ୍ଗକୁ ଜବରଦସ୍ତି ମୋଡ଼ୁ ମୋଡ଼ୁ ପୁଣି ଛାଆଁକୁ ଛାଏଁ ସେ ଜହ୍ନ ରାତିରେ ବୁଡ଼ିଗଲା । ଗଣଧାରଣାରେ ଯାହାକୁ ‘ସେମାନେ’ବୋଲି ଭାବୁଥିଲା ସେମାନେ ସାମ୍ନାରେ ନାହାନ୍ତି, ନିଶ୍ଚଳ ରାତି, ସେ ନିଜେହିଁ ସେମାନଙ୍କର ରୂପାନ୍ତର, ତାଙ୍କର ଅଭାବହିଁ ତା’ର ଅଭାବର ରୂପକ, ଶୂନଶାନ୍ ଜହ୍ନରାତି, ଶୋଇଲା ଗଛରେ ବି ନୂଆ ରୂପ, ସାମ୍ନାରେ ସେହି ଜହ୍ନରାତିର ବିସ୍ତୃତି ଆଉ କେଉଁ ଦୂରରୁ ଆସୁଛି ବ୍ୟଥାତୁର ହୋଇ ଅଭାବର ଛପିଲା ଲହର, ଆଖିରେ ସ୍ଵପ୍ନର ମୋହ ।

 

ଚଟେଇକୁ ପାଦରେ ଠେଲି ଆଡ଼େଇ ଦେଲା । ବଇ ମଳିକର ମୁଣ୍ଡପାଖେ ଖାଲି ତଳଟାରେ ରବି ଲମ୍ୱ ହୋଇ ପଡ଼ିଗଲା । ଫଗୁଣର ଚିର ତରୁଣ ଜହ୍ନରାତି ତାକୁ ନିଃଶବ୍ଦରେ ଆଦରି ନେଲା । ରବି ଶୋଇପଡ଼ିଲା ।

 

ସୁଭଦ୍ରାପୁର ମେଳଣ–ନାଁ ଡାକ ।

 

ପଞ୍ଚୁ ଦୋଳରେ ରାତିଟିଏ, ବାଜା ନାଟ ସଂକୀର୍ତ୍ତନରେ କାନ-ଅତରା ପକେଇ ବେଶ୍ ରୋଶନି ବାଣରେ ଆଖି ଝଲଝଲକରି ମାଟିରେ ପବନରେ ହୁଲସ୍ଥୁଲ ଇଗାଇ ଦଳବଳ ଧରି କାହିଁ ଦୂରରୁ ଦୂରରୁ ଧାର ଲାଗିଯାଆନ୍ତି ପାଞ୍ଚ ଶହ ବିମାନ । ସୁଭ୍ରଦାପୁର ଗାଁ ମୁଣ୍ଡ ତୋଟାପାଖ ସାନ ପଡ଼ିଆରେ ଅଳ୍ପ ସମୟ ରୁଣ୍ଡନ୍ତି, ଦମ୍ ମାରନ୍ତି, ତା’ପରେ ଗୋଟିକ ପଛେ ଗୋଟିଏ ହୋଇ ପଶନ୍ତି ପଟୁଆର ଇଗାଇ ଗାଡ଼ୁଆ ଓସାର ଗାଁ ଦାଣ୍ଡରେ । ସୁଭଦ୍ରାପୁର ବଡ଼ ଗାଁ, ତା’ର ବଡ଼ ଦାଣ୍ଡ, ସିଧା ସଳଖେ ଇମ୍ୱିଛି ସେମୁଣ୍ଡର ‘ବଡ଼ ପଡ଼ିଆ’କୁ । କେବେ ଏ ଗାଁରେ ବଢ଼ିପାଣି ପଶୁଥିଲାବୋଲି ଦାଣ୍ଡ ଦି’ପାଖେ ଘରଡିହ ଆଠହାତ ଉଞ୍ଚ, ସେଥିରେ ଜକାଜକି ଡେଙ୍ଗା ଡେଙ୍ଗା ଘର, ଖାଡ଼ା ପହରା ପରି ଧାଡ଼ିକି ଧାଡ଼ି ନଡ଼ିଆ ଗଛ, ସେହି ଗହୀରିଆ ନଈପରି ଦାଣ୍ଡରେ ଭାସିଲା ପରି ଚାଲିଯାଏ ବରଷକେ ଥରେ ଏହି ମେଳଣ ପଟୁଆର, ହସ, ଖୁସି, ମଉଜ, ଗାଁ ଗାଁ କର ଆଣ୍ଟ, ଦି’ପା ବାଟ ଯାଇ ‘ବଡ଼ ପଡ଼ିଆ’ରେ ଫୁଟି ବାହାରେ, ସେଇଠି ମେଳଣ ଲାଗେ, ପଚାଶ ହଜାର ଲୋକ ଓ ପାଁ ‘ଶହ ବିମାନ ଏକାଠି, ଆଉ ବଜାର, ମେଳା, ସଂକୀର୍ତ୍ତନ, ପାଲା, ନାଟ, ମୃଦଙ୍ଗ ମାଡ଼, ଦୋଳ ଘଣ୍ଟା ନାଦ, ଚହଳ, ସବୁ ଆଉଟାଆଉଟି ।

 

ଆଉ ମନ ଫୂର୍ତ୍ତିକରି ଏତିକି ମଉଜ ଅନୁଭବ କରିବାକୁ ଧାଇଁଆସନ୍ତି ଗାଁ ଗହଳିରୁ ଦେଖାଳୀ । ଠାକୁରଙ୍କ ପରି ସେମାନେ ବି ଭୋଗ ପାଇ ପାଇ ବୁଲନ୍ତି ମେଳଣରୁ ମେଳଣ । ଠାକୁରଙ୍କ ପରି ସେମାନେ ବି ଖାଲି ଦେଖି ବୁଲିବାକୁ ଆସନ୍ତି ନାହିଁ, ସେମାନେ ବି ଆସଛି ଆତ୍ମପ୍ରତିଷ୍ଠାପାଇଁ, ରୂପଭେକରେ ଛଇଛଟକରେ ଆପଣାର ବଡ଼ତି ପ୍ରକାଶ କରିଯାଆନ୍ତି, ତେଣୁ ସେମାନେ ପରର ଆଗଭର ପ୍ରତି ଅସହିଷ୍ଣୁ, କଜିଆ କରନ୍ତି, ଠେଲାଠେଲି ଧକାଧକି କରି ଟେକ ଦେଖାନ୍ତି, ସବୁଥିରେ ‘‘ମୁଁ ଆଗ’’ ।

 

ଏହି ମୁଁ ପଣର ବାଦୀ ଲଢ଼େଇ କେନ୍ଦ୍ରୀଭୂତ ହୁଏ ମଣିଷବୁହା ଠାକୁରବିମାନ ଚାରି ପାଖରେ ଦଳକୁ ଧରି, ସେମାନେ ଗୋଟାଏ ଗୋଟାଏ ଗାଁ-ଟେକର ପ୍ରତିନିଧି, ଶହେ ଖଣ୍ଡି ଗାଁ ଲୋକେ ଅମୁକ ଗାଁର ବିମାନକୁ କି ସାଜସଜ୍ଜାକୁ କି ସଂକୀର୍ତ୍ତନକୁ ପ୍ରଶଂସା କରିବେ, ଚାଷକ୍ଷେତରେ ବି ନାଁ ପଡ଼ିବ, ସେହି ହେବ ସେ ଗାଁର ଖ୍ୟାତି । ସେହି ଉଦେଶ୍ୟରେ ଗାଁ ଟୋକାଏ ଗଳା ସାଧି ସାଧି ଗୁରୁ ରଖି ଗୀତ ଅଭ୍ୟାସ କରନ୍ତି, ଗାଁ ମୁରବିଏ ଚାନ୍ଦା ଉଠାନ୍ତି, ଗାଁ ବାଦକ ମୃଦଙ୍ଗ ବାଡ଼େଇ ବାଡ଼େଇ ଆଙ୍ଗୁଠି ଟିପରେ ବିଣ୍ଡି ବସାଏ, ଗାଁର ଧର୍ମ ଏ, ଯାହାର ଏଥିରେ ସହାନୁଭୂତି ନାହିଁ ସେ ଗାଁର ଶତ୍ରୁ ।

 

ସେହି ଗାଁ-ଟେକ ଚାହେଁ ଆଗ ବଢ଼ି ସମସ୍ତିଙ୍କି ଟପି ମେଳଣ ପଡ଼ିଆକୁ ଚାଲି ଯିବାକୁ, ତେଣୁ ଗାଁ ଗାଁ ଭିତରେ ପିଟାପିଟି ଲାଗେ, ସତେ କି ନାନା ବର୍ଣ୍ଣ ହୋଇ ନାନା ଛଇରେ ଏ ଉଦ୍ଧତ ଅରଣା ଗୋଠର ପଟୁଆର, ଚାଷକ୍ଷେତ ମଝିରେ ଶାନ୍ତ ସଂଯତ ହୋଇ ଜୀବନଯାତ୍ରା ଚଳେଇ ନେଉ ନେଉ ମନର ଯେଉଁ ଅରଣା ପ୍ରବୃତ୍ତି ଛପି ହୋଇ ରହିଥାଏ ବଣରେ ବାଜା ଢାଉଁ ଢାଉଁ ଶୁଣି ମହାବଳ ବାଘ ଡିଆଁମାରିଲା ପରି ଦୋଳ ବାଜାରେ ସେ ଚମକିପଡ଼ି ବାହାରେ, ଫଗୁ ଧୂଳିରେ ପଶେ ନାଲି ରକ୍ତର ବିକାର, ମଶା ମ୍ୟାଲେରିୟା ଖିଆ ଆମାଶୟଜର୍ଜର ହାଡ଼ଶିରମୟ ବାଙ୍ଗରା ଶୁଖିଲା ଗାଁ ଭେଣ୍ଡିଆ ବି ତା’ର ଅଠେଇଶ ଇଞ୍ଚ ଛାତିକୁ ଟାଙ୍କି ଟାଙ୍କି ଫୁଲାଏ, ଶିର ସାଲୁବାଲୁ ଫାଳିକିଆ ଶେତା ହାତକୁ ଟାଣକରି ମୁଠା ବାନ୍ଧେ ଆଉ ମାରପିଟ୍ ନିଶାରେ ଆଖି ପୂରାଇ ଗର୍ଜନ କରି ଉଠେ ‘‘ମାର, ମାର, ମାର’’। ତା’ପରେ ମୁଣ୍ଡ ଫଟାଫଟି, ଚାରିଆଡ଼ୁ ହାଁ- ହାଁ-ହାଁ, ମଧ୍ୟସ୍ଥମାନେ, ପୁଲିସ୍‍ । ପରେ ମକଦ୍ଦମା । କିନ୍ତୁ ସେତିକିରେ ଛିଣ୍ଡେ ନାହିଁ, ଲାଗେ ଦୁଇ ଗାଁ ଭିତରେ ଅଦଉତି, ଏ ତା’ ଜମି ଚଷି ଦେଲା, ସେ ଯା ଗୋଡ଼ ଛୋଟା କଲା, ଏ ବାଟେ ସେ ଗାଁର ବାଟ ବନ୍ଦ, ସେ ବାଟେ ଏ ଗାଁର, ତା’ପରେ ଗାଁରେ ଆହୁରି ଚାନ୍ଦା, ଗାଁ ପ୍ରସ୍ତୁତ ହୁଅନ୍ତି ଆହୁରି ବଢ଼ିଆକରି ପଟୁଆର ସଜାଇ ଆର ବର୍ଷକୁ ଦୋଳରେ ଲଢ଼ିବାକୁ । ତେଣୁ ଡାକ ପଡ଼େ କେବେ କେବେ ସହରର ପହିଲିମାନ୍ ଆଖଡ଼ାମାନଙ୍କୁ, ରଫୁ ମିଆଁ, ଧନୀ ସାହୁ, ହୁର୍ଦ୍ଦୁ ଜେନା ଖାଲି ଦେହରେ ମୁଣ୍ଡରେ ଠେକା ବାନ୍ଧି ହାତରେ ଠେଙ୍ଗା ମୁଠେଇ ପକ୍‌କା ମଫସଲି ବେଶରେ ବିମାନ ଅଡ଼େଇ ଅଡ଼େଇ ସେମାନେ ବି ମେଳଣ ପଡ଼ିଆରେ ପହଞ୍ଚନ୍ତି ।

 

ଏଇ ତ ଆମର ଗାଁ !

 

ସୁଭଦ୍ରାପୁର ମେଳଣ ଦେଖି ଆସି ଗାଁ ଦାଣ୍ଡ ମୁହାଣରେ ଢିପ ଭପରେ ଠିଆ ହୋଇ ରବି ସେହିକଥା ଭାବୁଥିଲା । ଏଇ ଗହଳି, ହୋ ହା ଆଉ ଚାଞ୍ଚଲ୍ୟ ଭିତରେ ଯେପରି ସେ ପରିଷ୍କାର ଦେଖିପାରୁଛି ସବୁ ଅଡ଼ୁଆ ସୂତାର ଗୋଟିକ ଗୋଟି ଖିଅ, ତୁହାଇ ତୁହାଇ ଭାବୁଛି ଏଇ ଆମର ଗ୍ରାମ ଲୋକ, କଳହରେ ବଳ ଓ ବପୁ ଦେଖାଇବାକୁ ଆଗୁସାର, ମରିଗଲେ ପାଣି ଟୋପିଏ ଦେବେ ନାହିଁ, ଆଉ ନଈକେ ବାଙ୍କ, ଦେଶକେ ଫାଙ୍କ ଏଇ ଆମର ଜନତା, ଏଇମାନଙ୍କୁ ଭେଳାଇବାକୁ ପଡ଼ିବ । କୁଟାକୁ ଏକାଠି କରି କରିବାକୁ ପଡ଼ିବ ବଜ୍ର । ପାରିବ ସେ ?

 

କାୟା ପାଖେ ଛାୟାପରି ଟହଲ ମାରୁଛି ବଇ ମଳିକ, ବସ୍ତୁତଃ ତାହାରି କୁହାପୋଛାରେ ମଙ୍ଗି ରବି ସୁଭଦ୍ରାପୁର ମେଳଣ ଦେଖି ଆସିଥିଲା । ବଇ ମଳିକ ବାରମ୍ୱାର କହିଲା, “ୟା ନାଁ ଗୋଟାଏ କଥା ନା ? ବଞ୍ଚିଥିଲେ ଫେର୍ ଆର ବରିଷକୁ, ନ ହେଲେ କିଏ କହିପାରିବ ? ଯାହା ଦେଖିଯିବା ତା’ ଦେଖିଯିବା, ଯାହା ଖାଇଯିବା ତା’ ଖାଇଯିବା, ନ କଲେ ନାହିଁ, କେତେବେଳେ ଏ ପ୍ରାଣ ଘଟ ଛାଡ଼ିଯିବ ତା’ କିଏ କହିବ ?"

 

‘‘କାଳେ ମରିଯିବା ବୋଲି ଆଗରୁ ଆଗରୁ ଚଞ୍ଚଳ ଚଞ୍ଚଳ ସବୁ ସାରିଦେଇ ଯିବା, ନୁହେଁରେ ବଇ ?’’ ରବି ଥଟ୍ଟା କରିଥିଲା, କିନ୍ତୁ ବଇ ମଳିକର ସ୍ନେହ ଖାତିରିରେ ତାକୁ ଆସିବାକୁ ପଡ଼ିଥିଲା । ତା’ରିପାଇଁ ସେ ବି ଘର ଭୁଲିଚି, ଆପଣା ରୋଜଗାରପାତି ପାସୋରିଛି, ଆଉ ସତେ ଯେପରି କି ରବିର ପନ୍ଥା ତାକୁ ଆକର୍ଷଣ କରି ନେଇଛି ସେହିପରି ସେ ପଡ଼ିରହିଛି ନୂଆ ସ୍ୱପ୍ନକୁ ଆଦରି । ଯା’ବୋଲି କହିଲେ ହସି ହସି କହେ, “ତଡ଼ିଲେ ଯିବି, ନଇଲେ ନାହିଁ ।’’

 

ବଇ ମଳିକ ମନଇଚ୍ଛା ରୋଶନି ଦେଖୁଛି, ପଟୁଆର ଦେଖୁଛି ।

 

ରବି ରୂପକୁ ଦେଖୁ ନାହିଁ, ଭାବନାକୁ ଦେଖୁଛି, ମନରେ ଆସୁଛି ସନ୍ଦେହ, ଆଶଙ୍କା; ଅସହିଷ୍ଣୁ ହୋଇଉଠୁଛି ।

 

ଏ ଲୋକେ ଉପାସନା କରନ୍ତି ସଂସ୍କାରକୁ ଆପଣ ସ୍ୱାର୍ଥପାଇଁ, ଯେତେ ଢୋଲ ଢାଉଁ ଢାଉଁ କଲେହେଁ ଠାକୁରଙ୍କୁ ଦେଖାନ୍ତି ତୁଣ୍ଡ ସହାନୁଭୂତି, ସେ ବି ତଣ୍ଟିଠୁ ୟାଡ଼କୁ, ଈଶ୍ୱର ସ୍ରଷ୍ଟାବୋଲି ତାଙ୍କୁ ପୂଜା କରନ୍ତି ତା’ ନୁହେଁ, ଈଶ୍ୱର ଦେବେବୋଲି, ମିଳିବାର ପନ୍ଥାକୁ ପୂଜା କରନ୍ତି ପରସ୍ପର ଅଲଗା ଅଲଗା, ଲାଗୁ ପଛେ ଦୁଇ ଜଣଙ୍କ କାମିନାରେ ଲଢ଼ାଲଢ଼ି ।

 

ଏଇ ଆମ ଲୋକେ, ହିମାଳୟ ପାହାଡ଼, ହେବ ସେମାନଙ୍କ ମନକୁ ଦଖଲ କରି ବୁଲେଇ ? ଏ ମୁଣ୍ଡର ରକ୍ଷଣଶୀଳ ଭାବଧାରା ଗୋଟାଏ ଇତିହାସ, ସେ ବାହାର ଇତିହାସର ଖବର ରଖେ ନାହିଁ, କୌଣସି ତର୍କକୁ ସେ ତୁଣ୍ଡରେ ଆପତ୍ତି ଉଠାଏ ନାହିଁ, କୌଣସି ମତ ଶୁଣି ବାଦାନୁବାଦ କରିବାକୁ ଚାହେଁ ନାହିଁ ଏ ମଣିଷ, ସବୁଥିରେ ମୁଣ୍ଡ ଟୁଙ୍ଗାରି ଅସଲ କାମ କଲାବେଳକୁ ଆପଣା ମତରେହିଁ ପୂର୍ବପୁରୁଷଙ୍କ ଚିରାଚରିତ ପନ୍ଥା ଆଦରି ନେଇ ସେ କାମ କରିଯାଏ, ବଦଳିବାକୁ ଚାହେଁ ନାହିଁ ସହଜରେ ।

 

ବାହାରେ ସେ ଶାସନ ମାନେ, କର ଦିଏ, ନୂଆ ନୂଆ ଆଇନକୁ ବିନା ପ୍ରଶରେ ଗ୍ରହଣ କରିନିଏ ନୂଆ ଲୁଗା ପିନ୍ଧିଲାପରି, କିନ୍ତୁ ଅବିଶ୍ୱାସ ଆଶଙ୍କା ହେତୁ ପ୍ରାଚୀନ ଅନ୍ଧବିଶ୍ୱାସ ଉପରେହିଁ ଆସ୍ଥା ରଖି ତା’ର ମଣିଷପଣର ମଞ୍ଜ ସାମାଜିକ ଜୀବନକୁ ସେ ତା’ରି ପୁରୁଣା ନୀତିରେହିଁ କଟାଇଯାଏ, ସେହି ସତେ କି ତା’ର ଅତି ସନ୍ତର୍ପଣରେ ଲୁଚାଇ ରଖିଥିବା ସତ୍ୟ ବାକି ସବୁ ଖାଲି ଅଭିନୟ ।

 

ଚାଲିଛନ୍ତି ମଣିଷ, ଧରାଧରି ପେଲାପେଲି, କାମ ନ ଥାଉ ପଛେ ଅତି ତରତର, ଯେପରି କି ପଡ଼ିଶାକୁ ଠେଲାଏ ନ ମାରିଲେ ଆପଣ ଅସ୍ତିତ୍ୱ ଆପେ ବୁଝିବାହିଁ ଅସମ୍ଭବ, କହୁଣିଆଁ ଖାଉ ବୁଢ଼ା କି ପିଲା, କି ଅବା ସ୍ତ୍ରୀଲୋକ, କାନିକି କାନି ଗଅଁଠେଇ ଭୟବିହ୍ୱଳ ଆଖିରେ ନାନୀ ନାନୀ ରଡ଼ି ଠେଲାପେଲାରେ ଏକର ସେକର ହୋଇଯାଉଛି, ପଛେ ପଛେ ହେଣ୍ଠାଳି ଆସୁଛନ୍ତି ବିମାନ, ଉଠ ଉଠ ଉଠ ଡାଇଁକି ଡିଡାଇଁ ଡାଇଁ

 

ଯାହା ହେଉ ସୁନ୍ଦର ଦିଶୁଛି ଏ ଗହଳି, ଏ ପଟୁଆର, ଭାବନା ଯାହା ହେଉ ପଛେ ଆଖିରେ ଲାଗୁଥିବା ଚମକ ଅସ୍ୱୀକାର କରିହେବ ନାହିଁ ।

 

କିନ୍ତୁ ଭାବନା ? ରବି ତିକ୍ତ ଚିନ୍ତାରେହିଁ ଦୋଳ ଗହଳି ଓ ପଟୁଆରକୁ ଭାବି ଦେଖିଲା- ଟଙ୍କା ଉପରେ ପ୍ରତିଷ୍ଠିତ ବ୍ୟକ୍ତିଗତ ପୁଞ୍ଜିମୟ ସମାଜର ଚେହେରା ଦେଖିବାକୁ ସୁନ୍ଦର ସତ, ଆହୁରି ସୁନ୍ଦର ଥିଲା ଆକ୍ରମଣକାରୀ ଲୁଣ୍ଠନକାରୀ ଅଭିଜାତ ସମାଜର ଛଇ, ଆଉ ବଣରେ ବାଘ, ସବୁଠୁ ସୁନ୍ଦର ସେ । କିନ୍ତୁ ସତେ କ’ଣ ଏ ସୌନ୍ଦର୍ଯ୍ୟ ?

 

ଯୁଗେ ଯୁଗେ ଏହି ପ୍ରଶ୍ନ ପଚାରି ଆସିଛନ୍ତି ପୃଥିବୀର ଭାବୁକମାନେ, ସାଧାରଣ ମଣିଷ ଆଖିଲାଳଚା ପଛରେହିଁ ଗୋଡ଼େଇଛି, କାରଣ ସାଧାରଣ ମଣିଷ ଆପଣାର ସରଳ ପଶୁପଣକୁ ଜୟ କରିପାରିନାହିଁ । ପଶୁତ୍ୱର ବଡ଼େଇ ବଖାଣି କାମନା ବଢ଼ାଇ ଲୁଣ୍ଠନକାରୀ ସମାଜ ଗଢ଼ି ଯେତେଠି ସେ ଆକାଶକୁ କୋଠା ତୋଳିଛି ସେତେଠି କେବଳ ସେ ଆହୁରି ଆଦିମ ହୋଇଛି । ନିଜକୁ ଦେବତାବୋଲି ପ୍ରଚାର କଲେହେଁ ସେ ବାସ୍ତବିକ ରାକ୍ଷସହିଁ ହୋଇଛି । ସେ ଟୁହେଁ ସଭ୍ୟତା-

 

‘‘ବାଃ, ବାଃ, ସୁନ୍ଦର ବାଣ, ସୁନ୍ଦର ରୋଶନି ।” ବଇ ମଳିକ ଚିତ୍କାର କଲା, ‘‘ବାଣ ଯେ କହିବ ଏଇଆକୁ, ଦେଖିଲେ ଆତ୍ମା ଶାନ୍ତି ।’’

 

ଭାବନାରେ ଝୁଣ୍ଟିପଡ଼ି ରବି ଆଖିବାଟେ ଦେଖିଲା । କେଉଁ ଗାଁର ବିମାନ ଆଗେ ଆଗେ ତୁହାକୁ ତୁହା ବାଣଫୁଟା ଲାଗିଛି । ଏକା ବଇ ମଳିକ ନୁହେଁ, ଚାରିଆଡ଼ୁ କେତେ ଲୋକ ଦେଖୁଛନ୍ତି, ବାହାବାହା କହୁଛନ୍ତି ।

 

‘‘ବାହ୍ ବାହ୍–ବାହ୍ ବାହ୍–ଭଲ ବାଣ, ଆଚ୍ଛା ବାଣ ।’’

 

‘‘ସତେ କି ଏକ ବାହାଘରର ରୋଶନି ।’’

 

‘‘ବାହାଘର ନୁହେଁ ତ ଆଉ କ’ଣ ? ଏ ତ ଦୋଳ, ଠାକୁରଙ୍କ ବାହାଘର ।

 

ନାନାରଙ୍ଗ ଫୁଟାଇ ଶୂନ୍ୟେ ଶୂନ୍ୟେ ଜଳି ଲାଗିଛି କ୍ଷେତର ଫସଲ, ଧାନ, ମୁଗ, ବିରି, କୋଳଥ; ଜଳିଯାଉଛି ଭାତ, ଲୁଗା, ଚାଳ, ସବୁ ।

 

ଦି’ଦଣ୍ଡର ଧୁମ୍‌ଧାମ୍, ଆଖିରେ ଭେଳିକି, ତା’ପରେ ସବୁ ଅଙ୍ଗାର ଆଉ ପାଉଁଶ ।

 

ଏହିପରି ଆହୁରି କେତେ ଅନୁଷ୍ଠାନ, ସମାଜର ଖେଳ ।

 

ପରମ୍ପରା ଶିଖାଇଛି ବାଦବୁଦିଆ ହୋଇ ଏହିପରି କଞ୍ଚା ପଇସା ଜାଳିବାକୁ ପଡ଼ିବ । ଅନୁଷ୍ଠାନର ଡର ଅଛି ଆଉ ଅଛି ବାହାଦୁରୀ ଶୁଣିବାକୁ ମୋହ ।

 

ଅଥଚ ଏ ଲୋକେ ଦେହରୁ ମଳି ଟିକିଏ ଦେବାକୁ କୁନ୍ଥୁ କୁନ୍ଥୁ ।

 

ମନ ଭିତରେ ପିତା ପୂରି ଯାଉଥିଲା । ଦେଖି ଦେଖି ଦିକ୍ ଲାଗୁଥିଲା । ବଡ଼ ମେଳାର ଘୋ ଘା ଭିତରେ ରବିକୁ ଲାଗୁଥିଲା ନିହାତି ନିଛାଟିଆ । ସେ ଏକୁଟିଆ, ସଙ୍ଗରେ ଆଉ କେହି ନାହିଁ-। ବାହାରର ଗହଳି ଗହଳି ହିଁ ନୁହେଁ, ଘୁଙ୍ଗା ବଣ, ଆଉ ସେଠି ସେ ଜଣେ ମଣିଷ । ତା’ର ମନର ତିକ୍ତତା ତୁଚ୍ଛା ସ୍ଥବିର ପଣରୁ ନୁହେଁ । ଯେପରି ସେ ତା’ର ନିଃସଙ୍ଗ ମନରହିଁ କୋକୁଆଭୟ ।

 

ବାହାରୁ ଲେଉଟି ଭିତରେ ପଶି ତା’ର ଚିନ୍ତା ସୃଷ୍ଟି କଲା ନିଛାଟିଆପଣର ପୁରୁଣା ରୂପକ-ତା’ର ଘର, ତା’ର ଚିହ୍ନା ପରିବେଷ୍ଟନୀ, ବାପା, ବୋଉ ତା’ର ବିଦେଶରେ ଚାକିରିଆ ଭାଇ, ତା’ର ସମାଜ । ଘର ଛାଡ଼ିଲା ଦିନୁ ସବୁ ଯେପରି କଟିଯାଇଛି, ଅଥଚ ସମସ୍ତିଙ୍କ ସମଷ୍ଟି ରହିଛି ତା’ର ଗଠନରେ, ଜୀବନ ସହିତ ତା’ର ସମ୍ବନ୍ଧରେ । ସେ କେବଳ ଘର ଛାଡ଼ି ନାହିଁ, ତା’ର ବିଧିନିର୍ଦ୍ଦିଷ୍ଟ ସୁସ୍ଥି ଧାରା ବି ଛାଡ଼ି ଆସିଛି । ବେଳେ ବେଳେ ଯେପରି ମନେପଡ଼େ-ସେ ମନେପକାଇଲା -ସେମାନେ କ’ଣ ଭାବୁଥିବେ ? କି ଦୃଷ୍ଟିରେ ଚାହୁଁଥିବେ ତାଙ୍କୁ ? ଲାଗୁଛି ଯେପରି କି କେତେଦୂରକୁ ସେ ଭାସି ଆସିଛି । ସୁଅର ତୋଡ଼ ଆପଣା ଭିତରେହିଁ ବଢ଼ି ଲାଗିଛି, ଆଉ ଭଜାଣି ଫେରି ହେବ ନାହିଁ । କେଡ଼େ କୁହାରବୋଲର କେଡ଼େ ସୁବୋଧ ଥିଲା ସେ ସେମାନଙ୍କର, କେବେ ବା ଜାଣତରେ ପ୍ରଶ୍ନ ପଚାରି ନାହିଁ, ସବୁ ମାନିନେଇଛି ଅଥଚ ବର୍ତ୍ତମାନ ଭାବିଲାବେଳକୁ ନିଜକୁ ଦେଖୁଛି କେଡ଼େ ପୃଥକ୍ । ହୁଏ ତ ତା’ର ଗୋଠରୁ ଫିଟି ଆସିବାଟା ଖାଲି ମୁହୂର୍ତ୍ତକର ହୋ ନୁହେଁ, ଯେବଠୁ ହେତୁ ପାଇଛି ସେବଠୁ ବିଶ୍ୱାସର ଆବରଣ ତଳେ ମାନ୍ଦା ସୁସ୍ଥି ମନ୍ଥର ପୁରୁଣା ଜୀବନଧାରା ପ୍ରତି ବଢ଼ି ଉଠୁଥିଲା ତା’ଠି ଅବିଶ୍ଵାସ । ଗୋରୁ ଦୃଷ୍ଟି ପରି ଶାନ୍ତ ଚାହାଣୀରେ ସମସ୍ତିଙ୍କ ମନକୁ ଭୁଲାଇ ରଖିଲାବେଳେ ପଦେ ପଦେ ନିଃଶବ୍ଦରେ ହାଣୁଥିଲା ସେ ଅଜସ୍ର ପ୍ରଶ୍ନ, ଆଉ ବର୍ତ୍ତମାନ ଦିଶୁଛି ସେ ମୂଳରୁ ଭିନେ, ସାଲିସ ଅସମ୍ଭବ, ତା’ଆଖିରେ ମୂଲ୍ୟ ଭିନେ, ମାପ ଭିନେ, ତା’ରି ସ୍ଥାନ ସେହି ପୁରୁଣା ସମାଜ ବାହାରେ, ଭିତରେ ନୁହେଁ ।

 

କିନ୍ତୁ ସେହି ପୁରୁଣା ଜୀବନକୁ ମନେ ପକାଇ ମନ ହାଇଁପାଇଁ ହେଉଥାଏ, ଲାଗୁଥାଏ ସେହି ପୁରୁଣାକୁ ନୂଆକରି ମନଲାଖି ଦୁନିଆଁରେ ପାଆନ୍ତା ଯଦି ! ବାପା, ବୋଉ, ଭାଇ–ସେମାନେ ଯଦି ନୂଆ ଭାବର ଗଢ଼ାଳୀ ହୋଇଥାନ୍ତେ ! ତା’ମନର ଉଗ୍ର ବେଗ ଯଦି ପାଆନ୍ତା ସେମାନଙ୍କ ମନରେ ବି ପ୍ରତିଧ୍ଵନି !

 

ତା’ ସମ୍ଭବ ନୁହେଁ । ନୂଆ ବାଟ ଧରିଲେ ପୁରୁଣାଠୁଁ ବିଦାୟ ସୁନିଶ୍ଚିତ, ରାତିଠୁଁ ଦିନପରି-। ତା’ ସମ୍ଭବ ନୁହେଁ, ଏହି ଆକାଶ ତଳେ ଏକୁଟିଆ ବାଟରେ ସେ ।

 

ଏକୁଟିଆ ! ଏକୁଟିଆ ! ଭାବୁ ଭାବୁ ମନରେ ଭେଳିକି ଲଗାଇଲାପରି ପାଟେଳିଗାଁ ମନେପଡ଼ିଲା, ଆଉ ସେଠି ଛବି । ଯେପରିକି ମଝିରେ ଯେତେ ଯୋଜନ ଥାଉ ସେହି ସେ ମୁଣ୍ଡରେ ବାଡ଼ ପାଖେ ଛାଇତଳେ ଥାଇ ଜଣେ ତାହାରିଆଡ଼କୁ ଚାହିଁ ଅପେକ୍ଷାକରି ରହିଛି ନିରାଶ୍ରୟାପରି । ଅନ୍ଧାର ରାତିରେ ଦୂରର ଆଲୁଅପରି । ନିରାଶ୍ରୟତାହିଁ ତା’ର ଅଦେଖା ଆଙ୍କୁଣି । ବେଳୁବେଳ କେଡ଼େ ଲୋଭନୀୟ ଦିଶୁଛି ସେ–ଅନ୍ଧାର ସେ ମୁଣ୍ଡରେ ସରୁ ନିଆଁଧାସ ଚହଲି ଉଠୁଛି, ଥରି ଉଠୁଛି-। ଆପଣାଠି ବଢ଼ି ଉଠୁଛି ଆନ୍ଦୋଳନ, ଅନୁଭବ କରୁଛି । ସେ ଖାଲି ଭାବନା ନୁହେଁ, ସେ ସ୍ଥୂଳ ଦେହୀ, ଦେହ କଡ଼ାକଡ଼ି କରୁଛି । ରକ୍ତର ତାତିରେ ମୁହଁ ଉଷୁମ ଲାଗୁଛି । ଦେହର ଆକୁଳତା ମନର ଆକୁଳତା ଏକ ହୋଇଯାଉଛି । କିଛି ଦିଶୁ ନାହିଁ, କିଛି ଶୁଭୁ ନାହିଁ, ଆସୁଛି ଉଦ୍ଭଟ ଧାରଣା । ତଳର ଏ ଗହଳିକି ତଳେ ଛାଡ଼ିଦେଇ ଯେପରି କି ଉପରେ ଆକାଶରେ ଉଡ଼ି ଚାଲିଛି କେଉଁ ଦୂରର ଗୋଟିକିଆ ଟସର-ପ୍ରଜାପତି, କାହିଁ କେତେ କୋଶ ଦୂରରେ ଥିବା ତା’ର ପ୍ରଣୟିନୀକୁ ଭେଟିବବୋଲି । ସେ ବୁଝୁଛି ସ୍ପର୍ଶର ସୁବାସ, ଆଉ ଦିଗ, ଆଉ କିଛି ନୁହେଁ । ତା’ର ନୂଆ ଚେଇଁଥିବା ବିଦ୍ରୋହ ଯେପରି କି ବାଟ ଦେଖାଉଛି, ଯେ ମନୁଷ୍ୟର ଅନ୍ତର୍ନିହିତ ଶକ୍ତି ଅପ୍ରତିହତ, ଅପରାଜେୟ, ପରିସ୍ଥିତିର କେନ୍ଦ୍ରରେ ଅଛି ମନୁଷ୍ୟ, ସେ ଚାଳକ, ସେ ସ୍ରଷ୍ଟା, ସେ ପଡ଼ିଗଲେ ଲଢ଼ି ଲଢ଼ି ପଡ଼ିବ, ନ ପଡ଼ିଲେ ତା’ର ଅଭିଷ୍ଟକୁ ଭେଟିବ । ଭାବୁ ଭାବୁ ଦୃଢ଼ପ୍ରତିଜ୍ଞାରେ ଝଲସି ଉଠୁଛି ତା’ର ଚେତନା, ଆପେ ଆପେ ଦାନ୍ତରେ ଦାନ୍ତ ଜାବ ପଡ଼ୁଛି, ହାତମୁଠା ହୋଇଯାଉଛି, ନିଃଶବ୍ଦରେ ପୁରୁଷପଣ ଆତ୍ମପ୍ରକାଶ କରୁଛି, ଆଉ ରବି ଭାବୁଛି ତା’ର ସ୍ଵର୍ଣ୍ଣଯୁଗର ଯୋଜନା କେବଳ ସ୍ଵପ୍ନ ନୁହେଁ, ସମ୍ଭାବିତ କାର୍ଯ୍ୟର ସମ୍ଭାବିତ ଫଳସମଷ୍ଟି । ସୁନାର ଫସଲ ଉପୁଜାଇଲେହିଁ କାଟିବା ସମ୍ଭବ, ତା’ର ଯୌନ-କ୍ଷୁଧା ବ୍ୟାପକଭାବେ ଯେପରିକି ଆଦର୍ଶ-ତୃଷ୍ଠା, ସମ୍ମୁଖରେ ଆଶା, ଅନ୍ତରରେ ସାହସ ଓ ବଳ ।

 

ଚାଲିଛି ବିମାନପରେ ବିମାନ, ଅବିରାମ, ଭିତରେ ବି ବିମାନହିଁ ଚାଲିଛି, ତା’ର ଆଶା, ତା’ର ସ୍ଵପ୍ନ, କେତେବେଳେ ଏକୁଟିଆ ସେ ଓ ଛବି, କେତେବେଳେ ସେ ଓ ତା’ର ସଙ୍ଗଠନର ଚିତ୍ର, ବାଲିଘର ଗଢ଼ା ହେଉଛି, ବାଲିଘର ଭୁଶୁଡ଼ି ପଡ଼ୁଛି, ପୁଣି ଚାଲିଛି ଘରତୋଳା, ପରିସ୍ଥିତି ତରଳୁଛି, ବଦଳୁଛି, ଖଞ୍ଜି ହୋଇଯାଉଛି ନୂଆ ପ୍ରକାରେ, ଅନ୍ଧାରକୁ ହାଲୋଳମୟ କରି ଧାଡ଼ିହୋଇ ଲମ୍ୱି ଯାଉଛି ମଣିଷ ହାତର ମଶାଲ, ସେ କ୍ଷୁଦ୍ର ଦେହର ସୀମାକୁ ମାନେ ନାହିଁ, ସାମୟିକ ଶାସନର ପରିବର୍ତ୍ତନଶୀଳ ନିୟମକୁ ଚରମବୋଲି ଘେନା କରେ ନାହିଁ, ସେ ସ୍ରଷ୍ଟା, ସେ ମଣିଷ, ସେ ସୃଷ୍ଟିର ଖେଳନା ନୁହେଁ ।

 

ଗୋଟାଏ ସଜନାଗଛ ଗଣ୍ଡିକି ଅଧଆଉଜା ହୋଇ ସେ ଠିଆ ହୋଇଥିଲା ସେହି ଗୋଟିଏ ଜାଗାରେ, ହଲ ନାହିଁ ଚଲ ନାହିଁ । ବାହାରର ରଙ୍ଗ ଆଉ ଭିତରର ରଙ୍ଗ ଆଉଟା ଆଉଟି ହୋଇ ମେଞ୍ଚା ମେଞ୍ଚା ହୋଇ ତା’ର ଦରମେଲା ଆଖି ଆଗରେ ମିଞ୍ଜି ମିଞ୍ଜି ହେଉଥିଲା, ସେ ଚେଇଁ ନାହିଁ କି ଶୋଇନାହିଁ । ଦିନମାନ ଖଟିଛି, ଦେହ କ୍ଳାନ୍ତ, ତା’ପରେ ଏ ଯାତଦେଖା ଘୋଳା ।

 

ଗୁଡ଼ାଏ କର୍କଶ ରଡ଼ିରେ ତା’ର ସ୍ୱାଭାବିକ ଅବସ୍ଥା ଫେରିଆସିଲା । ହଠାତ୍ ରାଉରାଉ ତୋଫାନରେ ଯେପରି କି ତା’ର ନିଦ ଓଟାରି ହୋଇଯାଇଛି । ବଡ଼ ବଡ଼ ଆଖି କରି ଆଗକୁ ଚମକିଯାଇ ସେ ଦେଖିଲା ଗୋହୀରି ମୁଣ୍ଡରେ ଏକାଠି ପଶିବାକୁ ଚାହାନ୍ତି ଯୋଡ଼ିଏ ବିମାନ, ଗୋଟିଏ ପଶୁ ପଶୁ ଆରଟି ତାକୁ ଠେଲି ଅଧାଅଧି ପଶୁଛି, ଦୁଇ ଦଳଭିତରେ ଘୋର କଜିଆ, ଘୋର ଗର୍ଜନ, ଚାରିଆଡ଼ୁ ହାଁ ହାଁ ହାଁ ହାଁ ହୋଇ ଦେଖିବା ଲୋକ ରୁଣ୍ଡ ହୋଇ ଯାଉଛନ୍ତି, କଜିଆକୁ ଛାଡ଼ି ଅଳ୍ପ ଦୂରେଇ ଦୂରେଇ ଗୋଲେଇ ଠିଆ ହେଉଛି ମଣିଷ-କାନ୍ଥ ପଛରେ ମଣିଷ-କାନ୍ଥ । ରବିକୁ ଚାଉଁ କଲା, ହେଇ ସାମ୍ନାରେ ବାଡ଼ିଆପିଟା ହେବାକୁ ଉପକ୍ରମ, ଚାରିଆଡ଼ୁ ସତର୍କ ହେବାପାଇଁ ଚିତ୍‌କାର, ଚିତ୍‌କାରରେ ଉପଦେଶ ଉଡ଼ିଲାଣି, ସ୍ତ୍ରୀ ପିଲାଏ ଦୂରକୁ ଛୁଟିଲେଣି, ଅପେକ୍ଷା ନ କରି ରବି କୂଦା ମାରିଲା ପରି ସେହି କଜିଆ ଆଡ଼କୁ ଛୁଟିଲା ।

 

ପହଞ୍ଚିଲାବେଳକୁ ଟିହାଟେହି ସରି ଅସଲ ଦେଖିଲା କାମ ଆରମ୍ଭ ହୋଇଗଲାଣି, ମରାମରି ଧରାଧରି ଗଡ଼ାଗଡ଼ି, ଚାହୁଁ ଚାହୁଁ ଦୁଇ ଉନ୍ମତ୍ତ ଦଳ ଭିତରେ ଖଣ୍ଡଯୁଦ୍ଧ, ହାତଲଢ଼େଇରୁ ଚଢ଼ିଗଲା ବାଉଁଶବାଡ଼ିକୁ । ମଣିଷ ଗୋଲେଇ କେଡ଼େ ଚଞ୍ଚଳ ପଛେଇ ପଛେଇ ଦୂରେଇ ଯାଉଛି, ପଛେ ପଛେ ଠେଲାଠେଲି ହୋଇ ଆତଙ୍କର ଚିତ୍‌କାର, ସ୍ଥାନେ ସ୍ଥାନେ ଭୁଶୁଡ଼ି ପଡ଼ିଲା କାନ୍ଥ ପରି ଲୋକ ଉପରେ ଲୋକ ଗଦା ହେଉଛନ୍ତି, କଚାଡ଼ି ପଡ଼ୁଛନ୍ତି, ସବୁ ଲଣ୍ଡଭଣ୍ଡ, ସେଠି ସମଷ୍ଟିଗତ ଚିନ୍ତାରେ ପ୍ରାଧାନ୍ୟ ମାଡ଼ିଛି ବ୍ୟକ୍ତିର ଆଗେ ନିଜେ ନିରାପଦ ହେବା ସ୍ୱାର୍ଥର ଭାବନା, ତେଣୁ ଖାଲି ଚିର୍‍ଚିରା ପାଟି, ବିକଳି ବୋବାଳି ଓ ପିଲାଙ୍କ କାନ୍ଦଣା, ଆଉ ଖାଲି ଦେଖିବା ଲୋକେ ଠିଆ ହୋଇ ଦେଖୁଛନ୍ତି ହିଁ ।

 

ରବି ଯାଉ ଯାଇ ଦେଖିଲା ଠେଙ୍ଗା ଉପରେ ଠେଙ୍ଗା ପଡ଼ିଛି, ମଣିଷ ଉପରେ ମାଡ଼ି ବସୁଛି, ଦୁଇ ଦଳର ଦୁଇ ବିମାନ ଆଉ ସାଜସଜ୍ଜା ଉପରେ ପାହାର ଉପରେ ପାହାର, ଦୁଇ ହାତରେ ଦୁଇ ପାଖରେ ଭିଡ଼ ଠେଲିଦେଲା, ବୁଡ଼ମାରିବା ଆଗରୁ ପାଣି ଆଡ଼େଇଲା ପରି, ହାତ ଟେକି ବାରଣ କରି କରି ଧାଇଁଗଲା ଠିକ୍‍ ମଝିକି, ୟାକୁ ଧରୁଛି ତାକୁ ଧରୁଛି, ଆପଣା ଉପରେ ଦୁଲ୍ ଦୁଲ୍ ପାହାର ପଡ଼ୁଛି, କ’ଣ ହେଲାଣି ଦେହର ଅବସ୍ଥା, ତେଣିକି ଭ୍ରୂକ୍ଷେପ ନାହିଁ । ସାମ୍ନାରେ ଗୋଟିଏ ଉଦ୍ଦେଶ୍ୟ–ଏ ବଳକ୍ଷୟ ବନ୍ଦ କରିବାକୁହିଁ ହେବ, ଦୁଇ ଦଳକୁ ରକ୍ଷା କରିବାକୁ ପଡ଼ିବ ହିଂସାର ଏ ଘୋର ସଂଘର୍ଷ ଦାଉରୁ । ୟାକୁ କୁଣ୍ଢେଇ ତାକୁ ପେଲି ତା’ ବାଡ଼ି ଅଟକେଇ ୟା ବାଡ଼ି ଓଟାରି ସେ ଯେତେବେଳେ ଚକ୍ରିପରି ଘୂରି ଲାଗିଛି ସେ ଭଉଁରି ଭିତରେ ହଠାତ୍ ଅନୁଭବ କଲା କପାଳ ଉପରେ ପ୍ରଚଣ୍ଡ ପାହାର ପଡ଼ିଲା । ଏକାଠି ଯେପରିକି ଲଦି ହୋଇ ପଡ଼ିଲା ସେଠି ନିଆଁ ଓ ଯନ୍ତ୍ରଣା, ଆଖି ଉପର ଓ ନାକ କର ଦେଇ ଓଠକୁ ନିଗିଡ଼ି ଗଲା ଆପଣାର ଲୁଣି ରକ୍ତ, ସେତେବେଳେ ବି କଜିଆ ରୋକିବାକୁ ତା’ର ଦୁଇହାତ ଟେକି ହୋଇ ରହିଛି, ଆଉ ସେତେବେଳେ ଝାପ୍‌ସା ଦୃଷ୍ଟିରେ ସେ ଦେଖିଲା ସେ ଏକୁଟିଆ ନୁହେଁ, କଜିଆ ଭାଙ୍ଗିବାକୁ ଧାଇଁ ଆସୁଛନ୍ତି ଆହୁରି କେତେ ଲୋକ, ଲୋକ ପଛରେ ଲୋକ ଗୋଛାହୋଇ ମାଡ଼ି ଆସୁଛନ୍ତି, ଯେପରି କି ମୂକ ଜନତା ପ୍ରାଣବନ୍ତ ହୋଇଉଠିଛି ଏ ଯୁଦ୍ଧ ବନ୍ଦ କରିବାକୁ, ତା’ର ରକ୍ତ ଢାଳିବା ବୃଥା ହୋଇନାହିଁ । ସେତିକି ଆଶ୍ଵାସ ଘେନିଥିଲା ତା’ର ଚେତନା ଆପେ ଲୁପ୍ତ ହେବା ପୂର୍ବରୁ ।

 

ସୁଭଦ୍ରାପୁର ମେଳଣକୁ ଯିବାପାଇଁ ପାଟେଳିଗାଁରୁ ଅପର୍ତ୍ତି ପ୍ରଧାନ ଅଡ଼େଇ ନେଇ ଚାଲିଥିଲା ତା’ ଦଳର ନୂଆ ବିମାନକୁ ଆଗ ଆଗ ଟାଉଟାଉ କରି, ଏ କାର୍ଯ୍ୟଟା ହଠାତ୍‌-ଉତ୍ସାହର ନୁହେଁ, ଏଥିପାଇଁ ଥିଲା ଯୋଜନା, ଆଗରୁ ଅନେକ ମନ୍ତ୍ରଣା ଓ ବୈଠକ ।

 

ଚାନ୍ଦା ଉଠିଥିଲା ଭଲ, ଆଗରୁ ବନ୍ଦୋବସ୍ତ ପକ୍‌କା ।

 

ପତରଗଳି ଖବର ଉଣ୍ଡିଥିଲେ-ଆର ପକ୍ଷର ଯୋଗାଡ଼ଯନ୍ତ୍ର କେତେଦୂର । ଯେତେବେଳେ ଗାଁର ସାବକ ଦଳର ବିମାନ କାନ୍ଧେଇବାକୁ ଗଉଡ଼କୁ ଫୁସୁଲେଇବାକୁ ଯାଇ ବେଳ ଘଡ଼ିଏ ନଷ୍ଟ ହେଲା ଓ ଗଉଡ଼ ଆସିଲା ପରେ ଦିକ୍‌ସିକ୍ ଲାଗିଗଲା ତାଙ୍କ ପାଉଣା ବିଷୟରେ, ପାଖେ ଲୋକ ନାହାକ ବକ୍ତୃତାଦେଇ ଉଦ୍‌ବୋଧନ କଲେ ବିମାନବୁହାଳୀଙ୍କ ଗାଁ ପ୍ରେମକୁ, କହିଲେ ଗାଁର ଟେକ ବଡ଼, ସାମାନ୍ୟ କେଇଟା ପଇସାପାଇଁ ହଟାକରି ଅଡ଼ିବସିବା ଲଜ୍ଜାର କଥା, ଗାଁ ଠାକୁରଙ୍କୁ ମେଳଣକୁ ବୋହିନେଲେ ଯେଉଁ ପୁଣ୍ୟ ହେବ ତା’ ତୁଳନରେ ସାମାନ୍ୟ ମୂଲ ମଜୁରୀ ଅତି ତୁଚ୍ଛ, ପଇସା କ’ଣ ? ପଇସା ଯେ ପାରେ ସେ କମାଏଁ, କମେଇଲେ ରଖି ହୁଏ ନାହିଁ, ଆଉ ଆରପାଖେ ଗଉଡ଼ ବଖାଣୁଥିଲେ ମଳିମୁଣ୍ଡିଆଙ୍କ ସରଳ ଅର୍ଥନୀତି, ଯେ ଦେଖ ଏ କାଳରେ ଚାଉଳ ହେଲାଣି ଟଙ୍କାକୁ ସେରେ ପାଞ୍ଚପା, ରାତିଏ ଅନିଦ୍ରାହୋଇ ବିମାନ ବୋହିଲେ ମଣିଷ ଦି’ଦିନ ନିକମା, ଏଥିରେ ମୂଲ କାଟିଦେଲେ ଘରେ ଚୁଲୀ ଜଳିବ ନାହିଁ ଭାଳେଣି ପଡ଼ିବ, କାଟି କାଟି ଜଣକେ ଦି’ଟଙ୍କା ନ ହେଲେ ବିମାନ ଉଠାଇବାକୁ ହାତ ଯିବ ନାହିଁ, ଠାକୁରେ ଯାହା ଭାବନ୍ତୁ ଯାହା କରନ୍ତୁ ପଛେ, ତାଙ୍କରି ତ ଏ ଲୀଳା, ସେଇ ତ କରିଛନ୍ତି ଏ କାଳ, କିଏ କ’ଣ କରିବ, ଯେତେବେଳେ ସମୟ ନଷ୍ଟ ହେଉଥିଲା ଏହି ଯୁକ୍ତିରେ, ସେତେବେଳେ କିଣେଇଁ ଓଝା ଓ ଅପର୍ତ୍ତି ପଧାନ ଆଗ ବଳିପଡ଼ି ତାଙ୍କ ପକ୍ଷର ବିମାନ ଉଠେଇ ନେଇ ଚାଲିଲେ, ଦର କଷାକଷି ଆବଶ୍ୟକ ପଡ଼ିନାହିଁ, କାରଣ ଗଉଡ଼ମାନଙ୍କ ଭିତରୁ ଅଧିକାଂଶହିଁ ଥିଲେ ତାଙ୍କ ଦଳର ଉଦ୍ୟୋକ୍ତା, ସେମାନେ ନିଜେ ବୁହନ୍ତି ନିଜ ଭାର, ଭଡ଼ାରେ ମୂଲିଆ ଆଣନ୍ତି ନାହିଁ ।

 

ଆଉ ବାଟେ ବାଟେ ବିମାନ କରେ କରେ ଆଗକୁ ଆଗକୁ କାନ୍ଧର ଚାଦର ଉଡ଼େଇ ଉଡ଼େଇ ଅପର୍ତ୍ତି ପଧାନ ପାଟି କରି କରି ଚାଲିଲା–‘‘ତରତର ଭାଇ, ତରତର, ଆମ ଗାଁ ପାଳି ପଡ଼ିଲେ ଆମରି ବିମାନ ପଶିବ ପ୍ରତିନିଧି ହୋଇ, ସେମାନେ ଫେରନ୍ତୁ ଶିଶୁପାଳ ଦଳ, ପାଆନ୍ତୁ ମଜା ।’’

 

ସେ ଦଳ ବିମାନ ଆଗ ଚାଲିଗଲା, ଏ କଥା ଏ ଦଳ କାନରେ ବାଜିବାକୁ ଡେରି ଲାଗିଲା ନାହିଁ, ଦାଣ୍ଡରେ ମାଇପେ ବି ଛଳେଇ କୁହାକୋହି ହେଲେ, ପିଲାଏ ତ ସହଜେ । ସେ ଦଳ ଘର ବୋହୂ ଭଗତ ମହାରଣାର ସ୍ତ୍ରୀ ଏ ଦଳ ଘର ବୋହୂ କପିଳ ମହାରଣା ଭାରିଯାକୁ ପିଣ୍ଡା ଉପରୁ ଡାକ ଛାଡ଼ି କହିଲା,’’କି ଗୋ ଚାନ୍ଦ, ଏମାନେ ତ କ’ଣ ବିମାନ ନେଇ ଚାଲିଗଲେ, କୁଆଡ଼େ ଆଗେ ପହଞ୍ଚିବେ, ଆଉ ତମର ଫେର୍ କୋଉଦିନ ଯାଉଚନ୍ତି ଯାହା କହନ୍ତି ନାହିଁ ପାଗ ଭିଡ଼ୁ ଭିଡ଼ୁ କଚିରି ବରଖାସ୍ତ !’’

 

‘‘ହଁ ଗୋ ଚାନ୍ଦ,’’ କପିଳ ଘରଣୀ କହିଲା, ‘‘ଘୋଡ଼ା ଦଉଡ଼ି ଦଉଡ଼ି ଯୋଉଠି ହାତୀ ପାହୁଣ୍ଡ ପକେଇ ସେଇଠି । ସେଇଠି ଭେଟାଭେଟି ଗୋ ଚାନ୍ଦ, ଆଗ ପଛରେ କ’ଣ ଅଛି ?’’

 

‘‘ହଁ ମ’ ଜଣାଅଛି, ଲଢ଼େଇବେଳେ କୁତ୍ତା ହଗିଯାଏ, ଯୋଉ ଭେଟାଭେଟି ତ ଛାଡ଼ିଦିଅ, ମଣିଷ ଗୋଡ଼ ତ ଆଉ ମନପବନ ଘୋଡ଼ା ପାଲଟି ଯିବ ନାଇଁ, ତମର ଏଇଠି ରାତି ପାହିବ ।’’

 

‘‘ଆଲୋ ସବାଖାଈ କାହାକୁ କହିଲୁ ଲେ କୁତ୍ତା ବୋଲି ? ତୋ ଘର- ମଣିଷ ଏଡ଼ିକି ଷଣ୍ଢ ଆଉ ସମସ୍ତେ ହେବେ କୁତ୍ତା, ୟେ କ’ଣ କହନ୍ତି ନାଇଁ ଶୁକୁଟି ଘୁଅରେ ପାଣି ପଡ଼ିଚି - ଆ ତା ନା କ’ଣ ? ଭଲାରେ ଭଲା, ତୁଛେଇଁକି କାଇଁକି ଏଡ଼େ ଫୁଲାମ ? ଫୁଲା କାକରା ଫୁଲି ଫୁଲି କରି ଅଧ ବଖରା-’’

 

ଭଗତ ଘରଣୀ ଫଁ କଲା, କାମୁଡ଼ା ବିଲେଇ ପରି ପିଠି ବଙ୍କେଇ ନଳିଗୋଡ଼ରେ ପଞ୍ଝା ମାଡ଼ି ଉପରକୁ ବେକ ଭାଙ୍ଗି ଦେଇ ସ୍ଵର ବଦଳେଇ ଉପଯୁକ୍ତ ଗଳାରେ ଗର୍ଜନ ଛାଡ଼ିଲା –

 

‘‘ଇଲୋ ଏ ଯୋଗିନୀଖାଈ ଆଣ୍ଠୁକୁଡ଼ୀ ତୋ’ର କେଡ଼େ ଉଗୁରିବା, ଟିକିଏ କଥାକୁ ଚିହିଁକି ଉଠୁଚି, ଇଲୋ, ଏ ବାଡ଼ିପଶୀ, ଏ ଘଇତାଖାଈ, ତତେ ତୋ ବୋପା ରାଣ କ’ଣ କହିଲୁ ଆଉ ଥରେ କ, ତୋ ମୁହଁରେ ପାଉଁଶ ପଡ଼ୁ, ତୁ ଆଉ ଥରେ କ-’’

ରଞ୍ଜକରେ ନିଆଁ ଲାଗିଲା, କପିଳର ସ୍ତ୍ରୀ ବି ସମାନ ଭାବରେ ବିଷ ଉଗାରି ଲାଗିଲା । ତା’ପରେ ଚାଲିଲା ଦୁହିଁଙ୍କ ଭିତରେ ପଦକୁ ପଦେ, ଗାଳିଶାସ୍ତ୍ର ଉଚ୍ଚାରଣ କରିବାରେ ଦୁହେଁ ଲାଗିପଡ଼ିଲେ–

‘‘ଆଲୋ ଯୋଗିନୀଖାଈ–’’

‘‘ଆଲୋ ସବାଖାଈ–’’

‘‘ଆଲୋ ବାଡ଼ିପଶୀ–’’

‘‘ଆଲୋ ନିଆଁ ବାଗୀ–’’

‘‘ଆଲୋ ବାନ୍ଦରମୁହୀଁ–’’

‘‘ଆଲୋ ନେହୁଳମୁହୀଁ’’

‘‘ଆଲୋ ପିଚାଶୁଣୀ–’’

‘‘ଆଲୋ ଡଙ୍କୁଣୀ !’’

ଚାଲିଲା ଚାଲିଲା ଚାଲିଲା ଦୁଇପିଣ୍ଡାରୁ ଗାଳିକି ଗାଳି, ଦୁଇଠି ଦୁଇଟା କଳ, ସେ ମୁଣ୍ଡକୁ ଉପର ତଳକୁ ଝାଙ୍କି ଝାଙ୍କି ବାଇ ଲାଗିଲାପରି ଖାଲି ଗର୍ଜନ ଛାଡ଼େ, ଖୋଜେ ଉଗ୍ରରୁ ଉଗ୍ରତର ବିଶେଷଣ, ଗାଳିବହୁଳ ପ୍ରାଚୀନ ଓଡ଼ିଆଭାଷା ତାକୁ ନିଅଣ୍ଟ ହୁଏ, ବିଶେଷଣ ଛାଡ଼ିଦେଇ ସେ ବାକ୍ୟ ଉଗାରେ ଶତ୍ରୁ ପ୍ରତି ବିବିଧ ଅସଙ୍ଗତ କ୍ରିୟାକୁ କଳ୍ପନାକରି ଭାଷା ମେଲିଦିଏ, ମଣିଷ ସମ୍ବନ୍ଧ ସରିଲେ ଆବାହନ କରେ ବିବିଧ ବଳଶାଳୀ ଜନ୍ତୁଙ୍କୁ, ଘୋଡ଼ା ହାତୀ ଇତ୍ୟାଦିଙ୍କୁ, ତା’ପରେ ଠିଆ ହୋଇପଡ଼ି ପାଟି କରି କରି ଆଙ୍ଗୁଠି କେମ୍ପା କରି ମୁଣ୍ଡବାଳ ଫିଟେଇ ଦେଇ କାନି ଓହଳେଇ ଦେଇ ଥେଇ ଥେଇ ନାଚେ, କୁଦାମାରେ, ସାହିପଡ଼ିଶା ଭିଡ଼ି ଓଟାରିନେବା ପର୍ଯ୍ୟନ୍ତ ନ ହେଲେ ଅବଶ ହୋଇ ତୁନୀ ପଡ଼ିବା ପର୍ଯ୍ୟନ୍ତ, ଯେଉଁଟା ଘଟୁ ଆଗ ।

 

ସେମାନେ ଦିନେ ଚାନ୍ଦ ବସିଥିଲେ, ଦୁଇ ଭୁଆସୁଣୀ ।

 

ସେହି ଚାନ୍ଦ ଉଇଁଲା, ଚଢ଼ିଲା ଆକାଶକୁ, ଗାଁର ପୁରୁଣା ବିମାନ ବାଜା ପଟୁଆର କରି ଯାତ୍ରା ଆରମ୍ଭ କରିଦେଲା ।

 

ତାଙ୍କ କଜିଆ ଥମିଲା ନାହିଁ, କାନ ଅତରା ପକେଇ ପାଟି ବଢ଼ିଲା ।

 

ଦିନେ କୁଆଁର ପୁନେଇଁ ରାତିରେ ୟେ ତା’ ବେକକୁ ସେ ୟା ବେକକୁ ସ୍ନେହରେ ବେଢ଼େଇ ଧରି କୁହାକୋହି ହୋଇଥିଲେ, ‘‘ଆଜିଠୁ ଆମେ ଚାନ୍ଦ ବସିବା,’’ ୟେ ତା’ ପାଟିକି ସେ ୟା ପାଟିକି ଅତି ସରାଗରେ ବଢ଼େଇ ଦେଇଥିଲେ ଖଇ, କଦଳୀ, ନଡ଼ିଆକୋରା, ଛେନା, ଗୁଡ଼, ବସାଦହି, ଆଖୁ, ତାଳଗଜା, କାକୁଡ଼ି ଚକଟା, ଚାନ୍ଦ ଭୋଗରୁ ଗୁଣ୍ଡାଏ ଗୁଣ୍ଡାଏ ।

 

ଆଜି ସେ ଚାନ୍ଦର ଅସମ୍ମାନ ଘଟିଛି, ଗାଁ ଫାଟିଛି, ସତେଅବା ଏକା ଭୂଇଁରେ ଦୁଇଖଣ୍ଡ ଭାରତ ଓ ପାକିସ୍ଥାନ ।

 

ଲୋକା ନାହାକ ବାଟରେ ଗାଁର ପୁରୁଣାଦଳଙ୍କୁ ଉତ୍ସାହ ଦେଲା–‘‘ଯାଆନ୍ତୁ ସେ ଆଗେ ଆଗେ, ଯେତେ ଧାଇଁଲେ କ’ଣ ହେବ ? କ’ଣ କହନ୍ତି ନା ଧାଇଁ ଧାଇଁ ଖାଏ କଲୁରିବେଣ୍ଟ, ବଳେ ମୁହଁ ପିତା ପଡ଼ିଯିବ ଯେ । ଲୋକେ ପଚାରିବେ ନାହିଁକି, କହିବେ କିହୋ ଠାକୁର ତ ରାଧେଶ୍ୟାମ ଆଉ ଇଏ କିଏ ସେ ଅନାବନା ? ୟାଙ୍କ ନାଁ କ’ଣ, ୟାଙ୍କୁ ଆଣିଲା କିଏ, ପ୍ରତିଷ୍ଠା କଲା କିଏ ଆଉ ୟେ କୋଉମାନେ ମାଡ଼ିଆସିଛନ୍ତି କାହୁଁ ଅଇଲା ? ୟାଙ୍କୁ ନିମନ୍ତ୍ରଣ କଲା କିଏ, ନା ଏ ଖାଲି ଛାଁକୁ ! ନା, କ’ଣ କହନ୍ତି ନାହିଁ–

 

‘‘ଘଣ୍ଟ ନାହିଁ ମାଦଳ ନାହିଁ ଝିଙ୍କିରିଆ ଦେବତା,

ଗାଈ ନାହିଁ ମଇଁଷି ନାହିଁ ଜରିପଡ଼ା ବେହେରା

ଥଳ ନାହିଁ କୂଳ ନାହିଁ ସାଇଁଶୋ ପାଣି

କୁଣ୍ଡ ନାହିଁ ବାଡ଼ି ନାହିଁ ଦହିଗାଁପତି

ଖୁର ନାହିଁ ନହୁରୁଣୀ ନାହିଁ ଖେରସ ବାରିକ *

ଅଖ ନାହିଁ ଚକ ନାହିଁ ଉଷୁମା ରଥ ଆରେ ନାଁକୁ ଖାଲି’’

 

ସମସ୍ତେ ହୋ ହୋ ହସିଲେ । ବୁଢ଼ା ବିଦେଇ ବେହେରା କହିଲେ– ‘‘ସବୁ ସେଇ ଟୋକା ଅପର୍ତ୍ତିଆର ନାଟ । କିହୋ ଗାଁ’ତ ସମସ୍ତିଙ୍କର,

 

*‘‘ଝିଙ୍କିରିଆର ‘ଦେବତା’, ସାଇଁଶୋ ଗାଁର ‘ପାଣି’ ଓ ଦହିଗାଁର ‘ପତି’ ବ୍ରାହ୍ମଣ । ଜରିପଡ଼ାର ‘ବେହେରା’ ଓ ଖେରସର ‘ବାରିକ’ ଜାତିରେ ଖଣ୍ଡାଏତ୍‍–କ୍ଷତ୍ରିୟ । ସେଥିରେ ଗୋଟାଏ ଦଳ କ’ଣ, ଭାଗ କ’ଣ, ବାଦ କ’ଣ ? ନା, କାଣୀଗାଈର ଭିନେଗୋଠ । ସବୁଥିରେ ହେରେମା, ସବୁଥିରେ ଅକୁହାର, ସତେ ହୋ, କାଲିକାର ଡିମ୍ବ ଆଜିକାର ରାକ୍ଷାସ, ଯୁଗ କ’ଣ ନ କରେ ସତେ-! ରୋପିଲା ଗଛକୁ କୁଣ୍ଢ ପାଏ ନାହିଁ । ଅପର୍ତ୍ତିଆଟା କ’ଣ ନ ହେଲା ସତେ ! ନା ଏମିତିଆ ଏ ଯୁଗରେ ଅବେଇଜ ଜନ୍ମ ହଉଚନ୍ତି ଜଗତଯାକକୁ ଜବତ କରିବାକୁ–’’

 

ଭେଣ୍ଡା ଧୋବେଇ ଜେନା ନିଶରେ ହାତ ପକେଇଲା, କହିଲା, ‘‘ହଁ ହୋ ଭାରି ଜବତ କରିବେ, ଜବତ କରିବାଟା ମୁହଁରୁ ଦିଶିଯାଉଚି ପରା ମଉକା ମିଳିଲେ ତାଙ୍କ ଗୋଡ଼ ଛୋଟା କରିଦବୁଁ ଆଉ ଖାଲି କୁହାଳିଆ ହୋଇ ସବୁ ଜିତିଯିବେ ?’’

 

ଶୁକୁଟି ମିଶ୍ର ଆପଣା ଦୁର୍ବଳ ଦେହରେ ମାଡ଼ ଫଉଜଦାରୀକୁ ଡରନ୍ତି, ଧର ମାର କଥା ପଡ଼ିଲେ ତାଙ୍କର ଛାତି ଥରେ । କହିଲେ, ‘‘ଛାଡ଼ ଛାଡ଼ ସେ କଥା, ଦୃଷ୍ଟକୁ ସଂହାର କରିବେ ଆପେ ଭଗବାନ, ଆମେ କି ଛାର, ଯେ ଯାହା କରୁଚି ବଳେ ସେ ତା’ ଫଳ ପାଇବ, ଆମର କିଛି କରିବା ଦରକାର କ’ଣ ଅଛି ?’’

 

ଧଡ଼ିଆ ଭଣ୍ଡାରି ନବଜ କରି କହିଲା, ‘‘ଭଗବାନ ତ ସମସ୍ତିଙ୍କଠିଁ, ବୋଇଲା ସକଳ ଘଟେ ନାରାୟଣ, ବସନ୍ତି ଅନାଦି କାରଣ, ଆମେ ଗୋଡ଼ ଛୋଟା କଲେ ଭଗବାନ କଲା ପରି ହବ, କ’ଣ କହନ୍ତି ନାଇଁ ହରି ପଳୋଉଚି ହରି ଗୋଡ଼େଉଚି ହରି ପଶିଗଲେ ଗାତରେ–’’

 

ଲୋକା ନାହାକ କୁହାଟ ମାରିଲେ, ‘‘ଚାଲ ଚାଲ ଚାଲ, ଡେରି ହେଲା–’’।

 

କୁଶିଆ କେଉଟ କହିଲା, ‘‘ଆଉ ଡେରି କ’ଣ ସଅଳ କ’ଣ ଦାଦି, ବାଟ ଧରିଲେ ତ ବାଟ ସରିଲା । ଏଣ୍ଡୁଅ ଦଉଡ଼ି କିଆ ବଣକୁ, ଯେଡ଼େ ଆଗରୁ ଗଲେ ସେ ଦଳ କ’ଣ ଆଉ ସୁଭଦ୍ରାପୁର ସାନ ପଡ଼ିଆ ଟପି ଦାଣ୍ଡକୁ ଗଡ଼ିବେ ? ଛାଡ଼ିବ କିଏ ବାଟ ? ଯୋଉ ଗାଁ ଆଗ ଯୋଉ ଗାଁ ପଛ ସେ ତ ଆଗରୁ ନମ୍ବର ସରିଚି, ତାଙ୍କ ପାଳି ପଡ଼ିବ ଜରିପଡ଼ା ବିମାନ ଯାଇ ପାଟେଳିଗାଁ ବାରି ପଡ଼ିଲେ । ସେତେବେଳକୁ ଆମେ ପହଞ୍ଚିଯାଇଥିବୁ, ଦେଖାଯିବ ତାଙ୍କ କଥା ।’’

 

କୁଶିଆ କେଉଟ କଥାରେ ସମସ୍ତିଙ୍କର ମନ ଉଷତ ହୋଇଗଲା, ମନେ ମନେ ସମସ୍ତେ ଯେପରିକି କହିଦେଲେ–‘‘ସତକଥା, ସତକଥା, ଆଉ ଆଶଙ୍କା କାହିଁକି ?’’

 

ମଦନା ନାହାକ କୁଶିଆ ପ୍ରତି ପ୍ରଶଂସା ଲୁଚେଇ ପାରିଲାନାହିଁ, କହିଲା, ‘‘କୁଶିଆ ଭାଇ ଡଙ୍ଗାର ମଙ୍ଗ ବୁଲେଇଲା ପରି କଥା ପଦେ ପଦେ କହେ, ଠିକଣା ଜାଗାରେ ମୋଡ଼ ଦିଏ ।’’

 

ଧୋବେଇ ଜେନା କହିଲା, ‘‘ମଲା, କ’ଣ ନୂଆ କଥାକି ଆଉ ! ଏ କଥା କିଏ ନ ଜାଣି ଥିଲାକି ?’’ ପରର ତୁଣ୍ଡ ପ୍ରଶଂସାରୁ ବି ସେ ଭାଗ ନେବାକୁ ଚାହେଁ ।

 

ଶୁକୁଟି ମିଶ୍ର କହିଲେ, ‘‘ବଳେ ଠାକୁରେ ତାଙ୍କ ବେଳାରେ ଯାଇ ମେଳଣ ପଡ଼ିଆରେ ପହଞ୍ଚିବେ, ଆର ଦଳ କେବେ ଆଗରେ ଯାଇପାରିବେ ନାହିଁ ।

 

ଧଡ଼ିଆ ଭଣ୍ଡାରି କହିଲା, ‘‘ନାଇଁ, ଯିବେ କୁଆଡ଼ୁ, ଠାକୁରେ ଦୟାକଲେ ସେ ଦଳ ବୁହାଳୀଙ୍କ ଗୋଡ଼ରେ ଫାଟୁଆ ପଡ଼ିବ ।’’

 

ଯୋଗୀ ରଘୁନାଥ ଆର ବେଲିଆ, କହିଲା,’’ଗୋରୁଙ୍କ ଗୋଡ଼ରେ ସିନା ଫାଟୁଆ ପଡ଼େ, ସେଗୁଡ଼ାକ ପରା ଗୋରୁ, ତୁଚ୍ଛା କୁଣ୍ଡା ତୋରାଣି ଢୋଲେ ଲେଖା ପିଇ ପିଇ ଯାଇଚନ୍ତି, ଟେଳା ମାଡ଼ି ମାଡ଼ି ପାଦଗୁଡ଼ାକ ଫାଟିଯିବ ଆଉ ବିମାନ ଧରି ପଡ଼ିଥିବେ ସେଇ ବାଟରେ କୋଉଠି । ନା କ’ଣ କହୁଚ ଶୁକୁଟି ନନା ?’’

 

ଶୁକୁଟି କହିଲେ, ‘‘ତତେ ହୋ ତୁହି ରକ୍ଷା କର, ମୁଁ ଛାର ମଣିଷ ମାତର, ହେ ମାହାପୁରୁ, ଏମିତି ତୋ ବାନା ଫର ଫର ଉଡ଼ୁଥାଉ, ମେଳଣ ଦାଣ୍ଡରେ ଆମ ମୁଣ୍ଡ ତଳୁକୁ ନ ହେଉ ।’’

 

ରଘୁନାଥ କହିଲେ, ‘‘ତଳୁକୁ କ’ଣ ହବ ମ, ତଳେ ନ ଗଡ଼ୁ କହୁନା, ଅପର୍ତ୍ତିଆ, ମାଗୁଣିଆଁ ପରା କଟୁରି ଦି’ପୁଞ୍ଜା ପଜେଇ କରି ନେଇଛି, ସକାଳ ଓଳିଟାଯାକ ତରାମା’ ଗାଡ଼ିଆ ପାହାଚରେ କଟୁରି ପଜଉଥିଲେ ଲୋକେ କହୁଥିଲେ, ଆଉ କ’ଣ, ଫଉଜଦାରୀ ତ ଲାଗିବ, ଆଗ ଉଡ଼ିଯିବ ତମରି ବେକ–’’

 

ଫେର ହସ ଲାଗିଲା ।

 

ଗାଁ ଗୋଠ ଚାଲିଥାନ୍ତି । ହସ, ଥଟ୍ଟା, ଆର ପକ୍ଷର ଜଣ ଜଣଙ୍କ କଥା ପକାଇ ସମାଲୋଚନା, ଗାଳି । ବାଟରେ ଅନ୍ୟ ଗାଁ ପାଖହେଲେ ଏ ଦଳର ଲୋକ ବାଜା ଢାଉଁ ଢାଉଁ ବଜାନ୍ତି, ଗୋଟାଏ ଗୋଟାଏ ବାଣ ଫୁଟାନ୍ତି, ବୀର ପରି ମାଡ଼ି ଚାଲନ୍ତି ଗାଁ ଗୋହୀରିରେ । ପୁଣି ଖାଲି ଗହୀର ପଡ଼େ, ଉତ୍ସାହ ଭିତରେ ଉଙ୍କିମାରେ ଗୋଟାଏ ଆଶଙ୍କାର ଖେଣ୍ଟା ଯେ ହୁଏତ ଆର ପକ୍ଷ ସହିତ ଗୋଟାଏ କଳିଗୋଳ ଲାଗିଲେ ଲାଗିଯାଇପାରେ ।

 

ଆଉ ଆର ପକ୍ଷ ଆଗେ ଆଗେ ଚାଲିଥିଲେ ବିମାନ ବୋହି ସିଂହ ବିକ୍ରମରେ । ବାଟେ ବାଟେ ରଣ କୁହାଟ ପରି ଏକାଥରେ ସମସ୍ତିଙ୍କର ଚିତ୍କାର,’’ଜୟ ବିନୋଦବିହାରୀଙ୍କି ଜୟ ।’’ ନୂଆ ଠାକୁରଙ୍କ ନାଁ ବିନୋଦବିହାରୀ । ଆଜି ଲୋକାପଡ଼ା ଗନ୍ଧର୍ବ ମହାରଣାଙ୍କ ହାତକାମ, ସେ ଜୀଅନ୍ତା ମଣିଷ ପରି ଦାରୁ ପ୍ରତିମା । ବିକା ମୁଦୁଲିଙ୍କ ସମ୍ବନ୍ଧୀ ଆଳିର ରାଜନ ମୁଦୁଲିଙ୍କ ସାହାଯ୍ୟରେ ଫର୍ମାସି ଦିଆହୋଇ ଗଢ଼ା ହୋଇ ସେ ଏତେଦୂରକୁ ଆସି ପ୍ରତିଷ୍ଠା ପାଇଥିଲେ । ପଦାକୁ ଅଚିହ୍ନା କଳାକାର ଗନ୍ଧର୍ବଙ୍କ କୃତି ଗଣ୍ଡ ମଫସଲରେ କେତେଠିଁ ବିଛେଇ ହୋଇପଡ଼ିଛି, କେତେଠି ଉଇ ମୁହଁରେ ଯାଉଛି, ଆଉ କେତେଠି ଠାକୁର ହୋଇ ପୂଜା ପାଉଛି । ବାଜା, ସଂକୀର୍ତ୍ତନ ଓ ରୋଶନିର ଘନଘଟା ଭିତରେ ସେହି ବିନୋଦବିହାରୀଙ୍କରହିଁ ଜୟଜୟକାର । ଗନ୍ଧର୍ବ ମହାରଣାଙ୍କ ନାଁ କେହି ଜାଣନ୍ତି ନାହିଁ, କଳା ଜୀବନ ପାଇଛି, କଳାକାରର ନାଁ ହଜିଛି । ନୂଆ ଠାକୁରଙ୍କ ନାଁ ପାଟି କରିବା ତଳେ ତଳେ ଗାଁର ନୂଆ ଦଳରହିଁ ଦର୍ପର ହେଣ୍ଟାଳ ଉଲୁସି ଉଠୁଛି, ଆଉ ପୁରୁଣା ଗାଁ ଗୋଠ ପ୍ରତି ଅବଜ୍ଞା, ହତାଦର ।

 

‘‘ହେଇ, ସୁଭଦ୍ରାପୁର ପାଖ ହେଲା, ଦେଖ କେଡ଼େ ଛୁଣିକା ଆସି ପହଞ୍ଚିଗଲୁ, ଅପର୍ତ୍ତି ପ୍ରଧାନ କହିଲା, ‘‘ଏଥର ସିଧା ମେଳଣ ପଡ଼ିଆକୁ, ଆଗ ସୁନା ପାଗ, ପଛ ଘୁଅ ପୋଛ, ଆଗ ଆସିଚୁଁ ଆଗ ଯିବୁଁ, ସେଥିରେ କହିବାକୁ କାହାର କ’ଣ ଅଛି ?’’

 

‘‘ସବୁ ସେଇ ଠାକୁରଙ୍କ ଦୟା,’’ ବୁଢ଼ା ସଉରି ପଧାନ କାଶି କାଶିକା କହିଲା, ‘‘ପହିଲି ଥର ମେଳଣକୁ ଆସିଚନ୍ତି, ଆଗ ଯିବେ ବୋଲି ଉଡ଼ିଲା ପରି ଆସି ପହଞ୍ଚିଛନ୍ତି ।’’

 

‘‘ଏକା ସେ ନୋକା ନାହାକ ମୁହଁରେ କଳା ଲାଗିଯିବ,’’ କିଣେଇଁ ଓଝା କହିଲା, ‘‘ପାଇଥିଲେ ନା ପାଇଲା ଗାଡ଼ିଆ ବୋହୁଥିଲେ, ସବୁ କଥାରେ ତାଙ୍କର ଆଗ, ସେ ଯିବେ ଆଗରେ ଆମେ ଯିବୁଁ ପଛରେ, କିଓ କାଇଁକି ହୋ ? ତମେ ଧାନ ଆଉ ସଭିଏଁ ଅଗାଡ଼ି ?’’ ସମସ୍ତେ ହସିଲେ-। ମାଗୁଣି ବେହେରା କହିଲା, ‘‘କିଏ ଧାନ କିଏ ଅଗାଡ଼ି ତାକୁ ପାଛୁରିଦେଲେ ଜଣାପଡ଼ିବ ଯେ, ଆଉ ଡେରି ନାଇଁ । ଆମ ମେଣ୍ଟ ଆଗରେ କେଇଦିନ ସେମାନେ ଠିଆ ହୋଇପାରିବେ ?’’

 

‘‘ଦେ ଚାଲ ଚାଲ’’, ଯଦୁ ବରାଳ କହିଲା, ‘‘ହାଁସହାଁସିଆ ହୋଇ ସେମାନେ ପଛେ ପଛେ ଦଉଡ଼ି ଆସୁଥିବେ ଯେ, ନା କ’ଣ ନାହିରେ ତେଲ ପକେଇ ଦେଇ ଶୋଇଥିବେ ଭାବିବ ? ଖଣ୍ଡେ ବାଟ ମାଡ଼ି ଆସି ସଇଥିଳିଆ ହେଇ ଆପଣାକୁ ପରଶଂସି ହେଉ ହେଉ ସାତ ପଛର ବାଟୋଇ ଟପି ଚାଲିଯାଏ, ଜାଣିଚ ?’’

 

‘‘ଆସୁ ଯେ ଆସିବ,’’ ଅପର୍ତ୍ତି ପଧାନ କହିଲା, ‘‘ବାଟ ତ ପଡ଼ିଚି, ଏକା ଯେତେ ଗୋଡ଼େଇଲେ ଆମ ଲାଞ୍ଜ ପାଇପାରିବନାହିଁ ।’’

 

ସଦା ଗଉଡ଼ କହିଲା, ‘‘କାହିଁ କିଏ ଆସୁଛି ? ମୁଁ ତ କାନେଇଁ କାନେଇଁ ଚାଲିଚି, ତାଙ୍କ ଘଣ୍ଟ ବି ଶୁଭୁ ନାଇଁ, ଆଉ ଗଲେ କୋଉ ସୋଇଁ ବାଟେ ? କାନ୍ଧେଇବାକୁ ପେଲାପେଲି ଲଗେଇଥିବେ ମ, ଗାଁ ଦଣ୍ଡା ଟପି ନ ଥିବେ କି କ’ଣ ?’’

 

‘‘ଆରେ ସେମାନେ ଭାରି ତରକା,’’ ଯଦୁ ବରାଳ କହିଲା, ‘‘ଶବ୍ଦ ନ କରି ଧାଇଁ ଆସୁଥିବେ । ଚାଲ ଆଗେ ମୁକାମ ଧରିବା, ପଛେ କଥା ।’’

 

ଚଞ୍ଚଳ ଯାଇ ଭାରି ତେଜରେ ରୋଶନି କରି ବାଜା ସଂକୀର୍ତ୍ତନ ଲଗାଇ ସେମାନେ ସୁଭଦ୍ରାପୁର ସାନ ପଡ଼ିଆରେ ପହଞ୍ଚିଗଲେ । କିନ୍ତୁ ହଠାତ୍ ଯେପରିକି ନଈରେ ଭାସିଯାଇ ସମୁଦ୍ରରେ ପଡ଼ିଗଲା ପରି, ସେଠି କେତେ ଗାଁର ଲୋକ ଜମା ହୋଇଛନ୍ତି, ଅସଂଖ୍ୟ ରୋଶନି, ଅସଂଖ୍ୟ ବାଜା ଧରି ଗଡ଼ି ପଡ଼ିଛନ୍ତି କେତେ ନାହିଁ କେତେ ବିମାନ, ୟାକୁ ବଳି ସେ, ତାକୁ ଟପି ୟେ, କାହାର ବଡ଼ ବାଜାତ ଆଉ କାହାର ବ୍ୟାଣ୍ଡ ବାଜା, କାହାର ପଞ୍ଝାଏ ନାଚ ତ ଆଉ କାହାର ସାତ ପଞ୍ଝା, ଜାତି ଜାତି ବେଶ ଓ ପଟୁଆର । ସେଠି ଅପର୍ତ୍ତି ପଧାନ ଜଳକା ପରି ଚାରିଆଡ଼କୁ ଚାହିଁଲା, ଏତେ ଭିଡ଼ରେ ଯେପରିକି ଗୋଟିକିଆ ଗାଁର ତେଜ ମଉଳି ଗଲା, ପରର ସାଜ ଦେଖୁ ଦେଖୁ ଏ ଛୋଟିଆ ଦଳ ଭୁଲିଗଲେ ସେମାନେ ବି ଏ ସାଜର ଗୋଟିଏ ଅଂଶ, ସେମାନେ ବି ସଜ ହୋଇ ଆସିଛନ୍ତି । କିଛି ସମୟ ଥକି ରହି ରାଉ ରାଉ ଶବ୍ଦ ଆଉ ଥାଳି ମାରିଦେଲେ ଥାଳି ଚାଲିଯିବ ଗହଳି ମଝିରେ ଦିଗ ଠିକ୍‍ଣା କରି ଧୀରେ ଧୀରେ ତା’ ଦଳ ମୋହିଁଲା ସୁଭଦ୍ରାପୁର ଗାଁ ଦାଣ୍ଡ ମୁହଁକୁ ।

 

ସେହି ସୁଡ଼ଙ୍ଗ ବାଟେ ବିମାନ ପଛରେ ବିମାନ ଧାର ଲାଗିଯାଇଛି, ଚାଲିଛି ଆଲଟ ଚାମର ଛତ୍ର ଓ ପତାକା ସହିତ ବୁଢ଼ାବୁଢ଼ୀ ନାଚ, ସାହେବ ସାହେବାଣୀ ନାଚ ତାମସା । ଆଗ ବଳିପଡ଼ି ଠେଲାଠେଲିକରି ବିମାନ ବାହିଲାବେଳକୁ ମୁହଁ ତମତମ କରି ଦଳେ ଲୋକ ତା’ ଦଳର ଲୋକଙ୍କୁ ଏକର ସେକରେ ଡେଣାଧରି ଓଟାରିବାକୁ ଲାଗିଲେ, ଶୁଭିଲା କ୍ରୋଧର ଗର୍ଜନ । ‘‘କିଏ ହେ ତମେ ଆଗଚଲା ଚାଲିଚ, ଏ ତ କୁଶୁପୁର ବିମାନ ଗଲା, ତା’ ପଛକୁ ଆମ ଗାଁ । ଓଲାବୋଳ ବିମାନ ଯାଉଚି, ଏଠି ତମେ କିଏ ? କ’ଣ ଏଠି ମୁଣ୍ଡ ଫଟାଫଟି ହେବାକୁ ମନ କରିଚ ?’’ ବାଧ୍ୟ ହୋଇ ବାଟ ଛାଡ଼ିଦେବାକୁ ପଡ଼ିଲା । ଲୋକେ ଛି ଛି କଲେ ।

 

ଅପର୍ତ୍ତି ପଧାନ ଠୁକର ଖାଇ ବୁଝିଲା, ସବୁ ଦିନର ଗାଁ ଗହଳିର ଅଲେଖା ଆଇନର ରାୟ, ଏସବୁ ସ୍ଥଳରେ ଆଗରୁ ଆଗପଛ ବିଧାନ ରହିଛି, ଭାଙ୍ଗିଲେ ବିପଦ । ଓଲାବୋଳ ପରେ ଧୁସୁମା ବିମାନ ଗଲା, ଧୁସୁମା ପରେ ବାଖଡ଼ପୁର, ତା’ପରେ ଧେଣ୍ଡସ, ତା’ପରେ ପୋକପୁର, ଜଣାଗଲା ପାଟେଳିଗାଁ ପାଳି ପଡ଼ିବ ଜରିପଡ଼ା ପରେ, ରାତି ଆହୁରି ଘଡ଼ିଏ ।

 

ଗଉଡ଼ଙ୍କ କାନ୍ଧ କଟକଟ କଲାଣି, ସମସ୍ତିଙ୍କ ମନରେ ଉଚ୍ଛ୍ୱାସ ଭାଙ୍ଗିବାର ଉଜାଣି ଅବସାଦ । ଦଳର ଲୋକେ କୁହାକୋହି ହେଲେ କିଛି ଛଡ଼ାରେ ଯାଇ ଅପେକ୍ଷା କରିବା ଭଲ, ଯେପରି ଆହୁରି ଅନେକ ଅପେକ୍ଷା କରିଛନ୍ତି, ଭଉଁରୀରେ ବସିପଡ଼ି ଅପଣା ଆପଣା ଗାଁର ଲୀଳା ଓ ସଂକୀର୍ତ୍ତନ ମେଲି ଦେଇଛନ୍ତି । କିନ୍ତୁ ଅପର୍ତ୍ତି ପଧାନ ଏତେଦୂରକୁ ଯିବାକୁ ମଙ୍ଗିଲା ନାହିଁ । ‘‘ଘାଟୀ ପାଖରେ ମୁଣ୍ଡକୁ ଆଖି ରଖି ବସିବାକୁ ପଡ଼ିବ,’’ ସେ ମନ୍ତ୍ରଣା ଦେଲା, ‘‘ଯେମିତି ଠିକଣାବେଳକୁ ଆମେ ଆଗ ନ ହେଲେ ଏତେ କଷ୍ଟ କରି ବୃଥା ହେବ ସିନା !’’

 

ବାଟ ମୁହଁରୁ ଖଣ୍ଡେଦୂର ଛାଡ଼ି ସେମାନେ ଅପେକ୍ଷା କଲେ । ସଙ୍ଗୀତ ଆରମ୍ଭ ହେଲା ।

 

ରାତି ଅଧ ହୋଇଥିବ । ଗହଳିରୁ ବୁଲିଆସି ଯଦୁ ବରାଳ ସମେତ ପଞ୍ଝାଏ ପହଞ୍ଚିଯାଇ ସଁ ସଁ ହୋଇ ଖବର ଦେଲେ,‘‘ତଣ୍ଡିକୁଳ ବିମାନ ପଶିଗଲାଣି, ସାଇଁସୋ ପଶିବା ଉପରେ, ପଛେ ଜରିପଡ଼ା ବାଟେଇଲାଣି ।’’ ଝଟପଟ ସମସ୍ତେ ଠିଆ ହୋଇପଡ଼ିଲେ । ଶବ୍ଦ ହେଲା, ‘‘ବୋଲ ଭାଇ ଆନନ୍ଦେ ଏକବାର ହରିବୋଲ ।’’ ବିମାନ ଉଠିଲା । ତୁହାଇ ତୁହାଇ ‘‘ଜୟ ବିନୋଦବିହାରୀଙ୍କି ଜୟ-।’’ କାହାନ୍ତି ଆରପକ୍ଷ ? ଦଳର ଏମୁଣ୍ଡୁ ସେମୁଣ୍ଡ ପ୍ରଶ୍ନ ଚହଲିଗଲା । ତା’ର ଉତ୍ତର ନାହିଁ । ଗହଳିରେ ବାରିବା ଅସମ୍ଭବ । କିନ୍ତୁ ଦାଣ୍ଡ ଦୁଆର ମୁହଁରେ ପହଞ୍ଚିଗଲାବେଳକୁ ଦେଖାଗଲା ବାଁ ପାଖୁ ଜରିପଡ଼ା ମାଡ଼ି ଆସୁଛି ତ ଖଣ୍ତେ ପଛରେ ପାଟେଳିଗାଁର ପୁରୁଣା ବିମାନ ଟଳ ଟଳ ହୋଇ ଆସୁଛି । ଅପର୍ତ୍ତି ପ୍ରଧାନ, କିଣେଁଇ ଓଝା ଡେଇଁଲା ପରି ଚାଲିଲେ । ପଛେ ପଛେ ଧାଇଁଲା ପରି ତାଙ୍କୁ ବିମାନ ଓ ଦଳବଳ । ଜରିପଡ଼ାଠୁ ସାମାନ୍ୟ ବାଟ ଅତିକ୍ରମ କରି ଜରିପଡ଼ା ପଛେ ପଛେ ଲାଞ୍ଜିପରି ଲାଗିଯିବାକୁ ବେଳ ଲାଗିଲା ନାହିଁ, ପଛେ ପଛେ ମାଡ଼ି ଆସୁଛି ପାଟେଳିଗାଁ, ହେଇ ଲଗାଲଗି ପ୍ରାୟ କତିରେ କତିରେ । କିନ୍ତୁ ଜରିପଡ଼ା ପଶୁ ପଶୁ ଠିକ୍ ତା’ ପଛକୁ ସଳଖେ ରହିଲାଣି ନୂଆ ଦଳର ନୂଆ ବିମାନ ।

 

ଜରିପଡ଼ା ପଶିଗଲା, ନୂଆ ବିମାନ ଆଗେଇଲା, କିନ୍ତୁ ‘‘ଜୟ ବିନୋଦବିହାରୀଙ୍କି ଜୟ’’ ନାଦରେ ଅଡ଼ୁଆସୂତା ପରି ଗୁରେଇ ହୋଇଗଲା ।

 

‘‘ଜୟ ରାଧେଶ୍ୟାମଜୀ କି ଜୟ’’ ଆଗ ପଶିବାପାଇଁ ପାଟେଳିଗାଁର ପୁରୁଣା ଦଳ ଡାହାଣ ପାଖରୁ ଚାପି ଆସିଲେ, ଫୁଲଝାଡ଼ି ଓ ମଶାଲର ରୋଶନିକି ମୋହିଁଦେଲେ ଗାଁର ଅବାଧ୍ୟ ଦଳଆଡ଼କୁ । ଗାଁର ପୁରୁଣା ଠାକୁର ନୂଆ ଠାକୁରଙ୍କ ଆଡ଼କୁ ଅଗ୍ରସର ହେଲେ । ପୁରୁଣା ଦଳର ଧୋବେଇ ଜେନା ଖଣ୍ତେଆଗକୁ ଧପାଲି ଯାଇ ‘‘ହେଁଇଃ-ହେଁଇଃ ରଡ଼ିକରି ବିନୋଦବିହାରୀଙ୍କ ଭାରୁଆମାନଙ୍କୁ ଛାତିରେ ଦୁଲଦାଲ କରି ଧକାମାରି ପଛକୁ ପେଲିଲେ, ଲାଗିଗଲା ତାଙ୍କ ସଙ୍ଗେ କୁଶିଆ କେଉଟ, ମଦନା ନାହାକ, ଧଡ଼ିଆ ଭଣ୍ଡାରି । ଏଣେ ରୋଶନି ତାଉ ଦେହରେ ବାଜିଲା, ଫୁଲଝାଡ଼ ଉପରେ ପାହାର ପଡ଼ିଲା । ଚାହୁଁ ଚାହୁଁ ଧରାଧରି ଭିଡ଼ାଭିଡ଼ି ମରାମରି । ଚାପି ରହିଥିବା ଅନ୍ଧଗାଁ ରାଗ ଯେପରି କି ଫୁଲିଉଠି କୁଦା ମାରିଲା । ସବୁ ଭୁଲିଯାଇ ଏକା ଗାଁର ଦୁଇ ଦଳ ଲାଗିଗଲେ ବାଡ଼ିଆବାଡ଼ିରେ ।

 

ପିଟାପିଟି ମଝିରେ ଅପର୍ତ୍ତି ପ୍ରଧାନ ଦେଖିଲା ଜଣେ କିଏ ଅଚିହ୍ନା ଲୋକ ଛଡ଼େଇବାକୁ ଚେଷ୍ଟା କରୁଛି, ଧୋବେଇ ଜେନା ବି ଦେଖିଲା । କାହାରି ଦଳ ଥମ୍ୱିଲେ ନାହିଁ । ଦୁଇଦଳ ପୁଣି ଦେଖିଲେ ଅଚିହ୍ନା ଲୋକର ମୁଣ୍ଡ ଲହୁଲୁହାଣ ହେଲା । ତଥାପି ସେମାନେ ଅଟକିଲେ ନାହିଁ । ତା’ପରେ ପିଟାପିଟି ହେଉଥିବା ଦୁଇ ଦଳ ମଝିରେ ଦୁଇ ହାତ ଟେକି ବାରଣ କରୁଥିବା ସେହି ଲୋକଟି ଟଳି ଟଳି ନଥକିନା ପଡ଼ିଗଲା । ଅପର୍ତ୍ତି ପଧାନ ଅଟକିଗଲା, ଧୋବେଇ ଜେନା ପଛେଇଗଲା ଦି’ ପାହୁଣ୍ଡ । କିନ୍ତୁ ବାଡ଼ିଆବାଡ଼ି କମି ନାହିଁ, ଦଳର ଅନ୍ୟାନ୍ୟମାନେ ତଥାପି ଲାଗିଛନ୍ତି, ଧୋବେଇ ଜେନା ଓ ଅପର୍ତ୍ତି ପଧାନ ପୁଣି ଭେଟାଭେଟି ହେଲେ, ଏତିକିବେଳେ ଦେଖାଗଲା କଜିଆ ବନ୍ଦ କରିବାପାଇଁ ସୁଅପରି ଲୋକେ ମାଡ଼ି ଆସୁଛନ୍ତି । ଅପର୍ତ୍ତି ପଧାନର ହୋସ ହେଲା ସେହି ଅଚିହ୍ନା ଲୋକ ଜଣକ ତଳେ ପଡ଼ିଯାଇଛି । ଧୋବେଇ ଜେନାର ଟିହାଟେହିକି ପିଠେଇଦେଇ ସେ ନଇଁପଡ଼ି ରବିକି ଉଠେଇଲା, କେଉଁମାନେ ଆସି ତା’ଠୁ ତାକୁ ଛଡ଼େଇ ନେଇ ଚାଲିଗଲେ । ଚାରିଆଡ଼େ ପାଟି ଶୁଭିଲା, ‘‘ଆହା, କଜିଆ ଭାଙ୍ଗିବାକୁ ଯାଇ ଜଣେ ପ୍ରାଣ ଦେଇଛି ।’’ ରବିକୁ ସେମାନେ ଟେକି ନେଇ ଚାଲିଯାଉଛନ୍ତି, ଚାରିଆଡ଼େ ପୁଞ୍ଜା ପୁଞ୍ଜି ଆଲୁଅ । ଠେଙ୍ଗାବାଡ଼ି ଫୋପାଡ଼ି ଦେଇ ଦୁଇ ଦଳର ଲଢ଼ୁଆ ବୀରମାନେ ଗହଳରେ ମିଶି ପଳେଇଗଲେ । ତୁଚ୍ଛା ବିମାନ ବୋହି ବାହକ ଆଗକୁ ଚାଲିଲେ, ଆଗେ ଆଗେ ବିନୋଦବିହାରୀ, ପଛେ ପଛେ ରାଧେଶ୍ୟାମ, ଆଗରେ ଯିବାକୁ କାହାରି ଉତ୍ସାହ ନାହିଁ । ପଛରେ ରହି ଦୁଃଖ ନାହିଁ । ଅପର୍ତ୍ତି ପଧାନ ଛୁ ‘କଲା, ସେହି ଅଚିହ୍ନା ଲୋକର ମୁହଁଟା ବାରମ୍ୱାର ମନେ ପଡ଼ୁଥାଏ । ଆଉ ସେ ଭାବୁଥାଏ, ସତେ ସେ ମରିଗଲା ! କାହିଁକି ?’

 

କିନ୍ତୁ ସେ ମଲା ନାହିଁ, ଲୋକଙ୍କ ତୁଣ୍ଡରେ ଥରେ ମରି ଶହେ ଥର ବଞ୍ଚି ତା’ ନାଁଟା ବିଞ୍ଚି ହୋଇପଡ଼ିଲା ଗାଁ ଗହଳିରେ, ଆଉ ପୁଣି ଯେଉଁ ରବିକି ସେହି ରବି ଫୁଲଶରା ଗାଁରେ ତା’ର କାମରେ ଲାଗି ରହିଲା । ସେହି ଅନାଦି କାଳର ଜନତା, ଧୂଳିମାଟିର ମଣିଷ, ଯେଉଁମାନେ କାମ ଦେଖି ମତ ଠିକଣା କରନ୍ତି, ଯାହାଙ୍କ ତୁଣ୍ଡବାଇଦ ବେଶୀଦୂର ବାଜେ, ମଟରରେ ବୁହା ଲାଉଡ଼ସ୍ପିକରଠୁ, ସେମାନେ ଚାରିଆଡ଼େ ତାହାରି ନାଁ ପ୍ରଚାର କରି ବୁଲିଥିଲେ, ହାଟରେ ବାଟରେ ଲୋକେ କୁହାକୋହି ହୋଇଥିଲେ, ‘‘ଶୁଣିଚ କଥା ? ପାଟେଳି ଗାଁ ଲୋକେ ଦି’ଦଳ ହୋଇ ବାଡ଼ିଆବାଡ଼ି ହୋଇ ମରିଥାନ୍ତେ, ସେଇ ଟୋକାଟା ମଝିରେ ପଡ଼ି ରୋକିଦେଲାବୋଲି ଆହୁରି ତା’ ପଛକୁ ତା’ ପଛ ଲାଗିଗଲେ, ନ ହେଲେ କ’ଣ ଯେ ହୋଇଥାନ୍ତା ! କାମଟା କଲା ଯେ ହେଲେ ଆପେ ଦି ପକ୍ଷରୁ ବାଡ଼ିଆ ଖାଇ ମରୁ ମରୁ ବଞ୍ଚିଗଲା । ଯାହା କହ, ଟୋକାଟାର ସାହସ ଅଛି, ନଇଲେ ହାତରେ ଡାଙ୍ଗ ଖଣ୍ଡେ ନାଇଁ ଲୋକ ପିଟାପିଟି ମଝିକି କୁଦାମାରେ ? ଦେଖେଇଦେଲା ଗୋଟାଏ କାମ ।’’

 

ତା’ ସାଙ୍ଗରେ ଯୋଡ଼ି ହୋଇଗଲା ଆହୁରି କେତେକଥା–ତା’ର ଯୋଜନା ବିଷୟରେ, ସେ କେମିତି ଫୁଲଶରା ଗାଁରେ ଗୋଟାଏ ନୂଆପ୍ରକାର କ’ଣ କରୁଚି, ଲୋକଙ୍କୁ ଭେଳେଇଚି ଭଲ କାମ କରିବାକୁ, ଗରିବଗୁରୁବାଙ୍କ ଘର ତୋଳି ଦେଇଛି, ସବୁ ଜାତିକି ଏକାଠି ମିଶାଇ ଗଢ଼ୁଛି ଏକ ପରିବାର । ଆହୁରି ଲଗେଇ ଯୋଡ଼ି ବଢ଼େଇ ବଢ଼େଇ ଲୋକେ କହି ବୁଲିଲେ । ଅଳ୍ପ କେତେଜଣ ଅବିଶ୍ୱାସୀ ସନ୍ଦେହ କରି କହିଲେ, ‘‘ଏଥିରେ ମତଲବ ଅଛି । ଏ ନେତା ହେବା ବାଟ ।’’ ଉଦାହରଣ ଦେଇ କହିଲେ, ‘‘ହେଇ ଦେଖୁନା ତାଙ୍କୁ, କାଦୁଅ ପଙ୍କ ଚକଟି ରାତି ନାଇଁ ଦିନ ନାଇଁ କେମିତି ପରପାଇଁ ଲାଗି ପଡ଼ିଥିଲେ, କେତେ ମାଡ଼ ଖାଇଛନ୍ତି, କେତେଥର ଜେଲ ଭୋଗ କଲେ । ଲୋକଙ୍କ ମନ ନେଇସାରି ଯେମିତି ଗୋଟାଏ ନେତା ହୋଇଗଲେ ସେମିତି ସରଗ ଦି ଆଙ୍ଗୁଳ, ନେତା ବୋଇଲେ ନେ, ବୋହ ଖାଲି, ଆଉ ଗରିବଗୁରୁବାଙ୍କୁ କିଏ ପଚାରେ ? ୟେ ବି ଦେଖିବ ହେବେ ସେମିତି, ଅଇଚ୍ଛା ସମିତି ଗଢ଼ୁଛନ୍ତି, ପରୋପକାର କରୁଛନ୍ତି, କଜିଆ ଭାଙ୍ଗିବାକୁ ଯାଇ ମାଡ଼ ଖାଉଚନ୍ତି, ତିନିବର୍ଷ ଯିବ, ପାଞ୍ଚ ବର୍ଷ ଯିବ, ଲୋକେ ଯେମିତି ତାଙ୍କୁ ମୁଣ୍ଡରେ ମୁଣ୍ଡେଇବେ ୟେ ସେଇଠୁ କହିବେ ଆମେ ସବାର ତେମେ ଘୋଡ଼ା, ସେତିକି ତମ ଆମ ସମ୍ବନ୍ଧ ।’’

 

ଏମିତି କହିଲେ ପାଟେଳିଗାଁର ସେପାଖ ଟରଣି ଅଗଣି ରାୟ ଯେତେବେଳେ ପ୍ରତ୍ୟକ୍ଷଦର୍ଶୀ ଚନ୍ଦରା ଗଉଡ଼ ରବିର ପ୍ରଶଂସା କରି ବସିଲା ତୁହାଇ ତୁହାଇ । ଅଗଣି ରାୟ ମେଳଣକୁ ଯାଇନଥିଲେ । ଆର ପକ୍ଷର ଗଦେଇ ଲେଙ୍କା ଏ ଘଟଣା ଶୁଣି ରବି ବିଷୟକୁ ଗୋଟାଏ ହସରେ ମୁଣ୍ଡି ମାରିଦେଲେ, କହିଲେ, ‘‘ଭାରି କାମଟାଏ ତ, ସେଥିପାଇଁ ଲୋକେ ଏତେ ବଡ଼େଇ ବଖାଣୁଚନ୍ତି ! ସତେ ଯେମିତି ଆଉକେହି କେବେ କଜିଆ ଭାଙ୍ଗିବାକୁ ମଧ୍ୟସ୍ଥ ହୋଇନଥିଲା କି ମାଡ଼ ଖାଇନଥିଲା ! ଆରେ ମଧ୍ୟସ୍ଥିର ବିଦାକି ତ ମାଡ଼ ଆଉ ସେଥିରେ ନୂଆ କ’ଣ ଅଛି ? ନ ହେଲେ କୋଟ୍ କଚିରି ହେଇଚି କାହିଁକି ? ଲୋକେ କହୁଚନ୍ତି ପୁଲିସ୍‍ ପଚାରିବାରୁ କିଏ ମାରିଚି କହିବାକୁ ମନା କଲା, ମକଦ୍ଦମା କରିବାକୁ ମନାକଲା, ସେଇଟା ଭାରି ବଡ଼ କାମ । କିହୋ ଭଦ୍ରଲୋକ ପିଲା ମାଡ଼ ଖାଇଲେ କ’ଣ କହି ବୁଲେ ? କହିଲେ ତ ପୁଲିସ୍‍ ଆଗ ଧରନ୍ତା ଯେ ତୋ’ର ସେଠି କି କାମ, ତୁ କାହିଁକି ଯାଇଥିଲୁ କହ ? ଆଉ ଏ ସମିତି ଫମିତି କହୁଚ ସେଗୁଡ଼ା ବି ନିପଟ ଦି’ଦିନିଆ କାମ । ଏମିତି କେତେ ହୁଏ, କେତେ ଭାଙ୍ଗେ, ସେଥିରୁ କ’ଣ ମିଳେ ? ସେସବୁ ଅଳସୁଆ ଲୋକର ଖିଆଲ-।’’

 

କିନ୍ତୁ ଏ କେବଳ ଗାଁ ମତର ଗୋଟାଏ ଦିଗ, ଏତିକିରେ ଶେଷ ନୁହେଁ, ଅନ୍ୟଠି ଅନ୍ୟଲୋକେ କୁହାକୋହି ହେଲେ, ଗାଁଗହଳିର ‘ହଳ-କର-ଘରେ ଶୁଅ’ ମାନ୍ଦା ଚେତନା ଭିତରକୁ ଭାସି ଆସିଲା ସତେକି ନୂଆ ବସନ୍ତର ପରିଚୟ, ଲୋକେ ଚେଇଁଉଠି କାନେଇଲେ, ଏଇ କ୍ଷେତ ପଡ଼ିଆରେ କେଉଁଠି ଆରମ୍ଭ ହୋଇଛି ନୂଆ ଜୀବନ, ସେଥିରେ ନୂଆ ଆଶା ଅଛି ।

 

ରବିର ଅଜାଣତରେ ତା’ର କାମର ପ୍ରଚାର ହୋଇଥିଲା ।

 

କିନ୍ତୁ ଆପଣ କାମର ପ୍ରଚାର କଥା ତା’ମୁଣ୍ଡରେ ଥିଲା ସବୁଠୁ କମ୍ ଯେତେବେଳେ ସୁଭଦ୍ରାପୁର ଗୋହୀରିମୁଣ୍ଡରେ ତା’ଆଖିରେ ନାଚୁଥିଲା ଗୁଡ଼ାଏ ଆଲୁଅ, ହଠାତ୍ ସେଗୁଡ଼ାକ ଗୋଲ ଗୋଲ ଝକ ଝକ୍ ହୋଇ ଦିଶିଲା, ଅନ୍ଧାରି ପ୍ରହରେ କମାରଶାଳରେ ଜଳନ୍ତା ଲୁହାପିଟା ନିଆଁ ଗୁଲପରି, ତା’ପରେ ସବୁ ଆଲୁଅ ନିଭିଗଲା, ଅନ୍ଧାର ମାଡ଼ି ଆସିଲା, ସେଇଠି ପୂର୍ଣ୍ଣଚ୍ଛେଦ । କେମିତି ତା’ପରେ ତା’ର ଅଚେତ ଦେହକୁ ଖୋଲା ଜାଗାକୁ ଟେକି ନେଇଗଲେ, ବିଞ୍ଚାବିଞ୍ଚି କଲେ, ପାଣି ଛାଟିଲେ, ମୁଣ୍ଡରେ ପଟି ବାନ୍ଧିଦେଲେ, ସେଗୁଡ଼ା ତା’ର ମନେନାହିଁ । ଆଦୌ ମନେନାହିଁ କେମିତି ସେ ରାତିରେ ତା’ପାଇଁ ସୁଭଦ୍ରାପୁର ଗାଁ ଇସ୍କୁଲରେ ବଖରାଏ ଖାଲି ଘରେ ବିଛଣା ପରା ହେଲା, ସେ ସେଠିକି ବୁହା ହୋଇ ଅଣା ହେଲା, ବିଶ୍ରାମ ପାଇଲା ।

 

କିଛି ସମୟ ପରେ ହୋସ୍ ଫେରିବାରୁ ଖଟ ଉପରୁ ଅନାଇଁଲା, ମିଟିମିଟି ଦପ୍ ଦପ୍ ହୋଇ ଲଣ୍ଠନ ଜଳୁଛି, ତଳେ ବସି ବଇ ମଳିକ ଢୁଳୋଉଛି, କାନରେ କ’ଣ ମେଘ ଘଡ଼ଘଡ଼ି ପରି ଘୋଘା ଶୁଭୁଛି, ଦେହରେ କଷ୍ଟ, ମୁଣ୍ଡଟା ଜଳୁଛି ସତେକି ଅତି କଷ୍ଟରେ ଗୋଟାଏ ‘‘ଆଃ’’ କଲା, ପ୍ରାଣପଣେ ଚେଷ୍ଟାକଲା ଗୋଟାଏ ପ୍ରଚଣ୍ଡ ‘‘ଆଃ’’ ରଡ଼ିଦେଇ ସବୁ ଯନ୍ତ୍ରଣା ସେ ଫୋପାଡ଼ି ଦେଇ ଠିଆ ହେବ, ଘୋରିହେଲା କମ୍ବଳକୁ ଦେହରୁ କାଢ଼ି ଫୋପାଡ଼ିଦେଲା ପରି, କିନ୍ତୁ ଘୋରିହେଲାଟା ଆହୁରି ଜୋରରେ ମାଡ଼ି ବସୁଛି । ତା’ର କ୍ଷୀଣ ଆଃକୁ କାହାରି ନିଘା ପଡ଼ୁନାହିଁ । କଳାନେସା କାଚ ଭିତରେ ଲଣ୍ଠନର ନାଲି ଶିଖା ରାଗରେ ନାଚୁଛି, ଯୁଦ୍ଧ କରିବା ଛାଡ଼ିଦେଲା, ଆଖି ବୁଜି ପକେଇଲା । ସେତେବେଳେ ମନେ ନ ଥିଲା ତା’ର କାମ, ତା’ର ଖିଆଲ କି ସ୍ଵପ୍ନ । ଦେହହିଁ ବେଶୀ, ଭାବନା ଯେତେ ସବୁ ସେହି ଦେହର ।

 

ପୁଣି ଅନେଇଁଲା, ଦୂରରୁ ଶୁଭୁଛି ସେହି ଘୋଘା ଢାଇ ଢାଇ ଠୋଠା, ଆଲୁଅ ନିଭିଛି, ଘର ଭିତର ଅନ୍ଧାର । ଲାଗିଲା ପଦାରେ ବଡ଼ ଜୋରରେ ବର୍ଷା ଲାଗି ରହିଛି, ସଙ୍ଗେ ସଙ୍ଗେ ମନେପଡ଼ିଲା, ଆର ଘରେ ଛବି ଶୋଇ ରହିଛି । ପାଟେଳି ଗାଁରେ ସେହି ଗୋଟାଏ ରାତିର ସ୍ମୃତି ପୁଣି ନୂଆ ହୋଇ ଫେରିଆସିଲା । ଆର ଘରେ ଛବି ଫଁ ଫଁ ଦୀର୍ଘଶ୍ୱାସ ପକାଇଲା । ପୁଣି ଦେହ ଯନ୍ତ୍ରଣାରେ ସ୍ମୃତି ଉବେଇ ଟୁବେଇ ହେଲା । ଲାଗିଲା-ଆର ଘରେ ବୋଉ ଶୋଇଛି, ବୋଉ ଏଥର ଆସିବ, ଭାବୁ ଭାବୁ ପୁଣି ନିଦ ହୋଇଗଲା ।

 

ସ୍କୁଲ ଘରର ଜୀର୍ଣ୍ଣ ଚାଳକୁ ଭେଦ କରି ପାହାନ୍ତି ଫାଟିଲା । ସେହି ସଙ୍ଗେ ସଙ୍ଗେ ତା’ର ସ୍ମରଣ ଭିତରେ ବାସ୍ତବତା ଫାଟି ଝରି ପଡ଼ିଲା, ଆଉ ସେ ଦେଖିଲା ତା’ର ଛାତି ଉପରେ ଅଜାଡ଼ି ହେଲା ପରି ବଇ ମଳିକ ଠିଆ ଠିଆ ନଇଁପଡ଼ିଛି, ତା’ର ମୁହଁ ଗମ୍ଭୀର, ଚିନ୍ତିତ । ଆଖିରେ ଆଖି ପଡ଼ିଯିବାରୁ ବଇ ମଳିକର ଆଖି ଯେପରି କି ଫାଡ଼ି ହୋଇ ବଡ଼ ହୋଇଗଲା, ମୁହଁ ଚାରିଆଡ଼ୁ.ନୋଚାକୋଚା ହୋଇ ଚୁପୁଡ଼ି ହୋଇ ଆସିଲା ଆଖି ପାଖକୁ, ଓଦା ଚିକ୍ ଚିକ୍ ଆଖିରେ ମା’–ମୁହଁର ସହାନୁଭୂତି ପ୍ରକଟାଇ ଘାଗଡ଼ା ଗଳାରେ ସେ ପଚାରିଲା, “କେମିତି ଲାଗୁଚି ବାବୁ ?’’

 

ରିବି ସତେକି ତା’ରି ମୁହଁ ଉପରେ ଆପଣାର ଅବସ୍ଥା ଅଙ୍କା ହୋଇଥିବାର ଦେଖିଲା, ଲାଗିଲା ସେ ଚିତ୍ର ବଙ୍କା ଢଙ୍କା ଓ ବାସ୍ତବଠୁ ବହୁତ ବଡ଼, ଅବସ୍ଥାର ଅସାମଞ୍ଜସ୍ୟ ଅନୁଭବ କଲା, ଫାଇଁ କରି ହସିଦେଲା, କହିଲା, ‘‘ଭଲ ଲାଗୁଛି ତ ।’’

 

ମୁଣ୍ଡରେ ପଟି ବନ୍ଧା ହୋଇଛି, ମୁଣ୍ଡରେ ଓ ଦେହରେ ଠାଏ ଠାଏ ଦରଜ, କିନ୍ତୁ ପାହାନ୍ତି ପହର ଅତି ଚଞ୍ଚଳ ଖୋଲି ଖୋଲି ହୋଇ କସରା ଧରିଲାଣି, ଦେହ ଓ ଦେହର କଷ୍ଟ କେଉଁ ତଳକୁ ବୋଲି ଦବି ଦବି ଯାଉଛି, ମନେପଡ଼ୁଛି ତା’ର କାମ, କହିଲା, ‘‘ବଇ, ଏଠି ଆଉ ସମୟ ନଷ୍ଟକରି ଲାଭ ନାହିଁ, ଚାଲ ଫେରିଯିବା ।’’

 

ଏଥର ବଇର ଉତ୍ସାହ କୁଦ ମାରିଲା, ତରତର ହୋଇ ଗପିଗଲା ରାତି ଗୋଟାକର କାହାଣୀ, ଲଙ୍କାମରିଚ ବୋଳା ରାଗୁଆ କଥା–ଏ ଆକ୍ରମଣର ବିହିତ କରିବାକୁ ପଡ଼ିବ ଦବାକୁ ପଡ଼ିବ ଆଚ୍ଛାକରି ପାନେ, ଯେମିତି ହଳ ହଳ ହୋଇ ବନ୍ଧାହୋଇ ସେମାନେ ଯିବେ, ମୁଣ୍ଡକୁ ଏତେ ପିତ୍ତ ଚଢ଼ିଯାଇଚି ସେମାନଙ୍କର ଆପଣା ଭିତରେ ବାଡିଆବାଡ଼ି ହେଲେ ତ ହେଲେ, ଯେ ଭାଙ୍ଗିବାକୁ ଆସିଲା ଓଲଟି ତା’ ଉପରେ ମାଡ଼ । ବଇ ବୁଝେ ପଦେ କଥା–ପ୍ରତିହିଂସା ।

 

ରବି ସତେକି ତା’ କଥାଗୁଡ଼ାକ ହସରେ ଉଡ଼େଇଦେଲା, କହିଲା ‘‘କିଏ ତୋ ନାଁ ବଇ ଦେଲାରେ, ତୋ ନାଁ ରଖିଥାନ୍ତା ବାଇ, ନିର୍ଧୁମ ବାୟାଟା । କାଦୁଅରେ ପଶିଲେ କାଦୁଅ ଲାଗିବ ନାଇଁ, ନିଆଁରେ ପଶିଲେ ତାତି ଲାଗିବ ନାଇଁ, ଦେହ ପୋଡ଼ିବ ନାଇଁ, ମାଡ଼ଗୋଳ ମଝିରେ ଠିଆ ହେଲେ ପାହାର ଖାଇବ ନାଇଁ ଏମିତି ଦେହଟାକୁ କିଳିଛି କୋଉ ପୁଅଟାମ ! ହେଲା ତ ହେଲା, ଫେର୍ ବୁଢ଼ୀ ମାଇପଙ୍କପରି ଗର ଗର ହେଲେ କି ଲାଭ ମିଳିବ ?’’

 

ବଇ ମଳିକ ଆଶ୍ଚର୍ଯ୍ୟ ହେଲା, କହିଲା, ‘‘କ’ଣ ହେଲା ? କ’ଣ କହୁଚ ବାବୁ ! ବଟ ମହାନ୍ତି ପୁଅ ଏତେ ଖଣ୍ଡି ଗାଁ ମଝିରେ ମାଡ଼ ଖାଇଗଲା, ମକଦ୍ଦମା ଲାଗିବ ନାଇଁ ! କାହାରି କିଛି ହବ ନାଇଁ ?’’

 

ସୁଭଦ୍ରାପୁର ଗାଁ ଲୋକେ ଆସୁଛନ୍ତି, ସେ’ଆଡ଼କୁ ହାତ ଦେଖାଇ ରବି କହିଲା, “ଚୁପ୍, ଚୁପ୍, ପାଟି କରନା–"

 

‘‘ପାଟି କରିବି ନାଇଁ କ’ଣ ମ !’’ ବଇ ମଳିକ କହିଲା, “ଏ କ’ଣ ସାମାନ୍ୟ କଥା ଯେ ତୁନି ହୋଇ ରହିବି ! ଲୋକେ ମନଇଚ୍ଛା ବାଡ଼େଇବେ, ପିଟିବେ, ଦୁଷ୍ଟାମି କରିବେ, ସେଇଠୁ ତୁନିହୋଇ ଘରକୁ ଚାଲିଯିବେ, ତାଙ୍କର କିଛି ହବ ନାଇଁ । ତେବେ ତ ଏ ପୃଥ୍ୱୀ ରହିବ ନାଇଁ । ଆଉ ଏ ପୁଲିସ୍‍, କଚିରି, ଏସବୁ କାଇଁକି ଅଛି ?

 

ରବିର ସ୍ଵାସ୍ଥ୍ୟ ଖବର ବୁଝି ରାତି ଘଟନା ବିଷୟରେ ଉପାୟ କରିବାକୁ ସୁଭଦ୍ରାପୁର ଗାଁର ପାଞ୍ଚଜଣ ଲୋକ ଆସି ପହଞ୍ଚିଛନ୍ତି, ସେମାନେ ଏ ତର୍କ ଶୁଣିବାକୁ ଠିଆହୋଇ ରହିଲେ । ତାଙ୍କ ଆଡ଼କୁ ଚାହିଁ ହସିଦେଇ ରବି କହିଲା, ‘‘ପୁଲିସ୍‍ ଆଉ କଚିରି ଦରକାର ଏମିତି ମାଡ଼ ପିଟାପିଟି ବନ୍ଦ କରିବାକୁ, ଯଦି ବନ୍ଦ କରାଯାଇ ନ ପାରିଲା ସେଠିକି ଆଉ ଦୌଡ଼ିଲେ କ’ଣ ହେବ ! ମାଲିମକଦ୍ଦମା ଲଗେଇଲେ ଓଲ୍‍ଟି ଲୋକଙ୍କ ରାଗ ଚଢ଼େ, ମନ ଫଟାଫଟି ବଢ଼େ, ଏ ଯେମିତି କି ଫୁଙ୍କି ଫୁଙ୍କି ନିଆଁ ଜାଳିବା କଥା । ଯେ ଯେଉଁ କାମ କରିଦେଇଚି ସେ ବଳେ ଆପଣା ଭୁଲ ବୁଝିପାରିବ, ଆପେ କାଇଲ୍ ହୋଇ ରହିବ, ଆପେ ତା’ମନ ଗୋଳେଇ ପୋଳେଇ ହେବ ଦୋଷକୁ ସୁଧାରିବାପାଇଁ । ଗୋଟାଏ ମିଛ ହୋ’ରେ ମାତି ଥୋଡ଼ାଏ ଲୋକ ଏତେ ସରି ହେଲେ, ଯାହା ତ ହେବାର ହେଲା, ଫେର୍ ଆଉ କ’ଣ ? କାଲିକା ରାଗ କ’ଣ ଆଜି ଆଉ ଥିବ ତୁମେ ଭାବିଚ । ଲୋକେ ବୁଝି ସାରିଲେଣି ।’’

 

‘‘ଆରେ ! ଏ ତ ଗାନ୍ଧୀ ମହାତ୍ମାଙ୍କ କଥା, ତା’ବୋଲି କ’ଣ ଏଇଆ ହବ ?’’ ବଇ ମଳିକ ଆପତ୍ତି କଲା ।

 

‘‘ଗାନ୍ଧୀ ମହାତ୍ମା କ’ଣ ନାଙ୍କେରା କହୁଥିଲେ ? କଥା ତ ସେଇ, ଲୋକେ କୋଉଠି ତାଙ୍କ କଥା ମାନି ପାରିଲେ, ମାନିଥିଲେ ଦେଖିଥାନ୍ତେ ତାଙ୍କ କଥା ସତ କି ମିଛ ! ଗାନ୍ଧୀ ମହାତ୍ମାଙ୍କ ନାଁଟା ଏଡ଼େ ଶସ୍ତା ନୁହେ ଯେ ଆମେ କଥା କଥାକେ ଉପଲକ୍ଷ ଦେବା, ଆପଣା ସୁବିଧା ବେଳକୁ ଗାନ୍ଧୀ ମହାତ୍ମାଙ୍କ ନାଁ ସୁବିଧା ନ ହେଲେ ଅନ୍ୟକାମ, ଖାଲି ଲଢ଼େଇ ଜିଣିବାକୁ ରାମନାମ ଜପିଲା ପରି ଗାନ୍ଧୀ ମହାତ୍ମାଙ୍କ ନାଁ, ଲାଭ ଆଉ ଲୋଭ ବଢ଼ି ଲାଗିଲାବେଳେ ସଇତାନ ନାଁ ।’’

 

ସୁଭଦ୍ରାପୁର ଗାଁ ଲୋକେ ଏଥର ଉପରେ ପଡ଼ି କଥା କହିଲେ, ରାତି ଅନିଦ୍ରା ଯୋଗୁଁ ସମସ୍ତିଙ୍କ ଆଖି କସରା କସରା । ହାଇ ମାରି ମାରି ଶାମ ସାନ୍ତରା କହିଲେ- “ବଡ଼ ଦୁଃଖର କଥା, ବଡ଼ ସଙ୍ଗୀନ କଥା, କାଲି ଯାହା ଘଟିଲା ତାକୁ ଏମିତି ସହଜରେ ଉଡ଼େଇଦେଲେ ଚଳିବ ନାଇଁ । ଭଗବାନଙ୍କ ଦୟାରୁ ଆପଣ ଆଜି ଭଲ ଅଛନ୍ତି ଲାଗୁଛି, ପ୍ରାଣ ଚାଲି ଯାଇଥାନ୍ତା, ସେଇଠୁ କ’ଣ ହୋଇଥାନ୍ତା ? ବାପରେ ମାଡ଼ ବୋଲି ମାଡ଼, କିଏ କାହା କଥା ଶୁଣୁଚି ? ନିଶା ଖାଇଲା ପରି ଖାଲି ପାହାର ଉପରେ ପାହାର । କି କଷ୍ଟରେ ଯେ ଆପଣଙ୍କୁ ତା’ଭିତରୁ ଓଟାରି ଘେନି ଆସିଲୁଁ, ତା’ମନ ଜାଣେ । ତୁଚ୍ଛା ମାରଣାଗୁଡ଼ାକ, ତାଙ୍କୁ ବର୍ଷେ ବର୍ଷେ ଜେଲ୍ ନ ହେଲେ ତାଙ୍କର ଶିକ୍ଷା ହବ ନାହିଁ । ଆଜିକାଲି ଲୋକ କ’ଣ ହେଲେଣି ହେ, ଫି ବର୍ଷ ମେଳଣକୁ ମାଡ଼ ଫୌଜଦାରୀ-’’

 

‘‘ତଥାପି ତ ମେଳଣ ବସୁଛି, ଲୋକ ବି ଥାଟପଟାଳି–’’ ରବି କହିଲା ।

 

‘‘ମାର୍‍ପିଟ ହେବ ବୋଲି ମେଳଣ ଆଉ ନ ବସିବ କି ?’’ ଶାମ ସାନ୍ତ୍ରା କହିଲେ, ‘‘ଏ ତ ମଣିଷ କରିବା କାମ ନୁହେଁ, ଠାକୁର କରିବା କାମ । ଲୋକେ ବାୟାହୋଇ ମାଡ଼ ପୌଜଦାରୀ କରିବେବୋଲି ଆଉ କ’ଣ ଠାକୁରଙ୍କ ନିତି ବନ୍ଦ ରହିବ ? ଲୋକେ ମରନ୍ତୁ, ଠାକୁରଙ୍କର କି ଯାଏ-?’’

 

‘‘ଠିକ୍ କଥା, ଠିକ୍‍ କଥା-’’ ଅଭି ପଧାନ କହିଲେ, ‘‘ଆପଣା କର୍ମଫଳ ଆପେ ଭୋଗିବ ବାବୁ, ଠାକୁର କାହା କଥା କେତେ ଜଗିବେ, ତାଙ୍କର ଯାଏ କେତେ ଆସେ କେତେ ? କୋଉବର୍ଷ ବିମାନ ଆଗ ପଛ ନେଇ ବାଡ଼ିଆ ବାଡ଼ି ପରସ୍ତେ ନ ହେଉଚି, ତେବେ ଦେଖ ବର୍ଷକୁ ବର୍ଷ ମେଳଣ ବଢ଼ିଯାଉଚି । ଖାଲି ମେଳଣ କ’ଣ, ଏ ଆମ ଗାଁବାଲାଙ୍କ ପ୍ରଦର୍ଶନୀ, ହାଟ ବଜାର, ସବୁ । ଏ ବର୍ଷ ଦି’ପଞ୍ଝା ମେଜିକ୍ ଆସିଥିଲା, ଭଲ ପଇସା କରିଗଲେ ।’’

 

ସତୁରି ପଟ୍ଟନାଏକ କହିଲେ, ‘‘ପଇସା କଥା କାହିଁକି କହୁଚ ? କମି ଜୁଆ–’’ ଗୋପାଳ ବଢ଼େଇ ସରୁ ହୋଇ ଚବିଶି ବର୍ଷର ଭେଣ୍ଡା, କେମିତି ଲାଜ ଲାଜ ହୋଇ ଦେହ ମୋଡ଼ି ମୋଡ଼ି ପଛଆଡ଼ କରି ହସିଦେଇ ପିଠିଆଡ଼ୁ କଥା କହିଲା ପରି କହିଲା–‘‘କ’ଣ ଜାଣିଚି ? ଆଗ ଚାରଣା ପକେଇଲି ଟଙ୍କାଟାଏ ପାଇଲି, ସେଉଠୁ ଯେତେଥର ପକେଇଲି ସବୁ ଗଲା, ମୋଟରେ ଗଲା ଛଅଟା ଟଙ୍କା, ଥିଲେ ଦି’ଟା ଗୋଟାଏ ଲୁଗା ହୋଇଥାନ୍ତା । ସେ କ’ଣ ଏମିତି ସେମିତି, ବସିଲେ ଉଠି ହୁଏ ନାହିଁ । ଧର୍ମ ଯୁଜେଷ୍ଠି ଶେଷରେ ଆପଣା ସ୍ତ୍ରୀରୀକି ଖେଳି ଦେଇ ହାରିଥିଲେଟି ।’’

 

ରବି ଅନୁଭବ କଲା, ଏ ଯେପରି କି ଏକ ଯନ୍ତାଳ ତିଆରି ହେଉଛି ତା’ ଆଗରେ, ଯେ ଆସୁଛି-ସେ ଏଥିରେ କିଛି ପକେଇବାକୁ ଚାହେଁ । ଶାମ ସାନ୍ତ୍ରାଙ୍କ ମୁହଁରୁ ଆରମ୍ଭ କରି ଗୋପାଳ ବଢ଼େଇ ମୁହଁଯାକେ ଦେଖି ଦେଖି ଗଲା, ଶୁଖିଲା ଧଡ଼ରା ହୋଇ ଛୋଟିଆ ଲୋକଟିଏ ଶାମ ସାନ୍ତ୍ରା, ଠିଆ ଠିଆ କଳା କହରା ନିଶକୁ ଛାଡ଼ିଦେଲେ ସେ ମୁହଁର ଆଉକିଛି ମନେ ରହେନାହିଁ, ଭିତରେ ମିଶିଗଲେ ବାରି ହେବାକୁ କିଛି ନାହିଁ, ତଥାପି ଏହି କ୍ଷୀଣକାୟ ପୁରୁଷ ସୁଭଦ୍ରାପୁର ଗାଁ ଭିତରେ ଜଣେ ବଡ଼ ମଣିଷ, ଧର୍ମାର୍ଥ କାମକୁ ସେ ନେତା, ମେଳଣ କି ଯାତ୍ରା କି ଭାଗବତ ସପ୍ତା, ସବୁ କରେଇବା ଲୋକ ସେ । ଅଭି ପଧାନ ଚନ୍ଦାମୁଣ୍ଡିଆ ଡେଙ୍ଗା ଗୋରା ପାକଲା ବୁଢ଼ା, ଦାନ୍ତ ନାହିଁ, ବେକ ନଡ଼ ନଡ଼ । ସତୁରି ପଟ୍ଟନାଏକ ପଇଁଚାଳିଶ ବର୍ଷର ଚଷମା ପିନ୍ଧା ସେଟେଲମେଣ୍ଟ, ଫେରନ୍ତା ଲୋକ, ସ୍ଵଭାବତଃ କଳା ବୋଳିଲା ପରି ଉଜ୍ଜ୍ୱଳ ଆଖି, ଧାର ମୁହଁ, ମୋଡ଼ି ମୋଡ଼ିକା ପାଟି ବୁଦ୍ଧି ଓ ଦମ୍ଭର ପରିଚୟ ଦିଏ, କିନ୍ତୁ ତାଙ୍କ ଜରାଜୀର୍ଣ୍ଣ ବେଶ ଓ ସ୍ୱାସ୍ଥ୍ୟରେ ଅଭାବ ଅଙ୍କାହୋଇ ରହିଛି ଆଉ ସବୁ କାର୍ଯ୍ୟକାରିତାର ଚୂଡ଼ାନ୍ତ କଳା ପରି ଓହଳି ରହିଛି ଏକ ପ୍ରକାଣ୍ଡ ହାଇଡ଼୍ରୋସିଲ୍, ଯେପରି କି ତାରି ବୋଝ ସମ୍ଭାଳିବା ଓ ବୋହି ବୁଲିବା ଜୀବନ ବଞ୍ଚିବା ପକ୍ଷରେ ସବୁଠୁ ବଡ଼ କାର୍ଯ୍ୟ-। ଏହିମାନଙ୍କ ଭାଷଣହିଁ ଗାଁ ଲୋକଙ୍କୁ ଉଦ୍‍ବୁଦ୍ଧ କରେ, ଏହିମାନଙ୍କ ନେତୃତ୍ୱରେ ଚାଲେ ଗାଁ ବୋଇତ, ପୂର୍ବ ବିଧାନନିର୍ଦ୍ଦିଷ୍ଟ ଗାଁ ଗୋହୀରିରେ । ଆଉ ଏମାନେ ଯତ୍ନ, ନିଅନ୍ତି ଯେପରିକି ପୁରୁଣା ବିଧାନ ଅତୁଟ ରହିବ, ନୂଆ କିଛି ହେବ ନାହିଁ, ଏପରି କିଛି ବାହାରିବ ନାହିଁ ଏମାନଙ୍କ ନେତୃତ୍ୱରୁ, ଯହିଁରେ ଗାଁର ଜଡ଼ତାରେ ଆଞ୍ଚ ଲାଗିବ, ଗାଁ ଲୋକେ ଭାବିବେ, ପ୍ରଶ୍ନ ପଚାରିବେ ଓ ଶେଷରେ ଦୋଦୋପାଞ୍ଚ ହୋଇ ଏମାନଙ୍କ ଦାଉରୁ ଭିଡ଼ିକି ଯିବେ । ସବୁଠି ଏହିମାନେ, ସବୁଠି ଏକାପରି, ରବି ଭାବିଗଲା, ଯେ ଯେତେ ପ୍ରାଚୀନତାର ବଡ଼ପଣ୍ଡା ସେତିକି ବେଶୀ ତା’ର ସମ୍ମାନ, ସେତିକି ବଡ଼ ସେ ମୁରବୀ, ଧର୍ମର ଦୁଆ ନ ଦେଲେ ଏ ମୂଳଦୁଆରେ ପାଦ ପକେଇବାକୁ ଆଶା ନାହିଁ, ଆଉ ଏ ମାଟିର ପଥୁରିଆପଣକୁ ନ ଚିହ୍ନିଲେ ମହାତ୍ମା ଗାନ୍ଧୀଙ୍କ ବ୍ୟକ୍ତିତ୍ଵର ଦ୍ରାବକର ଆଶ୍ଚର୍ଯ୍ୟ ଗୁଣ କଳ୍ପନା କରିପାରିବାହିଁ ଅସମ୍ଭବ । ଏମାନେ ମନ୍ଦ ନୁହନ୍ତି, କେବଳ ଗତାନୁଗତିକ ପନ୍ଥାରେ ମାଡ଼ି ଚାଲିବାହିଁ ଏମାନଙ୍କର ଅଭ୍ୟାସ, ତହିଁର କାରଣ କେତେକ ପରିମାଣରେ ଜଳବାୟୁ, କେତେକ ପରିମାଣରେ ଅତୀତ ଇତିହାସ ଯେତେବେଳେ କଇଁଛପରି ଆପଣା ଖୋଳ ଭିତରେ ନ ପଶିଲେ ବିପଦ ଥିଲା, ମୁଖ୍ୟତଃ ସାମାଜିକ ଓ ଅର୍ଥନୈତିକ ଅବସ୍ଥା-ସବୁ ଯେପରି କି ଏକ ଗୋଲ ଭଉଁରୀ, ଏପାଖରୁ ଦେଖିଲେ ଏ କାରଣ ସେ ଫଳ, ସେ ପାଖରୁ ଦେଖିଲେ ସେ କାରଣ ଏ ଫଳ, ଭଉଁରୀ ବୁଲୁଛି ।

 

ମେଳଣ କଥା ଗପୁ ଗପୁ ଏମାନେ ଆସିବା ଉଦ୍ଦେଶ୍ୟ ଭୁଲି ଯାଇଥିଲେ, ଦୂରରୁ ଦିଶିଲା, ଆସୁଛନ୍ତି ଜଣେ ପୁଲିସ୍ ଏ.ଏସ୍.ଆଇ., ପୋଷାକ ପିନ୍ଧିଛନ୍ତି, ହାତରେ ଅସ୍ଥିର ଛୋଟବାଡ଼ି, ଗହଳି ହୋଇ ଗାଁର ପିଲା ଟୋକା ବୁଢ଼ା ତାଙ୍କ ପଛେ ପଛେ ଆସୁଛନ୍ତି, ପିଲାଏ ଆଗକୁ ମାଡ଼ି ତାଙ୍କର ଚାଲିବା ଭଙ୍ଗୀ ଅନୁକରଣ କରି ସେହିପରି ହାତ ହଲାଇ ହଲାଇ ଲମ୍ୱ ପାହୁଣ୍ଡ ପକାଇ ତାଙ୍କ ପଛେ ପଛେ ଗୋଡ଼େଇବାରୁ ପୁରୁଖା ଲୋକେ ପିଲାଙ୍କୁ ବାଡ଼ୋଉଛନ୍ତି, ଆକଟୁଛନ୍ତି, ଆଖି ଦେଖାଉଛନ୍ତି ।

 

ପୁଲିସ୍‍ବାବୁଙ୍କୁ ଦେଖି ଶାମ ସାନ୍ତ୍ରା ମହାଶୟଙ୍କର ଆସିବା ଉଦ୍ଦେଶ୍ୟ ମନେପଡ଼ିଲା, ଚମକି ପଡ଼ି କହିଲେ, “ହେଇ ତ ଆସିଲେଣି ଏ.ଏସ୍.ଆଇ. ବାବୁ । ଆପଣ କାଲି ରାତିରେ ବାଧିକାରେ ପଡ଼ିଥିଲେ ବୋଲି ଆପଣଙ୍କୁ ଆଉ ବିରକ୍ତ କଲୁ ନାଇଁ, ଅଇଛା ସେ ସବୁ କଥା ପଚାରି ବୁଝିବେ । ଦି’ଦଳ ବାଡ଼ିଆପିଟା ଲାଗିଲେ ସମସ୍ତେ ଦେଖିଛନ୍ତି, ହେଲେ କ’ଣ ହେଲା, ଅସଲ ସାକ୍ଷୀ ତ ଆପଣ । ସେମାନେ ବା ଏକା ଗାଁର ଲୋକ ଆପଣା ଆପଣା ଭିତରେ ବୁଝାବୁଝି ହୋଇ ଗପା ମାରି ରହିଯିବେ, କିଏ କହିବ କାହା ନାଁରେ, ଦି’ପକ୍ଷ ତ ଦୋଷୀ, କିନ୍ତୁ ଆପଣଙ୍କ ଉପରେ ଯେ ଦି’ପକ୍ଷର ପାହାର ପଡ଼ିଚି, ଯିବେ କୁଆଡ଼େ ସେମାନେ ?’’

 

ସତୁରି ପଟ୍ଟନାଏକ ଗୋଟାଏ ଝାଙ୍କରେ ଦେହକୁ ଦୋହଲେଇ ଦେଇ ଦି’କଚଟିକୁ ଏକାଠି ଯୋଡ଼ି କହିଲେ, ‘‘ଏମିତି ହଳ ହଳ ହୋଇ–ଆଉ ଦିନେ ମନ କରିବେ ନାଇଁ ହାତ ଉଠେଇବାକୁ ।

 

ଅଭି ପ୍ରଧାନ କହିଲେ, ‘‘ଯୋଉ ହେରେମା ହେଇଯାଇଛନ୍ତି ଲୋକେ, କେହି କାହାରି କଥା ମାନୁ ନାହିଁ । ଏମିତି ସାଧ୍ୟ ନ ହେଲେ–’’

 

ପୁଲିସ୍‍ବାବୁ ଆସିଗଲେ, ରବିର ସାମ୍ନାରେ ଠିଆହୋଇ ମୁଣ୍ଡ ହଲେଇ ହଲେଇ କହିଲେ, ‘‘କିଏ ବାବୁ କାଲି ମାଡ଼ ଖାଇଛନ୍ତି ? ଓ, ଆପଣ ପରା !’’ ପକେଟରୁ ବାହାର କଲେ ଖଣ୍ଡେ ଟିପା ବହି ଓ ଖଣ୍ଡିଏ ଟିକି ପେନ୍‍ସିଲ ।

 

କହିଲେ, ‘‘କହିଯାଉନ୍ତୁ । ହଁ, ଆପଣଙ୍କ ନାଁ କ’ଣ ?’’ ଚାରିପାଖେ ଲୋକେ ଗହଳ ହୋଇ ଘେରିଗଲେ, ରବି କିଛି ନ କହୁଣୁ ଶାମ ସାନ୍ତ୍ରା କହିଲେ, ‘‘କାଲି ୟାଙ୍କୁ ମାରି ପକେଇଥାନ୍ତେ-। ଆମେ ଯାଇ ଛଡ଼େଇନେଇ ଆଇଲୁ ବୋଲି ନ ହେଲେ ଆପଣ ଆଜି ଖୁଣୀ ମକଦ୍ଦମା ଇନ୍‍କ୍ୱାଇରି କରୁଥାନ୍ତେ । ମାଡ଼ ହଉଚି, ଠେଙ୍ଗା ପାହାର ପଡ଼ୁଚି, ଆମେ ଭରସି କରି ଯାଇ ଶୂନ୍ୟେ ଶୁନ୍ୟେ ୟାଙ୍କୁ ଟେକିକରି ନେଇଆସିଲୁଁ ।’’ ଗହଳି ପଛରେ ରାଧୁ ଭୋଇ କହିଲା କୁଶୁନ୍ ଓଝାକୁ, ‘‘କିହୋ, ୟେ କୋଉଠି ସେଠି ଥିଲେ ଯେ କହୁଛନ୍ତି ଶୂନ୍ୟେ ଶୂନ୍ୟେ ଟେକି କରି ଆଣିଲେ ।’’ ଅଭି ପଧାନ କହିଲେ, ‘‘ପଛେ ପଛେ ପରା ମୁଁ ଧାଇଁଥାଏଁ । ହାତଟେକି ଯେତେ ମନାକଲି, କେହି ଶୁଣିଲେ ! ହାତ ଉପରେ ପାହାରଟାଏ ବସୁଥାଏ ଯେ ବଞ୍ଚିଗଲା ଖାଲି ଅଳ୍ପକେ !’’ ପଛଆଡ଼େ କୁଶୁନ୍ ଓଝା କହିଲା ରାଧୁ ଭୋଇକୁ, ‘‘ଫେର୍ ୟେ ବୁଢ଼ା ବି ଥିଲେ ! ନ କହିବେ କାହିଁକି-? କଳିଯୁଗ ଭେଣ୍ଡା ।’’ ଗର୍ଜନ କରି ଉଠିଲେ ସତୁରି ପଟ୍ଟନାଏକେ, ‘‘ଏ ଦି ବୁଢ଼ାଙ୍କୁ ବି ମାରି ପକାଇଥାନ୍ତେ, ଆଗରେ ମୁଁ ଥିଲିବୋଲି । ହେଇ ଏମିତି ମୁଁ ୟାଙ୍କ ଆଗରେ ଠିଆ ହୋଇଗଲି-ଦି’କରେ ଦି’ହାତ ବଢ଼ାଇ ଗୋଡ଼ ଫରକଟା କରି ଠିଆ ହୋଇଗଲି, ବାଟ ତ ନାହିଁ, ପଛରେ ଏମାନେ ୟାଙ୍କୁ ବୋହିଛନ୍ତି ଆଗରେ ଏମିତି ମୁଣ୍ଡରେ ଭୂଷି ଭୂଷି ଧକମଧକ୍କା କରିକରି ବାଟ କଢ଼େଇ ନେଇ ଚାଲି ଆଇଲି । ନ ହେଲେ-’’। ପଛରୁ ପଛରୁ ଶୁଭିଲା ହସର ଧୁମ୍, ଆରମ୍ଭ କଲେ ରାଧୁ ଓ କୁଶୁନ । ପୁଲିସ୍‍ବାବୁ ସତୁରି ପଟ୍ଟନାଏକଙ୍କ ତଳ ଅଧକ ଉପରେ ଆଖି ବୁଲାଇ ଆଣି ହସିଦେଲେ । ତାହା ପରେ ଗାମ୍ଭୀର୍ଘ୍ୟ ନଷ୍ଟ ହେଲାବୋଲି ଚେତନା ଆସିଲା, ସମସ୍ତଙ୍କୁ ତୁନୀ ରହିବାକୁ କହି ସେ କହିଲେ, ‘‘ଥାଉ, ଯାହାକୁ ପଚରା ହେଉଛି ସେ କହୁ ।’’ ରବିକୁ ପଚାରିଲେ, ‘‘କ’ଣ ହେଲା ?’’

 

ପୁଲିସ୍ ଆସିଛନ୍ତି । ମକଦ୍ଦମା । ପୁଲିସ୍ ଧାରଣା ସୂତ୍ରରେ ମନେପଡ଼ିଲେ ତା’ର ବଡ଼ଭାଇ କବି, ଯେ ଘରକୁ ଆସନ୍ତି ନାହିଁ, ଖବର ବୁଝନ୍ତି ନାହିଁ, ଆପଣା ସୁଖ ଦୁଃଖକୁ ଆବୋରି ବ୍ୟସ୍ତ ଥାଆନ୍ତି । ପରର ଖବର ଯଦି ବୁଝନ୍ତି, ସେ ଖାଲି ମକଦ୍ଦମା ଚାଲାଣ ଦେଲାବେଳକୁ । ପୁଲିସ୍ ସହିତ ଠିଆହୋଇ ତା’ରି ମୁହଁକୁ ଅନେଇଛନ୍ତି ଗାଁର ମୁଖିଆ ମୁଖିଆ ଲୋକେ, ଏ ଯେପରି କି ଏକ ଚିହ୍ନା ଦୃଶ୍ୟ, ଏକ ଚିହ୍ନା ପରିଣତି, ଏମିତି କହନ୍ତେ ତା’ର ଗାଁଲୋକେ, ଏମାନେ ଯେପରି ତା’ର ବାପା, ଭାଇ ଓ ଗାଁ ମୁରବୀମାନଙ୍କର ଅନ୍ୟ ଅବତାର, ଏମିତି ସେମାନେ ବି ବିଶ୍ୱାସ କରନ୍ତି ଗୋଟାଏ ପିଟାପିଟି ମରାମରି ଧରାଧରି କଜିଆର ସହଜ ସମାଧାନ ହୋଇଯିବ ପୁଲିସ୍‍ରେ ରିପୋଟ୍ କରିଦେଲେ, ମାଡ଼ର କଷ୍ଟ, ଦି’ପକ୍ଷର ମନର ରାଗ ସବୁ ମେଣ୍ଟିଯିବ ।

 

ଏମାନେ ହୁଏତ ବିଶ୍ୱାସ କରନ୍ତି, ହିଂସାରୁ ଅହିଂସା ଉପୁଜିବ-କେତେ ବିଧାମରା ପରମ୍ପରାର ପିଷ୍ଟଦଳିତ ଜୀବନ ଦାୟୀ ଏଭଳି ବିଶ୍ୱାସପାଇଁ !

 

ଆଉ, ଏ ପଙ୍ଗତର ପ୍ରହସନ, ପୁରୁଣା ବିଶ୍ୱାସର ମୌଳିକ ମୂର୍ଖତା ଯେପରିକି ଅତି ହାସ୍ୟାସ୍ପଦ ହୋଇ ତା’ ଆଗରେ ଠିଆହେଲା, ଯାତ୍ରାର ଦୁଆରୀ ପରି, ଆଉ ସେ ନିଘା କଲା ଗମ୍ଭୀର ହୋଇ ତା’ମୁହଁକୁ ଚାହିଁ ଠିଆ ହୋଇଥିବା ପୁଲିସ୍‍ କର୍ମଚାରୀଙ୍କ ପଛଆଡ଼େ ଏ ଗାଁର ଗୋଟିଏ ସାଧାରଣ କୁକୁର ଠିଆ ହୋଇଛି, ଡରି ଡରି ବେକକୁ ଓଟାରି ଓଟାରି ନାକଟେକି ପଛପଟୁ ଶୁଙ୍ଘୁଛି । ତରକି ଯାଇ ପାଦରେ ଭରାଦେଇ ଦେହର ଓଜନ ପଛକୁ ଝାଙ୍କି ଦେଇ ନୀଚ ହୋଇଯାଉଛି, ପୁଣି ଉହୁଙ୍କି ଉଠୁଛି, ନାକ ବଢ଼ାଉଚି, ଶୁଙ୍ଘୁଛି-ଗାଁ ମାଟିର କୁକୁର ପ୍ରଶ୍ନ ପଚାରୁଛି ମଣିଷ ତା’ଠୁ କେଉଁ ଗୁଣେ ବଡ଼ ?

 

ଉତ୍ତର ସରଳ ହେଲା, ରବି କହିଲା, ସେ ମକଦ୍ଦମା କରିବ ନାହିଁ, ସାକ୍ଷୀ ଦେବ ନାହିଁ, ତା’ର କାହାରି ବିରୁଦ୍ଧରେ କିଛି ଅଭିଯୋଗ ନାହିଁ ।

 

‘‘କାହିଁକି ଆପଣ ପଛୋଉଛନ୍ତି ?’’ ପୁଲିସ୍‍ବାବୁ କହିଲେ, ‘‘ମାଡ଼ ତ ଖାଇଲେ, ସରକାର ମକଦ୍ଦମା କରିବେ, ଆପଣ ଟିକିଏ ସାହାଯ୍ୟ କରିବେ ନାହିଁ ? ଆପଣଙ୍କ ପରି ଶିକ୍ଷିତ ଲୋକେ ଯଦି ପଛଘୁଞ୍ଚା ଦେବେ, ତେବେ ଏ ମଫସଲିଆ ଲୋକଙ୍କୁ କ’ଣ କହିବା ? ଆପଣ ଡରୁଛନ୍ତି କାହିଁକି ?’’ ସମସ୍ତେ ଏ କଥାକୁ ସମର୍ଥନ କଲେ, ବଇ ମଳିକ ବି ବେଳ ବୁଝି କହିଲା-’’କହ ବାବୁ ଏତିକିବେଳିଆ, ପଚାରୁଚନ୍ତି, କହ ।’

 

ରବି କହିଲା–‘‘ମୁଁ ଡରୁ ନାହିଁକି ପଛୋଉ ନାହିଁ ଆଜ୍ଞା, ମୋର ଏ ମକଦ୍ଦମା ନୀତିରେ ମୋଟେ ବିଶ୍ୱାସ ନାହିଁ-’’

 

‘‘ତା’ହେଲେ ଆପଣ କ’ଣ ଏ ଦେଶରୁ ବାହାର ?’’

 

ଆପଣ ଯାହା ଭାବିବେ–’’

 

‘‘ହୁ, ତେବେ ତ କଥାଟା ଭିନ୍ନ ରକମ ହେଲାଣି । ଆପଣଙ୍କୁ ନିଜକୁ ମେଳିଆତକେ ନେଇ ଗଣ୍ଡଗୋଳକାରୀଙ୍କ ସଙ୍ଗରେ ଯୋଡ଼ିଦେଇ ଫେର୍‍ ଆପଣଙ୍କ ବିରୁଦ୍ଧରେ ମକଦ୍ଦମା କରିବାକୁ ପଡ଼ିବ–କଥାଟା ଭଲ କରି ଭାବନ୍ତୁ ।’’

 

‘‘ଆପଣଙ୍କ ବିଚାରରେ ଯାହା ହେବ ।’’

 

‘‘ନା, ଆପଣ ସେପରି କରନ୍ତୁ ନାହିଁ, କଥାଟାକୁ ଆଉ ଥରେ ଭାବନ୍ତୁ । ମକଦ୍ଦମା କଲେ ଆପଣ ହୁଅନ୍ତେ ପ୍ରଧାନ ସାକ୍ଷୀ, ମାଡ଼ ବନ୍ଦ କରିବାକୁ ଆଗ ଆପଣ ପହଞ୍ଚିଗଲେ, କିଏ କିଏ ପିଟାପିଟି ହଉଥିଲେ ଦେଖିଲେ, ନିଜେ ତାଙ୍କଠୁଁ ମାଡ଼ ଖାଇଲେ, ଆମେ ସବୁ କଥା ଜାଣିଛୁ । ଅଇଛା କୌଣସି କାରଣରୁ ଆପଣ ଏକଦମ୍ ଓଲଟି ପଡ଼ିଲେଣି, ମକଦ୍ଦମା ହବା ଆପଣ ଚାହାନ୍ତି ନାହିଁ, ସମ୍ଭବତଃ ଭଣ୍ଡୁର କରିବାକୁ ସାହାଯ୍ୟ କରିବେ । ଏଣେ ମକଦ୍ଦମା ନ ହେଲେ ଲୋକେ କ’ଣ ଭାବିବେ ? କହିବେ ଏତେ କଥା ହୋଇଗଲା, ପୁଲିସ୍‍ କିଛି କଲେ ନାହିଁ !’’

 

‘‘ମାରପିଟ ତ ହୋଇଗଲା, ପୁଲିସ୍‍ ଆଉ କ’ଣ କରିବେ ?’’

 

‘‘କାହିଁ ? ଚୋରି ଅଟକେଇ ହେଲାନାହିଁ ବୋଲି କ’ଣ ଚୋରକୁ ଦଣ୍ଡ ଦିଆଯିବନାହିଁ ? ସେ ବି ତ ପୁଲିସ୍‍ର କାମ । ଯାହାହେଉ ଆପଣ ଯେତେବେଳେ ବିରୋଧୀ ହେଉଛନ୍ତି, ଆପଣଙ୍କ ବିରୁଦ୍ଧରେ ମକଦ୍ଦମା କରିବାକୁ ତ ପଡ଼ିବ ।’’

 

‘‘କରନ୍ତୁ, ଯାହା । କରିବେ ତା’ ହବ ।’’

 

‘‘ଖାଲି ସେତିକି ନୁହେଁ । ଆମେ ଆପଣଙ୍କ ବିଷୟରେ ସବୁ ଖବର ରଖିଚୁ । ଆପଣ କି ଘରର ପିଲା, ଫେର୍, କବିବାବୁ ମୁନ୍‍ସୀଙ୍କ ଭାଇ, ତଥାପି ସବୁ ପରମ୍ପରା ଛାଡ଼ି ଚାକିରିବାକିରି ନ କରି ଆପଣ ଲୋକଙ୍କୁ ଭେଳେଇ ଏ ଅଞ୍ଚଳରେ ଗୋଟାଏ ଗଣ୍ଡଗୋଳ ଆରମ୍ଭ କରିଛନ୍ତି-’’

 

‘‘ଗଣ୍ଡଗୋଳ !’’

 

‘‘ନୁହେଁ ତ ଆଉ କ’ଣ ? ଲୋକେ ଯଦି ଗୋଡ଼ରେ ଚାଲନ୍ତି, ଆପଣ ଲୋକଙ୍କୁ ବତୋଉଛନ୍ତି ହାତରେ ଚାଲିବାକୁ ।’’

 

‘‘ଆପଣ ଓଲଟା ବୁଝିଚନ୍ତି ଆଜ୍ଞା, ଦିନେ ଆମର ସେଠିକି ଆସନ୍ତୁ, ନିଜ ଆଖିରେ ସବୁ ଦେଖିବେ । ଲୋକେ ହାତରେ ଚାଲି ହାତ ଓ ଗୋଡ଼ ଉଭୟ ନଷ୍ଟ କରୁଚନ୍ତି । ଆମେ ତାଙ୍କୁ କହୁଚୁ ଗୋଡ଼ରେ ଚାଲ, ହାତରେ କାମ କର ।’’

 

‘‘ଏମିତି କହିବାକୁ କି ଅଧିକାର ଅଛି ଆପଣଙ୍କର ? ଭାବିଚନ୍ତି କଥାଟା ? ଆମର ଏ ହେଉଛି ଗୋଟିଏ ସ୍ଵାଧୀନ ରାଷ୍ଟ୍ର, ସ୍ଵାଧୀନତା ମାନେ କ’ଣ ? ଯାହାକୁ ଯାହା ଭଲ ଦିଶିଲା ତା’ ସେ କଲା, କେହି କାହା ଉପରେ ଆପଣା ମତ ଚାପିବା ଠିକ୍ ନୁହେଁ ।’’

‘‘ଚୋରକୁ ଭଲ ଦିଶୁଛି ସେ ଚୋରି କରୁଛି, ତେବେ ଆପଣ ତାକୁ ଗୋଡ଼େଇ ଗୋଡ଼େଇ ଧରୁଚନ୍ତି କାହିଁକି ?’’

‘‘ଚୋର କଥା ଅଲଗା-ଆଉ ଆମେ ବି କ’ଣ ମାହାଳିଆ ଧରୁଚୁ ? ଆମେ ଧରୁଚୁ ଆମର କ୍ଷମତା ଅଛି ବୋଲି ।’’

‘‘ସେମିତି ଦେଶ ଲୋକଙ୍କୁ କେଉଁଟା ଭଲ, କେଉଁଟା ମନ୍ଦ ଏ କଥା ତଉଲି ଦେଖିବାପାଇଁ ସାହାଯ୍ୟ କରିବା ଅଧିକାର ସମସ୍ତିଙ୍କର ଅଛି, ମୋର ବି ଅଛି, ମୁଁ ଯାହା କରୁଚି ସେ ଲୋକଙ୍କ ହିତପାଇଁ-’’

‘‘ସେଇଥିପେଇଁ ପରା ଲୋକେ ଯାଇ ପୁଲିସ୍‍ ପାଖରେ ଉପାଧିଆ ପଡ଼ୁଚନ୍ତି ! ଆପଣ ପାଞ୍ଚଜଣଙ୍କ ହିତ କରୁଚନ୍ତି ତ ପଚାଶଜଣ ୟାକୁ ଅହିତ ବୋଲି ଭାବୁଚନ୍ତି । ସେମାନେ ଡରିଲେଣି, ତାଙ୍କ ମୂଲିଆ କୋଠିଆ ପଳେଇବେ, ତାଙ୍କ ଜମିକୁ ଭୂତ ଖାଇବ, ତାଙ୍କ ଧନଜୀବନ ବିପନ୍ନ ହେବ । କହନ୍ତୁ, ଏମିତିଆ ହିତ କରିବା କ’ଣ ଦରକାର ? ଆପଣ ହିତ କରିବା ଦେଖି ଲୋକଙ୍କୁ ସୁସ୍ଥିରେ ନିଦ ହେଉ ନାହିଁ ।’’

‘‘କିଏ ଏମିତି ମିଛରେ ଡରିବ ବୋଲି କ’ଣ ଗୋଟାଏ ଭଲ କାମରୁ ମଣିଷ ହଟିଯିବ ?’’

Unknown

‘‘ଆପଣଙ୍କ ଇଚ୍ଛା, ଆପଣ ନ ହଟି ପାରନ୍ତି, ଲୋକଙ୍କ ଡରଭୟକୁ କୋକୁଆଭୟବୋଲି ତାଳିମାରି ଉଡ଼େଇ ଦେଇପାରନ୍ତି, କିନ୍ତୁ ଆମେ ତ ତା’ କରିବୁ ନାଇଁ, ଲୋକେ ଡରିଲେ ଆମେ କାମ କରିବୁଁ, ଆମେ ଦେଖିବୁ ଯେମିତି ଲୋକଙ୍କ ଡରିବାର କାରଣ ଆଉ ନ ରହେ । ମିଛରେ ଆପଣ ହଇରାଣ ହେବେ । ତେଣୁ ଆଗରୁ କହି ରଖୁଚି-’’

‘‘ଖୁବ୍ ଭଲ କଲେ କହିଲେ’’ ରବି କହିଲା, ‘‘ଯାହା ଆପଣ ଆପଣଙ୍କ କର୍ତ୍ତବ୍ୟବୋଲି ଭାବିବେ ତା’ ତ କରିବେ ହିଁ । କିନ୍ତୁ ମୁଁ ବୁଝୁଚି ମୁଁ ଯାହା କରୁଚି ତା’ ସମସ୍ତିଙ୍କ ଭଲପାଇଁ । ମୁଁ ବୁଝେଇ ପାରିବି ସ୍ୱୟଂ ମହାତ୍ମା ଗାନ୍ଧୀ ବି ସେହି ନୀତି ଉପଦେଶ ଦେଇଛନ୍ତି । ସେତେବେଳେ ତାଙ୍କୁ ଜେଲ ଦିଆହୋଇଥିଲା, କାହିଁକି ? କେଇଟା ବଡ଼ ଲୋକଙ୍କ ସ୍ୱାର୍ଥରେ ଆଞ୍ଚ ଆସିଥିଲାବୋଲି-। ବର୍ତ୍ତମାନ ବି ସେହିପରି ଲୋକ ଅଛନ୍ତି, ଦଶଜଣକୁ ଯେଉଁଟା ଭଲ ଗୋଟାଏ ଲୋକକୁ ସେଇଟା ସଲ, ତା’ର ଅନ୍ୟମାନଙ୍କ ଉପରେ ଦାଉ ପଟିବ ନାହିଁବୋଲି । ସେମିତି ଲୋକେ ଯଦି ଅନିଷ୍ଟ କରିବେ ତ କରିବେ, ସେଥିରେ ଆଉ ନୂଆ କ’ଣ ଅଛି, ଭଲ କାମ କରିବାକୁ ବାହାରିଲେ ପିଠି ତ ପିଠି, ଆଗ ବେକଟାକୁ ପାଣି ଛଡ଼େଇ ଦେବାକୁ ହେବ ।’’

 

‘‘ତା’ ହେଲେ ଆପଣ କ’ଣ କହୁଚନ୍ତି ? ଏ ଯେଉଁ ଗଣ୍ଡଗୋଳ ଘଟିଗଲା, ସେଥିରେ ସାକ୍ଷୀ ଦେବେକି ନାହିଁ ?’’

 

‘‘ନାହିଁ ।’’

 

ପୁଲିସ୍‍ ବାବୁ ବିରକ୍ତ ହୋଇ କହିଲେ, ‘‘ହଉ, ଆପଣଙ୍କର ଯାହା ଇଚ୍ଛା, ଯୁଗ ତ ବଦଳିଲାଣି । ନ ହେଲେ ଏତେଗୁଡ଼ାଏ କଥା ଗପିବା ଦରକାର ପଡ଼ନ୍ତା ନାହିଁ, କର୍ପୂର ଉଡ଼ିଯାଇ କନା ପଡ଼ିରହିଚି, କାମର ଦିନ ସରିଯାଇ କଥା ଗପିବା ଦିନ ଆସିଚି, ନ ହେଲେ ଆଉ ଅଇଛା–ଚୋରକୁ ବି ଡାକି ଚୌକି ଚାହା ଦେଇ ବସାଇବାକୁ ପଡ଼ିବ, ଆଉ କହିବାକୁ ପଡ଼ିବ-ଆଜ୍ଞା, ଆପଣ ଚୋରି କରିଚନ୍ତି ? ନା । ତେବେ, ଆପଣ ଘରକୁ ଯାଉନ୍ତୁ, ବୃଥା କଷ୍ଟ ଦେଲି, ମାଫ୍‍ କରିବେ ।’’ ଆପେ କିଛି ଗୋଟାଏ ଧମାଧମ କରି ହେଲା ନାହିଁ, ତେଣୁ ଲୋକଙ୍କ ଆଗରେ ଆପଣା ଟେକ ବଜାୟ ରଖିବାକୁ ଗୋଟାଏ ବିବୃତି ଦେଇ ବିଦା ହେଲେ ।

 

ଗାଁର ଗହଳି ପୁଲିସ୍‍ ବାବୁଙ୍କ ପଛେ ପଛେ ଗଲେ, କିନ୍ତୁ ମାଣ୍ଟେଇ ରହିଲେ ରାଧୁ ଭୋଇ, କୁସୁନ ଓଝା, ନୁଖୁରା ମଳିକ, ଅଦେଇ ସାହୁ, ଭିକାରୀ ମହାନ୍ତି, ଧୋବେଇ ମିଶ୍ର ।

 

ଧୋବେଇ ମିଶ୍ର କହିଲେ–‘‘ଶୁଣିଲେ ତ ସବୁକଥା; ଗୋଳମାଳବେଳେ ଏଥିରୁ କେହି ନ ଥିଲେ । ଆପଣ ପଡ଼ିଗଲାବେଳେ ଯେତେବେଳେ ପାହାର ଉପରେ ପାହାର ପଢ଼ୁଥାଏ, ସେତେବେଳେ ପଛେ ପଛେ ଭରସି କରି ପଶିଲେ ଏଇ ରାଧୁ ଭୋଇ, କୁସୁନ ଓଝା, ନୁଖୁରା ମଳିକ; ପିଠିରେ ନୋଳାଦାଗ ବି ଥିବ, ଦେଖେଇବୁଟି ନୁଖୁରା !’’ ନୁଖୁରା ହସିଲା, କହିଲା, ‘‘ଥାଉ ବାବୁ, ଗଲା କଥା ତ ଗଲାଣି, କାମ ହେଇଗଲା, ନୋଳା ଆଉଁସି କ’ଣ ହେବ ? ଯେତେ ହେଲେ ମାଡ଼ ତ ଖାଇଗଲେ ଏଇ ବାବୁ, ଜୀବନ ପାଣିଛଡ଼େଇ ଦେଇ କଜିଆ ତୁଟାଇବାକୁ ଗଲେ, ଆଉ କିଏ କ’ଣ ବାହାରିଲା ?’’

 

ରବି ନୁଖୁରା ମଳିକକୁ ଅନେଇଁ ରହିଲା, କଳା ପଥର ପରି ଆବୁଆବୁଆ ଗଜା ଭେଣ୍ତିଆ, ମୁଣ୍ଡବାଳ ଫୁରୁ ଫୁରୁ ହୋଇ ଉଡ଼ୁଛି, ଶାନ୍ତ ବରଂ ଲାଜରା ଆଖିର ଚାହାଣୀ ତଳକୁ ଢଳିଛି, ସେ ବାହାଦୁରୀ ଚାହେଁ ନାହିଁ ।

 

ରାଧୁ ଭୋଇ କହିଲା, ‘‘ଆମ ନାଁ କହୁଚ ତେମେ ତ ବାବୁ କିଛି କମ କରିନା, ସମସ୍ତେ ମିଶିଗଲ ବୋହି ଆଣିଲ, ଓଷଦ ଲଗେଇ କନାବାନ୍ଧି ବିଛଣା କରି-ଆମ ଦେଇ ସିନା ମୋଟା କାମ ହବ, ବୁଦ୍ଧିଆ କାମକୁ ଆମର ମୁଣ୍ଡ କାଇଁ ? ଏଇ ଭିକାରୀ ବାବୁ, କିଛି କହୁ ନାହାନ୍ତି, କେମିତି ଓଷଦ ଆସିବ, ରକ୍ତ ବନ୍ଦ ହେବ ସେତେବେଳେ ବାଇଆ ହୋଇ ପଡ଼ିଥିଲେଟି । କାମିକା ଲୋକ ଏମିତି ତୁନି ହୋଇ ରହେ ।’’

 

ଭିକାରୀ ମହାନ୍ତି, ବରଗୁଡ଼ିମୁହାଁ ସରୁଆ ମଣିଷଟିଏ, ମୁରୁକି ମୁରୁକି ହସୁଥାନ୍ତି । ଅଦେଇ ସାହୁ କହିଲେ, ‘‘ସବୁ କଥା ତ ହେଲା ଅଇଛା କେମିତି ଲାଗୁଚି କହିଲେ ତ ନାଇଁ–’’

 

ରବି କହିଲା, ‘‘ଭଲ ଲାଗୁଚି ।’’

 

ଜଣକଠୁଁ ଆଉ ଜଣକୁ ଅନାଇଁ ଅନାଇଁ ରବି ନୀରବ ରହି କୃତଜ୍ଞତା ଜଣାଇଲା, ବଇ ମଳିକକୁ କହିଲା, ‘‘ଦେଖୁଚୁ ତ ବଇ, ସବୁ ଗାଁରେ ମଣିଷ ଅଛନ୍ତି, ଭବିଷ୍ୟତରେ ଯଦି କିଛି କରିବେ ତ କରିବେ ଏଇ ମଣିଷ ।’’

 

ଭାବି ଲାଗିଲା, ଭାରତ ବୀରଶୂନ୍ୟ ନୁହେଁ, କୌଣସି ଦେଶ ବୀରଶୂନ୍ୟ ନୁହେଁ, କେବଳ ଭବିଷ୍ୟତର ବୀର ଆଜିକା ଚାଷୀ ମଜୁରିଆ ନିର୍ଦ୍ଧନ ଅଶିକ୍ଷିତ କୁଲି । ସେ ଆପଣାକୁ ଚିହ୍ନେ ନାହିଁ, ଆପଣ ବଳକୁ ଚିହ୍ନେ ନାହିଁ ।

 

ଭିକାରୀ ମହାନ୍ତି କହିଲେ, ‘‘ଆପଣଙ୍କ କାମ କଥା ଆମେ ଶୁଣିଚୁ, ଆମ ଗାଁରେ ବି ଆମେ କିଛି କରିବାକୁ ଚାହୁଁ । କ’ଣ ହେବ, ବାଧା ବହୁତ, ଲୋକେ ଫାଙ୍କ ଫାଙ୍କ, ପେଟଧନ୍ଦାରେ ବହୁତ ବେଳ ଚାଲିଯାଉଚି ତ ଆଉ କଥା ଭାବିଲା ସରିକି ମୁଣ୍ଡ ଝାଇଁ ଝାଇଁ, ଦେହ ଦୁର୍ବଳ । ମତେଇଲେ ମାତିଯିବେ ୟେ ଲୋକେ, କିନ୍ତୁ ସେ ଦି’ଦିନିଆ, ଫେର୍ ମୁହଁ ମୋଡ଼ିଦେଇ ଆପଣା ଆପଣା ଘରେ ଶୋଇବେ । ଏତେ ଘର ଘର ପଶି ଘୋଷାରିବ କିଏ ?’’

 

ରବି କହିଲା, ‘‘ସେଇଆ ତ ଦରକାର, ପିଲାଙ୍କୁ ଦିନାକେତେ ଘୋଷାରି ଘୋଷାରି ଚାହାଳିକି ନେଲେ ପଛେ ସେ ଆପଣାଛାଆଁକୁ ଆପଣା ଖୁସିରେ ଯାଏ । ତେବେ ଏଥିରେ ଆଉ ଏକ କଥା ଅଛି, ଏକାଠି ହେବା, କାମ କରିବା, ଗାଁର ମଙ୍ଗଳ କରିବା ଏ ତ ଖୁବ୍ ଭଲ କଥା, କିନ୍ତୁ ତୁଣ୍ଡରେ ସିନା କହୁଥାଇଁ କାମରେ କରିବା କ’ଣ ଅନେକେ ଆମ ଭିତରୁ ଜାଣନ୍ତି ନାହିଁ । ସବୁ ମଣିଷ ମୂଳୋହୁଁ ଭଲ; ତେଣୁ ଗୋଟାଏ ଭଲ କଥା କରିବା କହିଲେ ସମସ୍ତେ ମାତି ଯାଆନ୍ତି, କିନ୍ତୁ ଯେମିତି ଦେଖନ୍ତି କାମରେ କିଛି ହେଲା ନାହିଁ, ସମସ୍ତେ ଖସନ୍ତି । ପର ଉପରେ ନିର୍ଭର ନ କରି ଆପେ କାମକରି ଦେଖାଇ ଦେବାକୁ ପଡ଼ିବ ଯେ ତୁମେ ସେରରେ ମାପ, ମାଣରେ ମାପ, ହାତରେ ମାପ କି ବାଡ଼ିରେ ମାପ, ଏତିକି ପରିଶ୍ରମରେ କାମ ହେଲା ଏତିକି, ତେବେ ସିନା ଲୋକଙ୍କର ବିଶ୍ୱାସ ହେବ, ସମସ୍ତେ କାନ୍ଧ ଲଗେଇବେ । ନ ହେଲେ ଯେତେଠିଁ ଗାଁର ଉତ୍ସାହୀ ଲୋକେ କାମ କରିବାକୁ ବାହାରନ୍ତି ସେ ହୁଏ ଖାଲି ତୁଚ୍ଛା ଗପ ବାହାପିଆମି, ଶେଷରେ ଖାଲି ଏକ ଆଖଡ଼ା ଘର, ସେଠି ତ୍ରିନାଥମେଳା, ମୃଦଙ୍ଗମାଡ଼ ନ ହେଲେ ତାସ୍‍, ପଶା, ଅତି ବେଶୀରେ ଦିନାକେତେ ପରିଶ୍ରମ କରି ଖଣ୍ଡ କେତେ ଯାତ୍ରା କି ସୁଆଙ୍ଗ, ୟାରି ନାଁ ହୁଏ କାମ ।’’

 

ଧୋବେଇ ମିଶ୍ର କହିଲେ, ‘‘ଆପଣ ଠିକ୍ କହିଲେ, ଆମର ବି ଏଠି ସେଇଆ । ଆମ ଟୋକାଦଳ ବହୁଦିନୁ ଭାବୁଚୁଁ ଗୋଟାଏ କିଛି କାମ କରିବୁ, କି କାମଟା ହେଇଚି ?’’

 

ରବି କହିଲା, ‘‘ତା’ବୋଲି ଆପଣମାନେ ଆଶା ଛାଡ଼ନ୍ତୁ ନାହିଁ, ଫେର ଲାଗନ୍ତୁ ।’’

 

ଭିକାରୀ କହିଲେ, ‘‘ଆମେ ଆପଣଙ୍କ ଯୋଜନା କଥା ଶୁଣିଚୁଁ, ଆମେ ଭାବିଚୁଁ, ଆମ ଭିତରୁ ଦି’ଜଣ ଜଣେ ସେଠିଯାଇ କାମ କରି ସାହାଯ୍ୟ କରିବୁ । ଶିଖିବୁ ବି ।’’

 

ରବି ହସିଲା, କହିଲା, ‘‘ସେ ଭଲ ହଅନ୍ତା, ଶିଖେଇଲା ଭଳି ଆମର କିଛି ହେଇ ନାଇଁ; କିନ୍ତୁ ମଣିଷବଳ ଦରକାର ବହୁତ ।’’

 

ଅଦେଇ ସାହୁ କହିଲେ, ‘‘ଆପଣ ମକଦ୍ଦମା ନ କରିବା ବିଷୟରେ ଯାହା କହିଲେ, ସେକଥା ଶୁଣି ଆମ ପେଟ ପୂରି ଉଠୁଚି, ନିଜ କଜିଆ ଆପୋଷରେ ନିଜେ ତୁଟାଇଦବା, ୟେ ତ ଭାଇରେ ଭାଇରେ କଳି, ସେଥିପାଇଁ ମାଲିମକଦମା କ’ଣ ? ସମ୍ଭାଳି ନେବାକୁ ବହୁତ ବଳ ବହୁତ ହେମନ୍ତ ଦରକାର, ରାଗିଯାଇ ଡେଇଁପଡ଼ିବା ସମସ୍ତଙ୍କଦ୍ଵାରା ହୁଏ । ତେବେ ମଣିଷର ରକ୍ତ ମାଂସର ଦେହ ତ, ଚୁମୁଟିଲେ କାଟେ, ଆଉ ଅଧିକ କ’ଣ କହିବା ? ଲୋକେ ଏମିତି ହିଂସିକା ଏମିତି କଳିହା ଯେ ଉପରେ ପଡ଼ି ଦି’ଗୁଣେଇ ହେଇ ମଣିଷକୁ ଚିଡ଼େଇବେ, ସେତେବେଳେ ସମ୍ଭାଳି ହୁଏ ନାହିଁ । ଏଇ ଦେଖନ୍ତୁ ନୁଖୁରା ମଳିକ କଥା, ମଲା ମାଛିକି ମ କହିବ ନାହିଁ । ଗଲାବର୍ଷ ଆମ ଗାଁର ଜଣେ ଜମିଦାର ବୁଦ୍ଧିନାଥ ମହାପାତ୍ର ଘର ଲୋକ ଦରକାର ପଡ଼ିବାରୁ ତାକୁ ଦି’ମାସ ଚାକର ରଖିଲେ, ପଇସା ମାଗିବାରୁ ଥେଣ୍ଟି ଥେଣ୍ଟି ଦଉଡ଼େଇଦେଲେ ସତର ଥର । ଆଉଦିନେ ଯେମିତି ଯାଇ ମାଗିଛି ବୁଦ୍ଧିନାଥ ତାଙ୍କ ଦୁଆରେ ତାକୁ ନାନା ପ୍ରକାର ଗାଳି ଫୈଜତ୍ ଦେଇ ଗୋଟାଏ ଯାବୁଡ଼ା ବଜେଇଲେ । ନୁଖୁରା ରାଗିଗଲା । ଥଳକାଳ ଭୁଲି ପଦାରେ ଠିଆହୋଇ ତାଙ୍କୁ ଗାଳି ତ ଦେଲା ମନଇଚ୍ଛା, ଫେର୍ ଏକ ତଡ଼ା ଧରି ବୁଦ୍ଧିନାଥଙ୍କ ବାଟ ଦୁଆରେ ଜଗି ରହିଲା । ଗୋଟାଏ ଓଳି-।’’

 

ନୁଖୁରା ଲାଜରା ଲାଜରା ହୋଇ ହସିଲା, ‘‘କ’ଣ କରିବି ବାବୁ, ଦିହକୁ କାଟିଲା, ଆତ୍ମା ଅଥିର ହେଲା, ବାୟା ହେଇଗଲି ।’’

 

ଧୋବେଇ ମିଶ୍ର କହିଲେ, ‘‘ମାରି ନାହିଁ ସେହି ଯଥେଷ୍ଟ, ଗାଁ ଗୋଟାକରେ ବାଉରି କଣ୍ଡରା ମେଳିହୋଇ ଆସୁଥିଲେ, ସବୁଦିନେ ବୁଦ୍ଧିନାଥଙ୍କର ଏଇ ବୁଦ୍ଧି । ଯାହାହେଉ, ସମସ୍ତେ ଥଣ୍ଡା ପଡ଼ିଗଲେ, କିନ୍ତୁ ପଇସା ଆଉ ମିଳିଲା ନାହିଁ, ଦେବି ଦେବି କହି ବୁଦ୍ଧିନାଥ ଆଉ ଦେଲେ ନାହିଁ । ମୋକଦ୍ଦମା ହେଲା ନାହିଁ, ହେଇଥିଲେ ଗରିବ ନୁଖୁରା ମଳିକକୁ ହାତରୁ ପଡ଼ିଥାନ୍ତା, ବୁଦ୍ଧିନାଥଙ୍କୁ ଯେତିକି ତୁଣ୍ଡେ ତୁଣ୍ତେ ଶୁଣେଇଥିଲା ଜାଣି ସେତିକି ତା’ର ଶୁଝାଶୁଝି । ଛାଡ଼ନ୍ତୁ ଲୋକଙ୍କ ଚରିତ୍ର ତ ଏମିତି, ଏଥିରେ ଯେଉଁ କାମଟିଏ ଆରମ୍ଭ କଲେ ଅଧାରୁ ଭଣ୍ଡୁର ହେବ ନା ନାହିଁ ?’’

 

ରବି କହିଲା, ‘‘ତା’ର କାରଣ କ’ଣ ଜାଣନ୍ତି ? କାମରେ କାମ ଅଛି, ଆମେ ଯେଉଁ କାମ କରୁଁ ସେଇଟା ତାଳିପକା କାମ, ଲୁଗାଟା ଚିରିଗଲେ ଆଉ ଗୋଟାଏ ଲୁଗା ଆଣିବା ଦରକାର, ତାଳି ପକାଉଥିଲେ ତାଳି ବି ଉଡ଼ିଯିବ, ବୃଥା ସମୟ ନଷ୍ଟ । ଲୋକଙ୍କ ସ୍ଵଭାବ ଚରିତ୍ର ବଦଳାଇବାକୁ ହେବା ଭଲ କଥା । ଗୋଟାଏ ଦି’ଟା ଲୋକଙ୍କୁ ଆମେ ଭଲ କରିଦେବା, ସେଥିରେ ଫଳ କ’ଣ ହେବ ? ସତରଟା ଖରାପ ଲୋକ ପୁଣି ବାହାରିବେ । ଦିଟା ଗୋଟାଏ ଭିକାରୀକି ଆମେ ଦି’ଦି’ ବଖତ ଖୋଇବା, ତା’ପରେ ସେ ଯୋଉ ଭିକାରୀକି ସେଇ ଭିକାରୀ, ଆହୁରି କୋଡ଼ିଏଟା ଭିକାରୀ ଛେଲୁଆ ଧରି ଠିଆ ହେବେ । ତେବେ କରିବାକୁ ହେବ କ’ଣ ? ନା, ଏମିତି ଗଠନ, ଏମିତି ଯୋଜନା ଆମକୁ କରିବାକୁ ହେବ ଯେଉଁଥିରେ ଏ ସମାଜରେ ଖରାପ ଲୋକ ରହିପାରିବେ ନାହିଁ କି କେହି ଖରାପ ହୋଇ ରହିବେ ନାହିଁ, କାହାରିକି ଭିକ ମାଗିବାକୁ ପଡ଼ିବ ନାହିଁ । ଆମେ ଅବସ୍ଥାକୁ ନ ବଦଳେଇ ଗୋଟିଗୋଟିକିଆ କାମରେ ହାତ ଦେଉଛେଁ ତ ସବୁ ଯାଇଛି ଫସରପାଟି । ଆମେ ଏପରି ସମାଜ ଗଢ଼ିବା ଯେଉଁଠି ବୁଦ୍ଧିନାଥ ମହାପାତ୍ର ଥାଇ ବି ସେ ନୁଖୁରା ମଳିକକୁ ଚିତା କାଟିବେ ନାହିଁ କି ନୁଖୁରା ମଳିକ ବୁଦ୍ଧିନାଥ କତିକି ଯିବ ନାହିଁ ଗୋଡ଼ଭାଙ୍ଗି ଠିଆହେବାକୁ । ସବୁ କରିହେବ, ଗଢ଼ିବାକୁ ପଡ଼ିବ ମୂଳରୁ, ଆମ କାମରେ ଆମର ବିଶ୍ୱାସ ରହିବା ଦରକାର, ପରିଶ୍ରମ ଦରକାର । ଲୋକେ କହିବେ ଏତେଦିନ ବିତିଗଲା ସେତେଦିନ ବିତିଗଲା, ଯେତେଦିନ ଗଲେ ଯାଉ, ମଣିଷ ଜାତିର ବୟସ ତୁଳନାରେ କେଇଟା ବର୍ଷ ଆଉ କ’ଣ ବେଶୀ ?
 

ଅତି ସରଳଭାବେ କଥା କେଇପଦ କହି ସେ ଗୋଟାଏ ସ୍ଵପ୍ନ ଆଣିଦେଲା ସମସ୍ତିଙ୍କ ଆଖି ଆଗରେ, ସମସ୍ତେ ତୁନୀ ହୋଇ ଦୂରକୁ ଅନାଇଁ ରହିଲେ । ସେହି ସକାଳ ବେଳଟା ହଠାତ୍ ଯେପରି କି ଆପଣାକୁ ଫାଡ଼ିଦେଇ ଦେଖାଇଲା କେଉଁ ଅନାଗତ ଉଷା ମଣିଷ ଜାତି ଆପଣାକୁ ସଭ୍ୟ ଶିକ୍ଷିତ କରୁ କରୁ କେବେ କେଉଁଦିନ ଗାଲେଇ ପଡ଼ିଯାଇଥିଲା । କେଉଁ ସଞ୍ଜରେ, ଶହ ଶହ ବର୍ଷ ମିଶି ଦୀର୍ଘ ରାତି ଗୋଟିଏ, ଯେପରି କି ସେହି କାଳନିଦ ତୁଟିଯାଇଛି, ମୁହଁରେ ବାଜିଛି ସତ ପବନ, ଶୋଇଲା ପୁଅ ଚେଇଁ ଉଠିଛି । ଏଥର ଅଧାଅଧି କାମ ଶେଷ କରିବାକୁ ପଡ଼ିବ । ମଣିଷ ଚାଲିବ ସଭ୍ୟତାର ଚରମ ବିଜୟ ହାସଲ କରିବାକୁ ।

 

ତୁନୀ ରହି ସେହି ଉଷା ଦେଖିଥିଲେ ଏକାଠି ଠିଆ ହୋଇ ସାତଜଣ ଲୋକ ଓଡ଼ିଶାର ଏକ ଗଣ୍ଡମଫସଲ ଗାଁରେ ଗୋଟିଏ ନି.ପ୍ରା. ସ୍କୁଲ ଦୁଆର ମୁହଁରେ ତା’ର କାନ୍ଥରୁ ମାଟି ଠାଏ ଠାଏ ଛାଡ଼ିଯାଇଛି, ଚାଲ ଅଲରା ବଲରା, ସାମ୍ନାରେ ଏକ ବାଉଁଶବଣ ଓ ଗୋଟିଏ ଦଳୁଆ ପୋଖରୀ । ସାଧାରଣ ଯୁବକ ସାତଜଣ, ଜଣକର ମୁଣ୍ଡରେ ପଟି ବନ୍ଧା ହୋଇଛି, ପିନ୍ଧିଛି ଖଣ୍ତେ ଅଧା କାମିଜ୍, ଜଣକର ଛାତିରେ ଧଳା ପଇତା, ଜଣକର କାଖ ତଳେ ବଟୁଆ, ଆଉ ଜଣକର ଅଣ୍ଟିରେ, ଜଣକର କାନ୍ଧରେ ନାଲି କରିଆ ଖଣ୍ଡିଏ ।

 

ସେମାନେ ଦୂରକୁ ଦେଖୁଥିଲେ ।

 

ପୃଥିବୀରେ ଆଉ ଯେଉଁଠି ଯିଏ ଦୂରକୁ ଚାହିଁ ଦେଖନ୍ତି ଏହି ଉଷା, ସମସ୍ତେ ସେହି ନୂଆ ଯୌବନରେ ଉଲ୍ଲସିତ, ସେହି ନୂଆ ଯୁଗର କାରିଗର, ଇଂରେଜ, ଆମେରିକାନ୍, ନିଗ୍ରୋ, ଚୀନା, ରୁଷ, ତୁର୍କୀ କେତେ କେତେ କେତେ । ହଠାତ୍ ରବି ଯେପରି କି ଏହି ଏକତା ଅନୁଭବ କରିଥିଲା, ହସିଦେଇ କହିଲା, ‘‘ଆମେ ବି ମେଳଣ କରିବା, ସେ ହେବ ଏକ ବିରାଟ ମେଳଣ ।’’

 

ମେଳଣବାସି ବଡ଼ି ସକାଳୁ ପାଟେଳିଗାଁରେ ଗାଧୁଆତୁଠରେ ଗାଁମାଇପେ ରୁଣ୍ତଥିଲାବେଳେ କଥାଟା କୁଆଡ଼ୁ, କୁଆଡ଼ୁ ହୋଇପଡ଼ିଗଲା, ଆଉ ଚାରିଆଡ଼େ ଶୁଭିଲା, ‘‘ମରିଗଲା-ମରିଗଲା ।’’ ଘଟଣାର ସମ୍ୱାଦଟା ଲୁଚେଇବା ଜଣକର ଯେଡ଼େବଡ଼ ସ୍ଵାର୍ଥ ହେଉ ପଛେ, ଗାଧୁଆ ତୁଠରେ ଆଉଜଣକର ତୁଣ୍ଡରୁ ସେ କୌଣସିମତେ ଖସିପଡ଼େ, ତା’ପରେ ହୁଏ ଗାଁଯାକର ସମ୍ପତ୍ତି, ଗାଁର ସାତମାଇପେ ସେହି ସମ୍ୱାଦ ଉପରେ ଆପଣା ଆପଣା ବୁଦ୍ଧି ବିଚାର ଓ କଳ୍ପନା ଢାଳନ୍ତି, ଗୋଟାଏ ସମ୍ୱାଦ ବିଭିନ୍ନ ହାତର ମଠାମଠିରେ ବିଭିନ୍ନ ଆକୃତି ଧରି ଠିଆ ହୁଏ, ତା’ପରେ କାହାଣୀର ବିଭିନ୍ନ ରୂପ ଚାଲିବୁଲନ୍ତି ଗାଁ ଗୋହୀରିରେ, ପରସ୍ପରର ମୁହାଁମୁହିଁ ହୁଅନ୍ତି ।

 

ଅତଏବ ‘‘ମରିଗଲା’’ ଶୁଣୁ ଶୁଣୁ ଗାଁର କର୍ତ୍ତ୍ରୀମାନେ ସଙ୍ଗେ ସଙ୍ଗେ ମନ ମୁକୁଳା କରିଦେଲେ, କିଏ ଖଡୁ ମାଜୁଥିଲା, କିଏ ଅଣ୍ଟାପାଣି କରୁଥିଲା, କିଏ ନଇଁପଡ଼ି ଘଷି ହେଉଥିଲା, କିଏ ଉଞ୍ଚା ଛଡ଼ୋଉଥିଲା, କିଏ କାହା ପିଠି ରଗଡ଼ି ଦେଉଥିଲା, କିଏ ଆପେ ବୁଡ଼ୁଥିଲା, କିଏ ଅପାଣିଆ ଚଢ଼େର ପରି ଦି’ବାହା ବିଛେଇ ଦେଇ ବେକଯାକେ ପାଣିରେ ବସି ଟିପେଇ ଟିପେଇ କୁଦା ମାରୁଥିଲା ଓ କଳ କଳ କରି ପାନବୋଳ ମିଶା ପାଣି ଫୁ ଫୁ କରି ଫୋପାଢ଼ୁଥିଲା, କିଏ ଲୁଗା ପାଲଟୁଥିଲା, କିଏ ଲୁଗା କାଚୁଥିଲା, କିଏ କାନ୍ଦୁରା ପିଲାଟାକୁ ରଗଡ଼ି ରଗଢ଼ି ଘଷିବାପାଇଁ ଟଣାଓଟରା ଲଗେଇଥିଲା, କିଏ ଆପେ ବୁଡ଼ିବ ବୋଲି ସାଧାରଣଙ୍କୁଠୁଁ ଆହୁରି ଟିକିଏ ସଫାପାଣି ପାଇବାକୁ ବିଶ୍ୱାସ ଧରି ପାଣି ଉପରେ ଦି’ହାତରେ ଦୂରକୁ ହାବୁକା ମାରୁଥିଲା, କିଏ ବା ପାଣିକି ନ ଓହ୍ଲେଇ ପାଣି କୂଳରେ ବସିପଡ଼ି ଝଅଟ ଗାଧୋଇ ଘରକୁ ଫେରିଯିବ କାମ ଅଛି ବୋଲି ପ୍ରଚାର କରିସାରି ଗପ କରୁ କରୁ ସମୟ ଟାଳୁଥିଲା, ନାନା ମାର୍ଗରେ ବ୍ୟସ୍ତ ଥିଲେ ସେମାନେ । କିନ୍ତୁ ‘‘ମରିଗଲା, ମରିଗଲା’’ ହୁରି ଶୁଣି ସମସ୍ତେ ଚମକି ପଡ଼ି ଅନେଇଲେ ନଈ ମଝିରେ ଗୋଟିଏ ଭିଡ଼ଆଡ଼କୁ, କେତେକ ଧାଇଁଲେ ସେହିଆଡ଼େ, କେତେକ ଅପେକ୍ଷା କରେ ।

 

ସମ୍ୱାଦ ବଣ୍ଟନ ହେଲା-ଯାଃ କେହି ବୁଡ଼ି ମରିନାହିଁ, କେହି କିମ୍ଭୀର ହାବୁଡ଼େ ପଡ଼ି ନାହିଁ, ରକ୍ଷା ହେଲା । ଆଗପଛ ହୋଇ ସମବେତ ଆଶ୍ୱସ୍ତିର ନିଶ୍ଵାସ-କାହାରି ଆଶୁ ବିପଦ ନାହିଁ, କାହାରି ଆଶୁ କ୍ଷତି ନାହିଁ, କେବଳ ମେଳଣ ପଡ଼ିଆରେ ବାଡ଼ିଆବାଡ଼ିରେ ପଡ଼ି ବନ୍ଧମୂଳ ବଟ ମହାନ୍ତି ପୁଅ ମରିଛି, ପର ପୁଅ ମଲା, ରୋଗ ବାହାରେ ବାହାରେ ଗଲା ।

 

ତା’ପରେ,-’’ଆହା-ଚୁ ଚୁ’’-ଭାବନା ଲେଉଟି ଆସୁଛି-ମରଣ ସେ ଦୂର ହେଲେବି ଅଛି-ଆଜି ନ ହେଲେବି ଭବିଷ୍ୟତରେ ଯେବେହେଲେ ଆହା-ମରିଗଲା । ମରଣର ଧାସ ଆପଣା ଭିତରେ ଅନୁଭବ କରିହେଉଛି, ଅନ୍ତତଃ କଳ୍ପନାରେ ଆସୁଛି କିଛି ରୂପରେଖ, ଅନ୍ତର ଥରିଯାଇ ବାହାରୁଛି ଅନୀପ୍‌ସିତ ସହାନୁଭୂତି, ଆପେ ଆପେ, ଯେପରିକି କିଏ ଆଖି ଆଗରେ ଆଙ୍ଗୁଠି ଦେଖାଇଲେ ଆଖି ଆପେ ମିଟିମିଟି ହୁଏ, ମିଟିମିଟି ଆଙ୍ଗୁଠି ପରି ମିଟିମିଟି ମନ-‘‘ଆହା, ମରିଗଲା-!’’

 

ତା’ପରେ ହଠାତ୍ ଉଠିଲା ମନ ଭିତରୁ ପ୍ରତିବାଦ-ମୁଁ ନୁହେଁ, ମୋର କେହି ନୁହେଁ, ଆମେ ସୁସ୍ଥ ଅଛୁଁ, ନିରାପଦ ଅଛୁଁ । ଜୀଅନ୍ତା ଅବସ୍ଥା ଲହଡ଼ୀ ଖେଳାଇ ମରଣର ଚିନ୍ତାକୁ ଯେପରି କି ହସରେ ହସରେ ଦୂରକୁ ହାବୁକା ମାରି ତଡ଼ିଦେବାକୁ ଚାହେଁ । ଗଣ ମେଳରେ ତା’ର ପ୍ରତିକ୍ରିୟା କିଛି ହସ, କିଛି ଦାଢ଼ୁଆ ଯୁକ୍ତି, ବଙ୍କେଇ ବୁଲେଇ ଆପଣା ଭିତରେ ନିଷ୍ଠୁର ବର୍ବରତା କିଛି ହଠାତ୍ ଗେହ୍ଲିବୋଉ ନକଲି କାନ୍ଦଣାର ରାବ କାନରେ ପୂରାଇ ରା’ ଧରିଲେ-

 

‘‘ହେଲେ କ’ଣ ହେବ, ସେ ତ ମଲା ମଲା, କାହାର କ’ଣ ଗଲା-ଏ ଗାଁରେ ଜଣକର କପାଳ ଫାଟିଲା, ତା’ ଆଶା ମୁହଁରେ ଦଇବ ନିଆଁଲୁଣ୍ଡା ମାଡ଼ିଦେଲା, ଆହାରେ ଦଇବରେ ତୁ ଏଡ଼େ ନିଷ୍ଠୁର ହେଲୁ, ଖାଇବା ଭାତରେ ଧୂଳି କୁଢ଼େଇ ଦେଲୁ !’’

 

ହସିଲେ ଅନେକେ, ଅନେକ ପ୍ରଶ୍ନ ହେଲା, ‘‘କାହାର କପାଳ ଫାଟିଲା ମ ଅପା ? କିଏ ମ ସେ ? କଥାଟା କ’ଣ କହୁନା, କହୁନା, ଖାଲି ଦଇବକୁ ଡାକିଲେ କ’ଣ ଆମେ ବୁଝିବୁ ?’’

 

‘‘ମଲା ମ ସେ ବିଙ୍ଗିଟଣ କଥା, କିଏ ସେ ନ ଜାଣେ ଯେ ଖାଲି ଗେହ୍ଲିବୋଉ କୁହାଳିଆ ହେଇଥିବ ?’’ ଗେହ୍ଲିବୋଉ କହିଲେ, ‘‘ଆଲୋ ଦାଣ୍ଡରେ ପଡ଼ି ହାଟରେ ଗଡ଼ଗଡ଼ୋଇଚି, ତମେ ସମସ୍ତେ କହୁଚ ଆଉ ଠିକଣାବେଳକୁ ଗେହ୍ଲିବୋଉକୁ ଡାକ !’’

 

ଆଠଟି ଛୁଆର ମା’ ଜଗବୋଉ ମୁହଁକୁ ତଳକୁ ପୋତି ଘଷି ହେଉଥିଲେ, ଗେହ୍ଲିବୋଉଙ୍କ କଥାର ମର୍ମ ଯେପରିକି ତାଙ୍କ ହାଡ଼ରୁ ମାଂସ ଝଡ଼ୋଉଥିଲା, ହଠାତ୍ ସେ ଗେହ୍ଲିବୋଉଙ୍କ ଆଡ଼କୁ ମୁହଁ ଟେକିଲେ-ବଡ଼ ଗୋଲମୁହଁ, କପାଳ ଉପରେ ମେଞ୍ଚାଏ ଜଳ ଜଳ ସିନ୍ଦୂର, ନାକରେ ଗୋଟାଏ ବଡ଼ ଦଣ୍ଡି, ଠାକୁରାଣୀ ମୂର୍ତ୍ତି ପରି କଳା ଚିକ୍ ଚିକ୍ ବଡ଼, ଜଗବୋଉ ଗେହ୍ଲିବୋଉଙ୍କୁ ଅନେଇଁ କହିଲେ–‘‘ମଲା ତ କାହାର କ’ଣ ଗଲାବୋଲି କହୁଚ କ’ଣ ମ ସାନ ଖୁଡ଼ୀ, ତା’ର କ’ଣ ବାପ ମା’ ନାହାନ୍ତି ? ଲୋକେ କେମିତି ଏ କଥାମାନ ତୁଣ୍ଡରେ ଧରନ୍ତି କେଜାଣି ମୁଁ ତ ବୁଝିପାରେନାଇଁ ! ମରିବାଠୁ ଆଉ ଦୁଃଖ ଅଛି ? ଲୋକଙ୍କ ତୁଣ୍ଡରେ ଆହା ପଦ ଦେଲା ନାହିଁ କେମିତି ମ ଦଇବ ? ଖାଲି ମାଟିମେଢ଼ ଗଢ଼ି ଥୋଇଦେଲା, ଜୀବନ୍ୟାସ ଦେଲା ନାଇଁ ?’’

 

ମଣିଷର ନିଦାନ ଭଲ ଗୁଣରେ ଲୁହା ଉପରେ ହାତୁଡ଼ି ପରି ଯେପରି କି କଥାଟା ଟାଇଁ ଟାଇଁ ବାଜିଗଲା, ଜଗବୋଉଙ୍କ ଚାରିକରେ ସହାନୁଭୁତିର ଗୁଞ୍ଜନ ଉଠିଲା–‘‘ଆହା-ଆହା-ଆହା-ସତେରେ ମ, ବିଧାତା କେଡ଼େ ନିଷ୍ଠୁର, ଗଜା ଆମ୍ୱଗଛ ପବନରେ ଭାଙ୍ଗିବାକୁ ତାକୁ ବେଶୀ ଆନନ୍ଦ-!’’

 

ଗେହ୍ଲିବୋଉଙ୍କ ଗାଲ ଦି’ଟା ଲାଗିଲା ତତଲା, କିନ୍ତୁ ସେ ନିଜକୁ ସମ୍ଭାଳି ନେଲେ, କହିଲେ-‘‘ୟେ, ଆହା ପଦ ଖାଲି ତୋ’ରି ମୁହଁରେ ଲେଖା ହେଇଚି ଆଲୋ । ନୂଆବୋଉ ! ତୁ କାହୁଁ ଜାଣିବୁ ଲୋ, ଷଠୀଦୁଛେଇଁ ତତେ ଦି’ହାତ ଖୋଲି ଅଜାଡ଼ି ଦେଇଚି, ମୁଇଁ ସିନା ଅଭାଗିନୀ, ଗେହ୍ଲି ଉପରେ ଦି’ଟା ତଳେ ଦି’ଟା ଯମକୁ ଦେଇଚି, ସାତ ସାରରେ ସାର ପୁଅ ଚାରିଟାଯାକ ଗଲେ, ଆଉ ସେଥିରୁ ଗୋଟିଏ ମାଇକିନିଆ ଝୁଅ ରହିଗଲା କେମିତି କେଜାଣି ! ଇଲୋ ମୁଁ ଜନମକଷ୍ଟୀ ଲୋ, ପିଲାଟାଏ ମରିଗଲେ କେମିତି ମନ ହୁଏ ସେକଥା କ’ଣ ମୁଁ ବୁଝିବି ନାଇଁ ତୁ ବୁଝିବୁ ? ଆଉ ନାଇଁ, ଯାଇଚି ତ ଯାଇଚି, ଅଇଛା ଭିତରଟା ପୋଲା ଖାଲି, ଯମଅଇଣ୍ଠା ଗେହ୍ଲିକି କିଏ ପଚାରେ ? ଆଉ ସ୍ନେହ ନାହିଁ, ଦଇବ ସ୍ନେହର ଭାଣ୍ଡ ଚୋରେଇ ନେଇ ଅନ୍ତ ଭିତରେ ରଖିଦେଇଚି ବିଷଭାଣ୍ଡ ।’’

 

ଏତିକିରେ ଯେପରି କି ଗେହ୍ଲିବୋଉଙ୍କର ସାରା ପରିଚୟ, ସେ କ’ଣ, କାହିଁକି କ’ଣ ? ସବୁ ।

 

ଏଥର ସହାନୁଭୂତି ଲେଉଟିଗଲା ଗେହ୍ଲିବୋଉଙ୍କଆଡ଼କୁ । ଜଗବୋଉ ପାଣିରେ ବୁଡ଼ ମାରିଲେ । ଧୀରେ ଧୀରେ ପୁଣି ଟୁପୁରୁଟାପୁରୁ ଏକାଠି ହେଲା, ହସ ବାହାରିଲା, ଗେହ୍ଲିବୋଉଙ୍କ ସହଜ ଦୁନିଆଁ ଫେରିଆସିଲା, କନବୋଉ ତାଙ୍କ କାନପାଖେ ଥିରି ଥିରି କହିଲେ, ‘‘ଗଲାବେଳେ ସେବାଟେ ଟିକିଏ ମୁହଁମାରି ଯିବ ମ ଅପା, ଜାଣିଥିବେ କି ନାଇଁ ।’’ ଆହୁରି ଅନେକେ କହିଲେ । ଗେହ୍ଲିବୋଉ କୁହାଳିଆ, ଗେହ୍ଲିବୋଉ କଥା କହି କଥା ବାହାର କରିପାରେ, ଅତଏବ ଗେହ୍ଲିବୋଉ ଯାଉ ।

 

ଗେହ୍ଲିବୋଉ ପ୍ରତିନିଧିତ୍ୱ ସ୍ୱୀକାର କଲେ ।

 

ଅତଏବ ତା’ର କିଛି ସମୟ ପରେ ହଠାତ୍ ଗେହ୍ଲିବୋଉ ପହଞ୍ଚିଗଲେ ଗୁରବୋଉ ଦୁଆରେ, ଠିକ୍ ସଜନାଗଛ ତଳେ, ଛବି ଡିହବାରିରୁ ପୋଇପତ୍ର ତୋଳି ଅଣ୍ଟିରେ ପୂରେଇ ଦୁଆର ପାରି ହୋଇ ରୋଷେଇ ଘରକୁ ଯାଉଥିଲା, ଚମକି ପଡ଼ି ଟିକିଏ ଅଟକିଯାଇ ମୁହଁ ଶେଥାକରି ବୋଉକୁ କହିବାକୁ ଚାଲିଗଲା, ଆଉ ଗେହ୍ଲିବୋଉ କୁଟିଳ ହସଟାଏ ହସି ପଛେ ପଛେ କୁହାଟ ଛାଡ଼ିଲେ, ‘‘ଆଲୋ ଆଜି ପୋଇଚୁଙ୍ଗୁଡ଼ି ଚୁଡ଼ୁଚୁଡ଼ା କରୁଚ କିଲୋ, କର, ମନଇଚ୍ଛା ପେଟେ ପେଟେ ମାଛ ଖାଅ, ଆମ ପାଖେ ଅଟକିଲେ ଭାଗ ଦେବାକୁ ପଡ଼ିବ । ଆଲୋ, ଆମର ଆଉ ବଳ ବୟସ ଅଛି ଭାଗ ନେଇ ହଜମ କରିବାକୁ ? ଛିଆକର, ଛିଆକର । ଆଲୋ କୁଆଡ଼େ ଗଲା ମ ? ଗୁରବୋଉ, ଛବିବୋଉ କୁଆଡ଼େ ସବୁ ଭଲ ?’’

 

ରଡ଼ି ଶୁଣି ଗୁର ଆସି ଠିଆ ହେଲା, ପଛେ ପଛେ ମୁହଁ ଆମ୍ୱିଳା କରି ତା’ ବୋଉ, ନଈକୁଳେ ସେଦିନର କଳି ପରେ ଗେହ୍ଲିବୋଉଙ୍କ ପାଦ ଏ ମାଟି ମାଡ଼ି ନାହିଁକି ଏଠି ତାଙ୍କୁ ଦେଖିବାକୁ କେହି ଆଶା କରି ନାହିଁ, କିନ୍ତୁ ଗାଁରେ ତ ସବୁ ସହିବାକୁ ହୁଏ, ଆଜି କଳି ତ କାଲି କୁଣ୍ଢାକୁଣ୍ଢି, ତେଣୁ ଟାଣି ଓଟାରି ଭୁର୍କୁଣ୍ଡା ମୁହଁରେ ହସ ଲେପି ଦେଇ ପାଖକୁ ଚାଲିଆସି ଗୁରବୋଉ ସମ୍ଭାଷଣ କଲେ, ‘‘ଇଲୋ ଏ ଅପୂରୁବ ମ, କୁଆଡ଼େ ଆଜି ଗଳି ପଇଲ ମ ?’’

 

ଆଗେ ଆଗେ ବାଟ କଢ଼େଇ ଛବିବୋଉଙ୍କ ପିଣ୍ଡାଆଡ଼କୁ ଯାଉ ଯାଉ ଗେହ୍ଲିବୋଉ କହିଲେ, ‘‘ଯାଉଥିଲି ଯେ ଭାବିଲି ଇଆଡ଼େ ଟିକିଏ ମୁହଁମାରି ଯାଏଁ । ଦୋଳ ହୁଜିତିକି ଗାଁ ତ ଉଠୁଚି ପଡ଼ୁଚି, କିଏ ଆଉ କୁଆଡ଼େ ବାହାରି ପାରୁଚି ଯୋଉ କଳିଗୋଳ ! ଯୋଉ ନବରଙ୍ଗ ! ମଲା ଏ ମିଣିପଗୁଡ଼ାକ ଏମିତି ! ଖାଲି ସାତଭାଇଆ ଗେଧ ପରି ! ତୁଚ୍ଛା କଥାକୁ ଏତେ ସରି ହେଲ ଯେ ଅଇଛା ଡିବି ଡିବି ବାଜୁଛି !’’

 

‘‘କ’ଣ ହେଲା ମ !’’ ଗୁରୁବୋଉ କହିଲା ।

 

‘‘ଆଗୋ ! ଶୁଣିନା କିଛି ?’’ ଗେହ୍ଲିବୋଉ କହିଲେ । ଏଥର ଛବି ଘର ପିଣ୍ଡା ହେଲାଣି, ଛବିବୋଉ ଦିଶିଲେଣି, ଗେହ୍ଲିବୋଉ କୁହାଟ ଛାଡ଼ିଲେ, ‘‘ହେଇଟି ତ ! ଥାଉ ମ ଥାଉ ମ ଏଇଠି ବସିବା, ସଉପଟାଏ ଫେର୍ କ’ଣ ହେବ, ବସ ବସ ।’’ ରୋଷେଇ ଘରେ ଛବି ସନ୍ତୁଳା କେଞ୍ଚୁଛି, ହାଣ୍ଡି ଖଡ଼ ଖଡ଼ ଶୁଭୁଛି, ଗେହ୍ଲିବୋଉ କହିଗଲେ, ‘‘ମଣିଷଙ୍କ ରାଗ ତ, ରାଗିଲେ ଆଉ ବାଇଶ ଥାଏ-? ବହୁତ ଲୋକ ଯହିଁ ମେଳି, ଅବଶ୍ୟ ଉପୁଜଇ କଳି-ଆଗରୁ ତ ବାଦବୁଦିଆ ହୋଇ ଚଦାଦଦି ହୋଇ ଯାଇଥିଲେ, ରାଗରେ ପିତ୍ତ ମୁଣ୍ଡକୁ ଚଢ଼ିଥିଲା, ଲାଗିଗଲେ ପଟାଏ, ଆଉ କ’ଣ ? ଅଇଛା କ’ଣ ହେଲା ! ଘରେ କବାଟ କିଳି କିଏ ପୁରୁଣା ଜଡ଼ାତେଲ ମାଲିସି କରୁଚି ତ କିଏ ବାଇଗିଆ କ୍ଷୀର ଘଷି ହଉଚି, କିଏ ଘାସ ଚିନି ଏକାଠି ବାଟି ଖଣ୍ଡିଆରେ ମାଡ଼ୁଚି ତ କିଏ ନୂଖୁରା କନାପୋଡ଼ି ଫଟାମୁଣ୍ଡ ଯୋଡ଼ି ହେଉଛି, ଘରେ ଘରେ ଏଇ ପାଲା । ସବୁ ସେଇ ଖଣ୍ଡିଆ ନୋକା ନାହାକର କରାମତି, ହାଡ଼ମାଉଁସ ହେଇ ପଳେ ହବ ନାଇଁ, ସବୁବେଳେ ରାଗରେ ପିଇଁ ପିଇଁ ତମ୍ପସାପ ଯେମିତି, ସେଇ ଖଣ୍ଡିଆ ନାଟର ଗୋବର୍ଦ୍ଧନ, କଜିଆ ଭେଇବାକୁ ନାଟ ଲଗେଇବାକୁ । ଭଲାରେ ଭଲା ତେମେ ସିନା ଝଡ଼େଇ ହେଇ ସୁଭଦ୍ରାପୁର ମେଳଣ ପଡ଼ିଆରେ ରକ୍ତ ନଦୀ ବୁହାଇଲ, ସେ ବିଚରା ବନ୍ଧମୂଳ ବଟ ମହାନ୍ତି ପୁଅ ତମର କି ଦୋଷ କରିଥିଲା ତାକୁ ଚୋଟ ହାଣିଲ, ସମସ୍ତେ ଯେ ଯେମିତି ଖଣ୍ଡିଆ ଖାବୁଡ଼ା ହେଇ ଲେଉଟି ଆଇଲେ, ସେ ଆଉ ଉଠିଲା ନାଇଁ, ତା’ ଦିନ ସରିଗଲା । ଯୋଉ ମାଡ଼ !’’ ଗେହ୍ଲିବୋଉ ଆଖି ବୁଜି ପକେଇଲେ, ‘‘ଓ-ହୋ-ଗୋରୁଗାଈ ପରି ବାଡ଼େଇ ପକେଇଲେ, ସେ ମାଡ଼ରେ କି ମଣିଷ ଆଉ ଉଠେ ! ହ, ଆହା ବିଚରା, କେଡ଼େ ସୁନ୍ଦର ଭେଣ୍ଡା ପୁଅ, ମରିଗଲା ।’’

 

ଗୁରବୋଉ ଚମକି ପଡ଼ି ବିଳିବିଳେଇଲେ, ‘‘ଏ ! ମରିଗଲା ? କିଏ ମାଇଲା ।’’

 

‘‘କିଏ ମାଇଲା କିଏ କ’ଣ ଦେଖିଚି ! ଏତେଗୁଡ଼ାଏ ଲୋକ ବାଡ଼ିଆପିଟା ହଉଥିଲେ, ଅନ୍ଧାରୁଆ କାମ, କିଏ ଦେଖିଥିବ ଯେ କିଏ କହିବ ! ଭଲ ଲୋକଗୁଡ଼ାକ ଏମିତି ମାରଣା ହେଲେ ତ ଆଉ ପୃଥିବୀ ରହିବ ନାଇଁ । କେବେ କିଏ ଏମିତି ଶୁଣିଚ ? ଆଲୋ ଛବି, କୁଆଡ଼େ ଗଲୁ ଲୋ, ପାନ ବକଟେ ଦେଇ ଯା ମ, ପାଟିଟା କେମିତି କେମିତି ଲାଗୁଛି । ଏ ନିଆଁନଗା ଖବରଟା ଶୁଣିଲାବେଳୁ ପେଟ ଭିତରେ କ’ଣ ଗୋଟାଏ ପଶିଯାଇଟି ଯେ ପାଟିଟା ଖାଲି ଶୁଖି ଶୁଖି ଯାଉଚି ।’’

 

ଗେହ୍ଲିବୋଉ ଠିକ୍ କାନ ଡେରିଥିଲେ, ରୋଷେଇ ଘର ଭିତରେ ଯେଉଁ ହାଣ୍ଡି ଖଡ଼ର ଖଡ଼ର ଲାଗି ରହିଥିଲା ତାଙ୍କ କଥା ମଝିରେ ସେ ଅଟକି ଯାଇଛି, ଛବି ଶୁଣୁଛି, ଏଥର ଛବିର ମୁହଁଟା ଦେଖି ଯାଇପାରିଲେ ଗାଁରେ ଆହୁରି ସମ୍ବାଦ ବାଣ୍ଟି ହେବ ।

 

କିନ୍ତୁ ଛବିବୋଉ ଫଁ କରି ଗୋଟାଏ ନିଶ୍ଵାସ ଛାଡ଼ିଦେଇ ଠିଆହୋଇ ପଡ଼ିଲେ, କହିଲେ ‘‘ରଇଥା ବଇଥା କି ମୁଁ ପାନ ବାକ୍‌ସଟା ଆଣେ ।’’

 

ପାନ ବାକ୍‌ସ ଆସିଲା, ଛବିବୋଉ ମଝିରେ ମଝିରେ କଥା ଗପି ଗପି ପାନ ଭାଙ୍ଗି ବସିଲେ, କିନ୍ତୁ ଛବି ଆଉ ଆସିଲା ନାହିଁ । ଗେହ୍ଲିବୋଉ ଛବିବୋଉ ମୁହଁକୁ କଟମଟ କରି ଅନେଇଁ ରହିଲେ, ଝିଅର ନ ହେଉ ମା’ର ହାବଭାବ ହେଲେ ନିରେଖି ଦେଖିଲେ ପଦାରେ ଗପିବାପାଇଁ କାଳେ କିଛି ମିଳିବ ପରା ! କିନ୍ତୁ ସେଠି ବିଶେଷ କିଛି ନାହିଁ, ସତେକି ଏଡ଼େବଡ଼ ଘଟନା ବିଷୟରେ ଜାଣିବାପାଇଁ ପଚାରିବାକୁ ବି ତାଙ୍କର ଆଗ୍ରହ ନାହିଁ । କିଛି ସମୟ ବନ୍ଦ ରହି ରୋଷ ଘରେବି ଖୁଡ୍‍ ଖାଡ୍‍, ଧଡ଼ଧାଡ଼ ହୋଇ ଶୁଭିଲା ରୋଷେଇ କରୁଥିବା ମଣିଷ ହାତର ସାଧାରଣ ଶବ୍ଦ, ଆଉ ଯେତେ ଖସଖାସ ଚେଁ ଚାଁ । ଏ କ’ଣ ଶୁଭୁଛି ! ନାକ ସୁଁ ସୁଁ ସଡ଼ ସଡ଼ ହେବ ପରା ! ଗେହ୍ଲିବୋଉ ଔତ୍ସୁକ୍ୟରେ ଚଞ୍ଚଳ ହୋଇ କାନ ଡେରିଲେ, କିନ୍ତୁ କାହିଁ, ସେପରି କିଛି ଶବ୍ଦ ନାହିଁ; ଛବି ରହିଛି ତା’ର ଅନ୍ଧାରୀ ଦୁର୍ଗ ଭିତରେ ।

 

‘‘କ’ଣ ଏମିତି ପିଲାଟା ରୋଷେଇ ଘରଟା ଭିତରେ ଲାଖି ରହିଚି ମ,’’ ଗେହ୍ଲିବୋଉ କହିଲେ, ‘‘ପଦାକୁ ଆସି ଟିକିଏ ଗପସପ ହ’ନ୍ତା ନାହିଁ, ସବୁବେଳେ ଖାଲି କାମ !’’

 

‘‘କିଏ ଆଉ କରିବ କହ ?’’ ଛବିବୋଉ ଚଞ୍ଚଳ ଜବାବ ଦେଲେ, ‘‘ସବୁ ତ ସେଇ କରିବ, ତାକୁ ଦଣ୍ତେ ହେଲେ ଫୁର୍ସତ କାହିଁ ? ମୁଁ କହେ ମୋର ସେଇ ଭଲ, କାମରେ ବୁଡ଼ି ରହିଲେ ସବୁ ଶାନ୍ତି, ସବୁ ଭଲ । ମୁଁ ନିଜେ ବି ଟିକିଏ ବସିପାରେ ନାହିଁ, ତୁଚ୍ଛାକୁ ହେଲେ ହାତଟା ଖଲ ଖଲ ହଉଥିବ, ଆଉ ଛବି ତ ସହଜେ, ତା’ର ଅଇଛା କାମ କରିବା ବୟସ ।’’

 

‘‘ୟେ କାମ କରିବବୋଲି କ’ଣ ଗପିବ ନାଇଁ ଟିକିଏ ?’’

 

‘‘ହଁ ଗପିବ ନାଇଁ କାହିଁକି ? ଯେ, ଗପିବ ଏଠି କାହା ସାଙ୍ଗରେ ? ସାଙ୍ଗ ସରିସା ହେଲେ ସିନା ! ମାନ୍ୟମାନତାଙ୍କ ସାଙ୍ଗରେ ସମାନସ୍କନ୍ଦ ହେଇ ମୁହଁକୁମୁହଁ ଯୋଡ଼ି ଯୋଉଗୁଡ଼ାକ ଗଡ଼ର ଗଡ଼ର ହୁଅନ୍ତି, ମତେ ସେଗୁଡ଼ା ଭଲ ଲାଗେ ନାହିଁ । ଏତେ ଗୁଡ଼ାଏ ଗପ କରିବ କ’ଣ ? ଦୀର୍ଘଶ୍ୱାସ ପକାଇ କହିଲେ, ‘‘ପରଘରକୁ ଗଲେ ଶାଶୁ ଶଶୁର ଘର ତ ଆଉ ବୋହୂର ଗପ ଶୁଣି ହସ ଦେଖି ପ୍ରଶଂସା କରିବେ ନାହିଁ, ସେମାନେ ଖୋଜିବେ କାମ–’’

 

‘‘କ’ଣ କୋଉଠି ଠିକଣା କଲଣି କି ?’’ ତୁନୀତୁନୀ କରି ଅତି ବିଶ୍ୱସ୍ତଭାବେ ଗେହ୍ଲିବୋଉ ପଚାରିଲେ । ଉତ୍ତର ବି ସେହିପରି ସରଳ, ‘‘ହେଲେ ଶୁଣିବ ନାହିଁକି ? ଏ କୋଉ ଲୁଚାଛପା କଥା ହେଇଚିକି ? ହଁ ପୁଅ ଥିଲେ ପଡ଼େ, ଝୁଅ ଥିଲେ ପଡ଼େ । ଏ କ’ଣ ମଣିଷ ହାତର କଥା ? ଯାହାପାଇଁ ଦଇବ ଯୋଉଠି ଖଞ୍ଜିଛି ସେ ତ ବଳେ ହେବ, ସାତଜନମର ସଉଦା, ଯେ ଯାହାର ସେ ତା’ର, ଆମେ ଯେତେ ଧନ୍ଦି ମଲେ କ’ଣ ହେଲା, ଆମେ ଖାଲି ଶଙ୍ଖ ହୁଳହୁଳି ପକେଇବା ଲୋକ-।’’

 

‘‘ହଉ, ମୁଁ ଯାଏଁ ଏଥର,’’ ଗେହ୍ଲିବୋଉ କହିଲେ, ‘‘ସତରେ ମୋର ମନେ ନ ଥିଲା, ତମ ଘରକୁ ଆସିଲେ ସିନା ଏମିତି ମାୟା ଲାଗିଯାଏ, ତେଣେ ଘରେ ମୋର ସତର କାମ ପଡ଼ିଚି ।’’ ଶେଷରେ ଅନହୁତି ଫେର୍‌, ଏକ ଚୋଟ ମାରିଲେ, ‘‘ସେଇ ମେଳଣ କଥା ମନରୁ ଯାଉ ନାଇଁ । ଆଃ, କେଡ଼େ ସୁନ୍ଦର ଗଜା ଭେଣ୍ଡିଆଟାକୁ ମାରି ପକେଇଲେ ! କି ଶୋଭା ପୁଅ ! ସେଥର ତମରି ଘରକୁ ଆସିଥିଲା ଯେ ଦେଖିଥିଲି ! ମରିବ ବୋଲି ଏମିତି ହୋଇଥିଲା ।’’

 

ଛବିବୋଉ ସତେକି ପଥର ପାଚେରି, କଥାଗୁଡ଼ାକ ବାଜିକରି ପ୍ରତିଧ୍ୱନି କରି ଫେରିଆସିଲା, ‘‘ହଁ, ଯାହାର ଯେତେବେଳେ ଯୋଗ ପଡ଼େ, ସେଥିରେ ବୁଢ଼ା କ’ଣ ଟୋକା କ’ଣ ! ଏମିତି ତ କେତେ ହୁଏ, ଏ କୋଉ ନୂଆ ! ଦଇବ ଘୋଷାରିନେଲେ ଆଉ ସେଥିକି ହାରିଗୁହାରି କ’ଣ ଅଛି ? ତମର ଯୋଉ ଚାରିଟାଯାକ ପୁଅ ଦୁଧଦାନ୍ତରେ ସେପୁରକୁ ଚାଲିଗଲେ, ତାଙ୍କର କ’ଣ ମରିବାକୁ ବୟସ ହୋଇଥିଲ !’’

 

ଗେହ୍ଲିବୋଉଙ୍କର ହଠାତ୍ ସେମାନେ ମନେପଡ଼ିଗଲେ । କୌଣସି ନା କୌଣସି କଥାରେ ଆଜି ସକାଳୁ ଖାଲି ସେହିଗୁଡ଼ାକ ମନେପଡ଼ୁଛନ୍ତି ।

 

ସେ କନ୍ଦେଇବାକୁ ଆସିଥିଲେ, କାନ୍ଦୁରା ମୁହଁକରି ଲେଉଟିଗଲେ । କାହିଁକି ଆସିଥିଲେ ଭୁଲି ହୋଇଗଲା, ବର୍ତ୍ତମାନ ସମୟ ଓ ପରିସ୍ଥିତି ଭୁଲି ହେଇଗଲା, ଦେହ ଉପରୁ ଦଶ ବର୍ଷର ବକଳ ଝଡ଼ି ପଡ଼ି ବାହାରି ପଡ଼ିଲା ଏକ କିଶୋରୀ ବୟସୀ ମା’, ଯୌବନକୁ ନିଗାଡ଼ି ନିଗାଡ଼ି ସେ ସୃଷ୍ଟି କରିଥିଲା, ଅନ୍ତରର ସବୁ ହାହାକାର ନିଗାଡ଼ି ନିଗାଡ଼ି ବିଦାୟ ଦେଇଛି । ସେତେବେଳେ ସେ କଅଁଳା ଥିଲା ପଥର ହୋଇନଥିଲା, ହସି ପାରୁଥିଲା, କାନ୍ଦି ପାରୁଥିଲା ଆହୁରି ବେଶୀ ସତେ ସତେ, ଆହୁରି ବେଶୀ ଜୋରରେ । ପଦାରେ ଗୋହୀରିରେ ଶୁଖିଲା ଝଟା ଶୁଖିଲା ଲଟାର ବାଡ଼ ବାଟେ ଯାଉ ଯାଉ ସେ ଆଖି ପୋଛି ପୋଛି ଯାଉଛି, ଅତୀତ ପାଖକୁ ଲାଗି ଆସିଛି । ସେତେବେଳେ ଏଇ ଶୁଖିଲା ବାଡ଼କୁ ସେ ଏମିତି ଚାହାଣୀରେ ଚାହିଁ ଚାହିଁ ଯାଉଥିଲା । ଆଖି ଉପରେ ଥିଲା ଏମିତି ଲୁହର ଜାଲ ।

 

ଛବିବୋଉ ଡାକିଲେ–‘‘ଛବି !’’

 

ମୁହଁକୁ ତଳକୁ ପୋତି ପିଠି ବୁଲେଇ ସେ ଠିଆ ହୋଇ ରହିଲା । ଉଠିପଡ଼ି ସେ ଝିଅର ମୁଣ୍ଡ ସାଉଁଳିଲେ, କହିଲେ, ‘‘ଫାଙ୍ଗୁଳିଟା’’ । ସେହି ମରମଛୁଆଁ ନରମ ଆଉଁସାରେ ଛବି ଆଖିରୁ ଗୋଟାକେତେ ବରକୋଳିଆ ଟୋପା ଝଡ଼ିପଡ଼ିଲା । ଛବିବୋଉ ପୁଣି କହିଲେ, ‘‘ଛି ! ପାଙ୍ଗୁଳିଟା ।’’ ଆସ୍ତେ ରୋଷେଇଘର ଦୁଆରବନ୍ଧ ଆଡ଼କୁ ପେଲିଦେଇ କହିଲେ, ‘‘ଯା ଦେଖ୍ ଯା, ପୋଡ଼ିଯାଉଚି କି କ’ଣ ? ଆଲୋ, ଜୀବନଯାକ ହାତରେ କାମ, ତେଣେ ଯମ ଓଟାରୁଥିଲେ ପରା ଏଣେ କାମ ଓଟାରୁଥିବ, ବସି ବସି ଫାଙ୍ଗୁଳି ହେବାକୁ କାହାକୁ ବେଳ ଆସୁଚି ?’’

 

କିନ୍ତୁ ସେ ଉପଦେଶ ଦେବାକୁ ଅପେକ୍ଷା କଲେ ନାହିଁ, ଉଠିପଡ଼ି ବାରିଆଡ଼କୁ ଚାଲିଗଲେ-

 

ଯେତେ ଲୁଚେଇ ହେଲେ ଆପଣ ପାଖେ ଆପେ ଚିହ୍ନା ପଡ଼ିବାକୁ ହୁଏ, ଧୀରେ ଧୀରେ ଅନ୍ତର ଭିତରୁ ନିଗିଡ଼ି ନିଗିଡ଼ି ସାମ୍ନାରେ ଠୁଳ ହୁଏ ଆପଣା ଭିତରର ନିରାଟ ସତ୍ୟ, ଉପରୋଧ ରଖେ ନାହିଁ । ଦେହସହା ନ ହେଉ, ମନସହା ନ ହେଉ ନିର୍ମମଭାବେ ଅନୁଭୂତିଗ୍ରାହୀ ଇନ୍ଦ୍ରିୟ ଉପରେ ପ୍ରଚଣ୍ଡ ଆଘାତକରି ସେ ଆତ୍ମପ୍ରକାଶ କରେ, ତା’ପରେ–ହାତପୋଡ଼ି ଯାଉଥିବା ତାକୁ ଛୁଇଁବାକୁ ହେବ, ଆଖି ପୋଡ଼ି ଯାଇଥିବ ତାକୁ ଅନେଇଁବାକୁ ହେବ, ମନ ଜଳି ଯାଇଥିବ ଦେହ ବିବର୍ଣ୍ଣ ପଡ଼ିଯାଉଥିବ ତାକୁ ଗ୍ରହଣ କରିବାକୁ ହେବ ।

 

ଛବିର ଲୁହରେ ଭାସି ଭାସି ଅନ୍ଧାରୀ ମନର ଗହ୍ୱର ଭିତରୁ ସେ ଆଲୁଅକୁ ଆସିଥିଲା-ଗୋଟିଏ ଶବ, ସେ ରବିର ।

 

ରବି ମରିଛି ।

 

ରହି ରହିକା ଢଣଣଢଂ ଘଣ୍ଟା ବାଜିଲା ପରି ସମ୍ୱାଦଟା ବାଜି ଉଠେ, ବାଜେଣି ଘଣ୍ଟ ପରି ଚେତନା ଝଣଝଣରେ ଉଠେ, ଶବ୍ଦର ଢେଉ ହୁଏ ସାନରୁ ସାନ, କ୍ଷୀଣରୁ କ୍ଷୀଣ, ପାଳି ଧରିଲା ପରି କେତେଠିଁ କେତେ ଶୁଭେ ସାନ ସାନ ପାତ୍ରର ଝଣଝଣ, କେତେ ଅବାନ୍ତର ସ୍ମୁତି, ପଦାକୁ ଅସଂଶ୍ଲିଷ୍ଟ ଅଥଚ କେଉଁ ଗୋପନ ଡୋରରେ ଏକାଠି ଛନ୍ଦାଛନ୍ଦି ।

 

ଚେତନା ଝମକିବାର ଅବଶ ବ୍ୟବଧାନ ଭିତରେ ଖଣ୍ଡ ଖଣ୍ଡ ହୋଇ ମନେପଡ଼ୁଛି ତ-କେତେ ଅଲୋଡ଼ା କଥା, ହାତରେ ହୁରୁଡ଼େଇଲେ ବି ମଶାପରୁ ପରି ଘାଇଁ ଘାଉଁ-ହୋଇ ମାଡ଼ି ଆସୁଛି । ମଞ୍ଚା ଉପରେ ତେଲିଙ୍ଗି ବାଇଦ ବାଜୁଥିଲା...ତରଗଡ଼ ଉଁ ଉଁ ଉଁ-ତରଗଡ଼ ଉଁ ଉଁ ଉଁ- ଟିଂଟାଂ ତରଗଡ଼- ଟିଂଟାଂ ତରଗଡ଼ ଉଁ ଉଁ ଉଁ..ବରଷା ରାତିରେ ବୋଉ ପେଟ ଭିତରେ ମୁଣ୍ଡ ଭୂଷିଦେଇ ସେ କେବେ ଶୋଇପଡ଼ିଥିଲା...ବାପା କେବେ ରାଗିଥିଲେ, ହାତରେ ଥିଲା ଏକ ବେତ, ମୁହଁ ଦିଶୁଥିଲା ଅତି କ୍ରୂର, ତଥାପି ଏମିତି ବେତହାତ ହୋଇ ରାଗରେ ଦାନ୍ତ କଡ଼ମଡ଼ କରୁଥିବା ଅବସ୍ଥାରେ ତାଙ୍କୁ ଭାବିବାକୁ କେମିତି ଖୁସି ଲାଗେ । .....ମାଡ଼ ଖାଇଥିବା ପିଲା ମନେପଡ଼ୁଛନ୍ତି, ଦେହଯାକ ନୋଳା ଦାଗ,...ମଶାଇ ନିଭୁଚି, ମଶାଇ ଜଳୁଛି, ଦାସିଆ ଭଣ୍ଡାରି ମଶାଇ ଉପରେ ତେଲ ଢାଳୁଛି.... କାନ୍ଦି ଉଠୁଛନ୍ତି କିଏ ସବୁ, ଜଗତଯାକ ବୋବାଳିର ସମୁଦ୍ର..ପବନ ଦେଉଛି, ଝଙ୍କା ଗଛରୁ ଅସୁମାରି ପତ୍ର ଉଡ଼ିଯାଉଛି...ତଥାପି ଚାଲିଛି ପତ୍ର ଉଡ଼ିବା, ଗଛ ଖାଲି କରିଦେଇ-ସଣ୍‌ସାଣ ହୋଇ ସେମାନେ ବାହାରି ଚାଲିଯାଉଛନ୍ତି...ତା’ ନିଜର ମୁଣ୍ଡ କ’ଣ ହେଉଛି, ପେଟତଳେ କ’ଣ କେମିତି ମୋଡ଼ି ମୋଡ଼ି ହୋଇ ଦବି ଦବି ଯାଉଛି....ରାତି ହୋଇଗଲାଣି, ଝିଙ୍କାରି ବେବାଉଛନ୍ତି...ରବି ମରିଯାଇଛି, ମୁଣ୍ଡଟା ଝାଇଁ ମାରିଦେଉଛି, ଯୁଆଡ଼େ ଚାହିଁଲେ ଖାଲି ମେଞ୍ଚାମେଞ୍ଚା ଜୁଳୁଜୁଳିଆ ପୋକ...

 

କିଏ ସେ ? କ’ଣ ବା ତା’ର ? ଦୁଃଖ କରୁ କରୁ ରବି ଯେପରି କି ଦୂରେଇ ଯାଇଛି, ସେ ନିଜେ ଦୂରେଇ ଯାଇଛି, ନିଃସହାୟ ନିଛାଟିଆ ଏକୁଟିଆ ଝିଅଟିଏ ।

 

କେଡ଼େ ଦୁର୍ବଳ !-ଆପଣାଠୁଁ ବାହାରି ସେହି ଦୁର୍ବଳତା ସୃଷ୍ଟି କରିଛି ତା’ର ଚାରିପାଖେ ଅଥଳ ଦରିଆ, ସେ ଭୟଙ୍କର, ତାହାରି ମଝିରେ ମିଟିମିଟି ଡୁବୁ ଡୁବୁ ହୋଇ ସେ ନିଜେ ଗୋଟିଏ ଛୋଟିଆ ଦ୍ଵୀପ । ସେହି ଦୂରତାକୁ ସେହି ଦୁର୍ବଳତାରୁ ସେହି ଭୀତିରୁ ଉପୁଜେ ଗୋଟିଏ ପ୍ରଶ୍ନ, ରବି ତା’ର କିଏ ? ରାଗ ହୁଏ- କାହିଁକି ସେ ମଲା ? ଅସହାୟପଣ ପ୍ରଶ୍ନ ପଚାରେ । ଆପଣାଠି ଆପେ ଗୁରେଇ ହୋଇ ରହିଥିବା ଭୀରୁ ବ୍ୟକ୍ତିତ୍ୱ ପର ଉପରେ ରାଗି ନିଶାଖିଆ ବଳରେ ଆତ୍ମବିଶ୍ଵାସ ଗଢ଼ିବାକୁ ଚେଷ୍ଟାକରେ । ରବି ତା’ର କିଏ ? କେତେ ଦିନର ବା ଦେଖାଚାହାଁ ଜଣାଶୁଣା ? ବୃଥା କେହି ନୁହେଁ, ଜଣକ ପ୍ରତି ମିଛ ମାୟା, କାନ୍ଦୁଛି ପୁଣି ସେ ! ଅଟକିଯାଇ ସେହି କେହି ନୁହେଁ ଉପରେ ବିଚାର- ବୁଦ୍ଧି ଢାଳିଦେଲା । ଏଥର ସେ ସ୍ପଷ୍ଟ ଦିଶୁଛି । ସେହି ପହିଲି ଦିନ । ତା’ପରେ ଆଉଥରେ । ସେଠି ତା’ର ବିଭା-ସମ୍ବନ୍ଧ ଭାଙ୍ଗି ଯାଇଛି । ଏମିତି କେତେଠିଁ ପଡ଼େ, କେତେଠିଁ ଭାଙ୍ଗେ । ଏମିତି କେତେ ଲୋକକୁ ମଣିଷ ଦେଖେ, ଲାଖେ ନାହିଁତ ! ଏମିତି ଦେଖାହୋଇ କର ଆଡ଼େଇ ଦେଇ ଯେଝାବାଟେ ଯେ ଚାଲିଯିବା-ଏଇ ତ ସଂସାର, ତର ତର ହୋଇ ବହୁ ଲୋକ ଖାଲି ଏକର ସେକର ଚାଲିଯିବା, ଖାଲି ଚାଲିଯିବା, ସେହି ଦେଖା ଘଡ଼ିକ ଜଣକର ତେଜ ଆଉ ଜଣକ ଉପରେ ପଡ଼େ, ମଣିଷ ଯାହା ଦେଖେ କହେ ସବୁ ମୋର ସବୁ ମୋର, ଏଇ ମାଟି, ଏଇ ଘର, ଏଇ ଆକାଶ, ଏମିତି କି ଏଇ ଖର, ଏଇ ଦିନ, ଏଇ ସମୟ-ସବୁ ମୋର । ମିଛ କଥା, କେହି କାହାର ନୁହେଁ, କିଛି କାହାରି ନୁହେଁ–ମାୟା କୁହୁଡ଼ି । ବାପା ଭାଗବତ ବୁଝାନ୍ତି ।

 

‘କିଛି ନାହିଁ’ କହିଦେବା ପର କରିଦେବା ମାୟାକୁହୁଡ଼ିରୁ ଉଠି ଆସି ଶାସ୍ତ୍ରବୁଣା ତର୍କର ଜାଲ ଛିଣ୍ଡାଇ ଠିଆହୋଇ ବିଶ୍ଵାସଗଢ଼ା ସେହି ପର, ଆପଣାର ହୋଇ, ମାୟା ଉପରେ ଆପଣାର ଚିତ୍ତ ଆପଣାଠୁଁ କା’ ଉପୁଜାଇ କେବେ ମଞ୍ଜି ପୋତିଥିଲା, କେତେଦିନର କେତେ କଳ୍ପନାରେ ସେଠି ପାଣି ଛିଞ୍ଚି ଥିଲା, ଜଗି ରହିଥିଲା, ଆପଣାର କା’ ସେଠି ଗଛ ହୋଇଛି, ସେ ତା’ର ଆପଣାର ବ୍ୟକ୍ତିତ୍ୱର ଆର ଫାଳକ, ଇଚ୍ଛା ସ୍ୱପ୍ନ ସବୁ ମିଶିଯାଇ ତିଳ ତିଳ ହୋଇ ଗଢ଼ି ହୋଇଛି, ସେହି ସେ, ସେଠି ଆଖିରେ ଦେଖି ସମ୍ୱନ୍ଧ ଯୋଖିବା ପ୍ରୟୋଜନ ପଡ଼ି ନାହିଁ, ଦୂରତା ସହିତ ସମ୍ବନ୍ଧ ନରଖି ଘଟିଛି ପରିଚୟ, ଘଟନା ସହିତ ସମ୍ବନ୍ଧ ନ ରଖି ଗଢ଼ି ହୋଇଛି ବିଶ୍ୱାସରେ ବିଶ୍ୱାସରେ ସମ୍ଭାବନା ବିଷୟରେ ଏକ ଧ୍ରୁବତ୍ୱ ।

 

ଆଜି ସବୁ ଭୁଶୁଡ଼ି ପଡ଼ିଛି । ରବି ମରିଛି ।

 

ଦୈହିକ ପ୍ରକୃତି ସାନ୍ତ୍ୱନା ଭିଆଇବାକୁ ଲୁହ ଅସରା ଗାଳିଲା । କେତେ ବେଳକେ ହେତୁ ହେଲା, ଏମିତି କ’ଣ ସେ ପାଗଳ ପରି ହେଉଛି ! ବୋଉ କ’ଣ ଭାବୁଥିବ ? ରୋଷେଇ ଅଧାରୁ ଅଟକିଗଲା ଯେ । ମୁହଁ ଟେକି କଣେଇ ଚାହିଲା, ନଇଁପଡ଼ି ବୋଉ ତା’ର ରୋଷେଇରେ ଲାଗିଛି । ବାହାରର ମେଘ ଭିତରକୁ ଠେଲି ଦେଇ ଛବି ସଜାଡ଼ି ହେବାକୁ ଚେଷ୍ଟାକଲା ।

 

ଆଉ ଠିକ୍ ଏତିକିବେଳେ ଆସି ପହଞ୍ଚିଗଲେ ବାପା, ଗୋଟିଏ ହାତରେ ଗୋଟିଏ ଅଧସେରିଆ ରୋହି କଷି, ଆଉ ଆର ହାତରେ ପୁଞ୍ଜାଏ ସଜନା ଛୁଇଁ । ଥରେ ଆଖି ବୁଲେଇ ଦେଇ ଛବିର ଅବସ୍ଥା ସେ ନିଘା କଲେ । ପଚାରିଲେ, ‘‘ଛବିର କ’ଣ ହୋଇଚି ?’’

 

ଛବି ଚମକି ପଡ଼ିଲା, କୁଆଡ଼ୁ ମାଡ଼ିଆସିଲା ଲାଜ, ଉଢ଼ୁଆଳକୁ ଚାଲିଯାଇ ମୁହଁ ରଗଡ଼ି ରଗଡ଼ି ପୋଛିଲା । ପୁଣି ଲେଉଟି ଆସିଲା ତୋଫାନ । ମୁଣ୍ଡ ଭିତରେ ରାଉ ରାଉ ଡାକିଲା । ଆଉ ସେ ଭାବିଲା, କ’ଣ ଥାଏ ଏତେ ଆଉ ଲୋକ ସଙ୍କୋଚରେ, ସେ ମରିଛି । ତା’ର ମନେ ମନେ ଯେ ବଞ୍ଚିଥିଲା, ପଦାରେ ସେ ସବୁଦିନପାଇଁ ଲୋପ ହୋଇଛି । ଆଉ କିଏ ଜାଣିଲେ କେତେ, ନ ଜାଣିଲେ କେତେ ? ମୁହଁ ଫାଟି ପୁଣି ଧାରା ଗଳିଲା ଗଳଗଳ । ମୁହଁ ମାଡ଼ି କାନ୍ଧ ଥରେଇ ଥରେଇ ଟାଳିଗଲା ।

 

‘‘କ’ଣ କହିଲ ନାଇଁ ଯେ ?’’ ସିନ୍ଧୁ ଚୌଧୁରି ପୁଣି ପଚାରିଲେ ସ୍ତ୍ରୀଙ୍କୁ । ଛବିବୋଉ ତାଙ୍କ ମୁହଁକୁ ଅନାଇଲେ । କେତେ କ’ଣ ମିଶି ବିଚିତ୍ର ଦିଶୁଥିଲା ଯେ ଚାହାଣୀ, ଦୁଃଖ ଆଉ ନିରାଶ୍ରୟତା ଆଉ ତିରସ୍କାର ଆଉ ବେଖାତିର ଟାଣ, ଆଉ ସବା ଉପରେ ସେହି ଭାବ, ଯାହା କେବଳ ଯାହା ମରଣର ସାନ୍ନିଧ୍ୟରେ ହିଁ ମୁହଁରେ ଫୁଟେ, ତା’ର ବର୍ଣ୍ଣନା ନାହିଁ କହିଲେ, ‘‘କୋଉ କଥା ପଚାରୁଚ ?’’

 

‘‘ଛବିର କ’ଣ ହୋଇଛି ?’’

 

‘‘କ’ଣ ଆଉ ହବ ? କିଛି ନାଇଁ ତ । ଆଲୋ ଛବି ? ଘରେ କ’ଣ କରୁଥିବ ।’’

 

‘‘ହଉ ନିଅ, ଏ ମାଛ ରଖ ।’’

 

ଛବିବୋଉ ମାଛ, ଛୁଇଁ ନେଇ ଯାଉ ଯାଉ ଅନ୍ୟଆଡ଼କୁ ମୁହଁ ବୁଲେଇ କହିଲେ, ‘‘ହଁ, ଶୁଣିଲଣି । ଗେହ୍ଲି ବୋଉ ଆସିଥିଲେ ମ । କହିଲେ, ସୁଭଦ୍ରାପୁର ମେଳଣରେ ପିଟାପିଟି ଲାଗିଗଲା ଯେ ମଝିରେ ପଡ଼ି ବନ୍ଧମୂଳ ବଟ ମହାନ୍ତି ପୁଅ ରବି କୁଆଡ଼େ ମାଡ଼ ଖାଇ ମରିଗଲା । ଆସିଥିଲା ପରା, କେଡ଼େ ସୁଧାର ପିଲାଟିଏ । କି କାଳ ହେଲା ଦେଖ !’’

 

କ’ଣ ଖେଁକିନା ଘର ଭିତରୁ ଶୁଭିଗଲା ପରା, ଯେମିତି କାହାର ରୁନ୍ଧିରଖା କୋହ । ସିନ୍ଧୁ ଚୌଧୁରି ନିଘା କରେ । ସ୍ତ୍ରୀ ତାଙ୍କୁ ମୁହାଁମୁହିଁ ଚାହିଁଛନ୍ତି, ତାଙ୍କ ଆଖିରେ ବି ସେହି ରୁନ୍ଧା କାନ୍ଦଣାର ଛବି, ଲୁହ ଟଳଟଳ କରୁଛି । ଲାଗିଲା ଯେପରି କିଏ ତାଙ୍କରି ବିରୁଦ୍ଧରେହିଁ ଅଭିଯୋଗ କରୁଛି । ସମ୍ୱନ୍ଧ ପୁଣି ଆସିଥିଲା, ସେହି ତ ମନା କରିଦେଇଥିଲେ ।

 

ଉତ୍ତେଜିତ ହୋଇ ସେ ଚିତ୍କାର କଲେ, ‘‘କିଏ ସେ ପର ପୁଅ ନାଁରେ ଏଡ଼େବଡ଼ କଥା କହୁଚି ? କ’ଣ କାହାର ଅନିଷ୍ଟ କଲା ସେ ବିଚରା ! ମିଛ ମିଛ, ତୁଛା କଞ୍ଚା ମିଛ ଏଗୁଡ଼ାକ । ଏମିତି କାମ କରି ଦେଖେଇଦେଲା ଯେ ଚାରିଆଡ଼େ ଧନ୍ୟ ଧନ୍ୟ ପଡ଼ିଛି, କେତେ ଲୋକ ଯାଉଚନ୍ତି ଖାଲି ଟିକିଏ ତାକୁ ଦେଖିବାକୁ, ଆଉ ଏଣେ ଏ ମଣିଷଗୁଡ଼ାକ କ’ଣ ନାଇଁ କ’ଣ ହୁଲର ଉଠଉଚନ୍ତି, ଏଁ !’’

 

‘‘ଦେଖ ତ ଏ ଲୋକଙ୍କ କଥା’’, ଛବିବୋଉ ପାଳି ଧରିଲେ, ‘‘କି କାଳ ଆସି ହେଲା ଯେ ଲୋକେ ଦିନକୁ ରାତି ବୋଲି କହି ଦଉଉନ୍ତି ଲୋ ମା’, ପାଟିରେ ବାଟୁଳି ବାଜୁନାହିଁ ।’’

 

‘‘ଜାଣିଚ ସେ ଟୋକା ଖଣ୍ଡକ କ’ଣ କରିଚି ? ଆଃ ମଣିଷଟାଏ ତ ! ଲୋକଙ୍କ ଆଖି ଫିଟେଇ ଦେଇଚି ।’’ ସିନ୍ଧୁ ଚୌଧୁରି କହିବାକୁ ଲାଗିଲେ ଠିକେ ଠିକେ, ‘‘କେମିତି ଦାଣ୍ଡରେ ବାଟରେ ଲୋକେ କୁହାକୁହି ହେଉଛନ୍ତି, ଏତେ ଦିନେକେ ଏ ଖଣ୍ଡରୁ ଜଣେ ମଣିଷ ବାହାରିଛି । ସେ ପରଙ୍କପାଇଁ କାମ କରୁଛି, ବାଦ ଛେଦ ତୁଟେଇ ଗାଁକୁ କରୁଛି ଗୋଟାଏ ଘର । ଅସମ୍ଭବକୁ ସମ୍ଭବ କରୁଛି । ଚହଳ ପଡ଼ିଛି ପୁଣି ଏ ମାଟି ଚେଇଁ ଉଠିଲା, ଲୋକେ ବୁଝୁଛନ୍ତି, ହେଜୁଛଛି ।’’

 

କହୁ କହୁ ମନେପଡ଼ିଗଲା ଆପଣାର ଅତୀତ ଯୁଗର ଉତ୍ସାହ କଥା, ସେହି ସେ କାଳ କଥା ଯେତେବେଳେ ମହାତ୍ମା ଗାନ୍ଧୀ ଆନ୍ଦୋଳନ ଆରମ୍ଭ କରିଥିଲେ, ଚରଖା ବୁଲୁଥିଲା, ପ୍ରତି ଘଟରେ ଦୀପ ଜଳି ଉଠୁଥିଲା ଦେଶସାରା, ଆଶା ତେଜିଥିଲା ଯେ ଖାଲି ସ୍ୱରାଜ ନୁହେଁ ସେ ତ ନିଶ୍ଚୟ ଆସିବ, ତା’ ସଙ୍ଗେ ସଙ୍ଗେ ଫେରିଆସିବ ପୁରାଣ ଓ କିମ୍ବଦନ୍ତୀର ଅତୀତ ଭାରତ । ତା’ର ସତ୍ୟଯୁଗ ଧର୍ମଯୁଗ ରାମରାଜ୍ୟ । ସେତେବେଳେ କିଏ କାମ କରିଥିଲା, କିଏ ଅବା ଖାଲି କଳ୍ପନା କରିଥିଲା । ହାତ ଗୋଡ଼ ନ ଚଳିଲେ ବି ପ୍ରାଣ ଢାକି ଦେଉଥିଲା ସେହି ଧାରଣାରେ ।

 

ପୁଣି ଲାଗିଥିଲା ସେହି ଉଚ୍ଛ୍ୱାସର ଧାସ ତାଙ୍କ ମୁହଁରେ, ଆଖିରେ, ସେ ରବିର ପ୍ରଶସ୍ତି ଗାଉଥିଲେ ।

 

ଛବି ଆସି କହିଲା, ‘‘ବୋଉ ମାଛ ଦେ, ବନେଇବି ।’’ ସିନ୍ଧୁ ଚୌଧୁରି ତା’ ମୁହଁକୁ ଚାହିଁଲେ, ସେ ଚାଲିଗଲା । କଥା ଅଟକାଇ ଅନାଇ ରହିଲେ ତା’ ବୋଉ ମୁହଁକୁ ଦିହେଁ ଯେପରି କି ଏକା ସାଙ୍ଗରେ ଭାବୁଥିଲେ ଏକା କଥା ।

 

ଗୋଟାଏ ସାମାନ୍ୟ ଘଟନା, ଘଟନା ବି ନୁହେଁ । ମୁହୂର୍ତ୍ତକରୁ ଚିଆଁ ଅନୁଭୂତି; କିନ୍ତୁ ସେ ସିନ୍ଧୁ ଚୌଧୁରିଙ୍କ ଭାବନା ଭିତରେ ଚେର ମେଲିଥିଲା । ବାରମ୍ୱାର ଆପଣା ଚାରିପାଖକୁ ଅନାଇ ସେ ଆପଣାଠି ତା’ର ଆରମ୍ଭଟାକୁ କଳିବାକୁ ଚେଷ୍ଟାକରିଥିଲେ, ବାହାରେ ଏଇ ଚିହ୍ନାର ଜଣାର ଦୁନିଆଁ, ସେଠି କାହାର ଆକାର ଅଛି, କାହାର ରଙ୍ଗ ଅଛି, କାହାଠି ଆଉ କେଉଁ ହେତୁ କି ଫଳ ଅଛି, କିନ୍ତୁ ସେ ଅନୁଭୂତିରେ ସେପରି କିଛି ନ ଥିଲା ମନରେ ସାଇତି ରଖିଲା ଭଳି । ପଛକଥା ବାରମ୍ୱାର ସୁତୁରେଇ ସୁତୁରେଇ ଗୋଟେଇ ଆଣୁଥିଲେ, ହେଇ ସେଦିନ ସେ ମାଛଟିଏ ଧରି ଘରକୁ ଆସିଲେ, ରବି ମରିଯାଇଛି ବୋଲି ଛବିର ବୋଉ କହିଲେ, ସେ ତା’ପରେ ଏ ମିଛ କଥାଟାକୁ ପ୍ରତିବାଦ କରି କ’ଣ କହିଲେ- ଏ କହିଲେ, ସେ କହିଲେ, ଏ କହିଲେ, ସେ କହିଲେ, ତା’ପରେ ଆଉ ବେଶି କିଛି ମନେପଡ଼େନାହିଁ, କିନ୍ତୁ ଲାଗେ ଯେପରି କି ନିଦରେ ମାଡ଼ି ପଡ଼ିଥିବା ଅଳସ ଆଖିକରି ସ୍ୱପ୍ନରେ ଚାଲିଲା ପରି ଢୁଳେଇ ଢୁଳେଇ ଯାଉ ଯାଉ ହଠାତ୍ ଗୋଟାଏ ଝାଙ୍କ ପାଇ ଆଖି ଦି’ଟା ଖୋଲିଯାଇ ଗୋଟାଏ ନୂଆ ଚେତନା ଜନ୍ମିଥିଲା, ଚିହ୍ନା ଭୂଇଁର ଅତଡ଼ା ଛିଣ୍ଡିଯାଇଛି ।

 

ପଛରେ ହେଇ ସେ ଦୂରେଇ ଲମ୍ୱିରହିଛି, ଆଗରେ ଆଉ କ’ଣ ଅଛି ସ୍ପଷ୍ଟ ହୋଇ ଦିଶୁନାହିଁ, ଆଉ ଏଇଠି ଅଛନ୍ତି ସେ, ପଛକୁ ଅନାଇଁ ସ୍ମୃତି ଅଣ୍ଡାଳିବାକୁ, ଆଗକୁ ଅନାଇଁ ଧନ୍ଦି ହେବାକୁ, ଆଉ ତରତର ହୋଇ ପଳାଇ ଯାଉଛି ପ୍ରତି ପଲକରେ ଯେଉଁ ଶୂନ୍ୟର ପଟ, ପଲକ ପଲକରେ ଆପଣା ଅଙ୍ଗେ ନିଭାଇଥିବା ଇତିବୃତ୍ତ ଯହିଁରେ ଲେଖିହୋଇ ଅନ୍ଧାରକୁ ଚାଲିଯାଉଛି ପୋଥି ଖେଦା ହୋଇ ପୁଣି ବଇମେ ହେବାକୁ, ଫିମ୍ପିମାରି ଗୁଣ୍ଡା ହେବାକୁ, ସେହି ଆଖି ପଲକାଏ ବେଳରେ ସେତେବେଳେ ସେହି ଶୂନ୍ୟ ପଛରେ ଲେଖି ହୋଇଥିଲା ଗୋଟାଏ ଅଜାଣତର ଚମକ, ଗୋଟାଏ, ଝାଙ୍କ, କାହିଁକି କ’ଣ ହେଲା ବାରି ହେଉନାହିଁ, କିନ୍ତୁ ଚିନ୍ତା କରି ହେଉଛି ।

 

ସତେକି ଚଳନ୍ତା ମଟରଗାଡ଼ିଟାଏ ସେଠି ଗୋଟାଏ ଗଡ଼ଗଡ଼ା ଖାଇ ଝାଙ୍କେ ଦେଇଥିଲା ତାଙ୍କୁ ଆଉ, ଆପଣାକୁ ନେଇ ସେଇଠି ଠିଆ କଲେ, ଲାଗୁଛି ମାଇଲ ଖୁଣ୍ଟିଟା ନାହିଁ, ଅଥଚ ଛାଡ଼ି ଆସିଥିବା ଆଗମୁଣ୍ଡରୁ ଦୂରତାବୋଧ ମନରେ ରହିଛି ।

 

ହେଇ ସେ ମୁଣ୍ଡରେ ଦିଶେ-ଛବିର ଅନ୍ତୁଡ଼ିଶାଳ ।

 

‘‘ଆ ଝିଅଟାଏ ହେଲା ! ସେଇଥିପେଇଁ ଗୋରୁପେଟ କାଢ଼ିଥିଲା ବା ! ଚନ୍ଦା ମୁଣ୍ଡରେ ଅଳପ ହୋଇ କେରାଟିଏ ଝୋଟର ଗଣ୍ଠି ମନେପଡ଼େ, ଗୋଟିକିଆ ହୋଇ ଅବାଗିଆ ହୋଇ ଗୋଟାଏ ହଳଦିଆ ଦାନ୍ତ, ଚଢ଼େଇ ଆଙ୍ଗୁଠିପରି ନିରକ୍ତିଆ ମୁନିଆ ମୁନିଆ ଆଙ୍ଗୁଠି ଦିଟା, ତା’ ଅଗର ନଖ ମରିଛି, ଭାବିଲେ ମନେପଡ଼େ ବୋଧହୁଏ ଗାଡ଼ୁଆ ଗାଡ଼ୁଆ ଖୋଲ ଯୋଡ଼ିଏ ତା’ ଭିତରେ ପାଉଁଶ କି ଧୂଆଁ ବର୍ଣ୍ଣର ଆଖି ଯୋଡ଼ିଏ, ନା, ସ୍ପଷ୍ଟ ମନେପଡ଼େ ନାହିଁ ସେ ଆଖି, ଭାବିଲେ ବି ଧରାଦିଏ ନାହିଁ । ବହୁବର୍ଷ ତଳର, ସେ ଥିଲେ ତାଙ୍କରି ବୋଉ । ସେହି ଆଗର ବାକ୍ୟଟା ପରେ ଗୋଟାଏ ହୁହୁଆ ହସ, ଯେପରି କି ଗୋଟିଏ ଛୋଟିଆ ତୋଫାନ ଆରମ୍ଭର ଶବ୍ଦ, ଗୋଟି ସୁଦ୍ଧା ମନେପଡ଼େ ନାହିଁ ତା’ ବି, ତା’ପରେ ଆର ବାକ୍ୟଟା, ‘‘କେଡ଼େ ପାଟି ! ମୋ ବୋପା ! ଅସୁରୁଣୀଟାଏ । ଜନ୍ମ ହେଇଚି, ଖାଇବ ଲୋ ମତେ ! କି ଶୋଭା ମୁହଁ, ଦେଖ ମ ସିନ୍ଧୁଆ, ଦେଖ, ଯାଉଛୁ କୁଆଡ଼େ, ଖାଇବୁଟି ଲୋ ମତେ ? ହଇଲୋ ଅସୁରୁଣୀ ମୋ ଦୁଃଖ ସାରିବୁ କି !’’ ତଳେ ଶୋଇଥିବା ଆଉ ଜଣକର ମୁହଁର ହସ ମନେପଡ଼େ । ପାତଳ ହୋଇ ମଣିଷଟିଏ, ସବୁଦିନେ ଯେମିତିକି ସେ କେହି ନୁହେଁ, କିଛି ନୁହେଁ, ସେମିତି । କିନ୍ତୁ ତା ମୁହଁ ହସରେ ଭାଙ୍ଗିଭୁଙ୍ଗି ହୋଇ ଏକ ଅଜଣା ଭାବରେ ଢଳଢଳ ହୋଇ ଦିଶୁଥିଲା କେମିତି ବିହ୍ୱଳ ହୋଇ ସୁନ୍ଦର, ସେହି ଆର ମୁହଁଟି ଥିଲା ବେଶୀ ଲୋଭନୀୟ ।

 

କୁଆଡ଼େ ସବୁ ଗଲା, କେମିତି ସବୁ ବଦଳିଗଲା । ଛବିବୋଉର ଏ ଚେହେରା ସେ ନ ଥିଲା । ଭାବିଲେ ମନେପଡ଼େ, ବହୁତ ଟାଣି ଓଟାରି ହେଉ ହେଉ ଆପେ ପୁଣି ପାସୋରିଯାଏ, ସବୁ ନୁହେଁ ଛିଲିକାଏ କେତେ କେତେବେଳେ । ଗୋଟାକୁ ଭାବୁ ଭାବୁ ଆଉ ଗୋଟାଏ । ପୁଣି କୁଆଡ଼େ ହଜିଯାଏ ! ହେଇ ଯେପରିକି, ବୋଉ କହିଲେ ମନେପଡ଼େ ଖାଲି ଆପଣା ଭିତରର ଗୋଟାଏ ବିକଳ ଦୀର୍ଘଶ୍ୱାସ, ଛାତି ଭିତରେ ଦବିଲା ଦବିଲା ପରି, ଆଖିରେ ଏକ ଅଛିଣ୍ଡା ଫମ୍ପା ଦୂରତା, ତା’ର ସମାପ୍ତି ନାହିଁ, ଆଉ ସେହି ଶୂନ୍ୟ ଭିତରେ ହଠାତ୍ ଶୁଭେ ଦୁଲୁ ଦୁଲୁ ପାଦଶବ୍ଦ, ହଠାତ୍ ଶୁଭେ ଦୁମ୍ ଦୁମ୍ ଠକ୍ ଠକ୍ ହୋଇ ସମାନ ଛନ୍ଦରେ ପାନଛେଚା ଶବ୍ଦ । କେତେବେଳେ ଗୋଟିଏ କପାଳ ଦିଶିଯାଏ, ନୁହେଁ ଶ୍ୟାମଳ ନୁହେଁ ଗୋରା, ପାହାନ୍ତି ପହରର ଚୋରାଆଲୁଅ ମନେପଡ଼େ । କେତେବେଳେ ଦିଶିଯାଏ ଦି’ଟା ଗୋଲ କାଚର ରୂପା ଚଷମା, ସରୁ ନାଡ଼ କାନକୁ ଯେଉଁଠି ଘେର ବୁଲିଛି ତା’ ଉପରେ ଧଳା ବାଳ ପୁଳାଏ ପୁଳାଏ, କପାଳ ମଝିରେ ଗୋଲ ହୋଇ ତିଳକ ଟୋପା । ପୁଣି ସବୁ ମିଳେଇଯାଏ, ପାନ ଛେଚିବା ଶବ୍ଦହିଁ ଲାଗି ରହେ । ଆଉ ଅତି ପରିଷ୍କାର ଅତି ଉଜ୍ଜ୍ୱଳ ହୋଇ ବାରି ହୁଅନ୍ତି ଆଉ ଆଉ ଲୋକେ, ବାହାର ଲୋକେ ଯାହାଙ୍କଠି ତାଙ୍କର ସେତେ ଘନିଷ୍ଠ ସମ୍ପର୍କ ନ ଥିଲା, ହେଇ ଯେପରି ମାଖୁନା ବୁଢ଼ା ବନ୍ଧୁ ରାଉତ, ଘର ଛୁଆଣି କରି ବସିଥିବ ଚାଳ ଉପରେ, ଏଣେ ପଦକୁ ପଦ ଭାଗବତ ବୋଲୁଥିବ ।

 

ଦିଟା ଟୋକା ମଧୁ ଆଉ ବିଧୁ ମନେପଡ଼ନ୍ତି ଅଳ୍ପ ଅଳ୍ପ, ବିଧୁ ପୋଷିଥିଲା । ନେଉଳଟାଏ ସେଇଟା ମନେପଡ଼େ, କେମିତି ପିଠିମାଡ଼ି ଚିତ୍ ହୋଇ ଚାରିଗୋଡ଼କୁ ଟେକି ଲାଙ୍ଗୁଡ଼ ଗୁରେଇ ସେ ଶୋଇଥାଏ । ମଧୁ କେମିତି କାଖ ତଳେ ବସ୍ତାନି ଯାକି ଧାଇଁ ଧାଇଁ ଯାଉଥିଲା ଚାହାଳିକି, ଧାଉଁ ଧାଉଁ ଠିଆ ଠିଆ ମୁତୁଥିଲା, କେମିତି ବିଧୁ ମଧୁକୁ ପେଲି ଦେଇଥିଲା, ମଧୁ ମୁଣ୍ଡରୁ ରକ୍ତ ବାହାରୁଥିଲା ଝର ଝର । ଏମିତି କେତେକଥା-କେତେକଥା-କେଉଁଟା ଲାଞ୍ଜ, କେଉଁଟା ମୁଣ୍ଡ, କେଉଁଟା ଆଗ, କେଉଁଟା ପଛ ।

 

ସବୁ ଗୋଳିଆମିଶା ହୋଇ ମିଶିଯାଏ, ଜିକିଜିକି ହୋଇ ତେଜିଉଠେ କେଉଁ ଛବି ପାଖେ ଆଉ କେଉଁ ଛବି, ଆପଣା ଭିତରୁ କେତେ ପ୍ରକାର ପ୍ରତିଧ୍ୱନି ବାହାରେ, ଏହି ଦେହ ପଡ଼ିରହେ ଯେପରି ଚିହ୍ନା ପୃଥିବୀ ପରି, ତା’ରି ଉପରେ ଯୁଗ ଯୁଗର ଛଇ ଗଡ଼ି ଚାଲିଲା ପରି ଚେତନା ଭିତରେ କେତେ ଅବସ୍ଥା ବେଳର ଚିତ୍ର ବୋହିଯାଏ ।

 

କେବଳ ତାଙ୍କର ଏହି ଝିଅଟି ବଡ଼ ହୋଇଛି, ତା’ର ପରିବର୍ତ୍ତନ ଘଟିଛି ବୋଲି ନୁହେଁ, ତା’ ସଙ୍ଗେ ସଙ୍ଗେ କେତେ କଥା ତ ବଦଳିଛି, ଆଖିରେ ପଡ଼େ ।

 

ଆଉ ତା’ ସମ୍ପର୍କରେ ଯେଉଁ ଉଦାସ ମନରେ ଘୋଟେ, ସେ କେବଳ ନୁହେଁ ଏଇ ଗୋଟିଏବୋଲି ସନ୍ତାନ ପରଘରକୁ ଯିବବୋଲି ଅନହୁତି ଭାବନାର ଛବି । ଅଜାଣତରେ ମନରେ ବାଜେ ପଛୁଆଣି ଲେଉଟି ଯାଉଥିବା ଜୀବନର ବାହୁଡ଼ା ରଥର କଳ ରୋଜ, ସେ ଦୂରେଇ ଯାଉଛି, ସେ ଦୂରେଇ ଯାଉଛି । ଯାହା ଯାଉଛି ଆଉ ଫେରିବ ନାହିଁ । ମୁଁହୂର୍ତ୍ତ ମୁହୁର୍ତ୍ତକର କେତେ ସମ୍ପର୍କରେ ଛନ୍ଦାଛନ୍ଦି ଚେତନାର ଜାଲ ପିନ୍ଧି ପଛେଇ ଚାଲିଯାଉଛି ଏ ଧରଣୀରେ ଆପଣାର ମଣିଷପଣ, ବଢ଼ି ଉଠି ଉପରକୁ ଉହୁଙ୍କି ଚାଲିଥିବା ଗଛକୁ ଚାହିଁଲେ ସେହି କଥା ବିନ୍ଧେ ମନରେ, ମୁଣ୍ଡରେ ଭାବନା ପଶିଗଲେ ଭାଗବତର ନୀତି ଆଉ ସେତେବେଳେ ସାନ୍ତନା ଦିଏ ନାହିଁ, ଆଗ ହୁଏ କେଉଁ ଦାନ୍ତଟା, ଦୁଇଟା ପଡ଼ିଗଲାଣି ଆଉ ଗୋଟାଏ ବି ହଲୁଛି କଳା ପାଖରେ, ନ ହେଲେ ଏଇ ଖପୁରି ଉପରେ କେଉଁ ଠାଆରେ ଧଳାବାଳ ମେଞ୍ଚାଏ, ଆଗେ ସେ ଥିଲା କଳା, ଆଉ ସାମନାରେ ଛବିବୋଉର ଏ ଦେହଟା ଆଗେ ସରୁ ଥିଲେ ବି କେଡ଼େ ଜୀଅନ୍ତା ଥିଲା, ଏବେ ହେଲାଣି ମୋଟା ମାଦଳ ଅଥଚ ଫପ୍‌ସା । ସେହି ଚାରିଆଡ଼ ହୁଏ ଯେପରି କି କେଉଁ ମାୟା ଦର୍ପଣ, ସେଇଥିରେ ଆପଣାର ଶୁଥ ବ୍ୟକ୍ତିତ୍ୱର ପ୍ରତିଚ୍ଛାୟା ଦିଶେ, ଆଉ ମନେହୁଏ ବେଳ ଆସିବ ଯେତେବେଳେ ସେ ପ୍ରତିବିମ୍ୱ ବି ଦିଶିବ ନାହିଁ କିଛି ରହିବ ନାହିଁ ସିନ୍ଧୁ ଚୌଧୁରି ବୋଲି, ଆଖି ଆଗରେ ସୂର୍ଯ୍ୟ ବି କେବଳ ଶୀତଳ ହୋଇ ହୋଇ ପୁଣି ନିଭିଯିବ ।

 

ସେହି ନିଶ୍ଚିହ୍ନତାଆଡ଼କୁହିଁ ଗତି ଆରମ୍ଭ ହୋଇଯାଇଛି, ତରତର ହୋଇ ବଢ଼ନ୍ତା ଦୁନିଆଁ ସତେକି ସେହି ଘୋଷଣା ଦେଇଯାଏ ଯେ ଆଲୁଅ ନ ନିଭୁ ପଛେ ଏ ବହିପଢ଼ା ଆପେ ଆପେ ଯିବ ବନ୍ଦ ହୋଇ, କାଲି ଯେଉଁ ଶିଶୁ ଜନ୍ମ ହୋଇଛି ସେ ବି ସତେକି କାନ୍ଥରେ ଆଙ୍କିଯାଏ ସିନ୍ଧୁ ଚୌଧୁରିବୋଲି ଭୋକଟାର ଭାବି ପ୍ରାଣଦଣ୍ଡର ଚିତ୍ର ।

 

ଆଖି ଆଗରେ ସେହି ଚିତ୍ର ଆଙ୍କିଥିଲା ଛବି । କାଲିକା କଥା ତ, ତା’ର କେତେ କଉତୁକ ମନେପଡ଼ିଯାଏ । କେଡ଼େ ଟିକି ବକଟେ ହୋଇ ରହିଲା ସେ ବର୍ଷ ଉତ୍ତାରୁ ବର୍ଷ ଗଲାଯାକେ । ଟେକୁଆଛୁଆପରି କୁଦା ମାରି ମାରି, ଧାଇଁ ବୁଲୁଥିଲା । ସାତ ବର୍ଷ ପୂରୁ ପୂରୁ ହଠାତ୍ ସେ ପଗଛାଡ଼ି ଡେଙ୍ଗା ହେଲା, ତା’ଠି ଅଇଁଗୁଣ ହେଲା, ଛଳ ହେଲା, ଜିଦ୍ ହେଲା, ବାଘୁଣୀ ସ୍ନେହ ଦେଖାଇ କେତେବେଳେ ଯଦି ଧାଇଁଆସି ବହେ ଗେଲ କରିଦେଇଗଲା, ଆଉ କେତେବେଳେ ସାମାନ୍ୟ କଥାରେ ରୁଷି ବସିଲା ଦିନେ ଓଳିଏ । ମାଉଁସ ଲାଗିଲା ନାହିଁ ତାଠିଁ, ଛଡ଼ ପରି ବଢ଼ିଲା । ସେ ଚିତ୍ର ବି ମନେପଡ଼େ ।

 

‘‘କ’ଣ ଏଇଟା ମଣିଷ ହବ ! ଘର ସଂସାର କରିବ !’’ ସ୍ନେହରେ ବୋଉ କହନ୍ତି, ‘‘ରାହାବାଳୀ ପଣକୁ ତ ସରିଚି, ମନକୁ ନଙ୍ଗଳ ଦଉଡ଼ି ପାଉ ନାଇଁ ।’’ ତା’ରି ଜିଦିରେ ବାରିଆଡ଼େ ଲାଗିଥିଲା ପିଜୁଳି ଗଛଟା । ଆର ସାହିରେ ସତୀଆମା ନାତୁଣୀ ବେଙ୍ଗର ତା’ର ଯେଉଁଦିନ ସତୀଆମା ବାରିର ପିଜୁଳି ଗଛରୁ ପିଜୁଳି ତୋଳିବା ଘେନି ବହେ କଳିଆ କରିଥିଲେ, କେତେ କାଳର ‘ଗଙ୍ଗାଜଳ’ ସମ୍ୱନ୍ଧଟାକୁ ଗୋଡ଼ରେ ଦଳି ଦେଇ ସେ ଆସି ବାପାକୁ ଆଗୁଳିଥିଲା, ‘‘ଆମର ବି ପିଜୁଳିଗଛ ଲାଗିବ । ନ ହେଲେ, ଜାଣିଥା, ନ ହେଲେ–’’

‘‘ଗଛ ଲଗେଇଦେଲେ କ’ଣ ସାଙ୍ଗେ ସାଙ୍ଗେ ପିଜୁଳି ଫଳିବ ଲୋ ପାଗ୍‌ଲି !’’

‘‘ଯେବେ ହେଲେ ଫଳିବ ତ !’’

‘‘ଯେବେ ହେଲେ ! ସେ କ’ଣ ମାସେ ପକ୍ଷେ ହେଇଚି ?’’

ଫେରେ ସେହି ଉତ୍ତର, ‘‘ଯେବେ ହେଲେ ଫଳିବ ତ-’’

ତା’ର ସେ ମୁହଁର ଠାଣି ବି ମନେପଡ଼େ, ଥମ ଥମ ମୁହଁ, ତାଞ୍ଛିଦେଲା ପରି, କୁଞ୍ଚକୁଞ୍ଚିଆ ବାଳ କାନ୍ଧ ଉପରେ ପିଠି ଉପରେ ବିଞ୍ଚିହୋଇ ପଡ଼ିଥିଲା, ନାଲି ନାଲି ଧାର ଓଠ ଦିଫାଳ ଥରୁଥିଲା, ସରୁ ଛାତି ତଳେ କଇଁଟାଏ କେଉଁଠି ଠିପି ଦିଆହୋଇ ବନ୍ଦ ହୋଇଥିଲା, ପିଠିଟା କମ୍ପିଯାଉଥିଲା ।

‘‘ହଉ, ଲଗେଇବା ଆମର ପିଜୁଳି ।’’

‘‘କେବେ ?’’

‘‘ଗଛ ଖୋଳା ହେବ, ଆସିଲା ମାତ୍ରେ ଲାଗିବ ।’’

‘‘ଚଞ୍ଚଳ । ନ ହେଲେ–ଜାଣିଥା-’’

ସତକୁ ସତ ପିଜୁଳି ଗଛଟାଏ ଅଣା ହୋଇ ଲାଗିଲା । ତା’ପରେ ଦିନାକେତେ ସେହିଠି ଯେପରି କି ତା’ର ପ୍ରାଣଟା ଅଟକିଥାଏ, ଅଶେଷ ଯତ୍ନ । କେହି ନ ଥିଲାବେଳେ ଏକୁଟିଆ ଖାଲିଟାରେ ସେଠି ଯାଇ ଠିଆ ହୋଇଥିବ । କେଉଁଦିନ କୁଆଁ ବାହାରିଲା, ଡାଳଟା କେତେ ବଡ଼ ହେଲା ସେ କହି କହି ବୁଲେ । କେଉଁଠୁ ଶୁଣିଲା ଗେଣ୍ଡାଭାତ ଦେଲେ ଗଛ ବଢ଼େ, କେତେ ଖୋଜାଖୋଜି କରେଇ ମଗେଇ ଆଣି ଗଦେଇଇଲା ।

ଆସିଲା ପଙ୍କ ପିଡ଼ିଆ ଖତ ମୂଷାମାଟି କେତେ କ’ଣ । ଗଛଟା ସତେ କି ତା’ ମନକଥା ବୁଝିଲା, ବଢ଼ି ଉଠିଲା ତରତର ହୋଇ ।

ଫଳିଲା ବି ଦିନେ, କିନ୍ତୁ ସେତେବେଳକୁ ତା’ର ଆଉ ସେ ଉତ୍ସାହ ନ ଥିଲା । ସେଦିନୁଁ କେତେ ମୁଥ ପିଜୁଳି ଫଳ ସେ ଗଛ ଅଜାଡ଼ି ଲାଗିଛି, କେଡ଼େ ବୃଷାଳ ହେଲାଣି ତା’ ଗଣ୍ଡି, ସତେ ଯେମିତି କି ଗଜା ଆମ୍ୱଗଛ ପରି, ଚେକା ମେଲିଛି । ସତୀଆମା ମଲାଣି, ଅଳ୍ପ ବୟସରେ ବିଭା ହୋଇ ମଲା ପିଲା ଜନ୍ମକରି ବେଙ୍ଗ ବି ଏ ପୃଥିବୀରୁ ବିଦାୟ ନେଇଛି, ଡିହ ବିକା ହେଲା ପରେ ସେ ପିଜୁଳି ଗଛଟାକୁ ହାଣି ସେଇ ଚକଡ଼ାରେ ଗରୁଡ଼ ଦାସ ଗୋଟିଏ ନୂଆ ଘର ତୋଳି ଆପେ ରହିଛି, ସେ ଡିହରେ ଘର କଲା ନାହିଁ ନିଅଁସୀ ଡିହ ବୋଲି, ସେ ଡିହରେ ତା’ର ନଡ଼ିଆ ବାରି କରିଛି, ଚାଳିଶି ଗଛ ଉତ୍ତାରି ଦେଇଛି, ଚଅଁର ପକାଇବା ବେଳେ ପାଖ ହେଲା ।

ଆଉ ଏଣେ ଛବି ବି ବଦଳିଛି । ଛଡ଼ ଖଣ୍ଡ ଉପରକୁ ବଢ଼ୁ ବଢ଼ୁ ଠାଏ ପୁଣି ଅଟକିଗଲା । ତା’ପରେ ସେ ଛାଉଣି ହେଲା ନୂଆ ଦେହରେ । ବର୍ଷ ଦୁଇଟାରେ ଚାହୁଁ ଚାହୁଁ କେଡ଼େଘାଏଁ ପୂରିଗଲା, କୁଆଡ଼େ ଉଭେଇଗଲା । ତା’ର ଚଗଲୀପଣ, ବଢ଼ନ୍ତା ବୟସର ଥାକ ବାରିହେଲା ନାହିଁ, ଭାଗିଲା ସତେ କି ଏମିତି ସେ କୁନ୍ଦାହୋଇ ଗଢ଼ା ହୋଇଥିଲା ମୂଳରୁ । ପରିବର୍ତ୍ତନ ନାହିଁ ।

 

ତା’ର କାରଣ ସିନ୍ଧୁ ଚୌଧୁରି ତା’ର ମନଟାକୁ ଦେଖୁଥିଲେ ସେହି ପୁରୁଣା ଠାଣିରେ । ଯେମିତିକି ସେମିତି ଥିଲା ପରି । ଆଉ କିଛି ଭାବିବାକୁ ଅବକାଶ ପଡ଼ି ନ ଥିଲା । ନିତି ଦେଖୁଥିବା ଆଖି ଆଗରେ ସବୁ ଭୁଲି ହୋଇଯାଇ ରହିଥିଲା ଏକ ପୁରୁଣା ଚେତନା–ସେ ବି ସ୍ୱତନ୍ତ୍ର ହୋଇ ନୁହେଁ, ଆପଣାର ଏକ ଅଂଶ ହୋଇ–ଏଇ ମୋର ସନ୍ତାନ, ଜନ୍ମ ହୋଇଥିଲା, ଅଛି ।

 

ମୁଁ ଅଛି, ସେ ଅଛି । ଅଛି ।

 

ତା’ପରେ କେବେ ଦିନେ ତା’ବୋଉ କହିଲେ ତା’ପାଇଁ ବର ଖୋଜିବାକୁ । ସେହି ‘ଅଛି’ପଣର ସୁସ୍ଥି ଭିତରେ ବାଜିଥିଲା ନୂଆ ଡାକ, ସେତେବେଳେ ବି ଛବିକୁ ସ୍ୱତନ୍ତ୍ରବୋଲି ଭାବି ହୋଇନଥିଲା, କେବଳ ଲାଗିଥିଲା । ଅପଣାର ଏହି ଜୀବନରୁ ଖଣ୍ତେ ହାତଟେକି ପରକୁ ଦେଇଦେବାକୁ ପଡ଼ିବ । ଯେବେହେଲେ ଯିବ ସେ ।

 

ପଦାରେ ତା’ର ସ୍ମାରକ ଶଙ୍କୁ ପରି ଦିଶିଲା ବାହାର ଲୋକଙ୍କ କାହାଣୀ । କାହାର ଝିଅ ବିଭା ହେଲା, ବିଦା ହେଲା, କାହା ଝିଅ ଘରକୁ ଭାର ଗଲା, ଲାଗିଲା ସିନ୍ଧୁ ଚୌଧୁରିଙ୍କ ମନ ଭିତରେ ଚହଳ, ଆପଣାର ଝିଅ ଯେପରିକି ଦୁନିଆଯାକର ଝିଅ ହୋଇ ଚାରିଆଡ଼େ ଦିଶିଲା, ଝିଅ ପରଘରକୁ ଯିବାର ବିଚ୍ଛେଦର ଦୁଃଖ ବାରମ୍ୱାର ଛାତିରେ ବିନ୍ଧିଲା, ଏତେ ରୂପରେ ଏତେ ବେଶରେ ପିଲାଖେଳ ଭାଙ୍ଗିଦେଇ ଚାଲିଯାଉଛି ସେହି ତ, ଆଉ କିଏ ?

 

ଆଉ ତୁହାଇ ତୁହାଇ ହୋଇ ବଢ଼ି ଉଠିଲା ସେହି ପୁରୁଣା ଅନୁଭୂତି ସମୟର ଚଳନ୍ତି ଘୋଷରା, ଲାଗିରହିଛି ଅବିରାମ, ଥମ୍ୱି ନାହିଁ ।

 

ତା’ପରେ ସେହି ଦିନର ଘଟନା, ଯାହା ଘଟନା ନୁହେଁ କିଛି ନୁହେଁ ଖାଲି ଭାବିବା ଦେଖିବାର ଗୋଟାଏ ନୂଆ ବାଗ, ମନରେ ନୂଆ ହେତୁ ପଶିଗଲା, ଯେପରି କି ଆପଣାର ସାନ ସଂସାର ଉପରେ ଆଖି ବୁଲେଇ ନେଇ ସେ ଦେଖିଲେ ଗୋଟିଏ ନୂଆ ମଣିଷ, ତା’ର ସ୍ଵତନ୍ତ୍ରତା ଅଛି, ତା’ଠି ବି ଅଛି ତା’ର ଇଚ୍ଛା, ତା’ର ରୁଚି, ତା’ର ସ୍ଵପ୍ନ ।

 

କାବା ହେଇ ସେ ନୂଆ ରୂପ ଦେଖିଥିଲେ ଆପଣାକୁ ମୋହିଁ ଟେକିଧରି ଚାଲିଛି ଗୋଟିଏ ଲଟା । ଝିଅର ଛଦ୍ମବେଶ ଫୋପାଡ଼ି ଦେଇଛି ଗୋଟିଏ ନାରୀ, ଭାଗବତ ତଳେ ମାଟି ବାରି ହେଉଛି ।

 

ସେତେବେଳେ ସେ ମନକୁ ବୁଝାଇଥିଲେ, ସବୁଠି ଅଛି ମାଟି, ଏଇ ମାଟିରୁ ସମସ୍ତେ ଉତ୍‌ପନ୍ନ ।

 

ବୁଦ୍ଧିର ତେଜ ସଂସାରୀ ଜ୍ଞାନର ତେଜ ପରି ଖରା ତା’ର ଯେତେବେଳେ ଧିମେଇଁଯାଏ, ଅବୁଝା ଅନ୍ଧ ମରମଭାବ ପରି ଛାଇ ରହେ ହାଲୁକା ଅନ୍ଧାର, ସେତେବେଳେ ଦୂରକୁ ଦୃଷ୍ଟି ପ୍ରସାରିଲେ ଦିଶେ ସେହି ଶୋଇଲା ମୃଣ୍ମୟୀର ଅବୟବ, ବାରି ହୁଏ ତା’ର ଅବାଧ ବିସ୍ମୃତି, ତା’ର ଢେଉ ପରି ଜିପ, ତା’ର ରହସ୍ୟପୂର୍ଣ୍ଣ ଖାଲକୁଦ, ବୁଝିହୁଏ ତା’ର ଚିର ସର୍ଜନୀ ମନର ସ୍ନେହ, କୋମଳତା, ଅସରନ୍ତି ଆବେଗ ପୁଣି ଅସରନ୍ତି ଧୈର୍ଯ୍ୟ । ସେହି ସେ ନାରୀ ।

 

ଛବି ବଡ଼ ହୋଇଛି, ମଣିଷ ହୋଇଛି ।

 

ହଠାତ୍ ବିସ୍ମୟ ଭିତରେ ଚାଉଁକରି ଲାଗେ, ଆଖିରେ ବାମ୍ଫ ପୂରିଯାଏ, ଲାଗେ ଖେଳଣା କଣ୍ଢେଇ ବ୍ୟାପକଭାବେ ବିସ୍ମୃତି ପାଇ କାହିଁ ଉଡ଼ି ପଳାଉଛି ।

 

ସେ ଥିଲା ଟିକି କଣ୍ଢେଇଟି, ଶୋଇଥିଲେ ପଥର, ଚେଇଁଥିଲେ ସବୁଦିନେ ପିଲା । ଏକାଠି ଏକା ବିଛଣାରେ ବାପ ମା ଛବି, କ’ଣ ଜାଣେ ପିଲାଟା ?

 

ଛବିବୋଉ ତାଙ୍କ ପାଟିରେ ପାନଖଣ୍ଡେ ଗେଞ୍ଜିଦେଇ ଯେତେବେଳେ ପାନର ଅଗରୁ ଖଣ୍ଡେ ଛିଣ୍ଡେଇ ନେବାକୁ ମୁଁହରେ ମୁଁହ ଯୋଡ଼ି ଦିଅନ୍ତି, ଟିକି ଛବି ଆଖି ମିଟି ପିଟି କରି ଦେଖୁଥାଏ, ଟିକିଏ ବଡ଼ ହେଲାରୁ ସେ ବି ଧାଇଁ ଆସିଲା ବାପା ବେକରେ ହାତ ଗୁରେଇ ଦେଇ ବାପା ପାଟିରୁ ପାନର ଅଗ ଛିଣ୍ଡେଇ ନେବାକୁ ।

 

ଆଉ ଆଜି ସେହି ଛବି ଉଭେଇଯାଇ ଠିଆ ହୋଇଛି ଗୋଟିଏ ଅପରିଚିତ ନାରୀ । ତା’ମନରେ ଭିନେ ମଣିଷର ଛାଇ ପଡ଼ିଛି । ସେ ଯେପରି କି ପାହାନ୍ତାର ଚଢ଼େଇ, ବେକ ଇମ୍ୱେଇ ଅପେକ୍ଷା କରି ବସିଛି ସିନ୍ଦୂରାକୁ ।

 

ତା’ର ବିକାଶକୁ ସାହାଯ୍ୟ କରିବାକୁ ହେବ, ଫୁଟୁ କଢ଼, ଖେଳୁ ପବନ, ଆକାଶ କଣର ସାନ ନେଳୀ ଅରାକ ବିଛେଇ ହୋଇଯାଇ ଆକାଶଯାକ । ସ୍ରଷ୍ଟାର ସୃଷ୍ଟି ତା’ର ଅଭିଷ୍ଟ ସିଦ୍ଧି କରୁ ।

 

ପହିଲି ହୋଇ ତାଙ୍କ ମନରେ ଆସିଥିଲା ଗୋଟିଏ ନୂଆ ସମସ୍ୟା, ସେଠି ଅପଣା ମନ ଦି’ଫାଳ ହୋଇ ଦୁଇପଟ ବାଛି ନେଇ ଯୁଦ୍ଧ କରିବାକୁ ଠିଆ ହୁଏ ପରସ୍ପର ସଙ୍ଗେ । ପଟେ ଏକ ବିଚାର କାମନା କ’ଣ ? ଉତ୍ତେଜନା କ’ଣ ? କାହିଁକି ରହିବ ତା’ର ସ୍ୱତନ୍ତ୍ରତା ? କିଏସେ ଏ ପରଲୋକ ଏ ଘରେ ? ସେହି ବିଚାରର ତାଉ ପଡ଼େ ରବି କଥା ଭାବିଲେ, ଲାଗେ ତା’ର ନାଁ ନ ପଡ଼ୁ । ମନର ଆର ଫାଳକ ଯେପରି କି ଗେରୁଆ ପିନ୍ଧି ମାଳି ଗୁରେଇ ହୋଇ ଠିଆ ହୁଏ, ଆଖିରୁ ଝରେ କରୁଣା, ତୁଣ୍ଡରୁ ଆହା ପଦ, କହେ ସମସ୍ତେ ସୁଖରେ ଥାନ୍ତୁ, ଛବି ବି !

 

ଭାବୁ ଭାବୁ ମୁଁ ପଣରେ ଜଳା ପୋଡ଼ା ଲାଗେ, ଅନ୍ତର ଭିତରୁ କ୍ଷୋଭର କରୁଣ ନାଦ ବାହାରେ–ମୁଁ ବୁଢ଼ା ହୋଇଯାଇଛି, ମତେ କେହି ଲୋଡ଼ା ନାହିଁ ।

 

ନଈବନ୍ଧ ଗଡ଼ାଣିରେ ଦୋକାନ ଭିତରେ ଭାଡ଼ି ଉପରେ ହରି ସାହୁ ବସିଥାଏ । ପାଖରେ ପୁଳିଏ ଓଡ଼ିଆ ଖବରକାଗଜ । ମୁହଁ ଆଗରେ ଆଉ ଖଣ୍ଡେ । ତା’ର ଟିକି ଟିକି ଆଖି ଯୋଡ଼ିକର ମୁନିଆଁ ଦୃଷ୍ଟି ଯେପରିକି ସେହି କାଗଜ ଦେହରେ ଫୋଡ଼ି ହୋଇଯାଇ ଅଟକି ରହିଥାଏ । ମୁହଁରେ ଏକ ତନ୍ମୟତା, ଓଠରେ ଓଠ ଜାବ ପଡ଼ିଯାଇଛି । ମନଟା କାହିଁ କାହିଁ ଘୂରୁଥାଏ, ପୃଥିବୀସାରା, ସେହି ଯେତେ ଯେତେ ଦେଶ ଆଉ ମଣିଷ ସେ ତା’ର ଏଡ଼ୁଟି ଦିନୁଁ ଖାଲି କଳ୍ପନାରେ ଦେଖିଛି ଜାଣିଛି ସେହିଆଡ଼େ । ଦୋକାନରେ ଗରାଖି ନ ଥାନ୍ତି ।

 

ପଦାରେ ଚଇତର ଖରା ମରି ମରି ଆସୁଥାଏ । ଦୋକାନ ସେପଟ ଝଙ୍କା ବରଗଛ ତଳେ ବହଳ ଛାଇ କାଟି ତେର୍ଚ୍ଛା ହୋଇ ପଡ଼ିଥାଏ ଅରାଏ ହଳଦିଆ ଖରା, ଘରମାନଙ୍କ ଛାଇ ଲମ୍ୱି ରହିଥାଏ । ହଠାତ୍ ଗୋହିରିବାଟେ ଗୋଡ଼ିଆ ଗୋଡ଼ି ହୋଇ ଗଲେ ଦି’ଟା ଗୋରୁ, ତା’ପରେ ଆହୁରି ଆହୁରି, ଟପ୍ ଟପ୍ ଦୁମ୍ ଦାମ୍ ଶବ୍ଦରେ ଦାଣ୍ଡ କମ୍ପିଲା, ଗାଁର ଗୋରୁପଲଙ୍କ ଧାର ଲମ୍ୱିଗଲା ସେହି ବାଟେ, ଠେଲାଠେଲି ଗୋଡ଼ିଆ ଗୋଡ଼ି ଧୂଳିଉଡ଼ା ଗୋଠ । ହରି ସାହୁ ମୁହଁ ଟେକିଲା, ଯେଉଁ ଅଦେଖା ଡୋରି ତା ଆଖିକୁ ବାନ୍ଧିଥିଲା କାଗଜରେ ଆଉ କାଗଜକୁ କରିଥିଲା ଦୃଶ୍ୟ ଦେଖିବା ଲାଗି ଗୋଟାଏ କୁହୁକ ପଟ, ହଠାତ୍ ଯେପରି କି ତା’ ଅପସରି ଗଲା, ସେ କାଗଜ ପଢ଼ୁ ନ ଥିଲା ଖାଲି ସେହିଆଡ଼କୁ ମୁହଁ ଝୁଲେଇ ରଖି ଦୃଶ୍ୟ ଦେଖୁଥିଲା ।

 

ତା’ର ଛାତି ଥରେଇ ବୋହିଗଲା ଗୋଟାଏ ଦୀର୍ଘଶ୍ୱାସ । ଗୋରୁଗୁଡ଼ାଙ୍କ ଚଳନ୍ତା ଗୋଡ଼କୁ ଅନାଉଁ ଅନାଉଁ ହଠାତ୍ ତା’ର ମନେପଡ଼ିଲା, ବୁଢ଼ା ସଉରି ପଧାନ ମରିଯାଇଛି । କେହି ନୁହେଁ ତା’ର ସେ, ନା ଜାତି ନା ବନ୍ଧୁ ନା ସାଙ୍ଗସରିସା । ବରଂ ବୁଡ଼ିଗଲା ତା’ ଚଉଦଣାର କାକି ସଉଦା, ଖାଲି ଧୂଆଁତର, ନିଏ, ଦିଏ, କେବେ କେବେ ଅବା ରହିଯାଏ । ସେ କଥାକୁ କଳ୍ପନା ନ ଥିଲା ହରି ସାହୁର, ଗାଁରେ ଏତେବର୍ଷର ବାକି ଦୋକାନ କାରବାର ମଝିରେ କେତେ ଲୋକଙ୍କଠିଁ କେତେ ପଇସା ତା’ର ବୁଡ଼ିଛି, ତଥାପି ଚାଲିଛି ତ ବେଉସା । କିନ୍ତୁ ସଉରି ପଧାନ ଥିଲା କେତେ କାଳର ବୁଢ଼ା, ସେ କାଳର ମଣିଷ ଜଣେ, ବାଡ଼ିଧରି ଅଣ୍ଟାରୁ ଆଗକୁ ଓହଳି ପଡ଼ି ଟଳି ଟଳି ଅଳ୍ପ ନାଚିଲାପରି ସେହି ଯେଉଁ ଠାଣିରେ ସେ ଏ ଗୋହିରି ବାଟେ ଚାଲି ବୁଲୁଥିଲା ଗଲା ସେ ଦୃଶ୍ୟ ଛପି-। ହେଇ, ଦିଶିଯାଉଛି ସତେ କି- ‘‘ଅଛି, ଦବୁ ଧୂଆଁତର ଚାରି ପଇସାର ଭଣଜା ?’’

 

‘‘ଦେ–ଦେ–ଆଜି ପଇସା ନାଇଁ । ହେଲେ ଏ ତୁଣ୍ଡ କି ଥୟ ଧରେରେ ଭଣଜା ! ଆହୁରି ବେଶି ବେଶି ଅମଳ ଖୋଜୁଛି, ସୁଆଦିଆ ଖୋଜୁଛି, ଗୋବରାବୋଉ ମଲାଦିନୁ ପାନ ଛାଡ଼ିଦେଇଥିଲି, ଅମଳ ଥିବ ନା ମଣିଷ ଝୁରିମରୁଥିବ । ବାକି ଏ ଧୂଆଁତର-ୟେ ମୋ ପିଆଦା–’’

 

ଚାଲିଗଲା, ଗୋରୁ ଖୋଜ ପଡ଼ି ପଡ଼ି ଚାଲିଗଲା, ଗୋବର ପଡ଼ି ପଡ଼ି ଗୋରୁ ମୂତ ପଡ଼ି ପଡ଼ି, ଚକଟା ଚକଟି ଠେଲାପେଲା ଭୂଷାଭୂଷି ଗହଳ ଚହଳ ହମ୍ୱାରଡ଼ି ଦେଇ ଦେଇ ଗଲା ଚାଲି ଥାଟ, ଚାଲିଗଲା ।

 

ଆଉ ଗଲା ଚାଲି ସଉରି ପ୍ରଧାନ । ଆଜିକି କେତେଦିନ ହବ ? ହଁ, ଏଗାରଦିନ । କଥାକଥାକେ ଉଲୁଗୁଣା ଦିଏ ସେ କାଳର ତା’ର ବାହାବଳର କଥା ଗପି, ସେ କୁଆଡ଼େ ହୋଇଥିଲା ମାଲ, ପଥର ଗଡ଼ୋଉଥିଲା, ଶଗଡ଼ଚକ ଟେକୁଥିଲା, ପାଇକାଳି ଖେଳୁଥିଲା, କେତେ କ’ଣ ?

 

ଉଦାସ ହୋଇ ହରିସାହୁ ସାମ୍ନାକୁ ଅନେଇଁଲା, ଆଉ ଦେଖିଲା ରଙ୍ଗଶାଢ଼ି ପିନ୍ଧି ସଜବାଜ ହେଲାପରି ଚାଲିଛି ସୁନ୍ଦରୀ ରଘୁଆମା’, ଆଠବର୍ଷର ରଘୁଆର କାନ୍ଧକୁ ମୁଠେଇ ଧରି ଗାଳି ଦେଇ ଦେଇ ଚାଲିଛି, ‘‘ଅଲେଖଣା ବାଇଡ଼ଙ୍କ ଟୋକା, ଆଜି ଘରକୁ ଚାଲ କି ତୋ ପିଠିରୁ ଛାଲ ନ ଉତୁରେଇଚି ଯଦି ତୁ ମତେ କହିବୁ; ମୁଁ ତୋ ମା’ ହେବିନାଇଁ ତୋ ଝୁଅ ହେବି । ଗୋରୁଗୋଠ ଯାଉଚନ୍ତି, ଦେଖ ଏ ଛତରଖିଆ ଆଗରେ ଠିଆ ହେଇଯାଉଚି । ବହପ ଦେଖଉ ଦେଖଉ ପେଟକୁ ଦି’ଫଡ଼ା କରି ଚିରିଦେଲେ ତୁ କରନ୍ତୁ ସେଇଠୁ କ’ଣ ? ଅଇଛା ମାଡ଼ି ଚକଟି ଦେଇଥାନ୍ତେ, କୋଉ ବୋପା ଅଛି ପିଠିରେ ପଡ଼ନ୍ତା, ହଇରେ ମେଞ୍ଚଡ଼ ?’’

 

ଏଇ ମାଇପିଟାର ବେଶ ଦେଖି ହରି ସାହୁ ମନେମନେ ଚିଡ଼େ, ଲାଗେ ସତେ ଯେପରି ଜାଣିଶୁଣି ସେ ଆପଣା ରୂପ ଦେଖାଇହୁଏ । କିନ୍ତୁ ହଠାତ୍ ମନଟା ନରମି ଗଲା ତା’ପ୍ରତି । ମଝିରେ ବ୍ୟବଧାନ ତରଳିଯାଇ ଏ ଛାଇଟା ବାଜିଲା ସିଧା ଯାଇ ତା’ ଛାତିରେ, ଗୁହାଣିରେ ସହାନୁଭୂତି ପୂରାଇ ଅନାଇଲାବେଳକୁ ସେ ଚାଲିଗଲାଣି ।

 

ଭାବିଲା, ଆହା ବିଚରା ! ସ୍ୱାମୀ ବିଦେଶ ଯାଇ କୁଆଡ଼େ ରହିଗଲା, ଘରେ ସେ ମାଇପି ଲୋକ, ଦେହ ମେହେନତ କରିକରି ଦି’ଟା ପେଟ ପୋଷିବ । ଆଶା କରିଥିବ ରଘୁଆ ବଡ଼ ହେଲେ କେଜାଣି ତା’ ଦୁଃଖ ଯିବ, ମଣିଷର ଆଶା !

 

ଗଲା ଚମ୍ପୀମା’, ସଳଖ ଡେଙ୍ଗା ଛଡ଼, ପିଠିଆଡ଼େ କାନିରେ ପୁଳିଏ କ’ଣ ଓହଳିଛି, ଧାନକୁଟା ସାରି ଘରକୁ ଫେରୁଛି । ମୁହଁଟି ଶୁଖିଲା ଶୁଖିଲା, ହାତଗୋଡ଼ ସରୁସରୁ ବତାଫାଳ ପରି । ଘରେ ପୁଅବୋହୂ ଅଛନ୍ତି, ଆଦର ଗୌରବ ପରିବର୍ତ୍ତେ ମୁହଁ ଛିଞ୍ଚଡ଼ା ହାତ ଛିଞ୍ଚଡ଼ା, ତଥାପି ଯାହା ଯେତିକି ପାଏ କାମ କରିଆଣିଦିଏ, ମୁଣ୍ଡପୋତି ପଡ଼ି ରହିଥାଏ ତାଙ୍କରି ପାଖରେ । ଲୋକେ କହନ୍ତି, ପୁଅବୋହୂ ଦିହେଁ ଏକାପଟ ହୋଇ ଥୁଅନ୍ତି ବି ଗୋଟାକେତେ । ଛଳ କରେନାହିଁ, ସେ ବି ପ୍ରକାରେ ।

 

ଆଉ ଏ ବି ଚାଲିଯିବ ଦିନେ, ରହିବ ନାଇଁ, ଚାଲିଯିବ । ଯେମିତି ଚାଲିଗଲା । ଏତେବଡ଼ ଦିନଟା, ଗଲେ ଗୋରୁ, ସମସ୍ତେ ଯାଆନ୍ତି, ଯିବେ ବି ।

 

ଆଉ ହରି ସାହୁ ମନେପକାଇଲା, କେତେ ଲୋକ ଏ ବାଟେ ଗଲେଣି ଚାଲି । କିଏ କେବେ ବାହା ହୋଇ ଆସିଥିଲା, ଏଇବାଟେ ଲୋକେ ଯାଇଥିଲେ ଠାକୁରାଣୀ ମାଜଣାକରି, ଫେର୍ ଏଇବାଟେ ତାକୁ କେବେ ବୋହି ନେଇଥିଲେ ମଶାଣିକି । ଏଇବାଟେ ଆସିଛନ୍ତି ଯାଇଛନ୍ତି ପୁରୁଷ ପୁରୁଷର ଥାଟ, କେତେ ହସଖେଳ ବାଦଛେଦ । କାହାକୁ କେଉଁ ଘଡ଼ିକେ କେଉଁ କଥାଟା ବଡ଼ବୋଲି ମାଡ଼ି ପଡ଼ିଥିଲା । କିଏ ହସିଥିଲା, କିଏ ଧନ୍ଦି ହୋଇଥିଲା, କିଏ କାନ୍ଦିଥିଲା । କାହାନ୍ତି ସବୁ ?

 

ଆଉ ହେତୁକଲା, ଆରେ କେତେ ଆସୁଥିଲେ ଘୋଡ଼ାରେ ଚଢ଼ି, ଗାଁ ଗାଁକେ ଘୋଡ଼ା ମଝିରେ ମଝିରେ ହାତୀଟାଏ ଆସନ୍ତି । କୁଆଡ଼େ ଉଭେଇଗଲା ଗାଁ ଗାଁକର ଘୋଡ଼ାଶାଳ । ପୁଣି ଦିନେ ଏବାଟେ ନୂଆ ହୋଇ ଆସିଥିଲା । ଶୂନ୍‌ଗାଡ଼ି, ଦି ଚକିଆ, ତା’ର ମନେଅଛି, ପୋଷାକ ପିନ୍ଧା ଦାଢ଼ିଆ ପୁଲିସ୍‍ ଆସିଥିଲେ ସେଥର । ମନ କଲେ ମଟର ବି ଆସନ୍ତାଣି, ଖାଲି ଏଇ ନଈବନ୍ଧ ବାଟ ଠାଏ ଠାଏ ଯାହା ଖଣ୍ଡା ଦାଢ଼ପରି, ତଳେ ଗଲେ ପାଣିକାଦୁଅ ଖାଲଖମା ଠା’କୁ ଠା’, ତା’ ବି ଦିନେ ସମାନ ହୋଇଯିବ, ମଟର ଗାଡ଼ି ଆସିବ, ସବୁ ସମ୍ଭବ ହେବ । ଆଉ ଏ ଲୋକେ, ତା’ ବି ମନେପଡ଼ିଲା । ହେଇ ସେଦିନ ସେ ପହିଲିଥର ଚାହା ପୁଡ଼ିଆ କିଣି ଆଣିଥିଲା, କ’ଣ ନା ଦେହକୁ ବାଧିକା କଲେ ପାଚକ ପାଣିପରି ଫୁଟେଇ ଦେଇ ଦୁଧରେ ଗୋଳେଇ ଖାଇଲେ କୁଆଡ଼େ ମଜରା ଛଡ଼ାଏ, ତା’ ବି କେତେଲୋକ ଛୁଇଁବାକୁ ରାଜିନଥିଲେ, କହୁଥିଲେ-କାଳେ କି ଅମାରଗ ଜିନିଷ ହୋଇଥିବ, କିଏ ପଶିଚି ତା’ ଭିତରେ ? ଆମ ବାରିବଗିଚାରୁ ତ ଆସୁନାହିଁ ! କିଏ କହୁଥିଲେ ଜାତି ଯିବ ସେଥିରେ, ଏମିତି କେତେ ଆପତ୍ତି ଉଠୁଥିଲା, ତା’ପରେ ସେ ହେଲା ଆସି ଚଟକ, ଗାଁର ପାଞ୍ଚଣା ଚାରଣା ଭାଗ ଲୋକଙ୍କର ଏବେ ଚା’ ନିଶା, ନ ଖାଇଲେ କୁଆଡ଼େ ନାକରୁ ପାଣି ଗଡ଼େ । ଲେମଞ୍ଚୁସ ମିଠେଇ ସେ ଆଣି ସମ୍ପାଦିଲା ହେବ ମୋଟେ ପାଞ୍ଚବର୍ଷ ତଳେ । ସେମିତି ଆହୁରି କେତେ ପଦାର୍ଥ, କାଚଗିଲାସ, ଆଲୁମିନିୟମ ଡେକ୍‌ଚି, ନଣ୍ଟଣ, ବାସ୍ନାସାବୁନ, ଟର୍ଚ୍ଚ ଆଲୁଅର ବ୍ୟାଟରି । ଶେଷରେ ଆସିଲାଣି ଲୁଙ୍ଗି, ଫାଲଟାପିନ୍ଧା ଆଗ କାଳର ବୁଢ଼ାମାନେ ହେଲେ ବାଡ଼େଇ ଗୋଡ଼ାନ୍ତେ । ଚୁଟି, ମେଣ୍ଟି, ଲୁଗା ଚାଦର ଓତା ଯଥା, ଚଆ, ହଳଦି, କୁଆଡ଼େ ଗଲା ଉଭେଇ । ଆସିଲା ନୂଆ ଯୁଗ, ଲୁଙ୍ଗି, ଗେଞ୍ଜି, ଚପଲ, ବିଡ଼ି ।

 

କେତେ ନୂଆ କଥା ଘଟିଛି, ଘଟିବ । ତଥାପି ଲାଗିଲା, ଏଇ ବାହାର ଭେକ ତଳେ ତଥାପି ସବୁ କଥା ଅଛି ସେମିତି ଆଗପରି ପୁରୁଣା, ସେଇ ଆସିବା ଆଉ ଯିବା ଭିତରେ ଏ ସଂସାରରେ ଦି’ଦିନର ହଟଚମକ, ହୁଏତ ସବୁଠି ସେଇଆ ।

 

ଗରାଖି ଗୋଟିଏ ବି ନାହିଁ, ହରି ସାହୁ ହେତୁ କଲା, ପୁଣି ଏଇ ସାଧାରଣ କଥାଟାକୁ ବଡ଼ କରି ବ୍ୟାପକ କରି ଦେଖିଲା ଜୀବନ ସଙ୍ଗେ ମିଳାଇ । ଆହୁରି ଉଠିଲା ଦୀର୍ଘଶ୍ୱାସ । ଏମିତି ବି ଦିନ ଆସେ, ଖାଲି ପସରା ପଡ଼ିରହେ, ହୁଙ୍କା ପରି ମଣିଷ ବସି ରହେ, ବସି ରହେ, ଆଶା ପୂରେନାହିଁ, ଥାଳ ପୂରେନାହିଁ, ଖାଲି ବେଳ ଗଡ଼ାଏ ।

 

‘‘ସେଇଥିପାଇଁ ଶାସ୍ତ୍ର କହେ ନ୍ୟୁନ ହ, ନ୍ୟୁନ ହ, କେତେଦିନକୁ କେତେକଥା !’’ ସେ ଭାବିଲା, ଗୁଡ଼ମାଠିଆ ଆଡ଼େ ସରସର ଶୁଭିଲା, ସେଠି ଅସରପା ସାଲୁ ସାଲୁ ହେଲେଣି । ଦୋକାନ ଘରେ ବହେ ଅନ୍ଧାର ପଡ଼ି ଆସିଲାଣି, ନଲଟଣଟା ସଜେଇ ରଖିବାକୁ ପଡ଼ିବ, ସେ ତେଣେ ନିଘା କଲାନାହିଁ । ଖାଲି ଥିରି ହୋଇ ବସି ରହିଲା, ଆଉ ପଦାକୁ ବକା ପରି ଚାହିଁରହିଲା । ମନେମନେ ଖେଳି ଲାଗିଲା ଯେମିତିକି ପୁରୁଣା ରାଗିଣୀର ଲେଉଟାଣି ଘୋଷା-ଯେ ଲାଗିଛି ଏମିତି ଯିବା ଆସିବା ବଢ଼ିବା ଛଡ଼ିବା କେଉଁ କଥାଟା ଥିର ନା କେଉଁ ମଣିଷଟା ଆମର ଅତୁଟ, ବୃଥା ସବୁ ହଟଚମଟ ।

 

‘‘ଦବ ବିଡ଼ି ଚାରି ପଇସାର ?’’ ଲମ୍ୱା ବେକ ଦୋକାନ ଭିତରକୁ ଉହୁଁକେଇଦେଇ ଅଣ୍ଟାରେ ହାତଦେଇ ଠିଆ ହୋଇଛନ୍ତି ସୁଦର୍ଶନ ଦାସ, ମୁଣ୍ଡଟା ବେକଟା ବେକର ବଡ଼ଶଙ୍ଖ ପାଖେ ଭାଙ୍ଗିଯାଇଛି ଯେପରିକି । ମୁଛ ଦି’ଟା ଭାଲୁଆ ଭାଲୁଆ । ଖାଲି ବିଡ଼ି ମାଗି ସନ୍ତୁଷ୍ଟ ନ ରହି ଅତି ବିରକ୍ତିରେ ଆପଣା ଘର ବିଷୟରେ ଅଭିଯୋଗ ବଖାଣି ବସି ସେ ଚିଞ୍ଚିଆ ପାଟିରେ କହିଉଠିଲେ, ‘‘କାହା ଆଗରେ କହିବ କହ, କାଲିକା ଟୋକାଟା ବିଡ଼ିଗୁଡ଼ାକ ଟାଣି ଟାଣି ଶେଷ କରିଦେଉଚି, କହ ଏ କି କାଳ ହେଲା ଆସି, ସାଙ୍ଗ ସୁଖରେ ପଡ଼ି ଶେଷରେ ପିଲାଟା ଛତରା ହୋଇଗଲା ସାଉ, ମଣିଷ ଘରର ଚାରିକଣ ଓଳେଇଲେ କୋଉଠି ବିଡ଼ି ବକଟେ ବି ନାଇଁ ।’’

 

ବିଡ଼ି ବଢ଼େଇ ଦେଉ ଦେଉ ହରି ସାହୁ ଉପଦେଶ ଦେଲା, ‘‘ଆକଟ କର, ଆକଟ କର ଦାସେ, ଏ ଦିନୁଁ ନ ଦାବିଲେ ପଛେ ବଢ଼ିଲା ଗଛକୁ କୁଣ୍ଢ ପାଇବ ନାଇଁ ।’’

 

‘‘ଆରେ ଧେତ୍ତେରିକା, ଆଉ ଆକଟ ମାନୁଚି ସଇତାନଟା–’’

 

‘‘ମାନିବ, ସବୁର କର । ଆପେ ତ ଅମଳ ଧରିଛ । ଖଣ୍ଡିଆ ବିଡ଼ିନାଙ୍ଗୁଡ଼ ଟାଣି ଟାଣି ପୁଅ ବି ଶିଖିଗଲା, ଆଉ କ’ଣ ? ସେ ବଦଅଭ୍ୟାସଟା ରକ୍ତ ଶୁଖିଯିବ, ଧରିବ ଧଇଁକାଶ, ଏ ଦିନୁଁ ବିଡ଼ି ଟାଣିଲେ ପଛେଯାଇ ଆଉ କୋଉଠି ଉଠିବ–’’

 

‘‘ଅଃ ସବୁ ନାଟ ତମ ବେପାରୀଙ୍କଠେଇଁ, ଏସବୁ ଆଣି ଦେଖେଇଲା କିଏ ? ଯୁଆଡ଼େ ଯାଅ, ଆଖି ଆଗରେ ମାର୍କାମରା ହୋଇ ଥାକ ହୋଇ ଥୁଆ ହେଇଚି ବିଡ଼ି ସିଗ୍ରେଟ, ବିଡ଼ି ସିଗ୍ରେଟ-। ହଁ, ଦିଆସିଲି ଅଛି ଦେଲ ?’’

 

ବିଡ଼ିଖଣ୍ଡ ଶୋଷିବାପାଇଁ ଯେପରିକି ତାଙ୍କ ଦେହରେ ଭାରି ଶୋଷ, ଛଟପଟ ହୋଇ ସେ ହାତ ବଢ଼ାଇଦେଲେ । ହରି ସାଉ ଦିଆସିଲି ବଢ଼େଇଦେଲା, କହିଲା, ‘‘ଖାଲି ବେପାରୀଙ୍କୁ ଦୋଷ ଦେଲେ କ’ଣ ହବ ଦାସେ, ଯୁଗକୁ ଦୋଷ ଦିଅ, ମଣିଷକୁ ଦୋଷ ଦିଅ । କଥାଟା ଦି’ ବାଗିଆ, ବୁଝିଲ ? ତମେ ଖାଅବୋଲି ଆମେ ଆଣୁ, ଆମେ ଆଣୁବୋଲି ତୁମେ ଖାଅ । ଏମିତି କେତେଜିନିଷ ଆମେ ଦେଖୋଉଥିବୁ, କିଣିବା ନ କିଣିବା ତମ ହାତରେ–’’

ଦମେ ଟାଣି ଶଶୀକି କ୍ଷମା କଲା ଭଙ୍ଗୀରେ ଦାସେ କହିଲେ, ‘‘ଯାହା କହିଲ । କାଇଁ ତେମେ ତ ବିଡ଼ି ଟାଣ ନାଇଁ ?’’

‘‘ନ ଟାଣେ ବୋଲି କେମିତି କହିବି ? ପିଙ୍କା ନ ଥିଲେ ଅକାଳେ ସକାଳେ–’’

‘‘ମୁଁ କେବେ ଦେଖି ନାଇଁ, ତମ ପିଲାଏ ବି ନାଇଁ । ଯାହାର ପ୍ରକୃତିଟା ଯେମିତି, ତେବେ ତାକୁ ଦୋଷ ଦେଇହବନାଇଁ । ଏ ଗାଁରେ ଛତରାପଲ କେମିତି ମାତିଚନ୍ତି ଦେଖିଲ ନା, ଯେ ତାଙ୍କ ସାଙ୍ଗେ ମିଶିବ ସେ ହେବ ସେଇଆ–’’

‘‘କେଜାଣି ବାବୁ କାହାକୁ ଛତରଖିଆ କହୁଚ ଦାସେ, ଆମେ ଆପେ ଠିକ୍ ଥିବା ତ ଦୁନିଆ ଠିକ୍–’’

‘‘ଆରେ ବାବୁ, ହେଇ ଯୋଉ କାଣ୍ଡଟା କରିବସିଲେ ହୋ ସେମାନେ, ସୁଭଦ୍ରାପୁର ମେଳଣ ଦାଣ୍ଡରେ, ଭଦ୍ରଲୋକର ପିଲାଟା ନହୁନୁହାଣ ହେଲା ତାଙ୍କୁ ଭଙ୍ଗେଇଦବାକୁ ଯାଇକରି, କାହାରି ନାଁ କହିଲା ନାହିଁ ସିନା, ନଇଲେ ପୁଲିସ୍‍ ଧରିଥାନ୍ତା ।’’

‘‘କେତେକଥା ପାଣିପରି ବୋହିଯାଉଚି ଦାସେ, କୁଆଡ଼େ କେତେ କେତେ ହାଣକାଟ ଲାଗିଯାଉଚି, ମଣିଷ ପଡ଼ୁଚନ୍ତି ।’’ ହରି ସାଉ ଖବରକାଗଜକୁ ହାତ ଦେଖାଇଲା, କହିଲା, ‘‘କେତେଠିଁ କ’ଣ କେତେ ହୋଇଯାଉଛି, ଯାହା ଯେତେବେଳେ ଯୋଗଥାଏ, କୋଉକଥାକୁ ଗଣ୍ଠିକରି ଧରିରହିଥିବ ?’’

ସୁଦର୍ଶନ ଦାସ କହିଲେ, ଏଡ଼େବଡ଼ ଫଉଜଦାରି କଲେ, ଅଇଛା ତୁନିତାନି ଯେମିତିକି ଗାତ ଭିତରେ ମୂଷା, କେହି କାହା ନାଁରେ କହୁ ବି ନାଇଁ ପଦେ, କାଳେ ପୁଲିସ୍‍ ଗନ୍ଧ ପାଇଯିବ, ଧରିନବ । ପଚାର କିଣେଇଁ ଓଝାକୁ, ଲୋକା ନାହାକ ସାଙ୍ଗେ ତୋର ବଇରିକି ନାଇଁ । ସେ ନବକୋଳି ସାହୁ ଦଣ୍ଡାର ମାଟି ହାତରେ ଧରି କହିବ ସେଇଟା ତ ମୋର ସୂର୍ଯ୍ୟବନ୍ଧୁ, ମୋ ମିତ, ତା’ର ଆମର କେବେକି କଳି ଥିଲା ‘‘

‘‘ଭଲ ହେଲା ତ,’’ ହରି ସାହୁ କହିଲା, ‘‘ଆଉ କ’ଣ କଳିମୁଣି ସବୁବେଳେ ଝାଡ଼ୁଥିଲେ ଭଲହନ୍ତା ? କଳି ତୁଟିଛି, ଭଲ ହେଇଚି–’’

ସୁଦର୍ଶନ ଦାସ ପ୍ରଚଣ୍ଡ ଦମେ ଟାଣିନେଇ କହିଲେ, ‘‘ତୁଟିଚି ନା ପଟେ ଆରପଟର ଗୋଛି ଉଣ୍ଡୁଚନ୍ତି କାଟିବେବୋଲି ? ଅଇଛା ପୁଲିସ୍‍ ଡରରେ ସବୁ ତୁନିତାନି, ଜାଣିଲେ ଗୋଟିକା ଗୋଟି ଧରିନେଇ ମକଦ୍ଦମା କରିନବ । ଏଡ଼େ ବଡ଼ କଥାଟା ଗପିଗଲା, ନା ସାକ୍ଷୀ ନା ପ୍ରମାଣ–’’

ଆସିଲା ମାଡ଼ି ମାଗୁଣି ପଧାନ, ଅପର୍ତ୍ତିଆର ସାଙ୍ଗ ଜଣକ । କହିଲା, ‘‘କୋଉଥିପାଇଁ ସାକ୍ଷୀ ପ୍ରମାଣ ଖୋଜୁଚ ?’’

ସୁଦର୍ଶନ ଦାସେ ଯିବାକୁ ତରତର ହେଲେ । ମାଗୁଣିଆ ବାଟ ଓଗାଳିଛି । କହିଲା ‘‘ମିଛରେ ବାଘ ବାଘ ଡାକିଲେ ସତରେ ବାଘ ଆସେ ।’’

‘‘ଆରେ ହଉ ଉଠ, ମୁଁ ଯାଏଁ–’’

‘‘ଯିବ ନାଇଁ କିଏ କାହାକୁ ଅଟକୋଉଚି କି ? ତେବେ ମୁଁ କ’ଣ କହୁଚିକି, ପୁଲିସ୍‍ ଆଇଲେ ଆମର କାହାରି କିଛି ଡର ନାଇଁ, ପଡ଼ିବେ ଆହୁରି ଦଳେ ଅଛନ୍ତି ସେମାନେ, କିଏ ଟିକସ ଅସୁଲ କରି ଚଳୁ କରିଦେଇଥିଲା, କିଏ ଫାଙ୍କିଥିଲା ଠକି ଖାଇଥିଲା ଜାଲ କରିଥିଲା, ମହାଭାରତ ପୋଥି ଘଣ୍ଟା ହେବଟି–’’

‘‘ଏଠି ସେସବୁ ପଡ଼ି କିଛି ଲାଭ ନାଇଁ,’’ ହରି ସାହୁ କହିଲା । ସୁଦର୍ଶନ ଦାସ ଚିଲପରି ଉଡ଼ି ଛୁ । ମାଗୁଣିଆ ଠିଆ ହୋଇ ରହିଲା, କହିଲା, ‘‘ଦେଖିଥା ତେମେ ସାଉ, ଲୋକେ କଣ୍ଟାବାଡ଼ିରେ ଲୁଗା ପକାଇ କଜିଆ କରୁଛନ୍ତି, କିଏ ସିନା କହେ ଗାଁଟାଯାକ କେମିତି ସୁଖରେ ରହିବେ–’’

ହରି ସାଉ ମୁଣ୍ଡ ହଲେଇ ହଲେଇ ବିଚିତ୍ର ଭଙ୍ଗୀରେ ମାଗୁଣିଆ ମୁହଁକୁ ଅନାଇଁ ରହିଲା । ମାଗୁଣିଆର ମୁହଁ ଶୁଖିଲା ଦିଶୁଛି । ସ୍ୱରରେ ଅଛି ଯେପରିକି ଏକ ପ୍ରକାର ତାତି, ଆପଣା ଛାଆଁକୁ ଛାଆଁ କହିହେଲାପରି ସେ କହିଲା, ‘‘ଯିଏ କେବେ କାହା ହାନିକି ଲାଭରେ ନ ଥାନ୍ତି ସେ ବି ମଜା ଦେଖିବାକୁ ଭଲ ଲୋକ ହୋଇ ଆସି ପହଞ୍ଚିଯାଆନ୍ତି ଦେଖ, ଖାଲି ନଖ ଘଷାଘଷି, କ’ଣ ନା-ଲାଗୁ ଲାଗୁ । ଆରେ ବାବୁ ବାଦବୁଦିଆ ହେଉ ହେଉ ଯାହା ତ ହବାର ଥିଲା ହେଲା, ଏଥର ଏଣିକି ସବୁ ଭେଦ ଭୁଲି ଗୋଟାଏ ହେଇ ଚଳିବା ନା ଖୁରି କରୁଥିବା ?’’

 

ଏଇ ମାଗୁଣିଆଁ, ଅପର୍ତ୍ତି ପଧାନର ସାଙ୍ଗ ଜଣକ । ସତେକି ଭାରତ ଯୁଦ୍ଧରେ ଭାରୋଇ ମଲ୍ଲ । ସବୁ ହୁମୁଦୁମିଆଁ ନାଟର ଗୋବର୍ଦ୍ଧନ, ଏଇଟା ଫେର୍ କ’ଣ ଏମିତି କଥା କହୁଚି ! ହରି ସାଉ ଆଶ୍ଚର୍ଯ୍ୟ ହେଲା, ତା’ପରେ ତା’ର ଟିକି ଟିକି ଆଖିକି ମିଟିମିଟି କରି ଭାବିଲା, ହୁଏତ ଏ ଅସଲ ବିରାଡ଼ିବୈଷ୍ଣବ, ନ ହେଲେ ହୋଇଥିବ ବା ୟା ମନରେ କିଛି ପରିବର୍ତ୍ତନ, ଏ ଦୁନିଆଁରେ ଅସମ୍ଭବକୁ ବି ସମ୍ଭବ ତ କରେ ଜଣେ, ଯାହାର ଯାହା ହେଉ ତା’ର କ’ଣ ଯାଏ ? ସେ ଉତ୍ତର ଦେଲା ନାହିଁ ।

 

ମାଗୁଣିଆ ଦବିଲା ଦବିଲାପରି ମୁହଁ ଶୁଖେଇ ପୁଣି କହିଲା, ‘‘ଆମେ ଲାଗିଚୁ, ନିଆଁ ନିଭିଲା, ରାଇ ଶୀତଳ ସରିଲା, ଏଥର ଏଣିକି ଏ ଗାଁଟାରେ ଶାନ୍ତି ରହୁ, ଯାହା ମନ ଭିତରେ ରୁଗୁରୁଗୁ ହଉଚି ସେ ମାଟି ତାଡ଼ୁ, ଝାଳ ବୁହାଉ, ଯାହା ହାତଗୋଡ଼ ଖଲଖଲ ହଉଚି ସେ ଖୁରି ନ କରି କିଛି କାମ କରୁ, ଭଲ କାମ, ଯହିଁରେ ଗାଁଟାଯାକର ଉପକାର ହେବ, ଗରିବଗୁରୁବା ବଞ୍ଚିବେ ହେଲେ ସୁଖରେ, କଇଲାଣ କରିବେ, ଆଉ ପୁଳାଏ ଅଛନ୍ତି ଯାହାଙ୍କର ଏଥିରେ ନାହି ଡେଉଁଚି–’’

 

‘‘କେବଠୁଁ ତେମେ ଏମିତି ଉପକାରିଆ ହେଲ ?’’ ତତଲା କେଞ୍ଚାରେ ଭୂଷିଲାପରି କଥାଟା କହିଦେଇ ହରି ସାଉ ପସ୍ତେଇଲା, ପୁଣି ଭାବିଲା ଯେ ଯାହା ହେଲେ ତା’ର କି ଯାଏ ? ମାଗୁଣିଆଁ ଲାଗିଗଲା ନାହିଁ, ବରଂ ଆହୁରି ମଉଳି ପଡ଼ିଲା । ଥାଥା ମାମା–ହୋଇ ଅଟକିଯାଇ କହିଲା, ‘‘ସବୁଦିନେ କ’ଣ ଘୁଷୁରି ପରି ଚଳିଲେ ଭଲ ଲାଗେ ? ଘୁଷୁରି ବି ତ କେବେ ଭାବୁଥିବ ମୁଁ ଗୋରୁଗାଈଙ୍କ ପରି ଚଳନ୍ତିବୋଲି । ସେମିତି ଲୋକ ମରଣପାହାର ଖାଇ ତେବେ ବି କହୁ ନାହାନ୍ତି କିଏ ମାରିଲାବୋଲି, କାଳେ ଆଉ କାହାକୁ ବିପତ୍ତି ପଡ଼ିଯିବ । ପଥର ବି ତରଳିଯିବ, ଆଉ ଆମେ ତ ମଣିଷ ।’’

 

ହରି ସାହୁ କହିଲା, ‘‘ଯାହା କହୁଚୁ ସତ କଥାରେ ବାପ, ତେବେ ସେଗୁଡ଼ା ଏବକୁ ଆଉ ଦିଶୁ ନାଇଁ, ଏ ହେଲାଣି ଘୋର କଳିକାଳ । ମହାତ୍ମାଗାନ୍ଧୀ ବି ତ ରହିଲେ ନାହିଁ, ଏଡ଼େ ବଡ଼ ବାବାଜି ଏଡ଼େ ବଡ଼ ମହାତ୍ମା ପୁଣି କର୍ମଯୋଗୀ । ଆଗେ ଆଗେ କେମିତି କୁରୁଳୁଥିଲା ଏ ଦେଶ, ଯୁଆଡ଼େ ଶୁଣ ସେହିକଥା, ସତ୍ କହ, ଗୁରୁଜନଙ୍କୁ ମାନ, ହିଂସା ଲୋଭ ବାଦ ଅହଂକାର ସବୁ ଛାଡ଼, ଆଉ କାହିଁ ? ରହିଲା ସେ କଥା ? ସେଇଥିପାଇଁ କହିଚି କଳିକାଳରେ ଧର୍ମ ଗୋପ୍ୟ, ଦେବାଦେବୀ ଲୁଚିଲେ ବାବାଜି ରହିଲେ ହେମାଳୟରେ । ଧର୍ମ କଥା କିଏ ନ ଭାବେ ? କରି ଦେଉ ନାଇଁ-କାହା ଦେଇ ।’’

 

ମାଗୁଣିଆ ଯେପରି କି ତା’ ମତ ପ୍ରତି ସହାନୁଭୂତି ପାଇ ଉତ୍ସାହିତ ହେଲା । କହିଲା, ‘‘କରିବୁ ତେମେ ଆମେ । ଯାହାର ହାତ ଅଛି ସେ କରିବ । ମହାତ୍ମାଙ୍କ ଶରୀରଟା ଟଳି ପଡ଼ିଲା, ମହାତ୍ମା ପୁରୁଷର ତେଜଟା ରହିଗଲା ଏ ଭୂମଣ୍ଡଳରେ । ଖାଲି ଖରାପ କଥାଟା ଆମ ଆଖିରେ ପଡ଼ୁଚି, କିଏ ଖାଇଗଲା, କିଏ ନେଇଗଲା, କିଏ କାହା ତଣ୍ଟି ଚିପିଲା ଏଇସବୁ କଥା । ଆମେ ବି ସେଇଥିରେ ବାଇ ହଉଚୁ । ଫେର୍ ଘାସ ଗୁଗୁଚିଆ ଭିତରେ ଫୁଲ ଗଛ ବି ତ ଥାଏ । ସେମିତି ଯେ ଯୋଉଠି ଅଛନ୍ତି । ଫୁଲଶରା ଗାଁରେ କ’ଣ ହଉଚି ତା’ ବି ଏ କାନ ଶୁଣିଲାଣି–’’

 

ଗରାଖି ଆସିଲେଣି । ହେଇ, ସଦା ଗଉଡ଼, ବୁଢ଼ା ବିଦେଇ ବେହେରା, ଧୋବେଇ ଜେନା, ବିକା ମୁଦୁଲି ଯେ ଅକାଳେ କାଳେ ଆସି ଗପ ଲଗାଏ, ଆଉ ହୁର୍ଦ୍ଦୁ ସେଠୀ, ଆଉ କାଣୀ ବୁଢ଼ୀ ଶରଦୀ ଗୁଡ଼ିଆଣୀ ।

 

‘‘ମତେ ଗୁଡ଼ ପାଏ–’’ ‘‘ମୋର କିରାସିନି’’ ‘‘ପାନ କଡ଼ାଏ–’’ ‘‘ଚାଉଳ ଦି’ସେର’’ ‘‘ସୋରିଷ ତେଲ ଛଟେଇଁକିଏ’’ ‘‘ହରଡ଼ ଡାଲି’’ ‘‘ହାଣ୍ଡିଫୁଟା, ଗୁଆ, ହଳଦୀ–’’ ନାନା ଫରମାସି । ହରି ସାଉର ହାତ ଚାଲିଲା । କାହା ଭାଷଣରେ ଆପଣ ମତ ଅଜାଡ଼ି ଦେବା ତା’ର ସ୍ଵଭାବ ନୁହେଁ, ଖାଲି ଶୁଣିଯାଏ, କେତେବେଳେ ପଦେ କଥା ।

 

‘‘ଆରେ କାଣୀଟାକୁ ବାଟ ଦିଅ ମ–’’ ଚାରିଆଡ଼ୁ ଶୁଭିଲା, ପଛଆଡ଼ୁ ଥରିଲା ଥରିଲା ହୋଇ କାତର ସ୍ଵର, ‘‘ମତେ ନୁଣ ଚାରି ପଇସାର, ନୁଣ,–’’

 

ବାଟ ହୋଇଗଲା, ଶରଦୀ ଗୁଡ଼ିଆଣୀ ନୁଣ ନେବବୋଲି ଠିଆ ହେଲା । ‘‘ସମ୍ପତ୍ତିବାଡ଼ି ବିକା ଭଙ୍ଗା ହୋଇ ସବୁ ଗଲା’’, ଧୋବେଇ ଜେନା କହିଲା, ‘‘ଶେଷରେ ଆଖି ବି ଗଲା, ଠସୁକୁ ମାରି ବାଟି ଚାଲୁଚି ବୁଢ଼ୀ–’’

 

ଶରଦୀ ଗୁଡ଼ିଆଣୀ ଖାଲି ହସିଲା ।

 

ସବୁ ସମ୍ପତ୍ତି ସାରି ଦୃଷ୍ଟି ଶକ୍ତି ବି ହରାଇ ଦୋକାନ ଦୁଆର ମୁହଁରେ ଠିଆ ହୋଇ ପାକୁଆ ପାଟିରେ ଖାଲି ହସୁଛି ସେ, ଛାଇ ଭିତରେ ସେ ବି ଗୋଟିଏ ଛାଇ । ସେହି ନୀରବ ହସ, ସେତିକି ଖାଲି ତା’ର ମନ୍ତବ୍ୟ ।

 

ମାଗୁଣିଆ ଗଲାଣି, ହରି ସାହୁର ମନ ଭିତରେ ତା’ କଥା ଆଉ ଶରଦୀ ବୁଢ଼ୀର ହସ ଯେପରିକି ଏକାଠି ଛନ୍ଦି ହୋଇଯାଇଥିଲା । ଆଉ ତା’ ସଙ୍ଗେ ସଙ୍ଗେ ମିଶିଯାଇଥିଲା । ସେହି ଖବରକାଗଜ ପଢ଼ିଲାବେଳର ଆଖି ଆଗରେ ସେ ଦୃଶ୍ୟପଟ, ଆପଣା ଗାଁ ବାହାରର, ରାଜ୍ୟ ବାହାରର ସେହି ଯେଉଁ ଆଉ କୁଆଡ଼େ କେତେଠି କେଉଁ ଗାଁ ଅଛି, ସହର ଅଛି, ମଣିଷ ଅଛନ୍ତି ସେହି ସେହି ଦେଶର କଥା । ସଉଦା ଦିଆ ତୁଟେଇଦେଇ ବସି ସେ ପାନ ଚୋବେଇଲା ଆଉ ଭାବିଲା ।

 

ସେଠି ବି ଏମିତି ମଣିଷ ଆତଯାତ, କଳିଗୋଳ ଭିତରେ ଶାନ୍ତି ପକାଇବା କାମ, କେଉଁଠି ହଣାହଣି ହୋଇ ମଣିଷ ବଳିପଡ଼ୁଛନ୍ତି, କେଉଁଠି ଖୁରି ଲାଗିଆସୁଛି, କେଉଁଠି ସରିଲାଣି, କେଉଁଠି ବଡ଼ ବଡ଼ ଦେଶର ବଡ଼ମୁଣ୍ଡିଆମାନେ ଏକାଠି ହୋଇ କଥା ପକାଉଛନ୍ତି କେମିତି କଳିଗୋଳ ତୁଟିବ ଆଉ ଭଲହେବ ସବୁ, ପୃଥ୍ୱୀ ଶୀତଳ ପଡ଼ିବ । ସେଠି ବି ଏମିତି ଗୋରୁଗୋଠ ଲେଉଟି ଆସିଥିବେ, ଗାଁ ଲୋକ ଟୁପୁରୁଟାପୁରୁ ହେଉଥିବେ, ଏମିତି ସଞ୍ଜ ଦେବାକୁ ଘରର ଘରଣୀ ତିଆରି ହେଉଥିବେ ପରା, ସୁଖ ଦୁଃଖର ବୋଝ ରାଇଜ ରାଇଜକେ ଲୋକ, ଓଃ, କେତେ ଲୋକ ! ସେଠି ବି ଥିବେ ଏମିତି ମାଗୁଣିଆଁ, ଅପର୍ତ୍ତିଆ, ଆଉସବୁ ବିକି ଭାଙ୍ଗିଦେଇ ଏମିତି ଶରଦୀ ଗୁଡ଼ିଆଣୀ ।

 

‘‘ଗାଁଟା ଶାନ୍ତ ପଇଲା ।’’ ସଦା ଗଉଡ଼ କହିଲା ।

 

‘‘ତୋ ତୁଣ୍ଡ ସୁତୁଣ୍ଡ ହଉ, ନା କ’ଣ ସାଉ ?’’ ବିଦେଇ ବେହେରା କହିଲା, ‘‘ଆଗ ଯୋଉଠୁ ଆରମ୍ଭ ତା’ ତ ଯେମିତିକି ସେମିତି । ଅଣ୍ଟିରେ ନିଆଁ ପୂରେଇ ପଦାକୁ ଭଲେଇ ହେଲେ ସେ କେତେକରେ କେତେ, ସେ ବା କେଇଦିନକୁ ? ହିସାବଟା ଆଚ୍ଛାକରି ତୁଟେଇ ଦେଲେ ସିନା, କଳଙ୍କ ଗଲା ନାଇଁ, ଅନାଚାର ଛାଡ଼ିଲା ନାଇଁ, ଅଣଉପରୋଧ ଗଲା ନାହିଁ ତୁଚ୍ଛାକୁ କ’ଣ ନା ଗାଁଟା ଶାନ୍ତ ପଇଲା, କ’ଣ ଧରପଗଡ଼ ଲାଗିଲା ନାଇଁ ବୋଲି ନା କ’ଣ ?’’

 

‘‘ଆରେ ଭଲାରେ ଭଲା–’’ ସଦା ଗଉଡ଼ କହିଲା, ‘‘ୟେ ରଣରଙ୍କା ବୁଢ଼ା କ’ଣ ହଉଚି ମ, କୋଉଠି ବୁଢ଼ାମାନେ ସିନା ସହିସମ୍ଭାଳି ମିଳେଇ ମିଶେଇ ଦିଅନ୍ତି, ୟେ ବୁଢ଼ା ତ କ’ଣ ଓଲଟି ନିଆଁ ତେଜିବାକୁ ମନ,–’’

 

ପଛରୁ କିଏ କହିଲା, ‘‘ଆପେ ଆଉ ବାଳି ସୁଗ୍ରୀପରି ଗଡ଼ାଗଡ଼ି ହବାକୁ ବହପ ନାଇଁ, ଟୋକାଙ୍କୁ ଟେହିଟାହି ଦେଲେ ହେଲେ ଆଖିରେ ଦେଖି ଆଶା ମେଣ୍ଟିବ । ବଡ଼ ଖେଣ୍ଟା ଏ ବୁଢ଼ାଏ–’’

 

‘‘ଯାହା କହିବ କହୁଥା, ତମର ଗାଁ ଶାନ୍ତ ହେଲେ କେତେ ଗରମ ହେଲେ କେତେ, ମୁଁ ତ ବାବୁ ଆଉ କାହାରି ପଟରେ ନାଇଁ–’’

 

ସେ ପଞ୍ଝାକ ଗଲେ । ହରି ସାହୁ ପୁଣି ମିଳେଇଲା ଏ କଥାକୁ ତା’ର ଖବରକାଗଜରୁ ପଢ଼ିଥିବା ଧାରଣା ସଙ୍ଗେ, ଆଉ ଭାବିଲା, କେମିତି ବାଗରେ ମିଳିଯାଉଛି କଥାକୁ କଥା, ଲଢ଼େଇ ଲଢ଼େଇ ହୁରି କରୁଛନ୍ତି ଯେଉଁ ନେତାମାନେ ଦେଶ ବିଦେଶରେ, ପ୍ରାୟ ବୁଢ଼ା ଲୋକହିଁ ତ ସେମାନେ ।

 

ପାକେଲା ବାଳ, କି ଟାଙ୍ଗରା ମୁଣ୍ଡ, ବୋଧା ଜାଣିବାର ବୁଢ଼ାଲୋକେ ଦେଶ ବିଦେଶର, ନିଶ୍ଚୟ ସେମାନେ ଶାସ୍ତ୍ରପୁରାଣରେ ସୁପଣ୍ଡିତ, ମଣିଷ ଜୀବନ ବିଷୟରେ ନିଶ୍ଚୟ ଅଶେଷ ସେମାନଙ୍କର ଜ୍ଞାନ, ସେମାନେ ଆପଣ ଆପଣା ଦେଶକୁ ମଙ୍ଗୁଆଳ, ସେହି ଯେତେ ଅଖାଡ଼ୁଆ ନାଁ ସେସବୁ ଦେଶମାନଙ୍କର କ’ଣ ଆଫିରିକା, ଆମିରିକା ଏମିତି କେତେ ଜାତି ନାଁ । ଯାହା ପିନ୍ଧନ୍ତୁ ପଛେ ଯାହା ଖାଆନ୍ତୁ, ଯାହା ହୋଇଥାଉ, ତାଙ୍କ ବୋଲିକି ଯେମିତି ପଛେ ତାଙ୍କ ଚେହେରା, ସେ ଦେଶରେ ବି ବାପମା’ ପୁଅ ଭାରିଯା ସାଙ୍ଗ ସମ୍ବନ୍ଧୀ ହୋଇ ଲୋକେ ଚଳୁଥିବେ, ପୁଅକୁ ବାପର ମା’ର ଆଶା ଥିବ, କେମିତି ଜନପରଜା ସୁଖରେ ରହିବେ ସେହିଆ ହୋଇଥିବ ସମସ୍ତିଙ୍କ କାମନା ।

 

Unknown

ଅଥଚ ବୁଢ଼ାଏ ବି ପାଟିକରି ଚହଳ ପକାନ୍ତି, ‘‘ଯୁଦ୍ଧ-ଯୁଦ୍ଧ-ଯୁଦ୍ଧ-’’ ପ୍ରଶାନ୍ତ ବୁଢ଼ାବୟସ, ଉଦାର ଦୟାଶୀଳ କ୍ଷମାଶୀଳ ବୁଢ଼ାଦିନ, ପରମାର୍ଥ ଲୋଡ଼ିବାର ବେଳ କି ଖୋଇ କାହାକୁ ସେତେବେଳେ ଧରେ ଯେ ମଣିଷ ଶାନ୍ତି ଛାଡ଼ି ଯୁଦ୍ଧପାଇଁ ବୁଦ୍ଧି ଯୋଖେ । ଓଲଟି ପିଲାଙ୍କୁ ବୁଝେଇ ଭାଙ୍ଗିଦେଇ ପାରନ୍ତେନାହିଁ ? କ’ଣ କହୁଚ ମ ?

 

ସେହିକଥା ଭାବୁଥିଲା ହରିସାଉ, ତା’ର ଦୋକାନଘର ଭାଡ଼ି ଉପରେ ବସି, କାରଣ ସେ ପଢ଼ିଥିଲା ଆଜିକା ଖବରକାଗଜରେ ବି ସେହି ଯୁଦ୍ଧର ମେଘ ଘୋଟି ଆସୁଥିବା କଥା ଉପରେ ବେଶି ଆଲୋଚନା, ସୈନ୍ୟବଳ ବଢ଼ାଇବା କଥା, ନାନା ମାରଣଅସ୍ତ୍ର ଠୁଳ କରିବା କଥା, କେଉଁଟା କେତେ ଛୁଣୁକା ଦେଶ ପୋଡ଼ିପାରେ ମଣିଷ ମାରିପାରେ–ଚଦାଚଦି, ବକ୍ତୃତା, ମେଣ୍ଟ, ଡରଭୟ, ଭୈରବୀ ଲୀଳା ଘୋଟିଛି, ମଣିଷମନରେ ପରସ୍ପର ପ୍ରତି ଅବିଶ୍ଵାସ ଆଉ ଭୟ ।

 

ଅଥଚ କିଏ ଚାହେଁ କଳିଗୋଳ ? କିଏ ଚାହେଁ ଯୁଦ୍ଧ ? ସାଧାରଣ ମଣିଷ କେବେ ନୁହେଁ । ହେଇ ତ ଏ ଗାଁରେ ଏତେବଡ଼ କଳିଟା ମାଡ଼ି ଆସୁ ଆସୁ ପହିଲି ପିଟାପିଟି ଉତ୍ତାରୁ ଯୁଦ୍ଧରୁ ମଣିଷଙ୍କ ମନ ଲେଉଟି ଆସିଲାଣି, ମାଗୁଣିଆ ବି ଲୋଡ଼ୁନାହିଁ ଖୁରି କରିବାକୁ । ଘାସଲଟାପରି ସାଧାରଣ ମଣିଷ, ଆପଣା ଦୁଃଖଧନ୍ଦା କରି ଯେତିକି ବେଳ ମିଳେ ସେଥିରେ ସାଙ୍ଗସୁଖ ହସ ଖୁସିରେ ଚଳିବାକୁ ତାକୁ ଭଲଲାଗେ, ଭଲଲାଗେ ତା’ର ପୁରୁଣା ଅଭ୍ୟାସ ପୁରୁଣା ଚଳଣିରେ ଶାନ୍ତିରେ ରହିବାକୁ । ଅଥଚ ଖବରକାଗଜ ପଢ଼ିଲେ ମୁଣ୍ଡରେ ପଶେ ଭାବନା ।

 

ଯେ ଦୁନିଆଁଯାକର ଲୋକ ସ୍ନେହ ଆଉ ଶାନ୍ତିପାଇଁ ରଙ୍କୁଣା ହୋଇ ମନିସା ବଳାଇଥିଲାବେଳେ ଆପେ ଆପେ ଘୋଟିଆସୁଛି ଯୁଦ୍ଧର ଭୟ ।

 

‘‘କି ଶିକ୍ଷା କି ଫଳ ।’’ ଆପେ ଆପେ ତା’ ପାଟିରୁ ବାହାରିଗଲା । ବିକା ମୁଦୁଲି ତଥାପି ମାଣ୍ଟେଇଥିଲା । ପଚାରିଲା, ‘‘କୋଉ କଥାକୁ କହୁଚ ?’’

 

‘‘ନାଇଁ, ମନେପଡ଼ିଗଲା ।’’

 

‘‘କାଗଜ ପଢ଼ୁଚ, ଏ ପୃଥ୍ୱୀ ଖବର ଭଲଟିକି ?’’

 

‘‘ଆଉ କି ଭଲ ପଚାରୁଚ ? ଏ ଯାହା ହେଲାଣି ଏ ପୃଥ୍ୱୀ ରହିଲେ ହେଲା । ଗୋଟାଏ ନଢ଼େଇ ସରି ଅଣ୍ଟା ସଳଖି ନାଇଁ ତେଣେ ଶୁଣିବ ଆହୁରି ଗୋଟାଏ ନଢ଼େଇ ପାଇଁକି ସଜବାଜ । ଏ ପୃଥ୍ୱୀକି ଜାଳିପୋଡ଼ି ଭସ୍ମ ନ କଲେ ଲୋକଙ୍କ ଆଶା ମେଣ୍ଟିବ ନାଇଁ ଲାଗୁଚି । ଅତି ପାଠ ପଢ଼ି ମଣିଷଙ୍କ ମୁଣ୍ଡ ବିଗିଡ଼ି ଗଲାଣି । ଖାଲି ବାଣ ତିଆରି ଲାଗିଚି । ପଢ଼ିନା ଯେମିତି କି ଭାରତ ଯୁଦ୍ଧବେଳେ ଗୋଟାଏ ବାଣ ଏ ଦେଶରୁ ସେ ଦେଶକୁ ଯିବ ଯେ ଯାଇ ପୋଡ଼ିଜାଳି ଦେଇ ଲେଉଟି ଆସିବ, କୋଉଟା ଫୁଟିଲେ ଯୋଜନ ଯୋଜନ କୁଆଡ଼େ ଭସ୍ମ ହୋଇଯିବ । ଆଜି ୟେ ୟା କଲାଣି, କାଲି ସେ ତା’ କଲାଣି, ଆଉ ଯୋଉଠି ଦେଖୁଚ କୋଉ ଦେଶରେ ଟିକିଏ ଘରୋଇ କଳି ଲାଗିଗଲା ବୁଝିଥା ତା’ ପଛଆଡ଼େ ପ୍ରବଳ ପ୍ରବଳ ଶକ୍ତିମାନ ରହି ଦଉଡ଼ି ଓଟାରି ଓଟାରି ସଖୀ କଣ୍ଢେଇ ନଚୋଉଚନ୍ତି, ଖାଲି ଓର ଉଣ୍ତୁଚନ୍ତି କେମିତି ଟିକିଏ ଖଞ୍ଜ ପଡ଼ିଗଲେ ତଣ୍ଟି ଝୁଣାଝୁଣି ହେବାକୁ ଡେଇଁ ପଡ଼ନ୍ତେ ପରା–’’

 

‘‘ସେତେବେଳେ ତାଙ୍କ ବାଣ ଫୁଟନ୍ତା–’’ ବିଦେଇ ମୁଦୁଲି କହିଲା ।

 

‘‘ପୁଣି ଭାରତଯୁଦ୍ଧ’’, ଚେମେଇଁ ବେହେରା କହିଲା ।

 

‘‘ଏକୋଇଶି ଥର ନା ଥରେ’’ ବିଦେଇ ମୁଦୁଲି କହିଲା, ‘‘ନେଖିଚନ୍ତି ସାରୋଳ ଦାସେ, ଲାଗିଥିବ ଥରକୁ ଥର ହେଇ ଭାରତଯୁଦ୍ଧ, ଫେଣେ ଚକ ଗଡ଼ୁଥିବ, ଫେଣେ ଯୁଦ୍ଧ ନାଗୁଥିବ, ଯେ ସେଇମିତି, ମଣିଷର କ’ଣ ଚାରା ଅଛି ?’’

 

ଅଇଲା ଅପର୍ତ୍ତି ପଧାନ, କହିଲା, ‘‘କ’ଣ ପଡ଼ିଚି ? ସେଇ ବିଦେଶ ଖବର ? ଏଣେ ଦେଶକୁ ଆଗ ଅନା ସାଉଏ, ଭାଉ ବଢ଼ୁଚି, ତାଷକୁ ଧୋଇ ମରୁଡ଼ି, କଲବଲ ଛଟପଟ ହାଉଯାଉ ବଢ଼ି ଲାଗିଚି ଦିନୁଦିନ; ଦି’ଟା ଯଦି ଟିଙ୍କପରି ଫୁଲିଗଲେ ଦେଖିଲାବେଳକୁ ଆଉ କୋଡ଼ିଏଟା ହେଲେଣି ଚୋପା ଖୋଳପା, ଅଭାବରେ ପଡ଼ି ସ୍ୱଭାବ ନଷ୍ଟ, କିଏ କାହା ଶିରୀ ଦେଖିପାରୁନାଇଁ, ଗାଁ ଗାଁକେ ସତର ଫାଙ୍କ । ଏଠି ତ ବାଣ ନ ଥାଇ ବାଣ ମରାମରି, ୟେ ଗାଁ ୟେ ମଣିଷ ୟେ ସବୁ ତ ଭୁଶୁଡ଼ି ପଡ଼ୁଚି, ଆଉ ଖବର କାଗଜ କ’ଣ ଅଧିକା କହିବ ?’’

 

ଅପର୍ତ୍ତି ପଧାନ ତୁଣ୍ତରେ ଏ ନୂଆକଥା, ନା ନେତା ହେବାକୁ ଫିସାଦି କରିଛି ? ହରି ସାହୁ ଭାବିଲା, କହିଲା, ‘‘ଗାଁ ଭୁଶୁଡ଼ିଲେ ତାକୁ ଗାଁ ମଣିଷ ରୋଧିବେ, ସମ୍ଭାଳିବେ, ଦର୍‌ହ କରିବେ ନା ପର ଆସିବେ କରିବାକୁ ?’’

 

ଅପର୍ତ୍ତିଆ କହିଲା, ‘‘ସେ ବୁଦ୍ଧି ଆମର ହଉ ନାଇଁ କି ଆମକୁ ବୁଦ୍ଧି ଅକଲ କେହି ଦଉ ନାଇଁ । ଆମେ ଯାହା ଦେଖିଲୁ, ଯାହା ଶିଖିଲୁ ସେଇଆ କଲୁ । ହେଇ ତ ଏବେ ଦେଖ, ଗୋବର୍ଦ୍ଧନପୁର ଚାହାଳି ବକଟେ ଯେ ସେଥିରେ ପୁଣି କିଏ ସେକ୍ରେଟେରୀ ହେବ ସେଇଥିପାଇଁ ଦି’ଦଳ ହୋଇ କଳି ଲାଗିଲା ଯେ ଗୋଟାଏ ପଟର ଲୋକେ ରାଗରେ ଚାହାଳି ଘରଟାକୁ ଦେଲେ ପୋଡ଼ି ।’’

 

‘‘ଏଁ ।’’ ବହୁତ ଲୋକ ଏକାଠି ପାଟି କଲେ ।

 

‘‘ଆଉ ସହରରେ ତ ଅନ୍ୟ କଥାଇ, ନାଇଁ, ଖାଲି ଏପଟ ସେପଟ ନାନା ପଟ, ଯେ ଯୋଉ ପଟ ନେଲା । କେମିତି ଆପଣା ପଟକୁ ବେଶି ଲୋକ ଆସିବେ ମୁଣ୍ଡ ସୁମାରିରେ କୋଉ ପଟ ବେଶି ହେଲେ ସବୁଥିରେ ତାଙ୍କରି କଥା ଚଳିବ ସେଇ ହାକିମାତି କରିବେ ସେଠି ସେଇ ବିଚାର, ଗୋଟି ଗୋଟିକିଆ ରାଜା ହବାବେଳ ତ ଗଲା, ଅଇଛା ଦଳ ସଜାଡ଼ି ଆପଣା ମୁଣ୍ତକୁ ଛତ୍ର ଟେକିବା ହେଲାଣି ବଡ଼ ବେଉସା, କ’ଣ ସବୁ ଦେଖୁନା ଯେ ମୁଁ ବେଶି କହିବି ? ଏଣେ ମଫସଲରେ ଆମର ସେଇ ସେଠା ଦଳର ଭୋଗରୁ ଭାଗ ପାଇବାପାଇଁ ଫେର୍ ଦଳ ଗଢ଼ାଗଢ଼ି, କଳିକଜିଆ, ମୁଣ୍ଡ ଫଟାଫଟି–’’

 

ଧୋବା ହୁର୍ଦ୍ଦୁ ସେଠୀ କହିଲା, ‘‘ଯାହା କହ, ଆଗଠୁ କ’ଣ ଭଲ ହେଇ ନାଇଁ କହୁଚ ? ଭଲ ହେଲେ ଆମର, ମନ୍ଦ ହେଲେ ଆମର, ଇଂଗିରିଜି ନାଇଁ କି ରଜା ନାହାନ୍ତି କି ଜମିଦାର ବି ନାହାନ୍ତି । ଆମ ରାଇଜ ଆମର ହେଇଚି, ଯେ ଯେଡ଼େବଡ଼ ହଉ, ଆମଠୁଁ ତ ପୁଣି ଭୋଟ ମାଗିବାକୁ ଆସିଥିଲେ, ସଡ଼କ, ପୋଖରୀ, ଇସ୍କୁଲ, ଡାକ୍ତରଖାନା, କେତେଠି କେତେକଥା ତ ହଉଚି, ଆଗେ ଭୁକି ଭୁକି କିଏ ଶୁଣୁଥିଲା ? କାଳ ବଦଳି ନାଇଁ କହୁଚ ? ଆଗ ଦେଖ ସେ କାଳ ଡର ଭୟ କ’ଣ ଆଉ ଅଛି ? ମଣିଷ ପାଟି ଖୋଲି କଥା ପଦେ କହିପାରୁଚି ତ ?’’

 

‘‘ଆମ ରାଇଜ ଆମର ନୁହେଁ ଆଉ କ’ଣ ପରର ?’’ ବିକା ମୁଦୁଲି କହିଲା ‘‘ସେଇଥିପାଇଁ ତ ଉଛନ ଲାଗୁଚି, କେମିତି ଏ ରାଇଜ ଆହୁରି ଭଲ ହେଉ, ଗାନ୍ଧୀ ମହାତ୍ମା ଏ ରାଇଜପାଇଁ ଜୀବନ ଦେଲେ, ସେ କଥା କେହି ଭୁଲି ନାଇଁ । ହେଲେ ଖାଲି ରାଇଜଟା ମିଳିଗଲେ ହୋଇଗଲା ନା ? କଳାବଜାର, କିଳାପୋତେଇ, ଲାଞ୍ଚ, ମିଛ, ମେଣ୍ଟ ଗଢ଼ାଗଢ଼ି, ଚଢ଼ା ଭାଉ, ଠକ ଫିସାଦି, ଏଗୁଡ଼ା ତ କୁଆଡ଼ୁ କୁଆଡ଼ୁ ବଢ଼ି ଉଠିଚି । ମଣିଷ ତିଷ୍ଠିବେ କେମିତି ?’’

 

ଅପର୍ତ୍ତିଆ କହିଲା, ‘‘ସବୁ ମିଶେଇଦେଇ ପୁଣି ନୂଆକରି ଗୋଟାଏ କରି ଗଢ଼ିଲେ ଆଚ୍ଛା ହବ ପରା-ଯେମିତିକି କରୁଛନ୍ତି ଫୁଲଶରାରେ–’’

 

ସେ ଚାଲିଗଲା । ସମସ୍ତେ ତୁନି ପଡ଼ିଲେ ଟିକିଏ ।

 

ନୀଳୁ ଦାସ ଅଇଲେ ସଉଦା କିଣି । କହିଲେ, ‘‘ଭଲା ଫୁଲଶରା ଘୋଟିଲାଣି ୟାଙ୍କୁ ।’’

 

‘‘ଯାହାଙ୍କ ନାଁରେ ଡିବି ଡିବି ବାଜୁଚି ସେ ହେଇଚନ୍ତି ସେଠି ନେତା । ସବୁ ଏକା ମେଣ୍ଟ କରିଦେବେ ।’’ ଖତେଇ ହେଲାପରି ସେ କହିଲେ, ‘‘ଯାହା କରିବ କର ବାପା କର । ଯେଝା ଖଞ୍ଜରେ ଯେ ଠିକ୍ ଅଛନ୍ତି, ଏମିତି ଥୋଡ଼ାଏ ହୋ ହୋ କରି ଲୋକଙ୍କୁ ଭେଳେଇଲେ ସେଉଠୁ ତ ପିଢ଼ିକି ଚଢ଼ିବାକୁ ସିଡ଼ି ମିଳିଯିବ ଆଉ କ’ଣ ? ଲୋକେ ତ ସବୁଦିନେ ପାଳିଆ, ଖାଲି ତାଙ୍କୁ ଗୋଟାଏ ବାଟ ଦେଖାଇଦେଲେ ହେଲା, ନା କ’ଣ ?’’

 

ନୀଳୁ ଦାସ କଚିରିକି ନ ଯାଇ ବି ଟାଉଟର, କେହି ତାଙ୍କ କଥାରେ ସା ଦେଲେ ନାହିଁ । ହୁର୍ଦ୍ଦୁ ସେଠୀ କହିଲା, ‘‘କ’ଣ ଭଲ କାମ କରୁଚନ୍ତି ଫୁଲଶରା ଗାଁରେ । ଭଲକାମ କରିବାଟା ତ ଭଲ-। ଏମିତିରେ କିଛି କାମ ହଉନାଇଁ, କେହି କାହା ଭଲ ଭାବୁ ନାହାଁନ୍ତି । ସେମିତିରେ କିଛି ହେଲେ ଭଲ କରିବାକୁ ଚେରେଷ୍ଟା ହଉଚି, ଚେରେଷ୍ଟା ହଉ ହଉ ଯେତେ ବାଟ ଯିବ, ନାଙ୍କରା କ’ଣ-?’’

 

‘‘ନୀଳୁ ଦାସ ଠୋ ଠୋ ହସିଦେଇ କହିଲେ, ‘‘କେତେ ମହା ମହା ତ କୁଆଡ଼େ ଗଲେଣି, ଆଉ ଚେରେଷ୍ଟା ! ଚେରେଷ୍ଟା କଲେ ତେମେ ଏ ଗୋଡ଼ିମାଟିକି ସୁନା କରିବ, ପାଞ୍ଚ ଆଙ୍ଗୁଠିକି ସମାନ କରିବ ନା କୁକୁର ଲାଙ୍ଗୁଡ଼କୁ ସିଧା କରିବ ? ମଣିଷ ସ୍ୱଭାବ ଯାହା ତା’ ବଦଳିଚି କୋଉଠି-?’’

 

ହୁର୍ଦ୍ଦ ସେଠୀ କହିଲା, ‘‘ଦୟା ଧର୍ମ ତ ଅଛି ? ମଣିଷ ସ୍ୱଭାବରେ ତା’ କ’ଣ ନାଇଁ ?’’

 

‘‘ତୋରିଠେଇଁ ବେଶି ଅଛି ?’’ ନୀଳୁ ଦାସ କହିଲା । କେତେ ଲୋକ ହସିଲେ, ଶୁଭିଲା । ହୁର୍ଦ୍ଦୁ ସେଠୀ କହିଲା, ‘‘ଲୁଗାକୁ ପାହାରେ ଦେଲେ ପାଟିରୁ ଆମର ରାମନାମ ବାହାରେ, ଧିଅ ମେହେନ୍ତ କରି ଖାଇବା ଲୋକ ଗରିବ ଲୋକ ଆମେ, ଏଇଥିରୁ କିଏ ଯଦି କହିବ ଆମଠି ଦୟା ଧରମ ଅଛି ତ ଥବ ଅବା, କିଏ ନାହିଁ କରୁଚି ?’’

 

ନୀଳୁ ଦାସ ଗଲେ । ଆହୁରି କେତେ ଆସିଲେ ଗଲେ । ହରି ସାହୁକୁ ଲାଗିଲା, ଖାଲି ଉପରେ ଉପରେ ନୁହେଁ, ଭିତରେ ଭିତରେ ବି, ଗାଁଆରେ କେଉଁଠି କ’ଣ ବଦଳିଛି ।

 

ତା’ପରେ ହଠାତ୍ ସେ ଆଉ ଗୋଟିଏ ଭାବନା ସହିତ ସାମଞ୍ଜସ୍ୟ ମନେପକାଇଲା, ସେହି ଦେଶ ବିଦେଶର କାହାଣୀରେ ।

 

ସେଠି ବି ଭିତରେ ଭିତରେ ଆଲୁଅର ସୁଅ ବଢ଼ି ଚାଲିଛି ।

 

ଦୁନିଆଁର ମଣିଷ ଲୋଡ଼େ ଶାନ୍ତି, ଯୁଦ୍ଧ ନୁହେଁ ।

 

ଚଇତ ମାଡ଼ିଗଲା, ଚାତକ ଅନାଏଁ ମେଘକୁ, କେଳାଭାରିଯା ଅପେକ୍ଷା କରେ ଡାକବାଲାକୁ । କାଳେ ଆଣିବ ସେହି ଚିଠି ଯାହାକୁ ସେ ମନେ ମନେ ସ୍ୱପ୍ନ ଦେଖେ–‘‘କ’ଣ ଖାଇବାକୁ ରଖିଚ ? ମୁଁ ଯାଉଚି ।’’ ବେଳେ ବେଳେ ରଣକୁହୁଡ଼ି ଦିଶେ, ଉଞ୍ଚ ପିଣ୍ଡା ଉପରେ ଠିଆହେଲେ ବାରି ଉପରଦେଇ ଦୂରକୁ ଦିଶେ, ଲାଗେ ଦୂରରେ ସବୁ ଭାସୁଛି, ମଝିରେ ମଝିରେ ବିଚିତ୍ର ସପନଗଢ଼ା ବୋଇତପରି କେଉଁ ଅଚିହ୍ନା ଗଛ । ଆଉ ବେଳେ ବେଳେ ବନବାସିଆ ମେଘ ଘୋଡ଼ାଇଥାଏ ଦିଶେ, କେବେ ଛାମୁଡ଼ିଆ କରିଥିଲା ରାମ ଲକ୍ଷ୍ମଣ ସୀତାଙ୍କ ମୁଣ୍ଡ ଉପରେ ପୁଣି ଯେମିତିକି ସେକଥା ମନେପଡ଼ିଯାଏ ତା’ର । ପୁଣି ଧୁ ଧୁ ଖରା ଝଳେ, ଚଇତାଳି ପବନରେ ଧୂଳି ଉଡ଼େ, କେଳାଭାରିଯା ପଦାରୁ ଲେଉଟିଆସେ ଘର ଭିତରକୁ । ଚିଠି ଆସେ ନାହିଁ, କେଳା ଆସେ ନାହିଁ ।

 

କାମ ନ ଥିଲେ କାମ ତିଆରି କରି ଜାଣନ୍ତି ଶାଶୁ ବୁଢ଼ୀ, ହାତ ଖଲ ଖଲ, ଆଦୌ ଅଟକେ ନାହିଁ । ଖପର ଖପରକରି ପାଞ୍ଚ ବଖରାଯାକ ଘର ଓଳେଇ ଲାଗିଥାନ୍ତି, ତା’ପରେ ଦୁଆର, ଦିନକୁ ଅନ୍ତତଃ ଦି’ଥର । କାନ୍ଥଗୁଡ଼ାକ ମୂଲିଆଣୀ ଲଗାଇ ଲିପାନ୍ତି, କିନ୍ତୁ ଦୁଆର ଲିପନ୍ତି ସେ ନିଜେ-। ଏଇ ତ ଦିନକୁ କାମ ଜୁଟିଗଲା । ଓଳିଆ ସନ୍ଧି, ଭାଡ଼ିତଳ, ଘରକଣ ଆଉ ଚାଳ ତଳ ନିରେଖି ନିରେଖି ଦେଖନ୍ତି, କେଉଁଠି ମୂଷା ମାଟି ଗାଳିଛି, କେଉଁଠି ବିଲେଇ ଅସନା କରିଛି । ସଫା କରିବସିଲେ ବହୁତ କାମ । କିଛି ନ ମିଳିଲେ ଜିନିଷଗୁଡ଼ାକୁ ଏଠୁ ନେଇ ସେଠି, ସେଠୁ ନେଇ ଏଠି, ଏପରି ବି କରାଯାଇ କାମ ଭିଆଣ ହୁଏ । ଆଉ ଥାଏ ବିଶିଷ୍ଟ କାମ, ବତୁରାଇବା, ପେଷିବା, ବାଟିବା, ବଡ଼ି ପାରିବା । ଭଡ଼ା ଭଡ଼ା ବଡ଼ି ଶୁଖେଇ ସାଇତି ରଖିଲେଣି, ପୁଣି ଚାଲିଛି ଆହୁରି । ଖୁରୁଡ଼ ନଡ଼ିଆ ରାନ୍ଧି ତେଲ ବାହାର କରି ରଖିଲେଣି, ପୁଣି ଚାଲିଛି ସେ କାମ । ଏବେ ନୂଆ କାମ ମିଳିଛି, କଷି ଆମ୍ୱ ଫାଳ ରାଇ ଆମ୍ୱୁଲ ପରା, ପନିକିରେ ସବାର ହୋଇ ବସିପଡ଼ିଲେ ତ ଚାଲିଲା କାମ, ବେଳ ଅଣ୍ଟିବ ନାହିଁ । ଅସୁମାରି ବର୍ଷର ନାନା ପ୍ରକାର ଆଚାର ଆମ୍ୱୁଲ ହାଣ୍ଡିରେ ପଶି ସାଇତା ହୋଇରହିଛି, ଆହୁରି ରହୁଛି ସଜନାଛୁଇଁ ଆଚାର, ବିଲାତି ଆଳୁ ଆଚାର, ବରକୋଳି ଆଚାର, କାଗେଜି ଆଚାର, ଆମ୍ୱ ତ ଜାତି ଜାତି, କିନ୍ତୁ ହାତ ଅଟକି ନାହିଁ । ୟା ଛଡ଼ା ନିତିଦିନର ବନ୍ଧା କାମ, ଏକା ଦି’ଓଳି ଗୋରୁ ସେବାରେ ଲାଗିଗଲେ ବେଳ କଟିଯାଏ । ତା’ ଉପରେ ଥାଏ ପୂଜାପାର୍ବଣ ଓଷାବାର, ଦୂବଟିଏ ବରକୋଳି ପତ୍ରଟିଏ ସାଇତିବାଠୁ ଆରମ୍ଭକରି ଗୋଡ଼ ଲମ୍ୱେଇ ବସି ଜଙ୍ଘ ଉପରେ ସଞ୍ଜବଳିତା ବଳିବା, ପଞ୍ଚାମୃତ ସଜିଲ କରିବା, ବ୍ରାହ୍ମଣଙ୍କୁ ଖୋଇବା ବିଦାକରିବା ପର୍ଯ୍ୟନ୍ତେ । କେବେ କେବେ ଖୁରୁପିଟିଏ ଧରି ବାରିକି ବାହାରି ପଡ଼ନ୍ତି ବୁଢ଼ୀ, ନଇଁପଡ଼ି ଖଡ଼ାଗଛ ମୂଳ, ଲଙ୍କାମରିଚ ଗଛ ମୂଳ ଖୁସୋଉ ଥାଆନ୍ତି ପ୍ରତି ଗଛର, ସେ ଯେଡ଼େ ସାନ ହେଉକି ଯେଡ଼େ ବଡ଼ ହେଉ ପଛେ, ତା’ର ଯେପରିକି ଅଲଗା ଅଲଗା ଆବଶ୍ୟକ ଥାଏ ମେଣ୍ଟା ହେବାକୁ, କେଉଁଟି ପୋକ ଦାଉରେ କଲବଲ, କେଉଁଟି ମୂଳରେ ମୁଠାଏ ମାଟି ଲାଗିବ । କେଉଁ ଗୋଟାକ ଅଦରକାରୀ ଏଥିରୁ ? ସବୁ ଦରକାରୀ । ତା’ପରେ ତାଷ ଖବର ବି ବୁଝିବା ଗୋଟିଏ ସବୁଦିନିଆ ଜଞ୍ଜାଳ । ଆପଣାର ହଳିଆ କୋଠିଆ ହୋଇ ତିନିଜଣ, ପୁଣି ଭାଗୁଆଳୀ ଚାଷୀ କ୍ଷେତ ବାରିବଗିଚା, ଆମ୍ୱ, ନଡ଼ିଆ କେଉଁଠି କ’ଣ ଲାଗିବ, କେଉଁଠି କ’ଣ ଦରକାର ଏ କାର୍ଯ୍ୟରୁ ଆରମ୍ଭକରି ଯେ ହଳିଆ ମୂଲିଆଙ୍କର ଘରକଳି ବୁଝିବା ପର୍ଯ୍ୟନ୍ତ, ନ ବୁଝିଲେ ନ ହୁଏ, କିଏ ରୁଷିଛି ଖାଇନାହିଁ, କାହାଘରେ ଅଶାନ୍ତି ଜଳୁଛି, ମନକୁ ନ ସଜାଡ଼ିଲେ ହାତଗୋଡ଼ ଚଳିବ ନାହିଁ ତା’ର ।

 

ଶାଶୁ ବୁଢ଼ୀଙ୍କ ଉପରେ ଯେପରିକି ଶାଗୁଆ ଘାସର ପରସ୍ତ ପରସ୍ତ ଜାଲ, ଭିଡ଼ି ଧରିଛି, ଛାଡ଼ୁନାହିଁ, ତଥାପି, ଯେତେ ବହଳ ହୋଇ ବଦ୍ଧ ବସିଲେ ବି ତାଙ୍କୁ ବି କରିରଖିଛି ନିତିଦିନ ଶାଗୁଆ, ରସୁଆଳ । ସ୍ଵାମୀ ମଲେଣି କେଉଁ କାଳ, ପୁଅ ମଣିଷ ହେଲା ଯେ ସେ ହେଲା ପରବାସୀ, ବୋହୂ ହେଲା । ବାଞ୍ଝ, ଠାକୁରଙ୍କୁ ଯେତେ ଡାକି ଡାକି ସେ କେହି ଶୁଣିଲେ ନାହିଁ, ଯଦିଚ ସେ ଏଯାକେ ଆଶା ଛାଡ଼ିନାହାନ୍ତି । ଏକୁଟିଆ ନିଛାଟିଆ ଜୀବନକୁ କେମିତି ସେ ଆଦରି ନେଇପାରିଛନ୍ତି, କେଳାଭାରିଯା । ସେହିକଥା ଭାବିଲେ ଆଶ୍ଚର୍ଯ୍ୟ ହୁଏ । କେମିତି ତାଙ୍କର ଆଜି ଯାହା ସବୁଦିନେ ସେଇଆ, କେତେବେଳେ ଲାଗେନାହିଁ ଯେକୌଣସି ମଣିଷର ଅଭାବ ସେ କେତେବେଳେ ଅନୁଭବ କରନ୍ତିବୋଲି, ବରଂ ଯେପରିକି ଜନ୍ମରୁ ସେ ଏହିପରିହିଁ ହୋଇଥିବେ । ଏପରି ବି ଲାଗେ, ଯେପରିକି ଚାରିପାଖର ମାଟି ଆକାଶ ଗଛଲତା ସହିତ ଲାଗିଗଲାପରି ସେ ବି ସେହିପରି ଗୋଟିଏ ସୃଷ୍ଟି, ତାଙ୍କ ପକ୍ଷରେ ବଞ୍ଚିବା କାର୍ଯ୍ୟହିଁ ଜୀବନର ଉଦ୍ଦେଶ୍ୟ, ଆଉ କିଛିନୁହେଁ ।

 

ଭାବେ, ଜୀବନଟା ତାଙ୍କର ପୂର୍ଣ୍ଣ, ଆପଣା ଛାଆଁକୁ ଛାଆଁ ପୂର୍ଣ୍ଣ, କେହି ଗପିବାକୁ ଆସିଲେ ଭଲ, ନ ଆସିଲେ ଭଲ, ନ ଆସିଲେ ବି ଚିନ୍ତା ନାହିଁ । ମୁହୂର୍ତ୍ତେ ବୋଲି ଅଳସ ବେଳ ନାହିଁ:

 

‘‘ଆସ ମ ବୋହୂ, ଘଷି ଦି’ଟା ହେଲେ ପାରିଦଉଁ । ଅଇଛା ସିନା ଘଷିର ଉପକାର ଜଣାପଡ଼ୁନାହିଁ । ବରଷା ଦିନେ ଯେତେବେଳେ ଝରି ଲାଗିଥିବ, ଜାଳ ମିଳୁନଥିବ ଯେ ଲୋକଙ୍କ ଘରେ ତିନି ଓଳିରେ ଚୁଲୀ ଜଳୁନଥିବ, ସେତେବେଳେ ଘଷି ଫରାକୁ କମି ଆଦର ।’’

 

‘‘କାହିଁକି ଏତେ ବୋଉ,’’–କେଳାଭାରିଯା ବେଳେବେଳେ ଆପତ୍ତି ଜଣାଏଁ, ‘‘ଆସ ଟିକିଏ ଗଡ଼ିପଡ଼ିବ, ଗୋଡ଼ଟା ଘଷିଦେବି । ସବୁବେଳେ ଏତେ ପରିଶ୍ରମ–କାହିଁକି ତୁଚ୍ଛାକୁ ? ଦି’ଟା ପେଟକୁ ଦି’ ଓଳି ଦି’ ମୁଠା ଫୁଟେଇ ଖାଇଦେଲେ ଯାଏ । କ’ଣ ହବ ଏତେ କାମକରି ?’’

 

‘‘କାମ କାହିଁ ମ ବୋହୂ ? କ’ଣ କିଏ ମାଟି ତାଡ଼ୁଚି ନା ପଥର ଭାଙ୍ଗୁଚି ଯେ ୟା ନା ଗୋଟାଏ କାମ ? ଭଗବାନ ହାତ ଗୋଡ଼ ଦେଇଚି, ତାକୁ ତ ମଣିଷ ଟିକିଏ ଖେଳେଇବ ? ଆଖି ଦେଇନି ଦେଖିବ ତ ? ଅସଜଡ଼ା କଥାଟା ଆଖିରେ ପଡ଼ିଗଲେ କ’ଣ ତୁନି ହୋଇ ମଣିଷ ବସି ରହିଥିବ ଏ ପ୍ରାଣ ଥିବାଯାକେ ? ଦି’ଟା ପେଟରେ କ’ଣ ଥାଏ କି ଦି’ଶ ପେଟରେ କ’ଣ ଥାଏ, ଜୀବନଟା ଥିବାଯାକେ ମଣିଷ ଚଳପ୍ରଚଳ ହେଉଥିବ ନା ନାଇଁ ?’’

 

କେଳାଭାରିଯା କିଛି କହେ ନାହିଁ, ଗୁରୁଜନ ସେ, ଶାଶୁ, ତାଙ୍କ ସଙ୍ଗେ ତର୍କ ସେ କରିବ ନାହିଁ । ତାକୁ ବୁଝିବାକୁ ଚେଷ୍ଟାକରିବା କି, ଅନୁକରଣ କରିବାକୁ ଚେଷ୍ଟାକରିବା ସେ ବହୁଦିନୁ ଛାଡ଼ି ଦେଇଛି । ସେ ଯାହା କହନ୍ତୁ, ଯାହା କରନ୍ତୁ, ତହିଁରେ ତା’ର ଆପତ୍ତି ନାହିଁ । କିନ୍ତୁ ଯେତେବେଳେ ସେ ଶାସ୍ତ୍ରପୁରାଣ ପଢ଼ି ନୀତିକଥା ବୁଝାଇବାକୁ ଚେଷ୍ଟାକରନ୍ତି, ବହି ଉପରେ ତାଙ୍କର ଚଷମାପିନ୍ଧା ସୌମ୍ୟ ବିଜ୍ଞ ମୁହଁକୁ ଦେଖି ତା’ର ମନଗହୀରର ପୁଞ୍ଜୀଭୂତ ବ୍ୟର୍ଥତା ହାକୁ ହାକୁ ହୋଇ ଜଳେ, କେବେ କେବେ ଉଢ଼ୁଆଳରେ ବସି ହୁଁ ହୁଁ ମାରୁ ମାରୁ ତା’ ପାଟି ଗୋଦରା ଶୁଭେ ତା’ପରେ ଆଉ ଶୁଭେ ନାହିଁ । ସେ ଲୁଗାରେ ମୁହଁ ମାଡ଼ିଦେଇ ନୋଚାକୋଚା ହୋଇ ବସିପଡ଼େ ।

 

ଆଉ କେବେ କେବେ ସେ କାଠପରି ବସିରହେ । ଜୀଅନ୍ତା ପିଣ୍ତଟାକୁ ଛାଡ଼ି ଚେତନା କୁଆଡ଼େ ଉଡ଼ି ଚାଲିଯାଏ ।

 

ଚଇତ ସରି ଆସୁ ଆସୁ କେବେ କେବେ ତା’ର ଆଖି ଦୂରର ଧୂଆଁଳିଆ ଆକାଶରେ ଘୂରି ବୁଲୁଥାଏ । ସେହି ଉପରଓଳି ବେଳ, ଯେତେବେଳେ ସକାଳର କାମ ନ ଥାଏ କି ଆର ଓଳିର କାମ ଆରମ୍ଭ ହୋଇନଥାଏ । ତା’ର ସବୁ ଅପୂର୍ଣ୍ଣତା ସବୁ ବ୍ୟର୍ଥତାର ବୋଝ ଉଞ୍ଚେଇ ଧରି ତା’ର ଚିଆଁବେଳ ତା’ରି ଉପରେ ଅଜାଡ଼ି ହେବାକୁ ଆସେ, ଯେତେବେଳେ ଲାଗେ, ଆକାଶ କଣର ଏହି ଅଦିନିଆ କାହୁଁ ଅଇଲା ମେଘ–ଯେଡ଼େ ବହଳ ହୋଇ ପାଗ ହେଲେ ବି ସେ ବରଷିବ ନାହିଁ, ଖାଲି ଝଡ଼ି ଉଠେଇବ, ଯେତେବେଳେ ମନେପଡ଼େ ଘରେ ଘରେ ପିଲାମାନେ ଏତିକିବେଳେ ଭୋକ ଭୋକବୋଲି ମା’ମାନଙ୍କୁ ଅଥୟ କରନ୍ତି, ପୋଡ଼ା ବଡ଼ି କି ବାଇଗଣ କି ସିଝାଆଳୁ ସହିତ ପିଆଜ ପଖାଳ ବାଢ଼ି ନ ଦେଲେ ଗତି ନାହିଁ, ନ ଥିଲେ ଚୁଡ଼ା ଦି’ଟା କି ମୁଢ଼ି କି କୋଳଥ ଚୂନା ଦି’ଟା ଆଉ ଗୁଡ଼, ଯେତେବେଳେ ତା’ ବାପଘର ବି ମନେପଡ଼େ ।

 

ସେତେବେଳେ ସେହି କୁହୁଳି ଉଠୁଥିବା ମନରେ ବାଜେ ଶାଶୁଙ୍କ ପୁରାଣ ପଢ଼ା, ତା’ ସଙ୍ଗେ ସଙ୍ଗେ ତାଙ୍କର ଟିପ୍‌ପଣୀ, ଶୁଣାଳିଙ୍କ ମନ୍ତବ୍ୟ, ‘‘ତା’ ନୁହେଁ କ’ଣ, ତା’ ନୁହେଁ କ’ଣ ।’’ ଜାଣି ଜାଣି ତା’ ମନଟା ଆଣ୍ଡୁଆ ହୋଇ ଓଲଟି ବସେ । ହୃଦୟ ସତବୋଲି ଘେନିଲେ ବି ମନ କହେ, ନା ଏ ସତ ନୁହେଁ । କାହିଁକି ଏ ସତ ହେବ ? କାହିଁ ଏଠି ତା’ର ଦୁଃଖର ଚିତ୍ର କି ଉପଲକ୍ଷ ?

 

ସେମିତି ସେଦିନ ସେ ସାରଳା ଦାସଙ୍କ ମହାଭାରତ ପଢ଼ୁଥିଲେ, ଆଉ ଆଉ ବୁଢ଼ୀମାନେ ଶୁଣୁଥିଲେ ।

 

ଆଉ ସେ ବୁଝାଉଥିଲେ, ‘‘ଦେଖ କେତେ ଲୋକଙ୍କ କଥା ଅଛି ଏଥିରେ, କେଡ଼େ କେଡ଼େ ମଣିଷଙ୍କ କଥା ଅଛି । କଥାରେ କହନ୍ତି ପରା ଯାହା ନାହିଁ ଭାରତେ ତାହା ନାହିଁ ଭାରତେ । ହେଲେ ଏତେକଥା ଥାଇ ଶେଷକଥା କ’ଣ ହେଲା ? କାହା ଟେକ ରହିଲା ନା ବଡ଼ପଣ ରହିଲା ? ଏ ଦୁନିଆଟା ସେମିତି । ହେଇଟି ଶୁଣିଲ ତ ଯୁଜେଷ୍ଠି ଦେବେ ଯୁଦ୍ଧ ଲାଗିବା ଆଗରୁ କେମିତି ଗୋଟିକି ଗୋଟି ସମସ୍ତଙ୍କୁ ଯାଇ କୁଣ୍ଢେଇଲେ, ଯେମିତି ଯୁଦ୍ଧ ନ ଲାଗୁ, କେହି ଅନିଷ୍ଟରେ ନ ପଡ଼ନ୍ତୁ-। କ’ଣ କହିଲେ ସେମାନେ–ଭୀଷ୍ମ, ଦ୍ରୋଣ, କୁରୁପାଚାର୍ଯ୍ୟେ, କର୍ଣ୍ଣ ଯେତେ ଯେତେ ସେଠି ଥିଲେ ? ସେମାନେ ସମସ୍ତେ ପରମଜ୍ଞାନୀ ମଣିଷ ସବୁ ଜାଣିଥିଲେଟି, ଜାଣିଥିଲେ ସେମାନେ ମରିବେ ସେଇକଥା ବି କହିଲେ । ତା’ବୋଲି ଆପଣା ମାର୍ଗ କେହି ଛାଡ଼ିବାକୁ ମଙ୍ଗିଲେ ନାଇଁ, ସେଇ ତ ଏ ସଂସାର ଧର୍ମ, ଯେତେବେଳେ ଯାହା ଆସୁ ଭଲ କି ମନ୍ଦ, ମରିବିବୋଲି ଜାଣିସୁଦ୍ଧା ସେମାନେ କର୍ତ୍ତବ୍ୟ ଛାଡ଼ିଲେ ନାଇଁ । ଜାଣିଶୁଣି ସେଥିରେ ପଶି ଗୋଟିକି ଗୋଟି ଟଳି ପଡ଼ିଲେ ଲୋ ଅପା, ଗୋଟିକି ଗୋଟି ଟଳି ପଡ଼ିଲେ, ସେଇଆଙ୍କୁ କହିବ ମଣିଷ । ଏ ସଂସାର କ୍ଷେତ୍ର, ଏଇ ତ କୁରୁକ୍ଷେତ୍ର, ସବୁ ଠାକୁରଙ୍କ ଲୀଳା, ଏଥିରୁ ପଳେଇବି କହିଲେ ମଣିଷପଣ ସାରି ଆପେ ସିନା ସାନ ହବ, ତହିଁରୁ କି ଫଳ ? ଅଶ୍ଵଥମା ଅମର ବର ପାଇଥିଲା, ତା’ବୋଲି କ’ଣ ସନମାନ ପାଇଲା ? ଏଡ଼େବଡ଼ କ୍ଷତ୍ରୀ, ତାକୁ ଦିନେ ବି ଲଢ଼େଇରେ ଭାରେଇମଲ କଲେନାଇଁ, ଦିର୍ଯ୍ୟୋଧନ ନିଜେ କହିଲା ତୁଟା ତ ମରିବାକୁ ଡରିଲୁ ଯେ ତ୍ରିଜୀବୀ ହବାକୁ ବର ମାଗିଲୁ, ତୁଟା କୋଉ କ୍ଷତ୍ରିପଣରେ ଲେଖା ? ସେଇଠି ସବୁ ବୁଝେଇ ଦେଇଛନ୍ତି । ଏ ସଂସାରକୁ ଚିତା କାଟିବାକୁ ବାଟ କଲେ ମଣିଷ ମଣିଷ ନୁହେଁ । ୟାରି ଭିତରେ ଥାଇ ଆପଣା କର୍ତ୍ତବ୍ୟକଲେ ଲୋକେ ସନମାନ ଦେବେ, ଭଲ ଭଲ କହିବେ । ଆଉ ଠାକୁରଙ୍କଠି ମତି ରଖିପାରିଲେ ତ ମୁକତି ମିଳିଯିବ ।’’

 

ହଠାତ୍ ସେତିକିବେଳେ କେଳାଭାରିଯାର ମୁଣ୍ଡ ଭିତରେ କ’ଣ ସତେକି ରଟ୍‌ରାଟ୍ ହୋଇ ଛିଣ୍ଡିଗଲା । ସେ ଆପଣାର ଗୋଲଗାଲ ବାହାକୁ ହାତରେ ଅଣ୍ଡାଳିଲା । ଆସ୍ତେ ଆସ୍ତେ ଚିପିବାକୁ ଲାଗିଲା । ତା’ପରେ ଅନିଶା କଲା କାନ୍ଥରେ ମରା ହୋଇଥିବା ହସହସ ସିନେମା ଅଭିନେତ୍ରୀର ଠାଣିଦିଆ ଛବିକୁ । ଲାଗିଲା ସେ ଛବି ଯେପରିକି ତାକୁ ସେଇଠି ଥାଇ ଥଟ୍ଟା କରୁଛି । ଗୋଟି ଗୋଟି କରି ଧାଡ଼ି ଧାଡ଼ି ମରା ହୋଇଥିବା ଛବିମାନଙ୍କ ଉପରେ ସେ ଆଖି ବୁଲେଇ ଆଣିଲା, ବହୁତ ତହିଁରୁ ଠାକୁର ଠାକୁରାଣୀଙ୍କ ଛବି । କିନ୍ତୁ ତହିଁରୁ ସେ କିଛି ପ୍ରେରଣା ପାଇଲା ନାହିଁ-। ତା’ପରେ ତା’ ଆଖି ମାଣ୍ଢେଇ ହେଲାଯାଇ ସେହି ଆଣ୍ଠୁଆଗୋପାଳ ଛବି ଉପରେ, ସେହି ଯାହାକୁ ଖଟ ଉପରେ ଶୋଇ ଶୋଇ ସେ ବାରମ୍ୱାର ଦେଖେ, ମନେ ମନେ ଭାବେ । ସେତିକିବେଳେ କିପରି ତା’ର ମନରେ ଭେଳିକି ଲାଗିଲା, ତା’ର ବି ଏମିତି ଗୋଟାଏ ପୁଅ ହୋଇଥିଲା, କିଏ ତା’ ପୁଅକୁ ତା’ଠୁ ଛଡ଼ାଇ ନେଇଛି । ଦୁଆରଆଡ଼କୁ ଚାହିଁଲା, ନାଲି ନାଲି ଗୋଡ଼ିବାଣ ଫୁଲଗୁଡ଼ାକ ପେନ୍ଥି ପେନ୍ଥି ହୋଇ ପାଚିରି ଉପରେ ଓହଳି ରହିଛି । ସେହି ଗୋଡ଼ିବାଣ ଫୁଲର ରଙ୍ଗ ତା’ର ଚେତନା ଭିତରେ ନିମିଷକେ ଯେପରିକି ନିଆଁ ଜାଳିଦେଲା । ଆପଣା ମୁଣ୍ଡ ବାଳକୁ ମୁକୁଳାକରି ଖୋଲି ଦେଇ ଦେହରୁ ଲୁଗା ଖସେଇ ପକାଇ ସେ କାନ୍ଦି ଉଠି ଛାତିରେ ବିଧା କୋରିହେଲା ।

 

ସେହିପରି ଅବସ୍ଥାରେ ସେ କୁଦି ଉଠି କଚାଡ଼ି ହୋଇପଡ଼ି ଗଡ଼ି ଗଡି ବଡ଼ ପାଟିରେ ଡାକିଲା । ଆଖି ପିଛୁଡ଼ାକେ ଶାଶୁଙ୍କର ପୁରାଣପଢ଼ା ବନ୍ଦ ହୋଇଗଲା । ଦୌଡ଼ି ଆସିଲେ ସମସ୍ତେ । ଦେଖିଲେ, ଶେଷରେ କେଳାଭାରିଯା ବି କାହାଣୀ ରଖିଦେଲା ।

 

ୟେ କି ଅବସ୍ଥା ହୋଇଛି ତା’ର ! ଆଖି ନାଲି, ମୁହଁ ନାଲି, ମୁହଁର ଠାଣି ଏକ ପ୍ରକାର । ସତେ ଯେମିତି ମୁଖା ପିନ୍ଧିଛି । ଆଖି ଦି’ଟା ଚଢ଼ିଲାପରି, ଅବୁଝା ଆଖି । ‘‘ବୋହୂ ! ବୋହୂ ! କ’ଣ ହୋଇଛି ତୁମର ?’’ କାନ୍ଦଣା ବନ୍ଦ ହୋଇଛି । କିନ୍ତୁ କଥା କହିଲେ ସେ ଶୁଣୁନାହିଁ । ଏକା ପ୍ରକାର ମୁହଁକରି ବସିଛି ବେକକୁ ଭାଙ୍ଗିଦେଇ । ତା’ପରେ ସେ ଦାନ୍ତ କଡ଼ମଡ଼କରି ଭୟଙ୍କର ମୁହଁକରି ହେଣ୍ଟାଳି ଉଠିଲା । ଚିତ୍କାର କଲା, ‘‘ମୋ ପୁଅକୁ ଦେ, ମୋ ପୁଅକୁ ଦେ ଅଲକ୍ଷଣୀ, ନଇଲେ ତୋ ବଉଁଶ ନଣ୍ଡା କରିବି । ମୋ ପୁଅକୁ ମୁଁ ଖୋଜୁଛି, କୋଉଠି ଲୁଚେଇଚୁ କହ । ଦେ, ଆଣିଦେ ।’’ ତା’ର ଉଗ୍ରମୂର୍ତ୍ତିଦେଖି ପଛେଇ ପଛେଇ ପଡ଼ିଉଠି ଯେ ଯୁଆଡ଼େ ବୋବେଇ ବୋବେଇ ପଳେଇଲେ-। ହୁଲର ହୋଇଗଲା । ସାହି-ସାହିକେ ଖଞ୍ଜା ଭିତରେ ଖିଦିଖାଦିଆ ପାଟି ଶୁଭିଲା, ଲୋକେ ଆଲୋଚନା କଲେ–ୟେ କ’ଣ ହେଲା ? ଦିନେ ଉଁ ଚୁଁ ନାହିଁ, ମଲା ମାଛିକି ମ’ କହେନାଇଁ, ତା’ର ସେ ଦୁଃଖରେ ସୁଖରେ ମୁଣ୍ଡପୋତି ପଡ଼ିଥାଏ ତା’ଘରେ । ଅଇଛା କ’ଣ ହେଲା ତା’ର ଯେ ମାଇପିଟା ଉତୁରି ପଡ଼ୁଛି । ପୁଅଟାଏ ତା’ର କେବେ ହେଲା ଯେ କିଏ ନେଇଗଲା ? କି ବିଘଟଣ କଥା ? ଶାଶୁ ବୁଢ଼ୀ ତ ନାତି ମୁହଁ ଦେଖିବବୋଲି ଯାହାକୁ କହନ୍ତି ଧୂଳି ସାଉଁଟିଲା, ଘୁଅମୂତକୁ ପାଦୁକ କଲା । ହଟକେଶର ଯାଇ ଉପାଧିଆ ପଡ଼ିଲା, କେତେ ଠାକୁରାଣୀଙ୍କି କଳାଶାଢ଼ି ସୁନାଆଖି ଯାଚିଲା, କୁଆଡ଼ୁ କିଛି ହେଲାନାହିଁ, ଆଉ ଛୁଆହେଲା କେବେ ଯେ ବୋହୂଟାର ଉଗୁରି ଉଠିଛି ? କେଡ଼େ ଭୟଙ୍କର କଥା ! ମାଇପି ଘର, କେଳା ବି ଘରେ ନାହିଁ । ଚାହୁଁ ଚାହୁଁ ଘରୁ ଘରୁ ତାଙ୍କ ଘରମୁହାଁ ଗୋଟିଏ ମଣିଷ ଧାର ଲାଗିଗଲା । ପଦୀବୋଉ ସେ ଦୃଶ୍ୟ ଦେଖି ଆସି ତାଙ୍କ ମୁଣ୍ଡ ଧମକୁଥିଲା, ସେ ଆଉ ଘରୁ ଉଠିଲେ ନାହିଁ । ଚେମାବୋଉ ଡରରେ କାଠ, ସେ ବି ଗଲେ ନାହିଁ । ଘରେ ବସି ରହି କେଳାବୋଉର ଦୁଃଖରେ ଖାଲି ହାଇ ହାଇ କଲେ । ଚାଲିଲେ ଅନ୍ୟମାନେ, ବୁଢ଼ୀମାନେ, ବୋହୂମାନେ, ଝିଅମାନେ । ସାନ ପିଲାଙ୍କୁ ଆକଟ କଲେ । ଘରୁ ପଦାକୁ ଛାଡ଼ିଲେନାହିଁ । କିଛି ନ ଦେଖୁଣୁ ଚାରିଆଡ଼େ ଗୋଟିଏ ଗୁଣୁ ଗୁଣୁ ଖେଳିଗଲା–

 

କେଳାଭାରିଯାକୁ କ’ଣ ଗୋଟାଏ ଅପଦେବତା ଧରିଛିକି କେଉଁ ଡାଆଣୀକି ଚିରିଗୁଣୀ ତା’ଠି ଆଶ୍ରା ନେଇଛି ।

 

‘‘ସେଇଆ, ସେଇଆ–’’, ଜାଣିବା ଲୋକେ ମୁରବୀମାନେ କେଳାର ଘର ଆଡ଼କୁ ଯାଉଯାଉ କୁହାକୋହି ହେଲେ, ‘‘ଧରିଚି ଗୋଟାଏ କିଛି, ନ ହେଲେ ଏମିତି କ’ଣ ହୁଏ ?

 

‘‘ଡଉଲ ଡାଉଳ ନିଖୁଣ ଭୁଆସୁଣୀଟାଏ, ଯାହାକୁ କହନ୍ତି ଗୋଟିଏ ଚାଉଳରେ ଗଢ଼ା । ଦେବତା କହ କି ପିଚାଶ କହ, ସେମିତିଆଟିଏ ଦେଖିଲେ ତ ତାଙ୍କର ଦୃଷ୍ଟି ପଡ଼େ, ଆଉ କ’ଣ ?’’

 

‘‘ଏ ମୁଣ୍ଡ ରହିଲେ ହେଲା–’’

 

‘‘ଦେଖାଯାଉ ଗୁଣିଆ ଡାକିବାକୁ ପଡ଼ିବ । ଚେଷ୍ଟା କରୁ କରୁ ଯାହା ହବ । ଯେତେହେଲେ ଏ ଗାଁର ବୋହୂଟିଏ ତ ! ଏ ଦୁଃଖ ଶୁଣିଲେ ଗଛ ପତର ବି କାନ୍ଦିବେ । ସମସ୍ତେ ପାରୁପର୍ଯ୍ୟନ୍ତ କରିବେ, କିଏ ନ କରିବ ?’’

 

‘‘ସେ ଯୋଉ ପାଞ୍ଚଗଛିଆ ପାଖ ବରଗଛ, କେତେ ଲୋକ ଭେଟଣା ହେଲେଣି ସେଠି-।’’ ଆରତ ଅମିନ କହିଲେ, ‘‘କୋଉକାଳୁ କହୁଚି ଦିଅ ସେଇଟାକୁ କାଟି ଉଡ଼େଇ ।’’ ଆରତ ଅମିନ ଘଟଣା ଶୁଣି କାନ୍ଧରେ ଗାମୁଛା ପକାଇ ବାହାରି ପଡ଼ିଥିଲେ । ଭୂତ ଭୟରେ ହାତରେ ଗୋଟିଏ ଲୁହାକଣ୍ଟା, ସେଇଟା ଥିଲେ କୁଆଡ଼େ ଭୂତ କିଛି କରିପାରିବନାହିଁ । କହିଲେ, ‘‘ସେଇ ବରଗଛରେ ଜାଣ ରାଇଜଯାକର ଭୂତପ୍ରେତଙ୍କ ବସା । ଶାସ୍ତ୍ର କ’ଣ କହିଚି, ନା ଅନ୍ଧତ୍‌କାରେ ମହାଘୋରେ ଭ୍ରମନ୍ତି ପ୍ରେତରୂପିଣୀଂ-ମାନେ ବେଶ ଅନ୍ଧାର ପଡ଼ିଗଲେ ପ୍ରେତମାନେ ଗୋଟିଏ ଗୋଟିଏ ରୂପ ହୋଇକରି ମଣିଷମନକୁ ଭ୍ରମାନ୍ତି । ପୁରୁଣା ଝଙ୍କା ଗଛରେ ତାଙ୍କ ବସା । ସେଥିପାଇଁ ପୁରୁଣା ଝଙ୍କା ଗଛ ଦେଖିଲେ ମତେ କେମିତି ଲାଗେ । ଆଉ ସେ ଓସ୍ତଗଛଟାକୁ କ’ଣ ସାମାନ୍ୟ ଭାବିଚ ? ଗୋଟାଏ ଡାଳ ସିନା ହଣା ହେଲା, ସେ ଗଛ ଯୋଉ ଘଞ୍ଚକୁ ସେଇ ଘଞ୍ଚ–’’

 

ଧନୁଆଁ କେଉଟ କହିଲା, ‘‘ଖାଲି କ’ଣ ଗଛରେ ତାଙ୍କର ବସା ? କୋଉଠି ଭଙ୍ଗା ଦେଉଳରେ, କୂଅ ଭିତରେ, ବାଉଁଶ ବଣରେ, କୋଉଠି ମାଟି ତଳେ ନଈ ଭିତରେ ଏଣେତେଣେ ହୋଇ ପଡ଼ିରହିଚି ଦେବାଦେବୀଙ୍କ ମୂର୍ତ୍ତି, କୋଉ ପୁରୁଷରେ କୋଉ ମହାତ୍ମା ତାଙ୍କୁ ଗଢ଼େଇଥିଲା, ଆଣିଥିଲା, ଭୋଗରାଗପାଇଁ ବେବସ୍ଥା ଖଞ୍ଚିଥିଲା ସେ ସବୁ ତ ଆଉ ନାଇଁ, ହେଲେ ସେ ଦିଅଁଗୁଡ଼ାକ ଅଛନ୍ତି । ହେଇଟି ପରା ଉଲ୍‌କାପୁର ଗଣ୍ଡ ଭିତରେ ବଡ଼ଜାଲ ପକାଉ ପକାଉ ମୁଗୁନି ପଥରର ଦଶଭୂଜା ଦୁର୍ଗାମୂର୍ତ୍ତି ବାହାରିଥିଲେ, ସତେକି ଜୀଅନ୍ତା ପ୍ରତିମା, ପୁରୁଷେ ଉଞ୍ଚ, ସେଇ ଯେ ଢିପ ଉପରେ ଥାପନା ହେଇଚନ୍ତି । ମାଟି ଖୋଳୁ ଖୋଳୁ ମାଟିତଳୁ ଖାଲି ପଥର ମୂର୍ତ୍ତି, ଯୁଆଡ଼େ ଦେଖିବ ମୂର୍ତ୍ତି । ସାରୁ ଖୋଳୁ ଖୋଳୁ ମହାଦେବ–’’।

 

‘‘ସତେରେ, ସତେରେ,’’ ଚନ୍ଦରା ଗଉଡ଼ କହିଲା, ‘‘ବରଗଛ ଚେର ବେତନାସି ଢାଙ୍କିହୋଇ ଏଠି ସେଠି ପଡ଼ି ରହିଚନ୍ତି ଦେବତା ମୂର୍ତ୍ତି, ଠା’ ଠା’କେ ଏମିତି । କିଏ ଆଉ ତାଙ୍କୁ ଖୋଜା ଲୋଡ଼ା କରୁଚିନା ? ହେଲାବେଳେ ସାତ ପରଧାର ହେଇଥିଲେ, ସେ କାଳ ତ ଗଲା, କିଏ ଆଉ କାହାକୁ ପଚାରେ ? ମାଟି ତଳେ ତ ଶଗଡ଼ ମୂର୍ତ୍ତି, କିଏ ତା’ର କଳଣା ରଖିଚି କହ ?’’

 

ବୁଢ଼ା ବାସୁ ପଟ୍ଟନାଏକ ବି ବାହାରିଥିଲେ, କହିଲେ, ‘‘ଏଗୁଡ଼ା ଖାଲି ମନର କଳ୍ପନା, ସବୁ ମୂର୍ତ୍ତି ପ୍ରତାପ ଦେଖାନ୍ତେ ତ ମଣିଷ ବାଟ ଚାଲିପାରନ୍ତେ ନାଇଁ, ୟେ ତ ଦେଶ ଗୋଟାକ ମୂର୍ତ୍ତି ଆଉ ଦେଉଳର ଦେଶ, ମାଟି ତଳେ ତଳେ ଦିଅଁ, ମଣିଷ ପାଦ ପକାନ୍ତା ତ ଦୋଷ ଅର୍ଜନ୍ତା । ଏଗୁଡ଼ା ନୁହେଁ ।’’

 

ତେବେ ଆଉ କ’ଣ ହୋଇଚି ତା’ର, ତେମେ ଭାବୁଚ ?’’

 

‘‘ମୋ ଭାବିବାରେ କ’ଣ ଅଛି କି ତମ ଭାବିବାରେ କ’ଣ ଅଛି ? ଯାହା ତ ହେଇଚି ହେଇଚି । ଯାଇ ଦେଖିଆସ ।’’

 

‘‘ନାଇଁ ନାଇଁ, ଧରେ ଗୋଟା ଗୋଟାଙ୍କୁ’’, ବିନା ମୁଦୁଲି ଡରି ଡରି କହିଲା, ‘‘ଯୋଉଟା ଆଖିରେ ଦେଖିବ ତାକୁ ନାହିଁ କରିବ କେମିତି ? କାହା ପ୍ରେତ ହୋଇଥିବକି କଉଁ ଦେବତା ହେଇଥିବ । ସେମାନେ ତ ମନଚାରୀ, ଯୁଆଡ଼େ ମନ ହେଲା ଗଲେ । ଏ ଧିଅଟା ଥିବାଯାକେ ସିନା କିଏ ସାନ କିଏ ବଡ଼, ଏଇଟା ଗଲେ ତେଣିକି ତ ମନଇଚ୍ଛା ରମଣ, ମନଇଚ୍ଛା କାମ, ଆଉ କ’ଣ ?’’

 

ବାସୁ ପଟ୍ଟନାଏକେ ଖେଙ୍କିଲେ, ‘‘ହେଃ–’’

 

କେଳା ଘର ଦୁଆର ମୁହଁଠୁ ଦାଣ୍ଡଯାକେ ମିଣିପେ ଥାଟପଟାଳି, ଦାଣ୍ଡଘରେ ମାଇପେ । ପୁଞ୍ଜା ପୁଞ୍ଜାହୋଇ ଏକାଠି ଭରସି ସାହାସ କରି ମାଇପେ ଦୁଆରକୁ ଭିତର ପିଣ୍ଡାକୁ ଯାଆନ୍ତି, କୌଣସି କୌଣସି ଦଳ ଅବା ଆଉ ଟିକିଏ ଭିତରକୁ ଯାଇ ବୋହୂଟାକୁ ଟିକିଏ ଦୂରରୁ ଅନାନ୍ତି, ପୁଣି ଲେଉଟି ଆସନ୍ତି । ପିଣ୍ଡା ଉପରେ ଖୋଲାହୋଇ ପଡ଼ିରହିଥିଲା ମହାଭାରତର ଶେଷପର୍ବ ତାଳପତ୍ର ପୋଥି, ତା’ରି ପାଖରେ ଖଣ୍ଡେ ଦୂରରେ ମଲାପରି ପଡ଼ି ରହିଥିଲେ କାଳିଆବୋଉ ବୁଢ଼ୀ, ଦାନ୍ତ ପଡ଼ିଯାଇଥିଲା । ତାଙ୍କୁ ଟେକାଟେକି କରି ପାଣି ଛିଞ୍ଚି ଚେତା ସାଷ୍ଟମ କରାଇ ସାହି ମାଇପେ ଦାଣ୍ଡଘରେ ନେଇ ବସାଇଥିଲେ, ବୁଢ଼ୀ ମଝିରେ ମଝିରେ ହାଉଳି ହେଉଥାନ୍ତି, ଆଖିରୁ ଧାର ଛୁଟିଥାଏ । ପୋଥି, ଚଷମା ସବୁ ସାଇତାହୋଇ ରଖା ହୋଇଥାଏ । ଦଳେ ଲାଗିଥାନ୍ତି ତାଙ୍କୁ ବୁଝୋଉଥାନ୍ତି, ‘‘ଥଏ ଧର, ଠାକୁରଙ୍କୁ ଡାକ, ସବୁ ଭଲ ହୋଇଯିବ, ଗୁଣିଆଁ ଆସିବ, ପୂଜା ଉଝା ହେବ ଏମିତି ବେସ୍ତ କାହିଁକି ?’’

 

ସଞ୍ଜ ପାଖହୋଇ ଆସୁଛି । ଘରକାମ ପଡ଼ିଛି । କାହାର ତେଣେ ନିଘା ନାହିଁ । ଏଣେ ବୋହୂଟା ମୁଣ୍ଡକୁ ଆଗକୁ ପଛକୁ ଝାଙ୍କୁଛି, ଗୋଡ଼ହାତ ଛଟପଟ କରି ଥରାଉଛି, ଜିଭ କାଢ଼ୁଛି, ଦାନ୍ତ ନାନା ଢଙ୍ଗ ଦେଖାଉଛି । କେତେବେଳେ ନାଗସାପପରି ଫଁ ଫଁ ଗର୍ଜୁଛି । କେତେବେଳେ ଦୁଲ୍‌ଦାଲ୍‌ ହୋଇ ଡେଇଁଛି, ନାଚୁଛି କିଳିକିଳା ରଡ଼ି ଛାଡ଼ୁଛି । କେତେବେଳେ କାନ୍ଦୁଛି, କେତେବେଳେ ପାଟି କରୁଛି–‘‘ଦେ, ଦେ ମୋ ପୁଅକୁ, କୋଉଠି ଲୁଚେଇଚୁ ଆଣି ଦେ, ନଇଲେ ବଉଁଶ ନଣ୍ଡା କରିବି ।’’ ମୁଣ୍ଡବାଳ ଫିଟିପଡ଼ି ଲମ୍ବିଛି ମୁହଁ ଉପରେ, ପିଠି ଉପରେ, କେତେବେଳେ ତାକୁ ଓଟାରୁଛି, କେରା କେରା କରି ପାଟିରେ ପୂରାଉଛି, ବେକରେ ଗୁରୋଉଛି, କାନି ଅଣ୍ଟାରୁ ତଳକୁ ଘୁଷୁରୁଛି । ବିଛଣାପତ୍ର ଘୋଷାରି ତଳେ ପକାଉଛି, ତା’ସଙ୍ଗେ ଘର ଭିତରର ବୋତଲ, ଟିଣ, ଲୁଗାପଟା, ଛବି-। ବେଳେ ବେଳେ କିରି କିରି ହୋଇ ହସିଉଠି ଅଗଣାଯାକ ଡେଇଁ ଡେଇଁ ତାଳି ମାରି ମାରି ବୁଲି ଆସୁଛି । ଲାଗିଛି ତା’ର ଅବତାର ।

 

କେଳାଭାରିଯା ମାତିଛି । ସେହି ପହିଲି ବୋବାଳି ପରେ ତା’ର ପ୍ରତିକ୍ରିୟା ସେ ଦେଖିଲା, ସେତେବେଳେ ତା’ର ମନର ଭେଳିକି ଆହୁରି ଟାଣ ହୋଇ ଭିଡ଼ି ଧରିଲା । ଯେଉଁ ସହଜ ନିତିଦିନିଆ ଜୀବନ ଭିତରେ ସେ ଏତେକାଳ ଚଳି ଆସିଥିଲା, ହଠାତ୍‌ ତାକୁ ଲାଗିଲା ସେଇଟା ଥିଲା ତା’ର ବନ୍ଧନ-ବେଡ଼ି, ତାକୁ ସେ ଖସାଇ ପକାଇଛି, ସେ ମୁକ୍ତିପାଇଛି, ଗୋଟାଏ ଗୋଟାଏ ରଡ଼ିରେ ତା’ର ଉଲ୍ଲାସ ଆହୁରି ବଢ଼ି ବଢ଼ି ଚାଲିଲା, ଲାଗିଲା, ଆପଣା ଭତରେ ବହୁଦିନୁ କ’ଣ ଚାପି ମାଡ଼ିହୋଇ ରହିଥିଲା, ଏଇ ରଡ଼ିରେ ସେ ମୁକ୍ତି ପାଉଛି । ଆପଣାକୁ ଆପେ ତେଜି ତତେଇ ମନେ ମନେ ସେ ବଢ଼ି ବଢ଼ି ଚାଲିଲା, ଯେତେବେଳେ ଦେଖିଲା, ଭିତର ଅଗଣା ମଣିଷ ଗହଳିରେ ବଢ଼ିଗଲା, ଏତେ ମୁହଁର ଏତେ ଏତେ ଚାହାଣି, କୁତୂହଳର, ବିସ୍ମୟର ଭୟର, ସବୁ ଯାଇ ଭେଟାଭେଟି ହେଲା ତାହାରିଠେଇଁ, ଏତେ ଲୋକ ତାକୁ ସଂସାର ଭିତରୁ ନିଧାରାବୋଲି ଭାବୁଛନ୍ତି । ତାଠୁଁ ଆଡ଼େଇ ରହୁଛନ୍ତି, ସେ ଆହୁରି ବଢ଼ି ବଢ଼ି ଚାଲିଲା, ତା’ର ବିଶ୍ୱାସ ଦମ୍ଭ ହେଲା ଯେ ସେ ସେ ନୁହେଁ, ସେ ଆଉ କେହି, ତା’ର ହାବଭାବ ଚାଲିଚଳଣ ଏ ଜୀଅନ୍ତା ମାଦଳା ଲୋକଙ୍କଠୁଁ ଭିନେ । ବହୁଦିନୁଁ ମନର ଅସୁର ତା’ର ଭୋକରେ ମରିଛି । ରୋଧି ରଖିଥିବା ତୋଫାନ ପରି ଯୌବନ ଘେନି ସେ ଶାଶୁଘରକୁ ଆସିଥିଲା, ତୋଫାନ ଖୋଲିଯାଇ ହୋଇଛି ନିଆଁର ଝାଞ୍ଜି, ସେହି ଆପଣାକୁ ଆପେ ଫାଇଁ ଫାଇଁ ଜାଳୁଛି । ବହୁଦିନୁଁ ମନରେ କାମନା ଥିଲା ସେ ହେବ ପୁତ୍ରବତୀ, ତା’ର ବିଶ୍ୱାସ ହେଉଛି, ରହିରହିକା ମନେ ମନେ ଚହଟୁଛି ବିଶ୍ୱାସ–ହୋଇଥିଲା ତ ସେ ପୁତ୍ରବତୀ, ଏମିତି ଥିଲା ତା’ର ପୁଅ । ଏ ସଂସାର କେଉଁଠିନେଇ ତାକୁ ଲୁଚାଇଛି । ଭାବିଲେ ଗର୍ଜିଉଠୁଛି ତୋଫାନ । ଧୀରେ ଧୀରେ କାରଣ ଫଳ ହୋଇ ବିଚାର ଆଉ ବୁଦ୍ଧି ତା’ଠି ତୁଟି ତୁଟି ଯାଉଛି, ଛିଣ୍ଡା ଛିଣ୍ଡା ଖିଆଲ ଆଉ ଭ୍ରାନ୍ତିର ମାୟା ଭିତରେ ତା’ର ମନ ଘୂରୁଛି ନାନା ସ୍ତରରେ, ନାନା ପତ୍ତନରେ । ତା’ର ନିଦା ମୋଟା ମାଉଁସିଆ ଦେହଟା ତା’ର ଚେତନା ଆଗରେ ଯେପରିକି ସେହି ଖିଆଲ ଭିତରେ ପବନରେ ମିଳେଇ ଯାଇଛି, ସେ ଖାଲି ଖିଆଲ ଆଉ ଖିଆଲ, ତା’ର ବ୍ୟବହାରରେ ମୁକ୍ତ, ଖାଲି ଝାଞ୍ଜି ଖରାର ତତଲା ଢେଉ, ଖାଲି ଉତ୍ତେଜନା ।

 

ହଁ, ଆଉ କିଏ ସେ, ଯାହା ଥିଲା ତା’ ନୁହେଁ ।

 

ଗୋଟାଏ ଖିଆଲରେ ସେ ସେହି ଅତୃପ୍ତ ଆତ୍ମା, ପଞ୍ଚଭୂତରୁ ଆପଣାକୁ ଓଟାରିନେଇ ଏକାଠି ହୋଇ ଯେ ଖୋଜି ଲାଗିଛି ତା’ର ହଜିଲା ସନ୍ତାନକୁ ଯେତେକାଳରୁ ସ୍ମରଣ ପଡ଼ୁଛି, ଯେତେ ଦୃଶ୍ୟ ମନେପଡ଼ୁଛି ସ୍ମରଣ ଭିତରେ । ସବୁକାଳେ ତାହାରି ଭିତରେ ସେ ଖୋଜି ଖୋଜି ବୁଲି ବୁଲି ଆସି ଏଇଠି ପହଞ୍ଚି ଏଇ ଲୋକ କେଉଁଠି ଲୁଚେଇ ରଖିଥିବାର ସନ୍ଧାନ ପାଇଛି । ଦିଶି ଦିଶି ଯାଉଛି; ଏ ମୁଣ୍ଡ ସେ ମୁଣ୍ଡ ଲମ୍ବି ରହିଛି ବାଲି ଅପନ୍ତରା । ଦୂରରେ ପାଣି, ତା’ ଉପରେ ବୁଲି ବୁଲି ସେ ଖୋଜିଥିଲା । ଆଉ ଯେଉଁ ଗହଳି ତୋଟାମାଳ ଦିଶେ, ଯେଉଁ ପାହାଡ଼ର ଢେଉ, ଆଉ ଏତେ ଗାଁ ଘର ନଡ଼ିଆଗଛ, ଭେଳିକିପରି ସବୁ ଦିଶେ ଆଖି ଆଗରେ । ନିଶା ଅନ୍ଧାରରେ ନକ୍ଷତ୍ର ଛାଉଣି କଳାଘୁମର ଆକାଶ, ଜହ୍ନ ଆଲୁଅରେ ଛଳ ଛଳ ପାଣି, ତା’ ସେକରେ ସୋରିଷଫୁଲିଆ ମାୟା କୁହୁଡ଼ି, ଯାହା ଭିତରୁ ଶୁଭି ଶୁଭି ଆସେ ଅଚିହ୍ନା ପାଣିହଂସଙ୍କ ବୋବାଳି, କଳାକ ଳା ବୋଇତପରି କ’ଣ ସବୁ ଭାସିଆସେ । କଳା ଛାଇପରି ମଣିଷ ଆହୁଲା ପେଲୁଥାନ୍ତି ଯେପରି ସେ ଦେଖିଆସିଛି ବଡ଼ ଦେଉଳ କାନ୍ଥରେ, ସବୁଠି ତ ସେ ଥିଲା, ଖୋଜି ବୁଲୁଥିଲା ତା’ର ସନ୍ତାନକୁ । ଶୂନ୍ୟେ ଶୂନ୍ୟେ ଭାସିଭା ସି ଚାଲିଥିଲା କେତେବେଳେ ବଉଦ ଭିତରେ, ତଳକୁ ଅନିଶା କରି କରି, ଏଠି ସେଠି ଦେଉଳର ଶିଖର ଉଠିଛି । ଦିଦିଫାଳହୋଇ ଡେରା ହୋଇଥିବା ଘରର ଛାତ, ଗଛର ଅଗ, ଆଉ କେଉଁଠି ଗଛର ଛାତମାନ ଲଗାଲଗିହୋଇ ଏକାଠି ହୋଇଛି ଛାଇଚଟାଣ, ଆଉ କେତେବେଳେ ରାଉରା ଉ ବରଷା ତୋଫାନରେ ମିଶି ଖୋଜି ଖୋଜି କାନ୍ଦି କାନ୍ଦି ବୁଲିଛି ସେ । ପିଲା ଗହଳି ଦେଖିଛି, ତା’ ପିଲାକୁ ଦେଖିନାହିଁ, ରାସ୍ତା ଲମ୍ବିଛି ଦେଖିଛି, ଲୋକ ଆତଯାତ ହେଉଛନ୍ତି, କେହି ତା’ ପିଲାକୁ କାଖେଇ ଯାଉନାହିଁ ।

 

ଏଇଠି ତା’ ଖୋଜାଖୋଜିର ସମାଧାନ ହେବ, ତା’ର ଚେତନା ଜଣାଇଁ ଦେଉଛି, ଶତ୍ରୁଠୁ ଆପଣା ବଳରେ ଅସୁଲ କରିନେବ ସେ ତା’ ପାଉଣା, ତା’ର ସନ୍ତାନ ମିଳିବ, ତା’ପରେ ସେ ଚାଲିଯିବ ।

 

କିଏ ଆଣି ଝୁଣାଧୂପ ତା’ ଆଗରେ ଥୋଇ ଦେଇଗଲା । କିଏ ଥୋଇଲା ପଣା, ଛେନା, ମନ୍ଦାରଫୁଲ । ଲମ୍ବ ଲମ୍ବ ହୋଇ ଗୋଡ଼ତଳେ ପଡ଼ିଲେ କେଉଁମାନେ । ଏମାନେ ତା’ଠିଁ ଶରଣ ପଶୁଛନ୍ତି, ସେ ଏମାନଙ୍କର କିଛି ଅନିଷ୍ଟ କରିବ ନାହିଁ । ଧୂପ ଧୂଆଁ ଭଉଁରି ଘରଯାକ ବୁଲୁଛି । ନିଶ୍ୱାସରେ ଟାଣି ଟାଣି ସେ ତାକୁ ଗ୍ରହଣ କଲା, ତା’ପରେ ମାଛ ପବନ ପିଇଲାପରି ପାଟି ପାକୁ ପାକୁ କରି । ତା’ର ହେତୁ ହେଲା, ସେ ଗନ୍ଧ ଆହାରୀ, ପବନ ଆହାରୀ । ମୁଣ୍ଡକୁ ଝାଙ୍କି ଝାଙ୍କି ଦେହକୁ ଥରେଇ ନଚେଇ ଆପଣା ଆପେ ତା’ର ଉତ୍ତେଜନା ବଢ଼ି ଯାଇଥିଲା । ତା’ପରେ ମୁଣ୍ଡ ଭିତରେ ପଶିଲା ଝୁଣାଧୂଆଁ, ତା’ର ଉତ୍ତେଜନା ବଢ଼ିଲା । ତା’ପରେ ଶୁଣିଲା ଦାଣ୍ଡରେ ଢୋଲ ଢାଉଁ ଢାଉଁ ବାଜୁଛି, ଢୋଲ ସଙ୍ଗରେ ମହୁରୀ ଚିର୍‌ଚିରଉଛି କି ତା’ର ଖିଆଲ ହେଲା ଏଥର ତାକୁ ନାଚିବାକୁ ପଡ଼ିବ, ଯେମିତି ସେ ଦେଖିଛି କାଳିସୀ ନାଚେ, ଲାଗିଲା ମନଇଚ୍ଛା ନାଚିଛି ସେ ସବୁଦିନେ, ଗୋଟାଏ ବିକଟାଳ କିଳିକିଳାରଡ଼ି ଛାଡ଼ି ସେ ଦୁଆରଯାକ ନାଚି ନାଚି ବୁଲିଲା । କେତେବେଳେ କୁଦା ମାରି ମାରି ଡେଇଁବୁଲେ, କେତେବେଳେ ଅଣ୍ଟାରେ ହାତଦେଇ ଗୋଟାଏ ଗୋଡ଼ ଟେକି ଗୋଟାଏ ଗୋଡ଼ରେ ନାଚେ । ମୁଣ୍ଡବାଳ ଅଲରା ହୋଇ ଲୋଟୁଛି, ଆଖି ତରାଟିଛି, ଜିଭ ଲହଲହ କରୁଛି, ମୁହଁର ମାଉଁସ ନଚାଉଛି । କୁଆଡ଼ୁ ଆସିଲା ତା’ ପାଦରେ ବିଚିତ୍ର ତାଳ, ଦେହର ଢେଉରେ ଛନ୍ଦ, ଢୋଲ ବାଜିଲା, କେଳାଭାରିଯା ନାଚିଲା । ବାଜା ବନ୍ଦ ହେଲା, ତା’ର ନାଚ ବନ୍ଦ ହେଲା । ଦେଖିଲା, ଏ ଦୁଆର ପୂରିଛି, ମଣିଷ ଖୁନ୍ଦାଖୁନ୍ଦି । କିଏ କେତେ ଆସି ଦଣ୍ଡବତ ହେଉଛନ୍ତି । କିଏ ଭୂଇଁରେ ମୁହଁମାଡ଼ି ମୁଣ୍ଡ କୋଡ଼ୁଛି । ଲାଗିଲା, ଏମାନଙ୍କୁ ସେ ଚିହ୍ନିଛି, କାହା ମନରେ କିଦୁଃଖ କି ଚିନ୍ତା ସବୁ ଯେମିତିକି ଜଳଜଳ ଥୁଆ ହୋଇଛି ତା’ ଆଗରେ । ଉଦାର ହୋଇ ନୀରବରେ ସହାନୁଭୂତି, ଆଉ ଆଶୀର୍ବାଦ ଅଜାଡ଼ିଦେଇ ଲାଗିଲା ତା’ର ମନ । ତା’ପରେ ହଠାତ୍ ତା’ର ସେ ପୁରୁଣା ଧକଧକ ମନେପଡ଼ିଗଲା । ଜନ୍ତୁପରି ଗୋଟାଏ ଗର୍ଜନ ଛାଡ଼ି ସେ ଚିର୍ଚ୍ଚିରେଇଲା, “ଦେ ମୋ ପୁଅକୁ, ଆଣି ଦେ ଲୋ, ନଇଲେ ତୋ ବଉଁଶ ନଣ୍ଡା କରିବି ଲୋ ଅଲକ୍ଷଣୀ !’’ ଗୋଡ଼ ଲମ୍ବେଇଦେଇ ବସି ଆଣ୍ଠୁଠୁଁ ନଳୀ ଗୋଡ଼ଯାଏ ପାପୁଲି ଚଲେଇ ଚଲେଇ ମୁଣ୍ଡକୁ ଛାଟି ଛାଟି ଜିଭକାଢ଼ି ଦାନ୍ତଦେଖେଇ ସେ ଅଣଚାଶ ଉଠୁଥିବା ରୋଗୀପରି ବିକୃତ ଶବ୍ଦକରି ଘୁମୁରି ଉଠିଲା । ଗେହ୍ଲିବୋଉ, କନବୋଉ ଏକପ୍ରକାର ଧରାଧରି ଛନ୍ଦାଛନ୍ଦି ହୋଇ ତା’ ମୁହଁ ଆଗକୁ ଆସିଲେ । ଗେହ୍ଲିବୋଉ ପଚାରିଲେ, “ତେମେ କିଏ ସେ ମା’ ?’’

 

କେଳାଭାରିଯାର ମନ ଭିତରେ ଭେଳିକି ଯେପରିକି ପୂର୍ଣ୍ଣ ହୋଇଗଲା ସେଇ ଗୋଟାଏ ପ୍ରଶ୍ନ ଶୁଣି । ଏଥର ସାମ୍ନାରେ ସେହି ମଣିଷମାନଙ୍କୁ ସେ ଦେଖିଲା, ଆଉ ତା’ର ଚେତନାରେ ଉଠିଲା ଗୋଟାଏ ଧାରଣା-ଏମାନେ ସମସ୍ତେ ମଣିଷ, ସେ ନୁହେଁ । ଆପଣା ଆପଣା ଘରକରଣାର ଧନ୍ଦାରେ ବନ୍ଧାବନ୍ଧି ଛନ୍ଦାଛନ୍ଦି ହୋଇ ସାନ ସାନ ମଣିଷ ଏମାନେ, ତାକୁ ଡରୁଛନ୍ତି, ସେ ଏମାନଙ୍କ ଦଳର ନୁହେଁ, ସ୍ୱତନ୍ତ୍ର ।

 

କନବୋଉ ପଚାରିଲେ, “ତେମେ କିଏ ମା’, କୁଆଡ଼ୁ ଆସି କାହିଁକି ୟାକୁ ଆଶ୍ରା କରିଚ-? କିଏ ମା’ ତେମେ ?’’ କେତେ ମୁହଁ ଉହୁଙ୍କି ଆସୁଛି ଉତ୍ତର ଶୁଣିବାକୁ । ମନକୁ ମନ ଭାବିହେଲା, କିଏ ସେ ? ଛୁଆ ହଜିଲା ମା’, ଏଇଠି କିଏ ତା’ ଛୁଆକୁ ଲୁଚେଇ ରଖିଚି, ସେ ଖୋଜୁଛି, ଛୁଆକୁ ନନେଇ ସେ ଯିବନାହିଁ ।

 

ଆଉ ତା’ର କି ପରିଚୟ ?

 

କିଛି ପରିଚୟ ଦେବା ଦରକାର ନାହିଁ, ଗୋପନ ହୋଇ ରହିଥାଉ ଏ ରହସ୍ୟ, ତା’ର ହଜିଲା ପୁଅ ଦରକାର, ପୁଅ ଦରକାର ।

 

‘‘କିଏ ଗୋ ମା’ ତେମେ ?’’

 

“ଦୟାକର ଗୋ ଦୟାମୟୀ, କିଏ ତେମେ କହ, କ’ଣ କଲେ ତେମେ ଶାନ୍ତି ହବ ? କାହିଁକି ଏ ଗରିବ ଭୁଆସୁଣୀଟାକୁ କଲବଲ କରୁଚ ?

 

‘‘କିଏ ସେ ମା’ ତେମେ ? କିଏ ?’’

 

କିଏ ? କିଏ ? କିଏ ? ଏଇ ଏତେ ଜୁଳୁ ଜୁଳୁ ଆଖି ଅପେକ୍ଷା କରି ବସିଛି, ଏତେମୁହଁ ତାହାରିଆଡ଼କୁ ଉହୁଙ୍କି ରହିଛି । କି ଦରକାର ଏମାନଙ୍କର ତା’ର ପରିଚୟ ? ତା’ର ପିଲାକୁ ଆଣି ଦିଅନ୍ତୁ ନ ହେଲେ ତାଙ୍କ ମୁହଁରେ ସେ ରଡ଼ କୁଢ଼େଇବ । ବାଘୁଣୀପରି ରାମ୍ପି ବିଦାରି ହୋଇ ରାଗ ଦୁଃଖ ସବୁ ଏକାଠି ଗୋଟାଏ ରକ୍ତପାଣିଫଟା ଚିତ୍କାରରେ ଗୋଳିଦେଇ ସେ ରଡ଼ି ଛାଡ଼ିଲା ।

 

“ମୁଁ କିଏ ସେଥିରୁ ତେମେ କ’ଣ ପାଇବ ? ମୋ ପୁଅକୁ ଆଣିଦିଅ । ନଇଲେ ଖାଇବି-ଖାଇବି-ଗୋଟି-ଗୋଟି କରି ପଦା କରିବି ଏ ଗାଁ-’’ ମୁହଁ ଶୁଖେଇ ଭୟରେ ଥରି ଥରି ସମସ୍ତେ ପଛକୁ ହଟି ହଟି ଗଲେ । ପଛଆଡ଼ୁ କିଏ କେତେ ତୁନିତାନି ପଳେଇଲେ । ତଣ୍ଟି ବସେଇ ବସେଇ କଥାଭାଷା, ଫୁସ୍‍ଫୁସ୍‍ କଥାଭାଷା, ଏକାଠି ହେଲାବେଳକୁ ସୁସା ଖଟ୍‌ଖାଟ ହୋଇ ଶବ୍ଦ ଉଠୁଛି । କୁହାକୁହି ହେଉଛନ୍ତି, ‘‘ଚାଲରେ ଆମର ପଳେଇବା, ଡାଆଣୀ ଡାଙ୍କୁଣୀଟା ମୁହଁ ଆଗକୁ ଆସିବ କାହିଁକି ? ସେ ଗୋଡ଼େଇ ଗୋଡ଼େଇ ଖାଇବ କାହିଁକି ?’’

 

‘‘ଇଲେ ମୋ ପେଟ ନେଉଟି ପଡ଼ୁଚି ଲୋ ମୁଁ ଯାଉଚି ।’’

 

“ମୋ ପିଲା କାନ୍ଦୁଥିବ, ମୁଁ ଯାଏ ।’’

 

‘‘ସଞ୍ଜହେଲା, ଘରେ କେତେକାମ ପଡ଼ିଥିବ, ମଣିଷ ଏଠିଟାରେ ଥାଇ କଅଣ କରିବ ମ-!’’

 

“ୟେ ଠାକୁରାଣୀ ଫାକୁରାଣୀ କିଛି ନୁହେଁ, ଠାକୁରାଣୀର ଫେଣେ ପିଲାଟାଏ କୋଉଠୁ ଜନମ ହବ ମ ?”

 

‘‘ହଏ ନାଇଁ ତେମେ ଜାଣିଚ ! ପୁରାଣରେ ଲେଖା ନାଇଁ ? ଠାକୁର ଠାକୁରାଣୀଙ୍କର ପିଲାଛୁଆ ହନ୍ତିନାଇଁ ଆଉ ଏତେ ନାଁ ଲେଖା ହେଇଚି କ’ଣ ବା ?’’

 

‘‘ନାଇଁ ନାଇଁ ଯେ ଗୋଟିଏ ପ୍ରକାରେ, ଦେଖୁନା ଖାଲି ପିଲା ଆଣି ଦେ ଦେ ବୋଲି ରାଗ, ନଇଲେ ଆଉ କିଛି ନାଇଁ । ପିଲାକୁ ଛାଡ଼ି ମା’ଟାଏ ମରିଗଲା । ସେଉଠୁ ଖୋଜିଲା ତା’ ପିଲାକୁ । ସେଦିନୁ ଖୋଜୁଚି । କୋଉ ଗଛରେ ଆଶ୍ରା କରିଥିଲା, ବାରିଆଡ଼େ ସାହାଡ଼ା ଗଛରେ ହେବ ନାହିଁ କାହିଁକି ? ୟାକୁ ଦେଖିଲାକି ଚିଡ଼ି ବସିଲା । ଅଇଛା କ’ଣ ହବ କେଜାଣି ? ଠାକୁରେ ରକ୍ଷା କରନ୍ତୁ ବିଚରା କେଳାଭାରିଯାକୁ ।’’

 

ଆସିବା ଲୋକ ଧୀରେ ଧୀରେ ଲେଉଟିଗଲେ, ନୂଆ ଲୋକ ବେଶି ଆସିଲେ ନାହିଁ । ତଥାପି କେହି ଗୋଟିଏ ଗୋଟିଏ ଗଡ଼ିଲେ ।

 

ଖବର ପାଇ ଚମକି ଆସିଲା ଧାନକୁଟୁଣୀ ବୁଢ଼ୀ ଶିଖରାମା’ । ପହିଲିମାନପରି ଗଢ଼ଣ ସେ ବୁଢ଼ୀର, ତେଣୁ ତା’ ନାଁ ହନୁମନ୍ତ ବୁଢ଼ୀ । ଆସି ଦେଖିଦେଇ ବୁଢ଼ୀ ସମସ୍ତିଙ୍କି କହିଲା, “ଦେଖୁଚ କ’ଣ ମ ଭୁଆସୁଣୀଟା କେଡ଼େ ହଟହଟା ହଉଚି । ଲୁହା ଖଡ଼ିକାକୁ ଚୁଲୀ ନିଆଁରେ ପଚେଇ ଧଳା କରି ଆଣି ତା’ ଧିଅରେ ଚିଆଁ ଦିଅ, ନକମାରିଚ ଧୂଆଁ ଦିଅ, ଯେଡ଼େଛା ତେଡ଼େ ହେଲେ ଛାଡ଼ି ପଳେଇବ–

 

ଠିକ୍ ସେତିକିବେଳେ ଦୁଆରେ ଆସି ଠିଆହେଲେ ସିନ୍ଧୁ ଚୌଧୁରି, ତାଙ୍କ ପଛେ ପଛେ ଛବି ଆଉ ଛବିବୋଉ । ସିନ୍ଧୁ ଚୌଧୁରି ଦେଖୁ ଦେଖୁ କହିଲେ, ଏମିତି କାହିଁକି ହଉଚୁ ମା’ ? ତୁ ତୋ ଘରକୁ ଲକ୍ଷ୍ମୀ, ଚିତ୍ତ ଥଏ କର, ହରିନାମ ଜପ, ‘‘ଏମିତି କାହିଁକି ହଉଚୁ ? ଯୋଉ କାରଣରୁ ମନଟା ଏଣୁତେଣୁ ଭାବି ଚହଲି ଯାଇଚି, ସେଗୁଡ଼ା ମନରୁ ପୋଛିପକା । ଏ ଆଉ କିଛି ନୁହେଁ, ଆପଣାଛାଏଁ ଆପଣାକୁ ପାଗଲା କରିବା କାମ । ଭାଗବତରେ କହିଚନ୍ତି-’’ ପରିଷ୍କାର ଭାବରେ ସିନ୍ଧୁ ଚୌଧୁରି ଭାଗବତ ବୋଲିଲେ–

 

‘‘ହରି ବିମୁଖ ପ୍ରାଣୀ ଯେତେ

ସେ ଥାନ୍ତି ପଶୁଙ୍କ ସଙ୍ଗତେ

।।

ତାହାକୁ ମୋହେ ବିଷ୍ଣୁ ମାୟା

ବିଷୟ ରସେ ବଢ଼େ ସ୍ନେହା

।।

ଦେହକୁ ବସ୍ତ୍ର ପ୍ରାୟେ ମଣି

ବଇରି ମିତ୍ର ନ ପ୍ରମାଣି

।।

ଭ୍ରମଇ ଶୋକ ମୋହ ପଥେ

ଅଜ୍ଞାନ ଭ୍ରମ ବୁଦ୍ଧି ଗ୍ରାସେ

।।

ତେଣୁ ସଂସାର ମୋହେ ପଡ଼ି

ଦୁଃଖ ସଙ୍କଟେ ଥାନ୍ତି ଜଡ଼ି

।।

 

ହରିବୋଲ-’’

ଚାରିଆଡ଼ୁ ଶବ୍ଦ ଉଠିଲା, ‘‘ହରିବୋଲ ।’’

 

ଜୀବନରେ ଯେତେବେଳେ ଘାଟୀ ବେଳ ସେତେବେଳେ ଭାଗବତ ଆଉ ହରିବୋଲ, ସେହି ହରିବୋଲ ଶବ୍ଦ ଉତ୍ତାରୁ ସବୁ ପାଟି ଆପେ ତୁନି ପଡ଼ିଗଲା । ଦୁଆରେ ଲୋକେ ବସି ପଡ଼ିଛନ୍ତି, ପଞ୍ଝାପଞ୍ଝା ହୋଇ ପୁରୁଷ ଆଉ ସ୍ତ୍ରୀ, ନାନାଜାତିର ପଡ଼ିଶା । ଏଠି ସେଠି ହୋଇ ଗୋଟିଏ ଗୋଟିଏ ଲଣ୍ଠନ ଜଳୁଛି । ବହୁତ ଲଣ୍ଠନରେ ଜଳକା ଦିଶୁଛି ।

 

ସେ ମୁଣ୍ଡରେ ଠିଆ ହୋଇଛନ୍ତି ସିନ୍ଧୁ ଚୌଧୁରି । କରପଟିଆ ହୋଇ ଅନ୍ୟାନ୍ୟ ସ୍ତ୍ରୀଲୋକଙ୍କ ସଙ୍ଗେ ମିଶି ଛବି ଓ ତା’ର ବୋଉ । ବଖରାକର ଦୁଆରବନ୍ଧ ପାଖେ ପିଣ୍ଡାରେ ବସିପଡ଼ିଛି କେଳାଭାରିଯା । ମୁହଁକୁ ତଳକୁ ପୋତି ବେକକୁ ଭାଙ୍ଗି ବସିପଡ଼ିଛି । ଯେପରିକି ଭାଗବତର ପଦ ଶୁଣି ତା’ର ମୁଣ୍ଡ ନଇଁ ପଡ଼ିଛି, ଆଉ ପାଟିତୁଣ୍ଡ ନାହିଁ, ହୁମୁଦୁମୁ ନାହିଁ । ସେହି କଥାହିଁ ଆଶ୍ଚର୍ଯ୍ୟ ହୋଇ ସମସ୍ତେ ଲକ୍ଷ୍ୟକଲେ । ସେହି ଅପ୍ରାକୃତ ପରିସ୍ଥିତିରେ ସମସ୍ତିଙ୍କ ମନରେ ଯେପରିକି ଦୃଢ଼ ଈଶ୍ୱର ବିଶ୍ୱାସ, ଆଉ ବିଶ୍ୱାସ ସେହି ପଦରେ, ଯେ ସେ ପଦରେ ପ୍ରକୃତରେ ଯମ ପଳାଏ ।

 

ସିନ୍ଧୁ ଚୌଧୁରି ତୁନି ହୋଇ ରହି ପୁଣି କହିଲେ, ‘‘ଯା, ମୁଣ୍ଡ ବାଳ ସଜାଡ଼ିଦେ, ଲୁଗାପଟା ସଜାଡ଼ି ପିନ୍ଧ, ମୁହଁ ଧୋ, ଠାକୁରଙ୍କ ନାମ ନେ । ପଛ କଥାଗୁଡ଼ାକ ଆଉ ଭାବନା ।’’

 

ସେ ସେମିତି ତୁନି ହୋଇ ବସିଛି ।

 

“ଗଲ କିଏ, ତାକୁ ଟିକିଏ ସଜାଡ଼ିସୁଜୁଡ଼ି ଦିଅ, କ’ଣ ଖାଇବାକୁ ଦିଅ ।” ସିନ୍ଧୁ ଚୌଧୁରି କହିଲେ । ମାଇପେ ମୁହଁ ଚାହାଁଚାହିଁ ହେଲେ । କେହି ବାହାରିଲେ ନାହିଁ ।

 

ତା’ପରେ ଦେଖାଗଲା, ଏକୁଟିଆ ଆଗେଇ ଯାଉଛି ଛବି । ନିଶ୍ୱାସ ଅଟକେଇ ସମସ୍ତେ ସେହି ମୂର୍ତ୍ତିକୁ ଅନାଇଁ ରହିଲେ । ସମସ୍ତିଙ୍କ ମୁହଁରେ ଭୟର ଛାପା । ଯେପରିକି ସେ ଜୀଅନ୍ତା ଗୋଖର ସାପଆଡ଼କୁ ମୋହିଁ ଚାଲିଛି, ଏକୁଟିଆ, ନିର୍ବିକାର । ସେହି ପନ୍ଦର କୋଡ଼ିଏ ଖୋଜ ବାଟ ଯେପରିକି କେତେ ଲମ୍ବା ଦିଶୁଛି ସେମାନଙ୍କୁ । ଯେପରିକି ସ୍ୱପ୍ନ ଦେଖା ହେଉଛି । ସ୍ୱପ୍ନରେ ପାଦ ପଡ଼ି ପଡ଼ି ଯାଉଛି ତା’ର, ରହିରହିକା । ପାଖକୁ ଯାଇ ସାନ ପାଟିରେ ସେ ତାକୁ କହିଲା, ‘‘ଏଠିଟାରେ ଏମିତି ବଇଚ କାହିଁକି ଭାଉଜ ? ଇସ୍ ! କେତେ ଲୋକ ଅନେଇଚନ୍ତି ! କି ଶୋଭା ହେଇଚି ରୂପ ! ‘‘ ଛବି ତା’ର କାନିଟେକି ଦେହରେ ଘୋଡ଼ାଇଦେଲା ମୁଣ୍ଡବାଳକୁ ମୁଠାମୁଠା କରି ଧରି ମୁହଁରୁ ଟେକିନେଇ ପିଠିଆଡ଼େ ପକାଇଦେଲା । କହିଲା, “ଘରକୁ ଚାଲ, ଏ ମୁଣ୍ଡବାଳ ତ ଘଡ଼ିଏ ନେବ ।’’ ଆସ୍ତେ ଧରି ତଳୁ ଉଠାଇଲା । କେଳାଭାରିଯା ପଥର ପରି ବସିରହିଥାଏ । ଛବିର ଝାଙ୍କରେ ଧୀରେ ଠିଆହେଲା । ପୁଣି ଚହଳ ପଡ଼ିଗଲା, ଏଥର ଆଶଙ୍କା, ସେ କ’ଣ କରିବ କେଜାଣି-! କିଛି କଲାନାହିଁ, ସେ ଯେମିତିକି ଠିଆ ଠିଆ ସ୍ୱପ୍ନ ଦେଖୁଛି । ଛବି ତା’ର ବେକରୁ ବେଢ଼େଇ ଧରି ତାକୁ ଘର ଭିତରକୁ ନେଲା । କହିଲା, “କିଏ ସବୁ ଆସ ମ, ବିଛଣାଟା ଖଟରେ ପକାଇ ଦିଅ ମ–-।’’

 

ସିନ୍ଧୁ ଚୌଧୁରି କହିଲେ, “ମାଇପେ ଯାଆନ୍ତୁ ତା’ ପାଖକୁ, ବୋହୂଟାର ଯତ୍ନନେଲେ ସିନା ହେବ, ଖାଲି ଦେଖୁଥିଲେ କ’ଣ ହେବ ?’’

 

ଏତେକେ ଗଲେ ଆଉ ପାଞ୍ଚ ସାତ ଜଣ । ବିଛଣା ପରା ହେଲା, କେଳାଭାରିଯାକୁ ଖଟ ଉପରେ 0ଶୁଆଇଦେଲେ, ବିଞ୍ଚିଲେ । ସେ ଚୁପ୍‍ଚାପ ହୋଇ ପଡ଼ି ରହିଲା । ‘‘ଏଥର ନିଦ ହୋଇଯାଉ ।” ଛବିବୋଉ କହିଲେ । ଦୁଆରୁ ସିନ୍ଧୁ ଚୌଧୁରି କହିଲେ, “ହଁ, ଆଗ ନିଦ ଦରକାର । ଠାକୁରେ ଭଲ କରିଦେବେ ଯେ– ।’’

 

‘‘ଆଖି ବୁଜିଦିଅ ଭାଉଜ”, ଛବି କହିଲା, ତା’ ମୁହଁକୁ ବଲ ବଲ କରି ଅନାଇଁ କେଳାଭାରିଯା ତା’ର କସରା ପଡ଼ିଥିବା ଆଖିକୁ ବୁଜିଲା । ସତ ଆଉ ସପନ ମଝିରେ ଦୋଳି ଖେଳୁଥାଏ ତା’ର ଚେତନା । ସେ ତୁନିତାନି ପଡ଼ି ରହିବାକୁ ମନକଲା । ଗୋଟି ଗୋଟି ହୋଇ ଚାଲିଆସିଲେ ସମସ୍ତେ । ଦୁଆର ମୁହଁରେ ଜଗିରହିଲା ଶିଖରମା’ ବୁଢ଼ୀ । ତା’ ସାଙ୍ଗରେ ସପନି ମା’-। ସେ କେଳାବୋଉର ସାଙ୍ଗ, ଡେଙ୍ଗା ହାଡ଼ୁଆ ମଣିଷ । ଆର୍ତ୍ତ ଅମୀନଙ୍କ ସ୍ତ୍ରୀ ଦାଣ୍ଡଘରେ ରହି ବରାଦ କଲେ, ‘‘ରାତିରେ କିଏ ଏଠି ରହିବ, ଘରର କ’ଣ କେମିତି ବ୍ୟବସ୍ଥା ହେବ ? ଇତ୍ୟାଦି । କେଳାବୋଉକୁ ସମ୍ଭାଳିବାପାଇଁ ବ୍ୟବସ୍ଥା ହେଲା । ଗାଁ ଲୋକେ ଦାଣ୍ଡରେ ବସି ଉପାୟ ଚିନ୍ତାକଲେ, ଏ ଯେପରିକି ଗାଁଟାଯାକର ସମସ୍ୟା ।

 

ସିନ୍ଧୁ ଚୌଧୁରି, ଛବି ଓ ତା’ ବୋଉ ଲେଉଟି ଗଲେ ।

 

ଦାଣ୍ଡରେ ବସି ଗାଁ ଲୋକେ କଥା ପକାଇଲେ । ଏତିକିରେ କଥାଟା ତୁଟିଯିବା ଅସମ୍ଭବ-। କୁଆଡ଼ୁ କେମିତି ଥଣ୍ଡା ପଡ଼ିଯାଇଛି ସିନା, ଏମିତି ଏ ନଟ ତୁଟେ ନାହିଁ । ଗୁଣିଆଁ ଆସିନାହିଁ, ଝଡ଼ା ନାହିଁ, ଫୁଙ୍କା ନାହିଁ, ପୂଜା ଓଝା ନାହିଁ, କିଳା ହୋଇନାହିଁ, କେମିତି ଭୂତ ଛାଡ଼ିଯିବ ? ଗୁଣିଆଁ ନ ଆସିଲେ ହେବ ନାହିଁ । ସକାଳ ପାହିଲେ କାମ ଆରମ୍ଭ ହେବ ।

 

ଖଟରେ ପଡ଼ି ପଡ଼ି କେଳାଭାରିଯା ଅଧାଚିଆଁ ହୋଇ ଭାବିବାକୁ ଚେଷ୍ଟା କରୁଥିଲା । ମୁଣ୍ଡ ଭିତରେ ଚକ ବୁଲୁଛି । ବିଶ୍ୱାସ ହେଉନାହିଁ ଯେ ଏମିତି ସବୁ ଥମ୍ବିଯାଏ । ବେଳେ ବେଳେ ଲାଗୁଥାଏ କ’ଣ ସବୁ ଅଡ଼ୁଆ ହୋଇଯାଇଛି, ବେଳେ ବେଳେ ଲାଗୁଥାଏ ସେ ସେ ନୁହେଁ, ପୁରୁଣା ଭେଳିକି ମନେପଡ଼ୁ ପଡ଼ୁ ପୁଣି ମୁଣ୍ଡ ଭିତରେ ଚକ ଘୂରୁଥାଏ । ଖାଲି ମଣିଷ, ମଣିଷ, ସେହି ମୁହଁଗୁଡ଼ାକ ସାଲୁ ସାଲୁ ହୋଇ ଦିଶିଯାଉଛି । ତା’ ସଙ୍ଗେ ମନେପଡ଼ୁଛି କେଳାର ମୁହଁ, ଶାଶୁଙ୍କ ମୁହଁ କୌଣସି ମୁହଁ ପାଖେ ଅଟକିଗଲା ବେଳକୁ ପୁଣି ମୁଣ୍ଡ ଭିତରେ ଗୋଳମାଳ ହୋଇଯାଉଛି । କେତେବେଳେ ଅଳ୍ପ ଅଳ୍ପ ହେତୁ ପଡ଼ିଲାପରି ଲାଗୁଛି ଯେପରିକି ଜାଣି ଜାଣି ସେ ବହୁତ ବାଟ ଆଗେଇ ଯାଇଛି । ପୁଣି ମନେପଡ଼ୁଛି ସେହି ପ୍ରଶ୍ନଗୁଡ଼ାକ-କିଏ ତୁମେ ? କିଏ ? କିଏ ? କୁତୂହଳୀ ମୁହଁଗୁଡ଼ାକ ବିଭଙ୍ଗ ବିକୃତ ହୋଇ ଦିଶୁଛି । କାହା ମୁହଁଯାକ ଖାଲି ଆଖି, କାହାଠି ଖାଲି ଦାନ୍ତ, କାହାର ନାକ ଚିବୁକ ତଳକୁ ଓହଳି ପଡ଼ିଛି, କିଏ କେତେପ୍ରକାର । ଆଉ ଦିଶୁଛି ମୁହଁଗୁଡ଼ାକ ସିନ୍ଦୂର ବାଲୁବାଲୁ । ଯେମିତି ନେସା ହୋଇଥାଏ ଠାକୁରାଣୀ ପଥର ଦେହରେ, ଠାକୁରାଣୀ ଗଛ ଗଣ୍ଡିରେ-। ଆଉ ଦିଶୁଛି ସେମାନେ କଳା ଶାଢ଼ି, ରଙ୍ଗ ଶାଢ଼ି ପିନ୍ଧି ଆସିଛନ୍ତି । ପୁଣି ସବୁ ଆଉଟାଆଉଟି ହୋଇ ବୋହିଯାଉଛି ନଈବଢ଼ି ପରି । କେତେ ରୂପ, କେତେ ଛଇ ।

 

“ମୋ ମନ ହଉଥିଲା ମୁଁ ରହିଯାଇଥାନ୍ତି ବୋଉ !’’ ଛବି କହିଲା, ‘‘କିଏ ଅଛି ତା’ ଖବର ବୁଝିବାକୁ ? ବୁଢ଼ୀ ତ କଳାକାଠ– ।’’

 

‘‘ଲୋକ ନାହାନ୍ତି ତୁଇ ଏକା ।” ତା’ ବୋଉ କହିଲେ, ‘‘କେମିତି ସାହସ କରି ଗଲୁ ସେହିକଥା ପଡ଼ିଛି । ମୋ ଛାତି ତ ଦମଦମ ପଡ଼ୁଥାଏ–’’

 

‘‘ଗଲି ତ କ’ଣ ହେଲା ?’’

 

“ତୁଚ୍ଛା ହୁଣ୍ଡାପଣ ଲୋ ଝିଅ, ତୁ ଜାଣିନୋଉଁ ।’’

 

‘‘ନାଇଁ ତେମେ ବେଶି ଜାଣିଚ ।’’ ସିନ୍ଧୁ କହିଲେ, “ରାତିରେ ସେଠି ଜଗିବାକୁ ଅବଶ୍ୟ ଲୋକ ଅଛନ୍ତି ଯେ, ଆମେ କେହି ରହିଲେ ଆଉ ଅଧିକା କ’ଣ ହେବ ? ବିଚରା ତା’ ମୁଣ୍ଡ କ’ଣ ହେଇଗଲା ଯେ ଲୋକେ ଓଲଟି ତାକୁ ବାୟା କଲେ ।’’

 

ଛବିବୋଉ କହିଲେ, ‘‘ବାୟା କଲେ ତମେ ଜାଣିଚ, ତମେ ଭାଗବତ ବୋଲିଲ ବୋଲି ତୁନି ହୋଇ ରହିଥିଲା ସିନା, ଖାଲି ଡରରେ, ନଇଲେ ସେ ତୁନି ହୋଇଥାନ୍ତା ? ଦେଖିବ ଫେର୍ ସେ କେମିତି ହବ । ଏ କ’ଣ ଏତିକିରେ ସରୁଚି ? ତା’ପରେ ସେ କହିଲେ, ‘‘ଧର୍ମବୋଲି ତ କିଛି ଅଛି, ଧର୍ମ ତ ବୁଡ଼ି ନାହିଁ । ଯେ ପରକୁ ହରବର କରଛି, ପର ନାଁରେ ମିଛରେ ରଟାନ୍ତି, ତାଙ୍କୁ ତ ପୁଣି କିଏ ଦେଖୁଥିବ ? ଆପଣ କଲା କର୍ମର ଫଳ ଯୋଉ ବାଟେ ହଉଚ ମିଳିବ ।’’

 

‘‘ଛି ଛି, ତମେ ଏଗୁଡ଼ା କ’ଣ କହୁଚ ?’’

 

‘‘ନାଇଁ ମୁଁ କିଛି ଜାଣିଚି କି ? ଦିପହରବେଳେ ମିଟିଂ ବସେ । ଗାଁ ଲୋକ ଜମାହନ୍ତି ।’’

 

‘‘ଫେର୍ ତମର ପଙ୍କ ଘାଣ୍ଟିବାକୁ ମନହଉଛି ।” ଅସହିଷ୍ଣୁଭାବେ ସିନ୍ଧୁ ଚୌଧୁରି କହିଲେ, ‘‘ତୁମକୁ ମୋ ରାଣ, ସେଗୁଡ଼ା ପକାନା ।’’

 

ଛବିବୋଉ ତୁନି ହେଲେ, ତଥାପି କହିଲେ, “ହଉ ହଉ, ଧର୍ମ ଅଛି ।’’

 

‘‘ଠାକୁରଙ୍କୁ ଡାକ, ସେ ବୋହୂଟା ଭଲ ହେଇଯାଉ ।’’ ସିନ୍ଧୁ କହିଲେ । ଛବିବୋଉ କିଛି ଉତ୍ତର ଦେଲେନାହିଁ ।

 

ଖବରଟା ପାଇ ଅପର୍ତ୍ତି ପଧାନ ସିଧା ସିଧା ଧାଇଁଥାଏ ଗୁଣିଆଁ ଖୋଜି । ତା’ର ମନଟା କାଉଳି ହେଉଥାଏ, ଅନ୍ତତଃ ଏତିକି ଉପକାର କରିବାକୁ ପଡ଼ିବ । ନିଜେ ସେ ଜାଣି ଜାଣି ଦେଖିବାକୁ ଯାଇନଥିଲା । ଯଦିଚ କେଳାଭାରିଯାର ସେ ଅବସ୍ଥାରେ ଗାଁ ଲୋକ କେହି ଆସି ଦେଖିବାକୁ ସେଡ଼େ ଆକଟ ନ ଥିଲା । ଟିକିନିଖି କଥା ଅପର୍ତ୍ତିଆ ଅନ୍ୟମାନଙ୍କୁ ପଚାରି ବୁଝି ନେଇଥିଲା । ସେ ମନେ ମନେ ନିଶ୍ଚୟ କରି ସାରିଥିଲା, କେଳାର ସ୍ତ୍ରୀକୁ ଭୂତ ଲାଗିଛି । ଟରଣି ଅଗଣି ରାୟକୁ ମିଛିମିଛିକିଆ ଭୂତ ଗୋଡ଼େଇଥିଲେ, ସେ ତ ହାତର କଥା, କିନ୍ତୁ ଏମିତି ଅନହୁତି କାହାକୁକା ହାକୁ ସତେ ସତେ ଭୂତ ଲାଗେବୋଲି ତା’ର ଧାରଣା, କ୍ଵଚିତ୍ ଘଟିଲେ ବି ଘଟେ କେବେ କେବେ ବୋଲି ତା’ର ବିଶ୍ୱାସ । ଗୁଣିଆଁ ବି ଅଛନ୍ତି । ସେ ଶୁଣିଥିଲା ପୁହାଣପଡ଼ାର ସିଧ ପାତ୍ର ଜଣେ ନାଁ ଡାକ ଗୁଣିଆଁ । ନିଷ୍ଠାରେ ଚଳେ, ଝାଡ଼େ, ଫୁଙ୍କେ, ଭୂତ ଛଡ଼ାଏ । କେତେ ରୋଗକୁ କାଟୁକରେ ତା’ର ମନ୍ତ୍ର । ମା’ ଠାକୁରାଣୀ ଆସିଲେ ବି ଲୋକେ ତାକୁ ଡାକନ୍ତି । ଦି’କୋଶ ବାଟ ପୁହାଣପଡ଼ା ପାଟେଳିଗାଁରୁ । ଅପର୍ତ୍ତି ପଧାନ ସାଙ୍ଗ ଖୋଜିଲା ନାହିଁ, ପରାମର୍ଶ ଲୋଡ଼ିଲା ନାହିଁ, ବାଟ ଧରିଲା । ସେ ଭାବିଲା, ଏ ଗାଁ ଲୋକ ଖାଲି ହାଉ ହାଉ ହେଉଥିବେ, ଚଙ୍କିବେ ନାହିଁ ପାଦେ ବି, ଏମାନଙ୍କ ସଙ୍ଗେ କଥା କହି ବସିଲେ ଖାଲି ସମୟ ନଷ୍ଟ ।

 

ରାତି ପାହାନ୍ତିଆକୁ ବାଉରିସାହି କୁକୁଡ଼ା ଯେତେବେଳେ ବୋବାଳି ଛାଡ଼ିଲା, କେଳାଭାରିଯା ତା’ର ବିଛଣାରେ ଭୁସ୍‍କରି ଉଠିବସିଲା । ରାତିଯାକ ନାନା ଅନୁଭୂତିରେ ତା’ର ବେଳ କଟିଛି । କେତେବେଳେ ଆଖିପତା ବୁଜି ହୋଇଯାଇଛି, କେତେବେଳେ ଅନ୍ଧାରରେ ସେ ଅନାଇଁ ରହିଛି, କିନ୍ତୁ ସବୁବେଳେ ମୁଣ୍ଡ ଭିତରେ ଲାଗି ରହିଥିଲା ଧକ ଧକ । ନାନାରୂପ, ନାନାକଳ୍ପନା ଏକାଠି ଗୋଳିଆ ପୋଳିଆ ହୋଇ ତା’ର ମନ ଝଲସାଇ ଲାଗି ରହିଥିଲା । ତା’ପରେ ନିଦ ମଳମଳ ହୋଇ ଉଠିପଡ଼ିଲା । ପୁରୁଣା ଭେଳିକି ଫେରିଆସିଲା ସତେକି ପୁଣି ସେ ବୋବାଳି ଛାଡ଼ିଲା, “ଇଲୋ ଦେଲୋ, ମୋ ପୁଅକୁ ଆଣି, କେଉଁଠି ଲୁଚେଇଚୁ ମୋ ପୁଅକୁ ଦେ, ନଇଲେ ତୋ ବଉଁଶ ନଣ୍ଡା କରିବି ।’’ ଅନ୍ଧାର ଘରେ ଝାପସା ହୋଇ ଫରଚା ଫିଟୁଛି । ଆପଣା ପାଟି ଆପଣାକୁ ଫମ୍ପା ଶୁଭିଲା, ସେଥିରେ ବଳ ନାହିଁ, ବରଂ ସନ୍ଦେହ ଅଛି । କିନ୍ତୁ କାନରେ ସେହି ଶବ୍ଦ ପଡ଼ିଯିବାମାତ୍ରେ ତାକୁ ଲାଗିଲା ସେହି ଗୋଟାଏ ପ୍ରକାରେ ତାକୁ ବ୍ୟବହାର କରିବାକୁହିଁ ପଡ଼ିବ, ଯେପରି ସେ ଦେଖିଛି କାଳିସୀ କରେ । ଗୋଟାଏ ରଡ଼ି ପରେ ପୁଣି ଆହୁରି ରଡ଼ି, ଆହୁରି, ଆହୁରି, ତା’ପରେ ମୁଣ୍ଡକୁ ଝାଙ୍କି ଝାଙ୍କି ସେ ଘୁମୁରିଲା ।

 

ଆର ବଖରାରେ ଶିଖରମା’, ସପନିମା’ ଉଠିପଡ଼ିଲେ । ସପନିମା’ ମାଡ଼ିଯାଉଥିଲା, ଶିଖରମା’ ଫସ୍‍ ଫସ୍‍ କରି କହି ତାକୁ ଅଟକାଇ ରଖିଲା ତା’ପରେ ଭୋର ପାହାନ୍ତା ହେଲା, ସକାଳ ହେଲା । କେଳାଭାରିଯା ଗୋଡ଼ ଲମ୍ବେଇ ବସି ମୁଣ୍ଡ ଝାଙ୍କି ଝାଙ୍କି ଘୁମୁରିଲା, ମଝିରେ ମଝିରେ ସେହି ଚିତ୍କାର । କିଏ ଗୋଟିଏ ଗୋଟିଏ ଆସି ତାକୁ ଚାହିଁଦେଇ ଯାଉଥାନ୍ତି । ଘଟଣାଟା ପୁରୁଣା ହୋଇଯାଇଥାଏ । ସଞ୍ଜପରି ସେତେ ଭିଡ଼ ନାହିଁ, ତଥାପି ଯେ ଆସିବାର ଗୋଟିଏ ଗୋଟିଏ ଅସୁଥାନ୍ତି ଆପଣା କୁତୂହଳ ମେଣ୍ଟାଇବାପାଇଁ । ଶାଶୁ ବୁଢ଼ୀ ଚଳପ୍ରଚଳ ହେଉଥାନ୍ତି, ତୁଣ୍ଡରେ ପଦେ ବି ଅନ୍ୟକଥା ନାହିଁ । କେବଳ ହରିନାମ ଆଉ କାନ୍ଦଣା, ତାହାରି ଭିତରେ ସେ ଘରକାମ କରିଯାଉଥାନ୍ତି । ତାଙ୍କ ଉପରେ ରାତିଟିଏ ନୁହେଁ ଯେପରି ଯୁଗଟିଏ ପାହିଯାଇଛି । ସେ କର୍ମକୁ ଆଦରି ନେଇଛନ୍ତି । ଲୋକେ ନିଘାକଲେ କେଳାଭାରିଯା ବେଶି ବେଶି ଉତ୍ତେଜିତ ହୁଏ, ନ ହେଲେ ଗୋଟିଏ ଘରେ ମୁଣ୍ଡପୋତି ବସିଥାଏ, ଘୁମୁରୁ ଥାଏ । ତା’ପରେ ଯେତେବେଳେ ଦୁଆରେ ଖରା ଝଲ ଝଲ ସେତେବେଳେ ଦେଖିଲା କିଏ ଜଣେ ଅଚିହ୍ନା ଲୋକ ଆସି ପହଞ୍ଚିଲା । ବୟସ ଚାଳିଶ ହେବ, ବଳିଲା ବଳିଲା କଳା ଦେହ, ବଡ଼ ଗୋଲ ମୁହଁ, ଢିମା ଢିମା ଆଖି ଯେପରିକି ପଥରପରି, ଓସାର କପାଳ ମଝିରେ ଲମ୍ବ ହୋଇ ଏକ ସିନ୍ଦୁର କଲି, ମୁଣ୍ଡରେ ଲମ୍ବ ଲମ୍ବ ଅରଣା ବାଳ, କାନରେ ମନ୍ଦାରଫୁଲ ଖୋସିଛି, ଗୋଟାଏ ହାତରେ ଧରିଛି ଚୁମୁଟା, ଆର ହାତରେ ତମ୍ବାର ସାନ ଲୋଟା, ନାଲି ଲୁଗା ପିନ୍ଧିଛି, କାନ୍ଧରେ ନାଲି ଗାମୁଛି । ଚୁମୁଟା ଉଞ୍ଚେଇ ଭୟଙ୍କର ମୁହଁକରି ସେ ଅଚିହ୍ନା ଲୋକ ଗର୍ଜିଲା–

 

“କିଏ ତୁ କହ, ଅଇଛା ଯିବୁ ତ ଯିବୁ, ନଇଲେ ଦେଖିବୁ କ’ଣ କରିବି ।’’ ତା’ର ଚାହାଣି ଆଗରେ କେଳାଭାରିଯା କେମିତି ଝାଉଁଳି ପଡ଼ିଲା, ଛାତି ଭିତର ଦାଉଁ ଦାଉଁ ପଡ଼ିଲା । ମୁହଁ ଭଡ଼କ ଦେଖାଇ ସେ କହିଲା, ‘‘ଦେ ମୋ ପୁଅକୁ, ତା’ ହେଲେ ଯାଇ ଯିବି, ନ ହେଲେ ଖାଇବି, ଖାଇବି–’’

 

‘‘ଖା ନେ–’’ ସିଧ ପାତ୍ର କହିଲା । ତମ୍ବା ଲୋଟାରୁ ପାଣି ଆଣି କ’ଣ ମନ୍ତ୍ର ବୋଲି ବୋଲି ସେ ରାଗରେ ଟେକା ଫୋପାଡ଼ିଲା ପରି ତା’ ଉପରେ ପାଣି ଛିଞ୍ଚିଲା ।

 

ଏ ନିଶ୍ଚୟ କିଛି ଭୟଙ୍କର ପଦାର୍ଥ ହୋଇଥିବ । କେଳାଭାରିଯା ଭାବିଲା, ବୁନ୍ଦାବୁନ୍ଦା ପାଣି ତା’ ମୁହଁରେ ଦେହରେ ଛାଟି ହୋଇ ପଡ଼ିବାମାତ୍ରେ ସେ ପାଟିକଲା । ‘‘ଓଃ ! ଓଃ ! ”

 

“ଯିବୁକି ନାଇଁ ?”

 

ବହୁତ ଲୋକ ମଜା ଦେଖିବାକୁ ରୁଣ୍ଡିଲେଣି । ସେ ଗଉଁ ଦେଖାଇ କହିଲା–‘‘ନାଇଁ ।’’

 

ସିଧ ପାତ୍ର ମନ୍ତ୍ର ପଢ଼ୁଥାଏ, କର୍କଶ ସ୍ୱରରେ କହିଲା, ‘‘ଅଇଛା ତତେ ଏଠୁ ନ ଉଠେଇ ମୁଁ ପାଦେ ଘୁଞ୍ଚୁନାଇଁ । ନଇଲେ ତେମେ ସବୁ ଯଦି ଆସି ମଣିଷଙ୍କ ଉପରେ ଚରିବ ତ ସୃଷ୍ଟି ରହିବନାଇଁ । କିହୋ, ତମର ଦିନ ବି ଥିଲା, ମଣିଷ ହୋଇଥିଲ, ଭୋଗଭାଗ୍ୟ କଲ, ତମର ବେଳ ସରିଗଲା, ଚାଲିଗଲ । ସେଇଠୁ ଆପଣା କର୍ମ ଘେନି ଉଦ୍ଧାର ପାଇବ କି ଦିନାକେତେ ବୁଲି ବୁଲି କଷ୍ଟ ଭୋଗିଲେ କର୍ମ ତୁଟିବ । ଆଉଥରେ ଜନ୍ମ ହେବକି ନାହିଁ ମୋକ୍ଷ ହବ, ଯାହା ହେଲେ କି ନ ହେଲେ ଆମ ହାତରେ ତ ନାଇଁ, ତେମେ ଆମକୁ ଆସି ହରବର କରିବ କାହିଁକି ? ଏଇଟା କୋଉ କଥାର କଥା ?’’

 

ସେ ଗୁମ୍‍ ହୋଇ ବସିରହିଛି ଏଇ ତତଲା ପଥରପରି ମଣିଷଟା ଆଗରେ । ଟିକିଏ ଟିକିଏ ଭାବନା ଆସୁଛି, ସତେ କ’ଣ ସେ ଭୂତ ?

 

‘‘ଯାଉଚୁ ନା ? ସିଧ ପାତ୍ର ରଡ଼ିଲା ।

 

‘‘ନା, ମୁଁ ଯିବିନାଇଁ ।’’

 

“ହଉ, ତେବେ ମୋର ଦୋଷ ନାଇଁ । ଆଣିବଟି ଚୁଲୀ ଭିତରୁ ଲୁହା ଖଡ଼ିକାଟା ସତକୁ ସତ ଗୋଟାଏ ମୁଣ୍ଡରୁ କନାରେ ମୁଠେଇ ଧରି ଗୋଟାଏ ଲୁହା ଖଡ଼ିକା ଜଣେ ଆଣି ଦେଲା । ଆର ମୁଣ୍ଡଟାରେ ଧଳା ପାଉଁଶ ଲାଗିଛି । ସିଧ ପାତ୍ର ମନ୍ତ୍ର ଗୁଣଗୁଣେଇ ସେହି ଲୁହା ଖଡ଼ିକାକୁ ଗାମୁଛାରେ ଧରି କହିଲା, ‘‘ଏ ଦେହକୁ କିଳିଦେଲି, ଆଉ ଏ ଦେହକୁ ତୁ ଆସି ପାରିବୁ ନାଇଁ କେବେହେଲେ । ତୁ ଭାରି ଜଞ୍ଜାଳୀଟା, ତତେ ଆଖିବୁଜି ଆଗ ତଡ଼ିବା ଦରକାର । ନ ହେଲେ ପାଣି ଢାଳେ ହେଲେ ସାଙ୍ଗରେ ନେଇଯିବାକୁ ଦେଇଥାନ୍ତି ।’’ କହୁ କହୁ ଟାଙ୍କି ହୋଇ ଫୁଲି ଉଠିଲା ତା’ ଦେହ ପଥର ଆଖି ରଡ଼ନିଆଁପରି ଜଳିଉଠିଲା, ସେ ଫଣ ଫଣ ନାକ, ଓଠରେ ଓଠ ଚାପି ଡେରି ହୋଇ ରହିଥିବା ଥୋମଣି, ସେ ମୁହଁର ତାଉ ଯେପରିକି ତା’ର କଅଁଳ ମୁହଁକୁ ପୋଡ଼ି ଦେଉଥାଏ । ସେ ଆଖିକୁ ଚାହୁଁ ଚାହୁଁ ଆଖି ଯୋଡ଼ାକ ଯେପରି ଆହୁରି ବଡ଼ ହୋଇ ହୋଇ ଯାଉଥାଏ । ଡେବିରି ହାତରେ ଲୁହା ଖଡ଼ିକା ଧରିଛି । ଡାହାଣ ହାତ ପାପୁଲିକୁ ନାନା ଜାତିରେ ଖେଳେଇ ଖେଳେଇ ନାନପ୍ରକାର ମୁଦ୍ରା କରୁଛି । କେଳାଭାରିଯାର ଦେହ ଝିମି ଝିମି ହୋଇ ଆସିଲାବେଳକୁ ସିଧ ପାତ୍ରର ରଡ଼ି ଶୁଭିଲା, “କିଳିଲି, କିଳିଦେଲି ଏଇଥରକ, ଯା ପଳା I’’ ତା’ର ସେହି ଚମ୍ପାଫୁଲ ଗୋରା ଖୋଲା ହାତ ଉପରେ ସିଧ ପାତ୍ର ଚାଉଁକରି ତତଲା ଲୁହା ଖଡ଼ିକା ଅଗଟା ମାରିଦେଇ ଉଠେଇ ନେଇଥିଲା-। ମରଣ ପାହାର ଖାଇଲା ସାପପରି ଛଟଛଟ ହୋଇ ଏକର ସେକର ଡିଆଁଡେଇଁ କରି ଚିତ୍କାର କରି କେଳାଭାରିଯା ହୁଡ଼ଭୁଷ୍‌ ହୋଇ କଚାଡ଼ି ହୋଇପଡ଼ି ମୂର୍ଚ୍ଛାଗଲାପରି ପଡ଼ିରହିଲା । ଚାରିଆଡ଼ୁ ଶୁଭିଲା, “ପାଣି ଆଣ, ପାଣି ଆଣ–’’

 

ଦାଣ୍ଡରେ, ବାରିଆଡ଼େ, କାନ୍ଥରେ ଚୁମୁଟାରେ ଡିହ ମାରିମାରି ପୂଜାବିଧି ସାରି ସିଧ ପାତ୍ର ଲେଉଟିଗଲା । ପଛେ ପଛେ ଗୋଠେ ମଣିଷ । ସେ ସେଦିନର ବଡ଼ ମଣିଷ ।

 

ଦ୍ୱିପ୍ରହରେ ଛବି, ଛବିବୋଉ, ଗୁରବୋଉ ଆସି ପହଞ୍ଚିଲେ । ସେ ଘରେ କେଳାଭାରିଯା ଶୋଇଛି । ଭିତର ପିଣ୍ଡାରେ କେଳାବୋଉ ଭାଗବତ ପଢ଼ୁଛନ୍ତି । ତୁନିତାନି ହୋଇ ବସି ରହିଛନ୍ତି ସାହି ମାଇପେ । ଟୁପୁରୁଟାପୁରୁ କଥାଭାଷା ହେଉଛନ୍ତି । ସମସ୍ତିଙ୍କର ଥମ୍ବିଲା ଥମ୍ବିଲା ମୁହଁ । ଯେପରି କାହାରି ମୁହଁରେ କାହା ପ୍ରତି ଅସୂୟାର ଚିହ୍ନନାହିଁ । ସମସ୍ତେ ସେହି ଏକା ମଣିଷ ଗୋଠ । ଏଠି ବସିଛନ୍ତି ସେହିମାନେ, ଯେଉଁମାନେ ପରସ୍ପର ସଙ୍ଗେ ଖୁରି ଲାଗନ୍ତି, ପରସ୍ପର ବିରୁଦ୍ଧରେ କୁତ୍ସା ରଟାନ୍ତି । ଅଣ୍ଟାରେ ହାତ ଦେଇ ପରସ୍ପରଆଡ଼କୁ ଉହୁଙ୍କି ଉହୁଙ୍କି ଗାଳି ଅଜାଡ଼ନ୍ତି । କିନ୍ତୁ ଏଠି ଯେପରିକି ମାୟା ଢାଙ୍କି ରହିଛି । ଭଗତ ମହାରଣାର ସ୍ତ୍ରୀ, କପିଳ ମହାରଣାର ସ୍ତ୍ରୀ ପାଖକୁପାଖ ବସି ରହିଛନ୍ତି, ଯେଉଁ ଚାନ୍ଦକୁ ସେହି ଚାନ୍ଦ, ଆଉ ଅଛନ୍ତି ଗେହ୍ଲିବୋଉ, କନବୋଉ । ଏହିପରି କେତେ ଗାଁର ନଗର ନାହୁଲୀମାନେ । କେହି ବଡ଼ ନୁହେଁ, କେହି ସାନ ନୁହେଁ, ଦଳରେ ସମସ୍ତେ ମିଶିଯାଇଛନ୍ତି । ବଡ଼ ବିଚିତ୍ର ଏ ଗାଁ, ଛବିବୋଉ ଭାବିଲେ, କେତେବେଳେ ଏକାଠି ମିଳାମିଶା, ସତେକି ଗୋଟିଏ ଘରର ମଣିଷ, ଆଉ କେତେବେଳେ ଫଟାଫଟା, କଳିକୁ ତିଆରି ।

 

ତୁନିତୁନି ହୋଇ ସୁଖ ଦୁଃଖ ପଚରାପଚରି ଲାଗିଛି । କାହାଘରେ କାହାକୁ ଜର ହୋଇଥିଲା, ତା’ ଦେହ କେମିତି ଅଛି ? କିଏ କି ତରକାରି ରାନ୍ଧିଥିଲା, କାହା ବୋହୂ କେମିତି ଅଛି, କାହାଶାଶୁ କେମିତି ଅଛି, କିଏ କୁଆଡ଼େ ଯାଇଥିଲା ଆସିଲାଣିକି ନାହିଁ, କାହାପୁଅ ବିଦେଶରେ ଅଛି ଭାଷା ଦେଲାଣିକି ନାହିଁ ? ତାହାରି ଭିତରେ ପାନ ଦିଆଦେଇ, ଟୁପୁରୁଟାପୁରୁ ସ୍ନେହର କଥା ଚାଲିଛି-। ଠାକୁର ଦର୍ଶନ କଲାପରି ସେ ଘରକୁ ଯାଇ କେଳାଭାରିଯାକୁ ଅନାଇଦେଇ ନୂଆ ଆସି ପହଞ୍ଚିଥିବା ଲୋକେ ପୁଣି ଫେରିଆସନ୍ତି ଦଳକୁ । ଶୋଇଥାଉ ସେ, ଯେତେ ଶୋଇବ ସେତେ ଭଲ-

 

ଆଉ ଭାଗବତ ପଢ଼ୁଛନ୍ତି କେଳାବୋଉ ! ମୁହଁଟି ଶୁଖିଯାଇଛି, ଶ୍ୟାମଳ ପାତଳ ମୁହଁ ଆହୁରି ଶୀର୍ଣ୍ଣ ଦିଶୁଛି, ଆଖିରେ ଡୋରବିନ୍ଧା ଧଳା ଫ୍ରେମର ଚଷମା । ଗହଳିରେ ଥାଇ ବି କେମିତି ସମସ୍ତିଙ୍କଠୁଁ ଉଚ୍ଚରେ, ସମସ୍ତଙ୍କଠୁଁ ଦୂରରେ ସେ । ସେହି ଦୁର୍ବଳ ମୁହଁଟି ଦିଶୁଛି ଗମ୍ଭୀର ଆଉ ତେଜୀୟାନ, ସମସ୍ତିଙ୍କର ସହାନୁଭୂତି ସେଇଠି ।

 

ଛବି କେଳାଭାରିଯାର ଶୋଇଲା ଖଟପାଖକୁ ଯାଇ ହସି ହସି ଠିଆ ହେଲା । କେଳାଭାରିଯା ତା’ର ମୁହଁ ଉପରେ ଲୁଗା ଘୋଡ଼େଇଦେଇ କଇଁକଇଁ ହୋଇ କାନ୍ଦିଉଠିଲା । ତା’ର ମୁଣ୍ଡ ଆଉଁସି ଆଉଁସି ଛବି ବୁଝେଇ ବସିଲା, ‘‘ଛି ସେମିତି ହନ୍ତିନାଇଁ, ତମର କ’ଣ ହେଇଚିକି ?’’

 

ପୁଣି ସେମାନେ ସେଠୁ ଲେଉଟି ଚାଲିଲେ, କେତେ ଅଇଲେ, କେତେ ଗଲେ, କେଳାଭାରିଯା ଶୋଇ ଶୋଇ ଆପଣାକୁ ସମ୍ଭାଳିଲା ।

 

କେଳା ଘରେ ଯାହା ଗାଁ ଗୋଟାକରେ ସେହିଆ । ଭୂତ ଯାଇଛି, ଭୂତ ସଙ୍ଗେ ସଙ୍ଗେ ଗାଁ ଲୋକଙ୍କ ମନରୁ ବି ଯେପରିକି ଗୋଟାଏ ରଗ ଚାଲିଯାଇଛି । ଚଇତର ବଢ଼ନ୍ତା ଝାଞ୍ଜି ଭିତରେ ସେମାନେ ଯେପରିକି ଦେଖିଛନ୍ତି ଶରତର ଆକାଶରୁ ଚେନାଏଁ, ପୃଥିବୀ ସୁସ୍ଥ ।

 

ଢୋଲ ଢାଇଁ ଢାଇଁ ବାଜିଲା, ଲାଗିଲା ଠାକୁରାଣୀ ମାଜଣା । ଆର୍ତ୍ତ ଅମିନଙ୍କ ସ୍ତ୍ରୀ ଆଗଭର ହୋଇ ଆସି ମୁଢ଼ି ନଡ଼ିଆ ଠୁଳକରି ଭୋଗ କରେଇ ଆଣି ପିଲାଙ୍କୁ ରୁଣ୍ଡେଇ ବାଳଭୋଗ ଖୁଆଇଲେ । କେହି କହି ନାହିଁ କେହି ଡାକି ନାହିଁ ଏ ଘରୁ ସେ ଘରୁ ସଂକୀର୍ତ୍ତନିଆ ଗୋଟିଏ ଗୋଟିଏ ଆସି ସଞ୍ଜ ପହରୁ ଗାଁ ଦାଣ୍ଡରେ ଏକାଠି ହୋଇ ଝାଞ୍ଜ ମୃଦଙ୍ଗ ପିଟିଲେ, ସଂକୀର୍ତ୍ତନ ବୋଲିଲେ, ଏ ଦଳରବୋଲି ନାହିଁକି ସେ ଦଳରବୋଲି ନାହିଁ, କିଏ ଆସିଲା ନ ଆସିଲା କେହି କଳନା କରିନାହିଁ, କେବଳ ସଂକୀର୍ତ୍ତନହିଁ ଚାଲିଛି ଅନ୍ଧାର ଦୁଲୁକେଇ । ଦଳ ଭିତରୁ କେଉଁଠୁ ଲୋକା ନାହାକ କେଉଁଠୁ କିଣେଇଁ ଓଝା ମୁହଁ ବିକୃତକରି ବେକ ଫୁଲେଇ ଗଡ଼ିଗଡ଼ିକା ମେଳ ଭିତରକୁ ଚାଲିଲେ ।

 

“ଆରେ ନଦିଆ ନବଦିପତେ ହଇଲ ଜନମ ଅଁ ଅଁ ଅଁ ଅଁ–’’

 

ମାଗୁଣିଆ ଅପର୍ତ୍ତିଆ ଧରାଧରି କରି ଝଙ୍କା ବରଗଛ ଡାଳରୁ ଗୋଟାଏ ପେଟ୍ରୋମ୍ୟାକ୍‌ସ ଆଲୁଅ ଓହଳେଇ ଦେଲେ ।

 

ଯୁଜେଷ୍ଟି ଧୋବା ତାଳି ମାରୁଥାଏ, ଶ୍ୟାମ ଗୋଛେଇତ ତା’ ଦଳ ଧରି ଢୋଲ ମହୁରୀ ସହିତ ଅପେକ୍ଷା କରି ରହିଥାଏ, ମୃଦଙ୍ଗ ଥମ୍ବିଲେ ସେମାନେ ଲାଗିବେ, ହରି ସାହୁ ଚେକା ପକେଇ ବସି ମୁଣ୍ଡ ହଲଉଥାଏ । ଅଳ୍ପ ଛାଡ଼ି ଆସନରେ ବସିଲାପରି ସିନ୍ଧୁ ଚୌଧୁରି ବସିଥାନ୍ତି । ଉପରେ ଉପରେ ଡାଳକୁ ଡାଳ କୁଦା ମାରୁଥାନ୍ତି ଗାଁର ମାଙ୍କଡ଼ ।

ଖରାବେଳ, ସିନ୍ଧୁ ଚୌଧୁରି ଟହଲି ବାହାରିଥିଲେ । ହାତରେ ପାନଡିବା ଖୋଲା ଦେହ, କାନ୍ଧରେ ପୁରୁଣା ଗାମୁଛାଟି ।

ଏମିତି କେତେ କେତେବେଳେ ମନେପଡ଼ିଯାଏ, ଯେପରିକି ପୁରୁଣାଦିନର ଚାକିରିଆ ଜୀବନର ସ୍ମୃତି ଝଲସିଉଠେ, ପୁରୁଣା ଅଭ୍ୟାସରେ ହାତଗୋଡ଼ ଖଲଖଲ ହୁଏ, ଏମିତିବେଳେ କେତେ ବୁଲା, ଖରା ଯାଉ, ବରଷା ଯାଉ, ଯାଉ ଯାହା ଯିବ ଦେହେ ଦେହେ, ସେଟେଲ୍‌ମେଣ୍ଟ ଅମିନ–ସେହି ପୁରୁଣା ନୀତି, ଛାଡ଼ ପିତୃକାର୍ଯ୍ୟ କର ରାଜକାର୍ଯ୍ୟ । ଆଉ ଗାଁମୁଣ୍ଡର ଝଙ୍କା ବରଗଛଟା, ସେ ଯେପରିକି ଚାକିରିବେଳର ଛାଉଣି ମନେପକାଇଦିଏ, ଆଜି ଏ ଗାଁ ବରଗଛ ତଳେ, ଦିନାକେତେ ପରେ ଆଉ କେଉଁ ଗାଁରେ ସେଠିକି ବି ଏମିତି କେଉଁ ଝଙ୍କା ବରଗଛ । ନାଲିଘର ପରି ସାନକୁଡ଼ିଆ, ଘାସ ତଞ୍ଛା ହୋଇ ଗୋଲ ହୋଇ ଅରାଏ ଛାଉଣି, କେତେଟା ତମ୍ବୁଘର, କେତେ ଲୋକଙ୍କ ଗହଳି, ଗୋଟାଏ ସଂସାରର ଚହଳ–ସେଠି ବି ଭାତ ରନ୍ଧା ହୁଏ, ମଣିଷ ଖାଆନ୍ତି ପିଅନ୍ତି ଶୁଅନ୍ତି ।

ଏମିତି ଏଇ ଦାଉ ଦାଉ ଝୋଲାମରା ଦି’ପହରେ ଯେତେବେଳ ଗାଁ ଦାଣ୍ଡ ଶୂନ୍‌ଶାନ୍, ଚାରିଆଡ଼ ଖାଁ ଖାଁ, ଜଳୁଥାଏ ଖରା, ଉଡ଼ୋଉଥାଏ ପବନ, ସେତେବେଳେ କେବେ କେବେ ମନେପଡ଼େ ଅତୀତ ।

ଫୁଟିଛି ପଳାଶ, ଫୁଟିଛି ପାଳଧୁଆ, ପାଟଳି ଗୋଡ଼ିବାଣ କୃଷ୍ଣଚୁଡ଼ା, ଜାମୁଗଛ ଅଗରେ ନାଲିପତ୍ରର ମୁକୁଟ । ଉଦୁଉଦିଆ ଖରାରେ ଫୁଲର ନାଲି ଯେପରିକି ବାଟ କଢ଼ାଇ ଘେନିଯାଏ ସେହି ଅତୀତକୁ, ଘରୁ ବାହାରକୁ, ଯେଉଁଠି ଦୂରରେ ଥାଇ ବି ଘର ଘର ଲାଗୁଥିବ, ଠାଏ ହାଣ୍ଡିରେ କଳା ନ ପଡ଼ୁଣୁ ହାଣ୍ଡି ବାଡ଼େଇଦେଇ ଚାଲିଯିବାକୁ ପଡ଼ିବ ନୂଆଥାନକୁ, ସେମାନେ ସେତେବେଳେ ମନେପଡ଼ନ୍ତି, ସେହି ଲୋକେ ଯେଉଁମାନେ ହୋଇଥିଲେ ସାଙ୍ଗର ଭାଇ, କିଏ ଜରବେଳେ ଜଗି ରହିଥିଲା, ମୁଣ୍ଡ ଚିପି ଦେଉଥିଲା, ଗୋଡ଼ ଘଷି ଦେଉଥିଲା, କିଏ ଅସମୟରେ ସାହାଯ୍ୟ ଦେଉଥିଲା, କିଏ କିପରି ଆପଣାର ହୋଇଥିଲା ତା’ର କାହାଣୀ ପୁରୁଣା ସ୍ୟାହିର ଲେଖାପରି ପାଣିଚିଆ ହୋଇଆସିଲାଣି ସ୍ମରଣରେ । ଆଉ ମନେପଡ଼ନ୍ତି ଗାଁ ଗାଁକର ମୁହଁ । କେତେଟା ନିଭିଗଲାଣି, ଆଉ କେତେଟା ମନେ ନ ଥିଲେ ବି ତାଙ୍କ ସମ୍ପର୍କରେ କାହାଣୀ ମନେ ଅଛି । ଅଚିହ୍ନା ବିଦେଶର ଅଧା ହଜିଲା କାହାଣୀ, ଗାଁରେ ତା’ର ପ୍ରତିଧ୍ୱନି ନାହିଁ ।

 

ଏଇ ଦ୍ୱିପ୍ରହରେ, ଖରା ତାଉରେ ଫାଇଁ ଫାଇଁ ପବନ ମାଡ଼ରେ, ଝଙ୍କା ଗଛର ପତ୍ରଗୁଡ଼ାକ ପଛକୁ ଠେଲି ହୋଇ ଯେତେବେଳେ ଝଲଝଲ କରୁଥାଏ, ନଈ-କଣ୍ଡିଆର ଦରଶୁଖିଲା ବେଣାବୁଦାଠୁଁ ଧରି ଦେବଦାରୁ ଅଗଯାକେ ଥରୁଥାଏ ଚଇତାଳି ନାଚରେ, କେହି ମଣିଷ ଦିଶାପଡ଼ନ୍ତି ନାହିଁ, କାପ୍ତା ବୋବାଉଥାଏ ଶୁଭୁଥାଏ, ସେତେବେଳେ ମନକୁ ମନ ଚାଲିରହିଥାଏ ଚହଲା ଦୃଶ୍ୟପଟ । କେତେବେଳେ ହସମାଡ଼େ । କେତେବେଳେ ଲାଜମାଡ଼େ, ସବୁବେଳେ ଲାଗେ, ହଁ ମୋର ବି ଦିନ ଥିଲା, ଯୌବନ ଥିଲା, ମୋହଠୁଁ ଭୁଲଠୁଁ ଆଉରି ବଡ଼ ଥିଲା ଯୌବନ, ସେ ଆଉ ଆସିବ ନାହିଁ ।

 

ମନର ଏଇ ନୀରବ ଅଭିସାରରେ ଉଦୁଉଦିଆ ଦି’ପହରେ ଚାଲିଥାନ୍ତି ସିନ୍ଧୁ ଚୌଧୁରି, ଜମିଦାରୀ ନାହିଁ, ଗୋଡ଼ାଣିଆଁ ନାହାନ୍ତି, ବାରିକ ନାହିଁ ସଙ୍ଗରେ, କାହାରିଠୁଁ କିଛି ମାଗିବାକୁ ମନ ନାହିଁ, କାହାରିକୁ ଦେବାକୁ ନାହିଁ କିଛି, ଯେପରିକି ଦିନଯାକର ଛାଇଆଲୁଅ ଗଢ଼ା ରୂପ ଭିତରୁ ଏ ବି ରୂପ ଗୋଟିଏ, କାହିଁକି ଏପରିବୋଲି ତା’ର ଉତ୍ତର ନାହିଁ, କ’ଣ ହେବ ୟା ପରେ ବୋଲି ତା’ର ସମାଧାନ ନାହିଁ, ଖାଲି ଏମିତି ।

 

କିଣେଇଁ ଓଝା କମାରଶାଳରେ ଏଡ଼େ ନିଆଁ ତାଉରେ ତତଲା ଲୁହାକୁ ହାତୁଡ଼ିରେ ପିଟୁଛି । ଭଗତା ବଢ଼େଇ ଘରୁ ଶୁଭୁଛି ଠକ୍‌ଠାକ୍‌ । କେଉଟ ସାହିରେ ଗଛ ଛାଇ ତଳେ ପଞ୍ଝାଏ ବସିଛନ୍ତି ଆଉ ସଡ଼ିଙ୍ଗ ଛାଟି ଛାଟି ଜାଲ ବୁଣୁଛନ୍ତି । କୁମ୍ଭାରଶାଳରେ ହାଣ୍ଡି ଉପରେ ହାଣ୍ଡି ଥୁଆ ହୋଇ ହୋଇ ସାନ ସାନ ମୁଣ୍ଡିଆ ହୋଇଛି, ଏଥର ଭାଟି ଲାଗିବ । ଢିଙ୍କି ପାହାର ଶୁଭୁଛି ଧାକୁଡ଼ୁ ଧାକୁଡ଼ୁ, ଉଠୁ ପଡ଼ ହୋଇ ଚାଲିଛି ତା’ର ଛନ୍ଦ, ତା’ ସହିତ ପତ୍ର ସାଇଁ ସାଇଁ ମିଶି ଯେପରିକି ଏକ ଅଛିଣ୍ଡା ଦାଣ୍ଡିବୃତ୍ତରେ ଚଇତି ଦି’ପ୍ରହରର ସଙ୍ଗୀତ ଶୁଭୁଛି । ଚାଲିଛନ୍ତି ସିନ୍ଧୁ ଚୌଧୁରି, ଦୂରକୁ, ଦୂରକୁ-। ମନେପଡ଼ିଯାଇଛି ଗୋଟିକିଗୋଟି ହୋଇ, ଜୀବନର ହଜିଲା ମୁହୂର୍ତ୍ତରୁ କିଛି, ରୂପରୁ କିଛି, ସ୍ୱପ୍ନରୁ କିଛି । ଏମିତି ସବୁ ଉଡ଼ି ଚାଲିଗଲା, ଏମିତି ଏଇ ପବନରେ ।

 

ବାଟ କରରେ ଗୋଟିକିଆ କୁର୍‌ହେଇ ବୁଦା ପେନ୍ଥାଏ ବାସ୍ନା ଧୋବଫୁଲ ଧରି ଠିଆ ହୋଇଛି, ତଳ ଫୁଲ କସରା ପଡ଼ି ଆସିଲାଣି । କେଉଁ ଦେଶ ସେ ! ଯୁଆଡ଼େ ଚାହିଁଲେ ଖାଲି କୁର୍‌ହେଇ ଫୁଲର ବଣ । ତା’ରି ଭିତରେ ମୁଣ୍ଡରେ ମାଠିଆ ଉପରେ ମାଠିଆ ଥୋଇ ହସାହସି ହୋଇ ଯୁବତୀ ଦୁଇଟି ଚାଲିଛନ୍ତି । ପଛଆଡ଼େ ଅଳ୍ପ ଛାଡ଼ି ବଣ ଉପରୁ ଉଠିଛି ବକଟେ ବକଟେ ଘରର ଚାଳ, କୁକୁଡ଼ା କେଁକେଁ ହେଉଛନ୍ତି ଶୁଭୁଛି, ଚାରିପାଞ୍ଚଟା ଘର ଏକାଠି ହୋଇ ଗୋଟାଏ ତଇଲା ବାଡ଼ି, ସେକରେ ଗୋଲ ହୋଇ ପାହାଡ଼ର ପାଚିରି, ତା’ ଉପରେ କସରା କସରା ହୋଇ ବଣ; କୁର୍‌ହେଇ ଢିପ ଉପରଦେଇ ଢାଲୁଏ ଢାଲୁଏ ତଳକୁ ତଳକୁ ପଡ଼ି ପଡ଼ି ଯାଇଛି କେଉଁ ଅଦେଖା ବାଟର ଧାର । ଆସ୍ତେ ଦେହ ଲୁଚି ଲୁଟି ଯାଉଛି କୁର୍‌ହେଇ ବଣ ଆଉ ଢାଲୁରେ । ହେଇ ଏଥର ଆଗ ଜଣକର ମୁଣ୍ଡ ଉପରର ମାଠିଆ ଦୋଟି ଖାଲି ଦିଶିଯାଇଛି, ପଛ ଜଣକର ବେକଠୁ ଉପରକୁ ଏଥର ସେ ବୁଲିପଡ଼ି ଚାହିଁଦେଲା, ଫୁଲ ଆଉ ପତ୍ରର ଓସାର ଢେଉ ଛେଦରେ ଯେପରିକି ଆଉ ଗୋଟିଏ ପ୍ରକାର ଫୁଲ, କିନ୍ତୁ ସେ ମଣିଷ, ସେ ଫୁଲଠୁଁ ବଳି । ଏଇ ଧନୁ ପରି ଭ୍ରୁଲତା, ଯେପରି କିଏ ଆଙ୍କିଛି, ଏଇ ଆଖି, ମଣିଷର ନୁହେଁ, ସତେ ସତେ ହରିଣୀର ଚାହାଣି; କେଡ଼େ ସରଳ, କେଡ଼େ ଢଳ ଢଳ । ଏଇ, ହସି ଦେଲା, ଯେପରିକି କୁର୍‌ହେଇ ଫୁଲର ମହକ ବଢ଼ିଗଲା, ପତ୍ରର ସବୁଜବର୍ଣ୍ଣ ଫୁଲର ଦୁଧିଆଳି ଧଳା ଆହୁରି ଗଲାବଢ଼ି, ଆହୁରି ନିଛାଟିଆ ହୋଇ ଫିଟିଗଲା ତଇଲା, ଯେପରିକି ଫୁଲର ଢେଉର ଏକରେ ସେକରେ ପରସ୍ପରକୁ ଆଦରି ଅନାଇଁବାକୁ ଯୋଡ଼ିଏ ମଣିଷ ମୁହଁ, ସେଇଥିପାଇଁ ଏ ପରିବେଷ୍ଟନୀର ସୃଷ୍ଟି, ଆଉ, କିଛିପାଇଁ ନୁହେଁ । ଶୁଭିଶୁ ଭି ଯାଉଛି, ଘାଉଁ ଘାଉଁ ମହୁମାଛି, କେଉଁ ତଳେ କୁଳୁ କୁଳୁ ହୋଇ ପାହାଡ଼ି ନଈର ଶବ୍ଦ । ଆଗର ଯୋଡ଼ିମାଠିଆ ତଳ ଢାଲୁରେ ଅଦୃଶ୍ୟ ହେଲାଣି, ପଛର ମୁହଁ ଖଞ୍ଜା ହୋଇ ରହିଛି ସେପରି । ଅପେକ୍ଷା କରିଛି....ଅପେକ୍ଷା କରିଛି ।

 

ଦୀର୍ଘଶ୍ୱାସ ପକାଇ ସିନ୍ଧୁ ଚୌଧୁରି ଆଗକୁ ଚାହିଁଲେ, ଶୁଖି ଆସୁଥିବା ଘାସରେ ଗାଈଟିଏ ଚରୁଛି, କୋତରା କସରାବର୍ଣ୍ଣର ଗାଈ, ବିଦାକାଠି ଛାଇତଳେ ଠେଲି ଠେଲି ଉଠିଛି । ମଝିଆଡ଼କୁ ବଙ୍କା ବଙ୍କା ହୋଇ ଶିଙ୍ଘଯୋଡ଼ିଏ । ଲାଞ୍ଜରେ ପିଠି ଓଳେଇ ଓଳେଇ ଏକାମନରେ ଚରିଲାଗିଛି ସେ । ବେଁଶିରା ହାଡ଼ର ହିଡ଼ ଉପରେ କଙ୍କି ବସୁଛନ୍ତି, ବାଁ’କୁ ଚାହୁଁ ନାହିଁ ଡାହାଣକୁ ଚାହୁଁ ନାହିଁ ଖାଲି ଘାସ ଆଉ ତା’ର ପାଟି ।

 

ଆଉ ସେକରେ ନସରପସର ହୋଇ ଧାଇଁଛି ଆଉ ଜଣେ, ଅତି ହାସ୍ୟାସ୍ପଦ ତା’ର ଅଷ୍ଟବକ୍ର ଗତି, ଉପରେ ଉପରେ ଚହଳ ପକେଇ ପକେଇ ବଣି ପଲେ । ସେ ଗୋଟିଏ ମାଟିବର୍ଣ୍ଣର ଗୋଧି । ତା’ ମୁହଁରେ ଦେହରେ କେଉଁଠି ହେଲେ କଅଁଳ ମରମ ଭାବର ରଙ୍ଗକି ଢେଉ ଦିଶୁ ନାହିଁ-

 

ଖାଲି ମାଟି, ମାଟି ।

 

ପବନରେ ଘୁସୁରି ଘୁସୁରି ଚାଲିଛି ନାଲି ପାଟଳିର ଛିଣ୍ଡା ପାଖୁଡ଼ା, ପାଟଳି ଫୁଲ କୁଢ଼ ହୋଇ ହୋଇ ଶୁଖୁଛି ।

 

ଆକାଶ ନଈବଢ଼ି ଗୋଳିରେ ହାଣ୍ଡିଧୂଆ ପାଣି, ତଳେ ଧୂଳିର ଭଉଁରୀ ଆଉ ପୋଡ଼ା ମାଟି ମଝିରେ ଶାଗୁଆ କସରା ମିଶାମିଶି ଅରାଏ ଘାସ, ଗୁଗୁଟିଆ ପାଚିଲାଣି । କ୍ରମେ ପଛକଥାକୁ ଉହାଡ଼ କରି କରି ଯେପରିକି ଚେତନା ଉପରେ ଗୋଟାକୁ ଗୋଟା ଛେଦି ପଡ଼ି ପଡ଼ି ଯାଉଛି, ଲାଗୁଛି ଏ ଦେହଟା ବଦଳି ବଦଳି କେଉଁ ଅବସ୍ଥାକୁ ଆସିଗଲାଣି, ତାଠିଁ ଆଉ ମାତିଉଠିବା ନାହିଁ, ଛୁଆଁ ତା’ ଲାଗିବାପଣ ନାହିଁ, ତା’ ସଙ୍ଗେ ସଙ୍ଗେ ମନଟା ବି । ଥବିର, କାଠୁଆ, ସୁସ୍ଥି ଅଳସ ହୋଇ ସମୟ ଟାଳି ଚାଲିଛି ଏଇ ବ୍ୟକ୍ତି । ତାଠିଁ ବି ଗୁଗୁଚିଆ ପାଚିଛି । ଶାଗୁଆ ଶୁଖିଛି । କ’ଣ ସାଇତିଛି ସମ୍ପାଦିଛି କ’ଣ କରିପାରିଛିକି ନ କରିପାରିଛି ?

 

କେବଳ ଆଶ୍ରା କୃଷ୍ଣନାମ, ଭାଗବତରେ ମତି । ନାମ ଗାଉ ଗାଉ ପ୍ରାଣ ଛାଡ଼ିଯାଆନ୍ତା ସେତିକି ମାଗୁଣି । ତେବେ ହଁ, କର୍ତ୍ତବ୍ୟ ସରିନାହିଁ । କର୍ତ୍ତବ୍ୟ ମାନେ ଛବିର ବିଭା । ତାକୁ ବି ପାରି କରିବେ ଭଗବାନ । କୁଆଡ଼ୁ, ଉଡ଼ି ଉଡ଼ି ଆସି ପହଞ୍ଚିଲା ଗୋଟିଏ କାଣ୍ଟିଆ ବଗ, ପଡ଼ିଆଯାକ ବୁଲି ବୁଲି ପୋକଯୋକ ଖୁଣ୍ଟି ଖୁଣ୍ଟି ବୁଲୁଛି । ଟିକିଏ ଆଗରୁ ନ ଥିଲା, ବର୍ତ୍ତମାନ ସେ ସତେକି ଏଠା ବାସିନ୍ଦା । ବସିଲାବେଳ ହେଲେ ଏମିତି କୁଆଡ଼ୁ ବର ଆସି ପହଞ୍ଚିଯିବ । ଉଦ୍ଧାର କରିବେ କର୍ତ୍ତା ।

 

ତଥାପି, ଏ ମୁଣ୍ଡଟା ଯେମିତିକି ଭାବନାପାଇଁ ତିଆରି ହୋଇ ରହିଛି- ସେ ଭାବିଲେ, ଟିକକ କଥାକେ ଏତେ ଭାବନା, ଆରେ କ’ଣ ଏପରି ହେଉଥିଲା ନା କେଉଁ କଥାକୁ ଛଳ ଥିଲା ? ଏ ବୁଦ୍ଧି ନା ବାର୍ଦ୍ଧକ୍ୟ ?

 

ହେଇ ସେଠି ବରଗଛ ମୂଳେ କିଏ ସବୁ ବସିଛନ୍ତି । ଆଉ ଟିକିଏ ଆଗକୁ ଗଲାରୁ ଦିଶିଲା, ସଦା ଗଉଡ଼, ଅପର୍ତ୍ତି ପଧାନ, ଯଦୁ ବିଶ୍ୱାଳ, ମାଗୁଣି ବେହେରା, ଏକାଠି ଉଦୁଉଦିଆ ଦି’ପହରେ ଗୋଟିଏ ପଙ୍ଗତ | କ’ଣ କଥା ପଡ଼ିଛି । ପଡ଼ୁ କଥା, ତାଙ୍କର କି ଯାଏ ? କିନ୍ତୁ ସେମାନେ ଦେଖିପକାଇ ଠିଆ ହୋଇ ପଡ଼ିଲେଣି । ସେମାନେ ଓଳଗି ହେଲେ । ପାଖକୁ ଯିବାକୁହିଁ ପଡ଼ିଲା । ଅପର୍ତ୍ତି ପ୍ରଧାନ ଆଧୀନ୍ୟ ଦେଖାଇ ପଚାରିଲା-

 

ଏଡ଼େବଡ଼ ଖରାଟା, କୁଆଡ଼କୁ ବିଜେ କରିଛନ୍ତି ସାଆନ୍ତେ ?”

 

‘‘ନାଇଁ ଏମିତି ବୁଲିଲାପରି–’’

 

“କେଡ଼େ ସୁନ୍ଦର ଇସ୍କୁଲ ଘରଟା ଚାଲିଥିଲା ସାଆନ୍ତେ, ଆପଣଙ୍କ ଦୟାରୁ କେତେପିଲା ମଣିଷ ହେଇଗଲେ, ଆହୁରି କେତେ ହେଇଥାନ୍ତେ–’’

 

ସିନ୍ଧୁ ଚୌଧୁରି ମୁହଁ ନେଫେଡ଼ି ପାପୁଲି ବଙ୍କେଇ ଗୋଟିଏ ମୁଦ୍ରା କଲେ, ତା’ର ଅର୍ଥ, ‘‘ହେଲେ ହେଲା, ନଇଲେ ନାଇଁ, ସେଥିରେ କ’ଣ ଯାଏ ?’’

 

“ମଣିଷଗୁଡ଼ାକ ମଣିଷ ନୁହନ୍ତି ପଶୁ, ପିଲାଗୁଡ଼ାକ ଅଗାଡ଼ି, ସେଇଥିପାଇଁ ଭଣ୍ଡୁର କଲେ-।’’ ସିନ୍ଧୁ ଚୌଧୁରି ଶୁଖିଲା ହସ ହସି କହିଲେ, “ସେଥିକି ମୋର ଦୁଃଖ ନାହିଁ । ଅପର୍ତ୍ତି, ଖାଲି ସେକଥା ପକେଇ ଭଲେଇ ହେଲେ ଶୁଣିବାକୁ ଦୁଃଖ ଲାଗେ, କେଡ଼େ ଖଣ୍ଡେ ବା ଗାଁ, କୋଉ କଥା କାହାକୁ ଅଛପା ଅଛି ଯେ ଲୋକେ ଡାଆଣୀ ହେଇ ଲାଗିବେ, ପୁଣି ଗୁଣିଆହେଇ ଝାଡ଼ିବାକୁ ଆସିବେ ? ଛାଡ଼ ସେକଥା–’’

 

ଅପର୍ତ୍ତିଆ ମୁହଁକୁ ତଳକୁ ପୋତିଲା, କହିଲା, ଦୋଷ ହେଇଚି ସାଆନ୍ତେ ! ଆପଣ ବାପ, ଆମେ ପୁଅ । କଥାରେ କହନ୍ତି, ପୁଅ ଯଦି ଜଙ୍ଘରେ ହଗିବ ବାପ ତା’ ଜଙ୍ଘକୁ ଧୋଇଦେବ ନା ଜଙ୍ଘକୁ କାଟି ଦେବ ? ଆପଣ ଉପରେ ପଡ଼ି ଏ ଗାଁରେ ମଙ୍ଗଳ କରିବେବୋଲି କେଡ଼େ କଷ୍ଟରେ ଇସ୍କୁଲ ଖଣ୍ଡେ ଠିଆ କରିଥିଲେ, ବିଦ୍ୟାଦାନ କରୁଥିଲେ, ଯେ ଦୋଷ କଲେ ସେମାନେ ହେଲେ କୁକୁର ମୁଁ ନାହିଁ କରୁ ନାଇଁ, ତା’ବୋଲି ଆପଣଙ୍କର ଏଡ଼େବଡ଼ ଉଦ୍ଦେଶ୍ୟ ଭଣ୍ଡୁର ହବ କାହିଁକି ? ପଛ କଥା ପଛକୁ । ଆମେ ସବୁ ଦୋଷ ମାଗିନଉଚୁ, ଆପଣ ପୁଣି ଆଗପରି ପଢ଼ାନ୍ତୁ ।’’

 

ସଦା ଗଉଡ଼ କହିଲା, “ସେଇ କଥା ଆମେ କହିବୁବୋଲି ଏକାଠି ସମସ୍ତେ ମିଶି ଯାଇଥାନ୍ତୁ ।’’ ସିନ୍ଧୁ ଚୌଧୁରି ହସିଦେଇ କହିଲେ, ‘‘କ’ଣ ବାଟରେ ଦେଖିଲି କମାର ନା କହିଲି ଲୁହା ପଜେଇ ଦେ ମୋର ସେମିତି ?’’

 

ଯଦୁ ବରାଳ କହିଲା, “ଆପଣ ମିଛ ମଣନ୍ତୁ ନାଇଁ ସାଆନ୍ତେ, କଥା ହେଇଥିଲା ଆମେ ସମସ୍ତେ ଯିବୁଁ । ପିଲାଙ୍କ ବାପାମାନଙ୍କୁ ତାକିଦି କରେଇ ଦିଆହେଇଚି, ପିଲାଏ ନ ଯିବେ ତ ପଞ୍ଚୁଆତି ବସିବ, ତାଙ୍କ ବାପାମାନେ ଜୋରିମାନା ଦେବେ ।"

 

ସିନ୍ଧୁ ଚୌଧୁରି ପଚାରିଲେ, “ସେହିକଥା ପରାମର୍ଶ କରୁଥିଲ ପରା ଏଠିଟାରେ ?’’

 

ଅପର୍ତ୍ତିଆ କହିଲା, “ସେ କଥା ତ ନିଷ୍ପତ୍ତି ସରିଚି । ଏ ଆଉ କଥା ।’’

 

ମାଗୁଣିଆ କହିଲା, ‘‘କହି ଦଉନୁ !’’

 

ଅପର୍ତ୍ତିଆ କହିଲା, “କିଛି ଲୁଚାଚୋରା କଥା ନୁହେଁ ଆଜ୍ଞା ସାଆନ୍ତେ ! ଆମେ କାଲି ସକାଳେ ଫୁଲଶରା ଯାଉଚୁଁ । ବନ୍ଧମୂଳ ବଟ ମହାନ୍ତିଙ୍କ ପୁଅ ରବି ବାବୁ । ବେ’ ପାସ୍‍ କରି ଚାକିରିରେ ନ ପଶି ଓହ୍ଲାଇ ପଡ଼ିଲେ ଗାଁକୁ ତିଆରି ମଣିଷ ଗଢ଼ିବାକୁ । ଫୁଲଶରାରେ କାମ ଆରମ୍ଭ-। ସବୁ ଘରଥାଇ ବି ଗାଁ ଗୋଟାକୁ କଲେଣି ଗୋଟାଏ ଘର । ସବୁ ଜମି ସବୁରି, ଗାଁରେ ଗରିବ ନାହିଁ, ଧନୀ ନାହିଁ, ଜାତି ନାହିଁ, ଅଜାତି ନାହିଁ, ସମସ୍ତେ ସତେକି ଏକ କୁଟୁମ୍ବ । ସେଇଥିପାଇଁ ଯିବୁ ଭାବୁଚୁ–’’

 

ଚାଉଁକରି ଲାଗିଲା ସିନ୍ଧୁ ଚୌଧୁରିଙ୍କୁ, ସବୁ ସତେକି ତାଙ୍କୁହିଁ ଉପହାସ । ପାଟିରୁ ବାହାରିଗଲା, “ତମେ ଯୋଉ ସମ୍ପ୍ରଦାୟ କିନା, କ’ଣ ବାଘ ହୋଇଯାଇ ମାରିପାରିଲ ନାହିଁବୋଲି ସାପ ହୋଇ ଯାଉଚ, ହଉ ଯାଅ, ଯାଅ–’’

 

ଅପର୍ତ୍ତିଆ ଯେପରିକି ପାହାରଖାଇ ମୁହଁ ବଙ୍କେଇଲା, ମାଗୁଣିଆ ମୁହଁ ବୁଲେଇଦେଲା । ସଦା ଗଉଡ଼, ଯଦୁ ବରାଳ ମୁହଁକୁ ତଳକୁ ପୋତି ବସିରହିଲେ । କାହାରି ପାଟିରେ କଥାନାଇଁ । ଆପଣା କଥାର ବିଜୟ ଦେଖି ସିନ୍ଧୁ ଚୌଧୁରି ଉଲ୍ଲାସ ପାଇଲେ ନାହିଁ, ବରଂ ଆପଣା ତୁଣ୍ଡର କଥା ବାହାରର ଏଇ କ୍ଳିଷ୍ଟ ରୂପଧରି ତାଙ୍କରି ମନକୁ ଓଲଟି ଫେରିଆସିଲା ଦୁଃଖ ଦେବାକୁ । ଗୋଳେଇ ଦେଇ କହିଲେ, ‘‘ନାଇଁ ତମର ତାଙ୍କର କ’ଣ ପରା ଅଡ଼ୁଆ ଲାଗିଥିଲା ମେଳଣ ପଡ଼ିଆରେ, ସେ କ’ଣ ନହୁନୁହାଣ ହେଇଥିଲେ, ତେମେ ଫେର୍ ସେଠିକି ଯିବ, କାହିଁକି ? କ’ଣ ଦରକାର ? ଯାହାକୁ ଯେଉଁ ବାଟ ଦିଶିଲା, ଭଲ କି ମନ୍ଦ, ତମର ଆମର କି ଯାଏ ? ସମସ୍ତେ ତ ଘରଦୁଆର ଛାଡ଼ି ପେଟପାଟଣା ଛାଡ଼ି ଦେଶ ସୁଧାରିବାକୁ ଲାଗି ପଡ଼ିବେ ନାଇଁ–’’

 

ଅପର୍ତ୍ତିଆ କହିଲା, ‘‘ସେଇ ମେଳଣ ପଡ଼ିଆରୁ ତ ଆମ ମୁଣ୍ଡରେ ଘାସ କଅଁଳିଲା ଆଜ୍ଞା, ଆଖି ଫିଟିଗଲା । ଆମେ ଟିକିକ କଥାକେ ଦୋକଛି ଚଢ଼ାଉଚୁଁ, ହିନ୍ଦି ଚଲୋଉଚୁଁ, ଆଉ ରଙ୍ଗୋଉଚୁଁ, ଆଉ ନିଦୋଷୀ ଲୋକକୁ ସେଡ଼େବଡ଼ ଆଘାତ ହେଲା, ସେ ମନକରିଥିଲେ ଆମକୁ ହଳ ହଳ କରି ବନ୍ଧେଇ ମାମୁଁ ଘର ପଠେଇଥାନ୍ତା । ପୁଲିସ୍‍ ବି ତାକୁ ଏତେ କୁହାକୋହି କଲେ, ସେ କାହାରି ନାଁ କହିଲା ନାଇଁ, ଫେରାଦ ହେଲା ନାଇଁ, ମକଦ୍ଦମା କଲା ନାଇଁ । କି ମଣିଷ ସେ ଆଜ୍ଞା ସାଆନ୍ତେ ! ଏ କଳି କାଳରେ ବି ଏମିତି ମଣିଷ ଅଛନ୍ତି !”

Unknown

 

ସଦା ଗଉଡ଼ କହିଲା, ‘‘ଯାହାକୁ କହନ୍ତି ମାହାପୁରୁଷ, ସେଇଥିପାଇଁ ଚାହୁଁ ଚାହୁଁ ଚାରିଆଡ଼େ ହୁରି ପଡ଼ିଛି । ଭାତପଡ଼ା ବାଉରି ସାହିରେ ବୁଢ଼ା ଗୋବରା ଭୋଇକି କାଳିସୀ ଲାଗିଲା ଯେ ସେ କହିଲା ସତ୍ୟଯୁଗ ଆସୁଚି, ଫୁଲଶରାରେ ଯାହା ହଉଚି ସେଇଟା ସତ୍ୟ ଯୁଗର କଥା ।”

 

ଯଦୁ ବରାଳ କହିଲା, ‘‘ଖାଲି କ’ଣ ଫୁଲଶରାରେ ଲୋକଙ୍କୁ ଭେଳେଇଲେ ? ସୁଭଦ୍ରାପୁରର ଧୋବେଇ ନନା, ଭିକାରୀ ମହାନ୍ତିଙ୍କ ପରି ଲୋକ, ସେମାନେ ବି ତାଙ୍କରି ସଙ୍ଗରେ-।’’

 

ସିନ୍ଧୁ ଚୌଧୁରି କହିଲେ, “ହଁ ଲୋକେ କୁହାକୋହି ହଉଚନ୍ତି ସତ, ତେବେ ଲୋକେ ତ କଥାଟାକୁ ବଢ଼େଇ ବଢ଼େଇ କହନ୍ତି, କ’ଣ କେଉଁଠି ଛିଣ୍ଡୁଛି, ତା’ ଦେଖିବାକୁ ବାକି ଅଛି । ତେବେ ଶୁଣିଚି ସେମାନେ କୁଆଡ଼େ ପରିଶ୍ରମହିଁ କରୁଚନ୍ତି, ସେମାନେ କୁଆଡ଼େ ବସିଚନ୍ତି ସମସ୍ତିଙ୍କି ମୂଲିଆ ହଳିଆ କରିବେ ତେବେ ଛାଡ଼ିବେ, ତାଙ୍କର ସବୁ କୁଆଡ଼େ ନୂଆ ସମାଜ । ମୁଁ ସେ କଥା ଏତେ ଭାବି ନାଇଁ, ସମସ୍ତେ ତ ଆଗ ହୁ’ଦସ୍ତେ ବାହାରି ପଡ଼ନ୍ତି କ’ଣ ଗୋଟାଏ ନୂଆ କାମ କରିବେବୋଲି, ସେଉଠୁ ସବୁ କୁଆଡ଼େ ଫସର ଫାଟିଯାଏ, ତୁମକୁ ଆରେଇବଟି ? ଭଲ କରି ଭାବିଚ ?’’

 

‘‘ଠାକୁର ଦର୍ଶନକୁ ଗଲେ ସମସ୍ତେ କ’ଣ ସାଧୁ ବଇଷମ ହୋଇଯାଆନ୍ତି ସାଆନ୍ତେ ?’’ ମାଗୁଣିଆ କହିଲା, “ନା ଆମେ କେବେ ହେଇପାରିବୁ ତାଙ୍କ ସରି ? ତେବେ ପ୍ରାଣଟା ଡାକୁଚି, ସେଇଥିପାଇଁ ଯିବାକୁ ବସିଚୁ, କାଳେ ତାଙ୍କର ଦେଖି ଆମ ଦେଇ କିଛି ହେଲେ ହବ ?’’

 

ଅପର୍ତ୍ତିଆ କହିଲା, ମନ ଥିର କଲେ କ’ଣ ହବ ଆଜ୍ଞା, ଏଇ ମନ ଯେବେ ପରସନ ହୁଏଇ ଦିଏଇ ଅଭଏ ବର, ଏଇ ମ ଯେବେ ପରସନ ନ ହୋଏ କରୁଥାଏ ହରବର, ଯୋଗୀ ରଘୁନାଥ ଗୀତ ବୋଲେ, ସେଇଆ । ଅସଲ କଥା ରହିଲାଣି ଆମରିଠେଇଁ । ଆମର ତ ଯାହା କହନ୍ତି କୋପେ ବର ମିଳିଗଲା, ନାରଦ ବୀଣା ବଜେଇବଜେଇ ଯୋଉଠିକି ଗଲେ ରାବଣ ଲଢ଼ି ଲଢ଼ି ଯାଇ ସେଇଠି ପହଞ୍ଚିଲା, ଆମେ ରାଗରେ ଅନ୍ଧ ହୋଇଥିଲୁଁ, ମଝିରେ ପଡ଼ିଗଲେ ସେ, ସେଇଠୁ ସିନା ଆମର ଆଖି ଫିଟିଲା, ଆମେ ଏଡ଼େବଡ଼ ଆତ୍ମାଟାକୁ ଚିହ୍ନିଲୁଁ । ଆପଣାପେଇଁ ସମସ୍ତେ ଧାଇଁଚନ୍ତି ପରପେଇଁ କେଇ କ’ଣ ବାହାରନ୍ତି ? ଏମିତି ଏମିତି ରହିଥିବ ତ ଆମଦେଇ ନ ହବ କାଇଁକି ?

 

ସିନ୍ଧୁ ଚୌଧୁରି କାବା ହେଲେ, ଏଇ ତ ସେଇ ଅପର୍ତ୍ତିଆ, ମାଗୁଣିଆ, ଗାଁର ହୁର୍ଦ୍ଦୁଙ୍ଗା ବଳ, ବାଇ ବିଛଆତି, କ’ଣ ହେଲା ୟାଙ୍କର ?

 

କହିଲେ, ‘‘ଭଲ କାମ, ପରୋପକାର କରିବାକୁ ମନ ହେଲେ ସବୁଠି କରିହେବ । ଯୋଉଠି ଲାଗିବ ସେଇଠି ହବ । କାହା ଦେଖାଶୁଣାରେ କ’ଣ ଅଛି ? ଏଇ ଗାଁରେ କ’ଣ ଦିନେ ଘରେ ଘରେ ଚରଖା ଚାଲିନଥିଲା ?

 

“ରହିଲା କୋଉଠି ?’’ ଯଦୁ ବରାଳ କହିଲା, “କୁଆଡ଼େ ଉଭେଇଗଲା ସେ ଘଡ଼ି ? କେତେ ଲୋକ ଜୀବନକୁ ପାଣି ଛଡ଼େଇ ଦେଇ କାମ କରିଥିଲେ, କିଏ ଜେଲ୍ ଗଲେ, କେତେ ଲୋକ ଅରକ୍ଷିତ ହେଲେ–’’

 

ସଦା ଗଉଡ଼ କହିଲା, “ଏଣେ ଘରପୋଡ଼ା ସାହାବ ଘରେ ନିଆଁ ଲଗୋଉଚି, ଧରି ଧରି ଗୋଗୋଛବାଡ଼ିଆ କରୁଚି, ତେଣେ ଖଦଡ଼ ଗଣ୍ଡିରା ବୋହି ଲୋକେ ଚାଲିଚନ୍ତି ଗାଁକୁ ଗାଁ, ଅଛୁଆଁ ରହିବ ନାଇଁ, ମିଛ ପାପ ରହିବ ନାଇଁ, ରାମ ରାଇଜ ଆସିବ–’’

 

ସିନ୍ଧୁ ଚୌଧୁରି କହିଲେ, “ସେଇଥିପେଇଁତ ସ୍ୱରାଜ୍ୟ ଆସିଲା, କ’ଣ ନ ଆସିଲା ?’’

 

ଅପର୍ତ୍ତିଆ କହିଲା, ‘‘ସ୍ୱରାଜ୍ୟ ଆସିଲା, ଚାହୁଁ ଚାହୁଁ କେଡ଼େ କେଡ଼େ ଉନ୍ନତି ଘଟିଗଲା, କେତେ ଧନ୍ଦା ବେଉସା ଖୋଲିଲା, ଲୋକେ ପଇସାବାଲା ହେଲେ, ସହରମାନ କେଡ଼େ କେଡ଼େ ବଢ଼ିଗଲା, ସବୁ ହେଲା ଯେ ତା’ରି ଭିତରେ କ’ଣ ବିଗିଡ଼ା ରହିଗଲା । ସମସ୍ତେ ଆପଣାସାର୍ଥିକା ହେବାକୁ ମନ ବଳାଇଲେ, ବଢ଼ି ଚାଲିଲା କଳାବଜାର, କିଳାପୋତେଇ, ମିଛ ଅଦୋଉତି–’’

 

‘‘କିଏ କଲା ? ସିନ୍ଧୁ ଚୌଧୁରି ପଚାରିଲେ, ‘‘ଏଥିପାଇଁ ଦାୟୀ କିଏ ? ତମରି ଆମରିପରି ମଣିଷ ତ ? ଲୋକଙ୍କର ଲୋଭ ବଢ଼ିଲା, ଫିସାଦି ବଢ଼ିଲା, କିଏ ସେଥିପାଇଁ ଅଲଗା ? ଆତ୍ମାଶୁଦ୍ଧି ନ କଲେ ଖାଲି ଗୁରୁବଚନ ଶୁଣି ମଣିଷ ତ୍ରାହି ପାଇବ ନାହିଁ ।’’

 

ଅପର୍ତ୍ତିଆ କହିଲା, “ସେଇ ଆତ୍ମାଶୁଦ୍ଧି କରିବାକୁ ହେଲେ ଠାକୁର ମନ୍ଦିରକୁ ଯିବା ଦରକାର । ଗଲେ ଦେଖିଲେ ମନ ଟାଣ ହୁଏ, ନଇଲେ କୁଟାନିଆଁପରି ଆମେ ସବୁ ତାତି ଉଠୁନୋଉଁକି । ଫାଇଁକିନା ଜଳିଉଠି ଫାଇଁକିନା ଫୁସ୍ ।’’

 

ସିନ୍ଧୁ ଚୌଧୁରି ହସିଲେ, କହିଲେ, ଜାଣିଛଟି ?’’

 

ଆପର୍ତ୍ତିଆ କହିଲା, “ମନ ଭିତରଟା ଘାଣ୍ଟିଚକଟି ହଉଚି, ଆମେ ଘୁଷୁରି ପରି ଦିନ କଟେଇଲାବେଳେ ସେଠି ସେମାନେ ଗଢ଼ୁଚନ୍ତି ନୂଆ ବାଟ । ସେଇ ବାଟ ତ ଆମର ଦରକାର ।’’

 

ସିନ୍ଧୁ ଚୌଧୁରି କହିଲେ, ‘‘ଆରେ ବାବୁ, ବାଟ ତ ସବୁଦିନେ ସବୁଆଡ଼େ ପଡ଼ି ରହିଚି, ଯାଉଚି କିଏ ? ମଣିଷ ତ ଯେତେବେଳେ ଦେଖ ଲୁବ୍‌ଧକ ବନ୍ଧନରେ ପଡ଼ି ଛଟପଟ ହଉଚି, ଖାଲି ମୋରି ପୁଅ, ମୋରି ଘର, ମୋରି ଭଲ ହବ ଏଇ ଚିନ୍ତା, ଏଇଥିପାଇଁ ମୋହ । ସେଥିରୁ ମୁକ୍ତି ପାଇଲେ ସିନା ପରପାଇଁ କାମ କରିବ, ଦେଶପାଇଁ କାମ କରିବ, ସେଇ ମୁଁ ପଣଟା କଟେଇ ସାରିଲଣି ଆଗ ?’’

 

ମାଗୁଣିଆ କହିଲା, “ତା’ କିଏ କାଟିବ ?’’

 

ସିନ୍ଧୁ ଚୌଧୁରି କହିଲେ, ନ କାଟିଲେ ନିଜ ସାଙ୍ଗରେ ଧରାପରା ହୋଇ ତ ଦିନ ଯିବ, ଭଲ କାମ କରିହବ କୋଉଠୁ ? ହେଇ ଯେମିତି ଦେଖ ପୁରୁଣା କର୍ମୀଗୁଡ଼ାକ ଭିତରୁ ଅବଶ୍ୟ ଯେ ଆଡ଼େଇ ହୋଇ ରହିଲେ ତାଙ୍କ କଥା ନିଆରା, ଆଉ କେତେଟାଙ୍କୁ ଦେଖିବା ତାଙ୍କ ଭିତରେ କ୍ଷମତାପାଇଁ ଭିଡ଼ା ଓଟରା । ଆଚ୍ଛା ବୁଝ, ଏ କଥାଟିକି ଆଗ । ତେମେ ତ ଘରଦୁଆର ମାୟା ତୁଟେଇଲ, ଚାକିରିବାକିରି ଛାଡ଼ିଲ, ଆପଣା ଜୀବନକୁ ପାଣି ଛଡ଼େଇଦେଇ, ପିଠିରେ ଠେଙ୍ଗାପାହାର ବସୁକି ଛାତିରେ ଗୁଳି ବାଜୁକି ଆପେ ଜେଲଖାନରେ ପଡ଼ି ପଡ଼ି ସଢ଼, ତେମେ ସେ କଥାକୁ ଖାତିର ନ କରି ନିଆଁକୁ ଡେଇଁଥିଲ, ଫେର୍ ତୁମର କ’ଣ ହେଲା ଯେ ତୁମତୁମ ଭିତରେ କଳି, କ’ଣ ନା ସେ କହୁଚି ମୁଁ ଆଗ, ମୋରି କଥାରେ ସମସ୍ତେ ଚାଲନ୍ତୁ, ମୋରି କଥାଟା ରହୁ, ଏ କହୁଚି ନାଇଁ ନାଇଁ ସେ ନୁହେଁ, ମୋରି କଥାରେ ଲୋକେ ଚଳନ୍ତୁ–’’

 

ଅପର୍ତ୍ତିଆ କହିଲା, ‘‘ସେଇଆ ପରା, ସମସ୍ତେ କହୁଛନ୍ତି ମୋ କଥା ଶୁଣ, ମତେ ମାନ–’’

 

ସିନ୍ଧୁ କହିଲେ, ‘‘ଯେ ମୂଳରୁ ଗୋଟାଏ ମତଲବ କରି ଖାଲି ବେଶ ପକାଇ ଏସବୁ କାମରେ ମିଶେ, ତା’ କଥା ସ୍ୱତନ୍ତ୍ର ସେ ତ ଜାଣି ଚିତାକଟା ଛଳେଇ ଭୁଲେଇ କଥା କହିବ, ଟାଉକା ହୋଇ ଓର ଭଣ୍ଡୁଥିବ । ଯେ କର୍ମୀବୋଲି ନିଜକୁ ଗଢ଼ିଛି, ଜାଣ ଦୀକ୍ଷା ନେଇଚି, ଯଜ୍ଞ ଆହୁତି ଦେଇଚି, ସେ ବି ସେମିତି ହୋଇ ଲୋକହସା ହୁଏ କାହିଁକି ? କାହିଁକି ନା ପଦାରେ ଯେତେ ନାଚିକୁଦି ହେଲେ କ’ଣ ହେବ, ମନ ଭିତରଟା କଞ୍ଚା ରହି ଯାଇଥିଲା, ସେଇଟାକୁ ଶୋଧ ନ କଲେ ଯେବେ ନା ଯେବେ ସେଇ ସ୍ୱାର୍ଥ ସେଇ ଲୋଭ ସବୁ ବାହାରିବ, ଯାହା କରିବାକୁ ବାହାର, ଏଇଟାକୁ ଆଗ ଜଗିଲଣି ?’’

 

ଯଦୁ ବରାଳ କହିଲା, ‘‘ଏଇଟା ସିନା କରିବେ ଯୋଗୀ ବ୍ରହ୍ମଜ୍ଞାନୀ, ଆମେ ପାରିବୁ ?”

 

‘‘ନ ପାରିଲେ ତ ନାଇଁ, ଘରେ ତୁନି ହୋଇ ବସିବ, ବିରାଡ଼ିବୈଷ୍ଣବ ହେବାକୁ ଯିବ କାହିଁକି ?’’

 

‘‘ବିରାଡ଼ିବୈଷ୍ଣବ ନୁହେଁ ଆଜ୍ଞା ! ‘‘ଅପର୍ତ୍ତିଆ ଆପତ୍ତି ଜଣାଇ କହିଲା, “ତା’ କଦାପି ହବନାଇଁ । ଆଉ ଏ ପ୍ରାଣ ଥାଉ ଥାଉ ହବନାଇଁ ।”

 

ମାଗୁଣିଆ କହିଲା, ‘‘ଯାହା ହେଇଗଲା ହେଇଗଲା, ଆଉ ସେ ମାର୍ଗ ନୁହେଁ ।’’

 

ଯଦୁ ବରାଳ କହିଲା, ‘‘ଆତ୍ମାଶୁଦ୍ଧି କଥା ଯାହା କହିଲେ ସାଆନ୍ତେ, ସେକଥା ସତ, ତେବେ ସେ କିରିମେ କିରିମେ ହବ, ଆଗ କାମ କରିବା ଦରକାର । ଏ ଘଟରୁ ଜୀବ ନ ଯିବାଯାକେ ତ ମୁଁ କାରଟା ନିଭିବ ନାହିଁ, ବଇଥିଲେ ବଇଥିବା କଥା ସିନା, ମଣିଷ ଆଉ କାମ କରିବ କେତେବେଳେ ? ଭଲ କରିବବୋଲି ବାହାରି ପଡ଼ି ଭୁଲ କରୁ କରୁ କାମ ହେଇଯିବ, କିଛି ତ ହବ ।

 

ସଦା ଗଉଡ଼ କହିଲା, “ଯାହାଦେଇ ଯେତିକି ହେଇପାରିବ, ଭଗବାନ ଯାହାକୁ ଯେମିତି ଗଢ଼ିଚି, ତା’ ଇଚ୍ଛା । ଆପଣ ପିଲାଙ୍କୁ ବିଦ୍ୟା ଦଉଥିଲେ ଅକ୍ଷର ମଡ଼ଉ ମଡ଼ଉ ଭୁଲ କଲେ ତ ପିଲା ପୁଣି ଠିକ୍ କରି ଲେଖିବେ । ସେମିତି ।

 

ଅପର୍ତ୍ତିଆ କହିଲା ‘‘ଆମେ ଏ ମାଟି ଗୋବର ଭିତରର ମଣିଷ, କୁରୁମି ଘୂଅ ପୁଯ ରକତ ସବୁ ଅଛି ଏ ଧିଅ ଭିତରେ । ଛଅଟାଯାକ ରିପୁ ଅଛି, କାହାଠି ତା’ର ଅଳପ ଦାଉ, କାହାଠି ବେଶି । ତଥାପି ଏ ପିଣ୍ଡରେ ପରମେଶ୍ୱର ଅଛନ୍ତି, ପାଷାଣ୍ଡ ହୃଦୟରେ ବି କାହାରିପେଇଁ ହେଲେ ତ ସ୍ନେହ ଅଛି, ତା’ ପିଲାକୁ ତ ସେ ଗେଲ କରୁଚି, ଭାରିଯାକୁ ଦେଖି ହସୁଚି । ସେହି ସ୍ନେହଟାକୁ ବଢ଼େଇଦେଲେ ସେ କ’ଣ ପରର ଉପକାର କରିପାରିବ ନାଇଁ ?

 

ଭାବି ଭାବି କହିଲା ପରି କହୁଛି ଅପର୍ତ୍ତିଆ, ସିନ୍ଧୁ ଚୌଧୁରି କାବା ହୋଇ ଚାହିଁ ଦେଖିଲେ ଆଉ ଭାବିଲେ, ଏଇଥିପାଇଁ କ’ଣ କହନ୍ତି ଯେ ଦୃଢ଼େ ତରନ୍ତି କି ମୂଢ଼େ ତରନ୍ତି । ସେମାନେ ଯେପରିକି ମାଙ୍କଡ଼ ମୁଠିଆ କରି ଧରିଛନ୍ତି ସେହି ଗୋଟିଏ କଥାକୁ ଆଉ ଯେତେ ଯୁକ୍ତି କହ ସବୁ ସେ ଅକଟେଇ ଦେବାକୁ ତିଆର, ମନ ଉଡ଼ିଛି, ଯିବେନା ଯିବେ ସେମାନେ ।

 

ଯାଇ କ’ଣ କରିବେ ? ପଚାରିଲେ ହୁଏ ତ କହିପାରିବେନାହିଁ ।

 

ମନ ଭିତରେ କେଉଁଠି ଛନ୍ଦ ପଶିଯାଇଛି, ଦୃଢ଼ପଣ ଆସିଛି । ଯେମିତିକି କାମ କରିବି କରିବିବୋଲି ଗୋଟାଏ ଉଦବେଗ ଝାଙ୍କି ଥରାଇ ଦେଉଛି ଅନ୍ତର ଭିତର । ଉଦୁମୁଦା ଉଦବେଗ, ବାଟ ଖୋଜୁଛି ।

 

ମଣିଷର ନୂଆ ରୂପ ଫୁଟି ବାହାରିଛି, ଏଇ ଘଡ଼ିକପାଇଁ ହେଇ ପଛେ, ସେ ନମସ୍ୟ । ଅପର୍ତ୍ତିଆ କହିଲା, “ଯାଉଚୁଁ ଆମେ ଫୁଲଶରା । ମଣିଷ ହୋଇ କେତେ ଦୋଷ ବା ନ କରିଚୁଁ । ଖାଲି ଆପଣ ଆଶୀର୍ବାଦ କରୁଥିବେ ।’’

 

କାହାରିକି ସମ୍ବୋଧନ ନ କରି ଶୂନ୍ୟକୁ ଅନାଇଁ ସେ କହିଲେ, “ଯାଅ, ନୂଆ ବାଟ ଦେଖିବାକୁ ମନ ହଉଚି, ଦେଖ । ଯଦି ଚୋରିହାରି କରିବ ନାଇଁ, ପରର ତଣ୍ଟି କାଟିବ ନାଇଁ, ଯଦି ପ୍ରକୃତରେ ପରପାଇଁ ପ୍ରାଣ କାନ୍ଦିବ, ପ୍ରକୃତରେ ମନ ହେବ ଜଗତର ମଙ୍ଗଳ କରିବାକୁ, ଯଦି ହୃଦୟ ରଖିପାରିବ ସତ୍, ତେବେ ଯୋଉ ବାଟ ଧରିବ ସେ ବାଟ ଭଲ, କାହାରି କଥାକୁ ଛଳ ନାହିଁକି କାହାରିକି ଡର ନାହିଁ ।’’

 

ପାରିପାର୍ଶ୍ୱିକ ଅବସ୍ଥାକୁ ଗ୍ରହଣ କଲାବେଳକୁ ସେମାନେ ଚାଲିଗଲେଣି । ତାଙ୍କର ତନ୍ମୟ ଆଖି ଆଗରେ ଛାଇଛାଇଆ ହୋଇ ଦିଶିଥିଲା, ସେମାନେ ଭାଙ୍ଗିପଡ଼ି ଓଳଗି ହେଲେ, ମୁଣ୍ଡ ପୋତି ଗୋଟି ଗୋଟି ହୋଇ ମିଳେଇ ଗଲେ ।

 

ଗଲେ ଚାଲି, କିନ୍ତୁ ତାଙ୍କର ମନ କହୁଛି, ଆହୁରି କହିଥାନ୍ତି, ଆହୁରି କହିଥାନ୍ତି । ଦୀପରୁ ଦୀପ ଆଲୁଅ ଡେଇଁପଡ଼ିଛି । ସେମାନେ ସତେକି ଲୋଡ଼ିଥିଲେ ତାଙ୍କରି ଦୀପ ଲଗାଇଦେବାକୁ ।

 

ଆଲୋକ କେବଳ ଆଲୋକ । ସେ ପାତ୍ର ନୁହେଁ, ମାଟି ଦୀପ ନୁହେଁ । ଆପେ ସେହି ଶିଖା ଆପଣା ଭିତରେ ବି ଜଳିଲାଗିଛି, ସନ୍ଦେହ ଜଳିଯାଉଛି, ଅନ୍ଧାର ଜଳିଯାଉଛି ।

 

ଧ୍ୟାନସ୍ଥ ହୋଇ ସେହି ନିଛାଟିଆ ଦୃଶ୍ୟକୁ ଅନାଇଁ ରହିଲେ । ଦୂରରେ ନଈ ଧାର, ନଈ କଣ୍ଡିଆ ଦାଢ଼ରେ ପୁରୁ ପୁରୁ ହୋଇ ବୁଦାମାନ ଖରାରେ ଝଲ ଝଲ ହୋଇ ପବନରେ ଝାଙ୍କି ହେଉଛି, ଆଉ ସେମିତି ବଡ଼ ବଡ଼ ଗଛ । ଖୋଲାପଡ଼ିଆ ଉପରେ ଖରା ତାଉ ନାଚୁଛି । ଝଡ଼ିଲା ପତ୍ର ଶୁଖିଲାପତ୍ର ଉଡ଼ି ଚାଲିଛି ପଞ୍ଝାପଞ୍ଝା ହୋଇ । ଚେତନାରେ ସନାତନ ସମୟର ସ୍ପର୍ଶ ମିଳୁଛି, ଆଖିରେ ମହାକାଳର ଧ୍ୟାନ ।

ସାନ ମଣିଷ ଆଗେଇ ଚାଲିଛି ଦଳ ଦଳ ହୋଇ, କେତେ ସିଦ୍ଧ, କେତେ ମୁନି, କେତେ କବି ତା’ର ଆଗୁଆଣି ଥାଟରେ । ସେ ବିଚାର ଖେଳେଇ ଦେଇଛି, ଆଲୁଅରେ ଝଲ ଝଲ କରିଛି ଏ ଦୁନିଆକୁ । ହଟି ନାହିଁ, ଚାଲିଛି ।

ଭାଗବତର ପଦ ମନେପଡ଼ିଲା, ହୃଦୟରେ ଆସିଲା ପୁଲକ । ସେ ରୂପ ଦେଖିଲେ, ରଥରେ ବିଜେ କରିଛନ୍ତି ମହାପ୍ରଭୁ ।

ଜଣକର ଓଟରାରେ ରଥ ଚାଲିବ ନାହିଁ, ଚାଲିବ ସମସ୍ତେ ଓଟାରିଲେ । କେହି ଗୋଟି ଗୋଟିକିଆ ନୁହେଁ, ଏକା ଡୋରିରେ ସମସ୍ତିଙ୍କ ହାତ । ତଳେ ସେହି ନରନାରାୟଣ, ଉପରେ ତା’ରି ଅଜେୟ ଆତ୍ମାର ପ୍ରତୀକ । ଧନ ତା’ର ହାତଗଢ଼ା ଦ୍ରବ୍ୟ, ମୂଲ୍ୟ ସେଠି ଜୀବନର ବେଶି । ଦିଅଁଙ୍କ ମୁଣ୍ଡରେ ଶୋଭା ପାଉଛି ଶାଗୁଆ ଦୁବଘାସ କେରାଏ, ନ ହେଲେ ସେ ଥାଟ ସମ୍ପୂର୍ଣ୍ଣ ହେବ ନାହିଁ, ବିଜୟ ପଟୁଆର ଆରମ୍ଭ ହେବ ନାହିଁ । ଅସରନ୍ତି ଜୀବନର ପ୍ରତୀକ ସେତକ, ଆଉ ସାଧାରଣ ମଣିଷର । ସେଠି ଶ୍ରମ ଓ ସେବା ହିଁ ଧର୍ମ, ଛାଞ୍ଚୁଣୀ ଧରି ଚଣ୍ଡାଳ ହେଲେହିଁ ଗୌରବ । ସମଗ୍ର ସୃଷ୍ଟିହିଁ ସେ ଦେବତା ପରିକଳ୍ପନାରେ ବିଶ୍ଵରୂପ, ଯେତେ ଶ୍ରମିକଙ୍କ ଅଗଣତି ହାତ ତାଙ୍କର ବାହୁ, ଯେତେ ଭୋକୀରଙ୍କୀଙ୍କ ଡହଡହ ପେଟ, ତାଙ୍କର ପେଟ, ତାଙ୍କ କ୍ଷୁଧାହିଁ ତାଙ୍କର ମହାକ୍ଷୁଧା ।

ମଣିଷ ମାଡ଼ି ଚାଲିଚି, ମାଡ଼ି ଚାଲିଥିବ, ତାକୁ ଅଟକାଇବାକୁ ଶକ୍ତି କାହାର ଅଛି ।

ଚିଆଁ ନିଦ ଭାଙ୍ଗି ଭାଙ୍ଗି ଆସୁଛି ।

ରଥ ନାହିଁ, ସେମାନେ ନାହାନ୍ତି । ଜୀବନ ଛଳଛଳ, ହାତ ଗୋଡ଼ ଖଲଖଲ, ସେମାନେ ବି ହେବେ ନୂଆ ଯୁଗର ନୂଆ ଅବତାର । ଗାଁରେ ଯେ ଥିଲେ ଛତରା, ବଗୁଲିଆ, ସେମାନେ କାମ କରିବେ, ସେମାନେ ଗଢ଼ିବେ ଇତିହାସ, ତାଙ୍କ ଟୋକାଳିଆ ଦିନର ଛିଆଛିକର କାହିଁ ଦେହର ମଳିପରି ଝଡ଼ି ପଡ଼ିବ, କେହି ମନେରଖିବେ ନାହିଁ ।

 

ଯୁଗେ ଯୁଗେ ସେହିମାନେହିଁ ଯାଇଥିଲେ ଇତିହାସ ଗଢ଼ିବାକୁ । ଗଣ୍ଡମୂରୁଖ ହୋଇ ଚାଲି ଯାଇଥିଲେ, ଫେରି ଆସିଥିଲେ କବି କାଳିଦାସ ହୋଇ, ଗାୟକ ତାନସେନ ହୋଇ, ସିଦ୍ଧ ହୋଇ, ବୁଦ୍ଧ ହୋଇ । ସେହିମାନେ ନୂଆ ଜୀବନର ଡକରାରେ ଭାସିଯାଇ ନୂଆହୋଇ ଫେରି ଆସିଥିଲେ । ଦେଶର ବିପତ୍ତିବେଳେ ସେହିମାନେ ଥିଲେ ବାହାବଳ, ଆପଣାର ତତଲା ରକ୍ତ ଢାଳିଦେଇ ଦେଶ-ଜନନୀର ଚରଣ ବନ୍ଦନା କରିଥିଲେ, ସେହିମାନେ ଶାନ୍ତି ଥାପିଥିଲେ, ଧର୍ମ ଥାପିଥିଲେ ।

 

ଆଉ ସେ ନିଜେ ? ଭଦ୍ରଲୋକ, ପାଠୁଆ, ବୁଦ୍ଧିଆ, ଧୋବଧାଉଳିଆ ? ପଢ଼ିଛନ୍ତି, ଗାଇଛନ୍ତି, ଭାବିଛନ୍ତି ଖାଲି ବସି ବସି, କେଉଁ ବାଟ ଭଲ, କେଉଁ ବାଟ ମନ୍ଦ । ବସି ବସି ବାଳ ଝୋଟ ହୋଇଛି, କଥା ଗପିଛନ୍ତି, ଶୁଣିବାକୁ ଛୋଟା, କେମ୍ପା, ବୁଢ଼ାବୁଢ଼ୀ ଅଳସୁଆ ରୋଗିଣା କେଇ ଜଣ ।

 

ଖାଲି ପଞ୍ଝାଏ ଖଞ୍ଜ ବସି ବସି, କଥା କହନ୍ତି ହସି ହସି ।

 

ଆଶ୍ରମ ଖୋଲି ମିଛ ନିଶ ଦାଢ଼ି ବାନ୍ଧି ଗେରୁଆ ଜାମା ଗଳେଇ ନକଲି ବାବାଜି ହୋଇ ମନ୍ତ୍ର ଗାଇଛନ୍ତି, କେନ୍ଦରା ବଜାଇ ଗାଇଛନ୍ତି କରୁଣ ସଙ୍ଗୀତ । ତା’ପରେ ଟଳି ପଡ଼ିଛନ୍ତି, ଖତ ପାଉଁଶ ହୋଇଛନ୍ତି । ତା’ ଉପରେ ଗଢ଼ାହୋଇଛି ସୁନ୍ଦର ସମାଧି । ତାକୁ ଫଟେଇଛି ଓସ୍ତ ଗଛ । ଭୁଶୁଡ଼ି ପଡ଼ିଥିବା ଇଟା ଉପରେ ଅରମା ଭିତରେ ବିଲୁଆ ଛାଡ଼ିଛି ପହରିକିଆ ବୋବାଳି । ସେମାନେ ବି ପହରିକିଆ ଜଗୁଥିଲେ ଆଉ ଖୋଜୁଥିଲେ ନାଁଟା ଥାଉ ଯୁଗଯୁଗକୁ ।

 

ଆଉ ଗାଁର ଟୋକାଏ ଚାଲି ଯାଇଛନ୍ତି, ସେହି ଯେତେ ଅପର୍ତ୍ତିଆ, ନାରଣା, ଧୂଷା, ମୂଷା, ରାମା, ଭୀମା, ନବା, ବଇଦା, ବିଶିଆ, ରତନା, ସଦା, ଗୋବିନ୍ଦା ଯେତେ ଯେତେ । ମା’ ମାଇପ ଛାଡ଼ି, ଘର ଦୁଆର ଛାଡ଼ି ଯୁଗଧୁଡ଼ୁକି ବଜାଇ ତୋଫାନ ଓଟରାରେ ଚାଲି ଯାଇଥିଲେ ସେହିମାନେ-। ଯାଇଥିଲେ, ଯିବେ, ପୁଣି ଆସୁଥିବେ ଏ ପୃଥିବୀକୁ କ୍ଷେତର ନୂଆ ଫସଲ ପରି ।

 

୧୯୨୧ ଡାକିଥିଲା । ଶୁକୁଟା ବାଉରି ଗାନ୍ଧୀ ମହାତ୍ମା ଜପିଜପିକା ଗେବା ମାଡ଼ରେ ମଲା । ଶିବ ଚୌଧୁରି ଜେଲରୁ ଫେରିଲା ସରିକି ମରିଥିଲା, ବାକି ଦେହଟା ଖାଲି ଥିଲା ଯେ ତାକୁ ବି ଆସି ଫୋପାଡ଼ି ଦେଲା । ଆରତ ପଣ୍ଡା କୁଆଡ଼େ ଗଲା ଆଉ ପତ୍ତା ନାହିଁ । ଦେଶପାଇଁ ଆପଣା ମୁଣ୍ଡରେ ଏତେ ହିତ ବୁଦ୍ଧି ପୂରାଇ ମନେ ମନେ ଦେଶ ଦେଶ ହୋଇ ଆଖି ଛଳଛଳ କରି ସେ ନିଜେ ସୁସ୍ଥରେ ଗଲେ ସେଟଲ୍‍ମେଣ୍ଟ ଅମିନ ହୋଇ ଜମି ମାପ କରିବାକୁ । ଭଦ୍ରଲୋକ !

 

ଆଉ ଲୋକେ ଜୀବନକୁ ପାଣି ଛଡ଼େଇ ହେଲେ ବିପ୍ଳବୀ, କିଏ ମଲା ଗୁଳିଖାଇ, କିଏ ଓହଳିଲା ଫାଶିଖୁଣ୍ଟରେ, କିଏ ମଲା ଜେଲରେ । କପିଳାହେଲା ରାଜା କପିଳେନ୍ଦ୍ର । ତାଙ୍କମାନଙ୍କର ନଥିଲା ରାୟବାହାଦୂର, ଖାଁ ବାହାଦୂର, ଦେୱାନ ବାହାଦୂର ପଦ ପାଇବାକୁ, ତାଙ୍କର ନ ଥିଲା ଗଉଣିରେ ଟଙ୍କା ମାପିବାକୁ, ଉଞ୍ଚ କୋଠାରେ ରହିବାକୁ, ମଟର ଚଢ଼ି ବୁଲିବାକୁ, ଆଉ ଠାଁଟ୍ ଇନ୍ଦ୍ରଠୁଁ ବଳି ।

 

ଗାଁର ସେହି ଛତରା ଦଳ ଦଳ, ସେହି ବାଇବିଛୁଆତି ପତରଚକି, ସେମାନେ କିଛି ହେଲେ ନାହିଁ ।

 

ଖାଲି ହେଲେ ଇତିହାସ, ନୀରବ, ଅଥଳ, ଅକୂଳ । ଖାଲି ଦେଲେ ହାବୁକାଏ ଦେଶକୁ ପଛରୁ ଆଗକୁ । ପୁରୁଣା ପାଚିରି ଭାଙ୍ଗିବାକୁ ଆହୁରି ଏକ ବିଧା, ଆହୁରି ଏକ ଗୋଇଠା । ପୁରୁଣା ଅନ୍ଧାର କାଟିବାକୁ ଆହୁରି ଏକ କାଉଁରିଆ ହୁଳା, ହେଉ ପଛେ ତା’ର ଶିଖା ଯେଡ଼େ ସାନ ।

 

ସେଇ ନବା, ନଖିଆ, ହରିଆ, ପରିଆ, ମୂଷା, ଧୂଷା, ଶିବା, ଶୁକୁଟା ଗାଁର ଛତରା ଯେତେ ।

 

ଫୁଲଶରା ଗାଁରେ–

 

ଡହ ଡହ ଖରାବେଳ, ପୁରୁଣା କଚିରି ଘର ପଛ ପିଣ୍ଡାରେ ସେମାନେ ଧାଡ଼ି ହୋଇ ଖାଲି ବସିଥିଲେ ପାଖକୁ ପାଖ । ବଇ ମଳିକ, ରବି, ଅପର୍ତ୍ତି ପଧାନ, ମାଗୁଣି ବେହେରା, ଧୋବେଇ ମିଶ୍ର, ନୁଖୁରା ମଳିକ, ଗଙ୍ଗା ଗୁଡ଼ିଆ, କୁରୁପା ବାଉରି, ଉମା ପଶାଏତ, ରଘୁ ଜେନା, ଦଳର ଆଉ ଆଠ ଜଣ ।

 

ଶାଗୁଆ କଦଳୀପତ୍ର ଉପରେ ମୋଟା ନାଲିଆ ଭାତ । ତା’ ମଝିରେ ମାଟିଆ କୋଳଥ ଡାଲିର ଟୁବି ଗାଡ଼ିଆ । ଧୋବା ତୁଠର ପଟାଫାଳପରି ସେଥିରୁ ଆମ୍ବୁଲ ଫଡ଼ା ଥୋଡ଼ କାଢ଼ିଛି । ପତ୍ର କରରେ ପୁଳାଏ ଲେଖାଏଁ ଡେଙ୍ଗା କୋଶଳା ଶାଗ, ଆମ୍ବ ଛେଚା, ପ୍ରଚୁର ପଣସକଠା ତରକାରି, କଲରା ସନ୍ତୁଳା ଆଉ ହୃଷ୍ଟପୁଷ୍ଟ କଞ୍ଚା ଲଙ୍କାମରିଚ, ଲୁଣ । ପିଣ୍ଡା ସେକରେ କାଆ କାଆ ବୋବେଇ କାଉ ତିନୋଟି ପର ଫଡ଼ ଫଡ଼ କରୁଛନ୍ତି, ଅପେକ୍ଷା କରିଛନ୍ତି । ପଣସଗଛ ଉପରେ ଆଉରିଗୁଡ଼ିଏ କାଉ ବସିଛନ୍ତି । ମଢ଼ି କୁକୁରଟିଏ ଦେହ ବଙ୍କେଇ ବିନୟଭାବ ଦେଖାଇ ଅପେକ୍ଷା କରିଛି । ଟିକିଏ ଦୂରରେ ଲାଙ୍ଗୁଡ଼କୁ ଉପରକୁ ଟେକି ଆମ୍ବଗଛ ଗଣ୍ଡି ଉପରେ ଗୁଣ୍ଡୁଚିମୂଷା ଯୋଡ଼ିଏ ବୋବେଇ ବୋବେଇ ଦୌଡ଼ଧାପଡ଼ ହେଉଛନ୍ତି । ସାମ୍ନାରେ ପୁରୁଣା ଗଛମାନଙ୍କ ଛାଇ ।

 

ଜଗୁଆମା’ ପରଷୁଛି । ରବି ପାଖରେ ଅଟକିଯାଇ କହିଲା, ‘‘କେମିତି ହେଇଚିରେ ପୁଅ-? କିଦେରେ ନାଗୁଚି ?’’

 

‘‘ଆଉ ପଚାରୁଚୁ ମାଉସୀ, ହାତଚାଟି ଭାତ ଖାଇବ, ଏ ଅମୃତ ।’’

 

ଜଗୁଆମା’ ଫାଇଁ ଫାଇଁ ହସିଲା । ଦାନ୍ତ ନାଇଁ, ମୁହଁ ଶୁଖିଲା ହାଡ଼ୁଆ, ତା’ରି ଉପରେ ଝଲ ଝଲ ଦିଶୁଛି ଆନନ୍ଦ । କହିଲା, "ଅମୃତ ଯେ ମୁହଁରେ, ତମ ହାତରେ । ଆହା, କୋଟି ପରମାଇ ହୋଇଥାଉରେ ବାପା–’’

 

ଏଇ ତା’ର ବଳିଆର ପୁଅମାନେ ଯେପରିକି ତା’ର ଶୁଖିଲା ବାଲିପଟା ଉପରେ ଦୋହିଚି ନଈ, ତା’ର ଜୀବନ ପୂର୍ଣ୍ଣ ।

 

ବିଶିଆ ପାଣ ଥାଳିଏ ଭାତ ଧରି ପରଷିବାକୁ ଆସି ପହଞ୍ଚିଗଲା । ଚାରିଆଡ଼ୁ ଡାକ ଶୁଭିଲା, “ଆଣ ବିଶି, ଦେ ବିଶି !’’ ବିଶିଆ କ୍ଷିପ୍ର ଡେଙ୍ଗା ଗୋଡ଼ରେ ଧାଡ଼ି ଗୋଟାକ ଦି’ଖେପା କରିଦେଇ ଅଜାଡ଼ି ଅଜାଡ଼ି ଥାଳିଯାକ ସାରିଦେଇ ଗଲା ।

 

ଗଙ୍ଗା ଗୁଡ଼ିଆ କହିଲା, “କେମିତି ବଦଳିଗଲା ବିଶିଆ । ଆହା ବିଚରା । ପଟ୍ଟନାୟକଙ୍କ ଘରେ ହଳିଆ ଖଟୁଥିଲା । କ’ଣ ଦିଅନ୍ତି ତାଙ୍କୁ ଜଣା । ନେଙ୍କୁଡ଼ି ଛିଣ୍ଡୁଥାଏ । ଖଟି ଖଟି ଆଇଲେ ବାରିଦୁଆରେ ଠିଆ କରେଇ କୁକୁରକୁ ଡାକିଲା ପରି କ’ଣ ନା ଆବେ ବିଶିଆ, ଆଣ୍ ତୋ ଛେଲୁଆ-। ଅଇଛା କିଏ କହିବ ଏଇ ସେ ବିଶିଆ ? ଅଇଛା ଆମରି ସାଙ୍ଗରେ ଜଣେ ଭାଇ, ଆସୁ ପଟ୍ଟନାଏକ ଦେଖିବା–’’

 

‘‘କଲଣି କୋଉଠି ସାଙ୍ଗର ଭାଇ ?” ରବି ହେଣ୍ଟାଳିଲା, “ତମ ମନରୁ ତ ସେ ଭେଦଭାବ ଯାଇନାହିଁ ପରି ଲାଗୁଚି, ନ ହେଲେ ତୁଣ୍ଡରେ ଏକଥା କାହିଁକି ବାହାରନ୍ତା ? ସତେକି ଭାରି ଦୟାଟାଏ କରି ପକେଇଚ, ନୁହେଁ ? ଆମେ ତ ସେଇଆ, ଆଗ ଆପଣା ପେହେଁକାଳି ଫୁଙ୍କିବାକୁ ପାଟି ଖଲଖଲ । ନ ହେଲେ ଏତେ ହରିଜନ ଉଦ୍ଧାର, ହରିଜନ ଉଦ୍ଧାରବୋଲି ହୁରି ପଡ଼ନ୍ତା ନାହିଁକି ପଂକ୍ତି ଭୋଜନକରି ଫଟୋ ଉଠା ହଅନ୍ତା ନାହିଁ ।’’

 

ଧୋବେଇ ମିଶ୍ର କହିଲେ, “ସତକଥା । ପୁରୁଣା ପାପ ଧୋଇ ପୋଛିଦେଇ ସବୁ ମଣିଷ ଭାଇ ଭାଇ ହେବେ, କି ବଡ଼ କଥାଟାଏ ଏ ଯେ ଏଥିପାଇଁ ଏତେ ଢୋଲପିଟା ? କଥାଟାକୁ ବଡ଼ କରୁଥିବାଯାକେ ତମ ମନ ଏ ଅବସ୍ଥାକୁ ସହଜ ସାଧାରଣ ସତବୋଲି ଗ୍ରହଣ କରିନାହିଁ । ତେମେ ଭାବୁଚ ଭାରି ବୀରପଣ ଦେଖେଇଚ । ଏ ହରିଜନ ଅଣହରିଜନ ଆଦିବାସୀ ଅଣଆଦିବାସୀ ପାଟି ଚାଲିଥିବାଯାକେ ଅସଲ ଭେଦଭାବ ବଢ଼ୁଥିବ ।’’

 

ରବି କହିଲା, “ଆଉ ସେ ପଛକଥା ପକାନାଇଁ । ଗୋଟାଏ ଭୁଲକୁ ସୁଧାରିଦେଇ, ମଇଳା ଧୋଇଦେଇ, ଚାଲ ସିଧା ବାଟରେ, ଆଉ ସେକଥା କହି ନିଜ ଲାଜ ବଢ଼ାଅ ନାହିଁ, ପଛକୁ ଅନା ନାହିଁ ।’’

 

ଅପର୍ତ୍ତିଆ ନବଜ କରି କହିଲା, ‘‘ପଛକୁ ନ ଅନେଇଁଲେ ଆଉକି ମଜା ? ପାଟଳିଗାଁ ପଟ୍ଟନାହାକ ଘରକଥା ଦେଖ । ଅଜା ଥିଲେ ନାହାକ, କାହାର ଝୁଅ ବିଦାହେଲେ ପାଠ ବୋଲୁଥିଲେ ଓ ଭଗବାନ ବିଷ୍ଣୌର୍–’’

 

ଅପର୍ତ୍ତିର ଶ୍ଳୋକ ଆବୃତ୍ତିରେ ସମସ୍ତେ ହସି ହସି ଗଡ଼ିଲେ । ଅପର୍ତ୍ତି କହିଗଲା, “ତାଙ୍କ ପୁଅ ବୋଲେଇଲେ ନାୟକ, ପାଠପଢ଼ି ନକଲନବିସ ହେଲେ, ତାଙ୍କରି ଅମଳରେ ତାଙ୍କ ଘର ଆଗରେ ଗୋଟାଏ ପଟ ଥୁଆ ହେଲା, ସେଇଠୁ ବୋଲେଇଲେ ପଟ୍ଟନାୟକ–’’

 

ହସ ହୋ ହାରେ ସମସ୍ତେ ଉଠିପଡ଼ିଲେ, ଅଇଣ୍ଠାପତ୍ର ମୋଡ଼ାମୋଡ଼ି ଗୋଟାଗୋଟି, “ଦିଅ ମତେ ମୁଁ ଉଠେଇଦେବି–ନାଇଁ ମୁଁ ନଉଚି ।’’

 

ଧୋବେଇ ମିଶ୍ର କହିଲେ, ‘‘ନାଁ ! ଶେଷରେ ସାଜ୍ଞାଟା ଆଗ ଯିବା ଦରକାର; ଯୁଗ ଯୁଗର ସବୁ ଅହଙ୍କାର, ସବୁ ଭେଦଭାବର ବୁଜୁଳା ସେ, ମିଶ୍ର କି ମହାନ୍ତି, ନାଏକ କି ପଟ୍ଟନାଏକ, ଦାସ କି ଜେନା–’’

 

ରବି କହିଲା, ‘‘କିଏ କହୁଚି ସେ ଅଳିଆ ବୁଜୁଳା ବୋହିବାକୁ ?’’

 

ମିଶ୍ରେ ଡାକିଲେ–‘‘ବିଶିଭାଇ ହେ ବିଶିଭାଇ–’’

 

ରବି ଡାକିଲା, ‘‘ବିଶି ଭାଇ !’’ ସମସ୍ତେ ଡାକିଲେ, ‘‘ବିଶି ଭାଇ !’’

 

ବିଶିଆ ଆସି ଠିଆ ହୋଇ ହସୁଛି । କେମିତି ନୂଆ ନୂଆ ଲାଗୁଛି ଆଉ କଉତୁକିଆ, କଅଁଳିଆ, କୁତୁକୁତିଆ । ସମସ୍ତେ ତାହାରିଆଡ଼କୁ ଅନାଇଁ ଠିଆ ହୋଇଛନ୍ତି । ଚକି ଫାଳ ଉପରେ ଚକିପରି ପାନ ଖିଲ ଉପରେ ମାଗୁଣି ବେହେରାର ପାଟି ବୁଲୁଛି । ଅପର୍ତ୍ତିଆ ମୁହଁକୁ ଗୋଜକରି ରହିଛି ସତେକି ହସ ରୋକିଛି, ରଘୁ ଜେନା ଗଳା ଖଙ୍କାରୁଛି, ଗଙ୍ଗା ଗୁଡ଼ିଆର ବିଶି ଆଙ୍ଗୁଠି ବୁଢ଼ା ଆଙ୍ଗୁଠି ଆପଣା ପେଟ ଉପରେ ଚୁମୁଟି କ’ଣ ଖୋଜୁଛି, ଉମା ପଶାଏତ୍ ତେର୍ଚ୍ଛେଇ ହୋଇ ରବିକୁ ଚାହିଁଛି, ରବି ହସ ହସ ।

 

‘‘ବିଶି ଭାଇ, ବିଶି ଭାଇ–’’

 

ଏ ଯେପରିକି ତାହାରି ଉପରେ ଏକ ପରୀକ୍ଷା । ସେମାନେ ଚାହିଁଛନ୍ତି । ଦୁନିଆଁ ଚାହିଁଛି-

 

ସତେ କ’ଣ– ?

 

ନା ଖାଲି ତୁଚ୍ଛା ପତିଆରା ? ସେମିତି ଆଉମାନେ ବି ଡାକିଥିଲେ, ଡାକି ଆସିଥିଲେ ଯୁଗେ ଯୁଗେ ଯେତେବେଳେ ଶୀତୁଆ ଝଡ଼ି ବରଷାର ଅନ୍ଧାର ରାତିରେ ମାହାଳିଆରେ ପୋଲାରେ ସେମାନଙ୍କର କାମ ଉଠେଇବା ଦରକାର ପଡ଼ୁଥିଲା, ସେତେବେଳେ ସେମାନେ କୋବଲୋଉଥିଲେ, ଫୁସୁଲୋଉଥିଲେ ।

 

ଆଉ ଡାକି ଆସିଥିଲେ ଆହୁରି ସେତେବେଳେ, ଯେତେବେଳେ ତା’ରି ଲୋକଙ୍କୁ ପିଢ଼ିକରି ସେମାନଙ୍କ କାନ୍ଧରେ ଠିଆ ହୋଇ ବଗ ଧଳା ହୋଇ ଜଗତ ଆଗରେ ଠିଆ ହୋଇ ଫୁଲମାଳକୁ ବେକ ଉହୁଙ୍କେଇ ଦେବାକୁ ଦରକାର ପଡ଼ୁଥିଲା ।

 

ତା’ପରେ ଆଉ ଡାକି ନାହାନ୍ତି । ମଦଘଡ଼ା ଖାଲି ଗଡ଼ିଯାଇଚି । ଖାଲି ହରିଜନ, ହରିଭରସା ।

 

କେଉଁଠି ଗାଁଠୁ ଦୂରଛଡ଼ା ହୋଇ ତୋଟା ସେକରେ ବିଲମାଳ ଧାଡ଼ିରେ କି ଅପନ୍ତରା ମଝିରେ ଭଙ୍ଗା ଦଦରା ହୋଇ କୁଡ଼ିଆ କେଇଖଣ୍ଡ, କେଉଁଠି ମଶାଣି, କେଉଁଠି ପୋଚରା ଜୋର, ଯେଉଁ ଜାଗା ଆଉ କାହାରି ଦରକାର ନାହିଁ । ଛିଣ୍ଡା ଲେଙ୍କଡ଼ା, ମଇଳା ଆବର୍ଜନା । ସକାଳୁ ଉଠିଲେ ପେଟ ହାକୁ ହାକୁ । ସମସ୍ୟା-ଦାରିଦ୍ର୍ୟ-ଦାରିଦ୍ର୍ୟ-ଦାରିଦ୍ର୍ୟ । ଦମ୍ଭିଲା ଘରଖଣ୍ଡେ ଟେକିବାକୁ ପଇସା ନାହିଁ, କୁଟୁମ୍ବ ବଢ଼ିଲେ ତା’ରି ଭିତରେ ଯକାଯକି । ଛେଳି ଗୋରୁ ଥିଲେ ତା’ରି ଭିତରେ ସମସ୍ତେ । ବୃତ୍ତିକଥା ଭାବିବାକୁ ଅଣ୍ଟାରେ ବଳ ନାହିଁ । ଜନମରୁ ସତେକି ପର ବୋଲକରା ହେବାକୁ ମୁଣ୍ଡଟା ବିକା । ସାହା ନାହିଁ, ସାମର୍ଥ୍ୟ ନାହିଁ । ବଢ଼ି ଆସୁକି ବାଡ଼ି ଆସୁ, ଆଗ ସେଇଠିକି । ଖତକୁଢ଼ଗଦା ଉପରେ ଅତର ଛିଞ୍ଚିବାକୁ କେବେ କିଏ ଆସନ୍ତି ସୁଆଦିଆକଥା କହିବାକୁ, ତେମେ ହରିଜନ, ତେମେ ଆଉ ଅଛୁଆଁ ନୁହଁ । ଫମ୍ପା ହାଣ୍ଡିରେ ଚାଉଳ ପୂରିବ ସେହିକଥାରେ ନା ଦଦରା ଘର ନୂଆ ହେବ ? ଖାଲି ମଣିଷର ଆଶା ।

 

ତେବେ ଏ ଭାଇଡାକ ତା’ ନୁହେଁ, ଏକା ହାଣ୍ଡି, ଏକା ଘର । ମଣିଷ ମଣିଷକୁ ସାଉଣ୍ଟି ନେଇଛି, ଆପଣା ଛାତିରେ ଲଗେଇଛି । ସେ ସତେ ଏମାନଙ୍କର ଭାଇ ତ, ବୟସରେ ସମସ୍ତଙ୍କଠୁ ବଡ଼ । ବଢ଼ିଲେ ଏଇ ଏକାଘର ବଢ଼ି ଉଠିବ, ଛିଡ଼ିଲେ ଛିଣ୍ଡିପଡ଼ିବ । ପରେଇ ନାହିଁ । ଏକା ମଣିଷ ଭାଇ ଭାଇ ।

 

ବିଶିଆ ମନଖୋଲି ହସିଲା ।

 

ଆଉ ଦିନେ ଫୁଲଶରା ଗାଁରେ କଚିରିଘର ପଶ୍ଚିମପଟ ଘଞ୍ଚ ଶାଗୁଆ ବାଡ଼ ସେକରେ ଦିଶିଲା, ବାଡ଼ କରେକରେ ଆଗପଛ ହୋଇ ଯୋଡ଼ିଏ ନାଲିପଗଡ଼ି ଗୋଡ଼ିଆଗୋଡ଼ି ହୋଇ ଚାଲିଆସୁଛି, ତାଙ୍କ ପଛେ ପଛେ ଗୋଟିଏ ମୋଟା ଶାଗୁଆ ଟୋପି । କୁରୁପା ବାଉରି ଗଙ୍ଗା ଗଡ଼ିଆକୁ ହାତ ଦେଖାଇଦେଇ କହିଲା, “ଆଜି ଏ କି ଅପୂରୁବ–’’

 

ଗଙ୍ଗା କହିଲା, “ବଳେ ଜଣାପଡ଼ିବ ଯେ–’’

 

କୁରୁପା କହିଲା, ‘‘ଦେଶ ସ୍ଵାଧୀନ ହେଲାପରେ ଅନ୍ତତଃ ଏ ରଙ୍ଗଟା ବଦଳିବାର ଥିଲା, ନ ହେଲେ ଦେଖୁନା, ଅବିକଳ ଆଗପରି, ତୁଚ୍ଛେଇଙ୍କି ପୁରୁଣା କଥାଗୁଡ଼ାକ ମନେପଡ଼ୁଛି, ସେଇ ଧରପଗଡ଼, ସେଇସବୁ–’’

 

ଗଙ୍ଗା କହିଲା, “ଭାକ୍ ଓଲୁ, ଠେଙ୍ଗାଟା ଠେଙ୍ଗା ହବ ନାଇଁ କ’ଣ ବଇଁଶୀ ହବ ? ତୁ ଠେଙ୍ଗା ମୂଲେଇଲେ ସିନା ତୋ କତିକି ଆସିବ, ନଇଲେ ତୋର କି ଡର ?’’

 

କୁରୁପା ଡରିଲାପରି ପେଖେନାକରି କହିଲା, “କେଜାଣି ବାବୁ, ତୋ କଥା ତୁ ବୁଝ୍‌ । ମୋର ତ ପିଳେହି ପାଣି । ଠେଙ୍ଗାକୁ ମହାଦେବ ଡରନ୍ତି, ମୁଁ କି ଛାର ? ଠେଙ୍ଗା ପଛକୁ ଗୁଳି–’’

 

ଗଙ୍ଗା କହିଲା, ‘‘ହଉ ହଉ ରଖି ଦେଇଥା । ଏତକ ନ ଥିଲେ ରାତିରେ ଶୋଇପାରନ୍ତୁ ? ଥାଇ ତ ସୁସ୍ଥି ଭାଙ୍ଗିଯାଉଚି, ନ ଥିଲେ ଆଉ-ଆସିଚନ୍ତି କ’ଣ ଦରକାର ଥିବ ବୁଝିବା, ହେଇ ଦେଖ୍–’’

 

ସେମାନେ ଆସି ପହଞ୍ଚିଗଲେ । କନଷ୍ଟବଳ ପିଣ୍ଡା ଉପରେ ଝୁଲା ଓ ବାଡ଼ି ଥୋଇଦେଲେ । ଜୋତା ଖୋଲିବାକୁ ନଇଁ ପଡ଼ିଲାବେଳକୁ ପିଠିର ପୋଷାକ ଝାଳ ଜଡ଼ୁବୁଡ଼ । କର୍ମଚାରୀ ଗୋଡ଼ ଫରକଟେଇ ଠିଆ ହୋଇ ପକେଟରୁ ମସିଆ ରୁମାଲକାଢ଼ି ଝାଳ ପୋଛିଲେ । କନଷ୍ଟବଳକୁ ଡାକ ଛାଡ଼ିଲେ–

 

“ହେଇ ତିନିଶ ଦୁଇ, ଦିଆସିଲି ଅଛି କିହେ ?”

 

ତିନିଶ ଦୁଇ ନମ୍ବର ବ୍ୟକ୍ତି ସେତେବେଳେ ଗୋଟିଏ ଗୋଡ଼ରୁ ପଟି ଖୋଲିବା କାର୍ଯ୍ୟରେ ବ୍ୟସ୍ତ ଥିଲା । ସଂଖ୍ୟା ଡାକଶୁଣି ପାଦ ଯୋଡ଼ିଦେଇ ଉପରକୁ ଝାଙ୍କି ହୋଇ ଟାଙ୍କି ହୋଇ ସିଧା ଠିଆହେଲା । ତା’ପରେ ଝପଟିଯାଇ ଅଣ୍ଡାଳି ପକାଇଲା ତା’ର ଝୋଲା, ଗଣିଲାପରି ଟାଙ୍କି ଟାଙ୍କି ଖୋଜ ପକାଇ କର୍ମଚାରୀଙ୍କଆଡ଼କୁ ମାଡ଼ିଯାଇ ହଠାତ୍ ନିଜକୁ ରୋକିନେଇ ଠିଆହେଲା, କହିଲା–

 

“ଦିଆସିଲି ନାହିଁ ସାର୍ !’’

 

କୁରୁପା ବାଉରି ଚଞ୍ଚଳ ଚାଲିଯାଇ ଗୋଟାଏ ମୋଟା ନିଆଁ ଗୋଜିଣା ଧରି ଆସି କର୍ମରୀଙ୍କଆଡ଼କୁ ବଢ଼େଇ ଠିଆହେଲା । କର୍ମଚାରୀ ପକେଟ୍ ଦରାଣ୍ଡି ବିଡ଼ି ଖଣ୍ଡିଏ କାଢ଼ି ପାଟିରେ ଗେଞ୍ଜିଲେ, ବେକ ଆପେ ଲମ୍ବିଗଲା ନିଆଁ ଗୋଜିଣାରେ ବିଡ଼ି ଲଗାଇବାକୁ; କିନ୍ତୁ ତେଢ଼େଇ ତେଢ଼େଇ ଡୋଳା ଟେକି ଟେକି ସାମ୍ନାକୁ ଚାହିଁ ସମସ୍ତିଙ୍କୁ ଠିଆ ହୋଇ ଅନାଇଁଥିବାର ଦେଖି ସେ ହଠାତ୍ ମନ ବଦଳାଇଲେ, ବିଡ଼ି ଖଣ୍ଡିକ ପୁଣି ପକେଟ୍ ଭିତରକୁ ଲେଉଟିଗଲା । ସେଚ୍ଛାସେବୀ କୁରୁପା ଆପଣା ହାତର ଜଳନ୍ତା ଗୋଜଣାର ତାତି ପଛେ ଅନୁଭବ କରୁନଥିଲା, କିନ୍ତୁ ତାଙ୍କର ତତଲା ମୁହଁ ଓ ଜଳନ୍ତା ଚାହାଣିର ତାଉ ଅନୁଭବ କଲା । ବୟସ ଚାଳିଶି ପାଖ ହେବ, କିନ୍ତୁ ପଚାଶ ବର୍ଷର ମୁହଁପରି ମୁହଁର ଟାଆଁସିଆ ଛଇ । ପର କରିଦେଲାପରି ଭଙ୍ଗୀ, ବିରକ୍ତ ମୁହଁ । ସେତିକିରେ ସେ ପିଠି ବୁଲେଇଦେଇ ଲେଉଟି ଚାଲିଗଲା ଆଉ ତା’ ପଛେ ପଛେ କର୍ମଚାରୀ କହିଲେ–“ଟିକିଏ କାଣ୍ଡଜ୍ଞାନ ନାହିଁ, କେବେ ଯେ ଏମାନେ ଭଦ୍ରତା ଶିଖିବେ !’’

 

ଧୋବେଇ ମିଶ୍ରେ ଓଠ କାମୁଡ଼ିଲେ । କହିଲେ, “ସଭ୍ୟ ଲୋକ ତ ସବୁ ରହିଲେ ଯାଇ ସହରରେ, କୋଉଠି କେତେଥର ଆପଣମାନେ ଆସୁଛନ୍ତି ନା ଆମେ ଭଦ୍ରତା ଶିଖିବୁଁ ?’’

 

କର୍ମଚାରୀ କହିଲେ, ଆପଣମାନେ ଯାହା କଲେଣି, ଏଣିକି ଆସିବାକୁ ହେବ । ହଉ, ଆରେ ଏଠି କ’ଣ ଚଉକି ଫଉକି ନାହିଁ ?’’

 

ଧୋବେଇ ମିଶ୍ର ମୁରୁକେଇ ହସିଲେ ।

 

ଗଙ୍ଗା ପଚାରିଲା, “ଆପଣଙ୍କର କୁ ଗାଁ ଆଜ୍ଞା ?’’

 

ମାଗୁଣି ଅପର୍ତ୍ତି ହସାହସି ହେଲେ ।

 

ମସିଣା କାଖେଇ ରବିଆସି ପହଞ୍ଚିଲା, କହିଲା, ‘‘ଆସନ୍ତୁ, ବସନ୍ତୁ ଆଜ୍ଞା !’’

 

‘‘ଓ, ହେଇ ତ ଆପଣ,’’ ମସିଣାରେ ବସିପଡ଼ି ସେ କହିଲେ, ଆପଣଙ୍କ ମୁଣ୍ଡ ତ ଭଲ ହୋଇଗଲାଣି ଦେଖୁଚି, ପଟି ଆଉ ନାଇଁ, ଏଣେ ଆମ ମୁଣ୍ଡ ଖରାପ କରିଦେଲେଣି ।’’

 

ରବି ହସିଦେଲା, କହିଲା, ‘‘କାଇଁ କ’ଣ ହେଲା ?’’

 

‘‘କ’ଣ ଏଠି ଏତେ ଦଳ ଗଢ଼ାଗଢ଼ି ଚାଲିଚି ମୁଁ ପଚାରୁଚି, ୟେ ଫେର୍‍ କି ନୂଆ ତପ ? ଭାତହାଣ୍ଡି କୋଠ, ହଳବଳଦ କୋଠ, ଜମିବାଡ଼ି କୋଠ, କାମକାର୍ଯ୍ୟ ବି କୋଠ, ମଣିଷଙ୍କର ମେଣ୍ଟ ଆଉ ଗୋଠ, ଜଣେ ଯୁଆଡ଼େ ମୋହିଁଲେ ତ ଗୋଠକଯାକ ସେଇଆଡ଼େ, ଥିବା ଲୋକଙ୍କ ଛାତି ଦୁକୁଦୁକୁ ଯେ ୟେ କ’ଣ ଏମିତି ମେଣ୍ଟ ସଜେଇଲେଣି କାଳେ ଆମ ଧନଦରବ ଛଡ଼େଇ ନେବେ, ଆମ ଜମି ଜବରଦସ୍ତି ମାଡ଼ି ବସିବେ । ରିପୋର୍ଟ ଉପରେ ରିପୋର୍ଟ । ଆଚ୍ଛା ମୁଁ କହୁଚି, ଆପଣ ତ ଜଣେ ଶିକ୍ଷିତ ଲୋକ, ଆପଣଙ୍କ ବଡ଼ଭାଇ ପୁଲିସ୍ ସବଇନ୍‍ସପେକ୍ଟର, ଆପଣଙ୍କ ବାପା ଜଣେ ପୁରୁଣା ଖାନ୍ଦାନି ଲୋକ, ଆପଣ ଏଥିରେ କାହିଁକି ମାତିଛନ୍ତି ?

 

ରବି କହିଲା, “ଏଇ ସାମାନ୍ୟ କଥାଟା ପରରିବାକୁ ଆପଣ ଆସିଚନ୍ତି ଏତେବାଟ ? ମନହେଲା ଏକାଠି ଚଳୁଚୁଁ, ଆପଣ ବି ମନକଲେ ଆମ ସାଙ୍ଗରେ ମିଶନ୍ତୁ, ଯାହା ଅର୍ଜିବା ବାଣ୍ଟିକୁଣ୍ଟି ଖାଇବା, ନିଜପାଇଁ ସାଇତିବା ନାଇଁ, ଯାହା ଖାଇଯିବା ଖାଇଯିବା, ଯାହା ରହିବ ସେ ଦେଶପାଇଁ । ଆପେ ଠେକରା ବସେଇ ଖାଇସାରି ହାଣ୍ଡି ବାଡ଼େଇଦେବା–’’ ସମସ୍ତେ ହସିଲେ । କର୍ମଚାରୀ ହସିଲେ ନାଇଁ, କହିଲେ, ‘‘ଏ ତ ବିପ୍ଳବ ।’’ ରବି କହିଲା, “ସେ କଥାତ ଆପଣମାନେ ଆଗରୁ କହୁଥିଲେ ।’’

 

‘‘କେତେବେଳେ ?’’

 

‘‘କାଲିକା କଥା ତ, ଯେତେବେଳେ ମହାତ୍ମା ଗାନ୍ଧୀ ସମସ୍ତିଙ୍କି ଏକାଠି ଭେଳେଇ ସୂତା କଟାଉଥିଲେ,–ନାଇଁ ତା’ ଆଗରୁ, ଯେତେବେଳେ ବୁଦ୍ଧଦେବ ଲୋକଙ୍କ ତୁଣ୍ଡରେ କୁହାଇଥିଲେ ସଂଘହିଁ ଶକ୍ତି,–ତା’ର ବି ଆଗରୁ ଯେତେବେଳେ ରାମଚନ୍ଦ୍ର–’’

 

ବାଧାଦେଇ କର୍ମଚାରୀ କହିଲେ, ‘‘ଆପଣଙ୍କୁ କଥାରେ ପାରିହେବ ନାଇଁ । ହଁ, ଏମିତି ଚାଲିଥିଲେ ଆପଣ ବି ଦିନେ ମନ୍ତ୍ରୀ ହେବେ, ସେତେବେଳେ ଆପଣଙ୍କ ଯିବା ବାଟରେ ଆପେ ସବୁ ବନ୍ଦୋବସ୍ତ କରିଦେବୁ, ଆପଣ ଆଇନ୍ ଗଢ଼ିବେ, ଆମେ ଜାରି କରେଇବୁ–’’

 

ଏଥର ବାଧାଦେଇ ରବି କହିଲା, “ଆପଣ ସେ ଦୁଃସ୍ୱପ୍ନ ଦେଖନ୍ତୁ ନାହିଁ ଆଜ୍ଞା ଆମେ ହଳିଆମୂଲିଆ ଲୋକ, ମନ୍ତ୍ରୀ ଗାଦିକି ଆମର ଲୋଭ ନାଇଁ । କିଏ ପଚାରି ପଠେଇଥିଲେ କହିଦେବେ, ଆମେ କାହା ସଙ୍ଗେ ବଳ କଷାକଷିପେଇଁ ଏଠି ଜାଗାଘର ଖୋଲି ନୋଉଁ–’’

 

‘‘ଲୋକଙ୍କୁ କହିପୋଛି ମତୋଉଚନ୍ତି ତ ?’’

 

“ମତାମତି କଥା କିଛି ନାହିଁକି ପ୍ରଚାର ଢୋଲପିଟା ଏଠି କିଛି ନାହିଁ । ମିଳିମିଶି ଏକ ଗୋଷ୍ଠୀ ଏକ ଆତ୍ମା ହୋଇ ରହିବାକୁ ଉଦ୍ୟମ ହେଉଛି, ଯଦି ଏଥିରେ କିଛି ଉପକାର ଥିବ ଅନ୍ୟମାନେ ବି ସେମିତି ଚଳଣି ଧରିବେ, ଉପକାର ନ ପାଇଲେ କେହି କିଛି କରିବେ ନାହିଁ । ପ୍ରଚାରଦ୍ଵାରା ଯେଉଁ କାମ, ସେ ଖାଲି ଦି’ଦିନିଆ ଭେଳିକି, ଜବରଦସ୍ତି ଲୋକଙ୍କ ବିଚାରକୁ ଅକ୍ତିଆର କରିବା କଥା, ସେ ମୋହିନୀଅଞ୍ଜନ ଲୋକଙ୍କ ଆଖିରେ ବେଶିଦିନ ରହିବ ନାହିଁକି ମଣିଷର ସ୍ୱାଧୀନ ବିଚାରକୁ ଯୁଗ ଯୁଗଯାକେ କେହି ଅକଳେଇ ବନ୍ଦୀ କରିପାରିବନାହିଁ । ତେଣୁ ମତାମତି କାମ ଆମର ନୁହେଁ, ଓଲଟି ପ୍ରଚାର ଆଉ ମତାମତ ବିରୁଦ୍ଧରେହିଁ ଆମ କାମ–’’

 

‘‘ସେଇ କଥା ତ ମୁଁ କହୁଚି, କର୍ମଚାରୀ ହସିଦେଇ କହିଲେ, ‘‘ଆମେ ସରଳିଆ ଲୋକ, ସରଳ କଥାଟା ବୁଝୁ, ସରଳ ଉପାୟରେ ତା’ର ସମାଧାନ କରୁଁ, ଏତେ ବାଁଖାଡ଼ିଆ କଥା କାହିଁକି ?”

 

ରବି ହସିଦେଇ କହିଲା, ‘‘କରନ୍ତୁ ସରଳ ସମାଧାନ । ଆଚ୍ଛା, ଏଇ ଗୋଟିଏ କଥା ଦେଖନ୍ତୁ, ଏତେ ଲୋକଙ୍କର ଏତେ ତ୍ୟାଗ ତପସ୍ୟା ଫଳରେ ଆମେ ସ୍ୱାଧୀନତା ପାଇଲୁଁ, ତହିଁରେ ଆପଣମାନଙ୍କ ଦାନ ବି କମ୍ ନ ଥିଲା, ଅନ୍ତତଃ ଲୋକଙ୍କୁ ତତେଇ ଉଠେଇ ପାରିଲେ ତ–’’

 

କର୍ମଚାରୀ କହିଲେ, “ସେ କଥାଗୁଡ଼ାକ ଫେର୍ ପକୋଉଚନ୍ତି କାହିଁକି ? ଆମେ ଆଦେଶ ପାଳିବା ଲୋକ, ଯେତେବେଳେ ଯେଉଁପରି ଆଦେଶ ମିଳିଲା ତା’ କଲୁଁ । ସେତେବେଳେ ବ୍ରିଟିଶ ରାଜାର ପୁଲିସ୍‍ ହୋଇଥିଲୁଁ, ଏତେବେଳେ ସ୍ୱାଧୀନ ଦେଶର କର୍ମଚାରୀ, ଆମେ ବି ତ ଭୋଟ ଦେଉଁ–’’

 

‘‘ନା, ମୁଁ ଆକ୍ଷେପ କରୁନାହିଁ ଯେ ଏମିତି କହିଲି । ସେଇଠୁ ଆମ ଦେଶ ସ୍ଵାଧୀନ ହେଲା-। କିନ୍ତୁ ଦିନୁଁଦିନ ଆମ ବିଚାରର କି ଅବସ୍ଥା ହେଉଛି ? କ’ଣ ହିତ କ’ଣ ଅହିତ ଏସବୁ କଥା ଭାବିଲାବେଳକୁ ଆମେଆମ ନିଜ ମତ ଠିକଣା କରୁନାହୁଁ । ଆମ ଆଗରେ ଦଶଟା ମତ ଅଛି, ଯେମିତିକି ଦୋକାନରେ ଟଙ୍ଗା ହୋଇଛି ଦଶଟା ତିଆରି ଜାମା, ଆମେ ସେଇଥିରୁ ଗୋଟାଏ ଗଳେଇ ପକୋଉଚୁଁ, ସେଇ ଆମର ଭେକ, ଆମ ନିଜର କିପରି କ’ଣ ଦରକାର କି ଦରକାର ନୁହେଁ, ତେଣେ ଆମର ବିଚାର ଚାଲୁ ନାଇଁ । ସ୍ୱାଧୀନ ବିଚାର ଛାଡ଼ି ଆମେ ହେଉଚୁଁ ପାଳିଆ । ଯାହାର ଯେତେ ପଇସାବଳ, କୂଟବଳ, ସେ ତା’ ପଟକୁ ସେତିକି ପାଳିଆ ଆଉଜେଇ ନବ । ଯାହାପଟେ ବେଶି ମୁଣ୍ଡ ତା’ରି ମତଟା ମାନେ ତା’ରି ତିଆରି କାମିଜିଟା ବେଶି ଚାଲିବ । ହାତଗୋଡ଼ କାମତକ କଳ ନବ, କାମ ହବ ଖାଲି ଇଲେକ୍ଟ୍ରିକ୍ ବୋତାମ ଟିପିବା । ସ୍ୱାଧୀନ ବିଚାରକୁ ଛଡ଼େଇ ନବ ପର ହାତଗଢ଼ା ମତବାଦ, ବାକି ରହିଲା ଏ ପିଣ୍ଡଟା, ତାକୁ ଯେ ଅଡ଼େଇବ ସେ ସିଆଡ଼େ ଯିବ । ମଣିଷ ବଞ୍ଚିବେ, ଘରକରଣା କରିବେ ଖାଲି କଳକାରଖାନାମାନଙ୍କପାଇଁ, ଖରିଦଦାର ହେବାପାଇଁ ଆଉ ପାଲାବାଲାଙ୍କ ପାଳିଆ ହେବାପାଇଁ ଆଉ ଧ୍ଵଜାଧାରୀଙ୍କ ପଛେ ପଛେ ଗୋଡ଼ାଣିଆ ହେବାପାଇଁ । ଦି’ ଧ୍ଵଜାଧାରୀଙ୍କ ଅପଡ଼ଲାଗି ପିଟାପିଟି ଲାଗିଲେ ଏ ଗୋଡ଼ାଣିଆ ଦି’ ପଞ୍ଝାଙ୍କର ବି ଲାଗିଯାଉଥିବ, ଏମିତି ହେଇ ହେଇ ପଶ୍ଚିମ ଦେଶରେ ବଡ଼ ବଡ଼ ଗୋଠ ତିଆରି ହେଲାଣି କ’ଣ ନା କୋଟ୍ ପ୍ୟାଣ୍ଟ୍ ପିନ୍ଧା ମତବାଦର ଖେଳଣା କଣ୍ଢେଇ ଦଳ ଦଳ ମ୍ୟାନୁଫ୍ୟାକଚରର୍ ହେଉଚନ୍ତି, ଯେଉଁ କେତେଜଣ ସନ୍ଥକି ଭାବୁକ ପାଟି କରୁଛନ୍ତି, ତାଙ୍କ କଥା ଶୁଣୁଚି କିଏ ? ଆମେ ତହିଁରୁ ଦୂରେଇ ରହିଥିଲୁ ଯେ ଆମ ପର୍ବ ଦେଶ ବି ସେମିତି ପଶ୍ଚିମାହେଇ ଆସିଲାଣି, ଆମେ ବି ହବୁ ମତର ଚାକର ।’’

 

କର୍ମଚାରୀ ଥକ୍‌କା ହୋଇ ଶୁଣିଲେ । ଚାରିଆଡ଼େ ଗୋଟିଏ ଛୋଟ ଗହଳି । କହିଲେ, ‘‘ଆମ ପୁଲିସ୍‍ ବିଭାଗରେ ଯଦି ସମସ୍ତେ ଜାତିଏ ଜାତିଏ ସ୍ୱାଧୀନଭାବେ କାର୍ଯ୍ୟ କରିବେ ତେବେ ତ କେହି କାହାରି କଥା ମାନିବେ ନାଇଁ, ଆମେ ଚୋର ଜଗିବୁଁ କ’ଣ ? ଶାନ୍ତିରକ୍ଷା କରିବୁ କେମିତି ?”

 

ରବି କହିଲା, ‘‘ଆପଣମାନଙ୍କ କଥା ଅଲଗା, କର୍ମକ୍ଷେତ୍ରରେ ଆପଣ କର୍ମଚାରୀ, ଯାହା ଆଇନ୍, ଯାହା ଆଦେଶ ତା’ ଆପଣଙ୍କ ଶିରୋଧାର୍ଯ୍ୟ, ସେଇଥିପାଇଁ ଆପଣଙ୍କର ନିଯୁକ୍ତି । ତା’ ବାହାରେ ଆପଣ ବି ସ୍ୱାଧୀନ ମଣିଷ, ନିଜ ବୁଦ୍ଧି ଖଟେଇ ନିଜ ଭଲମନ୍ଦ ଭାବିବେ, ନିଜ ବିଚାର ଠିକ୍ କରିବେ । କିନ୍ତୁ ଲୋକେ ତ କାହା କର୍ମଚାରୀ ନୁହନ୍ତି, ସେମାନେ ନିଜ ବିଚାରକୁ ଛାଡ଼ିବେ କାହିଁକି ? ପ୍ରଚାର ହାବୁଡ଼େ ପଡ଼ିବେ କାହିଁକି ? କ’ଣ କଲେ ପରକୁ ହିତ, ନିଜକୁ ହିତ, ଚିରକାଳକୁ ହିତ ସମସ୍ତେ ଆପଣା ଆପଣା ବିଚାର ତ ଖେଳେଇ ଭାବିବା ଉଚିତ । ଥରେ ଭାବି ବସିଲେ ଆପେ ଅଳିଆ ସଫା କରିବାକୁ ହାତ ଖଲଖଲ ହେବ । ଆପଣ ମନକୁ ମନ ଭାବୁ ଭାବୁ ଲୋକେ ସନ୍ଥ ହୋଇଛନ୍ତି, ସିଦ୍ଧ ହୋଇଛନ୍ତି । ଆପେ ନ ଭାବି ପରର ପାଳିଆ ଗୋଡ଼ଣିଆ ହୋଇ ପିଶାଚ ହୋଇଛନ୍ତି, ପର ଦେଶରେ ଯୁଦ୍ଧଭୂଇଁରେ ହୋଇଛନ୍ତି ମାରଣା ଫଉଜ, ଆପେ ଭାବିବସିଲେ ମଣିଷ କେବେ ପରର ତଣ୍ଟି ଚିପିପାରେ ? ପରର ଖାଇଲା ଭାତ ଛଡ଼େଇ ନେଇପାରେ ? ପଡ଼ିଶା ଉପାସରେ ଗଡ଼ୁଥିଲେ ଆପେ ଖିରୀ ପୁରି ଖାଇ ହାକୁଟି ମାରିପାରେ ? ଅଳସୁଆ ନିକମା ହୋଇପାରେ ?’’

 

କର୍ମଚାରୀ ଉଠିପଡ଼ିଲେ, କହିଲେ, “ଆପଣ ଯାହା କହୁଚନ୍ତି, ସମସ୍ତେ ସେଇଆ କହୁଛନ୍ତି । ଲୋକେ ପରପାଇଁ ବ୍ୟାକୁଳବୋଲି କହି କହିକା ନିଜର ଦଳବଳ ବଢ଼ାଉଚନ୍ତି, ବାବାଜି ଭେକ ଧରି ଦିନରେ ବୁଲି ରାତିରେ ସିନ୍ଧି କାଟୁଛନ୍ତି, ଯେ ଯାହା କହୁ ଆମର କାମ ହଉଚି ଦେଖିବା ଯେମିତି ଶାନ୍ତି ନ ଭାଙ୍ଗେ । ଆଚ୍ଛା କହିଲେ, ଆପଣମାନେ ଲେଖିଦେଇ ପାରିବେ କିଛି ଗୋଳମାଳ ହେବନାହିଁବୋଲି ?’’

 

ରବି କହିଲା, “ସେ ଲେଖାରେ କି ପ୍ରୟୋଜନ ? ଏଇ ମଣିଷ ଲୁହା ଶିକୁଳି ଛିଣ୍ଡେଇ ଫୋପାଡ଼ିଦିଏ, ଆଉ ସେ କାଗଜ ଖଣ୍ଡକରେ ଅଟକିବ ?’’

 

‘‘ସେଇ ତ ଅଡ଼ୁଆ, ତେବେ ଏ ଦଳକୁ ଭାଙ୍ଗିଦେଲେ ଭଲ ।’’

 

‘‘ଭାଙ୍ଗନ୍ତୁ ପାରିବେ ଯଦି । ତା’ମାନେ ଆପଣ କହୁଚନ୍ତି ମଣିଷ ପିଲାକୁ ଏନ୍ତୁଡ଼ିଶାଳରେ ତଣ୍ଟିଚିପି ମାରିଦେଲେ କେହି ଆଉ ଚୋର ହେବନାହିଁ, କେହି ଶତ୍ରୁ ହୋଇ ରହିବନାହିଁ । ସେ ବୁଦ୍ଧି ବି ନୂଆ ନୁହେଁ, କଂସ ତାକୁ ଆଗରୁ ଆବିଷ୍କାର କରିଯାଇଛନ୍ତି । କିଛି ଫଳହେଲା ନାହିଁ ଆଜ୍ଞା, ଗୋଟିଏ ପିଲା ରହିଗଲା ।’’

 

‘‘ଭାରି ବଡ଼ ବଡ଼ କଥା କହୁଚନ୍ତି ଆଜ୍ଞା !’’ କର୍ମଚାରୀ କହିଲେ, “କେତେ ତ ଏମିତି ଦେଖିସାରିଲିଣି, ଆଉ ଦେଖିବି କ’ଣ ଅଧିକା ? ଏମିତି ଦଳ ଫଳ ଗଢ଼ାଗଢ଼ି ଲଗେଇଲେ ଫଳ ଯାହା ହୁଏ, ସେଇଆ ହବ, ମିଛରେ ଆମ କାମ ବଢ଼ିବ–’’

 

ତାଙ୍କ ଉତ୍ତରରେ ଆଗ ହସିଲା କୁରୁପା ବାଉରି । ଅଣ୍ଟାରେ ହାତଦେଇ ତାଙ୍କ ମୁହଁକୁ ଅନେଇଁ ହୋ ହୋ ହୋଇ ହସି ହସି ଗଡ଼ିଗଲା । ସେଇ ହସ ଧରିଲା ଅପର୍ତ୍ତିଆ, ତା’ପରେ ଗଙ୍ଗା, ସମସ୍ତେ ହସିଲେ । ଏତେ ହସର କାରଣ କ’ଣ ହୋଇପାରେ ଭାବି ନ ପାରି କର୍ମଚାରୀ ବିବ୍ରତ ହୋଇ ଅଟକି ଗଲେ । ତା’ପରେ ନିଜ ରୂପକୁ ଭେକକୁ ଅନାଇଁଗଲେ । କାଳେ କେଉଁଠି କ’ଣ ଭୁଲ ହୋଇଯାଇଥିବ । କିଛି ପାଇଲେ ନାହିଁ । ଗମ୍ଭୀର ହୋଇ ପଚାରିଲେ, ‘‘କାହିଁକି ସବୁ ଏତେ ହସ ?’’

 

ଧୋବେଇ ମିଶ୍ର ବୁଝେଇଲେ, ‘‘ଆପଣ ଟିକିଏ ଧମକେଇଲେବୋଲି ବୋଧହୁଏ |’’ କର୍ମଚାରୀ ରାଗିଗଲେ । କହିଲେ, “କ’ଣ, ମୁଁ ଧମକେଇଲିବୋଲି ? ନାଇଁ ଏ କଥାଟା ବୁଝାସୁଝା ହେବା ଦରକାର । ଆସିବଟିକି ହୋ ତିନିଶ ଦୁଇ–’’

 

ଧୋବେଇ ମିଶ୍ର କହିଲେ, ‘‘ତିନିଶ ଦୁଇ ଆସନ୍ତୁ ତିନିଶ ତିନି ଆସନ୍ତୁ, ସେଥିରେ କିଛି ଯାଏ ଆସେ ନାହିଁ । ଆପଣ ରାଗୁଛନ୍ତି କାହିଁକି ? କିଏ କ’ଣ କାହାକୁ ଶିଖେଇ ଦେଇଚି ? ଆଉ ସେ ପୁରୁଣା ଅମଳ ନାଇଁ ଯେ ଲୋକେ ନାଲି ପଗଡ଼ି ଦେଖିଲେ କାଞ୍ଜି କଣରେ ପଶିବେ ।’’

 

‘‘ସେଗୁଡ଼ା କହନ୍ତ ନାଇଁ । କ’ଣ ହେଇଚି କ’ଣ ? ଜେଲ ନାଇଁ ନା ଆଇନ ନାଇଁ ?’’

 

‘‘ସବୁ ଅଛି ।’’ ରବି କହିଲା, ‘‘ଖାଲି ତା’ର ମାନେ ବଦଳି ଯାଇଚି । ଲୋକଙ୍କ ପାଇଁ କାମକରି ଯେ ଜେଲରେ ସଢ଼ିଥିଲେ, ସେଇମାନେ ହେଲେ ଶାସକ, ଜେଲ ଭୋଗଟା ହେଲା ଭୂଷଣ । ଆଇନଟା ଆଉ ବିଦେଶୀ ଶାସକର ନୁହେଁ, ସେଇଟା ବି ଏଇ ସ୍ୱାଧୀନ ଦେଶର । ଆଉ ସବୁ ଆଇନ ଉପରେ ଗୋଟାଏ ବଡ଼ ଆଇନ ପାସ୍‍ ହୋଇଗଲା, ସେଇଟା ଭାରତୀୟ ସମ୍ୱିଧାନ । ଏକଥା ତ ଛୋଟ ପିଲା ବି କହିଦେବ, ଏଥିରେ ବିସ୍ମିତ ହେବାକୁ କ’ଣ ଅଛି ?’’

 

‘‘ତା’ବୋଲି କ’ଣ ଆଇନ ଭାଙ୍ଗିଲେ ଦଣ୍ଡ ମିଳିବ ନାହିଁ ?’’

 

‘‘ଆଗ ଆଇନ ଭାଙ୍ଗିଲେ ତ ? ସେଇଟା ଆପଣ ଦେଖିଲେ କୋଉଠି ?’’

 

‘‘ନାଇଁ ନାଇଁ, ଯେ ବିପ୍ଳବ–’’

 

‘‘ବିପ୍ଳବରେ ବିପ୍ଳବ ଅଛି । ସବୁ ବିପ୍ଳବ ଦୋଷାବହ ନୁହେଁ ।’’

 

‘‘ୟେ ସବୁ ଭଙ୍ଗାଭଙ୍ଗି ଦଙ୍ଗାହାଙ୍ଗାମା କଥା । ମୁଁ ଶହେ ଚଉରାଳିଶ୍‍ ଦେବି ।’’

 

ରବି କହିଲା, ‘‘ମାନେ, କୋକୁଆଭୟ ହୁଲର କରିବେ, ଏଇଆ ତ, କଲାବେଳେ କରିବେ, ଏଠି ଲୋକଙ୍କ ସଙ୍ଗେ ଅଝଟ ଲଗେଇ ତାଙ୍କୁ ଚିଡ଼େଇବାକୁ ଚେଷ୍ଟାକଲେ କିଛି ପାଇବେ ନାଇଁ, ଏମାନେ ଡରିବେ ନାଇଁ ।’’

 

‘‘ହଉ, ଚାଲ ତିନିଶ ଦୁଇ ! ଏ ଜାଗା ଭଲ ନୁହେଁ ।’’ କର୍ମଚାରୀ ଉଠି ପଡ଼ିଲେ, ସଙ୍ଗେ ସଙ୍ଗେ ପୁଲିସ୍‍ କନଷ୍ଟବଳ ଦୁହେଁ । ସେମାନେ ଚାଲିଗଲେ ।

 

ଲୋକେ କିଛି କହିଲେ ନାହିଁ, ଖାଲି ଠିଆ ହୋଇ ରହିଲେ ।

 

ରବି କହିଲା, ‘‘ଏମିତି କେତେ ଶୁଣିବାକୁ ପଡ଼ିବ । ସେଥିରେ ଆମେ ବିଚଳିତ ହେଲେ ଚଳିବ ନାହିଁ । ଲୋକେ ଆଗ ଉପରେ ପଡ଼ି ଖୁରି ଲଗାଇ ଦେବେ । ଏପଟୁ ଟିକିଏ ହେଲେ ସେପଟେ ଆହୁରି ଗଣ୍ଡଗୋଳ କରିବାକୁ ତାଙ୍କୁ ଆରା ମିଳିଯିବ । ସେଇ ଖଞ୍ଜ, ଏଠିବୋଲି ନୁହେଁ, ଦୁନିଆସାରା ।’’

 

ଧୋବେଇ ମିଶ୍ର କହିଲେ, ‘‘ସେ ଆରା କରେଇ ନ ଦେଲେ ହେଲା I’’

 

ରବି କହିଲା, ‘‘କରନ୍ତୁ ଯେ ଯାହା କରିବେ । ଆମେ ଭଲକି ଆମ କାମ ଭଲ । ଯାହାକୁ ଯାହା ଭଲ ଲାଗିଲା ସେ ତା’ କହିଲା, ସେଥିକି ଛଳ ନାହିଁ ।’’

 

ଅପର୍ତ୍ତିଆ କୋଡ଼ିଟିଏ ଧରି ବାହାରିଲା । ତା’ପରେ ଧୋବେଇ ମିଶ୍ରେ । ତା’ପରେ ସମସ୍ତେ । ସେମାନେ କାମକୁ ବାହାରିଗଲେ ।

 

ଆରପଟେ ଗଲେ ପୁଲିସ୍‍ କର୍ମଚାରୀ ତିନିହେଁ, ସବଇନିସ୍‌ପେକ୍ଟର ରାମଚନ୍ଦ୍ର ଚଉବଳ, ସମୁଦ୍ର ପନ୍ତା ପାଖ ଦୂର ଗଣ୍ଡ ମଫସଲର ଭାଙ୍ଗିପଡ଼ିଥିବା ପୁରୁଣା ଜମିଦାର ଘରର ବଂଶଧର, ତାଙ୍କ ସାଙ୍ଗକୁ ତିନିଶ ଦୁଇ ନମ୍ବର କନଷ୍ଟବଳ ଚକ୍ରପାଣି ମହାଙ୍କୁଡ଼, ଘର ପାରଳାଖେମୁଣ୍ଡି ଓ ଚାରିଶ ସାତ ନମ୍ବର କନଷ୍ଟବଳ ଅମଳକମଳ ମିଶ୍ର, ତାଙ୍କ ଘର ମୟୂରଭଞ୍ଜ, ବାରିପଦା । ଚଉବଳ ବି.ଏ. ଫେଲ୍, କିନ୍ତୁ ଖେଳ କସରତରେ ତାଙ୍କର ଖ୍ୟାତି ଥିଲା । ବି.ଏ. ଫେଲ୍‍ ହେଲେ ବି ତାଙ୍କ ପ୍ରାନ୍ତର କାହିଁ କୋଡ଼ିଏ ଖଣ୍ଡି ମଉଜା ଭିତରେ ସେ ସବୁଠୁ ବେଶି ଆଧୁନିକ ପାଠରେ ଉଠିଥିଲେ, ଗାଏଁ ଗାଏଁ ଥିଲେ ବହୁତ ଲୋକ, ଯେଉଁମାନେ ପୁରୁଣାକାଳିଆ ପାଠର ଖଣି; କିଏ ସଂସ୍କୃତରେ, କିଏ ଓଡ଼ିଆ ସଂସ୍କୃତ ଉଭୟ ପାଠରେ, ଅଙ୍କ, ଜ୍ୟୋତିଷଶାସ୍ତ୍ର, ବୈଦ୍ୟଶାସ୍ତ୍ର, ନ୍ୟାୟ ନାନା ବିଦ୍ୟାରେ ପଣ୍ଡିତ ଥିଲେ ଅନେକେ, କିଏ କେଉଁ ରାଜାଙ୍କଠୁଁ ସୁନାକୁଣ୍ଡଳ ପାଟଯଥା ପାଇଥିଲେ, କିଏ ଅବା ସୁନାଖଡ଼ୁ । ଲୋକମୁଖରେ ନାଁ ଅଛି, କିଏ କବିକଙ୍କଣ, କିଏ କବିଡିଣ୍ଡିମ, କିଏ କବିରାଜ, କିଏ ତର୍କପଞ୍ଚାନନ । କିନ୍ତୁ ସେମାନେ ଇସ୍କୁଲ କଲେଜ ଦେଖିନାହାନ୍ତି, ସେମାନେ ନୁହନ୍ତି ବି.ଏ. ଫେଲ୍‍, ଇଂରେଜୀହିଁ ଜାଣିନଥିବେ, ଅତିବେଶି ହେଲେ ଶୁଣାଶୁଣିରେ କ୍ୟାଟ୍ ର୍‍ୟାଟ୍‍ ଯାକେ । ସେମାନେ ପୁରୁଣା ମରହଟ୍ଟୀ, ସେକାଳର ତେଲ ଜୁଡ଼ବୁଡ଼, ମଶାଲମାନ, ତାଙ୍କର ଆଉ ମୂଲ୍ୟ ନାହିଁ ।

 

ବି.ଏ. ଫେଲ ହେଇ ତାଙ୍କର ବଡ଼ ଉପାଧି, ଭ୍ରୁଲତା ଟେକି ମୁଣ୍ଡ ହଲେଇ ହଲେଇ ସେହି ମର୍ହଟିଆ ବୁଢ଼ାମାନେ ବି କୁହାକୋହି ହେଲେ–‘ବି.ଏ. ଫେଲ୍ !’ ବାଟରେ ଚାଲିଗଲେ ଚାହାଳି ପିଲାଏ କାବା ହୋଇ ଅନାନ୍ତି । ଏଇ ଚାହାଣି ଆଉ ଦଣ୍ଡବତ ପାଇ ପାଇ ଚଉବଳ ଯେପରିକି ଆପଣା ମର୍ଯ୍ୟାଦା ବିଷୟରେ ନିଶ୍ଚିନ୍ତ ହୋଇଥିଲେ । ଅକ୍ଳେଶରେ ସେ ପୁଲିସ୍‍ ସବ୍ଇନିସ୍‌ପେକ୍ଟର ହୋଇପାରିଲେ, ଘୋଡ଼ା ଚଢ଼ିଲେ, ବନ୍ଧୁକ ଫୁଟାଇଲେ, ପୋଷାକ ପିନ୍ଧି ଦଣ୍ଡବତ ଦେଲେ ଆଉ ନେଲେ, ସମୟ ଖର୍ଚ୍ଚ କରି ନିଶ ପଜେଇଲେ, କେତେଠୁଁ କେତେ ପ୍ରକାର ନିମନ୍ତ୍ରଣ, ଆଦର ଅଭ୍ୟର୍ଥନା ପାଇଲେ । ମନ ଫୁଲିଉଠିଲା ।

 

କିନ୍ତୁ ଠିକ୍ ସେତିକିବେଳେହିଁ ଲାଗିଗଲା ଅଡ଼ୁଆ–ଯେ ଏହି ସାଧାରଣ ମଳିମୁଣ୍ଡିଆ, ଯାହାଙ୍କ ଉପରେ ନିର୍ଭର କରି ତାଙ୍କର ଅଧିକପଣର ମେଢ଼ ଠିଆ ହୋଇଛି–ସେହି ସାଧାରଣ ମଳିମୁଣ୍ଡିଆର ବି ଛଳ ଅଛି, ତା’ ପ୍ରାଣକୁ ବି କାଟେ, କାଟିଲେ ସେହି ଦୁଃଖ ଅପମାନ ତଳେ ତା’ର ଭୟ କୁଆଡ଼େ ପାସୋରିଯାଏ, ସେ ଓଲଟି ଚୋଟ ହାଣିବାକୁ ଆସି ପହଞ୍ଚେ ।

 

ଲାଗିଗଲା ଅଡ଼ୁଆ, ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇ ବେନାମୀ ଆଦେଶନାମା ଦରଖାସ୍ତ ପଡ଼ିଲା, ତା’ପରେ ନାଁଦେଇ ଲୋକେ ଦରଖାସ୍ତ କଲେ, କିଏ କେତେ ତାଙ୍କ ବିରୁଦ୍ଧରେ ତୁଣ୍ଡରେ କହିଲେ । ଘଟନା ଦରିଆପଟହେଲା, ଅଡ଼ୁଆରେ ଅଡ଼ୁଆରେ ବର୍ଷ ଉତ୍ତାରୁ ବର୍ଷ ଗଡ଼ିଗଲା, ତାଙ୍କ ତଳୁ କେତେ ଲୋକ ବଡ଼ ପଦ ପାଇଲେ, ତାଙ୍କର ଆଉ ବଡ଼ତି ହେଲାନାହିଁ ।

 

ଚଉବଳ ଚାରିଆଡ଼େ ଏକ ଶସ୍ତା ଅପପ୍ରଚାର ଚଳେଇ ଲାଗିଲେ ଯେ ଦେଖ ସବୁ ହୁଗୁଳା ହୋଇଗଲା, ଧୁଆମୂଳା ଅଧୁଆମୂଳା ବୁଝାଇବାକୁ କେହି ଲୋକ ନାହିଁ, ସବୁ ସମାନ । କି କାଳହେଲା, ମଣିଷ ଚୋରକୁ ବି କହିବ ଆପଣ, ବିନୟୀ ହୋଇ ଅଳି କରିବ–ଆଜ୍ଞା, ଆପଣ କ’ଣ ଚୋରି କରିଛନ୍ତି ? ନାହୁଡ଼ ନାହିଁକି ବିଷ-ଦାନ୍ତ ନାହିଁ, ମଣିଷ ରାଇଜ ପାଳିବ କେମିତି ? ମାତନ୍ତୁ ଗୁଣ୍ଡା କି ଚୋର, ମଣିଷ କ’ଣ କରିବ ?

 

ଶୁଣିଲାବାଲାଙ୍କ ଭିତରୁ ଆଉ କେତେ କ’ଣ ବି ମୁଣ୍ଡ ଟୁଙ୍ଗାରନ୍ତି ଆଉ କହନ୍ତି, ସତେ ତ, କି କାଳ ଆସି ହେଲା ! ଏ ରାଜ୍ୟରେ ନ୍ୟାୟ ନାହିଁ !

 

ଚଉବଳ ଯେପରିକି ଶିକୁଳିରେ ବନ୍ଧା ଅରଣା ହାତୀ, ଖାଲି ନିଷ୍ଫଳ ଗର୍ଜନହିଁ ସାରହେଲା-। ପୁରୁଣାକାଳିଆ ଜୁଲୁମ୍‌ଦାର ପୁଲିସ୍‍ର ମନୋଭାବ ନେଇ ଚାକିରିଜୀବନ ଆରମ୍ଭ କଲାସରିକି ସମୟଟା ବଦଳିଗଲା, କେତେ ମାମୁଲି ବୁଡ଼ିଗଲାପରି ଆଗେ ମିଳୁଥିବା ଦଣ୍ଡବତରୁ ବାରପଣ ବି କୁଆଡ଼େ ଉଭେଇଗଲା, ହେରେମା କାମକଲେ ପିଠିରେ ପଡ଼ିବାକୁ କେହି ନାହିଁ, ଏଣେ ପଦାରେ ଲୋକେ ଅମାନିଆଁ ଅଥଚ କାମର ଧୁମ୍ ବେଶି, ଘରେ ଘରେ ସମସ୍ୟା ।

 

ହାତସୁଖ ସାଧିବାକୁ କେବେ କଦବା ବେଳ ଆସି ପହଞ୍ଚେ, ହେଇ ସେଥର ଯେପରି ବଡ଼ ସହରରେ ଘଟିଲା, ଲୋକେ ଯେତେବେଳେ ପାଟିତୁଣ୍ଡକରି ଉଠିଥିଲେ ଯେ ଯେତେ ଯେତେ ଗାଁରେ ସହରରେ ଓଡ଼ିଆ ଲୋକ ଖୁନ୍ଦି ହୋଇଥିଲେ ବି ସେଗୁଡ଼ା ଅନ୍ୟପ୍ରଦେଶରେ ମିଶିଛି, ଓଡ଼ିଆ ଲୋକଙ୍କୁ ବାଧ୍ୟରେ ପଡ଼ି ଅନ୍ୟଭାଷା ପଢ଼ିବାକୁ ହେଉଛି, ନାନା ହରବର ସହିବାକୁ ପଡ଼ୁଛି, ସେସବୁ ଗାଁ ଆଉ ସହର ଓଡ଼ିଶା ପ୍ରଦେଶରେ ମିଶାଇ ଦିଆନଗଲେ ଓଡ଼ିଶାକୁ ଅପମାନ । କିଏ ତାଙ୍କୁ ମତେଇଲା ଯେ ଏକାଠି ହୋଇ ବାଲିପଡ଼ିଆରେ ବସିକି ସଡ଼କେ ସଡ଼କେ ବୁଲି ଖୁବ୍ ବଡ଼ପାଟିରେ ଏସବୁ କଥା କହିଲେ ବିଚ୍ଛିନ୍ନ ଅଞ୍ଚଳ ଓଡ଼ିଶାରେ ମିଶିଯିବ । ଆଉ କିଏ କହିଲା, ଯାତ୍ରୀବାହୀ ରେଲ୍‌ଗାଡ଼ିକି ଯିବାକୁ ଛାଡ଼ି ନ ଦେଇ ତା’ ଆଗରେ ଠିଆ ହୋଇ ଏମିତି ଏକାଠି ପାଟି କଲେ ବିଚ୍ଛିନ୍ନାଙ୍ଗୀ ଓଡ଼ିଶା ପୂର୍ଣ୍ଣାଙ୍ଗୀ ହେବ । ଲୋକ ଏକାଠି ହେଲେ, ସଭା ସମିତି ଓ ବକ୍ତୃତା ହେଲା, ଇସ୍କୁଲ ଛାଡ଼ି ପିଲାଏ ପାଟି କରିକରି ବୁଲିଲେ, ଦୋକାନ ପଡ଼ିଗଲା । ସେତିକିବେଳେ ଖଲ ଖଲ ହେଉଥିବା ହାତକୁ ଯେମିତିକି ଟିକିଏ ବାଗ ମିଳିଗଲା । ତା’ ବି ଏକା ଥରକେ ହେଲା କେଉଁଠି ? ମାଙ୍କଡ଼ା ଛୁଆକୁ ଠେଙ୍ଗେଇ ଦେଇ ଗୁଳି ଚୋଟରେ ତାଙ୍କ ଭିତରୁ ଜଣେ ଅଧଙ୍କ ମୁଣ୍ଡ ଖପୁରି ଉଡ଼େଇ ଦେଇସାରିଲାପରେ ରକ୍ତଦେଖି ଲୋକେ ଓଲଟି ରକ୍ତମୁହାଁ ହେଲେ, ରେଲ ଟେସନ ଜାଳିଲେ, ପୁଲିସ୍‍ ଥାନା ଜାଳିଲେ, ଚଲେଇ ଦେଲେ ବୟାଳିଶି ବିପ୍ଳବପରି କିଛି । ଚାଲିଲା ଏ ବାଟେ ଆତ୍ମରକ୍ଷାପାଇଁ ଚେଷ୍ଟା ଚଇତନ । ସ୍ଵୟଂ ବଡ଼ ହାକିମ ଶାଢ଼ି ପାଲଟି ଓଢ଼ଣା ପକାଇ ନିଶ ଘୋଡ଼ାଇ ଆଠ ମାସର ଗର୍ଭିଣୀ ବୋହୂ ମାନତା ଲୋକଙ୍କ ଆଗରେ ଯେମିତି ଚାଲେ–ଏଣେ ଲାଜ ସଂକୋଚ, ତେଣେ ଅଶକତ ଅବସ୍ଥା, ସେହିପରି ଜୀବନ ଘେନି ପଳାଇ ଆଉଠେଇଁ ରହିଲେ, କିଏ କେଉଁ ବେଶ ଫୋପାଡ଼ି କେଉଁ ବେଶ ଧରିଲା, କିଏ କେଉଁଠି ଲୁଚିଲା, କିଏ ଗଛ ଅଗରେ, କିଏ ପୋଖରୀ ମଝିରେ, ଗରଜି ଗରଜି ଉତ୍ତ୍ୟକ୍ତ ମଣିଷ ବୁଲିଲେ । କିନ୍ତୁ ତା’ପରେ, ଯେତେବେଳେ ପଦାରୁ ଫଉଜ ଦଳ ଆସିଗଲେ, ସେତେବେଳେ ଅବସ୍ଥା ଓଲଟିଗଲା । ହାତସୁଖ ସାରିବାକୁ ସୁବିଧା ମିଳିଥିଲା ସେତେବେଳେ । ମନଇଚ୍ଛା । “ନେ ତୋର ଷଢ଼େଇକଳା-ନେ ତୋର ଖରସୁଆଁ-!’’ ଗୁମ୍ ଗାମ୍ । ଝିଙ୍କା ଓଟରା । ଢେଙ୍କାନାଳି । ମୃଦଙ୍ଗ ଘର । ଜିପ୍ ଗାଡ଼ିରେ ଚଢ଼ି ବନ୍ଧୁକ ଉଞ୍ଚେଇ ଧରି ଦିନରାତି ବଜାରଯାକ ରାସ୍ତାଯାକ ତୁହାଇ ତୁହାଇ ପଇଁତରା । ହେଇ ବଡ଼ ଛକ ହାଡ଼ି ସାହି-ଦେଉଳସାହି-ଛାତି ଫୁଲି ଉଠୁଥାଏ, ହାତ ଆହୁରି ଖଲଖଲ–ଯେ ପଡ଼ୁ ହାବୁଡ଼େ ଆଚ୍ଛାକରି ପାନେ ଜବତ ।

 

କିନ୍ତୁ ବେଶିଦିନ ନୁହେଁ, ସତେକି ଚରୁ ଚରୁ ମୁହଁରେ ତୁମ୍ବି ବନ୍ଧା ହୋଇଗଲା । ଆଗପରି ସେମିତି ସେ ପୋଷାକ ଅଛି, ଖାକି, ବୁଟ, ସଙ୍ଗୀନ୍, ପଗଡ଼ି, ସେଇ ହାକିମମାନେ ଅଛନ୍ତି, ସେଇ ଯେ ଗୁଳି ଫଏର କରିବାକୁ ଅର୍ଡ଼ର ଦେଇଥିଲେ, ଆଉ ହେଇ ସେ ଆରକ ବୁଢ଼ା ଲୋକ, ନାମାବଳୀ ପକାନ୍ତି, କିନ୍ତୁ ଧର୍‌ମାର୍‌ ଫଉଜ ଆଗରେ ଗାଡ଼ିରେ ବସି ଗଲାବେଳେ କେମିତି ଲୁହାର ଖୋଳପରି ସେ ମୁହଁର ଆଁସ ବାରି ହୁଏ, ଆଖିରେ ଥମ୍ବିଲା ତୋଫାନ, ଗଡ଼ଜାତ ପ୍ରଜାମେଳିବେଳେ ଗୁଳି ଫଏର ବେଳର ଛବି, କାଳିଚା ଟାଙ୍ଗରା ପାହାଡ଼ ମୁଣ୍ଡିଆ ଉପରେ ବଣ ପୋଡ଼ିଲା ନିଆଁ ଧାରଟିଏ ଚହଟିଲାପରି ସେ ମୁହଁର ଠାଣି । ଅଛନ୍ତି ସେମାନେ ସେମିତି, କିନ୍ତୁ କେହି କିଛି କରିପାରୁନାହିଁ, ଛାତି ଫୁଲେଇ ଝିଙ୍ଗାସି ଝିଙ୍ଗାସି, ନାନାକଥା କହି ଚାଲିଛନ୍ତି ସହରର ସାଧାରଣ ଲୋକେ-କିଏ ଦୋକାନୀ, କିଏ ବ୍ୟବସାୟୀ, କିଏ ରିକ୍‌ସାବାଲା, କିଏ ମେହେନ୍ତର, କିଏ କ’ଣ । କେହି ପିଠିରେ ପଡ଼ିଲେ ନାହିଁ । ଓଲଟି ଏପରି ହେଲା ଯେ ଗୁଳି ଚୋଟରେ ଯେ ମରିଥିଲେ ତାଙ୍କୁହିଁ ସମ୍ମାନ ଦେଖାଇ ସଭାରେ ବକ୍ତୃତା ଦିଆହେଲା, ତାଙ୍କରି ନାଁରେ ସ୍ମୃତିମନ୍ଦିର ତୋଳାହେଲା, ଶୁଭ ଦେବାକୁ ଆସିଲେ ହାକିମଙ୍କର ହାକିମଙ୍କର ହାକିମଙ୍କର ହାକିମ, ସ୍ୱୟଂ ମନ୍ତ୍ରୀ ।

 

କ୍ରମେ କ୍ରମେ ଟୋକାଳିଆ ଧାରଣା ବଦଳିଗଲା । ଚଉବଳ ଧୀରେ ଧୀରେ ବୁଝିଲେ, ଦାୟିତ୍ୱପାଇଁ ଅତିଦୀର୍ଘ ପରିସର, ହାକିମାତିପାଇଁ ସଙ୍କୁଚିତ, ଜୁଲୁମ୍‍ପାଇଁ ଆଦୌ ନାହିଁ । କେବେ ଇଂରେଜ ଥିଲାବେଳେ ପୁଲିସ୍‍ ଥିଲେ ମୂଳ ଶକ୍ତି, କାରଣ ତାଙ୍କରି ବାହାବଳ ଉପରେ ଥୁଆ ହୋଇଥିଲା ଇଂରେଜର ସାମ୍ରାଜ୍ୟ, ଶାସନର ପ୍ରଧାନ କାମ ହୋଇଥିଲା ଆଇନ୍ ଓ ଶୃଙ୍ଖଳା ରକ୍ଷା, ସେଥିପାଇଁ ଭାର ରହିଥିଲା ପୁଲିସ୍‍ ଓ କଚିରି ଉପରେ । ସେତେବେଳର ମୁନ୍‌ସି, ଦାରୋଗା, ସୁପ୍ରେଣ୍ଟ୍‍ ଆଜି ଯେପରିକି ଆଇମା’ କାହାଣୀର ମଣିଷ, ସେଭଳି ଚରିତ୍ର ଆଉ ନାହାନ୍ତି । ଦେଶ ସ୍ୱାଧୀନ ହେଲା । ସ୍ୱାଧୀନ ଦେଶର ପୁଲିସ୍‍ର ଦାୟିତ୍ୱ କମ୍ ନୁହେଁ, ବରଂ ଆଗଠୁ ଆହୁରି ବେଶୀ, କିନ୍ତୁ ସେ ସର୍ବେସର୍ବା ନୁହନ୍ତି, ସେ ଏକମାତ୍ର ନୁହନ୍ତି । ସାଧାରଣ ଲୋକଙ୍କ ହାତକୁ କ୍ଷମତା ଆସିଛି, ବୁଦ୍ଧି ଥିଲେ ସେ ବି କ୍ଷମତା ଜାରି କରିପାରିବ, କିଛି ନ କଲେ ଏଣେ କର୍ତ୍ତୃପକ୍ଷଙ୍କ ପାଖକୁ ଦରଖାସ୍ତ ପଠାଇ ପାରିବ, ତେଣେ ରାଜ୍ୟସଭା ଘରେ ପ୍ରଶ୍ନ ପଚାରିବାପାଇଁ କେଉଁ ଲୋକପ୍ରତିନିଧିଙ୍କ ଜରିଆରେ ଚେଷ୍ଟାକରିପାରିବ, କ୍ଷତି ନ କରିପାରିଲେ ବି ଅଡ଼ୁଆ ଲଗାଇ ଦେଇପାରିବ ।

 

ଚଉବଳଙ୍କର ଧୀରେ ଧୀରେ ତା’ ବି ଅଭ୍ୟାସ ହୋଇଗଲା, କିନ୍ତୁ ବେଳେ ବେଳେ ଅସ୍ଥିର ଲାଗେ, ହାତ କଟକଟ କରେ, ମନ ରବେଇ ଖବେଇ ହୁଏ । ତା’ପରେ ହୋସ୍ ଆସିଲାବେଳକୁ ପଶ୍ଚାତ୍ତାପ କରନ୍ତି ।

 

ସେ ଜାଗା ଛାଡ଼ି ବାହାରି ଆସିଲା ଉତ୍ତାରୁ ମୁଣ୍ଡର ତାତି ଖସି ଆସୁଥିଲା । ବୃଥା ଆସ୍ଫାଳନ-ଦୋଷ ନ ଦେଖିଲେ କାହାର ସେ କ’ଣ କରିପାରିବେ ! ମେଳନ ପଡ଼ିଆରେ ପିଟାପିଟି ହୋଇଗଲା, ମକଦ୍ଦମାଟିଏ ଠିଆ କରିବାକୁ ସାକ୍ଷୀ ବାହାରିଲେ ନାହିଁ, ଆଉ ଏଠି ଗାଁ ମେଳି ହୋଇଛି, ଅଳ୍ପ କେତେଜଣ ତା’ ବାହାରେ ଥିବେ ଅବା, କିନ୍ତୁ କ’ଣ କରିହେବ ?

 

‘‘କ’ଣ କରି ମଧ୍ୟ ଲାଭ କ’ଣ ? ନା କ’ଣ କହୁଚ ଥ୍ରି ନଟ୍ ଟୁ !” ସେ ଗମ୍ଭୀର ହୋଇ କହିଲେ, “ସମୟ ତ ଯେପରି ଦେଖୁଚ, କେଉଁ କଥାଟି ସ୍ଥିର ? ଆଜି ଯାହାକୁ ସାମାନ୍ୟ ଆନ୍ଦୋଳନବୋଲି ଭାବୁଛ, କାଲି ଯେ ସେ ଏ ଦେଶର ଚଳଣିର ଧାରା ନ ହେବ, ତା କିଏ କହିବ-? ଆଜି ଯେ ଖାଲି ଲୋକ ଭେଳୋଉଚି, କାଲି ସେ ଯେ ମନ୍ତ୍ରୀ ନ ହେବ ତା’ କିଏ କହିବ-?’’

 

ଚକ୍ରପାଣି ମହାଙ୍କୁଡ଼ କହିଲେ, ‘‘ଆଜ୍ଞା ହୋଇଚି ସେ କଥା, ଲୋକପ୍ରତିନିଧି ହେବାକୁ ସମସ୍ତିଙ୍କର ବାଟ ଅଛି, ଥରେ ହେଲେ ତେଣିକି ମନ୍ତ୍ରୀ ବି ତା’ରି ଭିତରୁ ହେବେ–’’

 

“ସମସ୍ତିଙ୍କର ବାଟ କାହିଁ ? ଆମର କ’ଣ ବାଟ ଅଛି ?’’

 

‘‘ଚାକିରିରେ ଥିଲାଯାକେ ନାହିଁ ସାର୍, ଚାକିରି ଛାଡ଼ିଦେଲେ ଲୋକପ୍ରତିନିଧି ହେଇହେବ, ଆମରି ଭିତରୁ ତ ଲୋକେ ହେଇଚନ୍ତି । କିଏ ନ ହେଇଚି ? ଘୋଡ଼ା ସହିସ ହେଇଚି, ରାଜା ହେଇଚି, ଲୋକେ ଯାହାକୁ କହୁଥିଲେ ୟେ ଲୋକଙ୍କ ନିଶ ଓପାଡ଼ୁଥିଲା, ପିଠିରୁ ଛାଲ ଛଡ଼ୋଉଥିଲା, ସେ ବି ହେଇଚି, ଯାହାକୁ କହୁଥିଲେ କଳାବଜାର କରୁଥିଲା, କିଳାପୋତେଇ କରୁଥିଲା ସେ ବି ହେଇଚି, ଆଉ ସନ୍ଥ ବାବାଜି ବି ଲୋକପ୍ରତିନିଧି ହେଇଚନ୍ତି । ସବୁ କପାଳ କଥା ଆଜ୍ଞା, ମଣିଷର ପ୍ରାରବ୍‌ଧ । ଯାହାକୁ ଯେତେବେଳେ ଯାହା ଯୋଗ ପଡ଼େ-’’

 

ଅମଳକମଳ ମିଶ୍ର କହିଲେ, ‘‘କିଏ କାହା ବାରିରୁ କଦଳୀ କାନ୍ଦିଏ କାଟିନେଲା ତ ଆମେ ଗାଁ ଗାଁ ଏନ୍‌କୁଆରି କରି ବୁଲୁଚୁ, ଆଉ ତେଣେ ଲକ୍ଷ ଲକ୍ଷ ଟଙ୍କା ଲୁଟିନେବା ଫିକରିରେ ବଡ଼ ମଣିଷ ଯନ୍ତା ବସେଇଚନ୍ତି, ସେଇମାନେ ଫେର୍ ପରକୁ ହୁକୁମ ଚଲୋଉଚନ୍ତି । ଏଇଆ ଦେଖି ଦେଖି ତ ରାଇଜ ଲୋକଙ୍କର ସବୁକଥାକୁ ଅମାନ୍ୟ ଅବିଶ୍ଵାସ ଘୋଟିଚି, କିଏ ଅଳ୍ପ ଦୋଷରେ କି ବିନା ଦୋଷରେ ହରବର ହେଲାବେଳକୁ ଆଉ କିଏ ସେ ଦୋଷରେ ବୁଡ଼ି ପାକଳ ହୋଇ ତା’ର ଜୟଜୟକାର ଉଡ଼ୁଚି । ଅବାଟକୁ ଆକଟ କ’ଣ, ଓଲଟି ସେଥିକି ଜାଣି ପୁରସ୍କାର । ଏଥିରେ କିଏ କାହା କଥା ମାନିବ, କାହିଁକି ମାନିବ ? ଆମେ ଯେତେବଡ଼ ପାଟିକରି ଲୋକଙ୍କୁ ବୁଝାଇଲେ ବି ସେମାନେ ଆମ କଥାରେ ବିଶ୍ୱାସ କରିବେ କାହିଁକି ?

 

ଚଉବଳ କହିଲେ, “ସତ ଯେ, ଆମେ ଏଗୁଡ଼ା ଆଲୋଚନା କରିବାର ନୁହେଁ, ଆମେ ହେଲେଇଁ ଚାକିରିଆ ଲୋକ । ତେବେ ଏଇ ଦେଖ ଏଇ ଗାଁ କଥା, ଦଳଟାଏ ଗଢ଼ା ହେଇଚି, ଦେଖିଲେଇଁ ଜାଣିଲେଇଁ, ଭାରି ଟାଣୁଆ ଦଳ, ଏମାନେ କାହାକୁ ମାନୁ ନାହାନ୍ତିକି ଡରୁ ନାହାନ୍ତି । ଆମେ ତ ଦେଖୁଚୁ ଜାଣୁଚୁ ସବୁ, ଶହେ ସାତକି ଶହେ ଚୌରାଳିଶି ଯାହାକିଛି ଗୋଟାଏ ଆରମ୍ଭ କରିଦେଲେ କ’ଣ ହେବ ? ପ୍ରମାଣ କରିବ କ’ଣ ? ପରେ ମିଛରେ ନିଜେ ଲାଜରା ହେବା କଥା–’’

 

ଚକ୍ରପାଣି ହାତ ଦେଖାଇ କହିଲେ, “ହେଇ ଅନାନ୍ତୁ ସାର୍, ସେଠି କ’ଣ କଲେଣି । କ’ଣ ଥିଲା ସେ ଜାଗା, ଏବେ କ’ଣ ହେଲାଣି ! କେତେ ପିଲା ସେଠି ପାଠପଢ଼ୁଚନ୍ତି, ଲାଗୁଚି ଯେମିତିକି ଗାଁ ଗୋଟାକଯାକ ସବୁ ପିଲା ଏଠି ରୁଣ୍ଡ ହୋଇ ପଢ଼ା ଲଗେଇଚନ୍ତି । ସବୁ ଗାଁରେ ଏମିତି ହୁଅନ୍ତାକି-!’’

 

ପିଲାଙ୍କ ପାଟି ଶୁଭୁଛି । ସେଥିରେ ଅଦ୍ଭୁତ କ୍ଷମତା । ତିନିଜଣଯାକ ଠିଆ ହୋଇ ରହି ତେଣିକି ଚାହିଁଲେ । ଆଗେ ତୋଟା ତଳେ ସେଠି ଗୋଟାଏ ଅରମା ଥିଲା । ସଫା ହୋଇଯାଇଛି, କିଆ କଂସାରି ବାଘନଖୀ ଆଉ ଭଇଁଚି କୋଳି, ସବୁ । ତୋଟା ତଳ ତଞ୍ଛାତଞ୍ଛି ଲିପାପୋଛା ହୋଇ ପ୍ରକାଣ୍ଡ ସମତଳ । ତା’ କରେ କରେ ଲୁଗାର ଫୁଲଧଡ଼ିପରି ଫୁଲ ବଗିଚା । ମଝିରେ ମଝିରେ ଗଛମୂଳେ ଢିପ ହୋଇ ଢିପ ଉପରେ ଶିକ୍ଷକ ବସିଛନ୍ତି । ସାମ୍ନାରେ ପିଲାଏ । ସେ କରେ ଲମ୍ବ ହୋଇ ଧାଉଡ଼ିଏ ଇସ୍କୁଲ ଘର ବି ଅଛି । କିନ୍ତୁ ପାଠପଢ଼ା ହେଉଛି ତୋଟାତଳେ ଗଛ ଛାଇରେ ।

 

କନଷ୍ଟବଳ ଅମଳକମଳ ମିଶ୍ର କହିଲେ, “ହେଇ ଗଛପାଖେ ସେ ଯେଉଁ ଶୁକୁଟା ପିଲାଟି, କାନରେ ନୋଲକ ପିନ୍ଧିଛି, ଅବିକଳ ମୋରି ବାଳୁଙ୍ଗା ବକଟକପରି । ମୋର ତ ଏଠି ବାରଦୁଆର ଶୁଣ୍ଢିପିଣ୍ଡା ହେଉ ହେଉ ଦିନ ଯାଉଚି, ଘରେ ସେ ଡେଉଁଚିକି ଚାହାଳିରେ ବସୁଚି କିଏ ଦେଖୁଚି ।’’

 

କନଷ୍ଟବଳ ଚକ୍ରପାଣି ଦୀର୍ଘନିଶ୍ୱାସ ପକାଇ କହିଲେ, “ମୋର ବି ସେଇ ଦଶା–’’ ଚଉବଳ ବି ସେହିକଥା ଭାବୁଥିଲେ । ତୁଣ୍ଡରେ ନ କହନ୍ତୁ, କିଭଳି ପରିବର୍ତ୍ତନ ଏ ଗାଁରେ ହୋଇଛି, ତା’ତ ବାଟେ ବାଟେ ଆଖିରେ ବାରି ହୋଇ ପଡ଼ୁଥିଲା । ପୁରୁଣା ଘର ମଠାମଠି ହୋଇଛି । ଧାଡ଼ି ଧାଡ଼ି ନୂଆ ଘର । ଓସାର ପିଣ୍ଡା, ଚିକ୍‍କଣ କାନ୍ଥ, ପିଣ୍ଡାରେ କାନ୍ଥରେ ସୁନ୍ଦର ଚିତା ପଡ଼ିଛି । ଘର ସାମ୍ନାରେ ଗୁହାଳ ନାହିଁ, ଲିପାପୋଛା ହୋଇ ଫରଚା ଦାଣ୍ଡ-ଅଗଣା, ଚଉଁରା, ଘର ଆଗରେ ଫୁଲ ବଗିଚା । କେଉଁ ଘରଟା ଖଣ୍ଡିଆ ଖାବରା ନୁହେଁ, କାହାରି କାନ୍ଥ ଫାଟି ନାହିଁକି ଚାଳ ଦବି ନାହିଁ । ଏଇ ମାସରେ ନୂଆ ହୋଇ ଛୁଆଣି ସରିଥିବା ଘରର ଚାଳ ସୁନା ପରି ଝଟକୁଛି, ଖଣ୍ଡେ ଦୂର ଛଡ଼ାରେ ଚାରି ଦିଗକୁ ମୁହଁକରି ଚାରି ଧାଡ଼ି ହୋଇ ବଡ଼ ବଡ଼ ଗୁହାଳ ଘରମାନ, ସେଥିରେ ବି ଝରକା । ଛାଇ ତଳେ ଖତକୁଢ଼, ତା’ ଉପରେ ବି ଘୋଡ଼ଣି । ଠାଏ ଠାଏ ମସ୍ତ ବଡ଼ ବଡ଼ ବାରି, ବହୁତ ଫରଚା, ଠାଏ ଠାଏ ପ୍ରକାଣ୍ଡ କ୍ଷେତ ଚକଡ଼ାମାନ, ତା’ ମଝିରେ ସାନ ସାନ ହିଡ଼ ନାହିଁ । ତହିଁରୁ କେତେଟା ହଳ ହୋଇସାରି ଖତପଡ଼ି ବିହନ ବୁଣିବାକୁ ତିଆରି ହୋଇ ରହିଲାଣି । ତା’ପରେ ପୁଣି ଏଇ ଇସ୍କୁଲ ।

 

ସେମାନଙ୍କୁ ଅଟକି ରହିବା ଦେଖି ଗାଁର ଜଣେ ବୁଢ଼ା ପାଖକୁ ଆସି କହିଲେ, “ଚାଲନ୍ତୁ ଟିକିଏ ଦେଖିଯିବେ ଆଜ୍ଞା, ପିଲାଙ୍କୁ କିଛି କହିଯିବେ-ମାଣେ ବିଲରେ ଭାରତ ଦେଶଟାର ନକସା କଟା ହୋଇଛି । ଭଲପାଇଁ କରିବା କଥା ତ, ଦଶ ଜଣଙ୍କ ବୁଦ୍ଧି ଏକାଠି ହେଲେ ଯାହା ହୁଏ, ଆଉ କ’ଣ ?”

 

ଦେଖିଯିବାକୁ ଚଉବଳଙ୍କର ଇଚ୍ଛା ହେଉଥିଲା; କିନ୍ତୁ ଗାଁର ଜଣେ ଠିକ୍ ସେହିକଥା କହିଦେବାରୁ ସେ ଇଚ୍ଛା ବନ୍ଦ ହୋଇଗଲା, ଓଲଟି ମନଭିତରେ ବିରୋଧ ଭାବ ଉପୁଜିଲା । କହିଲେ–‘‘ପିଲା ଗୋଠେ ତ ପାଠ ପଢ଼ୁଛନ୍ତି, ଆଉ ଯାଇ ଅଧିକ କ’ଣ ଦେଖିବି ? ଏଇ ମନ ସବୁଦିନେ ରହିଲେ ହେଲା । ନ ହେଲେ ଆରଥରକୁ ଆସି ଦେଖିଲାବେଳକୁ ଦିଗଣ୍ଡା ପିଲା ଥିଲେ ବହୁତ–’’

 

‘‘ଅଘୋର ଦୁଆରି ସମସ୍ତେ ଆସୁଛନ୍ତି ଆଜ୍ଞା, ଦିଓଳିଯାକ କେହି ଜଣେ ବାଦ ପଡ଼ୁନାହିଁକି କାହାରି ଘରେ କେହି ନ ଆସୁଛି ଏମିତି ନୁହେଁ । ଅଇଛା ହେଲେଣି ଦେଢ଼ଶ ପିଲା, ଆଖ ପାଖରୁ ଆହୁରି ଆସୁଛନ୍ତି । ଖେଳ, ପାଠ, କାମ, କେତେକଥା ଶିକ୍ଷା ଦିଆହୁଏ । ଗାଁର ସବୁ କାମ ତ ଆଗ ଶିଖନ୍ତି, ବିଲକାମ, ବଢ଼େଇ, କମାର, ତନ୍ତୀ, କୁମ୍ଭାର, ତେଲି ଯେତେ ବୃତ୍ତି, ବୟସ ଘେନି, ବୁଦ୍ଧି ଘେନି, ଯେ ଯାହା ଶିଖି ପାରିଲା, ସେମିତି । ଗାଁରେ ଯେ ଯାହା ଜାଣେ ସେ ଆସି ପିଲାକୁ କହେ, ବୁଝାଏ । ଅଇଛା ଆପଣ ଆସିଛନ୍ତି, ଆପଣ ବି ଦି’ଟା ନୂଆ କଥା ଶିଖେଇ ଦେଇଯାଆନ୍ତେ–’’

 

“ହଉ ହଉ, ଦେଖିବା ପରେ କେବେ–’’

 

ସେମାନେ ଚାଲିଗଲେ ।

 

ବାଟରେ ଠାଏ ହଳ ହେଉଛି । ତା’ ପଛକୁ ତା’ ପଛ ତିନି ଥାକ ହୋଇ ଏକାଠି ପନ୍ଦର ହଳ ।

 

ମହାଙ୍କୁଡ଼ ସେହିଆଡ଼କୁ ହାତ ଦେଖାଇ କହିଲେ-‘‘ବାପ୍‌ରେ !’’

 

ମିଶ୍ରେ କହିଲେ, “ଆମ ଆଡ଼େ ଆଦିବାସୀଙ୍କର ବି ସ୍ଥାନେ ସ୍ଥାନେ ଏମିତି, ଏକାଠି ମିଳିମିଶି କଲେ ଭଲ ହଳ ହୁଏ ।’’

 

ଚଉବଳ କହିଲେ, ‘‘ଜଣେ ଲୋକର ବଳ ଅପେକ୍ଷା ଦଶ ଜଣଙ୍କ ବଳ ବେଶି । ଆପଣା ଏକୁଟିଆ ଚାଷ ଅପେକ୍ଷା କୋଠଚାଷ ଆହୁରି ଭଲ । ସବୁ ଭଲ ଯେ ସବୁ ଦିନେ ଏ ମନ ଏ ମେଣ୍ଟ ରହିଥିଲେ ସିନା ! ଦି’ଦିନ ଗଲେ ତ କଳି ଲାଗିଯିବ । ସେ କହିବ ୟେ ଖାଇଗଲା ମତେ ଦେଲା ନାହିଁ, ଯେ କହିବ ମୁଁ କାହିଁକି କାମ କଲି ସେ କାହିଁକି ବସିଲା, ଆଉ ଜଣେ କହିବ ମତେ କାହିଁକି କମ୍ ମାନତା ହେଲା ତାକୁ କାହିଁକି ବେଶି ହେଲା । ସେଇଠୁ ଗୋଟି ଗୋଟିକରି ଲୋକେ ଫିଟି ପଡ଼ି ଅଲଗା ହୋଇଯିବେ । ସବୁଠି ସେମିତି ହେଇ ଆସିଚି, ମଣିଷ ପ୍ରକୃତିର ଏମତି, ଦି’ଦିନର ହୋ’ରୁ କ’ଣ ମିଳିବ ? ଚାଲ ଆମର-’’

 

ମହାଙ୍କୁଡ଼ କହିଲେ, ‘‘ମଣିଷଙ୍କ ହୃଦୟଟା ଡାକୁଥାଏ ଏକ ହେବାକୁ, କିନ୍ତୁ ଆପଣା କଲା କାମଟା ତା’ ନାଖି ହୋଇପାରେନାହିଁ, ଜଣକଠୁଁ ଆଉ ଜଣକୁ ଫଟେଇ ଫଟେଇଦିଏ ।’’

 

ଅମଳକମଳ ମିଶ୍ର ମୁଣ୍ଡ ଟୁଙ୍ଗାରିଲେ, କହିଲେ, “ସତକଥା, କେହି କଳି କରିବାକୁ ଖୋଜେନାହିଁ, ଅଶାନ୍ତି ଚାହେଁନାହିଁ । କିଏ କ’ଣ ସତରେ ମନ କରୁଥାଏ ପରକୁ ନହୁନୁହାଣ କରିବବୋଲି ? ପରର ଜୀବନ ନେବବୋଲି ? କ’ଣ କେମିତି ହେଇଯାଏ ଏଇ ମଣିଷ ସେତେବେଳେ ପଶୁଠୁଁ ବଳିଯାଏ, ପୁଣି ଆର ଘଡ଼ିକୁ ଆଉ କିଛି ନାହିଁ ।’’

 

ଚଉବଳ କହିଲେ, ‘‘ଏ ହୃଦୟ ଫୃଦୟ ଏସବୁ ବାଜେକଥା, ମନ ଭିତରେ ଯାହା ଥାଉ, ଆମେ ଦେଖିବୁ କାମଟା କିଏ କ’ଣ କଲା, ତା’ରି ଉପରେ ଦୋଷ, ତା’ରି ଉପରେ ଦଣ୍ଡ । ଏଠି ଏଗୁଡ଼ାକ ମେଣ୍ଟ କରିଚନ୍ତି, କହୁଚନ୍ତି ତ ଲମ୍ବା ଲମ୍ବା କଥା, ଯେ ପାଠ ପଢ଼ିବ ସେ କହିବ । ପୁଣି ଏଇଠି କଳି ଲାଗିଯିବ, ୟାଙ୍କରି ଘେନି ଅନ୍ୟମାନଙ୍କ ଉପରେ ଦାଉ ଆସିବ, ସେଉଠୁ ଦେଖିବ କ’ଣ ହେବ–’’

 

ଉନ୍ନୟନ କର୍ମଚାରୀ ଯୁବକ ବିପିନ୍‌ର ପାତଳ ହାଡ଼ୁଆ ମୁହଁରେ ସିଗାରେଟ ଥିଲା, କିନ୍ତୁ ହସ ନ ଥିଲା । ଶୀତଳପୁର ଗାଁର କାମ ଦେଖିସାରି ସେ ଆସି ଗାଁମୁଣ୍ଡ ବରଗଛ ତଳେ ଠିଆ ହୋଇଛି, ଗୋଟିଏ ଗୋଡ଼ ତା’ ଜିପ୍ ଗାଡ଼ିର ପା’ପୀଢ଼ି ଉପରେ, ଆର ଗୋଡ଼ଟି ଭୂଇଁରେ । ମୁହଁଟି ଆକାଶଆଡ଼କୁ ଅଧାଡେରି ହୋଇ ତେର୍ଚ୍ଛା ହୋଇ ରହିଛି, ତେଲ ଜିକିଜିକି ସୁନ୍ଥା ମଝିରେ ସରୁ ହୋଇ ଫିରେଇ ସଡ଼କ, ସାନ ନାକର ଅଖଟି ଉପରକୁ, ନାକପୁଡ଼ା ଯୋଡ଼ିକର ଦୁଆରମୁହଁ ଖୋଲା-। ହଠାତ୍ ବିପିନ ଯେପରିକି ପଥର ପାଲଟି ଯାଇଛି, ମୁହଁଟି ଗୋଟିଏ ମୁଖା, ସେ ମୁଖାରେ ଅଙ୍କାହୋଇ ରହିଛି କ୍ଳାନ୍ତି ଆଉ ନୈରାଶ୍ୟ, କିଛି ଭୟ ବି । ଖଣ୍ଡେଦୂର ଛାଡ଼ି ଗହଳି ହୋଇ ଗାଁ ଲୋକ ପଞ୍ଝାଏ ଠିଆ ହୋଇଛନ୍ତି, ଆଉ କେତେ କର୍ମଚାରୀ । ଟିକିଏ ଛାଡ଼ି ଆହୁରି ପଞ୍ଝାଏ ଗାଁ ଲୋକ, ସେମାନେ ଆପଣା ଆପଣା ଭିତରେ ଦୋଷ ଦିଆଦେଇ ଯୁକ୍ତିତର୍କରେ ମାତିଛନ୍ତି ।

 

ସାମ୍ମାରେ ଉନ୍ନୟନ ଘର, ତା’ ପାଖରେ ଶସ୍ୟଭଣ୍ଡାର ।

 

ତା’ ଆଗରେ ପଡ଼ିଛି ଗୋଟାଏ ପାଣିପମ୍ପ୍‌ଯନ୍ତ୍ର, କ୍ଷେତରେ ପାଣି ମଡ଼ାଇ ଫସଲ ଉପୁଜାଇବା ସକାଶେ ତିନି ହଜାର ଟଙ୍କାରେ କିଣି ଦୁଇ ବର୍ଷ ତଳେ ଏ ଗାଁକୁ ଯୋଗାଇ ଦିଆଯାଇଥିଲା । ସେହି ଦୁଇବର୍ଷ ତଳେ ଯେଉଁଦିନ ଏ ପମ୍ପ ଆସିଥିଲା ସେ ଦିନ ଏଠି ସେ ନିଜେ ଉପସ୍ଥିତ ଥିଲା, ଗୋଟିଏ ଛୋଟ ଉତ୍ସବ ହୋଇଥିଲା, ସଭା ହୋଇଥିଲା । ଗାଁର କେତେ ଲୋକ ଆଶାୟୀ ବକ୍ତୃତା ଦେଇଥିଲେ, ତାଙ୍କ ସଙ୍ଗେ ମିଶି ସେ ବି ।

 

ଆଉ ଆଜି ! ସେମିତି ସେ ପଡ଼ିଛି । ଲୁହା ମେଞ୍ଚାଏ । ଉପରେ ମୁରୁଚା ଭିତରେ ମାଟି । କହୁଛନ୍ତି ତା’ର ସାନ ସାନ ଅଂଶ ଦି’ଖଣ୍ଡ ମିଳୁ ନାହିଁ । ରବରର ପାଣିନଳୀରୁ ଖଣ୍ଡେ କେଉଁଠି କୁଆଡ଼େ ହଜିଯାଇଛି । ଥିଲେ ବା କ’ଣ ହୋଇଥାନ୍ତା ? ମିଶ୍ରେ ବିଶ୍ୱସ୍ତଭାବେ ବୁଝାଇ କହିଲେ, ‘‘ଆଜ୍ଞା, ସେଇଟା ଆସିଲା ଦିନଠୁଁ ଅଚଳ । ମିସ୍ତ୍ରୀ ଆସିଲା, କେତେ ଚେଷ୍ଟାକଲା, ତା’ ଯନ୍ତ୍ରଟା ଉଁ କି ଚୁଁ କଲା ନାହିଁ । ମୂଳରୁ ମଲା ମାଦଳା ।’’ ପଧାନେ ଗୁପ୍ତରେ କହିଲେ, ‘‘ସବୁ ନାଟର ଗୋବର୍ଦ୍ଧନ ସେଇ ମିଶ୍ରେ । ରବର ନଳ ଯୋଡ଼ାକ ସେଇ ତ ହରଣଚାଳ କରିଛନ୍ତି, ସେଇଠୁ ସେଇଟା କାମ କରନ୍ତା କେମିତି ?’’ ଆଉ ଦଳେ କହିଲେ, “ସେ କାମ ଏଠି କେହି ବୁଝନ୍ତି ନାହିଁ, ଥିଲା ଜଣେ ଏ ଗାଁରେ ତା’ ନାଁ ଦନେଇ ପ୍ରହରାଜ, କଳକବଜା କାମ କିଛି ବୁଝୁଥିଲା, ସେ ତ କେଉଁ କାଳୁ ସହରରେ ଯାଇ ଲୁହା କାରଖାନାରେ କାମ କରୁଛି, ଆଉ କିଏ ବୁଝିବ ସେକଥା !’’ ରଘୁ ପଟ୍ଟନାଏକେ କହିଲେ, ‘‘ଏକାମ ସେଇଆ, ଏସନ ଟାଣ ଖରାରେ ତ ନଈ କାହିଁ ତଳକୁ ଖସିଗଲାଣି, ଗଡ଼ିଆ ପୋଖରୀ ହେଲା ଶୁଖିଲା ଆଉ ଠାଉ ଠାଉ, ପାଣି ଏ ଉଠାନ୍ତା ବା କାହୁଁ ?’’ ବଳୀୟାର ସିଂ କହିଲେ, ‘‘ଭଡ଼ାରେ ବିଲକୁ ନେଲେ ୟା ଭଡ଼ା ପଇସା ଦେବାକୁ କାହାର ଶକ୍ତି ଅଛି-? ଆମ ପମ୍ପଟା ସିନା ଖରାପ ହୋଇ ପଡ଼ିଛି, ଯେଉଁଠି-ଭଲ ବି ଅଛି, ହେଇ ଯେମିତି ବୁଧିସାହି ଗାଁରେ, ସେଠି ତାକୁ କେଇଜଣ ନେଇ କାମରେ ଲଗାଉଛନ୍ତି ? ଦେଖନ୍ତୁ, ବୁଝନ୍ତୁ, ୟେ ଆମର ଦରକାର ନାହିଁ । ପାଣି ଥିଲେ ତେଣ୍ଡା ଆମେ ଚଳେଇବୁ, ନାଳିଆରେ ନଈପାଣି ପଶିଥିଲେ ଗୋଟାଏ ଆଡ଼ିବନ୍ଧ ପକାଇ ଦେଲେ ନାଳ କାଟି କାଟି କ୍ଷେତକୁ ନେଇଯିବୁ, ସେ ସବୁଦିନିଆ, ସେ ଶସ୍ତା, ଆଉ ୟେ ଯନ୍ତ୍ରଫନ୍ତ୍ର ଆମୁକୁ ପୋଷାଇବ ନାହିଁ ।’’ କେତେଲୋକ ସେ କଥାକୁ ସମର୍ଥନ କରିଥିଲେ । ପୁରୁଖା ଲୋକ ବଟି ସାହୁ ପାଚିଲା ଗାମୁଛାରେ ଝାଳ ପୋଛି ପୋଛି ଚୁମ୍ବକରେ କହିଦେଲେ, ‘‘ଏସବୁ କାମ ଆମ ମଫସଲକୁ ପାଏ ନାହିଁ, ଏଥିରୁ ଗୋଟାଏ ତୁଛେଇଁକି ଏ ଗାଁକୁ ଆସିଲା, କୋଠ ଭେଦାରୁ ପଇସା ଗଣା ହେବ, ଗାଁକୁ ଅପବାଦ ଆସିବ ।’’

 

ଏସବୁ ସେ ଶୁଣି ସାରିଛି, ଖାଲି ପମ୍ପ୍‌କଥା ନୁହେଁ, ଆଉ କେତେ କେତେ କଥାରେ ଏମିତି । ଜ୍ୟେଷ୍ଠର ଖରା । ହେଇ ସେକରେ ପୋଖରୀ ହୁଡ଼ାରେ ଦି’ବୁଦା ଖଜୁରିଗଛ ଠିଆ ହୋଇଛି, ଯୋଡ଼ିକଯାକରେ କାନ୍ଦିକାନ୍ଦି ହୋଇ ଖଜୁରି କୋଳି ଫଳିଛି, ଭିଡ଼ିହେଲାପରି ଗୁନ୍ଥି ହୋଇଛି, ପାଚିଛି, କୋଟଳିଆ ନାଲି । ତାକୁ କେହି ଲଗାଇ ନାହିଁ, ତା’ପାଇଁ କେହି କିଛି ଯତ୍ନ କରିନାହିଁ, ତଥାପି ଖଜୁରି ଗଛ ବଢ଼ିଛି, ଫଳ ଦେଇଛି, ପଛ ପାଚିଛି, ଅଥଚ ଏ ବିଚରା ପମ୍ପ୍‌ଟା ।

Unknown

 

ବିଜ୍ଞାନ, ପରିଶ୍ରମ, ତ୍ୟାଗ, କୌଶଳ, ଯୋଜନା, ଅର୍ଥ କେତେ ଉପାଦାନ ଏକାଠି ହୋଇ ସେ ଗଢ଼ା ହୋଇଥିଲା, କେତେଠିଁ କେତେ ଉଷର ମରୁରେ ସେ ଫସଲ ଉପୁଯାଇଛି, କେତେ ଆଶାରେ ସେ ପଠାହୋଇଥିଲା ଏ ଦୂର ମଫସଲ ଭିତରକୁ । ଏମାନେ ତା’ର ମୂଲ୍ୟ ବୁଝିଲେ ନାହିଁ, ସେ ମାଟି ହୋଇପଡ଼ିଛି ।

 

କ’ଣ ବୋଲି ସେ ଉତ୍ତର ଦେବ ଉପରକୁ ?

 

ଆଉ ହେଇଟି ଏଇ ଶସ୍ୟଘର । ଗରିବଗୁରୁବା ଅକାଳରେ ଶସ୍ତା ସୁଧରେ ଧାନ କରଜ ନେବେବୋଲି କେତେ ଖର୍ଚ୍ଚରେ ଏଠି ଧାନ ଠୁଳ ହୋଇଥିଲା । କାରବାର ଲାଗିଥିଲା ଦି’ ତିନି ବର୍ଷ-। ତା’ପରେ କାହିଁ ଏ ବର୍ଷ ଧାନ ଅସୁଲବେଳେ ଦଶଣା ଲୋକ ଧାନ ଲେଉଟାଇଲେ ନାହିଁ, କାଗଜ ଅଛି ଧାନ ନାହିଁ, କେମିତି ସେମାନେ ଏଡ଼େ ସ୍ୱାର୍ଥପର ହେଲେ ଯେ ଏତକ ବୁଝିଲେ ନାହିଁ ଧାନ କରଜ ଲେଉଟାଇଲେ ଦୁଃଖୀ ରଙ୍କୀଙ୍କ ଉପକାର ହେବବୋଲି । ସେଥିପାଇଁ ମଧ୍ୟ ତାକୁହିଁ ଜବାବ ଦେବାକୁ ପଡ଼ିବ ।

 

ଦି’ବର୍ଷ ତଳେ ଏଇ ଗାଁକୁ ଟଙ୍କା ଆସିଥିଲା ପୋଖରୀ ଖୋଳା ହେବବୋଲି । ପୋଖରୀ ଖୋଳା ହୋଇଥାନ୍ତା, ମାଛ ଛଡ଼ା ହୋଇଥାନ୍ତେ, ବଢ଼ିଥାନ୍ତେ, ଯାହାହେଉ ଟଙ୍କାରୁ ଚଉଦ ପଣ ଡାକଘରେ ଥୁଆ ହୋଇଛି ଉଡ଼ିଯାଇ ନାହିଁ, ବାକି ଯେଉଁ ଦୁଇପଣ ଆଗତୁରା ଦିଆ ହୋଇଥିଲା ସେଥିରେ କାମ ହୋଇନାହିଁ, କାରପଟଦାର କହୁଛନ୍ତି କୁଆଡ଼େ ଦଶଗୁଣ କାମ ହୋଇଥିଲା ଯେ ବର୍ଷାରେ ପୋତି ହୋଇପଡ଼ିଲା । ସେମାନେ ମକଦ୍ଦମା ଲଢ଼ି ଆପଣ ମୁହଁ ଟାଣ ରଖିବାକୁ ତିଆର, ଟଙ୍କା ଫେରାଇବେ ନାହିଁ, ଆଉ କାମ କରିବେ ନାହିଁ । ଆଉ ଦଳେ କହୁଛନ୍ତି, ସେତକ ଟଙ୍କାରୁ ଅଧେ ଗାଁ ରାମନବମୀରେ ଖର୍ଚ୍ଚ ହେଲା, ଆଉ କିଏ କ’ଣ କଲେ ।

 

ଗାଁକୁ ଏଇ ଯେଉଁ ସଡ଼କ ଖଣ୍ଡକ ପଡ଼ିଛି, ସେଥିରେ ପୁଣି କେତେ ଖାଇ ଖମା, ଜୀପ୍ ଗାଡ଼ି ନାଚି ନାଚି ଡେଇଁ ଡେଇଁ ଆସିଥିଲା, ସେ କାମରେ ମଧ୍ୟ କେତେ ଟାଳଟୁଳ, ମାସ ନୁହେଁ ବର୍ଷ ଗଡ଼ିଗଲା, କିଏ ସେ କାମ ନେବ ସେଥିପାଇଁ ଯାବତ ଦଳାଦଳି ହୋଇ ଉପରକୁ ଦରଖାସ୍ତ ଲେଖାଲେଖି, କେତେ ଧରାଧରିରେ କାମ ସରିଲା ଯେ ଏବେବି କହୁଛନ୍ତି ସଡ଼କ କରରେ ପୁରୁଣା ଖନ୍ଦକ ଥିଲା, ତା’ରି ଦାଢ଼ି ତାଞ୍ଛିଦେଇ କାଦୁଅରେ ସାକ୍ଷୀ ଗଢ଼ି ଚେକା ଛୁଆଣିକରି ପଇସା ହିସାବ ଦେଖାଇ ନେଇଗଲେବୋଲି । ଦଳେ ଏପାଖେ କହିଲେ ଏବେ ସେପାଖେ ।

 

କ’ଣ କଲେ ଲୋକେ ବୁଝିବେ ଯେ ଏ ଗାଁ ଆମର, ଏ କାମ ଆମର, ଆପଣା ଘରୋଇ ଚିନ୍ତା, ଘରୋଇ କାମଠାରୁ ବଳି ଜରୁରୀ ହେଉଛି ସମସ୍ତିଙ୍କ ସମୂହ ମଙ୍ଗଳପାଇଁ ଚିନ୍ତା ଆଉ କାମ, ଏ କଥା ଖାଲି ପୋଥିକି ପ୍ରଚାରର କଥା ନୁହେଁ, ଏକ ବିରାଟ ସ୍ୱାଧୀନ ଦେଶର ଜୀବନମରଣ ସମସ୍ୟା ଏତିକିରେ ନିର୍ଭର କରୁଛି-କାହିଁ କେବେ ଆସିବ ସେ ଚେତନା ।

 

ଖିଆଲ ହେଲା, କେଉଁଠୁ ମଲା ସଢ଼ା ଗନ୍ଧର ମଳ ମଳି ପବନରେ ଭାସି ଆସୁଛି, ପେଟରୁ ଭାତ ଉଠିଆସୁଛି । କେତେବେଳୁ ଏଭଳି ଦୁର୍ଗନ୍ଧ ଉଠୁଛି, ତା’ର ଅନୁଭୂତିରେ ସେ ମିଶିଯାଇଥିଲା, ଛାଏଁ ଛାଏଁ ତା’ ଭିତରେ ଗୋଟାଏ ଉଦ୍ୟମ ଚାଲିଥିଲା ତାଙ୍କୁ ବାରିବାକୁ ଆଉ ନାଁ ଦେବାକୁ । ପୁରୁଣା କଥାର ଖିଅ ଧରିଲାପରି ସେ କହିଲା, ‘‘କ’ଣ ଏ ଦୁର୍ଗନ୍ଧ ? କ’ଣ ମରିଚିକି ?’’ ଆହୁରି ଜୋରରେ ସିଗାରେଟ୍‌ ଶୋଷିଲା । ତା’ର ପ୍ରଶ୍ନରେ ସତେକି ଦୁର୍ଗନ୍ଧଟା ନୂଆହୋଇ ରୂପ ନେଲା, ହଠାତ୍‌ ସମସ୍ତେ ସେ ବିଷୟରେ ଭାବିଲେ, ଜଣେ କହିଲା, ‘‘ହଁ ସତେ ତ, କୁକୁରଟାଏ ମରି ପଡ଼ିଚି, ସାପ କାମୁଡ଼ିଲା କି କ’ଣ ଯେ କାଉ ଶାକୁଣା ବି କାହିଁ ତା’ ମଢ଼କୁ ଖାଇବାକୁ ଆସିଲେ ନାହିଁ-। ତା’ବୋଲି ପଡ଼ିଚି ନା ପଡ଼ିଚି ବାଟ କରଟାରେ, ଘର କତିରେ । ଦୂରକୁ ଫିଙ୍ଗିଦେଲେ କ’ଣ ଚଳନ୍ତା ନାହିଁ ?’’

 

ପୁଣି ଏହି ମନ୍ତବ୍ୟ ଉପରେ ଆଲୋଚନା ଚାଲିଲା । ପଧାନେ କହିଲେ, ‘‘ଦେଖନ୍ତୁ ଏ ଲୋକଙ୍କ କଥାକୁ, ସଢ଼ି ପୋକ ପଡ଼ିଲାଣି କି କ’ଣ, ଗନ୍ଧରେ ଭାତ ଉଠି ଆସୁଚି, ଆଉ ଉଠେଇ ଫୋପାଡ଼ି ଦେବାକୁ କାହାରି ହାତ ଯାଉନାହିଁ–’’

 

‘‘କହୁଚ, ତେମେ ଫୋପାଡ଼ି ଦଉନା,? ‘‘ଗହଳି ଭିତରୁ କିଏ ଜଣେ କହିଦେଲେ । ତା’ରି ସମର୍ଥନ ଶୁଭିଲା, ‘‘ସତ କଥା, ଜିଭ ଲଡ଼ ଲଡ଼ ହେବାକୁ କେତେ ଛୁଣିକା ! କାମ କାହିଁ ?’’

 

ବଳୀଆର ସିଂହେ ଥାଇ କହିଲେ, ‘‘ଯୁଗ ତ ବଦଳିଗଲା, ଆଉ କ’ଣ କରିବା ? ଏ ଗାଁର ହାଡ଼ିମାନେ ମଗରା ହୋଇଗଲେ ଆଜ୍ଞା, ନ ହେଲେ, ସାମାନ୍ୟ କୁକୁର ମଢ଼ଟାଏ ତିନିଦିନଯାକେ ପଡ଼ିଥାନ୍ତା ? କୋଉ ମାନ୍ୟମାନତା ଅଛି, କିଏ ଶୁଣିଛି ଯେ କାହାକୁ କହିବ ?’’

 

‘‘ଠିକ୍‌ କଥା, ଆଉ କାହାର ହାତ ଅଛି ନା ଗୋଡ଼ ଅଛି ଯେ କିଏ କିଛି କରିବ ?’’ ସେ ବ୍ୟଙ୍ଗକରି କହିଲା, ‘‘ମୁର୍ଦ୍ଦାର ଉଠାଇବା ତ ଜାଣି ହାଡ଼ିମାନଙ୍କ ଏକଚାଟିଆ, ଆଉ କ’ଣ ? ସେ ନ ଉଠେଇଲେ ପଡ଼ିଥାଉ ସେମିତି ତମ ଦୁଆର ମୁହଁରେ, ନା କ’ଣ ?’’

 

‘‘ପୂର୍ବରୁ ଯେମିତି ଚଳି ଆସିଚି ନା ଆମେ କ’ଣ କରିବୁ ?’’ ବଳୀଆର ସିଂହ କହିଲେ, ‘‘ଗାଁ ନୀତିରେ ଯାହାର ଯୋଉ କାମ, ସେ ତା’ କଲେ କେଡ଼େ ସୁନ୍ଦର ଚଳନ୍ତା !’’

 

‘‘ତା’ହେଲେ ବଳୀଆର ସିଂହେ ତ ଗାଁ ଦଳବେହେରା ହୁଅନ୍ତେ ଆଉ ଚିନ୍ତା କ’ଣ ଥାନ୍ତାକି ?’’ ଥଟ୍ଟାକରି ଯୁବକ ଉତ୍ସବ ମହାରଣା କହିଲା, ‘‘ଯେ ଯେଝା କାମ କଲେ ବଳୀଆର ସିଂହଙ୍କର ଲାଭ ପୁରୁଣା ଦଳବେହେରା ଘର ଆଜ୍ଞା ! ତେବେ ଖାଲି ଏତିକି ନୁହେଁ, ମୁଁ ଭାବୁଚି କ’ଣ କି କେହି ତ କାମ କରିବାକୁ ରାଜି ନୁହନ୍ତି, ଅଇଛା ଚଷୀମାନେ ଯେ ପାଠପଢ଼ି ଜାମାଯୋଡ଼ ପିନ୍ଧି ଖାଲି ଚାକିରି ବେପାର କଳ କାରଖାନା କାମ ଏଇଥିରେ ମିଶିବେବୋଲି ପଞ୍ଝାପଞ୍ଝା ହୋଇ ସହରକୁ ଚାଲିଲେଣି, ଗାଁରେ ତାଙ୍କ କାମ ବି ହେବ କେମିତି, ହଳ କିଏ କରିବ, ଫସଲ କୋଉଠୁ ଆସିବ !’’

 

ଖାଲି ତୁଣ୍ଡର କଥା ! ବିପିନ୍‌ ଭାବିଲା । ଖାଲି ଯୁକ୍ତିର ଧୂଆଁବାଣ । ଏଣେ ନାକରେ ଦୁର୍ଗନ୍ଧ ବାଜୁଛି । ମଟରରେ ବସି ଇଞ୍ଜିନ୍ ଷ୍ଟାର୍ଟ ଦେଲା । ଶୁଖିଲା ହସ ହସି କହିଲା, ‘‘ବକ୍ତୃତା ଆମ ହାଣ୍ଡିଶାଳରେ ଆସି ପଶିଲାଣି । କୁହାପୋଛାରେ ତ କାହିଁରେ କ’ଣ, ଆଉ କାମରେ କ’ଣ ଅଛି ! ହଉ, ଗପୁଥାନ୍ତୁ ବସି, ମୁଁ ଯାଉଚି ।’’

 

ଏକାଠି ପାଟି ଶୁଭିଲା, ସମସ୍ତେ ଆପଣା ଆପଣା ବକ୍ତବ୍ୟ ପ୍ରକାଶ କରୁଛନ୍ତି ।

 

ହାତହଲା ମୁଣ୍ଡହଲା ଆଉ ଦୋଷ ଦିଆଦେଇ, ମନଖୋଲି ଗପିଯିବେ ଏଥର, ତା’ପରେ ଯେ ଯୁଆଡ଼େ ଘରକୁ ଯିବେ ।

 

କ’ଣ କଲେ ସବୁଠି ଏ ସଂସ୍ଥା କାମ କରିବ ?

 

ମନ ଭିତରେ ଏତିକି ତା’ର ଗମ୍ଭୀର ପ୍ରଶ୍ନ । ଏ ପ୍ରଶ୍ନର ଭବିଷ୍ୟତ ସଙ୍ଗେ ଛନ୍ଦାଛନ୍ଦି ହୋଇ ରହିଛି-ଖାଲି ଏ ଗାଁ ଲୋକଙ୍କ ଭବିଷ୍ୟତ ନୁହଁ, ତା’ ନିଜର ଚାକିରିର ଭବିଷ୍ୟତ ମଧ୍ୟ । ଉପରୁ ତଳକୁ ଯେପରି ଗଡ଼ିଗଡ଼ିକା ଚାଲିଆସେ ବରାଦ-କେଉଁଠି କେଉଁ କାମ ହେବ, ସେଥିପାଇଁ କେତେ ଖର୍ଚ୍ଚ ହେବ, କେଉଁ ବାଗରେ କେଉଁ କାମ ହେବ । ସେମିତି ଉପରୁ ତଳକୁ ଗଡ଼ିଆସେ ନିନ୍ଦା–‘‘ତୁମର ଏଠି କିଛି କାମ ହେଲା ନାହିଁ । ତୁମ ଦେଇ ଶାଗ ସିଝୁନାଇଁ, ଭଲକରି କାମକର, ନଇଲେ–’’ ତା’ ଉପରେ ଯେ ଅଛନ୍ତି ସେ ଏ ମନ୍ତବ୍ୟ ତାକୁ ଭଲକରି ବୁଝାଇ ଦେଇଛନ୍ତି । ସେ ବି ତଳକୁ ଚାହିଁ ଅନ୍ୟମାନଙ୍କୁ କହିଦେଇ ସାରିଛି–‘‘ତୁମଦେଇ କିଛି ହେଲା ନାହିଁ । ତୁମେ ନିକମା-ତୁମପାଇଁ ମତେ ନିନ୍ଦା ଆସିଲା । ଭଲକରି ଅଣ୍ଟାଭିଡ଼ି ଲାଗିପଡ଼, ନ ହେଲେ ପାଇବ ଯେ ।’’

 

ଆଉ ଏଠି ଶୀତଳପୁରର ଏ ଅବସ୍ଥା, ଆଃ ! ବହୁତ ଆଶା ଥିଲା ଏଠି କିଛି ଆକ୍ଷିଦୁରୁଶା କାମ ହୋଇପାରିବବୋଲି, ତା’ ହେଲେ ସେ ପରିଦର୍ଶକମାନଙ୍କୁ ଡାକିହାକି ନେଇ ଦେଖାଇଥାନ୍ତା । ସେମାନେ ଖୁସି ହୋଇଥାନ୍ତେ । ସେତେବେଳେ ନୂଆ ନୂଆ–ଏ ଲୋକ କେଡ଼େ ଶାନ୍ତ ସୁଧାର କେଡ଼େ ଉତ୍ସାହୀ ଜଣାପଡ଼ୁଥିଲେ । ସେତେବେଳେ ଲାଗୁଥିଲା–ଏଠି ଯଦି ନ ହୋଇପାରିବ, ତେବେ ଆଉ ହେବ କେଉଁଠି ?

 

ସାତପଛରେ ଆରମ୍ଭହୋଇ ଭାଗବତପୁର ନାଁ କଲା, ଲୋକଙ୍କ ଉତ୍ସାହ ଦେଖି ଗାଁ ଡାକ୍ତରଖାନା ଘରଟିଏ ବି ସେଠି ତୋଳା ହେଲା । ମକୁନ୍ଦପୁରର ଲୋକେ ଆପଣା ଶ୍ରମସାହାଯ୍ୟ ମିଶାଇ କେଡ଼େବଡ଼ ଇସ୍କୁଲଘର ତୋଳିଦେଲେ, କେତେଠି କେତେକଥା ହେଲା ଶୀତଳପୁରରେ ଘାସ ଗଜୁରିଲା ନାହିଁ ।

 

ସେଠି ବି ଗାଁ ଡାକ୍ତରଖାନାପାଇଁ ଘରତୋଳା ଆାରମ୍ଭ ହୋଇଥିଲା, ଅଧାତୋଳା ଘର ଭିତରେ ମସ୍ତବଡ଼ ବରକୋଳିଗଛ ଠିଆ ହେଲାଣି, ଫଳିବ ଏ ବର୍ଷ । ଗାଁଲୋକେ ଯେତେଟଙ୍କା ଦେବାକୁ କଥା କରିଥିଲେ ଆଦୌ ଦେଲେ ନାହିଁ, ଘର କାମ ସରିଲା ନାହିଁ ।

 

ଘୁମ୍‌ ଘୁମ୍‌ ଶବ୍ଦକରି ଚାଲିଛି ଜୀପ୍‌ ଧକଡ଼ ଚକଡ଼ ରାସ୍ତାରେ ଡହଡହ ଖରାର ଆଖିଜଳା ଦାଉ ମନେପଡ଼ୁନାହିଁ, ବାଟର କଥା ମନେପଡ଼ୁନାହିଁ ସେହି ଯେଉଁ କେତେଯୁଗର ଗୋଟି ଗୋଟିକିଆ ବରଗଛ, ଆମ୍ୱଗଛ, ମଝିରେ ମଝିରେ କେଡ଼େ ଅରାଏ ଲେଖା ଫାଙ୍କ, ମଲା ଚାକୁଣ୍ଡା ଅରମା ଛାଉଣି ହଳଦିଆ ପଡ଼ିଥିବା ଘାସ ପଡ଼ିଆ, ନିଆଁ ଜଳି ପୋଡ଼ାଅଙ୍ଗାର ହୋଇଥିବା ମେଞ୍ଚା ମେଞ୍ଚା କିଆ ବଣ, ପତ୍ର ଶୁଖିଥିବା ଦରମଲା ବାଉଁଶବୁଦା ମଝିରେ ମଝିରେ ନୂଆ ପତ୍ର, ଫୁଟିଥିବା ସରୁ ଅଗିରା, ଚାଲିଛି ମଟର ଗାଡ଼ି ସେହି ପୁରାତନ ଦୃଶ୍ୟ ଭିତରେ-କାଦୁଅ ଉପରେ ଦଳ ସାଲୁସାଲୁ ଶୁଖିଲା ପୋଖରୀ, ଗୋଟାଏ ଗୋଟାଏ ଠାଉ ଠାଉ, ତଳ ଭୂଇଁ ଫାଟି ଆଁ କରିଛି । ଦୂରରେ ଦୂରରେ କେବେ କେଉଁଠି ବଡ଼ ପୋଖରୀଟିଏ । ଗାଢ଼ ନେଳୀ ପାଣି ଘୁମୋଉଛି, ଠାଏ ଠାଏ ଛାଇଛାଇଆ ରାସ୍ତା, ଗହଳି ତୋଟା, ଠାଏ ଠାଏ ଗାଁ ଦାଣ୍ଡେ ଦାଣ୍ଡେ ବାଟ ଉଞ୍ଚ ପାହାଚ ତଳେ ବଙ୍କେଇ ବଙ୍କେଇ ରାସ୍ତା, ଧାଡ଼ି ଧାଡ଼ି ନଡ଼ିଆଗଛ ସନ୍ଧିରେ ଲାଗେକି ନଲାଗେ ହୋଇ ଜିପ୍‌ ଚାଲିଛି, ଧୂଳି ଉଡ଼ୁଛି, ଗୋରୁ ହୁରୁଡ଼ୁଛନ୍ତି, ପିଲାଏ ପାଟି କରି କରି ପଛେ ପଛେ ଗୋଡ଼େଇଛନ୍ତି, ମାଇପେ ପିଣ୍ଡାରୁ ନସରପସର ହୋଇ ଧାଇଁଯାଇ ଦୁଆର ମୁହଁରେ କବାଟ ଉଢ଼ୁଆଳରୁ ଅନାଇଁ ରହୁଛନ୍ତି । ଚାଲିଛି ଚାଲିଛି ଗାଡ଼ି, ମୁହଁରେ ନାକରେ ଧୂଳି ଦେହରୁ ଦରଦର ଝାଳ, ରଞ୍ଜାଳିଆ ଖରାରେ କେଉଁଠି ପଲ ପଲ ଗୋରୁ ଚରୁଛନ୍ତି, କେଉଁଠୁ ତୁନିତାନି ହୋଇ ରାସ୍ତା ଏକରୁ ସେକର ନେଉଳଟିଏ ଯାଉଛି, ବିଲୁଆଟିଏ ନସରପସର ହୋଇ ଧାଇଁଛି, ତାତିରେ ବାଧିକାଲାଗି ଥଣ୍ଟ ମେଲେଇଦେଇ କାଉଟିଏ ଗଛଡାଳରେ ବସିଛି, ଲମ୍ୱ ଜିଭ କାଢ଼ି କୁକୁରଟିଏ କୂଅମୂଳେ ପଡ଼ିରହି ଧକେଇ ହେଉଛି ।

 

ଆକାଶଯାକ ଯେପରିକି ତତଲା ପାଉଁଶ ବିଛେଇ ହୋଇଛି, ତଳେ ଅଦେଖା ନିଆଁ ବରଷୁଛି, ତାତିରେ ସନ୍ତୁଳିହୋଇ ଏ ପୃଥିବୀ ତିଆରି ହୋଉଛି ଆଉ ଗୋଟାଏ ଅବସ୍ଥାପାଇଁ , ଯେତେବେଳେ ଏ ଖରା ନ ଥିବ, ଏ ତାତି ନ ଥିବ, ଏ ଶୁଖିଲା ପଥୁରିଆ କିଛି ନ ଥିବ, ସବୁ ତିନ୍ତୁଥିବ । ପ୍ରତି ମୁହୂର୍ତ୍ତରେ ଥାଇତା ଚିତ୍ରରେ ବଦଳି ଲାଗି ରହିଛି, ଖରା ଝଲସି ଝଲସି ମାନ୍ଦା ପଡ଼ିଆସୁଛି, ଆଲୁଅ ଭିତରେ ଛାଇ ବହଳହୋଇ ଆସୁଛି ।

 

ସେମିତି ଚୁପ୍‌ଚାପ୍‌ ହୋଇ ବସିଛି ଲୋକଟା । ମଝିରେ ମଝିରେ ଗୋଟାଏ ସରିଲେ ଆଉ ଗୋଟାଏ ସିଗାରେଟ୍‌ ଲଗାଉଛି, କଥା କହୁନାହିଁ ବାଟ କରର ଥୁଣ୍ଟା କି ହୁଙ୍କା କି ଗଛ କି ଘର କି ମଣିଷ ଯାହା ଛବି ତା’ର ଆଖି ପର୍ଦ୍ଦାରେ ପଡ଼ିଯାଉଛି, କେଉଁଠି ତା’ର ମନର ଅସରନ୍ତି ଅକଳନ ଚେତନା ଘଟରେ ଛାଆଁକୁ ଖାପି ଯାଉଛି, ଠିକ୍‌ ଏକ ବଛା ଜାଗା ଦେଖି ସଙ୍କେତ ହୋଇ ଆହୁରି ଭିନେ ଚିତ୍ର ଉପୁଜାଉଛି, ବନ୍ଧାବନ୍ଧି ଛନ୍ଦାଛନ୍ଦି ଭାବ ଆଉ ଚିତ୍ରର ଜାଲ ହୋଇ ଦପ ଦପ ହେଉଛି ତା’ର ଚେତନାର ଆକାଶ, ସେଠି ବି ଦୃଶ୍ୟ ବଦଳୁଛି, ତାହାରି ଭିତରେ ପ୍ରାଣପାଣେ ସେ ଜାବୁଡ଼ି ଧରିଛି ତା’ର ଜାଣତା ମନରେ ଗୋଟାଏ ଧାରଣାକୁ–ଉନ୍ନୟନ ଯୋଜନାମାନଙ୍କ ସାଫଲ୍ୟ–ତା’ର କର୍ମ ଜୀବନର ସଫଳତା ।

 

ପଡ଼ିରହିଛି ପୁରୁଣା ପୃଥିବୀ ଉପରେ ପୁରୁଣା ସୃଷ୍ଟି, ପୁରୁଣା ସଂସାର । କୂଅମୂଳ ଫାଙ୍କା ପଡ଼ିଛି, ଫନ୍ଦ ଉପରେ ଦଉଡ଼ି ଥୁଆ ହୋଇଛି । ପୋଖରୀର ତୁଠ ଖାଲି ପଡ଼ିଛି, ପାଦ ଧୋଇବା ପଥର ପଡ଼ିଛି, ଆଉ ଧୋବା ଲୁଗା କାଚିବାକୁ ଡେରା ହୋଇଥିବା ପଟା, ଛେଳି ଚରୁଛନ୍ତି, ବେକ ଫୁଲାଇ ଗାରଡ଼ ଗୋଡ଼େଇ ଆସୁଛି, ପିଠି ବୁଲେଇ ଦେଇ ଠିଆ ହୋଇଛି ବୁଢ଼ୀ ମାଇପିଟିଏ । ହାତରେ ଖଣ୍ଡେ ଛଟା, କୁଞ୍ଚୁକୁଞ୍ଚିକା କପାଳକୁ ତେରେଛାକରି ଡେରିଦେଇ ସବୁ ଜାଣିଥିବା ମାଦଳା ଆଖି ଟେକିଛି ଫାଙ୍କା ଆକାଶ ଆଡ଼କୁ, ମଲା ଶୁଖିଲା ଲଟାର ଜାଳ, ଘୋଡ଼ିହୋଇ ଚୁପ୍‌ଚାପ୍‌ ହୋଇ ପଡ଼ିରହିଛି କାହା ଘରର ଦବିଲା ଚାଳ, ଛୁଆଣି ହୋଇନାହିଁ, ପୋକରା ବତାସବୁ ଅସନା ବାହାଡ଼ା ଦାନ୍ତପରି ଏକର ସେକର ବାହାରିଛି, ଗେବି ହୋଇଛି । ଏଡ଼େବଡ଼ ଝୋଲାମରା ଖରାରେ ଗଛତଳେ ନିଘୋଡ଼ ନିଦରେ କିଏ ଶୋଇଛି, କରରେ ଥୋଇଛି ହଳଦିଆ ଗଣ୍ଠିଗଣ୍ଠିଆ ଠେଙ୍ଗାଟି, କବାଟ ଖୋଲା ଅଛି, କବାଟ ବୁଜା ଅଛି ଧାଡ଼ି ହୋଇ ଘର, ଭିତରେ ଦିଶୁଛି, ଶୋଇଛନ୍ତି, ବସିଛନ୍ତି, ଗପୁଛନ୍ତି, ଢିଙ୍କି କୁଟୁଛନ୍ତି, ପୋଥି ପଢ଼ୁଛନ୍ତି, ତାସ୍‍ ଖେଳୁଛନ୍ତି–ମଣିଷ ଅଛନ୍ତି, ଥିଲେ ସବୁଦିନେ, ମଣିଷ ଅଛିନ୍ତି, ମଣିଷ ରହିଥିବେ, ଏହି ଧାରଣାରେ ତା’ର ମନରେ ମଣିଷ ଚେତନାର ଅଣୁପରମାଣୁ ବି ଜୁଡ଼ୁଜୁଡ଼ୁ ହୋଇ ରହିଛି ।

 

ଆଉ ସେ ଭାବୁଛି, କେବେ ସ୍ୱପ୍ନ ସଫଳ ହେବ ! ସ୍ୱପ୍ନ ଉଙ୍କିମାରୁଛି କୋଠି ପଡ଼ିଲାପରି ନାଲି ସଡ଼କ, ଦୁଇକରରେ ବାରି ବଗିଚା ଗହଳି ମଝିରେ କୋଟାଘର, ଟାଇଲଘର, ସଫାସୁତୁରା, ଧକଧକ ଝକଝକ ଶବ୍ଦ କରି କରି ଘରେ ଘରେ ସାନ ସାନ କଳମାନ, ବୋତାମ ଟିପିଲେ ବିଜୁଲିରେ ଚାଲେ, ଜାତି ଜାତି ଜିନିଷ ତିଆରି ହୁଏ । ସବୁ ଘରୁ ସବୁପ୍ରକାର ତିଆରି ଜିନିଷ ବାହାରି ଏକାଠି ହେବ ଯାଇ କୋଠ ଭଣ୍ଡାରରେ, ଜାତିଜାତିକା ଲୁଗା, ଲୁହା କଣ୍ଟା, ତାଲା, ଦିଆସିଲି, କରେଇ, ଜୋତା, ସାବୁନ, ଆଚାର ଟ୍ରକରେ ବୋଝାଇ ହୋଇ ବିକା ହେବାକୁ ସହରକୁ ଚାଲିଯିବ, ହୁଏତ ଚାଲିଯାଉଥିବ ଏକଦମ୍‌ ସମୁଦ୍ରକୂଳକୁ ବନ୍ଦରକୁ ଗାଁକୁ ଟଙ୍କା ଆସୁଥିବ । ଗାଁରେ କ୍ଷେତରେ ଲାଗୁଥିବ ଘୁଅଖତ, ଏତେଟିକିଏ ମଣିଷଘୁଅ ନଷ୍ଟ ହେବନାହିଁ, ହାଡ଼ଗୁଣ୍ଡ ସାର–ମଲାପରେ ସମସ୍ତିଙ୍କ ଦେହ ସତେ ସତେ ଏ ଦେଶର ମାଟିରେ ମିଶିବ, ଲାଗୁଥିବ କମ୍ପୋଷ୍ଟ, ଧନିଚା, ରାସାୟନିକସାର, ପିଡ଼ିଆ ଗୋବର, କଳଲଙ୍ଗଳରେ ଚାଷ ହେବ, ରବର ଚକଲଗା ଶଗଡ଼ରେ ପଞ୍ଜାବି ହରିଆନା ଯୋଡ଼ିବଳଦ ଯୋଚା ହୋଇଥିବେ, ଶଗଡ଼ ଶଗଡ଼ ହୋଇ ଚାଲିଥିବ ଫସଲ । ଆଉ, ହେଉ ପଛେ ଏ ଜ୍ୟେଷ୍ଠର ଶେଷ, ଶଗଡ଼ରେ ଲଦା ହୋଇ ଚାଲିଥିବ ଭଲ ଭଲ ବିହନରୁ ହୋଇଥିବା, ଧାନ, ଗହମ, ଆଳୁ, କପା, ଧୂଆଁପତ୍ର, ଆଉ ଯେତେ ଯାହା । ପମ୍ପରେ ଉପରକୁ ଟେକା ହୋଇ ସାନ ସାନ ନାଳିଆ ବାଟେ କ୍ଷେତକୁ ପାଣି ଚାଲିଥିବ । ପାଣି ଭର୍ତ୍ତିହୋଇ ବଡ଼ ବଡ଼ ପୋଖରୀସବୁ ଟଳ ଟଳ ହୋଇ ଦିଶୁଥିବ, ପାଞ୍ଚ ସେରିଆ ସାତ ସେରିଆ ରୋହି ଭାକୁର ଡିଆଁ ଡେଇଁ ହେଉଥିବେ, ପଞ୍ଝାପଞ୍ଝା କୁକୁଡ଼ା ପଡ଼ିଆଯାକ ଚରୁଥିବେ, ଧଳା ଲେଗ୍‌ହର୍ଣ୍ଣ ଆଉ ନାଲି ରୋଡ଼୍‌ଆମଲଣ୍ଡର । ଚାରିଆଡ଼େ ନିଶ୍ଚିନ୍ତ ନୀରୋଗ ହୃଷ୍ଟପୃଷ୍ଟ ସ୍ତ୍ରୀ ପୁରୁଷ, ଗାଁକୁ ଅନାଇଲେ କଳ ପାଖେ କ୍ଷେତପାଖେ କିଲିବିଲି ହୋଇ ମଣିଷ, ନାନା ଉଦ୍ୟମପାଇଁ ବହୁତ କୋଠାଘର, କଳଘର, ଭଣ୍ଡାର, ଇସ୍କୁଲ, ଡାକ୍ତରଖାନା, ଶାଗୁଆ ବିଲବାଡ଼ି ତୋଟାବଗିଚା ମଝିରେ ମେଞ୍ଚା ମେଞ୍ଚା ଧଳା ଧଳା, ରାତି ହେଲେ ବିଜୁଳି ଆଲୁଅରେ ଚାରିଆଡ଼େ ଦୀଆଲି, ମଝିରେ ମଝିରେ ବଡ଼ ବଡ଼ କାରଖାନା ଅଞ୍ଚଳ, ଅସୁରପରି ପ୍ରକାଣ୍ଡ ପ୍ରକାଣ୍ଡ କୋଠା, ଠାଏ ଠାଏ ଦଶମାହାଲା, କୋଡ଼ିଏ ମାହାଲା, ଗତି, ଗହଳି, ଗାଡ଼ି ଗର୍ଜନ, ଗୋଳମାଳ । ଚାଷ ଓ କଳ ଉତ୍ପାଦନର ଚୂଡ଼ାନ୍ତ ଉତ୍କର୍ଷ । ଯନ୍ତ୍ରରେ ମପାଚୁପା କଟା ତଞ୍ଛା ସଜାସଜି ହୋଇ କ୍ଷେତ୍ର ବଗିଚା ଆଉ ବିଲାବାଡ଼ିର ଧଡ଼ି, କେଉଁଠି କେଉଁପରି ଗଛ ଲାଗିଲେ ଦରକାରରେ ଆସିବ ସେହି ଅନୁସାରେ ସଜାସଜି ହୋଇଛି । ଚାଳଘର ନାହିଁ, କୋଠାମୟ ଗାଁ । କୋଠାଘରୁ ବାହାରି ଆସୁଛନ୍ତି ସଫା ପୋଷାକପିନ୍ଧା ସ୍ତ୍ରୀ ପୁରୁଷ, ସେମାନେ ବହୁତ ଖର୍ଚ୍ଚ କରନ୍ତି, ବହୁତ ଖର୍ଚ୍ଚ କରିବାକୁ ସେମାନେଙ୍କର ପଇସାବଳ ଅଛି, ବହୁ ପ୍ରକାର ବହୁତ ଜିନିଷ ବ୍ୟବହାର କରନ୍ତି, ଦାମି ଦାମି ଜାତିଜାତିକା ପୋଷାକ ଲାଗି ହୋଇଛନ୍ତି, ଚଳଣିର ଆବଶ୍ୟକ ବଢ଼ାଇ ବଢ଼ାଇ ସଭ୍ୟ ହୋଇଛନ୍ତି, ତାଙ୍କ ନିଜର ବି ଯାନବାହାନ ଅଛି । ଘରେ ଘରେ ବେତାର ଯନ୍ତ୍ର । ଏଇ କ୍ଷେତପଦାର ଆକାଶରେ ପଲ ପଲ ଚଢ଼େଇପରି ଉଡ଼ି ଉଡ଼ି ଚାଲିଛି ସାନ ସାନ ଉଡ଼ାଜାହାଜମାନ, ତଳେ ଚାଲିଛି ମଟର ଗାଡ଼ିର ସୁଅ, ଯୁଆଡ଼େ ଚାହିଁଲେ ବ୍ୟସ୍ତତା, କାର୍ଯ୍ୟତତ୍ପରତା । ଆଉ ନିଦା କାରିଗର, ଖାଲି ଲୁହା, ଇଟା, କଂକ୍ରିଟ, ଗାଡ଼ି ବୋଝେଇ ଜିନିଷ । ଏଇ ଉଦ୍ଦେଶ୍ୟକୁ ଆଖି ଆଗରେ ରଖି ଚାଲିଛି ତ ଗଠନର କ୍ରମ; କାରଣ ଏ ଦେଶକୁ ବି ଭସାଇ ଦେବାକୁ ପଡ଼ିବ ଇଣ୍ଡଷ୍ଟ୍ରି ଯୁଗ ଆଟମ୍ ଯୁଗର ସୁଅରେ, ଆମେରିକାକୁ ବଳିଯିବାକୁ ପଡ଼ିବ । କ’ଣ ନ ହୋଇପାରିବ ?

 

କ’ଣ ହେବ ତା’ପରେ ?

 

ଏ ମଣିଷ ବଦଳିବ । ଏଇ ଯେଉଁ ମୁରୁକୁଟିଆ ବୁଢ଼ାଟି ବାହୁଙ୍ଗୀ କାନ୍ଧେଇ ନସରପସର ହୋଇ ଧାଇଁଛି, ଏଡ଼େ ପୋଡ଼ିରେ ସେ ଏପରି ଧାଇଁ ନ ଥିବ, ପୋଷାକ ପିନ୍ଧି ଓଠ କଣରେ ଚୁରୁଟ ଓହଳେଇ ସେ ଗୋଟିଏ ଜୀପ୍ ଚଳେଇ ଚାଲିଥିବ ନେଳି ଆସଫାଲଟର ଫରଚା ରାସ୍ତାରେ, ସୁଅପରି ଆଗ ପଛ ହୋଇ ତା’ ପଛକୁ ପଛ ହୋଇ ସେମିତି କେଜାଣି କେତେ ।

 

ତାଷ କରୁଥିବା କଳ, କାଟୁଥିବ ଅମଳ କରୁଥିବ କଳ, କଳଗୀତ କଳଗାଡ଼ି କଳପରି ମଣିଷ, କଳପରି ଘରକରଣା ଏକାମଛାକେ, ଏକାକଣ୍ଟକେ ସମସ୍ତେ ।

 

କେଉଁ ଆଦର୍ଶ, କେଉଁ ଆଧ୍ୟାତ୍ମିକତା, କେଉଁ କବିତାର ପତିଆରା ଦେଖାଇ ତୁମେ ସମର୍ଥନ କରିବ ଏଇ ଚଳନ୍ତି ଅବସ୍ଥାକୁ । ଏଇ ଦାରିଦ୍ର୍ୟ, ଛିଣ୍ଡା ଲେଂକୁଡ଼ି, ଖଣ୍ଡିଆ କାନ୍ଥ, ରୋଗ, ଅସନ, ଅଜ୍ଞାନ, ଭୟକୁ ? ଜଳିଯାଉ ଏ ଅଳିଆ ଆଉ ତା’ ସଙ୍ଗେ ସଙ୍ଗେ ଏ ମାନ୍ଦାପଣ, ଯାଉ ପଛେ ତା’ ସଙ୍ଗେ ସଙ୍ଗେ ଏ ଦେଶ ମଣିଷର ପୁରୁଣା ସମାଜରଧାରା, ସେହି ଶହ ଶହ ବର୍ଷର ପୁରୁଣା ତଳିତଳାନ୍ତିର କାଳିଆ କାଣ୍ଟି, ବନ୍ଧ ପଙ୍କ, ଯାଉ ବଦଳି ଏ ମଣିଷ ନିଜେ, ଆଉ ତା’ ମୁଣ୍ଡ ଭିତରର ବନ୍ଧାଧାରଣା, ବିଚାର । ଯାଉ ବଦଳି । ମଣିଷ ଜାତି ବଞ୍ଚୁ । ଆଉ ସୁଖୀ ହେଉ ।

 

ଠାଏ ଠାଏ ନୂଆ ସଡ଼କ ପଡ଼ିଛି, ସୁଆଁସ ହୋଇ ମାଟି ଗଦା ହୋଇ ହୋଇ ଲମ୍ୱିଯାଇଛି ଦୂରକୁ କେଉଁ ଭିତରକୁ । ଠାଏ ଠାଏ ପୋଖରୀ ଖୋଳା ଲାଗିଛି, କେତେଟା ସରିଛି, ଚଉକସ ହୋଇ ହୁଡ଼ା ତିଆରି ହେଉଛି, ଟୋକେଇ ମୁଣ୍ଡେଇ ଲୋକେ ଏକର ସେ କର ହେଉଛନ୍ତି । ରାସ୍ତାରେ ପାଣି ଜମିବା ଜାଗା ଦେଖି ଠାଏ ଠାଏ ପଥରରେ କାଜ ହୋଇଛି, କେଉଁଠି ଶଙ୍ଖ, କେଉଁଠି ପୋଇ, ନୂଆ ଚୂନ ଲାଗି ଧଳା ଦିଶୁଛି । ସ୍ଥାନେ ସ୍ଥାନେ ନୂଆଘର ତୋଳା ଲାଗିଛି, ଗୋଷ୍ଠୀ ଉନ୍ନୟନ ଘର, ଲୁଗା ବୁଣିବା କେନ୍ଦ୍ର, ଇସ୍କୁଲ, ଧାଈ ରହିବା ଘର, ଧାନ ଗୋଲା, ପଶୁଚିକିତ୍ସା କେନ୍ଦ୍ର, ସେବକସାହି, ଖଜୁରିଗୁଡ଼ କେନ୍ଦ୍ର, ହାଡ଼ଗୁଣ୍ଡା ସାର ତିଆରି କରିବା କେନ୍ଦ୍ର, ଗୋଷ୍ଠୀହିତ ଧାନ ଗୋଲା, ଲାଇବ୍ରେରୀ, ଟୁଙ୍ଗୀଘର କୃଷିକେନ୍ଦ୍ର, ପ୍ରକାର ପ୍ରକାର ଘର ହେଲାଣି, ହେଇଛି । କେଉଁଠି କଞ୍ଚାଇଟା ପଡ଼ିଛି, କେଉଁଠି ପୋଡ଼ାଇଟା ଥାକ ହୋଇଛି, କେଉଁଠି ବଢ଼େଇ ଲାଗି କାଠ କରତୁଛନ୍ତି, ଶେଣୀ, ଦୂଆରବନ୍ଧ, ଝରକା କବାଟ ତିଆରି କରୁଛନ୍ତି, କେଉଁଠି ଅବା ଛାତ ଉଠୁଛି । ବାଟରେ ସ୍ଥାନେ ସ୍ଥାନେ ପିଇବାପାଣି ଯୋଗେଇବାପାଇଁ ପମ୍ପ୍‌, କ୍ଷେତରେ ମଡ଼ାଇବାପାଇଁ ପାଣି ଉଠାଇବାପାଇଁ ପମ୍ପ୍‌ । ସ୍ଥାନସ୍ଥାନେ କୂଅ, ସିମେଣ୍ଟରେ ବନ୍ଧା । ଫନ୍ଦ ଓ ଚଟାଣ, ଉପରେ ସାନ କପିକଳ । ସ୍ଥାନେ ସ୍ଥାନେ ବଡ଼ ବଡ଼ ଛକ ଜାଗାରେ ସାନ ସାନ ମୁଣ୍ଡିଆପରି ଅତି ପ୍ରକାଣ୍ଡପ୍ର କାଣ୍ଡ ଧାନ ଗୋଦାମ, ଗୋଲ ହୋଇ ବୁଲିଥିବା ଲୁହା ପତ୍ରରେ ତିଆରି । କେଉଁଠି ନାଳ ଉପରେ ପୋଲିଆ, ଶଙ୍ଖ । ଧାଡ଼ି ହୋଇ ଚାଲିଲା ଟେଲିଗ୍ରାଫ୍ ଖୁଣ୍ଟ ମାଳ ମାଳ, ଉପରେ ତା’ର । ତା’ପରେ ହେଇ ଆସିଗଲା ଇଲେକ୍ଟ୍ରିକ ଲାଇନ୍, ଚାଲିଛି ଖୁଣ୍ଟେ ଖୁଣ୍ଟେ, ହେଇ ବଡ଼ ସଡ଼କ କରେ କରେ କେଉଁ ଦୂର ମଫସଲକୁ । ଶହ ଶହ କୋଶ ଦୂରରୁ ବିଜୁଳିଶକ୍ତି ଏ ତାରରେ ବୋହି ଆସୁଛି, ଆଡ଼ିରେ ତା’ର ଚାଲିଯାଇଛି ଦୁଇ କରେ କେଉଁ ଗାଁମାନଙ୍କୁ । ଗଣ୍ଡ ମଫସଲ ଗାଁ ଭିତରେ ରାତିରେ ବିଜୁଳି ଆଲୁଅ ଜଳୁଛି, ତା’ପରେ ଚାଲିବ ସେଠି କଳ । ଆଉ ହେଇ ତ ଆସିଲା ନୂଆ ଖୋଳା ହେଉଥିବା ନାଳ । କାହିଁ ଶହ ଶହ କୋଶ ଦୂରରେ କେଉଁଠି ବଡ଼ ନଈ ବନ୍ଧା ହୋଇଛି, ପାଣିଭଣ୍ଡାର ହୋଇଛି, ସେଉଠୁ ଗାଁଗଣ୍ଡା ଭିତରକୁ ନାଳ ଖୋଳା ହୋଇ ହୋଇ ଯାଉଛି, ହଜାର ହଜାର କୁଲି ଲାଗିଛନ୍ତି, ନାଳ ଖୋଳା ସରିଲେ ପାଣି ଆସିବ ।

 

ଯାହା ହୋଇପାରିଛି ଏମିତି ସେ ଉନ୍ନୟନ କାର୍ଯ୍ୟର ଶଙ୍କୁ । କିଛି ହେଲେ ହୋଇଛି । ଦେଶ ସ୍ୱାଧୀନତା ପାଇସାରି କେଇଟା ବର୍ଷ ତ ମୋଟେ । ତା’ ଭିତରେ ଏତେଠିଁ ଏତେ ଚିହ୍ନ ବାରି ହେଉଛି । ଲାଗି ରହିଥିଲେ ଆହୁରି ହେଉଥିବ । ଆଗ ତା’ର ପତ୍ତା ନ ଥିଲା । ଏବେ ଯାହା ହେଲେ ହେଉଛି ।

 

ଏହିପରି ଭାବି ଭାବି ଗଲା ଭନ୍ନୟନ କର୍ମ୍ମଚାରୀ ବିପିନ୍ ତା’ର ସ୍ୱପ୍ନ ଜାଗୃତି ଆଶା ନିରାଶା ମଝିରେ, ତା’ର ସିଗାରେଟ୍ ଧୂଆଁ ଅନ୍ତରାଳରେ । ସବୁଠିଁ ଶୀତଳପୁର ପରି ଅବସ୍ଥା ନୁହେଁ, ଅଳ୍ପେ ବହୁତେ କାମ ଚାଲିଛି ।

 

ସେହି କାମକୁ ଦେଖାଦେଖି କରିବାକୁ, ପରଖିବାକୁହିଁ ତ ସେ ଏଗସ୍ତରେ ବାହାରିଛି, ଖରାଏ ଖରାଏ ଦଉଡ଼ା, ବାଟରେ କେଉଁଠି ଓହ୍ଲୋଉଛି, କେଉଁ କାମ ଦେଖୁଛି, କେଉଁଠି ଗାଁ ଲୋକେ ପଇଡ଼ ମଗାଇ କଟୁରିରେ ହଣାଇ ବଢ଼ାଇ ଦେଉଛନ୍ତି, ସେ ଠିଆ ଠିଆ ମୁହଁରେ ଲଗାଇ ତେଣ୍ଡି ଦେଉଛି, କେଉଁଠି ବାଟରେ ମଟର ରଖି ଚାଲି ଚାଲି ଧପାଲି ଯାଉଛି ଖଣ୍ଡେଦୂର, ଖାଲ, ଅମଡ଼ା, କଣ୍ଟାଝଣ୍ଟା ମାଡ଼ି ଚାଲି ଯାଉଛି । ଆଗରେ ପଛରେ ଗାଁ ଲୋକେ, କର୍ମଚାରୀମାନେ, ଦର ଦର ଝାଳ ବୋହୁଛି, ଖରା ତାତିରେ କାନମୁଣ୍ଡା ଝାଇଁ ଝାଇଁ ହେଇଯାଉଛି, ଚଁ ଚଁ କରି ସିଗାରେଟ୍ ଟାଣି ଦେଉଛି, ପୁଣି ଫେରିଆସି ଗାଡ଼ିରେ ବସୁଛି । କେତେ ଟିପା ଟିପୁଛି ସେ ତା’ ନୋଟ୍ ବହିରେ, କେତେତଥ୍ୟ ସଂଗ୍ରହ କରୁଛି, କେତେ ଉପଦେଶ ଦେଉଛି । ଏଇ ସବୁଆଡ଼ୁ ସବୁଆଡ଼ୁ, ମିଶି ଏ ଦେଶ ଗଢ଼େଇ ଯୋଜନାରେ ତା’ର ହାତ କାମ । ଏଡ଼େ ବଡ଼ ଦେଶରେ ଏମିତି ତା’ରି ପରି ତା’ ଉପରକୁ ତା’ ତଳକୁ କେତେ କେତେ କର୍ମୀ, ସେମାନେ ଲାଗିଛନ୍ତି ।

 

କିନ୍ତୁ ସେହି,–ମନର ତଳେ ତଳେ,–ଶୀତଳପୁର ।

 

ଶୀତଳପୁର ଏକୁଟିଆ ନୁହେଁ, ଊଣା ଅଧିକେ ଆହୁରି ଠାଏଠାଏ । ସବୁଠି ଲୋକେ ମୁଣ୍ଡକୁ ତଳକୁ ପୋତନ୍ତି ନାହିଁ, କେତେଠିଁ ଯୁକ୍ତି କରନ୍ତି, କେତେଠିଁ ଟାଣ ଟାଣ କଥା କହନ୍ତି ।

 

ହେଇ ପଛରେ ରହିଗଲା ଯେଉଁ ବଡ଼ ଗାଁ, ତା’ ନାଁ ଶ୍ରୀବନ୍ତପୁର, ମାଳମା ଳ ନଡ଼ିଆ ଗଛ, କେତେଖଣ୍ଡ କୋଠାଘର ଅଛି, କେତେଖଣ୍ଡ ପକ୍‌କାଘର ଉପରେ ଲୁହା ପତ୍ରର ଛାତ, ହୃଷ୍ଟପୁଷ୍ଟ ପୁରୁଖା ଲୋକ ପଞ୍ଝାଏ ଏକାଠି ହୋଇ ଆଚ୍ଛା ଟାଣ ସମାଲୋଚନା ଦି’ପଦ ବି ଶୁଣାଇଦେଲେ । କହିଲେ–ତମର ମନ ହେଲା ତେମେ ଟଙ୍କା ବୃଷ୍ଟି କରୁଛ, ଘର ତୋଳୁଛ, ପମ୍ପ୍‌ ଆଣି ଥୋଇଦେଇ ଯାଉଛି, ଅପବ୍ୟବହାର ହେଲାବୋଲି ଆମକୁ ଓଲଟି କହୁଛ, ଆଗ ଆସି ପଚାରି ବୁଝିଥିଲ ଆମର କ’ଣ ଦରକାର ? କେଉଁଟା ଆଗ ଦରକାର ?

 

ହଇହେ, ଆମର ତ ଟୋପାଏ ପିଇବାକୁ ଭଲ ପାଣି ନାଇଁ, ବରଷକୁ ବରଷ ହଇଜା ଘୋଷାରି ନଉଚି, ସେଥିପାଇଁ ବନ୍ଦୋବସ୍ତ ନାଇଁ, ଆମର ତ ଏ ଆଖପାଖରେ ଡାକ୍ତରଟିଏ ନାଇଁ, ଓଷଦ ଟିକିଏ ଦୁର୍ମୂଲ୍ୟ, ପ୍ରସୂତିକି ଖଲାସ କରିବାକୁ ମଣିଷ ନାହାନ୍ତି ଯେ ଯାହାର ପଇସା ଅଛି ସେ ପାଞ୍ଚକୋଶ ଯାଇ କୋଡ଼ିଏ ଟଙ୍କାଦେଇ ଆବିଦିମା’ ପଠଉଣୀକି ଆଣିବ, ନ ହେଲେ ଠାକୁରେ ଭରସା । ଆମ ଜମିରେ ତ ବାଲିଚରି ରହିଛି ଯେ ତାକୁ ଉଠେଇବାକୁ କାହାରି ଅଣ୍ଟାବଳ ନାହିଁକି ସେ ବିଷୟରେ କାମ କିଛି ହେଉ ନାହିଁ । ଆମ ଗାଁରେ ତ ବାରପଣ ଲୋକଙ୍କର ଓଳିଏ ଚୁଲୀ ଜଳେ ନାଇଁ, ସେ କାହୁଁ ଭାବିବେ ତମ ଜାପାନୀ ଚାଷକଥା । ବଳଦଙ୍କୁ ଚରିବାକୁ ତ ଗୋଚର ନାଇଁ, ଖାଇବାକୁ କୁଣ୍ଡା ନାଇଁ, ଆଉ ତମ ଫରମାସିରେ ୟା ହେଲା ନାଇଁ ତା’ ହେଲା ନାଇଁ ବୋଲି କ’ଣ ଆମେ ଲଗା ? କହୁଚ ପଇସା ଖାଇଗଲେବୋଲି । କାମ ଧରେଇ ଦେଲାବେଳେ କାହାକୁ ପଚାରିଥିଲ କାହାକୁ ଦବାବୋଲି ? ତମ ଖିଆଲରେ ତେମେ ଲାଗିଚ, ହେଲା ନ ହେଲା ଆମୁକୁ ପଚାର ନାଇଁ, ଆମ ଠାକୁର ଘର ଖଣ୍ଡ ତ ଅଛାଉଣି ଯେ ମହାପୁରୁଙ୍କ ଉପରେ ଖରା କାକର ପଡ଼ୁଛି, ଆମ ଗାଦିଗୋସେଇଁଙ୍କ ଉପରେ ଏଡ଼େ ହୁଙ୍କା, ତମ ବାଟେ ତେମେ, ଆମ ବାଟେ ଆମେ, କାହାକୁ କହିବାକୁ କ’ଣ ଅଛି ?

 

କେଉଁଠି କ’ଣ ବେତାଳିଆ ରହିଯାଉଛି, କ’ଣ କେଉଁଠି କଳ ବିଗିଡ଼ା ରହୁଛି, କେଉଁଠି କ’ଣ ବୁଝାମଣାରେ ଅଡୁଆ ତଡ଼ୁଆ, କେମିତି ତା’ ସୁଧୁରିବ ! କେତେ ଅବା ଶକ୍ତି ତା’ ନିଜର !

 

ବାଟ କରରେ ହେଇ କୋଠ ଭଣ୍ଡାରଘରଟି । ମନେପଡ଼ୁଛି ସେଦିନର ସେ ସଭା । ବଡ଼ ଆଶାରେ ଆସିଥିଲେ ଉପର ମଣିଷ, ସେ ସେତେ ଓଡ଼ିଆ ଭାଷା ଜାଣନ୍ତି ନାହିଁ, କିନ୍ତୁ ବହୁତ ଉତ୍ସାହ ତାଙ୍କ ମନରେ; ତେଣୁ ସେ ଉତୁରି ପଡ଼ିଲା ପରି ଉଚ୍ଛ୍ୱାସରେ କହିଯାଇଥିଲେ, ଭାବିଥିଲେ ସେହି ଏ ଦେଶର ଭାଷ,–

 

‘‘ଆପଲୋକ୍–ଦେଖବେ–ୟେ ଯୋ ହାମାର୍ ଭଣ୍ଡାର ଆଛେ–ଇସ୍ ମେ ହାମାର୍ ବୀଜ୍ ରବେ–ଆପଲୋକ୍ ଲେବେ ଲୌଟାବେ ଲେବେ ଲୌଟାବେ–ସୋ ବହୁତ ଭାଲୋ ହୋବେ–ଆଚ୍ଛ-! ଆଚ୍ଛା ! ଆଚ୍ଛା ! ହାମାର୍ ଦେଶମେ ନୟା ଦିନ୍ ଆସଲୋ । ଆଚ୍ଛା ! ଆଚ୍ଛା ! ଆଚ୍ଛା ! ସ୍ୱରାଜ୍ ହୋଇଆଛ ନା, ଆପଲୋକ୍ ଭାଲୋ କାମ୍ କର୍ବେ ତୋ ପାଲୁ ୟାନି ଦୁଧ ବୋହିବେ ରାଜ୍ୟମେଁ–ସମଝା–ଆଚ୍ଛା ! ଆଚ୍ଛା ।’’ ଲୋକେ ହସିଥିଲେ । ଲୋକେ ତାଙ୍କ ବକ୍ତୃତାରେ ଅନୁପ୍ରାଣିତ ହେଲେ ଭାବି ଆହୁରି ଉତ୍ସାହରେ ସେ କହିଯାଇଥିଲେ, ଆପେ ହସିଥିଲେ, ଉତ୍ସାହିତ ହୋଇଥିଲେ, ଭାବିଥିଲେ କି ସୁନ୍ଦର କଞ୍ଚା । ଓଡ଼ିଆରେ ସେ ଗାଁ ଲୋକଙ୍କୁ ଶସ୍ୟଭଣ୍ଡାରର ଉପକାରିତା ବିଷୟରେ ଅନୁପ୍ରାଣିତ କରିଛନ୍ତି ।

 

ଖାଲି ପଡ଼ିଛି ସେ ଘର, ଧାନ କରଜରେ କ’ଣ ସବୁ ଗଣ୍ଡଗୋଳ ହୋଇଯାଇଛି, ଇକ୍‌କ୍ୱାଇରି ସରି ନାହିଁ ।

 

କେତେଠିଁ କେତେ ଦଳାଦଳି, ଗାଁ କଳି, ଆପତ୍ତି କରିବାକୁ ଦଳ ଦଳ ଲୋକ, ଆପତ୍ତିର ବିଷୟ ସେହି ଅଳ୍ପକେତୋଟି–ଉନ୍ନୟନ କେନ୍ଦ୍ର ଆମ ଗାଁରେ ନ ହୋଇ କାହିଁକି ତାଙ୍କ ଗାଁରେ ହେଲା-? ଅମୁକ ଗାଁ ସଙ୍ଗେ ଆମେ ଚଳିବୁଁ ନାହିଁ । ଆମକୁ ଅଲଗା କରିଦିଅ । ଅମୁକ ଲୋକର ନେତୃତ୍ୱ ଆମେ ସ୍ୱୀକାର କରୁନାହିଁ । ଅମୁକ ଲୋକକୁ ଆମ ଗାଁରୁ ବଦଳି କରିଦିଅ–ଅମୁକ ଲୋକ ପଇସା ଖାଇଗଲେ–’’

 

ଏମିତି ବଛା ବଛା ଅଭିଯୋଗ କେତୋଟି । ସେହି ଯେ ଆସିଥିଲେ ଉତ୍ସାହରେ, ବକ୍ତୃତା ଦେଇଥିଲେ, ହୁଏତ ସେ ଜାଣିନାହାନ୍ତି ଏ ଗାଁମାନଙ୍କରେ ପୁରୁଷ ପୁରୁଷର ଏତେ କଳି ଅଛି, ପୁଣି ନୂଆ କଳି ଉପୁଜୁଛି, ହୁଏତ ସେ ଜାଣିନାହାନ୍ତି ୟେ ଲୋକ କେଉଁକଥାକୁ ଆଗ କରନ୍ତି କେଉଁକଥାକୁ ପଛ; କେଉଁ ବାଗରେ ଓ କରନ୍ତି, କେଉଁ ବାଗରେ ମୁହଁ ମୋଡ଼ନ୍ତି ।

 

କିନ୍ତୁ ତାଙ୍କର ସଦିଚ୍ଛା ଅଛି ଆଉ ଉତ୍ସାହ, ଆଉ ତାଙ୍କପରି ଆଉ ଯେତେ ଶୁଭାନୁଧ୍ୟାୟୀମାନଙ୍କର–

 

ତଥାପି ଏ ମାଟିରେ ବିପୁଳ ପରିବର୍ତ୍ତନ ଘଟି ନାହିଁ ।

 

ଏ ଦେଶର ଉନ୍ନୟନ ଲାଗି ଭାରତର ବିଭିନ୍ନ ପ୍ରଦେଶରୁ ଏତେ ଲୋକ ଆସି ପେଣ୍ଠଜାଗା ଦେଖି ଲାଗିପଡ଼ିଛନ୍ତି, ବ୍ୟବସାୟୀ କାନ୍ତରାଟି କର୍ମଚାରୀ କୁଲି ମଜୁରିଆ, ବଡ଼ ବଡ଼ ଶିଳ୍ପ ସହରମାନ ଗଢ଼ା ହେଉଛି, କେଉଁଠି ପର୍ବତ ତାଡ଼ି ଲୁହାପଥର ଖୋଳା ହେଉଛି, କେଉଁଠି ପଥର ତରଳାଇ ଲୁହା ବାହାରକରି ଜିନିଷ ଗଢ଼ାହେଉଛି, କେଉଁଠି ନଈଧାର ବାନ୍ଧି ପାଣିକୁ ଉଚ୍ଚ ବନ୍ଧ ଉପରୁ ତଳକୁ ଗଡ଼ାଇ ତହିଁରୁ ବିଜୁଳି କଢ଼ା ହେଉଛି, କେଉଁଠି ବଣ କାଟି ଉଡ଼େଇଦେଇ ଗଢ଼ାହେଉଛି ‘ଶରଣାର୍ଥୀ’ମାନଙ୍କପାଇଁ ଗାଁ ଆଉ ସହର, କେତେଠିଁ କେତେ ବ୍ୟବସାୟୀ ପ୍ରତିଷ୍ଠାନମାନ ଖୁନ୍ଦାଖୁନ୍ଦି ହୋଇ ବଢ଼ି ଉଠୁଛି, ଲାଗିଛି ମାଲ୍ ତିଆରି, ମାଲ୍ ବୋଝେଇ, ମାଲ୍ ରପ୍ତାନି; କିନ୍ତୁ ସେଥିରେ ଏ ଗାଁମାନଙ୍କର ଲୋକଙ୍କ ଭିତରୁ ଯାଇ କେଇଜଣ କୁଲିମୂଲିଆ ହେବାଛଡ଼ା ଆଉକିଛି ଲାଭ ପାଇପାରୁ ନାହାନ୍ତିକି ତା’ର କିଛି ଆଖିଦୁରୁଶା ପ୍ରଭାବ ପଡ଼ିପାରୁନାହିଁ ଏଇ ପୁରୁଣା ମାଟି ଉପରେ ।

 

ହୁଏତ ହେବ କେବେ, ବଦଳିବ, ଏ ଦେଶ ବି ହୋଇଯିବ କଳ ଆଉ ଗହଳିର ଦେଶ । ହେବ ଅବା ।

 

ଦିନଯାକ ବହୁତ ବୁଲା ହେଲାଣି । ଛାଇ ଲେଉଟିଲାଣି । ହଠାତ୍ ଚାଉଁକରି ଲାଗିଲା । ସେ ସିଗାରେଟ୍‍ ଫୋପାଡ଼ିଦେଇ ଦୂରକୁ ଚାହିଁଲା, ଲାଗିଲା ସେ ଏ ଦେଶର ସବୁକାଳର ଅବଦଳା ରୂପକୁ ଦେଖୁଛି । ସେହି ଆକାଶ, ସେହି କ୍ଷେତ ବାଡ଼ି, ସେହି ଗାଁଟିମାନ, ତୋଟା, ଦଣ୍ଡା, ସେହି ମଣିଷ ତା’ର ଧୂଳିରେ କସପିନ୍ଧା ଲୁଗା, ଖରାକାକରରେ କସ ଚମ । ସେ ବଦଳି ନାହିଁ । ସେଠି ନାହିଁ ତରତର କି ଉଦବେଗ କି କଳି କି ପରକୁ ଦବେଇ ତା’ ଉପରେ ଚଢ଼ି ପିଠିରେ ଲାଉ ହୋଇ ସୁବିଧା ଉଠାଇବାକୁ ମନ । ସେଠି ନାହିଁ ଉତ୍ତେଜନା ବଢ଼ାଇବାକୁ କି ଭୋଗ ବଢ଼ାଇବାକୁ ଲୋଭ, ନାଁ କମେଇବାକୁ, ଛାତି ଫୁଲେଇ ପହିଜ ଦେଖାଇବାକୁ । ସେଠି ନାହିଁ ଧରସରି ହେବାକୁ କାମନା, ପରର ଦେଖି,–ସେଠି ନାହିଁ ସ୍ୱାର୍ଥର ବଡ଼େଇ, କୁରତାର ଶାଣଦିଆ ତେଜ ।

 

ସେଠି ବି ସବୁକାଳେ ଏକ ଯୋଜନା ରହି ଆସିଛି, ସ୍ନେହ ଶାନ୍ତି ମୈତ୍ରୀ ନମ୍ରତାକୁ ଅବଲମ୍ବନ କରି ନୀରବରେ ଏ ମନୁଷ୍ୟ ଜୀବନ ଉପଭୋଗ କରି ତୁଣ୍ଡରେ ରାମନାମ ଧରି ସହଜ ହୋଇ ଏ ମାଟିରେ ଝଡ଼ିପଡ଼ିବାର ନିରାଡ଼ମ୍ୱର ଯୋଜନା, କେତେ ପୋଡ଼ି କେତେ ବଢ଼ି ମଡ଼କ କେତେ ବାଆ ବତାସି ଆସିଛି, କେତେ ଔଦ୍ଧତ୍ୟ ଓଟପରି ବେକ ଟେକି ହତିଆର ଭହୁଙ୍କେଇ ଭୂଇଁ ଦୁଲୁକେଇ ମାଡ଼ି ଚାଲିଯାଇଛି, ପାସୋରି ହୋଇଯାଇଛି । ସେ ଯୋଜନା ଅଟକି ନାହିଁ, ମଣିଷପଣର ଅସରନ୍ତି ଧାର ଥମ୍ୱି ନାହିଁ, ମୁହଁରୁ ହସ ନିଭି ନାହିଁ । ବଡ଼େଇ ଦେଖାଇବାକୁ ଲାଜ ମଣିଛି, ଗର୍ବ ଦେଖାଇବାକୁ ପାପ ମଣିଛି, ଖାଲି ସେମିତି ସେମିତି ତା’ର ଯୋଜନା, ମାଟିମଟାଳ ସଙ୍ଗେ ଅପହଞ୍ଚ ଅସରନ୍ତି ଆକାଶକୁ ଏକାଠି ଛନ୍ଦିବାର ।

 

ହେଇ ସେଠି ଖାଇ କ୍ଷେତ ମଝିରେ ଠାଏ କୁରୁମପିଠିଆ ହୋଇ ଚେନାଏ ପାନିଆଁପରି ଠିଆ ହୋଇଛି ଶହଶହ ବର୍ଷ ତଳର ପଥର ପୋଇଟା, ତଳେ ସାତ ଖିଲାଣ, ତା’ ଦି’ମୁଣ୍ଡରେ ଏକଦା ସଡ଼କ ଥିଲା, ହାତୀଘୋଡ଼ା ରାଉତ ଥାଟ ସୁବିଧାରେ ଖାଲ ଉପରେ ଚାଲିଯିବେବୋଲି କେଉଁ ଭଟ୍ଟ ଅମଳରେ କେବେ ସେ ଗଢ଼ା ହୋଇଥିଲା, ସେ ବି ଥିଲା ଏକ ଯୋଜନା । ଆଉ ହେଇ ସେକରେ ଭୂଇଁ ତଳୁ ଯେଉଁ ଗଡ଼ ଦୁଆର ମୁହଁ ବାହାରିଛି, ପୁଣି ତା’ ସେ ପଟେ ସୈନ୍ୟ ରହିବା ଘରସବୁ, ସେ ବି ସେକାଳର ବୈଷୟିକ ଯୋଜନାର ଅଙ୍ଗ ଥିଲା, ରହିପାରିନାହିଁ ।

 

ପୁଣି ହେଇ ଯେଉଁ ବ୍ରାହ୍ମଣ ଶାସନମାନ ନଡ଼ିଆମାଳ ଗୁଆମାଳ ଖଞ୍ଜି ହୋଇ ଧାଇଁଧାଇଁକା ପାଖକୁ ଆସୁଛି, କେଉଁଠି ବଉଳଗଛ ଛାଇ ତଳେ, ଅଶୋକଗଛ ଛାଇ ତଳେ ‘ମହାଜନସଭା’ର ଚାନ୍ଦିନୀ ଉପରେ ପଶାପାଲି ପଡ଼ିଛି, ମଣିଷ ବେଢ଼ିଛନ୍ତି, ସେ ସବୁ ଗାଁ ବି କେଉଁ ଅମଳର ଯେ।ଜନାରହିଁ ଫଳ, ଯେ ଖାଇବା ପିନ୍ଧିବା ଚିନ୍ତାରୁ ମୁକ୍ତ ହୋଇ ପଣ୍ଡିତମାନେ ନିଶ୍ଚିନ୍ତରେ ବସି ଜ୍ଞାନଚର୍ଚ୍ଚା କରିବେ, ଗବେଷଣା କରିବେ । ଚଳିବାପାଇଁ ଅନ୍ୟାନ୍ୟ ଜାତିଙ୍କର ସେବା ଖଞ୍ଜା ହୋଇଛି, ଏପରିକି ନିଦରୁ ଉଠେଇବାପାଇଁ ଖଞ୍ଜା ହୋଇଛି ‘‘ହେଣ୍ଡିଆ’’ । ସେ ଗାଁ ଦାଣ୍ଡରେ ହେଣ୍ଡି ମାରିମାରି ପାଟିକରି ନିଦରୁ ଉଠେଇ ଦବ । ପଛଆଡ଼େ ଲମ୍ୱହୋଇ ଚାଲିଛି ପୋଖରୀ, ସେ ଗଡ଼ଖାଇ ଭଳି କାର୍ଯ୍ୟରେ ଆସିବ, ପୁଣି ଘରେ ନିଆଁ ଲାଗିଗଲେ ହାତ ପାଖରେ ସେ ପାଣି । ସାମ୍ନାରେ ଫରଚା ଦାଣ୍ଡ । କେଉଁଠି ଭାଗବତଟୁଙ୍ଗୀ ହେବ, କେଉଁଠି ଗାଁର କୋଠଘର ହେବ, କେଉଁଠି କେଉଁ ପାଟକର ଲୋକେ ଘରକରି ରହିବେ, ସବୁ ଆଗରୁ ମପାଚୁପା । ଶୁଣାଯାଏ ଦୁର୍ଗାପୁର ଶାସନର ମାଇପେ ପଡ଼ିଆରେ ବସିଲାବେଳେ ବି ନ୍ୟାୟଚର୍ଚ୍ଚା କରୁଥିଲେ, ନ୍ୟାୟ ତାଙ୍କ ଗାଁର ବିଶେଷ ବିଦ୍ୟା ହୋଇଥିଲା ।

 

ସେଥିପାଇଁ ବି ଦିନେ ଥିଲା ଯୋଜନା, ସେ ବି ଦି’ଦିନିଆ ହେଲା । କିନ୍ତୁ ସାଧାରଣ ମଣିଷର ଶାନ୍ତିକାମୀ ଜୀବନ ଯୋଜନା–ସେ ଯେପରିକି ଏଇ ମାଟିର ନିଜସ୍ୱ ।

 

ତେର୍ଚ୍ଛା ହୋଇ ସରନ୍ତି ଖରା ପଡ଼ିଛି, ଗଛ ଅଗରୁ ଅରାକରେ ସତେକି ଧିକିଧିକି ହୋଇ ନିଆଁ ଜଳୁଚି । ତା’ ତଳେ କେତେକାଳର ପୁରୁଣା ଦେଉଳଟିଏ ଛୋଟ, ପରସ୍ତ ପରସ୍ତ ଉପରୁ ଶିଙ୍ଘପରି ଆଠଟି ସାନ ସାନ ଚୂଡ଼ା ବାହାରିଛି, ମଝିରେ ବଡ଼ ଚୂଡ଼ା, ତା’ ଅଗରେ ତ୍ରିଶୂଳ । କାରୁକାର୍ଯ୍ୟ ନାହିଁ, ଦହିମୁଣ୍ଡେଇ ମୂର୍ତ୍ତି ନାହାନ୍ତି, ସିଂହମୂର୍ତ୍ତି ନାହାନ୍ତି, ନଟରାଜମୂର୍ତ୍ତି ନାଇଁ, ଖାଲି ସାଧାସିଧା ହୋଇ ଏମିତି, ଯେପରିକି ଏବର ମିସ୍ତିରି ଇଟା ଚୂନରେ ଗଢ଼ିଥାନ୍ତା, ଦିଅଁଥାପି ପୂଜା କରିବାକୁ ହୃଦୟର ସରାଗ ବଳି ପଡ଼ିବାରୁ ସାଧାରଣ ଚାଷୀ ମଣିଷ ଆପଣ ଶକ୍ତି ଭିତରେ କେଜାଣି କେତେବର୍ଷ ତଳେକି କେତେଶହ ବର୍ଷତଳେ ଏଇ ହଜିଲା ମଫସଲ ଭିତରେ ଗଛ ଉହାଡ଼ରେ ଛପିଲା ଛପିଲା ଏଇ ଦେଉଳକୁ ଗଢ଼ିଥିଲା ।

 

ସେ ଲୋଡ଼ିନଥିଲା ଲୋକେ ୟାର ଛବି ଆଙ୍କି ଛାପନ୍ତୁ, ଫଟୋ ନିଅନ୍ତୁ, ଦୁନିଆଁଯାକର କାରୁକାର୍ଯ୍ୟ ସମ୍ଭାର ଭିତରେ ତା’ର ସ୍ଥାନ ନିରୂପଣ କରନ୍ତୁବୋଲି ।

 

ସେ ଲୋଡ଼ି ନ ଥିଲା ଏଠିକି ମଟର ରାସ୍ତା ପଡ଼ୁ, ବଡ଼ ପାଟିରେ ଉତ୍ତେଜିତ ହସ ହସି ହୁମୁ ହୁମୁ ହୋଇ ଦେଶବିଦେଶର ସ୍ତ୍ରୀ ପୁରୁଷ ମଟର ଭିତରୁ ବାହାରି ଆସନ୍ତୁ କାରୁକାର୍ଯ୍ୟ ଦେଖିବେବୋଲି ।

 

କାହାରି ପ୍ରଶଂସା ଲୋଡ଼ିନଥିଲା । ଆପଣା ମନଖୁସିପାଇଁ ଗଢ଼ିଥିଲା ସତେ ଅବା ବାଲୁଙ୍କା ଦେଉଳ । ପାଖ ହୋଇହୋଇ ଆସିଛି ଏଇ,–ବିପିନ୍ ମୁଗ୍‌ଧ ହୋଇ ଅନାଇଁଲା, ସେହି କଳା ଫିମ୍ପିବୋଳା ବାଙ୍ଗର ଦେଉଳ ତା’ ଆଖିରେ ହଠାତ୍ ଭାରି ସୁନ୍ଦର ଦିଶିଲା, ସେ ଯେପରିକି ତା’ର ସାଧାରଣ ରୂପଖୋଳକୁ ନ ଦେଖି ତା’ରସ୍ୱରୂପକୁ ଦେଖୁଛି, ଚର୍ମ ଆଖିରେ ନୁହେଁ, ତା’ର ତୃତୀୟ ଆଖିରେ ।

 

ମଣିଷ ରୂପ ପରି ସେ ରୂପ ଦିଶିଲା ଶାଶ୍ୱତ, ସ୍ନେହ-ଶୀତଳ ।

 

ଖରା କେତେ ଢଳିଲାଣି, ସୂର୍ଯ୍ୟ ଖସି ଖସି ଦିଗ୍‌ବଳୟ ପାଖ ହେଲାଣି, ରଙ୍ଗ ଟହଟହ । ସଡ଼କ କରରେ ସେହି ଦେଉଳ ପାଖେ ସେ ଗାଡ଼ି ଅଟକାଇଲା । ଓହ୍ଲାଇଲା । ଦକ୍ଷିଣା ପବନରେ ଗାଡି ପଛଆଡ଼ୁ ନାଲି ଧୂଳିର ସାନ ମେଘଟିଏ ତା’ଆଡ଼କୁ ଚମକି ଆସିଲା । ଆଗରେ ଦେଉଳ ପାଖେ ଗହୀର ଗାଡ଼ିଆଟିଏ, କେତେ ତଳେ ମନ୍ଦିଏ ନେଳୀ ପାଣି, ତାଳ କାଠର ପାହାଚ ଓହ୍ଲେଇଛି-। ପାଖେ ଦେଉଳ, ତା’ ପଛଆଡ଼େ ଆମ୍ୱତୋଟା, ଆଉ ତିନି ପାଖେ ମେଲା ଖୋଲା, ଶୁଖିଲା କ୍ଷେତ, ତଷା ହୋଇଥିବା ବିଲ, ସ୍ଥାନେ ସ୍ଥାନେ ହିଡ଼ ହଣାହୋଇ ଶଗଡ଼ ରାସ୍ତା ହୋଇଥିଲା, ହଣା ହୋଇଥିବା ମୁହାଣ ଜାଗାରେ କଣ୍ଟାବୁଜା ହୋଇ ମୁହାଣ ପକା ହୋଇଛି । ଦେଉଳ କତିରେ ଖାଲି ଭୂଇଁ ଫାଟି ଆଁ କରିଛି । ପଲପଲ ଗୋରୁ ଫେରୁଛନ୍ତି । ଆକାଶ ତଳେ ଘରବାହୁଡ଼ାର ଥମ୍ୱିଲା ମାୟା, ଶାନ୍ତ, ସହଜ ।

 

ସମସ୍ତେ ଓହ୍ଲେଇ ପଡ଼ିଥିଲେ, କର୍ମଚାରୀମାନେ । ପୁଣି ବିପିନ ସିଗାରେଟ୍ ଲଗାଇଲା । ମୁହଁକୁ ତଳକୁ ପୋତି ଟହଲି ଟହଲି ଗୋଟାଏ ନୂଆ ସୂତ୍ର ପ୍ରଚାର କଲାପରି କହିଲା–

 

‘‘ବୋଧହୁଏ ଅମ୍ୱଲ ଉନ୍ନୟନ ଯୋଜନା ହେବା ଉଚିତ ମଣିଷର ନୀତି ଉନ୍ନୟନ, ଯେପରି ତା’ର ମଣିଷପଣିଆ ବଢ଼ିବ, ସେ ଆପେ ସତ୍ ହେବ, ତା’ରପାଇଁ ଅନୁଭବ କରିବ । ସ୍ନେହରେ ଏକ ହେବାକୁ ମନ କରିବ । ଆଗେ ତା’ର ଦରକାର ଦେଉଳ ଶୋଧ, ତା’ର ହୃଦୟର ଆଉ ବିଚାରର ଶୁଦ୍ଧି । ତା’ପରେ ସିନା ଆଉ ଯୋଜନା ।’’

 

ସତ କଥା–ସତ କଥା–’’ ସମସ୍ତେ କହିଲେ ।

 

ପାତ୍ର ଶୁଦ୍ଧି ନାହିଁ, ରୋଷେଇ ହେବ କାହିଁରେ ?

 

ମନ ଶୁଦ୍ଧି ନାହିଁ, କଲ୍ୟାଣର ଚିନ୍ତା ଆସିବ କାହିଁରୁ ? ଭଲ କାମ କରିବାକୁ ହାତକୁ କିଏ ନିର୍ଦ୍ଦେଶ ଦେବ ?

 

ଅସ୍ତ ଯାଉଥିବା ସୂର୍ଯ୍ୟର ନାଲି ଆଲୁଅରେ ଉଚ୍ଛ୍ୱସିତ ଧର୍ମପ୍ରଚାରକ ପରି ସେ ଉଲୁସି ଉଲୁସି କହିଲା–‘‘କାନ ନ ଥିଲେ ସୁନା ଥାଇ କ’ଣ ହେବ ? ମନ ନ ଥିଲେ ଧନ ଥାଇ କ’ଣ ହେବ-? ଏତେ ଜିଣି ଏତେ ଉପୁଜେଇ ସୁନାରେ ଲଙ୍କା ଗଢ଼ି ଥୋଇ ରାବଣରକି କାମରେ ଆସିଲା ? ବିଜ୍ଞାନ ବଢ଼ିଲା, ମଣିଷ ଆକାଶରେ ଉଡ଼ିଲା, ଚନ୍ଦ୍ର ଲୋକରେ ଝଣ୍ଡା ପୋତିବାକୁ ଯିବାକୁ ଦେଶ ଦେଶରେ ଅଣ୍ଟା ଭିଡ଼ାଭିଡ଼ି, ଲୁହା, ରବର, ପ୍ଲାଷ୍ଟିକ, ବିଜୁଳି, ତାର, ବେତାର, କେତେ କଥା ସେ ଆୟତ୍ତ କଲା, ସେ କ’ଣ ପ୍ରକୃତରେ ତା’ର ସୁଖଶାନ୍ତି ବଢ଼ାଇ ପାରିଛି ନା ଖାଲି ଏତେ ପଦାର୍ଥର ମାରଫତ୍‍ଦାର ହୋଇ ତା’ର ଜଞ୍ଜାଳହିଁ ବଢ଼ିଛି ? କାହିଁ ତା’ର ଶାନ୍ତି ସ୍ୱାଧୀନତା, ନା ଦିନୁଦିନ ମନଇଚ୍ଛା ଚଳିବା ଭାବିବା ବି ତା’ର ସଂକୁଚିତ ହୋଇ ଆସୁଛି । ବ୍ୟାପୀଚାଲିଛି ଆଶଙ୍କା, ଆତଙ୍କ, ଅଶାନ୍ତି, ଈର୍ଷା ଆଉ ହିଂସାର ବିଷ ? କେତେଟା ରାସ୍ତା, କେତେଟା କୂଅ, ପୋଖରୀ, କେତେଟା କୋଠାବାଡ଼ି କଳକାରଖାନା ଗଢ଼ିଲେ ସେ ଯିବ ?

 

ପ୍ରକାଣ୍ଡ ଜଟାଜୁଟ ବୋହି ପ୍ରକାଣ୍ଡ ଖୋଲା ତାଳବାହୁଙ୍ଗା ବୋହି କୁମ୍ଭୀପଟର ଲେଙ୍ଗୁଟି ମାରିଚାଲିଛି ଟିକି ବୁଢ଼ାଟିଏ, କୁଆଡ଼େ ଆସିଲା, କୁଆଡ଼େ ଗଲା, ତୁଣ୍ଡରେ ଅଲେଖ ଅଲେଖ । କୁଆଡ଼ୁ ଉଡ଼ିଆସିଲେ ପାରାଗୁଡ଼ିଏ, ଆକାଶରେ ଚକ୍ରିମାରି ଘେର ବୁଲିବୁଲି କୁଆଡ଼େ ଉଡ଼ି ଚାଲିଗଲେ । ଗୋଟି ଗୋଟିକିଆ ହୋଇ ବାରି ହୋଇପଡ଼ିଲା ତୋଟାର ଗଛଗୁଡ଼ିକ । ବିପିନ୍ ସେହି ଉପରକୁ ଚାହିଁଲା । ଯାହା ସେ ଭାବିଛି, ଯାହାକି ତା’ ତୁଣ୍ଡରୁ ବାହାରି ଯାଇଛି, ସେତିକିରେ ଆପେ ସେ ଯେପରିକି ଉନ୍ନତ ହୋଇଯାଇଛି । ଲାଗିଲା, ଆକାଶ କେଡ଼େ ବଡ଼, କେଡ଼େ ନିର୍ଭରମୟ । ସୂର୍ଯ୍ୟ ବୁଡ଼ିଯିବାର ସେ ଲକ୍ଷ୍ୟ କଲା, ନିଆଁର ଗାରପରି, ନିଆଁର ବୁନ୍ଦାପରି, ତା’ପରେ ସବୁ ଶେଷ । ଅନନୁଭୂତ ସହାନୁଭୂତିରେ ତା’ର ଛାତିରେ ଢେଉ ଖେଳିଲା, ସେ ଦୀର୍ଘଶ୍ୱାସ ପକାଇଲା, ଅନୁଭବ କଲା ସେ ଏ ସୃଷ୍ଟିର ମଙ୍ଗଳ ଚାହେଁ ।

 

ତା’ପରେ ଜଣେ କର୍ମଚାରୀ ସ୍ମରଣ ପକାଇ ଦେଲେ, ଆଉ ଗୋଟିଏ କାମ ରହିଗଲା ଯେ ! ଉପରୁ ଜଣେ ପରିଦର୍ଶନ କରିବାକୁ ଆସୁଛନ୍ତି, ଦେଖିବେ ଖୋଳା ହୋଇଥିବା କେତେଟା ପୋଖରୀ, ଯହିଁରେ ମାଛଚାଷ ହୋଇଥିବ, ଖୁବ୍ ବଡ଼ ବଡ଼ ମାଛ ଥିବେ । କାହିଁ ସେମିତି ଏ ପାଖରେ ?

 

‘‘ସାପଗାଡ଼ିଆ ଗାଁରେ ପୁରୁଣା ଜୋରଟା ଦେଖିଯିବାକୁ ପଡ଼ିବ,’’ ବିପିନ କହିଲା, “ସେଇ ପୁରୁଣା ଅମଳରୁ ସେଥିରେ ନିଶ୍ଚୟ ଏବେବି ମାଛ ଥିବେ, ସେଥିରେ ମାଛ ବଉଳନ୍ତି,ଏମିତି କ’ଣ ଥିବେ ନାଇଁ ? ଗାଁ ଲୋକଙ୍କ ହାତକୁ ଯାଇନାଇଁ ସତ, ଯିବ ତ କେବେହେଲେ । ମାଛ ଥିଲେ ସେଇଟାକୁ ନେଇ ଦେଖାଇଦେବ, ନାଙ୍କରା ହେବ ନାଇଁ–’’

 

‘‘ତା’ପରେ ମତ୍ତଗଜପୁର କେନ୍ଦ୍ରରେ ସାର ପିଡ଼ିଆ ଆଉ ପ୍ରସିଦ୍ଧ ବିହନ କେ’–ଟୁ ଆସି ପହଞ୍ଚିଲାକି ନାହିଁ ତା’ ଦେଖିବାକୁ ଥିଲା–’’

 

‘‘ନିଶ୍ଚୟ ଦେଖିବା’’, ବିପିନ୍ କହିଲା, “ଫେରୁ ଫେରୁ ଯେତେ ରାତି ହଉ, ଆଖି ପକାଇ ଯିବାକୁ ପଡ଼ିବ–’’

 

ପୁଣି ଜୀପ୍ ଗାଡ଼ି ଘୁଁ ଘୁଁ ହୋଇ ଚାଲିଛି । ତା’ର ମନଟା ସଂକୁଚିତ ହୋଇଯାଇଛି, ଚେତନା ଆଗରେ ଦି’ପଟର ଦୃଶ୍ୟ ଦୋହଲୁଛି, ପାଖେ ତା’ ଗାଁରେ ସ୍ତ୍ରୀ ପରିବାର, ପାଖେ ସହରରେ ତା’ର ବସା, ନିଛାଟିଆ, ତା’ ଆଗରେ ପଡ଼ିଆ, ତା’ ସେକରେ ସେ ବସ୍ତିଟା । ଦୋହଲି ଦୋହଲି ସ୍ଥିର ହେଲା ସେଇ ମଟରର ଆଲୁଅ ସେପାଖେ, ରାସ୍ତା–ନାଲି ରାସ୍ତା–ମଝିରେ ମଝିରେ ରାସ୍ତାରୁ ଉଠିପଡ଼ି ଫାଇଁକିନା ଉଡ଼ିଯାଏ ଗୋଟାଏ ଚଢ଼େଇ, ଆଗରେ ଆହୁରି ଦିଶେ, ଆହୁରି ଆହୁରି, ରଡ଼ନିଆଁପରି ଝଟକେ ତା’ର ଟିକି ଟିକି ଆଖି ଦିବୁନ୍ଦା ।

 

ଜୀପ୍ ଗିଅର ଦେଇ ଉଠାଣି ଚଢ଼ୁଛି ଗୁଁ ଗୁଁ ଗୁଁ ଗର୍ଜି ଗର୍ଜି, ଅନ୍ଧାର ଚିରି ଚିରି ଚାଲିଛି ଉପରକୁ ଆଉ ଆଗକୁ, ନିଛାଟିଆ ପଡ଼ିଛି ଦି’କର, ଚଢ଼ି ଚାଲିଛି ଗୋଟିଏ କ୍ଷୀଣ ଭତ୍ତେଜନା ।

 

ତା’ର ଆବରଣପରି ଦିନଯାକର କ୍ଳାନ୍ତି ଆଉ ତାତି ଆଉ ଝାଳ ଆଉ ଧୂଳିର ପୁଟ ।

 

ବିପିନ୍ ପୁଣି ସିଗାରେଟ୍ ଲଗାଇଲା ।

 

ପାଟେଳିଗାଁରେ କିମ୍ଭୀର କିଣେଇଁ ଓଝା ଦାଣ୍ଡପିଣ୍ଡାରେ ପଡ଼ି ପଡ଼ି ଜରରେ କମ୍ପୁଥାଏ । ବିଷାକ୍ତ ଦୃଷ୍ଟିରେ ଥରେ ଥରେ ଦାଣ୍ଡକୁ ଚାହିଁରହେ, ମୁହଁ କେମ୍ପେଇ କେମ୍ପେଇ ଗରଗର ହୋଇ କେତେ କ’ଣ ଭାବେ, ପୁଣି ତା’ର ମଞ୍ଜ ଭିତରେ ଶିରାପ୍ରଶିରା ଭିତରେ ତଳିପାରୁ ତାଳୁଯାକେ ହୁହୁ ହୋଇ ଶୀତୁଆ କମ୍ପର ଢେଉ ଗଡ଼ି ଗଡ଼ି ଯାଏ, ଦାନ୍ତକୁ ଦାନ୍ତ ଠକ୍‍ ଠକ୍ ବାଜେ, ସେ ଭାଲୁପରି ଘୁମୁରେ, ଲାଗେ ନାକବାଟେ ନିଆଁ ବାହାରୁଛି, ଆଖିରେ ପୋଡ଼ି ତଣ୍ଟି ଶୁଖିଯାଉଛି, ମୁଣ୍ଡ ଭିତରେ ସତେକି ଘଡ଼ିବାଣ ଫୁଟୁଛି, ପୁଣି ଲାଗେ ଏକା ସାଙ୍ଗକେ ସହସେ ଷଣ୍ଢୁଆସିରେ ଚିପି ଚିପି ଚୁମୁଟି ଧରି ତା’ର ମାଉଁସଗୁଡ଼ାକୁ କେଣ୍ଟା କେଣ୍ଟା ରୁଆ ରୁଆ କରି କିଏ ସେ ଭିଡ଼ୁଛନ୍ତି ଆଉ ତା’ର ଜୀବନ ସତେକି ସରି ସରି ଆସୁଛି, ଆଖିବାଟେ ଜୁଳୁଜୁଳିଆ ବାହାରି ଯାଉଛନ୍ତି । ଦେହ ଝାଙ୍କିହୋଇ ଛଟଛଟ ହୋଇ ଛୁଣୁକାଏ ଟାଳିଯାଇ ସେ ଯେତେବେଳେ ଭାବିବାକୁ ସୁଯୋଗ ପାଏ, ସେତେବେଳେ ତା’ର ଚେତନାରେ ଶାନ୍ତଭାବ ନ ଥାଏ, ଥାଏ ବିଛୁଆତି ବାଇଡଙ୍କବୋଳା ଉତ୍‌କ୍ଷିପ୍ତ ଉଚ୍ଚାଟ ରାଗ, ପ୍ରାଣ କଣ୍ଠାଗ୍ରତ ରାବି ତା’ ତୁଣ୍ଡରେ ହରି ରାମ କୃଷ୍ଣ ଆସେ ନାହିଁ, ମଝିରେ ମଝିରେ ସେ ଖାଲି କହେ ‘ଶଳା’ । ତାଲବଶ ଉପରେ ସବୁଯାକ ଜୋର୍ ଦେଇ ଦ୍ୱିତୀୟ ଅକ୍ଷର ବାଟେ ସେ ତା’ର ସବୁଯାକ ଅଭିଯୋଗ ଖଲାସ କରିଦିଏ, କୁନ୍ଥେଇ କୁନ୍ଥେଇ ସେ କହେ ‘‘ଶଃ–ଳାଃ’’ । ଥରେ ଗୋଟାଏ ଯନ୍ତ୍ରଣାର ହୁଲସ୍ତୁଲ ଯାଇ ଆଉଥରେ ଆସିବା ମଝିରେ ସେ ଅନୁଭବ କରେ ତା’ର ମୁଣ୍ଡରେ ମୁହଁରେ ଚାଇଁ ଚାଇଁ ହୋଇ ତାତି ଧାସ ବଢ଼ିବଢ଼ିକା ଉଠୁଛି, ସେତିକିବେଳେ ସେ ଟିକିଏ ପରିସ୍ଥିତି କଥା ଭାବିପାରେ, ଜିଭମୂଳଟା ପିତା ପିତା ଲାଗେ ଆଉ ତା’ର ଭାବନା ବି । ତା’ର ପିତା ପିତା ମନକଥା ବି ପଦାକୁ ବାହାରେ ସେହି ‘ଶଳା’ର ନଳା ବାଟେ ।

 

ତା’ର ବଡ଼ପୁଅ ମକରା ଗଲାଣି ସାତମାସ ହେଲା, ବଡ଼ ସହରରେ ଲୁହା ଢଳେଇ କାରଖାନାରେ କାମ କଲାଣି । ମଝିରେ ମଝିରେ ଆସେ । ମକରା ତଳେ ଦି’ପୁଅ ମରିଛନ୍ତି; ଆଉ ପୁଅ ନାହିଁ, ଝିଅ ଦି’ଟା ପୁନି ଆଉ ବଲୀ, ବାହା ହୋଇଯାଇଛନ୍ତି, ବଲୀର ବର ମରିଗଲା, ଯୋଡ଼ିଏ ପୁଅ, ଆଉ ଜଣକୁ ଦ୍ୱିତୀଅ ହେଲା, ତା’ଆଡ଼ୁ ଫେର୍ ତିନୋଟି । ମକରା ଭାରିଯା ସାତଟିର ମା’ ହେଲାଣି ସତ, ଯୋଡ଼ାଏ ଝିଅ ବାହା କଲାଣି । ଘର ଚଳେଇ ଜାଣେନାହିଁ, କିଏ ଖାଇଲା । କିଏ ନ ଖାଇଲା, କେଉଁଟା କେଉଁଠି ପଡ଼ିଛି, କେଉଁଟା ସାଇତା ହେବ, ରଖା ହେବ କୁଆଡ଼କୁ ନିଘାଚାହିଁ । ସକାଳ ପାଇଲେ ଖାଇବାକୁ ଦେ’ବୋଲି ଚାରିଟା ପାଟି ପାକୁ ପାକୁ । ବଡ଼ପୁଅ ମନ୍ଦରା ଯାଇଛି ବାପ ସାଙ୍ଗରେ, ଆଳିମାଳି କାମ କରି ଶିଖିଲାଣି । ହଗୁରାଟା ଚଉଦ ବର୍ଷର ହେଲାଣି; ଖାଲି ବଗୁଲିଆଟା ହେଲା, ଯାହା କହନ୍ତି ଭାତଖାଇ ଆଞ୍ଚେଇ ଶିଖିଲା ନାହିଁ, ଜଗତଯାକର ଭୋକ ତାକୁ, ପେଟ ନ ପୁରିଲେ ମାରିବ ପିଟିବ ଫୋପାଡ଼ିବା କଚାଡ଼ିବ, ହାଣ୍ଡି କୁଣ୍ଡେଇ ଭାଙ୍ଗିବ । ଆଉ ତିନିଟା ତ ଗୁଡ଼ିରି ଗାଡ଼ିରି, ମା’ ତ ଜାଣି ଘରଣୀପଣକୁ ଗଙ୍ଗା, କେଉଁ ପିଲାକୁ ଶରଧାରେ କେବେ ଟିକିଏ ତେଲ ଇଗେଇ ଦିଏ ? ଯାହା ତ କରିବେ ସେ ନିଜେ ଆଉ କିଏ ? ଅଇଛା ପିଲାଗୁଡ଼ାକର ଅବସ୍ଥା ରହିଲାଣି, ଅଭାବ ବଢ଼ିଯାଉଛି, ଘରେ ଏ ଅବ୍ୟବସ୍ଥା, ଆଉ ଏଣେ ଏ ଜରଟା ଦିନୁଦିନ ବଢ଼ି ବଢ଼ି ଆସୁଛି, କେତେବେଳେ ଦି’ଘଣ୍ଟା ଛାଡ଼ିଗଲେ ଆହୁରି ଟାଣରେ ମାଡ଼ିଆସୁଛି ।

 

ଆଉ ଏଇକଥା ସେ ମନଖୋଲି କହନ୍ତା କିଏ ପାଖରେ ଥିଲେ, ସ୍ୱର ଥରେଇ ଥରେଇ ଗଡ଼ର ଗଡ଼ର ହୋଇ ବକିଯାଆନ୍ତା ଯେ କେହିନାଇଁ, ବିଲେଇ ଛୁଆଟିଏ ସୁଦ୍ଧା ପାଖକୁ ଆସୁନାହିଁ, ସେ ପଡ଼ିଛି ନା ପଡ଼ିଛି । ଯାଃ ଏ ଦୁନିଆରେ କେହିକାହାରି ନୁହେଁ, ସମସ୍ତେ ସୁଖର ସାଥୀ–ଶ୍‌–ଳାଃ...ଯାଃ । ଅଇଲା ଫେର୍ ମାଡ଼ି–ଓଃ ହୋ ହୋ...ପୁଣି–ସେଇ ବିଷାକ୍ତ ଦୃଷ୍ଟିରେ ସେ ଦାଣ୍ଡ ପହଁରେଇ ଆଣି ଆଉ କଥାକୁ ହେତୁ କଲା ଯେ ସେ ସିନା ପଡ଼ିଛି ଏକୁଟିଆ, ଗାଁରେ ମାଇପିଲୋକଙ୍କ ବୁଲାଚଲା ବଢ଼ିଯାଇଛି । ଟିକିଏ ଆଗରୁ ଏଇବାଟେ ଝମର ଝମର ହୋଇ କେଳାଭାରିଯା ଗଲା । ମାନ ମହତ ପଛକୁ ପକାଇଦେଇ ମଣିଷ ଚଳପ୍ରଚଳବେଳଟାରେ ଗଲା ସେ କୁଳଭୁଆସୁଣୀଟା, ଖାଲି ଆଜି ତ ନୁହେଁ କି ଏଇଥରକ ନୁହେଁ, ବୁଲା ଲାଗିଛି ତା’ର, ହାଲି ତାକୁ ଡାଆଣୀ ଲାଗିଥିଲା, ଡର ଅଛି ନା ଭୟ ଅଛି ? ଘରକଣ ଛାଡ଼ି ମାଇପେ ରାସ୍ତାରେ ବୁଲିଲେ ଆଉ ଏ ସଂସାର ରହିବଟିକି !

 

ଗଲା ରଘୁଆ ମା’, ବଅସର ବୋହୂଟାଏ, ତା’ କଥା କ’ଣ–ଗୋଡ଼ ଲମ୍ୱେଇ ମୁଣ୍ଡ ରାମ୍ପୁଥିବ ତ ପାଖରେ ବସି ଗଣ୍ଡାଏ ପାଞ୍ଚୁଟା ହିଞ୍ଜିଡ଼ିଆ ଟୋକା ହେଁ ହେଁ ଫେଁ ଫେଁ ହେଉଥିବେ, ତାକୁ ପଦେ ଆକଟିଲେ କାମୁଡ଼ି ଗୋଡ଼େଇବ । ଏମିତି ଟାଣ ଟାଣ କଥା କହିବ ଯେ ମଣିଷର ମୁହଁ ଜଳିଯିବ, ଆଉ ପଦେ କହିବାକୁ ଡର, ଗିରସ୍ତ ସିନା ନାଇଁ, ସେ ଗଣ୍ଡାଏ ପାଞ୍ଚୁଟା ଟୋକା ଭିତରୁ କିଏ କେତେବେଳେ ଉପରେ ପଡ଼ି ହୁଜିତ ହେବାକୁ ଆସିବ, କିଏ ପାରେ ସେ କଥାକୁ–

 

ଆଉ ସେହି ସେ ସିନ୍ଧୁ ଚୌଧୁରିର ଅଭିଆଡ଼ୀ ଝିଅଟା, ବୁଲୁଛି ଏ ସାହି ସେ ସାହି, ଷଣ୍ଢପରି ମାଡ଼ି ଯାଉଛି କୁଆଡ଼େ କୁଆଡ଼େ, ମାନ୍ୟ ନ ମାନତା, ବାଡ଼ ନା ବତା–ବୁଲୁଛି ବୁଲୁଛି, ତାକୁ କ’ଣ ଦିଶିଲାଣି, ତା’ କର୍ମରେ ଶାଗୁଣା ବସିଲାଣି,–ଏତେ ହାଟ ବସିଲା, ତା’ ନାଁରେ ଡିବିଡିବି ବାଜିଲା, ଦିଗୁଣେଇ ହେଇ ବୁଲୁଛି ବୁଲୁଛି । ଗଲା ଯେ ମହତ ସଇଲା,–ଆଉ ତା’ ବାପ ଚନ୍ଦ୍ରମା’ ଯେ ପୁଣି ଚାହାଳି ଭେଳେଇ ଥିରି ହୋଇ ବସି ପାଠପଢ଼େଇଲାଣି, ଏଣେ ଘରବୁଡ଼ି ପାଣି ଆଣ୍ଠିଏ–ଏ ଗାଁର ବଡ଼ କୁଳ, ବଡ଼ ଘର, କେଡ଼େ କେଡ଼େ ଲୋକ ହୋଇଥିଲେ ତାଙ୍କ ପୂର୍ବାପୂର୍ବି ଲୋକେ, ଏ ଗୋଟିକ ହେଲେ ମାୟା, ଜାଣିଜାଣି ଝିଅଟାକୁ ମେଲାରେ ଉଦା ଛାଡ଼ିଦେଇଛି । ପାଇବୁ ପାଇବୁ ରଇଥା, ସବୁର କର–ଗଲା ସବୁ ଗଲା–

 

ଆଉ ତା’ କାନିରେ ବାନ୍ଧି ହେଲାପରି, ତା’ ପଛେ ପଛେ ଟାଣି ହେଲାପରି ଆହୁରି ପଞ୍ଝାପଞ୍ଝା ବୋହୂ, ଝିଅ, କୁଆଡ଼କୁ ଆସୁଛନ୍ତି, କୁଆଡ଼େ ଯାଉଛନ୍ତି ତାକୁ ଜଣାଗଲା ସବୁ ଗଲା–

 

ଓହୋ ହୋ ଆଇଲା ଆଇଲା ମାଡ଼ି ନିଉଛୁଣା ଜର–ଆଲୋ ମଲ୍ଲୀ, ଆଲୋ ସେରେନ୍ତି, ଆଲୋ ବୋହୂ, କିଏ ଟିକିଏ ଆସନ୍ତ ନାଇଁ ପାଖକୁ ?

 

ସ୍ୱର ବାହାରିଲା ନାହିଁ, ଖାଲି ଭାଲୁପରି ଘୁମୁରା, କିଣେଇଁ ଓଝା କୁନ୍ଥେଇ ହେଲା ।

 

ପୁଣି କାତ ତଳି ବାରିଲା, ମଣିଷ ନୁହେଁ ସେ ଡଙ୍ଗାଟାଏ, ହାଉଲେ ଚାଲିଛି ହାଉଲେ, ପୁଣି ସେ ମଣିଷ ହେଲା । ଇସ୍, ମାଛିଗୁଡ଼ାକ କେଡ଼େ ହରବର କରୁଛନ୍ତି–ଏସନ ମାଛି ବେଶି, କିଏ କହୁଥିଲା ମାଳିକା ନା ପାଞ୍ଜି ନାହାକ–କିଏ କହୁଥିଲା–ଗୋଳେଇ ପୋଳେଇ ହେଉ ହେଉ ସେ ପୁଣି ଭାବିଗଲା ଆଉ କଥା–

 

ଗଲା-ଗାଁର ଆଣ୍ଟ ଭାଙ୍ଗିଗଲା, ପଦେ କହିବାକୁ ଥିଲେ ହେଲେ ଅପର୍ତ୍ତିଆ, ମାଗୁଣିଆ, ଯଦୁଆ ଏମିତି କେତେ ଲୋକ, କି ଭେଳିକି ଲାଗିଲା ସେଗୁଡ଼ାକ ଚେଲାଗିରି କରିବାକୁ ପଳେଇଲେ ଫୁଲଶରା, ଭାରି ଧର୍ମ ଭାରି କାମ ଲାଗିଛି ସେଠି ସତେ କି, ଓଃ ! ଯୁଗ ଓଲଟେଇବେ ସତେ ! ନୂଆ ଘରକରଣା ହେବ । ଆମ୍ୱ ଗଛରେ ଖମ୍ବଆଳୁ ଫଳିବ ନା କ’ଣ ! ଭାରି ପରଉପକାରିଆ ବାହାରିଛନ୍ତି କ’ଣ ନା ପରକୁ ଆଦରିବେ, ଖାଇବା ଭାତରୁ ବାଣ୍ଟ ଦେବେ, ମୁଲକ ସଜାଡ଼ିବେ–ନିଜ ପଛରେ ପଛେ ଏତିକି–ଅଭିଆଡ଼ା ଟୋକା, ଏଇ ଗାଁରେ କେତେନାଟ ଲଗେଇଦେଲା, ସେଇ ହେଇଛି ନେତା–ଖାଲି ଫିକର ଫିକର, ୟେ ତ ବେଳ ହୋଇଛି ସେମିତି, ପଞ୍ଝାଏ ଲୋକଙ୍କୁ ଭେଳେଇଲେ ସର୍ଦ୍ଦାରି କରିବାକୁ ସୁବିଧା, ସବୁ ମନେଅଛି, କଣ୍ଟରୋଳ କାଳଠୁଁ ଏଯାକେ ସବୁକଥା, ଶାଳ ଚଳେଇବାକୁ ଲୁହାଖଣ୍ଡେପାଇଁ ଲୋକଙ୍କୁ କେତେ ଦାନ୍ତନିକୁଟା–ରଜ, କୁଆଁରପୁନେଇକି ଝିଅ ଘରକୁ ପଠାଇବାକୁ ଶାଢ଼ିଖଣ୍ଡେପାଇଁ ଦଉଡ଼ି ଦଉଡ଼ି ତଳିପା ଛିଣ୍ଡିଯାଏ, ଧାନ ଚାଉଳ ମହରଗ ପଛେ ପଛେ କେତେ ଅନିଭୋଗ, ଶେଷକୁ ଇନ୍ଦ୍ର ବି ପାଳିଲା ନାଇଁ ଛାଡ଼ି ପଳେଇଲା, ଏଡ଼େ ଏଡ଼େ ତ କଥା ଗପି ଗପି ଗଲେ କ’ଣ କରିପକାଇଲେ ? ଆଉ ଏ ତାଡ଼ି ପକାଇବେ, ଅଣ୍ଟା ଭିଡ଼ିଛନ୍ତି–ମିଛ କଥା କହି କିଣେଇଁ ଓଝାକୁ ତମେ ଠକିବ ବସିଚ ? କିଣେଇଁ ଓଝା ଲୁହା ତରଳାଏଟି ! ବିଶ୍ଵକର୍ମା ବଂଶରେ ଜନ୍ମ । ତା’ ଆଖିରେ ଧୂଳିଦେଇ ପାରିବ ନାଇଁ । ତେମେ ସମସ୍ତେ ଗୋଟିଏ ବାଟେ ଗଲେ ଏକୁଟିଆ ମାଟିକାମୁଡ଼ି ପଡ଼ିଥିବ ସେ–କଳିଯୁଗ ଆସିଛି, ସବୁ ଏକାକାର ହେବ, ନଷ୍ଟ ଭ୍ରଷ୍ଟ ହେବ, ସେଥିପାଇଁ ତମ ମୁଣ୍ଡସବୁ ବାଉଳା ଧରିଛି, ସବୁ ଅଘଟନ ଘଟୁଛି, ତମର ଚାରା ନାଇଁ । ଓଃ ଆସିଲା, ଫେରେ ଆସିଲା । ମାରିବି-ଆମ୍ପୁଡ଼ିବି-କାମୁଡ଼ିବି-କାମୁଡ଼ିବି ପୁଳାଏ-ଭିଣିଭିଣା କରିଦେବି–

 

ଏ କିଏ ? ଡେଙ୍ଗା କାଳିଆ ହାଡ଼ୁଆ ଝୋଟପରି ମୁଣ୍ଡବାଳ–ଯମ ଦେବତା, ଆସ ଆସ ଯମ ଦେବତା, ନବ ତ ଏକାଠି ସାଙ୍ଗ ହୋଇ ଯିବା–ଗୋଟିଏ କଥା ପଚାରିବି–ସିନ୍ଧୁ ଚୌଧୁରିର ଝିଅ କୁଆଡ଼େ ଏତେ ଯାଆସ ଧାଁ ଧପଡ଼ କରୁଛି ? ଏତିକି କହିଦିଅ, ତା’ପରେ ତମ ସଙ୍ଗରେ ଯିବି ଚାଲି ସଉରି ପଧାନ ପାଖକୁ–ସେଇ ବୁଢ଼ା ଥିଲା ସେକାଳର ଖୁଣ୍ଟ, ସବୁ ଜାଣିଥିଲା–

 

ଏ କିଏ ? ଲୋକା ନାହାକ ଠିଆ ହୋଇ କ’ଣ କରୁଛି ? ନାଇଁ-ନାଇଁ, କିଣେଇଁ ଓଝା କୁଞ୍ଚିକାଞ୍ଚି ହୋଇ ଅପସରିବାକୁ ଚେଷ୍ଟାକଲା । ଲୋକା ନାହାକ ତା’ ମୁଣ୍ଡ ପୋଛି ଦେଉଛି । ଆଖି ବୁଜିଦେଲା । ଲୋକା ନାହାକ କହିଲା, ‘‘ଆଁ କର, ହୁଁ । ଦେ ଗିଳିଦିଅ । ପାଣି ପିଅ । ଅଇଛା ଗାଁଟାରେ ଯୁଆଡ଼େ ଦେଖିବା ସେଇଆ, ଲୋକେ ବେମାର ପଡ଼ିଛନ୍ତି । ଛାଡ଼ିଯିବ ଯେ–” ବଡ଼ ପାଟିରେ କହିଲା, ‘‘ଫେର୍ କୁଆଡ଼େ ଗଲ ବହୂ ! ମଣିଷଟା ଜରରେ ସଡ଼ୁଚି, ଦେହରେ ଖଇ ଫୁଟୁଚି, ବାନ୍ତି ଉଚ୍ଛାଳ ହେଇପଡ଼ିଚି, ତା’ କତିରେ କେହି ରହୁ ନାଆଁ ?” କିଣେଇଁ ଓଝା ଅନେଇଲା । ତା’ର ମୁଣ୍ଡଭିତରେ କ’ଣ ତରଳିଗଲା, ପାଣି ଫାଟିଲା, ଥରିଲା ଥରିଲା ହାତରେ ସେ ଲୋକା ନାହାକର ହାତକୁ ଧରି ପକାଇଲା, ଆଖିରୁ ଲୁହଧାର ଗଡ଼ିଲା ।

 

‘‘ଥଏ ଧର, ଥଏ ଧର,’’ ଲୋକା ନାହାକ କହିଲା, ‘‘ଜରଟାଏ ତ ହେଇଚି, କ’ଣ ଆଉ ହେଇଚି ? ମେଲେରିଆ ଜର, ଓଷଧ ଖାଇଲେ ବଳେ ଛାଡ଼ିଯିବ, ଦେଖ ଏମିତି ପିଲାଙ୍କପରି ହେଉଛି ?’’ କିଣେଇଁ ଓଝା ମୁହଁ ଫଟେଇ କାନ୍ଦି ପକାଇଲା, ପୁଣି ତୁନି ହେଲା । ଘରୁ ସମସ୍ତେ ଆସି ବେଢ଼ି ଗଲେଣି । ‘‘ଘରକୁ ନେଇ ଶୁଆଇଦିଅ, ଏ କୁଇନାଇନ୍‌ ବଟିକା ରଖ, ଛାଇଲେଉଟାବେଳେ ଗୋଟାଏ, ରାତିକି ଶୋଇଲାବେଳକୁ ଆଉ ଗୋଟାଏ । କାଗେଜିରସ ପାଣିରେ ଗୋଳି ମଝିରେ ମଝିରେ ପିଆଉଥବ । ପଥି ଖାଲି ଖଇ ଦୁଧ । ମୁଁ ପଛକୁ ଆସିବି ।’’

 

ପିଲାଏ ବେଢ଼ି ଧରିଛନ୍ତି । ବହୂ କାନ୍ଧରେ ସେ ହାତ ଭରାଦେଇ କୁନ୍ଥେଇ କୁନ୍ଥେଇ ଗୋଟିଏ ଗୋଟିଏ ହୋଇ ଭିତରକୁ ଯାଉଛି । ବହୂ ସୋଗେଇତର ହୋଇ ନିଉଛାନି ହେଉଛି– “ମୁଁ ଏ ପିଲାଙ୍କପେଇଁ ପରା ରୋଷେଇଘରେ ଥିଲି । କ’ଣ ଟିକିଏ ନିଶ୍ୱାସ ମାରିବାକୁ ଦଉଛନ୍ତି ମଣିଷକୁ-। ଭଲା ରୋଜଗାର କରିବାକୁ ଗଲେ ଯେ ଏଣେ ଘର ଅଚଳ–କେଡ଼େ କଷ୍ଟ ପାଉଚନ୍ତି, ମୁଁ କ’ଣ କରିବିଟି–’’

 

କିଏ କାହାକୁ ହତାଦର କଲା ? ସେ ଭାବୁଥାଏ । ହେଇଟି ତ ସମସ୍ତେ ଅଛନ୍ତି । ସଂସାରରେ ସ୍ନେହ ଊଣାନାହିଁ କେବେ ଲୋକା ନାହାକ ସଙ୍ଗେ ତା’ର ଅପଡ଼ ଥିଲା ? ନାଇଁ ନାଇଁ, ପରମ ବନ୍ଧୁ ସେ ।

 

ଏତେ କଷ୍ଟରେ ବି ତା’ର ମୁଣ୍ଡ ଉଶ୍ୱାସ ଲାଗିଲା ।

 

ଜର ଛାଡ଼ିଯିବ । ପୁଅ ଆସୁଥିବ । ଗାଁରେ କେତେ ସ୍ନେହୀ ଲୋକ ସମସ୍ତେ । କ’ଣ କିଏ ଖରାପ ହୋଇଯାଇଛି ? କିଛି ନାହିଁ । ପୁରୁଣା ଗାଁର ପୁରୁଣା ସ୍ନେହ ବେଢ଼ଣି ଭିତରେ ସେ ବି ଜଣେ, ଏଇଠି ଦିନ କଟେଇ ଆସିଲା, ଏଇଠି ଏଇ ଘରେ ଝଡ଼ି ପଡ଼ିଲେ ସେ ବି ସୁଖ । ଏତେ ଚଞ୍ଚଳ ଝଡ଼ିବ ନାହିଁ । ଏ ଜୀବନ ସୁନ୍ଦର । ହଗୁରା ରସ ଗିଲାସଟିଏ ବଢ଼େଇଦେଲା, କହିଲା, “ଅଜା, ପିଅ ।’’ ବୋହୂ ଗୋଡ଼ ଘଷି ଦେଉଚି । ଆଉ ପିଲାଏ ଟିକି ଟିକି ହାତରେ ଆଉଁସୁଛନ୍ତି । ବୁଢ଼ା ଆଖି ବୁଜିଦେଲା ।

 

ସତରେ ଗାଁରେ ବେମାରି ପଶିଚି । ଟାଣଖରା ପରେ ଦି ଅସରା ବର୍ଷା ହୋଇଗଲା । ପୁଣି ଛାଡ଼ିଗଲା । କୁଆଡ଼, କୁଆଡ଼ ଓଦା ଉଷୁମେଳିଆରେ ବେମାରି ସବୁ ମୁଣ୍ଡ ଟେକିଲେ । ଜର, କଫଜର, ବେଶି ଝାଡ଼ାରୋଗ ।

 

ସାନ ପଧାନ ସାହି ସେ ମୁଣ୍ଡେ ତିନିଟା ପଡ଼ିଆ ଡିହ ଛାଡ଼ି ଦି ବଖରା କୁଡ଼ିଆ ଶିଖରମା’ର, ସେହି ସେ ଟାଣୁଆ ବୁଢ଼ୀ କେହି କେହି ଯାହାକୁ ଥଟ୍ଟାରେ କହନ୍ତି ହନୁମନ୍ତ ବୁଢ଼ୀବୋଲି, ଧାନ କୁଟୁଣୀ । ଦୁଇଦିନ ହୋଇଗଲାଣି, ତୁହାଇ ତୁହାଇ ଝାଡ଼ରୋଗରେ ବୁଢ଼ୀର ଅବସ୍ଥା ନାହିଁ, ଏଡ଼େ ଏଡ଼େ ଫୁଲକା ଗାଲ ବଳିଲା ବଳିଲା ମୋଟା ମୋଟା ହାତଗୋଡ଼ ସେମିଟି ଯାଇଛି, ବସି ଯାଇଛି, ଆଖି କୋରଡ଼ । ବୁଢ଼ୀ କତରାରେ ପଡ଼ିଛି, ଅସନା କନାପୁଳାଏ କରକେ ଗଦା ହୋଇଛି । ଛବି ନଇଁପଡ଼ି ତା’ର କତରା ଉପରୁ କନା ଘୋଷାରିନେଲା । ସେହି କଣରେ ଗଦେଇ ଦେଲା । ରଘୁଆମା’ ସବୁଯାକ କନା ଗୋଟେଇ ପୋଟେଇ ଧରି ପଦାକୁ ବାହାରିଲା । ଦୁଆର ମୁହଁରେ ଦିଶିଲା କେଳାଭାରିଯା ଆସିଲା । ‘‘ଆଣିଲ ?’’ ଛବି ପଚାରିଲା । କେଳାଭାରିଯା କରାଟଟିଏ ମୁଠେଇଥିଲା, ଦେଖାଇଲା । ‘‘କିଣେଇଁ ଓଝା କମ୍ଭାରକୁ ଭାରି ଜର, ନାହାକେ ସେଇଠି ଅଟକି ଯାଇଛନ୍ତି, ସେଠୁ ସାରି ଆସିବେ କହିଚନ୍ତି । ଏ ବଟିକା ଥରକେ ଗୋଟାଏ, ଦିନକୁ ତିନି ପାନ ।’’ ଛବି ମାଠିଆରୁ ରସ ତାଟିଆରେ ପାଣି ଗଡ଼େଇଆଣି ଶିଖରମା’ ମୁହଁ ଆଗରେ ବସି ପଡ଼ିଲା, କହିଲା, “ଓଷଦ । ନେ ପି ।’’

 

ଶିଖରମା’ ବଲ ବଲ କରି ତା’ ମୁହଁକୁ ଅନାଇଁ ରହିଲା ।

 

‘‘ନେ ପି, ଆଁ କର ।’’ ଔଷଧ ଖାଇ ଶିଖରମା’ ପାଟି ପିତା କଲା । କେଳାଭାରିଯା ତା’ ପାନ ବଟାରୁ ପାନ ଖଣ୍ଡେ କାଢ଼ି ତା’ ହାତକୁ ବଢ଼ାଇଦେଲା । ଶିଖରମା’ ଦୁର୍ବଳ ସ୍ୱରରେ ରହି ରହିକା କହିଲା, ‘‘କୋଟିପରମାଇ ହୋଇଥାଉ ମା’ ତମର, ମୁଁ ଅଲେଖେଣୀ କାହାର କି ଉପକାର କରିଥିଲି ଯେ ତେମେସବୁ ମୋ ପେଇଁ ଏତେ ସରି ହଉଚ, ମୋ ଘୁଅମୂତ କରୁଚ, କାହାର ଝୁଅ କାହାର ବୋହୂହେଇ ତେମେ ଆସି ଶିଖରମା’ର ସେବା କରୁଚ–’’

 

‘‘ହଉ ହଉ, ବେଶି ଗପ ନାଇଁ, ଦେହ ଦୃର୍ବଳ–’’

 

‘‘ନାଇଁ ନାଇଁ ତେମେ ଯା’ ଭାରି, ରଘୁଆମା’ ଯାହା ପାରିବ କରୁ, ତେମେ ଯା–’’ ମୁଁ କି ଛାର ମଣିଷଟା, ଦେଖିଲେ ପୋକଯୋକକୁ ବି ସରି ନୁହେଁ, ଯେ ବାବୁ ଘରୁ ଝିଅବୋହୂ ଆସିବେ ମୋ ଘୁଅ ମୂତ କରିବାକୁ ! ଠାକୁରେ କି ଅନିଭୋଗ ନ ଦେଖେଇଲେ ! ଏ ଅଲୋଡ଼ା ପ୍ରାଣଟା ଯାଉ ନାଇଁ କାଇଁ ଅଟକିଚିଟି, ତମୁକୁ ତ ଏତେ ସରି କଲିଣି, ଆଉ କ’ଣ ଆଇଷ ଅଛି କି ବଳ ଅଛି, ମୁଁ କାହାର ଶୁଝିବି ?’’

 

‘‘ହଉ ଆଉ ବକି ହନା, ମୁଣ୍ଡ ଝାଇଁ ମାରିଦେବ’’ କେଳାଭାରିଯା କହିଲା । ‘‘କାହାର କ’ଣ ଶୁଝିବୁ ତୁ ହଇଲୋ’’, ଛବି କହିଲା, ‘‘ତୁ ମନରେ ଏମିତି କାଇଁକି ଭାବୁଚୁ ? ଜୀବନଯାକ କେତେ ଧାନ କୁଟି କୁଟି ତୁ ଗାଁଯାକ ମଣିଷଙ୍କୁ ଭାତ ଖୋଇଚୁ !’’

 

ଶିଖରମା’ ଦୀର୍ଘଶ୍ୱାସ ପକାଇଲା, କହିଲା ‘‘ସେ ଧାନକୁଟା ବି ଏଣିକି ସରିଯିବ । ନଛିପଦା ମିଶ୍ରଘର ପରା ଚାଉଳ କଳ ପକେଇଲେଣି–’’

 

ଛବି କହିଲା, ‘‘ସେ ତାଙ୍କ ଗାଁରେ ନା ଆଉ କ’ଣ ଆମ ଗାଁରେ ? କାହିଁ କେତେବାଟ କୁଆଡ଼େଯାଇ । ତୋ ଗଣ୍ଡାକ କିଏ ଛଡ଼େଇନବ ?’’

 

ଶିଖରମା’ ବେକ ହଲେଇ ହଲେଇ କହିଲା, ‘‘ନେବେ, ନେବେ । ଆଜି ତାଙ୍କ ଗାଁରେ ହେଲେ କାଲି ପହରିଦିନ ଆମ ଗାଁରେ କିଏ ହେଲେ କଳ ବସେଇବ । ରଙ୍ଗୀଦୁଃଖୀ ଧାନକୁଟୁଣୀଙ୍କ ଦାନାଗଣ୍ଡାକ ମାରିଦେବେ । ଝିଣ୍ଟିକା ମାରି ବଣି ପୋଷିବେ । ନଉନ୍ତୁ । ଯୁଗ ତ ହୋଇଚି ସେଇଆ-। ତାଙ୍କର ଭଲ ହଉ । ସେ ବଡ଼ଲୋକ ହଉନ୍ତୁ’’ ସେ ଆହୁରି କ’ଣ କହିବାକୁ ହେଲା, କିନ୍ତୁ କହିପାରିଲାନାହିଁ । ତା’ର ତଳପାଟି ଉପରତଳ ହୋଇ ବାରମ୍ୱାର ଥରିଲା, କଥା ବାହାରିଲା ନାହିଁ-

 

‘‘ଶୋଇପଡ଼ ଶୋଇପଡ଼’’, କେଳାଭାରିଯା ତା’ର ମୁଣ୍ଡ ଥାପୁଡ଼େଇ ଥାପୁଡ଼େଇ କହିଲା, ‘‘ଏଣୁ ତେଣୁ ଭାବନା, ଗାଁରେ ଏତେ ମଣିଷ ଅଛନ୍ତି କିଏ ତୋର ଦାନା ଛଡ଼େଇ ନେଇପାରିବ ଲୋ-।’’ ଶିଖରମା’ ପୁଣି ମୁହଁ ନୋଚାକୋଚା କଲା । ଆହୁରି ଥରେ ଝାଡ଼ା ହୋଇଗଲା । ଛବି ତା’ର ପଛ ପାଖକୁ ଗଲା ।

 

କରୁଣ ଚାହାଣିରେ ଘର ଭିତରର ଦୃଶ୍ୟକୁ ଆଉଥରେ ମନ ଭିତରେ ଆଉଣ୍ଡି ଦେଖିଲା-। ଫମ୍ପା କୁଡ଼ିଆ । ଆଳୁକୁଚି ମାଳକୁଚି । ଛିଣ୍ଡା ମଇଳା । ତଳେ ଚିରା ଲୁଗା ଉପରେ ପଡ଼ିରହିଛି ବୁଢ଼ୀଟା, କେଡ଼େ ଟୋଲା ଥିଲା କେଡ଼େ ଫମ୍ପା ହୋଇଗଲାଣି, କ’ଣ ହେବ କେଜାଣି ? ଏ ଅବସ୍ଥାରେ ସେ ଧାନକଳର ଦୁଃସ୍ୱପ୍ନ ଦେଖୁଛି ।

 

ହଠାତ୍ ବୁଢ଼ୀ କହିଲା, ‘‘ଟିକିଏ କୋଉଠୁ ଆଚାର ଆଣି ଦିଅନ୍ତ, ଖାଇବାକୁ ମନ ଡାକୁଛି–’’ କେଳାଭାରିଯା କହିଲା, ‘‘ହଉ ଶୋଇଥା, ପଛକୁ ଆଣି ଦେବି ।’’

 

ସେବା ଆଉ ତ୍ୟାଗ । ବଡ଼ ବଡ଼ ଶବ୍ଦ ଯୋଡ଼ିଏ, ଶୁଣିଲେ ତାକୁ ମାଡ଼ି ପଡ଼େ, ତେବେ ଲୋକେ କହନ୍ତି ତା’ଠିଁ ଏ ଯୋଡ଼ିକ ଗୁଣ ଅଛି, ଲୋକା ନାହାକ ଯେତେବେଳେ ଆଶୀର୍ବାଦକରି ତା’ ମୁହଁରେ କହିଦେଇଗଲା, ତାକୁ ଲାଜ ମାଡ଼ିଲା । ଆଉ କେହି କେହି ବି କହିଲେ । ବନ୍ଧକରରେ ଦୋକାନ କରିଛନ୍ତି ହରି ସାହୁ, କାହାରି ଭଲରେ ମନ୍ଦରେ ପାଟି ଫିଟାନ୍ତି ନାହିଁ, କୌଣସି ଅଡ଼ୁଆରେ ନ ଥାନ୍ତି, ନିରପେକ୍ଷ ଲୋକବୋଲି ଗାଁରେ ଖ୍ୟାତି ଅଛି, ସେ ବି ସିନ୍ଧୁ ଚୌଧୁରିଙ୍କ ଆଗରେ କହିଲେବୋଲି ବାପେ ଆସି ଘରେ କହିଲେ,–ସେବା ଆଉ ତ୍ୟାଗ, ଏ ବୋଧହୁଏ ତମରି ଭାଗବତ ପଢ଼ାରୁ ବାହାରି ଝିଅକୁ ଅଳଙ୍କାର ହୋଇଛି, ଝିଅ କ’ଣ ? ପୁଅଠୁଁ ବଳି !

 

ମନ ମୋଟ ହେଲା । ନାହିଁ, ଖାଲି ଲାଜ ମାଡ଼ିଲା । ଜାଣି ଜାଣି ସେ ଯୋଜନାକରି କାମ ଆରମ୍ଭ କରିନାହିଁ । ଆଗେ କେଉଁଦିନ ଥରେ ବାହାରି ପଡ଼ିଥିଲା, ତା’ପରେ ଯେଉଁଠି ଯାହାର ସେବା ଦରକାର ସେଠି ସେ ଆପେ ଆପେ ପହଞ୍ଚିଯାଇଛି । କେଉଁ ସ୍ତ୍ରୀଲୋକ ବେମାର ପଡ଼ିଛି, କାହା ଘରେ କେଉଁ ପିଲାଟିଏ ବେମାର ପଡ଼ିଛି, କେମିତି ଖବର ପାଇ ସେଠିକି ସେ ଯାଇଛି, ସାମାନ୍ୟ ଦେହ ମେହେନତ, ଦି’ପଦ ସହାନୁଭୂତି, ଆପଣା ଘର ଚଳଣିରୁ ଖେଣ୍ଟି କେବେ କାହାକୁ ଛିଣ୍ଡା ଦରଭା ଖଣ୍ଡେ, କେବେ ଗଣ୍ଡିଏ ଚାଉଳ, ଅନ୍ୟକିଛି ସାହାଯ୍ୟ, ଏଡ଼େ ଶସ୍ତାରେ ଲୋକଙ୍କ ଆଶୀର୍ବାଦ ଆଉ କୃତଜ୍ଞତା ସେ ପାଇପାରିଛି । ଗୋଟାଏ ନୂଆ ପ୍ରକାର ଆନନ୍ଦରେ ମନ ଫୁଲିଉଠିଛି, ପୁଣି ମନ ହୋଇଛି ସେହି ବାଟ ଧରିବାକୁ । ଲାଗିଛି, ସବୁ ଘର ଅବା ତା’ରି, ସେ ସବୁରି ଘରେ ଝିଅ, ସମସ୍ତେ ତା’ର କେତେ ଆପଣାର, କେତେ ସ୍ନେହ ସାଇତି ରଖିଛନ୍ତି ତା’ରିପାଇଁ-। ତା’ର ଜାତି ଅଜାତି ବାରଣ ନାହିଁ । ଗାଁରେ ସମସ୍ତେ ତା’ର କୁଟୁମ୍ୱ । ଧୋବା ହୁର୍ଦ୍ଦୁ ସେଠୀ ଘରେ ବସି ସେ ତା’ର ଜରୁଆ ଛୁଆପାଇଁ ସାଗୁ ରାନ୍ଧି ଦେଇଛି । ବାଉରି ସାହିରେ ବସିପଡ଼ି ସେ ଝିଅମାନଙ୍କ ମୁଣ୍ଡ କୁଣ୍ଡେଇ ଦେଇଛି, ଉକୁଣୀ ମାରିଛି, ମୁଣ୍ଡ ବାନ୍ଧିଛି ।

 

କଥାଟା ହୁଏତ ଚହଳ ପକାଇଥାନ୍ତା ଦଶ ପନ୍ଦର ବର୍ଷପୂର୍ବେ, କୋଡ଼ିଏ ବର୍ଷ ତଳେ ହୁଏତ ଏତିକି କଲାବୋଲି ଗାଁରେ ଜାତିଆଣ ସଭା ବସି କ’ଣ ଦଣ୍ଡବିଧାନ ହୋଇଥାନ୍ତା । କିନ୍ତୁ ସମୟ କ୍ରମେ ବଦଳି ଯାଇଛି । ‘ହରିଜନ’ ଶବ୍ଦଟାର ତାତ୍ପର୍ଯ୍ୟ ଗାଁ ଲୋକଙ୍କୁ ଆଉ ସେଡ଼େ କାଳ୍ପନିକ ନୁହେଁ । କି ଶୁଭ ମୁହୂର୍ତ୍ତରେ ମହାତ୍ମା ଗାନ୍ଧୀ ଅଛ ଆଁ ଭେଦ ଉଠାଇବା କାର୍ଯ୍ୟ ଆରମ୍ଭ କରିଥିଲେ ଯେ ସେ ଆପେ ଆପେ ଦେଶର ଜୀଅନ୍ତା ଚେତନା ଭିତରେ ମିଶିଯାଇଛି । ଛୁଆଁ ଜାତିଙ୍କର ଅଛୁଆଁ ଜାତିଙ୍କୁ ହତାଦର କରିବା କାହାଣୀ କାଳକ୍ରମେ କେଉଁ ପଛକୁ ପଳାଇଛି, ଧୀରେ ଧୀରେ ଅଛୁଆଁ ଭେଦ ଲୋପ ହେଇଯାଇଛି, ଅଛୁଆଁ ଛୁଆଁ ମିଶି ଯାଇଛନ୍ତି । ଆରମ୍ଭ ହେଲାଣି ସେହିଦିନରୁ ଯେତେବେଳେ ସ୍ଵାଧୀନତାପାଇଁ ଯଜ୍ଞନିଆଁ ଜଳି ଉଠିଥିଲା, ଜାତି-ଧର୍ମ ପଛକୁ ପକାଇ ଆହୁତି ଦେବାକୁ କତିକି କତି ଲାଗି ଲାଗି ବସିଥିଲେ ଏ ଦେଶର ସନ୍ତାନ । ତା’ପରେ ଯହୁଁ ଯହୁଁ ଯେତେ ଦୂରକୁବୋଲି ଆଲୁଅ ଚହଟିଲା, ସେତେସେତେ ଛାଁ’କୁ ଛାଁ ଭାଙ୍ଗିବାକୁ ଲାଗିଲା ଯୁଗ ଯୁଗର ଭେଦ ବାଡ଼ ।

 

ଏଇ ଗାଁରେ ତ ଅଛୁଆଁ ହେଲେ ବି ଛୁଆଁ ଅଛୁଆଁ ଠାକୁ ଠା ଧର୍ମ ସମ୍ୱନ୍ଧ ଲଗାଇ ଦାଦି ମାମୁଁ ମଉସା ପିଉସା ହୋଇ ଡକାଡକି ଚଳୁଥିଲେ, ମିଶ୍ରର ପିଉସା ମିଆଁ, ପଠୋଉଣୀର ଧରମ ଭାଇ ମହାପାତ୍ର, କେଉଁ ପଟ୍ଟନାଏକର ମଉସା କେଉଁ ବାଉରୀ, କେବଳ ପୂର୍ବର କୁଳାଚାର ପ୍ରକାରେ ମାନ୍ୟମାନତା ନାଁରେ ଥିଲା ଆଡ଼ ଆଡ଼ ଛାଡ଼ ଛାଡ଼ ।

 

ପରିଷ୍କାର ହୋଇ ନୂଆ ସୁଅ ରୂପ ଘେନିଥିଲା ଯେତେବେଳେ ସିନ୍ଧୁ ଚୌଧୁରିଙ୍କ ଚାହାଳିରେ ଏକାଠି ପାଖକୁ ପାଖ ବସି ପାଠପଢ଼ୁଥିଲେ ବାଉରୀ କଣ୍ଡରା ହାଡ଼ି ପାଣ ଆଉ ବ୍ରାହ୍ମଣ କରଣ ଖଣ୍ଡାଏତ ବଢ଼େଇ କମାର । ଆଗ ଆଗ ଅଳ୍ପ ବହୁତ ହୋଇ ପ୍ରତିବାଦ ହେଉଥିଲା, କ୍ରମେ ସେ ବି ଡୁବିଗଲା ସିନ୍ଧୁ ଚୌଧୁରିଙ୍କ ପ୍ରସନ୍ନ ହସ ହସ ମୁହଁର ତେଜରେ, ତାଙ୍କ ବ୍ୟକ୍ତିତ୍ୱର ଧାସରେ । ଆଗେ ବାଉରୀ ସାହିଆ ଉଚ୍ଚ ଜାତିଙ୍କ କଂସାବାସନ ଛୁଉଁ ନ ଥିଲେ, ଏପାଖ କୂଅରୁ ପାଣି କାଢ଼ୁ ନ ଥିଲେ, ଆଗେ ପାଣ ହାଡ଼ି ଆସିଲେ ଉଚ୍ଚ ଜାତିଙ୍କ ଘର ପିଣ୍ଡାରୁ ଖଣ୍ଡେଦୂର ଛାଡ଼ି ଦୂରେଇ ଦୂରେଇ ଠିଆ ହେଉଥିଲେ । କ୍ରମେ ତା’ ମନକୁ ମନକୁ କେତେଠିଁ ଏସବୁ ଉଠିଗଲା, ସେମାନେ ମିଶି ଆସିଲେ । ଛୁଇଁଲେ ଲୁଗା ମାରାହେଲା ନାହିଁ, କୂଅକୁ ବାରଣ ରହିଲା ନାହିଁ, ଛୁଆଁଛୁଇଁ ମିଶାମିଶି ସମ୍ପୂର୍ଣ୍ଣ ନ ହେଲେ ବି ବହୁତ ଆଗେଇ ଗଲା, କେତେଠିଁ ରହିଲା ବି ନାହିଁ । କେହି କେହି ପୁରୁଣା ବୁଢ଼ାବୁଢ଼ୀ ଗୋଟି ଗୋଟିକିଆ ହୋଇ ଆପତ୍ତି କଲେ, କିନ୍ତୁ ବର୍ତ୍ତମାନଠୁଁ ଆଡ଼େଇ ହୋଇ ଅଛୁଆଁ ହୋଇ ରହିଲା ଅତୀତର କୁସଂସ୍କାର, ବର୍ତ୍ତମାନର ଧାରାକୁ ବଦଳାଇ ପାରିଲା ନାହିଁ । ଲୋକେ ସହର ବୁଲି ଆସିଲେ, ଚାକିରି କ୍ଷେତ୍ରରେ, ବ୍ୟବସାୟ କ୍ଷେତ୍ରରେ ବୁଲି, ଖଟଣି ଜାଗାରେ, କଳ କାରଖାନାରେ ସବୁ ଜାତି ସବୁ ଧର୍ମ ସଙ୍ଗେ ଏକାଠି ମିଶି ଆସିଲେ, ତା’ ପ୍ରଭାବ ବି ଗାଁ ଉପରେ ପଡ଼ିଲା ।

 

ଖାଲି ଗୋଟିଏ ଗୋଟିଏ ପୁରୁଣାକାଳିଆ ମଣିଷ କେଉଁଠି ଏକୁଟିଆ ଠିଆ ହୋଇ ପ୍ରତିବାଦର ଧ୍ୱନି ଦେଲେ, ‘‘ଘୋର କଳିକାଳ ଘୋଟିଲା, ସବୁ ଗୋଳିଆ-ପୋଳିଆ ଅନାଚାର କରିଦେଲେ, ମାଳିକା କଥା ଫଳିଲା, ସର୍ବେ ହୋଇବେ ଏକାକାର, ନ ଥିବ ବେଦର ବିଚାର ।’’ କି ଛିଆଛିକର କି ଉଚ୍ଚ ଜାତିଙ୍କର ନୀଚ ଜାତିଙ୍କ ଉପରେ ଅତ୍ୟାଚାର କାଳକ୍ରମେ ହୋଇଛି ସେହି ପୁରୁଣା ଯୁଗର କାହାଣୀ, ସେହି ଯେତେବେଳେ ଦେଶ ସ୍ୱାଧୀନ ହୋଇନଥିଲା–ସେହି ପୂର୍ବଅମଳର କଥା । ଏଇ ବାଉରୀସାହିଆ ଉଚ୍ଚଜାତିଙ୍କ କଂସାବାସନ ବି ଛୁଉଁ ନ ଥିଲେ, କ୍ରମେ କଂସାବାସନ ମାଜିଲେ । ଆଗେ ସେମାନେ ଛୁଇଁଦେଲେ ଛୁଆଁତା ଲାଗୁଥିଲା, ଲୋକେ ଯେପରିକି ସେ କଥା ଭୁଲିଗଲେ । ଆଗେ ସେମାନେ ଏପାଖ କୂଅରୁ ପାଣି କାଢ଼ିବା ମନା ହୋଇଥିଲା, କେବେ ତା’ ମନକୁ ମନ ସେ ବାଛନ୍ଦ ଉଠିଗଲା । ଯେଉଁ ବୁଢ଼ା ଖେଣ୍ଟମାନଙ୍କ ମନରେ ସେ ଭେଦ ସେ ଛୋଟଲୋକୀ ଅଛି ସେମାନେ ବଳେ ଆଡ଼େଇ ହୋଇ ରହିଛନ୍ତି । ଗାଁରେ ଆଗ ଚଳାଇଦେଲେ ସିନ୍ଧୁ ଚୌଧୁରି, ତା’ପରେ ଚାଲିଛି ।

 

ଶିଖରମା’କୁ ପରିଷ୍କାର ରଖି, ତା’ ପରିଚର୍ଯ୍ୟାକରି ସେ ମନ ଭିତରେ ଯେଉଁ ଉଲ୍ଲାସ ଅନୁଭବ କରିଥିଲା, ବୋଉକୁ ଫୁସୁଲେଇ ତା’ପାଇଁ ପୁଳିଏ ଛିଣ୍ଡା ଲୁଗା ଓ ଖଣ୍ଡିଏ ଦଢ଼ ଚାଦର ଦେଇଆସିଲା ପରେ ସେ ଉଲ୍ଲାସ ବହୁ ଗୁଣେ ବଢ଼ିଗଲା । ସେ ଦେଖିଲା । ତା’ପରେ ଚାଲିଲା ଏହିପରି କେତେ କେତେ । ଏ କାର୍ଯ୍ୟରେ ସବୁବେଳେ ବାପାଙ୍କ ସମର୍ଥନ ଓ ଉତ୍ସାହ ଅଛିବୋଲି ସେ ନିଶ୍ଚିନ୍ତ ମନରେ କାର୍ଯ୍ୟ କରିପାରୁଥିଲା । ଗୁରବୋଉ ସହାନୁଭୂତିରେ ତରଳି ଯାଆନ୍ତି; କିନ୍ତୁ ଦାଣ୍ଡ ଅଗଣାରୁ ପଦାକୁ ଗୋଡ଼ କାଢ଼ୁନଥିଲେ । କୁଆଡ଼େ ବାହାରିଲେ ଆଶ୍ଚର୍ଯ୍ୟ ହେଲାପରି କହନ୍ତି, “ଯାଉଛ ! ସତେ ପୁଣି ଯିବ !’’ ବୋଉ ବେଳେ ବେଳେ ଆପତ୍ତି କରେ, କହେ, ‘‘କେଡ଼େ ସୁନ୍ଦର ତ ଥିଲୁ, ଫେର୍ ଏମିତି ଉଲୁରି ଲାଗିଲାପରି କୁଆଡ଼େ ଦଉଡ଼ଧାପଡ଼ ଲଗେଇଚୁମ ? ସଂସାରଯାକ ଉପକାର ଖାଲି ତତେ କରିବାକୁ ହେବବୋଲି ଲେଖାଅଛି ? ପାଣିହାଣ୍ଡି ପିଲାଟା, ଏଇ ନ ଗଲେ ଲୋକଙ୍କର ଚଳୁ ନାଇଁ ଯେ ମତେଇ ଶିଖେଇ କାମରେ ଖଟୋଉଛନ୍ତି ?’’ କିନ୍ତୁ ତା’ ଆକଟ ଖାଲି ତୁଣ୍ଡରେ, ବଳାଏ ନାହିଁ । କ୍ରମେ ଓଲଟି ସେ ଗୁରବୋଉକୁ ବୁଝେଇଲା, ‘‘ପୁଅ ତ ସେହି, ଝୁଅ ତ ସେହି, କ’ଣ ତାକୁ ଆକଟିବି, କହ ? କରୁ କ’ଣ କରୁଚି, ନିଜର ତ ଅନିଷ୍ଠ କରୁନାହିଁ ! ଆଜିକାଲି କ’ଣ ତମ ଆମର ପୁରୁଣା ଅମଳ ଅଛି ? ଅଇଛା ତ ଝିଅମାନେ କାହିଁରେ କ’ଣ ? କିଏ ଚାକିରି କରିଚି, କିଏ ମଟର ଚଲୋଉଚି, କିଏ କି ଧନ୍ଦାରେ ଲାଗିଚି, ଆମର ସିନା ଆମେ ଏଠି ଏମିତି, ସହରରେ ମାଇପେ ଆଉ କ’ଣ ଏତେ ଆଡ଼ ଉଢ଼ୁଆଳ ଜଗୁଚନ୍ତି ? କୋଉ କାମ କିଏ ନ କରି ପାରୁଚି ?’’

 

କଥାଗୁଡ଼ାକ ସବୁ ତାଙ୍କର ନିଜ ଅନୁଭୂତିରୁ ନୁହେଁ, ସିନ୍ଧୁ ଚୌଧୁରିଙ୍କଠୁଁ ଶିଖିଲା କଥା ବେଶି ଭାଗ । ସେହି ତ ହସି ହସି ବୁଝାନ୍ତି, ‘‘କ’ଣ କିଏ କଲାବୋଲି ତେମେ ଏତେ ତିଳକୁ ତାଳ କରୁଚ ? ଝିଅଟା ଗାଁ ଲୋକଙ୍କ ଘର ଘର ବୁଲି ଦୁଃଖୀ ଲୋକଙ୍କ ସେବା କଲା । ଏ ତ ଭାଗ୍ୟର କଥା, କେହି ଶିଖେଇଦେଇ ନାଇଁ, ତା’ ମନ କହିଲା, କ’ଣ ବା କରିପାରିବ ? ଖାଲି ଗୁଣ୍ଡୁଚିମୂଷା ହୋଇ ବାଲି ବୋହିବ । ଦେଖ, ଉପକାରଟା ସେ ପରର କରୁନାହିଁ, ନିଜର ଉପକାର କରୁଛି । ମଣିଷ ହୃଦୟକୁ ଚିହ୍ନି ଶିଖୁଛି, ତା’ ଆଧ୍ୟାତ୍ମ୍ୟ ବଳ ବଢ଼ୁଛି । ଆମେ କରେଇବା ଉଚିତ ଥିଲା, ତା’ ମନକୁ ମନ କରୁଛି । ସବୁ ଭଗବାନଙ୍କ ଦୟା । କେତେ ଲୋକଙ୍କ ଆଶୀର୍ବାଦ ପାଉଚି ! ଲୋକେ କ’ଣ କହୁଛନ୍ତି ଶୁଣୁଚ ତ ? ପେଟ ପୂରି ଉଠୁ ନାଇଁ ! ୟେ ଅବା କି କାମ ? ଆଉ ଆଉଠିଁ ଝିଅ ପିଲେ କ’ଣ କରୁଚନ୍ତି ଜାଣିଛ ? ଶୁଣ, ମୁଁ କହୁଛି–’’

 

କୁଆଡ଼ୁ, କୁଆଡ଼ୁ ହୋଇ ସେଇ ଗାଁ ଗହଳି ଭିତରକୁ ବି ପଦାର ଖବର ଆସି ଭେଦି ଯାଉଛି ଯେ ଯୁଗର ପବନ ସ୍ତ୍ରୀ ଜାତିର ମୁହଁ ଉପରୁ ଓଢ଼ଣୀକୁ କେଉଁ କାଳରୁ ଓଟାରିନେଇ ସାରିଲାଣି । ମାଇପେ ବି ମିଣିପଙ୍କ ସାଙ୍ଗସରିସା ହୋଇ କାମ କଲେଣି, ପଦାକୁ ବାହାରିଲେଣି । ଗାଁ ଭିତରେ କେତେଠିଁ କେତେଥର ପଡ଼ିଛି ସେକଥା । ଗୁରବୋଉଙ୍କର କେଉଁ ଦୂରସମ୍ପର୍କୀୟ ମାଉସୀପୁଅ ଭାଇର ଝିଅ ଦୋଟି, ସୁନା ଆଉ ହୀରା । ସେକାଳରେ ଆଗ ନୂଆକଥା ଶୁଣା ଯାଇଥିଲା, ସେମାନେ ବିଭା ହେଲେ ନାହିଁ । ଡାକ୍ତରୀ ପାଠପଢ଼ିଲେ, ବୟସ ଆସି କେତେ ହେଲା, ସେମାନେ ଅଭିଆଡ଼ୀ ରହିଛନ୍ତି, ସେହି ହୋଇଥାଏ ଆଲୋଚନାର ବିଷୟ । ଶୁଣାଗଲା ସେମାନେ ଡାକ୍ତରାଣୀ ହେଲେ, ବାପ ବିଲାତ ପଠାଇଲା । ଚାରିଆଡ଼େ ଚର୍ଚ୍ଚା ଲାଗିଲା, ଏଥର କଳିକାଳର ଚୂଡ଼ାନ୍ତ ହେଲା, ନ ହେଲେ କାହିଁକି ଏମିତି ହୁଅନ୍ତା, ଯେ ଚିରାଚରିତ ପ୍ରଥାରେ ପରଘର କରିବାକୁ ନ ଯାଇ ଝିଅପିଲା ଯୋଡ଼ାକ ମିଣିପଙ୍କପରି ସ୍ୱାଧୀନ ବୃତ୍ତି ଧରି ଅଭିଆଡ଼ା ହୋଇ ରହିଯାଆନ୍ତେ ।

 

କିନ୍ତୁ ତା’ପରେ ଅଳ୍ପ କେତେଟା ବର୍ଷ ନ ଯାଉଣୁ ତ ଆହୁରି ଆହୁରି ଝିଅ ବାହାରିଲେ ସେମିତି, ପାଠପଢ଼ା ଝିଅ, କିଏ ଡାକ୍ତର, କିଏ ସରକାରୀ ଚାକିରିଆ, କିଏ ନାରୀକର୍ମୀ, କିଏ ବିଭାହେଲେ, କିଏ ଅବିବାହିତା ରହିଲେ । ଏହି ଗାଁକୁ ଯେଉଁ ବୋହୂମାନେ ଆସିଲେକି ଏଇ ଗାଁରୁ ପରଘରକୁ ଯେଉଁ ଝିଅମାନେ ଗଲେ, ନୋତାଗୋତାରେ ତାଙ୍କରି ବନ୍ଧୁବାନ୍ଧବମାନଙ୍କ ଭିତରୁ ବି ଅନେକେ ସେହିପରି । କଥା ଖେଳିଗଲା । କେବଳ ସେତିକିରେ ଅଟକିଲା ନାହିଁ । କେତେବେଳେ କେଉଁ ଅପକୀର୍ତ୍ତିର କାହାଣୀ ବି ଆସି ପହଞ୍ଚିଯାଏ । ଆଉ କେତେବେଳେ ଖବର ଆସେ କିଏ ମନଇଚ୍ଛା ବର ବାଛି ବିଭା ହେଲା, କାହାର ବିଭାଘର ବେଦିକର୍ମ ହେଲା ନାହିଁ, ଖାଲି କଚିରିରେ ଖାତାରେ ଦସ୍ତକତ୍ କରିଦେଲେ ବାହାଘର ହୋଇଗଲା, କିଏ ଆପଣା ଜାତି ଛାଡ଼ି ଅନ୍ୟଜାତିରେ ବିଭାହେଲା, ନାନ କାହାଣୀ ସେ । ଆଗ ଆଗ କେତେ ନାକଟେକା, କେତେ ସମାଲୋଚନା, ପରେ ସେ ବି ଦେହସହା ହୋଇଗଲା, ଗାଁ ଲୋକେ ସହରିଆ ଲୋକଙ୍କ କଥାକୁ ଯେପରି କୁତୂହଳରେ ସମାଲୋଚନା କରନ୍ତି, ସେ ଢଙ୍ଗ ବି ରହିଲା ନାହିଁ ତାଙ୍କ ଆଲୋଚନାରେ, ଗାଁ ସହର ମିଶିଗୋଳି ହୋଇଗଲା ପରିବର୍ତ୍ତନର ଇତିହାସରେ, ଗାଁବୋଲି ନୁହେଁ, ଅବସ୍ଥାଚକ୍ରରେ ଯେଉଁଠି ଯାହା ଘଟିଯାଏବୋଲି ଧରିନେବାକୁ ଲୋକେ ଅଭ୍ୟସ୍ତ ହୋଇଗଲେ । ଧରିନେଲେ–କେବଳ ଯାହାର ଯାହା ରୁଚି ଆଉ ବଳାବଳି, ଅତି ପୁରୁଣାପନ୍ଥୀ । ଯେଉଁମାନେ ଥିଲେ ନୂଆ ଯୁଗକୁ ଅଭିସମ୍ପାତ କରୁଥିଲେ । ସେମାନେ ବି ଦେଖିଲେ ଏ ଅଭିସମ୍ପାତ କାଟୁ କରୁ ନାହିଁ, ବ୍ରହ୍ମଶାପର ବି ତେଜ ନାହିଁ, ସମାଲୋଚନା ଶୁଣି କେହି ଉଦ୍‌ବୁଦ୍ଧ ହେଉ ନାହିଁ, ବରଂ କଣର ଭୁଆସୁଣୀଏ ବି କହିପାରିଲେ ଦି’ପଦ ।

 

“ଆମର ସୁବିଧା ହେଲା ନାହିଁ ପାଠପଢ଼ିଲୁ ନାହିଁ ଦି’ଅକ୍ଷରବୋଲି ସିନା, ନ ହେଲେ କାହିଁକି କିଏ ଆସନ୍ତା ପରଘରେ ମୁଣ୍ଡବିକି ଗଞ୍ଜଣା ସହିବା ଲାଗି ?’’

 

ଛବିବୋଉ ବି ଖବର ରଖନ୍ତି ଏସବୁ କଥାର ।

 

ଅବୁଝା ମନଟା ବୁଝେ ନାହିଁ ତଥାପି । ଲାଗେ, ବାହାରେ ଯାହା ଅନ୍ୟମାନଙ୍କ ବିଷୟରେ ସତ, ସତେ କ’ଣ ତା’ର ଧାସ ବି ଲାଗିଗଲା ତାଙ୍କ ନିଜ ଘର ବିଷୟରେ ! ପଦାର ଦୁନିଆଁର ଘଟନାରେ ଯାହା ସେ ସହଜ ସମ୍ଭାବ୍ୟବୋଲି ବୋଲି ଧରିନିଅନ୍ତି, ନିଜ କଥାରେ ସେ କେମିତି ଅଡୁଆ ଅଡ଼ୁଆ ଲାଗେ । ତେଣୁ ଛାତିଟା ଚାଉଁକରେ । ଛବି ଏତେ ସେତେଭାବେ ନାହିଁ, ଯେମିତି ବୁଲୁଥିଲା ସେମିତି ବୁଲେ । ସାହିରୁ ବୋହୂ ଝିଅ ଆସି ତାକୁ ଡାକି ନେଇଯାଆନ୍ତି ।

 

ଛବିବୋଉ ଅନାନ୍ତି ଗୁରବୋଉଙ୍କୁ ।

 

ଅନାଇଁବାକୁ ସିନ୍ଧୁଚୌଧୁରି ନ ଥାନ୍ତି । ଥିଲେ ବି ତାଙ୍କଠୁଁ ପ୍ରତିଧ୍ୱନି ମିଳନ୍ତା ନାହିଁ । କେବେ କେବେ ଗୁରବୋଉ ଗୁରକୁ ସାକୁଲାନ୍ତି, ‘‘ଯା ଦେଖିବୁ ଗଲୁ ଅପା କୁଆଡ଼େ ଗଲାଣି ।’’ ଖଣ୍ଡେ ଛିଣ୍ଡା ମସିଆ ଲୁଗା ପିନ୍ଧି ଗୁର ବାହାରିପଡ଼େ, ଗୁରବୋଉ ତା’ର କୁଞ୍ଚର ଫେରକୁ ଉପରେ ଖୋସି ମୁଣିପରି ସାମ୍ନାରେ ଝୁଲାଇ ଦିଅନ୍ତି । ଗୁର ଧାଇଁଯାଏ ।

 

ଏଇ କ’ଣ କାମ, ଏତେ ମଣିଷଙ୍କ ସୁଖରେ ସୁଖୀ, ଦୁଃଖରେ ଦୁଃଖୀ ହୋଇ ଏତେଆଡ଼େ ଖବର ବୁଝି ବୁଲିବା ? ଛବି ଭାବେ । ଝାଳ ଯେତେବେଳେ ଥପ ଥପ ହୋଇ କପାଳରୁ ବୋହିପଡ଼ୁଥାଏ, ଖରା ଚାଉଁ ଚାଉଁ ମାରୁଥାଏ । ଅନ୍ୟମାନଙ୍କ ସଙ୍ଗରେ ମନଖୋଲି ସେ ହସେ, ପବନର ସୁଆଦ ବାରେ । ଆଉ ସ୍ମରଣ କରିନିଏ ସେହି ତା’ର ମନେ ମନେ ଛପି ରହିଥିବ । ଆଉ ଜଣକୁ, ଯେ ତା’ର ସ୍ମୃତି ଆଉ କଳ୍ପନାରୁ ଜନ୍ମ ହୋଇ ସତେ ଯେପରିକି ରକ୍ତରେ ଗୋଳି ହୋଇଯାଇଛି ।

 

ବାହାରେ ମୁହଁ ଉପରେ ନିତିଦିନର ପର୍ଦ୍ଦା, ସେଥିରେ ସେହି ଚିହ୍ନା ଚିତ୍ର, ବାପମା’ଙ୍କର ଗେହ୍ଲା ଝିଅ, ସାହିପଡ଼ିଶାଙ୍କ ଆଖିରେ ବି ସେ ହେଲାଣି ସ୍ନେହର ପିତଳି । ଭିତରେ ତା’ର ଆଉ ଗୋଟାଏ ଜୀବନ, ଛବି ଅପେକ୍ଷା କରିଛି ।

 

ଗଲା ଦୋଳ ପର୍ବ, ତା’ପରେ ଝୋଲାମର ଖରାଦିନ, ଜଳି ଜଳି ସେ ବି ମରିଗଲା, ଆସିଲା ପହିଲି ମେଘ ଅସରାକ, ତା’ପରେ ଆଉ କେତେଥର ଛାଡ଼ି ଛାଡ଼ିକା ! ନୂଆଁ ମଞ୍ଜି ଗଜା ହେଲା, ନୂଆ ଘାସ ଗଜୁରିଲା, ଛବିର ହେଲା ନାହିଁ କିଛି ।

ଗାଁଟା କେମିତି ଟିକିଏ ଥଣ୍ଡା ପଡ଼ିଛିବୋଲି ଦିଶୁଛି । ଯେଉଁ ବାଡ଼ ବଢ଼ି ଉଠିଥିଲା, ତା’ କେମିତି ଅପସରି ଯାଇଛି । ଗେହ୍ଲିବୋଉ, କନବୋଉ, ଅଗଣି ରାୟ, ଗଦେଇ ଲେଙ୍କା ଥାଇ ବି ଗାଁରେ ନ ଥିଲା ପରି । ତା’ ପରିବର୍ତ୍ତେ ଗାଁଯାକ ଦେଖି ବୁଲୁଛନ୍ତି ଭଦ୍ରଘରର ବୋହୂଝିଏ, ଯେପରିକି ଭଙ୍ଗା ସମ୍ୱନ୍ଧ ଯୋଡ଼ିବାକୁହିଁ ତାଙ୍କର ପ୍ରଚେଷ୍ଟା ।

 

ଗୁରବୋଉକୁ ଥରେ ଜର ଧରିଲା । ଚାରୋଟି ଦିନ । କୁଆଡ଼ୁ, କୁଆଡ଼ୁ ମାଇପେ ଆସି ଘରେ ପୂରିଗଲେ । କିଏ ଗୋଡ଼ ଘଷି ଦେଉଛି, କିଏ ପଥି କରି ଦେଉଛି, କିଏ ଆଉଁସି ପକାଉଛି, କିଏ ବସି ବସି କଥା ଗପୁଛି । ସେତେବେଳେ ଛବିବୋଉ ଗୁରବୋଉ ବି ବୁଝିଥିଲେ, ଏ ଗାଁରେ କ’ଣ ଗୋଟାଏ ଘଟିଛି ।

 

ଛବିପାଇଁ ସମ୍ୱନ୍ଧଟିଏ ଘେନି ମଣିହଂସ ଗାଁର ରାୟଗୁରୁ ଆସିଥିଲେ, ପେଟା ହୋଇ ଗୋଲ ହୋଇ ବାଙ୍ଗର ବୁଢ଼ାଟିଏ । ଅଭିସୋଇଁ ପଠାଇଛନ୍ତି ତାଙ୍କ ପୁଅ ନବ ବିଷୟରେ । ରାୟଗୁରୁ କହିଲେ, ‘‘ଖାଲି କାତିକଥାଟା ଯଦି ଗଣ୍ଠି ପକାଇ ନ ଧରିବେ, ତେବେ ଏମିତି ପାତ୍ର ସଂସାରରେ ନ ଥିବ । ନବକିଶୋର ଇଞ୍ଜିନିଅରିଂ ପାସ୍‍ କରିଛି, ବିଲାତ ଯାଇଛି ଆହୁରି ପଢ଼ିବାକୁ, ଦେଖିବାକୁ ଯେମିତି ଶୁଣିବାକୁ ତା’ କଥା ବି ସେମିତି, ସ୍ଵଭାବ ଆଚରଣ କେଉଁ କଥାରେ କିଏ ବାଛିବ ? ଅଭିରାମ ବାବୁଙ୍କୁ ତ ଅପଣ ଜାଣିଛନ୍ତି, ତାଙ୍କର କେଉଁ କଥା ଆପଣଙ୍କୁ ଅଛପା ଯେ ? ଏକାଠି ପାଞ୍ଚମହଣ ଦଶମହଣ ଆଳୁପିଆଜ ଦରକାର ହେବ ତ ସେହି ଯୋଗାଇବେ, ଆପେ ଖଟିଛନ୍ତି, ପିତପିତାମହେ ରଖିଯାଇଥିଲେ, ବସୁଧା ପଡ଼ିଛି, ଗୋରୁଗୋଠ ବଢ଼ୁଛନ୍ତି, ମହାଜନୀ ବଢ଼ୁଛି, ନାଙ୍କରା କ’ଣ ହେବ ? କିଛି ମାଗୁ ନାହାନ୍ତି, ଖାଲି ଚୌଧୁରି ଘର ସଙ୍ଗେ ସମ୍ୱନ୍ଧଟା କରିବେ, ବୁଢ଼ାଙ୍କର ଏତିକିକୁ ଆଶା । ତା’ ବି ପୁରୁଣା ଅମଳ ହୋଇଥିଲେ ସେ ତୁଣ୍ଡରେ ଧରିଥାନ୍ତେ କାହିଁକି-? ଅଇଛା କେତେ ଲୋକ ତ ସେମିତି ସମ୍ୱନ୍ଧ କରିଗଲେଣି । ଯୁଗକୁ ଅଟକେଇବ କିଏ ? ଅଖଳା ସରଳିଆ ବୁଢ଼ା କ’ଣ ମତେ କହି ପଠେଇଛନ୍ତି ବୁଝିଲେ ଆଜ୍ଞା, କହିଲେ ସାଆନ୍ତଙ୍କୁ କହିବ ଅଭିସୋଇଁ ଓଳିକି କହିଚି, କହିଚି ହଁ କହିଲେ ବୈକୁଣ୍ଠରେ ବସିବି, ନାହିଁ କହିଲେ ନାହିଁ, ଗୋଇଠା ମାରିବେ ନାହିଁ, କହିଚି ମୁଁ ସିନା ଚଷାଟାଏ, ମୋ ପୁଅ ବୋହୂ ଗୋବର ଘଣ୍ଟିବେ ନାଇଁ, ପୁଅ ତ ପାଠ ପଢ଼ିଲେ, ବାବୁ ହେଲେ, ତାଙ୍କର ଭିନେ କୁଳ ।’’

 

ଦାଣ୍ଡ ଟୁଙ୍ଗୀଘର ହାତୀଅନ୍ଧ ସେ କରେ ଠିଆ ହୋଇଥିଲା ଛବି, ସଞ୍ଜ ବୁଡ଼ି ବୁଡ଼ି ଆସୁଥାଏ । ସାମ୍ନାରେ ଗାଁ ବସ୍ତିରୁ ଧୂଆଁ ଉଠି ଉଠି ଏକାଠି ମିଶୁଛି, ଧୂଆଁ ଏଣେତେଣେ ଭଉଁରୀ ବୁଲିଯାଉଛି, ଆଖି ପତ୍ତନ ସଳଖେ ଧୂଆଁର କୁହୁଡ଼ି । ସେଥିରେ ଆସ୍ତେ ଅନ୍ଧାର ଗୋଳି ହୋଇଯାଉଛି । ଝଙ୍କା ଝଙ୍କା ଗଛଗୁଡ଼ାକର ଛାତ ଏକାଠି ହୋଇ ଯେପରିକି ମାଡ଼ି ମାଡ଼ି ପଡ଼ୁଛି, ରୁନ୍ଧି ଦେଉଛି ଚାରିଆଡ଼ । ତାହାରି ଭିତରେ ସେ ନିଜକୁ ଅନୁଭବ କଲା, ଖାଲି ଉଠୁଥିବା ପଡ଼ୁଥିବା ଛାତି ତଳେ ଦପ ଦପ, ଦପ ଦପ, ସେହି ଆତୁର ସ୍ପନ୍ଦନ ସେ ।

 

ଶୁଣିଲା, ବାପା ଟିକିଏ ଗୁମ୍ ରହିଗଲେ । ତା’ପରେ କହିଲେ, ‘‘ଅଭିସୋଇଁଙ୍କୁ କହିଦେବ ମୁଁ ତାଙ୍କର ପ୍ରସ୍ତାବକୁ ସମ୍ମାନ ଜଣାଉଛି ରାୟଗୁରୁଏ ! ଜାତିକଥା ମୁଁ ସେଡ଼େ ବଡ଼କରି ଧରୁନାହିଁ କହିଦେବ, ଯେଉଁମାନେ ଧରିଥାନ୍ତେ ସେମାନେ ତ ଆଉ ନାହାନ୍ତିକି ତାଙ୍କ କାଳ ବି ନାଇଁ ଆଉ ।’’ ସେ ହସିଲେ, କହିଲେ, “ନ ହେଲେ ପ୍ରସ୍ତାବଟି ଆସିଥାନ୍ତା ବି କେମିତି ? କେତେ ସମ୍ବନ୍ଧ ଏମିତି ହେଲାଣି, କେତେ ଏମିତି ହେବ । ବିଦ୍ୱାନ ସଚ୍ଚରିତ୍ର ଯୁବକ, ତା’ର ପରିଶ୍ରମୀ ବାପା, ସେ ଆପେ କାମ କରିଛନ୍ତି, କମେଇଛନ୍ତି, ଖଣ୍ଟ ତ ନୁହନ୍ତି !’’

 

ଛବି ଅନୁଭବ କଲା ତା’ର ସ୍ପନ୍ଦନମୟ ଅନୁଭୂତି ଯେପରିକି ହଠାତ୍ ସଙ୍କୁଚିତ ହୋଇଆସୁଛି । ଛାତି ଚିପି ହୋଇଯାଉଛି, ନିଃଶ୍ୱାସ ଅଟକି ଯାଉଛି । ଲାଗୁଛି ଏ ଧୂଆଁ ଅନ୍ଧାରରେ ସେ ବି ମିଶିଯିବ, ହଜିଯିବ ।

 

ଶୁଣିଲା, ଟିକିଏ ରହି ତା’ ବାପା କହିଲେ, “ତେବେ କ’ଣ କି, ଆଉ ଅନ୍ୟଠିଁ ବି ଆମେ ଦେଖୁଛୁଁ । ଝିଅ ପରଘରକୁ ଯିବବୋଲି ତ ପର ହୋଇଯିବ ନାହିଁ, ତା’ର ଏ ଯେଉଁ ସମାଜ ସେଇଟା ବଦଳୁ ବଦଳୁ ଡେରି ହେବ, ଅପ୍ରୀତି ବି କରିପାରେ । ଡିହଢମଣା ହୋଇ ଆମେ ୟେ ଭଙ୍ଗା ଡିହ ଆବୋରି ପଡ଼ିଛୁଁ, ଏ ସଂସ୍କାରର ମାୟା କାଟିବାକୁ ବଳ ଦରକାର । ସେଥିପାଇଁ ଆପଣାକୁ ତିଆରିବାକୁ ବେଳ ଦରକାର । ଏମିତି ହୁଁ କରି ନୁହେଁ । ତାଙ୍କୁ କହିବ, ସେ ଅପେକ୍ଷା କରିବେ ନାହିଁ । ଯୋଗ ଥିଲେ ହୋଇପାରେ, କିଏ କହିବ ?’’

 

‘‘ଆପଣ କହିପାରିବେ ନାହିଁ ?’’

 

ନୂଆ ପ୍ରକାର ଉତ୍ସାହରେ ଝାଙ୍କି ହୋଇ ଚୌଧୁରି କହିଲେ, ‘‘କହିପାରିଥାନ୍ତି, ତେବେ ମୁଁ ମୋ ଝିଅଟାକୁ ସର୍କସର ଖେଳାଳୀ କରିବାକୁ ଚାହୁଁନାହିଁ, ବଡ଼ଆଶା ମୋର ନାହିଁ, ବାହାଦୁରୀ ଦେଖାଇବାକୁ ବି ଇଚ୍ଛା ନାହିଁ । ମଣିଷର ମନ ତ, ଆଉଆଡ଼କୁ ମନ ବୋହିଯାଇଛି, ମୁଁ ଦେଖୁଛି, ଆଶା କରିଛି, ତା’ପରେ ଯେଉଁଠି ଥିବ ହେବ । ବୁଝିଲେ ?’’

 

ପୁଣି ଏକ ଲହଢ଼ୀ ଆସିଥିଲା, ଛବି ଅନୁଭବ କଲା, ପୁଣି ସେ ଲେଉଟି ଗଲା । ପୁଣି ସେ ସହିସମ୍ଭାଳି ହୋଇ ନିଜକୁ ଦେଖିଲା, ସେ ଗୋଟା ସୁଦ୍ଧା ଅଛି । ଉତ୍ତେଜନାରେ ଥରୁଛି । ଆପଣାର କାଚ ଝଣଝଣ, କାନି ଖସଖସ ତାକୁ ଶୁଭିଲା । ଆଉ ଶୁଭିଲା ଏଇ ସଞ୍ଜପହରେ ଗାଁଯାକର ଶବ୍ଦ, କେଉଁ ସାହିରେ କିଏ ପାଟି କରୁଛି, କେଉଁଠି ବାଛୁରୀଟିଏ ବୋବୋଉଛି, କେଉଁଠି ଗହଳ ଚହଳ ଶୁଭୁଛି । ଏକାଠି ଯେମିତି ଛଳଛଳେଇ ଉଠେ ପୋଖରୀରେ ପାଣି, ମଣିଷଙ୍କ ପାଟି ଆଉ ଡାହୁକର ବୋବାଳି । ଯେମିତି କୁଆଁରପୁନେଇ ପାଖ ହେଉ ହେଉ ଏଘରୁ ସେଘରୁ ଗାଁଯାକର କୁଆଁରୀ କଣ୍ଠରେ ଗୀତର ଲହଡ଼ୀ ଅଲିଅଳୀ ହୋଇ ଖେଳିଯାଏ । ଲାଗିଲା, ଯେମିତି ଏ ଶବ୍ଦସମୁଦ୍ର ଭିତରୁ କେତେବେଳେ ମୁଣ୍ଡ ଟେକିଦିଏ, କେତେବେଳେ ଗାଲ ପାରିଦେଇ ସେଇଠି ଶୋଇପଡ଼େ ଏକ ନିଶ୍ଚିତ ବିଶ୍ୱାସରେ, ଯେ ପୁଣି ଆଖି ଖୋଲି ଅନାଇଁଲେ ସେ ତା’ର ସେହି ଚିହ୍ନା ପରିବେଷ୍ଟନୀକୁ ଦେଖିପାରିବ । ନିର୍ଭର ଆଉ ବିଶ୍ୱାସମିଶା ତା’ର ସେହି ସଂସ୍ଥିତି । ସେ ଭାଙ୍ଗି ନାହିଁ, ତୁଟି ନାହିଁ, ଅଛି ସେମିତି ।

 

ଅନ୍ଧାର ଭିତରେ ଗୋଟି ଗୋଟି ହୋଇ ଦୀପ ସଳିତା ଜଳିଉଠିଲା । ଛବି ଚମକିପଡ଼ି ହେତୁ କଲା, ଯାଃ କ’ଣ ତା’ର ହେଲାଣି । ସଞ୍ଜସଳିତାଟି ବି ଆଜି ତା’ଦେଇ ହେଲା ନାହିଁ, ସବୁ ଖାଲି ବୋଉ, କ’ଣ ସେ ଭାବୁଥିବ ଯେ !

 

ମିଠେଇ ମିଠେଇ ଘରକୁ ଫେରୁ ଫେରୁ ସେ ଭାବିଲା, କି କାମ ବା ସେ କରୁଛି, କ’ଣ ବା ତା’ର ମୂଲ୍ୟ ? କେତେବେଳେ ଘରକାମ କେଇଟା, କେତେବେଳେ ଗାଁରେ କାହାର ସୁଖ ଦୁଃଖ ବୁଝିବା, କେଉଁଠି ବସି ଦୁଃଖ ସୁଖ ହେବା । ଏ କ’ଣ କାମରେ ସୁମାରି ? ଲାଗିଲା ତା’ଦେଇ କିଛି ହେବ ନାହିଁ, କଡ଼ାକୁ ସେ ଯୋଗ୍ୟ ନୁହେଁ ।

 

ତା’ପରେ ପୁଣି ସେ ତା’ ଭିତରକୁ ଦେଖିଲା । ତା’ର ସ୍ୱପ୍ନର ଜୀବନ ବଢ଼ିଉଠିଛି । ବାହାରେ ଏ ବି ସତ, ଭିତରେ ସେ ଆହୁରି ସତ । ସେହି ନୂଆ ସଂସାରରେ ନିତି ତା’ର ରବି ସଙ୍ଗରେ ଦେଖା ହୁଏ । କଥାଭାଷା ହୁଏ । ସେ ଦେଖା ଆଉ କେହି ଦେଖନ୍ତି ନାହିଁ, ବେଳେ ବେଳେ ପଦାଲୋକ ଦେଖନ୍ତି । ବାହାରର ସେହି ଚିତ୍ରିତ ପର୍ଦ୍ଦାଟା ଭିତରୁ ଯେମିତି ଠେଲି ହୋଇ ହଲିଯାଉଛି-। ବୋଉ ଦେଖନ୍ତିକି ଗୁରବୋଉ ଦେଖନ୍ତି, ଛବି କେତେବେଳେ ଅସ୍ୱାଭାବିକ ଭାବେ କୋମଳ, କେତେବେଳେ ହସହସ, କେତେବେଳେ ଉଦାସୀ, କେତେବେଳେ ସଙ୍ଗୀତରେ ଗୁଣୁ ଗୁଣୁ ।

 

ବାପା କହିଲେ, ତାଙ୍କ ମନ ଆଉ କୁଆଡ଼କୁ ବୋହିଯାଇଛି, ସେ ଆଶା କରିଛନ୍ତି । କ’ଣ ସେ ଆଶା, କାହାକୁ ?

 

ଲାଜରେ ସଢ଼ି ରବିର ମୁହଁକୁ ଚାହିଁଦେଇ ମନେ ମନେ ସେ ଯେପରିକି କହିଲା, “କାହାକୁ ଆଉ ? ତମକୁଇ ତ ?

 

‘‘ହଁ, ତମର ନାଁ ଉଡ଼ିଛି, ତୁମେ ବଡ଼ କାମ ଆଦରିଛ, ସବୁରି ତୁଣ୍ଡରେ ତୁମରି ଜୟଜୟକାର । ଆଉ ମୁଁ କିଏ ? ମୁଁ ତୁମର କ’ଣ ? ମୋର କ’ଣ ହେବ ?’’

 

ସେ ମୁହଁ ହସିଉଠୁଛି । ଏ କ’ଣ ହେଲା ? ତା’ର ଗାଲ ଓଦା ଓଦା ଲାଗୁଛି । ମନ ଭିତରେ କ’ଣ ସେ କହିଥିଲା ତା’ର ସରନ୍ତା ସ୍ୱର ଆପଣା କାନରେ ବାଜୁଛି, ଶିଖରମା’ର ବିଛଣା କତିରେ ତୁମେହିଁ ତ ଠିଆହୋଇ ବରଗୁଥିଲ । ବାଉରୀ ସାହିରେ ଥିଲ ତୁମେ । ତା’ପରେ ଆହୁରି କ’ଣ ? ଆଉ କୋଉଠି ?

 

ଆଖି ପୋଛି ପକାଇଲା । ଦୁଆର ବନ୍ଧରେ ଠିଆହୋଇ ବୋଉ ଡାକ ପକେଇଛି–“ଇଲୋ । ଛବି ଲୋ ! କୁଆଡ଼େ ଗଲୁ ?’’

 

ତା’ ସଙ୍ଗରେ ସ୍ୱର ମିଳାଇ ଦେଇଛି ଗୁର, ‘‘ଛବି ଅପା–’’ ସେ ଡାକିଛି । ଦୁନିଆଁ ସ୍ୱର ଲମ୍ୱେଇଦେଇ ତାକୁହିଁ ତ ଧରିବାକୁ ଖୋଜୁଛି ଅଥଚ ସେ ଲୋଡ଼ୁଛି ଉଡ଼ି ପଳାଇବାକୁ । କେମିତି ମଣିଷ ସେ ?

 

ଲାଜରା ହୋଇ ଡରି ଡରି ଗଲାବେଳକୁ ବାଟରେ ଗୋଟାଏ ଗୋରୁବନ୍ଧା ଖୁଣ୍ଟ ଝୁଣ୍ଟିଲା-। ପୁଣି ସମ୍ଭାଳି ହେଲା । ତୁନି ହୋଇ ଚାଲିଯାଇ କହିଲା–

‘‘କାହିଁକି ସବୁ ପାଟି କରୁଚମ ? ମୁଁ କ’ଣ ହଜିଥିଲିକି କୋଉଠି ?’’

ରବିର ଜୟଜୟକାର ଶୁଭି ଆସୁଥିଲା ସତେ ସତେ ।

ଯେପରିକି କେତେଯୁଗ କେତେକାଳ ସ୍ୱାର୍ଥର ପୂଜା କରିସାରି ଆସ୍ତେ ଏ ପାଖର ମାଟି କର ଲେଉଟାଇ ଚାହୁଁଛି ନୂଆ ବାଟକୁ ।

ସବୁଠି ସେହି ଆଲୋଚନା ଯେ ଆପଣା କଥା ପଛକୁ ପକାଇ ପରର ଭଲ ହେବ କେମିତି ସେହିକଥା ଭାବୁଛନ୍ତି ସେଠି ପଞ୍ଝାଏ । ଗୋଟାଏ ଭାଇପଣର ମେଣ୍ଟ ଗଢ଼ୁଛନ୍ତି । କିଏ କହୁଛି, “କେତେ ତ ଗଲେଣି ଫସରଫାଟି ୟେ ଆସିଛନ୍ତି ବେସରବାଟି । ମଣିଷକୁ ତା’ର ନିଜର ଧନ୍ଦା ବଳେଇଲାଣି, ଫେର୍ ୟେ କି ପଧିବ !’’

ପୁରୋହିତେ ଓଷାକଥା ଗାଇ ପୂଜାକରିବାକୁ ଗଲାବେଳେ ଘରେ ଘରେ ସେହିକଥା କହୁଛନ୍ତି, ‘‘ଏମିତି ଗୋଟିଏ ଗୋଟିଏ ଆନ୍ଦୋଳନ ହେଉ ହେଉ କୋଟିଏ, ମାଳିକା କଥା ମିଛ ହେବ ନାହିଁ । କଳିର ଭାରା ବଳେଇଲା, ଏଥର ସତ ଉପୁଜିବ । ଆଗ ଜଗତକୁ ଘୋଟି ରହିଥିଲା ଫେଡ଼ାଣ ପର୍ବ, ଖାତା ଫାଡ଼, ଘର ଭାଗ ଭାଗ କର, ପର ଜମିଖଣ୍ଡେ କାଟିନେଇ ନିଜେ ଗିଳି ପକାଅ, ପରର ଖାଇଲା ଭାତ ଆପେଦିଅ ଚଳୁକରି । ଫାଡ଼ୁ, ଫାଡ଼ୁ, ଅଣ୍ଟିରୁ ପରମାଣୁ ବାହାରିଲା ଯେ ତାକୁ ଫାଡ଼ିଦେଲେ ଜଗତ ଧ୍ୱଂସ ହେବ । କ’ଣ ହେଲାଣି ଏ ଦୁନିଆଁ ଦେଖୁଚଟିକି ! କୁଶଭଦ୍ରା ପଠାରେ ଖଜୁରିପଡ଼ା ଅରମାରେ ଦେଖିବ ଯାଅ ବଙ୍ଗ ଦେଶର ରିଫିଉଜିମାନଙ୍କୁ, ଶହେ ପୁରୁଷର ଜମି ଘର, ଗ୍ରାମଦେବତା ଦେବାଳୟ ଛାଡ଼ିଆସି ନୂଆ ସଂସାର କରୁଛନ୍ତି କେଉଁ ବିଦେଶରେ । ଆମ ଘରେ କ’ଣ ହଉଚି ? ଦୋଟି ଭଉଣୀ ବିଭା କଲି, ନର୍ସିଙ୍ଗୀକୁ ଦି’ଅକ୍ଷର ପଢ଼େଇଲି, ବିଭା କରେଇଲି, ଯେମିତି ମୁଣ୍ଡକୁ ହାତ ପାଇଲା, କାଳିମାଟି ଯାଇ କେଇଟା ଟଙ୍କା ରୋଜଗାର କଲା, ସେଇଠୁ ଆଗ ଭିନେ ହେଲା । ସେଇଥିପାଇଁ ନିତି ଆମ ଘରେ କଳି । ସେଇଥିପେଇଁ ତ ଫୁଲଶରାରେ ୟେ ଗୋଟାଏ ନୂଆ ଗଢ଼ାଗଢ଼ି ଚାଲିଛି । ସମସ୍ତେ ଗୋଟାଏ କୁଟୁମ୍ୱପରି ଚଳିବେ । ଯା ଚାଲି ଯା, ଏଇଠୁ ତ ସତ୍ୟଯୁଗ ଆରମ୍ଭ ।’’

ନିଶା ରାତି । ଦୁଲ୍ ଦୁଲ୍ ମେଘ । ସାରାଜଗତ ଅନ୍ଧାର ଘୋଡ଼ିହୋଇ ଶୋଇଛି । ଛବି ଶୋଇଛି । ବରଷାର ସାଇଁ ସାଇଁପରି ରକ୍ତ ମାଂସର ଦେହ ଭିତରେ ମାଡ଼ି ଆସୁଛି ବଢ଼ିଅସୁରୀ । ଅନ୍ଧାରର ନିଦୁଆ ପେଖେନା ଉହାଡ଼ରେ ଅତିବେଗରେ ଚାଲିଛି ଜୀବନର ପ୍ରବାହ । ଝର ଝର ବରଷା । ପତ୍ର ଉପରେ ଟପର ଟପର ପାଣି । ସହସ୍ରେ ତୁଣ୍ଡରେ ଏକାବେଳକେ ଭାଷା ଖଇ ଫୁଟୁଛି-। ତାହାରି ତଳେ ତଳେ ଚାଲିଛି ପ୍ରବାହ–ପ୍ରବାହ–ଜୀବନର ଗତି ଆଉ ଉଲ୍ଲାସ । ଆକାଶ ଆଉ ମାଟି ଓଦା ଅନ୍ଧାରରେ ମିଶିଯାଇଛି । ସବୁ ଗୋଳି ହୋଇ ଏକ ଅଭିନବ ସୃଷ୍ଟି । ସେଠି ଅବୟବ ସ୍ୱତନ୍ତ୍ର ନୁହେଁ କି ସ୍ପଷ୍ଟ ନୁହେଁ, ଭାବହିଁ ପ୍ରଧାନ । ବିରାଟ ବିପୁଳ ପରିତପ୍ତିପରି ଅନ୍ଧାରରେ ବରଷାର ପ୍ରକାଶ । ଛବି ନିଦରୁ ଉଠି ଦୂରକୁ ଚାହିଁ ପିଣ୍ଡାରେ ବସିଛି । ହାତରେ ଗାଲ ଭରାଦେଇ ଗୋଡ଼ ଲମ୍ୱେଇଦେଇ ଆପଣାକୁ ସେହି ଅନ୍ଧାରରେ ହଜାଇଦେଇ ବସିରହିଛି ଏକ ନଗଣ୍ୟ ପ୍ରାଣୀ । ଧୀରେ ଅନୁଭବ କରୁଛି ଆପଣାଠିଁ ବରଷା ଝମକି ଉଠୁଛି । ସେହି ଆକାଙ୍‌କ୍ଷା, ସେହି ଉଲ୍ଲାସ, ସେହି ପାଗଳ ବେଗ । ସେ ବୁଦ୍ଧିର ନୁହେଁ, ଏକ ଅନ୍ଧ କ୍ଷୁଧା ।

ତା’ର ରକ୍ତ ମାଂସର ନାରୀ ଦେହ, ସେଠି ଯୌବନର ଐଶ୍ଵର୍ଯ୍ୟ ।

ଅନ୍ଧାର ଯେପରିକି ତାକୁ ସାକୁଲାଉଛି । ସେ ଭବିଷ୍ୟତରେ ଯୋଜନା ନୁହେଁକି ନୁହେଁ ରାଜନୀତି ଅର୍ଥନୀତି, କେବଳ ଏକ ନାରୀ, ମୃଣ୍ମୟୀ ହୋଇ ଚିନ୍ମୟୀ । ଆନନ୍ଦପାଇଁ ତ ତା’ର ଜନ୍ମ । କାହିଁ ସେ ଆନନ୍ଦ ?

 

ଅନହୁତି ଫଁକରି ଉଡ଼ିଯାଉଛି ଦୀର୍ଘଶ୍ୱାସ । ପୁଣି ଚୋରପରି ସେ ସଙ୍କୁଚିତ ହୋଇ ବିଛଣାକୁ ଫେରି ଆସୁଛି । ଆଖି ବୁଜୁଛି । ଦମ ଦମ ଛାତି ଆଉ ଟଳଟଳ ଦେହଟାକୁ ଆଉଜେଇ ଦେଉଛି ସେହି ବରଷାର ଅନ୍ଧାର ଉପରେ ।

 

ତା’ପରେ ବୁଡ଼ିଯାଉଛି ।

 

‘‘ମାଟି କାହାରି ନୁହେଁ, ପୁଣି ସମସ୍ତଙ୍କର । ମା’ ପେଟରୁ ମାଟି ମୁଠେଇ କେହି ଆସେ ନାହିଁ । ସଂସାରକୁ ଆସିଲା ପରେ ସମ୍ପତ୍ତି ଅର୍ଜେ, ଜମିବାଡ଼ି କରେ, ଭାବେ ତାହାରି ହୋଇ ରହିଲା-। ଗଲାବେଳେ ପୁଣି ଖାଲି ହାତରେ ନିଆଁରେ ଚଢ଼େ, ମାଟି ପଡ଼ିରହେ । ତେଣୁ ଏତେ ଛନ୍ଦମନ୍ଦକରି କିଛି ଫଳ ନାହିଁ । ଦିଅ ସବୁ ମିଶେଇ ଦିଅ । ଯେତେ ଲୋକ ସଂସାରକୁ ଆସିଛନ୍ତି ସମସ୍ତିଙ୍କର ଏକ ଘର । ସମସ୍ତେ କାମକରି ବାଣ୍ଟି କୁଣ୍ଟି ଖାଇବଞ୍ଚନ୍ତୁ, ଭୋକିଲା ପେଟର ଅଶାନ୍ତି ନ ରହୁ, ନ ପାଇବା ନ ଥିବା ହତଭାଗା ଦଳର ଈର୍ଷା ନ ରହୁ, ବିଦ୍ରୋହ ନ ରହୁ, ଶାନ୍ତି ଆସୁ ।’’

 

କଥାଗୁଡ଼ାକ ନନ୍ଦ ତହସିଲ୍‍ଦାରଙ୍କ କାନରେ ଝଣଝଣୋଉଥିଲା ।

 

କୁକୁରମାଛିପରି ବାରମ୍ୱାର ଦେହରେ ଲାଗିଥିଲେ ସେମାନେ । ଆଗ ରବି, ତା’ପରେ ଗୋଠକଯାକ । ଯେଉଁଠି ବସିଲେ ତୁହାଇ ତୁହାଇ ସେହିକଥା । ଆଗ ଲାଗୁଥିଲା, ଯେ ଯେପରିକି ବଗୁଲିଆ ବାହାପିଆ କେଇଟାଙ୍କ ଗାଲଗଫା କଥା, ମଣିଷ ଯେତେବେଳେ ସୁସ୍ଥରେ ଖାଇପିଇ କବାଟ କିଳି ଖଟ ଉପରେ ଶୋଇ ରହିଥାଏ, ସେତେବେଳେ ଏମିତି ପଦାରେ ଗୁଡ଼ାଏ ନାନାପ୍ରକାର ପାଟିତୁଣ୍ଡକରି ଝଡ଼େଇ ହୋଇ ଯାଆନ୍ତି । ଏମିତି ଯାଏ କେତେ ଯାତ୍ରା, କେତେ ସୁଆଙ୍ଗ, କେତେ ସଂକୀର୍ତ୍ତନ । କିଏ କଅଁଳେଇ କହେ, କିଏ ଗାଳିଦିଏ, ତୁଣ୍ଡକଥା ଭାଏଁ ଭାଏଁ ଉଡ଼ିଯାଏ, ତତଲା ପାଣିରେ ଘର ପୋଡ଼େନାହିଁ, ତୁଚ୍ଛା କଥାରେ ଶାଗ ସିଝେ ନାହିଁ, ଅନାଦିକାଳରୁ ପାଟି ଥୋବରା ହୋଇ ଗାଇ ଗାଇ ଯାଇଛନ୍ତି ଯୋଗୀ ବାବାଜି ପଲ ପଲ–ସଂସାର ଅନିତ୍ୟ, ଦିଅ, ଦିଅ, ଦାନ କର, ଅଜାଡ଼ିଦିଅ ସବୁ ।

 

କିନ୍ତୁ କ୍ରମେ ନନ୍ଦ ତହସିଲ୍‍ଦାର ଦେଖିଲେ କାହୁଁ ଅଇଲା ଆକାଶରୁ ଖସିପଡ଼ିଥିବା ତୁଣ୍ଡ କଥା ଏ ମାଟିରେ ଗଜା ହେଲା, ଗଛ ହେଲା, ଜଣକ ପରେ ଆଉ ଜଣେ ହୋଇ ଧୀରେ ଧୀରେ ଲୋକେ ସେହିଆଡ଼କୁ ଆଉଜିଲେ, ଆଗ ଗଲେ ରାଣ୍ଡୀଖଣ୍ଡୀ ଭଙ୍ଗା ଦଦରା ଲୋକେ, ତା’ ପଛକୁ କେହି କେହି ଅଳପ ବିତ୍ତ, ସାନ ସାନ ତାଷୀ, ତା’ପରେ ଅତି ଆଶ୍ଚର୍ଯ୍ୟ କଥା, ଶେଷ ଦଶାରେ ବୁଢ଼ା ରଘୁ ବିଶାଳକୁ କି ପରମାର୍ଥ ଘୋଟିଲା ଯେ ତା’ର ସବୁଯାକ ସମ୍ପତ୍ତି ଆଉ ଭେଣ୍ଡିଆ ଭେଣ୍ଡିଆ ପୁଅ ଦି’ଟାକୁ ସେ କୋଠରେ ମିଶେଇଦେଇ ବସି ବସି ମାଳା ଗଡ଼େଇଲା, ଯେ ପଚାରିଲେ ହସିଦେଇ କହିଲା,

 

‘‘ଠାକୁରେ ଏ ବାଟ ବତେଇଲେ, କହିଲେ ଏ ଯୁଗରେ ମୋ ନାଁ କୋଠ, ଏ ବାଟ ଭଲ-।’’ ଆଉ ନନ୍ଦ ତହସିଲ୍‍ଦାର ଯେତେବେଳେ ତା’ର ଦି’ପୁଅ କୁଳିଆ ମୂଳିଆକୁ ଖୋଳିତାଡ଼ି ପଚାରିଲେ, ସେମାନେ କହିଲେ–

 

‘‘ବାପା ଯାହା କହିଲା ସେ କଥାରୁ କ’ଣ ଆମେ ନିଆରା ହବୁ ? ଆମେ ଦି’ଭାଇ ଥଲୁଁ, ଏଥର ଶହେ ଭାଇ ହେଲୁ, ଦେଖ ଯେ ଗାଁଯାକ ସମସ୍ତେ ଭାଇ ଭାଇ । ଦି’ଟା ଭାଇ ଏକାଠି ହେଲେ ତ କାହିଁ କେତେ ବିଲ ତଷି ପକେଇବେ, କେତେ କାମ କରିଦେବେ, ଆଉ ଖାଇ ମଜବୁତ ହୋଇ ଶହେଟା ଭାଇ ଯେତେବେଳେ ଏକାଠି ହଳ ଧରିବେ ସେ ନାହିଁ, ନ ଥିବା କାମ କରିପାରିବେ ।

 

ଚାହୁଁ ଚାହଁ ଗାଁରେ ହୁରି ପଡ଼ିଗଲା, ଦେଖୁ ଦେଖୁ ବ୍ୟାପିଗଲା, ବୋରଝାଞ୍ଜିପରି ସମସ୍ତେ ଆଉଜି ପଡ଼ିଲେ ସେହିଆଡ଼େ, ଏ ଯେପରିକି ଏକ ନଈବଢ଼ି, ଚାହୁଁ ଚାହୁଁ ଏକନ୍ଦି ସେହିକନ୍ଦି ପାଣି ମାଡ଼ିଯାଇଛି, ତା’ପରେ ଏକାକାର । ଖାଲି ଏ ଗାଁରେ ନୁହେଁ, ଆଖପାଖ କେତେ ଗାଁରେ ବ୍ୟାପିଲାଣି ଏହି ଆନ୍ଦୋଳନ । ସତେ ଯେପରିକି ଆପଣାର ପଦଟା ସମସ୍ତିଙ୍କି ପିତା ଲାଗୁଛି । ଦିଅ ସବୁ ଏକ କର, କୋଠ କର । ନନ୍ଦ ତହସିଲ୍‍ଦାର ବକା ପରି ଚାହିଁରହିଲେ ଏ ପାଗଳାମିକୁ ।

 

ଆପଣାର ଆତ୍ମବିଶ୍ଵାସ ଉପରେ ଭରାଦେଇ ନିଜେ ସେ ରହିଥିଲେ ଅଟଳ, ଅଚଳ । ଲୋକେ ନ ଶୁଣନ୍ତୁ ପଛେ ତାଙ୍କ କଥା, ସେ ଉପଦେଶ ବାଣ୍ଟୁଥିଲେ । ଏମିତି ବିରୋଧୀ ମତ ପ୍ରଚାର କରୁ କରୁ, ଯୁକ୍ତି କରୁ କରୁ କେତେବେଳେ ଏହି ନୂଆ ଭାବ ତାଙ୍କର ମନର ତଳିକୁ ଝାଙ୍କି ଝାଙ୍କି ହଲେଇବାକୁ ଆରମ୍ଭ କରିଥିଲା ସେ ଜାଣନ୍ତି ନାହିଁ । ଜାଣନ୍ତି ନାହିଁ କେତେବେଳେ ରାବଣର ଈଶ୍ଵରଭକ୍ତିପରି ଏହି ବିରୋଧର ସଂଘାତରେହିଁ ତାଙ୍କର ମନ ଟାଣି ହୋଇଯାଉଥିଲା, କିନ୍ତୁ ସେ ମନ ଗହୀରର କଥା, ପଦାରେ ସେ ଅଟଳ ଅଚଳ ।

 

ଆଉ ପଦାର ଏ ଅଟଳପଣ ଭାଙ୍ଗିବାପାଇଁ ଯେପରିକି ଜଗତଯାକ ଷଡ଼ଯନ୍ତ୍ର କରିଛନ୍ତି, ଜିଦ୍ ଧରି ବସିଛନ୍ତି ତୁହାଇ ତୁହାଇ ସେହି କଥା ଶୁଣାଉଥିବେ । ସତେକି ଆକାଶ ପବନ ସମସ୍ତେ ଏ ଷଡ଼ଯନ୍ତ୍ରରେ ଲିପ୍ତ, କାନପାଖେ ପବନ ବି କହିଯିବ ସେହିକଥା- ‘‘ଛାଡ଼, ଛାଡ଼, ମୁଁ ପଣର ମୋହ ଛାଡ଼, ଖୋଲିଦିଅ କବାଟ, ସମସ୍ତେ ଆସନ୍ତୁ, ତୁମେ ବି ଯାଅ ପଦାକୁ, ଯେତେଠିଁ ଯାହା ଦେଖୁଛ ସବୁ ତୁମରି, ସବୁଠି ତୁମରି ଘର, ପର କରନା, ପର ହୁଅନା–’’ ।

 

ସକାଳେ ନିଦ ଭାଙ୍ଗି ପଦାକୁ ଆସିଲେ ଯେପରିକି ପାହାନ୍ତି ଆଲୁଅ ସେହିକଥାହିଁ ଶୁଣାଇବାକୁ ଟାକି ରହିଛି । ବାଟର ବାଟୋଇ, ଗୋବର କଢ଼ାଳି, ଗାଁ ମାଇପେ ଟହଲଟାକିରିଆ ଗାଁ ଲୋକେ, ସମସ୍ତେ ସେହି ଏକାତାନରେ ଗଡ଼ରଗଡ଼ର, ଆଉ ଦିନକୁ ଦି’ଥର ଲେଖାଁ ମନ୍ତ୍ର ବୋଲିବାକୁ ଆସି ପହଞ୍ଚି ଯାଉଛନ୍ତି ଧୋବେଇ ମିଶ୍ର, ଅତି ବିନୟୀ ଶୀତଳ ମଧୁରଭାଷୀ ଯୁବକ, ରଗେଇବେ ନାହିଁ, ଯୁକ୍ତି କରିବେ ନାହିଁ, କଜିଆକୁ ଓହ୍ଲେଇବେ ନାହିଁ, ପୁରାଣ ପଢ଼ିଲାପରି ବାରମ୍ୱାର କହିଯିବେ ସେହିକଥା, ‘‘ମାଟି କାହାରି ନୁହେଁ, ପୁଣି ସମସ୍ତିଙ୍କର । ଏତେ ମୋର ମୋର କରି କେହି କିଛି ସାଙ୍ଗରେ ବାନ୍ଧିନିଏ ନାହିଁ । ପରମେଶ୍ୱର ଆପଣଙ୍କପାଇଁ ଏଡ଼େ ବିଶାଳ ଘର ଗଢ଼ି ରଖିଛନ୍ତି, ତାକୁ ଛାଡ଼ି ନିଆରାକରି କାନ୍ଥବାଡ଼ଦେଇ ଏକ ଛୋଟିଆ ପାରାଖୋପ ଗଢ଼ିବା ଦରକାର କ’ଣ ? ଯୁଗ ବଦଳୁଛି, ଆମେ ବି ବଦଳିବା, ଆଉ ନାସ୍ତି କରନ୍ତୁ ନାହିଁ, ଦିଅନ୍ତୁ ସବୁ ମିଶେଇ–’’

 

କଥାଗୁଡ଼ାକ ଝଣଝଣେଇ ଉଠୁଥିଲା କାନରେ ।

 

ଧୋବେଇ ମିଶ୍ର ଜ୍ଞାନୀ ଲୋକ, କଥା କଥାକେ ପୁରାଣ ଶାସ୍ତ୍ର ଇତିହାସର କାହାଣୀ କହି କଥା ବୁଝାନ୍ତି । ଏ ଗାଁର ନୁହନ୍ତି, ସୁଭଦ୍ରାପୁରର ପୁରୋହିତ ବ୍ରାହ୍ମଣ, ଘରଦୁଆର ସବୁ ଛାଡ଼ି ସମସ୍ତିଙ୍କ ସଙ୍ଗରେ ସେ ବି ଲାଗି ପଡ଼ିଛନ୍ତି । ସେହି ଏକ ଦୀକ୍ଷା, ଆଡ଼ମ୍ବର ନାହିଁ, ତେଲ ଲଗେଇବେ ନାହିଁ, ଖାଇବେ ମୋଟେ ଓଳିଏ, ଦେହରେ ଜ୍ୱର ଥିଲେ ବି ବୁଲଚାଲ କରିବେ, ଯେତେଦୂରକୁ ଯିବାକୁ ଥିଲେ ସେତେଦୂରକୁ ଯିବେ, କେହି ଆପତ୍ତି କଲେ କହିବେ–‘‘ଏ ଦେଶର ସାଧାରଣ ମୂଲିଆ ମଜୁରିଆଠୁ ଅଧିକ ସୁଖ, ଅଧିକ ଖାଦ୍ୟ, ଅଧିକ ସୁବିଧା ଦାବି କରିବାକୁ ଅଧିକାର କାହାରି ଆଦୌ ନାହିଁ । ତାକୁ ଦେଖ, ସେ କ’ଣ ଦୁଇଓଳି ପେଟ ପୂରାଇ ଖାଇବାକୁ ପାଏ-। ଜ୍ୱର ହେଲେ କମ୍ବଳ ଘୋଡ଼ି ହୋଇ ସୁସ୍ଥିରେ ବିଛଣାରେ ଶୋଇବାକୁ ପାଏ ସେ ସୁବିଧା ନା ଦେହ ଭାଙ୍ଗି ନ ପଡ଼ିବାଯାକେ କାମରେ ଲୋଟୁଥାଏ ? ମୋର କିଛି ତ୍ୟାଗବଳ ନାହିଁ, ତପୋବଳ ନାହିଁ, ଅଦ୍ୟାପି ମୁଁ ସଂସ୍କାରର ଦାସ ହୋଇ ରହିଛି । ଦେଖିବ ଦେଖ ରବି ଭାଇଙ୍କୁ, ସେ କେତେବଡ଼ ମହାପୁରୁଷ, ସେଠି ଚେତନାରେ ବି ପରାଧୀନତା ନାହିଁ ।’’

 

ନନ୍ଦ ତସିଲ୍‌ଦାର ଧୋବେଇ ମିଶ୍ରଙ୍କୁହିଁ ଦେଖନ୍ତି, ରବି ଭାଇଙ୍କି ନୁହେଁ ଦେଖୁ ଦେଖୁ କଥାଗୁଡ଼ାକ କାନରେ ଅଟକିଯାଏ, ନିତି ଅଙ୍ଗେ ନିଭେଇଥିବ’ ଅଭିଜ୍ଞତାରେ ତିଆରି ଜୀବନତଥ୍ୟ ନିଜେ ନିଜଠୁଁ କାଢ଼ି ବୁଣିଥିବା ବୁଢ଼ିଆଣୀ ଜାଲପରି ଆପଣା ଚାରିପାଖେ ଟାଣିହୋଇ ରହିଥିଲାବେଳେ ସେଥିରେ ପଶିଯାଏ ହୁ ହୁ ହୋଇ ପଦାର ପବନ, ଜାଲ ଛିଣ୍ଡିଯାଏ, ଆପଣାଠିଁ ସେହି ଘଡ଼ିକ ପୂରିଯାଏ ଅବିଶ୍ଵାସ, ଅଡ଼ୁଆ ସୂତାର ଛିଣ୍ଡାଜାଲ ଫଡ଼ ଫଡ଼ ଉଡ଼େ ।

 

କାଲି ସଞ୍ଜରେହିଁ ନନ୍ଦ ତସିଲ୍‍ଦାରଙ୍କ ଦାଣ୍ଡ ଆଗରେ ତୁଳସୀ ଚଉରା ଚାରିପାଖେ ପକ୍‌କା ଚାନ୍ଦିନୀ ଉପରେ ବସିଥିଲା ବୈଠକ । ସାନ ବଡ଼ ହୋଇ କେତେ ଲୋକ ଜମା ହୋଇଥିଲେ । ବୁଢ଼ା ରାଧୁ ବଳୀଆର ସିଂହେ ସେହି ପୁରୁଣା କଥାଟା ପକେଇଲେ–‘‘ଆଚ୍ଛା । ତମେ ଯେ ଏ କଥା କହୁଚ ସମସ୍ତେ ଅପଣାରବୋଲି କିଛି ରଖିବେ ନାହିଁ, ଏକଥା କ’ଣ କେବେ ହୋଇଥିଲା ? ଲୋକେ ଏମିତି କେବେ ଦେଇଥିଲେ ? ଆପଣା ଝାଳବୁହା ମାଲ ସଦାବର୍ତ୍ତିଆ କରିଦେବାକୁ କାହାର ହାତ ଯିବ, ସତ ବକିବବୋଲି ତୁମେ କ’ଣ ସତେ ଭାବୁଛ ? ଆଜି ଯଦି ଲୋକେ ଗୋଟାଏ ହୋ’ରେ ମାତି ଯାଇଛନ୍ତି, ତୁମଆଡ଼କୁ ଲେଉଟି ପଡ଼ିଛନ୍ତି, କାଲି ତାଙ୍କର ନିଦ ଭାଙ୍ଗିଲେ ସେମାନେ ବଳେ ପାଟି କରିବେ, ମୋର ଏଇଟା କାହିଁ ଗଲା ? ମୋର ସେଇଟା କାହିଁ ଗଲା ? ଓଲଟି ସେତେବେଳେ ସେମାନେ ରାଗିଉଠିବେ । ଆଉ ଏ ଭୂତ ଛାଡ଼ିଯିବ । ନା କ’ଣ କହୁଛ ? ହେଇଥିଲା ଏମିତି କେବେ ?’’

 

ଧୋବେଇ ମିଶ୍ର ଉଚ୍ଛ୍ୱସିତ ହୋଇ ଉତ୍ତର ଦେଇଥିଲେ, ‘‘ହୋଇଥିଲା, ବାରମ୍ବାର ହୋଇଥିଲା । ନ ହେଲେ କ’ଣ ପୁରାଣ ଇତିହାସ ଏସବୁ ମିଛ କଥା ? ମଣିଷ ପବିତ୍ର ହୋଇହିଁ ଜନ୍ମ ହୋଇଥିଲା, ନରରୂପୀ ନାରାୟଣ, ଭଲଆଡ଼କୁ ତା’ର ସହଜ ରୁଚି । ଧୂଳିମଳିପରି ସ୍ୱାର୍ଥର ମୋହ ତା’ ଉପରେ ଆପେ ଅଜାଡ଼ି ହୋଇ ପଡ଼ିଛି, ତା’ର ପବିତ୍ର ମୁକ୍ତ ଆତ୍ମାକୁ ବାନ୍ଧି ରଖିଛି, ଏଗୁଡ଼ାକ ଅବସ୍ଥାର ଦୋଷ, ତା’ର ନିଜ ଦୋଷ ନୁହେଁ । ଏ ଯେଉଁ ମୋର ତୋ’ର ବିଚାର, ହିଂସାବାଦର ବିଚାର, ସେଗୁଡ଼ାକ ତା’ ବିଚାର ନୁହେଁ, ତୁଚ୍ଛା ବନ୍ଧାଗତ ଆଉ ସଂସ୍କାର । ସେ ଦଶ ଲୋକର ବ୍ୟବହାର ଦେଖି ତାକୁହିଁ ଭାବୁଛି ଉଚିତ ବ୍ୟବହାରବୋଲି, ଦଶ ଲୋକର ବାଉଳା ଦେଖି ସେହି ବାଉଳାକୁହିଁ ଭାବୁଛି ଠିକ୍ ବାଟବୋଲି । ଏମିତି ଭୁଲ ଦେଖି ଭୁଲ ବାଟରେ ଯିବାଟାହିଁ ତା’ର ମାୟା, ତା’ର ନିଦ । ଏହି ନିଦରେ ଯେତେବେଳେ ସେ ଘାରି ହୋଇପଡ଼ିଥାଏ, ସ୍ୱପ୍ନକୁ ମଣେ ସତବୋଲି, ସେତିକିବେଳେ ତା’ର ନିଦ ଭଙ୍ଗେଇବାପାଇଁ ଯୁଗ କୁହାଟ ଛାଡ଼େ, କେତେବେଳେ ସେ କୃଷ୍ଣଙ୍କର ବଂଶୀ, କେତେବେଳେ ସେ ବୁଦ୍ଧଙ୍କର ବାଣୀ । ସେହି ଡାକରେ ମନଷ୍ୟ ଜାତିର ନିଦ ଭାଙ୍ଗିଥିଲା । ସତ୍ୟକୁ ଖୋଜିବାପାଇଁ ଚଳନ୍ତି ଜଗତର ଠିକ୍ ଓଲ୍‌ଟା ବାଟରେ । ମନୁଷ୍ୟ ସମାଜ ଚାଲିଥିଲା, ତା’ରି ନାଁ ଯମୁନା ଉଜାଣି ବହିବା । ଯେଉଁ ସଂସ୍କାରକୁ, ଯେଉଁ ବିଚାରଧାରାକୁ ମଣିଷ ପୂର୍ବେ ମଣୁଥିଲା ଅତିପ୍ରିୟ, ଆଖି ପିଛୁଡ଼ାକେ ତାକୁ ସେ ଫୋପାଡ଼ିଦେଇ ନୂଆ ବିଚାରକୁ ଆଦରି ନେଇଥିଲା, ତାହାରି ନାଁ ଷୋଳସହସ୍ର ଗୋପୀକୁଳମାନ ବିସର୍ଜନ ଦେବା । ଏହି ମଣିଷ ସବୁ କରିପାରେ । ସେ ଆପଣା ଉପରେ କାହାରି ବନ୍ଧନ ମାନେନାହିଁ; ତେଣୁ ସେ ମଣିଷ, ସୃଷ୍ଟିରେ ସବୁଠୁ ମହତ୍ । ସେ ଘର କରିପାରେ ଯେମିତି, ଘର ଭାଙ୍ଗିଦେଇପାରେ ସେମିତି । ଅନ୍ୟପ୍ରାଣୀ କେହି କେହି ଗଢ଼ି ଜାଣନ୍ତି, ଭାଙ୍ଗି ଜାଣନ୍ତି ନାହିଁ । ସତ୍ୟ ଖୋଜିବାକୁ ଯାଉଯାଉ ଗୋଟାଏ ଜାଗାରୁ ଆଉ ଗୋଟାଏ ଜାଗାକୁ ଛାଉଣି ଉଠେଇନେବା, ଗୋଟାଏଠଁ ଘର ଭାଙ୍ଗି ଆଉ ଠାଏ ଘର କରିବା, ଗୋଟିଏ ପ୍ରକାର ଜୀବନପ୍ରଣାଳୀକୁ ତୁଟେଇଦେଇ ଆଉ ଗୋଟିଏ ପ୍ରକାର ଜୀବନପ୍ରଣାଳୀ ଗଢ଼ି ଠିଆ କରିଦେବା, ଏ କଥା କରିପାରେ କେବଳ ମନୁଷ୍ୟ; ତେଣୁ ଚାରିପାଖର ଅବସ୍ଥା ତାକୁ ଗ୍ରାସ କରିପାରିନାହିଁ, ତା’ର ବଂଶ ଛିଣ୍ଡିଯାଇନାହିଁ, ବଢ଼ି ଚାଲିଛି, ମଣିଷ ଜାତି ଅତୀତରେ ଅନେକଥର ମୁଁ କାର ଭାଙ୍ଗିବା ଡାକ ଶୁଣିଥିଲା, ମୁଁ କାର ଭାଙ୍ଗିଥିଲା, ଫେର୍ ତା’ ହେବ ।’’

 

ଗୁମ୍ ହେଲେ ସମସ୍ତେ । କଥା କେବଳ ଶବ୍ଦ ନୁହେଁ, ପ୍ରତି ପଦରେ ଯେପରିକି ଆତ୍ମାର ବଳ ଝଙ୍କାରି ଉଠୁଛି, ଭାବ ପଛଆଡ଼େ ଅଛି ବିରାଟ ବ୍ୟକ୍ତିତ୍ୱ, ଅଖଣ୍ଡ ଜୀବନ । ସମସ୍ତେ ଦୀର୍ଘଶ୍ୱାସ ଛାଡ଼ିଲେ । ବଳୀଆର ସିଂହ ପୁଣି କହିଲେ, “ଯାହା କହୁଛି ଶାସ୍ତ୍ରର କଥା କହୁଛ, ଜ୍ଞାନର କଥା କହୁଛ, ଏକଥା କେହି ନାହିଁ କରିବ ନାହିଁ । କିନ୍ତୁ ହିସାବର କଥା ଦୁନିଆର କଥା, କହୁ ନାହଁ ତ ବାବୁ-!’’ ନନ୍ଦ ତସିଲ୍‍ଦାର ତୁନି ହୋଇ ବସିଥିଲେ, କଥାର ଜୁଆରରେ କେତେ ବାଟ ତଡ଼ି ହୋଇ ଗଲାଣି ମନ । ଫେରିବା ଆଗରୁ ଫେର୍ ଶୁଣିଲେ ମିଶ୍ରେ କହୁଛନ୍ତି–

 

“ଜ୍ଞାନ ଜାଣି ଅଜ୍ଞାନୀ ହୋଇ ରହିବାକୁ ମଣିଷକୁ ବାଧ୍ୟ କରୁଛି କିଏ ? ନିଜକୁ ହାତୀବୋଲି ଜାଣି ପିମ୍ପୁଡ଼ି ହୋଇ ରହିବାକୁ ବଳୋଉଛି କିଏ ? ସେ ଖାଲି ନିଜର ସାନ ଭୟ, ଆପଣା ଉପରେ ଆଉ ଭଗବାନଙ୍କ ଉପରେ ବିଶ୍ୱାସ ଅଭାବ । ସେହି ଅବିଶ୍ଵାସରେ ମଣିଷ ମଣିକୁ କାଚ ମଣେ, କାଚକୁ ଭାବେ ମଣି, ନିଜ ସଙ୍ଗେ ଯେତେ ଛକାପଞ୍ଝା ଖେଳେ, ତାହାରି ନାଁ ତା’ର ହିସାବ । କିନ୍ତୁ ଯୁଗ ଡାକରାରେ ସେ ହିସାବ ବି ସେ ଜଳାଞ୍ଜଳି ଦେଇଦିଏ । ସେମିତି କରିଥିଲେ ବୌଦ୍ଧ-ଯୁଗର ଲୋକେ–ତାଙ୍କର ବି ଆପଣାର ହୋଇ ଘର ସମ୍ପତ୍ତି ଥିଲା, ସାନ ଉପରେ ବଡ଼ ହେବାକୁ ଲୋଭ ଥିଲା, କିଏ ରାଜୁତି କରୁଥିଲା, କିଏ ବଡ଼ ବେପାର କରୁଥିଲା, କିଏ କରଜରେ କରଜରେ ପଣ ପଣ ଲୋକଙ୍କୁ ଗୁନ୍ଥିପକାଇ ମାହାଳିଆରେ ବସି ଲାଭ ଖାଉଥିଲା, ସେମାନେ ବିଳାସରେ ସଢ଼ୁଥିଲେ । ତା’ପରେ ଶୁଣିଲେ ସେମାନେ ବୁଦ୍ଧଦେବଙ୍କ ବାଣୀ, ହଠାତ୍ ଦେଲେ ସବୁ ଛାଡ଼ି, ସମସ୍ତେ ହେଲେ ଦେଶଯାକର ଭାଇ ଭାଇ, ଜନଗୋଷ୍ଠୀର ସେବକ, ସରଳ ହୋଇ ତିନୋଟି ଅଭୀଷ୍ଠ ଆଖି ଆଗରେ, ବୁଦ୍ଧଙ୍କ ଚରଣ ଆଉ ସଂଘ ଆଉ ଧର୍ମ, ଏ ତିନିଙ୍କର ଶରଣ ପଶିବାକୁହିଁ ହେବ । ଏତେବଡ଼ ଧନୀ, ଅନାଥ, ପିଣ୍ଡଦ ସବୁ ଛାଡ଼ି ହେଲେ ବୁଦ୍ଧଙ୍କର ସେବକ । ଆଉ ମହାରାଜ ଅଶୋକଙ୍କୁ ତ ସମସ୍ତେ ଜାଣନ୍ତି । ସେତେବେଳେ କେଉଁ ହିସାବ ବୁଦ୍ଧି ଅଟକାଇଥିଲା ଏ ଲୋକଙ୍କୁ-? ଆଉ କାଲି ସକାଳେ ଚୈତନ୍ୟ ମହାପ୍ରଭୁ ଦାଣ୍ଡ ଦୁଆରେ ଡାକଦେଲାବେଳେ କେଉଁ ବ୍ୟବସାୟ-ବୁଦ୍ଧି ଏ ଜାତିକୁ ରୋକି ପାରିଥିଲା ? ପାରି ନାହିଁ, ପାରିବ ନାହିଁ । ସତ୍ୟର ଜୟ ହେବ, ଧର୍ମର ଜୟ ହେବ ।’’

 

ନନ୍ଦ ତହସିଲ୍‍ଦାର ଭାବୁଥିଲେ ସେହିକଥା ।

 

କେତେ ଫନ୍ଦିଫିକର କରି ସମ୍ପତ୍ତି ଠୁଳ କରି ଆସିଲେ ଜୀବନଯାକ, ଲୋକେ କାନ୍ଦିଛନ୍ତି, ଗାଳି ଦେଇଛନ୍ତି, କଟାସମ୍ପା କମ୍‍ କରିନାହାନ୍ତି, ସେଥିକି ତାଙ୍କର ଭୟନାହିଁ, କାରଣ ସେ ବୁଝିଥିଲେ ସମ୍ପତ୍ତି କରିବାକୁ ମନଥିଲେ ଏମିତି ହୁଏ, ମିଛ କହିବାକୁ ପଡ଼େ; ଠକିବା ତ ସହଜେ, ମାଲିମକଦ୍ଦମା ବି ଲାଗେ, ଏସବୁ କରିପାରିବା ସେ କ୍ଷେତ୍ରରେ କ୍ରୁରତାବୋଲି ସେ ଭାବିନାହାନ୍ତି, ଭାବିଥିଲେ ଆପଣ ବୁଦ୍ଧି ଆଉ ପାରିଲାପଣବୋଲି । ଏତେ ଦୁଶ୍ଚିନ୍ତା, ଏତେ ପରିଶ୍ରମ । ନିଜେ ହିଡ଼ମୁଣ୍ଡରେ ଠିଆହୋଇ ସାନ ସାନଙ୍କଠୁଁ ବୁଦ୍ଧିବିକ୍ରମରେ ଓଟାରି ଆଣିଥିବା ଜମିକୁ ସେ ଏକାଠି କରି ମରାମତି କରେଇଛନ୍ତି, ଖାଲକୁ ଢିପ, ଢିପକୁ ଖାଲକରି ବଡ଼ ବଡ଼ କିଆରୀ କରେଇଛନ୍ତି, ପୋଖରୀ ଖୋଲେଇଛନ୍ତି, ନଡ଼ିଆ ଗଛ ପକାଇଛନ୍ତି, କ୍ଷେତକୁ ବୁଲିଗଲେ ସବୁଠି ସତେକି ଝଟକିଉଠେ ଆପଣାର ମୋହର, ଆଜି ଯୁଗ ଡାକୁଛି ତାକୁ ସବୁ କୋଠ କରିଦେବାକୁ । ବାରିରୁ ଶାଗପତ୍ରଟିଏ କି ତୋଟାରୁ ଡାଙ୍ଗଖଣ୍ଡେ ଅନ୍ୟ କିଏ ନେଇଗଲେ ସେ ହୁଲସ୍ଥୁଲ କରୁଥିଲେ, ତାକୁ ସବୁବି ସମସ୍ତିଙ୍କର କରିଦେବାକୁ ହେବ, ଖାଲି ତୁଣ୍ଡକଥାରେ ନୁହେଁ କାର୍ଯ୍ୟରେ । ଏମିତି ବି କ’ଣ ହୁଏ ? କେହି ବାଧ୍ୟ କରୁନାହିଁ, କେହି ଡରାଉନାହିଁ, ବ୍ୟକ୍ତିଗତ ସମ୍ପତ୍ତି ରକ୍ଷାକରିବାକୁ ଦେଶର ଆଇନ, ଦେଶର ଶାସନଶକ୍ତି ପ୍ରସ୍ତୁତ ରହିଛନ୍ତି, ତା’ ଥିବାଯାକେ ଭୟ କ’ଣ ?

 

କିନ୍ତୁ ମଞ୍ଜ ଥରାଇ ଥରାଇ ତୁହାଇ ତୁହାଇ ଚାଲେ ସେହି ନୂଆବିଚାରର ପଟୁଆର, ରଙ୍ଗରଙ୍ଗର । ନୂଆ ଆଲୁଅର କିମିଆରେ ସବୁଦିଶେ ଆଉ ପ୍ରକାରର, ସେଠି ସତେକି ପୁରୁଣା ପଦ୍ଧତିରେ ଆପଣାର କରି ମୁଠେଇ ଧରିବା ସ୍ୱଭାବ ଏକ ଅସାମାଜିକ ଲାଜରା କାରବାର ପରି ଲାଗେ, ନିଜକୁ ଚୋରପରି ଲାଗେ । ଏହି ଯେତେ ଗରିବଗୁରୁବା ନୁଖୁରାମୁଣ୍ଡିଆ ମଳିମୁଣ୍ଡିଆ ସେମାନେ ବି ଆପଣାର ସବୁ ଜଗତପାଇଁ ଦାନ କରିଦେଇ ହେଲେଣି ନୂଆ ସ୍ୱାଧୀନତାର ସୈନିକ, ଦେବାର ମର୍ଯ୍ୟାଦ, ତ୍ୟାଗକରିବାର ମର୍ଯ୍ୟାଦାରେ କେଡ଼େ ଡେଙ୍ଗା ଦିଶୁଛନ୍ତି ସେମାନେ, କେଡ଼େ ନିର୍ଭୀକ, କେଡ଼େ ସ୍ପର୍ଦ୍ଧିତ ! ଆଉ ନିଜେ ସେ ? ଆପଣା ଗହନମନର ଗୁପ୍ତ ଲୋଭମୋହ ଯେପରିକି ଦାଣ୍ଡକୁ ଫୁଟି ଠୁଳ ହୋଇଛି ଜଗତଯାକ ଦେଖିବାପାଇଁ ।

 

ସେମାନେ ଦେଖୁଛନ୍ତି ।

 

ଉଃ କେଡ଼େ ଜଳନ୍ତା ସେ ଦେଖା ।

 

ଛାଇ ଲେଉଟାଣିବେଳୁ ଅନହୁତି ଜ୍ୱରପରି ମାଡ଼ିବସିଛି ସେହିଚିନ୍ତା, କେବେସିନା ଆସୁଥିଲା ଯାଉଥିଲା, ଏଥର ସେ ନେବାକୁ ଆସିଛି, ସମୁଦାୟ ଚେତନା ଆଚ୍ଛନ୍ନ କରି ଅଭିଭୂତ କରି ମାଡ଼ିବସିଛି, ବାଁରେଇ ହେଉନାହିଁ ।

 

Unknown

କେଉଁ ଅବସରରେ ଦିଶିଯାଉଛି, ମୋର ଘର, ମୋର ବାରି, ମୁଁ ପଣ, ଯେଉଁଠି ଆଉ କାହାରି ଦେଖିବାକୁ ହୃଦୟ ସହ୍ୟ କରିପାରିବନାହିଁ । ସେହି ମୁଁ ପଣ ତୋଫାନ ଦାଉରେ କଟକଟ ହୋଇ ଛିଣ୍ଡିଗଲାବେଳକୁ ଆଖିରେ ଜୁଳୁଜୁଳିଆ ପୋକ ବାହାରିଯାଉଛି । କପାଳ କୁଞ୍ଚି କୁଞ୍ଚି ହୋଇ ମେଞ୍ଚି ହୋଇଯାଉଛି-ଏଁ, ସମସ୍ତିଙ୍କପରି ମୁଁ ବି ଅଜାଡ଼ି ଦେଇବସିବି ସବୁ । ପୁଣି ଆରମୁହୂର୍ତ୍ତରେ ଓଲଟି ଯାଉଛି ଏ ଚିନ୍ତା, ନୂଆହୋଇ ସବୁ ଆଉପ୍ରକାରେ ଦିଶୁଛି, ଜଗତର ଏକ ନୂଆରୂପ, ସେଠି ସୁନାର ବର୍ଣ୍ଣକଳା ପଡ଼ିଯାଉଛି, ଧନଦଉଲତ ଦିଶୁଛି ଅଙ୍ଗାରପରି, କୋଠାବାଡ଼ି ଦିଶୁଛି କାରାଗାରପରି, ସେଠି ମୂଲ୍ୟବାନ ଓ ମର୍ଯ୍ୟାଦାବନ୍ତ କେବଳ ମଣିଷ ନିଜେ ଓ ତା’ର ଏକାଘରିଆ ସମାଜ, ତା’ର କୋଠର ମେଣ୍ଟ, ଶ୍ରମ ଓ ବଳ । ସେଠି ଗୋଟିକିଆ ଲୋକବିକଳ, ଭୀରୁ, ଦୁର୍ବଳ, ଉଦ୍‌ବିଗ୍ନ ଆଉ ସନ୍ଦେହୀ, କ୍ଷେତର ଚାଷୀଙ୍କ ଅଖଳା ହସ ଶୁଣିଲେ ତା’ର ଛାତି ଧଡ଼କେ, ଆଉ ଆତଙ୍କରେ ଅପେକ୍ଷା କରି ରହିଥାଏ ସେ ସେହି ଘଡ଼ିକୁ, ଯେତେବେଳେ ସମସ୍ତେ ତାହାରିଆଡ଼କୁ ଆଙ୍ଗୁଠି ଦେଖାଇ କହିବେ- ‘‘ହେଇଯାଉଛି ସେ-’’, ଆଉ ଗାଁର କିଆବୁଦା, ବେଣାବୁଦା ବି ତାକୁ ଆଶ୍ରୟ ଦେବେନାହିଁ ।

 

କେଉଁ ପାଖେ ସେ ? ସେ ନିଶ୍ଚୟ ନାହାନ୍ତି ସେହି ନିଛାଟିଆ ଅନିଶ୍ଚିତ ବାଟର ଗୋଟିକିଆ ଭୟାଳୁ ପଥୁକୀସଙ୍ଗରେ, ସେ ସେହି ଦଳରହିଁ ମଣିଷ । ତାଙ୍କର ନୂଆ ଜନ୍ମହୋଇଛି । ଏ ଜନ୍ମରେ ଏହି ନୂଆଦର୍ଶନହିଁ ଜଗତଯାକ ଲୋକଙ୍କୁ ବାନ୍ଧିରଖିଛି, ଆଉ ଦଶଲୋକ ଯେଉଁ କଥାକୁ ଯେଉଁ ମୂଲଦେବେ, ସେହି ତ ତା’ର ମୂଲ ? ଦଶ ଲୋକେ ମୂଲ ଦେଇଛନ୍ତି ଏକ ଦୁନିଆଁର, ଏକ ଭାଇପଣର ଏଇ ମୁକୁଳାବାଟକୁ, ଯେଉଁଆଡ଼େ ଯାଅ ସବୁଠି ତୁମର ଘର, ଯେଉଁଠି ଝୁଣ୍ଟି ପଡ଼ିବ ଦଶଟା ହାତ ଲମ୍ୱିଆସିବ ତୁମକୁ ଉଠେଇନେବାକୁ, ଚିନ୍ତାନାହିଁ, ଦକନାହିଁ କି ହିଂସାନାହିଁ, ସଞ୍ଚୟହେବ ଜଣକପାଇଁ ନୁହେଁ ସମସ୍ତିଙ୍କପାଇଁ, ଆମଦାନି ହେବ ତ ସବୁରି ପେଟପାଇଁ, ନିଜର ଆଉ ନିଜର ସନ୍ତାନମାନଙ୍କ ଭବିଷ୍ୟତପାଇଁ ସାରାପୃଥିବୀହିଁ ଜାଗତିଆର, ଆପଣାର ଭଣ୍ଡାରିମୁଠିର ପୁଞ୍ଜିଟିକକ ସେଠି ହାସ୍ୟାସ୍ପଦ, ତା’ର ଆବଶ୍ୟକ ନାହିଁ । ସେହି ଦୁନିଆଁରେ ନୂଆହୋଇ ତାଙ୍କର ଜନ୍ମହୋଇଛି । ଗୋଟିକୁ ଭାଙ୍ଗିଦେଇ କୋଟିକୁ ଆବୋରି ନେଇଛି ପ୍ରାଣ । କେଡ଼େ ସହଜ ଲାଗୁଛି ସବୁ । ଏଇ ତ ଚିହ୍ନା ଜୀବନ । ଏହି ଜୀବନର ପରିଚୟ ତ ନେଇଥିଲା ପ୍ରାଚୀନ ଧର୍ମ । ଆଉ ଜଗନ୍ନାଥ–ଏହି ଅଭୟ ବାଣୀ ତ ଶୁଣାଇ ଆସିଥିଲେ ସେ ଯୁଗେ ଯୁଗେ । ଅନ୍ତର ଭିତରେ ଅନ୍ଧାରୀ ଝରଣାପରି ବହୁଥିଲା ଏହି ମହାମାନବିକତାର ସ୍ୱପ୍ନ ସୃଷ୍ଟିର ଆଦିମକାଳରୁ, ଝରଣା ଅନ୍ତଃସଲିଳା ଫଲ୍‌ଗୁ ହୋଇ ହିଁ ରହିଯାଇଥିଲା, ପ୍ରକାଶପାଇଁ ଅପେକ୍ଷା କରିଥିଲା ଏହି ନୂଆ ସକାଳକୁ, ଏହି ନୂଆ ଆଲୁଅକୁ ମଣିଷର ସହଜାତ ମଣିଷପଣ ଏଠି ପ୍ରକାଶ ପାଇଛି, ସେ ପୁଣ୍ୟ ନୁହେଁ, ଆପଣାଠୁଁ ଅଲଗାହୋଇ ଶୁଣାକଥା, ପଢ଼ାକଥାର ଜ୍ଞାନ ନୁହେଁ, ସେ ଜୀବନ ।

 

ପୁଣି ମାଡ଼ିଆସେ ମମତ୍ୱବୋଧ, ପୁଣି ପଛେଇଯାଏ ।

 

ଏହି ବିଚିତ୍ର ଦ୍ୱନ୍ଦ୍ୱ, ବିଚିତ୍ର ଅନୁଭୂତିରେ ଭବେଇଟୁବେଇ ହେଉଛି ସେହି ମଣିଷଖୋଳଟା, ଯାହାକିଛି ନନ୍ଦ ତହସିଲ୍‍ଦାରର । ପିଣ୍ଡାରେ ବସି ବସି ବେଳ କଟିଯାଉଛି । କାହାରି ସଙ୍ଗେ କଥାନାହିଁ, ଭାଷାନାହିଁ ।

 

କାଲି ସେମାନେ ଆସିଥିଲେ ।

 

ଆସିଥିଲେ ବୁଝେଇବାକୁ, ଆଜି ଆସିନାହାନ୍ତି । କେହି ନ ଆସନ୍ତୁ, ଆଜି ଆପଣା ଭିତରେହିଁ ସାରାଜଗତ୍ ଏକର ସେକର ହୋଇ ଚହଳ ପକାଉଛି, ଆଉ କି ତୋଫାନ, କି ପ୍ରଳୟ, ପୁଣି କି ସୃଷ୍ଟି, କି ବିସ୍ମୟ !

 

ସଞ୍ଜ ପଡ଼ିଆସିଲା, କ୍ଷେତରୁ ଫେରି ଗୋଛାହୋଇ ଚହଳ ପକାଇ ଏହି ବାଟେ ଗଲେ ଗାଁ ଲୋକେ, ଆଉ ଅଲଗା ଅଲଗା ରୁଆ ବେଉଷଣ ନାହିଁ-ଯେଉଁଠି ପଡ଼ିଗଲେ ତ ଗୋଠକଯାକ, ଯେପରିକି ଅସୁର କାମକରୁଛି, ସବୁ ଅସମ୍ଭବକୁ ସମ୍ଭବ କରୁଛି, କାହିଁ ଏପରି ଚାଷ କେହି କେବେ ଭାବିନାହିଁ କି ଦେଖିନାହିଁ । କାହିଁ ଗଲେ ସେମାନେ ? ଭିତରେ ନା ବାହାରେ ? ନନ୍ଦ ତହସିଲ୍‌ଦାର ଆପଣାଠିଁ ବୁଡ଼ିରହିଲେ । ଗୋଟିକିଆ ତାରା ପଡ଼ିଲା, ତା’ପରେ ଆହୁରି ତାରା, ଆହୁରି ତାରା, ଦୂରରେ ଆକାଶ ସେପାଖେ କଳାମେଘ ଅପସରି ଯାଉଛି, ବର୍ଷାଧୁଆ ଆକାଶରେ ପେନ୍ଥି ପେନ୍ଥି ହୋଇ ଫୁଟି ଉଠୁଛନ୍ତି ସେମାନେ, କେଡ଼େ ସତେଜ, କେଡ଼େ ଉଜ୍ଜ୍ୱଳ ! ମନର ସପନପୁରୀ ଯେପରିକି ଏହି ଆକାଶରେହିଁ ଆଙ୍କି ହୋଇରହିଛି । ତ୍ୟାଗର ରସ ଚହଟି ଯାଉଛି, କିନ୍ତୁ ସେ ନୁହେଁ ଦୁର୍ବଳ ହତୋତ୍ସାହୀ ନିରାଶୀ ବୃଦ୍ଧର ତ୍ୟାଗ, ଯେ ଶେଷ ଦଶା ତ ଆସି ପହଞ୍ଚିଗଲା, ଆଉ କାହିଁକି ଏସବୁ ! ଆୟୁଷ ସରିଆସିଲା, ମୋହ ବି ତୁଟୁ, ଲୋଭ ବି ତୁଟୁ । ନୁହେଁ ସେ ତା । ଏ ଯେପରିକି ନୂଆ ଜୀବନ ଅରଜିବାପାଇଁ ପୁରୁଣା ଘଟର ଆତ୍ମବଳି ଅଖଣ୍ଡ ଜୀବନପାଇଁ, ଅସରନ୍ତି ଭୋଗପାଇଁ, ବିଶାଳତାପାଇଁ ଖର୍ବତାର ପରିସମାପ୍ତି, ଏହି ନୂଆ ଦୁନିଆଁ ଏମିତି ତାରାପରିହିଁ ଝଲଝଲ । ଝିଙ୍କାରି ଉଠିଲା ସମବେତ ପ୍ରାର୍ଥନାର ଲହରୀ, ପୁଣି ମାୟାଭାବ, କେଉଁଠି ସେ, ଭିତରେ ନା ବାହାରେ ? ଅନ୍ଧାର ଭିତରେ ଏକ ସ୍ଵରରେ ମନୁଷ୍ୟଜାତି ଆତ୍ମପ୍ରକାଶ କରୁଛି, ଏମିତି ତା’ର ଆପଣା ପାଖେ ଆପଣାର ଉଦବୋଧନ, ଲାଗି ରହିଥିଲା ଯୁଗେ ଯୁଗେ । ଆଜି ତା’ର କଣ୍ଠ ମୁକ୍ତ, ସ୍ୱର ଉଦାତ୍ତ । ନନ୍ଦ ତହସିଲ୍‍ଦାର, ନନ୍ଦ ତହସିଲ୍‍ଦାର ନାହିଁ କେହି ନନ୍ଦ ତହସିଲ୍‍ଦାର, ଏପରି ଲୋକ କେହି ନ ଥିଲା କେବେ । କେବଳ ଅଗଣତି ତାରା, ଆଉ ଅନ୍ଧାରଉପରେ ତାଙ୍କର ମୃତ୍ୟୁଞ୍ଜୟ ହସ, ଆଉ ସମବେତ ମନୁଷ୍ୟକଣ୍ଠର ଝଙ୍କାର । ମନୁଷ୍ୟଜାତି ଆପଣାଠିଁ ଉଷାକୁ ଆବିଷ୍କାର କରିଛି । ଏହି ତା’ର ସଙ୍ଗୀତ । ପଦାରେ ସଙ୍ଗୀତ କେତେବେଳୁ ବନ୍ଦ ହେଲାଣି, ଏଥର ଜୁଳୁ ଜୁଳୁ ହୋଇ ଲଣ୍ଠଣମାନ ଜଳୁଥିବ, ଲେଖାପଢ଼ା ଲାଗିଥିବ । ଜୁଳୁ କୁଳ ହୋଇ ଦିଶିଯାଉଛି ସେମାନଙ୍କ ଶିବିର । ଉଷାର ସଙ୍ଗୀତଗାଇ, ସୂର୍ଯ୍ୟର ବନ୍ଦନାଗାଇ କେତେ ନଈନାଳ ପାହାଡ଼ ଟାଙ୍ଗର ଟପି ଗୋଛାହୋଇ ମାଡ଼ି ଚାଲିଛନ୍ତି ସେମାନେ, ଆଉ ଏଥର ଅନ୍ଧାରରେ ବୁନ୍ଦା ବୁନ୍ଦା ଆଲୁଅ, ପାଖ ପାଖ ହୋଇ । ପୁଣି ପାହାନ୍ତିଆକୁ ଚାଲିବ ପଟୁଆର ଏକାଠି, ସହସ୍ରେ ପାଦ ସହସ୍ରେ ହାତ ହୋଇଚାଲିଥିବ ତା’ର ଥାଟ, କମିବ ନାହିଁ, ଥମିବ ନାହିଁ । ସେ ସତ୍ୟର ସନ୍ଧାନ ପାଇଛି, ସତ୍ୟଯୁଗ ପ୍ରତିଷ୍ଠା କରିଛି, ଦୂର କରିଛି ଯାତନା ଆଉ ହିଂସା-ନା ସେଠି କ୍ଷୁଦ୍ରସ୍ୱାର୍ଥ, କ୍ଷୁଦ୍ରପୁଞ୍ଜିର ସ୍ଥାନନାହିଁ, ସେ ଅକ୍ଷୟ ଭଣ୍ଡାରର ଅଧିକାରୀ-

 

କିଏ କଥା କହୁଛି ? ସ୍ତ୍ରୀ ଆସିଛନ୍ତି । ଅଫିମ ବାଟୁଳାଟି ଆଉ ଦୁଧ ତାଟିଆକ । ଆପେ ଆସିଥିଲା, ଆପେ ଗଲାଣି ପେଟକୁ ।

 

ସେ କ’ଣ କହୁଛନ୍ତି ? କହିବେ ତ, ଲୋକର ପାଟି ଅଛି, କଥା କହିବ ନାହିଁ ? ମଣିଷ ଭାରି ମୁସ୍କିଲରେ ପଡ଼ିଲାଣି । କିଛିକରିବାକୁ ବାଟ ଦିଶୁ ନାହିଁ । “ଦେଖ ଯେ ଅସଲ ହେଉଛନ୍ତି ମୂଲିଆ, ନ ହେଲେ ତେମେ ତ ହାତରେ ବିଲ ଚଷିବ ନାଇଁ କି କାଦୁଅ ପାଣି ହେବ ନାହିଁ କି ଧାନ କାଟିବ ନାହିଁ ।’’ ଆରେ ବାବୁ, ସାନକରି କହି ହେଉନାହିଁ କଥା ଦିପଦ ଯେ ଏତେ ନ ଲମ୍ୱେଇଲେ ନ ଚଳେ । କି କାଟିବ ନାହିଁ କି ମଳିବ ନାହିଁ - ବେଶ୍ ବେଶ୍ କି ପାଛୁରିବ ନାହିଁ କି ବୋହିବ ନାହିଁ, କି ଓଦରରେ ପୂରେଇବ ନାହିଁ କି ସମ୍ପାଦିବ ନାହିଁ-କଲିକି କଲି, ଲମ୍ୱେଇ ଯା ମନ ଇଚ୍ଛା । “ମୂଲିଆ ତ ଆଗେ ଗୋଡ଼ ଲମ୍ୱୋଉଥିଲେ, କହୁଥିଲେ ଦିନକୁ ଛ ସୁକା ଦି’ଟଙ୍କା ନ ଦେଲେ ଆମେ ଯିବୁନାହିଁ ଆଦୌ, ଆଉ ଅଇଚ୍ଛା ଏ ବର୍ଷଠୁଁ କହିଲେଣି ଆମର ମୂଲ କ’ଣ ହେବ ଯେ ଆମେ ତମଠିଁ ମୂଲ ଲାଗିବୁ ? ଆମ କୋଠ ଜମିରେ କାମକରିବାକୁ ବେଳ ଅଣ୍ଟୁନାହିଁ ତ ଆମେ ତମ କାମକରିବୁଁ କେତେବେଳେ ? କୋଠିଆ ନାହିଁ, ହଳିଆ ନାହିଁ, ମୂଲିଆ ନାହିଁ । ଜମି ବିକିଦେଲେବି ନବାକୁ କେହି ନାହିଁ । ସେଉଠୁ ପର ଗାଁରୁ ଦିନକୁ ତିନି ଟଙ୍କା ଚଉଦ ସୁକା ଦେଇ ମୂଲିଆ ଆଣି ଲଗେଇବ । ଟଙ୍କା ମାପିବ ଗଉଣିରେ । ପୁଣି ତାଙ୍କ ଗାଁରେ କୋଠ କରିଦେଲେ ଗଲା, ସେମାନେବି ସବୁ ଜମିମାଲିକ ହେଇଯିବେ, ଆଉ ମୂଲକୁ ଆସିବେ ନାହିଁ । ଅଇଚ୍ଛା କଥା ପଡ଼ିଲାଣି ଘର ଲିପିବ କିଏ, ଗୋରୁ ଜଗିବ କିଏ, ତାଷକରିବ କିଏ ? ତେଣୁ ମୁଁ କହୁଚି, ଅଳଙ୍କାରପତ୍ର ଯାହା ଯେଉଁଠି ଅଛି ସବୁ ବିକି ଭାଙ୍ଗିଦେଇ ସହରକୁ ଉଠିଯିବାଚାଲ । ପୁଅ ଯାହା ରୋଜଗାର କରୁଥିବ ଦୁଃଖେ ସୁଖେ ସେଇଥିରେ ଚଳୁଥିବା-ହେ ହେ-ହେ ହେ ହେ ହେ’ ନଟରା କାଶପରି ହସ ଉଠିଲା ସେ ଦେହଟାରୁ ।

 

ଆରେ ଏଇଟା କହୁଚି କ’ଣରେ ? ତାଷ ତ କରିବେ ସେହିମାନେ, ଏଥିରେ ଆଉ ସନ୍ଦେହ କ’ଣ ଅଛି ? ସେହି ଏକା ଗାଁରେ ଏତେ ପ୍ରାଣୀ କୁଟୁମ୍ୱ ଚଳିବେ, ଆମେ ବି ଚଳିବା । ଆଉ ପୁଅ ବୋଇଲେ ତ ବାଞ୍ଛୁ, ସେ ତ ଓକିଲ ପାଖେ ଟହଲିଆ, ଠିକ୍ ଟରଣି ବି ନୁହେଁ, ଦରଖାସ୍ତ ଲେଖିବ କି ମକଦ୍ଦମା ଜୁଟେଇବ ଯାହା ସେତିକିରେ ଅର୍ଜିବ, ବାବୁଙ୍କର ମୁଣ୍ଡ ତେଲକୁ ବାସନା ସାବିନକୁ କାମିଜି କୁର୍ତ୍ତାକୁ ନିଅଣ୍ଟ ହେଉଛି ସେ, ସେଥିରେ ଭାତ କେଉଁଠୁ କିଣି ହେବ, ଛୁଆ ଦୁଧ ଖାଇବା କୋଉଠୁ ? ଆଉ ମକଦ୍ଦମା ବି ଏତେ ହବ କୁଆଡ଼ୁ, ? ଗାଁର ଚାଷୀ କଜିଆ କଲେ ସିନା ମକଦ୍ଦମା, ମେଣ୍ଟ ବାନ୍ଧିଲେ କି ମକଦ୍ଦମା ! ହେ ହେ ହେ ହେଃ- ‘‘ଆରେ ଭଲା ମଣିଷ ତମେ, ଭକୁହୋଇ ବସିଚ, ପାଟି ଫିଟାଉନା ଯେ !’’ ଏଁ ! ପାଟି ଫିଟାଇନାହିଁ ! ଆଉ ଏତେ କଥା କହିଲା କିଏ ? ଗଲା ସେ ବକର ବକର ହୋଇ । ଏଥର ସୁନ୍ଦର ଅନ୍ଧାର ରାତି, ଶାନ୍ତି ପୂରିରହିଛି, ତାରାଉପରେ ତାରା ଲଦି ହୋଇଛନ୍ତି, ଝଲସି ଯାଉଛି ସବୁ ଏକର ସେକର, ତାରା ନାଉ ହେଇଛନ୍ତି, କାଖ ହେଇଛନ୍ତି । ‘‘ବାପା, ଆଉ ଏମିତି ବାଛି ହେଇପଡ଼ି ଏକୁଟିଆ ରହିଥିବା କାହିଁକି, ଆମରବି ସବୁ ମିଶେଇ ଦଉଁ ସମସ୍ତଙ୍କ ସାଙ୍ଗରେ-’

 

‘‘କିଏ, ବୋହୂ କିଲୋ, ମିଶା ତ ସରିଲାଣି, ଆମେ ଏ ଗାଁ ମଣିଷ ନା ଗାଁ ବାହାରେ ? ଯା, ପିଲା ଉଠିବ–’’

 

ଚାଲି ଯାଉଛି ଝମର ଝମର ହୋଇ । ଯାଆ ମା, ଲକ୍ଷ୍ମୀ ବୋହୂ, ତମରିପାଇଁ ତ ଏ ସତ୍ୟଯୁଗ, ସବୁମାନଙ୍କପାଇଁ, ସବୁ ଛୁଆମାନଙ୍କପାଇଁ । ଭଗବାନ ତୋ’ର ମଙ୍ଗଳ କରନ୍ତୁ । ମିଶିଗଲା ସବୁ-ଏଥର ସବୁ ଆଲୁଅ ଜଳିବ ।

 

ପୁଅ ମୋର ମନ୍ତ୍ରୀ ହେବ । ବନ୍ଧମୂଳ ଗାଁରେ ରବିର ବାପା ବଟ ମହାନ୍ତିଙ୍କ ମୁଣ୍ଡରେ ଦିନାକେତେ ହେବ ଢୁକିଛି ଏହି କଳ୍ପନା । କଳ୍ପନାଟା ମନକୁ ମନ ଉଡ଼ିଆସି ଭାଁ କରି ବିନ୍ଧିନାହିଁ, ତା’ପଛରେ ଥିଲା ଅତି ସାମାନ୍ୟ ଗୋଟିଏ ଘଟଣା । ସେଦିନ ସକାଳେ ବନ୍ଧତଳ ଦୋକାନକୁ ଯିବାବାଟରେ ପୁରୋହିତେ ଆଉ ଅବଧାନେ ହଠାତ୍ ଏକାଠି ଭେଟାଭେଟି ହେଲେ । ଅବଧାନେ ବୁଜା ପାପୁଲି ଯୋଡ଼ାକ ମୁଣ୍ଡକୁ ଉଠେଇଲେ ତ ପୁରୋହିତେ ମେଲା ପାପୁଲି ଯୋଡ଼ିକ ତଳେ ମୋହିଁ ଧରିଲେ ଓ ଦୁହିଁଙ୍କ ମୁହଁରୁ ଏକାଥରକେ ବୋହିପଡ଼ିଲା । ହସ ଓ ଅବଧାନେ ଯେମିତି କହିଲେ, ‘‘ଆଜିସକାଳୁ ଗୋଟିକିଆ ବ୍ରାହ୍ମଣଙ୍କ ମୁଖଦର୍ଶନ, କେଜାଣି ଦିନଯାକ କ’ଣ ଅଛି ?’’ ପୁରୋହିତେ ସଂସ୍କୃତରେ କହିଲେ–’’ଅଦ୍ୟ ପ୍ରାତରେ ବାନିଷ୍ଟଦର୍ଶନଂ ଜାତଂ ନଜାନେ କିମଭିମତଂ ଦର୍ଶୟିଶ୍ୟତି’’ ଓ ଏହି ଶିଷ୍ଠାଚାର ବିନିମୟପରେ ଅବଧାନେ ପ୍ରଶ୍ନକଲେ, "ଜମିଦାର ଘରେ ଆଉ ସତେ ପୂଜାଓଝା ନିମିତ୍ତପର୍ବ ଘଟଣା ଏବେ ପଡ଼ୁନାହିଁ ପରା ?” ପୁରୋହିତେ ରୋକ୍‌ଠୋକ୍‌ କହିଲେ, "ଜମିଦାରୀ ତ ଉଠିଲାଣି, ଆଉ ଜମିଦାର ଘର ନିମିତ୍ତପର୍ବ କିଏ ପଚାରୁଛି ? ଆଉ ଆମ ଗାଁ ଏ ଯୋଉ ଜମିଦାର, ୟାଙ୍କର ତ ବାନପ୍ରସ୍ଥ । ଯିବାବେଳ ପଡ଼ିଲାଣି, କେବଳ ପୁଅ ସବିନିସିପେକ୍ଟର, ୟାଙ୍କ ସଙ୍ଗେ ସମ୍ୱନ୍ଧଟା ନ ଛିଣ୍ଡେଇବା ଭଲ ।’’

 

ଅବଧାନେ କହିଲେ, “ଆରେ ଗୋଟାଏ ପୁଅସିନା ସବିନିସିପେକ୍ଟର, ଆଉ ଜଣେ ତ ସାକ୍ଷାତ ମନ୍ତ୍ରୀ ।’’ ପୁରୋହିତେ ହସିଲେ, କହିଲେ, “କେମନ୍ତ ? ସାନବାବୁ ହେବ ମନ୍ତ୍ରୀ, ଏ ତ ଭଲକଥା, ତମ ଧଇଁକାଶ ଟିକିଏ ବଢ଼ିଚି ପରା, ହଁ ହେବା କଥା, ବୃଷ୍ଟିଦିବସ, ସେଥିପାଇଁ ଅଫିମ ଗୋଳାଟାବି ବଢ଼ିଚି, ନଇଲେ ମୂକଂ କରୋତି ବାଚାଳଂ, ଫଙ୍ଗୁ ଲଂଘୟତେ ଗିରି, ଆଉ ବାପାମା’ ବୁଢ଼ା ବୁଢ଼ୀ ଯାହାକଥା ଭାବି ଭାବି ଠାକୁର ଭଗତ ଦାନଧ୍ୟାନ ସବୁ ପୋଛିପାଛିଦବାକୁ ବସିଲେ ସେ ବଗୁଲିଆ ଖଣ୍ଡକ ତମ ଆଖିକି ଦିଶନ୍ତା ମନ୍ତ୍ରୀପରି । ହଁ, କହ, କହ, ହେଇଚି ତ ସଳଖ ସୁନ୍ଦର ଭେଣ୍ଡିଆଟିଏ, କୋଉ କଥାକୁ ଅପାରଗ, ମନ୍ତ୍ରୀ କ’ଣ ? ମନ୍ତ୍ରୀଙ୍କ ଗୋସେଁଇବାପ ହେଲେ ନାଙ୍କରା କ’ଣ ହେବ ?’’

 

ଅବଧାନେ କହିଲେ, “ଗୋସେଁଇବାପ ହେଲେ କ’ଣଟା ଅଧିକ ହେବ ? ଗୋସେଇଁବାପ ତମ ଆମପରି ମଣିଷ, ସେ ‘ମନ୍ତ୍ରୀ ନଥିଲେ । ଖଡ଼ି ପକେଇଲି, ପ୍ରଶନ ଡାକିଲି, ପ୍ରଶନ କହିଲା ସେ ମନ୍ତ୍ରୀ ହେବେ ।’’

 

‘‘କ’ଣ ନଳ କହିଲେ ନା ନୀଳ କହିଲେ ନା ଅଙ୍ଗଦ କହିଲେ ?’’

 

"ସେ ପାଠରୁ ତମେ କ’ଣ ପାଇବ ? ଶୁଭ ଖବରଟିଏ ଦେଲି, ତାକୁ ଯଦି ସଂସ୍କୃତ ଶବ୍ଦ ଯୋଖି ଆହୁରି ଶୁଭକରିପାରନ୍ତ ତେବେ ବୁଢ଼ାବୁଢ଼ୀବି ଖୁସି ହୁଅନ୍ତେ, ତାଙ୍କ ସଙ୍ଗରେ ତୁମେ ଆମେବି ଖୁସି ହୁଅନ୍ତେ ।” ପୁରୋହିତ ହସିଲେ, କହିଲେ, “ତୁମ ବୁଦ୍ଧିକି ପସନ୍ଦ କରୁଛି, ମନ୍ତ୍ରୀ ଯଦି କିଏ ହେବା ଉଚିତ ତେବେ ଆଗ ତୁମେ । ତେବେ ଏହି କଥା ତୁଟିଲା । ହଁ, ଏହି କଥା ତୁଟିଲା ।’’

 

ତା’ପରେ ଦିନେ ବଟ ମହାନ୍ତିଙ୍କୁ ଅତର୍କିତ ଆକ୍ରମଣ । ଜାତକ ଦେଖାହେଲା, ଶ୍ଳୋକ ବୋଲାଗଲା ଓ ତା’ର ଅର୍ଥ କରାହେଲା । କଥା ତୁଟିଲା, ରବି ମନ୍ତ୍ରୀ ହେବ । ଏଇ ତା’ର ଭାଗ୍ୟ ବଦଳିବା ସମୟ ପାଖ ହୋଇଆସୁଛି । ଗ୍ରହମାନଙ୍କ ଯିବା ଆସିବା ବେଳ, ଏହି ବେଳ ଉଣ୍ଡି ଠାକୁର ଅଭିଷେକ, ବ୍ରାହ୍ମଣଭୋଜନ, ଦାନଦକ୍ଷିଣା, ବାଳଲୀଳା, ମଉଚ୍ଛବ, ଏସବୁ କରାଯାଇପାରିଲେ ଭଲ । କେବଳ, ପ୍ରଚାର ହେବନାହିଁ କାହିଁକି ଏସବୁ ହେଉଛି । ପୁରୋହିତେ ଓ ଅବଧାନେ ତହିଁରେ ଏକମତ । ଆଉ ଯେ କେଇଜଣ ଜାଣିବା ଲୋକ ଆସିଲେ, ଆଚାର୍ଯ୍ୟ ପ୍ରମୁଖ ସେମାନେବି ଏବିଷୟରେ ଏକମତ । ତା’ପରେ ସେହି ଗୋଟିଏ ଚିନ୍ତା, ପୁଅ ମୋର ମନ୍ତ୍ରୀ ହେବ ।

 

ଥାକ ଥାକ ହୋଇ ବଢ଼ି ଲାଗିଛି, ଝଡ଼ି ଲାଗିଛି ଜୀବନ, ଗୋଟାଏ ଗୋଟାଏ ଥାକରେ ଗୋଟାଏ ଗୋଟାଏ ସ୍ୱପ୍ନ, ବଟ ମହାନ୍ତିଙ୍କର ବିତିଯାଏ କିଛିଦିନ । ଆଉ ଏମିତି ଖଞ୍ଜିଛି ଭଗବାନ୍ ଯେ ଠିକ୍ ଗୋଟାଏ ମୋହ ଭାଙ୍ଗିଯାଇ ଆଶାକରିବା ଭଳି ଗୋଟାଏ ଡାଳଭାଙ୍ଗି ପଡ଼ୁ ପଡ଼ୁ ଆଉ ଗୋଟିଏ କୋଉଠୁ ଦିଶିଯାଏ ହାତ ପାଆନ୍ତିରେ, ହାତଖାଲି ପଡ଼େନାହିଁ, ମନଖାଲି ପଡ଼େନାହିଁ ।

 

ରବି ଗଲା । କବିକୁ ଏତେକରି ଲେଖିଲେ, "ପିଲାଙ୍କୁ ଦିନାକେତେ ପାଇଁ ଏଠିକି ପଠା-।’’ ସେ ହେଲାନାହିଁ । ଦୁଇମାସରେ ଥରେ ଯଦି ଖଣ୍ଡେ ଚିଠି ଆସିବ ସେଥିରେ ନ ଆସିବାପାଇଁ କାରଣ ଜାଲ ଛନ୍ଦାଛନ୍ଦି । ସଂସାରଟା ପିତା ଲାଗି ଆସୁଥିଲା । ଜଗତଯାକ ଉପରେ ଅଭିମାନ, ଦେଖ, ପୁଅ ଜନ୍ମକରି ଜଣେ ଯଦି ଆପଣା ସୁଖପାଇଁ ପର ହେଇଗଲା ତ ଆଉ ଜଣେ ପର ସୁଖପାଇଁ ପର ହୋଇଗଲା । ଯୁଗ ହେଲା ଅମାନିଆଁ । ଏବେ ଜମିବାଡ଼ି ଥାଇ ଫସଲ ଆସିଲାବେଳକୁ ଦେଖିଲେ ହସମାଡ଼ିବ । ମୂଲିଆଙ୍କ ଜାଳାରେ ହାତଚାଷ କଲାବେଳକୁ ଘରୁ ଲାଗିଯିବ । ଭାଗୁଆଳୀ କହିଲେଣି ତମକୁ ଦବୁ ପାଞ୍ଚ ଭାଗରୁ ଦି’ଭାଗ, ଆଇନରୁ ବେଆଇନ୍‌କୁ ଯିବୁନାହିଁ । କରଜ ଧାରିବା ଲୋକ କହିଲେଣି ଆମେବି ଆଇନ୍ ଅନୁସାରେ ଟଙ୍କାକେ ସାତ ପଇସା ସୁଧଦେବୁଁ, ଆଗରୁ ଯାହା ନେଇଛ ମଜୁରା କରିଦିଅ । ଆଇନ୍ । ଆଇନ୍ । ନେଇଯାଥ ସବୁ । ଯାହାଙ୍କ ପାଇଁ ସାଇତନ୍ତେ ତାଙ୍କର ଏଥିକି ମନନାହିଁ, ଆମର ଆମେ ଦି’ଟା ପେଟ । ଠକ ଯେ ଯାହା ପାରୁଛି, ୟା ପରେ ଆମେବି ଠକିଦେଇ ସ୍ୱର୍ଗକୁ ଯିବୁଁ । ଯାଇଥିଲା ଭାଙ୍ଗି ସବୁ ଆଣ୍ଟ, ସବୁ ମୋହ ।

 

‘ତା’ପରେ ଲାଗିଗଲା ଅଠା, ପୁଅ ମୋର ମନ୍ତ୍ରୀ ହେବ ।’

 

ଜାତକଫଳ ଅବଶ୍ୟ ସତ ହେବବୋଲି ଦୃଢ଼ବିଶ୍ୱାସ ଜନ୍ମେ ସେତେବେଳେ, ଯେତେବେଳେ ଫଳଟା ଲାଭଜନକବୋଲି କେହି ହିସାବ କଷି କହିଦିଏ ।

 

ଜ୍ୟୋତିଷ ଓ ପୁରୋହିତ ଉଭୟେ ଏକମତ, ଅନ୍ୟଥା ହେବ କାହୁଁ ?

 

ପାଞ୍ଜି ପଢ଼ିଲାବେଳେ ଏଇ ଗାଁ ନାହାକ ଗାଇଯାଆନ୍ତି, ଏ ବର୍ଷ ଫସଲ ଏତେ, ଲାଭ ଏତେ, ମେଘ ଏତେ, ପୋକ ଏତେ, ମିଛ ହୁଏ କ୍ୱଚିତ୍ । ପ୍ରାଚୀନ ହିନ୍ଦୁଶାସ୍ତ୍ର, ଅତି ଗହନ ତା ଭେଦ, ଯେ ଜାଣେ ସେ ଜାଣେ, ଯେ ନ ଜାଣେନାହିଁ । ମାଳିକା ଫଳୁଛି ତ ନା ମିଛ ହେଉଛି ? ଭାଗବତରେ ଜଗନ୍ନାଥ ଦାସେ କଳିବିଷୟରେ ଯାହା ଲେଖିଯାଇଛନ୍ତି ସେଇଆ ହେଉଛି ନା ଅନ୍ୟଥା ହେଉଛି ?

 

ଆପଣାର ବିଶ୍ୱାସ ଉପୁଜେଇବାକୁ ଆପଣା ଅଭିଜ୍ଞତାଭିତରୁ ବାଛିବସିଲେ ଅନେକ ଉଦାହରଣ ଯୋଡ଼ି ହୁଏ, କିଏ କାହାକୁ କ’ଣ କହିଥିଲା, କିପରି ଫଳିଲା, ଏହିପରି ଅନେକ କଥା ।

 

ଆଉ ଯେତେବେଳେ ଆୟୁଷଟା ପଶ୍ଚିମଆଡ଼କୁ ଢଳିବସିଲାଣି, ଭାବିଲେ ଦେଖିଲେ ଚାରିଆଡ଼େ ଖାଲି ଧୂଆଁଳିଆ ଆଉ ଅନ୍ଧାର, ସେତେବେଳେ ଏହିପରି ଅକାରଣ ଓ ଆଚମ୍ୱିତକାରୀ ପରିକଳ୍ପନାକୁ ସିଢ଼ିର ବାଡ଼ା ଧରିଲାପରି ଦୁଇହାତରେ ମୁଠେଇ ଧରିଲେ ହିଁ ତ ପାହାଚ ପାହାଚ ଚଢ଼ିହୁଏ, ନ ହେଲେ ଦୁଇ ଏକ ତିନି, ତିନି ଦୁଇ ପାଞ୍ଚଅଙ୍କ କଷୁଥିଲେ ସାମ୍ନାରେ ଜଳ ଜଳ ହୋଇଦିଶୁଥିବ ଗୋଟାଏ ମସ୍ତବଡ଼ ହାଉଁ, ହେଇ ସେପାଖେ ତ ବେଶୀ ଦୂରନୁହେଁ ।

 

ଆଉ ଯୁକ୍ତିପକାଇ ପରଖି ଦେଖିଲେବି ସେହି ପୁରୋହିତ ଓ ଜ୍ୟୋତିଷହିଁ ଏକମାତ୍ର ଅବଲମ୍ୱନ । ଏ ସଂସାରରେ ବଡ଼ ଅଛି ସାନ ଅଛି, ପାଞ୍ଚ ଆଙ୍ଗୁଠି ସମାନ ନୁହେଁ, ଯାହା ସୌଭାଗ୍ୟବୋଲି ଅଛି ସେତକ ସମସ୍ତିଙ୍କି ସମାନଭାବେ ବାଣ୍ଟିଦେବାକୁ ବିଧିନାହିଁ । ଥୋକାଏ ଖାଇବେ, ଥୋକେ ରହିବେ ଉପାସ । ଥୋକେ ମଣିଷ ଚରେଇବେ, ଥୋକେ ଯେ ଗୋରୁ ଚରେଇବେ । ସୌଭାଗ୍ୟର ବଣ୍ଟନରବିଧି ଗୁଳି ପକେଇହେବ, ଯାହା ଯେ ପାଇଲା ତା ତା’ର କପାଳ । କପାଳଲିଖନ କିଏ ପଢ଼ିବ ଦୈବଜ୍ଞବିନା ।

 

ସତ, ସତ, ସତ-ତ୍ରିବାର ସତ ।

 

ପୁଅ ମୋର ମନ୍ତ୍ରୀ ହେବ । ହେବ ତ ନହେଲେ କାହିଁକି ତାକୁ ଏ ବାଟ ଦିଶନ୍ତା ? ଛାଇ-ତଳର ବାଟ ନୁହେଁ, ଖରା କାକର ଭୋକ ଉପାସର ବାଟ, ପାଞ୍ଚଜଣଙ୍କ କାନ୍ଧରେ ଗୋଡ଼ ଦି’ଟା ଲଦିଦେଇ ରାଜୁତି କରିବାର ବାଟ ନୁହେଁ, ପାଞ୍ଚଜଣଙ୍କ କାନ୍ଧରେ ହାତଥୋଇ ପିଠିରୁ ଝାଳପୋଛି ଗୋଡ଼ରୁ କଣ୍ଟା କାଢ଼ିବାର ବାଟ । ନିଶ୍ଚୟ ଏହା ଭିତରେ ଅଛି ବିଧାତାର ଗୂଢ଼ ରହସ୍ୟ, ପୁଅ ମୋର ମନ୍ତ୍ରୀ ହେବ ।

 

ବଟ ମହାନ୍ତିଏ ଯେ ବସିପଡ଼ନ୍ତି ସୁଖ ସ୍ଵପ୍ନ ଦେଖିବାକୁ, ଖଣ୍ଡକ ପରେ ଖଣ୍ଡେ ପାନ ଖିଲି ଗୋଳି ବାଟିହୋଇ କାହିଁ ପାଣି ହୋଇଯାଏ । ଫାଙ୍କା ଆକାଶରେ ରଙ୍ଗ ବୋଳିବା କମେନାହିଁ, ଛାଇ ଲମ୍ୱ ହୋଇ ହୋଇ ଖରା ମହଳଣ ପଡ଼ିଯାଏ, ସରିଯାଏ ଗୋଟିଏ ଦିନ ।

 

ଆଷାଢ଼ର ମେଘଲଦା ଆକାଶ ବଜ୍ରତୋଫାନକୁ ପେଟରେ ଯାକି ଥମ୍ୱିଲାପରି ରହିଛି । ଚାଲିଛି ସୃଷ୍ଟି ଓ ସୃଷ୍ଟିପାଇଁ ଯୋଜନା, ଉଦ୍‌ଯୋଗ, ଶ୍ରମ । କ୍ଷେତରେ ଚାଷୀ, ଗଛରେ ଚଢ଼େଇ, ଥୁଣ୍ଟା ଦରଶୁଖିଲା ଘାସର ଚେର ସଲସଲକରି ପିମ୍ପୁଡ଼ି ଧାର ଧାର । ପହିଲି ଅସରାକ ଉତ୍ତାରୁ ଶୁଖିଲା ମାଟି ଶିର୍‌ଶିରେଇ ଉଠିଛି, ଫଉଲି ଉଠିଛି ମଞ୍ଜି, ଅଗଣତି ଜୀବାଣୁମାନଙ୍କର, ଅଗଣତି ଉଦ୍ଭିଦମାନଙ୍କର, ସେମାନେ ବି ଜନ୍ମ ହେବେ, କିଏ ଦୁଇଦଣ୍ଡପାଇଁ, କିଏ କେତେ ମାସପାଇଁ, କେତେ ବର୍ଷପାଇଁ । ନିଜ ପତ୍ତନରେ ନିଜ ବ୍ୟକ୍ତିତ୍ୱ ଅନୁଯାୟୀ ନିଜ ନିଜର ନିଆରା ସମୟର ମାପ ଓ ମୂଲ । କାହାରି ମାପକାଠି ଆଉ କେହିଧରି ମାପିବାକୁ ଚାହେଁନାହିଁ, ଯାହାର ଯେଝା ନିଆରା ନିଆରା । ଆଷାଢ଼ ମାଟିର ଟିକି ସଁବାଳୁଆ ଯଦି ତା’ର ନିମେଷକର ଆୟୁଷ ମାନିଆଁ ଯୋଜନା ଗଢ଼ିବାକୁ ବ୍ୟାକୁଳ, ତେବେ ମଣିଷବି ତା’ର ଷାଠିଏ ବର୍ଷର ପରମାୟୁକୁ କଳ୍ପେମଣି ଅଛିଣ୍ଡା ଆଶାରେ ଆକାଶଆଡ଼କୁ ନିଶୁଣୀ ଗଢୁଛି, ସେହି ତା’ର ଜୀବନ-କ୍ରିୟା । ଆଉ ବଟ ମହାନ୍ତିଙ୍କ ଆଖିଆଗରେ ଦିଶୁଛି ସହଜ ଭବିତବ୍ୟଟ, ପୁଅ ହେବ ମନ୍ତ୍ରୀ, ସେତିକି, ତା’ ତେଣିକି ଆଉନାହିଁ ।

 

ନ ହେବ କାହିଁକି ? ଏମିତି ତ ହେଲେଣି କେତେ । ଯେଉଁଆଡ଼କୁ ଆଖିବୁଲେଇ ଆଣିଲେ ଗୋଛା ଗୋଛା ହାବେଳି ବାଣପରି ଗୋଛା ଗୋଛା ମଣିଷ, ତହୁଁ ବଳି ତହୁଁ ବଳି ସମସ୍ତେ ଛୁଟିଛନ୍ତି ଆକାଶଆଡ଼କୁ । ଏଇ କେଇଟା ବର୍ଷରେ ଦେଶରେ କେତେ ପରିବର୍ତ୍ତନ । ଏ ଗାଁର ହଟିଆ ବଟିଆଙ୍କର ପରିବର୍ତ୍ତନ ସେତେ କିଛି ହୋଇନାହିଁ ସତ, ବର୍ତ୍ତମାନ ପର୍ଯ୍ୟନ୍ତ ଅଛନ୍ତି ସେମାନେ ଯେ ଯେଉଁଠି ଥିଲେ, ଭୋକୀରଙ୍କି, ଅଭେକାଅଭେକୀ ସେହି ଥିଲାବାଲା ଆଉ ନଥିଲାବାଲା, ସାହୁ ଓ ଖାତକ, ଏମିତି ଗୁଡ଼ାଏ ରହିଥିବେ ନିଶ୍ଚୟ ସବୁ ଯୁଗରେ, ଯାହାଙ୍କର ସେର ପୂରିବନାହିଁ, ମାଣ ପୂରିବ ନାହିଁ । ଆଉ ଥୋଡ଼ାଏ ଭାଙ୍ଗିପଡ଼ିଛନ୍ତି, ଯେଉଁମାନେ ଥିଲେ ଆଗେ ଘରୁଆଘର । କିନ୍ତୁ ଉଠିଛନ୍ତି କେତେ ? କାଲି ଚିହ୍ନି ହେଉ ନଥିଲା, ଆଜି ଦେଖିଲେ ଶଙ୍କା ପଶିଯାଏ । ଆଉ ନେତା, ମେମ୍ୱର, ବକ୍ତା, ସଭାପତି, ଦେଶର କର୍ଣ୍ଣଧାରମାନେ ସେମାନେବି କାଲି ଥିଲେ ଅଚିହ୍ନା, ଆଜି ଚାରିଆଡ଼େ ଅତି ଚିହ୍ନା, ଯୁଗବର୍ଣ୍ଣରେ ରଙ୍ଗ ଲାଗିଛି ସେମାନଙ୍କ ଦେହରେ, କେଡ଼େ ନାଁ ଡାକ୍, କେଡ଼େ ପ୍ରତାପୀ ଆଉ କି ଚେହେରା !

 

ଏତେ ନେତାଥାଇ ଏ ଦେଶ ହୋଇଛି ଭାଗ୍ୟବନ୍ତ, ଏତେ ଧନରେ ଧନୀ । ଆଜି ଯୁଆଡ଼େ ଚାହିଁଲେ ନୂଆ ନୂଆ କୋଠା ମୁଣ୍ଡଟେକୁଛି, ନୂଆ ନୂଆ ମଟର ଧୂଳିଉଡ଼େଇ ଧାଉଁଛି, ସାହେବ ବେପାରୀ ଅପସରି ଯାଇଛି, ଦେଶୀ ବେପାରୀ ମାଡ଼ି ବସୁଛନ୍ତି, ଦେଶର ସମୃଦ୍ଧିର ବୈଜୟନ୍ତୀ ଉଡ଼ାଇ ବାହାରକୁ ରପ୍ତାନୀ ହେଉଛି ବଳକା ପ୍ରଦେଶର ଧାନ, କୁଲିଗିରି କରିବାକୁ ବାହାରକୁ ଧାଇଁବା ଦରକାର ପଡ଼ିନାହିଁ, ସେ ଦେଶର ବ୍ୟବସାୟୀ ଏହି ଦେଶର ହିଁ କଳ ବସାଉଛନ୍ତି, ଏଇଠି କୁଲିକାମ ମିଳିଯିବ । ଆଶ୍ଚର୍ଯ୍ୟ ଏ ସମୟ, ଏ ସମୟରେ ସବୁସମ୍ଭବ ।

 

ଆଉ ଅତିସମ୍ଭବ, ଅତିନିଶ୍ଚିତ ଜ୍ୟୋତିଷଙ୍କ ଗଣନା-ପୁଅ ମୋର ମନ୍ତ୍ରୀ ହେବ ।

 

“ଶୁଣୁଚ ତୁମେ,’’– ସ୍ତ୍ରୀକୁ ବୁଝେଇଲେ, “ରବି ହେବ ମନ୍ତ୍ରୀ, ଜାତକ କଥା କେବେ ମିଛ ହେବନାହିଁ ।’’

 

ସୁଁ ସୁଁ ହୋଇ କାନ୍ଦି ପକେଇ ରବିବୋଉ କହିଲେ, “ମୋର ମନ୍ତ୍ରୀ ଖୋଜାନାହିଁ, ରଜା ଖୋଜାନାହିଁ, ପୁଅ ମୋର ଘରକୁ ଫେରିଆସନ୍ତା ଭଲା, ଆଉ ଏ ଫାଙ୍ଗୁଳା କଥାଗୁଡ଼ାକ କହି ତୁମେ କାହାକୁ ବୁଝେଇବ ?”

 

‘‘ମାଇପି ଲୋକ, ବୁଝିପାରିବନାହିଁ । ଆଗ ଆଗକରି ଲୋକଙ୍କ ସାଙ୍ଗେ ମିଶି ତାଙ୍କୁ ନ ଭେଳେଇଲେ ଭଲା କିଏ ମନ୍ତ୍ରୀ ହେଇଚି କହିଲ ଦେଖିବା ? ଆଗକାଳ ନାହିଁ, ଅଇଛା ବାଟ ସଫା । ଯେ ଲୋକଙ୍କୁ ଭେଳେଇ ପାରିଲା, ସେ ଲଗେଇ ଦେବ ଭେଳିକି, ସେଉଠୁ ସେ ଉଠିବଇଁ ଉଠିବ । ରବି ତମର କେଡ଼େ ବକଟେ ପିଲା, ଆମେପଛେ ଯେ ଯାହା କହୁଁ ଲୋକଙ୍କ ତୁଣ୍ଡରେ ଚାରିଆଡ଼ୁ ଶୁଣିବ ତା’କଥାକୁ । କେମିତି ହୁଲୁସ୍ତୁଲ ପକେଇ ଦେଇଛି, କେମିତି ମୁଣ୍ଡରେ ମୁଣ୍ଡେଇଛନ୍ତି ତା’କଥାକୁ । ସେଇଠୁ ସେ ମନ୍ତ୍ରୀ ହେବ, ଫୁଲମାଳ ପକେଇ ମଟରରେ ଚଢ଼ି ଗାଁକୁ ଆସି ଯେତେବେଳେ ଦାଣ୍ଡମଝିରେ ଶହେଟା ମେଳଣ ଲୋକଙ୍କ ସଭା ।କରିବ, ସେତେବେଳେ ଜାଣିବ ମୋ କଥା । ମୁଁ ଭାବୁଚି ଆମର ଫୁଲଶରା ଯିବାଥରେ ଚାଲ ।’’

 

ରବିବୋଉ ଚାଲିଗଲେଣି ।

 

ବଟ ମହାନ୍ତିଏ ପୁଣି ଆଉ ଥରେ ବାଇସ୍କୋପ୍ ଦେଖିବା ଆଗରୁ କହିଲେ, ‘‘ମାଇପି ଲୋକ, ବୁଝିପାରିବନାହିଁ ।”

 

ଚାହୁଁ ଚାହୁଁ କଳା କିଟିକିଟି ଅନ୍ଧାର, ଆଉ ହଲ ନାହିଁ ଚଲ୍‌ ନାହିଁ, ପବନ ଥମ୍ୱିଛି । ସତେ ଯେପରିକି ଆକାଶଟା ଗୋଟାଏ ପ୍ରକାଣ୍ଡ କଳାଛତା, ଆଉ ତାହାର ତଳେ ଗୋଟିକିଆ ମଣିଷଟିଏ ସେ, କେଡ଼େ ସାନ, କେଉଁ କ’ଣରେ ହଜିଯାଇଛି ।

 

ଦିନ ଚାରିଟା ବାଜିଛି, ଏତିକିବେଳେ ଥାଏ ଡାଆଣିଥା ଖରା । ରବିର ମନେପଡ଼ିଲା ପିଲାଦିନେ ପଢ଼ିଥିବା ନନ୍ଦକିଶୋରଙ୍କ କବିତା-ଡାଆଣିଆ ଖରା...ପାରା ଦୁଇଟି ...। ସେ ପିଲାଦିନ ହଜିଛି, କାହିଁ ସେ ପାରା, ଆଷାଢ଼ ଶେଷର ଏ କଳାଘୁମର ଆକାଶରେ ! ଯେଉଁଆଡ଼କୁ ଚାହଁ ଖାଲି କଳାଅନ୍ଧାର, ପାଖ ଦୂର ସେହି ଅନ୍ଧାରରେ ନିଭିଯାଇଛି, କେହି କୁଆଡ଼େ ଦିଶୁନାହିଁ । ଚାଲିଛି ଏକୁଟିଆ ସେ, ଚକୁଳିଆ ଗାଁରେ ରୋଗୀ ପଡ଼ିଥିଲା ଧଡ଼ିଆ ବାଉରି, ହଇଜା ଧରିଥିଲା, ତାହାରି ସେବାକରିବାକୁ ଯାଇ ଲେଉଟି ଚାଲିଥିଲା ଫୁଲଶରା ଗାଁକୁ । ଗହୀର ବିଲମଝିରେ ଅନ୍ଧାର ଘୋଟିଯାଇଛି ।

 

କୋଶେ ଉପରେ ଏଠୁ ଚକୁଳିଆ ଗାଁ, ଗାଁ ଛାଡ଼ି ଛାଡ଼ି ତିନି ଖଣ୍ଡ ଗହୀର ସେପାଖେ, ଦି’ଖଣ୍ଡ ଗଲାଣି, ଏଖଣ୍ଡ ସଇଲେ ହେଇ ସେପାଖେ ଦଣ୍ଡା ଦିଶୁଛି ଫୁଲଶରା । ଧୀରେ ସୁଲୁସୁଲେଇଲାଣି କୋଲମରା ପବନ, ଏଥର ଗାଳି ପକେଇବ ପରା !

 

ନା, ବରଷାକୁ ପରେଇନାହିଁ, ଖରାକୁ ପରେଇନାହିଁ, ଏ ଯେପରିକି ଦେହର ସାଙ୍ଗୀ । ଖାଲି ଏ ଅନହୁତି ଅନ୍ଧାରଟା–ଯେପରିକି ମନଭିତର ଅନ୍ଧାରକରିଦିଏ, ଆଉ କାଲୁଆ ପବନ ସଙ୍ଗେ ସଙ୍ଗେ କାକର ପଡ଼ିଆସେ ମନ ଭିତରର ଉଷୁମର ଧାସ, ଏ ଯେପରିକି ମଣିଷକୁ ତା’ର ନଗଣ୍ୟ ସତ୍ତାକୁ ସ୍ମରଣ କରେଇବାକୁ ଆସି ପହଞ୍ଚେ, ଆକାଶ ସେପାରିର ଅଚିହ୍ନା ଦେବତା ମଣିଷର ଶିରୀ ଦେଖିପାରେନାହିଁ, ଖେଞ୍ଚାମାରି ଚେତେଇ ଦିଏ ମଝିରେ ମଝିରେ, ଏଇ ଏତେକର ତୁ, ବେଶୀ ନୋହୁଁ, କିଛି ନୋହୁଁ ।

 

ଚାରିପାଖକୁ ଆଖି ବୁଲେଇ ଆଣିଲେ ବକାପରି ଲାଗୁଛି । ଠାଆ ଠାଆକେ କ୍ଷେତମଝିରେ ହଳ ଅଡ଼େଇ ଅଡ଼େଇ ଚାଷୀ, ଗାଁ ଗାଁକେ କେତେ ମଣିଷ, ଆଉ ଗାଈଜଗୁଆଳିମାନେ ଓ ତାଙ୍କର ଗୋଠ ପଛରେ ରହିଯାଉଥିବା ଘରର ଛାତ, ତୋଟାର ମହୁଡ଼, ଝିଣ୍ଟିକା ଖୋଜି ଖୋଜି କାଉ ବଣି ଚଢ଼େଇ ଉଡ଼ୁଥିଲେ, ଗଛରୁ ତଳୁ ତଳୁ ଗଛକୁ ଗୋଡ଼ିଆ ଗୋଡ଼ିହୋଇ ଚଟର ଚଟର ବୋବେଇ ଧାଇଁଥିଲେ ଗୁଣ୍ଡୁଚିମୂଷାମାନେ, ହିଡ଼ ତଳେ ଏଠି ସେଠି ବିଲୁଆ ହାବୁଡ଼ିଥିଲେ କ୍ଷେତ ଭିତରେ, ଦଉଡ଼ିଥିଲେ ସେପାଖର ଅରମାଆଡ଼କୁ, ସବୁଥିଲା ଆପଣା ଆପଣା ସ୍ଥାନରେ, ହଠାତ୍ କେମିତି କଳାଛାଇରେ ଉଭେଇ ଯାଇଛି, ସତେକି ଏତେ ବଡ଼ ସୃଷ୍ଟି ଭିତରେ ଏକୁଟିଆ ସେ, ତଳେ ମାଟି ବିଛେଇ ହୋଇ ହଜିଯାଇଛି, ଉପରୁ ଓହଳି ପଡ଼ିଛି ଆକାଶ, ନିଛାଟିଆ ନିଆଶ୍ରା ଗୋଟିକିଆ ସେ । କେଉଁଆଡ଼କୁ କୁଣ୍ଢ ପାଏନାହିଁ, କେବଳ ଜଣେ ମଣିଷ !

 

ଦୁଇ ଦିନ ପଡ଼ିରହିଥିଲା ସେ ଚକୁଳିଆ ଗାଁରେ । ଔଷଧ ଦେଇଥିଲେ ଧୋବେଇ ମିଶ୍ରେ, ହୋମିଓପ୍ୟାଥିରେ ତାଙ୍କର ଦକ୍ଷତା ଅଛି । କିନ୍ତୁ ଏ ମଫସଲ ଯାକ ପଡ଼ିଛି, ଯୁଆଡ଼େ ଚାହିଁଲେ ସ୍ୟାଡ଼େ ରୋଗୀ, ଯାହାଠୁ ଟିକିଏ ଆଶ୍ରା ପାଇଲେ ଧରିଲେ ତାକୁ ଯାବୁଡ଼ିକରି ଲୋକେ, ଯିବକାହିଁ ? ଧୋବେଇ ମିଶ୍ର ବାରଦୁଆରକୁ ଧାଉଡ଼ି କରୁଛନ୍ତି, ଦି’କୋଶ ନାହିଁ, ତିନି କୋଶ ନାହିଁ, ଯେଉଁଠୁ ଖବର ଆସିଲା ତେଣେ ଗଲେ । ଶୁଶ୍ରୂଷା କରିବାକୁ ସେ ନିଜେ ରହିଯାଇଥିଲା, ରବି । ଅବସ୍ଥା ସୁଧୁରି ବି ଆସୁଥିଲା ଯଦିଚ ଧୋବେଇ ମିଶ୍ର କହିଯାଇଥିଲେ ହଇଜାକୁ ବିଶ୍ୱାସନାହିଁ, ବିଶେଷରେ ଯେଉଁଠି ଖବରଟା ଏଡ଼େ ଡେରିରେ ମିଳେ । ସବୁ ବିଶ୍ଵାସ, ସବୁ ମୋହ, ସବୁ ଭ୍ରାନ୍ତି ତୁଟେଇ ଦେଇ ଧଡ଼ିଆ ବାଉରି ବି କଳା ଆକାଶକୁ ଉଡ଼ି ପଳେଇଲା । ତା’ପରେ ଯେଉଁ ଛାତିଫଟା କାନ୍ଦଣା । ବୃଥା ସେ ବୁଝେଇଲା–କାନ୍ଦିଲେ ମଲାଲୋକ ଜିଏନାହିଁ । ଧଡ଼ିଆ ବାଉରି ଚାଲିଯାଇଥିଲା ।

 

ସେହି ଉପହାସକୁ ମୂର୍ତ୍ତିମନ୍ତକରି ଚାରିଆଡ଼େ ଥୋଇଛି କଳାଆକାଶ । ଦୁଇଦିନ ଦୁଇରାତି ରବିର ଆଖି କସରା ପଡ଼ିନାହିଁ, କିନ୍ତୁ ଧଡ଼ିଆ ବାଉରି ରହିଲାନାହିଁ ।

 

ତା’ର ବଳିଷ୍ଠ ଦେହ ଖଣ୍ଡକ ଆଖିରେ ରହିଯାଇଛି, ସେହି ଦେହ ଯେ ବଳଦ ଆଉ ହଳ ଆଉ ଚାଷ ଜମି ସଙ୍ଗେ ମିଶି ଚାଷର ଅଂଶବିଶେଷ । ମଣିଷର ଚେଷ୍ଟାବିଫଳ ହୋଇଛି । ସେ ଆଉ ଚାଷ କରିବନାହିଁ ।

 

ଓଃ ! କେଡ଼େ ଡଉଲ ଡାଉଲ ଗଜା ଭେଣ୍ଡିଆ ।

 

ଥିଲେ କେତେ ମାଟି ତାଡ଼ିଥାନ୍ତା, ଫସଲ ଉପୁଜେଇଥାନ୍ତା । ଖାଲି ଆପଣା ପେଟପାଇଁ ନୁହେଁ, ପର ପେଟପାଇଁ । ପୋଲାଖିଆ ନୁହେଁ, ଖଟିଖିଆ ଗୋଟିଏ ଭାଇ ବିଭା ହୋଇଥାନ୍ତା, ରଖିଯାଇଥାନ୍ତା ତା’ପରି ଆହୁରି ଚାରିଜଣ, ଦୁନିଆର କାମକରାଳୀ ଥାଟ ବଢ଼ାଇବାପାଇଁ । ଗୋଟାଏ ଗଛ ଅଧାରୁ ଭାଙ୍ଗିପଡ଼ିଲା, ଆଜି ତା’ଜାଗା ଶୂନ୍ । ମଲାଶବକୁ କୁଣ୍ଢେଇଧରି ମୁଣ୍ଡ ବାଡ଼େଇ ବାଡ଼େଇ କାନ୍ଦୁଥିଲା ତା’ମା, ବୁଢ଼ା ବାପ ତଳେ ଗଡ଼ୁଥିଲା, ସାହିର ଯେତେ ସମସ୍ତେ ଭିଡ଼ିକରି ଠିଆ ହୋଇଥିଲେ ଦୂରେଇ ଦୂରେଇ, ଧଡ଼ିଆ ଗଲା, ଏଇ ଉଠିବନାହିଁ ।

 

ଆନ୍ଧାର ବଢ଼ିଚାଲିଛି, ସବୁ ଗଲାଣି ନିଭି । ଆଖି ବୁଲେଇଲେ ଚାରିପାଖେ ଯେଉଁ ଗୋଲେଇ ଦିଶୁଛି ମଝିରେ ଏତେ ବଡ଼ ବିସ୍ତୃତି-ମଝିରେ ଏକୁଟିଆ ଚାଲିଛି ସେ, ରବି ।

 

ଏମିତି ଜଳାବାଟେ ବୋହି ଚାଲିଯାଉଛି ମଣିଷ ଜାତିର ଯୁବଶକ୍ତି, ରୋଗ, ମଡ଼କ, ଖାଦ୍ୟାଭାବର ଚୋଟ ଖାଇ ଖାଇ । ତଥାପି ମଣିଷ ନିଜେ ଚାହେଁ ହାତରେ ମାରିବାକୁ, ଯେପରିକି ଭାତରେ ମାରିବା ଯଥେଷ୍ଟ ହେଲାନାହିଁ, ଅନାସ୍ଥାରେ ମାରିବା ଯଥେଷ୍ଟ ହେଲାନାହିଁ ।

 

ସଂଘର୍ଷ ଭିଆଇବାକୁହିଁ ପଡ଼ିବ, ଯୁଦ୍ଧ ଲଗାଇବାକୁହିଁ ପଡ଼ିବ, ସହଜ ଦୁଃଖ ତୁଲେଇବାକୁ ଅସମ୍ଭାଳ ଯେଉଁ କ୍ଷୁଦ୍ର ଉପଗ୍ରହ ତା’ର ଦୁଃଖର ବୋଝ ଉପରେ ନଳିତାବିଡ଼ା ନ ଲଦିଲେ ପୁରୁଷକାରର ସାର୍ଥକତାହିଁ ନାହିଁ; ତେଣୁ ହତିଆର ପଜାପଜି ଓ ତହୁଁବଳି ତହୁଁବଳି ବୋମା ସୁତୁରା ସୁତୁରିପାଇଁ ଝାଳ ନାଳ ହୋଇ ମାରଣାସ୍ତ୍ରର ଗବେଷଣା ।

 

ଆଉ ତେଣୁ ସେମାନେ ମରଣର ଉଚିତପଣ ଦେଖାଇବାକୁ ଲାଗି ପଡ଼ିଛନ୍ତି ତିରିଶି ହଜାର ବର୍ଷର ମଣିଷଜାତିର ବଢ଼ି ଉଠିଥିବା ମସ୍ତିଷ୍କର ସମସ୍ତ ଶକ୍ତି ଲଗାଇ, ଯେପରିକି ମଣିଷ ନିଶ୍ଚିହ୍ନ ହେଲେ ଯାଇ ତା’ର ସଂସ୍କୃତିର ପରାକାଷ୍ଠା ପ୍ରମାଣିତ ହେବ, ଆଉ ସେମାନେହିଁ ତ ଦୁଆ ଦିଅନ୍ତି,–ରୋଗ ମଡ଼କ ଆଉ ଯୁଦ୍ଧ ସଂସ୍ଥିତିର ସହାୟକ, ଦିନୁଁ ଦିନ କେତେ ସଂଖ୍ୟାରେ ବଢ଼ିଉଠୁଛି ଦେଖ ମଣିଷର ବଂଶ, ଦଳେ ନ ମଲେ ଆଉ ଦଳେ ଖାଇବେ କ’ଣ ?

 

ମଲା ଧଡ଼ିଆ ବାଉରି ବି । ସେହି ପଣ୍ଡିତମାନଙ୍କର ତତ୍ତ୍ୱବ୍ୟାଖ୍ୟାନ ଭିତରେ ଆସିଯାଏ, ସେହି ଗବେଷକମାନଙ୍କ ପରିକଳ୍ପନାର ପରିସର ଭିତରେ, ଯେଉଁମାନେ ତଳକୁ ଦୃଷ୍ଟି ଢାଳିଲେ ଦେଖନ୍ତି ଜନଗଣନାର ହିସାବ ପୋଥି, ଦୂରକୁ ଦୃଷ୍ଟି ମେଲେଇଦେଲେ ଦେଖନ୍ତି ପିଲାଦିନୁଁ ଦେଖା ସହର, ତା’ର ଅସୁମାରି ଗଳି ଆଉ କୋଠା, ତା’ର ଜନ୍ଦା ପିମ୍ପୁଡ଼ି ପଲପରି ମଣିଷ, ଯେଉଁମାନଙ୍କପାଇଁ ଖାଦ୍ୟପଦାର୍ଥ ନିତି ବୁହା ହୋଇଆସେ ରେଳଗାଡ଼ିରେ, ଶଗଡ଼ରେ । ଯେଉଁମାନେ ସିଧା ଜୀବିକାରୁ ଖାଆନ୍ତିନାହିଁ । ଜୀବିକା ବଦଳରେ ଜୀବିକା ବାହାରୁ ଖାଆନ୍ତି, ନିଶ୍ଚୟ ସେହି ଗବେଷକମାନଙ୍କ ଆବିଷ୍କାର ସ୍ଵାଗତକରିବ ଧଡ଼ିଆ ବାଉରିର ଅକାଳବିୟୋଗ, ଯାହା ହେଉ ଗୋଟାଏ ପେଟ ଊଣା ପଡ଼ିଗଲା । ଏମିତି ଥୋକେ ଊଣା ପଡ଼ିଗଲେ ପୃଥିବୀ ସୁସ୍ଥ ପଡ଼ିଯାଆନ୍ତା ପାଣି ପବନର ସାମ୍ୟ ଓ ବଞ୍ଚିବା ଅଧିକାରର ଭୂତକୁ ଠିଆକରି କଳିକରିବାକୁ ମେଳି ବାନ୍ଧନ୍ତେ ନାହିଁ ମଳିମୁଣ୍ଡିଆ ଦଳଦଳ ବିପ୍ଳବ ମୁଣ୍ଡ ଟେକନ୍ତାନାହିଁ ।

 

କିନ୍ତୁ ସେମାନେ ନଥିଲେ ଧଡ଼ିଆ ବାଉରିର ସ୍ଵପ୍ନପରିସର ଭିତରେ ବି । ସେ ଜାଣେନାହିଁ ତାଙ୍କ ନାଁ ଗାଁ, ଜାଣେନାହିଁ ଯେପରି ସେହିମାନଙ୍କୁ ଯାହାଙ୍କୁ ଖୋଇବାପାଇଁ ଝାଳ ଢାଳି ଢାଳି ବିତିଲା ତା’ର ବାଇଶି ବର୍ଷର ଆୟୁଷ, ଜାଣେନାହିଁ ଯେପରି ସେହିମାନଙ୍କୁ ଯାହାଙ୍କ ବୁଦ୍ଧିର ଖେଳରେ ତା’ର ଦିନକର ମୂଲରେ ମିଳୁଥିଲା ମୋଟେ ଚାଉଳ ଦଶ ଛଟାଙ୍କି, ସେମାନଙ୍କର ସେ ମନ୍ଦ ପାଞ୍ଚିନାହିଁ, ଭାବିଛି ଖାଲି–ଯେଝା ଖଟଣିରେ ଯେଝା ଖାଉତି, ବଞ୍ଚନ୍ତୁ ସମସ୍ତେ, ଭଲରେ ଥାଆନ୍ତୁ, ଲେ।କଙ୍କ ଶିରୀରେ ସିନା ରାଜ୍ୟଯାକର ଶିରୀ । ସାଧାରଣ ମଣିଷ, କାମକରେ ଖାଏ, ପଥର ପଡ଼ିଲେବି ସହେ, ଯାହା ତା’ର ହାତପାଆନ୍ତି ବାହାରେ ତା’ର ଦାଉ ସହେ କର୍ମକୁ ଦ୍ୱାହି ଦେଇ, ମଣିଷକୁ ଭଲପାଏ, ବଞ୍ଚିବାକୁ ଭଲପାଏ । ମିଠା କଥା ପଦକରେ ଦିଏ ହୃଦୟକୁ ମେଲାକରି, ଉପରେ ପଡ଼ି ଖୁରିକରିବା ତା’ ସ୍ଵଭାବ ନୁହେଁ ।

 

ସେମିତିଆ ଟଳି ପଡ଼ିଛି ଜଣେ, ଦୁନିଆଁର ମଣିଷ ଗୋଷ୍ଠୀର ହିତକାରିଆ ପୋଷଣାହାରୀ ପୁଅ । ତା’ପାଇଁ ପଟୁଆର ନାହିଁ, ଶୋକସଭା ନାହିଁ, କେହି ସ୍ମରଣ କରିବେନାହିଁ ତା’ର ମୃତ୍ୟୁଦିବସ, କେହି ଛାପିବେନାହିଁ କେତେ ମାଟି ସେ ତାଡ଼ିଥିଲା, କେତେ ଉପୁଜେଇଥିଇ ଶସ୍ୟ । ହଳିଆ ମୂଲିଆ ହୋଇ ଅଖାଦ୍ୟ ଖାଇ ଖାଦ୍ୟ ତିଆରିକରି ମାଟି କାଦୁଅ ଚକଟି କ’ଣ ଥିଲା ତା’ର ତ୍ୟାଗ ଆଉ ସାଧନା ।

 

ନା, ବାଟ ସରୁନାହିଁ, ମେଘଲଦା ଆକାଶ ଯେପରିକି ଓଜନ ହୋଇ ତଳକୁ ତଳକୁ ନଇଁନଇଁକା ଆସୁଛି, ପରିସର ଯାକି ହୋଇ ହୋଇ ଆସୁଛି, ଆଉ ଟିକକୁ ତ ଛେଚିବ ବରଷା ।

 

ଏଇ ବରଷା ଅଜାଡ଼ି ହୋଇ ପଡ଼ିବ ଧଡ଼ିଆ ବାଉରିର ଫୁଙ୍ଗୁଳା ଶବଉପରେ, ବାଡ଼ିରେ ଯାଇଛି, ପୋଡ଼ା ହେବନାହିଁ । ବରଷା ପାଣି ନିଗିଡ଼ିଯିବ, ବୋହିଯିବ ହଇଜାର ପଟୁଆର, ଆଜି ଏ ଜଣକ, କାଲିକି ପାଞ୍ଚଜଣ ।

 

ଏମିତି ଛୁଟ୍ ଛାଟ୍ ହୋଇ ମରି ଶୋଉଛନ୍ତି ଜଗତଯାକ କିଏ କେତେଲୋକ । ସେମାନଙ୍କୁ ବଞ୍ଚେଇବାକୁ ଯୋଜନାନାହିଁ । ମରିଶୋଉଛନ୍ତି ଅପନ୍ତରାରେ ପଡ଼ି ପଡ଼ି, ଜାଣନ୍ତି ନାହିଁ–ସମସ୍ତେ ଭାଇ ଭାଇ, ଏ ସଂସାରର ଧନ ଦଉଲତ ସେହି ଏତେ ହାତର ଗଢ଼ା ଦରବ, ଜାଣନ୍ତି ନାହିଁ–ଯେ ଆସିଛି, ତା’ର ଏଠି ଖାଇବାକୁ ଅଧିକାର, ବଞ୍ଚିବାକୁ ଅଧିକାର, ଯେପରି କାମକରିବାକୁ ସେ ବାଧ୍ୟ, ଜାଣନ୍ତି ନାହିଁ–ମଣିଷ ମଣିଷ ଭିତରେ ଚୁଟି ଧରାଧରି କରୋଉଛନ୍ତି ସେହିମାନେ, ପରର ମରଣ ଯାହାଙ୍କ ସ୍ଵାର୍ଥର ପୁଞ୍ଜି । ପହଞ୍ଚାଇବାକୁ ପଡ଼ିବ ସେମାନଙ୍କ ପାଖେ ସଦବିଚାର, ସେମାନେ ଯେଉଁ ଦେଶରେ ଥାଆନ୍ତୁ, ଯେତେ ଦୂରରେ ଥାଆନ୍ତୁ ପଛେ, ଯାହାହେଉ ତାଙ୍କ ବର୍ଣ୍ଣ କି ଭାଷା, କଳା ଆକାଶ ବିଭାଗହୋଇ ଫାଟିଯାଇ ବାଟ ଛାଡ଼ିବାକୁ ହେବ, ମଣିଷ ଜୟକରିବ ତା’ର ପରିସ୍ଥିତିକୁ ଯେଭଳି ସହଜେ ସେ କରିଆସିଛି ଏହି ହଜାର ହଜାରବର୍ଷ ହେବ, ଉଜାଣି ବାହି ତା’ର ନାହା ସେ ଭସାଇ ନେଇଥିଲା, ଉଜାଣି ଆଗେଇବାକୁହିଁ ହେବ ।

 

କେତେ ଦୂର ! କେତେ ଦୂର !

 

ଯିବାକୁ ହେବ, ଅଟକେଇ ପାରିବେନାଇଁ କେହି ।

 

ଦର ଦର ହୋଇ ବରଷା ଅଜାଡ଼ି ହୋଇପଡ଼ିଲା, ଏକାଥରକେ ଚାରିଆଡ଼ୁ ମାଡ଼ିଆସିଲା-। ପ୍ରଥମ ପ୍ରବୃତ୍ତି ହେଲା ଦୌଡ଼ିବାକୁ, ତା’ପରେ ସେ ଆପଣାର ଭୁଲ ବୁଝିପାରିଲା । ବରଷାରେ ଜୁଡ଼ୁ ଜୁଡ଼ୁ ହୋଇ ସହଜ ଗତିରେ ଚାଲିଲା ଫୁଲଶରାଆଡ଼କୁ । ଭାବିଲା–ବରଷା ଆଣିଛି ପୁଣି ନୂଆ ନୂଆ ସମସ୍ୟା, ଘର ଗଳିବ, ରୋଗ ଧରିବ, ନଈ ବଢ଼ିବ । ଅଭାବ ଲୋକପାଇଁ ନୂଆ ଋତୁ କ’ଣ ନୂଆ ଦିନ ବି ସମସ୍ୟା ଆଣି ପହଞ୍ଚାଏ ।

 

ଫୁଲଶରା ଦଣ୍ଡାରେ ପହଞ୍ଚିଲାବେଳକୁ ଦିଶିଲା ସତେ ଯେପରି ଗୋଟାଏ ଧଳା ଛତା ଟଳି ଟଳିକା ବାଁକୁ ଡାହାଣକୁ ଝାଙ୍କି ହୋଇ ହୋଇ ମୋଟାମୋଟି ଏହିଆଡ଼କୁ ହିଁ ଆସୁଛି । ତଳେ ନୋଚାକୋଚା ହୋଇ ବୁଢ଼ା ନନ୍ଦ ତହସିଲ୍‍ଦାର । ଆନନ୍ଦରେ ଅଧୀରହୋଇ ଛତାଟି ରବିର ମୁଣ୍ଡ ଉପରକୁ ଉଞ୍ଚାଇ ଧରିଲେ ବି ବରଷାର ଝାପଟା ତାଙ୍କର ଦୁର୍ବଳ ହାତରୁ ତାକୁ କରକୁ ଗଡ଼େଇଦେଲା ।

 

‘‘ହେଇ, ଦେଖ ଦେଖ–’’ ରବି କହିଲା, ‘‘ପର ମୁଣ୍ଡକୁ ଛତା ଉହୁଙ୍କେଇ ଦେଲେ ତ ନିଜ ମୁଣ୍ଡଟା ଓଦା, ମନେ ରଖିଥା ଆଉଦିନେ ଉପକାରିଆହୋଇ କାହାକୁ ଛତା ଦେଖାଇବ ନାହିଁ-’’

 

‘‘ହ–ହ–,’’ ଗଡ଼ିଯାଉଥିବା ଛତାକୁ ନନ୍ଦ ତହସିଲ୍‌ଦାର ହୁକୁମ ଜାରି କରୁଥାନ୍ତି–‘‘ରଇଥା ସେଠି, ଆଉ ଯାଆନା ।’’ ଛତାଟା ଗଡ଼ି ଗଡ଼ି ଗୋଟାଏ ଅବସ୍ଥାରେ ଆକାଶକୁ ଗୋଡ଼ଟେକି ପଡ଼ିରହିଲା । ହସିଦେଇ ନନ୍ଦ ବୁଢ଼ା କହିଲେ, ‘‘କ’ଣ କହିଲ ? ଆଉଦିନେ କାହାକୁ ଛତା ଦେଖାଇବ ନାହିଁ ? ଭଲକଥା କହିଲ । ନା ଭୁଲଟା ମୋରି ହେଇଚି ମୁଁ ମାନୁଚି, ଯେତେବେଳେ ଏମିତି କଳାହାଣ୍ଡିଆ ମେଘ ଆସୁଚି ଯେ ଗଗନ ବ୍ୟାପିଚି ସେତେବେଳେ ସମସ୍ତିଙ୍କର ତ କିଛି ଛତା ନଥିବ, ମୁଁ ଆପଣା ସୁସ୍ଥରେ ରହି ଛତାତଳିଆ ହୋଇ ବାହାରିଲି ତ ମୋ ଛତାଟା ଉଡ଼େଇଦେଲା, ଭଲ ହେଇଚି ମୁଁ ତ ପରା କହୁଚି-’’

 

ରବି ହସିଲା । ଧଡ଼ିଆ ବାଉରିର ମୃତ୍ୟୁକଥା ଭାବି ଭାବି ସେ ଯଦି ଏତେ ବେଳଯାଏ ବରଷାରେ ମରଣକୁ ହିଁ ସ୍ମରଣ ପକାଉଥିଲା ଏଥର ମୁହାଁମୁହିଁ ଦେଖିଲା ଜୀବନକୁ, ବାଷଠୀ ବରଷର ବାର୍ଦ୍ଧକ୍ୟ ହଟିଯାଇଛି, ତା’ ସ୍ଥାନରେ ନୂଆ ତାରୁଣ୍ୟ, ବଳ, ଆଶା, ସବୁ । ତ୍ୟାଗରୁ ଗଜା ହୋଇ ହୁହୁକରି ବଢ଼ିଚାଲିଛି ତାଙ୍କଠି ଆଖିଦୁରୁଶା ମଣିଷପଣର ବହପ ଆଉ ଶିରୀ–ସେହି ସବୁଯାକ ଜମି, ସବୁଯାକ ସଂମ୍ପତ୍ତି କୋଠ କରିଦେଲା ଉତ୍ତାରୁ । ନନ୍ଦ ତହସିଲ୍‍ଦାରଙ୍କର ପୁନର୍ଜନ୍ମ ହୋଇଛି ।

 

ସେହି ଆଗର ଦେହଅଛି, କେବଳ ତହିଁରେ ତେଜ ବେଶୀ, ବଳ ବେଶୀ, ନିରଳସ ରହି ସବୁବେଳେ କାର୍ଯ୍ୟରେ ଲାଗିରହିବାକୁ ଯେପରି ସେ ଗଢ଼ା ହୋଇଛି, ଆଗର ସେ ମୁହଁ ଅଛି, କେବଳ ହସିହସିକା ସେ ମୁହଁରେ ନୂଆ ନୂଆ କୁଞ୍ଚ, ନୂଆ ନୂଆ ଫାଟ ପଡ଼ୁଛି, ହସର ଛାଞ୍ଚପରି ।

 

ସେ ମୁହଁରୁ ବାହାରୁଛି ଏହିପରି ଆଗର କଥା,ବିଚାରର କଥା, କେବଳ ପରାର୍ଥ ଓ ପରମାର୍ଥ । ଆଗେ ତା ନଥିଲା ।

 

ତା’ର ମନର କଥା ସଙ୍ଗେ ତାଳ ରଖିଲାପରି ନନ୍ଦ ତହସିଲଦାର କହିଲେ-

 

‘‘ତମକୁ ହିଁ ଖୋଜି ବାହାରିଥିଲି । କିଏ କହିଲା ଧଡ଼ିଆ ବାଉରିଟି ମରିଗଲା ।’’ ତମେ କେଇଟା ଦିନଲାଗି ପଡ଼ିଥିଲ, ଭାବିଲି–’’

 

କଥା ଅକୁହା ରହିଲା, ରବି ଉଦାସହୋଇ କହିଲା, ‘‘ହଁ, ସେ ମରିଗଲା ।’’

 

‘‘ପରଖି ଦେଖୁଥିଲି, କଥା ପଦକ କେମିତି କହୁଚ-’’ ନନ୍ଦ କହିଲେ । ‘‘ସକଳ ବ୍ରହ୍ମଜ୍ଞାନ ଏଇ କଥା କହିବା ଆଗରୁ ବାରି ହୋଇପଡ଼ିବ । ନାଇଁ, ହେଇ ନାଇଁ ତମର, ମରିଗଲା କହିଲା ବେଳକୁ ଉଦାସ ଶୁଭୁଛି, ଫମ୍ପା ଶଭୁଛି ସ୍ୱର ।’’

 

‘‘ମୁଁ ଜୀବନକୁ ଭାରି ଭଲପାଏ ନନ୍ଦ ଅଜା–’’

 

‘‘ଭଲପାଇପାରୁଛି କୋଉଠି ? ମନଟା ଅଛି, ହେଲେ କାର୍ଯ୍ୟଟା-ସେଇଟା ବେଳ ଲାଗିବ-। ଜୀବନକୁ ଯଦି ଭଲପାଆନ୍ତ, ଚାରିଆଡ଼େ ଏତେ ଜୀବନ ଦେଖିପାରନ୍ତ ଯେ ମରଣପାଇଁ ସକେଇହୋଇ ପାରନ୍ତ ନାହିଁ । ତେମେ ଦେଖନ୍ତ ମରଣ ଭିତରେ ବି ଜୀବନ, ଯେମିତିକି ଅନ୍ଧାରରାତିରେ ସମୁଦ୍ର ଭିତରେ ଆଲୁଅର ବଡ଼ ବଡ଼ ଢେଉ ଦିଶେ, ଏମୁଣ୍ଡୁ ସେମୁଣ୍ଡ । ତେମେ ଦେଖନ୍ତ ବାବୁ, ମରଣର କୋକୁଆଭୟ ଲାଗି ଦୁନିଆରେ ଲୋକେ ମୋର ମୋର ହୁଅନ୍ତି, ଛଞ୍ଚନ୍ତି, ଲୋଭ କରନ୍ତି, ଲୋଭରେ ପଡ଼ି ତଣ୍ଟି କଟାକଟି ହୁଅନ୍ତି । ଜୀବନ ସରିଯିବବୋଲି ଡରୁ ଡିରୁ ଏମିତି ନିଆଁ ଜାଳିଦିଅନ୍ତି ଯେ ଜୀବନ ଥିବାଯାକେ ସେ ହୁଏ ହନ୍ତସନ୍ତର ଜୀବନ, ଫେର୍ ଯାଏବି ବାହାରି ଧଅସି । ଭାବି ଭାବି ଧନ୍ଦିହୋଇ କଲବଲରେ ଜୀବନ ଯାଏ, ନଇଲେ କାହା ଗୁଳିଚୋଟରେ କି ଛୁରାମାଡ଼ରେ । ନୂଆ ଜୀବନ ପାଇଲାପରେ ମୋ ଦେଇ ଆପେ ଆପେ ଏଇସବୁ କଥାଇ ଭାବି ହୋଇଯାଉଛି । ଆଗେ ମୁଁ ବାନ୍ଧି ହୋଇପଡ଼ିଥିଲି, ଯେମିତିକି ଅନ୍ଧାର ଘର ଭାଡ଼ି ତଳେ ଏକ ସେନ୍ତେରା ଆଳୁ, ଶୁଖିଶୁଖିକା ଧୀରେ ଧୀରେ ସଢ଼ୁଚି । ସେଇଠୁ ତେମେ ମତେ ପଦାକୁ ବାହାର କଲ, ଗଛ ଲଗେଇଲ, ହିପାଜିତ କଲ । ଅଇଛା ମୋ ନିଜ ଡାଳପତ୍ର ଦେଖି ମତେ କାବା ଲାଗୁଛି, ମୁଁ ଦେଖୁଛି ଆନନ୍ଦରେ ମୁଁ ତ ସତେ ଉତୁରି ପଡ଼ିବି । ଲୋକେ ଯେ ଏତେ ଧର୍ମପୋଥି ପଢ଼ନ୍ତି, ଏତେ ଧର୍ମକର୍ମ କରନ୍ତି, ଆପେ ଆଗ ଆତ୍ମାକୁ ନ ଚିହ୍ନଲେ ଧର୍ମ କ’ଣ ?’’

 

ଦର ଦର ବରଷା ସେ କଥାର ଉଷୁମକୁ ନିଭାଇ ପାରିନାହିଁ । ବରଂ ଆହୁରି ଝଟକି ଉଠୁଛି ସେ ମଣିଷଟାର ତେଜ । ରବି ଦେଖିଲା ଏ ଯେମିତିକି ସେହି ପୁରୁଣା ନନ୍ଦ ତହସିଲ୍‍ଦାର ନୁହନ୍ତି, ଏକ ଉଦ୍‌ବୁଦ୍ଧ ମଣିଷ । ଏ ପାଇଁ ପ୍ରତିବନ୍ଧକ ନାହିଁ, ଦୁର୍ଦ୍ଦିନ ନାହିଁ ।

 

ଏ ମଣିଷର ବୟସବି ନାହିଁ, ସେ ବୁଢ଼ା ହୁଏ ନାହିଁ ।

 

ମେଘ ଭିତରେ ଝାପ୍‌ସା ହୋଇ ଆଗରେ ଫୁଲଶରା ଗାଁ ବାରିହେଉଛି, କଚିରିଘର ଅର୍ଥାତ୍ କେନ୍ଦ୍ର କାର୍ଯ୍ୟାଳୟ ଘରର ପଛପଟର ଝଙ୍କା ବରଗଛ, କତିକି କତି ତୋଟାଳିଆ ହୋଇ ଗାଁର ଗଛ । ନନ୍ଦ ତହସିଲ୍‍ଦାରଙ୍କ କଥା ଭାବୁ ଭାବୁ ରବି ବ୍ୟାପକଭାବେ ଫୁଲଶରା କଥା ଭାବି ଲାଗିଲା । ଖଣ୍ଡେ ଛୋଟ ଗାଁ । ଆଉ ସେ ଖାଲି ଗାଁ ନୁହେଁ, ଗୋଟିଏ ସମବେତ ଅନୁଷ୍ଠାନ, ଯେଉଁଠି ମଣିଷ ପଣକରିଛି, ଆମ ଗାଁରେ ଭୂମିହୀନ ହୋଇ କୌଣସି ଚାଷୀ ପରିବାର ରହିବେ ନାହିଁ, ଆମ ଗାଁରେ ଜଣଙ୍କ ଘରେ ଖାଇବାକୁ ଥିବା ଯାକେ ଆଉ ଜଣେ କେହି ଉପାସ ରହିବନାହିଁ, ଆମ ଗାଁରେ ସବୁ ସମସ୍ତିଙ୍କର, ଜଣକର ହୋଇ କିଛିନାହିଁ । ଆମ ଗାଁରେ ଜଣକର ହୋଇ ସଞ୍ଚୟ ନାହିଁ; ସଞ୍ଚିବ ସମସ୍ତିଙ୍କ ପାଇଁ ଗାଁ ଗୋଷ୍ଠୀ, ସମାଜ । ସମ୍ପତ୍ତି ଲୋଭନାହିଁ କି କଜିଆନାହିଁ, ମକଦ୍ଦମା ବା ଆସିବ କୁଆଡ଼ୁ ? ବଣର ନିଆଁ ବ୍ୟାପିବା ଆଗରୁ ଯେପରିକି ଏକ ଟିକି ନିଆଁ ଅଥବା ଘାଇ ଭାଙ୍ଗିବା ପୂର୍ବରୁ ସାନ ଘଳିଆ । କିଏ କହିପାରେ ଏ ନ ବ୍ୟାପିବ ବୋଲି ? ହୁଏତ ତାହାରି ଆଗୁଆ ଦଳରେ ଏ ନନ୍ଦ ତହସିଲ୍‍ଦାରଙ୍କପରି ଲୋକେ, ନୂଆ ଦୀକ୍ଷିତ ଲୋକେ, ଯେ ଆଗର ଅବସ୍ଥା ଦେଖିଛନ୍ତି, ପଛର ଅବସ୍ଥା ଦେଖିଛନ୍ତି ।

 

ଏମିତି ଏ ଦୁନିଆଁ ସାରା, ଘରକୁ ଘର ହୋଇ ଗାଁ, ଗାଁକୁ ଗାଁ ହୋଇ ଦେଶ, ପୃଥିବୀ କହିଲେ ସେ ଅନୁମାନ କରିପାରେ ଦେଶ ଦେଶ ହୋଇ ମଣିଷଗୋଷ୍ଠୀ, ତାଙ୍କ ଭାଷା କାନକୁ ଯେମିତି ଶୁଭୁ, ତାଙ୍କ ଚମଡ଼ାର ବର୍ଣ୍ଣ କି ପୋଷାକର ପ୍ରକାର ଆଖିକି ଯେମିତି ଦିଶୁ, ସମସ୍ତିଙ୍କର ସେହି ମଣିଷ ଅବୟବ, ମଣିଷ ଆକୃତି, ମଣିଷର ମନ ଓ ପ୍ରବୃତ୍ତି । ସମସ୍ୟାବି ଏକପ୍ରକାର-ବ୍ୟାଧି, ଦାରିଦ୍ର୍ୟ ଲୁଣ୍ଠନ, ଅତ୍ୟାଚାରର । ଅତୀତରେ ମଣିଷ ଯାହା ନକରି ପାରିଛି, ନୂଆ ମଣିଷ ତା କରିବ-। ସେ ଆଗ ହେବ ଭାଇ ଭାଇ । ମଣିଷ ଜାତିର ସମବେତ ଶକ୍ତିକୁ ଅଜାଡ଼ି ଦେବ ମଣିଷଜାତିର ସମବେତ ଦୁର୍ଦ୍ଦଶାକୁ ଦୂରକରିବାପାଇଁ । ଭାରତ ଆଉ ଚୀନ ଯେପରିକି ଫୁଲଶରା ଆଉ ପାଟେଳିଗାଁ, ସେମିତି ଭାରତ ଆଉ ରୁଷ୍, ଭାରତ ଆଉ ଆମେରିକା କି ଇଂଲଣ୍ଡ । ସେମିତି ଗାଁକୁ ଗାଁ, ଫୁଲଶରା କି ଆଲିପୁର୍ କି ଡିଙ୍ଗିସର କି ପାଟେଳିଗାଁ ।

 

ନନ୍ଦ ତହସିଲ୍‍ଦାରଙ୍କ ନୂଆରୂପ ଦେଖି ସେ ବିଶ୍ଵାସ କରିପାରୁଛି ଏ ପୃଥିବୀରେ ନୂଆ ମଣିଷ ତିଆରି ହେଉଛନ୍ତି ଯେଉଁମାନେ ଗୋଠ ଗୋଠ ମଣିଷଙ୍କ ଭିତରେ ସେତୁ ବାନ୍ଧିବେ, ସବୁଦିନପାଇଁ ଯୁଦ୍ଧ ଓ ଯୁଦ୍ଧର ଆଶଙ୍କାକୁ ବନ୍ଦକରିପାରିବେ । ମଣିଷକୁ ଚିନ୍ତାରେ କାର୍ଯ୍ୟରେ ସ୍ୱାଧୀନତା ଦେଇପାରିବେ, ତା’ର ବିକାଶପାଇଁ ସାହାଯ୍ୟ କରିପାରିବେ । ଆସିବେ ଅବଶ୍ୟ ସେପରି ନୂଆ ମଣିଷ ।

 

କିନ୍ତୁ ଯେଉଁ ପର୍ଯ୍ୟନ୍ତ ସେମାନେ ନ ଆସିଛନ୍ତି ସେ ପର୍ଯ୍ୟନ୍ତ ପୂର୍ବର ଭଙ୍ଗୀରେ ଦୁନିଆଁଟା ଚାଲିଛି ଆଉ ଛଟପଟ ହେଉଛି । ଖବରକାଗଜ ଛାପେ, ଆଫ୍ରିକାରେ କଳାଲୋକଙ୍କ ଉପରେ ଧଳାଲୋକଙ୍କ କଟକଣା ଓ ଅତ୍ୟାରର, ଏପରି ଯେ କଳା ଲୋକଙ୍କପାଇଁ ଅଲଗା ସାହି, ଅଲଗା ଇସ୍କୁଲ, ଅଲଗା ହୋଟେଲ ତ ଧଳାଲୋକଙ୍କ ପାଇଁ ଅଲଗା ଅଲଗା । ଧଳାଲୋକେ ମଣିଷ ମରା ଆଣବିକ ବେମାର ଶକ୍ତି ପହିଲେ ପରଖ କଲେ ହଳଦିଆଲୋକଙ୍କ ଉପରେ, ସାନପିଲା, ସ୍ତ୍ରୀଲୋକ, ରୋଗୀ, ବାବାଜି, ମଜୁରିଆ, ଭିକାରୀଙ୍କ ସମେତ ସମସ୍ତିଙ୍କୁ ନେଇ ପାଉଁଶ ହେଲା ହିରୋସିମା, ନାଗାସାକି ସହରଯୋଡ଼ିକ । ଖାଲି କଳା ଧଳା ନୁହେଁ, ଦୁନିଆଁ ସାରା ସବୁଠି ଅଛନ୍ତି ଗରିବ, ସବୁଠି ଅଛନ୍ତି ଖଟିବା ଲୋକ ପୁଣି ଠକିବା ଲୋକ । ହଜାର ହଜାର ବର୍ଷର ଅତି ଆଦିମ ଅଶିକ୍ଷିତ ମଣିଷପରି ଏବେବି ଗୋଟା ଗୋଟା କିମ୍ବା ଦଳ ଦଳ ମଣିଷ ଲୁଣ୍ଠନକାରୀ, ଆତତାୟୀ, ଆପଣା ସ୍ଵାର୍ଥସିଦ୍ଧି କରିବାପାଇଁ ନିଷ୍ଠୁର, ଦୁର୍ଦ୍ଧର୍ଷ । ଜଣେ ମାରିପିଟି ଠକି ଆଣି ଠୁଳକରେ । ଆଉ ଜଣେ ପରିଶ୍ରମକରି ମଧ୍ୟ ଭୋକରେ ଗଡ଼ିମରେ ।

 

ନୂଆ ମଣିଷ ଆସୁଛନ୍ତି ଅବଶ୍ୟ । ସେମାନେ ଆସିବେ । ତେଣୁ ଆଗତୁରା ଦିଶୁଛି ସବୁଦେଶରେ ଲୋକେ ନୀତି ଓ ବିଚାରର କଥାପକାଇ ଚଳନ୍ତି ଧରଣକୁ ଆଲୋଚନା କରୁଛନ୍ତି । ଯେଉଁଠି ଯେତେ ମନ୍ଦ ଥାଉ ପଛେ, ତା’ ଭିତରେ ଭଲବୋଲି ମଧ୍ୟ ସୁଅଟିଏ ପଡ଼ିଥିବ, ଚଳନ୍ତି ସୁଅଠୁ ଠିକ୍ ଓଲଟା, ଠିକ୍ ଉଚ୍ଚାଣି । ପ୍ରତିଦେଶରେ ଦଳେ ଯେତେବେଳେ ପାଟି କରୁଛନ୍ତି ସୈନ୍ୟ ବଢ଼ାଅ, ଅସ୍ତ୍ରଶସ୍ତ୍ର ବଢ଼ାଅ, ଯୁଦ୍ଧ ଲଗାଅ, ବେପାର ତେଜିବ, ଜାଗା ମିଳିବେ ବଢ଼ିବାକୁ, ପରଦେଶକୁ ଆକ୍ରମଣକରି ଉପନିବେଶ ବସାଅ, ଶସ୍ତାରେ କୁଲି ମିଳିବ, ପୁଣି ସେହି କଞ୍ଚାମାଲକୁ କାରଖାନାରେ ପକାଇ ଜିନିଷ ତିଆରିକରି ସେହି ଲୋକଙ୍କୁ ବିକି ତାଙ୍କଠୁଁ ପଇସା ଓଟାରିଆଣ, ରଖିଥାଅ ସେ ଲୋକଙ୍କୁ ଅନୁନ୍ନତକରି, ବଢ଼ିବାକୁ ଦିଅନା, ଭାବିବାକୁ ଦିଅନା–ସେତେବେଳେ ଆଉ ଦଳେ ତାଙ୍କୁ ପ୍ରତିବାଦ କରୁଛନ୍ତି, ନିନ୍ଦା କରୁଛନ୍ତି, ହେଉ ଯେଡ଼େ କ୍ଷୀଣ ତାଙ୍କ ସ୍ଵର କି ଊଣା ତାଙ୍କ ସଂଖ୍ୟା–ସେମାନେ କହୁଛନ୍ତି ଏ ପୃଥିବୀରେ ଆଉ ଯୁଦ୍ଧ ନ ହେଉ, ସବୁଦିନେ ଶାନ୍ତି ବିରାଜୁଥାଉ, ମଣିଷ ମଣିଷ ଭିତରେ ଦେଶ ଦେଶ ଭିତରେ ହିଂସାବିଦ୍ୱେଷ ସନ୍ଦେହ ଲୋପହେଉ, ସମସ୍ତଙ୍କୁ ଖାଇବାକୁ ମିଳୁ, କାମକରିବାକୁ ମିଳୁ, ପାତର ଅନ୍ତର ଦୂର ହେଉ, ସମସ୍ତେ ବଢ଼ିବାକୁ ସୁବିଧା ପାଆନ୍ତୁ । ତାଙ୍କ ପଛଆଡ଼େ ଅଛନ୍ତି ଲକ୍ଷ ଲକ୍ଷ ମୂକ ଜନତା, ଚାଷୀ, ମୂଲିଆ, ସାନ କାରିଗର, ସେମାନେବି ଚାହାନ୍ତି ସେଇଆ, ଯଦିଚ ତାଙ୍କ ଭାଷା ସେଡ଼େ ମାର୍ଜିତ ନୁହେଁ, ସ୍ୱର ସେତେ ଟାଣ ନୁହେଁ ଦୂରକୁ ଶୁଭିଲା ଭଳି ।

 

ସେମାନଙ୍କ ସ୍ୱର ଦିନେ ନା ଦିନେ ଦୁନିଆଁସାରା ସମସ୍ତେ ଶୁଣିବେ, ସିଧା ସଳଖେ ମଝିରେ ମଧ୍ୟପାତ୍ର ନ ଥିବେ ଯେ ଦେଶ ଗୋଟା ଗୋଟାକାର ପ୍ରତିନିଧି ବୋଲାଇ ମାର୍ଜିତ ଭାଷାରେ ଯୁଦ୍ଧକୁ ହିଁ ଆମନ୍ତ୍ରଣକରି ଆଣୁଥିବେ, ବିଜ୍ଞାନର ଉଦ୍ଦେଶ୍ୟକୁ ବିକୃତକରି ଗଢ଼ାଉଥିବେ ମାରଣାସ୍ତ୍ର, ଦର୍ଶନଶାସ୍ତ୍ରର ବ୍ୟାଖ୍ୟାନ କୁ ବିକୃତକରି ପ୍ରଚାର କରୁଥିବେ ପରଉପରେ ଚଢ଼ାଉକରି ଆତ୍ମବିକାଶ କରିବାର ପତିଆରା ।

 

‘‘ଏ କ’ଣ, ଗୋଟା ସୁଦ୍ଧା ଜୁଡ଼ୁବୁଡ଼ୁ ଯେ ସାଆନ୍ତ ଆପଣେ,’’ ପିଣ୍ଡା ଉପରୁ ବଇ ମଳିକ ପାଟିକଲା, ‘‘ତେମେବି ଗୋଟାସୁଦ୍ଧା । ହଇଏ ତହସିଲିଦାରେ ! ଏମିତି ଜୁଡ଼ୁବୁଡ଼ୁ ନ ହୋଇଥିଲେ କ’ଣ ହଅନ୍ତା ନାହିଁ-’’ ବଇ ମଳିକ ପିଣ୍ଡା ଉପରୁ ତିନ୍ତିତିନ୍ତିକା ଓହ୍ଲେଇ ଅଇଲା, ହାତରେ ଏକ ବଡ଼ ତାଳପତ୍ର ଛତା, । ବିଶି ପାଣ ବି ଓହ୍ଲେଇ ଆସିଲା । ଆରେ ! ଆରେ କହି କହି ଧୋବେଇ ମିଶ୍ର ।

 

‘‘ହଃ ଭାରି ବୀରତ୍ୱ ଆମେ ଦେଖେଇଲୁ ଯେ ସବୁ ଦଉଡ଼ି ଆଉଚ, କ’ଣ ମଣିଷ ତିନ୍ତନ୍ତି ନାଇଁ, ଏଇ ନୂଆ ।’’ ହସି ହସି ରବି କହିଲା ।

 

‘‘ଯାହାଠି ମନ ଭିତରେ ତାତି ପୂରିଛି, ତାକୁ ଏ ବରଷା କ’ଣ କରିବ ?’’

 

ନନ୍ଦ ତହସିଲ୍‌ଦାର କହିଲେ, ‘‘ମୁଁ କ’ଣ କମି ବୁଝେଇଲି ? ନା କୋଉ ଛତା ନଥିଲା ! ଥିଲା ତ ମୋଠି ଖଣ୍ଡେ, ୟେ ମନା କଲେ ।’’

 

ପିଣ୍ଡାରେ ପ୍ରାୟ ତିରିଶି ଜଣଲୋକ । ନମସ୍କାର ଆରମ୍ଭ ହୋଇଗଲା, ପୁଣି ବର୍ଷାରେ ତିନ୍ତି ଥିବା ଯୋଗୁଁ ଆପତ୍ତି ।

 

ରବି କହିଲା, ‘‘ବରଷା ଦେଖିଲେ ଆମ ନିଜ ନିଜର ଘର ମନେପଡ଼େ, ନୁହେଁ ? ମନେ ପଡ଼େ ଛତା ? ଶୁଖିଲା ଥାନ, ଶୁଖିଲା ଲୁଗାପଟା । ପାଟିକି କିଛି ମୁଡ଼ୁ ମୁଡ଼ୁ ମୁଡ଼ୁ ମୁଡ଼ୁ ।’’

 

ଧୋବେଇ ମିଶ୍ର କହିଲେ, ‘‘ଗରମ ମୁଢ଼ି ସାଙ୍ଗକୁ ଗରମ ଚିନାବାଦାମ ଭଜା, ତା ସାଙ୍ଗକୁ ଗରମ ଚାହା-’’

 

ରବି କହିଲା, ‘‘ଠିକ୍ କଥା । କିନ୍ତୁ ଆଉ ଜଣେ ଲୋକ ଏ ଦେଶରେ ଥିଲେ, ବର୍ଷା ଦେଖିଲେ ତାଙ୍କର ମନେ ପଡ଼ୁଥିଲା ରାଇଜଯାକର ଦୁଃଖ ଦୁର୍ଦ୍ଦଶା, କାହାର ବେଛପରି ଘରେ ଦୁଲ୍‌ଦାଲ୍ ହୋଇ କାନ୍ଥ ପଡ଼ୁଛି, କାହାର ତିନିଦିନ ହେଲା ଚୁଲି ଜଳି ନାହିଁ, କେଉଁଠି ପାଟରେ ବଢ଼ି ମାଡ଼ିଆସୁଛି ଚାରିଆଡ଼ ସତେକି ଚିଲିକାମୟ । ସେଇକଥା ସେ ମନେ ପକାଉଥିଲେ । ସତ୍ୟବାଦୀରେ ଥରେ, ନିଶା ଅନ୍ଧାର, ଜର ଜର ବରଷା । କିଏ ଜଣେ କଇଁ କଇଁ ହୋଇ କାନ୍ଦୁଛି ଶୁଣି ସମସ୍ତଙ୍କର ନିଦ ଭାଙ୍ଗିଗଲା । ଯାଇ ଦେଖନ୍ତି ତ ସିଏ ବସି କଇଁ କଇଁ ହୋଇ କାନ୍ଦୁଛନ୍ତି । ଲୋକେ ପଚାରିଲେ-କ’ଣ ହେଲା ? କାହିଁକି କାନ୍ଦୁଛନ୍ତି ? ସେ ବାହୁନି ବାହୁନି କହିଲେ, ହେଇ ଦେଖ କେମିତି ବରଷା । ସେଇ ଡଭାର ଗାଁର ଦାମା ବାଉରିଟି, ଦେଖି ଆସିଥିଲି ତା’ର ନଅଟି ପିଲା, ସାଧାରଣ ଦିନେ ତ ଖାଇବାକୁ ଅଣ୍ଟେ ନାଇଁ, ପୁଣି ଅଇଛା ତ ଚାରିଆଡ଼ ଜଳାର୍ଣ୍ଣବ ହେବଣି । ଘର ବୋଲି ପଲା ଖଣ୍ଡେ, ସେ ପୁଣି ଛୁଆଣି ହୋଇ ନଥିଲା । ଘରେ ତ ପାଣି ଲହଡ଼ୀ ଖେଳୁଥିବ, ପିଲା ଛୁଆଗୁଡ଼ାକ ତ ଭୋକରେ କାଉଳି ହେଉଥିବେ । କି ବୃଦ୍ଧି କରୁଥିବ ଅଇଛା ସେ ? ଆ ହା ହା-ପୁଣି କଇଁ କଇଁ ହୋଇ କାନ୍ଦିଲେ, ମୋ ଦାମରେ, କ’ଣ କରୁଥିବୁରେ ତୁ-ତତେ ସତେ ସେମାନେ ମଣିଷପଣରେ ରଖିଥିବେ ! ଆଉ ସେମିତି ଚିଲିକା ଭିତରେ ତିତିପ ଗାଁରେ ହାଡ଼ି ସାହି, ତିରିଶି ଘର ସେମାନେ, ପଲାରେ ବାସ, ପଲାବି ନୁହେଁ ସାକ୍ଷାତେ ଭଉଁରିଆ ଯେମିତି କେଳାଙ୍କର, କ’ଣ ଖାଇଥିବେ ଆଜି ରାତିରେ ? ଆଉ ମୁଁ ଏଠି ବଉଳବନରେ ସୁଖରେ ଖାଇ ପିଇ ଶୁଖିଲାରେ ଶୋଇଛି–’’

 

ଗମ୍ଭୀର ହୋଇଗଲେ ସମସ୍ତେ । ସତେ ଅବା ଉତ୍କଳମଣି ଆସି ତାଙ୍କ ଆଗରେ ଠିଆ ହୋଇଗଲେ ।

 

ଧୋବେଇ ମିଶ୍ର କହିଲେ, ‘‘ସେ ଥିଲେ ଦେବତା, ଗୋପବନ୍ଧୁ ଉତ୍କଳର ମଣି । ସେ ଚାଲିଗଲା ପରେ ଡଭାରର ଦାମ ବାଉରୀ ଆଉ ତିତିପର ଉତ୍ସବ ହାଡ଼ି ଆଉ ବ୍ରହ୍ମଗିରିର କେଶବା ପାଣ କେତେକରେ କେତେ ଉଠିଛନ୍ତି ? ସହରରେ ବେଶୀ କୋଠା ହୋଇଛି ସତ, ବେଶୀ ଲୋକ ମଟର ଚଢ଼ୁଛନ୍ତି, ବଡ଼ ବଡ଼ ଧନୀ ସବୁ ବାହାରିଲେଣି । କିନ୍ତୁ ଯେଉଁ ଗରିବ ମୂଲିଆ ମୂରୁଖଙ୍କ କଥା ଭାବି ଭାବି ତାଙ୍କ ଆଖିରୁ ଦରଦର ଝରୁଥିଲା, ସେମାନେ ସତେକି ସେମିତି ରହିଗଲେ, ପୁଣି ଆଉ ଥରେ ସେଉଠୁ ଗଢ଼ିବାକୁ ହେବ ।’’

 

ରବି କହିଲା, ‘‘ଜାଣିଚ ସମସ୍ତେ । ଧଡ଼ିଆ ବାଉରିଟି ଚାଲିଗଲା । ସେଇଆ ଦେଖି ଚକୁଳିଆରୁ ଫେରୁଚି ।’’

 

‘‘ଏ !’’

 

ବିସ୍ମୟ । ଦୁଃଖ । ନନ୍ଦ ତହସିଲ୍‍ଦାରଙ୍କ ଆଶାବାଦରେ କୁହୁଳି ଉଠିଥିବା ଉଷୁମଟା ଥପ୍‍କରି ଲିଭିଗଲା ।

 

ସତେ ଯେପରିକି ଧଡ଼ିଆ ବାଉରି ମରିନଥିଲା, ବଞ୍ଚିଥିଲା, ରବିର କଥା ନ ସରୁଣୁ ସେ ମରିଯାଇଛି । ଆକାଶ ମେଘ ଦଲ୍‌ଦଲ୍ । ବରଷା ଅଗଣତି ଶରରେ ହାଣି ଚାଲିଛି । ଚାରିଆଡ଼ ଅନ୍ଧାରୁଆ କାଲୁଆ ଆଉ କାଉନ୍ଦା, ହେତୁ ପଡ଼ୁଛି, ଧଡ଼ିଆ ମରିଛି । ଏଇ ବରଷାପରି ତା’ର ମରଣର ସମ୍ବାଦବି ସତ, ଜାଗ୍ରତ, ବର୍ତ୍ତମାନ । ସେ ଆଉ ଆଖିଖୋଲିବ ନାହିଁ, ଠିଆହେବ ନାହିଁ । ଏତେ ବେଳକୁ ତା’ର ଦେହଟାକୁ ଦଣ୍ଡାରେ ଗଡ଼େଇ ଦେଇ ଆସି ସାରିବେଣି । ହଇଜା ମୁର୍ଦ୍ଧାରକୁ ପୋଡ଼ନ୍ତି ନାହିଁ, ଫୋପାଡ଼ି ଦିଅନ୍ତି । ସେଇଠି ସେ ପଡ଼ିଥିବ, ତା’ଉପରେ ଦୁଲ୍‌ଦୁଲ୍ କଚାଡ଼ି ହେଉଥିବ ବରଷା, ଦେହଯାକ କାଦୁଅ ସରସର । ସେହି କାଦୁଅରେ ମିଶିଯିବାକୁ ସେ ଦେହ ଧୀରେ ଧୀରେ ତିଆରି ହେଉଥିବ, ଦବୁଥିବ, ସେ ବି ସତେକି କାଉନ୍ଦା କାଦୁଅ ।

 

ଚାଉଁକିନା ମନେ ପଡ଼ିଗଲା ସେ ଦୃଶ୍ୟ ଆହୁରି ଥରେ । ଗାଁଯାକ ଲୋକଙ୍କ ମୁହଁରେ ନିଃଶବ୍ଦ ନିବୁଜ ଭୟର ଛବି । ବେକରେ ଖଣ୍ଡେ ଲେଖାଁ କୁଟା ଗୁରାହୋଇଛି, ସେହି କୁଟା ଖଣ୍ଡିକମାନ ଯେପରିକି ବିପଦବାରଣ କବଚ । ଘର ଦୁଆର ମୁହଁରେ ପଡ଼ିରହିଛି ହଇଜା ମଳୁଟା, ଦେହରେ ଲୁଗାନାହିଁ । ଆଖି ସୀସାପରି । ମଝିରେ ମଝିରେ ଗୋଟାଏ ଲେଖାଁ ଗଁ ଗଁ ମିଶା ଚିତ୍କାର-‘‘ହେ ଭଗବାନେ...ହେ ଠାକୁରେ... ମୋ’ ବାପା...ମୋ’ ମାଆ...ମତେ ରଖ ଲୋ... ମତେ ଧର ଲୋ...ମୁଁ ମରିବି ନାଇଁ ଲୋ...ମୁଁ ଭଲ ହେବି...ମୁଁ ବଞ୍ଚିବି...କିଏ କୋଉଠି ଅଛ ମତେ ରଖ ଲୋ-’’

 

ତା’ର ଚେତନା ଉପରେ ସଞ୍ଜ ବିଞ୍ଚିହୋଇ ପଡ଼ୁଥିଲା ।

 

ପ୍ରାଣପଣେ ସେ ଇଚ୍ଛା କରୁଥିଲା ବଞ୍ଚିବବୋଲି, ତା’ର ଅନ୍ତର ଫାଟିଫାଟି ଉପରକୁ ଉଠୁଥିଲା ସେ କାମନା ।

 

ରବି ସେହି ମରଣର ଚିତ୍ରରେ ବୁଡ଼ି ରହିଥିଲା ।

 

ଆଗରେ ଦିଶୁଛି, ପିଣ୍ଡା ତଳେ ଟିକି ଟିକି ପାଣିଧାର ଧାଇଁ ଧାଇଁ ଆସି ଏକାଠି ହୋଇ ବୋହି ଚାଲିଯାଉଛି । ରବିର ଚେତନା ଭିତରେ ମଧ୍ୟ ସେମିତି ଏକ ଚିତ୍ର, ସେ ଦେଖୁଛି ସମୟ ବୋହି ଚାଲିଯାଉଛି । କିଛି ରହୁ ନାହିଁ, ବୋହି ଚାଲିଯାଉଛି । ତା’ର ଦୁଇ ଆଖି ଉପରେ ସତେକି ଅଜାଡ଼ି ହୋଇ ପଡ଼ିଲାପରି ମେଘ ଓହଳି ପଡ଼ୁଛି, ଡାକି ହେଉ ନାହିଁ । ଆଉ ସେ ଭାବୁଛି–ଏମିତି ଯେ ପ୍ରତି ମୁହୁର୍ତ୍ତରେ ସମୟ ବୋହି ଚାଲିଯାଉଛି, ଆୟୁଷ ତୁଟି ଆସୁଛି, କେତେ ମଣିଷ, କେତେ କଥା ଏମିତି ବୋହି ଚାଲିଯାଉଛନ୍ତି ବିସ୍ମୃତିର ଅନ୍ଧାର ଭିତରକୁ–କାହାର ଆୟୁଷ ଅଛି ତା’ ପାଇଁ ଶୋକକରିବାକୁ ? କାହା ଆଖିରେ ଅଛି ଏତେ ଲୁହ ? ଏମିତି ସମୟ ଚାଲିଯାଉଛି ପ୍ରତି ନିମିଷରେ ଏ ବିଶ୍ୱର ସୃଷ୍ଟି ଆରମ୍ଭ ଦିନଠାରୁ, ଏମିତି ସୁଅତୋଡ଼ରେ ଭାସିଯାଉଛି ମଣିଷ, ତା’ର ପାରିପାର୍ଶିକ ଅବସ୍ଥା, ତା’ର ଜୀବନ, ବଞ୍ଚିବାକୁ ପ୍ରବଳ ଇଚ୍ଛାକରି ଏମିତି ମଣିଷ ମରିଛନ୍ତି, ଭୁଲି ହୋଇଛନ୍ତି, ସବୁଠୁ ବଡ଼ ଦୁଃଖ ଏ ସୃଷ୍ଟିର ତା ଚିରଦିନର, କ’ଣ ତା’ର ସମାଧାନ ବ୍ୟବସ୍ଥା ? ରାଜନୈତିକ ଓ ଅର୍ଥନୈତିକ ଅବସ୍ଥା ବଦଳିବ, ବଦଳିଛି । ହୁଏତ ମଣିଷ ଗାଁଯାକ ମିଶେଇ ଘର ଗୋଟିଏ ଗୋଟିଏ କରିବ, ସେଠି ସମସ୍ତେ ହେବେ ଭାଇ ଭାଇ, ସବୁ ସମ୍ପତ୍ତି ହେବ କୋଠ, ହୁଏତ ଗାଁରେ କାହାରି ଖାଇବା ପିଇବାକୁ ଅଭାବ ରହିବନାହିଁ । ମଣିଷ ତା’ର ଆବଶ୍ୟକ ଦ୍ରବ୍ୟର ପ୍ରାଚୁର୍ଯ୍ୟରେ ଗଡ଼ୁଥିବ । ତେବେ ବି ପ୍ରତି ନିମିଷରେ ମଣିଷକୁ ଘେରି ରହିଥିବ ସମୟ ଚାଲିଯିବାର ଦାରୁଣ ହତାଶା ଓ ଦୁଃଖ; ପାଣି ବୋହିଯାଉଥିବ, ଶୁଖି ଯାଉଥିବ, ପତ୍ର ଝଡ଼ି ପଡ଼ୁଥିବ, ଆଲୁଅ ଢଳି ଢଳି ଦିନ ହେଉଥିବା ରାତି, ମଣିଷ ପାହୁଣ୍ଡେ ଲେଖାଁ ଆଗେଇ ଚାଲିଥିବ ତା’ର ମରଣର ଶେଷଦିନଆଡ଼କୁ । ଏଇ ଚରମ ବନ୍ଧନ, ଚରମ ଦାୟିତ୍ୱ, ଚରମ ଦୁଃଖରୁ ମଣିଷକୁ ମୁକ୍ତି ଦେଇପାରିବ କିଏ ? ପୃଥିବୀରେ ଏତେ ବଡ଼ ବଡ଼ ରାଜନୈତିକ ପରିବର୍ତ୍ତନ ଘଟିଗଲା, ଭାରତ, ଭିଏତ୍‌ନାମ, ଚୀନ, ରୁଷ, ମଣିଷ ଜୀବନର ଏହି ଚରମ କରୁଣତାକୁ କି ପ୍ରକାର କିଏ ଆୟତ୍ତ କରିପାରିଲା-ରୁଷର ଶ୍ରମବାଦ କି ମାର୍କିନ୍‌ର ଧନ୍ୟବାଦ ? ଭୁଲି ହୋଇଯାଇଥିବା ପୁରୁଣା ଯୁଗରେ ଯେପରି ଆଜି ବି ସେପରି । ସୂର୍ଯ୍ୟ ଉଉଁଛି ଆଉ ଅସ୍ତ ହେଉଛି, ସମୟ ବୋହିଚାଲିଛି । ବଞ୍ଚିବାର ପ୍ରବଳ ଆକାକ୍ଷାଂ ସତ୍ତ୍ୱେ ମଣିଷ ମରୁଛି, ଭୁଲି ହେଉଛି, ହଜି ଯାଉଛି ।

 

କିଏ ଶମାଇବ ଏ ଦୁଃଖକୁ ? ସାନ୍ତ୍ୱନା ଦେବ !

 

ପାଖେ ମେଘ ଅନ୍ଧାର, କଳ୍ପନାରେ ଧଡ଼ିଆ ବାଉରିର ଫୁଙ୍ଗା ମୁର୍ଦ୍ଦାରଟା, ଯାହା ଉପରେ ବରଷା ଛେଚୁଛି । ପାଖେ ତା’ର ଉତ୍ସାହ ଉଦ୍ଦୀପନା ଯେ ସେ ଆପେ ପଛେ ମଶାଲପରି ଜଳିବ ଏ ସଂସାରର ଅନ୍ଧାରକୁ ଆଲୁଅ କରିବାକୁ ପ୍ରାଣପଣେ ସାହାଯ୍ୟ କରିବ । ଯେପରିକି ନ ରହିବ ଶୋଷଣ, ଲୁଣ୍ଠନ, ପାତର ଅନ୍ତର, ଅନ୍ୟାୟ ଅବିଚାର, ଦୁଇଟି ଏକାଠି ମିଳାଇ ଦେଖିଲାବେଳକୁ ଉତ୍ସାହ ନିଭିଆସିଲା ।

 

କେତେବେଳୁ ସେ ଗୁମ୍ ପଡ଼ିଲାଣି । ହଠାତ୍ ଗୁଣୁଗୁଣୁ ହେଉ ହେଉ ଧୋବେଇ ମିଶ୍ର ‘‘କହଇ ମନ ଆରେ’’ ଗାଇବାକୁ ଆରମ୍ଭକଲେ । ଆପଣା-ଆପେ ଲୋକେ ପାଳି ଧରିଲେ, କିଏ ଅବା ତାଳିମାରିଲେ । କାତ୍ତଳା ବରଷାରେ ଚାଲିଲା ସମବେତ ସ୍ୱରସଙ୍ଗୀତ ।

 

ବଡ଼ ଅଦ୍ଭୁତଭାବେ ଖାପିଗଲା ସେ ସେତେବେଳର ସମୟ ସଙ୍ଗେ । ରବି ଶୁଣିଲା-‘‘କହଇ ମନ ଆରେ ମୋ ବୋଲ କର । କଳା ଶ୍ରୀମୁଖ ବାରେ ଦେଖିବା ଚାଲରେ । କେତେ ଦିନକୁ ମନକରିଛୁ ଆଣ୍ଟ । କି ଘେନି ଯିବୁ ତୋର ଛୁଟିଲେ ଘଟ । ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି । ଖାଉଣ ଥିବେ ଶ୍ଵାନ ଶୃଗାଳ ବାଣ୍ଟିରେ ।’’

 

ଟପଟପ ହୋଇ ସାରୁପତ୍ରରୁ ପାଣିବୁନ୍ଦା ଝଡ଼ି ପଡ଼ିଲାପରି ତା’ ଆଖିରୁ ଲୁହ ଝଡ଼ି ପଡ଼ିଲା । ସେ ଶାନ୍ତହେଲା । ଶହ ଶହବର୍ଷ ତଳର କେଉଁ ଅଜଣା କବିଙ୍କ ରଚନା ସେହି ଗୀତ ମଣିଷର ଚରମ ପରିଣତି ବର୍ଣ୍ଣନା କରିଗଲା ସତ, କିନ୍ତୁ ତାହା ସଙ୍ଗେ ସଙ୍ଗେ ନିରାଶ ପରିବର୍ତ୍ତେ କିପରି ଏକ ନିବେଦିତ ମନର ପ୍ରସିଦ୍ଧି ଓ ପ୍ରଶାନ୍ତିହିଁ ଆସିଲା । ଲାଗିଲା, ଜୀବନର ନିଶ୍ଚିତ କଥାହିଁ ତ ଏତିକି, ଶେଷରେ ମୃତ୍ୟୁ, ସେଥିରୁ ଉଦ୍ଧାର ନାହିଁ ।

 

ମଝିରେ କେତେଗୁଡ଼ାଏ ଅବସ୍ଥା, କିଏ କେଉଁ ପ୍ରକାରେ କେଉଁ ଅବସ୍ଥାରେ କେତେବେଳେ ରହିଯାଉଛି, ଆଉ କେତେବେଳେ ଅନ୍ୟ ଅବସ୍ଥାକୁ ଚାଲିଯାଉଛି, ଗୋଟାଏ ଅବସ୍ଥାରେ ଥାଇ ଅନ୍ୟ ଏକ ଅବସ୍ଥାଆଡ଼କୁ ବେକ ଉହୁଙ୍କେଇ ହାଇଁ ପାଇଁ ହୋଇ ଚାହିଁରହୁଛି, ସକେଇ ହେଉଛି, ହାତଗୋଡ଼ ଛାଟୁଛି, ଭାବୁଛି ସେ ଚାଲୁଛି । ତା’ପରେ ହଠାତ୍ କେତେବେଳେ ଅପ୍ରତ୍ୟାଶିତଭାବେ ଯବନିକା ପତନ, ସେଇଠି ସେ ଜନ୍ମର ବ୍ରତ ଉଜୁଆଁ ସରିଗଲା ।

 

ଏତିକି ନିଶ୍ଚିତ ବୋଲି ଆଗତୁରା ଧରିନେବାକୁ ପଡ଼ିବ, ସେହି କଥା କହୁଛି ଏ ଗୀତ, ମଣିଷ ମରିବ, ମାଟିଘଟ ଚୂନା ହେବ, ସବୁ ସମ୍ବନ୍ଧ ତା’ର ତୁଟିଯିବ, ଘର କରଣା ଭୁଷୁଡ଼ି ପଡ଼ିବ, ଧନ କି କୀର୍ତ୍ତି କି କ୍ଷମତା କିଛି ସେ ନେଇଯିବ ନାହିଁ କି ଚିରକାଳକୁ ସାଇତି ଯିବନାହିଁ, ଧୀରେ ଧୀରେ ଲୋକେ ତା’ର ଚେହେରା ଭୁଲିଯିବେ, ନାଁ ବି ଭୁଲିଯିବେ । କେଉଁ କଥାକୁ ସେ ତା’ଜୀବନରେ ବଡ଼ ନିଶାବୋଲି ଧରି ନେଇଥିଲା, ତା’ର ଅଭୀଷ୍ଟ କି ଆଦର୍ଶ ତା’ବି ଲୋକେ ଭୁଲିଯିବେ । କେତେ ଆନ୍ଦୋଳନର ଇତିହାସ, କେତେ ଯୁଦ୍ଧ, ଦେଶଜୟ, ଦେଉଳତୋଳା ଓ ପୋଖରୀ ଖୋଳା, ଅନ୍ନଦାନର କୀର୍ତ୍ତି, କେତେ ପାଣ୍ଡିତ୍ୟ, ଏପରି କି କେତେ କବିତ୍ଵ ଯାହା କେଉଁ ଶତାବ୍ଦୀରେ କେଉଁ ବ୍ୟାପକ ଭୂଖଣ୍ଡକୁ ଧରି ଚାରିଆଡ଼େ ଚହଳ ପକାଇ ଦେଇଥିଲା, ସବୁ ଭୁଲିହୋଇ ଧୂଳି ସଙ୍ଗେ ମିଶିଯାଇଛି, ଆଉ ତାକୁ ଉଦ୍ଧାର କରିହେବ ନାହିଁ ।

କିନ୍ତୁ ପୁଣି ମୁହୁର୍ତ୍ତକେ ତା’ର ନିରାଶ ଚିନ୍ତା ଉଭେଇଗଲା, ଲାଗିଲା ବାଟ ସରନ୍ତ ସେ ମୁଣ୍ଡରେ ମରଣ ଅନ୍ଧାରର ଯବନିକା ନୁହେଁ, ସେ ଏକ ତୀବ୍ର ଉଜ୍ଜ୍ୱଳ ଆଲୁଅ, ସେହି ଆଲୁଅରେ ବାଟର ସବୁ ଜିନିଷ ଦିଶେ, ସେହି ଯେପରିକି ଜୀବନକୁ ଅର୍ଥଗୌରବରେ ପରିପୂର୍ଣ୍ଣକରି ରଖେ । ସେହି ଦିଏ ସମୟକୁ ଉଦ୍ଦେଶ୍ୟ, ସେଥିରେ ମୂଲ୍ୟ ଦିଏ । ଆପଣା କାର୍ଯ୍ୟଦ୍ଵାରା ଯାହା ଯେଉଁଠି ହୋଇଯାଇଛି, କେତେବେଳେ ହାଇ ମାରିବା କି କେତେବେଳେ ଅଙ୍କ କଷିବା ସେତିକି ସମୟର ବିଶିଷ୍ଟ କାର୍ଯ୍ୟହୋଇ ସେ ପଛକୁ ଚାଲିଯାଉଛି, ସେତିକି ସେ ପ୍ରବହମାନ ଜୀବନର ପ୍ରମାଣ । ହଜିଲା ସମୟ ଯେପରି ଫେରେଇ ଆଣି ହେବନାହିଁ ଅତୀତର କାର୍ଯ୍ୟକୁ ସେହିପରି ପୋଛି ହେବନାହିଁ । ପ୍ରତି ମୁହୂର୍ତ୍ତକୁ ପୂର୍ଣ୍ଣତମ ଉପଯୋଗରେ ଲଗାଇବାକୁ ପଡ଼ିବ, ମଲା ହଜିଲାପାଇଁ, ଦୁର୍ଦ୍ଦଶାଙ୍କ ପରାଜୟପାଇଁ ଶୋକ ପ୍ରକାଶ ସମୟର ଉପଯୋଗ ନୁହେଁ ।

କେତେବେଳୁ ତା’ର ତୁନିତାନୀ ଲକ୍ଷ୍ୟକରି ଏତେ ଗାଁରୁ ଆସି ଏକାଠି ଠୁଳ ହୋଇଥିବା ଏତେ ମଣିଷ ତାହାରିଆଡ଼କୁ ଅନାଇଁଛନ୍ତି । ସେମାନେ ଖୋଜୁଛନ୍ତି ତା’ ସହଯୋଗ, ନିର୍ଦ୍ଦେଶ, ଉତ୍ସାହ । ଆପଣା ସ୍ୱାର୍ଥ କଥା ଭାବୁଥିଲେବି ସମୟର ଭପଯୋଗ ହୁଏନାହିଁ, ଉପଯୋଗ ହୁଏ ଯଦି ମଣିଷ ପରର ଉପକାର କରେ, ମଣିଷ ସମାଜରେ ଶାନ୍ତି ପ୍ରତିଷ୍ଠାପାଇଁ, ମଣିଷର ଦୁଃଖ ନିରାକରଣପାଇଁ ଲାଗିପଡ଼େ । ତା’ର ବହୁତ କର୍ତ୍ତବ୍ୟ ବାକିରହିଛି । ତା’ କାର୍ଯ୍ୟ ମୋଟେ ଆରମ୍ଭହିଁ ହୋଇଛି ।

ଭାବିଲା, ମଣିଷ ମରିଯାଏ, ତା’ର ନାଁ ବୁଡ଼ିଯାଏ, କିନ୍ତୁ ତା’ର ନାଁ ନ ଥିବା ଶୁଭକାର୍ଯ୍ୟ ଏକ ମଙ୍ଗଳକର ଶକ୍ତି ହୋଇ ଜିଇଁ ରହିଥାଏ ଏ ପୃଥିବୀରେ, ଲୋପ ହୁଏନାହିଁ ।

ବର୍ଷା ଚାଲିଛି । ସେମାନେ ଆଲୋଚନା ଆରମ୍ଭ କରିଥିଲେ କେଉଁ ଗାଁରେ ଏକୀକରଣ କାମ କେତେଦୂର ଆଗେଇଛି । କେଉଁଠି କି ସମସ୍ୟା ।

ତା’ର ଉତ୍ସାହ ବଢ଼ି ବଢ଼ି ଉଠୁଛି, ଆଲୋଚନା କରୁ କରୁ ତା’ ଭିତରୁ ଏକ ପରାକ୍ରମୀ ବ୍ୟକ୍ତିତ୍ଵ ଆପଣାକୁ ପ୍ରକାଶ କରୁଛି । ସେ ଦେଖୁନାହିଁ ବାଧା କି ଅର୍ଗଳ, ଦୂରର ଦିଗ୍‌ବଳୟ ତା’ ପାଇଁ ସୀମା ନୁହେଁ ।

କାନ ପାଖେ ଗଡ଼ର ଗଡ଼ର ହୋଇ ଲାଗିଛି ଗୁର, ତା’ର ଟିକି ମନର ଯେତେ ଟିକିନିଖି ପ୍ରଶ୍ନ ସବୁ ସେ ସଜେଇ ରଖିଛି ଏହି ବେଳପାଇଁ । ପଚାରୁଛି-

ଛବି ଅପା, ମେଘ କାହିଁକି ତା ମନକୁ ବରଷେ ?

ଛବି ଅପା, କେତେ ପାଣି ଥିବ ମେଘଠିଁ ? ସରିଗଲେ କ’ଣ କରିବ ? .. ଘଡ଼ଘଡ଼ି କାହିଁକି ମାରେ କହିଲୁ ଛବି ଅପା ! ବୋଉ କହେ ପଦାକୁ ଯା ନାହିଁ ଘଡ଼ଘଡ଼ି ଧରିନେବ, କଂସାତାଟିଆ ପଦାରେ ଥିଲେ ତାକୁବି କୁଆଡ଼େ ଘଡ଼ଘଡ଼ି ବୋହିନିଏ । ଭାଲୁ କୁକୁରକୁ ଘଡ଼ଘଡ଼ି ବୋହିନବ କି ନାଇଁ ଛବି ଅପା ? ମତେ ଯଦି ଘଡ଼ଘଡ଼ି ନିଅନ୍ତା, ମୁଁ ମୋଟେ ଡରନ୍ତି ନାହିଁ । ଆକାଶରେ ଏଇ ଯୋଉ ସବୁ ପର୍ବତ ଦିଶୁଛି ମୁଁ ତା’ ଉପରେ ଚଢ଼ନ୍ତି ବୁଲନ୍ତି, ସେଠି ଫୁଲ ତୋଳନ୍ତି ପୁଣି ଆସି ଘରେ ପହଞ୍ଚନ୍ତି । ଯେମିତି ଏଇ ଦେଖ ବାୟା ଚଢ଼େଇଙ୍କି ଛବି ଅପା, କୁଆଡ଼େ କୁଆଡ଼େ ବୁଲନ୍ତି, ପୁଣି ତାଙ୍କ ବସାକୁ ଲେଉଟି ଆସନ୍ତି । ବାୟା ଚଢ଼େଇ ବସା ଭିତରଟା କେମିତି ଛବି ଅପା, ମୁଁ ତା’ ବସା ଭିତରେ ରହନ୍ତି, ଦେଖନ୍ତି କେମିତି ଲାଗନ୍ତା...କ’ଣ ଦେଖୁଚୁ ଛବି ଅପା ! ଦୁଆରେ କେମିତି ସୁଅ ପଡ଼ିଚି ! ଓଃ କେଡ଼େ ଘଡ଼ଘଡ଼ି ! ଯେ ସବୁ ବାଟରେ ଥିବେ, ପଦାରେ କାମ କରୁଥିବେ, କେଡ଼େ ହଇରାଣ ହଉଥିବେ । ଗଛ ତଳେ ଠିଆହେଲେବି ମେଘ ବରଷୁଥିବ । ଗଛରେ ଭୂତ ଥିବେ । ଭୂତକୁ ବରଷା କାଟେ ନାହିଁ ଛବି ଅପା ? ମୁଁ କେବେ ଭୂତ ହେବି ନାଇଁ । ମୁଁ ମରିବି ନାଇଁତ ମୂଳରୁ । ଆଣ୍ ଦେ ତୋ କାନିଟା, ମୁଁ ଘୋଡ଼ି ହୋଇ ଶୋଇପଡ଼ିବି । ମଶା କେମିତି ଗୁଣୁ ଗୁଣୁ ହଉଛନ୍ତି । ମଶା କେଡ଼େ ସରୁ ସରୁ । ବୋଉ ମୋତେ ଖାଲି କହିବ ତୁ ସରୁ ହେଇଗଲୁଣି ।

ସାବି ତ ମୋଠୁ କେଡ଼େ ସରୁ, ଖାଲି ଡାଙ୍ଗ ଡାଙ୍ଗ ତା ହାତଗୋଡ଼ । ତା’ ବୋଉ ମରିଚି । ନୂଆବୋଉ ତାକୁ ମାରେ । ତାଙ୍କ ଛଉକି ବିଲେଇ ଛୁଆ କଲେ ମୁଁ ଗୋଟିଏ ଆଣିବି, ପୋଷିବି, ସାବି ..’’ କହୁ କହୁ ତାକୁ ନିଦ ଲାଗିଯାଇଛି ।

ଅଖଳା ଭାଷାରେ ଆପଣାକୁ ହିଁ ଆଙ୍କିଦେଇ ସେ ଶୋଇପଡ଼ିଛି-ମଣିଷ ଛୁଆ, ହୃଦୟରେ ଅଶେଷ ସହାନୁଭୂତି, ଆଲୁଅ ଅନ୍ଧାରର ଚଢ଼େଇ, ମଶା, ମଣିଷ ସମସ୍ତଙ୍କୁ ସଙ୍ଗେ ସମ୍ବନ୍ଧ ଲଗାଇବାକୁ ତା’ର ମନ ।

ବଡ଼ ବରଷା କାଚୁଛି, ପଦାରେ ପବନ ଗର୍ଜନ କରୁଛି, ମେଘ ପବନର ଅରଣା ସଙ୍ଗୀତ ରଡ଼ି ଚାଲିଛି ପଦାରେ । ଭିତରେ ମଣିଷର ହାତଗଢ଼ା ଉଷୁମ୍ ନୀଡ଼, ସେଠି ତା’ର ଜୀବନର ତାତି ଆଉ ତେଜ ।

ଛବି ତା’ର ବିଛଣାରେ ଆରାମ ଅନୁଭବ କରୁଥିଲା । କେଉଁ ପୁରୁଣା ଯୁଗର ଏକ କାଠ ପଲଙ୍କ, ସେହି ସମୟର ଯେତେବେଳେ ଝରକାଟିଏ କଲେବି ମଣିଷ ତାକୁ ଖୋଜି ଖୋଜି କରୁଥିଲା ଗୋଟିଏ ଫୁଲ କି ଗୋଟିଏ ରୂପ, ଶେଣୀ କ’ଣ କାଠ ରୁଅଟିଏ କଲେବି ସେଥିରେ ଥିଲା ନାନା କମକୂଟ, ଘର କବାଟରେ ଦଶ ଅବତା’ରଙ୍କ ରୂପ, ଦୂଆର ବନ୍ଧରେ ଲକ୍ଷ୍ମୀ କି ଗଣେଶ, ପାନଖଣ୍ଡେ ଭାଙ୍ଗିଲେ ବଡ଼ିଟିଏ ପାରିଲେବି ସେ ଏକ ଶିଳ୍ପକଳା । ସେହି ପୁରୁଣା ଶିଶୁକାଠ ତିଆରି ପଲଙ୍କ ଗୋଡ଼ଯାକବି ଖୋଳେଇ ରୂପ, ଦୂରରୁ ଦେଖିଲେ ମଣିଷ କହିବ ପଥରର କାରୁକାର୍ଯ୍ୟବୋଲି । ଘୋଡ଼ା ଉପରେ ଚଢ଼ିଛି ଡଉଲ ଡାଉଲ ହୋଇ ଏକ ସୁନ୍ଦରୀ ସ୍ତ୍ରୀଲୋକ, ନାନା ହତିଆର ବାନ୍ଧିଛି, ନାନା ପ୍ରକାର ଅଳଙ୍କାର ମଣ୍ଡି ହୋଇଛି । ହାତରେ ଏକ ବର୍ଚ୍ଛା, ବର୍ଚ୍ଛା ଆଗରେ ଏକ ହରିଣ । ଘୋଡ଼ା ଏକ ବାରୁ ଘୋଡ଼ା, ଦୁଇ ଗୋଡ଼ ଟେକିଛି । ଘୋଡ଼ା ତଳେ ହାମୁଡ଼େଇ ହୋଇପଡ଼ିଛି ଏକ ପୁରୁଷ । ପୁଣି ତା’ ତଳେ ଏକ ଫୁଟିଲା ପଦ୍ମ । ଏମିତି ଖୋଳେଇ ହୋଇ ତା’ର ଚାରି ଗୋଡ଼ଯାକ । ମୁଣ୍ଡ ଉପରେ ବାଡ଼ା ଦେହରେ ତ ନାନା କାରୁକାର୍ଯ୍ୟ । ତା’ଉପରେ ଯୁଗଯୁଗର ପୁଟ ପୁଟ ମଳି ।

କେଉଁ ପଣଅଜାଙ୍କ ଅମଳର ଖଟ, ତା’ ବାପାବି କହିପାରନ୍ତି ନାହିଁ କାହା ଅମଳର । ଯେମିତିକି ଉଞ୍ଚ ପିଲିସଜ, ପ୍ରକାଣ୍ଡ ପିକିଦାନି, ସିନ୍ଦୁକରେ ଥିବା ଅତି ବଡ଼ ବଡ଼ ଅତି ଓଜନ ଓଜନ ବାସନକୁସନ କେଇଖଣ୍ଡ, ଆଉ ସେ ଯେଉଁ ବଡ଼ ଥାଳି, ଭିତରଟା ପୂରା ତିନିହାତ ଓସାର, ଦେହଯାକ ଏମିତି ଚିତ୍ରବିଚିତ୍ର ଛୁଞ୍ଚିକାମ ଯେ ସେ ଏକ ପ୍ରଦର୍ଶନୀ । କେତେ ପୁରୁଣା କାଠପେଡ଼ି, ବେତପେଡ଼ି, ସିନ୍ଦୁକ, ବଡ଼ ବଡ଼ କାଠ ପେଡ଼ିମାନଙ୍କ ଉପରେ ନାଲି ପୁଟଉପରେ ନାନାପ୍ରକାର ଦୃଶ୍ୟର ଚିତ୍ର ଅଙ୍କାହୋଇଛି ।

ଶୋଇ ରହି ଛବିକୁ ଲାଗୁଥିଲା ସେହି ପୁରୁଣାପଣର ଚେତନା । ସବୁ ଯେମିତିକି କେଉଁ ଯୁଗଯୁଗର । ନିଦା, ନିବୁଜା, ଆରାମ । ପୁରୁଣା ଘରରୁ କିଛି ଭାଙ୍ଗିପଡ଼ିବାର ସେ ଦେଖିଛି । ଘର ନୁହେଁ, ଉଆଁସ । ଚୌଧୁରୀଘର ଉଆସ । ବଖୁରିମାନଙ୍କ ଆଗରେ ଭିତର ପିଣ୍ଡାଯାକ ମଧ୍ୟ କାନ୍ଥିଦେଇ ବନ୍ଦ ହୋଇଥାଏ । ସେଠି କେଉଁଠି ଗୋଟିଏ ଗୋଟିଏ ସ୍ଥାନରେ ଗୋଟିଏ ଗୋଟିଏ ଦୂଆର ମୁହଁ । ବାପା କହନ୍ତି, ଆଗେ ଆହୁରି ସେମିତି ସବୁ ଗଳି ପିଣ୍ଡା, ଗଳିଘର ଥିଲା, ଚିହ୍ନା ଲୋକବି ସେହି ଗୁମ୍ଫାପରି ବାରଣ୍ଡାମାନଙ୍କରେ ବାଟ ପାଆନ୍ତିନାହିଁ, ଦିନବେଳେବି ଡିବିରିଧରି ଯିବାକୁ ହୁଏ, ପୁଣି ତାଳି ମାରି ମାରି ଯିବାକୁ ହୁଏ, କାଳେ କେଉଁଠି ନ ନୁଆଣି ଥିବେ । ମୋଟା ମୋଟା କାନ୍ଥ । କେଉଁଠି କାନ୍ଥମାନଙ୍କରେ ବି ଖୋପ ଥିଲା, ମାଟି ତଳେ ପାତାଳ ଘର ଥିଲା, ତଳକୁ ପାହାଚ ପଡ଼ିଥାଏ । ସେମିତି ଅନ୍ଧାରୁଆ ପାତାଳ ଘରଭିତରେ ହାଣ୍ଡି ହାଣ୍ଡି ହୋଇ ଗୁଡ଼, ଆଚାର, ବଡ଼ି ଥୁଆ ହୋଇଥାଏ ସେ ଦେଖିଛି । ସେ ଘର ଭାଙ୍ଗିପଡ଼ିଛି ।

ସେମିତି ସେ ଦେଖିଥିଲା ଦାଣ୍ଡପାଖେ ଆଉ ଏକବିଚିତ୍ର ଘର, ବୋଉ କହୁଥିଲା ସେ କୁଆଡ଼େ ସେ ଯୁଗର ଜେଲ୍‌ଖାନା । ଭିତରପଟ କାନ୍ଥଗୁଡ଼ାକ ବଙ୍କା ବଙ୍କା ଟୋଲା ଟୋଲା ଯେମିତି ଡିମ୍ବଖୋଳ ଭିତରଟା | ତଳେ ଠାଏ ଅଣ୍ଟାଏ ଉଞ୍ଚ ବାଟମୁହଁ, ସେଇଠି କୁଆଡ଼େ ଏକ ମୋଟା ତମ୍ବା କବାଟ ବସିଥାଏ । ଦେଖିଲାବେଳକୁ ଉପରେ ଦେଢ଼ପୁରୁଷ ଉଚ୍ଚରେ ସାନ ସାନ ଜଳା । ସେ ଘରଟାର ଯୋଡ଼ାଏ କାନ୍ଥ ଦରଭଙ୍ଗା ଅବସ୍ଥାରେ ଥିଲା । ତା’ପରେ ସେ ଭୁଷୁଡ଼ି ପଡ଼ିଛି ।

ବରଷା ଅନ୍ଧାର ଭିତରେ ପୁରୁଣା ବିଛଣାର ଆରାମ ଅନୁଭବ କରୁ କରୁ ଛବିକୁ ଲାଗୁଥିଲା, ପୁରୁଷ ପୁରୁଷର ଜୀବନ ବଞ୍ଚିବାର ପୁରୁଣା ବାମ୍ଫି ଯେପରିକି ତାକୁ ଉଷୁମ ଦେଉଛି ଓ ତା ଆଗରେ ଅସ୍ପଷ୍ଟ ହୋଇ ଭାସି ଚାଲିଯାଉଛି । କୁଆଡ଼ ଆସିଥିଲା, କୁଆଡ଼କୁ ଚାଲିଯାଉଛି ସେ ! ଆଖିମାଡ଼ି ପଡ଼ୁଛି । ଦେହଟା ଯେପରିକି ବିଛଣାରେ ଦବି ଦବି ଯାଉଛି । କେଉଁ କାଳର ଶେଯ ହେଲାଣି । ଉପରୁ ଖୋଳଟା ଆଡ଼େଇଦେଲେ କେତେ ଦାଗ । ସେଥିରେ ଏକ ପୁରୁଣାପଣର ବାସ୍ନା ଅତି ଚିହ୍ନା ଚିହ୍ନା । ମନେ ପକାଇଦିଏ ସେହି ପୁରୁଣା ପୁରୁଣା ବକଳପରି ନାନା ପ୍ରକାର ହଜିଲା ଚିତ୍ରକୁ-ଭଙ୍ଗା ଘର, ଉଇଖିଆ କମକୂଟ ଝରକା, ରଙ୍ଗ ରଙ୍ଗ କାଠପେଡ଼ି, ପୁରୁଣା ସିନ୍ଦୁକ, ମୋଟା ମଣିଷପରି ଲମ୍ବ ଲମ୍ବ ଗଡ଼ୁଥିବା ମାଣ୍ଡିଗୁଡ଼ାକ ଦେହଯାକ ଛିଟ, ପୁରୁଣା ଆମ୍ବୁଲ ନଉତି, ପେଡ଼ିଭିତରେ ଖତର ହୋଇଥିବା ବନାରସି ଶାଢ଼ୀ, ସେଥିରେ ଝଲଝଲ ରୂପାର ଜରି, ବୋଉର ଜଡ଼ୋଉତ ନୋଥ, ଚଉଁରିଭୁଣ୍ଡୀ, ଚୁଆ ଚନ୍ଦନର ବାସ୍ନା.....

 

ଗୁର ଗୁର ବୋଲି ଡାକି ଡାକି ଡିବି ଧରି ଗୁରବୋଉ ଆସିଲେ ଖୋଜିବାକୁ, କହିଲେ, ‘‘କିଗୋ, ଅଖିଆ ଅପିଆ ଏତିକିବେଳୁ ଶୋଇପଡ଼ିଲ ମ ଝୁଅଟା, ଉଠ-ଉଠ ।’’ ଠେଲିପେଲି ଉଠେଇ ଦେଇଗଲେ । ସେମିତି ନିଦ ନିଶାରେ ସେ ବୋଉ ପାଖେ ଠିଆହେଲା । ‘‘କିଲୋ, ବସିପଡ଼ୁନୁ, ଠିଆଟାହେଇ ରହିଚୁ କାହିଁକି ? ହଉ ଯା ବାପା ଖାଇ ବସିଛନ୍ତି, ଲୁଣ ମାଗୁଛନ୍ତି ଦେଇଆ ।’’

 

‘‘ଲୁଣ ? ହଉ ।’’ ପୋଷେ ଲୁଣ ଅଜାଡ଼ିଦେଲା । ସେ ପାଟି କଲେ, ‘‘ତାକୁ ନିଦ ମାଡ଼ୁଛି, କାଇଁକି ତାକୁ କାମ ବତୋଉଚ ?’’

 

ନିଦ ନା କ’ଣ ଏ, ସେ ଜାଣେ ନାହିଁ । କେତେବେଳେ ନିଜେ ଯାଇ ଖାଇ ବସିଛି । ଅନୁଭବ କଲା, ପାଟି ରାଗ ଲାଗୁଛି, ଫୁଟଣରେ ପଡ଼ିଥିଲା ଗୋଟାଏ ଲଙ୍କାମରିଚ, ସେ ତାକୁ ମନଦେଇ ଲାଗି ପାଗି ବସି ଚୋବାଉଚି । କାନ୍ଦିବାକୁ ମନ ହେଲା, କିନ୍ତୁ ସେ କାନ୍ଦିଲା ନାହିଁ, ଆହୁରି ଭାତ ଗେବିଲା, ଶୁଣ୍ଠା ଶୁଣ୍ଠା । ପୁଣି ଅନୁଭବ କଲା, ସେ ତା’ର ବିଛଣାକୁ ଫେରି ଆସିଲାଣି । ଦେହକୁ ସେହି ଚିହ୍ନା ସ୍ପର୍ଶ, ପୁଣି ସେହି ବାସ୍ନା । କେତେଥର ମୁଣ୍ଡ ଦେଇ ଦେଇ କେତେ ବାସ୍ନା ଭେଦିଛି ଏ ତକିଆଟିରେ । ଲାଗିଲା, ମାଛ ତା’ର ପାଣିକି ଲେଉଟି ଯାଇଛି । ପରିସ୍ଥିତିରୁ ଅନୁଭୂତି ଗ୍ରହଣକରିବାକୁ ଯେତେ ତା’ର ସ୍ନାୟୁମାନ ସବୁ ଯେପରିକି ଏକାଠି ଚେଇଁଉଠି କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ନିଦରେ ଘାରିହୋଇ ଏକ ଚିହ୍ନା ଅବସ୍ଥାରେ ସେ ଚେଇଁଉଠିଛି । ପିଲାଦିନୁଁ ଏମିତି କେତେଥର । ପରକୁ ବୁଝାଇପାରିବ ନାହିଁ, ଅନୁଭବ କରିହେବ ।

 

ତା’ ମନର ଏହି ଅବସ୍ଥାରେ ପର୍ଯ୍ୟାୟକ୍ରମେ ରହିଯାଇଛି ତା’ର ଅତୀତ ଜୀବନର ଦିନ ଦିନକର ଭାବ ଅନୁଭୂତି, ଅଧାଚିଆଁ ମନ ଗହନତଳର, କେତେ କାହାଣୀ ସେ ଶୁଣିଛି ଆଉ ଗଢ଼ିଛି, ଦେହଟା ଏଇବିଛଣା ଉପରେ ଏମିତି ଥୋଇ ଦେଇ କେତେ ଦୂରକୁ ଚାଲିଯାଇଛି, ଥଳ କୂଳ ବେଳ ଟପି କାହିଁ କେତେ ଦୂରକୁ, ଆଉ ପୁଣି ଫେରିଆସିଛି ।

 

ଆଜିବି ସେହିପରି ।

 

ପାଖରେ ସେକରେ ବୋଉ ଆସି ଶୋଇଲାଣି । ଆର ଘରେ ବାପା । କିନ୍ତୁ କେବଳ ଏତିକି ନୁହନ୍ତି । ଆହୁରି କେତେ, ଅଗଣିତ କେତେ । ସେମାନେ ସେହି ସ୍ୱପ୍ନ ରୂପମାନେ । କାହାକୁ ସେ ଦେଖିପାରେ, କାହାର ବାସ୍ନା ବାରିପାରେ, କାହାର ସ୍ପର୍ଶ ସେ ପାଏ । ଚୁଆ ଚନ୍ଦନର ବାସ୍ନା ଚହଟାଇ ଏହି ଡିହର ପୂର୍ବବର୍ତ୍ତିନୀମାନେ, ଯୁଗ ଯୁଗର କେତେ କିଏ । ସ୍ମରଣରେ ବାଜେ ଝମର ଝମର ଚୁଡ଼ି ପାହୁଡ଼ର ଶବ୍ଦ । ଠକ ଠକ ଅବିରତ ପାନକୂଟା ଶବ୍ଦରେ ଶବ୍ଦରେ ତା’ର କଳ୍ପନାରେ ଗଢ଼ି ହୋଇ ଉଠନ୍ତି ବୁଢ଼ାବୁଢ଼ୀମାନେ, ନିସ୍ତବଧ ସଞ୍ଜରେ ଅନ୍ଧାରରେ ମିଶିଯାଇ ହଲଚଲ ନାହିଁ ବସି ପଡ଼ିଥାନ୍ତି ଯେତେବେଳେ ଦେଉଳିଆ ପାରାମାନେ, ବାଡ଼ର ବୁଦା ଆଉ ତୋଟାର ବଡ଼ ଗଛ ନିଥରିଲା ପରିବିଶ୍ରାମ ନେଇଥାନ୍ତି ସେତେବେଳେ ତା’ର ଚେତନା ଭିତରେ ଚହଳ ପକାଇ ଦେଉଳର ଘଣ୍ଟମାଦଳ ବାଜିଉଠନ୍ତି, ସେ ଦେଖେ ମାଳମାଳ ହୋଇ ଆଳତି ଦୀପ | ଆଉ ଦିଶେ ଗଦାଗଦା ତାଳପତ୍ର ପୋଥି ଗାଦିମାନ, କମକୂଟ ହୋଇଥିବା ବଡ଼ ପିଲିସଜରେ ପୁରୁଣା ଜଡ଼ାତେଲରେ ପଡ଼ି ମୋଟ ସଳିତା ଜଳେ, ପୋଥିର ଦୁନିଆଁ ଆଲୁଅରେ କୁଦା ମାରେ, ବ୍ୟାସାସନରେ ଥୁଆହୋଇ ରହେ ଖୋଲାପୋଥି, ପଢ଼ା ହୁଏ, ହାତକୁ ହାତ, ଯୁଗକୁ ଯୁଗ, ପୋଥି ପଢ଼ି ପଢ଼ି କାହାର ଆଖି ରହିଯାଏ, ହାତ ଥରେ, ପୁଣି ପାରାଆଖିପରି ତେଜି ଆଖିରେ ପୋଥି ପଢ଼ା ହୁଏ, ଟାଣ ମୁଠାରେ ବନ୍ଧା ହୁଏ ଡୋର ।

 

ପୁରୁଣା ହୋଇ ବଇତମ ହୋଇଯାଇଥିବା ଗଦାଗଦା ତାଳପତ୍ର ଭଉଁରିଆ ଆଉ ବଂଶାନୁବଳୀ ଯେପରିକି ପୁରୁଣା କାହାଣୀକି ପୁଣି ନୂଆକରି ରୂପଦେଇ ଛାଡ଼ି ଦିଅନ୍ତି କଳ୍ପନାରେ, ଲୁଦର ଲୁଦର ବଇତମ ହୋଇଥିବା ପୋଥି ପାଣିକି ଯିବାର ସେ ଦେଖିଛି, ପୁଣି ସେ ଫେରିଆସେ ନୂଆ ହୁଏ । ପିଲାଦିନେ ଦେଖିଥିଲା । ପୁରୁଣା ପାଲିଙ୍କିର କାରୁକାର୍ଯ୍ୟମୟ କାଠର ମଗରମୁହଁ, ପାଲିଙ୍କିଟା ଯେପରିକି ନୂଆ ହୋଇ ଗଢ଼ା ହୋଇଯାଇଛି, ବନାଉତ କନା ପଡ଼ି ସଜାହୋଇଛି, ନାନା ଜାତି ଫୁଲି ଆଉ ଝରା ଲାଗିହୋଇ, ସେଥିରେ ମଣିଷ ଯା ଆସକରିଛନ୍ତି ପାଗପଟୁକା ଭିଡ଼ି, ପୁରୁଣାକାଳର ଜାତିଜାତିକା ପୋଷାକ ପିନ୍ଧି, ହାର ବାହୁଟି କୁଣ୍ଡଳ ନାଇ ଯା ଆସ କରନ୍ତି ଚୌଧୁରୀ ଉତାରୁ ଚୌଧୁରୀ, କିଏ ପାଲିଙ୍କିରେ କିଏ ଅବା ଘୋଡ଼ାଚଢ଼ି । ସୁନାପରି ଝଟକୁଥାଏ ସେସବୁ ଦୀର୍ଘ ଦେହ, ଛବି ସେମାନଙ୍କ ବାଇସ୍କୋପ୍ ଦେଖେ । ଦେଖେ ଦଳ ଦଳ ବୋହୂଝିଅଙ୍କୁ, ମା’ମାନଙ୍କୁ, କିଏ ପିଲାକୁ କ୍ଷୀର ଦେଉଛି, କିଏ ଗୋଡ଼ରେ ଶୁଆଇ ହଳଦୀ ଇଗାଇ ଦେଉଛି, କିଏ ରନ୍ଧାବଢ଼ା କରୁଛି, କେଉଁମାନେ ତାସ୍‍ ଖେଳୁଛନ୍ତି କିଏ ବା ବସି ପୋଥି ପଢ଼ୁଛନ୍ତି, କିଏ ଚିତ୍ର ଆଙ୍କୁଛନ୍ତି । ରୋଗ ଶୋକ ବାର୍ଦ୍ଧକ୍ୟ ମୃତ୍ୟୁ ଦେଖେ, ସନ୍ତାନ ଜନ୍ମ ଦେଖେ । ନାନା ଚେହେରାର ନାନ ଭଙ୍ଗୀରେ, ଯା’ ଆସରେ ତା’ର କଳ୍ପନାପୁରୀ ଗହଳି ହୋଇଉଠେ । କେଉଁ ମହଁକୁ ସେ ଆଖି ଆଗରେ କିଛିବେଳ ରଖି ଦେଖେ, କିଏବା ଚାହୁଁ ଚାହୁଁ ଅନ୍ତର୍ଦ୍ଧାନ ହୋଇଯାଏ । ସେମାନଙ୍କ ସହିତ ଆପଣାପରିବେଷ୍ଟନୀକୁ ମିଳାଇ ମିଳାଇ ସେ ଦେଖେ, ମନ ଖିଆଲରେ ରୂପ ଦେଖେ ଆଉଭାବେ ସେ ଠିକ୍ ଏଇ ଜାଗାରେ ଏଇ ଖଟଉପରେ ସେମାନେ ଶୋଇ ଶୋଇ ଗଲେ । ଏଇ କାନ୍ଥରେ ତାଙ୍କରବି ନିଶ୍ୱାସ ବାଜିଥିବ, ଯେପରି ତା’ର ବାଜୁଛି । ଏ ଘରବି ସେମାନଙ୍କର ।

 

ଏମିତି ଏଇ ଖଟରେ ଶୋଇ ଶୋଇ ସେମାନେବି ଭାବିଥିବେ, ସ୍ୱପ୍ନ ଦେଖିଥିବେ । ଗତ କାଲିପାଇଁ ଦୀର୍ଘଶ୍ୱାସ, ଆସନ୍ତାକାଲିପାଇଁ ଆଶା, ଏମିତି ଗୋଟିକ ପରେ ଗୋଟିଏ କରି ମାଳି ଗୁନ୍ଥୁ ଗୁନ୍ଥୁ ମାଳିଟି ସରିଯାଇଥିବ ତାଙ୍କର, ଝଡ଼ି ପଡ଼ିଥିବ ଦେହ, ତା’ପରେ ଆଉ ଜଣେ, ତା’ପରେ ଆଉ ଜଣେ । ଚଟାଣରେ ଏଇ ଯେଉଁ ମାଟି, କେତେ ପୁରୁଷଙ୍କ ପାଦସ୍ପର୍ଶ ସେ ପାଇଛି, କାହାର ଦୁଲୁ ଦୁଲୁ ଦମ୍ଭ ପାଦ, କାହାର ଅତି ହାଲୁକା, କ୍ଷୀଣ । ଗୁରୁଣ୍ଡିଲାଠୁ ଘୁଷୁରିଲାଯାକେ ପୁରୁଷ ପୁରୁଷବିତିଯାଇଛି ଏହି ମାଟିରେ ।

 

ଯୁଗ ପରେ ଯୁଗ ମଣିଷ ଦେହର ସ୍ପର୍ଶ ପାଇଛି ଏ ମାଟି, ମାଟି ପଡ଼ିରହିଛି, ମଣିଷ ଚାଲିଯାଇଛନ୍ତି ।

 

ମନ ଖିଆଲରେ ସେହି ବନ୍ଦୀଘରର କରୁଣ କାହାଣୀ ମନେ ପକାଏ, ଯେତେବେଳେ ଏ ଘରେ ବଡ଼ଲୋକ ଥିଲେ ସେତେବେଳେ ସେଇଟା ଥିଲା ତାଙ୍କ ବଡ଼ପଣର ଏକ ପ୍ରମାଣଚିହ୍ନ । ଆଜି ସମୟର ଏତେ ଦୂରତାରେ ପଛକୁ ଅନୁମାନ କଲାବେଳକୁ ଭଉଁରିଆର ବଂଶାନୁବଳୀ ଯେତେବେଳକୁ ସମୟ ଚରିଯାଇଛି ସେତେବେଳକୁ ସେହି ଗୋଲଘରର ବନ୍ଦୀମାନଙ୍କ କାହାଣୀବି ହଜିଯାଇଛି ପୁଣି ବଡ଼ଘରର ବଡ଼ଲୋକମାନଙ୍କ ବଡ଼ ଇତିହାସ, କିନ୍ତୁ ସେତେବେଳେ ତା ନଥିଲା ସେତେବେଳେ ସେହି ବଡ଼ ଘରର କାହାଣୀହିଁ ନାଁ ଡାକ୍ ହୋଇଥିଲା । ବନ୍ଦୀଘରର କାହାଣୀ ନିଶ୍ଚୟ କେହି ମନେ ରଖୁ ନଥିଲେ ।

 

ସେହି ପଲ ପଲ ବନ୍ଦୀଙ୍କ ଶୁଖିଲା ମୁହଁ ଯେପରିକି ସେ କଳ୍ପନାରେ ଦେଖିପାରୁଛି । ଦେଖିପାରୁଛି ସେହି କୋରଡ଼ ଆଖିର ନୀରବ ଅଭିଶାପ, ଯୁଗଯୁଗକୁ । ଉପାସ ଭୋକରେ କଇଦୀଘରେ ଫୋପଡ଼ା ହୋଇ ମାଡ଼ ଖାଇଖାଇ କେତେ ଟାଣୁଆ ଆଣ୍ଟ ଭାଙ୍ଗିଯାଇଛି । କେତେ ଜୀବନ ଶୁଖି କାଳ ହୋଇଛି । ଛିଣ୍ଡାପିନ୍ଧା ଉପାସ ନୋଳାଫଟା ବନ୍ଦୀ ପଲପଲ, ନିବୁଜ ଗୋଲଘର ମଣିଷକୁ ପେଷି ଗୁଣ୍ଡାକରିଛି, ଯେମିତି ଚକି ପେଷେ । ସେହି ହାଡ଼ପେଷା କଳ ସାହାଯ୍ୟରେ କେତେ ସ୍ୱେଚ୍ଛାଚାରୀଙ୍କ ବାଟ ସରଳ ହୋଇଥିବ, ହାତ ଟାଣ ହୋଇଥିବ, ଡରେଇ ଦବେଇ ସାଧ୍ୟକରି ଅମଳକରି ଯାଇଥିବେ ସେମାନେ ଏ ପୃଥ୍ୱୀକୁ, ଓଟାରି ହୋଇ ଆସିଥିବ ଧନଦରବ, କାହା ପରାଘର ଆଗଛମାରୁ ଭାଡ଼ିରୁ ଲାଉ କଖାରୁ, ଗୁହାଳିରୁ ଗୋରୁ, ଛେଳି, କେଉଁ ଯକାଯକି ଗାଁ ଖୋଲିରୁ ପଲ ପଲ ବେଠିଆ ଚାକିରିଆ, କାହା ଘର ଧନ ସମ୍ପତ୍ତି, କେଉଁଠୁ ବା କ’ଣ । ସାଆନ୍ତମାନଙ୍କ ବଡ଼ତି ଯଶ ଡରୁଆ ପାଟିରେ ଗାଇ ଗାଇ ସେମାନେ ଦିନ ଗଣି ଗଣିବିତେଇ ଦେଇଥିବେ । ଛବିର ବାପା କହନ୍ତି କେତେ ପୁରୁଣା କଥା, ହୁଏତ ସତ ହୋଇଥିବ ସେସବୁ, ଖାଲି କାହାଣୀ ନୁହେଁ ।

 

କିନ୍ତୁ ସମସ୍ତିଙ୍କର ନଥିବ ଖାଲି ପଥର ହୃଦୟ, ଉଦାର ଲୋକେବି ଥିଲେ ତା’ର ନିଜର ଅତୀତର ପରମ୍ପରା ଇତିହାସରେ-ଅତି କଅଁଳ ମନ ଘରର ରାଣୀମାନେ, ଗୋବିନ୍ଦଚନ୍ଦ୍ର ଗୀତ ଶୁଣିଲେବି ଯାହାଙ୍କ ଆଖିରୁ ଧାର ଛୁଟେ, ଆଉ ବିଚାରମନ୍ତ ଉଦାରହୃଦୟ ଗୃହସ୍ଥମାନେ, ବାପାଙ୍କଠୁଁ ଶୁଣିଛି ଏପରିବି ଥିଲେ କେହି କେହି ଯେ ଗାଁଯାକ ଲୋକଙ୍କ ଖିଆପିଆ ସରିଛିବୋଲି ନ ଶୁଣିଲେ ସେମାନେ ଭାତଥାଳି ପାଖେ ବସୁ ନ ଥିଲେ, ତାଙ୍କର ପଣ ଥିଲା ଗାଁରେ ଜଣେବି ଉପାସ ରହିଲେ ସେ ଭାତ ଖାଇବେ ନାହିଁ । ସେହି ଯେଉଁମାନେ ଲୋକଙ୍କ ଖୋରାକି ବୁଝୁ ବୁଝୁ ଗୋଟିକ ପରେ ଗୋଟିଏ ହୋଇ ହୋଇ ସବୁ ଜମିଦାରୀ ପରିହାତକୁ ଚାଲିଗଲା । ସେପରି ଲୋକବି ଥିଲେ ଏ ଘରେ ।

ଅନ୍ଧାରରେ ଟିକିଏ ଆଖି ବୁଜିଲେ ସତେକି ସେମାନେ ଚମକି ଆସନ୍ତି । ସେ ସେମାନଙ୍କୁ ଡରେ ନାହିଁ, ସେହି ସ୍ୱପ୍ନପରି ଅଧାଚିଆଁରେ ସେ ତାଙ୍କୁ ଦେଖିପାରେ ଆଉ ସେମାନେ ଯେପରିକି ତା ଆଗରେ ଇଚ୍ଛା ବଖାଣନ୍ତି ଯେ ସେମାନଙ୍କର ପ୍ରକାଶ ଦରକାର, କେହି ଜଣେ ତାଙ୍କୁ ଦେଖିଚାହ୍ନିଁ ପଦାରେ କହନ୍ତା–ଏମାନେ ହଜି ନାହାନ୍ତି, ଦିନେ ଏମାନେ ଥିଲେ, ଏବେବି ତାଙ୍କ ସ୍ମୃତି ଅଛି ।

ସେ ସ୍ମୃତିରେ ସାଧାରଣ ଜୀବନଯାପନ ହିଁ ବେଶୀ ଲୋକଙ୍କର ଇତିହାସ, ହଟଚମକ ନାହିଁ । ତାଙ୍କର ସେହି ଘରକରଣାର ସୁସ୍ଥି ଜୀବନ । ସ୍ତ୍ରୀଲୋକମାନଙ୍କର ରୋଷେଇ, ପାନଭଙ୍ଗା, ପିଲା ପାଳିବା, ଘର ସମ୍ଭାଳିବା । ଏହାରି ଭିତରେ କେବେ କଦବା ଜଣେ କାହାରି ଏ ପାଖ ସେ ପାଖ, ତା ସାଧାରଣ ନୁହେଁ । ଘର ଭାଙ୍ଗିପଡ଼ିଛି, ସଂସାର ଭାଙ୍ଗିନାହିଁ । ସେହି ସଂସ୍କାର ଭିତରେ ତାକୁବି ଦିନବିତେଇ ଯିବାକୁ ପଡ଼ିବ । ପୁରୁଣା ପ୍ରଥାର ପିତୁଳା କଣ୍ଢେଇ ହୋଇ ହୋଇ । ସେମିତି ସେ ବି ନାକକାନ ଫୋଡ଼ି ଚିତ୍ରବିଚିତ୍ର ହୋଇ ନିର୍ଜୀବ ଅଳଙ୍କାରରେ ବୋଝ ଝଣ ଝଣେଇ ହାତେ ଲମ୍ବର ଓଢ଼ଣା ଓହଳେଇ ଏକର ସେକର ମୁଣ୍ଡ ହଲେଇ ହଲେଇ ପରଘରକୁ ଯିବ, ସେଠି ତା’ର ଦଖଲକାର ଚାଲିଆସିବେ । ଆଖିବୁଜି ତାଙ୍କୁ ହିଁ ଅନୁସରି ସେ କଳପରି ଚାଲିଥିବ ଜୀବନଯାକ । କାରଣ ଏ ସମାଜ ଏପରି ହିଁ ଚାହେଁ । କିନ୍ତୁ ସମାଜ ବୋଇଲେ କିଏ ? କ’ଣ ମିଳିଛି ଯୁଗ ଯୁଗର ଏତେ ସୁବୋଧ ପଣରୁ କାହାକୁ ? ଅତ୍ୟାଚାରୀବି ଭୁଲି ହୋଇଛି ପୁଣି ସନ୍ଥବି । ଶାନ୍ତିରେ ଜୀବନ ବିତାଇଛନ୍ତି ସେହିମାନେ ଯେ ତ୍ୟାଗୀ, ପରୋପକାରୀ, ନିର୍ମଳମନ । ଜୀବନର ସୁଆଦ ସେହିମାନେହିଁ ପାଇଛନ୍ତି । ଅନ୍ୟମାନେ ଯେଡ଼େ ନାଁ ଡାକ ହୁଅନ୍ତୁ ପଛେ, ସେମାନେ ଜୀବନ ଭିତରେ ଆଖିକାନ ବୁଜି ଋଲିଯାଇଛନ୍ତି । ଜୀବନ ବଞ୍ଚି ନାହାନ୍ତି । ଧନ ସଞ୍ଜି ସଞ୍ଚି ଯକ୍ଷ ହୋଇଛନ୍ତି ପଛେ, ଧନ ବାଣ୍ଟିଦେଇ ଅଭାବୀ ଲୋକଙ୍କୁ ହସେଇ ହସେଇ ଧନ୍ୟ ହୋଇ ନାହାନ୍ତି ।

ତା’ର ସ୍ୱପ୍ନ ଭିତରେ ଅତୀତର କେଉଁ ଯୁବତୀ ପ୍ରପିତାମହୀ ଯେପରିକି ତାକୁ ହସି ହସି ବୁଝାଉଛି । କେଡ଼େ ସୁନ୍ଦର ତା’ର ରୂପ, କେଡ଼େ ଉଦାର ନିର୍ଭୀକ ତା’ର ମୁହଁ, ଯେପରିକି ତା’ର ଅତି ଚିହ୍ନା ସେହି ଖଟଖୁରାରେ ଖୋଳା ହୋଇ ରହିଥିବା ଚିତ୍ରଟି ଏହାରି ପ୍ରତିକୃତି । ହସି ହସି ସେ ଯେପରିକି କହୁଚି-ତୋ ପରମ୍ପରାରେ ଠାଏ ମୁଁବି ଥିଲି, ସବୁଦିନେ ତୋ ପରମ୍ପରାରେ ଖାଲି ସୁବୋଧ ହଁ ଭରିବା ମଣିଷହିଁ ନଥିଲେ ଖାଲି ଓଢ଼ଣା ଓହଳେଇ ଚୁ ଚୁ ହେବା ଲୋକ । ଆମେ ସ୍ୱାଧୀନଭାବେ ଭାବୁଥିଲୁଁ, ବୁଝିବିଚାରି କାର୍ଯ୍ୟ କରୁଥିଲୁ । ଆମେ ବୁଝିଥିଲୁ, ମଣିଷ ଯଦି କାହା କାମରେ ନ ଆସି ପାରିଲା, ତା’ର ଜୀବନ ବୃଥା । ଅତି ବେଶୀ କୁହାର ବୋଲର ହେଲେ ମଣିଷ କଣ୍ଢେଇ ପାଲଟି ଯାଏ ।

ମନେ ମନେ ଉପଦେଶସବୁ ସେ ଗିଳି ପକାଉଛି । ଅନ୍ଧାର ଘୋଡ଼ିହୋଇ ମାଟି ଆଶା ଓ ମୁକ୍ତିର ସ୍ୱପ୍ନ ଦେଖୁଛି । ତା’ର ନୂଆ ବ୍ୟକ୍ତିତ୍ୱ ଫୁଟି ଉଠୁଛି ।

ଏମିତି ନ ଥିଲା ସେକାଳର ସମାଜ । ଛବି ନିଘୋଡ଼ ନିଦରେ ପଡ଼ି ସ୍ୱପ୍ନ ଦେଖୁଥିଲା । ଏମିତି ନଥିଲା ଯେ ସବୁ କଥାରେ ମା’ର ପଣତ କାନିରେ ବନ୍ଧା, ସବୁଆଡ଼େ ଅଟକ, କଟକଣା ଆଉ ଡର, ଅଳସେଇ ହେବାପାଇଁ ହରିନାମ ଭଜନ, କାମକରିବାପାଇଁ ନୁହେଁ ।

ଘୋଡ଼ାରେ ଚଢ଼ି ଅତି ସୁନ୍ଦର ଅଳଙ୍କର ନାଇ ବର୍ଚ୍ଛା ଖଣ୍ଡା ଖେଳ ଖେଳୁଥିଲେ ସୁନା ବର୍ଣ୍ଣର ପ୍ରପିତାମହୀମାନେ । ସ୍ଵାଧୀନଭାବେ ଚଲାବୁଲା କରୁଥିଲେ । ପୁରୁଷଙ୍କ ସହିତ ତାଙ୍କର ସମାନ ଆସନ ଥିଲା । ସେମାନେ ପରିଶ୍ରମୀ ଥିଲେ, ପଣ୍ଡିତ ଥିଲେ, କଳାବତୀ ଥିଲେ । ବିଶେଷତ୍ଵ ଥିଲା ତାଙ୍କ ସଦ୍‌ବିଚାର । ତାହାରି ବଳରେ ସମାଜକୁ ସେମାନେ ପ୍ରଭାବିତକରି ରଖିପାରୁଥିଲେ ଯେ ସେ ସମାଜରେ ସ୍ୱାର୍ଥପରତା ଊଣା ପଡ଼ିଯାଇଥିଲା, ଲୋକେ ଆଗ ପର କଥା ଭାବୁଥିଲେ, ପଛେ ନିଜକଥା । ସମାଜ ସୁସ୍ଥ ଥିଲା । ସେମାନେବି ଚାଲୁଥିଲେ, ରହୁଥିଲେ ଏଇ ମାଟି ଉପରେ, କିପରି ସମାଜ ଗଢ଼ିଲେ କେହି କାହାକୁ ନ ହିଂସି ସୁଖରେ ରହିବେ, କିପରି ଜୀବନ ବଞ୍ଚିଲେ ଦୁଃଖ ଆଉ ପାଖ ପଶିବ ନାହିଁ, ସେବିଷୟରେ ଚର୍ଚ୍ଚା କରୁଥିଲେ ଏଇଠି ବସି, ଏଇ ଗାଁରେ, ଏମିତି ଘରେ-

 

ତା ବାପା କହୁଥିଲେ ଏମିତି କାହାଣୀ । ସେ ଇତିହାସ ।

 

କିନ୍ତୁ ସେ ଦେଖୁଛି ସ୍ୱପ୍ନ । ତା’ର ଚିହ୍ନା ଦୁନିଆଠୁଁ ଭିନେ ସେ । ସେଠି ଗାଁ ବାଡ଼ର ଟିକି ମନର ମାହାଳିଆ ଅପବାଦ ନାହିଁ, ଛିଆଛିକର ଲାଜ ଡର ନାହିଁ । ସେ ମନଖୋଲି କହିପାରୁଛି, ‘‘ମୁଁ ଏଇ ଜଣକୁ ଭଲପାଏ, ସେ ମୋର ସ୍ୱାମୀ ।’’

 

ସେହି ସ୍ୱପ୍ନ ଭିତରେ ରବିର କରପଟିଆ ପାଖେ ପାଖେ ବାଟ ଚାଲିଲାବେଳକୁ ତାକୁ ଆଦୌ ସଙ୍କୋଚ ଲାଗୁନାହିଁ । ସେମାନେ ଚୋରିପରି ଆଦୌ ଲୁଙ୍ଗୁଡ଼େଇ ଲୁଙ୍ଗୁଡ଼େଇ ଯାଉନାହାନ୍ତି-। ହେଇ ବାଟ ଚାଲିଛନ୍ତି ସେମାନେ । ଗାଁ ଦାଣ୍ଡରେ, ନଈ ବନ୍ଧରେ, ଲୋକ ଗହଳିରେ-। ଅତି ଚିହ୍ନା, ଅତି ସାଧାରଣ ଏ ବାଟଚଲା, ଯେମିତିକି କେଉଁ ଜନ୍ମଜନ୍ମାନ୍ତରରୁ ଚିହ୍ନାଜଣା, ନୂଆକଥା ନୁହେଁ । ସାନ୍ନିଧ୍ୟ ଓ ସାହଚର୍ଯ୍ୟଯୋଗୁଁ ଆନନ୍ଦ ଲାଗୁଛି କିନ୍ତୁ ସେଥିରେ ଆଖିରେ ଗୋଳିଆ ମୋହ ଲାଗିଯାଉନାହିଁ । ଯେପରିକି ମୋହ ଓ ଆବେଶର ବେଳ କାହିଁ ପଛେଇ ଯାଇଛି, ସେ ଅତି ପୁରୁଣା କଥା । ସ୍ଵାମୀ ସହିତ ସହଧର୍ମିଣୀ ହୋଇ ସେ ମିଶିପାରୁଛି । ତାଙ୍କୁ କାର୍ଯ୍ୟରେ ସାହାଯ୍ୟ କରିପାରୁଛି, ଯେପରିକି ଅନୁମାନ କରିପାରୁଛି, ତାଙ୍କ ମନକଥା ସେହି ଉତ୍କଳ ମୁହଁର ଆଶା ଓ ସେ ହସର ଉଦେଶ୍ୟ ସେ ଛାଁ’କୁ ଛାଁ । ଅନୁମାନ କରିପାରୁଛି ।

 

ରବିର ଆଖିରେ ତା’ର ଆଖି ମିଶିଯାଉଛି, ତା’ର ମନ ଗହୀରରେ ସେ ପଢ଼ୁଛି ସେହିକଥା–ଜଗତ ହସୁ, ସେଉଠୁ ଆମେ ହସିବା, ତା ଆଗରୁ ନୁହେଁ । ଦୁନିଆରେ ଏତେ ଦୁଃଖୀ ରଙ୍କି, ଏତେ ଅନ୍ୟାୟ ଅବିଚାର, ସେଥିକି ଆମର କରିବାର କିଛିନାହିଁ ! ଖାଲି ପଶୁପରି ଜୀବନ ବଞ୍ଚିବା, ସେଉଠୁ ଟଳିପଡ଼ିବା ! ନା, ଆମେ ଗଢ଼ିବା ଏମିତି ସମାଜ ଯେଉଁଠି ଅଭାବ, ଅସମତା, ଅଳସ କି ଅନ୍ୟାୟ କିଛି ନଥିବ, କେହି ଉପାସରେ ରହୁ ନଥିବେ । ଗାଁଯାକର ସମ୍ପତ୍ତି ଗାଁଯାକ ଲୋକଙ୍କର ହେବ । ସବୁ ସମସ୍ତିଙ୍କର, ସବୁ କୋଠା ଦୁନିଆଯାକର ଧନ ଅଳ୍ପ କେଇଜଣଙ୍କ ନାଁ । ମୋହର ମାରି ଗଦାହୋଇ ରହିବନାହିଁ, ସମସ୍ତଙ୍କର କାମରେ ଲାଗିବ । ସେମିତି ଦୁନିଆଁ ଆମେ ଗଢ଼ିବା, ଯେଉଁଠି ସମସ୍ତେ ଭାଇ ଭାଇ, ପୃଥିବୀର ଏମୁଣ୍ଡରୁ ସେମୁଣ୍ଡଯାକେ । ଅକାମୀ ଜମିକି କାମ କରିବାକୁ କୋଡ଼ି ଧରିଲେ ସେହି ଶ୍ରମ ହିଁ ହେବ ଆମ ମିଳନର ପତ୍ତନ, ଆମର ଝାଳ ସେହି ଏକା ମାଟିଉପରେ ପଡ଼ିବ କାହାର ନା କାହାର ଉପକାର ହେବବୋଲି । ଦୁହେଁ ମିଶି ଧୋଇ ପୋଛି ସଫା କରୁଥିବା ଯେତେବେଳେ ବାଟଘାଟକୁ, ଦୁହେଁ ଯେତେବେଳେ ଉଜାଗର ରହି କୌଣସି ଅରକ୍ଷ ରୋଗୀର ସେବା କରୁଥିବା, ସେହି ହେବ ଆମ ମିଳନ । ଆଉ ଯେତେବେଳେ ଆମ ଭିତରୁ ଯେ ଯେଉଁଠି ଥାଉ ପଛେ, ଦୁହିଁଙ୍କ ଆଖିରୁ ଝରୁଥିବ ଯେତେବେଳେ ଟପ ଟପ ଲୁହ ମଣିଷର ଦୁର୍ଦ୍ଦଶା କଥା ଭାବି ଭାବି, ସେହି ହେବ ଆମର ମିଳନର ମାଧ୍ୟମ, ସେହି ଆମର ଏକ ଲକ୍ଷ୍ୟ ଏକାମୁହାଁ ଉଦ୍ୟମ, ଏକ ଆଦର୍ଶ, ଏକ ବିଶ୍ୱାସ ।

 

ତା’ର ବାଁ ହାତ ପାପୁଲିକି ଆସ୍ତେ ଚିପିଦେଉଛି ସେ, ତା’ର ଦେହ ଭିତରଯାକ ତାତି ଖେଳିଯାଉଛି । ଖେଳିଯାଉଛି ଆଶା ଓ ଉତ୍ସାହ, ଜଣକ ମନର ଅଜସ୍ର ଅକୁହା କଥା ସେତିକିରେ ଯେପରିକି ଝରିପଡ଼ୁଛି ଆରଜଣକର ସ୍ନାୟୁଭିତରକୁ ।

 

ଆଖି ଆଗରେ କେତେ ଦେଶର କେତେ ଦୃଶ୍ୟ ଖେଳିଯାଉଛି । ବ୍ୟାପ୍ତି ଉତ୍ତାରୁ ବ୍ୟାପ୍ତି । ଦୂରର ହଜିଲା ଗାରପରି ଦିଗ୍‌ବଳୟଯାକେ ଚାଲିଛି ମାଟି, କେଉଁଠି ସମତଳ କେଉଁଠି ଢେଉପରି ହୋଇ, ଉପରେ ଆକାଶ, ତା’ର ଅନ୍ତନାହିଁ । ସେ ଗାଁଗଣ୍ଡା ତୋଟାମାଳ ଦେଖୁଛି, ପୁଣି ଦେଖୁଛି ଅନ୍ଧାର ଭିତରେ ମିଞ୍ଜିମିଞ୍ଜି ତାରାପରି ସହରର ଆଲୁଅ ମାଳ ମାଳ । ସମୟ ବଦଳୁଛି, ସ୍ଥାନ ବଦଳୁଛି, ଆଉ ସେ ଦେଖୁଛି ଦଳ ଦଳ ହସହସ ମଣିଷ, ଶହ ନୁହଁ, ହଜାର ହଜାର । ସେମାନେ ହସି ହସି ଏକାଠି ମିଳିମିଶି କାମକରୁଛନ୍ତି, ପୁଣି ଫୁର୍ତ୍ତି ଆନନ୍ଦ କରୁଛନ୍ତି । ଚାରିଆଡ଼େ ଫସଲଭର୍ତ୍ତି କ୍ଷେତ୍ର, ହସଖୁସି ମଣିଷ ଆଉ ବଡ଼ ବଡ଼ ଘରଭର୍ତ୍ତି ଗାଁ, କୋଶ କୋଶ ତୋଟା, ସମସ୍ତେ ପ୍ରଚୁର ଖାଇବାକୁ ପାଉଛନ୍ତି, ସମସ୍ତେ ପରସ୍ପରକୁ ଭଲପାଉଛନ୍ତି, ଅଶାନ୍ତି ନାହିଁ, ହିଂସା ନାହିଁ । ଆକାଶରେ ପ୍ରକାଣ୍ଡ ଇନ୍ଦ୍ରଧନୁ ପଡ଼ିଛି, ତଳେ ସବୁଜକ୍ଷେତ, ସବୁଜ ବଣ, ଆକାଶଯାକ ଦଳଦଳ ଚଢ଼େଇ ଚାଲିଛନ୍ତି ଲଗାଲଗି ହୋଇ, ଡେଣାକୁ ଡେଣା ମେଲିଦେଇ, ହଜାର ହଜାର ଧଳା ପାରା ଉଡ଼ିଗଲେ, ଗଲେ ହଜାର ହଜାର ଶୁଆ, ପଛକୁ ପଛ ଲଗାଲଗିହୋଇ ଆକାଶ ଭର୍ତ୍ତିକରି ଗଲେ ଦଳକୁ ଦଳ ହଂସ, ଯେମିତି ଚିଲିକାଆଡ଼କୁ ଯାଆନ୍ତି ଶୀତଦିନେ । ଚଢ଼େଇ ଚାଲିଛନ୍ତି, ବାଜ ଛଞ୍ଚାଣ ନାହାନ୍ତି । ହଜାର ହଜାର ମିରିଗ ଧାଇଁଛନ୍ତି ଖୁସିରେ, ବାଘ ଭାଲୁ ନାହାନ୍ତି । ତଳେ ଫସଲ କି ସୁନ୍ଦର ! ଆଉ ଅତଡ଼ି ତଳେ ବାଙ୍କ ବୁଲି ବୁଲି ନଈଟି । ଆଉ ଇନ୍ଦ୍ରନୀଳବର୍ଣ୍ଣର ଅସରନ୍ତି ଆକାଶ, ଆଉ ତା ତଳେ ସୁସ୍ଥ ଶାନ୍ତ ହସହସ ମଣିଷ ଦଳଦଳ, ସବୁଠୁ ସୁନ୍ଦର ସେମାନେ, ନିର୍ଭୀକ ନିଶ୍ଚିନ୍ତ ମଣିଷ ସମାଜ, ଯେଉଁଠି ଜଣକପାଇଁ ହୁଅନ୍ତି ସମସ୍ତେ ।

 

ଫୁଲଶରା ଗାଁରେ ବାରମାଣିଆ ଉପରେ ଠାଏଲାଗି ପଡ଼ିଥାନ୍ତି ଶାବଳ ଆଉ ଫାଉଡ଼ା ନେଇ ଦଳେ, ତା ଭିତରେ ପାଇକଛା ମାରିଦେଇ ମୁଣ୍ଡରେ ଠେକା ବାନ୍ଧି ବଇ ମଳିକ,ବିଶି ପାଣ, ଧୋବେଇ ମିଶ୍ର, ଅପର୍ତ୍ତି ସୋଇଁ ଆଦି । ଚାରିଆଡ଼େ ପନିପରିବା କ୍ଷେତ, ମଝିରେ ଏଇ ଅରାକ ଟାଙ୍ଗରା ଅଛି, ଖାଲି ପଥର । ଜୋରରେ ଜୋରରେ ବଇ ମଳିକ ମାରିଲା ଶାବଳ ଗୋବ ଠାଏ, ପଥର ଉଁ କି ଚୁଁ କଲା ନାହିଁ ।

 

‘‘ସେମିତି ହେବ ନାଇଁ ବଚ୍ଚ, ଭେଦ ଥାନ ଖୋଜିବାକୁ ପଡ଼ିବ’’, ଧୋବେଇ ମିଶ୍ର କହିଲେ, ‘‘ପଥର ଯେଡ଼େ ଟାଣ ହୋଇଥାଉ ପଛେ ଖୋଜୁ ଖୋଜୁ ଭେଦିବାକୁ ଥାନ ଠାଏ ମିଳିବ, କେଉଁଠି ଫାଟ, କି କେଉଁଠି ପଥରରେ ଦୁର୍ବଳିଆ ଜାଗା, କଅଁଳ ଜାଗା, ଖାଲି ଝୁରଝୁରା, ଏମିତି ।’’

 

‘‘ଉପରୁ ମାଟି ଆଡ଼େଇ ଦେଉ ଦେଉ ବିଶି କହିଲା, ‘‘କ’ଣ କହିଲ ? ଭେଦ ଥାନ । ସତ । ଗାଁ ମେଣ୍ଟରେବି ଭେଦ ଥାଏ, ଘରେ ପାଞ୍ଚପ୍ରାଣୀ କୁଟୁମ୍ବ ଭିତରେବି କେହି ଭେଦୁଆ ଥାନ୍ତି, ସେମିତି ନା ?’’

 

‘‘ଅବିକଳ ସେମିତି । ହେଇ ଦେଖ । କେମିତି ଧଳା ହଳଦିଆ ହୋଇ ଖତରା ଦିଶୁଛି ଏ ଜାଗାଟା, ମାର ଢିଅ ।’’ଶାବଳ ମାଡ଼ରେ ଝୁରଝୁର ହୋଇ ପଥର ଝରିପଡ଼ିଲା, ଗଇ ଫିଟିଗଲା, ହୁଗୁଳା ଥିଲା ଯେ ଖଣ୍ଡେ ପଥରବି ତାଡ଼ି ହୋଇଗଲା ।

 

ଧୋବେଇ ମିଶ୍ର କହିଲେ, ‘‘ଏଇ ଯେଉଁ ପଥର ଖଣ୍ଡ ବାହାରିଲା, ଏଇଟା ଜାଣ ବିଭୀଷଣ ପଥର ।’’

 

‘‘ବିଭୀଷଣ ପଥର !’’ ବିଶି କହିଲା । ସମସ୍ତେ ହସିଲେ । ଧୋବେଇ ମିଶ୍ର କହିଲେ, ‘‘ଆମେ ଜାଣ ଗାଁ ଟାଉଟର, ଛିଦ୍ର ଖୋଜି ବୁଲୁଥିବୁ ଏଥର ଏଇ ବିଭୀଷଣ ପଥରକୁ ଆଶ୍ରାକରି କେମିତି ଆମେ ଗାଁ ସମାଜ ଭିତରକୁ ପଶିବୁ ସେ କଥା ବଇ ବୁଝାଇଦେବ । ହଁ, ମାରିବୁଟିରେ ବାବୁ ଢିଅ ତଳୁଆକରି, ଏଇ ପଥର ଉପରେ ଶାବଳ ଭରାଦେଇ ଦେ ଉଠେଇ, ଆମେ ସମସ୍ତେ ହାତ ଲଗେଇ ମାଡ଼ିବସିବା । ଦେଖ କେମିତି ଦୁଲୁକୁଛି । କୋଉକାଳୁ ଏ ପଥର ଏଠି ବସିଥିଲା ଅଇଛା ଦୁଲୁକୁଛି । ରହ ରହ, ବିବାକ ତୁ ଉଠିଯିବୁ, ଥଏ ଧର, ଏମିତି ହଉଚୁ କ’ଣ ?’’

 

ପ୍ରକାଣ୍ଡ ପଥର ଖଣ୍ଡେ ଉପୁଡ଼ିଲା, ସମସ୍ତେ ଲାଗିପାଗି ତାକୁ ଉଠାଇ ଫୋପାଡ଼ିଦେଲେ-। ପୁଣି ସେ ଆଗର ପଥରଉପରେ ଭରାଦେଇ ଶାବଳକୁ ପଥରଉପରେ ଚାପି ପୁଣି ଉହୁଙ୍କା, ପଥର ଦୁଲୁକିଲା । ଧୋବେଇ ମିଶ୍ର କହିଲେ, ‘‘ଦେଖ କେଡ଼େ ସହଜ ଆମକାମ । ଗାଁ ଭେଦୁଆ ମିଳିଗଲା । ତାକୁହିଁ ଧରି ଉପଡ଼େଇ ଲାଗିଲା ଗାଁ ମାମଲତାକାର । ଏ ଭାଇକି କହିବ, ତୋ କମେଇଁ ସବୁ ଖାଇଲା ଆରଭାଇ । ଆରଭାଇକି କହିବ, ଦେଖ ତୁ ତାକୁ ଏଡ଼ୁଟିରୁ ଏଡ଼େ କଲୁ, ସେ ତତେ କିଛି ଦେଲାନାହିଁ । ଲାଗିଲା କଳି । ମେଣ୍ଟଭିତରୁ ଜଣକୁ କାହାକୁ ଆୟତ୍ତ କରିପାରିଲେ ହେଲା ତା’ର କାମ । ସେଇଥିପାଇଁ ଫିରିଙ୍ଗି ସରକାର ଏ ଦେଶଯାକ ଭେଦୁଆ ରଖିଥିଲା । ୟେ ତାକୁ ସେ ୟାକୁ ଛକାଛକି ହୋଇ ଭେଦୁଆ ଚୁଗୁଲିଆ ହୋଇ ରହୁଥିଲେ । ମେଣ୍ଟ ଫଟେଇବା କିଛି କଷ୍ଟ ହେଉ ନଥିଲା ବରଂ ଯୋଡ଼ିବା ହେଲେ ଅସମ୍ଭବ, ଅବଶ୍ୟ ମହାତ୍ମା ଗାନ୍ଧୀ ରାଜନୀତିକି ଆସିବାପର୍ଯ୍ୟନ୍ତ । ତା’ପରେ ଅବସ୍ଥା ବଦଳିଗଲା ।’’

 

ବଇ ମଳିକ କହିଲା, ‘‘ଏଥର ଏ ପଥର ଉଠିଲା, ତା’ ଜାଗାରେ ଖାଲି ଖତ ଦିଆଯିବ, ତା’ ହେଲେ ଯେଉଁ ଜାଗାରେ ଘାସ ଗଜୁରୁଥିଲା ସେଠି ଆଳୁ-ଚାଷ ହେବ, ପିଆଜ ଚାଷ ହେବ ।’’

 

ଧୋବେଇ ମିଶ୍ର କହିଲେ, ‘‘ଦେଶଯାକ ସେଇଆ କରିବାକୁ ପଡ଼ିବ, ମଣିଷର ବୁଦ୍ଧିବିବେକ ଏମିତି ପଥର ହୋଇ ପଡ଼ିରହିଛି, ତାକୁ କରିବାକୁ ପଡ଼ିବ ସରସ ଉର୍ବର, ସେଠି ଯେପରି ସଦ୍‌ବିଚାର ବଢ଼ିପାରିବ ।’’

 

ବିଶି ପାଣ କହିଲା, ‘‘ହେଲେ କ’ଣ ହେବ, ପଥର ଫଟେଇବାକୁବି ଯୋଗପାଗ ଦରକାର । ବରଷା ଛେଚିଛାଚି ଅଜାଡ଼ିଥିବ ଯେ ପଥର ସନ୍ଧି ଫାଟବି କୋହ ହେଇଥିବ, ମେଘ ଘୋଡ଼େଇଥିବ ଥଣ୍ଡା ଥିବ ଯେ ଯେତେ ବାଡ଼େଇ କଚାଡ଼ି ହେଲେ ଝାଳ ବୋହିବନାହିଁ, ସେମିତି ସିନା ପଥର ଫଟାପାଗ, ଝୋଲାମରା ହଂସାଉଡ଼ା ଖରାଦିନେ ଉଦୁଉଦିଆ ଦି’ପହରେ ତା କ’ଣ କରିହବ ଏଡ଼େ ସହଜେ ? ହବ ନାଇଁ । ଅଇଛା ଯେମିତିକି ଦୁନିଆଯାକକୁ ମେଘ ଘୋଡ଼େଇ ରଖିଚି, ସେଇଥିପାଇଁ ପଥରଫଟାପାଗ ଛାଁକୁ ଛାଁ ହୋଇଛି । କହିଦେଲେ ଲୋକେ କାନରେ ପକୋଉଚନ୍ତି, ଏଇ କୋଠବାଗଟା ଭଲ ଲାଗିଲା ତ ଗୋଟାଏ କ’ଣ, ୟେ ଆଖପାଖ ଲଗାଏତ ପନ୍ଦରଖଣ୍ଡି ଗାଁରେ ଏଇ କଥା ଚାଲିଲା, ସବୁଠି କୋଠ, ସବୁଠି ଆପଣା ମାଲିକପଣ ଲୋକେ କୋଠକୁ ଦେଇଦେଲେ, ଆଗେ କୋଉଠୁ ଯା କିଏ କେବେ ଶୁଣିଥିଲା ? ପାଞ୍ଚଖଣ୍ଡ ପଲୀ ଗାଁ ନ ମିଳିଲା ବୋଲି ପଞ୍ଚୁପାଣ୍ଡବେ ଭାରତ ଯୁଦ୍ଧ ନଢ଼ିଲେ, କୋଉଠି ଖଣ୍ଡେ ଖଣ୍ଡେ ଗୁଣ୍ଠିକିଆ କିଆରୀପାଇଁ ପରା ଲୋକେ ଦଶ ହଜାର କୋଡ଼ିଏ ହଜାର ସାରି ଫତୁର ହେଉଚନ୍ତି, କିଏ ଏମିତି ଶୁଣିଥିଲା ଗାଁଟାଯାକ ଭାଇ ଭାଇ ? ଏସବୁ ପାଗଯୋଗର କଥା ।’’

 

ବଇ ମଳିକ କହିଲା, ‘‘ମାଳିକା କହିଥିଲା ୟା ହବ, ସତ୍ୟଯୁଗ ପୁଣି ଆସିବ ।’’ ଧୋବେଇ ମିଶ୍ର କହିଲେ, ‘‘ହେଇ ଦେଖ ଆର ଦଳଟା କେମିତି ମାଡ଼ି ଗଲେଣି । ବାପରେ, ପିଠିଆଡ଼ ଉହୁଙ୍କାଇ ଆଣି ମୁଣ୍ଡ ଉପରେ ସିଧା ଟେକି ନଇଁ ପଡ଼ି ଦୁଲ୍‌ଦାଲ୍ ଫାଉଡ଼ା ମାଡ଼ ଅଜାଡ଼ୁଛନ୍ତି, କୋଡ଼ି କେତେ ଗହୀରକୁ ଭେଦୁଥିବ । ପଡ଼ିଗଲେଇଁ ଆମେ ପଛରେ–’’

 

ଚାଲିଲା ପୁଣି କାମ, ପଥରତଡ଼ା, ମାଟିହଣା । ଦଳ ଦଳହୋଇ ଲୋକ ଲାଗିଛନ୍ତି ଠାକୁ ଠାଆ । ହାଲିଆ ଲାଗିଲେ ମଝିରେ ମଝିରେ ଠିଆ ହୋଇ ଟିକିଏ କଥାଭାଷା, ନ ହେଲେ ପୁଣି କାମ । ଧୋବେଇ ମିଶ୍ର ବୁଝାଉଥାନ୍ତି ଦେଶବିଦେଶର କଥା । କହିଲେ, ‘‘ଏଇ ଯାହା କହିଲ ପାଗଯୋଗ କଥା ବିଶି, ତା ଊଣା ଅଧିକେ ସତ । ପୃଥିବୀକି କ’ଣ ଘୋଟିଛି ନା ସବୁ ଦେଶରେ ଲୋକେ ମେଣ୍ଟ ବାନ୍ଧିବାକୁ ମନ ବଳୋଉଛନ୍ତି । ରୁଷଦେଶର ଲୋକେ ହାତ କାମଟାକୁ ଧରିଚନ୍ତି ବଡ଼ବୋଲି, ସମସ୍ତେ ଦେହ ମେହେନତ୍ କରନ୍ତି, ମେହେନତ୍ ଉପରେ ସେ ସମସ୍ତିଙ୍କି ଭାଇ ଭାଇ କରୋଉଛନ୍ତି ଅଥଚ ଭଗବାନ ଅଛନ୍ତି ବୋଲି ମାନନ୍ତିନାହିଁ । ଚୀନ ଦେଶକୁ ଅନାଅଁ, ସେଠି ଆଗେ କେଡ଼େ ବଡ଼ ବଡ଼ ଧନୀମାନେ ଥିଲେ, ପୁଣି ଏମିତି ଗରିବ ଥିଲେ ଯେ ଖାଇବାକୁ ପାଉ ନଥିଲେ । ଅଇଚ୍ଛା ସମସ୍ତେ ଊଣା ଅଧିକେ ସମାନ, ସମସ୍ତେ ମେହେନତ କରନ୍ତି । ଆମର ଏଠି ଦେଖ, ସମାନପଣଟା ଆସୁଛି ଭଗବାନଙ୍କ ନାଁ ନ ଧରି ନୁହେଁ ଯେ-ଭଗବାନ କାହା ଦେଢ଼ଶୁର କି ? –ଏଠି ଲୋକେ ହଜାର ହଜାରବର୍ଷ ହେଲା ଭଗବାନଙ୍କ ଜରିଆରେ ସ୍ୱୀକାରକରି ଆସିଛନ୍ତି ସବୁମଣିଷ ସମାନ ।’’

 

ବିଶି କହିଲା, ‘‘ସକଳ ଦେହେ ଭଗବାନ ।’’

 

ଧୋବେଇ ମିଶ୍ର କହିଲେ, ‘‘ଏମିତି ସମାନପଣ ମାନିନେଇ ଏ ଦେଶର ମଣିଷ ଏକ ହୋଇଥିଲେ, ମେଣ୍ଟ ବାନ୍ଧି କୋଠକରିଥିଲେ । କାମ ସୁବିଧାପାଇଁ କିଏ କୋଉ ଥାନରେ ରହିଥିଲେ, ବଡ଼ ସାନ ନଥିଲା । ସେତେବେଳେ ସମସ୍ତିଙ୍କ ଖାଇବା ପତର ପୂରାଥିଲା, ମନ ଭଲଥିଲା, ଦୃଷ୍ଟି ଶୁଭଥିଲା । ଲୋକେ ସୁଖରେ ରହୁଥିଲେ । ତା’ପରେ ଆମ ବିଶି କହିଲାପରି ପାଗ ବଦଳିଲା, ସ୍ୱାର୍ଥ ବଢ଼ିଲା, ତୋର ମୋର ଛନ୍ଦମନ୍ଦ ବଢ଼ିଲା, ଲୋକେ ଆପଣା ଆପଣା ଭିତରେ କଳି କରିବାରେ ରହିଲେ, ଘର କଳିରୁ ଗାଁ କଳି, ଗାଁ କଳିରୁ ଲଢ଼େଇ, ସେଉଠୁ ସେଇ ଫାଙ୍କରେ ବିଦେଶରୁ ଅରଣା ଶତ୍ରୁ ପଶିଆସିଲେ । ହେଇ ଦେଖ ଶତ୍ରୁପରି ଶାବଳ କେଡ଼େ ବେଗି ପଶୁଚି, ଗଲା ଏଡ଼େ ବଡ଼ ପଥର, ଉପୁଡ଼ିଲା ହେଇଦେଖ ।’’
 

 

ବଇ ମଳିକ କହିଲା, ‘‘ରବି ଭାଇ କହୁଥିଲେ ପରା ବୁଦ୍ଧ ଭଗବାନ ଜନ୍ମହୋଇ ପୁଣି ମଣିଷଙ୍କୁ ଏକ କରିଥିଲେ, ପୁଣି ଚାରିଆଡ଼େ ବଢ଼ି ଉଠିଲା ଗାଁ କୋଠ, ମଣିଷ ମେଣ୍ଟ ।’’ ବଇ ମଳିକ ରବିକୁ ରବି ଭାଇବୋଲି କହିଲାଣି, ସହଜରେ ଏଠା ମଣିଷ ଆଦରି ନେଇଛି ଭାଇ ଡାକ, ଅପା ଡାକ ।

 

ବିଶି କହିଲା, ‘‘ପ୍ରବୁଦ୍ଧ ବୁଦ୍ଧ ଅବତାରେ ।’’

 

ଧୋବେଇ ମିଶ୍ର ହାତ ବନ୍ଦ ନକରି କହିଲେ, ‘‘ସତ କଥା । ପୁଣି ପଥର ତାଡ଼ିବାକୁ ମେଘ ଘୋଡ଼େଇଲା । ବୁଦ୍ଧଦେବ ଥିଲେ ରଜାପୁଅ । ସବୁ ଛାଡ଼ିଛୁଡ଼ି ଦେଇ ବାବାଜୀହୋଇ ଖୋଜିବୁଲିଲେ ଯେ କି ଉପାୟ କଲେ ମଣିଷ କଷ୍ଟ ଭୋଗିବନାହିଁ, ଭଲରେ ରହିବ । ମନ୍ତ୍ରତନ୍ତ୍ର ନୁହେଁ, ଗୁଣି ଗାରିଡ଼ି ନୁହେଁ, ସାଧାରଣ ମଣିଷ ତା ସାଧାରଣ ବୁଦ୍ଧିରେ ଯାହା ଭାବନ୍ତା, ବୁଦ୍ଧଦେବ ସେଇଆ କହିଲେ । କହିଲେ ସତ କହ, ପ୍ରାଣୀକି ହିଂସା କରନା, କାହାରିକି କଷ୍ଟ ଦିଅନା, ଭାଇ ଭାଇ ହୋଇ ଚଳ, ସବୁ ମଣିଷ ସମାନ, ପରସ୍ପରକୁ ଦୟା କର, ଭଲପାଅ, ଚୋରିନାରୀ ନାଇଁ, ଅବାଟ ଅକଥା ନାଇଁ, ଠକି ଧପେଇ ଖାଅନାହିଁ, ପରିଶ୍ରମକରି ଆଗ ପରବୁ ଖୋଇ ପଛେ ନିଜେ ଖାଅ । କହିଲେ, ଲୋଭ କର ନାହିଁ, ମନରେ ଗୋଟାଏ ସ୍ୱାର୍ଥ ଆଶାରଖି କାମ କରନାହିଁ । ଯେତେ ଆଶା ରଖିବ, ଲୋଭ ରଖିବ ସେତେ ଛଟପଟ ହବ, ତାକୁ କାଟିଦିଆ ଦେଖିବ ତମର ଆଉ ଦୁଃଖନାହିଁ ।’’

 

‘‘ବିଶି କହିଲା, ‘‘ଲୋକେ ତାଙ୍କ କଥା ଶୁଣିଲେ । ଦୁନିଆ ଲୋକଙ୍କୁ ସେ କେତେ ପ୍ରକାରେ ବୁଝେଇଲେ । ତୋଟାରେ ସଭା ହବ, ସେ ବୁଝେଇବେବୋଲି କେମିତି କିଲିକାଲିଆହୋଇ ଲୋକେ ଆସି ତୋଟାରେ ରୁଣ୍ଡନ୍ତି । ଏକାଠି ଯନ୍ତାଳକରି ଖାଇ କାକରରେ ଶୋଇ ପଡ଼ିରହନ୍ତି ଦିନ ଦିନ କ’ଣ ହପ୍ତା ହପ୍ତା । ତା’ପରେ ଦିନେ ଦେଖିଲା ବେଳକୁ ଚାଲି ଚାଲି ମହାପୁରୁଷ ଆସୁଛନ୍ତି । ସାଙ୍ଗରେ କୋଉ କୋଉ ଦେଶର କେବଣ କେବଣ ମହାତ୍ମାମାନେ, ମଣିଷ ଚାଲିଛନ୍ତି ହଜାର ହଜାର । ତୋଟାଯାକ ସତେକି ମହାପୁରୁଷଙ୍କ ପୁଣ୍ୟରେ ମହକି ଉଠେ । ତୁନୀହୋଇ ବସିଥାନ୍ତି ମଣିଷ ଛାଇ ତଳେ ତଳେ, ତାଙ୍କ ମୁଣ୍ଡ ଉପରେ ଥାଳି ମାରିଲେ ଥାଳି ଚାଲିଯିବ । ସେଇଠୁ ଆଗରେ ବେଦୀ ହୋଇଥାଏ; ବେଦୀ ଉପରେ ଠିଆ ହୋଇପଡ଼ନ୍ତି ମହାପୁରୁଷ । ସେ କେଡ଼େ ଡେଙ୍ଗା ଦିଶନ୍ତି, କଥାରେ କହନ୍ତି ପରା ‘‘ନଡ଼ିଆଗଛ ମହାପୁରୁଷ’’ । ସେଇଠୁ ଚାଲେ ପ୍ରାର୍ଥନା, ପ୍ରାର୍ଥନାରେ ଲହଡ଼ୀ ଖେଳିଯାଏ, ସେଇ ହୁଏ ସତ ଆଉ ସବୁ ହୁଏ ମିଛ । ମଣିଷ ସେଥିରେ ମଜିଯାଏ ।’’

 

କାବାହୋଇ ଧୋବେଇ ମିଶ୍ର ତାକୁ ଅନେଇଁ ରହିଛନ୍ତି, ସମସ୍ତେ ଅନେଇଁଛନ୍ତି, କାହା ହାତ ଚଳୁନାହିଁ ।ବିଶି ପାଣ ଯେପରିକି ଦିବ୍ୟଦୃଷ୍ଟି ବଳରେ ଅତୀତକୁ ଚାହିଁ ଦେଖୁଛି । ଡେଙ୍ଗା ଗୋରାଲୋକ, ଚିକ୍‍କଣ ବାଳ, ହାତକଟା ମୋଟା ଖଦଡ଼ର ସାନଲୁଗା ଖଣ୍ଡିଏ ପିନ୍ଧିଛି, ହଲ୍ ନାହିଁ ଚଲ୍ ନାହିଁ ଠିଆହୋଇ ରହିଛି ଗୋଟାଏ ଠାଆରେ, ତା’ର ଡିମା ଡିମା ବଡ଼ ବଡ଼ ଆଖି ଯୋଡ଼ିକ ଫାଡ଼ିହୋଇ ରହିଛି । ସେଥିରେ ଯେପରିକି ନୂଆ ପ୍ରକାର ଆଲୁଅ ଖୋଜୁଛି । ଧୋବେଇ ମିଶ୍ର ଗମ୍ଭୀର ହୋଇ କହିଲେ, ‘‘ତୁମେ ସେ ସଭାରେ ଥିଲ ବିଶିଭାଇ, ତୁମେ ନିଶ୍ଚେ ତାକୁ ଦେଖିଚ ।’’

 

ବିଶି କହିଯାଉଛି, ‘‘ଥରେ କ’ଣ, କେତେ ଥର ଦେଖିଲାପରି ଲାଗୁଛି । ସମସ୍ତିଙ୍କର ଠାକୁରହୋଇ ଆସିଥିଲେ । ଥିଲାବାଲା ନ ଥିଲାବାଲା ସମସ୍ତିଙ୍କର, ତାଙ୍କଠି ପାତର ଅନ୍ତର ନଥିଲା ପାତର ଅନ୍ତର ଭାଙ୍ଗିବେବୋଲି ତ ସେ ଅବତାର ହୋଇ ଆସିଥିଲେ । ସେହି ଏକା ବୁଝୁଥିଲେ ଅଛବ ଲୋକଙ୍କ ଦୁଃଖ, ସେ ଜାତି ଅଜାତି ଛଆଁ ଅଛୁଆଁ ଭେଦ ଉଠେଇ ଦେଇ ସମସ୍ତିଙ୍କି ଏକ ମଣିଷଜାତି କରିଥିଲେ । ସେଇଥିପାଇଁ ତ ସେ ଦୁନିଆଯାକରେ ସବୁଠୁ ବଡ଼ । ତାଙ୍କ ହସ ମଉଳେନାହିଁ, ତାଙ୍କ ଭଙ୍ଗୀବିଭଙ୍ଗ ହୁଏନାହିଁ ।’’

 

ଧୋବେଇ ମିଶ୍ର ଗଦଗଦହୋଇ କହିଲେ, ‘‘ବିଶିଭାଇ, ତୋର ପୁଣ୍ୟବଳ ଅଧିକ, ତୁ ଦେଖିପାରିବୁ ସିନା, ଆମର ସେ ଭାଗ୍ୟନାହିଁ । ହେଲେ ଆମପାଇଁ ଜଣାକର ଭାଇ, ଜଗତଯାକପାଇଁ ଜଣାକର । କହ ସେତେବେଳେ ଯେମିତି ତାଙ୍କୁ ଡାକ କାନରେ ବାଜି ଜଗତଯାକର ଅଚେତ ଥିବା ଲୋକ ଚେତା ପାଇ ଉଠିପଡ଼ିଥିଲେ, ଅଇଛା ସେମିତି ଉଠନ୍ତୁ ପୁଣି, ଜଗତ ଉଜ୍ଜ୍ୱଳ ହେଉ ।’’

 

ଅତୀତ ଯେପରିକି ହାତ ବଢ଼େଇଦେଲା ସେ ବର୍ତ୍ତମାନକୁ, ଦିଶିଗଲା । ମଣିଷ ଚାଲିଛନ୍ତି ଅସୁମାରି ଅଗଣତି, ତାଙ୍କ ଆଗେ ଆଗେ ସେମିତି ଜଣେ । ସେମାନେ ନିରୀହ ମଣିଷ । ସଭ୍ୟ ମଣିଷ । ସତ୍ୟ ପ୍ରୀତି ଆଉ ଶାନ୍ତିର କାରିଗର । ଖୁନ୍ଦି ହୋଇଗଲା ଫାଙ୍କା ଶୂନ୍ୟରେ ଦୃଶ୍ୟ । କେତେ ତୋଟାମାଳ, କେତେ ଜନପଦ, କେତେ ରାଜପଥ । ସୌମ୍ୟ ଶାନ୍ତମୂର୍ତ୍ତି ମନୁଷ୍ୟ । ସେମାନେ ଅନୁଶୀଳନ କରୁଥିଲେ ଜୀବନକୁ ବୁଝି ବୁଝି ଉପଭୋଗକରିବାକୁ । ବୁଦ୍ଧିବିଚାର ଲଗାଇ ଏ ସଂସାରର ଦୁଃଖର କାରଣକୁ ଅନୁସନ୍ଧାନକରି ଦୁଃଖକୁ ଜୀର୍ଣ୍ଣକରିବା ବାଟ ଲୋକଙ୍କୁ ବତାଇବାକୁ । ଦେହ ରୋଗ ଚିକିତ୍ସାକରିବାପାଇଁ ଜନ୍ତୁଙ୍କପାଇଁ ମନୁଷ୍ୟଙ୍କପାଇଁ ଆରୋଗ୍ୟ ଭବନ ଓ ଭିଷକ୍‌ବର୍ଗ, ମନର ରୋଗ ଭଲକରିବାପାଇଁ ସଂଘାରମମାନ, ସେଠି ଭିକ୍ଷୁଭିକ୍ଷୁଣୀ, ଅଧ୍ୟାପକ ଅଧ୍ୟାପିକା, ସମସ୍ତେ ଅର୍ହତ । ଧୋବେଇ ମିଶ୍ର କହିଗଲେ ।

 

‘‘ଆଉ ଦେଖ୍‍ ବିଶିଭାଇ, ଚାରିଆଡ଼େ ପୃଥିବୀ ଯେତେବେଳେ ମୁକ୍ତ, ଶାନ୍ତ, ପ୍ରବୁଦ୍ଧ, ସେତେବେଳେ ଆକାଶର ଗାରଯାକ ନିଆଁର ଖେଳ ଖେଳଇ ହାଣି ପୋଡ଼ି ମାରି କାଟି ଧାଇଁ ଆସିଲେ ପଙ୍ଗପାଳପରି ଶତ୍ରୁ ସୈନ୍ୟଧରି ରକ୍ତମୁହାଁ ବିଜେତାମାନେ, ତପସ୍ୟା ଭୂଇଁରେ ରାକ୍ଷସ ଚରିବୁଲିଲେ । ଏତେ ଯଦି ଦେଖିପାରୁଚୁ ଦେଖ୍‌ ଭାଇ କଳିଙ୍ଗର ସେହି ମନେରହିଲା ଭଳି ଦିନଟାକୁ, ସତେକି ସମୁଦ୍ର ମାଡ଼ିଆସିଲା ଶାଳବଣକୁ ଖାଇବାକୁ । ଏପଟର ଜଣକେ ସେପଟର ଶହେଜଣ, ତଥାପି ସେମାନେ ପଛଘୁଞ୍ଚା ଦେଲେନାହିଁ । ଆପଣା ଡିହମାଟିପାଇଁ ଲଢ଼ି ଲଢ଼ି ମରି ଶୋଇଲେ ହଜାର ହଜାର । ଜଳିଉଠିଲେ ଚାରିଆଡ଼େ,ବିଜେତା ଦେଉଳପରି କୂଢ଼ କଲେ ମଣିଷ ମୁଣ୍ଡ । ଲକ୍ଷେ ମଣିଷଙ୍କ ରକ୍ତରେ ରକ୍ତନଦୀ ବହିଗଲା ।

 

ତା’ପରେ ଦିଶିଲେ ଏତେ ବଡ଼ ବିଭୀଷିକା ଭିତରେବି ସଂଘାରମରୁ ନିର୍ଭିକଭାବେ ବାହାରି ଆସିଲେ ଅହତ ଦଳଦଳ । ସେହି ମରଣ ଭୂମିରେ ଛିଡ଼ାହୋଇ ବିଳାପ ପ୍ରାର୍ଥନା କଲେ, ମେଘପରି ଗମ୍ଭୀର ମୁହଁରେ କହିଲେ, ତୁମେ ମରିନାହିଁ, ତୁମେ ଧନ୍ୟ ହୋଇଛ । ତୁମେ ତୁମର କର୍ତ୍ତବ୍ୟ କରିଛ ଆଉ ଦେହ ଛାଡ଼ିଯାଇଛ, ତୁମର ଆତ୍ମା ହାରିନାହିଁ, ତୁମେ ହଟିନାହଁ, ତୁମେ ଜିତିଛ ।

 

ଆଉ ଆପେ ଆପେ ଶିଥିଳହୋଇ ଲୁଲିପଡ଼ିଲା ସମୁଦ୍ରପରି ଅସୁମାରି ସେହି ଅରଣା ଥାଟର ହାତର ଅସ୍ତ୍ରମାନ, ଲଜ୍ଜାରେ ତଳକୁ ଓହଳି ପଡ଼ିଲା ସେମାନଙ୍କ ମୁହଁ । ଏକରେ ସେକରେ ଏଠି ସେଠିହୋଇ ଠିଆହୋଇ ଦେଖିଲେ କେତେ ମଣିଷ ମୁଣ୍ଡର ଦେଉଳ, ତଳେ ଓସାର ହୋଇ ଉପରକୁ ଗୋଜିଆହୋଇ, ସେଠି ମୁଣ୍ଡମାନେ ଆଖି ବୁଜିଥିଲେ ଯେପରିକି ପ୍ରାର୍ଥନା ଶୁଣିଲାଭଙ୍ଗୀରେ, ସତେକି ବିଜୟର ଭାବ ଖେଳିଗଲା ସେ ମୁହଁରେ ପ୍ରାର୍ଥନା ଶବ୍ଦରେ । ଚାଲିଲା ପ୍ରାର୍ଥନା,

 

‘‘ଶୁଣ ଭିକ୍ଷୁ, ମୃତ୍ୟୁ ମଧ୍ୟ ସସୀମ, ମୃତ୍ୟୁର ମଧ୍ୟ ଶେଷ ଅଛି....’’

 

ତା’ପରେ ଦେଖାଗଲା ପାଗଳପରି ଛୁଟିଆସୁଛି ଜଣେ, ତା’ର ରାଜପୋଷାକ ଛିଣ୍ଡାଇ ଓଟାରି ଫୋପାଡ଼ି ଦେବାକୁ, ଫୋପାଡ଼ି ଦେବାକୁ ତା’ର ମୁକୁଟ, ତା’ର ଖଣ୍ଡା, ତା’ର ଅଧିକାରର ସବୁ ଚିହ୍ନବର୍ଣ୍ଣ । ପ୍ରାର୍ଥନାମଣ୍ଡଳୀ ଆଗରେ ଲମ୍ବହୋଇ ପଡ଼ି ଉଠି କଇଁ କଇଁହୋଇ କାନ୍ଦି କହୁଚି ମତେ କ୍ଷମାକର, କ୍ଷମାକର, ମୁଇଁ ସେ ପାପିଷ୍ଠ ଅଶୋକ । ମୁହିଁ ଏହି ଏତେ ନରହତ୍ୟାପାଇଁ,ବିଭୀଷିକାପାଇଁ ଦାୟୀ । କେହି ତା’ର କଥା ଶୁଣୁ ନାହାନ୍ତି । ଚାଲିଛି ପାର୍ଥନାର ସଙ୍ଗୀତ । ଧୀରେ ଧୀରେ ସେ ବି ଶାନ୍ତହୋଇ ତଳକୁ ମୁହଁ ପୋତି ଆଗରେ ଠିଆ ହୋଇଛି । ଧୀରେ ଧୀରେ ତା’ର କଣ୍ଠରୁବି ବାହାରୁଛି ପ୍ରାର୍ଥନାର ସଙ୍ଗୀତ । ଏ ଯେପରିକି ଆଉ ଜଣେ କିଏ । ଏ ନିଷ୍ଠୁର ନୁହେଁ ହୃଦୟବାନ୍, ୟାର ସ୍ଵର କର୍କଶ ନୁହେଁ ଅତି ମଧୁର । ଏ ବିଜେତା ନୁହେଁ ବିଜିତ । ଧୀରେ ଧୀରେ ଢାଲ ତରବାରୀ ବର୍ମ ଶିରସ୍ତ୍ରାଣ ଦୂରକୁ ଫୋପାଡ଼ିଦେଇ ସେହି ପ୍ରାର୍ଥନାରେ ମିଶିଯାଆନ୍ତି ଯେତେ ଅସୁମାରି ଥାଟଯାକର ସୈନ୍ୟ । ମରଣର ଭୃତ୍ୟପଣ ଛାଡ଼ି ସେମାନେ ଭୃତ୍ୟ ହୋଇଯାଆନ୍ତି ଜୀବନର କାର୍ଯ୍ୟରେ । ଶାନ୍ତି ସେନା ହୋଇ ଯେପରିକି ସେଠି ସମଗ୍ର ମାନବଜାତି ଠୁଳ ହୋଇଛନ୍ତି, ସମସ୍ତିଙ୍କ ହୃଦୟର ଅନ୍ତରରୁ ବାହାରୁଛି ଏକ ଆକୁଳ ପ୍ରାର୍ଥନା-

 

‘‘ହେ ବୁଦ୍ଧ, ଶାନ୍ତି ଆସୁ, ଶାନ୍ତି ଆସୁ । ହିଂସାର ଲୋପ ହେଉ । ମଉଳି ପଡ଼ିଛି ମୃତ୍ୟୁ । ଲାଲ୍ ହୋଇ ଏତେ ବଡ଼ ସୂର୍ଯ୍ୟଉଇଁଛି ।’’

 

କେଉଁ ପୁରୁଣା କାଳର ଏକ ନିମ୍ୱଗଛ, ତା ଗଣ୍ଡିରୁ ଫାଳେ ଉଇ ଚରି ସରିଯାଇଛି । କୋରଡ଼ଗାଡ଼, ମାଟି ଏହିପରି ହୋଇ ଆର ଫାଳକ ଯେ ଠିଆ ହୋଇଛି ଏକା ତାହାରି ଓସାର ଚାରିହାତ । ଉପରେ ପୁରୁଣା ଡାହିତକ ସବୁ ଗଲାଣି, ଗୋଟାଏ କରକୁ ହାତ ବଢ଼ାଇ ଛତା ଦେଖାଇଲାପରି ଏକ ସରୁ ଡାଳ ଲମ୍ୱିଯାଇଛି, ଗଛର ଏକମାତ୍ର ଡାଳ, ସେଥିରେ ବହୁତ ସରୁ ସରୁ ଡାଳ, ବହୁତ ନାଲି-ସାବୁଜା ହୋଇ ଗହଳି ପତ୍ର ।

 

ତାହାରି ତଳେ ଛାଇରେ ବସିଥାନ୍ତି ଏଗାର ଜଣ ଲୋକ । ତା ଭିତରେ ଧୋବେଇ ମିଶ୍ର କଥା କହୁଥାନ୍ତି, ଅନ୍ୟ ସମସ୍ତେ ତୁନୀହୋଇ ସେହିଆଡ଼କୁ ଅନାଇଁ ବସି ରହିଥାନ୍ତି । ଖରା ହେଲାଣି ମୁଣ୍ଡପାଖେ, କାହାରି ନିଘା ନାହିଁ । ସେମାନେ ସେହି କଥାରେ ବୁଡ଼ି ରହିଥାନ୍ତି । ଆଗରେ ସେହି ପଥରିଆ ରୁଗୁଡ଼ିଆ କଣ୍ଟାବଣ, ଯାହାକୁ ସେମାନେ ତାଡ଼ି ତାଡ଼ି ପଥର ଉଠାଉଥିଲେ । ତହିଁରେ ଏଠି ସେଠି ସେମିତି ଉଇଖିଆ ଗଛ ଗୋଟିଏ, ଠାଆ ଠାଆକେ ଅଳ୍ପ ଅଳ୍ପ ଛାଡ଼ି ଗୋଟିଏ ପୁରୁଷେ ଦିପୁରୁଷେ ଉଞ୍ଚ ହୁଙ୍କା, ସେ କେଉଁ ପୁରୁଣା ଗଛର ଥଣ୍ଟାକୁ ଆଶ୍ରାକରି ବଢ଼ି ଉଠିଛି, ଚାରିଆଡ଼େ ଭଇଁଚିକୋଳି, ଖିରିକୋଳି ଗଛ, ନାଲି ବାଇଗବା, ସାନ ସାନ ଅରମା ଗଛ, କେଉଁଠି କେଉଁଠି କଣ୍ଟାବାଇଁଶି ଓ ଅରମା ଲଟା, ମହାକାଳ ଗୁଳୁଚି ମିଶି ବଣ । ଖଣ୍ଡେ ଛାଡ଼ିଦେଇ ଗହଳି ଆମ୍ବ ତୋଟା, ଏ ଜାଗାଟା ପଦା । ସ୍ଥାନେ ସ୍ଥାନେ ଅରମା ତଳୁ ହାତେ ଲମ୍ୱା ହାତେ ଓସାର ପାଞ୍ଚ ଛ ଆଙ୍ଗୁଳ ମୋଟ ବଡ଼ ବଡ଼ ଇଟାସବୁ ଏଠୁ ବାହାରେ, ଗୋଟି ଗୋଟିକିଆ ନୁହେଁ; ସତେକି ଇଟା ଖଣି ପଡ଼ିଛି । କିଏ କହେ ପୂର୍ବେ ଏଠି କେଉଁ ରଜାର ନଅର ଥିଲା, ଭାଙ୍ଗିପଡ଼ିଛି । ପୁଣି କହନ୍ତି ଏଠି ବଡ଼ ଗଡ଼ ଥିଲା ।

 

ତା’ର ପ୍ରମାଣସ୍ୱରୂପ ପୁରୁଣା ଜାଣିବା ଲୋକେ ଦେଖାନ୍ତି ସମତୁଲହୋଇ ଢିପହୋଇ ରହିଥିବା ଚାରିଆଡ଼କୁ, କହନ୍ତି ୟା ତଳେ ସେକାଳର ଇଟା ଅଛି । ଏଇଠି ଗଡ଼ ପାଚିରୀ ଥିଲା, ଢିପ ଢାଲୁହୋଇ ପଡ଼ିଛି ଯେଉଁ ଖଣ୍ଡିଆ ଖାବୁଡ଼ା ଭୂଇଁ, କହନ୍ତି ଏଇସବୁ ସେ ନଅରର ଘରମାନଙ୍କ ଡିହ-। ଅଛି ଏକ ପ୍ରକାଣ୍ଡ ଖାଲୁଆ ପଦା, ସେଠି ଖାଲି ଭଇଁଚିକୋଳି, ଖିରିକୋଳି ନେସିହୋଇ ରହିଛି । ତା ଚାରିକରେ ଢିପ ଢିମାଳିହୋଇ ଏକ ଭଙ୍ଗା ହୁଡ଼ାର ସଙ୍କେତ ଚିହ୍ନ । ତା ଉପରଯାକ ସ୍ଥାନେ ସ୍ଥାନେ କଣ୍ଟାବାଇଁଶି, ବେତବୁଦା, ଆଙ୍କୁଳିକଣ୍ଟା । ସେହି ଖାଲୁଆ ପଦାଟାକୁ ଦେଖାଇ କହନ୍ତି ଏଇ ସେକାଳର ପଦ୍ମ ପୋଖରୀ ଥିଲା, ୟା ଭିତରେ ଦୀପଦାଣ୍ଡି ଅଛି ।

 

ଆଉ କହନ୍ତି ଏଠି କେଉଁ ଢିପମାନଙ୍କ ତଳେ ପୁରୁଣା ଖତିରା ଚାଉଳ ବାହାରେ, କଳା ମିଶ୍ ମିଶ୍ ଅଙ୍ଗାରପରି । ଢାଲୁହୋଇ ଗଡ଼ିପଡ଼ିଛି ଧାନ ଜମିଆଡ଼କୁ ଏ ପଦା, ଧାନଜମି ଧାରହୋଇ ଲମ୍ବିଯାଇଛି । ଧାନ ଜମି ସେକରେ ଦୂରରେ ଦିଶେ ଦି’ପା ଓସାରରେ ବାଲି, ଧାନ ଜମି କରେ କରେ ସେ ବାଲି ବି ଲମ୍ବିଯାଇଛି କାହିଁକା କାହିଁ । କହନ୍ତି ସେ ବିଲ ଆଉ ବାଲି ଦିହେଁ ମିଶି ଏକ ପୁରୁଣା ପୋତା ନଈ । ଯେତେବେଳେ ଏ ଗଡ଼ ଥିଲା, ସେତେବେଳେ ସେ ନଈ ବି ଥିଲା । ଦିହେଁ ପୋତିହୋଇ ପଡ଼ିଛନ୍ତି, ଗଡ଼ ପଦା ଚାରିକରେ ଖାଲହୋଇ ଯେଉଁ ନାଳିଆ ପଡ଼ିଛି, ଖାଲି ଝୋଲା ଝଙ୍କର ହୋଇ, ଯେଉଁଠୁ ସ୍ଥାନେ ସ୍ଥାନେ ଭାରି ମୋଟ ମୋଟ ବଡ଼ ବଡ଼ ଗଛଗୁଡ଼ାକ ବାହାରି ଆକାଶକୁ ଉଠିଛି, ସେଇଟାକୁ କହନ୍ତି ଗଡ଼ଖାଇବୋଲି, କହନ୍ତି ନଈରୁ ସେଠିକି ସିନ୍ଧିବାଟ ଥିଲା ।

 

ସେଠି କେତେ କଥା ଅଛି ବୋଲି ଲୋକେ କହନ୍ତି । କହନ୍ତି ଶୁଣାହୁଏ ସେଠି ସୁନାର ପଦ୍ମ ଅଛି, ସୁନାର ଖଣ୍ଡା ଅଛି, ସୁନା ତ ଏଠି ସେଠି ପୋତି ହୋଇପଡ଼ିଛି ଅନର୍ଯ୍ୟାପ ଯେ କେତେ ଲୋକ ଗୋଟେଇ ନେଇ ଘର କରିଛନ୍ତି । ଦେଖାନ୍ତି ଦକ୍ଷିଣ ପଟେ ଟିକିଏ ତଳକୁ ହେଇ ସେଠି ତିନିଟା ଆମ୍ବଗଛ ଏକାଠି ଥାଇ ତା ତଳକୁ ଯେଉଁ ଧାନବିଲ ଅଛି ସେହିଆକୁ, ସେହି ଯେଉଁ ଲମ୍ବହୋଇ ମାଙ୍କଡ଼ା ପଥର ଖଣ୍ଡକ ଶୋଇଛି ସେଉଠୁ ଦିହାତ ଛାଡ଼ି, ବେଣାବୁଦା ଆରପାଖେ । କହନ୍ତି ହଳ କରୁ କରୁ ଲଙ୍ଗଳଲୁହା ବାଜି ସେଠୁ ଥରେ ଗୋଟିଏ ସୁନାମୁକୁଟ ବାହାରିଥିଲା, ସେଥିରେ କ’ଣ ଲେଖା ହୋଇଥିଲା କେହି ପଢ଼ିପାରିଲେ ନାହିଁ, ତାକୁ ହାଣି କାଟି ଖଣ୍ଡେ ଖଣ୍ଡେକରି ସମସ୍ତେ ବାଣ୍ଟିନେଇ ପଳେଇଲେ । ଆଉ କହନ୍ତି, କେତେ ପୋତା ସୁନା ଯଖ ପାଲଟି ଯାଇଛନ୍ତି ଯେ ରାତିରେ ଆଲୁଅମୟ ହୋଇ ସେ ଯଖମାନେ ଏକର ସେକର ଯା ଆସ କରୁଥାନ୍ତି ସେ କଣ୍ଟାବଣଯାକ, ପାହାରେ ପକାଇଲେ ଯଖଟା ମରିଯାଇ ସୁନା ପାଲଟି ସେଠି ପଡ଼ିରହନ୍ତା ସିନା, କିନ୍ତୁ ଯେ ତା କରନ୍ତୁ ତା’ର ବଂଶ ଲଣ୍ଡା ହୋଇଯାନ୍ତା, ତେଣୁ ଯଖ ଶିକାରକୁ କେହି ମନ ଦିଅନ୍ତିନାହିଁ-। କୁହାକୋହିରେ ତ ବହୁତ କଥା, କିଏ କ’ଣ ଶୁଣିଥିଲା, କିଏ କ’ଣ ଦେଖିଥିଲା, ଏମିତି ନାନାଦି କଥା, ଝାଞ୍ଜମୃଦଙ୍ଗ ଶବ୍ଦ ଶୁଣିବାଠୁଁ ବିରିଚକୁଳି ଛାଣିବା ବାସ୍ନା ପର୍ଯ୍ୟନ୍ତେ । କେତେବେଳେ କିଆବୁଦା ତଳେ କୁଆଁ କୁଆଁ ଶୁଭେ, ଅଧରାତିରେ କେତେବେଳେ କିଏ କେଉଁଠି ବାହୁନିବା ଶୁଣାଯାଏ କୁଆଡ଼େ, ଏମିତି କେତେ କେତେ କାହାଣୀ । କିନ୍ତୁ ସେସବୁ ରାତିର କଥା ଆଉ ବିଶ୍ୱାସର ।

 

ଏହି ଯେଉଁ ମୁରୁଚାଖିଆ ତମ୍ବା ବର୍ଣ୍ଣର ମୋଟା ସୋଟା ନେଉଳଟି କେତେଥର ଯାଆସ କଲାଣି ଏବାଟେ, ଏକର ସେକର ଅତି ତର ତର ତରକା ଚାହାଁଣିରେ ଚାହିଁଦେଇ ବୁଦାରେ ପଶିଯାଉଛି ପୁଣି ବାହାରିପଡ଼ୁଛି ପୁଣି ପଶିଯାଉଛି ସେ କଦାପି ଯଖ ନୁହେଁ, ସେ ନେଉଳ । ଚେଁ ଚେଁ ହୋଇ ଏହି ଯେଉଁ କଜଳପାତିମାନେ ପଲ ପଲ ହୋଇ ଉଡ଼ୁଛନ୍ତି ସେଠି, ଝରିପୋକ ଉଠିଛନ୍ତି ଯେ ଖାଇବେବୋଲି, ସେମାନେ କେବଳ କଜଳପାତି ହିଁ । ସାମ୍ନାରେ ଲୋଟୁଛି ଦାରୁଠେଙ୍ଗ ପଦା, କଣ୍ଟା ପଥର ବେତନାସି ଗାଡ଼ ଢିପ ନାଳିଆହୋଇ ।

 

ତା’ର ସୌନ୍ଦର୍ଯ୍ୟ ସେହି ଝଙ୍କାଝଙ୍କା ଭଇଁଚିକୋଳି ଗଛର ଗୋଲ ଗୋଲ ମନ୍ଦାଟିମାନ, ଲଗାଲଗି, ତହିଁରେ ପେନ୍ଥା ପେନ୍ଥା ଧୋବ ଧୋବ ଅତି ଫୁଲ । ମହମ ମାଖିଲାପରି ଚିକ୍ ଚିକ୍, ମୋଟାମୋଟା ଟିକିଟିକି ପତ୍ରର ଗହଳି, ପରସ୍ତ ପରସ୍ତ ହୋଇ ଅସୁମାରି ଗୋଛା ଗୋଛା ଗାଢ଼ ସାବୁଜା, ଅଗଟିମାନ ନାଲିଚା ପଡ଼ିଆସୁଛି । ଦୁଧିଆଳି ଟାଣ ଫଳ ପେନ୍ଥା ପେନ୍ଥା, ଚିକ୍‍କଣ ଗୋଲ ଟିକି ଟିକି କୁମ୍ଭପରି ଅଳ୍ପ ଲମ୍ବା ହୋଇ ଟେକିହୋଇ ରହିଛି । ଆଉ ସେମିତି ଛନଛନିଆ ସାବୁଜା ଅନାବନା ଅଗଛିଆ, ତା’ର ନାନା ଆକୃତିର ପତ୍ର ଓ ଗଛ । ସେଠି ବିଛୁଆତି ଡଙ୍କବି ଗାଢ଼ ସାବୁଜା ରସୁଆଳ ହୋଇ ସୁନ୍ଦର ଦିଶୁଛି, ତା’ ଅଗରେ କେଡ଼େ ସୁନ୍ଦର ଶୁଣ୍ଢ, ପଗ ପଗକେ କି ସୁନ୍ଦର ଶୁଆପଖିଆ ପତ୍ର, ଚେକା ଚେକା ଗୋଜା ଗୋଜା, ଅନ୍ୟ ଉପରେ ଯେପରିକି ପାରିହୋଇ ରହିଛି ପାଣିଉପରେ ଭାସିଲାପରି । ବରଷାରେ ଛନଛନିଆ ଭୁରୁ ଭୁରୁ ହୋଇ ଘାସ ବଢ଼ିଛି । ଭୂଇଁଉପରେ ଜାତିଜାତିକା ଅତି ଟିକି ଟିକି ଫୁଲ, ନାନା ବର୍ଣ୍ଣର, ନାଲି ବାଇଗିଣି ଗାଢ଼ ନେଳି ଧଳା, ଯେପରିକି ନାନା ବର୍ଣ୍ଣର ପନି କଟାହୋଇ ଖଞ୍ଜାହୋଇଛି ପାଖକୁ ପାଖ, ନିରେଖିଲେ ହିଁ ଆଖିରେ ପଡ଼ିବ, ନ ହେଲେ ପାଦ ତଳେ ରହିଯିବ ଶହ ଶହ । ସେହି ପନିକି ପନି ଖଞ୍ଜା ଖଞ୍ଜି ମଝିରେ ଲହ ଲହ ହୋଇ ଟିକି ଟିକି ଲତାଟିମାନ ଚାଲିଛି, ସତେ ଯେପରିକି କୋଣାର୍କର ତୋରଣଦ୍ଵାରରେ ଛଞ୍ଚିକାମର ଶିଳ୍ପକଳା । ମାପି ଚୁପି କିଏ ତାକୁ ଭଙ୍ଗୀ ଦେଇଛି, ଛନ୍ଦରେ ବଙ୍କେଇଛି । ସେହି ଟୋପି ଟୋପି ରଙ୍ଗ ତଳେ ତଳେ ସେ ଚିତ୍ରର ପୃଷ୍ଠଭୂମିରେ ଅଛି ମାଟି, ଅତି ହାଲୁକା ଅତି ସୂକ୍ଷ୍ମ ରଙ୍ଗର ଭାଗ ମିଶାମିଶିରେ ତା’ର ଅବର୍ଣ୍ଣନୀୟ ବର୍ଣ୍ଣ, କର୍କଶ ନୁହେଁ କୋମଳ, ଅତି ଆପଣାର, ଅତି ସହଜ ଚିହ୍ନା କଥା ମନେ ପକାଇଦିଏ, ନିତି ଦେଖା ଦୁନିଆର ନିତି ଘରକରଣାର କଥା, ଏନ୍ତୁଡ଼ିଶାଳରୁ ମଶାଣି ପଦାଯାଏ ।

 

Unknown

ସେଠି ନିଛାଟିଆପଣର ନିଜରବି ଅଛି ଏକପ୍ରକାର ସୌନ୍ଦର୍ଯ୍ୟ, ଲୋକାଳୟଠୁ ଦୂରରେ ଅଯତ୍ନରେ ବାଛନ୍ଦ ହେଲାପରି ପଡ଼ିଥିଲେବି ଏ ଦୃଶ୍ୟର ନିଜରବି ଅଛି ଏକ ସ୍ୱାଧୀନ ସ୍ଵତନ୍ତ୍ର ବିଶିଷ୍ଟତା । ମଣିଷ ତାକୁ ରୂପ ଦେଇନାହିଁ, ସେ ଆପଣା ସ୍ୱତନ୍ତ୍ରତାରେ ଆପଣାକୁ ବିକାଶ କରିଛି, ଟିକି ଟିକି ଗୋଲ ଗୋଲ ମୂଷାକାନି ପତ୍ରଠୁଁ ଦିଦିପୁରୁଷୁ ଉଇହୁଙ୍କା ଓ ନାଗଫେଣି ବୁଦାଯାକେ ସତେକି ସବୁଠି ପୂରିଛି ଜୀବନ ପ୍ରାଚୁର୍ଯ୍ୟ, ଅବସ୍ଥା ଯେଉଁଠି ଯେଡ଼େ ପ୍ରତିକୂଳ ହୋଇଥାଉ ସବୁଠି ଆଶାପ୍ରକାଶକରି ଠିଆହେବାକୁ ଉଦ୍ୟମ ପୂରିରହିଛି । ନଖରେ ଚିମୁଟିଲେ ଯେଉଁଠି ମାଟି ଉଠେନାହିଁ ସେଠିବି କିଛି ନା କିଛି ଉଦ୍ଭିଦ ।

 

ରାତିର ବରଷାଧାରରେ ବଡ଼ ଉଇହୁଙ୍କା ଅଗରୁ ଫାଳେ ଭୁଷୁଡ଼ି ପଡ଼ିଥିଲା । ପୁଣି ଉଇମାନେ ତାକୁ ନୂଆକରି ଗଢ଼ିଠିଆ କରୁଛନ୍ତି, ଆଉ ଅଳ୍ପକେ ସେ କ୍ଷତ ସଜାଡ଼ିହୋଇ ନୂଆରୂପ ଘେନି ଠିଆ ହୋଇଯିବ, ଭୁଲି ହୋଇଯିବ କ’ଣ କେବେ ଥିଲା, ଯାହା ଆଜିନାହିଁ ।

 

ତାହାରି ତଳେ ତଳେ ଅତୀତର ଇତିହାସ ସତେକି ଆପଣା ଭୁଲା ନିଘୋଡ଼ ନିଦରେ ଶୋଇରହିଛି । କେଉଁ ଗଡ଼ କେଉଁ ରାଜା, ପୁରୁଷ ପୁରୁଷର ସୁଖଦୁଃଖର ଘରକରଣା ଥାଇ କେଉଁ ନଗର, କେଉଁ ଜନପଦ । ପର ମଣିଷ କି ପର ଦେଶ ଉପରେ ଆପଣାର ଟାଣ, ଆପଣାର ବଡ଼ପଣକୁ ବଳ ଖଟେଇ ମାଡ଼ି ଦେବାକୁ କେତେ ମେଣ୍ଟମାନିଆଁ ଗୁଣ୍ଡାମି, ଯାହାକୁ କହନ୍ତି ଯୁଦ୍ଧ ଅଭିଯାନ, କେଡ଼େ ନୃଶଂସ ବର୍ବର ହତ୍ୟାକାଣ୍ଡ, ଯାହାକୁ କହନ୍ତି ଋଣ ଧନ୍ଦୋଜ, କେତେ ଅନ୍ଧ ଆସ୍ଫାଳନ, ଯାହାକୁ କହନ୍ତି ଘୋଷଣ, କେତେ ବଡ଼ିମାର ବଖାଣ, ଯାହାକୁ କହନ୍ତି ବୀରତ୍ୱ । ସ୍ମରଣରେ ସ୍ମରଣରେ ଝଣଝଣେଇ ଉଠେ ବଳଦଙ୍କ ଘଣ୍ଟିପରି ବନ୍ଦୀମାନଙ୍କ ଗରୁଜଞ୍ଜିର, ଉଠେ ବିକଳ ବୋବାଳିର କାନଉତୁରା ଝଡ଼, ଶ୍ରମ ଓ ତ୍ୟାଗରେ ଜୀବନବ୍ୟାପୀ ପ୍ରଚେଷ୍ଟାରେ ସାଇତି ସମ୍ପାଦିଥିବା ଯଶ କି ସମ୍ପଦ ନିର୍ଦ୍ଦୟ ନିର୍ବିଚାର ନୃଶଂସ ହତ୍ୟାକାରୀ ଗୁଣ୍ଡାର ପାଦ ତଳେ ଦଳି ହୋଇ ଚିପିହୋଇ ଲୋପ ହୁଏ । ଜୀବନବିକଳରେ କବି ଓ ପଣ୍ଡିତ ହୁଅନ୍ତି ଗୁଣ୍ଡାର ପ୍ରଚାରକ, ତା’ର ଭାଟ, ତା’ର ଅପକୀର୍ତ୍ତିର ଅସଭ୍ୟ ବର୍ବର ଲଜ୍ଜାଜନକ କାହାଣୀକୁ କାବ୍ୟରେ କି ଶିଳାଲିପିରେ ବୀରତ୍ୱର ପ୍ରଶସ୍ତିକରି ରଖିଦେଇ ଯାଆନ୍ତି । ଏଠି ବି କେଜାଣି ହୋଇଥିବବି ତା, ମୁଣ୍ଡଶିକାରୀ ଆଦିମ ଅସଭ୍ୟ ମଣିଷର ପରମ୍ପରାରେ, ସେହି ଯୁଦ୍ଧ, ଦେଶଜୟ, ଲୁଣ୍ଠନ, ଅତ୍ୟାଚାର, ରକ୍ତପାତର ପୁରୁଣା କାହାଣୀ, ହାଣିବାର, ହାଣ ଖାଇବାର, ହିଂସା ଆଉ କାମନାର ।

 

ପୁଣି ଅସୀମ ତ୍ୟାଗର, ଅସୀମ ସହିଷ୍ଣୁତାର, ଅସୀମ ସାହସିକତାର, ନୈତିକତାର, ପରଦୁଃଖରେ କାତରହୋଇ ପରକୁ ଉପକାର କରିବାକୁ ଯାଇ ଆପଣାର ଜୀବନଦାନର ଇତିହାସ ଘଟିଥିବ ବି ଏଠି ବାରମ୍ବାର ।

ଆଉ ସେହି ନୀରବ କାହାଣୀ, ଯାହା ମଣିଷର ଗହନମନରେ ଭାବହୋଇ ଉଏଁ, ଭାବ ହୋଇ ଅସ୍ତହୁଏ, ଅତି ସୂକ୍ଷ୍ମଭାବ ସ୍ନାୟୁଭିତରେ ସୂଷ୍ମତାର ଭାବପ୍ରବାହ ହୋଇ ପିଣ୍ଡର ବ୍ରହ୍ମାଣ୍ଡ ଭିତରେ ନିମିଷକେ ଖେଳିଯାଏ, ପୁଣି ପିଣ୍ଡ ବାହାରକୁ ନିମିଷକେ ଚାଲିଯାଇ ବୁଲିଆସେ ମାଳ ମାଳ ବ୍ରହ୍ମାଣ୍ଡ ମାନଙ୍କରେ, କିନ୍ତୁ ସ୍ଥୁଳରେ ଘଟନା ଘଟାଏ ନାହିଁ, ନୀରବରେ ଆଗେ କେତେବେଳେ ହଜିଯାଏ, କେତେବେଳେ ଏକ କ୍ଷୀଣ ଦୀର୍ଘଶ୍ୱାସ ଉଠାଇ ଦେଇ ଅନ୍ତର୍ହିତ ହୋଇଯାଏ । ଲେଖାକରିବାକୁ ସମ୍ଭବ ଅଦେଖା ଅଶୁଣା କାହାଣୀମାନ କେଉଁ ଅସୁମାରି ମୁହୁର୍ତ୍ତମାନଙ୍କର, ସେ ବି କେତେ ଉତ୍ପର୍ତ୍ତି ହୋଇବିଲୟ ପାଇଥିବ ଏଠି ।

ସବୁରିଉପରେ ବିସ୍ମୃତିର ପରସ୍ତ ପରସ୍ତ ବହଳ କମ୍ବଳପରି ଗଦା ହୋଇଯାଇଛି ସମୟ, ସମୟ ସହିତ ଧୂଳି, ମାଟି, ଜନ୍ମ, ଧ୍ୱଂସ, ପୁନର୍ଜନ୍ମ । ହଜିଲା ଇତିହାସମୟ ହଜିଲା ଗଡ଼ଉପରେ ଭଇଁଚିକୋଳି ଚେକା ମେଲି ରୂପେଲି ଧଳା ଫୁଲ ଫୁଟେଇଛି, ସଜେଇ ରଖିଛି ଟିକି ଟିକି କୁମ୍ଭପରି ଫଳ ପେନ୍ଥି ପେନ୍ଥି, ସେହି ଯାହାର ବୃନ୍ତରେ ଅଛି ନାଲି, ଭିତରେ ଅଛି ଧଳା କ୍ଷୀର, ସେ କଣ୍ଟା ବଢ଼ାଇ ଧରିଛି, ପୁଣି କ୍ଷୀର ଭର୍ତ୍ତି କୂମ୍ଭ ବି ।

ସେହି ବହଳ ବହଳ ପର୍ଦ୍ଦା ତଜେ ଜଣେ ମରଣ ସୌଦାଗର ମୁଣ୍ଡକୁ ତଳେ ଲଗାଇ ଆଦରି ନେଇଥିଲେ ଜୀବନର ଶିଳ୍ପକଳା, ମାରି ହାଣି କନ୍ଦାଇ ଶେଷରେ ଆପେ କାନ୍ଦି ଅନୁତାପକରି ଘେନିଥିଲେ ପୁନର୍ଜନ୍ମ । ଚଣ୍ଡାଶୋକ ଅସ୍ତହୋଇ ଉଦୟ ହୋଇଥିଲେ ଧର୍ମାଶୋକ ।

କିଏ ଜାଣେ, ହୁଏତ ବା ଏଇ ମାଟିରେ, ଏଇ ଯେଉଁଠି ଏ ପୋଖରୀ ପୋତି ହୋଇପଡ଼ିଛି, ନଈ ହୋଇଛି, ଧାନବିଲ ଓ ବାଲି ପନ୍ତରା କିଏ ଜାଣିଚି, ଏଇଠି ହୁଏତ । ଧୋବେଇ ମିଶ୍ର କହିଯାଉଥିଲେ, ‘‘ସେତେବେଳେ ସମ୍ଭବ ହୋଇଥିଲା, ସେହି ଅଢ଼େଇ ହଜାରବର୍ଷ ତଳେ, ଏବେ ବି ସମ୍ଭବ ହେବ । ସେହି ଆକାଶ ଅଛି, ସେହି ସୂର୍ଯ୍ୟ ସେହି ପୃଥିବୀ ଅଛନ୍ତି, ହେବ ପୁଣି ତା, ଅବଶ୍ୟ ସ୍ୱାର୍ଥ ହିଂସା ଆଉ ଯୁଦ୍ଧର ନିଆଁ ଚିରଦିନ ଲାଗି ନିଭିଯିବ ପୃଥିବୀରୁ ।’’

 

ବିଶି ପାଣ କହିଲା, ‘‘ଏଇ ମାଟି ମୁଠାକ ! ଜାଣି କେତେ ପୁରୁଣା ସେ ! କେତେ କାଳର-!’’

 

ଧୋବେଇ ମିଶ୍ର କହିଲେ, ‘‘ସତ ।’’

 

ବଇ ମଳିକ କହିଲା, ‘‘କହନ୍ତି ଅମୁକ ଲୋକଘର ଖାନ୍ଦାନି, କାହାର ସାତ ପୁରୁଷି ଘର, କାହାର ଚୌଦ ପୁରୁଷି । କହନ୍ତି ଅମୁକ ଦେଉଳ ଭାରି ପୁରୁଣା, ତାଠୁ ଅମୁକ ଦେଉଳ ଆହୁରି ପୁରୁଣା । ଦେଖିଲା ବେଳକୁ ମାଟିରେ ଯେତେ ପଦାର୍ଥ ଅଛି ସବୁଠୁ ବେଶୀ ପୁରୁଣା ମାଟି ନିଜେ । ଆମରି ଦେରେ କେତେ ମଣିଷ ଗଲେଣି କହିଲ, କିଏ କହିପାରିବ ?

 

ଏମିତି କାମ କରୁ କିଛି ଏଇଠି ଗଛ ମୂଳେ ବସି ଗପକରିଥିବେ, ଝାଳ ମାରିଥିବେ, କିଏ ସମସ୍ତିଙ୍କ ଭଲପାଇଁ କାମ କରିବବୋଲି ମନ୍ତ୍ରଣାକରିଥିବେ, କିଏ ଖାଲି ଆପଣା ଭଲପାଇଁ । ଯୁଗ ଯୁଗ ଗଲାଣି, କେତେ ମଣିଷ ପୁଣି ପୁଣି ଜନ୍ମ ହୋଇ ମରିସାରିଲେଣି । ପଡ଼ିରହିଚି ଏ ମାଟି ।’’

 

ବିଶି କହିଲା, ‘‘ଏ କାହାରି ନୁହେଁଟି ! ସମସ୍ତଙ୍କ ପୋଷେ ପାଳେ, କିନ୍ତୁ କାହାରି ନୁହେଁ । କଥାରେ କହନ୍ତି ନାହିଁ, ‘‘ବେଁକୋଳି ସାହୁ ଦଣ୍ଡା, ଯେ କହିବ ମୋର ବୋଲି ତା ବଉଁଶ ହେବ ଲଣ୍ଡା-।’ ଏମିତି ପଡ଼ିଥିବ, ଲୋକ ଆସି ନାଚିକୁଦି ଯିବେ ।’’

 

ବଇ କହିଲା, ‘‘ତା ବୋଲି ଲୋଭ ଛାଡ଼ିବେ କି ? ଆପଣା ଦେହରୁ ମଳି ଟିକିଏ ଦିଅ ବୋଲି ମାଗିଲେ ଦେବେ ନାଇଁ । ଦି’ଦିନ ଜୀଅନ୍ତୁ କି ଦଶବର୍ଷ ଜୀଅନ୍ତୁ ସେଇ ଏକା କଥା-ଆମ ଘରେ ପଡ଼ି ପଡ଼ି ଜିନିଷ ଖତରା ହେଲେ ତମର କ’ଣ ଯାଉଚି, ଆମର ଆମେ ତମର ତେମେ, ଦିଆନିଆ ବେଭାର ନାଇଁ ।’’

 

ଧୋବେଇ ମିଶ୍ର କହିଲେ, ‘‘ବାପ ସମ୍ପତ୍ତି ରଖିଦେଇ ଯାଏ କ’ଣ ନା ମୋ ପୁଅ ସୁଖରେ ରହିବ । ପୁଅ ଦେଖେ ସବୁ ତ ଅଛି, ମୁଁ ଖଟିବି କାଇଁକି ? ଚାଲେ ସେଉଠୁ ମଦ କି ଗୁଲି କି ଅଏସ୍ କି ଅଳସପଣ । ବାପ ରଖିଥିବା ସମ୍ପତ୍ତି ପୁଅକୁ ହୁଏ ରୋଗ, ତାକୁ ନିକମା କରେ । ନାହିଁ ଯଦି ସେବାଟେ ନ ଯାଏ ତେବେ ଯାଏ ଭାଗ୍ୟର ଉପହାସରେ କାଳକବଳରେ । ଲୋକ ଏମିତି କୋଠା ତୋଳି ରଖିଯାଆନ୍ତି ଯେ ଜାଣି ସେଥିରେ ତିରିଶି ଚାଳିଶି ପରିବାର କୁଟୁମ୍ବ ଚଳିବେ, ମାହାଲା ମାହାଲା କୋଠା, ଏଣେ ଦେଖିଲା ବେଳକୁ ମଣିଷ ଚଲ୍, ଘର ହୁଏ ଚେମେଣିଆଁ ବସା, କାହା ପଦାର୍ଥ କିଏ ଖାଏ ।’’

 

ସାଧୁ ଜେନା ମୁହଁକୁ ତଳକୁ ପୋତି ପାନ ଭାଙ୍ଗିବାରେ ବ୍ୟସ୍ତ ଥିଲା, ଖାଲି ଆପଣାମାନିଆଁ ଖଣ୍ଡେ ପାନ ନୁହେଁ, ଏକାଠି ଦଶଖଣ୍ଡ କି ବାରଖଣ୍ଡ । ସମସ୍ତିଙ୍କ ହାତକୁ ଖଣ୍ଡେ ଖଣ୍ଡେ ପାନ ବଢ଼େଇଦେଇ ଶେଷରେ ଆପେ ଖାଇଲା ଖଣ୍ଡେ । ବିଶି କହିଲା, ‘‘ପାନଖାଇ ଶୂନ୍ ସାଧୁଆଇ !’’

 

ସାଧୁ କହିଲା, ‘‘ଫେର୍ ଆସିବ, ଅଇଛା । ସମସ୍ତଙ୍କ ମୁହଁ ନାଲି ହଉ ତ ଆଗେ ।’’ ବଇ କହିଲା, ‘‘ଖାସା ସୁଆଦିଆ ପାନଭଙ୍ଗା ହାତ ତମର ସାଧୁଆଇ, ହେଲେ କ’ଣ ହେଲା, ଗୁଣ୍ଡିଟି ଅଳପ, ଦିଅ ଆଉ ପୁଳିଏ ।’’

 

ବଟୁଆ ଖୋଲି ଗୁଣ୍ଡି ପୁଳିଏ ଧରେଇଦେଇ ସାଧୁ ଜେନା କହିଲା, ‘‘ଦେଖି ସମାଳି, ଭାରି କଡ଼ା ।’’

 

ଆଲୋଚନାରେ ଯୋଗଦେଇ ସାଧୁ ଜେନା କହିଲା, ‘‘ତମର ଯୋଉ କଥା ପଡ଼ିଥିଲା ଏଇ ଘର ଅଛି ମଣିଷ ନାହାନ୍ତି ଏମିତିଆ କଥା । ଖାଲି ମଣିଷ ମଣିଷ କ’ଣ ହଉଚ, ଠାକୁରବି ସେଇଆ । ଏ ଦେଶଯାକ କିଏ କେତେ ନ ଆସିଚନ୍ତି, କିଏ କେତେ ଦେଉଳ ନ ଗଢ଼ିଛନ୍ତି, ଠାକୁର ନ ଥାପିଚନ୍ତି, କେଇଟା ଠାକୁର ପୂଜା ହଉଚନ୍ତି, ଆମେ ଅଇଛା ମୁଣ୍ଡିଆ ମାରୁଥାଇଁ । କେତେ ହଜାର ହଜାର ଲକ୍ଷ ଲକ୍ଷ ଠାକୁର ଆଉ ଦେଉଳ ମାଟି ତଳେ ରହିଚି ତା କିଏ କଳନା କରିଚି ? ଏ ଦେଶ ଗୋଟାକ ସେମିତି । ମାଟି ଖାଇ ଖାଇ ପ୍ରତିମାମାନ ପଡ଼ି ରହିଛନ୍ତି, କୋଉ ପାହାଡ଼ରେ, କୋଉ ବିଲରେ, କୋଉ ଦଣ୍ଡାରେ । ପାଲିସ୍ ମୁଗୁନି ପଥର, ସତେକି ଲହୁଣୀ ବୋଳା ହୋଇଛି । ମୁହଁରେ ଆଖିରେ ଠାଣିରେ କି ଭାବ ! ପଥରକୁ ପାଲିସକରି ଖାଲ ଢିପ ଢାଲୁକରି କେମିତି କାମକରିଚି କୋଉ ବିନ୍ଧାଣୀ ଯେ ଏତେ ଯୁଗବିତିଗଲା ତା ମୁହଁରୁ ହସ ଘୋରିହେଇ ନାଇଁ । ଖଣ୍ଡେ ଖଣ୍ଡେ ପଥରରେ ଏତେ ସରୁ ଛୁଞ୍ଚି କାମ, ଏତେ କମକୁଟ ଇଟା ପତ୍ର ଆଖିବାଚ୍ଚ ନଖଦାଢ଼, କୋଉ ପଥର ଅପନ୍ତରାରେ ପଡ଼ିଚି ତ କିଏ କାହା ଗୁହାଳରେ ପରାହୋଇ ଚଟାଣ ହୋଇଛି, କାହା ପିଣ୍ଡା ହୋଇଛି, ସତେକି ସେମିତି ସେ ଝଟକୁଚି । ହେଲେ ସେ କାହିଁକି ଗଢ଼ା ହୋଇଥିଲା ? କେତେ ବେଳେ କେତେ କଉଡ଼ି ନ ଲାଗିଥିବ ତାକୁ ଗଢ଼ିବାକୁ ? ଛାଡ଼, ଗଲାଣି ତା ଯୁଗ । ମୋ ପିଲାକାଳେ ଆମରି ଗାଁରେ ଦେଖିଚି ପଥରର ଗୋଟାଏ ମାଇପି ଗଣ୍ଡି ପଡ଼ିଥାଏ, ବେକ ନାହିଁ କି ଅଣ୍ଟାଠୁ ତଳକୁ ନାହିଁ, ଆବୁ ଆବୁ ହୋଇ ଥନ ଦି’ଟା ତା’ଉପରେ ସରି ସରି ହୋଇ କେତେ କମକୁଟ ହାରମାନ ଖୋଜା ହୋଇଥାଏ । ହାତ ମାରିଲେ କେଡ଼େ ଚିକ୍‍କଣ, ହେଲେ ସେ ତ ହେଲା ବିଭଙ୍ଗ ପଥରମୂର୍ତ୍ତି, ଦେବୀ କି ମାନବୀ କୋଉ ଖୋଜାଲୋଡ଼ା ପଡ଼ିଚି । କିନ୍ତୁ ପିଲଦିନେ ଦେଖୁଥିଲି ଦାଣ୍ଡରେ ସେଇଟା ପଡ଼ିଥାଏ ଯେ ଲୋକେ ତା ଥନ ଉପରେ ଘଷି ଘଷି କଟୁରି ପଜାନ୍ତି ।’’

 

‘‘ଥନକୁ କଟୁରି, ଭଲ ଯୋଗାଯୋଗ ଏକା ।’’ ବିଶି ପାଣ କହିଲା, ‘‘ଆରେ ଭାଇ, ସେଇକଥା ତ ମୁଁ ଭାବୁଥିଲି । ଭାବୁଥିଲି କ’ଣ ଜାଣିଚନା, ସତେ ଏଇଟା ମଣିଷ ହେଇଥାନ୍ତା ! ମଣିଷ ଗଣ୍ଡିପରି ତ ଦିଶେ ବେଳେ ବେଳେ, ସତେ ଏଇଟା ମଣିଷ ହେଇଥାନ୍ତା, ୟା ଥନ ଉପରେ ଏମାନେ କଟୁରି ପଜାନ୍ତେ !’’

 

‘‘ସମସ୍ତେ ହୋ ହୋ ହୋଇ ହସିଲେ । ମୁଁ ଭାବୁଥିଲି, ‘‘ମଣିଷ ନୋହିଲା ପଥର ହେଲା ପଛେ, ଦେଖିଲେ ତ ମଣିଷ ମନେ ପଡ଼ୁଚି, ଯୋଉ ଥନକୁ ପିଲାଦିନୁଁ ବଡ଼ ହେବା ଯାକେ ମଣିଷର ଏତେ ସୋଗ, ତା’ଉପରେ କଟୁରି ନ ପଜେଇଲେ କ’ଣ କଟୁରି ଦାଢ଼ ହେବନାହିଁ ! ମୁଁ କେବେ କେବେ ଦେଖି ଦେଖି ଭାବୁଥିଲି, ଆଉ ମୋ ଦେହ ଶୀତେଇ ଉଠୁଥିଲା । ମତେ ଲାଗୁଥିଲା, ଏମିତି ସିନା, ମଣିଷ ମରିଗଲେ ତା ମଲା ଦେହଟାକୁ ଓଟାରି ଓଟାରି ଭିଣିଭିଣାକରି ଯେତେବେଳେ କାଉ ଶାଗୁଣା, ବିଲୁଆ, କୁକୁର ଖାଉଥିବେ ସେ କ’ଣ ଜାଣୁଥିବ ! ଆବୁ ଆବୁ ହୋଇ ସେହି କଟୁରିଘଷା ଥନ ଦି’ଟା ମୋର ଖାଲି ମନେ ପଡ଼େ, ମୁଁ କହେ ମଣିଷ ଜୀବନ ଏଇଆ, ସଂସାର ଏଇଆ, ଘରକରଣା ଏଇଥା, ଓହୋ !

 

ବଇ କହିଲା, ‘‘ନାଇଁ କଟୁରିଟାମାନ ଆଉ କୋଉଠି ଘଷି ଘଷି ପଜୋଉଥିଲେ ସାଧୁଆଇ, ମନଟା ଏମେତେ ହଉ ନ ଥାନ୍ତା, ଖାଲି ସେହି ଥନ ଦି’ଟାରେ ଯାହା ଅଡ଼ୁଆ, ମା’ଠୁ ଦୁଧ ଖାଇଥିଲା କି ନା, କେମେତେ ଦେହ ସହିବ ?’’

 

ସାଧୁ ଜେନା କହିଲା, ‘‘ତେମେ ସବୁ ହସରେ ଉଡ଼େଇ ଦଉଚ, କହିଲ ଦେଖି, ସେ ମୂର୍ତ୍ତିଟାର କ’ଣ ଦିନ ନ ଥିଲା ଯେତେବେଳେ ତାକୁ ଦେଖିବାକୁ ଲୋକ ଗଦାହୋଇ ପଡ଼ୁଥିବେ ! ଯଦି ସେ ଠାକୁରାଣୀ ହେଇଥିବ ତା ଆଗରେ କେତେ ବୋଦା ପଡ଼ିଥିବ, କେତେ ଲୋକ ମୁଣ୍ଡଆ ମାରି ଗଡ଼ିଥିବେ, କେତେ ମାନସିକ ଯାଚିଥିବେ । ପୂଜା ଓଝା ଯାନିଯାତ୍ରା କେତେ କ’ଣ ନ ହୋଇଥିବ ! ସବୁ ଯାଇ ତାକୁ ଯୋଗ ଥିଲା କଟୁରିଘଷା ।’’ ବଇ କହିଲା, ‘‘ଫେର୍ ଆଉ କୋଉଠି ନୁହେଁ ତା ଛାତିରେ-’’

 

ସାଧୁ ଜେନା କହିଲା, ‘‘କଥାରେ କହନ୍ତି ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲେ, ସତ କଥା, ଏମିତି ତ ହୁଏ । ଖୋଳିବା କ’ଣ ଦରକାର, ତୁଚ୍ଛାକୁ ତ ଏମିତି କେତ ମହାଦେବ ଅଛନ୍ତି-। ବଣ ଡିଙ୍ଗରହୋଇ ପଡ଼ିଚି ଠାଆକୁଠା, ମଝିରେ ଭଙ୍ଗା ଦେଉଳ, କି ଅବା ଭଲ ଦେଉଳ ପୂଜା କେବେହେଲେ ହେଲା ନଇଲେ ନାଇଁ, ମହାମହା ଲିଙ୍ଗମାନ, କୁଣ୍ଢ ପାଇବ ନାହିଁ, ସେ ଶକ୍ତି ତ ସାକ୍ଷାତ୍ ଢଳେଇ କାମପରି, ଖାଲି ଯେତେ ଜନ୍ତୁଜୁନ୍ତା ରହିବା ଥାନ, ମଣିଷ ପାଦ ପଡ଼େ କି ନାଇଁ । କହିଲ ଦେଖି, ଦିଅଁ ଗଢ଼ିବାକୁ କେତେ କାରିଗର ଲାଗିଥିବେ, ପୁଣି ଦେଉଳ ତୋଳିବାକୁ । କେତେ ଧନ ଖରଚ ହୋଇଥିବ ! ଠାକୁର ପ୍ରତିଷ୍ଠା ହେବାକୁ କେଡ଼େ ବଡ଼ ଉତ୍ସବ ହୋଇଥିବ । କେତେ ପୂଜା ଓଝା କେତେ କ’ଣ ନ ହୋଇଥିବ ! କେତେ ଯୁଗ ପରିଯନ୍ତେ ଲୋକେ ସେଇ ଦିଅଙ୍କ ନାଁ ଧରି ଧରି ନିୟମ କରିଥିବେ, ଏ ଜନ୍ମରେ ସୁଖଶାନ୍ତି ବଡ଼ପଣିଆ ଆର ଜନ୍ମପାଇଁ ସ୍ୱର୍ଗବାସ ମିଳୁ । ଗଲା କୁଆଡ଼େ ସେ କାଳ ? ସେ ମଣିଷ କାହିଁଗଲେ ? ଏତେ ଏତେ ଧନରତ୍ନ ଖର୍ଚ୍ଚକରି ଯେ ଗଢ଼ି ଦେଇଗଲେ କାହିଁ ପୁରୁଷେ ଲେଖା ଉଚ୍ଚ ବଂଶୀଧାରୀ କୃଷ୍ଣ କି ଚତର୍ଭୁଜ ମାଧବ କି ଦୁର୍ଗା କି ଶିବଲିଙ୍ଗ କି ବୁଦ୍ଧ ହନୁମାନ କି ଆଉ କିଛି, ସେ ଯେଉଁ ପଥର କାରିଗରୀ ଯେ ଏବେକା ମଣିଷ ସେମିତି ଆଉକରିପାରୁ ନାହାନ୍ତି-କେଉଁଠି ବେତନାସି କଣ୍ଟାବଣରେ କୋଉଠି କୋଉ ନଈ ଅତଡ଼ାରେ କୋଉଠି ବିଲ ମଝିରେ ଏସବୁ ଫୋପାଡ଼ିଦେଇ ସେ ମଣିଷ ସବୁ କୁଆଡ଼େ ଚାଲିଗଲେ-! ସେ ଦେଉଳ, ସେ ପୂଜା ଏସବୁ କୁଆଡ଼େ ଗଲା ?’’

 

ବିଶି ପାଣ କହିଲା, ‘‘କହିବି ଥରେ କ’ଣ ହେଲା ? ଲୋକେ କହନ୍ତି ସେଠାରଟା ତେମୁହାଣି, ଅବିକା ଖାଲି ଗୋଟିଏ ନଈ, ଆଉ କୋଉ ଧାର ଥିଲା ଯେ ସେ ପୋତି ହୋଇପଡ଼ିଛି ପରା, ଖାଲି ବାଲି ପଠା, ସେଠି କିଆବଣ । କିଆବୁଦା ପାଖେ ହୁଙ୍କାପରି ମାଟି କୁଦଟାଏ ଥାଏ, ଯେମିତି ଗୋଟାଏ ବଡ଼ ପୁରୁଣା କିଆର ପିଣ୍ଡ । ଥରେ ଅସରାଏ ଆଚ୍ଛା ଛେଚିକରି କୁଟିଲା, ସେ କିଆ ତଳୁ ପଥରରେ ମୁହଁଟାଏ ବାହାରିଲା । ଚାରିଆଡ଼େ ହୁରି ପଡ଼ିଗଲା । ଲୋକେ ଆସି ଭଲକରି ମାଟି ଆଡ଼େଇଦେଲେ । ବାହାରିଲେ ଏକ ଚତୁର୍ମୁଖ ବ୍ରହ୍ମା, ଗୋଟିଏ କାନ୍ଧରେ ଚାରି ଦିଗକୁ ମୁହଁକରି ଚାରୋଟି ମୁଣ୍ଡ, ଅଣ୍ଟାଏ ଉଞ୍ଚ, ଧ୍ୟାନରେ ବସିଛନ୍ତି, ତଳେ ପଦ୍ମ ଆସନ । ସତେ ଯେମିତିକି ବ୍ରହ୍ମା ମନ୍ତ୍ର ପଢ଼ୁ ପଢ଼ୁ, ପଥର ହୋଇଯାଇଛନ୍ତି । ଆମକୁ ଡାକି ନେଇଥିଲେ ଢୋଲ ବଜେଇବାକୁ । ଲୋକ ଜମିଲେ । ବହେ ଢୋଲ ବାଡ଼େଇଲୁଁ । କେତେ ଢୋଲବାଡ଼ିଆ ଶୁଣିଥିବେ ସେ ଦେବତା । ତାଙ୍କ ଧ୍ୟାନ ଟିକିଏବି ଟଳିଲା ନାଇଁ, ଠାଏ ଖୋଳା ହେଲା, ପୁରୁଷେ ଗଭୀର ତଳେ ପଥର ଚଟାଣ ଅଛି । କହୁଛନ୍ତି ସେଇଟା ମହାଦେବଙ୍କ ଦେଉଳବେଢ଼ା ଭିତର, ମଝିରେ ମହାଦେବବି ଥିବେ, ତାଙ୍କରି ନାଁରେ ସେ ଗାଁ ନାଁ ପରା ରାମେଶ୍ଵର । ତେମୁହାଣିର ଠାକୁର, ସେକାଳେ ଡାକିଲେ ଓ କରୁଥିବେ । ଅଇଚ୍ଛା ବାଲି ଭିତରେ ।’’

 

ଧୋବେଇ ମିଶ୍ର ମୁଣ୍ଡକୁ କରକୁ ଢଳେଇଦେଇ ମିଞ୍ଜି ମିଞ୍ଜି ଆଖିରେ ସତେକି ଶୂନ୍ୟରେ ଲୟ ଲଗାଇ ଦିବ୍ୟଦୃଷ୍ଟିରେ ଦୂରକୁ ଚାହିଁରହିଥିଲେ । ତାଙ୍କର ଗୋରା ଚେକା ମୁହଁଟି ବହଳ ମୁଣ୍ଡବାଳ ରୁଢ଼ ଲାଗିହୋଇ ଯେପରିକି ସ୍ୱପ୍ନରେ ଫୁଲ ଫୁଟିଲାପରି ଥମ୍ବି ରହିଥିଲା, ଯେପରିକି ସେ ବି କେବଳ ମାୟା ମଣିଷର ମୁହଁ, ଚାହୁଁ ଚାହୁଁ ନିଭିଯିବ ।

 

ଦୀର୍ଘଶ୍ୱାସ ପକାଇ ସେ କହିଲେ, ‘‘ଧୂଳିଠୁ ଆହୁରି ବହଳହୋଇ ପରସ୍ତ ପରସ୍ତହୋଇ ସମୟ ଗଦା ହୋଇପଡ଼ୁଛି, ସବୁ ପୋତି ପକାଉଛି । ଖୋଜିଲେ ନାଁ ମିଳିବନାହିଁ, ରୂପ ବା ମିଳିବ କାହୁଁ ?’’

 

ସମୁଦ୍ରବାଲିରେ ଶାମୁକାଟିମାନ ପୋତିହୋଇ ପଡ଼ିଛି, କିଏ ଖୋଜିବ ? କିଏ ପାଇବ, କହିବ କାହାର କେଉଁଟାବୋଲି !

 

ଗଲେବି ହଜିଯିବ, ଥିଲେବି କୋଇ ନ ହଜିବ ! ଚିଲିକାରେ ଚଢ଼େଇ ଦେଖିଚ ? ନଳବଣ କୂଦରେ ? ପାଣି ଆଉ ଆକାଶ ସବୁ ଯେମିତିକି ଚଢ଼େଇ, ତଳୁଉପର, ପରସ୍ତ ପରସ୍ତ, ଦୂର ଆଉ ପାଖ । ଚିହ୍ନିବ କିଏ କ’ଣ ? କେଉଁଟା କେଉଁଠି ଅଛି ?

 

ଆକାଶକୁ କିଏ ଛାଟିମାରିଥିଲା ଚଢ଼େଇ, କୁଆଡ଼, ଆସିଲେ କୁଆଡ଼େ ଚାଲିଗଲେ । ପୁଣି ଆକାଶ ପୋଛାପୋଛି ହୋଇ ରହିଲା ନୂଆ ଚଢ଼େଇଙ୍କପାଇଁ । କିଏ ହଜିଯାଏ ନିମିଷକେ, କାହା ନାଁ ବୁଡ଼ିବାକୁ ଅବା କେତେ ହଜାରବର୍ଷ ଲାଗେ । ରାମ, କୃଷ୍ଣ, ବୁଦ୍ଧ, ଯୀଶୁ, ମହମ୍ମଦ, ଚୈତନ୍ୟଙ୍କୁ ଆମେ ଏପର୍ଯ୍ୟନ୍ତ ଭୁଲି ନାହୁଁ ମହାତ୍ମା ଗାନ୍ଧୀଙ୍କୁ ପୂଜାକରିବାକୁ ଆରମ୍ଭକରିଛୁ ବୋଧେ ଏବେ ତାଙ୍କ ତିରୋଧାନର ଏହି କେତେ ବର୍ଷ ଉତ୍ତାରୁ । କିନ୍ତୁ ଯୁଗେ ଯୁଗେ ଭଗବାନ ଦୁଷ୍କୃତ ଧ୍ୱଂସକରି ଧର୍ମସ୍ଥାପନ କରିବାଲାଗି ଯେ ଏତେ ଏତେ ଅବତାର ହୋଇଥିଲେ, ପୁଣି ଦୁନିଆସାରା ଅଗଣିତ ଲୋକଙ୍କ ହୃଦୟରେ ସଦ୍‌ବିଚାର ଦେଇଥିଲେ, କଣ୍ଠରେ ସରସ୍ୱତୀ ବସାଇଥିଲେ, କାହିଁ ସେସବୁ ଅବତା’ର କି ସେସବୁ ମହାପୁରୁଷଙ୍କ ନାଁ ବି କେହି ମନେରଖି ନାହାନ୍ତି ।

 

କିନ୍ତୁ ନାଁ ମନେ ନ ଥାଉ ପଛେ, ସତ୍ୟ ଭୁଲି ହୁଏନାହିଁ । ଯୁଗେ ଯୁଗେ ମହାପୁରୁଷମାନେ ସତ୍ୟ ପ୍ରକାଶକରିଛନ୍ତି । ସେ ସତ୍ୟସବୁ କେମିତି କୁଆଡ଼ୁ ଆସିଲା ? କ’ଣ କାହାର ମନଗଢ଼ା କଥା ? ତା ନୁହେଁ । ଯୁଗ ଯୁଗ ବିତିଗଲା’ ଦଳ ଦଳ ଲୋକ ସଂସାରକରି ଗଲେ-। କେତେ ଜ୍ଵାଳା, କେତେ ତାପ’ କେତେ ସଂହାର, କେତେ ଦୁର୍ଦ୍ଦଶା ଭିତରେ ଦିନ କଟେଇ ସେମାନେ ଯାହା ପ୍ରମାଣ କରିଗଲେ, ତାଙ୍କ ଅଭିଜ୍ଞତା ତାଙ୍କ ଅନୁଭୂତିରୁ ଯାହା ବାହାରିଲା, ସବୁ ଦେଶର ପୁଣି ସବୁଦିନିଆବୋଲି ସେହିଆକୁ ଗଭୀରଭାବେ ଭାବିବିଚାରି ମହାପୁରୁଷମାନେ ସତ୍ୟ ଆବିଷ୍କାର କଲେ, ସେହି ସତ୍ୟ ଦୁନିଆକୁ ଦେଇଗଲେ । ଦେବତା ପାଶୋରି ହେବେ, ମହାପୁରୁଷ ପାଶୋରି ହେବେ ସିନା, ସେ ସତ୍ୟ ପାଶୋର ଯିବନାହିଁ । ମଣିଷ ସେ ସତ୍ୟକୁ ନ ପାଳିଲେ ସୁଦ୍ଧା ସ୍ୱୀକାର କରୁଥିବ ସେ ସତ୍ୟ ଅଛି ବୋଲି, ଆପଣା ଜୀବନକୁ ଉନ୍ନତକରିବା ଲାଗି ଆଖି ଆଗରେ ଥୋଇ ମାନିଚଳିବା ଲାଗି ସେ ସତ୍ୟପାନ ଆବଶ୍ୟକ ବୋଲି ସେ ମାନୁଥିବ, ଘେନୁଥିବ । ସମସ୍ତେ ଏକ ପରମେଶ୍ଵରଙ୍କ ସନ୍ତାନ, ୟେ ସେହିପରି ଏକ ଏକ ସତ୍ୟ । ସବୁ ଘଟରେ ପରମାତ୍ମା ଅଛନ୍ତି, କେହି ସାନନୁହେଁ, ଯେ ସେହିପରି ଏକ ସତ୍ୟ । ଦୁଃଖ କି ସୁଖର ଚେତନା ଦେବା ଯନ୍ତ୍ର ଏହି ମନ, ମନକୁ ଠିକଣା ନ କଲେ ଶାନ୍ତିନାହିଁ । ୟେ ବି ସେହିପରି । ପରକୁ କନ୍ଦେଇଲେ ଯେଡ଼େ ବଡ଼ ମଣିଷ କି ରାଜ୍ୟ ହେଉ ସେ ଦିନେ ଟଳିପଡ଼େ, ୟେ ବି ଏକ ସତ୍ୟ । ସବୁ ଅନର୍ଥର ମୂଳ ସ୍ୱାର୍ଥପରତା, ସବୁ ଅଶାନ୍ତିର ମୂଳ ହିଂସା, ସବୁ ପାପର ମୂଳ ମିଛ, ୟେ ସବୁ ସେହିପରି ଗୋଟିଏ ଗୋଟିଏ ସତ୍ୟ । ସବୁ ମଣିଷ ଭାଇ ଭାଇ, ଏ ସଂସାରେ ସମସ୍ତଙ୍କର ଅଧିକାର ଅଛି, ୟେ ବି ସତ୍ୟ ।’’

 

ସମସ୍ତେ ଚୁପ୍ ଥିଲେ । ସାଧୁ ଜେନ କହିଲା, ‘‘ମୁଁ ବି ଏକ ସତ୍ୟବିଷୟ କହିବି । ବିଲରେ ଦିଆଯାଏ ଯେତେ ଯେତେ ସାର ଅଛି ଦେଖିଚ, ସବୁଠୁ ବେଶୀ କ’ଣ ଗୁଣ କରେ ?

 

କିଏ କେତେ କଥା କହିଲେ । ସାଧୁ ଜେନା କହିଲା, ‘‘ୟେ ହେଲା ନାହିଁ । ଯାହାର ବଳ ବେଶି ସେ ସାର ନାଁ ମଣିଷର ଝାଳ ।’’ ସମସ୍ତେ ହସି ହସି କୋଡ଼ି କାଙ୍କ ଧରି କାମକୁ ଓହେଇ ପଡ଼ିଲେ ।

 

ସକାଳୁ ଛବି ଆଖି ଖୋଲି ଦେଖିଲା ବେଳକୁ ମେଘ ଅନ୍ଧାର ଭିତରେ ଗଳ ଗଳ ହୋଇ ବରଷା ଗଳି ପଡ଼ୁଛି, ଲାଗି ରହିଛି ଅବିରାମ, ସତେକି ଏମିତି ଥିଲା ସବୁଦିନେ, ଯେଉଁଦିନୁଁ ଏ ପୃଥିବୀ ଏ ସୃଷ୍ଟି ସଙ୍ଗେ ସଙ୍ଗେ ସେ ନିଜେ ବି ସୃଷ୍ଟି ହେଲାଣି, ସେ, ଛବି, ସେ ଦିନୁଁ ।

 

କିନ୍ତୁ ଅଲୁଗୁଣି ଉପରୁ ସବୁଦିନପରି ପଖାଳକରୀ ଖଣ୍ଡକ ଓଟାରି ନେଇ ପାଲଟି ପକାଇଲା ବେଳକୁ ମେଘ ବାମ୍ପରେ କାଉନ୍ଦା ଆମ୍ବୁଲିଆ ସେହି କସରା କସ୍ତା ଖଣ୍ଡକ ଦେହକୁ ଚାଉଁ ଲାଗୁନାହିଁ, ଆପଣା ଭିତରର ଉଷୁମ ଯେପରିକି ଆପଣାକୁ ଅନୁଭବ ହେଉଛି, ଲାଗୁଛି ପଦାରେ ମେଘ ଅଛି ହଁ, କିନ୍ତୁ ଭିତରେ ଅଛି ତେଜ କଳ୍ପନା ଆଉ ସ୍ୱପ୍ନ ଭିତରର ତେଜ ଦେହର ଉଷୁମ ସବୁ ସେହି ଗୋଟାଏ କେନ୍ଦ୍ରରୁ ବାହାରୁଛି, କେଉଁଠି ଆପଣା ଭିତରେ କେଉଁ ଗହନରେ ତା’ର ଘର, ବରଷାପରି ସେବି ଜଳି ଲାଗିଛି ଅବିରାମ, ସେହି ଅନିଭା ଅଖଣ୍ଡ, ରକ୍ତର କଣିକା ଭିତରେ ଭାବନାର ଟିକି ବିନ୍ଦୁଭିତରେ ଦୃଷ୍ଟିର ବାଗଭିତରେ ଚାଲିଲା ବସିଲା ସବୁଥିରେ ସେହି ଜୀବନର ଉଷୁମ ।

 

ଶୀତ ବରଷାରେ ସତେ ଯେପରି ଦୁଗୁଣେଇ ହୋଇ ବାହାରେ ।

 

ଭଙ୍ଗା ଘରମାନଙ୍କ କୁଦ ଢିପଉପରେ ଭଙ୍ଗାଖଞ୍ଜା ଫାଙ୍କା ବାରିଉପରେ ଜରଜର ହୋଇ ଅଜାଡ଼ି ହୋଇପଡ଼ୁଛି ବରଷା, ଖାଲି ଗୋଟାଏ ଚଟାଳିଆ ବିଛେଇ, ତା’ରି ଉପରେ ତ । କିନ୍ତୁ କେବେ ସେଠି ଏତେ ଘରବାରି ଥିଲା ତା ତା’ର ହେତୁ ପଡ଼ୁନାହିଁ ଯେପରିକି କେବେ ସେ ତା ଆଖିକୁ ଫାଙ୍କା ଦିଶୁ ନଥିଲା । ସହଜ ହୋଇ ସେ ପରିସ୍ଥିତି ତା’ର ଚେତନାରେ ମିଶିଯାଇଛି, ଯେପରି ଏ ଘର, ଯେପରି ବାପା ବୋଉ ।

 

ସେଠି ବରଷା କୁଢେଇ ପଡ଼ୁଛି ଦେଖୁ ଦେଖୁ ମନ ଅଜଣାତରେ ମନଭିତରେ ଯେପରିକି ଚହଟି ଯାଇଛି ସର୍ଜନର ମୋହ ଆବେଗ, ଅଳସଲାସ୍ୟବି, ସେହି ଯାହାତଳେ ଛପି ରହିଛି ତା’ଠି ମନ ଗହିର ତଳେ କେଉଁ ପ୍ରତୀକ୍ଷା, ଅନ୍ୟମନସ୍କ ହୋଇଯାଉଛି ଛବି । ପାଟି ଅଳ୍ପ ହସରେ ଅଧା ଖୋଲାହୋଇ ଝୁଲିଲାପରି ହୋଇରହିଛି । ଆଖି ବାହାରକୁ ଥାଇବି ଦୃଷ୍ଟି ଭିତରକୁ ବଙ୍କେଇ ପଶିଯାଇଛି ।

 

ବାଃ, କି ସୁନ୍ଦର, କି ସୁନ୍ଦର ! ଏମିତି ସତେକି ମନଭିତର ଡାକୁଛି ବରିଷାର ମୁନିଆଁଧାର ଅଗରେ ଦେହ ଉଲୁସା ତୀକ୍ଷଣ ସ୍ପର୍ଶ ଫୋଡ଼ି ଫୋଡ଼ି ଚିଆଁଇ ଦେଲାପରି, ଗୋଟିଏ ଥର ନୁହେଁ, ଅକଳନ୍ତି ଥର, କେବେ ଏ ଅନୁଭୁତି ତା’ର ଦେହରେ ବିନ୍ଧି ସ୍ମରଣରେ ଛାପା ମାରିଥିଲା ମନେନାହିଁ, ହୁଏତ ଥରେ ନୁହେଁ ଅନେକ ଥର । ତା’ରି ଗୁଣାଗୁଣି ବେଳେ ମନ ଭିତରେ ଚେଇଁ ଉଠୁଛି ବିପୁଳ ଶକ୍ତିର ବେଗ, ସେ ଗଢ଼େ, ମାଡ଼ି ଗଲେ, ପରାଜୟ ମାନେ ନାହିଁ । ତା ବି କେଉଁ ବାଲି ଖେଳବେଳେ ସେ କେଉଁ ଖିଆଲରେ ଆବିଷ୍କାର କରିଥିଲା, ଯେତେବେଳେ ଭବିଥିଲା, ମୁଁ ମୁହଁ ଶୁଖାଇଦେଲେ ଜଗତ ଝାଉଁଳି ପଡ଼ିବ, ମୁଁ ହସିଲେ ହସିଉଠିବ ସମସ୍ତିଙ୍କ ମୁହଁ, ବାଡ଼ରେ ଘାସରେ ଫୁଲ ଫୁଟିବ ।

 

ଏଇ ବରଷାର ଓଲଟ ପାଲଟ ଭିତରେ ସତେ ଯେପରି ଆପଣାଭିତରେ ନୂଆ ବାଗରେ ସଜାସଜି ହୋଇ ନୂଆରୂପ ପ୍ରକାଶପାଉଛି । କାନ ଡେରି ହେଉଛି ଦୂରର ଶବ୍ଦକୁ ଧରିବାକୁ, ସେଇ ଆସନ୍ତା ସମ୍ଭାବନାର ପାଦଶବ୍ଦପାଇଁ ଆସୁ ନ ଆସୁ ପରେଇ ନାହିଁ ତା’ର, ସେ କେବଳ ଆଗ୍ରହୀ ସେହି ପାଦ ଶବ୍ଦର ସଙ୍ଗୀତ ଶୁଣିବାପାଇଁ ।

 

ଆପଣାକୁ ଝାଙ୍କି ଦେଇ ପଦାକୁ ଦେଖିଲା, ଏଥର ନିଘା ପଡ଼ିଲା ହତା ଭର୍ତ୍ତିକରି ଯେଉଁ ଅଗଛିଆ ବଣ ବଢ଼ି ଉଠୁଛି ତାହାରି ଉପରେ । ସେ ଅକାମୀ କି କାମୀ ତା ତା’ର ମନେପଡ଼ିଲା ନାହିଁ, ଆଦୌ ହେତୁ ହେଲା ନାହିଁ ଯେ ବରଷା ଦିନେ ଏମିତି ସେଗୁଡ଼ାକ ଉଠେ । ସେତେବେଳେ ଛନଛଳିଆ ଷଣ୍ଢା ଷଣ୍ଢା ଦିଶେ । ବରଷା ସରିଗଲେ କ୍ଷୀଣ ହୋଇଯାଇ ଦିଶେ ବିଲର ମୂଳିପରି । ପୁଣି ଯେତେବେଳ ଝାଞ୍ଜି ଉଡ଼ାଏ ଭୂଇଁ ଫାଟେ ନ ଥାଏ ସେ, ଖାଲି ତଳେ ତଳେ ଫୁରୁ ଫୁରୁ ଶୁଖିଲା କହର ବାଳପରି, ସେ ବି ଯାଏ ।

 

କେବଳ ମନେପଡ଼ିଲା ସେ ଅଛି, ତା’ର ସଂସ୍ଥିତିମୟ ସ୍ଥଳୀଭିତରେ । ଆଉ ଅଛନ୍ତି ଏମାନେ, ଏଇ ଯେତେ ଶାଗୁଆ ଶାଗୁଆ ଜୀବନ ଝଲ ଝଲ ଗୁଳ୍ମ । ସରଗରୁ ଧାର ନିଗୁଡ଼ୁଛି, ବିପୁଳ, ଅକାତର । ସୃଷ୍ଟି ଅଛି, ଆନନ୍ଦ ଅଛି ।

 

ସଜନା ଗଛ ସେ ପାଖରୁ ହଠାତ୍ ବାହାରିଲେ ଗୁର ଓ ଗୁରବୋଉ, ମଇଳା ଲୁଗା ଘୋରି ହୋଇଛନ୍ତି, ନଇଁ ନଇଁ ଆସୁଛନ୍ତି । ଗୁରବୋଉର ପିଠିରେ ବଡ଼ ଚିରାଟା । ‘‘ଖୁଡ଼ି କାହିଁଗଲେ-? ଯିବ ନାହିଁ କି ନଈକି ?’’

 

‘‘ଚାଲ୍ ଚାଲ୍, ବରଷାକୁ ଡରିଲେ କ’ଣ ହେବ ? ଏ ତ ଦିନଯାକ ଲାଗିଥିବ ।’’

 

‘‘ହଁ, କୋଉ କୋଶେ ଦି’କୋଷ, ଓଳି ତଳେ ତ ପାଣି, ଗୋଡ଼ ତଳେ ଗଙ୍ଗା ବିଜେକରିଛନ୍ତି ଆଉ କ’ଣ ?’’ ଛବିବୋଉ ହସି ହସି କହିଲେ ।

 

‘‘ଛବି ଅପା–’’ ଗୁର ଡାକୁଛି ।

 

‘‘ତୁ କୁଆଡ଼େ ବାହାରିଚୁ, ପିଲା ବକଟେ, ଆ ଉଠିଆ, ଉଠିଆ ।’’

 

‘‘ତାକୁ ଛାଡ଼ି ଦେଇଗଲେ ଆଉ ଘର ଦୁଆର ରଖିବ ?’’

 

‘‘ହଉ ହଉ ଚାଲ, ମୁଁ ଯାଉଛି ଯେ–’’

 

ଏଥର ବରଷାରେ ଦେହଟା ଶୀତେଇ ଉଠିଲା । ଆବେଗ ନୁହେଁ, ଉଚ୍ଛାସ ନୁହେଁ, ସରଗର ଧାର ନୁହେଁ, ଖାଲି ବରଷା । ‘‘ମାଲୋ, କେତେ ଦିନ ଏ ଲାଗିବ କେଜାଣି ? ମଣିଷ ଠକ ଠକ ହୋଇଯିବେ ।’’ ଛବିବୋଉ କହିଲେ, ‘‘ସେ କଥା କ’ଣ କହୁଚ ଖୁଡ଼ୀ, ଆଜି ପରା ଜାଳିବାକୁ ଘରେ କିଛିନାଇଁ । ତମଠୁ ଘସି ଟୋକେଇଏ ନ ନେଲେ ନ ଚଳେ । ହାତୀଅନ୍ଧ ପଟେ ଚାଳଟି ଭାଙ୍ଗି ପଡ଼ିଥିଲା ଯେ ସେଥିରୁ ଜାଳି ଜାଳି ସବୁ ସରିଲା, କାଠ ତ ଛେଲିଦେଇ ଶୁଖେଇଦେଇ ଯାଇଥିଲେ ଯେ ଓଦା କଟକଟ, ଆଉ କ’ଣ ହବ କହ ?

 

ପଚ୍ ପଚ୍ ଚପ୍ ଚପ୍‌ ବରଷାପାଗ । ଗୋଳିଗାଳିହୋଇ ଚାରିଆଡ଼ ଯେମିତିକି ଗୋଟାଏ ନର୍ଦ୍ଦମା, ଛବି ଅନୁଭବ କଲା । ତା’ପରେ ସାହାଡ଼ା ଡାଳରୁ ଖଣ୍ଡେ କାଠି ଭାଙ୍ଗିବା, ତା’ପରେ କିଆବଣ ସେକଡ଼ର ଅରମାଭିତରେ ବସି ପଡ଼ିବା, ତା’ପରେ ହରି ସାହୁ ଦୋକାନ ଗଡ଼ା ଟପିବାଁକୁ ବାଟଭାଙ୍ଗି ବନ୍ଧତଳକୁ ଗଡ଼ିଯାଇ ସେଇଠି ଟୁବୁକିନା, ତା’ପରେ ଥରି ଥରି ଅଧା ଧାଇଁ ଧାଇଁ ଘରମୁହାଁ, ସବୁ ଦିନପରି ଆଜିବି ସେଇଆ । ପ୍ରତୀକ୍ଷା ଭିତରେ ଦିନ ଦିନକର କଳ-ଜୀବନର ରୂପବାରି ହୋଇପଡ଼ୁଛି, ସେହି ତ ପ୍ରତୀକ୍ଷା ।

 

ଚାଲିଲେ ସେମାନେ ।

 

‘‘ହେ ମହାପୁରୁ !’’ ଛବି ପାଟିକଲା, ‘‘ନଈ କୋଇଠି ଥିଲା, କୋଉଠି ଆସି ହେଲାଣି ! ପାଣି ଆସି ବନ୍ଧ ତାଳୁକୁ !

 

‘‘ଇଲୋ ହଁ ଲୋ ! ହଁ ଲୋ !’’ ଗୁରବୋଉ କହିଲେ ‘‘ମା’ଲୋ, ଏମିତି ବଢ଼ି ବସିଲେ ତ ଗାଁଗଣ୍ଡା ଖାଇଦବ ଲୋ ମା !’’

 

‘‘ଚାଲ ଚଞ୍ଚଳ କାମସାର,’’ ଛବିବୋଉ ମୁହଁ ଥମ ଥମକରି କହିଲେ, ଯେପରିକି କ’ଣ ବିପଦ ଆସନ୍ନ, ଚଞ୍ଚଳ କାମ କଲେ ତହିଁରୁ ରକ୍ଷାମିଳିବ ।

 

‘‘ହେଇ ଦେଖ କେଡ଼େ ବଡ଼ଗଛ ଭାସିଯାଉଚି’’ ଛବି ହାତ ଦେଖେଇଲା ।

 

ଗୁର କହିଲା, ‘‘ଗଛରେ ଚଢ଼େଇ ବସା ନଥିବ ? ଚଢ଼େଇ ତ ମରିଯିବେ !’’

 

‘‘ହଉ ହଉ, ପଛେ, ଚଢ଼େଇ ପେଇଁ ବାହୁନିବୁ, ଫାଙ୍ଗୁଳା ଟୋକି ! ଆ ଗାଧୋଇ ଦେବି-।’’ ତା’ ବୋଉ ଆକଟିଲା ।

 

‘‘ହେଇ ନାହା, ଖଣ୍ଡେ, ଦି’ଖଣ୍ଡ, ତିନି ଖଣ୍ଡ–’’

 

ହଁ, ନାହା । ଛବି ଅଧା ଗାଧୁଆହୋଇ ଅନାଇଲା । ଗମ୍ଭୀରହୋଇ ଭାସି ଚାଲିଯାଉଛି କେତେ ଦୂରରେ । ଆହୁଲାରେ ଚାଲିଛି ।

 

‘‘କିଲୋ ମୁଁ ପୋଛି ହେଲିଣି ତୁ କ’ଣ ଠିଆ ହୋଇ ନାହା ଦେଖୁଛୁ ବା, ନୂଆ ପାଣି ଧରିବ, ଫୁର୍ତ୍ତି କର ।’’ ବୋଉ ପାଟି କରୁଛି ।

 

ଗୋଡ଼ରେ କ’ଣଟାଏ ଖୁମ୍ପୁଛି । ଛବି ଗୋଟାଏ ଥର ବେକଯାକେ ବସି ପଡ଼ିଲା । ଡର ମାଡ଼ୁଥାଏ । ଡରିଟା ବଢ଼ିଗଲା, ସେମିତି ଓଦା ସର ସରହୋଇ କୂଳକୁ ଦୌଡ଼ି ଆସିଲା । ପଛକୁ ଅନାଇଲା । ଏଇ ମାଟି ଗୋବର ଗୋଳା ହେଲାପରି ପାଣି, ସେଥିରେ ଫେଣ ଭାସୁଛି । କେତେ ଜାତି ଡାଙ୍ଗ ଆଉ ଶୁଖିଲା ଫଳ ଭାସୁଛି । ହୁଏତ କିମ୍ଭୀର ଲୁଚିଥିବ । କହୁ କହୁ ହେଇ ଖଣ୍ଡେ ଦୂରରେ ସେମିତି କ’ଣଟାଏ ଦିଶୁଛି । ଗାରପରି ସଳଖ ହୋଇ ତିନିଖଣ୍ଡ ।

 

‘‘ଇଲୋ ଦେଖ୍‌ଲୋ ବୋଉ, ଘଡ଼ିଆଳ କି ଘୁମୁହାଁ କ’ଣ ଏଇଟା ।’’

 

‘‘କାହିଁ ? କାହିଁ ?’’ ସମସ୍ତେ ଛାନିଆଁହୋଇ ପଚାରିଲେ ।

 

‘‘ହୋଓ ସେଠି-’’

 

‘‘କିମ୍ଭୀର ହୋଇଥିବ ।’’

 

‘‘ଆଉଦିନେ ନାଇଁ ବୋଉ, ବରଂ କୂଅମୂଳେ ପାଣି କାଢ଼ି-’’

 

ଉପରକୁ ଉଠି ଆସିଲାବେଳକୁ ଲାଗୁଛି ସତେ ଅବା ନଈଟା ଥଟ୍ଟାକରି ହସୁଛି । ଛବି ସେହି କିମ୍ଭୀରଟାକୁ ଅନାଇଲା, ନଈଏ ନଈଏ ଭାସିଯାଉଛି । ସେ କ’ଣ ଜାଣିଥିବ ଆମ କଥା ! ଛବି ମନ ଖିଆଲରେ ଭାବିଲା । ତା’ ପରେ ଘରକୁ ଫେରୁ ଫେରୁ ସେ ମନେ ମନେ ଆଉଣ୍ଡିଗଲା ଆହୁରି କେତେ କଥା । ଏଇ ଗୁରବୋଉ, ସବୁ କଥାକୁ ଭଲସିନା ଆପଣା ଦୁଃଖ କହିବ ନାହିଁ ଅନ୍ତକପଟୀ । ସେ ଭାବୁଥିବ ସତ୍ୟବାନଙ୍କ କଥା । ଦି’ମାସ ହେଲା ଆସି ନାହାନ୍ତି କି ଟଙ୍କା ପଠାଇ ନାହାନ୍ତି, ଘରେ କେତେ କ’ଣ ଅଭାବ । ଆଉ ଶିଖରମା’, ମରୁ ମରୁ ବଞ୍ଚିଛି ସିନା ବୁଢ଼ୀ, ଖାଇବାକୁ ଛଟପଟ । ଏ ଝଡ଼ି ବରଷାରେ କିଏ ଯାଉଥିବ, କିଏ ଦେଉଥିବ ? ସପନୀମାକୁ କୁଆଡ଼େ ଜର ହୋଇଥିଲା । ରଘୁଆମା’ ପାଞ୍ଚଦିନ ତଳେ ଆସିଥିଲା, ଶେଥାଟା ଦିଶୁଥାଏ, କହିଥିଲା, ‘‘ମୁଁ ବା ଭୋକ ସମ୍ଭାଳିବି, ରଘୁଆ ପେଇଁ ଦି’ଟା ଚୁଡ଼ା ଦେଲେ-’’ ଚୁଡ଼ାମାଣେ ଅଜାଡ଼ି ଦେଇଥିଲା ସେ, ପାଞ୍ଚ ଦିନ ଗଲାଣି, ତା’ପରେ ଅଇଛା ? ସେମିତି ବାଉରି ସାହିରେ, ଆଉ କେତେ ଦୁଃଖୀ ରଙ୍କିଙ୍କ ଘରେ-। ଝଡ଼ି ପରା ଦିନେ ଠ-ଠା-ଠି । ଆଉ ମନେପଡ଼ିଲା ଆରତ ଅମିନଙ୍କ ଖଞ୍ଜାଭିତରେ ଧାଡ଼ି ଧାଡ଼ି ଧାନ କୋଠିମାନ, ଭଣ୍ଡାର ଘରେ ଟୋକେଇ ଟୋକେଇ ହୋଇ ସରୁଚୁଡ଼ା । ସେମିତି ନୀଲୁଦାସ ଘରେ, ସେମିତି ଆଉ କେତେଠି । ଆଉ ତା’ ସାଙ୍ଗରେ ଗାଁର ବୋହୂ ଝିଅ ଯେଉଁମାନେ ବୁଲନ୍ତି, କେଳାଭାରିଯା, ଶଶୀର ଭାଉଜ, ବଲୀ, ମଲ୍ଲୀ, ଚାନ୍ଦ, ଆଉ ଯେଉଁମାନେ, ସେମାନେ କେହି ତା’ ପାଖକୁ ଆସି ନାହାନ୍ତି । ବୁଲିବାକୁ ପଡ଼ିବ ଯେ । କିଏ କହୁଥିଲା ଧନୁଆଁ କେଉଟର ରୋଷେଇ ଘର କାନ୍ଥଟା ଦୁଲ୍‌କିନା ପଡ଼ିଗଲା, ଆଉ ଟିକିଏ ହୋଇଥିଲେ- । ପୁଣି ହୁର୍ଦ୍ଦୁ ସେଠୀ ଧୋବାର ନୂଆ ଘର ବଖରାକବି । କେତେ କାନ୍ଥ ପଡ଼ିଥିବ, କେତେ ଘରେ ଚୁଲୀରେ ପାଣି ପଶିଥିବ । ଆଉ ସେ ଖାଲି ଭାବୁଛି ତା’ରି ନିଜ କଥା ।

 

‘ସେ କ’ଣ କହନ୍ତେ !’ ତା’ର ମନ ଆପଣାକୁ ଆପେ କହିଲା । ପୁଣି କାନମୁଣ୍ଡାରୁ ତାତି ବାହାରିଲା । ଉପର ମନରେ ଯେମିତି କହିଦେଇ ଉଡ଼େଇ ଦେବାକୁ ଚେଷ୍ଟା କଲା, କାହାର କିଏ ବା-?

 

ଆଉ ଛବିବୋଉ କେଉଁ ମୁହୂର୍ତ୍ତରେ ମନ ଉଢ଼ୁଆଳରୁ ଦେଖି ଦେଇଥିଲେ ଆପଣା ଝିଅର ନଈବଢ଼ି ଲାଗିଲାପରି ଦେହଟାକୁ, ସେହି ଯେଉଁଟାକୁ ଆପଣାଠୁଁ ଅଲଗାକରି ଦେଖିବାକୁ ଆଖି କେବେ ବାଗେଇନାହିଁ, ମନରେ ଗୋଟାଏ ହାହାକାର ପୂରି ଯାଇଥିଲା । ପାପୁରି ଯୋଡ଼ି ବାଁରେଇଲାପରି କପାଳରେ ମାଡ଼ିଦେଇ ଅନ୍ତର ଭିତରେ ନିଜ ପାଖରେ ନିଜେ କହି ପକାଇଥିଲେ, ‘‘ହେ ଠାକୁରେ, ହେ ପରଂବ୍ରହ୍ମ- I’’ ଆପଣାର ଅପାରଗତା ମନଭିତରେ ରାଉ ରାଉ ହୋଇ ବାଜିଥିଲା ଯେପରିକି କଣା କାନ୍ଥବାଟେ ବରଷାପାଣିମିଶା କାଉନ୍ଦା ପବନପରି ।

 

ଆଉ ସେହିଦିନ ଖିଆପିଆ ସରୁଣୁ ସରୁଣୁ ସିନ୍ଧୁ ଚୌଧୁରୀ ଯେତେବେଳେ ଚେକାପକାଇ ବସି ଭାଗବତ ଖୋଲୁଥାନ୍ତି, ଛବିବୋଉ ସଜ ହେଉଥାନ୍ତି ପୁଣିଥରେ ତାଙ୍କୁ କେଞ୍ଚିବେ ଛବିର ବାହାଘର ବିଷୟ ବୁଝିବାକୁ ସେତେବେଳେ ଥିରି ହୋଇ ଆସି ଛବି କହିଲା ସେ ଯିବ ଗାଁକୁ, କେତେ ଘରେ କେତେ ଅନିଭୋଗ, ନ ଗଲେ ନ ଚଳେ ।

 

‘‘କିଏ ତତେ ଅନେଇ ବସିଚି, ତୁ ଏ ବରଷାରେ ନ ଗଲେ ନ ଚଳେ ଲୋ ଝିଅ ! କ’ଣ ତୁ ହଉଚୁ !’’

 

‘‘ନାଇଁ ବୋଉ, ତତେ ରାଣ ଅଛି, ଏଇଛୁଣିକା ଆସିବି, ଟିକିଏ ଦେଖି ଆସେ ସେ ଶିଖରମା’ଟା–’’

 

‘‘ଭାକୁଚିଆଳି ହବୁ ପଛେ । ରହ ଥିରି ହେଇ ।’’

 

‘‘ନାଇଁ ନାଇଁ–’’ ଅଳି କରୁଛି ।

 

‘‘କ’ଣ ତୁ କହୁଛୁ ? କୁଆଡ଼େ ଯିବୁ ?’’ ସିନ୍ଧୁ ଚୌଧୁରୀ ପଚାରିଲେ ।

 

‘‘କିଛି ନାହିଁ ମ, ଏମିତି–’’ ଛବି ହସୁଚି ।

 

ତା ବୋଉ ବୁଝେଇଲେ, ‘‘ସେଇ ତାଙ୍କର ସେଇ ଯୋଉ ଦଳକରିଚନ୍ତି, ମା ଲୋ, ଦୁନିଆଁକୁ ଓଲଟାଇ ପକେଇବେ ମନ କଲେ–’’

 

ସିନ୍ଧୁ ଚୌଧୁରୀ ସ୍ନେହରେ ହସିଲେ, କହିଲେ, ‘‘ପୁଣି ଇସ୍କୁଲ ଘରେ ଅଘୋରଦୁଆରି ଭୋଜି କେବେ କରୁଚ ? ଏଥର ଖଜଣା ପଡ଼ିବ ଜାଣିଥା ।’’

 

ଛବି କହିଲା, ‘‘ଦବୁ ଖଜଣା, ନ ହେଲା ତମକୁ ଏବେ ନିମନ୍ତ୍ରଣକରିବୁ ।’’

 

ସିନ୍ଧୁ ଚୌଧୁରୀ କହିଲେ, ‘‘ପିଲାରେ ପିଲାରେ ଏଇ ଯେତେ ସାଙ୍ଗସୁଖ, ଭୋଜିଭାତ, ବୁଲାଚଲା, ଏ ଦରମଲା ଗାଁଟାକୁ ସେଇ ସେତିକି ବଞ୍ଚେଇ ରଖିଛି । କି ଯୋଗରେ କେଳାଭାରିଯାକୁ ଭୁତ ଲାଗିଲା, ମୁଁ ତ ଦେଖୁଛି ସେଇ ଦିନୁ ନୂଆ ହାଉଆ ।’’

 

ଛବିବୋଉ କହିଲେ, ‘‘ଭୂତଟା ଡେଇଁଲା ପରା ତମ ଗୁଣବନ୍ତ ଝିଅ ଉପରକୁ–’’

 

‘‘ଛି ଛି କ’ଣ ଯେ ତମ ତୁଣ୍ଡରେ ଆସେ–’’

 

‘‘ନଇଲେ ବାଇ ଲାଗିଲାପରି ଏ ବରଷା ପାଗରେ ମଣିଷ ବାହାରେ ନା ? କ’ଣ ଗୁଡ଼ଘର ପିମ୍ପୁଡ଼ି ଖାଇଯାଉଚି ଯେ ୟା’ର ତର ସହୁ ନାହିଁ !’’

 

ଛବି ପଚାରିଲା, ‘‘ଆମ ଘରେ କ’ଣ ଚିରାଫଟା ଅଛି ଦବୁ ଲୋ ବୋଉ ?

 

‘‘ହଁ, ଏ ବି ଗୋଟାଏ ସିଧି ହେଇଚି । ସେଦିନ ଶିଖରମା’ ପେଇଁ ନେଇଗଲୁ ଦଢ଼ ଚାଦରଟାଏ, ଆଉ ପୁଣି ରାଇଜଯାକ ବାଣ୍ଟିବାକୁ କାହା ଘରେ ଏତେ ସେତେ ଡିଆଁ ମାରୁଚି କହ, ଆମର ତ ସବୁ ଚିରାଫଟା ।’’

 

‘‘ସିନ୍ଧୁ ସେମିତି ହସୁଥାନ୍ତି । ଛବି କହିଲା, ‘‘ନାଇଁ ଦେ ଦେ, ଦେଖୁନୋଉଁ କେଡ଼େ ଶୀତ, କାହାର ତ ହେଲେ ଦରକାରରେ ଆସିବ । ମୋ ଶାଢ଼ୀଟା, ଦି’ଠା ଚିରିଯାଇଚି–’’

 

‘‘ମୁଣ୍ଡରେ ଫେର୍ ପୋକ କାମୁଡ଼ିଲାଣି ପରା ହଉ ଦେ ତୋ ମନ ଯାହା ହଉଚି । ତୋ ଜିନିଷ ତୁ ଦବୁ, ମତେ କାହିଁକି ପଚାରୁଚୁ ?’’

 

‘‘ଆଉ ଚୁଡ଼ା ଭୋଗେଇଏ ହବ ଦେ–’’

 

‘‘କ’ଣ ଜନମ କରିବି ?’’

 

‘‘ହାଣ୍ଡିରେ ରଖିଚୁ ଦେ, ଦେ–’’

 

‘‘ସବୁ ତ ଦବୁ, ତୋ ପେଇଁ କ’ଣ ରହିବ ?’’

 

‘‘ଦେ-ଦେ–’’

 

ସିନ୍ଧୁ ଚୌଧୁରୀ ହସୁଥାନ୍ତି । ତାଙ୍କ ଆଖି ଜିକିଜିକି ଦିଶୁଥାଏ ।

 

ଗାଁ ଟରଣି ଅଗଣି ରାୟ ଭାବିଲା ଭାବିଲାପରି ବନ୍ଧେ ବନ୍ଧେ ହରି ସାହୁ ଦୋକାନ ଆଡ଼େ ଚାଲିଥାନ୍ତି । ପିଙ୍କା ସରିଯାଇଛି ।

 

ମୁଣ୍ଡ ଉପରେ ଗୋଟିଏ ପୁରୁଣା ତାଳିପକା ଛତା, କେବେ କିଣା ହୋଇଥିଲା ତାରିଖ କହିଦେବେ । ତାରିଖ ଆଉ ଘଟନା ଆଉ ଟଙ୍କା ପଇସା, ସେ ତାଙ୍କର ମୁଖସ୍ଥ । ନର୍ସିଙ୍ଗ ଗୌଡ଼ର ମକଦ୍ଦମା,ବିଷୟ-ଆମ୍ବଗଛ, ସେଇଥିରୁ ଏ ଛତା । ନର୍ସିଙ୍ଗ ହାତ ଖୋଲିଦେଇ ଟଙ୍କା ଅଜାଡ଼ିଥିଲା । ଯେତେ ଖର୍ଚ୍ଚକରିଥିଲା ସେତିକିରେ ଗୋଟାଏ ଆମ୍ବଗଛ କ’ଣ ଛୋଟିଆ ତୋଟାଟାଏ ବି କିଣା ହୋଇପାରିଥାନ୍ତା ।

 

ନର୍ସିଙ୍ଗ ମଲାଣି, ଆମ୍ବଗଛଟା ମଲାଣି । ଛତାଟାକୁ ଗଲା ଫଗୁଣରେ ଛବିଶି ବର୍ଷ ପୂରି ସତେଇଶି ବର୍ଷ ଚାଲିଲା । କନା ବଦଳି ପାଞ୍ଚଥର ହେଲାଣି । ତା’ଉପରେ ଚାରି ଚାରି କଣିଆ ହୋଇ ପଟିଉପରେ ପଟି, ପାଖରେ ପଟି ।

 

ଦୁଲୁ ଦୁଲୁହୋଇ ମେଘ ଡାକୁଛି । ଅଳ୍ପ ଝିପିରି ଝିପିରି ବରଷା ଚାଲିଛି । ଦେହରେ ପୁରୁଣା କଚିରିଆ କୋଟ୍‌ଟା ଲାଗିଛି ସତ, କିନ୍ତୁ ଖାଲି ପାଦ ବାଟେ ଦେହଭିତରେ ଶୀତ ପଶିଯାଉଛି, ଆଉ ପଶୁଛି ପବନରୁ ସିଧା ସେହି କୋଟ୍ ବାଟେ, ଆଖିକି ଦିଶିବେ ନାହିଁ ଏପରି ସାନ ସାନ କୀଟ ଆଖିକି ଦିଶିବ ନାହିଁ ଏପରି ସାନ ସାନ କଣା ଫୁଟେଇଛନ୍ତି ଯେ ଖୋଳ ଭିତରେ ପବନର ଗତାଗତଟା ଯେପରିକି ବୁଝି ହୁଏ ।

 

କୋଟଟାରବି ତାରିଖ ଅଛି, ହିସାବ ଅଛି । ସେହି ଆଦ୍ୟ ଟରଣିଗିରି ବେଳ । ସହରରେ କଚିରି ଦାଣ୍ଡରେ ଏପରି କେତେ କୋଟ୍‍ଧରି ଜଣେ ଡେଙ୍ଗା ଦାଢ଼ିଆ ପଶ୍ଚିମା ବେପାରୀ ଡାକ ପକାଇଥାଏ । କିଏ ମାପ ଦେଇ କେବେ କରାଇଥିଲା, କ’ଣ ହେଲା ସେ ଲୋକର କିଛି ଜଣାନାହିଁ-। କୋଟ୍‌ଟା ମିଳିଯାଇଥିଲା । ତା’ପରେ ସେ ହେଲା ଏ ଦେହର ଖୋଳ ।

 

ଦିନାକେତେ ତା’ ଭିତରେ ଦେହଟା ଚିପି ହେଉଥିଲା, ତା’ପରେ ଆଦରି ଗଲା, ତା’ପରେ କୋଟ୍‌ଟା କେଡ଼େ ଢିଲା ହୋଇ ନୋଚା ହୋଇଗଲାଣି । ତଥାପି ସେହି ଗୋଟିଏ, ଦୁଇ ନାହିଁ । ଭାବିଲେ ସେ ବି ହେତୁ ପଡ଼େ, କେତେ ଅବସ୍ଥା, କେତେ ଇତିହାସ ଭିତରେ ଏ ଛତା ଆଉ ଏ କୋଟ୍ ଦୁହେଁ ଏକାଠି, ତାହାରି ଭିତରେ ଜୀବନ ଏତେ ବାଟ ଗଡ଼ି ଆସିଲାଣି,ପରିଷ୍କାର ବାରି ହୁଏ, ଯାହା ଥିଲା ତା ଆଉ ନାହିଁ । ଅଣବାହୁଡ଼ା ରଥପରି ବୟସ ଚାଲିଯାଇଛି ।

 

ଭଲରେ ଗଲା କି ମନ୍ଦରେ ? ବେଳେବେଳେ ଭାବିବାକୁ ମନ ହୁଏ । ଠାକୁରଙ୍କୁ ମୁଣ୍ଡିଆ ମାରିବାବେଳେ ମନଭିତରେ ସତକୁ ସତ ଗୋଟାଏ ପ୍ରକାର ଭାବ ଆସେ, ନିଃସହାୟତା, ଗୋଟାଏ ଅଜଣା ଭୟ, ଗୋଟାଏ ଆକୁଳ ଆଶ୍ରୟ ଖୋଜା, ସବୁ ଏକାଠି ହୋଇ ଦୁମୁଦୁମୁ ଛାତିରେ ଗୋଟାଏ ମୁଗ୍‌ଧ ଅଭିବ୍ୟକ୍ତି, ଆଖି ଖୋଲିଦେଲେ ସବୁ ଉଭେଇଯାଏ । ପୁଣି ବୁଦ୍ଧି ଖେଳେ, ଆଖିବୁଲେ ।

 

ଦୁଲୁ ଦୁଲୁହୋଇ ମେଘ ଡାକୁଛି । ଅଳ୍ପ ଝିପି ଝିପି ବରଷା ବରଷୁଛି ଚିକ୍‍କଣ କଳା ଆକାଶ ଓହଳି ପଡ଼ିଛି । ମସାରି କନାର ଜାଲ ଫଡ଼କିଲାପରି ହାଲୁକା ବରଷା ଅସରା ଦୂରେଇ ଦୂରେଇ ଘୁମୁରି ଯାଉଛି, ପୁଣି ପାଖକୁ ଆସୁଛି । ଡାହାଣ ପଟେ ନଈ ଉଛୁଳୁଛି । ପାଣିଟା ବନ୍ଧ ତାଳୁକୁ ଲାଗି ଲାଗି ଆସିଲାଣି । ଚାହିଁଦେଲେବି କେତେ ସାଲ କେତେ ତାରିଖ ମନେ ପଡ଼େ, କେଉଁଠି କେତେଠି ଘାଇ ଭାଙ୍ଗିଥିଲା, ଗାଁ ଭାସି ଯାଇଥିଲା ।

 

ତଥାପି ଆଇନର ନିଷ୍ପତ୍ତିପରି ଏ ନଈ ବି ଅଛି, ନଈବନ୍ଧ ବି ଅଛି, ଗାଁ ବି ଅଛି ।

 

ଆଉ ଅଛନ୍ତି ସେ ଅଗଣି ରାୟ ।

 

କିନ୍ତୁ ଆପଣ ମନେ ମନେ ଯେପରିକି କେଉଁ କଥା ଉପରେ ଦୁଇ ପଟ ହୋଇ ସେ ଯୁକ୍ତି କରୁଥିଲେ ଆଉ ଶୁଣୁଥିଲେ । ଯେପରିକି ସେ ଯୁକ୍ତି ଅପ୍ରୀତିକର ଲାଗୁଥିଲା, କିଏ ଯେପରିକି ଦୋଷ ଲଦି ଦେଉଛି । ଭ୍ରୂଲତା କୁଞ୍ଚେଇ ସେ ମନେ ମନେ କହିଲେ–ଆରେ ଭଲ କଥା ! ମୋର କି ଦୋଷ-?

 

ଲୋକେ ଦୁଗୁଣେଇ ହୋଇ ଆସନ୍ତି, କହନ୍ତି ଟିକିଏ ସାହାଯ୍ୟ କର, ମୋ ପାଉଣା ମତେ ଦିଆଇ ଦେବାକୁ ବାଟକରିଦିଅ । ଶତ୍ରୁ ଉପରେ ଦାଉ ସାଧିବାକୁ ବୁଦ୍ଧି ଦିଅ । ବୁଦ୍ଧି ବଳରେ ତ ସଂସାରଟା ଚାଲିଛି, ବୁଦ୍ଧି ବିକି ମୁଁ ବଞ୍ଚିଲି ତ ଭୁଲ କ’ଣ କଲି ?

 

ଭାବୁ ଭାବୁ ତଥାପି ତାଙ୍କୁ ମାଡ଼ି ପଡ଼ୁଥିଲା । ହେଇ ବାଁହାତି ଗାଁଟାକୁ ଅନାଇ ଦେଲେ କେତେ କାଳର କେତେ ଦୃଶ୍ୟ ଆଖି ଆଗରେ ଭାସି ଚାଲିଯାଏ । ଆପଣ ପାରିଲାପଣର ନିନ୍ଦା ଦମ୍ଭ ଉଭେଇଯାଇ ମନେପଡ଼େ କେତେ ଲୋକଙ୍କର କେତେ ନିଶ୍ଵାସ, ଅଭିଶାପ, କଟାସମ୍ପା । କେତେ ତହିଁରୁ ମଲେଣି, କେତେ ଯେ ସେମାନେ ଡିହବାରି ବିକି ଭାଙ୍ଗି ଆଉ କେଉଁଆଡ଼େ ପଳାଇ ଗଲେଣି-। ବୁଦ୍ଧି ବଳରେ କେତେ ଘରେ ମକଦ୍ଦମା ପୂରାଇ ସେ ତୋଫାନ ଉଠାଇଛନ୍ତି । ଆପେ ପଇସା ରୋଜଗାର କରିଛନ୍ତି । ସେ ପଇସାବି କେତେ କାଳରୁ ସରିଛି । କିନ୍ତୁ ସେହି ଘଟନାଗୁଡ଼ାକ । ଗୋଟାଏ ଗୋଟାଏ ସ୍ମୃତି ।

 

ଅନୁଭବ କଲେ ଆପଣା ଭିତରୁ ଆପଣା ମନ ତାଙ୍କୁ ଦୋଷ ଦେଉଛି । ପୁଣି ଉପର ମନ ଟାଣକରି ତାକୁ ଉଡ଼ାଇଦେବାକୁ ଚେଷ୍ଟାକଲେ । ଭାବିଲେ, ଆଗେ ତ ଏପରି ହେଉ ନଥିଲା । ନିଶ୍ଚୟ ଏ ବୟସର ଦୁର୍ବଳତା, ବୟସ ବଢ଼ିଲେ ବଳ ହଟିଲେ ତ ମଣିଷ ବୁଦ୍ଧିର ବଛକୁ ଛାଡ଼ିବିଶ୍ଵାସ ଉପରେ ଭରା ଦେଇ ବୈକୁଣ୍ଠ ଖୋଜେ !

 

ଫେର୍ ଏ କେମିତି ବେସୁରା ଯୁକ୍ତି ମନେପଡ଼ିଲା ? ସେ ଆପଣା ଉପରେ ଆଶ୍ଚର୍ଯ୍ୟ ହେଲେ । ବୈକୁଣ୍ଠ ଖୋଜିଛନ୍ତି ସେ ନିଜେ ବି । ଦି’ଓଳି ଆଖି ବୁଜି କ’ଣ ଘରେ ବସି ସେ ମାଳା ଗଡ଼ାନ୍ତି, ଠାକୁରଙ୍କୁ ଭାତ ମାଗନ୍ତି, ବୈକୁଣ୍ଠବି ମାଗନ୍ତି ।

 

ଭାବୁ ଭାବୁ ବିରିଚକୁଳି ମନେପଡ଼ିଲା । କାଲି ରାତିରେ ହୋଇଥିଲା, ଆଚ୍ଛା ଆମ୍ବିଳି ଚକୁଳି, ରାଗ ପଡ଼ିଥିଲା । ଖଣ୍ଡିକରୁ ଦି’ଖଣ୍ଡ, ଦି’ଖଣ୍ଡରୁ ତିନିଖଣ୍ଡ, ମାଧିଆ ବୋଉ ବଳେଇ ବଳେଇ ଖୁଆଇ ଦେଇଥିଲା । ସେତିକିବେଳୁ ପେଟ ଅସୂତ୍ର । ପେଟରେ ଥାପୁଡ଼େଇ ଥାପୁଡ଼େଇ ପରଖି ନେଲେ । ଏବେ ବି ବାଇ ଭିଡ଼ିଛି । ସେତିକି ଦେଖି ଯେପରିକି ପୂରା ଦମ୍‌ରେ ଆତ୍ମବିଶ୍ୱାସ ଫେରିଆସିଲା, ସେ ଖୁସି ହେଲେ, ସେ ଫଳର କାରଣ ପାଇଛନ୍ତି । ପେଟରେ ବାଇ ହେଲେ ମନରେ ଏମିତିଗୁଡ଼ାଏ ନରମ ପୁଚୁପୁଚୁ ଭାବନା ଆସେ, କଲିଜାଟା ଦବି ଦବି ଯାଏ, ସତେକି ଅପରାଧ କରିଛିବୋଲି ଲାଗେ । ଏ ସଂସାରରେ ବଞ୍ଚିବାକୁ ହେବ, ପେଟ ପୋଷ ନାହିଁ ଦୋଷ । ପେଟ ପୋଷିବାକୁ ଯାହାକୁ ଯେପରି ସଚ୍ଚ ତା ସେ କରିବ । ସେ ବି କରିଛନ୍ତି । ତାଙ୍କର ଉପାୟ ବୁଦ୍ଧି ।

 

ଖାଲି ପେଟ ପୋଷିବିବୋଲି ନୁହେ ପରା, ବୁଦ୍ଧି ଖେଳାଇ ଖେଳାଇ ତାଙ୍କର ମଣିଷପଣ ପଦାକୁ ଫୁଟିଛି, ଝଟକିଛି, ସେ ଆନନ୍ଦ ପାଇଛନ୍ତି । ଗାରଡ଼ି ଲଗାଇଲାପରି ଏତେ ଲୋକଙ୍କୁ ଭିଡ଼ା ଓଟରା, ମଣିଷକୁ ମେଣ୍ଢା କରିଦେବା, ପୁଣି ଡାଆଣୀହୋଇ ଲାଗିବା, ଗୁଣିଆହେ।ଇ ଝଡ଼େଇବା, ଗାଁଗହଳିର ତୁନିତାନି ଭିତରେ ଉଲୁରି ଲଗାଇଦେବା, ଦଳକୁ ଦଳ ମଣିଷକୁ ନଚେଇବା, ଉଠେଇବା, ପକେଇବା, ସେମାନେ ଦାନ୍ତ କଡ଼ମଡ଼କରି ଆଖି ତରାଟି ରେରେକାରକରି ପିଟାପିଟି ହେଲାବେଳେ ଆପେ ଥିରିହୋଇ ବସି ଦେଖିବା, ଉପଦେଶ ଦେବା, ଅମଳକରିବା, ମକଦ୍ଦମା ଲାଗିଲେ ତଳ କୋର୍ଟରୁ ଉପର କୋର୍ଟଯାକେ ଓଲଟପାଲଟ ହେଉ ହେଉ ସେ ଯେଉଁ ଚମକ, ନା ଖାଲି ପେଟ ପୋଷିବାପାଇଁ ନୁହେ, ଏଥିରେ ବି ଗୋଟିଏ ବଡ଼ ମଉଜ ସେ ପାଇଛନ୍ତି, ଏଥିରେ ବି ଗୋଟାଏ ଟେହାଟେହି ଡାକ ଶୁଣି ଉଚ୍ଚାଟହୋଇ ପ୍ରମାଣ ଦେଇଛନ୍ତି ଆପଣ ବୁଦ୍ଧି କୌଶଳର । ପେଷାଟା ଜୀବନର ଖେଳ ହୋଇଛି ।

 

ଦୂରରୁ ମଚ୍ ମଚ୍ ଚପ୍ ଚପ୍ ଶବ୍ଦ ଶୁଭିଲା । ଦେଖିଲେ, ଧାଇଁ ଆସୁଛନ୍ତି ଦଳେ ଗାଁ ଲୋକ । କୋଡ଼ି ଧରିଛନ୍ତି । କାନମୂଳ ଚାଇଁ ଚାଇଁ ଲାଗିଲା । ହୁଏତ ଏଇଠି ଗୋଟାଏ କାମ ମିଳିଯିବ । ଅଗଣି ରାୟ ପଚାରିଲେ, ‘‘କିରେ କିରେ ଚନ୍ଦର, ଏମିତି ଉଦୁମୁଦା ହୋଇ କୁଆଡ଼େ ? ଟିକିଏ ବେଗ ଥମ୍ବେଇ ଚନ୍ଦ୍ରମଣି ପ୍ରଧାନ କହିଲା, ‘‘ଯୋଗୀସାହିରେ ପାଣି ପଶିଯାଇଛି, ବିଲ ପାଣି ମାଡ଼ି ଆସି ଠେଲେଇଚି, ହାଉଯାଉ ଲାଗିଛି ।’’

 

‘‘ମଲାରେ ମଲା, ସେଥିରେ ତମ ପେଟ କାହିଁକି ବଥୋଉଚି ? ଯୋଗୀସାହି ଖବର ଯୋଗୀସାହିଆ ବୁଝିବେ, କିରେ ଗୋଦସ୍ତା ବର୍ଷପରା ସେମାନେ କେଉଟଙ୍କ ପଟେ ଭେଦାଦେଲେ ତମକୁ ଦେଲେନାଇଁ, ତେମେ ଫେର୍ କାହିଁକି ଯାଉଚ ?’’

 

‘‘ହଉ ହଉ ଚାଲ ଚାଲ, କି ପାଇବା ୟାଙ୍କ କଥାରୁ ?’’ ଦଳଟା ଚାଲିଗଲେ । ଅଗଣି ରାୟ ମୁହଁ ନେଫେଡ଼ିଲେ । ଭାବିଲେ ୟେ ବି ଗୋଟା ହାଇଆ ଚାଲିଲାଣି । ଲୋକଗୁଡ଼ାକ ଅକୃତଜ୍ଞ, ନିପଟ ଓଲା, ବାପ ଅଜା କାଳର ଇତିହାସବି ଭୁଲିଲେଣି । କିଏ କାହା ବାପା ଅମଳରେ କାହାକୁ କି ପ୍ରକାର ହଟହଟାକରିଥିଲେ, କେତେବେଳେ କିଏ କାହାର କି ଅପକାରକରିଥିଲା, ସବୁ ପୋଡ଼ି ଖାଇଲେଣି ସ୍ମରଣ ଭିତରୁ, କିଛି ହେତୁ କରୁନାହାନ୍ତି । ଆରେ ମଣିଷହୋଇ ଅକସ ଭୁଲିଗଲେ ଆଉ କି ମଣିଷରେ ଗଣା ମ ! ନା ଏମାନେ ନୂଆ ଯୁଗ ଗଢ଼ିବେ, ସିଲଟର ଲେଖା ସବୁ ପୋଛିଦେଇ ନୂଆ ଲେଖା ଲେଖିବେ । ଗାଁଯାକ ଲାଗିଛି ନୂଆ ବନ୍ଧୁପଣ ଲଗାଇଗି, ଜଡ଼ା ତେଲକୁ ଜାଣି ମେଣ୍ଢାବାଳ । କର ବାପା ନୂଆ ମେଣ୍ଟ, ନୂଆ ଗୋଠ । ଖାଲି ଯେ ରହିଲେ ହେଲା ।

 

ହଁ, ମାଇପେବି ଭାରି ଲାଗିଛନ୍ତି ।

 

ଏମିତି ଯୋଡ଼ି ଦେଲାବାଲା ? ମଣିଷ ମନକୁ ବଦଳାଇ ଦେବେ ! ଦି’ଗୋଡ଼ିଆକୁ କ’ଣ ଚାରିଗୋଡ଼ିଆ କରିଦେବେ ? ବୃଥା ଆପଣ ଧନ୍ଦା ଫନ୍ଦା ଛାଡ଼ି ପର ପଛରେ ଡେଇଁବ । ସମୟ ନଷ୍ଟ-

 

ଅଗଣି ରାୟଙ୍କ ମୁହଁରେ ଗୋଟାଏ ବିକୃତ ଅଧାହସ ଫୁଟିଉଠିଲା ।

 

ପାଇବେ, ପାଇବେ, ତା’ପରେ ପୁଣି ବୁଦ୍ଧି ପଶିବ ଯେ !

 

ଯୋଗୀସାହିଆ ସତେ ୟାଙ୍କ ଉପକାରଗୁଡ଼ାକ ଗାଇ ବସିବେ ଆଉ ! କେନ୍ଦରା ବଜେଇ ଗାଇବେ ପରା !

 

ଆଉ ଏ ଯେଉଁ ହିତକାରିଆ ଉପକାରିଆ ପରକନା, ଜଣାଅଛି ଯେ ଏ ଯେମିତିକି ଗୋଠଳୁ କମ୍ପ ଲାଗେ, ହେଇ କଣ୍ଡିଆ କଣ୍ଡିଆ ଉପରେ ଅଗଛିଆ ଉପରେ ପବନ ଦୁଲୁକୋଉଛି ସେମିତି । ସେତିକିବେଳେ ମନେ ପଡ଼େ ସମସ୍ତଙ୍କର ସବୁ ସକ, ଯୋଉଁ ପରଉପକାରିଆ ସୋଆଗ, କହିଲେ ନ ସରେ । କିଛି ନ ହେଲେ ପରା ଆଖିରେ ପିଆଜ ଚୁପୁଡ଼ି ଲୁହ ଗଡ଼ାଇବାକୁ ମନହୁଏ ।

 

ଗୋଟାଏ ହୁ-ସେ କମ୍ପଟା ଗଲା, ଫେର୍ ତୁନିତାନି ଥିରିଥିରି କେତେ ଦିନ କି ମାସ କି ବର୍ଷ, ଫେର୍ ଆଉ କେଉଁ କଥାରେ ବାଇ ଲାଗିଯିବ, ଫେର୍ କମ୍ପ, ଫେର୍ ଡିଆଁ, ଦିନାକେତେ ହୋ ହା, ଗଲା ଯେଉଁ ଶୂନ୍‌ଶାନ୍‌କୁ ସେଇଆ ।

 

ୟାକୁ କ’ଣ ବୁଦ୍ଧିବିଚାର କହିବ ? ନା, ଗୋଟାଏ ରୋଗ ?

 

ଅଗଣି ରାୟ ଏହିପରି ଭାବିନେଇ କଥାଟାକୁ ସମାପ୍ତି କରିଦେଲେ । ତା’ପରେ ଆପେ ଚାହିଁଗଲେ ବୁଦ୍ଧିବିଚାର ଲଗାଇ । ମନଭିତରେ ଚାଲିଲା ଆହୁରି ଗୋଟାଏ ଶଗଡ଼ପରି ଘଡ଼ ଘଡ଼ । ସେ-ସେ ନିଜେ ।

 

କେହି ଏମିତି ଅଛି କହିଦେବ ତାଙ୍କଠିଁ କେବେ ଏମିତି ସକ କେବେ ଉପୁଚି ହୋଇ ଉଠିଛି ? କେବେ ନାହିଁ । କଅଁଳ କଥା କଅଁଳ ମୁହଁ ଦେଖି ସେ ଭୁଲି ନାହାନ୍ତି । ମାଠିଆକୁ ଭୁଲରେ କେବେ ଗେଲକରି ନାହାନ୍ତି, ଏବେ ବି ‘‘ମାଧିଆ–’’ ବୋଲି ଡାକଟାଏ ଦେଲେ ସେ ଯେଉଁଠି ଥାଉ ତାଳୁରୁ ତଳିପା ଯାକେ ଥରିଉଠିବ ଠକ ଠକହୋଇ ।

 

ଶୁଣ୍ଠା ଖାଇବ, ଶୁଣ୍ଠା ଚଳିବ, ଖାଲି କର୍ତ୍ତବ୍ୟକରିବ । ରସ ରହିବନାହିଁ । ଗୀତାରେ ସେଇକଥା କହିଚି ତ । କାହାରି ପ୍ରତି ସୋଗ ନାହିଁ କି ଉପରୋଧ ନାହିଁ । କେହି କିଛି କରିଦେବବୋଲି ଆଶା ରଖିବନାହିଁ । ଯାହାକରିବ ତା ଆପଣା ହାତରେ । ତେଣୁ ଯାହା କର୍ତ୍ତବ୍ୟ ତା କରିବ ।

 

କର୍ତ୍ତବ୍ୟ କିଏ ନିର୍ଣ୍ଣୟକରିବ ? ଆପଣା ବୁଦ୍ଧି, ସୋଗ ସକ ନୁହେଁ । ସେହି ବୁଦ୍ଧି ଯାହା ଉପରେ ଆଇନ ଅଦାଲତର ନଅର ତୋଳାହୋଇଛି । ସେହି ବୁଦ୍ଧି ଯହିଁରୁ ଅକଲ ବାହାରେ ବେଅକଲଙ୍କୁ କାବୁକରିବାକୁ ।

 

ପ୍ରଥମ କର୍ତ୍ତବ୍ୟ, ଆପଣ ଚଳାଚଳପାଇଁ ଭବିଷ୍ୟତରେ ବୁଢ଼ାଦିନେ ଅପଣା ହିପାଜିତପାଇଁ ପଇସା ରୋଜଗାରକରି ଛଞ୍ଚିବା । ବାଟ ବତାଇବ ବୁଦ୍ଧି । ବେଳ ପଡ଼ିଲେ ଛାଡ଼ିବନାହିଁ, ବେଳ ଗଡ଼ିଗଲେ ଆଉ ମିଳିବ ନାହିଁ ।

 

ଭାବି ଭାବି ଯାଉ ଯାଉ ହଠାତ୍ ଆଖି ଆଗରେ ଅତଡ଼ାରୁ ପୁଳାଏ ଦୁଲ୍‌କରି ପାଣିରେ ଛିଣ୍ଡିଲା । ଅଗଣି ରାୟ ଅନାଇଲେ, ମୁଣ୍ଡ ପଛଆଡ଼େ ପୁରୁଣାବିଚାରର ରଙ୍ଗ ଉଭେଇ ନ ଯାଉଣୁ ଦିଶିଲା ନଈଟା ଯେମିତି ତାଙ୍କୁ ହିଁ ଉଦ୍ଧତ ନିଷ୍ଠୁର ଚାହାଣିରେ ଅନାଇଁ ରହିଛି । ଯେମିତି ମଞ୍ଜ ଭିତର ଶିର୍‌ଶିରେଇ ଉଠୁଛ, ଆସୁଛି ଗୋଟାଏ ମୁଗ୍ଧ ହତାଶ ଭାବ; ସବୁବିଚାର ଭୁଷୁଡ଼ି ପଡ଼ି ଉଭେଇଯାଉଛି । ଅଗଣି ରାୟ ପାଦଗତି ଧିମେଇ ମୁଣ୍ଡ ବଙ୍କେଇ ନଈଆଡ଼କୁ ଅନାଇଁ ଅନାଇଁ ବନ୍ଧ ଉପରେ ଗୋଟିଏ ଗୋଟିଏ ହୋଇ ପାଦ ପକାଇଲେ । ନେଳିଚା ଧୂଆଁଳିଆ ପାଉଁଶିଆ ଏହିପରି ଗୋଳେଇ ମିଶିହୋଇ ଗୋଟାଏ ପ୍ରକାର ନିଷ୍ପ୍ରଭ ବର୍ଣ୍ଣର ବାତାବରଣ; ଅଳ୍ପ ଉପରେ ବହଳ ମେଘରେ ଦୃଷ୍ଟି ଅଟକୁଛି । ମୁହଁ ଆଗରେ ହାଲୁକା ଅସରାର ଲଗାଲଗି ଛକାଛକି କଟାକଟି ଧାର ଲାଗି ରହିଛି, ତାହାରି ଭିତରେ ଜାଲଜାଲୁଆହୋଇ ଦିଶୁଛି, ସେକରେ ପ୍ରକାଣ୍ଡ ପ୍ରକାଣ୍ଡ ତୁଳା ମେଞ୍ଚାପରି ମେଘର ବାମ୍ଫ ଶୂନ୍ୟରେ ଭାସି ଭାସି ପରସ୍ତ ପରସ୍ତହୋଇ ଏକାଠିହୋଇ ଦିଗ୍‌ବଳୟ ସୃଷ୍ଟିକରିଛି, କେତେବେଳେ ଦିଗ୍‌ବଳୟଟା ଅତିପାଖରେ ହୋଇ ନଈମଝିରେ, କେତେବେଳେ ପଛକୁ ଘୁଞ୍ଚିଯାଇଛି, ତାହାରି ଭିତରେ ଅଳ୍ପ ଅଳ୍ପ ଅନ୍ଧାରୁଆ ହୋଇ ଗଛ ଘର ଏତଡ଼ା ମିଶିଯାଇଛି । ସେଠୁ ଏଣିକି ଏଇ ଅଳ୍ପ ପରିସର ଭିତରେ ଡେଇଁ ଡେଇଁ, ଫୁଲସ୍ତରା ମାରି ବୋହି ଚାଲିଯାଉଛି ଗୋଳିଆ ପାଣିର ସୁଅ, କୁଆଡ଼ୁ ଆସୁଛି କୁଆଡ଼େ ଚାଲିଯାଉଛି, ସୁମାରିନାହିଁ, କଳନାନାହିଁ । ଯେପରିକି ଏମିତି ଲାଗି ରହିଥିଲା ସବୁଦିନେ, ଚାଲିଆସୁଛି, ଚାଲିଯାଉଛି, ଖାଲି ଅସ୍ପଷ୍ଟ ଛାଇ, ରଖିବାନାହିଁ, ସାଇତିବାନାହିଁ, ଧରିବାନାହିଁ, ଅଟକେଇବାନାହିଁ, ଖାଲି ଚାଲିଯାଉଛି, ଚାଲିଯାଉଛି । ଏକାଠି ମାଳ ମାଳ ଢେଉ, ମାଳ ମାଳ ପାଣି, ତେରଛା ଚାହାଣିରେ ଟିକିଏ ଅନାଇଁ ଦେଇ ଉଭେଇ ପଳେଇ ଯାଉଛନ୍ତି ଏମାନେ, ମଝିରେ ମଝିରେ କଳ୍‌ କଳ୍‌ କଳ୍‌ଶବ୍ଦ, ଅସ୍ପଷ୍ଟ ଭାଷାଭିତରେ ସେ ଚାଲିଯିବାରହିଁ ଭାବ ସଙ୍ଗୀତ । ଚାଲିଯିବାର ନିଶାରେ ପାଗଳ ସଂସାର ଯାକର ଅଛିଣ୍ଡା ପଟୁଆର, କୂଳଆଡ଼କୁ ବେକ ମୋଡ଼ିଦେଇ ଭଦ୍ଧତ ଅପାଙ୍ଗ କ୍ଷଣେ ଢାଳିଦେଇ ତା’ପରେ ଆଉନାହିଁ, ଆଉନାହିଁ-। ମନେ ପଡ଼ିଯାଉଛି, ପିଲାଦିନରୁ ଏଯାକେ, ଚାହାଳି, ଖଡ଼ି ଗୋଟାଳି, ଗାଁ ପାଠ, ଟରଣି ବୃତ୍ତି ।

 

କେତେ ମୁହଁ, କେତେ ଘରକରଣା, କେତେ ଆଶା, ଇଚ୍ଛା, ପ୍ରତିଜ୍ଞା, ସ୍ନେହବିରାଗରେ ଜାତିଜାତିକା ରଙ୍ଗରେ ଚିତ୍ର ହୋଇଛନ୍ତି, ଅଜା ଆଈଙ୍କଠୁଁ ଯେ ନୁଖୁରାମୁଣ୍ଡିଆ ମହକିଲମାନଙ୍କଯାକେ, ସବୁ ଆଉଟି ଗୋଳିହୋଇ ଭାସି ଚାଲିଯାଉଛି ଗୋଳିଆ ପାଣିର ଢେଉ ଦୋହଲି ଦୋହଲି, କେତେ ଘର ଠିଆ ହୋଇପଡ଼ିଛି, ମୂଳଦୁଆ, କାନ୍ଥ, ଚାଳ, ପାଖରେ ନଡ଼ିଆଗଛ ମାଳ ମାଳ, ତା’ପରେ ପୁଣି ଭାଙ୍ଗିପଡ଼ିଛି, ମିଳେଇ ଯାଉଛି, ନିଭିଯାଉଛି । କେତେଥର କାଉ ବୋବାଉଛି, କାଉ ଉଡ଼ିଯାଉଛି, ଫାଙ୍କା ଆକାଶ ତଳେ ଚଟା ପଡ଼ିଆରେ ଘାସ ଗଜୁରୁଛି, ଆଉ ଚାଲି ଚାଲିଛି ଅତଡ଼ା କରେ କରେ ନଈସୁଅ । ସବୁ ଚାଲିଯାଉଛି । ଅତଡ଼ା କରେ କରେ କେତେ କେତେବେଳେ କାଠ ଗରିଣ୍ଡା ସନ୍ଧିରୁ ନାଲି ନିଆଁ ଫଡ଼କି ଉଠୁଛି, ହଲପାରେ ଚହଟୁଛି, ତା’ଉପରେ ବହଳ କଳା ଧୂଆଁର ଚହଲା ଛାତି, ସେହି ନିଆଁରେ ସ୍ନାନକରି ଫୁଟିଉଠୁଛି ଗୋଟାଏ ଗୋଟାଏ ଅଙ୍ଗର ଛବି, ଠୋ ଠା ଫୁଟୁଛି, ଗୋଟାଏ ଗୋଟାଏ ଚିହ୍ନା ମୁହଁ କେତେ ଅଚିହ୍ନା ହୋଇଯାଉଛି, ବାପା, ବୋଉ ବନ୍ଧୁ ...ଶତ୍ରୁ ... ଯାହାଙ୍କ ସଙ୍ଗେ ସମ୍ପର୍କ ହିଁ ନ ଥିଲା । ସେହିପରି କେତେ ... ବୁଢ଼ା, ସାନପିଲା ... କେତେ କେତେ ... ଖାଲି ଏ ଜୀବନରେ ନୁହେଁ ଆହୁରି କେତେ ଜୀବନରୁ ଲଗାଇ ହୋଇ ଦେଖି ଆସିଛନ୍ତି ସେ ଏହିପରି ।

 

ଏମିତି ଏ ତେରେଛା ଚାହାଣିରେ ଚାହିଁଦେଇ କୁଆଡ଼େ ଅଦୃଶ୍ୟ ହୋଇ ଯାଉଛନ୍ତି ଲଗାଲଗି ଚଳନ୍ତି ପଟୁଆର ।

 

ଥର ଥର ଟଳ ଟଳ ପାଦକୁ ସମ୍ଭାଳି ନେଇ ଅଗଣି ରାୟ ଦମ୍ଭ ହୋଇ ଠିଆ ହେଲେ । ଆପଣାକୁ ଆପେ ଝିଙ୍ଗାସି ତିଆରି ସଜକରି ହାଇ ମାରିଲେ ।

 

ଭାବିଲେ, ଫେର୍ ସେହି ବିରି ଚକୁଳି । ପେଟ ଭିତର ଫୁଟୁରୁ ଫୁଟୁରୁ, ବାଇ ଭିଡ଼େଇଛି, ମୁଣ୍ଡ ଭିତରେ ତା’ରି ବାମ୍ଫ । ସେଇଥିପାଇଁ ।

 

ବରଷା । କାମପାତି ବନ୍ଦ । ସେଇଥିପାଇଁ ବାର ଚିନ୍ତା ମନେ ପଡ଼ିଛି । ଚେଇଁ ଚେଇଁ ଦୁଃସ୍ୱପ୍ନ ମାଳ ମାଳ ।

 

ଫେର୍ ଦଳେ ଗୋଡ଼ିଆଗୋଡ଼ି ହୋଇ ।

 

ଗୋଟାଏ ଗୋଟାଏ ପଖିଆ ତଳେ କୁଣ୍ଢାକୁଣ୍ଢି ମେଞ୍ଚାମେଞ୍ଚି ହୋଇ ଚାରିଜଣ ପାଞ୍ଚଜଣ-

 

‘‘କୁଆଡ଼େ ଚାଲିଲରେ ବାବା !’’

 

‘‘ବାଉରିସାହି ସଳଖେ ଘଳିଆ ପଡ଼ିଛି । ବନ୍ଧରେ ମାଟି ନ ପକେଇଲେ କ’ଣ ହବ କେଜାଣି !’’

 

‘‘ଯାଅ ଯାଅ, ଗାଁ କାମକର, ସମସ୍ତେ ନ ଲାଗିଲେ-।

 

କେହି ତାଙ୍କ ପ୍ରଶଂସା ଶୁଣିବାକୁ ଅଟକୁନାହିଁ, ସେମାନେବି ଚାଲିଗଲେଣି ।

 

ବାଁ ପଟେ ବାଉଁଶବଣ କରରେ ଅରାଏ ଓସାର ଜୋର । ମନେ ପଡ଼ିଗଲା ଗୋଟାଏ ନୃଶଂସ ହତ୍ୟାକାଣ୍ଡ । ଏମିତି ସେ ଜାଗାଟା, ଏ ଜାଗା ନୁହେଁ । ଦାମ ନାଏକ, କେଇଟା ଦିନରେ ବନ୍ଧକାମ କଣ୍ଟ୍ରାକ୍‌ଟଟ୍ରି ନେଇ ଲକ୍ଷ୍ୟପତି ହୋଇଥିଲା । ଶହ ଶହ କ’ଣ ହଜାର ହଜାର କୁଲି, ଏକାଠି ତିନିଟା ଟ୍ରକ, ଗୋଟାଏ ଜୀପ୍, ଗୋଟାଏ କାର୍ । କୋଠା ପିଟିଦେଲା । ତା’ପରେ ଅଞ୍ଚଳଯାକରେ ଷଣ୍ଢପରି ମଣିଷଟାଏ ହେଲା । ନଈକଣ୍ଡିଆଯାକ ସବୁ ସେ ନିଲାମ ନେଲା । ଶହେ ପଞ୍ଚାବନ କ’ଣ ଟିକିଏ ଟିକିଏ କରି ନିଲାମ ନେଇ ଫସଲକରି ବଞ୍ଚିୁଥିଲେ । ସେଇଠୁ ଉପୁଜିଲା କଳି । ପାଞ୍ଚବର୍ଷ କାଳ ନାନା ମକଦ୍ଦମା ଲାଗିଲା । ଦାମ ନାଏକ ପଟରେ ରହି କେତେ ମକଦ୍ଦମାରେ ନାଟର ଗୋବର୍ଦ୍ଧନ ହୋଇ ସେ ପାଞ୍ଚବର୍ଷ କାଳ ପୋଷିହେଲେ । ଥରେ ତ ଦୁଇ ପକ୍ଷଯାକ ବାଇଦ ବଜେଇ ଦି’ଦଳ ହୋଇ ଡାକହାକ ହୋଇ ଇଟାପଥର ଫୋପଡ଼ି ଫୋପଡ଼ି ହୋଇ ପ୍ରକାଶ୍ୟରେ ଯୁଦ୍ଧ କରେ-। ତା’ପରେ ଠେଙ୍ଗାବାଡ଼ି ଚାଲିଲା । ବଡ଼ ମକଦ୍ଦମା । ତା’ପରେ ଦିନେ ବାଟରେ ଛକି ରହି ମୁହଁ ସଞ୍ଜବେଳେ ଏମିତିଆ ଜାଗାଟାରେ ଦାମ ନାଏକକୁ ଧରି ପକାଇଲେ । ମୁଣ୍ଡକୁ ଛେଚିଦେଇ ପାଣି ତଳେ କାଦୁଅରେ ଲାସ୍‌ଟାକୁ ମାଡ଼ିଦେଲେ । ପୁଲିସ୍ ଆସିଲେ, ଧରପଗଡ଼ ଲାଗିଲା, ମକଦ୍ଦମା ହେଲା, ସମସ୍ତେ ଖଲାସ ହେଲେ । ଦାମ ନାଏକ ନିଭିଗଲା । ବୟସ ତିରିଶି ପୂରି ନ ଥିଲା ।

 

ଯାଃ, ଯେ ଗଲା ଗଲା ।

 

ଆଗରେ ହରି ସାହୁ ଦୋକାନ । ଛତା ଧରି ଗଦେଇ ଲେଙ୍କା ବାହାରି ଆସୁଛନ୍ତି । ଟରଣିଗିରିରେ ଅଗଣି ରାୟଙ୍କ ପ୍ରତିଦ୍ୱନ୍ଦୀ । ମୋଟାସୋଟାହୋଇ ଟିକିଏ ବାଙ୍ଗରହୋଇ ଚେକା ମଣିଷ । ଅଗଣି ରାୟଙ୍କ ମୁହଁ ଭୁର୍କୁଣ୍ଡା ପଡ଼ିଗଲା । ଏଇ ଲୋକଟା, ବେଲିଆ ହୋଇ ଗେଲରେ ଏମିତି କଥା କହେ ଯେ ହାଡ଼ରୁ ମାଉଁସ ଝଡ଼ିପଡ଼ିବ । ମହା ଚକ୍ରୀ । ମହା ସଇତାନ । ମୁହଁ ବୁଲେଇଦେଇ ଛତାଟାକୁ ଟିକିଏ ତଳକୁ ଓହଳେଇ ମୁହଁକୁ ଢାଙ୍କିଦେଇ ଗଲାବେଳେ ହସି ହସି ଗଦେଇ ଲେଙ୍କା କହିଲେ, ‘‘କିଏ ରାଏ ବାବୁ ନା ? କୁଆଡ଼େ ? ପିଙ୍କା ସରିଯାଇଥିବ ପରା ! ନ ହେଲେ ଆଉ ରାଏ ବାବୁ ବାହାରନ୍ତେ, ମହା ହିସାବୀ ।’’

 

ଲୋକଟା ସବୁ ଜାଣିପାରେ । ଅଗଣି ରାୟ ଅଟକିଲେ ।

 

ବିଡ଼ି ଖଣ୍ଡିଏ ତାଙ୍କ ହାତକୁ ବଢ଼େଇଦେଇ ରେଙ୍କାଏ କହିଲେ,’’ ଏଥିରୁ,ଖଣ୍ଡିଏ ହଉ-’’ ଛତାତଳେ ଦିଆସିଲି ମାରି ପାପୁଲିସନ୍ଧିରେ ଏକାଥରକେ ନିଆଁ ଜାଳି ତାଙ୍କ ମୁହଁ ପାଖେ ଦେଖାଇଦେଲେ । ହସିଦେଇ କହିଲେ,’’ ଆଉ କ’ଣ ବିଚାର ? ଗାଁ ହାଲଚାଲ ସବୁ ଦୁଶୁଚିଟି ?’’

 

ଗଦେଇ ଲେଙ୍କା ତାଙ୍କୁ ଅଡ଼େଇ ନେଇ ଦୋକାନ କର ପିଣ୍ଡାରେ ଗୋଦାମ ଆଗରେ ଠିଆକଲେ । ହସିଦେଇ କହିଲେ,’’ ଏଥର ବାବୁ ହାତରେ ନଙ୍ଗଳ କଣ୍ଠ ଧରିବାକୁ ପଡ଼ିବ,ମୋର ତ ସବୁ ଚଳେ, ତମରି ଯାହା ଅସୁବିଧା ହବ ।’’

 

‘‘ହଁ, ମୁଁ ତ ନିକମା ଲୋକ–’’

 

କିନ୍ତୁ ଗଦେଇ ଲେଙ୍କାଙ୍କ କଥାରେ ଶ୍ଲେଷ ନ ଥିଲା, ହସଟା କେମିତି ଉଦାସ ଦିଶୁଥିଲା । କହିଲେ,’’ମାଇପି ମହଲରୁ ବଡ଼ ବଡ଼ଙ୍କଯାକେ ଯୋଉଠି ଶୁଣିବ ଖାଲି ମେଣ୍ଟ-ମେଣ୍ଟ-ମେଣ୍ଟ । ଏ ହାଉଆ ବଡ଼ବିଚିତ୍ର । ଯେ ଯାହାକରିଥାଉ ପଛେ ଗୋଳେଇ ପୋଳେଇ ହେଇ ମିଳିମିଶି ଯାଅ, ଏଇଆ ଶୁଣିବ ଲୋକଙ୍କବିଚାର ।’’

 

ଅଗଣି ରାୟ କହିଲେ,‘‘ହଁ, ବିଚାର ତ ବିଲୁଆବିଚାର,ଆଉ ବୁଦ୍ଧିଟିଯାହାକୁ କହନ୍ତି ବାର ବଳଦ ପଟେ ।’’ ସେ ଗୋଟାଏ ବିକୃତ ହସ ହସିଲେ, ଯେପରିକି ଭଙ୍ଗା ଘରର ଚାଳର ଖେଣ୍ଟା ଉପରେ ଫାଇଁକରି ଟିକିଏ ଆଲୁଅ ପଡ଼ିଚି । କହିଲେ, ‘‘କେତେ ମେଣ୍ଟ କେତେ ବିଚାର ତ ଦେଖାଗଲାଣି, ଆଉ ବାକିଅଛି !’’

 

ଗଦେଇ ଲେଙ୍କା କହିଲେ, ‘‘ନାଇଁ ହୋ ବାବୁ,ଏ ହସି ଉଡ଼େଇବା କଥାନୁହେଁ । ଖାଲି ମେଣ୍ଟ ଉତ୍ତାରୁ ମେଣ୍ଟ ହେଉଥିବ, କଳିଗୋଳ ନଥିବ, ମାଲିମକଦ୍ଦମା ନଥିବ,କ’ଣ ହବ ?’’

 

ଅଗଣି ରାୟ ଖେଙ୍କିଦେଇ କହିଲେ, ‘‘ଭଲ ହବ, ସମସ୍ତେ ଭାଗବତ ଗାଇବେ, ମାଳି କୋଥଳି ଧରିବେ ।’’

 

ଗଦେଇ ଲେଙ୍କା କହିଲେ, ‘‘ତମର ଆମର ପେଟପାଟଣା ଚଳିବ କେମିତି ?’’

 

ଅଗଣି ରାୟ କହିଲେ, ‘‘ଏକା ଆମରି ନା ଆଉ କାହାରି ଅଛି ? ସହରଯାକ ଏତେ ହାକିମ ଓକିଲ ବାରିଷ୍ଟର ମୁକ୍ତିଆର ଟରଣି, ହଜାର ହଜାର । ଏ ଦୁନିଆଁର କଳି କଜିଆ ସରିଯିବ । ସମସ୍ତେ ବାବାଜୀ ହେବେ, ଆମେ ବି ହେବା । ସେତେବେଳେ ତ ଅଛି, ଅଇଛା ନଈ ନ ଦେଖୁଣୁ ଲଙ୍ଗାଳା କାହିଁକି ?’’

 

ଦୁହେଁ ଦୁହିଁଙ୍କି ଅନାଇଲେ, ସତେ ଯେପରିକି ମନେ ମନେ ଗୋଟାଏ ବୁଝା ବୁଝି ସରିଯାଇଥିଲା । ଗଦେଇ ଲେଙ୍କା ଆଖି ନୁଆଇଁଦେଲେ ।

 

ଅଗଣି ରାୟ ହରି ସାହୁ ଦୋକାନକୁ ଗଲେ ।

 

ହରି ସାହୁ ସେ ଅନ୍ଧାରଭିତରୁ ପୂରା ବାରି ହେଉନାହିଁ ।ଅଗଣି ରାଏ ପାଟି କଲେ, ‘‘ସାହୁଏ ଅଛ ?’’

 

ସେହି ପାଖରୁ ପାଟି ଶୁଭିଲା, ‘‘ହେଇଟି ପରା !’’

 

ଅଗଣି ରାଏଙ୍କ ଦୃଷ୍ଟି ସେ ଅନ୍ଧାରକୁ ଅଭ୍ୟସ୍ତ ହୋଇଗଲେ, ଦେଖିଲେ ହରି ସାହୁ ସେହି ଭାଡ଼ିଉପରେ ଯେଉଁଠି ବସେ ସେଇଠି, ମୁହଁଟି ସେମିତି ପାତିମୁହଁପରି, କିନ୍ତୁ ସେ ଧ୍ୟାନମଗ୍ନ । ଧ୍ୟାନରୁ ଉଠିପଡ଼ି ସେ ପୁଣି ଯେମିତିକି ସାମ୍ନାର ଦୁନିଆକୁ ଫେରିଆସିଲା, ତା’ପରେ ଗୋଟାଏ ବଡ଼ ହାଇ ମାରିସାରି କହିଲା, ‘‘ହୋ-ରାମ-ବିଷ୍ଣୁ-’’

 

ଅଗଣି ରାଏ କହିଲେ, ‘‘ଦୀପଟା ଲଗା, ଏମିତି ଅନ୍ଧାରଟାରେ କାଇଁକି ?’’

 

ହରି ସାହୁ କହିଲେ, ‘‘ଆଉ ଦୀପ କ’ଣ କରିବ ? ଜଗତଟାକୁ ତ ଭଗବାନ ଅନ୍ଧାରକରିବାକୁ ମନକରିଚି-’’ ଘଡ଼ଘଡ଼ି ମାରିଲା, ହରି ସାହୁ କହିଲା, ‘‘ହେଇ ଶୁଣ,ନଈମୁଣ୍ଡ ଡ଼ାକୁଚି, ଆହୁରି କେଜାଣି କେତେ ଅଜାଡ଼ିବ ତା ମନ ମାନୁନାଇଁ-’’

 

ଓଦା ଶୀତୁଆ ପବନର ହଲପା ଘାଉଁ ଘାଉଁ ଶୁଭୁଛି, ଚାରିଆଡ଼େ ନିଛାଟିଆ । ଯେପରିକି ଶିବମନ୍ଦିର ଗମ୍ଭୀରାଭିତରେ ବସିଛି ହରି ସାହୁ ସତକୁ ସତ ଡିବିଟିଏ ଜାଳି ଦେଲାଣି, ଧାଡ଼ି ଧାଡ଼ି ଟିଣ ଡବା, ହାଣ୍ଡି,ଟୋକେଇରେ ପଶି ନାନା ଜିନିଷ, ପୁଣି ଜକାଜକି ହୋଇ ଦୌଡ଼ିରୁ ଓହଳି, ଶିକାରୁ ଓହଳି । କାନ୍ଥରେ ଅସରପା ଧାର ଲାଗିଛନ୍ତି । ସେହି ନିତି ଦିନରେ ଦୃଶ୍ୟ । ହରି ସାହୁ କହିଲା, ‘‘ପସରା ଆବୋରି ବସି ପଡ଼ିଛି ତ ସବୁଦିନପରି, ଗରାଖି କାହାନ୍ତି? ଜାଣ ତମରିପାଇଁ ବସିଥିଲି ପରା, ଯାହାକୁ ଯେଉଁଟା ଯୋଗ । କ’ଣ ନବ ?’’

 

ମନରେ ଯେପରିକି ତା’ର ଗଭୀର ଉଦ୍‌ବେଗ, ଯେପରିକି ମନେ ମନେ କାହା ଆଗେ କ’ଣ ଫେରାଦ ହେଉଥିଲା, କଥା ଅଧା ରହିଯାଇଛି, ଉତ୍ତରକୁ ଅପେକ୍ଷା ନ ରଖି କହିଗଲା, ‘‘ମଣିଷ ନ ଥିଲେ କି ଘଟଣ ? ଖାଲି ତୁଚ୍ଛାକୁ ପସରା ? ଯୋଉ ପାଗ ହେଲାଣି, ଦଇବ ସାଜିଲାଣି ଅଷ୍ଟକୀଳା, କେତେଆଡ଼େ କେତେ ମଣିଷ ହେବେ କାଁ ଭାଁ, ଘରବୁଡ଼ା, ବନ୍ଧ ଭାଙ୍ଗ୍‌, ବିଲବାଡ଼ି ଭସା, ଅବସ୍ଥା ତ ଅସମ୍ଭାଳ, ଗରାଖ କାହୁଁ ଆସିବେ ? ମୋର ଖାଲି ମନେ ପଡ଼ୁଚି ଚାଇନା–’’

 

‘‘ଚାଇନା !’’

 

‘‘ହଁ ମ ସେଇ ଚାଇନା କି ଚୀନା ଏମିତି କ’ଣ ସେ ଦେଶୁଟା, ପଢ଼ିନା ଖବର କାଗଜରେ ବାହାରିଥିଲା ସେ କୋଉ ନଈ ଏମିତି କଲା ଯେ ହଜାର ହଜାର ମଣିଷ ଭାସିଗଲେ ! ଆମ ଯୋଗୀସାହି ଭିତରେ ତ ପଛୁଆଣି ପାଣି ଯାହାର ମାରୁଚି ଯେ ଘରଦୁଆର ଭୁଷୁଡ଼ୁଚି ଆଉ ସେ ହଜାର ହଜାର ଭାସିଯିବାଟା କେମିତିକା । କହନା ବାବୁ, ଏ ସଂସାରଯାକକୁ କେତେବେଳେ ହେଲେ ବିପତ୍ତି ଛାଡ଼ିଲାନାଇଁ,ମଣିଷ ତ ସମସ୍ତେ ଏକା କଷ୍ଟ,ଏକା ଦହଗଞ୍ଜ–’’

 

ଅଗଣି ରାଏ ବଙ୍କା ହସଟିଏ ହସିଲେ, କହିଲେ, ‘‘ହଉ ଦେଲ ପିଙ୍କା ଚାରିପଇସାର, ଦହଗଞ୍ଜ ଆଉ କ’ଣ କହିଲେ ଛାଡ଼ିଯିବ ?’’

 

ପଦାରୁ ଶୁଭିଲା ମାଇପି ଲୋକଙ୍କ ପାଟି, ଆଉ କେତେ ଜଣ ପୁରୁଷଙ୍କରବି । ଆସି ପହଞ୍ଚିଗଲେ ଦଳେ । ଅଗଣି ରାଏ ଅନାଇଁଲେ । ଛବି ଆସିଛି, ହେଇ ତ ସେ କେଳାଭାରିଯା, ସେହି ଯାହାକୁ ଭୂତ ଲାଗିଥିଲା, ଆରତ ଅମିନଙ୍କ ଝିଅ ଶଙ୍ଖୀ, ସୁଦର୍ଶନ ଦାସଙ୍କ ସ୍ତ୍ରୀ, କୀର୍ତ୍ତନ ରାଉତଙ୍କ ବୋହୁ, ପାଟୁଆ ବାଉରି ଭାରିଯା,,କପିଳ ମହାରଣା ସ୍ତ୍ରୀ, ଘନ ପଇଡ଼ାର ସ୍ତ୍ରୀ, ମାଳ ହୋଇ ଆଠ ଦଶ ଜଣ ସ୍ତ୍ରୀଲୋକ, ପଛେ ପଛେ ପୁରୁଷ ଛ ସାତ ଜଣ, ତାଙ୍କରି ଭିତରେ ଆସୁଛି ହରି ସାହୁ ପୁଅ ଷଣ୍ଢୁ । କିଏ ଛତା, କିଏ ପଖିଆ, କିଏ ଗାମୁଛା ପକାଇ ଆସିଛନ୍ତି । ନାଁକୁ ଛତା ପଖିଆ ତଳେ ମୁଣ୍ଡ ଗୁଞ୍ଜି ମେଞ୍ଚାମେଞ୍ଚି ହୋଇ ମାଇପେ, ତିନ୍ତି ବୁଡ଼ି ମାଡ଼ି ଆସୁଛନ୍ତି । ଅଗଣି ରାଏ ଆଡ଼େଇ ହୋଇ ରହିଲେ କ’ଣ ହେବ ଦେଖିବେବୋଲି ।

 

କିଏ କିଛି କହିବା ପୂର୍ବରୁ ଷଣ୍ଢୁ ଆସି ବାପା ଆଗରେ ଠିଆ ହେଲା,ମୁହଁକୁ ତଳକୁ ପୋତି କହିଲା, ‘‘ବା, ଯୋଗୀସାହିରେ ପାଣି ପଶିଚି, ତାଙ୍କର ଖିଆପିଆ ବନ୍ଦ । ଏମାନେ ସେଠିକି ବାହାରିଚନ୍ତି ଯେ କହୁଚନ୍ତି ଚୁଡ଼ା ଦିବସ୍ତା ଗୁଡ଼ ଚାରି ହାଣ୍ଡି ଦେଇଥା, ପଛେ ଭେଦା ଉଠେଇ ପଇସା ଦେବେ ।’’

 

ଅଗଣି ରାଏ ଖତେଇ ହେଲାପରି କହିଲେ–‘‘ହୋଃ ! ଭେଦା- ।’’

 

ହରି ସାହୁ କହିଲା, ‘‘ଦେଇ ଦେ ।’’

 

ଅଗଣି ରାଏ କହିଲେ, ‘‘ଧନ୍ୟ ତମ ଦାତାପଣ ସାହୁ ! ଭେଦାରୁ ଯାହା ପଇସା ମିଳିବଟି-!’’

 

ହରି ସାହୁ ନ ଶୁଣିଲାପରି କହିଲା, ‘‘ଆହୁରି ବସ୍ତାଏ ଚୁଡ଼ା ତାଙ୍କ ପେଇଁ ରଖି ଦେଇଥା ଷଣ୍ଢୁ, ଅଇଚ୍ଛା ସେତିକି ତ ଥିବ । ତୁ ବି ଯଦି ଯିବୁ ଯା ଚାଲି ସେଠିକି । ଲାଗିଯା କାମରେ, ଏ ବନ୍ଧକୁବି ଆଉବିଶ୍ୱାସ ନାହିଁ ।

 

‘‘ଅଗଣି ରାଏ କହିଲେ, “ୟା ନା ଯେ ଗାଁ ଗୋଟାକରେ ଗୋଟାଏ ମଣିଷ । ହଁ, ଭେରିଗୁଡ଼ ଅଛି, ନାଇଁ ? ମୋର ବି ଖଣ୍ଡେ ଦରକାର ଥିଲା, ପଇସା ଆଣି ନାଇଁ । ପଛେ ଦେବି, କ’ଣ ହେଲା, ଦେଇଥା ଖଣ୍ଡେ ।’’

 

ହରି ସାହୁ କହିଲା, “ଗୁଡ଼ ତ ଥୁଆ ହେଇଚି କ’ଣ ହେଇଯାଉଚି, ଯେତେବେଳେ ଆସିବ କିଣି ନେଇଯିବ।’’

 

‘‘କାହିଁକି, କାଳି ଦେଲେ ?’’

 

“କାଳି ବଡ଼ ଅଡ଼ୁଆ । ନେ ରେ ଷଣ୍ଢୁ ଗୋଦାମଘର ଚାବିଟା, ଯା, ଯା-’’ ପାଖକୁ ଲାଗି ଗୋଦାମଘର ବଖରା ଯୋଡ଼ିକ । ଦୁଆର ମୁହଁରେ ଗହଳି ଲାଗିଗଲା । ଅଗଣି ରାଏ ମାଣ୍ଟେଇ ରହିଲେ । ଗୁଡ଼ କଥା ନ କହି ବାଁରେଇ ହୋଇ କହିଲେ, “କେତେ ଘରୁ ଲୋକ ଉଠି ଆସିଚନ୍ତି ଦେଖ-’’

Unknown

 

ହରି ସାହୁ ଉତ୍ତର ନ ଦେଇ ଓଲଟି ପଚାରିଲା, ‘‘ଆଉ କ’ଣ ? ଦିଆସିଲି ଜର ?’’ ଅଗଣି ରାଏ ମୁଣ୍ଡ ହଲାଇ ନାଇଁକରି ପଦାକୁ ବାହାରିଲେ । ଛାଞ୍ଚୁଣୀରେ ପିଟିଲାପରି ପାଣି ପବନ ମାଡ଼ି ଆସୁଥାଏ । ଗଛଗୁଡ଼ାକ ଗୋଟାଏ କରକୁ ପେଲି ହୋଇ ଥରିଉଠୁଛି । ଛତା ସୁଦ୍ଧା ତାଙ୍କୁ ହାବୁକାଉପରେ ହାବୁକ ମାରି ତଡ଼ି ନେଉଥାଏ । କାନରେ ଘାଉଁ ଘାଉଁ ।

 

ହଠାତ୍ ଲାଗିଲା ସତେକି କେଡ଼େ ଏକୁଟିଆ ସେ, ସାହାନାହିଁ ଶାଖାନାହିଁ, ଦିଗନାହିଁ ରାହାନାହିଁ, ଖାଲି ବରଷା ରାଉ ରାଉଭିତରେ ଦପ ଦପ ହୋଇ ମଣିଷଟାଏ ।

 

କଣ୍ଢେଇ କଥା କହିଥିଲା ।

 

ସିନ୍ଧୁ ଚୌଧୁରୀ କାବା ହୋଇ ଶୁଣିଥିଲେ ।

 

ପୁରାଣ ପଢ଼ି ବୁଝାଇଲାବେଳେ, ପାଠ ପଢ଼ାଇଲାବେଳେ, ସୂତା କାଟୁଥିଲାବେଳେ, ଦୁଇ ଓଳି ଖାଇବସିଲାବେଳେ ମନ ଉଷତରେ କେତେ କଥା ସେ କହିଛନ୍ତି ଝିଅ ଆଗରେ - ମହାମାନବିକତାର କଥା, ନ୍ୟାୟ ନୀତିର କଥା, ଶାସ୍ତ୍ର ପୁରାଣର କଥା । ସେ ବୁଝାଇଛନ୍ତି, ପରୋପକାରକରି ସମୟ କାଟିବା ହିଁ ମଣିଷର ଶ୍ରେଷ୍ଠ ଜୀବନକଳା । ନିଜ ପେଟକୁ ଖାଇ, ନିଜ ଘର ସମ୍ପତ୍ତି ସବୁ ଖାଲି ନିଜ ନିଜ ଘୋଷି ଏ ସଂସାରରୁବିଦା ହୁଅନ୍ତି ସମସ୍ତେ, ସେପରି ଜୀବନର ଉବ୍ଦେଶ୍ୟ ନାହିଁ କି ଅର୍ଥ ନାହିଁ । ପୃଥିବୀ ଏଭଳି ତରତର ହୋଇ ହିଂସାରେ ଜଳି ଲାଗିଛି ଯେ ଯଦି ଲୋକେ ଏ ହିଂସାକୁ ନିଭେଇବାକୁ ଅଣ୍ଟା ନ ଭିଡ଼ିବେ, ତେବେ ତ ସତକୁ ସତ ଏ ପୃଥିବୀ ଧ୍ୱଂସ ହୋଇଯିବ । ଯେମିତି ତରତର ହୋଇ ନ୍ୟାୟ ନୀତିର ମାନର ସ୍ତର ତଳକୁ ଖସି ଖସି ଯାଉଛି, ସ୍ୱାର୍ଥ ହିଂସା ଦୁର୍ନୀତି ବଢ଼ି ବଢ଼ି ଚାଲିଛି ସେଥିରେ ଦରକାର ପଡ଼ିଲାଣି ଆଗ ଏହି କାମରେ ଜୀବନ ଢାଳିଦେଇ ଲାଗିପଡ଼ିବା, ଯେପରି ଅତି ଶୀଘ୍ର ଆର୍ଥିକ ଅସମତା ଦୂର ହେବ, ତା ସଙ୍ଗେ ସଙ୍ଗେ ଦଳିତ ବଞ୍ଚିତ ଅଭାବୀ ଲୋକଙ୍କ ମନର ନିଆଁ ନିଭିଯିବ, ମଣିଷ, ଜାତି, ଦେଶସବୁ ସବୁ ଭିତରେ ବିଦ୍ୱେଷ ଦୂର ହେବ, ସମସ୍ତେ ଅନୁଭବ କରିବେ କେହି କାହାରିକି ଠକିବାକୁ ଗିଳିବାକୁ ଲୋଡ଼ୁ ନାହିଁ, ସ୍ନେହ ସମ୍ୱନ୍ଧ ଯୋଡ଼ି ଏକ ହୋଇ ଚଳିବାକୁ ସମସ୍ତିଙ୍କର ମନ, ସବୁ ମଣିଷ ଭାଇ ଭାଇ । କହୁ କହୁ ଖବର କାଗଜ କଥା ପକାଇ ଉପଲକ୍ଷ୍ୟ ଦେଇଛନ୍ତି, ଆଉ ଦେଶର କର୍ମ୍ମୀ । ତ୍ୟାଗୀମାନଙ୍କ ଉଦାହରଣ ଦେଇଛନ୍ତି, କହିଛନ୍ତି ପୃଥିବୀର ଭାରା ବଳେଇଲା, ତେଣୁ ଭଗବାନ ଆପେ ଏକା ସମୟରେ ପୃଥିବୀର ଚାରିଆଡ଼େ ମଣିଷ ମୁଣ୍ଡ ଭିତରେ ସବୁ ସତ୍‌ବୁଦ୍ଧି ସଦ୍‌ବିଚାର ଆଣି ଦେଉଛନ୍ତି, ଏଠି ସେଠି ଆଲୁଅ ଜଳି ଉଠୁଛି, ଆଲୁଅକୁ ଆହୁରି ତେଜିବାକୁ ପଡ଼ିବ, ସମଗ୍ର ବୁଦ୍ଧି ବଳ ମନ ଚଇତନ ଏକାଠିକରି । କହୁ କହୁ କେତେଥର ସେ ଉତ୍ତେଜିତ ହୋଇ ଉଠିଛନ୍ତି, ହାତ ମୁଠାକରି ହଲାଉଛନ୍ତି, ପାଟିକି ଗୁଣ୍ଡା ନେବାକୁ ଅଳସେଇଛନ୍ତି, ଗାମୁଛାରେ ଆଖି ନାକ ପୋଛିଛନ୍ତି । ସେତେବେଳେ ଲାଗିଛି ସେ କଳ୍ପନାରେ କଳ୍ପନାରେ ବଢ଼ି ଉଠି କାହିଁ କୁଆଡ଼େ ବିଛେଇ ହୋଇଯାଇଛନ୍ତି । ପରିବ୍ୟାପ୍ତ ହୋଇ ଯାଇଛନ୍ତି ଆକାଶରେ ବିଛେଇ ହୋଇଥିବା ମେଘପରି ।

 

ଆଖି ଟଳଟଳକରି ସ୍ୱର ଥରେଇ ଥରେଇ ଗଦ୍‌ଗଦ୍‌ହୋଇ ଝିଅ ଆଗରେ, ଭାରିଯା ଆଗରେ ଏହିପରି କେତେଥର କେତେ କଥା ସେ କହିଛନ୍ତି । ଏପରି କହିବା ସତେ ଯେପରି ତାଙ୍କ ଜୀବନର ସ୍ୱାଭାବିକ ପ୍ରକ୍ରିୟା । ଆପଣା ଅନ୍ତର ଭିତରେ ଯେତେବେଳେ ଇଚ୍ଛାକରିଛନ୍ତି ସେ ସତକୁ ସତ ଏଭଳି ଜୀବନ ସେ ବଞ୍ଚନ୍ତେ ସେ କଳ୍ପନାରେ ଭାସିଯାଇ ବଡ଼ହୋଇ ଯାଇଛନ୍ତି, ସତେକି କଳ୍ପନାରେ କଳ୍ପନାରେ ସେହି ଜୀବନ ସେ ବଞ୍ଚୁଛନ୍ତି, ସେ ବାସ୍ତବରେ ଯେଉଁ ସିନ୍ଧୁ ଚୌଧୁରୀ ସତେକି ସେ ତା ନୁହନ୍ତି,, ଯାହା ଓ ଯେପରି ହେବେବୋଲି ହୃଦ ଭିତରେ ଆବେଗ ଆସିଥିଲା, ଦିନ ଦିନକର ସ୍ୱପ୍ନ ଚେତନାଭିତରେ ଉଇଁଥିଲା, ଖେଳିଥିଲା, ଅଥଚ ବାସ୍ତବ କାର୍ଯ୍ୟ କିଛିକରି ନାହିଁ, ସବୁ ସତେକି ଏକାଠି ହୋଇ ସେତିକି ବେଳପାଇଁ ତାଙ୍କୁ ଦେଇଛି ଗୋଟାଏ ନୂଆ ଜନ୍ନ, ନୂଆ ବ୍ୟକ୍ତିପଣ, ତା’ପରେ ସେ ରୂପ ଉଭେଇଯାଇଛି ।

 

କିନ୍ତୁ ଯାହାଙ୍କ ଆଗରେ ସେ ସେତେବେଳେ ଏପରି ମୁହୂର୍ତ୍ତ ମୁହୂର୍ତ୍ତକର ଅବତାର ଦେଖାଇଛନ୍ତି, ଅପ୍ରକଟ ଲୀଳାକୁ ଭାଷାରେ ଭଙ୍ଗୀରେ ପ୍ରକଟକରିଛନ୍ତି ସେମାନେ ତ ତାଙ୍କ ଆଖିରେ କଣ୍ଢେଇ । ଜଣକ ଆଗରେ କହିବାକୁ ହେବ ବୋଲି ସେ ସେମାନଙ୍କ ଆଗରେ କହିଛନ୍ତି, ସେମାନେ ଶୁଣୁଛନ୍ତି ଦେଖୁଛନ୍ତି ବୁଝୁଛନ୍ତିବୋଲି ଭାବିଛନ୍ତି ସତେ ଯେପରିକି କଣ୍ଢେଇଠାରେ ଏସବୁ ଶକ୍ତି ଆରୋପ କଲାପରି । ଗୋଟାଏ ଆଶ୍ରାଧରି ସହଜ ସୁବିଧା ବାଗରେ ଆପଣାର ନୂଆ ପ୍ରକାଶ ଦେଖାଇଲାବେଳେ କେବଳ ମିଛିମିଛିକିଆ ଖେଳ ଖେଳିଛନ୍ତି । କେବେ ଭାବି ନାହାନ୍ତି କଣ୍ଢେଇ କଥା କହିବ ।

 

ଅଥଚ ଗମ୍ଭୀର ହୋଇ ବାପ ଓ ଗୁରୁଜନର ଅଧିକାରର ସୂଚନା ଦେଇ ସେ ଯେତେବେଳେ ଝିଅକୁ ଆକଟିଲେ, ତିଆରିଲେ, ଉପଦେଶ ଦେଲେ, ସେତେବେଳେ ଶୁଣିଲେ କଣ୍ଢେଇ କଥା କହୁଛି । ଆଖିରେ ସ୍ଥିର ଗଭୀର ଦୃଷ୍ଟି, କରୁଣାରେ ଢଳ ଢଳ, ଝଲସିଲାପରି ମୁହଁରେ ଅଟଳ ପ୍ରତିଜ୍ଞା, ତୁଣ୍ଡରେ ମଣିଷର ଭାଷା, ସେଥିରେ ଯୁକ୍ତି ଅଛି, ବିଚାର ଅଛି । ଛବି କହୁଥାଏ, “ସମସ୍ତେ ଏପରି କହିଲେ ଆଉ କାମ ହେବ କ’ଣ ବାପା ? ଖାଲି ଆପଣା ସୁବିଧାଟା ବୁଝି ପେଟକୁ ଗଣ୍ଡିଏ ଖାଇ ଆମେ ସୁସ୍ଥିରେ ବସି ବଡ଼ ବଡ଼ କଥା କହୁଥିବା, ତେଣେ ଦୁନିଆଁ ଭସ୍ମ ହୋଇଯାଉ, ଏଇଆ କ’ଣ ଭାରି ଭଲ କଥା ହେବ ? ତେବେ ଏତେ କଥା ବୁଝୋଉଥିଲ କାହିଁକି ? ବହିରେ ତ କେତେ କଥା ଲେଖା ହୋଇ ରହିଛି, ତୁଣ୍ଡରେ ତ ଲୋକେ କହିଯାଆନ୍ତି କେତେ ଉପଦେଶ, ସେଥିରୁ କାଣିଚାଏ ଆପଣା କାମରେ ନ ଲଗାଇଲେ ସେଗୁଡ଼ାକ ତୁଣ୍ଡରେ ଧରିବାବି ଦରକାର କ’ଣ ? ତୁମେ ତ କହୁଥିଲ, ବିଚାର ଯାହାକୁ କହିଲା ଠିକ୍ ବୋଲି ଦିଅ ସେଥିରେ ଭଗବାନଙ୍କ ନାଁ ଧରି ନିଜକୁ ଭସେଇ । ଲୋକେ ଯେତେବେଳେ ଏଡ଼େ ଡହଳବିକଳ, ଏଡ଼େ ଅଣଉପାୟ ହୋଇ ପଡ଼ିଛନ୍ତି ସେତେବେଳେ ତାକୁ ସାହାଯ୍ୟକରିବା ଛଡ଼ା ଆଉ କେଉଁ ବିଚାର ଠିକ୍‍ ହେବ ? ନିଜେ ଯେଉଁ କାମ ଠିକ୍‍ବୋଲି ବିଶ୍ଵାସକରିଛ, ଏଥର ପ୍ରମାଣ କର ସେବିଶ୍ଵାସ ଫମ୍ପା ନୁହେଁ । ଏକା ମୁଁ କ’ଣ, କେତେ ଲୋକ ତ ଯିବେ, ଯିବାକୁ ତ ପଡ଼ିବ, ଯେଉଁ ଅବସ୍ଥା ହେଲାଣି ଘରେ ବସିବ କିଏ ?’’

 

ସ୍ତ୍ରୀ ମନ ବ୍ୟସ୍ତ କରୁଛନ୍ତି, ମୁହଁରେ ଖଇ ଫୁଟୁଛି, “ଏଗୁଡ଼ାକ କଥା ନ କ’ଣ ? ମାଇକିନିଆ ଝୁଅ କୋଉ ପୁଅ ପିଲା ହେଇଚୁ ମନ ଇଚ୍ଛା ଯେଣେତେଣେ ବୁଲିବୁ ? ସବୁ ତମରି ମୁହଁବଢ଼ାରୁ । ବୁଝିଲ ?

 

‘‘କାହିଁକି ମନଖରାପ କରୁଚ ବୋଉ ? ଗଲେ କ’ଣ ହେବ ? ଏକା ମୁଁ ତ ନୁହେଁ, କେତେ ଲୋକ ଯାଉଛନ୍ତି–’’

 

‘‘ଦଳ ଭେଜେଇଚୁ, ସବୁ ତୋରି ଫିକର । ଆଗୋ, କୁଆଡ଼େ କ’ଣ ହଉଚି ! ପାଣି, କାଦୁଅ, ବଢ଼ି, ବରଷା, ପାଣିରେ ତିନ୍ତିଲେ ଜର । ବାର ଅନିଭୋଗ । ହାଉଯାଉ । ଗୋଳମାଳ । ଏତେ ଲୋକ ଲାଗିଥିବେ । ଏକୁଟିଆ ଏଇ ଜଣକ ଗଲେ ବ୍ରହ୍ମାଣ୍ଡ ଉଦ୍ଧାରି ପକେଇବ ନଇଲେ ନାହିଁ-! ମୋର କୋଉ ଗୋଟାକ ଛାଡ଼ି ଦି’ଟା ହେଇଚି । ବଢ଼ିଲା ଝୁଅ, ତେମେ କାହିଁକି କିଛି ପାଟି ଫିଟୋଉନା, ହୁଙ୍କାପରି ବସିଚ ?’’

 

ସତେ ତ, ଆଉ ତାଙ୍କ ତୁଣ୍ଡରେ ଭାଷା ନାହିଁ । କାହିଁ ? ଗୋଡ଼ବି ଉଠୁ ନାହିଁ ତ ? ଯିବି-ଯିବି-ନିଜେ ମୁଁ ଯାଇ କାମକରିବି । କାମ - ହଁ ତା’ର ରୂପରେଖ ମନେ ପଡ଼େ । ସେଇଠି ଅଟକେ । ପାଦ ଉଠେ ନାହିଁ ।

 

କେତେ କଥା କହିବାକୁ ମନ ହେଉଛି, କହି ହେଉନାହିଁ, ତଣ୍ଟିପାଖେ ଅଟକି ଯାଉଛି । ସାମ୍ନାରେ କଣ୍ଢେଇ ନାହିଁ, ମଣିଷ । ମଣିଷ ଆଗରେ ନିଜେ ଅବତାର ହୋଇ ହେଉନାହିଁ । ଓଲଟି ତାହାରି ନୂଆ ଅବତାର ଆଖିରେ ପଡ଼ୁଛି । କାଲି ସେ ଥିଲା ଖେଳଣା କଣ୍ଢେଇ, କେବେ ମଣିଷ ହେଲା ? କେତେ ଦିନର କେତେ ରାତିର ଗଭୀର ଚିନ୍ତନ, କେତେବିଚାର, ସବୁ ମିଶି ଏକ ସ୍ରୋତ, ସେହି କାରଣମାନଙ୍କ ଫଳ ଏଇ ଆଜିକାର ଛବି । କିଏ ଦେଲା ମୁହଁରେ ଏ ରଙ୍ଗ ? ଆଖିରେ କଜଳ ପିନ୍ଧିଲାପରି ପୁଣି କଜଳ ଉହାଡ଼ରୁ କେଉଁ ଅଜଣା ଜ୍ୟୋତି ! ଏହି ଉଜ୍ଜ୍ୱଳପ୍ରଭା ଯାହା ଆଗରେ ସେ ନିଜେବି ମୂକ ହୋଇ ଯାଉଛନ୍ତି ! କେମିତି ନୀରବରେ ବଦଳି ବଦଳି ଟିକି କଣ୍ଢେଇର ମୁହଁଟି ସତକୁ ସତ ମଣିଷମୁହଁ ହେଲାଣି । ସତେ ତ, ତା ଜୀବନ ହେବ ତା’ର, ସ୍ୱତନ୍ତ୍ର, ସୁଖ ଦୁଃଖର ଅଧିକାରିଣୀ ହେବ ସେ । ସେ ତା’ର ସଂସାର କରିବ, ସୃଷ୍ଟିକରିବ, ପାଳିବ, ବଢ଼ାଇବ, ଲୁହ ପୋଛିବ, ପୁଣି ସେ ତା’ର ମୁହୂର୍ତ୍ତ ମୁହୂର୍ତ୍ତର ଅବତାର ଦେଖାଇ ତା’ର ଖେଳଣା କଣ୍ଢେଇଙ୍କି ଦେବ ସ୍ୱପ୍ନ ଓ ଆବେଗ, ଜୀବନ୍ୟାସ ଦେବ । ଆଉ ଭାବିଲା ବେଳକୁ ନିଜେ ସେ - ପୁରୁଣା ଖୋଳପରି, କେଉଁ ଯାଦୁକର ଭିତରର ମଣିଷଟାକୁ ହରଣକରି ନେଇଛି, ନୋଚାକୋଚା ଖୋଳଟା ଟଳି ଟଳି ଦୂରେଇ ଯାଉଛି, ଗୋଟାଏ ଦୂରେଇ ଯାଉଥିବା ପ୍ରତିଧ୍ୱନି, କ’ଣ କହିଯାଉଛି କିଛି ଶୁଭୁ ନାହିଁ - ମିଳେଇ ଯାଉଛି ।

 

ହଠାତ୍ ଭାଷା ମିଳିଗଲା, ଅସ୍ତ୍ର ସରିଗଲା ଦେଖି, ଅସହାୟ ଅବସ୍ଥା ଦେଖି କିଏ ଯେପରିକି ଦୟାକରି ଅସ୍ତ୍ର ବଢ଼େଇଦେଇ । ପରମ ଆତ୍ମବିଶ୍ୱାସରେ ଦମ୍ଭହୋଇ ସେ କଠୋର ଚାହାଣି ହାଣି କହିଲେ–

 

‘‘ବୁଝିଲୁ ମା, ଯାହା ତୁ କହୁଚୁ ସବୁ ସତ ଯେ, ତା’ର ବେଳକାଳ ଅଛି । ସମାଜ, ସଂସ୍କାର, ଆମ ଦେଶର ଚିରାଚରିତ ରୀତି, କ’ଣ କହୁଚି ସେ ?’’

 

‘‘ହଁ କ’ଣ କହୁଚି ? ତୁମେ ହିଁ ତ କହୁଥିଲ, ଏତେ ଆଡ଼ ଡର ଲାଜ ଏ ଆମର ସ୍ୱାଭାବିକ ରୀତି ନୁହେଁ, ଏ ଭେକ ବେଶି ଦିନର ନୁହେଁ, କାଲି ସକାଳେ ଯେତେବେଳେ ଦେଶକୁ ଦୂର୍ଭାଗ୍ୟ ପଡ଼ିଥିଲା, ସେତିକିବେଳୁ ଖାଲି ଇଜ୍ଜତ ବଞ୍ଚାଇ ଆତ୍ମରକ୍ଷା କରିବାପାଇଁ ଆମ ଦେଶର ଝିଅ ପିଲା ଏ ଛଦ୍ମବେଶ ଘେନିଥିଲେ, ଏ ଆମ ଇତିହାସ ନୁହେଁ–’’

 

‘‘ବାଜେ କଥା ଛାଡ଼ । ଆଗ ଘର । ଆଗ ଆପଣା-ଆପଣା କ’ଣ ବୋଲି କହି ବୁଝାଇବି ତତେ କହ ? ସବୁଠୁ ବଡ଼ ଆଦର୍ଶ ଗୃହସ୍ଥାଶ୍ରମ, ଗୃହସଂସାର କରିବାପାଇଁ ମଣିଷ ଜନମ, ଆଗ ସୃଷ୍ଟି ହେଲେ ତା’ପରେ କୃଷ୍ଟି । ଗୃହସଂସାର, ତା’ର ଯେଉଁ ସ୍ତରରେ ଯେଉଁ ରୂପ ।’’ ସ୍ତ୍ରୀଙ୍କ ଭାଷାକୁ ତୁଣ୍ଡରେ ଧରି କହିଲେ, “ଝିଅପିଲା ଘରେ ରହିଲେ ଶୋଭାପାଏ । ଅଣ୍ଡିରିପୁଅ ଯାହାକରିବ ଯେତେ କଷ୍ଟ ସହିବ ଝିଅର ସେସବୁ ଦରକାର ହେବ କାହିଁକି ? ଘରର ପିଲା ଘରେ ରହିବ । ବାପମା’ ବିଭାକରି ଦେବେ, ତା’ପରେ ହେବ ଘରକୁ ଘରଣୀ, ଯେତେ ଆଦର୍ଶ ଶିଖିଲ ବୁଝିଲ ସେଥିରେ ତୁମେ କାମ କଲା ଲୋକଙ୍କୁ ଶକ୍ତି ଯୋଗାଇବ ।’’

 

‘‘ସତେ ଏଥିରେ ତୁମେ ବିଶ୍ଵାସ କରୁଛ ବାପା ? ଆପେ ନିଷ୍କ୍ରିୟ ରହି ପରଙ୍କପାଇଁ ଶକ୍ତି ହେଲେ ଏ ଜୀବନ ଧନ୍ୟ ହେବ ? ସତେ ତୁମେ ଭାବୁଛ ଗୃହସ୍ଥାଶ୍ରମର ଗୋଟାଏ ନିର୍ଦ୍ଦିଷ୍ଟସ୍ୱରୂପ ଅଛି ଯେ ଏତିକି କରିବ ଏତିକି ନ କରିବ ? ତୁମେ ତ ଆଦର୍ଶ ଗୃହସ୍ଥ, କହିବ ତୁମେ–ଯେତେ ଯାହା ଭାବିଥିଲ, ଅନୁଭବ କରିଥିଲ, ସବୁ ଏହି ବାଟରେ ତୁମେ ପାଇପାରିଲ, ସାଧିପାରିଲବୋଲି ? କାର୍ଯ୍ୟରେ କାହାରି କିଛି ଉପକାରରେ ଆସିବା ନାଇଁ ଖାଲି ପରପାଇଁ ସହାନୁଭୂତି ଦେଖାଇ କାନ୍ଦିବା, ଗଢ଼ିବା କାମ ଯେଉଁଠି ହେଉଥିବ ସେଠିକି ଯିବାନାହିଁ, ପାଣି କାଦୁଅକୁ ଓହ୍ଲେଇବା ନାହିଁ, ଖାଲି ବସି ବସି ଭାବିବା କେମିତି କଲେ ଭଲ, କ’ଣ ହେବା ଉଚିତ, ଆପେ କାମକରିବା ନାହିଁ ଖାଲି ବସି ବରଗିବା, ଆପେ ପଇସାଟିଏ ଦାନ ଦେବାନାହିଁ କହିବା ସମସ୍ତେ ସମସ୍ତିଙ୍କୁ ପୋଷନ୍ତୁ ପାଳନ୍ତୁ–ତୁମେ ଭାବୁଛି ସତେ ଭାବୁଛି ଏହିପରି ହେବା ଉଚିତ ଏ ଜୀବନ ? ଏଇ ତୁମ ଲେଖାରେ ମଣିଷର ଆଦର୍ଶବାଦ, ତା’ର ବଡ଼ପଣ, ଏଇ ଗୃହସ୍ଥାଶ୍ରମର ସଂଜ୍ଞା ବୋଲି ତୁମେ ଆଜି ନୂଆକରି ଭାବିପାରୁଛି କାହିଁକି ନା ସତକୁ ସତ ଆଜି କାମର ଘଡ଼ି ଆସିଛି, ଘରଦୁଆର ଭାସିଯାଉଛି ? କହ, କହୁନା କାହିଁକି ? ଏତେ ଦିନ ଯେଉଁ ପାଠ ପଢ଼େଇଇ,ଯେଉଁବିଚାର ବତେଇଲ ପୋଛିବ ତ ପୋଛିପକାଅ ତାକୁ, କ’ଣ କହିବ କହ ?’’

 

ପାଣି ପବନର ହାଉ ହାଉ ତୋଫାନ କଥା କହୁଛି,ବିଜୁଳି କଥା କହୁଛି । ସେହି ଯେଉଁ କଥା ସେ କହି କହି ଯାଏ ନିଛାଟିଆ ନଈକଣ୍ଡିଆ ଉପରେ, ପଡ଼ିଆ ଉପରେ । ହସିଲାପରି ନଈବଢ଼ି ପାଣି ଅତଡ଼ାରେ ବାଜି କହେ ଲାକ୍‌-ଲାକ୍‌-ଗୋଟିକିଆ ଗଛ କମ୍ପି କମ୍ପି ମୋଡ଼ି ମୋଡ଼ି ହୋଇ ଛଟପଟ ହେଉଥାଏ । ଛାତି ତଳେ ଉଦାସପଣ ଭିତରେ ଲହଲହ ହେଉଛି ଭୟ, ସେଠିବି ଲାଗିଛି ମୋଡ଼ାମୋଡ଼ି ଭଙ୍ଗାଭଙ୍ଗି । ସବୁ ଉଡ଼ିଯାଉଛି, ଦିନ ରାତି, ଯୁଗ, ଗୋଟାକୁ ଗୋଟା ମଣିଷ ଦିହାତିର ଘରକରଣା । କ’ଣ କିଛି କହିବାକୁ ହେବ । କ’ଣ ? କ’ଣ ? କହି ହେଉ ନାହିଁ, ତଣ୍ଟି ପାଖେ ଅଟକି ଯାଉଛି ।

 

ଝକକରି ଦିଶିଯାଉଛି ନିଜ ଆଖି ଆଗରେ ନିଜ ଅତୀତଟା । କେତେ ଆଶା ଉଚ୍ଛ୍ୱାସ ଘେନି ଜୀବନ ଆରମ୍ଭ ହୋଇଥିଲା । କାହିଁଗଲା? ଆସିଥିଲା ଦିନେ ମହାଭାରତୀୟ ଜାତୀୟ ଆନ୍ଦୋଳନ, ଘରର ଦୁଆର ମୁହଁକୁବୋଲି ଚମକି ଆସିଥିଲା ତା ଢେଉ, କେତେ କଥା କରିବାକୁ ମନଭିତରେ ଉତ୍ତେଜନା ଆସିଥିଲା । ୟା କରିବା, ତା କରିବ । ଯେମିତି ପଛେ ହେଉ ଇଂରେଜ ମାନଙ୍କ କବଳରୁ ଦେଶକୁ ମୁକୁଳାଇବା । ଦେଶକାର୍ଯ୍ୟକରିବା, ଧନ୍ୟ ହେବ । ସେବାକାର୍ଯ୍ୟକରିବ । ପରର ଦୁଃଖମୋଚନକରିବା । ସ୍ୱପ୍ନ । ଯୋଜନାବି । ଏତେ ସାତ ପାଞ୍ଚ ନ ପାଞ୍ଚି ସ୍ୱପ୍ନର ଜାଲ ନବୁଣି ସେହି ଢେଉରେ ଭାସି ଚାଲି ଗଲେ ସାଙ୍ଗସାଥୀ ଚିହ୍ନାର ଜଣାର ଲୋକ, ସେହି ଯେମିତି ଦେଉଳ ଦୁଆର ମୁହଁରେ ଭିଡ଼ ହୋଇଥିଲାବେଳେ ଠେଲା ପେଲାଭିତରେ ଲୋକେ କେମିତି କେମିତି ହୋଇ ସୁଅପରି ପଶିଯାଆନ୍ତି ଅଥଚ ସେ ନିଜେ ଗୋଡ଼ଟେକି ଯାଇପାରିଲେ ନାହିଁ, ଗଲେ ଚାକିରିକରି । ସାତପଛରେ ଜନ୍ମହୋଇ ଲୋକେ କେଡ଼େ କେଡ଼େ ହୋଇ ପୂଜା ପାଇଲେ, କିଏ ଜେଲ ଗଲା, କିଏ ମଲା ।

 

କିନ୍ତୁ ସଜନାଗଛ ଡାଳରେ ଏଣ୍ଡୁଅଟିଏ ବସି ତଳକୁ ଚାହିଁ ମୁଣ୍ଡ ଟୁଙ୍ଗାରିଲାପରି ଆପେ ଆପେ ସେ ବସି ବସି ମୁଣ୍ଡ ଟୁଙ୍ଗାରିଲେ, ୟା ତା କାନ ପଙ୍କିଲେ, ନିଜେ କଲେ ନାହିଁ କିଛି ।

 

କେଡ଼େ ତୀକ୍ଷଣ ଶେଷରେ ଅପେକ୍ଷାକରି ରହିଛି ଛବିର ଆତ୍ମା-ଶୋଷା-ମୁହଁ ମେଲାକରି ଅନାଇଁ ରହିଛି, ସେଠି ମିଛ କହି ଭଣ୍ଡେଇ ହେବନାହିଁ । ହେଇ ସେ କ’ଣ କହୁଛି....

 

‘‘ସଂସାରରେ ଗୃହିଣୀ ଅଭାବ ନାହାନ୍ତି, ସଂଖ୍ୟା ଅଭାବ ନାହିଁ, ଦିନୁଦିନ ଅସୁରବଂଶପରି ମଣିଷ ଗୋଠ ବଢ଼ି ବଢ଼ି ଚାଲିଛି, ସେତିକି ଛାଡ଼ିଦେଲେ ଆଉ ସବୁ ତ ଅଭାବ, ସୁଖ ଶାନ୍ତି ସ୍ନେହ ମମତାଯାକେ ସବୁ, ଯେତେ ମୁର୍ଖ ଅବିଚାର ସବୁ ହୋଇଛି ଏ ସଂସାରରେ ଚଳଣି, ଦୁନିଆ ଜଳି ପାଉଁଶ ହେବ ଆମେ ଥିରି ହୋଇ ନିଜକୁ ହିପାଜିତକରି ବସିଥିବା, ତୁଣ୍ଡରେ ଖାଲି ବଡ଼ ବଡ଼ କଥା, କାମବେଳକୁ ଲାଙ୍ଗୁଡ଼ଜକା, ଗୃହସଂସାର, ସଂସ୍କାର, ଭଦ୍ରଚଳଣି, ଏଇଆ କହୁଚ ତୁମେ ? ଗୀତା, ଭାଗବତ, ସବୁଦିନେ ଯାହା କହିଆସିଛ, ଏହି ଅର୍ଥ ସେଥିରେ ଅଛି ବୋଲି କହିବାକୁ ବସିଛ ଆଜି । କହ, କହୁନା କାହିଁକି ?’’

 

ଏଇ ନାରୀ । ଅନ୍ତୁଡ଼ିଶାଳରୁ କ୍ଷୀର ପିଆଇ ପୁଣି ପିଠିକି ପଖିଆହୋଇ ଯେ ମଣିଷକୁ ମଣିଷ କରେ, ଏଇ ତ ସେ, ତା’ର ସୃଷ୍ଟିକୁ ବିପଦ ଆସିଛି ଦେଖି ସେ ପୁଣି ତା’ର ରକ୍ଷଣପାଇଁ ଅସମ୍ଭାଳ ହୋଇଉଠୁଛି । ସିନ୍ଧୁ ଚୌଧୁରୀ ମୋହାବିଷ୍ଟ ହୋଇ ଅନାଇଁ ରହି ଭାବୁଥିଲେ । ଯେପରି ଏ ଛବି ନୁହେଁ, ଏ ସେହି, ଅତି ଚିହ୍ନା, ଯାହାକୁ ସେ ଧ୍ୟାନରେ ଦେଖିଛନ୍ତି, ଚେତନାରେ ଅନୁଭବ କରିଛନ୍ତି । କେଉଁ ଅଜଣା ଅସୀମରୁ ଆସିଛି ଗୋଟାଏ ବଡ଼ ଢେଉ, ଛବିକୁ ଟେକି ଦେଇଛି । କାହିଁକି ତା ଘଟିବ ତାଙ୍କରି ଘରେ ? କାହିଁକି ତାଙ୍କରି ଗୋଟିଏ ବୋଲି ସନ୍ତାନ ଉପରେ ଓହ୍ଳେଇବ ମହାଭାବର ମହାଦେବତା ! କହିଲେ “ଛବି, ଛବି, ଏଗଡ଼ାକ କ’ଣ ତୁ କହୁଚୁ ? ପିଲାଲୋକ, ତତେ ଏଗୁଡ଼ାକ କ’ଣ ଲଗା ? ଚୁପ ହେଇ ବସ ଛବି, ଘରର ଶାନ୍ତି ଛାଡ଼ି କାହିଁକି ବରଷା କାଦୁଅରେ ବୁଲିବାକୁ ବାହାରିଛୁ ? ବଇଆଣୀଟା, ଏତେ କଥା ମୁଣ୍ଡରେ ପୂରାନା, ଥିରିହେଇ ବସ । ଶାନ୍ତି ଦରକାର, ଶାନ୍ତିରେ ରହ । ‘‘

 

‘‘ଶାନ୍ତି ନା ସ୍ୱାର୍ଥପରତା ? କିଛି ହବ ନାଇଁ ମୋର । ସମସ୍ତେ ଅପେକ୍ଷା କରିଛନ୍ତି । ଆମ କାହାରି କିଛି ଅନିଷ୍ଟ ହେବନାଇଁ ତମେ ଦେଖିବ । ଏଡ଼େ ଭାଗ୍ୟ ଆମର ନାହିଁ । ଆମେ କିଏ କ’ଣ ସତେ କରିପକେଇବୁ ନା ଆମର ସେ ଶକ୍ତି ଅଛି ? ଆମେ ଏ ଗାଁର ମଣିଷ, ଆମେ ବଞ୍ଚିଛୁ ଖାଲି ସେତିକି ପ୍ରମାଣକରିବୁ । ଯାହା ଦେଇ ଯେତିକି ହୋଇପାରିବ । ଯିବାକୁ ପଡ଼ିବ । ଯାଉଛିା’’

 

‘‘ଆଲୋ ଆଲୋ ଛବି - ଶୁଣି ଯା, ମୋ ସାନକୁହା ମାନ’’, ତା’ ବୋଉ ଡାକୁଛି । ‘‘ଛବି-ଛବି-’’ ଗୁରବୋଉ ଡାକୁଛି । ଗୁର ଡାକ ପକାଇଛି । ସିନ୍ଧୁ ଚୌଧରୀ ଚାହିଁ ଦେଖିଲେ । ଅଭିନୟପରି ଘଟିଯାଉଛି ସବୁ । ଛବିବୋଉ ଥରୁଛନ୍ତି, କାନ୍ଦୁଛନ୍ତି– “ଗୋଟିଏ ବୋଲି ଛୁଆ, ତା’ ପାଇଁ ଦଇବ ରଖିଥିଲା ଏଡ଼େ ହଟହଟା ଯୋଗ ! ମୁଁ ଜହର ଖାଇବି କି ଦଉଡ଼ି ନଗେଇବି କି କୋଉ ଗଡ଼ିଆ ପୋଖରୀକି ଡେଇଁବି ମତେ କହ । ଓଃ ! କି ବୁଦ୍ଧି କରିବିଟି । ତମେ ବସିଚ କ’ଣ, ଦେଖୁନା ! କରୁନା କିଛି ! ଦଇବରେ!”

 

‘‘ଶୁଣ, ବେସ୍ତ ହୁଅନା । କ’ଣ ହେଇଯାଇଚି ? କେତେ ଲୋକ ଯାଉଚନ୍ତି । ଏମିତି ବେଳେ ପଦାରୁ ମାଇପେ କାମକରିବାକୁ ଚାଲିଆସନ୍ତି, ତମେ ଏମିତି କାଇଁକି ହଉଚ ?’’

 

‘‘ନାଇଁ-ନାଇଁ-ନାଇଁ-ମୋ ଝୁଅକୁ ଆଣି ଦିଅ ଲୋ !’’

 

‘‘ଶୁଣ, ଥଏ ଧର । ଡରୁଚ କାଇଁକି ? ମୁଁ ନିଜେ ଯିବି ।” କାନ୍ଦି କାନ୍ଦି ତୁନୀ ହେବ ସେ ମାଇପିଟା, ସେ ପର୍ଯ୍ୟନ୍ତ କହିଲେ ଫଳ ହେବନାହିଁ । ସିନ୍ଧୁ ଚୌଧରୀ ଚରଖା ଧରିଲେ । ଦିନ ବୋହିଯାଉଛି, ସୁଖଦୁଃଖ ଦୁଲୁକେଇଛି ତାଙ୍କ ଜୀବନକୁ, ସେ ଚରଖା ଧରିଛନ୍ତି, ଯେମିତି ମଣିଷ ଡଉଁରିଆ ପିନ୍ଧେ । ଚରଖା ଘର ଘର ସଙ୍ଗେ ଭାଗବତରୁ ପଦ ଗୁଣୁ ଗୁଣୁ ହେଲେ–

 

“ଗୃହରେ ବିପଦେ ସମ୍ପଦେ

କୁଳ କାଞ୍ଚନ ବନ୍ଧୁ ମଧ୍ୟେ

।।

ମୋହେ ନୋହିବ ମନଚ୍ଛନ୍ନ

ଏ ସର୍ବ ଈଶ୍ୱର ସମାନ

।।

ଭାବ ଜାଣିବ ଶୁଣି ଦେଖି

ଇଚ୍ଛାରେ ସକଳ ନିରେଖି

।।

ଏ ପୁତ୍ର ଦାରା ବନ୍ଧୁ ସଙ୍ଗ

ଯେସନେ ସମୁଦ୍ର ତରଙ୍ଗ

।।

ପଥିକ ଯେହ୍ନେ ବୃକ୍ଷଡାଳେ

ଶ୍ରମେ ବସନ୍ତି ଏକମେଳେ

।।

ଶ୍ରମ ସରିଲେ ଯେଝାମତେ

ଚଳନ୍ତି ବୃକ୍ଷ ଛାଡ଼ି ଏଥେ

।।

ଯେସନେ ପ୍ରାଣୀ ନିଦ୍ରାଗତେ

ସମ୍ପଦ ଦେଖେ ସ୍ୱପୁଗତେ

।।

ଏହି ପ୍ରକାରେ ଗୃହବାସ

ନ କର ଏଥିରେ ବିଶ୍ୱାସ

।।’’

 

ହଠାତ୍ ଲାଗିଲା ଏ ବି ଅଭିନୟ । ଦୃଶ୍ୟ ମଝିରେ ଭିକାରୀଟିଏ । ରଙ୍ଗଭୂମି ଉପରେ ସୁନ୍ଦର ଗୀତଟିଏ ଗାଇ ଦେଇ ଚାଲିଯାଉଛି, ବୈରାଗ୍ୟ ସଙ୍ଗୀତ । ଭିକାରୀ ସେ ନୁହେଁ । ହୁଏତ ତା’ର ବାସନା ଅଛି ଏଇ ଗୀତଟି ପାଇଁ ତାକୁ ଗୋଟିଏ ପଦକ ମିଳିବ ପରା ।

 

ପିଞ୍ଜରା ଭିତରେ ଯେପରିକି ଶୁଆ ପଢ଼ୁଛି ।

 

ଅତିଥି-ପଥିକ-କେବେ ହେଲେ ସେ ପଥିକ ? ଘୋର ସଂସାରୀ । ରଟ ରଟ କରୁଛି ସ୍ନେହର ବନ୍ଧନ । ବାରମ୍ବାର ଲାଗୁଛି, ଛବି ଗଲା କାହିଁକି ? ଓଃ, ଏଇ ଛୁଆପିଇ ଯେ ବାପମାଙ୍କ ମନର କଥା ବୁଝନ୍ତି ନାହିଁ ।

 

ଛବି ନାହିଁ । ତା’ ବୋଉ ଦିଶୁନାହିଁ । ମେଘନାହିଁ, ଖରା ଝିଲି ଝିଲୋଉଛି । ଉତ୍ତରପଟେ ଭଙ୍ଗା ହାତୀଅନ୍ଧ ଫାଙ୍କରେ ନଈବାଙ୍କ ଦିଶୁଛି । ଖରାରେ ଜିକିଜିକି ଦିଶୁଛି ଗୋଳିପାଣି । ଦୂରର ଆକାଶ କାଳିଚା ଅବରଖର ପର୍ବ୍ଦା ପାଲଟିଛି, ଦୃଷ୍ଟି ଭେଦୁ ନାହିଁ । ତା ତଳେ ବିଭିନ୍ନ ପତ୍ତନରେ ଗଛମାନଙ୍କ ଅଗ ବଙ୍କା ହୋଇ ରହିଛି । ଅଗରେ ପିଲାଙ୍କ ଖେଳେଣା ଚକ୍ରିପରି ନଡ଼ିଆଗଛର ମହୁଡ଼ ଖରାରେ ଝଟକୁଛି । ଉଦାସ ବିଷାଦରେ ଉଦ୍‌ଭିନ୍ନା ସ୍ତ୍ରୀଲୋକପରି ଶୂନ୍ୟ ଉପରେ ଲୋଟି ପଡ଼ିଥିବା ବରଗଛ ଆଉ ସୋରିଷିଆ ଗଛମାନଙ୍କ ଉପର ଅଧିକ । ଯୋଡ଼ା ପାପୁଲି ଉପରକୁ ଟେକି ବିନୟରେ ବଙ୍କାହୋଇ ଧର୍ମକୁ ଦଣ୍ଡବତ କଲାପରି କଦଳୀଗଛ ମାଳ ମାଳ, ମଝିରେ ମଝିରେ ଫାଙ୍କା ଶୂନ୍ୟ, ଛାଡ଼ି ଛାଡ଼ି କେଉଁଠି ଗୋଟିଗୋଟିକିଆ ଗଛମାନଙ୍କ ଅଗ, ଯେପରିକି ନିଛାଟିଆ ବାଟୋଇ ଥକ୍‌କା ହୋଇ ଠାଏ ଠାଏ ବସିପଡ଼ିଛନ୍ତି ।

 

ଏ ଦୃଶ୍ୟ ଭିତରେ ମଣିଷ ନାହାନ୍ତି । କଣ୍ଡିଆ ତଳେ କରପଟିଆ ହୋଇ କେଉଁଠି କେଉଁଠି ପଡ଼ିରହିଥିବ କାହାର ମୁଣ୍ଡ ଖପୁରି, ହାଡ଼ ଗୋଡ଼, ନଈ ବାଲିଏ ବାଲିଏ କୁଢ଼ କୁଢ଼ ହାଡ଼ । ଦିନ ଥିଲା ଯେତେବେଳେ ସେ ହାଡ଼ରେ ମାଂସ ଆଉ ଚମ ଛାଉଣି ହୋଇଥିଲା, ସେ ମଣିଷର ଦେହ ହୋଇଥିଲା, ସେ ଦେହରେ ପ୍ରାଣ ଥିଲା, ସେ ମଣିଷ ଚାଲୁଥିଲା, କାମ କରୁଥିଲା, ଘର ତୋଳୁଥିଲା, ଜନ୍ମ କରୁଥିଲା, ସାଇତୁଥିଲା, ସମ୍ପାଦୁଥିଲା, ଆଶା କରୁଥିଲା । ହୁଏତ ସେତେବେଳେବି ଏ ବରଗଛ ଓସ୍ତଗଛ ସେମିତି ଠିଆ ହୋଇଥିଲେ, ସେ ମଣିଷ ତା’ର ଆଶା ଆଉ ଯୋଜନା ବନ୍ଧୁପଣ ବଇରିପଣ କରକୁ ଫୋପାଡ଼ିଦେଇ ଛୁଟକିନା, ଆଖି ବୁଜିଦେଲା, କେଡ଼େ ଚଞ୍ଚଳ-!

 

ଆଉ ଏ ଅଳପ ଟିକିଏ ନାଁକୁ ଜୀବନପାଇଁ ପାହାଡ଼ ପାହାଡ଼ ସାମାଜିକ କଟକଣା ଆଉ ଆଇନ । ଜୀବନକୁ ନିୟନ୍ତ୍ରଣ କରିବାକୁ ବିଧାତା ଖଞ୍ଜୁ ଖଞ୍ଜୁ ଆୟୁଷ ଶେଷ ।

 

ଚରଖା ଘୂରୋଉ ଘୂରୋଉ ମନରେ ଥାଇତାପଣ ଫେରିଆସୁଛି । ଆଉ ଆସୁଛି ଆକାଶ ଓ ସମୟ ଭିତରେ ଅନୁପାତର ନୂଆ ଧାରଣା । ଉପରେ ଭଡ଼ାଜାହାଜଟିଏ ଗଲା, ଶବ୍ଦରେ କାନଅତରା ପଡ଼ିଲା । ଚରଖା ବୁଲେଇବା ଓ ଉପରେ ଉଡ଼ାଜାହାଜ ଯିବା ଏ ଦୁଇଟି ଭିତରେ ସେ ସାନ ବଡ଼ ଭାବି ପାରିଲେ ନାହିଁ । ମହାକାଳର ଅନୁପାତରେ ଭାବିଲା ସରିକି କେହି କିଛି ନୁହେଁ, ଖାଲି ବିଜୁଳିର ଝଲକଟିଏ, ‘ଏ ସବୁ ବିଜୁଳି ପ୍ରକାଶ’ । ସେହି ଝକ୍ ଟିକକ, ସେହି ଜୀବନ, ସେ ଗୋଟିଏ ଉଚ୍ଛ୍ୱାସ, କାହାର କେଉଁବାଟେ ଯାଉଛି, କିଏ ସୂତା କାଟୁଛି, କିଏ ବିଲ ତାଡ଼ୁଛି, କିଏ ଉଡ଼ାଜାହାଜ ଚଳାଉଛି । ଏହାରି ଭିତରେ ଅଛି ଜୀବନ, ସତ୍ୟ, ସୁନ୍ଦର, ସନାତନ, ଥିଲା ଆଉ ନ ଥିଲାକୁ, ମଲା ଆଉ ଜୀଇଲାକୁ ଏକାଠି ଗୁନ୍ଥିଚି । ମରୁଭୂମିର ବାଲି ଭିତରେ ସାଇତି ରଖିଛି କଅଁଳ ଶାଗୁଆପତ୍ର ଗଢ଼ିବାପାଇଁ ପ୍ରବଣତା, ଅନ୍ଧାର ରାତି ଭିତରେ ସଂପାଦିଛି ଆସନ୍ତା ସୂର୍ଯ୍ୟୋଦୟର ଅବିସଂଭାବିତ୍ୱ । ସେହି ସେ, ପ୍ରାଣ, ବ୍ରହ୍ମ । ବାବାଜୀ କହିଥିଲେ, “ଧାନଟି ଭିତରେ ଚାଉଳଟିଏ, ଏ ଚମ ଅଖିକି ଧାନଟି ଖାଲି ଦିଶେ, ଚାଉଳ ଦିଶେ ନାହିଁ, ଚାଉଳକୁ ଦେଖିଲେ ତୁମ ଅଭାବ ମେଣ୍ଟିବ-।’’

 

‘‘କୁଆଡ଼ୁ କୁଆଡ଼ୁ ସେ ବାବାଜୀ ମନେ ପଡ଼ିଗଲେ, ବେଣୁପଡ଼ା ମଠର ବାବାଜୀ, ମୁଣ୍ଡରେ ଦି’ ହାତ ଉଞ୍ଚ ଗୋଜିଆ ଟୋପି, ପାଲାବାଲାଙ୍କ ପରି ଛିଟ ପାଇଜାମା ପିନ୍ଧା, ଫୁଲହାର ଲଦାଲଦି, ମୃଦଙ୍ଗର ତାଳେ ତାଳେ ନାଚୁଥାନ୍ତି । ମନେ ପଡ଼ିଗଲା ବେଣୁପଡ଼ା ମଠ, ଶହ ଶହ ବର୍ଷର ପୁରୁଣା କାଞ୍ଜି, ପୁରୁଣା ପୋଥି, ପୁରୁଣା ମାଟିଗାଦି, ବାଇଦାସଙ୍କର, କୃଷ୍ଣଦାସଙ୍କର, ଆର୍ତ୍ତଦାସଙ୍କର, କତିକୁ କତି ଲାଗି ଲାଗି କବି ସାଧକମାନଙ୍କ ମାଟିଗାଦି । ମନେ ପଡ଼ିଗଲା ସେମାନଙ୍କର ସେ ପୁରୁଣା ଭଜନ–

 

‘‘ଚେତି ଚାହୁଁ କିନା ହୋ ଗ୍ୟାନୀ ତୁ ଗ୍ୟାନଲୋଚନ ବାଗେ,

ଚର୍ମ ନୟନକୁ ରୂପ ନ ଦିଶଇ ଖେଳୁଛି ନୟନ ଆଗେ ।

ଅକାର ମକାର ସକାର ପରେ ଅଣାକାର ପରେ ହେଜ,

ତଥି ପରେ ଯେଉଁ ପରମ ବୀଜ ଆଉ ତଥି ପରେ ଖୋଜ ।

ଶେଷର ଶିରେ ଅଜପା ପରେ ତଥି ପରେ ଶୂନ୍ୟବିଧି,

ଶୂନ୍ୟ ପୁରୁଷଙ୍କୁ ପାରିଲେ ହେଜି ପ୍ରକୃତିମାନଙ୍କୁ ଛେଦି ।’’

 

ସେମାନେ ଲୟଯୋଗ ଇଗାଇ ପରା ସେ ରୂପ ଦେଖୁଥିଲେ, ପ୍ରକୃତିମାନଙ୍କୁ ଛେଦିଥିଲେ । ସେହିମାନେ ପରା ଏ ଜୀବନକୁ ଚିହ୍ନିଥିଲେ । କଳ୍ପନାରେ ଭାସିଉଠିଲା ସେମାନଙ୍କ କଳ୍ପିତ ରୂପମାନ । ସମୁଦ୍ରର ଗର୍ଜନ ଶୁଭୁଛି । ନଈ ଆର ପାଖେ ଢେଉ ଢେଉକା ବାଲିବନ୍ତ ଦିଶୁଛି । ଆଖି ଯେତେ ଦୂରକୁ ଯାଇପାରୁଛି ଖାଲି ଖୋଲା ଆକାଶ । ସେହିଆଡ଼କୁ ମୁହଁକରି ତାଳପତ୍ର ଉପରେ ଲେଖନ ଚଲାଇ ଲେଖିଯାଉଛନ୍ତି ସିଦ୍ଧ ସାଧକ–‘‘ବଦୟନ୍ତି ଗ୍ରନ୍ଥିକାର ଶ୍ରୀ ସରୋଜଦାସ କବି’’ । ଆଉ ଦିଶିଯାଉଛି, ପୁରୀ ସ୍ୱର୍ଗଦ୍ୱାର ମଶାଣି ସେକରେ ବାଲିବନ୍ତ ଉପରେ ମାଟିରେ ପୋତିହେଲାପରି ଗୋଟିଏ ମଣିଷ ହାତଗଢ଼ା ଗୁମ୍ଫା, ଚୂନବାଲିରେ ତିଆରି ତା’ର ଛତାପରି ଛାତ । ପଦାକୁ ଚାହିଁଲେ ସାମ୍ନାରେ ଦିଶୁଥିବ ନିତି ମଣିଷ ଶବ ଦାହ ହେବାର ଦୃଶ୍ୟ, ଡାହାଣପଟେ ମହାସମୁଦ୍ର, ବାଁପଟେ ଦିଶୁଥିବ ଶ୍ରୀମନ୍ଦିର ଉପରେ ନୀଳଚକ୍ର, ସେହି ଗୁମ୍ଫା ଭିତରେ ଯୋଗାସନରେ ବସିଥିବେ ସିଦ୍ଧ ଜଗନ୍ନାଥ ଦାସ । କେତେ ସିଦ୍ଧସାଧକ ଏ ମାୟା ସୃଷ୍ଟିର ତଳିତଳନ୍ତି ଦେଖି ସାରି ଚାଲିଯାଇଛନ୍ତି । ସେମାନେ କହିଯାଇଛନ୍ତି ମିଥ୍ୟା ନିଷ୍ଠୁରତା ହିଂସା ସ୍ଵାର୍ଥ ଏହିସବୁ ମିଶି ତିଆରି କରେ ଅନ୍ଧପୋଟଳି, ଋଉଳଟି ଦିଶେନାହିଁ, ଧାନଟି ଦିଶେ । ଦର୍ପଣକୁ ଅନାଇଁଲେ ଓଲଟି ଆପଣା ମୁହଁ ଦିଶେ ।

 

ଚାଲିଛି ଘର୍ ଘର୍ ଚରଖା, ପୁଣି ବଢ଼ି ଉଠୁଛି ଉତ୍ତେଜନା, ଅତି ତରତର ମନର ଚିନ୍ତା ସଙ୍ଗେ ଯେପରିକି ଚରଖା ତାକୁ ରଖିବାକୁ ଲୋଡ଼ୁଛି, ପାରୁ ନାହିଁ । ଲାଗୁଛି, ଯାଆନ୍ତା ମାଡ଼ି ଭଲା ଛବି ସତେ ସତେ ନୂଆ ବାଟରେ, ଆପେ ସେ ଯାହା ସ୍ୱପ୍ନ ଦେଖିଥିଲେ ତା’ରି ସେ କାରିଗର ହୁଅନ୍ତା । ଗୋଟାଏ ଚଢ଼େଇ ହେଲେ ପିଞ୍ଜରାରୁ ମୁକ୍ତି ପାଆନ୍ତା, ହୁଏତ ସେ ସତେ ସତେ ଗାଆନ୍ତା ନୂଆ ଦୁନିଆର ସ୍ୱାଗତ ଗୀତି, କାର୍ଯ୍ୟରେ କଥାରେ ରୂପ ଦିଅନ୍ତା ସେହି ନୂଆ ମଣିଷଙ୍କୁ, ଯେ ଆସି ନାହାନ୍ତି, ଆସିବେ, ମୁକ୍ତ, ଚିନ୍ମୟ, ସୁନ୍ଦର, ମହାପ୍ରାଣ, ଅମୃତମୟ । ପୁଣି ଓଲଟି ଆସୁଛି ଚିନ୍ତା–ଏ କ’ଣ କଲା ସେ, ପିଲାଲୋକ !

 

ଡାକିଲେ, ‘‘ଛବି ! ‘‘କେହି ନାହିଁ । ପଦାରେ ପାଣିଚିଆ ଖରା, ଛାତିକି ଚାଇଁ ମାରିଦେଉଛି । ଅଡ଼ୁଆ ଅଡ଼ୁଆ ଲାଗୁଛି, କ’ଣ କେଉଁଠି ସେ ଭୁଲକରି ଦେଇଛନ୍ତି । ଭୁଲ ଭୁଲ, ଅଡ଼ୁଆ ଆଉ ଗୋଳମାଳିଆ ସବୁ ।

 

ପିଲା ତିନୋଟି କୁଣ୍ଢାକୁଣ୍ଢି ହୋଇ ଧାଡ଼ିହୋଇ ଗୋଟିଏ କୁଦ ଉପରେ ଠିଆ ହୋଇଥିଲେ, ଆଖିରେ ମୁହଁରେ ହସ ଉଛୁଳି ପଡ଼ୁଥିଲା । ଉପରେ ଅକାଶ, ସାମ୍ନାରେ ଘର ।

 

ଚିକ୍‍କଣ ନେଳି କଳା ବହଳ କାଚପରି ମେଘ ରୁନ୍ଧିଲା ଥମ୍ୱିଲା ଆକାଶ-କୁଆଡ଼ୁ, ଆସିଛି, କାହିଁ କୁଆଡ଼େ ବୋଲି ଲମ୍ୱିଯାଇଛି । ତା’ରି ଚିରୁଡ଼ାଏ ସେମାନଙ୍କ ପିଠି ପଟେ ଡେରେଇହୋଇ ରହିଥିଲା, ସତେକି ମାୟା–ଅଞ୍ଜନବୋଳା କୁହୁକ ଦର୍ପଣ, ସେଠି କେତେବେଳେ କେଉଁ ପତ୍ତନରେ କେଉଁ ଛବି ଉଇଁ ପୁଣି ଉଭେଇଯାଏ, ଲାଖି ରହେ ନାହିଁ କିଛି ।

 

ସେହି ଅସରନ୍ତି ଅକଳନ ଚିତ୍ରପଟ ଉପରେ, ଯେଉଁଠି ଯୁଗ ଯୁଗର କେତେ ଆଖିଦୁରୁଶିଆ ଛବି ଫୁଟିଉଠି ପୁଣି ନିଶ୍ଚିହ୍ନ ହୋଇଥିଲା, କେତେ ବଜ୍ର ତୋଫାନ, କେତେ ପ୍ରଳୟ ଧ୍ୱଂସ, କେତେ ମହାଭାରତ ଯୁଦ୍ଧର ଛବି, କେତେ ବିରାଟ ଗଢ଼ିବା ଭାଙ୍ଗିବାର ଅନାମିକା ଇତିହାସ, ଫୁଲଶରା ଗାଁରେ ଆଷାଢ଼ ଶେଷର ସେହି ଗୋଟିଏ ଅଖ୍ୟାତ କାଳିଚା ଅପରାହ୍ନରେ ସେତେବେଳେ ପରିଷ୍କାର ହୋଇ ଫୁଟିଥିଲା ପାଖକୁ ପାଖହୋଇ ତିନୋଟି ଶିଶୁ ମୁହଁ, ଦୁଇ ବର୍ଷର ଅଢେଇ ବର୍ଷର, ପରସ୍ପର ଅଣ୍ଟାରେ ହାତ ବେଢ଼େଇ ହୋଇ ଫୁଙ୍ଗା ପୁଅ-ଦେହ ତିନୋଟି, ଯୋଡ଼ିଏ କଳା କଳା, କରପଟିଆ ଗୋଟିଏ ଗୋରା ଦେହ । ବର୍ଣ୍ଣ ସେଠି ପ୍ରଧାନ ନ ଥିଲା, ପ୍ରଧାନ ଥିଲା ସେହି ଶିଶୁ ତିନୋଟିଙ୍କର ଠାଣି, ଯୁଗେ ଯୁଗେ ମଣିଷର ଜୀବନ ଅଭ୍ୟୁଦୟର ପ୍ରତୀକ, ବିସ୍ମୃତର ନେଳି କଳା ପଟ ଉପରେ ତିନୋଟି ଆଲୁଅଶିଖା । ଏକର ସେକର ହୋଇ ଅରଣା ମୁଣ୍ଡବାଳ ବିଞ୍ଚି ହୋଇ ପଡ଼ିଥିଲା, ଆଖିରୁ ଜ୍ୟୋତି ଛିରିକି ପଡ଼ୁଥିଲା, ପାଟିରୁ ଅକାରଣ ହସ । ସେହି ସଙ୍ଗେ ସଙ୍ଗେ କ୍ଷୀର ପିଇ ଆସିଥିଲେ ଯେ କଳରୁ ନିଗିଡ଼ି ପେଟ ଉପରେ କ୍ଷୀରଧାର ତଳକୁ ବୋହି ଯାଇଥିଲା ଯେ ଚିତ୍ରପଟ ଉପରେ ସେ ବି ସ୍ପଷ୍ଟ ହୋଇ ଦିଶୁଥିଲା ।

 

ଦାଣ୍ଡ ଏ ପାଖେ ଘର ଧାଉଡ଼ିଏ ଲମ୍ୱିଛି । ପିଲାଙ୍କ ସଳଖେ ଗୋଟିଏ ଘର ଦୁଆର ମୁହଁରେ ଭିଡ଼ ହୋଇଛି, ବହୁତ ମାଇପେ ବହୁତ ପିଲା ଏକାଠି । ବଡ଼ ହାଣ୍ଡିରେ ପଶି ଆଉଟା ଉଷୁମ ଦୁଧ ଥୁଆ ହୋଇଛି, ପିଲାଙ୍କୁ ବଣ୍ଟା ହେଉଛି । ବହୁତ ଘରୁ ଗାଈ ଦୁଧ ଆସି ଏକାଠି ଆଉଟା ହୋଇ ଗାଁଯାକ ଏହିପରି ନାନା ସ୍ଥାନରେ ପିଲାଙ୍କୁ ବଣ୍ଟା ହୁଏ ନିତି ଏମିତି, ତାହାରି ଭିତରୁ ଗୋଟିଏ ଜାଗା ଏ । ‘‘ଆଉ ମନ୍ଦିଏ ପି ରେ ଧଡ଼ିଆ–’’ ଗୋଟିଏ ଆଠ ବର୍ଷର ପିଲାକୁ ଜଣେ ଡାକ ପକାଇଥାନ୍ତି । ଧଡ଼ିଆ ହସି ହସି ବାଁରେଇ ହୋଇ କରଛଡ଼ା ଦେଉଥାଏ । ‘‘ସମସ୍ତେ ପିଇବେ ନା ଏକା ସେହି ଟିମା ଅସୁର ପେଟରେ ସବୁ ପଶିବ ?’’ ଧଡ଼ିଆବୋଉ କହିଲେ । ‘‘ଆହୁରି ବହୁତ ଅଛି ମ’’ ଆରକ କହିଲେ, ‘‘ଆରେ ଧଡ଼ିଆ ଆ–ଦେଖୁନା କେଡ଼େ ଶୁକୁଟାଟିଏ ହେଇଚି–’’

 

ଶିଶୁ ତିନୋଟିଙ୍କର ଏ ଦିଆନିଆରେ ଆଉ ମନ ନ ଥାଏ, ସେମାନଙ୍କର ପେଟ ଥଣ୍ଡା ଥାଏ । ଯେପରିକି ଖୋଲା ଆକାଶ ତଳେ ସେହି କୁଦ ଉପରେ ଏକାଠି କୁଣ୍ଢାକୁଣ୍ଢି ହୋଇ ଆପଣାକୁ ଜଗତ ଆଗରେ ଦେଖାଇ ଠିଆ ହେବାକୁହିଁ ସେମାନଙ୍କର ଆନନ୍ଦ । ସେମାନେ ଖାଲି କୁଦ ଉପରେ ହିଁ ଠିଆ ହୋଇ ନ ଥାନ୍ତି, ସେମାନେ ଥିଲେ ଠିକ୍ କୁଦର ତାଳୁ ଉପରେ; ଗଡ଼ି ପଡ଼ିଲେ ତିନି ହାତ ତଳକୁ ଖସି ପଡ଼ନ୍ତେ, ପାହାଡ଼ ଦାଢ଼ରେ ଠିଆ ହୋଇ ସାମ୍ନାରେ ଉପତ୍ୟକାଆଡ଼କୁ ଅନାଇଁଲାପରି ସେହି ତିନି ହାତ ଉଞ୍ଚ ପାହାଡ଼ବି ସିଧା ସଳଖେ ଚଢ଼ା ହୋଇ ନ ଥିଲା, ଭିଡ଼ରୁ ଫିଟି ଆସି ପଛବାଟେ ବୁଲିଯାଇ ଢାଲୁଏ ଢାଲୁଏ ଆସ୍ତେ ଆସ୍ତେ ଚଢ଼ି ଚଢ଼ି ପୁଣି ଉପରକୁ ଉପରକୁ, ଶେଷରେ ଚରମ ବିଜୟ ବେଳାରେ ବିପୁଳ ଆତ୍ମପ୍ରକାଶ ।

 

ସେହି ଖୋଲା କୁଦଟି ଥିଲା କେବର ଭାଙ୍ଗି ପଡ଼ିଥିବା ଘରର ମୂଳଦୁଆ । ସେଠି ଘାସ ବଢ଼ିଥିଲା ।

 

ଖଣ୍ଡେ ଦୂରରେ ପଛଆଡ଼େ ଥିଲା ଗୋଟିଏ ଝଙ୍କା କଦମ୍ୱ ଗଛ, ଫୁଲ ଫୁଟିଥିଲା, ଗଛରେ ପଲେ ମାଙ୍କଡ଼ ଛପିଥିଲେ, ଧଳା ଘେରେଇ ହୋଇ କଳା କଳା ଚିନ୍ତିତ ମୁହଁ ଯୋଡ଼ିଏ ପତ୍ର ଉପରୁ ବାରି ହେଉଥିଲା । ଗୋଟିଏ ପାଖକୁ ଗୋଟିଏ ପୁରୁଣା ବଉଳ ଗଛ, ବଡ଼ ଚକଡ଼ାଏ ମାଡ଼ି ଠିଆ ହୋଇଥିଲା । ପାଖେ ଗୋଟିଏ ଡେଙ୍ଗା ନଡ଼ିଆ ଗଛ, ସେଥିରୁ ବାୟା ଚଢ଼େଇବସା ଓହଳି ଥାଏ, ଯୋଡ଼ାଏ ଡାମରାକାଉ ଆଉ ପଲେ ବାୟା ଚଢ଼େଇ ନଡ଼ିଆ ବାହୁଙ୍ଗା ଚାରିକରେ ଏକାଠି ଉଡ଼ାଉଡ଼ି ହେଉଥାନ୍ତି । ଏଠି ସେଠି ଦିଶୁଥାଏ ଘରମାନଙ୍କ ହାତୀଅନ୍ଧ, ଲାଉ କଖାରୁ ପାଣିକଖାରୁ ଇଟା ଲଦାଲଦି ଘରଚାଳ, ଲଟା-ବହଳ ବାଡ଼, କଦଳୀ ବଗିଚା, ଠାଏ ଠାଏ ଗୋଟା ଗୋଟା ଝଙ୍କା ଆମ୍ବଗଛ, ପଣସଗଛ, ସଜନା, ସାହାଡ଼ା, ପଛଆଡ଼କୁ ଦିଶୁଛି, ପାଖକୁ ପାଖ ଖୁଣ୍ଟ ପୋତିଲାପରି ନଡ଼ିଆମାଳ, ଗୁଆମାଳ, ଉପରେ ବାହୁଙ୍ଗାରେ ବାହୁଙ୍ଗା ଲାଗି ଛାମୁଡ଼ିଆ କରିଛି ।

 

ଥମ୍ବିଲା ଆକାଶର ନେଳି କଳାକାଚ ଉପରେ ଦିଶିଗଲା ଧାଡ଼ି ହୋଇ ଧଳା ବଗ ପଞ୍ଝାଏ ଉଡ଼ି ଚାଲିଗଲେ । ତଳେ ଠାଏ ଭଉଁରୀ ହୋଇ ଉଡ଼ିଲେ ଦଳେ ବଣିଚଢ଼େଇ ଘାସ ଉପରେ ଅଳ୍ପଛାଡ଼ି ।

 

ହଠାତ୍ ଡାହୁକ ପଲେ ଏକାଠି ବୋବେଇ ଉଠିଲେ, ପୁଣି ସେ ସଙ୍ଗୀତ ବନ୍ଦ ହେଲା ।

 

ମାଈ ଛେଳିଟିଏ ଚରିଚରିକା ଆସିଲା, ପୂରାପରି ପହ୍ନା ଓହଳିଥାଏ, କଳାକଳା ଛୁଆ ତିନୋଟି ଠେଲାଠେଲି ହୋଇ ତା’ ପହ୍ନାରୁ ଦୁଧ ପିଉଥାନ୍ତି । ହୁଷ୍ଟପୁଷ୍ଟ କସରା ଦାମୁଡ଼ିଟିଏ ଆସି ଠିଆହେଲା, ଏପାଖକୁ ସେପାଖକୁ ଅନାଇ ଅନାଇ ମୁଣ୍ଡ ହଲାଇ ହଲାଇ ଚାଲିଗଲା । ଦୂରରେ ପିଣ୍ଡା ଉପରେ ଝାଡିଝୁଡ଼ି ହୋଇ ଠିଆହେଲା ଗୋଟିଏ ବୁଢ଼ା କୁକୁରଟିଏ, ଦେହରେ ରୁମ ନାଇଁ, ଆଖି ନାଲି ନାଲି, ନଡ଼ ନଡ଼ ବେକ, ଗୁରିଆଡ଼କୁ ଗୁହିଁଦେଇ ପୁଣି କୁଙ୍କିରିକାଙ୍କିରି ହୋଇ ମୋଡ଼ିହୋଇ ଶୋଇପଡ଼ିଲା । କାହା ଗୁହାଳରୁ ଛୁଟିଆସିଲା କଇଁପୁଲିଆ କଅଁଳା ବାଛୁରୀଟିଏ, ଖୋଲା ଦାଣ୍ଡରେ ଏକର ସେକର କୁଦି କୁଦି ନାଟ ଆରମ୍ଭ କରିଦେଲା । ପିଲା ତିନିହେଁ ତାହାରିଆଡ଼କୁ ଅନାଇଁ ଖୁସିରେ ଚିତ୍କାର କଲେ, ଲାଙ୍ଗୁଡ଼ ଟେକି ପିଠି ବଙ୍କେଇ ଚିକ୍‍କଣ କଳା ଥୋମଣିକୁ ଫଣ ଫଣକରି କେମିତି ସେ ଢେଉ ଖେଳିଲାପରି ତୀର ବେଗରେ ଯୁଆଡ଼େ ମନ ସିଆଡ଼େ ଦୌଡି ପଳାଉଛି, ସେତିକିରେ ସେମାନଙ୍କର ବିସ୍ମୟ ଓ ଆନନ୍ଦ ।

 

ତାଙ୍କ କୁହାଟ ଶୁଣି ଏ ପାଖରୁ ଘର ଦୁଆରମୁହଁରୁ ସମସ୍ତେ ତାକୁ ନିଘା କଲେ, ଧାଇଁଗଲେ ଚାରିଜଣ, ନସର ପସର ହୋଇ ଆଗେ ଆଗେ ଗଲା ବାଞ୍ଛୁର ସ୍ତ୍ରୀ, ନନ୍ଦ ତହସିଲ୍‌ଦାରଙ୍କ ବୋହୂ, ତା’ର ପାଞ୍ଚମାସ ଗର୍ଭ । ‘‘ଆରେ, ଆରେ ଅସଜ ମଣିଷଟା, ଏମିତି ଦୌଡ଼ୁନା ।” ଶାଶୁ ଆକଟିଲେ । ବାଞ୍ଛୁର ସ୍ତ୍ରୀ ଶୁଣିଲା ନାହିଁ । କହିଲା, ‘‘କେଡ଼େ କଥା, ଏ ଛୁଆଙ୍କୁ ଆଉ ପାରି ହେବ ନାହିଁ ପରା !’’ ଗୋଟିଏ ପିଲାକୁ କାଖେଇ ପକାଇଲା, ଆଉ ଯୋଡ଼ିଏ ତା ଗୋଡ଼କୁ କୁଣ୍ଢେଇ ଧରି ମୁହଁ ଲୁଚାଇଲେ । ତିନି ପିଲାଙ୍କ ମା’ମାନେ ଆସି ପିଲାଟିମାନଙ୍କୁ କାଖେଇ ପକାଇଲେ । ଏଥର ଗହଳିଟା ସେହି କୁଦକୁ ଘୁଞ୍ଚି ଆସିଲା । ହୋ ହା କରି ଗୋଛାଏ ପିଲା ଦାଣ୍ଡଯାକ ଦୌଡ଼ଧାପଡ଼ କଲେ । ମାଇପେ ଠିଆ ହୋଇ ଗପ କଲେ ।

 

ଦଧି ଗଉଡ଼ର ସ୍ତ୍ରୀ ଉରୀ, ଗନ୍ଧର୍ବ ମିଶ୍ର ସ୍ତ୍ରୀ କମଳା ଆଗରେ ଆପଣାର ଦୁଃଖ କହୁଥାଏ, ତା’ର ବୟସ ତିରିଶି, ବିଭା ହେବାର ହେଲାଣି ପନ୍ଦରବର୍ଷ, ସେଥିରେ ତା’ର ଆଠଟି ସନ୍ତାନ । ଡଉଲଡାଉଲ ଚେହେରା, କଳା ମିଚିମିଚି ଗୋଲ ମୁହଁ । କମଳା ତା’ର ପ୍ରାୟ ଏକ ବୟସ, ପୁଅଟିଏ ଝିଅଟିଏ, ଟିକିଏ ହାଡ଼ୁଆ, ହଳଦିଆ ଗୋରା, ଲମ୍ବା ନାକ ସତେକି କପାଳରୁ ବାହାରିଛି ।

 

ଉରୀ କହୁଥାଏ, “କନ୍ଥା କତରା ସବୁବେଳେ ଜୁଡ଼ୁ ବୁଡ଼ୁ, ବରଷକେ ଗୋଟିଏ, ଦି’ଟା ନଈବାଲିରେ ଶୋଇଲେ, ଥିଲେ ହେଇଥାନ୍ତେ ଦଶଟା । ସୁଖ କ’ଣ ମଣିଷ ଟିକିଏ ହେଲେ ଜାଣିଲା ନାଇଁ, ୟେ କାନ୍ଦିଲାଣି, ସେ ରା ଧରିଲାଣି, ୟେ ହଗିଲାଣି, ସେ ମୂତିଲାଣି, ପୁଳା ପୁଳା କେଣ୍ଟା କେଣ୍ଟାକରି ଖାଇ ଯାଉଚନ୍ତି ମଣିଷକୁ, କ’ଣ କରିବି, କପାଳ ଲେଖା । ହେଇତି ଏବେ ଦି’ଟାଙ୍କୁ ଜର, ମନ ଥଏ ଲାଗୁନାଇଁ ।’’

 

କମଳା କହିଲା, “କ’ଣ ହେଇଗଲା, ଫଳନ୍ତି ଗଛ, କଖାରୁ ଗଛ ଗଣ୍ଠି ଗଣ୍ଠିକେ କଷି, ଈଶ୍ୱର ଦେଲାବାଲା, ଦେଲେ ନାହିଁ କରିବ କିଏ ?’’

 

ଉରୀ କହିଲା, “ଏ ଦୁଃଖ ଆଉ କିଏ ବୁଝିବ ! କହନା ପରା ! ଦିନ ରାତି ସବୁ ସମାନ-।” ସେ ଦୀର୍ଘଶ୍ୱାସ ପକାଇଲା । କହିଲା, ‘‘ବେଳେ ବେଳେ ଭାବେଁ, ଏ ତ ଗୋଠେ ହେଲେ, ଏଗୁଡ଼ା ଖାଇବେ କ’ଣ, ଚଳିବେ କେମିତି ?’’

 

କମଳା ହସିଲା, କହିଲା, ‘‘କେତେବେଳେ ମଣିଷ ସେମିତି ଭାବୁଥିଲେ ସିନା, ଅଇଛା ତ ବେଳ ବଦଳି ଗଲା । ଗାଁଯାକ ମଣିଷ ଯେମିତି ପୋଷି ହେବେ ତୁମ ପିଲାଏବି ସେମିତି ପୋଷିହେବେ, ବସୁଧା ଛୁଇଁଲେ ମଣିଷ ପିଲାତ ଗାଁ କୋଠର । ତାଙ୍କ କଥା ଆଉ କ’ଣ ତୁମକୁ ଲଗା ହେଇଚି ?’’

 

ଉରୀ କହିଲା, ‘‘ହଁ, ଏ ରହିଲେ ହେଲା ।’’

 

କମଳା କହିଲା, ‘‘ଛି ଛି ଏମିତି କହନ୍ତି ନାଇଁ ।” ତା’ ମୁହଁ ଚିନ୍ତିତ ଦିଶିଲା, କହିଲା, “ଗଢ଼ି ବା କେଡ଼େ କଷ୍ଟଟି, ଭାଙ୍ଗିବାକୁ ତ ଛୁଣୁକାଏବି ଲାଗେନାଇଁ । କେଡ଼େ ଭରସାରେ ଏ କାମ ଆରମ୍ଭ କରିଥାଇଁ, ମନଟାଣ ନ କଲେ, ବିଶ୍ୱାସ ନ ରଖିଲେ ଗାଁଯାକ ଏତେ ଜାତି ଏତେ ଘର କୋଠରେ ଚଳୁଚୁଁ ତା ଆଉ ରହିବ ?’’

 

ଉରୀ ହସି ହସି କହିଲା, “ଅବିଶ୍ଵାସ କରିବି ? ସେମିତି ମୋ ମୁହଁ ଦିଶୁଛି ? ମୁଁ କିବା ଛାର, ବଡ଼ ବଡ଼ଙ୍କ ବିଚାର ବେବସ୍ତା ଉପରେ କଥା କହିବି ? କ’ଣ ନାକେରା ହେଇଚି, କାହାର ଘର ନାଇଁ କି ସଂସାର ନାଇଁ କି କ’ଣ ନାଇଁ ? ଖାଲି ରୋଜଗାରଟା କୋଠରେ, ଯାହା ହେଲା ସମସ୍ତେ ବାଣ୍ଟି କୁଣ୍ଟି ଖାଅ, ସମସ୍ତେ ସମସ୍ତିଙ୍କ ଭଲକୁ ଦେଖ, ଯେମିତି ଗାଁ ଗୋଟିକଯାକ ଗୋଟିଏ କୁଟୁମ୍ବ, ସମସ୍ତେ ସମସ୍ତିଙ୍କି ମଣିଷ କରିବେ, ପୋଷିବେ ପାଳିବେ ।’’

 

କମଳା କହିଲା, “ସେଇଆ ତ ମୁଁ କହୁଚି, ତେବେ ଆଉ ଚିନ୍ତା କ’ଣ ? ‘‘ହସି ହସି କହିଲା, “ଏଥର ଏଣିକି ସୁସ୍ଥିରେ ପିଲା ଜନମ କଲେ ଗାଁ ପୂରିବ ।’’ “ଏଁ ! ଯୋଉ କଥା କହୁଚ !’’ ଉରୀ କହିଲା, ହସି ହସି ଗଡ଼ିଲା । ହସ ସମ୍ଭାଳି କହିଲା, “ସତେ ଏକା, ଭାବିଲେ କାବା ଲାଗୁଚି, କେଇଟା ମାସରେ କେତେ କ’ଣ ବଦଳି ଗଲା ! କେତେ କଳିଗୋଳ, କେତେ ବାଦଛେଦ କୁଆଡ଼େ ଉଭେଇ ଗଲା; ସାମାନ୍ୟ ଚେରିଟିଏବି ନାହିଁ । ଯୋଉ ନିଦ ମାଡ଼ୁଚି ଯେ କହିଲେ ନ ସରେ, ମଣିଷ ନିଶ୍ଚିନ୍ତ, ନିଧଡ଼କ ।”

କମଳା କହିଲା, “ଗୋଟିଏ ଆଡ଼ୁ ନିଶ୍ଚିନ୍ତ ହଁ, ପଡ଼ିଗଲେ ହାତଧରି ଉଠେଇବାକୁ ଲୋକ ଅଛନ୍ତି । ଯେତେ ଦିନ ଯାଏ ଜଣକ ବାରିରେ ଶାଗ ପଟାଳିଟିଏ ଥିବ ସମସ୍ତେ ସେଥିରୁ ପୁଳିଏ ପୁଳିଏ ନେଇ ଖାଇ ଚଳୁଥିବେ, ସେ କଥାରେ ତ୍ରୁଟି ହେବ ନାଇଁ ଯେ–’’

ଉରୀ କହିଲା, “ଆଉ ତାଠୁଁ କୋଉ କଥା ବଡ଼କି ? ଆଉ ଚିନ୍ତା ନା ଦକ ?’’

କମଳା କହିଲା, “ଏଇଟା ସିନା ଗୋଟାଏ ପଟ ଗଲା, ଆରପଟୁ ଦେଖିଲେ ତ ଚିନ୍ତା ବଢ଼ିଲା । ସେତେବେଳେ ଗୋଟିକର ଚିନ୍ତାରେ ତ ବାଚ୍ଚ ଲାଗିଯାଉଥିଲା, ଅଇଛା ଗୋଠକଯାକର ଚିନ୍ତା ଆସି ଗଦା ହେଲା, କାମ ବଢ଼ିଲା ! ହେଇଟି ଏବେ ଦେଖ ଆଜି ଗୋଟାଏ ଦିନର କଥା । ଆମେ ଦଶ ଜଣ ମାଇପେ ଏକାଠି ହେଇ ବଡ଼ି ପାରୁଥିଲୁ ଯେ ତଥାପି କାମ କଉଠି ସରିଲା ?’’

ଉରୀ କହିଲା, “ଆମର ଦିନଯାକ କୋଠ ଧାନରୁ ପୁଳାଏ କୁଟା ଲାଗିଚି, ଗୋଡ଼ ଅଟକୁଚି ନା କାମ ଶଇଥିଜୋଉଚି ? ଯେ ଏ କାମ ଆଉ କାମପରି ଲାଗୁନାଇଁ, ଦଶଜଣଙ୍କର ଉପୁକାର ହବ, ଏକା ଆମରି ନୁହେଁ, ଦଶଜଣଙ୍କର ଭଲ ହେବ, ଛାଁକୁ କାମକରିବାକୁ ହାତଗୋଡ଼ ଖଲ ଖଲ ହଉଚି, ଘୋଳି ହଉ ନାଇଁ । ତା ବାଆ ତ ସେମିତ କାମରେ ଲୋଟି ପଡ଼ିଚି ଗୋରୁ ଗୋଠରେ ଯେ ଖାଇବାକୁ ଫୁରୁସତ୍‌ନାଇଁ । କହୁଚି ସର୍ବସାଧାରଣ ଗୋଠ ଅସୁରପରି ବଢ଼ି ଯାଉଚି, ଯେତେ ମଣିଷ ମିଶିଲେବି ଆହୁରି କାମ–’’

ପିଣ୍ଡା ଉପରେ ଠାଏ ଦନେଇ ମହାନ୍ତିର ବିଧବା ଭଉଣୀ ନେତ ମାଧ ସାହୁ ଗୁଡ଼ିଆର ଭାରିଯା ପାରାର ପିଠିଆଡ଼େ ବସିପଡ଼ି ତା ମୁଣ୍ଡ ବାନ୍ଧି ଦେଉଥାଏ । ପାରା କୁନ୍ଦିଲାପରି ଟିକି ମଣିଷଟିଏ, ଚାରୋଟି ପିଲାର ମା, ବୟସ ପଚିଶି ହେବ । ତା’ର ଗୋଲ ମୁହଁ, ପାଉଁଶିଆ କପାଳ ଉପରେ ତେଲ ଜିକିଜିକି ଦିଶୁଥାଏ, ମଝିରେ ଟଙ୍କା ଆକାରରେ ସିନ୍ଦୂର ମେଞ୍ଚାଏ । କିକି ଜିକ ନୂଆ ଶାଗୁଆ କସ୍ତାଟିଏ ପିନ୍ଧିଥାଏ, ଦୁଇ ହାତରେ କାଚ ଶଙ୍ଖାହୋଇ ପୁଳାଏ, ଆଉ ରୂପାର ଖଡ଼ୁ । ନେତର ପିଲାଛୁଆ ନାହିଁ, ବିଭାଘରର ଦୁଇବର୍ଷରେ ବିଧବାହୋଇ ସେ ଆସି ବାପଘରେ ରହିଛି, ବୟସ କୋଡ଼ିଏ ହେବ, ସରୁ ଅଣ୍ଟା ଓସାର ଛାତି ଅଳ୍ପ ଡେଙ୍ଗାହୋଇ କଳାପଥରର ମୂର୍ତ୍ତିଟିଏ, ପୋଛିଦେଲାପରି ଟିକି ନାକଟି, ମୁହଁ ଗଢ଼ଣ ଅପେକ୍ଷା ଦେହର ଲାବଣ୍ୟ ହିଁ ବେଶି ଆଖିରେ ପଡ଼େ-। ଶାନ୍ତ ସଂଯତ ମୁହଁଟିରେ ସ୍ନିଗ୍‌ଧ ହସ । ନେତ ଗେରୁଆ ଶାଢ଼ୀଟିଏ ପିନ୍ଧି ବସିଥାଏ, ହାତରେ ଲମ୍ୱା ପାନିଆଁ । କହିଲା–

‘‘ସଇଲା ଆସି, ଟିକିଏ ରହ, ଏଇ ହେଲା ।’’

“ଆଉ ଏ ଗାଡ଼ ମୁହଁରେ କ’ଣ ଅଛି ଯେ ନିଠେଇ ନିଠେଇ ଏଡ଼େ ସୁନ୍ଦର କରିଦେଉଚ ମ ।’’ ପାରା ସାମ୍ନାରେ ଦର୍ପଣକୁ ଅନାଇଁ କହିଲା, “ଥାଉ ଥାଉ, ଯାହି ତାହିକରି ଗୁରେଇ ଦେଲେ ହେଲା । ଯାଏଁ ତେଣେ କାମ ଅଛି ।’’

ନେତ କହିଲା, “ସେମିତି କହିଲେ ହବ ? ମଣିଷ ମୁହଁ ବିଧାତା ଦେଇଚି ନା କିଏ କରିବି ? କେମିତି ହେଇଥିଲା, କେଡ଼େ ଘଟଣ ଦିଶିଲା ଦେଖ ।’’

ପାରା କହିଲା, “ଏଇ ମୁହଁରେ ତ ମିଠା ଲାଗିଚି ଆଉ–’’

ନେତ ହସିଲା, କହିଲା, “ସତରେ ନୁହେଁ କି ? ଖାଲି ଗୁଡ଼ର ମହକ ପରା, ରାତିରେବି ଜନ୍ଦା ପିମ୍ପୁଡ଼ି ଲାଗିଯାଉଥିବେ ଯେ ।’’

ପାରା କହିଲା, “ଯାଉ ପୋଡ଼ିଯାଉ ।” ଦୀର୍ଘଶ୍ୱାସ ପକାଇ କହିଲା ଏତେ କଥା ତ ବଦଳି ଯାଉଚି, ଆଉ ପୁରୁଣା ମରହଟ୍ଟୀ ଜାତିଆଣ କଥାଗୁଡ଼ାକ ରଖିଚନ୍ତି କାହିଁକି କେଜାଣି ? ହେଇ ଏବେ ମୋରି କଥା ଦେଖ, ଦୂତୀଅ ହେଲି ବୋଲି ପଣି ଘର ଦୁଆର ହେଲା, ନ ହେଲେ ଭସେଇ ଦେଇ ଯେମିତି ସେ ଯାଇଥିଲା, ଆଉ କ’ଣ ଥିଲା ? ସବୁ ଜାତିରେ ଚଳିଲାଣି ବର ମଲେ ଆଉ ଥରେ ଦୁତୀଅ ହବା ପ୍ରଥା । ବ୍ରାହ୍ମଣ ଯେ ସବୁଠୁ ବଡ଼ ତାଙ୍କ ଜାତିରେବି ଚଳେଇଲେଣି, ଖାଲି ତମରି ଜାତିରେ ଯାହା ଚଳିନାହିଁ । କ’ଣ ହବ ? ମଲେ ଖାଲି କରଣମାନେ ଯିବେ ସ୍ୱର୍ଗକୁ, ସେଇଥିପାଇଁ ବୋଧହୁଏ ।’’

ନେତ ହାତରୁ ପାନିଆଁଟା ଖସିପଡ଼ିଲା, ଗୋଟେଇ ନେଇ କହିଲା, ‘‘ଥାଉ ସେଗୁଡ଼ା ବାଜେ କଥା । ଯୋଉ ସୁଖ ତ, ବାହା ନ ହେଲେ କ’ଣ ହେଇଯାଉଛି ।’’

ପାରା କହିଲା, “ସୁଖ କ’ଣ, ଦୁଃଖ କ’ଣ, ସଂସାରୀ ମତ, ଘର କରିବାକୁ ହବ । ବୃଥା ଆକଟ ଧରି ପଡ଼ି ରହିଚନ୍ତି ଏମାନେ, ସବୁ ତ ବଦଳେଇଲେ, ଏଥିରୁ ଗୋଟିଏ ପ୍ରଥା ରଖି କି ପୌରୁଷ ଅର୍ଜୁଚନ୍ତି ?’’

କଥା ବାଁରେଇ ଦେଇ ନେତ ପଚାରିଲା, ‘‘ନୂଆ ତୋଟା ରୋଇବା କାମ ତମ ସାହି ଆଡ଼େ କେମିତି ଚାଲିଚି ? ଦେଖିବାକୁ ଯିବି ବୋଲି ବସିଥିଲି ଯେ କନ୍ଥା ସିଲେଇରେ ରହିଗଲୁ ଆମେ ପଞ୍ଝାଏ । କେଜାଣି ଚାରିକୋଡ଼ି କନ୍ଥା ସିଲେଇ ହବ, ହିସାବ ବତେଇ କନା ଦେଇଯାଇଚନ୍ତି, ଜଲଦି ନ କଲେ ଲୋକେ ହରବର, ଆମର ଲାଗିଚି ସେଇକାମ ।’’

ପାରା କହିଲା, ‘‘ଭଲ କାମରେ ତ ଲାଗିଚ ଆଉ ନାଙ୍କରା କ’ଣ ? ଅଇଛା ଘରେ ଘରେ ପରା ସେଇ କଥା, ସତେକି ଏକାଠି ଦଶଟା ବାହାଘର ପାଇଁ ସଜ ତିଆରି ହଉଚି ।’’

ନେତ କହିଲା, “ସେଇ ତୋଟା କଥା କହ ।’’

ପାରା କହିଲା, “ଆମ ସାହି ସେପଟେ ସେ ଯୋଉ ଘୁ’ପଡ଼ିଆଟା ପଡ଼ିଥିଲା, ଆଜି ସେ ଗୋଟାକଯାକ ଆମ୍ବଗଛ ଲଗା ହେଇଗଲା, ମଝିରେ ସେଇ ଅରାକ ଖାଲି ପଡ଼ିଥିଲା । ଅଇଛା ଲମ୍ୱିଗଲା ଯେ, ପ୍ରଧାନଘର ବାରିଠୋଉଁ କାଣୀ ଜୋର ଉପରେ ଉପରେ କଣ୍ଡରା ଘର ଖଳା ଯୋଉଠି ହୁଏ ସେଯାକେ, ସମସ୍ତେ ଏକାଠି ଲାଗିଗଲେ, ନ ହେଇ କୁଆଡ଼େ ଯିବ ? ଗଛ ବଢ଼ି ଉଠିଲେ ତୋଟାଟା କେମିତି ଦିଶିବ କହିଲ ଭଲା !’’

ନେତ କହିଲା, “କୁମ୍ଭାର ସାହିପଟେ କ’ଣ ହେଲାଣି ଦେଖିଚଟି ? ସେଇଆଡ଼ ପବନ ଆସେ, ସେଠି ଚମ୍ପା ନାଗେଶ୍ୱର ବଉଳ ଗଛ ଲଗେଇ ତୋଟା କରିଚନ୍ତି । ତେଣେ ତେଲି ସାହିଠୁ ସ୍ୟାଡ଼କୁ ଦେବଦାରୁ, ସୋରିଷିଆ ୟାଡ଼ୁ, ସ୍ୟାଡ଼ୁକରି ବହେ ଗଛ ଲଗେଇଲେଣି, ସେଇଟା କୁଆଡ଼େ ବଣ ବଢ଼ିବ । ଯୋଉ ଝୁଙ୍କରେ ଗଛଲଗା ଚାଲିଛି ଯେ ଏ ଖଣ୍ଡମଣ୍ଡଳରେ ଏମିତି କୋଉଠି ଦେଖା ନ ଥିଲା । ସତରେ, ଏ ମଣିଷ ମନ କଲେ କ’ଣ ନ କରେ !’’

ପାରା କହିଲା, ‘‘ଖାଲି ଗଛଗୁଡ଼ାଏ ଲଗେଇ ଦେଇଗଲେ ହୁଏ ନାଇଁ, ଅସଲ କାମ ତାକୁ ଜଗିବା, ପାଣି ଦେବା, ହିପାଜତକରି ବଢ଼େଇବା । ସେତିକି ବେଳେ ଦେଖାଯିବ ଗାଁ ମାଇପଙ୍କ ପାରିଲା ପଣ, କିଏ କୋଉତକ ଗଛର ଭାର ନେବେ ଦେଖେଇ ଦିଆ ହବ, ବାଦବୁଦିଆ ହୋଇ ଗଛ ବଢ଼େଇବାକୁ ପଡ଼ିବ ।’’

 

ପାରା କହିଲା, “ମନ ଥିଲେ କୋଉ କଥା ବଳେଇବ ! କୋଉ ଯୁଗର କେତେ ତପସ୍ୟାରେ ଗାଁଟା ଏକା କୁଟୁମ୍ୱପରି ଏକାଠି ହୋଇଯାଇଚି, ସେଇ ମନ ରହିଥିଲେ କେତେ ଭଲ ଭଲ ନୂଆ ନୂଆ କଥା ଏ ଆଖି ଦେଖିବ, ଖାଲି ଠାକୁରଙ୍କୁ ଡାକୁଥା, ସମସ୍ତିଙ୍କି ସବୁଦିନେ ଏଇ ବୁଦ୍ଧି ଦେଇଥାନ୍ତ ।’’

 

ସେପଟେ ଶିଅଳ ବୁଢ଼ୀ ଅସଲୀ ନରସିଙ୍ଘ ପତିର ମା’ ବିମଳାକୁ ପଚାରିଲା, “ସାତଗଛିଆ ପଠାର ପଠାଣ ଆଠ ଘର ଆମରି ମେଣ୍ଟରେ ମିଶିବେ ବୋଲି ଦୌଡ଼ ଧାପଡ଼ି କରୁଥିଲେ, କ’ଣ ଛିଣ୍ଡିଲା ସେ କଥା ?’’

 

ବିମଳା ବୁଢ଼ୀ ହସିଦେଲା, ପାନ ଖାଏନାହିଁ, ଦାନ୍ତ ଘୋରି ହୋଇଗଲାଣି ପଛେ, ସେମିତି ଏକା ମଛାକେ, ଧଳା ଜିକିଜିକି । କହିଲା, ‘‘କେମିତି ଛିଣ୍ଡେଇଥାନ୍ତ ତମେ ହେଇଥିଲେ ? କହୁନା ।’’

 

ଅସଲୀ କହିଲା, ‘‘ଆମ ଛିଣ୍ଡାରେ ଛିଣ୍ଡିଯିବ ନା ଗାଁ କଥାରେ ଛିଣ୍ଡିବ ? ଆମ ସାହିରେ ତ ପିଲାଏ କୋଇ ପୂର୍ବାଧିକାଳରୁ ତାଳ ଗଛରେ, ଖଜୁରି ଗଛରେ ଠେକି ବସଉଥିଲେ,ବିକୁଥିଲେ, ଚଳୁଥିଲେ ଯେ ଯେତେ କହିଲେ ହେଲା ନାଇଁ, ଗାଁ ଗୋଷ୍ଠୀ ବନ୍ଦ କରିଦେଲେ, କହିଲେ, ଗୁଡ଼କର, ସମସ୍ତେ ଖାଇବା, ଆମେ କାହା କଥାରୁ ବାହାର ହେଲୁନି ।’’

 

ବିମଳା ବୁଢ଼ୀ କହିଲା, “ଓହୋ, କୋଉ ନାଙ୍କରା କଥା ହେଲା କି ? ନାଙ୍କର କଥା ହୋଇଥିଲେ ଲୁଚେଇ ଚୋରେଇ ହେଲେ କିଏ ତାଡ଼ି ବିକୁଥାନ୍ତା–’’

 

ଅସଲୀ ଜିଭ କାମୁଡ଼ି ପକେଇ କହିଲା, “ସେମିତି କଲେ ତ ମୂଧନା ଫାଟିଯାଉ । କିଏ କରୁଚି ଶୁଣୁଚ ?’’

 

‘‘ନାଇଁ ଯେ, କଥାକୁ କହିଲି । କଥାଟା ନ୍ୟାୟବୋଲି ତ ସମସ୍ତିଙ୍କ ମନ ବୁଝିଲା । ଯେଝା ଘରେ ଯେଝା ଥାଅ ଚଳ, ଗାଁ ଗୋଟାକଯାକକୁ ଆପଣା କୁଟୁମ୍ବପରି ମନେକର, ସେଇ ଏକା କୋଠରୁ ସମସ୍ତେ ନେଇ ଖାଅ ବଞ୍ଚ, ପୁଣି ସେଇ କୋଠକୁ ବଢ଼େଇବାଢ଼ ସମସ୍ତେ କାମକର । କେଡ଼େ ସାର କଥା ? ସେଇଆ କହୁଚି । ସାତଗଛିଆ ପଠାର ପଠାଣସାହିଆ ଆମର ଏ କୋଠରେ ମିଶିବାକୁ ମନ କରୁଛନ୍ତି । ତେମେ କହ, ନବ ନା ନ ନବ ?’’

 

‘‘ନବ ନାଇଁ ଆଉ କ’ଣ ଫୋପାଡ଼ି ଦବ ? ପଠାଣ ହେଲେ କେତେ ବ୍ରାହ୍ମଣ ହେଲେ କେତେ, ସମସ୍ତେ ଏଇ ମାଟିର ପୁଅ ତ ?’’

 

ବିମଳା କହିଲା, “ତମ ମନକୁ ଏ କଥା ପାଉଚି ଟି ? ସେଇଆ । ଗାଁ ଲୋକେବି ସେଇ କଥା ନିଷ୍ପତ୍ତି କଲେ । କହିଲେ ଏକା ମଣିଷ ଏକା ଭାଇ, ଏକାଠି ସବୁ କାମ ମିଳିମିଶି କରିବେ, ଠାକୁର ପୂଜାବେଳକୁ ଯେଝା ଇଚ୍ଛା । ଅନୁସାରେ ଯେ ଯୋଉଠିକି ଯାଇ ପୂଜାକରିବ ସେଥିରେ କ’ଣ ହେଇଯାଉଛି ? ସେମାନଙ୍କୁ ଗୋଠରେ ମିଶେଇ ଦିଆହେଲାଣି, କାମ ଆରମ୍ଭ ହେଇଗଲାଣି ନା ବାକି ଅଛି !’’

 

ଅସଲୀ କହିଲା, “କ’ଣ କାମ ହେଲାଣି ?’’

 

ବିମଳା ବୁଢ଼ୀ କହିଲା, “ସବୁ ତେଣେ ଯାଇଥିଲେ ପରା । ଯେ ସେମାନେ ଆଠଘର ମଣିଷ ସିନା, ଭାରି ଅବସ୍ଥାରେ ଚଳୁଛନ୍ତି, ଜମିବାଡ଼ି ନଖଟ, ଛୁଆପିଲା ବାର ଅବସ୍ଥା, ଖାଇବାକୁ ଊଣା । ଆଉ ଏଥର ସେ ଅଡ଼ୁଆ ରହିବ ନାଇଁ, ତାଙ୍କ ଦରକାର ମାନିଆ କୋଠ ଧାନରୁ ଭାଗ ପାଇବେ । ଘରଟିମାନ ବି ତୋଳା ହବ, ତାଙ୍କ ସାହିକି ଗୋଟିଏ ସଡ଼କ ହବ, ସେଠି ଗୋଟାଏ କୂଅ ଗୋଟାଏ ପୋଖରୀ ଖୋଳା ହବ, ବରଷା ସରିଗଲେ ସେ କାମ ଆରମ୍ଭ ହେଇଯିବ । ସେମାନେ କ’ଣ ଖାଲି ବସିବା ଲୋକ ? ଅଇଛା ଗାଁ ଜମିରେ ଖଟୁଚନ୍ତି ତାଙ୍କ ଛାଆଁକୁ । ଆଉ ଗୋଟାଏ ବଡ଼ ଜିନିଷ ସେମାନେ କରୁଚନ୍ତି । ଚାରିଆଡ଼ୁ ହାଡ଼ ଗୋଟେଇ ଆଣି ତାକୁ ସିଝେଇ ଶୁଖେଇ ଗୁଣ୍ଡା କରୁଛନ୍ତି ।’’

 

ଅସଲୀ ଅଣ୍ଟାରେ ହାତ ଦେଇ ଉହୁଙ୍କି ପଡ଼ି କହିଲା, “ସେଗୁଡ଼ା କ’ଣ ହବ ! ଇସ୍ ! ହାଡ଼ !’’

 

ବିମଳା ବୁଢ଼ୀ କହିଲା, “ଅଇଛା ତ ବଡ଼ ହେଇଚି ସେଇ କାମ, ତାକୁ ଛିଆଛିକର କ’ଣ-? ହାଡ଼ ଗୁଣ୍ଡ ପରା ଭାରି ଭଲ ଖତ, ମାଟିକି ଏତେ ବଳ କରେ ଯେ ଫସଲ ଦୋହରା ହଏ । ଦେଖିନା ଜନ୍ତୁଟିଏ ମରିଗଲେ କହନ୍ତି ଗଛମୂଳେ ଦିଅ ପୋତିଦିଅ ? କାଗେଜି ମୂଳରେ ଗେଣ୍ଡା ପୋତିଦେଲେ ଫଳ ଅଜାଡ଼ି ପକାଏ ? ହାଡ଼କୁ ସିଝେଇ ଦେଇ ଗୁଣ୍ଡ କରିଦେଲେ ସେ ଝଅଟି ଧରେ । ସେ କାମ ସେଇମାନେ କରୁଚନ୍ତି । ଖାଲି ହାଣ୍ଡିରେ ଭଲ ସିଝୁ ନାଇଁ ଯେ କହୁଛନ୍ତି କଳ ଆଣି ସିଝେଇବେବୋଲି । ସେ କାମର ଭାର ନେଇଚନ୍ତି ପଠାଣସାହିଆ, ଆଉ ସମସ୍ତେ ବି ତାଙ୍କ ସାଙ୍ଗରେ ପଟ ଦେବେ କହୁଚନ୍ତି, ତା’ହେଲେ ଗାଁ ଜମି ପେଇଁ ଯାହାକୁ ଯେତେ ହାଡ଼ଗୁଣ୍ଡ ସାର ମିଳିଯିବ, ବସୁଧା ଫଳ ଅଜାଡ଼ିଦେବ, ଧାନ ହବ, ଆଳୁ ହବ, କୋବି ହବ, ଆମ୍ୱ କାଗେଜି କଦଳୀ ଅମୃତଭଣ୍ଡା ବି ହବ ।’’

 

ଅସଲୀ ବୁଢ଼ୀ କହିଲା, “ହଁ, ସେଥିରେ ଅପବିତ୍ର ପବିତ୍ର କ’ଣ ଅଛି, ମଲେ ତ ଏଇ ହାଡ଼ ଏଇ ମାଟିରେ ମିଶୁଚି ନା ଯାଉଚି ଆଉ କୁଆଡ଼େ ? ଯାହା ଚଳେଇବ ତା ଚଳିବ । ଏଇ ହାଡ଼ ଅପନ୍ତରାରେ ପଡ଼ୁଚି, ଖତ ହଉଚି ସେଥିରେ ଅଗରା ଗୁଗୁଚିଆ କୋଇଲିଖିଆ ବଢ଼ୁଚି, ଏଥର ଫସଲ ବଢ଼ିବ । ଭଲ କରୁଚନ୍ତି, ଚାରିଆଡ଼େ ଯୁଆଡ଼େ ଶୁଣିବ ଖାଲି ଖତ ଖତ ହୁରି ପଡ଼ିଚି । ଅସୁମାରି ଧଣିଚା ଲଗେଇଲେ, ବାରି ପଡ଼ିଆ, ଜମିର ହିଡ଼ କରେ କରେ, ଆଉ ଅମରି ଗଛ, କ’ଣ ନା କ୍ଷେତରେ ମାଟିରେ ମିଶେଇ ଦେଲେ ଭଲ ସାର ହେବ । ସେଉଠୁ ଆସିଲା ଏ ହାଡ଼ଗୁଣ୍ଡ । ଯେତେ ଅଳିଆ ଯେତେ ଗୋବର ହବ ସବୁ ପକା ହବ ଖାତ ଭିତରେ ; ଘଷି ପରା ହବ ନାଇଁ କି ଜଳା ହବ ନାଇଁ, ମୋ ପୁଅ ତ ମୋତେ ଗୋଡ଼େ ଗୋଡ଼େ ଜଗିଚି, କହୁଚି, ବୋଉ ଯୋଉ ଘଷି ଫରାକ ତୁ ଜାଳି ଦବାକୁ ବସିଚୁ କଖାରୁ ମୂଳେ ଦେଲେ ଦି’ଟା ବଡ଼ ବଡ଼ କଖାରୁ ଫଳିବ । ମୁଁ କହିଲି, ଭଲରେ ପୁଅ, ବୋଉ ମରିଗଲେବି ଏ ହାଡ଼କୁ ଗୁଣ୍ଡ କରିଦେବୁ, ଜମିରେ ଲଗେଇଦେବୁ ଯେ ମାଟିକି ବଳ କରିବ ।’’

 

ବିମଳା ବୁଢ଼ୀ ହସିଲା, କହିଲା, “ଏ ଘଷି ଜାଳିବା କଟକଣା ଦେଖି ତ ମଣିଷକୁ ଡର ମାଡ଼ିଲାଣି, ଏତେ କାଠ ଡାଙ୍ଗ କାଇଁ ନଡ଼ିଆ ପତର କାଇଁ, ଜାଳ ତ ମହା କଷ୍ଟ । କହୁଚନ୍ତି ଟାଣିଟୁଣି ଚଳ, ଖତ ନଷ୍ଟ କରନାଇଁ । ଭଲ କଥା । ମାଟିରୁ ତ ବଳ ଗଲାଣି, ମାଟିକି ନ ଚିହ୍ନିଲେ, ହିପାଜିତ ନ କଲେ ସେ ଖାଇବାକୁ ଦବ କେମିତି ? ଯାହା କହ ଏ ସାଲେ ଫସଲ ଦେଖି ପେଟ ପୂରିଉଠୁଚି । ଏମିତି ଧାନ, ଏମିତି ପନିପରିବା କେବେ କେହି ଦେଖି ନଥିବ । ଖାଇବାକୁ ମିଳିଲେ, ପେଟ ଥଣ୍ଡା ରହିଲେ ଆଉ କ’ଣ ଅଛି, ସୁଖରେ ବସି ମାଳା ଗଡ଼େଇବା କଥା । ଆଗରୁ ଲୋକେ ଯେବେ ଏଣିକି ମନ ଦେଇଥାନ୍ତେ ଏତେବେଳକୁ କାହିଁରୁ କ’ଣ ହୁଅନ୍ତାଣି ।’’

 

ଅସଲୀ ବୁଢ଼ୀ କହିଲା, “ଭଲ, ଭଲ, ଲୋକଙ୍କ ସୁଖ ଦେଖୁ ଦେଖୁ ଆମ ଦିନ ସରିଯାଉ-। କେତେ ବାଦ ଛେଦ, କେତେ ମାଲି ମକବ୍ଦମା, କେତେ କଜିଆ ଗୋଳ ତ ଦେଖିଥାଇଁ, କାହାର କୋଉ ବଡ଼ତିଟା ମାଡ଼ିଗଲା - ଖାଲି ବାଲି କଣ୍ଡିଆ ଭିତରେ କି ପୁଙ୍ଗା ଟାଙ୍ଗି ଭିତରେ ଗୋଟିକା ଗୋଟି ଯେମିତି ଥୁଣ୍ଟା ଗେଧ, ଖାଇବାକୁ ହାଁ ହାଁ । ସେଇ ବାପ ଗୋସାପେ ଯାହା କରିଯାଇଥିଲେ ସେତିକି, ଯୋଉ ଘରଖଣ୍ଡି ଟେକିଥିଲେ, ଯୋଉ ହିଡ଼ଟି ପକେଇଥିଲେ, ଯୋଉ ଗଛଟି ଲଗେଇ ଯାଇଥିଲେ ସେଥିରୁ ଭାଙ୍ଗି ଭୁଷୁଡ଼ି ସରି ସରି ଯାହା ରହିଥିଲା ସେତିକି । ଆଉ ଏମାନେ କରିବା ଭିତରେ କ’ଣ ନା ଯେତେ ପ୍ରକାର କଳି କଜିଆ ଲାଗିପାରେ, ଘରେ ଘରେ ଖାଲି ଅଳିଆ, ଆଉ କଳି । ସତରଟା ପଞ୍ଝା, ସତରଟା ବାଡ଼, ପଖାଳ ଖାଇଦେଇ ଯାଇ ଆମ୍ପୁଡ଼ା ଆମ୍ପୁଡ଼ି କାମୁଡ଼ା କାମୁଡ଼ି ପରସ୍ତେ ନ ହେଲେ ଭାତ ଝଡ଼ିବ ନାଇଁ । ଏଇଆ ତ ଥିଲା ଗାଁର ଅବସ୍ଥା । ଆମ ଦେଖନ୍ତେ ବଦଳିଲା, ସେଇ ଆମର ବଡ଼ ଭାଗ୍ୟ ।’’

 

ବିମଳା ବୁଢ଼ୀ କହିଲା, “ ଠାକୁରଙ୍କୁ ଡାକ, ରହୁ ଏ ମନ । ନ ହେଲେ ସବୁ ଉଜୁଡ଼ିଯିବ-।’’

 

ଅସଲୀ କହିଲା, “ଉଜୁଡ଼ିବ ନାଇଁ ରହିବ, ଏ ସୁଆଦ ଥରେ ପାଟିରେ ବାଜିଲେ ମଣିଷ ତାକୁ ଛାଡ଼ିପାରିବ ନାଇଁ ।’’

 

ବାସନ୍ତୀ ଦେଈ ଦୁମୁକୀପୁରର ଝିଅ, ଏ ଗାଁର ଲିଙ୍ଗରାଜ ପଟ୍ଟନାଏକଙ୍କ ସ୍ତ୍ରୀ । ବିଭାହୋଇ ଆସିବାର ବର୍ଷେ ପୂରି ନାହିଁ । ଦୁମୁକୀପୁରର ଝିଅମାନେ ଭଲ ଗୀତ ବୋଲନ୍ତି, ଛବି ଆଙ୍କନ୍ତି, ପରିପାଟୀକରି ବେଶ ହୁଅନ୍ତି, ଆପଣା ଆପଣା ଭିତରେ ସଭା ସମିତି କରନ୍ତି । ବେଳେ ବେଳେ ଖବର କାଗଜରେ ଛପା ହୁଏ ‘‘ଆସଫ୍ ଆଲିଙ୍କ ମୃତ୍ୟୁରେ ଦୁମୁକୀପୁର ନାରୀସମାଜର ଶୋକ’’ ଅଥବା “ସୁଏଜ୍ କେନାଲ ବିବାଦ ବିଷୟରେ ଦୁମୁକୀପୁର ନାରୀସମାଜର ପ୍ରସ୍ତାବ ।’’ କେତେବେଳେ “ଫମୌଜା ଯୁଦ୍ଧ ବିଷୟରେ ଦୁମୁକୀପୁର ନାରୀ ସମାଜର ଜରୁରୀ ବୈଠକ ।’’ ଦୁମୁକୀପୁରର କେତୋଟି ଝିଅ ନାଁଡାକ ପରିବାରରେ ବିଭା ହୋଇଛନ୍ତି, ସହରରେ ଥାଆନ୍ତି, କେତେ ପ୍ରସିଦ୍ଧ ଲୋକଙ୍କ ଶଶୁରଘର ବୋଲି ଦୁମୁକୀପୁରର ଖ୍ୟାତି ଅଛି । କେତେ ଲୋକ କହନ୍ତି ସେ ଗାଁର ଝିଅ ଫରଫରୀ, ନଖରୀ, ପୁଲେଈ, ଦେଖେଈ, ଟିକିଏ କେମିତି ଆଉ ପ୍ରକାରେ, ପୁରୁଷ ଲୋକ ଦେଖିଲେ ଉପରେ ପଡ଼ି କଥା କହିବେ, କେତେ ବେଳେ ଭାଣ୍ଡିଆବି କରିବେ । ଆଉ କେତେ ଲୋକ, କହନ୍ତି ଏଗୁଡ଼ାକ ବାଦୁଆ କଥା, ପ୍ରକୃତରେ ସେମାନେ କଳାପ୍ରେମୀ, ମାର୍ଜ୍ଜିତା, ରୁଚିମତୀ, ଉତ୍ସାହୀ, ଅଗ୍ରଗାମିନୀ, ଆଧୁନିକା ।

ବାସନ୍ତୀ ଦେଈ ରୂପସୀ ନୁହେଁ, କିନ୍ତୁ ତା’ର ଚାହାଣି, ମୁଣ୍ଡବିନ୍ଧା, ଚାଲି, କଥା କହିଲାବେଳେ ସମୟ ସମୟରେ ମୁହଁକୁ ଛାଟିବା, ଦେହକୁ ଅଳ୍ପ ବଙ୍କେଇ ବେକକୁ ତେରେଛେଇ କଥା ଶୁଣିବାର ଭଙ୍ଗୀ, ବେଳେ ବେଳେ ହସିଲା ବେଳେ ପାଟିକୁ ବଡ଼ ଆଁ କରି ବେକକୁ ପଛକୁ ବଙ୍କେଇ ଦେଇ ଆଖି ମିଞ୍ଜି ମିଞ୍ଜିକରି ଲଗା ଲଗିହୋଇ କେତେଗୁଡ଼ିଏ ମିଠା ଶବ୍ଦ, ଏସବୁ ଏକାଠି ହୋଇ କେତେ ମହଲରେ ତା’ର ଏପରି ପ୍ରଭାବ ପଡ଼ିଥାଏ ଯେ କେହି କେହି ବେଳେ ବେଳେ ତାକୁ ସ୍ୱପ୍ନ ଦେଖନ୍ତି, ସେ ଗୋଟିଏ ମଧୁର ସ୍ମୃତି, ଅନୁକରଣ କରିବାପାଇଁ ଗୋଟିଏ ଆଦର୍ଶ । ଅଜଣାରେ ଧୀରେ ଧୀରେ ତା’ର ଚାଲି, ତା’ର ଛଇ, ତା’ର ମୁଣ୍ଡବିନ୍ଧା, ଲୁଗାପିନ୍ଧା ନାନା କଥା ଅନ୍ୟମାନଙ୍କଠି ଫୁଟି ଉଠୁଥାଏ ଓ ତା ଚାରିପାଖେ ଗୋଟିଏ ଆଲୋଚନାଚକ୍ର ଆପେ ଆପେ ଗଢ଼ି ହୋଇ ଉଠିଥାଏ-

 

ଗୋଟିଏ କନିଅର ଫୁଲକୁ ଗାଲରେ ଆସ୍ତେ ଆସ୍ତେ ଠୁକେଇ ଠୁକେଇ ବାସନ୍ତୀ କହିଲା ଅରୁନ୍ଧତୀକୁ–ଅରୁନ୍ଧତୀ ନାଣ୍ଡୁ ପାଇକରାର ସ୍ତ୍ରୀ, ତା’ର ସମ ବୟସୀ–‘‘ବୁଝିଲ ଅରୁ, ମୁଁ ଆସିବା ଭିତରେ ଗାଁରେ ତ ଦେଖୁଚି ବିଚିତ୍ର କଥା, ବିଚିତ୍ର କାମ, ସବୁ କ’ଣ ଭେଳିକି ଲାଗିଲାପରି ଚାଲିଚି, ଯେ ଏଡ଼େ ଏଡ଼େ କାମ ହଉଚି, ଏଥିରେ ଯେ ନାଟର ଗୋବର୍ଦ୍ଧନ, ତାଙ୍କର ହାତକୁ ଦି’ହାତ ହବାକୁ ମନ ହଉ ନାଇଁ କାଇଁକି ? କ’ଣ କନିଆ ଅପୂରୁବ ? ଦେଖିଚଟି ମଣିଷଟିକି ? କେମିତି ଲାଗେ ?’’

 

ଅରୁନ୍ଧତୀ ପୂରିଲା ପୂରିଲା ଡଉଲ ଡାଉଲ ବୋହୂଟିଏ, ଶାନ୍ତ ଶୀତଳ ସାବନା ଚଟା ମୁହଁଟିଏ ତା’ର, କ’ଣ ଭାବିହେଲାପରି ଆଖିର ଗହୀର ଚାହାଣି । କହିଲା, ‘‘ଦେଖିଚି, କଥାଭାଷାବି ହେଇଥିବି ସତ କହୁଚି ବାସ, ସେ ଲୋକଠିଁ କ’ଣ ଅଛି କେଜାଣି, ଦେଖିଲେ ସେମିତିଆ କଥା ଆଦୌ ମନରେ ଆସେ ନାଇଁ । ହାତକୁ ଦି’ହାର ଏତେ ଲୋକ ହଉଚନ୍ତି, ସେବି ନ ହେବେ କାଇଁକି-? ହବ କେତେବେଳେ । ସେ କଥା ମୁଁ ଭାବି ନାଇଁ ।’’

 

ବାସନ୍ତୀ ଆଖି ମିଟିମିଟିକରି ହସି ହସି କହିଲା, ‘‘ଆଉ ଭାବିଚ କ’ଣ ? ଖାଲି ଖତ ପିଡ଼ିଆଁ ଗୋବର ଜମିଫସଲ ଏଇ କଥା ?’’

 

‘‘ଖାଲି କ’ଣ ଏଇ କଥା ? ଗାଁଯାକ କେମିତି ଗୋଟାଏ ଘରପରି ହେଇଗଲେ, ଯେଉଁଠି ଆଜିକାଲିକା ସଂସାରରେ ପୁଅ ବଡ଼ ହେଲେ ବାପକୁ କହୁଚି ମୋ ବାଣ୍ଟ ମତେ ଦେ ମୁଁ ଅଲଗା ହେଇଯିବି, ସେଠି କେମିତି ଏ ଗାଁରେ ଜମି କୋଠ, ବୃତ୍ତି ବେଉସା କୋଠ, ଚଳାଚଳ କୋଠ–ଏତେ କୋଠ ହୋଇଗଲା ସେହିକଥା ଭାବିଚି, ସେତିକିବେଳେ ସେଇ ଲୋକଟା କଥା ମୁଁ ଭାବିଚି, ଯେ ଦିନ ନାଇଁ ରାତି ନାଇଁ ପର ପେଇଁ ଖଟି ମରୁଚି, ନିଜପାଇଁ କିଛିନାଇଁ । ମଣିଷ ତ ସମସ୍ତେ, ସମସ୍ତିଙ୍କର ସେଇ ହାତଗୋଡ଼ ଅଛି, ମୁଁ ଭାବିଚି ତାଙ୍କୁ ମନଟା କେଡ଼େ ହେଇ ନଥିବ ! ବିଧାତା କାହା ଭିତରେ କି ବୁଦ୍ଧି ଦେଇଛି !’’

 

ବାସନ୍ତୀ କହିଲା, “ସାକ୍ଷାତ୍ ବୁଢ଼ୀ ମାଉସୀଟିଏ କଥା କହିଲାପରି କହୁଚ ଅରୁ, ସେଇଠୁ କହିବ ସେ କୋଟି ପରମାୟୁ ହେଇଥାଉ–’’

 

ଅରୁ କହିଲା, ‘‘କହୁଚି ତ । ସମସ୍ତେ କହୁଚନ୍ତି । ମୁଁ ଆମ ନିଜ ଗାଁ କଥାରୁ ଦେଖିଚି, ଆମ ଗାଁ ଖଣ୍ଡାଏତ ପଟକିରା । ବାପା ଆସି ବୁଢ଼ା ହେଲେଣି, ସବୁବେଳେ ହାତରେ ପାଞ୍ଚଟା ମକଦ୍ଦମା, ଯେ ଯେତେ ବୁଝେଇଲେ ଖୋଇ ଗଲା ନାଇଁ, ଲୋକଙ୍କୁ ମକଦ୍ଦମାରେ ପକେଇ ନ ନଚେଇଲେ ତାଙ୍କର ଶାନ୍ତିନାଇଁ । ସେମିତି କରି କରି କେତେ ଲୋକଙ୍କର କେତେ ସମ୍ପତ୍ତି ବୋହି ଆଣିଲେ, ପୁଣି ଏ ବାଟେ ମକଦ୍ଦମାରେ ଗଲା, କୋଉ ଅବା ହାତରେ ରହିଲା ! ଭାଇବିଚରା ହାଡ଼ ଦି’ଖଣ୍ଡ ଶିର ଦଉଡ଼ି, ବାର ମାସକୁ ଚେର ରୋଗ, ପିଲାପିଲି ନେଇ ସହରରେ ଥାଆନ୍ତିୀ– କିରାନି, ଯୋଉ ଅବସ୍ଥା, ଭାଇ ବୁଝେଇ କହି ଆପତ୍ତି କଲେ ବୋଲି ଶେଷରେ ତାଙ୍କ ଉପରେ ମକଦ୍ଦମା । ଖାଲି କ’ଣ ସେତିକି ? ବୁଢ଼ାଦିନେ ଗୋଟିଏ ବାହା ହେଇଚନ୍ତି । ଆପଣା ବାପା, ଏ ଯୁଗରେ ବ୍ରହ୍ମା ହେଲେ ଏଇଆ । ଆଉ ସେଇଠି ଦେଖ ଏ ଗାଁରେ କେମିତି ଚଳୁଛନ୍ତି । ରବି ଭାଇଙ୍କ କଥା ଭାବିଲେ ମୁଁ ସେଇଆ ଆଶ୍ଚର୍ଯ୍ୟ ହୁଏ ।’’

 

ବାସନ୍ତୀ କହିଲା, ‘‘ମୁଁ ମନା କରୁନାଇଁ ତେମେ ଯାହା କହୁଚ, ତେବେ ମୁଁ ଏଡ଼େ ଧାଇଁ ଧାଇଁ ଠିକଣା କରିଦେବାଟା ଉଚିତ ଭାବୁ ନାଇଁ, ଆମ ଗାଁରେ ଆମ ଦାଦି ଭାଇମାନେ ବି କୋଠଚାଷ ଆରମ୍ଭ କରିଥିଲେ, ଜାଣିଥିବ ତ, ଖବର କାଗଜରେ ତାଙ୍କ ନାଁ ବାହାରେ, ଆମ ଦୁବ ଭାଇ ତ ଏବିଷୟରେ ମାର୍କାମରା, କେତେ ଜେଲ୍ ଯାଇଚନ୍ତି, କେତେ ବିପଦକୁ ହସି ହସି ପାଛୋଟି ନେଇଚନ୍ତି ତା’ର ସୀମା ନାଇଁ–’’

 

ଅରୁ ହସିଲା, କହିଲା, ‘‘ସତେ ! ହସି ହସି ନା ।’’

 

ବାସନ୍ତୀ କହିଲା, “ତେମେ ତାଙ୍କୁ ଦେଖିନା, ତାଙ୍କ ବକ୍ତୃତା ଶୁଣିଲେ ଲୋକେ ଏମିତି ତାତି ଯାଆନ୍ତି ଯେ ହାତ ମୁଠା କରନ୍ତି, ଦାନ୍ତ କଡ଼ମଡ଼ କରନ୍ତି, ଦେଖିଲେ ଡର ମାଡ଼ିବ । ଦୁମୁକୀପୁର ତେଜି ମାଟି– ।’’

 

ଅରୁ ହସିଲା, କହିଲା, ‘‘କ’ଣ ଏଠା ଅପେକ୍ଷା ବେଶି ଫଳେ–’’

 

ବାସନ୍ତୀ କହିଲା, “ବିଶ୍ଵାସ କରିବ ନାଇଁ ତ, ମୁଁ ଆଉ କ’ଣ କରିବି କହ ।’’ ଆପଣ ବିଶ୍ୱାସ ଓ ଅନୁରକ୍ତିରେ ପରର ବିଶ୍ଵାସ ଉପୁଜାଇବାକୁ ଚେଷ୍ଟାକରି ସେ ଆଖି ମିଞ୍ଜି ମିଞ୍ଜିକରି କହିଲା, “ଦୁବ ଭାଇ ବଡ଼ ନେତା, ଦୁମୁକୀପୁର ବୀର ଭୂଇଁ । ସେମାନେ କୋଠଚାଷ ଆରମ୍ଭ କଲେ-। କେଡ଼େ କେଡ଼େ ମୋଟ ମୋଟ ବହି ଆଣି ପଢ଼ି ବୁଝେଇ ଖାତା ବନ୍ଧେଇ କାମ ବୁଝେଇ କେଡ଼େ ତୋଫାନରେ ଆରମ୍ଭ କରିଦେଲେ । କ’ଣ ହେଲା ? କିଏ କହିଲା କୋଠ କାମ କୋଠ ବୁଝିବ, ଆମର ଥିରି ହୋଇ ଶୋଇବା, ବଳେ ଭାଗ ମିଳିବ । କିଏ ଗଲା ୟାଡ଼କୁ ସ୍ୟାଡ଼କୁ ଅନେଇଁ ଆପଣ ପେଇଁ ବଡ଼କରି ପୁଳାଏ ଉଠେଇ ନେଇଛୁ । ପେଲାପେଲି ଥେଣ୍ଟାଥେଣ୍ଟି ଠକାଠକି ଲଗେଇଲେ । ଆଳୁ କରିଥିଲେ ହେଲା ଗିଲପରି, ଧାନ କରିଥିଲେ ନିଘା ଦେଲେ ନାହିଁ ପୋକ ଚରିଲା ଥୋଡ଼ାଏ, ଯାହା ବଳିଲା କ୍ଷତି ହେଲା । କଳି କଜିଆଲାଗି ଯୋଉ ଫଟାଫଟି ଥିଲା ତହିଁରୁ ଅଧିକ ହେଲା ।’’

 

ଅରୁ କହିଲା, ‘‘ଏଠି ସେମିତି ହବବୋଲି ତେମେ ଭାବୁଚ ? ହବ ନାଇଁ । ଯୋଉଠି ମନ କୋଠ ହେଇନାଇଁ, ଧନ କୋଠ ହେଇନାଇଁ, ବିଚାର ବିବେକ କିଛି କୋଠ ହେଇନାଇଁ ସେଠି ଖାଲି କୋଠଚାଷ କଲେ କ’ଣ ଭପକାର ହବ ? ସେଇଥିପେଇଁ ସେଠି ହେଲାନାଇଁ, ଏଠି ହଉଚି । ସେଇଥି ପେଇଁ ରବିଭାଇ ମତେ ଆଶ୍ଚର୍ଯ୍ୟ ଦିଶନ୍ତି, ଗାଁଯାକ ସମସ୍ତିଙ୍କିବି । ନିଜେ ଯେ ନିଜକୁ ଏମିତି ଉଜାଡ଼ିଦବ ସେଇ ସିନା ପରଙ୍କୁ ଯୋଡ଼ିପାରିବ, ଆପଣା ସାର୍ଥିକା ଲୋକ ଯେଡ଼େ ବହିପଢ଼ା ହେଲେ କି କଥାକୁହା ହେଲେ କି ତା ଦେଇ କ’ଣ ଏସବୁ କାମ ହବ ? ସେ ହାକିମାତି ଖୋଜିଲେ ହାକିମାତି ପାଇପାରିବ, ଲୋକଙ୍କ ସେବା ଏତପଣ ପାଇପାରିବ ନାଇଁ ।’’

 

ବାସନ୍ତୀ ତା’ର ଗମ୍ଭୀର ମୁହଁକୁ ଅନାଇଁଲା, ଆଉ ମନେ ମନେ ତା’ର ସେ କଥା କେଇ ପଦକୁ ଆଉଣ୍ଡି ହେଲା । ଏ ସେହିପରି କଥା, ଯାହା ଟୁପୁରୁ ଟୁପୁରୁ ହୋଇ ଅନ୍ଧାରୁଆ ଘରକଣରେ କାନରେ ବାଜେ, ତା’ପରେ ତୁନିପଡ଼ି ହଜିଯାଏ ଯେମିତି ଫୁଲଗଛରୁ ଫୁଲ ପାଖୁଡ଼ା ଝଡ଼ି ପଡ଼ିଛି, ତା’ପରେ ଆଉ ତା’ର ପତ୍ତା ନାହିଁ । କେବଳ ସେ କଥାରେ ଶବ୍ଦର ଅର୍ଥ ନୁହେଁ, ତା’ର ସ୍ୱର, କଥା କହିଲା ବେଳେ ତା’ର ଠାଣି, ଚାହାଣି, ତା’ର ନିଶ୍ୱାସ ଶବ୍ଦ, ସବୁ ଏକାଠି ହୋଇ ତା’ର ଭାବକୁ ପ୍ରକାଶ କରିଥିଲା । ବାସନ୍ତୀ ଟିକିଏ ଭାବି କହିଲା, “ମଣିଷ କ’ଣ ଖାଲି କାମ ? ଆଉ କିଛି ନାଇଁ ? ଦେହକୁ ମୁଣ୍ଡକୁ ଯତ୍ନ ନାଇଁ । ବାଇଟୁଙ୍ଗୁରିପରି ଦିନ ରାତି ବୁଲୁଚନ୍ତି, ବାହା ହେବେ ନାଇଁ ?’’

 

ଅରୁ କହିଲା, “ତାକୁ ପଚାରିବ ।’’

 

ବାସନ୍ତୀ କହିଲା, ‘‘କ’ଣ ତ ସେତେବେଳେ ଶୁଣା ହଉଥିଲା, ପାଟେଳିଗାଁ ସିନ୍ଧୁ ଚୌଧୁରୀ ଘରେ ତାଙ୍କର ବାହା ହବାକୁ ମନ ଥିଲା, କ’ଣ ସେତେବେଳେ ହୋ ଉଠିଥିଲା, ପୁଣି ବନ୍ଦବାନ୍ଦ ହୋଇଗଲା, କୁଆଡ଼େ ସତ୍ୟ କରାକରି ହେଇଥିଲେ–’’

 

ଅରୁ କହିଲା, “ସେ ଯେମିତି ଝୁଙ୍କି ମଣିଷ, ସତରେ ଯଦି ମନ ହେଇଥାଆନ୍ତା, ସତ୍ୟ କରାକରି ହେଇଥାନ୍ତେ, ତେବେ ଆଉ ଅଟକନ୍ତା କାହିଁକି ? ଯାହାଙ୍କର କାମ ନଥିବ ସେଇମାନେ ଯେ ହୋ’ ବାହାର କରିଥିବେ, ଆମର ସେଗୁଡ଼ାକରେ କି ଯାଏ ?’’

 

ବାସନ୍ତୀ କହିଲା, ‘‘ନାଇଁ, ନିଆଁ ନ ଥାଇ ଧୂଆଁ ଉଠେନାଇଁ, କ’ଣ କିଛିଥିବ । କିଛି ନ ହେଲେ ଶରଧା ବଳିଥିବ, କ’ଣ ଟିକିଏ ଏଣୁତେଣୁ ବି ହୋଇଥିବ, ଏଡ଼େ ସୁନ୍ଦର ମଣିଷ, ସମସ୍ତିଙ୍କି ଏଡ଼େ ସ୍ନେହୀ, ଆପଣା ବେଳକୁ କ’ଣ ହ୍ରଦ ଖାଲି ପଥର ?’’ ହସିଦେଇ କହିଲା, “ସେ ଝିଅଟା ମନ କ’ଣ ହଉଥିବ ଟି !’’

 

ଅରୁ କହିଲା, ‘‘ପଧିବ ? କୋଉ ଝିଅ ! ସତରେ କି ମିଛରେ ! ତେମେ ଏଠି ବସି ଅଠାକାଣ୍ଡିଆ ଯୋଖୁଚ । କହନାଇଁ, ଦୁମୁକୀପୁର ଝୁଅ ପରା !’’

 

ବାସନ୍ତୀ କହିଲା, “ଦୁମୁକୀପୁର ନୁହେଁ, ପାଟେଳିଗାଁ ଝିଅ, ଦୁମୁକୀପୁର ଝିଅ ହେଇଥିଲେ ସେ ମନକଥା ମନରେ ମାରି ମାଟି କାମୁଡ଼ି ପଡ଼ି ନ ଥାନ୍ତା !’’

 

ଦୁଇ ସଖୀ ହୋ ହୋ ହସିଲେ । ବାସନ୍ତୀ କହିଲା, “ଏମାନେ ଅସାଧାରଣ । ଛାତି ଭିତର ନହୁନୁହାଣ ହୋଇଯାଏ, ଦାନ୍ତଚିପି କାମରେ ଲାଗି ପଡ଼ନ୍ତି । ସେଇଥିପାଇଁ ଭାରି ଲୋଭ ହୁଏ ଯାଙ୍କ ମନ ଭିତରକୁ ଉଙ୍କିମାରି ଟିକିଏ ଦେଖିନେବାକୁ । ସେଠି କ’ଣ କୋଇଲି ବୋବାଉ ନଥିବ, ଫୁଲ ଫୁଟୁ ନଥିବ, ଜନ୍ମ ଉଁ ନଥିବ, ଖାଲି କାମ କାମ କାମ ।’’

 

‘‘ଏମିତି ହଉ ହଉ ବଅସ ପଳେଇବ, ମନ ଭିତରେ ସେଇ ଗୁପ୍ତ ଗଙ୍ଗାର ଝର ଶୁଖିଯାଇ ପଟୁ ଫାଟି ଆଁ କରିବ, ପାଟିଖୋଲି ମନକଥା କହିବେ ନାଇଁ ଯେ ଯାହାପାଇଁ ବସି ତପସ୍ୟା କରୁଥିବେ ସେ ପରର ଘରଣୀ ହୋଇ ପରର ଛୁଆପିଲାଙ୍କ ମା’ ହୋଇ ଘରକରଣକରି ସରଗପୁରକୁ ଚାଲିଯିବ, ଆଉ ଏଣେ ଏ ଶରଶଯ୍ୟା କରିବେ ଭୀଷ୍ମ !’’

 

ଅରୁନ୍ଧତୀ କହିଲା, “ଇଲୋ ମା’ ଲୋ ! ଏଇଆଙ୍କୁ କହନ୍ତି ଦୁମୁକୀ ପୁରିଆଣୀ, କଥା ଶୁଣିଲେ ମଣିଷ ମେଣ୍ଢା ହୋଇଯିବ । ତମେ ଯାଇ କହୁନା ରବି ଭାଇଙ୍କି ?’’

 

ବାସନ୍ତୀ ହସ ରୋକିଲାପରି ମୁହଁକୁ ଗୋଜକରି କହିଲା, ‘‘କହିଥାନ୍ତି, ଛାଡ଼ନ୍ତି ନାଇଁ । କ’ଣ କରିବି ବାହାଟାଏ ହେଇପଡ଼ିଲି ତ, ଅଇଛା କହିଲେ ମୋ ଘରମଣିଷ ମୁଣ୍ଡ ବାଡ଼େଇଦବ । ସେ ତ କହୁଛି ବସିଥା, ପାଦରେ ଅଳତା ନାଇ ଦେବି, କ’ଣ କରିବି କହ ।’’

 

ପୁଣି ଦୁହେଁ ହସିଲେ । ଅରୁନ୍ଧତୀ କହିଲା, ‘‘ତୁମେ କେତେ କଥା ଜାଣିଚ, ମୁଁ ତ କାବାଡ଼ୀ ହାଉଡ଼ୀ ମଣିଷ । ତେବେ ଗୋଟିଏ କଥା କହିବି, ମୋ ମନକୁ ଯାହା ପାଏ ସେମିତିଆ ଗୋଟାଏ କଥା । ମୁହଁସଞ୍ଜ ବେଳ ହେଇଥିବ । ଗାଁ ସେମୁଣ୍ଡ ଦେଉଳଆଡ଼କୁ ତେମେ ଅନେଇଁ ଦେଖୁଥିବ, କେହି କୁଆଡ଼େ ନଥିବେ । ଦେଉଳ ଦୁଆରମୁହଁ ବାଟେ ଦୂରରୁ ଅନ୍ଧାରରେ ଦିଶୁଥିବ ଯେ ଭିତରେ ଦୀପଟିଏ ଜଳୁଚି ।’’

 

ବାସନ୍ତୀ ତାକୁ କୁଣ୍ଢେଇ ପକେଇ କହିଲା, “ବୁଝିଚ ବୁଝିଚ । ତୁମେ ସେ ଦେଉଳକୁ ଦଣ୍ଡବତ କରିବ ନିଶ୍ଚୟ, ସମସ୍ତେ କରନ୍ତି । ମୋର ମନ ହଉଚି ମୁଁ ଯାଇ ସେ ଦୀପକୁ ଦେଖନ୍ତି, ଦଣ୍ଡବତ କରନ୍ତି, ଟିକିଏ ତେଜି ଦିଅନ୍ତି–’’

 

ଅରୁ କହିଲା–‘‘ଯାଅ ।’’

 

‘‘ବୋପା ଲୋ,’’ ବାସନ୍ତୀ କହିଲା, ‘‘ମୁଁ ବି ମଣିଷ, କାଳେ ଦିଅଁ ମାଡ଼ି ବସିବବୋଲି ମୋର ପ୍ରାଣେ ଡର ।’’

 

ସେ ପଟଟା ରବିର ମନଗହନର ଛପିଲା ରୁନ୍ଧିଲା ନିଭୃତ କ’ଣ, ସେଠି ଖାଲି ସେ, ଏକୁଟିଆ ସେ ।

 

କୋଡ଼ିଫାଉଡ଼ା ଧରି ସଙ୍ଗୀମାନଙ୍କ ସଙ୍ଗେ କାନ୍ଧକୁ କାନ୍ଧ ଯୋଡ଼ିଦେଇ ସେହି ଯେଉଁ ଲୋକଟା କାମରେ ଲୋଟୁଥାଏ, ଆଣ୍ଠୁଯାକେ ଗୋବର କାଦୁଅ ଅଳିଆ, ଦେହରୁ ଝାଳ ଗମଗମ ବୋହି ଯାଉଥାଏ, ହାଣୁଥାଏ, ତାଡ଼ୁଥାଏ, ବୋହୁଥାଏ, ଆପେ କାମକରି କାମ ଦେଖାଉଥାଏ, ପୁଣି କେତେବେଳେ ସଫାସୁତୁରା ହୋଇସାରି କାନ୍ଧରେ ଗାମୁଛା ପକାଇ ଖଜୁରି ପଟି ଉପରେ ପଙ୍ଗତ ମେଲାଇ ବସି ପଡ଼ି ପରାମର୍ଶ ଦେଉଥାଏ, କାମ ତଉଲୁ ଥାଏ, ନୂଆ ନିର୍ଦ୍ଦେଶ ଦେଉଥାଏ, ସମସ୍ୟା ସମାଧାନ କରୁଥାଏ, ସେହି ମଣିଷର ନିଭୃତ ଦେଉଳ ଭିତରେ ଠାଏ ଥାଏ ଗୋଟିଏ ସରୁ ସଳିତା, ଜଳୁଥାଏ, ନିଭେ ନାହିଁ । ସେ ଛବି କଥା ଭାବେ, ସୁଖପାଏ।

 

ଜୀବନରେ କେତେ ଚହଲା ଛାଇ ତା’ର ମନଗହୀରର ନିବୁଜା ଦର୍ପଣ ଉପରେ ପଡ଼ିଛି, ପୁଣି ଚାଲିଯାଇଛି, ସେହି ଅଗଣତି ନାରୀ ମୂର୍ତ୍ତି, କେଉଁଟି ଖାଲି ଏମିତି ଭାସି ଚାଲିଯାଇଛି ସେ ଭାବିନାହିଁ, କେଉଁଟିକୁ ଚାହିଁ ଦେଇ ସେ ସମ୍ମାନରେ ତା’ କଥା ଭାବିଛି, ସ୍ନେହରେ ଭାବିଛି ଯେପରି ସେ ଚାର ଖୁଡ଼େଈ ମାଉସୀ ଭାଉଜ କି ଭଉଣୀ । ଏଇ ଫଲଶରା ଗାଁରେ କ୍ରମେ ଲାଜ ସଂକୋଚ ଭାଙ୍ଗିଦେଇ କେଉଁମାନେ ଅବା ଚାଲି ଆସିଛନ୍ତି ତା’ର କର୍ମସଂସ୍ଥା ଭିତରେ କର୍ମୀପରି କାମକରିବାକୁ, ସେମାନେ ପାଖକୁ ଆସିଛନ୍ତି । ନାରୀର ସହଜ ଆକର୍ଷଣର ଛଇ ଛଟକ ଢାଳି ତରଳ ଦୃଷ୍ଟି ଛାଟି ମୁହଁ ଗୋଜକରି ନାନାବିଷୟରେ ତା’ର ମତ ଲୋଡ଼ିଛନ୍ତି, ଉତ୍ତର ଖୋଜିଛନ୍ତି । ସେମାନଙ୍କୁ ସେ ଅନାଇଁଛି ବନ୍ଧୁ ଓ କର୍ମୀ ହିସାବରେ, ତାଠି ବିକାର ଫାଟି ଉଠିନାହିଁ, ସେମାନଙ୍କଠିଁ ତେଣୁ ପ୍ରକଟିଛି ବିଶ୍ଵାସ, ନିର୍ଭର, ଭରସା । ସେ ସେମାନଙ୍କର ଭାଇ, ସେମାନେ ଭଉଣୀ, ଖାଁ ଗୋଟାକର ଯେତେ କର୍ମୀ ସମସ୍ତେ ଯେପରି ପରସ୍ପରର ଭାଇ କି ଭଉଣୀ । ଭେଟାଭେଟି ହେବାକୁ ମହାଭାବର ପ୍ରଶସ୍ତ ସମୁଦ୍ର - ବେଳାଭୂଇଁ, ସମସ୍ତେ ସେଠି ତନ୍ମୟହୋଇ ଦେଖନ୍ତି ଆସନ୍ତା । ସୂର୍ଯ୍ୟୋଦୟର ଆଭା ଓ ବର୍ଣ୍ଣଚ୍ଛଟା, ଆଶାକରନ୍ତି, ବିଶ୍ଵାସ ରଖନ୍ତି, ବିଚାରର ତୀଷ୍‌ଣ ଆଲୁଅ ହାଣି ସନ୍ଦେହ ଓ ସଂଶୟ ଦୂର କରନ୍ତି । ଆଉ ଭେଟାଭେଟି ପାଇଁ ଥାଏ ସେମାନଙ୍କ ଓ କର୍ମସ୍ଥଳୀ, ସେଠି କେବଳ ସ୍ଵପ୍ନ ଘୋଡ଼ି ହୋଇ ସୁସ୍ଥିର ଶତଦଳ ଉପରେ ଗାଲେଇ ପଡ଼ିବା ନାହିଁ, ପରିଶ୍ରମ, ଯହିଁରେ ଦେହ ଘୋଳି ହୁଏ, ଚର୍ବି ତରଳେ, ମନ ଉଷତ ଲାଗେ ।

 

ଅନ୍ୟବିକାର ନ ଥାଏ ସେଠି ।

 

ଅଥଚ ସେ କେଡ଼େ ପରିଷ୍କାରଭାବେ ଅନ୍ୟମାନଙ୍କର ମନର କେଉଁ କେଉଁ ଦିଗକୁ ବି ଦେଖିପାରେ, ସେଠି ଦେଖେ କାମନାର ପ୍ରକାଶର ରଙ୍ଗ ଆଉ ସୁବାସ, କେତେ ଛପିଲା ଉଦ୍ଦେଶ୍ୟର ପ୍ରବଣତା । କେବଳ ଦେଖେଣାହାରୀପରି ଦେଖିଯାଏ, ଜୀଅନ୍ତା ମଣିଷର ସ୍ୱରୂପର ବିଶିଷ୍ଟତା ଭିତରେ ଦେଖେ ଦେହ ଆଉ ମନ ଉଭୟ, ତା’ର ସେଥିରେ ସମ୍ପର୍କ ନାହିଁ ।

 

ଭାଇ ଆଉ ଭଉଣୀ ।

 

ସେମାନେ ମଣିଷ ।

 

ପେଟକୁ ଭୋକ କଲାପରି ମନରେବି କେତେବେଳେ କେଉଁ ଭୋକ ଆସେ, ଭାଇଟିବି ତା’ର ସମୟ ଆସିଲେ ସନ୍ତାନର ବାପ ହେବ, ଭଉଣୀ ଯିବ ପର ଘରକରି, ମା’ ହେବ, ଜନ୍ମକରିବ, ପାଳିବ ପୋଷିବ । ସେହି ଆସନ୍ତା ଜୀବନର ଝଲକ କେତେବେଳେ କାହାଠି କେଉଁ ଛଟକରେ କେଉଁ ଠାଣିରେ ଫୁଟି ଉଠେ, ଦେହର ସାଧାରଣ ରଙ୍ଗପରି, ଚାଲିର ଛନ୍ଦପରି । ଫୁଟି ଉଠେ, ପୁଣି ଥମ୍ୱ ରହେ । କର୍ମସୂଚୀରେ ଅଡ଼ୁଆ ଲଗାଏନାହିଁ ।

 

କାମପାଇଁ ଉପରୁ ମାଡ଼ି ଦେଇଥିବା ଆଇନ୍ ନାହିଁ, ଯେ ନିର୍ଘଣ୍ଟ ଓ ନିର୍ଦ୍ଦେଶ ମାନି ବାଧ୍ୟରେ ପଡ଼ି ଠିକ୍ ଏଇଁ ଏଇ କାମକରିବାକୁ ପଡ଼ିବ । ତଥାପି ଆପେ ଆପେ ସତେକି ନିର୍ଦ୍ଦେଶ ନିର୍ଘଣ୍ଟ ସବୁ ଆସିଯାଇଛି । ତା’ର ସୂକ୍ଷ୍ମ ଡୋରି ଏକ ସମୂହ ସମାଜ ଚେତନା, ସତେ ଯେପରିକି ସମସ୍ତଙ୍କର ଏକ ଉବ୍ଦେଶ୍ୟ-ଯେ ଆପଣାଙ୍କୁ ପଛରେ ରଖି ଆଉ ସମସ୍ତିଙ୍କର ଉପକାର କଥା ଭାବିବା, ତାହାରି ଭିତରୁ ନାନା କର୍ମବିଭାଗ ଆପେ ଫୁଟି ଉଠିଛି ।

 

କାଲି ସକାଳପରି ଲାଗୁଛି, ସବୁ ଗାଁରେ ଯେପରି ଏଠି ବି ସେପରି ଲୋକେ କୂଟାମେଞ୍ଚାକରେ ଛୁଆପିଲାଙ୍କ ଘୁଅ ପୋଛିସାରି କୁଟାଲଣ୍ଡାଟାକୁ ବାଟରେ ଘାଟରେ ଯେଉଁଠି ପାରି ସେଠି ଫୋପାଡ଼ି ଦେଉଥିଲେ । ଘରର ଅଳିଆ ଘରୁ କାଢ଼ି ଦେଲେ ହିଁ ଯେପରିକି ଆପଣା କର୍ତ୍ତବ୍ୟ ଶେଷ ହେଲା, ତା’ପରେ ସେ ପଡ଼ିଲା ରାସ୍ତାରେ । ଯେ ସେ ବାଟରେ ଚାଲିବ ସେ ତା ନାକରେ କାନି ଗୁଞ୍ଜି ଦେଇ ଯାଉ, ଡେଇଁ ଡେଇଁ ଯାଉ, ଯେମିତି ମନ ସେମିତି ଯାଉ । ବଡ଼ ପିଲାଛୁଆଙ୍କ ଝାଡ଼ାଫେର ବି ସେମିତି, ଆପଣା ଘରେ କି ଘର ଦୁଆର ମୁହଁରେ ନ ବସି ସେମାନେ ଅନ୍ୟ ଯେଉଁଠି ବସିଲେ ହିଁ ହେଲା, ପରଘର ଦୁଆରମୁହଁ, କୂଅମୂଳ, ଲୋକେ ଚଳପ୍ରଚଳ ହେବା ଖୋଲା ଥାନ, ଘରପାଖ ପଡ଼ିଆ, ଏ ଅଭ୍ୟାସ । ବଡ଼ ବଡ଼ଙ୍କ ଝାଡ଼ାଫେରିବା ବି ପ୍ରାୟ ସେହିପରି, ସେମାନେ ପଡ଼ିଆକୁ ଯାଆନ୍ତି ସତ, କିନ୍ତୁ ସୁବିଧା ଦେଖି ରାସ୍ତା କରେ, ପୋଖରୀ ହୁଡ଼ାରେ - ସ୍ଥାନର ଭଲମନ୍ଦ ନାହିଁ, ବିଚାର କେବଳ ଗୋଟିଏ, ଯେ କେହି ନ ଦେଖିଲେ ହିଁ ହେଲା, ଆପଣାର ଲଜ୍ଜା ଲୁଚାଇ ପାରିଲେ ହିଁ ହେଲା–ବେଳେ ବେଳେ ଆପଣାର ଲଜ୍ଜାପରି ଆଖିକି ଦିଶୁଛି କି ନାହିଁ ସେ ଚେତନା ବି ନ ଥାଏ, ଆପଣା ଆଖି ତଳକୁ ପୋତିଲେ ହିଁ ହେଲା । କଳିକଜିଆ ହେଲେ ସାଧାରଣ ଅଧିକାରର ଦ୍ଵାହି ଦିଆଯାଏ ଯେ “ଏ ବନ୍ଧକର କାହାରି ବାପାର ଏକଚାଟିଆ ନୁହେଁ, ବାପ ଗୋସାପ ଦିହାତିକ ଏଠି ଆମେ ବସି ଆସିଛୁଁ । ନା ଆଜି ନୂଆ ? କାହାକୁ ଅସୁଖ ଲାଗିଲେ ସେ ଅନେଉଚି କାହିଁକି ?’’

 

ଏତିକିରୁ ଯେପରିକି ଅନ୍ୟ ସବୁବିଚାର ଆପେ ଆପେ ଆସେ, କଲି ମେଲେ । ବେମାରି ହେଲେ ଲୋକେ ବାଟରେ ପୂଜାକରି ସିନ୍ଦୂର ଅରୁଆ ଚାଉଳ ଫୁଲ ଦୀପ ଥୋଇଦେଇ ଆସନ୍ତି, ମନେ ମନେ କହନ୍ତି, “ମୋ ଘରୁ ରୋଗ ଯାଉ, ଯେ ମାଡ଼ିବ ତାକୁ ହେଉ ।’’

 

ଅଥଚ କେହି ଆଇନ୍ ଜାରିକରି ନାହିଁ, କେହି ଜବରାନକରି ନାହିଁ, ଦିନେ ଦେଖାଗଲା ଦଳ ଦଳ ହୋଇ ଗାଁର ପୁରୁଷ ଆଉ ସ୍ତ୍ରୀ ଟୋକେଇଧରି ବୁଲି ବୁଲି ମଇଳା ଉଠେଇ ନେଇ ଚାଲିଯାଇ ଗାତରେ ପୋତୁଛନ୍ତି । ଛାଞ୍ଚୁଣୀଧରି ଚଲାବୁଲା ବାଟଘାଟ ଖୋଲା ସ୍ଥାନ ସଫା କରୁଛଛି-। କେହି ଶିଖାଇ ନାହିଁ, ଆପେ ବନ୍ଦ ହୋଇଗଲା ଏଣେ ତେଣେ ମଇଳା କରିବାର ବହୁଯୁଗର ଅଭ୍ୟାସ । ଝାଡ଼ାଫେରିବାପାଇଁ ଗାତ ଖୋଳି ତା’ଉପରେ କାଠ ପକାଇ କତିରେ ମାଟି ରଖି ତାଟି ଆବୋରକରି ଜାଗା ତିଆରି କରାଗଲା, ସେ ଯେପରିକି ଗାଁର ସାଧାରଣ ଚଳଣି ହୋଇଗଲା ।

 

କେତେ ଚଳଣି ତ ଏମିତି ଆପେ ଆପେ ଆସିଛି, ଯେମିତି ଏକାଠି ମିଳିମିଶି ଠାଆ ଠାଆକେ ସମସ୍ତେ ସାହାଯ୍ୟ ଲଗାଇ ସମସ୍ତିଙ୍କ ମଇଳା ଲୁଗାପଟା ଏକାଠି ସିଝାଇ କାଚି ସଫାକରିବା, କାନ୍ଥ ଆଉ ଚଟାଣ ଲିପିବା ପୋଛିବା, ଗୁହାଳ ସଫାକରିବା, ଏକୁଟିଆ ଲୋକର ବଳ ପାଏନାହିଁ ବୋଲି, ସମୟ ଅଣ୍ଟେନାହିଁ ବୋଲି ସୁସ୍ଥ ଓ ପରିଷ୍କାର ରହିବା ସମ୍ପର୍କରେ ଯେତେ ଅନ୍ତରାୟ ଉପୁଜେ, ଉଦାସୀନତା ଆସେ, ମିଳିମିଶି ସେସବୁ ଅସୁବିଧା ଦୂରକରିବା, ବଣ୍ଟା କୁଣ୍ଟାକରି ଦିଆନିଆ ହୋଇ ସମସ୍ତେ ଭାଇ ଭାଇ ହୋଇ ଚଳିବା । ନୂଆବିଚାରରୁ ନୂଆ ଚଳଣି, ନୂଆ ଚଳଣିରୁ ନୂଆ ବିଚାର, କେତେ ଏହିପରି ଏଇ ଗାଁରେ ଆପେ ବାହାରିଛି, ତାହାରି ଭିତରୁ ବାହାରି ପଡ଼ିଛି କୋଠ ଋଷ, କୋଠ ବୃତ୍ତି ଓ କୋଠ ଅର୍ଜ୍ଜନର ଜୀବନର ଗୁରୁକଳା, ଆଇନ୍ ଲଦା ହୋଇନାହିଁ, ଉପଯୋଗୀ ବାଗ ଆପେ ଆଖିକୁ ଦିଶିଛି, ମନକୁ ମାନିଛି । ହୁଗୁଳା ହୋଇ ଖସିପଡ଼ିଛି ଜାତି ଅଜାତିର ଛିଆଛିକର, ଗୋଟାଳିଆ ହୋଇ ଦଳ ବଢ଼ି ଉଠିଛି । ସେ ଦଳ ଗୋଠ ନୁହେଁ, ଯାହାକୁ ଗୋଟାଏ ମଣିଷ କି ଗୋଟାଏ ଦଳ ଅଡ଼େଇ ନେଇ ଚାଲନ୍ତି ମନ ଇଚ୍ଛା, ଯେଉଁଠି ଜଣେ ଭାବେ, ଅନ୍ୟମାନେ ବି ଭାବି ନଚିନ୍ତି କାମ କରନ୍ତି, ଜଣେ ହୁକୁମ ଦିଏ ଅନ୍ୟମାନେ ଡରି ହରି ମାନନ୍ତି ଶାସ୍ତି ଭୟରେ । ସେ ଦଳରେ ସ୍ୱାଧୀନଭାବେ ଆପଣା ଆପେ ସମସ୍ତେ ଭାବନ୍ତି, ଆପଣାକୁ ପଚାରନ୍ତି, ତଉଲନ୍ତି, କଷନ୍ତି, ବିଚରଟା ସାମୂହିକ ମଙ୍ଗଳପାଇଁ, ତେଣୁ ସେମାନେ ଏକ, ତେଣୁ ସବୁ ହାତ ସବୁ ଗୋଡ଼ ଚାଲେ ଏକାଠି ।

 

ଆଉ ତେଣୁ ବି ସମସ୍ତିଙ୍କ ଜିଦି ଆଉ ଝୁଙ୍କ ବହକି ପଡ଼ିଥିଲା ଜମି ଉପରେ । ବଇ ମଳିକ ଆଉ ବିଶି ପାଣ ଆଉ ଧୋବେଇ ମିଶ୍ର ଆଉ ଗଙ୍ଗା ଗଡ଼ିଆ ଆଉ ଗନ୍ଧିଆ ତେଲି ଆଉ ଗୋପାଳ ଓଝା ଆଉ ସେ ଛୋଟ ଗାଁର ଯେତେ ଯେତେ ସମସ୍ତେ ସତେକି ସେହି ଗୋଟିଏ ବିଷୟରେ ପାଗଳ, ସେହି ଏକ ତଥ୍ୟ–ଯେ ମଣିଷର ଦେହଟାକୁ ବଞ୍ଚାଇବାପାଇଁ ଯାହା ଦରକାର ସବୁ ଆସିବ ମାଟିରୁ, ଉତ୍ପାଦନ ବଢ଼େଇବାକୁ ହିଁ ପଡ଼ିବ । ଆଗେ ଥିଲା ଅଳ୍ପ ହାତ, ଏବେ ହାତର ସଂଖ୍ୟା ବଢ଼ିଲା, ଜମିର ପରିମାଣ ବଢ଼ିଲା, ଏବେ ସୁସ୍ଥି ଅଳସପାଇଁ ଅବକାଶ ନାହିଁ, ଉତ୍ପାଦନ ବେଶି ହେଲେ ସମସ୍ତିଙ୍କ ଥାଳରେ ବେଶି ବେଶି ପଡ଼ିବ । ଥେଣ୍ଟାଥେଣ୍ଟି ନାହିଁ, ପର କରନ୍ତୁ ବୋଲି ଆପେ ହାତ ଟେକି ବସିପଡ଼ିବାକୁ ହୃଦ ଡାକୁନାହିଁ, ଅଳସ ମାରିବସିଲେ ନିଜ ପାଖେ ନିଜର ଲଜ୍ଜା, ପୁଣି ନିଜର ଘରଣୀ ପାଖରେ, ଛୁଆପିଲାଙ୍କ ଆଖିରେ ନିଜେ ଯେପରିକି ଅପରାଧୀ, ଗାଁ ଦଳ ଆଖିରେ ଲାଗୁଛି ଅପରାଧୀପରି, କିଏ କେତେ କରିପାରିଛି ସେତିକି ଘେନି ଆତ୍ମସନ୍ତୋଷ । ଏହି ଚେତନା ଯୋଗୁଁ ଆପେ ଆପେ ନୂଆ ନୂଆ ଦାଗ ଦିଶିଯାଉଛି । ମନ୍ତ୍ର ତନ୍ତ୍ର ନୁହେଁ । ଅସଲ ଝାଳବୁହା କାମ, ମଣିଷ ବଳ ନାହିଁ ଧନବଳ ନାହିଁ ବୋଲି ଗୋଟିକିଆ ଋଷୀ ଯେପରି ହଟିଯାଏ ସେ ଅଭାବ ଆଉ ନାହିଁ, ଗାଁର ସବୁ ଯାକ ଜମିପାଇଁ ଘରେ ଘରେ କାମିକା ମଣିଷ, ଘରେ ଘରେ ଜଗୁଆଳ । ସେଇଥିପାଇଁ ଏ ବର୍ଷର ଚାଷରେ ନିଠେଇ ନିଠେଇ ଗହୀରକରି ହଳ କରା ହୋଇଥିଲା, ଜମିର ରୂପ ବଦଳିଲା, ଅପର୍ଯ୍ୟାପ୍ତ ଧଣ୍ଡିଚା ଲଗା ହୋଇ ସାର ଦିଆ ହୋଇଥିଲା, ଚୁଲୀର ପାଉଁଶ, ପୋଖରୀର ପଙ୍କ, ଗାଁଯାକର ଅଳିଆ ଗୋବର, ଝଡ଼ିଲା ପତ୍ର, ସବୁ ରୁଣ୍ଡା ରୁଣ୍ଡି ହୋଇ କ୍ଷେତକୁ ଯାଇଥିଲା, ଖତ ତିଆରି ହେଉଥିଲା । କେତେ ପୁରୁଣାକାଳିଆ ଉପାୟ ଯାହାକୁ ଲୋକେ ଜାଣିଥିଲେ ବି ଭୁଲିଥିଲେ, କେତେ ନୂଆ ଯୁଗର ଉପାୟ, ଯେ ସହରରୁ ଉଡ଼ି ଉଡ଼ି ଗାଁରେ ପଶିଥିଲା, ଯାହା ଯେତେ ସମ୍ଭବ ସବୁ ଉପଯୋଗ କରା ହୋଇଥିଲା । କେତେଠି କେତେ କୂଅ ଖୋଳା ହୋଇଥିଲା ଖରାଦିନେ, ପୁରୁଣା କୂଅ ବାମ୍ପୀ ଉଦ୍ଧାର କରା ହୋଇଥିଲା, ତେଣ୍ଡା ବସିଥିଲା, ଉଦୁମୁଦ କାମ–ଫସଲ ବେଶି କରିବାକୁ ହିଁ ପଡ଼ିବ, ଆୟ ବଢ଼ାଇବାକୁ ପଡ଼ିବ, ଯେଉଁ ପରିଶ୍ରମ ସମ୍ଭବ ହୋଇଥାନ୍ତା ସେ ବୃଥା ଯିବ ନାହିଁ ।

 

ଏ ଗଠନର ପ୍ରଭାବ କେତେ ରୂପରେ ଆଖପାଖରେ ବି ପଡ଼ିଥିଲା ସେମାନେ ଲକ୍ଷ୍ୟ କରିଥିଲେ । ବାରମ୍ୱାର ଗୁରିଆଡ଼ୁ ଲୋକେ ଆସୁଥିଲେ ଦେଖୁଥିଲେ ପରାମର୍ଶ କରୁଥିଲେ, ଆପେ ବିଚାରୁଥିଲେ ପରଖୁଥିଲେ । ପାଖ ଗାଁ ସେବତୀ ପାଟଣାରେ ଗୋଟିଏ ଚକରେ ଥିଲା ଚାରି ଜାତିର ଚାରି ଜଣଙ୍କ ଜମି, ଜଣେ ମଳିକ, ଜଣେ ଧୋବା, ଜଣେ ଖଣ୍ଡାଏତ, ଜଣେ ବ୍ରାହ୍ମଣ । ଦେଖା ଦେଖିରେ ସେମାନେ ବି ଚକଟିଯାକ ଏକାଠି ଚାଷ ଆରମ୍ଭକରି ଦେଇଥିଲେ, ଧୋବାର ପୁଅକୁ ଇସ୍ଥୁଲରେ ପଢ଼ାଇବାପାଇଁ ବୁଢ଼ା ନାରଣ ମିଶ୍ର ଆପଣା ସ୍ୱଚ୍ଛରେ ଡାକି ଟଙ୍କା ଦେଇ ସହରକୁ ପଠାଇଥିଲା । କେତେଠିଁ ତୁନିତାନି ହୋଇ ଏମିତି କେତେ ସାନ ସାନ ଘଟଣା ଆପେ ଘଟିଥିଲା । କେତେ ବି ହୋଇଥିଲା ଆଖିଦୁରୁଶିଆ, ଶଙ୍ଖପୁରର ଲୋକେ ଆପେ ପରିଶ୍ରମକରି ତାଙ୍କ ଗାଁରେ ଗୋଟିଏ ସୁନ୍ଦର ଚାରିବଖୁରିଆ ଇସ୍କୁଲଘର ତୋଳି ସବୁ ପିଲାଙ୍କୁ ଗୋଟେଇ ପୋଟେଇ ଠୁଳକରି ଇସ୍କୁଲ ମଞ୍ଜୁରୀ ଆଣିଥିଲେ । ଚାରିଆଡ଼େ ଖେଳି ବୁଲୁଥିଲା ତୁଣ୍ଡବାଇଦ ।

 

କିନ୍ତୁ ନୂଆ ଉଦ୍ୟମରେ ମାତି ରହି ଫୁଲଶରା କେବଳ ଉତ୍ତେଜନାକୁ ଆଶ୍ରାକରି ଚଳୁ ନଥିଲା । ବାରମ୍ବାର ଲୋକେ ପରସ୍ପରକୁ ଆଉ ଆପଣାକୁ ଚେତାଇ ଦେଉଥିଲେ - ହୁସିଆର, କୁଟାନିଆଁପରି ଜଳିଉଠି ନିଭିଯିବା ଆମର ଦରକାର ନାହିଁ, ତହିଁରେ ବୃଥା ଖାଲି ସମୟ ଓ ଶକ୍ତି ଲୋକସାନ । ସେମାନେ କହୁଥିଲେ, ଖାଲି ହୋ’ରେ ମାତିଗଲେ ପୁଣି ହୋ’ ସରିଯାଏ, ଉଦାସ ଆସେ, ମୁଖା ଆଉ ବେଶ ଖୋଲା ହୋଇ ଥୁଆ ହୁଏ, ବିମାନ ଓହ୍ଳା ହୁଏ, ମୃଦଙ୍ଗ ଟଙ୍ଗା ହୁଏ । ବିଚାର ସଙ୍ଗରେ ସମସ୍ତିଙ୍କର ଚଳଣିର ଧାରା ସ୍ୱତଃ ମିଶି ନ ଗଲେବିଚାର ଲାଖେ ନାହିଁ, ଖସିପଡ଼େ-। ଖାଲି ଉତ୍ତେଜନା ପ୍ରତିଶ୍ରୁତିରେ ଲୋକେ ବାନ୍ଧି ହୋଇ ରହନ୍ତି ନାହିଁ, କାଳିସୀର ଦିନ ସରିଯାଏ, ଠାକୁର ରହନ୍ତି ଅନ୍ଧାରୀ କ’ଣରେ, ଦିଓଳି କେବଳ ତୁଳସୀପତ୍ର ଟିକିଏ ଗୁଡ଼ ଟିକିଏ, ସାଧୁବାବା ଗାଁରୁ ଟୁଙ୍ଗୀ ଉଠାଇ ଅପସରି ଯାଆନ୍ତି । ପୁରୁଣା ପୀଠରେ ବୃଥା ଉଠୁଥାଏ ପୁରୁଣା ଧ୍ୱନିର ମୁଖରାବ, କେହି ଶୁଣିବାକୁ ଯାଆନ୍ତି ନାହିଁ । କେତେ ମତ କେତେବିଚାର କେତେ ଭେକ ପିନ୍ଧି ଏଇ ଗାଁ ଗହଳି ଭିତରେ ହୁଲୁସ୍ଥୁଲ୍‍ ପକାଇ ପୁଣି କୁଆଡ଼େ ଅତୀତରେ ହଜିଯାଇଛି, ଆଜି ସେ ମନେ ନାହିଁ, ହୁସିଆର, ସେପରି ଯେପରି ନ ହୁଏ ଏ ସଂସ୍ଥା । ଗୋଟାଏ ବାଧ୍ୟତାମୂଳକ ଆଇନ୍ ହେଲେ ଲୋକେ ଆଇନ୍ ଭାଙ୍ଗିବାକୁ ଚେଷ୍ଟା ଚଳାନ୍ତି, ଗୋଟାଏ ମତ ଆସିଲେ ଆପେ ଚାଲେ ମତର ଖଣ୍ଡନ ପାଇଁ ଉଦ୍ୟମ, ବିରୋଧୀ ମତ ରହେ କେବଳ ସେହି ଯାହାକୁ ଗୋଟି ଗୋଟିକିଆ ମଣିଷ ଆପଣାର କରେ, ଯେ ହୁଏ ତା’ର ହୃଦ୍‌ବୋଧ ହୋଇ ଚଳଣିର ଧାରା ହୁଏ । ଅନ୍ଧବିଶ୍ୱାସ ନୁହେଁ, ଡରରେ ମାଡ଼ିମୁଡ଼ି ହୋଇ ବାଧ୍ୟରେ ପଡ଼ି ସଜାଇ ହୋଇଥିବା ପରର ମତ ନୁହେଁ, ପରର ଶିଖାରେ ପଡ଼ି ଉତ୍ତେଜନାରେ ମାତିଧରି ନେଇଥିବା ଧାରଣା ନୁହେଁ, ଗୋଠ ଅଡ଼ାଇବା ଧ୍ୱନି ନୁହେଁ–ଚିରସ୍ଥାୟୀ ହୁଏ ମଣିଷର ସ୍ୱାଧୀନ ବିଚାରସମ୍ମତ ମଣିଷର ସ୍ୱଭାବ ଓ ପରିସ୍ଥିତିକୁ ରୁଚୁଥିବା ଜୀବନ ଚଳାଇବା ବାଗ ।

 

କାମ ଧନ୍ଦା ଶେଷରେ ପୁରୁଣା ଅମଳର ଜମିଦାରୀ କଚିରି ଘରେ ସଞ୍ଜରେ କେବେ କେବେ ଗାଁର ପଙ୍ଗତ ବସେ । ପୁରୁଣା ଘରର ନୂଆ ହୋଇ ସଂସ୍କାର ହୋଇଛି, ପୁରୁଣା ଢିଅ ହୋଇଛି ନୂଆ ଉଦ୍ୟମ ନୂଆ ଭାବଧାରା ବାହାରିବା ପାଇଁ କେନ୍ଦ୍ର । ସେହି ଯେଉଁ ଘର ହୋଇଥିଲା ସମସ୍ତିଙ୍କ ଶ୍ରମର ଫଳରୁ ଭାଗ ବଖରା ଗୋଟେଇ ପୋଟଳି ବାନ୍ଧି ବନ୍ଧମୂଳ ଗାଁକୁ ବୋହିନେବା ପାଇଁ ସେ ଘର ହୋଇଛି ନୂଆ ଚିନ୍ତା, ନୂଆ ଶକ୍ତି ବାଣ୍ଟିବାପାଇଁ କର୍ମକେନ୍ଦ୍ର, ନୂଆ ଜୀବନର ଶକ୍ତିପୀଠ । ଜାତି-ବୟସ-ନିର୍ବିଶେଷରେ ଗାଁର ଏମୁଣ୍ଡରୁ ସେମୁଣ୍ଡରୁ ସେଠିକି ଧାର ଛୁଟେ, ମୃଦଙ୍ଗ ବାଜେ, ଖଞ୍ଜଣି ମାଡ଼ ହୁଏ, ଭଜନ ହୁଏ, ତା’ପରେ ପଡ଼େ ସାତ ପାଞ୍ଚବିଚାର, ଆପଣା ଅନୁଭୂତି ଓ ଅଭିଜ୍ଞତାରୁ ଗାଁର ଭାଇ ଭଉଣୀମାନେ ସେମାନଙ୍କ କହିବା କଥା ଆଲୋଚନା କରନ୍ତି । ନିତି ସଞ୍ଜରେ ସେଠି ଭାଗବତ ବୋଲା ହୁଏ, କେବେ ବସେ ମହାଭାରତ, କେବେ ଦାର୍ଢ଼୍ୟତାଭକ୍ତି, କେବେ ଆଉ କେଉଁ ଶାସ୍ତ୍ର ପୁରାଣ । ପୁରୁଣା କାଳପରି ଏବେ ବି ସେଠି ଶାସ୍ତ୍ର ପଢ଼ା ହେଲାବେଳେ ଗାଁର ଜାଗ୍ରତ ସମସ୍ୟାମାନ ଓ ନିତିଦିନର ଜୀବନକୁ ଉପଲକ୍ଷ୍ୟ ଦେଇ ଧାଡ଼ିକି ଧାଡ଼ି ଶାସ୍ତ୍ରର ଅର୍ଥ କରାଯାଏ, ସେଥିପାଇଁ ପଣ୍ଡିତ କି ବାବାଜୀ ଲୋଡ଼ା ହୁଅନ୍ତି ନାହିଁ, ପାଣ୍ଡିତ୍ୟ ଦରକାର ହେଲେ ଧୋବେଇ ମିଶ୍ରେ ବେଶି ସାହାଯ୍ୟ କରନ୍ତି ; କିନ୍ତୁ ଜୀବନ ସଙ୍ଗେ ଶାସ୍ତ୍ରକୁ ମିଳେଇ ମିଳେଇ ଅର୍ଥ କରିବାକୁ ସମର୍ଥ ହୁଅନ୍ତି ଗାଁର ସାଧାରଣ ମଣିଷ, କେଉଁ ବଢ଼େଇ କମାର ଗଉଡ଼ କି ଚଷା କି ଆଉ କେହି, ଯେ ଆପଣା ଜୀବନ ବିଷୟରେ ଭାବିପାରେ ସେ ଶାସ୍ତ୍ରର ଅର୍ଥକୁ ଅନୁଭବକରି ବୁଝାଇପାରେ, ଯାହର ସେ ଅନୁଭୂତି ନାହିଁ ଯେଡ଼େ ବଡ଼ ପଣ୍ଡିତ ଦାର୍ଶନିକ ହେଲେ ସୁଦ୍ଧା କେବଳ ଶବ୍ଦର ଅର୍ଥ ବୁଝେ, ଅଳଙ୍କାର ବୁଝେ, ବ୍ୟାକରଣ ବୁଝେ ସିନା ଭାବର ଅର୍ଥକୁ ବୁଝି ବୁଝାଇପାରେନାହିଁ, ମରମ ଭାବରେ ବିହ୍ୱଳ ହୋଇ ଲୁହ ଟଳଟଳ ହୋଇ ଗଦଗଦ ହୋଇ ହୁଏତ ସେ ପୁରାଣକୁ ଗାଏ ସଙ୍ଗୀତପରି, ନ ହେଲେ ସେ ପିଞ୍ଜରାର ଶୁଆପରି ପାଠ ଗାଇଯାଏ । ନିଜେ କିଛି ବୁଝେ ନାହିଁ ।

 

ପୁରୁଣା ବରଗଛ ଛାଇ ତଳେ ବସି ବେଳ ବୁଡ଼ୁ, ବୁଡ଼ୁ ସମୟରେ ସେଥର ଫୁଲଶରା ଲୋକେ ଶାସ୍ତ୍ର ଓ ବିଚାର ଆଲୋଚନା କରୁଥିଲେ । ମଝିରେ ଲିପାପୋଛା ହୋଇ କୁଦଟିଏ ହୋଇଛି, ଗାଁର ଲକ୍ଷ୍ମୀମାନେ ମନ ସରାଗରେ ତାକୁ ଫୁଲହାରରେ ସଜାଇଥିଲେ । ତା’ରି ପାଖରେ ଗୋଟିଏ ଚଟେଇ ଉପରେ ବସିଥିଲେ ଧୋବେଇ ମିଶ୍ରେ । ଚାରିପାଖେ ବେଢ଼ି ବସିଥିଲେ ଗାଁ ଲୋକେ–ପାଖେ ସ୍ତ୍ରୀଲୋକ, ପାଖେ ପୁରୁଷ । ଅଳ୍ପ ଖଣ୍ଡେ ଛାଡ଼ି ଅନ୍ୟ ଗାଁକୁ ଯିବାକୁ ବାଟ ପଡ଼ିଛି, କାନ୍ଧରେ ବୁଜୁଳା ପକାଇ କୁଆଡ଼ କୁଆଡ଼ର ହାଟଫେରନ୍ତା ବାଟୋଇ ଗୋଟିଏ ଗୋଟିଏ ଗଡ଼ି ପଡ଼ିଥିଲେ । ଧୋବେଇ ମିଶ୍ରେ ଭାଗବତ ବୋଲି ସାରିଥିଲେ । ଗୋଟିଏ ଗୋଟିଏ ଲୋକ ଉଠି ପଡ଼ି ଆପଣା ମନକଥା କହୁଥିଲେ । ସେଥିରେ ଗଭୀର ଶ୍ରଦ୍ଧା ଥିଲା, ଆବେଗ ଓ ଆନ୍ତରିକତା ଥିଲା, ଅଭିନୟ ନ ଥିଲା, ପ୍ରଚାର ଲାଗି ଉଦ୍ୟମ ନଥିଲା । ପବନରେ ସତେକି ଥିଲା ଏକବିଚିତ୍ର ପବିତ୍ରତା, ଗଛ ଉପରେ ଚଢ଼େଇପଲ କିଚିରିମିଚିରି ହେଉଥିଲେ । ସୂର୍ଯ୍ୟ ସତେକି କୁତୂହଳରେ ଅନାଇଁ ରହିଥିଲେ ।

 

ବୁଢ଼ା ମୁରାରି ରାଉତରା ଠିଆ ହୋଇଥିଲେ । ବଡ଼ ଫରଚା ମୁହଁ, ମୁହଁଯାକ ରୁଢ଼ ବଢ଼ିଛି, ଅଧେ କଞ୍ଚା ଅଧେ ପାଚିଲା, ଓସାର କାନ୍ଧରେ କସରା ଗାମୁଛା ଲମ୍ୱିଛି । ଥନ୍ତଲ ପେଟ, ନାହି ତଳେ ଟାଣହୋଇ ପିନ୍ଧା ହୋଇଛି ଖଣ୍ଡେ ମୋଟା ଖଦୀ । ପାନ ଚୋବେଇ ଚୋବେଇ ଫରକଟା ପାଟିରେ ବଡ଼ ହାଉଁ ମେଲିଦେଇ ମନ ଖୁସିରେ ବୁଢ଼ା କହିଯାଉଥିଲେ-

 

‘‘ଏଇ ଯେଉଁ ପୋଥି ଗଦା ଗଦା ରହିଛି ସେସବୁ କାହିଁକି ଲେଖା ହୋଇଥିଲା ? କ’ଣ ଖାଇପିଇ ଝଡ଼େଇ ହବାକୁ ଲୋକଙ୍କର ଅନ୍ୟ ପନ୍ଥା ନଥିଲା ଯେ ତାଳପତ୍ର ଉପରେ ଲେଖନମୁନ ମାଡ଼ି ଦେଇ ମନମୁନ ଖଞ୍ଜିଦେଇ ସେମାନେ ଶାସ୍ତ୍ର ପୁରାଣ ଲେଖୁଥିଲେ ? ନା, ସେମାନେ ତୁଚ୍ଛା ମନ ଓରମାଣ ଝଡ଼େଇ ହବାକୁ ପୋଥି ଲେଖୁ ନଥିଲେ ପରା, ସେମାନେ ଲେଖୁ ଥିଲେ ମଣିଷଙ୍କ ଉପକାର ହେବ ବୋଲି । କ’ଣ ଲେଖୁଥିଲେ ? କ’ଣ ଖାଲି ଆଖିରେ ନ ଦେଖିଥିବା କଥା, କୋଉ ଦେବତା କୋଉ ସରଗପୁର ଏମିତି ଖାଲି କାହାଣୀ ଲେଖୁଥିଲେ ? ସେମିତି ବନେଇ ଚୁନେଇ ତ ଗପୁଡ଼ି ଗପେ, ଅଫିମୀ ଗପେ । ନା, ସେମାନେ ଲେଖୁଥିଲେ ଏଇ ଆମରି ସଂସାରୀ ଜୀବନର ହିତ ଅହିତ କଥା, ଯାହା ଭାବୁଥିଲେ, ଯାହା ଦେଖୁଥିଲେ, ଯେମିତି ଚଳିଲେ ଭଲହେବ ଯେମିତି କାମ କଲେ ସୁଖଶାନ୍ତି ମିଳିବ ବୋଲି ଭାବୁଥିଲେ ସେଇ କଥା ଭାବିଚିନ୍ତି ଲେଖୁଥିଲେ । ବାକୀ ଏ ଦେବାଦେବୀଙ୍କ କଥା, ଏ ସରଗ ପାତାଳ କଥା, ସେଇଟା ଖାଲି ଉପଲକ୍ଷ୍ୟ ଦେବାପାଇଁ, ସେ ହେଲା ତାଙ୍କ କବିପଣିଆ, ମଣିଷଙ୍କୁ ଶୁଣିବାକୁ ଆହୁରି ସୁଖ ଲାଗିବ ବୋଲି । ଏମିତି ଏ ମାଟି ଉପରେ ଯୁଗ ଯୁଗ ତ ବିତିଯାଇଚି, ଶହ ଶହ ପୁରୁଷର କଥା ହେଲାଣି ଆସି, ଭଲ ହେବାକୁ ଭଲରେ ଚଳିବାକୁ ଆମର ସେଇ ଶହ ଶହ ପୁରୁଷର ମଣିଷ ଆମ ପେଇଁ ଯେତେ ହିତ ବୁଦ୍ଧି ଭାବିଥିଲେ ସବୁ ତାଙ୍କ ପୋଥିରେ ଲେଖିଦେଇ ରଖିଦେଇ ଚାଲିଗଲେ । ଆମେ ସେଇଠୁ ତାକୁ କ’ଣ କଲେ ? ଆମେ ସେ ଭାବରୁ କାଣିଚାଏ ବି ନେଲଇଁ ନାଇଁ, ଖାଲି ପୋଥିକି ପୂଜାକରି ଭୂଇଁରେ ମୁଣ୍ଡିଆ ମାଇଲେ, ଆମ ଘରେ ଯେତେ ଆଲୁଅ ଥାଇ ଆମର ଯେଉଁ ଅନ୍ଧାରକୁ ସେଇ ଅନ୍ଧାର । ସେଇଠୁ ଆମେ କହିଲେ, ସେମିତି ସେଗୁଡ଼ା ଲେଖିଦେଇ ଯାଇଚନ୍ତି ସିନା, ଯେ ବାବାଜୀ ବଇଷମ ହବ, ସେଗୁଡ଼ାକ ସାଧିବ ସରଗକୁ ଯିବ, ଆମେ ମାଟିମଟାଳିଆ ସାଧାରଣ ମଣିଷ, ଆମ ଦେଇ ସେସବୁ ହବନାଇଁ । ତେବେ ସେଗୁଡ଼ାକ ଏତେ ଏତେ ଲେଖା ହେଇଥିଲା କ’ଣ ବାବାଜୀ ବଇଷମଙ୍କ ପାଇଁ ? ନା, ତା ନୁହେଁ, ସେସବୁ ଆମରି ଭଲପାଇଁ ଲେଖା ହୋଇଥିଲା, ସରଗ ନରକ ତ ପଛକଥା, କିଏ ତାକୁ ଦେଖିଚି, ସେ ପୁରକୁ ଗଲେ କିଏ ଫେରି ଆସି କହିବ କ’ଣ କେଉଁଟା ? ଏଇ ପୃଥ୍ୱୀରେ ମଣିଷ କେମିତି ଭଲରେ ଚଳିବ ସେବିଷୟରେ ସେମାନେ ଯାହା ଭାବିଥିଲେ ଏତେ ଯୁଗ ଯୁଗ ଯାକେ, ସେଇ କଥା ସେମାନେ ଲେଖିଦେଇ ରଖିଗଲେ । କେତେ ଆଶା କରିଥିଲେ, ପୁଅ ନାତି ପଣନାତି ତା ପଣନାତି ଆସିବେ, ସେମିତି ମାର୍ଗରେ ସତ ହୋଇ ଚଳିବେ, ଏ ଘର ଏ ଗାଁ ଏ ରାଇଜ ହସୁଥିବ, ସେ ଆଶା ଆଶା ହୋଇ ରହିଲା, ଫଳିଲା ନାଇଁ ।

 

ଧନୁ ସାହୁ ଠିଆ ହେଲେ, ସରୁ ହୋଇ ଛଡ଼ପରି ମଣିଷ, ପାତିଆପରି ମୁହଁରେ ଲମ୍ୱା ଲମ୍ୱା ନିଶ, ପୋଛିନେଲାପରି କପାଳ, ମୁଣ୍ଡ ଚନ୍ଦା, ଗାଡ଼ୁଆ ସାନ ସାନ ଆଖି ଦୋଟି ନେଳୀ ପଡ଼ିଆସିଲାଣି । କହିଲେ, “ସତ କହିଲେ ରାଉତରାଏ ! ବିଦ୍ୟା ରହିଗଲା, ସେ ହେଲା ପୋଥିଗତ ବିଦ୍ୟା । ଇଂଗିରିଜି ଆସିଲା, ଇଂଗିରିଜିରେ ଲେଖା ହୋଇଥିଲେ ଆମ ପାଠୁଆମାନେ ହେଲେ ପଢ଼ିଥାନ୍ତେ, ତା ତ ନାହିଁ, ତା’ର କୋଉଠୁ ସମାଦର ହେବ ?’’

 

ସମସ୍ତେ ହସିଲେ, ଇଂଗ୍ରେଜିକୁ ସମାଲୋଚନା କଲେ ସତେକି ତାଙ୍କୁ ଭାରି ମଜା ଲାଗେ-। ଧନୁ ସାହୁ କହିଗଲେ, “ଆମ ପାଠ ଆମ ସଂଘାରେ ରହିଗଲା, ଚାଲିଲା ଇଂଗିରିଜି ଅମଳ-। କିଏ କେତେ ବଡ଼ ବଡ଼ ଆଶାକରି ପିଲାକୁ ଇଂଗିରିଜି ପଢ଼େଇବାକୁ ସହରକୁ ପଠେଇଲେ, କ’ଣ ନା ପିଲା ମଣିଷ ହେବେ, ଭଲ ବୁଦ୍ଧି ଶିଖିବେ, ଗାଁ ହସି ଉଠିବ । ତେହିଁକି ସେ ଇଂଗିରିଜି ପାଠ ହେଲା କାଳ, ଯେ ପଢ଼ିଲା ତା ରୁଚି ବଦଳିଗଲା, ତା ମୁଣ୍ଡବିଗିଡ଼ିଗଲା, ତା’ର ଯାହା ଯାହା ଦରକାର ବୋଲି ସେ ସେଉଠୁ ଭାବିଲା, ଯେମିତି କୋଠାଘର କି ଗାଡ଼ି ଇଲେକ୍‌ଟିରି କି ଧୋବଧାଉଳିଆ ସାଙ୍ଗ କି ବଜାର ହୋଟେଲ ବାଇସ୍କୋପ କି ଆଉ ଯାହା, ସେଗୁଡ଼ା ମଫସଲରୋ ନାଇଁ, ସତେକି ଇଂଗିରିଜି ପାଠରେ ଯାହା ଅଛି ସେଗୁଡ଼ା ସହରରେ ମିଳେ । ତାକୁ ଗାଁ ଗନ୍ଧେଇଲା-। ମୁଣ୍ଡିଆ ମାରିବାକୁ ଗାଁରେ ସେ କାହାକୁ ପାଇଲା ନାଇଁ, ସମସ୍ତେ ସହରରେ । ଇଂଗିରିଜି ବିଦ୍ୟା ପଢ଼ି ସେ ଯୋଉ ବୁତ୍ତି ଶିଖିଲା ସେ ବୃତ୍ତି ବି ସହରରେ ଅଛି, ଚାକିରିବାକିରି ଲେଖାପଢ଼ି କାମ, ସହରିଆ ବେପାର ଯାହା କହ । ସେ ସହରକୁ ଗଲା, ତା ସଙ୍ଗରେ ନେଇଗଲା ତା ପୁଅ ଭାରିଯାକୁ, ଏତେ ପଇସ ସାରି ଏତେ ମେହେନତ କରି ଇଂଗିରିଜି ପଢ଼େଇଲୁଁ ଖାଲି ପଲ ପଲ ବୁଦ୍ଧିଆ ଲୋକ ଗାଁ ଛାଡ଼ି ଚେର କଟେଇହେଇ ପରଦେଶୀ ହୋଇ ବୁଲିବାକୁରେ, ହାଏ ହାଏ-!’’

 

ଧୋବେଇ ମିଶ୍ର କହିଲେ, “ଏ ଯାହା କହିଲେ ସେସବୁ ସତ । ଗାଁ ଗାଁକେ ଖଣ୍ଡିଆ ଢିଅ ପଡ଼ିଚି। ଏ କାହା ଢିଅ ? ଏ ଅମୁକ ବାବୁ କିରାନି । ଏ କାହାର ? ଏ ଅମକ ବାବୁ ଦୋପାଟି, ଏ ଅମୁକ ବାବୁ ସହରରେ ଡାକ୍ତର, ଏ ଓକିଲ ବାବୁଙ୍କ ଡିହ । ଯିବା ବେଳ ଗଲା, ଯେ ଯିବାର ସେ ଚାଲିଗଲେ, ତାଙ୍କ ପିଲାଏ ସହରରେ ବଢ଼ିଲେ, ସହରରେ ରହିଲେ, ଗାଁଟା ସହରପରି ହେଲେ ଅବା ସେମାନେ ଫେରନ୍ତେ, ନ ହେଲେ ନାଇଁ । ସେହି ସହରିଆଙ୍କ ବୁଦ୍ଧିରେ ରୁଚିରେ ଦେଶଟା ଚାଲିଛି, ବାକୀ ସବୁ ହାତଟେକା । ସେଇ ସହରରେ ରହିବା ଲୋକେ ଗାଁ ଲୋକଙ୍କ ହିତ ପାଇଁ କରୁଚନ୍ତି ଯୋଜନା, କେବେ ପିଲା ଦିନେ ସେମାନେ ଗାଁରେ ରହିଥିଲେ, ପିଲା ମନରେ ଗାଁକୁ ଯେତିକି ଚିହ୍ନିଥିଲେ, ନ ହେଲେ ଶୁଣାଶୁଣିରେ କାନରେ ଯେତିକି ପଡ଼ିଲା, ସେଇଥିରୁ ତାଙ୍କର ଗାଁବିଷୟରେ ଯାହା ଜ୍ଞାନ, ସହରରେ ରହି ସେମାନେ ଗାଁର ଭଲ ମନ୍ଦ ବିଷୟରେ ଭିଆଣ ବାଢ଼ୁଚଛି-। ସେଇଥିପାଇଁ କେମିତି କଲେ ଚଞ୍ଚଳ ଚଞ୍ଚଳ ଗାଁଟା ସହରପରି ଦିଶିବ ସେଇଆ ସେମାନଙ୍କର ଚେଷ୍ଠା, ଚେଷ୍ଟା ବି ନ ଫଳୁଚି ନୁହେଁ, କୋଠା, ସଡ଼କ, ଇସ୍କୁଲ, ଡାକ୍ତରଖାନ, ଦୋକାନ, କାରବାର, ସହରର ନାନ ସୁବିଧା ଗାଁକୁ ଆସୁଚି, କିଛି ନାଙ୍କରା କଥା ନୁହେଁ, ତେବେ ଗାଁର ଅସଲ ସମସ୍ୟାଟା ତୁଟୁ ନାଇଁ ବରଂ ବଢ଼ି ବଢ଼ି ଉଠୁଚି, ସେଇ ତ ଅଡ଼ୁଆ ।’’

 

ଧୋବେଇ ମିଶ୍ର ପୁଣିଥରେ କହିଲେ ସେ ପୁରୁଣା କଥାଟା, ଯେପରିକି ଯେତେ ପୁରୁଣା ହେଲେ ବି କଥାଟା ଅତି ନୂଆ ! ତାଙ୍କ ମୁହଁ ଉଦାସ ଦିଶିଲା, ସ୍ୱରରେ ଫୁଟିଉଠିଲା ଆନ୍ତରିକତା । କହିଲେ, “ପୂର୍ବେ ଲୋକେ ଗାଁ ବାନ୍ଧିଥିଲେ କାହିଁକି ? ଏକାଠି ସୁଖରେ ରହିବେ ବୋଲି, ମିଳି ମିଶି ଏକାଠି ରହିବେ, ସେଇଥିପାଇଁ ଗାଁ । ସେ ଏକାଠିଏକାଠିପଣ କେବଠୁଁ ଗଲାଣି ଉଭେଇ, ସହରର ଏକୁଟିଆ ଏକୁଟିଆପଣ ଗାଁରେ ଚଳିଗଲାଣି । କେହି କାହା ହିତପାଇଁ ଦାୟୀ ରହିଲେ ନାହିଁ, କାହାରି ମଲାଗଲାରେ ଆଉ କାହାରି ଯେମିତି କିଛିନାହିଁ । ପରିବାର ଭାଙ୍ଗି ଯାଉଛି, ଭାଇ ଭାଇ ଭିନେ । ଗାଁ ଫାଟି ପଡ଼ୁଚି,ଦଳ ଦଳ ହୋଇ ଖାଲି କଳିକଜିଆ ଅପଡ଼ ମନାନ୍ତର । ଅବିଶ୍ୱାସ ଅନିଶ୍ଚିତତା ।

 

ଏଣେ କାହା ଗଛରେ କଦଳୀ କାନ୍ଦିଏ ପଡ଼ିଲେ କାଲି ସକାଳକୁ ସେ ଥିବ ବୋଲିବିଶ୍ୱାସ ନାଇଁ । କିଏ ଆମ୍ୱ ଗଛଟିଏ ଲଗାଇଥିଲେ ଆଉ ଜଣେ କିଏ ତହିଁରୁ ଡାହିଟାଏ ହାଣିନେଇ ଜାଳ କଲାଣି, ନଡ଼ିଆଁ ଗଛରେ ଗୋଟମା ରଖି ଦେଉନାହାନ୍ତି । ରାତିକା ରାତି ନେଇ ଚଲ୍ । କ୍ଷେତ କଲେ ସେମିତି, ବାରି ବଗିଚା କଲେ ସେମିତି, କିଏ ଦେଖୁଚି କିଏ କଲା ? ଘର ଖଣ୍ଡିଏ ଛାଡ଼ିଦେଇ ମଣିଷ ପରିବାସରେ ରହିବ, ଚାଳ ଓଲାରି ଗୋରୁଙ୍କୁ ଦେବେ, ବତ ଭିଡ଼ି ନେଇ ଜାଳକରିବେ, ସମୟ ପାଇଲେ ଝରକା କବାଟ ବି ଚାଲିଯିବ । ଟିକକ କଥାକୁ ଗାଳି ଫଇଜତ, କାହାରି କଥା କାହାରି ଦେହରେ ଯାଉ ନାହିଁ । ସହିବା ଶକ୍ତିବି କମି ଆସୁଚି । ବଡ଼ ସାନ ମାନ୍ୟ ତ ଉଠିଗଲାଣି, ନୀତି ଖସି ପଡ଼ିଲାଣି ।

 

ଦେଖ ଯେ ସତ ବି ବୁଡ଼ିଗଲା, ଖାଲି ଠକି ଖାଇବା ସୁବିଧା ଦିଶୁଚି । ଯାହାକୁ ଯାହା ଦେଇଥିବ ସେ ଜାଣି ଗଲା, ଆଉ ଫେରିବ ନାଇଁ, ଏଣେ ସୁଧ ବଢ଼ିଲା, ଭାଉ ବଢ଼ିଲା । ଜମିମାଲିକ ଭାଗଚାଷୀକି ଠକିଲେ, ଶୋଷିଲେ, ତାଙ୍କଠୁଁ ଧଳା କାଗଜରେ ଟିପ ନେଇଗଲେ ତ ଭାଗଚାଷୀ ବି ଭାଗରେ ଠକିଲେ, ଯେ ଯାହା ପାଇଲା ସେ ତା ମାଡ଼ି ବସିଲା ଯେ ଆଉ ମୁକୁଳିବା ନାଁ ନାଇଁ ! ଭାଇ ଭାଇରେ ଭିନେ,ପରିବାର ଭାଙ୍ଗିଯାଉଚି, ଘର ଘର ଭିନେ ପନ୍ଥା, ଗାଁରେ କାହାରି ସଙ୍ଗରେ କାହାରି ମନ ମିଳୁ ନାଇଁ, ଯେ ପାରିଲା ସେ ଚଳିଲା, ଯେ ନ ପାରିଲା ତା ଘରେ ଉପାସ । ଏଇଆ ହେଲାଣି ଗାଁସବୁ । ଅସଲ ଆପଣା ଭିତରେ ତ ଘୁଣ ଧରିଚି, ମଣିଷର ନିଜ ବୁଦ୍ଧି ବିଚାର ଲୋପ, ଗୋଡ଼ରେ ବଳନାଇଁ ଟଳ ଟଳ, ପଦାରୁ ଯେତେ ଯେ ସାହାଯ୍ୟ କଲେ ତା ଅବସ୍ଥା ଭଲ ହେବ କୁଆଡ଼ୁ ? ମଣିଷପଣିଆଁ ଯେଉଁଠି ଭୁଷୁଡ଼ି ପଡ଼ୁଚି ସେଠି ପଦାରୁ ଟଙ୍କା ଆସି ସଡ଼କ କୂଅ ପୋଖରୀ ହେଇଗଲେ କ’ଣ ଭାଙ୍ଗିଲାଘର ଯୋଡ଼ିବ ନ ମଣିଷ ସୁଖରେ ରହିବ ? ”

 

‘‘ଏକାଠି ହେବାକୁ ପଡ଼ିବ । ଆମେ ଯେମିତି ଏଠି କଲେଇଁ ସେମତି ଏକାଠି ହେବାକୁ ପଡ଼ିବ । ନ ହେଲେ ରକ୍ଷା ନାଇଁ ।’’

 

ବହୁ କଣ୍ଠରେ ଏହିପରି ଶୁଭିଲା ।

 

ସାଧୁ ଜେନା କହିଲେ, ‘‘ଏକାଠି ନ ଚଳିଲେ କାହାରି ସୁଖ ନାଇଁ, କହରି ଥାଇତା ନାହିଁ । ଖାଲି ପରସ୍ପର ହିଂସାରେ ଲୋକେ ଜଳୁଛନ୍ତି । ଟଙ୍କା ରଖିଗଲେ କି ଜମି ରଖିଗଲେ ସେଇଟା ପୁଅ ନାତିଙ୍କି ଭୋଗ ହେବ ଏ ବିଶ୍ୱାସ ଆଉ ନାଇଁ । ବରଂ ଗାଁ ଯାକ ଏକାଠି ହେଲେ ମଣିଷ ସୁସ୍ଥରେ ଆଖି ବୁଜିପାରିବ ଯେ ପିଲାଛୁଆଙ୍କୁ ଗାଁ ପୋଷିବ ପାଳିବ, ଭଲ ମନ୍ଦକୁ ଦାୟୀ ରହିବ, ଜଣକ ପାଇଁ ଏତେ ଲୋକ ଲଗା ରହିଲେ ।’’

 

“ସେଇଆ ତ କଥା, ସେଇଆ ତ କଥା–’’ ଚାରିଆଡ଼ୁ, ଉଲ୍ଲାସରେ ଚିତ୍କାର ଶୁଭିଲା ।

 

ରଘୁ ଜେନା ଏ ଗାଁର ଜଣେ ବୁଦ୍ଧିଆ ପୁରୁଖା ମଣିଷ । ପରିଷ୍କାର ଜିକିଜିକି ଗୋରା, ଓସାର କପାଳ, ବଳିଲା ବଳିଲା ହାତ ଗୋଡ଼, ଦେଖିବାକୁ ଅଳ୍ପ ବାଙ୍ଗର । ଠିଆ ହୋଇ କହିଲେ, “ସେଇଆ ସତ ଯେ, ଏ ମେଣ୍ଟ ଏ ମନ ରହିଲେ ହେଲା ।’’ ଚହଳ ଥମ୍ବିଗଲା, ସମସ୍ତେ ତାଙ୍କ ଆଡ଼କୁ ଅନାଇ ରହିଲେ । ସେ ଟିକିଏ ତୁନୀ ହେଲେ । ତା’ ପରେ କହିଲେ, ‘‘ଆମେ ସତ୍ୟ କରିଚୁଁ, ଆମେ ହଲପ ନେଇଚୁଁ, ଆମେ କଥାଟାକୁ ବୁଝିଛୁଁ, ଏକାଠି ହେଇଚୁଁ, ଆମ ଗାଁ ଗୋଟିଏ ଛୋଟିଆ ଗାଁ, ଏଠି ବାର ନୀତିର ଭେଦାସୁର ବାଣାସୁର ନାହାନ୍ତି । ଆମେ ମେଣ୍ଟ ହେଇ ପାରିଥାଇଁ ଯେ, ଆମେ ଥାଇଁ କୋଉଠି ? ଚାରିପାଖେ କ’ଣ ଅଛି ? ଆମେ କ’ଣ ଦୁନିଆ ବାହାର ? ଏ ଦୁନିଆରେ କ’ଣ ଚଳୁଚି ତ ଶୁଣିଲ । ମନ ଯଦି ଟାଣ ନ ରଖିଲ ପୁଣି ତମ କାନରେ ଅନ୍ୟମାନେ ଫୁଙ୍କିବାକୁ ଆସିବେ । ପୁଣି ୟାର ତାର ଦେଖି ତମ ମନ ହନ୍ତସନ୍ତ ହବ, ଆଖି ଝଲସିବ । ସେଉଠୁ ପୁଣି ୟାକୁ ତାକୁ ଲୁଚେଇ ଜଣେ ଜଣେ ଅଲଗା ଅଲଗା ପାଣ୍ଠି କରିବେ । ସେଉଠୁ କିଏ କହିବ ଯା ହୋ, ରଖ ତମର, ଆମର ଯେମିତି ଚଳୁଥିଲୁ ସମସ୍ତେ ଯେମିତି ଚଳୁଚନ୍ତି ସେମିତି ଚଳିବୁ । ଗୋଟାଏ ପିଟିଲେ ଫେର୍ ଆଉ ଗୋଟାଏ, ସେଇଠୁ ଆଉ ଗୋଟାଏ, ସେଉଠୁ ଯାହା ଥିଲା ସେଇଆ । ଏ ଦି’ଗୋଡ଼ିଆଟି, ପାଞ୍ଚ ମନ ପଚିଶି ପ୍ରକୃତି, ତହିଁରେ ପୁଣି ଏ କୋଉ ସତ୍ୟ ଯୁଗ ହେଇଚି, ଏ କଳିକାଳ ପରା–’’

 

‘‘ନାଇଁ ନାଇଁ ସେମିତି ହବ ନାଇଁ–’’ କେତେ ଲୋକ ଏପରି କହିଲେ, କେତେ ଲୋକ ଗୁମ୍ ହୋଇ ରହିଲେ, ମାଇପଙ୍କ ଭିତରେ ବେଶି ଆଲୋଚନା ଲାଗିଗଲା । ତା’ପରେ ସମସ୍ତେ ଅନାଇଲେ ରଘୁ ଜେନାଙ୍କ ମୁହଁକୁ । ଦମ୍ଭ ଉଞ୍ଚ ନାକ ଉପରେ ପାଟି ଉପରେ ଅସ୍ତ ବେଳର ନାଲି ଆଲୁଅ ପଡ଼ିଛି, ସରୁ ଓଠ ଜାବ ପଡ଼ି ରହିଛି, ପଥର ପରି ସେ ମୁହଁ ନିସ୍ତରଙ୍ଗ । ଦୂରକୁ ଅନାଇ ଭାବିଲା ପରି ସେ ଦିଶିଥାନ୍ତି । ଟାଣୁଆ ଲୋକ ରଘୁ ଜେନା, ଭାସି ଯାଆନ୍ତି ନାହିଁ, ବୋଧା ବିଚାର । କ’ଣ ଗୋଟାଏ ଭାବୁଚନ୍ତି ବୋଲି ଲୋକଙ୍କ ନିଘା ତାଙ୍କରି ମୁହଁ ଉପରେ ।

 

ରଘୁ ଜେନା କହିଲେ, “ଏ ଆମର ଜୀବନର ଚଳଣି, ବଞ୍ଚିବା ମରିବା ଘର କରିବା ସଂସାରରେ ରହିବା କଥା । ଆମେ ଗୋଟାଏ ନୂଆ କଥା କରୁଥାଇଁ, ଗୋଟାଏ ନୂଆ ରାସ୍ତା ଫିଟୋଉଥାଇଁ । ଆମ ଦେଶରେ ଏମିତି ଲୋକେ ଆଗେ ଚଳୁଥିଲେ ଶୁଣିଚୁଁ ଯେ ସେ କୋଉ ପୁରୁଣାଯୁଗର କଥା, ଆମର ତା’ମନେ ନାଇଁ । ନୂଆ କାମ କଲେ କେଡ଼େ ବିଶ୍ୱାସ ଜୋର ଦରକାର, କେଡ଼େ ମନ ଦରକାର । ଆପଣା ମନକୁ ତ ପାରି ହେବ ନାଇଁ, ସେଉଠୁ ଅଛି ଘରଣୀମାନଙ୍କ ମନ, ଛୁଆପିଲାଙ୍କ ମନ, ସମସ୍ତେ ବିଶ୍ୱାସ ନ ରଖିଲେ ଏ ମେଣ୍ଟ ରହିବ ନାଇଁ । ବିଶ୍ୱାସଟା ଖାଲି ଦଣ୍ଡକର ବିଶ୍ୱାସ ହେଲେ ଚଳିବ ନାଇଁ, ଆର ଦଣ୍ଡକୁ ଭୁଲି ହେଇଯିବ, ମନ ଛାଡ଼ିଯିବ । ଏ ଖାଲି ଖୁସି ମଉଜିଆ କଥା ନୁହେଁ, ଯାନିଯାତ୍ରା କଲା ପରି ନୁହେଁ । କିଏ ୟାକୁ ଧର୍ମମତ ସଙ୍ଗରେ ଯୋଡ଼ିଦେବ, ଦଉ, କୋଇ ଧର୍ମମତକୁ ମାନି କିଏ ଚଳିପାରୁଚି ସବୁଦିନେ ? ସେଇଥିପାଇଁ କହିଲି ଏ ସଦାଦିନିଆ ଜୀବନର ଚଳଣି । ଏଥିରେ ସମସ୍ତିଙ୍କର ଲାଭ ଅଛି ଜାଣିଲେ ବୁଝିଲେ ଲୋକେ ଏ ପନ୍ଥାକୁ ଧରିଥିବେ, ପେଟସୁଖ ଦେହକୁ ସୁଖ ମନକୁ ସୁଖ ଚାରିଆଡ଼ୁ ସୁଖ ଯଦି ଏ ଆଖି ଦେଖୁଥିବ ବିଶ୍ୱାସରେ ବଳ ରହିଥିବ । ସେ ସୁଖ ତା’ ମନକୁ ମନ ଆସିବ ନାଇଁ, ଖାଲି ଗାଇବୁଲିଲେ ଆସିବ ନାଇଁ, ପିଲା ମାଇପେ ବଡ଼ ମଣିଷ ସମସ୍ତେ ଲାଗିପଡ଼ି କାମ କଲେ ଏ ଚାଲିବ । ନାଇଁ ଯଦି ଭାବିବ କୋଠରେ ତ ଚଳିହଉଚି ପରିଶ୍ରମ କାଇଁ କରିବା, ତେବେ ନିହାଲ ଆଉ କ’ଣ ? ଜଣେ ଠାପୁଆ ଅଳସୁଆ ମଣିଷ ବାହାରି ପଡ଼ୁନା, ସେଉଠୁ ଦେଖିବେ ତା’କୁ ଦେଖି ଏ ହାତ ଟେକି ବସିଲାଣି ତ ସେ ପଶାପାଲି ମେଲିଲାଣି, ଆଉ ଜଣେ ଗଲାଣି ମୃଦଙ୍ଗ ବାଡ଼େଇବାକୁ । କୋଠ ଘରସବୁ ଭାଙ୍ଗେ କେମିତି, ଏମିତି ତ ? ଆଉ ଏ ତ କୋଠ ଗାଁ । ବିପଦ କେତେବେଳେ କୁଆଡ଼ୁ ଆସୁଚି ତାକୁ ନିଘା ରଖି କାମ କରିଯିବା ଦରକାର, ନଇଲେ ଖାଲି ନ୍ୟାୟ ନୀତି ଗପି ପୁରାଣ ପଢ଼ି ଘର ସଜାଡ଼ି ହେଲାଣି ନା ହେବ ? ଏଇଟା ମନ ବଳ, ଯେ ଇଞ୍ଜିନ, ୟେ ନ ଥିଲେ ସବୁ ଚୁଲୀକି ଯିବ, ବିଚାରଟା ଆଗ । ତେବେ ଇଞ୍ଜିନ ସାଙ୍ଗକୁ ଚକ ନ ଥିଲେ ବିଚାର ସାଙ୍ଗକୁ କାମ ନ ଥିଲେ ତୁଚ୍ଛା ଆସନରେ ବସି ବାବାଜିଗିରି ହବ ସିନା, କାମ ହବ ନାଇଁ ।’’

 

ଧୋବେଇ ମିଶ୍ର ଉଠିପଡ଼ି ହସି ହସି କହିଲେ, ‘‘ଜେନାଏ ଯାହା କହିଲେ ଏ ଅକ୍ଷରେ ଅକ୍ଷରେ ସତ, ବିଘ୍ନ ବହୁତ, ବିପଦ ବହୁତ । ଏ ବିପଦକୁ ତରିବାକୁ ଗୋଟିଏ ମାତ୍ର ବାଟ, ଆପଣା ବିଚାର । ଖାଲି ମୁଁ କହିଲି କି ସେ କହିଦେଲା ବୋଲି ବିଶ୍ୱାସ କରିନେଇ ନିଜ ବିଚାରକୁ ନିଦରେ ଶୁଆଇଦେଲେ କିଛି ହବ ନାଇଁ । ସେ କାମ ଅଢ଼େଇଦିନିଆ, ସ୍ୱପ୍ନ ଦେଖିଲା ପରି କ୍ଷଣକର କଥା, ସ୍ୱପ୍ନ ଭାଙ୍ଗିଗଲେ ଗଲା । ଏ ଯୋଉ ଯୁଗ ଆସିଚି ସେଥିରେ ଆପେ ପରିଶ୍ରମ କରି ବୁଝି ବିଚାର କାମ କରିବା ବି ଆଉ ନାଇଁ, ଯେ ଯାହା ମତେଇଦେଲା ଯଦି ମନକୁ ପାଇଲା ଦେ ହାତ ଟେକ । ଆପେ କିଛି ଗଢ଼ିବାକୁ ତିଆରି କରିବାକୁ କାହାରି ମନ ନାଇଁ, ଆଉ କିଏ ଗଢ଼ିଦେବ, ହାତ ପାଖରେ ପହଞ୍ଚେଇ ଦେବ, ସେଇଆକୁ ବ୍ୟବହାର କର । ଲୋକେ ସାମାନ୍ୟ ଦାନ୍ତକାଠି ଭାଙ୍ଗିବେ ନାଇଁ ପରା, ଗୁଡ଼ାଖୁ ଘଷିବେ । ପିଠାପଣା କରିବା କଥା ଉଣା, ସବୁଥିକି ଦେ କିଣିଆଣ । ସେମିତି, ମତଗୁଡ଼ାକ ବି ତିଆରି ମତ, ଦେ ଧରିପକା ଗୋଟାକୁ, ଆଖିବୁଜି ବାଟ ଚାଲ, ଅନ୍ୟମାନେ ତ ଅଡ଼େଇ ନେବେ ଆମର ଏତେ ଆଖି ଖୋଲି ଅନେଇବା କ’ଣ ଦରକାର ? ସବୁ ଚାଲିବ କଳରେ, ମଣିଷ ମନ ବି ଚାଲିବ କଳରେ । ଏମିତି ହେଲେ ପର ହାତରେ ଫୁଲୁକମ ହୋଇ ନାଚିବା ଛଡ଼ା ଆଉ କ’ଣ ହବ ? ସମସ୍ତେ ହେବେ କଣ୍ଡେଇ, ଦଉଡ଼ି ଧରି ନଚୋଉଥିବ ଅନ୍ୟ ଲୋକ । ସେଥିରେ ଏବେ କୋଉ ଥାଇତା, ଆଜି ଏ ନଚେଇଲାଣି କାଲିକି ସେ ନଚେଇବ |

 

ଏମିତି କଣ୍ଢେଇ ନାଚର ଗୋବର୍ଦ୍ଧନମାନେ ଗାଁକୁ ଗାଁ ଗଢ଼ିହେଇ ଉଠୁଛନ୍ତି, ଗୋଟାଏ ଧ୍ୱନି ଉଠୋଉଚନ୍ତି, ଆଶା ଦେଖାଉଚନ୍ତି, ଲୋକେ ତାଙ୍କ ପଛରେ ବାଇ ହେଇ ଧାଇଁ ଯାଉଚନ୍ତି, ପଣ୍ଡା ପଛେ ପଛେ ଯାତ୍ରୀ ପୋଢ଼ ପରି । ସେମାନେ ସେଉଠୁ ହଉଚନ୍ତି ନେତା । ଉପରେ ହାକିମ କି ବେପାରୀ କି ବଡ଼ ବଡ଼ ନେତାମାନଙ୍କ ପାଖକୁ ତାଙ୍କରି ଧାଁ ଧପଡ଼ ବେଶି, କ’ଣ ନା ଆମୁକୁ ଧର, ଆମେ ଭୋଟ କରେଇଦବୁ, ଗାଁଲୋକଙ୍କୁ ମଙ୍ଗେଇ ଉନ୍ନୟନ କାମ କରେଇଦବୁ, ଯା କରେଇଦବୁ, ତା’ କରେଇଦବୁ । ତଳେ ଲୋକଙ୍କୁ ବି ସେମାନେ ଭୁଲାଉଛନ୍ତି ଯେ ବାହାରୁ ସାହାଯ୍ୟ ଅଣେଇ ଆମେ ଯା କରେଇଦବୁ, ତା’ କରେଇଦବୁ ।

 

Unknown

ମଝିରେ ସେମାନେ, ଚିତଳମାଛ ।

 

ଧର ସାହାଯ୍ୟ ବି ଆସିଲା, ଟଙ୍କା ଆସିଲା ଦେଶର ଉନ୍ନତି ହେବ, ସମସ୍ତିଙ୍କର ଲାଭ ହେବ ବୋଲି । କ’ଣ ହେଲା ? ଭାଗେ ତାଙ୍କରି ପାଟିରେ ପଶିଲା ସେଇମାନେ ଘର କଲେ । ସଡ଼କ ହେବ ତ ତାଙ୍କରି ସାହିବାଟେ କି ତାଙ୍କରି ଅମାରବାଟେ, ଜମିବାଟେ । ପୋଖରୀ ହେବ ତ ତାଙ୍କରି ବାରି ପଛଆଡ଼େ, ଜମି ପଛଆଡ଼େ । ପୋଲ ତାଙ୍କରି ଯିବା ଆସିବା ବାଟରେ । ମାଛ ତେଲରେ ମାଛ ଭାଜିଲେ, ଥୋଡ଼ାଏ ଲୋକଙ୍କୁ ହାତରେ ରଖିଲେ, ଦଳ ବଢ଼େଇଲେ, ତାଙ୍କରି ହାତରେ ମଣିଷ, ମଣିଷଙ୍କ ହାତରେ ଭୋଟ କ୍ଷମତା, ଜାଣି ତାଙ୍କରି ହାତରେ ଭୋଟ କ୍ଷମତା, ତାଙ୍କରି ଖାତିରି, ତାଙ୍କରି କମିଶନି । ଗାଁକୁ ବଡ଼ଲୋକ କେହି ଆସିଲେ ଆଉ ତୋରଣ ବନ୍ଧେଇ ମୃଦଙ୍ଗିଆ ଶଙ୍ଖୁଆ ଏକାଠି କରି ବାଟବରଣ କରିବାକୁ ଠିଆ ହୋଇଥାନ୍ତି କେଉଁଠି କେଉଁଠି ତାଙ୍କରି ଭିତରୁ ଜଣେ ଜଣେ ତ । ରାଜା ଜମିଦାର ଗଲେ, ଏ ଗୋଟାଏ ନୂଆ ଶ୍ରେଣୀ, ଗୋଟାଏ ନୂଆ ଶୋଷକ ପଂଝା । ସେଇମାନେ ବେପାର ବଣିକ ଭଲ ମନ୍ଦ ଅକ୍ତିଆର କରୁଚନ୍ତି, ଟିଣରେପଶି ଘିଅ ଆସିଲା କି ଗୁଣ୍ଡ ଦୁଧ ଆସିଲା ଗାଁରେ ବଣ୍ଟାହେବା ପାଇଁ ତ ଦେଖିବ ତାଙ୍କରି ଘରେ । ‘‘ଦ୍ୱୟୋବିବାଦେ ତୃତୀୟସ୍ୟ ଲାଭଃ ।’’ ଗାଁଲୋକେ ଗୋଟି ଗୋଟିକିଆ ହେଲେ ତ କାନି ମେଲେଇ ଖିଅ ଧରିଲେ ସେଇମାନେ । ତାଙ୍କରି ରାୟ ରାଜୁତି, ତାଙ୍କ ତଳେ ଯେତେ ରହିଲେ ସେମାନେ ହେଲେ ପାଳିଆ । ସେମାନେ ଶାଗୁଣା ପରି ଆମୁକୁ ବି ଆଖେଇଛନ୍ତି ।

 

ଶୁଣି ଶୁଣି ବଇ ମଳିକ ଛଟପଟ ହେଉଥାଏ, ଉଠିପଡ଼ି ବୋବେଇଲା, ‘‘ଟାଉଟରଙ୍କୁ ମାଡ଼ ।’’

 

ଆପର୍ତ୍ତିଆ ହାଙ୍କିଲା, ‘‘ଟାଉଟରଙ୍କୁ ଗାଁ ବାହାର କର ।’’

 

ଧୋବେଇ ମିଶ୍ର ହସିଲେ, କହିଲେ, “କିହୋ ଟାଉଟର ଜନ୍ମ ହଉଚନ୍ତି କୋଉ ମାଟିରୁ ? ମାଟିକୁ ଶୋଧ କଲେ ସିନା ଟାଉଟର ଯିବେ, ନ ହେଲେ ସେ ଯିବେ କେମିତି ? ଏଥିରେ କ’ଣ ମଣିଷ ଲେଖା ଅଛି ଯେ ଅମୁକ ଲୋକଟା ଟାଉଟର ସେ ଜଣକ ଗଲେ ଗାଁ ନିଶ୍ଚିତ ହେବ ? ଲୋକେ ଲୋଭରେ ପଡ଼ି ରାତିକା ରାତି ବଡ଼ଲୋକ ହେବେ ବୋଲି ଠକ ବାବାଜୀଙ୍କ ହାବୁଡ଼େ ପଡ଼ନ୍ତି, ଟଙ୍କାକ ଦେଲେ ଦି’ଟଙ୍କା ହବ ବୋଲି ବିଶ୍ୱାସ କରି ତାଙ୍କ ହାତରେ ଧନ ଥୋଇଦିଅନ୍ତିଟି ? ଆମେ ଯଦି ଜଣେ ଆଉ ଜଣକୁ ମାଡ଼ିଦଳି ମୁଁ ମୁଁ ହେଇ, ହମ ହମ ହଉଥିବୁ, ଆପଣା ବଳରେ କିଛି ହବ ବୋଲି ବିଶ୍ୱାସ ନ କରି ପରର ଆଶ୍ରା ଖୋଜୁଥିବୁ, କାଠିରେ ନଚେଇବାକୁ ବଳେ ଆମରି ଭିତରୁ ନୂଆ ଟାଉଟର ବାହାରୁଥିବେ । ଦେଶଟା ସେଡ଼େ ରସାତଳକୁ ବୋଲି ଯାଇ ନାଇଁ, ବୁଦ୍ଧି ତେଜୁଛି, ଲୋକେ ଧୀରେ ଧୀରେ ହୋ’ରେ ମାତିବା ଭୁଲ ବୋଲି ବୁଝିଲେଣି, ନିଜ ନିଜ ବିଚାର ଖେଳେଇଲେଣି, ଆହୁରି ଖେଳେଇବେ, ତେବେ ବିପଦ କେଉଁଠି ଜାଣିରଖିବା ଦରକାର । କ’ଣ କଲେ ଭଲ ହେବ ନିଜେ ଭାବିବା ଦରକାର । ମୁଁ, ମୁଁ ହେଇ ହୀନବଳ ଖେଳଣା କଣ୍ଢେଇ ନ ହୋଇ ଗୋଛାହୋଇ ବଢ଼ିଉଠି ସମସ୍ତିଙ୍କର ଭଲ ହେଲେ ସମସ୍ତେ ଟାଣ ହେବେ, ଏମିତି ବାଟ ଧରିବା ଦରକାର ।’’

 

ତା’ ପରେ ରବି କହିଥିଲା, ‘‘ସ୍ନେହ ଶରଧାରେ ଆମେ ଏକାଠି ହେଇଚୁଁ ଏକାଠି ଚଳୁଚୁଁ ସମସ୍ତିଙ୍କର କେମିତି ଭଲ ହେବ ବୋଲି । ମନରେ ଯେତେବେଳେ ଯେଉଁ ସନ୍ଦେହ ଆସୁଛି ତାକୁ ଆଲୋଚନା କରିନେବା ଭଲ । ନିଆଁକୁ ଲୁଚେଇଲେ କାହାରି ଭଲ ହେବ ନାହିଁ । କିଏ ଭିନେ ବାଟ ଧରିବ କହିପୋଛି ଭୁଲିଯାଉ, ଆଇନ୍‌ର ବାଧ୍ୟବାଧକତା ନାହିଁ, ଜବରଦସ୍ତି ନାହିଁ, ମନ ନ ବୁଝିଲେ ଅଟକେଇବାକୁ କିଛି ନାଇଁ । ସବୁ ଆପଣା ରୁଚି ।’’

 

ହସ ପାଟି ଚହଳ ଶୁଭିଥିଲା, ସେମାନେ କହିଥିଲେ–ଏଇ ଯାହା ଚାଲିଚି ନାହିଁ ନ ଥିବାର ଭଲ ଚାଲିଚି, ଏଇ ମେଣ୍ଟ ଯୁଗେ ଯୁଗେ ରହିଥିବ ।

 

ଏମିତି କେତେ ଆଲୋଚନା, କେତେବେଳେ ଏକାଠି ଦଳରେ ବସି, କେତେବେଳେ କାମ ଉପରେ, ସେ ବିଚାର ସଫା କରେ, ବିଶ୍ୱାସ ଦୃଢ଼ କରେ । ଗାଁ ତା’ର ଏ ନୂଆ ବାଟରେ ଚାଲିଛି, ବେଳୁବେଳ ଉତ୍ସାହ ବଢ଼ୁଛି । ବୁଦ୍ଧି କାହାର ଏକଚାଟିଆ ନୁହେଁ, ନାନା ପାତ୍ରରେ ନାନା ସଦ୍‌ବୁଦ୍ଧି, କେତେବେଳେ କାହା ମୁଣ୍ଡରୁ କେଉଁ ଭଲ କଥା ବାହାରୁଛି, ଲାଗୁଛି ସମସ୍ତିଙ୍କି ଏ ହିତ, ସତେ ଯେପରି କି ସମସ୍ତେ ଏପରି ଭାବୁଥିଲେ । ରବି ଏଠି ନେତୃତ୍ୱର ଗୌରବ ଦାବୀ କରେ ନାହିଁ, ତାର ବି ବିକେନ୍ଦ୍ରୀକରଣ ହୋଇଛି, ରବିର କାମ ଭାବିବା, ଗଭୀରଭାବେ ତନ୍ମୟ ହୋଇ ଭାବିବା, ଅନ୍ୟମାନଙ୍କୁ ଭାବିବାକୁ ସୁବିଧା କରିଦେବା, ସହଯୋଗ ଲଗାଇବା, ସବୁଠୁ ବଡ଼ କାମ ନିଜକୁ ଦଣ୍ଡେ ଫୁରୁସତ୍‌, ଦଣ୍ଡେ ଅଳସ ଅବକାଶ ନ ଦେଇ ବାର୍ଯ୍ୟରେ ଲଗାଇବା, ଏ ଦେହଟା ଯେତେଦୂର ପରିଶ୍ରମ କରିପାରିବ ତାଠୁଁ ସେତେ କାମ ଅସୁଲ କରିନେବା । ତାକୁ ଲାଗେ, ଯେଉଁ ସ୍ୱପ୍ନର ମଞ୍ଜି ସେ ଏ ମାଟିରେ ପୋତିଦେଇ ଝାଳ ଢାଳି ଢାଳି ଗଜା କରେଇଲା ସେଇଟା ସତେ କି ତାର ନୁହେଁ, ବରଂ ସେ ନିଜେ ସେହି ସ୍ୱପ୍ନର ହିଁ ଗୋଟିଏ ସେବକ, ସେ ସ୍ୱପ୍ନ ତ ଆପେ ଥିଲା ଏଇ ଆକାଶରେ, ଆପେ ତା ପାଇଁ ଯୁଗେ ଯୁଗେ ରହିଥିଲା । ଏଇ ମାଟି, ସେ ଆପେ ଓହ୍ଳାଇଲା, ଆପେ ଅଙ୍କୁରିଲା, ଆପେ ବଢ଼ିଉଠିଲା । ଦୂରରୁ ଆଡ଼େଇ ହୋଇ ଚାହିଁଲା ପରି ଅନାଏଁ ସେ ଏ ଗାଁକୁ, ଲାଗେ ଏଇଠି ତାର ପୁନର୍ଜନ୍ମ ହୋଇଛି, ଏଇଠି ସେ ହେଲା ନୂଆ ମଣିଷ । ଏତେ ମିଳିତ ହାତର କାରିଗରୀ ଦେଖେ, ବିସ୍ମିତ ହୁଏ, ଆଶା ଉତ୍ସାହରେ କାମରେ ଲୋଟିପଡ଼େ ପରମ ତୃପ୍ତିରେ । ତାର ପରିଶ୍ରମୀ ଦେହ ବିଚାରରେ ଘଷାମଳା ମୁହଁର ଛବି କେମିତି ତାକୁ ଆଉ ପ୍ରକାର ଠାଣିରେ ଅପେ ସଜାଇ ନେଇଛି । ଚିନ୍ତା ଓ କାର୍ଯ୍ୟ ଅନୁସାରେ ତାର ରୂପରେ ନୂଆ ଛବି ଫୁଟି ଉଠିଛି, ସେହି ତାର ନୂଆ ରୂପ ।

 

ବାପା, ବୋଉଙ୍କୁ ଦେଖିବାକୁ ମଝିରେ ଥରେ ଯାଇଥିଲା, କିନ୍ତୁ ସେଠି ଦି’ଦିନରୁ ତିନି ଦିନ ଅଟକି ରହିପାରିଲା ନାହିଁ । ବାପ ପୁଅ ସଙ୍ଗେ ବସି ଦୁଃଖସୁଖ ହେବାକୁ ଜୀବନରେ କେବେ ଅଭ୍ୟାସ କରି ନ ଥିଲେ ; କିନ୍ତୁ ଏଥର ସେ ଚେଷ୍ଟାକରିଥିଲେ । ନିଜର ସ୍ୱାସ୍ଥ୍ୟ କେମିତି ଧୀରେ ଧୀରେ ଖରାପ ହୋଇଯାଉଛି, ଘର ବିଷୟରେ ବଡ଼ପୁଅ କବି କେମିତି ଉଦାସୀନ ଓ ସେ କେମିତି ରବିକୁ ହିଁ ଆଶା କରିଥିଲେ, ଏହିପରି ନାନାପ୍ରକାର ବୁଲେଇ ବଙ୍କେଇ ଆପଣାର ଦୁର୍ବଳପଣ ଓ ଅସହାୟତାକୁ ବଳ ଓ ଭରସା କରି ତାର ମନ ବଦଳାଇବାକୁ ଚେଷ୍ଟାକରିଥିଲେ । ସେହି ଟାଣୁଆ ମଣିଷଙ୍କ କଥାର ମଞ୍ଜରେ ସତେ କି ଶୁଭିଯାଉଥିଲା ରୁନ୍ଧିଲା ପରି କାନ୍ଦଣାର ସ୍ୱର, ଅଭିମାନରେ ଓଦା ଓ ଉଷୁମ ।

 

ବୋଉ ଅଳ୍ପ କହିଥିଲେ, ଯେପରି କି ସବୁ ସରିଯାଇଛି, କହିବାକୁ କିଛି ନାହିଁ, କେବଳ ଲୁହ, ଦୀର୍ଘଶ୍ୱାସ । ଶେଷରେ କହିଥିଲେ, ‘‘ତୁ ଏଇଠି ରହ, ନ ହେଲେ ଯୋଉଠି ଅଛୁ ମତେ ନେଇଯା ସେଠିକି, ଆଉ କ’ଣ କହିବି, ମୋର କି ବଳ ଅଛି ତତେ କ’ଣ କହିବି କହ ? ‘‘ସେ ଇଙ୍ଗିତ ଦେଇଥିଲେ, ମନ ହେଲେ ସେଇ ସେ ସିନ୍ଧୁ ଚୌଧୁରୀ ଘରେ ସେ ବିଭା ହେଉ, କିଏ ଆପତ୍ତି କରିବ ? ଖାଲି ସେ ପୁଣି ତା’ ଘରକୁ ଫେରିଆସୁ ।

 

ସେ ବୁଝି ପାରିଥିଲା, ସେମାନଙ୍କ ଜୀବନର ଧାରାରେ କୁଆଡ଼ୁ କେମିତି ହୋଇ କେଡ଼େ ବଡ଼ ତୋଫାନ ବୋହିଯାଇଛି, ସବୁ ଥାଇ ସେମାନେ ନିଃସହାୟ, ସେମାନେ ତାର ସାଙ୍ଗ ଲୋଡ଼ୁଛନ୍ତି । ‘‘ଯାହା କରିବାକୁ ମନ କରୁଛୁ ଏଇଠି କର; ଏଇଠି ଥା, ଆମେ ତତେ ଅନାଇଁ ବଞ୍ଚିବୁଁ-! ‘ଏହିପରି ସେମାନଙ୍କ ହାବଭାବର କାତର ଅନୁନୟ । ଗାଁ ଲୋକଙ୍କର ଅନୁନୟ କେବଳ ହାବଭାବରେ ନୁହେଁ ସେମାନେ ବେଢ଼ିରହି ନାନାପ୍ରକାର ବୁଝାଇଥିଲେ, ପ୍ରତିଶ୍ରୁତି ଓ ସାହାଯ୍ୟ ଯାଚିଥିଲେ ।

 

ସବୁ ଥିଲା ଗୋଟାଏ ପାଖେ, କିନ୍ତୁ ଆପଣା ଭିତରେ ଥିଲା ଗୋଟାଏ ପ୍ରବଳ ଆବେଗର ଅହରହ ଠେଲା, ସେ ତାକୁ ଅଟକି ରହିବାକୁ ଦେଲା ନାହିଁ, ଚୁପହୋଇ ଶାଢିରେ ସେଠି ସେ ମୁହୂର୍ତ୍ତେ ବସି ରହିଲା ନାହିଁ । ବାପା ବୋଉକୁ ଝଟ୍‍ଝଟ୍ ଦଣ୍ଡବତ କରି ସ୍ୱପ୍ନରେ ଭାସିଆସିଲା ପରି ପାହାନ୍ତି ଅନ୍ଧାରୁ ପୁଣି ସେ କର୍ମସ୍ଥଳୀକୁ ଲେଉଟି ଆସିଥିଲା ।

 

ଖାଲି କାମର ନିଶା ନୁହେଁ କାମର ନିଶା ତାର ପିଲାଦିନୁ ଥିଲା, ଲାଗିଥିଲେ ଲାଗିଥାଏ, ଖରାରେ ପଦାରେ ଖଟି ଖଟି ଧୂଳି ଝାଳ ହୋଇ ଘରକୁ ଫେରେ, ବାପାଙ୍କଠୁଁ ବୋଲଣା ଶୁଣେ ।

 

ଖାଲି ନୁହେଁ ସେହି ଜାଗାର ମୋହ, ଯଦିଚ ଜାଗାଟା ତାକୁ ଭଲ ଆରେଇଛି, ଭିଡ଼ି ଓଟାରି ଧରିଛି ତାର ନିଘାକୁ, ଆତ୍ମାକୁ । ଯେତେ ଥର ପଦାରୁ ଆସିଲେ ଗହୀର ସେପାଖରୁ ଦୂରରୁ ସେ ଦେଖେ ଏ ଗାଁର ଝଙ୍କା ଗଛଗୁଡ଼ାକୁ, ଅନ୍ଧି ସନ୍ଧି ମନେ ପଡ଼ିଯାଏ, ପୁଣି ସେହି ପୁରୁଣା ଥଳ ପାଇଁ ମନ ଭିତରେ କୁତୂହଳ ଆସେ, ଯେମିତି ପିଲା ହୋଇ ଅରମାରେ ବୁଲୁ ବୁଲୁ ସେ କ’ଣ ଆବିଷ୍କାର କରି ପକାଇଛି, ଡେଙ୍ଗା କିଆଭେଡ଼ା ମଝିରେ କେଉଁଠି ଅରାଏ ଲୁଚିଲା ଛପିଲା ଥାନ, ଯେମିତି ଆଉ କେହି ଦେଖି ନାହିଁ, ଏକୁଟିଆ ଖାଲି ସେ, ମନକୁ ମନ ଗୁଣୁ ଗୁଣୁ ହୋଇ ଭାବୁଥିବ ଏ ଜାଗାଟି ମୋରି ଆବିଷ୍କାର, ଏକା ମୋରି ପାଇଁ, ଏଇଠି ଆପଣା ଅନ୍ତରଟିକୁ ମେଲି ଦେଇ ହେବ, ଟାଣ କରି ନିଶ୍ଵାସ ଓଟାରିନେଲେ ଲାଗୁଥିବ କେଡ଼େ ସଜ, କେଡ଼େ ଉଶ୍ୱାସ ।

 

ସେହି ସ୍ଥାନର ମୋହରେ ବାନ୍ଧି ହୋଇ ଫୁଲଶରାକୁ ଚାହିଁଥିଲା ବେଳେ ଯେତେ ଯାହା ସେଠି ଘଟିପାରିଛି କେବଳ ସେତିକି ମନେ ପଡ଼େ ନାହିଁ, ସେ ତ ଅଛି, ଛୋଟ ହେଲେ ବି ଗୋଟିଏ କୋଠଚଳଣିରେ ଗାଁ, ଏତେ ଲୋକଙ୍କ ମିଳିତ ବାହୁବଳରେ ଗୋଟିଏ ବର୍ଷରେ ସେଠି କେତେ କାମ ହୋଇପାରିଛି । ଚକବନ୍ଦି ହୋଇ ପାହାଚ ପରି ଥାକ ଲାଗିଛି ମସ୍ତ ବଡ଼ ବଡ଼ ଚକଡ଼ା । ଗାଁ ସେକରେ ବାରମାଣିଆ ପଡ଼ିଆରେ କେତେ ଜମି ବାହାରିଛି, କେତେ ତୋଟା ଲାଗିଛି, ପୋଖରୀ ଖୋଳା ହୋଇଛି, ତା ଉପରେ ବଡ଼ ପରିବା ବଗିଚା । ଗାଁରେ ସମସ୍ତିଙ୍କ ଦମ୍ଭ ଫରଚା ଘର, ପୂର୍ବେ ଅବହେଳିତ ବାଉରି ସାହିଆମାନଙ୍କ ପାଇଁ ବି । ମଣିଷଙ୍କୁ ଆଦରି ଆଦରି ଗାଁ ବଦଳିଛି, ଆଦରିବାହିଁ ବଦଳିବାର ପହିଲି ପାହାଚ । ଫସଲ ଭଲ ହୋଇଛି, ଗାଈଗୋରୁ ସୁସ୍ଥ ସବଳ । ମଣିଷ ଆଶାୟୀ, ସୁଖୀ ।

 

କିନ୍ତୁ ସେତିକିରେ ତାର ଦୃଷ୍ଟି ଅଟକି ରହେ ନାହିଁ, ସମୟକୁ ଭେଦି ଦୂରର ସ୍ୱପ୍ନ ଦେଖେ–ଦିନେ ଚେରେଙ୍ଗୀ ନଈ ଧାର ଧାର ହୋଇ ଏଇ କ୍ଷେତ ପଡ଼ିଆ ଉପରେ ବୋହିଯିବ, ଗାଁର ଅନୁଷ୍ଠାନ ଆହୁରି ବଡ଼ ହେବ, ଆହୁରି ଦୃଢ଼ ହେବ, ଆହୁରି କେତେ ଅନୁଷ୍ଠାନ ବସିବ, ଲାଗିବ କେତେ ଶିଳ୍ପକୌଶଳ ଘରେ ଘରେ, ଏ ଗାଁ ବଢ଼ିବ, କୁଆଡ଼ୁ କେତେ ଆସିବେ, ସତେ କି ବସିବ ଗୋଟାଏ ବିରାଟ ମଣିଷ ମେଳା । ଭାବୁ ଭାବୁ ଦେଖୁ ଦେଖୁ ଗାଁର ସୀମା ସରହଦ ବି ଆଖି ଆଗରେ ମିଳେଇଯାଏ, ଅପସରି ଚାଲିଯାଏ ଚିହ୍ନଟ ଗଛ କୁଦ ଘର, ବରଷାରେ କଅଁଳିଥିବା ଘାସ ପରି ଭୁରୁ ଭୁରୁ ହୋଇ ଏମିତି ଠିଆ ହୁଏ କେତେ ମଣିଷଗହଳି ଗାଁ, ସ୍ଵାଧୀନ ସୁଖୀ ମଣିଷଙ୍କ ଗାଁ, ହସ ଆନନ୍ଦ ଉଛୁଳି ଲହଡ଼ୀ ଖେଳେ ଦୂର ଦିଗନ୍ତ ଯାକେ ।

 

ଗାଁକୁ ଅନାଇଁ ବିହ୍ୱଳ ହୋଇ ଭାବୁ ଭାବୁ ସେ ଦେଖେ ମଣିଷଙ୍କ ଜୀଅନ୍ତା ଛବି - ଶାନ୍ତ, ଶାନ୍ତିପ୍ରିୟ, ସ୍ନେହୀ, ଖୁସି ଖୁସି । ଅତୀତ, ବର୍ତ୍ତମାନ, ଭବିଷ୍ୟତ ସବୁ ଏକାଠି ଆଉଟି ହୋଇଯାଏ ଗୋଟାଏ ଧ୍ୟାନରେ ଲୟ ଲଗାଇ ରୂପ ଦେଖିବାରେ, ସେତେବେଳେ ତାର ହୃଦୟ ଭିତରେ ସ୍ନେହ ଝଲଝଲ କବିତାର ଜୁଆର ଖେଳେ, ହାତର କାମ କରକୁ ଆଉଜାଇ ଦେଇ ସ୍ଥିର ହୋଇ ସେ ଅନୁଭବ କରେ । ସେ ହୁଏ ମୂକ, ନିଶ୍ଚଳ । ଗୋଟାଏ ବିଚିତ୍ର ତନ୍ମୟତା ତା’ ମୁହଁରେ ଟାଙ୍ଗି ହୋଇ ରହେ, ଦେହ ସତେ କି ନିଷ୍ପନ୍ଦ ହୋଇଆସେ ।

 

କେତେବେଳେ କେଉଁ ଅବକାଶରେ ତାର ଏ ଅବସ୍ଥା ଆସେ, ତା ନିର୍ଦ୍ଦିଷ୍ଟ ନୁହେଁ । ସେତେବେଳେ ଅବିନାଶୀ ସୃଷ୍ଟିକୁ ଲୟ ଲଗାଇ ସେ ନିଜେ ଯେପରିକି ସୃଷ୍ଟି ଭିତରୁ ଅପସରି ଯାଏ, ଏକ ଅପୂର୍ବ ଭାବୁକତା ଭିତରେ ତାର ଚେତନା ଭିତରେ ନାନା ରଙ୍ଗ, ନାନା ସଙ୍ଗୀତ ଏକାଠି ଚେଁଇଉଠେ, ମିଶେ, ସବୁ ମିଶି ହୁଏ ଗୋଟାଏ ପ୍ରବାହ, ସେହି ପ୍ରବାହରେ ସେ ନିଜେ ବି ଭାସି ଚାଲିଯାଏ ।

 

ସେମିତି ସେଦିନ ଯେତେବେଳେ ନୂଆ ହୋଇ ତିଆରି ହୋଇଥିବା ବିଲରେ ବଛାବଛି କାମ ଲାଗିଥିଲା , ଦିନ ପ୍ରାୟ ତିନିଟା ବେଳ ହେବ ସେତେ ବେଳେ ଇଗାଇଗି ଦୁଇ ଘଣ୍ଟା କାମ କରିସାରି ବିଲରୁ ଉଠି ଯାଇ ଢିପ ଉପରେ ଗୋଟିକିଆ ତାଳଗଛ ତଳେ ସେ ଘାସ ଉପରେ ବସିପଡ଼ି ଦୂରକୁ ଚାହିଁ ରହିଥିଲା ଆଉ ତା’ଉପରେ ସେହି ଲୟଯୋଗ ଓହ୍ଳାଇଥିଲା । ଦିନ ଦିନ ଝାଳନାଳ ହୋଇ ଲୋକେ ଭୂଇଁ ତାଡ଼ି ତାଡ଼ି ଭାତଥାଳି ସଜେଇଛନ୍ତି, ସବୁ ଆଶା, ସବୁ ଶରଧା ଆଉ ଦେହର ଝାଳ ଏ ମାଟିକୁ ବଳ ଯୋଗାଇଛି, ଛନଛନିଆ ହୋଇ ଗୋଛା ହୋଇ ଫୁଲି ଉଠିଛି ଧାନ ଗଛର ହାଲୁକା ଶାଗୁଆ ସମୁଦ୍ର । ଆକାଶରେ ପାତଳ ହୋଇ ମେଘ ଘୋଡ଼ାଇଛି ତଳର ହାଲୁକା ଶାଗୁଥା ନେଳିଚା ଦିଶୁଛି । ବିଲ ସେକରେ ଆହୁରି ପଦା ଜମି ପଡ଼ିଚି, ଠାଏ ଠାଏ ଗୋଟାଏ ଗୋଟାଏ ଗଛ, ତେଣିକି ଗୋଟାଏ ଆଡ଼େ ପାତଳ ବୁଦିବୁଦିକିଆ ଅରମା, ତା’ପରେ ଢାଲୁ ଓହ୍ଳାଇ ଯାଇଛି ଚେରେଙ୍ଗୀ ନଈଆଡ଼କୁ, ସେଇ ଯେଉଁଠି ଚେକା ଚେକା ହୋଇ ବହଳ ଦିଶୁଛି ବେଣାବୁଦା । ବିଲରେ ଏଠି ସେଠି ହୋଇ ଲୋକ ଦିଶୁଛନ୍ତି, ପୁରୁଷଙ୍କ ସଙ୍ଗେ ଗାଁର ସ୍ତ୍ରୀଲୋକ ବି କେତେ ବିଲକୁ ଓହ୍ଲାଇ ପଡ଼ିଛନ୍ତି । ସେହି ଯେଉଁମାନେ ଆଗେ ପିଣ୍ଡାତଳକୁ ଓହ୍ଲାଇବାକୁ କୁଣ୍ଠିତା ହେଉଥିଲେ, ବଡ଼ ଜାତି ବୋଲି ଚଳନ୍ତି ଜମିରେ ଶ୍ରମକୁ ବାରଣ ଥିଲା, ସେମାନେ ବି ସରାଗରେ ବିଲବଛା କାମ କରିବାକୁ ଆରମ୍ଭ କରିଛନ୍ତି ।

 

ଥରେ ଆରମ୍ଭ ହୋଇ ବିଚାର ଆପେ ଆପଣା ବାଟ କଢ଼ାଇ ଆଗେଇ ଚାଲିଛି । ହେଇ ତ ଖଣ୍ଡେ ଦୂରରେ ପଛପଟେ, ଦେବଦାରୁ ଗଛ ତଳେ ଯେଉଁ ନୂଆ ଘରର ହାତୀଅନ୍ଧ ଦିଶୁଛି, ବ୍ରାହ୍ମଣ ପାଣୁ ମିଶ୍ରର ଘର ପାଖରେ ସେଠି ସେ ଗେଡ଼ ମଳିକ କଣ୍ଡରାର ଘର, ଖାଲି ଜାଗା ପଡ଼ିଥିଲା ପାଣୁ ମିଶ୍ର ନିଜେ ପ୍ରସ୍ତାବ କଲେ, ରଙ୍କ ମିଶ୍ର ଘର ବାଉଁଶଯାକ ତିଦୋସ୍ତା ସନ ବାଡ଼ିରେ ଗଲା ଦିନୁ ସେ ଏକୁଟିଆ ହୋଇ ପଡ଼ି ରହିଛନ୍ତି, ଆସୁ ଗେଡ଼ ମଳିକ, ଗାଁ ଲୋକେ କେଡ଼େ ଆନନ୍ଦରେ ଘର ତୋଳିଦେଲେ । ଏକା ଦୃଶ୍ୟପଟରେ ସଜା ହୋଇ ରହିଯାଇଛି ସବୁ, ମୁଗବର୍ଣ୍ଣର ଆକାଶତଳେ ଶୁଆପଖିଆ ଧାନକ୍ଷେତ, କୁରୁମ ପିଠିଆଁ ନେଳିଆ କସରା ଢିପ ଆଉ ଚେରେଙ୍ଗୀ ନଈ କୂଳର ପାଉଁଶିଆ ବାଲିପଟା, ଗୋଟି ଗୋଟିକିଆ ତାଳ ଗଛ, କେଉଁଠି ମନ୍ଦା ମନ୍ଦା ଆମ୍ୱଗଛ ଆଉ ବାଉଁଶ ବୁଦା । ସେହି ଦୃଶ୍ୟରେ ଏକାଠି ହୋଇଛନ୍ତି ପାଣୁ ମିଶ୍ର ଆଉ ଗେଡ଼ ମଳିକ ।

 

ଉପରେ ତାଳ ପାଚି ଆସୁଛି, ନାଲିଆ ଆଉ କଳା ଚିତ୍ର ହୋଇ ଖୁନ୍ଦି ହୋଇ ରହିଛି ଫଳ, ତଳେ ଘାସରେ କସରା କସରା ଗୁଗୁଚିଆର ଥୋଡ଼ । ଘାସ ଚାଉଳ ଖାଇବାକୁ ପଡ଼ିଆଯାକ ସତେ କି ଗାଁଗୋଟାକାର ଘରଚଟିଆ ବସି ପଡ଼ିଛନ୍ତି, ଏକାଠି ଫଝା ଫଝା ଉଡ଼ିଛନ୍ତି, ଦୂରର ପଡ଼ିଆ ପକ୍ଷୀ ଝିଲି ଝିଲି ଦିଶିଯାଉଛି । ଦୂର ଆକାଶରେ ବହୁତ ଶାଗୁଣା ଉଡ଼ି ଉଡ଼ି ଗୋଟାଏ ଆଡ଼କୁ ଯାଉଛନ୍ତି, ପାଙ୍କା ନେଳିଚା ଦିଗ୍‌ବଳୟଆଡ଼କୁ ଅନାଉଁ ଅନାଉଁ ରବିର ଚେତନା ତାରି ଠିକ୍ ସାମ୍ନାର ଦେଖନ୍ତା ବସ୍ତୁ ଛାଡ଼ି ସ୍ମୃତି ଓ ଭାବକୁ ଆଶ୍ରା କରିଛି । ଘାସ ଉପରେ ଆଣ୍ଠୁ ମାଡ଼ିଦେଇ ପିଠିଆଡ଼େ ଦୁଇ ହାତକୁ ତଳେ ମାଡ଼ି ଦେଇ ସେ ଡେରିହୋଇ ବସିଛି । କପାଳ ଉପରେ ବାଳ ବିଞ୍ଚି ହୋଇ ପଡ଼ିଛି, ମୁହଁଟି ଉହୁଙ୍କି ହୋଇ ରହିଛି ଆକାଶଆଡ଼କୁ । ଖରାରେ ସିଝା ଫୁଙ୍ଗା ଦେହରେ ଠାଏ ଠାଏ କାଦୁଅ ଛିଟା ଲାଗିଯାଇଛି, ବଳି ବଳିକା ଭିଡ଼ିଲା ପରି ତା ଦେହରେ କରଡ଼ା ମାଂସପେଶୀ । ଅତି ଧୋବ ନୁହେଁ ମୋଟା ଲୁଗା ଖଣ୍ଡିଏ ଟେକିଟାକି ଦେଇ ପିନ୍ଧିଛି । ଏଇ ରବି, ସେ ବି.ଏ ପାଶ କରିଥିଲା । ତା ମୁହଁକୁ ନ ଚାହିଁଲେ ବୁଝି ହେବ ନାହିଁ ସାଧାରଣ ଚାଷୀଙ୍କଠୁଁ ତାର କିଛି ପାର୍ଥକ୍ୟ ଅଛି ବୋଲି । କେବଳ ସେହି ମୁହଁରେ ବିଚାର ଓ ଭାବୁକତାର ଗୋଟିଏ ବିଶିଷ୍ଟ ଭଙ୍ଗୀ, ସେ ମୁହଁରେ ଧ୍ୟାନ ପରିସ୍ଫୁଟ ।

 

ଅଳ୍ପ ଛାଡ଼ି ଢିପର ଢାଲୁରେ ତଳ ଖାଇର ପାଣିଆଡ଼କୁ ମୁହଁ କରି ବିଲୁଆଟିଏ ଗୋଡ଼ ଜାକିଦେଇ ପେଟେଇ ପଡ଼ି ରହିଛି, ତାର ନେଳିଚା କହରା ଲମ୍ୱ ମୁହଁରେ ଲମ୍ୱିଲା ଚତୁରପଣ ସହିତ ମିଶି ସହିବା ଅପେକ୍ଷା କରିବାର ଭଙ୍ଗୀଟିଏ ଫୁଟିଉଠିଛି । ସେ ମୁହଁରେ ବି ଧ୍ୟାନର ଠାଣି ଥିଲା ; କିନ୍ତୁ ସେ ଧ୍ୟାନ କେବଳ ତାର ବର୍ତ୍ତମାନର ପରିସ୍ଥିତି ପ୍ରତି, ସେ ଦୃଷ୍ଟି ଏ ତଳର ମାଟି ଆଡ଼କୁ ।

 

ରବିର ମନରେ ଗଭୀର ସହାନୁଭୂତି ସହିତ ମିଶି ମଣିଷର ଛବି ଖେଳୁଥିଲା, ଆଉ ସେ ଭାବୁଥିଲା ।

 

ଅଭାବରେ ନିପୀଡ଼ିତ ମଣିଷଙ୍କ ରୂପ ଖେଳି ଯାଉଥିଲା, ଯେମିତି ସେମାନଙ୍କୁ ପିଲାଦିନୁ ସେ ଦେଖିଆସିଛି ନାନା ଅବସ୍ଥାରେ, ଗାଁରେ ଭଙ୍ଗା ପଲାରେ ଭୋକରେ ରଙ୍ଗିଣା ପିଲାଗୁଡ଼ାଏ ଆବୋରି ସେମେଟାମୁହାଁ ହାଡ଼ୁଆ ରୋଗିଣା ସ୍ତ୍ରୀ ପୁରୁଷ । ମଲପାତିକୁ ବଳ ନାହିଁ, ତିନି ଓଳିରେ ଥରେ ଚୁଲୀ ଜଳିବା କଷ୍ଟ । ସହରରେ ରାସ୍ତାରେ ଛେଲୁଆ ଧରି ଭିକାରୀ ପଲ, ସଡ଼କ କରରେ ଗଛ ତଳେ ପଡ଼ିଆରେ ଟେସନପାଖେ ପଲ ପଲ ଭଙ୍ଗା ପରିବାର, ମଣିଷ ଘରକରଣାର ସବୁ ପଦାରେ ପକାଇ ଖୋଲା ଆକାଶ ତଳେ ବିଛେଇ ହୋଇଥିବେ । ସହର ମଝିରେ ଦିନ ଦି’ପହରେ କେଉଁ ଆଡ଼ରୁ ଆସି କାହା ଘର ବୋହୁ ଝିଅ ଇଟା ବୋହୁଛନ୍ତି । ଷାଠିଏବର୍ଷର ବୁଢ଼ା ମୁଣ୍ଡରେ କାଠ ବୋଝ ବୋହି ବିକିବାକୁ ଖରାଏ ଖରାଏ ଚାଲିଛି । ବିଦାକାଠି ପରି ଛାତି ହାଡ଼ ପିଠି ହାଡ଼ ବାରି ହେଉଛି, ଝାଙ୍କି ହେଉଛି । ଚାଲିଛନ୍ତି ଛିଣ୍ଡା କୋତରା ପିନ୍ଧା ହାଡ଼ ଚମର ଥାଟ, ନୁଖୁରାମୁଣ୍ଡିଆ, କୋରଡ଼ ଭିତରେ ଜିକିଜିକି ପଥୁରିଆ ଆଖି ।

 

ଖାଲି ରାସ୍ତାରେ ନୁହେଁ, ସେ ତ ଆଖିଦୁରୁଶା ହୋଇପଡ଼େ । ଗାଁରେ ସହରରେ ଘରେ ଘରେ ସେହି ଦାରିଦ୍ର୍ୟ କଳାକନା ବୁଲାଇଛି, ସେଥିପାଇଁ ହୁରି ପଡ଼େ ନାହିଁ । ଘରର ଛବି ଘର ଅଗଣାରେ ହିଁ ରହିଯାଏ, ଜଣେ ଆଉ ଜଣକୁ ଦେଖେ, ସେମାନେ ଧରିନିଅନ୍ତି ସଂସାରରେ ଯେତେ ଦିନ ଥିବ, ଏମିତି ପେଟ ଖଙ୍କା ହୋଇ ପିଠିରେ ଲାଗି ଯାଉଥିବ, ଏମିତି ଛିଣ୍ଡା ଫଟା ପିନ୍ଧୁଥିବା, ଯେତେବେଳେ ଯାହା ମିଳିଲା ଖାଇ ପାଣି ପିଇ ଦିନ କଟାଇ ଦେଉଥିବା, ଶାଗ କୋଳଥ କି ଭାତ ପାଉଁରୁଟି, ଏମିତି ସୀମିତ ହୋଇ ବନ୍ଧା ନିର୍ଘଣ୍ଟରେ ଚାଲିଥିବ ଏ ଜୀବନ, ଅଭାବ ସଙ୍ଗେ ଯୁଦ୍ଧ କରୁ କରୁ ଆୟୁଷ ସରି ଯାଉଥିବ । ଶୁଖିଲା ଶୁଖିଲା ଦେହ, ଫାଳେ ଚିରୁଡ଼ାଏ ମୁହଁ, ସୁଷମ ଖାଦ୍ୟ ଅଭାବରୁ ଦେହରେ ରୋଗ, ଚେହେରାରେ ଶ୍ରୀହୀନତା, ମନରେ ଆଶଙ୍କା ଉଦ୍‌ବେଗ | ପ୍ରକୃତି ତାର କାର୍ଯ୍ୟ କରିଯାଏ, ପଲ ପଲ ପିଲା ଜନ୍ମ ହୁଅନ୍ତି, କିଏ ମରେ, କିଏ ଜୀଏ । ଏଇ ତ ଦିଶିଯାଉଛି, ଜୀବନ ସେଠି ବଞ୍ଚିବା ପାଇଁ ସଂଗ୍ରାମ, ଭଦ୍ରତା ରଖିବା ପାଇଁ । କେତେ ଲୋକ ବଡ଼ ଘର ତୋଳନ୍ତି ଧନ ଠୁଳ କରନ୍ତି, ଯାନବାହନରେ ବୁଲନ୍ତି, ସେମାନେ ଏ ସଂସାରରେ ସୁସ୍ଥ ମଣିଷ, ଭଦ୍ର, ଧନ ଆଣିଦିଏ ପ୍ରଭୁତ୍ୱ, ସାମାଜିକ ଅବସ୍ଥା ଉପରେ କର୍ତ୍ତୃତ୍ତ୍ୱ ନିୟନ୍ତ୍ରଣର ଡୋରି, ଆଶା ଆଉ ଯୋଜନା । ତଳଠୁଁ ତାରତମ୍ୟ ରଖି ପିଢ଼ି ଉପରେ ଆପଣା ଆସନକୁ ସବୁଦିନିଆ କରି ରଖିବା ପାଇଁ ଜୀବନ ସେଠି ନିତି ନୂଆ ଯୋଜନାବନ୍ଧା କାର୍ଯ୍ୟ । ସେହି ଯୋଜନାରୁ ଆସେ ସମାଜ ନିୟନ୍ତ୍ରଣ ପାଇଁ ମତବାଦ–ଆଗ ଆପଣାର ନିରାପତ୍ତା, ତା’ପରେ ନୀତି ବ୍ୟାଖ୍ୟାନ, ଯହିଁରେ ଅସମତା ଦୂର ନ ହେଲେ ବି ଅସମତାରୁ ଉପୁଜୁଥିବା ଅଶାନ୍ତିର ନିଆଁ ଝଡ଼ ଦୂରେଇ ରହିଥିବ, ଅଭାବ ଦୂର ନ ହେଲେ ବି ଅଭାବର କୃତ୍ସିତତା ସଜାସଜି ଦାଣ୍ଡ ଅଗଣାକୁ ଅସୁନ୍ଦର କରିବ ନାହିଁ ।

 

ତଳୁ ଉପରକୁ ଉଠିବାକୁ ଲଗାଇଛନ୍ତି କେତେ କେତେ ଲୋକ ଉଦ୍ୟମ, ଜୀବନର ମୂଲ୍ୟ ମାପରେ ଲାଭର ପରିମାଣ ଅନୁଭବ ନ କରନ୍ତୁ ପଛେ ଦୁଶ୍ଚିନ୍ତା ଓ ଛଟପଟର ବୋଝ ଭାରୀ ହୋଇ ଝୁଲି ପଡ଼ୁଛି, କୋଠା ଉଠୁଛି, ବେପାର ବଢ଼ୁଛି, ତଥାପି ସୁଖ ଶାନ୍ତି ଆସୁନାହିଁ, ସେଠି ମଣିଷ ହେଉଛି ଖାଲି ଉପାୟର କ୍ରୀତଦାସ, ସ୍ୱାଚ୍ଛନ୍ଦ୍ୟ ଭୁଲି ପ୍ରକୃତିର ସୁଖ ବିଶ୍ରାମର ତୃପ୍ତିଠୁଁ ଅଚିହ୍ନା ରହି ବିକଳ ମନରେ ଖଟିବା ହିଁ ସାର ତାର । ସେ ଦେହ ନିଜ ଗାଡ଼ିରେ ବସି ଏଣେ ତେଣେ ଉଡ଼ିଯାଉଛି, ନିଜ କାରଖାନା ଆଗରେ ଠିଆ ହେଉଛି, ଦାମୀ ଲୁଗା ଦାମୀ ପୋଷାକ କିଣି ଦେହରେ ଗୁରୋଉଛି, ଟଙ୍କା ଗଣୁଛି, ସୁଖ ଅନୁଭବ କରୁନାହିଁ, କପାଳରେ ସ୍ନୋ, ପାଉଡ଼ର ପୁଟ ଉପରେ ଫାଟି ପଡ଼ୁଛି ଗାର ତଳେ ଗାର ।

 

ଶାନ୍ତି ନାହିଁ, ଆନନ୍ଦ ନାହିଁ, ଅଶାନ୍ତି କୁଚକ୍ର ଷଡ଼ଯନ୍ତ୍ର ମିଛ ଆଉ ପାପ,–ଏତେ କରି ଜୀବନ କେବଳ ଏତିକି । କେବଳ ଏତିକି, ଉପରେ ଅଭିନୟନର ସାଜ, ଭିତରେ ଆକୁଳତା, ରୋଦନ, ନୈରାଶ୍ୟ ।

 

ତାହାରି ତଳେ ତଳେ ତତଲା ନିଶ୍ୱାସ ଏକାଠି ହେଉଛି, ତତଲା ଲୁହ ଠୁଳ ହେଉଛି, ଦୁଃଖ ସଞ୍ଚିତ ହେଉଛି ଦୁଃଖ ଉପୁଜାଇବା ପାଇଁ । ଶାନ୍ତି ମନ୍ତ୍ର ଉଚ୍ଚାରଣ କରା ହେଉ ହେଉ ଅଶାନ୍ତି ହିଂସା ଆଉ ବିକ୍ଷୋଭ କୁହୁଳି କୁହୁଳି ମାଡ଼ି ଚାଲିଛି ବଣନିଆଁ ପରି ।

 

ଜନ୍ମ ହେବା ଆଗରୁ ଜୀବ ଯଦି ଆପଣା ପାଇଁ ମତ ସ୍ଥିର କରନ୍ତା, ତେବେ ସେ ଦୁର୍ଲଭ ମଣିଷ ଶରୀର ଘେନି ଜନ୍ମ ହେବାକୁ ଦ୍ଵିଧା କରନ୍ତା ପରା, କହନ୍ତା ବରଂ ମୁଁ ପଛେ ହେବି ଅବୋଧ ପଶୁ, ପରିସ୍ଥିତିର ଦାସ ହେବି ପଛେ, ଚେତନା ଶକ୍ତ ଘେନି, ବୁଦ୍ଧି ବିଚାର ଘେନି ଏ ସଂସାରକୁ ଆସିବି ନାହିଁ ।

 

ହେଇ, ଧରିଲା ଗୋଟିଏ ଘରଚଟିଆକୁ ମାଟିଆଚିଲ, ପେଟ ତଳେ ଗୋଡ଼ ଆଙ୍ଗୁଠିରେ ଜାକି ଧରି ବୋହି ନେଇ ଚାଲିଯାଉଛି, ଘରଚଟିଆ ପଲକ ହୁରୁଡ଼ି ଯାଇ ଉଡ଼ି ଚାଲିଗଲେ, ହେଇ ସେଠି ବସିଲେଣି ।

 

ଯେ ଗଲା ସେ ଗଲା । ଯିବା ପର୍ଯ୍ୟନ୍ତ ତା’ର ଚେତନା ଭିତରେ ପଦେ ପଦେ ଆଶଙ୍କା ନ ଥିଲା, ନ ହେଲେ ସେ ଏଡ଼େ ସ୍ୱାଭାବିକ ହୋଇ ବୁଲୁ ନ ଥାନ୍ତା । ତା ମୁଣ୍ଡ ଭିତରେ ନ ଥିଲା ଦୁଶ୍ଚିନ୍ତା କି କୁଚକ୍ର, ଯେତେବେଳଯାଏ ସେ ବଞ୍ଚିଥିଲା ତାଠିଁ ସ୍ୱାଭାବିକ ଆନନ୍ଦ ହିଁ ଥିଲା । ପ୍ରକୃତିର ସହଜ ପ୍ରକାଶ ତାର ଟିକି ଦେହଟି । ମଣିଷ ପରି ତାଠିଁ ନ ଥିଲା ବିର ବିବେକର ଶକ୍ତି, ତାଠିଁ ଦିବ୍ୟଜ୍ଞାନ ନ ଥିଲା । ସଭ୍ୟତା ଓ କଳା ଗଢ଼ି ବାର କ୍ଷମତା ନ ଥିଲା । ତଥାପି ଅବୁଝାପଣରେ ସେ ଜୀବନ ବିତାଇଦେଲା, ଜୀଇଥିଲା ଯାକେ ଭାବି ଭାବି ଘାରି ହୋଇନାହିଁ । ମଣିଷର ଏ ଜୀବନ କାମ୍ୟ ନୁହେଁ, ମଣିଷ ଜୀବନ ଏ ସଂଜ୍ଞାରେ ମାପିହୁଏ ନାହିଁ, କିନ୍ତୁ ଯେଡ଼େ ଉନ୍ନତ ପ୍ରାଣୀ ହେଲେ ବି ତାହାର ନିହିତ ଅଶାନ୍ତିକୁ ସେ ଦୂର କରି ପାରି ନାହିଁ, ସନ୍ତୁଳି ହେଉଛି ।

 

କେଉଁଠି ଏକାଠି ଦଳବାନ୍ଧି ସେ ଦାରିଦ୍ର୍ୟକୁ ଦୂର କରିଛି, କିନ୍ତୁ ମନକୁ କ’ଣ କରିପାରିଛି-? କେତେ ପରିମାଣରେ ମଣିଷପଣିଆ ବଢ଼ାଇଛି ? ଜୀବନକୁ ଶାନ୍ତି ଦେଇଛି ? ଅଶାନ୍ତି ଉଦ୍‌ବେଗ ଦୂର କରି ଜୀବନକୁ କରିଛି ସୁନ୍ଦର ? ମୈତ୍ରୀ ଅହିଂସା ସ୍ଥାପନ କରିଛି ? ସ୍ୱାଧୀନ ମଣିଷଙ୍କ ମେଣ୍ଟ ଗଢ଼ିଛି ନା ଗୋଠ ଗଢ଼ିଛି ? ଦେହର ଅଭାବ ଦୂର କରୁ କରୁ ମନର ସ୍ଵାଧୀନତା ବ୍ୟକ୍ତିର ସ୍ଵାଚ୍ଛନ୍ଦ୍ୟ ବଢ଼ାଇଛି ନା ଖର୍ବ କରିଛି ? ଏକ ସମସ୍ୟା ସମାଧାନ ପାଇଁ ନାନା ଅନୁଶୀଳନ, ସମୟ କହିବ କେଉଁଟା ଠିକ୍ । ଧର୍ମ ଆଉ ବ୍ୟକ୍ତି ସ୍ୱାଧୀନତାର ଦ୍ୱାହି ଦେଇ ଦେଇ ଅଭାବ ଦାରିଦ୍ର୍ୟ ବଢ଼ାଇ ବଢ଼ାଇ ଖାଲି ମନକୁ ଅଫିମ ଖୁଆଇବାରେ କିଛି ଲାଭ ନାହିଁ, ସେ ତ ସମୟ ଟାଳିବା କଥା । ଅଭାବ ଅଶାନ୍ତିକୁ ଦୂର ନ କରି ତାକୁ ନ ବୁଝି ଚଳିବା ପାଇଁ ଚେଷ୍ଟା, ନ ହେଲେ ସେ ସୁସ୍ଥିରେ ଥିବା ଶ୍ରେଣୀର ଶଠତା, ଛଳନା, ଯେପରି ଆଶାନ୍ତିର ନିଆଁ ତଳେ କୁହୁଳିଲେ ବି ଦର୍ଶନ ଓ ନୀତିବାଣୀରେ ସେହି ତଳେ ହିଁ ଅଟକି ରହିଥିବ, ତାଙ୍କ ଚାଳକୁ ଧାସ ଛୁଇଁବ ନାହିଁ । ହୁଏତ ଦୁଃଖ ଦାରିଦ୍ର୍ୟ ତଡ଼ିବା ପାଇଁ କେଉଁଠି ମଣିଷ ଏକ ଲକ୍ଷ୍ୟ ରଖି ମେଣ୍ଟ ଗଢ଼ିଲେ ସେହିମାନେ ଆଗ ବଡ଼ ପାଟି କରନ୍ତି ଯେ ମେଣ୍ଟ ନୁହେଁ ଏ ଗୋଠ, ବ୍ୟକ୍ତିର ବ୍ୟକ୍ତିତ୍ୱ ସ୍ଵାଧୀନତା ସ୍ୱାଚ୍ଛନ୍ଦପଣ ଧ୍ୱଂସ ହେଲା, ଆଧ୍ୟାତ୍ମିକତା ବୁଡ଼ିଲା ।

 

ସମୁଦ୍ର ମନ୍ଥନ ଲାଗିଛି, ନାନା ଦେଶରେ ନାନା ଆଲୋଡ଼ନ ।

 

ସେ ସ୍ୱପ୍ନ ଦେଖୁଛି ସେହି ସମୁଦ୍ର ଭିତରୁ ଆକାଶକୁ ଛାଟି ହୋଇପଡ଼ୁଛି ନାଲି ଆଭା, ସିନ୍ଦୁରା ଫାଟୁଛି, ଏହି ଆଲୋଡ଼ନରୁ ଉଠିବ ଅମୃତ, ଏତେ କଳରବ ଭିତରେ ଶୁଭିଯାଉଛି ଅଜଣା ଅଚିହ୍ନା ଅଥଚ ଅତି ଚିହ୍ନା ମଣିଷ ଭାଇ ଭଉଣୀଙ୍କ ପ୍ରାଣର ସଙ୍ଗୀତ–ଆମେ ସ୍ୱଚ୍ଛନ୍ଦ ହେବୁ, ମୁକ୍ତ ହେବୁ, ପୁଣି ଆମେ ହୋଇ ରହିବ ଏକ, ଏକ ପରିବାର, ଜଣେ ଜଣକ ପାଇଁ ଦାୟୀ, ସମସ୍ତିଙ୍କ ପାଇଁ ଦାୟୀ ଏ ମଣିଷସମାଜ, ପିଲା ଭୂଇଁ ଛୁଇଁଲାକ୍ଷଣି ମଣିଷ ଜାତିର ବିରାଟ ସମୃଦ୍ଧି ଓ ସଂସ୍କୃତିର ଉତ୍ତରଦାୟିତ୍ୱ ସେ ଛାକୁ ଛାଏଁ ପାଇବ, ଆଉ ପାଇବ ଏ ସୃଷ୍ଟିର ନିହିତ ଆନନ୍ଦ, ଏକ ଛନ୍ଦର ସମବେତ ସଙ୍ଗୀତ ର ସେ ବି ତା’ର ସ୍ୱର ସଙ୍ଗୀତ ମିଶାଇଦେବ, ଆମେ ଚାହୁଁ ଆନନ୍ଦ, ଆମେ ଚାହୁଁ ଶାନ୍ତି ।

 

ଆପଣାର ସ୍ପନ୍ଦନ ଅନୁଭୂତିରେ ଆପେ ଚେଇଁଉଠି ତର ତର ହୋଇ ସେ ବିଲକୁ ଧାଇଁଗଲା । ଏମିତି ସ୍ୱପ୍ନ ଦେଖୁ ଦେଖୁ ମଣିଷ ହୁଙ୍କା ପାଲଟିଯିବ, ସ୍ୱପ୍ନ ହିଁ ଦ୍ୟୋତକ ; କିନ୍ତୁ ହାତ ଗୋଡ ନ ଚଳିଲେ ସେ ନିରର୍ଥକ । ସେ ଭାବିଲା ।

 

ଆଗରେ ଏଇ ବିଲ, ବାଛିଛି ସେ ବହୁତ, ଆହୁରି ବାଛିବାକୁ ବହୁତ ବାକି । ବାଳୁଙ୍ଗା ବାଛି ବାଛି ଏଇ କିଆରୀରେ ଏମିତି ବିଣ୍ଡି ମାରିଦେବ, ଆଗ କାମ ଆଗ ।

 

ନ ହେଲେ ସେ ଆପଣା ସ୍ୱପ୍ନରେ ତନ୍ମୟ ହୋଇ ବୁଡ଼ିଯିବ ।

 

ଶୋଇ ଶୋଇ ମିଞ୍ଜି ମିଞ୍ଜି ଆଖିରେ ଚାହିଁ ଚାହିଁ ଗଢ଼ିବା କଥା ଭାବୁ ଭାବୁ ଦେଖୁଥିବ ଗାଁ ଭାଙ୍ଗି ଗଢ଼ିହେଉଛି ସହରତଳି, ସ୍ନେହ ଭାଙ୍ଗି ଗଢ଼ି ହେଉଥିବ ଅବିଶ୍ୱାସ, ଏକ ଆତ୍ମା ଏକ ଘର ପରିବର୍ତ୍ତେ ବଢ଼ି ଉଠୁଥିବା ହିଂସା ବିଭେଦ, ବ୍ୟକ୍ତିର ସ୍ୱଚ୍ଛନ୍ଦ ବିକାଶ ପରିବର୍ତ୍ତେ ଦିଶୁଥିବ ଡିକ୍‌ଟେଟରର ଲୁହା ଶିଙ୍କୁଳି, ମଣିଷର ଚିନ୍ତାରେ, ରୁଚିରେ ବି ।

 

ବହୁତ ଦିନ ପରେ ବିପିନଠୁଁ ଭାଷା ଆସିଛି । ରବିର ବନ୍ଧୁ ବିପିନ୍, ମଝିଲା ସହରରେ ଉନ୍ନୟନ କାର୍ଯ୍ୟର କର୍ମଚାରୀ । ‘‘ମଝିରେ ଗଲା ମାର୍ଚ୍ଚ ମାସ, ହିସାବପତ୍ରର ବରଷଟା ମାର୍ଚ୍ଚ ୩୧ରେ ସରେ, କି ବୁଝିବ ତୁମେ ସେ ଦୁଃଖ !’’ ଟଙ୍କା ଖର୍ଚ୍ଚ ନ ହୋଇଥିଲେ ମଣିଷର ଅପାରଗତା ଜଣା ପଡ଼ିବ, ଏଣେ ସବୁ ଖର୍ଚ୍ଚ ହେବା ବି କାଠିକର ପାଠ । ଖର୍ଚ୍ଚ ହେଲା ବୋଲି ଧରିନେଲେ ଚଳିବ, କିନ୍ତୁ ମୁଣ୍ଡ ଉପରେ ସେ ଯେଉଁ ଦାୟିତ୍ୱ, ବିଶ୍ୱାସ କର, ରାତିରେ ନିଦ ହୁଏନାହିଁ । ପ୍ରତିଦିନ ମୁଣ୍ଡରୁ ପୁଳାଏ ଲେଖାଁ ଉପୁଡ଼େ, ବଡ଼ ବଡ଼ ଲୋକେ ଯେ ଚନ୍ଦା ହୁଅନ୍ତି ସେ ଏଇ ଭାବନା ପାଇଁ । ମାର୍ଚ୍ଚ ମାସର କାମ ଫଇସଲା କରୁ କରୁ ଗଲା ଅପ୍ରେଲ, ମେ ।

 

ତା’ପରେ ନୂଆ କାମର ଚାପ ତ ସେଇ ଅପ୍ରେଲ ମାସରୁ ଲାଗିରହିଛି । ଲୋକେ ମଙ୍ଗୁ ନ ଥିବେ, ଧାନ କର କହିଲେ କହୁଥିବେ ନଳିତା କରିବୁଁ, ରାସାୟନିକ ସାର ନିଅ କହିଲେ କହୁଥିବେ ୟେ ଜମିକୁ ପୋଡ଼ିଦେବ, ନିଃସାର କରିଦେବ, ଯାହା କହିବ ସେମାନେ ତାର ଓଲଟା କହୁଥିବେ, ତଥାପି ତାକୁ ଯାଇ ବଳୋଉଥିବ । କେତେ ନେହୁରା ହୋଇ ତୁମେ କହୁଥିବ, ଏଇଟା କର, ସେଇଟା କର, ଆମକୁ ତ୍ରାହି କର । ଅଧେ ପଛେ ଛାଡ଼ ଦିଆଯିବ, ଆର ଅଧିକ ଋଣସ୍ୱରୂପ ମିଳିବ ଯେ ତୁମେ ତାକୁ ତିରିଶି ବର୍ଷରେ ସୁଝିବ, ଆମ କୁହା ମାନ, ଆମ ଇଜ୍ଜତ ରଖ, ଯୋଜନା କର ।

 

ଯୋଜନା ଉପରେ ଯୋଜନା, ଝାଡ଼ାଫେରି ବସିବାଠୁଁ ଖାଇବସିବା ଯାକେ ମଣିଷ ଜୀବନର ପ୍ରତି ଅନ୍ଦିକନ୍ଦିରେ ଆମେ ଯୋଜନାବାଲା ତା’ ସାଙ୍ଗ ରେ ଖୁଜୁବୁଜୁ ଲାଗୁଥିବୁଁ, କହିବୁଁ ପାଇଖାନା ଏମିତି ତିଆରି ହେବ, ଚୁଲୀ ଏମିତି ତିଆରି ହେବ, ରୋଷେଇ ଏମିତି ହେବ, ଚାଷ ଏମିତି ହେବ, ପାଠପଢ଼ା ଏମିତି ହେବ, ମାଛି ଏମିତି ଛଡ଼ାଯିବ, କୁକୁଡ଼ା ଏମିତି ରଖିବାକୁ ହେବ, ବାରି ଏମିତି କରିବାକୁ ହେବ, ସହଯୋଗ ଏମିତି ରଖିବାକୁ ହେବ । ଆମ କଥା ନ ମାନିଲାଯାଏ ଆମେ ଦୁଗୁଣେଇ ହୋଇ ଆସୁଥିବୁ । ତୁଣ୍ଡରେ କହୁଥିବୁ, ମାଇକ୍ ଲଗାଇ ବଡ଼ ପାଟିରେ କହୁଥିବୁ, ବକ୍ତୃତାରେ ଛବିରେ ଅକ୍ଷରରେ ସବୁଥିରେ ଆମ ମତ ପ୍ରଚାର କରୁଥିବୁଁ ।

 

ଧର୍ମପ୍ରଚାରକଙ୍କଠୁଁ ବଳି ଆମେ ପ୍ରଚାରକ । ଝାଡ଼ାରୁ କେମିତି ଖତ ହେବ ଆମେ ସେ ବିଷୟରେ ଛାନ୍ଦ ରଚନା କରିଛୁଁ, ଯୋଗୀ ଭିକାରୀଙ୍କି ସାମାନ୍ୟ ଲାଞ୍ଚ ଦେଲେ ସେମାନେ ଗାଆନ୍ତି, ପାଲାବାଲା ବି ମାଛ କୁକୁଡ଼ା ହାଡ଼ଗୁଣ୍ଡ ସାର, ରାସାୟନିକ ସାର, ଜୋତା କାରଖାନା, ଲୁଗାକଳ ଆଉ ଟାପିଓକା (ଗୟା ଆଳୁ) ଚାଷର ଉପାଦେୟତା ବିଷୟରେ ଗାଇ ବୁଝାଇ ଚଅଁର ଢାଳୁଛି । ଲାଗି ପଡ଼ିଛନ୍ତି ସବୁ ଶକ୍ତି । ତଥାପି ବେଳେବେଳେ ଲାଗୁଚି ରଥ ଅଚଳ, ଟଙ୍କା ଖରଚ ହେଉଚି, ଆମର ମୁଣ୍ଡ ଆଉ ଦେହର ପରିଶ୍ରମ ହେଉଚି, ଲୋକେ ଖାଲି ଟଙ୍କା ନେଇଯାଇ ପାରିଲେ ସନ୍ତୋଷ ।

 

ତାଙ୍କରି ଗାଁଟାରେ ଉନ୍ନୟନ କେନ୍ଦ୍ରର ଦପ୍ତର ବସିବାକୁ ଘରଟାଏ ତୋଳା ହୋଇଗଲେ କି ସେଠି ଗୋଟାକେତେ କୋଠା, ସେଠିକି ଗୋଟାଏ ସଡ଼କ ଏତକ ହୋଇଗଲେ ସେମାନଙ୍କ ଆନନ୍ଦ କହିଲେ ନ ସରେ, କ’ଣ ନା ତାଙ୍କ ଗାଁର ଟେକ ରହିଛି । ଟେକ ରହିବ, ନାଁ ରହିବ, ଦି’ପଇସା ଆସିଯିବ । ଅନେକ ଆମକୁ ଭାବନ୍ତି ୟାରି ମାଧ୍ୟମ ବୋଲି ।

 

ସେମାନେ ଆମକୁ ଧରନ୍ତି ଆପଣ ଟେକର ପ୍ରଚାର ପାଇଁ, ଆମେ ଗାଇ ବୁଲିବୁଁ ସେମାନେ ୟା କଲେ ତା କଲେ, ଧରନ୍ତି କହନ୍ତି ଆମ ଫଟୋ ଛପାଅ, ସେଥିପାଇଁ ବାସ୍ନା ତେଲ ଲଗାଇ କାମିଜରେ ଫୁଲ ଖୋସି ବି କେହି କେହି ଆସି ପହଞ୍ଚନ୍ତି କ୍ୟାମେରା ଆଗରେ ।

 

ଯେ ଯାହା ବିତୋଉଛନ୍ତି ଯଥାସାଧ୍ୟ ଫରମାସି ଜଗି ଚଳୁଛୁଁ, କାଳେ ସେହି ବାଟରେ ହେଲେ ସହଯୋଗ ମିଳିପାରିବ । କିନ୍ତୁ ସେମାନେ ଟେକ ରଖିବାର ଅନ୍ୟ ଉପାୟ ବି କରନ୍ତି, ପରସ୍ପର ସଙ୍ଗରେ କଳି କରିବା, ପର ମଣିଷକୁ ପର ଗାଁକୁ ଦବେଇ ନିଶ ଫୁଲେଇବା ସେମାନେ ଭାରି ପସନ୍ଦ କରନ୍ତି ।

 

କାହା ବିରୁଦ୍ଧରେ ଗୋଟାଏ ଲଢ଼ୁଆ ଧ୍ୱନି ଦେଇ ଦେଇ ସେଇଥିରେ ମାତିଯିବାକୁ ତାଙ୍କର ଯେଡ଼େ ଉତ୍ସାହ ଅନ୍ୟ କେଉଁଥିରେ ଏତେ ନାହିଁ । ତାର ବ୍ରହ୍ମାସ୍ତ୍ର–ଦରଖାସ୍ତ କରିବା, ଦଳ ଗଢ଼ିବା । ଖଣ୍ଡ ଦରଖାସ୍ତରେ ସେମାନଙ୍କର ବେଶି ପଇସା ଖର୍ଚ୍ଚ ନୁହେଁ କି ପରିଶ୍ରମ ନାହିଁ, ବିଲଫେରନ୍ତି ଦଶ କୋଡ଼ିଏ । କ’ଣ ନିଶ୍ଚୟ ମିଳିବେ ଯେଉଁମାନେ କାଗଜରେ ଟିପଟାଏ କି ଦସ୍ତଖତଟାଏ କରିବାକୁ ନିଶ୍ଚୟ ଆପତ୍ତି କରିବେ ନାହିଁ, ଦୋକାନରେ, କମାରଶାଳରେ, ଇସ୍କୁଲ ପିଣ୍ଡାରେ, ଆଖଡ଼ାଘରେ, ଦରଖାସ୍ତରେ ଦସ୍ତଖତ କରିବାକୁ ଲୋକ ମିଳିବେ । ଅନ୍ତତଃ ଏଇଥିପାଇଁ ଯେ କାଗଜରେ ନିଜ ଟିପଚିହ୍ନ ବା ଦରଖାସ୍ତ କେମିତି ଦିଶେ ସେତକ ଦେଖିବା ପାଇଁ । ତା’ପରେ ଦରଖାସ୍ତ ଜୀବନ୍ୟାସ ପାଇବ, ଲାଗିଯିବ ପାଲା, ପଛେ ଯଦି କୁହାଯାଏ ଏ ମୋ ଦସକତ ନୁହେଁ ଅବା ମୋଠୁଁ ଅମୁକ ଲୋକ ମିଛ କହି ଭୁଲେଇ ଦସକତ ନେଇଗଲା, ତେବେ କ’ଣ ଫାଶୀଟାଏ ହେଇଯିବ ନା କ’ଣ ?

 

ଦଳ ବି ସବୁଦିନିଆ ମେଣ୍ଟ ନୁହେଁ, ଦି’ଖଣ୍ଡ ପାନ କି କିଏ ତରକାରି ପଠେଇଦେଲା, କି କିଏ ଚାନ୍ଦା ଭେଦା କିଛି ଦେଇଦେଲା, କି କିଏ ଡରେଇ ପାରିଲା କି ଭୁଲେଇ ନେଇପାରିଲା କି ଚାରଣା ଆଠଅଣା ଖରଚ କଲା, ତେବେ କେହି କେହି ସକାଳକୁ ଏ ଦଳର ହୋଇଥିଲେ ସଞ୍ଜକୁ ଆର ଦଳର, ତହିଁଆରଦିନ ସକାଳେ ପୁଣି ତାଙ୍କର ଗୋଟାଏ ନିଜର ଦଳ, ଦି’ପହରକୁ ଆଉ ଗୋଟାଏ ଦଳକୁ ଗଲେଣି ।

 

ତାଙ୍କ ଜୀବନ ଏମିତି ଆପଣାସାର୍ଥୁକା ହୋଇଗଲାଣି ଯେ ଆପଣା କାମ ଆପଣା ମନଇଚ୍ଛା, ପଦାକୁ ଆସିଲେ ଅଭିନୟ, ଯେତେବେଳେ ଯେଉଁଟା ସୁବିଧା । ସେ ଅଭିନୟରେ ଆନ୍ତରିକତା ନାହିଁ, ସେମାନେ କୌଣସି ମତବାଦର ସମର୍ଥକ ନୁହନ୍ତି । ଯେତେବେଳେ ଯେଉଁଟା ଯେଉଁ କାରଣରୁ ରୁଚିଲା ତେଣେ ମାତିଲେ ।

 

ତେଣୁ ବେଳେ ବେଳେ ଲାଗୁଛି ଯୋଜନାଟା ସତେ କି ଆମର । ସେମାନେ ଯେତେବେଳେ ଏଥିରେ ଉତ୍ସାହିତ ହୁଅନ୍ତି, ସତେ କି ଆମକୁ ଟିକିଏ ଖୁସି କରିବା ସକାଶେ, ହୁଏ ତ ଦୟା, ହୁଏତ ବନ୍ଧୁତାର ମୋହମତ, ନ ହେଲେ ହୁଏ ତ ଆପଣାର ସାମୟିକ ବ୍ୟକ୍ତିଗତ ସ୍ଵାର୍ଥର ଆଶା, ସମୂହ କଲ୍ୟାଣର ଚେତନା ନୁହେଁ କେଭେ, ଏମିତି ମୋର ବିଶ୍ୱାସ ।

 

ତଥାପି ଆମେ ଯୋଜନାବାଲା ହଟୁ ନାହିଁ । ହଟିବା ହାରିବା ଆମ ଅଭିଧାନରେ ଲେଖା ନାହିଁ । ଏତେ କାମ ହେଉଛି, ଆମେ ଲାଗିଛୁଁ । ଏତେ କରି ଦୁଧ ମହୁ ବୋହିଲା ନାହିଁ । ଆମେ ରାମରାଜ୍ୟ ଗଢ଼ୁଛୁଁ, କିନ୍ତୁ ଲୋକେ ରାମ ହେଉ ନାହାନ୍ତି, ରାମ ଦେଖା ନାହାନ୍ତି ଦିଗ୍‌ବଳୟରେ ବି, ହୁଏ ତ ପଛେ ଆସିବେ, ଆମେ ଲାଗିଛୁଁ । ଯେତେବେଳେ ଆସିବେ ସେତେବେଳେ ହୁଏତ ଚିହ୍ନିବେ ପ୍ରକୃତ ଗଢ଼ାଳୀ କିଏ ? କେଉଁ ଗୁଣ୍ଡୁଚିମୂଷା ଏଡ଼େବଡ଼ ବାଲିବନ୍ଧ କଲେ, ନ ଚିହ୍ନନ୍ତୁ ପଛେ ଆମେ କର୍ତ୍ତବ୍ୟ କରୁଛୁଁ, କରୁଥିବୁଁ ।

 

ଆଉ ଅଇଛା ଚାଲିଛି ଉଦୁମୁଦା କାମ । ଚାଷଘଡ଼ି, ଆମେ ଚଷା, ଉତ୍ପାଦନ ବଢ଼ାଇବାକୁ ପଡ଼ିବ । ଏ ବର୍ଷର ଲକ୍ଷ୍ୟ ଆରବର୍ଷଠୁଁ ଅନ୍ତତଃ ଚାରି ଅଣା ଭ।ଗ ବେଶି କରିବାକୁ ପଡ଼ିବ । ସକାଳୁ କେତେ ରାତିଯାକେ ଦପ୍ତରରେ କାମ ଲାଗିଛି । କେତେ ଲୋକଙ୍କ ସଙ୍ଗେ କେତେ ଯେ ବକରି ବକର, କେତେ ଚରଚର ଲେଖାଲେଖି, ପୁଣି କେତେ ଧାଁଧପଡ଼ । ଆଃ ! ଶତ୍ରୁର ବି ଦୟା ହେବ ।

 

ତେବେ ଗୋଟିଏ କଥା, ଯଦି ଜନ୍ମ ନିୟନ୍ତ୍ରଣ କରା ନ ଯିବ, ତେବେ ଉତ୍ପାଦନ ଯେତେ ବଢ଼ାଇଲେ ବି ଅଭାବ ମେଣ୍ଟିବ ନାହିଁ । ତିନୋଟି ପିଲା ହୋଇଗଲେ ବାପା ବା ମା ବା ଉଭୟ ଅପରେସନ୍ ହୋଇପଡ଼ିବା ଦରକାର । ଯନ୍ତ୍ରଣା ହେବ ନାହିଁ, ସହଜରେ କାର୍ଯ୍ୟୋଦ୍ଧାର । ଧର ଜଣେ ଭାସେକ୍‌ଟୋମି କଲା, ତିନୋଟି ପିଲା, ମାମୁଁ ମାଇଁ ଦି’ଜଣ, ଏତିକି ରହିଲେ । ଦି’ମାଣ ବିଲରେ ଟାପିଓକା (ଗୟା ଆଳୁ) ଲଗାଇଦେଲେ, ବର୍ଷକ ଖାଇ ଚଳିବା ପାଇଁ ଯଥେଷ୍ଟ ଷ୍ଟାର୍ଚ୍ଚ ମିଳିଗଲା, ଧାନକୁ କିଏ ପଚାରେ ? ଦାଲ୍‌ଦା ଘିଅରେ ଟାପିଓକାରେ ଜାତି ଜାତି ତରକାରି କର । ଟାପିଓକାକୁ କର ଭାତ, ସେତିକିରେ ଚଳିବା, ଟିଣରେ ଥିବା ଗୁଣ୍ଡ ଦୁଧକୁ ଗରମ ପାଣିରେ ପକାଇ ଦେଇ ଟାପିଓକା ଖିରି ଖାଉଥା, ଖୁଆଉଥା ମନ ଇଚ୍ଛା, ପିଲାଙ୍କୁ ଦେଲେ ପିଲାଙ୍କ ଓଜନ ବଢ଼ିବ, ଏଣେ ଜନ୍ମ ନିୟନ୍ତ୍ରଣ କରିଦେଇ ବାପା ମା ଉଭୟେ ସୁଖୀ । କେଡ଼େ ସହଜରେ ସବୁ ସମସ୍ୟାର ସମାଧାନ ହୋଇଯିବ । ‘‘ବଡ଼ ବଡ଼ ବିଶେଷଜ୍ଞଙ୍କ ମତ, ଏ ବି ଆମ ଯୋଜନାର ଆଭିମୁଖ୍ୟ... ।’’

 

ବିପିନ୍‌ର ଚିଠି ପଢ଼ିସାରି ସେ ଥକ୍‌କା ହୋଇ ବସିପଡ଼ିଲା । ମନେ ମନେ ବିପିନ୍‌କୁ ଦେଖିଲା - ଅଶାନ୍ତ, ଅସୁଖୀ ।

 

ସେ ଆପଣା ରୁଚି ଘେନି କର୍ମ କରୁ ନାହିଁ, ତା’ର ଯୋଜନା ତା’ର ଚାକିରି, ସେ ହୁକୁମ୍ ମାନୁଛି । ନିଜ ମତାମତକୁ ସେ ପେଡ଼ିରେ ତାଲା ପକାଇଛି ।

 

ଯେଉଁଥିରେ ତା’ର ବିଶ୍ୱାସ ନାହିଁ, ଉତ୍ସାହ ନାହିଁ, ସେଇଆକୁ ସେ ପର ଆଗରେ ଥୋଇ ପରର ବିଶ୍ଵାସ ଓ ଉତ୍ସାହ ସୃଷ୍ଟି କରିବ । ସେ ଚାକିରି କରିଛି ବୋଲି କରିବାକୁ ବାଧ୍ୟ । ଯେପରି ଆଦେଶ ମିଳିଲା ସେପରି ସେ ବିଶ୍ୱାସ କରିବ, କହିବ, କରାଇବ । ପୁଣି ଆର ଓଳିକି ଓଲଟା କାମ କରିବାକୁ ହୁକୁମ ଦେଲେ ସେ ଓଲଟା ପଦ ବୋଲିବ । କିନ୍ତୁ ଯେଉଁମାନଙ୍କଦ୍ଵାରା ଏ ଯୋଜନା କାର୍ଯ୍ୟକାରୀ ହେବ, ସେମାନେ ଦେଶର ସାଧାରଣ ନାଗରିକ । ସେମାନେ କରିବାକୁ ବାଧ୍ୟ ନୁହନ୍ତି । ସେମାନଙ୍କୁ ସେ କହିବ, ବଳେଇ ପାରିବ ନାହିଁ । ତାଙ୍କର ମନ ହେଲେ, ଉତ୍ସାହ ହେଲେ ସେମାନେ କରିବେ । ତାଠିଁ ତ ଉତ୍ସାହ ନାହିଁ, ତାଠିଁ ତ କଲା କାମ ପ୍ରତି ବିଶ୍ୱାସ ନାହିଁ, ସେମାନଙ୍କୁ ସେ କି ପ୍ରେରଣା ଯୋଗାଉଥିବ ?

 

ଅଥଚ ଯୋଜନା କାର୍ଯ୍ୟ ପାଇଁ ତା ଇଲାକାରେ ସେ ପ୍ରଧାନ କାରପଟଦାର ।

 

ସାଧାରଣ ଲୋକଙ୍କୁ ସେ ସମାଲୋଚନା କରୁଛି, ସମାଲୋଚନା ତ ସମସ୍ତିଙ୍କୁ କରାଯାଇପାରେ, କିନ୍ତୁ କେଉଁ ପରିମାଣରେ ସତ ତା’ର ଅଭିଯୋଗ ଆଶଙ୍କା ?

 

ସବୁ ଦିନେ ସେମାନେ ଖୋଜିଛନ୍ତି ଗୋଟାଏ ଆଦର୍ଶ । ସେ ଆଦର୍ଶ ଖାଲି ଅଧିକ ବସ୍ତୁ ଉତ୍ପାଦନର ନୁହେଁ । ଅତି ଅଧିକ ବସ୍ତୁ ସେମାନଙ୍କର ନ ଥିଲା । କିନ୍ତୁ ଚେତନା ଥିଲା, ପାପ ପୁଣ୍ୟ ସତ ମିଛ ତ୍ୟାଗ ଭୋଗ ବିଷୟରେ ସ୍ପଷ୍ଟ ଧାରଣା ଥିଲା, ଏବେ ବି ରହିଛି । ସେ ଚେତନା ଲାଗି ଭାଷା ଜ୍ଞାନ ଲୋଡ଼ା ପଡ଼ି ନାହିଁ । ନିରକ୍ଷର ଏବେ ବି ହିଡ଼ ମୁଣ୍ଡରେ ବସି ଆପଣା ଅଭିଜ୍ଞତାରୁ ଉଦାହରଣ ଦେଇ ଦେଇ ତ ଭାଗବତ ଅର୍ଥ କରିପାରେ, କଲା କାମ ଆଲୋଚନା କରି କାଇଲ୍ ବାଛି ଦେଇପାରେ ।

 

କେଉଁ ପରିମାଣରେ ବିପିନ୍ ସେମାନଙ୍କୁ ସେ ଆଦର୍ଶ ଯୋଗାଇ ପାରିଛି ? ଆସିଲା ଯୋଜନା । ସେମାନେ କହିଥିଲେ ଏପରି ହେଉ ବୋଲି ? ବିପିନ୍ ନିଜେ କହିଥିଲା ? ନାନା ଦେଶ ନାନା ଲୋକଙ୍କ ମୋଟାମୋଟିରେ ଦେଖାଦେଖିରେ ଗୋଟାଏ ଫାର୍ମ ଗଢ଼ା ହୋଇଛି, କାମ କଲେ କିଛି ହେଲେ ଉପକାର ହେବ ; କିନ୍ତୁ ଯେଉଁ ସତ୍ ବିଚାର, ଯେଉଁ ଆଦର୍ଶକୁ ଏ ମାଟିର ମଣିଷ ବଡ଼ ବୋଲି ଭାବିଆସିଛି ଏତିକିରେ ସେ ଯେପରି କି ମିଳୁ ନାହିଁ, ପ୍ରାଣରେ ପୁଲକ ଆସୁ ନାହିଁ ।

 

ବିପିନ୍ ସେମାନଙ୍କୁ ଭଲ ପାଇ ନାହିଁ, ଚିହ୍ନିବାକୁ ଚେଷ୍ଟା କରି ନାହିଁ, ବ୍ୟଙ୍ଗ କଥା କହି ଆପଣାର ବୁଦ୍ଧିର ପ୍ରଖରତା ଦେଖାଇଛି । ସେମାନେ ବି ତାକୁ ହସିଛନ୍ତି ।

 

ଚିହ୍ନିବାକୁ ଚେଷ୍ଟାକରିଛି ତାଙ୍କୁ ? ସମ୍ଭବ ନୁହେଁ । ଯୁଗର ପବନରେ କେତେ ରଙ୍ଗର ଧୂଳି ଉଡ଼ିଆସେ, କିଏ ଇଂଗ୍ରେଜୀ ଦି’ଅକ୍ଷର ପଢ଼ିଛି, ଆଗେ ଯେମିତି କେହି କେହି ଫାର୍‌ସୀ ବି ପଢ଼ିଥିଲେ । କିଏ ସେହି ଇଂରେଜୀ ଭାଷାରେ ଇଂରେଜୀ ବିଚାରରେ ଏ ଦେଶର କଥାକୁ ଭାବିଛି । କେତେ ନୂଆ କାମ ବି କରିଛି । କିନ୍ତୁ ସେ ନୁହେଁ ଏ ଦେଶର ପ୍ରକୃତ ପ୍ରତିନିଧି । ସେ କେବଳ କେହି ସ୍ୱତନ୍ତ୍ର ମଣିଷ କି ସ୍ୱତନ୍ତ୍ର ଶ୍ରେଣୀ ।

 

ଯେ ସ୍ୱତନ୍ତ୍ର ନୁହନ୍ତି ସେମାନେ ସାଧାରଣ । ପଦାରେ ସେମାନଙ୍କ ନାଁ ପଡ଼େ ନାହିଁ । କେଉଁ ଗଣ୍ଡ ମଫସଲରେ କେଉଁ ଅଖ୍ୟାତ ମଣିଷର କାର୍ଯ୍ୟରେ ଫୁଟିଉଠେ ଏ ଦେଶର ସନାତନ ଧର୍ମ, ଆପଣା ସୁଖକୁ ପଛ କରି ସେ ଭାଇଭଉଣୀ ଓ ଘରଯାକର ବୋଝ ମୁଣ୍ଡକୁ ନିଏ, ପର ପାଇଁ ନିଜ ସୁଖ ସୁବିଧାକୁ ତୁଚ୍ଛ କରେ । ସେ କାଉକୁ ଆଧାର ଦିଏ, ଛେଳି ଗୋରୁକୁ ଆଉଁସେ, ଭିକାରୀକି ଭିକ ଦିଏ, ନିପାରିଲାକୁ ପୋଷେ, ଆପଣା କାମକୁ ସମାଲୋଚନା କରି ନିଜର ଦୋଷ ବାଛେ । ଈଶ୍ୱରଙ୍କଠିଁ ବିଶ୍ୱାସ ରଖେ, କ’ଣ କଲେ ନୀତି ନ ତୁଟିବ, ପାପ ନ ଲାଗିବ, ଧର୍ମ ନ ଛାଡ଼ିବ ସେହିପରି କରେ । କେତେବେଳେ କେଉଁ କାରଣରୁ ଯଦିବା କାର୍ଯ୍ୟରେ ନ କରିପାରେ, ଯଦିବା କାର୍ଯ୍ୟରେ ଠିକ୍‌ ଓଲଟା କରେ ତେବେ ବି ତା’ ମନଟା ଥାଏ ସେଠି, ମନରେ ଥାଏ - ସେଇଆ ସେ କରିଥାନ୍ତା, କରିବା ଉଚିତ ଥିଲା । ସେହି ଅସଂଖ୍ୟ ନାଁ ନ ପଡ଼ୁଥିବା ମଣିଷମନ୍ଦା ଭିତରୁ କେତେବେଳେ ବାହାରି ପଡ଼ିଥିଲେ ରାମ, କୃଷ୍ଣ, ବୁଦ୍ଧ; ସେହି ଗୋଷ୍ଠୀ ଭିତରୁ ଗାନ୍ଧୀ ମହାତ୍ମା ବାହାରିଥିଲେ, ସେହି ସନାତନ ନୀତିମନ୍ତ ଅତି ପ୍ରାଚୀନ ସମାଜ ଭିତରୁ ଆହୁରି ବି ବାହାରୁଥିବେ ସେହିପରି ।

 

ସେଠି ଭେକ ବଡ଼ ନୁହେଁ, ଆଜି ଯେ ଲେଙ୍ଗୁଟା ମାରୁଛି କାଲି ତା ପୁଅ ସ୍ୱଚ୍ଛନ୍ଦରେ ଯେ କୌଣସି ପୋଷାକ ଅଭ୍ୟାସ କରିପାରେ, ବୋଲି ଶିଖିବା ବଡ଼ ନୁହେଁ, ଆବଶ୍ୟକ ପଡ଼ିଲେ ସଂସାରର ନାନା ବୋଲି ସେ ଶିଖିନେବ ଜଗନ୍ନାଥଙ୍କ ପଣ୍ଡା ପରି, ତାର ବିଚାର ବଡ଼, ଏତେ ଯୁଗର ପରଖା ପରଖିରେ ସିଦ୍ଧ ହୋଇଥିବା ଜୀବନ ଅଭିଜ୍ଞତା ବଡ଼, ତାହାରି ଉପରେ ତାର ଭଲ ମନ୍ଦର ଧାରଣା ଗଢ଼ା ହୋଇଛି । ସମୟର ପ୍ରଭାବରେ ନାନ ଜଞ୍ଜାଳରେ ଧନ୍ଦି ହୋଇ ସେ ମଣିଷ କେବଳ ନିଜେ ଭାବିବା ଛାଡ଼ି ଦେଇଛି, ସବୁ ଜାଣି ସବୁ ବୁଝି ତଥାପି ନିଜକୁ ଭସେଇ ଦେଇଛି ଚଳନ୍ତି ସୁଅରେ, ଭାବି କାମ କଲେ ଏବେ ବି ସେ ଅନ୍ଧାରକୁ ଆଲୁଅ କରିପାରିବ, ମନ ହେଲେ ସବୁ କରିପାରିବ । ବିପିନ୍‌ର ସମ୍ବନ୍ଧ ସତେ କି ସେ ମଣିଷର ମନ ସଙ୍ଗରେ ନୁହେଁ, ତାର ସମ୍ବନ୍ଧ କେଇଟା ବଛା ବଛା ମୋଟା କାମ ସଙ୍ଗରେ; ତେଣୁ ସେ ହାଲିଆ ହୋଇ ପଡ଼ୁଛି, ତା’ ମନ ପିତା ପଡ଼ିଯାଉଛି-

 

ମଣିଷର ପ୍ରବଣତା ନ ଚିହ୍ନି, ମନର ଶକ୍ତିକୁ ନ ଚିହ୍ନି ନ କଳି ମଣିଷକୁ ଅବିଶ୍ଵାସ ଆଉ ଉପହାସ କରି କୌଣସି ଯୋଜନା ସ୍ଥାୟୀ ହୋଇ ନ ପାରେ–ତୁଚ୍ଛା ବୁଦ୍ଧିଜୀବୀର ଆସ୍ପର୍ଦ୍ଧା ଆସ୍ଫାଳନ–ସେ ବୃଥା ।

 

ଯେ ମଣିଷକୁ ଭଲ ପାଇ ଶିଖି ନାହିଁ, ସମ୍ମାନ କରି ଶିଖି ନାହିଁ, ମଣିଷର ସୁଖଦୁଃଖ ହାନି ଲାଭରେ ତା’ ସଙ୍ଗରେ ସମ୍ବନ୍ଧ ରଖିବାକୁ ଓହ୍ଲାଇବା ତା’ର ଉଚିତ ନୁହେଁ ।

 

ବିପିନ୍‌ର ଚିଠି ପଢ଼ି ରବି ଏମିତି ଭାବିଥିଲା ନାନାଆଡ଼ୁ, ଆଖି ଆଗରେ ଗୋଟିଏ ପ୍ରଶ୍ନ–କ’ଣ ହେବ ? କ’ଣ ହେବ ?

 

କାହାର ଉନ୍ନୟନ କିଏ କରିବ ଏହି ମନ ଘେନି ? ରୋଷେଇ ହେବ ? ଖାଇବ କିଏ ? କୋଠା ହେବ, ସଡ଼କ ହେବ, କୂଅ ପୋଖରୀ ହେବ, ମଣିଷର ମନ ଉପରେ ମଣିଷ ଜାତିର ଚରିତ୍ରର ପରମ୍ପରା ଉପରେ କ’ଣ କେତେଦୂର ହେବ ତାର ପ୍ରଭାବ ?

 

କାର୍ଯ୍ୟଟିଏ ଯେ ଆରମ୍ଭ ହେବ ସେ କ’ଣ ସେଇଠି ସରିଯିବାକୁ ନା ସେମିତି ନାନା କାର୍ଯ୍ୟର ସୂତ୍ରପାତ ହେବ ସେ ଗୋଟିଏ କାର୍ଯ୍ୟରେ ?

 

ମଣିଷର ଉନ୍ନତି ଆଉ ଉପକାର କରିବାକୁ ସେମାନେ ଯେତେ ବ୍ୟବସ୍ଥା କରନ୍ତି ମଣିଷର ମନକଥା କହିଲେ ନାକଟେକନ୍ତି କାହିଁକି ? ଯେ ତା’ର ସବୁ କାର୍ଯ୍ୟର ଶକ୍ତି, ତାର ସବୁ ପ୍ରଚେଷ୍ଟାର ଆଗ ମଙ୍ଗ ତାର ସେହି ବୁଦ୍ଧି ବିଚାର ସ୍ନେହ ସରାଗକୁ ବିକାଶ କରିବା ଲାଗି କାହିଁ ଏଥିରେ ବ୍ୟବସ୍ଥା ? ତାର ନୈତିକ ଆଧ୍ୟାତ୍ମିକ ଉନ୍ନୟନ ଲାଗି ଯୋଜନା କାହିଁ ?

 

ତାର ସେ ସନ୍ଦେହ ସେ ଅନ୍ୟମାନଙ୍କ ସଙ୍ଗେ ଆଲୋଚନା କରିଥିଲା । ଧୋବେଇ ମିଶ୍ର କହିଲେ, “ଗୋଟାଏ ଅନ୍ଧବିଶ୍ୱାସ ହୋଇଯାଇଛି ଯେ ଲୋକେ ଖାଇଲେ ପିଇଲେ କୋଠାଘରେ ରହିଲେ ଧନ ସମ୍ପତ୍ତିର ଅଧିକାରୀ ହେଲେ ସେମାନଙ୍କ ମନ ବି ଉଦାର ହୋଇଯାଏ, ହୃଦୟ ଶୁଦ୍ଧ ହୁଏ, ଠିକ୍ ଯେମିତି ଆଉ ଗୋଟାଏ ଅନ୍ଧବିଶ୍ୱାସ ଅଛି ଯେ ସ୍ୱାଚ୍ଛନ୍ଦ୍ୟରେ ରହିଲେ ମଣିଷର ମନ ସ୍ୱାର୍ଥପର ହୋଇଯାଏ, ତାର ଆଧ୍ୟାତ୍ମିକ ଅଧୋଗତି ଘଟେ । କିଏ କେଉଁ ଅନ୍ଧବିଶ୍ୱାସକୁ ଆଶ୍ରା କରେ, ସମସ୍ତେ କହନ୍ତି ସେହିମାନେ ହିଁ ପ୍ରକୃତ ପ୍ରଗତିପନ୍ଥୀ, ସତ୍ୟକୁ ଖୋଜୁ ଖୋଜୁ ମୁରବିମାନେ ବି ତର୍କରେ ଭୁଆଁ ବୁଲନ୍ତି । ଏ ଉଭୟେ ଆତ୍ମା ଉପରେ ବସ୍ତୁର ପ୍ରଭାବକୁ ସ୍ୱୀକାର କରନ୍ତି ଅଥଚ ଉଭୟେ ଖୋଜନ୍ତି ଆତ୍ମାକୁ ବସ୍ତୁ ଦାଉରୁ ମୁକ୍ତ କରିବାକୁ । ଲୋକେ ତ ଯୁକ୍ତି ପଛରେ ଧାଇଁଲେ, ମଣିଷ ପାଖକୁ ଆସୁଛି କିଏ ?’’

 

ନନ୍ଦ ତସିଲ୍‌ଦାର ହସିଲେ, କହିଲେ, ‘‘ଏମିତି ଦର୍ଶନଶାସ୍ତ୍ର ଭାବୁ ଭାବୁ ଆମେ ବି ଗୋଟିଏ ପନ୍ଥା କରି ରହିଯିବା ମନ କଲେ । ତା’ହେଲେ କାମ ଆଉ ହୋଇ ପାରିବ ନାହିଁ ।’’

 

ରବି ହସିଲା ନାହିଁ । ଗମ୍ଭୀର ହୋଇ କହିଲା, “ମୁଁ ଓଲଟି ଭାବୁଛି ଯେ ଦର୍ଶନଶାସ୍ତ୍ର ଆମେ ଯଥେଷ୍ଟ ଭାବି ନାହୁଁ । ବିପିନ୍‌ର ଚିଠିକୁ ମୁଁ ହସରେ ଭଡ଼ାଇ ଦେଇ ପାରୁ ନାହିଁ । ବିପଦର ଗୋଟାଏ ଦିଗ ସେ, ହୁସିଆର ନ ହେଲେ ଆମର କାମ ଭିତରେ ସେହିପରି ମନ ବାହାରିପାରେ ।’’

 

ନନ୍ଦ ତସିଲ୍‌ଦାର କହିଲେ, “ଏଠି ସେ ବିପଦର ଆଶଙ୍କା ନାହିଁ ବାବୁ, ଏଠି ବିଶ୍ୱାସ ଅଛି, ଉତ୍ସାହ ଅଛି, ଜୁଆରରେ ଭଟ୍ଟା ପଡ଼ିବ ନାହିଁ । ବିଶ୍ଵାସେ ମିଳେଇ କୃଷ୍ଣ, ତର୍କ ବହୁଦୂର । ‘‘

 

ଧୋବେଇ ମିଶ୍ର କହିଲେ, “ହଁ, ବିଶ୍ୱାସରେ କୃଷ୍ଣ ମିଳିବେ ଯେ, ଅନ୍ଧ ବିଶ୍ୱାସରେ ଅଣ୍ଡାଳୁ ଅଣ୍ଡାଳୁ କଂସ ବି ମିଳିବେ, ଯେ ମନ ସେ ମିଳିବେ । ଖାଲି ଉତ୍ସାହରେ ମାତିଗଲେ କ’ଣ ହେବ ନା ହୋ’ ସରିଗଲେ ଯେଝା ଘର କଣରେ ଯେ । ମଣିଷ ଯାହାକୁ ନିଜେ ନ ବୁଝି ପାରିବ ତାକୁ ଘେନି ସେ ଜୀବନ ବିତେଇ ପାରିବ ନାହିଁ । ସେଇଥିପେଇଁ ସବୁବେଳେ ସବୁ ପଟ ଦେଖି ଦେଖି କାମ କରିବା ଦରକାର ।’’

 

ରବି କହିଲା, ‘‘କେତେ ଥାଆନ୍ତି ଯେ ସେମାନେ ମଣିଷଠି ବିଶ୍ୱାସ ରଖନ୍ତି ନାହିଁ, ଭଗବାନଙ୍କଠି ବିଶ୍ୱାସ ରଖନ୍ତି ନାହିଁ, ନାକ ଟେକି ଟେକି ନିଶ୍ୱାସ ଛାଡ଼ି, ଆଶା ଛାଡ଼ି ସେମାନେ ବାଟ ହୁଡ଼ନ୍ତି । ଆଉ କେତେ ଥାଆନ୍ତି ଯେ ସେ ଜମା ତଳକୁ ଦେଖନ୍ତି ନାହିଁ, ପରିଖନ୍ତି ନାହିଁ, ଉପରେ ଉପରେ ଭାସିଯାଆନ୍ତି । ସେମାନେ କିଛି ବୁଝନ୍ତି ନାହିଁଟି, କିନ୍ତୁ ଯେତେବେଳେ ଦେଖିବ ଖାଲି ସେମାନେ ଉଚ୍ଛ୍ୱାସରେ ଉଡ଼ି ବୁଲୁଥିବେ । ଏମିତି ଯେ ଆତ୍ମଦୃଷ୍ଟିରେ ଆଖି ବୁଜିଦିଏ, କହେ ଯାହା ଚାଲିଛି ସେଇ ଭଲ, ସେ ବି ବାଟ ହୁଡ଼େ । ଆମେ ଏ ଦୁଇ ବିପଦକୁ ଏଡ଼େଇ ଚାଲିବା ।’’

 

ନନ୍ଦ ବୁଢ଼ା କହିଲେ, ‘‘ତୁମେ ବାବୁ ବୁଦ୍ଧିଆ ଲୋକ, ପାଠୁଆ ଲୋକ, ଭାବୁଥା ତୁମେ ଏପାଖ ସେପାଖ ଯେତେ ପାରୁଛ । ମୋଠିଁ ଏ ବୁଦ୍ଧି ନାହିଁ, ଏ ଭାବନା ନାହିଁ । ହୃଦୟ ନିର୍ମଳ ଥିଲେ, ମଣିଷ ଭିତରେ ସ୍ନେହ ଥିଲେ ସେ ତ ଗଙ୍ଗା ଧାରା ପରି ଆପେ ବୋହିଯିବ, ଆପେ ବୁଦ୍ଧି ଦିଶିବ । ତାକୁ ଗୋଳିଆ କରିବ କିଏ ? ହୃଦୟ ନିର୍ମଳ ନ ଥିଲେ ତାକତରକରେ ଯାହା କରୁଥିବା ସେଥିରେ ପଦେ ପଦେ ବାଧା, ହିସାବ କଷୁଥିବ, ଏଣେ ଘାସ ଗଜୁରିବ ନାହିଁ । ’’

 

ଏ ଯୁକ୍ତକୁ ରବି ଉତ୍ତର ପାଇଲା ନାହିଁ । ଧୋବେଇ ମିଶ୍ର କିଛି କହିବାକୁ ଭରସିଲେ ନାହିଁ । ଦୁହେଁ କେବଳ ତାଙ୍କ ମୁହଁକୁ ଅନାଇଁ ରହିଲେ ।

 

ତା’ପରେ ଏକାଠି ହସିଉଠିଲେ ତିନିହେଁଯାକ ।

 

ଏମିତି କେତେ ବିଚାର ଆଉ ତା’ ସଙ୍ଗେ ସଙ୍ଗେ କାର୍ଯ୍ୟ । କାର୍ଯ୍ୟ ବିଚାରକୁ ବଳ ଦିଏ, ଜଣକ ମନର ଉତ୍ସାହ ଅନ୍ୟ ଜଣଙ୍କ ମନକୁ ଉଷୁମ କରେ । ହସ ଖୁସିରେ ଦିନ ବିତିଯାଏ । କେହି ପ୍ରାଧାନ୍ୟ ଖୋଜେ ନାହିଁ, ଆପଣାକୁ ଅନ୍ୟଠୁଁ ବଡ଼ ବୋଲି ଭାବେ ନାହିଁ । କାମଟିଏ କରିବାକୁ କେତେ ହାତ ଉହୁଙ୍କି ହୋଇ ଆସେ, କାମଟି ହୁଏ, ତା’ପରେ ଆଉ ଗୋଟିଏ କାମ ଆସେ । ଟିକିଏ ବୁଦ୍ଧି ହୋଇଥିବା ପିଲାଟିଏ ହେଲେ ବି ସେ ଖୋଜେ କେମିତି ତା ଦେଇ କିଛି ହେବ, ଉପକାରୀ କାର୍ଯ୍ୟଟିଏ କରି ସେ ଆପଣାର ଅସ୍ତିତ୍ୱ ପ୍ରମାଣ କରେ, ଉତ୍ସାହ ପାଏ । ଏମିତି ସତେ ଆପେ ଆପେ ଚାଲିଥିଲା ସେ ସଂସ୍ଥା, ଦେଖିଲା ବେଳକୁ ସମସ୍ତେ ଗୋଟି ଗୋଟିକିଆ, ପୁଣି ଦେଖିଲା ବେଳକୁ ସମସ୍ତେ ପରସ୍ପର ସଙ୍ଗେ ଛନ୍ଦାଛନ୍ଦି ।

 

ବରଷାର ଝମ ଝମ ସଙ୍ଗୀତ ଭିତରେ ବେଳେ ବେଳେ ରବି ସେହି ନୂଆ ହୋଇ ଗଢ଼ି ହେଉଥିବା ଗୋଷ୍ଠୀକୁ ପୁଣି ଭିନେ ଆଖିରେ ଦେଖେ, ଲାଗେ ତାର ଏ ମାଟିରେ ଚେର ଲାଗିଗଲାଣି, ଆପଣା ଜୀବନର ଲକ୍ଷ୍ୟକୁ ଅନୁସନ୍ଧାନ କରେ ଆଉ ନିଜକୁ ନିଜେ ପଚାରେ–ପୁଣି କ’ଣ ? ୟା ପରେ କ’ଣ ? ସେ କ’ଣ ଏଇଠି ସବୁଦିନେ ରହିଥିବ ନା ଆଉ କୁଆଡ଼େ ଯିବ ? ଭାବେ–ଏଇ ସଂଗଠନ ଛାଆଁକୁ ଛାଆଁ ଚାଲିଥିବ ନା ସବୁଦିନେ ସେ ଏଠି ରହିଥିବ ? ମଣିଷ ଜାତି ନିଜକୁ ନିଜେ ସଂଗଠନ କଲେ କରୁଥିବ, ଯଦି ନ କରିବ ତେବେ କେଉଁ ଗୋଟିକିଆ ମଣିଷ ଜଣେ ତାର କ’ଣ କରିପାରିବ କେତେଦିନଯାକେ ? ଫୁଲଶରା ନିଜେ ନିଜର ଯତ୍ନ ନେଉଛି, ସେ ତାର ଦିଗ ଧରିଛି, ଆଗକୁ ଚାଲିଛି ।

ଆଉ ନିଜେ ସେ–ସେଇ ଯାହା ଭାବିଥିଲା ତୀର୍ଥରେ ରୋଷେଇ କରିସାରି ହାଣ୍ଡି ଭାଙ୍ଗିଦେଇ ଚାଲିଯିବ, କେବେ ଭାଙ୍ଗିବ ତା ହାଣ୍ଡି ?

ଭରସି ଭରସି ବଇ ମଳିକକୁ କହିଥିଲା, ‘‘ଗାଁକୁ ତ ଫେରିଲୁ ନାହିଁ ବଇ, କ’ଣ ଏଇଠି ରହିଥିବୁ ସବୁଦିନେ ?’’

ବଇ କହିଲା, ‘‘ତୁମେ ଯେଉଁଠି କି ମୁଁ ସେଇଠି । ଗାଁରେ ତ ଅଛି, ଏ କୋଉ ପର ?’’

ରବି କହିଲା, ‘‘ତୁମେ ତ ତମର ଭଲ ଚଳେଇଛ, ମୋର ଆଉ ଏଠି ରହି କ’ଣ ଅଧିକା ହେବ ? ବରଂ ଆଉ କେଉଁଠି ନୂଆ କରି ଆରମ୍ଭ କଲେ–’’

ଚମକିପଡ଼ି ବଇ ମଳିକ କହିଲା, ‘‘ଏ କଥା କେମିତି ତୁଣ୍ଡରେ ଧରୁଛ ରବି ରାଇ, କହ୍ନା ଗଲେ ଆଉ ଗୁହାଳ କାହା ପେଇଁ ?’’

‘‘ନାଇ ନାଇଁ ସେମିତି କହନା, ଏଠି କହ୍ନା ସମସ୍ତେ ।’’

ବଇ ମଳିକ କହିଲା, “ଯିବ ଯେତେବେଳେ ଯିବ, ତମ ପଛେ ପଛେ ମୁଁ ବି ଚାଲିବି । ତା’ପରେ ତୁମେ କାଳେ ଶୁଣିବ, ପୁଣି ଅରମା ମାଡ଼ିଗଲା, ପୁଣି ଯାହା ଥିଲା ସେଇଆ ହେଲା । ଗଢ଼ିବାକୁ ଯୁଗେ ଲାଗେ, ଭାଙ୍ଗିବାକୁ ଲାଗେ ଛୁଣୁକାଏ ।’’

ବଇ ମଳିକ ଉଦାସ ହୋଇ ଦୂରକୁ ଅନାଇଁ ତୁନୀ ହୋଇ ରହିଲା, ପୁଣି କହିଲା, ‘‘ତୁମେ ସାମାନ୍ୟ ନୁହ ଯେ ମୁଁ ତୁମର ଅନ୍ତ ପାଇବି । କଥା ପଦେ କହିଲ ଯେତେବେଳେ ତୁମ ମନରେ ପୁଣି କ’ଣ ଖେଳିଲାଣି । ତେବେ ମୋ ସାନ ବୁଦ୍ଧିରେ ମୁଁ ଦେଖିଚି କେତେ ବଡ଼ ବଡ଼ ଜିନିଷ ଆରମ୍ଭ ହୁଏ, ମଝିରୁ ଛାଡ଼ିଦେଲେ ଖଇଚା ହୁଏ, ଉଧାଏ ନାହିଁ । ଅଇଛା ସମସ୍ତେ ମହା ଉତ୍ସାହରେ ଲାଗିଛନ୍ତି ସତ ଯେ, ଅଇଛା ଲାଗୁଚି ଯେ ତା ମନକୁ ମନ ଚାଲିବ, ଦେଖାଶିଖାରେ ପୁଣି କେତେଠିଁ ତ କେତେ କଥା ଆରମ୍ଭ ହୋଇଆସୁଛି । ମଣିଷ ପରା ଦିଗୋଡ଼ିଆ, ଅଇଛା ଗୋଟିଏ ପ୍ରକାର ଲାଗିଲେ ଆର ଘଡ଼ିକି ଆଉ ପ୍ରକାରେ ଲାଗିବ, ଗୋଟାଏ ବାଗରେ ପୁରୁଷେ ନ ଚଳିଲେ, ପରଖି ନ ହେଲେ, ସହିସମ୍ଭାଳି ମାଟି କାମୁଡ଼ି ପଡ଼ିରହିବା ଅଭ୍ୟାସ ନ ହେଲେ ତା ଚଳଣିଟା ଥିର ହୁଏ ନାଇଁ । ଗୋଟାଏଠେଇଁ ଲାଗି ନ ରହିଲେ ଏ ଦିଗୋଡ଼ିଆଙ୍କୁ ବିଶ୍ୱାସ ନାଇଁ । ଧର ତେମେ ଆଲୁଅ କରିବ ବୋଲି ମଶାଲଟାଏ ହାତରେ ଧରି ଅନ୍ଧାରରେ ଚାରିଆଡ଼େ ଭଉଁରୀ ବୁଲୁଥିବ, ତ କ’ଣ ହେବ ? ଆଗେ ଆଗେ ଆଲୁଅ ହେଇ ହେଇ ଯାଉଥିବ ପଛେ ପଛେ ଅନ୍ଧାର । ସବୁଠି ତ ସେଇ ମଣିଷ, ସେଇ ମାଟି, ସବୁଠି ତ କାମର କ୍ଷେତ୍ର ।’’

 

ଏଇ ସେ ବଇ ମଳିକ, ରବି ତାକୁ ଅନାଇଁ ରହିଥିଲା ।

 

ବଇ ମଳିକ ଆହୁରି କହିଲା, “ସୂର୍ଯ୍ୟ ଉଦେ ହୁଏ, କୋଉଠି ଉଦେ ହୁଏ ? ଗୋଟାଏ ଠାଆକେ । କୋଡ଼ିଏ ଠାଆରେ ନୁହେଁ । ତଥାପି ସବୁଠି ଦିନ ହୁଏ, ଆଲୁଅ ହୁଏ । ଚିକ୍‍କଣ କରି ଗୋଟିଏ ଠାଆରେ କାମ ହେବ, ସେଇଠି ସୂର୍ଯ୍ୟ ଉଦେ ହେବ, ବଳେ ଚାରିଆଡ଼ ଆଲୁଅ ହେବ ।’’

 

ରବି ଭାବିଲା, ଏଇ ତ ମତ ତାରି, ଏଇ ଭାଷା ତ ତା’ରି ଅନ୍ତରରେ କିଏ କହୁଥିଲା । ପଦାରେ ଶୁଭୁଛି, ବଇ ମଳିକ ସେହି ବିଚାରର ଜଗୁଆଳ ।

 

ଏମିତି ବଇ ମଳିକ ଏ ରାଇଜଯାକ । ନୀତିକୁ ଲେଖେ କେହି ଜଣେ ଅକ୍ଷରରେ, ଭାବକୁ ଭାଷା ଦିଏ, ଭାବ ଥାଏ ମଣିଷର ଅନ୍ତରରେ, ଅକ୍ଷର ତାକୁ ଗଢ଼େ ନାହିଁ ।

 

ଆପଣା ମନରେ କୁଆଡ଼ର ତୋଫାନ ପରି ବେଳେ ବେଳେ ଧାଇଁ ଆସେ ଏକ ଅସ୍ଥିରତା । କାମରୁ ଅପସରିଯାଇ ନିଜ ସଙ୍ଗେ ନିଜେ ଏକୁଟିଆ ଥିଲାବେଳେ କେଉଁ ଅଜଣା ଡାକ ବାଜିଯାଏ କାନରେ; ଛଟପଟ ଲାଗେ । ଲାଗେ ଏତିକି ଯେପରି ତା’ ପାଇଁ ଯଥେଷ୍ଟ ନୁହେଁ, ମନହୁଏ ଉଡ଼ି ଚାଲିଯିବାକୁ ।

 

ଆପଣା ଅସ୍ଥିରତାର ଖିଅ ଧରି କଳିକଳିକା ତଳକୁ ତଳକୁ ଯାଉ ଯାଉ ଚମକିପଡ଼ି ସେ ନିଜକୁ ଦେଖେ ଏକ ନୂଆ ରୂପରେ ।

 

ସନ୍ଦେହ ହୁଏ–ସେଇ କ’ଣ ଏ ଅସ୍ଥିରତାର କାରଣ ?

 

ସେପାଖେ ଦେଖେ ଛବିର ମୁହଁଟି, ସେ ହସୁଛି ।

 

ସେ ତାର କ’ଣ ? ସେ ତା’ର କିଏ ?

 

ଭୁଲେଇ ହୁଏ ନାହିଁ, ବାରମ୍ବାର ସେ ରୂପ ଫୁଟିଉଠେ, ଲାଗେ ଦୁହେଁ ଅବା ଚାଲିଛନ୍ତି ଏକା ସୁଅରେ ଟଣା ହୋଇ । ଦୁଇଠାରେ ଦୁଇ ଜଣ, କେବେ ଭେଟାଭେଟି ନାହିଁ, ତଥାପି ଲାଗେ ସେଇଠି ସେ ଅଛି ତାହାରି ଅନ୍ତର ଭିତରର ଛପିଲା କବିତା, ଅଲେଖା, ଅକୁହା, ଗୋଟାସୁଦ୍ଧା ସେ ତା’ର ନିଜର ।

ନନ୍ଦ ତସିଲ୍‌ଦାର ଥଟ୍ଟାଳିଆ କରି କେବେ କେବେ କହିଦିଅନ୍ତି–‘‘ଏଥର ହାତକୁ ଦି’ହାତ ହେବା ଦରକାର ବାବୁ, ତୁମେ ଧର୍ମ କରିବାକୁ କାର୍ଯ୍ୟରେ ଓହ୍ଲେଇ ପଡ଼ିଛି, ସ୍ତ୍ରୀ ନ ଥାଇ କି ଧର୍ମ ? ସଂସାରୀ ନ ହୋଇ ସଂସାରୀ ଲୋକଙ୍କୁ କ’ଣ ବୁଝେଇବ ମତେଇବ ? ସ୍ତ୍ରୀ ନ ଥିଲେ ଥାଇତାପଣ କାହିଁ ? ଓଥରା ବାବନାଭୂତ ସମାନ, ସେମାନେ ଉଡ଼ି ଜାଣନ୍ତି ବସି ଜାଣନ୍ତି ନାହିଁ । କ’ଣ୍ଡ କନିଆଁ ଅଭାବ ? କହିଲେ ହୋଇଗଲା । ବାପା ବୋଉ ଆଶା କରିଛନ୍ତି । ବାବାଜୀ ହେଲେ ସେ ତ ବାବାଜୀ, କମଣ୍ଡୁଳ ଧରି ଜଙ୍ଗଲକୁ ଯାଅ, ଗାଁରେ କାହିଁକି ?’’

 

ମନେ ପଡ଼ିଯାଏ ବୋଉ କହିଥିଲା, ଛବିର ପ୍ରସଙ୍ଗ ବୋଉ ଭୁଲି ନାହିଁ, ହୁଏତ ଅତି ସରଳଭାବେ ସେତିକିରେ ପୁଅକୁ ସେ ବ୍ୟାଖ୍ୟା କରି ବୁଝିଛି, ହୁଏତ ସେ ଅପେକ୍ଷା କରିଛି ।

 

ରବି ଅଟକିରହେ, ଦୀର୍ଘଶ୍ୱାସ ପକାଏ । ଲାଗେ ସେ ନିଜେ ଅପେକ୍ଷା କରିଛି, ଚମକି ପଡ଼ି କାମରେ ମନ ଢାଳେ, ଅନୁଭୂତି ଆସେ ତାହାରି ଭିତରେ ଛବିର ସାନ୍ନିଧ୍ୟ ସେ ପାଉଛି, ହୋଇପାରେ ସେ କଳ୍ପନା, ତା’ ପାଖେ ସେ ଅତି ସତ ।

 

ଖବର ଉଡ଼ି ଉଡ଼ି ଆସେ । ସେ ଶୁଣେ ପାଟେଳିଗାଁର ଖବର, ଛବିର ନାଁ ଶୁଣେ । ଲାଗେ ଏମିତି ହେବ ବୋଲି ସତେ କି ସେ ଜାଣିଥିଲା, ଜାଣିଛି ।

 

ଆହୁରି ସ୍ପଷ୍ଟ ଭାବେ ଦେଖେ ଛବିକୁ, ସତେ କି କଳ୍ପନା ବାସ୍ତବ ହୁଏ ।

 

ମେଘ ପବନ ଚାଲିଛି, ଆକାଶରୁ ଗଳି ପଡ଼ୁଛି ଗଳ ଗଳ । ଦିନ ଚାରିଟା ବେଳ ହେବ, ଲାଗୁଛି ସତେ କି ସଞ୍ଜ ହେଲାଣି । ନରସିଂହ ପତିର ମା’ ବୁଢ଼ୀ ବିମଳା ଦାଣ୍ଡ କବାଟକୁ ଅଧଆଉଜା ରଖି ଠିଆ ହୋଇ ପଦାକୁ ଚାହିଁଥାଏ । କାଲୁଆ ପବନ ବୁଢ଼ୀ ମୁଣ୍ଡରୁ ଦେହରୁ ଲୁଗା ଉଡ଼େଇ ନେଉଥାଏ, ତା’ର ହାଡ଼ ଚମର ଦେହ ଉପରେ ଶିରିଶିରି ହୋଇ ଉଠୁଥାଏ, ବୁଢ଼ି ବେଳେବେଳେ ଉପର ଓଠକୁ ଟେକୁଥାଏ, ଦାନ୍ତ ଚିପୁଥାଏ, ଧଳା ଧଳା ଦାନ୍ତ ଦି’ପାଟି ସତେ କି ସେ ମେଘକୁ ଖତେଇ ହେଉଥାଏ । ଅଣଓସାର ପିଣ୍ଡାରେ ଠାଏ ଖୁଣ୍ଟିରେ ବନ୍ଧା ହୋଇଥାଏ ବୁଢ଼ୀ ଛେଳିଟିଏ, ତା’ ଦେହରେ ଓଦା ପବନ ବାଜୁଥାଏ, ଦେହ ଶୀତେଇ ଉଠୁଥାଏ, ମଝିରେ ମଝିରେ ସେ ବି ଓଠ ଟେକି ଦେଇ ଦାନ୍ତ ଦେଖାଉଥାଏ । ବୁଢ଼ୀର ଇଚ୍ଛା ସେ ଛେଳିଟାକୁ ଫିଟେଇ ଆଣନ୍ତା, ନେଇଆସନ୍ତା ଗୁହାଳ ଘର ଭିତରକୁ, ସେଠି ଆହୁରି ପଟେ ଛେଳି ତା ପିଲା ଛୁଆଙ୍କୁ ଘେନି ରହିଛି, ସେଇଟି ଦୁହାଁଳ ଛେଳି । କିନ୍ତୁ ବୁଢ଼ୀ ଛେଳିର ଭାଗ୍ୟ ଖରାପ, ପାଗ ଭଲ ଥିଲା, ସେ ସେଠି ବନ୍ଧା ହୋଇଥିଲା, ତା’ପରେ ଆସିଲା ଏ ବରଷା ପବନ । ଏଡ଼େ ଦାଉ ସହି ପିଣ୍ଡାଏ ପିଣ୍ଡାଏ ସେତେଦୂର ଯିବାକୁ ବୁଢ଼ୀର ଶକ୍ତି ନାହିଁ । ପୁଅ ନରସିଂହ ଯେ ସେ ଜରରେ ଶୋଇଛି । ନାତି ଟୋକା ଦି’ଟା - ଆଠ ବର୍ଷର ଛ ବର୍ଷର କେମିତି ଗିଲା ହୋଇ କୁଙ୍କୁରିକାଙ୍କିରି ହୋଇ ଭିତର ଦୁଆର ପିଣ୍ଡାକୁ ଆଉଜି ବସିଛନ୍ତି ଯେ ଡାକିଲେ ଶୁଣୁ ନାହାନ୍ତି । ବୋହୂ ଗୋଡ଼ରେ ଗଣ୍ଠିରେ ବାତ ଧରିଛି, ଚଲା ବୁଲା କଷ୍ଟ, ହାତଗୋଡ଼ ଚଳୁଛି ଖାଲି ବୁଢ଼ୀର । ଏଇ ନିଛାଟିଆ ବରଷା ନିବୁଜ ଅପରାହ୍ନରେ ଦାଣ୍ଡକୁ ଅନାଇଁ ଠିଆ ହୋଇଛି ବୁଢ଼ୀଟି, ବେଳେ ବେଳେ ବୁଢ଼ୀ ଛେଳିଆଡ଼କୁ ଅନାଇଁ ଦେଉଛି, ନ ହେଲେ ଖାଲିଟାରେ ଅନାଇଁଛି ମେଘକୁ ।

 

ବୁଢ଼ୀ ମନରେ ସେତେବେଳେ ଯୋଡ଼ିଏ ଚିନ୍ତା - ଗୋଟିଏ ତ ବୁଢ଼ୀ ଛେଳି କେମିତି ଘର ଭିତରକୁ ଆସିବ, ଆର ଚିନ୍ତାଟି ଚୁଲୀଜାଳ ଲାଗି । ଜାଳ ନାହିଁ । ଘସି ପାଣିମାଡ଼ରେ ଗୋଳି ହୋଇଗଲା । ଯାହା ଦି’ଖଣ୍ଡ ସାଇତା ହୋଇଥିଲା ସେଥିରେ ସକାଳ ଓଳିଟା ଚଳିଥିଲା, ଏ ଓଳିକି ନାହିଁ । ଚୁଲୀ ଲାଗିବ ନାହିଁ, ଛୁଆ ଦିହେଁ, ଜରୁଆ ମଳୁଟା, ଯୋଡ଼ାଏ ମାଇକିନିଆ ଆଜି ରାତିରେ ଶୋଇବେ ଉପାସରେ, ହାତ ଗୋଡ଼ ଚଳୁ ଚଳୁ କିଛି କରି ହେଲା ନାହିଁ, ସେତିକି ବୁଢ଼ୀ ମନରେ ଭାଳେଣି ।

 

ଓହୋହୋ ବରଷା–ରହ ରହ ରଇଥା ଟିକିଏ, ମଣିଷ କୁଆଡ଼େ ହେଲେ ଗଲେ ଜାଳ ପୁଳିଏ ମାଗି ଆଣିବ–ବୁଢ଼ୀ ଆତୁର ହୋଇ ଡାକୁଥାଏ, ମନେ ମନେ ଇନ୍ଦ୍ର ଦେବତାଙ୍କୁ କେତେ ନେହୁରା ହେଉଥାଏ ।

 

ବୁଢ଼ୀ ଆଉ ତାର ସମସ୍ୟା ଆଗରେ ଚାଲିଥାଏ ରାଉ ରାଉ ବରଷା, ପବନ ଭଉଁରୀ ଖେଳୁଥାଏ, କବାଟରେ ଧକ୍‌କା ମାରୁଥାଏ ହଲପା । ସାମ୍ନାରେ ଖଣ୍ଡେ ଦୂରରେ ବାଉଁଶ ବୁଦା ଅରାଏ, ମେଘ ପବନରେ ଝାଙ୍କି ହୋଇ ଯାଇଥାଏ । ଘର ଆଗରେ ଗଦାଟା ଉପରେ ବରଷଣ । ପାଣିରେ ଗୋଟାଏ ଚହଲା ନଈ ଚାଲିଥାଏ ।

 

ବୁଢ଼ୀର ମନେ ପଡ଼ିଯାଉଥାଏ ଏମିତିଆ କେତେ ମୁହଁସଞ୍ଜର ସ୍ମୃତି । ସେପାଖର ସାହୀଟା ଗଛ ଉଢ଼ୁଆଳ ହୋଇଛି, ଏତିକି ବେଳେ ସେଠି କଳିକଜିଆର ଧୁମ୍ ଲାଗେ । ବୁଢ଼ୀ ପିଣ୍ଡାରେ ବସି ଶୁଣେ । ସାମ୍ନାର ଏ ପଦାଟା ଧୂଆଁଳିଆ ହୋଇଯାଇଥାଏ । ଆଗରେ ଏଇ ବାଟ ପଡ଼ିଛି, କିଏ କିଏ ଚଳପ୍ରଚଳ ହେଉଥାନ୍ତି । ଆଉ ଟିକକୁ ଶୁଭିବ ବିଲୁଆ ବୋବେଇବେ । କଜିଆ ରୋଳ ଭିତରେ ଦୂରରୁ ଭାସି ଆସିବ ଆଖଡ଼ାଘରୁ ମୃଦଙ୍ଗ ଶବ୍ଦ, କେବେ କେବେ ସଙ୍ଗୀତ–‘‘ଆରେ ଆ -ଆ -ଆ.... ।’’ ଗଛ ଉଢ଼ୁଆଳରୁ ମେଞ୍ଚା ମେଞ୍ଚା ଘରୁ ଅନ୍ଧାର ଭିତରେ ଦିଶିବ ଆଲୁଅ ଦୀପ ଡିବି - ଲଟକଣ -ଚୁଲୀନିଆଁ ।

 

କିଏ ବୁଲି ଆସିବେ, ଡାକ ଶୁଭିବ, “ଆଗୋ ନରସିଙ୍ଗ ବୋଉ ଅଛ ? ୟେ ପତିଆଣୀ ଅଛ ?’’

 

ଏମିତି ଗୋଟାକ ପରେ ଗୋଟାଏ ସଞ୍ଜ, ତା’ ଭିତରେ ବୁଢ଼ୀର କଟିଯାଇଛି ତିନି କୋଡ଼ି ସାତବର୍ଷ, କାଲି ପରି ଦିଶୁଛି -ବାହାଘର, ନୂଆ ଘର, ‘ସେ’, ନରସିଙ୍ଗର ଜନ୍ମ, ତା ତଳେ ମାଳର ଜନ୍ମ, ସେମାନଙ୍କ ବାହାଘର, ତାଙ୍କ ବାପେ ଚାଲିଗଲେ, ନରସିଙ୍ଗର ମାଳର ଛୁଆପିଲା ହେଲେ ।

 

ତାରି ଭିତରେ ଦିଶିଯାଉଛି, ବଗୁଲିଆ ଉପରର ଝିଅଟି, ଠୁକୁରୀ, କେଡ଼େ ବଢ଼ିଆଳ ପିଲାଟାଏ ହୋଇଥିଲା, ବୋଉକୁ ପଚାରେ ନାହିଁ, ଆଈ ସଙ୍ଗରେ ଖାଇବ, ଆଈ ସଙ୍ଗରେ ଶୋଇବ, ଯୁଆଡ଼େ ଗଲେ ଲାଙ୍ଗୁଡ଼ । ନଅବର୍ଷ ପଶିଥିଲା ଠୁକୁରୀ ଚାଲିଗଲା ।

 

ମଣିଷ-ଜୀବନ ଉପରେ କେତେ ବରଷା ତ ଚାଲିଯାଇଛି, କେତେ ଦୁଃଖ, କେତେ ଭୋକ ଉପାସ । ଆଉ କେତେ ଦିନ କିଏ ଜାଣେ ? ବରଷା ଆଉ ସଞ୍ଜକୁ ଅନାଇଁ ଠିଆ ହୋଇ ରହି ବିମଳା ବୁଢ଼ୀ ତା’ ଚେତନାର ଝଲକେ ଝଲକେ ଏମିତି ଚହଲି ଯାଉଥିଲା ସମୟ ଉପରେ, କେତେ ଆକ୍ରାନ୍ତରେ ବୁଲି ଆସୁଥିଲା । ପୁଣି ଲେଉଟି ଆସୁଥିଲା ତା’ ଜୀବନର ସେହି ଯୋଡ଼ିଏ ଉପସ୍ଥିତ ସମସ୍ୟା ଉପରକୁ–ବୁଢ଼ୀ ଛେଳି ଓ ଚୁଲୀଜାଳ ।

 

ପୁଣି ଭାସି ଚାଲିଯାଉଥିଲା । ଝାଇଁ ଝାଇଁ ଝମ ଝମ ବରଷା ଭିତରେ ଏଇ ଯେଉଁ ପଲକ ପଲକରେ ଅନ୍ଧାର ଖୁନ୍ଦି ହୋଇଯାଉଚି, କାନରେ ଏଇ ଯେଉଁ ରାଉ ରାଉ ହାଉହାଉ ପାଖେଇଆସିବା ଦୂରେଇଯିବା ଶବ୍ଦର ଝଙ୍କାର, ଆଖି ଆଗରେ ଏଇ ଯେଉଁ ପ୍ରବଳ ବେଗ, ପ୍ରବଳ ଗତିର ଛବି, ସବୁ ଆସିଛି, ସବୁ ହଲ ହଲ, ସେହି ସବୁ ଏକାଠି ହୋଇ ଗଢ଼ିଛି ଏକ ମହାଭାବର ଜୀଅନ୍ତା ଆବେଗ, ଘର ଚାଳର ନଡ଼ା କେରାକୁ ବରଗଛକୁ ବାଉଁଶବୁଦାକୁ ଏକା ଝାଙ୍କରେ ମୋଡ଼ିମୋଡ଼ି ଏକା ସଙ୍ଗୀତରେ ମିଶାଇଦେଲା ପରି ବୁଢ଼ୀର ଚେତନାକୁ ଦେଉଛି ସେ ଝାଙ୍କ, ଓଟାରି ନେଇ ଚାଲିଯାଉଛି ତାହାରି ସଙ୍ଗରେ ଉଡ଼ି ବୁଲିବାକୁ, ପୁଣି ଆଣି ଛାଡ଼ିଦେଇ ଯାଉଛି, ପୁଣି ପୁଣି ନେଉଛି ଆଣୁଛି ।

 

ଦିଶି ଦିଶି ଯାଉଛି–କେତେ ମୁହଁ, କେଉଁଠି କିଏ ଥିଲା କିଏ କୁଆଡ଼େ ଗଲାଣି । କେଉଁ ଅତୀତ କାଳର କେତେ ସାନ ସାନ ଘଟଣା, କେତେ ବଡ଼ ବୋଲି ଲାଗିଥିଲା ଦିନେ, ଖିଅ ଧରି ଧରି ସ୍ମରଣ କରୁ କରୁ କୁଆଡ଼େ ପଳୋଉଛି । ଅସରନ୍ତି ସମୟ ଭିତରେ ଅକଳନ ସୃଷ୍ଟି, କେଉଁ ଗୋଟିକ ଉଠିପଡ଼ୁଛି କେଉଁ ଗୋଟିକ ଖସି ପଡ଼ୁଛି ଲୁଚି ଯାଉଛି, ଦୁନିଆର ଏତେ ମଣିଷଙ୍କ ଥିବା ନ ଥିବା ସଙ୍ଗରେ ତାହାରି ଜୀବନଟା ଯେପରି କି ଅଡୁଆ ସୂତା ପରି କେଉଁ ପରିସ୍ଥିତିରେ କେତେବେଳେ ମିଶି ଗୁରେଇ ହୋଇଯାଇଛି, ପୁଣି ଖୋଲି ହୋଇ ଆସିଛି । ଘଟନା ସେଠି ନିଦା ପଥର ଖୁଣ୍ଟି ହୋଇ ଚେକା ମାଡ଼ି ବସି ନାହିଁ, ଖାଲି ତାରି ମନଟା କେବେ ଫୁଲି ଉଠିବା କେବେ ନୋଚାକୋଚା ହେବାର ଅନୁଭୂତି ଦପ ଦପ କରୁଛି, ଆସୁଛି ଚାଲିଯାଉଛି, ଉଇଁ ଉଠୁଛି ନିଭି ଯାଉଛି, ଚେଇଁ ଉଠିଛି ଶୋଇ ପଡ଼ୁଛି । ଏମିତି ମିଞ୍ଜି ମିଞ୍ଜି ହୋଇ ଜୀବନ ଅନୁଭୂତି, ଅଣ୍ଡାଳିବା ଆଉଁସିବା ଆପେ ହୋଇଯାଉଛି, ପାଣି ପବନର ଛାଟ ଖାଇ ଖାଇ ଠିଆ ହୋଇ ରହିଛି ବୁଢ଼ୀ ଦେହଟା ।

 

ତାର ଚିହ୍ନା ସଂସାର ବଦଳିଛି । ଏଇ ଗୋଟାଏ ବର୍ଷରେ ଗୋଟାଏ ନୂଆ ପରିବର୍ତ୍ତନ ଆଖିଦୁରୁଶିଆ ହୋଇ ବାରି ହୋଇ ପଡ଼ୁଛି । ଗାଁରେ ନୂଆ ମେଣ୍ଟ, ସବୁ ସୁଖ ଦୁଃଖ ଏକାଠି ହୋଇ ଗୋଟାଏ କୋଠଘର ପରି । ଏଇ ଘର ହାତୀଅନ୍ଧ ଭାଙ୍ଗି ପଡ଼ିଥିଲା ସେମାନେ ତୋଳି ଦେଇଛନ୍ତି । ଖାଇବାକୁ ଆଉ ଅଭାବ ନାହିଁ, ଦରକାର ମାନିଆ ଚାଉଳ ଡାଲି ଲୁଣ ତେଲ ଆପେ ଆଣି ଦେଇ ଯାଉଛନ୍ତି । ପିଲା ଦି’ଟା ପଢ଼ୁଛନ୍ତି । ନରସିଙ୍ଗର ଜର, ବୋହୂର ବାତ - ଧୋବେଇ ମିଶ୍ର ଔଷଧ ଦେଉଛନ୍ତି । ଗରିବପଣକୁ ଆଉ କେହି ଖୁଣ୍ଟା ଦେଉ ନାହିଁ, ହତାଦର କରୁ ନାହିଁ । ଗୋଟାଏ ନୂଆ ଉତ୍ସାହରେ ତେଜି ଉଠିଛନ୍ତି ସମସ୍ତେ । ପରଠୁଁ ଓଟାରି ସମ୍ପତ୍ତି ସମ୍ପାଦିବା ବଢ଼େଇବାର ଝୁଙ୍କ ନାଇଁ, ମଣିଷଙ୍କର ତୁଣ୍ଡରେ ଗୋଟାଏ ନୂଆ ଡାକ ନୂଆ ବୋଲି -ଆମେ ସମସ୍ତେ ଏକ ସୁଖରେ ଦୁଃଖରେ-

 

ପୁଣି ମନ ମିଞ୍ଜି ମିଞ୍ଜି ହେଉଛି, ଦିଶିଯାଉଛି ଏଇ କ୍ଷୁଦ୍ର ଗୋଟିକିଆ ଜୀବନ ସେକରେ ସେଇ ବିଶାଳ ସୃଷ୍ଟି ବିଶାଳ ଜୀବନ–ଯେଉଁଠି ଲାଗିଥାଏ ଏମିତି ବରଷା ତୋଫାନ, କେତେବେଳେ ସବୁ ଶାନ୍ତ, କୋମଳ, ଆଖିସହା, ଯେଉଁଠି ଅଗଣିତ ଗଛରେ ଅଗଣତି ଫୁଲ ଫୁଟେ, ବର୍ଣ୍ଣରେ ମହକରେ ଚମକି ଉଠେ ପୁଣି ଯାଏ ଝଡ଼ି,–ପୁଣି ଫୁଟେ ପୁଣି ଝଡ଼େ, କେଉଁଟା କେଉଁଠି କ’ଣ-ବାରି ହୁଏ ନାହିଁ, ହେତୁ କରି ହୁଏ ନାହିଁ, ହେଳା ରଖି ହୁଏ ନାହିଁ, କେବଳ ଦିଶେ ସବୁ ମିଶି ସଜେଇ ହୋଇ ଗୋଟାଏ ଛବି, ସେଠି ଆକାଶ ଆଉ ଘାସ ପଡ଼ିଆ, ଦ୍ରୁମ ଆଉ ମଣିଷ, କେତେବେଳେ କେଉଁଠି ଆଲୁଅ କେଉଁଠି ଅନ୍ଧାର, ଯେତେବେଳେ ଚାହିଁଲେ ଗୋଟାଏ ନୂଆ ପ୍ରକାର ଅଥଚ ତାହାରି ଭିତରେ ଅତି ପୁରୁଣା ହୋଇ ଆଉ ଗୋଟାଏ କ’ଣ, ଯେଉଁଥିରେ ସୁଖ ଲାଗି ନ ଥାଏ, ଦୁଃଖ ଲାଗି ନଥାଏ, ରଖିବା ଛାଡ଼ିବା ପାଇବା ନ ପାଇବାର କଳନା ନାହିଁ, ମଲା ବଂଚିଲାର ଲେଖା ନାହିଁ, ଖାଲି ସେମିତି ସେ । ନିଶ୍ୱାସ ନେଉ ନେଉ କେଡ଼େ ଆପଣାର ହୋଇ ସେ ଏଇ ଦେହଖୋଳ ଭିତରେ ପଶିଯାଏ, ବାହାରିଯାଏ ।

 

କେତେବେଳେ ଅଟକିଯିବ ବି ଏ ନିଶ୍ୱାସ, ସେଇନା ଜଣା ନାଇଁ ଅନୁଭୂତି ସଙ୍ଗେ ମିଶିଯିବ ସେ, ବିମଳା ବୁଢ଼ୀ, ସେହି ଯେ ଜାଳ ସମ୍ପାଦୁଥିଲା, ନାତି ଖାଇବ ବୋଲି ଚୂଡ଼ା ଗଣ୍ଡିଏ ସାଇତି ରଖୁଥିଲା, ଆମ୍ବୁଲ ପାରୁଥିଲା । ଉତ୍ସାହ କି ନିରୁତ୍ସାହ, ଆଶା କି ନିରାଶା, ଭଲ ଫସଲ କି ମରୁଡ଼ି, ବନ୍ଧୁତା କି କଳି କିଛି ସେଇ ବିଚିତ୍ର ଚେତନା ଉପରେ ଦାଗ ଲଗାଇ ନାଇଁ, ଖାଲି ଲାଗୁଛି-ଆଖି ଜୁଳୁ ଜୁଳୁ କରି ଚାହିଁଥିବ, ଦେଖୁଥିବ କିଛି ଗୋଟାଏ, ଦିନେ ଆଉ ଦେଖିବ ନାଇଁ -ସେଇ ଯେମିତି ଚାଲିଗଲା ନରସିଙ୍ଗାର ବାପା, ନରସିଙ୍ଗାର ଝିଅ ଠୁକୁରୀ ।

 

କେତେ ଭଉଁରିଆ ଲେଖା ହୋଇ ରହିଥିଲା ତାଳପତ୍ରରେ, କେତେ ପାଞ୍ଜିବିଡ଼ା, ତମ୍ବାପାତିଆ ଉପରେ ଖୋଳେଇ ହୋଇ ଦାନପତ୍ରମାନ, ଦେଉଳରେ ପଥରରେ ଖୋଳେଇ ଅକ୍ଷର, କେତେ କେତେ କୀର୍ତ୍ତି କେତେ ଜୀବନର ଇତିହାସ, ଆଲୁଅ ଛାଇ ମୁକୁଳି ନିକିଳି ହୋଇ ଆସିଛି ତହିଁରୁ, ହଜିଛି ସେଗୁଡ଼ାକ, ହଜୁଥିବ, ସତେ କି ମୂଳ ନାଇଁ ଶେଷ ନାଇଁ ଖାଲି ଏଇ ଚଳନ୍ତା ପଟୁଆର, ଏଇ ଯେମିତି ମେଘ ପବନରେ ସଞ୍ଜର ଛାଇ ମିଶିଯାଇ କେତେ ଜାତି ରୂପ ଆଉ ଗତି ସୃଷ୍ଟି କରୁଛି, ପୁଣି ମିଳେଇ ଯାଉଛି ।

 

ଆଉ ସେଇ ପାଣି ପବନର ଛାଇ ଆଲୁଅର ରୂପ ଡାକିଦେଇ ଯାଉଛି -ଆ ବିମଳା, ଆ–ଆ

 

ନରସିଙ୍ଗା ମା, ସବୁ ଛାଡ଼ିଦେଇ ଚାଲିଯିବୁ ଆ । ଆ ଉଡ଼ିଯିବୁ, ହଜିଯିବୁ ଲୁଚିଯିବୁ ।

 

ବୁଢ଼ୀ ଛେଳି ମେଁ କଲା । ସେ ବହୁତ ସହିଲାଣି, ଆଉ ପାରୁ ନାହିଁ । ନରସିଙ୍ଗା ମା’ ତାକୁ ନିଘା କଲା । ଦୀର୍ଘଶ୍ୱାସ ପକାଇ ଭାବିଲା, ନରସିଙ୍ଗା ମା ଅମରବର ପାଇଛି । ତିନି କୋଡ଼ି ସାତ, ତଥାପି ଏ ଜଞ୍ଜାଳ ସରି ନାହିଁ । ପୁଣି ମନେପଡ଼ିଲା ମଲା ଯାଃ, ଜାଳ ଖଣ୍ଡ ବି ନାହିଁ, ଆଜି ରାତିରେ ଘରେ ଉପାସ ।

 

ପାଣିରେ ଛପର ଛପର ଚବର ଚବର ଶୁଭିଲା । ପାଖେଇ ଆସୁଛି ଶବ୍ଦ । କିଏସେ ଜଣେ ଆସୁଛି । କବାଟକୁ ଦି’ହାତରେ ଧରିଥିଲା ଯେ ଆଉ ଟିକିଏ ଖୋଲି ଦେଉ ଦେଉ ପବନ ହଲପାରେ ଭୁସ୍‌କରି ଖୋଲିଗଲା । ଘରଯାକ ଯେମିତି କି ହାଉହାଉ ହସ । ଦେହ ଶିରିଶିରେଇ ଉଠିଲା । ଅନ୍ଧାରୁଆ ହୋଇଆସୁଛି । ବୁଢ଼ୀ ଛେଳି ବୋବାଳି ଉପରେ ବୋବାଳି ଛାଡ଼ିଛି । ସେ ସତେ କି କ’ଣ ଦେଖୁଛି, କ’ଣ ବାରୁଛି । ଚବର ଚବର ଶବ୍ଦ ଆହୁରି ସ୍ପଷ୍ଟ ହେଲା, ମାପିଲା ପରି ଛାଡ଼ିଛାଡ଼ିକା ରହିରହିକା । ଏଥର ଦେଖିଲା ପଖିଆ ଘୋଡ଼ିହୋଇ ବଙ୍କା ହୋଇ କିଏ ଜଣେ ଡେଙ୍ଗା ଲୋକ ଆସୁଛି । ବାରି ହୋଇପଡ଼ିଲା ଅଳପେ ଅଳପେ । ତା’ପରେ ବରଷା ଭିତରେ କୁହାଟ ଶୁଭିଲା, ‘‘ନରସିଙ୍ଗ ମା’ ଅଛ ?’’

 

ଦଧି ଗୌଡ଼ ପିଣ୍ଡା ଉପରକୁ ଉଠିଆସିଲା । ପଖିଆ ଘୋଡ଼ି ହୋଇଛି, ଗୋଟାଏ ବଡ଼ ଟୋକେଇ ଆଣିଛି । ସେଥିରେ ଶୁଖିଲା ଛେଲାକାଠ ପଶିଛି । ଦରଦର ପାଣି ବୋହିଯାଉଛି । ପଖିଆକୁ କାନ୍ଥରେ ଡେରିଦେଇ କହିଲା, ‘‘କ’ଣ କରିବି କହ, ଆସୁ ଆସୁ ଡେରି ହୋଇଗଲା |”

 

ଶୁଖିଲା କାଠ ଦେଖି ବୁଢ଼ୀ ଆନନ୍ଦରେ ତେଜିଉଠି କହିଲା, “ତେମେ କେମିତି ଜାଣିଲ ପୁଅ ଆମ ଘରେ କାଠ ନାହିଁ ବୋଲି ?’’

 

‘‘ସକାଳେ ପରା ଶାନ୍ତିବୋଉ ଆସି ଦେଖିଯାଇଥିଲା । ଜାଣିବି ନାହିଁ କେମିତି ?” ଶାନ୍ତି ତା’ର ବଡ଼ ଝିଅ ।

 

‘‘କୋଟି ପରମାଇ ହେଇଥା ରେ ବାପା ! ହଁ ହଁ, ଶାନ୍ତିବୋଉ ଆସିଥିଲା ସତେରେ । ପୁଅ ପେଇଁ ଦୁଧ ବାଲି ଆଣି ଦେଇ ଯାଇଥିଲା । ପିଲାଜଞ୍ଜାଳୀଟିଏ ସିନା, କେମିତି ତାର ସବୁକଥା ମନେ ଥାଏ ମ, ଏତେ ମେଘରେ ତମୁକୁ ପଠେଇଲା ?’’

 

‘‘ନାଇଁ ଖାଲି ସେ ପଠେଇନାଇଁ, ଆମର ଆଜି କଥା ପଡ଼ିଥିଲା, ରବିବାବୁ ବି ଥିଲେ । ଏ ଯୋଉ ଦୁର୍ଗମ ପାଗ ହେଇଚି, ଜାଳ ଅଭାବରୁ କେତେ ଘରେ ଏଇ ଦଶା । ଯୋଉଠି ଯୋଉଠି କାଠ ରୋଷେଇ ହଉଚି ସେଠି ତ କିଛି ଅଭାବ ନାଇଁ, ହେଇ ଯେମିତି ଆମ ସାହିରେ । ଯୋଉଠି ଆପଣା ଘରେ ରୋଷେଇ ସେଠି କୋଉଠି କାଠ ନାଇଁ, କୋଉଠି ଚାଉଳ ନାଇଁ । ସେ ଖବର ବି ମିଳିବାକୁ ନାଇଁ । ଯୋଉଠୁ ଯୋଉଠୁ ଖବର ଆସିଚି, ଆମେ କେଇଜଣ ବରଗା ହେଇଚୁ ବୁଲୁଚୁ ।”

 

‘‘କେଡ଼େ କାମ କରୁଚ ରେ ବାପା ।’’

 

‘‘ୟେ କିଛି ନୁହେଁ, ଅଇଛା ତ ବଢ଼ି ମାତିଲାଣି ଖବରକାଗଜରେ ବାହାରିଚି, କାଲି ସକାଳୁ ତିନି ଖଣ୍ଡ ନାହାରେ ଚୂଡ଼ା ଚାଉଳ ତେଲ ଲୁଣ ନାନା ଦରବ ଧରି ଆମ ଗାଁରୁ ସବୁ ବିଦେଶ ଯାଉଚନ୍ତି, ରବିବାବୁ ଯାଉଚନ୍ତି, ଆହୁରି ଦଶ ପନ୍ଦର ଯିବେ– ।’’

 

ବୁଢ଼ୀ ଆଖି ଖୋସିଦେଲା, କହିଲା, “ଏଇ ଝଡ଼ି ହଇପାରେ ନାହା ! ୟେ ତ ଝରି ଲାଗିଗଲା ରେ ବାପା, କେଇଦିନେ ଛାଡ଼ିବ କିଏସେ କହିବ ସେ କଥା ! ଏ ପାଗରେ ମୂଷା ଗାତରୁ ବାହାରେ ନାଇଁ, ବଢ଼ିଲା ନଈରେ ଜୀବନକୁ ପାଣି ଛଡ଼େଇ ଦେଇ ମଣିଷ ଯିବେ ।’’

 

ଦଧି ଗୌଡ଼ ହସିଲା, କହିଲା, “ମୁଁ ବି ଯାଉଚି ଯେ, କ’ଣ ହେଇଯିବ କାହାର ? ନଈ ନାଳ ମାତିଚି, ପାଟ ମାତିଚି, ବନ୍ଧ ଭାଙ୍ଗିଚି, ଘର ଭାସି ଯାଉଚି, ଗୋରୁ ମଣିଷ ଭାସି ଯାଉଚନ୍ତି । ଆମେ ସେଠି ଥିଲେ ଆମର ବି ସେମିତି ହୋଇଥାନ୍ତା ତ । ଆମ ଗାଁରେ ସେମିତି ହୋଇଥିଲେ ଫେଣେ ତ କାହାକୁ ଆଶା କରନ୍ତେ ? ନ ଗଲେ ଆପଣା ପାଟିକି ଭାତ ରୁଚିବ କେମିତି ? ନରସିଙ୍ଗ ନନାକୁ ବି ସାଙ୍ଗରେ ନେଇଯାଇ ଥାଆନ୍ତେ, ତା ପରି ଏମିତି ନଈ ପହଁରିଲାବାଲା କେଇ ଜଣ ଅଛନ୍ତି ? କ’ଣ କରିବା, ଜରରେ ପଡ଼ିଗଲା ।’’

 

ବୁଢ଼ୀ ଚମକି ପଡ଼ିଲା, କହିଲା, “ହଁ ନିଆଁନଗା ଜର ତ ! ଉଠିପାରୁ ନାଇଁ । ବୋହୂଟାକୁ ବାତ, ଗୋଡ଼ ଉଠୁନାଇଁ । କେଇଦିନେ ପୁଅ ମୋର ବିଛଣାରୁ ଉଠୁଚି କେଜାଣି ! ଯାଉଚ ଭଲ କରୁଚ ବାପ, ତେବେ ଏ ପାଗକୁ ଅନେଇ ହଉ ନାଇଁ ।’’

 

ଦଧି ଗୌଡ଼ କହିଲା, “ମାଇପେ ତ ମାନୁ ନାହାନ୍ତି, ମିଣିପେ ତ ସହଜେ ! ଖବର ଶୁଣିଲେ କିଏ ଥିରିହେଇ ବସିବ ? ହେଇଟି ପରା ପଠାଣ ସାହିରେ ହଇଜା ଲାଗିଚି ଖବର ଆଇଲା ଯେ ଧୋବେଇ ମିଶ୍ରେ ଓଷଦ ବାକ୍‌ସ ଧରି ଚାଲିଗଲେ ସେଠିକି, ଅପର୍ତ୍ତି ଗଲେ, ଜଗୁ ସୋଇଁ, ଉଚ୍ଛବ ଦାସେ ଏମିତି କେତେ କେତେ ଗଲେ, ମାଇପେ କହିଲେ ଆମେ ଯିବୁ, ବାର ଅବସ୍ଥା ହେଉଥିବେ, କିଏ, ଆମେ ବି ଯିବୁ । ଭୁଆସୁଣୀଗୁଡ଼ାକ ଲିଙ୍ଗରାଜ ପଟନାୟକ ଭାରିଯା, ଗନ୍ଧର୍ବ ମିଶ୍ର ଭାରିଯା, ନାଣ୍ଡୁ ପାଇକରା ଭାରିଯା, ମାଧୁ ସାହୁ ଭାରିଯା ଟୋକୀଗୁଡ଼ାକ ଭୁସ୍‌କରି ଉଠିପଡ଼ି ଚାଲିଲେ, ପୁଣି ଆହୁରି କେତେ ମାଇପେ ନା ଖାଲି ଏତିକି ?’’

 

ଧୋବେଇ ମିଶ୍ରେ କହିଲେ, “ହଉ ଆସ, ଯୋଗ ନ ଥିଲେ ସାପ ବି ଖାଏ ନାଇଁ । ଡର କ’ଣ ? ଗହୀର ବିଲରେ ସୁଅ ପଡ଼ିଚି ନାଗମୁଣ୍ଡ କଟିଯାଉଛି, ପାଣି ପବନ ଅନ୍ଧାର, ଗଲେଣି ସେମାନେ । ହଉ ଯେତେ ଅନ୍ଧାର ହେଲେ ଆଲୁଅଟାଏ ତ ଜଳୁଚି, ଠାକୁରେ ଅଛନ୍ତି । ବୋଇଲା ଭୟ କାହାକୁ ଡର କାହାକୁ ଠାକୁରେ ଅଛନ୍ତି ଚଉବାହାକୁ । ଏଇ ମନ ରହିଲେ ତ ଜଗତ ଭଦ୍ଧାର । ଛାଡ଼, ଗେଣ୍ଡୁ ଷେଣ୍ଢ ଘରକୁ ଯିବି, ତାଙ୍କର ବି ଜାଳ ନାଇଁ, ଯାହା ଦରକାର ରଖ, ପୁଣି କାଲି ଆସିବ–’’

 

ମାଛି ଅନ୍ଧାର ଭିତରୁ ବୁଢ଼ୀ ଛେଳି ପୁଣି ଡାକ ଛାଡ଼ିଲା–‘‘ମାଁ - ଆଁ’’ | ବିମଳା ବୁଢ଼ୀ କହିଲା, "ମଲା ମୋ ନିଆଁନଗା ମନ ! ସବୁ ପାସୋରି ପକୋଉଚି । ଦେଲୁ ଦେଲୁ ରେ ପୁଅ, ଛେଳିଟାକୁ ଟିକିଏ ଆଣି ବାନ୍ଧି ଦେଇଗଲୁ ଭିତରେ, ଓହୋ, କି କପାଳ ଆଜି ତାର ! କି ଦୁର୍ଯୋଗ ଯେ ! ଆସି ଅର୍ଦ୍ଧପ୍ରାଣ ହେଲାଣି ଏ ପାଣି ପବନରେ– ।”

 

ଦଧି ଗୌଡ଼ ଦି ଖେପା ମାରିଦେଇ ଯାଇ ଛେଳି ପାଖରେ ପହଞ୍ଚିଗଲା । ବୁଢ଼ୀ କହୁଥାଏ, “କୋଟି ପରମାଇ ହେଇଥା ରେ ବାପ !’’

 

ଡଙ୍ଗା ତିନୋଟି ଯେତେବେଳେ କୂଳ ଛାଡ଼ିଦେଇ ପାଣିରେ ପହଁରି ଚାଲିଲା, ସେତେବେଳେ ଚାରିଟା ବାଜିବାକୁ ଥିଲା ପନ୍ଦର ମିନିଟ । ଆକାଶର ମଥାନ ଉପରେ ଦିଶୁଥିଲା ମେଘର କଳା ଟୋପିଟି, ତଳେ ଶାଗୁଆ ନେଳିଚା ମେଘୁଆ ଆଲୁଅ ଭିତରେ ଧଳା ରୁମ ପରି ହାଲୁକା ଅସରାର ପୋଷାକ ଫୁଲିଫୁଲିକା ହଇପାରେ ଥରୁଥିଲା ଉଲୁସୁଥିଲା, ମାଡ଼ି ବସିଥିଲା ଚାରିଆଡ଼, ଆଖି ଯେତେଦୂର ଯିବ ତାହାରି ତଳେ ପାଣି ଧାର, ଯୁଆଡ଼କୁ ଅନାଇଲେ ଦିଶୁଛି ତାର ଦେହ ଶିର୍‌ଶିରେଇ ଉଠୁଛି, ଫୁଲସ୍ତରା ମାରି ଉଠୁଛି ଗୋଳି ପାଣିର ଛାଇ । ଯେତେ ବାଟ ଗଲେ ଯେପରି କି ସେଇଆ ସେଇଆ । କୂଳକୁ ନିରେଖି ନ ଅନାଇଲେ ସତେ କି ଗତି ନାହିଁ, ଯେମିତି ସେମିତି । ଡଙ୍ଗା କତି କତି ସେହି ପାଣି ହାବୁକାର ଚଳନ୍ତି ସୁଅ । ଡଙ୍ଗା ଫନ୍ଦ ଉପରେ କାତ ପେଲି ପେଲି ଏ ମୁଣ୍ଡରୁ ସେ ମୁଣ୍ଡ ଚାଲୁଥିବା ନାଉରି ଦି’ ଦିଜଣ, ସବୁ ସେମିତି । କେତେବେଳ ପରେ ହାଲୁକା ମେଘ ଅସରା କମି ଆସିଲା, କୂଳ ସ୍ପଷ୍ଟ ହୋଇ ଦିଶିଲା, ଚହଲା ଦୃଶ୍ୟ ଚହଲି ଚହଲିକା ପଛକୁ ପଛକୁ ଚାଲିଗଲା । ସେତେବେଳେ ଅନୁଭବ କରିହେଲା ଗତି । ଡଙ୍ଗା ନୁହେଁ, ପାଣି ନୁହେଁ, ଗଛ ବୁରୁଛ ନୁହେଁ କି ଭୂଇଁର ଢାଲୁ ନୁହେଁ, କି ବସ୍ତି ନୁହେଁ କେବଳ ଏକ ଗତି । ସେଥିରେ ପଛ ଚାଲିଯାଏ, ଆଗ ଆସେ କେବଳ ପଛ ହେବାକୁ । ସବୁରି ଅସ୍ତିତ୍ୱ କେବଳ ଗୋଟିଏ ଅସରନ୍ତି ଯାତ୍ରୀପଣ, ଜୀବନ କେବଳ ଯାତ୍ରା, ଭଲ ମନ୍ଦ ନାହିଁ, ଜୟ ପରାଜୟ ନାହିଁ, କେବଳ ଯାତ୍ରା–

 

କୂଳ କେଉଁଠି ଲଣ୍ଡା ପଦା ଭୂଇଁ, ସେଠି ଗୋଟିକିଆ ଝଙ୍କା ଗଛଟିଏ, କେଉଁଠି ଖାଲି ବେଣାବୁଦା, ଅରମା, କେଉଁଠି ଆସେ ଝଙ୍କା ଝଙ୍କା ତୋଟା, ଓହଳି ରହିଥିବା ବରଗଛମାନଙ୍କ ସଂସାର, ଓହଳର ଖମ୍ବମାନଙ୍କ ଉପରେ ପତ୍ରଗହଳି ଶାଗୁଆ ଛାତ, କେତେବେଳେ ଆସେ ଗୋଟିଏ ଗୋଟିଏ ଗାଁ, ବାରି ବଗିଚା, ଘରଛାତ, ଅରାଏ ଅରାଏ ଇଟା ଛାଉଣି, ନଡ଼ିଆ ବଗିଚା, ଗୋଟିକିଆ ଦେଉଳ, ଟୁଙ୍ଗୀ, ସିନ୍ଦୂରବୋଳା ଗ୍ରାମଦେବତୀ ଗଛ, ଗାଡ଼ିଆ, ଦାଣ୍ଡବାଟ, ଗୋଟିଏ ଗୋଟିଏ ଗାଁ ଗୋଟିଏ ଗୋଟିଏ ବିଶିଷ୍ଟ ରୂପ ଘେନି ପାଖକୁ ଆସେ, ଏକାପରି ହୋଇ ଦୂରେଇ ଚାଲିଯାଏ । ଠାଏ ଠାଏ ନଈ କୂଳରେ ଗୋଟିକିଆ ମଣିଷ, କୂଳ ପାଖିଆ ଗାଁରେ ପଂଝା ପଂଝା ବସିଛନ୍ତି, ଚାଲିଛନ୍ତି, ଆପଣା ସୀମିତ ସଂସାରରେ ନିବିଷ୍ଟ ହୋଇ ରହିଛନ୍ତି, ନାନା କାର୍ଯ୍ୟରେ ବ୍ୟସ୍ତ, ଡଙ୍ଗା ଯାଉଛି ବୋଲି ସେମାନେ ଚାହିଁ ଦିଅନ୍ତି । ସାନ ସାନ ପିଲା ଏକାଠି ପାଟିକରି ଉଠନ୍ତି, ବଡ଼ ବଡ଼ କିଏ କୁହାଟ ମାରନ୍ତି । ହାଉହାଉ ପବନରେ ଭଲକରି ଶୁଭେ ନାହିଁ - କିନ୍ତୁ ସେହି ଆପଣା ଠାଆରେ ଆପଣା ଗାଁ ମାଟି ଗଛ ବୁରୁଛି ଗୋରୁ ଛେଳି ଘର ସଂସାର ଭିତରେ ସଜା ହୋଇ ସେହି ମଣିଷ, ପୁରୁଷ ସ୍ତ୍ରୀ, ପିଲା ବୁଢ଼ା, ସବୁ ସତେ କି ଏକାପରି ।

 

କେଉଁଠି ଗୋଟିକିଆ ହୋଇ ଗୋଳିଆ ପାଣିରେ ଗରା ବୁଡ଼ୋଉଥିଲା କାହା ଘରର ଭୁଆସୁଣୀଟିଏ । ମୁହଁ ଟେକିଦେଇ ଚାହିଁଦେଲା ।

 

କେଉଁଠି ଶାଗୁଣା ପଲେ କ’ଣ ଗୋଟାକୁ ବେଢ଼ି ବସିଥିଲେ । ସାପପରି ଲହ ଲହ ବେକ ବଢ଼ାଇଦେଇ ପୁଳାଏ ପୁଳାଏ ନେଇଯାଉଥିଲେ ।

 

ସରୁ ଡାଙ୍ଗ ଉପରେ ବସିଥିଲେ ସାନ ସାନ ଚଢ଼େଇ ଯୋଡ଼ିଏ । ଚୁପ୍ ଚାପ୍ ବସି ଭାବିଲା ପରି ଅନାଇଁ ରହିଥିଲେ ।

 

ବଙ୍କା ଖଜୁରୀ ଗଛଟିଏ ପାଣି ଉପରକୁ ଝୁଙ୍କି ପଡ଼ିଥିଲା । ତା’ ତଳେ ବିଲୁଆଟିଏ ଠିଆ ହୋଇଥିଲା ।

 

ଢାଉଁଢାଉଁ ହୋଇ ବାଜା ଶୁଭୁଥିଲା, କେଉଁଠି ଠାକୁରାଣୀ ମାଜଣା ହେଉଥିଲା ।

 

ଦୂରରେ କେଉଁଠି କୁଆଡ଼ୁ, ଆଲୁଅଧାସ ପଡ଼ିଥିଲା । ଯେତେ ଦୂରକୁ ଅନାଇଲେ ଦିଶୁଥିଲା ଧାନ କିଆରୀ ଲମ୍ବି ରହିଛି ଦିଗ୍‌ବଳୟର ଅନ୍ଧାରୁଆ ତୋଟାର ଦାଢ଼ଯାକେ ।

 

ପଛକୁ ଚାଲିଗଲା । ପୁଣି ସେ ଆସିବ କେଉଁଠି । ଯାଏ ପୁଣି ଆସେ, ପୁଣି ଯାଏ ।

 

ତା’ପରେ ଛାଇ ବହଳ ହେଲା । ଝଙ୍କା ଗଛ, ଲଣ୍ଡା ପଦା, ଗାଁର ତୋଟା ଆଉ ବସ୍ତି, ଧାନ ଗହୀର, ତା’ର ଅନ୍ଧିସନ୍ଧିରେ ପୂରିଆସିଲା ଅନ୍ଧାର । ହାଉଳା କାନ୍ଦୁରା ପାଣିପବନରେ ଅନ୍ଧାର ମିଶିଯାଇ ଦିଶିଲା ବିଷଣ୍ଣ ବର୍ଷା ସନ୍ଧ୍ୟା, ଚହଲା ଗୋଳି ପାଣିରେ ଲମ୍ବା ଲମ୍ବା ଛାଇ ଭାସିଲା । ନାଉରି ପଚାରିଲେ, ଅଟକିବା କି ଆଗ ଗାଁରେ ରାତିକ ?”

 

‘‘ବେଳ ନାହିଁ, ତର ନାହିଁ ଅଟକିବାକୁ,’’ ରବି କହିଲା, ଆମ କାମର ଜାଗା କାହିଁ କେତେ ଦୂରେ ଅଛି, ଚାଲିଥିବା ଯେତେଦୂର ପାରିବା ।’’

 

ଚେରେଙ୍ଗୀ ନଈ ବାଙ୍କ ବୁଲିଛି । ଡାହାଣେ ସରୁ ଧାରଟିଏ ଯାଇଛି ପାଟକୁ । ହଠାତ୍ କେଡ଼େ ନିଛାଟିଆ । ସତେ କି ସ୍ଥଳର ସୃଷ୍ଟି ଶେଷ ହୋଇ ଯାଇଛି । ତା’ ସଙ୍ଗେ ସଙ୍ଗେ ସରିଯାଇଛି ସ୍ଥଳବାସୀ ମଣିଷର ଚିହ୍ନା ଚେତନା । ଡାହାଣେ ଗୋଟାଏ ବିରାଟ ଫମ୍ପା ଫାଙ୍କା ବିସ୍ତୃତି । ଅନ୍ଧାରୀ ପାଣି । ଉପରେ ମେଘୁଆ ଆକାଶରେ ବି କିଛି ଆଲୁଅ ଅଛି । ତଳର ବିସ୍ତୃତିରେ ଅଛି ଅଜଣା ବିସ୍ମୟ । ସେହି ତ ବାଟ । ସେ ମୁହାଣିରେ କଳା ହୋଇ ଠିଆ ହୋଇଛି କପିଳେଶ୍ୱର ମହାଦେବଙ୍କ ଦେଉଳ; ଡାହାଣପାଖେ କି ଗଛଟିଏ । ଦେଉଳ ଦୁଆରମୁହଁ ବାଟେ ଆଲୁଅ ଧାସ ମିଟିମିଟି ହେଉଛି-। ‘‘ଜୟ ମହାପ୍ରଭୁ !’’

 

ନାଉରି ଡଙ୍ଗା ଫନ୍ଦ ଉପରେ ଠିଆହୋଇ ଦଣ୍ଡବତ ହେଉଛନ୍ତି । ସମସ୍ତେ ଦଣ୍ଡବତ ହେଉଛନ୍ତି ।

 

ଭୂଇଁ ଆଉ ପାଣିର କାଳିଚା ଚଟା ବିଛେଇ ଛେତା ହୋଇ ଲାଗିରହିଛି ଦି କରକୁ, ପଛକୁ-। ଦୂରର ସେହି ଢେଉ ଢେଉକା ଅନ୍ଧାର ଭିତରେ କେଉଁଠି ଛପି ଯାଇଛି ଗାଁ, କ୍ଷେତ, ତୋଟା, ମଣିଷ ଚଳଣିର ସ୍ମାରକ ଯେତେ । ମଝିରେ ଠିଆ ହୋଇଛି ଖାଲି ସେହି ପୁରୁଣା ଦେଉଳ, କେଜାଣି ତେର ଶହ ଚଉଦ ଶହ ବର୍ଷ ତଳେ ତିଆରି । ସେ ସତେ କି ମଣିଷଠୁଁ ମୁକ୍ତି ପାଇଛି, ମଣିଷର ସ୍ତର ଉପରକୁ ଉଠିଛି ସେହି ଯାହାକୁ ସେ ଆପଣା ହାତରେ ତୋଳିଥିଲା ପଥର ଉପରେ ପଥର ଲଦି ଲଦି ନିହାଣମୁନରେ ହାଣି ହାଣି, ଆପଣା ଭାଷାରେ ଉଦ୍‌ବୋଧନର ମନ୍ତ୍ର ବୋଲି ବୋଲି ପ୍ରତିଷ୍ଠା କରିଥିଲା । ସେହି ଦେଉଳ, ସେହି ଅନୁଷ୍ଠାନ, ସତେ କି ସେ ସ୍ୱତନ୍ତ୍ର, ସ୍ଵାଧୀନ-ମଣିଷ ତାକୁ ହିଁ ଚାହିଁଛି ଭରସା ରଖି, ଆଶା ଉଚ୍ଛ୍ୱାସରେ ।

 

ବାଙ୍କ ବୁଲୁ ବୁଲୁ ଦେଉଳ ରହିଯାଉଛି, ଛପିଯାଉଛି । ପହଁରି ପହଁରି ପାଖେଇ ଆସୁଛି ଅନ୍ଧାରୀ ବେଣାବଣ, ମାଡ଼ି ଗୋଳିଦେବାକୁ ଛୁଟିଆସୁଛି, ହେଇ ସେ ପହଞ୍ଚିଗଲା, ଦିକରେ କତିକି କତି ଲଗାଲଗି ହେଲାପରି । ଚାଲିଛି ଖସ୍ ଖସ୍ ସାଇଁ ସାଇଁ ଛପର ଛପର ଶବ୍ଦ । ତାହାରି ଅନ୍ଦି ସନ୍ଦି ବାଟେ ନାନ ବାଙ୍କରେ ନାଉରି ନାହା ବାହି ନେଉଛନ୍ତି । ମେଞ୍ଚାମେଞ୍ଚା ଅନ୍ଧର ଭିତରେ ଅରାଏ ଅରାଏ ଫରଚା ଦିଶି ଦିଶି ଯାଉଛି । ପୁଣି ବୁଜି ହୋଇଯାଉଛି । ଖାଲି ଅନ୍ଧାର - ଦୁଇ କରେ ଆଉ ତଳେ ଉପରେ ଖାଲି ସାଇଁ ସାଇଁ ଖସର ଖସର । ମଝିରେ ମଝିରେ ବାରି ହେଉଛି କେତେ ଦୂରରେ କ’ଣ ଘୋ ଘୋ ଶବ୍ଦ ଶୁଭୁଛି, ଯେମିତି ସମୁଦ୍ରରେ ଲହଡ଼ୀ ଭାଙ୍ଗୁଛି । ହଠାତ୍ ସେହି ଲଦାଲଦି ଅନ୍ଧାର କଟିଗଲା, ହେଇ ତାର ଧଡ଼ି ବାଁପଟେ ଦିଶୁଛି । ଆରକରେ ପାଟ ପାଣି ବିଛେଇ ହୋଇ ରହିଛି । କଳା ପାଣି ଉପରେ ଖୋଲା ଫରଚା ଫାଙ୍କା, ସେଠି ଅନ୍ଧାରରେ ସତେ କି ଆଲୁଅ ଗୋଳି ହୋଇ ରହିଛି ମଝି ଶୂନ୍ୟରେ, ତେଣୁ ଅନ୍ଧାର ପାତଳ ପଡ଼ିଛି, ତା ଉପରେ ଝୁଲୁଛି ମେଘଲଦା କଳା ଆକାଶର ବହଳ ଢାଙ୍କୁଣି, ପଡ଼ିବି ପଡ଼ିବି ହେଉଛି, ପଡ଼ୁନାହିଁ ।

 

ମେଘ ବରଷୁ ନାହିଁ । ସୁ ସୁ ହୋଇ କୋହଲା ପବନ ପଡ଼ିଛି । ଠେଲି ନେଇ ଚାଲିଯାଉଛି । ଅନ୍ଧାରରେ ଛାଇ ନାଚିଲା ପରି ନାଉରି କାତ ପେଲୁଛନ୍ତି । ଜମ୍ବୁ ବେହେରା ମଙ୍ଗୁଆଳ ଦୂରକୁ ଚାହିଁଛି । ସେହି ଅନ୍ଧାରରେ ଯେପରି କି ସବୁ ତାକୁ ଦିଶିଯାଉଛି । କହିଲା, “ହେଇ ସେଠି ଦିଶୁଚି ଉଚି ଗାଁ -ଆଜି ରାତିରେ ସେଇଠି, ଯୋଉ ଦୁର୍ଗମ ପାଗ, ଏଥିରେ କୋଉ ନାହାକୁ ଭରସା-? ପାହାନ୍ତି ପାହିଲେ ତେଣିକି ଯାହା- ‘‘ ହାଣ୍ଡିକଳା ପରି ମେଘର ଢାଙ୍କୁଣି ଠାଏ ଫାଟିଯାଇ ଦିଶୁଛି ଗୋଟିଗୋଟିକିଆ ତାରାଟିଏ ଟିଏ । ତଳେ କଳାପାଣି ଉପରେ ତା’ ପଛକୁ ତା’ ପଛ ହୋଇ ନାହା ଚାଲିଛି, ଆକାଶ ଆଉ ପାଣି ମଝିରେ ହାଲୁକା ନେଳୀ କଳା ହୋଇ ବିସ୍ତୃତି, ଚାରିଆଡ଼େ ଏକାପରି ଫାଙ୍କା, ଚାରିଆଡ଼େ ପାଣିର ଅନ୍ଧାରୀ ଦୁନିଆ, କେତେ ଦୂରକୁ ଦିଶିଯାଉଛି, ତା’ ତେଣିକି ତଳ ଉପର ଏକା ଅନ୍ଧାରରେ ଆଉଟି ହୋଇ ରହିଛି, ହୁଗୁଳା ଅନ୍ଧାରର ବଳା ପାଖ ହେଉନାହିଁ, ଯେତେଦୂର ଗଲେ ତଥାପି ଅଛି ଦୂରରେ । ତାହାରି ଭିତରେ ଜମ୍ବୁ ବେହେରା କେଉଁଠି ଉରି ଗାଁକୁ ଠଉରେଇଥିଲା ।

 

‘‘କାହିଁ ଉରି ଗାଁ ?’’ ରବି ପଚାରିଲା ।

 

‘‘ଅନିଶା କର ବାବୁ, ହେଇ ସେଠି ଦୂରରେ ଦିଶୁଛି ପରା, ସେଇ ଯୋଉ ଅନ୍ଧାରୁଆ ଦିଶୁଚି ସେଇଟା ସାତଭଉଣୀ ବରଗଛ । ଆଲୁଅ ଦିଶୁଚି ପରା, କ’ଣ ସେଇଟା -ଲଟକଣ ହେଇଥିବ ।’’

 

‘‘ମତେ କିଛି ଦିଶୁନାଇଁ । ତମ ଆଖିକି ଧନ୍ୟ କହିବ ।’’

 

‘‘ଆମର ଅଭ୍ୟାସ । ପିଲାଦିନୁ ଏଇ ବେଉସା । ଆଗେ ବୁଢ଼ା ବୁଢ଼ୀମାନେ ତ ଆହୁରି କେତେ ଦେଖିପାରୁଥିଲେ, କୋଉଠି ମଣିଷ ଠିଆ ହେଇଚନ୍ତି କହି ଦଉଥିଲେ । ଆମ ଦେଇ ତା ହବନାଇଁ ।’’

 

ରବି ସେହି ଦୂରକୁ ଅନାଇଁ ରହିଛି କୁତୂହଳରେ । ଅସ୍ପଷ୍ଟ ହୋଇ ବାରି ହେଉଛି ବହଳ ଅନ୍ଧାର ପରି ବିରାଟ ଆକାରର ଗୋଟାଏ ଜନ୍ତୁ ଯେପରି କି ଦୂରରେ ଭାସୁଛି । ତା’ପରେ ସ୍ପଷ୍ଟ ବାରିହେଲା, ଗୋଟିକିଆ ନାଲିଚା ଆଲୁଅଟିଏ । ମିଟିମିଟି ହେଉଛି ।

 

ଯେପରି କି ସେହି ଗୋଟିକିଆ ଆଲୁଅ ବିନ୍ଦଟି ଅନ୍ଧାର ଭିତରୁ ତିନୋଟି ନାହାକୁ ଓଟାରି ନେଇ ଚାଲିଛି ।

 

ସେହି ଦୂରକୁ ଅନାଇଁ ରହୁ ରହୁ ରବିର ଚେତନାରେ ଭାବର ଢେଉ ଖେଳିଗଲା ।

 

କୋଶ କୋଶ ମାଡ଼ି ଲମ୍ବି ରହିଥିଲା ଟାଣ ଭୂଇଁ, ସେଠି କେତେ କ୍ଷେତ, ପଦା, ଗାଁଗଣ୍ଡା-। ବର୍ତ୍ତମାନ ସେ ପାଣିରେ ବୁଡ଼ିଛି, ଦ୍ୱୀପ ପରି ଭାସୁଛି ଗାଁ ଗୁଡ଼ିକ । ପାଣିରେ ଚିହ୍ନ ନାହିଁ, ବାଡ଼ ନାହିଁ, ସବୁ ଖାଲି ପାଣି ଓ ଅନ୍ଧାର । ତାହାରି ତଳେ ତଳେ ଯୁଗ ଯୁଗର ମଣିଷଙ୍କ ସ୍ମୃତି । କେତେ ସୁଖ ଦୁଃଖର କାହାଣୀ, ଜମିର ଅଧିକାର ପାଇଁ କେତେ କଳିଗୋଳ, ମାଲି ମକଦ୍ଦମା ।

 

ସ୍ଥାନର ବ୍ୟକ୍ତିତ୍ୱ ଲୋପ ହୋଇ ତା’ ଉପରେ ଛାଇଯାଇଛି ବିସ୍ମୃତିର ଅନ୍ଧାରୀ ଦରିଆ, ସେ ଅପେକ୍ଷା କରିଛି, ଆଉ ଯାହା ଅଛି ସେତକ ବି ଲୋପ ହେବ । ଧାନଗଛ ପଚିବ, ଗୋଳି ହେବ, କାନ୍ଥ ପଡ଼ିବ, ମଣିଷ ମରିବ, ଦ୍ରବିବ । ହାଉହାଉ ହୋଇ ହସି ଉଠିବ ପାଣି ଅନ୍ଧାର ଉପରେ ଫୁଙ୍ଗା ପବନ ହେଇ ଯେମିତି ହସୁଛି । ଟିକି ମଣିଷର ଜୀବନଯାକର ଚେଷ୍ଟାରେ ଗଢ଼ା ଉଇହୁଙ୍କା ଏଇ ବିସ୍ମୃତିରେ କେଉଁଠି ମିଶିଯିବ । ସେହି ସେ ଯାହାକୁ କହେ ତା’ର ଇତିହାସ, ତା’ର ସଂସ୍କୃତି, ତା’ର ପରମ୍ପରାର ଡୋର ।

 

ଖାଲି ଅନ୍ଧାର, ଅନ୍ଧାର, ଦୂରରେ ଉବେଇଟୁବେଇ ହେଲା ପରି ସେହି ଆଲୁଅର ବୁନ୍ଦା, ସେହି ଯେପରି କି ବାରମ୍ବାର ହେତୁ କରାଇ ଦେଉଛି ଏ ଅନ୍ଧାର, ଏ କଳା କିଟିକିଟି ବିସ୍ମୃତି ।

 

ଦୂରରେ ଝକ୍ କରି ବିଜୁଳି ମାରିଲା, ଆହୁରି, ଆହୁରି । ନାଉରି ଗୁଲ କେଉଟ କହିଲା, "କେମିତି ଟାହିଟାପରା ଖେଳୁଚନ୍ତି ଦେଖ ଆମୁକୁ ଦେଖେଇ ଦେଖେଇ, ଏ ମୁଣ୍ଡ ରଖ ମା, ହୁଣ୍ଡାପଣରେ ରାତି ବେଳଟାରେ ନ ଯିବା ବାଟରେ ଚାଲିଚୁଁ, ତୋର ନାଁ ଧରିଚୁ, କେମିତି ଉରିରେ ଲାଗୁ, ଆଉ ଡରା ନା– ’’

 

ଗୁଲ କେଉଟ ଯେମିତି କି ଗୋଟାଏ ଡେଙ୍ଗା ଛାଇ, ଅନ୍ଧାର ସଙ୍ଗେ କଥା କହୁଚି ।

 

ଜମ୍ବୁ ବେହେରା କହିଲା, “ମହାଶ୍ମଶାନଟିଏ, କ’ଣ ସାମାନ୍ୟ ହେଇଚି–’’

 

ସତେ ତ, ଦିଗନ୍ତବ୍ୟାପୀ ଗୋଟାଏ ମହାଶ୍ମଶାନ, ଫୁଙ୍ଗା ପଡ଼ିଛି, ପାଣି ଉପରେ ପବନ ଖେଳୁଛି ।

 

ଉରିର ଆଲୁଅ ଆଉ ଦିଶୁ ନାହିଁ, ଦୂରରେ ଦୂରରେ ଏଠି ସେଠି ହୋଇ ଝକ୍‌ ଝକ୍ ବିଜୁଳି ମାରିଦେଇଛି, ପବନରେ ଗୋଟାଏ ଘିରିଘିରି ଘିରିଘିରି ଶବ୍ଦ ବଢ଼ି ବଢ଼ି ଉଠୁଛି, ପବନର ବେଗ ବଢ଼ିଲାଣି ।

 

କାହାରି ତୁଣ୍ଡରେ ପଦେ କଥା ନାହିଁ ।

 

ତୁନିତୁନି କରି ଜମ୍ବୁ ବେହେରା ରବିକୁ କହିଲା, “ଦେଖ କେମିତି ହଲପା ପଡ଼ିଲାଣି । ମହାବିଷମ ଏ ଜାଗା, ସଙ୍ଖାଳିପଡ଼ା ପାଟଟି, ମନା କରୁଥିଲି । କେତେ ନାହା ଖାଇଚି, କେତେ ମଣିଷ ଯାଇଚନ୍ତି, ଅନ୍ଧାର ହେଲେ ବଢ଼ିଦିନେ ବାଟ ପଡ଼ିଯାଏ । ଭୂତଗୁଡ଼ାକ ଥେଇ ଥେଇ ନାଚନ୍ତି-।’’

 

ରବି କଥା କହିଲା ନାହିଁ ।

 

ଜମ୍ବୁ ବେହେରା ତାକୁ ସାନ୍ତ୍ୱନା ଦେଲା ଭଳି କହିଲା, ‘‘ଯେ, ସେଥିରେ ଆମର କି ଯାଏ-? ଆମ ଦେହ କିଳା ହେଇଚି, ଡଙ୍ଗା କିଳା ହେଇଚି, ହୃଦରେ ପଦ ଅଛି, ଠାକୁରାଣୀ ବାଟ କଢ଼ୋଉଚି । ଏମିତି ବାପ ଅଜା କେତେ ଦରିଆରେ ବୁଲୁଥିଲେ, କେତେ ଦିହାତି ଯାଇଚି । ଯୋଗ ନ ଥିଲେ କିଛି ଘଟେ ନାଇଁ ।’’

 

ଜମ୍ବୁ ବେହେରା ଫୁସ୍ ଫୁସ୍ କରି କଥା କହୁଛି । ରବିର ମନ ତହିଁକି ନାଇଁ । ସେ ଅନ୍ଧାରରେ ସେ ତା’ର କଳ୍ପନାରେ ଦେଖୁଛି ଗୋଟିଏ ଉଜ୍ୱଳ ଆଲୁଅ । ଯୁଗ ପରେ ଯୁଗ ବିତିଯାଉଛି, କେତେ ଆସୁଛନ୍ତି ଯାଉଛନ୍ତି, ଜନ୍ମ ହେଉଛନ୍ତି ମରୁଛନ୍ତି । ଜଳିଲାଗିଛି ସେହି ଆଲୁଅ । କେତେ ପ୍ରତିମାକୁ କରିଛି ଜୀଅନ୍ତା, ମୂକକୁ କଥା କୁହାଇଛି, ଜଡ଼କୁ ଚଞ୍ଚଳ କରିଛି, ଗତି ଦେଇଛି । ସେମାନେ ବୁଲୁଛନ୍ତି, କାମ କରୁଛନ୍ତି, ଗଢୁଛନ୍ତି, ଭାଙ୍ଗୁଛନ୍ତି, ଅନ୍ଧାରରେ କୁଆଡ଼େ ହଜିଯାଉଛନ୍ତି, କିଏ ନିମିଷକେ, କିଏ କେତେ ବର୍ଷରେ । ଆଲୁଅ ଜଳୁଛି ।

 

ସେହି ତ ଅନୁଭବ ଦେଉଛି ରକ୍ତର କଣିକା ଭିତରେ ତେଜର, ଦେହ ଭିତରେ ଶକ୍ତିର । ବଢ଼ି ଅନ୍ଧାର ଝଡ଼ି ବରଷାରେ ଚାଲିଛି ମଣିଷ ଯାତ୍ରୀ । ଧାର ଛିଣ୍ଡି ନାହିଁ । ଆନନ୍ଦ ଶୁଖି ନାହିଁ, ଭୟ ନାହିଁ, ଦକା ନାହିଁ ।

 

ହେଇ, ଉଠି ଆସୁଛି ତୋଫାନ, ଘିରିଘିରି ହେଲାଣି ରାଉ ରାଉ ହାଉହାଉ, ଦେହରେ ଛାଟିଲାଣି ବରଷାର ଛାଞ୍ଚୁଣିମାଡ଼ । ଜମ୍ବୁ ବେହେରା କହିଲା, ‘‘ଛାତି ତଳୁକୁ ଯାଅ ବାବୁ !’’

 

ଓଲଟି ରବି ଅନୁଭବ କରୁଛି ଗୋଟାଏ ଉବ୍ଦାମ ପୁଲକ । କାହିଁର କି ଝଡ଼ି ବରଷା ଏ, ଏଇ ତ ତାର ସନାତନ କାଳର ଉପାଦାନ, ଭିତରର ତତଲା ଶକ୍ତିକୁ ପଦାରେ ଚିହ୍ନା ପକାଇଦିଏ ।

 

ଦେହରେ ବାଡ଼େଇ ହୋଇ ଦେହେ ଦେହେ ତଳକୁ ନିଗିଡ଼ିଯିବ ।

Unknown

 

ଭିତର ଚେଇଁ ଉଠୁଛି, ଏଇ ହାଉହାଉଆ ଝଡ଼ି ତୋଫାନରେ ଖେଳି ବୁଲିଲାଣି ତା’ର ଅପରାଜେୟ ଆତ୍ମା, ସେ ସ୍ୱାଧୀନ, ସେ ମୁକ୍ତ ।

 

ହେଇ ତ ଦିଶୁଛି, ଏଇ ପାଟ ପାଣି ଶୁଖିଯିବ, ଏଇ ଭୂଇଁରୁ ଗଜୁରି ଉଠିବ ଶସ୍ୟ, ଏଇଠି ପୁଣି ଚହଳ ପଡ଼ିବ ମଣିଷ ପାଟିର ।

 

ପୁଣି ଆସିବ ଶରତ୍ ।

 

ମଣିଷ ଗଢ଼ୁଛି, ଗଢ଼ିବ । ଦିନ ଆସିବ ଆଉ ବଢ଼ି ମରୁଡ଼ି ବାଡ଼ି ମଡ଼କ ହେବ ନାହିଁ, ପ୍ରକୃତି ସହଯେ।ଗ କରିବ ମଣିଷର ବଡ଼ ବିକାଶ ପାଇଁ । କ୍ଷେତ ବଗିଚାକୁ ଶାଗୁଆ କରି ରଖିବାକୁ ଏଇ ଅପନ୍ତରା ଉପରେ ଚାଲିବ ଛକାଛକି ହୋଇ ନାଳମାନ |

 

ଆଉ ମଣିଷ ଗଢ଼ିବ ଗୋଟାଏ ବିରାଟ ପରିବାର । ସେଠି ସମସ୍ତେ ସବୁରି ପାଇଁ, କେବଳି ସ୍ନେହ, କେବଳ ଆନନ୍ଦ, ସମସ୍ତେ ମୁକ୍ତ, ସମସ୍ତେ ସ୍ନେହରେ ଛନ୍ଦାଛନ୍ଦି ।

 

ତାର ଚେତନାରେ ଦିଗ୍‌ବଳୟରେ ରହିଛି ସେହି ଆଲୁଅ । ଆଲୁଅ ଆଉ ସେ, ଅନ୍ଧାର ନାହିଁ ।

 

ଏ ତୋଫାନ ସେହି ଏକୀକରଣର ଶୁଭ ସଙ୍ଗୀତ ।

 

ମନେପଡ଼ିଲା ପାଟେଳିଗାଁର ସେହି ଘର, ନଡ଼ିଆଗଛ, ତୋଟା, ଘରର ଚାଳ, ଆଉ ସେହି ନାରୀ-ସିନ୍ଧୁ ଚୌଧୁରୀଙ୍କ ଝିଅ ଛବି । ଏମିତି ମନକୁ ମନ ଛବି ଚେଇଁ ଉଠେ, ଆଖିକୁ ବାନ୍ଧି ରଖେ । ଆଲୁଅ ଭିତରୁ ସେହି ତ ଉଠି ଠିଆ ହୋଇଛି ସତେ ଯେପରି ଆଲୁଅ ଜୁଡ଼ବୁଡ଼ୁ ହୋଇ । ସେହି ମୁହଁ, ସେହି ଆଖି, ନାକପୁଡ଼ା, ଓଠ । ପବିତ୍ର ନିଷ୍ପାପ ନିରୀହପଣ ସଙ୍ଗେ ସେଠି ଅତଳ ପ୍ରେମ ପୂରି ରହିଛି । ରବିର ଚେତନାରେ ଉବ୍ଦାମ ପୁଲକ ଖେଳିଯାଉଛି । ସେ ଚାହାଣିରେ ଅଛି ଅକୁହା ଭାଷାର ବିଜୁଳି । ସେହି ସେ ଆଲୁଅ, ନାହା ସେହିଆଡ଼କୁ ଓଟାରି ହୋଇ ଚାଲିଛି । କେବେ ସେ ପହଞ୍ଚିବ ଜାଣେ ନାହିଁ, ଏଇ ଓଟରା ହିଁ ଜୀବନର ଉନ୍ମେଷ ଅନୁଭୂତି ।

 

ଧ୍ୟାନ ଭାଙ୍ଗିଲା । ସାମ୍ନାରେ ଉରି ଗାଁର କୂଳ ପାଣି ଉପରେ ଉଠିଛି । ଝଙ୍କାଗଛ, ଗୋଟାଏ ପାଖରେ କେଉଁଠି ଠାଏ ଗୋଟିଏ ନଲ୍‌ଟଣ ଜଳୁଛି । ନାହା କୂଳକୁ ଚାଲିଛି ।

 

ନାଉରିଙ୍କୁ ରବି କହିଲା, “ନଈବଢ଼ି ଅଞ୍ଚଳ ଆହୁରି ଏଠୁ ବହେ ବାଟ, ଏଠି ରାତିକ ନ ରହି ଚାଲିଗଲେ ହଅନ୍ତା ନାଇଁ !’’

 

ଜମ୍ବୁ ବେହେରା ପଛକୁ ଅନାଇଁ କପାଳରେ ଯୋଡ଼ା ପାପୁଲି ମାଡ଼ିସାରି କହିଲା, ‘‘ଏ ଦୁର୍ଗମ ରାତିରେ ଅମଡ଼ା ମାଡ଼ି ବର୍ତ୍ତି ଆସିଲେଁ ହେଲା ନାଇଁ ଯେ ଆହୁରି ପୁଣି ? କପାଳ ସୁଭାଗ୍ୟ, ନଇଲେ ଦଉଥିଲା ମୋଡ଼ି, କାଲି ସକାଳ ହେଲେ ଆଉ ଯାହା ।’’

 

ରବି କହିଲା, ‘‘ପାଣି ଆଜି ରାତିଯାକ ବଢ଼ୁଥିବ, ଘର ଭାଙ୍ଗୁଥିବ -’’ ଜମ୍ବୁ ବେହେରା କହିଲା, ‘‘ବଢ଼ୁ, ନାଇଁ, ଓଟାରୁଟି, ସେଇ ତ ଅଡ଼ୁଆ । ଦେଖୁନ କୂଳରୁ ଖଣ୍ଡେ ଛାଡ଼ିଲାଣି । ଚେରେଙ୍ଗୀରେ ବି ସେମିତି, କଳରେ ବନିସୀ ଖଡ଼ା ଥୋଇଥିଲେ ଯେ ପାଣି ଉପରେ ଶୂନ୍ୟେ ଶୂନ୍ୟେ କଣ୍ଟାଗୁଡ଼ାକ ସୁତାରୁ ଓହଳିଥିଲା । ନଈରେ ଘାଇ ଭାଙ୍ଗିଚି, ପାଣି ଟାଣି ନଉଚି ।’’

 

ରବି କହିଲା, “ଘାଇ ଭାଙ୍ଗିଚି, ଦୁଲୁକି ଦୁଲୁକି କୁଦା ମାରି ମାରି ପାଣି ଡେଇଁ ଡେଇଁ ଯାଉଥିବ । କାନ୍ଦ ବୋବାଳି ପଡ଼ିଥିବ– ‘‘

 

‘‘ସରିବଣି ନା, ସେ କଣ ଅଇଛା କଥା–’’

 

‘‘ଲୋକେ କି ଅବସ୍ଥାରେ ପଡ଼ିଥିବେ ! ଆମେ ଏଇଠି ମାଣ୍ଟେଇବା !’’

 

‘‘ତାଙ୍କୁ ଭଗବାନ ଭରସା । କାଲିକି ଯାହା । କିଏ ପଦାକୁ ବାହାରିବ ଏ ପାଗରେ !’’

 

ପଛର ନାହା ପାଖେଇ ଆସୁଛି । କୂଳ ପାଖେଇ ଆସୁଛି । ପଛରୁ ପାଟି ଶୁଭୁଛି, “ଡାହାଣେ ନାହା ଭିଡ଼, ଡାହାଣକୁ ନିଅ, ଡାହାଣକୁ ।”

 

ତୋଫାନ ଚିର୍ଚ୍ଚିରୋଉଛି, ସିଟି ମାରୁଛି, ଗର୍ଜୁଛି । ରବି ପଛକୁ ଚାହିଁଲା, ଖାଲି ଅନ୍ଧାର ଆଉ କଳା ପାଣି । ଆପଣାଠିଁ ଅନୁଭବ କଲା ଘର ଛୁଇଁବାର ଆନନ୍ଦ । ଆପେ ସେ ଓଦା ଜୁଡ଼ୁବୁଡ଼ୁ-। ପବନ ବାଜି ଦେହ ଶୀତୋଉଛି । ଉପରେ ନିଛାଟିଆ ଦଣ୍ଡା । ଅନ୍ଧାର ବିଲି ବିଲି ଗଛ । କେହି ମଣିଷ ନାହିଁ ।

 

ମନେପଡ଼ୁଛି ଉଷୁମ ଘର, ଚୁଲୀନିଆଁ, ଚାଳତକ ଧୂଆଁ, ବାପା, ବୋଉ, ଆଉ ଛବି, ସେ ଟେହିଲା ପରି ହସୁଛି ।

 

ରବି ନୀରବରେ ହସିଦେଲା । କୂଳର କାଦୁଅକୁ ଡେଇଁ ପଡ଼ିଲା । ପୁଣି ଅସରାଏ ବର୍ଷା ଆସୁଛି । ପବନରେ ଯେପରି କି ଘରଭାଙ୍ଗିଥିବା ମଣିଷଙ୍କ ସମବେତ କାନ୍ଦଣା । ଉତ୍‌କ୍ଷିପ୍ତ ହେଲା ପରି ଲାଗିଲା । ଧୋବେଇ ମିଶ୍ର, ବଇ ମଳିକ କତିକି ଆସିଲେ । ଧୋବେଇ ମିଶ୍ର କହିଲେ, “ଆଜିର ରାତିକି ଦେଖନ୍ତୁ, ଏ ସତେ କି କହୁଛି ମଣିଷ ଯେତେ କରୁ ପ୍ରକୃତି ଆଗରେ ତା’ କରଣିର ସୀମା ଅଛି । ସେ ବି ପ୍ରକୃତି ଭିତରର ତ, ଯେମିତି କି ଏଣ୍ଡୁଅ ଧାଉଡ଼ି କିଆବଣକୁ ।’’

 

‘‘ଆମେ ଆଉ କିଛି କରିପାରିବା ନାଇଁ ?’’

 

‘‘କରିବା, ସେହି ସର୍ବଶକ୍ତିମତୀ ଶକ୍ତିକୁ ଧ୍ୟାନ କରିବା । କହିବା - ମା’, ଶକ୍ତି ଦେ, ସଂସାରର ମଙ୍ଗଳ କର । ତୁଇ ଭିଆଉ କୋଟି ପ୍ରଳୟ, ତୁଇ ପୁଣି ରଖୁ, ପାଳୁ । ସେଇ ତ ଦବ ବୁଦ୍ଧି, ବିଚାର, ବଳ, ନଇଲେ ଛାର ମଣିଷ କ’ଣ କରିପାରିବ ?

 

ରବି କହିଲା, "ମଣିଷ କରିପାରିବ, ଭରସି ପାରିବ, ମରି ଦେଖେଇପାରିବ ଜୀବନ ଅଛି-।’’

 

ବଇ ମଳିକ କହିଲା, ‘‘କାହିଁ ସେଥିପେଇଁ ସାଧନା ? ନାହା ତ ଯିବ ନାଇଁ, ନାଉରି ନାମଙ୍ଗ । ଆଜି ରାତିକ ଏଇଠି । ଏ ଗାଁରେ ବି ଲୋକଙ୍କ ଦରକାର ଥିବ ତ ।’’

 

ରବି ଚଞ୍ଚଳ ହେଲା, କହିଲା, "ଖାଲି କଥାରେ ରହିବା ନାଇଁ । ଚାଲ ଚାଲ ଚାଲ, ଆଗ ନାହାକୁ ଭଲକରି ବାନ୍ଧ–’’

 

ଜମ୍ବୁ ବେହେରା କହିଲା, “ସେଥିକି କୋଉ ପରେଇ ଅଛି ? ବାସେଳୀ ନାଁରେ ନାହା ଭିଡ଼ା ହେବ, ବଳର ବନ୍ଧନ, ଯେଡ଼େ ତୋଫାନ ହେଲେ କ’ଣ ହେଇଯାଇଛି ? କହିଲା, ‘ବାୟାର କି ଯାଏ–’’

 

ବରଷା ପିଟୁଛି । ଓଦା ଜୁଡ଼ୁବୁଡ଼ୁ । ବରଗଛ କର ବାଟ ଦେଇ ଗଲାବେଳକୁ କ’ଣ ଶୁଭୁଛି କଟ କଟ ମଡ଼ ମଡ଼ ହାଉଳି ହେଲାପରି ପବନ ମାଡ଼ିଚାଲିଛି । କେତେ ରୁନ୍ଧିଲା ରୁନ୍ଧିଲା କାନ୍ଦଣା, କେତେ ବିକଳ ଚିତ୍କାର, କେତେ ହା ହୁତାଶ ସବୁ ଏକାଠି ମିଶି ଗୋଳିହୋଇ କାନପାଖେ ଖେଳି ବୁଲୁଛି । ଦୂରରେ ଗାଁ ଭିତରେ କାହା ଘରେ ତଥାପି ଜଳୁଛି ନଲଟଣ, କିଏ ଜଗି ବସିଛି ।

ରବି ପାଟଆଡ଼କୁ ଚାହିଁଦେଇ ଗଲା । ଖାଲି ଅଥଳ ଅନ୍ଧାର, ଖାଲି ବିସ୍ମୟ ।

ବାରମ୍ବାର ଛବି ମନେପଡ଼ୁଛି । ଯେପରି କି ହେଇ ଦେଖିପାରୁଛି ତାକୁ ସେ ସାମ୍ନାରେ; ତଥାପି କେତେ ଦୂରରେ ସେ–ମଝିରେ ହେଇ କେତେ ବହଳ ଅନ୍ଧାର, କେତେ ଝଡ଼ି ତୋଫାନ, କେତେ ହୃଦୟମନ୍ଥା ଦୀର୍ଘଶ୍ୱାସ ।

ନିଶା ପାହାନ୍ତିର ଉଷସୀ–କେତେ ଦୂରରେ ସେ ।

ପାଟେଳିଗାଁରେ ବରଷା କୁଟୁଥିଲା ।

ଚୌଧୁରୀ ଘରୁ ବନ୍ଧେ ବନ୍ଧେ ପଶ୍ଚିମକୁ ଚାଲିଲେ ଡାହାଣେ ଗାଁର ବସ୍ତି ଯିବ, ବନ୍ଧତଳିଆ ଗହଳି ତୋଟା ସରିବ, ଗାଁ କହିଲେ ଯାହା ବୁଝାଏ ତା ସରିଯିବ, ତା’ପରେ ପଦା ଫାଙ୍କା, ଦଣ୍ଡା, ତା’ପରେ ଖାଲୁଆ ଧାନ କ୍ଷେତ, କ୍ରମେ ପଶ୍ଚିମକୁ ପଶ୍ଚିମକୁ ଆହୁରି ବାଲିଆ ବାଲିଆ ହୋଇଯାଇଛି, ତା’ପରେ ବନ୍ଧ ତାଳୁରେ ଠିଆହେଲେ ବାଁ ପାଖରେ ଦିଶେ ତୀଖ ଅତଡ଼ା, ବାଙ୍କୁଲି ହୋଇ ରହିଛି, ଡାହାଣକୁ ତଳକୁ ତଳକୁ ଓହ୍ଲେଇ ଯାଇଛି ବନ୍ଧ ତାଳୁରୁ ଘୋସରା ଗଡ଼ା, ସେହି ବାଟ ପଡ଼ିଛି ଯୋଗୀ ସାହିକୁ । ଥାଳ ଓହଳେଇ କେନ୍ଦରା ଧରି ମୁଣ୍ଡରେ ପଗଡ଼ି ବାନ୍ଧି ଏଇଠି ଉଠି ଆସନ୍ତି ଗୋଟିକି ଗୋଟି ରଘୁ ନାଥ, ହରି ନାଥ, ଗୋବିନ୍ଦ ନାଥ, ବନ୍ଧେ ବନ୍ଧେ ଚାଲିଯାଆନ୍ତି କାହିଁକା କାହିଁ । ବନ୍ଧତଳେ କେଉଁ କାଳର ପୁରୁଣା ବରଗଛ ଫାଳିକିଆ ହୋଇ ଠିଆ ହୋଇଛି, ଡାହାଣଆଡ଼କୁ ପାଟେଳିଗାଁଆଡ଼କୁ ଗୋଟାଏ ଲମ୍ବା ବାହା ବଢ଼େଇ ଦେଇଛି । ତା’ତଳେ ଦିଟା ସିଅର ଖୁଣ୍ଟ । ବନ୍ଧ ଉପରୁ ଦିଶେ, ଅଧପାଏ ବାଟ ଖାଲୁଆ ବାଲିଆ ଜମି ସେକରେ ଗୋଟାଏ ଜୋରକୁ ଲାଗି ଅରାଏ ଶାଗୁଆ ବସ୍ତି, ଜକାଜକି ଘରମାନଙ୍କ ଛାତ ଆଉ ହାତୀଅନ୍ଧ ଦିଶେ, ତା’ଉପରେ ନଡ଼ିଆଗଛର ଅଗ, ଗୋଟା ଗୋଟା ଆମ୍ବ ଗଛ ।

ତା ସେକରେ ଦିଶେ ପାଣ ସାହି ଏ ମୁଣ୍ଡର ଗୋଟିକିଆ ଶିମିଳୀ ଗଛଟା, ଖଣ୍ଡେ ବାଟ ଛଡ଼ା ।

 

ଦେଖିଲେ ଲାଗେ, ଧାନ ବିଲ ଆଉ ଅପନ୍ତରା ମଝିରେ ଅନହୁତି ଯେପରି କି ଏ ବସ୍ତିର ଆବିର୍ଭାବ, ଖାଲ, ବାଲିପଟା, ବିଲ, ପଛକୁ ଯେତେ ଦୂରକୁ ଅନାଇଁଲେ କେବଳ ଜମି, ହଠାତ୍ କେତେବେଳେ ଭୂଇଁରୁ ଫୁଟି ବାହାରିଛି ମଣିଷର ବସ୍ତି, ନ ହେଲେ ତାର ଏଠି ସ୍ଥାନ ନ ଥିଲା ।

 

କିନ୍ତୁ ଯୋଗୀ ସାହିର ଲୋକେ କହନ୍ତି ଆଉ ପ୍ରକାରେ । ସେମାନେ କହନ୍ତି ମୂକ ପାଟେଳିଗାଁ ଏଇ, ତାଙ୍କରି ପୂର୍ବ ପୁରୁଷ ଏ ଗାଁ ବସେଇଥିଲେ, ତାକୁ ନାଁ ଦେଇଥିଲେ । ଏଇ ମାଟିରେ ପୋତା ହୋଇଛନ୍ତି ତାଙ୍କରି ଅକଳନ ଯୁଗର ପୂର୍ବପୁରୁଷମାନେ, ଆଉ କେତେ ସେମିତି ବସିଛନ୍ତି ଜୀଅନ୍ତା । ସେମାନେ କହନ୍ତି, ଏ ଖଣ୍ଡକରେ ଏଇତକ ଥିଲା ଅପୋଡ଼ା ପୃଥ୍ୱୀ, କେଉଁ ଯୁଗରେ ନଈ ଭିତରେ ଥିଲା, ସିଦ୍ଧ ସାଧକମାନେ ରହିବେ ବୋଲି ନଈ ଆଡ଼େଇ ହୋଇଗଲା, ସିଦ୍ଧ ଏଠି ଆସ୍ଥାନ ବସାଇଲେ । ସେହିଦିନୁଁ ଅଛି ଯେ ଏଠି । ପ୍ରମାଣସ୍ୱରୂପ ସେମାନେ ଦେଖାନ୍ତି ପାଖକୁ ପାଖ ହେଇ ଢିପ ଉପରେ ବଢ଼ିଥିବା ଦି’ପୁରୁଷ ଉଞ୍ଚ ତିନିଟା ହୁଙ୍କାକୁ, କହନ୍ତି ହେଇତି ଯେ କାଶ୍ୟପନାଥ, ୟେ କପିଳନାଥ, ୟେ କମଳନାଥ । ତିନି ସିଦ୍ଧ ଧ୍ୟାନ କରୁ କରୁ ସେମିତି ଜୀଅନ୍ତାରେ ହୁଙ୍କା ପାଲଟିଗଲେ । ତାଙ୍କରି ବଂଶର ଆମେ, ସେହି ରକ୍ତ । ଅକଳନ ଯୁଗର ସାଧନପୀଠ, ଅକଳନ ଯୁଗର ବସତି । ବିଲ ସେକରେ ସେ ଯେଉଁ ପାଟେଳିଗାଁ ସେ ନୂଆ ବସ୍ତି ।

 

କିନ୍ତୁ ଚାହିଁଦେଲେ ଭୂଇଁ କହେ, ନଈ ଏଠି କେବେ ବନ୍ଧ ଭାଙ୍ଗିଥିଲା । ଜାଣନ୍ତା ଦେଖନ୍ତା ଲୋକ କହିବା ଭଳି ବଞ୍ଚି ନାହାନ୍ତି କେବେ ସେ ଭାଙ୍ଗିଥିଲା ।

 

ଚାରିଆଡ଼ର ମାଟିଟା ଏଡ଼େ ବାଲିଆ ହେଲେ ବି କାହା କାହା ବାରିରେ ଛନଛନିଆ ବଗିଚା ବି ଦିଶେ, ନଡ଼ିଆ ପଣସ ଭଲ ଫଳେ, ଜର ହେଲେ ଝାଡ଼ା ହେଲେ ପଇଡ଼ ଖୋଜା ପଡ଼ିଲେ ଆଗ ଏଇଠିକି ଗାଁ ଲୋକେ ଆସନ୍ତି, ବହୁତ ନଡ଼ିଆଗଛ । ଯୋଗୀ ସାହିର ପ୍ରସିଦ୍ଧ ପଇଡ଼ ଅପଡ଼ ଲାଗିବା ପାଇଁ ଅସଲ କଳିମଞ୍ଜି, ସେଇଥିପାଇଁ ଗାଁରେ କେତେ ଘର ସଙ୍ଗରେ କେତେବେଳେ ମନାନ୍ତର ଲାଗେ । ପନିପରିବା ଭଲ ହୁଏ । ଗୋରୁ ଛେଳି ଦିଶନ୍ତି ଛନଛନିଆ । ଯୋଗୀମାନେ କହନ୍ତି, ଏ ସେହି ଯୋଗ ବିଭୂତିର ଦୟା ଆଉ ମହିମା ।

 

ସେମିତି ଏ ମହିମା ଲାଗିହୋଇ ଯୋଗୀ ସାହିର ପୁଅ ଝିଅଙ୍କ ସୁନ୍ଦର ଚେହେରା, ଯୋଗୀ ସାହିର ଝିଅମାନଙ୍କ ସୁନ୍ଦରପଣ ଏ ଖଣ୍ଡକରେ ବିଖ୍ୟାତ ।

 

ଚେକା ଚେକା ଗୋଜା ଗୋଜା ହୋଇ ବସିଥିବା ତିନି ସିଦ୍ଧ ନାଥଙ୍କ ଆସ୍ଥାନ ଚାରିକରେ କଣ୍ଟାସିଝୁ ଆଉ ଡେଙ୍ଗା ନାଗଫଣିଆ ବଢ଼େ, ଫୁଲ ଫୁଟେ, ପଛପଟେ ଗୋଲ ଗୋଲ ହୋଇ ରହିଥାଏ କଣ୍ଟା ବବୁର୍ ଗଛଗୁଡ଼ାଏ, ଫୁଲ ଖୁନ୍ଦି ହୋଇଯାଏ ।

 

କିନ୍ତୁ ଯୋଗୀ ସାହିର ବୁନିଆଦକୁ ଅସ୍ୱୀକାର କରେ ପାଣସାହି । ବସ୍ତି ସେମୁଣ୍ଡରେ ଅଦ୍ୟାପି ଠାଆଠାଆକେ ଦିଶେ ଗୋଟି ଗୋଟିକିଆ ପାଟଳି ଗଛ, ରକ୍ତ ପରି ନାଲି ଟହଟହ ଚଢ଼େଇ ଗୁନ୍ଥି ହେଲାପରି ସେଥିରେ ଫୁଲ ଫୁଟେ । ସେମାନେ କହନ୍ତି, ଆଗ ଆସିଥିଲେ ସେମାନେ-। ଆଗେ ଏ ଖଣ୍ଡକ ପାଟଳି ବଣ ଥିଲା, ସେହିମାନେ ବସ୍ତି ବସାଇଥିଲେ, ତେଣୁ ଏ ପାଟଳିଗାଁ । ପୁଣି କେତେବେଳେ ଆସିଥିଲେ ? ନା ହାଡ଼ିପା ଗୁରୁ ଗୋବିନ୍ଦଚନ୍ଦ୍ରକୁ ବୁଲେଇ ଆଣି ଆପେ ଯେତେବେଳେ ଜଗତଯାକ ବୁଲୁଥିଲେ ସେତେବେଳେ ପାଟେଳିବଣର ସୁନ୍ଦର ଶୋଭା ଦେଖି ସେ ଏଇଠି କେତେ ବର୍ଷ ଅଟକି ଯାଇଥିଲେ, ତାଙ୍କୁ ଭୁଲେଇ ରଖିବା ପାଇଁ ଇନ୍ଦ୍ର ପଠେଇଥିଲେ ପାଟେଳି କନ୍ୟା । ପାଟେଳି ବଣରେ ପାଟେଳି କନ୍ୟା ତାଙ୍କର ସେବା କଲା, ଜନମିଲେ ଗୋଟିକ ପରେ ଗୋଟିଏ ହୋଇ ଦି’ପୁଅ ଏକ ଝିଅ - ଅଜପା, ଅଛପା, ଅରୂପୀ । ପଛେ ହାଡ଼ିପା ଗୁରୁ ଚେତିଲେ, କହିଲେ ଇନ୍ଦ୍ର ମତେ ଡରି ଏତେ ସରି କଲା, ସଂସାରୀ କଲା, ସେହି ଦୋଷରୁ ସେ ପାଟେଳି କନ୍ୟାକୁ ଅଭିଶାପ ଦେଲେ- ତୁ ଆଉ ତୋ ପିଲାଝିଲା ହେବେ ପାଣ, ଗୋରୁ ମାଉଁସ ଖାଇବ, ଭିକାରୀ ପରି ଗରିବ ହୋଇ ରହିବ, ଠାକୁର ପୂଜାବେଳେ ବାଇଦ ବଜୋଉଥିଲେ ତମର ମୁକ୍ତି ହେବ । ଏଇଆ କହି ଗୁରୁ ହାଡ଼ିପାଏ ଉଭେଇଗଲେ । ଅରୂପୀ ବିଭାହୋଇ ଗଲା ଜଇଁତିରା ଗଡ଼ରେ, ଅଛପା ଉଠିଗଲେ ଚଣ୍ଡୀବରମପୁର, ଅଜପା ଏଠି ରହିଲେ, ଘରସଂସାର କଲେ, ବଉଁଶ ବଢ଼ିଲା । “ଏ ତିନି ଥଳିର ପାଣ ୟେ ଓଡ଼ରାଷ୍ଟ୍ର ମଣ୍ଡଳ ଗୋଟାକରେ ନାଁ ଡାକ ବାବୁ, ପଚାରି ବୁଝ । ଗରିବ ଲୋକଙ୍କ ବୁନିଆଦ କିଏ ବୁଝୁଚି, ନା ଆମେ କୋଉ ରାଜା ମହାରାଜା ହେଇଚୁ ଯେ ବଉଁଶବଳି ରହିବ । ଯେତେ ସାନ ହେଲେ କ’ଣ ହେଲା, ହାଡ଼ିପାଙ୍କ ରକ୍ତ ଏ ଦେହରେ ଏବେ ବି ଅଛି । କିଏ ନ ଜାଣେ ତାଙ୍କ ମହିମା ? ନଡ଼ିଆଗଛକୁ ନଅଁ କହିଦେଲେ ସେ ଓହଳି ପଡ଼ୁଥିଲା, ପଇଡ଼ ପାରି ନେବାଯାଏ ସେମିତି ମୁଣ୍ଡ ନୁଆଁଇ ରହିଥାଏ, ସିଧା ହ କହିଲେ ସେଇଠୁ ଉଠିଲା । କୋଉ ଗୋଟାଏ ଗଛରେ ଚଢ଼ି ତାକୁ ଯା କହିଦେଲେ ଉଡ଼ିଗଲା ଯେ ଶୂନ୍ୟମାର୍ଗକୁ, ତେଣିକି ଯେଣେ ଇଚ୍ଛା ତେଣେ ଯା । ମାଟିକି ସୁନା ସୁନାକୁ ମାଟି, ଜୀଅନ୍ତାକୁ ମୁର୍ଦ୍ଦାର ମୁର୍ଦ୍ଦାରକୁ ଜୀଅନ୍ତା ସବୁ ସେ କରିପାରୁଥିଲେ । ଇନ୍ଦ୍ରପଦ ପାଇ ଯାଇଥାନ୍ତେ, ସେ ପାଟେଳି କନ୍ୟା ଯାହା ଭୋଳ କରିଦେଲା ।’’

 

ଏମିତି ଗୁରୁଗମ୍ଭୀର ହୋଇ ବୁଢ଼ା ଶତୁରା ପାଣ କି ନର୍ସିଙ୍ଗା ପାଣ ମୁଣ୍ଡ ଟୁଙ୍ଗାରି ଟୁଙ୍ଗାରି ଆସ୍ତେ ଆସ୍ତେ କଥା ଗପେ, କହେ, “ଏ ଯୋଗୀସାହି–ସେ ତ କେତେ ପଛର, ଏଇ କାଲିକା କଥା, ନଈ ପଠାରେ ବେଣାବୁଦା କାଟି ଭଉଁରିଆ ଟେକିଥିଲେ, ହଃ–କେବର ମଣିଷ ମ !’’

 

ଯୋଗୀ ସାହିରେ କେନ୍ଦେରା ଅଭ୍ୟାସ କଲାବେଳେ ସେପଟୁ ଶୁଭେ ମହୁରୀର ଉତ୍ତାଳ ଚିତ୍କାର । ଏପଟେ ଖଣ୍ଡିଆ କାନ୍ଥ ଉପରେ ଦାଢ଼ିଆ ଛେଳି ମେଁ ମେଁ କଲାବେଳେ ସେପଟେ ଖଣ୍ଡିଆ କାନ୍ଥ ଉପରେ ଚଢ଼େ ଗଞ୍ଜା କୁକୁଡ଼ା, ପହରିକିଆ ଡାକେ ।

 

ଦି’ସାହି ପୂର୍ବପଟେ ଏକାଧାରରେ ଲମ୍ବିଯାଇଛି ଜୋରଟିଏ, ସେଥିରେ ବିଲାତିଦଳ ବଦ୍ଧ ବଢ଼ିଛି, ପାଣିକେନ୍ଦୁରି ଫୁଟେ, ପୂର୍ବେ ନଈ ଏଠି ବନ୍ଧ ଭାଙ୍ଗିଲା ବେଳେ ଏଇଠି ତାଡ଼ି ନେଇ ସେ ଜୋର କରିଥିଲା ପରି ଲାଗେ । ସେ ବି କାହିଁ କେବର କଥା, କାହାରି ହେତୁ ନାହିଁ । ଜୋର ଅଳ୍ପ ଗହୀର । କୂଳରୁ ଛାଡ଼ି ଛାଡ଼ି ଯେତେ ଯେତେ ତଳକୁ ତଳକୁ ଖସିଛି ସେତେ ସେତେ ତା କୂଳେ କୂଳେ ଯୋଗୀ ସାହି ପାଣ ସାହିର ବାରିଆଡ଼ ବଗିଚା ଲମ୍ବି ଯାଇଛି, ସ୍ଥାନେ ସ୍ଥାନେ କଦଳୀ ଗଛ ଭର୍ତ୍ତି ।

 

ସେଥର ସେହି ଘୋର ବରଷାରେ ଜୋର ପୂରିଗଲା, ବିଲ ପୂରିଗଲା, ଚାରିଆଡ଼ୁ ବିଲମାଳରୁ ନିଗିଡ଼ି ଆସିଲା ପାଣିଧାର, ନଈବନ୍ଧ ତଳେ ଘଳିଆ ଫିଟିଗଲା ସହସ୍ର ଧାରରେ । ବୋହି ଚାଲିଲା ଭୁସ୍ ଭୁସ୍ ହୋଇ । ଏପାଖେ ପାଣି ଭିତରେ ଉବେଇ ଟୁବେଇ ଯୋଗୀସାହି, ସେପାଖେ ଆହୁରି ଛୁଟିଛି ଘଳିଆ ଯେତେ କିଆ ଭେଡ଼ା ହାଣି ପକାଇଲେ କି ମାଟି ହାଣି ହାଣି ଚୁଣ୍ଟା ଦେଲେ ମୁହଁ ବନ୍ଦ ହେଉ ନାହିଁ । ଏଣେ ପାଣିର ପତ୍ତନ ଉଠି ଉଠି ଚାଲିଛି, କାହା ଘର ଅଗଣାରେ ପାଣି ଲହଡ଼ା ଖେଳୁଛି, କାହା କାନ୍ଥରେ ହାବୁକା ମାରୁଛି । ଗଳ ଗଳ ବରଷା ଗଳି ପଡ଼ୁଛି ଉପରେ ପାଣି ତଳେ ପାଣି, ଗର୍ଜି ଗର୍ଜି ମାଡ଼ି ଆସୁଛି ପାଣିମିଶା ପବନ, ଉଡ଼େଇ ନେଉଛି, ତଡ଼ି ନେଉଛି । ତେଣେ ଆଶଙ୍କା, କେତେବେଳେ ନଈବନ୍ଧ ଭୁଷୁଡ଼ି ପଡ଼ିବ । ଏଡ଼େ ଖୁନ୍ଦାଖୁନ୍ଦି ବସ୍ତି ଭିତରେ ଢିପଟିଏ ନାହିଁ । ପାଣି ବଢ଼ିଲେ ନିଆଶ୍ରା, ଯୁଆଡ଼କୁ ଅନାଇଁଲେ, ଖାଲି ପାଣି ପାଣି, ହାଲୁକ ଶୁଖି ଯାଉଛି ।

 

ପାଟେଳିଗାଁର ଲୋକେ ଥୋକେ ବନ୍ଧ ବଞ୍ଚାଇବାକୁ ଲାଗି ପଡ଼ିଛନ୍ତି, ଘାଇ ଫିଟିଗଲେ କ’ଣ ଯେ ହେବ । ଦଳେ ଅଣ୍ଟାଏ ବଳାଗଣ୍ଠିଏ ପାଣିରେ ପଶିଯାଇ ଯୋଗୀସାହିରେ ପହଞ୍ଚିଛନ୍ତି । ତାଙ୍କରି ଭିତରେ ଛବି ।

 

ପାଣସାହି ଚାରିକରେ ପାଣି ବୁଲିଯାଇଛି; କିନ୍ତୁ ସେ ଯୋଗୀସାହିଠୁ ଟିକିଏ ଉଞ୍ଚରେ ଅଛି, ପାଣି କାନ୍ଥ ପାଖକୁ ଲାଗି ଲାଗି ଆସିଛି, କିନ୍ତୁ ଦୁଆରକୁ ପଶି ନାହିଁ । ଯୋଗୀ ସାହିରେ ଖାଲି ହାଉହାଉ ଲାଗିଛି । ଥାଳ ଧରି ବୁଲିଲେ ବି ସେମାନେ ଚାଷୀ, ଭିକମାଗିବାଟା ପୁରାତନ ପରମ୍ପରା ପ୍ରତି ମର୍ଯ୍ୟାଦା, ବେଳେ ବେଳେ ଗୋଟାଏ ମଉଜ । ସେ ଯେପରି କି ଗୋଟାଏ ସାମାଜିକ କର୍ତ୍ତବ୍ୟ ବି । ଘରେ ହଳବଳଦ ଅଛନ୍ତି, ଓଳିଆ ଓଦର କୋରମେଇଁ ଘୁମ ଆଉ ପେଡ଼ିପେଟେରା ଅଛି, କେତେ କାଳର ସଞ୍ଚୟ, କେତେ ଛିଣ୍ଡାକନା, ପୁଡ଼ା, ଆଳୁକୁଚି ମାଳକୁଚି, କେତେ ଅଦରକାରୀ ଜିନିଷ ଯାହା କେବେ କିଛି କାମରେ ନଲାଗିଲେ ବି ଘରୁ କାଢ଼ିଦେବାକୁ ସତ ବଳେ ନାହିଁ । କାହା ସହିତ କେଉଁ ସ୍ମୃତି ଲାଗି ରହିଛି । ହଠାତ୍ ଦୁଆରେ ପାଣି ଲହଡ଼ା ଖେଳୁଛି, ଦୁଆର ବନ୍ଧ ଡେଉଁଛି । ଆଗ ଜିନିଷ ଟେକି ରଖା ହେଉଛି ସଂଘ ଉପରେ, ସିନ୍ଧୁକ ବାକ୍‌ସ ଥିଲେ ତା’ଉପରେ । ତା’ପରେ ଏଠୁ ନେଇ ସେଠି, ଯେଉଁଠି ଟିକିଏ ଶୁଖିଲା ଜାଗା ଅଛି ତା ଉପରେ । ଚାହୁଁ ଚାହୁଁ ପାଣି ମାଡ଼ି ଆସୁଛି, ଘର ଭିତରେ ପାଣିର ପତ୍ତନ ଉପରକୁ ଉପରକୁ ଉଠୁଛି, କ’ଣ ହେବ ତା’ପରେ ? ସତେ କ’ଣ ଘର ଛାଡ଼ି ପଦାକୁ ଯିବାକୁ ପଡ଼ିବ ? ଆଶଙ୍କା ଆସୁଛି; କିନ୍ତୁ ବଢ଼ି ବଢ଼ି ସେଇଠି ଅଟକୁଛି, ସେହି ଯେଉଁଠି ମଣିଷ ମନରେ ଆଶା ଅଛି ଏ ପାଣି ବି କମିଯିବ ଛାଡ଼ିଯିବ, ଆଉ ଅଧିକା କିଛି ହୋଇପାରେ ଏଭଳି କଳ୍ପନା ହିଁ ମନରେ ଆସୁନାହିଁ । କିନ୍ତୁ ଲାଗିଛି ପାଟିତୁଣ୍ଡ, ଉପଦେଶ ଦିଆଦେଇ ବିଚାର, ପାଣିଲହଡ଼ା ଦେଖି ବିଶ୍ୱାସ ଦୋହଲି ଯାଉଛି । କିଏ ଗୋଟିଏ ଗୋଟିଏ ଗୋରୁ ବାଛୁରୀ ନେଇ ବନ୍ଧଆଡ଼କୁ ମୋହିଁଲେଣି, ପଛେ ପଛେ ଆହୁରି ଧାର ଲାଗିଗଲେଣି, ଛୁଆପିଲା କାଖେଇ ବୁଜୁଳା ବୋହି ହେଁସ ମସିଣା ମୁଣ୍ଡେଇ ଚାଲିଲେଣି ଥୋକେ ମଣିଷ, ସେହି ଯେଉଁମାନଙ୍କର ଘରେ ବେଶି କିଛି ନାହିଁ, ଅଳପ ହୋଇ ଯେଉଁତକ ଅଛି ସେତିକି ପାଇଁ ଦକ ଦକ । ବିଲରେ ଆଣ୍ଠୁଏ ଅଣ୍ଟାଏ ପାଣି, ଯେଉଁଆଡ଼କୁ ଅନାଇଁରେ ଖାଲି ପାଣି । ବରଷା ପବନ ଆହୁରି ଜୋରରେ ଜୋରରେ ମାଡ଼ି ଆସୁଛି । ଚାଲିଯାଉଥିବା ଲୋକଙ୍କୁ ଦେଖି ରହିଥିବା ଲୋକଙ୍କ ଛାତିରେ ଛନକା ପଶିଯାଉଛି । ପାଟେଳିଗାଁର ଲୋକେ ବୁଲି ବୁଲି କୋବଲେଇବାରେ ଲାଗିଛନ୍ତି, ବନ୍ଧ ତଳେ ଘଳିଆ ଫୁଟିଛି, ଯେତେ ଯାହା କଲେ ବୋଲି ମାନୁନାହିଁ, ବନ୍ଧକୁ ବିଶ୍ୱାସ ନାହିଁ, ରାତି ଆସୁଛି, ଚାଲି ଆସ ବନ୍ଧ ଉପରକୁ, ଆଗ ଜୀବନ, ପଛେ ଆଉ ଯାହା । କିଏ କହୁଚି, ରହ ସବର କର, ଏ ବଳେ କମିଯିବ, କେତେ ଏମିତି ଦେଖା ହେଇଚି ନା ଏ ନୂଆ ? କିଏ କହୁଚି, ରଇଥା ଠାକୁରେ ଅଛନ୍ତି, ଠାକୁରଙ୍କୁ ଡାକୁଚୁଁ, ସେଇ ରଖିବେ । ଯେତିକି ଶୁଖିଲା ଥାନ ଅଛି ତାରି ଭିତରେ କୌଣସିମତେ ଲାଖି ରହିବାକୁ ସମସ୍ତିଙ୍କର ଇଚ୍ଛା, କିଏ କେତେବେଳେ ଦଳରୁ ଫିଟି ପଡ଼ୁଛି, ବୋଲି ମାନୁଛି, ବନ୍ଧଆଡ଼କୁ ମୋହୁଁଛି ।

 

ମାଇପି ଦଳରେ ଛବି ମିଶି ଯାଇଥିଲା । ଘରେ ଘରେ ସେହି ମୁଣ୍ଡଘୂରା ଭଉଁରୀ ଭିତରେ କେତେବେଳେ ସେ କ’ଣ କରିଥିଲା ତାର ହେତୁ ରହିନାହିଁ, କାହାର ପିଲାକୁ କାଖେଇଛି, କାହା ଘରେ ଜିନିଷ ବାନ୍ଧିଛି, କାହା ହାତକୁ ଧରି ଘୋଷାରି ଘୋଷାରି ପଦାକୁ କାଢ଼ି ନେଇଛି ଡେରିହେଇଥିବା କାନ୍ଥ ପଡ଼ିଯିବ ବୋଲି । ଦୁଲ୍‌ଦାଲ୍ ହୋଇ କାହା କାନ୍ଥ ପଡ଼ିଯାଇଛି ସେ ଦେଖିଛି, ଲୋକଙ୍କ ଚିତ୍କାର ତା’ର ମୁଣ୍ଡ ଭିତରେ ପଶିଛି । ମନରୁ ବୁଦ୍ଧି କାଢ଼ି କହିଛି ଏଇଟା କର, ସେଇଟା କର । ବିଚିତ୍ର ପ୍ରକାରେ ବୃଦ୍ଧି ବି ଏଠି ଯେମିତି କି ଅଡ଼ୁଆତଡ଼ୁଆ ହୋଇଯାଇଛି, ସାନ ସାନ ଜିନିଷକୁ ବେଶି ନିଘା, କାହାର ଟୋକେଇ, କାହାର କୁଲା, କାହାର ଜାଳ ଦି’ଖଣ୍ଡ ଓଦା ହୋଇଗଲା, ବାରିଆଡ଼ ଟପି ବୁଦ୍ଧି ପଦାକୁ ଯାଉ ନାହିଁ, କେବଳ ହାଉଯାଉ ।

 

ଚାଲିଯାଅ ଚାଲିଯାଅ କହି କୁହାପୋଛା କରି ସେମାନେ ଯୋଗୀସାହିରୁ ଗଲେ ପାଣସାହିକୁ । ପାଣସାହି ଚଉଦ ପନ୍ଦର ଘର ବସ୍ତି । ସେତେବେଳକୁ କାହା କାହା ଘରେ ପାଣି ପଶିବାକୁ ଆରମ୍ଭ କଲାଣି । ସେଠି ବି ସେମିତି କୁହାପୋଛା ଲାଗିଲା, କିନ୍ତୁ ଯୋଗୀସାହିଠୁ ସେମାନେ ଯେପରି କି ବେଶି ପ୍ରସ୍ତୁତ ଅଛନ୍ତି । ବୁଜୁଳା ପୁଟୁଳା ଭାର ବାହୁଙ୍ଗୀ ହୋଇ ବନ୍ଧାବନ୍ଧି ଆଗେଇ ଗଲାଣି । ଅଶୀ ବରଷର ବୁଢ଼ା ଶତୁରା ପାଣ ସମସ୍ତିଙ୍କି ଚେତେଇ ଦେଇଛି ‘‘କୁଆଡ଼ର ଘାଇଭଙ୍ଗା ପାଣି ୟେ, ନ ହେଲେ, ବିଲର ବଦଳାପାଣିର ଏଡ଼େ ଦାଉ ହେବ ନାଇଁ । ପୁଣି ଦେଖ ଯେ ବରଗଛ ସେ ପାଖେ ବନ୍ଧ ତଳେ ଘଳିଆ ପଡ଼ିଛି, କେତେବେଳେ ବନ୍ଧ ଭୁଷୁଡ଼ିବ ତ ସଂସାର ସରିଲା । ଯୁଆଡ଼କୁ ଚାହିଁଲେ ସମୁଦର ଦରିଆ, ୟେ କ’ଣ ୟେ ? ବେଳ ଥାଉଣୁ ବନ୍ଧ ଉପରକୁ ଉଠି ଚାଲ, ମୋ ଦିହାତିରେ ଏଡ଼େ ପାଣି ଦେଖି ନାଇଁ ।’’ ଘରେ ଛାଡ଼ି ଯିବାକୁ ସେମାନଙ୍କର ବେଶି କିଛି ନାହିଁ ସେମାନେ ସଜ ହେଉଛନ୍ତି । ସେମାନଙ୍କୁ ବେଶି ଆଶ୍ଚର୍ଯ୍ୟ ଲାଗିଲା ଉଚ୍ଚ କୂଳର ଏହି ସ୍ତ୍ରୀ ପିଲାଙ୍କୁ ଆପଣା ଦୂଆରେ ଦେଖି । “କୁଆଡ଼େ କାଇଁକି ଆଇଲ ମା ସାଆନ୍ତାଣୀମାନେ ! ଦେଖୁନା କେମିତି ପାଣି ମାଡ଼ି ଆସୁଛି । ଓ ହୋ ହୋ, ଯୋଉ ବରଷା ପବନ କୋଉଠି ଥଳ ଅଛି ଯେ ଠିଆ ହେବ ?’’ ଥଳ ଅଛି, ସେମାନେ ଘରେ ଘରେ ପଶିଲେଣି, ମିଶିଗଲେଣି ସାରୁ ପରିବା ପରି । ସେମାନଙ୍କ ମନରେ ଛୁଆଁ ଅଛୁଆଁ ଧାରଣା ହିଁ ନାହିଁ । ଦୁଃଖ ସୁଖ ହେବାକୁ ବେଳ ନାହିଁ । ବରଷା ଛେଚୁଛି, କାନ୍ଥ ପଡ଼ୁଛି, ପାଣିରେ ପଶି ଜିନିଷ ମୁଣ୍ଡେଇ ଲୋକେ ବନ୍ଧ ଉପରକୁ ଯିବେ ବୋଲି ଚାଲିଛନ୍ତି । ଯୋଗୀସାହିରୁ ପାଣସାହିରୁ ଚାଲିଛନ୍ତି ଲୋକ । କିଏ ଥରେ ଦି’ଥର ଯା ଆସ କରି ଜିନିଷ ଥୋଇଦେଇ ପୁଣି ଆସୁଛନ୍ତି ଜିନିଷ ନେବାକୁ ।

 

ସେହିମାନଙ୍କ ସଙ୍ଗରେ ଜିନିଷ ବୋହି ପିଲା କାଖେଇ ଚାଲିଛନ୍ତି ଛବି, କେଳାଭାରିଯା, ରଘୁଆ ମା, ସାଙ୍ଗର ଯେତେ ବୋହୂଝିଅ । ଦୁଃଖ ଦୁର୍ଦ୍ଦଶାରେ ଏକାଠି ଦଳବାନ୍ଧି ମଣିଷ ସମସ୍ତେ ସତେ କି ଏକା ଘର, ଭିନେ ଜାତି ନାହିଁ, ସାହି ନାହିଁ, ଭିନେପଣର ଚେତନା ହିଁ ନାହିଁ ।

 

ମେଘ ଅନ୍ଧାର କରିଛି । ହାଉହାଉ ପବନ । ପାଣିରେ ସୁଅ ପଡ଼ିଛି । ଜଙ୍ଘେ ଅଣ୍ଟାଏ ପାଣିରେ ଠେଲି ପେଲି ହୋଇ ଚାଲିଛନ୍ତି ମଣିଷ ।

 

‘‘ରାତିଟା କୋଉଠି ହେଲେ କଟେଇଦେଇ କାଲି ସକାଳକୁ ପାଣି ଛାଡ଼ିଗଲେ ପୁଣି ଘରକୁ ଲେଉଟିଯିବା କଥା । ତୁଛେଇଁକି ଘରୁ ଯା-ପୁଣି ଆ-ଏ ପାଣି କ’ଣ ସବୁଦିନେ ରହିଥିବ ?” ରଘୁନାଥ ଛବିକୁ କହିଲା । ଛବିର ପାଦ ଗଳିପଡ଼ିଲା, ଜଙ୍ଘେ ପାଣି, ପଛରୁ ରତନା ପାଣ ପାଟିକଲା, ସମ୍ଭାଳି ସମ୍ଭାଳି, ଡାହାଣେ ଖାଇଟା, ବାଁକୁ ଚାଲ । ‘‘ଏଡ଼େ ଝଡ଼ି ବରଷାରେ କାହିଁକି ତେମେ ସବୁ ଘର ଛାଡ଼ି କଦର୍ଯ୍ୟକୁ ଆଇଲ ?’’ ତଥାପି ସେମାନେ ଆସିଛନ୍ତି ବୋଲି ଏମାନଙ୍କୁ ଭଲ ଲାଗୁଛି, ମନ ଉଷତ । ଏଡ଼େ ଅବସ୍ଥାରେ ବି ସେମାନେ ଏକୂଟିଆ ପଡ଼ି ନାହାନ୍ତି ।

 

ଛବି ହେରିକା ଏମିତି ଥରକୁଥର ଯା ଆସ କରେ ତିନି ଥର । ଏଡ଼େ ହାଉଳିରେ କେହି ସେମାନଙ୍କୁ ଅଲଗା କରି ଭାବିନାହାନ୍ତି, ଯେପରି କି ସମ୍ଭାବିତ ସହଜ ଘଟନା ଭିତରେ ସେମାନଙ୍କ ଉପସ୍ଥିତି ବି ସାଧାରଣ କଥା । ତା’ପରେ ଲୋକେ ସେମାନଙ୍କ କଥା କୁହାକୋହି ହେଲେ, ଆଶ୍ଚର୍ଯ୍ୟ ହେବାକୁ ପ୍ରଶଂସା କରିବାକୁ ତର ପାଇଲେ । ସତେ କି ବଡ଼ ପାଟେଳିଗାଁର ସ୍ନେହ ଆଦରର ପ୍ରତିନିଧି ସେମାନେ । ତିନି ଥର ଉତ୍ତାରୁ ଆହୁରି ଥରେ ସେମାନେ ବନ୍ଧତଳକୁ ଗଡ଼ିଲା ବେଳକୁ ଲୋକେ ତାଙ୍କୁ ମନାକଲେ, ରୋକିଲେ । ନା, ସେମାନେ ବହୁତ କଲେଣି, ଏଥର ଲେଉଟି ଯାଉନ୍ତୁ, ବରଷା ତୋଫାନ ନାହିଁ, କିନ୍ତୁ ପାଣି ବଢ଼ିଛି, ଅନ୍ଧାର ବେଳ ଆସୁଛି, ବାଟ ନଜାଣି ପାରିଲେ ମଣିଷ ବୁଡ଼ିଯିବ । ଆଉ ସେପଟେ ଅଛି ଖାଲ, ଜୋର, ପାଣି ପୂରିଛି, କେତେବେଳେ କେଉଁ କଥା । ଜାଣି ଜାଣି କାହିଁକି ଏ ବିପଦ ଭିତରକୁ ?

 

ସେତେବେଳକୁ ଯୋଗୀସାହିରେ ମଣିଷ ପାତଳ ପଡ଼ିଗଲେଣି, ପାଣସାହିରେ ଆଉ ନାହାନ୍ତି । ଜିନିଷ ମୁଣ୍ଡେଇ ଗୋରୁଗାଈ ଟାଣିଟାଣି ତଥାପି କେହି କେହି ଆସୁଛନ୍ତି । ବନ୍ଧ ଉପରେ ସେତେବେଳେ ବି ଲୋକ ମାଟି ପକାଉଛନ୍ତି । କୁହାକୋହି ହେଉଛନ୍ତି-ବିଲପଟେ ଏତେ ପାଣି କୁଆଡ଼ୁ ମାଡ଼ି ଆସୁଛି, ନା ଆର ନଈରେ ଦୂରରେ କେଉଁଠି ଘାଇ ଭାଙ୍ଗିଛି !

 

ବନ୍ଧ ଉପରେ ମୁଣ୍ଡ ଗୁଞ୍ଜିବାକୁ ଆଶ୍ରା ନାହିଁ । ସବୁଠୁ ପାଖ ଗଉଡ଼ସାହି ମୁହଁ ସାମ୍ନା ଆମ୍ବତୋଟା । ଜିନିଷ ମୁଣ୍ଡେଇ ଛୁଆପିଲା ଗୋରୁଗାଈ ଧରି ଯୋଗୀସାହିର ଲୋକେ ପାଣସାହିର ଲୋକେ ଚାଲିଲେ ସେହିଆଡ଼କୁ । ଯାହାକୁ ଜାଗା ମିଳିଲା ସେ ଗଉଡ଼ସାହିରେ କାହା ଗୁହାଳ କଣରେ କାହା ପିଣ୍ଡା ପହଣ୍ଡରେ ମୁଣ୍ଡ ଗୁଞ୍ଜିଲା, ନ ହେଲେ ଗଛ ମୂଳ, କେଉଁଠି ଶୁଖିଲା, କେଉଁଠି ଓଦା, କାଦୁଆ, ଥାନ ଅଥାନ ବିଚାର ନାହିଁ । ଲୋକ ଗହଳିରେ ତୋଟା ପୂରି ଉଠିଲା । ଚର୍ଚ୍ଚା ବୁଝିବାକୁ ନ ହେଲେ ଖାଲି ଦେଖିବାକୁ ସାହିରୁ ସାହିରୁ ପୁରୁଷ ସ୍ତ୍ରୀ ଉଠିଆସିଲେ । ସେଇଠି ରହିଲେ ଛବି ଓ ତାର ସାଙ୍ଗର ସ୍ତ୍ରୀଲୋକମାନେ, ଲୋକଙ୍କ ଥଇଥାନ କାର୍ଯ୍ୟରେ । ସଂଗ୍ରହ କରିଥିବା ଚୂଡ଼ା ବଣ୍ଟା ହେଲା, ଆହୁରି ସାହାଯ୍ୟ ଖୋଜା ହେଲା | ସେମାନଙ୍କ ଉଦ୍ୟମରେ ସଞ୍ଜପହରେ ଗଉଡ଼ସାହିରେ ଠାଠା ହୋଇ ଗୁହାଳ ଘର ସଫା ହୋଇ ଲୋକଙ୍କୁ ରାନ୍ଧିବାଢ଼ି ଦେବା ପାଇଁ ଚୁଲୀ ବସିଲା । ଓଦାଲୁଗା ଶୁଖାଇବା ପାଇଁ, ଦେହ ଉଷୁମ କରିବା ପାଇଁ ତୋଟା ତଳେ ଠାଆ ଠାଆକେ ସାନ ସାନ ନିଆଁ ଜଳିଲା । ଆଉ କେତେ ଲୋକ ଗାଁ ଭିତରେ ଖେଳେଇ ହୋଇଗଲେ, ଅନ୍ୟ କେଉଁଠି ସୁବିଧା ଥାନ ଖୋଜିଲେ ।

 

ସୁଖରେ ଦୁଃଖରେ ସମସ୍ତେ ଖାପିଗଲେ । ଗାଁ ତାଙ୍କୁ ଆଦରି ନେଲା ।

 

ରାତି ପହରେ ହୋଇ ନ ଥାଏ ଗଉଡ଼ସାହି ଦାଣ୍ଡରେ ଓଦାରେ ବସିପଡ଼ିଲା ବଡ଼ ପଙ୍ଗତ-। କଦଳୀପତରରେ ଭାତ ଡାଲମା ପରଷା ହେଲା । ଅତି ଆଗ୍ରହରେ ଟାଉ ଟାଉ କରି ଲୋକେ ଖାଇନେଲେ । ପରଷି ପରଷି ଘୂରି ବୁଲୁଥିଲେ ଛବି ଓ ତା’ସାଙ୍ଗର ଦଳ । କେଉଁଠି ଗଉଡ଼ସାହିରେ କାହା ଘରେ ଶୁଖିଲା ଲୁଗା ପାଲଟି ଆସିଛନ୍ତି, ସତେ କି ସବୁଠି ତାଙ୍କର ଘର, କେଉଁଠି ଅଚିହ୍ନା ନୁହେଁ । ତାଙ୍କ ସଙ୍ଗେ ସଙ୍ଗେ ଗଉଡ଼ସାହିର ସ୍ତ୍ରୀଲୋକମାନେ ପୁଣି ଆଉ ଆଉ ଲୋକେ । ସିନ୍ଧୁ ଚୌଧୁରୀ ଦେଖିବାକୁ ଆସିଥିଲେ । ଝିଅକୁ ପାଇଲେ ନାହିଁ, ଫେରିଗଲେ । ରାତି ପହରେ ଗଡ଼ି ଯାଇଥାଏ, ଛବି ଓ ତାର ସାଙ୍ଗର ଲୋକେ ଘରକୁ ଫେରିଲେ । ସଙ୍ଗରେ ନେଇଗଲେ ଶତୁରା ପାଣର ନାତଣୀବୋହୁକୁ, ଚାରି ମାସକର ପୁଅଟିଏ । ବିଲି ବିଲି ଅନ୍ଧାର, ବାଟରେ ପୁଣି ବରଷା; କିନ୍ତୁ ଛବିର ମନ ଉଷତ ଥାଏ, ସେମାନେ ସତେ କି ଗଡ଼ଜିତି ଫେରୁଛନ୍ତି । ଦିନଯାକର ଗୋଳମାଳ ସେ ସ୍ଥାନଠୁଁ ଦୂର ହେଉ ହେଉ ମୁଣ୍ଡ ଭିତରେ ପଛେଇ ପଛେଇ ଯାଉଥାଏ । । ଛବି ହେତୁ କଲା, ଏମିତି ବରଷା ରାତି ହୋଇଥିଲା ସେଥର । ଜୁଡ଼ୁବୁଡ଼ୁ ହୋଇ ଆସି ପହଞ୍ଚିଥିଲା ସେହି ଜଣକ, ଯାହାକୁ ସେ ଧ୍ୟାନ କରେ-ରବି । କ’ଣ କରୁଥିବେ ସେ ? ଉତ୍ସାହ ଦେଉଛି ତା’ର ମୁହଁର କଳ୍ପିତ ଭଙ୍ଗୀ, ଏଇ ତ ବାଟ, ଏଇ ତ କାମ । ମନେ ମନେ କିଏ କହୁଛି, ଅନ୍ଧାର ବରଷା ମଣିଷକୁ ଏକାଠି କରେ, ଦୁର୍ଦ୍ଦିନ ଏକାଠି କରେ ।

 

ଏଇ ବରଷାରେ ଛଟପଟ ହେଉଥିବେ ତୋଟା ତଳେ ଯୋଗୀସାହି ପାଣସାହିର ଲୋକେ । ଶତୁରାର ନାତୁଣୀବୋହୁ କାନ୍ଦୁଣୀମାନ୍ଦୁଣୀ ହୋଇ କହୁଛି, “ଏଡ଼େ ବରଷା ଆଇଲା, ସେମାନେ କ’ଣ କରୁଥିବେ ଟି ! ସେଣେ ଘର କଅଣ ହେବଣି କେଜାଣି ! କାନ୍ଥଗୁରାକ ପଡ଼ିଯିବଣି ପରା !’’ ତାର ସ୍ୱର ଯେମିତି ଅନ୍ଧାରରେ ବିଜୁଳି, ଝକ କରି ସବୁ ଦିଶିଯାଉଛି । ତେଟା ତଳେ ହାଉଳିକାଉଳି ଲାଗିଥିବ । ଗଉଡ଼ସାହିରେ ଘର ଓଳି ତଳେ କିଏ କେତେ ଜାକିଜୁକି ହେଉଥିବେ । ଛବିର ଚିନ୍ତା ପଛେଇ ପଛେଇ ଚାଲିଛି । ଦିଶିଯାଉଛି ସେହି ଅଥଳ ଅକୂଳ ଗୋଳିପାଣି, ଦୂର ଦିଗ୍‌ବଳୟକୁ ବୋଲି ଲାଗିରହିଛି, ମଝିରେ ଭାସିଲା ପରି ସାହି ଦି’ଟା, ପାଣିର ସେହି କଛି କଳକଳ ଶବ୍ଦ, କାନ୍ଥ ପଡ଼ିବାର ଦୁଲ୍‌ଦାଲ୍ ଶବ୍ଦ । ଦିଶି ଦିଶି ଯାଉଛି ଲେ।କଙ୍କର ବିପତ୍ତିବୋଳା ମୁହଁର ଭଙ୍ଗୀ, ଅସହାୟ ଜୁଳୁଜୁଳୁ ଆଖି । ବରଷା ଛାଡ଼ିଗଲା । ଛବିର ଚିନ୍ତାରେ ଲାଖି ରହିଥିଲା ବରଷା, ସରି ନ ଥିଲା ।

 

ରାତିପାହାନ୍ତା । ଆଗରୁ ଯୋଗୀସାହି ସଳଖେ ନଈବନ୍ଧ ଭାଙ୍ଗିଲା । ତହିଁ ଆରଦିନ ନାହା ଘେନି ଆସି ପହଞ୍ଚିଥିଲେ ଫୁଲଶରାର ଦଳ, ସେଥିରେ ରବି ।

 

ପାଟେଳିଗାଁର ଯୋଗୀସାହିର ଲୋକ, ପାଣସାହିର ଲୋକ ଘର ଛାଡ଼ିଦେଇ ସମସ୍ତେ ଗଲେ ବାହାରି ; କିନ୍ତୁ ସମସ୍ତେ ନୁହନ୍ତି, କେହି କେହି ରହି ବି ଗଲେ । ପାଣି ପବନର କାଉ ହାଉରେ କିଏ କାହା କଥା ବୁଝୁଛି, ଉପରେ ପାଣି, ତଳେ ପାଣି, ପାଣି ବଢ଼ୁଛି, ରାତି ଆସୁଛି, ଯେତେ ଗୋଚ୍ଛା ହୋଇ ଲୋକେ ବାହାରିଗଲେ ସୁଦ୍ଧା ଆଗ ଆପଣା ନିରାପଦ କଥା ସମସ୍ତିଙ୍କ ମନରେ ।

 

ଚାରିଆଡ଼ ଶୂନ୍‍ଶାନ୍ ପଡ଼ିଗଲା, ପହିଲି ଅନ୍ଧାର ଘୋଟିଲା । ଯୋଗୀ ରୋହି ନାଥ ତା’ଭାରିଯା ଦୁଲଭାକୁ ଡାକି ପଚାରିଲା, “ବାରିଆଡ଼ କବାଟ ବନ୍ଦ ଅଛିଟ ଦୁଲ ?’’

 

ନାଁ ଧରି ଦୁଲ ଛଡ଼ା ଆଉ କିଛି ଡାକିବାକୁ ତାର କେବେ ପାଳି ପଡ଼ି ନାହିଁ । ବୟସ ଛତିଶି ହେଲା, ଧଡ଼ିଆ ରୁଗୁଡ଼ିଆ ହୋଇ ମଣିଷଟିଏ, ବାଙ୍ଗର ନୁହେଁ କି ଡେଙ୍ଗା ନୁହେଁ, ହାତ ଗୋଡ଼ କ୍ଷିପ୍ର, ଚଟପଟିଆ, କିନ୍ତୁ ବିଭାଘରର ଅଠର ବର୍ଷ ହେଲା, ଦୁଲର ପିଲାଛୁଆ ନାହିଁ କାହାର ବୋଉ ବୋଲି ଡାକ ଶୁଣିବାକୁ ।

 

ଦଲ ଭାରି ଇଗାଇଥିଲା ଯେ ସମସ୍ତେ ଯାଉଛନ୍ତି ସେମାନେ ବି ଚାଲିଯିବେ ରୋହି ନାଥ ମଙ୍ଗିଲା ନାହିଁ । ଅନ୍ୟମାନଙ୍କ ଘର ଅପେକ୍ଷା ସେମାନଙ୍କ ଘରତଳି ଟିକିଏ ଉଞ୍ଚରେ । ରୋହି ଯୁକ୍ତି କଲା, “ଆମେ ଭଲରେ ଚଳିବା ମଣିଷ, କାହାରିକି ହିଂସା କରୁ ନାଇଁ, ଆପଣା ଧନ୍ଦାରେ ଦୁଃଖସୁଖେ ଜୀବନ ବିତୋଉ, ଆମର କାହିଁକି ଅନିଷ୍ଟ ହେବ ? ବରଷରେ ବଦଳପାଣି ମାଡ଼ି ଆସିଛି, ସବୁ ବର୍ଷଠୁଁ ହୁଏତ ଟିକିଏ ବେଶି, ତା’ବୋଲି ସତେ ସତେ କ’ଣ ଘରଦୁଆର ଭସେଇ ନେଇଯାଉଚି ? ଥଏ ଧର, ରହ, କାଲି ସକାଳକୁ ପାଣି ଛାଡ଼ିଯାଇଥିବ ।’’

 

ସେ ଘରେ ଯୋଡ଼ିଏ ମଣିଷଙ୍କ ଛଡ଼ା ଗୋଠେ ଜନ୍ତୁଜୁନ୍ତା । ଆଗ ତ ବିଲେଇ ପାଞ୍ଚୋଟି, ଦୁଲିର ଭାରି ପ୍ରିୟ ସେମାନେ । ଗୁହାଳରେ ଗାଈ, ବଳଦ, ଛେଳି, ଆଉ ଘରେ ଘରକରଣା ସାଇତା ଜିନିଷ ଭଡ଼ାଭଡ଼ା, ଧାନ ଚାଉଳ, ବଡ଼ି, ଆମ୍ବୁଲ, ଗୁଡ଼, ଜଡ଼ା ତେଲ, ନଡ଼ିଆ, ବହୁତ ପଦାର୍ଥ । ଛୁଆ ପିଲା ନ ଥାଇ ଦୁଲ ତା’ର ଜୀବନକୁ ପରିଶ୍ରମ କରି ଉପଭୋଗ କରୁଥିଲା, ଅଢ଼େଇଟା ରୋହିର ବଳ ସତେ କି ତା ଦେହରେ, ବଳିଲା ବଳିଲା ଛେଚାପିଟା ନିଦା ଦେହ, ସବୁବେଳେ କାମରେ ଲୋଟୁଥାଏ ।

 

ଘରଛାଡ଼ି ଚାଲି ନଯିବା ପ୍ରସ୍ତାବକୁ ଦୁଲ ତାର ଭିତରେ ଭିତରେ ସମର୍ଥନ କରୁଥାଏ । ବିଶେଷତଃ ରୋହି ବୁଝାଇ ଦେଇଥାଏ, ‘‘ବଢ଼ିଠୁଁ ବେଶି ଡର ତ ମଣିଷଙ୍କୁ । ସତେ କ’ଣ ସମସ୍ତେ ଚାଲିଯିବେ ଭାବିଛୁ ? ଖଞ୍ଜ ଉଣ୍ଡି କେତେ ଲୋକ ମାଣ୍ଟେଇ ରହିବେ, କେତେ ଘରେ ଆଜି ରାତିରେ କଳାକନା ବୁଲିଯିବ । ଘରୁ ମଣିଷ ଚାଲିଗଲେ ଘରର ତ ଜୀବନ ସରିଗଲା, ଖାଲି ପିଣ୍ଡଟାକୁ କେଣ୍ଟାକେଣ୍ଟା କରି ଖାଇବାକୁ କେତେ କୁଆଡ଼ୁ ଆସି ପହଞ୍ଚିଯିବେ, ସତେ କି ଜନ୍ଦା ପିମ୍ପୁଡ଼ି ପରି । ଏତେବର୍ଷର ଘରର ସବୁ ଶିରୀ ଏକା ରାତିକେ ପରା ତୁଟେଇଦେବେ । କ’ଣ ହେଉଛି ହେଇଯାଉ, ରାତିକ ସବୁର କରିଯା, ଏତେ ଛାନିଆଁ କାହିଁକି ?’’

 

କିନ୍ତୁ ସମସ୍ତେ ଯେତେବେଳେ ଯାଇସାରିଲେ, ଚାରିଆଡ଼ ଛିନା ଛିନା ପଢ଼ିଗଲା, ରୋହିର ଦର୍ଶନତତ୍ତ୍ୱ କେମିତି ଦୁର୍ବଳ ଲାଗିଲା ଦୁଲକୁ । ଘର ଭିତରେ ଖଟ ଉପରେ ରୋହି ବସିରହିଛି, ଖଟ ଗୋଡ଼ରେ ବିଲେଇ ତିନୋଟି ପିଠି ଘଷୁଛନ୍ତି । ତା’କୋଡ଼ରେ ଆଉ ଯୋଡ଼ିଏ । ଖଞ୍ଜା ଭିତରେ ପାଣି ଲହଡ଼ା ଖେଳୁଛି, ଦୁଆରେ ଯେଉଁ ନଡ଼ିଆଗଛଟି ଅଛି, ସେ ସତେ କି ପାଣିରୁ ଉଠୁଛି । ଦଣ୍ଡ ପଟାଟା ଉଞ୍ଚ ହେଲେ ବି ପାଣି ଲାଗିଗଲାଣି ଦାଣ୍ଡ ଦୁଆରମୁହଁ ସମାନରେ । ଦାଣ୍ଡପିଣ୍ଡାରେ ଠିଆହେଲେ ଚାରିଆଡ଼ ଖାଇ ଗୋଡ଼ାଇଛି । ଧାଡ଼ି ହୋଇ ସାହି ଲମ୍ବିଛି, କେହି କୁଆଡ଼େ ନାହିଁ ।

 

ଦଲର ଛାତି ଭିତର ଥରି ଉଠିଲା । କହିଲା, ‘‘ବସିଛି କ’ଣ, ଆଇଲ ଟିକିଏ ଦାଣ୍ଡକୁ, ଏ କ’ଣ ହେଲାଣି !’’

 

“କ’ଣ ଆଉ ଦେଖିବି ? ପାଣି ତ ! ବସୁଧା ଉପରେ ଜଳାର୍ଣ୍ଣବ ଖେଳୁଛି । ଆଜି ରାତିକ ଖେଳିବ, ପୁଣି ତ ସବୁ ତା’ସ୍ଥାନକୁ ଫେରିଯିବ, ଆଉ କ’ଣ ? ଆ ଏଠି ବ, ତେଣେ ଅନାନା ।’’

 

ଦୁଲର ମନ ମାନିଲା ନାହିଁ । ପାଣିରେ ପଶି ଗୋଟି ଗୋଟି କରି ଗୋରୁ ଛେଳିକୁ ଆଣି ସେ ବାଟଘର ଭିତରେ ଆଉ ସେହି ଶୋଇବା ବଖୁରି ପିଣ୍ଡାରେ ବାନ୍ଧିଦେଲା, ଜନ୍ତୁ ହେଉଛୁ ପଛେ, ଗହଳିରେ ଟିକିଏ ଆଶ୍ୱାସ ଲାଗିଲା ।

 

ରୋହି କହିଲା, “ଅଡ଼ୁଆ ହବ ଏତିକି ଯେ ପାଣିଟା ଛାଡ଼ିଗଲେ ଚାରିଆଡ଼ କାଦୁଅରେ ଦଲ ଦଲେଇବ ବହୁତ ଦିନ ।’’

 

ବରଷା ମାଡ଼ି ଆସିଲା, ଦୁଇ ଆସି ରୋହି ପାଖରେ ବସିଲା ।

 

ରୋହି କହିଲା, ‘‘ବର୍ଷା-ବଢ଼ି-ଧୋଇ ଫସଲ ଗଲା-ଜର ସର୍ଦ୍ଦି ଆସିବ-କି ଅବସ୍ଥାରେ !’’

 

ତା’କଥାର ପ୍ରତିଧ୍ୱନି ପରି ଦୁଲ୍‌କରି ଗୋଟାଏ ଶବ୍ଦ ହେଲା, ଏକାଠି ଗୋରୁ ଛେଳି ସମସ୍ତେ ବୋବେଇ ଉଠିଲେ । ଖଟ ଉପରୁ ଡେଇଁପଡ଼ି ଦୁହେଁ ପଦାକୁ ଆସିଲେ । ବାରିଆଡ଼ ପାଖ ରୋଷେଇ ଘରର ପଛ କାନ୍ଥ ପଡ଼ିଯାଇଛି । ମେଲା ପଡ଼ିଛି ଅଗଣାଟା, ପଛଆଡ଼ ବାଟେ ସବୁ ଦିଶୁଛି, ଖାଲି ଫାଙ୍କା ଗହୀର, ସମୁଦ୍ର ଲମ୍ବି ରହିଛି । ପାଣି ଠେଲୋଉଛି, ଘରେ ଘରେ ପାଣି ।

 

ଝକ୍‌କରି ବିଜୁଳି ମାରିଲା, ପୁଣି ଝକ୍‌ ଝକ୍‌ ଝକ୍ । ଘର ବାହାର ସବୁ ଏକ ହୋଇଛି । ପାଣିରେ ଭାସିଲା ପରି ଏଠି ସେଠି ମେଞ୍ଚାଏ ମେଞ୍ଚାଏ ତୋଟା ।

 

ପାଣି ଚବର ଚବର କରି ଦିହେଁ ଦାଣ୍ଡକୁ ଗଲେ । ଶୂନ୍‌ଶାନ୍ ପଡ଼ିଛି ଦାଣ୍ଡ । ବିଜୁଳି ମାରିଲେ ଦିଶିଯାଉଛି, ଦାଣ୍ଡରେ ସୁଅ ପଡ଼ିଛି, କେତେ ଘର କଚାଡ଼ି ହୋଇ ପଡ଼ି ଶୋଇଛି, ଏପଟେ ଦିଶୁଛି, ସତେ କି ସମୁଦ୍ର । ରୋହି ପିଣ୍ଡା ତଳକୁ ଓହ୍ଳେଇ ପଡ଼ିଲା, ଅଣ୍ଟାଯାକେ ପାଣି, ପୁଣି ଚଞ୍ଚଳ ସେ ଉଠିଆସିଲା, ଗୋଟା ସୁଦ୍ଧା ଶୀତୋଉଥାଏ, କହିଲା, “ପାଣି ବହୁତ ବଢ଼ିଯାଇଛି, ହଉ ଭଗବାନଙ୍କୁ ଡାକିବା । ଭୟକୁ ଯେତେ ଅନୋଉଥିବୁ ସେତିକି ଭୟଙ୍କରିଆ ଦୁଶୁଥିବ ।’’

 

ଚୂଡ଼ା ପାଣି କରି ଖାଇ ଖଟ ଉପରେ ଆଉଜି ପଡ଼ି ସେମାନେ ବେଳ କଟାଇଲେ । ଆଖିକି ନିଦ ଆସିଲା ନାହିଁ । ରୋହି କେନ୍ଦେରା ବଜେଇ ଭଜନ ଆରମ୍ଭ କଲା । ରହିରହିକା ଘଡ଼ିକି ଘଡ଼ି ପବନ, ପଦାରେ ବିଲି ବିଲି ଅନ୍ଧାର, ଘରେ ନଲ୍‌ଟଣଟିଏ ସିନ୍ଧୁକ ଉପରେ ଥୁଆ ହୋଇ ଜଳୁଛି-। ଅଭ୍ୟସ୍ତ ଭଜନ ନିଶାରେ କିଛି ବେଳ ରୋହି ମାତି ରହିଲା, ତା’ପରେ ତା ବି ବନ୍ଦ ହେଲା, ଆପଣା ସ୍ୱର ଆପଣାକୁ ଛାନିଆଁ ଲାଗିଲା ।

 

ଦୁଲର ତଣ୍ଟିଯାକେ ଉଠି ଆସୁଥାଏ କହିବ ବୋଲି–ଯେ ଏ କି ବୁଦ୍ଧି କଲ ? ସମସ୍ତେ ଗଲେ, ତେମେ ଗଲନାହିଁ କାହିଁକି ? ସତେ ଏ ପ୍ରଳୟ ରାତି କଟିବ ? ଜୀବନ ରହିବ ? ଜାଣୁ ଜାଣୁ କାହିଁକି ବିପଦକୁ ଡାକି ଆଣିଲ ?

 

କିନ୍ତୁ ସେ ମନ ଟାଣ କରି ଆପଣାକୁ ସମ୍ଭାଳୁଥାଏ, କାନ୍ଦିବାକୁ ମନା ହେଲେ ବି ସେ କାନ୍ଦୁ ନଥାଏ । ଏଇ ବିପଦ ଯେପରି କି ସଂସାରଯାକର ତାର ଏ ପ୍ରିୟତମ ମଣିଷଟିକୁ ତା’ଆଖିରେ ଆହୁରି ବେଶି ଆଦରର କରି ଚିହ୍ନା କରାଇ ଦେଉଛି, ଆହୁରି ନିବିଡ଼ କରି ଛନ୍ଦି ଦେଉଛି ତା’ସଙ୍ଗରେ, ତାକୁ ଲାଗୁଛି - ସବୁ ତ ତାର ଏଇ, ୟାରି ପାଇଁ ସେ ବଞ୍ଚି ରହିବାକୁ ଚାହେଁ, ଏଇ ତା’ର ଜୀବନର ହେତୁ ।

 

ରାତି ବଢ଼ିଲା, ଅଧରାତି ହୋଇଥିବ, ଭୟଙ୍କର ଦୁଲ୍‍ଦାଲ୍‌ ଶବ୍ଦରେ ସେମାନେ ଚମକି ପଡ଼ିଲେ । ସେ ଘରର ଦାଣ୍ଡପଟ କାନ୍ଥଟା ଦୁଲ୍ କରି ଅଜାଡ଼ି ହୋଇ ପଡ଼ିଲା, ବିଜୁଳି ଟାପରା କରି ପାଣି ଉପରେ ଚାଇଁ ଚାଇଁ ହସିଲା । ସବୁ ମେଲା ।

 

ସେତେବେଳେ ବାଇଆଣୀ ପରି ଦୁଲ କମ୍ପିକମ୍ପିକା ରୋହିକୁ କୁଣ୍ଢେଇ ଧରି କାନ୍ଦିଲା । ଅଳ୍ପେକେ ସେମାନେ ରକ୍ଷା ପାଇଯାଇଛନ୍ତି, ନହେଲେ କାନ୍ଥଟା ତାଙ୍କରି ଉପରେ ବି ପଡ଼ିଯାଇଥାନ୍ତା-। ରୋହି ଦୁଲର ବନ୍ଧନରୁ ଆପଣାକୁ ମୁକ୍ତ କରି ତା’ହାତକୁ ଭିଡ଼ି ନେଇ ଆତୁର ହୋଇ ପାଟିକଲା, ‘‘ହେ ଭଗବାନ । ହେ ଭଗବାନ ! ଚାଲିଆ, ଚାଲିଆ-’’

 

ଘର ଅଗଣାରେ ସବୁ ଏକାକାର । ପାଚିରି, ଘର କାନ୍ଥ, ସବୁ ଅଜାଡ଼ି ହୋଇପଡ଼ିଛି, ଏକର ସେକର ପାଣି ଚହଲୁଛି । ଦାଣ୍ଡ ବଖରାକ ଅଦ୍ୟାପି ରହିଛି । କିନ୍ତୁ ସେ ଘରେ ପାଣି ଆଣ୍ଠିଏ-। ଦୁଇ ଚିର୍ଚ୍ଚିରୋଉଥାଏ, ‘‘ସବୁ ଗଲା- ସବୁ ଗଲା-ଇଲେ ମୋ ଗୋରୁଗାଈ ଠିଆ ଠିଆ ମରିଯିବେ ଲୋ !’’ ଅନ୍ଧାରରେ ଦରାଣ୍ଡି ହୋଇ ଯାଇ ପାଗଳ ପରି ସେମାନେ ଗୋରୁଗାଈ ଛେଳି ସମସ୍ତିଙ୍କ ପଘା ଖୋଲି ପକାଇଲେ | ଫିଟାଇଦେଲେ କିଏ କୁଆଡ଼େ ହୋଇଯିବେ କି ଭାସିଯିବେ ସେ ବିଚାର ସେତେବେଳକୁ ନାହିଁ । ତା’ପରେ ରୋହିକୁ ଛାନିଆ ଲାଗିଲା, ସେ ଦୁଲକୁ ଦେଖୁନାଇଁ, ପାଟି କଲା, “ଦୁଲ, ଦୁଲ, କୁଆଡ଼େ ଗଲୁ ?’’ ଭଣ୍ଡାର ଘରର ଭଙ୍ଗା କୁଢ଼ ତଳୁ ଦୁଲର କାନ୍ଦଣା ଶୁଭିଲା । ବଡ଼ ବଡ଼ କୁଦା ମାରି ଡେଇଁ ଡେଇଁ ରୋହି ତା’ପାଖକୁ ଗଲା, ହାତ ଧରି ଘୋଷାରି ଆଣି କହିଲା, “ବଡ଼ ବଢ଼ି ଆସିଲା ଲୋ ! ଧଅସି ଆ, ଚାଳରେ ଚଢ଼ିଯା, ଚାଳରେ ଚଢ଼ିଯା ।’’ ଭଙ୍ଗାକାନ୍ଥ ଆଉଜା ଚାଳ ଉପରେ ଚଢ଼ି ଚଢ଼ି ସେମାନେ ଯାଇ ଦାଣ୍ଡଘର ଚାଳ ଉପରେ ଚଢ଼ି ବସିଲେ । ବର୍ଷା ଥମ୍ବିଛି । ଚାରିଆଡ଼ୁ ସୁ ସୁ ଶୁଭୁଛି । ପିଢ଼ା ଉପରେ ବସି ରୋହି ଛାଡ଼ିଲା ଆର୍ତ୍ତ ବୋବାଳି–‘‘କିଏ ଅଛି ହୋ-ରକ୍ଷା କର ହୋ– ।’’ ସତେ କି ତାହାରି ଡାକର ସଙ୍କେତକୁ ଅପେକ୍ଷା ଥିଲା । ଦୂରରୁ ଦୂରରୁ ସେହିପରି ଆହୁରି ଆହୁରି ଲମ୍ବା ବୋବାଳି ଶୁଭିଲା–ହୋଓ-ଓ ... ରକ୍ଷାକର ହୋ ଓ ...

 

ଶୁଭୁଛି–ଘାଗଡ଼ା ପାଟି, ମାଇପି ପାଟି, ସେହି ଭୟଙ୍କର ରାତିରେ ଜଣକର ବିକଳ ସ୍ଵର ଯେପରି କି ଆଉ ଜଣେ ବିକଳ ଲୋକକୁ ଦମ୍ଭ ଦେଉଛି, ଯେ ବିପଦରେ ବି ଆମେ ଏକା ନୋହୁଁ, ଗୋଠଛଡ଼ା ନୋହୁଁ, ଜୀଇଥିଲେ ଏକାଠି, ମଲେ ବି ଏକାଠି ।

 

ଥୋଡ଼ାଏ ପାଟିକରି ନିବୁଜା ମନର କୋହ ପଦାକୁ ଖଲାସ କରିସାରି ରୋହି ଓ ଦୁଲ ଯେତେବେଳେ ଟିକିଏ ଆପଣାକୁ ଆୟତ୍ତ କଲେ ସେତେବେଳେ ରୋହି କହିଲା ଦୁଲକୁ, “ପାଣସାହିରେ ଫଗୁ ବୁଢ଼ା ରହିଗଲା କି କ’ଣ ? ଆଣ୍ଠୁଗଣ୍ଠି ତ ଫୁଲିଥିଲା, ଗାଚର ଅଚଳ, ପୁଅ ନାହିଁ କି ଭାରିଯା ନାହିଁ, କେହି ନାହିଁ, ବୁଢ଼ାକୁ କେହି ନେଲେ ନାଇଁ କି କ’ଣ ।’’

 

ଆକୂଳ ହୋଇ ଦୁଲ କହିଲା, “ କ’ଣ ହବ ? କ’ଣ ହବ ?’’

 

ରୋହି କହିଲା, “ପାଣି ବଢ଼ିଲା, ପଛ ଆଡ଼େ କୋଉଠି ଦୂରରେ ଘାଇ ଭାଙ୍ଗିଲା କି କ’ଣ-!”

 

ଦୁଲ ପୁଣି ଆକୁଳ ହୋଇ କହିଲା, ‘‘କ’ଣ ହବ ? କ’ଣ ହବ ?’’

 

ରୋହି କହିଲା, କିଛି ନାଇଁ ମ, କାନ୍ଥ ବାଡ଼ ପଡ଼ିଗଲା, ପାଣି ମାଡ଼ିଚି, ସେଇଥିପାଇଁ ଏମିତି ଅଲକ୍ଷଣା ଦିଶୁଚି, ପାଣି ଛାଡ଼ିଗଲେ ପୁଣି ସମସ୍ତେ ଘର ତୋଳିବେ, ଆମେ ତୋଳିବା, କ’ଣ ଆଉ ହବ ? ଏମିତି ହବ ବୋଲି ମୁଁ କ’ଣ ଜାଣିଥିଲି ? ହଉ, ଯାହା ଯୋଗ ଥିଲା ତା ହେଇଗଲା, ଥଏ ଧର, ଦମ୍ଭ ଧର, ଠାକୁରଙ୍କୁ ଡାକ |’’

 

ପୁଣି ମାଡ଼ି ଆସିଲା ବରଷା ଅସରା । ଦେହେ ଦେହେ ଜୁଡ଼ୁବୁଡ଼ୁ ତିନ୍ତିଲେ । ଦିହେଁ ସ୍ଵର ଯୋଡ଼ିଦେଇ ଡାକିଲେ, “ହେ ଭଗବାନ୍ ! ହେ ଭଗବାନ !’’

 

ସେହି ବରଷା ଅସରା ଭିତରେ କେତେ କ’ଣ କେଉଁଠି ଦୁଲ୍‌ଦାଲ୍ ପଡ଼ିବାର ଶୁଭିଲା । ଘଡ଼ ଘଡ଼ିକେ ଚାଇଁ ଚାଇଁ ବିଜୁଳି ମାରି ମାରି ଦିଶିଲା, ପାଣିଲହଡ଼ା ଖେଳୁଛି, କେତେ ଘର ଅଜାଡ଼ି ହୋଇ ପଡ଼ିଛି, ଭଙ୍ଗାକାନ୍ଥ ବାଟେ ଦିଶି ଦିଶି ଯାଉଛି ଖୋଲା ଅଗଣା, କୁଢ଼ କୁଢ଼ ଘରକାନ୍ଥ, ଡେରି ହୋଇପଡ଼ିଥିବା ଚାଳ ।

 

ତଳେ ଗୋରୁଗାଈ ଛେଳି ଖେଳେଇ ହୋଇ ବୁଲୁଛନ୍ତି, ବୋବାଳି ଛାଡ଼ୁଛନ୍ତି, ଘାଉଁ ଘାଉଁ ପବନ ଚାଲିଛି, ସୁ ସୁ ପାଣି ସୁଅ ।

 

ତା’ପରେ ହଠାତ୍ ଆସିଲା ପ୍ରଳୟ । ଘୋର ଗର୍ଜନ ଆରମ୍ଭ ହେଲା, ସତେ ଯେପରି ସମୁଦ୍ର ଉଛୁଳିଲା କି ଏକା ସଙ୍ଗରେ ଘଡ଼ ଘଡ଼ ଦମ ଦମ ହୋଇ ମାଡ଼ି ଚାଲିଲା ରେଳଗାଡ଼ି । ଦୁଇ ପାଟି କରି ଉଠିଲା, “ସରିଗଲା-ସରିଗଲା-ନଈବନ୍ଧ ଭାଙ୍ଗିଗଲା ।’’ ଭଗବାନ୍‍, ଭଗବାନ୍‍ ପାଟି କରୁ କରୁ ସେମାନେ ପ୍ରାଣପଣେ ରଡ଼ି ଛାଡ଼ିଲେ ମଣିଷ କାନରେ ତାଙ୍କୁ ଡାକ ପହଞ୍ଚିବା ପାଇଁ- ‘‘ହୋଓ-ରକ୍ଷା କର, ରକ୍ଷା କର ।’’ ଡେଉଁଥିବା ପାଣିର ଗର୍ଜନରେ, ବରଷା ହାଉହାଉରେ କେଉଁଠି ତାଙ୍କ ସ୍ୱର ଗୋଳି ହୋଇଗଲା । ପ୍ରବଳ ବେଗରେ ତୋଫାନ ପରି ମାଡ଼ି ଆସିଲେ ଲହଡ଼ି ମାଳ ମାଳ, ବିଜୁଳି ଝକ୍‍ଝକିରେ ଦିଶିଲା ଧାଡ଼ିକି ଧାଡ଼ି ଥାଟ ପରି ସେଗୁଡ଼ାକ କୁଦା ମାରି ମାରି ଧାଇଁ ଆସୁଛି, ଘର, ଗଛ ସବୁ ଝିଙ୍କା ଓଟରା କରି ଓପାଡ଼ି ଘେନି ପଳାଉଛି । ଓଃ ! କି ରାଗ, ରୋଷ, କି ଗର୍ଜନ ତର୍ଜନ, କି ଭୀମ ମୂର୍ତ୍ତି ! ଗୋଟାକୁ ଗୋଟା ଗଛ ଓପାଡ଼ି ନେଇ ଚାଲିଯାଉଛନ୍ତି, ଘର ଚାଳସୁଦ୍ଧା ଘୋଷାରି ନେଇ ପଳୋଉଛନ୍ତି, ଝକ୍‍ଝକି ବିଜୁଳି ଆଲୁଅ ରହିରହିକା ଖେଳିଗଲାବେଳେ ଦିଶୁଛି ଗଛ, ଚାଳ, କୁଢ଼ କୁଢ଼ ପଦାର୍ଥ ଘୂରେଇ ଘୂରେଇ ବୁଡ଼େଇ ଉଠେଇ ଧରି ମୁଣ୍ଡଘୂରା ଲହଡ଼ି ମାଳ ମାଳ ଚେକାଭଉଁରୀ ଖେଳି ଖେଳି ଚାଲିଯାଉଛନ୍ତି କୁଦା ମାରି ମାରି । ବିଜୁଳି ଥମ୍ବିଯାଉଛି, ଅନ୍ଧାର ଦଲଦଲୋଉଛି, ପୁଣି ବିଜୁଳି ମାରିଲାବେଳକୁ ଦିଶୁଛି ଏଇ ଏତେ କାଳର ଚିହ୍ନାଜଣା ଅତି ଆପଣାର ବସ୍ତିର ରୂପ କେଡ଼େ ଚଞ୍ଚଳ ବଦଳିଯାଇ ହେଲାଣି ଅଚିହ୍ନା, ଯେଉଁଠି ଯାହା ଥିଲା ବୋଲି ଆଖି ବୁଜିଲେ ବି ରୂପ ଦିଶିଯାଉଛି ମନେ ମନେ, ପଦାରେ ତା ସେଠି ନାହିଁ । ଯାହା ପାଖରେ ଯାହା ଥିଲା ତା’ଆଉ ସେଠି ନାହିଁ, କେଉଁ ଗଛ କେଉଁ ବଗିଚା, କାହା ଦାଣ୍ଡର ଉଞ୍ଚ ଚଉଁରା, କାହାର କେଉଁ ଘର ହାତୀଅନ୍ଧ ମୁହୂର୍ତ୍ତ ମୁହୂର୍ତ୍ତକେ ସେହି ଖଞ୍ଜା ଖଞ୍ଜି ଯାଇଛି ବଦଳି ଅଚିହ୍ନା ହୋଇ, ନୂଆ କେତେ କ’ଣ ଭାସି ଆସୁଛି, ଚାଳ, ଗଛ, କାଠ, ଜିନିଷ, ପୁରୁଣା କୁଆଡ଼େ କ’ଣ ଲୁପ୍ତ ହୋଇଗଲାଣି, ତଥାପି ଧାଇଁ ଧାଇଁ ଡେଇଁ ଡେଇଁ ମାଡ଼ି ଆସୁଛନ୍ତି ଲହଡ଼ାଥାଟ । ଆଉ ଅନ୍ଧାରର ଢାଙ୍କୁଣି ତଳେ ଯେତେବେଳେ କିଛି ଦିଶୁନାହିଁ ଖାଲି ଲାଗୁଛି ଝାଙ୍କ, କାନରେ ଶୁଭୁଛି ଅନବରତ ଘୁ ଘୁ ପାଣି ଶବ୍ଦ ସହିତ ମଝିରେ ମଝିରେ ମଣିଷ ପାଟିରେ ବିକଳ ଚିତ୍କାର, ସେତେବେଳେ ଛାତି ଥରି ଉଠୁଛି । ସେତେବେଳଯାଏ ଘାଇଭଙ୍ଗାର ପ୍ରବଳତର ତୋଡ଼ ତାଙ୍କ ଘର ଉପରକୁ ସମୁଦାୟ ବଳ ଖଟାଇ ଉଠି ନାହିଁ, ଘରଟା କରପଟିଆ ହୋଇ ଟିକିଏ ଉଞ୍ଚରେ ରହିଯାଇଛି, କିନ୍ତୁ ଚାଇଁ ବିଜୁଳିରେ ଦିଶୁଛି ପାଣି କାହିଁ କେତେ ଉପରକୁ ବଢ଼ିଗଲାଣି, ପାଖରେ ଦୂରରେ ଲାଗି ରହିଛି ଧ୍ୱଂସ ଆଉ ପ୍ରଳୟର ତାଣ୍ଡବଲୀଳା । ଦୁଲ କାନ୍ଦୁଛି, ରଡ଼ୁଛି, ଚିତ୍କାର କରୁଛି ; ରୋହି ନାଥ ବାଇଆ ପରି ରଡ଼ୁଛି, କାନ୍ଦୁଛି, ଡାକ ଛାଡ଼ୁଛି । ଆଉ ସେହି ଘରର ପିଢ଼ା ଉପରେ ବସି ଦିହେଁ ଦିହିଁକି କୁଣ୍ଢେଇ ଧରିଛନ୍ତି କାଳେ କିଏ କାହାକୁ ଛଡ଼େଇ ନେବ ବୋଲି । ବଢ଼ି ବଢ଼ି ଉଠୁଥିବା ପ୍ରଳୟରୋଳ ଭିତରେ ହଠାତ୍ ଦୁଲ ପାଟିକଲା, “ଇଲୋ, ହେଇଟି ନେତ ଭାସିଗଲା ଲୋ–ଇଲୋ ବଉଳା ଚାଲିଗଲା ଲୋ-ଇଲୋ ମୋ ଛେଳି କୁଆଡ଼େ ଚାଲିଯାଉଛନ୍ତି ଲୋ-ଇଲେ ବାଛୁରୀଟା ଲୋ–’’ ସେତେବେଳକୁ ପ୍ରଳୟର ଭଉଁରୀ ଖେଳ ମାଡ଼ିଆସିଲାଣି ସେମାନଙ୍କ ଛାତତଳିକୁ ଆଉ ସତେ କି ସେଇଆ ତାଙ୍କୁ ଦେଖାଇବା ପାଇଁ ଝକ୍‍ଝକ୍‍ ହୋଇ ବିଜୁଳି ମାରିଦେଉଛି । ସେତେବେଳେ ରୋହି ନାଥ ଅନାଇଁ ଦେଖିଲା ସେହି ବଖରାଟି ଛଡ଼ା ତାର ଆଉ ସବୁ ଘର ପଡ଼ିଯାଇଛି, ଚାଳ ଉପରୁ ତଳକୁ ହୋଇ ଡେରି ହୋଇ ପଡ଼ିଛି କୁଟା ବାଉଁଶ ବିଞ୍ଚି ହୋଇ ଭଉଁରୀ ଖେଳୁଛି, କେତେ ବୋହି ଚାଲିଯାଉଛି ଆଉ ଆଖି ଆଗରେ ଭାସି ଚାଲିଯାଉଛନ୍ତି ତାର ଗୋରୁଗାଈ ଛେଳି ତା’ଘରର ଜିନିଷପତ୍ର ଖଟ, ସିନ୍ଦୁକ ହାଣ୍ଡିକୁଣ୍ଢେଇ ଓଦର କୋରମେଇଁ, ଯିବା ଆଗରୁ ସତେ କି ଶେଷ ମାୟା ନ ତୁଟାଉଣୁ ଏକର ସେକର ଖେଳେଇ ହୋଇ ପାଣି ଭଉଁରୀରେ ଚାରିକରେ ଘେର ବୁଲି ବୁଲି ଗଡ଼େଇ ଚଡ଼େଇ ଉବେଇ ଟୁବେଇ ହୋଇ ତା’ପରେ ଆଖିପିଛୁଡ଼ାକେ ଅନ୍ତର୍ଦ୍ଧାନ ହୋଇ ଯାଉଛନ୍ତି । ତା’ପରେ ପୁଣି ବିଲିବିଲି ଅନ୍ଧାର, ଛଟଛଟ ହୋଇ ରୋହି ଆଭ ଦୁଲଭା ପ୍ରାଣପଣେ ଚିତ୍କାର କରୁଛନ୍ତି, ‘‘ରକ୍ଷାକର–ହୋଓ–କିଏ ଅଛ ଧଅସି ଆସ, ମରିଗଲୁଁ–’’ ଚାଳ ବାରମ୍ୱାର ଥରୁଛି, ମୋଡ଼ି ହେଉଛି । ତା’ପରେ ବିଜୁଳି ମାରୁଛି ଆଉ ଦିଶୁଛି, କାହିଁ କେଉଁଠି ଗାଁ, କେଉଁଠି ଘର, କେଉଁଠି ଅଗଣା, କେଉଁଠି ଦାଣ୍ତ, ଅଥକ ପାଣି ବିଛେଇ ହୋଇରହିଛି ଚାରିଆଡ଼େ, ଚାଳ ଗଛ, ଜନ୍ତୁଜୁନ୍ତା, ମୁଣ୍ଡା ମୁଣ୍ଡା ହୋଇ ଜିନିଷ, କେତେ କଣ ସାଇଁ ସାଇଁ ହୋଇ ଉଠିପଡ଼ି କୁଆଡ଼େ ଚାଲିଯାଉଛି, ପାଣିର ବିସ୍ତୃତି ଉପରେ ଚାଇଁ ଚାଇଁ ବିଜୁଳି ଆଲୁଅରେ ଦିଶୁଛି ଯୋଗୀସାହି ନାହିଁ ପାଣସାହି ନାହିଁ ଦାଣ୍ତ ନାହିଁ ବାଡ଼ ନାହିଁ, କୁଆଡ଼ର ଚିଲିକା ଘୋଟି ରହିଛି, ଭାସିଲା ଭାସିଲା ବଣ ଅରମା ଭିତରେ କେଉଁଠି ଗୋଟିଏ ଗୋଟିଏ ଚାଳ ମୁଣ୍ଡ ଟେକିଛି, ଚାଲିଛି କାନଅତରା ଘାଇଭଙ୍ଗା ଗର୍ଜନ, କେତେ ଉଞ୍ଚରେ ଡେଇଁ ଡେଇଁ ମାଡ଼ିଆସୁଛି ଲହଡ଼ି ମାଳ ମାଳ, କେଡ଼େ ଚଞ୍ଚଳ ମୁଣ୍ଡଘୂରା ଭଉଁରୀରେ ଚକ୍ରି ମାରି ମାରି କୂଆଡ଼େ ଚାଲିଯାଇଛି ।

 

ପୁଣି ପେଲି ଆସିଲା ପ୍ରବଳ ବରଷା ପବନ, ଆକାଶ ଫଟାଇ ଚଡ଼ ଚଡ଼ ଢାଇକରି ଘଡ଼ଘଡ଼ି ମାରିଲା, ରୋହି ଆଉ ଦୁଇ ଗୋଟାଏ ହାତରେ ଚାଳକୁ, ଗୋଟାଏ ହାତରେ ପରସ୍ପରକୁ ଜାବୁଡ଼ି ଧରିହୋଇ ବିକଳ ହୋଇ ଚର୍ଚ୍ଚିରେଇ ତଣ୍ଟି ଫଟାଇ ଡାକ ଛାଡ଼ୁ ଛାଡ଼ୁ ହଠାତ୍ ଅନୁଭବ କଲେ ଗୋଟାଏ ପ୍ରବଳ ଝାଙ୍କ, ଭୁସ୍‌କରି ଘରଟା ପଡ଼ିଗଲା, ଚାଳଟା କଚାଡ଼ି ହୋଇପଡ଼ି ପାଣିରେ ପିଟି ହେଲା ଯେ ଛାଟି ଛିଞ୍ଚାଡ଼ି ହୋଇ ସେମାନଙ୍କ ଉପରେ ପାଣି ଅଜାଡ଼ି ହେଲା, ତା’ପରେ ଆଖିପିଛୁଡ଼ାକେ କ’ଣ ନାହିଁ କ’ଣ ଘଟିଗଲା, ଗୋଟାଏ ଜୀଅନ୍ତା ଜନ୍ତୁ ପରି ଭିଡ଼ିମୋଡ଼ି ହୋଇ ଛାଟିପିଟି ହୋଇ ସେ ଘରର ଚାଳଟା ଗୋଟାଏ ମୁଣ୍ଡରୁ ଛିଣ୍ଡିଯାଇ ସତେ କି ମୁକ୍ତି ପାଇ ଅଲଗା ହୋଇଗଲା, ମୁଣ୍ଡଘୁରା ସୁଅରେ ଚେକାଭଉଁରୀ ବୁଲି ଉଠିପଡ଼ି ଗଡ଼େଇ ତଡ଼େଇ ହୋଇ ସାଇଁକିନା ଅନ୍ଧାର ଭିତରକୁ କୁଆଡ଼େ ଭାସି ଚାଲିଗଲା ଦୋଓଟି ମଣିଷଙ୍କୁ ପିଠିରେ ବସାଇ, ପାଣିରେ ବାରମ୍ବାର ବୁଡ଼ି ବାରମ୍ୱାର ଉଠି ବଜ୍ରମୁଠାରେ ଚାଳକୁ ଆଉ ଦିହେଁ ଦିହିଁଙ୍କୁ ଭିଡ଼ିଧରି କଚି ହୋଇ ଟେକି ହୋଇ ଚାଳରେ ଲାଖିରହି ଭାସି ଚାଲିଗଲେ ସେ ଦୁହେଁ ସେହି ପ୍ରବଳ ଘାଇଭଙ୍ଗା ବଢ଼ିରେ କୁଆଡ଼େ ନାହିଁ କୁଆଡ଼େ ।

 

ଫୁଲଶରା ଗାଁର ବନ୍ୟା ସାହାଯ୍ୟକାରୀ ଦଳ–

 

ରାତିକ ଉରି ଗାଁରେ ରହିଗଲେ ନି.ପ୍ରା : ସ୍କୁଲ ଘରେ, ସେହି କତିରେ ଶିକ୍ଷକ ରାଧୁ ପୃଷ୍ଟିଙ୍କ ଘର, ସେ ଆପତ୍ତି କଲେ ନାହିଁ, ଓଲଟି ଘରୁ କାଢ଼ି ଦେଲେ ବାଲ୍‌ଟି, ଲୋଟା, ଦଉଡ଼ି, କି ଉପାୟରେ ଆଉ କଣ କାମରେ ଆସିପାରିବେ ସେଥିପାଇଁ ସେ ବ୍ୟସ୍ତ ହୋଇପଡ଼ିଲେ । ଅଠେଇଶି ଅଣତିରିଶି ବର୍ଷ ବୟସର ଯୁବକ ରାଧୁ ପୃଷ୍ଟି, ବିରୁଡ଼ି ଅଣ୍ଟା ପରି ସରୁ ଅଣ୍ଟା, ହାଡ଼ୁଆ ଦେହ, ଅଳ୍ପ ଗୋଜିଆ ମୁହଁରେ ଚେପ୍‌ଟା ନାକ ତଳେ ଟିପେ ନିଶ, ଜିକିଜିକି ଆଖି, ତରତର ଚାଲି । ମ୍ୟାଟ୍ରିକୁଲେସନ ସେକେଣ୍ଡ କ୍ଲାସରୁ ପଢ଼ା ଛାଡ଼ି ଜିଲ୍ଲା ବୋର୍ଡ଼ରେ ଅଣତାଲିମ ଶିକ୍ଷକ କାର୍ଯ୍ୟରେ ରହି ଦରମାରେ ପାଞ୍ଚପ୍ରାଣୀ କୁଟୁମ୍ବ ପୋଷୁଛନ୍ତି; କିନ୍ତୁ ପଢ଼ିଥିବା ପଢ଼ାଉଥିବା ସୁନୀତି ଓ ଆଦର୍ଶର ତାଉ ଏବେ ବି ମନ ଭିତରେ ରୁଗୁ ରୁଗୁ ହେଉଛି, ହାଇଁ ପାଇଁ ଲାଗେ–‘‘କିଛି ଗୋଟାଏ ହେଲେ ହୁଅନ୍ତା ମୋ ଦେଇ, ଦେଶକାମ, ପରୋପକାର, କିଛି ।’’

 

କିନ୍ତୁ ସେ ସତେ କି ଗୋଟାଏ ଅଧା ସ୍ୱପ୍ନମୟ ମରମ ଭାବର ଗୁଣୁଗୁଣୁ, ଆପଣା ବ୍ୟକ୍ତିତ୍ୱକୁ ପ୍ରସନ୍ନ ରଖିବା ପାଇଁ ଗୋଟାଏ ଆଶାର ଧ୍ୱନି, ଯେ ମୁଁ ମରି ନାହିଁ, ପଥର ହୋଇନାହିଁ, ମୋ ଭିତରେ ଏବେ ବି ବହୁଛି ଗୁପ୍ତ ଫଲ୍‌ଗୁ ।

ପ୍ରକୃତ ଆଚରଣରେ ସେ ଘଟରେ ଚହଟିବାର ଦିଶେ ଅବସାଦ, ଭଦାସୀନତା, କେତେ ପରିମାଣରେ ନିଷ୍କ୍ରିୟତା ବି । ସେ ତୁଣ୍ଡରୁ ଶୁଭେ ଆଶା ଭଙ୍ଗା ବଙ୍କା ପଦ, ସେଥିରେ କେତେବେଳେ ଲଙ୍କାମରିଚର ରାଗ, କେତେବେଳେ ନିମ୍ୱକୋଳି ପିତା ।

ସଙ୍ଗେ ସଙ୍ଗେ ରାଧୁ ପୃଷ୍ଟି ସେହି ପଦ ଆରମ୍ଭ କରିଦେଲେ, ‘‘ଭଲ କାମରେ ବାହାରିଛନ୍ତି, ଘରେ ଟିକିଏ ଜାଗା ଦେବାକୁ ମନା କରିବ କୋଉ ପାଷଣ୍ଡ ! ଆଉ ଇସ୍କୁଲ ଘରର ବା କି ଅବସ୍ଥା, ଅଛାଉଣି ଖତିରା ଚାଳ, ତଳଯାକ ଗାଡ଼ ଗାଡ଼, କାନ୍ଥରେ ହୁଙ୍କା, ନିଜେ ଦେଖିବେ ଚାଲନ୍ତୁ । କୁହୁଣ୍ଡା ତ ନାଇଁ ତାଲା ପଡ଼ିବ କୋଉଥିରେ ? ଭଙ୍ଗା ଧତରାହୋଇ ଡେକ୍‌ସ କେଇଖଣ୍ଡ, ସେଥିରୁ ବି କେତେଖଣ୍ଡ ଚୋରି କରିନେଲେଣି, ଘର ଚାଳରୁ ବତା ଓଟାରି ନେଉଛନ୍ତି, ଯେ ମନ ସେ ରହୁଛନ୍ତି ଚୁଲୀ କରୁଛନ୍ତି ପାଉଁଶ ଅଙ୍ଗାର ଫୋପାଡ଼ି ଦେଇ ଚାଲିଯାଉଛନ୍ତି, କେତେବେଳେ ଗୋରୁ ପୂରାଇ ଦେଉଛନ୍ତି ଯେ ଚଟାଣଯାକ ଗୋବର -ଗୋରୁମୂତ । ମୋ କଥା ଶୁଣୁଚି କିଏ ମୁଁ ବା ଗୋଟିକିଆ ଲୋକ କ’ଣ କରିପାରିବି ?ସେମାନେ ତ ଚାହାନ୍ତି ନାଇଁ ଏଠି ଇସ୍କୁଲ ରହୁ ବୋଲି, ଇସ୍କୁଲଖଣ୍ଡ ଉଠିଗଲେ ଗଣି ତରେଇ ସେଠି ଖଳା କରିବେ ବୋଲି ଲଗେଇଚନ୍ତି । ତାଙ୍କରି ଜାଗା ଖଣ୍ଡକ କିନା । ମାନ ପତି ସେକ୍ରେଟାରୀ ହେଲାଦିନଠୁଁ ତାଙ୍କର ବେଶି ରାଗ, ଅଧେ ପିଲାଙ୍କୁ ଦେଲେ ଅଟକେଇ । ଏଗାଁରେ ଆଉ କିଏ, ଗଣି ତରେଇ, ମାନ ପତି ଏଇ ଦି’ଜଣ ପଇସାବାଲା ଜମିବାଲା ମଣିଷ ତ, ବାକି କାହାର ମାଣେ ଦି’ମାଣ, ନ ହେଲେ ଦୁଃଖୀ ରଙ୍କୀ । ତାଙ୍କରି ଭିତରେ ପୁଣି ଅସଂଖ୍ୟ ଦଳ-କଂଗ୍ରେସ, କମ୍ୟୁନିଷ୍ଟ, ସୋସିଆଲିଷ୍ଟ, ଆହୁରି ଖଣ୍ତାଏତ୍‌ ଦଳ, ଯାଦବ ଦଳ, ମଧୁରକୁଳ ଦଳ, କୈବର୍ତ୍ତ ଦଳ, ପୁଣି ମୂଷି ପଲେଇ ଦଳ, ବିକଳ ରାଉତ ଦଳ, ତ୍ରିଲୋଚନ ମହାନ୍ତି ଦଳ, ବୈରାଗୀ ଜେନା ଦଳ, ସହଜେ ତ ମାନ ପତି ଗଣି ତରେଇଙ୍କ ଦଳ, ଗଣନ୍ତୁ କେତେ ଦଳ ହେଲା । ଏ ସମସ୍ତେ ଗୋଟି ଗୋଟି କରି ବାଛୁ ବାଛୁ ମଣିଷ ମୁଣ୍ଡ ନିର୍ବାଳ, ଏମିତିଆ ଗାଁରେ କିଛି କାମ ହୁଏ ?

ସମସ୍ତିଙ୍କ ସହଯୋଗରେ ଯେଉଁ କାମ ହେବା କଥା ସେ କେବେ ହୁଏ ନାହିଁ, ସେଇଥିପାଇଁ ଇସ୍କୁଲ ଘର ଅବସ୍ଥା ଏମିତି, ମହାଦେବଙ୍କ ଘର ଚାଳ ଥେଣ୍ଟାଥେଣ୍ଟିରେ ଛୁଆଣି ନ ହୋଇ ଭାଙ୍ଗିପଡ଼ିଲା ଯେ ମହାଦେବ ହେଲେ ଖରାଖିଆ, ଗାଁ ମେଲାଘର ମାଟିରେ ମିଶିଲା । କ’ଣ ଏ ଅପାଳକ ରାଇଜରେ ମଣିଷ ପିଲାଙ୍କୁ ପାଠ ପଢ଼େଇବ, ୟାଙ୍କର ତ ଏମିତି ଯେ ଚାଲିବୁଲି ପାରିଲେ ଆଗ ଯିବେ ହଳ କରି ଗାଈ ଜଗି ଛେଳି ଚରେଇ, ପାଠକୁ ପଚାରେ କିଏ !’’

ଏଡ଼େ ବଡ଼ ବଢ଼ି ଆସିଛି, ଘାଇ ଭାଙ୍ଗିଛି, ଘର ଭାସୁଛି, ସେଇଥିପାଇଁ ଝଡ଼ି ବରଷାରେ ପର ଗାଁର ଲୋକ ସାହାଯ୍ୟ ଦେବାକୁ ଧାଇଁଆସିଛନ୍ତି, ସେହି କାରଣରୁ ଏତେ ରାତିରେ ଇସ୍ୱୁଲ ଘର ଦରକାର ପଡ଼ିଲା ବୋଲି ରାଧୁ ପୃଷ୍ଟିଙ୍କୁ ନିଦରୁ ଉଠାହେଲା । କିନ୍ତୁ ଗଡ଼ର ଗଡ଼ର ହୋଇ ଗୋଟାଏ ବକ୍ତୃତାରେ ରାଧୁ ପୃଷ୍ଟି ଯେଉଁ ବିବରଣୀ ଗାଇଲେ, ଯେଉଁ କଥା କହି ସେ ଅଚିହ୍ନା ଲୋକଙ୍କର ସହାନୁଭୂତି ଲୋଡ଼ିଲେ । ଉପସ୍ଥିତ ସମସ୍ୟା ସହିତ ତା’ର ସମ୍ୱନ୍ଧ ନ ଥିଲା କିଛି ।

ସେ ପୁଣି କହିଲାଗିଲେ,’’ଏଇ ତ ହେଇ ଏ ଗାଁର ହାଲଚାଲ ବାବୁ, ଏ ଗାଁରେ କିଏ ଚଳିପାରିବ କହ ? ଜଣକ ସଙ୍ଗରେ ଯେତିକି କଥା ହେବ, କଥା କହିଲାବେଳେ ଯେତେଟା ଦାନ୍ତ ଦେଖାଇ ହସିବ, ଆଉ ଜଣକ ସଙ୍ଗରେ ମାପିଚୁପି ଓଜନ କରି ସେତିକି କଥା କହିବ, ଗଣି ଗଣି ସେତିକିଟା ଦାନ୍ତ ଦେଖାଇ ହସିବ, ନ ହେଲେ ଆର ଜଣକ ଭାବିବ ତେମେ ସେପଟର ମଣିଷ । ସେଉଠୁ ତମ ନାଁରେ ପଡ଼ିବ ପେଟିସନ, ଆକାଶନାମା, ମାହାଜାରି ଦରଖାସ୍ତ ଜାଣ ବାଟରେ ଚାଲିଗଲା ବେଳେ ବୋଲୁଅ ପଡ଼ିବ । ଭଲା ଏମିତି କିଏ ଚଳିପାରିବ କହିଲ ? ଆମ ସ : ଇ : ଆସିଥିଲେ, ଗଣି ତରେଇ ପଟ ଦେଲେ ଧରି ମୋ ନାଁରେ ଖଣ୍ଡେ ଲେଖି ଯେ ସ : ଇ : ଆଜ୍ଞାଙ୍କର ବଥ ହୋଇଥିଲା ଚହିଁରେ ସେ ସାଇକଲ ଚଢ଼ି ଦଉଡ଼ି ଆସିଥିଲେ । ମୁଁ କହିଲି ଆସନ୍ତୁ ସେ ଗଣି ତରେଇ, କ’ଣ କହିବେ ମୋ ମୁହଁ ଉପରେ କହନ୍ତୁ । କହିବେ ଆଉ କ’ଣ ? କିଏ ଚୋରି କରିଚି ନା ହାରି କରିଚି । ଆଗ କହି ପଠେଇଲେ ଜର ହେଇଚି ମୁଁ ଯାଇପାରିବି ନାଇଁ । ସେଇଠୁ ସ : ଇ : ବଳେଇବାରୁ ଖଣ୍ଡେ ଆଲୁଆନ ଘୋରି ହେଇ ଦାଣ୍ଡପିଣ୍ଡାକୁ ବାହାରି କହିଲେ, ‘‘ବାବୁ ମୋ ଧନ୍ଦା ମତେ ବଳୋଉଚି, ମୁଁ ଏ ଦରଖାସ୍ତ ଫରଖାସ୍ତ କଥା କିଛି ଜାଣି ନାଇଁ-’’ ଫୁଲଶରା ଗାଁର ଦଧି ଗଉଡ଼ କହିଲା, ‘‘ଚାରିଆଡ଼େ ବଢ଼ି ବରଷା, ଘର ଦୁଆର ଭାସୁଚି, ମଣିଷ କଲବଲ, ସେ ଖବର କ’ଣ ଆପଣଙ୍କ ଏଠିକି ଆସୁ ନାହିଁ ମାଷ୍ଟ୍ରେ ? ଅଇଛି ସେଇ କଥାଟା ସିନା ବଡ଼-’’

ରାଧୁ ପୃଷ୍ଟି କହିଲେ, ‘‘ଆରେ ବାବୁ, ବଢ଼ି ତ ହେଇଚି । ସେକଥା ଯେ ମନ ସେ ଚାହିଁଦେଲେ ଦେଖିପାରିବ । ଆଉ ୟେ ଯୋଉ ଖବର ସେ ତ ଯାହା କହନ୍ତି ଗାଁ ଗୁମର, କିଏ ବୁଝୁଚି ନା ପ୍ରତିକାର ଉପାୟ ପାଞ୍ଚୁଚି ? ବଢ଼ି ଆଜି ଆଇଚି କାଲିକି ନ ଥିବ, ଏ ଯୋଉ ଘଟନା ମୁଁ କହିଲି ସେ ପରା କାଳେ କାଳେ ରହିଚି, ଗାଁ ତ ଏଇଥିପାଇଁ ବିଗିଡ଼ୁଚି, ଏ ଅବସ୍ଥାରେ କୋଉ ଭଲ କାମଟା ଏଠି ହେଇପାରିବ ? ମୁଁ ପରା ସ : ଇ : ଙ୍କୁ କହିଲି, ମତେ ଆଉ କୋଉଠିକି ବଦଳି କରିନେଲେ ଆପଣଙ୍କ ଗୁଣ ଗାଆନ୍ତି ଆଜ୍ଞା ! ସେ କହିଲେ ତା କେମିତି ହେବ ? ତେମେ ଗଲେ ତମ ପଛେ ଏ ନି : ପ୍ରା : ସ୍କୁଲଟି ଭାଙ୍ଗିଯିବ, ଥାଅ, ସହ, ଦେଶ ପାଇଁ ତ ସବୁ ଦୁଃଖ କଷ୍ଟ ସହିବାକୁ ପଡ଼ିବ, ଆମେ ଶିକ୍ଷକ ଲୋକ, ଆମ କାମ ତ୍ୟାଗ, ସେବା । ସବୁ ତ ହେଲା, ଏ ତ୍ୟାଗ ସେବାର ମର୍ଯ୍ୟାଦା କିଏ ଦଭଚି, ଦରମା ତ ବଢ଼ାଉ ନାହାନ୍ତି–ହଉ, ମୁଁ ଯିବି ନା ଆଉ କ’ଣ ଦରକାର ?’’

ରାଧୁ ପୃଷ୍ଟି ବିଦାହେଲେ । ତା’ପରେ କିଏ ଆଗ ହସିଲା କହି ହେବ ନାଇଁ, କିନ୍ତୁ ସମସ୍ତେ ଏକାଠି ହୋ ହୋ ହସି ଗଡ଼ିଲେ ।

ଧୋବେଇ ମିଶ୍ରେ କହିଲେ, ‘‘ଦେଖା ହଉ ହଉ ଗାଁ ବିଷୟରେ କେତେ ସମ୍ୱାଦ ଆମ କାନରେ ଅଜାଡ଼ିଦେଲେ, ସେ କ’ଣ ଆମକୁ ଠଉରେଇଲେ ଖବର କାଗଜର ନିଜ ସମ୍ବାଦଦାତା ବୋଲି ?’’

ବଇ ମଳିକ କହିଲା, ‘‘ଗାଁ ପରିଗୁଣ ଧୋବାତୁଠରୁ । ଏଇ ତ ଗାଁର ଇସ୍କୁଲ, ସେ ଯାହା କହିଥିଲେ ସେଇଥା, ଏଇ ତ ଗାଁର ମାଷ୍ଟର, ଗାଁ ଲୋକେ ତ ଅଛନ୍ତି ।’’

ରବି କହିଲା, ‘‘ଏକା ତାଙ୍କ ଗାଁ ବୋଲି ନୁହେଁ, ଯେଉଁଠି ମଣିଷ ଆପଣାସାର୍ଥିକା, ସବୁଠି ଏଇ ଚିତ୍ର ଏଇ ଭାବ, କେଉଁଠି ଊଣେଇଶି ବିଶ୍, ମୋଟାମୋଟିରେ ସମାନ । ଦେଶଯାକର ଭଲମନ୍ଦ ତାଙ୍କ ଆଖିରେ ବଡ଼ ନୁହେଁ, ଆଗ ମୁଁ । ଯୁଆଡ଼କୁ ଚାହିଁଲେ ଦିଶୁଥିବ ମୁଁ, ମୋର ଆଉ କିଛି ନାହିଁ । ତାଙ୍କ ଦେହରେ ଆଞ୍ଚ ନ ଲାଗିଲେ ଜଗତ ପ୍ରଳୟ ହେଲେ ତାଙ୍କର କିଛି ନାହିଁ । କିଏ ଡବଡ଼ବା, ପେଟରେ କିଛି ରଖେ ନାହିଁ, କିଏ ଗୁମ୍ ହୋଇ ରହେ, କାମରେ ହେତୁ ରଖିଥାଏ ଆପଣା ସ୍ୱାର୍ଥକୁ ।’’

ବଇ କହିଲା, ‘‘କେହି ତ କାହାପେଇଁ ହେଲେ ନାଇଁ, ସେ ମୁଁ ଟାର ଅବା କୋଉ ଥାଇତା-? ପାଣି ଯଦି ଆହୁରି ବଢ଼ିଯାଇ ଏ ଉରି ଗାଁଟାକୁ ଭସେଇ ନବ ତେବେ ଏ ମାଷ୍ଟର ରହିବ କୋଉଠି ଆଉ ସେ ଯୋଉ ଗୋଟି–ଗୋଟିକିଆ ମଣିଷଟିମାନ ସେମାନେ ରହିବେ କୋଉଠି-?’’

ଧୋବେଇ ମିଶ୍ର କହିଲେ, ‘‘ଭାରି ବଡ଼ ପ୍ରଶ୍ନ । ହେତୁ କରେ କିଏ ?’’

ରବି କହିଲା, ‘‘ତାର ଉତ୍ତର ଅଇଛା ନୁହେଁ, ଯେତେବେଳେ ଦେଶ ଉପରେ ବିପତ୍ତି ପଡ଼ିବ, ଭିତର ଯୁଦ୍ଧ କି ବାହାର ଯୁଦ୍ଧ ଆକ୍ରମଣ କି ଆଉ କୋଉ ବଡ଼ ଅମଙ୍ଗଳ କି ଅଶାନ୍ତି, ସେତିକିବେଳେ ପରଖ ହେବ ସିନା, ଶାନ୍ତି ବେଳ ତ ବଡ଼ ବକ୍ତୃତାର ବେଳ, ଗପି ଯାଅ ମନଇଚ୍ଛା, ଜଣ ଜଣ କରି ଭାଡ଼ି ଉପରେ ଚଢ଼ି ସମସ୍ତିଙ୍କି ସମ୍ୱୋଧନ କରି ବଡ଼ ପାଟିରେ ହାଙ୍କିଯାଅ-ମୁଁ ତ୍ୟାଗୀ, ମୁଁ ସେବାକାରୀ, ମୁଁ ହିତକାରୀ, ମୁଁ ଜ୍ଞାନୀ, ମୁଁ ଭଲ, ଆଉ କେହି କିଛି ନୁହେଁ-’’

 

ପୁଣି ହସରୋଳ ଉଠିଲା ।

 

ଜମ୍ବୁ ବେହେରା କହିଲା, ‘‘ମିଛେରେ ଏଠିଟାକୁ ଆଇଲେଁ, ନାହା ଭିତରେ ଏତେଲୋକ ରହିଲେ ଆମେ ବି ରହିଥିଲେ ଭଲ ହେଇଥାନ୍ତା, ତୁଚ୍ଛାକୁ ଖାଲିଘର ଭିତରୁ ଗୋବର ପୋଛ, ଘର ଓଳା, ଏଣେ ପାଣି ଯେ ଗଳୁଚି ସହସ୍ରେ ଧାରରେ, ସକାଳକୁ ଆମ ବାଟରେ ଆମେ, ତୁଛେଇଁକି ଏ କଲବଲ । କ’ଣ କହୁଚ, ଯିବା ନ ଲେଉଟି ?’’

 

ଧୋବେଇ ମିଶ୍ର କହିଲେ, ‘‘ସାହିରେ କହିବାକୁ ଯାଇଚନ୍ତି ପରା, ଲୋକେ ଆସିବେ, ଖବର ବୁଝିବା, ମାଷ୍ଟ୍ରେ ସିନା ତାଙ୍କ କଥା କହିଗଲେ, ଗାଁରେ ତ ଫେର୍ ମଣିଷ ଅଛନ୍ତି, ସମସ୍ତିଙ୍କି ତ ରାଇଜ ଗୋଟାକଯାକ ହଳଦିଆ ଦିଶୁନାଇଁ !’’

 

ରାତି ନଅଟା ବାଜି ଯାଇଥାଏ, ଝଡ଼ିବରଷା ଅନ୍ଧାରର ରାତି, ମଫସଲରେ ଖିଆପିଆ ସରି ଶୋଇବା ବେଳ । କିଏ ଅବା କରେ ନିଦ ଶୋଇ ସାରିଥିବେ । ତଥାପି ଖବର ପାଇ ଗୋଟିଏ ଗୋଟିଏ ହୋଇ ଲୋକେ ଗଡ଼ିଲେ । କଠୋଉ ମାଡ଼ି ଛତା ଧରି ସଙ୍ଗରେ ଲୋକ ଦି’ଜଣ ଠେଙ୍ଗା ଓ ନଲ୍‌ଟଣ ଧରି ଆସି ପହଞ୍ଚିଲେ ନିଜେ ଗଣି ତରେଇ, ଗଶେଷପେଟା ବାଙ୍ଗର ଗୋରା ଲୋକ, ଚେକାମୁହଁରେ ଗୋଛା ନିଶ । କହିଲେ, ‘‘ଏଠିଟାରେ କାହିଁକି ? କିଏ ଆପଣମାନକୁ ଏ ଅପନ୍ତରାକୁ ଆଣିଲା ? ଚାଲନ୍ତୁ ଆମର ମେଲା ଅଛି ସେଇଠି ରହିଯିବେ, ପାଖରେ ଠାକୁର ଘର, ସେଇଠି ଖିଆପିଆ ବ୍ୟବସ୍ଥା ହେବ । ଭଲା ଲୋକ ମାଷ୍ଟରଟା, ଟିକିଏ ବୁଦ୍ଧି ଅକଲ ନାଇଁ ? କୌଣସି ଯୁକ୍ତି ଆପତ୍ତି ନ ମାନି ଲୋକ ଲଗାଇ ଜିନିଷପତ୍ର ବୁହାଇ ସମସ୍ତିଙ୍କୁ ସଙ୍ଗରେ ଘେନି ଗଣି ତରେଇ ଗଲେ, ଫୁଲଶରାର ଲୋକେ ତାଙ୍କ ଆତିଥ୍ୟ ସ୍ୱୀକାର କଲେ । ‘‘ନାହା ପାଖକୁ କିଏ ଗଲାଣି ?’’ ସେ ପଚାରିଲେ । ନଲ୍‌ଟଣ ଦେଇ ସେଠିକି ବି ଲୋକ ବରଗିଦେଲେ । ଗଣି ତରେଇଙ୍କ ଘର ଆଗରେ କରପଟିଆ ହୋଇ ବଖରାଏ ସ୍ଵତନ୍ତ୍ର ଘର, ସାମ୍ନାରେ ଫରଚା ପିଣ୍ଡା, ସେହି ଘର ତାଙ୍କର ‘ମେଲା’ । ସାହି ସାହିରୁ ସେଠିକି ଲୋକ ଆସିଲେ । ଆସି ପହଞ୍ଚିଲେ ମାନ ପତି, ଧୋବ ଫର ଫର ଲୁଗା ପଞ୍ଜାବୀ ପିନ୍ଧି, ଚାଦର ପକାଇ, ବାଙ୍କୁଲି ବାଡ଼ି ଧରି । ବିକଳ ରାଉତ, ବୈରାଗୀ ଜେନା, କେତେ ନାଁଡାକ ଲୋକ ବି ଆସିଲେ, ଆଉ ଗରିବ ସାହାର୍ଯ୍ୟପ୍ରାର୍ଥୀ ଲୋକ । ବରଷା ଛାଡ଼ିଥାଏ । ପୋକ ଗହଳି ଭିତରେ ଗଣି ତରେଇଙ୍କ ପେଟ୍ରୋମ୍ୟାକ୍‍ସ ଜଳୁଥାଏ, ସମସ୍ତେ ରୁଣ୍ଡ ହୋଇଥାନ୍ତି । ସତେ ଯେପରି କି ଗାଁଯାକର ମଣିଷ ଏକ ଗୋଷ୍ଠୀ, ଏକ ମେଣ୍ଟ, ରାଧୁ ମାଷ୍ଟରଙ୍କ ବର୍ଣ୍ଣନା ଯେପରି କି ତୁଚ୍ଛା କଳ୍ପନା, ଗାଲଗଫା ବାଦୁଆ କଥା । ଆଉ ଗଣି ତରେଇ ଘାଗଡ଼ା ଗମ୍ଭୀର ପାଟିରେ କଥା କହୁ କହୁ କହିଲେ-

 

‘‘ଏଇ ତ ଦେଖୁଛନ୍ତି ଆମ ଗାଁ, ପାଟ ଭିତରେ ଢିପଟିଏ, ବଢ଼ିଦିନେ ଚାରିଆଡ଼େ ଚିଲିକାମୟ, ଏଇଠି କୋଉ ଯୁଗରୁ ଭାଇ ଦାଦି ମଉସା ଡକାଡକି ହୋଇ ଭାଇପଣରେ ବାନ୍ଧି ହୋଇ ଆମେ ଚଳିଆସୁଛୁଁ । କଳିଯୁଗ ଘୋଟିଲା, କଳି ବଢ଼ିଲା, ବାଦ ଛିଦ୍ର ନ ଥାଇ ମଣିଷ ଏ ଯୁଗରେ ନାହାନ୍ତି, ତେବେ ଧର୍ମ ତ ଏଯାକେ ବୁଡ଼ିନାଇଁ, ସତ ବି ଏକାଥରେ ଲୋପ ହୋଇନାହିଁ, ଯେ ଯେଉଁ ବାଟେ ଯାଉ ଯାହା ପଛେ କରୁ, ଧର୍ମ କ’ଣ, ପାପ ପୁଣ୍ୟ ଭଲ ମନ୍ଦ କ’ଣ ସେ ଧାରଣା ସମସ୍ତଙ୍କଠି ଅଛି । କରିପାରିଲେ ସୁଖ ଲାଗେ, ନ କରିପାରିଲେ ଆପଣା ମନ ପାଖେ ମଣିଷ ଆପେ ଚୋର ହୁଏ । ଅଭାବ ପଡ଼ୁଚି ଖାଲି ଡାକିହାକି ଏକ କରିବା ମଣିଷ, ସେ ସଚ୍ଚୋଟ ହେଲେ, ସତ ହେଲେ ଲୋକେ ଡାକ ଶୁଣିବେ, ଏକାଠି ମେଳ ହେବେ, ସେ ଭଣ୍ଡ ହେଲେ ଲୋକେ ତ ଡାକକୁ ତ କାନ ଦେବେ ନାହିଁ, ଆପଣା ଭିତରେ ବି ବିଶ୍ୱାସ ତୁଟିଯିବ । ଏ ବଢ଼ି ଝଡ଼ି ପାଗରେ ଡଙ୍ଗା ଧରି, ସରଞ୍ଜାମ ଧରି ଆପଣମାନେ ମହତ ଲୋକେ ଲୋକଙ୍କୁ ସାହାଯ୍ୟ କରିବାକୁ ଆସି ପହଞ୍ଚିଛନ୍ତି, ଆମ ମନ ଉଲ୍ଲସି ଉଠୁଛି, ପେଟଭିତରୁ ଶ୍ରଦ୍ଧା ଆସୁଛି । ବସିବା, ଭାବିବା, ବିଚାର କରିବା, ଯାହା କହିବେ ତା କରିବା, ନ କରିବା କାହିଁକି ?’’

 

ମାନଗୋବିନ୍ଦ ପତି ମୁଣ୍ଡ ଟୁଙ୍ଗାରିଲେ, କହିଲେ, ‘‘ସତକଥା, ଦଶଲୋକ ଏକମନ ହେଲେ ସବୁ ହେବ, କ’ଣ ନ ହେବ ? ସେ ମନ କ’ଣ ହୋଇପାରୁଚି ? ଯେ ଯାହା କହୁଚି ସେ ଖାଲି ତଣ୍ଟିଯାକେ । ବାଦ ନ ଥାଇ ବାଦ, କଳି ନ ଥାଇ କଳି, ଯେ ତାକୁ ସେ ୟାକୁ କେଞ୍ଚାକେଞ୍ଚି ଫୁସୁଲାଫୁସୁଲି ଶିଖାଶିଖି । ପାଚିଆ ପରି ଏଡ଼େ ବକଟେ ଗାଁ, ସେଥିରେ ବାର ଅମେଳ କୋଉ କଥା କରି ହଉନାଇଁ ।’’

 

ସେପଟୁ ନୁଖୁରୁ ମଳିକ ଠିଆ ହୋଇପଡ଼ି କହିଲା, ‘‘ଆଜ୍ଞା, ଆପଣମାନେ ଦନ୍ତାକୁ ଦନ୍ତା ଷଣ୍ଢକୁ ଷଣ୍ଢ ପଟ ପକାପକି ଲଢ଼ାଲଢ଼ି, ମଝିରେ ଆମେ ବେଙ୍ଗ ମୂଷାମାନେ ଚକଟାଚକଟି ହେଇ ମଲୁଁ, ଆମ କଥା କେହି ବୁଝିବାକୁ ନାହିଁ । ଅଇଛା ଯୋଉ ଅବସ୍ଥା, ମୁଲ ପାତି ବନ୍ଦ, ଚୁଲୀ ଜଳୁନାଇଁ-’’

 

ଗଣି ତରେଇ କହିଲେ, ‘‘ରହ ଶୁଣ । ମାନବାବୁ ଯାହା କହିଲେ ସେଇଟା ସତକଥା, ତେବେ ସେଇ ଭେଦ ଅଛି ଭେଦ ଅଛି ବୋଲି ଘୋଷି ହଉଥିଲେ କ’ଣ ଭେଦଟା ଅଭେଦ ହେବ କି-? କି ନାଇଁ ଭେଦ ନାହିଁ ଜପିହେଲେ ବି ଭେଦଟା ଯିବ କି ? ମନ ବଳେଇଲେ ଯିବ । ମନ ବଳେଇବାକୁ ବି ଆମର କ’ଣ ପାଞ୍ଜିପତର ନାହାକ ଜୋତିଷ ଦରକାର, କେତେବେଳେ ଯୋଗ ପଡ଼ିବ ଧରିଦେବା ଲାଗି ? ଯେତେବେଳେ ମନ କରିବା ସେତେବେଳେ ୟେ ହାତ ଗୋଡ଼ କାମରେ ଲାଗିଯିବ । ଆହୁରି କଥାଏ, କେତେବେଳେ ମନ ହେଇ ନଥିଲା ବୋଲି ଯୁଗ ଯୁଗକୁ ମନ ହେବ ନାହିଁ ଏମିତି କିଛି ଅଛି ? ଦୋଷ ଦୁର୍ବଳତା କାହାର ନାହିଁ କିଏ କହିପାରିବ-? କଥା ଗଣ୍ଠି ପକାଇ ସାଇତିଲେ ମନରେ ମନ ଗଣ୍ଠି ପଡ଼ିବ ନାହିଁ । ଛାଡ଼, ସମସ୍ତେ ତ ଏକାଠି ହୋଇଥାଇଁ, କ’ଣ କରାଯିବ ଠିକ୍ ହେଉ ।’’

 

ଧୋବେଇ ମିଶ୍ର କହିଲେ, ‘‘ଆଗ ଏ ଗାଁର ଦୁଃସ୍ଥ ଲୋକଙ୍କୁ ସାହାଯ୍ୟ ।’’

 

ତରେଇଏ, ପତିଏ ଉଭୟେ ସମର୍ଥନ କଲେ । ମାନ ପତି କହିଲେ, ‘‘ସାହାଯ୍ୟ ଦିଆଦେଇ ଚାଲିଛି ଯେ ଗାଁ ମୂଳିଆ ହୋଇ କଥାଟା ଗୋଟାଏ ତୁଟୁ ।’’ ସମସ୍ତେ ରାଜି । ତା’ପରେ ଦ୍ୱିତୀୟ ବଡ଼ କାମ, ଚାରିଆଡ଼େ ଏଡ଼େ ବଡ଼ ବଢ଼ି ଘୋଟିଛି, ଏ ଗାଁ ରୁ ସେଠିକି ଡଙ୍ଗା ଯିବ, ମଣିଷ ଯିବେ, ଯାହା ସମ୍ଭବ ଜିନିଷପତ୍ର ଓ ଅର୍ଥ ସାହାଯ୍ୟ ଯିବ । ସମସ୍ତେ ରାଜି ହେଲେ । ତାହାରି ଉପରେ ଆଲୋଚନା ଚାଲିଲା ଅଧରାତି ଟପିବାଯାକେ ।

 

ଉରି ଗାଁରେ ସେହି ଅନ୍ଧାର ବରଷାରାତିରେ ସତେ ଯେପରି ଗୋଟିଏ ନୂଆ ଜୀବନର ଜନ୍ମ ହେଲା । ଜନ୍ମାଷ୍ଟମୀ ପରି ପବିତ୍ର ତାର ସ୍ମୃତି । ସମସ୍ତେ ଉତ୍‌ଫୁଲ୍ଲ ଥିଲେ ।

 

ସେମିତି କଟିଗଲା ଉରି ଗାଁରେ ରହଣି ରାତିଟା । ସତକୁସତ ବଢ଼ି ସାହାଯ୍ୟ କାମରେ ଗାଁଲୋକେ ମାତିଉଠିଲେ । ପରସ୍ପର ଭିତରେ ଦିଆନିଆ ଦ୍ୱାରା ଗାଁର କେଉଁ ଅଭାବ କିପରି ମେଣ୍ଟିପାରିବ ସେ ବିଷୟରେ ସ୍ପଷ୍ଟଧାରା ତିଆରି କରାଗଲା, ଲୋକ ବାଛି ଦାୟିତ୍ୱ ଦିଆଗଲା । ତହିଁ ଆରଦିନ ସକାଳୁ ଦାୟିତ୍ୱଧାରୀମାନେ କାର୍ଯ୍ୟ ଆରମ୍ଭ କରିଦେଲେ । ଗଣି ତରେଇ, ମାନ ପତି, ଆପଣା ଆପଣା ପ୍ରତିଶ୍ରୁତି ଅନୁସାରେ କିଛି କିଛି ଜିନିଷପତ୍ର ବାହାର କଲେ ।

 

ସକାଳୁ ରାଧୁ ମାଷ୍ଟ୍ରେ ଆସି ଫୁଲଶରା ଦଳ ସହିତ ଦେଖା କଲେ । ସବୁ ଖବର ସେ ଶୁଣି ଆସିଥାନ୍ତି । ରବିକୁ କହିଲେ, ‘‘ସବୁ ଆପଣଙ୍କ ମହିମା ଆଜ୍ଞା, ନ ହେଲେ ଶୁଖିଲା କାଠରୁ ପାଣି ବାହାରନ୍ତା ?’’

 

ରବି କହିଲା, ‘‘ଏ ଆପଣଙ୍କର ଭୁଲ୍ ବୁଝାମଣା ଆଜ୍ଞା, ମଣିଷ ମଣିଷ, କାଠ କାଠ, ପିଣ୍ଡରେ ପ୍ରାଣ ଥିବାଯାକେ ମଣିଷ କେବେ କାଠ ହୁଏ ନାହିଁ । ଯେ ଦେଲା, ଯେ ଉପକାର କଲା, ଉଦାରତାଟା ତା’ର, ଯେ କୁହାପୋଛା କଲା ତା’ର ନୁହେଁ । କୁହାପୋଛା ତ ପାଟି ଖୋଲିଦେଲେ ହୋଇଗଲା ।’’

 

ରାଧୁ ମାଷ୍ଟ୍ରେ ଶୀତଳ ହସ ହସି ମୁହଁ ବଙ୍କେଇ କହିଲେ, ‘‘ଏ ହୋହା ବି ଦି’ଦିନିଆ ଆଜ୍ଞା, ଏମିତି ମାତନ୍ତି, ପୁଣି ଶୋଇପଡ଼ନ୍ତି, ଆପେ ଯାହା କହିଥାନ୍ତି ସବୁ ଭାଙ୍ଗନ୍ତି । ଆପଣ ଯିବା ପଛେ ପଛେ ଏ ବି ଯିବ ।’’

 

ଗମ୍ଭୀର ହୋଇ ରବି କହିଲା, ‘‘ଯେତେବେଳେ ଯିବ ଯିବ, ପୁଣି ବାହାରିବ । ହୁଏତ ବେଳ ଆସିବ ଯେତେବେଳେ ଆଉ ଯିବ ନାହିଁ, ନଷ୍ଟ ହେବ ନାହିଁ, ରହିଯିବ । କିନ୍ତୁ ମୂଳରୁ ବିରୋଧୀ ସମାଲେଚନା, ଅବିଶ୍ଵାସ ଓ ସନ୍ଦେହ ଘେନି ଚାହିଁ ରହିଥିଲେ କେବେ କିଛି ହେବନାହିଁ । ଆପଣ ବି ଆଡ଼େଇ ନ ରହି ଏ କାର୍ଯ୍ୟରେ ଲାଗନ୍ତୁ ଆଜ୍ଞା ! ଭୟଙ୍କର ବଢ଼ି ଆସିଛି । ଏଇ ତ ବେଳ, ପରର କାମରେ ଲାଗିପାରିବେ, ଉପକାର କରିପାରିବେ । କରିବି କରିବି ବୋଲି ମନେ ମନେ ଯାହା ଭାବିଛନ୍ତି କାର୍ଯ୍ୟରେ ତା’ କରିପାରିବେ । ତହିଁରେ ପରର ଯାହା ହେଉ ନ ହେଉ ଆପଣଙ୍କର ଉତ୍ସାହ ବଢ଼ିବ, ଆତ୍ମା ସନ୍ତୋଷ ହେବ । ମଣିଷର କି ସଂସ୍ଥାର ଦୋଷତ୍ରୁଟି ଦେଖି ଆଡ଼େଇ ହୋଇ ରହିଥିଲେ ନିଜେ ହୋଇଯିବେ ନିଷ୍କିୟ, ଉତ୍ସାହ ନିଭିଯିବ, ଆନନ୍ଦ ମଉଳିଯିବ । ଆପଣ ବି ତାଙ୍କରି ପରି ହେବେ ଯାହାଙ୍କୁ ସମାଲୋଚନା କରୁଛନ୍ତି । ଲାଗି ପଡ଼ନ୍ତୁ, ନିଜ ଗାଁର ଉପକାର, ପୁଣି ପାଖ ପାଖ ଗାଁର-’’

 

ଉରି ଗାଁ ରାଧୁ ମାଷ୍ଟରକୁ ଅପେକ୍ଷା କଲା ନାହିଁ । ସେମାନେ ଉରି ଗାଁରୁ ବାହାରିଲା ବେଳକୁ ସେ ଗାଁରୁ ଦୁଇଖଣ୍ଡି ନାହା ବି ଚାଲିଲା ତାଙ୍କ ସଙ୍ଗରେ, କିଛି ଜିନିଷ ବି ଗଲା ।

 

ସେମାନେ ଦେଖି ଦେଖିକା ଗଲେ ସେହି ବିଭୀଷିକା- ବଢ଼ି । ପାଟ, ନଈ, ଜୋର ସବୁ ମିଶିଯାଇଛି, ଯେତେ ଦୂରକୁ ଚାହିଁଲେ, ଦିଗ୍‌ବଳୟର ବାଙ୍କୁଲି ଗାରଯାକେ-ଖାଲି ପାଣି, ପାଣି, ମାଟିଆ ହଳଦିଆମିଶା ଗୋଳିପାଣି, ମନସୁଖେ ବିଛେଇ ହୋଇ ରହିଛି, ନାଚୁଛି, ଧାଉଁଛି, ଫୁଲୁଛି, ଗର୍ଜୁଛି, ଚହଳ ପକାଉଛି, ପୁଣି ସେ ଫେରିପାଇଛି ତାର ପ୍ରାଚୀନ ଆଦିମ ଅଧିକାର, ଯେତେବେଳେ ଏ ପୃଥିବୀଯାକ ବ୍ୟାପିଥିଲା ଏକା ସେ ।

 

ଏଥର ଆକାଶ ଓହ୍ଲେଇ ଆସିଛି ପୃଥିବୀକୁ, ସେ ବି ହଲୁଛି, ଚହଲୁଛି, ଲହଡ଼ା ଭାଙ୍ଗୁଛି, ରଙ୍ଗ ବଦଳାଉଛି, ସବୁ ଏଇ ଗୋଳିପାଣିରେ ।

 

ହଜିଲା ସୃଷ୍ଟିର ପ୍ରେତର ଛାଇ ପରି ଏଠି ସେଠି ନାନା ରୂପ, ହଠାତ୍ କେଉଁଠି ଗଛପୁଞ୍ଜାଏ, ମୂଳ ନାହିଁ, କାଣ୍ଡ ନାହିଁ ଖାଲି ପାଣି ଉପରେ କାଳିଚା ଶାଗୁଆ ବିମାନ, ତାହାରି ଫନ୍ଦ ଦାଢ଼ରେ ସରୁ ସରୁ ଧଳା ଢେଉ ପିଟି ପାଣି ଚାଲିଥାଏ, ପାଖରେ ଯାଏ ଡଙ୍ଗା, ବିମାନ ଦୋହଲେ ! କେଉଁଠି ଅଣ୍ଟା ମୋଡ଼ି ହୋଇ ଖତିରା ହାଡ଼ର ବିଦାକାଠି ଦେଖାଇ ବଙ୍କାଢଙ୍କା ହୋଇ ଲମ୍ୱି ରହିଥାଏ ବସ୍ତିର ଚାଲ, କାନ୍ଥ ନାହିଁ, ତଳି ଦିଶେ ନାହିଁ । କେଉଁଠି ଝାଟିମାଟି କାନ୍ଥ ତାଳୁଯାକେ ପାଣି ଲାଗିହୋଇ କଦଳୀ ବାରି ମଝିରେ ଗୋଟାଏ ଗୋଟାଏ ଘର ଦିଶେ, କେଉଁଠି ଘରର ପତ୍ତା ହିଁ ନାହିଁ, ଚିହ୍ନା ଗଛର ତୋଟା ତାର ବେକେ ପାଣିରେ ଠିଆ ହୋଇ ରହିଥାଏ ।

 

ଏଇ ପାଣିର ମଶାଣି ତଳେ ଥିଲା ଦିନେ ଦମ୍ଭ ମାଟି, ଚିହ୍ନା ସଂସାର । ଘାସ ଉପରେ ଗୋରୁ ଚରୁଥିଲେ, ବଗ, ବଣି ଚଢ଼େଇ ବୁଲୁଥିଲେ, ଝିଣ୍ଟିକା ଡେଉଁଥିଲେ, ପିମ୍ପୁଡ଼ିମାନେ ଧରାଧରି ହୋଇ ଖାଦ୍ୟ ବୋହି ନେଉଥିଲେ । ପାଦରେ ମଡ଼ା ହୋଇ ସରୁ ସରୁ ବାଟ ଫିଟିଥିଲା, ଆତଯାତ ଲାଗିଥିଲା । ଏଇଠି କେଉଁଠି ଥିଲା ଗାଁ, ରାସ୍ତା, ଠାକୁରଘର, ଧୋବାତୁଠ, ଧାନକ୍ଷେତ । କେଉଁଠି ଲାଗିଥିଲା କଳି, ମାଲିମକଦ୍ଦମା, କେଉଁ ସୀମା ସରହଦ ପାଇଁ, କେଉଁ ମାଟି ଅରାକ, କେଉଁ ତାଳଗଛ କି ଆମ୍ୱଗଛ, କାହା ଗୋରୁ କେଉଁ କ୍ଷେତରୁ ଖାଇ ବନ୍ଧନଯୋଡ଼ିକୁ ଯାଇଥିଲା, କିଏ କାହା କୁଡ଼ିଆଖଣ୍ଡକ ଭାଙ୍ଗି ଧାନ ଅମାର ତୋଳିଥିଲା । ଏଇଠି କେଉଁ ଘର କାନ୍ଥରେ କିଏ ଚିତା ପକାଇ କଉଡ଼ି ପୋତି ଷଠୀଦୁଛେଇଁ ପୂଜା କରି କାହାର ଷଠୀଘର କରିଥିଲା, କିଏ ପିଣ୍ଡାରେ ବସିଥିଲା, ଗାଲରେ ହାତ ଦେଇ, ଜପି ହେଉଥିଲା ପାଞ୍ଚୋଟି ଅକ୍ଷର- କ’ଣ କରିବି ?

 

ରବି ମୂକ ପରି ସେହି ପାଣିକୁ ଅନାଇ ରହିଥାଏ, ଆଖି ଆଗେ ଆଗେ ସତେକି ସେହି ରୂପ ଖେଳିଯାଉଛି, ଯେପରି ସେ ସେହି ପାଣିରେ ଗୋଳିହୋଇ ରହିଛି, ସେହି ଦପ ଦପ, ହସ କାନ୍ଦ, ଆଶା ନିରାଶା, ଆଉ ସେହି ମାଟି, ଯେ ଯୁଗଯୁଗର ମଣିଷଙ୍କ ସମ୍ପର୍କ ଆଉ ସ୍ପର୍ଶରେ ହୋଇଥିଲା ମଣିଷିଆ । ଦିଶି ଦିଶି ଯାଉଛି, ନଈବନ୍ଧ, ବାଉଁଶବଣ, ବାରି, ଟୁବି ଗାଡ଼ିଆ, ଗାଁ ଗୋଟାକର ସଂସାର, ଚୁଲୀରୁ ଧୂଆଁ ଉଠୁଥିଲା, ଦାଣ୍ଡରେ ପିଲାଏ ଡେଉଁଥିଲେ, ଗାଈ ବୋବାଉଥିଲା, ପାଣିମାଠିଆ ବୋହି ମାଇପେ ଲେଉଟୁଥିଲେ, ଯୁଆଳି କାନ୍ଧେଇ ଚଷା ଫେରୁଥିଲା, ସବୁ ତ ଥିଲା, ଯାହା ଯେମିତି ହୁଏ, କୁଆଡ଼େ ଗଲା ?

 

ହେଇ, ଦିଶିଯାଉଛି ଠାଏ ଠାଏ, ଅରାଏ ଅରାଏ ମାଡ଼ି ପାଣି ଭିତରେ ଚାଖଣ୍ଡେ ମୁଠୁଣିଏ ଟେକିହୋଇଛି ସଢ଼ା ଧାନଗଛ, ଦୁର୍ଗନ୍ଧ ହେଉଛି, କେଉଁଠି ସେ ପାଣି ଉପରେ ଶୋଇ ରହିଛି ନିଘୋଡ଼ ନିଦରେ, ଏକ ପ୍ରକାର କସରା ହଳଦିଆ ନାଳୁଆ ହୋଇ ତା’ର ବର୍ଣ୍ଣ । ପାଣି ଉପରେ କିଛି କିଛି ବାହାରିଛି ଦୁଇ ଧାଡ଼ି ହୋଇ କିଆବୁଦା, ସିଝୁ, ବାରମାସି- ଏଇ ହୋଇଥିବ ଗାଁକୁ ଯିବା ବାଟ, ଆଉ ଏଇ ପାଣି ଉପରେ ଧାଡ଼ି ହୋଇ ବାଇଗବା ଅଗ - ଏଇ ହୋଇଥିବ ବାରି-। ଖାଲି କୁଢ଼ କୁଢ଼ ଭୁଷୁଡ଼ିଥିବା କାନ୍ଥ, ଓପଡ଼ା ଗଛ, ମଲା ମୁର୍ଦ୍ଦାରିଆ ଦୂର୍ଗନ୍ଧ, ସଢ଼ା ପୋଚକା । ଜନ୍ଦା ପିମ୍ପୁଡ଼ି ପୋତକ ଲାଗି ହୋଇ କଳା ଦିଶୁଛି ବେଣାପତ୍ର, କିଆପତ୍ର । ସ୍ଥାନେ ସ୍ଥାନେ ଏକାଠି ହୋଇ ଆଉଜି ରହିଛି ଘରକରଣା ପଦାର୍ଥମାନ–ହାଣ୍ଡି, ଟୋକେଇ, ଖଟ, ଲୁଗାପଟା । ଜାତି ଜାତି ମଢ଼ ଭାସୁଛନ୍ତି, ଗୋରୁ, ଛେଳି, କୁକୁର, ବିଲୁଆ ବି । ଠାଏ ଠାଏ ମଣିଷମଢ଼, ଫୁଲି ସଢ଼ି ତା’ର ଭିନେ ରୂପ । ପାଣି କାଟି କାଟି ଲହ ଲହ ହୋଇ ସାପ ମାଡ଼ିଆସୁଛନ୍ତି ନାହାଆଡ଼କୁ, ନାଉରି ପାଣିରେ କାତ ପିଟି ପିଟି ତଡ଼ୁଛନ୍ତି । ସେ ଥିଲା ଗୋଟାଏ ଗାଁ । ସଜନା ଗଛ, ପଣସ ଗଛ, ନଡ଼ିଆଗଛ ଭାଗେ ଭାଗେ ପାଣିରେ ପୋତି ହୋଇ ଠିଆ ହୋଇଛନ୍ତି ।

 

କୁଆଡ଼େ ଗଲେ ଏ ଗାଁର ମଣିଷ ? ବଞ୍ଚିଛନ୍ତି ତ ? –ସେହି ଚିନ୍ତା ଏକା ସଙ୍ଗରେ ସମସ୍ତିଙ୍କ ମନରେ ।

 

ପାଣି ଚାଲିଛି, ପାଣି ଚାଲିଛି, ଠାବ ନାହିଁ, ରାହା ନାହିଁ । ହାଉହାଉ ରାଉରାଉ ହୋଇ ମାଡ଼ି ଆସୁଛି ବରଷା, ତୋଫାନ, ଡଙ୍ଗା ତାଳୁରେ ଢେଉ ପିଟି ହେଉଛି, ଡଙ୍ଗା ଉବେଇଟୁବେଇ ଟଳମଳ, ମଙ୍ଗ ମୋଡ଼ି କାତ ପେଲି ଝାଳ ନାଳ ହୋଇ ଲାଗିପଡ଼ିଛନ୍ତି ନାଉରି, ବାହା ଓ କାନ୍ଧର ମାଂସପେଶୀମାନ ଆବୁ ଆବୁ ହୋଇ ଫାଡ଼ି ହେଲା ପରି ପଦାକୁ ବାହାରୁଛି, ଆଗରେ ବିକଟାଳ ଭଉଁରୀ ।

 

ମଡ଼ା ଭାସିଯାଉଛି, ଫୁଲ ବେଲୁନ୍ ପରି ଗଡ଼ିଗଡ଼ିକା, ଢେଉ ଉପରେ ଘୋଡ଼ା ଚଢ଼ି ଦୋହଲି ଦୋହଲି ଚାଲିଛି ନିଧଡ଼କ ହୋଇ । ସାପ ଗୁରେଇ ହୋଇଛି, ଚୁଙ୍ଗୁଡ଼ି ବେଢ଼ିଛନ୍ତି, ତୋଡ଼ି ଓହଳିଚନ୍ତି । ଅକାଶରେ ଚଢ଼େଇ ଉଡ଼ୁଛନ୍ତି, ଗଛକୁ ଗଛ ଉଡ଼ୁଛନ୍ତି ।

 

ବରଷା ଛାଡ଼ିଛି । ସୁଅ ମାନ୍ଦା ପଡ଼ିଛି । ଦୂରରେ ଅରାଏ ଖରା ପଡ଼ିଛି । ପାଣି ଜଳୁଛି, ଆଖି ପୋଡ଼ୁଛି । ଖରା ଗଲା । ଏଥର ଚହଲା ଦର୍ପଣ, ନାନା ବିଚିତ୍ର ଓଲଟ ଛବି, ଡାଳପତ୍ର ତଳକୁ, କାଣ୍ଡ ଉପରକୁ, ମୁଣ୍ଡ ତଳକୁ, ଗୋଡ଼ ଉପରକୁ ।

 

ଅଛିଣ୍ଡା ପାଣି । ଅସରନ୍ତି । କେଉଁଠି ସେ ଚିତ୍ ହୋଇ ଶୋଇ ରହିଛି ।

 

କେଉଁଠି ସେ ସଳଖେ ଧାଇଁଛି । କେଉଁଠି ଗୋଲ ହୋଇ ଚକଡ଼ାଟାଏ ମାଡ଼ି ଅସଂଖ୍ୟ ହୁଙ୍କା ଏକାଠି କୁଦା ମାରିମାରି ନାଚୁଛନ୍ତି, କେଉଁଠି ଗୋଳିମାଟିର ପାଣି ମଝିରେ ଖେଳି ଖେଳି ବୁଲୁଛି ଧୋବ ଫର୍‍ଫର୍ ସୁଅଟିଏ । ପାଣିର ବିଳାସ, ପାଣିର ଖେଳ । ତା’ର ନାନା ଭାବ, ନାନା ଭଙ୍ଗୀ ।

 

ପାଣି ହିଁ ଖାଲି । ମଣିଷ ନାହିଁ । ତା’ର ହାତର କରଣି ଲୁପ୍ତ ହୋଇଛି ।

 

କାହିଁ କେତେ କେତେ ଦୂରରେ ଟିକି ଟିକି ଦ୍ୱୀପ ପରି ଅରାଏ ଅରାଏ । ବସ୍ତି ଭାସିଲା ପରି ଦିଶୁଛି । ଗାଁ ଗୋହୀରିରେ ନାହା ଚାଲିଛି, ପାଣି ଘେର ଭିତରେ ଗୋଟିଏ ଗୋଟିଏ ଭଙ୍ଗାଘର-। ଖାଲି ପଡ଼ିଛି । ହେଇ ଶୁଭୁଛି କାନ ଅତରା ଚିତ୍କାର । ନଡ଼ିଆଗଛ ଉପରୁ ମଣିଷ ଡାକ ପକାଇଛନ୍ତି । ଡଙ୍ଗା ଲାଗିଲା । ତରତର ହୋଇ ଓହ୍ଲାଇ ଆସୁଛନ୍ତି ଖେପା ମାରିମାରିକା କଳା କଳା ହୋଇ ତିନି ଜଣ ମଣିଷ ।

 

‘‘ଆସ୍ତେ, ଆସ୍ତେ, ତରତର ହୁଅ ନାଇଁ, ଆମେ ଅଛୁଁ ।’’ ଡଙ୍ଗାରୁ ଚାହିଁ ରହିଛନ୍ତି । ପାଖକୁ-ପାଖକୁ-ଜଣେ-ଦି’ଜଣ-ଜଣେ ଆଉ ପାରିଲା ନାହିଁ, ଅଳ୍ପବାଟ ଥାଉ ପାଣିରେ ଛଳ୍‌କିନା ପଡ଼ିଗଲା । ସଙ୍ଗେ ସଙ୍ଗେ ଡେଇଁପଡ଼ିଲେ ଦି’ଜଣ, ଆଗ ରବି, ତା’ ପଛେ ପଛେ ନାଉରି ଜମ୍ୱୁ ବେହେରା । ବଇ ମଳିକ ବାହାରୁଥିଲା, ଭିଡ଼ି ଅଟକାଇ ଧରିଛି ନିଧି ରଣା ତା’ର ବଜ୍ରମୁଠାରେ, କହିଲା, ‘‘ଥିରିହେଇ ବସ, ଏତେ ଲୋକ ପାଣିକି ଡେଇଁଲେ ମଣିଷ ଖୋଜିବାକୁ ଯିବ କାହାକୁ ? ଦେଖ, ଭଲ ପହଁରିଲାବାଲା ଦି’ଜଣଯାକ ।’’ ଗଛରୁ ଓହ୍ଲେଇଥିବା ମଣିଷ ଦିହେଁ ଥରୁଛନ୍ତି, ଟଳୁଛନ୍ତି, କାନ୍ଦୁଛନ୍ତି ଯେ ସେ କାନ୍ଦ ଶୁଖିଲା, ଲୋକ ତାଙ୍କୁ କୁଣ୍ଢେଇ ବସେଇଛନ୍ତି । ‘‘ଆଉ ଭୟ ନାହିଁ । ଆଗ କିଛି ଖାଇନିଅ ।’’ ରବି ସଙ୍ଗରେ ବାଦବୁଦିଆ ହେଲା ପରି ପାଖପାଖ ହୋଇ ମାଡ଼ିଯାଉଛି ଜମ୍ୱୁ ବେହେରା । ଭାସି ଯାଉଥିବା ଲୋକଟା ବୁଡ଼ୁଛି ଉଠୁଛି । ଜମ୍ବୁ ବେହେରା ପାଟି କରୁଛି, ‘‘ଦୂରେଇ ରଇଥା ବାବୁ, କୁଣ୍ଢେଇ ଧରିବଟି ।’’ ଓସ୍ତାଦ୍ ପହଁରିଲାବାଲା ଜମ୍ୱୁ ବେହେରା, ଲୋକଟାର କାନ୍ଧ ତଳେ ହାତ ଭରାଦେଇ କେଡ଼େ କାଇଦାରେ ଆଣୁଛି । ଡଙ୍ଗା ପହଞ୍ଚିଗଲା । ଲୋକଟା ପାଣିରୁ ଛଣା ହୋଇ ଟେକା ହେଲା । ଦରଦର ପାଣି ବୋହିପଡ଼ୁଛି ଦିହେଁ ଉଠିଆସିଲେ । ସବୁ ଡଙ୍ଗାରେ ଭାରି ହୋ ହା, ଲୋକ ବେଢ଼ିଛନ୍ତି ।

 

‘‘ଆଉ ଏମିତି ଭୁସ୍‌ଭାସ୍ ଡେଇଁପଡ଼ିବ ନାହିଁ ବାବୁ !’’ ଜମ୍ୱୁ ବେହେରା କହିଲା, ଭଲ ପହଁରି ଜାଣିଚ ସତ ଯେ, ଖୁସିରେ ନଈ ପୋଖରୀରେ ପହଁରିବା ଗୋଟାଏ ପ୍ରକାର, ବଢ଼ିରେ ପହଁରିବା ଆଉ ଗୋଟାଏ ପ୍ରକାର । ଯାହାର ଅଭ୍ୟାସ ଥିବ ସେ ଡେଇଁଲେ ଭଲ । ଆମ ଭିତରେ କେତେ ତ ଅଛନ୍ତି, ନ ଥିଲେ ଅବା–’’

 

ରବି ହସୁଛି ।

 

ସେଇ ଲୋକ ଦି’ଜଣ ତାଙ୍କ କାହାଣୀ କହୁଛନ୍ତି, କାନ୍ଦି କାନ୍ଦି, ଥଙ୍ଗେଇ ଥଙ୍ଗେଇ । ଏଇ ଥିଲା ଶିଅଳ ସାହି । ବଢ଼ି ମାଡ଼ିଆସିଲା, ଘର ଦୁଆର ଗଲା, ତା’ପରେ– ।

 

ତୃତୀୟ ଜଣକ ପାଣି ବାନ୍ତି କରୁଛି ।

 

ଉତ୍ତେଜିତ ହୋଇ ସେମାନେ ଅନ୍ୟ ଅନ୍ୟ ଗାଁ କଥା କହୁଛନ୍ତି, ଏଣେତେଣେ ହାତ ଦେଖାଉଛନ୍ତି ।

 

ଡଙ୍ଗାରୁ ଡଙ୍ଗାକୁ କଥାଭାଷା ହୋଇ ନିଷ୍ପତ୍ତି ହୋଇଗଲା କିଏ କେଉଁ ବାଟେ ଯିବେ । ଚାରିଖଣ୍ଡ ଡଙ୍ଗା ଅଲଗା ଅଲଗା ବାଟ ଧରି ଚାଲିଗଲା । ଦି’ଜଣ ଶିଅଳ ଗଲେ, ଯେଉଁ ଜଣକ ନଈରୁ ଛଣା ହୋଇଥିଲା ତାକୁ ଆଦରିଲେ ଧୋବେଇ ମିଶ୍ର । ଜଣେ ଶିଅଳ ରହିଲା ରବି ସଙ୍ଗରେ-। ଧୋବେଇ ମିଶ୍ର ତା’ସଙ୍ଗରେ ସଞ୍ଜଆଡ଼କୁ ମିଶିବେ । ଆଉ ଦି’ଖଣ୍ଡ ଡଙ୍ଗା କେବେ ମିଶିବେ ଜଣା ନାହିଁ ।

 

ଏଥର ରବିର ଡଙ୍ଗା ଏକୁଟିଆ । ତିନି ଜଣ ନାଉରି ଓ ମଙ୍ଗୁଆଳ ଜମ୍ୱୁ ବେହେରାକୁ ଛାଡ଼ି ସେଥିରେ ଫୁଲଶରାର ଦଧି ଗୌଡ଼, ଓଡ଼ମ୍ୱା ଶିଅଳସାହିର ଚଞ୍ଚୁ ଶିଅଳ, ରବି ଓ ବଇ ମଳିକ ।

 

‘‘ଓହୋ-ଓ ସେଠି ଅମୁରି ବନ୍ତୁଳିଗାଁ ଭଇରିପୁର, ଅରିଷଣ୍ଢ, ଚୋଟଳ, ତରଣା, ସାଙ୍ଗେଣା, ତୋରିହଁ, ଭଜିଶ, ଆଢେଣା, ନରୁଆ, ଆଲଶଙ୍ଖା ହୋ...ଏ ସେଠି, ସବୁଠି ଏକା ଦଶା–-।’’

ହତାଶ ହୋଇ ଚଞ୍ଚୁ ଶିଅଳ କହୁଥାଏ ।

ଜମ୍ୱୁ ବେହେରା କହିଲା, ‘‘ଯେ ହାବୁଡ଼ିବେ ତାଙ୍କୁ ଘିତି ଆସିବା, ହଉ ନାହା ବୋଝେଇ । ଖେପ ଖେପ କରି, ଖେପ ଖେପ କରି–’’

ଚଞ୍ଚୁ କହିଲା, ‘‘ମଣିଷ ଥିଲେ ତ !’’ ସେ ପିଲାଙ୍କ ପରି କାନ୍ଦି ପକାଇଲା, ତିରିଶି ବର୍ଷର ଭେଣ୍ଡା, ଡେଙ୍ଗା ମଣିଷ, ଓସାର କାନ୍ଧ, ସରୁ ଅଣ୍ଟା, ମୋଟମାଟ ନ ହେଲେ ବି ତା’ର ଗୁରେଇଲା ପରି କରଡ଼ା ମାଂସପେଶୀର ଦଉଡ଼ି ତା’ର ହାଡ଼ୁଆ କଳା ଦେହରେ ଫେର ବୁଲିଛି, କିନ୍ତୁ ଉପାସ ଓ ଦୁର୍ଦ୍ଦଶାରେ ତା’ର ଟାଣ ଭାଙ୍ଗି ଯାଇଥାଏ । ଆପଣାକୁ ଟିକିଏ ସମ୍ଭାଳି ସେ କହିଲା, ‘‘ତିନି ଦିନ ତିନି ରାତି ଜୀବନ ବିକଳରେ ସେ ଗଛଟାରେ ରହିଲି । କାହିଁକି ରହିଲି ! କ’ଣ ଏଇଆ ଦେଖିବାକୁ ! ସମସ୍ତେ ତ ଯେ ଯୁଆଡ଼େ ଭାସିଗଲେ, ଆମେ ତିନିଟା ରହିଗଲୁ କ’ଣ କରିବୁ ବୋଲି ?’’

ରବି ତା’ମୁହଁକୁ ଅନାଇଁଲା । ତିରିଶି ବର୍ଷରେ ସେ ବୁଢ଼ା ହୋଇଯାଇଛି । କପାଳର ଚମ ନୋଚାକୋଚା, ପାଉଁଶିଆ ଆଖି କୋରଡ଼ରେ ପଶିଛି, ଗାଲ ଖସି ପଡ଼ିଛି, ହତାଶ ବିକଳ ଭାବ । ରବିର ଆଖି ଛଳଛଳ ହେଲା ।

ଜମ୍ୱୁ ବେହେରା କହିଲା, ‘‘କେହି ମରି ନ ଥିବେ ମ, କାହିଁକି ଭାବୁଚୁ ? ଏସବୁ ବିଘଟନ ଘଟିଲେ ଯେମିତି ଭୟାଂକାରିଆ ଜଣାପଡ଼େ ସତରେ ସେମିତି ମଣିଷ ନାଶ ହୁଅନ୍ତି ନାଇଁ, କିଏ କଦବା ଗୋଟାଏ ଗୋଟାଏ ସିନା, ନ ହେଲେ ଆଉ କେହି ମରନ୍ତି ନାଇଁ । ମଣିଷଟି ସେ ! ସେ କ’ଣ ସାମାନ୍ୟ ଚେମେଡ଼ା ? ଏମିତି ମରୁଥିଲେ କୋଉକାଳୁ ତା’ର ଗୋତର ବୁଡି ଯାଆନ୍ତାଣି, ମଣିଷ ବୋଲି ପଦଟିଏ ନ ଥାନ୍ତା ।’’

 

ଡଙ୍ଗା ଚାଲିଥାଏ । ରବି ଦେଖିଲା, ସତେ ତ, ଏଡ଼େ ବଡ଼ ଖଣ୍ଡପ୍ରଳୟରେ ବି ମଣିଷ ଅଛନ୍ତି । କିଏ ଅଛନ୍ତି ନଡ଼ିଆଗଛ ଉପରେ, କିଏ ଅଛନ୍ତି ବରଗଛ ଉପରେ, କେଉଁଠି କେଉଁ ଗଛଗଣ୍ଡିରେ ଭଙ୍ଗା ଚାଳଖଣ୍ଡେ ଭାସିଆସି ଆଉଜି ଯାଇଛି ତା’ଉପରେ ବି ମଣିଷ ବସିଛନ୍ତି । ଆହୁରି କୁଆଡ଼େ କାଳେ ଚାଳଟା ଭାସି ପଳେଇବ ବୋଲି ଏଡ଼େ ଦୁର୍ଦ୍ଦଶାରେ ଭପାୟ ଫାନ୍ଦି ଚାଳଟାକୁ ଗଛଗଣ୍ଡିରେ ବାନ୍ଧି ପକାଇଛନ୍ତି, ଖଟର ଚାରି ଗୋଡ଼କୁ ଉପରକୁ ଟେକି ଖଟରେ ଖଟ ବାନ୍ଧି ସେଥିରେ ବି ପରିବାରଟିଏ ମାନ ସଂସାର ମେଲି ଦେଇ ଭାସି ଚାଲିଛନ୍ତି, କେଉଁଠି କଦଳୀଗଛର ଭେଳା ଭସାଇ ସଜନାଛୁଇଁ ତୋଳିବା ନଗୀକୁ କାତ କରି ଚାଲିଛନ୍ତି ମଣିଷ, କେଉଁଠି କିଏ ଭାସୁଛି ବାଉଁଶ ଭେଳାରେ, କିଏ କାଠଭେଳାରେ, କିଏ ଖାଲି ହାଣ୍ଡିମାଳ ଭେଳାରେ, ନାଚୁଥାଉ ସେହି ଆସ୍ଥାନ ଢେଉ ଅଗରେ, ସୁଅରେ ମୋଡ଼ି ହେଉଥାଉ, ତଡ଼ି ହେଉଥାଉ, ଯାହା ଥାଉ କପାଳରେ, ରହିଛନ୍ତି ସେମାନେ, ଚାଲିଛଛି, ସତେ ଅବା ଏଇ ମୁହୂର୍ତ୍ତରେ ଆଦରି ନେଇଛନ୍ତି ଏ ଅବସ୍ଥାକୁ–ଯେ ଏଇ ଆମର ସ୍ୱାଭାବିକ ପରିସ୍ଥିତି, ଏଇ ଆମର ଦୁନିଆଁ-ମାଟିର ନୁହେଁ, ପାଣିର, ସୁସ୍ଥିର ନୁହେଁ-ଅସୁସ୍ଥି ଉଦ୍‌ବେଗ ଅସ୍ଥିରତା ଗତି ଆଉ ଅନିଶ୍ଚିତତାର, ଏଠି ଜୀବନ ମାପ ହୁଏ ଘଣ୍ଟା ମିନିଟରେ, ବର୍ଷ ମାସରେ ନୁହେଁ ।

 

ଆଉ ଦିଶୁଛି, ଏଇ ପ୍ରଳୟ ଭିତରେ ବି ମଣିଷ ମଣିଷକୁ ଖୋଜୁଛି, ଡାକ ଛାଡ଼ୁଛି, ହାତପାପୁଲିକୁ ଆହୁଲା କରି ଭାସିଭାସି ବି ଭେଳାକୁ ମୋହିଁନେଇ ଚାଲିଛି କେମିତି ଜଣକ ଦି’ଜଣ ହେବେ, ଦି’ଜଣ ହେବେ ଚାରି ଜଣ, ପାଖକୁ ପାଖ ଥାଇ ମେଞ୍ଚାମେଞ୍ଚଗୁଡ଼ାକ ଏକାଠି ଗୋଠ ବଢ଼ାଇ ହେବ ଗୋଷ୍ଠୀ । ତାହାରି ଭିତରେ ଦିଶିଯାଉଛି ସ୍ନେହ ପ୍ରକଟୁଛି, ଦୟା ପ୍ରକଟୁଛି, ପର ପାଇଁ ତ୍ୟାଗ ସ୍ୱୀକାର କରି ମଣିଷ ଆପେ ଅଧିକ ଦୁଃଖ ସହୁଛି, ନାନା ରୂପରେ ନାନା ସାନ ସାନ କାମରେ ବି ସେହି ବଢ଼ି ବରଷା ତୋଫାନ ଭିତରେ ବାରମ୍ୱାର ବାରମ୍ୱାର ଦିଶି ଦିଶି ଯାଉଛି ବିଧାତାର ସେହି ଆଶ୍ଚର୍ଯ୍ୟ ସୃଷ୍ଟି-ମଣିଷପଣ ।

 

ଆଉ ସେଥର ତ ସାମ୍ନାରେ । କୁଆଡ଼ୁ ବିଜୁଳିବେଗରେ ସୁଅରେ ଭାସି ଆସିଲା ଗୋଟାଏ ମଣିଷ ବୋଝେଇ ଖଟଭେଳା ଆଉ ପାଣି ଭିତରେ ଠିଆ ହୋଇଥିବା ଗୋଟାଏ ପ୍ରକାଣ୍ଡ ଫାଶି ଗଛଗଣ୍ଡିରେ ପିଟି ହୋଇଯାଇ ଓଲଟିଗଲା, ଖଟ ତିନିଟା ଅଲଗା ଅଇଗା ହୋଇଗଲା, ବୁଡ଼ିଉଠି ଭାସି କେଇଟା ମଣିଷ ତଥାପି ଖଟଗୋଡ଼କୁ ଧରି କୌଣସିମତେ ଭାସି ଭାସି ଚାଲିଗଲେ-। କେତେଟା ତ ଖାଲି ସେମିତି ଭାସିଗଲେ, ଡଙ୍ଗାରୁ ଦି’ଜଣ ନାଉରି ଡେଇଁଲେ, ବଇ ମଳିକ, ଦଧି ଗୌଡ଼ ଡେଇଁଲେ, ରବିର ହାତକୁ ମୁଠେଇ ଧରି ଜମ୍ୱୁ ବେହେରା କହିଲା, ‘‘ଏ ପାଳି ଆମର ନୁହେଁ, ଥଏ ଧର, ମୁଁ କହିବି ।’’ ଉଧାରିବା ପାଇଁ ଡଙ୍ଗା ଆଗେଇ ଚାଲିଲା । ଏତିକିବେଳେ ଭାସିଆସିଲା ଗୋଟିଏ ସାନ ବାଉଁଶଭେଳା, ଖୁନ୍ଦାଖୁନ୍ଦି ମିଣିପେ ମାଇପେ । ଠିକ୍ ତାରି ଆଗରେ ତିନୋଟି ସ୍ତ୍ରୀଲୋକ ପାଣିରେ ଭାସୁଛନ୍ତି ।

 

‘‘ଭାସିଗଲେ, ଭାସିଗଲେ–’’ ଜଣେ ପାଟି କଲା ।

 

ଭେଳା ମଝିରୁ ଘାଗଡ଼ା ପାଟିରେ କିଏ ଜଣେ ରଡ଼ିଲା, ‘‘ଆଉ ଜାଗା ନାହିଁ, କାହାକୁ ଆଉ ଆଣ ନାହିଁ ।’’ ଆଉ ଜଣେ କିଏ ରଡ଼ିଲା, ‘‘ହୁସିଆର, ହୁସିଆର ଆଉ ବୋଝ ହେଲେ ଭେଳା ବୁଡ଼ିଯିବଟି !’’

 

କିନ୍ତୁ ସଙ୍ଗେ ସଙ୍ଗେ ଏକାଠି ଅନେକ କଣ୍ଠରୁ ଆରପଦଟି ବାହାରିଲା, ବଡ଼ ବିକଳ ଅନୁନୟ, ‘‘ହେ କିଏ ଘିତି ଆସ, ଘିତି ଆସ, ଆମେ ଦେଖୁଥିବା ଆମ ଆଖି ଆଗରେ ଏମାନେ ବୁଡ଼ି ମରିବେ !’’

 

ଭେଳା ଉପରୁ ଆଗ ଡେଇଁପଡ଼ିଲା ଜଣେ, ସଙ୍ଗେସଙ୍ଗେ ଆହୁରି ଚାରିଜଣ ଆଗପଛ ହୋଇ ଡେଇଁପଡ଼ିଲେ । ଖାଲି ସେହି ସ୍ତ୍ରୀଲୋକ ତିନିହେଁ ନୁହଁନ୍ତି, ଆହୁରି ଚାରିଜଣ ବି ଭାସିଆସିଲେ । ଏମିତି ଏ ସାତଜଣଙ୍କୁ ଘେନି ଘେନି ସେମାନେ ଭେଳା ପାଖକୁ ଆସିଲେ । ‘‘ଆଣ-ଆଣ-ଆଣ’’ ବୋଲି ଗହଳି ଚିତ୍କାର ଭିତରେ ‘‘ଜାଗା ହେବ ନାଇଁ’’ ବୋଲି କ୍ଷୀଣ ପାଟି କେଉଁଠି ଢାଙ୍କି ହୋଇପଡ଼ିଲା । ଉଠିଗଲେ ଛ’ଜଣ, ଭେଳା ଦବିଗଲା । ଆଉ ଜଣେ । ଭେଳା କରପଟିଆ ହୋଇ ତଳକୁ ଦବି ଦବି ଗଲା । ତଥାପି ସମସ୍ତେ ପାଟି କରୁଥାନ୍ତି । ‘‘ଆଣ-ଆଣ-’’ ପୁଣି ଦି’ଜଣ ଚଢ଼ିଲେ । ହଠାତ୍ ଭେଳାଟା ଗଲା ବୁଡ଼ି, ମୁହୂର୍ତ୍ତକେ ଉଲୁରି ଲାଗିଗଲା, ସେହି ଏତେ ଲୋକ ବଢ଼ିପାଣିରେ ବୁଡ଼ିଲେ ଭାସିଲେ । ସେତିକିବେଳେ ରବି ଡେଇଁଥିଲା, ଜମ୍ବୁ ବେହେରା ଡେଇଁଥିଲା, ଭେଳାଟା ଦୂରରେ ଭାସି ଚାଲିଗଲା, ଲାଗିଲା, ମଣିଷ ଛାଣିବା ଉଠେଇବା କାମ । ଲୋକଙ୍କୁ ଡଙ୍ଗାକୁ ଅଣାହେଲା ପରେ ସେମାନେ ଯେତେବେଳେ ଗଣାଗଣି କଲେ ସେତେବେଳେ ଦେଖାଗଲା ମହି ଦଳପତି ମିଳୁ ନାହିଁ । ବୁଡ଼ି ଯାଉଥିବା ତିନୋଟି ମାଇପିଲୋକଙ୍କୁ ଉଦ୍ଧାର କରିବାକୁ ଭେଳା ଉପରୁ ସେହି ତ ଆଗ ଡେଇଁଥିଲା ।

 

ଧଡ଼ିଆ ଧେଡ଼େଙ୍ଗା ହୋଇ ଗୋରା ହୋଇ ଚବିଶି ପଚିଶି ବର୍ଷର ଭେଣ୍ଡିଆଟିଏ, ମୁଣ୍ଡରେ ଫୁରୁ ଫୁରୁ ହୋଇ କୁଞ୍ଚୁକୁଞ୍ଚିଆ ଲମ୍ୱାବାଳ ବୋଝେ, ନାକ ତଳେ ଅଧାନିଶ, ପାନପତ୍ର ପରି ଧାର ମୁହଁରେ ଥିଟ୍ଟା କଲା ପରି ବାଙ୍କହସ, ତା’କାନ୍ଧରେ ଖଣ୍ଡେ ଚମ୍ପା ବର୍ଣ୍ଣର ପାଚିଲା ଗାମୁଛା ପଡ଼ିଥିଲା, ଛାତିରେ ପଇତା । ହାତରେ ଗୋଟାଏ ନଗୀ ବାଉଁଶ ଧରି ଭେଳାର ଗୋଟାଏ ମୁଣ୍ଡରେ ଠିଆ ହୋଇ ପାଣିରେ କାତ ମାରୁଥିଲା ।

 

ଇଳାଜଙ୍ଗ୍‌ ଗାଁର ମହି ଦଳପତି, ତା’ବାପ ଗୋକନ ଦଳପତି ଗଲା ସନ ଏଇ ବଢ଼ିଦିନେ ହଇଜାରେ ମଲା, ଭାରିଯା ବି ସେତିକିବେଳେ ମଲା । ଏଇ ଭେଳାରେ ଅଛି ତା’ବୋଉ ବୁଢ଼ୀ, ସେହି ଯେଉଁ କାଳୀ ଭୁଷ୍କୀ ବୁଢ଼ୀଟି ଥରିଲା ଥରିଲା ପାଟିରେ ଡାକ ଛାଡ଼ିଚି, ‘‘ଆରେ ମୋ ମହି କାଇଁ-? ଆରେ ମହି କୁଆଡ଼େ ଗଲାରେ !’’-ସେହି ଯେଉଁ ବୁଢ଼ୀର ପାଟି ବଢ଼ି ବଢ଼ି ଉଠୁଛି, ଅଥୟ ହୋଇ ଉଠୁଛି, କହୁଛି, ‘‘ସମେତେ ତ ଆଇଲେ, ମୋ ପୁଅ କୁଆଡ଼େ ରହିଲା ? ନା କ’ଣ ଆଉଚି-?’’ ତା ପାଖରେ ପାଞ୍ଚବର୍ଷର ସାତବର୍ଷର ସେହି ଯେଉଁ ଝିଅଟିଏ ପୁଅଟିଏ ସେମାନେ ତାରି ପିଲାଝିଲା । ‘‘ଭାଇ-ହୋ ଭାଇ’’–ଡକା ଛାଡ଼ୁଛି ତାରି ପରି ଚେହେରାର ସେହି ଯେଉଁ ପନ୍ଦରବର୍ଷର ଟୋକାଟି, ଡଙ୍ଗାର ଏମୁଣ୍ତୁ ସେମୁଣ୍ଡ ଯାଆସ ହେଉଛି, ଦରକୁ ଅନାଉଁଛି, ଅନବରତ ଡାକୁଛି, ସେ ତା’ତଳର ଭାଇ ।

 

ମହି ଦଳପତି କେଉଁଠି ହେଲେ ଦିଶୁନାହିଁ । ଚାରିଆଡ଼େ ତାକୁ ଅନିଶା କରି କରି ଡଙ୍ଗା ବାହି ନେଇଯାଉଛନ୍ତି ସୁଅକୁ ଧରି ଧରି, ଫାଶିଗଛ ତଳକୁ ଜଳଭଉଁରୀ କେନ୍ଦ୍ରୁଛି, ଠାଆକୁଠାଆ ଗବ ଗବ ହୋଇ ଗୋଳିଆ ପାଣିର ଢେଉ କୁଦା ମାରୁଛି, ଯୁଆଡ଼େ ଅନାଇଁଲେ ପାଣି । ଲୋକେ କୁହାକୋହି ହେଉଥାନ୍ତି–

 

‘‘ଭେଳାକୁ ଧରି ଭାସି ଚାଲି ଯାଇଥିବ ।’’

 

‘‘ଖଟରୁ ଗୋଟାକୁ ଧରି ପକେଇଲା କି କ’ଣ ?’’

 

‘‘ନାଇଁ ନାଇଁ, ଗଛଟାଏ ତ ଭାସିଗଲା ଦେଖିଲେ, ସେଇଥିରେ ଯଦି ଚଢ଼ି ଯାଇଥିବ–’’

 

‘‘ଯୋଉଠିକି ଯାଇଥାଉ ବଳେ ଖବର ଆସିବ ଯେ । ନଇଲେ ବଢ଼ି ଛାଡ଼ିଗଲେ ତ ଆପେ ଚାଲି ଆସିବ, ଆଉ କ’ଣ ?’’ କିନ୍ତୁ ଆପଣା ଆପଣା କଥାରେ ଅନେକଙ୍କର ବିଶ୍ୱାସ ନ ଥିଲା, ସେମାନେ ଜାଣିଥିଲେ ସେ ଯାଇଛି । ଦେଖାହେଲେ ଏ ପରରେ ନୁହେଁ ।

 

ମହି ଦଳପତି । ଇଳାଜଙ୍ଗ୍‍ରେ କହିବେ ସେ ବଡ଼ ନବଜିଆ । ଯେଡ଼େ ଓଜନ କଥାଟା ହେଲେ ବି ସେ ହସରେ ଉଡ଼େଇଦେବ, ଯେଡ଼େ ମାନତା ମଣିଷଟାଏ ଆସୁ ପଛେ ସେ ହସିହସିକା ହାଣିବ ଚୋଟେ । ଯାତ୍ରାରେ ଦୁଆରୀ ହୁଏ ଗାଁଯାକ ଲୋକଙ୍କୁ ହସେଇ ହସେଇ ମାରିବା ପାଇଁ । ରାମଲୀଳା ହେଲେ ସେ ହୁଏ ମନ୍ଥଡ଼ୀ, ପୁଣି ରାବଣାମା ନଉକେଶୀ ବୁଢ଼ୀ-ଆଉ ରାବଣର ଭାଡ଼ି ତଳେ ସେ ହୁଏ ଦୂତ, ଯେ ଯୁଦ୍ଧର ଖବର କହେ, ଆଶାୟୀ ଲୋକକୁ ନିରାଶାର କଥା–ସେ ବି ହସ, ବିକଟ ହସ ।

 

ଆଉ ସେମାନେ କହିବେ ମହିଆ କୁହାରବୋଲର ଧରମବେଠିଆ ମଣିଷଟିଏ, ଉଣା ଅଧିକେ କାହାର କେତେବେଳେ ହେଲେ କାମରେ ଆସିଥିବ । ଛୋଟି ମାତାବୁଢ଼ୀ ତାହାରି ଲାଗି ଚଳିଯାଉଥିଲା । କୁଆଡ଼ୁ ଆସି ଏ ଗାଁରେ ପହଞ୍ଚିଥିଲା ପାଞ୍ଚବର୍ଷ ହେଲାଣି । ତା’ପାଇଁ କୁଡ଼ିଆଘର ବନ୍ଧା ହେଲା, ଅଣ୍ଟାରେ ଲୁଗା ଗୁରେଇ କଟୁରି ଦଉଡ଼ି ଧରି ଠିଆ ହୋଇଥିଲା ସେ, ମହିଆ । ଆଜି ଜାଳିବାକୁ କାଠ ନାହିଁ, ଆଜି ମୁଠି ପାଇଁ ବୁଢ଼ୀ ଯାଇପାରିନାହିଁ, ଘରେ ତା’ର ଠାକୁର ଉପାସ, ସାହା ହେବ ମହିଆ । କେତେଥର କାହାର ହଜିଲା ଗାଈ ଖୋଜିବାକୁ ଯାଇଛି । କାଞ୍ଜିଆଉଦାରୁ ଗୋରୁ ମୁକୁଳେଇବାକୁ ଯାଇଛି । ଗାଁର କୋଠକାମରେ ଅଖିଆ ଅପିଆ ବୁଲିଛି ଖରାଏ ଖରାଏ, ଲୋକଙ୍କୁ ଭେଳେଇଛି, ଆପେ କାମ କରିଛି । ତ୍ରିବେଣୀଶ୍ୱର ମହାଦେବଙ୍କ ପୁରୁଣା ଦେଉଳ ମରାମତି ଆଉ ପଙ୍କୁଆ ପୋଖରୀ ଭଝୁଳା କାମରେ ସେହି ତ ଆଗୁସାର ହୋଇଥିଲା, ଝାଳ ନାଳ ହୋଇ କାମ କରିଥିଲା । ସେହି ଟିକି ପୋଖରୀରେ ଆଜି କାଚ ଖମ୍ୱ ପାଣି, ଦେଉଳ ହତା ସଫା, ଚକଡ଼ା ଉପରେ ଭୋଗ ଅନ୍ନ କୁଢ଼େଇ ଖାଇଲାବେଳେ ଫାଟ ନାହିଁ ଯେ କଲିକତରା ବାହାରିବ, ଦି’ପୁରୁଷ ଉଞ୍ଚ ବିମାନ ପରି ପୁରୁଣା ଦେଉଳଟି ସମୟ ଆଉ ପାଣିପବନର କାମୁଡ଼ା ଦାଗ ଦେଖାଉ ନାହିଁ, ଧୋବ ଫରଫର ହୋଇ ଠିଆହୋଇ ରହିଛି ଢିପ ଉପରେ, ଚାରିଆଡ଼ର ବିଲମାଳ ଉପରେ, ଏବେ ଚାରିଆଡ଼ର ଜଳାର୍ଣ୍ଣବ ଉପରେ ।

 

ଆଉ ସେହି ଇଳାଜଙ୍ଗ୍‍ର ଲୋକେ କହିବେ-ଗାଁର ଯେଉଁ ଅଳ୍ପ କେଇଜଣ ମଣିଷଙ୍କ ପାଇଁ ଆଖଡ଼ା ଘର ଚାଲେ, ଯାନିଯାତ ଠିକଣା ବେଳେ ହୁଏ, ମହି ଦଳପତି ତାଙ୍କ ଭିତରେ ଅଗ୍ରଣୀ-। ସେ ମୃଦଙ୍ଗ ଉପରେ ଟିପ ଗଡ଼ାଏ, ଯଦିଚ ସେ ବିଦ୍ୟାରେ ସେ ସେଡ଼େ ପାରିବାର ନୁହେଁ, ସେ ନିଜେ ଭଲ ଗାୟକ ନୁହେଁ । କିନ୍ତୁ ବର୍ଷା ହେଉ, ଅନ୍ଧାର ହେଉ, ଘର ଘର ବୁଲି ମଣିଷ ଭିଡ଼ିଆଣିବା ଲୋକ ସେ । ଭ୍ରୂଲତା ନଚେଇ ମୁଣ୍ଡ ହଲେଇ ମୁହଁକୁ ମୁହଁ ଯୋଡ଼ି ହଲି ହଲି ତାଳି ମାରି ମାରି ଗାୟକ ବାୟକମାନଙ୍କୁ ଉତ୍ସାହ ଦେବାକୁ ତାଠୁଁ ବଳି ଆଉ କେହି ନାହିଁ । ଆପେ ତେଜି ଉଠେ, ଝୁଙ୍କ ବଢ଼େ, ପଙ୍ଗତ ମାତେ । ସଞ୍ଜବୁଡ଼େ ଆଖଡ଼ାଘରକୁ ଯେ ଯାଉ, ଆଖଡ଼ାଘର ନ ହେଉଣୁ ନିଶ୍ଚୟ ହେତୁ କରୁଥିବ ଯେ ଦି’ଚାରିଜଣଙ୍କୁ ଭେଳେଇ ସେଠି ମହି ଦଳପତି ବସିଥିବ, ଗପୁଥିବ । ସତକୁ ସତ ଥିବ ତ ସେ, ପହଞ୍ଚୁ ପହଞ୍ଚୁ ନକଲି ପଦେ ଯୋଡ଼ିଦେବ, ଭାବିବାକୁ ପଡ଼େନାହିଁ, ସେଇଠି ସେଇଠି ଫାନ୍ଦି ଦିଏ- ‘‘କ’ଣ ଆଜି ଛେଳିଛୁଆକୁ କ୍ଷୀର ପେଉ ପେଉ ଡେରି ହେଇଗଲା କି ? ଡେରି ଟିକିଏ ହବା ଦରକାର, ନଇଲେ ବଡ଼ବଡ଼ିଆଙ୍କ ସମସରି ହବ କେମିତି ? କଅଁଳ ଗାଧୁଆବେଳ ବୋଲି କହି ଛାଇ ନେଉଟାବେଳେ ଆଇଲେ ସିନା ଭଲ । ତରାଟ ଫୁଲମାଳ ଶୁଖିଯିବ, କ’ଣ ହେଲା ? ଜହ୍ନିଫୁଲ ମାଳ ମିଳିବ ନାଇଁ ?’’ କେତେବେଳେ କ’ଣ ସେ କହେ ।

 

ଜଣେ ଚିହିଁକି ଉଠିଲେ ଆଉ ଜଣେ ବୁଝେଇବ–‘‘ମହିଆ କଥାକୁ ଗୋଟାଏ ଛଳ ?’’

 

ବୁଡ଼ି ଯାଉଥିବା ମଣିଷ ଉଦ୍ଧାର କରିବାକୁ ସେ ଡେଇଁ ପଡ଼ିଥିଲା, ଆଉ ସେ ଦିଶୁନାହିଁ ।

 

ହୁଏତ ତା’ ପିଠିଆଡ଼େ ସେହି ଭେଳା ଉପରେ ଥାଇ ଯେଉଁମାନେ ଆପତ୍ତି କରୁଥିଲେ ଯେ ଭାସୁଥିବା ମାଇପିଲୋକଗୁଡ଼ିଙ୍କୁ ଭେଳା ଉପରକୁ ଆଣିଲେ ଭେଳା ବୁଡ଼ିଯିବ ତାଙ୍କରି କଥା ତା’ମନରେ ଲାଗିଯାଇଥିଲା ଟେହାଟେହି ଡାକ ପରି । ଦୁଗୁଣେଇ ହୋଇ ବଢ଼ି ଉଠିଥିଲା ତାର ଟାଣ ।

 

ହୁଏତ ତା’ର ରକ୍ତ ଭିତରେ ଖେଳିଯାଇଥିଲା ଗୋଟାଏ ପୁରୁଣା ଆଦିମ ଉଷୁମ, ବିପଦକୁ ଡେଇଁପଡ଼ି ମଣିଷପଣ ଦେଖାଇବ ବୋଲି ଭାବିଲାକ୍ଷଣି ଉତ୍ତେଜନାରେ ।

 

ହୁଏତ ଚାରିପାଖର ପ୍ରଳୟ ଭିତରୁ କେଉଁ ଅଜଣା ଡାକ ତା’ର କାନରେ ବାଜିଥିଲା, ସେହି ଯେ ନିଛାଟିଆ ଅନ୍ଧାର ରାତିରେ କେତେବେଳେ କାହାକୁ ବିଛଣାକୁ ଓଟାରି ଘେନିଯାଏ, ଯେମିତି କେବେ ଶୁଭି ଶୁଭିଯାଏ ନିବିଡ଼ ଅନ୍ଧାରରେ ଝମଝମ ବରଷା ଅଜାଡ଼ିଲା ବେଳେ, ଆଉ କେବେ ତମ୍ୱାଳିଆ ଆକାଶ ତଳେ ଯେତେବେଳେ ରାଉ ରାଉ ତୋଫାନ ଗର୍ଜୁଥାଏ, ମଟ ମାଟ ହୋଇ ଗଛ ଭାଙ୍ଗୁଥାଏ, ଘର ଚାଳ ଉଡ଼ୁଥାଏ, ପ୍ରକାଣ୍ଡ ପ୍ରକାଣ୍ଡ ଚଢ଼େଇ ପରି ପଖି ମେଲିଦେଇ ସାଇଁ ସାଇଁ ହୋଇ ଉଡ଼ି ଉଡ଼ି ଚାଲିଯାଏ ଖଣ୍ଡ ଖଣ୍ଡ ଛାଇଛାଇଆ ମେଘ । କେଉଁ ବିଚିତ୍ର କିମିଆଁ ସଙ୍ଗେ ଏକ ହୋଇ ମିଶିଯିବାର ନିଶା, କେଉଁ ଗୁପ୍ତ ରହସ୍ୟ ମୁକୁଳାଇବା ଲାଗି ପ୍ରାଣ ଭିତରେ ଡହ ଡହ ଅମେଣ୍ଟା ଶୋଷର ଜ୍ୱାଳା ଓଟାରି ନେଇ ଚାଲିଗଲା ତାକୁ ।

 

ଡଙ୍ଗାଯାକ ଲୋକଙ୍କ ମୁହଁରେ ତାହାରି କଥା, କେତେ ଜଣ ବିଳାପ ବାହୁନିଲେଣି, ଘଣ୍ଟାଏ ହୋଇ ନାଇଁ ଭେଳା ଉପରେ ଠିଆହୋଇ ରହିଥିଲା ଗୋଟା ସୁଦ୍ଧା ଜୀଅନ୍ତା ମଣିଷଟା ଜଳଜଳ ଦିଶିଯାଉଛି ।

 

ମହି ଦଳପତି ଉଭେଇ ଯାଇଛି ।

 

‘‘ଥିଲେ ସେ ଆପେ ଦେଖାପଡ଼ିବ-ଠାକୁରେ ଘଣ୍ଟ ଘୋଡ଼େଇ ରଖିଥାନ୍ତୁ । କେଡ଼େ ଉପକାରିଆ ମଣିଷଟା–’’ ଜମ୍ୱୁ ବେହେରା କହିଲା । ରବି ଗୁମ୍ ହୋଇ ବସିଥାଏ, ପାଣିକି ଅନାଇଁଥାଏ । ହଠାତ୍ ଖରାପଡ଼ିଛି, ଆଖି ଝଲସେଇ ଗୋଳିପାଣିରେ ଆଲୁଅ ନାଚୁଛି, ଉବେଇ ଟୁବେଇ ହେଲା ପରି ବଡ଼ ବଡ଼ ଲହଡ଼ା ଉପରେ ନାଚିନାଚିକା ଡଙ୍ଗା ଚାଲିଯାଉଛି, ଯୁଆଡ଼େ ଅନାଇଁଲେ ପାଣି-ପାଣି । ରବି ଭାବୁଥାଏ ସେହି ମହି ଦଳପତି କଥା । ତା’ପାଇଁ ଦିନବାର ଧରାହୋଇ ନଥିଲା, ଇସ୍ତାହାର ଛପା ହୋଇ ନଥିଲା, କେହି ଜାଣି ନଥିଲେ ଏମିତି ସେ ଡେଇଁପଡ଼ିବ ବୋଲି, ସେ ନିଜେ ବି କ’ଣ ଜାଣିଥିଲା ? ହେଇ ସେ ଯେ ଚାଲିଗଲା, ସେଥିପାଇଁ ଶୋକସଭା ହେବନାହି, ସ୍ମୃତିମନ୍ଦିର ତୋଳା ହେବ ନାହିଁ, ଇତିହାସ କହିବ ନାହିଁ ତା’କଥା । କେହି ଜାଣିବେ ନାହିଁ ଏତେ ବଡ଼ ମହାପ୍ରାଣ ସେ ଥିଲା ବୋଲି, ବଚନିକା ନ କରି ପାଟି ଘୋଳି ହେବା ଯାକେ ବାହୁଲ୍ୟ କରି ନ ଗପି ଅସଲ କାମବେଳେ ସେ କାମ ଦେଖାଇଦେଇ ଗଲା । କ’ଣ ଦେବ ତାର ମୂଲ ଏ ଦୁନିଆଁ, ଏ ମଣିଷ ଜାତି ? ପୃଥିବୀର କେତେ ଦୂରଦୂରାନ୍ତରେ ପଡ଼ିଛନ୍ତି ମଣିଷ ଭାଇ, ତାଙ୍କର ନାମ ବର୍ଣ୍ଣର ଚମ ଏକାପରି ସ୍ନେହ ସରସର ହୃଦୟ, ସେମାନେ ଜାଣିବେ ନାହିଁ ସେ କେଡ଼େ ମହାନ୍ ତ୍ୟାଗ ଦେଲା, ସେମାନେ ତା’କଥା ଶୁଣିବେ ନାହିଁ ।

 

ଚାଇଁ ଚାଇଁ ଖରା ପିଚ୍ ପିଚ୍ ଗଳିଯାଉଛି । ଝାଳ ଫିଟିଯାଉଛି । ଧୋବ ହଳଦିଆ ନିଆଁହୁଳା ପରି ମାଳ ମାଳ ଢେଉ ନାଚୁଛି ଡେଉଁଛି, କଳା କଳା ହୋଇ ଗୁଣ୍ଡ ଗୁଣ୍ଡ ହୋଇ ଭାସି ଚାଲିଯାଉଛି କେତେ ଫଳ, ଡାଙ୍ଗ, ପତ୍ର, କୁଟା, କାଠି, ମେଞ୍ଚା ମେଞ୍ଚା ପଲପଲ ହୋଇ ଟିକି ଟିକି ମାଛ ଭାସୁଛନ୍ତି, କିଏ ରଖୁଛି କଳନା ! ସେମିତି ଭାସି ଭାସି ଚାଲିଯାଇଛି କେତେ ଦିନ, ରାତି, କେତେ ମଣିଷ ସୃଷ୍ଟି, କେତେ ହସକାନ୍ଦର ଜୀବନ । ଉପରେ ଫୁଙ୍ଗା ଆକାଶଟା ଖାଲି ବ୍ୟାପ୍ତି ଆଉ ଗତି । କିନ୍ତୁ ସେମିତି ଭାବି ଉଡ଼େଇ ଦେଇ ହେଉନାହିଁ ସେ ସ୍ମୃତି । ସେ ଏକ ଆଦର୍ଶ, ମଣିଷଠୁଁ ଆହୁରି ବିଶିଷ୍ଟ, ଆହୁରି ବଡ଼ । ରବି କାନ୍ଦୁ ନାହିଁ, କିନ୍ତୁ ତା’ର ଚେତନା ଥରି ଉଠୁଛି, ମନ ଭିତରେ ଆଲୋଡ଼ନ ।

 

ମଣିଷ ଯାଉ, କିନ୍ତୁ ତା’ର ସେହି ଭାବଟା, ସେହି ମୁହୂର୍ତ୍ତକର ଝଲକ, ସେହି ବିକାଶ ଉଷାର ଆଲୋକସଜ୍ଜା-ଆହା ସେହି ଭାବଟା ।

 

ଦୂରକୁ ମୁହଁ କରି ବସି ଶାନ୍ତ ହୋଇ ସେ କାନ୍ଦିଲା ।

 

ଯେଉଁଠି ମଣିଷ ଅଛନ୍ତି ସେଠି ସେ ଖୁନ୍ଦାଖୁନ୍ଦି । ଚାରିକରେ ପାଣି ଥାଇ କେଉଁଠି କେଉଁ ସାନ କୁଦ ଉପରେ ସେମାନେ ଖୋଲାରେ ପଡ଼ିଛନ୍ତି । ଏକାଠି ଗୋରୁଗାଈ, ମଣିଷ । କେଉଁଠି ଢିପ ଘର ଅଳପକେ ବଞ୍ଚିଯାଇଛି, ଖାଲି ତଳଟା ଓଦା, ସେଠି ବି ଖୁନ୍ଦାଖୁନ୍ଦି । ଯେତେଠିଁ ପାଣି ଉପରେ କାଦୁଅ କି ଶୁଖିଲା ମାଟି ସେଠି ଗୋରୁ ମଣିଷ । ଆଉ କେତେଠିଁ ପାଣିଧାରରେ ଚିରୁଡ଼ା ଚିରୁଡ଼ା ହୋଇ ଗାଁର ବସ୍ତି ଫାଟିଯାଇଛି । କେତେ ଘର ପଡ଼ିଯାଇଛି, ଚାଳ ଶୋଇଛି, କାହାର କାନ୍ଥଟାଏ ପଡ଼ିଛି, କେଉଁଟା ଅବା ଦଢ଼ । ଆଉ ଯେଉଁଠି ଗାଁର ବେଶି ବେଶି ଭାଗ ଶୁଖିଲାରେ ଅଛି, ତିନିକରେ କି ଚାରିକରେ ପାଣି ଥାଉ ପଛେ, ସେଠି ପାଖଆଖ ଗାଁଲୋକ ଆଶ୍ରା ନେଇଛନ୍ତି । ମଣିଷ ଥାଟପଟାଳି, କିଏ ତୋଟା ତଳେ, କିଏ ଖୋଲା ପଡ଼ିଆରେ, କିଏ କାହା ଓଳି ତଳେ । ସେହିସବୁ ଗାଁରେ ପାଣିକୁ ପୂରାଇ ନ ଦେବା ଲାଗି ସ୍ଥାନେ ସ୍ଥାନେ ଲୋକେ ଡାଳିଆ ପକାଇ ମାଟି କୁଢ଼େଇ ବାଡ଼ ପିଟି ନାନା ଉପାୟ କରି ଉଞ୍ଚ ଉଞ୍ଚ ବନ୍ଧ ଟେକୁଛନ୍ତି । ସ୍ଥାନେ ସ୍ଥାନେ ଦିଶୁଛି, ସରୁ କାଠୁଆରେ ବସି ଲୋକେ ଆତଯାତ ହେଉଛନ୍ତି, କେଉଁଠି ଅବା କଦଳୀ ଭେଳାରେ । ଭୋଜନ ପାଇଁ ନଳିତା ଶାଗ ତୋଳା ହେଉଛି, ସେଥିପାଇଁ ଆଣ୍ଠିଏ ଅଣ୍ଟାଏ ପାଣିରେ ଲୋକେ ପଶିଛନ୍ତି । ବନ୍‌ସୀ ପଡ଼ିଛି, କେଉଁଠି ବା ଜାଲ ଟଣା ହେଉଛି । ଗାଁ ତଳେ ତଳେ ଠାଏ ଠାଏ ଲୋକେ ପାଣିରୁ ଶୁଖିଲା କାଠ ଧରୁଛନ୍ତି । ଯେଉଁଠି ଆପଦ ନାହିଁ ସେଠି ମଉଜ ବି ଚାଲିଛି, ବଢ଼ି ସେଠି ଏକ ଚମତ୍କାର ଉପଭୋଗ୍ୟ ଦୃଶ୍ୟ । ଯେମିତି ଭିଙ୍ଗୁରା ଗାଁ ତଳେ, ସୁଅ କାଟି କାଟି ବିଲୁଆଟିଏ ଭାସିଯାଉଛି, କୂଳକୁ ଲାଗିବାକୁ ତା’ର ମନ ଯେ, କୂଳେ କୂଳେ ଠେଙ୍ଗା ବାଡ଼ି ଧରି, ଗୋଡ଼ିଆଗୋଡ଼ି ହୋଇ ପାଟି କରି କରି ବହୁତ ଲୋକ ଧାଇଁଛନ୍ତି, ଏଣେ କଦଳୀ ଭେଳାରେ ବସି କାତ ମାରି ମାରି ଗୋଡ଼େଇଛନ୍ତି ଦଳେ ।

 

ନାହା ଦେଖିଲା ମାତ୍ରେ କୁଆଡ଼ୁ କୁଆଡ଼ୁ ପାଟି ଚହଳ ଶୁଭୁଛି ।

 

‘‘ଆସ, ଓହ୍ଲାଅ, ଆମ ଅବସ୍ଥା ଦେଖ, ଆମେ ମଲୁଁ-ଦେଇଯାଅ-ଆକୁଳ ବିକଳ ପାଟି, ଚାଲି ଯାଉଛନ୍ତି ବୋଲି ଗାଳି ମଧ୍ୟ । ଏଡ଼େ ବଡ଼ ବଢ଼ିରେ ପଦା ମଣିଷଙ୍କର ଏଇ ପ୍ରଥମ ସଂଖୋଳା-। ଆଶା ତେଜୁଛି, ସେମାନେ ଆଉ ଅଛପା ହୋଇପଡ଼ିନାହାନ୍ତି, ଚାରିଆଡ଼େ ଖାଲି ଆଉ ପାଣିର ଚିଲିକା ନୁହେଁ, ମଣିଷ ଅଛନ୍ତି, ମଣିଷ ଜାଣିଲେଣି, ସାହାଯ୍ୟ ଆସିବ ।

 

ଲୋକେ କିଲିକାଲିଆ ହୋଇ ଦୌଡ଼ି ଦୌଡ଼ି ଆସୁଛନ୍ତି । ଫଝା ଫଝା ହୋଇ ପହଁରି ପହଁରି ଆସୁଛନ୍ତି, କିଏ ବେକେ କିଏ ଅଣ୍ଡାଏ ପାଣିରେ ପଶି ମାଡ଼ି ଆସୁଛନ୍ତି, ଜନ୍ଦା ପିମ୍ପୁଡ଼ି ପରି ଘେରିଯାଉଛନ୍ତି ।

Unknown

 

ଆଶା ମଉଳି ଯାଇଛି, ଏ ସରକାରୀ ଡଙ୍ଗା ନୁହେଁ, ଟଙ୍କା କି ଅପର୍ଯ୍ୟାପ୍ତ ଦ୍ରବ୍ୟ ସାହାଯ୍ୟ ମିଳିବ ନାହିଁ । ତଥାପି ପ୍ରଥମ ସାହାଯ୍ୟ ଏତିକି, ତା’ପରେ ଆହୁରି ଆହୁରି ଆସିବ ପରା, ଖବର ଖେଳିଯିବ । ଭୋକିଲା ପେଟକୁ ଏତିକି ବହୁତ । କିଏ ଦି’ଦିନ କିଏ ଚାରିଦିନ ହେଲା ଖାଦ୍ୟର ମୁହଁ ଦେଖିନାହାନ୍ତି । ଚୂଡ଼ା କି ଚାଉଳ ଯାହା ମିଳିଗଲା ସେଥିରୁ ମୁଠିଏ ମୁଠିଏ ଆଗ ଚାଲିଯାଉଛି ପାଟିକି । ‘‘ମତେ-ମତେ-ଆମକୁ-’’ ବୁଢ଼ା ଟୋକା ଭେଣ୍ଡା ସମସ୍ତିଙ୍କ ମୁହଁରେ ଆଖିରେ ସେହି ଏକା ଭଙ୍ଗୀ । ପେଟକୁ ଗଣ୍ଡିଏ ମିଳିଲେ ତା’ପରେ ଆଉ ନାନା ଆବଶ୍ୟକ । ଲୁଣ ଦରକାର, ଚିନି ଗୁଡ଼ ଦରକାର, ସର୍ଦ୍ଦି, ଜର, ଝାଡ଼ା, ଯାଦୁ ଔଷଧ ଦରକାର । ପାନ ଧୂଆଁତର ଅମଳ ଲୋକଙ୍କ ପାଟି ଆମ୍ୱିଳା ପଡ଼ିଲାଣି, ‘‘ଆଣିଚ କିଛି ଦବ ?’’ କଅଁଳା ପିଲା, ମଢ଼ିଆ, ମଳୁ କାଦୁଅ ସଡ଼ ସଡ଼ ଭୂଇଁରେ ପଡ଼ିଛନ୍ତି, ‘‘ଦବ କିଛି ପାରିବାକୁ ?’’ ସେମିତି, କିରାସିନି ଦରକାର, କାହାର ବି ଡିବି, ‘‘କହନା ଏ ବଢ଼ିଦିନ ବୋଲି ସାପ ଯାହା ହଉଛନ୍ତି, ରାତିରେ ଠେଙ୍ଗାଧରି ଜଗିବା ଦରକାର ପଡ଼ୁଛି, ନ ହେଲେ କୁଆଡ଼ୁ କୁଆଡ଼ୁ ଆସି ପଶିଯିବେ, ଆଲୁଅ ଟିକିଏ ନ ହେଲେ ମଣିଷ ଜୀବନର କି ଥାଇତା !’’

 

ବଣ୍ଟା ଚାଲିଛି ଜଗି ଜଗି, ପରିବାରରେ କେଇଜଣ, ବୃତ୍ତିବାଡ଼ି କେମିତି, ଉପାସ କେତେ ଓଳିର, ନିହାତି ନିକୁଛିଆରେ କେତେ ଦରକାର, ଆଗ କିଏ ପଛ କିଏ, ତୁଣ୍ତେ ତୁଣ୍ତେ ଲୋକଙ୍କଠାରୁ ବୁଝି ଗୋଟାଏ ମୋଟାମୋଟି କଣ୍ଟରେ ସାହାଯ୍ୟ ବଣ୍ଟା ଚାଲିଛି । ଜଣପିଛା ପାଏ ଚାଉଳ, ଅଧପାଏ ଚୂଡ଼ା, ପରିବାର ଗୋଟିକେ ଗୁଡ଼ ପାଏ, କିରୋସିନି ପାଏ, ମିଶ୍ରି ଅଧପାଏ, ଚିନି ଅଧପାଏ, ଶାଗୁ ଦାନା ଅଧପାଏ, ଲୁଣ ଅଧପାଏ, ଲଙ୍କା ପୁଳାଏ, ଟେଳାଏ ତେନ୍ତୁଳି । ଘର ଘରକେ ଗୋଟାଏ ଧୂଆଁପତ୍ର, ତିନି ଚାରି ପତ୍ର ପାନ, ସେହି ସେହି ଅନୁପାତରେ ଗୁଆ ଗୁଣ୍ଡି । ନିହାତି ଅଶରଣ ଅବସ୍ଥା ଦେଖିଲେ କାହାକୁ କାହାକୁ ଆଠ ହାତ ଦଶ ହାତ କନା, ଜରକୁ କୁଇନାଇନ୍, ସର୍ଦ୍ଦିକୁ ସର୍ଦ୍ଦିବଟିକା, ଝାଡ଼ାକୁ ସଲ୍‌ଫା, କାହାକୁ ଯାଦୁ ମଲମ, ପୁଣି ଆଉ ଆଉ ଔଷଧ । ଲୋକଗହଳିରେ କାମ କରୁ କରୁ ନିଜ କାମ ଅଟକେ । ତା’ପରେ ଦିନ ଚାରିଟା ସରିକି ଉଠାଚୁଲୀରେ ଡଙ୍ଗାରେ ରୋଷେଇ ବସେ, ସଞ୍ଜ ପୂର୍ବରୁ ଖିଆପିଆ ସରେ, ଦୁଇଆଡ଼କୁ ପାଏ, ଦିନକୁ ବଖତେ ।

 

ଖବର ଆସେ, କେଉଁଠି କେଉଁଠି ଘାଇ ଭାଙ୍ଗିଛି, କେଉଁଠି ଲୋକଙ୍କ ଅବସ୍ଥା କେମିତି । ଗୋଟି ଗୋଟି କରି କାଗଜରେ ଟିପାଯାଏ । ସମ୍ବାଦ ପାଇ ଗାଁ ଗାଁକରୁ ଡଙ୍ଗା ଚଢ଼ି କର୍ମୀ ଆସି ପହଞ୍ଚୁଛନ୍ତି । କିଏ କହେ, ଆମୁକୁ ଜିନିଷ ଦେଇଦିଅ, ଆମେ ବାଣ୍ଟି ଦେବୁଁ, କିଏ କହେ ସେ ଏମାନଙ୍କ ସଙ୍ଗରେ ଯିବ । ଫୁଲଶରାର ଦଳ ପର ହାତରେ ଜିନିଷ ପଠାଇବାକୁ ଇଚ୍ଛୁକ ନୁହନ୍ତି, ବରଂ ଯେଉଁଠି ଅତି ଦୁରବସ୍ଥା ବୋଲି ଖବର ଆସେ ସେମାନେ ନିଜେ ସେଠିକି ଯିବାକୁ ବାହାରନ୍ତି-। ସମ୍ବାଦ ବି ଅନେକ ସମୟରେ ଅତିରଞ୍ଜିତ ହୋଇ ଆସେ । ଯେଉଁମାନେ ସମ୍ବାଦ ଦିଅନ୍ତି ସେମାନେ ଆପଣା ଅଞ୍ଚଳର ଅସୁବିଧାକୁ ବଢ଼ାଇ ବଢ଼ାଇ ବଖାଣନ୍ତି, ଅନ୍ୟ ଅଞ୍ଚଳର ଅସୁବିଧାକୁ ସାନ କରନ୍ତି । ଯେଉଁମାନେ ଔତ୍ସୁକ୍ୟ ଦେଖାନ୍ତି ରବି ସେମାନଙ୍କୁ କହେ ବିପନ୍ନ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଯିବାକୁ, ଥଇଥାନ କାମରେ ଲୋକଙ୍କୁ ସଜାଡ଼ି ବନ୍ଦୋବସ୍ତ କରିବାକୁ, ସାହାଯ୍ୟ ସଂଗ୍ରହ କରି ଆଣିବା ପାଇଁ ଯିବାକୁ ! ପ୍ରତିଶ୍ରୁତି ଦେଇ ସେମାନେ ଚାଲିଯାଆନ୍ତି ।

 

କାମ କରିବାକୁ ରହି ବି ଯାଆନ୍ତି କେହି କେହି, ମନ ପ୍ରାଣ ଢାଳି ଲାଗିପଡ଼ନ୍ତି ଯେଉଁଠି ଯେଉଁ କର୍ମୀ ନିରାଶ ହୋଇ ଢ଼ଳି ପଡ଼ିଥିଲେ ପଦାରୁ ସାହାଯ୍ୟକାରୀ ନାହା ଆସିଛି ବୋଲି ସମ୍ବାଦ ପାଇ ସେମାନେ ଆଶା ଉତ୍ସାହରେ ତେଜି ହୋଇ ଉଠୁଛନ୍ତି । କାମ ଚାଲିଛି ।

 

ଛୋଟ ଦ୍ୱୀପଟିଏ ପରି ଦିଶୁଥାଏ ବିଶ୍ୱନାଥ ଦେଉଳର କଣ୍ଡରା ସାହି । ସେମାନେ ‘କାଳିଞ୍ଜି ବୈଷ୍ଣବ’ ସମ୍ପ୍ରଦାୟର । ଭଜନ ବୋଲି ବୋଲି ଭିକ ମାଗି ଚଳିବା ହିଁ ସେମାନଙ୍କ ବୃତ୍ତି ! ଧାଡ଼ି ହୋଇ ଘର । ରତନ ଦାସ, ମଦନ ଦାସ, ଜଟ ଦାସ, ବିଇ ଦାସ, ଭଗୀ ଦାସ, ବାଞ୍ଛା ଦାସ କେତେ ଦାସ ଏହିପରି । ସମସ୍ତିଙ୍କ ଘରର ପଛଆଡ଼ କାନ୍ଥ ଭାଙ୍ଗିପଡ଼ିଛି । ଅଗଣାରେ ଜଳ ଜଳ ହୋଇ ପାଣି ଦିଶୁଛି । ସମାନ ପତ୍ତନରେ ଲାଗି ରହିଛି ଦଗ୍‌ବଳୟକୁ । ପଛଆଡ଼େ କେଉଁଠି ଥିଲା କ୍ଷେତ, କେଉଁଠି ଥିଲା ସରୁ ‘ କାନଧରା ନଈ ‘ । ସବୁ ମିଶି ଏକ ପାଟ, ଏକ ନଈ । ଘରେ ପାଣି ପଶିଥିଲା, ଘର ଭିତରେ କାଦୁଆ ଚଟାଣରେ କେଉଁ ପୋଖରୀରୁ ବିଲାତି ଦଳ ଉଠି ଆସି ଚେର ଲଗାଇଛି । ସତେ ଯେପରି ଛାତ ତଳେ ବନ୍ଧାକୋବି କିଆରୀ । ସେମିତି ଗୋଟିଏ କିଆରୀରେ କାଦୁଅ ଉପରେ ଚିରାକନା ପଡ଼ି ତା’ଉପରେ ଶୋଇଛନ୍ତି ବଇ ଦାସର ସ୍ତ୍ରୀ ଓ ତାର ଉତାଣି ପିଲା ବକଟେ । ଉଭୟ ଅସୁସ୍ଥ । ସାମନା ପଟେ ଗହଳି କରି ବଡ଼ ସାନ ମିଶି ସମସ୍ତେ ଠିଆ ହୋଇଯାଇଛନ୍ତି । ପଘାରେ ବନ୍ଧା ହୋଇ ଗୋରୁମାନେ ଅନାଇଁ ରହିଛନ୍ତି ।

 

‘‘ଦିଅ ଦିଅ, କ’ଣ ଆଣିଛ ଦେଇଯାଅ ।’’ –ଏମିତି ଆକୁଳ ଅନୁଯୋଗ ସେ ମୁହଁରେ, ଆଖିରେ । ଯେତେ କହିଲେ ବି ସେ ମୁହଁ ପଥର ପାଲଟି ନାହିଁ ।

 

ଖଣ୍ଡ ଛାଡ଼ି ମଝିରେ ତା’ସେକରେ ଯେଉଁ ଅରାକରେ ଯେଉଁଠି ପାଣିରେ ଆହୁଲା ଚାଲୁଛି ସେଠି ଛପିଛନ୍ତି ନେନ୍ତିଗଡ଼ର ପ୍ରସିଦ୍ଧ ଦୁର୍ଗା ଠାକୁରାଣୀ । ତିନିହାତର ଉଚ୍ଚ ମୁଗୁନି ପ୍ରତିମା, ସତେ ଅବା ଜୀଅନ୍ତା ମୂର୍ତ୍ତି । ଶହ ଶହ ବର୍ଷ ତଳର ତିଆରି । ଖଣ୍ଡେ ଛାଡ଼ି ପାଣି ଉପରେ ବେତ ବୁଦା, କିଆ ବୁଦା ମୁଣ୍ଡ ଟେକିଛନ୍ତି । କରକେ ପାଣି ଭିତରୁ ଉଠିଛି ନେନ୍ତିଗଡ଼ର ବାଉଁଶ ବଣ । ନେନ୍ତିଗଡ଼ର ବାଉଁଶ ଠେଙ୍ଗାର ଏ ଆଣବିକ ଯୁଗରେ ମଧ୍ୟ ଗାଁ ଗହଳିରେ ନାଁ ଅଛି ।

 

ପାଖରେ ଅଛି ବିଶ୍ୱନାଥ ଦେଉଳିର କୁମ୍ଭାର ସାହି । ପାଣି କାଦୁଅରେ ଭାଟି ଜଳଜଳ ହୋଇ ପଡ଼ିଛି, ଚୁଲୀ ନିଭିଛି, କାନ୍ଥ ପଡ଼ିଛି, ଚାଳ ଭାଙ୍ଗିଛି । ଧ୍ୱଂସର ଏକ ବୀଭତ୍ସ ଦୃଶ୍ୟ । ମେଞ୍ଚା ମେଞ୍ଚା ହୋଇ ମଣିଷ ଖୁନ୍ଦି ହୋଇଛନ୍ତି । ଚାରିପାଖେ ପାଣି ।

 

‘‘ଆସ, ଆସ–’’ ‘‘ଦେଇଯାଅ ଦେଇଯାଅ–’’ ସେହି ଚିହ୍ନା ଚିତ୍କାର ।

 

ଏଇ ହେଲା ଗବଡିହିର ଧୋବା ସାହି । ଚାରିଆଡ଼େ ପାଣି, ଘର ଭିତରେ ପାଣି । କପାଳରେ ପାପୁଲି ପିଟି ପିଟି ଷାଠିଏ ବର୍ଷର ବୁଢ଼ା ରାମ ସେଠୀ ବିକଳ ହୋଇ କାନ୍ଦୁଛି । ତାର ବାର ପ୍ରାଣୀ କୁଟୁମ୍ବ । ଘର ଭିତରେ ପାଣି ଠିଆ ହୋଇ ପୁଣି ଖସିପଡ଼ିଛି । କାନ୍ଥରୁ ଫଡ଼ା ଫଡ଼ା ନାହିଁ, ଡାଙ୍ଗ, କଦଳୀ ପଟୁକା, ପତ୍ର ଯାହା ପାରିଛି ତା’ସେ ଖୁଞ୍ଚା ଦେଇଛି । ଟିକି ନାତିଟି କୁଆଁ କୁଆଁ କାନ୍ଦି ଚହଳ ପକାଇଛି । “ଏଇ ପଛପଟ ଦେଇ କାଲି ରାତିରେ ତ ଗୋଟାଏ ବିଲୁଆ ପଶି ଆସିଥିଲା–’’ ରାମ ସେଠୀ କାନ୍ଦି କାନ୍ଦି କହିଲା, ‘‘କାହୁଁ ଧନ ପାଇବି ଏ ଘର ତୋଳିବି ?’’

 

ଆଉ ଗୋଟିଏ ଦ୍ୱୀପ । ଏ ବାଉରି ସାହି । ସେହି ଆକୁଳ ବିକଳ, ସେହି କାନ୍ଦଣା । ମୁହଁରେ ଭୋକ ଉପାସ ଦୁର୍ଦ୍ଦଶା ନୈରାଶ୍ୟର କରୁଣ ଛବି । କେତେ ବର୍ଷର ପରିଶ୍ରମରେ ମୂଲିଆ ମୁଣ୍ଡ ପେଟରୁ କାଟି କାଟି ଘର ତୋଳିଥିଲେ, ଛଞ୍ଚିଥିଲେ କେତେ କନାପଟା, କେତେ ଆଳୁକୁଚି ମାଳୁକୁଚି । ସବୁ ଚାଲିଯାଇଛି । ଏକରେ ଏଇଟି ଗୋପାଳିଆ ଭାଇ ଘର । ଗୋପାଳିଆ କୁଟୁମ୍ବ ଚଳାଇବାକୁ ଯାଇ ତିରିଶି ଟଙ୍କା କରଜ କରି ପକାଇଲା, ବଢ଼ି ନ ଆସୁଣୁ ପନ୍ଦର ଦିନ ହେଲା ସେ କଲିକତା ପଳାଇଲା, ମୂଲ ଲାଗିବ-କରଜ ଶୁଝିବ ।

 

ଘରେ ତାର ଯୁବତୀ ସ୍ତ୍ରୀ; ଅଠର ଊଣେଇଶି ବର୍ଷର, ତାର ଚାରି ମାସର ପୁଅ । ଦି’ବଖରା ଘର, ବଖରାଏ ଚୂନା ହୋଇଯାଇଛି, ସବୁ କାନ୍ଥ ଭୁଷୁଡ଼ି ପଡ଼ିଛି, ଆର ବଖରାକର ପଛ କାନ୍ଧରେ ଏଡ଼େ ଗୋଦା, ଘର କାନ୍ଥ ଫାଟିଛି, ତଳ କାଦୁଅ । ହାଣ୍ଡି ଟୋକେଇ ଆଳୁକୁଚି ଯାହା ଥିଲା ସବୁ ଭାସିଯାଇଛି । ପିଲାଟିକୁ ଛାତିରେ ଯାକି ଧରି ଗୋପାଳିଆର ସ୍ତ୍ରୀ ଠାକୁରାଣୀ ମୂର୍ତ୍ତିଟିଏ ପରି ତା’ର ଭଙ୍ଗାଘରେ ଠିଆ ହୋଇ ସାମ୍ନାକୁ ଅନାଇଛି । ସେ ମାଗୁନାହିଁ, କଥା କହୁନାହିଁ, ହଲୁନାହିଁ, ଆଖିରେ ସତେ କି ପଲକ ପଡ଼ୁନାହିଁ ।

 

ଆଉ ଗୋଟିଏ ଗାଁ । ଏ ଗାଁ ନା ଆଈମା । ଧାଡ଼ି ହୋଇ ଘର ଭାଙ୍ଗିପଡ଼ି ଶୋଇଛି, କେଉଁଠି ଗୋଟିଏ ଗୋଟିଏ ଅଦ୍ୟାପି ମୁଣ୍ଡ ଟେକିଛି । ଘର ଦାଢ଼େ ଦାଢ଼େ ମଣିଷ ବସିଛନ୍ତି, ଗୋରୁ ବନ୍ଧା ହୋଇଛନ୍ତି । ଜକାଜକି । ତା’ଏକରେ ବଢ଼ି ଡଙ୍ଗା ଚାଲିଯାଉଛି, ସେମାନେ ଉଠୁନାହାନ୍ତି, ଡାକୁନାହାନ୍ତି, ଅଥଚ ସେମାନଙ୍କ ଦୁରବସ୍ଥା ସ୍ପଷ୍ଟ ଜଣାପଡ଼ି ଯାଉଛି । ମଝିରେ ବସି ରହିଛନ୍ତି ପଞ୍ଚାଅଶୀ ବର୍ଷର ଅଜା, ସେକାଳର ଦମ୍ଭ ହାଡ଼ର ଛାଞ୍ଚରେ ଚମ ଓହଳିଛି, ଶୋଥା ଚେକା ମୁହଁ ଦିଶୁଛି ଭାବହୀନ ଡଙ୍ଗା ଲାଗିଲା । ପିଲାଏ ବେଢ଼ିଗଲେ । ‘‘ଚାଲିଆସ ପିଲେ, ଚାଲି ଆସ,–’’ ବୁଢ଼ା ଗୋପାଳ ସ୍ୱାଇଁ ଡାକିଲେ ।

 

ଚଂଚଳୁ ଶିଅଳ କହିଲା, ‘‘ଏ ଗୋପାଳ ସ୍ୱାଇଁ, ଏ ଖଣ୍ଡକରେ ଏଡ଼େ ବୁଢ଼ା କେହି ନଥିବେ-। ଖାନ୍ଦାନି ଚାଷୀଘର । ବଢ଼ିରେ ସବୁ ଯାଇଛି । ଆଉ ହେଇଟି ସେ ତାଙ୍କ ପୁତୁରା ଭ୍ରମର ସୋଇଁ, ପଦେ କଥାର ଲୋକ, ଖଣ୍ଡାଧାରରେ ଚାଲିବା ଲୋକ । କେଡ଼େ ଘରୁଆମାନେ କି ଅବସ୍ଥାରେ ପଡ଼ିଛନ୍ତି ଦେଖ ।’’

 

ଦଧି ଗୌଡ଼ କହିଲା, “ପିଲାଙ୍କ ପାଇଁ ଚୂଡ଼ା ଗଣ୍ଡିଏ ନେବ ନାହିଁ ଅଜା ?’’

 

ଗୋପାଳ ସ୍ୱାଇଁ କହିଲେ, ‘‘ସାହାଯ୍ୟ ବୋଲି ଯାହାକୁ କହୁଚ ସେ ତ ଭିକ, ବାପ ଅଜା କାଳକେ ଆମେ ଭିକ ନେଇ ନାହୁଁ । ଜୀବନ ଥିବାଯାକେ ନବୁ ନାଇଁ । ଅକାଳ ପଡ଼ିଛି, ସମସ୍ତେ ଡହଳବିକଳ, କ’ଣ କରିବା, କପାଳରେ ଯାହା ଥିବ ତା ହେଉଛି ହେବ ।’’

 

ବଇ ମଳିକ କହିଲା, “ଭିକ କାହିଁକି ଏ ହବ ? ଏ ଜାଣ ତମରି ଧନ, ଏ ଘରେ ନ ଥାଇ ଅନ୍ୟ ଘରେ ଥିଲା । ବଢ଼ି ଛାଡ଼ିଯାଉ, ତେମେ ବି ଆଗ ପରି ବାଳଲୀଳା କର, ଦିଆ ଘେନା କର, ଅଇଛା ନିଅ ତ ।’’

 

ଭ୍ରମର ସ୍ୱାଇଁ ଗମ୍ଭୀର ହୋଇ ଠିଆ ହୋଇଛି, ବୟସ ପଇଁତ୍ରିଶ ହେବ । ଗୋଟିଏ ପାଚିଆରେ ସଜେଇ ପାଞ୍ଚ ସେର ଚୂଡ଼ା, ଗୁଡ଼ ଟେଳାଏ ଦଧି ଗଉଡ଼ ବଢ଼େଇ ଧରିଛି, ପିଲା ପଂଝାଏ ଲୋଭେଇ ଲୋଭେଇ ସେହିଆଡ଼କୁ ଅନାଇଁଛନ୍ତି, ଭରସୁ ନାହାନ୍ତି, ଥରେ ଥରେ ବଡ଼ ମଣିଷଙ୍କ ମୁହଁକୁ ଅନାଇଁ ଦେଉଛନ୍ତି । କେହି କିଛି କହୁ ନାହିଁ । ରବି ବୁଢ଼ାଙ୍କ ପାଖେ ଯାଇ ଓଳଗି ହେଲା । ବିନୟରେ କହିଲା, “ମୁଁ ଗୋଡ଼ତଳେ ପଡ଼ିଛି, ତମେ ଅନୁମତି ଦିଅ ଅଜା !’’ ତା’ସ୍ୱର କୋହରେ ଫାଟି ପଡ଼ିଲା, “ଦୟା କର, ଅନୁମତି ଦିଅ; ପିଲାଏ ଦୋଓଟି ଦୋଓଟି ଖାଇ ନିଅନ୍ତୁ । କାଲି ବଢ଼ି ଚାଲିଗଲେ ପୁଣି ତୁମେ ଆମକୁ କେତେ ଖୁଆଇବ । ବେଳ କ’ଣ ସରିଯାଉଛି ?’’

 

ପିଠି ବୁଲେଇ ଦେଇ ଗୋପାଳ ସ୍ୱାଇଁ କହିଲେ, “ହଉ, ନିଅରେ ପିଲେ !’’ ଚୂଡ଼ା, ଚାଉଳ, ଚିନି, ଗୁଡ଼, କିରାସିନି, ଡିବି, ଦିଆସିଲି, ନାନା ଦ୍ରବ୍ୟ ବଣ୍ଟା ହେଲା ।

 

ଆର କରେ ବଳ ସ୍ଵାଇଁର ଘର । ଘର ଭିତରେ ଆଣ୍ଠିଏ ପାଣି ଠିଆ ହୋଇଛି । ପାଚିରି, କାନ୍ଥ ସବୁ ଗଦା ହୋଇପଡ଼ିଛି, ତା’ ଉପରେ ମାଡ଼ି ପଡ଼ିଛି ଘରର ଚାଳଟା । ଆଗ ଗୁହାଳ ବଖରାଟା କୌଣସିମତେ ରହିଯାଇଛି, ଭଙ୍ଗା କାନ୍ଥର ଶୁଖିଲା ଟେକାକୁ ଛେଚି ମାଡ଼ି ଓଦା ଚଟାଣ ଉପରେ ବିଛେଇ ଦିଆହୋଇଛି, ହେଁସ ଉପରେ ଶୋଇଛି କଅଁଳା ଛୁଆଟିଏ । କରକେ ଗୋଟିଏ । ବାଉଁଶ ଭାଡ଼ି, ତା’ଉପରେ ତଳେ ହୋଇ ଘରର ସମୁଦାୟ ସାମଗ୍ରୀ । ପାଗଳ ପରି ବଳ ସ୍ୱାଇଁ ଖୋଲି ଖୋଲି ଦେଖେଇଦେଲା । ଯୋଡ଼ିଏ ହେଁସ । ଗୋଟିଏ ସାନ ପେଟ୍ରା, ତା’ ଭିତରେ ଖାଲି ବୋତଲଟିଏ ପଡ଼ିଛି, ଆଗେ ସେଥିରେ ସୋରିଷ ତେଲ ରହୁଥିଲା । ପିଲା ପାଇଁ ସଟିଫୁଡ଼୍‌ ଖୋଳେ-। ଗୋଟିଏ ସାନ ହାଣ୍ଡି, ତା’ ଭିତରେ ଛୋଟ ଛୋଟ ମିଶ୍ରି ଦି ତିନି ଖଣ୍ଡ, ଗୋଟିଏ ଟିକି ଦର୍ପଣ, ଖଣ୍ଡେ ଚିରାକନା, ଆଉ ଖଣ୍ଡେ ଚିରାକନାରେ ଚାରଣା ଓଜନର ଧୂଆଁପତ୍ର ପୁଳିଏ, ଖଣ୍ଡେ ଟିକି ପାଟ, ପୁଅ ପାଇଁ ମାମୁଁଘର ଦେଇଥିଲେ, ଗୋଟିଏ ଚାମୁଚି, ଯୋଡ଼ିଏ ଗିନା, ଗୋଟିଏ ଗୁଆକାତି, ଖଣ୍ଡେ ଭଙ୍ଗା ରୂପା ଖଡ଼ୁ, ଚାରିଅଣା ଓଜନର ଚନ୍ଦ୍ରଝୁମ୍ପାଟିଏ ତା’ଭିତରେ ଜଉ ପଶିଛି, ଖଣ୍ଡେ ଭଙ୍ଗା ଶିଙ୍ଗ ପାନିଆ, ଗୋଟିଏ ରୁପା ମୁଦି, ଖଣ୍ଡେ ଛିଣ୍ଡା ରୁପା ହାର, ରୁପା ବଟଫଳଟିଏ, ପଟେ ଦଢ଼ ଖଡ଼ୁ, ହଳେ ଗିନି, ଗୋଟାଏ କଜଳପାତି, ଗୋଟିଏ ପାଣିକଖାରୁ କୋରଣା, ମୁଠାଏ ଅଳିଆ ।

 

“ଏତିକି ତ, ଆଉ କିଛି ନାହିଁ । ଆଉ ଜମି ଦି’ପା, ସେଥିରେ ବାଲି କୁଢ଼େଇ ହେଇଥିବ-।’’

 

“କାଇଁକି ବାଇଆ ପରି ହଉଚ’’–ତାର ମଢ଼ିଆ ସ୍ତ୍ରୀଟି ତାକୁ ବୋଧଦେଉଚି ।

 

"ଲୋକଙ୍କୁ ଦେଖେଇ କ’ଣ ହବ ? ବଞ୍ଚିଲେ ବଞ୍ଚିବା, ମଲେ ମରିବା, ଦେହକୁ କାଠ କଲେ ସିନ ହବ ?’’ ମସିଆ କାନିରେ ମୁହଁ ପୋଛୁଛି ।

 

ଏମିତି ଗାଁକୁ ଗାଁ, ସେହି ଭଙ୍ଗା କୁଢ଼ ସେମିତି ପାଣି କାଦୁଅ, ସେମିତି ମଣିଷ ସାଲୁ ସାଲୁ-। ଆଗରେ ପଛରେ ସବୁଆଡ଼େ ଲମ୍ବି ରହିଛି ଅକୂଳ ଅଥଳ ପାଣି, ଫେଣ ଭାସୁଛି, ଢେଉ ନାଚୁଛି, ଯେତେ ଦୂରକୁ ଆଖିଯାଉଛି ଖାଲି ପାଣି-ପାଣି ।

 

ଆଉ ଚାରି ଖଣ୍ଡ ଡଙ୍ଗାରୁ ଖଣ୍ଡେ ବି ଆଉ ଲେଉଟିଲା ନାହିଁ । କିନ୍ତୁ ସ୍ଥାନୀୟ ସାହାଯ୍ୟ କିଛି ଭେଳେଇ ହୋଇପାରିଲା । ଜଣକ ଦେଖାଦେଖି ଆଉ ଜଣେ ଏହିପରି ହୋଇ କେତେ ଡଙ୍ଗା ଏକର ସେକର ହୋଇ ବୁଲିଲାଗିଲା । ହୁଲି ଡଙ୍ଗାରେ ବସି ବୁଲୁଛି ନେତପୁରର ଛୋଟ ଦଳେଇ, ବାଙ୍ଗର ଗେମେଣା ହୋଇ ଲୋକଟିଏ, ବାଁ ଗୋଡ଼ ଟିକିଏ ଛୋଟା, ଭୋକ ଶୋଷ ଭୁଲିଯାଇଛି, ପଥର ପରି ମୁହଁ । କେତେ ଲୋକଙ୍କୁ ସେ ଉଦ୍ଧାର କରି ଆଣିଛି, ଆପଣା ଜୀବନକୁ ତାର ଖାତିରି ନାହିଁ । ଆପଣା କାର୍ଯ୍ୟ କି ବିପଦ କିଛି ସେ ବାହୁଲ୍ୟ ଦେଖାଇ କହେ ନାହିଁ । ଖାଲି ସଟ୍ ସାଟ୍ ହୋଇ ତା’ହୁଲି ଡଙ୍ଗାଟି ପାଣି ଭଅଁର ପରି ଚାଲିଯାଏ, ଆଉ ଦି ତିନି ଜଣ କିଏ ବସିଥାନ୍ତି, ଗୋଟାଏ ମୁଣ୍ଡରେ ପରସ୍ତ ପରସ୍ତ ହୋଇ ଶୋଇ ଟିପେଇ ଗୁଡ଼ାଏ ଲଦା ହୋଇଥାଏ, ହଠାତ୍ ଯଦି ଡଙ୍ଗାଟା ଓଲଟି ବ ତେବେ ବସିବା ଲୋକେ ଆପଣା ପେଟ ତଳେ ଗୋଟାଏ ଲେଖାଁ ଶୋଲ ଟିପେଇ ଯାକି ଦେଇ ପାଣି ଉପରେ ଗୋଡ଼ ହାତ ମେଲାଇ ପଡ଼ିଗଲେ ଉଦ୍ଧାର ପାଇଯିବେ ।

 

ଛୋଟା ଦଳେଇ ହୁଲି ଡଙ୍ଗା ବାହି ଧାଇଁ ପଳାଏ, ଗାଁ ଗାଁରୁ ଉତ୍ସାହରେ ଲୋକେ ଡାକ ପକାନ୍ତି, “ହେଇ ଛୋଟା ଗଲା ।’’

 

ଥରେ ସେ ଏକାଠି ଛଅଟି ବିଲେଇ ଡଙ୍ଗାରେ ଚଢ଼େଇ ନେଇ ଆସିଥିଲା । ତା’ର ଏତେ ଅଭିଜ୍ଞତା ଭିତରେ ସେହି ଗୋଟିକ ସତେ କି ତା ମନକୁ ପାଇଥିଲା, ସେହି କଥା ସେ ବାରମ୍ବାର ଗପେ । ସେହି ଯେଉଁଠି ଧନୁଆ ମିଶିଛି ବଡ଼ ନଈରେ, ସାଧାରଣ ଦିନରେ ବି ଅକାତ ପାଣି, ତା ନାଁ କଜଳା ଗଣ୍ଡ, ମଝି ଜାଗାରେ ଖଣ୍ଡେ ସାନ ଟାପୁ, ଛଅ ଶହ ହାତ ଲମ୍ବେଇ ତିନି ଶହ ହାତ ଓସାର । ମାଇଲିଏ ଭିତରେ ଆଉ ଅନ୍ୟ ବସ୍ତି ହିଁ ନାହିଁ, ଖାଲି ଟାପୁ ଉପରେ ଯୋଡ଼ିଏ ପରିବାର, ଭୋବନି ବାରିକ, ତାର ଛଅ ପ୍ରାଣୀ କୁଟୁମ୍ବ, ଆଉ ଜହ୍ନ ବେଓ୍ୱା, ତାର ବଡ଼ ପୁଅ ଭ୍ରମର ଜେନା ଓ ତା’ପରିବାର । ଝଙ୍କା ଝଙ୍କା ହୋଇ କୋଚିଳା ଗଛ ଗଣ୍ଡାଏ, ଖୁଣ୍ଟ ପରି ମାଳ ମାଳ ଖଜିରି ଗଛ ତାଳ ଗଛ ତାର ଦାଢ଼େ ଦାଢ଼େ, ଟାପୁ ମଝିରେ ଘର ଧାଉଡ଼ିଏ, ଗୋରୁଗାଈ ଛେଳି ମେଣ୍ଢା ଥିଲେ, ବାରିରେ ପନିପରିବା ହୋଇଥିଲା, ଭୋବନି ବାରିକ, ଭମର ଜେନା ଆପଣା ମନଲାଖି ସଂସାର ଗଢ଼ିଥିଲେ । ତା’ପରେ ରାତିରେ ଆସିଲା । ବଢ଼ି, ପିଢ଼ାରେ ଚଢ଼ୀ କେମିତି ମଣିଷ ରକ୍ଷା ପାଇଗଲେ, ସକାଳକୁ ବିସରପୁରର ଅମୀର ବେହେରା ଡଙ୍ଗା ନେଇ ଆସି ସେମାନଙ୍କୁ ଉଦ୍ଧାର କରିନେଲା । ଆଉ ଟିକକେ ଆସିଲା ଛୋଟା ଦଳେଇ । କୁଆଡ଼େ ଥିଲେ ବିଲେଇ ଛଅଟା ଆସି ଗୋଡ଼ରେ ଗୁରେଇ ହେଲେ, ଘଷିହେଲେ, ମ୍ୟାଉଁ ମ୍ୟାଉଁ ହୋଇ ବିଲେଇ ଅଳି କଲେ, ‘‘ଆମୁକ୍ତି ନେଇଯା–’’ ସେମାନଙ୍କୁ ସେ ଉଦ୍ଧାର କରି ଆଣିଥିଲା ।

 

ଆଉ ବୁଲୁଥିଲେ ବାମନାଳ ଗାଁର ପ୍ରସିଦ୍ଧ ପାଲାଗାୟକ ହୃଷିକେଶ ସିଂହାରି-ଜନତାର ଆଦରର ସାହିତ୍ୟିକ । ମୁଣ୍ଡରେ ଝଙ୍କା ଝଙ୍କା କୁଞ୍ଚୁକୁଞ୍ଚିଆ ବାଳ ମୋଡ଼ି ମୋଡ଼ି ହୋଇ ଲଦା ହୋଇଛି, କପାଳରେ ଝୁଲୁଛି, ତୀଖ ନାକ ଡେରି ହୋଇରହିଛି, ଡବ ଡବ ଆଖି ଭାବରେ ଢଳଢ଼ଳ, ତୁଣ୍ଡରେ ପଦେ କଥା ନାହିଁ । ଡଙ୍ଗାରେ ଚଢ଼ି ବୁଲି ବୁଲି ଲାଗିପଡ଼ିଛନ୍ତି ଜନସେବାରେ, ସତେକି ସେଇଥିପାଇଁ ପାଗଳ ।

 

ଖଣ୍ଡେ ନାହା ଧରି ମାଡ଼ି ଆସିଛନ୍ତି ସାନ୍ତରାପୁରର ବିଜିବାବୁ, ନେତପୁରର ବଂଶୀ ପରିଡ଼ା, ଇଞ୍ଚଳର ଉଦ କାଚେରି-ଯୁବକ ତିନି ଜଣ, ଏକାପରି ବେଶ, ହାଫ୍‌ପ୍ୟାଣ୍ଟ ଖଣ୍ଡେ ଖଣ୍ଡେ, ଖୋଲା ଦେହ, ମୁଣ୍ଡରେ ଗାମୁଛା ଗୁରା ହୋଇଛି । ତାଙ୍କ ଡଙ୍ଗାରେ ପବନ ପଶି ମଟର ଟିଉବ୍‌ ତିନିଟା ଅଛି, ଶୋଇ ଟିପେଇ ପ୍ରଚୁର ଅଛି, ଆଉ ଅଛି ସରଞ୍ଜାମ କିଛି, ଚୂଡ଼ା, ଚାଉଳ, ଚିନି, କିରାସିନି । ବିଜିବାବୁ ସେମାନଙ୍କ ନେତା, ଦିହାତ ବିଛେଇ ଆଗକୁ ପଛକୁ ଝାଙ୍କି ଝାଙ୍କି ଗୋଡ଼ ଫରକଟେଇ ପାଣିକୁ ଅନେଇଁ ଡଙ୍ଗା ଉପରେ ଠିଆ ହୋଇଛନ୍ତି, ଛାତିରେ ପିଠିରେ ଗୋଲ ଗୋଲ ମାଂସପିଣ୍ଡୁଳା ଖେଳିଯାଉଛି, ସେ ସତେ କି ଏଇ ପାଣିପବନ ସଙ୍ଗେ ଯୁଦ୍ଧ କରିବାକୁ ତିଆର ହୋଇ ଠିଆ ହୋଇଛନ୍ତି, ଡଙ୍ଗାରେ ଗୋଟାଏ ପ୍ରକାଣ୍ଡ ନେତ ପତାକା ଉଡ଼ୁଛି । ଦିନ ସରି ସରି ଆସୁଛି । ବିଜିବାବୁ ଦିଶୁଛନ୍ତି କେଡ଼େ ଡେଙ୍ଗାଟା । ରବିର ଡଙ୍ଗା ଅଟକିଛି ଉରୁଆଳି ଭୋଇ ସାହି ତଳେ । ଭୋଇ ସାହି ଆଉ ଗୋଟିଏ ଛୋଟ ଦ୍ୱୀପ ପରି, ଧାଡ଼ି ହୋଇ ଗଦା ହୋଇଛି ଭଙ୍ଗା କାନ୍ଥ, ଭଙ୍ଗା ଚାଳ, ଠାଏ ଠାଏ ଗୋଟାଏ ଗୋଟାଏ ଘର ଠିଆ ହୋଇଛି, ପଛ କରର କାନ୍ଥ ନାହିଁ, ପଛଆଡ଼େ ଦିଶୁଛି, ପାଟପାଣି ଲମ୍ବିଛି । ସେହି ଧ୍ୱଂସ ଆଗରେ ଠାଏ ଠିଆ ହୋଇଛି ସତୁରି ବର୍ଷର ଅନ୍ଧ ଧରମା ଭୋଇ, ପାଖରେ ତା’ର ବାଇଶି ବର୍ଷର ଭେଣ୍ଡା ପୁଅ ବିକା, ଅଣ୍ଟା ପିଠି ଲାଗିଯାଉଛି । ଆଗର ପଛର କାନ୍ଥ ନାହିଁ, ମଝିରେ କାଦୁଅ ଉପରେ ଚାଳ ତଳେ ବସିଛି ବିକାର ସ୍ତ୍ରୀ, ଚିରା ମଇଳା ସାନ ଖଣ୍ଡେ ପିନ୍ଧିଛି, କୋଡ଼ରେ ତିନି ମାସର ରୋଗିଣୀ ଛୁଆ, କାଖରେ ଚାରି ବର୍ଷର ପୁଅଟିଏ ଚୂଡ଼ା ଚୋବୋଉଛି, ଡ଼ଙ୍ଗାଆଡ଼କୁ ଅନାଇଛି । ଧରମା ଭୋଇ ପାଖରେ ଠାଏ ବସିଛି ଷାଠିଏ ବର୍ଷର ବୁଢ଼ା ଅନ୍ଧ ଅପର୍ତ୍ତିଆ ଭୋଇ, ତିନି ମାସ ତଳେ ତାର ଭେଣ୍ଡା ପୁଅ ମରିଥିଲା, ବିଧବା ବୋହୁ ପିଲାଟିଏ ଛାତିରେ ଯାକି କ୍ଷୀର ଖୋଉଛି, ତା’ପାଖରେ ଚଉଦ ବର୍ଷର ବଢ଼ି ଉଠୁଥିବା ଝିଅଟି ତାର, ସାନ ଚିରା ଖଣ୍ଡେ ବେଢ଼େଇ ହୋଇ କାବାକାବା ଆଖିରେ ଡଙ୍ଗାଆଡ଼କୁ ଅନାଇଁ ରହିଛି, ପଛଆଡ଼େ ତାର ଦି’ବଖରା ଘରର ଭଙ୍ଗା କୁଢ଼ । ସେମିତି ସେଠି ଜଳ ଜଳ କରି ଅନାଇଁଛନ୍ତି କୁମର ଭୋଇ, ମଣିଆ ଭୋଇ, କେଶବ ଭୋଇ, ଗୋବିନ୍ଦ ଭୋଇ, ଭରତିଆ ଭୋଇ ଓ ସେମାନଙ୍କ ଗହଳି କୁଟୁମ୍ବ । ପାଟି କରି ଉଠିଲେ-" ବିଜିବାବୁ-ବିଜିବାବୁ !’’

 

ବିଜିବାବୁ ଚିହ୍ନା ଏ ସାହିରେ ।

 

ମଣିଆ ପାଟି କଲା, “ଆଉ କ’ଣ ଦେଖିବ ବୋଲି ଆଇଲ ବିଜିବାବୁ ! ଆମେ ନାହୁଁ, ଆମେ ମରିଛୁଁ ।”

 

କେଶବ କହିଲା, ‘‘ଚାରିଦିନ ହେବ ଉପାସ ବାବୁ !’’

 

ଗୋବିନ୍ଦ କହିଲା, ‘‘ଆଉ କେତେ ଯୁଗଯାକେ ମୁଣ୍ଡବନ୍ଧା ପକାଇ ପେଟରୁ କାଟି ଧନ ସଞ୍ଚିବୁଁ ଯେ କୁଡ଼ିଆ ଟେକିବୁଁ ବିଜିବାବୁ ! ଏଇ ଜାଣ ଦାଦିସାଆନ୍ତଙ୍କ ମନକାମନା ପୂରିଗଲା, ଆମେ ଉଠିଗଲେ ଏଇ ଖଣ୍ଡକରେ ବାଇଗଣ ଲଗେଇବେ କହୁଥିଲେ । ଫାଳକେ ତୋଟା ଲଗାନ୍ତେ ଫାଳକେ ପନିପରିବା ଚାଷ କରିବେ ଏଥର ।’’

ବିଜିବାବୁ ଡଙ୍ଗା ଉପରୁ କୁହାଟ ମାରି କହିଲେ, ‘‘ଆରେ ବଢ଼ି ହେଲା ବୋଲି କ’ଣ ମଣିଷ କୁଆଡ଼େ ଗଲେ ? ହାତରେ ଖଣ୍ଡେ ଠେଙ୍ଗା ଥିଲେ ଦେଖୁଚୁ ସାପ ପଶୁନାଇଁ ଆଉ ଦାଦିସାଆନ୍ତ କି ଅଜାସାଆନ୍ତ ପଶିଆସିବେ, ହଇରେ ? ଆରେ ବଢ଼ି କ’ଣ ଏକୁଟିଆଁ ତମରି ଗାଁରେ ହେଇଚି ? ମୁଁ ପର ଚାରିଦିନ ହେଲା ଦେଖି ଦେଖି ଆସୁଛି, ବଢ଼ି ଡାଳେ ଡାଳେ ଗଲେ ଆମେ ପତ୍ରେ ପତ୍ରେ, ଲୋକେ କି ହିନସ୍ତାରେ ଅଛନ୍ତି ଏ ପ୍ରଳୟ ଭିତରେ, କିଏ ଅଛି କିଏ ଗଲାଣି, କ’ଣ କରିବା, କାଳ ତ ଏମିତି ପଡ଼ିଚି !’’

ବିଜିବାବୁ ଅପଣା କଥାସୁଅରେ ଆପେ ଭାସି ଯାଉଥାନ୍ତି । ଯେମିତି କେଉଁ କାଳର ଚିହ୍ନା ସାଙ୍ଗଟିଏ, ରବିକୁ କହିଲେ, ଶୁଣିଲି ଯେ ଆପଣଙ୍କୁ ଦେଖିବାକୁ ଆଇଲି । କାଲି ହାବୋଡ଼ିଥିଲା ଫୁଲଶରାର ଆଉ ଗୋଟିଏ ଡ଼ଙ୍ଗା, ଧୋବେଇ ମିଶ୍ର ବସିଚନ୍ତି ସେଥିରେ । ଆପଣଙ୍କୁ ଦେଖାମିଳିଲେ କହିଦେବାକୁ ଖବର ଦେଇଥିଲେ, କହିଚନ୍ତି ତେଣେ କାମ ଭିଡ଼, ସେ ଆଉ ଅସିପାରିଲେ ନାଇଁ । ଲୋକେ କେଉଁଠି ଛାଡ଼ି ଦେଇଛନ୍ତି ଯେ ସେ ଆସିବେ ? ଆସି ଅବା କ’ଣ ହେବ ? ବାଣ୍ଟିକୁଣ୍ଟି ହେଇ କାମ କରିବା ଭଲ । ମଟର ଟିଉବ ଯୋଡ଼ାଏ, ଶୋଲ ଟିପେଇ ଦି’ପୁଞ୍ଜା ରଖିଥାଆନ୍ତୁ, କେତେବେଳେ କାମରେ ଆସିବ ।’’

ତାଙ୍କ ଡଙ୍ଗା ପାଖକୁ ଲାଗି ଆସିଲା ।

ଅଧଘଣ୍ଟାଏ ମୋଟେ କଥାଭାଷା । ଭିନ୍ନ ଭିନ୍ନ ଗାଁର ଖବର, ଲୋକଙ୍କ ଦୁରବସ୍ଥା, ସାହାଯ୍ୟ ପାଇଁ ଉପାୟ ଚିନ୍ତା, ପଡ଼ିଗଲା ଚାରିଆଡ଼ୁ, କାଣ୍ଡେ କାଣ୍ଡେ, ସେଇଠି ବିଜିବାବୁଙ୍କଠୁଁ ଖବର ମିଳିଲା, ସେ ଶୁଣି ଆସିଛନ୍ତି, ପାଟେଳିଗାଁ ଯୋଗୀ ସାହି ପାଣସାହି ସଳଖେ ମସ୍ତବଡ଼ ଘାଇ ହୋଇଛି, ସେପଟେ ସେମାନେ ଯାଇନାହାନ୍ତି, ସେ ଆସିଛନ୍ତି ଉତ୍ତର ପଟୁ । ଉଦ କାଚେରି ଘଣ୍ଟା ଦେଖି ଆସି କହିଲା, “ଛଅଟା ବାଜିଗଲା, ଯିବା ପରା ଦଳବା ସାହାପୁର ପଟେ ?”

ବିଜିବାବୁ ହସିଦେଇ କହିଲେ, ‘‘ଉଦ ଯଦି ମତେ ଚେତୋଉ ନ ଥାଆନ୍ତା ! ଚାଲ ଚାଲ, ମେଘ ପବନ ଘୋଟିଆସୁଛି ।’’ ରବି କହିଲା, ଅଟକିବାକୁ ତ ପଡ଼ିବ । ରାତିକ ଏଇଠି ରହିଲେ–’’

ଉଦ କହିଲା, “ବଂଶୀ ବେହେରା ପରି ସାଙ୍ଗ ଥିଲେ ଅନ୍ଧାର ରାତିରେ ବି ପାଟି ବାଟ ଛାଡ଼ିଦବ, ଏପର୍ଯ୍ୟନ୍ତ ତ ଅଟକି ନାହୁଁ ।’’

ବିଜିବାବୁ କହିଲେ, “ଦିନର ଆରମ୍ଭ ଆଉ ଶେଷ ଠିକଣା କରୁ ଆମେ ମଣିଷ । ଏ ପାଗରେ ଆମର ଚବିଶି ଘଣ୍ଟାରେ ଦିନେ ହୁଏ ନାହିଁ, ଦିନକ ଆମର ବିଶା ଶହେ ଘଣ୍ଟାରୁ ବେଶି, ମୋଟେ ଛୟାନବେ ଘଣ୍ଟା ରହିଲା, ଆହୁରି ଚବିଶି ଘଣ୍ଟା ଅଛି । ଦିନ ସରିନାହିଁ ।’’

ତାଙ୍କ ଡଙ୍ଗା ଚାଲିଗଲା ।

 

ରବିର ମୁଣ୍ଡ ଭିତରେ ବାରମ୍ବାର କିଏ କହିଲାଗିଲା, “ପାଟଳିଗାଁ ଘାଇ ଭାଙ୍ଗିଛି ।’’

 

‘‘ଆମେ ବି ଯିବା ବେହେରାଏ !’’ ରବି କହିଲା, ‘‘ଚାଲ ଫୁଲଶରା । ”

 

ସେମିତି ସିଧାସଳଖ ହୋଇ ଡଙ୍ଗାଟି ଭପରେ ପାଖକୁ ପାଖ ସେ ତିନି ଜଣଯାକ ଠିଆ ହୋଇଥାନ୍ତି । ଆଗରେ ସବୁଠୁ ଡେଙ୍ଗା ବିଜିବାବୁ, ଦୂରେଇ ଦୂରେଇ ହୋଇ ସେହି ଫାଙ୍କା ବିସ୍ତୃତିରେ କେଉଁଆଡ଼େ ସେମାନେ ହଜିଗଲେ, ରବିର ଛାତି ଭିତର ଚାଉଁ କଲା । ଅତି ଚିହ୍ନା ଅତି ପ୍ରିୟ କେଉଁ କାଳର ବନ୍ଧୁ ତିନିଜଣ ଦୀର୍ଘ ବିଚ୍ଛେଦ ଲାଗି ବିଦା ହୋଇଗଲା ପରି ଲାଗିଲା, ଅଥଚ ଏଇ ଅଧଘଣ୍ଟାଏ ଆଗରୁ ସେମାନଙ୍କ ନାଁ ବି କେବେ ସେ ଶୁଣି ନଥିଲା । ତାକୁ ଲାଗୁଥାଏ ଯେ ଏହି ଯେଉଁ ସୃଷ୍ଟି ରୂପ ଘେନିଛି ଦୁଇଟା ତେର୍ଚ୍ଛା ହୋଇ ଯୋଡ଼ି ହୋଇଥିବା ମାଟିଆ କାଳିଚା ଫାଙ୍କା ପତ୍ତନରେ ଉପରେ ସେମିତି ଗୋଟାଏ ଆକାଶ ତଳେ ସେମିତି ଗୋଟାଏ ଅକୂଳ ଜଳବିସ୍ତୃତି, ତାହାରି ମଝିରେ କେଉଁଠି ଠାଏ ରହିଛି ସୃଷ୍ଟିର ତେଜ ଆଉ ତାତି, ଏକାଠି ସେହି ଉପାଦାନରେ କୁଣ୍ଢାକୁଣ୍ଡି ହୋଇ ରହିଥିଲେ ସେ ଆଉ ଏଇ ବଢ଼ିଚଢ଼ାଳି ଯୁବକ ତିନିଜଣ, ଯୁଗେ ଯୁଗେ ଏକାଠି ସ୍ପନ୍ଦିତ ହେଉଥିଲେ ପ୍ରାଣରେ ପ୍ରାଣ, ଛାତିରେ ଛାତି ଯୋଖି । ଏକ ମହାଭାବରୁ ରୂପ ଘେନିଛନ୍ତି ସେମାନେ ସବୁ କର୍ମ୍ମୀ ଭାଇ, ଯେଉଁ ଉଦ୍‌ବେଗ, ଯେଉଁ ତୋଫାନ, ଯେଉଁ ସହାନୁଭୂତି ଏଇ ଦୁର୍ଦ୍ଦିନରେ ସେମାନଙ୍କୁ ଏଣେତେଣେ ବରଗୁଛି, ସେହି ସେମାନଙ୍କର ବଜ୍ରଗଣ୍ଠି; ତେଣୁ ଚିହ୍ନା ହେଉ, ଅଚିହ୍ନା ହେଉ ଏକ ଆଦର୍ଶରେ ଅନୁପ୍ରାଣିତ କର୍ମରତ ସମସ୍ତେ ଜଣେ ଜଣକର ପ୍ରତିରୂପ । ମେଘ ଲଦିଛି ବର୍ଷା ନାହିଁ, ସିଲଟ ପରି ପାଣି ।

 

ସ୍ଥାନେ ସ୍ଥାନେ ସେହି ସିଲଟ ଉପରେ ଅଜଣା ଅକ୍ଷର ଲେଖିଯାଉଛି ଛଳ ଛଳ ଧଳା ସୁଅ । ରବି ଚାହିଁ ରହିଛି ।

 

ମନେପଡ଼ୁଛି ମହି ଦଳପତି, ସେ ବି ସେମିତି ମୁହୂର୍ତ୍ତକର ଦେଖା, ସେହି ମୁହୂର୍ତ୍ତ ଉତ୍ତାରୁ ଉଭେଇଗଲା କୁଆଡ଼େ । ଭାବିଲା, ‘‘ବଞ୍ଚିଥିବ ତ ?’’

 

ସର ସର ହୋଇ ଧକା ଭଉଁରୀ ଅକ୍ଷର ଲେଖିଗଲା । ମାଟିଆ ସିଲଟ କର ଲେଉଟାଇଲା । ସରନ୍ତି ଆଲୁଅ ଚାଉଁ କଲା । ଦିଶିଗଲା ନାଲିଚା ନାଲିଚା ଜିକିଜିକି କେତେ ଜୀଅନ୍ତା । ହଠାତ୍ ସେ ପୁଣି ଗଲା ନିଭି, ଶୂନ୍‌ଶାନ୍ ଛାଇ, ତଳେ ଉପରେ କ’ଣ ଗୋଟାଏ ଘଟିବ ବୋଲି ସବୁ ଥମ୍ବି ରହିଛି, କେତେଥର ଏଇ ସନ୍ଧିବେଳେ ଏମିତି ତ ଲାଗେ, ଘଟେ କ’ଣ ? କେଉଁଠି ଆରମ୍ଭ, କେଉଁଠି ଶେଷ ?

 

ଦୂରରେ ଦୂରରେ କଳା ଗାର ପରି ଦିଶୁଛି ଗାଁର ଧଡ଼ି, କରେଇ କରେଇ ଗୋଟି ଗୋଟିକିଆ ହୋଇ ପାଣି ଭିତରେ କୁଦ ଦିଶୁଛି; ଚାରିଆଡ଼ ଜଳାର୍ଣ୍ଣବ ପାଲଟିଛି । ମେଘ ଲଦାଲଦି ଆକାଶ ତଳେ ବାଙ୍କୁଲି ଗାର ଖେଳେଇ ଦେଇ ଚାଲିଛନ୍ତି ଧାଡ଼ିବାନ୍ଧି ଚଢ଼େଇ ପଲ, ଆଖିଦୁରୁଶା ହେଉଛି ତାଙ୍କରି ସମାଜ, ବେଣା ବଣ ଆଖିଦୁରୁଶା ହୋଇଛି, କେଉଁଠି ପାଣିରେ ଠିଆ ହୋଇ ରହିଥିବା ତୋଟାମାଳ, କେବଳ ଦିଶୁନାହିଁ ମଣିଷ ; କେବଳ କାହୁଁ ଅଇଲା ପରି ଠାଏ ଠାଏ କେଉଁଠି କେଉଁ ଟିକି ଟିକି ଦ୍ୱୀପରେ ଛାଇ ଅନ୍ଧାରରେ ଜିକିଜିକି ନିଆଁ ଧାସ, ତାର ଚୁଲୀ, ତାର ଆଲୁଅ ସେତିକି ତା’ର ସନ୍ତକ ।

 

ଦିନେ ଏମିତି ଘୋଟି ରହିଥିଲା ପାଣି ଏ ପୃଥିବୀ ସାରା, ଏମିତି କେବେ ମଣିଷ ତାର ସଂସାର କରିଥିଲା, ବାଆବତାସି ସହି ବଂଶ ବଢ଼ାଇ ଗଢ଼ିଥିଲା ତାର ଇତିହାସ । ଏଇ ନିଆଁ ତା’ର ସନ୍ତକ । ନ ଦିଶୁ ପଛେ ସେ ହଜି ନାହିଁ । କିନ୍ତୁ ଏଇ ନିଆଁ ହିଁ ପଶିଯାଇଛି ତାର ମନରେ ବିଚାରରେ-। ତାର ହିଂସା ଫୁଲି ଉଠିଛି ସବୁ ଧ୍ୱଂସକୁ ବଳି । ତାର ମନର ଅନ୍ଧାର ହୋଇଛି ଏ ବଢ଼ି ଅନ୍ଧାରଠୁଁ ଆହୁରି ବହଳ । ସମାଜ ଫାଟି ପଡ଼ିଛି, ଖାଲି ବଢ଼ିପାଣିରେ ଭାସନ୍ତା ଗୋଟି ଗୋଟିକିଆ ମଣିଷ ପରି । ତଥାପି ସେ ଏକ ହେବ । ସମୟର କଳନା ନାହିଁ, ଆଶା ଚିରଞ୍ଜିବୀ, ଜୀବନ ମୃତ୍ୟୁଞ୍ଜୟ, ଆନନ୍ଦ ସେହି ଅମୃତର ହିଁ ବହିଃପ୍ରକାଶ ।

 

ଅତି ଧୀରେ ତା’ର ଅନ୍ତର ଭିତରେ ଗୁଞ୍ଜରି ଉଠୁଛି ଅକୁହା ସଙ୍ଗୀତର ମୁର୍ଚ୍ଛନା, ଯେ କାନକୁ ଶୁଭେ ନାହିଁ, ମିଶିଯାଏ ଜୀବନର ସ୍ପନ୍ଦନରେ, ଅନୁଭୁତିର ରନ୍ଧ୍ରେ ରନ୍ଧ୍ରେ ବ୍ୟାପିଯାଏ ପୁଲକ ଉପୁଜାଇ । ଏଥର ସେ ପ୍ରକୃତି ସହିତ ଏକ ହୋଇଯାଇଛି, କୋଳରେ ପୂରାଇ ବେଢ଼େଇ ଧରିଛି ତାକୁ ସେହି ଅନ୍ଧାର, ସେହି ବଢ଼ିପାଣି । ବେଳେ ବେଳେ କାହା ନିଶ୍ୱାସ ପରି ମୁହଁରେ, ଦେହରେ ପବନ ବାଜିଯାଇଛି, ଏକ ବିରାଟ ଜୀବନ୍ତ ଶରୀର ପରି ଦିଶୁଛି ସେହି ସ୍ଥୂଳ ଅନ୍ଧାରୀ ସୃଷ୍ଟି, ତଳ ଆକାଶ ମିଶାମିଶି । କେତେ ଅତୀତ ଗୋଳିହୋଇ ନିଶ୍ଚିହ୍ନ ହୋଇଛି ତହିଁରେ-ତାର ଚେତନା କହୁଛି, କେତେ ଅଗଣତି ପ୍ରାଣୀଙ୍କର ଉନ୍ମେଷ ଆଉ ବିକାଶ ଆଉ ବିଲୟ, ପୁଣି ପୁଣି ଆସିଛି ନୂଆ ନୂଆ ରୂପରେ, ଲାଗୁଛି ଏମିତି ଏହି ବିରାଟ ଶରୀର ଭିତରେ ଆତ୍ମାର ସ୍ଫୁଲିଙ୍ଗ ପରି ରହି ଆସିଛି ସେ ଯୁଗେ ଯୁଗେ, କେତେ ନୂଆ ଭେକରେ ନୂଆ ଖେଳ ଖେଳିଛି, ଶ୍ରାନ୍ତି ନାହିଁ, ବିଲୟ ନାହିଁ ।

 

ଏଇ ପବିତ୍ରତାର ସ୍ପର୍ଶ ତଳେ ତଳେ ଭାସିଉଠିଲା ତାର ଚେତନା ଆଗରେ ଏକ ସ୍ୱପ୍ନ । ଏହି ଯେଉଁଠି ନାହା ଚାଲିଛି ସେତେବେଳେ ସତେ କି ସେଠି ଥିଲା ଗୋଟିଏ ଦେଉଳ । ହେଇ ତ ଦେଉଳ । ସତେ କି ସାମ୍ନାରେ ଏଇ, ରାତି ନୁହେଁ ମୁହଁସଞ୍ଜ, ଠିକ୍ ଯେତେବେଳେ ସନ୍ଧ୍ୟା-ଦର୍ଶନ ଦେଖିବାକୁ ତା’ର ମନ ହୁଏ । ବାଟମୁହଁ ଦି’କରେ ଅଳ୍ପ ଛାଡ଼ି ଝଙ୍କା ଝଙ୍କା ବଉଳ ଗଛ, ବେଢ଼ା, ଭିତରେ ଠାଏ ଠାଏ ମାଳ ମାଳ ହୋଇ ଦୀପ ଜଳୁଛି, ପଂଝା ପଂଝା ହୋଇ ଲୋକ ବସିଛନ୍ତି, କେଉଁଠି ଝାଞ୍ଜ ମୃଦଙ୍ଗ, କେଉଁଠି ଖଞ୍ଜଣି ମେଳ, କେଉଁଠି ଖାଲି ଫୁଲ ସଜା ହୋଇ ଖଟୁଲି ଥୁଆ ହୋଇଛି, ଶାସ୍ତ୍ର ପଢ଼ା ହେଉଛି । ବାଟ ମୁହଁ ଆହୁରି ଆଲୁଅ, ଧାଡ଼ି ଧାଡ଼ି ହୋଇ ଦୀପ ଖଞ୍ଜା ହୋଇଛି, ଆଗରେ ଗରୁଡ଼ସ୍ତମ୍ବ, ବହୁତ ଗହଳି, ସ୍ତମ୍ବ ଦୁଇ କରେ ଗହଳ ହୋଇ ଦୀପ ଜଳୁଛି, ତା’ସେକରେ ଟିକିଏ ଆଗରେ ଝକ୍ କରି ଉଠିଲା ଆଳତି ଧୂପ, ଏମୁଣ୍ଡୁ ସେମୁଣ୍ଡ ଖୁନ୍ଦାଖୁନ୍ଦି ମଣିଷ ଗହଳି ଉପରେ ଦିଅଁ ଦିଶିଲେ, ହେଇ ସେ ଦିଶୁଛନ୍ତି । ଯେପରି ବିଶ୍ୱକୁ କିଏ ସୀମା ଦେଇ କରିଛି ଗୋଲାକାର ଅନ୍ଧାର, ପ୍ରକାଣ୍ଡ ଦୁଇଟି ଆଲୋକମଣ୍ଡଳ ଭିତରେ ସେହି ଅନ୍ଧାର କଳାଡୋଳା ହୋଇଛି, ଦୀପ ଆଲୁଅରେ ଦିଶିଯାଉଛି ଯାହା ଅନ୍ଧାର ବୋଲି ଲାଗୁଛି ତହିଁରେ ବିନ୍ଦୁ ବିନ୍ଦୁ ହୋଇ ଅସଂଖ୍ୟ ଆଲୋକ ରେଣୁ, ଯେପରି କି ଅଗଣିତ ବ୍ରହ୍ମାଣ୍ଡ ଅଗଣିତ ଚାରା ଅତି ସୂକ୍ଷ୍ମ ହୋଇ ସେଠି ସନ୍ଧା ହୋଇଛନ୍ତି, ନାନ ବାଜଣା ବହୁ କଣ୍ଠର ପୁଲକଧ୍ୱନି ଭିତରେ ସେ ଅନୁଭବ କରୁଛି ନିତ୍ୟ ଲୀଳାମୟ ସନାତନ ଜୀବନର ଆନନ୍ଦର ଝଲକ, ଆଗରେ ଦେଖୁଛି ଜଗନ୍ନାଥ, ଚର୍ମ ନୟନରେ ଚାହିଁଲେ ଅରୂପ, ନିରାକାର, ଶୂନ୍ୟ ଶୂନ୍ୟ ମହାଶୂନ୍ୟ ।

 

ବିଚାର ବାଗରେ ଧାରଣା କଲେ ଅବ୍ୟକ୍ତ, ଅଜ୍ଞେୟ, ନିର୍ଗୁଣ, ନିର୍ଲିପ୍ତ ।

 

ପ୍ରୀତି ପୁଲକରେ ଭକ୍ତିରେ ଅନୁଭୂତିରେ ଧାରଣ କଲେ ସାକାର, ସଗୁଣ, ସର୍ବବ୍ୟାପୀ, ଏକ ଆକାର ନୁହେଁ ବହୁ, ଏକ ଗୁଣଭାବାପନ୍ନ ନୁହେଁ ବହୁ, ପ୍ରତି ମୁହୂର୍ତ୍ତରେ ନିବିଡ଼ ଭାବେ ସଜ୍ଞାନରେ ନାନା ରୂପରେ ଯାହାଙ୍କୁ ଅନୁଭବ କରି ହୁଏ, ଆପଣା ଅନ୍ତରରେ ଆଉ ବାହାରେ, ନିର୍ଗୁଣ ନୁହନ୍ତି ସତ୍- ଚିତ୍- ଆନନ୍ଦମୟ- ପୂର୍ଣ୍ଣବ୍ରହ୍ମ ।

 

କିଏ କହୁଛନ୍ତି ? କିଏ ବୁଝାଉଛନ୍ତି ? ସେ ବୁଲି ପଡ଼ି ଦେଖୁଛି - ଥରି ଉଠୁଛି ଗେରୁଆପିନ୍ଧା ପ୍ରକାଣ୍ଡ ମଣିଷ, ବହଳ ମୁଣ୍ଡବାଳ ତଳେ ଉଞ୍ଚ ଓସାର କପାଳ, ଆୟତ୍ତ ଆଖିରେ ଗଭୀର ଦୃଷ୍ଟି, ସେ ମୁହଁରୁ ତେଜ ଝଟକୁଛି, ତହିଁରେ ପ୍ରଶାନ୍ତି, ବିଶ୍ୱାସ, ଆନନ୍ଦ, ସ୍ନେହ ।

 

‘‘ତୁନୀ ହୋଇ କ’ଣ ଭାବୁଛି ?’’ ବଇ ମଳିକ କହିଲା । ରବିର ସ୍ଵପ୍ନ ଭାଙ୍ଗିଗଲା । ବଇ କହିଲା, ‘‘କାଲି ସକାଳକୁ ପାଟେଳିଗାଁ ।’’

 

ରବି ହସିଲା । ଚେଇଁ ଦେଖିଲା ପରି ସ୍ୱପ୍ନ ଯେପରି କି ପଛରେ ରହିଗଲା । ହେଇ ସେଠି ସେ ଅନ୍ଧାର ଭିତରେ, ସୁଆଦିଆ କିଛି ଖାଇସାରି ମୁହଁ ଧୋଇସାରିଲା ପରେ ବି ଯେମିତି ପାଟିରେ ସୁଆଦ ଲାଗି ଯାଉଥିଲା ପରି ଲାଗୁଥାଏ । ସେମିତି ତା’ମନର ଅବସ୍ଥା । ପାଟେଳିଗାଁ ସଙ୍ଗେ ସଙ୍ଗେ ମନେପଡ଼ୁଛି ସିନ୍ଧୁ ଚୌଧୁରୀ ଘର, ଛବି, ନଈବନ୍ଧ ବନ୍ଧେ ବନ୍ଧେ ଚାରି କୋଶ ଗଲେ ବନ୍ଧମୁଳ ଗାଁ, ବାପା, ବୋଉ, ଘେରି ବୁଲୁଛି ସ୍ଥାନର ଚିତ୍ର, ଗହୀର, ଫୁଲଶରା, ତା’ପରେ ପୁଣି ଏଠା ବଇ ମଳିକ ।

 

ବଇ କହିଲା, ‘‘ପାଟେଳିଗାଁରେ ସିନ୍ଧୁ ଚୌଧୁରୀ ଅଛନ୍ତି, ଭାରି ଭଲ ଲୋକ, ଏତେ ଖାନ୍ଦାନି ଘର ପୁରୁଣାସାଆନ୍ତ ହେଲେ କ’ଣ ହେବ, ଅତି ସାଧାରଣ । ଠାକୁର ପରି । ଲୋକେ ଭାରି ଭଲ ପାଆନ୍ତି ।’’

 

ରବିର ମନର ଚିତ୍ର ଯେପରି କି ବଇ ମଳିକର ତୁଣ୍ଡରେ ଫୁଲ ଫୁଟୁଛି । ଅଧା ହସା ହୋଇ ରବି ଚାହିଁରହିଲା । ବଇ ମଳିକ କହିଗଲା, ‘‘ତାଙ୍କରି ଗୋଟିଏ ବୋଲି ଝିଅ ଛବି ଦେଈ । ଯାହାଙ୍କୁ ସୂର୍ଯ୍ୟ ଚନ୍ଦ୍ର ଦେଖନ୍ତେ ନାହିଁ, ସେ ପଦାକୁ ବାହାରି ପଡ଼ିଛନ୍ତି ଲୋକଙ୍କ ହିତ କରିବାପାଇଁ । କି ସ୍ନେହ, କି ସେବା, କି ମନ ! ଘର ଘର ବୁଲି ଦୁଃଖୀ ରଙ୍କିଙ୍କ ଖବର ବୁଝି କଳି ତଟେଇ ମେଳ ବଢ଼େଇ ସେବା ହେପାଜତ କ’ଣ ଯେ ସେ ନ କରୁଛନ୍ତି ! ଗାଁଯାକ ଚହଳ ପଡ଼ିଛି । ତାଙ୍କ ପଛେ ପଛେ କେତେ ମାଇପେ ବାହାରି ପଡ଼ି କାମ କରୁଛନ୍ତି, ତାଙ୍କ ଦେଖାଦେଖି ବସିବା ଲୋକେ ବି ମେଳ ହୋଇ ଭଲ କାମ କରୁଛନ୍ତି, ଏଡ଼େ ହିଂସିକା ଗାଁ ହେଉଥିଲା, ସତର ମେଣ୍ଟ, ସତାନବେ ଗୋଷ୍ଠୀ, ଅଇଛା ଯାହା ତୁଣ୍ତରେ ଶୁଣିବ ଖାଲି କେମିତି ଗାଁଯାକର ଉପକାର ହବ ସେଇଆ I’’

 

ରବି ହସୁଥାଏ, କହିଲା, ‘‘ଭଲ ହେଲା ତ, କାଲି ବୋଧେ ଦେଖା ହେବ, ନୁହେଁ ?’’

 

ବଇ ମଳିକ କହିଲା, ‘‘ଆମ ସଙ୍ଗରେ ମିଶି ଫୁଇଶରାରେ ଯଦି ସେ, କାମ କରନ୍ତେ, ଭଲ ହୁଅନ୍ତା ନାଇଁ ?’’

 

ରବି କହିଲା, ‘‘ତେବେ ପାଟେଳିଗାଁ କାମ ?’’

 

ବଇ କହିଲା, ‘‘ ତେଣେ ତମ ବୋଉ ସାଆନ୍ତାଣୀ ଦିନ ଗଣୁଛନ୍ତି, କେବେ ପୁଅ ମୁଣ୍ଡରେ ଦୋଳମୁକୁଟ ଦେଖିବେ । ଯେତେ ଥର କହିଲେ ତେମେ କାନରେ ପକାଉ ନାହଁ, ବାଖାଡ଼ିଆ ଦଉଚ–’’

 

ରବି ହସିଲା, କହିଲା, ‘‘ତୁ କ’ଣ କହୁଚୁ ?’’

 

ବଇ କହିଲା, ‘‘ତେମେ ହଁ କଲେ ଏ ବଢ଼ି ପଛେ ପଛେ ବାହାଘରଟା ହୋଇଯାଆନ୍ତା, ସିନ୍ଧୁ ଚୌଧୁରୀ ନାହିଁ କରନ୍ତେ ନାହିଁ, ଆମ ବୁଢ଼ା ସାଆନ୍ତେ ତ ହାତରେ ଚନ୍ଦ୍ର ପାଆନ୍ତେ । କବି ବାବୁ ତ ବିଦେଶରେ, ଘରେ ଖାଲି ବୁଢ଼ା ବୁଢ଼ୀ ଦିହେଁ, କେମିତି ଦିନ ସରୁଥିବ ଯେ ।’’

 

ଏ ବି ଯେପରି କି ତା’ନିଜ ମନ ଭିତରୁ ବାହାରୁଛି, ବଇ ମଳିବ କେବଳ ତାକୁ ଭାଷାରେ କହିଦେଇଛି । ଅତି କତି କତି ହୋଇ ଦିଶିଯାଉଛି ଛବି, ଆପଣ ମନ ଗହନ ଭିତରର ଛପିଲା ଛପିଲା କଥାଭାଷା ରୂପ ଘେନି ପଦାକୁ ଫୁଟିଉଠୁଛି । ଭିତରେ ଉଷୁମ ଖେଳିଯାଇଛି ; କିନ୍ତୁ ସେ କହିଲା, ‘‘ବିଭା ନ ହେଲେ କ’ଣ ମଣିଷ ଏକାଠି ହୋଇପାରେ ନାହିଁ ବଇ ?’’

 

ବଇ ମଳିକ ତା’ଆଡ଼କୁ ଅନାଇଁ ରହିଲା । ରବିର ମନ ଭିତରେ ଓଲଟ ପାଲଟ ହୋଇ ନୂଆ ପଟ୍ଟଭୂମି ତିଆରି ହେଲା, ଭାଷା ଝରିଲା, ‘‘ମଣିଷ ଏକ ହୁଅନ୍ତି ତାଙ୍କ ବିଚାରରେ, କଲା କାମରେ ଚଲା ବାଟରେ, ଏକ ଉଦ୍ଦେଶ୍ୟରେ ଝାଳ ଢାଳି ସେମାନେ ଏକ ହୁଅନ୍ତି, ପୁଣି ଏକ ଉଦ୍ଦେଶ୍ୟରେ ଏ ଜୀବନଟାକୁ ଝାସ ଦେଇ ଏକ ହୁଅନ୍ତି । ଗୋଟାଏ ଦେହ ଆଉ ଗୋଟାଏ ଦେହ ସଂସାରୀ ମତରେ ଛନ୍ଦାଛନ୍ଦି ହବାଟା କ’ଣ ବଡ଼ କଥା ? କୃମି କୀଟଠୁଁ ହାତୀଯାକେ ସମସ୍ତେ ଲାଗିଛନ୍ତି ନିଜ ଦେହରୁ ନୂଆ ଦେହ ଉପୁଜାଇବାରେ, ସେଥିରେ ଆଉ ବିଚିତ୍ର କ’ଣ ?’’

 

ବଇ କହିଲା, ‘‘ମଣିଷ ବୋଲି କହିଲେ ଖାଲି ତମର ଏ ତୁଣ୍ଡ କଥା ଏ ବ୍ରହ୍ମଜ୍ଞାନ ଯଦି ବୁଝାଉଥାନ୍ତା, ତେବେ ତେମେ ଆମେ ଆଉ ଜନ୍ମ ହେଇ ନ ଥାନ୍ତେ, ସଂସାରୀ ମତଟା ବି ସମସ୍ତେ ପରଖି ପରଖି ଜୀବନ ବିତେଇଛନ୍ତି । ଈଶ୍ଵର ସର୍ଜନା, ତାକୁ କାଟିବ କିଏ ? କାହିଁକି କାଟିବ ? ସତରେ ତେମେ ବାବାଜୀ ହେବ ରବି ଭାଇ ?’’

 

ରବି କହିଲା, ‘‘ଅରେ ବାବାଜୀ କାହିଁକି ହେବି ରେ । ମୋର ଏଡ଼େ ପରିବାର, ଏତେ ଆପଣାର ମଣିଷ ସବୁଠି, ବାବାଜୀ କ’ଣ ଏଡ଼େ ଗୃହୀ ହୁଏ ।’’

‘‘ତେବେ ସ୍ତ୍ରୀର ହାତ ଧର, ବାହା ହୁଅ, ସମସ୍ତେ ଯେମିତି ତମେ ବି ସେମିତି ହୁଅ ।’’

ରବି ହସିଲା, କହିଲା, ‘‘ସେଇଟା ତ ଛୁଣୁକାଏ ଲାଗେ ନାହିଁ, ଗୋଟାଏ ଅନୁଷ୍ଠାନ, ପୂଜା କରି ପାଦୁକ ପାଇଲା ପରି–’’

ଜମ୍ୱୁ ବେହେରା ପିକା ବଳୁଥିଲା, ପାଟିରେ କାମୁଡ଼ି ଧରି ଅନ୍ଧାର ଭିତରୁ କହିଲା, ‘‘ଠିକ୍ କହିଲ, ପାଦୁକ ପିଇଦେଲା ପରି, ଯେ ସେ କାମ ଚଞ୍ଚଳ ସାରିଦବା ଦରକାର, ସେଉଠୁ ପାଦୁକର ମହିମା ବୁଝିବ । ବାହାଘର କାମ ଜଲଦି ବଢ଼େଇଦେଲେ ବାପ, ମା, ନାତି, ନାତୁଣୀଙ୍କ ମୁହଁ ଦେଖିବେ, ନିଜେ ବି ଶାନ୍ତି ହବ କ’ଣ ନା ଗୋଟାଏ କାମ ତୁଟିଗଲା ବୋଲି ।’’

ରବି ହସିଦେଲା, କହିଲା, ‘‘କେତେ କାମ ତ ଅତୁଟା ପଡ଼ିରହିଛି, ଖାଲି ସେଇ ଗୋଟିଏ କାମ ! ଯାହାର ମୁଣ୍ଡ ବଥୋଉଚି ତୁଟୋଉଥାନ୍ତୁ ସେମାନେ ।’’

ଜମ୍ୱୁ ବେହେରା କହିଲା, ‘‘ଆରେ ବାବୁ, ବାହାରାତ୍ର ଫିଟିଗଲେ ବଳେ ଡ଼ାକି ହାକି ଧରି ନେଇ ହବ, ନ ହେଇଯିବ କୁଆଡ଼େ ?’’

ରବି ତୁନୀ ହେଲା, ସେ କଥା ଅନ୍ୟ ଲୋକ ସଙ୍ଗରେ ଆଲୋଚନା କରିବାକୁ ତାକୁ ମାଡ଼ି ପଡ଼ିଲା । ବଇ ମଳିକ ତାର ହାତ ଧରିପକାଇ କାନ ପାଖେ ଥିରିଥିରି କରି କହିଲା । ‘‘ଭାରି ଭଲ ହନ୍ତା, ସମସ୍ତିଙ୍କର ଆଶା ମେଣ୍ଟନ୍ତା, କେଡ଼େ ଶରଧା ହନ୍ତା, ଏମିତି ପାତ୍ରଟିଏ–’’

ତୁନୀ ତୁନୀ କରି ରବି କହିଲା, ‘‘ଶୁଣ ତୁ ବଇ, ତୁ ବୁଝିପାରୁ ନୋଉଁ । ତୁ ଯା ବାହା ହ, ମୁଁ ତ ତୋ ସାଙ୍ଗେ କେବଠୁଁ ଲଗେଇଛି । ବାହାହବାକୁ ମୁଁ ନାହିଁ କରୁନାଇଁ, ମୁଁ କହୁନାଇଁ ମୁଁ ସଂସାରୁ ବାହାର କି ଓଥରା ହୋଇ ବସିଲେ ମଣିଷ ଟେକ ଉଡ଼ାଇବ । ସେ କଥା ନୁହେଁ । ତୁ ଯାହା କଥା କହୁଚୁ ମୁଁ ତାକୁ ଦେଖିଚି-’’ ଅଟକିଗଲା, ଭାବିଲା ପାଟି ଖନି ବାଜିଲା କି ? ପୁଣି କହିଲା, ‘‘ବିଭା ହବାର ହେଲେ କହନ୍ତି ସେଇଠି ପକା, ବୁଝ ତା’ମତ କ’ଣ, ତାଙ୍କ ଘରର ମତ କ’ଣ–’’

ଆଗ୍ରହରେ ବଇ କହିଲା, ‘‘ଏତିକି ଶୁଣିଲେ ସାଆନ୍ତେ ସାଆନ୍ତାଣୀଏ । ସବୁ କରିଦେବେ ଯେ - ଚୌଧୁରୀ କ’ଣ ନାହିଁ କରିବେ ?’’

ରବି କହିଲା, ‘‘ମୁଁ ସେ କଥା ଜାଣିନାଇଁ । ଆଗ ମତ ପଚରା ହୁଅନ୍ତା କନ୍ୟାର ।’’ ଯେପରି କି ଆପଣାକୁ ବଳି ଦେଲାପରି ସଜ କରୁଛି ସେମିତି କହିଲା, ‘‘ତେବେ କ’ଣ କି, ମୋ ବାଟଟା ଭିନେ, ଗୋଟିକୁ ଖୋଜିଲେ ମୁଁ ସେଇ ମୋର କୋଟିଏ ଭିତରେ ପାଉଥିବିରେ ବଇ, କୋଟିକି ଛାଡ଼ି ଗୋଟିକି ଧରି ଟୁଙ୍ଗି ମାରି ବାବାଜୀ ହେଇ ରହିପାରିବି ନାଇଁ ।’’

ବଇ କହିଲା, ‘‘କ’ଣ ତେମେ କହୁଚ କୋଟିକି ଗୋଟିକି ମୁଁ ବୁଝିପାରୁ ନାହିଁ ବାବୁ, ବାହା ତ ସମସ୍ତେ ହଅନ୍ତି, ତେମେ ହବ । ସେଥିରେ କୋଟି କ’ଣ ଗୋଟି କ’ଣ ?’’

ରବି କହିଲା, ‘‘ଆଉ ଆମ କାମ ବଇ ? ଏଇଥିପେଇଁ କ’ଣ ଆମେ ଘରୁ ଗୋଡ଼ କାଢ଼ି ଫୁଲଶରା ଆସିଥିଲେଁ ? ଏଇଥିପେଉଁ ଆମେ ଦିନ ରାତି ଲାଗିଥାଇଁ ! କୋଉଠି ବାପା ବୋଉ, କ’ଣ ସେ ଭାବୁଥିବେ ଏକୁଟିଆ, ସବୁ ପଛକୁ ପକେଇ ଏଇଥିପେଇଁ ଆମେ ମନକୁ ପଥର କରି ଜୀବନକୁ ସଳିତା କରିଛୁଁ ହଇରେ ?’’

ଅଭିମାନ କଲାପରି ବଇ କହିଲା, ‘‘ଏ କାମ କଲେ କ’ଣ ବାହା ହବାକୁ ମନା ?’’ ରବି କହିଲା, ‘‘ମନା କିଏ କରୁଚି ? ତୋ ମନ ହେଉଚି ତୁ ବାହା ହ । ମତେ କାଇଁକି ସାଙ୍ଗ କରୁଚୁ ? ମୁଁ ତ ଦେଖୁଚି ଗୋଟାଏ ବିରାଟ ସ୍ୱପ୍ନ । ଯାହା କହନ୍ତି କାରିଗରର ସ୍ୱପ୍ନ । ଆର ଜନ୍ମରୁ, ନାଇଁ ତା ଆଗରୁ କେଉଁ ଜନ୍ମରୁ ସତେ ଯେମିତି ମୁଁ ସେଇ ସ୍ୱପ୍ନ ହିଁ ଦେଖୁଥିଲି, ସେଇଆକୁ ସାଧୁଥିଲି, ଆହୁରି କେତେ ନାଇଁ କେତେ ବାକି ରହିଯାଇଛି । ସେଇ ମତେ ଓଟାରି ନେଇ ଚାଲିଚି, ଚାଲିଥିବ ।’’

ଅନ୍ଧାରରେ ବରଷା ପବନ ମାଡ଼ି ଆସୁଛି । ଗୋଟାଏ ଉଚ୍ଛ୍ୱାସରେ ମାତି ରବି କଥା କହିଦେଲା । ଟିକିଏ ଅଟକି ପୁଣି କହିଲା, ‘‘ଘରେ ଭାରିଯା, ଛୁଆ ପିଲା, ଗୁହାଳରେ ଗାଈଗୋରୁ, ମୋର ଏତକ ବୋଲି ଜମିବାଡ଼ି, ସମ୍ପତ୍ତି, ମୋରି ଠାକୁରଘର, ମୋରି ମୋକ୍ଷ ହେଉ ବୋଲି ସୁବିଧା ସଜାଡ଼ିବାକୁ ଠାକୁର ଘରଟିଏ, ହାତରେ ମାଳି କୋଥଳି, ଗାଁ ଯାକରେ ମୋରି ନାଁ, ଦେଶରେ ମୋରି କ୍ଷମତା ମୋରି ଟେକ - ଏଇଆ କଲେ ସବୁ କବାଟ ତ ମୋର ବୁଜିଯିବରେ, ଗୋଡ଼ରେ ବେଡ଼ି ଛନ୍ଦି ହେବ । ଦିନ ଦିନ ରାତି ରାତି ଯୋଉ କଥା ଆମେ ଗପିଚୁଁ, ସେ ହେବ ଧୂଆଁବାଣ । ସ୍ନେହ ମୈତ୍ରୀରେ ନୂଆ ସମାଜ ଗଢ଼ାହେବ, ଗାଁ ହେବ ପରିବାର, ମଣିଷଗୋଷ୍ଠୀ ଏକ ହେବ । କେମିତି ତା’ହେବ ସମସ୍ତେ ଆପଣା ସାର୍ଥିକା ହେଲେ ?’’

 

ବଇ ନାକ ସଡ଼ ସଡ଼ କରି କହିଲା, ଏଇଥିରୁ ଗୁଡ଼ାଏ ଗପିବ ତ, ମୁଁ କ’ଣ ପାଠ ପଢ଼ିଚି ଏଥିରେ ପହଞ୍ଚି ପାରିବି ନା ଏ କଥା ବୁଝିପାରିବି ? ଈଶ୍ୱର ଏ ସୃଷ୍ଟିକି ସର୍ଜନା କଲାବେଳେ ଆଇନ୍ କରିଦେଇଚି ମଣିଷ ବାହା ହେବେ, ସେଥିରେ ନାଙ୍କରା କ’ଣ ? ବାହା ହେଲେ କାମ କମିବ ନାଇଁ, ଜଣକୁ ଜଣେ ହୃଦୟ ଦିଆଦେଇ, ଆହୁରି କାମ ବଢ଼ିଯିବ । ଯାହା କଥା ମୁଁ କହୁଚି ସେ ତ ସାକ୍ଷାତ୍ ଲକ୍ଷ୍ମୀ ପ୍ରତିମା । କି ଯୋଗରେ ତୁମେ ତାଙ୍କ ଘରେ ପାଦ ଦେଲ, ସେହିଦିନୁ ସେ ତମରି । ଅପର୍ତ୍ତିଆ କହୁଥିଲା, ତମ ନାଁ ଯୋଡ଼ି ମିଛରେ କେତେ ଅପବାଦ ତା ନାଁରେ ଲୋକେ ଗାଇଲେ, କେଡ଼େ କଳି ଲାଗିଗଲା, ସେଇଠୁ ସବୁ ଚୁପ୍ । ଠାକୁରାଣୀ ନାଁରେ କିଏ ଦୋଷ ଦେବ, ତାକୁ ଧର୍ମ ସହିବ ? ତମରିପେଇଁ ତା’ମନ ଡାକୁ ନଥିଲେ ସେ ବାହା ନ ହେଇ ସବୁ ସମ୍ୱନ୍ଧ ମନାକରି ଦିଅନ୍ତା କାହିଁକି ? ତମରି ନାଖିହବାକୁ ବାହାରେ ବୁଲି ଏତେ କାମ କରନ୍ତା କାହିଁକି ? ମତେ ତ ଲାଗୁଚି ସେ ତମୁକୁ ବର କରିବ ବୋଲି ତପସ୍ୟା କରୁଚି, ଯେମିତି ପାର୍ବତୀ କରିଥିଲେ-’’

 

ବିଜୁଳି ଝକ୍ କରି ମାରିଲା, କଳା କଳା କାତିର ଦାଢ଼ ପରି ପାଖକୁପାଖ ଫଡ଼ା ଫଡ଼ା ପାହାଡ଼ ଭିତରେ, ଆକାଶର କେଉଁ ଅଜଣା ପାହାଡ଼ ଖୋଲରେ ତୁହାଇ ତୁହାଇ ଧୂନି ନିଆଁ ଚହଟିଲା, ନିଭିଲା । ଅନ୍ଧାର ଦଲ- ଦଲେଇଲା । ସାଇଁ ସାଇଁ ହୋଇ ମାଡ଼ି ଆସିଲା ପାଣିମିଶା ପବନ । ଦୁହେଁ ତୁନୀ ପଡ଼ିଥିଲେ ।

 

ବଇ କହିଲା, ‘‘ସତେ ତୁମେ ବାହା ହବ ନାଇଁ ?’’

 

ରବି କହିଲା, ‘‘ତା’ କିଏ କହିବ ? ସେ କଥା ଛାଡ଼, ସାକ୍ଷାତ୍ ବୁଢ଼ୀମା’ ପରି କାନିରେ ଗଣ୍ଠି ପକେଇ ଧରି ବସିଚୁ ବାହା ହ, ବାହା ହ । ସଂସାରରେ ଆପଣା ବାହାଘର ଛଡ଼ା ଆଉ କାମ ନାହିଁ ?’’

 

ଜମ୍ୱୁ ବେହେରା ସେମୁଣ୍ଡରୁ ପାଟି କଲା, ‘‘ହାଁ, ସମ୍ଭାଳି, ସମ୍ଭାଳି–କାତ ଭୁଷି ଦେ ନିଧିଆ-! ସମ୍ଭାଳି ଧ–ହାଁ, ଏଥର ମଝିଆଡ଼କୁ–’’

 

ଡଙ୍ଗା ଗୋଟାଏ ଅତଡା ଦେହରେ ଲାଗେ ନ ଲାଗେ । ସୁଅ ତୋଡ଼ କରୁଛି । ଡଙ୍ଗା ସେଠୁ ଫିଟି ଆସି ମଝିକି ମୋହିଲା । ଜମ୍ୱୁ ବେହେରା କହିଲା, ‘‘ମାଛି ଅନ୍ଧାର ହଅନ୍ତା କ’ଣ ୟେ ତ ନିଶା ଅନ୍ଧାର ଦେରେ ଦୁଶୁଚି, ଆଉ ବଳେଇବା ନାଇଁ । ଆଗରେ ହେଇ ଦଳବା ଗାଁ ଦିଶିଲାଣି, ଆଜି ନାହା ସେଇଠି ଭିଡ଼ା ହବ ।’’

 

ଗାଁ ଦିଶୁଛି ଶୁଣି ସମସ୍ତେ ବୁଲିପଡ଼ି ଅନାଇଲେ । କିଛି ଦିଶୁନାହିଁ । ତା’ପରେ ପାଣି ଉପରର ହାଲୁକା ଅନ୍ଧାରରେ ଡେଙ୍ଗା ଡେଙ୍ଗା ଛାଇ ପରି କ’ଣଗୁଡ଼ାଏ ବାଁ ପଟକୁ ଚାଲିଗଲା, ଡଙ୍ଗା ବାଙ୍କ ବୁଲିଲା । ତା’ପରେ ହୋ ହା ଶୁଭିଲା, ଆଲୁଅ ଦିଶିଲା । ଦୂରରୁ ଭାସିଆସିଲା ଝାଞ୍ଜ ମୃଦଙ୍ଗ ଶବ୍ଦ । କଣ୍ଡିଆ ଉପରେ ଉପରେ ଆସି କୋଚିଳା ଗଛ ତଳେ ନାହା ଭିଡ଼ା ହେଲା । ତେଣୁ ଲୋକ ଆସିଲେ । ଚଞ୍ଚୁ ଶିଅଳ କହିଲା, ‘‘ଓହୋ, ମଣିଷ ବଞ୍ଚିଲା । ଏଇଠି ଆମ ସାହି ପଞ୍ଚୁଆର ଶଶୁରଘର, ମୁଁ ତାରି ଘରେ ରହିଯିବି । ଆଉ ଯିବି କୁଆଡ଼େ ?’’

 

ଦଳବା ଗାଁର ପ୍ରଧାନ ସାହି ମାଝି ଠେଙ୍ଗା ଧରି ଲୋକଗୁଡ଼ାଏ ପାଟି କରି କରି ଆପଣା ଆପଣା ଘର ଆଗରେ ବୁଲୁଛନ୍ତି, ମଝିରେ ମଝିରେ ଠେଙ୍ଗାକୁ ତଳେ ପିଟି ପିଟି ହୋ ହା ହୋଇ ପାଟି କରୁଛନ୍ତି । ଜମ୍ବୁ ବେହେରା କହିଲା, ‘‘ଯୋଉଠି ଦେଖିବ ଏମିତି ତ ଏ ବଢ଼ିଦିନେ ସାପ ହୁରୁଡ଼ୋଉଥିବେ ପରା ।’’ ଗାଁର କିଏ ଜଣେ କହିଲା, ‘‘ଖାଲି ତମ୍ପ ମାଳ ମାଳ, କୂଆଡ଼ୁ କୂଆଡ଼ୁ, ଆସି ପଶି ଯାଉଛନ୍ତି । କ’ଣ କରିବ କହ ?’’

 

ପାଣି କାଦୁଅ ଚକଟି ଚକଟି ଉପରକୁ ଉଠି ଆସି ରବି ପଚାରିଲା, ‘‘କ’ଣ ଏଠା ଖବର-?’’

 

ବାଙ୍ଗର ହୋଇ ବୁଢ଼ା ଜଣେ କହିଲା, ‘‘ଖବର ତ ସବୁଆଡ଼େ ଯାହା ଏଇଠି ସେଇଆ, ଆଉ କ’ଣ ? ଜମି ବାଲି ହେଲା, ଗୋରୁଗାଈ ପଘାଏ ପଘାଏ ମଲେ, କେତେ ଲୋକଙ୍କର ଘରଦୁଆର ଭାଙ୍ଗିଲା, କୁଆଡ଼ୁ, କୂଅଡ଼ୁ ଆସି ମଣିଷ ଖୁନ୍ଦି ହୋଇଚନ୍ତି । ବଢ଼ି ସାଙ୍ଗେ ସାଙ୍ଗେ ବାଡ଼ି ପଶିଲା ଯେ ତଳ-ସାହିରୁ ତେରୋଟି ଲାଗେ ଲାଗେ ଗଲେଣି, ଆଉ କି ଖବର ପଚାରୁଚ ?’’

 

ଡଙ୍ଗାରେ ଆଲୁଅ ଲାଗିଲାଣି ।

 

ଚଂଚୁ, ରବି, ଦଧି ଗଉଡ଼, ବଇ ମଳିକ ଚାଲିଗଲେ ଗାଁ ଭିତରକୁ ।

 

ସବୁଦିନ ପରି ଆଜି ରାତିରେ ବି ବୁଲି ବୁଲି ଖବର ବୁଝି ସାହାଯ୍ୟ କରିବାକୁ ହେବ । ଓଦା ଛପର ଛପର, ଭଙ୍ଗା ଘର, ସେନ୍ତେରା ମଣିଷ ।

 

ତାହାରି ଭିତରେ ରବିର ମନେପଡ଼ୁଥାଏ ବଇ ମଳିକର କଥାଗୁଡ଼ାକ । ମନେ ମନେ ଚିତ୍ର ସଜେଇଲା, ଏଇ ବରଷା ଅନ୍ଧାର ଭିତରେ ସତେ କି ଦୀପଟିଏ ଧରି ତାକୁ ଅପେକ୍ଷା କରିଛି ଛବି ।

 

ପାଟେଳିଗାଁରେ–

 

ବରଷା ଅନ୍ଧାରରେ ସିନ୍ଧୁ ଚୌଧୁରୀ ଯେତେବେଳେ ଛବିକୁ ନ ପାଇ ଏକୁଟିଆ ହୋଇ ଘରକୁ ଫେରିଆସିଲେ, ସେତେବେଳେ ତାଙ୍କୁ ଦୂରକୁ ଦିଶିଲା ପିଣ୍ଡା ଉପରେ ନଲଟଣଟିଏ ଜଳୁଛି, ଜାଲଜାଲୁଆ ନାଲିଚା ପାଣି ବାମ୍ଫ ଭିତରେ ଠିଆହୋଇ ରହିଛି ମୂର୍ତ୍ତିଟିଏ, ଏକେ ତ ଟିକିଏ ମୋଟା, ଆକାରଟା ଯେପରି କି ଆହୁରି ବଡ଼ ଦିଶୁଛି, ସ୍ପଷ୍ଟ କରି କିଛି ଦେଖି ନ ପାରି ଛବିବୋଉ ପାଟି କଲେ, ‘‘କିଲୋ ଆଇଇ କି ସବୁ ? ଆଲୋ ମୋ ଛବି କିଲୋ ?’’

 

ସେତେବେଳେ ସିନ୍ଧୁଚୌଧୁରୀଙ୍କୁ ଅସଜ ଅସଜ ଲାଗିଲା, ମନେପଡ଼ିଗଲା, ସତେ ତ, ଛବି ଫେରିଲା ନାହିଁ, ଅପରାଧୀ ପରି ସଂକୁଚିତ ସଂକୁଚିତ ଲାଗିଲା । ପିଣ୍ଡାକୁ ଉଠି ଆସି ଛତାଟି ବୁଜି ଡେରି ଦେଇ ସେ କହିଲେ, ‘‘କୋଉଠୁ ପାଆନ୍ତି ଏତେ ଲୋକରେ ? ସେ କ’ଣ ସାଧାରଣ ହେଇଚି ? ଦଶୁଟା ହାଟର ମଣିଷ ପରା |’’

 

ମୋଟୀ ସ୍ତ୍ରୀଲୋକଟି କାନ୍ଦି ପକାଇଲା, କହିଲା, ‘‘ଗଲା ? ପୋଡ଼ି ଖାଲ ଦେଇ ଆଇଲ-? ଭଲ ଭଲ, ଆଚ୍ଛା କଲ, ଏଥର ନିଶ୍ଚିନ୍ତ ହ !’’

 

‘‘ତେମେ କାଇଁକି ଏମିତି ହଉଚ ଭଲା କହିଲ ? ତା’ସାଙ୍ଗରେ ଆହୁରି କେତେ ଲୋକ ଅଛନ୍ତି ।’’

 

‘‘ଗଣୁଥା ତମ ଲୋକ । ତମ ଘର ରହିଲା ମୁଁ ଯାଉଚି କୋଉ କୂଅ ପୋଖରୀକି–’’

 

‘‘ଆରେ ବାବୁ, ପାଟି କର ନାଇଁ ରଇଥା, ସେ ଆସିବ ।’’

 

‘‘ତମରି ମୁହଁବଢ଼ା, ତମରି ମନ୍ତ୍ର । ନଇଲେ ବଢ଼ିଲା ଝିଅଟା ବାର ଅବସ୍ଥା ହବାକୁ ପଦାକୁ ବାହାରନ୍ତା ! ଏମିତି ପାଣି କାଦୁଅରେ ଅନ୍ଧାରରେ ବୁଲନ୍ତା ! ଓହୋରେ ବୁଦ୍ଧି, ରାଇଜ ତାଡ଼ି ପକେଇବ ପରା ! କ’ଣ ତାର ହବ ? ମୁଁ କ’ଣ କରିବିଟି !’’

 

‘‘ଶୁଣ–’’ ସିନ୍ଧୁ ଚୌଧୁରୀ ତାଙ୍କୁ ବୁଝେଇ ବସିଲେ, ଘାଇଭଙ୍ଗା ଖବର, ଲୋକଙ୍କ ହରବର କାହାଣୀ, କେମିତି ଛବି ହେରିକା ସେମାନଙ୍କ ସେବାରେ ଲାଗିଛନ୍ତି ବୋଲି ସେ ଶୁଣି ଆସିଲେ, ସବୁ କଥା ତାଙ୍କୁ ବୁଝେଇ ବସିଲେ । ‘‘ନାଇଁ, ମୁଁ କିଛି ଶୁଣିବି ନାଇଁ । ଗୁରବୋଉ ବସି ବସିକା ଅଇଛା ଗଲା, ମାଙ୍କଡ଼ ଛୁଆଟାଏ ଗୁର, ତା ଆଖିକି ନିଦ ନାଇଁ, ସେ ଚେଇଁ ବସିଥିଲା ! କି ରାତି ! କି ପାଗ ! ହେ ମାହାପୁରୁ ରକ୍ଷା କର–’’ ଛବିବୋଉ କହିଲେ ।

 

‘‘ସେତିକି ପ୍ରାର୍ଥନା ସେଇ ଅରକ୍ଷଗୁଡ଼ାଙ୍କ ପେଇଁ କରନ୍ତ ଯଦି ! ଓଃ କି କଲବଲ କି ଛଟପଟ ହେଉଥିବେରେ ସେଗୁଡ଼ାକ ! ସୁଅ ମୁହଁରେ ଘରଦୁଆର ଗଲା, ଫସଲ ଗଲା, ଜମିରେ ବାଲି ଚଢ଼ିଲା, ମୁଣ୍ଡ ଗୁଞ୍ଜିବାକୁ ଥାନ ନାଇଁ, ରହିବେ କୋଉଠି–ଖାଇବେ କ’ଣ–ନାଇଁ ତମ ଛବି ଭଲ କାମ କରୁଚି ଛବିବୋଉ, ନାଁକୁ ଝିଅଟାଏ ସିନା ସତରେ କୋଉ ପୁଅ ତାକୁ ସରି ହବ ! ଭଗବାନ ଯାହାକୁ ଯୋଉ ବୁଦ୍ଧି ଦେଇଚି, ଯୋଉ ବାଟ ଦେଖୋଉଚି, ତୁମେ ଆମେ କିଏ ।’’ ଶୁଣୁଶୁଣୁ ଛବିବୋଉ ବଦଳିଗଲେ, ଆଉ ହାଉଳି ହେଲେ ନାହିଁ, ସତେ କି ସେହି ବିଭୀଷିକାର ବର୍ଣ୍ଣନା ତାଙ୍କ ରକ୍ତରେ ପଶିଗଲା । ଆଉ ସିନ୍ଧୁ ଚୌଧୁରୀ କହିଗଲେ, ‘‘କ’ଣ ଦାମିକା କଥାଟାଏ ଏ ସଂସାରରେ ଅଛି ଭାବୁଚ ? ଏମିତି ଆଖି ପିଛୁଡ଼ାକେ ସବୁ ଚଲ୍‌ କରେ, କାହା ପାଇଁ ସଞ୍ଚୟ, କାହା ପାଇଁ ଘରଦୁଆର, କାହା ପାଇଁ ଏତେ ଲୋଭ, ଏତେ ସୋଗ, ଏ ଦଣ୍ତ କଥା ଆର ଦଣ୍ଡକୁ ନାଇଁ । ବଢ଼ି ମଡକର ଦେଶରେ ରହି ଏ ବିଚାର ଯଦି ମନରେ ନ ପଶିଲା, ତେବେ ଆଉ ବିଚାର ପଶିବ ? ତମର ଗୋଟାଏ ଝୁଅପେଇଁ ତମର ଦଶଶିରା ଫାଟିଯାଉଚି, ଭାବିଲ ଜଗତ ଲୋକଙ୍କ କଥା, ବି ଦୁଃଖ, କି ଦୁର୍ଦ୍ଦଶା ! ଚୁଟିଆ ମୁଷା ପରି ଖୋଲ ଭିତରେ ଗାତ ଭିତରେ ଖୁନ୍ଦିଲା ପରି କେତେ କ’ଣ ଆଳୁକୁଚି ମାଳୁକୁଚି ସାଇତି ଖୁନ୍ଦିଥିବେ । ଅଇଛା କାହା ଓଳି ତଳେ କୋଉ ଅପନ୍ତରାରେ....’’

 

ଛବିର ବୋଉ ଶୁଣି ଯାଉଥାନ୍ତି | ଆପଣା ସ୍ୱାମୀଙ୍କ ସ୍ୱର ଶୁଭୁଥାଏ ଅଚିହ୍ନା । ସେ ଯେପରି କି ମଣିଷର ସ୍ୱର ହିଁ ନୁହେଁ, ଏଇ ଅନ୍ଧାର ରାତିର ହିଁ ସ୍ୱର, କି ତା’ଉହାଡ଼ରେ ଥିବା ଆଉ କେଉଁ ଅଶରୀରୀ ରୂପର, ତାକୁ ଉତ୍ତର ନାହିଁ, ତାକୁ ବୁଦ୍ଧି ବିଚାରରେ ଅର୍ଥ କରି ଘେନିହୁଏ ନାହିଁ, ସେ କେବଳ ସମଗ୍ର ଚେତନା ଭିତରକୁ ଭେଦିଯାଏ । ସିନ୍ଧୁ ଚୌଧୁରୀ ବି ଶୁଣୁଥାନ୍ତି ନିଜ କଥା, ଯେପରି କି ନିଜେ ଗପୁ ନାହାନ୍ତି, ଆଉ କିଏ ଗପୋଉଛି, ଗୋଟାଏ ଉଚ୍ଛ୍ୱାସରେ ଝାଙ୍କି ହେଉଛି ଅନ୍ତରସାରା, ଏଇ ଅନ୍ଧାର, ଏଇ ରାଉ ରାଉ ବରଷା, ଏଇ ନିଶାରାତି-ସେ ଗାଇଯାଉଛି ତା’ର ଦର୍ଶନତତ୍ତ୍ୱ । ସେ ନିଜେ ଖାଲି ତାର ଚାରଣ । ଖାଲି ବଢ଼ି କଥା ନୁହେଁ, କେତେ କଥା ହିଁ ତ ମନେପଡ଼ିଯାଇଛି । ଏମିତି ଏ ପ୍ରଳୟ ରାତି, ସେ ମଣିଷ ଜୀବନରେ ବି ଘୋଟେ, କେତେ ଓଲଟ ପାଲଟ ଘଟିଯାଏ, ସୁସ୍ଥି ଆଉ ଆଶାକୁ ଟଳେଇ ଧସେଇ ନିଶ୍ଚିହ୍ନ କରିଦିଏ ଅନ୍ଧାର, ସ୍ୱାସ୍ଥ୍ୟ ଯାଏ, ଧନ ଯାଏ, ଘର ଯାଏ, ସ୍ତ୍ରୀପୁତ୍ର ବନ୍ଧୁବାନ୍ଧବ ଚାଲିଯାଆନ୍ତି, ସ୍ନେହ ହୁଏ ସ୍ଵପ୍ନ, ଆଉ କେବେ ସବୁ ମମତା ସବୁ ଥାଇତାପଣର ଡୋର କାଟି ମାଟିପିଣ୍ଡକୁ ଫୋପାଡ଼ିଦେଇ ଛାଡ଼ି ଚାଲିଯାଏ ଆତ୍ମା, ମଣିଷପଣର ସ୍ମୃତି ବି ଲୋପ ହୋଇଯାଏ । ଏଇ ଅନ୍ଧାର ରାତି ସେହି କଥା ହିଁ ତ ଚେତେଇ ଦେଉଛି, ଜଗତଯାକର ଦୁଃଖ ଦୁର୍ଦ୍ଦଶାର କଥା, ଆଉ ଶେଷରେ ସେହି ଚରମ ବିଲୟର କାହାଣୀ, ସେହି ଅତି ପୁରୁଣା ନିତି ନୂଆ– ।

 

ସେହି ତ ସେ, ସେହି ଅନ୍ଧାର ରାତି ପ୍ରକାଣ୍ଡ ଆଁ ମେଲିଦେଇ ମାଣ୍ଟେଇ ରହିଛି କେଉଁ ଅନାଦି କାଳରୁ, କେତେ ଉଜ୍ଜ୍ୱଳ ଦିନ, କେତେ ଜୀଅନ୍ତା ଇତିହାସ, କେତେ ଝଟକୁଥିବା ମୁହଁ ଆଖି ହାତ ଗୋଡ଼ ତୁହାଇ ତୁହାଇ ଖାଲି ସେହି ଆଁ ଭିତରେ ଆସି ପଶିଯାଉଛି ଆଉ ଫେରୁ ନାହିଁ....ଆଉ ଫେରୁ ନାହିଁ... ।

 

ତଥାପି ନିତି ବିକଶି ଉଠୁଛି ନୂଆ ଜୀବନ, ନୂଆ ଆଶା, ଟିକି ଟିକି ହୋଇ ନୂଆ ନୂଆ ଘାସ, ଯିବାକୁ ମରିବାକୁ ହଜିବାକୁ ପରେଇ ନାହିଁ, ନୂଆ ହୋଇ ଜନ୍ମ ହେଉଛି, ନୂଆ ହୋଇ ପ୍ରକଟାଉଛି ତା’ର ରଙ୍ଗ ଆଉ ରୂପ ଆଉ ଇତିହାସ, ବାରମ୍ବାର ବାରମ୍ୱାର ସେହି ନିମେଷକ ଦେଖାଉଛି ବିପୁଳ ବିଜୟର ଟେକ ସେହି ମହାପ୍ରଳୟ ଆଗରେ, ସେହି ଚିରଞ୍ଜୀବୀ କଣିକା, ସେହି ଆଲୁଅ ବୁନ୍ଦା ଟିକକ, ସେହି ବିନ୍ଦୁରେ ଆରମ୍ଭ ସୃଷ୍ଟି, ଅଣୁରେ ନିହିତ ପ୍ରାଣ, ସେହି ତ ମଣିଷର ଯୁଗ ଯୁଗର ଆରାଧ୍ୟ ଦେବତା, ଯିଏ ଦେଖୁ ଯେଉଁ ରୂପରେ, ଯିଏ ଡାକୁ ଯେଉଁ ନାଁ ଧରି, ଈଶ୍ୱର କହୁ ବା ଶକ୍ତି କହୁ, ତାହାରି ଅପୂର୍ବ ବିଜୟର ପରିକଳ୍ପନା ହିଁ ତ ଆନନ୍ଦର ହେତୁ ।

 

‘‘ହେଇଟି ଶୁଣ–’’ ସିନ୍ଧୁ ଚୌଧୁରୀ ଉଦ୍‌ବୁଦ୍ଧ ହୋଇ କହିଗଲେ, ‘‘ମଣିଷ ଯଦି ହେତୁ କରନ୍ତା ଟିକିଏ, ଯେ ଏଇ ଯେତେ ମୋର ମୋର ମୁଁ ମୁଁ କାର, ମୋର ଝିଅ, ମୋର ଭାରିଯା, ମୋର ପଦାର୍ଥ, ମୋର ସୁଖ, ଦିନାକେତେ ଗଲେ ଏଗୁଡ଼ାକ କିଛି ରହିବ ନାହିଁ, ଏ ଜନ୍ମ ସଙ୍ଗେ ସଙ୍ଗେ ଏଗୁଡ଼ାକ ବି ସବୁ ଉଭେଇଯିବ, ସାନ କଥା କ’ଣ, ବଡ଼ ବଡ଼ ଦୁଃଖ ବିପତ୍ତିକୁ ବି ସେ ସେଡ଼େ ବଡ଼ ବୋଲି ଭାବନ୍ତା ନାହିଁ, ଏସବୁ ତ ସପନ, ଖାଲି ମଣିଷକୁ ଭୁଲେଇ ରଖିବା ପାଇଁ ଖେଳ, ଏ ଖେଳ ବି ଦି’ଦିନିଆ–’’

 

ଛବିର ବୋଉ କହିଲେ, ‘‘ସେକଥା କିଏସେ ନ ଜାଣେ ? ତା’ବୋଲି ତାକୁ ଛାଡ଼ିଲେ ତ ମଣିଷ ଆଉ ଘର ସଂସାର କରନ୍ତା ନାହିଁ, ଶୁକଦେବଙ୍କ ପରି ସେ ମା’ପେଟରୁ ପଡ଼ି ଚାଲିଯାନ୍ତା ବ୍ରହ୍ମଜ୍ଞାନ କହିବାକୁ, ଭାଗବତର କପିଳ ଅବତାର ପରି ସେ ବି ବାପ ମା’ଙ୍କୁ ତତ୍ତ୍ୱ ବୁଝେଇ ଦେଇ ଚାଲିଯାନ୍ତା କଳ୍ପ କଳ୍ପଯାକେ ବସି ଯୋଗ ସାଧିବାକୁ । ପୁରାଣରେ ସବୁ କଥା ଅଛି, ଏ ରକ୍ତମାଂସର ଦେହ କ’ଣ ତାକୁ ବୁଝେ ?’’

 

‘‘ବୁଝିବାକୁ ପଡ଼ିବ । ଯାହା ସତ୍ୟ ତା ବଳେ ହେବ । ଯେତେ ବିଷୟ ଆସକ୍ତି, ଯେତେ ମାୟା ମମତା ବଢ଼ାଇ ଲାଗିଲେ ବି ସତ୍ୟର ଦାଉରୁ ରକ୍ଷାନାହିଁ, କିଏ ନ ଦେଖିଛି ଗଛ ଶୁଖେ, ମଣିଷ ମରେ, କିଏ ନ ଦେଖିଛି ଏ ଦେହ ଜୁଇରେ ଲଦା ହେଲେ କେମିତି ଚାହୁଁ ଚାହୁଁ ଜଳେ, ଫାଟି ଖଣ୍ଡ ଖଣ୍ଡ ହୁଏ, ପୋଡ଼ି ଭସ୍ମ ହୁଏ । କୋଉ ମମତାଟା ରହେ !’’

 

‘‘ତା ବୋଲି ମମତା ନ କରେ କିଏ ? ନ କାନ୍ଦେ କିଏ ? ଯାହାକୁ କହୁଚ ମାୟା ବୋଲି, ଆମ ସ୍ନେହ, ଆମ ମମତା ବି ତ ସେଇ ମାୟା । ଆମେ ସେ ମାୟାକୁ ଛାଡ଼ି ଅଲଗା ହେଇ ଦେଖୁ ନା ଭାବୁ ? ସେଇ ମାୟାକୁ ଆବୋରି ତ ଆମର ଘରକରଣା, ସ୍ୱାମୀ, ଭାରିଯା, ମା, ଝିଅ, ତୋର ମୋର ବୋଲି ଛନ୍ଦାଛନ୍ଦି । ସେଇ ତ ସଂସାର । ଲୋକେ ତ ଫେର୍ ସେଇ ସଂସାର ବଢ଼େଇବା ପାଇଁ ଖଟନ୍ତି, ଭାବନ୍ତି, ଜୀବନ ବିତାନ୍ତି ! ତାକୁ କାଟିଦେଲେ ତମେ ତ ତମର ଏକୁଟିଆ, ଏ ସଂସାରରେ ତମର ଆଉ କି ପ୍ରୟୋଜନ, ତେମେ ବା ଆଉ ଘରଦୁଆର, କରିବ କାଇଁକି, କାଲା ଭଲ ମନ୍ଦରେ ତମର କିବା କାମ ?’’

 

‘‘ତମେ ବୁଝିପାରୁନା ଛବିବୋଉ, ତମ ସଂସାର ତମର ଥାଉ, ତାକୁ କେହି ଛଡ଼େଇ ନବ ନାଇଁ, ତେବେ ତମର ଏ ସଂସାରକୁ ଆଲୁଅ କରିବାକୁ, ଏ ଜୀବନରେ ଗୋଟାଏ ଉଦ୍ଦେଶ୍ୟ ଖୋଜି ପାଇବାକୁ, ଏ ମଣିଷକୁ ଦମ୍ଭ ଦେବାକୁ, ତା’ ଜୀବନରେ ଆନନ୍ଦ ଭିଆଇବାକୁ ଦରକାର ଏ ବଡ଼ ଅନୁଭବ, ଏ ତତ୍ତ୍ୱଚିନ୍ତା, ଯେଉଁଥିରେ ଖାଲି ତମରି ଆପଣାର ଆପଣାର ବୋଲି ଭାବି ଭାବି ତୁମେ ଛଟପଟ ହେଉ ନଥିବ, ମନକୁ ଓସାର କରି ଫରକଟେଇ ଫରିକଟେଇ ତମେ ଉଦାର ହୋଇ ହୋଇ ଆନନ୍ଦ ପାଉଥିବ, ଶାନ୍ତି ପାଉଥିବ, ଏ ମଣିଷ ଦେହ ଧରି ଆଶା ଆଉ ଆନନ୍ଦ ନ ସାଧିଲେ ତେମେ ଏସବୁ ଦୁଃଖ କଷ୍ଟ ଉପରକୁ ଉଠିବ କେମିତି, ନ ହେଲେ ତ ତମକୁ ଏ ବରଷା ଅନ୍ଧାର ଡରୋଉଥିବ, ଟିକିଏ ଆଞ୍ଚୁଡ଼ି ହେଇଗଲେ କାଟୁଥିବ, ୟା ହେଲା ତା ହେଲା ବୋଲି ଭାଳି ଭାଳି ସନ୍ତୁଳି ହେଇ ହେଇ ତମ ଦିନ ଯାଉଥିବ । ବାହାରିଆ ଜିନିଷ ଯେତେ ବଢ଼େଇଲେ ସେଇଟା କ’ଣ ହେଇପାରିବ ? ସେ ତ ଆପଣା ଅନୁଭୂତି, ଆପଣା ଚେତନା, ନିହାତି ଆପଣା ମନ ଭିତରର କଥା-। ନିଜ ମନକୁ ନିଜେ ନ ସମ୍ଭାଳିଲେ ସମ୍ଭାଳିବ କୋଉ ପର କି କୋଉ ପଦାର୍ଥ ?’’

 

ଦିହେଁ ଗୁମ୍ ହୋଇ ରହିଲେ କିଛି ବେଳ ।

 

ତା’ପରେ ସିନ୍ଧୁ ଚୌଧୁରୀ କହିଲେ, ‘‘କେତେଥର କେତେ ପ୍ରଳୟ ଘୋଟିଛି, ଉଇଟାଙ୍କୁ ତାଡ଼ି ଫୋପାଡ଼ି ଦେଲା ପରେ ଭରଭର ଭଲ ପରି ମଣିଷ ଭାଁ ଭାଁ ହୋଇ ଏଣେତେଣେ ବୁଲିଛନ୍ତି । ସେ କ’ଣ ଆଗ୍ନେୟଗିରିର ଉତ୍ପାତ ! ଭୂଇଁ ଦୁଲୁକିଛି, ଘର ଛିନଛତର ହୋଇଛି, ନିଆଁ ପାଉଁଶ ତରଳ ତତଲା ପଥର କୁଢ଼େଇ ହେଇପଡ଼ିଛି ରାଜ୍ୟଯାକ ! ସେ କ’ଣ ବଢ଼ି ବାଡ଼ି ମଡ଼କ ! ଭାସି ଯାଇଛନ୍ତି, ମରି ଶୋଇଛନ୍ତି ଥାଟପଟାଳି ହୋଇ ! ସେ କ’ଣ ମଣିଷ ହାତତିଆରି ପ୍ରଳୟ-ନିଆଁ କୁଢ଼େଇଛି ସେଇ ଚଡ଼କ ଅଜାଡ଼ିଛି ହାଣିଛି ପୋଡ଼ିଛି ଜାଳିଛି ଭସ୍ମ କରିଛି ! ଏଇ ଶୁଣ ମେଘ ପବନର ରାଉ ରାଉ, ହେଇ ଦେଖ ଅନ୍ଧାର ଆଉ ବିଜୁଳିର ଲହ ଲହ ଟହ ଟହ ହସ ଆଉ ଆଖି ପକାଅ ତୁମେ–ଛବିବୋଉ, କେଉଁ ଜନ୍ମରେ ତୁମେ ବି ଥିବ ପରା ସେଇ ହତଭାଗାଙ୍କ ଦଳରେ । କାହିଁ ବାଲିପାଟ ଉପରେ, କାହିଁ ପାହାଡ଼ ବଣ ଅନ୍ଧିରେ ସନ୍ଧିରେ ଧାର ଲମ୍ବିଥିବେ ଆତୁର ଆକୁଳ କଲବଲ ଛଟପଟ ମଣିଷପଲ, ଜୀବନ ବଞ୍ଚେଇବାକୁ ମୁଣ୍ଡ ଗୁଞ୍ଜିବାକୁ ଆଶ୍ରା ଖୋଜି ଖୋଜି, କେତେ ଶୈବ୍ୟା, କେତେ ହରିଶ୍ଚନ୍ଦ୍ର, ଏମିତି ଏଇ ଅନ୍ଧାର ବରଷା ବଢ଼ି । ସେ କ’ଣ ବର୍ମାରୁ ପତାଳକ ! ସେ କ’ଣ ବଙ୍ଗଳା କି ପଞ୍ଜାବର ଆଶ୍ରୟପ୍ରାର୍ଥୀ ହଜାର ହଜାର ଲକ୍ଷ ଲକ୍ଷ !

 

ଘର ଯାଇଛି, କୁଟୁମ୍ବ ଭାଙ୍ଗିଛି, ପିଲା ମାଇପ ହଜିଛନ୍ତି , ଇତିହାସର ପରମ୍ପରା ଚେରରୁ ଓପଡ଼ା ହୋଇ କେଉଁ ଅନ୍ଧାର ଭିତରକୁ ଫୋପଡ଼ା ହୋଇଛି । ଚାହଁ, ଦେଖ, ସେମାନେ ବି ଆମରି ପରି ମଣିଷ, ତାଙ୍କର ବି ଭୋକ ଶୋଷ ଅଛି, ଦେହ ଖୋଜେ ଛାଇତଳ, ମନ ଖୋଜେ ଆଶ୍ରା, ସୁସ୍ଥି, ସ୍ନେହ, ଆନନ୍ଦ । ତାଙ୍କ ପାଦରେ ବି ଗୋଡ଼ି ଝୁଣ୍ଟିଲେ କାଟେ, ଦେହକୁ ବାଧିକା ଲାଗେ, ଖରା ବାଜିଲେ ଝାଳ ବୁହେ, ଶୀତ କଲେ ଦେହ ଥରେ । ଛୁଆପିଲା, ଗୋରୁଗାଈ ରଖି ଭୂଇଁ ତାଡ଼ି ଖଟି ଖାଇ ଆମରି ପରି ମଣିଷ, କିଏ ଧଳା, କିଏ ହଳଦିଆ, ପୃଥିବୀଯାକ ଅନନ୍ତ ଅତୀତଯାକ ଥାଟ ଥାଟ ମଣିଷ, ଅଘୋରି ଅଶରଣ ହୋଇ ଦାଉରେ କଲବଲ ହୋଇ ଏଣେତେଣେ, କି ଆକୁଳ ଚିତ୍କାର, କି ହାଉହାଉ ! ଚିହ୍ନ, ଦେଖ, ବୁଝ । ଆମେ ସେତେବେଳେ ସୁସ୍ଥିରେ ହାକୁଟି ମାରି ଖଟରେ ପଡ଼ି କର ଲେଉଟାଉଥିଲେଁ ପରା, କୁହାକୋହି ହେଉଥିଲେଁ କୁଆଡ଼େ ପାଣିକାଦୁଅରେ ଅନ୍ଧାରରେ ରହିଲା ଆମ ଝିଅ । କିଏ ଜିତୁଥିଲା ସେତେବେଳେ ? ଯିଏ ପଳୋଉଥିଲେ ? ଯେ ଦେଖଣାହାରୀ ଖବର ଶୁଣୁଥିଲେ ? କି ସେହି ଯେ ଆପଣା ଜୀବନକୁ ପାଣି ଛଡ଼େଇ ଦେଇ ବୁଲୁଥିଲେ ସାହାଯ୍ୟ କରୁଥିଲେ ? କାହିଁ କୋରିଆ ଯୁଦ୍ଧଭୂଇଁରେ ସନସାନ୍ ଗୁଳିମାଡ଼ ଭିତରେ ବୁଲି ବୁଲି ଆହତଙ୍କୁ କାନ୍ଧେଇ କେଉଁ ରେଡ଼କ୍ରସ୍ ଦଳ । କାହିଁ ଜଳୁଥିବା ନୂଆଖାଲି ବାଟେବାଟେ ଚାଲିଚାଲି ବାସ୍ତରି ବର୍ଷର ବୁଢ଼ା ମହାତ୍ମା ଗାନ୍ଧୀ । ସଂସାରକୁ ବିପତ୍ତି ଘୋଟିଲେ ମୁଁକାରକୁ ଜାଳେଣି କାଠ କରି ମଣିଷପଣର ବିକାଶ କରିବାକୁ ସିଧା ଆତ୍ମାରେ ଯାଇ ସତ୍ୟର କୁହାଟ ବାଜେ ଛବିବୋଉ, ମହାପ୍ରାଣକୁ ବାନ୍ଧି ଅଟକାଇ ରଖହୁଏ ନାହିଁ, ସେ ଚାଲିଯାଏ ଅନ୍ଧାରକୁ ଆଲୁଅ କରିବାକୁ, କ୍ଷତବିକ୍ଷତ ପୃଥିବୀରେ ଶାନ୍ତି ସ୍ଥାପିବାକୁ, ତାକୁଇ ଚିହ୍ନା ପକେଇବାକୁ ଏମିତି ଫାଇଁ ଫାଇଁ ହସେ ଏ ବିଜୁଳି, ମେଘ ମୂଷଳ ଧାରାରେ ଗାଳେ, ଅନ୍ଧାର ଦୁଲୁକେ, ବାସୁକି ଫଣା ଟେକେ ।’’

 

କଥାଗୁଡ଼ାକ ନ ଶୁଣିବାକୁ ଚେଷ୍ଟାକରି ବି ଛବିବୋଉ ତହିଁରୁ କିଛି କିଛି ନ ଶୁଣି ରହିପାରିଲେ ନାହିଁ । ତା’ପରେ ଧୀରେ ଧୀରେ ଶବ୍ଦଗୁଡ଼ାକ ତାଙ୍କ ମୁଣ୍ଡ ଭିତରେ ଏକାଠି ହେଲା, ବାରି ହେଲା-ଖାଲି ଶବ୍ଦ ନୁହେଁ, ବାକ୍ୟ, ମନ୍ତ୍ର ପରି ଶୁଭିଯାଉଛି; କିନ୍ତୁ ସେ ବାକ୍ୟର ଅର୍ଥ ଅଛି । ତା’ପରେ ସେଥିରେ ତନ୍ମୟତା ଆସିଲା । ବାକ୍ୟମାନ ଶେଷ ହେଲା, ତନ୍ମୟତା କିଛି ବେଳ ରହି ପୁଣି ଭାଙ୍ଗିଗଲା, ଉଭେଇଗଲା । ଏଥିର ଶୁଭିଲା, ପବନ ନାହିଁ, ମେଘ ନାହିଁ, ଏକାଠି ଫଝା ହୋଇ ଅସଂଖ୍ୟ ବେଙ୍ଗ ବୋବାଉଛନ୍ତି, ଆମ୍ବଗଛଆଡ଼ୁ ଶୁଭୁଛି ଝିଙ୍କାରିକ ବୋବାଳି, ଆଉ କେତେ କ’ଣ ଶବ୍ଦ ମିଶିଯାଉଛି, କାନୋଉଁ କାନୋଉଁ ନାନା ଖଣ୍ଡିଖଣ୍ଡିକିଆ ଗୋଟି ଗୋଟିକିଆ ଶବ୍ଦ ସେହି ଏତେବେଳଯାକେ ଶୁଣିଥିବା ଶବ୍ଦମାନଙ୍କ ପରି ମୁଣ୍ଡ ଭିତରେ ଏକାଠି ହେଉଛି, ଗୋଟାଏ ଛନ୍ଦ ଭିତରେ ଥାକ ବାଛି ନେଇ, ଠଣା ବାଛିନେଇ ଖାପିଯାଉଛି, ମିଶିଯାଉଛି । ଅନ୍ଧାର ଆଉ ନିଶାଘଡ଼ି ଗୋଳିହୋଇ ସେ ବି ସତେ କି ଆଣିଦେଉଛି ଗୋଟାଏ ଅର୍ଥ, ସେ ଅର୍ଥରେ କୌଣସି ଗୋଟିଏ ବିଶିଷ୍ଟ ପଦାର୍ଥ ଆଖିକି ଦିଶୁନାହିଁକି କୌଣସି ଗୋଟିଏ ଘଟନାର ଛବି ଆଖି ଆଗେ ଆଗେ ଖେଳୁ ନାହିଁ; ଅଥଚ ସ୍ମରଣରେ ଲାଗିଛି ଉଠୁପଡ଼ ସତେ କି ଅନ୍ତର ଭିତରେ ଲାଗିଚି ମନ୍ଥାଚକଟା, ଛିଣ୍ଡା ଛିଣ୍ଡା ହୋଇ କେତେ ଚିତ୍ର କେଉଁଠୁ ଆସି ଆପଣା ଭିତରେ କେତେବେଳେ ଯୋଖି ହେଉଛି, କେତେବେଳେ ହୁଗୁଳା ହୋଇ ଖାଲି ଖସିଯାଉଛି, ହଜିଯାଉଛି । ଆଉ ତାହାରି ସଙ୍ଗେ ସଙ୍ଗେ ମନେପଡ଼ିଯାଉଛି-କେତେ କ’ଣ ଥିଲା, ଆଉ ନାହିଁ, କେତେ କ’ଣ ଆସିଥିଲା, ଚାଲିଯାଇଛି, ଜୀବନଟାଯାକ ଯେପରି କି କ’ଣ ଘଟିବ ବୋଲି ପ୍ରତୀକ୍ଷା, କାନ ଠିଆ ହୋଇରହିଛି, ନିଶ୍ଵାସ ଅଟକି ରହିଛି, ଘଟନା ଘଟି ନାହିଁ, ବେଳ ଗଡ଼ିଯାଇଛି ।

 

ପିଲାଟିଏ ପରି ଲାଗୁଛି-ଯେମିତି ସେ ଧୂଳିରେ ଦେଉଳ କରି ପାଚିରି କରି ତା’ଉପରଯାକ ତରାଟ ଫୁଲ ଖଞ୍ଜୁଥିଲେ, ଅଣ୍ଟିରେ ପଶିଥିଲା ଜାମୁକୋଳି-ନା-ସେ ନୁହନ୍ତି, ସେମିତି ତ ଖେଳୁଥିଲା ଛବି, କରେଇ କରେଇ ଡୋଳା ବୁଲେଇ ବୁଲେଇ ଚାହୁଁଥିଲା-ଆସିଥିଲା ପହିଲି ହୋଇ ଯୌବନ-କେଡ଼େ ଅଜଣା ଛାନିଆଁ ପଶିଥିଲା, ଛାତି ହେଉଥିଲା ଫଡ଼ ଫଡ଼ ଥରିଥର, ତା’ପରେ ସେହି ଚାଉଁ ଚାଉଁ ନିଶା ସାମ୍ନାରେ ସୋରିଷତେଲ ପରି ଜହ୍ନରାତି ଢାଳିଯାଇଛି, ତା’ସେକରେ ଧାଡ଼ି ହୋଇ କନିଅର ଗଛ, ପବନରେ ଅଜଣା ମହକ, ହେଇ ସେ ଦୂର ଚକ୍ରବାଳ ସେପଟୁ କିଏ ଯେମିତି କି ଆସିବ ଆସିବ ଲାଗୁଛି, ସେଇ ଅନ୍ଧାରୁଆ ତୋଟା ଉହାଡ଼ରୁ, ବାଉଁଶବଣ ଟପି, ଦେବଦାରୁ ଧାଉଡ଼ିକ ଟପି ସେହି ଯେଉଁ ନାଗେଶ୍ୱର ଆଉ କୃଷ୍ଣଚୂଡ଼ା ଉପରର ବହଳ ସମୁଦ୍ର ଦିଶୁଛି ମଝିରେ ଠିଆ ହୋଇରହିଛି ରାମେଶ୍ଵରଙ୍କ ମନ୍ଦିରର ଗୋଜିଆ ଚୂଡ଼ା ସମ୍ଭବତଃ ସେହି କରେ କରେ-ଯାଃ, କିଏ ଭାବୁଥିଲା ତା-ଯୌବନ ସରିଯାଇଛି–ନୁତୁରୁପୁଚୁରୁ ନାଥୁଲୁନାଥୁଲୁ ଫୁଲୁକା ଆମ୍ବଆଳି ଦେହ ତଳେ ତଳେ ଟୋକୀଟିଏ ଛପି ରହିଛି, ତାର କୁତୂହଳ ମେଣ୍ଟି ନାହିଁ, ଆଶା ମେଣ୍ଟି ନାହିଁ ।

 

କାହିଁ କେଉଁଠି କ’ଣ ?

 

କ’ଣ ଯେପରି କି ଆରମ୍ଭ ହୋଇଥିଲା, ସେମିତି ଅଧା ହୋଇ ପଡ଼ିରହିଛି । ନିଶା ରାତିର ସେହି ଅଛିଣ୍ଡା ସଙ୍ଗୀତ ସଙ୍ଗେ ତାଳ ଲଗାଉଛି ଗୋଟାକୁ ଗୋଟା ଦୀର୍ଘଶ୍ୱାସ । ସବୁ ଯେମିତି କି ଦୂରେଇ ଦୂରେଇ ଯାଇଛି ବୋଲି ଲାଗି ଲାଗି ଯାଉଛି ମନ ଭିତରେ, ଶବ୍ଦ ସରି ନାହିଁ, ଥମ୍ବି ଥମ୍ବି ଆସୁଛି, ଲେଉଟିପାଉଟି ଗଡ଼େଇତଡ଼େଇ ହୋଇ ପଛେଇ ପଛେଇ ଚାଲିଯାଉଛି । ଫମ୍ପା ଘୁମ ଭିତରେ କେଉଁ ବାଟେ ଘାଉଁ ଘାଉଁ ହୋଇ ପବନ ପଶିଲା ପରି ଆପଣା ଅନ୍ତର ଭିତରେ ଖାଁ ଖାଁ ଧ୍ୱନି ବାଜୁଛି, ଉଠି କଚି ଅଜାଡ଼ି ହେଉଛି ହୃଦୟମନ୍ଥା କୋହ, ଆଉ, ପିଲାବେଳେ ଯେମିତି ହାଣ୍ଡି ହାଣ୍ଡି ଆଚାର ରଖା ହୋଇଥିବା ଭୁଇଁ ତଳ ପାତାଳ ଭଣ୍ଡାର ଘର ଭିତରେ ଛପି ପଶିଥିଲାବେଳେ ନିଛାଟିଆ ଦ୍ୱିପ୍ରହରେ ଶୁଭି ଶୁଭିଯାଏ ସମସ୍ତେ ଚାଲି ଚାଲି ଯାଉଛନ୍ତି, ଯେତେ ସାଙ୍ଗସାଥି-ମାନେ, ମନଟା ଫିକା ପଡ଼ିଯାଏ, ଇଛା ହୁଏ ଆଚାରଖିଆ ଛାଡ଼ି କଳାବାଟ ଦେଇ ପଦାକୁ ଛୁଟିଆସି ଡାକ ଛାଡ଼ିବାକୁ-ଆସ ସବୁ, ଯାଆନା ଚାଲି-ସେମିତି ତ ।

 

ଶୁଭୁଛି ଏଥର, ଜାଣିଲାଲୋକ ଫୁସ୍‍ଫୁସ୍ କରି ଡାକିଲା ପରି ଅରମା ଭିତରୁ କେଉଁ ବୁଦା ଭିତରୁ ତୁହାଇ ତୁହାଇ ଆତୁର ହୋଇ ଡାକୁଛି ଚଢ଼େଇଟିଏ–ତୁଇତୁଇ ତୁଇତୁଇ-ତୁରିତୁଇ ତୁଇତୁଇ–ଟିକିଏ ରହିରହିକା ଆରପାଖରୁ କୁଆଡ଼ୁ ଶୁଭି ଶୁଭି ଯାଉଛି ତାର ପ୍ରତ୍ୟୁତ୍ତର କି ପ୍ରତିଧ୍ୱନି-। ପାଣିଭର୍ତ୍ତି ଗୋରୁକୁଣ୍ଡ ଆଉ ଗାଧୁଆ ପଥରକୁଣ୍ଡରେ ରହିରହିକା ଟପର ଟପର ହୋଇ ଚାଳପାଣି ଟୁପୁରୁଛି–ଟିକି ଟିକି ମୂହଁ ଅଗ ମାଡ଼ିଦେଇ ସରୁ ଗେଲ କଲା ପରି ଶବ୍ଦ-କି ବୁଜା ବୋତଲର ଠିପି ଓଟାରି ଦେଲା ପରି କି ଆଉ କେମିତି-ଆଉ କେମିତି-ଆସ୍ତେ ମୁଣ୍ଡ ଝାଙ୍କି ଝାଙ୍କି ଦେଉଛି, ଦେହ ଶିରଶିରୋଉଛି, ଆଖି ମାଡ଼ି ମାଡ଼ି ପଡ଼ୁଛି, ସେମିତି ତଳେ ଢାଳିଗଲା ପରି ଲୋଟୁଛି ଜହ୍ନ ଆଲୁଅ, ଫରଚା ବାଇଗଣିଆ ଦିଶୁଛି କେଡ଼େ ଖୋଲା ଜହ୍ନରାତି, ସେପାଖେ ଧାଡ଼ି ହୋଇ କନିଅର ଗଛଗୁଡ଼ିକ, ବାସ୍ନା ବାରି ହେଉଛି ଛପିଲା ଛପିଲା ହୋଇ ଚେଣି ଚମ୍ପା, ବ୍ରଜମଲ୍ଲୀ, ନା, ମଧୁମାଳତୀ-ଠାକୁର ଘର ଖୋଲିଲା ବେଳର ବାସ୍ନା ନୁହେଁ, ସେ ତ ଛଡ଼ାଫୁଲର, ବାସିଫୁଲର, ୟେ ଆଉ କେମିତି-ଧୀରେ ଧୀରେ ସ୍ପଷ୍ଟ ହୋଇ ମନେପଡ଼ିଲା ପରି ଲାଗିଲା ଖୁଦୁରୁକୁଣୀ ଓଷାର ଫୁଲ ସଜେଇଲା ବେଳର-ବେଙ୍କା ବେଙ୍କା କଇଁଫୁଇ ତା’ର ସଜ ମୁହଁ ସଜ ଆଖି ସତେ କି ସକାଳ ପରି-ଛିନ୍‌ଛାନ୍‌ ଜହ୍ନରାତି-ସେବତୀ ଫୁଲର ବର୍ଣ୍ଣ ନିଗିଡ଼ି ପଡ଼ି ଏକାଠି ଗୋଳି ହୋଇଛି ଘାସ ପଡ଼ିଆ ଉପରେ- ପବନରେ କାକରର ବାମ୍ପ, ଧୋବଫୁଲ ଲଦି ହୋଇ ଚେକା ହୋଇ ଠିଆହୋଇଛି ଗଙ୍ଗଶିଉଳୀ ଗଛଟି, ଝରକା ଖୋଲା ଅଛି, କବାଟ ପଡ଼ିଛି, ବାସ୍ନା ବଦଳିଗଲା, ଏ ଯେପରି କି ପୋଡ଼ା ନଡ଼ିଆର ବାସ୍ନା, ହୋମ ନଡ଼ିଆର, ଘିଅ କଳା ହୋମର, ପୋଡ଼ା ଗୁଡ଼ର, କର୍ପୂର ମାଳିର ବାସ୍ନା, ଚନ୍ଦନଟିପାର, ବଟା ମେଥିର, ଅଗୁରର, ବଇଁଶୀ କଣାରେ ଟିପ ଠୁକେଇଲା ପରି ପୂରା କୁଣ୍ଡରେ ନିଗୁଡ଼ୁଥିବା ପାଣି ଟୋପାର ବାଜଣା, କି ଆଉ ପ୍ରକାରେ-ଆଉ ପ୍ରକାରେ ଛପିଲା ବୁଦା ଭିତରୁ ସେହି ଚଢ଼େଇର ଫୁସୁ ଫୁସୁ ଗୀତ-ତୁଇତୁଇ ତୁଇତୁଇ ଜହ୍ନରାତି ଅଛି, ମହକ ଅଛି, ବୟସ ଅଛି ।

 

ଛବିବୋଉଙ୍କ ନାକ ଭିତରେ ପୋତକଟାଏ ପଶିଗଲା ଯେ ସଲ ସଲ ଲାଗିଲା, ଛୁଁ କଲେ । ଏଥର ଅନୁଭବ କଲେ ମେଘଲଦା ଅନ୍ଧାର ବିଲ୍‌ବିଲ୍ ନିଛାଟିଆ ରାତି ।

 

କିଏ କହୁଥିଲା ପାସୋରା କାହାଣୀଟାଏ ପରା !

 

ତା ବି ବନ୍ଦ ହୋଇଛି ।

 

ସମୟ ବୋହି ଚାରିଯାଇଛି ପଛକୁ କୁଆଡ଼େ ବୋଲି କୁଆଡ଼େ ।

 

ବୟସର ଦିନ ଭାସି ଚାଲିଯାଇଛି, ଆଉ ଫେରିବ ନାହିଁ ।

 

ସେମିତି ଏକା ଠାଆକେ ବସିରହିଛନ୍ତି ଏ ଯେଉଁ ମୂର୍ତ୍ତିକ, ସେ ଖାଲି ଅବତାର ହୋଇଥିଲେ, ତା ବି ନିଭିଗଲା ।

 

ନଲଟଣ କଳା ପଡ଼ି ଆସିଲାଣି । ଦେହର ଲୁଗା ଦେହକୁ ଆମ୍ବୁଲିଆ ଲାଗୁଛି । ଦୂରରେ ଅଣ୍ଡିରା ବିଲୁଆଟାଏ ବୋବାଇଲା ।

 

ଛପର ଛପର ଶୁଭିଲା । ଆସି ପହଞ୍ଚିଲା ଛବି, ତା’ସଙ୍ଗରେ ଆଉ ଗୋଟାଏ କିଏ ମାଇପିଟିଏ ଛୁଆଟିଏ କାଖେଇଛି । ବାଟ ମୁହଁରୁ କୁହାଟ ଶୁଭିଲା ଆଉମାନଙ୍କର–‘‘ଥାଅ ଗୋ, ଆମେ ଯାଉଛୁ ।’’

 

ଛବି କହିଲା, ‘‘ବୋଉ ୟେ ଯଶୋମତୀ, ପାଣଘର ବୋହୁ, ୟାଙ୍କର ଘରଦୁଆର ସବୁ ପରା ଭାସିଯାଇଚି । ଆଲୋ ପିଣ୍ଡାକୁ ଉଠିଆ, ସେଠିଟାରେ କାଇଁକି ଠିଆ ହେଇ ରହିଲୁ ମ-’’

 

ସିନ୍ଧୁ ଚୌଧୁରୀ କହିଲେ, ‘‘ହଁ, ଉଠିଆ ମା, ଆହା, ଛୁଆଟି ବି ଜୁଡ଼ୁବୁଡ଼ୁ-ଆ ।’’

 

ଛବିବୋଉ କାବା ହୋଇ ଜଣକଠୁଁ ଆର ଜଣକୁ ଅନାଇଲେ । ସତୁରାର ନାତୁଣୀବୋହୁ ଦୋ ଦୋପାଞ୍ଚ କରୁଛି, ଭରସୁ ନାହିଁ । ପୁଣି ପିଣ୍ଡା ଉପରୁ ତଳକୁ ଓହ୍ଲେଇପଡ଼ି ଛବି ତାର ହାତ ଧରି ଓଟାରି ଆଣିଲା, କହିଲା, ‘‘ଆ ତୁ ମଠେଇ ହଉଚୁ କାହିଁକି ?’’

 

ଆଗେ ଆଗେ ନଲ୍‌ଟଣ ଦେଖାଇ ଦେଖାଇ ଛବିବୋଉ ଭଣ୍ଡାରଘର ବଖରାଆଡ଼କୁ ଚାଲିଲେ, କିଛି ପାଟିଫିଟାଉ ନ ଥାନ୍ତି, ସ୍ୱାମୀ ଆଉ ଝିଅଙ୍କ ତାଡ଼ନାରେ ତାଙ୍କୁ କିଛି ଗୋଟାଏ କରିବାକୁ ହିଁ ପଡ଼ିବ, କୌଣସି ଗୋଟାଏ ଠାଆ ଦେଖାଇଦେଲେ ପାଲୁଣୀ ବୋହୁଟି ରହିଯିବ, ନ ହେଲେ ଛବି ତାକୁ ସିଧା ଓଟାରି ନେଇଯିବ ତାଙ୍କ ଶୋଇବା ବଖୁରିକୁ । କିନ୍ତୁ ଝିଅର ମୁହଁକୁ, ବେଶୀ ତ ତା’ର ବାପର ମୁହଁକୁ ଅନାଇଲାକ୍ଷଣି ତାଙ୍କର ଆଉ ବୁଦ୍ଧି ସ୍ଫୁରୁ ନାହିଁ । ସିନ୍ଧୁ ଚୌଧୁରୀଙ୍କ ମୁହଁରେ ଅପୂର୍ବ ଭାବର ଭଙ୍ଗୀ, ମିଟିମିଟି ଅଧେ କଳା ପଡ଼ିଥିବା ନଲଟଣ ଧାସ ପଡ଼ି ଆହୁରି ବିଚିତ୍ର ଦିଶୁଛି । ସେ ଯେପରି କି ଧ୍ୟାନରେ ବସି ତନ୍ମୟ ହୋଇଯାଇଛନ୍ତି, କ’ଣ କିଛି ଦିବ୍ୟଦର୍ଶନ ତାଙ୍କର ଘଟିଛି । ଆଗେ ଆଗେ ଯାଇ ଘର ଫିଟାଇଦେଲେ । ଛବି ହେଁସ ପାରିଦେଲା, ବାଉଁଶ ଅଲୁଗୁଣିରୁ ଓଟାରି ଆଣି ଖଣ୍ଡେ କନ୍ଥା ଓ ଖଣ୍ଡେ ଶୁଖିଲା ଶାଢ଼ୀ ଆଣି ଥୋଇଦେଲା । କହିଲା, ‘‘ଲୁଗା ପାଲଟି ପକା, ଶୋଇପଡ଼, ଏଇ ତୋର ଘର ।’’ ବିଳିବିଳେଇଲା ପରି ସିନ୍ଧୁ ଚୌଧୁରୀ କହିଲେ, ‘‘ହଁ, ମା, ଏଇ ତୋର ଘର ।’’ ଛବି ଡିବି ଲଗାଇଦେଲା ।

 

ତା’ପରେ ସେମାନେ ସେଘରୁ ଚାରିଆସିଲେ । ପିଣ୍ଡାରେ ଆସୁ ଆସୁ ସିନ୍ଧୁ ଚୌଧୁରୀ କହିଲେ, ‘‘ପାଲୁଣୀ ବେଶରେ ବିଜେ କରିଛୁ ମା’ତାରା, ମା’ଲକ୍ଷ୍ମୀ, ତୋର ଦୟା |’’ ତାଙ୍କର ସ୍ୱପ୍ନ ଭାଙ୍ଗିଦେଇ ଛବି କହିଲା, ‘‘ଆଜି ଏମିତି ରାତିରେ କେତେ ମା’ତାରା, କେବେ ମା’ଲକ୍ଷ୍ମୀ ଦରଦର ବରଷାରେ ଅନ୍ଧାରରେ ଏଣେତେଣେ ବୁଲୁଛନ୍ତି, ଦେଖନ୍ତ ଯଦି ସେ ଦଶା ବାପା, କେତେ କହି ପୋଛି ଗୋଟାକୁ ସାଙ୍ଗରେ ନେଇଆସିଲି, ଆହୁରି କେତେ ଅଛନ୍ତି-କେତେ-କେତେ-କ’ଣ ହବ ତାଙ୍କ ଅବସ୍ଥା, ଘରେ ଲହଡ଼ୀ ଖେଳୁଥିବ-’’

 

ସିନ୍ଧୁ ଚୌଧୁରୀ କହିଲେ, ‘‘ଯେ ଏ ଦଶା କରିଚି ସେଇ ସମ୍ଭାଳିବ ତାକୁଇ ଜଣା I’’ ତାଙ୍କ ସ୍ୱର ଫମ୍ପା ଶୁଭୁଥାଏ, ଯେପରି କି ସେ ଛବି ଆଗରେ ଦବିଯାଇଛନ୍ତି, ଛବି ହିଁ ବଡ଼, ଛବି ହିଁ ମୁରବି, ସେ ଖାଲି ନିଃସହାୟ ଦୂର୍ବଳ ମଣିଷ, ଠାକୁରଙ୍କୁ ଡାକିବେ, ତା’କଥା ମାନି ଚଳିବେ । କହିଲେ, ‘‘ମତେ ଯାହା କହିବୁ ମୁଁ ତା କରିବି ମା’ ! ଲୋକଙ୍କର ଏ ଦୁର୍ଦ୍ଦଶା ଘଡ଼ିବେଳେ ଆଉ କିଏ କୋଉ କଥାକୁ ପଚାରେ ! ମଣିଷ ଜୀବନ କଲବଲ ହଉଚି, ସେଠି କି ଧର୍ମ କି ମୋକ୍ଷ କି ଘରକରଣା ! କୁଆଡ଼ୁ ମାଡ଼ି ଆସିଚି ଏ ପ୍ରଳୟ ବଢ଼ି, ଏଥିରେ ସମସ୍ତିଙ୍କର କର୍ତ୍ତବ୍ୟ ଅଛି, କିଏସେ ହେଲେ ସେ କର୍ତ୍ତବ୍ୟକୁ ବାଁଖାଡ଼ିଆ ଦେଲେ ଭଗବାନ ସହିବେ ନାହିଁ ।’’

 

କଥାଗୁଡ଼ାକର ପ୍ରଭାବ ଛବି ଉପରେ ପଡ଼ିଲା ନାହିଁ, ସେ ତ ସତେ କି ଥିଲା ଆଉ କେଉଁ ଦୁନିଆରେ, ମଝିରେ ମଝିରେ ଖାଲି ବାଡ଼ ବାଟେ ମୁହଁ ଗେଞ୍ଜି ଏ ଦୁନିଆକୁ ଦେଖିନେଇଥିଲା, ଏତିକି ଯାହା । ସେ ଖାଲି କହିଲା, ‘‘ଆଉ କିଛି କାମ ନାଇଁ, ଅଇଛା ନିଦ, ପୁଣି ଭୋର୍ ପାହାନ୍ତିଆରୁ ଉଠି ସେଠିକି ଯିବାକୁ ପଡ଼ିବ ।’’

 

କିନ୍ତୁ କଥାଗୁଡ଼ାକର ପ୍ରଭାବ ପଡ଼ିଲା ଛବିବୋଉଙ୍କ ଉପରେ । ଏମିତି ଏ ରାତି, ଏ ଯେଉଁ ବେଳା, ଛବି ଯେମିତି ଆଜି ଦିନଯାକ ବୁଲି ବୁଲି ବାଇଆଣୀ ପରି ଏତେ ରାତିରେ ଆସି ପହଞ୍ଚିଛି, ତା’ବାପାଙ୍କ ବକ୍ତୃତା ଆଉ ଶେଷରେ ଏ ପାଣଘର ବୋହୂ, ଏସବୁ ଭେଳିକି । ତାଙ୍କର ଆଉ କାହାରିକି କିଛି କହିବାକୁ ନାହିଁ । ସେ ସତେ ଯେମିତି ଜାଡ଼ୀ ହୋଇଗଲେ । ବିଛଣାରେ ଗଡ଼ି ପଡ଼ି ମାଡ଼ି ମାଡ଼ି ଆଖି ବୁଜି ସେ ଫଁ କରି ଦୀର୍ଘଶ୍ୱାସ ପକାଇଲେ । ବରଷା ଅଜାଡ଼ି ହେବାର ଶବ୍ଦ ଶୁଭୁଥାଏ, ମୁଣ୍ଡଭିତର ଦପ୍‌ଦପ୍ ହେଉଥାଏ, ସଂସାର ବିରୁଦ୍ଧରେ ଅଭିଯୋଗ ଖଞ୍ଜି ହେଉଥାଏ ଗୋଟିକି ଗୋଟି, କହିବାକୁ ସାହସ ନାହିଁ, ଶୁଣିବାକୁ ମଣିଷ ନାହାନ୍ତି । ହେଇ ପାଖରେ ଶୋଇଛି ଛବି, ସବୁଦିନେ ଯେମିତି ଆଜି ବି ସେମିତି । ବିଛଣା ଛୁଉଁ ଛୁଉଁ ନିଦ ହୋଇଗଲାଣି, କିନ୍ତୁ ବିହ୍ୱଳ ମନରେ ଭାବିଲାବେଳକୁ ସେ କେଡ଼େ ପର ପର ଲାଗୁଛି । । ଝିଅ ନୁହେଁ, ସମସରି ହେଲା ପରି ଆଉ କେଉଁ ମଣିଷ, ସତେ ଯେପରି ତାର ଗୋଟିଏ ସ୍ୱତନ୍ତ୍ର ସଂସାର, ସ୍ୱତନ୍ତ୍ର ଗତିପଥ, ଭାବନାର ଧାରା ଭିନେ । ସେ ଆଉ ବିଶ୍ୱାସର ପାତ୍ର ନୁହେଁ, ମନେ ମନେ ଲାଗୁଛି, ତାଙ୍କ ଆପଣାର ବିଚାରଗୁଡ଼ାକ ସେ କାଳେ ଶୁଣି ପକେଇଲା କି ? ଥାଉ ତାର ସେ ଅଖଳା ଉଦାରତା ତାଠିଁ । ତାର ତେଜରୁ ଧାସରୁ ସେ ଆପଣାର ଗୋପନ ଚିନ୍ତାକୁ ନିବର୍ତ୍ତାଇ ରଖିବାକୁ ଲୋଡ଼ୁଛନ୍ତି ।

 

ଏଇ ମୁହୂର୍ତ୍ତରେ ସେ ଭିନେ ମଣିଷ ।

 

ଆଖି ଭିତର ପୋଡ଼ିଲା ପରି ଲାଗୁଛି । ଆପଣ ନିଶ୍ୱାସ ଗାଲକୁ ଲାଗୁଛି ତତଲା । ଆଉ ଲାଗୁଛି, ବେକ ପଛଆଡ଼ୁ ଉପରକୁ ଉପରକୁ ଗୋଟାଏ ଜଳାପୋଡ଼ା ଉଠିଉଠିକା ଆସୁଛି । ଅନ୍ଧାର ତ ସବୁଦିନିଆ, ଦେହସୁହା; କିନ୍ତୁ ଆଜି ଲାଗୁଛି, ଅନ୍ଧାର ଅଛି, ସେ ଗାଢ଼ ଅନ୍ଧାର ।

 

ମନେପଡ଼ିଯାଉଛି, ସେ ଘରେ ଶୋଇଛି ପାଣଘର ବୋହୂ । ଏଇ ଡିହରେ, ଏଇଠି ଯେଉଁଠି ବଡ଼ବଡ଼ୁଆ ଅଛନ୍ତି, ଯେଉଁଠି କେତେ ହୋମ, କେତେ ପୁଜା, କେତେ ବନ୍ଦାଣ, କେତେ ଓଷା, ସେଠି ଆସି ଶୋଇଛି ସେ, ଚୌଧୁରୀ ଘରଉଆସ ଭିତରେ ପାଣି ପଶିଛି । ଯୋଉ ଝିଅଟା କେଡ଼େ ଆଡ଼ମ୍ବରରେ ବିଭା ହୋଇଯାଇଥାନ୍ତା, ତାକୁ ବାଇ ଲାଗିଛି, ପାଣି କାଦୁଅରେ ସେ ପଦାରେ ବୁଲୁଛି, ଛୁଆଁ ଅଛୁଆଁ ଭେଦ ବିଚାର ନାହିଁ । ଆଉ ମଝିଘରେ ଶୋଇଛନ୍ତି ସେ, ଦେହକୁ ଦଢ଼ ଖଣ୍ଡେ ନାହିଁ, ଅର୍ଜନ ନାହିଁ, ସଞ୍ଚୟ ନାହିଁ, ସାହାପକ୍ଷ ନାହିଁ କି ବାହାବଳ ନାହିଁ, ମୁଁ କି ମୋର ବୋଲି ଆଣ୍ଟ ନାହିଁ, ତେଜ ନାହିଁ, ଶେଷରେ ଆପଣା ଘର ଭିତରେ ପାଲୁଣୀକୁ ଥାନ ଦେବାକୁ ସେ ଗୌରବ ମଣିଲେ । କ’ଣ ହେଲା କାଳ ! ସେହି ଘର ତ ସେ !

 

ଧୀରେ ଧୀରେ ବିହ୍ୱଳ ଭାବ କଟିଗଲା । ଆସିଲା ରାଗ, ସେ ବି ଗଲା । ତା’ପରେ ଯେତେ ମନ ହେଲା ରାଗିବାକୁ, ରାଗି ହେଲା ନାହିଁ । ଖାଲି ଛଟପଟ । ମଶା ଚରିଗଲେ । ଘୋରତେଇ ପୋରତେଇ ହୋଇ ବେଙ୍ଗବୋବାଳି ଶୁଭିଲା । ଲାଗିଲା ଗୋଟାଏ ନୀରସ ଘୋଷା ପରି । କ’ଣ ଭଲ, କ’ଣ ମନ୍ଦ, କ’ଣ ଘଟୁଛି, କ’ଣ ବା ନ ଘଟୁଛି, ସମସ୍ତେ ସତେ କି ନିର୍ବିକାର ସେଥିକି, ନିସ୍ପୃହ, ଅନାସକ୍ତ ।

 

ଲାଗିଲା, ଏକୁଟିଆ ସବୁ ଭାବନ ସତେ କି ତାଙ୍କରି । ଯେ ଛୁଆଁ ଅଛୁଆଁ ମାରା ଆଉ ଉଇ ଭିତରେ ଛୁଞ୍ଚି ମାଛି ପରଖ କରି ବଂଶର ମର୍ଯ୍ୟାଦା ଆଉ କୁଳର ପବିତ୍ରତା ରକ୍ଷା କରିବା, ଘରର ଟେକ ରଖିବାକୁ ଭାବିବା-ସବୁଖାଲି ତାଙ୍କରି ।

 

ଭାବୁ ଭାବୁ କେତେବେଳକେ ପୁଣି ଧାରଣା ଭିତରେ ଆଉ କୁଆଡ଼ର ସୁଅ ଆସି ମିଶିଗଲା । ଆପେ ଆପେ ପ୍ରଶ୍ନ ଉଠିଲା, ମୁଁ କାହିଁକି ଧନ୍ଦି ହେଉଥିବି ? କିଏ କୋଳି ଖାଇ କୋଳି ମଞ୍ଜି ପୋତିଛି ? କିଏ ବାଛିଲେ କି ନ ବାଛିରେ ମୋର କ’ଣ ଯାଉଛି ?

 

ଘର ଶୂନ୍‌ଶାନ୍‌ ଲାଗୁଛି । ମଝିରେ ମଝିରେ ବାରି ହେଉଛି ଗୋଟାଏ ପ୍ରକାର ଘୁଙ୍ଗୁଡ଼ି ଶବ୍ଦ । ଏକା ମଣିଷ ନୁହନ୍ତି, ସମୁଦାୟ ରାତିଟା ଯେପରିକି ଘୁଙ୍ଗୁଡ଼ି ମାରୁଛି । ଚିନ୍ତା ଭିତରେ କ’ଣ ଆଉଟାଆଉଟି ଗୋଳିଆପୋଳିଆ ହୋଇଯାଉଛି । ସେତେବେଳେ ଆଗ ଆଗ ଆସି ପହଞ୍ଚିଲା ଗୋଟାଏ ସନ୍ଦେହର ପ୍ରଶ୍ନ, ଯେ ଏଇ ଯେତେ ଯେଉଁମାନେ ଥିଲେ ପୂର୍ବାପୂର୍ବୀ ଲୋକେ,ମରହଟିଆ ସଂସାରରେ ଆପଣ ନାକ କାନ ବି ବାନ୍ଧି ଦେଇଥିଲେ, ହଜାର ପୁଣ୍ୟ ପର୍ବ ଓଷାବାର କରି ହଜାରେ ଛୁଆଁ ଛୁଆଁତା ବାରି ଘିଅ ପୋଡ଼େଇ ବ୍ରାହ୍ମଣ ଭୋଜନି କରାଉଥିଲେ, ଏତେ ବାରି ଏତେ ବାଛି କୋଉ ଘର ଏବେ ରହିଲା, କୋଉ ଜମିଦାରି ରହିଲା ନା ବଡ଼ପଣ ବଡ଼ ଖାତିରି ରହିଲା ! ଅଣ୍ଟା ହଲ ହଲ, ଅଭାବ ଲାଗି ରହିଛି, ନା ଆଶା ନା ବଳ । ଯେ ସୁଖ କରିବାର ସେ ସୁଖ କରି ସ୍ୱର୍ଗରେ ବସିଲେ, ଯେ ଦହଗଞ୍ଜ ହେବାର ସେ ଛଟପଟ ହେଇଛନ୍ତି, ଏତେ ମାନ୍ୟ ମାନତା କାଇଦା କଟକଣା, ଏତେ ନିଠେଇ ନିକୁଟି ସସ୍କାର ମାନିବା, ଦିନବାର ବାଛିବା, ତାରି ଭିତରେ ଜାତି ସାନ ବଡ଼ ଛୁଆଁ ଅଛୁଆଁ ଧରି ବସିବା-ଭାଗ୍ୟ ଧର୍ମ ପୁଣ୍ୟ ସାଇତି ରଖିବାକୁ ଏତେ ଉପାୟ କେଉଁ କାମରେ ଆସିଲା !

 

ନା ଘର ଭୁଷୁଡ଼ି ପଡ଼ିଲା ! ଯେ ଯୁଆଡ଼େ ଉଡ଼ିଗଲେ ଶିମିଳିତୁଳା ପରି, ଯେ ରହିଲେ ସେ ଖାଲି ଡିହ କନିଶିରୀ !

 

ମନେପଡ଼ିଯାଉଛି, କି ଘର ଥିଲା, କି ସରି ହେଲା ।

 

ଦଶ କୋଶରେ ନାଁ ଡାକ ଚୌଧୁରୀ ଘର, କେଉଁ ପୁରୁଣା ଅମଳର ସାମନ୍ତ, ଜମିଦାର, ଖାନ୍ଦାନ । ଧାଉଡ଼ି ଧାଉଡ଼ି ଘର, ପୁଞ୍ଜା ପୁଞ୍ଜା ଖଞ୍ଜା, ଖୁନ୍ଦାଖୁନ୍ଦି ମଣିଷ, ପୋଇଲିପରିଚାରୀ, ଚାକର ବୋଲକରା, ହାତୀ ପରି ଅମାର । କଚିରିଘର, ବିଚାରଘର, ଭଣ୍ଡାରଘରମାନ, ଠାକୁରଘର, ନାଟଘର, ବୈଠକିଘର, ରାଉଟିଘର ତମ୍ବୁ ରହିବାପାଇଁ, କେତେ କାମ ପାଇଁ କେତେ ଯେ ଘର ତା’ର ସୁମାରି ନାହିଁ । ପିଣ୍ଡା ତଳେ ହାତଯୋଡ଼ି ଠିଆହୋଇ ଗୁହାରିଆ ପଲ ପଲ । ସେ ମୁଣ୍ଡରେ ଗୋଲ ହୋଇ ଜେଲଖାନା ଘର । ଭୀମମୂର୍ତ୍ତି ହୋଇ ପାଇକଥାଟ, ଦାଣ୍ଡରେ କେବେ କେବେ ପାଇକ ଖେଳ କି କୁହାଟ କି ଶୂନଚିତ୍‌ମରା । ମନେ ପଡ଼ିଯାଉଛି, ନୂଆ ହୋଇ ଏ ଘରକୁ ବୋହୂ ହୋଇଆସିଥାନ୍ତି, ଗୋଟାଏ ବଖରା ତାଲା ଖୋଲି ଦେଇ ଭିତରକୁ ଅନାଇଁଦେଲା ବେଳକୁ ଘରଯାକ ଖାଲି ହାତ ହତିଆର ଖୁନ୍ଦା ହୋଇ ରହିଛି ଧାଡ଼ିକି ଧାଡ଼ି, ଖଣ୍ଡା ତରବାରି ଫାର୍‍ସା ତେଣ୍ଟା ଏକମୁନା ଛୁରୀକାତୀ, ପୁଣି ଓଡ଼ିଆ ନଳି ଝାମକି ନଳି ବନ୍ଧୁକ ତୋପ ଆଉ କେତେ ପ୍ରକାର ତା’ର ନାଁ ଜଣାନାହିଁ, ଘିଅ ବୋଳା ହୋଇ ସିନ୍ଦୁର ନାଇ ଝକ୍‌ଝକ୍ ଦିଶୁଛି । କେଉଁ ଭୟଙ୍କର ଅଶରୀରୀ ଆତ୍ମା ଯେପରି କି ଛପିରହିଛି ସେ ଘରେ, ଘରେ ପଶିବାକୁ ମନ ହେଉ ନାହିଁ, ସେ ଜାଗାରୁ ବାହାରି ଆସିବାକୁ ହେଇ ପାରୁ ନାହିଁ ।

 

‘‘କ’ଣ ଆଉ ସେଗୁଡ଼ାକ ଦେଖୁଚ ବୋହୂ ?’’ ସ୍ୱର ଶୁଣି ଚମକି ପଡ଼ି ପଛକୁ ଅନାଇଁଦେଲେ, ଶାଶୁ ଠିଆ ହୋଇଛନ୍ତି, ସେଥିରୁ ଭଡ଼ା ଭଡ଼ା ତ ବାରି ପଛଆଡ଼େ କୂଅ ପୋଖରୀରେ ପଡ଼ିଚି, ଆଉ ଏତକ ରହିଚି ଏ ଘରେ, ଠାକୁରାଣୀ ଅଛନ୍ତି କିନା ? ନ ଗାଧୋଇ ଲୁଗା ନ ପାଲଟି ସେ ଘରକୁ କେହି ପଶନ୍ତିନାହିଁ । ଆଉ ଦେଖୁଚବା କ’ଣ, ଦିଅ କବାଟ କିଳିଦିଅ ।’’

 

ଲାଗି ରହିଛି ମଣିଷ ପାଟି, ଗହଳି ଚହଳି । ଭାରରେ ବୁହା ହୋଇ, ଶଗଡ଼ରେ ବୁହାହୋଇ ଜିନିଷ ଆସୁଛି, କୋଉଠୁ ପନିପରିବା, କୋଉଠୁ ଚାଉଳ, କୋଉଠୁ ଘିଅ ଦୁଧ, ଘଡ଼ିକେ ପହରକେ ତୁହାଇ ତୁହାଇ ସେଗୁଡ଼ାକ ଅଛି । ମଣିଷ ଆସୁଛନ୍ତି । ଯେମିତିକି ସାରା ଅଞ୍ଚଳଟାଯାକକୁ ଉଠେଉଛି ପକୋଉଛି ଘୂରୋଉଛି ଚଳଉଛି ଏଇ ଘର ।

 

ଆଉ ଦିଶିଯାଉଛି ଉଡ଼ା ଉଡ଼ା ସିନ୍ଦୁକ, ସେଥିରେ ଜାତି ଜାତିକା ପାଟ, ଆଉ ଯୁଆଡ଼େ ସିଆଡ଼େ ବନୋଉତ, ମଖମଲ ।

 

ଆଲଟ ଚାମର, ଛତ୍ରି, ପଣ୍ଡିତଙ୍କ ସୁନାକୁଣ୍ଡଳ, ନାହାକଙ୍କ ମଙ୍ଗଳାଷ୍ଟକ, ପୁରୋହିତଙ୍କ ମନ୍ତ୍ରଧ୍ୱନି, ଭାଟଙ୍କ ବନ୍ଦନା ଗାଆଣ, ଚାକର ବାକରଙ୍କ ପାଟିତୁଣ୍ଡ, ଅସଂଖ୍ୟ ଅସଂଖ୍ୟ ଦେଉଳିଆ ପାରାଙ୍କ ଘୁମୁରା ।

 

ମନେ ପଡ଼ିଯାଉଛି, ହାଣ୍ଡି ହାଣ୍ଡି ଦୁଧ, ସେରକ ଆଉଟା ହୋଇ ମରି ମରି ପାଏ ହେଲେବି ନଉତି ନଉତି, ବରିଅଠାପରି । ଏଡ଼େ ମୋଟରେ ସର । କାଟି କାଟି ଖାଇବାକୁ ନଉତି ନଉତି ଥଲ ଥଲ ଦହି । ମହଣ ମହଣ ବଡ଼ମାଛ, ପୁରୁଷେ ଉଞ୍ଚରେ ଘର ଭର୍ତ୍ତି ହୋଇ ଆମ୍ବ, କାନ୍ଦି କାନ୍ଦି କଦଳୀ, ଯେଉଁଠିକି ଚାହିଁଦେଲେ ଖାଲି ଜିନିଷ । ଫାଟି ପଡ଼ୁଛି, ବୋହିଯାଉଛି, ପୋଇଲି ପରିବାରୀ ଯାହା ବୋହିନେଉଥିଲେ ଆଜି ତା’ଖାଉନ୍ଦେ ଆଖିରେ ଦେଖିବାକୁ ସାତସପନ ।

 

ହୁକୁମ ରଡ଼ୁ ରଡ଼ୁ ତଣ୍ଟି ପଡ଼ିଯାଏ, ଫୁଲ ଗୁନ୍ଥୁ ଗୁନ୍ଥୁ ହାତ ଘୋଳି ହୁଏ, ଆଉ ସେ ଯେଉଁ ଖନ୍ଦାଶାଳର କାମ, ମାଛ କାଟୁକାଟୁ ତ ମୁଣ୍ଡେ ବେଳ, ସେ କ’ଣ ସାମାନ୍ୟ କାମ ! ଏତେ ପ୍ରାଣୀ କୁଟୁମ୍ବ ଖାଇବେ, ତା’ର ତିନି ଗୁଣ ବାହାରର ଲୋକେ, ଅତିଥି ଅଭ୍ୟାଗତ, ବଡ଼ଘର, ବଡ଼ ନଜର, ବଡ଼ ରୋଷେଇ, ସବୁ ତ ବଡ଼ ।

 

ଭାବୁ ଭାବୁ ଚେଇଁ ଚେଇଁ ଉଠୁଛି ମନ, ମଝିରେ ମଝିରେ ଜୋର୍‌ରେ କାକର ପାଣି ଛାଟିଲା ପରି, ଟାଣକରି ନିଷ୍ଠୁର ହୋଇ ଭାବି ହେଉଛି । ‘‘ଯା ଚାଲିଯା, କାହିଁକି ଆସୁଛୁ ଗାତ ଚୁଲୀ ପଛକଥା ! ଯା ପଳା ସେହି ଅନ୍ଧାର ଭିତରକୁ ।’’ ଯାଃ, ସବୁ ଉଭେଇ ଯାଇଛି ।

 

ଭଲ ତ, ଯୁଆଡ଼ୁ ଆସି ଏ ଘର ପୁରୁଥିଲା ସେଠୁ ଆଉ ଆସୁନାହିଁ । ସେମାନେ ଆଉ ମାନୁନାହାନ୍ତି, ଦେଉନାହାନ୍ତି । ଅନ୍ୟାୟ କ’ଣ ? ସେମାନେ ଭଲରେ ଚଳୁଛନ୍ତି, ଭଲ ଲୁଗା ପିନ୍ଧୁଛନ୍ତି, ପାଠ ପଢ଼ୁଛନ୍ତି । ଏ ଦେଶରେ ଆଉ ରାଜା ଜମିଦାର ରାଜୁତି ଚଳୋଉ ନାହାନ୍ତି । ସେହିମାନେ ହିଁ ରାଜା, ଯେ ଆରେ ହାତ ପାପୁଲି ଯୋଡ଼ି ମୁଣ୍ଡରେ ଲଗାଇ କାଠ ପରି ଠିଆ ହୋଇ ରହୁଥିଲେ ପୁରୁଷୋ ଉଞ୍ଚ ପିଣ୍ଡା ତଳେ । ତାଙ୍କରି ମତ ଘେନି ଏ ଦେଶ ଚଳୁଛି, ଆହୁରି ବେଶି ବେଶି ସେ ମତ ଟାଣ ହେବ । ସେହି ସାଧାରଣ ମଳିମୁଣ୍ଡିଆ ଲୋକେହିଁ ବଳିଆର, ତାଙ୍କରି ସଂଖ୍ୟା ବେଶି, ଦେଶତ ସେଇମାନେ । ଏମିତି ବାରମ୍ବାର ବାରମ୍ବାର କହନ୍ତି ତାଙ୍କ ସ୍ୱାମୀ ସିନ୍ଧୁ ଚୌଧୁରୀ, ସେହିମାନଙ୍କ ଶୁଭ ମନାସି ଆଖି ଛଳ ଛଳ କରି କହନ୍ତି ମୋ ଦେଶ, ମୋ ଦେଶଭାଇ, ତାଙ୍କରି ମଙ୍ଗଳ ହେଲେ ଦେଶ ଗୋଟାକର ମଙ୍ଗଳ । ସ୍ଵାମୀ ଯଦି ଖୁସି ତାଙ୍କର କି ଯାଏ, ତାଙ୍କର ଆପତ୍ତି କାହିଁକି ହେବ ? ତାଙ୍କ ନିଜର ଆଉ ନିଆରା ହୋଇ କ’ଣ ଏମିତି ଦରକାର !

 

ଆସୁ, ଏ ବି ଗୋଟାଏ ବାଗ । ଗୋଟାଏ ଘର ପୂରି ରହିଥିଲା, ରାଇଜଯାକର ଘର ପୂରିରହିବ, ଗୋଟାଏ ବୁଦା ଧାନ ହୋଇଥିଲା ଆଉ ସବୁ ଥିଲେ ଅଗାଡ଼ି, ସବୁ ବୁଦା ଧାନ ହେବ, ଅଗାଡ଼ି କେହି ରହିବେ ନାହିଁ । ତା’ହେଲେ ଦିଗନ୍ତକୁ ବୋଲି ଲମ୍ୱି ରହିଥିବା ଶାଗୁଆ ଧାନକ୍ଷେତ, ଅଛିଣ୍ଡା ଚକ, ସେହି ତ ମୋ ଦେଶ-ତାଙ୍କ ସ୍ୱାମୀ କହନ୍ତି, ଶାଗୁଆ ଛନଛନିଆ, ସେହି କୁଆଡ଼େ ତାଙ୍କ ସ୍ୱପ୍ନର ଦେଶ । ସନ୍ତାନ ବୋଲନ୍ତେ ଗୋଟିଏ ବୋଲି ଝିଅ, ତା’ର ବି ସେହି ସ୍ୱପ୍ନ ପରା, ସେହି ମୋହ ତାକୁ ବି ଘୋଟିଛି । ତେବେ ଆଉ ବାକି ରହିଲା କିଏ ? ସେ ନିଜେ ତ-ଗୋଟାଏ ମଣିଷ, ପେଟକୁ ମୁଠିଏ, ଦେହକୁ ଖଣ୍ଡେ ପିନ୍ଧିବାକୁ, ସେତିକିରେ ଭାଗୀ । ଏତେ ସନ୍ଦେହ, ଏତେ ଆପତ୍ତି କାହା ଲାଗି ତେବେ ? ହୁଏତ ସ୍ୱାମୀ ଆଉ ଝିଅଙ୍କର ବାଟ ହିଁ ଠିକ୍ । ତାଙ୍କ ମାର୍ଗର ଦେବତା ବଇଷମ ବି ଅଛନ୍ତି । ସେହି ଗାନ୍ଧୀ ମହାତ୍ମା, ଯାହାଙ୍କୁ କେବେ ସେ ଦେଖି ନାହାନ୍ତି, ସେ କୁଆଡ଼େ କହୁଥିଲେ ସେମିତି ସବୁ କଥା, ଜାତି ଅଜାତି ନାହିଁ, ସବୁଠୁ ବଡ଼ ଧର୍ମ ମଣିଷକୁ ଭଲ ପାଇବା ।

 

ଭଲ ପାଇବା–କାହାକୁ ନିଜେ ସେ କେବେ ଖରାପ ପାଇଥିଲେ ! ଝିଅ କହୁଥିଲା, ଘର ଦୁଆର ଭାସିଯାଇଛି, ଥାନ ନାହିଁ, ରାହା ନାହିଁ । କେମିତି ଅବସ୍ଥା ସେ ! ହେଇ ଯେମିତି ଉଭେଇଗଲା ଚୌଧୁରୀ ଘରର ବୈଭବ, କାହାଣୀ ନିଭିଆସିଲା । ନା, ତଥାପି ତ ଏ ଡିହଟ ଅଛି, ଜମି ବି କିଛି ଅଛି । ହାତ ଚଳୁଛି । ସେମିତି ନୁହେଁ, ଯେମିତି କି ସତେ ସତେ ଏ ଘର ଖଣ୍ଡକ ବି ଭାସିଯାଇଛି । ପାଣି, ପାଣି, ବନ୍ଧ ଉପରକୁ ଉଠିଗଲେ ଯେମିତି ଦିଶେ । ଆଉ ଅରକ୍ଷ ପଲ ପଲ, ଆଗକୁ କେହି ନାହିଁ, ପଛକୁ କେହି ନାହିଁ । ହେଇ କିଏ ଭାସି ଯାଇଛି, କେଡ଼େ ଆତୁର ହୋଇ ଡାକୁଛି, ଓଃ, କିଏ ଯାଅ, କିଏ ଯାଅ କାହାର ସଂସାର ସରିଯାଉଛି ଯେ, ମଣିଷ ତ ସମସ୍ତେ....

 

ଆଉ ଥରକୁ ବରଷା ଝମ୍‌ଝମ୍‌ ଅଜାଡ଼ିଲା ବେଳକୁ ତାକୁ ନିଦ ହୋଇଯାଇଥିଲା ।

 

ଫଜେରା ଫାଟି ନଥାଏ ଛବି ଉଠିପଡ଼ିଲା । ସତୁରାର ନାତୁଣୀବୋହୂ କେତେବେଳୁ ଉଠିପଡ଼ି ତିଆର ହୋଇ ବସିଛି । ଛବି ଯିବାକୁ ବାହାରିଲା, ଯଶୋମତୀ କହିଲା, “ଚାଲ ମୁଁ ବି ଯିବି-।’’

 

‘‘ୟେ କ’ଣ, ୟେ କ’ଣ, ଛୋପରୀ ହଉଚୁ ?’’ ଛବି କହିଲା, ତତେ ଆଣି ଏଠି ଛାଡ଼ିଲି, ଝଡ଼ି ବରଷାରେ ପିଲାକୁ ଧରି କୁଆଡ଼େ ଯିବୁ ?’’ ଯଶୋମତୀ ହସିଲା, କହିଲା, ‘‘ମୁଁ କ’ଣ ଏକୁଟିଆ-? କେତେ ତ ପଡ଼ିଚନ୍ତି ମୋରି ପରିକା, ସମସ୍ତେ ଯୋଉଠି ମୁଁ ବି ରହିବି ସେଇଠି, ଦି’ଦିନ ସୁଖ କଲେ କ’ଣ ନ କଲେ କ’ଣ, ଆମ କପାଳ ତ ସେଇଆ ।’’

 

ଯେତେ ମଙ୍ଗେଇଲେ ସେ ମଙ୍ଗିଲା ନାହିଁ । ଯେପରି କି ସ୍ୱପ୍ନରୁ ଉଠିଛି । ଲାଜେରା ଲାଜେର ହୋଇ ଠିଆ ହୋଇ ରହିଛି, ବହୁତ କଥା ସେ ମନକଲେ କହି ପାରନ୍ତା, କହିବ ନାହିଁ ।

 

ସିନ୍ଧୁ ଚୌଧୁରୀ ଉଠିପଡ଼ିଲେ । କହିଲେ, “ଟିକିଏ ରହ, ମୁଁ ବି ଯାଉଛି ।’’ ଅଳ୍ପ ସମୟ ପରେ ସେମାନେ ତିନିହେଁ ବାହାରି ଚାଲିଗଲେ । ଛବିର ବୋଉ ସେମିତି ଶୋଇ ରହିଥାନ୍ତି ।

 

ଖଣ୍ଡେ ଦୂରରୁ ଘୁଘୁ ଶବ୍ଦ ଶୁଭୁଥାଏ । ଟିକିଏ ବାଟ ନ ଯାଉଣୁ ବାରି ହୋଇ ପଡ଼ିଲା । ସମସ୍ତେ ଚିତ୍କାର କରି ଉଠିଲେ, “ବନ୍ଧ ଭାଙ୍ଗିଛି ! ବନ୍ଧ ଭାଙ୍ଗିଛି !’’ ଗଉଡ଼ସାହି ପାଖେ ପହଞ୍ଚିଲାବେଳକୁ ମଣିଷ ନାହାନ୍ତି । ତା’ପରେ ଖଣ୍ଡେ ଦୂର ଗଲାରୁ ଆଗରେ ହେଇ ସେଠି ଘାଇ ମେଲା ହୋଇଛି, କୁଦା ମାରି ମାରି ପାଣି ଡେଉଁଛି, ଡାହାଣପଟେ ସତେ କି ସମୁଦ୍ର ଧାଇଁ ଧାଇଁ ଯାଉଛି, ଦାଢ଼ରୁ ଦୂରଛଡ଼ା ଦେଇ ଗହଳି ହୋଇ ମଣିଷ ବେଢ଼ିଛନ୍ତି । ହାଉଯାଉ ଲାଗିଛି ।

 

ସେତିକିବେଳେ ସେମାନେ ଖବର ପାଇଲେ ଯୋଗୀସାହିର ରୋହିନାଥ ଆଉ ତା’ ସ୍ତ୍ରୀ ଦୁଲୀ ଦେଖା ନାହାନ୍ତି, ସେମିତି ପାଣସାହିର ବାତୁଆ ବୁଢ଼ା ଫଗୁ ଗୋଛେଇତ, ଯେତେ ଖୋଜା ଖୋଜି ପଚରା ପଚରି ହେବାର ହୋଇ ସାରିଛି । ସେମାନେ ନାହାନ୍ତି । ହୁରି ପଡ଼ିଛି-ଭାସି ଯାଇଥିବେ ସେମାନେ-ଜୀଅନ୍ତା ଜୀଅନ୍ତାରେ ବୁଡ଼ି ମରିଥିବେ ପରା ! ସମସ୍ତିଙ୍କର ଆକୁଳ ବିକଳ, ସମସ୍ତିଙ୍କ ତୁଣ୍ଡରେ ଆହା ପଦ । "ଖୋଜିବା ଦରକାର’’ ସେତିକି କି ଆଉ କିଏ ?’’ ‘‘ଡଙ୍ଗା କାଇଁ-?’’ –ପ୍ରଶ୍ନ ସମସ୍ତିଙ୍କ ତୁଣ୍ଡରେ । ଉତ୍ତର ନାହିଁ ।

 

‘‘ହା ଭଗବାନ୍ !’’ ସିନ୍ଧୁ ଚୌଧୁରୀଙ୍କ ପାଟିରୁ ଆପେ ଆପେ ବାହାରି ପଡ଼ିଲା । ଆଗେ ଯେଉଁଠି ଯୋଗୀସାହି ଥିଲା, ସେହିଆଡ଼କୁ ସେ ଅନାଇଁ ଅନାଇଁ ବନ୍ଧ ଉପରେ ଥକ୍‌କା ହୋଇ ଠିଆ ହୋଇ ରହିଥାନ୍ତି । ନଈବନ୍ଧରେ ପାଞ୍ଚ ଶହ ହାତ ହେବ ଘାଇ ମୁହଁ ମେଲା ହୋଇଛି, ସେହି ବାଟେ ଚାଲିଛି ସତେ କି ଆଉ ଗୋଟାଏ ନଈ, ଗହୀରଯାକ ସବୁ ଏକାଠି ହୋଇ ହୋଇଛି ଗୋଟାଏ ସମୁଦ୍ର । ସେପଟେ ଗଉଡ଼ସାହି ତଳକୁ ବୋଲି ପାଣି ଲାଗିଗଲାଣି । ଏପାଖରୁ ସେପାଖ କୂଳ ଦିଶୁ ନାହିଁ, କେଉଁଠି ଯୋଗୀସାହି ଥିଲା, କେଉଁଠି ବାଉରିସାହି ଥିଲା କିଛି ବାରି ହେଉ ନାହିଁ । ସେଠି କେଉଁଠି ଗଛଟିଏ ଦିଶୁ ନାହିଁ କି କାନ୍ଥବାଡ଼ ବି ଦିଶୁ ନାହିଁ । କେବଳ ରାଉ ରାଉ ଗର୍ଜନ କରି କରି ଅସଂଖ୍ୟ ନୀଚରେ ଡେଇଁ ଡେଇଁକା ପାଣି ଚାଲିଯାଉଛି । ଥଳ କୁଳ ନାହିଁ ।

 

‘‘କୁଆଡ଼େ ଗଲେ କିଏ । ଯିବାକୁ ପଡ଼ିବ ଯେ । ଆମେ ଏମିତି ଠିଆ ହୋଇ ଜୁଳୁ ଜୁଳୁ କରି ଅନେଇଥିବା, ଲୋକଗୁଡ଼ାକ ଭାସିଯିବେ ! ଏମିତି ତ କେତେ ଗାଁରେ କେତେ ଘରେ ମଣିଷ ଭାସି ଯାଇଥିବେ ! ଡଙ୍ଗା ପେଇଁ କିଏ ଯାଇଚି ? ଓଃ ! କ’ଣ ହବ ! କ’ଣ କରିବା ?” କାଉଳି ହୋଇ ଛବି ପାଟି କରି କରି ବୁଲୁଛି, ଅନାଉଛି ଯା ମୁହଁରୁ ତା’ ମୁହଁକୁ । ଆଖିରୁ ଟପ ଟପ ଲୁହ ବୋହୁଛି ।

 

‘‘ହେଇ, ଥଏ ଧର ମା’ !’’ ତା’ ବାପା ବୁଝାଉଛନ୍ତି, ‘‘ଏମିତି ବାଇଆଣୀ ହେଲେ କ’ଣ ହବ ? ହୁସିଆରି ହୁସିଆରି, ପାଣି ପାଖକୁ ଯାଆନା । କିଏ କ’ଣ ଅତଡ଼ା ତଳେ ନାଖିଚି ଯେ ଏମିତି ବିକଳ ହେଇ ଧାଇଁଚୁ ? ଅତଡ଼ା ଛିଣ୍ଡିଲେ ପାଇବୁଟି ଜାଣିଥା–’’

 

ଛବି କାନ ଦେଉ ନାହିଁ । କେତେବେଳେ ତୀର ପରି ଦୌଡ଼ିଯାଉଛି ଘାଇ ଭଙ୍ଗା ଦାଢ଼ିଆଡ଼କୁ, ଆଗ ପଛ ବିଚାର ନାହିଁ, ପିନ୍ଧାଲୁଗା ଫଡ଼କୁଛି, ମୁଣ୍ଡର ବେଣୀ ଫିଟିପଡ଼ି ଲହ ଲହ ହେଉଛି । ଦୌଡ଼ି ଯାଉଛି, ଥକକା ହୋଇ ଅତଡ଼ା ତାଳୁରେ ଠିଆ ହୋଇ ରହି ସାମ୍ନାକୁ ଅନାଉଛି, ବାଏଁ ଡାହାଣେ ଅନାଉଛି । ଲୁହ ଥମ୍ୱିଯାଉଛି । ମୁହଁରେ ବାଜୁଛି ନଈକୂଳିଆ ପବନ । ଆଉ ଚାହିଁ ଚାହିଁ ଦେଖୁଛି ।

 

ପଛରୁ କିଏ ଡାକୁଛି, “ହେଇ ଚାଲି ଆସ-ହେଇ ସେଠିକି ଯାଆନା-’’ ତୁହାଇ ତୁହାଇ ସେହି ସେହି ଡାକ କାନ ଅତରା ପକାଇ ପାଣିର ଘୋଘୋ ଶୁଭୁଛି । ଆଗରେ ସେହି ଦୃଶ୍ୟ, ଭୂଇଁ ଅଦୃଶ୍ୟ ହୋଇଛି, ଖାଲି ପାଣି-ପାଣି । ମୁଗବର୍ଣ୍ଣର ଆକାଶ, ଫାଙ୍କା । କିନ୍ତୁ ସେ ଦୃଶ୍ୟ ଦେଖୁନାହିଁ, ମୁହଁଟା ଖାଲି ଡେରି ରଖିଛି । ମନଭିତରେ ରୂପ ଦେଖୁଛି-ସବୁ ଓଲଟ ପାଲଟ କରି ତୋଫାନ ଚାଲିଛି, ଯେମିତି ଚାଲେ ବୈଶାଖର ଝଡ଼ ଗୋଟାକୁ ଗୋଟା, ଘରର ଚାଳଗଡ଼ାକ ଉପରକୁ କୁଦା ମାରେ । ଆକାଶରେ ବହଳ କୁଟାନିଆଁ ପରି ଧୂଳି, ଥାଏ ଥାଏ-। ସୁ ସୁ ହୋଇ ଚାଳରୁ ଅରାଏ ଅରାଏ ଜାଗାରେ କୁଟାଗୁଡ଼ାକ ଉପରକୁ ଉଡ଼ିବାକୁ ଆରମ୍ଭ କରେ, ତା’ପରେ ଆହୁରି ଆହୁରି, ତା’ପରେ ଚାଳ ଓଲଟେ, ଗଛ ଉପୁଡ଼େ, ଡାଳ ଭାଙ୍ଗେ, ବିଜୁଳି ମାରେ, ତୋଫାନ ପିଟେ, କ’ଣ ଯେ ଘଟିଯାଏ । ସେମିତି ତା’ର ମୁଣ୍ଡ ଘୂରେଇ ଘୂରେଇ ଉଡ଼ି ଚାଲିଛି ପ୍ରଳୟ । ମଣିଷର ସଂସାର ଛାରଖାର ହୋଇଛି । ମଣିଷର କୁଳ ଲୋପ ହୋଇଛି । ହଠାତ୍ ତୋଫାନ ଆଗରେ ବିରାଟ ଫାଙ୍କା ଆକାଶର ବିସ୍ତୃତି ଆଗରେ ଗୋଟିକିଆ ଫଡ଼ ଫଡ଼ ସାନ ଚଢ଼େଇଟିଏ ପରି ଡେଣା ମେଲାଇ ଛାତି ପତେଇ ରହିବାକୁ ବାରମ୍ୱାର ଉଠିବାକୁ ଚେଷ୍ଟା କରୁଛି ତା’ର ସ୍ନେହ ସହାନୁଭୁତିମୟ ମଣିଷପଣିଆ-। ସତେ କି ସେହି ପ୍ରଳୟର ସଂଘାତରେ ତା’ର ଆପଣାଠି ନିଶା ଚହଟିଛି, ସେହି ଚହଲା ଦୃଶ୍ୟ ଉହାଡ଼ରୁ ଛୁଟିଆସୁଛି ଗୋଟାଏ ଅଦେଖା ଆକର୍ଷଣର ଟଣାଓଟରା । ମନ ହେଇଛି ସେ ବି ଯିବ ଚାଲି ସେହି ପ୍ରଳୟ ଭିତରକୁ, ସେହି ଯେଉଁଠି ଘର ଭାସିଯାଇଛି, ମଣିଷ ଭାସିଯାଉଛନ୍ତି, ସଂସାର ଉଜୁଡ଼ୁଛି ତାହାରି ଭିତରକୁ ।

 

ପଛଆଡ଼ୁ, କାନ୍ଧ ଉପରୁ ଟାଣ କରି ଧରି ଝାଙ୍କି ପକାଇଛି କିଏ ? ବାପା । ସେହି ଘାଇଭଙ୍ଗା ଅତଡ଼ା ତାଳୁରେ ଠିଆ ହୋଇ ଦୀର୍ଘକାୟ ସିନ୍ଧୁ ଚୌଧୁରୀ ଝିଅର ମୁହଁକୁ ଅନାଇ ଚାହିଁଛନ୍ତି । ଏ କ’ଣ ହୋଇଛି ତା’ର ! ପାଗଳ ପରି ଚାହାଣି, ଆଖିର ଆଲୁଅ ଘୂରୁଛି । ସେଇଠି ଚାଲିଛି ତୋଫାନ ଆଉ ନଈବଢ଼ି ଆଉ ତା’ର ପ୍ରଳୟର ବେଗ । ଟିକି ଚଢ଼େଇ ଛଟପଟ ହେଉଛି ।

 

ଶାନ୍ତ ସ୍ଵରରେ ସେ କହୁଛନ୍ତି, “ଚାଲିଆ ମା’, ଚାଲିଆ । ନୂଆ ଦେଖିଲେ ଏମିତି ଲାଗେ, ମୁଣ୍ଡ ବୁଲେଇଦିଏ । ଏ ଅତି ଭୟଙ୍କର, ଆମର ଚାଲିଆ ।”

 

ତା’ର ହାତ ଧରି ଓଟାରି ନେଇ ଆସୁଛନ୍ତି ।

 

ମୁହଁ କେମ୍ପେଇ କେମ୍ପେଇ ଓଠ କାମୁଡ଼ି ଲୁହ ଝର ଝର ହୋଇ ଛବି କହୁଚି, ‘‘ଗାଁ ଗଣ୍ଡା ଘର ଦ୍ଵାର ଗଛ ବୁରୁଛି ମଣିଷ ଗାଈ ଗୋରୁ-’’

 

ଗୋଟି ଗୋଟି କରି ଉଚ୍ଚାରଣ କରୁଛି, ଛାତି ଚଞ୍ଚଳ ଉଠୁଛି ପଡ଼ୁଛି, ଦେହ ଥରୁଛି, କହୁଛି, ‘‘କୁଆଡ଼େ ସବୁ କ’ଣ ହେଲା ?’’ “ଗଲାବେଳେ ଯାଏ ।’’

 

ତା’ର ସେହି ଲୁହ ଟଳଟଳ ଆଖି, ବେଦନା ପାଲଟିଥିବା କରୁଣାର ଚୁମ୍ବକ ଆକର୍ଷଣ ତାଙ୍କର ଶାନ୍ତ ସଂଯତ ମୁହଁରେ ବି ସେହି ଭାବର ତରଙ୍ଗ ଖେଳାଇଦେଲା । ଦୀର୍ଘଶ୍ୱାସ ଦାବି ରଖି ସେ ପୁଣି କହିଲେ–

 

‘‘ଯାଏ, ଫେର୍‍ ନୂଆ ହୋଇ ଆସେ । ଏଇ ତ ଏ ଖେଳ । ଆ ଯିବା ।’’

 

‘‘ଖେଳ !’’

 

‘‘କ’ଣ ଆଉ ? ଆମର ଖେଳ ଆମେ ଖେଳୁ । ଦଇବର ଖେଳ ଦଇବ ଖେଳେ । ତୁ କାହିଁକି ଏମିତି ଛଟପଟ ହେଉଛୁ ? ଦେଖୁନୁ, କେତେ ଲୋକ ଜମା ହେଇଛନ୍ତି । ତୋ ଘରଖଣ୍ଡ ତ ଶୁଖିଲା ଅଛି, ତାଙ୍କ ଘରସବୁ ଯାଇଛି । ସେମାନେ ତା’ ବୋଲି କ’ଣ ଆଉ କରିବେ ? ଯେତେବେଳେ ଯାହା ହବାର ତା’ ହୋଇଯିବ । ପାଣି ଛାଡ଼ିଯିବ, ଜମିରୁ ବାଲି କଢ଼ା ହେବ, ଘର ତୋଳା ହେବ, ସଂସାର ତ ରହିବ ନା ଚାଲିଯିବ ଏମିତି ଗୋଟାଏ ବଢ଼ିରେ ?’’

 

‘‘ଲୋକ ଭାସିଗଲେ ଯେ !’’

 

ମୁହଁ ଶୁଖେଇ ବୁଢ଼ା ଗୋକୁଳି ନାଥ ଯୋଗୀ କହିଲା, “ଗଲେ । ତାଙ୍କ କର୍ମ । କର୍ମକୁ କିଏ ଏଡ଼ିବ ?”

 

"ଆଉ ଆମେ ଏମିତି ଦେଖେଣାହାରୀ ହେଇ ଠିଆ ହୋଇଥିବା ?’’

 

“କ’ଣ ଆଉ କରିବା ? ଚାରା କ’ଣ ମା’’ ? ଆମେ ମନ କଲେ କର୍ମ ବଦଳିବ ? ଡଙ୍ଗା ଆସିବ । ଖୋଜାଖୋଜି ଲାଗିବ । ଦେଖାହବ ସେତେବେଳେ ।’’

Unknown

 

ଗହଳି ହୋଇ ମଣିଷତୁଣ୍ଡ ଘୋ ଘା ଶୁଭିଲା–‘‘ଡଙ୍ଗା-ଡଙ୍ଗା, ହେଇ ଡଙ୍ଗା–’’ ସତକୁ ସତ ଦୂରରେ ଦିଶୁଛି ଗୋଟିକିଆ ଡଙ୍ଗାଟିଏ ଆସୁଛି । ସେଥିରେ ଚାଳ ଅଛି । ସକାଳ ଆଠଟା ବେଳେ ଠିକ୍ ସୂର୍ଯ୍ୟାସ୍ତ ପଛ ପରି ଯେଉଁ ଆଲୁଅ ପଡ଼ିଛି ସେଥିରେ ଗୋଟି ଗୋଟି ହୋଇ ଆକାର ବାରି ହେଉଛି । ଆହୁଲା ପଡ଼ୁଛି । ମଣିଷ ଠିଆ ହୋଇଛନ୍ତି ।

 

ଫୁଲଶରାର ଡଙ୍ଗା କୂଳରେ ଲାଗିଲା । ଧୋବେଇ ମିଶ୍ର ଓ ତାଙ୍କ ଦଳ ଓହ୍ଲେଇ ଆସିଲେ, ସେପାଖୁ ଗହଳି ହୋଇ ପାଟେଳିଗାଁର ଲୋକେ ଡଙ୍ଗାଆଡ଼କୁ ସୁଅ ପରି ବୋହିଗଲେ, ସତେ ଯେପରି ସ୍ୱର୍ଗରୁ ଈଶ୍ୱରଙ୍କ ଦୂତ ଆସି ପହଞ୍ଚିଛନ୍ତି । ଯେ ଏଇଠି ଏଇ ଡଙ୍ଗାରେ ସମସ୍ତିକୁ ଜୀବନ ଅଟକିଛି ।

 

‘‘କୁଆଡ଼ର ଏ ଡଙ୍ଗା ?’’ ‘‘କ’ଣ ସରକାରୀ ଡଙ୍ଗା ?’’ ‘‘ପଛରେ ଆଉ ନାହା ଅଛି ?’’ ‘‘କ’ଣ ସାହାଯ୍ୟ ପାଇଁ ଜିନିଷପତ୍ର ଆସିଛି ?’’ ଏକାଠି ନାନା ତୁଣ୍ଡରେ ନାନା ପ୍ରଶ୍ନ, ପୁଣି ନାନା ଆତୁର ସ୍ୱରରେ ଆକୁଳ ବିକଳ । ବହୁତ ଗାଁ ବୁଲି ବୁଲି ବହୁତ ଜାଗାରେ ବହୁତ ପ୍ରକାର ସାହାଯ୍ୟ କରି କରି ଧୋବେଇ ମିଶ୍ର ଆସି ପହଞ୍ଚିଛନ୍ତି । ସଙ୍ଗରେ ଫୁଲଶରାର ନାଉରି ବାସୁ, ଜଇରାମ, ପଠାଣି, ଲିଙ୍ଗରାଜ, ଶିରୀକେଣ୍ଡା ଗାଁର କଳ୍ପତରୁ ପହରାଜ, ବଡ଼ଶିଳିବିନ୍ଦାର ବାନାମ୍ୱର ଭୂୟାଁ, ଗବସାହିର ଉପେନ୍ଦ୍ର ପଟ୍ଟନାଏକ, ବୈରିପୁରର ଗଗନ ସାହୁ, ପଦ୍ମପଡ଼ାର ହୃଷୀକେଶ ରାଉତରା । ଏକାଠି ଦଶ ଜଣ ଲୋକ । ବାଟରେ କିଏ କେଉଁଠି ଚଢ଼ିଛି, କିଏ କେଉଁଠି ଓହ୍ଲେଇ ଯାଇଛି, ଭିନ୍ନ ଭିନ୍ନ ପାଞ୍ଚ ଖଣ୍ଡି ଗାଁରୁ ଏ ଜଣେ ଜଣେ ରହିଯାଇଛନ୍ତି କର୍ମୀ ହୋଇ । ଫୁଲଶରାରୁ ସାହାଯ୍ୟ ପାଇଁ ଯେତେକ ପଦାର୍ଥ ଆସିଥିଲା ବାଟରେ ତହିଁରୁ କେତେ ଭାଗ ଖର୍ଚ୍ଚ ହୋଇଯାଇଛି, ଯେଉଁଠୁ କିଛି ସାହାଯ୍ୟ ମିଳିଛି ତହିଁରେ ମିଶିଛି, ବାଟଯାକ ଚାଲିଛି ଲୋକଙ୍କୁ ସାହାଯ୍ୟ ଦେବା କାମ ଓ ଅସୁବିଧା ଥାନରୁ ସୁବିଧା ଥାନକୁ ନିରାପଦକୁ ନେଇଯିବା କାମ ।

 

ଧୋବେଇ ମିଶ୍ର ମଝିରେ ଠିଆ ହୋଇଥାନ୍ତି, ତାଙ୍କର ଶାନ୍ତ ସୌମ୍ୟ ବିନୟୀ ମୁହଁଟି ଗମ୍ଭୀର ହୋଇ ତଳକୁ ଝୁଲି ରହିଥାଏ । ସବୁ ପ୍ରାରମ୍ଭିକ ପ୍ରଶ୍ନର ଉତ୍ତର ଦେଇସାରି ସେ ଏଠା ଦୁର୍ଦ୍ଦଶାର କାହାଣୀ ଶୁଣୁଥାନ୍ତି । ହଠାତ୍ ତାଙ୍କ ଉପରେ ସମସ୍ତିଙ୍କ ନିର୍ଭର ଲଦି ହୋଇଥାଏ, ଯେ ଏଇ ସବୁ ତୁଲେଇବେ, ଏଇ ସବୁ ପାରିବେ ।

 

ଲୋକେ ଭାସିଯିବା ଖବର ଶୁଣି ସେ ଚମକି ଉଠିଲେ । କହିଲେ, “ଆଉ ମାଣ୍ଟେଇବାକୁ ବେଳ କାହିଁ ? ପ୍ରବଳ ସୁଅରେ କିଏ ଥିବ, କିଏ ନଥିବ । ଆମେ ତ ଅଛୁ । ଯିବା ଦରକାର, ଖୋଜିବା ଦରକାର ।’’

 

ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ ପାଇଁ ବନ୍ଦୋବସ୍ତ ଆରମ୍ଭ ହୋଇଗଲା । କିଛି ଜିନିଷ ଓହ୍ଲେଇ ଦିଆହେଲା । ଧୋବେଇ ମିଶ୍ର ଓ ନାଉରି ଚାରି ଜଣଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଓହ୍ଲେଇ ପଡ଼ି ରହିଲେ ।

 

ଡଙ୍ଗା ଛାଡ଼ିବାକୁ ଅଳ୍ପ ବେଳ ଅଛି, ଛବି ଉଚ୍ଛନ୍ନ ହେଲା ସେ ବି ଡଙ୍ଗାରେ ଯିବ । ତର ତର ହୋଇ ଡଙ୍ଗାରେ ବସିପଡ଼ିଲା । ଆପତ୍ତି କରୁ କରୁ ସିନ୍ଧୁ ଚୌଧୁରୀ ନିଜେ ଯାଇ ଡଙ୍ଗାରେ ବସିଲେ । ଚାରିଆଡ଼େ ତୀବ୍ର ଉତ୍ତେଜନା । ସିନ୍ଧୁ ଚୌଧୁରୀଙ୍କୁ ଲାଗୁଥାଏ, ତାଙ୍କ ପାଦ ବି ଭୂଇଁରୁ ଉଠିଯାଇଛି । ମୁଣ୍ଡ ଭିତରେ ଚିନ୍ତା ନାହିଁ, କେବଳ ଭାବ । ଯାକି ଯୁକି ହୋଇ କୂଳପାଖେ ଲୋକେ ଠିଆ ହୋଇଛନ୍ତି, ସାନ ବଡ଼, ସରଳ କପଟୀ, ସ୍ତ୍ରୀ ପୁରୁଷ । ହେଇ ତ ନୀଳୁ ଦାସ, ତନ୍ତ୍ରବୁଦ୍ଧିର ଅବତାର । ଅଗଣି ରାୟ ଓ ଗଦେଇ ଲେଙ୍କା, ଗାଁର ଦୁଇ ଟାଉଟର, ବୁଢ଼ା କମାର ଲୋକା ନାହାକ, ରାଗରେ ଫଁ ଫଁ ତମ୍ପ ପରି ହେଉଥିଲା । ହେଇ ଆସି ଚୁପ୍ ହୋଇ ଠିଆ ହୋଇଛି ହରି ସାହୁ, ଗାଁ ଦୋକାନୀ । କାହାରି ମୁହଁରେ କଠିନତା ନାହିଁ, ଅନ୍ୟ ଭାବ ନାହିଁ । ଏହି ମୁହୂର୍ତ୍ତରେ ସେମାନେ ଏକ ମନୁଷ୍ୟଭାବରେ ଏକାଠି ହୋଇଛନ୍ତି । ମଣିଷର ମଙ୍ଗଳ ହେଉ, ଏତିକି ତ ସେ ମୁହଁର ଛବିର ଅର୍ଥ । ‘‘ଝିଅଟା ଜିଗର ଧରିଛି ଯିବ ବୋଲି, ଗଲେ କ’ଣ ହେଲା, ଘେରାଏ ଯାଇ ଫେରିଆସିବା କଥା–’’ ଭିଡ଼ ଠେଲି ଠେଲି ଆହୁରି କେତେ ଲୋକ ଡଙ୍ଗା ଆଡକୁ ମାଡ଼ିଆସିଲେ । ଧୋବେଇ ମିଶ୍ର ମନା କଲେ–“ଏତେ ଲୋକ ଯିବେ ନାହିଁ । ସମସ୍ତେ ରହି ଏଠିକା ଖବର ବୁଝ ।’’ ଯୋଗୀସାହିର ରଘୁନାଥ ଆସି ବସିଲା । ପାଣ ସାହିରୁ ନିଜେ ସଦା ଗୋଛେଇତ, ସେ ସାହିର ସାମାନ୍ୟ ଥିଲାବାଲା । ସାହି ଲୋକେ ମାନନ୍ତି । କୂଳର ଲୋକେ କୁହାକୋହି ହେଉଥାନ୍ତି-ଏ ଏ ବିପଦ ଭିତରକୁ ଝିଅଟିକୁ ସଙ୍ଗରେ ଧରି ଚୌଧୁରୀ ନିଜେ କୁଆଡ଼େ ବାହାରିଲେ ? ‘‘ଫେରିଆସ–ଫେରିଆସ–ସେମାନେ ତ ଯାଉଛନ୍ତି, ତୁମେ ପୁଣି କୁଆଡ଼େ ?’’

 

ସିନ୍ଧୁ ଚୌଧୁରୀ ପ୍ରସନ୍ନ ହୋଇ ହସିଦେଲେ ।

 

ଡଙ୍ଗା ଛାଡ଼ିଦେଲା । କୂଳରେ ଥିବା ଲୋକଙ୍କ ଭିତରୁ ଉଠିଲା ଗୋଟାଏ ପ୍ରବଳ ‘ହରିବୋଲ’ ଧ୍ୱନି । ଡଙ୍ଗାଟା ଆଖିରୁ ଅନ୍ତର ନହେବା ଯାଏ ସେମାନେ ଅନାଇଁ ରହିଥିଲେ । ତା’ପରେ ଉତ୍ତେଜନା କମି କମି ଆସିଲା । ଆଲୋଚନା ଲାଗିଗଲା–

 

"ଆଜି ଫେରିବେଟି !”

 

"କିଏ କହିପାରିବ ? ବଢ଼ିଲା ନଈ କଥା–’’

 

"ଯାହା ତ ହେବାର ହୋଇଯିବଣି, ଯାଇ କ’ଣ କାହାକୁ ରକ୍ଷାରକ୍ଷଣ କରିହେବ ?’’

 

‘‘ସେକଥା କିଏ କହିବ ? ମଣିଷ ହାତରେ ଅଛି ଚେଷ୍ଟାକରିବ, ତେଣିକି–’’

 

"ଧନ୍ୟ କହିବ ଛାତିକି !” ‘‘ଏଇଆଙ୍କୁ ଯେ କହିବ ମଣିଷ ।’’

 

ବୈରିପୁରର ଗଗନସାହୁ ବୁଝେଇ ବସିଲେ-‘‘ଆରେ ବାବୁ, ଏଇଟା ତ ସେମାନଙ୍କର ଦୀକ୍ଷା ହେଇଚି, ଏ କ’ଣ ଖାଲି ଲୋକଦେଖାଣିଆ କାମ ? ତାକୁ ସାଙ୍ଗରେ ଓଳିଏ ରହିଗଲେ ଲୋକ ଆପେ ବୁଝିପାରିବ । ପର ଆପଣା ନାହିଁ, ଫୁଲଶରା ଗାଁ ଗୋଟାକଯାକ ସତେ କି ଗୋଟିଏ ପରିବାର । କୋଠରେ ଚାଷ, କୋଠରେ ଚଳଣି, ସମସ୍ତେ ଆପଣାକୁ ଛାଡ଼ିଦେଇ ଆଉ ସମସ୍ତିଙ୍କ ହିତ କରିବାକୁ ଲାଗିପଡ଼ିଚନ୍ତି । ଈଶ୍ଵରଙ୍କ ଠେଇଁ ଭକ୍ତି ଊଣା ନାଇଁ, ଏଣେ ମଣିଷକୁ ଧରିଛନ୍ତି ଅସଲ ଠାକୁର ବୋଲି । ସେ କେତେ କଥା, ପୁରାଣବୋଲା ନୁହେଁ, ଫୁଲଶର ଗଲେ କାମରେ ଦେଖିବ । ସେମିତି ଲୋକଙ୍କୁ-ମଣିଷ ବିପଦରେ ପଡ଼ିଛନ୍ତି ବୋଲି ମନରେ ଜାଗିଗଲେ ତ ବାଇ ଲାଗିଯାଉଚି ଛାଏଁ ଛାଏଁ, କିଏ କଅଣ ବତେଇଚି ନା ଭେଳେଇଚି ?’’

 

ବଡ଼ଶିଳିବିନ୍ଦାର ବାନାମ୍ୱର ଭୂୟାଁ ମୁଣ୍ଡ ହଲେଇ ହଲେଇ କହିଲେ ସତକଥା । ମଣିଷ ଆଖିରେ ନଦେଖିଲେ ବିଶ୍ୱାସ କରିବ ନାଇଁ । ମଣିଷର ଆତ୍ମାକୁ ହୃଦକୁ ଯେ ଚିହ୍ନିଚନ୍ତି ସେମାନେ । ଧନ୍ୟ କହିବ ! ଜାତି ଅଜାତି ନାଇଁ, ସାହୁ ଖାତକ ନାହିଁ, ଏତେ ଟିକିଏ ବୋଲି ଅଳସ ନାହିଁ । ଆଗ ଏଇ ନଈବଢ଼ି କାମରୁ ଦେଖୁନା, ଅଖିଆ ଅପିଆ ରାତିଦିନ ଖଟି ଖଟି କମି ଲୋକଙ୍କ ଉପକାର ସେ କଲେଣି !’’

 

ଫୁଲଶରାର ଡମ୍ବରୁ ନାଥ କହିଲା, "ମଣିଷ ପେଇଁ ମଣିଷ ପ୍ରାଣ ନ କାନ୍ଦିବ ତ ଆଉ କାହାପାଇଁ କାନ୍ଦିବ ? ସମସ୍ତେ ବୁଝନ୍ତି ନାହିଁ । ହିଂସାବାଦ ।’’ ଚେମେଇବେହେରା କହିଲା, “କେଡ଼େ ସୁଖରେ ନ ଥିବେଟି ସେମାନେ । ଜଣକୁ ସାହା ଗାଁ ଗୋଟାକଯାକ । ଖାଲି ଜଣେ ଅଧେ ନୁହେଁ । ଆଉ ଚିନ୍ତା ଦକ କ’ଣ ? ଯାହା ଭଲ ବୋଲି ମନ ମାନିଲା, ଚାଲିଲେ ଗାଁଯାକ ସମସ୍ତେ । କୁଆଡ଼ର ସେମାନେ ଆଉ କୁଆଡ଼ର ଆମେ, ଆମର ତୋ’ର ମୋର ବୋଲି ବାଡ଼ିଆବାଡ଼ି, ସେମାନେ ଯେ ଝଡ଼ିବଢ଼ି ଦିନରେ ଡଙ୍ଗା ନେଇ ଧାଇଁ ଆସିଛନ୍ତି । ଅସଲ ହେଲା ମନ । ମନ ମାନିଲେ ତ !’’

 

ହୁର୍ଦ୍ଦୁ ସେଠୀ ଧୋବା କହିଲା, "ଯେ ଯାଉଚି ସେଠି ତା’ଦେହରେ ଅଠା ଲାଗିଯାଉଚି । ଦେଖୁନା, ଅପର୍ତ୍ତିଆ, ମାଗୁଣିଆ, ସଦା, ଚନ୍ଦରା–ତାଙ୍କରି ଦୀକ୍ଷାରେ ତାଙ୍କରି ସଙ୍ଗେ କାମ କରୁ କରୁ ନାଖି ଯାଇଚିନ୍ତି ଯେ ଆସିବା ନାଁ ଧରୁନାହାନ୍ତି ।’’

 

ବିକା ମୁଦୁଲି କହିଲା, କେତେଠେଇଁ ତ ଫୁଲଶରା ପବନ ବାଜିଗଲାଣି, ଏକାଠି ହେଇ ରହିବାକୁ ଲୋକଙ୍କର ମନ ଅଛି । ବାଟରେ ଘାଟରେ ସେଇ କଥା । ଅଳ୍ପ କରି ଠାଆକେ ଆମରି ଗାଁରେ କଲେ କ’ଣ ନାକେରା ହୁଅନ୍ତା ? କର, ଆଗ ମୁଁ ମିଶିବି’’

 

ଚେମେଇ ବେହେରା କହିଲା, ‘‘ମୁଁ ବି । ଯାଃ ଜାଣିଲା ମଣିଷ ନିଶ୍ଚିନ୍ତ ହେଲା ।’’ ଡମ୍ବରୁ ନାଥ କହିଲା, “ଅଇଛା ତ ବଢ଼ି ଚରିଗଲା, ତୋ’ର ଗଲା, ମୋର ଗଲା, ସବୁରି ଗଲା । ବଢ଼ି ଛାଡ଼ିଗଲାଠୁଁ ସେଉଠୁ ତ ସବୁ ସମାନ, ହିଡ଼ ବାଡ଼ ନାଇଁ । ସେଇତକରେ କୋଠ ଚଳଣି ଚଳେଇଦେଲେ କ’ଣ ହୁଅନ୍ତା ନାହିଁ ? ଜାତି ନାଇଁ, କୁଳ ନାଇଁ, ସାନ ବଡ଼ ନାଇଁ, ସମସ୍ତେ ମିଶି ଗୋଟାଏ । ଖଟିଲେ, ଖାଇଲେ, ଯାହା ରହିଗଲା ସେ ସମସ୍ତିଙ୍କ ପେଇଁ । ମୂଳରୁ ଯେ ଗୋଟାଏ ଗାଁ ନ ମିଶିଲେ ନ ଚଳେ । ଏମିତି କିଏ ଲେଖି ଦେଇଚି ? ମନ ମାନିଲେ ଆଗ ପାଞ୍ଚ ଘର ମିଶି ଚଳିରେ ଗୋଟାଏ କୋଠ ହେଲା । ଏତିକି ଯେ ସେଥିରେ ଭିନେ ଭିନେ ଜାତି ରହି ନ ପାରିଲେ ସେଇଟା ଗୋଟାଏ କୋଠରେ ସୁମାରି ହବ ନାଇଁ । ଖାଲି ଆପଣା ଜାତିଟି ଆଗ, ଆଉଗୁଡ଼ାକ ପର-ଏଇଆ ଭାବିବେ ମଣିଷ–’’

 

ବିକା ମୁଦୁଲି କହିଲା, “କରିଗଲେ କରିଯିବ, ଭାବୁଥିଲେ ଭାବୁଥିବ । କୋଠ କାମ କ’ଣ ନୂଆ ହେଇଚି ? କେତେ ଲୋକ କୋଠରେ ତାଷ କରୁଛନ୍ତି । ବହୁକୁଟୁମ୍ୱୀ କୋଠଘର ତ ଏବର ଦେଖିବା କଥା, ଏବେ ବି ଅଛି । ତେବେ ତାଙ୍କର ଫୁଲଶରାରେ ଯେମିତି କରିଚନ୍ତି-ଯେ ମନଟା ବି ଅଛି କୋଠରେ । ଆଃ, ସରଗ ତ ସେଇ, ମନ ଦେଲେ ହବ ନା–’’

 

ଚେମେଇ ବେହେରା କହିଲା, “ସେଥିକି ମନ ଥିଲେ ମନ ବଳେ ଲାଗିବ । ଆଗ ଆରମ୍ଭ କରାଯାଇ, ବଳେ କାମ ଚାଲିବ । ଏଇ ଦେଖ ସିନ୍ଧୁ ଚୌଧୁରୀ, କେଡ଼େ ଘରର ମଣିଷ, ଅଇଛା କେମିତି ମନ । ଏ ଗାଁରେ ଏମିତି ଲୋକ ବି ତ ଅଛନ୍ତି । ସବୁଠି ସବୁ ପ୍ରକାର ଥାନ୍ତି । ଯେଝା ବେଳରେ ଯେ ବାହାରନ୍ତି । ସେମିତି ବେଳ ଆସିବ କେମିତି ? ଆଗ ମଣିଷର ଚେଷ୍ଟା ।’’

 

ଫୁଲଶରାରୁ ଆସିଥିବା ଅଯାଚିତ ସାହାଯ୍ୟର ପ୍ରଭାବ ସେମାନଙ୍କ ମନ ଉପରେ ପଡ଼ିଥାଏ । ମନ ଆପେ ଉଦାର ହୋଇ ଫୁଲି ଉଠୁଥାଏ ।

 

ପ୍ରାୟ ଦୁଇ ଘଣ୍ଟା ପରେ, ସେତେବେଳକୁ କଅଁଳ ଗାଧୁଆବେଳ ହୋଇଥାଏ । ନଈରେ ପୁଣି ଗୋଟାଏ ଡଙ୍ଗା ଦିଶିଲା । ପୁଣି ଖବର ଖେଳିଗଲା- ଡଙ୍ଗା ଆସୁଛି ! ଡଙ୍ଗା ଆସୁଛି ! କୁଳରେ ଲୋକ ବେଢ଼ି ଗଲେ ।

 

ସେ ପାଖରୁ ନଈଏ ନଈଏ ମାଡ଼ି ଆସୁଥାଏ ଫୁଲଶରୀର ଡଙ୍ଗା । ସାହାଯ୍ୟ ଡଙ୍ଗା ବୋଲି ପରିଚୟ ଦେବାକୁ ସେ ଧଳା ପତାକା ଉଡ଼ୋଉଥାଏ । ଧାଡ଼ି ହୋଇ ଠିଆ ହୋଇଥାନ୍ତି ତିନି ଜଣ । ରବି, ବଇ ମଳିକ, ଜମ୍ବୁ ବେହେରା ।

 

ଜମ୍ୱୁ ବେହେରା କହିଲା, “ଏଇ ହେଇଗଲା ପାଟେଳିଗାଁ, ଓଃ କେଡ଼େ ବଡ଼ ଘାଇ କରିଦେଇଛି !’’

 

ରବି ସେହି ଆଡ଼କୁ ଅନାଇଁ ରହିଥାଏ ।

 

ଏଇ ସେଇ ଗାଁ, ଏଇଠି ଥାଏ ଛବି–ସେ ଭାବୁଥାଏ । ମାଳ ମାଳ ହୋଇ କେତେ ମଣିଷ ଦିଶୁଛନ୍ତି । ସେ ବି କ’ଣ ଏଇ ଗହଳିରେ ଥିବ ? କାହିଁକି ଏଠି ଥିବ ? ପୁଣି ତା’ର ଛାତି ଦୋହଲେଇ ଦେଇ ଦୀର୍ଘଶ୍ୱାସ ବୋହିଗଲା, ବଢ଼ି ଘୋଟିଛି, ଚାରିଆଡ଼େ ଦୁର୍ଦ୍ଦଶା, ସବୁଠି ଯାହା ଏଠି ବି ସେଇଆ–ମଣିଷ କଲବଲ ହେଉଛନ୍ତି ।

 

ଡଙ୍ଗା ଆଗେଇ ଚାଲିଲା କୂଳିଆଡ଼କୁ ।

 

ପାଟେଳିଗାଁର ଯୋଗୀସାହିର ଯୋଗୀ ରୋହିନାଥ ଓ ତା’ ସ୍ତ୍ରୀ ଦୁଲ ଯେତେବେଳେ ଆପଣା ଘରର ଭଙ୍ଗାଚାଳକୁ ଯାବୁଡ଼ି ଧରି ଅନ୍ଧାରେ ଅନ୍ଧାରେ ନଈବଢ଼ି ରେ ଭାସି ଚାଲିଗଲେ, ସେତେବେଳେ ଛାନିଆରେ ତା’ଟଙ୍କା ହୋଇଯାଇ ସେମାନଙ୍କର ଆଉ ଭଲ ମନ୍ଦ ବୁଝିବା କି ଅନୁଭବ କରିବାର ଶକ୍ତି ନ ଥିଲା । ଅନ୍ଧାର କି ବଢ଼ି କି ଆପଣାର ଦୁର୍ଦ୍ଦେବ କ’ଣ ଗୋଟାଏ ତାଙ୍କୁ ଓଟାରି ନେଇ ଚାଲିଯାଉଛି, ହୃଦୟ ଧ୍ରୁବନିଶ୍ଚିତ ବୋଲି ଘେନି ନେଇସାରିଛି ଯେ ଏଇ ଶେଷ, ଇତି ଶ୍ରୀ । ଆଖି ଖୋଲାଥିଲେ ବି କିଛି ଦିଶୁ ନାହିଁ, ଯାହା ଦିଶୁଛି ଭିତରକୁ ତା’ଭେଦୁ ନାହିଁ । ଭଙ୍ଗା ଚାଳଟା ଉଠୁଛି ବୁଡ଼ୁଛି, କେତେଠି ଧକ୍‌କା ଲାଗୁଛି, ପୁଣି ହୁଗୁଳିଯାଇ ଛୁଟିଯାଉଛି ତୀର ବେଗରେ, ସେତେବେଳେ କିଛି ନ ଭାବୁଣୁ ସେହି ଦୁଇଟା ମଣିଷଙ୍କଠିଁ ଜୀବନ ଆପଣାକୁ ପ୍ରକଟୋଉଛି କେବଳ ଗୋଟିଏ ଚେତନାରେ-ପ୍ରାଣପଣେ ଏଇ ଚାଳଟାକୁ ଯାବୁଡ଼ି ଧରିବାକୁ ପଡ଼ିବ ମାଙ୍କଡ଼ ମୁଠିଆ କରି, ଜୀବନର ସଂଜ୍ଞା ସେତିକି ।

 

କେତେବେଳେ ବର୍ଷା ତୋଫାନ ପିଟୁଥାଏ, ପାଣି କୁଦା ମାରୁଥାଏ ଓ ତା’ସଙ୍ଗେ ସଙ୍ଗେ ସେ ଚାଳଟା, କେତେବେଳେ କେଉଁ ଭଉଁରୀରେ ପଡ଼ି ଚାଳଟା ଘୂରୁଥାଏ ଘୂରୁଥାଏ, ତା’ପରେ ହଠାତ୍ ଭାସି ଚାଲି ଯାଉଥାଏ, କେତେବେଳେ ତୁହାଇ ତୁହାଇ ବିଜୁଳି ଝଲମଲ । ଆଉ କେତେବେଳେ ପାଣି ଖେଳେଇହୋଇ ରହିଥାଏ ଥମ୍ୱିଲା ପରି, ଆକାଶ ଚିରିହୋଇ ଦୂରରେ ପାଣିରେ ଝଟକୁଥାନ୍ତି ଅରାଏ ଅରାଏ ମିଞ୍ଜି ମିଞ୍ଜି ତାରା, ଚାଳଟା ଆସ୍ତେ ଘୁଷୁରି ଘୁଷୁରି ଚାଲି ଯାଉଥାଏ ସେହିଆଡ଼କୁ, ତା’ପରେ ତାରା ପୁଞ୍ଜା ପୁଞ୍ଜା ଦିଶୁଥାନ୍ତି ଆହୁରି ଆଗରେ ଆଗରେ, ଏଣ୍ଡୁଳାମାଛି ପରି ଉବେଇ ଟୁବେଇ ଫଝା ଫଝା, ଏଠି ଦେଖିଲେ, ଏଠୁ ଯାଇ ସେଠି ।

 

ଏମିତି ଚାଲିଥାଏ ସେ ଚାଳଟା । କେତେବେଳେ କୂଳ ପାଖ ହେଉ ହେଉ ପୁଣି ଦୂରେଇଯାଏ, ଗତି ମାନ୍ଦା ପଡ଼ି ଯାଉ ଯାଉ ହଠାତ୍ ତାକୁ ବାଇ ଲାଗେ, ପ୍ରବଳ ବେଗରେ ଭାସି ଚାଲିଯାଏ । ଅନ୍ଧାର ଭିତରେ କରେ କରେ ଭାସିଉଠେ କେଉଁ ହିଡ଼, କେଉଁ କୁଦ, ଗାର ପରି ବନ୍ଧ ଧାଡ଼ିଏ ଧାଡ଼ିଏ, ତା’ ଉପରେ ଖଜୁରି ଗଛ, ତାଳଗଛ ଧାଡ଼ି ଧାଡ଼ି, କେଉଁଠି ପାଣି ଭିତରେ ଠିଆ ହୋଇଥାଏ ତୋଟା, ବାଉଁଶବଣ, ସାଇଁ ସାଇଁ ହୋଇ ପବନ ଚାଲିଥାଏ ଗଛର ପତ୍ର ଝାଙ୍କି ଝାଙ୍କି, ଅନ୍ଧାର ଭିତରେ ନାନା ଆକାର ଆକୃତିର କଳା କଳା ଛାଇ ରୂପ କରେଇ କରେଇ ଦୂରେଇ ଦୂରେଇ ଉଭାହୁଏ, ଝଙ୍କା ଗଛ, ଗାଁ ଦେଉଳ-ପୁଣି ଉଭେଇଯାଏ ।

 

ଚାଳଟା ଚାଲିଥାଏ ।

 

ସେ ଯୋଡ଼ିକ ମଣିଷଙ୍କ ଜୀବନର ଚେତନା ଖାଲି ଏତିକି-ସେମାନେ ବଞ୍ଚିଛନ୍ତି । ଚାଳଟା ଚାଲିଛି । ଯାହା ଆସୁଛି ତାହା ଚାଲିଯାଉଛି । ଏଇ ବର୍ତ୍ତମାନ ହିଁ ଏ ଜୀବନର ପ୍ରକାର, ଏମିତି ଏ ଚାଳକୁ ମୁଠେଇଧରି ଆଶ୍ରାକରି ପାଖକୁ ପାଖ ରହି ଭାସି ଭାସି ଚାଲିବା । ଅତୀତ ନ ଥିଲା । ଭବିଷ୍ୟତ ନାହିଁ । ଖାଲି ଏତିକି ଯାହା ଅଛି ସେତିକି, ଏଇ ଯାହା ଆସୁଛି ଯାଉଛି ।

 

ତାହାରି ଭିତରେ କେତେ କେତେବେଳେ ଅତୀତ ଜନ୍ମର ପାସୋରା ସ୍ମୃତି ଲେଉଟି ଆସିଲା ପରି ସେହି ଓଦାକାଉନ୍ଦା ଗୋଳିଆପୋଳିଆ ଗତି ଭିତରେ ମିଞ୍ଜି ମିଞ୍ଜି ହୋଇ ଚେନାଏଁ ଚେନାଏଁ ଦୃଶ୍ୟ ମନେ ପଡ଼ିଯାଏ କେତେବେଳେ ଖରା ଜଳୁଥିଲା, ଶାଗୁଆ ହୋଇ ଝଟକି ଉଠୁଥିଲା ବାରି ଅରାକ...ଗାଈଟା ବନ୍ଧା ହୋଇ ରଡ଼ି ଛାଡୁଥିଲା...ପଡ଼ିଶା ଘରର କିଏ ଜଣେ ଥିରି ଥିରି ଚାଲି ଚାଲି ଆସୁଥିଲେ ଓଢଣା ଲମ୍ୱେଇଦେଇ...ଗଳି ଆଗରେ କୁକୁରଟାଏ ଦୌଡ଼ିଥିଲା...ଦୁଇ ବିରି ରଗଡ଼ୁଥିଲା...ରୋହି ଝାଳ ସରସର ହୋଇ ଠିଆହୋଇ ପାନ ଖଣ୍ଡେ ଦିଅ ବୋଲି ଝଗଡ଼ୁଥିଲା...ଅଲୁଗୁଣିରୁ କୋତରା ଚାଦରଟାଏ ଓହଳିଥିଲା...ଗାଁରେ ରାମନବମୀ ଯାତ ହେଉଥିଲା, ସୂର୍ପଣଖା କାନ୍ଦୁଥିଲା....ସତୁରା ପାଣ ମହୁରୀ ଫୁଙ୍କୁଥିଲା, ତା’ ଗାଲ ଦି’ଟା ଫୁଲି ଫୁଲି ହୋଇ ଜଳ ଜଳ ଦିଶୁଥିଲା...ଦୁଇ ରୋହିକୁ କହୁଥିଲା, "ଏତେ ଡେରି ହେଲାଣି, ଖାଇବ ନାଇଁ ?” ଚେନା ଚେନା, ମିଞ୍ଜି ମିଞ୍ଜି ସ୍ମୃତି, ଝକ୍ କରି ଆସେ, ଝକ୍‌କରି ଚାଲିଯାଏ । ଆଉଁ ଆସେ ଯାହା ଆସିନାହିଁ କେବେ-ପୁଅଟାଏ, ଝିଅଟାଏ ଦୁଆରେ କଳି ଲଗାଇଛନ୍ତି-ସେହି ଯେଉଁମାନେ କେବେ ଜନ୍ମହୋଇ ନାହାନ୍ତି...ତ୍ରିପଣ୍ଡ କାଳୀ ମାଇପିଟାଏ ଆସି ପୁଅଟାକୁ ଓଟାରି ନେଇଯାଉଛି...ଆଉ ମୁଣ୍ଡ ଭିତରେ, କ’ଣ ଗୁଡ଼ାଏ ଘାଉଁ ଘାଉଁ, ଯେମିତି ବଢ଼ିଟା ଗର୍ଜୁଛି, ପଦାରେ ନୁହେଁ ଭିତରେ, କ’ଣ ଗୁଡ଼ାଏ ଆଉଟାଆଉଟି ଧାରଣା ଆଉ ମନଭାବ, ସେଠି ସବୁ ମିଶିଯାଇଛି, ଯେ ମଣିଷ କ’ଣ ଲୋଡ଼େ, କ’ଣ ଭଲ ପାଏ, କ’ଣ ଅସୁଖ ପାଏ–ଦରକାର ଅଦରକାର ଅଳିଆ ଆଉ ଭଲ ମିଶାମିଶି ହୋଇ–ପୁଣି ସବୁ ଅଟକିଯାଏ, କେବଳ ଏକ ଚେତନା ଆମେ ଅଛୁଁ ।

 

ଭାଙ୍ଗୁ ଲହଡ଼ୀ ଅଥବା ଶୋଇ ରହୁ ପାଣି–ଆମେ ଅଛୁଁ । ତା’ପରେ ଦୁଇ ବଡ଼ ବଡ଼ ଆଖି କରି ଫାଡ଼ି ଫାଡ଼ି ଅନେଇଲା, ନିଜକୁ କଳିବାକୁ ଚେଷ୍ଟା କଲା । ଚାଳ ଉପରେ ଲମ୍ୱି ରହିଛି ରୋହି । ସକାଳ ପାହିଲାଣି । ଚାଳଟା ଗୋଟାଏ ଅତଡ଼ାରେ ଆଉଜି ଯାଇଛି । ଅତଡ଼ା ଉପରେ ବଣୁଆ ବଣୁଆ ଦିଶୁଛି, ଯୁଆଡ଼େ ଅନାଇଁଲେ ଖାଲି ଗୋଳିପାଣି ବିଛେଇ ହୋଇଛି, ନାନା ସୁଅ ଭଉଁରୀ ଖୋଲିଯାଇଛି–ଦିଶୁଛି, କାହିଁ କେତେ ଦୂରରେ ଅନ୍ଧାରି ଅନ୍ଧାରି ହୋଇ ତୋଟାପରି କ’ଣ ଦିଶୁଛି ।

 

ଦୁଲ ଚାଉଁକିନା ଉଠିପଡ଼ିଲା । ରୋହିକୁ ହଲେଇ ଉଠେଇଦେଲା । ଏଡ଼େ ଦୁର୍ଦ୍ଦଶାରେ ବି ସେ ଆଖିବୁଜି ନିଦରେ ଶୋଇଛି । ଦିହେଁ ଆଖି ପୂରାଇ ସେହି ଅତଡ଼ାକୁ ଚାହିଁରହିଲେ । ସୁଅ ଭଉଁରୀ ନୁହେଁ, ବଢ଼ିର ମଝିର ନୁହେଁ, ସତକୁ ସତ ସେମାନେ କୂଳରେ ଲାଗିଛନ୍ତି । କେଉଁ ରାଇଜ ଏ, ଜଣାନାହିଁ । ଗାଁ ହେଉ, ଅପନ୍ତରା ହେଉ, ଏ ସେହି ଚିହ୍ନା ଦମ୍ଭ ମାଟି । ଘାସ ଅରମା ଲଦିହୋଇ ଢାଲୁ ଓହଳି ପଡ଼ିଛି । ଗୋଟା ଗୋଟା ତାଳଗଛ ଠିଆହୋଇଛି, ଏବେ ବି ସେଥିରେ ପାଚିଲା ତାଳ ରହିଛି । ଓହଳି ପଡ଼ିଲା ପରି ସାହାଡ଼ାଗଛ ବୋହୂ ପାଣିରେ ମୁହଁ ଦେଖୁଛି । ଏଇ ନିରାଶ ବଣ, ନାଗ ଅଇରି ଆଉ କଂସାରି ବଣ, ଛନଛନିଆଁ ଶାଗୁଆ ହୋଇ ଘଞ୍ଚ ଗିଲଗଛ, ଠାଏ ଠାଏ ଡେଙ୍ଗା ଡେଙ୍ଗା କିଆ, ମାଉଁସିଆ ପାପୁଲି ପରି ଜଟା ନାଗଫେଣୀ, ଚୂନ ଲେପିଲା ପରି ଖିରୀକୋଳି ଡାଙ୍ଗ, ଏପରି କି ଏଇ ଯେଉଁ ବିଛୁଆତୀ ବାଇଡ଼ଙ୍କ ଲଟେଇଛି, ସେ ବି ମନକୁ ସୁଖ ଦେଉଛି, ଆଣୁଛି ଆଶା, ନିର୍ଭର ଓ ବିଶ୍ୱାସର ଗୋଟିଏ ଜୀବନ, ଜୀବନ ଚେତନା । ସତେ କି ନିର୍ଜୀବ ରେଡ଼ିଓ ଯନ୍ତ୍ରରେ ପୁଣି ବିଜୁଳିଶକ୍ତି ଖେଳିଗଲା, ନାନା ଭାବର ନାନା ସଙ୍ଗୀତ ସେଠି କୋଳାହଳ କରିଉଠିଲା-। ସଜ ସକାଳ ସମ୍ଭାଷଣ ଜଣାଉଛି, ଢିପର ଢାଲୁ ସ୍ୱାଗତ କରୁଛି, ରାତି ଆଉ ଦୁଃସ୍ୱପ୍ନ କଟାଇଦେଇ ପାରି କରି ଘେନି ଆସିଛି ସେହି ଅଦେଖା ଶକ୍ତି ଯେ ଟିକି ଚଢ଼େଇ ପାଇଁ ବି ଆଧାର ଯୋଗାଏ, ଅରକ୍ଷିତ ପାଇଁ ରଖିଥାଏ ଗଛର ଛାଇ ।

 

ଗଦଗଦ ହୋଇ ରୋହି ଆଉ ଦୁଲ ଚାଳ ଉପରୁ ଅତଡ଼ାକୁ ଡ଼େଇଁପଡ଼ିଲେ । ସାମ୍ନାରେ ବଢ଼ିପାଣି ଉପରେ ସକାଳ ଲମ୍ବିଛି, ଦୂରେଇ ଦୂରେଇ ଗହଳି ତୋଟାର ଗାର । ଢିପ ଉପରେ ଗଛ ଡାଳରେ ନାନା ଜାତି ଚଢ଼େଇ ବସିଯାଇଛନ୍ତି, ଘରଚଟିଆଠୁଁ ଶାଗୁଣାଯାକେ । ଲମ୍ବାଗୋଡ଼ିଆ ଧଳାବଗ ପାଣି କୂଳେ କୂଳେ ଗହଳି ହୋଇଛନ୍ତି ।

 

ଏକା ସାଙ୍ଗରେ ସେ ଦୁହିଁଙ୍କ ମନରେ ଏକା ଧାରଣା ଉଇଁଲା, ‘‘ଆମେ ତ ବଞ୍ଚିଛୁଁ । ଆମେ ନିରାପଦ ।’’

 

ସେହି ସୌଭାଗ୍ୟ କଥା ଭାବିଲାମାତ୍ରେ ପ୍ରଥମ ପ୍ରତିକ୍ରିୟା ହେଲା କାନ୍ଦଣା, ସତେ ଯେପରିକି ଅନ୍ତର ଯାକ ଟାଙ୍କିହୋଇ ରହିଥିଲା କ’ଣ ତା’ର, ଆଗ ଝଣ୍‌କରି ଆଘାତ ବାଜିଲା, ତା’ପରେ ସେ ହୁଗୁଳିଯାଇ ଲଟକି ପଡ଼ିଲା, ତା’ପରେ ସେଥିରୁ ବୋହି ପଡ଼ିଲା ଲୁହ ଧାର ଧାର ।

 

କୁଆଡ଼ର ଯୋଡ଼ିଏ କଅଁଳା ଶିଶୁ ପରି ସେମାନେ ପରସ୍ପରକୁ କୁଣ୍ଢେଇ ଧରି ଭେଁ ଭେଁ ହୋଇ କାନ୍ଦିଲେ । ଅଳ୍ପ ବେଳ ଗଲା ।

 

ତା’ପରେ ଦୁଲ କହିଲା, “ଚାଲ ଆମ ଚାଳଘରକୁ ଟେକି ଆଣିବା, ନ ହେଲେ ସେତକ ବି କୁଆଡ଼େ ଭାସିଯିବ ଯେ–’’

 

ବଜ୍ରେଶ୍ଵରଙ୍କ ଢିପ, ସେଠି ବଜ୍ରେଶ୍ୱର ମହାଦେବଙ୍କର ଅତି ପୁରୁଣା ଇଟା ଦେଉଳି ଅଛି, ଅତୀତ ଇତିହାସର ନାନା ଶଙ୍କୁ ସେଠି ନାନା ଭଙ୍ଗାକୁଢ଼, ନାନା ମୂର୍ତ୍ତି, ସତେ କି ଭଙ୍ଗା ଅଭଙ୍ଗା ମୂର୍ତ୍ତିର ଖଣି । ପ୍ରତ୍ନତତ୍ତ୍ୱବିତ୍ କହନ୍ତି, ଇଟା ଦେଉଳ କାହିଁ ଷଷ୍ଠ ସପ୍ତମ ଶତାବ୍ଦୀ ବେଳର ସେହି ଭଟ୍ଟ ଅମଳର ଏଇ ମୂର୍ତ୍ତି ଗୁଡ଼ିକ, ସେହିଦିନୁଁ ଏଯାକେ ଇତିହାସର ପାହାଚେ ପାହାଚେ ନାନା ଯୁଗର ନାନା ଶିଳ୍ପକଳା, ନାନା ଧର୍ମମତର ନାନା ମୂର୍ତ୍ତି ଏଠି ସାଇତା ହୋଇ ରହିଛି । ସେତିକି ନୁହେଁ, ତା’ ଆଗର ବି ବହୁତ ବହୁତ କାଳର । ଏଠି ବରଗଛ ମୂଳେ ଯେଉଁ କୁଦଟି ଏବେ ବି ରହିଛି ସେ କୁଆଡ଼େ ବୌଦ୍ଧଯୁଗର ସ୍ତୂପ ବୋଲି କିଏ ଥରେ କହିଥିଲେ, ତା’ ଆଖପାଖରେ ବୌଦ୍ଧ ମୂର୍ତ୍ତିମାନ ମିଳେ । ସେ ଆସି କହିଥିଲେ ଏଇଠି ଦିନେ ଥିଲା କଳିଙ୍ଗର ସମୃଦ୍ଧ ଇତିହାସର ଅନ୍ତୁଡ଼ିଶାଳ, ଏଇଠି ତା’ର ସଂସ୍କୃତି ବଢ଼ି ଉଠିଥିଲା, ଏଇଠୁ ସେ ଖେଦି ଯାଇଥିଲା ଦେଶ ବିଦେଶକୁ . କାହିଁ ଭୁଟାନ, ତିବ୍ଦତ, ଚୀନ, ନିପନ, ଫିଲିପାଇନ, ସୁମାତ୍ରା, ମଲାୟୁ, ଚମ୍ପା, କାହିଁ ପାରସ୍ୟ, ମାଡ଼ାଗାସ୍କର, ଆଫ୍ରିକା, ଆଉ ଭାରତଯାକ ତ ସହଜେ, ହିମାଳୟଠାରୁ କୁମାରିକାଯାକେ, ସିନ୍ଧୁଦେଶରୁ କାମରୂପ ।

 

ସେଇ ତ ସେଥର ଆସିଥିଲେ, କହିଥିଲେ, ଏଇ କଳାପଥରର ମୂର୍ତ୍ତି ପରି ସୁନ୍ଦର ସୁଠାମ ହୋଇ ତାଙ୍କ ମୁଣ୍ଡ ଆଉ ମୁହଁ, ନୁହେଁ ବେଶି ଗୋରା, ନୁହେଁ ଭାସିଲା ଭାସିଲା ପରି ଆଖି, ସେଥିରେ କଳ୍ପନାର ଢେଉ ଉଛୁଳୁଥାଏ, ନାକପୁଡ଼ା ଫୁଲି ଫୁଲି ଉଠୁଥାଏ । ମୁହଁରେ ଶାନ୍ତ ବୋଧା ପୌଢ଼ପଣ, ଯୌବନର ତାଉ ନାହିଁ । ଅତି ବାର୍ଦ୍ଧକ୍ୟର ପାଉଁଶିଆ ପଣ ନାହିଁ, ସେହି ସେ ଅବସ୍ଥା ଯେତେବେଳେ ମୁହଁ ଦିଶେ ଜୀବନବୋଳା ପଥର ମୂର୍ତ୍ତିପରି, ଯେପରିକି ସେ ସେହିପରି ହୋଇ ଯୁଗ ଯୁଗକୁ ରହିଯିବ, ବଦଳିବ ନାହିଁ ।

 

ସେତେବେଳେ ଛାଇ ଲମ୍ବିଥିଲା, ଆମ୍ବଗଛରେ ଢଳିଲା ଖରା ଝଲ ଝଲଉଥିଲା, ତୁଳଙ୍ଗର ଗୋରୁ ଜଗୁଆଳୀ ଟୋକାଏ, କରାଙ୍ଗର ଝାଟିକଟାଳୀ ବାଉରାଣୀଏ, ଅର୍ଜଙ୍ଗର ବାଟେଇ କେଉଟ ଦିଜଣ, ଗୋବିନ୍ଦ ବେହେରା, ନାଭ ବେହେରା–ହାତରେ ବୁଣା ହେଉଥିବା ଜାଲକାମ ଥିଲା, ବଜ୍ରେଶ୍ଵରଙ୍କ ଭୋପା ବିକର୍ତ୍ତନ ଅଟକି ରହି କାବା ହୋଇ ତାଙ୍କ ମୁହଁକୁ ଅନାଇ ରହିଥିଲେ, କେଉଁ ପୁର କେଉଁ ରାଇଜର ନାଁ ସେ କହୁଛନ୍ତି ବା ସେମାନେ ଜାଣନ୍ତି ନାହିଁ, କେବଳ ତାଙ୍କର ସେ ଭଙ୍ଗୀ, ତାଙ୍କର ସେ ଭାଷା ସେମାନଙ୍କଠିଁ ବି ଲଗାଇ ଦେଇଥିଲା ମାୟା ଭେଳିକି, ତାଙ୍କ ସଙ୍ଗେ ସଙ୍ଗେ ସେମାନେ ବି ସ୍ୱପ୍ନ ଦେଖୁ ଥିଲେ, କାନରେ ବାଜୁଥିଲା ତାଙ୍କର ଗୁଲୁରୁ ଗୁଲୁରୁ ସ୍ୱପ୍ନରେ ଓଦା ଓଦା ଶାନ୍ତ କଥା, ସେ ଭାଷାରେ ଥିଲା ସତେ କି ସଙ୍ଗୀତ, ଆଉ ଓଡ଼ିଶାର ଉତ୍ତର ପ୍ରାନ୍ତର ବୋଲିର ଛିଲିକା, ମିଠା ଶୁଭୁଥିଲା ।

 

ସେ କହିଥିଲେ, “ମାଟିର୍ ଲୋଡ଼ା ଧ୍ୟାନ୍, ଧ୍ୟାନ୍ କଲେ ସେ ନିଜେ ବତେଇ ଦେବ, କେମତ୍ ତା’ର କଥା ଆର୍‌ କାହାନି । କି ଯେ ତା’ର ଇତିହାସ । ଇ ଠାନର୍ ମାଟି, ପବିତ୍ର ସେ, ଇତିହାସ, ଇତିହାସ । ବିଶ୍ଵାସ କର, ମୂର୍ତ୍ତି ମଧ୍ୟ କଥା କହିବ, ତାକୁ ଦେଖ୍‌ତେ ହେଲେ ଗୁଟେ ସ୍ଵତନ୍ତ୍ର ଭଙ୍ଗୀ ଅଛି, ଆସ ଦେଖେଇମି ।

 

ଗୁଟେ କିସ, ସବୁ ମୂର୍ତ୍ତି, ଗୁଟେ ଠାନ୍ ଥିବ ଯେନୁଁ ଠିଆହୋଇ ତା’କୁ ଚାହିଁ ଦେଖେଇ ତୁମେ ଗାଁ ଦେଖ୍‌ବ ସେ ଜଳ ଜଳ ଚାହିଁଛି, ହସୁଛି, ସେତେବେଳେ ସେ ତମ୍‌କୁ ତା’ର୍ ପ୍ରାଣର୍ କଥା କହିବ, ମନ୍ ଖୁଲି କହିବ ।’’

 

କିଏ ସେ ଆସିଥିଲେ ? ଗାଁ ଲୋକଙ୍କର ମନେ ନାହିଁ । କିନ୍ତୁ ବାର୍ତ୍ତା ଖେଳି ଯାଇଥିଲା । ତା’ପରେ ଆସିଲେ ଆଉ ଜଣେ, ସୁନ୍ଦର ଚେହେରାର ଡେଙ୍ଗା ଗୋରା ଲୋକ, ନାଲି ଆଖି, ଲମ୍ବା ନାକ, ମଠା ପଞ୍ଜାବୀ ପିନ୍ଧିଥିଲେ, ସେତେବେଳେ ଏକା ଥିଲା ବିକର୍ତ୍ତନ । ତୁଣ୍ଡରେ ସମ୍ବଲପୁରୀ ଭାଷା । ଆଗ ବିହ୍ୱଳ ହୋଇ ଥନ ଥନ ହୋଇ କଥା କହିଥିଲେ, ତା’ପରେ କାନ୍ଦିଥିଲେ, ବିକର୍ତ୍ତନର ହାଡ଼ୁଆ ପିଠିରେ ହାତ ଥୋଇ କହିଥିଲେ, “ଦେଖ ବିକର୍ତ୍ତନ, ଏଇ ମୋ ଦେଶର ଶ୍ମଶାନ, ଗଜପତି ପୁରୁଷୋତ୍ତମ ଯେଉଁ ଦିନୁଁ କୃଷ୍ଣାବେଣୀ ନଦୀକୂଳରେ ଦେହ ଛାଡ଼ିଲେଣି ସେଦିନୁ ଅସ୍ତ ହୋଇଛି ମୋ ଜାତିର ଗୌରବ-ରବି । ଆଉ କ’ଣ ଉଇଁବ ନାହିଁ ? କହ କହ ବିକର୍ତ୍ତନ !’’ ଭୋପା ବିକର୍ତ୍ତନର ଲମ୍ବା ବେକରେ ବଡ଼ କଣ୍ଟାଟା ଉପରକୁ ତଳକୁ ହୋଇଥିଲା ବାରମ୍ବାର, ସେ ତା’ର ଗାମୁଛା ପଣତରେ ରୁଢ଼ ହାଡ଼ର ଶୁଖିଲା ମୁହଁକୁ ପୋଛିଥିଲା । “ଆଉ ମୋର ସମୟ ନାହିଁ ବିକର୍ତ୍ତନ ! ଗବେଷଣା -ସେଥିପାଇଁ ଅର୍ଥ ଦରକାର, ଆୟୁଷ ଦରକାର । କିଏ ଦେବ ? ଆଉ ତୁମେ, ତୁମେ ବିକର୍ତ୍ତନ, ତୁମେ ହିଁ ଇତିହାସର ପ୍ରକୃତ ସେବାକାରୀ, କିଛି ନ ହେଲେ ଜାଗାର ନାଁ ରଖିଛି, ଦୀପଟିଏ ହେଲେ ଜାଳୁଛି, ପ୍ରତ୍ୟେକ ଓଡ଼ିଆ ତୁମରି ପାଖେ କୃତଜ୍ଞ । ଅଭିଭୂତ ବିକର୍ତ୍ତନ କିଛି ନ କହୁଣୁ ସେ ତାଙ୍କ ପକେଟରୁ କାଢ଼ି ତା’ ହାତରେ ପଞ୍ଚସ୍ତରି ଟଙ୍କାର ନୋଟ୍ ତାଡ଼ାଏ ଧରେଇଦେଇ କହିଥିଲେ, ‘‘ଆଉ କିଛି ନାହିଁ ବିକର୍ତ୍ତନ, ଥିଲେ ଦେଇଥାନ୍ତି, ବିଲାତରେ, ଫ୍ରାନ୍‌ସରେ, ଇଟାଲିରେ ତୁମ ପରି ଲୋକଙ୍କୁ କେତେ କେତେ କ’ଣ ଅଜାଡ଼ି ଦିଅନ୍ତି ଦେଖିଆସିଛି, ଏଠି ହୁଏତ ତୁମେ ଦୁଇଓଳି ଦୁଇମୁଠା ପାଉନ, ଥିର ପିଇ ପିଆଇ କୁଟୁମ୍ବ ପୋଷି ଇତିହାସ ଆଗୁଳିପଡ଼ି ରହିବ ।’’

 

ସେତେବେଳେ ବିକର୍ତ୍ତନ ବୁଝିଥିଲା ଏ ଜାଗାରେ କ’ଣ ଅସମ୍ଭବ ମହିମା ଅଛି । ତା’ର କଳ୍ପନା ଯୋଡ଼ିଦେଇ ସେ ଫାନ୍ଦିଥିଲା କେତେ କାହାଣୀ, ନାନା ମୂର୍ତ୍ତି, ନାନା ଦେବଦେବୀଙ୍କ ବିଷୟରେ, ଯେମିତି ଯେତେବେଳେ ତାକୁ ଦିଶିଯାଉଥିଲା, କିଏ ଘୋଡ଼ାରେ ଚଢ଼ି ବୁଲେ, କାହାର ପାଞ୍ଚଟା ମଣ୍ଡ, କିଏ କିଏ ଏକାଠି ସାଙ୍ଗ ହୁଅନ୍ତି, ନାନା କାହାଣୀ ସେ ।

 

ତା’ପରେ ଆଉ କେହି ପଦା ଲୋକ ଖୋଜି ଲୋଡ଼ି ଆସିଲେ ନାହିଁ, ଅରମା ଯେମିତି ଥିଲା ସେମିତି ରହିଲା, ମୂର୍ତ୍ତିମାନେ ଯେମିତି ଥିଲେ ସେମିତି ପଡ଼ିରହିଲେ, କେହି ଆସିଲେ ନାହିଁ ମାଟିତଳୁ ଓଡ଼ିଶାର ଇତିହାସ ତାଡ଼ି ବାହାର କରିବାକୁ ।

 

କରାଙ୍ଗ, ତୁଳଙ୍ଗ, ଅର୍ଜଙ୍ଗ, ଯୁଆଙ୍ଗ, ଡଗରାସାହି, ସାଙ୍ଗେଣା, ଏହିସବୁ ଗାଁର ଘେର ଭିତରେ ଅଛି ମାଇଲିଏ ଲମ୍ବ ଓସାର ହେବ ଧାନବିଲର ଚକ । ତାହାରି କରପଟିଆ ହୋଇ କରାଙ୍ଗ ଆଉ ତୁଳଙ୍ଗ ମୌଜା ଆଡ଼କୁ ଢଳିଲା ପରି ଏ ଢିପଟା, ଆକୃତିରେ କଇଁଛ ପିଠି ପରି, ଅଳ୍ପ ଲମ୍ବାଳିଆ ହୋଇ ଗୋଲ, ମଝିଟା ଟୋଲା । କରାଙ୍ଗ ଗାଁରୁ ଗଲେ ଆଗ ଗାଁତଳିଆ ଗହଳି ଆମ୍ବତୋଟା ପଡ଼ନ୍ତା, ପାଏ ବାଟ, ତା’ପରେ ଗୋଚର ଦଣ୍ଡା, ତା’ପରେ ମଶାଣି, ତା’ପରେ ଏ ଢିପଟା । କିନ୍ତୁ ଜମିଦାରୀ ଉଠିଯିବ ବୋଲି ପବନ ବାଜୁ ବାଜୁ ପିଛିଲା ତାରିଖ ଲେଖି ପାଉତି କାଟିଦେଇ ଜମିଦାରମାନେ ଦେଲେ ତୋଟାବାଡ଼ି ଅନାବାଦି ସବୁ ପଟ୍ଟା କରି, କେଉଁ କାଳର ତୋଟା ହଣାହୋଇ ଚାଲିଗଲା, ମୂଳକୁ ହାଣି ତାଡ଼ି ଛେଲାକାଠ କରି ବିକିଦେଲେ, ହଳ ବୁଲିଲା, ମାଟି ତଡ଼ାହୋଇ ଖାଲ ହେଲା, ଧାନଜମି ତିଆରି ହେଲା, ଗୋଚର ବି ତାଷ ହୋଇଗଲା, ମଶାଣି ସଂକୁଚିତ ହେଲା, ଯେତେବେଳେ ଓ ଯେଉଁପର୍ଯ୍ୟନ୍ତ ସମ୍ଭବ ଖାଲି ପରର ଖେତ ଉଜାଡ଼ି ଖାଇ ବଞ୍ଚିବାକୁ ଗୋରୁ ଗାଈ ଅଭ୍ୟାସ କରିନେଲେ, ସେତେବେଳେ ତଷା ନ ହୋଇ ରହିଗଲା ଖାଲି ବଜ୍ରେଶ୍ଵରଙ୍କ ଢିପ, ସେଥିପାଇଁ କେତେ ପରିମାଣରେ ଦାୟୀ ମହାଦେବଙ୍କ ଭୋପା ବିକର୍ତ୍ତନ ରଣାର କଳ୍ପନାସମ୍ବଳିତ କାହାଣୀମାନ ଓ ଲୋକଙ୍କ ମନରେ ଦୁଡ଼ୁ ଗୁଡ଼ୁ–ତଷିଗଲେ କାଳେ କ’ଣ ହେବ କି ! ଏତେ ଦିଅଁ ଦେବତା, ଏତେ ମୂର୍ତ୍ତି–କିଏ କହିପାରେ !

 

ମଝିରେ ଯେଉଁଠି ଢିପ ସବୁଠୁଁ ଉଚ୍ଚ, ସେଇଠି ବଜ୍ରେଶ୍ୱରଙ୍କ ଇଟା ଦେଉଳଟି; ଢିପ ଦାଢ଼ରୁ ଦିଶନ୍ତା, କେବଳ ଗଛ ଉଢୁଆଳ, ବିଶେଷତଃ ସେହି ଯେଉଁ ଭାରୀ ଉଞ୍ଚ ଭାରୀ ଝଙ୍କା ଡାଳ ବରଗଛଟି ବାହି ମେଲେଇଛି ତା’ରି ପାଇଁ । କୋଡ଼ିଏ ହାତ ଉଚ୍ଚ ଇଟାଦେଉଳଟି, କିନ୍ତୁ ଇଟାର ବୋଲି ଜଣାପଡ଼େ ନାହିଁ, କିଏ କେବେ ତହିଁରେ ଚୂନବ।ଲିର ପୁଟ ବୋଳିଥିଲା, ଦିଶେ ଗୋଟିଏ ସାଧାରଣ ଆଜିକାଲିର ପଥର ଦେଉଳ ପରି । କିନ୍ତୁ ସେ ପ୍ରକାଣ୍ଡ ପ୍ରକାଣ୍ଡ ଇଟା, ଗୋଟିକ ହାତେ ଲମ୍ବା, କଞ୍ଚାବେଳେ କାଦୁଅରେ ତଷୁ ଗୋଳାହୋଇ ଇଟା ପରାହୋଇ ପୋଡ଼ାହୋଇଛି, ସେହି ଯେପରି ଶହ ଶହ ବର୍ଷ ତଳେ ତିଆରି ହେଉଥିଲା, ଆଉ ତା’ପରେ ହୋଇନାହିଁ । ଗମ୍ଭୀରା ଭିତରେ ପାତାଳଫୁଟା ମହାଦେବ, କହନ୍ତି ଜାଗରବେଳେ ଆପେ କ୍ଷୀରସ୍ନାନ ହୁଅନ୍ତି । ପଦାରେ ଦେଉଳ ଦେହରେ ନାନା ଠଣା, ସେଥିରେ ମୁଗୁନି ପଥରର ଆଶ୍ଚର୍ଯ୍ୟପ୍ରକାରେ ସୁନ୍ଦର ସୁନ୍ଦର ମୂର୍ତ୍ତି, ଅତି ବିସ୍ମୟକର ସେ ଭାସ୍କର୍ଯ୍ୟ ।

 

ହେଇ ପାଖେ ହରପାର୍ବତୀ, ମହାଦେବଙ୍କ ବାଁ ଗୋଡ଼ ଭାଙ୍ଗିହୋଇ ରହିଛି, ଡାହାଣଗୋଡ଼ ତଳକୁ ଝୁଲୁଛି, ବାଁ ଜାନୁ ଉପରେ ବସିଛନ୍ତି ପାର୍ବତୀ, ଡାହାଣଗୋଡ଼ ଭାଙ୍ଗି ଦେଇଛନ୍ତି, ବାଁଗୋଡ଼ ତଳକୁ ଝୁଲୁଛି । ଦୁହେଁ ବସିଛନ୍ତି ଫୁଟିଲା ପଦ୍ମଫୁଲ ଉପରେ, ଦୁହିଁଙ୍କ ପାଦରେ କଠୋଉ । କି ଚମତ୍କାର ଠାଣିରେ ପରସ୍ପରକୁ ଚାହିଁ ବସିଛନ୍ତି, କି ଜୀବନ୍ତ ସେ ଚାହାଣି, କେଡ଼େ ଭାଷାମୟ ! କି ଶୋଭନ ସେ ରୂପ, କି ସୂକ୍ଷ୍ମ କଳାମୟ ସେ ଦେହର ଭୂଷଣ ! ଆସ୍ଥାନ ତଳେ ସିଂହ ଓ ବୃଷଭ ମୈତ୍ରୀମୟ ଭଙ୍ଗୀରେ ଅନାଅନି ହେଉଛନ୍ତି ।

 

ପାଖେ କାର୍ତ୍ତିକେୟ । ମୁଗୁନିରେ ମୟୂରର ଚନ୍ଦ୍ରିକା ଫୁଟିଉଠିଛି, ମୟୂର ଚାହିଁ ରହିଛି । ତା’ର ଦୁଇ ପାଖେ ଦୁଇ ଗୋଡ଼ ଝୁଲାଇ ଘୋଡ଼ା ଚଢ଼ିଲା ପରି କାର୍ତ୍ତିକେୟ ଯୋଦ୍ଧାବେଶରେ ବସିଛନ୍ତି, ଡାହାଣ ହାତରେ ଖଣ୍ଡା ।

 

ଆର ଠଣାରେ ଗଣେଶ, ଏଠି ପେଟ ପ୍ରଧାନ ନୁହେଁ, ପ୍ରଧାନ ତାଙ୍କର ଉଞ୍ଚ ମୁକୁଟ, ନାନା କାରୁକାର୍ଯ୍ୟମୟ, ପେଟ ମୋଟା ନୁହେଁ, ଛାତି ଓସାର, ହାତରେ ଲମ୍ବ ପରଶୁ ।

 

ଠାଏ ସିଂହବାହିନୀ ବାରଭୁଜା ଦୁର୍ଗାମୂର୍ତ୍ତି, ଚିକ୍‍କଣ ମୁଗୁନିପଥର । ସିଧା ହୋଇ ବସିଛନ୍ତି, ଓସାର ନାକପୁଡ଼ା, ଗୋଜା ନାକ, ଗୋଲ ମୁହଁ, ସାନ ଚିବୁକ । ମୁଣ୍ଡରେ ତିନୋଟି ଜଟା । ଛାତି ଉପରେ ରୁଦ୍ରାକ୍ଷ ମାଳା ଲମ୍ବିଛି । ଗୋଟିଏ ଡାହାଣ ହାତରେ ମୁଣ୍ଡ ଉପରେ ଖଣ୍ଡା ଟେକିଛନ୍ତି । ଗୋଟିଏ ହାତରେ ତ୍ରିଶୂଳ, ଗୋଟିଏ ହାତରେ ଗଦା, ଗୋଟିଏ ହାତରେ ଧନୁ, ଗୋଟିକରେ ଢାଲ, ଗୋଟିକରେ ଘଣ୍ଟା, ଗୋଟି କରେ ତୁଣୀର, ଗୋଟିକରେ ପଦ୍ମ, ଗୋଟିକରେ ସାପ, ଗୋଟିକରେ କମଣ୍ଡଳୁ । ସିଂହ ମହିଷାସୁରକୁ ମାଡ଼ିବସିଛି ।

 

ସାବିତ୍ରୀ ସତ୍ୟବାନ, ଚତୁର୍ମୁଖ ବ୍ରହ୍ମା, ଚତୁର୍ଭୁଜ ବିଷ୍ଣୁ, କିରୀଟିବନ୍ତ ସୂର୍ଯ୍ୟ, ନାନା ବାହନ ଚଢ଼ି ମାତୃକାମାନେ, କାହାର ମୁହଁ ସିଂହମୁହଁ, କାହାର ବରାହ, କିଏ କିଶୋରୀ, କିଏ ବୃଦ୍ଧା, କାହାର ବାହନ ବେଙ୍ଗ, କାହାର ଶୁଆ, କାହାର ମଗର, କାହାର ବିଲୁଆ, କାହାର ବାହନ ବତକ, କାହାର ମିରିଗ, କାହାର କୁକୁଡ଼ା, କାହାର ସିଂହ, କାହାର କଇଁଛ, କାହାର ମାଛ, କାହାର ମେଣ୍ଢା, କାହାର ହାତୀ, କାହାର ବାହନ ଶିବ । କାହା ହାତରେ ବୀଣା, କାହା ହାତରେ ଭଙ୍ଗା କୁଲା, କାହା ହାତରେ ପ୍ରକାଣ୍ଡଘଟ, ଜଣକ ହାତରେ ସାପ ଗୁରେଇ ହୋଇଛି, ଫଣା ଟେକିଛି, କିଏ ଠିଆହୋଇଛି ମୂଷା ଉପରେ, ହାତରେ ଗୋଟିଏ ଧନୁ ଧରି ଗୁଣ ଓଟାରୁଛି, ଅତି ସୁନ୍ଦର ସ୍ନେହ ଢଳଢଳ ମୁହଁଟିଏ । ଅଣ୍ଡାରୁ ତଳକୁ ସରି ସରି ଅଣ୍ଟାସୂତା, ଅତି ପାତଳ ଶାଢ଼ି, ଅଣ୍ଟା ଉପରକୁ ଖୋଲା । ହାତରେ ଚୁଡ଼ି, ବାହୁରେ କଣ୍ଠି, ବେକରେ ସରି ସରି ହାର, କାନରେ ବଡ଼ ବଡ଼ ଗୋବ ଗୋଲଗୋଲ ଫୁଲ, ମୁଣ୍ଡରେ ବହୁତ ମାଳି, ମୁଣ୍ଡରେ ପ୍ରକାଣ୍ଡ ଖୋସା, ଗୋଟିଏ କରକୁ ଢଳିଛି, ଚଉଁରିଭୁଣ୍ଡି ଯେପରି କି ଗୋଜିଆ ଫୁଲକଢ଼, ତା’ ତଳେ ସରି ସରି ଫୁଲପାଖୁଡ଼ା । ସମସ୍ତଙ୍କ ଆଖି ଅଧା ବୁଜିହେଲା ପରି, ମୁହଁର ଭଙ୍ଗୀ ଶାନ୍ତ, ପ୍ରସନ୍ନ, ଅତି ସୁନ୍ଦର । ଦେଉଳର ଠଣା ଭର୍ତ୍ତିହୋଇ ତା’ ପରେ ଅର୍ଦ୍ଧଚନ୍ଦ୍ର ପରି ଦେଉଳକୁ ଘେରାଇ ମୂର୍ତ୍ତିଗୁଡ଼ିକ ସଜାହୋଇ ରହିଛନ୍ତି ।

ଦେଉଳ ବାହାରେ ଭଙ୍ଗା ଇଟାକୁଢ଼, କହନ୍ତି ସେଠି ଚଣ୍ଡଘଣ୍ଟା ଦେବୀଙ୍କ ମନ୍ଦିର ଥିଲା । କଳାପଥରର ପ୍ରକାଣ୍ଡ ବୈଷ୍ଣବୀ ମୂର୍ତ୍ତି ଠାଏ ଥୁଆ ହୋଇଛନ୍ତି ।

ଆହୁରି ବିଚିତ୍ର ସେହି ବରଗଛମୂଳ । ସେଠି ନାନା ପ୍ରକାର ମୂର୍ତ୍ତି । ଭୂମିସ୍ପର୍ଶ ମୁଦ୍ରା ଦେଖାଇ ପଦ୍ମ ଉପରେ ବସିଛନ୍ତି ବଜ୍ରଧର, ବରଦା ମୁଦ୍ରାରେ ତାରା, ଅନେକ ବୁଦ୍ଧମୂର୍ତ୍ତି, ସେଠି ଅଛି ସୂର୍ଯ୍ୟ ମୂର୍ତ୍ତି, ଶଙ୍ଖ-ଚକ୍ର-ଗଦା-ପଦ୍ମ ଧରି ଚତୁର୍ଦ୍ଧାରୂପରେ ପ୍ରକାଣ୍ଡ ମାଧବ ମୂର୍ତ୍ତି, ପ୍ରକାଣ୍ଡ କଳା ପଥରରେ ଶେଷଶାୟୀ ଅନନ୍ତଶଯ୍ୟା ବିଷ୍ଣୁ ମୂର୍ତ୍ତି । ପାଦତଳେ ଲକ୍ଷ୍ମୀ ବସି ଗୋଡ଼ ଘଷୁଛନ୍ତି, ମୁଣ୍ଡ ଉପରେ ମୁଗୁନିପଥରରେ ବାସୁକୀର ଫଣା, ଛତା ପରି ସାତଟି, ତା’ ଉପରେ ପୃଥିବୀ, ଭୋପା ବିକର୍ତ୍ତନ ବାପାଠୁଁ ଶୁଣି ଶୁଣି ମନେ ରଖିଥିଲା, କହେ-

‘‘ସାତଫେଣା ଯେ ସାତଟି ନୀତି, ସେଇଥିରେ ବାସୁକୀ ସଂସାରଟାକୁ ସମ୍ଭାଳିଛି, ସେହି ସାତଟି ନୀତିରୁ ଗୋଟିଏ ନ ହେଲେ ସଂସାରଟାକୁ ଟେକି ରଖି ହବ ନାଇଁ । ସେ ଟଳ ଟଳ ହେବ । ଅଇଛା କଳିଯୁଗରେ ସାତକୁ ସାତ ହୀନବଳ, ସେଥିପେଇଁ ସଂସାରରେ ଶାନ୍ତି ନାହିଁ । ଆମ ଦେହରୁ ନେଙ୍କେଡ଼ା ଛିଣ୍ଡଚି, ସଂସାର ବି ଟଳଟଳ, ଖବରକାଗଜ ଖୋଲିଦବ କି ଦେଖିବ କୋଉଠି ଯୁଝ ଲାଗିଚି, ନ ହେଲେ ଯୁଝ୍‌ ଯୁଝ୍‌ବୋଲି ଧମକାଧମକି ଚଦାଚଦି ହଉଚନ୍ତି ।’’

ଚିଁ ଚିଁ ପାଟି ଡେଙ୍ଗା ହାଡ଼ୁଆ ବିକର୍ତ୍ତନ ରଣା, ପାନ ଖାଏ ନାହିଁ, ଦାନ୍ତ ଗୋରୁହାଡ଼ ପରି, ମୁଣ୍ଡ ପଛଆଡ଼େ ଅରାଏ ବାଳ, ସେଥିରେ ଗୋଟାଏ ଚୁଟି, କୋରଡ଼ରେ ପଶିଛି ଆଖି, କପାଳରେ ଶିରା ପାଖରେ ଗୋଲ ଚନ୍ଦନଟିପା, ଫିମ୍ପିମରା ବତା ପରି ବାହା ଦିଟା । କଷ୍ଟେମଷ୍ଟେ ଆପଣା ନାଁଟା ଲେଖି ଜାଣେ । ବରଗଛ ଆଗରେ କୁଦ ଉପରେ ବସି କେଉଁ ଗୋରୁଜଗୁଆଳୀ ପଂଝାକୁ କି ପତରଗୋଟେଇମାନଙ୍କୁ କି ବିଲରୁ ଫେରୁଥିବା ହାଲିଆ ଘାଲିଆ ଧୂଳିଆ ଝାଳୁଆ ପକ୍ଷୀଙ୍କ ଆଗରେ ସେ ବୁଝାଏ ବାସୁକୀର ଫଣାର ତାତ୍ପର୍ଯ୍ୟ । କହେ, ଶାହାସ୍ତ୍ର ବୋଇଲା–

‘‘ଗୋଭିଃ ବିପ୍ରୈଶ୍ଚ ବେଦୈଶ୍ଚ

ସତୀଭିଃ ସତ୍ୟବାଦୀଭିଃ

ଅଲୁବ୍‌ଧିଃ ଧର୍ମଶୀଳେଶ୍ଚ

ସପ୍ତର୍ଭି ଧାର୍ଯ୍ୟତେ ମହୀଃ ।’’

 

ଆଶ୍ଚର୍ଯ୍ୟ ପ୍ରକାରେ ବିଶୁଦ୍ଧ ଶୁଭେ ତା’ର ଉଚ୍ଚାରଣ, ଖାଲି ତହିଁରେ ସେ ସଂକୀର୍ତ୍ତନିଆ ସ୍ଵର ସଂଯୋଗ କରିଦିଏ । ମୂର୍ତ୍ତିମାନଙ୍କଆଡ଼କୁ ହାତ ଦେଖାଇ କହେ, "ହେଇ ଦେଖ, ସମସ୍ତେ ପଥର ହେଇଗଲେ । କାହାରି ଆଉ ପାଟି ଫିଟୁନାଇଁ । ତାଙ୍କ ଉପରେ ଚଢ଼େଇ ହଗୁଚନ୍ତି, ବିଲୁଆ ଝାଡ଼ା ଫେରୁଚି, ହୁଙ୍କା ବଢ଼ୁଚି, ଖରା କାକର ଖାଇ ମାଟିକାମୁଡ଼ି ପଡ଼ି ରହିଚନ୍ତି । କ’ଣ ଆଉ କରିବେ, ଘୋର କଳିଯୁଗ ହେଲା ପର !’’

 

ଶ୍ରୋତାଏ ମୁଣ୍ଡ ଟୁଙ୍ଗାରନ୍ତି, ମାଇପେ ଦୀର୍ଘନିଶ୍ୱାସ ପକାନ୍ତି । ଭୋପା ବିକର୍ତ୍ତନର ଆଖି ଦିଟା ଜିକିଜିକି ହୋଇ କୁହୁଳି ଉଠେ, କହେ, “ଗୋଭିଃଆରେ ଗୋଚର ପଡ଼ିଆ ତ ସବୁ ତାଷ କରି ପକେଇଇ, ଏଣେ ବିରି ଭାଇ ହେଲାଣି ଟଙ୍କାକୁ ସେରେ ପାଞ୍ଚପା, ଗୋରୁଙ୍କର ହାଡ଼କଣ୍ଟା ରହିଲାଣି, ଆଉ ଏଣେ ଇଞ୍ଜେକ୍‌ସନ ଫୋଡ଼ୁଥା, ଆଣୁଥା ପଞ୍ଜାବୀ ଷଣ୍ଢ, ଆଉ କି ଗୋଭିଃ ମ ? ବିପ୍ର ତ ବିକର୍ମା, ପାଠ ପଢ଼ି ବାବୁ ହେଲେ, ଖଟତଳେ ଟୋକେଇ ଭିତରେ କୁକୁଡ଼ା ଅଣ୍ଡା, କର୍ମରେ ଯେ ରହିଲେ ତାଙ୍କ ପେଟପାଟଣା ଖବର ବୁଝୁଚି କିଏ ? ବେଦ ତ ଲୁଚିଲା, ତା’ ବଦଳରେ ଅଇଲା ବିଦେଶୀ ବୋଧପାଠ, ସତୀ ବିଗିଡ଼ିବେ, ଜଗନ୍ନାଥ ଦାସେ କହିଚନ୍ତି, ଅସତୀ ମୁଣ୍ଡକୁ ଉଠିବେ । ସତ୍ୟବାଦୀ ତ ଛାଡ଼ିଦିଅ, ସମସ୍ତେ ସତ୍ୟବାଦୀ । ଅଲୁବ୍‌ଧି କିଏ ସେ ଅଛି, ଯାହାକୁ ଦେଖିବ ଠାକୁର ଖାଇ ଖଟୁଲି ଗିଳିବା ଲୋକ ସମସ୍ତେ । ଧର୍ମଶୀଳ ପଦ ତ ବଢ଼ିଲା । ଆଉ ବାସୁକୀର ଗରଜ ପଡ଼ିଚି । ଯାଉ ଏ ବୁଡ଼ୁ, ଆଚ୍ଛାକରି ବୁଡ଼ିଲେ ସତ ଉପୁଜିବ ।’’

 

ବିକର୍ତ୍ତନର ଖଙ୍କା ପେଟ ପିଠିକି ଲାଗିଯାଏ, ଜଳ ଜଳ ପେଟର ଛାଲ ଉଠେ ପଡ଼େ । ହଡ଼ାର ପଞ୍ଜରା ପରି ତା’ର ଛାତି, ବଡ଼ ବଡ଼ ହାଡ଼ ଧାଡ଼ି ଧାଡ଼ି, ତା’ ଉପରେ କୋତରା ଚମ ଢାଙ୍କୁଣି କମାରଶାଳର ଉହାର ଛାଲ ପରି ଉଠେ ପଡ଼େ । ବିକର୍ତ୍ତନ ସେହି ଜଙ୍ଗଲ, ପଥର, ଦଣ୍ଡା, ଧାନବିଲ ଆଉ ଶ୍ରେଣୀ ବୟସ -ଜ୍ଞାନ ନିର୍ବିଶେଷରେ ଶ୍ରୋତାମାନଙ୍କୁ ଶୁଣେଇ ଶୁଣେଇ ମନଇଚ୍ଛା କହେ–

 

"ଏତେ ଦିଅଁ ଦେବତା ଯେ ତାଙ୍କ ମୁହଁରେ ପାଣି ଟୋପାଏ ଦେବାକୁ ଗୋବେ ହେଲେ ଜମି ନାଇଁ । ବଜ୍ରେଶ୍ଵର ପୂଜା କଲେ ଭୁଆସୁଣୀର କାଚ ବଜର ହୁଏ, ମଣିଷର ଭାଗ୍ୟ ବଜର ହୁଏ । କିଏ ନ ଜାଣେ ? ପ୍ରତ୍ୟକ୍ଷ ଦେବତା । ଡାକିଲେ ଓ କରେ । ଏତେ ଜମି ଥିଲା, କୁଆଡ଼େ ଗଲା ? କହିଦବ କାହା ଜିଭରେ ହାଡ଼ ଅଛି ? ଏତେ ବାଟର ଭୋପା ଆସିବ, କ’ଣ ତା’ ପିଲା ମାଇପେ ଖାଇବେ ? ଛାଡ଼ଃ, ଆମ ପିତୃପୁରୁଷେ ସେବାକାରୀ ଥିଲେ, କିଏ ପଚାରୁ ନ ପଚାରୁ ଆମ କାମ ଆମେ କରିଯିବା, ବଞ୍ଚିଥାଉଁ ଥାଉଁ କେମିତି ଦେହ ସହିବ ?”

 

ବିକର୍ତ୍ତନ ଚେକାମହୁଲି ପକାଇ ସିଧା ହୋଇ ବସିରହେ । ନିଶ୍ଚଳ ହୋଇ ପଥର ପରି । ନୈରାଶ୍ୟ ଭିତରେ ଅପ୍ରସନ୍ନ ମୁହଁରେ ଭାଗ୍ୟକୁ ଆଦରି ନେଲା ପରି ବିଷଣ୍ଣ ଭାବ । ସେ ବି ସତେ କି ମୂର୍ତ୍ତିଟିଏ । ବିଳିବିଳେଇ ଉଠେ ।

 

"ଛାଡ଼, ଯେ ଗଢ଼ିଥିଲେ, ଯେ ଥାପିଥିଲେ, ଯେ ଖଞ୍ଜିଥିଲେ ସେ ସମସ୍ତେ ତ ଗଲେଣି, କାହିଁ ସେ ରାମ, କାହିଁ ସେ ଅଯୋଧ୍ୟା !’’

 

ସେହି ସେ ବଜ୍ରେଶ୍ଵର ଢିପ । ଯୁଗେ ଯୁଗେ କେତେ ପୂଜା, କେତେ ବାଜା, କେତେ ମନ୍ତ୍ର କେତେ ତତ୍ତ୍ୱ ସେ ଶୁଣିଆସିଛି । ଏବେଖାଲି ବିକର୍ତ୍ତନର ବିଳାପ । ନ ହେଲେ ଶୂନ୍‌ଶାନ୍ ।

 

କେବେ ଏଇ ହୋଇଥିଲା ଏ ଥଳି ଖଣ୍ଡିକର ପେଣ୍ଠ, ସେତେବେଳେ ଏଇ ଧାନବିଲ ମଝିରେ ଥିଲା ବଡ଼ ସହର । ଜମିରେ ପାଣି ମଡ଼େଇବାକୁ ଚୁଆ ଖୋଳୁ ଖୋଳୁ ବହୁତ ଖପରା ବାହାରେ, ଲହୁଣୀ ନେସା ହେଲାପରି ତା’ ଉପରେ ଜିକିଜିକି ପୁଟ । ବାହାରେ ମାଟିରେ ତିଆରି ସୁନ୍ଦର ଅଳଙ୍କାର ମାନ, ପୋହଳା, ନେଳୀ ନାଲି ପଥରର କଣ୍ଠି, ହାତୀଦାନ୍ତର ମୁଦି, ପୁରୁଣାକାଳିଆ ତମ୍ବାଗରା । କେତେ ଚୁଆ ତଳେ ପାଚେରି ପଡ଼ିଯାଏ । କେହି କେହି ସୁନା ବି ପାଇଛନ୍ତି । ଗୋଟାଏ ଜମିର ନାଁ କବିଡ଼ିହ, ଗୋଟାଏ ପ୍ରକାଣ୍ଡ ପଥରବାମ୍ଫୀର ନାଁ ଅମାତ୍ୟ ବାମ୍ଫୀ, ସେମିତି ଏଠି ସାଧବବିଲ, ରାଣୁକ ସର ।

 

ଏଇ ଢ଼ିପର ନାନା ଆଡ଼ୁ, ଗୋଟେଇ ପୋଟେଇ ମୂର୍ତ୍ତିଗୁଡ଼ିକୁ ଆଣି କିଏସେ ଏକାଠି ବରଗଛ ତଳେ ଗଡ଼େଇ ଦେଇଛି । ତଥାପି ଠାଏ ଠାଏ ଆହୁରି ପଡ଼ିଛି । କେତେ ଭଙ୍ଗାରୁଜା, ଖଣ୍ଡିଆ ଖାବୁଡ଼ା । କେତେ କଳାପଥର ମୂର୍ତ୍ତି ପାଣି ମାଡ଼ରେ ଘୋରି ହୋଇ ହୋଇ ତଥାପି ସେଥିରେ ରହିଛି ମୁହଁର ଭଙ୍ଗୀର ଛାପା, ଅଙ୍ଗଭଙ୍ଗୀର ଲାଳିତ୍ୟର । କାହା ଉପରେ ଗଛର ଚେର ଭିଡ଼ିଛି, ସବୁଥିରେ ଲାଗିଛି ପଥରର ଶିଉଳି ଆଉ ଫିମ୍ପି, ଅରାଏ ଅରାଏ କଳା କଳା ଛଉ, ମଝିରେ ମଝିରେ ଚୂନପାଣି ଛାଟିଲା ପରି । କେତେ ମୂର୍ତ୍ତି ଘୋଡ଼େଇ ହୋଇ ରହିଛି କଣ୍ଟା ଅରମା ତଳେ, ମାଟି ପଥର ତଳେ ।

 

ଯୁଗେ ଯୁଗେ ପୁରୁଣା ମତ ଉପରେ ନୂଆ ମତ ଚାପିବାକୁ ଚେଷ୍ଟାକରି ଆପଣା ଆପଣା ରୁଚି ଓ ଧାରଣାକୁ ମୂର୍ତ୍ତିମନ୍ତ କରି ଲୋକେ ରୂପ ଥାପିଥିଲେ, ହିନ୍ଦୁ ଉପରେ ବୌଦ୍ଧ, ଶୈବ ଉପରେ ବୈଷ୍ଣବ, ସମସ୍ତିଙ୍କ ଉପରେ ଶାକ୍ତ, ସବୁ ଘୋଟିଛି ଅରମା, ମାଟି ଚରିଛି ।

 

ଶୂନ୍‍ଶାନ୍ । କେହି ଆସେ ନାହିଁ । କେବେ କଦବା କାହା ମାନସିକଟାଏ ପଡ଼େ, କେଉଁ ଗାଁରେ ରୋଗ ମଡ଼କ ଲାଗିଲେ ଏଠି ଲାଗେ ଠାକୁର ଉଦ୍‌ବୋଧନ, ଠାକୁରାଣୀ ମାଜଣା, ବେକରେ ଢୋଲ ପକାଇ ଜମିର ସରୁ ହିଡ଼ ବାଟେ ବାଦ୍ୟକାର ଆସନ୍ତି, ବାଜା ଢାଉଁ ଢାଉଁ ବାଜେ, ପୁଣି ତୁନୀପଡ଼େ ।

 

ଏବେ ବିଲ ଉପରେ ଅକାତ ପାଣି, କରାଙ୍ଗ ପାଖେ ବଜ୍ରବାଣ ନଈରେ ଘାଇ ଭାଙ୍ଗିଲା, କରାଙ୍ଗ, ତୁଳଙ୍ଗ, ମୂଳପୋଛ ହେଲା, ଭୋପା ବିକର୍ତ୍ତନ କରାଙ୍ଗରୁ ପକାଇଯାଇ ଆଶ୍ରା ନେଇ ଆଇତଳଙ୍ଗରେ । ସବୁ ଘାଇଭଙ୍ଗା ପାଣି ଏକାଠି ମିଶିଲା, ବଜ୍ରେଶ୍ଵରଙ୍କ ଢିପ ହେଲା ଗୋଟିଏ ସାନ ଦ୍ୱୀପ ।

 

ଦେଉଳ ପଛଆଡ଼େ ପୁରୁଣା ପିଜୁଳିଗଛ ଆଠଟାଯାକରେ ପିଜୁଳି ଲଦି ହୋଇଛି । ଚମ୍ପାଫୁଲ ଫୁଟିଛି, ଲମ୍ବ ଲମ୍ବ କଢ଼ି ଆଙ୍ଗୁଳି ପରି ହାତୀଦାନ୍ତ ବର୍ଣ୍ଣର ଶ୍ୱେତଚମ୍ପା, ଆଉଟା ସୁନା ବର୍ଣ୍ଣର କନକଚମ୍ପା । ଗୋଟିଏ ବୁଢ଼ା ଆମ୍ବଗଛରେ ବୁଢ଼ୀ ମାଳତୀଲଟା ଅଜାଡ଼ି ହୋଇ ରହିଛି, ଅରାଏ ଅରାଏ ଫୁଲ ଫୁଟିଛି । ବେଲବଣରେ ନାଗେଶ୍ୱର ଗଛରେ ଗହଳି ପତ୍ର । ଚାରିଆଡ଼ ଭାସିଆସୁଛି ମଠୁଆ ମଠୁଆ କିଆ କେତକୀର ବାସ୍ନା । ଦେଉଳ ଆଗରେ ଖୋଲା ଜାଗା ଅରାକ ସେକରେ କାଠଚମ୍ପା ଗଛଗୁଡ଼ିଏ, ଫୁଲ ଖୁନ୍ଦି ହୋଇଛି ।

 

ଫୁଲ, ପତ୍ର, ପୁରୁଣା ଦେଉଳ, ଭଙ୍ଗାକୁଢ଼, ସେକରେ ଅରମା, ଠାଏ ପାଣିରେ ଗାଧୋଉଛି ଝଙ୍କା କୋଚିଳା ଗଛ । ଚଢ଼େଇ ଚହଳ କରୁଛନ୍ତି । ବଜ୍ରେଶ୍ଵରଙ୍କ ଢିପ ପାଣିରେ ଭାସୁଛି-। ସେଠି ଦୋଓଟି ମଣିଷ, ରୋହିନାଥ ଆଉ ଦୁଲୀ ।

 

ପିଜୁଳି ଖାଇ ପେଟ ପୂରିଥାଏ । ଦିନଯାକ ଦେହେ ଦେହେ ଯାଇଥାଏ ଖରା । ରୋହି ଆଉ ଦୁଲ ପାଣି କୂଳରେ ଠିଆ ହୋଇ ଅନିଶା କରିଥାନ୍ତି, ଖରା ତାଉରେ ପାଣି ଦିଶୁଥାଏ ଡହ ଡହ, ଆଖି ପୋଡ଼ୁଥାଏ । ଅନିଶା କରିଥାନ୍ତି, କାଳେ କେଉଁ ଡଙ୍ଗା ଯିବ । ମୁଣ୍ଡ ଉପରେ ଗଁ ଗଁ ହୋଇ ଉଡ଼ାଜାହାଜ ଉଡ଼ି ଯାଇଥିଲା । ସକାଳେ ଦେଖିଥିଲେ ଖଣ୍ଡେ ଦୂରରେ ଡଙ୍ଗାଟିଏ ଯାଇଥିଲା, କଅଁଳଗାଧୁଆ ବେଳେ ରଡ଼ି ରଡ଼ି ତଣ୍ଟି ଫାଟିଥିଲା, ଶବଦ ପହଞ୍ଚିଲା ନାହିଁ; କିନ୍ତୁ ଆଶା ତେଜିଥିଲା ।

 

ତା’ପରେ ଯେତେବେଳେ ବେଳ ରତ ରତ ହେଉଥିଲା, ସେତେବେଳେ ଆହୁରି ଗୋଟିଏ ଡଙ୍ଗା ଦିଶିଲା, ଏଥରକ ସେତେ ଦୂର ନୁହେଁ, କିନ୍ତୁ ସିଧା ମୋହିଁଛି ବଢ଼ି ର ମଝିରେ ମଝିରେ । ପ୍ରାଣପଣେ ରୋହି ଆଉ ଦୁଲ ରଡ଼ି ଛାଡ଼ିଲେ, ‘‘ହୋଓ ଓ...’’

 

ହେଇ ତାଙ୍କର ଡାକ ଡଙ୍ଗାରେ ବାଜିଲାଣି । ଡଙ୍ଗା ମଙ୍ଗ ମୋଡ଼ିଲା । ପ୍ରତିଧ୍ୱନି ପରି ସେ ଡଙ୍ଗାରୁ ବି କୁହାଟ ଚହଟି ଆସିଲା । ସେମାନେ ଆସୁଛନ୍ତି । ହାତ ଛାଟି ପାଟିରେ କମ୍ପାଇ ରୋହି ଅସ୍ଥିର ହେଲା । ନା’, ଆଉ ଚିନ୍ତାନାହିଁ । ଗଦ ଗଦ ହୋଇ ରୋହି କାନ୍ଦି ପକାଇ କହିଲା, “ଗୋରେଖ ଆମ ଗୁହାରି ଶୁଣିଲେ ଲୋ ! ବଣିଆ ଘରେ ରଙ୍ଗଆଉଟି ରଙ୍ଗ ପିଇଦେଇ ପାର କରିଥିଲେ । ଅଷ୍ଟାଙ୍ଗ ସାଧି ସିଦ୍ଧାନ୍ତ ହୋଇଥିଲେ । ଅକଟା ଅବଟା ତାଙ୍କ ଆଜ୍ଞାରେ ପାକ ହେଉଥିଲା ଯେ ତା’କୁ ଖାଉଥିଲେ । ସବୁ ଛାଡ଼ିଦେଇ ପବନ ଆହାରୀ ହୋଇ ଅଜର ଅମର ହୋଇଥିଲେ । ତା’କୁ କୋଉ କଥା ଅଜଣା ! ଟିକିଏ ଦୃଷ୍ଟି ଢାଳିଲେ ବାରିଧିରେ ବନ୍ଧ ପଡ଼ିଯାଏ । ସବୁ ତାଙ୍କର ଦୟା, ତାଙ୍କ ମହିମା ।’’ ବିପଦରୁ ଉଦ୍ଧାର ହେଉଛି ଭାବି ତା’ର କୃତଜ୍ଞତା ଉପୁଜିଲା ଯୋଗୀମାନଙ୍କ ଆଦିଗୁରୁ ଗୋରଖନାଥଙ୍କ ପ୍ରତି, ତା’ ମନରେ ସେହି ସେତେବେଳେ ଅଦୃଶ୍ୟ ଭଗବାନଙ୍କ ପ୍ରତିରୂପ ।

 

ଏ କ’ଣ ହେଲା, ‘‘ଇଲୋ ଦେଖ୍, ଦେଖ୍ ଲୋ ଦୁଲ, ଡଙ୍ଗାଟା ଏମିତି କ’ଣ ହେଲା !’’ କଲବଲ ହୋଇ ଗଇଁ ସଇଁ ହୋଇ ରୋହି ସେହିଆଡ଼କୁ ଅନାଇଁଥାଏ । ତର ତର ହୋଇ ଡଙ୍ଗାଟା ମାଡ଼ିଆସୁଥାଏ । ଡେଙ୍ଗା ସଳଖ ଚାରିଟା ନାଉରି କାତ ପେଲୁଥାନ୍ତି । ଆଗ ମଙ୍ଗରେ ବୁଢ଼ା ମଙ୍ଗୁଆଳ ପାଖରେ ଠିଆ ହୋଇଥାନ୍ତି କିଏ ଦି’ଜଣ । ଢିପ ପାଖ ପାଖ ହେଉ ହେଉ ହଠାତ୍ ପ୍ରଚଣ୍ଡ ବେଗରେ କେଉଁଥିରେ ଗୋଟାଏ ଡଙ୍ଗାଟା ଧକ୍‌କା ଲାଗିଲା । ଦି’ଜଣ ନାଉରି ପାଣିରେ ଛିଟିକି ପଡ଼ିଲେ । ଦି’ଜଣ ପଡ଼ିଗଲେ ଡଙ୍ଗା ଭିତରେ । ମଙ୍ଗ ପାଖରେ ତିନିହେଁ ଡଙ୍ଗା ଭିତରକୁ ଛିଟିକି ଗଲେ । ସୁଅ ତୋଡ଼ରେ ଡଙ୍ଗାଟା ଘେରାଏ ବୁଲିଯାଇ ପଛକୁ ଓଟାରି ହୋଇଗଲା । ତା’ପରେ ପହଁରି ପହଁରି ପାଣିରୁ ନାଉରି ଦିହେଁ ଡଙ୍ଗାକୁ ଉଠିଲେ । ପୁଣି ଯେ ଯାହା ସ୍ଥାନରେ ଠିଆ ହୋଇଗଲେ। ଲାଗିଗଲା ଭଦ୍‌ବେଗ, ଚହଳ, ମଙ୍ଗଭିଡ଼ା, କାତପେଲା, ସୁଅ ସଙ୍ଗରେ ଜୀବନମୂର୍ଚ୍ଛା ଯୁଦ୍ଧ । ଡଙ୍ଗାଟି ପୁଣି ବାଗକୁ ଆସିଲା । ପୁଣି ଢିପଆଡ଼କୁ ମୋହିଁଲା, ଏଥର ଭିନେ ବାଟରେ, ଆଉ ତା’ ଗତି ସଳଖ ନୁହେଁ । ଜଖମ ଡେଣାରେ ଚଢ଼େଇ ଉଡ଼ିଗଲା ପରି, ବଙ୍କେଇ ବଙ୍କେଇ, ଦୋହଲି ଦୋହଲି, ବୁଲିବୁଲିକା ।

 

ପାଣି ଭିତରେ ଛପି ରହିଥିଲା ଗୋଟାଏ ସିଧା ଠିଆ ବଡ଼ କଳାପଥର, ସେଥିରେ କେଉଁ କାଳର ପୁରୁଷ ମୂର୍ତ୍ତିଟିଏ ଖୋଳା ହୋଇଥିଲା । ଯେପରି କି ପୁରୁଷଟି ପଥର ଭିତରୁ ବାହାରି ପଡ଼ୁ, ପଡ଼ୁ, ଅଟକି ଠିଆ ହୋଇଛି ସେହିପରି । କି ମୂର୍ତ୍ତି ସେ ତା’ର ଥଏ ନାହିଁ । କିଏ କହେ ସେ ନନ୍ଦୀ, କିଏ କହେ ସେ କେଉଁ ଋଷି, କିଏ କହେ ସେ ବଜ୍ରେଶ୍ୱର ଢିପ ଜଗୁଆଳୀ । କିନ୍ତୁ ବହୁକାଳରୁ ଆଉ ଥୋକେ ତା’ଦେହରେ ସିନ୍ଦୁର ନେସିଥିଲେ ପୁଟ ପୁଟ କରି । ସେମାନେ କହନ୍ତି, ସେ ଜ୍ୱର ଦେବତା, ତା’କୁ ପୂଜା କଲେ ଜ୍ଵର ଛାଡ଼େ । ସେମାନେ କହନ୍ତି, ସେହି ସିନ୍ଦୂର ପୁଟତଳେ ରହିଛି ଗୋଟାଏ ଜରୁଆ ମଳୁର ରୂପ । ମୁଣ୍ଡବାଳ ନୁଖୁରା ଫୁରୁ ଫୁରୁ । ଆଖି ଆଉ ଗାଲ କୋରଡ଼ରେ ପଶିଛି, ସରୁ ସରୁ ହାତ ଗୋଡ଼, ପେଟଟି ଫୁଲିଲା ଫୁଲିଲା । ସତେ ଯେମିତି ସେ ଜରରେ କମ୍ପୁଛି, ରୁମ ଟାଙ୍କୁରି ରହିଲା ପରି । ଜଗତଯାକର ଜ୍ୱର ସେ ଆପଣା ଦେହକୁ ନେଇ ସମସ୍ତିଙ୍କି ଅଭୟ ଦେଇଛି ।

 

ଫୁଲଶରାର ଡଙ୍ଗା ଜର ଦେବତା ଦେହରେ ତାଇ ବାଜିଥିଲା । ଖଣ୍ଡିଆ ହୋଇଥିଲା, ସେଥିରେ ପାଣି ପଶୁଥିଲା । ସେହି ଡଙ୍ଗାରେ ଥିଲା ରବି । ଡଙ୍ଗା କୂଳରେ ଲାଗିଲା । ସେମାନେ ସମସ୍ତେ ଓହ୍ଲେଇ ପଡ଼ି ତର ତର ହୋଇ କାମରେ ଲାଗିଗଲେ । ଜିନିଷପତ୍ର ପଦାକୁ କଢ଼ା ହୋଇ କୂଳରେ ଥୁଆହେଲା । ଦୁଇଜଣ ଅନବରତ ଲାଗି ଲାଗି ଡଙ୍ଗାରୁ ପାଣି କାଢ଼ି ନେଇ ଫୋପାଡ଼ି ଦେଉଥାନ୍ତି । ଠାଏ କଣା ହୋଇଯାଇଛି । ଠକ୍‌ଠାକ୍ ଠକ୍‌ଠାକ୍‌ ପଟା ତାଳି ଦେଇ ପିଟା ଆରମ୍ଭ ହେଲା । କ୍ଷିପ୍ରହାତରେ ନିଧି ରଣା ମାଝିକାମ କରି ଯାଉଥାଏ । ସେଇ ଏ ବିଦ୍ୟାରେ ବେଶି କୁଶଳୀ-। ଡଙ୍ଗାର ତଳିଟାଯାକ ସେ ପରଖି ପରଖି ଦେଖୁଥାଏ । ରୋହିନାଥ ଓ ତା’ ସ୍ତ୍ରୀକୁ ସାନ୍ତ୍ୱନା ଆଉ ଉତ୍ସାହ ଦେଇସାରି ରବି ସେହି କାମକୁ ନିଘା ଦେଇ ଦେଖୁଥାଏ, ବେଳେବେଳେ ଏଇଟା ସେଇଟା ନେ ଆଣ କାର୍ଯ୍ୟରେ ସାହାଯ୍ୟ କରୁଥାଏ । ଝଙ୍କା ଝଙ୍କା ବାଳ, ଦମ୍ଭିଲା ବେକ, ବଳିଷ୍ଠ ନିଧି ଋଣାର କାର୍ଯ୍ୟକୁ ତୀକ୍ଷ୍ମ ଦୃଷ୍ଟିରେ ଅନାଇଁ ରହି ସେ ପଚାରିଲା-“କ’ଣ ଦେଖୁଚ ନିଧି ? ହେବଟି ?”

 

ଜମ୍ୱୁ ବେହେରା କହିଲା, ‘‘ଏବର ସିନା ହୀରାକୁଦ ବନ୍ଧ, ମହାନଦୀରେ ପଥର ଅନ୍ଧିସନ୍ଧିରେ ଗଲାବେଳେ କେତେ ଥର କେତେ କଥା ହେଇଚି, ସୁନୁପୁରୁ ତିନିକୋଶ ଥାଇ କ’ଣ ସେ ଗାଁଟା ନାଁ ନିଧି, ସେଠି ଯୋଉ ଅବସ୍ଥା ହେଇଥିଲା କ’ଣ ତା’ ପାସଙ୍ଗରେ ୟେ, ଅନାମତ ବଣଟାରେ ପଡ଼ି ରହିଲୁଁ ରାତି ଗୋଟାଏ, ସକାଳକୁ ନିଧି ସବୁ ତିଆରି କରିଦେଲା, ସେଥରକ ବାସେଳି ଦୟା ନ କରିଥିଲେ ଆଉ ଘର ମୁହଁ ଦେଖି ନଥାନ୍ତେ । ନିଧିକି ବଳେଇବ ନାଇଁ ।’’

 

ନିଧି ହସିଦେଇ ମୁହଁ ବୁଲେଇଲା, କହିଲା, ‘‘ନାଇଁ, ବେଶି କିଛି ହେଇ ନାଇଁ, ଉପରେ ଏଇ ଚାଳଟା ଟିକିଏ ଅବାଗିଆ କରୁଚି । ଟିକିଏ ଭଲକରି ଦେଖି ନଦେଲେ ଦୋଷ ଯିବ ନାଇଁ, ମନଟା ଦୁଡ଼ଗୁଡ଼ୁ ହଉଥିବ ।’’

 

‘‘ବାହାରିବା ନ ଅଇଛି ?’’

 

ନିଧି ଆହୁରି ହସିଲା, କହିଲା, “ଏଡ଼େ ମାଡ଼ଟାଏ ମିଳିଗଲା, ସହି ସମ୍ଭାଳି ନ ବାହାରିଲେ ଏ ଘାଇଭଙ୍ଗା ବଢ଼ିକି କୋଉ ଭରସା ?

 

ଜମ୍ୱୁ ବେହେରା ମୁଣ୍ଡ ହଲେଇ ହଲେଇ କହିଲା, “ରକ୍ଷା ପାଇଗଲେଇଁ ସେଇ ବଡ଼ କଥା-। ଓଳିଏ ନଗଲେ, କ’ଣ ହଉଚି ନ ଦେଖିଲେ ଏମିତି ଡଙ୍ଗା ନେଇ ଆଜି ଏତେବେଳେ ଆମେ ପାଣିରେ ପଶିବା ? ଦଦରା ହେଲା ନାହିଁ, ବାଟରେ ସୁଅର ତୋଡ଼, ପୁଣି ସଞ୍ଜ ବୁଡ଼ିଯିବ, ରାତି ହେବ । ଠାକୁରଙ୍କ ବରାଦ । ରହଣି ଆଜି ରାତିରେ ଏଇଠି ।’’

 

ଅଳ୍ପ ବେଳ ଗଲା । ସୂର୍ଯ୍ୟ ପାଣି ଉପରେ ନଇଁପଡ଼ିଥାଏ । ବଢ଼ିପାଣି ଉପରେ ନାଲି ନିଆଁଧାସ ପରି ତାଉ ଫୁଟୁଥାଏ । ସେତିକିବେଳେ ଆଉ ଗୋଟିଏ ଡଙ୍ଗା ଦେଖାଦେଲା । ବଇ ମଳିକ କହିଲା, ‘‘ଏ ଆମ ଡଙ୍ଗା ପରା ! ମଙ୍ଗ ପାଖେ କିଏ ସେଠି ଠିଆ ହୋଇଛନ୍ତି ? ଧୋବେଇ ମିଶ୍ରେଟି ? ସେ କୁହାଟ ଛାଡ଼ିଲା । ସେମାନେ ବି ଏଇଆଡ଼କୁ ଆସୁଛନ୍ତି । ରବି ଅନାଇଁ ରହିଲା । ଆଶ୍ଚର୍ଯ୍ୟ ହୋଇ ଚାହିଁ ଦେଖିଲା, ସେ ଡଙ୍ଗାରେ ଧୋବେଇ ମିଶ୍ରଙ୍କ ପାଖରେ ଅଛନ୍ତି ସିନ୍ଧୁ ଚୌଧୁରୀ, ଛବି । ସେମାନେ ହସୁଛନ୍ତି । ରୋହିନାଥ ଦେଖୁଛି ତା’ ପଡ଼ାଲୋକ ରଘୁନାଥ ଓ ସଦା ଗୋଛେଇତକୁ । ଚିହ୍ନାଲୋକ ଦେଖି ତା’ର ଉତ୍ସାହ ଖେଳି ଯାଉଥାଏ । ଆରପାଖରୁ ସେମାନେ ଖୁସିରେ ଚହଳ ପକାଇଥାନ୍ତି । ଆର ଡଙ୍ଗା ପାଖେଇ ପାଖେଇ ଆସୁଛି । ସଙ୍ଖୁଳା ସଙ୍ଖୋଳିର ଚହଳ ଆଉ ଉତ୍ତେଜନା ବଢ଼ି ବଢ଼ି ଉଠୁଛି । ତାହାରି ଭିତରେ ରବି ଆଉ ଛବି ପରସ୍ପରକୁ ଅନାଅନି ହୋଇ ରହିଛନ୍ତି । ରବିର ଦୃଷ୍ଟି ଭିତରକୁ ଡଙ୍ଗାଟା ଓଟାରି ହୋଇ ଲାଗି ଲାଗି ଆସୁଛି, କତିକି କତି-ଆଉ ସେଥିରେ ଅଛି ଛବି ।

 

ଭତ୍ତେଜନାରେ ରବିର ଦେହ ଥରି ଉଠୁଛି । ଲାଗୁଛି ଏଇ ଅପନ୍ତରାରେ ସେ ନିଜକୁ ନୂଆକରି ଆବିଷ୍କାର କରୁଛି, ପରର ଉପକାର କରି ନୂଆ ସମାଜ ଗଢ଼ିବା ପାଇଁ ଆପଣାକୁ ସେ ବିରାଟ ଉତ୍ସାହ ଉଦ୍ଦୀପନାରେ ଭସାଇ ଦେଇଛି ସତ, କିନ୍ତୁ ସେ ବି ସାଧାରଣ ମଣିଷ । ଛବି ପ୍ରତି ଯାହା ତା’ର କାମନା, ସେହି ତ ପ୍ରେମ ।

 

ଆପଣାକୁ କଳି ନେଉଛି, ପୁଣି ଦପ ଦପ ହୋଇ ଲାଗିଛି ଏଇ ମୁହର୍ତ୍ତର ଉତ୍ତେଜନାରେ–ଆପଣାକୁ ହଜେଇ ଦେଉଛି-ପୁଣି ଯେତେବେଳେ ଚିନ୍ତା କରି ବସୁଛି ସେତେବେଳେ ଭାବିପାରୁଛି-ଏ ଯେପରି କି ତା’ର ଜୀବନର ସ୍ୱାଭାବିକ ଢଙ୍ଗ, ଆପଣା ପାଖେ ଆପଣା ସମ୍ୱନ୍ଧୀୟ ଏହି ସତ୍ୟକୁ ଅସ୍ୱୀକାର କରିହେବ ନାହିଁ-ଡଙ୍ଗା ପାଖ ହୋଇ ହୋଇ ଆସୁଛି । ସେ ଏ ଝିଅଟିକୁ ଭଲ ପାଏ, ଅନ୍ତର ଭିତରେ ତା’ ସହିତ ଏଇ ନିବିଡ଼ ସମ୍ପର୍କ ନ ରଖି ସେ ବଞ୍ଚିପାରିବ ନାହିଁ, ଏ ସମ୍ପର୍କ ଚିରକାଳର, ଯେତେବେଳେ ସେ ନିଜକୁ ଅନୁଭବ କରି ପାରୁଥିବ, ସେତେବେଳେ ଅନୁଭବ କରୁଥିବ ତା’ ଭିତରେ ଅଛି ଏହି ପ୍ରେମ ।

 

ତା’ ପ୍ରତି ସେ ଗୋଟାଏ ଦାୟିତ୍ୱ ଅନୁଭବ କରୁଛି, କାହିଁକି ଏଡ଼େ ଅସାଧ୍ୟ ଭିତରେ ବିପଦ ମଝିକି ସେ ଚାଲିଆସିଲା, ଏଡ଼େ ବଢ଼ି, ବରଷା ? ପୁଣି ଅନୁଭବ କଲା, ଏ ପରିସ୍ଥିତି ଯେପରି କି ତାହାରି କଳ୍ପନାର ହିଁ ପ୍ରତିଚ୍ଛବି, ବହୁଦିନର ଆକାଙ୍‌କ୍ଷା ଓ ପ୍ରତ୍ୟାଶାର ବାସ୍ତବ ରୂପ ।

 

ଡଙ୍ଗା କେଡ଼େ ଚଞ୍ଚଳ ପାଖ ହୋଇ ଆସୁଛି, ରବିକୁ ଲାଗୁଛି, ଏଇ ଆସିଗଲା ତା’ର ଭାଗ୍ୟ, ଆସୁଛି ତାକୁ ଓଟାରି ନେବା ପାଇଁ, ଛାତି ଦାଉଁ ଦାଉଁ ପଡ଼ିଲା, ମୁଗ୍ଧହୋଇ ଚାହିଁ ରହୁ ରହୁ ଡଙ୍ଗା ଲାଗିଲା, ସେମାନେ ସମସ୍ତେ ତାକୁ ନମସ୍କାର କଲେ, ସେ ବି ସମସ୍ତିଙ୍କି ନମସ୍କାର କଲା । ତାହାରି ଭିତରେ ମୁରୁକି ମୁରୁକି ହସିଦେଇ ତା’ ମୁହଁକୁ ଅନାଇଁ ଛବି କହିଲା, “ନମସ୍କାର’’ | ରବି ପ୍ରତି ନମସ୍କାର ଜଣାଇଲା, ଆଉ ଲାଗିଲା ତା’ର ଛାତି ଲେଉଟି ପଡ଼ିଲା, ଆପଣା ଭୁଲାହୋଇ ସେ ଛବିର ଆଖିକି ଅନାଇଁ ରହିଛି, ଛବି ଭ୍ରୂଲତା ନାଚିଉଠିଲା ପର-ସେ ଭାବୁଥାଏ, ଆଉ ଦେଖୁଥାଏ, ଛବିର ଢଳ ଢଳ ଆଖିରେ ଥିରି ଥିରି ଆସି ପୂରିଗଲା ଅଥଚ୍ଚ ଆଲୁଅର ଢେଉ, ତା’ପରେ ତୀର ପରି ଛିରିକି ଛିରିକି ଆସିଲା ତାହାରି ଆଖିକୁ । ସେ ବିଭୋର ହେଲା ଆଶକ୍ତ ହେଲା, ସଲଜ୍ଜ ହେଲା, ତଳକୁ ମୁହଁ ପୋତିଲା ।

 

ପୁଣି ମୁଣ୍ଡ ଟେକିଲା, ଦେଖିଲା ଛବି ଠିଆ ହୋଇ ତାକୁ ଅପେକ୍ଷା କରିଛି । ଏତେ ଲୋକ ଅଟକିଛନ୍ତି, ଏତେ କଥା ପଡ଼ିଛି, କିନ୍ତୁ ଛବି ତାକୁ ହିଁ ଅପେକ୍ଷା କରି ଠିଆ ହୋଇ ରହିଛି । ତା’ର ଠାଣିରେ ଶ୍ରଦ୍ଧା, ଆଖିରେ କୁତୂହଳ, ଦରହସିଲା ହୋଇ ଶାନ୍ତ ଧୈର୍ଯ୍ୟ ଦେଖାଇ ସେ ଟାକି ରହିଛି, ସତେ କି ରବି କ’ଣ କରିବାକୁ କହିବ କି ବରଗିବ, ପାଟିକି ଅପେକ୍ଷା କରିଛି ।

 

ସତେ କି ଏମିତି ସେ ସବୁଦିନେ ଅପେକ୍ଷା କରିଛି ତା’ ଆଗରେ, ନେତାକୁ କର୍ମ୍ମୀ ପରି, ତା’ର ନାରୀ-ଚେଲା ହେଇତ ସ୍ପଟିକ ପାଣି ପରି ଦିଶିଯାଉଛି ତା’ ହୃଦୟର ତଳିତଳାନ୍ତ, ଉଚ୍ଛ୍ୱାସ ଓ ବିଶ୍ଵାସ, ରବିର ପଦେ କଥା ଯେପରିକି ତା’ ପକ୍ଷରେ ବେଦର ଗାର ।

 

ନତୁବା ସହକର୍ମୀ ଦିହେଁ, ଦିହେଁ ଦୁଇଆଡ଼ୁ କାମ କରି କରି ଫେରିଆସିଲେ, ଏଥିର ମନ୍ତ୍ରଣା ପଡ଼ିବ, ଆଲୋଚନା ଲାଗିବ, ସେ ଆଲୋଚନାରେ ବାଦ ବିବାଦ ନାହିଁ; ସେ ସ୍ନେହର, ଶ୍ରଦ୍ଧା ଓ ବିଶ୍ୱାସର ।

 

ତାହାରି ନିଜ ବ୍ୟକ୍ତିତ୍ୱର ଖଣ୍ଡେ ୟେ ଛବି, ଆପଣାର ସେହି ଅପୂରା ଅଂଶ ପୂର୍ଣ୍ଣ ହେବ କେବଳ ତାହାରିଦ୍ଵାରା, ତେବେ ସେ ଶାନ୍ତ ହେବ, ସତେ କି ସେହି ଖଣ୍ଡକୁ ଖୋଜି ଖୋଜି ବୁଲି ବୁଲି ସେ ଏଠି ତା’ର ସନ୍ଧାନ ପାଇଥିଲା, ତେଣୁ ତା’ର ନିଘା ଲାଖିଯାଇଛି ।

 

ଅନୁଭବ କଲା, ଏଠି କାମ ଚାଲିଛି, ସେ ନିଜେ ବି ସେ କାମରେ ଅଂଶ ଘେନୁଛି, ହାତକାମ, ଉପଦେଶ । କେଡ଼େ ହାଲୁକା ଛାତିରେ ସେ କଥା କହି ପାରୁଛି ! ଯେପରି କି ଏହି ବର୍ତ୍ତମାନ ସେ କ’ଣ କିଛି ଉତ୍ତେଜକ ବଳକାରକ ଔଷଧ ଖାଇଦେଇ ଉଲୁସି ଉଠୁଛି । ଅତି ଆନନ୍ଦ, ଉତ୍ତେଜନା, ପରିସ୍ଥିତି ଅତି ରୁଚିକର । ତା’ର ଦୃଷ୍ଟି ଆହୁରି ସତେଜ ଓ ପ୍ରଫୁଲ୍ଲ, ତା’ର ଭାବରେ ଆହୁରି ଉଦାରପଣ, ସ୍ନେହ ଓ ସହାନୁଭୂତି । ପାଦ ପଡ଼ୁଛି ଦିଦିହାତ ଛାଡ଼ି । ତା’ର ଉତ୍ସାହରେ ସମସ୍ତେ ମାତି ଉଠିଛନ୍ତି, ସେ କହିପାରୁଛି–

 

‘‘ନଈବଢ଼ିର ପ୍ରକୋପ ହୁଏ ବହୁତ, କିନ୍ତୁ ମଣିଷର କରାମତି ତାଠୁଁ ଆହୁରି ବେଶି, ବଞ୍ଚିଥିଲେ ସେମିତି କେତେ ଦୁର୍ଦ୍ଦଶା ଭୋଗିବାକୁ ହୁଏ, ଶେଷରେ ତ ମରଣ; କିନ୍ତୁ ମଣିଷ ଯେତେବେଳେ ସ୍ନେହରେ ମେଣ୍ଟ ହୁଏ, ମରଣ ବି ତାକୁ ଡରେଇ ପାରେ ନାହିଁ, ତ ଆଉ କ’ଣ ନଈବଢ଼ି ପାରିବ ?”

 

ଧୋବେଇ ମିଶ୍ର ହସି ହସି କହିଲେ, "ସେଇ ସ୍ନେହର ମେଣ୍ଟରେ ହାତମୁଠା ଟାଣ କରି ବଢ଼ି ଘାଣ୍ଟି ଘାଣ୍ଟି ମଣିଷ ହଜିଲା ମଣିଷଙ୍କୁ ଖୋଜି ପାଇଛି ଏଠି, ନ ହେଲେ ଏଡ଼େ ଭାଗ୍ୟ ଆମର ହୋଇଥାନ୍ତା !’’

 

ରୋହିନାଥ ହସି ହସି କହିଲା, “ଭାଗ୍ୟ ସବୁଯାକ ଏ ମୋ ଘର ମଣିଷର, ତାକୁ କିଏ କଇଲାଣ କରିଥିଲା, ତୋ କାଚ ବଜର ହଉ, ପାଷାଣରେ ଗାର ପରି ତା’ ବଚନ ଆଉ ଫିଟିଲା ନାହିଁ, ଯେମିତି କି ସେମିତି ରହିଲା, ନ ହେଲେ ବଢ଼ି ପାଣି ତଳେ ଆମେ ଦିହେଁ କୁଆଡ଼େ ଯାଆନ୍ତେଣି, ଆଉ ଏଡ଼େବଡ଼ ଭାଗ୍ୟ ହେଇଥାନ୍ତା ଏମାନଙ୍କୁ ଆମେ ଦେଖିଥାନ୍ତୁ ।”

 

ରବି କହିଲା, “ହେଇ ଏଥର ବେଳ ବୁଡ଼ିବା ପାଖ ହେଲା । ଯେ ଯିବାର ସେ ଯାଇ ତମ ଡଙ୍ଗାରେ ବସ, ଚାଲିଯା । ଆମ ଡଙ୍ଗା ଖଣ୍ଡକ ରାତିଟା ଅଟକିବାକୁ କହିଚନ୍ତି । ଡଙ୍ଗା ସଙ୍ଗେ ସଙ୍ଗେ ମୁଁ ବି ଅଟକିଛି, ଆମେ ଯିବୁ କାଲି ସକାକୁ ।’’ ଧୋବେଇ ମିଶ୍ର କହିଲେ, "ଅଧେ ଯାଇ ଅଧେ ରହିବେ ୟା କୋଉଠି ହେଲାଣି ଆଜ୍ଞା !” ବହୁତ ତୁଣ୍ଡରେ ଆପତ୍ତି ଶୁଭିଲା, "ନାହିଁ ନାହିଁ ନାହିଁ ।’’

 

ଧୋବେଇ ମିଶ୍ର ବୁଲିପଡ଼ି ସିନ୍ଧୁ ଚୌଧୁରୀଙ୍କୁ ଅନାଇଁଲେ, କହିଲେ, “ଆରେ, ମୁଁ ଭୁଲି ଯାଉଥିଲି ଯେ, ଖାଲି ହୋରେ ମାତି ରହିଯିବା କହିଲେ କ’ଣ ଚଳିବ ? ଏମାନଙ୍କର ଅସୁବିଧା ହେବ ଯେ ! ରାତିକ ରହିଯିବା ପାଇଁ ପ୍ରସ୍ତୁତ ହୋଇ ଆସି ନାହାନ୍ତି, ତେଣେ ଘରେ କାଳେ ଛାନିଆଁ ହେବେ, କ’ଣ ହେଲା, କାହିଁକି ଆଇଲେ ନାହିଁ ବୋଲି ଧନ୍ଦି ହେଉଥିବେ । ନାଇଁ ଆମେ ରହିଯାଉଛୁଁ-। ଡଙ୍ଗାରେ ଚୌଧୁରୀ ଆପଣେ ଯାଉନ୍ତୁ, ତାଙ୍କ ଝିଅ ଯାଉନ୍ତୁ, ଏ ଦୁଇଜଣ ଯେ ଏଠି ହାବୁଡ଼ିଲେ, ସେମାନେ ଯାଉନ୍ତୁ, ଗ୍ରାମବାସୀମାନେ ଆଉ ଯେ ଯିବେ ଚାଲିଯାଉନ୍ତୁ । ଡଙ୍ଗା ସେମାନଙ୍କୁ ରାତି ରାତି ପହଞ୍ଚେଇ ଦେଇସାରି ପୁଣି କାଲି ସକାଳେ ଏଠିକି ଲେଉଟି ଆସିବ, ଆମେ ସମସ୍ତେ ଯିବୁଁ ।’’

 

କେହି କିଛି ନ କହୁଣୁ ଚୌଧୁରୀ ଆପତ୍ତି କଲେ, ‘‘ନା, ସମସ୍ତେ ରହିବେ, ଆମେ ବି ରହିଯିବୁଁ । କ’ଣ ଗୋଟାଏ ରାତି ରହିଗଲେ କିଛି ଅଡ଼ୁଆ ହେଇଯିବ ! ଭାଗେ ଯାଇ ଭାଗେ ରହିବେ କାହିଁକି–ଏ ବଢ଼ିଦିନେ ରାତିଟାରେ ଡଙ୍ଗା ଯିବ କାଇଁକି–ପୁଣି ଆଉ ଥରେ ଆସିବ କାହିଁକି–ତା’ ଅପେକ୍ଷା ସମସ୍ତେ ଏକାଠି ମେଳା ମଉଛବ କଲାପରି ରାତିକ କଟେଇ କାଲି ପାହାନ୍ତିଆରୁ ପୁଣି ଏକାଠି ଦିଟା ଡଙ୍ଗାରେ ବାହାରି ପଡ଼ିଲେ ଭଲ ହେବ । ସେଇଆ କରନ୍ତୁ, କାହାରି କିଛି ଅଡୁଆ ହେବ ନାହିଁ ।”

 

ରବି ଓ ଧୋବେଇ ମିଶ୍ର ଆପତ୍ତି କଲେ, ଅନ୍ୟ ସମସ୍ତେ ସିନ୍ଧୁ ଚୌଧୁରୀଙ୍କ ବିଚାରକୁ ସମର୍ଥନ କଲେ । ସେହି କଥା ହିଁ ନିଷ୍ପତ୍ତି ହେଲା, ଯେ ସମସ୍ତେ ରହିବେ । ଛବି ଏତେବେଳଯାକେ ତୁନୀ ହୋଇଥିଲା, ଧୋବେଇ ମିଶ୍ରଙ୍କ କହିଲା, “କ’ଣ ଏକା ଆମରି ପାଇଁ ଏତେ ଲୋକ ହଲାପଟା ହୋଇଥାନ୍ତେ ! ଏଡ଼ିକି ନିକମା ଆମେ !”

 

ସମସ୍ତେ ହସିଲେ, ଧୋବେଇ ମିଶ୍ର କହିଲେ, ‘‘ନା ନା, କିଏ ତା’ କହିଲା ? ହଉ, ଆପଣଙ୍କ କଥା ରହିଲା ତା’ହେଲେ । ଏକେ ବରଷା, ବଢ଼ି, ସେଇଠୁ ଅପନ୍ତରା, ଦଣ୍ଡା, ଉପରେ ଚାଳ ନାହିଁ, ଅରମା, ଅଥାନ, ଅସୁବିଧା ତ ହେବ ସେତେବେଳେ ଆଉ ଆମୁକୁ ଗାଳି ଦେବେ ନାହିଁ-।’’

 

ଛବି କହିଲା, ‘‘ହଁ, ଗାଳି ନ ଦେବେ ନା ଆଉ ! ଆମେ ତ କୁଣିଆ ଚର୍ଚ୍ଚା ଆଉ ଭୋଜି ଭାତ ଖାଇବାକୁ ବାହାରିଥିଲୁ, ନ ହେଲେ ଆଉ କାହିଁକି କି ?’’

 

ହସ ଖୁସିରେ ସେମାନେ ଖେଳେଇ ହୋଇପଡ଼ିଲେ । ବେଳ ବୁଡ଼ୁବୁଡ଼ୁ ସମୟ, ରାତିକି ଛାଉଣି ପାଇଁ ତିଆରି ହେବାକୁ ପଡ଼ିବ, ତେଣେ ଡଙ୍ଗା ମରାମତ ସମ୍ପୂର୍ଣ୍ଣ ହେବ, ଲାଗି ରହିଛି ନିଧିରଣାର ଖଟାଖଟ ଖଟାଖଟ । ଡଙ୍ଗା ପାଖେ ଦଳେ ରହିଲେ, ବାକୀ ସମସ୍ତେ ବାହାରି ପଡ଼ିଲେ ଟାପୁଟା ଦେଖିବାକୁ । ଭୋପା ବିକର୍ତ୍ତନ ନାହିଁ, ତା’ର କାମ କଲେ ରୋହିନାଥ ଓ ଦୁଲୀ । ସତେ କି ଏ ଟାପୁଟା ସେ ଦୁହିଁଙ୍କର ହିଁ ରାଜ୍ୟ, ଆଉ ଏମାନେ ଯେତେ ଆସିଛନ୍ତି ସେମାନେ ତାଙ୍କୁ କୁଣିଆଁ ।

 

ବଜ୍ରେଶ୍ଵରଙ୍କର ଇଟା ଦେଉଳ ଆଗରେ ଯେଉଁଠି କେତେ କାଳର ନାନ ମୂର୍ତ୍ତି ସଜ୍ଜା ହେଲା ପରି ଥୁଆ ହୋଇ ରହିଛି, ସେଠି ଗୋଟି ଗୋଟି କରି ମୂର୍ତ୍ତି ଦେଖିବାରେ ଲାଗିଗଲେ ଦୁଇଟା ଡଙ୍ଗାର ମଣିଷ । ଆଶ୍ଚର୍ଯ୍ୟ ହେବାର, ପ୍ରଶଂସା କରିବାର ନାନା ଚିତ୍କାର ଶୁଭିଲା ।

 

ହରପାର୍ବତୀଙ୍କ ମୂର୍ତ୍ତିଙ୍କୁ ଅନାଇଁ ଧାଡ଼ି ହୋଇ ଦଳେ ଠିଆ ହୋଇ ଥାନ୍ତି । ଦୁଇ ମୁଣ୍ଡରୁ ଛବି ଆଉ ରବି ସେହି ଅଦ୍ଭୁତ ମୂର୍ତ୍ତିକୁ କଣେଇଁ କଣେଇଁ ଚାହୁଁ ଚାହୁଁ ସେମାନଙ୍କ ଚାହାଣି ଏକାଠି ହେଲା । ଛବି ଦୀର୍ଘଶ୍ୱାସ ପକେଇ ଥରିଉଠି ମୁହଁକୁ ତଳକୁ କଲା । ରବିର ଦେହ ଭିତର ଶିର୍‌ଶିରେଇ ଉଠିଲା ।

 

ବଇ ମଳିକ କହିଲା, ‘‘ଏ ଦେବତା ଘଟସୂତ୍ର । କେଉଁକାଳୁ ଏମାନେ ଏମିତି ପଡ଼ିଛନ୍ତି, ଆଜି ଆମେ ଏଠି ଦୀପ ଜାଳିବା ।’’ ରବି କହିଲା, ‘‘ପୁରୁଣା ପୀଠରେ ଦୀପ ଜଳିବ ନୂଆ ଦୁନିଆର, ସେଇଆ ତ ଆମର ଦରକାର । ତୁମେ ଜୀବନର ଭଲପଣକୁ ବଡ଼ପଣକୁ ପଥରରେ ଶିଳ୍ପକଳା କରି ଆଙ୍କିଦେଇ ରଖିଦେଇ ଗଲ, ତୁମବେଳେ ପ୍ରକୃତରେ ତୁମ ଜୀବନରେ ସମାଜରେ କେତେଯାକେ ତାକୁ ସାଧିଥିଲ ତା’ ତୁମେ ଜାଣିଛି । ପଥରରେ ଏଡ଼େବଡ଼ କଳା ଖେଳିବାକୁ ଆଙ୍କିବାକୁ ଆମର ଶକ୍ତି ନାହିଁ, ଆମେ ଖୋଜୁଛିଁ ମଣିଷର ଜୀବନ ହିଁ ହେଉ ସୁଖ ଶାନ୍ତି ଆନନ୍ଦ ଉଚ୍ଚ ଆଦର୍ଶର ଚିରନ୍ତନ କଳା, ସମଗ୍ର ପୃଥିବୀ ହେଉ ବିରାଟ ମଣିଷ ପରିବାର, ସବୁ ମଣିଷ ଭାଇ ଭାଇ–’’

 

–ଧୋବେଇ ମିଶ୍ର କହିଲେ ‘‘ଠିକ୍ ସେହି କଥା । ତୁମର ଦେଉଳ ଭୁଷୁଡ଼ି ପଡ଼ିଛି, କୋଠାଘର ଭାଙ୍ଗିଛି, ଶହ ଶହ ହଜାର ହଜାର ବର୍ଷ ପୁରୁଷକୁ ପୁରୁଷ ହୋଇ ଏ ସଂସାରରେ ବିତେଇ ଯେଉଁ ମହାନ୍ ସତ୍ୟମାନ ଆବିଷ୍କାର କରି ରଖି ଦେଇଗଲ ତୁମେ ତୁମର ଉତ୍ତର କାଳର ବଂଶଧରଙ୍କ ପାଇଁ, ସେ ସତ୍ୟ କାହିଁ ଧୂଳିରେ ହଜିଯାଇଛି । ଖାଲି ହିଂସା, ବାଦ, ସ୍ୱାର୍ଥ, ମୁଁକାର, ଆମର ଏ ସାନ ସଳିତାଙ୍କୁ ଆଶୀର୍ବାଦ କର, ବଳ ଦିଅ, ସାହସ ଦିଅ, ଶାନ୍ତି ଆସୁ, ମଣିଷର ଭିତରେ ବାହାରେ ସମାଜରେ ସଂସାରରେ - ସବୁଠି ପରି ରହୁ ଶାନ୍ତି, ସମନ୍ୱୟ, ଆନନ୍ଦ ଆଉ ଭାଇପଣ-’’

 

ଡେଙ୍ଗା ଦଧି ଗୌଡ଼ ଦେହକୁ କାନ୍ଧକୁ ଟାଙ୍କି ସତେ ଯେପରି ନିଜକୁ । ଓଟାରି ଓଟାରି ଆହୁରି ଡେଙ୍ଗା କରି ସିଧା ହୋଇ ଠିଆ ହୋଇରହିଲା । ଦୁଇ ପାଦକୁ ଏକାଠି ଯୋଡ଼ି ଦେଇଥାଏ, ତା’ର ଗୋଲଗାଲ ଓସାର କାନ୍ଧ ସତେ ଯେପରି ମଣିଷର ନୁହେଁ, ପଥର ମୂର୍ତ୍ତିର । ସେମିତି ସେହି ପଥରମୂର୍ତ୍ତିର ଆଖି ପରି ତା’ର ଆଖି ଯୋଡ଼ିକ ଅଧା ବୁଜି ହୋଇ ମିଞ୍ଜିମିଞ୍ଜି ହୋଇରହିଲା । ଗଦ ଗଦ ହୋଇ କହିଲା," ହଁ, ସେଇଆ ଦୟାକର ଠାକୁରେ, ଭାଇପଣ ବଢ଼ୁଥାଉ, ଗୋଠ ବଢ଼ୁଥାଉ, ଜଣକ ପାଇଁ ଆଉ ଜଣକର ହୃଦ କାନ୍ଦୁଥାଉ, ସବୁ ତମରି, ସବୁ ସବୁରି, ତୋ’ର ମୋର ଭେଦ ପଦଟାମାନ ମଣିଷ ଖାଲି ତୁଣ୍ଡରେ କ’ଣ, ମୁଣ୍ଡରେ ବୋଲି ନ ପୂରାନ୍ତୁ ।

 

‘‘ରବି କହିଲା, ‘‘ଲୋକେ ଖୋଜୁଛନ୍ତି ହଜାରଟା ଦେଶ, ଆମେ ଖୋଜୁଛୁଁ ମୋଟେ ଗୋଟିଏ, ତା’ ନାଁ ପୃଥିବୀ । ଲୋକେ କରିଛନ୍ତି ହଜାର ହଜାର ଜାତି, ଆମେ ଖୋଜୁଛୁଁ ମୋଟେ ଗୋଟିଏ, ତା’ ନାଁ ମଣିଷ ଜାତି । ଗଢ଼ା ତ ହୋଇଛି ଅସଂଖ୍ୟ ଶ୍ରେଣୀ, ଆମେ ଖୋଜୁଛୁଁ ମୋଟେ ଗୋଟିଏ ଶ୍ରେଣୀ ରହୁ ବୋଲି, ତା’ ନାଁ ଖଟିଖିଆ ମଣିଷ । ସେ ପରିଶ୍ରମ କରେ ଉତ୍ପାଦନ କରିବା ଲାଗି, ପରର ଦୁଃଖ ମୋଚନ କରିବାଲାଗି, ସଂସାରରେ ସ୍ନେହ-ପ୍ରୀତି ବଢ଼ାଇବା ଲାଗି । ଆପଣା ପେଟ ପାଇଁ ଧନ୍ଦି ହୁଏ ନାହିଁ, ସେ ଧନ୍ଦା ତା’ ପରିବାରର, ସେ ପରିବାର ବିଶାଳ ମଣିଷ ସମାଜ । ସେଇ ଆଦର୍ଶକୁ ସତ କରି ଗଢ଼ିବାକୁ ଆମର ଦରକାର ହିମାଳୟ ପରି ଅଟଳ ହୋଇଥିବା ବିଶ୍ୱାସ ଆଉ ଆଶା, ହାତରେ ବଜ୍ରର ବଳ–’’

 

ଗମ୍ଭୀର ହୋଇ ଅଟକି ରହିଛନ୍ତି ସମସ୍ତେ । ସିନ୍ଧୁ ଚୌଧୁରୀ ଠିଆ ଠିଆ ଆଖି ବୁଜିଛନ୍ତି । କ’ଣ ହୋଇଯାଉଛି ଅନ୍ତର ଭିତର । ଗଦା ଗଦା ବର୍ଷର ଆୟୁଷ ଅନୁଭୂତିର ପଥର କୁଢ଼କୁ ଠେଲିପେଲି ଓଲଟ ପାଲଟି କରି ଉଛୁଳି ଉଠୁଛି ମୁକ୍ତି ପାଇଥିବା ଝରଣା । କେତେ ଥର ସେ ଡାକି ଡାକି ରହିଥିଲା, ମୁକୁଳି ଯାଇଛି । ଆପଣାକୁ କଳୁଛନ୍ତି ନୂଆ ବିସ୍ମୟରେ ।

 

କ’ଣ ସେତେବେଳେ ଅଟକେଇଥିଲା ?

 

ଯମୁନା ପାଣିରେ ବସ୍ତ୍ରହରଣ ଖେଳରେ କ’ଣ ରୋକି ଦେଇଥିଲା । ଦୁଇ ହାତ ଉପରକୁ ଟେକି ଲଜ୍ଜା ଆଉ ସଂକୋଚ, ପବନକୁ ଫୋପାଡ଼ି ଦେଇ ଅନନ୍ତ ଜୀବନ ସଙ୍ଗେ ଏକ ହୋଇ ଜୀବନ ମିଶାଇ ନ ଦେବାକୁ ?

 

କୁରୁସଭାରେ କ’ଣ ସେ ଅହମିକ କ’ଣ ସେ ଭୟ ରୋକି ଦେଇଥିଲା ଲୁଗାରୁ ହାତ ଛାଡ଼ିଦେଇ ପରମ ନିର୍ଭର ଉପରେ ଆପଣାକୁ ସମର୍ପଣ କରି ନ ଦେବାକୁ ?

 

ଏମିତି ତ ଆପଣା ଭିତରେ ଆସିଥିଲା ଆଲୋଡ଼ନ, କ’ଣ ସେତେ ବେଳେ ଅଟକାଇ ଦେଇଥିଲା ?

 

କ’ଣ ହୋଇଯାଉଛି ଏଠି ? କିଏସେ ଏମାନେ ? କେଉଁ ଯୁଗର ? କିଏ କଥା କହୁଛି ?

 

ନା ଏ କ’ଣ ଉପାସନା ? ନୂଆ ଯୁଗର ନୂଆ ପୂଜା ?

 

ଆଖି ଖୋଲି ଅନାଇଁ ଦେଖିଲେ । ନିଛାଟିଆ ଦ୍ୱୀପ ଅରାଏ, ଦିନ ସରନ୍ତିର ମଉଳା ଆଲୁଅରେ ସାମ୍ନାରେ ଠିଆ ହୋଇଛନ୍ତି ଝଙ୍କାଗଛଗୁଡ଼ାକ, ଆଉ ଜାତିଜାତିକା ମୂର୍ତ୍ତି ଅଟକି ରହିଛନ୍ତି, କରପଟିଆ ହୋଇ ଗଛ ଗହଳି ଘେରରେ ଦେଉଳଟି ।

 

ଆଉ ସାଧାରଣ ମଣିଷ କେତେ ପୁଞ୍ଜା ।

 

ସେହି ସାଧାରଣ ଭିତରୁ କ’ଣ ଅସଧାରଣ ଫୁଟି ବାହାରୁଛି, ଅତୀତର ଏତେ ଯୁଗର ତପସ୍ୟାରେ ତିଆରି ନୂଆ ମଣିଷ, ସେ ଜୀବନର ବଡ଼ାଇ କରେ, ଜଡ଼ର ନୁହେଁ । ସ୍ନେହ-ଶାନ୍ତି-ଆନନ୍ଦ-ମୈତ୍ରୀର ବଡ଼ାଇ କରେ, ସ୍ୱାର୍ଥ ଆଉ ପାଉଣାର ନୁହେଁ ।

 

ହେଇ ତ ଚାଲିଛି, ଆହୁରି ଚାଲିଛି ! ଧୋବେଇ ମିଶ୍ର କହୁଛନ୍ତି, ‘‘କିଏ କହୁଥିଲା, ମଣିଷ କୁଆଡ଼େ ଆଗ ପଶୁ, ପଛେ ଦେବତା, ସେ ଭୁଲ୍ କହୁଥିଲା । କିଏ କହୁଥିଲା, ସ୍ୱାର୍ଥ, ଲୋଭ ଆଉ ହିଂସା ମଣିଷର ନିଦାନ ଗୁଣ, ଦବି ରହିପାରେ ସିନା, ମରେ ନାହିଁ, ଜରେ ନାହିଁ-ସେ ଭୁଲ କହୁଥିଲା-। ମଣିଷ ବଦଳି ବଦଳି ଚାଲିଛି, ଦସ୍ୟୁ ରତ୍ନାକର ହୋଇପାରିଛି ବାଲ୍ମୀକି । ରାଜପୁତ୍ର ହୋଇପାରିଛି ବୁଦ୍ଧ, ଯୁଗେ ଯୁଗେ ସିଦ୍ଧ ସନ୍ଥ ହୋଇ ମଣିଷ ଦେଖାଇ ଦେଇ ପାରିଛି ତା’ବି ସମ୍ଭବ । ଜଣେ ଯାହା ହୋଇପାରିଛି ସମସ୍ତେ ତା’ ହୋଇ ପାରିବେ । କଣ୍ଟା ନାଗଫେଣୀ ଅକଣ୍ଟା ହୋଇପାରିଛି ଆଉ ମଣିଷର ନିଦାନ ଗୁଣ ହେବ ହିଂସା, ସ୍ୱାର୍ଥ, ଲୋଭ ! ସେ ଭୁଲ କହୁଥିଲା । ମଣିଷ ଜ୍ଞାନରେ ଯେତେବେଳେ ବଢ଼ି ବଢ଼ି ଚାଲିଛି ସେ ମାରଣ ପାଇଁ ନୁହେଁ, ତାରଣ ପାଇଁ ।’’

 

ପୁଣି ସିନ୍ଧୁ ଚୌଧୁରୀ ଆଖି ବୁଜିଦେଲେ ।

 

ଛବି ଚାହିଁ ଦେଖୁଥାଏ, ନିଆଁ ଜଳୁଛି । ଜାଳି ସଫା କରିଦେଉଛି ଯାହା କିଛି ଥିଲା ସଂସ୍କାର, ସଙ୍କୋଚ ଆଉ ଶଙ୍କା । ନିଆଁରେ ଝଳି ଭଠି ଅନୁଭବ କରୁଛି ପବିତ୍ରତା, ଆନନ୍ଦ; ଅନୁଭବ କରୁଛି, ସେ ଏକ ଅଖଣ୍ଡ ତେଜର ସ୍ରୋତ, ଥିଲା, ଅଛି, ମାଡ଼ି ଚାଲିଥିବ ଯୁଗେ ଯୁଗେ ।

 

ଅନ୍ତର ଭିତରୁ ଆନନ୍ଦ ଛକଛଳେଇ ଉଠୁଛି, ଝଳି ଉଠୁଛି ଆଶା, ବିଶ୍ୱାସ, ଆନନ୍ଦ ଆଉ ସ୍ନେହ । ଆଗେ ଯେଉଁ ବାଟ ଦିଶୁଥିଲା ସଞ୍ଜ ଅନ୍ଧାରରେ ଅରମା ଭିତରେ ମଡ଼ା ବାଟ ପରି ଅସ୍ପଷ୍ଟ ହୋଇ, ଦିଶିଯାଉଛି ସେ ପରିଷ୍କାର, ଓସାର, ଫରଚା, ଲମ୍ବି ଯାଇଛି ଦୂରକୁ ବୋଲି, ସେ ବାଟର ଭାଷା ହୃଦୟରେ ବାଜୁଛି । ମତାଉଛି, ପ୍ରଲୁବଧ୍‌ କରୁଛି ।

 

ସେହି ଭାଷା ହିଁ କହୁଛି ରବି, ସେ ରବିର କଥା ନୁହେଁ, ତାହାରି ମନର କଥା, ତାହାରି ମରମ ଭାବର ଅଖଳା ସୁଅ । ରବି କହୁଛି-

 

‘‘ସଂସାରୀ ଲୋକ ଆନନ୍ଦ ଖୋଜେ । ଆପଣା ହାତରେ ଆନନ୍ଦର ସୁଅ ମୁହଁ ଚୁଣ୍ଟି ଦିଏ-। ଯେତେବେଳେ ଆପଣା ଆପଣା ହୋଇ ସେ ନିଜପାଇଁ ଟାଣ ଖୋଳ ଗଢ଼େ, ନିବୁଜକରି ଗଢ଼େ, ସେ ପାଏ ଅନ୍ଧାର, ଆଲୁଅ ନୁହେଁ, ତମସା । ସେ ପାଏ ଦୁଃଖ, ଆଖିରେ ପଡ଼େ ବାଡ଼ ଆଉ ସୀମା, ଖଣ୍ଡିଆ ଆଉ ଖାଲ, ଖୁରୁ ଝୁରୁ ହାଇଁପାଇଁ ହେଉ ହେଉ ଦିନ ସରିଯାଏ । ହିଂସା ଆସେ, କ୍ରୋଧ ଉପୁଜେ, ଶିଉଳି ଆଉ ଅରମା ଚେର ପରି ଲୋଭ ଗୁରେଇ ହୋଇଯାଏ । ଆନନ୍ଦ ତ ଚାରିଆଡ଼େ ପୂରିରହିଛି, ସେ ମଣିଷର ନିଜ ଅନୁଭୂତି । ଭିତର ଆଉ ବାହାରର ସମ୍ପର୍କରୁ ତା’ର ଉତ୍ପତ୍ତି । ଗ୍ରହଣ କରିବାର ଉପାୟ ହିଁ ସହାନୁଭୁତି, ସ୍ନେହ । ସେ ସହାନୁଭୂତି କେବଳ ମଣିଷ ପ୍ରତି ନୁହେଁ, ପ୍ରକୃତି, ସୃଷ୍ଟି, ସବୁରି ପ୍ରତି, ସବୁରି ସମ୍ପର୍କରେ । ତେଣୁ ନିର୍ଜନରେ ବଣରେ ପଶୁ ପଥର ଗଛ ଚଢ଼େଇଙ୍କ ମଝିରେ ରହିଲେ ବି କେତେବେଳେ କେଉଁ ମଣିଷ ଆନନ୍ଦ ପାଇପାରେ, ଅତି ଆଧୁନିକ ସହରରେ ରହି ବି କେତେବେଳେ କେଉଁ ମଣିଷ ଆପଣାକୁ ଦେଖେ, ସମସ୍ତିଙ୍କଠୁଁ ଅଲଗା ଏକୁଟିଆ, ଦୁଃଖ ହିଁ ପାଏ । ଅଥଚ ବଣ ଅପେକ୍ଷା ଗହଳି ଆଉ ସାଙ୍ଗ ମେଳରେ ହିଁ ମଣିଷ ପକ୍ଷରେ ଆନନ୍ଦ ପାଇବା ବେଶୀ ସହଜ, ବେଶୀ ସୁବିଧା, ତା’ର ଏଡ଼େ ବଡ଼ ପରିବାର, ଯେତେ ଯାହା ଯେଉଁମାନଙ୍କୁ ଦେଖୁଛି ସମସ୍ତେ ତ ତାଆରି, ସମସ୍ତିଙ୍କ ସୁଖପାଇଁ ସେ ଚିନ୍ତା କରିବ, ପରିଶ୍ରମ କରିବ, ହେଉ ପଛେ ନିଜେ ସେ ରୁଗ୍‌ଣ, ଖଞ୍ଜ, ଅନ୍ଧ କି ବଧିର, ଧନର ବିଷରେ ବୁଡ଼ିଥାଉ କି ଦାରିଦ୍ର୍ୟର ପ୍ରଦାହରେ ସମସ୍ତିଙ୍କର ସୁଖ ଆଉ ମଙ୍ଗଳରେ ଧ୍ୟାନ ଲଗାଇ ନିଜେ ସେ ଶାନ୍ତି ଆନନ୍ଦ ପାଇଥିବ, ଖାଲି ତୁଣ୍ଡ କଥାରେ ନୁହେଁ, ସହାନୁଭୂତି ଦେଇ କେଇଟା ଦୀର୍ଘଶ୍ୱାସ କି କେଇଟୋପା ଲୁହ ଢାଳିଲେ ନୁହେଁ, ସତକୁ ସତ ଆପଣାର ଦେହକୁ ମନକୁ ଶ୍ରମକୁ ଚିନ୍ତାକୁ ସମସ୍ତିଙ୍କର ମଙ୍ଗଳ ସାଧିବାକୁ ଉଦ୍ୟମରେ ଲଗାଇପାରିଲେ ଫଳରେ କାହାର କିଛି ହୋଇପାରୁ କି ନ ହୋଇପାରୁ ତା’ ନିଜର ଜୀବନ ହେବ ମଧୁମୟ, ଆନନ୍ଦମୟ, ଶାନ୍ତିମୟ-’’

 

ଧୋବେଇ ମିଶ୍ରେ କହିଲେ, ‘‘ଭଲ କ’ଣ ମନ୍ଦ କ’ଣ, କାମୀ କ’ଣ ଅକାମୀ କ’ଣ, ତା’ର ନିଷ୍ପତ୍ତି ହୁଏ ଆପଣାର ଧାରଣା ଘେନି । କେଉଁ ମାର୍ଗରୁ ସେ କଥାଟା ବିଚାର କରି ଦେଖୁଛି ସେହି ଅନୁସାରେ ତା’ର ମୂଲ୍ୟବୋଧ । ଆମେ ଦେଖୁଛୁଁ ଜୀବନର ଉଦ୍ଦେଶ୍ୟ ଅଛି, ଆନନ୍ଦ ଆମର ଜନ୍ମଗତ ଅଧିକାର, ଆନନ୍ଦ ପାଇଁ ଉପାୟ, ପରର ମଙ୍ଗଳ ପାଇଁ ଚିନ୍ତା ଓ ପରିଶ୍ରମ । ଏହି ବିଚାରକୁ ମୂଳ କରି ଦେଖିଲେ ଚଳନ୍ତି ମୂଲ୍ୟ ଦିଆନିଆ ଭିତରେ କେତେ ଓଲଟପାଲଟ ଆପେ ଆପେ ଘଟିଯିବ । କେତେ କଥା ଦିଶିବ ଅଦରକାରୀ, ଅକାମୀ, ତୁଚ୍ଛ ବୋଲି । ନୂଆ ମୂଲ୍ୟ ତିଆରି ହେବ, ନୂଆ ବାଟ ଦିଶିବ । ଭାବିବାକୁ ମନ ହେବ, କାହା ପଛରେ ମଣିଷ ଗୋଡ଼ାଇଛି ? କାହିଁକି ଗୋଡ଼ାଇଛି ? ପୁରୁଣା ଚଳଣି କେବଳ ପୁରୁଣା ବୋଲି ମଣିଷ ତାକୁ ସମ୍ମାନ କରିବ ନାହିଁ । ନୂଆ ଚଳଣି କେବଳ ନୂଆ ବୋଲି ମଣିଷ ତାକୁ ଆଦର କରିବ ନାହିଁ । ସେ ଭାବିବ, ସ୍ଥିର କରିବ, କାମ କରିବ, ପୁରୁଣା ପଟାଳିରେ ନୂଆ ଶସ୍ୟ ଆପେ ଗଜୁରିବ, ତା’ରି ନାଁ ଯୁଗ ପରିବର୍ତ୍ତନ । ବିଚାର ହିଁ ବିପ୍ଲବ, ମୁଣ୍ଡ ଯାହା ନିର୍ଦ୍ଦେଶ ଦେବ, ହାତ କେବଳ ସେହି କାମ କରିବ–’’

 

ସିନ୍ଧୁ ଚୌଧୁରୀ କହିଲେ, ‘‘ତୁମର ଆଦର୍ଶ ଅକ୍ଷୟ ହେଉ ବାପା, ତୁମର ଉଦ୍ୟମ ସିଦ୍ଧ ହେଉ । ମୁଣ୍ଡ ନିର୍ଦ୍ଦେଶ ଦେଇଛି ବାରମ୍ବାର, ହାତ କାମ କରି ନାହିଁ । ଗୋଡ଼ ଚଳି ନାହିଁ । ଆମେ ଯୁଗ ପରେ ଯୁଗ ଲାଗି ଲାଗି ନ୍ୟାୟ ନୀତି ତତ୍ତ୍ୱ ଚଷି ଚଷି ଝାଳନାଳ ହୋଇଛୁଁ, ପାଟି ଘୋଳି ହୋଇ ଥକିଛି, କ୍ଷେତରୁ ଘାସ ପତ୍ରଟିଏ ବାଛି ନାହୁଁ, ଆପେ ଆପଣ ବିଶ୍ୱାସ ଉପୁଜାଇ ନାହୁଁ, ଦୀକ୍ଷା ପ୍ରଚାର କରିଛୁ, ସେଇଥିପାଇଁ ଏତେ ଜ୍ଞାନ ଥାଇ ମଣିଷ ଅଜ୍ଞାନ, ଏତେ ଧନ ଥାଇ ମଣିଷ ଗରିବ । ନିଜ କଥା ଭାବି ପଛକୁ ଅନାଇଲେ ମୁଁ ତ ଖାଲି ସେତିକି ଦେଖୁଛି । କାମ ନ କରି ସାତ ପାଞ୍ଚ ବିଚାରରେ ବୁଡ଼ିରହି ମଣିଷ ଆପଣାକୁ ଆଉ ପରକୁ ନ ଠକୁ, ଯାହା ଉଚିତ ଭାବୁଛି ତ କରୁ । ମୋ ଜୀବନ, ମୋର ଏ ନିଲଠା ଅକାମୀ ଉଜୁଡ଼ା ଜୀବନ ବିଷୟରେ ଉପସଂହାର ଗାଇବାକୁ କହିଲେ ମୁଁ ଖାଲି କହିବି ଏତିକି– ।’’

 

ତାଙ୍କର ଏ ଆନ୍ତରିକତାରେ ସମସ୍ତେ ଅଭିଭୂତ ହୋଇପଡ଼ିଲେ । ତାଙ୍କ ପାଖକୁ ଚାଲିଯାଇ ତାଙ୍କର ହାତକୁ ଧରିପକାଇ ଛବି ଆସ୍ତେ ଡାକିଲା, ‘‘ବାପା !’’

 

ଗଭୀର ବିଷଣ୍ଣ ମୁହଁରେ ହସିଦେଇ ସେ କହିଲେ, ‘‘କ’ଣ ହେଲା ମା’ ?’’ ତାଙ୍କର ସ୍ୱର ଥରୁଥିଲା ।

 

ଛବି କହିଲା, ‘‘କାହିଁକି ଏମିତି କହିଲ ବାପା ?’’

 

‘‘କ’ଣ କହିଲି ? ଠିକ୍ କହିଲି ତ ।’’

 

ଏଥର କହିଲା ରୋହି ନାଥ, ‘‘ଆପଣଙ୍କ ଜୀବନ ଅକାମୀ ହେଲେ କାମୀ ଆଉ କାହା ଜୀବନ ସାଆନ୍ତେ ? ସାତ ଖଣ୍ଡି ଗାଁରେ ଯାହାକୁ ପଚାରିଲେ କିଏ ଆଉ ଭିନେ କଥା କହିବ ? କାହା ଘରେ ଅଶାନ୍ତି ଲାଗିଲେ ଏ ତୁଣ୍ଡରୁ ପଦେ ବଚନ ଶୁଣିଲେ ପରା ହୃଦ ଶୀତଳ ହୁଏ, ଏତେ ଦୟା, ଏତେ ସ୍ନେହ, ଏତେ ସମଦର୍ଶୀ ପଣ ! କିଏ ନ କହିବ ନ ପାଇଚି, ନ ନେଇଚି ବୋଲି, କେତେବେଳେ ହେଲେ ଧାରୁଆ ତ ହେଇଥିବ । ଧନ ଦରବ ଯେତେବେଳେ ଥିଲା ସେତେବେଳେ ତ ବୁହା ଲାଗିଥିଲା । ତା’ ସରିଲେ ବି ତୁଣ୍ଡରେ ଏ ସ୍ନେହ ଟିକକ ତ ଅଛି, ତୁଣ୍ଡରେ ଏ ମଧୁର ବଚନ, ଏଇ ମୂର୍ତ୍ତିକି ଧ୍ୟାନ କରି ଲୋକେ ମନ ଭିତରେ ବଳ ପାଇଚନ୍ତ–’’

 

ସିନ୍ଧୁ ଚୌଧୁରୀ ହସିଲେ, କହିଲେ, ‘‘ମତେ ଛଳାଅ ନାଁ ରୋହି, କିଏ କ’ଣ ପାଇଲା ନ ପାଇଲା ତାକୁ ପଚାର, ମୁଁ କିଛି ଦେଇନାହିଁ, ମୁଁ କିଛି କାହାରି କରିନାଇଁ–’’

 

ରୋହି ନାଥ କହିଗଲା, ଯେପରି ସେ ତାଙ୍କ କଥାକୁ ଶୁଣିପାରି ନାହିଁ । କହିଲା, ‘‘ପର ପାଇଁ ଧନ୍ଦି ହୋଇ ହୋଇ ଆପଣଙ୍କର ଦିନ ସରିଲା ନାହିଁ ଯେ ସାଆନ୍ତେ, ଶେଷରେ ପର ପିଲାଙ୍କୁ ମଣିଷ କରିବାକୁ ଖୋଲିଲ ଚାହାଳୀ, କିଏ କହିବ ଉପ୍‌କାର ପାଇ ନାହିଁ ବୋଲି ?

 

ଆଉ ଦୁଇ କହିଲା, ‘‘ଏଡ଼େ ବଡ଼ ବଢ଼ିରେ ଜୀବନ ମୁରୁଛି ଦେଇ ଆମ ମଲାଗଲା ଖୋଜିବାକୁ ଧାଇଁ ଆଇଚ ତେମେ ଆପଣ, ତମ ହୃଦରେ ସାକ୍ଷାତ୍ ବୈକୁଣ୍ଠ ଅଛି, ଜଗତଯାକର ହିତକାରୀ ଗୁରୁଗୋସେଇଁ ତ ତେମେ, କାହା ଜୀବନଟା ଏଡ଼େ ସାର !’’

 

ଦଧି ଗଉଡ଼ କହିଲା ‘‘ତୁଳସୀ ଆପେ ଗୋଡ଼ରେ ଚାଲି କାହା ଦୁଆରକୁ ନ ଗଲା ବୋଲି ସେ କ’ଣ ମନ ବେସ୍ତ କରିବ ତୁଳସୀ ନୁହେଁ ବୋଲି ! କିଏ କରେ, କିଏ କରାଏ, କାହାକୁ ଦେଖିଲେ କରିବାକୁ ମନ ହୁଏ, ସବୁ ଘଟରେ ଯେ ବ୍ରହ୍ମ ଚିହ୍ନିଛି, ତା’ର ଜୀବନ ହେବ ଅସାର !’’

 

ବଇ ମଳିକ କହିଲା, ‘‘ଯେତେ ଯାହା ହେଲେ ଆମେ ପିଲାଣ୍ଡିଆ ମଣିଷ ଆପଣେ ! ବୁଧିକି ଯାହା ଦିଶିଲା ତହିଁରେ ମାତିଚୁଁ । ଆପଣ ବୋଧା, ଆପଣ ଗୁରୁଜନ । ଠାକୁର ହୋଇ ଖଟୁଳିରେ ଖାଲି ବସିଥିଲେ ତ ଆମର କେଡ଼େ ସାହସ ବଢ଼ିଯିବ । ଆମ ବିଚାର, ଆମ ବାଟ ଆପଣଙ୍କୁ ଯଦି ଭଲ ଲାଗିବ ତ ଆପଣ ନିଅନ୍ତୁ ଏ ଭାର, ଘରର ମୁରବି ହେବେ, ଆମେ ନିଶ୍ଚିନ୍ତ ହେବୁଁ ।’’

 

‘‘ବାଃ ବାଃ ବଇ’’ ‘‘ବାଃ ବାଃ ବଇଭାଇ’’ ‘‘ସେଇଆ ତ ଆମେ ଖୋଜୁଚୁଁ ।’’ ‘‘ଅସଲ କଥା କହିଦେଲା ବଇ !’’ –ଏକା ସଙ୍ଗରେ ସମସ୍ତିଙ୍କ ତୁଣ୍ଡରୁ ସମର୍ଥନ ଶୁଭିଲା । ସିନ୍ଧୁ ଚୌଧୁରୀ ଆବାକାବା ହୋଇ ଚାରିଆଡ଼କୁ ଅନାଇଁଲେ, ନିସହାୟ ହୋଇ କହିଲେ–’’ମୁଁ-ମୁଁ-’’ ।

 

‘‘ହଁ ଆପଣ, ‘‘ଧୋବେଇ ମିଶ୍ର କହିଲେ ‘‘ପୁରୁଣା ନୂଆକୁ ଆଦରି ନେବ, ଦୁହେଁ ମିଶି ହେବେ ପରମ୍ପରା, ସଂସ୍କୃତିର ରୀତି ହିଁ ତ ଏହି । ବିବର୍ତ୍ତନରେ ଧ୍ଵଂସ ନାହିଁ, ଅଛି ପରିବର୍ତ୍ତନ ।’’

 

ସିନ୍ଧୁ ଚୌଧୁରୀଙ୍କର ସେହି ବ୍ୟକ୍ତିତ୍ୱ ଭିତରେ କ’ଣ କେଉଁଠି ଥିଲା ଅତି ଗୋପନରେ, ଲୋକେ ଯାହାକୁ ସିନ୍ଧୁ ଚୌଧୁରୀ ବୋଲି ଜାଣିଥିଲେ, ଚିହ୍ନି ଥିଲେ, ତାହାରି ଉହାଡ଼ରେ ଛପି ରହିଥିଲା କେଉଁଠି ସେ, ତା’ର ଆପଣାର ସ୍ୱତନ୍ତ୍ର ହୋଇ ରହିଥିଲା । ପରିସର, ସେ ପର ଆଖିକି ଅଲକ୍ଷ୍ୟ । ସେହି ଯେପରି କି ସେଠି ଆତ୍ମପ୍ରକାଶ କରିଥିଲା, ତା’ପରେ ଚେଷ୍ଟା କରୁଥିଲା ପୁଣି ଲୁଚିଯିବାକୁ । ଯେପରି ସେ ମୁହୂର୍ତ୍ତକରେ ପଦାକୁ ଚହଲି ଆସିଥିଲା, ଭୁଲରେ, ଆପଣା ଅଜାଣତରେ, ସେମିତି ସେ ବୁଡ଼ିଯିବ, ପଦାରେ ସେହି ନିତି ଚିହ୍ନା ପାଣିର ବିଛେଇ ପରି ନିତି ଦେଖା ମଣିଷଟି, ପରିବେଷ୍ଟନୀର ପ୍ରତିବିମ୍ୱ ସେ ଆପଣାଠି ଫୁଟାଇ ଦେଖାଇବ, ଆପଣାର ଗହନ ତଳି ରହିବ ଅପ୍ରକାଶିତ, ଛପିଲା ଛପିଲା, ଅଜଣା ।

 

କିନ୍ତୁ ଠିକ୍ ସେତିକିବେଳେ ପଦାରେ ସମସ୍ତେ ଯେପରି କି ତାକୁ ଧରି ରଖିବାକୁ ବ୍ୟଗ୍ର, ସେ ଧରାପଡ଼ିଛି, ଚିହ୍ନାପଡ଼ିଛି, ଆଉ ସେ ଲୁଚିବ ନାହିଁ ।

 

ଜମ୍ବୁ ବେହେରା ବି ସେହି ସ୍ୱରୂପର ପ୍ରେମୀ ଉପାସକ, ବଇ ମଳିକ ବି । ମୁଗ୍‌ଧ ଦୃଷ୍ଟିରେ ଛବି ଯେତେବେଳେ ତାଙ୍କୁ ଚାହିଁ ରହିଥିଲା, ଜମ୍ବୁ ବେହେରା ତା’ର ଅଖଳା ଭାଷାରେ କହି ପକାଇଲା, ‘‘ଆଉ ନିଜ ସାଙ୍ଗେ ଛକାପଂଝା ଦରକାର ନାଇଁ ସାଆନ୍ତେ, କେଇଟା ଦିନକୁ ଏ ମଣିଷ ଜୀବନ, ଡର କାହାକୁ, ଭୟ କାହାକୁ ? ମନ ଡାକୁଚି ଏ ବାଟ ଭଲ-ହେଲା ଚାଲୁ ଏ ବାଟେ ନାହା । ମୁଁ ଜଳ ଜଳ ଦେଖି ପାରୁଚି, ଜୀବନଯାକ ତେମେ ଏଇଆ ଖୋଜୁଥିଲ, ମନେ ମନେ ଭାବୁଥିଲ କେତେ । ସମସ୍ତିଙ୍କର ନିଆରା ନିଆରା ବାଗ ଥାଏ । ତମର ବାଗ ଥିଲା ଏଇ ବାଗ । ପଛେଇଗଲ, ବୁଝୁଚି, ତେବେ ତମ ମନ ବୋଧ ହେଲା ନାହିଁ, ନ ହେଲେ ଆପଣା ଉପରେ ଏଡ଼େ ଓରମାଣ ରହି ନ ଥାନ୍ତା । ଯାହା ଭାବିଲ ତା’ ରହିଲା ମନେ ମନେ, ସୁଅ ତୋଡ଼ରେ ନାହା ଖଣ୍ଡକ ପରି କଲାକାମ ହେଲା ଏ ଦୁନିଆଁ ଚଳଣି ବାଗରେ, ଆପଣା ଅକ୍ତିଆର ରହିଲା ନାହିଁ । ହେଲା, ଗଲା କଥା ତ ଗଲା-। ଯାହା ତେମେ କରିବାକୁ ଲୋଡ଼ୁଥିଲା, ଆଖିରେ ଦେଖିଇ, ତା’ ବଳେ ହଉଚି, ବଳେ ହେଲା-। ଏଥର ତମ ନାହା ତମ ମତରେ ଚାଲୁ, ତମରି ବାଗରେ ଚାଲୁ । ମୁଁ ବି ତ ସେଇଆ ବୁଝି ଏବାଟେ ଆସିଲି । ନ ହେଲେ ଏ ରବିବାବୁ ପଣ୍ଡିତ ପାଠୁଆ, ଏ ଧୋବେଇ ନନା ବି ମହାପଣ୍ଡିତ ମହାଶାସ୍ତ୍ର ଜାଣିବା ଲୋକ, ମୁଁ ତାଙ୍କ ଭାଷା ବୁଝେ ନାହିଁ ।’’

 

ହସି ଉଠି ସିନ୍ଧୁ ଚୌଧୁରୀ ୟା ମୁହଁରୁ ତା’ ମୁହଁକୁ ଚାହିଁଲେ, ଆପଣା କାନକୁ ଆପଣା ସ୍ୱର ନୂଆ ପାଟି ପରି ଶୁଭିଲା, କହିଥିଲେ, ‘‘ଆରେ,–ଏଗୁଡ଼ାୟେ ତୁମେ କ’ଣ କହୁଚ ? କ’ଣ ବା ମୁଁ–ମୋ ଦେଇ କ’ଣ ଶାଗ ସିଝିବ ?’’

 

ଧୋବେଇ ମିଶ ହସି ଦେଇ କହିଲେ, ‘‘ଆପଣ ପ୍ରାଜ୍ଞ–’’

 

ଉତ୍ସାହରେ ମାତି ଉଠିଲା ପରି ସିନ୍ଧୁ ଚୌଧୁରୀ କହିଲେ-’’ନା ନା, ସେମିତି ହେଲେ ମୁଁ ପ୍ରାଜ୍ଞ ନୁହେଁ, ତମରି ପରି ଜଣେ ବି ମୁଁ, ମୋର ହାତ ଗୋଡ଼ ଥକି ନାଇଁ, ଦୃଷ୍ଟିରେ ପରଳ ପଡ଼ି ନାଇଁ, ଏବେ ବି ମୁଁ ଖୋଜୁଛି ସୁଖ ଆନନ୍ଦ । ଏ ସଂସାରରୁ ଲୋଭ କଟି ନାଇଁ । ଠାକୁର ହୋଇ ଖଟୁଲିରେ ବସିଲେ ମଣିଷ ତ ମରିଗଲିା ଆଉ ରହିଲା କ’ଣ ? ମୁଁ ମରିନାଇଁ, ମୁଁ ବି ତମରି ସାଙ୍ଗର ହୋଇ ଚାଲିବି ପଡ଼ିବି ଉଠିବି ପଛେ, ଯେଉଁବାଟେ ଏ ପୃଥ୍ୱୀକୁ ସୁଖ ଆନନ୍ଦ ସେଇବାଟ ମୋର, ମୁଁ କିଛି କରେ ନ କରେ । ତମକୁ ଆଶୀର୍ବାଦ କରୁଥିବି, କହିବି ଝୁଣ୍ଟୁଥାଅ ପଡ଼ୁଥାଅ ପଛେ, ଥକିଯାଅ ନାହିଁ, ଫେର୍‌ ଉଠୁଥାଅ, ଲାଗିଥାଅ ।’’

 

ଆଲୁଅ ନିଭି ନିଭି ଆସୁଛି, ଏଥର ହେବ ସଞ୍ଜ, କେଉଁ କାଳର ସେହି ପୁରୁଣା ଇଟା ଦେଉଳ ଛାଇ ବୋଳିହୋଇ ଦିଶିଲାଣି କେଡ଼େ ବଡ଼, ଯେପରି କି ଏତେ କାଳର ପାଣି ପବନ ଆଉ ଶୂନ୍ୟର ଅନୁଭୂତି ମଣ୍ଡିହୋଇ ସେ ବିସ୍ତାର ପାଇଛି, ଦୂରରୁ ବି ତା’ର ସ୍ପର୍ଶ ଅନୁଭବ କରିହୁଏ । ଆଉ ଏଇ ମାଳ ମାଳ ଗଛ, ଏଇ ଯେତେ ଯେତେ ମୂର୍ତ୍ତି ଯେ ସେହି ଅନ୍ଧାରରେ ଏକାଠି ଆଉଟି ହୋଇ ରହିଛି, ସବୁ ଏକାଠି ମିଶି ଗୋଟାଏ ଜୀଅନ୍ତା ବ୍ୟକ୍ତିତ୍ୱ, ତା’ର ବୟସ ନାହିଁ, ବ୍ୟକ୍ତିତ୍ୱ ଅଛି । ଶ୍ରୋତାମଣ୍ଡଳୀ ଭିତରେ ଯେପରି କି ଏମିତି କେତେ ଅଗଣିତ ଶ୍ରୋତା, ସେହି ସମୟବିହୀନ, ବୟସବିହୀନ ବ୍ୟକ୍ତିତ୍ୱ ପଲ ପଲ, ଭାବନାରେ ପରିପୂର୍ଣ୍ଣ, ନୀରବ ।

 

ଆଉ ତାହାରି ଆଗରେ ସେଇଠି ସିନ୍ଧୁ ଚୌଧୁରୀ, ହସର ଛିଲିକା ଦୃଷ୍ଟିରେ ବି ଜିକିଜିକି ହେଇଛି, ରବି ଅନାଇଁ ଦେଖିଲା, ମନେପଡ଼ିଲା ଫୁଲଶରାରେ ପହିଲେ ସେ ଯେତେବେଳେ କାମ ଆରମ୍ଭ କରିଥିଲା ଏମିତି ଦିନେ ଅବତାର ହୋଇଥିଲେ ବୁଢ଼ା ନନ୍ଦ ତହସିଲଦାର, ତା’ପରେ ଆଉ କେତେ ଦେଖିଛି ସେ ଏହି ଚାହାଣି, ଯେତେବେଳେ ଦିଶେ ପଥର ଦି’ଭାଗ ହୋଇଯାଉଛି, ତା’ ଉହାଡ଼ରେ ଦିଶିଯାଉଛି କଥାକୁହା ଚକମକ ପାଣି, ସେ ଅନ୍ଧାର ଉହାଡ଼ରେ ଆଲୁଅ, ସେ ମରଣ ଉହାଡ଼ରେ ଜୀବନ ।

 

ସେଇଥିପାଇଁ ତ ମଣିଷ ଜାତିଟା ବଞ୍ଚିଛି ଏବେ ବି ! ସେ ଭାବିଲା । ଦୃଷ୍ଟିକୁ ତଳକୁ ନୁଆଁଇଲା ।

 

ଏମିତି ଚେଇଁଉଠେ କେତେବେଳେ କେଉଁ ପଟରେ ସ୍ଫୁଲିଙ୍ଗ, ସେ ନିଜେ ଜାଣେ ନାହିଁ କେତେଦୂର ହେବ ତା’ର ପ୍ରସାର, ତା’ର ଆବିର୍ଭାବ-ସେତିକି ତ ସତ୍ୟ ।

ବରଷା ନାହିଁ, ଆକାଶ ଚିକ୍‍କଣ, ଲିପାପୋଛା । ଜହ୍ନ ଆଲୁଅ ସତେ କି ପାଣିରେ ଗୋଳିହୋଇ ଗଛବୁରୁଛି ଭୂଇଁ ବଢ଼ି ସବୁଠି ଲାଗି ରହିଛି । ଢ଼ିପ ଦାଢ଼ରେ ଠାଏ ଡଙ୍ଗା ଯୋଡ଼ିକ ବନ୍ଧା ହୋଇଛି, ଗଛ ଉଢ଼ୁଆଳରେ ଦିଶୁ ନାହିଁ । ସ୍ୱର ଶୁଭୁଛି, କିଏ କ’ଣ କଥାଭାଷା ହେଉଛନ୍ତି । ହଠାତ୍ ଚହଳ ପକାଇଲା ନିଧିରଣାର ଗୀତ, ଡଙ୍ଗା ଉପରେ ଚିତ୍‌ହୋଇ ଶୋଇ ରହି ଆକାଶକୁ ଅନାଇଁ ସେ ଓଡ଼ିଶୀ ଛାନ୍ଦ ମେଲେଇ ଦେଇଛି । ଶ୍ରେଷ୍ଠ କଳାର କମକୁଟ ମଣ୍ଡିହୋଇ ଭଞ୍ଜୀୟ କୃତିରେ ଭାଷାର କୋଣାରକ ଆକାଶକୁ ମୁଣ୍ଡ ଟେକୁଛି, ଗଭୀର ପାଣ୍ଡିତ୍ୟପୂର୍ଣ୍ଣ ଶବ୍ଦମାନଙ୍କର ଭାବ ଜ୍ଞାନକେନ୍ଦ୍ରକୁ ନ ଭେଦୁଣୁ ଆଗ ମଣିଷର ବ୍ୟକ୍ତିତ୍ୱର ପ୍ରତି କଣିକାରେ ମାଖି ହେଇଯାଉଛି ସେ ରାଗିଣୀର ନିଶା, ସେ କଣ୍ଠର କିମିଆଁ, ଆଖିରେ ଅନାଇଁ ଯେଉଁ ଭାବ ଘେନିହୁଏ ତାକୁ ପଛକୁ ପକାଇଦେଇ କାନରେ ଶୁଣା ସଙ୍ଗୀତ ମାର୍ଗରେ ଆସୁଛି ନୂଆ ରୂପ, ନୂଆ ଅନୁଭୂତି, ନୂଆଁ ଭାବ, ସେ ଦେଖା ପରିଖା ସ୍ଥୂଳତାରେ ବନ୍ଧା ନୁହେଁ । ସେହି ନୂଆ ପରିବେଷ୍ଟନୀରୁ ନୂଆ ବାଣୀ ବାହାରୁଛି, ଜୀବନ ଆନନ୍ଦମୟ, ତା’ର ଆଶ୍ରା ଶାନ୍ତି, ସ୍ନେହ, ବିଶ୍ୱାସ । ମିଶାମିଶି ହୋଇ ଫୁଲମାନଙ୍କର ସୁବାସ ଭାସି ଆସୁଛି–କିଆ, ମାଳତୀ, ଚମ୍ପା, କାଠଚମ୍ପା । ଦେଉଳ ଆଗରେ ଯେଉଁ ଖୋଲା ଜାଗା ଅରାକ ସେଠି କାଠଚମ୍ପା ଗଛଗୁଡ଼ିକୁ ପିଠିଆଡ଼େ ରଖି ଖଣ୍ଡେ ଖଣ୍ଡେ ଛାଡ଼ି ଡାଳପତ୍ରର କୁଡ଼ିଆ ଯୋଡ଼ିଏ ତିଆରି ହୋଇଛି, ଗୋଟିଏ ସାନ, ସେଥିରେ ଛବି ଓ ଦୁଲ ଶୋଇବେ । ଆରଟି ଲମ୍ୱ ହୋଇ ତିଆରି ହୋଇଛି, ସେଥିରେ ଆଉମାନେ ରାତି କଟାଇବେ । କେତେକାଳ ପରେ ଦେଉଳ ଦୁଆର ମୁହଁରେ ଦୀପ ଜଳୁଛି, ତା’ଏକରେ ରନ୍ଧା ବସିଛି, ନିଆଁ ଜଳୁଛି, ସତେ ସତେ ମଉଛବ । ଏକା ଘର ପରି ସମସ୍ତେ ମିଶି ଯାଇଛନ୍ତି ।

ସେଇଠୁ ତ, ଖଣ୍ଡେ ଦୂର ବି ନୁହେଁ । କେବଳ ସେହି ପୁରୁଣା ଦେଉଳ ଜଗତଯାକକୁ ଉଢ଼ୁଆଳ କରି ଠିଆହୋଇଛି । ତା’ ପିଠିଆଡ଼େ ପିଜୁଳିଗଛ ମୂଳରେ ଠିଆହୋଇ ଚମକିପଡ଼ି ଛବି ଦେଖିଲା, ସେପାଖେ ଅଳ୍ପ ଦୂରରେ ଠିଆହୋଇଛି ରବି ।

ଦୁହେଁ ଦୁହିଁଙ୍କୁ ଏକା ସଙ୍ଗରେ ଦେଖି ପକାଇଲେ । ଠିକ୍ ଏତିକିବେଳେ ଏହି ଜାଗାରେ ଅକସ୍ମାତ୍ ଏମିତି ଭେଟାଭେଟି ହେବାକୁ ଛାଏଁ ଛାଏଁ ଯେପରି କି ସେମାନଙ୍କର ଭିତରର ପ୍ରବଣତା ସେମାନଙ୍କୁ ସେଠିକି ଓଟାରି ଆଣିଥିଲା । ଏ ଯେପରି କି ସତ ନୁହେଁ, ଯେଉଁ ସ୍ୱପ୍ନ ମଝିରେ ମଝିରେ ସଂସାରରେ ଏହି ଯୋଡ଼ିଏ ମଣିଷଙ୍କୁ ଏକାଠି କରେ, ଏ ସତେ କି ସେହିପରି ପୁଣି । କିନ୍ତୁ ସେତେବେଳେ ଛବି ନାନା ପ୍ରଶ୍ନ ପଚାରେ; ଉତ୍ତର ପାଏ, ଏଠି ସେ ପ୍ରଶ୍ନ ନାହିଁ, ସେ ଆନନ୍ଦରେ ଉତ୍ତେଜନାରେ ମୂର୍ତ୍ତି ପାଲଟି ଯାଇଛି, ତା’ର ହାତଗୋଡ଼ ବି ଯେପରି କି ଭିତରକୁ ଓଟାରି ହୋଇଯିବ, ଦେହ ଓ ମୁହଁର ଭଙ୍ଗୀ ବଦଳି ବଦଳି ଅଚିହ୍ନା ହୋଇଯିବ; ସାଧାରଣ ସଂସାରୀ ଦୃଷ୍ଟିରେ ସୁନ୍ଦର କି ଅସୁନ୍ଦର ବୋଲି କହିବାକୁ ସାଧାରଣ ମଣିଷ ଯେଉଁ ମାପ ଯେଉଁ ମାନ ଧରି କଳି ବସେ, ତହିଁରେ ସେ ମାପି ହେବ ନାହିଁ ।

ରବି ତା’ର ପାଖକୁ ଓଟାରିହୋଇ ଆସି ଠିଆହେଲା । ସେ ଭାବି ବିଚାରି ଆସି ନାହିଁ, କେବଳ ବିହ୍ୱଳ ହୋଇ ଆସିଛି, ତା’ ମନରେ ପବିତ୍ରତା କି ଅପବିତ୍ରତାର ଦ୍ଵନ୍ଦ ଉଠି ନାହିଁ, ଉଦେଶ୍ୟ କି ଲକ୍ଷ୍ୟ ସେ ଅନୁଭବ କରି ନାହିଁ । ଅନୁଭବ କରିଛି, ଆସିବାକୁ ହେବ, ସେ ଆସିଛି ।

ପ୍ରାଚୀନ ଦେଉଳ ପଛଆଡ଼େ ସେହି ପ୍ରାଚୀନ ସ୍ଥଳୀରେ ପରସ୍ପରଆଡ଼କୁ ମୋହିଁ ତୁନିତାନି ହୋଇ ଠିଆହୋଇ ରହିଛନ୍ତି ଦେଓଟି ମଣିଷ, ସେମାନେ ବି ସତେକି ସେହି ଦେଉଳର ଠଣାରୁ ଉଠି ଆସିଥିବା ମୂର୍ତ୍ତି ଯୋଡ଼ିଏ, ଜହ୍ନ ଆଲୁଅ ଓ ଗଛର ଛାଇ ସରିସରି ଟୋପାଟୋପା ହୋଇ ଚିତ୍ର କରି ସେମାନଙ୍କୁ ନୂଆ ରୂପ ଦେଇଛି, କିନ୍ତୁ କେହି କାହାରି ଆକୃତି କି ଅବୟବ ଦେଖିପାରୁ ନାହିଁ, ଦୁଇଟି ପ୍ରାଣ ସାନ୍ନିଧ୍ୟ ଅନୁଭବ କରୁଛି, ଦୁଇଟି ଭାବରୂପ ଛାଇପରି ହୋଇ କିଛି କିଛି ପରିସର ଆବୋରି ନେଇ ପାଖକୁ ପାଖ ଥମ୍ବି ରହିଛି, ପରସ୍ପରଆଡ଼କୁ ମୋହିଁ ରହିଛି ଯୋଡ଼ିଏ ଇତିହାସ, ମଝିର ଯୋଗସୂତ୍ର ଆଖିଦୁରୁଶା ନୁହେଁ ।

ସେମାନଙ୍କ ବ୍ୟବହାରରେ କିଛି ଅସଜ ନ ଥିଲା, ଆଖିକୁ କିଛି ଅଡ଼ୁଆ ଜଣା ପଡ଼ୁ ନ ଥିଲା । ଏଇ ନିଛାଟିଆ ଦ୍ୱୀପ, ଏଇ ଜହ୍ନରାତି, ଏଇ ପୁରୁଣା ପରିବେଷ୍ଟନୀ ସହିତ ଖାପିଯାଇ ଦେଉଳ, ଗଛ, ଥୁଣ୍ଟା, ଢିପ ଢାଲୁ ପରି ଏତେ ମାୟା ରୂପ ଭିତରେ ସେମାନେ ବି ସେଠି ଅତି ସ୍ୱାଭାବିକ, କାହାରି କାହାଠି କୁଣ୍ଠା ନାହିଁ ।

ନିଦ ଭାଙ୍ଗି ଭାଙ୍ଗି ଆସିଲାବେଳର ସ୍ୱପ୍ନ-ସତ ସ୍ୱପ୍ନ-ସତ ଚେତନା ପରି କ୍ରମେ ସେମାନେ ଅନୁଭବ କଲେ କାଳିଚା ସୋରିଷଫୁଲିଆ ଜହ୍ନରାତି, ବଢ଼ିପାଣି ଉପରେ କୁହୁଡ଼ିର ବେଢ଼ା, ତା’ ଏକରେ ଜିକିଜିକି ପୁଣି ଅନ୍ଧାରି ଅନ୍ଧାରି ହୋଇ ତୋଟାଳିଆ ଢିପଟି, ଦୂରରୁ ଶୁଭି ଶୁଭି ଯାଉଥିବା ନିଧି ରଣାର ଗୀତ ସେମାନଙ୍କ କାନରେ ବାଜିଲା, ନାନା ଫୁଲର ହାଲୁକା ଓଦା ମହକ ସେମାନେ ଅନୁଭବ କଲେ, ପୁଣି ତାହାରି ଭିତରେ ରନ୍ଧା ଖନ୍ଦାର ଧୂଆଁର ବାସ୍ନା, ସେପାଖର କଥାଭାଷାର ଶବ୍ଦ । ଦେହରେ ଚମକ ଖେଳିଯିବା ପୂର୍ବରୁ ସେମାନେ ଶାନ୍ତ ହୋଇ ସାମ୍ନାକୁ ଅନାଇଁ ଠିଆହୋଇ ରହିଲେ, ସତେ ଯେପରି ପରସ୍ପରକୁ ଅନାଇଁବାକୁ ସେମାନଙ୍କର କୁତୂହଳ ନାହିଁ, ସେ ସାନ୍ନିଧ୍ୟ ସେମାନଙ୍କର କେଉଁ କାଳରୁ ଅଭ୍ୟସ୍ତ, ସେମାନଙ୍କ ସ୍ୱାଭାବିକ ଘରକରଣାର ହିଁ ଚଳଣି । ଏକା କାମରେ ଦିନଯାକ ଦିହେଁ ଲୋଟିଯାଇ ସଞ୍ଜଘଡ଼ିରେ ଦିହେଁ ଏକାଠି ଠିଆ ହୋଇଛନ୍ତି, ପଚାରିବାକୁ କିଛିନାହିଁ, କହିବାକୁ କିଛିନାହିଁ ।

ତା’ପରେ ସେ ଚେତନା ବି ପଛେଇଗଲା, ସତେ କି ଆଖି ଆଗରେ ଫରଚା ଖୋଲି ଖୋଲି ଆସୁଛି, ସେପଟୁ କେତେ ପାଟିରେ କଥାଭାଷାର ଚହଳ ଅନୁଭବ ହେଲା, ସେ ଚହଳ ଆଗରୁ ବି ଥିଲା; କିନ୍ତୁ ଅନୁଭବ ହେଲା ନୂଆ ହୋଇ । ଛବି ବିସ୍ମୟରେ ଚାହିଁ ଦେଖିଲା ଯେ ରବି ଟାଣି ହେଲା ପରି, ଟାଙ୍କି ହେଲା ପରି ପାଦ ପକାଇ ପକାଇ ଛାଉଣି ଆଡ଼କୁ ଲେଉଟି ଚାଲିଲା ।

ଛବିର ଛାତି ଦମ୍ ଦମ୍ ପଡ଼ିଲା । ପିଜୁଳିଗଛକୁ ଆଉଜି ରହି ସେ ଆଖି ବୁଜିଦେଲା, ଅନୁଭବରେ ଏଥର ଦେହ ହିଁ ମାଡ଼ିପଡ଼ିଲା, ତା’ର ମୁଣ୍ଡ ବୁଲୋଉଛି, ଦେହ ଥରୁଛି ।

ଚାଉଁକରି ଝାଙ୍କିହୋଇ ଠିଆହେଲା । ଅତି ଉଦ୍‌ବେଗରେ କ୍ଷୋଭରେ କ୍ଷୋଭରେ ସେ ହେତୁ କରି କରି ଚଞ୍ଚଳ ହୋଇଉଠିଲା-ଏ କ’ଣ ହେଲା ? ସେ ପଚାରି ପାରିଲା ନାହିଁ ଯେ !

‘‘କ’ଣ କହୁଚ କହ । କାହିଁକି ତୁନୀ ରହିଚ ? କହ, ମୋ ଜୀବନର କ’ଣ ହେବ ? କ’ଣ ତୁମେ କହୁଚ ?’’ କିଛି ପଦେ କହି ପାରିଲା ନାହିଁ ! ଅଥଚ ସେ ଆସିଥିଲା, ଅପେକ୍ଷା କରିଥିଲା, ତା’ପରେ ସେ ଚାଲିଗଲା !

 

ତା’ ଆଖିରେ ଲୁହ ପୂରିଗଲା, ଗଡ଼ିଲା, ଗାଲ ଓଦା ହେଲା, ଆଖି ପୋଛୁ ପୋଛୁ ସେତେବେଳେ ସେ ପରିସ୍ଥିତିକୁ ଚେଇଁ ଉଠିଲା, ଆଗକୁ ଚାହିଁ ଦେଖିଲା-କେଡ଼େ ଛନ ଛନ ଜହ୍ନରାତି, କେଡ଼େ ନିଛାଟିଆ, କେହି କୁଆଡ଼େ ନାହିଁ । ଦେଉଳ ଏପଟେ ଏ ବିଚିତ୍ର ଶୋଇଲା ଦୁନିଆଁ, କେତେ ଲୋକ ଥିଲେ ପରା, ସେମାନେ ଶୋଇ ପଡ଼ିଛନ୍ତି, ତୋଟାଳିଆ ଅରମା ଠିଆ ଠିଆ ଶୋଇପଡ଼ିଛି, ତା’ ଉପରେ ଜହ୍ନ ଆଲୁଅ ଦିଶୁଛି ଘୋରିହେବା ଚାଦର ପରି । ସେ ଏ ଶୋଇଲା ଦୁନିଆଁର ଘୁମୁରା ନିଶ୍ୱାସ ଶବ୍ଦ ଶୁଣୁଛି, ସବୁ ଲାଗୁଛି ବିଚିତ୍ର, ଖାଲି ମାୟା-ସ୍ୱପ୍ନ । ସମସ୍ତେ ଶୋଇ ପଡ଼ିଛନ୍ତି, ଚେଇଁଛି ସେ–ଏକୁଟିଆ । କାନ ଡେରୁଛି । ସେପାଖରୁ ଗହଳି ଶବ୍ଦ ଶୁଭୁଛି, ଦୁଇଟା ଦୁନିଆଁ, ଲଗାଲଗି, ଆଲୁଅ ଆଉ ଛାଇ ମିଶି ରହିଲା ପରି ।

 

ସତେ କି ସ୍ୱପ୍ନ ଦେଖୁଥିଲା, ତା’ପରେ ମନେ ପଡ଼ିଯାଇଛି । ଚଞ୍ଚଳ ବୁଲିପଡ଼ି ସେ ବି ଲେଉଟି ଚାଲିଲା । ଏଇ ବଢ଼ି ଭିତରୁ କେମିତି ଗୋଟାଏ ଆଶ୍ଚର୍ଯ୍ୟ ଢେଉ ଆସିଥିଲା, ସେ ଗୋଟାସୁଦ୍ଧା ଏଇ ଜହ୍ନ ଆଲୁଅ, ତାକୁ କେତେ ଉଞ୍ଚକୁ ଟେକି ଦେଇଥିଲା । ନା, ସେ ଢେଉ ଛାଡ଼ି ଯାଇ ନାହିଁ, ସେ ନିଜେ ଗୋଟାଛାଏଁ ସେହି ଢେଉ, ସବୁଯାକ ଆନନ୍ଦ ।

 

ସେ ଚଢ଼େଇଟିଏ ପରି ଉଡ଼ି ଚାଲିଆସିଲା । ଛାଉଣି ପାଖେ ପହଞ୍ଚିଲା ବେଳକୁ ତାକୁ ଲାଗିଲା ସେ ଆକାଶରୁ ମାଟିକି ଓହ୍ଲାଇ ପଡ଼ିଛି । ପୁଣି ମନ ଭିତରେ ଅଛିଣ୍ଡା ପ୍ରଶ୍ନର ଅମେଣ୍ଟ ଖିଅ, କ’ଣ ହେଲା ? ଅଧାରୁ ରହିଗଲା ଯେ ! ସେ ପଚାରି ପାରି ନାହିଁ ତ !

 

‘‘ଏଃ ! କୁଆଡ଼େ ଥିଲ ମୁଁ କେତେ ଆଡ଼ ଖୋଜିଲିଣି ।’’ ଦୁଲ କହିଲା, ମିଣିପେ ଆଜି ହାଣ୍ଡି ଧରିଛନ୍ତି ଯେ କତିରେ ପୂରେଇ ଦେଉ ନାହାନ୍ତି । ସେ ଯେଉଁ ନାଉରି ଜଣକଟି, ଭାରି ନବଜିଆ, ସେ କହୁଛି କ’ଣ ଶୁଣିଲଣି ନା ? ମଣିଷ କେତେ ହସିବ ! କହୁଚି, ଦେଖିବ ରଇଥା, ଏଡ଼େ ସୁଆଦ ରୋଷେଇ ତେମେ କେବେ ଖାଇ ନଥିବ, ହାତଚାଟି ଭାତ ଖାଇବ । ଏଇ କୁଆଡ଼େ ଏଡ଼େ ପାରିବାର ! ସତେ ତମେ କୁଆଡ଼େ ଥିଲମ, କେତେ ଖୋଜେଇଲଣି !’’

ଛବି ହସି ହସି ଦୁଇକୁ ଦି’ ହାତରେ କୁଣ୍ଢେଇ ପକାଇ ତା’ ମୁହଁରେ ମୁହଁ ଲଗାଇଲା । ‘‘ଦେଖ ! ଦେଖ !’’ କହୁ କହୁ ଦୁଲ ବି ତାକୁ କୁଣ୍ଢେଇ ଧରିଲା । ଛବି ଅକାରଣରେ ତାକୁ ବାରମ୍ୱାର ଭିଡ଼ି ଧରିଲା, ସତେ ଯେପରି କି ସେ ତା’ର କେଉଁ ଜନମର ସାଙ୍ଗ, ଅଥଚ ଏକା ଗାଆଁର ହେଲେ ବି ଯୋଗୀସାହିକି ତା’ ଆଗରୁ ସେ କେବେ ଯାଇ ନାଇଁ କି କେବେ ଦୁଇକୁ ସେ ଦେଖି ନାହିଁ କି ଚିହ୍ନି ନାହିଁ । ସେମାନେ ସତେ କି ଚନ୍ଦ୍ର ଗ୍ରହରେ ପୃଥିବୀର ମଣିଷ, କିଏ କେଉଁ ପ୍ରାନ୍ତର, କିନ୍ତୁ ସେଠି ସେ ଦୂରରେ ଏକା ଗାଁର, ସେ ଗାଁ ନାଁ ପୃଥିବୀ ।

ତା’ର ସେ ଗେହ୍ଲା ଆଦରକୁ ଦୁଲ ଭାବି ଘେନିଲା ତା’ର ଅଖଳା ମନର ଅକପଟ ସ୍ନେହ ବୋଲି, ସେ କୃତଜ୍ଞ ହେଲା, ସେ ଗୌରବ ମଣିଲା, ସ୍ନେହରେ ଭାସିଯାଇ ସେ ଇଚ୍ଛାକଲା କ’ଣ ଏମିତି ବାଟ ଦିଶନ୍ତା ଯହିଁରେ ସେ ଛବିର କିଛି ଉପକାର କଲେ ତା’ର ଆତ୍ମା ସନ୍ତୋଷ ହୁଅନ୍ତା ।

କିନ୍ତୁ ଛବି ଦୁଲକୁ ଦୁଲ ବୋଲି ଜାଣି ବୁଝି ତା’ଉପରେ ଏତେ ସୋଗ ଅଜାଡ଼ି ଦେଲା ତା’ ନୁହେଁ, ସେ ଢେଉ ପରି ଫୁଲି ଉଠିଥିଲା, ଢେଉ ପରି ଅଜାଡ଼ି ହେଇଥିଲା ।

ଦୁଲ ପାଖରୁ ସେ ଖୋଜିଗଲା ତା’ ବାପାଙ୍କୁ । ନିଆଁ ପାଖରେ ସେହିମାନଙ୍କ ଦଳରେ ସେ ବସି ରହିଛନ୍ତି । ଚୁଲୀ ନିଆଁର ଧାସ ନାଲିଚା ରଙ୍ଗ ବୋଳିଲା ପରି କାହା କାହା ମୁହଁରେ କେଉଁଠି କେଉଁଠି ଲାଗିରହିଛି ।

କରପଟିଆ ହୋଇ ବସି ରହିଥିଲା ରବି, ନିଆଁର ନାଲି ଧାସ ତା’ର କପାଳରେ ପଡ଼ିଥିଲା । ଛବିକୁ ଦେଖି ସରଳ ହସଟିଏ ହସିଦେଇ ସେ ତା’ ମୁହଁକୁ ଅନାଇଁଇ । ଛବି ମୁହଁ ବୁଲେଇନେଇ ଦେଉଳ ଦୁଆରମୁହଁକୁ ଅନାଇଲା । ଛବିର ଦୃଷ୍ଟି ଅନୁସରଣ କରି ରବି ବି ସେହିଆଡ଼କୁ ଚାହିଁଲା, ଦେଖିଲା ଦୀପଟିଏ ଉଜ୍ଜଳ ହୋଇ ଜଳୁଛି, ଦୀପର ଶିଖ ଧମକିଲା ପରି ନାଚୁଛି ।

ଛବି ଚାହିଁଥାଏ । ଦେଉଳ ମୁହଁ ମେଲା ପଡ଼ିଛି । ଦୀପ ଜଳୁଛି । କାହିଁ ତା’ ପ୍ରଶ୍ନର ଉତ୍ତର ?

ସେହି ଗହଳି ଭିତରୁ ସିନ୍ଧୁ ଚୌଧୁରୀ କହିଲେ, ‘‘ମନା କରୁଥିଲି, ଆସିଲୁ । ତେଣେ ତୋ ବୋଉକୁ ଆଜି ନିଦ ହେବ ନାହିଁ ।’’

ଛବି ତା’ର ବୋଉକୁ ମନେ ପକାଇଲା ।

ଲାଗିଲା, ସତେ କି ସେ ଅଜାଣତରେ ଦୋଷ କରି ପକାଇଛି । ବୁଲିପଡ଼ି ଅନାଁଇଦେଲା, ଦେଖିଲା ରବି ତାହାରି ଆଡ଼କୁ ଚାହିଛି । ମୁହଁକୁ ତଳକୁ କରି ସେ ଦୁର୍ବଳ କଣ୍ଠରେ ବାପାଙ୍କ କଥାର ଭତ୍ତର ଦେଲା, ‘‘ମୁଁ କ’ଣ ଜାଣିଥିଲି !’’

ସିନ୍ଧୁ ଚୌଧୁରୀ କହିଲେ, ‘‘ସେଥିପାଇଁ ବଡ଼ ବଡ଼ଙ୍କ କଥା ମାନିବାକୁ ପଡ଼େ ପରା ! ଏ ଯେଉଁ ପାଗ, ଏ ଯେଉଁ ବଢ଼ି, ଘରୁ ଗୋଡ଼ କାଢ଼ି ଡଙ୍ଗାରେ ବସି ଏଠିକି ଆସି-ଅଇଚ୍ଛା କେଡ଼େ ସୁନ୍ଦର ଖାଇପିଇ ଘରେ ଶୋଇଥାନ୍ତୁ ।

ଛବିର ମନ ଅନ୍ୟ ଆଡ଼େ ଥିଲା । ତା’ ଛାତି ଭିତର ଦୁରୁ ଦୁରୁ ହେଉଥିଲା, ସତେ କି ତା’ର ଅନ୍ତର ଭିତରେ ସମୁଦ୍ରରେ ଜହ୍ନ ଉଇଁଛି । ଖାଲି ଏତିକି ମନେ ପଡ଼ୁଥିଲା, ରବି ତାକୁ ଦେଖୁଛି-। ତା’ ବାପାଙ୍କର ଶେଷ କେତେ ପଦ କଥାରେ ତା’ର ଜୁଆର ଉପରେ କ’ଣ ଅବାନ୍ତର ଅସାମଞ୍ଜସ୍ୟ ପଦାର୍ଥଟାଏ ଯେପରି କି ପଡ଼ିଗଲା । ମହାଉଲ୍ଲାସରେ ଉଛୁଳି ଉଠି ସେହି ଅବାଞ୍ଚିତ ବସ୍ତୁଟାକୁ କୂଳରେ ଫୋପାଡ଼ି ଦେବାକୁ ଲହଡ଼ୀ ଖେଳାଇଲା ପରି ସେ କହିଲା, ‘‘କ’ଣ ଆଉ ଅସୁବିଧା ହେଲା କି ? ଘର କ’ଣରେ ବସି ରହିଥିଲେ ଏମିତି ଦିନଟାଏ କେବେ ମିଳିଥାନ୍ତା ? ୟେ ତ ସତେ କି ଯାତ୍ରା ଦେଖା !

କ’ଣ ତା’ ପାଟିରୁ ବାହାରିଗଲା ସେ ରୋକିପାରିଲା ନାହିଁ । ତା’ପରେ ଶୁଖିଲା, ସମସ୍ତେ ହସୁଛନ୍ତି, ତା’ ବାପାଙ୍କ ହସ ସେ ପରିଷ୍କାର ବାରିପାରୁଛି, ସେହି ନିରୀହ ମନଖୋଲା ଅଖଳା ହସ, ରବି ହସୁଛି, ସେ ଦେଖିପାରୁଛି । ତା’ କଥାକୁ ସମସ୍ତେ କେମିତି କୌତୁକ ବୁଝୁଛନ୍ତି । ପୁଣି ତାକୁ ଲାଜ ମାଡ଼ିଲା ।

ରବି ସଙ୍ଗେ ମୁହାଁମୁହିଁ କଥାଭାଷା ହେବାକୁ ତା’ର ଦରକାର ପଡ଼ୁନଥାଏ । କାଳେ କେତେବେଳେ ଯୋଗ ପଡ଼ିଯିବ ବୋଲି ସେ କରୁଥାଏ । ତାକୁ ଚଙ୍ଗଚଙ୍ଗ ଲାଗୁଥାଏ, ଟିକିଏ କେଉଁଠି ଖୁଡ଼୍‌କରି ହେଲେ ସେ ଚମକି ପଡ଼ୁଥାଏ । ତା’ପରେ ଖାଇଲାବେଳ ହେଲା । ଦୁଇ ସଙ୍ଗରେ ସେ ପରଷିଲା । ପ୍ରଥମ ଥରକ ଦେଇସାରି ଦୁଇ ରୋଷେଇ ପାଖକୁ ଚାଲି ଯାଇଥାଏ । ଛବି ଦେଖିଲା, ରବିର ପତ୍ର ଖାଲି ପଡ଼ିଛି । ଦୁଲ ନିଶ୍ଚୟ ଏସିବ, ହୁଏ ତ ଆସୁଥିବ । କିନ୍ତୁ ରବି ଖାଲି ପତ୍ର ପାଖେ ବସି ରହିଛି, ଆଉ ପତ୍ର ଉପରେ ଆଙ୍ଗୁଠି ଅଗରେ ଗାର କାଟୁଛି ଦେଖି ତା’ ମନରେ ଦୁଃଖ ହେଲା । ପାଖକୁ ଯାଇ ଟିକିଏ ଠିଆହେଲା, ତା’ପରେ ନଇଁପଡ଼ି ଥିରିଥିରି ପାଟିରେ ପଚାରିଲା, ‘‘ଆଉ କ’ଣ ଦେବି ?’’

ରବିର ପାଖେ ବଇ ମଳିକ ପାଖେ ରୋହିନାଥ ବସି ଖାଉଥିଲେ । ସେମାନେ ବି ତା’ଆଡ଼କୁ ଅନାଇଁରେ । ରବି ଝାଙ୍କିହେଲା ପରି ମୁଣ୍ଡକୁ ପଛଆଡ଼କୁ ଛାଟିଦେଲା, ତା’ କପାଳରୁ ବାଳ କେରାଏ କୁଦା ମାରି ପଛକୁ ଲେଉଟିଲା ।

ରବି କହିଲା, ‘‘ଆଉ କ’ଣ ହେବ ?’’

ଛବି ଗୋଳ କଲା ପରି କହିଲା, ‘‘ଆଉ ଗଣ୍ଡାଏ ।’’

ରବି ହସିଦେଇ କହିଲା, ‘‘ହଉ, ଦିଅନ୍ତୁ ଯାହା ଦେବେ ।’’

ସେ ତାକୁ କଥା କହିଛି । ଛବି ସେଠୁ ଦିଖେପା ମାରିଦେଇ ଲେଉଟି ଆସିଲାବେଳେ ଚୋରା ବସନ୍ତବେଳର ରାତି ପାହି କେତେବେଳେ ଉଷୁମ, କେତେବେଳେ କାକର ଲାଗିଲା ପରି କେତେବେଳେ ତାକୁ ଭାରି ଲାଜ ସଂକୋଚ ଲାଗୁଥାଏ, ପୁଣି କେତେବେଳେ ଉତ୍ସାହ ଆବେଗରେ ଗୋଡ଼ ତଳେ ଲାଗୁ ନଥାଏ ।

ସେ ମନଇଚ୍ଛା ରବି ପତରରେ ଭାତ, ଡାଲି, ତରକାରି ଓ ଅମ୍ବିଳ ଅଜାଡ଼ୁଥାଏ । ଗୋଟାଏ କିଛି ବେଶି ହେଲାବେଳେ ରବି ଯେତେବେଳେ ନାହିଁ ନାହଁ କରି ରୋକିବାକୁ ହାତ ବଢ଼ାଇ ଦେଉଥାଏ, ସେତେବେଳେ ତା’ର ଦ୍ୱିଗୁଣ ଉତ୍ସାହ ଆସୁଥାଏ ।

ଖିଆ ସରିଲା । ଶୋଇବାକୁ ନ ଯାଉଣୁ ସମସ୍ତେ ଏକାଠି ଘେରହୋଇ ବସିଲେ । ଛବିର ସଙ୍କୋଚ ଭାଙ୍ଗି ଯାଇଥାଏ । ଦୁଲ ଆଉ ସେ ସେହି ଗହଳିର ବାହାର କରରେ ବସିରହିଲେ-। ବେଳେ ବେଳେ ଏଣୁତେଣୁ ଗପ ପଡ଼ିଥାଏ । ସତେ ଯେପରିକି ସେମାନେ ଏକାଗାଁର ଏକା ଖଞ୍ଜାର ମଣିଷ । ଏମିତି କେତେଥର ଅଗଣାରେ ବସିପଡ଼ି ବଢ଼ନ୍ତା ରାତିକୁ ଦେଖିଛନ୍ତି, ଅନୁଭବ କରିଛନ୍ତି, ରାତିର ଶବ୍ଦ ଶୁଣିଛନ୍ତି, ସେହି ଏକା ସମନ୍ୱୟରେ ମିଶାଇ ଦେଇଛନ୍ତି ଆପଣାର ନିଶ୍ୱାସ ଶବ୍ଦ, ନାନ ପର୍ଦ୍ଦାରେ ନାନା ଭାଙ୍ଗରେ ଖେଳି ଚହଲୁଥିବା ନାନା କଣ୍ଠର ଭାଷା ସଙ୍ଗୀତ, ସେହି ସଙ୍ଗୀତରେ କେତେବେଳେ କାହା ଘରୁ ପିଲା କାନ୍ଦଣା ମିଶିଯାଇଛି, କେତେବେଳେ ଅନ୍ଧାରଘରୁ ବୁଢ଼ୀର କାଶ, କେତେବେଳେ ଗୋରୁର ହମ୍ୱାରଡି । ସେହିପରି ତ ଏଠି ବି-ଛବି ଅନୁଭବ କଲା ଓ ତାକୁ ଘର ଘର ଗିଲା । ଛାତି ଭିତର ଧକ୍ ଧକ୍ କରୁଛି, ଗୋଟାଏ ଖୁସି ଖୁସିର ଉତ୍ତେଜନା ତାହା ଭିତରେ ଚାପିହୋଇ ରହିଛି, ବେଳେ ବେଳେ ବିଜୁଳି ପରି ତାଳୁରୁ ତଳିପା ଯାଏ ଝାଙ୍କିଉଠି ଖେଳିଯାଉଛି, ଦେହ ଥରୁଛି, ବେଳେବେଳେ ଥମ୍ୱି ରହୁଛି । ମୁଣ୍ଡ ଭିତରେ ମୋହ ଚହଟୁଛି, ଲାଗୁଛି ତାକୁ ନିଦ ଘାରୁଛି, ତା’ପରେ ଅନୁଭବ କରୁଛି ତା’ ଆଖି ଖୋଲା ହିଁ ତ ଥିଲା, ସେ ଶୋଇ ନାହିଁ, ଚେଇଁ ରହିଛି । ଛୁଆଦିନେ ଗୁରବୋଉ କ’ଣ କାହାଣୀ କହୁଥିଲା, ନା ଗୁରବୋଉ ନୁହେଁ, ଖଞ୍ଜାରେ ଆଉଜଣେ ବୁଢ଼ୀ ଥିଲେ, ମନେ ପଡ଼ି ଯାଉଛି ଗୋଟାଏ ଲମ୍ବା କାନ, ସତେ କି ମହମରେ ତିଆରି, ସେମିତି କୋଳଥିଆ ବର୍ଣ୍ଣର, ତଳେ ଉପରେ କରଗୁଡ଼ାକ ଲୁଚିଯାଇଛି, ସେହି କାନ ଉପରେ ଝୋଟପରି ପୁଳାଏ । ଧଳା ମସିଆ ବାଳ, ସେ ପବନରେ ଫୁରୁ ଫୁରୁ ହୋଇ ଉଡ଼ୁଥାଏ । ଆଉ ମନେ ପଡ଼ୁଛି ଗୋଟିଏ ଛୋଟ ନାକ, ତା’ ଆଗଟି ଗୋଟାଳିଆ, କେଡ଼େ ନିରୀହ, କେଡ଼େ ସ୍ନେହୀ ଦିଶେ ସେ, ସେ ଖୋଜେ ନାହିଁ ମାନ ସମ୍ଭ୍ରମ, ନାମ, ମୋର କିଏ କିଛି କରୁ ଧରୁ । କାହାଣୀ କହିଯାଏ, ସେହି ତା’ର ଆନନ୍ଦ ।

ଆଉ ତା’ ସଙ୍ଗେ ସଙ୍ଗେ ଭାସିଉଠିଲା ଯୋଡ଼ିଏ ଆଖି ।

Unknown

କଳା ଘୁମର ନୁହେଁ, ସେଠି ନାହିଁ ଭଅଁର ଓ ତା’ର ଆସ୍ପର୍ଦ୍ଧା ।

ଖାଲି ଧୂଆଁ ସେଠି ତରଳହୋଇ କିଛି ବେଳ ପାଇଁ ଅଟକି ରହିଛି । ସେହି ସେ ବୁଢ଼ୀର ଆଖିଯୋଡ଼ିକ, ନିଷ୍ପ୍ରଭ, ଉଦାସ ଉଦାସ, ଅତି ବିନୟୀ, ଅତି ନିରୀହ; କିନ୍ତୁ ସେଠି ଅଖ୍ୟାତ ପଣର ମର୍ଯ୍ୟାଦା, ସରଳତା ଓ ସ୍ୱାଧୀନତା, ସେଠି ଘର ଘର ପରି ଆଦରିଲା ଭଳି ବିଶ୍ଵାସ ଓ ସରସତା ।

ସେଠି ସତେ କି କୁଲା କୁଲା ପରସ୍ତ ପରସ୍ତ ହୋଇ ଖୋଳପା ଫିଟିଯାଇ ହଜିଯାଇଛି, ରଙ୍ଗ ରଙ୍ଗର ଖୋଳପା, ସେ ଦିନେ ସତେଜ ଥିଲା, ସେଥିରେ ରସ ଥିଲା ।

 

ଆଉ ଏଇ ଶେଷ ପରସ୍ତ, ଏଇ ଅସଲ ।

 

ଧୂଆ ପୋଛା ଉଦାର ଆକାଶ ପରି, ଉଦାସ ହେଉ ପଛେ, ନିରାଶ ନୁହେଁ-ବଡ଼ ଦୂରକୁ ତା’ର ପରିସର । ଅକଳନ ସମୟର କେତେ ଛପିଲା ସତ୍ୟ ସେହି ପରିସର ଭିତରେ ଧରାଦିଏ, କେତେ ଛାଇ-ରୂପ ।

 

ସେମାନେ ମରି ନାହାନ୍ତି, ହଜି ନାହାନ୍ତି, ତାହାରି ଦୃଷ୍ଟି ସଙ୍କେତକୁ ଅନୁସରଣ କଲେ ହେଇ ତ ଆଗରେ ସେଠି ।

 

ସେହି ମହମ ତିଆରି କାନ ଓ ତା’ ଉପରେ ଫୁରୁ ଫୁରୁ ଧଳାବାଳ ଥାଇ ମଣିଷଟି-ତା’ର ବୟସ ନାହିଁ, ସେ ବ୍ୟକ୍ତିତ୍ୱ ବର୍ଷ ମାପରେ ପଡ଼େ ନାହିଁ, ଜଣାନାହିଁ ପୁରୁଷ କି ସ୍ତ୍ରୀ, ସବୁଦିନେ ଥିଲା, ଆଜି ବି ଅଛି, ସନାତନ କାବ୍ୟକାର, କଥାକାର, ଉଦାର, ଦୟା ଓ ମୈତ୍ରୀମୟ ମୂର୍ତ୍ତି ।

 

ସତେ ଯେପରି କି ତାହାରି ସେ ଚାହାଣି ଆଗରେ ସ୍ୱପ୍ନ ଓ ସତ ଓଲଟପାଲଟ ହୁଏ, ମିଶିଯାଏ, ଲାଗେ ସବୁ ସତ ।

 

ସେ କେଉଁ ରଜାପୁଅ କଥା କହୁଥିଲା, ତା’ର ପକ୍ଷୀରାଜ ଘୋଡ଼ା, ଅଗନାଗ୍ନି ବନସ୍ତ ଭିତରେ ଶିଉଳିନେସା ଶିବମନ୍ଦିର ପାଖରେ ପଥରକଟା ବଡ଼ ପୋଖରୀରେ କାଚଖମ୍ୱ ପାଣି । ପାହାଚ ପାଖେ ଅନନ୍ତ ନାଗେଶ୍ୱର ଗଛ, ଫୁଲ ଲଦିହୋଇ ଠିଆ ହୋଇଥିଲା । ପୋଖରୀରେ ପଦ୍ମ ଫୁଟିଥିଲା, ପଦ୍ମ ଉପରେ ଭଅଁର ବସିଥିଲେ । ଲେନ୍ତି ଲେନ୍ତି କନିଅର ଫୁଇ ଲଦିହୋଇ ଜାଲପରି କନିଅର ଗଛର ଧାଡ଼ି ପୋଖରୀ ଉପରକୁ ଝୁଲି ରହିଥିଲା । ପୋଖରୀରେ ପଦ୍ମଫୁଲ, ପଦ୍ମ କଢ଼ ଆଡ଼େଇ ଆଡ଼େଇ, ପଦ୍ମପତ୍ର ଆଡ଼େଇ ଦଳି ଦଳି ରାଜହଂସ ଭାସୁଥିଲେ । ସୂର୍ଯ୍ୟ ଉଇଁ ଆସୁଥିଲା । ପାହାଚ ଚଢ଼ି ରଜାଝିଅ ଉପରକୁ ଉଠି ଆସୁଥିଲା । ତା’ ମୁହଁ ଚାରିକରେ ଭଅଁର ଉଡ଼ୁଥିଲେ । ପିଠିଆଡ଼େ ବହଳ ହୋଇ ତା’ର କୁଞ୍ଚୁ କୁଞ୍ଚୁ କଳା ବାଳ ଲୋଟିଥିଲା ବଳାଗଣ୍ଡିଯାକେ । ଚୁଆ ଚନ୍ଦନ ମେଥି ଅଗୁରୁ ବେଣାଚେର ଗୋଗୁଳର ମହକ ଚହଟୁଥିଲା, ତା’ର ମୁଣ୍ଡବାଳରୁ ବାସ୍ନା ପାଣି ନିଗିଡ଼ି ପଡ଼ିଥିଲା, ମଣ୍ଡାଛତୁ ଡେମ୍ପ ପରି ବେକ ଟେକିଦେଇ ଧୋବ କୁଜୀହଂସ ସେ ପାଣି ପିଇବେ ବୋଲି ତା’ର ଗୋଡ଼ିପାଖେ ଘେର କରି ଚାଲିଥିଲେ ।

 

ସେତିକି ବେଳେ ସେ ଦେଖିଲା, ପକ୍ଷୀରାଜ ଘୋଡ଼ା ଆକାଶରୁ ତଳକୁ ଖସିଲା, ରଜାପୁଅ ଓହ୍ଲାଇଲା । ସତେ ଅବା ସେ ଦ୍ୱିତୀୟ ସୂର୍ଯ୍ୟ, ରଜାଝିଅଠି ତାଉ ଲାଗିଗଲା, ସେ ଝାଉଁଳି ପଡ଼ିଲା ପରି ସ୍ତବ୍‌ଧହୋଇ ଆଉଜି ରହିଗଲା ।

 

ତା’ପରେ–

 

ରବି ବସିଛି । ସେମାନେ ବସିଛନ୍ତି । କିଏ କ’ଣ କଥା କହୁଛି । କାନେଇବାକୁ ମନ ହେଇଛି । ପଦେ ପଦେ ଛବିର ମୁଣ୍ଡ ଭିତରେ ଗଳୁଛି । ବଢ଼ି । ମହିଦଳପତି । ବଢ଼ି ମାଡ଼ଖିଆ ଲୋକଙ୍କ ଥଇଥାନ । ଚାଷ । ଗାଁ ଗଢ଼େଇ । ଚୀନ୍ । ଆମେରିକା । ରୁଷ୍‌। ଦକ୍ଷିଣ ଆଫ୍ରିକା । ଭାଗବତ । ତେଲଘଣା । ମହାତ୍ମା ଗାନ୍ଧୀ । ଏକ ପୃଥିବୀ । ଏକ ପରିବାର ।

 

ପୁଣି ପୁଣି ମୋହ ଘୋଟି ଘୋଟି ଆସୁଛି । ହେଇତ ଚାଉଁ କଲା । ପକ୍ଷୀରାଜ ଘୋଡ଼ା ଚଢ଼ି ରଜାପୁଅ ଉଡ଼ିଯିବ କି ?

 

ରଜାଝିଅକୁ ଘୋଡ଼ା ପିଠିରେ ବସାଇ ଘେନି ଉଡ଼ିଯିବ ।

 

ନିଶ୍ଵାସ ରୋକି ଉପରକୁ ଚାହଁଛି । ବର୍ଷା ଛାଡ଼ିଛି । କାହିଁ ଦରରେ ଦୁରରେ ଆଡ଼େଇ ହୋଇ ଖଣ୍ଡ ଖଣ୍ଡ କଳା ମୁଗୁରା ମେଘ ଭାସୁଛି, ଧଡ଼ିରେ ଧଳା, ନାରଙ୍ଗୀ, ମଝିରେ ଏଇ ବଡ଼ ଅରାକ ଚିକ୍‍କଣ ଆକାଶ, ଜହ୍ନ ଝଲଝଲୋଉଛି । କାଳିଚା ବର୍ଣ୍ଣର ନିର୍ମଳ କାଚ ଉପରେ ଜହ୍ନ ଆଲୁଅ ପଡ଼ିଛି । କାଳିଜହ୍ନ । ଆଲୁଅ ଅନ୍ଧାର ଗୋଳି ହୋଇ ଉପରୁ ତଳକୁ ଢାଳିଯାଇଛି, ସେଇଥିରେ ଏତେ ରୂପ ରଙ୍ଗ ହୋଇ ଥୁଆ ହୋଇଛି, ଏଇ ଛୋଟ ମଣିଷ ଗହଳିଟି, ସେପାଖେ ପୁରୁଣା ଦେଉଳ, ଖମ୍ବ ଖମ୍ବ ହେଇ ଝଙ୍କା ବରଗଛ, ଗୋଟି ଗୋଟି ହୋଇ ଏତେ ଗଛ, କୁଦ, ଭୂଇଁର ଢାଲୁ । ଯାହା ମଣିଷ ନୁହେଁ ତା’ ବି ସତେ କି ମଣିଷ ପରି ଦିଶୁଛି, ତା’ର ବି କେଉଁ ଭାବ ଫୁଟି ଉଠୁଛି । ପୁରୁଣା ଦେଉଳ ଯେପରି କି ପ୍ରାଚୀନ କାଳର ଅଜା, ବଡ଼ ଗାଁଟିଏ ପରି ବଢ଼ି ଉଠିଥିବା ତା’ର ବଂଶର ସୁଖ ଦୁଃଖ ଚିନ୍ତାରେ ତା’ର ଚିନ୍ତାଗ୍ରସ୍ତ ଭାବ, ତା’ର ଏ ସିଧା ଠିଆ ଧ୍ୟାନସ୍ଥ ଅବସ୍ଥା ସଂସାରୀ ଧ୍ୟାନର । ସଂସାର ଓ ସମୟ ସେଠି ଦାଗ ରଖିଯାଇଛି, କେବେ ପୋଡ଼ି ଆଉ ପାଣି ମାଡ଼ର । ତଥାପି ତା’ର ଦମ୍ଭ ନଇଁ ନାଇଁ, ନିଷ୍ଠା ନଇଁ ନାହିଁ, ସତର୍କତ ହୁଗୁଳା ହେଉ ନାହିଁ । ଏଇମାନେ ତ ଏ ସଂସାରକୁ ବଞ୍ଚେଇଛନ୍ତି ! ଆଉ ହେଇ ସେ ବରଗଛ, ସେକାଳର ସେ । ଆଈବୁଢ଼ୀ ପରି, ହାତ ଗୋଡ଼ ମେଲେଇ କୁଣ୍ଢେଇ କାଖେଇ ଲୋଟି ପଡ଼ିଛି, ଗୋଡ଼ ଲମ୍ବେଇ ଶୁଆଇ ରଖି କେତେ ତେଲ ହଳଦୀ ଲଗାଇ ଦେଇଛି, ରାତି ରାତି ଉଜାଗର ରହି କେତେ ସେବା କରିଛି, ତା’ର ଅଗଣିତ ସୃଷ୍ଟି, ସୃଷ୍ଟି ସନ୍ତାନଠୁଁ ଆହୁରି ଆହୁରି, ଏଇ ଯେତେ ବଢ଼ିଛନ୍ତି ସମସ୍ତେ ତା’ର କୋଡ଼ର କାଖର, ତା’ର ଉତ୍ସାହରେ ଭଟ୍ଟା ପଡ଼ି ନାହିଁ, ସୋଗ ତୁଟି ନାହିଁ । ଏଇ କାଳିଚା ଜହ୍ମ ଯେତେର୍ଠି ତା’ ଭିତରେ ଭେଦିଛି ଦିଶୁଛି ସେଠି ଜୀବନଯାକର ଅସୁମାରି ବିସ୍ମୟର ଖୋଲ, କେତେ ଆଶା, ଯେ ବିଡ଼ ହେଲା ନାହିଁ, କେତେ ନିରାଶା, ସେ ସେମିତି ରୁନ୍ଧି ହୋଇ ରହିଗଲା, କେତେ ମନ ଉଲୁସା ଛପିଲା ଅନୁଭୂତି ଯାହାକୁ ସଂସାର ଜାଣିଲା ନାହିଁ । ପଦାକୁ ସେ ସେହି ସେବାରେ ଲୋଟିଲା ମା’ ମୂର୍ତ୍ତି । ଆପଣାର ସବୁ ଦେଇ ପାଳେ, ବଢ଼ାଏ, ତା’ର ଧୈର୍ଯ୍ୟ ତୁଟେ ନାହିଁ, ଆଗ୍ରହ ମଉଳେ ନାହିଁ । ଅବିକଳ ଯେମିତି ତା’ ବୋଉ ।

 

ଚାଉଁକିନା ବୋଉ ମନେପଡ଼ିଲା, ଯେମିତି ସେ ବାରମ୍ବାର ମନେ ପଡ଼ିଛି, ଆଉ ସେ ମନେ ମନେ ସେହି ଅପନ୍ତରାରୁ ଉଡ଼ି ଚାଲିଗଲା । ଆପଣା ଗାଁକୁ, ପାଟେଳି ଗାଁକୁ । ଭାବିଲା, କେଡ଼େ ଦକଦକରେ ତ ବୋଉ ଆଜି ରାତି କାଟୁଥିବ, ଆଖିରୁ ଧାର ବୋହୁଥିବ, କେତେ ଠାକୁରଙ୍କୁ ମାନସିକ ଯାଚି ସାରିଥିବ, ନଲଟଣ ଜାଳି ବାଟକୁ ଅନାଇଁ ବସି ରହିଥିବ, ଘଡ଼ି ଘଡ଼ିକେ ଛାନିଆଁ ପଶିଯାଉଥିବ କ’ଣ ହେଲା କି ! କ’ଣ ହେବ ! ଗୁରବୋଉ ବସି ବୁଝାଉଥିବ, ସାହିର ଆଉ କିଏ କିଏ ଆସିଥିବେ ପରା, ଆଜି ତା’ ବୋଉର ଗୋଟିଏ ରାତି ।

 

ଓଦା ଓଦା ହୋଇ ମାଳତୀ ଫୁଲର ବାସ୍ନା ସେ ବଡ଼ ବଡ଼ ନିଶ୍ୱାସରେ ଆପଣା ଭିତରକୁ ଓଟାରିନେଲା, ପିଠିଆଡ଼େ ଭୂଇଁ ଉପରେ ଦୁଇ ହାତ ମାଡ଼ି ଡେରି ହୋଇ ବସି ଆକାଶକୁ ଚାହିଁ ରହିଲା । ତା’ପରେ ତା’ କାନରେ ବାଜିଲା ଦରରେ କେଉଁଠି ଚଢ଼େଇ ଯୋଡ଼ିଏ କେଡ଼େ ମିଠା ସ୍ୱରରେ ଡକାଡ଼କି ହେଉଛନ୍ତି । ତାକୁ ଲାଗିଲା ସେ ଆପଣା ଘରଠୁଁ କେତେ ଦୂରୂକୁ ଚାଲିଯାଇଛି । ତାକୁ ଦିଶି ଦିଶି ଗଲା ସକାଳେ ଯେପରି କି ଲମ୍ବ ହୋଇ ଚାଳରୁ ତା’ ବୋଉ ପିନ୍ଧା ଶାଢ଼ି ଓହଳି ଶୁଖୁଛି, ଚାଳ ଉପରେ ଲଗାଲଗି ହୋଇ କଖାରୁଫୁଲ ଫୁଟିଛି, ହାତୀଅନ୍ଧ ସେକରେ ପାଳଗଦାରେ ପାଳଛତୁ ଫୁଟିଛି, କଲରା ଲଟିରେ ବହଳ ହୋଇ ଛାଉଣି ହୋଇଥିବା ବାଡ଼ ସେକରେ ବାରି ଭିତରେ ବଡ଼ ବଡ଼ ଫୁଲ ଟେକି ଧରି ଭେଣ୍ଡିଗଛ ଠିଆ ହୋଇଛି । ଅରାଏ ଅରାଏ ତୋଟାର ଛାତ, ମେଞ୍ଚା ମେଞ୍ଚା ନଡ଼ିଆ ଗଛର ଅଗ, ଚେନାଏ ଚେନାଏ ଚିହ୍ନା ଘରର ଉପର, ଦୂରେଇ ଦୂରେଇ ଯାଉଛି, ସେ ଦୂରେଇ ଯାଉଛି ।

 

ଆଉ ଲାଗୁଛି ସବୁଠି ସେଇ ଘର, ସେମିତି ସେହି ସୁଖର ଦୁଃଖର ମଣିଷ, ସେମିତି ମା’ମାନେ । ସବୁଠି ସେମିତି ସ୍ନେହରଙ୍କୁଣା ଶୋଷୀ ମଣିଷଙ୍କ ମୁହଁ, ସବୁରି ଘରେ ଝିଅ ସେ ନିଜେ ।

 

କେଡ଼େ ବିଶାଳ ଏ ସୃଷ୍ଟି, ଏ ଆକାଶ, ଏହି ବ୍ୟାପ୍ତି, ଯାହାର ଅନ୍ତ ନାହିଁ ।

 

ଏଇ ଟିକି ବଉଦ ଚାଖଣ୍ଡକ ହଠାତ୍ କୁଆଡ଼ୁ, ଉଡ଼ି ଆସି ପହଞ୍ଚିଛି ଠିକ୍ ତା’ର ମୁଣ୍ଡ ଉପରେ, ଚାହୁଁ ଚାହୁଁ ବଢ଼ି ଉଠିଲାଣି, ପୂରି ଉଠିଲାଣି । ତା’ର କେଡ଼େ ଝୀନ ସେ ଶାଢ଼ି, ସେ ପୋଷାକ କଳା, ରୂପେଲି, ନାଲି, ହଳଦିଆ, ନେଳୀ, ନାରଙ୍ଗୀ, କେତେ ବର୍ଣ୍ଣରେ ଚିତ୍ର ହୋଇଛି, ଜରି ଲାଗି ହୋଇ ବାଙ୍କ ବାଙ୍କ ହୋଇ ଧଡ଼ି ଦୋହଲୁଛି । ଏତିକି କ୍ଷଣର ପୂର୍ଣ୍ଣ ଯୌବନରେ ତା’ ଦେହ ସେ ପାତଳ ଆବରଣ ଉହାଡ଼ରୁ ଠେଲି ଠେଲି ହୋଇଉଠୁଛି, ସେଥିରୁ ତେଜ ଚହଟୁଛି । ଚନ୍ଦ୍ର ସଙ୍ଗରେ ସେ ରୂପରେ ପ୍ରାଣରେ ବାଦବୁଦିଆ ଲଗାଉଛି, କାହୁଁ ସରିହେବ ଚନ୍ଦ୍ର ତା’ ସଙ୍ଗରେ, ଚନ୍ଦ୍ର ତ ଖାଲି ଏକା ବର୍ଣ୍ଣର ତେଜ ଅରାଏ, ଆଉ ମଝିରେ ସେ ଅବୋଧ ବିସ୍ମୟ, ସେହି କଳା ଚିହ୍ନ ଅରାକ । ଏଇ ମୁହୂର୍ତ୍ତରେ ରଙ୍ଗ ରଙ୍ଗର ଝୁଲିଲା ମଥାମଣି ପରି ଏହି କଳା ବଉଦ ହିଁ ଶ୍ରେଷ୍ଠ, ଆକାଶର ରାଣୀ । ତା’ପରେ ହେଇ ଆଉ ଖଣ୍ଡ ଭାସି ଆସୁଛି, ଆଗେ ତା’ର ନାଁ ଗାଁ ନ ଥିଲା, ବଢ଼ି ବଢ଼ି ଉଠୁଛି, ଆଗ ଖଣ୍ଡକଠୁଁ ବଳି ବଳି । ଆଗ ଖଣ୍ଡକର ରୂପ ବଦଳିଲାଣି, ପୌଢ଼ା, ନା–ବୃଦ୍ଧା, ଦେହ ଓହଳି ଓହଳି ପଡ଼ୁଛି, ବିଶିଷ୍ଟତା ନାହିଁ, ହେଇ ସେ ମିଶିଗଲା କୁଆଡ଼େ, ବିସ୍ତୁତିର କଳା ଅନ୍ଧାର ପରି ହେଇ ସେକରେ ଯେଉଁ ଥମ୍ବିଲା ଦରିଆ ଲମ୍ୱିରହିଛି, କଳା ମେଘର ଦରିଆ, ସେଇଠି କେଉଁଠି-

 

ତା’ପରେ ସେ ଆକାଶୀ ପରୀଟି ବର୍ଷା ହୋଇ ଗଳି ପଡ଼ିବ, ଝରି ପଡ଼ିବ, ଏକା ସେ ନୁହେଁ, ସେମିତି କେତେ ବଉଦ, ସେହି ବର୍ଷା ହିଁ ତ ସାର । ନାଁ ପାଇବାର ଲୋଭ ନାହିଁ, ପରିଚୟ ବି ଜଣା ପଡ଼ିବ ନାହିଁ । ଖାଲି ଯେମିତି କି ଏକ ଉଦ୍ଦେଶ୍ୟରେ ସମସ୍ତେ ସେବା ଓ କରୁଣା ଅଜାଡ଼ି ଦେଉଥିବେ । ସେହିପରି ଦାନ ଦେବା ହିଁ ତ ଜୀବନ ।

 

କୁଣ୍ଠା ନାହିଁ, କ୍ଷୋଭ ନାହିଁ, କ୍ଲାନ୍ତି ନାହିଁ, ଅଟକିବ ନାହିଁ, ଖାଲି ମନ ଆନନ୍ଦରେ, ବିପୁଳ ଆଗ୍ରହରେ ଆପଣାର ସବୁ ବଳ, ସବୁ ସମ୍ବଳ, ସବୁ ସେବା, ସବୁ ସୁରଭି, ସବୁ କଲ୍ୟାଣକର ଗୁଣ ଏ ସଂସାରର ମଙ୍ଗଳ ଲାଗି ଅଜାଡ଼ି ଦେଇ ନିଜେ ନିଶ୍ଚିହ୍ନ ହୋଇଯା-

 

ସେହି ତ ଜୀବନ ।

 

ନିଶ୍ଚୟ ସେ ଟିକି ବଉଦଟି ଆପଣାକୁ ସେହିପରି ଅଜାଡ଼ିଦେବ ।

 

ତା’ର ପ୍ରତ୍ୟେକ କଣିକା ବିଛୁରି ପଡ଼ିବ କାହିଁକା କାହିଁ, କେତେ ଘାସର ରସରେ, କେତେ ଫୁଲର ପାଖୁଡ଼ାରେ, କେତେ ଜୀବନ୍ତ ପ୍ରାଣୀର ଶରୀରରେ, କେତେ ନଈ ନାଳ କି ସମୁଦ୍ରରେ ମିଶି ରହିଥିବ ସେହି ଆକାଶୀ ପରୀର କଣିକା, କେତେ କାହାର ଗଢ଼ା ହେବାରେ ବଢ଼ି ଉଠିବାରେ ସାହାଯ୍ୟ କରୁଥିବ, ଅଥଚ କେହି ତାକୁ ଚିହ୍ନିବେ ନାହିଁ କି ଜାଣିବେ ନାହିଁ । ସେହି ତା’ ସାର୍ଥକତା !

 

ମହାଉଲ୍ଲାସରେ କୂଳର ପଥର ମୁଣ୍ଡିଆ ଉପରୁ ନଈ ଗଣ୍ଡକୁ ଡେଇଁ ପଡ଼ିଲା ପରି ସେ ତା’ମନର ଏହି ଭାବ ରୂପରେ ଥାଇ ଛଳାଂକିନା କଥାର ଝରଣାକୁ ଡେଇଁପଡ଼ିଲା । ସେତେବେଳେ ନାନା ଆଲୋଚନା ଶେଷରେ ଧୋବେଇ ମିଶ୍ର ଏ ସଂସାରର ପରିସ୍ଥିତି ବିଷୟରେ ଉପସଂହାର କହୁଥିଲେ । ସେ କହିଥିଲେ, ‘‘ଚଳନ୍ତି ସୁଅରୁ ନିଜକୁ ଅଲଗା ରଖି ଟିକିଏ ଦୂରେଇ ଦେଖିଲେ ତ ସ୍ପଷ୍ଟ ଜଣା ପଡ଼ିଯିବ, ସବୁଠି ହିଂସା-ଭେଦ-ସ୍ୱାର୍ଥପରତା ହିଁ ବଢ଼ି ଚାଲିଛି, ଖାଲି ଘରେ ବୋଲି ନୁହେଁ, ଗାଁରେ ବୋଲି ନୁହେଁ, ସବୁଠି ସବୁ କ୍ଷେତ୍ରରେ ଏଇଆ ତ ଦିଶୁଛି, ହିଂସା ଅଶାନ୍ତି କଳି ନିଷ୍ଠୁରତାର ବାଦବୁଦିଆ ଲାଗିଛି, ଯେ ଯାହାକୁ ଟପିପାରିଲା ସେହି ତା’ ବାହାଦୁରୀ । ଏମିତି ଚଳଣିରେ କିଛି ଉଦେଶ୍ୟ ଅଛି ? ମଣିଷ ନିଜକୁ ଗଢ଼ି ପାରିଲା ନାହିଁ, ଆଖି ବୁଜି ଲାଗିପାଗି ଜିନିଷ ଗଢ଼ୁଛି, ନାନା ରକମର ଜିନିଷ । ନିଜକୁ ଆୟତ୍ତ କରିପାରିଲା ନାହିଁ, ବାହାରର ଯେତେ ପ୍ରକାର ବସ୍ତୁ ଶକ୍ତିକୁ ଆୟତ୍ତ କରୁଛି, ବିଜ୍ଞାନ ବଢ଼ାଉଛି । ଏ ଗୋଟାଏ ଉପଗ୍ରହର ଉଚିତ ଭପଯୋଗ ତା’ଦ୍ୱାରା ହେଲା ନାହିଁ, ଆଉ କେତେ ଉପଗ୍ରହକୁ ସେ ଯିବାକୁ ଗୋଡ଼ ଟେକୁଛି ।’’

 

ଏତେ ବଡ଼ ଗମ୍ଭୀର ବିଜ୍ଞୋକ୍ତିକୁ ପ୍ରଚଣ୍ଡ ବେଗରେ ଆଘାତ କରି ସେ କହି ଉଠିଲା, ‘‘ଓଃ ଓଃ ଏଇ ହିଂସା-ଦ୍ୱେଷ-ହିଂସା-ଦ୍ୱେଷ ଶୁଣି ଶୁଣି କାନ ଥୋବରା ହେଲାଣି, ନାନା ମନ୍ତ୍ର ପରି ଯେ ବି ହେଲାଣି ଗୋଟାଏ ମନ୍ତ୍ର । ବାପରେ ! ମନ୍ତ୍ର ଦାଉରୁ ମଣିଷକୁ ରକ୍ଷା କରନ୍ତୁ ଭଗବାନ । ନା କ’ଣ କହୁଛି ଦୁଲାଦେଈ !

 

କିଛି ନ ବୁଝି ରୋହିନାଥ ଆଗ କିରି କିରି ହସିଲା, କହିଲା, ‘‘ଭଲା ସାକ୍ଷୀ ନାଁ ମିଳିଗଲା ଗେହ୍ଲା ଦେଈ ନା ଦୁଲା ଦେଈ ନା ଫୁଲା ଦେଈ !’’

 

ଦୁଲ ହସିଦେଇ କହିଲା, ‘‘ଆଗୋ ! ମୁଁ କି ଦୋଷ କଲି ବା !’’

 

ବଡ଼ ପାଟିରେ ହସିଲା ଜମ୍ବୁ ବେହେରା, କହିଲା, ‘‘ସତ କହିଲ ଦେଈ, ଏ ମନ୍ତ୍ର ତନ୍ତ୍ରକୁ ମତେ ଭାରି ଡର ।’’

 

ଆଉ ସେହି ହସ ସଙ୍ଗେ ହସ ମିଶେଇ ଦେଲେ ନିଧିରଣା, ବଇ ମଳିକ, ଦଧି ଗଉଡ଼ ।

 

ସିନ୍ଧୁ ଚୌଧୁରୀ ବଡ଼ ଶବ୍ଦ କରି ଗଳା ଖଙ୍କାରିଲେ ।

 

ଧୋବେଇ ମିଶ୍ର ଯେପରି କି କଥାଟାକୁ ଧରିଲେ, ଉତ୍ତାରୁ ପଚାରି କହିଲେ, ‘‘ମନ୍ତ୍ର ତ ମଣିଷର ଅଭିଜ୍ଞତାର ସାର, ଜୀବନ ଉତ୍ତାରୁ ଜୀବନ ବିତେଇ ମଣିଷ ଯାହା ପାଇଛି, ଯାହା ଦେଖିଛି, ଅଙ୍ଗେ ନିଭେଇଛି, ସେଇଆକୁ ମନ୍ତ୍ର ଆକାରରେ ବାନ୍ଧି ଦେଇଯାଇଛି । ଆପଣ ମୋ କଥାକୁ ମନ୍ତ୍ର ବୋଲି କହିଲେ, ଠିକ୍ କହିଲେ । ପୃଥିବୀରେ ଏଇଆ ଚଳୁଛି, ଆଖି ବୁଲାଇ ଆଣିଲେ ସ୍ପଷ୍ଟ ଦିଶିଯାଉଛି । କିନ୍ତୁ ୟାକୁ ଶୁଣିଲେ ମଣିଷର ଅନିଷ୍ଟ ହେବ କିପରି ?’’

 

ରବି ଉତ୍ସୁକ ହୋଇ ଉହୁଙ୍କି ପଡ଼ି ଅନାଇଁ ରହିଲା ।

 

ତା’ପରେ ଛବି କହିଲା, ‘‘ଅଭିଜ୍ଞତାକୁ ଯେ ଅଙ୍ଗେ ନିଭାଏ, ତାକୁ ସେ ସତ, ତାକୁ ସେ ସ୍ପଷ୍ଟ ଦର୍ଶନ, ତା’ର ବ୍ୟାଖ୍ୟାନକୁ ଆଉ ଯେ ଶୁଣେ ତାକୁ ସେ ମନ୍ତ୍ର । ସେ ମନ୍ତ୍ର ଉଚ୍ଚାରଣ କଲେ ଗମ୍ଭୀର ଶୁଭେ, ବାରମ୍ବାର ଗାଇଲେ ନିଶା ଲାଗେ, ମଣିଷ ଭାବେ ସତେ ସେ ଗୋଟାଏ କ’ଣ ବଡ଼ କଥା କରୁଛି, ଏଣେ କାର୍ଯ୍ୟରେ ସେ ଫୁଟେ ନାହିଁ । ସତ୍ୟ, ଅହିଂସା ମହାତ୍ମା ଗାନ୍ଧୀଙ୍କ ପକ୍ଷରେ ହୋଇଥିଲା ଆପଣ ଜୀବନର ସ୍ପଷ୍ଟ ସତ ଅନୁଭୁତି, ସେ ପଦ ତାଙ୍କଠୁଁ ଆପେ ବାହାରି ପଡ଼ିଥିଲା, ଅନ୍ୟମାନେ ସେ ପଦ ବହୁତ ଗାଇଲେ, ଯେମିତି ଗାଇଲେ ରଘୁପତି ରାଘବ, ସେମାନଙ୍କ ପକ୍ଷରେ ସେ ହେଲା ତୁଣ୍ଡରେ ଗାଇବା ଲାଗି ମନ୍ତ୍ର, ପାଟି ଶୁଦ୍ଧି ହେବ, ସେଇ ଛୁଣୁକାକ ଭାରି ପବିତ୍ର ପବିତ୍ର ଲାଗିବ, ସେତିକି, କାର୍ଯ୍ୟରେ ଫଳିବ ନାହିଁ ।’’

 

ରବି ଏହି ଯୁକ୍ତିକୁ ଓହ୍ଲାଇ ପଡ଼ି କହିଲା, ‘‘ଆପଣ ଯାହା କହିଲେ ତା’ ମୁଁ ସ୍ୱୀକାର କରୁଛି-। ତେବେ ସମସ୍ତେ ନୁହଁନ୍ତି, କେତେ ଲୋକଙ୍କୁ ସେ ଖାଲି ମନ୍ତ୍ର, ଆଉ କେତେ ବି ଥିବେ ଯାହାଙ୍କର ସେ ଜୀବନର ଦର୍ଶନ ହୋଇଥିବ, ଖାଲି ମନ୍ତ୍ର ନୁହେଁ, ଅତି ବାସ୍ତବ ଅନୁଭୂତି ।’’

 

ଛବି ଆଦୌ ପଛେଇଲା ନାହିଁ, ଲାଜରା ହେଲା ନାହିଁ, ଆପଣା ଭିତରୁ କିଏ ତାକୁ ଭାଷା ଦେଉଛି, କିଏ ତା’ ସ୍ୱରକୁ ଦେଉଛି ସଂଗୀତ ଆଉ ଶକ୍ତି, ସେ କହିଲା, ‘‘ଥିବେ ଥିବେ ନିଶ୍ଚୟ, ମହାତ୍ମା ଗାନ୍ଧୀଙ୍କଠୁଁ ବି ବଡ଼ ଏ ମନୁଷ୍ୟ ଜାତି, ସେ ମହାତ୍ମା; କିନ୍ତୁ ସେ ଆଦି ନୁହନ୍ତି କି ଅନାଦି ନୁହନ୍ତି, ଆହୁରି ଥିବେ ପୁଣି ହେବେ । କିନ୍ତୁ ମହାତ୍ମା ଗାନ୍ଧୀ ମନ୍ତ୍ର ବୋଲୁ ନଥିଲେ, ସେ କାର୍ଯ୍ୟ କରିଯାଉଥିଲେ, ସେମାନେ ବି ସେଇଆ କରିବେ ।’’

 

ରବି କହିଲା, ‘‘କିନ୍ତୁ ଏଇ ଯାହା ମିଶ୍ରେ ଆପଣେ କହିଲେ, ସତେ ତ ସବୁଠି ଦିଶୁଛି ହିଂସାବାଦ-ସାର୍ଥପରତା ବଢ଼ୁଛି, ସେ କଥା କହିଲେ କ୍ଷତି କ’ଣ ? ନିଜେ ଚେତି ପରକୁ ଚେତେଇ ଦେବା ହିଁ ତ ଉଚିତ ।’’

 

ଛବି କହିଲା, ‘‘ପ୍ରକୃତରେ ନିଜେ ଚେତିପାରିଲେ, ଚେତି ଉଠି କାମ ଦାମ କଲେ ବଳେ ଶବ୍ଦ ଶୁଣି ଅନ୍ୟମାନେ ଚେତି ଉଠିବେ ଯେ । ଆମ ଘରେ ବାପା କେବେ ପାହାନ୍ତିଆରୁ ଆମ କାହାରିକି କହି ନାହାନ୍ତି ଉଠ ଉଠ ବୋଲି, ସେ ଉଠିବା ପଛେ ପଛେ ଆମେ ବଳେ ଉଠୁ ।’’

 

ରବି ଅନୁଭବ କଲା ଛବି ସତେ କି ତାହାରି ମନର କଥା କହିଦେଉଛି, ତା’ର ଯୁକ୍ତି ଦୁର୍ବଳ ହୋଇଗଲା; କିନ୍ତୁ ଯୁକ୍ତି ଛଳରେ ସେ କହିଲା, ‘‘ହିଂସା ଆଉ ମିଛ ଆଉ ସ୍ୱାର୍ଥପରତା ବଢ଼ୁଛି ବୋଲି କହିଲେ ଅସୁବିଧା କ’ଣ ହେବ ବୋଲି ଆପଣ ଭାବୁଛନ୍ତି ମତେ ସେହି କଥା କୁହନ୍ତୁ ।’’

 

ଧୋବେଇ ମିଶ୍ର ପଚାରିଲେ, ‘‘ହଁ, କହନ୍ତୁ, ମୁଁ ତ ସେହି କଥା ପଚାରୁଛି ।’’

 

ସିନ୍ଧୁ ଚୌଧୁରୀ ଗୋଳେଇ ଦେବାକୁ ବାହାରି ପଡ଼ି କହିଲେ, ‘‘ପାଗଳୀଟା, କ’ଣ ସେ ବୁଝିଲା କ’ଣ ସେ କହିବ ? ପିଲା ଲୋକ । କ’ଣ ଭାବି ବିଳିବିଳେଇ ଉଠିଲା । ଯା, ଶୋଇବୁ ଯା-।’’

 

ଛବି କହିଲା, ‘‘ଅସୁବିଧା ହେବ । ଆପଣ ଧରିନେବେ ସବୁଠି ସ୍ୱାର୍ଥପରତା, ସବୁଠି ମିଛ, ସବୁଠି ହିଂସା । ଯେ ଏପରି ବୁଝିବ ତା’ ଆଖିକି ସବୁ ଦିଶିବ ଅନ୍ଧାର, ସବୁଠି ସତେ କି ନିରାଶା ପୂରିଛି । ସେପରି ହୋଇଥିଲେ ଏ ସଂସାର ଆଉ ନ ଥାନ୍ତା । ମିଛ ଥିଲେ ବି ତା’ ପାଖେ ପାଖେ ସତ ଅଛି, ହିଂସାଥିଲେ ବି ତା’ ପାଖେ ପାଖେ ସ୍ନେହ ଅଛି, ଉଦାରତା ଅଛି । ଏକା ମଣିଷଠି ବି ଏ ଉଭୟଟା ଅଛି । ଭଲଟା ପଦାକୁ ଭରସି ବାହାରୁ ନାହିଁ, ତା’ର ସାହସ ପାଉନାହିଁ, ସନ୍ଦେହ ଯାଉ ନାହିଁ । ସାହସ, ଆଉ ଆଶା ଉତ୍ସାହ ମିଳିଲେ ବାହାରନ୍ତା । କାହାଠୁଁ ମନ୍ତ୍ର ଶୁଣିଲେ କି ଗୀତ ଶୁଣିଲେ ସେ ମିଳିବ ନାହିଁ, କାମ ଦେଖିଲେ ମିଳିବ ।’’

 

ରବି କହିଲା, ‘‘କିନ୍ତୁ–’’

 

ତା’ କଥା ଉପରେ କଥା କହି ଟିକିଏ ଉତ୍ତେଜିତ ହୋଇ ଛବି କହିଲା, ‘‘ହେଇ ଯେଉଁମାନେ ଯୁଗେ ଯୁଗେ ଆପଣା ଆପଣା ରୀତି ଅନୁସାରେ ସମାଜକୁ ଏପରି ଗଢ଼ିବା ଉଚିତ, ସେପରି ଗଢ଼ିବା ଉଚିତ ବୋଲି ଆମ ଦେଶରେ ଚହଳ ପକାଇ ମନ୍ତ୍ର ବୋଲିଛନ୍ତି–’’

 

ଧୋବେଇ ମିଶ୍ର ଆଘାତ ପାଇଲା ପରି କହିଲେ ‘‘ଓଃ ! ମନ୍ତ୍ର !’’

 

ଛବି ସେମିତି ତାତି ଉପରେ କହିଲା ହଁ ମନ୍ତ୍ର ବୋଲିଛନ୍ତି, କିଏ ଧର୍ମ ବିଷୟରେ କିଏ ସମାଜନୀତି ବିଷୟରେ । କହିଛନ୍ତି, ମଣିଷଗୋଷ୍ଠୀଟା ଏମିତି ଚଳିବା ଉଚିତ, ସେମିତି ଚଳିବା ଉଚିତ । ସେମାନଙ୍କ ଭିତରୁ କେତେଟା ସଂପ୍ରଦାୟ ଆପେ କହିଥିବା ଚିତ୍ର ଅନୁସାରେ ରୂପ ଗଢ଼ିଛନ୍ତି-? ତାଙ୍କ ନୀତି ଅନୁସାରେ ଦେଶ ଗଢ଼ିଛନ୍ତି ନା ଗାଁ ଗଢ଼ିଛନ୍ତି ? ପରକୁ ବୃଦ୍ଧି ବାଣ୍ଟିବାକୁ ସମସ୍ତେ ଆଗୁସାର, ସେ ବୁଦ୍ଧିକୁ ଆପଣ କାମରେ ଲଗାଇବା କଥା ଉଠିଲେ ଭିନେ କଥା । ମୁଁ ସେଇଥିପାଇଁ କହୁଛି, ଯେ ଯାହା ଉଚିତ ଭାବୁଛି ତା’ କରି ଦେଖାଇଯାଉ, ଭଲ ହୋଇଥିଲେ ବଳେ ଅନ୍ୟମାନଙ୍କୁ ସେ ରୁଚିବ, ସେମାନେ ସେମିତି କରିବେ ।’’

 

ସିନ୍ଧୁ ଚୌଧୁରୀ ଚମକି ପଡ଼ି ଛବିକୁ ଅନାଇଁଲେ, ପୁଣି ଚାରିଆଡ଼କୁ ଅନାଇଁଲେ । କେଡ଼େ ବିଜ୍ଞ ମଣିଷ ପରି କଥା କହିଯାଉଛି ! କିଏ କହୁଛି ! ସେହି ବରଗଛ ତଳେ ଯେଉଁ ପଥର ମୂର୍ତ୍ତିଗୁଡ଼ିକ ସଜା ହୋଇ ରହିଛି, ସତେ କି ତାହାରି ଭିତରୁ କେହି ଗୋଟିଏ, କେଉଁ ହଜିଲା ଭୁଲିଲା ପ୍ରପିତାମହୀ, ଏଇ କାଳିଚା ଜହ୍ନ ତଳେ ଏଇ ଅପନ୍ତାରାରେ ସେ ଅବତରିଛି । ପୁଣି ସେ ଯାହା କହିଲା ଶୁଣି ଆହୁରି ଆଶ୍ଚର୍ଯ୍ୟ ଲାଗିଲା, ଦେହ ଶିର୍ ଶିର୍ ହେଲା । କହିଲା, ‘‘ଏଇ ଦେଉଳକୁ ଦେଖନ୍ତୁ, କେଡ଼େ ପୁରୁଣା, ଆଉ ଏଇ ମାଟି ଯେଉଁଠି ଆମେ ବସିଛୁଁ । ଶହ ଶହ ହଜାରେ ହଜାରେ ବର୍ଷଯାକ ଯେଉଁ ମଣିଷ ଏଠି ଥିଲେ ସେମାନେ ବି ଅନ୍ଧାରକୁ ଦେଖିଛନ୍ତି, ହିଂସା ମିଛ-ବାଦ କେତେ ଦେଖିଥିବେ ତ ! କିନ୍ତୁ ମଣିଷ ଅନ୍ଧାରକୁ ଦେଖି ଛାନିଆଁ ହୋଇନାହିଁ, ଅଣନିଶ୍ୱାସୀ ହୋଇନାହିଁ; ଆଲୁଅ ଲୋଡ଼ିଛି, ପାଇଛି । ହିଂସା-ମିଛ-ବାଦ କିଛି ଚିରସ୍ଥାୟୀ ନୁହେଁ, ସେଗୁଡ଼ାକୁ ସ୍ୱୀକାର ନ କରି କାମ ଦେଖାଇଗଲେ ବଳେ ସେ ଯିବ, ଯିବ ତ ।’’

 

ରବି ଅଭିଭୂତ ହେଲାପରି ବିନୀତ ହୋଇ କହିଲା, ‘‘ଆମେ ଚେଷ୍ଟା କରୁଛୁଁ ।’’

 

ଧୋବେଇ ମିଶ୍ର ହର୍ଷ ପୁଲକରେ କହିଲେ, ‘‘ବାଃ ବାଃ କି ଅଦ୍ଭୁତ ! କି ଆଶ୍ଚର୍ଯ୍ୟ ! ଆପଣ ଯାହା କହୁଛନ୍ତି, ଆମେ ଅବିକଳ ସେହିଆ ଭାବୁଛି; କିନ୍ତୁ କେତେ କେତେବେଳେ ଏଡ଼େ ସ୍ପଷ୍ଟ କରି ହୁଏତ ଧାରଣା କରିପାରୁ ନାହୁଁ । ଆପଣଙ୍କର ଏଡ଼େ ଚମତ୍କାର ପ୍ରତିଭାର ସାହାଯ୍ୟ ଆମ ସଂଗଠନକୁ ଦିଅନ୍ତୁ ।

 

ଆସନ୍ତୁ କେବେ ଫୁଲଶରା ।’’

 

ସ୍ଥାନ ଓ ସମୟ ଭୁଲିଯାଇ ରବି କହିଲା, ‘‘ସତେ ଆସନ୍ତୁ ।’’

 

ଛବି ବିଚିତ୍ର ଭାବେ ହସିଉଠି କହିଲା, ‘‘ଆପଣମାନେ କରିଯାଉଛନ୍ତି, ମୁଁ ଖାଲି ଦେଖୁଛି-। କେବେ ଯଦି ମୋ ଦେଇ କିଛି କାମ କରିହେବ, ଫୁଲଶରା ଯିବା ନାଖି ଯୋଗ୍ୟ ହେବି, ତେବେ ଯିବି । କାମ ତ ସବୁଠି ଅଛି ।’’

 

ସେହି ମୂର୍ତ୍ତି ! ସେହି ଯେ ଜୀଅନ୍ତା ହୋଇ କଥା କହୁଛି ! ସିନ୍ଧୁ ଚୌଧୁରୀ ସ୍ୱପ୍ନ ଓ ବାସ୍ତବତା ଭିତରେ ଦୋହଲୁଥିଲେ । କେତେବେଳେ ଅସ୍ପଷ୍ଟ ହୋଇ ଲାଗୁଥିଲା–ଏ ଭାଷା ତ ମୋରି-! ବୟସର କେଉଁ ଅବସ୍ଥାର ? କେଉଁ ଗହୀରରେ ଥିଲା ? ଡାକିଲେ, ‘‘ଝିଅ ! ଝିଅ ! ?’’

 

‘‘କ’ଣ ବାପା–’’

 

କିଛି କହି ହେଉନାହିଁ, ମନେ ପଡ଼ୁନାହିଁ, କହିଲେ, ‘‘ଯା, ଶୋଇବୁ ଯା–’’

 

ରବି ଠିଆ ହୋଇ ପଡ଼ିଲା । ହସିଲା । ଜହ୍ନ ଆଲୁଅ ତା’ ହସ ହସ । ମୁହଁରେ ପଡ଼ିଥାଏ-। ଛବି ନିରେଖି ଅନାଇଁଲା । ସେହି ମୁହଁର ଅନ୍ଧାରି ଅନ୍ଧାରି ଛବି ଯେପରି କି ତା’ମନ ଭିତରେ ଫଟୋ ରଖିଦେଲା । ସେ ଆଖି ବୁଜିଦେଲା । ତା’ କାନ୍ଧରେ ହାତ ଦେଇ ଝାଙ୍କି ଦେଇ ଦୁଲ କହିଲା, ‘‘ଆସ ଶୋଇବା ପରା !’’ ଛବି ଉଠି ପଡ଼ିଲା ।

 

କେତେ ଡେରିଯାକେ ତାକୁ ନିଦ ହୋଇ ନ ଥିଲା, ପଦାଟାରେ ସେହି ଚାଉଁ ଚାଉଁଆ କିମିଆଁ ଲଗା ରାତି, ଅଚିହ୍ନା ଭୂଇଁରେ ଛାଉଣି ଦୋଓଟି, ଛଡ଼ା ଛଡ଼ା ହେଲେ ବି ମୁହାଁମୁହିଁ ।

 

ସତେ କି ସେହି ମୁହାଁସରୁ ତା’ଦେହରେ ଧାସ ଆସି ବାଜୁଛି, ଭିତର ଉଷୁମ, ଛାତି ଧକଧକ, କାନ ପାତଳ, ପେଟେଇ ପଡ଼ି ଛାତିତଳେ ତକିଆ ଦେଇ ସେ ଦୂରକୁ ଅନାଇଁ ରହିଥାଏ, ଟିକିଏ ଖୁଡ଼ିକିନା ହେଲେ ତା’ଦେହ ଉପରେ ଫୁଲସ୍ତୁରା ମାରେ, ବେଳେ ବେଳେ ମନର ନିଶା ଆଉ ନିଦର ନିଶା ଏକାଠି ଗୋଳି ହୋଇ ତା’ଚେତନାକୁ ଯେତେବେଳେ ଆଚ୍ଛନ୍ନ କରି ରଖିଥାଏ, ସେତେବେଳେ ହଠାତ୍ ଲାଗେ ସେ ଚମକି ପଡ଼ୁଛି, ଆପଣାକୁ ରୋକୁ ରୋକୁ ସେ ପୂରା ଚେଇଁଉଠେ, ପୁଣି ହୁଗୁଳା ହୋଇ ତା’ର ମନ କୁଆଡ଼େ ଉଡ଼ି ପଳାଏ । ବେଳେ ବେଳେ ଲାଗେ ସେ ସେଠି ନାହିଁ, କେଉଁଠି ସ୍ଥିର ହୋଇ ସେ ଲାଖି ନାହିଁ, ଭରା ଦେଇ ନାହିଁ, ଶୂନ୍ୟେ ଶୂନ୍ୟେ ଭାସି ବୁଲୁଛି ।

 

ସେହି ବଉଦ ସେକରେ କେଉଁଠି ଜହ୍ନ ଲୁଚି ରହିଛି, ଯେମିତି ରାତି ନୁହେଁ, ରଜ ପର୍ବର ନିଶା ପାହାନ୍ତି । ଆଉ ଟିକିଏ ଗଲେ ବାଉରିସାହିରୁ ଗଞ୍ଜା ଡାକିବ କ-କ-କ, ଗୁରବୋଉ ଆସି ଡାକ ଛାଡ଼ିବ, ଆସମ ନଈକି ଯିବା, ବୋଉ ବାହାର କରିବ ହଳଦୀ କାଠୁଆ । ଚୁଆ ବେଣାଚେର ବଉଳଫୁଲର ବାସ୍ନା, ପାହାନ୍ତି ପହରର ନଈ ପାଣିର ଉଷୁମ୍, ପଛଆଡ଼େ ଚୁଡ଼ାକୁଟା ପାହାରର ଛନ୍ଦ-। ଚମକି ପଡ଼ିଲା । କେବେ ସେ ?

 

ଆଉ ଏଠି ଏ ଅଚିହ୍ନା ପରିବାର । କେଡ଼େ ବିଚିତ୍ର ! ଖାଲି ବାପା ଆଉ ଦୁଲ ଆଉ ରୋହିନାଥ, ଏତିକି ତା’ ଗାଁର, ଆଉ ସମସ୍ତେ ଭିନେ ।

 

ସମସ୍ତେ କି !

 

ମନେପଡ଼ିଲା ରବି, ଲାଗିଲା ସମସ୍ତେ ତା’ଆପଣାର, ଆଉ ସେ ଭାବିଲା-ସତେ କ’ଣ ସେ ତା’କଥା ଭାବୁଥିବ ! ଦେଉଳ ପଛଆଡ଼େ ନିରୋଳାରେ ସେହି ଯେଉଁ ରୂପକୁ ସେ ଦେଖିଆସିଥିଲା, ତାଠି ଦୃଷ୍ଟି ଆଉ ଲାସ୍ୟ ଆରୋପ କଲା, ଉଛୁଳା ଆନନ୍ଦର ସୁଅ ତା’ର ସମଗ୍ର ଅସ୍ତିତ୍ୱ ଉପରେ ବୋହି ଚାଲିଗଲା, ସେ ଆଖି ବୁଜି ଦେଲା, ଅନ୍ଧାରରେ ତା’ଓଠ କ’ଣରେ ବୋହୂମୁହଁ ଲାଜ ଲାଜ ସ୍ମିତ ହସ । ଫାନ୍ଦିନେଲା, ହେଇ ସେ ଆସିଛି, ଏଇ ତା’ର ଚଉଠି ରାତି । ପିଲାକାଳୁ ପୁରାଣ ଶୁଣି, ଲୀଳା ଶୁଣି ଏ ମାଟିର ଯେଉଁ କଳ୍ପନା ଆଉ ସ୍ୱପ୍ନ ତା’ର ଶିରାଏ ଶିରାଏ ଭେଦିଯାଇଛି, ଚରିଯାଇଛି, ତା’ର ଆଚ୍ଛନ୍ନ ଆବେଶ ଭିତରେ ସେ ସତେ କି ଏକାଠି ଠୁଳ ହୋଇ ରୂପ ନେଇ ତା’ର ଭିତରେ ଭିତରେ ଚହଲି ଉଠିଲା । ଏଇ ସେ ମୁହୂର୍ତ୍ତ । ବାହାରେ ମୁକୁଳା ଯମୁନା, କାଳି ଜହ୍ନ ପଡ଼ିଛି । ନାନା ବଣଫୁଲର ଓଦା ମହକ, ସଜ ମହକ, ଆଲୁଅ ଅନ୍ଧାର ଛାପିଛାପିକ ହୋଇ କୁଞ୍ଜତଳି ।

 

ଗାଇ କାକର ଲାଗିଲା, ସରୁ ହୋଇ ଲୁହ କେରାଏ ନିଗିଡ଼ି ପଡ଼ୁଛି । ୟେ କ’ଣ ହେଲା-? ଚାଇଁ ଚାଇଁ ହୋଇ ସେ ଉଠିପଡ଼ିଲା । ତା’ର ଅନ୍ତର ଭିତରେ କ’ଣ ଆବେଗ ଲାଗିରହିଛି, କ’ଣ ରଟ ରଟ ବେଦନା । କହୁଣି ଭରାଦେଇ ଦୂରକୁ ଉହୁଙ୍କୁ ରହି ପାଗଳପରି ସେ ଭାବିଲା-ମଣିଷର ଆନନ୍ଦ କ’ଣ ଖାଲି ଏ ଝିଙ୍କାଓଟରା ? ଏତେ ଆନନ୍ଦର ପରିଣତି କ’ଣ ବୁନ୍ଦାଏ । କାକର ଲୁହ ? କ’ଣ ସେ ଖୋଜେ ? କେଉଁଠି ତା’ର ଅନ୍ତ ?

 

ଭାବନା ବଦଳିଗଲା । ହଠାତ୍ ଲାଗିଲା–ସେ ସ୍ୱାର୍ଥପର । ସେ ଲୋଡ଼ିଥିଲା ଓଟାରି ଧରିବ, ବାନ୍ଧି ରଖିବ, ସବୁ ଛନ୍ଦି ରଖିବ ଆପଣଠି, ସବୁ ଠୁଳ କରି ସେ ହେବ ଗୋଟାଏ ଦମ୍ଭ ମୁଁ, ଫୁଲିବ, ବଢ଼ିବ, ବୋଲ କରାଇବ । ସେ ଦୂରକୁ ଦେଖୁଛି । ସେହି ଦମ୍ଭପଣ ଗହଣାଗାଣ୍ଠି ନାଇ ବେଶଭୂଷା ହୋଇ ପନିକିରେ ବସି ପରିବା ବନୋଉଛି, ତା’ର ଘର ବାରି, ତା’ର ପରିବାର, ସ୍ୱାମୀ ବି ତା’ର, ଆପଣା ଦଖଲର, ଆଜ୍ଞାନୁସାରୀ । ‘‘ମିଛ-ମିଛ-ମିଛ, କେଭେ ନୁହେଁ’’

 

ଆପଣା ଭିତରେ ଆଉ କିଏ ତୁମୁଳ ଭାବେ ପ୍ରତିବାଦ କରିଉଠିଲା, ସେ ଲୋଡ଼ି ନାହିଁ ୟା, କେବେ ନୁହେଁ । ସେ ଖାଲି ଅଞ୍ଜଳିକା, ନିବେଦିତା, ସେ ବୋତଲରେ ବନ୍ଦୀ ଏସେନ୍‌ସ୍ ନୁହେଁ, ସେ ଫୁଲର ସୌରଭ, ଆପଣାକୁ ସାଇତି ରଖିବାକୁ ଖୋଜି ନାହିଁ, ଦୁନିଆଁର ସେବା କରିବ, ଆନନ୍ଦ ଦେବ, ସେହି ତ ତା’ର ଆନନ୍ଦର ସ୍ୱପ୍ନ ।

 

କ’ଣ ତା’ର ମାର୍ଗ ? କ’ଣ ତା’ର ଯୋଜନା ? ସେଥିପାଇଁ କେତେ ତର୍କ ବିତର୍କ ଉଠେ, ସେବକମାନେ ଆପଣା ଭିତରେ କଳିଗୋଳ ଲଗାନ୍ତି ଆପଣା ଆପଣା ମାର୍ଗର ଟେକ ଉଞ୍ଚେଇ । ଲଗାନ୍ତୁ ଧରାପରା ସେମାନେ, ସେହି ଯାହାଙ୍କର ବଡ଼ ବଡ଼ ମୁଣ୍ଡ, ବହୁତ ବଳ, ବହୁତ ପଢ଼ା । ଛବି ଭାବିଲା, ସେ ଖାଲି ବୁଝେ ହୃଦୟର ବିଶ୍ୱାସ ଆଉ ହାତର କାମ, ବାଟେ ବାଟେ ଆପଣା ହାତ ପାଆନ୍ତି ସେ ଆନନ୍ଦ ଦେଇ ଦେଇଯିବ, ମୁଁ କି ମୋର ବୋଲି ଆଣ୍ଟ ଗଢ଼ିବା ତାଠିଁ ନାହିଁ, ଖାଲି ଆପଣାକୁ କର୍ମରେ ବିନିଯୋଗ ।

 

ବାଟର ଅଳିଆ ସଫା କଲେ ସେ ବି କାମ, କାହାର ଲୁହ ସିଂଘାଣି ପୋଛିଦେଲେ ସେ ବି । କାମର ମାପ ନାହିଁ, ଆପଣା ଉଶ୍ୱାସର ମାପ ଅଛି, ସେହି ତା’ର ଆନନ୍ଦ ।

 

ଦିଗନ୍ତର ଘେର ବାନ୍ଧି ହୋଇ ରହିଛି ଏ ଢ଼ିପ ଉପରର ବହଳ ଅନ୍ଧାରୀ ଗଛ ଗହଳିରେ; କିନ୍ତୁ ଛବିର ଆଖି ଆଗରେ ଜଳଜଳ ହୋଇ ଲମ୍ୱିରହିଲା ଅଛିଣ୍ଡା ନଈବଢ଼ି ପାଣି, ସେହି ଯାହା ସେ ଦେଖି ଦେଖି ଆସିଛି ।

 

କେତେ ଘର ଭସେଇ ନେଇଥିବ, କେତେ ଗାଈଗୋରୁ ଛେଳି ମେଣ୍ଢା, ଯୁଗ ଯୁଗ ଲାଗିପଡ଼ି ଲୋକେ ସାଇତି ରଖିଥିବେ, ସବୁ ଯାଇଥିବ ଏଇବଢ଼ି ମୁହଁରେ ।

 

ଗାଁରେ ବନ୍ଧ ଉପରେ ପଡ଼ିଥିବେ ଯୋଗୀସାହି ଓ ପାଣସାହିର ଲୋକେ । ଟିକି ଛୁଆଟିକୁ ଧରି ସତୁରା ପାଣର ନାତୁଣୀବୋହୂ ଯଶୋମତୀ କ’ଣ କରୁଥିବ ? କେଉଁଠି ଶୋଇଥିବ ସେ ! ମନେ ପଡ଼ିଗଲା, ତାକୁ ଆପଣା ଘରକୁ ଡାକିନେଲା ସରିକି ସେ କେଡ଼େ କୁଣ୍ଠିତ କୁଣ୍ଠିତ ହେଉଥିଲା ! ଗଳ ଗଳ ପାଣିରେ ଅପନ୍ତରାରେ ମେଲାରେ ପଡ଼ିଥିବ ପଛେ, ଜାତି ବର୍ଗର ମଣିଷଙ୍କ ଘରେ ଶୁଖିଲାରେ ରହିବାକୁ ସେ ଭାଜନ ନୁହେଁ, ଏଇ ଧାରଣା ଏ ଦେଶର ଏତେ କାଳର ଧର୍ମ ଆଉ ନ୍ୟାୟର ଧାରଣା ତାକୁ ଦେଇଛି ବିଚରା !

 

ଏମିତି କେତେ ଅଛବ, କେତେ ମଳିମୁଣ୍ଡିଆ, ଦଢ଼ ବୋଲି କିଛି ନାହିଁ, ନା ଦେହରେ ବା ମୁଣ୍ଡ ଉପରେ, ଆଉ ଏ ବଢ଼ି ଆସିଛି ସେହିମାନଙ୍କୁ ସତ୍ୟାନାଶ କରିବାକୁ । ଭଙ୍ଗା ଚାଳ ଉପରେ ବସି ଭାସିଯାଉଥିବେ ମଣିଷ, କତିରେ କେହି ସଖା ସୋଦର ନଥିବେ, ଡାକିଲେ କେହି ଆସିବେ ନାହିଁ, ଦୂରରେ କେଉଁ କୂଳର ଅନ୍ଧାରୀ ଗାର ଉପରେ ମିଟିମିଟି ଆଲୁଅ ନିଭିଯାଉଥିବ, ଖାଲି ଗବ ଗବ କଳ କଳ ପାଣି । ଦୁଲ କହୁଥିଲା । ସତେ ଯେମିତି ସେପୁରରୁ ଆସିଛି । କେଡ଼େ ନିଘୋଡ଼ ନିଦରେ ଶୋଇଛି । ସବୁ ବିଚିତ୍ର । ଏ ମଣିଷ ପରେ ଛୁଟ୍‌କିନା ମରିଯାଏ, ନ ମଲେ ପ୍ରଳୟ ଭିତରୁ ବି ଉଧୁରି ଉଠିଆସେ, ସାରୁ ପତ୍ରରୁ ପାଣି ନିଗିଡ଼ି ପଡ଼ିଲା ପରି ସବୁ ଦୁଃଖ ଦୁର୍ଦ୍ଦଶା ତା’ ଦେହରୁ ନିଗିଡ଼ି ପଡ଼େ, ସତେ କି ତା’କେବେ ନ ଥିଲା ।

 

ଘମାଘୋଟ ବଢ଼ିର ଦୃଶ୍ୟ ସେ ଦେଖୁଥିଲା, ସହସ୍ରଭୁଜା ହୋଇ ସେଇଠି ଲୋଟି ପଡ଼ିଥିଲା କାମରେ । କାହାର ପିଲାକୁ ସମ୍ଭାଳୁଛି, କାହାକୁ ହାତ ଧରି କାଢ଼ି ନେଉଛି, କାହାକୁ ରାନ୍ଧିକରି ଖାଇବାକୁ ବାଢ଼ୁଛି । ଓହୋ ! ମଣିଷ ! କେତେ ଯୁଗ ଏ ଦୁଃଖ ତା’କପାଳରେ ! ଆକାଶରେ ଚଳନ୍ତି ମେଘ ବାମ୍ପରେ ଜହ୍ନ ଆଲୁଅ ପଡ଼ିଥିଲା, ଖାଲି ଲୁହ ଛଳ ଛଳ, ଖାଲି ଲୁହ, ସେ ଭାବୁ ଭାବୁ ଆଖି ବୁଜିଥିଲା । ଏଥର ସେ ବୋଉ କୋଡ଼ରେ ଶୋଇଛି ।

 

ଆରାମ, ଉଷୁମ ।

 

ଯେତେ ଡେରିରେ ଶୋଇଥିଲେ ବି ସକାଳୁ ଆଗ ଉଠିଲା ସେ, ତା’ପରେ ଦୁଲୀ; କିନ୍ତୁ ସେତେବେଳ ସରିକି ଆରପାଖ ଛାମୁଣ୍ଡିଆ ଖାଲି, ସେମାନେ ସମସ୍ତେ ଚାଲି ଯାଇଥାନ୍ତି ସେ ଜଖମ ଖାଇଥିବା ଡଙ୍ଗାଟାର କ’ଣ ହେଲା ଦେଖିବେ ବୋଲି । ନେଳିଚା ଦିଶୁଥାଏ ସକାଳର ବର୍ଣ୍ଣ, ଆଲୁଅ ସମ୍ପୂର୍ଣ୍ଣ ଫିଟି ନ ଥାଏ । କଜଳପାତୀ ଡକାଡକି ହେଉଥାନ୍ତି । ସେହି ବଢ଼ିପାଣିଘେରା ନିଛାଟିଆ କୁଦରେ ଅଟଳ ନିର୍ବିକାର ହୋଇ ଠିଆ ହୋଇ ରହିଥାଏ ବଜ୍ରେଶ୍ଵରଙ୍କ ଇଟା ଦେଉଳଟି । ସେହି ସକାଳେ ଚାରିଆଡ଼କୁ ଅନାଇଁ ଛବିର ମନରେ ପୂରିଗଲ ବିସ୍ମୟ । କାଲି ଡଙ୍ଗାରୁ ଓହ୍ଲେଇ ଭଲକରି ଦେଖିବାକୁ ସେ ବେଳ ପାଇ ନ ଥିଲା । ଖାଲି ଆଖି ବୁଲେଇ ଆଣିଥିଲା । ଆଜି ସବୁ ଗୋଟି ଗୋଟି ହୋଇ ବାରି ହୋଇ ପଡ଼ୁଛି, ଏଇ ଚୂନ ପୁଟଦିଆ ପୁରୁଣା ଇଟା ଦେଉଳ, ତା’ର ଠଣାଏ ଠଣାଏ ନାନା କାରୁକାର୍ଯ୍ୟମୟ ମୂର୍ତ୍ତିମାନ, ସେକରେ ସେ ବରଗଛମୂଳ, ସତେ ଅବା ମୂର୍ତ୍ତିମାନଙ୍କ ଗନ୍ତାଘର, ଏଠି ସେଠି ଭଙ୍ଗା ଇଟାକୁଢ଼, ଭଙ୍ଗା ମୂର୍ତ୍ତିଗଦା, ଆଉ ନାନା ଜାତି ଗଛର ପୁରୁଣା ତୋଟା, ଚାରିକର ଅରମା ହେଲେ ବି ଭିତର ସତେ କି ସଜାସଜି । ରାତିର ତାରା ଲୁଚି ସତେ କି କାଠଚମ୍ପା ତୋଟାରେ ତାରା ଫୁଟିଥାଏ, ଆଉ ଆସୁଥାଏ ନାନା ଫୁଲର ବାସ୍ନା ।

 

ମେଘ ବହୁତ ଟାଳିଛି ରାତିକ ଆଉ ସକାଳେ, କୁଣ୍ଡା ଝାଡ଼ିଛି, ଦି ଥର ଥରେ ହାଲୁକା ଟପର ଟପର, ଅଳ୍ପ ସମୟ ପାଇଁ । ଆକାଶକୁ ଅନାଇଁ ଛବି ଦେଖିଲା, ମେଘ ଲଦି ରହିଛି, ଯେ କୌଣସି ମୁହୁର୍ତ୍ତରେ ଗାଳିପାରେ । ଓଦା ଭୂଇଁ ଉପରେ ଏଇ ଯେଉଁ ପତ୍ରରୁ ଝରିପଡ଼ୁଛି ଟପର ଟପର, ଏଇ ଗୋଟିଏ ଗୋଟିଏ ଟୋପା ନିଗିଡ଼ି ଯାଇ ବଡ଼ ପାଣିରେ ମିଶି କେଉଁଠି କାହାର ବନ୍ଧ ବାଡ଼ ଭାଙ୍ଗିବ ।

 

କେଡ଼େ ଶୂନ୍‌ଶାନ୍ ।

 

ଏଠି ଦିନେ ଗହଳି ଚହଳି ଲାଗିଥିବ । ସେତେବେଳେ ଏଠି ଥିବ ବଡ଼ ଲୋକାଳୟ, ସହର କି ଗାଁ, ଆଉ ଆଖ ପାଖରେ ବି ସେମିତି । ତେଣୁ ଏଠି ଏ ଦେଉଳ, ଏତେ ମୂର୍ତ୍ତି, ଏତେ ତୋଟାମାଳ । କୁଆଡ଼ୁ ପଥର, କୁଆଡ଼ୁ କାରିଗର, ମାସ ମାସ ବର୍ଷ ବର୍ଷ ବିତିଯାଇଥିବ ପଥର ତାଞ୍ଚ୍ଥି ଖୋଳି ମୂର୍ତ୍ତି ଗଢ଼ିବାକୁ ଖଞ୍ଜିବାକୁ । ସେତେବେଳେ କେତେ ମଉଛବ, କେତେ ହରିଧ୍ୱନି, ଆଉ ସେମାନେ ବିଶ୍ଵାସ କରିଥିବେ, ଏ ଯେଉଁ ଘର ତୋଳା ହେଲା, ଏ ଯେଉଁ ଦେଉଳ ଠିଆ ହେଲା, ଏଇ ଯେତେ ମୂର୍ତ୍ତି ଜୀବନ୍ୟାସ ପାଇଲେ- ରହିଲା ଏସବୁ ଯୁଗ ଯୁଗକୁ, ଏଥଳି ପୂରି ରହିଥିବ ।

 

କିଏ ଭାଙ୍ଗିଲା ? କିଏ ଜୁର କଲା ? ସେ କ’ଣ କଳାପାହାଡ଼ ? ବାପା କହନ୍ତି, ଜାଣିଲା ଲୋକେ କହନ୍ତି, ଯେଉଁଠି ଯେତେ ଦେଉଳ ଭାଙ୍ଗିଛି, ମୂର୍ତ୍ତି ବିକଳାଙ୍ଗ ହୋଇଛି, ସବୁ ଚୂନା କରିଥିଲା ସେ । ତା’ ହେଲେ ତାକୁ ବହୁତ ବେଳେ ଲାଗିଥିବ, ବହୁତ ଶ୍ରମ ପଡ଼ିଥିବ, ଦିନ ରାତି କେତେ ଦୂର ଦୂରାନ୍ତ ଅନ୍ଧି ସନ୍ଧି ବୁଲି ପଥର ସଙ୍ଗେ ଯୁଦ୍ଧ କରିବାକୁ ।

 

କିନ୍ତୁ ତାଠୁଁ ବି ବଡ଼ ଆହୁରି ଜଣେ, ସେ କଳାପାହାଡ଼ ନୁହେ, ମହାକାଳ ଯେ ଲୁହାକୁ ଖତିରା କରେ, କାଠରେ ଉଇ ଚରାଏ, ଯେ ଫିମ୍ପି ମରାଏ, ଘୁଣ ଧରାଏ, କୂଅ ଭୁଷୁଡ଼ାଏ, କାନ୍ଥ କଚାଡ଼େ, ପଥର ଦେଉଳ ଶିଖରୀରେ କୁଆଡ଼ୁ କୁଆଡ଼ୁ ଆଣି ରୋପେ ଓସ୍ତଗଛ । ସେହି ଭାଙ୍ଗିଥିବ ପରା !

 

ଧୀରେ ଧୀରେ ଆଲୁଅ ଖୋଲି ଉଠୁଛି, ଛବିର ଆଖିରେ ପୂରୁଛି ବିସ୍ମୟ, ଭାବୁଛି-କ’ଣ ହେଲା ? କୁଆଡ଼େ ଗଲା ?

 

ଯୁଗ ପରେ ଯୁଗ ବିତିଗଲା, କେତେ ଘର, କେତେ ପୁରୁଷର ମଣିଷ ! ତା’ରି ପରି ପଲ ପଲ ଝିଅ ଜନ୍ମ ହୋଇଥିବେ, ଘର କରିଥିବେ, ଯାଇଥିବେ ।

 

ଲୋକେ କହନ୍ତି, ମଣିଷ ମଲେ ଭୂତ ହୁଏ । କେତେଦିନ ବଞ୍ଚିରହେ ସେ ଭୂତ ? କାହିଁ ଏଠି ? କେଉଁ ଅମଳର ? କେଶରୀ କି ଗଙ୍ଗ କି ଆଉ କିଛି ? ଭୂତ ଭୂତ ହିଁ, ଛବି ଭାବିଲା, ସେହି ଯେ ଯାଇଛି ଆଉ ନାହିଁ, ତାରା ମୂର୍ତ୍ତି ପାଖେ ନଇଁପଡ଼ି ଅନାଇଁ ରହି ଛବି ଭାବୁଥାଏ । ଉଦାସ ଲାଗିଲା । ସତେ ଯେମିତି ଚିହ୍ନା ଚିହ୍ନା ମୁହଁଟି, କଳା ଚିକ୍ ଚିକ୍ ହୋଇ ଲହୁଣୀବୋଳା ହେଲା ପରି ଛନଛନିଆ, ମୁଣ୍ଡ ଉପରେ କମକୁଟି ସନ୍ଧିରେ ଧଳା ଧଳା ଚଢ଼େଇ ଘୁଅ । ଏଇ ମୁହଁ–କାହାର ମା’ କି ଭଉଣୀର, ସେହି ରୂପକୁ ସେ ପଥରରେ ଫୁଟାଇ ଦେବତା କରିଥିଲା । କଣିକିଆ ହୋଇ ଅନାଇଁ ଦେଖିଲା, ଛପିଲା ଛପିଲା ଆଲୁଅରେ ସେ ମୁହଁଟି ତାକୁ ଅନାଇଁ ହସୁଛି । ଛାଡ଼ିଯିବାକୁ ମନ ହେଉ ନ ଥାଏ ।

 

ଏ ମୁହଁ ତ ଗେଲ କରିବା ନାଖୀ, କାହିଁକି ମଣିଷ ୟାକୁ ଡରେ, ୟା ପାଖେ ପଣା ଢାଳେ, ଝୁଣା ଜାଳେ ? ତା’ଗାଁରେ କେଳାଭାରିଯାକୁ ଡାହାଣୀ ଲାଗିଲା ବେଳର କାହାଣୀ ମନେ ପଡ଼ିଗଲା, ଆଉ ମନ ଭିତରର ସନ୍ଦେହଟା ଯେମିତି କି କଟିଗଲା । ଠିକ୍ । ଏଇ ହସ । ଏଇ ଆଖି-। ଏଇ ଗଢ଼ଣ । କେଳାଭାରିଜା ଯଦି ଗୋରୀ ନ ହୋଇ ଚିକ୍‍କଣ କାଳୀ ହୋଇ ଥାଆନ୍ତି, ଏମିତି ହୋଇଥାଆନ୍ତା ତା’ମୁହଁ । କେଳାଭାରିଯାକୁ ଏମିତି ବେଶ ପିନ୍ଧେଇ ଅପନ୍ତରାରେ ବରଗଛମୂଳେ ବସାଇ ମନେ ମନେ ସେ କୌତୁକ ଅନୁଭବ କଲା । ଭାବିଗଲା-ସହଜକୁ ଅସଜ ନ କଲେ ସତେ କି ମଣିଷ ମନରେ ଶାନ୍ତି ନାହିଁ ।

 

ଗଦା ଗଦା ହୋଇ ଏହି ଯେତେ ଯେତେ ଠାକୁରମୂର୍ତ୍ତି ଖାଲି ମୂର୍ତ୍ତି ଗଢ଼ା ହୋଇ ନ ଥିବେ ନିଶ୍ଚୟ, ମୂର୍ତ୍ତି ସଙ୍ଗେ ସଙ୍ଗେ ଗୋଟି ଗୋଟି କରି ପୁଣି ପରସ୍ପର ଭିତରେ ସମ୍ବନ୍ଧର ନାନା କାହାଣୀ ଥିବ । କିଏ କାହାର ପୁଅ ଝିଅ, ଭାଇ ଭଉଣୀ, କାହାର ଭାରିଯା, କିଏ କାହାର ସାଙ୍ଗସାଥୀ କି ଆଜ୍ଞାକାରୀ, ଅବିକଳ ଏଇ ଦେଶର, ଏହି ସ୍ଥାନର ମଣିଷଙ୍କ ସମାଜ ପରି ସେ ମଣିଷଙ୍କ କଳ୍ପନାରେ ସେ ଦେବତାମାନଙ୍କ ସମାଜ, କିଏ କେଉଁ ସ୍ଥାନର ଅଧିପତି, କିଏ କାହାରି ତକିଆ । ଯେତେବେଳର ସମାଜ ସେହି ନାଖି ଠାକୁର । ସେମିତି, ନାନା ସମାଜର, ନାନା ଦେଶର, ଅବଶ୍ୟ ଥିବେ । ଯୁଗେ ଯୁଗେ ସେହି ଅସଂଖ୍ୟ ଦିଅଁଙ୍କ ପାଖେ ମୁଣ୍ଡିଆ ମାରି ମାରି ଅସୁରି ହୋଇ ଲୋକେ ଡକା ଛାଡ଼ିଥିବେ ଘର ଭର୍ତ୍ତି କର, ଶତ୍ରୁକୁ ମାର, ଦେହ ନୀରୋଗ ରଖ, ବିପଦ କାଟ, ପୁଅ ଝିଅକୁ ମଣିଷ କର । କିନ୍ତୁ କଳାପାହାଡ଼ ଭୁଲିଥାଉ ପଛେ, ମହାକାଳ କାହାରିକି ଛାଡ଼ି ନାହିଁ, ରୋଗ ଆସିଛି, ବଢ଼ି ଆସିଛି, ବାଡ଼ି ଆସିଛି, କେହି ଚିରକାଳ ସୁଖ ଭୁଞ୍ଜି ନାହିଁ, କେହି ବଞ୍ଚି ନାହିଁ, କାହାର ସାଇତା ପଦାର୍ଥ ଆଖିଦୁରୁଶିଆ ହୋଇ ରହି ନାହିଁ ।

 

ମଣିଷ ଆପଣା ହୃଦୟ ଭିତରର କାମନ ଆଉ ଭୟରେ ଗୋଳି ଚକଟି ଅପଣାର ଚିହ୍ନା ଚିହ୍ନା । ମୁହଁର ଛାଞ୍ଚରେ ଗଢ଼ିଛି ଦେବତାମାନ, ଆପଣା ରୀତି ନୀତି ରୁଚି ଅରୁଚି ଅନୁସାରେ ତାକୁ ବୁଝିବା ନ ବୁଝିବାର ବାଗ ଖଞ୍ଜିଛି, ଆପେ ଚାଲିଗଲେ ବି ରଖିଦେଇଯାଇଛି ସେହି ସ୍ମାରକ ପଥରମାନ, କିଏ ତାଙ୍କୁ ପଚାରେ, କିଏ ନ ପଚାରେ, କେଉଁଠି ଦୀପ ସଳିତା ଜଳେ, କେଉଁଠି ନାହିଁ-

 

ଶୁକୁଟି ନନା କେତେ ବେଲ ଅଠାରେ ପଇତା ମାଜନ୍ତି, କେତେ ଚିତା ଚନ୍ଦନ ହୁଅନ୍ତି, ନାକ ବାଟେ ଚିଁ ଚିଁ ହୋଇ ମନ୍ତ୍ର ଜପନ୍ତି; କିନ୍ତୁ ସେହି ହାଡ଼ କେତେ ଖଣ୍ଡି ଚମ ଧୁଡୁ ଧୁଡ଼, ଅଣ୍ଟା ନଡ଼ ନଡ଼, ଘରର ଅବସ୍ଥା ବି ସୁଧୁରେ ନାହିଁ ।

 

ରୂପେଈମା ଧୋବଣୀକୁ ବେଳେ ବେଳେ କାଳିସୀ ଲାଗେ, ସେ ହୁକୁମ୍ ଦିଏ, କହେ- ମୁଁ ବଣ ଦେବତୀ, ସେହି ଯେଉଁଥର ତା’ର କାଟପାଣି ପିଇସାରି ବାବନ ମହାନ୍ତିଙ୍କ ବିଧବା ଭାଉଜ ବାନ୍ତି ଉଛାଳ ହୋଇ ମରିଗଲା, ବାବନ ମହାନ୍ତି ଆସି କେତେ କଳିଗୋଳ କଲେ, ଚଦିଲେ, ଆଉ ତାକୁ ବଣ ଦେବତୀ ଲାଗି ନାହାନ୍ତି, ତିନି ବର୍ଷର କଥା ହେଲାଣି; ତଥାପି ରୂପେଈମା ସାଇତି ରଖିଛି ତା’ଦେବତା ତା’ଘର କ’ଣରେ, ନାଲି କନାରେ ଗୁରା ହୋଇ ସିନ୍ଦୂର ଲାଗି ହୋଇ ସେ ମୂର୍ତ୍ତି ରହିଛି ତା’ଘରେ, କାଳିସୀ ନ ଲାଗିଲେ ବି ଯାହାର ବିଶ୍ୱାସ ଥାଏ ତା’ଠୁଁ ମାନସିକ ସେ ନିଏ, ସାତଟି ପାଚିଲା କଦଳୀ, ସାତଟି ନଡ଼ିଆ, ଆମ୍ୱ ଦିନେ ସାତଟି ଆମ୍ୱ, ସାତଟି ନୁଖୁରା ସଳିତା ସେଠି ସେ ଜାଳେ, ଲୋକେ କହନ୍ତି ତା’ ଆଜ୍ଞାରେ ଠେଙ୍ଗା ଜର, ବେଙ୍ଗା ବାତ ତ ଛାଡ଼ି ଉଡ଼ିଯାଏ, ବିଇଁଚି ଭଲ ହୁଏ, କେତେ କ’ଣ ଭଲ ହୁଏ ।

 

କନବୋଉ ସାତସାହି ନଗରନାହୁଲୀ କଳିହୁଡ଼ୀ ହେଲେ ବି ସେ କେଉଁ ଗାଁ ବାବାଜୀଙ୍କ ଚିତ୍ରପଟକୁ ପୂଜା କରେ ଦିଓଳି, ମୁଣ୍ଡରେ ବେତାଏ ଜଟା ଘୁରି ଘୁରିକା ଲଦାହୋଇ ରହିଛି ଦି ହାତ ଉଞ୍ଚରେ, ଲମ୍ୱା ଦାଢ଼ି ଓହଳି ଓହଳି ମିଶିଛି ଭାଲୁ ଭାଲୁଆ ଛାତିର ଜଙ୍ଗଲରେ, ଘୁମ ପରି ପେଟ, ତା’ ତଳେ ବଇଠି ପରି ଚେକାମହୁରୀ, ତା’ ତଳେ ବାଘଛାଲ ପରା ହୋଇଛି । ବାବାଜୀଙ୍କି ଜନବୋଉ କେବେ ଦେଖି ନାହିଁ, କିନ୍ତୁ ସେ କହେ ସେ ସବୁ ଦେଖିପାରନ୍ତି । ଜାଣି ପାରନ୍ତି । କାଚରେ ବନ୍ଧାହୋଇଥିବା ଚାଖଣ୍ତେ ଲମ୍ୱର ସେହି ଫଟୋକୁ ଅସ୍ଥାନରେ ଥୋଇ କନବୋଉ ରାଜ୍ୟଯାକର ଫୁଲ ଛିଣ୍ଡେଇ ଆଣି ସେଠି ଗଦା କରେ, ଧୂପଦୀପ ଦିଏ, ଗୁଡ଼ ଭୋଗ ଦିଏ, ପିତ୍ତଳର ସାନ ଘଣ୍ଟଟିଏ ରଖିଛି, ତାକୁ ଟିଣିଂ ଟିଣିଂ ବଜାଏ, ଶବ୍ଦ ନ କରି ଓଠ ଥରେଇ ଥରେଇ କ’ଣ ମନ୍ତ୍ର ବୋଲି ବୋଲି ଆଳତି ଟେକେ, ତା’ପରେ ଢୁ ଢୁ କରି ମୁଣ୍ଡକୁ ତଳେ ବାଡ଼ାଏ । ସେ କହେ, ତା’ ବାବାଜୀ ନିଜେ ଅବତାର, ତେଣୁ ସେ ତାଙ୍କ ପାଦଲାଖ କରି ତୁଳସୀ ପତ୍ର ଦିଏ ।

 

ଜାତି ଜାତିକା ବାବାଜୀ, ଜାତି ଜାତିକା ଠାକୁର, ଯୁଗେ ଯୁଗେ, ଠାବେ ଠାବେ । କେଉଁ କଥା ଅଟକିଛି, ବଢ଼ି ନା ବାଡ଼ି ? ତାଙ୍କରି ପିଛା ସମୟ ସରିଛି, ଭଲ ମନ୍ଦ ଭାବିଚିନ୍ତି ବାଟ ଠିକଣା କରୁଥିବା ମଣିଷର ସ୍ଵାଧୀନ ବିଚାର ବାଧା ପାଇ ଅଟକିଛି ସେଇଠି । ତେଣିକି ତୁଚ୍ଛା ବିଶ୍ଵାସ, ଆଖିବୁଜା ନିର୍ଭର, ହାତଟେକି ବସି ମନ୍ତ୍ରଜପା, ମୁଣ୍ଡ ଢୁ ଢୁ–

 

‘‘ଦିଆଇଦିଅ, କରେଇଦିଅ ସବୁ । ତା’ମନକୁ ସୁଖ ମାଡ଼ିଯାଉ, ଧନ ମାଡ଼ିଯାଉ ।’’

 

ଏହିପରି ଭାବୁଥିଲା ଛବି ।

ଏଇ ମାଟିତଳେ କେତେ ସେମିତି ଥିବେ ଅବା ମୂର୍ତ୍ତି, କିଏ କହିପାରେ ? କେତେ ପୂଜାସ୍ଥଳୀ, କେତେ ଯଜ୍ଞସ୍ଥଳୀ କେତେ କେଉଁଠି ଥିବ । ଖାଲି ମାଟିତଳେ ନୁହେଁ, ଘରେ ଘରେ ଏମିତି ପ୍ରତି ମଣିଷର ମନ କନ୍ଦରାରେ ବେଶି ବୁଦ୍ଧି ନ ଖେଳେଇ, ବେଶି ପରିଶ୍ରମ ନ କରି ପୁଣି ବାରଂବାର ରୋଗରେ ଅଭାବରେ ଦୁର୍ଦ୍ଦଶାରେ ଛଟପଟ ହୋଇ ହୋଇ ମଣିଷ ବିଶ୍ୱାସ କରିଛି କିମିଆଁ ଧରିବ, ମନ୍ତ୍ର କାଟିବ; ତେଣୁ ପାରୁ ପର୍ଯ୍ୟନ୍ତ ସେ ଢୋଲ ଢାଉଁ ଢାଉଁ କରୁଛି, ଝୁଣା ଗୋଗୁଳ ଜାଳୁଛି, ଭୂଇଁରେ ମୁଣ୍ଡ ବାଡ଼ୋଉଛି, ଘିଅ ପୋଡ଼ୁଛି, ଉପାସ କରୁଛି, ଫଁ ଫଁ ତତଲା ନିଶ୍ୱାସ ପକାଇ ଇଚ୍ଛାଶକ୍ତି ପ୍ରୟୋଗ କରି କରି ନିଜେ ଶୁଣିଲା ପରି ମନ ଭିତରେ ନିଜେ ନିଜେ କହି ଲାଗିଛି, ଏଇଟା ହେଉ, ସେଇଟା ମିଳୁ । ହେଲେ କହୁଛି ମୋ ଦେବତା ଓ’ କଲା, ନ ହେଲେ କହୁଛି ଦଇବ ବାମ ।

ମହାକାଳ ଘୁଣ କରି ଲାଗିଛି, ଅଟକୁ ନାହିଁ ।

ଭାବୁ ଭାବୁ କେମିତି ତା’ ମୁଣ୍ଡ ଭିତରେ ଖିଅ ଉତ୍ତାରୁ ଖିଅ ଖୋଲିଯାଉଛି ! କୁଆଡ଼ୁ, ଆସୁଛି ୟେ ଧାରଣା ! ସେ ନିଜକୁ ନିଜେ ପଚାରୁଛି । ଦେଉଳ ପିଠିଆଡ଼କୁ ସେ ଚାଲିଗଲାଣି । ସେଠି ସେ ଖାଲି ନିଜର ଛାଇ ଦେଖୁଛି, ଅନ୍ୟ ମଣିଷ ନାହାନ୍ତି । ତୋଟା, ଅରମା । କିଏସେ ଦେଲା ଏ ଧାରଣା, ଏ ବିଚାର ? ମୁଣ୍ଡ ଟେକି ଆକାଶକୁ ଅନାଇଁଲା । ବଡ଼ ବଡ଼ ଛେଲା ଛେଲା ଖଇରିଆ ବଉଦ ଅରାଏ, ସତେ କି ଆକାଶର କାତି, ଆଉ ତା’ରି ସନ୍ଧିରେ ଠାଏ, କେତେ ଦୂରରେ,-ଆସନ୍ତା ଶରତର ନୀଳିମା ଟୋପାଏ, ଚାହିଁଲେ ବିହ୍ୱଳ ଲାଗୁଛି । ଗଛର ପତ୍ର ସକାଳ ଆଲୁଅରେ ଜିକିଜିକି ଦିଶିଲାଣି, ବାମ୍ପଆଣୀ ବାସ୍ନାରେ ବାସ୍ନାରେ ଲାଗିଛି ଉତ୍ତେଜନା । ପ୍ରଫୁଲ୍ଲ ହୋଇ ସେ ଅନୁଭବ କଲା ସେ ଜଗତଯାକର ଶୁଭ ମନାସୁଛି, ଦେଶକୁ କି ମଣିଷକୁ ଭଲ ଆସୁ କି ମନ୍ଦ ଆସୁ, ମରଣ ଆଜି ହେଉ କି ହେଉ କେତେ ବର୍ଷ ପରେ, ଯେତେ ଯାହା ଅଛି ଯେତେ ଯାହା ଦିଶୁଛି ବାରିହେଉଛି ସବୁଠି ଅଛି ଜୀବନ, ସବୁଠି ଈଶ୍ଵର, ସବୁ ସେଇଠୁ ଜନ୍ମ ହେଉଛି, କି ଅଦ୍ଭୁତ ଉପାୟରେ ସେଇଠି ମିଶୁଛି, ବଦଳୁଛି, ପୁଣି ନୂଆ ରୂପ ଘେନୁଛି । କସରା ବଉଦ ଉହାଡ଼ରେ ସେହି ନୀଳିମା ବୁନ୍ଦାକ ପରି ସବୁ ପରିବ୍ୟାପ୍ତ କରି ପୁଣି ସବୁରି ଉହାଡ଼ରେ ଅତୁଟ ହୋଇ ପୂର୍ଣ୍ଣହୋଇ ରହିଛି ସେ, କେତେବେଳେ ଜାଣତାରେ ତାକୁ କିଏ ଅନୁଭବ କରେ, କେତେବେଳେ ନ କରେ । ଏତେ ସୀମିତ ବିକୃତ ଧାରଣା କି ବିଶ୍ୱାସ ସେକରେ ଆପଣା ସୁଖେ ଯୁଗେ ଯୁଗେ ରହିଆସିଛି ସେ, ମଣିଷର ବନ୍ଦନା ତା’ର ବେଢ଼ା ବୁଲିବାକୁ ଅକ୍ଷମ, କେବଳ ଆପଣା ଉପାଯରେ ମୁହୂର୍ତ୍ତେ ହେଲେ ଅନୁଭବ କଲେ ହେଲା ! ଆପଣା ଆଶା ଉଚ୍ଛ୍ୱାସରେ ଯେ ଯେତେ ଉପାୟ ପାଞ୍ଚି ପୂଜା କରୁ, ଯେତେ ଜାତିର ଘଟ ଗଢ଼ୁ, ଯାହାକୁ ପୂଜା କରୁ, ଫମ୍ପା ଶୂନ୍ୟକୁ କି କାହା ଛବିକୁ କି କେଉଁ ଗଛକୁ ପାହାଡ଼କୁ, କେଉଁ ନାଁ ଧରୁ କି ନ ଧରୁ କିଛି, ଆପଣା ଘର ଭିତରେ ଦରାଣ୍ଡି ହୋଇ ସେ ତାଙ୍କୁ ହିଁ ଲୋଡ଼େ, ହୃଦୟର ଆବେଗ ଜଣାଏ, ସେହି ମାର୍ଗରେ ଆପଣା ଭିତରୁ ମୁକ୍ତି ପାଇ ବାହାରେ ଏତେ ରୂପ ସଙ୍ଗେ ଏକାଠି ହେବାକୁ ଖୋଜେ, ନିଜ ଭିତରେ ପୁଣି ନିଜ ବାହାରେ ସେହି ଆଉ ଜଣେ ଅଛି, ସେ ରୂପ ଓ ରଙ୍ଗର ନାନା ସଜାସଜି ଦେଖାଏ, ବଦଳାଏ, ନିଜେ ବଦଳେ ନାହିଁ ।

ଡେଙ୍ଗା ଡେଙ୍ଗା ଗଛ ସେକରେ ସୂର୍ଯ୍ୟ ଉଇଁଲେଣି । ପୂର୍ବ ଆକାଶରେ ଲଦାଲଦି ମେଘରେ ସତେ କି ନିଆଁ ଲାଗିଛି । ଖାଲି ଓଦା ଘାସ, କେତେଗୁଡ଼ିଏ ଗଛବୁରୁଛ, ଠା ଠା ହୋଇ କୁଦଗୁଡ଼ିଏ, ଚଢ଼େଇ, ପ୍ରଜାପତି, ପୋକଜୋକ, ମଣିଷ ସେ ଏକୁଟିଆ । ଛବିର ଆଖିରେ ନୂଆ ଆଲୁଅ । ସେ ଏକର ସେକର ବୁଲୁଛି । ସମୟର ଚେତନା ନାହିଁ ।

ଏହି ଧର ଗୋଟିଏ ସଭା, ଗୋଟିଏ ମଣ୍ଡଳୀ-ସେ ଭାବିଲା, ମଣିଷଙ୍କ ପ୍ରତିନିଧି ମୁହିଁ ଏକା । ବାଙ୍ଗର ହୋଇ ଖଜୁରିଗଛଟି, ଦେହଯାକ ଖୋଳପାମୟ, ପ୍ରତି ପତ୍ର ଆଗରେ ମୁନିଆ କଣ୍ଟା-। ଘଞ୍ଚ ହୋଇ ଚାରିକରକୁ ବାହୁଙ୍ଗା ମେଲିଛି । ଆଉ ସେଠି ସେ ବଙ୍କା ତାଳଗଛ, ଦୁଇ ବାଙ୍କ ଖାଇ ବି ଉପରକୁ ସଳଖ, ସୁନେଲି କାଳିଚା ତାଳ ଖୁନ୍ଦି ହୋଇଛି, ବସିଛନ୍ତି ପଲେ ବଣି । କିଆବୁଦାରେ ଫୁଲ ଫୁଟିଛି । ଗୋଟିକିଆ କାପ୍ତାଟିଏ ତଳେ ବୁଲୁଛି । ଆମ୍ୱଗଛରେ ଘଞ୍ଚହୋଇ ମାଳତୀ ଲଟେଇଛି, ତଳେ ଗଦାହୋଇଛି ଫୁଲ । ଶୂନ୍ୟ ପଟ ଉପରେ ସରି ସରି କୁଞ୍ଜଲତା ଡଙ୍କ କମକୁଟ କରିଛି, କି ସୁନ୍ଦର ଦିଶୁଛି ଗୋଟିଗୋଟିକା ନାଲି ଫୁଲ, ନାନା ଜାତି ଫୁଲ ଆଉ ପତ୍ରରେ ଅରମା ଛୁଆଣି ହୋଇଛି । କଜଳପାତୀ ଭଡ଼ାଉଡ଼ି ହେଉଛନ୍ତି । ଶୂନ୍ୟ ଶୂନ୍ୟ ସୁନାର ଗାର ଟାଣି ଟାଣି ହଳଦୀବସନ୍ତ ଯୋଡ଼ିଏ ଏପାଖରୁ ସେପାଖ ସେପାଖରୁ ଏପାଖ ଉଡ଼ାଉଡ଼ି ହେଉଛନ୍ତି । ଟିକିଟିକି ହୋଇ ନାନା ବର୍ଣ୍ଣର ନିଆଁ ପରି ଉଡ଼ୁଛନ୍ତି ଜାତି ଜାତି ପ୍ରଜାପତି । କେଉଁଠୁ କୁମ୍ଭାଟୁଆ ବୋବାଉଛି । ଏତେଜାତିର ଏକାପ୍ରକାର ଏକାଠି ଅଛନ୍ତି । ଏକାଠି ନାନା ବର୍ଣ୍ଣର ଫୁଲ, ନାନା ଗଛ, ନାନା ଚଢ଼େଇ-। ଏକାଧାରାରେ ନାନା ସୁଅ, ଏକା ଛବିରେ ନାନା ରୂପ, ଟଣାଓଟରା ଛଡ଼ାଛଡ଼ି କରୁଥିବା ମଣିଷ ଏ ସୃଷ୍ଟିରେ ସୁନ୍ଦର କି ଅସୁନ୍ଦର ?

 

ମିଶିପାରିଲେ ସୁନ୍ଦର, ଶରଧା କରିପାରିଲେ ସୁନ୍ଦର, ନ ହେଲେ ଏ ମେଳଣ ଭିତରେ ସେ ଅଚେତ, କୁତ୍ସିତ, ସେ କାହାରି ନୁହେଁ ।

 

ତା’ର ପାଗଳ ଉଷତ ଭାଙ୍ଗିଦେଇ ଚହଳ ପଡ଼ିଲା ମଣିଷଙ୍କ ପାଟିରେ, ଆଉ ସେ ତା’ର ଚିଆଁ ପରିସ୍ଥିତିକୁ ଲେଉଟି ଆସିଲା । ବଢ଼ି ଆସିଛି । ଚେତନାରେ ଖେଳିଗଲା ଦିଗନ୍ତଛୁଆଁ ଗୋଳିପାଣିର ପ୍ରଳୟ ସମୁଦ୍ର ।

 

ବୋଉ କ’ଣ କରୁଥିବ ? କ’ଣ ଭାବୁଥିବ ?

 

ସେ ତରତର ହୋଇ ଫେରିଗଲା ଗହଳିକୁ । ରବି ଆସି ନାହିଁ । ତା’ର ବାପା ଅଛନ୍ତି, ଅନ୍ୟମାନେ ଅଛନ୍ତି । ‘‘ଆ, ଯିବା ପରା ଝିଅ !’’ ବାପା କହିଲେ ।

 

ଜଖମ ବାଜିଥିବା ଡଙ୍ଗା ମରାମତ ସରିଛି । ସେହି ଡଙ୍ଗାରେ ଠିଆହୋଇଛି ରବି । ସେପାଖରୁ ଢିପ ଦାଢ଼ରୁ ଗଡ଼ି ଆସୁଥିବା ଦଳଟିକୁ ଚାହିଁରହିଛି । ମୁହଁ ଜିକିଜିକି । ତା’ପଛଆଡ଼େ ଆବୁଆବୁଆ ପଥର ଖଣ୍ଡେ ପରି ଜମ୍ୱୁ ବେହେରା ।

 

‘‘ଆପଣମାନଙ୍କୁ ଧୋବେଇ ଭାଇ ସେ ଡଙ୍ଗାରେ ନେଇ ପାଟେଳିଗାଁରେ ଛାଡ଼ିଦେବେ-।’’ ରବି କହିଲା । ‘‘ସେଇଆ ସେଇଆ,’’ ଧୋବେଇ ମିଶ୍ର ହସିଦେଇ କହିଲେ, ‘‘ସେ ବନ୍ଦୋବସ୍ତ ମୋର କାମ । ଯଦି ପାରିବା ନସଡ଼ିପୁର କି କଙ୍କାଳପାଟଣାରେ ରାତିକି ଭେଟାଭେଟି ।’’

 

‘‘ବଢ଼ିକାମରେ ଆମେ କିଛି କାର୍ଯ୍ୟରେ ଆସିବୁଁ ନାହିଁ ?’’ ଛବି ଧୋବେଇ ମିଶ୍ରଙ୍କୁ ପଚାରିଲା, ଲାଜ ଲାଜ ହେଲା ।

 

‘‘ଆପଣା ଗାଁରେ ତ ବଢ଼ି, ସେଇଠି ଆପଣଙ୍କ କାମ ।’’

 

ସିନ୍ଧୁ ଚୌଧୁରୀ କହିଲେ, ‘‘ଲୋକେ କେମିତି ଓଦାରୁ ଶୁଖିଲାକୁ ଅଣାହେବେ, ଥାଇଥାନ ହେବେ, ଖାଇବେ, ପିଇବେ ରହିବେ, ବଢ଼ି ଛାଡ଼ିଗଲେ ପୁଣି ଯେମିତି ଚାଳ ଟେକା ହେବ, ସର୍ବସ୍ୱ ଯାଇଛି, ସେଥିକି ସାହାଯ୍ୟ କଲେ ଯିବା କଥା ସିନା, ଖାଲି ଦେଖେଣାହାରୀ ହୋଇ ଯାଇ ଆମେ କି କାମରେ ଆସିବୁଁ ?’’

 

ଧୋବେଇ ମିଶ୍ର କହିଲେ, ‘‘ଯାହାର କରିବା କାମ ସେ ତା’ ଆପଣା ପରିସର ଭିତରେ, ଆପଣ ବଳାବଳ ଅନୁପାତରେ । ଆପଣଙ୍କର ଏ ସଦିଚ୍ଛା ହିଁ ସେ କାମର ମୂଳଦୁଆ, ଯେଝା ଠାଆ ଯେ ଆଦରିନେଲେ ଚାରିଆଡ଼ ବଳେ ଉଜ୍ଜ୍ୱଳ ହେବ ।’’

 

ସଦା ଗୋଛେଇତ କହିଲା, ‘‘ସେ ସତ କଥା । ମନ ଥିଲେ ବାଟ ଦିଶିବ । ଖାଇବା ଭାତରୁ, ପିନ୍ଧାଲୁଗାରୁ, ପୁଞ୍ଜିରୁ ପାଣ୍ଠିରୁ କାଢ଼ି ଭାଗ ଦେଇ ହେବ, ଭାଇମାନଙ୍କର ଉପକାରରେ ଲାଗିବ । ଆପଣାର ସରିଲେ ପରପାଖରେ ହାତ ପାତି ଗୋଟେଇ ଆଣିବାକୁ ପଡ଼ିବ ।

 

ସେଥିରେ ଲାଜ ନାହିଁ ।’’

 

ସିନ୍ଧୁ ଚୌଧୁରୀ କହିଲେ, ‘‘ସେଇ ହେଲା ଆଗ କାମ, ଗାଁରେ ପହଞ୍ଚିଲାମାତ୍ରେ, ମିଣିପେ ମାଇପେ ସମସ୍ତଙ୍କଠିଁ କାମ ସେଇଠି । ଆଶୀର୍ବାଦ କରୁଛି ବାପ, ଆଶୀର୍ବାଦ, ଆଶୀର୍ବାଦ ।’’

 

ଦୁଇ ନାହା ଦୁଇ ପଟେ ଚାଲିଯାଉଛି ।

 

ଦୁଇ ଦଳ ପରସ୍ପରକୁ ଅନାଅନି ହୋଇ ଠିଆ ହୋଇଛନ୍ତି ।

 

ଦୂରରେ ଯେଉଁଠି ବଢ଼ିସମୁଦ୍ର ଭିତରୁ ତାଳବଣ ଉଠି ଠିଆହୋଇଛି, ସେଇଠି ରବିର ଡଙ୍ଗା ବାଁକୁ ବାଙ୍କ ନେଇ ଅଦୃଶ୍ୟ ହୋଇଗଲା । ଛବି ସେହିଆଡ଼କୁ ଅନାଇଁ ରହିଛି । ପାଣିରେ ତାଉ ନାଚୁଛି । ଖାଲି ପାଣି । ମଝିରେ ମେଞ୍ଚାଏ ମେଞ୍ଚାଏ ତୋଟା ।

 

ବଡ଼ ବଡ଼ ଆଖି ଫାଡ଼ି ଫାଡ଼ି ରୋହି ଆଉ ଦୁଲ ସେହି ପାଣିକି ଅନାଇଁଛନ୍ତି, ଅଙ୍ଗେ ନିଭେଇଥିବା ସେହି ବିଭୀଷିକା ପୁଣି ସତେ କି ଆଖି ଆଗରେ ଦିଶି ଦିଶି ଯାଉଛି ।

 

ରାଣାବନ୍ଦୀ ଗାଁ କରପଟେ ଗଲାବେଳକୁ ଘର ଓଳି ତଳେ ମାଇପେ ଗାଧୋଉଛନ୍ତି, ପିଲାଏ ପାଣି ଚବର ଚବର କରୁଛନ୍ତି । କୁରୁମପିଠିଆ ଗାଁତଳି ଉପରେ କୁଆଡ଼ କୁଆଡ଼ର ମଣିଷ, ଗୋରୁଗାଈ ଖୁନ୍ଦି ହୋଇ ରହିଛନ୍ତି ।

 

ଖଣ୍ଡ ଛାଡ଼ି ଶୁଆପୋଖରୀର ଷଡ଼ଙ୍ଗୀଘର ନଡ଼ିଆତୋଟା, ଅଣ୍ଟାଏ ପାଣିରେ ଠିଆହୋଇ ରହିଛି । କେତେ ଭଙ୍ଗା ଚାଳ, ପୁଳା ପୁଳା କୁଟା, କାଠ, ବାଉଁଶ ସେଠି ଆଉଜି ଯାଇଛି । ଦୂରରୁ ଭାସିଆସୁଛି ତୀବ୍ର ନାକଫଟା ଦୁର୍ଗନ୍ଧ । ପେଟରୁ ଭାତ ବାହାରି ପଡ଼ିବ । ଉପରେ ବହୁତ ଶାଗୁଣା ଉଡ଼ୁଛନ୍ତି, ନଡ଼ିଆ ବାହୁଙ୍ଗାଯାକ ପକ୍ଷୀ ଫଡ଼ ପଡ଼ । ଗୁଡ଼ାଏ ଗୋରୁ ମଢ଼ ନଡ଼ିଆଗଛ ଗଣ୍ତିରେ ଆଉଜିଛି ।

 

ଆଉ ଆଉକିଛି ଗୋଟାଏ ମଣିଷ ମୁର୍ଦ୍ଦାର, ଫୁଲିଯାଇ କେଡ଼େଟାଏ ଦିଶୁଛି, ଲମ୍ୱା କଳା କଳା ବାଳଗୁଡ଼ାକ ଅଡ଼ୁଆ ଜାଲ ପରି ବିଞ୍ଚିହୋଇ ପଡ଼ିଛି । ପାଣିରେ ପଡ଼ିଥିବା ନଡ଼ିଆ ବାହୁଙ୍ଗା ଛାଇ ଯୋଡ଼ିହୋଇ ଥିରିହୋଇ ଶୋଇଛି ।

 

‘‘ଏ କ’ଣ ? ଏ କ’ଣ ?’’ ଛବି ଚିତ୍କାର କଲା ।

 

କେହି କିଛି ନ କହୁଣୁ ଧୋବେଇ ମିଶ୍ର କହିଲେ, ‘‘ଏ ବଢ଼ି । ହଁ, ମଙ୍ଗ ବୁଲେଇ ଦିଅ ।’’

 

ପାଣିରେ ସିଅର କାଟି ଡଙ୍ଗା ଚାଲିଯାଉଛି । ଗର୍ଜନରେ ଆକାଶ ଥରାଇ କୁଆଡ଼ୁ ହଠାତ୍ ଦେଖାଦେଇଛି ଗୋଟିଏ ଉଡ଼ାଜାହାଜ, ଭଉଁରି ଭଉଁରି ବୁଲୁଛି । ସମସ୍ତେ ତାହାରି ଆଡ଼କୁ ଚାହିଁଲେ-

 

ଏ ବର୍ଷ ବଡ଼ ବଢ଼ିଆସିଛି, ଚାରିଆଡ଼େ ସେହି ଚହଳ । ମହାନଦୀରେ ପାଣି ଆଗରୁ ସବୁଠୁ ଅଧିକ ଯେତେ ଡେଙ୍ଗା ହୋଇଥିଲା । ତା’ଠୁଁ ଏ ବର୍ଷ ତିନି ହାତ ବେଶୀ । ବ୍ରାହ୍ମଣୀରେ ଯାହା ପୂର୍ବେ ବଡ଼ ବଢ଼ି ହୋଇଥିଲା, ତା’ଠୁଁ ଏବର୍ଷ ଚାରି ହାତ ଅଧିକ ଉଞ୍ଚ । ଶହ ଶହ ଘାଇ ଭାଙ୍ଗିଛି, ଶହ ଶହ ହୋଇ ଗାଁମାନ ମୂଳପୋଛ ହୋଇଛି, ଲକ୍ଷ ଲକ୍ଷ ଲୋକଙ୍କର ଘର, ବାରି, ଗୋରୁ, ଛେଳି, ଜୀବନଯାକର ସଞ୍ଚୟ ସବୁ ଭାସିଯାଇଛି, କେତେ ଶହ ଶବ ଏଠି ସେଠି ଲାଗିଥିବାର ଦେଖା ଯାଇଛି, ସେମାନେ ବଢ଼ିରେ ମଲେ କି ରୋଗରେ ମଲେ ଜଣା ଯାଇନାହିଁ, କେତେ ଲୋକଙ୍କର ଏବେ ବି ପତ୍ତା ମିଳୁନାହିଁ, ମଲେ କି ଗଲେ । ସ୍ଥାନେ ସ୍ଥାନେ ପାହାଡ଼ ଉପରେ, ଢିପରେ, ଚାରିକୋଷ ପାଞ୍ଚକୋଶ ନଈବନ୍ଧ । ଉପରେ ଜନ୍ଦା ପିମ୍ପୁଡ଼ି ପରି ମଣିଷ, ଗୋରୁଗାଈ ଖୁନ୍ଦି ହୋଇ ରହିଛନ୍ତି । ବର୍ଷା ବାଡ଼େଇଛି, ପିଇବାକୁ ଗୋଳିପାଣି, ମୁଣ୍ଡ ଉପରେ ଚାଳ ନାହିଁ, ସେମିତି ସେମାନେ ଠିଆ ଠିଆ ରହିଗଲେ ଚାରିଦିନ, ପାଞ୍ଚଦିନ । କେତେଠାରେ ରେଲ ପୋଲ ଭାଙ୍ଗିଛି, ଠାଆ-ଠାଆକେ ଘାଇ ସୁଅ ରେଲ ବନ୍ଧକୁ ଖାଇ ଉଡ଼େଇ ଦେଇଛି ମାଇଲ ମାଇଲ ଯାକେ, କେଉଁଠି ରେଲ ଲାଇନ୍ ଶୂନ୍ୟେ ଶୂନ୍ୟେ ଝୁଲୁଛି, କେଉଁଠି କୋଶେ ବାଟରେ ତଡ଼ି ହୋଇ ପଡ଼ିଛି । ରେଲ୍ ବନ୍ଦ । ଗୋରୁ ଗାଈଙ୍କ ଶବ ସଢ଼ି ସଢ଼ି ଯେଉଁ ଦୁର୍ଗନ୍ଧ କରୁଛି କୋଶ କୋଶ ଯାକେ ନିଶ୍ୱାସ ନେଇ ହେଉନାହିଁ, ଓଟାରିବାକୁ ବିଲୁଆ ବି ନିହାନ୍ତି, ସେମାନେ ବି ମରି ଭାସୁଛନ୍ତି । ଜଙ୍ଗଲରୁ ଖସି ଆସିଥିଲେ ଯୋଡାଏ ହାତୀ, ତିନିଟା ମହାବଳ ବାଘ, ହରିଣ ପଲେ, ଯୋଡ଼ାଏ ବଡ଼ ବଡ଼ ସମ୍ୱର । ମରି ସାରିଥିଲେ । ପ୍ରକାଣ୍ଡ ପ୍ରକାଣ୍ଡ ଗଛମାନ ଭାସିଯାଇଛି । ଯେଉଁଠି ଗାଁର ଜକାଜକି ଘରମାନ ଠିଆ ହୋଇଥିଲା ସେଠି ଗଣ୍ଡ ହୋଇ ଅକାତ ପାଣି । ଯେଉଁସବୁ ଗାଁ ତା’ଇତିହାସରେ କେବେ ନଈବଢ଼ି ଦେଖି ନ ଥିଲା, ବଢ଼ି ଦାଉରେ ସେ ଗାଁ ଅଦୃଶ୍ୟ ହୋଇଛି । ଏ ବର୍ଷ ଖଣ୍ଡପ୍ରଳୟ । ସେହି କଥା କହନ୍ତି ଠାଆଠାଆକେ, ସେହି ଯେତେଠିଁ ଜନଗହଳି ଜାଗାରେ ମଝିରେ ମଝିରେ ଡଙ୍ଗା ଲାଗେ, ଖାଲି ପାଣିର ବିଛେଇ ଭିତରେ ପାଣି ଭଅଁର ପରି ବୁଲି ବୁଲି ଲଗାଲଗି କୂଳର ଆଶା ଛାଡ଼ିସାରି ହଠାତ୍ କେତେବେଳେ ଯୋଗ ପଡ଼େ ସେପରି କୌଣସି ଗୋଟିଏ ସ୍ଥାନରେ ନାହା ଭିଡ଼ିବାକୁ । ସେଠି ମିଳେ ଶୁଖିଲା ସ୍ଥଳ, କେବେ କେବେ କୋଠାଘର, କେଉଁ ଇସ୍କୁଲ, କାହାର ମେଲା, ମେଞ୍ଚା ମେଞ୍ଚା ଆଲୁଅ ଦିଶେ, ଖବର କାଗଜ ମିଳେ, କେଉଁଠି କେଉଁଠି ଅବା ରେଡ଼ିଓରୁ ସମ୍ୱାଦ ଶୁଣିବାକୁ ମିଳେ । ଯୁଦ୍ଧ ଲାଗିଲେ ପଳାତକ ଗହଳି ପରି ସେସବୁ ସ୍ଥାନରେ ବଢ଼ିପଳାତକଙ୍କ ଗହଳି ବାରି ହୋଇପଡ଼େ, କେତେ ସତ କେତେ କଳ୍ପନାମିଶା କାହାଣୀ ଶୁଣିବାକୁ ମିଳେ, ଆଉ ଦେଖାପଡ଼ନ୍ତି ସ୍ଥଳ ଆଡ଼ୁ, ବଢ଼ି ଦେଖି ଆସିଥିବା ନାନା ପ୍ରକାର ଲୋକେ, ଖବର ଓ ଛବି ସଂଗ୍ରହକାରୀମାନେ, କାହା ହାତରେ ଫଟୋ କ୍ୟାମେରା, କାହା ହାତରେ ଦୂରବୀକ୍ଷଣ ଯନ୍ତ୍ର, କାହା ଆଖିରେ ଲୁହ, କାହା ପାଟିରେ ଲୁହାର ବଡ଼ବୋଲା । ସେଇଠି ପାଣି ଦାଢ଼ରେ ନାନାପ୍ରକାର ତତ୍ପରତା ଦେଖାଯାଏ, ଅତଡ଼ା ଖାଇଛି ଯେ ବାଉଁଶ ପୋତା ହୋଇ ବାଲିବସ୍ତା ଲଦା ହେଉଛି, ଟ୍ରକରେ ବୋଝେଇ ହୋଇ ପଥର ଆସୁଛି ଗଦା ହେଉଛି, ପାଣି ହାବୁକା ସଙ୍ଗେ ଯୁଦ୍ଧ ଲାଗିଛି । ନାନା ଦୃଶ୍ୟ । ବିପଦ ନ ଥାଉଣୁ ଆଖପାଖ ପାଣିରେ ମନ୍ଦା ମନ୍ଦା ଡଙ୍ଗା ବୁଲିଆସେ । ଆଉ ସେଠୁ ସାହାଯ୍ୟ ବି ମିଳେ, ଚୁଡ଼ା, ଚାଉଳ, ଅନ୍ୟାନ୍ୟ ପଦାର୍ଥ, ଔଷଧ, ବେଳେ ବେଳେ କର୍ମୀ । ସତେ ଯେପରି ସ୍ଥଳର ଲୋକେ ସାହାଯ୍ୟ କରିବାକୁ ଉଦୁମୁଦା ହୋଇ ସେହି ନାସି ପେଣ୍ଠଯାକେ ଦଉଡ଼ି ଆସନ୍ତି, ତେଣିକି ହାତ ପାଏ ନାହିଁ, ଗୋଡ଼ ପାଏନାହିଁ ।

 

ପୁଣି ଚାଲେ ଫୁଲଶରାର ଡଙ୍ଗା ତିନୋଟି ସେହି ଅଛିଣ୍ଡା ପାଣି ବିଛେଇର ଛାତି ଉପରେ, କଳା ଖଇରିଆ ଆକାଶ ତଳେ ମେଘ ଗାଳେ, ତୋଫାନ ଗରଜେ, ଜିଭ ଲହ ଲହ କରି ହେଣ୍ଟାଳ ଛାଡ଼ି କୁଦା ମାରି ମାରି ଧାଇଁଆସନ୍ତି ଲହଡ଼ା ମାଳ ମାଳ, କେଉଁଠି ଜଳାର୍ଣ୍ଣବ ଭିତରେ ଟିକି ଟିକି କୁଦ ଉପରେ ଗୋଟି ଗୋଟିକିଆ ଗଛ, ଆଉ ସେହି ଭୟାବହ ଦୃଶ୍ୟ-ଭଙ୍ଗା ଗାଁ, ବୁଡ଼ିଲା ଗାଁ, ପାଣିଡ଼ିଆଁ ଘାଇ, ବିଜୁଳି ବେଗରେ ସୁଅ, ଆଖି ଯେତେବାଟ ଯାଉଛି ଖାଲି ସବୁ ଭାସିଯାଉଛି, ଜନ୍ଦା ପିମ୍ପୁଡ଼ିଠୁଁ ଘରଚାଳ, ହାଣ୍ଡି କୁଣ୍ଢେଇ, ଗୋରୁ ଗାଈ, ବଡ଼ ବଡ଼ ଗଛ, ନ ହେଲେ ପାଣିରେ ଟୋଲେଇ ଟୋଲେଇ ସଢ଼ୁଛି, ଦୁର୍ଗନ୍ଧ ହେଉଛି । ବିଆଳି ଧାନ ପଚିଯାଇଛି, ନଳିତା ଠିଆ ଠିଆ ସଢୁଛି, ପାଣିରେ ବୁଡ଼ିରହି ଘାସ ବି ସଢ଼ୁଛି ।

 

ହଠାତ୍ କେଉଁଠି ଗଛ ଉପରୁ କାହାର ଡାକ ଶୁଭେ, ଦେଉଳ ଉପର ପତାକା ପରି କେଉଁଠି ଗଛ ଉପରେ ପତାକା ଦିଶେ, ଚିହ୍ନା ପଡ଼ିବ ବୋଲି ମଣିଷ ସଙ୍କେତ ରଖିଛି । କେଉଁଠି ଡଙ୍ଗା ଦେଖି ପହଁରି ପହଁରି ଧାର ଧାର ମଣିଷ ଚାଲି ଆସନ୍ତି, ମୁଠେ ଆହାର ମିଳିବ ବୋଲି । କେଉଁଠି ଗାଁ ଗୋହୀରି ଭିତରେ ନାହ ଚାଲିଯାଏ, ଚାଳ ଛିଣ୍ଡିପଡ଼ି ଲାଖିଛି, କାନ୍ଥ ଭୁଷୁଡ଼ି ପଡ଼ିଛି, ଖଣ୍ଡିଆ କାନ୍ଥ ଠିଆ ହୋଇଛି, ଆଉଜିଛି, ଗୋଟିଏ କେହି ନାହାନ୍ତି । ଠାଏ ଠାଏ ଅରାଏ ଅରାଏ ଟାଙ୍ଗର ଟାପୁରେ ଗୋରୁ ମଢ଼ ଲମ୍ୱିଥାଏ, ଧେଡ଼ ପଡ଼ୁଥାଏ, ଜୀଅନ୍ତା ଗୋରୁ ଅବଶ ହୋଇ ଟଳିଟଳିକା ମାଡ଼ି ଆସନ୍ତି ଡଙ୍ଗାରେ ମଣିଷ ଦେଖି, ସେହି ଅପଲକ ଡବ ଡବ ଚାହାଣି ନୀରବରେ କହିଯାଏ ତା’ର କରୁଣ ଇତିହାସ, ସେ ଆଖିରେ ଆଶା ଦିଶେ ନାହିଁ ।

 

ଫୁଲଶରାର ତିନି ଖଣ୍ଡି ନାହା କେତେବେଳେ ଏକାଠି ଭେଟାଭେଟି ହୁଏ, କେତେବେଳେ ତିନି ଦଳ ହୋଇ ତିନି ପଟେ କୁଆଡ଼େ କୁଆଡ଼େ ସେମାନେ ଛିନଛତର ହୋଇ ରହନ୍ତି । ତାରିଖ କି ବାର କିଛି ମନେ ରହେ ନାହିଁ, ମେଘ ଅନ୍ଧାର ଭିତରେ କେତେବେଳେ ଦିନ ଉଏଁ, କେତେବେଳେ ନିଭିଯାଏ, ଜୀବନର ଏଠି ନୂଆ ମାଧ୍ୟମ, କାର୍ଯ୍ୟର ନୂଆ ସଂଜ୍ଞା, ଡଙ୍ଗାଏ ଡଙ୍ଗାଏ ଜୀବନ, ପାଣି କାଦୁଅରେ କାମ, ମଣିଷକୁ ଏଠୁ ନେଇ ସେଠି ଛାଡ଼ିବା, କତିରେ ପଦାର୍ଥ ଥିଲେ ସାହାଯ୍ୟ ବାଣ୍ଟିବା, ଆଉ ସାହସ ଦେବା, ସହାନୁଭୂତି ଦେବା ।

 

ତେର ଦିନ ବିତିଲାଣି ଏହିପରି । ପାଣି ଛାଡ଼ି ଆସିଲାଣି । ଘାଇ ଭାଙ୍ଗିଥିବା ନୂଆ ଧାରରେ ପାଣି ଚାଲିଛି, ପାଟରେ ଗହୀରରେ ଖାଲୁଆ ଜାଗାରେ ଏବେ ବି ପାଣି ଭରି ରହିଛି । ଯେଉଁଠୁ ଛାଡ଼ି ଛାଡ଼ି ଆସିଲାଣି ସେଠି ଦିଶୁଛି କୋଶେ କୋଶେ ବାଟ ଜିକିଜିକି ବାଲି ପଟା ଶୋଇ ରହିଛି, ସେହି ଯାହା ଦିନେ ହୋଇଥିଲା ଭାତଥାଳି ଜମି, କେଉଁଠି ଦି’ପୁରୁଷ ତିନି ପୁରୁଷ ଗାଡ଼ କରିଦେଇଛି, ଆଗେ ଥିଲା ଘର ଡିହ, ଜମି, ଗଛ । ଆଉ ଠାଏ ଠାଏ ପଟୁ ପଡ଼ିଯାଇଛି । ଚିହ୍ନା ହୋଇଯାଇଛି ଅଚିହ୍ନା, ଗୋଟାଏ ନୂଆ ସୃଷ୍ଟି-ଧୋଇ ଯାଇଥିବା ଜମି, ସଢ଼ି ଯାଇଥିବା ଫସଲ, ନିଶ୍ଚିହ୍ନ ହୋଇଯାଇଥିବା ବାସସ୍ଥଳୀ, କାଦୁଅ ଦଲଦଲ ଭୂଇଁ ଉପରେ ଗୋଟା ଗୋଟା ହାଡ଼ କଙ୍କାଳ, ଏବେ ବି କିଛି କିଛି ମାଉଁସ ଲାଗିଛି, ଏଠି ସେଠି ପଂଝା ପଂଝା କାଉ ଶାଗୁଣା । ଏଇ ବଢ଼ି ଛାଡ଼ି ଆସୁଥିବା ଦିନ ହିଁ ଆଗଠୁଁ ବେଶି ଅସୁବିଧାର ବେଳ, ଗାଁ ଦାଢ଼ରେ ଡଙ୍ଗା ଲାଗିପାରିବ ନାହିଁ, ଶଗଡ଼ ବି ଯିବ ନାହିଁ, ଯେଉଁ ଗାଁକୁ ଗଲେ ପାଣି କାଦୁଅରେ ପାଦଗତି, କେଉଁଠି କାଦୁଅରେ ଆଣ୍ଠୁ ବୁଡ଼ି ଯାଉଛି, କେଉଁଠି ଛାତିଏ କି ବେକେପାଣି, ଚାରିଆଡ଼ ଓଦା ସନ୍ତସନ୍ତିଆ ଅସନା । ତଳିପା ଓ ଆଙ୍ଗୁଠି ସନ୍ଧିରେ ବାଲି ଖାଉଛି, ଗୋଡ଼ ପେଣ୍ଡାରେ ଜୋକ ଲାଗି ରହୁଛି, ମଶା ମାଛି ଅକଳନ ହୋଇ ବଢ଼ି ଯାଇଛନ୍ତି, କାଶ, ସର୍ଦ୍ଦି, ଜ୍ୱର, ଝାଡ଼ା ରୋଗ ହୁ ହୁ ହୋଇ ବଢ଼ି ଯାଇଛି, ସ୍ଥାନେ ସ୍ଥାନେ ହଇଜା, ସାହାଯ୍ୟ ପହଞ୍ଚିବାକୁ ସୁବିଧା ନାହିଁ ।

 

ସେହି ସଢ଼ା ପୋଚକା ଦୁନିଆଁ ଉପରେ ସଞ୍ଜେ ସକାଳେ ବହଳ ହୋଇ କୁହୁଡ଼ିର ବାମ୍ପ ଉଗାଡ଼ି ହୋଇ ରହେ, ରାତିରେ ଏଠି ସେଠି ଚହଲି ବୁଲେ ଚିରିଗୁଣୀ ଆଲୁଅ, କାଦୁଅ ପଚ ପଚ ଡିହ ଉପରେ ନଡ଼ିଆ ବାହୁଙ୍ଗା, ତାଳ ବାହୁଙ୍ଗା କି ଝାଟି ପତ୍ରର ସାନ ସାନ କୁଡ଼ିଆ ଟେକି ଅପେକ୍ଷା କରି ପଡ଼ିରହନ୍ତି ସୁକୁ ସୁକୁ ମଣିଷ, କାହାର ଝାଡ଼ା ବୋହିଯାଉଥାଏ । ଖଇଁ ଖଇଁ କାଶ ଶୁଭେ, ଉତାଣି ପିଲାର କାନ୍ଦଣା ଶୁଭେ, କେତେବେଳେ କେଉଁ ଜଳାବାଟେ ବିଲୁଆ ପଶି ବୁଲି ଚାଲିଯାଏ । ଯେଉଁଠି ଥିଲା ଖୁନ୍ଦାଖୁନ୍ଦି ମଣିଷ ବସ୍ତି ସେଠି ଛିନା ଛିନା ଲାଗେ, ପାଣି, କାଦୁଅ, ବାଲିପଟା, ବିଧ୍ୱସ୍ତ ମଣିଷସୃଷ୍ଟି ଭିତରେ କେଉଁ କ’ଣରେ ବୁନ୍ଦା ବୁନ୍ଦା ହୋଇ ମଣିଷଗୋଷ୍ଠୀ ଛପି ରହେ ତା’ର ପତ୍ତା ମିଳେ ନାହିଁ ।

 

ପତ୍ତା ମିଳେ ସକାଳ ହେଲେ, ଯେତେବେଳେ ସେହି ଅଲକ୍ଷଣା ଦୁନିଆ ଭିତରେ ମଣିଷ ବାହାରେ ଆହାର ଖୋଜି, ସେତେବେଳେ ସେମେଟା ଉପାସିଆ ଧଡ଼ରା ମଣିଷଦଳ କୁଆଡ଼ୁ, କୁଆଡ଼ୁ, ବାହାରି ଧାର ଲାଗିଯାଆନ୍ତି କୋଶ କୋଶ ଦୂର ରିଲିଫ୍ କେନ୍ଦ୍ରଆଡ଼କୁ, ପେଟରେ ଡହ ଡହ ଭୋକ, ଆଖିରେ ନିଆଁ ।

 

ଫୁଲଶରା ଦଳର ସ୍ୱେଚ୍ଛାକୃତ ସାହାଯ୍ୟ କାମ ସରି ଆସିଲାଣି । ଯାହା ପଦାର୍ଥ ଅଣା ହୋଇଥିଲା କେବଠୁଁ ତା’ ସରିଗଲାଣି, ପର ଉପରେ ଭାର ନ ହେବା ପାଇଁ ଦଳର ଖୋରାକି ପାଇଁ ରହିଛି ସାମାନ୍ୟ କିଛି, ଦିନକୁ ଦି’ମୁଠା ଖାଇ କୌଣସିମତେ କାର୍ଯ୍ୟ ଚଳାଇ ରଖିଲା ଭଳି । କେତେ ସର୍ଦ୍ଦି କାଶ ଜ୍ଵର ପେଟବଥା ଦେହେ ଦେହେ ଯାଇଛି । କେତେ ଦିନ କେତେ ରାତି ବିତିଛି ଆଖି କସରା ପଡ଼ି ନାହିଁ । ପୁଞ୍ଜି ସରିଲେ ବି କାମ ଅଟକି ନାହିଁ । ଡାକିଲେ ଲୋକେ ଓ’ କରିଛନ୍ତି, ଯାହାର ଅଛି ସେ ସାହାଯ୍ୟ କରିବାକୁ ଆଗଭର ହୋଇଛି ।

 

ଆଉ ଆଖି ଛଳ ଛଳ, ଓଠ ଥର ଥର, ଦାଣ୍ଡ କବାଟ କେତେଠିଁ ପଦାକୁ ବାହାରି ପଡ଼ିଛି ଖଡ଼ୁ କାଚ ପିନ୍ଧା ଯୋଡ଼ା ହାତ, ‘‘ଆହା, ନିଅ, ନିଅ’’–

 

ଏଥରକ ଲେଉଟି ଯିବାକୁ ପଡ଼ିବ, ବଢ଼ି ସାହାଯ୍ୟ ପାଇଁ ଚାରିଆଡ଼େ ବ୍ୟାପକ ବ୍ୟବସ୍ଥା ହୋଇସାରିଛି, ସରକାରୀ ସାହାଯ୍ୟ ବ୍ୟବସ୍ଥା ବ୍ୟାପକ ଭାବେ ଲାଗି ପଡ଼ିଛି, ତା’ ସହିତ ମିଶିଛି ବେସରକାରୀ ସାହାଯ୍ୟ ସଂସ୍ଥାମାନ । ଦେଶର ଏହି ବିପତ୍ତି ବେଳେ ଚାରିଆଡ଼ୁ, କିଛି ନା କିଛି ସାହାଯ୍ୟ ଆସି ପହଞ୍ଚିଛି, ଦୂର କାଶ୍ମୀରରୁ, ଗୁଜୁରାଟରୁ, କେରଳରୁ ବି, ସବୁ ପ୍ରଦେଶରୁ । ଦାନ ସହିତ ସହାନୁଭୂତିର ସ୍ୱର ଏକାଠି ମିଶିଯାଇ ପ୍ରମାଣ କରୁଛି- ଭାରତ ଏକ, ସୁଖରେ ଦୁଃଖରେ ଏକ-

 

ନଈରେ ଛାଡ଼ ପଡ଼ିଛି, ଖର ସୁଅ । ଏଥର ଘରମୁହାଁ । ଆଗ ଲେଉଟିଗଲା ଖଣ୍ଡେ ଡଙ୍ଗା, ତା’ପରେ ଆଉ ଖଣ୍ଡେ, ଦି’ଦିନ ଛାଡ଼ି ତୃତୀୟ ଡଙ୍ଗାରେ ଲେଉଟି ଚାଲିଲେ ରବି, ଧୋବେଇ ମିଶ୍ର, ବଇ ମଳିକ, ଦଧି ଗଉଡ଼, ଜମ୍ୱୁ ବେହେରା, ଗୁଲ କେଉଟ ।

 

ଏତେ ନଈ, ଏତେ ପାଟ, ଏତେ ଗାଁ, ଏହି ଏତେ ଦିନର ବଢ଼ି କାମ ଭିତରେ ଚିହ୍ନା ହୋଇଯାଇଛି, ପୁଣି ହୋଇଯିବ ଅଚିହ୍ନା, ସେମାନେ ଦେଖିଗଲେ କାନ୍ଦୁରା କାକୁସ୍ତ ବେଳର କାଲୁବାଲୁ ଦୃଶ୍ୟ । ଆରଥରକୁ ସେ ଦୃଶ୍ୟ ନ ଥିବ, ସେହି ଚିରପରିଚିତ ଗାଁଗହଳିର ଦୃଶ୍ୟ ଝଲସୁଥିବ-ଘରଗହଳି ଗାଁ, ଛାତିଏ ଉଞ୍ଚ ଫସଲ, ଜିକିଜିକି ଘାସ ପଡ଼ିଆରେ ନିରୀହ ଗୋରୁଗାଈ ଦେଉଳରୁ ଘଣ୍ଟି ଶୁଭୁଥିବ, ପୋଖରୀତୁଠରେ ଶୋଧାଶୋଧିର ଝଡ଼, ବସ୍ତାନି ଯାକି ପିଲା ଚାଲିଥିବେ ଚାହଳୀକୁ ।

 

ସେହି କଥା ରବି ଭାବୁଥିଲା, ଆସନ୍ତା ଦିନର ଛବି ଆଙ୍କୁଥିଲା । ସାମ୍ନାରେ ସେହି ଗୋଳିପାଣିର ସମୁଦ୍ର, ବନ୍ଧ ବାଡ଼ ଟପି ଏବେ ବି ଚାଲିଛି ଦିଗନ୍ତକୁ, ଖାଲି ସ୍ଥାନେ ସ୍ଥାନେ କାହାର ଖଇରିଆ ପିଠି ପରି ସଢ଼ାପସଲ ସଢ଼ା ଘାସ ବୋହି ଭୂଇଁ ଉଠିଛି ଉପରକୁ । ଖଦଖଦଡ଼ିଆ ସିଲଟ ପରି ଆକାଶ ଆଉ ପାଣି । ଆକାଶରେ ଚାଲିଛି କଳା କଳା ଧୂଆଁ ପରି ହାଲୁକା ମେଘ ଅରାଏ, ଠାଏ ଠାଏ ସେ କଳା ଚିରାଳ ପରି ଉଡ଼ୁଛି । ଉତ୍ତରା ପିଟୁଛି, ପାଣିରେ ଛିଡ଼ା ହୋଇଛି ନଡ଼ିଆ ବଗିଚାଟିଏ, ତା’ର ବାହୁଙ୍ଗାଗୁଡ଼ାକ ଦକ୍ଷିଣକୁ ଝାଙ୍କି ହେଉଛି । ଉଦାସ ଗମ୍ଭୀର ଛବି ଖଣ୍ଡେ । ଦୂରରେ ଚଡ଼ଚଡ଼ି ବିଜୁଳି ମାରିଲା ଚଡ଼ ଚଡ଼ ଢାଇ, ତଳୁ ଉପରଯାକେ ସାପେଇ ସାପେଇ ଜଳି ଉଠିଲା ।

 

ଜମ୍ୱୁ ବେହେରା କହିଲା, ‘‘ଦଶରା ଗଲା, କୁଆଁରପୁନେଇଁ ଆଜି, ମେଘର ଆଶା ମେଣ୍ଟି ନାହିଁ, ଆହୁରି ଆହୁରି !’’

 

ଦିନଯାକ ସୂର୍ଯ୍ୟ ଲୁଚିଥିଲା, ସେହି ମେଘୁଆ ଆକାଶରେ ପଶ୍ଚିମ କଣରେ ଜଳିଉଠିଲା ସତେ କି ଧାନଉଷୁଆଁ ପତରନିଆଁ ଅରାଏ, ତା’ର ସ୍ପଷ୍ଟ ରୂପ ନାହିଁ କି ଆକାର ନାହିଁ । ଗୋଟାଏ ପାଖୁ ବିରାଟ ହାତୀ ଆରପାଖରେ ଗୋଟାଏ ବିରାଟ ମଇଁଷି ଯେପରି କି ତା’ର ଦୁଇପଟୁ ମୁହାଁମୁହିଁ ହୋଇ ଆକାଶ ଧଡ଼ିରେ ଠିଆ ହୋଇ ରହିଥିଲେ କିଛି ବେଳ । ନିଆଁ ଅରାକୁ ତିନି ଭାଗ କରି ଯୋଡ଼ାଏ କଳାପଟି ଟାଙ୍ଗି ହୋଇରହିଲା । ଆରମୁଣ୍ଡେ ଉଠିଲା କୁଆଁରପୁନେଇଁ ଜହ୍ନର ତାଉ, ବ୍ୟାଟେରି ସରି ଆସୁଥିବା ଟର୍ଚ୍ଚ ଲାଇଟ୍‌ର କ୍ଷୀଣ ଆଲୁଅ ପରି ।

 

କତିରେ କତିରେ ଭାସି ଭାସି ଗଲା ପରି କେତେ ଗାଁ ଗଣ୍ଡା, ହୁଳୁହୁଳି ଶୁଭୁ ନାହିଁ, ଶୁଭୁ ନାହିଁ କୁଆଁରପୁନେଇଁ ଗୀତର ପ୍ରତିଧ୍ୱନି, ସବୁ ଶୂନ୍‌ଶାନ ପଡ଼ିଯାଇଛି ।

 

ଜହ୍ନ ଆଲୁଅ ତେଜିଲା । ଅନ୍ଧାର ଅନ୍ଧାର ଦିଶୁଛି ଗାଡ଼, ବାଲିପଟା, ଠାଏ ଠାଏ ଜିକିଜିକି, ଭଙ୍ଗା ଚାଳ, ଭଙ୍ଗା କାନ୍ଥ, ଧାଡ଼ି ଧାଡ଼ି, କୁଢ଼ କୁଢ଼, ତାହାରି ଉପରେ ଜହ୍ନ ଆଲୁଅ ଝିଲିଝିଲେଇଲା । ସବୁ ଚୁପ୍ ଚାପ୍‌ପଡ଼ିଯାଇଛି ।

 

ବିଲୁଆ ବୋବେଇଲେ, ସତେ ଯେପରି କି ୟେ ଖାଲି ବିଧିରକ୍ଷା, ଅଳ୍ପ କେଇଜଣ, ଅନ୍ୟପଟୁ କେହି ପାଳି ଧରୁ ନାହାନ୍ତି, ବିଲୁଆ ବି ବଢ଼ିରେ ଭାସିଗଲେ ।

 

‘‘ପୁଣି କେବେ ଆସିବ ? ପୁଣି କେବେ ଆସିବ ?’’ ଦିନବେଳେ କେତେ ଗାଁ ଲୋକ ଆଗ୍ରହରେ ପଚାରିଥିଲେ ।

 

ରବି ମୌନ ହୋଇ ରହି ହେତୁ କଲା, କେତେ ମହଁ, କେତେ ଆଖି, କେତେ ବିକଳ, କେତେ ଅଳି ।

 

ସେମାନେ ସମସ୍ତେ ତା’ର ଆପଣାର ।

 

‘‘ହେଇ ଯେଉଁ ଆଲୁଅଗୁଡ଼ାକ ପାଖକୁ ପାଖ ଦିଶୁଛି ସେହି ପାଟେଳି ଗାଁ’’ ଜମ୍ୱୁ ବେହେରା କହିଲା । ଚାହୁଁ ଚାହୁଁ ଡଙ୍ଗା ମୋଡ଼ ବୁଲି ବାଙ୍କରେ ବାହାରିଗଲା ।

 

ଏଡ଼େ ଭୟଙ୍କର ବଢ଼ିଟା ଆସିଥିଲା । ଯେ ଭାଙ୍ଗିବାକୁ ନୁହେଁ ଯୋଡ଼ିବାକୁ ଆଉ ଗଢ଼ିବାକୁ ।

 

ଉଦୁଉଦିଆ ଫଗୁଣ ଦ୍ୱିପ୍ରହରେ ବନ୍ଧ ଉପରେ ବସି ରୋହିନାଥ ନୂଆ ବସ୍ତିଆଡ଼କୁ ଅନାଇଁଥାଏ ଆଉ ଭାବୁଥାଏ । ଡାଳି ଡାଳି ହୋଇ ଘଞ୍ଚ ଅରଖବୁଦା ଚେକାମାଡ଼ି ବସିଛି, ଫିକା ବାଇଗଣୀ ଫୁଲ ଖୁନ୍ଦି ହୋଇଛି । କତିରେ ଗୋଟାଏ ଲମ୍ୱା ଗଇଁତି ଶୋଇଛି । ଅରଖ ଗଛର ଉପରେ ହଳଦିଆ ପ୍ରଜାପତି ଓ ଲମ୍ୱ ଲମ୍ୱ ଭଅଁର ବସିଛନ୍ତି । ପାଖରେ ଗୋଟିଏ ଗୋଟାଳିଆ ହୋଇ କୋଳଥ ରଙ୍ଗର କୁକୁର ଅଛି । ମଝିରେ ମଝିରେ ଏ ବୁଦାରୁ ସେ ବୁଦାଆଡ଼କୁ ସେ ଧାଇଁଯାଉଛି, ମିଛରେ ଚହଳ ପକାଉଛି, ପ୍ରଜାପତି ଓ ଭଅଁର ଅରଖ ଗଛ ଛାଡ଼ିଦେଇ ତାହାରି ଉପରେ ଶୂନ୍ୟେ ଶୂନ୍ୟେ ଉଡ଼ିଛନ୍ତି ।

 

‘‘ଆ, ପୋଟଳ,’’ ରୋହି ନାଥ କୁକୁରକୁ ଡାକିଲା, ‘‘ଚଗଲା ହନା, ଥିରହୋଇ ବସ ।’’ ପୋଟଳ କୁଦାମାରି ଛୁଟିଆସି ତା’ ଲୁଗାକାନିକୁ ପାଟିରେ ଧରି ବାଇଲାଗିଲା ପରି ମୁଣ୍ଡକୁ ବାଁକୁ ଡାହାଣକୁ ଜୋରରେ ଝାଙ୍କିଲା, ସତେ ଯେପରି କି ଲୁଗାଖଣ୍ଡକ ଭିଣିଭିଣା କରିଦେବ । ବର୍ଷକରୁ କେତେ ମାସ ବେଶି ହେବ ତା’ ବୟସ, ସେ ଆକାରରେ ବଡ଼ ହୋଇଯାଇଛି, କୌତୁକ ଲଗାଇବା ଛାଡ଼ି ନାହିଁ । ଲୁଗା କାନିଟା ଏତେ ଟିକିଏ ବି ଚିରିବ ନାହିଁ । ଖାଲି ପାଟିରେ ଚିପିଧରିବା ପାଇଁ ଯେତିକି ଦାଗ ଦରକାର ସେତିକି । ଦାନ୍ତରେ ଦାନ୍ତ ମିଶାଇ କାଇଦା କରୁକରୁ ପୋଟଳର ପାଟିରୁ ଲାଳ ବୋହିପଡ଼ୁଛି । ରୋହି ନାଥ ତା’ମୁହଁକୁ ଅନାଇଁଲା, ପୋଟଳ ତା’ଲୁଗାକାନିକୁ ପାଟିରେ ଧରି ଝାଙ୍କ ବନ୍ଦ, କରି ସ୍ଥିର ହୋଇ ତା’ମୁହଁକୁ ଅନାଇଁଲା, ଜାଣିଲା ପରି ବୁଝିଲା ପରି ତା’ର ଓସାର ଆଖି, ସତେ କି କଳା ନାଇଛି, କେଡ଼େ ଚିକ୍‍କଣ କଳା ନାକ ଅଗ ଆଉ ଥୋମଣି ।

 

କେଡ଼େ ବଡ଼ ବଢ଼ି ଆସିଥିଲା, ପୋଟଳ ସେତେବେଳେ ଜନ୍ମ ହୋଇ ନ ଥିଲା । ରୋହି ନାଥ ଭାବିଲା ।

 

‘‘ଛାଡ଼୍‌ ଛାଡ଼୍‌,’’ ସେ ପୋଟଳର ପିଠିରେ ଆସ୍ତେ ଗୋଟିଏ ଚାପୁଡ଼ା ଥୋଇଲା, ପୋଟଳ ପଛକୁ କୁଦିଯାଇ ପୁଣି ଆଗକୁ କୁଦାମାରି ଠିକ୍ ତା’ପାଟି ଉପରେ ମୁହଁରେ ଖୁମ୍ପିଦେଇ ଚାଟିଦେଲା, ତା’ପରେ ତା’ ଚାରିପଟେ ଦଉଡ଼ା ଦଉଡ଼ି କରି ବାରମ୍ୱାର ତା’ଉପରକୁ ନାନା ଦିଗରୁ ଡେଇଁ ଡେଇଁ ତା’ମୁହଁର ଦେହର ନାନା ସ୍ଥାନରେ ଖୁମ୍ପି ଖୁମ୍ପି ଚାଟିଲାଗିଲା ।

 

‘‘ଧ୍ୟାତ୍ ଧ୍ୟାତ୍, ତୁ ଉଠୁଚ, ନା–’’ ସେ ଠିଆ ହୋଇପଡ଼ି ପୋଟଳକୁ ଟେକା ଉଞ୍ଚେଇ ଦୂରକୁ ଫୋପାଡ଼ିଲା । ସେହି ସେ ଦୂରରେ ବନ୍ଧ ଉପରେ ଗୋଟିଏ ଧୂଳି ଭଉଁରି ଘୂରିଘୂରିକା ବନ୍ଧ ପାରିହୋଇ କଣ୍ଡିଆ ଉପରକୁ ଓହ୍ଲାଇ ଯାଉଛି । ପୋଟଳ ସେହିଆଡ଼କୁ ଧାଇଁଗଲା ।

 

ଗାଁ ଆଡ଼ୁ, ଗୋଟିଏ ନାଲି କୁତୀ ଦୌଡ଼ି ଦୌଡ଼ି ଆସୁଛି । ସରୁ ଅଣ୍ଟା, ସରୁ ଦେହ, ନେହୁଳୀଟିଏ । ପୋଟଳ ମଙ୍ଗ ବୁଲେଇନେଇ ତାହାରିଆଡ଼କୁ ଦୌଡ଼ିଗଲା । ସେହି ସେକରେ, ଯେଉଁଠି ଏକାଠି କେତୋଟି ପାଟେଳିଗଛ ନାଲି ଟହ ଟହ ଫୁଲ ଲଦି ହୋଇ ଝଙ୍କା ମେଲିଛି । ସତେ କି ସେଥିରୁ ନାଲି ଧାସ ବାହାରୁଛି, ଶୂନ୍ୟରେ ଛିରିକି ପଡ଼ୁଛି । ପୋଟଳ ଆଉ ଫେରିଲା ନାହିଁ-

 

ଗାଁ ଆଡ଼ୁ, ମଠେଇ ମଠେଇ ଗୋଟିଏ ଗୋଟିଏ ହୋଇ ପାଦ ଘୋଷାରି ଆସୁଛି ନାଲା, ପାଣସାହିର ବିଖ୍ୟାତ କୁକୁର ଥିଲା ସେ ଦିନେ । ହାଡ଼ କଣ୍ଟା ଦୋହଲୁଛି, ଦେହରେ ରୁମ ନାହିଁ, ଛାଲଯାକ ଘା ନେସିହୋଇଛି, ବେକ ନଡ଼ ନଡ଼ । କେତେବେଳେ, ଦି’ ପାହୁଣ୍ଡ ଆଗକୁ ଯାଉଛି, କେତେବେଳେ ଖାଲି ଠିଆହୋଇ ରହୁଛି । ଗୋଡ଼ ଥରୁଛି, ଭୁସ୍‌କିନା ତଳେ କଚାଡ଼ିହୋଇ ପଡ଼ୁଛି, ପୁଣି ଉଠୁଛି, ଗୋଟିଏ ଗୋଟିଏ ହୋଇ ବନ୍ଧ ତାଳୁରେ ଚଢ଼ୁଛି । ନାଲା ଠିଆହୋଇ ରହି ବେକକୁ କରକୁ ଢଳେଇଦେଇ ସେହି ପଳାଶ ଗଛଆଡ଼େ ଅନାଇଁ ରହିଲା । ପୁଣି ତା’ଗୋଡ଼ ଥରିଲା, ସେ ଠିଆ ଠିଆ ଆଗକୁ ପଛକୁ ଦୋହଲିଲା । ତା’ପରେ ଦୁମ୍‌କିନା ପଡ଼ିଲା ।

 

ସତେ ତ, ପୋଟଳ ବି ନାଲାର ସନ୍ତାନ ପରା ! ନାଁ ଡାକ ନାଲା, କୁକୁରସିଂହ । କେତେ କୁକୁରଙ୍କୁ ବେକରୁ ଧରି ଟେକିଦେଇ ଝୁଣି ଝାଡ଼ି ଫୋପାଡ଼ିଛି । ମାଙ୍କଡ଼ ଧରିଛି । ଛେଳି କାମୁଡ଼ି ମାରି ଖୁରି ଫଉଜଦାରି କରିଛି । ଟେକା ପକାଇଲେ ମଣିଷଙ୍କୁ ଗୋଡ଼େଇଛି । ଦିନାକେତେ ରଘୁଆ ପାଣ ଗୋଟାଏ ବାଉଁଶ ଆଗରେ ମୋଟ ଦଉଡ଼ିର ଫାଶକରି ତା’ବେକରେ ବାନ୍ଧି ତାକୁ ଘରେ ଅଟକାଇ ରଖିଥିଲା । ସେହି ନାଲା । ଦଶ ବର୍ଷରେ ତା’ ସଂସାରର ଖେଳ ସରିଆସୁଛି । ପଡ଼ିଯାଇଥିଲା ଉଠିଲାଣି, କିନ୍ତୁ ଦିନେ ପଡ଼ିଯିବ ଆଉ ଉଠିବ ନାହିଁ ।

 

ରୋହିନାଥ ଗଇଁତି ଟେକିଧରି ଠିଆ ହେଲା । ମନରେ ଦୋଦୋପାଞ୍ଚ ଆସୁଛି, ସେ ଯିବ କି ନାହିଁ । ତା’ ଡାହାଣ ପାଦରେ ଖେଣ୍ଟା ବାଜି ଗୋଟିଏ ଛୋଟ ଘା ହୋଇଛି, ପାଦ ଦରଜ, ଚାଲିଲେ କାଟୁଛି । ଏ ଓଳି ପୁଣି ସେହି ପୋଖରୀ ଖୋଳା କାମ । ସେ ଯାଉ ନ ଯାଉ ତା’ଘରେ ଡାଲି ଚାଉଳ ପରିବା ଲୁଣ ତେଲ କରି ସଞ୍ଚାଟିଏ ଆସି ଥୁଆହେବ, ଏମିତି ଚାଲିଆସିଲାଣି ଏ ଦେଢ଼ବର୍ଷ କାଳ, କାମ କଲେ ଖାଇବାକୁ ମିଳିବ, କାମ ନକଲେ ବି । ସେଥିପାଇଁ ତ ମାଡ଼ି ପଡ଼େ । କାମ ନ କରି ସେ ଭୋଜନ ବଜେଇବ କେମିତି ? ଦଶ ଜଣଙ୍କ ଧନ, ଏକା ତାହାରି ବୋଲି ନୁହେଁ-। ସତେ କି ଶିବ ନିର୍ମାଲ୍ୟ, ଠକିଲେ ସେ ହଜମ ହେବ କେମିତି ? ଠକିବ ଅବା କାହାକୁ ? କିଏ ସାଆନ୍ତ କିଏ ମୂଲିଆ ? ଧନ ବଢ଼ିଲେ ସେଥିରେ ଦଶଜଣଙ୍କର ଉପକାର । ତିନିମାଣିଆ ପୋଖରୀଟା ବରଷା ଆଗରୁ ଖୋଜିପାରିଲେ ତା’ଭିତରେ ଗୋବର କୁଢ଼େଇ ତା’ଉପରେ ହଳ କରି ପହିଲି ଅସରାରେ ସେଥିରେ ପାଣି ପଶିଲେ ମାଛ ଯାଆଁଳ ଛଡ଼ା ହେବ । ଯୋଡ଼ାଏ ବର୍ଷରେ ମାଛ ବଡ଼ ବଡ଼ ହୋଇଯାଇଥିବେ, ତା’ପରେ ସମସ୍ତିଙ୍କ ପତରରେ ସେଥିରୁ ଆସି ମାଛ ପଡ଼ିବ ତ । ଅବଶ୍ୟ ନଈରୁ କିଛି ଆସୁଛି, କିନ୍ତୁ ସେ ସବୁଦିନେ ନୁହେଁ କି ମନଲାଖି ନୁହେଁ, ସାମାନ୍ୟ ପରିମାଣରେ ଚୁନି ମାଛ କି ପୋହଳା କି ଜହ୍ନା । ସେମିତି ଆହୁରି କିଛି ତୋଟା ଲଗାଇବା କାମ । ଯାହା ଅଳ୍ପ ଆମ୍ୱଗଛ ଥିଲା ସେ ସେହି ବଢ଼ିରେ ଯାଇଛି, ଗଲା ବର୍ଷଠୁଁ ତୋଟା କାମ ଆରମ୍ଭ ହୋଇଛି । ଆମ୍ୱ, ପଣସ, ନଡ଼ିଆ, ପିଜୁଳି, ଜାମୁ, ପୋଲାଙ୍ଗ, ନାନା ଜାତି ଗଛ, ବଡ଼ ଅରାଏ ଲଙ୍କାବାଦାମ । ଏ ବର୍ଷ ଆହୁରି ବଡ଼ ଅରାଏ ଲାଗିବ, ଆଉ ଏ ବର୍ଷ ନୂଆ ହୋଇ ଲାଗିବ ଝାଉଁ । ବାଲି କାଢ଼ି କାଢ଼ି ଯେଉଁଠି ଢିପକରି ଗଦେଇ ଦିଆହୋଇଛି ସେହି ବାଲିପଟାଳି ସାରା ଏ ବର୍ଷ ଝାଉଁ ଲାଗିବ । ହଳ, ତୋଟା ପାଇଁ ଗାତଖୋଳା, ଖତମଡ଼େଇବା, ବଡ଼ ବଡ଼ ପରିବାବାରି ପାଇଁ ବାଡ଼ ବୁଜିବା, ଘର ତୋଳିବା, ଘର ଛୁଆଣି କରିବା, ନାନା କାମ । ମୁହୁର୍ତ୍ତେ ଫୁରୁସତ୍‌ନାହିଁ ।

 

ଭାବୁ ଭାବୁ ସେ ବନ୍ଧେ ବନ୍ଧେ ଚାଲିଲା । ସେହି ଯୁକ୍ତି ହିଁ ସେ ଦୁଇ ଆଗରେ କହିଥିଲା, ଏତେ କାମ ଛାଡ଼ି ଘରେ ମାଣ୍ଟେଇଲେ କୋଠପ୍ରତି ବେଇମାନି ହେବ, ଦ୍ରୋହ ହେବ, ପାପ ହେବ, କୋଠର ଆୟ କମିବ, ସମସ୍ତିଙ୍କ ଉପରେ କ୍ଷତିର ପରିଣାମ ପଡ଼ିବ ।

 

ଦୁଲ କହିଲା, ‘‘ଏକା ତେମେ ଜଣେ ଓଳିଏ ନ ଗଲେ ଏତେ କ୍ଷତି ହୋଇଯିବ ? ଆଉ କ’ଣ କେହି ନାହାନ୍ତି ? ତୁମେ ଏକୁଟିଆ ସବୁ ମୁଣ୍ଡେଇ ଧରିଛି ?’’ ସେ କହିଥିଲା, ‘‘ଏଇଆ ଭାବିଲେ ଘର ଭାଙ୍ଗେ । ସମସ୍ତେ ଏଇଆ କହି ଘରେ ବସିଲେ ଭଲା କୋଠ ଚଳିବ ଏକା !’’

ତା’ପରେ ସେ କାମକୁ ଆସିଥିଲା । କିନ୍ତୁ ପାଦରେ ସେହି ଧକ୍ ଧକ୍ । ତେଣୁ ସେ ଅଳସେଇ ହେଉଥିଲା । ଭାବୁଥିଲା ଅନ୍ତତଃ ଏଇ ଓଳିଟା ରହିଗଲେ- । କିନ୍ତୁ ପୁଣି ସେ ଆପଣାକୁ ଆପେ ଦମ୍ଭ ଦେଇ ଆଗେଇ ଚାଲିଲା । ଭାବିଲା, ବାଦବୁଦିଆ ହୋଇ ଲୋକେ କାମରେ ଲୋଟୁଛନ୍ତି, କିଏ ଆଗେ ଯାଇ କେତେ ବେଶି କରିପାରିବ, ସମସ୍ତିଙ୍କର ଦେହ ମୁଣ୍ଡ ଅଛି, କିନ୍ତୁ କାମ କରିବା ଉତ୍ସାହରେ ଭୋକ ଶୋଷ ଭୁଲି ସମସ୍ତେ ଲାଗିଛନ୍ତି, ଆପଣା କଷ୍ଟକୁ ବଡ଼ କରି ପଛେଇ ଗଲେ କେଡ଼େ ଲାଜ କଥା ! ତା’ପରେ ସଙ୍ଖୋଳିବାକୁ ସେମାନେ ଆସି ଘରେ ପହଞ୍ଚିଯିବେ, କ’ଣ ହୋଇଛି କ’ଣ ହୋଇଛି ବୋଲି ପଦ ଶୁଣୁ ଶୁଣୁ ସେ ଜଣ ଜଣ କରି ସମସ୍ତିଙ୍କି ପାଦଟା ଟେକି ଦେଖାଇବ, ବୁଝେଇ ଦେବ । କ’ଣ ସେମାନେ ଭାବିବେ ! ଧଣ୍ଡା ତୁଳସୀ ଧରି ଠାକୁରଘରେ ସମସ୍ତେ ନିୟମ କରିଥିଲେ ପରା-ବିଛଣାରେ ପକାଇଦେଲା ଭଳି ରୋଗ ନ ଧରିବା ଯାକେ କେହି କାମ ମାରା କରିବେ ନାହିଁ ।

ଉଦୁଉଦିଆ ଖରାରେ କାନ୍ଧରେ ଗଇଁତି ବୋହି ଖଣ୍ଡିଆ ଗୋଡ଼କୁ ଘୋଷାରି ଘୋଷାରି ପେଙ୍ଗେଇ ପେଙ୍ଗେଇ ଚାଲିଲାବେଳେ ତା’ ମନରେ ଉତ୍ସାହ ଓ ପୁଲକ ବହକି ଉଠୁଛି । କାହିଁ ଆଗେ ଏତେ ଏତେ ବର୍ଷ ସେ କଳ ପରି ଆପଣା କାମ କରି କରି ହିଁ ତ ଜୀବନ ବିତେଇ ଦେଇଛି; ସୁଖ ପାଇଛି, କିନ୍ତୁ ଏ ଉଛୁଳା ଆନନ୍ଦ ପାଇ ନାହିଁ । ଅଖିଆ ଅପିଆ ଝାଳ ଦରଦର ହୋଇ ଖରାରେ ସିଝି ସିଝି ସେ ଯେତେବେଳେ ଗାଁରେ ରାମନବମୀ ଯାତ ପାଇଁ ରାବଣେଶ୍ୱରର ଭାଡ଼ି ବାନ୍ଧେ, ରାମ ଲକ୍ଷ୍ମଣ ସୀତାଙ୍କ ପାଇଁ ପତର କୁଡ଼ିଆ କରେ, ପଞ୍ଚବଟୀ ସଜାଏ, ଦାଣ୍ଡରେ ଛାମୁଣ୍ଡିଆ ମାରିବା କାମରେ ଲୋଟିପଡ଼େ, ଖୋସଣୀରୁ କାଢ଼ି ପାନ ଖଣ୍ଡେ ପାଟିରେ ପକାଏ, ରୁଢ଼ା କଣ୍ଟା ଚିବୁକ ଉପରେ ହାତ ପାପୁଲି ବୁଲାଇ ଆଣି ଝାଳକୁ ପୋଛି ଛାଟି ଦେଉଥାଏ, ବେଳେ ବେଳେ ତା’ ମନ ଯେପରି ଆନନ୍ଦରେ ପୂରି ଉଠୁଥାଏ, ଏ କାମ ସତେ କି ସେମିତି ଲାଗେ, ବରଂ ତାଠୁଁ ଆହୁରି । ରାମନଅମୀ କି ରାହସ କି ଝୁଲଣ କି ଭାଗବତ ସପ୍ତା ତ ବରଷକେ ଥରେ ଥରେ, କିନ୍ତୁ ଏ ସୁଖ ଏବେ ସବୁଦିନେ, ଏହି ଯେଉଁଦିନୁଁ ପାଟେଳିଗାଁର ଏ ପାଖଟା ମିଶି ଗୋଟାଏ ହେଲାଣି ସେହିଦିନ । ଲୋକେ କୁହାକୋହି ତ ହୁଅନ୍ତି–’’

‘‘ନଖିଆ ପଛକୁ ରୋହିନାଥ, କମି କାମିକା !’’

ନଖିଆ ପ୍ରତି ତା’ର ଈର୍ଷା ନାହିଁ । ଜାତିରେ ପାଣ, ବୟସରେ ତାଠୁଁ କେତେ ସାନ, କିନ୍ତୁ ତା’ର ଉତ୍ସାହ ସଙ୍ଗକୁ ମାଲ ପରି ତା’ଦେହର ଗଢ଼ଣ; ତା’ବଳ, ଆଉ ବୁଦ୍ଧି କୌଶଳ ସା ଦିଏ, ସେ ଜଣେ ପାଞ୍ଚ ଜଣଙ୍କ କାମ ଉଠାଏ, ହଳ କରିବା ହେଉ କି ମାଟିକାମ ହେଉ କି କାଠ ଚିରିବା ହେଉ ଯେଉଁ କାମରେ ତାକୁ ଲଗାଇ ଦିଆ ହେବ ସେ କାମରେ ତା’ହାତ କେତେବେଳେ ଥିର ହୁଏ ନାହିଁ, କିଛି ନ ମିଳିଲେ ନଡ଼ିଆକତା ଦୌଡ଼ି ବୁଣିବ, ମସିଣା ବୁଣିବ, ଦୀପ ରଖିବା ରୁଖା କି ପିଲାଙ୍କ ଖେଳଣା କି କୁଲା ଟୋକେଇ ବାଉଁଶିଆ ଯାହା ହେଲେ କିଛି ସେ କରୁଥିବ, ଘରେ ଘରେ ତାହାରି ହାତର କାମ, ସମସ୍ତିଙ୍କି ସବୁ ତା’ର ଉପହାର ।

କୁଆଡ଼େ ଥିଲା ନଖିଆ ? ପାଣସାହିର ସାଧାରଣ ପାଣ ଜଣେ, ସଦା ପାଣ ତଳେ ଭାଗରେ ସେ ଚାଷ କରୁଥିଲା, ଆଉ ଅଧିକା କେବେ କିଛି ଗୁଣ ତା’ର ପଦାକୁ ଫୁଟି ନ ଥିଲା । ଏବେ ଘରେ ଘରେ ନଖିଆର ନାଁ–‘‘ଏଇଟା ନଖିଆ କରିଛି । ଦେଖ କେଡ଼େ ସୁନ୍ଦର !’’

‘‘ନଖିଆ ଏମିତି କହୁଥିଲା I’’ ‘‘ନଖିଆକୁ ଡାକ ।’’

 

ବଡ଼ ଭାଗରେ ନଖିଆ ନାଁ କଲା କିନ୍ତୁ ସାନ ଭାଗରେ ହେଉ ପଛେ, ଆହୁରି କେତେ ମଣିଷ ନୂଆ ଗୁଣ ଚହଟାଇଲେ । ଦିନ ଦିନକର ଘଟନା ଭାବିଲେ ଏମିତି ଗୋଟି ଗୋଟି ହୋଇ କେତେ ମଣିଷ ଆଖିରେ ପଡ଼ନ୍ତି । ସେମାନେ ସମସ୍ତେ ଗାଁ ଗୋଟାକର ଉପକାରିଆ ଭାଇ, ଯେ ଯାହା ଉପାୟରେ କାମରେ ଲାଗିଛନ୍ତି, ସ୍ନେହ ବଢ଼ିଛି, ଆନନ୍ଦ ବଢ଼ିଛି । ସତେ କି ଆଗେ ଏଇ ଠାଆଟା ଲାଗୁଥିଲା ଗୋଟାଏ ଜଙ୍ଗଲ ପରି, ସେଠି କେଉଁ ଗଛ କ’ଣ କିଛି ଚିହ୍ନା ପଡ଼ୁ ନ ଥିଲା । ତା’ପରେ ସତେ ଅବା ବସନ୍ତ ଋତୁ ଆସିଲା, ସବୁ ଗଛରେ ଫୁଲ ଫୁଟିଲା, ଦିଶିଲା–ନାନା ଗଛରେ ନାନା ଜାତି ଫୁଲ, କି ସୁନ୍ଦର ଫୁଲ, କି ସୁବାସ, ଯାହା ଜଙ୍ଗଲ ବୋଲି ଲାଗୁଥିଲା ସେ ଗୋଟିଏ ଅତି ସୁନ୍ଦର ବଗିଚା । ଏମିତି ଫୁଲ ଫୁଟାଇପାରିଲେ ଦୁନିଆରେ କେତେ ମଣିଷ ଜଙ୍ଗଲ ହେବ କେତେ ସୁନ୍ଦର ବଗିଚା !

 

ସେହି ଉଦୁଉଦିଆ ବେଳେ ଗଇଁତି କାନ୍ଧେଇ ଛୋଟେଇ ଛୋଟେଇ ବନ୍ଧେ ବନ୍ଧେ ବାଟ ଚାଲିଲାବେଳେ ରୋହିନାଥ ମନରେ ଏମିତି ଧାରଣାମାନ ଆସୁଛି । ଆପଣ ମାର୍ଗରେ ସେ ଭାବିବାକୁ, କଳିବାକୁ ଚେଷ୍ଟା କରୁଛି-କ’ଣ ଥିଲା, କ’ଣ ହେଲା, କାହିଁକି ହେଲା, କେମିତି ହେଲା ।

 

ବନ୍ଧ ତଳେ ପାଖ ପାଖ ହୋଇ ଯୋଡ଼ିଏ ବସ୍ତି ଥିଲା-ଯୋଗୀସାହି ଆଉ ପାଣସାହି । ସବୁଠି ଯେମିତି ସେଠି ବି ସେମିତି ଲୋକେ ଆପଣା ଆପଣା ସୁଖ ଦୁଃଖରେ ଚଳୁଥିଲେ, ନିଜ ପାଇଁ ନିଜେ, ପର ପାଇଁ ହିଂସାବାଦ, ଗୋଟି ଗୋଟିକିଆ ହୋଇ ପରସ୍ପର ସଙ୍ଗରେ ଲଢ଼ାଇଢ଼ି, ପୁଣି ଦଳ ଦଳ ହୋଇ, କେତେବେଳେ ଜାତି ଜାତି ମେଣ୍ଟରେ ଖୁପୁରା ଖୁପୁରି, ଯୋଗୀସାହିଆ, ପାଣସାହିଆ, ଗଉଡ଼ସାହିଆ ଆଉ କେଉଁ ସାହିଆଙ୍କ କଳି । କଳିଦଳ ଶେଷରେ ନିଶାପ ବସୁଥିଲା, କଳି ଭାଙ୍ଗୁଥିଲା ପୁଣି ତେଜିବାକୁ, ମଝିରେ ନିଶାପ ଭାଙ୍ଗଣରେ ଜୋରିମାନା ଦିଆଦେଇରେ କେତେବେଳେ ଠାକୁରାଣୀ ମାଜଣା ହେଉଥିଲା । ଚାଲିଥିଲା ଏମିତି ।

 

ତା’ପରେ ସେ ପ୍ରବଳ ନଈବଢ଼ି ଆସିଲା, ଯୋଗୀସାହି ଗଲା, ପାଣସାହି ଗଲା, କ୍ଷେତ ବାଡ଼ି ଘର ତୋଟା ସବୁ ଚାଲିଯାଇ ରହିଲା କେଉଁଠି ଖାଲ, କେଉଁଠି ବାଲିପଟା, ସବୁ ଏକାକାର ।

 

କିନ୍ତୁ ତାହାରି ସଙ୍ଗେ ସଙ୍ଗେ ଆସିଥିଲା ଫୁଲଶରାର ପ୍ରଭାବ, ନାଗ ମୁଣ୍ଡକଟା ସୁଅକୁ ନ ଡରି ଜୀବନ ମୁରୁଛି ମଣିଷଙ୍କ ଉପକାର କରିବାକୁ ଆଗ ସେହିମାନେ ଆସି ପହଞ୍ଚିଥିଲେ, ତା’ପରେ ଆସିଥିଲେ ଅନ୍ୟମାନେ, କିନ୍ତୁ ବଜ୍ରେଶ୍ଵରଙ୍କ ଢିପରେ ସେହି ଦିନଟା–ସେ ପାସୋରି ହେବ ନାହିଁ ।

 

ଏଣେ ପାଟେଳିଗାଁରେ ଆଗରୁ କାମ କରୁଥିଲେ ସିନ୍ଧୁ ଚୌଧୁରୀଙ୍କ ଝିଅ ଛବି, ଆଶ୍ଚର୍ଯ୍ୟ ସେ ଝିଅଟି, ଏବେ ବି ତ ସେ ଏଇ ଗାଁର ଜୀବନ-ପ୍ରାଣ, ଅନ୍ଧାର ବାଟରେ ସେହି ତ ଆଲୁଅ, ଧନ୍ୟ କହିବ ତାକୁ । ତା’ରି ସଙ୍ଗେ ସଙ୍ଗେ ଆଉ କେତେ ବୋହୁ ଝିଅ ଏକାଠି ବାହାରି ପଡ଼ିଥିଲେ, ତାଙ୍କ ପଛେ ପଛେ ନିଜେ ସିନ୍ଧୁ ଚୌଧୁରୀ, ଗାଁର ଆହୁରି କେତେ ଯୁବକ କି ବୃଦ୍ଧ ।

 

ଦୁଇ ସୁଅ ମିଶି ଯାଇଥିଲା, ଫୁଲଶରା ଆଉ ପାଟେଳିଗାଁ, ତହିଁରୁ ଉପୁଜିଥିଲା ନୂଆ ସମାଜ, ସମସ୍ତେ କୋଠରେ ଚଳିବେ, ପାଣ ନାହିଁ, ଯୋଗୀ ନାହିଁ, ବ୍ରାହ୍ମଣ ନାହିଁ, କରଣ ନାହିଁ, ଯାହାର ଇଚ୍ଛା ହେଉଛି ମିଶୁ ସେ ଏ କୋଠରେ, ତାଷ ରୋଜଗାର ପରିଶ୍ରମ ଏକାଠି ମିଶେଇଦେଇ ସବୁ ମିଶି ଗୋଟାଏ ପରିବାର, ଏତେ ହାତଗୋଡ଼, ଏତେ ମୁଣ୍ଡର ଖଟଣିରୁ ଯାହା ମିଳିବ ସବୁ ଏକାଠି ହେବ, ବାଣ୍ଟି କୁଣ୍ଟି ଖାଇ ସମସ୍ତେ ଚଳିବେ, ପୋଷିବା ପାଳିବା ହାନିଲାଭ ପାଇଁ କୋଠ ହିଁ ଦାୟୀ ରହିବ, ସମସ୍ତେ ସେହି କୋଠର, କୋଠ ସେହି ସମସ୍ତିଙ୍କର ।

 

କେମିତି ଏ ସମ୍ଭବ ହେଲା । ହଠାତ୍ ଆଜି ଭାବି କହି ହେବ ନାହିଁ, ହେଲା ତା’ବଢ଼ି ଚାଲିଗଲା ଉତ୍ତାରୁ ସେହି ଶୂନ୍ୟ ବାଲିପଟାକୁ ଅନାଇଁ ଯୋଗୀସାହିଆ ପାଣସାହିଆ ଦୁଇ ସାହିର ଲୋକ ହଁ କରେ, ତାଙ୍କ ସଙ୍ଗରେ ସମ୍ପତ୍ତି ମିଶାଇଦେଲେ ସିନ୍ଧୁ ଚୌଧୁରୀ, ତା’ପରେ ଜଣ ଜଣ ହୋଇ ଆହୁରି କେତେ, ଆଗ ପଛ ହୋଇ ଆହୁରି ଗୋଟିଏ ଗୋଟିଏ ଓହ୍ଲେଇ ପଢ଼ିଲେ, ସମସ୍ତେ ମିଶି ନାହାନ୍ତି, ଗାଁରେ ଆହୁରି କେତେ ପରିବାର ଆଗ ପରି ରହି ଚଳୁଛନ୍ତି, କିନ୍ତୁ ପାଣସାହିର, ଯୋଗୀସାହିର ସମସ୍ତେ ଓ ଅନ୍ୟାନ୍ୟ ନାନା ଜାତିର ବହୁ ପରିବାର ଏ ନୂଆ କୋଠରେ ମିଶିଯାଇ ସମୁଦାୟ କୋଠରେ ହେଲେଣି ଷାଠିଏ ପରିବାର, ଆହୁରି କେତେ ଲୋକ ଢଳୁଛନ୍ତି । ଦେଢ଼ବର୍ଷ ବି ହୋଇନାହିଁ, ଗୋଟିଏ ନୂଆ ସୃଷ୍ଟି ।

 

ଦୂରରୁ ପାଟି ଶୁଭୁଛି, କୁହାଟ ଶୁଭୁଛି, ସେଇଠି ସେମାନେ କାମ କରୁଛନ୍ତି । ରୋହିନାଥର ମନଟା ଚାଉଁ କଲା । ଗୋଡ଼ ବଥା ପାସୋରି ହୋଇଗଲା, ମନ ଉଲ୍ଲାସରେ ସେ ଲମ୍ୱା ଡାକ ଛାଡ଼ିଲା–“ହୋଓ...ଇ’’

 

ସେମ।ନେ ଦୂରରେ ଅଛନ୍ତି, ତଥାପି ପ୍ରତିଧ୍ୱନି ପରି କୁହାଟ ଲେଉଟାଣି ଶୁଭିଲା-’’ହୋଓ...ଇ !’’

 

ତା’ର ଉତ୍ତେଜନା ବଢ଼ିଲା, ପାଦଗତି ତେଜିଲା ।

 

ସେ ମନକୁ ମନ ମୁରୁକିହସା ହସିଲା । ଭାବିଲା, ଏମିତି ନ ଥିଲା ଆଗେ, ଏବେ ବି ଖଟୁଛି, ଆଗେ ବି ଖଟୁଥିଲା । ସେତେବେଳେ ଆପଣ ମାନିଆଁ କାମ ଥିଲା, ଏତିକି ନା ଆହୁରି ବାକି, ଲାଭ ହେଲା କି ଲୋକସାନ ହେଲା, ଭାବିବାକୁ ଖାଲି ସେ ଆଉ ଦୁଲ । ଖାଲି ଦୁଇଟା ପେଟ, ଛୁଆ ପିଲା ନାହିଁ ଯାହାପାଇଁ ସଞ୍ଚିବେ । ନିତିଦିନିଆଁ ଅଭ୍ୟସ୍ତ କାମତକ କରିଦେଲେ ସରିଲା-। ଏବେ କାମ ଛିଣ୍ଡିଲେ ବିଶ୍ରାମ ନେବା କି ଅଳସ ହେବା ଚେତନା ହିଁ ନାହିଁ । ସବୁବେଳେ ହାତ ଖଲ ଖଲ, ମନରେ ପ୍ରବଳ ଉତ୍ସାହ, ବିପୁଳ ଆଶା । ଲାଗୁଛି-ଗଢ଼ିବାକୁ ତା’ର ଜନ୍ମ, ସେ ଗଢ଼ିବ, ଗଢ଼ିବ, ସାଙ୍ଗର ଆଉ ଦଶ ଜଣଙ୍କ ଶ୍ରମରେ ଶ୍ରମ ମିଶାଇଦେଇ ଦେହରେ ଶକ୍ତି ଥିବାଯାକେ ସେ ଗଢ଼ିଲାଗିଥିବ । ଏକାଠି ଛନ୍ଦାଛନ୍ଦି ହୋଇ ଷାଠିଏଟି ପରିବାର, ସମସ୍ତେ ଜାଣି ସମସ୍ତିଙ୍କର, ଏତେ ପିଲାଛୁଆଙ୍କର ଭବିଷ୍ୟତ୍ ଅଛି, ସେମାନେ ମଣିଷ ହେବେ, ଭଲରେ ରହିବେ, ଆହୁରି ଆହୁରି ବଢ଼ିବେ, କୋଠ ବଢ଼ିବ, ଗୋଠ ବଢ଼ିବ । ସେହି ଅନାଗତ ମଣିଷଙ୍କ ଜୀବନ ସୁଖମୟ କରିବାକୁ ତାକୁ ଅଣ୍ଟାଭିଡ଼ି ଲାଗି ରହିବାକୁ ପଡ଼ିବ । ତେଣୁ ଆଲୁଅ ନ ନିଭୁଣୁ ଅନ୍ଧାର ଆସିଲେ ବି ଅନ୍ଧାର ସନ୍ଧିରୁ ଶେଷଯାକେ ଚୁପୁଡ଼ି ଚୁପୁଡ଼ି ସବୁ ଆଲୁଅ ସେ କାମରେ ଲଗାଇବ । ତା’ର ବଞ୍ଚିବାର ଉଦ୍ଦେଶ୍ୟ ଅଛି, ସେ ଜଣେ ନୁହେଁ କି ଦି’ଜଣ ନୁହେଁ, ସେ ବହୁତ । ତା’ର ଗଢ଼େଇ କାମର ଶେଷ ନାହିଁ, ଗୋଟିଏ କାମ ସରିଲେ ବଳେ ଆଉ ଗୋଟିଏ କାମ ଠିଆ ।

 

ଆପଣାସାର୍ଥିକା ପରିବାର କି ଗାଁ କାହୁଁ ବୁଝିବ ଏ ଶକ୍ତିର ମୂଳ ! କାହୁଁ ପାଇବ ତା’ର ଅନ୍ତ ! ବିଜୁଳି ପରି ଚାଇଁ ଚାଇଁ ଖେଳିଗଲା ତା’ର ହସ । କାମ ସରିଲେ ସେମାନେ ଘୋଳି ହୋଇପଡ଼ନ୍ତି । ସେମାନଙ୍କ ଶକ୍ତି ବି ଖାଲି ଆପଣା ଆପଣା ଧନ୍ଦାକୁ ଖାପିଲା ଭଳି, ଆଉ ଅଧିକା ସେଠି ନାହିଁ, କାରଣ ଆଉ ବଳକା ଦାୟିତ୍ୱ ହିଁ ନାହିଁ । ପୁଅ ହାତକୁ ଦି’ହାତ ହେଲା, ଝିଅ ବିଭା ହେଲା, ନ ହେଲେ ପୁଅ ପାଠ ପଢ଼ିଲା, ଚାକିରି କଲା, ଚାଷ ଚାଲିଛି କି ବେଉସା ଚାଲିଛି, ମୁଠିଏ ମିଳଛି, ହେଲା, ଆଖି ଢୁଳେଇ ହୋଇପଡ଼ିଲା, ପାଦ ଥକିଗଲା, କଳ ପରି ବନ୍ଧା ଗତରେ ଦିନ ଚଳୁ ଚଳୁ ଯାଉ ଯେତେଦିନ ।

 

ଆଉ ଏଠି ! ନୂଆ ତେଜ, ନୂଆ ବଳ, ନୂଆ ବିଚାର ବି ! କୁଆଡ଼େ ଗଲା ମନର ମଳି କଳୁଷ, ପରଦୋଷ ପରିଛିଦ୍ର ବାଛି ଗପି ଗପି ବେଳ ବିତେଇବା, ପର ଅନିଷ୍ଟ ପାଞ୍ଚି ଖୁପୁରା ଖୁପୁରି ଇଗାଇବା, ମନ ଫଟାଫଟି କଳିଗୋଳ ! ସେହି ମଣିଷ ଅଛନ୍ତି, ବିଚାର ବଦଳିଛି । ମଣିଷ ଯେମିତିକିଆ ସମାଜ ବାନ୍ଧେ, ଯେମିତି ଚଳେ ତା’ ବିଚାର ବି ହୁଏ ବୋଧହୁଏ ସେମିତି, ସେଇଥିପେଇଁ ତ !

 

ଆଉ ଜାତି ଅଜାତି ଭେଦାଭେଦ ମନେ ପଡ଼ୁ ନାହିଁ । ପାଣ ବି ଏ କୋଠର ଭାଇ । କେହି ସଭା ଡାକି ପ୍ରସ୍ତାବ ଘେନା କରି ନାହିଁ ଯେ ପାଣ ବି ସମାନ ହୋଇ ଚଳିବେ । ଅଛୁଆଁ ବୋଲି ଭାବିବା ହିଁ ପାପ–ଏ ବିଚାର ଆପେ ଉଠିଛି, ଆପେ ଖେଳିଛି, ୟେ ତାକୁ କହିଛି, ସେ ୟାକୁ-

 

କାନ୍ଧକୁ କାନ୍ଧ ଲଗାଇଦେଇ କାମ କରିଛନ୍ତି ମଣିଷ, ତେଣୁ ବଳେ ଏ ପାହାଡ଼ ଉଠା ହୋଇଛି । ନଈବଢ଼ି ସବୁଥିଲା ସୃଷ୍ଟିକୁ ସତ୍ୟାନଶ କରିଗଲା, କିନ୍ତୁ ଆଉ ତା’ର ଚିହ୍ନ ବର୍ଣ୍ଣ ନାହିଁ । ସେମାନେ ଦିନରାତି ଲାଗି ପାଗି ବାଲି କାଢ଼ିଛନ୍ତି, ଜମି ଖୋଳିତାଡ଼ି ଠିକ୍‍ଣା କରିଛନ୍ତି, ଧାଡ଼ି ଧାଡ଼ି ହୋଇ ଘର ଠିଆ ହୋଇଛି, ଆଗଠୁଁ ଭଲ, ଫରଚା, ସୁନ୍ଦର । ଯୋଗୀସାହି ପାଖକୁ ପାଣସାହି, ସେଠି ବି ସେମିତି ଘର, ଉଞ୍ଚ ପିଣ୍ଡା, ତୁଳସୀ ଚଉରା, ଆଉ ଭଙ୍ଗା ଦରଭଙ୍ଗା କୁଡ଼ିଆ ନାହିଁ, ବଙ୍କାଢଙ୍କା ଗେଞ୍ଜ ଅଗଣା ନାହିଁ, ଫରଚା ଦାଣ୍ଡ । ଦୁଇ ସାହି ମଝିରେ କୋଠଘରମାନ ଧାଡ଼ିକି ଧାଡ଼ି, କୋଠ ଅମାରମାନ, ଯେଉଁଠି ଧାନ ରହେ, କୋଠ ଭଣ୍ଡାରମାନ, ନାନା ଦ୍ରବ୍ୟ ଖୁନ୍ଦି ହୋଇଛି, ଚାଉଳ, ଡାଲି, ଲୁଣ ତେଲ, ଲୁଗାପଟା । ଏପରି କି ଆବଶ୍ୟକ ପରିମାଣରେ ଜାଳେଣିକାଠ ବି ସାଇତା ହୋଇରହିଛି । ସେହି ମଝିରେ କୋଠ ବସ୍ତିର ଉତ୍ତର ପଟେ ଏକାଠି ଧାଡ଼ି ହୋଇ ଗୁହାଳମାନ, ଗୋରୁ, ମଇଁଷି, ଛେଳି, ମେଣ୍ଢା । କୋଠର ଗୋଠ ଏକାଠି ଚରିବାକୁ ବାହାରିଲା ବେଳେ କି ଲେଉଟିଲା ବେଳେ ଦେଖିଲେ ପେଟ ପୂରିଉଠେ । କୋଠର ଶଗଡ଼ମାନ ବସ୍ତିରୁ ବାହାରିଯାଏ, ବସ୍ତିକୁ ଲେଉଟେ । ବଡ଼ ବଡ଼ ବାରି ବଗିଚା ଘେରା ହୋଇଛି, ବଡ଼ ବଡ଼ ତୋଟା ଆରମ୍ଭ ହୋଇଛି, ଜମି ମଝିରେ ଅସଂଖ୍ୟ ହିଡ଼ ବାଡ଼ ନାହିଁ, ପାଣି ରହିବା ପାଣି ଗଡ଼ିଯିବା ସୁବିଧା ଦେଖି ଚକବନ୍ଦି ହୋଇ କ୍ଷେତ ତିଆରି ହୋଇଛି । ଭେକ କି ସଫା ସୁତୁରା ପଣରେ କିଏ ପାଣ, କିଏ ଯୋଗୀ ବାରି ହେବା ନାହିଁ । ପାଣ କେବେ ଗୋରୁ ଖାଉଥିଲେ, ସତେ ଅବା ସେ ମନେ ସୁଦ୍ଧା ନାହିଁ ।

 

ଯୋଗୀସାହିରେ କୁକୁଡ଼ାଖିଆ ଚଳେ ନାହିଁ ବୋଲି ସେମାନେ ଆପେ ଜାଣିଶୁଣି କୁକୁଡ଼ା ବି ଖାଉନାହାନ୍ତି କି ପୋଷୁ ନାହାନ୍ତି । ବସ୍ତିରେ ତିନିଟା କୂଅ, ମଝିକୂଅରୁ ପାଣି ଯୋଗୀ ଉଭୟେ ପାଣିପିଅନ୍ତି । ଏକାଠି ସଞ୍ଜରେ ସଂକୀର୍ତ୍ତନ ହୁଏ, ପାଣଙ୍କ ଢୋଲ ମହୁରି ସଙ୍ଗେ ଯୋଗୀଙ୍କ କେନ୍ଦରା ସ୍ୱର ମିଶାଏ, କୋଠ ଭିତରର ଆଉ ଆଉ ଜାତିର ଲୋକ, ଯେଉଁମାନେ କୋଠରେ ସମ୍ପତ୍ତି ମିଶାଇଲେ ବି ଆପଣା ଆପଣା ପୁରୁଣା ଘରେ ରହନ୍ତି, ସେମାନଙ୍କ ଭିତରୁ କିଏ କିଏ କେତେବେଳେ ଗଡ଼ି ପଡ଼ିଲେ ସେହି ସଂକୀର୍ତ୍ତନ ପଙ୍ଗତରେ ମିଶିଯାଆନ୍ତି ।

 

ଛାଁକୁ ଛାଆଁ, ମନକୁ ମନ ବଦଳି ଯାଇଛି ସମୟ । ସିନ୍ଧୁ ଚୌଧୁରୀଙ୍କ ଅବେତନୀ ଚାହାଳୀ ଆହୁରି ଲମ୍ୱିଛି, ସେଠି କୋଠଯାକର ପିଲାମାନେ, ପୁଣି ଗାଁର ଆଉ ପିଲା ।

 

Unknown

ହେଇ, କାମ ଲାଗିଛି । ଏକାଠି ପଚାଶ ପୁରୁଷ ଲୋକ ହେବେ । କୋଡ଼ିଏ ତିରିଶି ହେବେ ସ୍ତ୍ରୀଲୋକ । ଗଇଁତି ଉଠୁଛି ପଡ଼ୁଛି । ଖରା ବାଧୁ ନାହିଁ । ଶ୍ରମ ବାଧୁ ନାହିଁ । ସେହି ଝାଳ ଦରଦର ପାଖକୁ ପାଖ ଟାଆଁସିଆ ମଣିଷମାନଙ୍କୁ ଦେଖି ରୋହିନାଥର ସତେ କି ଆଖି ଲୋଭେଇଲା, ଛାତି ଲୋଭେଇଲା | କେଉଁଟା ବୁଢ଼ା, କେଉଁଟା ଭେଣ୍ଡିଆ, କେଉଁଟା କଳା, କେଉଁଟା ଗୋରା । ହୃଦ ଭିତରେ ଏକ ପଦ-’ଭାଇ’ । ଭାଇ, ମୋ ଭାଇ, ଯେତେ ଥର ଦେଖିଲେ ସତେ କି ନୂଆ ହୋଇ ପୁରୁଣା ରକ୍ତର ଧାରକୁ ଚିହ୍ନାଚିହ୍ନି । ମୁହଁରେ ମୁହଁରେ କ’ଣ ଏ ଅଦ୍ଭୁତ ନିବିଷ୍ଟ ଭଙ୍ଗୀ, ଆଗ୍ରହୀ, ଆଶାୟୀ, କାର୍ଯ୍ୟର ତପସ୍ୟାରେ ଧ୍ୟାନନିବିଷ୍ଟ । ବରଷାର ଧାର ଛେଚିଗଲା ପରି ପଡ଼ିଛି ।

 

ଛାଇ ଲେଉଟାଣି ବେଳେ ଦୋକାନୀ ହରି ସାହୁ ଆସିଲା । ସଙ୍ଗରେ ଆର୍ଭ ଅମିନ, ଅଗଣି ରାୟ । ଏମିତି କେତେବେଳେ କେଉଁ ଦେଖଣାହାରୀ ଆସନ୍ତି । ହରି ସାହୁ ହସ ହସ, ତା’ର ଟିକି ଟିକି ଆଖି ମିଟିମିଟି ହେଉଛି । ଆର୍ତ୍ତ ଅମିନ ଗମ୍ଭୀର । ଏକଦା ଗାଁରେ ଟରଣି ଅଗଣି ରାୟଙ୍କ ମୁହଁରେ ଅବିଶ୍ୱାସର ବାଙ୍କୁଲି ହସ । ଖୋଳା ହେଉଥିବା ପୋଖରୀ ପାଖେ ଆଗ ସଂଖୋଳିଲା ଅତି ବୁଢ଼ା ସତୁରା ପାଣ । କହିଲା, ‘‘ଓଳିକି’’ ।

 

ହରି ସାହୁ କହିଲା, ‘‘ଗଇଁତି ଖଣ୍ଡେ ମିଳିଲେ ମୁଁ ବି ଏଠି ଦଣ୍ତେ ଝଡ଼େଇ ହୁଅନ୍ତି ! ଦବ, ଅଛି ?’’

 

ଅଗଣି ରାୟ କହିଲା, ‘‘ନାଁକରା କଥା ନୁହେଁ, ଭାଡ଼ି ଉପରେ ବସି ବସି, ପିଣ୍ଡା ଉପରେ ଖଡ଼ିଗୋଟାଳିରେ ଲୀଳାବତୀ କଷି କଷି ଅଣ୍ଟା ଲାଗି ଯାଇଥିବ, ମାଟି ହାଣିବାକୁ ମାଟି ଡାକୁଟି । ହେଲେ ଗୋଟିଏ କଥା’’ ତା’ର ଟୁବୁକା ପେଟଆଡ଼କୁ ହାତରେ ଦେଖାଇ କହିଲା, ‘‘ଏଇଟା ଅଡ଼ୁଆ କରିବ, ଆଉ ବୟସଟା ବି, ଷାଠିଏ ତ ଟପିଗଲା ।’’

 

ଆରତ ଅମିନ ପାଟି ଫିଟାଇଲେ ନାହିଁ, ଶୁଖିଲା ମୁହଁରେ ଅନାଇଁଥାନ୍ତି । ହରି ସାହୁ କହିଲା, ‘‘ଦେଖିବ ଦେଖିବ ରଇଥା ।’’

 

ରଘୁ ନାଥ ଉଠି ଆସୁଥିଲା, ହାବୋଡ଼ିଲା । କହିଲା, ‘‘ସବୁ ଦିନେ ଖାଲି ରଇଥା ରଇଥା-। କୋଠ କୋଠ ତୁଣ୍ଡରେ କହୁଛ, ଏତେ ତାତ୍ପର୍ଯ୍ୟ ସମସ୍ତିଙ୍କି ବୁଝାଉଛ, ଆପଣା ବେଳକୁ ଯେଉଁ ନିଆରାକୁ ସେହି ନିଆରା ।’’ ପଡ଼ୁଛି ଗଇଁତି । କରଡ଼ା ଚେମେଡ଼ା ପୁରୁଷ ଦେହ । ମାଂସର ଦଉଡ଼ି ଫଡ଼କି ଉଠୁଛି, ଗୋଲ ଗୋଲ ଲୁହାପିଣ୍ଡୁଳା ପରି ମାଂସପିଣ୍ଡୁଳା ଖେଳୁଛି ନାଚୁଛି । ଦର ଦର ଝାଳ ନିଗୁଡ଼ୁଛି । ଏଇ ସେ ଦେହର ଚରମ ଗୌରବ, ଶ୍ରମର ଏହି ଆଭା ତାହାର ଜ୍ୟୋତି ।

 

ପ୍ରକାଣ୍ଡ ଚକଡ଼ାରେ ଚାରିକରେ ଛାତିଏ ଉଞ୍ଚରେ ମାଟି ଗଦା ହୋଇଛି । ସ୍ତ୍ରୀଲୋକମାନେ ଟୋକେଇରେ ମାଟି ବୋହି ନେଉଛନ୍ତି । ଦଳେ ଆସୁଛନ୍ତି, ଦଳେ ଯାଉଛନ୍ତି ।

 

ହେଇ ସେଠି ବେଲିଆ ରଘୁ ନାଥ । ମଝିରେ ହେଇ ନଖିଆ ପାଣ, ବୀରପୁରୁଷ ପରି ମାଟି ସଙ୍ଗେ ଲଢ଼ୁଛି, ତା’ର ଓସାର କାନ୍ଧ ସତେ କି ଆହୁରି ଓସାର ହୋଇଯାଇଛି । ଗଇଁତିକୁ ଉପରକୁ ଟେକି ନଚେଇ ଦେଇ ଗମ୍ଭୀର ହୁଙ୍କାର କରି କରି ପାହାର କୁଟୁଛି । ତା’ପାଖରେ ହେଇ ରତନା ପାଣ, ସରୁଆ ମଣିଷଟିଏ, ବିରୁଡ଼ି ପରି ଲାଗିରହିଛି । ଲାଗିପଡ଼ିଛି ଧୋବା ଯୁଜେଷ୍ଟି ସେଠୀ, ତା’ର ଥୋଡ଼ିରେ ଧଳା ରୂଢ଼ ରୁପା ପରି ଜିକିଜିକି ଦିଶୁଛି, ଆହୁରି ବିକା ମୁଦୁଲି, ଚେମେଇଁ ବେହେର, କଣ୍ଡରା କୁଳି ମଳିକ, ଯଦୁ ବରାଳ, ଘନ ପରିଡ଼ା, ଭଗତ ମହାରଣା, ସଦା ଗୋଛେଇତ, ନାଭ ପଣ୍ଡା, ଚନ୍ଦରା ଗଉଡ, ନାରଣ ମହାନ୍ତି । ସୁଦର୍ଶନ ଦାସଙ୍କ ପୁଅ ଶଶୀ ବି ଗଇଁତି ଧରି ମାଟି ତାଡ଼ୁଛି, ଆଗେ କେଡ଼େ ବଗୁଲିଆଟା ହୋଇଥିଲା । ତା’ବାପେ ଏବେ ସୁଦ୍ଧା କୋଠକୁ ନାମଙ୍ଗ, କିନ୍ତୁ ସେ ଆପଣା ଶରଧାରେ କୋଠର କାମରେ ମିଶି ଯାଉଛି । ଏମିତି କେତେ ଚିହ୍ନା ଚିହ୍ନା ମୁହଁ ।

 

ଅନ୍ୟାନ୍ୟ ସ୍ତ୍ରୀ ଲୋକଙ୍କ ସଙ୍ଗେ ଏକାଠି ମିଶି ଟୋକେଇରେ ମାଟି ବୋହି ଆଣୁଛି ଛବି, ସିନ୍ଧୁ ଚୌଧୁରୀଙ୍କ ଝିଅ । ଆଖିସହା ହେଇଗଲାଣି, କିନ୍ତୁ ଏ ରୂପ ଦେଖିଲେ ସଂଭ୍ରମରେ ମୁଣ୍ଡ ନଇଁ ପଡ଼େ ।

 

କାଳ ଓଲଟିଛି ।

 

କାମ ନୁହେଁ ସତେ କି ସମୁଦ୍ର ଡାକୁଛି । ରୋହିନାଥ ସେଥିରେ ମିଶିଗଲା । ଅଗଣି ରାୟ ହରି ସାହୁ ପାଇଁ ଉତ୍ତର ଦେଲେ, ‘‘ନଈବଢ଼ି ବେଳହୁଁ ପୋଖରୀ ଖୋଳାଯାକେ ସାହୁଏ ଏତେ ଦେଇ ଦେଇ ଆଶା ମେଣ୍ଟିଲା ନାହିଁ ଯେ ତମ ସଙ୍ଗେ ସମ୍ପତ୍ତି କୋଠ ନକଲେ ବୋଲି ପୁଣି କହୁଚ ?’’

 

ହରି ସାହୁ କହିଲା, ‘‘ନାଇଁ ନାଇଁ କିଏ କ’ଣ ଅଜାଡ଼ି ଦେଇଛି ବୋଲି ଏତେ ଉଘେଇ ହେଉଛି ? କିଏ ଦେଲା ? କିଏ ନେଲା ? କାହାର କ’ଣ ?

 

ସତୁରା ପାଣ କହିଲା, ‘‘ଏଇ ପଦକ କେଡ଼େ ହେମନ୍ତ ! ତୁମେ ଧର୍ମପୁରୁଷ । ଗରିବଗୁରୁବାଙ୍କ ପାଇଁ ତୁମ ଅମାର ମେଲା । କୋଠରେ ମିଶିବ କି ନମିଶିବ ସେ ତ ଆପଣା ରୁଚି କଥା, ମନ କଥା, ଯାହାର ଯେମିତି ଇଚ୍ଛା ।’’

 

ଆର୍ତ୍ତ ଅମିନ ଏତେବେଳକେ ମୁହଁ ଖୋଲିଲେ । କହିଲେ, ‘‘ଆରେ ଗାଁ ଗୋଟାକରେ ଖୁଣ୍ଟ ବୋଲି ଗୋଟାଏ । ସେ ଢଳିଲେ ଜାଣ ଗଜ ଉଠିଗଲା । ସମସ୍ତେ ଏକାଥରକେ ବାଇଆ ହୋଇଯିବେ । ତମର ଦେଢ଼ ବରଷର ଏ ନୂଆ ଘରକରଣା, କୋଉଠି ପାଞ୍ଚ ବରଷର ବି ହେଉ, ଯେତେବେଳେ ଏକା ଥରକେ ସମସ୍ତିଙ୍କ ଗ୍ରହଣ ଛାଡ଼ିବ କି ବାୟା ଛାଡ଼ିବ, ସେତେବେଳେ ଦେଖିଲାବେଳକୁ ସମସ୍ତେ ଅସ୍ତବ୍ୟସ୍ତ ହୋଇଥିବେ, ସବୁ ଏକାକାର, ଏକା ହାଲତ, ସେତେବେଳେ ଆଉଜିବାକୁ ଗଛମୂଳ ପାଇବ କୋଉଠୁ ?’’

 

ହରି ସାହୁ ବେକ ଝାଙ୍କି ଝାଙ୍କି ତରତର ହୋଇ କହିଲା, ‘‘ସେ କଥା ନୁହେଁ, ସେ କଥା ନୁହେଁ, ୟାକୁ ଯଦି ବାୟା କହିବ ସମସ୍ତିଙ୍କୁ ସେଇ ବାୟା ଲାଗୁ ଠାକୁରେ କରିଥାନ୍ତୁ । ୟେ କୋଠ ଭାଙ୍ଗିବ ତୁମେ ଭାବୁଛ ? ବଜ୍ର ପଛେ ଭାଙ୍ଗିବ ୟେ ଭାଙ୍ଗିବ ନାହିଁ ।’’

 

ଅଗଣି ରାୟ କହିଲା, ‘‘ତେବେ ଆଉ ଡେରି କାହିଁକି ? ମିଶୁନା ?’’

 

ହରି ସାହୁ କହିଲା, ‘‘ଦେଖିବ ରଇଥା ରଇଥା । ଏ ଜୀବଟା ଆପଣା ସଙ୍ଗେ କଳି କରୁଛି-। ହଁ କରୁଛି, ପୁଣି ସତ ବଳୁ ନାହିଁ ପଛୋଉଛି । ତେବେ ଆଉ ବେଶି ଦିନ ଏ ଯୁଦ୍ଧ ଚଳିବ ନାହିଁ ପରା, ନ ହେଲେ ମନଟା ଏଠିକି ଟାଣନ୍ତା କାହିଁକି ? ଦେଖୁନା ?’’

 

ତା’ର ସରଳ ଅକପଟ ଆନ୍ତରିକତା ଦେଖି ରଘୁ ନାଥର ଠାଣିରୁ ବେଲି ଛାଡ଼ିଗଲା । କହିଲା, ‘‘ଆପଣା ହୃଦ ସେ କଥା ନିଷ୍ପତ୍ତି କରିବ ସାହୁଏ, ନେସା ମାଟି ଫାଟି ଝଡ଼ିପଡ଼େ ।’’

 

ହରି ସାହୁ କହିଲା, ‘‘ୟେ ଜାଣି ଚନ୍ଦ୍ରଭାଗା ବୁଡ଼, ବୁଡ଼ ପାରିବାକୁ ମନ ଡାକୁଛି, ଦାଢ଼ଯାକେ ଯାଉଛି । ପୁଣି କେତେବେଳେ ଭାବୁଛି ଶୀତ କରିବ, ରାତି, ଜାଡ଼ ।’’

 

ଅଗଣି ରାୟ ହସିଦେଇକହିଲେ, ‘‘ହାଡ଼ଭଙ୍ଗା ଜାଡ଼, ରାତି ତିନି ପହରେ ବୁଡ଼ । ଆଉ ପାଣିଟା ବି କେମିତି ? କ’ଣ ସବୁ ଭାସୁଛି ସେଥିରେ ?’’

 

ହରି ସାହୁ କହିଲା, ‘‘କ’ଣ ଭାସୁଛି ତୁମେ ଛାଣୁଥା, ଦେଖୁଥା ମନ ଇଚ୍ଛା, ମୋ ଆତ୍ମା ଡାକିବ, ମୁଁ ବୁଡ଼ ପାରିବି ।’’ କଥା ବୁଲେଇ କହିଲା, ଖବର କାଗଜରେ କ’ଣ ବାହାରିଛି ଜାଣିଲଣି ଟିକି ? ଫେର୍ ଗୋଟାଏ ଢୁ।’’ ହରି ସାହୁର ଖବରକାଗଜ ପ୍ରତି ଆସକ୍ତି ସମସ୍ତିଙ୍କି ଜଣା, ସେହି ତା’ର ବିଳାସ ।

 

ଆରତ ଅମିନ କହିଲେ–‘‘ଢୁ ?’’

 

ହରି ସାହୁ କହିଲା, ‘‘ଫେର୍ କିଏ ସେ ଗୋଟାଏ ଆଟମା ବୋମା ପରଖିବାକୁ ଫୁଟେଇଛି କେଉଁ ନିଛାଟିଆ ବାଲିପଟା ଭିତରେ । ସେ ବିଷ ପବନଗୁଡ଼ାକ ଉଡ଼ି ଉଡ଼ିକା ଆସୁଛି । ସେଥିରୁ ଗୁଣ୍ଡା ଝଡ଼ି ଯେଉଁଠି ପଡ଼ିବ ପାଣି ପବନ ମାଟି ଗଛବୁରୁଛ ଫସଲ ସବୁ ବିଷ ଚରିଯିବ, ଗୋରୁ ସେ ଘାସ ଟୋକିଲେ ତାଙ୍କ ଦୁଧ ବାଟେ ବିଷ ଯିବ ମଣିଷ ଶରୀରକୁ, ସେମିତି ବିଷ ଚରିଥିବା କ୍ଷେତର ଧାନ ଖାଇଲେ ବି ମଣିଷ ଦେହରେ ବିଷ ପଶିବ, ଠାଆ ଠାଆକେ ସମସ୍ତେ ଏମିତି ଢୁ ଢା କରି ପରଖା ପରଖି କଲେ ୟେ ମଣିଷ ଜାତିର ଚେର ବୁଡ଼ିଯିବ । ଆଉ ଏଣେ ବିଜ୍ଞାନ ବଢ଼ୁଛି, ମଣିଷ ବସିଲେଣି ଚନ୍ଦ୍ର ଗ୍ରହକୁ ଯିବେ ।’’

 

ଶୁଣାଳୀ ଜମିଥିଲେ । ହରି ସାହୁ କହିଲା, ‘‘ସମସ୍ତେ ଆପେ ବଢ଼ିବୁ ଆପେ ବଢ଼ିବୁ ବୋଲି ଆପଣା ଆପଣା ବାଟ ଧରିଲେ ଏଇଆ ହୁଏ । ଏକାଠି ମେଣ୍ଟ ହୋଇ ଗୋଠ ହୋଇ ଏକା ଘର ପରି ଏ ଜଗତସାରା ସମସ୍ତେ ହୁରି ପକାଇବା ଦରକାର, ଆମେ କଳା ଗୋରା ହଳଦିଆ କହରା ସବୁ ଏକା ଘର, ୟେ ଆଟମା ଗୋଟମା ହାତହତିଆର ସବୁ ପାଣିରେ ପକାଇ ଦେଇ ଆସ, ଏ ବିଜ୍ଞାନ ଅଜ୍ଞାନ ଦିଅ ଜାଳି, ୟାକୁ ବନ୍ଦ କର, ଆମେ ଶାନ୍ତିରେ ରହୁଁ ।’’

 

‘‘ସତ ସତ ।’’ ଲୋକେ ପାଳି ଧରିଲେ ।

 

ଅଗଣି ରାୟ ହସିଦେଇ କହିଲେ, ‘‘ତମ ପାଟି ତାଙ୍କୁ ଶୁଭିଲେ ହେଲା ।’’

 

ହରି ସାହୁ କହିଲା, ‘‘କେମନ୍ତ !’’ ସେ ଖେଙ୍କି ଉଠିଲା । କହିଲା, ‘‘ଏଇ ମଣିଷ ଏକାଠି ହୋଇ ରଡ଼ି ଛାଡ଼ିଲେ ଆକାଶରେ ଇନ୍ଦ୍ରଙ୍କ ଆସନ ଟଳିବ, ଅନନ୍ତ ଫଣା ଉପରେ ମହାପୁରୁଷଙ୍କ ଆସନ ଟଳିବ, ଶୁଭିବ ନାହିଁ କହୁଛି ?’’

 

ବେଳ ବୁଡ଼ି ବୁଡ଼ି ଆସୁଥାଏ । ଧୂଳି ଉଡ଼ାଇ ଲେଉଟି ଆସୁଥାନ୍ତି କୋଠର ଗୋଠ, ସଙ୍ଗରେ ଗୋରୁ ଜଗୁଆଳୀମାନେ । ହରି ସାହୁ ସେହିଆଡ଼କୁ ସ୍ନେହରେ ଅନାଇଁ ରହିଥାଏ । ବିଳିବିଳେଇଲା ପରି କହି ପକାଇଲା, ‘‘ମୋ ଗୋଠରୁ ହଳେ ବଳଦ କାଲି ଏଇଥିରେ ମିଶିବେ, ଆଉ ଗୋଟିଏ ଦୁହାଁଳୀ ଗାଈ ବି-କାଲି ସକାଳୁ–’’

 

ଅଗଣି ରାୟ, ଆରତ ଅମିନ ଚାହାଁଚାହିଁ ହୋଇ ମୁହଁ ନେଫେଡ଼ିଲେ, ଅନ୍ୟମାନେ ହର୍ଷଧ୍ୱନି କଲେ । ତା’ପରେ ସମସ୍ତେ କାନେଇ ରହିଲେ, ଦଣ୍ଡାଆଡ଼ୁ, ହୁ ହୁ ଗାଉଁ ଗାଉଁ ହୋଇ ଗୋଟାଏ ଶବ୍ଦ ପାଖେଇ ଆସୁଛି । ଗୋରୁ ହୁରୁଡ଼ିଲେ । ତା’ପରେ ଦିଶିଲା, ଜିପ୍ ଗାଡ଼ିଟାଏ ଆସୁଛି, ଖାଇ ଭିତରୁ ବାହାରିପଡ଼ି ଲୋକେ ସେହିଆଡ଼କୁ ଅନାଇଁ ଠିଆହୋଇ ରହିଲେ । ଜିପ୍‌ଟା ଅଟକିଲା-। ଉପରର ଆଡ଼ି କାଚଖଣ୍ଡ ସିରାସିରା ହୋଇ ଫାଟିଯାଇ ଲାଖିରହି ଗୋଟାଏ ତାରାର ଛବି ପରି ଦିଶୁଛି, ତଳେ ଗୋଟିଏ ଆଲୁଅର କାଚ ନାହିଁ, ସତେ କି ଗୋଟାଏ ଆଖି କଣା ଆଉ ଗାଡ଼, ପଛଆଡ଼େ ଜିନିଷ ବୋଝେଇ ହୋଇ ତାରପଲିନ୍ ଘୋଡ଼େଇ ହୋଇ ମାଲଡବା । ତିନି ଜଣ ଓହ୍ଲେଇ ପଡ଼ିଲେ, ପଛ ଜଣକର ଚପରାଶି ପୋଷାକ, ମଝି ଜଣକ ଲୁଗା କାମିଜ୍‌ପିନ୍ଧା ପ୍ରୌଢ଼ ଭଦ୍ରଲୋକ, ଆଗ ଜଣକ ଯେ ଗୋରା ହାଡ଼ୁଆ ଡେଙ୍ଗା ପାତଳ ମଣିଷ, ମୁହଁଟି ଦଇପାଖୁ ପୋଛିନେଲାପରି, ତାଙ୍କର ଫିକା ମାଟିଆ ବର୍ଣ୍ଣର ପ୍ୟାଣ୍ଟ, ତା’ଉପରେ ପୂରାହାତ ଥାଇ ଜିକିଜିକି ଶୁଆପଖିଆ ହାୱାଇ, ପାଟିରୁ ଜଳନ୍ତା ସିଗାରେଟ୍ ଡେବିରି ହାତ ବିଶିଆଙ୍ଗୁଠି ମଝି ଆଙ୍ଗୁଠି ସନ୍ଧିରେ ଧରି ସେ କହିଲେ, ‘‘ଏଇଟା ପାଟେଳିଗାଁ ତ ? ମୁଁ ଉନ୍ନୟନ କର୍ମଚାରୀ ।’’

 

ରବିର ବନ୍ଧୁ ଉନ୍ନୟନ କର୍ମଚାରି ବିପିନ୍ ରାତିକ ସେହି କୋଠ ବସ୍ତିରେ କଟାଇବା ପାଇଁ ସ୍ଥିରକଲା । ମେଲା ଫରଚା କୋଠ ବସା ଉଠା ଘରେ ସେମାନଙ୍କ ରହଣି । ତା’ର କ୍ୟାମ୍ପ୍‌ ଖଟ ଭଙ୍ଗାହୋଇ ବସ୍ତା ଖେଳରେ ପଶି ମାଲ ଡବାରେ ଥିଲା, ଆଉ ତା’ର ଭାଙ୍ଗ କ୍ୟାମ୍ପ୍‌ ଆରାମଚୌକି ଯାହାର ହାତ ଉପରୁ ସରୁ ପିଢ଼ାଟିଏ ଖାପିଯାଇ ଟେବୁଲ୍‌ର କାମ କରେ । ପାଖେକେ ତା’ଖଟ ପଡ଼ିଲା । ମଶାରି ଟଙ୍ଗା ହେଲା । ଚପରାଶି କୋଟ୍ ଓହ୍ଲାଇ ଥୋଇଦେଇ ଦେହ ଖୋଲା କଲା, ତା’ର କଳା ଦେହରେ ଧୋବଲା ପଇତା, ପ୍ୟାଣ୍ଟର ଗୋଡ଼ଆଡ଼ୁ, ଟେକି ମୋଡ଼ି ଦେଇ ରନ୍ଧା ଓ ରହଣି କାମ ବୁଝାବୁଝିରେ ଲାଗିଗଲା । ଗାଡ଼ିରୁ ଆସି ପେଟ୍ରୋମ୍ୟାକ୍‌ସ ଜଳିଲା । ଗାଁ ଲୋକେ ରୁଣ୍ଡିଲେ । ବିପିନ୍ ଚାହା କପେ ସାମ୍ନାରେ ରଖି ଆରାମ ଚୌକିରେ ବସିଲା । ତା’ର ସହକାରୀ କର୍ମଚାରୀ ଗୋଟିଏ ଦଉଡ଼ିଆ ଖଟର ଦାଢ଼ରେ ବସିଲେ । ଦୁଃଖସୁଖ ଆରମ୍ଭ ହେଲା ।

 

ଚପରାଶି ବିପିନ୍‌ର କାନ ପାଖେ ନଇଁପଡ଼ି ଫୁସ୍ ଫୁସ୍ କରି କ’ଣ କହିଲା, ବିପିନ୍ କ୍ଲାନ୍ତ ହେଲା ପରି ପଛଆଡ଼କୁ ଢଳିପଡ଼ି ଚାଳକୁ ଅନାଇଁ ସିଗାରେଟ୍ ଧୂଆଁ ଛାଡ଼ିଲା । ତା’ପରେ ସାମ୍ନାକୁ ଅନାଇଁ ହସିଦେଇ କହିଲା, ‘‘କ’ଣ ଏ ଗାଁରୁ କୁକୁଡ଼ା ବଂଶ ଏକ୍‌ଦମ୍ ଲୋପ ହୋଇଗଲା ! ଏଇଠି ପରା ପାଣସାହି । କୁକୁଡ଼ା କେହି ପୋଷୁ ନାହାନ୍ତି ? ଦି ଟଙ୍କା ଦେଲେ କୁକୁଡ଼ାଟାଏ ବାହାରିବା କଥା-।’’

 

ସଦା ଗୋଛେଇତ ହାତଯୋଡ଼ି ମୁଣ୍ଡ ନୁଆଁଇ ଅତି ବିନୟରେ କହିଲା, ‘‘ଆଗେ ରଖିଥିଲୁଁ ହଜୁରେ, ପଲ ପଲ ଥିଲେ । ଟଙ୍କା ଦିଇଟା ନେଲେ ନ ନେଲେ କ’ଣ କଥା, କୋଉ ସବୁଦିନେ ଆପଣ ଆସୁଛନ୍ତି ! ସେ ଟଙ୍କା ନେଲେ କ’ଣ ଆମେ ଘର କରନ୍ତୁ କି ନ ନେଲେ କାଙ୍ଗାଳ ହେଇଯାଆନ୍ତୁ !’’

 

ବିପିନ୍ ହସିଦେଇ ଚପରାଶିକୁ କହିଲା, ‘‘ନାଇଁ ନାଇଁ, ଦାମ୍ ନ ଦେଇ ଆମେ ଜିନିଷ କିଣୁ ନାଇଁ । ନେଲେ ବି କୋଉ ହଜମ ହେବ ? ଏପଟେ ଦି’ ଟା ଟଙ୍କା ରକ୍ଷା ପାଇବ, ସେପଟେ ଆମ ପଛେ ପଛେ ଛୁଟିବ ଗୋଟାଏ ପିଟିସନ, ସେ ଘୋସରାଟା କୁକୁଡ଼ା ଝୋଳଠୁଁ ବେଶି ହରବରିଆ । କିହୋ କ୍ଷୀର, ଦାମ୍ ଯାଚିଲଟି ?’’ ଚପରାଶି ନାଁ କ୍ଷୀର । ସଦା ଗୋଛେଇତ କହିଲା, ‘‘ହଜୁରେ କ’ଣ ପଇସା ଦିଅନ୍ତେ ନାଇଁ, ହେଲେ ସେ ଦରବ କାହିଁ ? ଆଗରୁ କହିଥିଲେ ଆଉ କେଉଁ ଗାଁରୁ ମଗେଇ ଆଣିଥାନ୍ତେ, ଆଉ ଅଇଛା କେଉଁଠୁ ? କୁକୁଡ଼ା କ’ଣ ଆଉ ଅଛନ୍ତି କି ?’’ ବିପିନ୍ ବ୍ୟଙ୍ଗରେ ହସି କହିଲା, ‘‘କୁଆଡ଼େ ଗଲେ ? ବିଲୁଆ ଖାଇଗଲା ? ନା ପଂଝାଏ ଅଭ୍ୟାଗତ ପଡ଼ିଗଲେ ?’’

 

ସଦା କହିଲା, ‘‘ନଈବଢ଼ି ରେ ତ କୁଆଡ଼େ ଭାସିଗଲେ, ସେଉଠୁ ଆମର ୟେଂ ହେଲା କୋଠ ଗାଁ, ଏଠା ଯୋଗୀମାନେ କୁକୁଡ଼ାକୁ ଅସୁଖ ପାଆନ୍ତି, ଏକା ଗୋଠ ହୋଇ ଯେତେବେଳେ ରହିଲୁଁ ଆଉ ଅଲଗା କରି ଗୋଟାଏ କିଛି କରିବା କି ଲାଭ ?’’

 

ବିପିନ୍ କୁତୂହଳରେ ଆଗକୁ ଝୁଙ୍କି ବସିଲା । ଏ ଧାରଣା ତାକୁ ବଡ଼ ବିଚିତ୍ର ଲାଗୁଥାଏ–କୋଠ ଗାଁ, ପାଣ ଯୋଗୀଙ୍କ, ରୁଚି ଜଗି କୁକୁଡ଼ା ରଖିନାହାନ୍ତି । ରବି ପାଖରୁ ସେ ପାଟେଳିଗାଁର ଏ ନୂଆ ସୃଷ୍ଟି କଥା କିଛିକିଛି ଶୁଣିଥିଲା, କିନ୍ତୁ ତା’ର ସ୍ୱରୂପ ଜାଣି ନ ଥିଲା । ଏଥର ଏ ବିଷୟରେ ଅନେକ ଲୋକ କହିଲେ ।

 

ସେ କହିଲା, ‘‘କିନ୍ତୁ ତୁମେ କ’ଣ କୋଠ ଗଢ଼ିଲ କୁକୁଡ଼ା ଛାଡ଼ିବା ପାଇଁ ? ତୁମେ ସିନା ଆଗକୁ ଆଗକୁ ଚାଲନ୍ତ, ପଛକୁ ଖସୁଛି କ’ଣ ? କୁକୁଡ଼ା ମାଂସ, କୁକୁଡ଼ା ଡିମ୍ୱରେ କେତେ ବଳ ତା’ ଭୁଲିଯାଉଛି ? ଏତେ ଦାମୀ ପ୍ରୋଟିନ୍ ଆଉ କେଉଁ ଖାଦ୍ୟରୁ ପାଇପାରିବ ? ଯୋଗୀ ଅବା କୁକୁଡ଼ା ନ ଖାଇବେ କାହିଁକି ? କେବେ କ’ଣ ଥିଲା, ଅଇଛା କେଉଁ ଜାତି ଯେ କୁକୁଡ଼ା ନ ଖାଏ ?’’ ସେ କୁକୁଡ଼ା ପାଳନ ବିଷୟରେ ଗୋଟିଏ ସାନ ବକ୍ତୃତା ଆରମ୍ଭ କଲା । ଅଭ୍ୟାସ ଅନୁସାରେ ସେ କେତେ ପୁରୁଣା ଯୁକ୍ତି ଅଭ୍ୟସ୍ତ ଭାଷାରେ କହିଗଲା । ଜାତିଆ ଜାତିଆ ବିଦେଶୀ କୁକୁଡ଼ା ଶସ୍ତାରେ ଯୋଗାଇ ପାରିବ ବୋଲି ଯୋଜନା ବୁଝାଇଲା ।

 

ଯୋଗୀ ରଘୁନାଥ କହିଲା, ‘‘ଚଳେଇଲେ ନ ଚଳିବ ବୋଲି କୋଉ କଥା ଏ ସଂସାରରେ ନାହିଁ, ବେଳ ଲାଗିବ, ମାଇପେ ମଙ୍ଗିଲେ ହେବ ।’’ ଚାରିଆଡ଼େ ହସର ଧୁମ୍ ।

 

ବିପିନ୍ କହିଲା, ‘‘ସେଇଥିପାଇଁ ତ ମହିଳା ସମିତି ଗଢ଼ାହୁଏ, ଯାହା ଗୋଟିଏ ଉପକାରୀ ନୂଆ ଚଳଣି ବୋଲି ଭାବିବ ଆଗ ତାକୁ ମାଇପି ମହଲରେ ପାଶ୍ କରାଇନେଇ ହାଣ୍ଡିଶାଳରୁ ଆରମ୍ଭ କଲେ ଯାଇ ସେ ତିଷ୍ଠି ପାରିବ, ଚାଲୁ ହେବ, ନ ହେଲେ ସେ ଲାଖିବ ବି ନାହିଁ । ଏ ଯୋଜନା କାମରେ ଆମର ସେଇଆ ଅଭିଜ୍ଞତା ହେଲା ପରା’’ ।

ତା’ର ତଳ କର୍ମଚାରୀ ଟଙ୍କ ବାବୁ ତା’ କଥାକୁ ସମର୍ଥନ କରି ତରତର କରି ମୁଣ୍ଡ ହଲାଇ ହଲାଇ କହିଲେ, ‘‘ସତ କଥା, ସତ କଥା, ସେଇଥିପାଇଁ ଏସବୁ ପୁଷ୍ଟିକର ଖାଦ୍ୟ ଖୁଆଇବା ବାଣ୍ଟିବା ଚଳେଇବା ଭାର ମହିଳା ସମିତିମାନଙ୍କ ଉପରେ ଦିଆହୁଏ ।’’

ବିପିନ୍ କହିଲା, ‘‘ଆଗ ସେମାନଙ୍କୁ କୁକୁଡ଼ା ଝୋଳ, ଡ଼ିମ୍ୱ ସିଝା ଖୁଆଇବା କାମ ତୁମ ହାତରେ । ପାଟିରେ ଲାଗିଗଲେ, ସେଇଠୁ ଦେଖିବ ରଇଥା ।’’

ସମସ୍ତେ ହସିଲେ ।

ବିପିନ୍ କହିଲା, ‘‘ତା’ ହେଲେ ମୁଁ ନୋଟ୍ କରିନେଉଛି ଯେ ତୁମେ ମହିଳା ସମିତି ଗଢ଼ିବ ଓ ମହିଳା ସମିତି କୁକୁଡ଼ା ପାଳନ କରିବ ।’’

ବୁଢ଼ା ସତୁରା ପାଣ ଠିଆ ହେଲା, କହିଲା, ‘‘ହଜୁରେ, ଗୋଟିଏ କଥା । ମାଇପି ଲୋକ ଏ କାମରେ ଘାଣ୍ଟି ହେବେ କାଇଁକି ? ସେମାନେ ପରା ଘରର ଇକ୍ଷ୍ମୀ !’’

ବିପିନ୍ କହିଲା, ‘‘ଆରେ ବାବୁ, ସେଇ ଘରର ଇକ୍ଷ୍ମୀମାନେ କୁକୁଡ଼ା ଖାଇଲେ, ଡିମ୍ୱ ଖାଇଲେ ଗୋଲଗାଲ ହେବେ ହୋ, ସବୁ କାମକୁ ମଜଭୁତ ହେବେ ।’’

ସତୁରା କହିଲା, ‘‘ଗଣ୍ଡି ବଢ଼ିବ, ହୃଦରୁ ଦୟାପଦଟା ଶୁଖିଯିବ ।’’

ରଘୁ ନାଥ କହିଲା, ‘‘ସେଇଆ, ସେଇଆ, ଆଜିକାଲି ଯୁଗଟା ସେୟା ହେଇଚି, ଯୁଆଡ଼େ ଦେଖୁଥା ଲୋକେ ଗଣ୍ଡି ବଢ଼ୋଉଚନ୍ତି, ହୃଦରେ ଆହା ପଦ ନାଇଁ, ସେ ବଢ଼ତି ରାବଣଶର କଂସାସୁର କରି ନ ଥିଲେ କି ?’’

ରୋହିନାଥ କହିଲା, ‘‘କାଲି ପରା ହରିସାହୁ କହୁଥିଲେ, ଏ ଦୁନିଆ ଯାକ ଏଇ କାରବାର, ଧନ ବଢ଼ୁଚି, କଳକାରଖାନା କୋଠା ବାଡ଼ି ସବୁ ବଢ଼ି ବଢ଼ି ଯାଉଚି, ହେଲେ ମନ ଭିତରେ କାହାଠି କାହାରି ସ୍ନେହ ନାହିଁ, ହଳାହଳ, ସେଇଠି କ’ଣ ନା ଜଗତଯାକ କେମିତି ଭସ୍ମ ହେବ ସେଇଥିପାଇଁ ଲୋକେ ଲାଗିପାଗି ତହୁଁ ବଳି ତହୁଁ ବଳି ବାଣ ତିଆରି କରୁଛନ୍ତି, ମରାମରି ଛଡ଼ାଛଡ଼ି ହେବେ ବୋଲି ।’’ ବିପିନ୍ କହିଲା, ‘‘ତମ ଆମ ମାଇପେ ଯେତେ ପଣ କୁକୁଡ଼ା ଖାଇଲେ ବି ଶହେ ବରଷ ଗଲେ ସୁଦ୍ଧା ସେମିତି ବାଣ ଗଢ଼ିପାରିବେ ନାହିଁ, ସେ ଭୟ କର ନାଇଁ ।’’ ସତୁରା କହିଲା, ମାଇପେ କ’ଣ ବାଣ ଭିଡ଼ନ୍ତେ କି ? ଭିଡ଼ିବେ ତାଙ୍କ ପିଲାଏ । ତେଣୁ ରାଇଜରେ ଯେମିତି ହଉଚି ଏଣ ରାଇଜରେ ସେଇଆ ହବ : ଯେ ମା’ ଭଉଣୀଙ୍କ ଜାତି ତାଙ୍କ ହୃଦୟରେ ସିନା ସେନେହ ଦୟା ଥିଲେ ସେମାନେ ଜଗତପାଳେଣୀ ହେବେ, ସେମାନେ ଯଦି କୁକୁଡ଼ା ପାଳି ତା’ ଡିମ୍ୱ ଛଡ଼େଇ ନଉଥିବେ, ତାକୁ ହାଣି ଖାଉଥିବେ, କେତେବେଳେ ସେ ହୃଦ ଭିତର ତ କ୍ରୂର ହୋଇଯିବ, ପଥର ହେଇଯିବ, ସେମାନେ ଏ ସଂସାରକୁ କ’ଣ ପାଳିବେ ?’’

କୁଳି ମଳିକ କହିଲା, ‘‘ଖାଲି ଆପଣା ପିଲାଙ୍କୁ ପାଳିବେ ।’’

ରଘୁନାଥ କହିଲା, ବାପ ମା’ ଯେମିତିଆ ଦେଖିଶିଖି ପିଲାଏ ବି ସେମିତିଆ ହେବେ । ସେ ପିଲାମାନେ ଯେତେବେଳେ ମଣିଷ ହେବେ, ଆପଣା ପିଲାକୁ ପାଳିବେ, ଆଉ କାହାରିକି ଅନାଇଁବେ ନାହିଁ । ଭାଇ ଭାଇ ଭିନେ ହେବେ, ଘର ଭାଙ୍ଗିବ, କଳିଗୋଳ ବଢ଼ିବ । ଆଇଁଷଟା ଆପଣା ସାର୍ଥିକାପଣ ଶିଖାଏ, ହିଂସା ଶିଖାଏ, ଦେହଟାକୁ ପୁଷ୍ଟି କଲେ କ’ଣ ହେଲା ମନଟାକୁ ତ ବିଗାଡ଼ିଦିଏ, ତା’ରି ନା ପାଗ ମାରା |’’

 

ସତୁରା କହିଲା, ‘‘ସେଇଆ ସେଇଆ, ନ ହେଲେ ପାଟିରେ ତ ଯାହା ପକେଇଦେଲେ ପେଟକୁ ଯିବ । ଆଇଁଷ ନିରାମିଷ ପାଟି ବୁଝିବ ନା ପେଟ ବୁଝିବ, ବୁଝିବ ମନ ।’’

 

ବିପିନ୍ କହିଲା, ‘‘ୟେ ତ ଭଲ କଥା, ତେବେ ମାଛ ବି ଖାଇବା କାହିଁକି ?’’

 

ରଘୁନାଥ କହିଲା, ‘‘ସେଇଟା ନ ଖାଇଲେ ଆହୁରି ଭଲ ହୁଅନ୍ତା । ଏ ପୃଥ୍ୱୀରେ କେହି ଯଦି ମାଛ ମାଉଁସ ନ ଖାଆନ୍ତେ ବଳେ ଦୟା ଧର୍ମ ବଢ଼ିନ୍ତା, ଏତେ ଯୁଦ୍ଧ କଳିଗୋଳ ହୁଅନ୍ତା ନାହିଁ ।’’

 

ବିପିନ୍ କହିଲା, ‘‘ପରା କହନ୍ତି ମାଗୁର ମାଛର ଝୋଲ୍, ବେଟା ହରିହରି ବୋଲ୍‌ !’’

 

ରଘୁ ନାଥ କହିଲା, ‘‘ସେଇଟା ଚିତା କାଟିବାକୁ ପତିଆରା, ଦୁନିଆ ହେଲାଣି ସେଇଆ-।’’

 

ବିପିନ ଆଖିମିଟିକା ମାରି କହିଲା, ‘‘ଛାଡ଼ ସେ ବ୍ରହ୍ମଜ୍ଞାନ, ଏ ପୁରର କଥା କହ, କେମିତି ଧନ ବଢ଼ିବ, ଦେହରେ ବଳ ବଢ଼ିବ, ରୋଗ ନ ହେବ, ବୁଦ୍ଧିଜ୍ଞାନ ବଢ଼ିବ, ଅଭାବ ନ ରହିବ, ଏହିସବୁ କଥା କହ, ଆଉସବୁ ଯାହା ପୋଥିପାଠ, ଗୀତ ଗାଇ ଶୁଣେଇବା ପାଠ, ମାଳା ଗଡ଼େଇବା ପାଠ ତାକୁ ସବୁ ସମୟ ମିଳିଲେ ନିଜ ବାଟରେ ନିଜେ ପଇଟେଇ ନେବ, ସେ କଥା ଏଠି ପକେଇ କ’ଣ ହେବ ?’’

 

ରୋହିନାଥ କହିଲା, ‘‘ବାବୁ, ଯାହା ତ ହିତ ମଣିଲୁଁ ସତ ଭାବିଲୁଁ ସେଇଆ କହିଲୁଁ, ଆଉ ବଳକା ଆମ ବୁଦ୍ଧିର ଦଉଡ଼ କେତେ ବାଟ କି ? ଏଣିକି ଆପଣ କହିବେ ଆମେ ଶୁଣିବୁଁ ନା–’’

 

ବିପିନ ଖୁସି ହେଲା ପରି ଦିଶିଲା । ଆତ୍ମବିଶ୍ୱାସରେ ନିଜକୁ ଡଉଲ ଡାଉଲ କଲା ପରି ସୁସ୍ଥିପୂର୍ଣ୍ଣ ଭଙ୍ଗୀ ଦେଖାଇ କହିଲା–

 

‘‘ହଉ ତେବେ କହୁଛି ମୁଁ ଶୁଣ, କୁକୁଡ଼ା ବିଷୟରେ ନ ବଳେଇଲି ବା, ହାୱା ତା’ମନକୁ ଖେଳୁଛି, ବଳେ ଆସିବ, ସେକଥା ଆର ଥରକୁ । ଆଚ୍ଛା କହ, ଏଠି ଆଗ ଗୋଟିଏ ପଞ୍ଚ।ୟତ ଦରକାର, ତୁମେ ତୁମର ପ୍ରତିନିଧି ବାଛିବ, ସେହିମାନେ ବୈଠକ କରି ବସି ହାନିଲାଭ ବୁଝିବେ, ତାଙ୍କୁ ତୁମେ ସାହାଯ୍ୟ କରିବ, ଗାଁରେ ଉନ୍ନୟନ କର୍ମ ହେବ ।’’

 

ସତୁରା କହିଲା, ‘‘ଆମର ଲେଖା ପଢ଼ାରେ କିଛି ହୋଇନାହିଁ, ତେବେ ଆମେ ସମସ୍ତେ ମିଶି ଗୋଟିଏ ପରିବାର ପରି କୋଠରେ ଚଳୁଛୁଁ, ଏପର୍ଯ୍ୟନ୍ତ ଆମର ଅଖଞ୍ଜ ହୋଇନାହିଁ, ସମସ୍ତିଙ୍କର ଗୋଟିଏ ମତ ।’’

 

ଟଙ୍କ ବାବୁ କହିଲେ, ‘‘ଲେଖାପଢ଼ା ନ ହେଲେ ଆଉ ପଞ୍ଚାୟତ କ’ଣ ହେଲା ? ଆଇନ ଅନୁସାରେ କିଏ ତୁମର ପ୍ରତିନିଧି ? ଦାୟିତ୍ୱଧାରୀ କିଏ ?’’

 

ବହୁତ ପାଟିରେ ଉତ୍ତର ଆସିଲା, ‘‘ଆମେ ସମସ୍ତେ ।’’

 

ବିପିନ୍ କହିଲା, ‘‘ଆରେ ବାବୁ, ଏଠି ଉନ୍ନୟନ କାମ କରିବାକୁ ସରକାର ଯେତେବେଳେ ଋଣ ଦେବେ କି ଟଙ୍କା ଦେବେ, ସେତେବେଳେ ଦସକତ୍ କରିବ କିଏ ?’’

 

ସଦା ଗୋଛାଏତ କହିଲା, ‘‘ସରକାର ଆମ ମା’ ବାପ, ଆମେ ସମସ୍ତେ ମିଶିଲେ ତ ସରକାର । ଆମେ କହୁଚୁ କ’ଣ କି, ଆଗ ଆମ ହାତଗୋଡ଼ କାମ କରୁ, ଆପେ ଯାହା କରିପାରିବୁଁ ତା’ କରିଯାଉଁ, ସେଉଠୁ ସରକାରଙ୍କଠୁଁ ସାହାଯ୍ୟ ନେବା ବେଳ ତ ଅଛି । ସରକାର ଆମକୁ ଦୟା କଲେ ଅନୁଷ୍ଠାନମାନ ବସାନ୍ତୁ, ଯେମିତି ଡାକ୍ତରଖାନା, ପଶୁ ଡାକ୍ତରଖାନା, କୃଷି ଫାର୍ମ ଆଉ ନାନା ପ୍ରକାର ପାଠ ବତେଇବା, ବୁଦ୍ଧି ବତେଇବା ଅନୁଷ୍ଠାନ, ଆମେ ଆମ କାମ କରିଯାଉଛୁଁ, ସରକାର ତାଙ୍କ ଉପକାର ବରଷି ଯାଉନ୍ତୁ ।’’

 

ବିପିନ୍ କହିଲା, ‘‘ତୁମ ଆପଣା ପାଖରେ ଟଙ୍କା ବଳ କାହିଁ ଯେ ତୁମେ ଦାମୀ ଜିନିଷମାନ କିଣି ଚଞ୍ଚଳ ଚଞ୍ଚଳ ଉନ୍ନତି କରିପାରିବ ? ସେଥିପାଇଁ ତୁମୁକୁ ଋଣ ନେବାକୁ ପଡ଼ିବ । ଖାଲି ନିଜ ଶିଂଘରେ ମାଟି ଖୋଳୁ ଖୋଳୁ ଯୁଗ ବିତିଯିବ, ତୁମର ଧନ କାହିଁ ?’’

 

ରଘୁନାଥ କହିଲା, ‘‘ସମସ୍ତିଙ୍କ ଉନ୍ନତି ସମାନ ନୁହେଁ ତ ବାବୁ ! ଯେତିକି ଆମ ସହିବ, ଯେତିକି ଆମର ଦରକାର ସେତିକି ପାଇଲେ ଯଥେଷ୍ଟ । ମାଗି ଆଣିବା କାଣ୍ଡ କାମରେ ଲାଗିବ ନାହିଁ ।’’

 

ରୋହିନାଥ କହିଲା, ‘‘ମାଗି ଖାଇ ଖାଇ ଦି’ହାତିଟା ବିତିଥିଲା, ଅଇଛା ଖଟି ଖାଇବାକୁ ମନ ।’’ ସମସ୍ତେ ହସିଲେ ।

 

ଟଙ୍କ କହିଲା, ‘‘ୟାରି ନାଁ ରକ୍ଷଣଶୀଳ ବୁଦ୍ଧି, ୟେ କିଛି କାମର ନୁହେଁ ।’’ ବିପିନ୍ ଓ ଟଙ୍କ ପରସ୍ପର ଆଡ଼କୁ ଅନାଇ ମଣ୍ଡ ଟୁଙ୍ଗୁରାଟୁଙ୍ଗୁରି ହେଲେ । ବୁଢ଼ା ସତୁରା କହିଲା, ‘‘ଉପରୁ ବରକୋଳି ପରି ଟଙ୍କା ଝଡ଼ିବ, ଏ କଥା କିଏ ନ ଖୋଜେ ବାବୁ ! ହେଲେ ଟିକିଏ ଅଡ଼ୁଆ । ଆପଣ ମଣିଷ ଚରୋଉଛନ୍ତି, ଅମେ ସିନା ଗୋରୁ ଚରୋଉ, ହଜୁରେ ସବୁ ଜାଣିଛନ୍ତି ଖାଲି ଆମ ମନ ବିଡ଼ୁଛନ୍ତି ।’’

 

ବିପିନି ଭୂଲତା ଟେକିଲା, ପୁଣି ଆଖି ମିଞ୍ଜି ମିଞ୍ଜି କଲା, ଅତି ଗୁରୁତର ପ୍ରଶ୍ନ ଆଲୋଚନା କଲା ପରି ଗମ୍ଭୀର ହୋଇ କହିଲା, ‘‘ମୋଟେ ମନ ବିଡ଼ୁନାହିଁ ବୁଢ଼ା, ଆଦୌ ନୁହେଁ । ତୁମର ଏ ଭାବିବା ପଦ୍ଧତି ଦେଖି ତୁମ ବିଷୟରେ ମୋ ଆଶା ବୁଡ଼ି ଯାଉଛି । ଏଣେ ଆମେ ସମସ୍ତେ ବସିଛୁଁ ଯୋଜନା କରି କାମ କରି କେମିତି ଏ ଦେଶଟାକୁ ଚଞ୍ଚଳ ଚଞ୍ଚଳ ଉନ୍ନତ କରିବୁଁ, ତେଣେ ତୁମେ କହୁଛି କ’ଣ ନା ଋଣ ନେବ ନାହିଁ, ୟା କରିବ ନାହିଁ ତା’ କରିବ ନାହିଁ, କାଣୀ ଗାଈର ଭିନେ ଗୋଠ ?’’

 

ସତୁରା କହିଲା, ‘‘ହଜୁରେ, ଖାଲି ଆମ ଗାଁରେ ଦି’ଦିନ ରହନ୍ତୁ ଦେଖିବେ-’’

 

ଟଙ୍କ କହିଲା, ‘‘ହଁ ତା’ ନୁହେଁ ତ ଆଉ କ’ଣ ? ସାତ ହଜାର ତିନିଶ ଗାଁ ଭିତରୁ ତମର ଏ ଗୋଟିଏ ପଡ଼ା, ହଜୁରେ ଏଠି ଦି’ଦିନ ନ ରହିଲେ ଆଉ ହେବ ?’’

 

ସତୁର କହିଲା, ଆମେ ବୁଝିଛୁଁ ଗୋଟିଏ କଥା, ଆଗ ମନ ମେଣ୍ଟହେଉ, ଶରଧା ମେଣ୍ଟହେଉ, ସୁଖ ଦୁଃଖର କୋଠ ହେଉ, ସମସ୍ତେ ବୁଝନ୍ତୁ । ସେମାନେ ଏକା ନାହି ଦୁଇ ଖଣ୍ଡ । ସେଇଆ ଭାବି ସମସ୍ତେ କାମରେ ଲାଗନ୍ତୁ ।’’

 

ବିପିନ କହିଲା, ‘‘କିଏ ନାହିଁ କଲା ? ଯୋଜନାର, ସେହି ତ ମୂଳଦୁଆ ।’’

 

ରଘୁନାଥ କହିଲା, ‘‘ଆପଣ କହିବେ ପଞ୍ଚାୟତ ଗଢ଼, ଆମେ ତ ଆପେ ପଞ୍ଚାୟତ । ଆପଣ କହିବେ ଟିକସ ବସା, ଆମର ତ ସବୁ କୋଠ, ସବୁ ଅର୍ଜନ ଜାଣି ପଞ୍ଚାୟତର । ଆପଣ କହିବେ ଲୋକଙ୍କୁ ଋଣ ଦିଆନିଆ ପାଇଁ ଅମାର କର, ସୋସାଇଟି କର, ଆମର ତ ସବୁଯାକ ସମ୍ପତ୍ତି ମିଶି ଅମାର ସୋସାଇଟି ଯାହା ତା’ନାଁ ଦେବେ ସବୁ ସମସ୍ତିଙ୍କର, ସମସ୍ତେ କୋଠରେ କାମ କରୁଛୁଁ, ଯାହା ମିଳୁଛି ବାଣ୍ଟି ଖାଉଛୁଁ, ଯାହା ବଳିଲା ସେ ବି ସମସ୍ତଙ୍କର । ଏଇ ମୂଳଦୁଆ ଆମେ ଗଢ଼ିଛିଁ, ତେଣିକି ବଳକା ଯୋଜନା ଆପଣଙ୍କର, ଆମେ କ’ଣ ନାହିଁ କରୁଛୁ ?’’

 

ବିପିନ କହିଲା, ‘‘ୟେ ତ ଆଦର୍ଶ, ମାଟି ପଙ୍କର ଦୁନିଆରେ ୟେ ରହିବ କେତେ କାଳ କେଜାଣି ?’’

 

ସତୁରା କହିଲା, ‘‘ୟେ ଯଦି ନ ରହିବ ତେବେ କେଉଁ ଯୋଜନା ଲାଗି ଆଉ କେଉଁ ମୂଳଦୁଆ ରହିବ ? ଆପଣାସାର୍ଥିକା ହୋଇ ଚଳିଲେ ଗୋଷ୍ଠୀ ଯୋଜନା କାମ କରିବ ? ତେଣିକି ତ ଧରାଧରି ଛଡ଼ାଛଡ଼ି, କାହାର କେଞ୍ଚାଏ କାହାର ମେଞ୍ଚାଏ, ନିଘା ଥିବ ଖାଲି ପରଉପରେ ଆଗତୁରା ଯାଇ ସବାର ହେବାକୁ, ପରଠୁଁ ଝୁଣି ଖାଇବାକୁ, ମନ ତ ଫାଟିଯିବ, ସ୍ନେହ ଖଟା ହୋଇଯିବ ଆଉ ରହିବ କ’ଣ ? ଖାଲି ଧଳା କୋଠା, ଗାଡ଼ି, ଯନ୍ତ୍ର, ଏଇଆ ?’’

 

ବିପିନ୍ କହିଲା, ‘‘ଭାରି ବଡ଼ ବଡ଼ ତତ୍ତ୍ୱକଥା କହିଯାଉଛ, କାନକୁ ଭଲ ଶୁଭୁଛି । କିନ୍ତୁ ସଂସାରରେ ଯେମିତି ହୁଏ, ଯାହା ଚଳେ, ସେହିପରି କଥା କହ । ଋଣ ନେବାକୁ ଲୋକେ ବାଡ଼ିଆବାଡ଼ି, ଆଉ ତୁମେ ଓଲଟି ଆପତ୍ତି କରୁଛ ?’’

 

ସତୁରା ଦବିଲା ନାହିଁ, ହସିଦେଲା । କହିଲା, ‘‘ପୋଲା ଟଙ୍କା ସବୁ ଅନର୍ଥର ମୂଳ । ଲୋକେ ଅଳସୁଆ ହେବେ, ହାତ ଗୋଡ଼ ଟେକିଟାକି ଆଁକରି ବସିଥିବେ କେତେବେଳେ ଉପରୁ ଝଡ଼ିପଡ଼ିଲେ କାମ ହେବ । ଆପଣା ଆପଣା ଭିତରେ ବାଦଛେଦ ଦେଖାଦେବ, ନିଜ ଦେଇ କ’ଣ କରିହେବ ପରଖିବେ ନାହିଁ । ଆଉ ଗୋଟିଏ କଥା ବାବୁ, ଯେଉଁ ଟିକକ ପାଇବା ପାଇଁ ପରିଶ୍ରମ କରିବାକୁ ପଡ଼ିଲା ନାହିଁ ତା’ର ଅସଲ ମୂଲ କେତେ, ତାକୁ କେମିତି ଗଣ୍ଠିଧନ କରି ସାଇତିବାକୁ ପଡ଼ିବ, କେମିତି କଲେ ତହିଁରୁ ଷୋଳଅଣା ଉପକାର ଉଠେଇ ହେବ ତାକୁ ଏ ଲୋକେ ବୁଝିବେଟି-? ଆପଣା ହୃଦ ଭିତରୁ ବିଚାର ନ ବାହାରିଲେ ଆପଣ ବାହାରୁ କେତେ ଜଗୁଆଳ ପଠାଇବେ ?’’

 

ବିପିନ୍ କହିଲା, ‘‘ତେବେ କ’ଣ ତୁମେ ଯୋଜନା ଭିତରେ ପଶିବାକୁ ନାରାଜ ?’’

 

ସତୁରା କହିଲା, ‘‘ଆମେ ଖୁସି, ନାରାଜ ହେବୁ କାହିଁକି ? ଆମେ ଯାହାକୁ ଗଢ଼ୁଚୁଁ ତାକୁ ପୋଷିପାଳି ବଢ଼େଇ ସାହାଯ୍ୟ କରି ତାକୁ ଭଲ ହେଲାପରି ଯାହା ଯାହା ଯୋଜନା ଆପଣ କରିବେ ସେ ତ ଆପଣଙ୍କର ଦୟା ।’’

 

ରୋହିନାଥ କହିଲା, ‘‘ସେଇଆ-ସେଇଆ-ଏ ତ ଅତି ଉତ୍ତମ କଥା, ଯୋଜନା କଥା କ’ଣ ଆମେ ଶୁଣିନୋଉଁ କି ? କେତେଠିଁ କେତେ ଉପକାର ହେଉଛି, ଆମର ବି ହେବ, ଯେ ଏଠି ପ୍ରକାର ଟିକିଏ ଭିନେ, ଆମେ ସମସ୍ତିଙ୍କ ଭଲ ମନ୍ଦ ଏକାଠି ବସି ଭାବୁଁ, ଆମର ଜଣଜଣିକିଆ ଉନ୍ନତିରେ କାମ ନାହିଁ, ଆମେ ଲୋଡ଼ୁଚୁ ସମସ୍ତିଙ୍କର ଏକା ସଙ୍ଗରେ ଉନ୍ନତି, ସାରା ଗୋଷ୍ଠୀଟାଯାକର ।’’

 

ବିପିନ୍ କହିଲା, ‘‘ସବୁ ଭଲ ଯେ ତୁମ ଭାବିବା ବାଟଟା ଟିକିଏ କେମିତି ଆଉ ପ୍ରକାରେ ଜଣା ପଡ଼ୁଛି, ଟିକିଏ କେମିତି ଓଲ୍‌ଟା ଓଲ୍‌ଟା ।’’

 

ରୋହିନାଥ କହିଲା, ‘‘ସେଥିରେ କ’ଣ ଅଛି ? ଆପଣ ବି ଆମ ସାଙ୍ଗରେ ବସି ଭାବିବେ, ଆମ ଭାବନା ବି ସଫା ହୋଇଯିବ, ଯାହା ଭଲ ବୋଲି ଜଣାପଡ଼ିବ ସେଇଆ ଆମ ଯୋଜନା । ଆମକୁ କ’ଣ ଭଲ, ଆମର କ’ଣ ଦରକାର ସେ କଥା ଆଗ ଆମେ ସିନା ଥଏ କରିବୁଁ, ଯୋଜନା ତ ଆରମ୍ଭ ହେବ ଗୋଟିଏ ପ୍ରାଣୀଠୁଁ ଆଗ, ସେଉଠୁ ଗୋଠଟିଯାକ ପାଇଁ ଯୋଜନା, ସେଉଠୁ ଦେଶଟିଯାକ ପାଇଁ ।’’

 

ପୁଣି ବିପିନ ଓ ଟଙ୍କ ଅନାଅନି ହେଲେ । ବିପିନ କହିଲା, ‘‘ଯେ ତମକୁ ବୁଝେଇଛି ସେ ଭଲ ବୁଝେଇଛି, ଆରମ୍ଭଟା ବି ନାଙ୍କେରା ନୁହେଁ, କାର୍ଯ୍ୟ ହୋଇପାରିଲେ ହେଲା ।’’ ତା’ପରେ କଥା ବଦଳାଇଦେଇ କହିଲା, ‘‘ପାଣି ପମ୍ପ୍‌ଟିଏ ପକାଅ, ଇଞ୍ଜିନ୍‌ରେ ଚାଲିବ, ଭଲ ଚାଷ ହେବ ।’’

 

ରଘୁନାଥ କହିଲା, ‘‘ତାଷ ଯାହା ସେ ତ ତେଣ୍ଡାକୁ ନିଅଣ୍ଟ, ସବୁ କ୍ଷେତରେ ତେଣ୍ଡା ପଡ଼ିଛି, ଚୁଆ ଖୋଳା ହୋଇଛି । ହାତକୁ ବଜେଇଲେ ସିନା ହତିଆର ଲାଗେ ।’’

 

ବିପିନ୍ କହିଲା, ‘‘ଗୁଣ୍ଡ ଦୁଧ ଟିଣେ ଦେଇଯାଇଛି, ଆଉଟିଦେଇ ପିଲାଙ୍କୁ ଖୋଇବ । ପଇସା ପଡ଼ିବ ନାହିଁ, ଏ ଦୁଧଗୁଣ୍ଡ ବଣ୍ଟାହେବା ପାଇଁ ବିଦେଶରୁ ଆସୁଛି । ଆମେରିକା ଦେଶ ମଣିଷମାନେ ଆମ ଲୋକଙ୍କପାଇଁ ଶରଧାରେ ପଠାଇଛନ୍ତି ।’’

 

କାଙ୍ଗାଳିନାଥ କହିଲା, ‘‘ଏ ଶରଧା ସବୁଦିନେ ରହିବଟି ? ନା ଏ ପଦାର୍ଥ ଆମ ପାଟିରେ ଲାଗିଗଲେ ସେଉଠୁ କହିବେ କିଣି ଖାଅ ?’’

 

ଟଙ୍କ କହିଲା, ‘‘ଆଚ୍ଛା ସନ୍ଦେହୀ ଲୋକ ୟେ !’’

 

କାଙ୍ଗାଳିନାଥ କହିଲା, ‘‘ମଣିଷକୁ ମଣିଷ ଶରଧା କରିବା ନୂଆ କଥା ନୁହେଁ, ବନ୍ଧୁ ଘରକୁ ଆମେ ଭାରଥୋର ପଠାଉଁ, ସେମିତି ଆମେରିକା ଲୋକେ ପଠେଇଥିବେ । ତେବେ ସନ୍ଦେହଟା ବି ଥିବା ଦରକାର, ଆମ ସଙ୍ଗରେ ଜଣା ନାଇଁ ଶୁଣା ନାଇଁ, ଆମେ ତାଙ୍କୁ କେବେ କିଛି ଦେଇ ନୋହୁଁ, ଏ କଳିଯୁଗରେ ଯେ ଏମିତି ଶୁଖିଲାରେ ଦାନ ଦିଏ ସେ ଧନ୍ୟ, ତା’ର କିଛି ଅନ୍ୟ ଉଦ୍ଦେଶ୍ୟ ନ ଥିଲେ ସିନା !’’

 

ବିପିନ କହିଲା, ‘‘ପାଟେଳିଗାଁରେ ଆମେରିକା ଲୋକଙ୍କର ଉଦ୍ଦେଶ୍ୟ ଥାଇପାରେ ?’’

 

କାଙ୍ଗାଳି କହିଲା, ‘‘ଆମେ ତ ତାଙ୍କୁ ଚିହ୍ନି ନୋହୁଁ ମୂଳରୁ, ତାଙ୍କର ଉଦ୍ଦେଶ୍ୟ ଅଛି ନ ଅଛି କିଏ ସେ କହିବ ? ତେବେ, ଯେ ଯାହା ଯାଚିକରି ଆଣି ଅଜାଡ଼ିଦେଇ ମଣିଷ କ’ଣ ତାକୁ ଗ୍ରହଣ କରିବ ?’’

 

ବିପିନ କହିଲା, ‘‘ସେ ତ ଭିନେ କଥା, ନିଜ ନିଜ ରୁଚି ଉପରେ ନିର୍ଭର କରେ, ତେବେ କଥାଟା ହଉଚି, ଆମର ଏ ଦେଶ ଆର୍ଥିକ ଉନ୍ନତି କରି ନପାରି ଅତି ତଳେ ପଡ଼ିଛି, ତାଙ୍କ ଦେଶସବୁ ଧନୀ ଦେଶ, ଲୋକେ ଖାଇ ପିଇ ସୁଖରେ ରହି ଆହୁରି ବଳୁଛି । ଦୁନିଆ ଭିତରେ ଯାହାଁତକ କେଉଁଠି ହେଲେ ଗୋଟିଏ ଅନୁନ୍ନତ ଦେଶ ଥିବ ସେପର୍ଯ୍ୟନ୍ତ ଜଗତଯାକକୁ ବିପଦର ଆଶଙ୍କା ଥିବ, ଅଭାବରୁ ଅଶାନ୍ତି, ତହିଁରୁ ହିଂସାବାଦ, ଯୁଦ୍ଧ, ସେଥିପାଇଁ ଅନ୍ୟାନ୍ୟ ଅଭାବୀ ଦେଶକୁ ସାହାଯ୍ୟ କରିବାକୁ କେତେ କେତେ ଦେଶ ଉପରେ ପଡ଼ି ଯାଚୁଛନ୍ତି ।’’

 

କାଙ୍ଗାଳିନାଥ କହିଲା, ‘‘ସଂସାରର ସବୁଯାକ ଦେଶ ଯଦି ଭାଇ ଭାଇ ପରି ଏକା ମେଣ୍ଟରେ ଏକା ଗୋଠରେ ଚଳନ୍ତେ, ବୁଝନ୍ତେ ସମସ୍ତେ ଆମ ଭାଇ, ତେବେ ସେ ସାହାଯ୍ୟଟା ଜଣାପଡ଼ନ୍ତା । ଅଖଳା, ନିଷ୍କପଟ । ସାହାଯ୍ୟ ପଠେଇ ଦେବାଟା କ’ଣ ଭାରି ଭିଡ଼, ସେ ତ ନିଜେ ଆସି କାନ୍ଧକୁ କାନ୍ଧ ଇଗାନ୍ତେ । ତାଙ୍କ ହୃଦ ଭିତରେ ସେ ବ୍ରହ୍ମ ଡାକ ନ ପକେଇଲାଯାକେ ଆମ ସନ୍ଦେହ ଯାଉଚି କାହୁଁ ? ଏ ମନ ଭାବୁଥିବ, ଥୋପ ଭିତରେ ବନିଶୀକଣ୍ଟା ଆଉ ନାହିଁ ତ ? ଫେର୍ ଆହୁରି କ’ଣ ହବ ? ୟାଠୁ ସାହାଯ୍ୟ ନେଲେ ସେ ମୁହଁ ଫୁଲେଇବ, ସାହାଯ୍ୟ ଦବା ଲୋକଙ୍କ ଭିତରେ ଲାଗିଯିବ ତେରିମେରି, ଖୁରି ବି ଲାଗିବ ।’’

 

ହସି ହସି ବିପିନ୍ କହିଲା, ‘‘ତୁମେ ଭାରି ତାକତରକ କଥା କହୁଛି ବାବୁ, ଶୁଣୁଛନ୍ତି ଟଙ୍କବାବୁ ? ଗାଁଲୋକଙ୍କ ବୁଦ୍ଧି ଶୁଣନ୍ତୁ । କୋଉଠୁ ଏସବୁ କଥା ଶିଖିଲ ?’’

 

କାଙ୍ଗାଳି ନାଥ କହିଲା, ‘‘ତାକତରକ ତ ଭଗବାନ ଶିଖାଏ, ନ ହେଲେ ଘୁଙ୍ଗା ଜନ୍ତୁଜୁନ୍ତା ବି ବଞ୍ଚନ୍ତେ ନାହିଁ, ତେବେ ଯାହା କହିଲି ସେ କ’ଣ ନାଙ୍କେରା କଥା ?’’

 

ବିପିନ୍ କହିଲା, ‘‘ନାଙ୍କେରା ଅନଙ୍କେରା କଥା ପଡ଼ି ନାହିଁ, କଥା ହେଲା କିଏ ଦେଖେ ନିଜ ନାକ ଅଗଯାକେ, କିଏ ଦେଖେ ଦୂରକୁ । ଯେ ଦଶଟା ଗାଁ କି ଦଶଟା ରାଜ୍ୟ କି ପୃଥିବୀର ବଡ଼ ଚକଡ଼ାକ ପାଇଁ ଯୋଜନା କରେ ସେ ଖାଲି ନିଜ ନାକ ଅଗଯାକେ ଦେଖିଦେଇ କାମ କଲେ ଚଳେ ନାହିଁ, କେତେ କଥା ଭାବିବାକୁ ପଡ଼େ । ସେସବୁ ଠିକ୍‍ଣା କରିବାକୁ ବଡ଼ମୁଣ୍ଡିଆ ବଡ଼ପାଠୁଆ ଲୋକେ ଆମ ଦେଶରେ ଅଛନ୍ତି, ସେମାନେ ଚାରିଆଡ଼ ବୁଲି ଦେଖିଛନ୍ତି, ଆହୁରି ଦେଖୁଛନ୍ତି, କେଉଁଠି ତରକିବ କେଉଁଠି ନାହିଁ, ସେମାନେ ବଳେ ବତେଇଦେବେ !’’

 

କାଙ୍ଗାଳିନାଥ କହିଲା, ‘‘ଯେ ଯେତେ ବୁଦ୍ଧି ଦେଉ, ଏ ମଣିଷ ନିଜେ ସବୁ କଥା ଭାବିବା ଉଚିତ । ସାହାଯ୍ୟଟା ଯେଡ଼େ ବଢ଼ିଆ ହେଲେ ସୁଦ୍ଧା ସାହାଯ୍ୟ, ସବୁଠୁ ଭଲ ନିଜ ଗୋଡ଼ରେ ନିଜେ ଠିଆ ହେବା ଆବଶ୍ୟକଟାକୁ ସେତିକିରେ ରଖିବା ଯେମିତି କମେଇ ସଙ୍ଗେ ଆବଶ୍ୟକ ଠିକ୍ ଖାପିଯିବ, ନଖଟ ହେବ ନାହିଁ, ସେଇ ଯେ ସବୁଦିନିଆ । ପରଠୁ ନେଇ ଦିନେ ଖାଇଦେଲେ କ’ଣ କିଏ ମୋଟା ହେଇଯିବ ? ଏମିତି ଜିନିଷରେ ଦେହକୁ ଗଢ଼ିବ ଯେ । ସବୁଦିନେ ମିଳୁଥିବ ।

 

ଟଙ୍କ କହିଲା, ‘‘ଆରେ ବାବୁ, ଏତେ କଥାରେ କ’ଣ ଅଛି ? ଗୁଣ୍ଡ ଦୁଧକୁ ପାଣିରେ ଗୋଳି ଆଉଟି ରାଜ୍ୟଯାକ ପିଲାଙ୍କୁ ଦିଆହେଲାଣି, ତାଙ୍କ ଓଜନ ବଢ଼ୁଛି, ତମେ ବି ନିଅ ସେଇଆ କର ।’’

 

ସତୁରା କହିଲା, ‘‘ଆମେ ଗାଈ ରଖିଚୁ, ଛେଳି ରଖିଚୁ, ଊଣା ଅଧିକେ ପିଲାଙ୍କ ଗୁଜୁରାଣ ମେଣ୍ଟିଯାଉଛି, ଆମର ସେ ଦରକାର ନାହିଁ ।’’

 

ରାତି ବଢ଼ିଲାଣି । ଚପରାଶି ଡାକିଆସିଲା, ଠା ହେଲାଣି । ବିପିନ୍ କହିଲା, ‘‘ଯାହା ହେଉ ମନଖୋଲି ଗପିଲେଇଁ, ପୁଣି କେବେ ନାନା କଥା ପଡ଼ିବ । ଏଇ ଆଲୋଚନଟା ହେଲା ଯୋଜନାର ମୂଳକଥା, କଥାଭାଷା ଆଗ । କାହାକୁ କ’ଣ ସୁହାଇବ, କାହାକୁ କ’ଣ ରୁଚିବ, କାହାର କ’ଣ ଦରକାର ଏ ସବୁ କଥା ଜାଣିସାରିଲେ ଯୋଜନ ଗଢ଼ାହୁଏ, ତଳୁ ଗଢ଼ା ହୋଇ ହୋଇ ଉପରଆଡ଼କୁ ଯାଏ । ସେଥିପାଇଁ ଆପଣମାନଙ୍କୁ ଧନ୍ୟବାଦ । ଏଠି ଯେପରି ଗୋଷ୍ଠୀ ଗଢ଼ା ଲାଗିଛି ସେ ବିଷୟରେ ମୋର ଆଗରୁ କିଛି କିଛି ଧାରଣା ଅଛି । ଫୁଲଶରା କାମ କଥା ମୁଁ ଜାଣେ, ରବି ମୋର ବନ୍ଧୁ । ୟେ ଗୋଟିଏ ନୂଆ ପନ୍ଥା, ପଛେ କ’ଣ ହେବ ମୁଁ ଜାଣେ ନାହିଁ । ପୁଣି ଏ ପନ୍ଥାରେ ମୂଳ ନୀତି, ମୂଳ ଚିନ୍ତା ଘେନି ଆମ ମତ ସଙ୍ଗରେ କେତେ କେତେ ବିଷୟରେ ଅମେଳ ବି ରହିଛି । ଦୁଇପଟୁ ଦିଆଘେନା ଚାଲିବ, ଏଠି ବି ଯୋଜନା କାମ ହେବ । ମୋର ଇଚ୍ଛା, ଏଠି ଯୋଜନା କାର୍ଯ୍ୟ ଆଦର୍ଶ ହୋଇ ହେଉ, ଅନ୍ୟମାନେ ଦେଖି ଶିଖନ୍ତୁ । ଆମେ ଯୋଜନାବାଲା ନାନା ଉନ୍ନତିମୂଳକ କାମ କରାଉଛୁଁ ତହିଁରେ ଗୋଷ୍ଠୀଚେତନା ଗଢ଼ିହେବ ବୋଲି, ଏଠି ଗୋଷ୍ଠୀଚେତନା ଗଢ଼ା ସରିଛି, ତା’ ଉପରେ ଚାଲୁଛି ଉନ୍ନତିମୂଳକ କାମ, ବହୁତ ବାଟ ବାକୀ ଅଛି, ଏ ଖାଲି ଆରମ୍ଭ । କାମର ବି ଆରମ୍ଭ, ଆମ ସମ୍ପର୍କର ବି ଆରମ୍ଭ, ବହୁତ ବାଟ, ବହୁତ......’’

 

ବିପିନ ଠିଆ ଠିଆ ଘରଯାକ ବୁଲି ବୁଲି ସ୍ୱପ୍ନରେ ବିଳିବିଳେଇଲା ପରି କଥା କହୁଥିଲା, ତା’ମୁହଁରେ ଉତ୍ତେଜନାର ତାତି ଚହଟୁଥିଲା, ହାତ ଓ ହାତ ପାପୁଲି ଛଟ, ଛଟ ହେଉଥିଲା, ଦୋହଲୁଥିଲା, ସେ ଅସ୍ଥିର ଦିଶୁଥିଲା । ଟଙ୍କ ଠିଆ ହୋଇପଡ଼ି ତା’ ମୁହଁକୁ ଚାହିଁଥିଲା । ସେଠି ନାହିଁ ଥଟ୍ଟା-କଲା ପରି ଅଧହସର ଠାଣି, ଲମ୍ୱେଇ ହୋଇ ଅଳସେଇ ହେଲା ପରି ଭଙ୍ଗୀ ନାହିଁ, ତା’ଭିତରେ କେଉଁଠି ଦୀପ ଜଳୁଛି, ବାହାରେ ତାହାରି ଧାସ ।

 

ତା’ର ଏ ରୂପ କେବେ କେବେ ଟଙ୍କର ଆଖିରେ ପଡ଼ିଛି, ହଠାତ୍ ସେ ବାହାରେ । ସେତେବେଳେ ଟଙ୍କ ଭାବେ, ଏଇ ଯେଉଁ ଲୋକଟି ବନ୍ଧାଗତରେ ଜଗିଜାଗି ଚାଲେ, ଚିକ୍‍କଣ ଓ ହିସାବୀ କଥା କହେ, କେମିତି ଉପର ପାହିଆକୁ ବଡ଼ତି ହେବ ସେଥିପାଇଁ ବୁଦ୍ଧି ଖେଳାଏ, ତା’ଭିତରେ ବି ଲୁଚିଛି ଗୋଟାଏ ପାଗଳ; ସେ ହୃଦୟ ଢାଳିଦେଇ ସ୍ୱପ୍ନ ଭସେଇଦିଏ, କେଉଁ ଦୂରର ଦୂରର ସ୍ଵପ୍ନ, ସେହି ସ୍ୱପ୍ନକୁ ଦେଖି ଅଧୀର ହୁଏ, ସତେ କି ସେ ଉଡ଼ିଯାଇ ପାରୁନାହିଁ ଏତିକିଟା ଦୁଃଖ-। ସେତେବେଳେ ଟଙ୍କ ବି ଦବିଯାଏ, ତା’ର ଉପରିସ୍ଥ ପ୍ରତି ପ୍ରକୃତରେ ତା’ର ସମ୍ଭ୍ରମ ହୁଏ, ସେ ଆପଣା ଭିତରକୁ ଚାହେଁ, ଉଣ୍ତେ କାଳେ ସେଠି ବି ଜଳୁଥିବ ଦୀପ, ସାନ ହେଉ ପଛେ, ଦୀପଟିଏ । ମନେପଡ଼େ, ତାଠିଁ ବି ଅଛି ହୃଦୟ, ଦୟା, ସହାନୁଭୂତି, ସ୍ଵାଧୀନ ଚିନ୍ତା ଅଛି । ତା’ର ବୃତ୍ତିପାଇଁ ତାକୁ କେତେ ବିଚାର କେତେ ଚିନ୍ତାକୁ ଆଖିବୁଜି ଆଦରି ନେବାକୁ ପଡ଼ିଛି, ଯେମିତି ତା’ର ଭେକ, ସେମିତି-। ତୁଣ୍ଡରେ ସେହି ସେହି କଥା, ରୁଚିରେ ସେହି କାର୍ଯ୍ୟରେ ସେହି, କିନ୍ତୁ ବିପିନ୍‌କୁ ଏଅବସ୍ଥାରେ ଦେଖିଲେ ତା’ର ମନେପଡ଼େ, ସ୍ଵାଧୀନଭାବେ ଭାବିବା ବାଗ ତା’ର ବି ଥିଲା, ଦବିଯାଇଛି, କିନ୍ତୁ ଅଛି-

 

ଟଙ୍କର ଜୀବନ ବି ସେହି ଗୋଟିଏ ସାଧାରଣ ଶ୍ରେଣୀର । ଗାଁରେ ଜମି ସାମାନ୍ୟ, ଭାଗ ଲାଗେ, ସେଥିରୁ ଆୟ ଚାରିମାସ ଖେଟାଏ । ଆପଣା ଅର୍ଜନରେ ସହରରେ ଜମି ତିନି ଗୁଣ୍ଠ ପକାଇଛି । ଖାଲଟିଏ, କେବେ ପଇସା ହେବ; ଖାଲ ପୂରିବ, ଘର ତୋଳା ହେବ । ଝିଅ ଚାରୋଟି, ପୁଅ ଚାରୋଟି, ପଢ଼ୁଛନ୍ତି । ସେମାନେ ବିଭା ହେବେ, ତା’ର ଦାୟିତ୍ୱ ତୁଟିବ । ଏଥିକୁ ଯେତେ ଖର୍ଚ୍ଚ ହେବ ତ ଏକାଠି ହିସାବ କଲେ ଲାଗେ ଦୁଇଟା ଜନ୍ମରେ ବି ସେତେ ଅର୍ଜନ ତା’ର ହେବ ନାହିଁ; ତଥାପି ସେ ଆଶା କରେ, କ’ଣ କେମିତି କିମିଆଁ ପରି କେତେବେଳେ ତ ଜୀବନରେ କେତେବେଳେ ଘଟି ଘଟି ଯାଉଥିବ, ଯାହା ସେ ଭାବୁଛି ସବୁ ହେବ, ଆଶା କରେ, ସହରରେ ଜୀବନ ବିତାଏ, ନିଜକୁ ବାଧ୍ୟକରି ଦରମାର ପଚିଶି ଟଙ୍କା ସଞ୍ଚୟ ପାଣ୍ଠିରେ ହୁଏ, ତେଣିକି ଆଉ ନାହିଁ, ହାତ ଖାଲି, ଯାହା ଆସିଲା ତା’ ଗଲା, ରହିଲା କିଛି ହାତଉଧାର । ବୟସ ହେଲାଣି ସତଚାଳିଶ, ଯୋଡ଼ିଏ ବର୍ଷ ଲୁଚେଇ ତା’ବାପା ଇସ୍କୁଲରେ ତା’ନାଁ ଲେଖାଇଥିଲେ । ସେହି ଆରମ୍ଭର ମିଛଟି ବି ତା’ଜୀବନର ଯୋଜନାର ଗୋଟିଏ ଅଂଶ, ସେହି ହିସାବରେ ଚାକିରି ଆଉ ଦଶ ବର୍ଷ । ପୁଣି ମନେପଡ଼େ, ଏଇ ସରନ୍ତା ବୟସରେ ହଠାତ୍ ଯଦି କେତେବେଳେ ତା’ର ମୃତ୍ୟୁ ଘଟିବ, ତା’ର ସ୍ତ୍ରୀ ଓ ଆଠୋଟି ସନ୍ତାନ ଥାଇ ଏ ପରିବାରଟିର କ’ଣ ହେବ ? ଆଗକୁ କି ପଛକୁ କେହି ନାହିଁ । ତଥାପି ତା’ର ଯୋଜନା ତୁଟେ ନାହିଁ । ଖାଲ ଭର୍ତ୍ତି ହେବ, କୋଠାଟି ହେବ, ପିଲାଏ ମଣିଷ ହେବେ-। ସେହି ଆଶାରେ ତା’ଭାରିଯା କାମରେ ଲୋଟୁଛି । ଦେହ ଘୋରି ଘୋରି ବତାଫାଳ ହେଲାଣି, ଏମିତି ଜୀବନଯାକ । ତେନ୍ତୁଳି ଆଉ ପଖାଳ, କେଉଁଦିନ ଥିଲେ ତବତ ଆଉ କିଛି ତରକାରୀ, ଦରମା ପାଇଲା ଉତ୍ତାରୁ ଆଠ ଦଶ ଦିନଯାକେ ଟିକିଏ ଭଲରେ ଚଳଣି, ଟିକିଏ ଉଶ୍ୱାସ, କେବେ କେବେ ମାଛ କି ମାଉଁସ । ଯେଉଁ ଭଲ ଲୁଗା ଖଣ୍ଡିକ ସେ ତା’ସ୍ତ୍ରୀ ପାଇଁ କିଣିବ ବୋଲି ଭାବିଥିଲା, କିଣି ପାରିନାହିଁ, ପୁଣି ଛୁଆପିଲାଙ୍କ ପାଇଁ, ଆପଣା ପାଇଁ, ଯେଉଁ ଅଳଙ୍କାର ସେ ତା’ସ୍ତ୍ରୀ ପାଇଁ ଗଢ଼େଇବ ବୋଲି ଭାବିଥିଲା, କରିପାରି ନାହିଁ, ତା’ର ଯେଉଁ ଅବସର ବେଳ ପରିଶ୍ରମରେ ମଉଳି ପଡ଼ିଛି, ସେ ଯେଉଁ ବିଶ୍ରାମ ନପାଇଛି, ଉପଭୋଗ ନକରିଛି, ବୋଧହୁଏ ଭଲ ଦିନ ଆସିବ ଯେତେବେଳେ ସେ ତା’ର ସବୁ ଆଶା ମେଣ୍ଟାଇବ । ସବୁ କଅଁଳି ଉଠିବ, ଯଦିଚ କେମିତି କ’ଣ ହେବ ତାକୁ ଦିଶୁନାହିଁ । ଏହି ଅଧା ବିଚାର ଅଧା ସ୍ୱପ୍ନ ଭିତରେ ବୁଡ଼ିରହି ସେ ଚାକିରି କରି କୁଟୁମ୍ୱ ପୋଷି ସାଧାରଣ ତାକତରକ ସନ୍ଦେହ ଆଉ ହିସାବରେ ବ୍ୟବହାର ଦେଖାଇ ଚଳି ଆସିଛି । କ’ଣ କଲେ ତା’ମନକଥା ଧରାପଡ଼ିବ ନାହିଁ, ସେ ପରର ମନ ନେଇ ଚାକିରିରେ ଉପରକୁ ଉଠିପାରିବ, କେହି ତାକୁ ଦୋଷ ଦେବେ ନାହିଁ, ନିନ୍ଦା କରିବେ ନାହିଁ, ରାଗିବେ ନାହିଁ ଏମିତି କେତେ ହୁସିଆର ହୋଇ କଣ୍ଟି କଣ୍ଟି ଘଣ୍ଟାକୁ ଘଣ୍ଟା ଚଳି ଚଳି ସେ ଦିନ ବିତାଉଛି । ତା’ର ସବୁ ସାତ ପାଞ୍ଚ ଖାଲି ନିଜର ସ୍ୱାର୍ଥକୁ ଆବୋରି ।

 

ସ୍ୱାର୍ଥ ଓ ସନ୍ଦେହ ଜରଜର ଚାହାଣିରେ ସମସ୍ତିଙ୍କ ଚାହିଁ ଚାହିଁ ସବୁ କଥାକୁ ଆଗ ଅବିଶ୍ୱାସରେ ତଉଲି ତା’ପରେ ସେ ନିଜ ମତାମତ ଗଢ଼ିବା ତା’ର ଅଭ୍ୟାସ ହୋଇଯାଇଛି । ସେ ଭାବେ, ସେହି ତା’ର ସହରିଆପଣ ପୁଣି ବୁଦ୍ଧିର ପରିଚୟ ।

 

ବିପିନ୍‌ଠି ନୂଆ ରୂପ ଦେଖୁ ଦେଖୁ ସେ ବୁଦ୍ଧି ହଜିଯାଇଥିଲା, ତା’ପରିବର୍ତ୍ତେ ବିଶ୍ୱାସ ଆସିଥିଲା । ଲାଗୁଥିଲା ଯେ ଏ ସାତ ପାଞ୍ଚ ହିସାବ ଉହାଡ଼ରେ ସରଳ ସତ ସୁନ୍ଦର ଓ କରୁଣାମୟ ହୋଇ ଏବେ ବି କିଛି ଅଛି ।

 

ପାଟେଳିଗାଁର ନୂଆ ସମାଜକୁ ସେ ନୂଆ ଦୃଷ୍ଟିରେ ଦେଖୁଥିଲା; ମୁଗ୍‌ଧ ହେଉଥିଲା ।

 

ବନ୍ଧମୂଳ ଗାଁରେ ବଟ ମହାନ୍ତିଙ୍କ ଜୀବନର ଅଭ୍ୟସ୍ତ ଧାରାରେ କୌଣସି ପରିବର୍ତ୍ତନ କାହା ଆଖିରେ ପଡ଼େ ନାହିଁ । ବଡ଼ ପୁଅ କବି ପୁଲିସ ଇନିସ୍‌ପେକ୍ଟର, ଆଗ ପରି ତାଙ୍କ ପରିବାର ବି ତାଙ୍କ ସଙ୍ଗେ ସଙ୍ଗେ । କେବେ ମନ ହେଲେ ମାସେ ଦି’ମାସରେ ଖଣ୍ଡ ଚିଠି ଆସେ, ମଝିରେ କେତେ ମାସ ବିତିଯାଏ, ଚିଠି ଆସେ ନାହିଁ । ଯେତେବେଳେ ଆସେ ସେଥିରେ ଆଗ ଲେଖାଥାଏ କାମ କେତେ ଭିଡ଼, ଖିଅର ହେବା ପାଇଁ ବି ସମୟ ନାହି ଇତ୍ୟାଦି । ସାନ ପୁଅ ରବି ବି.ଏ. ପାଶ କରିସାରି ଯେ ସେଦିନୁ ଘର ଛାଡ଼ି ଦେଇ ଫୁଲଶରା ଉଠିଯାଇଛି, ସେ ଯାଇଛି ସତେ କି ଏ ଘରେ ତା’ର ଆଉ କିଛି ସମ୍ପର୍କ ନାହିଁ, କିଛି କାମ ନାହିଁ ଏଠି, ମଝିରେ କେତେବେଳେ ଆସିଲେ ଦିନେ ଓଳିଏ ରହିଗଲେ ଛାଟିପିଟି ହେଲା ପରି ପଳାଏ, ଯେତେ ବେଳତକ ଥାଏ ସେତେବେଳେ ଘରେ ଖାଲି ନାଁକୁ, ଗାଁଯାକ ସାହି ସାହି ସେ ବୁଲୁଥାଏ, କେତେବେଳେ ସଙ୍ଗରେ ଆସିଥାନ୍ତି ଫୁଲଶରାରୁ କେହି ସଙ୍ଗୀ, ସେମାନେ ଆସିଲେ ରବିର ପଦାକାମ ଯେପରି କି ଦିଗୁଣେଇ ହୋଇ ବଢ଼ିଯାଏ । ଘରକୁ ଆସିଲେ ଦୁଃଖ ସୁଖ ସେ ହେଉଥାଏ ତା’ବୋଉ ସଙ୍ଗରେ, ସେତିକିବେଳେ ସେହି ସ୍ତ୍ରୀଲୋକଟିର ପାଦ ତଳେ ପଡ଼େନାହିଁ । ହସ ଧାର ଧାର ହୋଇ ବୋହିଯାଉଥାଏ, କିନ୍ତୁ ବଟ ମହାନ୍ତିଙ୍କ ସଙ୍ଗରେ ଯେପରି କି ସମ୍ୱନ୍ଧ ନଥାଏ, ସେ ସେମାନଙ୍କୁ ଦୂରେଇ ହେଇ ରହି ଅନାଇଁ ଦେଇ ଚାଲିଯାଆନ୍ତି, ରବି ବି ଗମ୍ଭୀର ହୋଇ ମୁହଁକୁ ତଳକୁ ପୋତି ତାଙ୍କ ଆଗରେ ଠିଆ ହୁଏ, ପଦେ ପଦେ କଥା କହି ତାଙ୍କ ପ୍ରଶ୍ନର ଉତ୍ତର ଦିଏ, ତା’ପରେ ଚାଲିଯାଏ, ପୁଣି ବିତିଯାଏ ମାସ ମାସ, ସେ ଆସେ ନାହିଁ।

 

ପୁଅକୁ ତାଙ୍କ ସଙ୍ଗେ ମନ ଖୋଲି ମିଶିବାକୁ ସେ ପିଲାଦିନେ ସୁବିଧା ଦେଇ ନଥିଲେ । ସେତେବେଳେ ମନରେ ଥିଲା, ସେ ଡରୁ, ଭକ୍ତି କରୁ, ତା’ହେଲେ ଆକଟ ମାନିବ, ମଣିଷ ହେବ । ସେତେବେଳେ ସେ ତାକୁ ବସାଉଠା ସାଙ୍ଗମାନଙ୍କୁ କହୁଥିଲେ, ‘‘ଗୋଟାଏ ଡାକ ଛାଡ଼ିଦେଲେ ଯେ ମୂତି ନପକେଇବ ସେଇଟା କି ପୁଅ ?’’ ଏବେ ମନ ହେଉଛି, ପୁଅ ମନଖୋଲି କଥାଭାଷା ହୁଅନ୍ତା, ଡର କି ଭକ୍ତିକୁ ଦୂରରେ ରଖି ତାଙ୍କୁ ବୁଝିବାକୁ ଚେଷ୍ଟା କରନ୍ତା, କଥା ଶୁଣନ୍ତା, କଥା କହନ୍ତା, ପାଖରେ ବେଶି ବେଶି ବସାଉଠା କରନ୍ତା; କିନ୍ତୁ ସେ କଥା ତାକୁ ସେ ଉପରେ ପଡ଼ି କହି ନାହାନ୍ତି କେବେ । ନିଜ ମନ ଭିତର କ’ଣ ଖୋଜୁଛି ସେ କଥା ପଛକୁ ରଖି ଜାଣତାମନ ସେହି ପୁରୁଣା ବ୍ୟବହାରକୁ ଖୋଜେ, ପାଏ, ଆପଣା ପକ୍ଷରେ କି ବ୍ୟବହାର ଉଚିତ ହେବ ସେ ବିଷୟ ଯେବେ ତାଙ୍କ ମନରେ ଆସେ କେତେବେଳେ ସ୍ୱପ୍ନରେ ବି ଭାବି ହୁଏ ନାହିଁ ଯେ ସେ ପୁଅ ପାଖରେ ଅନ୍ତର ମୁକୁଳା କରିଦେଇ ଗଦଗଦ ହେବେ । ଇଚ୍ଛା ହୁଏ ନାନାପ୍ରକାର, ସେ ପଦାକୁ ଫୁଟେନାହିଁ ।

 

ଆଗ ପରି ସେମିତି ସଳଖ ବେକ, ମୁହଁରେ ସେହି କଠିନ ଠାଣି, ସମାନ ଛନ୍ଦରେ ତାଳ ରଖି ସେମିତି କଠୋଉର ଠକ ଠକ ଶବ୍ଦ, ଜମିଦାରୀ ଉଠିଯାଉ ପଛେ, ତାଷ ଜମି ତୋଟାବାଡ଼ି ପୋଖରୀ ଥାଇ ଟଙ୍କା ମହାଜନି କାରବାର ଥାଇ ଆଗ ପରି ଯେଉଁ ପ୍ରତିପତ୍ତିକୁ ସେହି ପ୍ରତିପତ୍ତି, ମନ କହେ ଟାଣ ଥିଲି, ଟାଣ ରହିଥିବି, ଭାଙ୍ଗିବି ପଛେ ନଇଁବି ନାହିଁ । ଅଭ୍ୟାସ ବି କଣ୍ଟିଲା ପରି ଆଗ ପରି ସବୁ, ଯେତେବେଳେ ଯେଉଁ ନୀତି, ସକାଳେ ସଞ୍ଜେ ଠାକୁର ପୂଜା, ସକାଳେ ଗାଧୋଇସାରି ମିଶ୍ରିପାଣି ପିଆ, କେତେବେଳେ ତାଷ ଦେଖିବାକୁ ବୁଲା, କେତେବେଳେ ବଉଳ ଗଛମୂଳ ଚାନ୍ଦିନୀରେ ବସିବା, କେତେବେଳେ ଚଉପାଢ଼ି ରେ ବିଶ୍ରାମ କି ପୋଥିପଢ଼ା କି ଗପ ସବୁ ଆଗପରି ।

 

ତଥାପି ଆପେ ଆପେ କେତୋଟି ବିଷୟରେ ମନେ ମନେ ସତେ କି ତାଙ୍କର ରବି ସଙ୍ଗେ ସାଲିସ ହୋଇ ଯାଇଥିଲା । ଫୁଲଶରା ବିଷୟରେ ସେ ପାଟି ଫିଟାନ୍ତି ନାହିଁ । ରବିର ଭବିଷ୍ୟତ ବିଷୟରେ କି କାର୍ଯ୍ୟ ବିଷୟରେ କେବେ ତା’ସଙ୍ଗରେ ଆଲୋଚନା କରନ୍ତି ନାହିଁ, ତାକୁ ବଳାନ୍ତି ନାହିଁ, ତାକୁ ବାହାଘର କଥା ସେ ତୁଣ୍ଡରେ ଧରନ୍ତି ନାହିଁ । ଅଥଚ ତା’ର ଭବିଷତ୍‍ ହିଁ ହୋଇଥିଲା ତାଙ୍କର ବଡ଼ ସ୍ୱପ୍ନ, ସେଥିପାଇଁ କେତେ ଗଣକ ପୁରୋହିତ, କେତେ ପୂଜା ମାନସିକ, କେତେ ସାତ ପାଞ୍ଚ ।

 

ଏଇ ପୁରୁଣା ଆଣ୍ଟକୁ ହାତରୁ ଛାଡ଼ିଦେବାକୁ ସେ କେବେ ଭାବିଚିନ୍ତି ମତ ସ୍ଥିର କରି ନାହାନ୍ତି, ସେଥିପାଇଁ କୌଣସି ନିଷ୍ପତ୍ତି କରି ନାହାନ୍ତି, ଋତୁ ବଦଳିଲେ କି ପାଗ ବଦଳିଲେ ମଣିଷ ଯେମିତି ଛାଁକୁ ଛାଏଁ ତାକୁ ଆଦରିନେଇ ନିଜର ଚଳଣି ବଦଳାଏ ଏ ପ୍ରକ୍ରିୟା ସତେ କି ସେହିପରି, ଆପେ ଆସିଛି, ଆପେ ଦେହସହା ହୋଇଯାଇଛି, ସେ ପାଟି ଫିଟେଇ ନାହାନ୍ତି ।

 

ବଡ଼ ପୁଅ କବିକୁ ଆଶା କରିଥିଲେ, ପୁଲିସ୍ ସବଇନିସ୍‍ପେକ୍ଟର ଥିଲା, ଇନିସ୍‌ପେକ୍ଟର ହେଲା, ଝିଅ ତଳେ ପୁଅ, ଝିଅ ତଳେ ପୁଅ ହୋଇ ଚାରୋଟି ସନ୍ତାନ ହେଲେ । ଚାକିରି ଆଉ ସହର ସତେ କି ତାଙ୍କୁ ଗିଳି ପକାଇଲା, ଗାଁର ସ୍ମୃତି, ବାପ ମା’ ସତେ କି ମନରୁ ପୋଛି ହୋଇଗଲେ, କେବେ କଦବା ଖବର ଜଣାଇଁ ଖଣ୍ଡେ ଖଣ୍ଡେ ଚିଠି, ଖାଲି ସେତିକି, ଆଉ କିଛି ନାହିଁ, ସେ ଖବର ବି ସତେ କି ଖବରକାଗଜ ପଢ଼ିଲା ପରି । ତା’ର ଘଟଣରେ ତାଙ୍କର ମତାମତ ଲୋଡ଼ା ହୁଏ ନାହିଁ, ସେ ଖାଲି ଶୁଣିବାରେ ଭାଗୀ । ସେହିପରି ଗୋଟାଏ ଅବାଞ୍ଛିତ ଖବର ଥରେ ସେ ଲେଖିଥିଲା, ସେ ଅପରେସନ୍ କରିପକାଇ ନିଜର ଦେହକୁ ଏପରି ବଦଳାଇ ଦେଇଛି ଯେ ଆଉ ତା’ର ଛୁଆପିଲା ହେବ ନାହିଁ । ଯାହା ତ କଲା କଲା, ଚିଠି ଲେଖି ବାପ ମା’ଙ୍କୁ ଇଣାଇଲା ବା କାହିଁକି ସେ ବୁଝିପାରିଲେ ନାହିଁ । ତା’ ବୋଉ କାନ୍ଦି କାନ୍ଦି କହିଲେ, ପୁଅ ମୋର ଏ କି ବିଘଟଣ କଲା ! ନାହିଁ ନ ଥିବା କଥା, ଜାଣି ଜାଣି ଏଇଆ ହେଲା । କବି ସେଥିପାଇଁ ନାନା କାରଣ, ନାନା ଉଦାହରଣ ଲେଖିଥିଲା । ସେ ଲେଖିଥିଲା ଆଜିକାଲି ଦେଶରେ ଯେଉଁପରି ଭାବରେ ଜନସଂଖ୍ୟା ବଢ଼ି ଚାଲିଛି ତା’କୁ ଆୟତ୍ତ ନକଲେ ମହାବିପଦ । ମଶା ମାଛି ପରି ମଣିଷ ବଢ଼ିବେ, ତାଙ୍କୁ ପୋଷିବାକୁ ପାଳିବାକୁ ସମ୍ୱଳ ନ ଥିବ, ଏ ପରିସ୍ଥିତିରେ ଯୋଡ଼ିଏ ସନ୍ତାନ ହେଲେ ତ ଯଥେଷ୍ଟ, ଚାରି ହେଲେ ବେଶି ହେଲା, ତାଠୁଁ ବଳିଲେ ଅସମ୍ଭାଳ ; ତେଣୁ ଏ ଉପାୟ କରିବାକୁ ହେଲା । ଦେଶରେ ସବୁ ବଡ଼ ବଡ଼ ଜାଣିବା ଲୋକ ସେହି ଉପଦେଶ ଦେଉଛନ୍ତି, ସେଥିପାଇଁ କେତେ ଡାକ୍ତରଖାନା, କେତେ ଡାକ୍ତର । ଶହ ଶହ ପାଠପଢ଼ା ଲୋକ, ବଡ଼ଲୋକ ସେହି ଉପାୟରେ ନିଜକୁ ଓ ସଂସାରକୁ ନିରାପଦ କରୁଛନ୍ତି । କେତେ ମୁଖିଆ ଲୋକଙ୍କ ନାଁ କହିବି । ବହୁତ ସନ୍ତାନ ଜନ୍ମ କଲେ ମା’ର ସ୍ଵାସ୍ଥ୍ୟ ଧ୍ୱଂସ ହୁଏ, ପୋଷିବାକୁ ଚିନ୍ତା ଦକ ବଢ଼େ, ତେଣୁ ଏ ସହଜ ଉପାୟ, ଶାସ୍ତ୍ରସମ୍ମତ ।

 

ବଟ ମହାନ୍ତି ତା’ଙ୍କ ସ୍ତ୍ରୀଙ୍କ କାନ୍ଦୁରା ମୁହଁକୁ ଚାହିଁ କହିଲେ, ‘‘କାନ୍ଦୁଛ କାହିଁକି ? ବହୁକୁଟୁମ୍ୱୀ ଚିରକାଳକୁ କଷ୍ଟୀ, ପାଠପଢ଼ା ପୁଅ, ତା’ର ନିଜର ବୁଦ୍ଧିବିଚାର ଅଛି ।’’

 

କାନ୍ଦି କାନ୍ଦି ସେ କହିଲେ, ‘‘କୋଉ କୁଟୁମ୍ୱଟା ମାଡ଼ିଯାଉଥିଲା ଏ ଘରେ । କାହା ପେଟ ଅପୋଷା ରହୁଥିଲା ?’’

 

ତା’ର ଉତ୍ତର ବି ସେ ଚିଠିରେ ଲେଖା ହୋଇଥିଲା । କବି ଲେଖିଥିଲା- ଆମ ଘରେ ପେଟକୁ ମୁଠିଏ ଖାଇ ଖଣ୍ଡେ ପିନ୍ଧି ଚଳିଗଲା ଭଳି ସମ୍ବଳ ଅଛି, କେହି ମନା କରୁ ନାହିଁ, କିନ୍ତୁ ଆଜିକାଲି ସେତିକିରେ କାହାରି ଚଳେ ନାହିଁ । ଲୋକେ ଖୋଜନ୍ତି ଭଲ ଖାଇବେ, ଭଲ ପିନ୍ଧିବେ, ଭଲ ଭୋଗ କରିବେ । ପିଲାଏ ଦେଶ ବିଦେଶରେ ବୁଲି ନୂଆ ନୂଆ ବିଦ୍ୟା ଶିଖିବେ, ବେଶି ରୋଜକାର କରିବେ, ଚାକିରି କଲେ ବଡ଼ ଚାକିରି କରିବେ । ପଦେ କଥାରେ, ଜୀବନ ଧାରଣର ମାପ ବଢ଼ିଯାଇଛି, ଆଖି ବଢ଼ିଛି, ସେହି ଅନୁସାରେ ପେଟ ବଢ଼ିଛି, ମାନେ, ଆବଶ୍ୟକ ବଢ଼ିଛି । ବେଶି ପିଲା ହେଲେ ସମସ୍ତିଙ୍କର ଉତ୍ତମ ଯତ୍ନ ନେବା ସମ୍ଭବ ହେବ ନାହିଁ । ଆଜିକାଲି କାଳ ବି ହେଲାଣି ଯାହା ସେଥିରେ ଗାଁ ସମ୍ପତ୍ତିରେ କେତେ ବା ଲାଭ ? କରିବ ଧରିବ କିଏ ? ତାକୁ ଆଶାକରି ଯକ୍ଷ ପରି ଆବୋରି ରହିଥିଲେ କାହାର ବା ଚଳିବ ? ସମସ୍ତେ କହନ୍ତି ଗାଁକୁ ଟାଣୁଆ କରିବା, ଗାଁରେ ରହିବା, କଲା ବେଳକୁ ସମସ୍ତେ ସହରମୁହାଁ, ସହର ଗଢ଼ି ରବିବା, ସହରରେ ଘର କରିବା, ଚଳିବା । ସେଥିପାଇଁ ଭିନେ ବାଗରେ ବିଦ୍ୟା ଦରକାର, ବୃତ୍ତି ଆଉ ସମ୍ବଳ ଦରକାର, ଚାଷ ବୃତ୍ତିକୁ ଅଶା କରି ବସିରହି ଆମ ଭଳିଆ ଲୋକଙ୍କ ପକ୍ଷରେ କୁଟୁମ୍ୱ ବଢ଼ାଇଲେ ଚଳିବ ନାହିଁ ।

 

ସ୍ତ୍ରୀଙ୍କୁ ବୁଝାଇବାବୁ ଚେଷ୍ଟାକରି ବଟମହାନ୍ତି ସେସବୁ ଯୁକ୍ତି ବି ପଢ଼ି ବୁଝାଇ ଦେଇଥିଲେ-। କିନ୍ତୁ କବିର ବୋଉ ଧୈର୍ଯ୍ୟ ଧରିପାରି ନଥିଲେ । ବଟମହାନ୍ତି ବିରକ୍ତ ହୋଇ କହିଥିଲେ–‘‘ତୁମର ପ୍ରକୃତି ହେଲାଣି ନାକକାନ୍ଦୁରା । ଆଛା ନାଳଝାଡ଼ା ଲାଗି ରହିଛି ଯେ ଦେହରେ ତ ଖାଲି ଯାହା କହନ୍ତି ବାଡ଼ିଟିଏ, ବାଡ଼ି ଚାରିକରେ ଶାଢ଼ିଟିଏ । ତହିଁରେ ନିଜ ଦେହ ପ୍ରତି ବାର ଅନାସ୍ଥା, ଖାଇବା ପିଇବାରେ ସମୟ ନାହିଁ କି ଠିକ୍‍ଣା ନାହିଁ, ଯାହା ଟିକିଏ ଭାବିଲେ କି ଶୁଣିଲେ ଆଖିରୁ ଧାର ବୋହିଲା, ମୁଁ ଆଉ କରିବି କ’ଣ କହ ।’’

 

ସ୍ତ୍ରୀ ତୁନି ହେଲେ, କିନ୍ତୁ ସେତେବେଳର ସେହି ଦୃଶ୍ୟ ବହୁତ ଦିନଯାକେ ବଟମହାନ୍ତିଙ୍କର ମନରେ ରହିଗଲା । ଠାକୁର ଘର ବଖୁରି । ସାମ୍ନାରେ ଖଟୁଲିରେ ପଶି ଆସ୍ଥାନ ଉପରେ ନାଲି ସାଲୁକନାରେ ଶାଳଗ୍ରାମ ଶିଳାମାନ, ବନାରସରେ ତିଆରି ପିତ୍ତଳ ବିଗ୍ରହ ଯୋଡ଼ିଏ, ରାଧାମାଧବ, ଫୁଲମାଳ ଭିତରେ ଶୋଭା ପାଉଛନ୍ତି । ଫୁଲ, ଚନ୍ଦନ ଓ କର୍ପୂର ଆଳତିରେ ଘର ମହକୁଛି । ପୂଜା ସରିଥିଲା । ତା’ପରେ ବଟମହାନ୍ତି ବସି ଭାଗବତ ବୋଲନ୍ତେ । ଠିକ୍ ସେତିକିବେଳେ ଡାକବାଲା ଆସି ଚିଠି ଦେଇଗଲା । ଚିଠିକି ସେ ସେହି ଘରେ ପଢ଼ିଲେ । ବଡ଼ ପିତ୍ତଳ ଆଳତି ଦାନିରେ ନିଭିଲା ଦୀପସଳିତା ପାଞ୍ଚଟି ଥୁଆ ହୋଇଥାଏ । ତଳେ ବସି ସ୍ତ୍ରୀ କାନ୍ଦୁଥାନ୍ତି । ବଟ ମହାନ୍ତିଏ ନିର୍ଲିପ୍ତ ରହିଲା ପରି ଛଳନା କରି ତାଙ୍କୁ ପ୍ରବୋଧ ଦେଉଥାନ୍ତି । ଦୁଆର ମୁହଁରେ ବିଲେଇଟିଏ ବସି ଟିକିଏ ଟିକିଏ ମୁହଁ ବଢ଼ାଇ ଦେଇଥାଏ, ପୂଜା ସରିଲେ ସେ ଛେନାଗୁଡ଼ ଭୋଗ ଟିକକ ଉପରେ ମୁହଁ ମାରେ । ଠାକୁରଙ୍କ ଆସ୍ଥାନ ପଛ ଆଡ଼େ କାନ୍ଥରେ ଅସରପାମାନେ ସଣର ସଣର ହେଉଥାନ୍ତି । ମୁଣ୍ଡ ଉପରେ ଫଡ଼୍ ଫଡ଼୍ ହୋଇ ଘରଚଟିଆମାନେ ଉଡ଼ୁଥାନ୍ତି । ଦଶଟା ବେଳର ଖରା ବାହାର ପିଣ୍ଡା ଦାଢ଼ରେ ପଡ଼ିଥାଏ । ସେପାଖେ ସବୁ ଶୂନ୍‌ଶାନ୍, ଶବ୍ଦ ନାହିଁ ।

 

ସାଧାରଣ ଚିଠିଟାଏ- ବାଜେ କଥା-ବଟମହାନ୍ତି ମନକୁମନ ଭାବୁଥିଲେ । କିନ୍ତୁ ମନ ମାନୁ ନ ଥିଲା । କଥା ହେତୁ କଲା ପରି ହଠାତ୍ ଭାବିଲେ- ସାଧାରଣ କଥା ତ, ତେବେ ଏତେ ବୁଝେଇ ସୁଝେଇ କାରଣମାନ ବର୍ଣ୍ଣନା କରି କବି ଚିଠି ଲେଖିଲା କାହିଁକି ? ଲାଗିଲା, ସେ ତାଙ୍କ ଆଗରେ ସଫେଇ ବାଢ଼ି ନାହିଁ, ନିଜ ଆଗରେ ସଫେଇ ବାଢ଼ି ସତେ ଯେପରି ନିଜକୁ ନିଜେ ଢ଼ିରା ଦେଇଛି । ସେ ଧକ୍‌କା ଖାଇଛି, ସେତିକିବେଳେ ଚିଠି ଲେଖିଛି । ମନେ ପଡ଼ିଗଲା, କବିର ବଡ଼ ଝିଅ ମୁନା, ବୟସ ବାର ଚାଲିଥିବ, ତା’ତଳେ କୁନା, ତା’ତଳେ ରୁନା, ତା’ତଳେ ସୁନା । ଏକା ପରି ସୁନ୍ଦର ନାକ, ଆଖି, କୁଞ୍ଚକୁଞ୍ଚିଆ ବାଳ, ଗଢ଼ଣ ଭିନ୍ନ ଭିନେ ହେଲେ ବି ଏକାପରି ସୁନ୍ଦର ଠାଣି । କବିର ପିଲାଦିନ ମୁହଁ ମନେ ପଡ଼ିଗଲା, ଛାତି ଭିତରେ କୋହ ପୂରିଗଲା, ଭାବିହେଲା ଯେ ସେ ସୃଷ୍ଟି ଏଇଠି ଶେଷ । ଦଇବ ବିଧାନର ଅନିଶ୍ଚିତପଣର ଆଶା ପାଇଁ ବି ଆଉ ସମ୍ଭାବନା ନାହିଁ । ମଣିଷ ତା’ କାମ କରିଛି, ଆଉ ଦଇବ କରିବାକୁ ବାଟ ନାହିଁ । ଆପେ ବଞ୍ଚି ଥାଉ ଥାଉ ଦିଶିଯାଉଛି ଯୋଡ଼ାକରୁ ଗୋଟାଏ ଧାର ବଢ଼ି ଉଠୁ ଉଠୁ ସେଇଠି ଅଟକିଲା ।

 

କାହିଁକି ?

 

ସେ କାହିଁକିର ଉତ୍ତର ଦେଇ କବିର ସେ ଚିଠି ବୁଝାଇ ପାରିବ ନାହିଁ । ଘଟନା ଘଟେ, ଘଟିଯାଇଛି । ସେତିକି ଖାଲି, ତା’ସଙ୍ଗେ ସଙ୍ଗେ ମନେପଡ଼ିଲା, କବି ପର ହେଇଯାଇଛି, ରବି ପର ହୋଇଯାଇଛି । ତା’ପରେ ପଚାରିହେଲେ, ଆପଣା ପିଲା କାହିଁକି ପର ହୁଏ ? ‘ ଡିମ୍ୱ ଫୁଟିଲେ, ଛୁଆ ବଡ଼ ହେଲେ, ତା’ପରେ ପକ୍ଷୀ ଲାଗିଲା, ସେମାନେ ଉଡ଼ିଗଲେ ।

 

ଚାଷ ବୃତ୍ତିରେ ଜୀବନ ବିତେଇବାର ଅମଳ ଥିଲା, ଏକା ଜମିରୁ ସମସ୍ତେ ବଞ୍ଚୁଥିଲେ, ଏକା ଥାଳିରୁ ଏକାଠି ଖୁଣ୍ଟି ଖାଇବେ ବୋଲି ଜନ୍ମ ହେଲାଦିନଠୁଁ ମଲାଯାକେ ସମସ୍ତେ ଜମିକୁ ଆବୋରି ପଡ଼ି ରହୁଥିଲେ । ସମୟ ବଦଳି ଯାଇଛି । ବୃତ୍ତି ଅନ୍ୟଠି; ତା’ସଙ୍ଗେ ସଙ୍ଗେ ମଣିଷ ଛିନ୍‌ଛତର ।

 

ପାସୋରିଲା ଦୁଃଖ ପୁଣି ମନ ଭିତରେ ହାକୁହାକୁ ହେଲା । ସେ ଯାହା ସୁଖେ ଉଡ଼ି ଚାଲିଗଲେ, ଘର ଆବୋରି ରହିବାକୁ ଖାଲି ଦି’ଜଣ ।

 

ଭାଗବତ ପଢ଼ାରେ ମନ ଲାଗିଲା ନାହିଁ, ଖାଲି ଆଉଣ୍ଡି ହେଲା ଭାଗବତର ଶିକ୍ଷା, ଯେ ସଂସାର ଅନିତ୍ୟ, ଦୁଃଖ ସୁଖ ଅନିତ୍ୟ, ଯାହା ଆସେ ତା’ଚାଲିଯାଏ ।

 

କାହା ପାଇଁ ତେବେ ଏତେ ଆୟୋଜନ, ଏତେ ପରିଶ୍ରମ ? ତୋଟା- ବାଡ଼ି, କ୍ଷେତ ଅମାର, ଘରକରଣା । ପଇସାଟିକର ହିସାବ ନ ନେଲେ ତାଙ୍କୁ ଶାନ୍ତି ଲାଗେ ନାହିଁ, ଯେତେ ଭାବିଲେ ବି ତୁଣ୍ଡରେ ଦେବା ପଦ ଆସେ ନାହିଁ, ଯେଉଁ କାମ ହେଲେ ନିଘାରେ ପଡ଼େ ଯୋଡ଼ିଏ କଥା, ଲାଭ ଲୋକସାନ ।

 

ରବିର ବୋଉ ହାଣ୍ଡି ହାଣ୍ଡି କରି ବଢ଼ି ପାରନ୍ତି, ଆମ୍ୱୁଲ ଆଚାର ସାଇତି ରଖିଛନ୍ତି । ଶୁଖେଇ ଥାଆନ୍ତି ଯେ ଦୁଆର ପୂର୍ଣ୍ଣ ହୋଇଯାଏ, ମନ ଇଚ୍ଛା ବାଣ୍ଟନ୍ତି, ତାଙ୍କ ହାତ ଖୋଲା, ତଥାପି ବର୍ଷ ବର୍ଷକର ସଞ୍ଚୟ ସାଇତା ହୋଇ ଥୁଆ ହୋଇଛି, ଗୋଟାକୁ ଗୋଟା ଭଣ୍ଡାର ଘରେ ଥାକ ପୂରିଛି, ଶିକା ଓହଳିଛି, ସେମିତି କେତେ ବର୍ଷର ପୁରୁଣା ଜଡ଼ାତେଲ, ଘିଅ କି ଗୁଡ଼ ।

 

ଖାଇ ସାଇତା - ସାଇତା - ସେ କାହିଁକି ? କାହା ପାଇଁ ?

 

ଭାଗବତ ବହି ଧରି ଠାକୁରଙ୍କ ଆଡ଼କୁ ଆଉ ନିଭିଲା ଆଳତିଆଡ଼କୁ ଅନାଇଁ ରହି ଆପଣା ଚିନ୍ତାରେ ବୁଡ଼ି ରହିଲାବେଳେ ବଟମହାନ୍ତିଙ୍କର ଜ୍ଞାନ ଭଦୟ ହେଲା- ମଣିଷ ଭାବେ ଯେ ନିଜର ସ୍ୱାର୍ଥ ପାଇଁ ସେ ବୃତ୍ତିଟାଏ ଧରିଛି, କିନ୍ତୁ ପ୍ରକୃତରେ ବୃତ୍ତଟି ହିଁ ସତେ କି ତା’ନିଜର ସ୍ୱାର୍ଥ ପାଇଁ ମଣିଷକୁ ଧରେ ଆଉ କାର୍ଯ୍ୟରେ ଛନ୍ଦ, ଖଟାଏ । ସେମିତି ବୃଦ୍ଧି ଏ ଘରକରଣା, ଏ ଚାଷ, ଏ ମହାଜନି, କିଏ ତାକୁ ଭୋଗ କରିବ ସେ ଚିନ୍ତା ସେଠି ଉଠେ ନାହିଁ, ଆପେ ଆପେ ମୁଣ୍ଡ ଖେଳେ, ହାତଗୋଡ଼ ଚାଲେ, କାମ ଚାଲେ, ଗୋଟାଏ ତାଷ ପରେ ଆଉ ଗୋଟାଏ ତାଷ କରିବାକୁ ହୁଏ, ଗୋଟାଏ ପାଗ ବଡ଼ି ପାରିଲା ଉତ୍ତାରୁ ଆଉ ଗୋଟାଏ ପାଗ ବଡ଼ି ପାରିବାକୁ ହାତ ଯାଏ, ଏମିତି କାମ କରୁ କରୁ ଆୟୁଷ ସରିଯାଏ ।

 

ବୃତ୍ତିରୁ ବାହାରେ ଧନ୍ଦା, ମଣିଷ ସେହି ବୃତ୍ତର ଚାକର, ଧନ୍ଦାର ଚାକର, ବଞ୍ଚିଥିବାଯାକେ ସେହି ସମ୍ପତ୍ତିର ଜଗୁଆଳ ।

 

ଠାକୁରଙ୍କଆଡ଼କୁ ଅନାଇ ଆପଣାକୁ ଉପହାସ କରି ସେ ଜଣାକଲେ, ‘‘ସବୁ ତ ତୁମରି ଲୀଳା ପ୍ରଭୁ, ତୁମେ ଇଚ୍ଛାମୟ, ଆମେ ଯାତ୍ରାର ବୁଢ଼ାବୁଢ଼ୀ, ରାଜରାଣୀ କି ଚଇତି ଘୋଡ଼ା ଖୋଳ, ଭିତରେ ତୁମେ ଥାଇ ସବୁ କରାଉଛ, ନଚୋଉଛ, ଭଲ ହେଲେ ତୁମରି ଖେଳ, ମନ୍ଦ ହେଲେ ତୁମରି ଖେଳ, ମୋର ସୁଖ ଅଛି କି ଦୁଃଖ ଅଛି, ଲାଭ ଅଛି କି କ୍ଷତି ଅଛି ଯେ ମତେ କାହିଁକି, କେଉଁ କଥା ବାଧିବ ?’’

 

‘‘ମୁଁ କରୁ ନାହିଁ, ମୁଁ ଖାଉ ନାହିଁ, ମୁଁ ଭୋଗୁ ନାହିଁ, ମୁଁ କେହି ନୁହେଁ, ଏମିତି ଖାଲି ଗୋଟାଏ ଚଳନ୍ତି ଛାଇ ।’’ ଭାବୁ ଭାବୁ ମମତା ଓ ଅଭିମାନରେ ବଟମହାନ୍ତିଙ୍କୁ ହାୟ ହାୟ ଲାଗୁଥିଲା, ସତେ କି ସେ ଖାଲି ଆପଣା ପରାଜୟର ଧ୍ୱନି, ତାହାରି ସଙ୍ଗେ ସଙ୍ଗେ ମନେ ପଡ଼ିଯାଏ ଏ ମନରେ ନାନା କାମନା ଥିଲା, ପୂରଣ ହୋଇନାହିଁ, ପାଞ୍ଚ ବର୍ଷ ତଳେ କି ଦଶ ବର୍ଷ ତଳେ ଆଗକୁ ଭାବିଲାବେଳେ ମନର ଏ ଅବସ୍ଥା ନିଜକୁ ଦିଶୁ ନ ଥିଲା । ସେତେବେଳେ କଳ୍ପନା ଥିଲା, ଆଶା ଥିଲା । ଏ ଘର ପୂରି ଉଠୁଥାନ୍ତା, ଯୋଡ଼ିଏ ବୋହୁ, ନାତି ନାତୁଣୀମାନେ, ଗହଳ ଚହଳ । ସେ ସଂସାରରେ ଅତି ପ୍ରୟୋଜନୀୟ ହୋଇ ଝଟକୁଥାନ୍ତେ ସେ ନିଜେ, ସବୁ କାମ ପାଇଁ ତାଙ୍କୁ ହିଁ ଆଗେ ବରଣ ହୁଅନ୍ତା, ତାଙ୍କରି ମତ, ତାଙ୍କରି ସାହାଯ୍ୟ ଲୋଡ଼ା ପଡ଼ନ୍ତା, ବାହାରେ ସେମିତି ନାନା ଜୀବନକୁ, ସଜାଇବାକୁ ସଜାଡ଼ିବାକୁ, ବାଟେଇ ଦେବାକୁ ଲୋଡ଼ା ପଡ଼ନ୍ତା ତାଙ୍କରି ହାତ, ଏତେ ଦର୍ପଣରୁ ଆଲୁଅ ଛିରିକି ପଡ଼ନ୍ତା ତାଙ୍କରି ମୁହଁ ଉପରେ, ଏତେ ଦର୍ପଣରେ ସେ ନିଜ ମୁହଁ ଦେଖୁଥାନ୍ତେ ।

 

ଭାବିଲେ ମନରେ ଚମକ ଖେଳେ, ସଂସାରରେ ବଡ଼ କ’ଣ, ଜନ ନା ଧନ ? କାମ କାର୍ଯ୍ୟ ମଝିରେ ଅନ୍ୟମନସ୍କ ହେଲେ ସେହି ନିଛାଟିଆପଣ ମନକୁ ଘାରେ, ଲାଗେ ସେ ତରଳ ଗୁଡ଼ ହାଣ୍ଡିରେ ଗୋଟିକିଆ ପିମ୍ପୁଡ଼ିଟିଏ, ହାତଗୋଡ଼ ନାଠି ହୋଇ ଖାଲି ଠାଆକେ ରହି ଛଟ ଛଟ, ଆଗକୁ ନାହିଁ, ପଛକୁ ନାହିଁ ।

 

ସେତିକିବେଳେ ମନେ ପଡ଼େ ବୟସର ଘୁଣ । ଉପର ପାଟିରୁ ତିନୋଟି ଦାନ୍ତ ପଡ଼ିଲାଣି, ତଳ ପାଟିରୁ ଚାରୋଟି, ମୁଣ୍ଡର ଚନ୍ଦା ଉଠି ଉଠିକା ଚଢ଼ିଗଲାଣି ତଳୁ ଉପରକୁ, ଦୁଇ କରରେ ଯାହା ଯେତେକ ବାଳ ଅଛି ସେ ପାଚଳ ପଡ଼ିଲାଣି, ସେଥିରେ ଧୋବଲା ବେଶି ଭାଗକ । ବେକରୁ ଛାତି କେତେ ଛାଡ଼ିଗଲାଣି, ଚମ ଲୁଳିଲାଣି, ଦେହ ଶୁଖିଲାଣି । ଆପଣା ମୁହଁକୁ ଅନାଇଁଦେଲେ ବେଳେ ବେଳେ ମନେ ପଡ଼ିଯାଏ, ନା, ଏ ମୁହଁ ଆଗେ ନ ଥିଲା ତ ଏମିତି ! ଆପଣାକୁ ପ୍ରବୋଧିବାକୁ ମନ ହୁଏ–’’ ଏମିତି ଏ ହେଲାଣି ବହୁ ବର୍ଷରୁ, ଏଇ ଗୋଟାଏ ସ୍ତରରେ ଆସି ରହିଛି ଯେ ରହିଛି, ଆଉ ବଦଳି ନାହିଁ । ସେହି ସଙ୍ଗେ ସଙ୍ଗେ ଆପଣ ମୁହଁ ଆପଣାକୁ ବିକଟ ଉପହାସ କରି ହସିଉଠେ, ମନର ଆଶ୍ୱାସ କାହିଁ ଉଡ଼ି ପଳାଏ । ବେଳେ ବେଳେ ସେ ଆଁ କରି ଆରିସିକୁ ଅନାଇଁ ରହନ୍ତି, ଦେଖନ୍ତି ଦାନ୍ତଗୁଡ଼ାକ କେମିତି ମୂଳରୁ ହଲିଯାଇ ଅମାନିଆଁ ହୋଇ ଏକର ସେକର ହୋଇ ରହିଛନ୍ତି, କେଉଁଟା କି ଅବସ୍ଥାରେ ଅଛି, ଜିଭ ଅଗରେ ଠେଲି ଠେଲି କେଉଁଟାକୁ ପରଖନ୍ତି, କେଉଁଟାକୁ ଟିପ ଅଗରେ । ପାଟି ମେଲା କରି ନାନ ପ୍ରକାର ମୁଖ ବିକୃତି କଲାବେଳେ ବେଳେ ବେଳେ ମନେପଡ଼େ, ଆଉ କେତେଟା ବର୍ଷ ଏ ପୃଥିବୀରେ, କିଏ କହି- ପାରିବ ? ଅଶାୟୀ ହୋଇ ମନ ହେତୁ କରେ, ଏବେ ବି ଅଶୀ କି ତହିଁରୁ ବେଶି ବୁଢ଼ାମାନେ ବସିଛନ୍ତି, କିଏ କେତେ ଗୁରୁଭାର ବି ତୁଲାଉଛନ୍ତି, ଯାନ- ବାହନରେ ଚଢ଼ି ହେଉ ପଛେ, କେତେ ରାଜ୍ୟ ବୁଲି ପାରୁଛନ୍ତି, ଲେଖୁଛନ୍ତି, ଗପୁଛନ୍ତି, କାମ ବରଗୁଛନ୍ତି, ପରଖୁଛନ୍ତି । ପୁଣି ସେ ଆଶା ବି ଚାହୁଁ ଚାହୁଁ କୁହୁଡ଼ି ପରି କୁଆଡ଼େ ଉଭେଇଯାଏ, ପଛ ଦିଶି ଦିଶି ଯାଏ, ତାଙ୍କଠୁଁ କେତେ କେତେ ସାନ ହୋଇ ଯେଉଁମାନେ ଥିଲେ କେବଠୁଁ କେତେ କିଏ ଟଳି ପଡ଼ିଲେଣି, କିଏ କହିବ କେତେବେଳେ କ’ଣ ହେବ !

 

ସେପରି ଭାବିଲାବେଳେ ରକ୍ତ ଭିତରେ ହିମକାକର ଖେଳିଯାଏ, ମୁହଁ ବିବର୍ଣ୍ଣ ପଡ଼ିଯାଏ, ମଣିଷ ଜୀବନ ପରିକଳ୍ପନାରେ ବାସ୍ତବ କ’ଣ ଅବାସ୍ତବ କ’ଣ, ସ୍ଥାୟୀ କ’ଣ ଅସ୍ଥାୟୀ କ’ଣ ସବୁ ଗୋଳିଆପୋଳିଆ ଗୋଳମାଳ ହୋଇଯାଏ । ମନ ଆଶ୍ରା ଖୋଜେ । ନିରାଶ୍ରୟ ଲାଗେ ସବୁଠୁଁ ବେଶି ।

 

ଆଉ ପୁଣି ସେ ଦେହଟା ଅନହୁତି ଦାଉ ସାଧେ, ବୋଲ ମାନେ ନାହିଁ । ବାଟ ଚାଲୁ ଚାଲୁ ମୁଣ୍ଡ ବୁଲେଇଦିଏ, ଗୋଡ଼ ଟଳେ । କେତେବେଳେ ମୁଣ୍ଡଟା ଏପରି ଘୂରେଇଦିଏ ଯେ ବିଛଣାରୁ ଉଠି ହୁଏନାହିଁ । କେତେବେଳେ ଅଳ୍ପ ଚାଲିଲେ ଝୋଲା ମାରିଦେଲା ପରି ଲାଗେ, କେଇଟା ପାହୁଣ୍ଡ ପକାଇଲା । ବେଳେ ଓଟାରି ହୋଇ ହୋଇ ଚାଲୁ ଚାଲୁ ଲାଗୁଥାଏ ସତେ ଯେମିତି କେତେ କଷ୍ଟରେ କେତେଗୁଡ଼ାଏ ବାଟ ସେ ଚାଲିଆସିଲେଣି । ରାତିରେ ବହୁତ ବେଳଯାକେ ନିଦ ହୁଏନାହିଁ, କେତେବେଳେ ହଠାତ୍ ନିଦ ଭାଙ୍ଗିଯାଏ । ଚେଇଁ ରହିଲେ ବି ପରିଷ୍କାର ହୋଇ କିଛି ମନେ ପଡ଼େନାହିଁ, ନାଁ ମନେ ପଡ଼େନାହିଁ, ନାଁ ସହିତ ଘଟନା ମନେ ପଡ଼େନାହିଁ, ମନେପଡ଼ିଲା ପରି ଲାଗେ, ଧରୁ ଧରୁ ପଳାଏ । ମୁଣ୍ଡ ଭିତର ଝିମି ଝିମି ହୁଏ, ନିସ୍ତେଜ ଲାଗେ, ବସିଥିଲେ କି ଶୋଇଥିଲେ ଆଖିପତା ଢୁଳେଇ ହୋଇପଡ଼େ, ସବୁ ଭୁଲି ହୋଇଯାଏ ।

 

ବେଶି ଦିନ ଦେହ ସୁଖ ନ ଥାଏ, କେଉଁଠି କିଛି ନା କିଛି ବିଗିଡ଼ି ଯାଇଥାଏ । ଗଣ୍ଡିରେ ପୀଡ଼ା, ପେଟ ଅସୂତ୍ର, ଦାନ୍ତମୂଳ ଟଣଟଣ, ମୁଣ୍ଡ ଝାଇଁ ଝାଇଁ, ବାଇ ଉଡ଼ିଛି, ଅଣ୍ଟା ପରାଶ, ଆମ୍ୱିଳା ହାକୁଟି, ହାତପାପୁଲି ଗୋଡ଼ ତଳିପା ପୋଡ଼ୁଛି, ମଞ୍ଜ ଥରେଇ କମ୍ପ ଆସୁଛି, ନ ହେଲେ ପାଗ ଶୀତଳ ଥିଲେ ବି ଦେହ ଭିତରୁ ଏତେ ଗରମ ବାହାରୁଛି ଯେ ଅସମ୍ୱାଳ ଲାଗୁଛି, କେତେବେଳେ କ’ଣ ତା’ର ଠିକଣା ନାହିଁ ।

 

ପଁଷଠୀ ପୂରି ନାହିଁ, ସେଥିରେ ଦେହଟା ଏତେ ହୁଗୁଳା !

 

ବେଳେ ବେଳେ ଲାଗେ ଯେପରି କି ଆପଣା ଦେହଠୁଁ ଅଲଗା ହୋଇ ରହି ସେ ଏ ଦେହଟାକୁ ଅନୁଭବ କରି ପାରୁଛନ୍ତି, ତା ବିଷୟ ଭାବିଲେ ଭାବନାରେ ମରମଭାବ ଅଜାଡ଼ି ହୋଇପଡ଼େ ନାହିଁ, ସେ କୌଣସି କବିତା’ର ବସ୍ତୁ ନୁହେଁ, କଳ୍ପନାର ଆଧାର ନୁହେଁ, ଖାଲି ଗୋଟାଏ ଯନ୍ତ୍ର, ଜଡ଼ବିଜ୍ଞାନ ବଳରେ ତିଆରି ହୋଇଥିବା ସାଧାରଣ ଯନ୍ତ୍ରଟାଏ । ସେ କେଉଁଠି ହୁଗୁଳିଛି, କେଉଁଠି ଘୋରି ହୋଇଛି କି ବିଗିଡ଼ିଛି ସତେ ଯେପରି ଦୂରରୁ ଦେଖି ତା’ ବି ସେ ଜାଣିପାରନ୍ତି । ତୁନିହୋଇ ରହି ନିଘା ଦେଲେ ସେ ବାରିପାରନ୍ତି-କେଉଁଠି ଖୁଟୁରୁ ଖାଟୁରୁ, କେଉଁଠି ବେତାଳିଆ, କେଉଁଠି ଦରଜ, କେଉଁଠି ଦୁର୍ବଳତା, କେଉଁଠି ଆଗେ କ’ଣ ଥିଲା ଆଉ ସେ ନାହିଁ, ନାହିଁ ।

 

ଅଧା ଢୁକେଇ ପଡ଼ିଲା ପରି ଲମ୍ୱ ହୋଇ ପଡ଼ିରହି କାରିଗର ଯନ୍ତ୍ରକୁ ପରଖି ଦେଖିଲା ଭଙ୍ଗୀରେ ଯେତେବେଳେ ସେ ଅନୁଭବ କି କଳ୍ପନା ବଳରେ ଆପଣା ଦେହଯନ୍ତ୍ର ବିଷୟରେ ଧାରଣା କରୁଥାନ୍ତି, ତାହା ସଙ୍ଗେ ସଙ୍ଗେ ନିରାଶା ଓ ବିଫଳତା’ର ଚେତନା ବଢ଼ି ବଢ଼ି ଉଠୁଥାଏ, ଲାଗେ-କ’ଣ ଥିଲା ଆଉ କ’ଣ ହେଲା ! ଥିଲାବେଳେ ପ୍ରକୃତରେ ସେ ସେତେ ଭଲ କି ଟାଣୁଆ ଥିଲା କି ସୁଖ ଦେଇଥିଲା ସେ ବିଚାର ସେଠି ଉଠେ ନାହିଁ । ଲାଗେ ଯେ ସବୁ ଭଲ ଥିଲା, ତାଠୁଁ ଅଧିକ ଆଉ ହୋଇ ନ ଥାନ୍ତା, ଏବେ ସେ ନାହିଁ, ଆଉ ଆସିବ ନାହିଁ ।

 

ଏହି ଅଭାବବୋଧ ଓ ନୈରାଶ୍ୟ ଯେତେବେଳେ ବିଳାପର ସଙ୍ଗୀତ ପରି ମନ ଭିତରେ ଝଙ୍କାରି ଉଠୁଥାଏ, ସେତେବେଳେ ସଂସାରୀ ସମ୍ବନ୍ଧ କଥା ମନେପଡ଼ିଲାବେଳେ କେମିତି ଆଉ ପ୍ରକାରେ ଦିଶେ । ଲାଗେ ପୁଅ, ବୋହୂ, ନାତିନାତୁଣୀ ଏପରି କି ଭାରିଯା–ବଢ଼ନ୍ତା ଜରା ଓ ଦୁର୍ବଳତା ଆଗରେ କିଏ କାହାର ? ଯେଉଁ ବାଳ ପାଚିଯାଇଛି, ଯେଉଁ ଦାନ୍ତ ପଡ଼ିଯାଇଛି, ଜଠରର ଯେଉଁ ଅଗ୍ନି ଧିମେଇ ଯାଇଛି, ରକ୍ତର ଯେଉଁ ତେଜ ମଉଳି ଯାଇଛି, କେଉଁ ପୁଅ କି ଭାରିଯା ସେଠି କ’ଣ ଉପକାର କରିପାରିବ ?

 

ଏହି ଯେଉଁ ଯମ-ଘୋଷରା ପରିଷ୍କାର ଅନୁଭବ କରି ହେଉଛି ପ୍ରତି ମୁହୂର୍ତ୍ତରେ, କିଏ ସେଠି ସାହାପକ୍ଷ ହେବ ?

 

ସେତେବେଳେ ପୁରୁଣା ଶୁଣାକଥାର ନୂଆ ଅର୍ଥ ଜଣାପଡ଼େ, ଲୋକେ କହନ୍ତି, ଆସିଲାବେଳେ ଏକୁଟିଆ, ଗଲାବେଳେ ଏକୁଟିଆ । ଲୋକେ କହନ୍ତି, କେହି କାହାର ନୁହେଁ, ଦୁନିଆଁ ଗୋଟାଏ ମାୟା, ଗୋଟାଏ ତୁଚ୍ଛା ଖେଳ, ଗୋଟାଏ ସ୍ୱପ୍ନ । ଶହ ଶହ ହଜାର ହଜାର ବର୍ଷର ସଂସାରୀ ଅଭିଜ୍ଞତାରୁ ରୁଣ୍ଡେଇ ପୁଣ୍ତେଇ ଏ ମଣିଷ ସମାଜ ଏମିତି ପଦେ ପଦେ କଥା ତିଆରି କରିଛି, ହେତୁ ହେଲାଦିନୁ କାନରେ ପଡ଼େ, ସତେ ଅବା ଟକଟକ ରକ୍ତର ଘୋଘାରେ ତା’ ଅର୍ଥ ବାରି ହୁଏ ନାହିଁ, ତା’ପରେ ଚାରିଆଡ଼ ଯେତେବେଳେ ନିଛାଟିଆ ପଡ଼ିଯାଏ, ସେତେବେଳେ ସେହି ପୁରୁଣା ଶବ୍ଦ ନୂଆ ଅର୍ଥ ଚହଟାଇ ଉଜ୍ଜ୍ୱଳ ହୋଇ ଆଖି ଆଗରେ ଆସି ଠିଆ ହୁଏ, ଏଇଆ ତ ?

 

ମନେ ମନେ ଏମିତି ଭାବୁଥିଲେ ବଟ ମହାନ୍ତିଏ । ନିଷ୍ପନ୍ଦ ହେଲାପରି ପଡ଼ିରହି ଘଡ଼ିକେ ପହରକେ ଚମକି ଚମକି ଉଠୁଥିଲେ, ସତେ ଯେପରି କି ସେ ଗୋଟାଏ ନୂଆ ଆବିଷ୍କାର କରି ପକାଇଛନ୍ତି–ଦୁନିଆ ଗୋଟାଏ ମିଛିମିଛିକିଆ ଖେଳ ଘରେଇ–ଏକୁଟିଆ ଆସିଛ, ଏକୁଟିଆ ଯିବ–ଢୁଳୋଉ ଢୁଳୋଉ ପଦେ ପଦେକେ ଏମିତି ଗୋଟାଏ ଗୋଟାଏ ନୂଆ ଆବିଷ୍କାର ।

 

ଉଦୁଉଦିଆ ଦି’ପହର । ଗାଁର କାମ କଲା ଲୋକେ କ୍ଷେତରେ । ଘରେ ଯେ ଅଛନ୍ତି ସେମାନେ ଖିଆପିଆ ସାରି ବିଶ୍ରାମ ନେଉଛନ୍ତି । ଟୁଙ୍ଗୀଘରେ ଶପ ଉପରେ ଶୋଇରହି ଖୋଲା ଦୁଆରମୁହଁ ବାଟେ ବଟ ମହାନ୍ତି ପଦାକୁ ଚାହିଁଥାନ୍ତି, ବେଳେବେଳେ ଆଖି ବୁଜୁଥାନ୍ତି ।

 

ସାମ୍ନାରେ ଦାଣ୍ତ ଲମ୍ୱିଛି, ତା ସେକରେ ଗଛ, ସାହିର ଚାଳଘରମାନଙ୍କ ଛାତ । ଦକ୍ଷିଣାପବନ ଦେହରେ ବାଜୁଛି, କେଡ଼େ ଶୀତଳ ! କେତେବେଳେ ଅଳ୍ପ ଛାଇନିଦ ଘାରୁଛି । ପୁଣି ନିଦ ଭାଙ୍ଗି ଯାଉଛି, ଗୋଟାଏ ଲେଖାଁ ଚମକରେ ଗୋଟାଏ ଲେଖାଁ ନୂଆ ଆବିଷ୍କାର, ଜୀବନର ଅର୍ଥ ଆଉ ତତ୍ତ୍ୱ ବିଷୟରେ ସେହି ପୁରୁଣା ଘଷରା କଥାର ଖୋଳ ଭିତରୁ ବାହାରୁଛି ନୂଆ ରୂପ ।

 

ଲାଗୁଛି, ଏହି ସତ୍ୟ, କିନ୍ତୁ ଏ ସତ୍ୟର ତେଜ ସହିବାକୁ ମୁଁ ଅକ୍ଷମ । କେହି ନାହିଁ । କିଛି ନାହିଁ । ସବୁ ମାୟା । ସବୁଭେଳିକି । ଏଇ ସତ୍ୟ ।

 

ମୁଣ୍ଡ ଭିତରେ ନିଶା ଘାରିଲା ପରି ଲାଗୁଛି । ତାହାରି ଭିତରେ ଦିଶି ଦିଶି ଯାଉଛି ଯାହା ଆଖି ଆଗରେ ନାହିଁ, ଏ ସଂସାରରେ ଅଛି, ନାହିଁ ନାହିଁର ଆଶାହୀନ ସ୍ଵାଦହୀନ ତଥ୍ୟର ଆବିଷ୍କାର ସଙ୍ଗେ ସଙ୍ଗେ ପୁଣି ସେ ସୁଆଦିଆ ରଙ୍ଗୀନ୍ ଛବିଗୁଡ଼ାକ ଛିଗୁଲୋଉଛି, ସେତେବେଳେ ସେହି ତ ସତ ହୋଇଥିଲା, ଆଉ ତା ସଙ୍ଗେ ସଙ୍ଗେ ଟାଣୁଆ ବଳୁଆ ଦେହ, ଆଶା ଉଚ୍ଛ୍ୱାସ, ଅଭିଳାଷ, ଅଭିଳାଷ ପୂରାଇବାକୁ ଯେଉଁ ତୀବ୍ର ଉଦ୍ୟମ ଇଚ୍ଛା ସେ । ସେହି ଭୋଗ-ପେଟ ପୂରାଇ, ଦେହ ମଜ୍ଜାଇ, ଆଖି ପୂରାଇ–ସେହି ରଙ୍ଗ ଆଉ ସୁଆଦ ଆଉ ବାସ୍ନା ।

 

ଯନ୍ତ୍ର ନୁହେଁ, ଏଇ ଦେହ ତ ହୋଇଥିଲା ସବୁଯାକ ମୁଁ ।

 

ନାଲି ଫଗୁଣ । ଜାମୁପତ୍ର, ଆମ୍ୱପତ୍ର, ଓସ୍ତପତ୍ର, ପାଟଳିବଣ, ପଳାଶ, ପାଳଧୁଆ-ଖାଲି ନାଲି ଫୁଲ । ନଈ କଣ୍ଡିଆ । ନଈ ଆଡ଼ୁ ଓଦା ଉଷୁମିଳିଆ ପବନ ଆସି ଦେହରେ ଦେହରେ ବାଜି ବାଜି ଯାଉଛି । ଓସ୍ତ, ଜାମୁ, ପଳାଶ, ପାଟଳି ହୋଇ ଅଳ୍ପ ତୋଟାଳିଆ । ମଝିରେ ଝଙ୍କା ଲୋଟଣି କୋଚିଳା ଅରାଏ ଜମିରେ ମାଟିକୁ ଡାହି ଓହଳାଇ ଦେଇ ଘଞ୍ଚ ହୋଇ ଗୋଲ ହୋଇ କୁଞ୍ଜଟିଏ କରିଛି, ଭିତର ଦିଶୁ ନାହିଁ । ଆଗରେ ଫୁଟି, ତରଭୁଜ ଚଲଣାର କିଆରୀଟିମାନ । ମଝିରେ ମଝିରେ ବାଉଁଶ ଠିଆ ହୋଇଛି, ତା ଆଗରେ ମୁଣ୍ଡ ପରି ହାଣ୍ଡିଟାମାନ । ଏମିତି ଏ ଉଦୁଉଦିଆ ଦିପହର । ନାଲି ଲୁଗାଖଣ୍ଡେ ପିନ୍ଧି ହାତରେ ପାଞ୍ଚଣବାଡ଼ି ଖଣ୍ଡେ ଧରି ଓସ୍ତମୂଳେ କ୍ଷେତଦାଢ଼ରେ ଯୁବତୀଟିଏ ଠିଆ ହୋଇଛି । ସେକରେ ବାଲି ଉପରେ ତାତି ଝଲଝଲୋଉଛି, ସତେ କି ପାଣି ।

 

ଦିଶିଯାଉଛି ତା ଚେହେରା, ତା ମୁହଁ ଆଖି ।

 

ସେତେବେଳେ ସେହି ନିଃଶବ୍ଦ ନିଛାଟିଆ ଦି’ପହରେ ସେହି ଏକମାତ୍ର ସ୍ତ୍ରୀଲୋକ, ଚନ୍ଦରା ଛତରଖିଆର ଝିଅ ନାଁଟା କ’ଣ ମନେ ନାହିଁ । ଅସିଲୀ କି ସଇଲୀ କି ବଲୀ କି କହିଲୀ ଏମିତି ଗୋଟାଏ କ’ଣ । ସେ ବରଘର କରି ଯାଇ ମାସେ ରହି ଲେଉଟି ଆସିଥିଲା ।

 

ଗାଁଯାକ କେତେ ଗପି ବୁଲିଥିଲା, ତା ବରଟାର କୁକୁର ଖୋଇ, ଛି, ସେ ଆଉ ବରଘର କରି ଯିବ ନାହିଁ । ମା’ମରି ଯାଇଥିଲା, ଚନ୍ଦରା ଏକା । କଣ୍ତିଆ ତୋଟାକୁ ଚନ୍ଦରା ଭାଗରେ କରିଛି, ତେଣୁ ଦି’ପହରେ ସେ ଜଗିଛି । ତା ନାଁରେ ଏଇ ଅଳ୍ପଦିନେ କେତେ କଥା ଲୋକେ କୁହାକେହି ହେଲେଣି, ବାଟରେ ଚାଲିଯାଉଥିଲେ ଲୋକେ ଅନାନ୍ତି-’’ଏଇଟି ସେ, ଚନ୍ଦରା ଛତରଖିଆର ଝିଅ ।’’ ଚନ୍ଦରାର ବର୍ଗ ‘ଛତରଖିଆ’ | ଏ ଶବ୍ଦଟାକୁ ସମାଜ ସହଜରେ ଆଦରି ନେଇଛି, ସେ ଗୋଟାଏ ଗାଳି ନୁହେଁ କି ଚନ୍ଦରା ନିଜେ କେବେ ଛତରରେ ଖାଇ ନାହିଁ, କେଉଁ ପୁରୁଷରେ ତା’ର କେଉଁ ପ୍ରପିତାମହ ଛତରରେ ଭାତ ଖାଇ ନଅଙ୍କ ଦାଉରୁ ଜୀବନ ରଖିଥିଲେ, ସେହି ଉପାୟରେ ଆଉ ଯେତୋଟି ବଞ୍ଚିଗଲେ ଅଥଚ ଧର୍ମ ବଦଳାଇ ଖ୍ରୀଷ୍ଟିଆନ କି ମୁସଲମାନ ନ ହେଲେ, ହିନ୍ଦୁ ହୋଇ ରହିବାକୁ ଗୌରବ ମଣିଲେ, ହିନ୍ଦୁସମାଜ ଦୟାକରି ତାଙ୍କ ପାଇଁ ଗୋଟିଏ ନୂଆ ଜାତି ଗଢ଼ିଦେଲା, ‘ଛତରଖିଆ’ । ପୋକପୁର, ବାଗଶାଳା, ପାଣିଶାଳିଆ, ବାଲିସାହି ମୌକାମାନଙ୍କରେ ସେ ଜାତିର ବଡ଼ ଅଂଶଟା ରହିଗଲା, ଅନ୍ୟାନ୍ୟ ଜାତି ପରି ସେମାନେ ବି ନିଜ ଆଭିଜାତ୍ୟର କିମ୍ୱଦନ୍ତୀ ଆବିଷ୍କାର କଲେ, କିଏ କହିଲେ ନଅଙ୍କ ନ ଘୋଟୁଣୁ ଆମେ ଥିଲୁ ଯଜୁର୍ବେଦୀ ବ୍ରାହ୍ମଣ, କିଏ କହିଲେ ଆମେ ଥିଲୁଁ କ୍ଷତ୍ରିୟ, କିଏ କହିଲେ ଆମେ କାନ୍ୟକୁବ୍‌ଜରୁ ଆସିଥିଲୁ, କିଏ କହିଲେ ପଞ୍ଜାବରୁ–ସେହିସବୁ ଜାତି କି ଏକ ଅଜ୍ଞାତ ଜାତିରୁ ଉତ୍ପନ୍ନ ଚନ୍ଦରା ଦାସ ଛତରଖିଆର ପୂର୍ବପୁରୁଷ ଆସି ବନ୍ଧମୂଳ ଗାଁରେ ଘର କରି ରହିଥିଲେ, ତାହାରି ଝିଅ ।

 

ଚନ୍ଦ୍ରରେ କଳଙ୍କ ପରି ତା’ର ବିଚିତ୍ର କାହାଣୀ ବଟ ମହାନ୍ତିଙ୍କୁ ତାଆଡ଼କୁ ଆକୃଷ୍ଟ କରିଥିଲା । ଆଖଡ଼ା ଘରେ ବସି ହାରମୋନିଆଁ ବଜାଇ ତାଙ୍କର ସେହି ଅତି ଶରଧାର ଗୀତ ‘‘ଆରେ ଆରେ ନବୀନ ତୋ ପାଦେ ହେଲି ମୁଁ କିଣା’’ ବୋଲି ପାଟିବାଟେ ନାକବାଟେ ମିଶାମିଶି କରି ଗାଉଥିଲାବେଳେ ପଦାରେ ଝରକା ସେପଟେ ଅଟକିଯାଇ କାନିରୁ ପୁଳିଏ ଚୋବେଇ ଚୋବେଇ ଦି’ଚାରି ଥର ସେ ଗୀତ ଶୁଣିଛି, ବଟ ମହାନ୍ତିଙ୍କର ନିଘା ପଡ଼ିଯାଇଛି- ଚିକ୍‍କଣ ପାଲିସ ମୁଗୁନି ପଥର ପରି ତା’ର ଦେହର ଢଳେଇ, ଫରଚା ଫରଚା ଆଖି, ସେଥିରେ କେଡ଼େ ଭଅଁରକଳା ଡୋଳା, ସେ ଚାହାଣିରେ କେତେ କଉତୁକ, ସେ ଓଠର ଭଙ୍ଗୀ କି ବିଚିତ୍ର ଭାବ ସୃଷ୍ଟି କରେ, ତାକୁ ଦେଖିଲେ ଏହି ଦେହ ଖୋଳ ଭିତରୁ କେତେ ଛପିଲା ଛପିଲା ଅକୁହା ଇଚ୍ଛା ବାହାରି ଅଧା ଛାଇ ତଳେ ଖେଳି ବୁଲେ । ସେମିତି ବାଟରେ ଘାଟରେ କେତେ ଥର ହଠାତ୍ ସେ ହାବୋଡ଼ି ଯାଇଛି, ସେହି ସେତେବେଳେ କାବା ହୋଇ ଅଟକି ରହିଲା ପରି ତା’ର ଠାଣି, ଅଧେ ପିଠି ବୁଲେଇଦିଏ, ତା ସଙ୍ଗେ ସଙ୍ଗେ ଅଳ୍ପ ପିଠିଆଡ଼କୁ ବୁଲେଇଦିଏ ତା’ର ସେହି ସବୁ-ଦେଖିଲା ଆଖି, ସେ ଆଖି ମିଞ୍ଜି ମିଞ୍ଜି ହୁଏ, ସେ ଓଠ କୁଳୁକୁଞ୍ଚା କଲା ଠାଣିରେ ଅଳ୍ପ ଫୁଲି ଉଠେ, ଆଇ ସେହି ମୋଡ଼ିହୋଇ ରହିଥିବା ପିଠିପଟ ସତେ ଯେମିତି ଶୀତେଇ ଶୀତେଇ ଥରି ଉଠେ । କଥା ନ କହି ସେ ଭଙ୍ଗୀ ଅଭିବ୍ୟକ୍ତି ଜଣାଏ, ତା’ପରେ ଯେତେବେଳେ ସେ ରୂପ ଆଗରେ ନ ଥାଏ ସେତେବେଳେ ତାଙ୍କ କଳ୍ପନା ଭିତରୁ ବାହାରି ଛଇ ଫୁଟାଇ ମନର ଆଖି ଆଗରେ ଖେଳିଯାଏ ।

 

ସେଦିନ ସେ ନିଛାଟିଆ ଦି’ପହରେ ସେହି ତ ହାବୋଡ଼ିଥିଲା । ମନର ଆଖି ଆଉ ଦେହର ଆଖି ଏକାଠି ହୋଇଥିଲା ।

 

କାଲି ପରି ଲାଗୁଛି, ନାଲି ଟହ ଟହ ଶାଢ଼ି ଖରା ତାଉରେ ଝଳି ଉଠୁଛି, ସେହି ମୁହଁ ତେର୍ଚ୍ଛା ହୋଇ ଡେରି ହୋଇ ରହିଛି, ମୁହଁରେ ସେହି ହସ । ସେ କିଛି ନ କହି କିଛି ନ କରି ତଥାପି ଓଟାରି ଲାଗିଛି । ଓଟାରିବା ସତେ କି ଘଟି ସାରିଥିବା ଘଟନାର ହିଁ ଗୋଟାଏ ବାହାରିଆ ପ୍ରକାଶ, ନ ହେଲେ ଆପଣା ଭିତରେ ଅନୁଭବ କରି ସାରିଛନ୍ତି ତ-ସେହି ଡଉଲଡାଉଲ ଦେହ ନୁହେଁ ଭୂମି ଉପରେ ଭୂମିକମ୍ପ ଚାଲିଛି । ସେଠି ପାହାଡ଼ ଉଠୁଛି ପଡ଼ୁଛି, ସେଠୁ ବିଛୁରି ପଢ଼ୁଛି ତାତି ଯେ ଆତ୍ମାଟାକୁ ବି ତରଳାଇବାକୁ ଲୋଡ଼ୁଛି, ସେଠି ଅପନ୍ତରା ନାହିଁ, ତୋଟା ନାହିଁ, ଖାଲି ଏ ବିରାଟ ଫାଙ୍କା ବିସ୍ତୃତି ଭିତରେ ରଙ୍ଗ ରଙ୍ଗର ନିବୁଜ ଖୋପଟିଏ–ନାଲିଆ ଶୁଆପଖିଆ ଖଇରିଆ ମାଟିଆ–ସେହିଆଡ଼କୁ ଧୀରେ ଧୀରେ ପାଦ ପଡ଼ି ପଡ଼ି ଯାଇଛି, ଆଗରେ ସେ ମାୟା ରୂପ ଧୀରେ ଧୀରେ ଘୁଞ୍ଚି ଘୁଞ୍ଚି ଯାଉଛି, ତା’ପରେ ସେହି ଛାଇ ଅନ୍ଧାରୁଆ କୋଚିଳା କୁଞ୍ଜ, ତଳେ ଶୁଖିଲା ଫୁଲର ଗାଲିଚା, ସେଠି ପାଦ ଶବ୍ଦ ଶୁଭେ ନାହିଁ । ନଇଁ ପଡ଼ିଥିବା ଡାଳ ସେକରେ ସେହି ତ ସେଠି ସେ ଠିଆ ହୋଇ ରହିଛି, ତା କପାଳରେ ବିନ୍ଦୁ ବିନ୍ଦୁ ଝାଳ । କେଉଁଠି ଘାଉଁ ଘାଉଁ ହୋଇ ମହୁମାଛି ବୋବୋଉଛନ୍ତି ।

 

ହଠାତ୍ ଧଡ଼ପଡ଼ ହୋଇ ସେ ଉଠି ବସିଲେ, ତା’ପରେ ଦୁର୍ବଳ ହୋଇ କାନ୍ଥକୁ ଆଉଜି ଗୋଡ଼ ଲମ୍ୱେଇ ବସିରହିଲେ । ଦେହ ଝାଇଁ ଝାଇଁ ଲାଗୁଛି । ଖାଲି ଅବସାଦ ଓ କ୍ଳାନ୍ତି । ଯେମିତି ଟାଣି ହେଉ ହେଉ ଧନୁର ଗୁଣ ଛିଣ୍ଡି ଯାଇଛି, ବଙ୍କା ହୋଇ ପଡ଼ିରହିଛି ମୁଠା ବାଉଁଶଟା, ନିଛାଟିଆ, ଦୁର୍ବଳ ଆଉ ନିଃସହାୟ ।

 

ତୁଣ୍ଡରେ ‘‘ଗୋପାଳ-ଗୋପାଳ,’’ ଆସ୍ତେ ଆସ୍ତେ, ଧକେଇ ହେଲା ପରି, ତା’ପରେ ଆତ୍ମବିଶ୍ଵାସ ବଢ଼ାଇ ବଢ଼ାଇ, ଆଉ ଟିକିଏ ବଢ଼ି ବଢ଼ି । ଅଳ୍ପ ଦମ୍ଭ ଲାଗିଲା, ତା’ପରେ ଆଉ ନାହିଁ । ମନେ ପଡ଼ିଗଲା, ଭାଗଚାଷୀମାନେ ପ୍ରବଳ ହୋଇ ଉଠିଲେଣି, କେତେ ସୁଧାର ଥିଲେ, କେଡ଼େ ମେଳିଆ ହୋଇଗଲେଣି । ‘‘ଦିଅନ୍ତି ପାନେ-’’ଏଥର ଦମ୍ଭ ବଢ଼ି ଉଠିଲା, ‘‘ହେଃ-ଏକା ଫୁଙ୍କାକେ ଉଡ଼ିଯିବେ । ସେହି ଯେମିତି ସଂଖାଳିପୁରର ବିଷ୍ଣୁ ରାଉତ, ତେନ୍ତୁଳିଆର ମାଧବ ପାତ୍ର, ଅରୁଆ ଗାଁର କୁଳମଣି ଜେନା, ନିକାଲି ଦେଲି, କ’ଣ କରି ପକାଇଲେ ? ସେହିମାନଙ୍କ ପାଇଁ ତ ରବି ଏତେ ସୁପାରିଶ କରି କହିଥିଲା-ଫୁଲଶରାର ବାୟା ବସାଟା ଭାଙ୍ଗିଦେଲେ ବି ଚଳନ୍ତା, କିଏସେ ଏଡ଼େ ଷଣ୍ଢ ପରି ବୁଲିବେ ମୋ ଜମି ଉପରେ !’’ ତା’ପରେ ମନେ ପଡ଼ିଗଲା ଲୋକେ କ’ଣ କହୁଥିଲେ, ଦୀନବନ୍ଧୁ ମିଶ୍ରେ, କୀର୍ତ୍ତନ ରାଉତ, କାଶୀ ଅବଧାନ, ଏପରି କି ପୁରୋହିତେ । ସତୁରି ଦାସଙ୍କ ପୁତୁରା ମଧୁ ବେକରେ ଷ୍ଟେଥସ୍କୋପ ଓହଳାଇ ସାଇକଲ ପଛରେ ହୋମିଓପ୍ୟାଥି ବାକ୍ସ ବାନ୍ଧି ବୁଲି ବୁଲି କୁଆକ୍-ଡାକ୍ତରୀ କରେ, ତା’ର ବି ସେହି ମତ । ସବୁଠିଁ ସେହି ଏକା ମନ୍ତବ୍ୟ, ଯକ୍ଷ-। ଆଉ ସେମାନଙ୍କୁ ପାରିହେବ ନାହିଁ, ସତେ କି ଏଥର ପାଣି ପବନ ବି ସେହି ମୂଲିଆ ଭାଗୁଆଳୀଙ୍କି ସାହାପଟ, ଆଇନ୍‌ର ବଳ ତାଙ୍କରି ପଟେ, ଭାଗ ଚଷୁଛନ୍ତି ବୋଲି ଭାଗ ଚଷିବାକୁ ତାଙ୍କର ଅଧିକାର ଆସିଯାଇଛି, ତଡ଼ିଲେ ମକଦ୍ଦମା ହେବ, ଫସଇର ପାଞ୍ଚ ଭାଗରୁ ତିନି ଭାଗ ସେ ନେଇଯିବେ, ତେମେ ଅଧିକା ନେବାକୁ ଲୋଡ଼ିଲେ ଓଲଟି ତମରି ଉପରେ ମକଦ୍ଦମା ହେବ, ତା’ପରେ ତ ହୋଇଯାଇଛି ଆହୁରି କଟକଣା, ସେମାନେ ସିନା ଜମି ତାଷ କରିବେ ନାହିଁ, ତାକୁ ମନ ତାଙ୍କ ଇଚ୍ଛା, ତମ ଜମି ପଡ଼ିଆ ପଡ଼ିଗଲେ ତମର କୁଆଡ଼େ ଅଧିକାର ତୁଟିଯିବ, ତା’ପରେ ପୁଣି ଆସୁଛି, ଭାଗଚାଷୀ ମନ କଲେ ଟଙ୍କା ଦାଖଲ କରିଦେଇ ଜମିର ମାଲିକ ହୋଇଯିବ । ଆଉ ସବା ଉପରେ ଆସୁଛି–ଏତିକି ଜମିରୁ ଅଧିକା ତେମେ ରଖିପାରିବ ନାହିଁ । ଯାହା ବଳକା ରହିବ ତାକୁ ଛଡ଼େଇ ନେଇ ସେହି ଚାଷୀ ମୂଲିଆଙ୍କୁ ବାଣ୍ଟି ଦିଆଯିବ । ଆମେ ଜମି କିଣିଥିଲୁଁ କି ଆମ ବାପ ଗୋସାପେ କିଣିଥିଲେ, କମେଇଥିଲେ, ଟଙ୍କା ଖର୍ଚ୍ଚ କରି ସାଜି ତାଡ଼ି ତା’ର ଉର୍ବରାଶକ୍ତି ବଢ଼େଇଥିଲୁଁ ଶେଷରେ ଏଇମାନେ ଖାଇବେ ବୋଲି, ଆଉ ଆମେ ଯିବୁଁ କୁଆଡ଼େ ?

 

କଥାଗୁଡ଼ାକ ଭାବୁ ଭାବୁ ମୁଣ୍ଡ ଭିତରେ ତାତି ଚାଲିଆସିଲା, ନୂଆ ବାଗର ଭାବନା ଦେଲା ଗୋଟାଏ ଟେହାଟେହି ବାଦବୁଦିଆର ଡାକ, ଦିଆଖି କୁହୁଳି ଉଠିଲା, ସେ ଆଖି ଖୋଜୁଛି ଶତ୍ରୁ କାହିଁ । ବଟ ମହାନ୍ତି ଦମ୍ଭ କରି ଉଚ୍ଚାରଣ କଲେ, ‘‘ଗୋପାଳ-’’ ଆଉ ମନେ ମନେ ପଟ ନିଆ ନେଇ ହୋଇ ଥାଟ ସଜାଡ଼ି ଠିଆହେଲେ ।

 

ଚେଇଁ ଉଠିବା ଉତ୍ସାହ ଧିମେଇ ଆସିଲା । ସତେ ଯେମିତି କି ଭବିଷ୍ୟତଟା ଜଳଜଳ ଦିଶିଯାଉଛି । ତାଙ୍କରି ବଳ ବଳରେ ସୁମାରି, ପଞ୍ଚାଏତ କହ, ଆସେମ୍ବ୍ଲି କହ, ମୁଣ୍ଡ ଗଣତିରେ ତାଙ୍କରି ପଟିଆ ବେଶି, ଦିନୁଦିନ ଆପଣା ମନନାଖି ସେହିମାନେ ରାଇଜ ଚଳେଇବେ, ସେହି ଖଟିଖିଆ ଲୋକେ । ତୁନିତାନ ହୋଇ କେଡ଼େ ବଡ଼ ବିପ୍ଳବ ଘଟିଯାଉଛି । ତାଙ୍କ ଭିତରୁ କେତେ କେତେ ପାଠୁଆ ବାହାରିଲେଣି, ତାଙ୍କର ଆଚାର ବଦଳିଲାଣି, ଭୟ ଛାଡ଼ିଗଲାଣି, ପିନ୍ଧା ପୋଷାକ ବଦଳି ଗଲାଣି, ସଫା ସୁତୁରା ବୁଦ୍ଧିଆ ପାଠୁଆ ଭଦ୍ରଲୋକ ହୋଇ ସେହିମାନେ ତ ଉଠିଲେଣି ବେଶି ବେଶି, ଆଉ ମାନ୍ୟ ନା ମାନତା ?

 

ଚାକିରି ତାଳଗଛ ଛାଇ । ସରିଗଲେ କବି ଯଦି ଗାଁକୁ ଲେଉଟି ଆସିବ କ’ଣ ଖାଇବ, କେମିତି ଚଳିବ ସେ ? ସହରକୁ ପଳାଇଯାଇ ସେଠି କୋଉଠି ଖଣ୍ଡେ ଘର କରି ସେଇଠି ସେ ଚଳିବ, ଆଉ ରାଜୁତି ନ ଥିବ, ଧନ ଥିଲେ କିଣିବ ଖାଇବ । ସେଥିପାଇଁ ସହର ବଢ଼ୁଛି, ଆହୁରି ବଢ଼ିବ, ଜମିଦାରୀ ମକଦ୍ଦମି ଯାଇଛି, ଜମି ବି ଯିବ, କିଏ ସାତପୁରୁଷୀ ବଡ଼ ଜମିଦାର ହୋଇଥିଲା ଯେ ସହରରେ ଚୋକଡ଼ କି ପିଡ଼ିଆ ଦୋକାନ ଖୋଲି ବସିପଡ଼ିବ, ନ ହେଲେ ଭିକ ମାଗି ପେଟ ପୋଷିବ । ସେଇଥି ପାଇଁ କବି ଲଗାଇଛି ବିକ ବିକ, ସହରକୁ ବାହାରି ଆସ ।

 

ଆଉ ରବି–ସେ ମୂର୍ଖ କାଳିଦାସ ଆପେ ଚଢ଼ିଥିବା ଡାହିକୁ ଆପେ ହାଣି ଲାଗିଛି, ‘‘ନେତା ହେବ ନେତା ! ଯାହାଙ୍କୁ ଭେଳେଇଛି ସେହିମାନେ ଯଦି ତାକୁ ନ କଚାଡ଼ିଛନ୍ତି !’’

 

ଗୋଟାଏ ତତଲା ଦୀର୍ଘଶ୍ୱାସ ବାହାରି ଯାଉ ଯାଉ ରୋକି ହୋଇଗଲା । ଆମେ ନଥିବୁ ଦେଖିବାକୁ, ଆମ ଦିନକାଳ ସରିଆସିଲା, ସେ ଭାବିଲେ । ସେହି ଅନ୍ତିମ ନିଶ୍ଚିହ୍ନତା’ର ପରିକଳ୍ପନା ସତେ ଯେପରି କି ସେ ମନକୁ ଆଶ୍ୱାସ ଓ ଅଭୟ ଦେଲା ।

 

ଏ ଦେଶ ଉପରେ ଏଡ଼େ ବଡ଼ ବଢ଼ି ବୋହିଯାଇଛି । କେତେ କ୍ଷତି, କେତେ ବିଭୀଷିକା, ତାଙ୍କର କିଛି କ୍ଷତି ହୋଇନାହିଁ, ଫସଲ ଭଲ ହୋଇଛି । ମନେ ମନେ ଦିଶିଯାଉଚି, ବନ୍ଧ ତାଳୁଯାକେ ପାଣି ଲାଗିଛି, ନଈ ଟମାଟମ୍ । ହାଇମାରିଲେ । ‘‘ହଃ କେତେ ବଢ଼ି ଆସିଛି ଯାଇଛି, ଭଗବାନଙ୍କ ସୃଷ୍ଟି, କିଏ ତାକୁ କ’ଣ କରିବ ? ...ଲୋକେ ତ ଖାଲି...’ ଦିଅ ଦିଅ ଦିଅ’ ଗୋଟାଏ ଓର ଖୋଜିବା କଥା...ବଢ଼ି ଚାଲିଗଲା । ଗୋପାଳ-ଗୋପାଳ-’’

 

ପୁଣି ଚାଉଁକିନା ଲାଗିଲା । ଦୀନବନ୍ଧୁ ମିଶ୍ରଙ୍କ ପୁଅ ଅରିନ୍ଦମ ତେଣେ କୁଆଡ଼େ ଇଞ୍ଜିନିଅରିଂ ପଢ଼ୁ ଥିଲା, ଏତେ ଭଲ କରି ପାଶ୍‌କଲା ଯେ ବୃତ୍ତି ପାଇ ଆମେରିକା ଯାଉଛି । ମିଶ୍ରେ ପୁଅ ପାଖକୁ ସହରକୁ ଯାଇଛନ୍ତି । ଦୀନୁ ମିଶ୍ର ପୁଅ । ଇଞ୍ଜିନିଅର ! ଆମେରିକା ! କ’ଣ ୟେ ! କୀର୍ତ୍ତନ ରାଉତ ଝିଅର ପୁଅ ମ୍ୟାଟ୍ରିକୁଲେସନରେ ଫାଷ୍ଟ ଡିଭିଜନ୍ ପାଇଲା, କହୁଛନ୍ତି ବୃତ୍ତି ପାଇବ । ପଧାନପୁର ଉଦ୍ଧବ ଘଡ଼େଇ ପୁଅ ବାଇଧର ହେଲା ପ୍ରଫେସର, ଗନ୍ଧି ଜେନା ପୁଅ ବିଶ୍ୱମ୍ଭର କୁଆଡ଼େ ଡ଼ିପୋଟି ହେଲା । ଅଭିମାନପୁର ପାଣ ସାହିର କାହା ପୁଅ ବି କ’ଣ ଗୋଟାଏ ବଡ଼ ଚାକିରି ପାଇଲା, କୁଆଡ଼େ ଦିଲ୍ଲୀ ଆଡ଼େ, ଶାବିଶାଳିଆ ଉତ୍ସବ ମହାପାତ୍ର ପୁଅ ଦୁର୍ଯ୍ୟୋଧନ ପଥରବିଦ୍ୟାରେ ଡକ୍ଟରେଟ୍‌ ଉପାଧି ପାଇ ଅଧ୍ୟାପକ ହେଲା । ସଂଖାଳିପୁରର ଶ୍ରୀମନ୍ତ ସାହୁର କେଉଁ ଝିଅଟା ହେଲାଣି ବଡ଼ ଡାକ୍ତରଣୀ, ସହରରେ ବଡ଼ ନାଁ !

 

କୀର୍ତ୍ତନ ରାଉତ, ମୂଷି ପଣ୍ଡା, ବଳି ନାହାକ ଆସିଥିଲେ ଯେ କହୁଥିଲେ । ସଂସାରରେ କେତେ ପରିବର୍ତ୍ତନ ହୋଇଯାଉଛି, କେଉଁ ଅନ୍ଧି ସନ୍ଧିରୁ କେଉଁ ଅଖ୍ୟାତ ମଣିଷ କିଏ କିଏ କେତେବେଳେ ପଦାକୁ ବାହାରୁଛନ୍ତି, କାଲି ନାଁ ନ ଥିଲା, ଆଜି ନାଁ ଡାକ । ବେପାରରେ, ତାଷରେ, ଶିଳ୍ପରେ, ରାଜନୀତିରେ କିଏ କେତେ ଆହୁରି ବଡ଼ ବଡ଼ ଲୋକ ହେଲେଣି, କୋଠା ପିଟିଲେଣି, ଟଙ୍କା ଗଦେଇଲେଣି ।

 

ସେହିମାନେ ଘର କରିବେ । ଆସୁଛି ଯେଉଁ ନୂଆ ଯୁଗ ସେ ସେମାନଙ୍କ ପାଇଁ । ସତେ ତ ! ଆଗେ ଥିଲା କଲିକତା କି କାଳିମାଟି, ଏବେ କେତେ କେତେ ନୂଆ ନାଁ, କଳକାରଖାନା କାମଧନ୍ଦା ଚାଲିଛି, ଲୋକେ ଚାଲିଛନ୍ତି ଦଳ ଦଳ ହୋଇ, ଜାତି, ଧର୍ମ, ଶ୍ରେଣୀ, ଗୋଷ୍ଠୀର ବାଡ଼ ନାହିଁ, ସେମାନେ କମୋଉଛନ୍ତି, ବଢ଼ୁଛନ୍ତି ।

 

ବଟ ମହାନ୍ତି ସେହି କଥା ଭାବୁ ଭାବୁ ଆକୁଳ ହେଲେ । ସେତେବେଳେ ଯେପରି କି ସେ ଖାଲି ଗୋଟାଏ ଶ୍ରେଣୀର ହିଁ ପ୍ରତୀକ । ଆରେ କେଡ଼େ ସହଜ ଥିଲା, ସୁବିଧା ଥିଲା ସବୁ । ଆପେ ବସିରହିଥା ଉଞ୍ଚପିଣ୍ଡା ଉପରେ, ହାତରେ କୋଥଳି ମୁଣ ଭିତରେ ମାଳି, ଦେହରେ ନାମାବଳି, ମନ କଲେ ନାକ ଅଗଠୁଁ ଅଣ୍ଟାଯାକେ ସବୁଠିଁ ଚନ୍ଦନ ଛାପାରେ ଲେଖା ହୋଇଥିବ ‘‘ଗୋରା-ଗୋରା-ଗୋରା’’।

 

ପିଣ୍ଡାତଳେ ସେମାନେ ହାତଯୋଡ଼ି ମୁଣ୍ଡପୋତି ଠିଆ ହୋଇଥିବେ । ଖଟିବେ, କମେଇବେ, ଆଣି ଅଜାଡ଼ି ଦେଇଯିବେ । ଯେଉଁ ସର୍ତ୍ତ କହିଲେ ହଁ ସିନା, ନାହିଁ ପଦ ନ ଥିଲା । ସେମାନେ ବୁଝୁଥିଲେ, ଯେଝା କର୍ମଫଳ ଯେ ଭୋଗି ଭାଗ୍ୟକୁ ଆଦରି ଏ ସଂସାରରେ ଚଳିବାକୁ ସେମାନଙ୍କର ଜନ୍ମ, ଠାକୁରଙ୍କୁ ଗୋଡ଼ତଳେ ପଡ଼ି, ପୁରୋହିତଙ୍କୁ ଓଳଗି ହୋଇ, ଜମି ମାଲିକ, ମହାଜନ, ମକଦ୍ଦମ, ଜମିଦାର ଯାହାର ପାଉଣା ତାକୁ ଦେଇ ନୁଖୁରାମୁଣ୍ଡ କରି ମାଟି ଗୋବର ହୋଇ ସାନ ଖଣ୍ଡେ ପିନ୍ଧି ସେମାନେ ବେଳ କଟେଇ ମଶାଣିକି ଚାଲିଯାଉଥିଲେ, ଭଙ୍ଗା ଚାଳି ଦଢ଼ ହେଉନଥିଲା । ଏମିତି କଟିଗଲା ପୁରୁଷ ଉତ୍ତାରୁ ପୁରୁଷ, କେଜାଣି କେତେ ଦିହାତି ।

 

ତା’ପରେ ବର୍ତ୍ତମାନ ଯୁଗ ଓଲଟି ପଡ଼ିଛି । ସେହିମାନେ ଘର କରୁଛନ୍ତି । ଅଘୋରଦୁଆରି ପାଠପଢ଼ା, କାମଧନ୍ଦା, ମୁରବିପଣ, ଧୀରେ ଧୀରେ ତେଜି ଉଠୁଛନ୍ତି, ତେଜି ଉଠୁଛନ୍ତି ।

 

‘‘ହଉ ଗୋପାଳ, ତୋର ଇଚ୍ଛା ।’’

 

କବି ରହିଲା ଦୂରେଇ, ରବି ସେହି ନିଆଁକୁ ବିଞ୍ଚୁଛି ।

 

ଘରେ ଦି’ଟା ବୁଢ଼ାବୁଢ଼ୀ । ଆଉ ସମ୍ପତ୍ତି । କାହା ପାଇଁ ? କିଏ ତା’ର ମୂଲ୍ୟ ବୁଝିଲା ? କିଏ ଭୋଗ କରିବ ?

 

ବଟ ମହାନ୍ତି ଦୁଃସ୍ୱପ୍ନରେ ମିଶିଯାଇଥିଲେ । ଆଖିରେ ପଲକ ପଡ଼ୁ ନ ଥିଲା । ଦୀର୍ଘଶ୍ୱାସ ପକାଇବାକୁ ବି ସତେ କି ବଳ ନ ଥିଲା ।

 

ଚାଲିଥାଏ ଉନ୍ନୟନ କର୍ମଚାରୀ ବିପିନ୍ ଜୀପ୍‌ଗାଡ଼ି ଚଢ଼ି, ମୁହଁରେ ସିଗାରେଟ୍, ଆଖିରେ ଚଶମା ଆଉ ଗୋଟାଏ ନିବିଷ୍ଟ ଦୃଷ୍ଟି, ରାତିରେ ମଟରର ଆଲୁଅ ପରି, ଦୃଷ୍ଟିର ଲକ୍ଷ୍ୟସ୍ଥଳ ପ୍ରତି ମୁହୂର୍ତ୍ତରେ ବଦଳି ବଦଳି ଯାଉଛି ଗତି ସଙ୍ଗେ ସଙ୍ଗେ; କିନ୍ତୁ ନିବିଷ୍ଟତା ସେହିପରି ରହିଛି ।

 

ସେ ସତେ କି ମନେ ମନେ କାହାସଙ୍ଗେ କଥାଭାଷା ହେଉଥିଲା, ତା’ ତୁଣ୍ଡରୁ ବାହାରି ପଡ଼ିଲା, ‘‘ଯାହା ହେଉ, ଗୋଟାଏ ଚେତନା ଖେଳିଯାଇଛି । ତ ! ପଛଆଡ଼ୁ, ଟଙ୍କବାବୁ ଓ ଆଶା ଦେବୀ ସମସ୍ଵରରେ ପାଟି କରିଉଠିଲେ, ‘‘ନିଶ୍ଚୟ ! ନିଶ୍ଚୟ ।’’

 

ବିପିନ୍ କହିଲା, ‘‘ଖାଲି ତୁଣ୍ଡରେ ଯୋଜନା ଯୋଜନା, ଉନ୍ନୟନ ଉନ୍ନୟନ ପାଟି କଲେ କିଛି ହେବ ନାହିଁ, ଲୋକେ ଭାରି ଲମ୍ବା ଲମ୍ବା କଥା କହୁଚନ୍ତି, ପାଟିରେ ବାଟୁଳି ବାଜୁ ନାଇଁ, ଆମର ଉଦ୍ଦେଶ୍ୟ ଆଖିଦୁରୁଣା କାମ, ଗଣି ହେବ, ଦେଖି ହେବ, ତା’ର ପ୍ରମାଣ ସେ ନିଜେ ।’’

 

ପୁଣି ଟଙ୍କ ଓ ଆଶା ଦେବୀ କହିଲେ, ‘‘ସେଇଆ, ସେଇଆ ।’’

 

ବିପିନ୍‍ର ମୁହଁ ଖୋଲିଯାଇଥାଏ । କହିଲା, ‘‘ମୋ ସାଙ୍ଗରେ ପଢ଼ୁଥିଲା ରବି, ଥିଲାବାଲା ଘରର ପିଲା, ଜନସେବାଆଡ଼କୁ ମନ ଥିଲା, ଚାକିରି ନ କରି, ବେଉସା ନ କରି ଲାଗିଗଲା ଗୋଟାଏ ସଙ୍ଗଠନ କାମରେ । ଶିକ୍ଷିତ ଲୋକ, ଉତ୍ସାହୀ ଲୋକ, ବିଭାଘରର ନେଁ ନେଞ୍ଜରା ନାହିଁ, ଲାଗିଗଲା ନା ଲାଗିଗଲା, ଗୋଟାଏ ନୂଆ ଉତ୍ସାହ ଖେଳିଯାଇଛି ବୋଲି, କେତେ ଲୋକ କେତେ ଗାଁ ମାତି ଉଠିଛନ୍ତି, ମୁଁ ନାହିଁ କରୁ ନାହିଁ ।’’

 

ଟଙ୍କବାବୁ ଅପେକ୍ଷା କଲେ, ତାଙ୍କ ଉପରିସ୍ଥ ଶେଷ ମନ୍ତବ୍ୟ କ’ଣ ଦେବେ ତା ନ ଜାଣି ସେ ପାଟି ଫିଟାଇବେ ନାହିଁ, ଯେଉଁଆଡ଼କୁ ବରଷା ସେହିଆଡ଼କୁ ଛତା, ଏଇ ତ ସଂସାରୀ ବୁଦ୍ଧିର ନିର୍ଦ୍ଦେଶ ।

 

ବିପିନ୍ କହିଲା, ‘‘କିନ୍ତୁ ସଂଗଠନ ତ ଆଜିକାଲି ହଜାର ଲୋକ ହଜାରେ ପ୍ରକାରେ ଆରମ୍ଭ କରିଦେଉଛନ୍ତି, ତା’ର ପରିଣତି କ’ଣ ହେଉଛି !’’

Unknown

 

ଅତି ଉତ୍ସାହରେ ଟଙ୍କବାବୁ ଓ ଆଶା ଦେବୀ କହିଲେ, ‘‘ସେଇଆ- ସେଇଆ’’। ଟଙ୍କବାବୁ ବ୍ୟାଖ୍ୟାନ ଦେଲେ, ‘‘ସଙ୍ଗଠନରେ ରହିବ ମନ, ଧନ, ବଳ, ବୁଦ୍ଧି, ଉପକରଣ, ସବୁକଥା ନ ଥାଇ କି ସଙ୍ଗଠନ ? କେତେ ଦିନ ତା’ ରହିବ ?’’

 

ଆଶା ଦେବୀ କହିଲେ, ‘‘ଏତେ ମୁଣ୍ଡ ଏକାଠି ହୋଇ, ଏତେ ପଦାର୍ଥ ଖଞ୍ଜାହୋଇ ଆମର ସଙ୍ଗଠନ ହୋଇଛି, ତା’ ଉପରେ ଆଉ ଅଧିକ କ’ଣ ଦରକାର ? ଲୋକେ ବାରଜାତି ନୂଆ ଏକ୍‌ସପେରିମେଣ୍ଟ ଆରମ୍ଭ କରୁଛନ୍ତି କାହିଁକି ? ଯାହା ଅଛି ତାକୁ ଟାଣ କଲେ ତ କେଡ଼େ ସୁରୁଖୁରୁରେ କାମଟା ଚାଲନ୍ତା ?’’

 

ଆଶା ଦେବୀ ଜଣେ ବେତନଭୋଗୀ ଉନ୍ନୟନ କର୍ମୀ, ଏମ. ଇ. ପାଶ୍, ତା’ପରେ ଟ୍ରେନିଂ, ବୟସ ତିରିଶି ପାଖ, ଗୋଟିଏ ପୁଅ, ଗୋଟିଏ ଝିଅ । ଗଞ୍ଜଡ଼୍, ସ୍ୱାମୀର ଅତ୍ୟାଚାର ବଳେଇଲା, କଂସାବାସନ ବି ସେ ରଖିଦେଲା ନାହିଁ, ଜମି ସାତମାଣ ବିକି ଖାଇଦେଲା, ପିଲା ଦୋଟି ମୂରୁଖ ହୋଇ ଡେଇଁଲେ । ଏହି ଘଡ଼ିସନ୍ଧିବେଳେ ଭବିଷ୍ୟତକୁ ଆଖିରଖି ପିଲା ଦୁହିଁକୁ ମଣିଷ କରିବି, ଘର ଚଳେଇବି ଭାବି ମୂଷଳପୁର ଦଳବେହେରା ଘର ବୋହୂ ଆଶା ଦେବୀ ସତେ କି ଇତିହାସ ସୃଷ୍ଟି କରି ଶାଶୁ-ଶଶୁର, ଗୁରୁଜନ ଓ ଦାଣ୍ଡର ଘୋଷରା ପାହାଚ ଆଗଛମା ଉଞ୍ଚ ଚଉରା ଉପରର ବୃନ୍ଦାବତୀଙ୍କ ଗୋଡ଼ତଳେ ପଡ଼ି ପଦାକୁ ଗୋଡ଼ କାଢ଼ିଥିଲେ । କୁନ୍ଦିଲା ପରି କଳା ଜିକିଜିକି ମୁଗୁନିପଥରର ମୂର୍ତ୍ତିଟିଏ ପରି, ଏବେ ବି ସେ ମୂର୍ତ୍ତିରେ ସତେ କି ଲହୁଣୀ ବୋଳାହୋଇ ଚିକ୍‍କଣ ଦିଶୁଛି । ଗୋଲ ମୁହଁ, ବଡ଼ ବଡ଼ ଆଖିରେ କଳାଭଅଁର ପରି ଆଖିଡୋଳା, ବହଳ ମୁଣ୍ଡବାଳ, କପାଳ ମଝିରେ ସିନ୍ଦୂରଟୋପା । ସେ ମୂର୍ତ୍ତିରେ ସୁଖର ଦୁଃଖର ନାନା ଅଭିଜ୍ଞତା ଏକାଠି ଠୁଳହୋଇ ଥମ୍ୱିଯାଇଛି, ତା’ ଉପରେ ଛାଇତଳିଆ ଗହୀର ପୋଖରୀ ଉପରର ଛବି, ଦେଖିଲେ ଭାବିବାକୁ ମନହୁଏ, ବାରି ହୁଏ ନାହିଁ କିଛି । ଧଳା ଶାଢ଼ି, ଧଳା ଜ୍ୟାକେଟ୍, ପାଦରେ କଳା ଚଟି । ହାତରେ ରୁପାକାଚ, ଶଙ୍ଖା, ଆଉ ଅଳଙ୍କାର ନାହିଁ ।

 

ସକାଳ, କଅଁଳଗାଧୁଆ ବେଳ । ତୋଟା ତଳ, ଧାନକିଆରୀ କର, ପୋଖରୀ କୂଳ, ଗାଁ ଗୋହୀରି ବାଟ ଦେଇ ଜୀପ୍‌ଗାଡ଼ି ଚାଲିଯାଉଛି । ସେମାନେ ସ୍ଥାନେ ସ୍ଥାନେ କାମ ଦେଖି ଦେଖି ଯିବେ । ବାଉଁଶ ବୋଝେଇ ଶଗଡ଼ର ବଳିଦ ହୁରୁଡ଼ିଲେ । ‘‘ହେଇ, ଧର୍ ଧର୍ ଦଣ୍ଡା, ହୁସିଆରି ହୁସିଆରି–’’ ଡ୍ରାଇଭର ପାଟି କଲା । ଟିକିଏ ଅଟକି ପୁଣି ଗତି । ଇଟା ବୋଝେଇ ହୋଇ ତା ପଛକୁ ତା ପଛ ଶଗଡ଼ ଆସୁଛି । ବିପିନ୍ ତା’ର କଥାରେ ଖିଅ ଧରି କହି ଚାଲିଲା, ‘‘ଏଇ ଯେଉଁ ସଡ଼କ ଖଣ୍ଡିକ, ଉନ୍ନୟନର ପ୍ରମାଣ ଏଇ । କେତେଦିନ ହେଲା ? ଦି’ ବର୍ଷ ତ ? କେତେ ଖର୍ଚ୍ଚ ହେଲା ? କିଏ ଦେଲା ?’’

 

ଟଙ୍କ ହସି ଦେଇ କହିଲା, ‘‘ସାହାଯ୍ୟ ଦିଅ, ଶ୍ରମ ଦିଅ କହି କହି, ଲୋକଙ୍କ ପଛରେ ଗୋଡ଼େଇ ଗୋଡ଼େଇ ଜୋତା ତଳି ଫୁଟିଗଲା, ଦି’ ମୁଣ୍ଡରୁ ଆମେ ଲମ୍ୱେଇ ଆଣିଲୁଁ, ମଝି ଅରାକରେ ହେଲେ ମାଟି ପକାଅ, ଫଟୋ ଉଠାଯିବ, ଆମେ କେତେ କହି କହି ଶେଷରେ ହରିଜନସାହିଆଙ୍କୁ କହିପୋଛି ସନ୍ୟାସୀପୁରିଆ ଆଣି ଠିଆକଲେ, ସେମାନେ ଟୋକେଇ ଫାଉଡ଼ା ଧରି କାମ କରିବା ଅବସ୍ଥାରେ ଫଟୋ ଉଠାଗଲା, ସଭା ଭାଙ୍ଗିବାରୁ ଯେ ଯୁଆଡ଼େ ପଳେଇଗଲେ, ପୁଣି ମୂଲିଆ ଲଗେଇ କାମ ଶେଷ କରାଗଲା । ମୂଲକୁ ବାହାର ବୋଲି କହିଲେ କ’ଣ ନା ସହରରେ ଯେମିତି ଏଠି ସେମିତି, ଦିନକୁ ଦେଢ଼ ଟଙ୍କା ଦିଅ । ଅଥଚ ସଡ଼କ ଖଣ୍ଡେ କରେଇଦିଅ ସବୁ ସାହାଯ୍ୟ ଦେବୁ, ଏଇଆ କହି କହି ପଂଝା ପଂଝା ଲୋକ ଦଉଡ଼ୁଥିଲେ-’’

 

ଟଙ୍କ ବୁଝିପାରି ନଥିଲା, କଥାଟା ଅଥାନରେ ବାଜିଲା । ବିପିନ୍ କହିଲା, ‘‘ହଁ, ସ୍ଥାନେ ସ୍ଥାନେ ଏମିତି ନିଷ୍କ୍ରିୟତା ଦେଖାଯାଉଛି ସତ, କିନ୍ତୁ ଆଉ ବି ସ୍ଥାନେ ସ୍ଥାନେ ପ୍ରକୃତ ଉତ୍ସାହ ଦେଖାଯାଉଛି, ସେଠି ଟିକିଏ କାନ୍ଧ ଲଗେଇଲେ କାମ ତ ଭଲ ହେଉଛି, ନା ନାହିଁ ? ବାସୁଦେବପୁରରେ ଲୋକେ କ’ଣ ନ କଲେ ? ସେଠି ଆମ ସାହାଯ୍ୟ ନ ପହୁଞ୍ଚୁଣୁ ଲୋକେ ଅଧାଅଧି ସଡ଼କଟା ତିଆରି କରିଦେଇଥିଲେ । ଶ୍ରୀରାମପୁରରେ ପ୍ରତି ଘରୁ ଜଣେ ଜଣେ ମନକୁ ମନ ବାହରି ଏବେ ବି କାମ କରୁଛନ୍ତି । ଆଉ-’’

 

ଜୀପ୍‌ଟା ଧଡ଼୍‌କିନା ଗୋଟାଏ ଖାଲ ଭିତରେ ପଡ଼ିଗଲା, ତା’ପରେ ପ୍ରଥମ ଗିଅର, ସ୍ପେଶାଇ ଗିଅର, ଲାଗିଲା ଗଁ ଗଁ ଶବ୍ଦ ଓ ଉଠି ଚାଲିଯିବାକୁ ପ୍ରଚେଷ୍ଟା । ବାଁ ପାଖେ ଗୋଟାଏ ଦଳୁଆ ପୋଖରୀ, ତା ସେ ମୁଣ୍ଡେ ପାହାଚ ତଳେ ମାଇପେ ଗାଧୋଉଛନ୍ତି, ଆଉ ଠାଏ ପାହାଚ ତଳେ ମିଣିପେ । ଡାହାଣେ ଧାନବିଲ ଲମ୍ୱି ରହିଛି, ଧାନ ଠିଆ ହୋଇଛି । ସାମନାରେ ଦିଶୁଛି ଧାଉଡ଼ିଏ ବସ୍ତି, କେତେ ଘର ଭାଙ୍ଗିଯାଇଛି, ଖାଲି ଡିହ, ଭଙ୍ଗା କାନ୍ଥ, ଆଉ କେତେଟା ଘର ଠିଆ ହୋଇଛି ।

 

ଜୀପ୍ ଅଟକିଛି । ତଳେ କାଦୁଆ ଥିଲା, ଚକ ଗଳି ପଡ଼ିଛି । ‘‘ହୋ । ଆସ ଆସ ଟିକିଏ, ଟିକିଏ ପେଲିଦେଲେ ଗାଡ଼ିଟା ଉଠିଯିବ ।’’ ପୁରୁଷଙ୍କ ଗାଧୁଆ ଘାଟ ପାହାଚ ଉପରେ ଲୁଙ୍ଗୀ ପିନ୍ଧି ବସି ଚାରି ପାଞ୍ଚଜଣ ଯୁବକ ଗୁଡ଼ାଖୁ ଘଷୁଥିଲେ, ଜଣେ ଚଞ୍ଚଳ ଓହ୍ଲେଇଯାଇ ଅଣ୍ଟାଏ ପାଣିରେ ଠିଆହୋଇ ପଢ଼ିଲା, ଅନ୍ୟମାନେ ସେ ସ୍ଥାନରୁ ଚାଲିଗଲେ । ଦିଶୁଥିଲା ଲୋକ ଆସୁଥିଲେ, ଡାକ ଶୁଣି ଦୂରରୁ ଦୂରରୁ ସେମାନେ ବାଟଭାଙ୍ଗି ତୋଟାରେ ପଶିଲେ ।

 

‘‘ହୋ, ଶୁଣ, ଟିକିଏ ଟିକିଏ ଏ ଗାଡ଼ିଟାକୁ-’’

 

ଜଣେ ଗୋଟାଏ ବଳଦ ଅଡ଼େଇ ଅଡ଼େଇ ଆଣୁଥିଲା, ତାକୁ ଯୋରରେ ଛାଟେ ପିଟି ଦେଲା, ଦଉଡ଼ିବାରୁ ତା ପଛେ ପଛେ ଚିଲାମାରି ଧାଇଁଗଲା ।

 

ବିପିନ୍, ଟଙ୍କ, ଚପରାଶି ତିନିହେଁ ମିଶି ଜୀପ୍‌ଗାଡ଼ିକୁ ଠେଲିଲେ, ଡ୍ରାଇଭର ପୁଣି ଷ୍ଟାର୍ଟ ଦେଲା, ପଛକୁ, ଆଗକୁ, ବହୁତ ପ୍ରକାର ଚେଷ୍ଟା । ସବୁ ନିଷ୍ଫଳ । ଗୋଛା ଗୋଛା ହୋଇ ପିଲାଏ ଓ ଦୂରରୁ ମାଇପେ ଦେଖୁଛନ୍ତି । ‘‘ଆସ, ଆସ ପିଲେ, ଆସ । ଲୋକ ଡାକି ଆଣ ।’’ ଗଲେ ଚାଲି । ଗାଡ଼ି ପଡ଼ିରହିଲା । ଡ୍ରାଇଭର ଗାଡ଼ିକୁ ଜଗି ଅପେକ୍ଷା କଲା ।

 

ଅନ୍ୟମାନେ ଲୋକ ଖୋଜି ଚାଲିଲେ ।

 

‘‘କିଏ ଟିକିଏ ଆସ ମ, ଗାଡ଼ିଟା ପଡ଼ି ଯାଇଛି, ଟିକିଏ ଠେଲିଦେବି ।’’

 

‘‘ଆମର କାମ ଅଛି ।’’

 

‘‘ଆମର କାମ ଅଛି ।’’

 

‘‘ଆରେ ବାବୁ ଡାକୁଛନ୍ତି ଟିକିଏ ଯାଉନା ?’’

 

‘‘ତୁମେ ଯାଅ ।’’

 

‘‘ଯାଆରେ ପିଲେ ଠେଲି ଦେବ, ବାବୁ ପଇସା ଦେବେ ।’’

 

ପିଲାଏ ପଳେଇଲେ ।

 

କେଉଟ ପଂଝାଏ ପିଣ୍ଡାରେ ବସି ଜାଲ ବୁଣୁଛନ୍ତି । ‘‘ହେ ନଖିଆଭାଇ, ମୋ ଗୋଡ଼ରେ କଣ୍ଟା ପଶିଛି, ନଇଲେ ମୁଁ ଯାଇଥାନ୍ତି, ତୁ ଯା ।’’ ଆରେ ମୋର ତ ଅଣ୍ଟା ଧରିଛି, ନଇଲେ ମତେ ବଳେଇଥାନ୍ତା ?’’

 

ବାଟରେ ହେଁ ସ ପରା ହୋଇ ଧାନ ଶୁଖୁଛି । ଠାଏ ପଂଝାଏ ଲୋକ ଏକାଠିହୋଇ ପାଟି କରୁଛନ୍ତି, ଭାରି କଜିଆଟାଏ ଲାଗିଛି । ‘‘ମାରିବୁ ନା ମାରିବୁ ? ଏମିତି ମାରିଲାବାଲା ? ଦେଖିବୁ ରଇଥା ।’’ ସେଠି ଲୋକ ଡାକିବାରୁ ଦେଖିବାଲୋକ ଧାଡ଼ିକ ଭିତରୁ ଜଣେ କହିଲା, ‘‘ତାଙ୍କୁ କିଛି କହ ନାଇଁ ବାବୁ, ଅଇଛା ମୁଣ୍ଡରେ ପିତ୍ତ ଚଢ଼ିଛି ।’’ ‘‘ତୁମେ ଟିକେ ବାହାର ।’’ ‘‘ଆମେ ଗଲେ ଏଠି କ’ଣ ନାଇଁ କ’ଣ ହୋଇଯିବ, ସେତେବେଳକୁ କିଏ ପାରିବ ?’’ ‘‘ହଉ ପଇସା ଦେବା ମୂଲିଆ କରେଇଦିଅ ।’’ ଶୁକୁଟା ଲୋକଟିଏ ଉତ୍ତର ଦେଲା, ‘‘ବାବୁ ଶୁଣ ମୋ’ କଥା, ଏଠି ପଟିବ ନାହିଁ, ଆଗରେ କଣ୍ଡରା ସାହି ଅଛି, ସେଇଠି ଲୋକ ପାଇବ ।’’ ଅତଏବ ବାଟେ ବାଟେ ପୁଣି ଆଗକୁ ଆଗକୁ ।

 

‘‘ଭଲ ଗାଁ ୟେ-’’ ବିପିନ୍‍ କହିଲା ।

 

ଚଳେଇ ନେଲାପରି ଟଙ୍କ କହିଲା, ‘‘ବହୁତ ଲୋକ କାମକୁ ଚାଲିଯାଇଛନ୍ତି, ଜାଣିବା ବୁଝିବା ଲୋକ କେହି ଦିଶୁ ନାହାନ୍ତି ।’’

 

ଘର ଆଗରେ ଅଳିଆ କୁଢ଼ା ହୋଇଛି, ଘାସ ଅରମା ବଢ଼ିଛି, ଗୋବରଗଦା ହୋଇଛି, ବାଟରେ ଝାଡ଼ା ପଡ଼ିଛି । ମାଠପରି ସଁବାଳୁଆ ଗୁରେଇହୋଇ ସଜନାଗଛ ଠିଆ ହୋଇଛି । ଚାଳତଳ ଖୁଣ୍ଟରେ ଧାର ଧାର ହୋଇ ଉଇ ଚଢ଼ିଛି । ଓଳିତଳେ ଛାତରେ ଅଳନ୍ଧୁ । କାନ୍ଥ ବାଟ ମୁହଁ ଲିପା ହୋଇନାହିଁ, ଚଡ଼ା ଚଡ଼ା ହୋଇ ଫାଟିଛି, କେଉଁଠି କାନ୍ଥରୁ ଫାଳେ ଫାଳେ ଖସି ପଡ଼ିଛି, ଖଣ୍ଡିଆ ଖାବଡ଼ା ଦିଶୁଛି ! ଲୋକେ ଚଳପ୍ରଚଳ ହେଉଛନ୍ତି, ଢିଙ୍କି ପାହାର ଶୁଭୁଛି, ଚୁଡ଼ା କୂଟା, ଧାନ କୂଟା । ଗାଁ ମଝି ରେ କେଉଁଠି କଁ କଁ ହୋଇ ଘଣା ଚାଲିଛି । ଅକଥ୍ୟ ଭାଷାରେ ଗାଳି ଦିଆଦେଇ । ଛୋଟପିଲାଙ୍କ ଉପରେ ପ୍ରହାର, କାନ୍ଦଣା ଶବ୍ଦ, ନାକରୁନ୍ଧା ଧୂଆଁ ଗନ୍ଧ ।

 

ଗାଁ ପୂର୍ଣ୍ଣ ଅଛି । ଯେଝା କାମରେ ଯେ । ମଟର ଠେଲିବାକୁ ଲୋକ ନାହାନ୍ତି । ବସ୍ତି ଗଲେ ପୁଣି ଧାନବିଲ । ସରୁ ହିଡ଼ବାଟେ କଣ୍ଡରା ସାହିକୁ ବାଟ । ଧାନବିଲରେ ପାଣି ଠିଆ ହୋଇଛି । ଖରା ପଡ଼ିଛି । ଧାନଗଛ ମୁଣ୍ଡ ଉପରେ ନାଲି କଙ୍କି, ପାଣିରେ ତା ଛାଇ ପଡ଼ିଛି । ଧାନଗଛ ତଳେ କାଚଖମ୍ୱ ପାଣିରେ ନିଶ୍ଚଳ ହୋଇ ଗଡ଼ିଶା ମାଛ ଶୋଇଛି, କଙ୍କିର ଛାଇକି ଅନିଶା କରି ହାଉଁକିନା ଝାମ୍ପ ମାଇଲା, ତା’ପରେ ପାଟି ପାକୁ ପାକୁ କରି ଧାନଗଛ ସନ୍ଧିରେ ଲୁଚିଗଲା । ଦଳେ ଲାଗିଛନ୍ତି ହିଡ଼ବାନ୍ଧି ପାଣି ବୁହାଇ ଘଉଡ଼େଇ କାନି ଦେଖାଇ ମାଛ ମାରିବାରେ । କ’ଣ ପଡ଼ିଛି ? ଦଣ୍ଡିଖିରି ପୋଷେ ବି ନାହିଁ । ‘‘ଆସିବ ଟିକିଏ ମଟରଟା ସେ ମୁଣ୍ଡ ଅଟକିଛି ।’’ ଏଣେ ଏ କାମ ଛାଡ଼ି କିଏ ଯାଏ ? ଆଗରେ ଆଉ ଅରାଏ ଖୁବ ଦାଢ଼ରେ ବନ୍‌ସୀ ପକାଇ ତିନି ଜଣ ବସି ଅପେକ୍ଷା କରିଛନ୍ତି । ସେଠି ପଚାରିବାକୁ ମନ ହେଲା ନାହିଁ । ତା’ପରେ ବଡ଼ ବଡ଼ କିଆଭେଡ଼ା ସନ୍ଧିରେ ବାଟ । ସେପଟେ ଅରାଏ ଗଛ ଗହଳି ଦିଶୁଛି । ଧାନବିଲ ଓ ସନ୍ତସନ୍ତିଆଁ ଭୂଇଁ ଭିତରଛୁ ଉପଦ୍ୱୀପ ପରି କଣ୍ଡରା ସହି ପଶିଯାଇଛି ।

 

ଧଡ଼ି ମଳିକ ଖଣ୍ଡେ ମୂଳଦୁଆ କରୁଛି । ଏକାଠି ଚାରିଜଣ ମଣିଷ ନାଚିକୁଦି ପାଦରେ କାଦୁଅ ଚକଟୁଛନ୍ତି । ଆଉଜଣେ ମଣିଷ ସେଠି ଗଦାହୋଇଥିବା ମାଟି ଉପରେ ମାଠିଆ ମାଠିଆ କରି ଆଣି ପାଣି ଢାଳୁଛି । ଅଳ୍ପ ଛାଡ଼ି ବୁଢ଼ାଟିଏ ଟାଙ୍ଗିଆ ଧରି କାଠ ଚିରୁଛି । ଚାଳରେ ପାଣିକଖାରୁ, କେଉଁଠି ଲାଉ, ବହଳ ହୋଇ ଶିମ, ବରଗଡ଼ା, ବାଡ଼ବନ୍ଧା ସାନସାନ ବାରିରେ ଭୁରୁ ଭୁରୁ ହୋଇ ହରଡ଼ ଗଛ, ଜଡ଼ା ଗଛ, କପା, ଛନଛନିଆ ମୁକ୍ତକେଶୀ ବାଇଗଣ ଫଳଧରି ହୃଷ୍ଟପୃଷ୍ଟ ବାଇଗଣ ଗଛ । ଶ୍ରମର ଶିରୀ ଫୁଟି ଦିଶୁଛି । ଅତିଥିଙ୍କୁ ଲମ୍ୱ ଲମ୍ୱ ଦଣ୍ଡବତ । ଅଳ୍ପକେ ବୁଝାଇ ଦେଉ ଦେଉ ସେମାନେ ଯିବାକୁ ସଜହୋଇ ଆସି ଠିଆହେଲେ ।’’ କି କାମଟା ଯେ ଏଥିପାଇଁ ପଇସା କ’ଣ ହେବ ?’’ ଧଡ଼ି ମଳିକ କହିଲା, ‘‘ମଟରଟା କାଦୁଅରେ ଅଟକି ଯାଇଛି, କାଠ ଦି’ଖଣ୍ଡ ପାରିଦେଇ ପଛରୁ ଟିକିଏ ଠେଲିଦେବା କାମ, ଏଥିପାଇଁ ଏ ଗାଁରେ ଲୋକ ମିଳିଲେ ନାଇଁ ଯେ ତେମେ ଆପଣ ଫେର୍ ଏତେବାଟ ଆସିଲ ବାବୁ ? ଚାଲରେ ପିଲେ-’’

 

ସେମାନେ ଆଗେ ଆଗେ ଦୌଡ଼ି ଦୌଡ଼ି ଚାଲିଗଲେ । ବିପିନ୍‍, ଟଙ୍କ ଓ ଆଶା ଦେବୀ ଲେଉଟି ଆସିଲେ । ‘‘ଏଇଆ ଆମର ଅସୁବିଧା’’, ବିପିନ୍‍ ମନ୍ତବ୍ୟ ଦେଲା, ‘‘ଗାଁରେ ଯେଉଁଟା ପ୍ରକୃତରେ କାମ କଲା ଅଙ୍ଗ, ବାଉରି କଣ୍ତରା କି ଚାଷୀ କି ମୂଲିଆ, ଗାଁ ସମାଜରେ ତା’ ପାଟିଟା ଶୁଭେ ନାହିଁ, ସେ ବିଚରା ପଡ଼ିଥାଏ ତଳେ । ସେ ସତେକି କେହି ନୁହେଁ, ଆଉ ଯେଉଁ ଅଂଶଟା ଅଚଳ, ନିର୍ଜୀବ, ଦେଖାପଡ଼ୁଥାଏ ସେହି, ସେହି ଲୋଡ଼ୁଥାଏ କ୍ଷମତା ଓ କର୍ତ୍ତୃତ୍ୱ ।’’

 

ଆଶା ଦେବୀ କୃହିଲେ, ‘‘କିନ୍ତୁ ଚେତନା ତ ଖେଳୁଛି, ଆଉ କ’ଣ ପୁରୁଣା ଅମଳ ଅଛି ? କେତେ ବଦଳିଗଲାଣି ।’’

 

ଟଙ୍କ କହିଲା, ‘‘ୟେ ସିନା କେଉଁ ଭଟ୍ଟ ଅମଳର ଗାଁ, ଅମଣିଷିଆ, ବହୁତ ଗାଁରେ ସେମାନେ ହିଁ ଆଗୁଆ ହେଲେଣି ।’’

 

‘‘ବିପିନ୍ କହିଲା, ‘‘ମୁଁ ଖାଲି ଭାବୁଛି, ଯେତେବେଳେ ପ୍ରକୃତରେ ଏଇ ଜୀଅନ୍ତା ଅଙ୍ଗଟା ଆଗୁଆ ହେବ, ହାତକୁ କ୍ଷମତା ନେବ, ସେତେବେଳେ ସେହି ପୁରୁଣା ଦରମଲା ଅଚଳ ଅଂଶଟାର ଦଶା କ’ଣ ହେବ, ସେ ଯିବା କୁଆଡ଼କୁ ?’’

 

ଟଙ୍କ କହିଲା, ‘‘ସମ୍ଭବତଃ ସହରତଳିକୁ ।’’

 

ବିପିନ୍ କହିଲା, ‘‘ତାଷ ସେ କରିପାରିବ ନାହିଁ, ଏବେ ବି ମୂଲିଆ ଅଡ଼ିଲେଣି । ଶ୍ରମ ତା ଦେଇ ହେବ ନାହିଁ । ଜମି ସେ ରଖିପାରିବ ନାହିଁ । ଯେଉଁ ପୁରୁଣା ସଂସ୍ଥାଟା ରହିଥିଲା, ଭଲ କୂଳ, ଧର୍ମ, ନାନା ଜାତି ଅଧିକାର, ଯେଉଁ ଧାରଣାଗୁଡ଼ାକ ଥୋଡ଼ାଏ ଲୋକ ଖେଳାଉଥିଲେ ଆଉ ଥୋଡ଼ାଏ ଲୋକ ତାକୁ ବିଶ୍ୱାସ କରି ମୁଣ୍ଡପାତି ସେମାନଙ୍କ ପାଖରେ ଖଟୁଥିଲେ, ସେ ସଂସ୍ଥା ତ ଆଉ କାମ ଦେବ ନାହିଁ । ତେଣୁ ସେମାନେ ଗାଁରେ ଚଳିପାରିବେ ନାହିଁ ।

 

ଟଙ୍କୁ କହିଲା, ‘‘ବର୍ତ୍ତମାନ ବି ସେଥିପାଇଁ, ସେମାନେ ଜମି ବିକୁଛନ୍ତି, ଗାଁରୁ ଚାଲିଯାଉଛନ୍ତି, ସହରରେ ଘର କରୁଛନ୍ତି, ହାଓ୍ୱା କୁଆଡ଼କୁ ବୋହୂଛି ତା ସ୍ପଷ୍ଟ ଦିଶିଯାଉଛି । ପରେ ଆହୁରି ଯେ ବଢ଼ିବ ।

 

ବିପିନ୍ କହିଲା, ‘‘ସରକାରୀ ଚାକିରି, ନାନା ଶିଳ୍ପ ଅନୁଷ୍ଠାନରେ ଚାକିରି, ବଢ଼ିଉଠୁଥିବା ଶିଳ୍ପଯୁଗରେ ସହରରେ ତାହାରି ସମ୍ପର୍କର ନାନାଧନ୍ଦାରେ ନାନା ନିଯୁକ୍ତି । ସାନବଡ଼ ହୋଇ ବ୍ୟବସାୟ, ଏଇଥିରେ ରହିଯିବେ ପୁଳାଏ ଯେ ନ ପାରିବ’’–ଦେହ ମୋଡ଼ିଦେଇ ଗୋଟାଏ ବିକୃତ ଭଙ୍ଗୀ କରି ସେ କହିଲା, ‘‘ତାକୁ ଭଗବାନ ଭରସା ।’’

 

ଟଙ୍କ ଓ ଆଶା ଦେବୀ ହସିଲେ ।

 

ଲୋକେ ଦେଖୁଛନ୍ତି ଆଉ ମଟର ଠେଲିବା ପାଇଁ ମଣିଷ ଦରକାର ନାହାନ୍ତି, କଣ୍ଡରା ପଂଝାକ ଗଲେଣି । ସେମାନେ ଶୁଣି ସାରିଲେଣି ଏ ଉନ୍ନୟନ କର୍ମଚାରୀ । ଭଲ ହେଲା, ଯାଉ ଯାଉ ଅଟକି ଯାଇଛନ୍ତି । ଟିକିଏ ଆଖି ପକାଇ ଗଲେ ଭଲ, କିଛି ଟଙ୍କା ମିଳିଯିବ । ‘‘ଆରେ ଓଲା ଆଡ଼େଇ ହୋଇ ରହିଥିଲେ ରହିଥିବ, ଏ ପରା କାମଧେନୁ । ମାଗି ଜାଣିବା ବାଗଟି ଆସିଲେ ପାଇପାରିବ, ନ ହେଲେ ନାହିଁ ।’’ କିଏ ଜଣେ କହିଲା । ରଥସାହୀ ଗୋହୀରି ଖଣ୍ଡକ ଗହୀରା ହୋଇଯାଇଛି, ସବୁବେଳେ କାଦୁଆ ଦଲଦଲୋଉଛି । ଅତଏବ ‘‘ଆଜ୍ଞା, ଆସନ୍ତୁ, ଆମ ସାହିକି ଟିକିଏ ଦୃଷ୍ଟି ପଡ଼ିଯାଉ ।’’ ପଟ୍ଟନାଏକ ସାହୀ ଚାହାଳି କାନ୍ଥଗୁଡ଼ାକ ଫାଟିଲାଣି, ଭଲ ଘର ଦରକାର,–‘‘ଆଜ୍ଞା, ଆମ ଆଡ଼େ ଟିକିଏ ପାଦ ପଡ଼ିଯାଉ, ଏଇଠି ତ ।’’ ଜେନା ସାହୀ କୂଅଟା ପୁରୁଣା ହୋଇଗଲାଣି, ଉପରୁ ତଳକୁ ଅନାଇଁଦେଲେ କାନ୍ଥଯାକ ଖାଲି ଗଛ ବଢ଼ିଛି, ପାଣିରେ ସାପଟାଏ ବି ଥରେ ମରି ଭାସୁଥିଲା ।" ଆଜ୍ଞା, ଆସିବେ ନାହିଁ ଟିକିଏ, ଚାରି ସାହୀ ଲୋକ ପାଣି ପିଉଛନ୍ତି । “ ଆଜ୍ଞା, ଏଡ଼େ ବଡ଼ ଗାଁରେ ଗୋଟିଏ ବି ଭଲ ପୋଖରୀ ନାହିଁ, ଯାହା ତ ଅଛି ଆପଣେ ଦେଖି ଅଇଲେ, ଦଳ ବଢ଼ିଛି । ବୁଡ଼ିପଡ଼ି ଆସିଲେ ଘଡ଼ିଏ ଯାକେ ଦେହରୁ ଗଲୁ ଛାଡ଼ନାହିଁ । ଏଣେ ମତ୍ସ୍ୟତାଷ ବି ହୁଅନ୍ତା, ତା’ପରେ ପିଇବା, ଗାଧୋଇବା, କ୍ଷେତରେ ପାଣି ମଡ଼େଇବା-’’ ‘‘ଆଜ୍ଞା, କ’ଣ କ’ଣ ପାଇଁ ଟଙ୍କା ଆସିଛି ? ‘ କି କି ଚାକିରି ମିଳିପାରେ ? ମାଟ୍ରିକ ଫେଲ ହୋଇଛି, କୁଆଡ଼ କେମିତି ଖଣ୍ଡେ-’’ ଆଜ୍ଞା, ପଞ୍ଚାଏତ୍ ମହକୁମାଟା ଆମରି ଗାଁରେ କରିବା ହେଉ । ଜାଗା ବି ପଡ଼ିଛି, ଆସନ୍ତୁ ଦେଖିବେ ।’’

 

‘‘ଖଣ୍ଡ ଡାକ୍ତରଖାନା-’’ ‘‘ଖଣ୍ଡେ ମାଇନର ସ୍କୁଲ-’’ “ଗୋଟିଏ ଧାନଗୋଲା ନ କଲେ ଆମ ଏଠା ଖଟିଖିଆ ଲୋକ ବଞ୍ଚିବେ କେମିତି ? ଘରେ ଧାନ ନ ଥିବ କି ପଦାରୁ କରଜ ମିଳୁ ନ ଥିବ, ସେ ଯେଉଁ କଷ୍ଟ ।” ପାଦୁକ ବେଲପତ୍ରୀ ଘେନି ଭୋପା ଆସି ପହଞ୍ଚିଛନ୍ତି, ‘‘ସନ୍ୟାସୀଶ୍ୱର ମହାଦେବ ଆଜ୍ଞା, ଟିକିଏ ଦେଖିବେ ଆସନ୍ତୁ, ଏଡ଼େ ପ୍ରତ୍ୟକ୍ଷ ଦେବତା, ଏଡ଼େ ପୁରୁଣା ଦେଉଳ, ଏ ସଂସାରରେ ଆଉ କୋଉଠି ନ ଥିବେ । କେତେ ଯାତ୍ରୀ, କେତେ ଉପାଧିଆ ଆସି ଗଦା ହେଉଛନ୍ତି, ଆପଣଙ୍କ କଲମରେ ସେଠି ଯଦି ବଖରାଏ ଘର ହୁଅନ୍ତା, ବସାଉଠା କରିବାକୁ ଲୋକଙ୍କୁ ସୁବିଧା ହୁଅନ୍ତା । ଆଉ ସେ ପୋଖରୀ ଖଣ୍ଡିକ ଟିକିଏ ଗହୀର ହୋଇ ଖୋଳାହୁଅନ୍ତା, ପଥର ବନ୍ଧେଇ ଦେଲେ ଆହୁରି ଭଲ । ଆପଣଙ୍କର ସଙ୍ଗେ ସଙ୍ଗେ ପଦ ଉନ୍ନତି ହୋଇଯାଆନ୍ତା ଆଜ୍ଞା ! କେତେ ଉନ୍ନତି ହୁଅନ୍ତା ତା’ର କ’ଣ କଳନା ଅଛି ? ଟିକିଏ ଦର୍ଶନ କରି ଆସନ୍ତେ ଆଜ୍ଞା !’’

 

କିପରି ଏଠୁ ସେ ନିସ୍ତାର ପାଇବ ? କେଉଁଆଡ଼କୁ ଯିବ ? ଡେରି ଦେଖି ଆଶା ଦେବୀ ସ୍ତ୍ରୀଲୋକଙ୍କ ମହଲକୁ ଚାଲିଗଲେଣି, ଯେତିକି ସମୟ ମିଳୁଛି ସେତିକିରେ ସେ ଏଠି କିଛି କାମ ଆରମ୍ଭ କରିଦେବେ । ଗୁଣ୍ଡ ଦୁଧ ଆଉଟି କେତେ ପିଲାଙ୍କୁ ପିଇବାକୁ ଦେବେ । ସାବୁନ ଗରମ ପାଣିରେ କେତେ ପିଲାଙ୍କୁ ଗାଧୋଇ ଦେବେ ! କିଏ ଥିବେ ଗର୍ଭିଣୀ, ସ୍ଵାସ୍ଥ୍ୟହୀନା, ସେମାନଙ୍କୁ ମାଛ ତେଲର ବଟିକା ବାଣ୍ଟିବେ । ଭଲ ଭିଟାମିନ ସାରର ବଟିକା ବାଣ୍ଟିବେ, ଘର ଅଳିଆ କେମିତି ପୋତିବାକୁ ପଡ଼େ, କେମିତି ଚୁଲୀ ପାରିଲେ ଧୂଆଁ ହେବ ନାହିଁ, ସ୍ଵାସ୍ଥ୍ୟକର ଘରକରଣା କେମିତି କରିବାକୁ ପଡ଼େ, ସେ ବିଷୟରେ ନାନା ସଦୁପାୟ ସେ ବତେଇବେ । ହୁଏତ ଏଇ କଥା କହିବାକୁ, ଭେଳେଇବାକୁ ଓ ବିଶ୍ୱାସ ଜନ୍ମଇବାକୁ ସେ କେଉଁ ବୋହୂର ମୁଣ୍ଡ ବାନ୍ଧିଦେବେ କି କାହା ଘରେ ବିରି ଚାଉଳ ପାଣିରେ ପଡ଼ି ରହିଥିଲେ ରଗଡ଼ିବାକୁ ଆରମ୍ଭ କରିଦେବେ କି ବଡ଼ି ପାରିଦେବେ । ତାଙ୍କର ଠିକ୍ ଯେତିକି ଚୂନାକୁ ସେତିକି ପିଠା, ଯେତିକି ସମୟ ସେତିକି କାମ, କାଗଜପତ୍ରରେ ସେ ତା’ର ହିସାବ ରଖନ୍ତି ।

 

କିନ୍ତୁ ବିପିନ୍ ଆଗ କେଉଁଠିକି ଯିବ ? ଆଗେ ଯେଉଁଠି କାହାରି ମୁହଁ ଦିଶୁନଥିଲା, ବର୍ତ୍ତମାନ ସେଠି ନାନା ଲୋକ, ଗୋଟିଏ ଛୋଟ ଗହଳି ।

 

ଏତିକିବେଳେ ଶଙ୍ଖ, ମହୁରୀ ଓ ଢୋଲ ଶବ୍ଦ ଶୁଭିଲା, ବାଜା ପାଖେଇ ଆସୁଛି । ସେମାନେ ପହଞ୍ଚି ଗଲେ ଦଳେ ଯୁବକ । ‘‘ଆମେ ସନ୍ୟାସୀପୁରର ଯୁବକସଂଘ, ଆପଣଙ୍କୁ ଅଭ୍ୟର୍ଥନା ଜଣାଉଛୁ, ଟିକିଏ ଆସିବା ହେଉନ୍ତୁ ଆମ କ୍ଳବ ଘରକୁ । ବେଶୀ ଦୂର ନୁହେ ।’’

 

‘‘କ୍ଷମା କରିବେ, ଆଉ କେବେ ଆସିଲେ ନିଶ୍ଚୟ ଆସିବୁ । ଆଜି ପରା ଡେରି ହୋଇଗଲାଣି । ଅନ୍ୟ ଆଡ଼େ ଯାଉ ଯାଉ ମଝିରେ ଜୀପ୍‌ଟା କାଦୁଅରେ ନାଖିଗଲା । ତେଣେ ପ୍ରୋଗ୍ରାମ ଅଛି, ଲୋକେ ଅପେକ୍ଷା କରିଥିବେ ।’’

 

‘‘ଏମିତି ଯଦି ସମସ୍ତଙ୍କୁ ଗାଡ଼ି ପଟେ ପଟେ ଅଟକନ୍ତା, ତେବେ ଆମ ଗାଁର ମଙ୍ଗଳ ହୁଅନ୍ତା ଆଜ୍ଞା ! ନୂଆ ରାସ୍ତାଟେ ଖୋଲିଛି ସତ ଯେ ଏଠି ଗାଡ଼ି ଅଟକୁ ନାହିଁ । ଯେ ଅଇଲା ସେ ଭାଏଁ ଭାଏଁ ଛୁ । ଆମେ ଖାଲି ଟିକିଏ ଧୂଳିରେ ହକଦାର ଏତିକି ।’’ ବକ୍ତା ହସିଦେଲେ । ଆଖି ମିଟିକା ମାରି କହିଲେ, ‘‘ଆସନ୍ତୁ ଆସନ୍ତୁ–’’

 

‘‘ଆଜ୍ଞା, ପ୍ରୋଗ୍ରାମ–’’

 

‘‘ଓ ଏଠା ପ୍ରୋଗ୍ରାମ କଥା କହି ଭୁଲନ୍ତୁ ନାହିଁ ଆଜ୍ଞା, ପ୍ରୋଗ୍ରାମ କାହାର ନାହିଁ ଏ ଯୁଗରେ ! ତା ବୋଲି ଆପଣ ଆମ ଅନୁରୋଧ ରକ୍ଷା କରିପାରିବେ ନାହିଁ ? ଆମ ଅଭ୍ୟର୍ଥନା ଏଡ଼ିଦେଇ ଯିବେ ?’’

 

‘‘ଆପଣମାନେ ପରା କହୁଛନ୍ତି ଯୁବକସଂଘ ଗଢ଼, ଯୁବକସଂଘ ଗଢ଼ ବୋଲି, ଆପଣ ଆମ ଅନୁଷ୍ଠାନକୁ ଟିକିଏ ଦେଖିଯିବେ ନାହିଁ ତ ଆମେ କି ଉତ୍ସାହ ପାଇବୁ ?’’

 

‘‘ଏ ଗ୍ରାମର ଉନ୍ନତି ପାଇଁ ମଧ୍ୟ ଆମ ଯୁବକସଂଘର ନାନା ପ୍ରସ୍ତାବ ରହିଛି, ଟିକିଏ ସମୟ ଦେଲେ ଠିକେ ଠିକେ କହିଦେବୁ ।’’

 

‘‘ଆସନ୍ତୁ, ଆସନ୍ତୁ, ହଁ, ବଜାରେ–’’

 

ବାଘ ନାଚର ବାଜା ବାଜିଲା । ଯୁବକସଂଘର ଘର ଭିତରେ ପଡ଼ି ବିପିନ୍ ଓ ଟଙ୍କ ଆଗକୁ ଚାଲିଲେ । ମହୁରି ତୁହାଇ ତୁହାଇ ବାଜୁଥାଏ–ରମ୍ପ୍‌-ରମ୍ପ୍‌-ରମ୍ପ ।

 

ବିପିନ୍ ଓ ଟଙ୍କର ବେକରେ ସେମାନେ ନାଲି ମନ୍ଦାରର ହାର ଝୁଲାଇ ଦେଇଛନ୍ତି ।

 

ଚାରିଆଡ଼ୁ ହସ, ଉତ୍ସାହ ଓ ତାଳିମାଡ଼ ଶୁଭିଲା । ବାଟକରରେ ଠିଆହୋଇ ଅନାଇଁ ଥିବା ସ୍ତ୍ରୀଲୋକମାନଙ୍କ ଭିତରୁ କିଏ ଜଣେ ହୁଳୁହୁଳି ପକାଇଲା, ତା ଉତାରୁ ଆହୁରି ଅନେକେ ପାଳି ଧରିଲେ । ବାଜା ବାଜୁଥାଏ । ବାଜା ଶବ୍ଦରେ ଏ ଗଛରୁ ସେ ଗଛ ମାଙ୍କଡ଼ମାନେ ଡେଉଁଥାନ୍ତି, ଗୋରୁ ହୁରୁଡ଼ଥାନ୍ତି । ଦିଶୁଥାଏ, କିଲିକାଲିଆ ହୋଇ ସାହୀ ଭିତରୁ ମାଇପେ ଦୌଡ଼ି ଦୌଡ଼ି ଆସୁଛନ୍ତି । ପରସ୍ପର ଉପରେ ଆଉଜିଲା ପରି ଗହଳିହୋଇ ଠିଆହୋଇ ରହୁଛନ୍ତି । ବାଜା ଶବ୍ଦରେ ଉତ୍ତେଜନା ଆସୁଛି । ଲୋକଗହଳି ଦେଖି ତା ବଢ଼ି ବଢ଼ି ଯାଉଛି । ଛାଁକୁ ଛାଁ ଉତ୍ସାହ । ସତେ ଯେମିତି ଏ ପୁରୁଣା ଗାଁସବୁ ଉତ୍ସବ ପାଳିବା ସକାଶେ ଅପେକ୍ଷା କରି ରହିଥାଏ । କୌଣସି ଗୋଟାଏ ପତିଆରା ମିଳିଗଲେ ଲାଗିଗଲା ବାଜା ଢାଉଁ ଢାଉଁ, ତା’ପରେ ପୁଣି ତା’ ପାସୋରି ହୋଇଯିବ । କିନ୍ତୁ ବିପିନ୍‌କୁ ନେତା ନେତା ଲାଗୁଥାଏ । କେମିତି ମଟର ଚକ କାଦୁଅରେ ଗଳି ପଡ଼ିଲା । ଏତେ ଡାକି ଡାକି ଏ ଗାଁରୁ ଲୋକ କେହି ବାହାରିଲେ ନାହିଁ ଠେଲାଏ ଦେବାକୁ । ସେ ଘଟନାର ତିକ୍ତତା ସତେ ଯେପରି ତା ମନରୁ ଉଭେଇଗଲାଣି । ତା ପଛେ ପଛେ ଚାଲିଛନ୍ତି ଯୁବକ ସଂଘର ସଭ୍ୟଗଣ, ଦୁଇ କରିରେ ଗହଳି, ସେ ଚାଲିଛି । ଟଙ୍କକୁ କହିଲା, ‘‘ଏ ଗାଁରେ ଉତ୍ସାହ ବହୁତ-। ଏ ଉତ୍ସାହ ସତେ ଯେମିତି ଦେଶର ଜଳବିଦ୍ୟୁତ୍‌ଶକ୍ତି । ଏକାଠି ଠୁଳ କରି କାମରେ ଲଗାଇପାରିଲେ ଦେଶର ଉନ୍ନୟନ ପାଇଁ ମଣିଷ ନିଶ୍ଚିନ୍ତ, ନିଧଡ଼କ ।’’

 

ଆଗରେ ଗୋଟିଏ ଗୋଟିକିଆ ସାନ ଚାଳଘର, ତା’ ଆଗରେ ଦୁଇଜଣ ସ୍ଵେଚ୍ଛାସେବକ ଦୁଇପାଖରୁ ଗୋଟିଏ ବାଉଁଶ ତାଟି ଧରି ଠିଆ ହୋଇଛନ୍ତି । ସେଥିରେ ନାଲି କନା ଉପରେ ତୂଳାରେ ଲେଖା ହୋଇଛି ‘‘ସ୍ଵାଗତମ୍‍ ।’’ ଅନ୍ୟ ସମୟରେ ସେ ଖଣ୍ଡିଘର ଭିତରେ କାନ୍ଥକୁ ଆଉଜି ଥୁଆ ହୋଇଥାଏ, ବର୍ତ୍ତମାନ ପଦାକୁ ବାହାରିଛି ।

 

ଅତିଥିମାନେ ପହଞ୍ଚିଯିବା ସଙ୍ଗେ ସଙ୍ଗେ ଆରମ୍ଭ ହୋଇଗଲା ଅଭ୍ୟର୍ଥନା ସଙ୍ଗୀତ । ଏକାଠି ଚାରୋଟି ଖଞ୍ଜଣି, ଗୋଟିଏ ଦାସକାଠିଆ, ଗିନିବଜାଳୀ ଦି’ଜଣ, ଜଣେ ଡୁଗିତାବଲା, ଗୋଟିଏ ସିଙ୍ଗଲ ରିଡ଼୍ ହାରମୋନିଆ ତା’ର ଯୋଡ଼ିଏ ମିଡ଼୍ ଲାଖିଯାଇଛି ଓ ଚମଡ଼ାରେ କେତୋଟି କଣା ହୋଇଯାଇଛି । ତା’ ସହିତ ଦି’ଜଣ ଗାୟକ । ପ୍ରତ୍ୟେକେ ସ୍ୱାଧୀନ ଭାବରେ ସଙ୍ଗୀତ କରିଗଲେ, କାହା ସହିତ କିଏ ମିଶୁ ନାହିଁ ।

 

ତା’ ପରେ, ‘‘ହେଇ ଦେଖନ୍ତୁ ଆଜ୍ଞା, ଆମ ଲାଇବ୍ରେରୀ ।’’ ଆମ୍ବକାଠର ଆଲମାରି ଯୋଡ଼ିଏ, ଗୋଟିକ ଉପରେ ବଗିରାଳରେ ଲେଖାହୋଇଛି ‘‘ଶୀ ଗୋବଦ୍ଧନ ଜେନାଙ୍କ ସୌଜନ୍ୟରୁ ପ୍ରାପ୍ତ ।’’ ଆରଟି ଉପରେ ସେହିପରି ଲେଖାହୋଇଛି, ‘‘ଶ୍ରୀ ଗେଣ୍ଡୁ ଛାଟୋଇଙ୍କ ସୌଜନ୍ୟରୁ ପ୍ରାପ୍ତ-।’’

 

‘‘ଉପସ୍ଥାନ ବହି ଦେଖନ୍ତୁ ।’’ ବହୁତ ନାଁ, ଅନେକ ଦସ୍ତଖତ ଏକା ହାତର ଲେଖା ପରି ଦିଶୁଛି । ଆଲମାରି ଖୋଲା ହେଲା । ବିପିନ୍ ଓ ଟଙ୍କ ଏଠୁ ସେଠୁ ଖଣ୍ଡ ଖଣ୍ଡ ବହି ଓଟାରି ନେଇ ଦେଖିଲେ । ବେଶୀଭାଗ କାମଶାସ୍ତ୍ର ସମ୍ବନ୍ଧୀୟ ବହି, ଯଥା– ‘‘ସୁସ୍ଥ ସନ୍ତାନ ସର୍ଜନ’’, ‘‘କାମ ବିଜ୍ଞାନ’’, ‘‘ବୈବାହିକ ଦାୟିତ୍ୱ’’, ‘‘ଦାମ୍ପତ୍ୟ ସୁଖବର୍ଦ୍ଧିନୀ’’, “ପ୍ରକଟ ଲୀଳା’’, ‘‘ଚଉଠି ରାତି” ଇତ୍ୟାଦି-। ସେହି ସମ୍ପର୍କୀୟ କେତେଖଣ୍ଡ ତାଳପତ୍ର ପୋଥି ବି ସଂଗ୍ରହ କରାହୋଇ ଥୁଆ ହୋଇଛି । ଆଉଗୁଡ଼ିକ ଗୁଇନ୍ଦାଗିରି ଉପନ୍ୟାସ, ଯଥା– “ଶାଣିତ ଛୁରିକା’’, ‘‘ଗୁଇନ୍ଦା ଶ୍ରୀପତି’’, ‘‘ରହସ୍ୟମୟୀ’’, ‘‘ଲବଙ୍ଗଲତା ହତ୍ୟା ମକଦ୍ଦମା’’ ଏହିପରି । ତାଠୁଁ ସଂଖ୍ୟାରେ ବେଶୀ ହେବ ଆଉ ଏକପ୍ରକାର ଉପନ୍ୟାସ, ଶହେ ଦେଢ଼ଶ ପୃଷ୍ଠାର ବହି, ଚକ ଚକ ମଲାଟ ଉପରେ ଟକ ଟକିଆ ଛବି-ଯାହାକୁ ଅନ୍ୟ କାହା ଆଗରେ ଅନାଇଁବାକୁ ଲାଜ ମାଡ଼େ, ତା ନାଁ ବି ବିଚିତ୍ର-ଅନିଭା ଭାଟି’’, ‘‘ଲୌହନଗରୀର ଦ୍ରୋପଦୀ’’, ‘‘କଳଙ୍କିନୀ’’, ‘‘ଜଳାପୋଡ଼ା ଜୀବନର ଗାଥା’’, ‘‘ସ୍ପୁଟନିକୀ’’ ଇତ୍ୟାଦି-। ପୃଷ୍ଠାର କୋଣ ମୋଡ଼ି ହୋଇଯାଇଛି, ହାତଘଷା ହୋଇ ପୃଷ୍ଠାରୁ ପାରୁ ଉଠିଯାଇଛି, କେତେ କେତେ ତେଲଦାଗ, ଚୂନଦାଗ, କଳାଦାଗ ବି ଲାଗିଛି, ସ୍ଥାନେ ସ୍ଥାନେ ପୃଷ୍ଠାରେ ଗାରିଆ ହୋଇଛି, ବହୁତ ପଢ଼ା ହୋଇଛି, ବହିଗୁଡ଼ିକ ।

 

ବିପିନ୍ ନିରାଶ ହୋଇ ପଚାରିଲା, ‘‘କିଛି ଯୋଜନା ସାହିତ୍ୟ ରଖି ନାହାନ୍ତି ?’’

 

‘‘ଅଛି, ନ ଥିବ କାହିଁକି ?’’

 

ଆଲମାରି ଉପରେ ଥିବା ଗଦାରୁ ସେମାନେ ଧୂଳି ଝାଡ଼ିଦେଇ କେତେଖଣ୍ଡି ପତ୍ରିକାର ପୁରୁଣା ସଂଖ୍ୟା ଓ ବହି ବାହାର କରି ଦେଖାଇଲେ, ‘‘ଉନ୍ନୟନ’’, ‘‘ଯୋଜନା କ’ଣ ?’’, “ଶାଗୁଆ ଖତ’’, “ଜାପାନୀ ତାଷ’’, ‘‘ସମବାୟ ତାଷ’’, ‘‘ଘାସ’’, ‘‘ଡିମ୍ବ’’, ‘‘ମାଛ’’ ଇତ୍ୟାଦି ।

 

ବିପିନ୍ ପଚାରିଲା, ‘‘ଉପରେ ଧୂଳି ବସିଗଲାଣି ?’’

 

‘‘ସମସ୍ତେ ଦେଖୁଥିବେ ବୋଲି ପରା ଉପରେ ଥୁଆ ହୋଇଛି, ଟିକିଏ ଟିକିଏ ଦେଖୁ ନାହାନ୍ତି କ’ଣ ?’’

 

ବିପିନ୍ ଓଠ ଚିପି ଚିପି କହିଲା, ‘‘ହୁଁ’’ ।

 

‘‘ଗୋଟିଏ ସ୍ଥାୟୀଘର ଦରକାର, ଦି’ ବଖରା କୋଠା ହେଲେ ଚଳିଯିବ, ବଖରାକରେ ଅଫିସ, ଆର ବଖରାରେ ଲାଇବ୍ରେରୀ । ସେଥିପାଇଁ ଟେବୁଲ, ଚୌକି, ଅନ୍ୟାନ୍ୟ ସରଞ୍ଜାମ, ଭଲ ଆଲମାରି ଚାରି ଖଣ୍ଡ, ମାସକୁ ଦି’ଟିଣ କିରାସିନି ତେଲ, ପେଟ୍ରୋମ୍ୟାକ୍‌ସ ଆଲୁଅ, ରାତିରେ ଜଗିବାକୁ ଜଣେ ଚୌକିଦାର, ଆପଣ କ’ଣ ଜାଣି ନ ଥିବେ ? ସବୁଠୁ ବେଶି ଆବଶ୍ୟକ ଗୋଟିଏ ରେଡ଼ିଓ, ସେଥିପାଇଁ ବ୍ୟାଟାରି, ତା’ ହେଲେ ଆହୁରି ଲୋକ ଜମିବେ । ଆମେ ବିଭିନ୍ନ କାର୍ଯ୍ୟପାଇଁ ଆମ ସଂଘ ଭିତରୁ ମନ୍ତ୍ରୀ ଠିଆ କରିଦେଇଛୁ, ଶିକ୍ଷା ମନ୍ତ୍ରୀ, ସ୍ଵାସ୍ଥ୍ୟ ମନ୍ତ୍ରୀ, ଉନ୍ନୟନ ମନ୍ତ୍ରୀ, ଅର୍ଥ ମନ୍ତ୍ରୀ, ଲୋକସମ୍ପର୍କ ମନ୍ତ୍ରୀ, କୃଷି ମନ୍ତ୍ରୀ, କଳାସାହିତ୍ୟ ମନ୍ତ୍ରୀ, ଜାଣିକରି ପ୍ରଧାନ ମନ୍ତ୍ରୀ ରଖି ନାହୁଁ , ସେଇଟା ସବୁଠୁଁ ଅଡୁଆ କାମ । ମୁଁ ଅର୍ଥମନ୍ତ୍ରୀ । ଚାନ୍ଦା କେହି ଦେଉ ନାହାନ୍ତି । ସରକାରୀ ସାହାଯ୍ୟ ନିହାତି ଦରକାର । ଆଗ ଟଙ୍କା ପାଞ୍ଚ ହଜାର ହେଲେ–’’

 

ଟଙ୍କ ଆଁ କରି ବିପିନ୍ ମୁହଁକୁ ଅନାଇଲା । ବିପିନ୍ କହିଲା, ‘‘ହଉ, କାମ କରନ୍ତୁ, ଦେଖିବା ଦେଖିବା ।’’

 

‘‘କେତେ ଦେବେ କହନ୍ତୁ–’’

 

‘‘ସେସବୁ କ’ଣ ହଠାତ୍ ଏମିତି ଠିକଣା କରାଯାଏ ? ପ୍ରସ୍ତାବ ଦିଅନ୍ତୁ, ବିଚାର କରାହେବ, ଦେଖିବା ମୁଁ କ’ଣ କରିପାରିବି ?’’

 

‘‘ଚାହା ଟିକିଏ ପିଅନ୍ତୁ । ପରିଦର୍ଶନ ବହିରେ କିଛି ଲେଖିଯାଉନ୍ତୁ ।’’ ଚାହା ପିଉ ପିଉ ବିପିନ୍ ସେ ବଖୁରି ଭିତରେ ଚାରିଆଡ଼େ ଆଖି ପକାଇ ଆଣିଲା । କାନ୍ଥରେ କ୍ୟାଲେଣ୍ଡର ଛବିମାନ ଓହଳିଛି, ବିଡ଼ି, ଗୁଡ଼ାଖୁ, ପୋଷାକ ପ୍ରଭୃତିର ବିଜ୍ଞାପନ ଓ ସେଥିରେ ସେହି ଟକଟକିଆ ଛବି । ନାନା ଭାବଭଙ୍ଗୀ ଠାଣି ବାଗରେ ନାରୀ ଛବି । ଠାଏ ଗୋଟାଏ ବସ୍ତ୍ରହରଣ ଛବି, ଠାଏ ବାଦଶାହଙ୍କ ହୋରି ଖେଳ ।

 

ସବୁଯାକ ମିଶିଗଲେ ଏ ଘରର ରୁଚି କି ଆତ୍ମା କି ସ୍ୱରୂପ ପରିଚୟ ।

 

‘‘କାହିଁ ଗଲେ ଆଶା ଦେବୀ ? ଡାକିଦିଅ ଯିବା ।’’ ବିପିନ୍ କହିଲା ।

 

‘‘ଆଉ ଟିକିଏ ରହନ୍ତୁ ଆଜ୍ଞା !’’ ଲୋକସମ୍ପର୍କ ମନ୍ତ୍ରୀ କହିଲେ, ‘‘ଟିକିଏ । ଆମ ଖାତାପତ୍ର ଉପରେ ଆଖି ବୁଲେଇ ଆଣନ୍ତୁ । ଏଇ ଦେଖନ୍ତୁ ମିନିଟ୍ ବହି, ଓଡ଼ିଶାର, ଭାରତର ଓ ପୃଥିବୀର ନାନା ସମସ୍ୟା ଉପରେ ଏ ଯୁବକ ସଂଘ ତା’ର ସ୍ୱାଧୀନ ମତ ପ୍ରକାଶ କରି ପ୍ରସ୍ତାବ ପାଶ୍ କରି ବିଭିନ୍ନ ସ୍ଥାନକୁ ପଠାଏ, ଉତ୍ତର ମିଳୁ କି ନ ମିଳୁ, ଲୋକସମ୍ପର୍କ ପ୍ରତିଷ୍ଠା କରାହୁଏ । ହେଇ ଦେଖନ୍ତୁ, ଦୁଇଶ ଛୟାଶୀ ନମ୍ବର ପ୍ରସ୍ତାବ, ଆଫ୍ରିକା ଓ ଚୀନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନେହେରୁଙ୍କ ବୈଦେଶିକ ନୀତିକୁ ସମର୍ଥନ କରି ଏ ସଂଘ ପ୍ରସ୍ତାବ ପାଶ୍ କରି ଦିଲ୍ଲୀ ପଠାଇଛି ।’’

 

‘‘ଦୁଇଶ ଚୌରାଳିଶି ନମ୍ବରଟା ଦେଖାଅ, ଭାରତର ଭାଷା ପ୍ରଶ୍ନ ଉପରେ । ଯୁବକ ସଂଘ ସୁପାରିଶ କରିଛି ଯେ ଓଡ଼ିଆକୁ ଭାରତର ରାଷ୍ଟ୍ରଭାଷା କରିବା ଉଚିତ ।’’

 

ବିପିନ୍ ମନ୍ତବ୍ୟ ବହି ଦେଖିଲା । କେତେ ଭାଷାରେ କେତେ ଲୋକ ସେଥିରେ ମନ୍ତବ୍ୟ ଲେଖିଦେଇ ଯାଇଛନ୍ତି, କେତେ ଚିହ୍ନା ଜଣା ଲୋକ, ସେମାନଙ୍କର ଖ୍ୟାତି ଅଛି, ଆପଣା ଆପଣାର ଫରଚା ପରିସର ଅଛି । କିଏ ଗାରେଇଛି ପୃଷ୍ଠାଏ, କିଏ କବିତା ଲେଖିଛି, ଆତ୍ମପ୍ରକାଶ କରିବାକୁ ସୁବିଧା ଅଛି ଦେଖି ନିଜକୁ ମେଲେଇ ଦେଇଛି । କିଏ ଲେଖିଛି କେତୋଟି ଧାଡ଼ି । ସମସ୍ତେ ପ୍ରଶଂସା କରିଛନ୍ତି, ଉତ୍ସାହ ଦେଇଛନ୍ତି । ଯୁବକ ସଂଘ କ’ଣ କାମ କରିଛି ବୋଲି ସେମାନେ ଦେଖିଗଲେ ସେମାନେ ଜାଣନ୍ତି, କିନ୍ତୁ ଲେଖିଯାଇଛନ୍ତି ଉଛୁଳା ଆବେଗରେ ।

 

ବିପିନ୍ ବି ଧାଡ଼ିଏ ଲେଖିଦେଇ ଗଲା-

 

‘‘ଯୁବକ ସଂଘର ଉତ୍ସାହ ଅଛି, ଆଶା କରୁଛି ଏ ସଂଘ ପ୍ରକୃତରେ ଆପଣାର ଅସ୍ତିତ୍ତ୍ଵ ସାର୍ଥକ କରିବ ।’’

 

ସେ କେତେ ସାନ ସାନ ଉପଦେଶ ଦେଇଗଲା-

 

ଆପଣମାନେ ଯାହାର ପାରି ତା’ ବିଲରେ ପ୍ରତିଦିନ ଦି’ଘଣ୍ଟା ଶାରୀରିକ ପରିଶ୍ରମ କରନ୍ତୁ, ଅବସର ସମୟରେ ଆମ ଯୋଜନା ସାହିତ୍ୟକୁ ପଢ଼ନ୍ତୁ, ଚର୍ଚ୍ଚା କରନ୍ତୁ ଓ କାର୍ଯ୍ୟରେ ଲଗାନ୍ତୁ, ଆପଣମାନେ ନିଜ ନିଜକୁ ସାହାଯ୍ୟ କରନ୍ତୁ, ଆମେ ପଛରେ ଅଛୁ ।’’

 

ଟଙ୍କା ପଇସା ଦେବ ବୋଲି କୌଣସି ପ୍ରତିଶ୍ରୁତି ସେ ଦେଲା ନାହିଁ । ତେଣୁ ତାକୁ ଅଟକାଇ ରଖିବାକୁ ଆଉ ଚେଷ୍ଟା ହେଲା ନାହିଁ । କେବଳ ସେମାନେ ମନ୍ତବ୍ୟ ଦେଲେ, ‘‘ଆପଣମାନେ ଯେ ଆସୁଛନ୍ତି ସମସ୍ତେ ଆମକୁ ସଦବୁଦ୍ଧି ଓ ଉପଦେଶ ଦେଇଯାଉଛନ୍ତି, ସେଥିପାଇଁ ଆପଣମାନଙ୍କୁ ଆମେ ଧନ୍ୟବାଦ ଦେଉଛୁ । କିନ୍ତୁ ଆମର ବେଶି ଦରକାର ଆର୍ଥିକ ସାହାଯ୍ୟ, ଟିକିଏ ଆମ କଥା ମନେ ରଖିଥିବେ ।’’

 

ଧଡ଼ି ମଳିକ ଓ ତା ଦଳ ମଟରଟିକୁ ଠେଲି ଦେଇ ସାରି କୌଣସି ଧନ୍ୟବାଦ କି ପୁରସ୍କାରକୁ ଅପେକ୍ଷା ନ କରି ନିଜ ସ୍ଥାନକୁ ଫେରି ଯାଇଛନ୍ତି । ଆଶା ଦେବୀ ଗାଁ ବୁଲିସାରି ଗାଡ଼ିକୁ ଫେରିଲେଣି । ବିପିନ୍ ଓ ଟଙ୍କ ବସିପଡ଼ିଲେ । ପୁଣି ଗାଡ଼ି ଚାଲିଲା । ସତେକି ସମସ୍ତେ କ୍ଳାନ୍ତ ଓ ଉତ୍ସାହହୀନ । କେତେବେଳେ ବିଳିବିଳେଇଲା ପରି ବିପିନ୍ କହିଲା, ‘‘ଆମର ଦୁଃଖ, ଆମର ଯଥେଷ୍ଟ ଲୋକବଳ ନାହିଁ, ତେବେ ହେଉ ହେଉ ହେବ, ଦିନେ ଏଇ ଲୋକେ ଚେତିବେ, ସେତେବେଳେ ଆଉ ଦୁଃଖ ରହିବ ନାହିଁ ।’’

 

ପଛଆଡ଼ ପୁଣି ସମର୍ଥନ ମିଳିଲା, ‘‘ନିଶ୍ଚୟ ! ନିଶ୍ଚୟ !’’

 

ଖରା ଝଲ ଝଲ କାର୍ତ୍ତିକ ମାସର ଦି’ପହର, ଛନଛନିଆ ପତ୍ରରୁ ଶାଗୁଆ ଆଇ ଛିରିକି ପଡ଼ୁଛି । ଜୀପ୍ ଗାଡ଼ି ଧୂଳି ଉଡ଼ାଇ ଚାଲିଛି, କେତେ ଅନ୍ଦିକନ୍ଦି ଗାଁ ଗୋହୀରି ବାଟ, ଜିକିଜିକି ଶାଗୁଆ ଗାଲିଚା ପରି ଘାସ ପଡ଼ିଆ, ମଝିରେ ଚଲାବାଟ, ଶାନ୍ତ ନେଳୀ ଆକାଶକୁ ଛାତିରେ ଧରି ଅରାଏ ଅରାଏ ଜୋର ପୋଖରୀ, ସେମାନେ ସତେ କି ଡବ ଡବ ଆଖିରେ ତା’ର ଗତିକୁ କାବା ହୋଇ ଖାଲି ଅନାଇଁ ରହିଛନ୍ତି, ସେହି ଗାଡ଼ି ଭିତରେ ବସି ସିଗାରେଟ ଧୂଆଁ ଉଡ଼ାଇ ଉଡ଼ାଇ ବୁହା ହୋଇ ଧାଇଁ ବୁଲୁଛି ବିପିନ୍ । ସେହି ବାଟରେ ଶଗଡ଼ ଚାଲିଛି ମଠେଇ ମଠେଇ, ସେମିତି ସତେକି ଚାଲିଆସିଛି ଆବହମାନ କାଳରୁ । ଖଣ୍ଡେ ଯାଇଛି, ଆଉ ଖଣ୍ଡେ ଆସିଛି, ତା’ ପଛକୁ ତା’ ପଛ । ମନୁ, ଯାଜ୍ଞବଳ୍‌କ୍ୟ, କେଶରୀ, ଗଙ୍ଗ, ପଠାଣ, ମରହଟ୍ଟା, ଇଂରେଜ କେତେ ଆସିଲେ ଗଲେ, ଏବେ ବି ଚାଲିଛି । ବାଟରେ ମଇଁଷିପଲ ଅନାଇଁ ରହିଛନ୍ତି ଅପଲକ କଳାଘୁମର ସବୁ ଜାଣିବା ଆଖିରେ, ତିଳେ ବି ଟଳୁ ନାହାନ୍ତି । ଗାଡ଼ି ପାଖକୁ ଆସିଲେ ସତେ କି ନିହାତି ଅନିଚ୍ଛାରେ ଟିକିଏ ଘୁଞ୍ଚିଗଲେ । ପୋଖରୀ ହୁଡ଼ାରେ ଧାଡ଼ି ଧାଡ଼ି ହୋଇ ବଗ, ଆସ୍ତେ ଆସ୍ତେ ପର ହଲେଇ ହଲେଇ ଉଡ଼ିଯାଇ ଏଠୁ ଯାଇ ସେଠି ବସୁଥାନ୍ତି । ସ୍ଥାନେ ସ୍ଥାନେ ଦୂରରେ ଦୂରରେ ଚାଉଳ କଳର ଘିସି ଘିସି ଶବ୍ଦ ଶୁଭେ, ନ ହେଲେ ଏବେ ବି ଠାଏ ଠାଏ ଶୁଭୁଥାଏ ଢ଼ିଙ୍କିକୁଟା ଶବ୍ଦ । ତେନ୍ତୁଳି ଗଛ ଛାଇରେ ଗୋରୁ ଶୋଇ ଶୋଇ ପାକୁଳି କରୁଛନ୍ତି । ପିଣ୍ଡା ଉପରେ ଅଣଓସାର ଦୁଆରମୁହଁ ପାଖେ ନଇଁପଡ଼ି ଚାରିଗୋଡ଼ିଆ ହେଲାପରି ଛାଞ୍ଚୁଣୀ ଧରି ଘରର ଘରଣୀ ଘର ଓଳାଉଛି । ଟିକି ଚାଳଘର ପିଣ୍ଡାରେ ନାକ ଅଗରେ ଦଉଡ଼ିରେ ବନ୍ଧା ଚଶମା ନାଇ କପାଳରେ ଚିତା କାଟି କାନ୍ଧରେ କଷ ଗାମୁଛା ପକାଇ ବହି ଉପରେ ଆଖି ଥାପି କିଏ ବସିପଡ଼ିଛି । ହୁଏତ ଆଜି କ’ଣ ଖାଇବାକୁ ମିଳିବ, ସେ ଜାଣେ ନାହିଁ । ପୋଖରୀ ଘାଟରେ ପଥର ଉପରେ ଗୋଡ଼ ଲମ୍ବେଇଦେଇ କେଉଁ ସ୍ତ୍ରୀଲୋକ ଚିକ୍‍କଣ କରି ବସି ବସି ପାହୁଡ଼ ମାଜୁଛି । ଜୀପ୍‍ ଶବ୍ଦ ପାଖ ହେବାରୁ ଗାଁ ଚାହାଳୀ ଘରୁ ପିଲାଏ କିଲ୍‌କାଲିଆ ହୋଇ ଦୂଆରମୁହଁକୁ ଧାଇଁ ଆସୁଛନ୍ତି, ତାଳି ମାରି ଡେଉଁଛନ୍ତି । ଭୂଇଁରେ ଅରାଏ ଅରାଏ ଚକଡ଼ା ମାଡ଼ି ମୀନ ଶୁଖୁଛି ପିତା ଶୁଖୁଆ ହେବ, ବାଉଁଶ ଖେଣ୍ଡ ଧରି ମାଇପେ ଜଗି ବସି କାଉ ହୁରୁଡ଼ାଉଛନ୍ତି । ପିତୃପକ୍ଷ ସରିଛି, ମୁହଁ ଚିକ୍‍କଣ, କଳେ ଲେଖାଁପାନ, ଛାଇ ତଳେ ବସିପଡ଼ି ଗପ ଲାଗିଛି । ନୂଆ କୁକୁରଛୁଆ ଜନ୍ମ ହୋଇଛନ୍ତି । ରାସ୍ତାରେ ଏକର ସେକର ହେଉଛନ୍ତି । ପେଜୁଆ ପେଜୁଆ ଟିକିଟିକି ଆଖିରେ ଅନାଇଁ ଅନାଇଁ ଏ ସଂସାରକୁ ଚିହ୍ନିବାକୁ ଚେଷ୍ଟା କରୁଛନ୍ତି । କାଉ କାଠି ବୋହି ନେଉଛି । ଗଛ ତଳେ ଠାଏ ଠାଏ କେତେ ଚଢ଼େଇବସା ଖସି ପଡ଼ିଛି । ଡିମ୍ବରୁ ଫୁଟି ଚଢ଼େଇ ଉଡ଼ି ଗଲେଣି ।

 

ଜୀପ୍ ଚାଲିଛି, ବିପିନ୍‌ର ଦେହରେ ଉତ୍ତର ପବନ ବାଜୁଛି, ଲାଗୁଛି ମଫସଲର ଏ ନିଦୁଆ ନିଦୁଆ ମଠୁଆ ମଠୁଆ ଦୃଶ୍ୟ ଭିତରେ ଜୀପ୍‌ଟା ଯେପରି କି ଗୋଟାଏ କାହୁଁ ଅଇଲା ବେଖାପ । ସତେ କି ଏ ମାଟି, ଏ କୁଡ଼ିଆ, ଏ ମଣିଷ ଆଦୌ ବେଗ ଲୋଡ଼େ ନାହିଁ । ତା’ର ମନ୍ଥରତା ଆଉ ସୁସ୍ଥିର ପଣ ଏକାଠି ହୋଇ ତା’ର ଶାନ୍ତିର ଧାରଣା ତାକୁ ବଦଳାଇବାକୁ ଚେଷ୍ଟା କଲେ ସେ ପୁଣି ତା’ର ମାନ୍ଦା ଭାରକେନ୍ଦ୍ରକୁ ଲେଉଟି ଆସେ ।

 

କିଏ ମାଟି ହାଣୁଛି, କିଏ ବାଉଁଶ ହାଣୁଛି, କିଏ ହେଁସ ବୁଣୁଛି, ଲାଗୁଛି ସବୁ ହାଉଲେ ହାଉଲେ । କେଉଁଠି ହିଡ଼ ଉପରେ ବସିପଡ଼ି ପାନଭଙ୍କା ଚାଲିଛି, ସରିଲେ ପୁଣି ପାହାର ଚାଲିବ । ଏ ଚେମେଡ଼ା ମଣିଷ ହଟେ ନାହିଁ, ଖଟୁଥାଏ, ସତ କଥା, କିନ୍ତୁ ତା ସଙ୍ଗେ ସଙ୍ଗେ ଏ ମାଦଳା ସୁସ୍ଥିପଣର ଅଭ୍ୟାସ, ଆଉ ପରମ୍ପରା । ଉଦୁମୁଦା ପରିଶ୍ରମ ଛଡ଼ା ଆଉ କେତେ ଜିନିଷ ଅଛି ଯାହାକୁ ସେ ଅଧିକ ମୂଲ୍ୟ ଦିଏ, ଯେମିତି ତା’ର ଚିକ୍‍କଣ ସୁନ୍ଥା କି ଫିରେଇ, ତା’ର ଘଷା ମଜା ଦେହ, ଯେଡ଼େ ଦୁର୍ବଳ ହୋଇଥାଉ ପଛେ, ଦାନ୍ତ, ଚମ, ନଖକୋଣ ସବୁ ରଗଡ଼ା ରଗଡ଼ି, ତା’ର ପୂଜାପାଠ, ଅଷ୍ଟଚିରା ହୋଇଥାଉ ପଛେ ତା’ର ଟେକା କୁଞ୍ଚ କି ମୁଣ୍ଡ ଉପରେ ଶାଢ଼ିର ଓଢ଼ଣା, ତା’ର ପାନ ଖଣ୍ଡିକ, ଆଉ ମଝିରେ ମଝିରେ ଏକର ସେକର ଅନାଇଁ ଅନାଇଁ ଦେଖିବାକୁ କଥା କହିବାକୁ ତା’ର ଫୁରୁସତ୍ ଟିକିଏ ଟିକିଏ ।

 

କାମ ଉପରେ ଜୀପ୍‌ଗାଡ଼ି ଅଟକୁଛି, କେଉଁଠି ଘର ତୋଳା ହେଇଛି, କେଉଁଠି ମାଟି ଖୋଳା ହେଉଛି, କେଉଁଠି ବଢ଼େଇ କାଠ ଚିରୁଛନ୍ତି, ସେଠି ବୋଲା ହେଉଛି ଓଡ଼ିଶୀ ଛାନ୍ଦ, ସେହି ଯେଉଁ ସାହିତ୍ୟକୁ ଦେଶର ମହା ମହା ପଣ୍ଡିତ ଅର୍ଥ କରିବାକୁ ଯାଇ ଝାଳନାଳ ହୁଅନ୍ତି ତାକୁ ବୋଲୁଥାନ୍ତି ନିରକ୍ଷର ମୂଲିଆ ମୂଲିଆଣୀଏ । କଥା କଥାକେ ସେଠି ଆଲୋଚନା ପଡ଼ିଯାଏ ବଡ଼ ବଡ଼ ଦର୍ଶନତତ୍ତ୍ୱର-ଆତ୍ମା କ’ଣ, ପରମାତ୍ମା କ’ଣ, ଦୁଇ ନା ଏକ, ଭଗତି କ’ଣ, ଜ୍ଞାନ କ’ଣ-ସେହି ମାଟିଚକଟା ଅଗାଡ଼ିଖୁଣ୍ଟା ପରିବାକଟା ପାଖେ, ଆଉ ଆଲୋଚନା ପଡ଼େ କେତେ ପୁରୁଣା ପାଠ ବିଷୟରେ, କବିରାଜୀ, ଜଉତିଶୀ, ଶିଳ୍ପୀ, ଲୀଳାବତୀ, ପୁରାଣ, କେତେ ଅଛିଣ୍ଡା । ସେ କାହାଣୀ । ଅପାଠୁଆପଣ, ଶୁଣିଶିଖାଗୁଣ, ଚର୍ଚ୍ଚା ଅଭାବରୁ ସେ ଗପରେ କୁସଂସ୍କାର, ଅନ୍ଧବିଶ୍ୱାସ, ଭୁଲ ଧାରଣା ଗୋଳିମିଶି ହୋଇ ବାରଣା ଅଂଶରେ ଭୁଲ ପଛେ ଥାଉ ଚାରଣା ଭାଗରେ ସେଥିରେ ମଞ୍ଜ ଅଛି, ସାର ଅଛି, ଆଉ ତେଣୁ ତ ଆଶ୍ଚର୍ଯ୍ୟ ଲାଗେ-ବୈଷୟିକ ଉନ୍ନତି ପରିବର୍ତ୍ତେ ଚରମ ଅବନତିରେ ଯେ ପଡ଼ିରହିଛି, ଦାନା ନାହିଁ କି କନା ନାହିଁ, ତା’ ପକ୍ଷରେ ସଂସ୍କୃତି ଆଉ ରୁଚି ନାଁରେ ସମୟ ନଷ୍ଟ କରିବା, ଅଳସ ହେବା, ପ୍ରଳାପ କରିବା–କେତେ ପ୍ରୟୋଜନ ?

 

ଏତେ ବୁଲି ବୁଲି ଏତେ ପାଟି କରି ଏତେ ବର୍ଷରେ ଏଇ ଯାହା ଆଖିରେ ପଡ଼ୁଛି, କେଉଁଠି ଅରାଏ ସୁସ୍ଥତା, ତାକୁ କ’ଣ ପରିବର୍ତ୍ତନ କୁହାଯିବ ? କାହିଁ ଏଠି ପରିବର୍ତ୍ତନ ? କେବେ ହେବ ? ଓଲଟି ସେପାଖେ ଟିକିଏ ଧୋବ ଧାଉଳିଆ ହେଉ ହେଉ କି ଦୋକାନ ଜିନିଷ ଆଗଠୁ ଆଉ ଟିକିଏ ଅଧିକ କିଣୁ କିଣୁ, ଏଠି ଗୋଟାଏ ସଡ଼କ ସେଠି ଗୋଟାଏ କୋଠା ଠିଆ ହେଉ ହେଉ ଯେଉଁ ବାଦଛେଦ ଲାଗିଯାଉଛି, ମନ ଫଟାଫଟି ବଢ଼ୁଛି ସବୁ ଉନ୍ନୟନ ପ୍ରଗତି ବାଟରେ ସେ ସବୁଠୁ ବଡ଼ ପ୍ରତିବନ୍ଧକ, ଭବିଷ୍ୟତ୍ ଲାଗି ମହା ବିପଦ ।

 

ବିପିନ୍‍ ଭାବୁଛି । ମଣିଷ ଜୀବନ ପାଇ ଭାବିବାକୁ ତାକୁ ଏତିକି ଅବସର, ଏମିତି ଜୀପ୍‌ରେ ଗଲାବେଳେ ।

 

ଆଗେ ଥିଲା ଜମିରେ ଚେରଲଗା ସମାଜ, ଏଠି ସେଠି ହୋଇ ମେଞ୍ଚିଏ ମେଞ୍ଚିଏ, ତା ସହିତ ସାଆନ୍ତ ପ୍ରଥା, ଦଳେ ବସି ବସି ଖାଇବେ, ହୁକୁମ ଚଳାଇବେ, ଆଉ ଦଳେ ଭୂଇଁରେ ଖଟୁଥିବେ, ସେମାନଙ୍କୁ ପୋଷୁଥିବେ । ଖଟଣି ନ ଥିବା ପୋଲାଖିଆଙ୍କର ଲମ୍ବ କୁଞ୍ଚ, ବଡ଼ ଘର, ଲମ୍ବା ନିତିସିଧି, ଯାହାର ଯତ୍ନ ନେଉଥିବେ ଅନ୍ୟମାନେ, ଟେକି ରଖୁଥିବେ, ସଫା କରୁଥିବେ, କାମ ତୁଲାଉଥିବେ, ଆପଣା ଦେହରୁ ଝାଳ ବହେ ନାହିଁ, ଖାଲି ସଂଗ୍ରହ କରିବା, ସାଇତିବା, ଭୋଗ କରିବା, ମନଇଚ୍ଛା ଦେବା, ନେବା କି ଉଡ଼େଇବା । ଶୀତଳ ମଣୋହି, ତପତ ମଣୋହି, କୌଣସି ନା କୌଣସି ପତିଆରୀରେ ଜାତି ଜାତିକା ପିଠାପଣା, ପୂଜା ଉତ୍ସବ, ବଡ଼ ପିକିଦାନି, ପଥର ଗାଧୁଆ କୁଣ୍ଡ, ଓଜନ କଂସା ଗରା, ହଣ୍ଡା ଥାଳି ଥାଳିଆ, ମାଣ୍ଡି, ସବାରି ପାଲିଙ୍କି, ଓଜନ ଶିଶୁକାଠରେ ନିଦା ପିତ୍ତଳର ମଗରମୁହଁ ଛାଉଣି ବାହୁଙ୍ଗୀ, ରହିବା ଘର ଧୂଳିଆପିଟା । ସେ ସମାଜର ପରିସ୍ଥିତିରେ ନ ଥିଲା ଶ୍ରମ କି ଉଦ୍‌ଯୋଗ କରି ବଞ୍ଚିବା । ରୀତି ନୀତି, ଆଚାର ରୁଚି, ମନୋବୃତ୍ତି ଆପେ ସେହିପରି ହୋଇଯାଇଛି । ଉତ୍ତର କାଳକୁ ପୁଅ ନାତିଙ୍କ ଅମଳକୁ ସେ ବ୍ୟବସ୍ଥା ଭାଙ୍ଗି ଛତୁ ହେଲେ ବି ଅଭ୍ୟାସ କି ମନ ବଦଳି ନାହିଁ, ଯାହା ଥିଲା ଭୋଗ ଆଡ଼ମ୍ବର ଅମଳର ସୁସ୍ଥ ଚଳଣିର ବାଗ ସେଗୁଡ଼ାକରୁ କେତେଟା ଚିରାଚରିତ ଅଭଙ୍ଗା ପ୍ରଥା ପରି ଏବେ ବି ରହିଛି, ସେହି ପୁରୁଣା ଅମଳର ପରିସ୍ଥିତିରେ ତିଆରି ହୋଇଥିବା ଧର୍ମବିଶ୍ୱାସ ସେ ପ୍ରଥାକୁ ଟାଣ କରି ଭିଡ଼ି ଧରିଛି, ତେଣୁ ମଣିଷ ମଣିଷ ଭିତରେ ଛୁଆଁ ଅଛୁଆଁ ଭେଦ ବି ଏତେ ଯୁକ୍ତି, ଏତେ ପ୍ରଚାରରେ ସଂପୂର୍ଣ୍ଣ ହଟି ନାହିଁ ।

 

ଆଉ ଯେ ଦଳେ ଥିଲେ, ଦେଶର ବଡ଼ ଭାଗକ, ଭୂଇଁରେ ଖଟିବା ମଣିଷ, ସେହି ପୁରୁଣା ଅମଳରେ ସେମାନଙ୍କ ଅସ୍ତିତ୍ୱର ଶିରାଏ ଶିରାଏ ଭେଦିଥିଲା ଗୋଟାଏ ଉଦାସୀନତା, ଯେତେ ଖଟି ଲେ ବି ଥାଳ ପୂରିବ ନାହିଁ । ଅଙ୍ଗୁଠି ସନ୍ଧିବାଟେ ବୋହି ଚାଲିଯିବ କେଜାଣି କେତେ, ଉଚ୍ଚ କୁଳ, ଉଚ୍ଚ ଜାତି, ସାଆନ୍ତେ, ମହାଜନେ, ମକଦ୍ଦମେ, ଜମିଦାରେ, ରାଜାଏ ସେହିମାନେ ଜନ୍ମ ହୋଇଛନ୍ତି ସୁଖରେ ଏ ଧରା ଭୋଗ କରିବାକୁ, ଏ ରାଜ୍ୟ ଅମଳ କରିବାକୁ, ଅତଏବ ସବୁ କପାଳ କଥା, ଯେତିକି ହେଲା ସେତିକି, ସମସ୍ତିଙ୍କି ପ୍ରଣାମ ଜଣାଇଁ–ଗୁରୁ, ଗୋରୁ, ବ୍ରାହ୍ମଣ, ବୈଷ୍ଣବ, ସାଆନ୍ତ, ଖାଉନ୍ଦ, ମାଲିକ ସମସ୍ତିଙ୍କି-ଯେତେ ସମ୍ଭବ ସେତେ ଅଳସେଇ ଦମ ମାରି କୌଣସିମତେ ବେଳ କାଟି ଏ ଜୀବନଟାକୁ ବିତେଇ ପାରିଲେ, ସେହି ପୂଜା, ଓଝା, ଯାତ୍ରା, ପର୍ବ, ବୁଡ଼ବାରୁଣୀ, ଚିତାତିଳକ, ନାମ କୀର୍ତ୍ତନ ବଳରେ ଆସନ୍ତା ଜନ୍ମରେ ହେଲେ ଟିକିଏ ଭଲ ଘରେ ଭଲ ଅବସ୍ଥାରେ ଜନ୍ମ ହୋଇ ହେବ, ଭୋଗ କରି ହେବ, ବଇକୁଣ୍ଠ ମିଳିଗଲେ ତ ପୁନର୍ଜନ୍ମର ଦହଗଞ୍ଜ ବି ଯିବ ତୁଟି-। ସେ ସମାଜର ରୀତି ନୀତି, ଚାଲିଚଳଣ ଆଚାର ବିଚାର ବି ସେହି ସେକାଳର ପରିସ୍ଥିତିର ଛାଞ୍ଚରେ ତିଆରି, ସେହି ଯେତେବେଳେ ଶ୍ରମ ପାଇଁ ନ ଥିଲା ମର୍ଯ୍ୟାଦା କି ବିକାଶ ଲାଗି ଉତ୍ସାହ । ସେ ଅବସ୍ଥା ବଦଳିଛି, ଆଉ କାହାରି ନାଲିଆଖିକୁ ଡର ନାହିଁ । ଏଣିକି ଯେତିକି ଶ୍ରମ, ସେତିକି ଉନ୍ନତି । ସତ, କିନ୍ତୁ ସେହି ଅଜା ପଣଅଜା ଅମଳର ସେହି ଯେଉଁ ରୁହାଇ ହେବା, ଅଟକି ହେବା ଚେତନା, ମୁଁ କିଛି ନୁହେଁ–କେଉଁ ମଣିଷରେ ଗଣା ! –ମୁଁ କେହି ନୁହେଁ, କେଉଁଥିକି ହେଲେ କାମରେ ଆସିବି ନାହିଁ-ମୁଁ ମୋର ଶାଗ ପେଜ ଖାଇ ପସରା ମୁଣ୍ଡେଇ ବୁଲି କି ମାଟି ତାଡ଼ି ଯେମିତି ଚଳୁଥିଲି ସେମିତି ଚଳୁଥିବି, ଦିନେ ଟଳି ପଡ଼ିବି, ଆଉ କୁଆଡ଼କୁ ଅନାଇବି ନାହିଁ, ବାଁକୁ କି ଡାହାଣକୁ, ସେହି ଚେତନା ଏବେ ବି ମାଣ୍ଟେଇ ରହିଛି, ତା’ର ଉଁ ନାହିଁ କି ଚୁଁ ନାହିଁ । ଏଣେ ଇତିହାସ ବଦଳିଯାଇଛି, ସେହି ଲୋକ ହାତରେ କ୍ଷମତା, ଦାୟିତ୍ୱଶକ୍ତି, ସବୁ ।

 

ବିପିନ୍‍ ଭାବୁଥାଏ, ଜଟିଳ ଭାବନା ପରିସର ଭିତରେ ସରଳ ହୋଇ ବାଟ ଫିଟିଯାଉଥାଏ ଆଗକୁ ଆଗକୁ । ତା’ର ନାନା ଦିଗ ତା’ ଆଖି ଆଗରେ ଦିଶିଲା ପରିଲାଗୁଥାଏ ।

 

ଭାବୁଥାଏ–ସେହି ଯେଉଁ ସାଧାରଣ ମଣିଷ, ଆଇନ କି ସଂସ୍ଥା ଯାହା କହ ସେହି ଅନୁସାରେ ଏ ମାଟିର ମାଲିକ, ମାଲିକ ହେଲା ଉତ୍ତାରୁ ବି ସେ ସେହି ପୁରୁଣା ଅଭିମାନ ପୁରୁଣା ଅନାସ୍ଥାରେ ଆଡ଼େଇ ହୋଇ ରହିଲା ପରି ରହିଛି, ତା’ର ପାଟିରେ ବଳ ନାହିଁ, ଆଖିରେ ରଙ୍ଗ ନାହିଁ, ସତେ କି ତାଠି ନାହିଁ ଦାଢ଼ୀ କି ବାଡ଼ି । ଏବେ ବି ସେ ଉପକାର ଆଶାରେ ହାକିମ ଅଧିକାରୀଙ୍କ ପାଖେ ନେହୁରା ନେଉଛାଳି ହୁଏ, ଦରଖାସ୍ତ କରି ଉପରକୁ ଅନାଇଁଥାଏ ମାସ ମାସ, ଭାବୁଥାଏ, ଦୟାକରି କେହି ପର ଆସିଲେ ତା’ର ଘର ତୋଳିଦେବେ । ଆଉ ସେ ଲୋଡ଼ୁଥାଏ ଛୋଟ ଛୋଟ ସୁବିଧା, ତାରି କାମଟି ଆଗେ ହୁଅନ୍ତା, ଅନ୍ୟ କେହି କିଛି ନ ପାଉଣୁ ସେ କିଛି ପାଇଯାଆନ୍ତା । ସୁଯୋଗର ବାଟ ଦେଖାଗଲେ ସେତିକି ପାଇଁ ତା’ର ଅନ୍ୟମାନଙ୍କ ସଙ୍ଗେ ଖୁପୁରାଖୁପୁରି କଳିଗୋଳ ଉପୁଜୁଥାଏ, ପଡ଼ିଶା ଉପରେ ଦାଉ ସାଧୁ ସାଧୁ ବେଳ ଗଡ଼ିଯାଏ, ଆଖି ଆଗରେ ଦିଶୁଥିବା ଟିକି ଟିକି ସ୍ଵାର୍ଥର କଳି ଟପି ଦୃଷ୍ଟି ଆଉ ପଦାକୁ ପଡ଼େ ନାହିଁ, ସେ ଆପଣାର ଅଧିକାର ଚିହ୍ନେ ନାହିଁ କି ଦାୟିତ୍ୱ ଚିହ୍ନେ ନାହିଁ ।

 

କେତେଦିନ ବିତିବ ଏମିତି ? କେତେ ଦିନ ରହିବ ଏ କୁମ୍ଭକର୍ଣ୍ଣ ନିଦ ? ରହିବ ନାହିଁ । ସେତେବେଳେ ଏ ମାଟି ଉପରେ ଯୁଗ ଓଲଟିବ । ସେ ତା’ର ମନନାଖି ସଂସ୍ଥା ଗଢ଼ିବ । ଚଳିବା ଚଳେଇବାର କଳ ତିଆରି କରିବ, କେତେ ଓଲଟ ପାଲଟ କରିବ । ସେତେବେଳେ ସେ ସହି ସମ୍ଭାଳି କାମ କରିବ ନା ନୂଆ ପଟାଳି କରିବ ବୋଲି ପୁରୁଣା କ୍ଷେତକୁ ହାଣିବ, ତାଡ଼ିବ, ସାନ କରିବ, ବଡ଼ କରିବ, ଗୋଟି ଗୋଟି କରି ପୁରୁଣା କ୍ଷେତରୁ ସବୁ ଗଛ ବୁରୁଛ ଚେର ଖୁଣ୍ଟା ଥୁଣ୍ଟା ପୋଡ଼ି ଏକାଠି କରି ନିଆଁ ଲଗାଇଦେବ ?

 

ଏଥର ତାକୁ ନିଜର କଥା–ସେ-ବିପିନ୍, ତାକୁ ବି ସେହି ଆସନ୍ତା ଅବସ୍ଥାକୁ ସମ୍ଭାଳିବାକୁ ପଡ଼ିବ । ସେତେବେଳେ ସେମାନେ ଦାନ୍ତ ନିକୁଟିବେ ନାହିଁ ।

 

ଗୁହାରିଆ ହୋଇ ଦରଖସ୍ତ ପଠାଇ ଅପେକ୍ଷା କରି ବସି ରହିବେ ନାହିଁ, ସେମାନେ ଅନୁଭବ କରିବେ ସେମାନେ ହିଁ ମାଲିକ, ଖାଉନ୍ଦ–ଶାସନଗାଦିଠୁଁ ଶାସନକଳଯାକେ ସବୁ ତାଙ୍କରି ଥାଉ ତାଙ୍କରି ପାଇଁ ।

 

କ’ଣ ହେବ ସେତେବେଳେ ?

 

ଏଇ ଜୀପ୍ ଗାଡ଼ି ଆଜି ଏମିତି କେତେ ଜାତିର କେତେ ଗାଡ଼ିକୁ ମାଟି କାଦୁଅ ବଲବଲ କରିଆପିନ୍ଧା ଚାଷୀ ଅନାଇଁବେ ସେହି ଦୃଷ୍ଟିରେ, ଆଉ ଗଇଁତି ଟୋକେଇ କି ଭାର ବାହୁଙ୍ଗାବୁହା କୁଲି ପଲ ପଲ, କି କଳକାରଖାନା ଦୋକାନ, ଗୋଦାମର ମାଲିକ ବେପାରୀ ବ୍ୟବସାୟୀ, କି ପର୍ବତ ଅରଣ୍ୟ ସନ୍ଧିର ପତ୍ର କୁଡ଼ିଆର ଲେଙ୍ଗୁଟିମରା ଅଧଉପାସୀ କନ୍ଦାମୂଳଖିଆ ମଣିଷମାନେ, ସେହି ଦୃଷ୍ଟିରେ ଅନାଇଁବେ ଆଲୁଅ ଝଇଝଲ କୋଠାଗହଳି ସହରକୁ ଆଉ ଢିପ ପାହାଡ଼ ଉପରେ ଲକ୍ଷ ଲକ୍ଷ ଟଙ୍କାରେ ତୋଳା ହୋଇଥିବା ରାଜପ୍ରାସାଦ ମାନଙ୍କୁ ଯେଉଁଠି ବନ୍ଧୁକଧରା ଜଗୁଆଳୀ ପହରା ଦିଅନ୍ତି । ଯେଉଁଠି ସବୁ ରାତିରେ ସତେ କି ଦିଆଲୀ–ଏ ଆମର, ଏ ଆମରି ଧନରେ ତିଆରି, ଆମେ ମାଲିକ, ଏସବୁ ଆମରି ହିତ ପାଇଁ ।

 

ନିରାଶ ହେଲେ କି ରାଗିଲେ ସେମାନେ କ’ଣ ଦରଖାସ୍ତ ପଠାଇ ଅପେକ୍ଷା କରି ବସିବେ ନା ଆଉ କିଛି କରିବେ ?

 

କାହିଁକି ବାରମ୍ୱାର ନଈବଢ଼ି ହେଉଛି ଅଟକାଇ ହେଉନାହିଁ, କାହିଁକି କେଉଁ କାମ ଡେରି ହେଉଛି, କେଉଁଠି ତ୍ରୁଟି ରହୁଛି, କେଉଁଠି ଘଳିଆ ବାଟେ ଧନ ବୋହିଯାଉଛି, କାହିଁକି କେଉଁଠି ପିଇବାକୁ ପାଣି ନାହିଁ, ରୋଗ ଭଲ କରିବାକୁ ଡାକ୍ତର ନାହିଁ କି ଔଷଧ ନାହିଁ, କାହିଁକି ଶିଳ୍ପ ବଢ଼ିଲା ନାହିଁ, ଆମଦାନି ବଢ଼ିଲା ନାହିଁ, କାହିଁକି ଦାରିଦ୍ର୍ୟ ଗଲାନାହିଁ, ଅଶିକ୍ଷା ଗଲାନାହିଁ, ସେଥିପାଇଁ ସେମାନେ ସଭାରେ ଉତ୍ତରଟିଏ ଲେଖାଁ ପାଇ ସନ୍ତୁଷ୍ଟ ରହିବେ ନାହିଁ, କାଗଜ ବଣ୍ଡୁଳା ଦେଖି ତାଙ୍କ ମନବୋଧ ହେବ ନାହିଁ, ଇଂରେଜୀ କି ହିନ୍ଦି ଶୁଣି ସେମାନେ ଭିଡ଼ିକିବେ ନାହିଁ, ଚେହେରା କି ପୋଷାକ ଆଡ଼୍‌ଡା କି ଗଉଁ ଦେଖି ସେମାନେ ଡରିବେ ନାହିଁ, ଧୀରେ ଧୀରେ ହୋଇ ଆସିଲାଣି ତ, ଆହୁରି ହେବ । ସମସ୍ତିଙ୍କର ଯେତେବେଳେ ଆଖି ଫିଟିଯିବ, ଭୟ ତୁଟିଯିବ, ପ୍ରକାରଟା ଏଇଆ ରହିବ ନାହିଁ ପରା !

 

ପୁଣି ବିପିନ୍ ଆରପଟୁ ଭାବିଗଲା, ସେଦିନ ଦୂର ଅଛି । ଯେତେ ଆଖି ଖୋଲୁ, ଯେତେ ବୁଦ୍ଧି ହେଉ ତଥାପି ସେଠି ଛପି ଛପି ରହିଥିବ ଭେଦାସୁର । ସ୍ୱାର୍ଥର ମୋହରେ ପଡ଼ି ଲେକେ ଆପଣା ହାତଗୋଡ଼ ବାନ୍ଧି ଆପଣାକୁ ପରପାଖେ ବିକୁଥିବେ । ଧନ ଆଉ କ୍ଷମତା’ର ଲାଳଚା, ଆଗ ବଳିପଡ଼ି ସୁବିଧା କରାଇନେବାର ଲୋଭ ସେମାନଙ୍କୁ ବାଡ଼ ବାଡ଼ କରି ରଖିଥିବ । ଏବେ କରୁଛି, ଆହୁରି କରିବ । ବାଉଁଶ ବଢ଼ୁଛି, ତା’ ଭିତର ପୋଲ ବଢ଼ୁଛି । ଯେ ସ୍ୱାର୍ଥ ପାଇଁ ଧାଉଁଥିବ ସେ ପରପାଖେ ନାଲିଛାଲି ହେଉଥିବ, ଗୋଡ଼ାଣିଆ ହେଉଥିବ । ଦଳେ ଯଦି ବିପିନ୍‌ ଖରାପ ବୋଲି କହିଲେ ଆଉ ଦଳେ ବାହାରିବେ ଭଲ ବୋଲି କହିବାକୁ, ନାନାସ୍ତରରେ ତା’ ପାଇଁ ପାଳିଆ, ଢୋଲିଆ, ମହୁରିଆ ହେବାକୁ ମଣିଷ ଅଭାବ ରହିବେ ନାହିଁ । ବୁଦ୍ଧି ଥିଲେ ହେଲା । କିନ୍ତୁ ସେ ବୁଦ୍ଧିରେ ଅପଣାର ଉନ୍ନତି ହୋଇପାରିବ ସିନା, ତା’ କାର୍ଯ୍ୟର ଉନ୍ନତି ଲାଗି ତା କେଉଁ ଅଂଶରେ ସହାୟକ ?

 

ବିଷର୍ଣ୍ଣ ହୋଇ ସେ ଭାବିଲା, ଲୋକଙ୍କଠି ଯେଉଁ ଏକତା, ଯେଉଁ ସମୂହଚେତନା ସେ ଲୋଡ଼ୁଛି ନାନା ଉନ୍ନୟନ କାର୍ଯ୍ୟର ମୂଳଦୁଆ ହେବାପାଇଁ, ତା’ର ବ୍ୟକ୍ତିଗତ ସ୍ୱାର୍ଥ ଲାଗି ସେ ତା’ର ଓଲଟାଟା ହିଁ ସତେ କି ଖୋଜୁଛି । ତାହେଲେ କ’ଣ ତା’ର ପ୍ରଚାରିତ ଲକ୍ଷ୍ୟପ୍ରତି ଆନ୍ତରିକତା ନାହିଁ-?

 

ସେ ତା’ର ବିବେକର ଦଂଶନ ଅନୁଭବ କଲା, ତା’ପରେ ଆଉ ଗୋଟାଏ ଧାରଣା ତା’ ମନକୁ ଆଣି ସେ ଆପଣାଠୁଁ ଦୋଷ ଛଡ଼ାଇ ହେଲା-

 

ଦୋଷ ତା’ର ନୁହେଁ, ଦୋଷ ସେମାନଙ୍କର ନୁହେଁ, ଦୋଷ ଏ ଛାଞ୍ଚର, ଏଥିରେ ଏପରି କିଛି ଅଛି ଯେ ଆଦର୍ଶ ଓ କାର୍ଯ୍ୟକୁ ପରସ୍ପରବିରୋଧୀ କରୁଛି ।

 

ସତେ କି ସେ ଗୋଟାଏ ବଡ଼ ଆବିଷ୍କାର କରିପକାଇଛି, ଏହିପରି ସେ ତା’ର ମନେ ମନେ ଆତ୍ମସନ୍ତୋଷ ଅନୁଭବ କଲା । ସିଗାରେଟ୍ ଲମ୍ୱା ଶୋଷାଏ ମାରି ସେ ଏକର ସେକର ଅନାଇଁ ଭାବିଲା-ଯେତେବେଳେ ଛାଞ୍ଚ ବଦଳିବ ସେତେବେଳେ ବଳେ ସେ ବି ବଦଳିବ, ସବୁ ସୁଧୁରିଯିବ, ସେପର୍ଯ୍ୟନ୍ତ କେହି ଦାୟୀ ନୁହେଁ, କାହାରି ଦୋଷ ନାହିଁ ।

 

ଛାଞ୍ଚ କଥା ଭାବୁ ଭାବୁ ଭାଗ୍ୟ କଥା, ଠିକ୍ ତା’ ତଳକୁ ଆହୁରି ପାହାଚେ । ଭାଗ୍ୟ, ପାଗଯୋଗ, ସମୟ-ସେ ଆସିଲେ ବଳେ ଛାଞ୍ଚ ବି ବଦଳିବ, ଚରମ କାରଣ ଆଉ ଚରମ କୈଫିୟତ, ଚରମ ସାନ୍ତ୍ୱନା ଆଉ ଚରମ ଆଶ୍ରୟ-ଭାଗ୍ୟ । ଯେତେବେଳେ ଆଗକୁ ପଛକୁ ଭାବିଲେ ସେ ତା’ର ସାଙ୍ଗ ମାନଙ୍କ କଥାରୁ ହିଁ ଉଦାହରଣ ପାଏ, କିଏ ତଳେ ପଡ଼ିଛି, ଆହାର ବି ମିଳୁ ନାହିଁ, କିଏ ବଢ଼ି ବଢ଼ି ହେଲେଣି ତା’ର ହାକିମଙ୍କ ହାକିମ, କି ସେହିମାନଙ୍କୁ ନିଯୁକ୍ତି ଦେଲା ଭଳି କେଉଁ ଶେଠ କି ନେତା, ସାତ ପଛରେ ଯେଉଁମାନେ ଦାନାପାଣି ଯୁଦ୍ଧରେ ଓହ୍ଲାଇଥିଲେ-ଯାହାଙ୍କୁ ସେ ନାଉ କରିଥିଲା, ସେ କଲେଜ ଛାଡ଼ିଲା । ବେଳକୁ ଯେଉଁମାନେ ଚାହାଳିରେ ପଣିକିଆ ବୋଲୁଥିଲେ, ତାଙ୍କ ଭିତରୁ କେଜାଣି କେତେ ହେଲେଣି ତା’ର ବି ଉପରିସ୍ଥ, ସେ ସେମାନଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରେ, ଡରି ଡରି ଚଳେ; ସେ କାରଣ ଆଉ ଫଳ ନୁହେଁ, ସେ ଭାଗ୍ୟ ।

 

ତା’ର ଯୋଜନ-ଦୀକ୍ଷାର ଦର୍ଶନ ଆପତ୍ତି କରୁ, ଅସ୍ୱୀକାର କରୁ, ସେ ନିଭୃତରେ ବିଶ୍ୱାସ କରେ-ଭାଗ୍ୟ ହିଁ ମୂଳ । ଅସମତା ଭାଗ୍ୟର ପ୍ରମାଣ, ଭାଗ୍ୟର ଫଳ । ସେ କଳ ପରି କାମ କରୁଛି ସତ, କିନ୍ତୁ କେଉଁ କାଳ ମନେ ମନେ ସେଇଠି ଆତ୍ମସମର୍ପଣ କରିଦେଇଛି । କେତେ ଚିଆଁ, କେତେ ସିଆଁ, କେତେ ନିରାଶା, କେତେ ଅନିଭୋଗରେ ତିଆରି ଏ ଦେଶର ପୁରୁଷ ପୁରୁଷର ଭାଗ୍ୟବାଦ, ପୋଷାକ କି ଛଟା କି ଅଭ୍ୟାସ କି ଚଳଣିରେ ଆଧୁନିକ ହେଲେ ବି ସେ ତାକୁ ଛାଡ଼ି ନାହିଁ ।

 

ଧଡ଼ର ଧଡ଼ର ଗାଁ ଗାଁ ହୋଇ ଚାଲିଛି ତା ଜୀପ୍‌ଗାଡ଼ି । ଭାବିବାକୁ ହିଁ ହେବ । ଭାବନା ବାଙ୍କ ବୁଲିଗଲା । ସେ ଇତିହାସ କଥା ହେତୁ କଲା । ଅବିକଳ ଏହି ବାଟରେ ନ ହେଉ ଏହି ମାଟି ଉପରେ ଯୁଗ ଯୁଗର ଶାସକ ଆଉ କର୍ମ୍ମୀ ଅବଶ୍ୟ ବୁଲିଥିବେ, ଘୋଡ଼ା ହାତୀ ଚଢ଼ି କି ସବାରିରେ ବସି । କି ପ୍ରତାପୀ ଥିଲେ ସେମାନେ ! ବାଦ୍‌ଶା, ରାଜା ମହାରାଜା, ସେନାପତି । କେତେ ବିଚିତ୍ର ଘଟନାରେ ଇତିହାସର ପୃଷ୍ଠା ପୂର୍ଣ୍ଣ ହୋଇ ରହିଛି ।

 

କିନ୍ତୁ କେଉଁ ଯୁଗରେ ଥିଲା ଯେ ଦେଶର ସାଧାରଣ ମଣିଷ ଜାତି-ଧର୍ମ-ବୃତ୍ତିନିର୍ବିଶେଷରେ ଏ ଦେଶର ମାଲିକ ହେବେ ! କେବେ ଥିଲା ସାଧାରଣ ମଣିଷର ଏତେ ଦାୟିତ୍ୱ, ଏତେ ଅଧିକାର ? ଏ ସମୟର ଏ ଲୋକଙ୍କୁ ଦେଖିକ’ଣ ଭାବିଥାନ୍ତେ ଅଶୋକ କି ଆକବର କି ନରସିଂହ କି ପ୍ରତାପରୁଦ୍ର ? କେବେ ଥିଲା ସାଧାରଣ ମଣିଷର ଉନ୍ନତି ପାଇଁ ଏଡ଼େ ନିଘା, ଏତେ ଯୋଜନା ? ସଅଳ ହେଉ, ଅଳସ ହେଉ, କେଉଁଟା ଭୁଲ ହେଉ, କେଉଁଟା ଠିକ୍ ହେଉ, ଏ ଉଦ୍ୟମ, ଏ ବାଗ ଆଉ କେବେ ଦେଖା ନ ଥିଲା । ଏ ଯୋଜନା ଫଳନ୍ତି ହେବ କି ଅଫଳନ୍ତି ହେବ ଏଡ଼େ ଚଞ୍ଚଳ ସେ ବିଷୟରେ ରାୟ ଦେଇ ହେବ ନାହିଁ । କାଲିପରି ଲାଗୁଛି କେଇଟା ବର୍ଷ ହେଲା ୟେ ଆରମ୍ଭ ହୋଇଛି- ଆଉ ସେ ଇତିହାସ ଥିଲା ହଜାର ହଜାର ବର୍ଷର, ତୁଳନ କରିବାକୁ ବେଳ ଆସି ନାହିଁ ।

 

ଏମିତି ଆଉ ପଚାଶ ବର୍ଷ ଚାଲିଲେ ତା’ପରେ ଏ ଦେଶ କେମିତି ହେବ, କେମିତି ଦିଶିବ ?

 

ଆପଣା ଆତ୍ମପ୍ରତ୍ୟୟରେ ଆରାମରେ ଆଉଜି ପଡ଼ି ଉନ୍ନୟନର କାରିଗର ବିପିନ୍ ମନେ ମନେ ଗୋଟିଏ ସୁଖଦାୟକ ଛବି ଆଙ୍କି ତାକୁ ପଦାରେ ଦେଖିବାକୁ ଚେଷ୍ଟାକଲା । ସେ ଛବି ତା’ର କଳ୍ପନାଗଢ଼ା ନୁହେଁ, ସେ ତାକୁ କାଗଜରେ ଦେଖିଛି, ଅଙ୍କକଷାରେ ଅନୁଭବ କରିଛି । ପାଞ୍ଚ ବର୍ଷର ଦଶ ବର୍ଷର ନୁହେଁ, ଏକାଥରେ ଶହେ ଦେଢ଼ଶହ ବର୍ଷର, ଯେତେବେଳେ ତା’ର କି ତା’ ପୁଅର ନାତିର ଅମଳ ସରିଯାଇଥିବ, ଆଉ ଏ ଦେଶ ଥିବ, ସେଥିରେ ମଣିଷ ଥିବେ ।

 

ତା’ର ସେ ଛବି ଟାଙ୍ଗିବା ଭିତରେ ନ ଥିଲା ନଈବଢ଼ି, ଭୂମିକମ୍ପ, ଜଗତଧ୍ଵଂସୀ ବୋମାର ଉତ୍ପାତ । ସେଥିରେ ବିପ୍ଳବ କି ବିକ୍ଷୋଭ ନ ଥିଲା, ତା’ର ମଞ୍ଜି କି ମଞ୍ଜି ବୁଣା ବି ନ ଥିଲା । ଖାଲି ସଡ଼କ, କୋଠା, ପୋଲ, ଆନିକଟ, ନାଳ, ଯନ୍ତ୍ର, ଯାନବାହନ, ଜାତି ଜାତି ସାରରେ ପୁଷ୍ଟ କ୍ଷେତ, ଦଶଗୁଣ ଉତ୍ପାଦନ, ଗାଈଗୋରୁ, କୁକୁଡ଼ା, ମାଛ, ଶିଳ୍ପ, ଦୋକାନ ବଜାର, ବିଜୁଳି ଆଲୁଅ, ଏମିତି କେତେକଥା । ସେଥିରେ ନ ଥିଲା ମଣିଷସମାଜରେ ସ୍ନେହପ୍ରୀତି, ଦିଆଘେନା, ଦୟା ଦାକ୍ଷିଣ୍ୟ ଭାବର କମିତି କି ବଢ଼ତି, ମଣିଷ ମନ ଭିତରର ସୁଖଶାନ୍ତିର ମାପ, ମଣିଷର ବିଭିନ୍ନ ସମ୍ପର୍କ ସମ୍ବନ୍ଧରେ ମୂଲତଉଲର ହିସାବ, ଭାଗବତ କି ଭଗବାନ ପ୍ରତି ମଣିଷର ଦୃଷ୍ଟିଭଙ୍ଗୀ ।

 

ଦେହଧାରୀ ଲକ୍ଷ୍ୟବସ୍ତୁ-ତା’ର ମନର ସମ୍ପର୍କ ସେତିକି ସଙ୍ଗରେ । ଅନ୍ୟଠିଁ ଭୂଇଁ ଦୁଲୁକୁଛି-କାହିଁ ଏଠି ଉତ୍ତେଜନା କି ପରିବର୍ତ୍ତନ ! ହେଇ ଯେଉଁ ଲମ୍ୱିଛି ଗାଲୁଗୋବିନ୍ଦ ଜୋର, ମାଇଲିଏ ଲମ୍ୱା ହେଲେ ବି ସେଥିରେ ପାଣି ଦି’ହାତ ବି ନ ଥିବ, ଏମିତି ସେ ପୋତିହୋଇ ପଡ଼ିରହିଛି ବୋଧହୁଏ ଶହେ ବର୍ଷ ହେଲା କି ଆହୁରି କେତେବର୍ଷ ହେବ । ଯୁଆଡ଼େ ଚାହିଁଲେ ଖାଲି ପୁରୁଣା ଦେଉଳ ଭାଙ୍ଗିପଡ଼ିଛି ନ ହେଲେ ଭାଙ୍ଗୁଛି, ପୁରୁଣା ଘର ଅଜାଡ଼ି ହୋଇ ପଡ଼ିଛି, ପୁରୁଣା ତୋଟା ହଣା ହେଉଛି । ଗୋଟିଏ ବୋଲି ବୃତ୍ତି-ତାଷ, ତା ବି ଆଠପଣିଆ ହେବା କଷ୍ଟ । ଅତୀତର ନାଁର ସୁଧରେ କେତେକାଳ ମୁଣ୍ଡ ଟେକି ହୋଇଥାନ୍ତା ! ଲୋକେ କହୁଛନ୍ତି ଏ ଦେଶ ଅନୁନ୍ନତ, ସେ ବିଶ୍ୱାସ କରୁଛି । ଲୋକେ କହୁଛନ୍ତି ଏ ଦେଶର ଗୋରୁ ଅନ୍ୟ ଦେଶର ଛେଳିଠୁଁ ହୀନ, ସେ ବିଶ୍ୱାସ କରୁଛି । ଲୋକେ କହୁଛନ୍ତି ଏ ପ୍ରାନ୍ତ ଅସଭ୍ୟ, ଦରମଲା, ପଛୁଆ, ଅଜାତିଆ । ଏ ପ୍ରାନ୍ତକୁ ଟେକିବେ, ଉନ୍ନୟନ ଦେବେ ବୋଲି ଯେତେ ଯେଉଁଠୁ ହୃଷ୍ଟପୃଷ୍ଟ, ମୋଟା, ରୋଜଗାରିଆ ଛନଛନିଆ ମଣିଷ ଆସି ଏ ଦେଶର ଅଧୋଗତିର ଫର୍ଦ୍ଦ ତିଆରି କରି ମଞ୍ଚା ଉପରୁ ପ୍ରଚାର କରୁଛନ୍ତି ଆଉ ବୁଦ୍ଧିଦାନ କରି ତା’ର ଉଦାହରଣସ୍ୱରୂପ ନିଜେ ଆହୁରି ବଢ଼ି ଉଠୁଛନ୍ତି । ସବୁ ସେ ବିଶ୍ୱାସ କରୁଛି, କାରଣ ଏହି ଅଭାବ ଓ ଅଧୋଗତିକୁ ପିଠିଆଡ଼ର ମାଇଲଖୁଣ୍ଟ କରି ତା’ ଆଗକୁ ଖୁଣ୍ଟ ପୋତି ପୋତି ଚାଲିବ ବୋଲି ତା’ ଯୋଜନାର ଅଟକଳ । ତା’ର ବିଶ୍ଵାସ, ତା ମେହେନତରେ ସେ ଦେହଧାରୀ ଲକ୍ଷ୍ୟବସ୍ଥମାନ ଅଧିକରୁ ଅଧିକ ହୋଇ ମିଳିବ, ସଂପାଦି ହେବ, ଏ ଦେଶ ଉଠିବ-

 

ଆଉ ଏଣେ ଆଉ ପ୍ରକାରେ ପରିବର୍ତ୍ତନ ଚାଲିଛି ତା’ ଆପେ ଆପେ । ଶାଗୁଆ କ୍ଷେତର ବିସ୍ତୃତି ଉପରେ ତୁଳୀ ଅଗରେ ଠାଏ ଠାଏ ଅରାଏ ଅରାଏ ହାଲୁକା ହରିତାଳ ବର୍ଣ୍ଣରେ ଚିତ୍ର ସରିଲାଣି, ଲଘୁଧାନ ପାଚି ଆସିଲାଣି । ସ୍ଥାନେ ସ୍ଥାନେ ଧାନଫସଲ ଉପରେ ଏକପାଖରୁ ବାଉଁଶ ଚପାଇ ଦିଆହେଲାଣି, କଟାହେବାକୁ ଅପେକ୍ଷା କରି ଧାନ ଫାଳିକିଆ ହୋଇ ଶୋଇଲାଣି । ଅରାଏ ଅରାଏ କ୍ଷେତ ସୋରିଷଫୁଲରେ ହଳଦୀ ଗରଗର, ଜୀପ୍‌ଗାଡ଼ି ଧରୁଛି, ସୋରିଷଫୁଲର ମହକ । ହୁଡ଼ାରେ ଗଇଶଫୁଲ ମୁଣ୍ଡ ଟୁଙ୍ଗାରୁଛି, ଦୂରେଇ ଦୂରେଇ ଟେକା ଲାଙ୍ଗୁଳ ମାଳ ମାଳ ପରି ବେଣାଫୁଲ । ଗାଁ ଗୋହୀରିରେ ଗଲାବେଳେ କାମଡ଼ାଭିଡ଼ା ବାଇଗଣ ବାଡ଼ ସେପାଖେ ଅରାଏ ଅରାଏ ଗେଣ୍ଡୁଫୁଲ । ବାଡ଼ରେ ଅପରାଜିତା ଫୁଲ, ନାଲି ଟହ ଟହ କଇଁଚିକାକୁଡ଼ି, ଅରମାରେ ପାଚିଲା ମହାକାଳ ଫଳ, ନୂଆ ଫାଟୁଥିବା କାଇଁଚ, ଫୁଲଭର୍ତ୍ତି ଅରଖ, ସୁନା ତା’ର ପରି ନିର୍ମୂଳୀ ଲଟା । ଘାସରେ କହରା କହରା ଲମ୍ବ ଲାଞ୍ଜିଫୁଲ, ଶହ ଶହ ଘରଚଟିଆ, ମାଟିରେ ଲାଖିରହିଲା ପରି ସରୁ ସରୁ ଡଙ୍କ, ସେଥିରେ ଟିକି ଟିକି ଫୁଲ ।

 

ଏଇ ଲିପାପୋଛି । ମାଟିପିଣ୍ଡା ତଳେ ନଡ଼ିଆଗଛ ଛାଇରେ ସେ ଟିକିଏ ଅଟକି ରହନ୍ତା କାନ୍ଥର ଏ ସୁନ୍ଦର ଝୋଟିକୁ ନିରେଖି ଦେଖିବାକୁ । ଟିକିଏ ଅଟକି ରହନ୍ତା ପୁନାଙ୍ଗ ଗଛ ଛାଇରେ ଆଖି ପୂରେଇ ଏଇ ସୁନ୍ଦର ହଳଦୀବସନ୍ତ ଚଢ଼େଇର ରୂପ ଦେଖିବାକୁ । କି ସ୍ୱଚ୍ଛ ଆକାଶ, କି ସ୍ଵଚ୍ଛ ପାଣି । ଆଉ ଏ ହସକୁରୀ ଚରଳୀ ଖରା, ମନେ ପକାଇଦିଏ ପାଠପଢ଼ା ଦିନର ଖେଳ ଆଇ ଦଉଡ଼-। ଗୁଲୁ ଗୁଲୁ ହୋଇ ପିଲାଙ୍କ ମୁହଁ, ଭାରିଯା ମୁହଁ ଦିଶିଯାଏ, ଗାଁର ଛବି ଆଖି ଆଗରେ ଭାସିଉଠେ ।

 

ଖାଲି ଅଟକି ଯାଆନ୍ତୀ ଟିକିଏ ! ଜୀପ୍ ଚାଲିଯାଉଛି ।

 

କିନ୍ତୁ ପାଟେଳିଗାଁ କି ଫୁଲଶରାରେ ଭୁଲିଥିବା ରବିର ଯୋଜନା କଥା ମନେ ପଡ଼ିଗଲେ ବେଳେ ବେଳେ ବିପିନ୍‌ର ବାଁ ଓଠ କ’ଣ ଅଳ୍ପ ମୋଡ଼ି ହୋଇଯାଏ ଆଉ ଆଖି ଅଳ୍ପକେ କୁହୁଳି ଉଠେ-। ପାଟେଳିଗାଁ ଆଡ଼କୁ ଗାଡ଼ି ଚାଲିଥାଏ, ସେଠି କ’ଣ ଗଣ୍ଡଗୋଳ ଉପୁଜିଛି । କାଲି ପରି ଲାଗୁଛି । ପାଟେଳିଗାଁର ଲୋକେ କେତେ ଲମ୍ବା ଲମ୍ବା ବଡ଼ ବଡ଼ କଥା କହୁଥିଲେ, ସେମାନେ ସେତେବେଳେ ଏକଜୁଟ ହୋଇ ଶ୍ରମରେ ଲାଗିଥିଲେ, କୋଠ ରହଣି ବାଗରେ ଗାଁ ଗଢ଼ୁଥିଲେ । ସତେ କି ସେମାନେ ଏ ରାଜ୍ୟରୁ ବି ସ୍ୱତନ୍ତ୍ର । କାଣୀ ଗାଈର ଭିନେ ଗୋଠ । କିପରି ତା ସମ୍ଭବ ହୁଅନ୍ତା ? କେତେ ଦିନ ରହନ୍ତା ? ଆପଣା ଭିତରେ ଗୋଟାଏ ଟିହାଟେହିର ଡାକ ଶୁଣୁ ଶୁଣୁ ବିପିନ୍ ମନ ଖୁସିରେ ସେହି କଥା ଭାବୁଥାଏ–କେଇଟା ମାସରେ ଚଉପଟ୍ ହେବାର ସୂଚନା ଦେଖା ଦେଲାଣି, ଟିକିଏ ବିଞ୍ଚିଦେଲେ ନିଆଁ କୁହୁଳି ଉଠିବ, ମିଶିଯିବ ତୋଫାନ ସଙ୍ଗରେ, ତା’ପରେ ?

 

ରବି ତା’ର ବନ୍ଧୁ ହଁ, ରବି ପାଇଁ ସେ ଆପଣ ଧନ କି ସମୟ କି ସୁବିଧାରୁ କିଛି ତ୍ୟାଗ ବି ସହିପାରେ, କିନ୍ତୁ ବୁଦ୍ଧିର ଦଉଡ଼ କି ଖେଳ କସରତ୍‌ରେ ସେ ତାଠୁଁ ବଳିଯିବାକୁ ହିଁ ଲୋଡ଼େ, ସେଠି ସେ ଜିତିବ, ନିଶ୍ଚୟ ଜିତିବ । ଏଇ କଥା ମନକୁ ମନ ସେ ଟାଣ କରି କହେ, ଆଶା କରେ ।

 

ଆଇନ ମାନି, ତା’ର ସଂସ୍ଥା ଓ ଉପରିସ୍ଥମାନେ ତା’ ବାଟ ପାଇଁ ଯେଉଁ ଗାର ଟାଣିଦିଅନ୍ତି, ସେହି ଗାରେ ଗାରେ ଚାଲି ତୁଣ୍ଡ ନ ଫିଟାଇ ସେ ତା’ର ଆପଣା ପୋଷାକି ଖୋଳ ଭିତରେ ତଥାପି ତା’ର ବ୍ୟକ୍ତିତ୍ୱର ଅଭିମାନକୁ ସାଇତି ରଖିଛି । ଯେଉଁ ସଂସ୍ଥାର ଲୁହା ପିଞ୍ଜରା ଭିତରେ ସେହି ଜୀଅନ୍ତା ଅଭିମାନ ପଦେ ପଦେ ଅନୁଭବ କରେ ସେ ଦୁର୍ବଳ, ନିଃସହାୟ, ସେଠି ସେ ପରିସ୍ଥିତିକୁ ଆଦରି ନିଏ ସତେ ଯେମିତି ସେ କେଉଁ ଅସ୍ୱାସ୍ଥ୍ୟକର ପ୍ରାନ୍ତକୁ ବଦଳି ହେଲେ ସେଠିକା ପାଣିପବନକୁ ଆଦରି ନେଲା ପରି-ସେ ସତେ କି ତା’ର ଈଶ୍ଵରସୃଷ୍ଟ ପରିସର, ଯାହା ତାକୁ କରିବାକୁ କୁହାହେଉଛି, ଚଳଣିର ଯେଉଁ ବାଗ ତା’ ଉପରେ ଲଦି ଦିଆହେଉଛି ସେଥିରେ ତା’କୁ ଯେତେ ଯାହା ଅଡ଼ୁଆ ଲାଗିଲେ କି ଭୁଲ୍ ଜଣାପଡ଼ିଲେ ବି ତା’ର ସେଥିକି କିଛି କହିବାକୁ ନାହିଁ, ସବୁ ଯଥାଜ୍ଞାପୟତି ଦେବ ।

 

କିନ୍ତୁ ତା’ର ସେ ଅଭିମାନ ହାଡ଼ ଚମର ଘାଉଡ଼ା ବୁଢ଼ା ବାଘ ପରି ଉପାସରେ ପଡ଼ି ପଡ଼ି ପୁଣି, ଗର୍ଜନ କରି ମାତି ଉଠେ ସେଇଠି ଯେଉଁଠି ସେ କାବୁ ହୋଇ ରହିବାକୁ ବାଧ୍ୟ ନୁହେଁ, ଅବସ୍ଥାଚକ୍ରରେ ପଡ଼ି ଯାହା ତା’ର ଇଚ୍ଛାଥାଇ ବି ସେ କରିପାରି ନାହିଁ, ଯେଉଁଆଡ଼କୁ ସେ ଭରସି ନାହିଁ, ସେଠି ଆଉ କିଏ କିଛି କଲେ ସେ ତା’ର କଠୋର ସମାଲୋଚକ ହୁଏ, ସେ ଚାହେଁ ସେସବୁ ପ୍ରଚେଷ୍ଟା ଦବୁ, ହଟିଯାଉ । ତା’ର ଉପାସୀ ଅଭିମାନ ପାଇଁ ଅନ୍ତତଃ ସେତିକି ଆହାର, ସେତିକି ସାନ୍ତ୍ୱନା । ସେହି ତା’ର ବୌଦ୍ଧିକ ଆନନ୍ଦ । ହେଉ ପଛେ ସେ ଆନନ୍ଦର ଧାରଣାଯୁଗର ପଟ୍ଟଭୂମିରେ କଙ୍କଡ଼ା–ଗୋଡ଼ିଆ, ଆଗକୁ ଅନାଇଁ ଅନାଇଁ ପଛକୁ ଗତି ।

 

ଗହୀର ସେକରେ ପାଟେଳିଗାଁର ଗହଳି ଗଛର ଧାଡ଼ି ବିପିନ୍‌ର ଆଖିରେ ପଡ଼ୁ ପଡ଼ୁ ତା ମନରେ ସେହି ଉତ୍ସାହ ଖେଳି ଯାଉଥାଏ । ଘଟନା ଅତି ସାଧାରଣ, ସେହି ନିତି ଦିନର କଥା-ଦୁଇଟା ମତ । ବାଡ଼ ବାଡ଼ ।

 

କୋଠବାଡ଼କ କହିଲେ, ‘‘ଆନୁଷ୍ଠାନିକ ଭାବେ ପଞ୍ଚାୟତ ଗଢ଼ାଗଢ଼ିରେ ଆମର ଝୁଙ୍କ ନାହିଁ, ସମସ୍ତିଙ୍କ ମନ ମିଳିଲେ ପଞ୍ଚୁମେଳଣ, ସେଥିପାଇଁ ଏତେ ଖବରକାଗଜରେ ନାଁ ଛପେଇବା କି ଡେଙ୍ଗୁରା ପିଟିବା ଆମେ ଖୋଜୁ ନାହୁଁ ।

 

ଗୋଟା ଗୋଟା ପଟରେ ଅଛନ୍ତି ଅଗଣି ରାୟ, ଗଦେଇ ଲେଙ୍କା, ସୁଦର୍ଶନ ଦାସ, ବାବନ ମହାନ୍ତି ପ୍ରଭୃତି । ସେମାନେ କହିଲେ, ‘‘ତୁମେ ହାତରେ ମାଟି ତାଡ଼ି ତାଡ଼ି ଗାଁଟାକୁ କେଉଁ ସ୍ୱର୍ଗକୁ କେତେ ଦିନ ଉଠୋଉଥିବ, ଅତଏବ ଆମର ପଞ୍ଚାଏତ ଗଢ଼ା ହେବ, ତା ହେଲେ ସରକାରରୁ ଟଙ୍କା ମିଳିବ, କାମ ହେବ ।’’

 

କୋଠବାଡ଼ି କହିଲେ, ‘‘ଯେ ଗଢ଼ୁଛ ଗଢ଼ ପଞ୍ଚାୟତ, ଆମକୁ ବାଦ୍ ଦିଅ ।’’

 

ଆରବାଡ଼ କହିଲେ, ‘‘କିନ୍ତୁ ତୁମେ ବି ମୁଣ୍ଡପିଛା ତହିଁରେ ସୁମାରି ହେବ, ପଞ୍ଚାୟତ ପାଣ୍ଠିକି ଟିକସ ଦେବ ।’’

 

କୋଠବାଡ଼ି କହିଲେ, ‘‘ଆମର ତ ସବୁ କୋଠ ହୋଇଯାଇଛି । ସମସ୍ତଙ୍କର ସବୁ କମେଇଁ କୋଠ କମେଇଁ, ସବୁ ପଞ୍ଚାୟତ ପାଣ୍ଠି, ଫେର୍ ଆଉ କ’ଣ ?’’ ଆରବାଡ଼ କହିଲେ, ‘‘ସେମିତି ନାଇଁ, ଆଇନ୍‌ରେ ଯାହା ଯେମନ୍ତ ଅଛି ସେମିତି ହେବ । ମେମ୍ବର ବଛା ହୋଇ ପଞ୍ଚାଏତ ହେବ, ସେଥିପାଇଁ ଭୋଟ ହେବ ।’’

 

କୋଠାବାଡ଼ କହିଲେ, ‘‘ମୁଣ୍ଡ ନାଇଁ କି ଗୋଡ଼ ନାଇଁ ସମସ୍ତେ ଭାଇ ଭାଇ । ସମସ୍ତେ ସମସ୍ତିଙ୍କ ରାଜିରେ ପ୍ରତିନିଧି ଦଳ ଗଢ଼ି ପାର ।’’

 

ଆରବାଡ଼, କହିଲେ, ‘‘ଆମର ଭୋଟ ନଢ଼େଇ ହେଉ । ଆଇନ କହୁଛି ।’’

 

କୋଠାବାଡ଼ କହିଲେ, ‘‘ଗାଁ ଚଳଣିଟା ବାଦୀପାଲା ନୁହେଁ । ଭୋଟ ନଡ଼େଇ ଲଗେଇଲେ ରିଷା ବଢ଼ିବ, ସାନଦଳ ବଡ଼ଦଳ କଳି ଲାଗିବ, ମିଳାମିଶାରେ କାମ କ’ଣ ହୁଅନ୍ତା ଓଲଟି ଜିଦାଜିଦି ଦେଖିତା ଦେଖି ଚାଲିବ । ଖେମେତା ଲଢ଼େଇରେ ବେଳ ବିତୋଉ ବିତୋଉ କାମ ଫସର ଫାଟିଯିବ, ଖାଲି ରହିବ କଳି । ସାହି ସାହିରେ କଳି, ଘରେ ଘରେ କଳି, ଆଜି ଘରେ କି ତରକାରୀ ହେବ ସେଥିପାଇଁ ବି ହାତ ଟେକା ଭୋଟ । ଯାହା ମତ ନ ରହିଲା ସେ ହାଣ୍ଡି କୁଣ୍ଡେଇ ବାଡ଼େଇବ ।’’

 

ଆର ପଟ କହିଲେ, ‘‘ଭୋଟ ନ କଲେ ବେଶି ଲୋକଙ୍କ ମତ କେଉଁପଟେ ଅଛି ତା ଜାଣିବ କେମିତି ?’’

 

କୋଠ ପଟ କହିଲେ, ଖାଲି ବେଶି ଲୋକଙ୍କ ମତକୁ ଆଗ କରି ଅଳ୍ପ ଲୋକଙ୍କ ମତ ଉପରେ ଲଦୁଥିଲେ ଶାନ୍ତି ରହିବ ନାହିଁ, ଅଳ୍ପ ଲୋକ ପଟଟା ସବୁବେଳେ ଦଳ ବଢ଼େଇବାକୁ ଚେଷ୍ଟା କରୁଥିବେ, ଭଙ୍ଗାରୁଜ ଆଉ ବିରୋଧ କରିବାରେ ବ୍ୟସ୍ତ ଥିବେ । ଆମ ଗାଁକୁ ସେ ଦୁର୍ଦ୍ଦଶା ନ ଘୋଟୁ, ବୁଝେଇ ସୁଝେଇ ମଙ୍ଗେଇ ପଟେଇ ସମସ୍ତଙ୍କର ଏକମତ ହୋଇ କାମ ହେଉ ।’’

 

ଆରପଟ କହିଲେ, ‘‘ଏକମତ ନ ହେବାଯାକେ କ’ଣ ହେବ ?’’

 

କୋଠାପଟ କହିଲେ ‘‘ଅପେକ୍ଷା କରି ବୁଝାବୁଝି କରିବାରେ ଲାଗିବାକୁ ପଡ଼ିବ ।’’

 

ଆରପଟ କହିଲେ, ‘‘ତା ହେଲେ ଅପେକ୍ଷା କରିବାହିଁ ସାର ହେବ, କିଛି କାମ ହେବ ନାହିଁ । ଆମର ଭୋଟ ନିଆ ହେବ ।’’

 

ପଞ୍ଚାୟତର ପରିସର ବିଷୟରେ ବି ଘୋର ମତଭେଦ ଦେଖାଦେଇଥିଲା । କୋଠପଟ କହିଲେ, ‘‘ଏକମନ ହୋଇ ସମସ୍ତେ ଉନ୍ନତି ହେଲାଭଳି କାମରେ ଲାଗିବେ । ଏଇଆ ଇଚ୍ଛା ଥିଲେ ପାଖକୁ ପାଖ ଘର ଥାଇ ଗୋଟିଏ ପଲ୍ଲୀ କି ଗୋଟିଏ ଗାଁକୁ ଗୋଟିଏ ଗୋଟିଏ ପଞ୍ଚାୟତ ହେବା ଦରକାର, ଯେମିତି ଗୋଡ଼ରେ ଚାଲି ଚାଲି ଏକାଦିନକେ ସମସ୍ତେ ଏକାଠି ବସାଉଠା ଦେଖାଚାହାଁ ହୋଇପାରୁଥିବେ, ଦୂର ଦୂରର ଗାଁ ଗଣ୍ଡାକୁ ଏକାଠି ଛନ୍ଦିଲେ ପୁଲିସ୍ ଥାନ କି ଜମିଦାରୀ ଇଲାକା କରାଯାଇପାରିବ, ଯେମିତି ଗୋଟାଏ ଜାଗାରୁ ଆଜ୍ଞା ପତ୍ରିକା ଗଲେ କେତେଜଣ ମଣିଷ ‘ଓ’ କରୁଥିବେ, ତହିଁରେ, କୋଠ ରହଣି, କୋଠ ଚଳଣି କି କୋଠ ଭାବନା ଆସିବ ନାହିଁ ।’’ ଆର ଦଳକ କହିଲେ, ‘‘ତା କେମିତି ହେବ ? ସରକାର ଯାହା କରିବେ ନା, ଆମର ଦେଖ ଏକାଠି ପଞ୍ଚାୟତ ହେଉଛି ତଣ୍ଡିକୂଳ, ସାଇଁସୋ, କରିପଡ଼ା ଆଉ ପାଟେଳି ଗାଁ । ଚାରି ଖଣ୍ଡଗାଁକୁ ଏକପଞ୍ଚାୟତ, ତଣ୍ଡିକୂଳବାଲା ଲଢ଼ୁଛନ୍ତି ଯେ ତାଙ୍କରି ଗାଁରେ ସଦରମହକୁମା ରହୁ, କାହିଁକି ନା ଇସ୍କୁଲଟାଏ, ଡାକଘରଟାଏ ସେଠି ଆଗରୁ ଅଛି, ତେବେ ମଝିସ୍ଥଳ ତ ହେଉଛି ଏ ପାଟେଳି ଗାଁ, ପୁରୁଣାକାଳରୁ ଚୌଧୁରୀ ଘର ଅମଳରୁ ଏଇ ପେଣ୍ଠ, ଏଇଠି ରହିବ ।’’

 

କୋଠଦଳ କହିଲେ, ‘‘ଦେଖ ପଞ୍ଚାୟତ ଗଢ଼ା ନ ହେଉଣୁ ତଣ୍ଡିକୂଳ ସଙ୍ଗରେ ତମର ଚୁଟି ଧରାଧରି ଆରମ୍ଭ ହେଲାଣି, ସାଇଁସୋ କହିବେ ଆମର ଏଇଠି ହଉ, କାରଣ ହାଟଟା ଏଇଠି, ଜରିପଡ଼ା କହିବେ ଆମର ପୁରୁଣାକାଳରୁ ଶାସନି ଗାଁ, ଆମର ସୋମନାଥ ଦେଉଳ କେଉଁ ଶହ ଶହ ବର୍ଷର ଯୁଗେ ଯୁଗେ ଆମ ଗାଁ ମହାଜନ ସଭା ବସିଆସିଛି, ସୋମନାଥ ଦେଉଳ ସାମ୍ନା ପଥର ଚକଡ଼ାରେ, ଆମର ଏଇଠି ହେଉ ।’’

 

ଆର ଦଳ କହିଲେ, ‘‘ଏଇଠି କର, ଏଇଠି କରି କହିବେ ସମସ୍ତେ । ସରକାର ଦେଖିବେ ମଝିସ୍ଥଳ କେଉଁଠି । କହିସାରିଲେଣି ପାଟେଳିଗାଁରେ ହେବ ।’’ କୋଠଦଳ କହିଲେ, ‘‘ଏଇଥିରୁ ବୁଝୁନା ପବନଟା କୁଆଡ଼ୁ ଆସୁଛି ! ଯେଉଁଠି ଗାଁ ଗାଁ ଭିତରେ ମନାନ୍ତର ହେବାକୁ କାରଣ ନଥିଲା, ନା ଜମିକୁ ଜମି ଲାଗିଛି ନା ଓଳିକି ଓଳି, ସେଠି ଲାଗିଯିବ ଖୁରି, ଯେ ମହକୁମା ହେବ କେଉଁଠି ସେହି ବିଷୟରେ । ଯେଉଁଠି ପୃଥିବୀର ଏଦେଶ ସେ ଦେଶର କଳି କେମିତି ତୁଟିବ ବୋଲି ଆତୁରି ପଡ଼ିଛି ସେଠି ଏଠାମଣିଷ କ’ଣ ନା ଗାଁ ବଡ଼େଇରେ ମାତି ଉଠିବେ । ଆଉ ସରକାର ପଦଟା ସବୁଠିଁ, ଆମେ କେଉଁଠି ଏକାଠି ହେବୁ, ବସିବୁଁ, ଗପ କରିବୁଁ ତା’ ବି କହିଦେବ ସରକାର ।’’

 

ଆରଦଳ କହିଲେ, ‘‘ସରକାରକୁ ଆଶ୍ରା ନ କଲେ ସଡ଼କ, ପୋଖରୀ, ପୋଲ, ଇସ୍କୁଲ, ପଞ୍ଚାଏତଘର, ଧାନଗୋଲା, ସାରଗୋଲା ଏସବୁ ହେବ କେମିତି ? କେଉଁଟା ହେଲେ କରିବାକୁ ମନ କଲେ ଟଙ୍କା ଆସିବ କୁଆଡ଼ୁ, ?

 

କୋଠ ବାଡ଼କ କହିଲେ, ‘‘ତାୋ ମାନେ ନାଁକୁ ବିକେନ୍ଦ୍ରୀକରଣ, ଅସଲରେ ୟେ ହେବ କେନ୍ଦ୍ରୀକରଣ, ଆମର ହାତ ଚଳିବ ନାହିଁ ଯେ କୁଆଡ଼ୁ ଆସିଲେ ଆମେ ଖାଇବା । ନାଁକୁ ସ୍ଵାଧୀନତା, ସ୍ଵାଧୀନ ଭାବେ ଆମେ ଭାବିବୁ ଗଢ଼ିବୁ, ଅସଲରେ ଆସିବ ପରାଧୀନତା, କ’ଣ ଆମେ ଭାବିବୁ, କାହାକୁ ଭଲ କହିବୁ, କାହାକୁ ମନ୍ଦ କହିବୁ ତାୋ ବି ଆମକୁ ଶିଖିବାକୁ ପଡ଼ିବ, ମାନିବାକୁ ପଡ଼ିବ, ଅବଶ୍ୟ ସେଥିପାଇଁ ସାହାଯ୍ୟ କରିବ ରେଡ଼ିଓ, ମାଇକ୍, ଆଉ ଦେଖିଲା ଶୁଣିଲା ପଢ଼ିଲା କାମପାଇଁ ଯେତେ ଯନ୍ତ୍ରପାତି । ବୁଝି ହୁସିଆର, ଏ ମୂଳଦୁଆ ଗଢ଼ାହେଉଛି ପୁରୁଷ ପୁରୁଷକୁ ।’’

 

ଆରଦଳ କହିଲେ, ‘‘ତା ହେଲେ ତମର ମଟା ଫେରେ ‌କ’ଣ ?

 

କୋଠ ଦଳ କହିଲେ, ‘‘ସାନ ସାନ ପଞ୍ଚାୟତ, ଗୋଟିଏ ଗୋଟିଏ ଗାଁକୁ ଧରି ଗୋଟିଏ ଗୋଟିଏ । ଅସଲ କାମ ହେବ ମନ ମେଳ କରିବା, ପରସ୍ପରକୁ ସାହାଯ୍ୟ କରିବା, ସମସ୍ତିଙ୍କ ଉନ୍ନତି ପାଇଁ ଭାବିବା ଏବଂ କଠୋର ପରିଶ୍ରମ କରିବା । ସରକାରୀ ସାହାଯ୍ୟ ଆସିବ ଦୁଇପ୍ରକାରେ, ପଞ୍ଚାୟତ ପାରୁପର୍ଯ୍ୟନ୍ତ କାମ କଲେ ତେଣିକି ଯାହା ଅଭାବ ରହୁଥିବ ସେଥିପାଇଁ ସାହାଯ୍ୟ ମିଳିବ, ମନ ନ ଦେଲେ କାମ ନ କଲେ କିଛି ନାହିଁ । ଆଉ ଏକପ୍ରକାର ସାହାଯ୍ୟ ଆସିବ ଗୋଟାଏ ଗୋଟାଏ ବଡ଼ ବଡ଼ ଚକଡ଼ାକୁ ନେଇ, କୋଡ଼ିଏ ପଚିଶି ପଞ୍ଚାୟତରେ ଗୋଟାଏ ଗୋଟାଏ ଚକଡ଼ା କି ସମିତି କି ବ୍ଳକ, ଯାହା ଦିଅ ତା ନାଁ, ସବୁ ପଞ୍ଚାୟତର ମତ ଅନୁସାରେ ପୁଣି ସମସ୍ତଙ୍କ ହିତଦୃଷ୍ଟିରୁ କ’ଣ କ’ଣ କରାଯିବ ତା ଭାବି ସରକାର ତାଙ୍କ ବଳାବଳ ଦେଖି ପଇସା ଖର୍ଚ୍ଚ କରିଯିବେ, ପଞ୍ଚାୟତମାନେ ଯେତିକି ପାରିବେ ସେତିକି ସାହାଯ୍ୟ କରିବେ । ସେଇଟା ହେବ ଟଙ୍କା କଉଡ଼ି ଉନ୍ନୟନ କଳବାଗିଆ ଉନ୍ନୟନ, ଏଇଟା ହେବ ସେ ଉନ୍ନୟନର ଅସଲ ମୂଳଦୁଆ, ମନ ମିଳିବ, ନୀତି ଟେକା ହେବୁ, ମଣିଷ ଗଢ଼ା ହେବ, ବିଚାର ସାଙ୍ଗକୁ ହାତଗୋଡ଼ ବୋଲ କରିବ ।’’

 

ଆର ଦଳ କହିଲେ, ‘‘ରଖିଥା ତୁମର ଏ ବିଚାର, ତୁମେ ନିଜେ ଯେତେବେଳେ ସରକାର ହେବ ସେତେବେଳେ କହିବ, ଲୋକେ ମାନିବେ । ଅଇଛା ପଞ୍ଚାୟତ ଗଢ଼ାହେବ, ଭୋଟ ନିଆଯିବ, ମେମ୍ବର ବଛାଯିବେ । ଚାରିଖଣ୍ଡି ଗାଁରେ ତେରଜଣ ମେମ୍ବରରୁ ପାଟେଳିଗାଁରୁ ଚାରି ଜଣ, ତାରି ଉପରେ ଭୋଟ ହବ । ତମପଟ ଗୋଟାଏ ପାଖେ, ଆମେ ବାକିତକ ଗୋଟାଏ ପାଖେ ।’’

 

କୋଠଦଳ କହିଲେ, ‘‘କ’ଣ କରିବ କରିଯା, ଆମେ ଏଥିରେ ନାହୁଁ । ଆମେ ଖୋଜୁନାହୁଁ ସଡ଼କକାମ କରିବୁ ବୋଲି ସରକାରରୁ ଟଙ୍କା ନେଇ ପୁରୁଣା ଖନ୍ଦକ ଭିତରେ କାଦୁଅ ଚକଟି ସାକ୍ଷୀଟିଏ ଗଢ଼ି ଘାସ ଚେକା ଛାଉଣି କରି ପଇସା ଠକି ଖାଇବାକୁ, ଧାନ କିଣିବାକୁ ଟଙ୍କା ନେଇ ଆପଣା ଅମୀର ଭର୍ତ୍ତି କରିବାକୁ ଆମେ ଖୋଜୁ ନାହୁଁ, ଟଙ୍କା ଉପରୁ ଗଳିପଡ଼ି ଆଉ କାହା ହାତରେ ଚିକିଣା ଲାଗିବ ସେଥିପାଇଁ କଳିଗୋଳ ଲାଗୁ, ଆମେ ଖୋଜୁନାହଁ ଖେମେତା ଲଢ଼େଇ ଆଉ ସେଥିପାଇଁ ବାଉଁଶରାଣୀ ନାଟ କି କୁହୁକବିଦ୍ୟା ।’’

 

ଗୋଳମାଳ ପାଟିତୁଣ୍ଡରେ ବୈଠକ ଭାଙ୍ଗିଯାଇଥିଲା ।

 

ଚର ଠିକଣାବେଳରେ ଆସି ଖବର ଦେଲା, ଅପାର ଉତ୍ସାହରେ ବିପିନ୍‍ ତା’ର ଭ୍ରମଣ ନିର୍ଘଣ୍ଟରେ ତାରିଖ ଦେଇ ଟିପିଲା–‘‘ପାଟେଳିଗାଁ ।’’

 

ଏମିତି ଆଉ ଥରେ ସେ ଟିପିବ–‘‘ଫୁଲଶରା ।’’ ସେହି ସୁଦିନ ତା’ର ଦିଗ୍‌ବଳୟରେ ଦିନେ ଉଇଁବ ତା’ର ମନ କହୁଛି । ତା’ପରେ ଆହୁରି କେତେ ଗାଁ ।

 

ସତେ କି ଏ ସବୁ ଗାଁ ନୁହେଁ, ଗଡ଼-ରାୟଗଡ଼, ପ୍ରତାପଗଡ଼, ସାରଙ୍ଗଗଡ଼, ଗୋଟିକପରେ ଗୋଟିଏ ହୋଇ ଏହି ଏତେ ଗଡ଼ର ପତନ ହେବ ।

 

ତା ମତ ଜିତିବ, ସତେ ଅବା ତା ପଟ ଜିତିବ, ଏ ତା’ର ସୂଚନା ।

 

ଦଣ୍ଡାବାଟେ ଜୀପ୍‌ଗାଡ଼ି ଚାଲିଛି । କରେ କରେ ଜମି ଦାଢ଼ରେ ଫୁଟିଛି ବଟୁଆର ଫୁଲି ପରି ନାଲି ନାଲି ଗୋଲ ଗୋଲ ଫୁଲ, ତା’ ସେକରେ ବହଳ ସାଗୁଆ ଛନଛନିଆ ଅଗରା ଗଛରେ ହଳଦିଆ ଫୁଲ ମାଳ ମାଳ, ସେହି ଦୃଶ୍ୟରେ ତା’ର ଦୃଷ୍ଟିଭରା ଦେଲା ଆଉ ମନ ଭିତରେ ସେ ତୀକ୍ଷ୍‌ଣ ଆନନ୍ଦ ଅନୁଭବ କଲା । ରକ୍ତ-ନାଲି ସେକରେ ଶାଗୁଆ ହଳଦିଆ ଛବିର ପୃଷ୍ଠଭୂମିରେ ସେ ଗୋଟାଏ ସତ୍ୟ ଦେଖିପାରିଲା, -ଏ କଳି ଆଜିର ନୁହେଁ, ଯୁଗ ଯୁଗର, ଏ କଳି ଅଭିମାନ ଅଭିମାନ ଭିତରେ, ବ୍ୟକ୍ତିତ୍ୱ ବ୍ୟକ୍ତିତ୍ୱ ଭିତରେ, ପଟେ ସେଆରପଟେ ରବି ।

 

ରବି, ତା’ର ପ୍ରିୟବନ୍ଧୁ, କେତେ ବନ୍ଧୁ ତ ଥିଲେ, ସେମାନେ ସ୍ୱତନ୍ତ୍ର ହୋଇଗଲେଣି, ଆଉ କେହି ଏଡ଼େ ସରଳ ସହୃଦୟତା ଦେଖାଇ ତା’ ଆଡ଼କୁ ଦୁଇ ବାହା ଖୋଲି ଆଗେଇ ଆସେ ନାହିଁ, ବିପିନ୍‍ର ବି ରବିପ୍ରତି ଅନ୍ୟଭାବ ନାହିଁ । କିନ୍ତୁ ମଣିଷର ଅସ୍ତିତ୍ୱ-ଅନୁଭୂତି ସତେ କି ଏ ହୃଦୟଭାବ ଉପରେ ଦେଖାଦିଏ ନାହିଁ, ତା’ର ଆସନ ଅହଂକାର-ମନ-ବୁଦ୍ଧି ଉପରେ ସେଇଠି ରବି ତା’ର ପ୍ରତିପକ୍ଷ ।

 

ଏଥର ସେ ଭାବିଗଲା, ଜଣେ କ୍ଷମତା ପାଏ, ଗୋଟିଏ ପ୍ରକାର ଗଢ଼େ, ଆଉଜଣେ ଆସିଲାକ୍ଷଣି ପୁରୁଣା ଧରଣକୁ ଓଲଟାଇବାକୁ ଚେଷ୍ଟାକରେ, ସତେ କି ସେହି ଆଗଜଣଙ୍କର ଛୁଆଁତା କି ନାଁର ମୋହର ତା’ର ପ୍ରତିକାମରେ ଲାଗିରହିଛି, ଆଗ ତାକୁ ରଗଡ଼ି ପୋଛି ନିଶ୍ଚିହ୍ନ କରିବାକୁ ପଡ଼ିବ, ତା’ପରେ ପୋଛାପୋଛି ସିଲଟ ଉପରେ ଲେଖାହେବ ନୂଆ ଅକ୍ଷର ।

 

ଯେଉଁ ଛାଞ୍ଚ କି କାର୍ଯ୍ୟ ଉପରେ ବହୁତଲୋକଙ୍କ ଭଲମନ୍ଦ ନିର୍ଭର କରେ ତାକୁ ଖାଲି ଜଣେ ଜଣେ ଲୋକର ଅହଂକାର-ମନ-ବୁଦ୍ଧିର ବିଶିଷ୍ଟ ସରୂପ କରି ଗଢ଼ିଲେ ଭବିଷ୍ୟତକୁ ତା’ର ଫଳ କ’ଣ ହେବ ? ବ୍ୟକ୍ତିତ୍ୱ ବ୍ୟକ୍ତିତ୍ୱ କୁସ୍ତି କସରତର ଫଳଭୋଗ କରୁଥିବ ଦେଶ ଗୋଟାକ ? ଆଗ ଆଉ ପଛର ସମନ୍ୱୟକୁ ଛାଡ଼ିଲେ ଯୋଜନାର ବା ଅଣ୍ଟାଦମ୍ଭ ରହିବ କେମିତି ? ଓଲଟ ପାଲଟ ଏକର ସେକର ଭିତରେ ମୂଳରୁ ତା’ର ଥାଇତାପଣ ରହିବ କି ପ୍ରକାରରେ ? ସେହି ଯୁକ୍ତି ମନେପଡ଼ି ଯାଉ ଯାଉ ସେ ତା’ର ବ୍ୟକ୍ତିଗତ ଆନନ୍ଦକୁ ଚାପିଦେଲା । ଏଥର ଗତିକଲା ହୃଦୟ ଆଉ ଅହଂକାରର ଦାଢ଼େ ଦାଢ଼େ । ବିଶ୍ଵାସ କଲା, ସେ ଯାହା ମୂଲ୍ୟ ଦେଇଛି, ଉଚିତ୍ ବୋଲି ଭାବିଛି, ଠିକ୍ କରିଛି । ବ୍ୟକ୍ତି ବ୍ୟକ୍ତି ମତ ମତ ଭିତରେ କଳି ଏ ନୁହେଁ, ଏ କେବଳ ସତ୍ୟକୁ ଆଶ୍ରୟ, ସତ୍ୟ ପ୍ରତିଷ୍ଠା, ଯେ ଅବାଟରେ ଯାଉଛି ତା ପାଇଁ ସେ ଦୁଃଖିତ । ରବିର ଏ ବାଟ କେବଳ ଅସମ୍ଭବ କାଳ୍ପନିକ ଅଳ୍ପାୟୁଷ ପନ୍ଥା, ଏମିତି କେତେ ଲୋକ ତ କେତେ ପନ୍ଥା ଦେଖାଇଯାଇଛନ୍ତି ଯୁଗେ ଯୁଗେ, କିନ୍ତୁ ବାସ୍ତବ ବାସ୍ତବ ହୋଇ ରହିଛି, ମଣିଷର ସ୍ୱଭାବ ବଦଳି ନାହିଁ ।

 

ଖାଲି ତୁଣ୍ଡ କଥାରେ ‘‘ଦାନ ଦିଅ, ଏକ ଘର ହୁଅ, ହିଂସାଛାଡ଼, ଶ୍ରମକର’’-ଏମିତି କହି ଲାଗିଥିଲେ ଦେଶର ଉନ୍ନତି ହେବ ନାହିଁ, ଦୁଇଦିନ ପାଇଁ ଲୋକଙ୍କୁ ମତାଇ ଗୋଟାଏ ବାଟରେ ଅଡ଼େଇନେଲେ ସେ ଯାତ୍ରା ଚିରସ୍ଥାୟୀ ହେବ ନାହିଁ, କି ବୁଦ୍ଧି ପାଞ୍ଚିଲେ ଉନ୍ନୟନ ହୋଇପାରିବ, ଦେଶର ଅଜ୍ଞତା ଅଶିକ୍ଷା, ଅଭାବ, ରୋଗ ଦୂରହେବ ଆଉ ପୃଥିବୀର ଅନ୍ୟାନ୍ୟ ଉନ୍ନତ ଦେଶ ସଙ୍ଗେ ଏ ଦେଶ ସମକଛ ହେବ ସେଥିପାଇଁ କେତେ ଦେଶର କେତେ ବଡ଼ ବଡ଼ ମୁଣ୍ଡ ଏକାଠି ହୋଇ କାମ କରୁଛି । ଆଉ ରବି ! କ୍ଷୁଦ୍ର ରବି ! ସେ ଖାଲି ସମୟ ନଷ୍ଟ କରୁଛି, ଶକ୍ତିକ୍ଷୟ କରୁଛି ନିଜର ଓ ପରର !

 

ମଣିଷର ଅଭାବ, ଦୁଃଖ ଦୁର୍ଦ୍ଦଶା ଓ ନୈରାଶ୍ୟ ଭିତରୁ ଜନ୍ମ ହୁଅନ୍ତି ତା ପାଇଁ ଜାତି ଜାତିକା ବାବାଜୀ, ବାଟଦେଖାଳି; କାରଣ ମଣିଷ ସେତେବେଳେ କିମିଆଁ ଓ ଅସମ୍ଭବ ଆକସ୍ମିକତା ଉପରେ ନିର୍ଭର ରଖି ଦିନ କାଟୁଥାଏ । କିଏ ମନ୍ତୁରେଇ ପାଣି ଟୋପିଏ ଦେବ, କିଏ ଧୂଳି କି ପାଉଁଶ ମୁଠିଏ ଦେବ, କିଏ ଖାଲି ପ୍ରସନ୍ନ ହୋଇ ହସିଦେବ, ଏତିକିରେ ପୁଅ ନ ହେଲା ଲୋକର ପୁଅ ହେବ, ଚାକିରିରେ ପଦୋନ୍ନତି କି ବେପାରରେ ଲାଭ ହେବ, ଏଇଥିପାଇଁ ବାରମ୍ବାର ସୃଷ୍ଟି ହୁଏ ରନ୍ତଲେଇ । ସେମିତି ସାମାଜିକ ସଂସ୍ଥା ବଦଳାଇ ସ୍ୱର୍ଗରାଜ୍ୟ ଗଢ଼ିବାକୁ ଭରସା ଦେଇ ବାହାରି ପଡ଼ନ୍ତି ନାନା କିସମର ପଥପ୍ରଦର୍ଶକ-ଆସ, ଏଇ ବାଟେ ଚାଲ, ମୋରି ପଛେ ପଛେ ।

 

ଢେଲ ମୃଦଙ୍ଗ ବାଜେ, ଶଙ୍ଖ ହୁଳହୁଳି ଉଛୁଳେ, ଆପଣା ଆପଣା ସାଧାରଣ ବୃତ୍ତିଧନ୍ଦା ଛାଡ଼ି କେତେ ତ୍ୟାଗ ଦେଇ ପଲ ପଲ ହୋଇ ଲୋକେ ଧାଆଁନ୍ତି, ତା’ପରେ କେଉଁଠି ସେ ଯାତ୍ରା ନିଭିଯାଏ, ସେ ପଟୁଆର ଛିନିଛତର ହୋଇଯାଏ, ସେ ସୁଅ ସତ୍ତା ହଜାଇଦିଏ କେଉଁ କାଦୁଅ ସଢ଼ା ପୋଖରୀରେ । ତେଣୁ ନିର୍ଦ୍ଦେଶ ଦେବ କିଏ, ଖାଲି ହୃଦୟର ଉଛୁଳା ଆବେଗ ଆଉ ସ୍ୱପ୍ନ ଆଉ ଆଖିବୁଜା ବିଶ୍ଵାସ, ନ ଦେଖିଚାହିଁ ବୁଝି ବିଚାରି ହାତେ ମାପି ଚାଖଣ୍ଡେ ଚାଲିବାର ବାଗ ?

 

ରବିକୁ ସେ କେତେଥର ଏହିକଥା ବୁଝାଇ ବୁଝାଇ ଥକିଛି । ରବି କ’ଣ କହିବ ସେ ଜାଣେ, କହିବ–ମଣିଷର ନିହାତି ଭଲପଣରେ ତୁମର ଆସ୍ଥା ନାହିଁ, ସ୍ନେହ, ପ୍ରୀତି, ଆଶା, ବିଶ୍ଵାସଠି ତୁମର ଭରସା ନାହିଁ, ଆଉ ମଣିଷ କାହାକୁ ଘେନି ବଞ୍ଚିଛି ? ସନ୍ଦେହ ଅବିଶ୍ୱାସ ବିତର୍କ ଆଉ ଅତି ହୁସିଆରପଣିଆରେ ମଣିଷ ଗଢ଼ିଛି ସୃଷ୍ଟି–ଧ୍ୱଂସକାରୀ ବୋମା, ସେଇଆ ତୁମେ ଖୋଜୁଛି ?

ହେଇ ପାଟେଳି ଗାଁ ପାଖ ହେଲା । ରବିର ସେ ହସ ମନେ ପଡ଼ୁଛି । ତା’ ଘର ଏଠି ନୁହେଁ, କିନ୍ତୁ ଏ କୋଠ ତାହାରି ଧାସରେ । ଆଉ ଏ ଗାଁରେ ଅଛି ସିନ୍ଧୁ ଚୌଧୁରୀଙ୍କ ଝିଅ ଛବି । ସେହି ମନ୍ତ୍ରରେ ଦୀକ୍ଷିତା । ଚେହେରା ମନେ ପଡ଼ୁଛି । ଦିହେଁ ବିଭାହେଲେ କେଡ଼େ ସୁନ୍ଦର ହୁଅନ୍ତା ! ବିପିନ୍‍ ଭାବିଲା । ନା, ତା’ ବି ବୋଧହୁଏ ରବିର ଯୋଜନାରେ ନ ଥିବ !

ଆପେ ଜଳି ଏ ଦୁନିଆଁକୁ ଉଷୁମ କରିବ !

ସରଳ ମୂର୍ଖ !

ରକ୍ତ ଖତ, ମାଂସେ ଖତ, ହାଡ଼ ଖତ ହୋଇ ମହଣେ ବି ହେବ ନାହିଁ, ମାଣେ ଆଳୁ କ୍ଷେତକୁ ପାଏ ନ ପାଏ ।

ଆଉ ମଣିଷଗୋଷ୍ଠୀ ମନରେ ମଣିଷର ସ୍ମୃତି–ପାଣିରେ ଗାର ।

ବୃଥା ତା’ର ଜୀବନଟାକୁ ଉଜାଡ଼ି ଦେଉଛି । ପାଗଳାଟାଏ । ବିପିନ୍‍ ଦୀର୍ଘଶ୍ୱାସ ପକାଇଲା ।

ପାଟେଳି ଗାଁ ଏକରେ ଗୋଚର ଦଣ୍ଡା, ତିନିପଟ କ୍ଷେତ ପତ୍ତନକୁ ଅନାଇଁଲେ ଟିକିଏ ଢିପିଲା ଢିପିଲା, ମଝିରେ ପ୍ରକାଣ୍ଡ ଝଙ୍କା ବରଗଛ, ସମତଳ ଉପରେ ଆକାର ଆଉ ଅବସ୍ଥିତିପଣରେ ସେ ଏକୁଟିଆ ଏକୁଟିଆ ଦିଶୁଛି । ଦୂରରୁ କ୍ଷେତ ଉପରେ ଖରା ତାଉ ନାଚୁଥିଲା ପାଣି ଢେଉ ପରି, ଧୂଆଁଳିଆ ହାଲୁକା କୁହୁଡ଼ି ଗୋଳି ହୋଇଥିଲା, ଆଉ ସେହି ଗଛ ସତେ କି ସେଠି ଲଙ୍ଗର ପକାଇଥିବା ସ୍ଥିର ବୋଇତ ।

ଏଇଠୁ ଗାଁର ଆରମ୍ଭ, ଏଇ ମୁହାଁ ଲେଉଟନ୍ତି ଗାଁର ଗୋରୁପଲ, ବିଦେଶଫେରନ୍ତା ଗ୍ରାମଲୋକ ଏଠି ବୋଝ ବାହୁଙ୍ଗୀ ଥୋଇ ଟିକିଏ ହାଲିଆ ମାରେ ଅଥବା ବଟୁଆ ଖୋଲେ, ଆସନ୍ତା ଚିତ୍ରର ଅଦେଖା ଛଇ ସତେ ଅବା ତା’ର ମୁହଁ ଉପରେ ଖେଳିଯାଏ, କେତେ ସ୍ନେହ କି ଦାଉ ଅଦୋଭତିର ସମ୍ପର୍କ ଚେତନା, ବାଉଁଶପତ୍ର ଝିଲିଝିଲି ନଡ଼ିଆ ବାହୁଙ୍ଗା ସନ୍ଧିର ଛାଇ ଆଲୁଅର ଜାଲ ତା’ର ଚେତନା ଉପରେ ଘୋଷାରି ହେଲାପରି ଚାଲିଯାଏ । ଆଉ ଏଇଠୁ ଗାଁର ଶେଷ, ଏଇଯାକେ ବୋହୂ ସବାରୀ କରେ କରେ ଧାଇଁଆସନ୍ତି ତା’ର ବନ୍ଧୁସ୍ଵଜନମାନେ । ତା’ପରେ ସବାରୀ ବାଙ୍କ ବୁଲେ, ଆଉ ଦିଶେ ନାହିଁ, ଛାତିକୁ ପଥର କରି ସେ କଇଁ ବନ୍ଦ କରେ, ଦାନ୍ତଚିପି ଦୀର୍ଘଶ୍ୱାସ ପକାଇ ହେତୁ କରେ ତା’ର ଗୋଟାଏ ଜୀବନ ସରିଲା, ଏଣିକି ପର ଗାଁ, ପର ଘର ।

ଆଉ ବର ଆସିଲା ବେଳେ ରୋଷନି ସଜା ହୁଏ ଏଇଠୁ, ଏଇ ବରଗଛରେ ବନ୍ଧା ହୋଇ ଗଛବାଣ ଢାଇ ଫୁଟେ ।

 

ଏଇ ଆରମ୍ଭ ଆଉ ଶେଷର ସନ୍ଧି-ସିନ୍ଧୁ ଚୌଧୁରୀ ଭାଗବତର ଭାବ ଆବୋରି ବେଳେ ବେଳେ ଧ୍ୟାନରେ ବସନ୍ତି ଏଇଠି । ସତେ କି ଦୁନିଆଠୁଁ ଅରୁ କରଛଡ଼ା ଦେଇ ଟିକିଏ ଥାନ–ଦୁନିଆ ବିଷୟରେ ଭାବିବାକୁ ।

 

ସେଇଠି ଖରାବେଳେ ସେ ଗଛତଳେ ଗହଳି ଲାଗିଥିଲା, ସତେ କି ଗାଁ ଯାକର ସବୁ ସ୍ତ୍ରୀ-ପୁରୁଷ ଉଠିଆସିଥିଲେ । ଆଉ ଆଖପାଖ ଗାଁରୁ ବି କେତେ ।

 

ସେମାନଙ୍କର ଆଲୋଚନା ଚାଲିଥିଲା, ଦଣ୍ଡାବାଟେ ମଟରଗାଡ଼ି ଆସୁଛି, ସେମାନେ କୁତୂହଳରେ ଅନାଇଁଲେ । ବିପିନ୍ ଗାଡ଼ିରୁ ଓହ୍ଳାଇ ପଡ଼ିଲା । ଗହଳି ଭିତରୁ କିଏ ସେ ଯେ ଆଗେଇ ଆସୁଛି ? ସେ ମୁହଁ ହସିଲା । ରବି ।

 

ରବିର ଚେହେରାରେ ବହୁତ ପରିବର୍ତ୍ତନ । ମୁହଁର ଦୀପ୍ତି ବଢ଼ିଛି । କିନ୍ତୁ ଦେହ ଶୁଖିଯାଇଛି, ଖରାରେ ପାଟି କରଡ଼ା ହୋଇଛି । କାମିଜ ଖଣ୍ଡକର ଭଦ୍ର ଭେକ ତା’ର ଛାଞ୍ଚକୁ ସୁଠାମ କରି ଦେଖାଇ ପାରୁ ନାହିଁ । ଶ୍ରମ ସେ ଶରୀରକୁ ଆପଣା ଛାଞ୍ଚରେ ଢାଳିଛି । କପାଳର ଗାର, ଥୋଡ଼ିର ଦାଢ଼, ଗାଇର ହାଡ଼, ଚାହାଣିର ମୁନ ଆଉ ଗମ୍ଭୀରତା, ସମୁଦାୟ ଠାଣି, ସବୁ ଏକାଠି ହୋଇ ସେ ମୁହଁରେ ଛବି ଫୁଟାଇଛି । ଗୋଟିଏ ବିଶିଷ୍ଟ ଚରିତ୍ରର, ଅନାଇଁଦେଲେ ବୁଝିହୁଏ, ଏ ମଣିଷ ଏ କାଟର, ଏଇ ଏଇ ବ୍ୟବହାର ଏଠି ସମ୍ଭବ, ଏଇ ଏଇ ବ୍ୟବହାର ସମ୍ଭବ ନୁହେଁ ।

 

ରବିର ଦୁଇ ହାତକୁ ଧରି ପକାଇ ତା’ ମୁହଁକୁ ଅନାଇ ହସୁ ହସୁ ବିପିନ୍‌ର ହସ ଖାଲି ମୁଖା ହୋଇ ରହିଗଲା, ଚାଉଁକିନା ଲାଗିଲା-“ଏକାଠି ପଢ଼ୁଥିଲେଁ ବଢ଼ୁଥିଲେଁ ସତେ, କିନ୍ତୁ ବଢ଼ୁ ବଢ଼ୁ, ଖଣ୍ଡେଦୂର ଯାଇ ଚାପରେ ମୁଁ ଗଛ ନ ହୋଇ ଲଟା ହୋଇଗଲି, ଭାଡ଼ି ଉପରେ ଲଟେଇଗଲିଣି ଅରାଏ, ଏ ମଣିଷ ଚାଲିଛି ସୋଡ଼ ସୋଡ଼ । ଏ ଅଛି ସ୍ୱାଧୀନ, ସଳଖ, ନିର୍ଭୀକ, ନିର୍ଜଞ୍ଜାଳ । ଏ ବ୍ୟକ୍ତିତ୍ୱରେ ଛାତ ପଡ଼ି ନାହିଁ, ଏ କ’ଣ ହେବ, କେଉଁଠି ଅଟକିବ କହି ହେବ ନାହିଁ । ଆଉ ମୁଁ ?’’

 

ସେହି ଭାବର ଧାସ ଲାଗି ରବିର ଆନନ୍ଦ ମଉଳି ଯାଇ ତା ଆଖିରେ ଫୁଟି ଉଠିଲା କରୁଣା । କୋଟ୍ ପ୍ୟାଣ୍ଟ୍ ଟାଇ ଛଇ ଆଉ ଇଂରାଜୀର ଶିଉଳିଲଗା ପଥର ପାଚେରୀ କେତେଥର ତା’ ଆଖି ଆଗରେ ଉଭେଇଯାଇଛି, ତା’ ସେକରେ ସେ ଦେଖିଛି ଭାବ ଓ ବ୍ୟକ୍ତିତ୍ୱର ଦାରିଦ୍ର୍ୟ, ନିଃସହାୟତା, ଆକୁଳତା, ଆଉ ଏଇ ହେଇଟି ବିପିନ୍, ତା’ ବାଟରେ ସାଫଲ୍ୟ ପାଉଛି ସେ ଚଞ୍ଚଳ ଚଞ୍ଚଳ, ଅଥଚ ଚାହୁଁଛି କେମିତି ! ଗତିରେ ମାତି ଚାଲିଥିବ ସେ ଯନ୍ତ୍ର ପରି, ଜାଣତା ମନରେ କିଛି ଅନୁଭବ କରିବାକୁ ଅଭ୍ୟାସ ନ ଥିବ, ଯେତେବେଳେ ଅନୁଭବ କରୁଥିବ ତା ଖାଲି କ୍ଲାନ୍ତି ।

 

ତା ମୁହଁରେ ଏ ହସ ନୁହେଁ ଖାଲି ଗୋଟାଏ ମୁଖା, ପଦାକୁ ଗଲାବେଳେ ଯେମିତି ସେ ଗୋଟାଏ କୋଟ୍ କି ଜାମା ଗଳାଇ ପକାଏ ଭିନେ ଭିନେ ସମୟ ପାଇଁ ସେମିତି ଏ ଗୋଟାଏ ଲେଖାଏଁ ଅଭ୍ୟସ୍ତ ଭଙ୍ଗୀ । ହୁଏତ ଏ ହସ ଗୋଟାଏ ବର୍ଷାତି କାମ ଦେଇଥିବ । ଚିପି ଚିପି କଥା କହୁଥିବ, କାଳେ ବେଶି ବାହାରିଗରେ ଅଡ଼ୁଆ । ଯେଉଁକଥା କହୁଥିବ ତା’ ବି ତା’ ନିଜର ନୁହେଁ, ତାଠୁଁ ବଡ଼ ଆଉ କେଉଁମାନେ ତାଙ୍କରି ମତ ସେ କହୁଥିବ ।

 

ତା’ ବୋଲି ତା’ ପାଖରେ ବି ! କିନ୍ତୁ ସେ ଏକୁଟିଆ ନୁହେଁ, ସାମ୍ନାରେ ଏ ଜନତା । ୟା ପରେ ହୁଏତ ମନ ଗୌଣ କରିବାର ଗୁପ୍ତ ବିକାର ତାଠି ପ୍ରତିକ୍ରିୟା ଦେଖାଇବ, ଆରମ୍ଭ ହୋଇଗଲାଣି, ଛାତିକୁ ଆଗକୁ ଡେରି, ଟାଙ୍କି ହୋଇ ଛାଣ୍ଟ୍‌ହୋଇ ସେ ସାମ୍ନାକୁ ଅନାଇଲାଣି, ହସରେ ସାମାନ୍ୟ ତାଚ୍ଛଲ୍ୟ । ବିପିନ୍ ପଚାରିଲା-“କେଡ଼େ ଆଶ୍ଚର୍ଯ୍ୟ ଏ ଯୋଗ ! କିଏ ଜାଣିଥିଲା ଏଇଠି ଆମେ ଦେଖା ହେବା ବୋଲି ? କୁଆଡ଼େ ଏଣେ ଗଡ଼ିପଡ଼ିଛି ? କଥା କ’ଣ ?’’

 

ରବି ହସିଦେଇ କହିଲା, ‘‘ଏଡ଼େ ସହଜରେ କହିଦେବି ?’’

 

ବିପିନ୍ କହିଲା, ‘‘ପଞ୍ଚାୟତ ଗଢ଼ାହେବା ବିଷୟରେ ଏଠି କ’ଣ ମନାନ୍ତର ହୋଇଥିଲା ପରା ?’’

 

ଛବି ହସୁଛି । ଆଉ କେତେଜଣ ହସୁଛନ୍ତି । ରବି କହିଲା, “ କେତେ ଅନୁଷ୍ଠାନ ତିଆରି ହୁଏ, ଥାନା ବସେ, ପୋଷ୍ଟ ଅଫିସ ବସେ, ପଞ୍ଚାୟତ ବି ଚାରିଆଡ଼େ ବସିଛି ବସିବ, ଏଥିରେ ମନାନ୍ତର କ’ଣ ?’’

 

କିଏ ଜଣେ କହିଲା, “ଯାହା ଅଡ଼ୁଆ ଥିଲା ଏଇଠି ତୁଟି ସାରିଲାଣି ।’’

 

ବିପିନ୍ କୁତୂହଳୀ ହୋଇ ପଚାରିଲା, “ବାଃ ! ତୁଟିଗଲା ! କି କି ସର୍ତ୍ତରେ ?’’ ରବି ହସି ଦେଇ କହିଲା, ବିନା ସର୍ତ୍ତରେ । ଆସ ବସ ।’’

 

ସୁଦର୍ଶନ ଦାସ ଠିଆ ହୋଇପଡ଼ି କହିଲେ,“ହଜୁରେ ଜାଣିବା ଦରକାର । ଏ ଗାଁରେ ଦଳେ ଲାଗିଥିଲେ କେମିତି ଏଠି ପଞ୍ଚାୟତ ନ ହେଉ, କହୁଛନ୍ତି ସବୁ ତ ତାଙ୍କର କୋଠ ହୋଇଯାଇଛି ଆଉ ସରକାରୀ ପଞ୍ଚାୟତ ବଳକା କ’ଣ ? ଅଡ଼ି ବସିଲା ପରି ରହିଥିଲେ । ତା’ପରେ ଏ ବାବୁମାନେ ଆସିଗଲେ, ବୁଝାବୁଝି କଲେ, କଥା ତୁଟିଲା ସବୁଠିଁ ଯେମିତି ଏଠି ବି ସେମିତି ପଞ୍ଚାୟତ ବସିବ । ସେଇକଥା ତ ଆଗରୁ କହିଥିଲେ କାମ ସରିଥାନ୍ତା, ଦେଶଗୋଟାକ ତ ଗୋଟାଏ ସରକାର, କିଏ କ’ଣ ତା ବାହାରେ ?’’

 

ଗହଳି ଭିତରେ ଗୋଟାଏ ଗୁଣୁ ଗୁଣ ଖେଳିଗଲା, ବହୁତ ଲୋକ ସୁଦର୍ଶନ ଦାସ ମୁହଁକୁ ଅନାଇଁଲେ । ଜଣାଗଲା ଯେପରି ତାଙ୍କ କଥା ଏ ପରିସ୍ଥିତିକୁ ବେସୁର ଶୁଭିଲା, ଅବାଗିଆ ଅଝଟପଣ ସତେ କି ତାକୁ କଥାରେ ଠାଣିରେ ଫୁଟି ବାହାରିଲା । କିଏ କହିଲା, “ବସ ମ”, କିଏ କହିଲା, ‘‘କାହିଁକି ଗୁଡ଼ାଏ ଭାକୁଚିଆଳି ହେଉଛି ?’’ ନାନା ମନ୍ତବ୍ୟ ଭିତରେ ସେ ବସିପଡ଼ିଲେ ।

 

ଠିଆ ହେଲେ ସିନ୍ଧୁ ଚୌଧୁରୀ । ସତେ ଯେମିତି ସମ୍ମାନ ଦେଖାଇ ସମସ୍ତେ ତୁନୀ ହୋଇଗଲେ । କହିଲେ, “ଆଲୋଚନା ବହୁତ ହୋଇଯାଇଛି, ଆଉ ପୁଣିଥରେ ତାକୁ ମୂଳରୁ କହିଗଲେ ସେତିକି ବେଳ ଲାଗିବ । ଆମର କୌଣସି କଳିଗୋଳ ନ ଥିଲା, ଠାକୁରେ କରନ୍ତୁ ନ ରହୁ ବି ଭବିଷ୍ୟତରେ । ଏ ଗାଁରେ ଭାଗେଲୋକ ସ୍ଵଇଚ୍ଛାରେ ସମ୍ପତ୍ତିବାଡ଼ି, ସୁଖଦୁଃଖ କୋଠ କରିଦେଇଛନ୍ତି, ମଝିରେ ମଝିରେ ଆଉ କାହା କାହା ମନ ବଦଳୁଛି କିଏ ଆସି କୋଠରେ ମିଶୁଛି, କାହାର ମନ ହେଲେ କୋଠରୁ ଫିଟି ବି ଯିବ, ନିଜ ରାଜିର କଥା, ବଳାବଳି ନାହିଁ । ୟେ ହେଲା ଚଳିବାର ଗୋଟାଏ ବାଗ, ସବୁବେଳେ ଲାଗୁଛି ଆମେ ଯେତେ ଜାତି, ଯେତେ ପରିବାର ହେଲେ ବି ସମସ୍ତେ ମିଶି ଗୋଟିଏ ଘର, ପ୍ରତି ଜଣକ ପାଇଁ ସମସ୍ତେ ଅଛନ୍ତି । ନିଜ ପାଇଁ ନିଜେ ଧନ୍ଦି ହୋଇ ହୋଇ ତଳେ ନାକ ଘୁଷୁରେ, ଆମର ତା ନାହିଁ । ଜଣକଠୁଁ ଜଣେ ଛଡ଼େଇ ଖାଇବ ବୋଲି କେତେ କୂଟକପଟ ଲାଗେ, ଆମର ତ ନାହିଁ । ବାକୀ, ତାଷ ବଢ଼େଇବା, ଭଲ ଫସଲ କରିବା, ଶିକ୍ଷା ସ୍ଵାସ୍ଥ୍ୟ ବୁଦ୍ଧିଜ୍ଞାନ ବଢ଼େଇବା, ସବୁ ବିଷୟରେ ଉନ୍ନତି କରିବା-ଏ ଉଦ୍ଦେଶ୍ୟ ସମସ୍ତିଙ୍କର ଚହିବା ଉଚିତ, ଆମର ବି ଅଛି । କେଉଁଠି ଜଣେ ପାରିବାର ହେଲେ ତା ଜମିଟିକି ଭଲ ଉଠିଆ କରେ, ତା ପାଖ ଜମିଟି ନି ପାରିଲା ଲୋକର ହୋଇଥିଲେ ସେମିତି ପଡ଼ିଥାଏ, ଆମର ତା’ ନାହିଁ, ସବୁ ଜମି ସମସ୍ତିଙ୍କ ହାତଲାଗି ଭଲ ଉଠିଆ ହେଉଛି, ସମସ୍ତେ ପାରୁପର୍ଯ୍ୟନ୍ତ ଲାଗିଛନ୍ତି । ଫସଲ କହ, ରହିବା ଘର କହ, ମତିଗତି କହ, ତା’ ଭଲ ହୋଇଛି କି ନାଙ୍କରା ହୋଇଛି ଯେ ଦେଖିଥିଲା ଅଇଛା ଦେଖୁଛି ସେ କହିବ, ନିଜେ ଢୋଲ ପିଟି ଲାଭ ନାହିଁ ।’’

 

ସମସ୍ତେ ବିପୁଳ ଉତ୍ସାହରେ ତାଙ୍କୁ ସମର୍ଥନ କଲେ । କରିକିଆ ହୋଇ ଗହଳି ସେକରେ ଅଗଣି ରାଏ ବସିଥିଲେ, ଖେଙ୍କି ଦେଇ କହିଲେ, ବାରଭାଇଆ ବେମୁରବିଆ ଯୁଗ ହେଲା, ମାନ୍ୟ ନାଇଁ ମାନତା ନାଇଁ, ଚୌଧୁରୀଙ୍କ ତୁଣ୍ଡରୁ ଫେର୍ ୟା ଶୁଣାଗଲା ।’’

Unknown

 

କଥାଟା ବେସୁରା ହେଲେ ବି ସେଥିରେ ଗୋଟାଏ ବିଜୁଳି ଚମକ ଲାଗିଗଲା, ଏଠି ସେଠି କେତେ ଲୋକ ମୁହଁ ଚାହାଁଚାହିଁ ହେଲେ । ସିନ୍ଧୁ ଚୌଧୁରୀ ହସିଦେଲେ, କହିଲେ, ଯୁଗରେ ଅଡ଼ୁଆ କିଛି ନାହିଁ, ସବୁ ଅଡ଼ୁଆ ତ ଆମ ମନ ଭିତରେ । ଆଚ୍ଛା ଏଇ ଗାଁ ଖଣ୍ଡକୁ ଦେଖ ୟେ ଭଲ ଆଡ଼କୁ ଯାଉଛି ନ ମନ୍ଦ ଆଡ଼କୁ ଯାଉଛି ? ଆମ ଭିତରେ ପୁରୁଣା ଏଇ ଗଛଟା । ତା’ର ତୁଣ୍ଡ ନାଇଁ, ନ ହେଲେ ସେ ଅସଲି ସତ କଥାଟା କହିଦିଅନ୍ତା । ଏ ଯୁଗରେ ଗାନ୍ଧୀ ଜନ୍ମ ହୋଇଥିଲେ, କେତେ ସିଦ୍ଧ ସାଧକ ତ୍ୟାଗୀ ଜନ୍ମହୋଇ କାମ ଦେଖାଇଲେ, ଯୁଗକୁ ନିନ୍ଦିବା କାହିଁକି ? ଆମ ପଛକୁ ଆଉ ଶହେ ବର୍ଷ ଗଲା ଉତ୍ତାରୁ ଲୋକେ କହିବେ ଏ ଯୁଗରେ ସତ ଉପୁଜିଥିଲା । ପଛ ଯେଉଁ ଯୁଗ ସେଥିରେ ଆମେ ନାନା ସଦ୍‌ଗ୍ରନ୍ଥ ନାନା ଧର୍ମନୀତି ଅବଶ୍ୟ ପାଉଛୁଁ, ସେ ସବୁ ବହିରେ ଲେଖା ହୋଇଛି । ତେବେ ମାଦଳା ପାଞ୍ଜିରେ ଯାହା ଲେଖା ହୋଇଛି, ଇତିହାସରେ ଯାହା ରହିଯାଇଛି, ତାକୁ ଏ ଯୁଗକୁ ମିଳେଇ ଦେଖିଲେ ଆମେ କ’ଣ ଦେଖୁଛୁଁ, ମଣିଷର ଭଲପଣିଆଁ, ବିଚାର, ସ୍ନେହ ପ୍ରୀତି, ନ୍ୟାୟ ଅନ୍ୟାୟର ଧାରଣା ଏସବୁ ବଢ଼ିଚି ନା କମିଛି ? ସେତେବେଳେ କୂଟକପଟ କଳିଦ୍ୱନ୍ଦ ବଢ଼ି ବଢ଼ି ମନ ଫଟାଫଟି ହୋଇ ହଣାହଣି ହୋଇ ବାରମ୍ବାର ବିଦେଶୀ ଅଧୀନରେ ଦେଶ ରହୁଥିଲା, ଏବଠୁଁ ଲୋକ ଅଳ୍ପ ଥିଲେ ବି ଯେଉଁତକ ଥିଲେ ସେ ରହିଥିଲେ ତଳ ଉପର ଥାକ ଥାକ ହୋଇ, ଉପରେ କେଇଟା ଭାରି ଭଲ ଚଳୁଥିଲେ ତ ତଳେ ବଡ଼ ଭାଗକ ଚାପି ହୋଇ ରହୁଥିଲେ, ତାଙ୍କର ଆଉ ଭଲମନ୍ଦ ନାହିଁ । ଦେଶ କଥା କ’ଣ କହୁଚ ଘରେ ଘରେ ଥିଲା ଉପର ଲୋକଙ୍କ ଦାଉ, ତଳ ଲୋକଙ୍କ ଭାଗ୍ୟରେ ସବୁ ଅନିଭୋଗ ସହି, ମୁହଁରେ ତୁମ୍ବିଦେଇ ବେଳ କଟେଇଯିବା ଛଡ଼ା ଉପାୟ ନ ଥିଲା, ନିଆଁକୁ ଅଣ୍ଟିରେ ପୂରାଉଥିଲେ ଉପରେ ଦେଖିଲାବେଳକୁ ସବୁ ଚିକ୍‍କଣ ଚିତା ଚଇତନ । ମଣିଷ ମାରିବା ଦଳେ ଲୋକଙ୍କ ଧର୍ମ ହୋଇଥିଲା, ଯେ ଯେଡ଼େ ଦଗାବାଜ, ମାରଣା, ହେରେମା, ସେ ସେଡ଼େ ବୀର, ପ୍ରତାପୀ, ହିଂସାକୁ ସ୍ୱାର୍ଥକୁ ଅହମିକାକୁ ଆମେ ଖଟୁଲିରେ ଥୋଇ ପୂଜା କରୁଥିଲୁଁ । ଏ କ’ଣ ମିଛ କଥା ? ନା, କହିବି ନାଇଁ କହିଲେ ଏ ଘରେ ରହିବି ନାଇଁ-?’’

 

ବିପିନ୍ ରବି ପାଖକୁ ପାଖ ଲାଗି ବସି ରହିଥିଲେ, ସିନ୍ଧୁ ଚୌଧୁରୀଙ୍କ କଥାକୁ ରବି ସତେ କି ଗିଳି ପକାଉଥିଲା । ରବି ହସି ଦେଇ ତୁନିତାନି କହିଲା, ‘‘ସଭା ମଣ୍ଡପ ନାହିଁ, ତଥାପି ଏ ସଭା; ମାଇକି ନାହିଁ, ତଥାପି ଏ ବକ୍ତୃତା, କେମିତି ଲାଗୁଛି ?’’ ବିପିନ୍‍ ଦୀର୍ଘନିଶ୍ୱାସ ପକାଇ କହିଲା, ‘‘ବାପ୍‌ରେ !’’

 

ସଭା ଭାଙ୍ଗି ଆସୁଥିଲା, ସିନ୍ଧୁ ଚୌଧୁରୀଙ୍କ କଥା ଶୁଣୁ ଶୁଣୁ ପୁଣି ଲୋକେ ମନ ଲଗାଇ ବସିରହିଲେ । ସିନ୍ଧୁ ଚୌଧୁରୀ ଟିକିଏ ଅଟକି ରହି ପୁଣି କହିଲେ,“ଏମିତି ଗୋଟିଏ ବାଗ ଅମର ଏଠି ଚାଲିଛି । ଏ ପର୍ଯ୍ୟନ୍ତ ବଢ଼ି ବଢ଼ି ଚାଲିଛି, ଲୋକଙ୍କ ମନକୁ ପାଇଛି । ତା’ପରେ ଅଇଛା ଆସିଲା ପଞ୍ଚାୟତ ବସେଇବା କଥା । ଆଇନ୍ ହୋଇଛି, ସରକାର କହିଛନ୍ତି, ସେ ହେବ । କେତେଲୋକ ଭାବିଲେ ପଞ୍ଚାୟତ ହେଲେ ଆମର ଏ ବାଗଟାକୁ ଭାଙ୍ଗିଦେବାକୁ ପଡ଼ିବ । ଆଲୋଚନା ଚଳେଇଲେ, ସେଇ ହେଇ ଅନର୍ଥ ସୂତ୍ରପାତ ହେବାର କାରଣ ।’’

 

ସେ କହୁ କହୁ ତାଙ୍କ କଥାକୁ ସମର୍ଥନ ଜଣାଇଁ ଖୁବ୍ ଜୋରରେ କେତେଲୋକ ଆଗକୁ ପଛକୁ ମୁଣ୍ଡ ଝାଙ୍କୁଛନ୍ତି । ଏଠି ସେଠି ଅଳ୍ପ ଗୋଟି ଗୋଟିକିଆ ଲୋକ ବାଁଆରେଲ ହେଲା ପରି ୟାଡ଼କୁ ସ୍ୟାଡ଼କୁ ଚାହୁଁଛନ୍ତି, ସେମାନେ ଭିନେ ଗୋଠର, ବିପିନ୍ ଲକ୍ଷ୍ୟ କଲା । ଏବେ ବୁଝିଲା ଉତ୍ତେଜନାର କାରଣ କ’ଣ ଓ ରବି କାହିଁକି ଏଠିକି ଆସିଛି ।

 

ଭୁସ୍ କରି ଘାଗଡ଼ା ଗଳାରେ ଜଣେ କହିଲା, “ଅନର୍ଥ-ଅନର୍ଥ-ଦେହରେ ଯାଉ ନାହିଁ, ସେଇଥିପାଇଁ ଲୋକଙ୍କୁ ଫୁସୁଲୋଉଛନ୍ତି, ବାହାରି ଆସ, ଆମର ଆମେ ପଞ୍ଚାୟତରେ ମିଶିବା, ସରକାର ଟଙ୍କା ଦେବେ–ଅସଲ ମଞ୍ଜ ହେଲା ଟଙ୍କା-’’ ପୁଣି ମଝିରେ ଏକଥା ଲାଗି ଲାଗିଗଲା ସାମାନ୍ୟରେ ବୋଲାବୋଲି, ଦୋଷ ଦିଆଦେଇ ।

 

ସିନ୍ଧୁ ଚୌଧୁରୀ ପୁଣି କହିବାକୁ ଆରମ୍ଭ କଲେ । କହିଲେ, ଥାଉ, ଶୁଣ । ଏ ଚଳଣିର ରହିବା ଭାଙ୍ଗିବା ସଙ୍ଗରେ ପଞ୍ଚାୟତର କ’ଣ ଅଛି ? ପଞ୍ଚାୟତ ଭିତରେ ଘର ଘରକେ ନାନା ପରିବାର ତ ରହିବ ? କେଉଁଟା ସାନ ଘର, କେଉଁଟା ବଡ଼ ଘର, କେଉଁଟା ଜଣେ ମଣିଷର ଗୋଟିଏ କୁଟୁମ୍ବର ଘର, କେଉଁଘର କୋଠ, ବହୁକୁଟୁମ୍ବୀ । ସେମିତି ଆମର ଏ ସତୁରିଟି ଘର ମିଶି ଗୋଟିଏ ଘର, ବଖରାଗୁଡ଼ାକ ଏଠି ସେଠି ଠାଆ ଠାଆ, ଲୋକମାନଙ୍କର ଅଲଗା ଅଲଗା ଜାତି, ଅଲଗା ଅଲଗା ବାପ ମା, କିନ୍ତୁ ଘର ଗୋଟିଏ । ଏଇ ଘର ଯଦି ଆଉ ଟିକିଏ ବଡ଼ ହୋଇଥାନ୍ତା, ଯେମିତି ଏ ଗାଁ ଗୋଟାକଯାକ ଏକାଠି, ଆଉ ସେ ଘର ନାଁ ହୋଇଥାନ୍ତା ପଞ୍ଚାୟତ, ଆହୁରି ଭଲ ହୋଇଥାନ୍ତା । ତେବେ ସେଥିକି ଦୁଃଖ ନାହିଁ, ଏ ଘର କେଡ଼େ ବଡ଼ କି କେଡ଼େ ସାନ ହେବ ସେ କଥା ଲୋକଙ୍କୁ ସ୍ୱାଧୀନ ରାଜି ଉପରେ ନିର୍ଭର କରେ, ସେଥିକି ଆଇନ୍‍ର ବଳ ନାହିଁ, କାହାରିକି ବାଧ୍ୟ ନାହିଁ । କିନ୍ତୁ ପଞ୍ଚାୟତ ତ ତା ନୁହେଁ, ତାକୁ ଗଢ଼ୁଛନ୍ତି ସରକାର, ତାକୁ ଗଢ଼ିବାକୁ ଆଇନର ବଳ ଅଛି, କେଉଁ କେଇଁ ଗାଁ ମିଶିଲେ ପଞ୍ଚାୟତଟିଏ ହେବ ତାକୁ ସରକାର ଘୋଷଣା କରିଦେବେ । ସବୁଠିଁ ହେଉଛି, ଏଠି ବି ନିଶ୍ଚୟ ହେବ । ଆମର ଏ ଘର ଭିତରୁ ପଞ୍ଚାୟତ ସଭ୍ୟ ହୋଇ କେହି ରହିବେ କି ନାହିଁ ସେଇଟା କିନ୍ତୁ ସରକାରଙ୍କ ଇଚ୍ଛା ଉପରେ ନାହିଁ, ଆମେ ଯିବୁ କି ନାହିଁ ଆମେ ଭାବିବୁଁ, ଆମକୁ ରଖା ହେବ କି ନାହିଁ ଅନ୍ୟମାନେ ଭାବିବେ । ଆମ ଭାବିବା କାମଟା ଆମେ ଫଇସଲା କରିଦେଇଛୁଁ । ନାଁ ନ ଖୋଜି, ଆପଣା ପାଇଁ ସ୍ଵାର୍ଥ ଆଉ ସୁବିଧା ନ ଖୋଜି ସବୁ ସଭ୍ୟ ଯଦି ପରିଶ୍ରମ କରିବାକୁ ରାଜି ହେବେ, ଯେମିତି ସମସ୍ତିଙ୍କର ଉନ୍ନତି ହେବ, ଆମେ ସେ ସଭ୍ୟମଣ୍ଡଳୀରେ ରହି କାମ କରିବୁଁ । ସମସ୍ତେ ବସି ଏକ ମନ ଏକ ବିଚାରରେ ଯଦି ଠିକଣା କରିବେ କିଏ କିଏ ସଭ୍ୟ ରହିବେ, ଆମେ ସେଥିରେ ମିଶିବୁ । ଯଦି ମୂଳରୁ ମନ ଅମେଳ ହେବ, କିଏ ସଭ୍ୟ ହେବ ସେ କଥା ଭୋଟ ଲଢ଼େଇରେ ତୁଟିବା କଥା ହେବ, ଆମେ ସେ ଅଡ଼ୁଆକୁ ଯିବୁ ନାହିଁ । ସମସ୍ତିଙ୍କ ରାଜି ନ ହୋଇ ଅଳ୍ପମତକୁ ବହୁମତରେ ମାଡ଼ିଦଳି ଯେଉଁ ଭୋଟଜିତା ବ୍ୟବସ୍ଥା, ପଛରେ ସେ ଅଡ଼ୁଆ ଲଗାଏ, ବହୁମତରେ ଜିତାପଟ ଅଳ୍ପମତରେ ହାରିଲାପଟ ଉପରେ ଅକସ ରଖିବେ, ଦାଉ ସାଧିବେ ଆଉ ଅଳ୍ପ ମତପଟ ସବୁବେଳେ ଚେଷ୍ଟା କରୁଥିବେ ବହୁମତପଟରୁ କଳେ ବଳେ କୌଶଳେ ଗୋଟିଏ ଗୋଟିଏ ଓଟାରି ଓଟାରି ସେମାନେ କେମିତି ନିଜ ଦଳଟାକୁ ବଢ଼ାଉଥିବେ, ତା’ପରେ ସେମାନେ ହେବେ ବହୁମତପଟ । ତାହେଲେ ଆମେ ଉନ୍ନୟନ, ଉତ୍ପାଦନ କ’ଣ କରିବା, ବେଳ ଯିବ ପେଞ୍ଚ ଫିକରରେ, କଳି ଗୋଳରେ, ଛକାପଂଝା ଖେଳିବାରେ । କୌଣସି କାମ ସୁରୁଖୁରୁରେ ହେବ ନାହିଁ କି କୌଣସି ଭଲ କାମ ହେବ ନାହିଁ । ଦଳେ ଦିନବେଳେ ଜିନିଷଟିଏ ଗଢ଼ି ଥୋଇଦେଲେ ଆଉ ଦଳେ ରାତିରେ ଛପି ଛପି ଆସି ତାକୁ ଭାଙ୍ଗିଦେବେ । ଭୋଟ ଲଢ଼େଇ ବି ହିଂସା, ଆଉ ହିଂସାରୁ ତ ହିଂସା ଉପୁଜେ, ଆଉ କ’ଣ ?’’

 

ଦୋକାନୀ ହରି ସାହୁ ତୁନୀ ହୋଇ ବସି ରହିଥିଲା । ଆଗ ବସିଥିଲା ଚେକାମହୁଲି ପକାଇ, ତା’ପରେ ବସିଲା ସଳଖ ହୋଇ ଆଣ୍ଠୁ ଟେକି, ତା’ପରେ ତା’ର ଯୋଡ଼ା ନଳିଗୋଡ଼ ଉପରେ ତା ଦୁଇ ବାହା ଟାଣକରି ବେଢ଼ାଇଦଲା, ତା’ପରେ ତା’ର ଆଣ୍ଠୁ ଉପରେ ଥୋଡ଼ି ମାଡ଼ିହୋଇ ରହିଲା, ତଳକୁ ଦୃଷ୍ଟି, ଯେପରି ସେ ତା’ର ଅଭ୍ୟସ୍ତ ଲୀଳାବତୀ ସୂତ୍ରର କେଉଁ ଜଟିଳ ସମସ୍ୟା ସଙ୍ଗେ ମନେ ମନେ କସରତ କରୁଛି, ମନର ମନ ନଇଁପଡ଼ିଛି ଗୋଟିଏ ବିନ୍ଦୁ ଉପରେ । ଗାଁର ଧନୀ ହରି ସାହୁ, ପଦେ କଥାର ଲୋକ, ଖଣ୍ଡା ଦାଢ଼ରେ ବାଟ ଚାଲିଲା ଲୋକ-ଲୋକେ କହନ୍ତି । କୋଠବାଗର ନୂଆ ଚଳଣି ପ୍ରତି ତା’ର ବହୁତ ଝୁଙ୍କ, ସେ ଦେଇଛି, ସାହାଯ୍ୟ କରିଛି, ଖବର ବୁଝିଛି, କିନ୍ତୁ ଏପର୍ଯ୍ୟନ୍ତ ସେଥିରେ ମିଶି ନାହିଁ ।

 

ସିନ୍ଧୁ ଚୌଧୁରୀଙ୍କ କଥା ସରୁ ସରୁ ସେ ତା’ର ଧ୍ୟାନରୁ ଉଠି ବିଳିବିଳେଇଲା ପରି କହିଲା, ‘‘ହେଇଗଲା ।’’

 

ପାଖରେ ଥିଲେ ଗଦେଇ ଲେଙ୍କା, ପଚାରିଲେ, ‘‘କ’ଣ ହେଇଗଲା । ସାହୁଏ ?’’ ହରି ସାହୁ ଉତ୍ତର ଦେଲା ନାହିଁ, ଠିଆ ହୋଇପଡ଼ିଲା । ତା ପାଟି ଉପରେ, ବେକ ଉପରେ, ପେଟ ଉପରେ ଟୋପା ଟୋପା ହୋଇ ଖରା ପଡ଼ିଛି । ତା ମୁହଁର ଭଙ୍ଗୀ ଦିଶୁଛି ଅସାଧାରଣ ।

 

ହରି ସାହୁ କହିଲା, ‘‘ଆଉ ଦୋ-ନାବଡ଼ିଆ କାହିଁକି, ମୁଁ ବି ଜାଣ ଏଇ କୋଠରେ ମିଶିଗଲି । ଏକା ଜଣକର କାହିଁକି ? ସବୁ ସମସ୍ତିଙ୍କର ।’’

 

ଏକାଠି ବହୁତ ପାଟିରୁ ଆଶ୍ଚର୍ଯ୍ୟ ହେଲା ପରି ଧ୍ୱନି ଶୁଭିଲା । ଗଦେଇ ଲେଙ୍କା କହିଲେ,‘‘କ’ଣ ୟେ ପ୍ରହସନ ?’’ ଅଗଣି ରାୟ କହିଲେ, ‘‘କେମନ୍ତ ? କେମନ୍ତ ?’’

 

ହରି ସାହୁ କହିଲା, ‘‘ଆରେ ବାବୁ, ସମ୍ପତ୍ତିଟାକୁ କେହି ସାଙ୍ଗରେ ବୋହି ନେବ ନାହିଁ । ଜଣେ କମୋଉଥିଲା ତାରି କୁଟୁମ୍ୱ ପୋଷୁଥିଲା, ଅଇଚ୍ଛା ସମସ୍ତଙ୍କର ସବୁ କମାଣି ଏକାଠି ହୋଇ ସମସ୍ତିଙ୍କ କୁଟୁମ୍ବ ଚଳିବେ, ଏଇ ତ କଥା, ସବୁଆଡ଼ି, ବାଗର, ତେମେ ବି ଆସୁନା ଲେଙ୍କାଏ, ରାଏ-!’’

 

ଧଡ଼ିଆ ଭଣ୍ଡାରି କହିଲା, ‘‘ଆସନ୍ତେ ଯେ, ତାଙ୍କ କମେଇଁଟା କୋଉ ବାଟରୁ ହେବ ? କିଏ କଳି କଲେ ସିନା ସେମାନେ ବାଟ ବତେଇଦେଇ କମେଇଁ ଦି’ପଇସା କରନ୍ତେ ।’’ ଲେଙ୍କାଏ, ରାଏ ଉଭୟେ ଗାଁର ଟରଣି । ଲେଙ୍କା ଛଳ କଲେ ନାହିଁ, ଅଗଣି ରାୟ ଖେଙ୍କି ଉଠିଲେ, ‘‘କେମନ୍ତ-? କେମନ୍ତ ?’’

 

ହରି ସାହୁ କହିଲା, ‘‘ଆଗ ମାଡ଼ି ଆସିଲେ ବାଗ ବଳେ ଦିଶିବ ମ ।’’ ହରି ସାହୁ ବି କୋଠରେ ମିଶିଗଲା ।

 

କୋଠର ଜମି ବଢ଼ିଗଲା, ଗାଈଗୋରୁ ଧନଧାନ୍ୟ ବଢ଼ିଗଲା, ସବୁଠୁଁ ବେଶି ବଢ଼ିଗଲା ପ୍ରତିପତ୍ତି, ହରି ସାହୁ ଟାଣୁଆ ବୁଦ୍ଧିଆ ମୁରବି ମଣିଷ । ହରି ସାହୁ ଏପଟେ, ତା ଅର୍ଥ ଏପଟଟା ଖଣ୍ଡି-। ଚାହୁଁ ଚାହୁଁ ସେହି ମଣ୍ଡଳୀ ଭିତରେ ଘଟନାର ତାତ୍ପର୍ଯ୍ୟ ଭେଦିଗଲା, ଲୋକେ କୁହାକୋହି ହେଲେ ହସ ହସ ମୁହଁ, ଉତ୍ତେଜିତ ଉତ୍ସାହୀ କଥା, ଜଣେ ଆଉ ଜଣକ ସଙ୍ଗରେ ତରତର କଥାଭାଷା, ପଦ ପଦକେ । କେତେଲୋକ ହରି ସାହୁକୁ ଘେରିଗଲେଣି, ସଭା ସରିଯାଇଛି, ଠିଆ ହୋଇପଡ଼ି ଆଉ କାହାର କିଛି କହିବାକୁ ଯେପରି କି ନାହିଁ ।

 

ରବି ତୁନୀ ତୁନୀ କରି ବିପିନ୍‌ର କାନପାଖେ କହିଲା, ‘‘ମାଟିର ସ୍ୱର ତୁମେ ଶୁଣିସାରିଛ, ମାଟି ସବୁକାଳେ ଖୋଜିଛି ସମସ୍ତେ ଏକାଠି ମିଶନ୍ତୁ । ତା’ର ଧୈର୍ଯ୍ୟ ଅସୀମ, ସେ ଅପେକ୍ଷା କରିଛି-।’’

 

ରବିର ମୁହଁରେ ସ୍ୱପ୍ନର ଝଲକଟିଏ, ଅତି ଦୂରକୁ ତା’ର ଦୃଷ୍ଟି ।

 

ବିପିନ୍‍ ନିଜେ ସେ ସ୍ୱପ୍ନରେ ଭାସିଯିବାକୁ ଚେଷ୍ଟା କଲା, ଅନୁଭବ କଲା ସେ ଅଟକି ଯାଉଛି, ହିସାବ, ଆଇନ୍ ମାନିବା, ହୁକୁମ, ଡରଭୟ, ଅଭ୍ୟସ୍ତ ଅନୁଭୂତି ସାହାଯ୍ୟରେ ସେ ଆପେ ଆପେ ଅନୁଭବ କରିପାରୁଛି, ତାଠି ବହୁତ ଲଗାମ । ମାତିବା ନ ମାତିବା ସବୁ ନିର୍ଭର କରୁଛି ଗୋଟାଏ ବିଚାର ଉପରେ–ସେ କଚାଡ଼ି ହୋଇ ପଡ଼ିବାକୁ ଚାହେଁ ନାହିଁ, ତା’ର ଆଗ ଦରକାର ସୁସ୍ଥି ନିଶ୍ଚିତତା, ତା’ର ଦରକାର ତା’ର ଦରମା, ସେ ଦରମାରେ ବଢ଼ତି, ଶେଷରେ ତା’ର ପେନ୍‌ସନ୍ ଗଣ୍ଡାକ । ତା’ର ଚେତନା ବିଶ୍ଵାସରୁ ଅବିଶ୍ୱାସକୁ ବଦଳୁ ବଦଳୁ ତା ତୁଣ୍ଡରୁ ବାହାରି ପଡ଼ିଲା–‘‘ଭାବ କି ଭାବନାର ଗୋଟାଏ ପାଗଳାମି ଏଠି ଦେଖୁଛି ।’’

 

ରବି ପ୍ରସନ୍ନ ହୋଇ କହିଲା, ‘‘ଠିକ୍ ଦେଖୁଛି । ନାନା ଆଶଙ୍କା ସହି ସହି ମାଟି ବୋଧହୁଏ ପାଗଳ ହେଉଛି । ସନ୍ଦେହ, ମନାନ୍ତର, ଅଶାନ୍ତି, ଯୁଦ୍ଧସଜ୍ଜା ଆଉ ଗୋଟିଏ ଚରମ ପରିଣତିର କଳା ଛାଇ ସବୁବେଳେ ଧ୍ୱଂସ । ପାଗଳ ନ ହୋଇ ଧୀରମତି ସ୍ଥିରବୁଦ୍ଧିରେ ବୁଦ୍ଧିମାନ୍ ଲୋକେ ଯଦି ସେହି ପରିଣତିଆଡ଼କୁ ସଂସାରଟାକୁ ଅଡ଼େଇ ନେଇ ଯାଉଛନ୍ତି ପାଗଳ ନ ହେଲେ ମାଟି ବୋଧହୁଏ ନିଜକୁ ନିଜେ ରକ୍ଷା କରିପାରିବ ନାହିଁ । ଅଳ୍ପ ଉତ୍ତେଜିତ ହୋଇ ସେ ପୁଣି କହିଲା-

 

‘‘କିନ୍ତୁ ଏ ଉତ୍ସାହକୁ ପାଗଳାମି କହିହେବ କେତେ ଦିନ ? ଅନ୍ଧାରୀ ରାଇଜରେ ଗୋଟିଏ ଆଲୁଅ ହୁଏତ ପାଗଳ, କିନ୍ତୁ ଚାରିଆଡ଼େ ମାଳମାଳ ହୋଇ ଯେତେବେଳେ ଆଲୁଅ ଜଳୁଥିବ, ସେତେବେଳେ ଲାଗୁଥିବ ସେହି ପୁରୁଣା ଅନ୍ଧାର ହିଁ ପାଗଳ, ଅସ୍ୱାଭାବିକ, ତା କାଳ ପୂରିଛି । ସେଇଥିପାଇଁ କହିଲି, ମାଟି କ’ଣ କହୁଛି ଶୁଣ । ସବୁଠିଁ, ସବୁ ଦେଶରେ, ସାଧାରଣ ମଣିଷ ଖୋଜୁଛି ମଣିଷ ମଣିଷ ହୋଇ ଗଢ଼ା ହେବ ବିରାଟ ଭାଇପଣ, ତା’ ହେଲେ ହିଂସା ଅଶାନ୍ତିର କୀଟ ଭେଦିବାକୁ ବାଟ ପାଇବ ନାହିଁ । ଏକମାତ୍ର କର୍ମ ତ ସେହି ଯାହାକୁ ଏ ଧ୍ୱଂସକାରୀ ବୋମା ଧ୍ୱଂସ କରିପାରିବ ନାହିଁ । ତୁମର ଆମର ଅଲକ୍ଷ୍ୟରେ କେତେ କେଉଁଠି ସେହି ଗଢ଼ାଗଢ଼ି ଚାଲିଛି ।’’

 

ଦିହେଁ ଉଠି ଆସି ଅଳ୍ପ ଦୂରରେ ଟହଲୁଥିଲେ । ବିପିନ୍‍ କହିଲା, ‘‘ଆମେ ବି ସେହି ଏକତାକୁ ବଢ଼େଇ ଦେବାକୁ ସଂସ୍ଥା ଗଢ଼ୁଛୁ, ଲୋକେ ସହଯୋଗ ଦେଲେ ହେଲା I’’

 

ରବି କହିଲା, ‘‘ଲୋକେ ନିଜେ ଯାହାକୁ ଗଢ଼ନ୍ତି ସେଥିରେ ସହଯୋଗ ଊଣା ପଡ଼େ ନାହିଁ-। ତୁମେ ଗଢ଼ିବ ସଂସ୍ଥା, ଲୋକଙ୍କଠୁଁ ମାଗିବ ସହଯୋଗ । ଭଲ କଥା । କେତେଦିନକୁ ଆଖିଆଗରେ ରଖି ସଂସ୍ଥା ଗଢ଼ିଛ ? ସବୁ ଦେଶରେ ଯେତେ ୟେ ସଂସ୍ଥା ଗଢ଼ାଳିଏ-ତାଙ୍କର ବା ଆୟୁଷ କେତେ ? ସମୟ ଘେନି, ଅବସ୍ଥା ଘେନି ଯାହାଙ୍କ ହାତରେ କ୍ଷମତା ଥାଏ ତାଙ୍କ ମନ ଘେନି ସଂସ୍ଥା ଗଢ଼ା ହୁଏ, ବଦଳେ, ଭାଙ୍ଗେ । ମଣିଷ ଜାତିକୁ କ’ଣ ସଂସ୍ଥା ଗଢ଼ିଛି ? ମଣିଷର ଯେ ଅସଲ ସ୍ଵରୂପ, ଏକାଠି ମେଳ ହୋଇ ରହିବା, ପରସ୍ପରକୁ ଭଲ ପାଇବା, ଭଲ ପାଇବା ପାଇଁ ବଞ୍ଚିବା, ଏ କୌଣସି ସଂସ୍ଥାକୁ ଅପେକ୍ଷା ରଖେ ନାହିଁ, ତା’ର ପ୍ରମାଣ ତୁମେ ଏଠି ଆଖିରେ ଦେଖୁଛ ।’’

 

କେତେଲୋକ ସେହି ଦୁଇଜଣଙ୍କଆଡ଼କୁ ଅନାଇଁଛନ୍ତି । ସେମାନେ କଥାଭାଷା କରିବାକୁ ଆଗ୍ରହୀ, କିନ୍ତୁ ଭରସୁ ନାହାନ୍ତି ।

 

ସଭା ଭାଙ୍ଗି ଆସିଲାଣି । କେତେଲୋକ ଉଠି ଚାଲିଯାଉଛନ୍ତି । ହରି ସାହୁ ଚାରିପଟେ ତଥାପି ଗହଳି ବେଢ଼ି ରହିଛି ।

 

ରବିର କଥା ଶୁଣି ବିପିନ୍‍ ହସିଦେଲା । ସେ, ଯେମିତି ସେହି କଲେଜ ଦିନର ବିପିନ୍‍, ମୁହଁରେ ଭାବରେ କ୍ଲିଷ୍ଟତା ନାହିଁ । ସତେ କି ମେଘର ଚିରା ପରଦା ସେପାଖେ ଦିଶିଯାଉଛି ପ୍ରଶାନ୍ତ ନେଳୀ ଆକାଶରୁ ଚେନାଏଁ । ରବିର କାନ୍ଧକୁ ବେଢ଼େଇ ଧରି ସେ କହିଲା, ‘‘କହୁଛ ମଣିଷ ଭଲ ପାଇବାକୁ ବଞ୍ଚେ, ତୁମେ କାହାକୁ ଭଲ ପାଉଛି ?’’

ରବି ହସିଦେଲା, କହିଲା, ‘‘ମୁଁ କାହାକୁ ଭଲ ନ ପାଉଛି ମୁଁ ଜାଣେ ନାହିଁ ।’’ ଲୋକେ ଆଉ ଅପେକ୍ଷା କରିପାରୁ ନାହାନ୍ତି । ସିନ୍ଧୁ ଚୌଧୁରୀ, ହରି ସାହୁ, ସଦା ଗୋଛେଇତ ସେମାନେ ଗୋଟିଏ ଗୋଟିଏ ହୋଇ ଆସିଲେଣି । ତା’ ପଛରେ ଅନ୍ୟମାନେ ଧାର ଲମ୍ୱୂଛନ୍ତି ।

ବିପିନ୍‍ ଦୀର୍ଘଶ୍ୱାସ ପକାଇଲା, ଶୁଖିଲା ହସ ହସି କହିଲା, ‘‘ହଉ, ଯାଉଛି ରବି ! ତୁମେ ରାଜାର ଚାକର ନୁହଁ, ସାହୁର ଖାତକ ନୁହଁ, ମନଇଚ୍ଛା ଆପଣା ରୁଚି ଅନୁସାରେ ଅନୁଷ୍ଠାନ ଗଢ଼ିପାରିବ, ନାନା ପରଖ କରି କରେଇପାରିବ, ତୁମେ ସ୍ୱାଧୀନ, ଜୀବନର ସୁଆଦ ଚାଖିବାକୁ ତୁମର ଅବସର ଅଛି । ମୋର ତ ଭାଇ ସେ ସୌଭାଗ୍ୟ ନାହିଁ, ବେକରେ ପଟି, ପଟିରେ ଶିଂକୁଳି ଶିଂକୁଳି ପର ହାତରେ, କଣ୍ଠରେ ଗ୍ରାମୋଫୋନ୍ ରେକର୍ଡ଼ । ଯଦି କେତେବେଳେ ତୁମମାନଙ୍କର ଏ ସଂସ୍ଥାକୁ ବିରୋଧ କରିବି, ସେ ବିରୋଧ ବି ମୋ’ ନିଜ ଇଚ୍ଛା ଅନୁସାରେ ନୁହେଁ ଭାଇ, ମୁଁ ନ ହେଲେ ଆଉ ଯେ ଥିଲେ ବି କରିଥାନ୍ତା ।’’

ବିପିନ୍‌ର ମୁହଁ ଗମ୍ଭୀର, ତା’ର ଆଖି ସତେ କି ସ୍ଥିର ନୈରାଶ୍ୟରେ ନିଦା ଦମ୍ଭିଲା । ରବି ତା’ର ମୁହଁକୁ ଚାହିଁ ଚଞ୍ଚଳ ହୋଇଉଠିଲା । ତା’ ହାତକୁ ଟାଣ କରି ଧରି କହିଲା, ‘‘କାହିଁକି ଆପଣା ଉପରେ ଏବେ ଦୋଷ ଲଦି ହେଇଛି ବିପିନ୍‍, ଏବେ ହତାଶରେ ବୁଡ଼ୁଛ କାହିଁକି ? ଯେତେ କଟକଣା ଭିତରେ ବାନ୍ଧିହେଲେ ହୃଦୟ ତ କୁଆଡ଼େ ଯାଏ ନାହିଁ !’’

‘‘ମୁଁ ରେଲଗାଡ଼ି ।’’

‘‘ନା, ତୁମେ ଆଗ ମଣିଷ । କିଏ ଭାବେ ସେ ରେଳଗାଡ଼ି, କିଏ ଭାବେ ସେ ସ୍ପୁଟ୍‌ନିକ୍, କିଏ ଭାବେ ସେ କେଉଁ ମାରଣାସ୍ତ୍ର, କିନ୍ତୁ ମନ ବିକୃତିର ସାମୟିକ ଖିଆଲ ସେଗୁଡ଼ାକ, ତା’ର ପରିଣତି ବି ନିଜ ପାଇଁ ଓ ପର ପାଇଁ ଅଶୁଭ, ପ୍ରକୃତରେ ସମସ୍ତେ ମଣିଷ, ସରଳଭାବେ ନିଜକୁ ବଞ୍ଚିବାକୁ ଛାଡ଼ିଦେଲେ ସବୁ ଖାପିଯାଏ, ଆରେଇ ଯାଏ, ଗୋବରରୁ ରସ ଘେନି ବାସ୍ନା ଫୁଲ ଫୁଟେ-। ନୈରାଶ୍ୟ ସେ ନାହିଁ, ଦୁଃଖ ଛୁଏଁ ନାହିଁ, ଜୀବନ ସତେଜ ଆଏ ।’’

 

ନଉଁ ନଉଁ ବିପିନ୍ ପୁଣି ତେଜି ଉଠିଲା, ରବିର ଜୀବନ-ଦର୍ଶନର ବ୍ୟାଖ୍ୟାନ୍ ତା’ ଭିତରେ ସତେ ଯେମିତି କେତେ ଲୁହାଛଡ଼ ଆଉ ସ୍ପ୍ରିଂ ଉପରେ ଚାପ ଦେଲା । ସେ ଅନୁଭବ କଲା, ମୁହୂର୍ତ୍ତକର ମୁଣ୍ଡବୁଲାରେ ସେ ଦୁର୍ବଳତା ପ୍ରକାଶ କରି ପକାଇଛି । ମୁହଁ ଟେକିଲା । ମୁହଁରେ ଆଖିରେ ଶାଣଦିଆ ଲୁହାର ହସ ।

 

‘‘ନାହିଁ କିଛି ନାହିଁ,’’ ସେ କହିଲା । ଲୋକେ ଆସିଲେଣି । ମାମୁଲି କଥାର ସମ୍ଭାଷଣରେ ସେମାନଙ୍କ ହାତରୁ ଛାଡ଼ ପାଇବାକୁ ସେ କହିଲା, ‘‘ଆଉ ? ହଁ, ସବୁ ଭଲ ଚାଲିଛି, ନା ? ଆପଣମାନଙ୍କୁ ମୁଁ କ’ଣ ସାହାଯ୍ୟ କରିପାରେଁ କହନ୍ତୁ । କଳି କି ଅଡ଼ୁଆ ତ କିଛି ନାହିଁ । ଭଲ, ଭଲ-। ଆଉ ? ବେଶ୍ ବେଶ୍ । ଯାଏଁ ମୁଁ ଏଥର ?’’

 

ସେପାଖୁ ମହିଳାଦଳ ବି ଆସୁଛନ୍ତି । ସେ ଦୁହେଁ ସତେ କି କେନ୍ଦ୍ର, ତାଙ୍କ ଚାରିପାଖେ ଗାଁର ଭଉଁରୀ । ‘‘ଆଜି ଆପଣ ଆମ ଗାଁର କୁଣିଆଁ, ରହିବେ ନାହିଁ ?’’ ସଦା ଗୋଛାଏତ ପଚାରିଲା-। ବିପିନ୍ ଅଗପାଦ ଉପରେ ଭରାଦେଇ ଟାଣି ହୋଇ ଛାଁଟ୍ ହୋଇ ସତେ କି ଆହୁରି ଡେଙ୍ଗା ହେବାକୁ ଚେଷ୍ଟା କଲା । କହିଲା, ‘‘ନାଇଁ ନାଇଁ, ଯାଏଁ ଏଥର । ବହୁତ ଆଡ଼ ଯିବାକୁ ଅଛି ।’’

 

ଆଉ କେହି ବଳେଇଲେ ନାହିଁ । ସେ ଜୀପ୍‌ରେ ବସିଲା । ଜୀପ୍ ଷ୍ଟାର୍ଟ ଦେଇ, ଧୂଳି ଉଡ଼ାଇ ଚାଲିଗଲା । କାହିଁକି ସେ ଆସିଥିଲା ଜଣାପଡ଼ିଲା ନାହିଁ । ସମସ୍ତେ ତା’ର ଯିବାବାଟକୁ ଅନାଇଁ ରହିଥାନ୍ତି । ବରଗଛ ଛାଇ ଢାଙ୍କି ହୋଇପଡ଼ିଥାଏ ଅରାଏ ବିଲରେ । ବେଳ ମହଜଣ ପଡ଼ିଛି । ଝଙ୍କା ବରଗଛଆଡ଼କୁ ଉଡ଼ି ଉଡ଼ି ଆସୁଛନ୍ତି ବହୁତ ଚଢ଼େଇ, ଦଳ ଦଳ ।

 

ସଦା ଗୋଛାଏତ ରବିକୁ ପଚାରିଲା, ‘‘ଆଜ୍ଞା, ଆପଣ ଆଜି ରହିବେ ?’’ ରବି ହସିଦେଲା ।

 

ଛବି ଏକୁଟିଆ ବନ୍ଧ ତାଳୁରେ ଠିଆ ହୋଇଥିଲା, ପିଠିଆଡ଼େ ସାହାଡ଼ା ଗଛ ଉଢ଼ୁଆଳ କରିଛି, ଘରୁ ସେ ଦିଶୁ ନାହିଁ, କିନ୍ତୁ ସେ ଏତେପାଖରେ ଅଛି ଆସ୍ତେ ଡାକିଲେ ଶୁଭନ୍ତା । ଆଉ ଛୁଣୁକେ ସୂର୍ଯ୍ୟ ଅସ୍ତ ହେବ, ବାଁପଟେ ସେ ତଳକୁ ଓହଳି ପଡ଼ିଲାଣି ସେହି ନିଛାଟିଆ ସୌନ୍ଦର୍ଯ୍ୟର ପ୍ରତିମୂର୍ତ୍ତି ହୋଇ ଯାହା ଖାଲି ଏ ଶୀତୁଆ ପୁଷ ମାସରେ ହିଁ ଆଖିରେ ପଡ଼େ-ଅସରନ୍ତି ଅକଳନ ନୀଳିମା ଆଗରେ ସତ ନୁହେଁ, କଳ୍ପନା ନୁହେଁ ଗୋଟିଏ ରୂପ, ଯୌବନର ସ୍ଵପ୍ନ ଓ ମରମ ଭାବର ଅକୁହା ସଙ୍ଗୀତ ସେଠି ରଙ୍ଗ ପିଣ୍ଡୁଳା ହୋଇ କ୍ଷଣେ ଉଭା ହୋଇଛି, ତା’ପରେ ସେ ଲିଭିଯିବ ।

 

ଛବି ଅନ୍ୟମନସ୍କ ହୋଇ ସେହି ସୂର୍ଯ୍ୟଆଡ଼କୁ ଚାହିଁ ସତେ କି ସେଥିରେ ମିଶିଯିବାକୁ ଚେଷ୍ଟା କରୁଥିଲା । କେତେବେଳେ ସତେ ସତେ ସେଥିରେ ମିଶି ଯାଉଥିଲା, ସେତେବେଳେ ତା’ ଅନୁଭୂତି ନ ଥିଲା, ପୁଣି କେତେବେଳେ ସେଥିରୁ ଛାଡ଼ିଯାଉଥିଲା, ସେତେବେଳେ ସେ ଉଦାସ କରୁଣ ଅନୁଭୂତି ଭିତରେ ଚାଇଁ ଚାଇଁ ହୋଇ ଚେଇଁ ଉଠୁଥିଲା, ତା ଛାତି ତଳ ଥର ଥର ହେଉଥିଲା, କେତେ ଚଞ୍ଚଳ ମନ ଭିତରେ ଗୋଡ଼ିଆଗୋଡ଼ି ହୋଇ ଜୁଆରମାନେ ଧାଇଁ ଯାଉଥିଲେ, ଏକା ନିଶ୍ୱାସକେ କେତେ ଅତୀତର ଚେତନା ସମଷ୍ଟି, ଭୁଲା ଦରଭୁଲା ଦୃଶ୍ୟର ସ୍ମୃତି, ବେଦନାରେ ଆଉଣ୍ଡି ହେଉଥିବା ଗହୀର ଆନନ୍ଦର ତଳିରୁ ଯେଉଁ ଭାବ ଉଠୁଥିଲା ତା’ର କିରଣ ଶୀତଳ, ଉଦାସ, ବର୍ଣ୍ଣର ବିଚିତ୍ରତାରେ ଓ ବିପୁଳତାରେ ବିହ୍ୱଳକର, ତା’ର ଅବିକଳ ପ୍ରତିରୂପ ସତେ କି ଏହି ସୂର୍ଯ୍ୟ ।

 

ପୌଷର ଏ ଅସ୍ତଗାମୀ ସୂର୍ଯ୍ୟ ଆତ୍ମସ୍ଥ ହୋଇଛି, ମହାଶୂନ୍ୟ ଭିତରେ ଏଇଟା ହେଲାପରି ତା’ର ଗୋଲେଇର ଗାର ସ୍ପଷ୍ଟ ହୋଇ ବାରିହୋଇ ପଡ଼ିଛି । ସତେ ଯେପରି କେତେ ଅପାରକାଳର ଅକଳନ୍ତି ଦୂରତା ଉହାଡ଼ରୁ ବି ସେ ତା’ର ମାୟାମମତା, ପ୍ରକଟ ଆଉ ପ୍ରକାଶର ଜ୍ୟୋତିପୁଞ୍ଜକୁ ଓଟାରି ନେଇ ଆପଣାଠିଁ ସଂହରଣ କରି ଅନାସକ୍ତ ହୋଇ ହସି ଦେଉଛି, ସେ ହସରେ ଉଦ୍ଦୀପନା ବିଞ୍ଚି ହେଉ ନାହିଁ, ଅନ୍ଧାରୀ ଚେତନା ଭିତରେ ବିଚାରର ଦୀପସଳିତା ଖଞ୍ଜି ଦେଇଛି-ଏଇ ମୁହୂର୍ତ୍ତକେ ତୁମେ ଗତି ରୋକ, ସ୍ଥିର ହୁଅ, ଭେକ ଖୋଲିପକା, ଅନୁଭବ କର, ଭାବ-ଗଣ୍ଡ ମଫସଲ ଭିତରେ ପାଟେଳିଗାଁରେ ସେତିକିବେଳେ ଛବି ପ୍ରତି ସେତିକି ଯେମିତି ତା’ର ସନ୍ଦେଶ ।

 

ସୂର୍ଯ୍ୟ ଅସ୍ତ ଯାଉଛି, ଶରଶଯ୍ୟାରେ ରହିଛନ୍ତି ଭୀଷ୍ମ, ଯେ କ୍ରିୟାଶୀଳ, ଗତି ଓ ଶକ୍ତିର ଆଧାର, ସେ ଆତ୍ମସ୍ଥ ହୋଇ ସ୍ଥିର ହୋଇଛି, ଦୃଷ୍ଟିର ପରିସର ଭିତରୁ ଚାଲିଯାଉଛି ଦିବ୍ୟ ଦୃଷ୍ଟିର ପରିସରକୁ ।

 

ଛବିର ଛାତି ଦୀର୍ଘଶ୍ୱାସରେ ଉଠୁଛି ପଡ଼ୁଛି । ସାହାଡ଼ା ଗଛରେ ସେ ଲାଖି ଯାଇଛି । ଟିକିଏ ଖସ ଖସ କି ଖଡ଼ ଖଡ଼ ହେଲେ ସେ ଚମକି ପଡ଼ନ୍ତା ।

 

ମଝିରେ ମଝିରେ ତା ମନ ଚେଇଁ ଉଠିଲା ବେଳେ ଏହି ଅଦ୍ଭୁତ ଗମ୍ଭୀର ମୁହୂର୍ତ୍ତରେ ଯେପରି କି ଆପଣା ସହିତ ତା’ର ମୁକାବିଲା, କ’ଣ ତା’ ଉଦ୍ଦେଶ୍ୟ, କ’ଣ ସେ ପାଇଛି ଏମିତି କେତେ ପଚରାଉଚରା ବୁଝାସୁଝା, ଅସ୍ପଷ୍ଟ ହୋଇ ପ୍ରତିଧ୍ୱନି ପରି ମନଗହୀରରେ ତା’ର ଉତ୍ତର ଗୁଣୁଗୁଣୁ ହେଲାବେଳକୁ ପୁଣି ସେ ଅସ୍ତଗାମୀ ସୂର୍ଯ୍ୟଠିଁ ଲାଖି ଥମ୍ବି ରହେ, ଭଲମନ୍ଦ ବିଚାର ଓ ଉଦ୍ଦେଶ୍ୟ ବାହାରେ ଖାଲି ଗୋଟିଏ ସ୍ପନ୍ଦିତ ମନରୁପ ।

 

ବନ୍ଧତଳେ ଦୂରକୁ ଲମ୍ବିଛି ଫସଇ ଭର୍ତ୍ତି କଣ୍ଡିଆ, ଛନଛନିଆ ପାଳୁଆ ବାଇଗଣ, ପାତଳଘଣ୍ଟା, ମଟରଛୁଇଁ, ଶୀତଦିନିଆ କଖାରୁ, କଲରା, ନାନା ପରିବା । ମଝିରେ ହେଇ ଦୂରରେ ଜଗିବା କୁଡ଼ିଆଟିଏ, ଡାହାଣେ ହଳଦୀଗରଗର ସୋରିଷ କ୍ଷେତ । ଆଗେ ଏହି କଣ୍ଡିଆ ପଟା ନେବାପାଇଁ କେତେ ବଢ଼ାବଢ଼ି, କଜିଆ; କିନ୍ତୁ ଏ ଫସଲ କରିଛି ଗାଁର କୋଠ, ସମସ୍ତେ ଖଟନ୍ତି, ସମସ୍ତେ ଭାଗ ପାଆନ୍ତି । କଣ୍ଡିଆ ତଳେ ନଈବାଲି, ଫାଙ୍କା ବିସ୍ତୃତି ତଳେ ଚେନାଏ ଚେନାଏ ସୁନାଝଳି ପରି ବାରି ହେଉଛି, ତା’ ସେକରେ ନଈର କଳାଗାର, ଆରପାରିର ତୋଟା ଗହଳି ତୀଖ ଅତଡ଼ା ।

 

ଆଉ ବାଁପଟେ ଆକାଶ କଣରେ ସୂର୍ଯ୍ୟ ଓହ୍ଲେଇ ପଡ଼ିଲାଣି, ତଳ ଅଧିକ ନିଭିଗଲାଣି, ଉପର ଅଧିକ ଦବି ଦବି ଯାଉଛି ଅପରୂପ ବର୍ଣ୍ଣର ଜଳନ୍ତା ଦେଉଳ ପରି, ଆକାଶଯାକ ପଟିପଟିକା ରଙ୍ଗ ରଙ୍ଗର ବିଚିତ୍ର ଚାନ୍ଦୁଆ ।

 

ଉଦମୁଦା ହୋଇ ଛବି ସେହି ଅସ୍ତ ସୂର୍ଯ୍ୟକୁ ଅନାଇଁ ରହିଛି, ଯେପରି କି ଏ ସୃଷ୍ଟି ବିଲୀନ ହେବା ପର୍ବରୁ କ’ଣ ଟିକିଏ ଉତ୍ତର ସେ ଲୋଡ଼ୁଛି, ଯାହା ଉପରେ ତା’ର ସାରା ଅସ୍ତିତ୍ତ୍ଵ ଭାରା ଦେଇ ଅଟକିଛି, ହେଉ ବୁଡ଼ି ଯାଉଛି, ଛାତି ଭିତରଟା ଅତି ପ୍ରବଳ ବେଗରେ ଆଉଣ୍ଡି ହେଲା, ଆପଣ ଧୁକ୍‌ଧୁକିର ପ୍ରବଳ ଧଡ଼ ଧଡ଼ ସତେ କି ତା’ କାନରେ ବାଜୁଛି, ତା’ପରେ ତା ଛାତି ତଳେ ଗୋଟାଏ ପ୍ରଚଣ୍ଡ ଓଲଟ ପାଲଟ ଘଟି ପଣି ସବୁ ସ୍ଥିର ହେଲା, ଅସ୍ତବାଡ଼ର ଶେଷ ରକ୍ତରେଖାକୁ ପ୍ରଣାମ କରିବାକୁ ଯୋଡ଼ା ପାପୁଲି ଟେକୁ ଟେକୁ ସେ ନିଭିଗଲା । ଗୋଟାଏ ଦୀର୍ଘଶ୍ୱାସ ପକାଇ ଟଳଟଳ ଦୃଷ୍ଟିରେ ସେ ସେହି ଦରକୁ ଅନାଇଁ ରହିଲା । ଶ୍ମଶାନବୈରାଗ୍ୟର ଶେଷ ଦର୍ଶନ ତା’ର ଚେତନା କଳାଡେଣା ଫଡ଼କେଇ ମାଣ୍ଟେଇ ରହିଲା କିଛି ବେଳ–

 

ଯେ ସବୁ ଚାଲିଯିବ, ସବୁ ମିଛ ।

 

ଆସ୍ତେ ପୁଣି ରଙ୍ଗେଇ ଉଠୁଛି ସୂର୍ଯ୍ୟ ନ ଥିବା ଆକାଶ, ଯେପରି କେଉଁ ଗହୀର ଅନ୍ତର ଭିତରେ ମରମ ଭାବରେ ଆଲୋଡ଼ନ ଲାଗି ଉପରେ ଚିକ୍‍କଣ ଗାଲ ଉପରେ ରଙ୍ଗ ଚହଟୁଛି । କି ସୁନ୍ଦର ! ଛବି ସେହି ଦୃଶ୍ୟ ଆଗରେ ଆପଣାକୁ ଗୋଟାଏ ଆନନ୍ଦର ଝଲକ ଭିତରେ ଅନୁଭବ କଲା-। ସୂର୍ଯ୍ୟ ନାହିଁ, ସେ ଅଛି । ଏ ସଂସାରରେ ଏମିତି କେତେ ବିଭବ, କେତେ ପରାକ୍ରମ କେତେ ଯାକଯମକ ହଟଚମଟ ଆସିଛି ଯାଇଛି, ଆପଣା ନାଁକୁ ଯୁଗଯୁଗଯାକେ ଆଖିଦୁରୁଶିଆ କରି ରଖିବାକୁ କେତେ ଉପାୟ ଚେଷ୍ଟା ପାରୁପରିଯନ୍ତେ, ଦେଉଳ ଦେହରେ ଖୋଳା ହୋଇ କି ଅଗଣତି ଲୋକଙ୍କର ଲୁହଲହୁରେ ତିନ୍ତିବୁଡ଼ି ଲେଖନମୁନରେ ତାଳପତ୍ର କି ଭୁର୍ଜପତ୍ରରେ ଲେଖାହୋଇ ତଥାପି ସେ ନାଁ ସବୁ ଅସ୍ତ ହୋଇଛି, ହଜିଯାଇଛି, ଆଉ ଏଇ ମୁହୂର୍ତ୍ତରେ ଏଠି ସେ ଅଛି–ଛବି ।

 

ସୁନାର ପାଗ ଭିଡ଼ି ମୋତିମାଣିକଖଞ୍ଜା ବେଶ ପିନ୍ଧି ଗୋଟା ଗୋଟା କି ଦଳ ଦଳ ହେଇ ହେଇ ଭାସି ଚାଲିଯାଉଛନ୍ତି ଆକାଶରେ କେତେ ମାୟାରୂପ, ତାଙ୍କର ସେମିତି ଦଳ ଦଳ ମାୟାବାହନ, ହାତୀ, ଓଟ, ଘୋଡ଼, ବାଘ, କିମ୍ଭୀର, ଗୋଟାଏ ରୂପ ଆଉ ଗୋଟାଏ ରୂପ ପାଲଟିଯାଉଛି, ତା’ପରେ ତା’ର ରୂପ ହିଁ, ଭାଙ୍ଗିଯାଉଛି । ସେମିତି ଗୋଟାଏ ଗୋଟାଏ ଝଲକରେ ଆକାଶରେ ଯେତେ ଦିଶି ଦିଶି ଯାଉଥିଲା କାଉଁରୀ ରାଇଜ, କେତେ ଗାଁଗଣ୍ଡା କି ଗଡ଼ କି ଦୂର ବାଟ, ତା’ର ଛପିଲା ଛପିଲା ସଙ୍କେତମୟ ଚୋରା ଇତିହାସ, ଚାହୁଁ ଚାହୁଁ ସେ ବି କୁଆଡ଼େ ମିଳେଇ ଯାଉଛି ।

 

ଆଉ ଅଛି ସେ, ଛବି, ସୂର୍ଯ୍ୟ ବୁଡ଼ୁ ପଛେ, ଯାଉ ମିଳେଇ ଯେତେ ଚମତ୍କାର ଦୃଶ୍ୟପଟଳ, ସେ ଆପଣାର ପ୍ରକାଶରେ ଆନନ୍ଦ ଘେନୁଛି । ତା’ ପାଦ ତଳେ କହରା ଘାସ । କତିରେ ନାଲି ବାଇଗବା ଗଛଟିଏ, ସେ ତା’ର ତେଲିଚା କଅଁଳିଆ ଅଗ ପତ୍ରକୁ ଆଙ୍ଗୁଠି ଟିପରେ ଆସ୍ତେ ଆସ୍ତେ ମିଳୁଛି । ସେଠୁ ଅଳ୍ପ ଛାଡ଼ି ଖରାବେଳେ କିଏ ଝାଡ଼ା ଫେରିଥିଲେ, ଆଉ କରେକେ ପଡ଼ିଛି କାହାର ଫରିଆହାଡ଼ ଖଣ୍ଡେ । ନାକପୁଡ଼ା ଫଣକେଇ ଅଳ୍ପ ଆଁକରି ଏକ ଦୃଷ୍ଟିରେ ସେ ଦୂରକୁ ଚାହିଁରହିଛି । ଯୌବନ ଓ ଜୀବନର ମୂର୍ତ୍ତିଟିଏ, ମଣିଷ ।

 

କର୍ମୀ ନୁହେଁ, ବିପ୍ଳବିଣୀ ନୁହେଁ, ଖାଲି ମଣିଷ ।

 

ସେ ଆଶ୍ଚର୍ଯ୍ୟ ହୋଇ ବିହ୍ୱଳ ହୋଇ ଅନିଶା କରିଛି ସେହି ଆକାଶକୁ ଛାଡ଼ି ଛାଡ଼ିକା ନଡ଼ିଆ ଗଛର ମହୁଡ଼ର କେତେ ଉପରେ ସେଠି ମାଳ ମାଳ ହୋଇ ଅଚିହ୍ନା ଚଢ଼େଇ ଉଡ଼ି ଯାଉଛନ୍ତି, କାହିଁ କେଉଁ ଦେଶରୁ ଆସୁଛନ୍ତି, କୁଆଡ଼େ ଚାଲି ଯାଉଛନ୍ତି ।

 

ହଠାତ୍ ତାକୁ ଲାଗିଲା, ଯେତେ ମୁଣ୍ଡଘୂରା କାମ, ଯେତେ ଦାନ୍ତଚିପା ପ୍ରତିଜ୍ଞା ପୂରଣ, ଯେତେ ଆଖିତରାଟି ହାତ ମୁଠାକରି ଘଡ଼ଘଡ଼ି ବାକ୍ୟ ଉଗାଳି ଉଗାଳି ଆନ୍ଦୋଳନ, ଯେତେ ଡେଙ୍ଗା ରଣପା ଗୋଡ଼ରେ ବାନ୍ଧି ନାନା ବିଚିତ୍ର ସାଜ ଲାଗି ହୋଇ ଆପଣାର ଟେକ ପହିଜ ଦେଖାଇବାକୁ ଜୀବନବ୍ୟାପୀ ପରିଶ୍ରମ, ଯେତେ ଧନ୍ଦା କି ଯୋଜନା, ଚିନ୍ତାଦକ କି ବୁଦ୍ଧି କସରତରେ ଯହିଁରେ ମୁଣ୍ଡର ଦହି ଘୋଳ ହୋଇଯାଏ, ଯେ କେବଳ ଆନନ୍ଦର ପ୍ରକାଶ ପାଇଁ ଅବଲମ୍ୱନ, ଯାହା ବାଗରେ ଯେ, ନିଜେ ସେ ଆନନ୍ଦର ହେତୁ ନହେଁ । ଆନନ୍ଦ ତ ଆପଣା ଭିତରେ, ଅନୁଭବ କରିପାରିଲେ ସେ ଅଛି, ନ ପାରିଲେ ସେ ନାହିଁ । ଯାହା ହାତପାଆନ୍ତରେ ଅଛି ତାକୁ ହାତ ବଢ଼ାଇ ଘେନିନେବା ହିଁ ସତେ କି ଅସଜ, ସୁସ୍ଥ ସତେଜ ସରଳ ଦୃଷ୍ଟିରେ ଅନାଇବା ହିଁ ଅସଜ; ତେଣୁ ବୋଧହୁଏ ମଣିଷ ହାତ ପାତେ ଦୂରକୁ, ଆଶ୍ରା କରେ କୁଟିଳ ବୁଦ୍ଧି ଆଉ ଜଟିଳ ପନ୍ଥାକୁ ।

 

ଛବି ତେଜିଉଠି ମନରେ ଚଞ୍ଚଳତା ଅନୁଭବ କଲା, ଆଉ ଅନୁଭବ କଲା ଆପଣା ଭିତରୁ ବାହାରୁଥିବା ଗୋଟିଏ ବିଚିତ୍ର ମହକ, ମନ ଖିଆଲରେ ପତିଆରାର ଖେଳ ଫାନ୍ଦିନେଲା, ସେ ମଣିଷ ନୁହେଁ, ଗୋଟିଏ ଫୁଲଟିଏ, ଝଡ଼ିବା ନ ଝଡ଼ିବାର ଚିନ୍ତା ନାହିଁ ତା ମନରେ । ସେ ଅଛି, ଏତିକି ଯଥେଷ୍ଟ ।

 

ଆପଣାର ମହକ ସହିତ ନିଶ୍ୱାସରେ ଘେନି ହେଉଛି ପରମ ପରିତୃପ୍ତି, ଶାନ୍ତି, ଆନନ୍ଦ । ଝାଞ୍ଜି ଶୋଷରେ କାକର ପାଣି ମନ୍ଦିଏ ପିଇଲେ ଯେମିତି ତୃପ୍ତିକର, ଚମକ ଆଉ ଉତ୍ତେଜନା ଆସେ ସେମିତି ଲାଗୁଛି । ଗୋଟା ସୁଦ୍ଧା ସମସ୍ତେ ତା’ର ଅତି ଆପଣାର, ସ୍ନେହୀ ମଣିଷ, କାହାରି ସଙ୍ଗେ ତା’ର ବିରୋଧ ନାହିଁ, ପ୍ରତିଦ୍ୱନ୍ଦିତା ନାହିଁ । ତା’ର ଆନନ୍ଦ ହିଁ ତା’ର ସାର୍ଥକତା, ସେ ଖୋଜୁ ନାହିଁ କେହି ତାକୁ ଚିହ୍ନୁ କି ବଡ଼ କରୁ କି ପ୍ରଶଂସା କରୁ । ଏଇ ପବନ, ଛାଇ ଆଲୁଅର ଦୃଶ୍ୟ, ଏଇ ମାଟିର ଢାଲୁ ଢିପ ତାକୁ ମାୟାଜାଲରେ ଛନ୍ଦି ରଖିଛି, ପ୍ରତି ଖିଅ ଉଣ୍ଡିଲେ ଗୋଟିଏ କ’ଣ ସ୍ମୃତି ନ ହେଲେ ଚିହ୍ନା ଚିହ୍ନା ସ୍ୱପ୍ନ ସବୁ ଖିଅ ଲମ୍ବିଯାଇଛି ଅସରନ୍ତି ଆନନ୍ଦ ଭିତରକୁ ।

 

ଏଇ ଗାଁରେ କେବେ ଥିଲା । ମନ ଫଟାଫଟି; ଗଞ୍ଜଣା, କୁତ୍ସାରଟନା, କଳିଗୋଳ । ସେହି ଯେଉଁମାନେ ଏବେ ତା’ ବିଷୟରେ ଏଡ଼େ ପ୍ରଶଂସା କରି ଏତେ ଆଶୀର୍ବାଦ ସିଞ୍ଚିସିଞ୍ଚିକା ପ୍ରଚାର କରନ୍ତି କେତେଲୋକ ତହିଁରୁ ଏପରି କଥା କହୁଥିଲେ ଯହିଁରେ ହାଡ଼ରୁ ମାଉଁସ ଝଡ଼ି ପଡ଼ିବ, କେତେ ମିଛ, କେତେ ଅପବାଦ । ହଳଦୀ ଉଞ୍ଚା ସଙ୍ଗେ କେଉଁଦିନୁ ଖୋଳପା ଝଡ଼ି ପଡ଼ିଛି, ସ୍ମରଣରେ ପଡ଼ିଲେ ପଛକୁ ହଟିଯାଏ, ତା’ର ଛଳ ନାହିଁ । ସେମିତି ତା’ର ଲାଳଚା ନାହିଁ ଏ ପ୍ରଶଂସାକୁ । ଗାଁର ଝିଅ ବୋହୂ ପରଦା ଓଟାରି ଫୋପାଡ଼ି ଦେଇଛନ୍ତି, ଜାତିରେ ବଡ଼ ସାନ ଛୁଆଁ ଅଛୁଆଁ, ଧନରେ ଥିଲା ନ ଥିଲା ଭେଦ ମନର ଗଉଁ କେଉଁ ଭଟ୍ଟ ମାନଧାତା ଅମଳରୁ ପରିବାର ପରିବାର ଭିତରେ ମନାନ୍ତର, କାନିରେ ଗଣ୍ଠି ମାଳ ମାଳ, ସେମାନେ ମନରୁ ପାସୋରିଛନ୍ତି, ସନ୍ତାନ ଜନ୍ମ କରିବା, ଭାତ ରାନ୍ଧିବା, ପାନ ଭାଙ୍ଗିବା ଛଡ଼ା ଆହୁରି ବିରାଟ ସାମାଜିକ ଜୀବନ ସେମାନେ ଉପଭୋଗ କରୁଛନ୍ତି, ଏକ ଗାଁ ଏକ ଘର ସବୁ ମଣିଷ ଭାଇ ଭାଇ ବୋଲି ଆଦର୍ଶକୁ ମୂଳଦୁଆ କରି ସେମାନେ ନୂଆ ଦୁନିଆ ଗଢ଼ୁଛନ୍ତି ଯେ ସତେ ଯେପରି ମରୁଭୂମିରେ ସେମାନେ ମଡ଼ାଇ ମଡ଼ାଇ ଚାଲିଛନ୍ତି ଭାଗୀରଥୀର ନୂଆ ଧାର, ଏସବୁ ତାକୁ ଅତି ସାଧାରଣ ଲାଗୁଛି, ଏଥିରେ ତା’ର କିଛି କୃତିତ୍ୱ ଅଛି ବୋଲି ସେ ଭାବୁନାହିଁ, ବଡ଼ ବଡ଼ ନାଁ ତା’ର ହେତୁ ନାହିଁ-ତ୍ୟାଗ, ପରିଶ୍ରମ, ସେବା, ନିଷ୍ଠା । ଫୁଲପରି ସେ ଫୁଟିଛି, ପବନରେ ତା’ର ସୁବାସ ଆପେ ଗୋଳି ହୋଇଯାଇଛି, ସେଥିପାଇଁ ତା’ର ଚେଷ୍ଟା ନାହିଁ । ତା’ର ସ୍ୱାଭାବିକ ବାଗ ହିଁ ସେହି ।

 

ତାଠିଁ ଯେମିତି ସେମିତି ଆଉ କେତେକଙ୍କଠି ଏ ବାଗ ଠିପିମରା ହୋଇ ଅଟକି ରହିଥିଲା, ଖୋଲିଯାଇଛି । ସବୁ ଧାରା ଏକାଠି ହୋଇଛି ଗୋଟିଏ ପୁଣ୍ୟଧାରା କାର୍ଯ୍ୟ ମନେପଡ଼ୁଛି, ଉନ୍ମାଦନା ଆସୁଛି । ଗର୍ବକି ଗୌରବ ଗାରିମାର କାଣିଚାଏ ବି ମନରେ ଆସୁନାହିଁ ।

 

ମନେ ପଡ଼ିଗଲା, ହରି ସାହୁ ଆଜି କୋଠରେ ମିଶିଛି । ସେଥିରେ ବି ଅସଜ ନାହିଁ, ଯେମିତି ଶାଗ ପଟାଳିରେ ଶାଗ ଭୁରୁ ଭୁରୁ ହୋଇ ଉଠି ଠିଆ ହୁଏ, ଗଙ୍ଗଶିଉଳୀ ଗଛରୁ ଫୁଲ ଝଡ଼ିପଡ଼େ ଆସ୍ତେ ମାଟି ଉପରେ, ସେମିତି ଅତି ସାଧାରଣ ହୋଇ ଏ ଘଟନା ତା’ର ଦେଖିବା ଭାବିବା ବାଗରେ ଖାପିଯାଉଛି ।

 

ଏଇ ପାଣି ପବନରେ ଗଢ଼ିହେବେ ଏ ଯୁଗର ଟିକି ଟିକି ପିଲାଏ, ସେମାନେ ନୂଆଯୁଗର କାରିଗର, ଭବିଷ୍ୟତର ଘରକରଣା ମଣିଷ, ଏଇ ଟିକି କଅଁଳ କଢ଼ିମାନେ, କିଏ ମା’ର ପଣତକାନି ଉଢ଼ୁଆଳରେ ମୁହଁ ଲୁଚାଇଛି, କିଏ ବହି ସିଲଟି ଧରି ଘରକୁ ଲେଉଟୁଛି । ତା’ର ଛାତି ଓସାର ହୋଇ ଟଣକି ଉଠିଲା । ଏଥର ସେ ଲକ୍ଷ୍ୟ କଲା ଆକାଶରେ ଗୋଟି ଗୋଟି ହୋଇ ତାରା-। ଫିକା ଫିକା ଦିଶୁ ଦିଶୁ ସେମାନେ ଉଜ୍ଜ୍ଵଳ ହୋଇଉଠୁଛନ୍ତି । ଏମିତି ଉଠିବେ ଏଇ ମାଟି ଧୂଳିରୁ ଏ ଦେଶର ଜ୍ୟୋତିଷ୍କ, ସ୍ନେହ ଶାନ୍ତିରେ ବଢ଼ି ସେମାନେ ମୈତ୍ରୀର ପ୍ରତୀକ ହେବେ, ତାଙ୍କ ବିଚାର କି ବିଶ୍ୱାସରେ ନ ଥିବା ବିରୋଧ କି ସନ୍ଦେହ ।

 

ଆଉ ସେ ହେବ ମାଆ, ଯେମିତି ହେଉ ଦୂରରେ ବନ୍ଧ ଉପରର ଯୋଡ଼ି ଦେବଦାରୁଗଛ ଉହାଡ଼ରୁ ଜହ୍ନ ଉଠିଆସୁଛି, ଏଇ ଟିକି ଟିକି ଛୁଆତାରାଙ୍କ ଉପରେ ତା’ର ସୁନେଲି ହସ ଅଜାଡ଼ି ଦେଇଛି । ସେଠି ସବୁ କେଡ଼େ ସହଜ ଓ ସ୍ଵାଭାବିକ ।

 

ତା’ର ଖିଆଲ ଭାବନା ଭିତରେ ହଠାତ୍ ତାକୁ ଉଚ୍ଚାଟ ଲାଗିଲା, ତା’ ଦେହ ଶିରିଶିରେଇ ଉଠିଲା, ସେ ଚଙ୍ଗ୍‌ଚଙ୍ଗ୍‌ହୋଇ ବୁଲିପଡ଼ି ପଛକୁ ଅନାଇଁଦେଲା, କାଳେ କିଏ ତା’ର ମନର ଭାବନାଗୁଡ଼ିକୁ ଶୁଣି ପକାଉଛି, ଅସଜଡ଼ା ଅସମ୍ଭାଳ ହୋଇ ଠିଆ ହେଲାବେଳେ କାଳେ କିଏ କତିରେ ଛପି ରହି ଚାହିଁଛି ।

 

ଛବି ଥରି ଥରି ବନ୍ଧ ଉପରକୁ ଅନାଇଁଲା । କେହି ନାହିଁ, କୁକୁରଟିଏ ଦଉଡ଼ି ଦଉଡ଼ି ଯାଇଛି ।

 

ଆଉ ଯେଉଁ ବଡ଼ କଥାଟି ତା’ର ଚେତନାରେ ମିଶି ଗୋଳି ହୋଇ ସତେ ଅବା ତହିଁରେ ରଙ୍ଗ ଚଢ଼ାଇ ରଖିଥିଲା ତାକୁ ଯେପରିକି ସେ ସ୍ପଷ୍ଟ କରି ଛୁଇଁଦେଲା, ଗାଲ କାନମୁଣ୍ଡା ବେକ ଉଷୁମ ହୋଇଯାଇଛି, ଦେହ ଥରୁଛି, ଛାତି ଦୁମୁ ଦୁମୁ ପଡ଼ିଛି, ଛବି ମନେ ମନେ ଭାବିଲା ଆଜି ଏ ଗାଁରେ ରବି ଅଛି ।

 

ଲାଜ ଲାଜ ହୋଇ ଗୋଟିଏ ଗୋଟିଏ ହୋଇ ସେ ଯେତେବେଳେ ବନ୍ଧ ଉପରକୁ ଉଠିଲା, ଆଉ ବନ୍ଧ ଉପରୁ ଗଡ଼ି ପଡ଼ି ଘରଆଡ଼କୁ ଚାଲିଲା, ସେତେବେଳେ ଗୋଲ ବୁଲି ସ୍ମରଣ ଲେଉଟିଗଲା ଦୁଇବର୍ଷ ତଳକୁ ଯେତେବେଳେ ରବି ସଙ୍ଗରେ ତା’ର ପହିଲି ଦେଖାଦେଖି । ସେତେବେଳେ ସେ ପରିସ୍ଥିତି ଥିଲା ଭିନେ, ସେହି ମୁହୂର୍ତ୍ତ ଥିଲା ଅଚିହ୍ନା କୁଣିଆ, କୁତୂହଳ ସଙ୍ଗରେ ଥିଲା କୁଣ୍ଠା, ଆନନ୍ଦର ଉତ୍ତେଜନା ସଙ୍ଗରେ ଥିଲା ଜଞ୍ଜାଳ । ତା’ପରେ ସ୍ମୃତି ଓ ସ୍ଵପ୍ନର ଜୀବନ ସହିତ ସାଧାରଣ ହୋଇ ଖାପିଯାଇଛି, ଖାଲି ଫୁଲର ପାଖୁଡ଼ା ପାଖୁଡ଼ା, ସବୁଠିଁ ଚୋରା ମହକ, କୌଣସି ଗୋଟାଏ ବିନ୍ଦୁରେ ନାହିଁ, ସ୍ଥାନରେ ନାହିଁ ।

 

ଘର ପାଚିରି ଦୁଆର ମୁହଁରେ ପୁଣି ସେ ଅଟକି ଯାଇ ଅପେକ୍ଷା କଲା । ମନେ ମନେ ସେ ଖିଆଲ ବୁଣି ଲାଗିଲା, ପିଣ୍ଡାରେ ତଟେଇ ଆସନରେ ସେ ବସିଥିବେ, ଗପୁଥିବେ, କତିରେ ଥିବେ ବୋଉ, ଗୁରବୋଉ, ପାଖ ବଖରାରେ ନିସ୍ତବ୍‌ଧ ହୋଇ ଚେକାମହୁଲି ପକାଇ ବାପା ବସିଥିବେ, ଭାଗବତ ବୋଲିବା ଆଗରୁ ଯେମିତି ସେ ଆଖିବୁଜି କିଛି ବେଳ ବସିରହନ୍ତି, କେଉଁ ଅଦେଖା ଶକ୍ତି ଉପରେ କି ଖାଲି ଶୂନ୍ୟ ଉପରେ ସଂପୂର୍ଣ୍ଣ ଆତ୍ମସମର୍ପଣର ଭଙ୍ଗୀ, ସାମ୍ନାରେ ନଲଟଣ ଆଉ ମୟୂରଚନ୍ଦ୍ରିକା ଚିହ୍ନ ଦିଆହୋଇ ଭାଗବତ ଏକାଦଶ ସ୍କନ୍ଧ, ମୁଣ୍ଡ ଉପରେ ମୁକୁଟ ପରି ପ୍ରକାଣ୍ଡ ଧାନ ମେଣ୍ଟା, ସେଥିରେ କଉଡ଼ି ମାଳ ଗୁରା ହୋଇଥିବ । ସେ ରବିକୁ ଗ୍ରହଣ କରି ନେଇଛନ୍ତି, ତା’ ତାଙ୍କର ବ୍ୟବହାରରୁ ବାରି ହୋଇପଡ଼େ, ଏ ଘର ବି ତାକୁ ଆଦରି ନେଇଛି । ସେହି ରୂପରେ, ସେହି ପରିବେଷ୍ଟନୀରେ ସେ ତାକୁ ଦେଖିବାକୁ ଚାହେଁ, ବାହାରେ ସମ୍ବନ୍ଧ ସ୍ଥିର ନହେଉ, ଶଙ୍ଗୁଆ ଶଙ୍ଖ ନ ଫୁଙ୍କିଥାଉ, ପୁରୋହିତ ମନ୍ତ୍ର ନ ପଢ଼ିଥାଉ, ମନେ ମନେ ତା’ର ସମର୍ପଣ ହୋଇସାରିଛି ।

 

ଆଉ ଦି’ପାହୁଣ୍ଡ ନ ଯାଉଣୁ ତା’ ମନ ଭିତରେ କିଏ ଯେପରି ବିତର୍କ ଉଠାଇଲା-

 

ଆଉ ସେ ଯଦି ରାଜି ନ ଥିବେ ? ତାଙ୍କର ଯଦି ଆଉ କେଉଁଠି ମନ ଥିବ ? ଅସମ୍ଭବ । ଅତି ଜୋରରେ ମନ ପ୍ରତିବାଦ କରିଉଠିଲା । ସମୁଦ୍ରରେ ଜୁଆର ହିଁ ଜହ୍ନର ଆକର୍ଷଣର ପ୍ରମାଣ । ପିଲାଦିନେ ପଢ଼ିଥିବା ସାଧାରଣ ଭୂଗୋଳ ଏ କଥା କହେ । ଆଉ ଏଠି ସେ ତାଙ୍କୁ ଦେଖିଲା ଦିନଠୁଁ ଜୀବନର ପ୍ରତି ମୁହୂର୍ତ୍ତରେ ଅନୁଭବ କରିଆସିଛି ଜୁଆର, ସେହି ଓଟରାରେ ସେ ଜୀବନର ଲକ୍ଷ୍ୟ ଅନୁଭବ କରିଛି । ତା’ କେବେ ମିଛ ହୋଇପାରେ ?

 

କାହିଁକି ତେବେ ସେ ଆସିଛନ୍ତି ?

 

ଅତି ତରତର ହୋଇ ସେ ଘର ଅଗଣାରେ ପଶିଲା । ଭିତରେ ଖଞ୍ଜା ଦୁଆର ମୁହଁରେ ସାନ ଛାଇଟିଏ ହଲି ଉଠିଲା, ଭୁସକିନ ସାମ୍ନାକୁ ଆସି ତା’ର କାନିକୁ ଧରିପକାଇ ଖସ ଖସ ପାଟିରେ ଅଣନିଶ୍ୱାସୀ ହୋଇ କହିଗଲା-’’ଛବି ଅପା, ସେ ଆସିଥିଲେ, ଚାଲିଗଲେ ।’’

 

ଛବି ତା’ର ହାତକୁ ଜାବି ଧରି ବଡ଼ଘାଏଁ ଝାଙ୍କିଦେଇ ପଚାରିଲା, ‘‘କିଏ କିରେ ଗୁର ?’’

 

ଗୁର ମନରେ ସତେ ଯେମିତି ଅଭିମାନ ହେଲା, ଯେମିତି ଏକା ଷଡ଼ଯନ୍ତ୍ରରେ ଲିପ୍ତ ଥିଲେ ଦି’ଜଣ, ଜଣେ ଆର ଜଣକୁ ବିଶ୍ଵାସ କରୁ ନାହିଁ ବୋଲି ସେ ଅନୁଭବ କଲା । ଅଭିମାନିଆ ସ୍ୱରରେ କହିଲା, ‘‘କିଏ ବୋଲି ତୁମେ ଯଦି ନ ଜାଣିଲ, ମୁଁ କାହୁଁ ଜାଣିବି ?’’

 

ତା’ର ମୁଣ୍ଡ ଆଉଁସି ଆଉଁସି ସାକୁଲେଇ ଫୁସୁଲେଇ ଛବି ପଚାରିଲା, ‘‘କହୁନୁ କ’ଣ ହେଲା ? ସୁନାଟି ପରା !’’

 

‘‘ମୁଁ କ’ଣ ଥିଲି ?’’

 

ଗୁର ସମ୍ବାଦ କହିଗଲା, ରବି ଆସିଥିଲା, ତା’ ସଙ୍ଗରେ ବହୁତ ଲୋକ, ସେମାନେ ବାହାରେ ଅପେକ୍ଷା କଲେ, ତାକୁ ଗୁରବୋଉ ଘରକୁ ଡାକିନେଲେ, ତା’ପରେ ଛବିବୋଉ, ଗୁରବୋଉ ତା’ ସଙ୍ଗେ କଥାଭାଷା ହେଲେ, ସିନ୍ଧୁ ଚୌଧୁରୀ ବି ପଦାକୁ ବାହାରିଲେ । ଜଳଖିଆ ଖାଇବାକୁ ମନାକଲା ।

 

‘‘ଗଲାବେଳେ ମତେ କ’ଣ କହିଗଲେ ଜାଣିଛ ?’’

‘‘କ’ଣ ?’’

 

‘‘କହିଲେ ତମ ଛବି ଅପାଙ୍କୁ କହିବ ଆସିବେ ।’’

 

‘‘କ’ଣ କହିଲୁ ? କ’ଣ କହିଲୁ ? ସଁ ସଁ କରି ଛବି କହିଲା, ତା’ ଦେହସାରା ଥରୁଥାଏ ।

 

‘‘ସତେ ମ, ସେ ସେହି କୋଠରେ ରହୁଛନ୍ତି । ମତେ ବି କହିଛନ୍ତି ଆସିବ, କ’ଣ କେତେ ଯାତ୍ରା ହେଉଛି ସେଠି ।’’

 

ତା’ର ବିଚିତ୍ର ବିହ୍ୱଳ ଭାବକୁ ଦୋହଲାଇଦେଇ ତେଣୁ ଶୁଭିଲା ସିନ୍ଧ ଚୌଧୁରୀଙ୍କର ପରିଷ୍କାର ସ୍ୱର, ‘‘କିଏ ଛବି ?’’

 

‘‘ହଁ, ବାପା !’’

 

‘‘ରବି ଆସିଥିଲା । କୋଠରେ ଆଜି ଏଇ ସଞ୍ଜବୁଡ଼େ ଆଲୋଚନା ସଭା କାମଦାମ କଥା ପଡ଼ିବ । ତତେ ବି ବହୁତ କରି କହିଛି ଯିବାକୁ ।’’

 

ବାପାଙ୍କ ତୁଣ୍ଡରେ ‘ବହୁତ କରି’ ବୋଲି ଶୁଣି ଛବିର କାନମୁଣ୍ଡା ତାତିଗଲା, ଲାଜରା ହୋଇ ଲାଗିଲା ସତେ ଯେମିତି ସେ ମାଟିରେ ମିଶିଯାଆନ୍ତା । କିନ୍ତୁ ସିନ୍ଧୁ ଚୌଧୁରୀ ପିଲାଟିଏ ପରି ସରଳ ଅଖଳା ପାଟିରେ କହିଗଲେ, ‘‘ତତେ କହିଛି ଦଳବଳ ଡାକି ନେଇ ଯିବାକୁ । ତମ ମହିଳା ଦଳର ସମସ୍ତେ ଯିବ । ବାସ୍ତବିକ ଏସବୁ କାମରେ ଆଲୋଚନା ଆଉ ଭାବର ବଦଳ ଉଦଳ ଭାରି ଦରକାରୀ । ଆଜି କେଡ଼େ ଆନନ୍ଦର ଦିନ, ହରି ସାହୁ ଏ କୋଠରେ ମିଶିଛି । ସେ ସବୁଦିନେ ଖବରକାଗଜ କଥା କହେ, ଆଜି ନିଶ୍ଚେ ମନ ଖୋଲି କହିବ ଆପଣାର ଖବର-କ’ଣ ତା’ର ହେଲା ଯହିଁରେ ସେ ତରଳି ବୋହି ଚାଲିଗଲା ସମୁଦ୍ରରେ ମିଶିବ ବୋଲି । ଶୁଣିବାକୁ ମଜା ଲାଗିବ ।’’

 

‘‘ତୁମେ ଯାଉଛ ବାପା ?’’

 

‘‘ହେଇ ତ ବାହାରିଲି । ଆଉ ଟିକକକୁ ତୁ ବି ବାହାର । ଯା ଡାକିଆଣ ତମ ସମସ୍ତିଙ୍କୁ । ଖୁସିରେ ନାଚି ନାଚି ଗଲା ପରି ଛବି ଗୋଡ଼ ଛାଟି ଛାଟି ଚାଲିଗଲା । ଛବିବୋଉ ବଡ଼ପାଟିରେ କହିଲେ–’’ହଉ ହଉ, ତାକୁ ଡାକରା ପଡ଼ିଛି ସେ ଯିବ, ତମୁକୁ ଆଦର ଗୌରବ ହଉଚି ତୁମେ ଯିବ, ଆଉ ମୁଁ ଯେ–ମତେ କେହି ଡାକୁ ନାହିଁ ।’’

 

ସିନ୍ଧୁ ଚୌଧୁରୀ କହିଲେ, ‘‘ତୁମେ ତ ଅସଲ, ତୁମେ ସିନା ଆମକୁ ଭେଳେଇ କରି ନେବ-!’’

 

‘‘ହଁ ବାରୁଣୀ ଯୋଗ ପଡ଼ିଚି, ଯାତ୍ରା ଦେଖେଇନେବି ।’’

 

‘‘ଆରେ ଆଗେ ଥିଲା ପ୍ରହସନ କି ନାଟ୍ୟଙ୍ଗୀ କି ବିମାନ ମେଳଣ, ଆଖିରେ ଦେଖୁଥା, କାନରେ ସହୁଥା ଝାଞ୍ଜ ମୃଦଙ୍ଗ କାନ ଝାଇଁ ଝାଇଁ, ଘି’ପିଠା କ’ଣ, ନହେଲେ ମାଳି, କାଚ, କୁଲା ବାଉଁଶିଆ, ଘରକୁ ଲେଉଟ । ଏ ଯେଉଁ ଯାତ୍ରା ସେଥିରେ ଅଂଶ ନେବ ତୁମେ ନିଜେ, ତୁମେ ହେବ ନାଟୁଆ, ତୁମେ ଗାଇଲା ବାଲା, ବଜାଇଲା ବାଲା, ଠାକୁର ବି ତ ତୁମେ ଆଉ କିଏ ?’’

 

‘‘ହଁ ସବୁ ତ ମୁଁ ଆଉ କିଏ କି ? ମୁଇଁ ନାଟର ଗୋବର୍ଦ୍ଧନ ।’’

 

‘‘ଆରେ ବାବୁ, ତୁମେ ଏକୁଟିଆ ନ ହେଲେ ସେମିତି ଜଣ ଜଣ ହୋଇ ସମସ୍ତେ । ମଣିଷ ଆପଣା ସକାଶେ ଏବର ଏ ମେଳଣ କରେ । କେଉଁ ପକ୍ଷୀ ଉଡ଼ିଆସେ କେଉଁ ରାଇଜରୁ, ସମସ୍ତେ ଏକାଠି ହୁଅନ୍ତି, ମନ ଖୋଲି ସୁଖଦୁଃଖ ପକାନ୍ତି, ନାନାଲୋକଙ୍କ ବୁଦ୍ଧି ବିଚାର ଏକାଠି ହୋଇ ଗୋଟାଏ ବାଟ ବାହାରେ, ଯେମିତି ସମସ୍ତଙ୍କର ଆହୁରି ଭଲହେବ, ଅଜ୍ଞାନ ଅଶିକ୍ଷା ଅନ୍ଧାର ଗରିବପଣ ରୋଗ ଅବିଚାର ୟା ବିରୁଦ୍ଧରେ ଲଢ଼େଇ ତେଜିବ, ଆଉ ନାନା ଭଲ ଭଲ ଉପାୟ ଦିଶିବ । ବାଟ ଦେଖାଇବା ଲୋକ, ଘର ଚଳାଇବା ଲୋକ, ମଣିଷ ଗଢ଼ିବା ଲୋକ ତ ତୁମେ ମାଇପେ, ତୁମରି ଗାଧୁଆତୁଠ ଗପ କି ପୋଖରୀପାଣି ପଡ଼ିଆ ଟୁପୁରୁ ଟାପୁରୁରେ ଯୁଗେ ଯୁଗେ ଏ ସମାଜର ଚଳଣିର ମଙ୍ଗ ଏକର ସେକର ମୋଡ଼ ନେଇଛି, ଆଉ ଏ ଗାଁ ଯେମିତି ନୂଆ ବାଗରେ ନୂଆ ଚଳଣି ଆଦରିନେଲା ସବୁ ତ ତମରିମାନଙ୍କ କରାମତି-’’

 

‘‘ହଉ ଥାଉ ଥାଉ,’’ ଛବିର ବୋଉ ଉପରେ ପଡ଼ି ବାଧାଦେଇ କହିଲେ, ମତେ ଏତେ ଟେକିବା ଦରକାର ନାହିଁ, ଯାହା ତୁମେ କହିଲ କରିଗଲ ସବୁ ମୁଁ ସହିଲି ସହୁଥିବି ଏ ଜୀବନ ଥିବାଯାକେ । ବାବାଜି ହେଲ, କହିଲ ମାତାଜୀ ହଁ, ହେଲି । ଖିଆ ନାହିଁ ପିଆ ନାହିଁ ଦେହ ଭଲମନ୍ଦକୁ ନିଘା ନାହିଁ ଝିଅକୁ ଛାଡ଼ିଦେଇ ପତର ଚକି ପରି ବୁଲି ବୁଲି ପରର ବେଠି କରିବାକୁ, ମା’ ହୋଇ ତାକୁ ବି ସହିଲି–’’

 

‘‘ଓଃ !’’ ସିନ୍ଧୁ ଚୌଧୁରୀ ହସିଦେଇ କହିଲେ, ‘‘ତମ ମନ ଓରମାଣ ଗଲାନାହିଁ ।’’

 

‘‘ମଲେ ବି ଯିବ କାହିଁ । କ’ଣ ଥିଲା ଆଉ କ’ଣ ୟେ ହେଲା, ହେଉଛି ।’’

 

ପରିବର୍ତ୍ତନ ସଙ୍ଗେ ସଙ୍ଗେ ତ ତୁମେ ଚାଲିଛ, ତୁମକୁ ତ ସେ ଭାଙ୍ଗି ନାହିଁ, ଚୂରି ନାହିଁ, ଆଉ ତୁମର ଦୁଃଖ କ’ଣ ?’’

 

‘‘ନାଇଁ ମୋର ଆଉ ଦୁଃଖ କ’ଣ, ବଢ଼ିରେ ସବୁ ପୂରିଛି ଆଉ !’’ ଛବିବୋଉ ହସିଦେଲେ-। ସିନ୍ଧୁ ଚୌଧୁରୀ କହିଲେ, ‘‘ବଢ଼ିର କଥା ତୁମେ ହୁଏତ ବୁଝିପାରିବ ନାହିଁ, ବୁଝିବେ ତୁମ ନାତି ଅଣନାତିମାନେ, ସେମାନେ କହିବେ ଯେ, ଶହ ଶହ ବର୍ଷ ହେଲା ଯେଉଁ ମଣିଷ ସମାଜ ଏ ଦେଶରେ ପଡ଼ି ପଡ଼ି ବଦ୍ଧଦଳ ପଙ୍କରେ କାଠୁଆ ହୋଇ ଯାଇଥିଲା, ତାକୁ ଉଝାଳି ତହିଁରେ ନୂଆ ଜୀବନ୍ୟାସ ଦେଇ ତୁମେମାନେ, ତେଣୁ ସେଥିରେ ନୂଆସୃଷ୍ଟି ସଜ ବିଚାର ସମ୍ଭବ ହେଲା । ସେମାନେ କହିବେ ।’’

 

‘‘ହଉ, କ’ଣ କ’ଣ ସେମାନେ କହିବେ ଲେଖନ ତାଳପତ୍ରରେ ତୁମେ ଲେଖି ଥୋଇ ଦେଇଥା ଗାଦିଗୋସେଇଁ ଥାକରେ । କାହା ଅଣନାତି ହେଲେ ପଢ଼ିବେ, ତୁମର ତ ହେବେ ନାଇଁ–’’ ତାଙ୍କର ହସ ବଦଳିଯାଇ ହେଲା ଗୋଟାଏ କରୁଣ ଦୀର୍ଘଶ୍ୱାସ । ସିନ୍ଧୁ ଚୌଧୁରୀ ପିଣ୍ଡାରୁ ତାଙ୍କ ପାଖକୁ ଓହ୍ଲାଇ ଆସିଲେ, କହିଲେ–

 

‘‘ପୁଣି ସେଇଆ ହେଲ ? ପୁଣି ବାଇ ଲାଗିଲା ?’’

 

‘‘ନାଇଁ, ବାଇ ଲାଗିବ ନାଇଁ, ଝିଅ ବୁଢ଼ୀ ହେଉ !’’

 

‘‘ଶୁଣ, ଆପଣା ବୟସ ଗଣିବା ଛଡ଼ା ଯାହାର ଆଉ କିଛି କାମ ନ ଥାଏ ସେ ବୁଢ଼ା ହୁଏ କି ବୁଢ଼ୀ ହୁଏ; ଯେ ନୂଆ ସୃଷ୍ଟି କଲା ଭଳି କାମର ସୁଅରେ ମିଶିଯାଏ, ବୟସ କଳନାରେ ତା’ର ମାପ ହୁଏନାହିଁ ।’’

 

‘‘ନାଇଁ ସେ ଭେଣ୍ଡିଆ ହୋଇ ରହିଥାଏ, ଅବିକଳ ତମରି ପରି ତ !’’

 

‘‘ଆଉ, ଯେ ଆପଣ ଜୀବନକୁ ଧନ୍ୟ କରେ, ଲୋକେ ଯାହାକୁ ଶରଧା କରନ୍ତି କି ଭକ୍ତି କରନ୍ତି କି ପୂଜା କରନ୍ତି, ତା’ ବୟସର ବି ମାପ ହୁଏ ନାହିଁ ।’’ ଠାକୁର ଦେବତାଙ୍କ ପରିବାର କଥା ଆମେ କହୁଁ, କିଏ କାହାର ପୁଅ କି ଝିଅ କିଏ କାହାର ଭାରିଯା, କିନ୍ତୁ କେବେ କିଏ କହିବର ଶୁଣିଛ ପାର୍ବତୀଙ୍କି ବୟସ କେତେ ?’’

 

ଆହୁରି ଦୀର୍ଘଶ୍ୱାସ ପକାଇ ଛବିର ବୋଉ କହିଲେ, ‘‘ହଉ ଭୁଲୋଉଥା, ଯେ ମତେ ଭଣ୍ଡୋଉ ନାହିଁ, ନିଜକୁ ଭଣ୍ଡୋଉଚ । ମତେ ଲାଗୁଛି ଝିଅ ପାଇଁ ବର ତୁମ ହାତପାଖରେ, ଝିଅ ଖୁସି ହୁଅନ୍ତା, ପୁଅ ବି ନିଶ୍ଚୟ ଖୁସି ହେବ, ତୁମ ଆଖିକି ଦିଶୁ ନାହିଁ ?’’ ହସିଦେଇ ସିନ୍ଧୁ ଚୌଧୁରୀ କହିଲେ, ‘‘କାଳେ ନ ଦିଶୁଥିବ, କହ ।’’

 

‘‘ତ୍ରିକାଳଜ୍ଞ ସର୍ବ ପୁରୁଷ ହେଇଚ, ଦେଖିପାରୁନ ? ମୁଁ ସିନା ମାଇପି ଜନମ । ଛବିକୁ ରବି । ଏକା କଣ୍ଟରେ ବିଧାତା ଗଢ଼ିଛି । ତୁମ ଗଉଁ ତୁମଠିଁ ଥାଇ, ପକାଅ ଆଉ ଥରେ । ନିଜେ ନ ହେଲେ ଯାଅ, କହ ବଟ ମହାନ୍ତିଙ୍କୁ ।’’

 

‘‘କଳ୍ପ ବଟ, ମାଗିଲେ ଥାଳ ପୂରିବ ।’’

 

‘‘ଥରେ ନାହିଁ କରିଥିଲେ, ଆନ୍ ଧରି ରହି ଆମେ ପିଲାଙ୍କ ଜୀବନ ନଷ୍ଟ କରିବା ?’’

 

‘‘କାହା ଜୀବନକୁ କେହି କିଛି କରିପାରିବ ନାହିଁ ଛବିବୋଉ ! ସେମାନେ ବାହାହେବାକୁ ମନ କରିବେ ତ ବାହା ହେବେ ।’’

 

‘‘କିଏ କରେଇବ ?’’

 

କରେଇବା ଲୋକ ଜଣେ, ତା କାମଟା ଦିଶେ, ସେ ଦିଶେ ନାହିଁ । କରି କରାଉଥାଏ ମୁହିଁ, ମୋ ବିନୁ ଆନ କେହି ନାହିଁ ।’’ ସିନ୍ଧୁ ଚୌଧୁରୀ ହସିଦେଲେ, ପୁଣି କହିଲେ, ‘‘ତୁମେ ଯାଉଛ, ଅଟକି ଯାଉଛ କାହିଁକି ?’’ ଗଣ୍ଠି ପାଖକୁ ଫେରି ଆସୁଛି, ବାନ୍ଧି ଛନ୍ଦି ହେଉଛି, ଛଟପଟ ହେଉଛି, ଏତିକି ଫଳ । ଗଣ୍ଠି ଖୋଲିଦିଅ, ଦି’ହାତ ଉପରକୁ ଟେକିଦେଇ ନିଶ୍ଚିନ୍ତ ହୁଅ ।’’

 

‘‘କ’ଣ ଏଗୁଡ଼ାକ ବକୁଛ ? ଝିଅ ମୋର ବାହା ହେବ ନାହିଁ ?’’ ସେ ସ୍ୱରରେ ବାଜିଉଠିଲା ଅତି କରୁଣ ସଙ୍ଗୀତ ।

 

ସିନ୍ଧୁ ଚୌଧୁରୀ ସେମିତି ପ୍ରଶାନ୍ତ ଭାବରେ କହିଲେ, ‘‘କାବା ହୁଏ ଏଇଥିପାଇଁ ଯେ ଲୋକେ କହନ୍ତି ନାହିଁ ଝିଅ ମୋର ସୁଖୀ ହେବ ନାହିଁ ? ପୁଅ ମୋର ସୁଖରେ ରହିବ ନାହିଁ ? ସେମାନେ ଖାଲି କହନ୍ତି ଝିଅ ମୋର ବାହା ହବ ନାହିଁ ? ପୁଅ ମୋର ବାହା ହବ ନାହିଁ ?’’

 

‘‘ଆଉ କ’ଣ କହିନ୍ତେ ?’’

 

‘‘ନାଇଁ ସେଇଆ ପରା ! ଖାଲି ଆଡ଼ମ୍ବରରେ ବାଜା ବଜେଇ ଲୋକ ଜମେଇ ଭୋଜିଭାତ କରି ପୁରୋହିତ ଡକେଇ ଚାରି ପାଞ୍ଚ ଘଣ୍ଟା ଶ୍ଲୋକ ବୋଲେଇଦେଲେ ଭାବନ୍ତି ଜୀବନଯାକର ଦାୟିତ୍ୱ ସରିଗଲା । ତେମେ ବି ସେମିତି ଖୋଜୁଛ । ତୁମେ ବୁଝୁନ ସେମାନେ କଣ୍ଢେଇ ନୁହଁନ୍ତି, ମଣିଷ । ଯୋଡ଼ିଏ ମଣିଷ ଯଦି ଭାବିବେ ସେମାନେ ଏକାଠି ରହି ଏକା ସନ୍ତାନଙ୍କର ବାପ ମା’ ହେବେ, ଯଦି ଭାବିବେ ପରସ୍ପର ସଙ୍ଗରେ ନ ରହିଲେ ତାଙ୍କୁ ଜୀବନର ଅର୍ଥ କିଛି ନାହିଁ, ତେବେ ସେମାନେ ମନ କରେ ସେମିତ ରହିବେ ।’’

ତେର୍ଚ୍ଛା ହୋଇ ଛବିବେଉଙ୍କୁ ମୁହଁ ଉପରେ ଜହ୍ନ ପଡ଼ିଥାଏ । ସାମ୍ନାରେ ସିନ୍ଧୁ ଚୌଧୁରୀ । ସେ ଦେଖିଲେ ଛବିବୋଉ ଶୀତେଇ ଉଠିଲେ, ତାଙ୍କ ମୁହଁ ବିଭଙ୍ଗ ଦିଶିଲା । ଥରି ଥରି ଫମ୍ପାଗଳାରେ ଛବିବୋଉ କହିଲେ, ‘‘ତୁମ ମନରେ କ’ଣ ଅଛି ଖୋଲି କରି କହ । ତୁମେ କ’ଣ କହୁଚି ଝିଅ ମୋର ବିଭା ହେବ ନାହିଁ, ଖାଲି ଗୋଡ଼ାଣିଆ ହୋଇ କାହା ତଳେ–’’

‘‘ଶୁଣ, ପାଗଳ ହୁଅ ନାହିଁ । ଗୋଡ଼ାଣିଆ ହୋଇ ତପସ୍ୟା କରି ବର ପାଇବା ଭାଗ୍ୟ ତୁମ ଝିଅର ଅଛି କି ନାହିଁ ମୁଁ ଜାଣେ ନାହିଁ । ପ୍ରେମ ଆଉ ସମ୍ବନ୍ଧ ଏ ଦି’ଟା ଏକା କଥା ନୁହେଁ । ଆମେ ଖୋଜୁଁ ସମ୍ବନ୍ଧ, ଯେମିତି ଜମିଦାର ଜମିଦାର ଘର ସଙ୍ଗରେ କି ଗରିବ ଧନୀ ଘର ସଙ୍ଗରେ କି ବ୍ୟବସାୟୀ ଆଉ ଜଣେ ବ୍ୟବସାୟୀ ସଙ୍ଗରେ । ଘର କର୍ତ୍ତାମାନଙ୍କ ଛବି ଅନୁସାରେ, ଲୋଭ ଅନୁସାରେ ସମ୍ବନ୍ଧ । କିନ୍ତୁ ପ୍ରେମ ଖୋଜି ଯାଇଥିଲେ ପାର୍ବତୀ । ଆଉ ଯେଉଁ ଜାତି, ଆଚାର, ଶାସ୍ତ୍ର କି ସଂସ୍କାରରେ ବନ୍ଧା ସମାଜ ଘେନି ଆମେ ବଡ଼େଇ କରୁଁ ଏ ସମାଜ ଭିତରେ ବି ଅତୀତରେ କେତେଥର ମଣିଷର ପ୍ରକୃତ ପ୍ରେମ ସମାଜର ସମ୍ବନ୍ଧକୁ ଓଲଟ ପାଲଟ କରିଦେଇଛି । ଉତ୍ପଳା ବୋଲି ଥିଲା ବ୍ରାହ୍ମଣକନ୍ୟାଟିଏ, ଚିତ୍ରକ ବୋଲି ଯେଉଁ ପିଲାଟି ଥିଲା ସେ ଜାତିରେ ଚଣ୍ଡାଳ । ସେମାନଙ୍କ ପ୍ରେମ ତାଙ୍କୁ ଅମର କଲା, ଦିହିଙ୍କ ଅନ୍ତେ ତାଙ୍କ ଶବ ଯେଉଁ ନଈରେ ପଡ଼ିଲା ସେ ହେଲା ପବିତ୍ର ଚିତ୍ରୋତ୍ପଳା, ସେ ଦୁହିଁଙ୍କ ନାଁରେ ଠାକୁର ମୂର୍ତ୍ତି ବସାଇ ଆମରି ମାନ୍ଧାତା ଅମଳର ସମାଜ ତାଙ୍କୁ ପୂଜା କଲା ।’’

ଛବିବୋଉକୁ ଆଖିରେ ଲୁହ ଟଳ ଟଳ ହେଉଛି, ମୌନୀ ନଈରେ ଜହ୍ନର ଝଳି । କହିଲେ, ‘‘କିଏ ପଶିବ ଏ କଥାରେ ?’’ ତାଙ୍କ ମୁଣ୍ଡ ବୁଲାଇଥିଲା ।

ସିନ୍ଧୁ ଚୌଧୁରୀ କହିଲେ, ‘‘କରିଛ, ବଢ଼େଇଛ, ଭଲ ପାଉଛ, ଟିକିଏ ଉଦାର ହୁଅ, ନିଧଡ଼କ ହୁଅ । ଜାଲ ପକାଇବା କି ଅଠା କାଣ୍ଡିଆ ଯୋଖିବା ଷଡ଼ଯନ୍ତ୍ର କରିବା, ସେଗୁଡ଼ାକ ଆମର କାମ ନୁହେଁ । ସେମାନେ ପରସ୍ପରକୁ ଟିହ୍ନନ୍ତି, ଦିହିଙ୍କର ଏକା କାମରେ ଝୁଙ୍କ, ଜଣେ ଘରଛାଡ଼ି ଜଗତଟାକୁ ଘର କରିଛି, ଜଣେ ଘରେ ରହି ବି ସତେ କି ଅଘୋରୀ । ମତେ ତ ଲାଗୁଛି, ତାଙ୍କର ଯଦି କେବେ ବିଭାଘର ହେବ ସେ ବି ହେବ ଗୋଟିଏ ଯୋଗସାଧନାର ପରିଣତି, ଦି’ଟା ବିଶାଳ ହୃଦୟ ତ୍ୟାଗ ତପସ୍ୟା ସ୍ନେହ ଉଦାରତାରେ ବିଛେଇ ହୋଇ ପଡ଼ୁପଡ଼ୁ, କେତେବେଳେ ଏକାଠି ହୋଇଯିବ । ସେମାନେ ଆଉ କଣ୍ଢେଇ ନୁହନ୍ତି, ମଣିଷ ।’’

‘‘ଆଉ ଯଦି ନ ହେବ ? ଯଦି କେହି ବାହାଘର ନାଁ ଧରିବେ ନାହିଁ ?’’

ସିନ୍ଧୁ ଚୌଧୁରୀ କହିଲେ–

‘‘କ’ଣ ହୋଇଯିବ ତାହେଲେ ? ପୃଥ୍ୱୀ ପ୍ରଳୟ ହୋଇଯିବ ? ଏ ସଂସାରରେ ଆଉ ମଣିଷ ରହିବେ ନାହିଁ ?’’ ତା’ପରେ ଛବିବୋଉକୁ କାନ୍ଧ ଉପରେ ଦୁଇହାତ ରଖି ତାଙ୍କ ଆଖିକୁ ଅନାଇଁ ଭାବପ୍ରବଣ ହେଲାପରି ସିନ୍ଧୁ ଚୌଧୁରୀ କହିଲେ–

‘‘ନ ହେଲେ କହିଲ, ରବି ଛଡ଼ା ଛବି ନାଖି ଆଉ ଅନ୍ୟ କେହି ବର ଅଛି ?’’

ଭାବିଭାବିକା ନଈ ବନ୍ଧେ ବନ୍ଧେ ଚାଲିଥିଲେ ଜଣେ, ଠିଆ ଛଡ଼ ପରି ସରୁ ଡେଙ୍ଗା ମଣିଷ, ଅତି ଲମ୍ବ ପାଦ ଆଡ଼ୁ ଉପରକୁ ଅନାଇଁଲେ ଦିଶେ ଆକାରଟା ଚାଲିଛି ଉପରକୁ ଉପରକୁ, ତା’ପରେ ଭାଲୁ ପରି ଦାଢ଼ି ନିଶ ବାଳ, ଆଜି ଆଉ କଜଳକଳା ହୋଇନାହିଁ, ଧଳା କହରା ମିଶାମିଶି-। ମେଞ୍ଚାଏ ବଡ଼ ଗେଣ୍ଡା ପରି ନାକ, ଦମ୍ଭ ଉଞ୍ଚ ନାକଦଣ୍ଡା, ବଡ଼ ବଡ଼ ଆଖି, ସେଥିରେ ଗହୀର ଭାବୁକତା, ଉଞ୍ଚ ଓସାର କପାଳ କାନ୍ଥ ପରି ସିଧା ଠିଆ । ଦେହ ଅନୁପାତରେ ଗୋଟାଏ ବଡ଼ ମୁଣ୍ଡ, ଏକର ସେକର ବିଛେଇ ହୋଇ ପଡ଼ିଥିବା ମୋଡ଼ିମୋଡ଼ିକା ଲମ୍ୱା ବାଳ ବୋଝେଇ ହୋଇ ସେ ମୁଣ୍ଡ ଆହୁରି ବଡ଼ ଜଣାପଡ଼ୁଛି । ଓସାର କାନ୍ଧ ଓ ସଳଖ ବେକର ସତେ କି ଗଉଁ ଭାଙ୍ଗି ନାହିଁ । ଗୋରା ଦେହଟା ଖରାରେ ଝଟକୁଛି । ମାଟି-ଗେରୁଆ ଖଦଡ଼ର ଖଣ୍ଡ ମୋଟ ଲୁଗା ପିନ୍ଧିଛନ୍ତି, କାନ୍ଧରୁ କଙ୍କାଳକୁ ତେର୍ଚ୍ଛା ହୋଇ ବନ୍ଧା ହୋଇଛି ମୋଟା ଗେରୁଆ ଖଦଡ଼ର ଚାଦର କି ଗାମୁଛା, ପିଠିଆଡ଼େ ଗେରୁଆ ଖଦଡ଼ରେ ଗୁରା ହୋଇ ଖଣ୍ଡେ ସାନ ବୋକଚା କାନ୍ଧରେ ବନ୍ଧା ହୋଇଛି, ତାକୁ ଘୋଡ଼େଇଲା ପରି ସେଠି ହାତେ ଓସାର ହାତେ ଲମ୍ବର ଖଣ୍ଡେ ତାଳ ବରଡ଼ାର ଆସନ ବି ଓହଳିଛି । ବୋକଚାର ଗୋଟିଏ କରରେ ଗୋଟିଏ ରସ ଲୋଟା ଓହଳିଛି, ଆର କରରେ ଗୋଟିଏ ସାନ ନଲଟଣ, ହାତରେ ଗଣ୍ଠିଗଣ୍ଠିଆ ପାଚିଲା ବାଉଁଶ ବାଡ଼ି ଖଣ୍ଡେ ।

 

ଚାଲିଯାଉଛି ରୂପଟା, ତରତର ନୁହେଁ, କିନ୍ତୁ ଅଟକୁ ନାହିଁ, ସତେ କି ଏ ବାଟଚଲା କାମ ପାଇଁ ନୁହେଁ, ଏ ବାଟଚଲା ତାଙ୍କ ଜୀବନ । ବନ୍ଧତଳି ଦୋକାନମାନଙ୍କରୁ ପୁଣି ସ୍ଥାନେ ସ୍ଥାନେ ବନ୍ଧକର ତୋଟା ତଳ ଅଳସ ଅଳସ ଗଳ୍ପ ପଙ୍ଗତରୁ ଲୋକେ ତାଙ୍କଆଡ଼କୁ ଅନାଇଁ ରହନ୍ତି, ଚାଲିଗଲେ ପଛଆଡ଼େ ପଚରା ପଚରି ହୁଅନ୍ତି-’’କିଏ ୟେ ? କୁଆଡ଼େ ଚାଲିଛନ୍ତି ?’’ କିନ୍ତୁ କାହାରି ଆଖିରେ ସେ ଚାହାଣୀ ଧରା ଦିଏ ନାହିଁ, ଯେମିତି କାହାରି ସହିତ ତାଙ୍କର କିଛି ସମ୍ବନ୍ଧ ନାହିଁ । ଖାଲି ତାଙ୍କ ପାଦ ପଡ଼ି ପଡ଼ି ଯାଏ ଆଗକୁ, ଯୋଡ଼ାଏ ଲମ୍ବାପାଦ ଗୋଟାଏ ବାଡ଼ିର ମୁଣ୍ଡି !

 

ଏଇ ସେହି ଚିହ୍ନା ଭୂଇଁ । ବଙ୍କେଇ ବଙ୍କେଇ ବାଁ ପଟେ ନଈ ଚାଲିଯାଇଛି, ଡାହାଣ ପଟେ କ୍ଷେତ, ଛାଡ଼ି ଛାଡ଼ି ଗୋଟିଏ ଗୋଟିଏ ତୋଟାଗହଳି ଗାଁ । ମୁଣ୍ଡ ଉପରକୁ ନାଲି ପତ୍ର ଓ ଆମ୍ବ ବଉଳ ଲମ୍ବିଆସିଛି । ଗଛ ଗଣ୍ଡିରେ ତଳୁ ଉପରକୁ ଗୁଣ୍ଡୁଚିମୂଷାମାନେ ଦୌଡ଼ୁଛନ୍ତି । ମଝିରେ ମଝିରେ ବାଘରା ମହୁ ଘାଉଁ ଘାଉଁ ଓ କୋଇଲିର କୁହୁ କୁହୁ । ମୋଟା ପଣସ ଗଣ୍ଡିରୁ ସାନ ସାନ କଷି ଓହଳିଲାଣି । ବନ୍ଧ କରର ଘଞ୍ଚ ଅରମାରୁ ବାସଙ୍ଗ ଫୁଲର ମହକ ବାରି ହେଉଛି, କେତେବେଳେ କେତକୀ ଫୁଲର ବାସ୍ନା । ହେଇ ଚାଲିଗଲା ପୁରୁଣା ଛୁରୀଅନା ତୋଟାଟିଏ । ଫୁଲ ଫୁଟିଛି । ଆସିଲା ଗୋଟିଏ ଦେଉଳ ବଗିଚା, ତଳେ ଅଛି ବାଉଁଶବଣ, ଆଉ ଘଞ୍ଚ ନଡ଼ିଆତୋଟା ଉଢ଼ୁଆଳରେ, କିନ୍ତୁ ବାସ୍ନା ଆସୁଛି, ବଉଳଫୁଲ, ନାଗେଶ୍ୱର ଫୁଲର ବାସ୍ନା ଏକାଠି ମିଶିଛି ।

 

ଆଗରେ ଅଳ୍ପ ଅରାଏ ନାଲି ବଣ, ଜାମୁର ନାଲି ନାଲି ପତ୍ର, ଫୁଲଭର୍ତ୍ତି ପାଟଳି ବଣ । ଗୋଟାଏ ଗୋଟାଏ ପଳାଶ ଓ ପାଳଧୁଆ ଗଛ, ଗୋଟାଏ କରଜୁ ଗୋଟାଏ ପ୍ରକାଣ୍ଡ ଶିମୁଳି ଗଛ, ପତ୍ର ନାହିଁ ଖାଲି ନାଲି ଫୁଲ । ଖରା ତାଉରେ ବର୍ଣ୍ଣର ଆଭା ସତେ କି ଶୁନ୍ୟରେ ଚହଟିଛି ।

 

ମନେ ପଡ଼ିଗଲା । ବସନ୍ତ । ସବେ କି ଖିଆଲ ନ ଥିଲା । ଆଉ ପଛକୁ ପଛକୁ ଦିଶି ଦିଶି ଗଲା ଜଙ୍ଗଲ ଛାଉଣି ପର୍ବତର ପାଚିରି ଘେରାହୋଇ ଗୋଟିଏ ହଜିଲା ଛପିଲା ଅନ୍ଧାରୀ ଖୋଲ, ପର୍ବତ ଢାଲୁରେ ଗୋଟିଏ ନିଛାଟିଆ କୁଡ଼ିଆ, ସାନ କୁଡ଼ିଆବସ୍ତିଠୁଁ ଅଳ୍ପ ଛଡ଼ାରେ, ସାମ୍ନାରେ ରଙ୍ଗ ଦାଉ ଦାଉ ପାଟେଳି ବଣ, ତଳେ ଝରଣାକୂଳରେ ଅଶୋକ ଗଛର ଘଞ୍ଚ ଜଙ୍ଗଲ, ସେଠି ବି ଫୁଲ ଫୁଟିଥିବ । ଆଉ ସେହି ଫୁଲଠୁଁ ବି ସୁନ୍ଦର ସ୍ନେହ ଢ଼ଳଢ଼ଳ ସରଳ ମୁହଁଗୁଡ଼ିକ, କଳା ମିଶ୍ ମିଶ୍-’’ପୁଣି କେବକୁ ଆସିବୁ ବାପା ?’’

 

‘‘ନ ହେଲେ ଏପୁରେ ଦେଖା ନ ହେଲେ ସେପୁରେ ପୁଣି ଦେଖାହେବା, ଆମେ ଖୋଜି ଖୋଜି ପଚାରି ପଚାରି ବୁଲିବୁଁ କୁଆଡ଼େ ଗଲା ସେ, ଏମିତି ତା ଚେହେରା, ଆମକୁ ଶରଧା କଲା, ବୁଦ୍ଧି ବତେଇଲା, ଅଭୟ ଦେଲା, ଆମର ଭଲ କଲା, ଆମର ବାପାଟା ସେ, ଆମେ ତା’ର ପୋ-ପୁତ୍ର, ଆମେ ତା ସଙ୍ଗେ ମିଶିବୁଁ, କୋଉଠି ଅଛି କହି ।’’

 

ସେହି ଲୁହ ଟଳ ଟଳ ଆଖିରେ ଗହୀର ଚାହାଣୀ, ସେହି ପଦେ ପଦେ ଭାଷା ଯେ ବନେଇ ଚୂନେଇ ବଖାଣି ଜାଣେ ନାହିଁ, ଖାଲି ଦେଖାଏ ହୃଦୟର ଗଭୀରତାର ମାପ, ପାପୁଲିକୁ ଚିପିଧରି ମୁହଁକୁ ଆଖିକୁ ସିଧା ଚାହିଁ ଥରିଲା ଥରିଲା ସ୍ଵରରେ ପଦେ-“ତୁ ଯା ନାହିଁ ବାପା, ସତେ ଯିବୁ ?’’

 

‘‘ହଁ, ଯିବାକୁ ତ ହେବ ।’’ ଯେ ଆଣିଥିଲା ସେ ସେହି ଅନ୍ତର ଭିତରୁ ଡାକ ପକାଇଛି, ପୁଣି ଲେଉଟି ଯିବାକୁ ହେବ । ପବନରେ ଉଡ଼ି ଉଡ଼ି ସମ୍ବାଦ ଆସିଲା, ସେଠି ମଣିଷ ଆପଣା ରାଜିରେ ନୀରବରେ ନୂଆ ସମାଜ ଗଢ଼ୁଛି । ସତେକି ଗୋଟାଏ ଗାଁ ଗୋଟିଏ ଲେଖାଁ ଘର, ସମସ୍ତେ ସମସ୍ତଙ୍କ ହିତ ପାଇଁ ସ୍ନେହରେ ଛନ୍ଦାଛନ୍ଦି । ସେହି ଭାବରେ ନିଆଁଗୁଲ ଏଠୁ ଯାଇ ସେଠି ପଡ଼ୁଛି, ଭାବ ଖେଳିଯାଉଛି । ଇଚ୍ଛା ହେଲା-ଦେଖେ ଯାଏଁ, ସତେ କ’ଣ କଳି ଶେଷ ହେଲା ?

 

ଅବିଶ୍ଵାସ ହେଲା ନାହିଁ । ଆରମ୍ଭ ଯେଉଁଠୁ ହେଲେ ହୁଅନ୍ତା ତ ? ଯେଉଁ ଗଉଡ଼ିସାହିରେ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ, ଯେଉଁ ବଣୁଆ ଗୋଷ୍ଠୀରେ ଶାକ୍ୟମୁନି ଜନ୍ମ ହୋଇଥିଲେ, ଯେଉଁ ଅଜଣା ପଲ୍ଲୀରେ ଆରମ୍ଭ ହୋଇଛି ଯୁଗ ଓଲଟା ଆନ୍ଦୋଳନମାନ–କିଏ ଆଗରୁ ଚିହ୍ନିଥିଲା ନା ଜାଣିଥିଲା ! ଚିହ୍ନାଜଣା ଆଖିଦୁରୁଶା ଯାହା ସେଠି ଦେଉଳ ତୋଳି ଆଡ଼ମ୍ବର ସଜାଇ ଲୋକେ ଅପେକ୍ଷା କରିଛନ୍ତି, ଆଲୁଅ ଫୁଟେ ଆଉ କେଉଁଠି ।

 

କେତେ ଗୋଇଠା ହତାଦର ସହି ଏଇ ମାଟି ମଉନ ହୋଇ ପଡ଼ି ରହିଥାଏ, ତା’ପରେ ହଠାତ୍ କେବେ କେଉଁଠି ସେ ଥରିଉଠେ, ଲାଗେ ଭୂମିକମ୍ପ । ସେମିତି, କେତେ ଅତ୍ୟାଚାର ଶୋଷଣ ଲୁଣ୍ଠନ ସହି ସହି ଯୁଗ ଯୁଗର ଅନ୍ଧାର କୁସଂସ୍କାର ନୈରାଶ୍ୟର ଆବର୍ଜନାରେ ଢାଙ୍କି ହୋଇ ପଡ଼ି ରହିଥାଏ କେଉଁ ଦେଶର ମଣିଷ, ତା’ପରେ ଚାର ଚେତନାରେ ଚହଳ ପଶେ, ସେ କାମ ଦେଖାଏ ।

 

ମଣିଷ ଇଚ୍ଛା କଲେ କାମ କରିପାରେ, ହାତରେ ହାତ ଛନ୍ଦିଲେ ହୁଏ । ବଜ୍ର, କିଏ କହିପାରେ, ହୋଇଥିବ ଅବା !

 

ସେତେବେଳେ ବଳେ ମନେପଡ଼ିଥିଲା କେଇଟା ବର୍ଷ ତଳର କାହାଣୀ, ସେ ସେହି ଅନ୍ଧାରୀ ଖୋଲରେ ଆଶ୍ରମ ଗଢ଼ି ନ ଥିଲେ ! ଦେଶ ଇଚ୍ଛା କରିଥିଲା । ସେ ସ୍ଵାଧୀନ ହେବ । ସ୍ଵାଧୀନ ହେଲା । ଥିଲେ ତ ପୁଲିସ ଆଉ ମାଜିଷ୍ଟ୍ରେଟ୍‌ମାନେ, ରାଜା ମହାରାଜା ନବାବ ଜମିଦାର ରାୟସାହେବ ରାୟବାହାଦୁର ମାନେ, ଥିଲା ଥାକ ଥାକ ହୋଇ ପଲଟଣ, ବନ୍ଧୁକ, ତୋପ କମାଣ, ଆକାଶରେ ଉଡ଼ାଜାହାଜ ଉଡ଼ୁଥିଲା, ଦରିଆରେ ଯୁଦ୍ଧଜାହାଜ, ଦେଶରେ ଭେଦୁଆ, କୋକୁଆଭୟ, ଦେହରେ ମନରେ ସବୁଠିଁ ସତେକି ବନ୍ଧନର ବେଡ଼ି, ହିମାଳୟରୁ କନ୍ୟାକୁମାରୀଯାକେ ସେହି ବିରାଟ କାରାଗାରର ଛାତିଚିରି ଉଠିଥିଲା ଗୋଟାଏ ହେଣ୍ଟାଳ–’’ ମହାତ୍ମା ଗାନ୍ଧିକୀ ଜୟ ।’’ ଆଉ ଏ ଦେଶର ଜନତା ଇତିହାସ ସୃଷ୍ଟି କଲେ, ସ୍ଥାପନ କଲେ ନାହିଁ ନ ଥିବା ସ୍ୱାଧୀନ ଜନତନ୍ତ୍ର ।

 

କିଏ କହିପାରେ ? ହୁଏତ ଆଗୁଆ ଇତିହାସ ଭିତରକୁ ଆହୁରି ପାହୁଣ୍ଡେ, ଯେତେବେଳେ ଦେଶ ଦେଶ ଭିତରେ ବି ବାଡ଼ ରହିବ ନାହିଁ, ଯୁଦ୍ଧର ବୀଜ ବୁଡ଼ିଯିବ, ପରସ୍ପର ହିତ ମନାସି ହିତ କରି ଏ ପୃଥିବୀସାରା ସ୍ନେହ-ମୈତ୍ରୀରେ ଛନ୍ଦାଛନ୍ଦି ହୋଇ ଏକ ମନୁଷ୍ୟ ସମାଜ ଗଢ଼ା ହେବ, ସମସ୍ତେ ସମସ୍ତଙ୍କର, ମନକଲେ ସବୁଠିଁ ସମସ୍ତଙ୍କର ଘର, ସେଠି ଧନ ପାଇଁ ମଣିଷ ରଙ୍କ ସରସର ହେବ ନାହିଁ, ରଙ୍କ ସରସର ହେବ ମନ ପାଇଁ, ଭାଇପଣ ପାଇଁ । ହୁଏତ ସେହି ପବିତ୍ର ମହାନଦୀର ଜନ୍ମ ହୋଇଛି କେଉଁ ପାଣି ଚବଚବ ବିଲମାଳରୁ । ତେଣୁ ସେ ଆଶ୍ରମରୁ ପଦାକୁ ଗୋଡ଼ କାଢ଼ିଥିଲେ ।

 

ଛାଇ ଉପରେ ସଲ ସଲ ଖରା, ଶିରି ଶିରି ପବନ, ବସନ୍ତ ପାଛୋଟି ନେଉଛି । ଆକାଶ ମେଘମୁକ୍ତ । ଛାଇ ହଲ ହଲ ଆଲୁଅ ଝଲ ଝଲ ସେହି ପୁରୁଣା ଅପାସୋରା ଦୃଶ୍ୟ । ଯାହା ଦିଶିଛି ଯାହା ଦିଶୁ ନାହିଁ ସବୁ ଗୋଟି ଗୋଟି ହୋଇ ମନେ ପଡ଼ିଯାଉଛି । ଧାନ କଟା ହୋଇ ବୁହା ହୋଇ ଚାଲିଯାଇଛି । ସ୍ଥାନେ ସ୍ଥାନେ ଧାନ ଗଦା ଉପରେ ପାରା ଘରଚଟିଆ ଗହଳି । ସ୍ଥାନେ ସ୍ଥାନେ ନାଟ ତାମସାର ଧୁମ୍ ଶୁଭୁଛି, କେଉଁଠି ପାଲାକାରଙ୍କ ପାଟି, ଝାଞ୍ଜ ମୃଦଙ୍ଗ । ଗୋରୁଗାଈଙ୍କ ଦେହ ଚିକ୍‍କଣ ଦିଶୁଛି । ଚାଳରୁ ମେଣ୍ଟି ଓହଳିଥିବ, କାନ୍ଥରେ ଚିତା ପଡ଼ିଥିବ । ଆଉ ଚାଲୁ ଚାଲୁ ଭାବୁ ଭାବୁ ହଠାତ୍ ମନଟା ଚାଉଁକିନା ଲାଗୁଛି, ଦୃଷ୍ଟି ଅଟକି ଯାଉଛି ଦୂରର ଧୂଆଁଳିଆ ନେଳିଚା ଉପରେ, ସବୁ ଦୃଶ୍ୟ ସେଠି ଗୋଳି ହୋଇ ମିଶିଯାଇ ଟାଙ୍ଗି ହୋଇ ରହିଛି ଖାଲି ଶୂନ୍ୟ । ସେଠି ଗୋଟାଏ ଅବଗୁଣ୍ଠନ ଝୁଲୁଛି । ତାହାରି ପଛଆଡ଼େ ତାଙ୍କ ଅତୀତ । ସେହି ଶୂନ୍ୟ ଭିତରେ ମୁହଁଟିଏ । ଦିଶି ଦିଶି ଯାଏ, ତା’ ପାଖରେ ଆଉ ତିନୋଟି ଟିକି ମୁହଁ । ମନେ ପଡ଼େ, ଏଇ ବନ୍ଧେ ବନ୍ଧେ ସେ ଘରକୁ ଫେରୁଥିଲେ, ଆଜି ବି ଏଇ ବନ୍ଧେ ବନ୍ଧେ । କାହାକୁ ଦେଖିବେ ?

 

ଦୀର୍ଘଶ୍ୱାସରେ ଛାତି ଫୁଲି ଉଠେ । ପୁଣି ସେ ଚୋରା କୋହକୁ ଦାବି ରଖନ୍ତି । ସତେ କି ଆପଣା ଛାତିକୁ ନିର୍ଦ୍ଦେଶ ଦିଅନ୍ତି, ପଥର ହ ଛାତି । ଆଉ ପ୍ରକାରେ ସ୍ମୃତିକୁ ମନେ ପକାନ୍ତି । ଗୋଟାକୁ ଦାବି ରଖେ ଆଉ ଗୋଟାଏ ମନେ ପଡ଼େ, ଗୋଟିଏ ନୁହେଁ, କୋଟିଏ କୋଟିଏ, ଗୋଟିକର ମୋହ କାଟି ସେ ସେହି କୋଟି କୋଟି ପ୍ରତି ମୋହକୁ ଆପଣାର ହୃଦୟରେ ସ୍ଥାନ ଦେଇଥିଲେ, ସେହିଆ ତ ବାଟ କଢ଼ାଉଛି । ଯେଉଁଠି ପଡ଼ିଗଲେ ବି ଦେଶଭାଇ ଥିବେ ଗୋଟେଇ ନେବାକୁ, ନ ହେଲେ ଏ ଦେହକୁ ଜୁଇରେ ଲଦିଦେବାକୁ ।

 

ହେଇ ଏଇ ଗାଁଟା, ଧାନ କଟା ହୋଇଯାଇଥିବା ଗହୀର ସେକରେ ସେହି ଯେଉଁ ବାଉଁଶବଣ ଦିଶୁଛି ତା ଆରକରେ ଅଛି । ଏ ଗାଁରେ ତିରିଶି ଖଣ୍ଡ ତନ୍ତ ଚାଲୁ କରା ହୋଇଥିଲା । ଖଦଡ଼ ଲୁଗା ବୁଣିବା ପାଇଁ ଏ ଗାଁ ହୋଇଥିଲା ଗୋଟିଏ ପେଣ୍ଠ । ଦି’ଜଣ ଚାକିରି ଛାଡ଼ିଥିଲେ । କେତୋଟି ପିଲା ଇସ୍କୁଲ ପଢ଼ା ଛାଡ଼ିଦେଇ ଦେଶକାମ କରିବାକୁ ବାହାରି ଆସିଥିଲେ । ମାଇପେ ଅରଟ ଧରିଥିଲେ । କି ଉତ୍ସାହ ସେତେବେଳେ ! ତା’ପରେ ଘରପୋଡ଼ା ପୁଲିସ୍ ସାହାବ ରାତିକାରାତି ଚୋରାରେ ସେ ଗାଁରେ ନିଆଁ ଲଗାଇ ଦେଇଥିଲା । ହଁ ତ, ଏଇ ଫଗୁଣ ଶେଷରେ ହେବ ପରା ! କି ବିକଳ ! କିନ୍ତୁ ଘର ଅଙ୍ଗାର ହେଲା, ଆଣ୍ଟ ତିଳେ ନଇଁଲା ନାହିଁ । ଆଗଠୁଁ ବଳି ସଙ୍ଗଠନ ଠିଆ ହେଲା । ତା ପଛରେ ଥିଲେ ଏ ଚକଡ଼ାଯାକର ଲୋକେ ସେଇଆ ସେତେବେଳର ବିଶେଷତ୍ୱ । ଉପରକୁ ଯାହା ଦିଶୁଥିଲା ସେ ସେତିକି ନୁହେଁ, ସେ ଗୋଟାଏ ସନ୍ତକ, ସେ ଦେଉଳର ଗୋଟାକଯାକ ନୁହେଁ , ଖାଲି ଦେଉଳ ଅଗର ପତକାଟି । ଆଉ ଇଂରେଜ୍ ସରକାର ବୋଧହୁଏ ବାରମ୍ବାର ଭୁଲ କରୁଥିଲା ତାକୁ ତା’ର ଆକାରରେ ସୀମିତ ବୋଲି ଭାବି । ସେତେବେଳେ ଖଦଡ଼ ଖାଲି ଗୋଟାଏ ପ୍ରକାର ମୋଟା କନା ନୁହେଁ, ସେ ଗୋଟିଏ ପବିତ୍ର ଆକାଙ୍‌କ୍ଷା ଓ ଆଦର୍ଶର ପ୍ରତୀକ । ସେମିତି ମହାତ୍ମା । ସେ ସମଗ୍ର ଭାରତବର୍ଷର ପ୍ରତୀକ ।

 

ଗାଁଟାଯାକ ଜାଳିପୋଡ଼ି ସେମାନେ ଆଦୌ ସେ ସୁଅକୁ ରୋକିପାରିଲେ ନାହିଁ । କୁଆଡ଼ୁ ପୁଣି ଚାଲିଆସିଲା ଶଗଡ଼ ଶଗଡ଼ ନଡ଼ା ବାଉଁଶ, ଧାନ ଚାଉଳ, ଗୁଞ୍ଜି ଗୁଞ୍ଜି ସଞ୍ଜପହରେ ଗାଁବାଲା ଆଣି ଦେଇଯାଆନ୍ତି । ଅନ୍ଧାରେ ଅନ୍ଧାରେ ମାଟି ଚକଟା ହୁଏ, କାନ୍ଥ ଉଠେ । କେହି କାହାକୁ କହି ନ ଥିଲା ଆସ, ଶ୍ରମଦାନ ଦିଅ । ପ୍ରକାଣ୍ଡ ଆଶ୍ରମ ଘର ତୋଳା ହେଲା , ପୁଣି ସାହାଲା ସାହାଲା ହୋଇ ବାସଘରମାନ ।

 

ତା’ପରେ ଗାଁ ସେପାଖେ ସେହି ପ୍ରକାଣ୍ଡ ଗହଳି ଆମ୍ବତୋଟାରେ ସେ ଯେଉଁ ତାଣ୍ଡବ ଲୀଲା । ସେଇଠି ଆଖପାଖ ଗାଁରୁ ଆସି ଦଶ ହଜାର ସରିକି ମାଇପେ ମିଣିପେ ରୁଣ୍ଡ ହୋଇଥିଲେ-। କାହା ହାତରେ ବାଡ଼ିଖଣ୍ଡେ ବି ନାହିଁ । ଖାଲି ମୁହଁ ଟାଣ, ଛାତି ଟାଣ । ଆଉ ତାଙ୍କ ଆଗରେ ଦଳ ଦଳ ଧାଡ଼ି ଧାଡ଼ି ହୋଇ ଠେଙ୍ଗାବାଲା ପୁଲିସ, ବନ୍ଧୁକବାଲା ପୁଲିସ । ଗଣେଶପେଟା ଦରବୁଢ଼ା ରଘୁରାମ ଦୋପଟି ଘୋଡ଼ା ଉପରେ ଥାଇ ହୁକୁମ ଦେଉଥାନ୍ତି ଯେ ସର୍ଜେଣ୍ଟ ସାହାବ ଗୋଟାକୁ ଗୋଟା ଭିଡ଼ି ଆଣି ଲଙ୍ଘା କରି ଠେଙ୍ଗେଇ ଗଡ଼େଇ ଦେଉଥାଏ । ତଥାପି ପଛରୁ ପାଟି ହୁଏ- “ରଘୁଆ ନନା, ନୁଣ ମରା ହେଲା ପଛକୁ ଅନା ।’’ ଦାନ୍ତ କାମୁଡ଼ି ଘୋଡ଼ା ଛୁଟାଇ ଧାଇଁଯାଏ ରଘୁରାମ ଦୋପଟି, ଠେଙ୍ଗେଣି ଉଞ୍ଚେଇ ହୁକୁମ ଦିଏ, “ଚଲାଅ ଠେଙ୍ଗା । ଶଳାଙ୍କୁ ସାଧ୍ୟ କର ।’’ ସାଧ୍ୟ ହେଲେ ନାହିଁ । ଆଉ ଥରକୁ ଆଇଲା ଦୋପଟି ଭୀମା ଦାସ । ଲୋକେ କହନ୍ତି, ସେ ଗୋଟାଏ ପଥରଭଙ୍ଗା କଳ କି ସଡ଼କ ଧୁଡ଼ମୁସ୍ କଳ । ସେଥର ଗୁଳି ଫୁଟିଥିଲା । ତିନିଜଣ ଟଳିପଡ଼ିଲେ । କେତେ କିଏ ବନ୍ଧା ହୋଇଗଲେ । ଗାଁ ଘେରାଉ କରି କଡ଼ା ପହରା ରହିଲେ ଠିଆ ଠିଆ । ତଥାପି ପୁଣି ଦିନାକେତେ ଗଲାରୁ ତେଜିଲା । ସେଥର ଆସିଥିଲେ ଦୋପଟି ଆଲ୍ଲା ବକସ-। “ବେତ ଚଲାଅ’’, ସେ କହିଥିଲେ । ଚାଲିଥିଲା । ଆପେ ଘୋଡ଼ାରେ ବସି ସେ ତୁହାଇ ତୁହାଇ ରଡ଼ିଥିଲେ, ‘‘ଆହୁରି ! ଆହୁରି !’’

 

ଏମିତି କେତେଠି ଏଇ ବାଟ କରେ କରେ ।

 

କେତେ ଲୋକ ଧରା ହୋଇ ଜେଲ ଗଲେ । ସେମିତି ଧରା ହୋଇ ବନ୍ଧା ହୋଇ ଯାଇଥିଲେ ସେ ବି । ଆଜି ଆରତ ପଣ୍ଡା କହିଲେ କିଏ ଚିହ୍ନିବ ?

 

କିନ୍ତୁ ସେତେବେଳେ ଆରତ ପଣ୍ଡା ବୋଲି ସତକୁ ସତ ଜଣେ ଲୋକ ଥିଲା । ଖାଲି ପୁଲିସ ଭଅଁରିଆରେ ନୁହେଁ, ଏ ମାଟିରେ ତା’ର ଚେର ଥିଲା । ଏହି ଅଞ୍ଚଳରେ ପାଟେଳିଗାଁରେ କେଉଁ ପୁରୁଷର ଶୁଚିମନ୍ତ ବ୍ରାହ୍ମଣ ପରିବାରରେ ତା’ ଜନ୍ମ, ଗାଁର ସେ ଜଣେ ହିତକାରିଆ ଭାଇ । ଚୌକିଦାରୀ ଟିକସ ଚଉଦଣା’ ଖଜଣା ପଥକର ସାତ ଟଙ୍କା ସାତଣା, ନିଷ୍କରବାହିଲି ବାର ମାଣ, ଖାଲି ତୋଟ ବାଡ଼ି ତିନି ମାଣ, ଦିମାଣରେ ଗଡ଼ିଆ, ଠାକୁର ବିଲ ପାଞ୍ଚ ମାଣ, ଠାକୁର ରାଧାମାଧବଙ୍କ ଖାନାବାଡ଼ିର ମାର୍ଫତଦାର । କେତେ ପୁରୁଷର ନିଦା ଘର । ଏମିତି ଗୋଡ଼ାଣିଆ ହୋଇ ଆଉ କେତେ ଲୋକ ବି ବଞ୍ଚିଯାଆନ୍ତି । ମାଗିଲେ ମିଳେ । ମୁହଁଟିମାନ ଦିଶିଯାଉଛି । ତାଙ୍କ ବୋଉ, ତାଙ୍କ ସ୍ତ୍ରୀ ଲକ୍ଷ୍ମୀ, ଲବକୁଶ ବୋଲି ଦୁଇ ପୁଅ, ତା ତଳେ ଝିଅଟି–ସରସ୍ୱତୀ । ସେ ଜେଲ୍ ଗଲା ପରେ ସ୍ତ୍ରୀ ମରିଗଲେ, ତା’ପରେ ମରିଗଲେ ବୋଉ । ପିଲାଙ୍କୁ କୁଆଡ଼େ ମାମୁଁ ପାଳିନେଲା, ସରସ୍ୱତୀ କୁଆଡ଼େ ଦି ବର୍ଷ ହେଲା ବିଭା ହେଲାଣି, ତା କୋଡ଼ରେ ଝିଅଟିଏ । ଘର ଭାଙ୍ଗିଛି, ଜମି ବାଡ଼ି ଚାଲିଯାଇଛି, ଗାଁରୁ ନାଁ ବୁଡ଼ିଛି, ଜେଲରୁ ଫେରି ବଣରେ ଏତେ ବର୍ଷ ବିତେଇଦେଇ ଆଜି ଏତେ କାଳକେ ସେ ଏହି ଚିହ୍ନା ମାଟି ମାଡ଼ୁଛନ୍ତି ଯେ ପାଦରେ ଚାଉଁ କରୁଛି ଜୀଅନ୍ତା ସ୍ମୃତି ଆଉ ଏ କ’ଣ ହୋଇଯାଉଛି ! ନିଶଦାଢ଼ି ତିନ୍ତେଇ ଧାର ଝରିପଡ଼ିଛି ଯେ କାହିଁ ଗଲା ତାଙ୍କର ସଞ୍ଜମ !

 

ଆପଣାକୁ ସମ୍ଭାଳିବାକୁ ଚେଷ୍ଟାକରି ସେ ବନ୍ଧ ତଳ କଣ୍ଡିଆ ଉପରକୁ ଗଡ଼ିଯାଇ ଗୋଟିଏ ଝଙ୍କା କୋଚିଲାଗଛ ତଳେ ନଈ ବାଲିଆଡ଼କୁ ଅନାଇଁ ତୁନିତାନି ହୋଇ ଠିଆହୋଇ ରହିଲେ । ନିଜକୁ ନିଜେ ମନେମନେ ବୁଝାଇ ଲାଗିଲେ–ସେ ସଞ୍ଜମୀ, ସେ ଅମର ଆତ୍ମା, ଆତ୍ମାର ଗୁଣ ନାହିଁ, ଆସକ୍ତି ନାହିଁ, ଏ ବ୍ୟକ୍ତିତ୍ୱ କେବଳ ପ୍ରକୃତି, ଏ ସଂସାରୀ ଖେଳ କେବଳ ମାୟା । ଶୋକ କରିବା ତାଙ୍କର କାମ ନୁହେଁ, ଯେପରି ଆନନ୍ଦ କରିବା ବି ନୁହେଁ ।

 

ନଈକୂଳିଆ ପବନ ମୁହଁରେ ବାଜୁଛି । ଉଦୁଉଦିଆ ଖରାରେ ଛାଇ ଆଉ ପବନରେ ଅଳସ ଲାଗୁଛି । ଲୁହଧାର ଶୁଖିଗଲାଣି । ଗଛ ଗଣ୍ଡିରେ ଆଉଜିପଡ଼ି ଆଖି ବୁଜିଦେଲେ । ମନେ ମନେ ଭାବିଲେ, ଆସୁ ଆଉ କିଛି ଧାରଣା, ନିଜ ଛଡ଼ା ଆଉ କିଛି, ଏ ମନ ଏ ବ୍ୟକ୍ତିତ୍ଵର ବନ୍ଧନରୁ ମୁକ୍ତି ପାଉ ।

 

ଆଗ କିଛି ଦିଶିଲା ନାହିଁ । ତା’ପରେ ଦିଶିଗଲା ପାହାଡ଼ ମାଳ ମାଳ, ଯେଉଁ କୁଡ଼ିଆ ସେ ଛାଡ଼ି ଚାଲିଆସିଛନ୍ତି, ତା’ପରେ ଆଉ ଗୋଟିଏ ଘର, ପିଣ୍ଡା ପାହାଚ, ଚଉରା, ବାଟମୁହଁ, ନଡ଼ିଆ ଗଛ, ବାରିର ବାଡ଼, କାନ୍ଥ ଚାଳ, ଲୁଗା ଶୁଖୁଛି, ଶାଢ଼ି, ତା’ପରେ ହେଇ ଲକ୍ଷ୍ମୀ, ବୋଉ, ପିଲା ତିନିହେଁ । ଗୋଟାଏ ଝଙ୍କା ବରକୋଳି ଗଛ ।

 

ଆଖି ଖୋଲିଲେ । ପୁଣି ଆଖି ପତା ଢୁଳେଇ ପଡ଼ୁଛି । ମୁଣ୍ଡ ଭିତରେ ଚାଲିଛି ମଣିଷ ସ୍ୱରର ସଙ୍ଗୀତ । ସ୍ତ୍ରୀ କାହାକୁ କ’ଣ କହୁଛନ୍ତି । ପିଲାଏ ଦୁମୁଦୁମୁ ହୋଇ ଧାଉଁଛନ୍ତି । ବୋଉ କ’ଣ ପାଟି କରୁଛି । ବାଛୁରୀ ବୋବାଉଛି । ଗାଈ ତା’ର ଉତ୍ତର ଦେଉଛି । ସାହିରୁ କାହା କଥା ଶୁଭୁଛି । ଦୁଆରେ କିଏ ଡାକୁଛି । ହେଇ ସେ ତାଙ୍କ ଘରେ ଅଛନ୍ତି । ସ୍ତ୍ରୀ କ’ଣ କହୁଛନ୍ତି । ବୋଉ କ’ଣ କହୁଛି-। ପୁଣି ଆଖି ଖୋଲିଦେଲେ ।

 

ଏମି ତି କେତେଥର ନିଘୋଡ଼ ଧ୍ୟାନ ଭିତରକୁ ବି ଏ ଘର ଲହଡ଼ା ପଶିଆସେ ଆଉ ବାରମ୍ବାର ହାବୁକା ମାରେ । ଆଉ କଟକଣା ରଖିଲେ ନାହିଁ । ସହଜଭାବେ ଆପଣାକୁ ଛାଡ଼ିଦେଲେ ସେହି ସ୍ମୃତି ଉପରେ ଭାସିବାକୁ ।

 

ଲକ୍ଷ୍ମୀ ଚିକ୍‍କଣ କଳା ଛନଛନିଆ, ଯେମିତି ଲହୁଣୀବୋଳା ମୁଗୁନି ମୂର୍ତ୍ତିଟିଏ ଜୀବନ ପାଇ ଚଞ୍ଚଳ ହୋଇଉଠିଛି । ଧନୁପରି ବାଙ୍କ ଭୁରୁ , ଫରଚା ଫରଚା ଶାନ୍ତ ଆଖି ଯୋଡ଼ିଏ, ତା’ର ଚାହାଣୀ କହେ ସେ ସବୁ ବୁଝେ, ସବୁଥିକି ତା’ର ସମର୍ଥନ, ତା’ର କ୍ଲାନ୍ତି ନାହିଁ କି ଭୟ ନାହିଁ । ସରୁ ନାକ, ସରୁ ସରୁ ଓଠ । ଅଳ୍ପକେ ହସେ । ପାଦଯୋଡ଼ିକ କେଡ଼େ ଟିକିଟିକି, ବୋଉ କହେ ସାକ୍ଷାତ୍ ଲକ୍ଷ୍ମୀପାଦ । ଅଳତା ଲାଗିହୋଇ ସିଝୁଫୁଲ ପରି ଦିଶେ । ସାନ ସାନ ପାପୁଲି ଯୋଡ଼ିଏ, ମାଉଁସିଆ, ନରମ । କୁନ୍ଦାହେଲା ପରି ପଗ ପଗ ହୋଇ ଆଙ୍ଗୁଠିଗୁଡ଼ିକ, ମୁଦିମୟ ପାଦରେ ରୂପାର ପାଉଁଜି, ନେପୁର । ଗରି ଗରି ହାତ ଗୋଡ଼ । ଚଞ୍ଚଳ ଚାଲି । ସବୁବେଳେ କାମରେ ଲୋଟୁଥାଏ । ବୋଉ କହେ, ଏ ବେହୂ ନ ଥିଲେ–

 

ଲକ୍ଷ୍ମୀ । ତା ଦେହର ଚିହ୍ନା ବାସ୍ନା ମନେ ପଡ଼ୁଛି । ବହଳ ଚିକ୍‍କଣ ଲମ୍ବ ମୁଣ୍ଡବାଳ ଯେମିତି କି ଆଣ୍ଠୁ ସନ୍ଧି ଉପରଯାକେ ଲମ୍ବି ଆସିଥାଏ ଆଉ ସେ ଆପଣା ହାତରେ ପାନିଆ ଧରି ଠିଆ ଠିଆ ମୁଣ୍ଡ ଉପରେ ପଛକୁ କୁଣ୍ଡେଇ ଲାଗିଥାଏ ଆଉ କାମଦାମ ବିଷୟରେ କଥା ପକେଇଥାଏ । ନାନା ଅଳଙ୍କାରରେ ଛାଉଣି ହୋଇଥାଏ ସେ ଦେହ । ନାକରେ ସୁନାର ଦଣ୍ଡୀ, ଫୁଲଗୁଣା, ଫୁଲ, କାନରେ ପଣସକଢ଼ିଆ କର୍ଣ୍ଣଫୁଲ । ବେକରେ ତିନି ସରି ହୋଇ ହାର । ହାତରେ ସୁନାର ଅନନ୍ତ, ପାଞ୍ଚପଟି ଲେଖାଏଁ ସୁନା କାଚ, ମଗରମୁହାଁ ସୁନା ଖଡ଼ୁ, ଶଙ୍ଖା, ଅଣ୍ଟାରେ ଅଣ୍ଟାସୂତା-। ବୋଉ କହେ, ନାଇବା ପାଇଁ ସିନା ଅଳଙ୍କାର, ଆଉ କ’ଣ ସାଇତିବା ପାଇଁ ?

 

ଆହୁରି ଦିଶିଯାଉଛି । ସେ ନିଜେ ଯେତେବେଳେ ଦେଖି କାମରେ ଲାଗିଗଲେ, ଲକ୍ଷ୍ମୀର ଦେହର ଅଳଙ୍କାର ଗୋଟି ଗୋଟି ହୋଇ ଓହ୍ଲା ହୋଇ ଚାଲିଗଲା ଦେଶକାମ ପାଇଁ । ଲକ୍ଷ୍ମୀ କେବେ ଆପତ୍ତି କରି ନାହିଁ, ତା’ ମୁହଁରେ ଶୋଭା ପାଇଲା ନୂଆ ତୃପ୍ତି । ନିମ୍ବକାଠି ନ।ଇ ଖଦଡ଼ ପିନ୍ଧି ସହଜ ସରଳ ସୌନ୍ଦର୍ଯ୍ୟରେ ତାଠିଁ ନୂଆ ଆଭାର ଝଳି ଫିଟିଲା । ତୁମେ ଦେଖିବ, ନିଶ୍ଚୟ ମହାତ୍ମା ଜିତିବେ, ଏ ଶତ୍ରୁ ଛାଡ଼ି ପଳାଇବେ, ଆମ ଦେଶ ସ୍ଵାଧୀନ ହେବ-ସେ କହୁଥିଲା ।

 

ସ୍ଵାଧୀନତା ଆସିବାଯାକେ ସେ ରହିଲା ନାହିଁ । ବୋଉ ରହିଲା ନାହିଁ । ପୁଣି ଆଖିରୁ ଧାର ନିଗୁଡ଼ୁଛି । ବୋହିଯାଉ, ସରିଯାଉ ଏ କାମ ଏଇଠି ଏଇ କୋଚିଲାଗଛ ତଳେ-ସେ ଭାବିଲେ-। ପୁଣି ଆଖି ବୁଜିଦେଲେ । ସବୁ ମୁହଁ ଏକାଠି ଦିଶି ଯାଉଛି, ବୋଉ, ତା ଲକ୍ଷ୍ମୀ, ତିନୋଟି ପିଲା ।

 

ଆଉ ଦିଶିଯାଉଛି ଶେଷ ଥରକ ଧରା ହୋଇଗଲା ବେଳେ ବିଦାବିଦି ବେଳର ସେ ଦୃଶ୍ୟ । ବାରମ୍ବାର ଦିଶି ଦିଶିଯାଏ । କେତେବେଳେ ରାତିରୁ ଆସି ବାଡ଼ି ତଳେ ସେମାନେ ଛକି ରହିଥିଲେ । ଫଜେରା ଫାଟୁ ଫାଟୁ ଦେଖା ପଡ଼ିଲେ-ଦୋପଟି ବାବୁ, ପୁଲିସ୍ ସାହେବ, ଧାଡ଼ି ହୋଇ ବନ୍ଧୁକଧରା ଫଉଜ, ନାଲି ପଗଡ଼ିପିନ୍ଧା ଟୋପିପିନ୍ଧା ବାବୁମାନେ । ପୋଷା କୁକୁରଟା ପାରୁ ପର୍ଯ୍ୟନ୍ତେ ଭୁକି ଭୁକି ଦାନ୍ତ ଦେଖାଇ ଖେଦି ଯାଉଥାଏ, ବାଡ଼ି ଉଞ୍ଚେଇଲେ ହଟିଯାଏ ପୁଣି ଉହୁଙ୍କି ଆସେ, ଚାରି ବର୍ଷର ହୋଇଥାଏ ଲବ, ସେ ମୁଠା ଉଞ୍ଚେଇ ମାରି ଧାଉଁଥାଏ । ସିଧା ହାତକଡ଼ି । ଡର ଥାଏ ପରା, କାଳେ ପଳେଇବ କି କାଳେ ଗାଁଲୋକ ବଳେ ବଳେ ଛଡ଼େଇ ନେବେ । ବୋଉ କାନ୍ଦୁଥାଏ । ଲକ୍ଷ୍ମୀ କାନ୍ଦୁଥାଏ । ତିନି ପିଲା ଚିର୍ଚିରେଇ କାନ୍ଦିଲେ । ଗାଁ ଲୋକେ ଗୋଟିଏ ଗୋଟିଏ ହୋଇ ଆସି ଗୋଛା ହୋଇ ଠିଆ ହୋଇଥାନ୍ତି ।

 

ପଛକୁ ଅନାଇଁ ସେମାନଙ୍କୁ ସେ ଆଶ୍ଵାସ ଦେଇଥିଲେ–କାନ୍ଦ ନାହିଁ, ଥାଅ, ମନ ଟାଣ କରି ।

 

ସମସ୍ତିଙ୍କି ଅଭୟ ଦେଇ ସେ ଉତ୍ତେଜିତ ଧ୍ୱନି ଦେଇଥିଲେ–

 

‘‘ଭାରତମାତାଜୀ ଜୟ ।

ମହାତ୍ମାଗାନ୍ଧିଜୀ ଜୟ !’’

 

ଆଉ ଘରଆଡ଼କୁ ପିଠି କରି ସାମ୍ନାକୁ ମୁହଁକରି ସେହି ଦଳ ସଙ୍ଗେ ସଙ୍ଗେ ସେ ଚାଲିଯାଇଥିଲେ ।

 

ସେଥରକ ଏତେ ଆକୁଳ ହୋଇ ବୋଉ ଓ ଲକ୍ଷ୍ମୀ କାନ୍ଦୁଥିଲେ କାହିଁକି ? ସେମାନେ କ’ଣ କେମିତି ଜାଣିପାରିଥିଲେ ଆଉ ଦେଖା ହେବା ନାହିଁ ବୋଲି ?

 

ସେହି ପବିତ୍ର ଆତ୍ମା ଯୋଡ଼ିକର ମୁକ୍ତି ହେଉ, ସେମାନଙ୍କର ପୁନର୍ଜନ୍ମ ନ ହେଉ । ପୁଣି ସେ ଲମ୍ବା ପାଦ ଦି’ଟା ଚାଲିବାକୁ ଲାଗିଲା ।

 

ହୁ ହୁ ପବନ, ରହିରହିକା, ସେଥିରେ ଗୋଟାଏ ସ୍ୱତନ୍ତ୍ର ତାଳ ଅଛି, ସଙ୍ଗୀତ ଅଛି । ଋତୁକୁ ଋତୁ ପବନର ତାଳ ବଦଳେ, ପବନର ସଙ୍ଗୀତ ଭିନେ ହୁଏ, ପୁଣି ତା’ର ନିଶା ରାତିର ସଙ୍ଗୀତ ଜହ୍ନ ରାତିର ସଙ୍ଗୀତଠୁଁ ଭିନେ ହୁଏ, ଉଦୁଉଦିଆ ଦି’ପହରେ ପବନରେ ଯେଉଁ ସଙ୍ଗୀତ ସେ ଶୁଣିଛନ୍ତି ତା ବି ସକାଳର ସଙ୍ଗୀତଠୁଁ ଭିନେ । ଦୂର ବନସ୍ତ ଭିତରେ, ପର୍ବତ ଖୋଲ ଭିତରେ ସେ ଟୁଙ୍ଗୀ ଘରେ ପବନ ଶବ୍ଦକୁ ବର୍ଷ ବର୍ଷଯାକେ କାନ ଡେରି ଡେରି ସେ ତା’ର ଜାତିଜାତିକା ତାଳ ଆଉ ରାଗରାଗିଣୀ ସହିତ ଚିହ୍ନାପରିଚ ହୋଇଛନ୍ତି ଯେମିତି ଢିପ ଢାଲୁ ଖାଲ ଖୋଲମୟ ବସୁଧାର ବିସ୍ମୃତି ଉପରେ ଦୃଷ୍ଟି ଭରା ଦେଇ ଦେଇ ସେ ଦେଖିଛନ୍ତି ଛାଇ ଆଲୁଅରେ ଅରୂପ ଭିତରେ ନାନା ରୂପ । ଏମିତି ଏ ଅକ୍ଷୟ ଭଣ୍ଡାର ପଡ଼ିରହିଛି, ସତେ ଯେମିତି ରୂପରସଗନ୍ଧର ଅନନ୍ତ ସମୁଦ୍ର, ଯେ ଘେନୁ ଯାହା ଯେତେ ଦିନକୁ ଯାହାର ଯେପରି ପାତ୍ର ସେହି ଅନୁପାତରେ । ତା’ପରେ ଏ ଚେତନ ରହିବ ନାହିଁ, ଏ ଯନ୍ତ୍ର ଅଚଳ ହେବ । କିଏ କେତେ ଆସିଛନ୍ତି ଏ ଚେତନା ଭିତରକୁ, କିଏ ସଂସାରୀ ସମ୍ବନ୍ଧରେ, କାହା ସହିତ ମନର କି କଳ୍ପନାର ସମ୍ବନ୍ଧ, ସେମାନେ ଚାଲିଯାଇଛନ୍ତି, ପୁଣି ନୂଆ ସମ୍ବନ୍ଧ ନୂଆ ସମ୍ପର୍କ ଲାଗିଛି ତୁଟିଛି, ରଙ୍ଗ ଲେପି ହୋଇଛି ନିଭିଛି, ତଥାପି ଆପଣ ଭିତରେ ରହିଆସିଛି ଆକାଶ ପରି ଜୀବନ, କାହିଁ ସେଠି ଆପଣାର ଆୟତ୍ତ ରୁଚି କି ଅରୁଚି ?

 

ବସନ୍ତ ଜାଳୁଛି ଫୁଲର ରୋଶନି । ସେହି ଖାଲରେ ଭରି ରହିଥିବ ବଣ ଫୁଲର ବାସ୍ନା, ଆଉ ମହୁଲ ଫୁଲର । ଆଉ ଟିକକୁ ଲାଗିଯିବ ଚଇତର ଉତ୍ସବ, ମଦ ନାଚ ଶିକାର ଆଉ ପାଗଳ ପରି ଘେନାଘେନି । କବି ଜାତିର ବସନ୍ତ, ରକ୍ତ ଭିତରେ ଉବ୍ଦାମ ତେଜ, କଅଁଳ ନାଲିଚା ପତ୍ର ଭିତରେ, ଫୁଲ ପାଖୁଡ଼ା ଭିତରେ । ମନୁଷ୍ୟ ଜୀବଜନ୍ତୁ ସମସ୍ତିଙ୍କ ଭିତରେ ପାଗଳ ପରି କାମନାର ତାତି, ପ୍ରକୃତି ଲଗାଇଛି ବିରାଟ ପ୍ରହସନ । ସାପ ବି କାତି ଛାଡ଼ି ଛନଛନିଆ ହୋଇଛି, ବନ୍ଧକୂଳ ଘର ଛପରରୁ ସାପ କାତି ଫଡ଼ ଫଡ଼ ଉଡ଼ିଛି । ଟାଆଁସିଆ ମାଟିରେ ରୁଗୁଡ଼ିଆ ଅନାବନା ଗୁଳ୍ମର କେଞ୍ଚୁଡ଼ି ଡାଳରେ ବି ଟିକି ଟିକି ଫୁଲ ଫୁଟିଛି ।

 

କିନ୍ତୁ ପବନର ସଙ୍ଗୀତରେ ଉଦାସ ପୂରି ରହିଛି । ପବନ ଶୋକ କରୁଛି । ଏକା ସଙ୍ଗେ ଫୁଟି ଉଠି ଏତେ ଫୁଲ ଝଡ଼ିପଡ଼ିବ । ଏକା ସଙ୍ଗେ ଫଳପ୍ରସୂ ହୋଇ ଏତେ ଗଛ, ଏତେ ଜୀବଜନ୍ତୁ ଅତି ତରତର ହୋଇ ବିସ୍ମୃତିର ଅତଳ ଗର୍ଭଆଡ଼କୁ ଢାଲୁଏ ଢାଲୁଏ ଧାଇଁଯିବେ ଆହୁରି ଖଣ୍ଡେ ଦୂର-। ଏତେ ବର୍ଣ୍ଣ, ଏତେ ଉତ୍ପାଦନ, ଏତେ ଭୋଗ-କେଇ ଦିନକୁ ?

 

ରହିଲା କେଉଁଠି ? ଲକ୍ଷ୍ମୀ । ପୁଣି ଚେତିଯାଇ ସେ ଆପଣାକୁ ସମ୍ଭାଳିବାକୁ ଚେଷ୍ଟା କଲେ । ଆକାଶରେ, ଭୂଇଁର ବିସ୍ମୃତିର, ରଙ୍ଗରେ, ନିର୍ଜନ ତପସ୍ୟାର ଧାରଣାରେ, ଭାବରେ ଯେତେ ତାକୁ ଦୂରକୁ ଦୂରକୁ ଛାଟି ଛାଟି ବିଞ୍ଚିଲେ ବୁଣିଲେ ଲକ୍ଷ୍ମୀ ରହିଯାଇଛି ଏ ଅନ୍ତର ଭିତରେ ଯେମିତିକି ସେମିତି ।

 

ଜେଲ ବେଳ ସରିଲା । ସ୍ୱାଧୀନତା ଆସିଲା । ଦେଶରେ ବିପୁଳ ଉତ୍ସାହ । ଏତେକାଳର ସ୍ୱପ୍ନ ସତ ହୋଇଛି । ଆମର ଦେଶ, ଆମେ ସ୍ୱାଧୀନ । ଯେଉଁ ଆଦର୍ଶ ଆଖି ଆଗରେ ରଖି ଆମେ ବାଟ ଚାଲୁଥିଲେ, କାମ କରୁଥିଲେ, ସ୍ନେହ ପ୍ରୀତି ମୈତ୍ରୀର ଜୀବନ, ସତ୍ୟ ଅହିଂସା ଚରିତ୍ରବଳ ଉପରେ ପ୍ରତିଷ୍ଠିତ, ସର୍ବୋଦୟ ଗ୍ରାମୋଦ୍ୟୋଗ ଖଦୀ ଗ୍ରାମସ୍ଵରାଜ ସେବା ତ୍ୟାଗ ଶ୍ରମର ମୂଳଦୂଆ ଉପରେ ଗଢ଼ା ହୋଇ ନିରୀହ ନିଷ୍ପାପ ସରଳ ଆଡ଼ମ୍ବରହୀନ ପୂର୍ଣ୍ଣ ବିକଶିତ ସମାଜ, ଯେଉଁଠି ଅଭାବ ନାହିଁ, ଅଜ୍ଞାନ ନାହିଁ, କଳିଗୋଳ ନାହିଁ, ଲୁଣ୍ଠନ ନାହିଁ, ଶୋଷଣ ନାହିଁ କି ଭୟ ନାହିଁ, ଯେଉଁଠି ଶାନ୍ତି, ଆନନ୍ଦ, ସରଳତା ଓ ସଦ୍‌ଗୁଣମୟ ଉନ୍ନତ ଚିନ୍ତା ଓ ପୂର୍ଣ୍ଣ ବିକାଶର ଭୂସ୍ଵର୍ଗ ଝଲସି ରହି ସମଗ୍ର ପୃଥିବୀକୁ ଆଦର୍ଶ ହେବ, ପ୍ରେରଣା ଯୋଗାଇବ, ସେହି ଯେଉଁ ସ୍ୱପ୍ନ ଦେଖୁଥିଲେ ବସି ଗାଁର ଚାଷୀମୂଲିଆ ଆଘୋରଦ୍ଵାରୀ ଯେତେବେଳେ ମହାତ୍ମା ଓ ଭାରତମାତାଙ୍କୁ ଏକାଠି ସେମାନେ ଧ୍ୟାନ କରୁଥିଲେ ଆଉ ଠାକୁରଙ୍କୁ ଡାକୁଥିଲେ ବିଦେଶୀ ରାଜ୍ୟ ଯାଉ, ରାମରାଜ୍ୟ ଆସୁ, ଆସିଗଲା ଏଥର ସେହି ବେଳ, ସେମିତି ହେବ ।

 

ତା’ପରେ ? କୁଆଡ଼େ ମୋହୁଁ ମୋହୁଁ କୁଆଡ଼େ ମଙ୍ଗ ବୁଲିଗଲା । ଆସିଗଲ ହତ୍ୟା ବିଭୀଷିକାର ତାଣ୍ଡବଲୀଳା, ଦେଶ ବିଭାଗ ହୋଇ ହେଲା ଭାରତ, ପାକିସ୍ତାନ । ଲକ୍ଷ ଲକ୍ଷ ଲୋକ ପୁରୁଣା ଡିହରୁ ଚେର ଓପଡ଼ା ହୋଇ ଏପାଖ ସେପାଖ ହେଲେ । ଭାରତ ନାଁ ଛାଡ଼ି କେତେ ଲୋକ ଦୁଆ ଦେଲେ ଆପଣା ଭାଷା କହୁଥିବା ଅଞ୍ଚଳର ନାଁ ଧରି, ଭାଉ ବଢ଼ିଲା, ଗୋଟାଏ ନୂଆ ପଦ ପୁରୁଣା ହେଲା-କଳାବଜାର, ଲାଗି ରହିଲା ଗୋଟାକ ପରେ ଗୋଟାଏ ହାବୁକା, ଆଉ ଯୁଆଡ଼େ ଦେଖ କ୍ଷମତା ପାଇଁ ଲଢ଼େଇ, ପେଞ୍ଚ ସମାଜର ପ୍ରତି ସ୍ତରରେ, ପ୍ରତି କ୍ଷେତ୍ରରେ । କ୍ଷମତା ଆଉ ସ୍ୱାର୍ଥ । ସେଥିପାଇଁ ଦଳ ଗଢ଼ାଗଢ଼ି, ପ୍ରତିଦ୍ୱନ୍ଦିତା, ନିଷ୍ଠୁରତ, ଅସହିଷ୍ଣୁତା, ମିଥ୍ୟ ଭେକ, ପରକୁ ଦାବିବା ପାଇଁ, ଟପିଯିବା ପାଇଁ ତୁମୁଳ ମୁଣ୍ଡଘୂରା ବେଗରେ ଗତି । ବିଦ୍ୟା କି ବୁଦ୍ଧି କି ବିଚାର କି ନୂଆ ନୂଆ ଉଦ୍ଭାବନ, ଯନ୍ତ୍ର, ଉପକରଣ ସବୁ ନିୟୋଜିତ ହେଉଛି କେବଳ ସେହି ଉଦ୍ଦେଶ୍ୟରେ । ପୁରୁଣା ମାନ୍ଦା ଦୁନିଆଟା ଚେଇଁ ଉଠିଛି, ଚାରିଆଡ଼େ ଗତି, ନୂଆ ସୃଷ୍ଟି, ରାସ୍ତା, କୋଠାବାଡ଼ି, ଯାନବାହନ, ଶିଳ୍ପ କାରିଗରୀ; କିନ୍ତୁ ସତେ ଯେମିତି ଗଣ୍ଡି ବଢ଼ିଲେ ବି ମୁଣ୍ଡ ବିଗିଡ଼ିଛି, ପୁରୁଣା ଅଭିଧାନର କେତେ ଶବ୍ଦ ଲୋପ ହୋଇ ହୋଇ ଆସୁଛି, ସତ୍ୟ, ନ୍ୟାୟ, ମର୍ଯ୍ୟାଦା ଜ୍ଞାନ, ବନ୍ଧୁତା, ନିଃସ୍ୱାର୍ଥ ସ୍ନେହ, ଆତ୍ମତ୍ୟାଗ, ସରଳତା, ଶାନ୍ତି । ଜଣେ ଆଉ ଜଣକୁ ମତାଉଛି, ତତାଉଛି ଉଦାହରଣ ଦେଖାଇ ନ ହେଲେ ଆଘାତ ଦେଇ, ଜଣେ ଠିଆ ହେଲେ ଆଉ ଜଣେ ତା’ର ଗୋଡ଼ରୁ ଧରି ଓଟାରୁଛି, ତାକୁ ପୁଣି ଓଟାରୁଛି ଆଉ ଜଣେ, ଗୋଟିକିଆ ମଣିଷ କି ଦଳ ସବୁଠିଁ ଏଇ ରୂପ, ଏଇ ପ୍ରବୃତ୍ତି । କୌଣସି ମତେ କ୍ଷମତା ସଞ୍ଚୟ କରିବାକୁ ହିଁ ପଡ଼ିବ, ନ ହେଲେ ସ୍ୱାର୍ଥ ବଢ଼ିବ ନାହିଁ, କ୍ଷମତା ପାଇବା ପାଇଁ କୌଣସି ନୀତି କି ଆଦର୍ଶକୁ ବଳି ଦେବା ଯଥେଷ୍ଟ ନୁହେଁ, ଯାହା ଦରକାର ପଡ଼ିବ କରାଯିବ, ସେହିପରି ପୁଣି କ୍ଷମତାକୁ ଧରି ରଖିବା ଲାଗି ମଧ୍ୟ ସେଥିପାଇଁ ଫିସାଦ, ଫିକର, ଠକାମି, ଲାଞ୍ଚ, ମିଛ, ଶତ୍ରୁଦମନ, ବନ୍ଧୁକୁ ଛଳନା ଓ ବନ୍ଧୁର ସର୍ବନାଶ, ଦରକାର ପଡ଼ିଲେ ହତ୍ୟା । ମଣିଷ ମନରେ ଯେପରି କି ଏହି ଚିନ୍ତା, ତେଣୁ ଘରେ ଘରେ ପରିବାର ଛତରଛାଉଳ; ଆଉ ସେ ବିରାଟ ବିରାଟ କୋଠାଘର ଦିଶୁନାହିଁ, ଗାଁରେ ବାଡ଼ ବାଡ଼ ଦଳ ଦଳ, ଗୋଟାଏ ଗୋଟାଏ ସାମୟିକ ଘଟଣା ଉପରେ ଦଳ ଗଢ଼ାଗଢ଼ି, ଖାଲି ସାମୟିକ ସୁବିଧା ପାଇବା ଲାଗି ବଳ ବଢ଼ାଇ ଛଡ଼ାଛଡ଼ି କରିବାପାଇଁ, ସେ ଦଳ ଭିତରେ ମେଣ୍ଟ ବି ଦିଦିନିଆଁ, ଏ ଦଳର ଲୋକ ଆର ଦଳରେ ମିଶିବେ, ସେ ଦଳ ବଢ଼ିଉଠିବ, ପୁଣି ଗଢ଼ାହେବ ନୂଆ ଦଳ । କୌଣସି ଦଳ ଶେଷ ନୁହେଁ, କୌଣସି ନିଷ୍ପତ୍ତି ଶେଷ ନୁହେଁ, କୌଣସି ଅବସ୍ଥା ସ୍ଥିର ନୁହେଁ, ସାମାଜିକ ଅସ୍ଥିରତାର ସମୁଦ୍ରରୁ ବାହାରୁଛି ଅସଖ୍ୟ ପାଣିଫୋଟକା ପରି ନାନା ରଙ୍ଗ, ନାନା ରୂପର ଦିଦିନିଆ ନାନା ଦଳ, ଗୋଷ୍ଠୀ ଭାଙ୍ଗୁଛି, ବଦଳୁଛି, ପୁଣି ନୂଆ ରୂପରେ ଗଢ଼ି ହେଉଛି ନୂଆ ହୋଇ ପୁଣି ଭାଙ୍ଗିବାକୁ । ସ୍ୱାର୍ଥ ଆଉ ହିଂସାର ବିଷ ଯାହାର ମଞ୍ଜ ଭିତରେ ବି ଲୁଣି ଚରିଛି, ଯାହାର ପ୍ରବୃତ୍ତି ହିଁ କ୍ଷମତା ହାସଲ କରିବାକୁ, ଚାରିଆଡ଼ୁ ଗୋଟେଇ ପୋଟେଇ ଆଣି ଆପଣା ହାଉଁ ମୁହଁରେ ସବୁ ଠୁଳ କରିବାକୁ, ଯାହାର ମାର୍ଗ ଖାରି ଭୋଗର, ତ୍ୟାଗଠୁଁ ବହୁତ ଦୂର, ଯାହାର ଉପାୟ ଶୋଷଣ, ଦମନ, ଅପର ଲୋକଙ୍କ ରୁଚି ବିଚାର ଦୃଷ୍ଟିଭଙ୍ଗୀର ବି ସ୍ୱାଧୀନତା ଅପହରଣ କରି ସେମାନଙ୍କୁ ନିଜ ମତର ପାଳିଆ ଗୋଡ଼ାଣିଆ କି ସାହାଯ୍ୟକାରୀ କଳରେ ପରିଣତ କରିବା, ଯେ ନିଜ ଉଦ୍ଦେଶ୍ୟରେ ସାର୍ଥକତା ଲାଗି ବହୁରୂପୀ ହୋଇପାରେ, ମାୟାବୀ, ହୋଇପାରେ, ଉପାୟ କି ଉପାଦାନର ପବିତ୍ରତା କି ଅପବିତ୍ରତା ବିଷୟରେ ମୁଣ୍ଡ ଖେଳାଏ ନାହିଁ, ସେ କି ଆଦର୍ଶ ଦେଖାଇବ ? କି ପରମ୍ପରା, କିପରି ଉତ୍ତରାଧିକାରୀ ସୃଷ୍ଟି କରିବ ? କି ଶାନ୍ତି ପ୍ରତିଷ୍ଠା କରିବ ? ସମ୍ମାନ ବିଶ୍ଵାସ ସ୍ନେହ କାହାର ଅର୍ଜିବ କେତେଦିନ ? କିଏ ଡରି ହରି ତାକୁ କହିବେ ଭଲ ଭଲ, ସ୍ତୁତି କରିବେ, ସାଙ୍ଗ ହେବେ, କିଏ ପାଳିଆ ହେବେ ଆପଣା ସ୍ୱାର୍ଥପାଇଁ, କିନ୍ତୁ ଛଳନାର ପ୍ରତିକ୍ରିୟା ହେବ ଛଳନା, କପଟତାର କପଟତା, ଲାଗିଥିବା ଭିଡ଼ା ଓଟରା ଫୋପଡ଼ା କଚଡ଼ା ଛଡ଼ାଛଡ଼ି ଧରାପରା । ଲୋକ ଚାଳଘରେ ବସୁ, କୋଠାଘରେ ବସୁ, ଲେଙ୍ଗଟି ମାରୁ କି ନାମୀ ପୋଷାକ ପିନ୍ଧୁ, ଘରେ ଜଡ଼ାତେଇରେ ଦୀପଜାଳୁ କି ବିଜୁଳି ଆଲୁଅ ଜାଳୁ, ଲୋକ ପାଦରେ ଚାଲୁ କି ଉଡ଼ାଜାହାଜରେ ଉଡ଼ୁ, ନୀତି ଆଦର୍ଶ ବୁଡ଼ାଇଦେଲେ ବ୍ୟକ୍ତି ହେଉ କି ସମାଜ ହେଉ ସେ ଖାଲି ତୋଫାନରେ ନାହା ପରି, ତା’ର ଶାନ୍ତି ନାହିଁ, ସୁସ୍ଥି ନାହିଁ, ଅଭୟ ନାହିଁ, ଆନନ୍ଦ ନାହିଁ । ସେ ଲୋକ ଆପେ ଆପଣାର ଆତଙ୍କ, ଆଉ ଜଗତ ଲୋକଙ୍କର ।

 

ଏଇ କଥା କହୁଥିଲେ ମହାତ୍ମାଜୀ ।

 

କିଏ ଶୁଣିଲା ?

 

ସେହି କୋଟିଳା ଗଛତଳେ ଦୂରକୁ ଚାହିଁ ଠିଆ ହୋଇ ହୋଇ ଆରତ ପଣ୍ଡା ସତେ ଯେମିତି ପଥର ପାଲଟିଗଲେ ।

 

ବାରମ୍ବାର କେତେଥର ଆପଣା ମନକୁ ମନ ଆଲୋଚନା ହୋଇଯାଇଛି ସେହି କଥାଗୁଡ଼ାକ, ଗାଁ ମାଟି ପାଦରେ ମାଡ଼ି ପୁଣି ମନେ ପଡ଼ିଯାଉଛି । ସେତେବେଳେ କି ଉତ୍ସାହ, କି ଉନ୍ମାଦନ ଥିଲା ସତେ ! ଆଖି ଆଗରେ କି ସ୍ୱପ୍ନ ଝୁଲୁଥିଲା ! ତା’ପରେ ଚାହୁଁ ଚାହୁଁ ସମୟ ବଦଳିଗଲା । ଆଉ କେତେପ୍ରକାର ଯୁକ୍ତିରେ ଲୋକେ ଆପଣା ପରିବର୍ତ୍ତନର ଯାଥାର୍ଥ୍ୟ ବଖାଣି ଲାଗିଲେ । ଥୋକାଏ କହିଲେ, ପରିସ୍ଥିତି ବଦଳି ଯାଇଛି, ପୁରୁଣା ନୀତି ଆଦର୍ଶକୁ କୁଣ୍ଢେଇ ଧରିଥିଲେ କିଛି ଫଳ ନାହିଁ, ସମୟ ଓ ପରିସ୍ଥିତି ସହିତ ଖାପିଲା ଭଳି ନିଜ ଆଚାର ବିଚାରକୁ ନ ବଦଳାଇଲେ ଆମେ ପଛରେ ପଡ଼ିଯିବା, ଅନ୍ୟମାନେ ଆଗକୁ ମାଡ଼ିଯିବେ । ଥୋକାଏ କହିଲେ, ଧ୍ୱନି ଦେବା, ବକ୍ତୃତା ଦେବା, ପଟୁଆର କରିବା ବେଳ କଥା ଭିନେ, ଆପଣା କାନ୍ଧରେ ଜୁଆଳି ବୋହି ଓଟାରିବା ବେଳ ଭିନେ । ଋଷିମାନଙ୍କ ଆଦର୍ଶ ଧରିଥିଲେ ଫଳମୂଳ ଖାଇ ପତ୍ର କୁଡ଼ିଆରେ ରହିବା ପାଇଁ ବଣକୁ ଚାଲି ଯିବାକୁ ପଡ଼ିବ, ଯନ୍ତ୍ର କାରିଗରୀମୟ ଜଟିଳ ବିଂଶ ଶତାବ୍ଦୀରେ ସେସବୁ ଉପାୟରେ ଦୁନିଆ ଚାଲିପାରିବ ନାହିଁ । ଥୋକାଏ କହିଲେ, ଯେ କ୍ଷତ୍ରିୟ ବୃତ୍ତି କରିବ, ବ୍ରାହ୍ମଣର ଆଦର୍ଶ ମାନିଲେ ତା’ର ଚଳିବ ନାହିଁ । ତୀକ୍ଷ୍‌ଣ ବୁଦ୍ଧିରେ ତିଆରି ସଂସାରୀ କଥା । ସେ ତ ଆଦର୍ଶର କଥା ନୁହେଁ । ସହଜ ବାଟ ସୁବିଧା ଆଉ ଜାଗତିକ ସାଫଲ୍ୟର କଥା, ନୀତିର କଥା ତ ନୁହେଁ । ଅତି ଆଦିମ ମଣିଷଠି ବି ଥିଲା ଖାଇବା ଭୋଗ କରିବା ଛଡ଼ା ଆଉ କିଛି ସୂକ୍ଷ୍ମତର ଚେତନା । ସଭ୍ୟତା’ର ଅର୍ଥ କ’ଣ ଆପଣାଠି ତାକୁ ବି ଅସ୍ଵୀକାର କରିବା ?

 

ଉଡ଼ାଜାହାଜରେ ବସି କୁକୁର ମାଙ୍କଡ଼ ମୂଷା ବି ଉଡ଼ିଲେ, ପୃଥିବୀର ଆକାଶ ଟପି ଗ୍ରହ ଉପଗ୍ରହ ଥିବା ମହାଶୂନ୍ୟରେ ତାଙ୍କ ଦେହ ବୁଲି ବୁଲି ପୃଥିବୀକୁ ଲେଉଟିଲା, କିନ୍ତୁ ତହିଁରେ ତାଙ୍କ ବିଚାରର କି ଆତ୍ମାର କ’ଣ ପରିବର୍ତ୍ତନ ହେଲା ?

 

କୁକୁର କୁକୁର ହୋଇ ରହିଲା, ମୂଷା ମୂଷା ।

 

ଜଡ଼ ବିଜ୍ଞାନ ଯନ୍ତ୍ର କାରିଗରୀ ମଣିଷର ଇନ୍ଦ୍ରିୟର କ୍ଷୁଧା ମେଣ୍ଟାଇବ, କିନ୍ତୁ ତା’ର ମନ ଭିତର ଅଭାବ ସେ ମେଣ୍ଟାଇ ପାରିବ ନାହିଁ । ଖାଲି ପଦାର୍ଥ ଉତ୍ପାଦନ ବଢ଼ିଲେ, ସୁଖ ସ୍ଵାଚ୍ଛନ୍ଦ୍ୟ ଲାଗି ଉପକରଣ ବଢ଼ିଲେ ତା’ ମନକୁ ମନ ସେହି ସୌହାର୍ଦ୍ଦ୍ୟ, ଶାନ୍ତି ଆନନ୍ଦ ନୀତି ଆଦର୍ଶ ବଢ଼େ ନାହିଁ, ମଣିଷର ନୈତିକ ଓ ଆଧ୍ୟାତ୍ମିକ ଉନ୍ନତି ଓ ତା’ର ଅନୁରୂପ ଏବଂ ସହାୟକ ହେଲାଭଳି ସମାଜର ସଂଗଠନ ଓ ଆଭିମୁଖ୍ୟ ଗଢ଼ିବାକୁ ହେଲେ ସେଥିପାଇଁ ନିଷ୍ଠାପର ହୋଇ କାର୍ଯ୍ୟ କରିବାକୁ ପଡ଼ିବ । ସେହି ଉଦ୍ଦେଶ୍ୟରେ ବିଜ୍ଞାନକୁ ବି ମଣିଷ କାର୍ଯ୍ୟରେ ଲଗାନ୍ତା, ଯେପରି ଲୁହାକୁ କେହି ଖଣ୍ଡା ନ କରି ଲଙ୍ଗଳ ଫାଳ କରେ । ମୂଳରୁ ସେହି ପରିକଳ୍ପନା ତ ଥିଲା ।

 

ଅଟକିଗଲି, ଚାଲୁ ପାଦ–ଆରତ ପଣ୍ଡା ଭାବିଲେ, ଏଣିକି ଏଇ ବାଟ ଚଲା, ବସିଗଲେ ଚେର ଲାଗିଯିବ, ସେଉଠୁ ମୋ’ ବନ୍ଧୁ, ମୋ’ ଦଳ, ଗୋଟାଏ ଘର ଛାଡ଼ି ଚାଲିଆସିଲେ ବି ଆଉ ଠାଏ ଆଉ ଘର, ହୁଏତ ଆଉ ବଡ଼ ଆଉ ଦମ୍ଭ ସେ ।

 

ଯେମିତି କର୍ମୀ ହରିଦାସ । ବଡ଼ ଡାକ୍ତରୀ ପଢ଼ୁ ପଢ଼ୁ, ପାଶ୍ କରିବାକୁ ଖାଲି ଶେଷ ପରୀକ୍ଷାଟା ବାକି ଥାଏ, କାନରେ ବାଜିଲା ଦେଶର ଡାକ, ସେଇଠୁ ପଢ଼ା ଛାଡ଼ି ସେ ଭାସିଗଲେ । ବାରମ୍ବାର ଜେଲ ଗଲେ, ପଛଥରକ ଜେଲରେ ଏକାଠି ଥିଲେ ସେ ଓ ଆରତ ପଣ୍ଡା । ଠେଙ୍ଗାମାଡ଼, ଗୁଳିମାଡ଼ ଖାଇଥିବା ଲୋକଙ୍କୁ ଚିକିତ୍ସା କରୁ କରୁ ହାତଯଶର ନାଁ ହେଲା, ନାନା ରୋଗୀ ଆସିଲେ, ଘରେ ହେଲା ସତେ କି ଡାକ୍ତରଖାନା । ପାଣ୍ଠିଟା ବି ହୋଇଥାଆନ୍ତା, ମନ କରିଥିଲେ ପାଣ୍ଠି ବି ହୋଇଥାଆନ୍ତା ପ୍ରକାଣ୍ଡ, ମାନ୍ୟଗଣ୍ୟମାନଙ୍କ ତାଲି‌କାରେ ହରିଦାସ ବି ହୁଏତ ହୋଇପାରିଥାନ୍ତେ ଜଣେ । କିନ୍ତୁ ଯୁବକ ହରିଦାସଙ୍କ ମନରେ ସେତେବେଳେ ପବିତ୍ର ହୋମାଗ୍ନି ଜଳୁଥିଲା ଯେତେବେଳେ ବଡ଼ ସହରରେ ତାଙ୍କ ଚିକିତ୍ସାର ଏତେ ଖ୍ୟାତି ବ୍ୟାପୁଥିଲା, ସେତେବେଳେ ସେ ସବୁ ଛାଡ଼ିଦେଇ ବଣ ଦେଶକୁ ଚାଲି ଯାଇଥିଲେ ମାଳରେ ବୁଲି ବୁଲି ଆଦିବାସୀ ଭାଇଭଉଣୀଙ୍କ ସେବା କରିବାକୁ, କୁଷ୍ଠରୋଗୀ ଓ କ୍ଷୟରୋଗୀଙ୍କୁ ଚିକିତ୍ସା କରିବାକୁ । ସେ ତ୍ୟାଗୀ ହରି ଦାସ, ତପସ୍ୱୀ ହରି ଦାସ ।

 

ତା’ପରେ କେମିତି ହେଲା ତାଙ୍କର ପରିବର୍ତ୍ତନ ? କେମିତି ଏପରି ହୁଏ ? କନ୍ଧ ଗାଁରେ ଯେଉଁ ସାନ କୁଡ଼ିଆଟି ତାଙ୍କର ଆଶ୍ରୟସ୍ଥଳ କି ଆଶ୍ରମ ହୋଇଥିଲା; ଧୀରେ ଧୀରେ ତାହାରି ଶ୍ରୀବୃଦ୍ଧିରେ ସେ ଯେପରି କି ଅଧିକରୁ ଅଧିକ ମନ ଦେଲେ । ତଳ ସିମେଣ୍ଟ ହେଲା, କାନ୍ଥ କଞ୍ଚା ଇଟାର ହେଲା । ବାରିରେ ବଗିଚା ହେଲା । ପାହାଡ଼ ଢାଲୁରେ ତାଙ୍କ କାନ୍ଦୁଲ କ୍ଷେତ ହେଲା । କୁକୁଡ଼ା ପାଳନ, ହଂସ ପାଳନ ହେଲା । ଆଶ୍ରମ ଘର ପଛଆଡ଼ ପିଣ୍ଡା ଉପରେ ଚାଳରୁ ଓଦା ଶାଢ଼ି ଓହଳି ଶୁଖିଲା, ଗୁହାଳରେ ଗାଈ ହମାରଡ଼ି ଦେଲା, ପିଣ୍ଡାତଳେ ଝଙ୍କା ସୂର୍ଯ୍ୟମୁଖୀ ଗଛରେ ଗୋଜିଆ ଗୋଜିଆ ହୋଇ ଲଙ୍କାମରିଚ ମୁଥ ମୁଥ ଫଳିଲା, କଦଳୀଗଛ ଛାଇ ଘୋଡ଼େଇ ପକାଇ ବଣପରି ଠିଆ ହେଲା । ପୋଷା ବିଲେଇ ମେଁ କଲା, ପୋଷା କୁକୁର ପହରା ଦେଲା, ଘର ଚଟାଣରେ ଫସଲ ଭର୍ତ୍ତିହୋଇ ଥୁଆହୋଇ ରହିଲା ଓଳିଆ ଟୋକେଇ ବସ୍ତା, ଶିକାରେ ଥାଇ ଲାଉ କଖାରୁ ଚାଳରୁ ଓହଳିଲା, ସେ ହେଲା ଗୋଟିଏ ସୁସ୍ଥ ସବଳ ଚାଷୀର ଘର, ଅଘୋରି ତପସ୍ୱୀ କର୍ମୀ ହରି ଦାସର ବ୍ୟକ୍ତିତ୍ୱ ତାହାରି ଭିତରେ କେଉଁଠି ଲୁଚିଗଲା ।

 

ତା’ପରେ ସେ ଗଡ଼ି ଚାଲିଲେ ଆହୁରି ପାହାଚେ ତଳକ । ଲୁହା ସିମେଣ୍ଟ କି ଲୁଗା ଚିନି କଳାବଜାର କରିବାକୁ ତାଙ୍କର ସୁବିଧା ନ ଥିଲା; କିନ୍ତୁ ମଗୁଶିର ମାସରେ କନ୍ଧଙ୍କଠୁଁ କିଣିଥିବା ଧାନ ମାଣ୍ଡିଆକୁ ଅଷାଢ଼ ଶ୍ରାବଣରେ ସେହିମାନଙ୍କୁ ଦେଢ଼ି ଲଗାଇ ସୁଧ ଉପାର୍ଜନ କରିବାକୁ ତାଙ୍କର ଯେଉଁ ସୁଯୋଗ ଥିଲା ତହିଁରୁ ସେ ପୂରାମାତ୍ରାରେ ସୁବିଧା ଉଠାଇଲେ । ଅଛିଣ୍ଡା ସୁଧରେ ଟଙ୍କା କରଜ ଲଗାଇ ଛିଡ଼ିଣି ଟଙ୍କା ବଦଳରେ ବେଠି ଖଟିବା ପାଇଁ ସେ ବେଠିଆ ପାଇପାରିଲେ, ପ୍ରକାଶ୍ୟ ରାଜନୀତିର ସେ ପଶିପାରିଲେ ସୁଦ୍ଧା ସେହି କନ୍ଧ ଗାଁରେ ଦି ଧାଉଡ଼ି ଘର ଭିତରେ କଜିଆ ଲଗାଇ ଦେଇ ଦୁଇପକ୍ଷକୁ ଅକ୍ତିଆରରେ ରଖି ସେ ଗାଁ ମାମଲତକାର ହେଲେ । ଆଉ କର୍ମୀ ହରି ଦାସ ନୁହନ୍ତି, ସାହୁକାର ହରି ଦାସ, ଟାଉଟର ହରି ଦାସ । ଆଖପାଖ ଗାଁ ଗଣ୍ଡାର ଫନ୍ଦିଫିକରରେ କଳିଗୋଳ ମାଲିମକଦ୍ଦମାରେ ସବୁଥିରେ ତାଙ୍କର ହାତ ଥାଏ । କେଉଁଦିନୁଁ ତାଙ୍କର ପୁରୁଣା ସଙ୍ଗୀମାନେ ତାକୁ ସତେ କି ପଳାଶପତ୍ର-ଦାହ କରିସାରିଲେଣି । ଯେଉଁଠି ସେ ଦିନେ ସମ୍ମାନିତ ଓ ଆଦୃତ ହେଉଥିଲେ, ସେଠି ସେ ଘୃଣ୍ୟ । ତଥାପି ସେହି ମଣିଷ ତ ସେ, ସେହି ଚେହେରା, ସେହି ଚାଲି ।

 

ସେ ହରି ଦାସ ଆଉ ଯେ ହରି ଦାସ, ଭାବି ହୁଏ ନାହିଁ । ଦେହ ଶୀତେଇ ଉଠିଲା । ଆଖି ଆଗରେ ଛବି ଭାସିଗଲା ଗୋଟିକା ଗୋଟି । କେତେ ଏମିତି । ଯେଉଁ ଦେହ ଭୋକ ଉପାସକୁ ଗୌରବ ମଣୁଥିଲା, ସେ ଫେର୍ ଖୋଜିଲା ବିଳାସ । ଯେଉଁ ବ୍ୟକ୍ତିତ୍ୱ ନିର୍ଯ୍ୟାତନା ଅତ୍ୟାଚାରରେ ଆଉଟି ହୋଇ ଆଉଟା ସୁନା ପରି ଝଟକି ଉଠୁଥିଲା, ଦଣ୍ଡବତ ଖୁସାମତ ଦେଖାଦରଶନି ଫୁଲମାଳରେ ପୋତିହୋଇ ସେ ହେଲା ଖତିରା, ଅସନା, ଦୁର୍ବଳ, ଟଳଟଳ, ଖାଲି ଫୋପଡ଼ ଆଉ ବୋଲୁଅ ପାଇଁ ଲାଖ ।

 

ହୁଏତ ସତେ ସତେ ଯୁବକ ହରି ଦାସ ବ୍ରତଧାରୀ ନ ଥିଲେ, ତାଙ୍କ ଦେହ କି ମନ ତପସ୍ୟାରେ କରି ନ ଥିଲା, କୈଶୋରର ଭାବପ୍ରବଣତା ସାମୟିକ ମହା ଆହ୍ୱାନରେ ତେଜିଉଠି ତାଙ୍କୁ କିଛିଦିନ ପାଇଁ ଆପଣା ଭିତରୁ ଠେଲିଦେଇଥିଲା ବିରାଟ ଆଦର୍ଶବାଦର ସୁଅ ଭିତରକୁ, ସାଧାରଣ ମଣିଷ ଆଖିରେ ଦେବତାପରି ହୋଇ କାର୍ଯ୍ୟ କରିବାକୁ । ନିଜ ଭିତରର ନିଆଁ ଶୀତଳ ହୋଇଗଲା, ଚାଲିଲା ଦିନାକେତେ ଦେବତା ଦେବତା ଅଭିନୟ, ତା’ପରେ ସେଥିରେ କ୍ଳାନ୍ତି ଆସିଲା, କର୍ପୂର ଉଡ଼ିଗଲା କର୍ପୂରର ବାସ୍ନା ବି ଉଡ଼ିଗଲା, ତା’ପରେ ଖାଲି କନା, ଲୋଭ ମୋହ ଦୁର୍ବଳତାମୟ ସାଧାରଣ ମଣିଷ, ସେହି ଯେ ଅଭିମାନ କରି କହେ, ‘‘ମୋଠୁଁ କାହିଁକି ତୁମେ ଆଶା କରୁଥିବ ମୁଁ ଦେବତା ହୋଇ ରହିଥିବି ବୋଲି ? ତୁମେ ଦେବତା ହେଉନା ?’’

 

କିନ୍ତୁ ?

 

ଭାବୁ ଭାବୁ ସେହି ଅତଡ଼ାରେ ପହଞ୍ଚି ଦୂରକୁ ଚାହିଁ ଆରତ ପଣ୍ଡାକୁ ଅସ୍ଥିର ଲାଗେ, ହୃଦୟ ମନ୍ଥି ଚକଟି ହୁଏ । ଯେଉଁ ଆଦର୍ଶ ସେତେବେଳେ ସେହି ହରି ଦାସଙ୍କ ଚେତନାକୁ ଆଚ୍ଛନ୍ନ କରି ରଖିଥିଲା, ତାଙ୍କ ତୁଣ୍ଡରେ ଭାଷା ଦେଇଥିଲା, ତାଙ୍କ ହାତରେ କାର୍ଯ୍ୟ କରାଇଥିଲା, ସବୁ ବିପଦର ମୁହାଁମୁହିଁ ହେବାକୁ ବାରମ୍ୱାର ତାକୁ ଓଟାରି ନେଉଥିଲା ସୁସ୍ଥି ଭିତରୁ ଫୁଙ୍ଗା ଅପନ୍ତରାକୁ ସେ କ’ଣ ମିଛ ? କେଉଁ ପାତ୍ର ଅକାମୀ ହୋଇଯାଇଛି, କେଉଁଥିରେ ସଳିତା ନାହିଁ, ତେଲ ନାହିଁ, ତେଣୁ କେଉଁ ଦୀପ ଯେ ଦିନେ ଦାଉ ଦାଉ ଜଳୁଥିଲା ସେ ଆଜି ନିଭିଯାଇଛି । ଚିଲିକା କୂଳରେ ଦୀପଦାଣ୍ଡିଆ ପାହାଡ଼ ଉପରେ ଆଉ ସେ ପ୍ରକାଣ୍ଡ ଦୀପ ଜଳୁ ନାହିଁ । ତା ବୋଲି ଆଲୁଅ ହଜି ନାହିଁ-। ମଣିଷର ଅନ୍ତର ଭିତରେ ଏବେ ବି ଝକମକି ଉଠୁଛି ଯେଉଁ ସଦ୍‍ବିଚାର ଦିନେ ପୁଣି ସେ ବଢ଼ି ଉଠିବ, ବିନ୍ଦୁ ବିନ୍ଦୁ ଆଲୋକ ଏକାଠି ହୋଇ ହେବ ଆଲୋକର ଝରଣା ଯୁଗ ବିତିଯାଇପାରେ, ଗୋଟାଏ ଦେହ, ଗୋଟାଏ ଆୟୁଷ, ସମୟର ଅସରନ୍ତି ପ୍ରବାହ ଭିତରେ ପରମ୍ପରାର ଧାରାରେ କେତେଥର ସେ ଉଇଁ ଅସ୍ତ ହେଉଥିବ, କିନ୍ତୁ ଶେଷରେ ଏହି ମଣିଷଜାତି ପୂର୍ଣ୍ଣତା ପାଇବ, ଅନ୍ଧାର ହାରିବ, ଆଲୁଅ ଜିତିବ ।

 

ଜେଲରୁ ଲେଉଟି ଆଖିଦୁରୁଣା କର୍ମକ୍ଷେତ୍ରରୁ ଅପସରିଯାଇ ଯେତେବେଳେ ସେ ନାଁ ନ ପଡ଼ୁଥିବା ଜୀବନ ଆଦରି ନେଇ ଆପଣା ବିବେକ ଓ ବିଚାର ଅନୁସାରେ ଜୀବନ ବିତାଇ ବିତାଇ ବୁଲିଲେ ଏତେ ବର୍ଷ, ସେତେବେଳେ ଆପଣାକୁ ପରୀକ୍ଷା କରି ଚିନ୍ତାଧାରାକୁ ସଜାଡ଼ିଲା ବେଳେ ଶେଷରେ ଏହି ବିଚାର ମନରେ ଆସିଥିଲା ବାରମ୍ୱାର, ଏହି ବିଶ୍ୱାସ ହୋଇ ରହିଥିଲା ଜୀବନର ସାଥୀ, ଏବେ ବି ରହିଛି ।

 

ଆରତ ପଣ୍ଡା ଭାବିଲେ-ବିପଦକୁ ଚିହ୍ନିବାକୁ ହେବ କର୍ମୀ ପକ୍ଷରେ । ତୀର୍ଥକରି ଆସି ଭାତ ରାନ୍ଧି ଖାଇ ହାଣ୍ଡିକି ସେଇଠି ବାଡ଼େଇଦେଇ ଯିବା ହିଁ ବିଧି, ମୋର ମୋର ହେଉ ହେଉ ସଞ୍ଚୟ କରିବାକୁ ମନ, ଆପଣା ପାଇଁ ସଞ୍ଚୟ କରୁ କରୁ ହିଂସା ଦ୍ୱେଷ, ଗଡ଼ି ଚାଲିବ ତା’ପରେ, ଅଟକାଇ ହେବା ନାହିଁ ।

 

Unknown

ଚାଲିଲା ପାଦ । ପୁଣି ବାଟ ।

 

ଗାଁ ଗହଳି କରେ କରେ । ନଈ ବନ୍ଧେ ବନ୍ଧେ । ଗାଢ଼ ନେଳୀ ହୋଇ ଦାଉ ଦାଉ ଖରାରେ ସୁନ୍ଦର ଦିଶୁଛି ନଈ ପାଣି । କଟା ପୋଡ଼ପିଠା ବର୍ଣ୍ଣର କାନ୍ଥ ଉପରେ କଦଳୀଗଛ ଗହଳି ଭିତରେ ନଡ଼ାଛୁଆଣି ସୁନେଲି ଛାତ, ଶାଗୁଆ ଆଉ ନେଳୀ ବର୍ଣ୍ଣର ହାଲୁକା ବହଳ ହୋଇ ବିଭିନ୍ନ ରଙ୍ଗରେ ବିଭିନ୍ନ ଗଛର ଶୋଭା, ତାରି କତିରେ କତିରେ ଯେପରି କି ତାଙ୍କ ଅପଣାର ପ୍ରିୟ ବିଚାର ଓ ଧାରଣାଗୁଡ଼ିକ ଶୋଭାବହୁଳ ହୋଇ ସଜା ହୋଇ ରହିଛନ୍ତି । ବନ୍ଧ କର ଜାମୁ ଗଛରେ ନାଲିପତ୍ର ଫୁଟିଛି, ସ୍ଥାନେ ସ୍ଥାନେ ବହଳ ଶାଗୁଆ କିଶୋର ଗଛ ମୁଣ୍ଡ ଉପରେ ଖଞ୍ଜା ହେଲା ପରି ଗୋଟି ଗୋଟିକା ନାଲି ପତ୍ର । ଏଇଥିରୁ କ’ଣ କିଶୋର କୃଷ୍ଣଙ୍କ ପରିକଳ୍ପନା କରିଥିଲେ କବି ?

 

ସତେ ସତେ ଦସନ୍ତର ରାସ ଲାଗି ରହିଛି । ଉଦୁଉଦିଆ ଦ୍ୱିପ୍ରହରେ, ନଈ ବନ୍ଧେ ବନ୍ଧେ, କଣ୍ଡିଆରେ ଦଣ୍ଡାରେ ସବୁଠିଁ । ତଳକୁ ଚାହିଁଲେ ଆଖିପତାର ବାଳ ପରି ଟିକି ଟିକି ଗଛ ଲଟା, ଶାଗୁଆ, ବାଇଗଣୀ, ନେଳୀ ଧୀର ପବନରେ ଢଳିଲା ପରି, ନାଚିଲା ପରି । ସରୁ ସରୁ ଅଗରେ ଟିକି ଟିକି ନାନା ବର୍ଣ୍ଣର ଫୁଲରେ ଥରିଲା ପରି ବର୍ଣ୍ଣ ମଉଛବ । ସେଠି ବି କି ବିଚିତ୍ର ନାନା ବର୍ଣ୍ଣ ଟିକି ଟିକି ପ୍ରଜାପତି । ଉପରକୁ ଚାହିଁଲେ-ଖାଲି ଜାମୁ ନୁହେଁ, ନାଲିଚା କୁଆଁ ଓ ହାଲୁକା ଶୁଆପଖିଆ ପତ୍ରରେ ସଜାସଜି ହୋଇ ଛନଛନିଆ କିଶୋରୀ ପରି ନିମ୍ବଗଛ ବି ଠିଆ ହୋଇଛି । ମଝିରେ ମଝିରେ ପଳାଶ ପତ୍ର ଦିଶୁ ନାହିଁ, ଚାଖଣ୍ଡେ ଲେଖାଁ ବଡ଼ ବଡ଼ ରକ୍ତ ନାଲି ଫୁଲ ନାଲି ଶାଗୁଆ କଢ଼ ବଙ୍କା ବଙ୍କା ଧଳା ଡାଳ ଉପରେ ଗୁନ୍ଥା ହେଲା ପରି ଖୁନ୍ଦି ହୋଇଛି ଯେ ଗଛଯାକ ନାଲି ହୋଇ ଜଳି ଉଠୁଛି, ଗଛରୁ ବାହାରି ଚାରିଆଡ଼କୁ ନାଇଁ ଧାସ ଝଟକୁଛି । ଲାଗୁଛି ଯେପରି କି ଏମାନେ ଫୁଲ ନୁହନ୍ତି, ନାଲି ଚଢ଼େଇଟିମାନ ଖାଲି ଏଇ ବସନ୍ତ ମଉଛବ ପାଇଁ ଏକାଠି ହୋଇଛନ୍ତି, ଧଳା ଡାଙ୍ଗକୁ ଥଣ୍ଡରେ କାମୁଡ଼ି ଧରି ଥିରି ହୋଇ ଝୁଲି ରହିଛନ୍ତି ପାଖକୁ ପାଖ ହୋଇ ।

 

ସିଅ ସିଅ ହୋଇ ପ୍ରକାଣ୍ଡ ପ୍ରକାଣ୍ଡ ଖମ୍ୱ ଉପରେ କେତେ ଉଞ୍ଚରେ ବିରାଟ ଶାଗୁଆ ଛାତ ଟେକି ସ୍ଥାନେ ସ୍ଥାନେ ଯେଉଁ ବରଗଛମାନ କେଉଁ ପୁରୁଷରୁ ଠିଆ ହୋଇଛି, କେଉଁଟା ମାଣେ କେଉଁଟା ଅବା ଦଶ ମାଣ ଜମି ଆବୋରି ଘର ପରି ରହିଛି ସେଠି ନୂଆ ପତ୍ର ନୂଆ ସିଅ ହୋଇ ନୂଆ ସ୍ଥାପତ୍ୟ ଝଟକୁଛି । ନଈ କୂଳେ କୂଳେ କେତେ ଏମିତି ଘର ପରି ବରଗଛ, କେଉଁଠି ଗଛ ଗଣ୍ଡିରେ ସିନ୍ଦୂର ଲାଗିହୋଇ ଠାକୁର ବସିଛନ୍ତି, କେଉଁଠି ପଥରର କାରୁକାର୍ଯ୍ୟମୟ ଠାକୁରଙ୍କ ଭଗ୍ନାଂଶମାନ ଏକାଠି ଠୁଳ ହୋଇ ହୋଇଛି ଦେବସ୍ଥାନ, ଆଉ କେଉଁଠି କେଉଁ ମୂର୍ତ୍ତି । ଏଇ ଯେମିତି ବାଟକରରେ ନରିଶୋ ଗାଁର ବରଗଛ-ବାର ମାଣ ଜମି ମାଡ଼ି ଚୌରାଳିଶି ସିଅ ଉପରେ ପ୍ରକାଣ୍ଡ ବରଗଛ, ତା ତଳେ ବୀର ହନୁମାନ ମୂର୍ତ୍ତି । ଗୋଟିକ ପରେ ଗୋଟିଏ ହୋଇ ଲାଗିରହିଛି ଗାଁସବୁ, ବନ୍ଧ ତଳେ ତଳେ, ପୁଣି ଗହୀର ସେକରେ, ନଈ ସେକରେ, ଧୂଆଁଳିଆ ତୋଟା ଉଢ଼ୁଆଳରେ । ଫିତା ପରି ସରୁ ଚଲାବାଟ ଓ ଶଗଡ଼ଦଣ୍ଡା ଜୀଅନ୍ତା ଦିଶୁଛି । ବାଟ ଆଉ ପୋଷା ଗଛ ଆଉ କ୍ଷେତ, କଣ୍ଡିଆ, ସବୁ ମନେ ପକାଇଦିଏ ମଣିଷକୁ ଓ ତା’ର ସମାଜକୁ ।

 

ଏହି ଦିଶୁଛି ଗାଁର ରୂପ ଗୋଟାସୁଦ୍ଧା । ଆଡ଼ମ୍ୱର ନାହିଁ, ଆଖି ବାନ୍ଧି ପକାଇଲା ଭଳି ସାତ ନାହିଁ, ସେ ମଣିଷ ଆପଣାକୁ ବଡ଼ ବୋଲି ମଣେ ନାହିଁ କି ପରକୁ ବଡ଼ ବୋଲି ଭାବେ ନାହିଁ, ବଡ଼ ଖାଲି ମଣେ ଠାକୁରଙ୍କୁ, ଯେ ଏ ସୃଷ୍ଟିର ହେତୁ ଓ ଆଧାର । କେତେ ନୀତି ଆଦର୍ଶ ଘେନି ମଣିଷ ଏଠି ସ୍ଵଚ୍ଛନ୍ଦରେ ଜୀବନ ବିତାଇ ନିଶ୍ଚିହ୍ନ ହୋଇଛନ୍ତି । ଗୁଣରେ ଭଲ ହେବା ଏଠି ନିୟମ, ସେଥିପାଇଁ କେହି ନାଁ ଖୋଜେ ନାହିଁ, ସେଥିରୁ ବାହା ହେଲେ ନାଁ ପଡ଼େ ।

 

କିନ୍ତୁ ଏତେକାଳର ନୀତିମତ୍ତା ଥାଇ କ’ଣ ହେଲା ? ଜଣେ ଆଉ ଜଣକୁ ଶୋଷଣ କଲା, ସ୍ନେହ-ପ୍ରୀତି ବୁଡ଼ିଲା, କୋଠ ଚଳଣି ଫାଟିଲ, ଟାଉଟରୀ ବଢ଼ିଲା । ଲୋକ ପରକୁ କ’ଣ ଦେବେ, ଆପଣା ବାପ ଭାଇଙ୍କି ମୁଠାଏ ଦେବାକୁ ବି କେହି କେହି କୁନ୍ଥୁ କୁନ୍ଥୁ । ପୁରୁଣା ଜାତିଭେଦ ପ୍ରଥା କୋହଳ ହେଲା, କିନ୍ତୁ ସୃଷ୍ଟି ହେଲା ଧରି ଜାତିଭେଦ । ଜମିଦାର ମକଦମ ଗଲେ, କିନ୍ତୁ ଧନ କି କ୍ଷମତାବଳରେ ଗୋଠ ଗୋଠ ମଣିଷଙ୍କୁ ଅକ୍ତିଆର କରି ରଖିବା ଗଲା ନାହିଁ, ନୂଆ ନୂଆ ପ୍ରକାର ହେଲା । ଗାଁର ଖାଲି ଚେହେରାଟା ହିଁ ରହିଛି, ନ ହେଲେ ନିଜ ଗୋଡ଼ରେ ନିଜେ, କେହି କାହାକୁ ପଚାରିବା କଥା ନାହିଁ, ସମୂହ କଲ୍ୟାଣ ଚିନ୍ତା-ସର୍ବେ ଭବନ୍ତୁ ସୁଖିନଃ-ଏ ଖାଲି ମନ୍ତ୍ର ପଢ଼ିଲା ବେଳେ-। ମଣିଷର ଦୃଷ୍ଟିରେ ବି ଗୋଟିଏ ପ୍ରଶ୍ନ–ଏଥିରୁ କେତେ ପଇସା ମିଳିପାରେ ? ତେଣୁ ସ୍ନେହ ସମ୍ବନ୍ଧ ଗଲା ଉଡ଼ି, ଲୋକେ ପରକୁ କ’ଣ ସାହାଯ୍ୟ ଦେବେ ଆପଣା ବାପ ଭାଇଙ୍କୁ ମୁଠାଏ ଖାଇବାକୁ ଦେବାକୁ କୁନ୍ଥୁ କୁନ୍ଥୁ । ପରିବାର କହିଲେ ସ୍ୱାମୀ, ସ୍ତ୍ରୀ ଆଉ ଛୁଆ ପିଲା । ସେ ପାଠ ପଢ଼ିଲେ ସେ ଗାଁ ଛାଡ଼ିଲେ, ଗାଁରେ ଯେ ରହିଲେ ସେ ଆପଣା ଭିତରେ ବାଦବୁଦିଆ ହେଲେ, ଲଢ଼ିଲେ, ମକଦ୍ଦମା କଲେ, ଗାଁ ବଳିଗଲା ସହରଠୁଁ । ସମସ୍ତେ ଦୋଷ ଦେଲେ । ପୁଣି ସମସ୍ତେ କହିଲେ ୟେ ହେବା କଥା, ଅବସ୍ଥା ବଦଳିଛି, ଭାଉ ବଢ଼ିଛି, ଯନ୍ତ୍ର ଓ କାରିଗରୀର ଯୁଗ ଆସିଛି, କୃଷି-ଯୁଗର ସମାଜରେ ଯାହା ନୀତି ଓ ଅଭ୍ୟାସ ଥିଲା ଶିଳ୍ପ-ଯୁଗର ସମାଜର ଚଳଣି ତାଠୁଁ ଭିନେ, ତେଣୁ ପୁରୁଣା । ଅମଳକୁ ଝୁରି ନ ହୋଇ ଏ ନୂଆ ଅମଳ ଅନୁସାରେ ମଣିଷର ସୁଖ ସ୍ଵାଚ୍ଛନ୍ଦ୍ୟ କେମିତି ବଢ଼ିବ ତାକୁହିଁ ଚିନ୍ତା କରିବା କଥା, ଅର୍ଥାତ୍ ମଣିଷ ଖାଲି ନିଜ ହିତ କଥା ଭାବୁ ପଛେ ତା’ର ରୋଜଗାର ବଢ଼ୁ, ସ୍ୱାସ୍ଥ୍ୟ ସୁବିଧା ବିଦ୍ୟା ବଢ଼ୁ, ଚଳଣିର ଚେହେରା ବଢ଼ୁ ।

 

କିନ୍ତୁ ଆରତ ପଣ୍ଡାଙ୍କ ମନ ମାନିଲା ନାହିଁ । ସେ ଶିଳ୍ପକାରିଗରୀ କି ଯନ୍ତ୍ର ବିରୋଧୀ ନ ଥିଲେ, ସେ ଭାବୁଥିଲେ ମଣିଷ କଞ୍ଚା କଞ୍ଚା ଖାଇବା ଅପେକ୍ଷା ନିଆଁର ବ୍ୟବହାର ଶିଖି ରୋଷେଇ କରି ଖାଇ ଶିଖିବା ବି ଶିଳ୍ପ ବିଜ୍ଞାନର ବିଜୟ, ଗଛ ତଳୁ ଗୋଟେଇ ଆଣି ଖାଇବା ଅପେକ୍ଷା ଜମି ହଳ କରିବା ବି ବିଜ୍ଞାନ, ତାଷ କରିବା ବି ବିଜ୍ଞାନ, ବୁଦ୍ଧି ଖଟେଇ ବିଜ୍ଞାନକୁ ଅଶ୍ରାକରି ମନୁଷ୍ୟ ଜାତି ଅସଭ୍ୟରୁ ସଭ୍ୟ ହୋଇଛି, ସଭ୍ୟତର ହୋଇଛି ।

 

ଯେଉଁ କଳ ମଣିଷର ଦେହ-କଷ୍ଟ ଊଣା କରେ, ସୁଖ ସୁବିଧା ବଢ଼ାଇବାକୁ ସାହାଯ୍ୟ କରେ, ସେ ଦରକାରୀ । କିନ୍ତୁ ସେ ଭାବୁଥିଲେ ଯେ କଳ, ଶିଳ୍ପ, ବିଜ୍ଞାନ ନିଜେ ଦେବତା ନୁହେଁକି ନୀତି ନୁହେଁ, ମଣିଷକୁ ସାହାଯ୍ୟ କରିବା ପାଇଁ ତା’ର ଉତ୍ପତ୍ତି, ମଣିଷ ହୃଦୟର ସ୍ନେହ ପ୍ରୀତି ଦୟା ଶାନ୍ତି ଆନନ୍ଦକୁ ଅତୁଟ ରଖି ତା’ର ବ୍ୟବହାର ଲୋଡ଼ା, ମଣିଷକୁ କର୍କଶ ନିଷ୍ଠୁର ସ୍ୱାର୍ଥପର ଅସାମାଜିକ ଅମଣିଷ କରି ଗଢ଼ିବା ପାଇଁ ନୁହେଁ । ସେ ଭାବୁଥିଲେ, ଚାଳଘର ଭାଙ୍ଗି କୋଠାଘର ତୋଳିଲେ ଦୋଷ ନାହିଁ, ସେ ଅଧିକରୁ ଅଧିକ; କିନ୍ତୁ କୋଠାଘରର ସୁବିଧା ଗାଁଯାକ ସମସ୍ତେ ପାଇବା ଉଚିତ, ଖାଲି ଜଣେ ଦି’ଜଣ ନୁହେଁ, ଆଉ ସେ କୋଠାଘରେ ରହିଲେ ବି ମଣିଷଠିଁ ରହିବା ଉଚିତ ସ୍ନେହ, ପ୍ରୀତି, ନୀତି ଓ ଆଦର୍ଶ, ସମସ୍ତେ ମିଶି ଏକ ପରିବାର, ସୁଖରେ ଦୁଃଖରେ ସାଥୀ, ଏକାଠି ଖଟିବେ, ବାଣ୍ଟିକୁଣ୍ଟି ଖାଇବେ, ନିଜ ସ୍ୱାର୍ଥ ଭୁଲି ଆଗ ଭାବିବେ ଅନ୍ୟମାନଙ୍କର ହିତ, ସତରେ ଚଳିବେ ।

 

ତା ପରିବର୍ତ୍ତେ ସେ ଜେଲ୍‍ରୁ ଲେଉଟି ଚାରିଆଡ଼େ ଦେଖିଥିଲେ ସମାଜରେ ପୁରୁଣା ରୋଗ ଆହୁରି ମାତିଛି ଅଥଚ ଯେଉଁ ଉତ୍ସାହ ଉଦ୍ଦୀପନା ନୂଆଯୁଗର ସ୍ୱପ୍ନକୁ ନିକଟ କରିଥିଲା, ସେ ନାହିଁ । ଆଉ ଏତେଦିନ ପରେ ସେ ପୁଣି ଗାଁକୁ ଲେଉଟୁଛନ୍ତି ଗୋଟାଏ ବଡ଼ ଆଶା ଘେନି-ବିଚାର ବଦଳୁଛି, ପରିସର ଯେଡ଼େ ହେଉ ନୂଆ ବିଚାର ସେଠି ଦେଖାଦେଇଛି । ମାଳ ଭିତରେ ଶହ ଶହ ଅତି ପୁରୁଣା ଚମ୍ପା ଗଛରେ ଫୁଲ ଫୁଟିଲେ ଯେମିତି ଦୂରକୁ ବାସେ, ସେମିତି ତା’ର ବାସ୍ନା ତାଙ୍କୁ ଟାଣି ଆଣିଛି ।

 

କାଲି ବି ସେ ରାତିରେ ସେହି କଥା ଭାବୁଥିଲେ, ଯେତେବେଳେ ଚିକକ୍‍ଣ କଲା ତାରାଫଟା ଆକାଶ ତଳେ ଉପରକୁ ମୁହଁକରି ପଡ଼ିଆରେ ଚିତ୍ ହୋଇ ପଡ଼ିରହି ଆପଣାକୁ ଏ ସୃଷ୍ଟି ସଙ୍ଗେ ସୁଷମ କରି ମିଶାଇବାକୁ ସେ ଚେଷ୍ଟା କରୁଥିଲେ । ବହୁ ବର୍ଷର ଅଭ୍ୟାସ, ସେହି କେଉଁଯୁଗ ତଳର କଥା, ଯେତେବେଳେ ସେ ପ୍ରତିଜ୍ଞା କରିଥିଲେ ଯେ ଦେଶ ସ୍ୱାଧୀନ ନ ହେବା ପର୍ଯ୍ୟନ୍ତ ସେ କେତେଗୁଡ଼ିଏ ଆଚାର ମାନି ଚଳିବେ । ତହିଁରୁ ଗୋଟିଏ ଆଚାର ଯେ ବର୍ଷାଦିନ ଛଡ଼ା କି ଅତିଶୟ ହାଡ଼ଭଙ୍ଗା ଶୀତଦିନ ଛଡ଼ା ସବୁଦିନେ ରାତିରେ ପଦାରେ ଲୁଗାକାନି ପାରି ସେ ଶୋଇବେ, ଘର ଭିତରେ ନୁହେଁ କି ପିଣ୍ଡାରେ ନୁହେଁ, ଯେତେଦୂର ସମ୍ଭବ ଲୋକାଳୟଠୁଁ ଦୂରରେ କେଉଁ ଅପନ୍ତରାରେ । ତଳେ ଧରିତ୍ରୀ ମାତା ଉପରେ ଆକାଶ ସର୍ବତ୍ର ଈଶ୍ଵର ଏହି ସମନ୍ୱୟ ଭିତରେ ଅଟଳ ବିଶ୍ୱାସ ଅବିଚଳିତ ନିର୍ଭରରେ ସେ ରାତିରେ ନିଜ ଦେହକୁ ମଧ୍ୟ ଆପଣା ସ୍ରଷ୍ଟାଙ୍କ ଉଦ୍ଦେଶ୍ୟରେ ନିବେଦନ କରିଦିଅନ୍ତି, ଯେତେବେଳେ ତହିଁ ଆରଦିନ ଭୋର୍ ପାହାନ୍ତିଆରେ ନିଦ ଭାଙ୍ଗେ ସେ ଏଇ କଥା ଅନୁଭବ କରି ଉଠନ୍ତି–

 

ମୁଁ ମୋର ଇଚ୍ଛାରେ କି ମୋ ପାଇଁ ଉଠୁ ନାହିଁ, ଉଠୁଛି ତାଙ୍କରି ଉଚ୍ଛାରେ, ତାଙ୍କରି କାମ କରିବ ବୋଲି ।

 

କାଲି ସଞ୍ଜ ବୁଡ଼ିଥିଲା ବନ୍ଧ କରରେ ମଶାଣି ପାଖରେ । ବନ୍ଧ ସେକରେ ଖାଲ ହୋଇ ଦଣ୍ଡା ଓହଳି ପଡ଼ିଛି ନଈ କଣ୍ଡିଆ ଆଡ଼କୁ, ପାଖରେ ଗୋଟିଏ ଟୁବି ଗାଡ଼ିଆ । ଅରାଏ ଖାଲି ଡିହ, ପାଖରେ ଛ’ ଆଠ ଗଛର ତୋଟା, ଖଣ୍ଡେ ଦୂର ଛାଡ଼ି ଗୋଟିକିଆ ଗଉଡ଼ ଘରଟିଏ । ସଞ୍ଜବୁଡ଼େ ଗଉଡ଼ ଆସି ବାବାଜୀ ମଣିଷ ଦେଖି ଓଳଗି ହୋଇଥିଲା, ସିଝା ଦୁଧ ବେଲାଏ ଆଣି ଶରଧାରେ ପିଆଇ କଲ୍ୟାଣ ନେଇଥିଲା । ତା’ର ତିନିଟା ମରି ମରି ଗୋଟାଏ ବୋଲି ପୁଅ ଜୀଇଲା, ସେହି ପୁଅର ତିନି ବରଷର ପିଲା ବକଟେ, ଦେହରେ ଲାଗୁ ନାହିଁ, ଭାରି କୃମି ଦୋଷ, ରାତିରେ ଦାନ୍ତ ରଗଡ଼ୁଛି, ଏଣେ ଦସିପୋକ କାମୁଡ଼ୁଛନ୍ତି । ସେହି ପିଲା ପାଇଁ ତା’ର କଲ୍ୟାଣ ଦରକାର, ନିଜ ପାଇଁ ନୁହେଁ ।

 

‘‘ଠାକୁରେ ମଙ୍ଗଳ କରିଥାନ୍ତୁ ବେହେରାଏ, ମଣିଷ କି ଛାର ।’’ ଏତିକି । ପ୍ରସନ୍ନ ଠଣିରେ ଚାହାଣି ଟିକିଏ । ବେହେରା ଗଦଗଦ ହେଲେ, କୃତକୃତ୍ୟ କୋଇ ଦଣ୍ଡବତ ହୋଇ କେତେ ସମ୍ୱାଦ କହିଗଲେ ।

 

ସେହି କହୁଥିଲେ, ଏ ଡିହ ନିଅଁଶୀଡିହ । ଆଗେ ୟେ ଥିଲା ଚକର ପଧାନଙ୍କ ଘର, ଚକର ଶଙ୍କର ଘର କରୁଥିଲେ ଯେ କାହିଁରେ କ’ଣ, ବଢ଼ିଗଲା ବଢ଼ିଗଲା ତାଷ ଯେ ଗାଁ ଗୋଟାକର ସବୁ ଜମି ସତେ କି ତାଙ୍କରି । ଜମି ବଢ଼ୁ ବଢ଼ୁ, ସହରର କେଉଁ ବଡ଼ ମହାଜନ ଜମି ସଙ୍ଗେ ଧକ୍କା ଲାଗିଲା ଯେ ଘରକୁ ଆସିଲା ଅଛିଣ୍ଡା । ମକଦ୍ଦମା । ତା’ପରେ ବାଡ଼ି ପଶିଲା ଯେ ଘରର ସମସ୍ତେ ପଦା ହେଲେ । ଚକର ପଧାନ ବୁଢ଼ା ବଞ୍ଚିଥିଲେ, ଯେତେ କାନ୍ଦିଲେ ଯେତେ ଝୁରିହେଲେ ବି ଚେମେଡ଼ା ଜୀବନଟା ଛାଡ଼ିଲା ନାହିଁ, ଚାରି ବର୍ଷ ଘୋଷାରି ହେଲେ, ସେଉଠୁ ଗଲେ । ଚକର ପଧାନ ଧୁରୁଳା ଗୁଡ଼ିଆ ଘରର ଏ ଡିହକୁ କିଣିଲେ । ଧୁରୁବା ଗୁଡ଼ିଆ ଘର ବି ନିଅଁଶୀ ହୋଇଥିଲେ-। ଝିଅଟାଏ ଯେ ସେ ପରିଗୋତ୍ରୀ । ଆଉ କେହି ନାହିଁ ।

 

ଆରତ ପଣ୍ଡା ରାତିବ ସେଠି ଭୂଇଁରେ ଲମ୍ୱ ହୋଇ ପଡ଼ିରହିଥିବା ବେଳେ ମନେ ପଡ଼ିଥିଲା । ପିଠି ତଳେ ଏଇ ଯେଉଁ ମାଟି ସେଠି କଅଁଳା ପିଲା ଜନ୍ମ ହୋଇ ଶୋଇଥିବେ । କେତେ ଘୁଅ ମୂତ ଅଇଣ୍ଠା ପାନପିକ ତା ବି ପଡ଼ିଥିବ ଏଠି, ଏଇ ଢିଅ ମାଟିରେ ମଣିଷର ଗୃହସ୍ଥଳୀ, ଏଠି କେତେପ୍ରକାର ସମ୍ପର୍କମୟ ସ୍ପର୍ଶ । ତା’ପରେ ଘର ଡିହ ସମତଳ ହେଲା, ବରଷା ଛେଚିଲା, ପବନ ଭଡ଼େଇଲା, ଚୌରସ ହୋଇ ସୁନ୍ଦର ଟିକି ଘାସପଡ଼ିଆଟିଏ ।

 

କେବେ ଏଠି ଶୋଇ ଶୋଇ ଧୁରୁବ ଗୁଡ଼ିଆ ଭାବୁଥିଲା, ଏଇ ତାଙ୍କର ପୂର୍ବାଦିକାଳର ଘର, ଏଠି ସେ ନିଜେ ଯେମିତି ଜୀବନ ବିତାଇଦେଲେ ସେମିତି ହସିଖେଳି ଯାଆନ୍ତୁ ତାଙ୍କର ଭବିଷ୍ୟତର ପୁରୁଷ ପୁରୁଷ ଭତ୍ତରାଧିକାରୀମାନେ, ଅଛିଣ୍ଡା ହୋଇ ତାଙ୍କ ବଂଶର ଧାର ଲାଗିଥାଉ, ଅଚଳା ଲକ୍ଷ୍ମୀ ଥାଆନ୍ତୁ ଏ ଘରେ । ହୁଏତ ଏଇଠି ଏଇ ଜାଗାରେ କେତେ ବ୍ରାହ୍ମଣ ଭୋଜନି କରାଇଥିବେ, ଏଇଠି କରାଇଥିବେ ହୋମ । ଭଦୁଉଦିଆ ଦି’ପହରେ କେତେଥର ଏଇଠି ଏମିତି ଶୋଇରହି ଅଧା ଅଳସେଇ ଧୁରୁବ ପଧାନ ଆପେ ଲଗାଇଥିବା ନଡ଼ିଆଗଛ ମାନକୁ ଆଉ ସେତେବେଳର ଗଜା ତୋଟାକୁ ଦେଖୁଥିବେ, ଭାବୁଥିବେ ଯେ ସାଇତି ରଖିଯାଇଥିବା ଧନପରି ଭୂମିପରି ଯେ ତାଙ୍କର ପିଲାମାନଙ୍କୁ ହିଁ ଭୋଗ ହେବ, ଆଉ କାହାରିକୁ ନୁହେଁ । ତା’ପରେ ଚକର ପଧାନ, ଶଙ୍କର ପଧାନ ବି ଠିକ୍ ଏହିପରି ।

 

ଚୁଲୀ ଉପରେ ଭାତହାଣ୍ଡି ବସି ଟଗବଗ ହୋଇ ଫୁଟୁଥିଲା, ଲାଗୁଥିଲା ସେ ଶବ୍ଦ ଯେପରି କି ଶୁଭିଯାଉଛି । ପିଲାଏ ହୁମୁଦୁମୁ ହୋଇ ଡେଉଁଥିଲେ । କୁକୁର ଘର ଜଗୁଥିଲା, ଭୁକୁଥିଲା-। ଗୁହାଳରୁ ଗାଈ ହମାରଡ଼ି ଦେଉଥିଲା । ଘରେ କେତେ ମଶା, ଓଳି ତଳେ କେତେ ଚେମେଣି, କାନ୍ଥରେ କେତେ ଛାରପୋକ । ଝମର ଝମର ଖୁଣ୍ଟିଆ, ମହମହ ବାସ୍ନା, ବାରି ତଳେ ଚମ୍ପାଫୁଲ, ପୋଖରୀରେ ଟିକିଟିକି ଭଉଁରୀ, ଛଳଛଳ ଶବ୍ଦ । ମଣିଷ କେତେ ସମ୍ପର୍କ ଯୋଡ଼ିଥିଲା, ବୋଳିଥିଲା । ସବୁ ପୋଛିହୋଇ ଯାଇଛି । ଠାଏ ନିଭିଛି, ଆଉ ଠାଏ ବ୍ୟାପିଛି, ଠାଏ ବଣ ମାଡ଼ିଆସିଛି, ଆଉ ଠାଏ ବଣ ସଫା ହୋଇ ଗାଁ ବସିଛି । ସତେ କି ଶୂନ୍ୟରୁ ସବୁ ଉତ୍ପନ୍ନ ହୋଇଛି, ଶୂନ୍ୟରେ ମିଶିଯାଇଛି । ଉପରେ କଳା ଘୁମର ଆକାଶ, ଜକ ଜକ ତାରା, ସେତେବେଳେ ଥିଲା, ସେମିତି ରହିଛି ।

 

ସେମିତି, କାଲି ରାତିରେ, ଜୁଳୁଜୁଳିଆ ଉଡ଼ୁଥିଲେ । ସର ସର ହୋଇ କେତେବେଳେ କେଉଁ ଜନ୍ତୁ ଗଲା, କେତେବେଳେ ଦଉଡ଼ି ପଳାଇଲା ପରି ପାଦଶବ୍ଦ, କେତେବେଳେ ରହି ରହି ଗଲା ପରି । ବିଲୁଆ ବୋବେଇଲେ । ଘାସ ଭିତରୁ ଆସ୍ତେ ଆସ୍ତେ କେତେ ପ୍ରକାର ପ୍ରାଣୀଙ୍କ ଶବ୍ଦ ବାରିହେଲା । କାନ ଡେରୁ ଡେରୁ ସବୁ ଶବ୍ଦ ଏକାଠି ହୋଇ ନିଶା ଝାଇଁ ଝାଇଁ ଶବ୍ଦ ଭିତରେ କେଡ଼େ ସୁନ୍ଦର ସୁକ୍ଷ୍ମ ସଙ୍ଗୀତର ଝଙ୍କାର ବାରିହେଲା, ପବନରେ ଘାସ ଅଗଛିଆଇ ଖସ ଖସ ଯଦି ସେଥିରେ ମିଶିଛି ଆଇ ମିଶିଛି ତୋଟାର ଗହଳି ଗଛମାନଙ୍କ ପତ୍ରମର୍ମର, ଝିଙ୍କାରୀର ଝିଁ ଝିଁ ସଙ୍ଗେ ନାନା ପ୍ରାଣୀଙ୍କ ସ୍ୱରଶବ୍ଦ ସେପାଖ ଗାଁ ମଣିଷଙ୍କୁ ନିଶ୍ଵାସ ଶବ୍ଦ ବି ରାତି ଶବ୍ଦରେ କେଉଁଠି ମିଶିଯାଇଥିଲା । ନିଦରେ ଆଖି ବୁଜିଦେବା ଆଗରୁ ଝକ୍ କରି ଗୋଟାଏ ନୂଆ ଚେତନ ତାଙ୍କ ବ୍ୟକ୍ତିତ୍ୱକୁ ଆଶ୍ରା କରିଥିଲା, ସେ ଭାବିଲେ ସେ ଓଲଟି ପଡ଼ି ମହାଶୂନ୍ୟ ଉପରେ ହିଁ ଭରାଦେଇ ଶୋଇରହିଛନ୍ତି, ପିଠିପଟକୁ ମାଟି ଟାଣି ଧରିଛି, ତାରି ନାଁ ମାଟିର ମାୟା, ଆଉ ସବୁପଟେ ମହାଶୂନ୍ୟ । ଯେପରି ସେ ସମୁଦ୍ର ଉପରେ ମୁହଁମାଡ଼ି ଶୋଇ ରହିଛନ୍ତି, ପିଠିଆଡ଼ୁ, କିଏ ଓଟାରି ଧରିଛି ଗୋଟାଏ ନାହାରୁ । ବେଳ ଆସିବ ମାଟି ତାଙ୍କ ମାଟି ଦେହଟାକୁ ଆପଣା ସଙ୍ଗେ ମିଶାଇଦେବେ, ଆଉ ଯାହା କିଛି ସେ ସେହି ଶୂନ୍ୟରେ ହିଁ ମିଶିଯିବ । ହୋଇଆସିଛି, ହେବି ।

 

‘‘ମୁଁ ପଣର ଭେଦ, ସଞ୍ଚୟ, ଶୋଷଣ, ସ୍ୱାର୍ଥପରତା, ନିଷ୍ଠୁରତା, ବଡ଼ପଣର ଆସ୍ଫାଳନ ଓ ମୋହ-ସବୁ ମିଶି ଗୋଟାଏ କରୁଣ ଇତିହାସ ।’’ ସେ ଭାବୁଥିଲେ ।

 

କାଲି ରାତିରେ ପଛେ ସେ ଅସୀମ ଆକାଶ ସଙ୍ଗେ ଚେତନାରେ ଏକତା ଲୋଡ଼ିଥିଲେ, ବର୍ତ୍ତମାନ ତା ନାହିଁ, ଚାରିଆଡ଼େ ସୀମାଦିଆ ମଣିଷ ପରମ୍ପରା । ରଞ୍ଜାଳିଆ ଖରାରେ ହୁତୁହୁତିଆ ପବନ । ସମୟକୁ ସେ କେଉଁକାଳୁ, ମାପିବା ଛାଡ଼ି ଦେଇଛନ୍ତି, ଘଣ୍ଟା ସଙ୍ଗେ ତାଙ୍କର ପଡ଼େ ନାହିଁ । କିଏ କହନ୍ତା ଦିନ ଦୁଇଟା ବାଜିଛି, କିନ୍ତୁ ମନ ଉତ୍ସୁକରେ ତାଙ୍କୁ ଲାଗୁଛି ଏ ସକାଳ । ଆଗରେ ବାଉରିସାହି, ତା ଉତ୍ତାରୁ ତ ଫୁଲଶରା । ପବନରେ ଯେପରି କି ମଣିଷଙ୍କ କଥା ଭାସିଆସୁଛି, ଯେପରି କି କେଉଁମାନେ କେବେ କ’ଣ କହିଥିଲେ, ସେହି କଥା ଖେଳିଲାଗିଛି । ଖରା ଆଉ ପବନରେ ଯାହାର ଶୁଆପଖିଆ ନୂଆ ପତ୍ରଗୁଡ଼ିକ ଆଲୁଅ ଛିଞ୍ଚାଡ଼ି ଛିଞ୍ଚଡ଼ି ଝଟକୁଛି ସେହି ପ୍ରକାଣ୍ଡ ଓସ୍ତଗଛରେ ବି ମଣିଷଙ୍କର ହିଁ ସ୍ପର୍ଶ ଓ ସ୍ମୃତି ତଳେ କେତେ ଲୋକ ବସିଥିବେ, ଯାଇଥିବେ । ନଈବାଲି ନିଛାଟିଆ ପଡ଼ିଛି ସତ, ଖରା ତାଉ ସେଠି ନିଆଁଧାସ ପରି ନାଚୁଛି, କିନ୍ତୁ ସେହି ବାଲିରେ ଧାର ଧାର ହୋଇ ଅସଂଖ୍ୟ ପାଦଚିହ୍ନ ପଡ଼ିଥିବ । ଆଖିରେ ନ ଦିଶିଲେ ସୁଦ୍ଧା ସେମାନେ ଦିଶିଯାଉଛନ୍ତି, ଲୁଗାରେ ଲୁଗା ଗଁଠାହୋଇ ଫରଫର ଉଡ଼ୁଛି, ପତାକା ପରି ଧରି ଲେଉଟୁଛନ୍ତି ଦଳ-। ଏଇ ଯେଉଁ ଖାଁ ଖଁ ଦିଶୁଛି କଣ୍ଡିଆ ପଠା ସେଠି ନଇଁପଡ଼ି ସେମାନେ କାମରେ ଲୋଟୁଛନ୍ତି, ସୋରିଷ ଗୋଛା ହୋଇ ବଢ଼େ, ଫୁଲ ଉଡ଼ାଏ, ଚକା ଚକା ହୋଇ ଠିଆ ହୁଏ ବହଳ ଶାଗୁଆ ଧୂଆଁପତ୍ର ଗଛମାନ । ଟିକି ଟିକି ନଡ଼ାଛୁଆଣି କୁଡ଼ିଆଟିମାନ ବେଙ୍ଗ ବସିଲା ପରି ବସିପଡ଼େ, ଚାରିପାଖେ ଲାଉ କଖାରୁ ବାଇଗଣ ଲଙ୍କାମରିଚ ଗଛ ମିଶିଯାଇ ଗହଳି ଘେର ହୋଇଯାଏ ।

 

ଥକୁ ନାହିଁ ପାଦ, ସେ ଚାଲିଛନ୍ତି ।

 

ଏଡ଼େ ଖରାରେ କେହି ନ ଆସୁ ତାଙ୍କ ପାଖକୁ, ନିଜେ ସେ ସମସ୍ତିକ ପାଖରେ । ମା’ ପାଖେ ଶୋଇ ଶୋଇ ପିଲା କ୍ଷୀର ଖାଉଥିବ, ଘରଯାକ ଲୋକଙ୍କ ପାଇଁ ଖଟି ଖଟି ହାଲିଆ ହୋଇ କେଉଁ ଘରଣୀ ସପ ଉପରେ ଗଡ଼ି ପଡ଼ିଥିବ । ବହି ପଢ଼ୁ ପଢ଼ୁ, ଆଁ କରି କିଏ ବହି ଉପରେ ଗାଲରଖି ଘଙ୍ଗୁଡ଼ି ମାରୁଥିବ ।

 

ଯେମିତି ପଦ୍ମପୋଖରୀ ମହକେ, ବଉଳ ଫୁଲ ମହକେ ସେମିତି ମଣିଷ ଚେତନାର କିଛି ମହକ ଅଛି ସତେ କି, ସେ ଭାବିଲେ । ତେଣୁ ମଣିଷ ମଣିଷ ମହକ ନାକରେ ବାଜୁଛି । ଆଃ, ବାଉରୀସାହି । ବାଉରୀସାହି ଦାଣ୍ଡକୁ ସେ ଗଡ଼ିପଡ଼ିଲେ । କାହା ହାତୀଅନ୍ଧ ତଳେ ବଡ଼ ଖାସିଟାଏ ବନ୍ଧା ହୋଇଥିଲା, ତାଙ୍କୁ ଦେଖି ବୋବେଇ ଉଠିଲା । ସାନ ସାନ ଲଙ୍ଗଳା ପିଲାଗୁଡ଼ିଏ ତାଙ୍କୁ ଦେଖି ଧାଇଁ ପଳାଇଲେ ।

 

ଫୁଲଶରୀ ପାଖ ବାଉରୀସହି । ଦୋଦୋଚିହ୍ନା ଲାଗୁଛି । ଏ କ’ଣ ସେହି ବାଉରୀସାହି-? ତେବେ କାହିଁ ଗଲା ସେସବୁ, ଏ ବାଉରୀସାହିର ସେକାଳର ସନ୍ତକ ? ଖଣ୍ଡିଆଖାବୁଡ଼ା ପଲାଘର, କାନ୍ଥରୁ ଚାକଯାକେ ଖୁଞ୍ଚାମରା ହୋଇଥାଏ, ଝାଟି କି କିଆଘୋଡ଼ା କି ଛିଣ୍ଡା ତଲେଇ ଛିଣ୍ଡା ହେଁସ । ଦବିଯାଇଥିବା ଚାଳରେ କେଉଁ କଣାରେ ଛିଣ୍ଡା ଟୋକେଇଟାଏ ମାଡ଼ି ଦିଆ ହୋଇଥାଏ ତ ଆଉ କେଉଁ କଣାରେ ମଲା କଖାରୁ ଗଛର ଡଙ୍କ ଆପେ ଜାଲି କରିଥାଏ । ପଦାରେ ଘର ଚାରିପାଖେ ଅଳିଆକୁଢ଼, ସେଇଠି ଗଦାଏ ଗେଣ୍ଡା ଖୋଳପା ତ ସେଇ ପାଖରେ ଗୋବର, ଅସନା । ଓଳିରୁ ପୁଳା ପୁଳା ଛିଣ୍ଡା ମଇଳା କନା । ଫୁରୁଫୁରୁ ନୁଖୁରାମୁଣ୍ଡିଆ ମଣିଷ, ଜୀବିକା ପାଇଁ ପର ଘର ବାରି ଠିକଣା ରଖୁ ରଖୁ ନିଜପାଇଁ ବେଳ ମିଳେ ନାହିଁ, ପରର ଦୟାକୁ ଆଶ୍ରା କରି କରି ମୁହଁରେ ହାସ୍ୟଭାବ, ଉଦାସ ବିଷଣ୍ଣତା । ମୂଲିଆଣୀ ସ୍ତ୍ରୀଲୋକ, ହାତରେ ମୋଟା ଗିଲଟି ଖଡ଼ । ଅପୋଛା ଅପରିଷ୍କାର ଲଙ୍ଗଳା ଫୁଙ୍ଗୁଳା ପିଲା, ଫୁରୁଫୁରୁ ମୁଣ୍ଡରେ ଉକୁଣି ସାଲୁ ସାଲୁ ।

 

ସେ ଦୃଶ୍ୟ ବଦଳି ଯାଇଛି । ସବୁଠିଁ ଦଢ଼ କାନ୍ଥ, ସୁନା ପରି ଚିକ୍‍ଚିକ୍ ନୂଆ ଛୁଆଣି ଚାଳ-। ପିଣ୍ଡା ପହଣ୍ଡ ଚିକ୍‍କଣ ହୋଇ ଲିପା ହୋଇଛି, ପିଣ୍ଡାତଳ ଚଉରସ ହୋଇଛି, ଖଣ୍ଡିଆଖାବଡ଼ା ନାହିଁ-। କାନ୍ଥରେ ପଟି ପଟି ହୋଇ ଚିତା ପଡ଼ିଛି, ଧାନଗଛ, ମଣିଷ, ଚଢ଼େଇ, ଫୁଲ ଲଟାର ଛବି । ବାଟଘାଟ ସଫାସୁତୁରା, ଧାଡ଼ି ଧାଡ଼ି ଗଜା ନଡ଼ିଆଗଛ । ଦମ୍ଭ ବାଡ଼ର ଘେର ସେକରେ ବାରିବଗିଚା, ସୁସ୍ଥ ଗଛବୁରୁଛ । ଗୁହାଳ ଘର ପରିଷ୍କାର ପରିଚ୍ଛନ୍ନ, ସେଠି ଧାଡ଼ିହୋଇ ଗୋରୁବନ୍ଧା ଖୁଣ୍ଟି । କେଉଁଠି ହୃଷ୍ଟପୁଷ୍ଟ ବଳଦ ହଳ ହଳ ଛାଇ ତଳେ ବନ୍ଧା ହୋଇ ବିଶ୍ରାମ ନେଉଛନ୍ତି-

 

ମଝିରେ ଫରଚା ମେଲା ବଖରା, ସେଘରୁ ପୁରାଣ ବୋଲାହେବା ଶୁଭୁଛି । ଚାରିକରେ ଘଞ୍ଚ ହୋଇ କନିଅର ଗଛ ବଢ଼ିଛି, ଆବୋର କରିଛି, ଛାଇ କରିଛି । ଘରମାନଙ୍କୁ ଆଗରେ ଠାଏ ଠାଏ ଚାଳରେ ବନ୍ଧାହୋଇ ଯେଉଁ ଶାଢ଼ିସବୁ ଶୁଖୁଛି ସେଗୁଡ଼ିକ ରଙ୍ଗ ରଙ୍ଗର ଦେଶୀ ଶାଢ଼ୀ । ଠାଏ ଠାଏ ପିଣ୍ଡା ଉପରେ ଯେଉଁ ମଣିଷ ବସିଛନ୍ତି ସେମାନେ ପରିଷ୍କାର ପରିଚ୍ଛନ୍ନ, ସଫା ଲୁଗା ପିନ୍ଧିଛନ୍ତି, ପିଲାଏ ସଫାସୁତୁରା, ମୁଣ୍ଡ କୁଣ୍ଡେଇଛନ୍ତି, ସଫା ପିନ୍ଧିଛନ୍ତି । ଅଇଣ୍ଠାବାସନ ମାଜିବାକୁ ବାଉରାଣୀମାନେ ସାହି ସେମୁଣ୍ଡକୁ କୁଆଡ଼େ ଗଲେ, ମଝି ଦୁଆରେ ଧୋଇ ବସିଲେ ନାହିଁ । ବାଉରୀସାହିରେ ସାଧାରଣତଃ ଯେଉଁ ହାଉଯାଉ ଲାଗିଥାଏ, ଏଠି ତା’ର ଚିହ୍ନବର୍ଣ୍ଣ ନାହିଁ । ଓଲଟି ଲାଗୁଛି ଏଇଠି ଏ ଛାଇ ତଳେ ଶାନ୍ତି ବିରାଜୁଛି । ସବୁଥିରେ ସଂଯମ ଅଛି, ଶ୍ରୀ ଅଛି ।

 

ଆପେ ଓଟାରି ହେଲା ପରି ଚାଲିଲେ ସେ ମେଲା ବଖରାଆଡ଼କୁ । ଅଧାକାନ୍ଥି ବୁଲିଛି । ଦି’ଧାଡ଼ି ହୋଇ ତିରିଶଜଣଯାକେ ଚଟାଣରେ ବସିଛନ୍ତି । ମେଲା ସେ ମୁଣ୍ଡରେ ବଖରାଏ ସାନଘର ଅଛି, ସେହିଘରେ ପୁଳିଏ ପୋଥିର ଗାଦି, ସେଠି ଜଣେ ବୁଢ଼ା ଗୋଟିଏ ପୋଥି ପଢ଼ୁଛନ୍ତି । ମହାଭାରତ ଲାଗିଛି ।

 

ତାକୁ ଦେଖି ହଠାତ୍ ସେଠି ଚଞ୍ଚଳତା ଖେଳିଗଲା ।

 

‘‘ଆଜି କେଡ଼େ ଭାଗ୍ୟ !’’ ଆସନ୍ତୁ ବାବାଜୀ ମାହାପୁରୁ !’’

 

‘‘ଓଳିକି ଓଳିକି ବାବାଜୀ ମାହାପୁରୁ !’’

 

‘‘ଟିକିଏ ପିଢ଼ା ଉପରକୁ ପାଦ ବଢ଼ାଇବା ହଉ, ପାଦ ଧଉତ ହେବ’’

 

‘‘ଗଲୁ ଆମ ଘ’ଟୁ ବିଞ୍ଚଣାଟା ଘିତିଆସିବୁ ଝିଅଟି !’’

 

‘‘ଗୁଡ଼ପଣ ଆଣ୍‍ । ଦହି ଥିବ’’

 

ପାଦ ଧୁଆ ହେଲା, ସଉପ ପରା ହେଲା, ବାବାଜୀ ମାହାପୁରୁ ବସିଲେ, ବାଉରୀମାନେ ଘେରି ବସିଲେ । କୁଳବୃଦ୍ଧ ଅକୁର ବାଉରୀ ଠିଆହୋଇ ପଡ଼ିଲେ, ହାତଯୋଡ଼ି ନିଉନ ହୋଇ କହିଲେ–

 

‘‘ଗୋଟିଏ ଦୋଷ ମାଗିନଉଛୁ । ବାବାଙ୍କର ଆମର ଗଞ୍ଜେଇ ଟିକିଏ ଦରକାର ହେଉଥିବ, ଆମୁକୁ ସେତିକି କ୍ଷେମା କରିବାକୁ ଆମର ଦଇନୀ । ତିର୍ନାଥ ମେଳା ନାଁରେ ଆଗେ ଏ ସାଇରେ ଭାରି ଗଞ୍ଜେଇ ଧୂମ୍ ଉଡ଼ୁଥିଲା, ଯଉଁଦିନୁଁ ଆମ ଗାଁ ଯାକ ଏମିତି କୋଠ ହେଲା, ଆମେ ମଣ୍ଡଳସଭା ଡାକି ନିଷ୍ପତ୍ତି କଲୁ ଆଉ ଏ ଗାଁରେ ଗଞ୍ଜେଇ ନ ପଶୁ ।’’

 

ଆରତ ପଣ୍ଡା ମୁଗ୍‌ଧ ହେଲେ । କହିଲେ, ‘‘ନାଇଁ ବାବା, ମୁଁ ଗଞ୍ଜଇ ଟାଣେ ନାହିଁ । କହ, ସବୁ ଭଲ ତ ? ଖାଇବା ପିଇବା, ଦେହପା, ଚାଲିଚଳଣି–କେମିତି ଆଗପରି ନାଁ କିଛି ବଦଳିଛି ?’’

 

‘‘ହଁ ବଦଳିଛି ।’’ ଜଣ ଜଣ କରି ସେମାନେ କହିଗଲେ । ଆଗକଥା ଖାଲି ବଦଳି ନାହିଁ, ଦୁଃସ୍ୱପ୍ନ ପରି ଭୁଲି ହୋଇଯାଇଛି । ଆଗେତ ତାଙ୍କର ନିଜର ବୋଲି ଜମି ଗୋବେ ନ ଥିଲା, ଘରଡିହ ନ ଥିଲା, ଗଛରେ ଫଳ ହେଲେ ତାକୁ ନେଇଯାଉଥିଲେ ଜମିଦାରଘର । ତା’ପରେ ଆସିଲା କୋଠ ଅମଳ, ସେହି ଗାଁ ଭାଇମାନେ ତାଙ୍କୁ ଆସି ଜମିବାଡ଼ି ଦେଇଗଲେ, କାମରେ ମନ ଲାଗିଲା, ହାତରେ ବଳ ପଶିଲା । ତାଙ୍କର ବି ଏ ହେଲା କୋଠଗାଁ, ଗାଁଯାକ ଏକା ଘର ପରି ଲାଭରେ କ୍ଷତିରେ ସୁଖରେ ଦୁଃଖରେ ଏକାଠି ଗୁନ୍ଥାଗୁନ୍ଥି ।

 

‘‘ଆଗ କଥା ଆଉ କାହିଁକି ମାହାପୁରୁ, ବୋଝ ବୋହି ବୋହି କାନ୍ଧରେ ବିଣ୍ଡି ପଡ଼ିଥିଲା, ଗୋଡ଼ ବୁଢ଼ା ଆଙ୍ଗୁଠି ବଙ୍କାହୋଇ ଯାଇଥିଲା । ଆଗେ ତ ଆମେ ମଣିଷ ତଳେ ଗଣା ହେଉ ନ ଥିଲୁ । ଏବେ ଚେଷ୍ଟା କରୁଛୁଁ, ଚେତୁଛୁଁ । ପିଲାଏ ବି ଦି’ ଅକ୍ଷର ପଢ଼ିଛନ୍ତି ।’’

 

ସେହି ଦ୍ୱିପ୍ରହର ବେଳେ ମେଲା ଘରେ ବିଶ୍ରାମ ନେଇ ଆରତ ପଣ୍ଡା ବାଉରୀମାନଙ୍କଠାରୁ ସେହି ଅଞ୍ଚଳର ପରିବର୍ତ୍ତନର ଇତିହାସ ଠିକେ ଠିକେ ଶୁଣିଗଲେ । ଫୁଲଶରୀର କାହାଣୀ, ରବି, ଧୋବେଇ ମିଶ୍ର, ବିଶି ପାଣ, ବଇ ମଳିକ, ନନ୍ଦ ଅଜା, ରଘୁ ଜେନା, କୁରୁପା ବାଉରି, ପାଟେଳିଗାଁର ମହିଳାଦଳ, ସିନ୍ଧୁ ଚୌଧୁରୀ, କେତେ କେତେ କର୍ମୀଙ୍କ ନାଁ ଓ ପ୍ରଶଂସା, ବଢ଼ିର ଉତ୍ପାତ, ବଢ଼ିକାମ, ଆଖପାଖ ଗାଁରେ ନୂଆ ସଂଗଠନର ପ୍ରଭାବ, ନୂଆ ଆଶାରେ ନୂଆ ପ୍ରଚେଷ୍ଟା ଲାଗି ଅଣ୍ଟାଭିଡ଼ା, ନାନା କଥା ସେମାନଙ୍କଠୁଁ ସେ ଶୁଣିଲେ । ଯେତେ ଶୁଣିଲେ ସେତେ ଆଶ୍ଚର୍ଯ୍ୟ ହେଲେ, ସେତେ ଖୁସି ହେଲେ । ମଣିଷପଣିଆ ବଢ଼ାଇବାକୁ ମୂଳକରି ଏଠି ମଣିଷର ପାରିପାର୍ଶ୍ୱିକ ଅବସ୍ଥାର ଉନ୍ନତି କରାଯାଉଛି, ସେଥିପାଇଁ ବାହାରୁ ବାଧ୍ୟବାଧକତା ନାହିଁ, ଛାଏଁ ଛାଏଁ ଭିତରୁ ଯେଉଁ ଉଚ୍ଛ୍ୱାସ ବାହାରୁଛି ତାହାରି ବେଗରେ ଅସମ୍ଭବ ସମ୍ଭବ ହେଉଛି ।

 

ଛାଇ ଲେଉଟିଲା । ଫୁଲଶରା ଆଡ଼େ ଚାଲିଲେ । ଲାଗିଲା ଏ ତାଙ୍କର ତୀର୍ଥଯାତ୍ରା ।

 

ଦୂରରେ ଗହୀର ସେପାଖେ ଗହଳି ନଡ଼ିଆତୋଟା ତଳେ ସେ ଗାଆଁଟି । ସେକାଳେ ତା’ର ସେମିତି ନାଁ ନ ଥିଲା । ଆଜି ସେ ପ୍ରସିଦ୍ଧ । ଅକଳନ ସମୟ ଭିତରେ ଏ ଦୁନିଆଁରେ କେଉଁ ଗାଁରେ କେତେବେଳେ ମଶାଲ ଜଳିଉଠିଥିଲା, ଯୁଗ ଉତ୍ତାରୁ ଯୁଗ ବିତିଯାଇଛି, ମଶାଲ ଏଠୁ ନିଭି ସେଠି ଜଳିଛି, ଚାଲିଛି ।

 

ବୁଲା ଜୀବନରେ ବାଟେ ବାଟେ ସେ ଭାବିଛନ୍ତି-ଯେଉଁମାନଙ୍କ କଥା ଇତିହାସ କହେ ନାହିଁ ଖାଲି ସୂଚନା ଦିଏ, ଯେଉଁମାନେ ତାଙ୍କ ସମୟରେ ମଣିଷ ଜାତି ଆଗରେ ମଶାଲ ଟେକିଥିଲେ, ନିବିଡ଼ ଭାବେ ଏହି ମାଟି ଓ ସମୟ ସଙ୍ଗେ ଜଡ଼ିତ ହୋଇ ଝଟକୁଥିଲେ ତା’ପରେ ଆଉ ନାହାନ୍ତି, ତାଙ୍କର କ’ଣ କିଛି ରହିଲା ନାହିଁ ? ସେହି ଅଚିହ୍ନାମାନଙ୍କୁ ମନେପକାଇ ସେ ଆପଣା ବାଟରେ ନୀରବତା ନିଃସଙ୍ଗତା ଭାଙ୍ଗିଛନ୍ତି, ସତେ ଯେପରି ସେମାନଙ୍କ ଦେହ ହଜିଲେ ବି ଯେଉଁ ବ୍ୟକ୍ତିତ୍ୱର ରଙ୍ଗରେ ସେମାନେ ସମୟକୁ ରଙ୍ଗାଇ ପାରୁଥିଲେ, ଫାଙ୍କା ଶୂନ୍ୟ ଭିତରେ ସେ ରହିଯାଇଛି, ଦେଖିପାରିଲେ ଦେଖିହୁଅନ୍ତା । ସେମିତି ସେ ଭାବୁଥିଲେ ସେହି ଅକଳନ ସମୟର ଅଗଣତି ମଣିଷ-ଗୋଷ୍ଠୀ କଥା, କିଏ ବୁଦ୍ଧଦେବଙ୍କ ପ୍ରଭାବରେ ପ୍ରଭାବାନ୍ୱିତ, କିଏ ଆଉ କେଉଁ ମହାପୁରୁଷଙ୍କ ପ୍ରଭାବରେ, କିଏ କେତେ ଅଂଶରେ ସାଫଲ୍ୟ ପାଇଥିଲେ, ତା’ପରେ ସେ ବେଳ ସରିଯାଇଛି, ସେ ଗୋଷ୍ଠୀ ହଜିଯାଇଛି, କେଉଁଠି ସେହି ଏକଦା ଜନାକୀର୍ଣ୍ଣ ଗ୍ରାମ କି ଜନପଦ ଉପରେ ନଈଧାର ଚାଲିଛି, କେଉଁଠି ହୋଇଛି ଧାନକ୍ଷେତ । ସେ ଭାବୁଥିଲେ ରାଜନୈତିକ ସ୍ଵାଧୀନତା ଅତ୍ୟନ୍ତ ଆବଶ୍ୟକ, ଅର୍ଥନୈତିକ ସ୍ୱାଧୀନତା ବିନା ଗୋଷ୍ଠୀର ବିନାଶ ହିଁ ନିଶ୍ଚିତ; କିନ୍ତୁ ନୈତିକ ସ୍ୱାଧୀନତା ନ ହେବାଯାକେ ମଣିଷ ଜୀବନକୁ ଉପଭୋଗ କରିପାରିବ ନାହିଁ, ସୃଷ୍ଟି ସହିତ ସମନ୍ୱୟ ରଖିବାର ଆନନ୍ଦ ପାଇପାରିବ ନାହିଁ । ଅଟକି ରହି ଭାବିଲେ, ହୁଏତ ତା’ ବି ନୁହେଁ, ନୈତିକ ନୁହେଁ, ରାଜନୈତିକ ନୁହେଁ, ସବୁ ନୀତି ସବୁ ସଂଜ୍ଞା ଉପରେ ଅଛି ଜୀବନ, ତା’ର ଆରମ୍ଭ ନାହିଁ, ମଝି ନାହିଁ, ଶେଷ ନାହିଁ, ତାହାରି ଭିତରେ ନିଃଶବ୍ଦରେ ପତ୍ର ଝରିପଡ଼ୁଛି, ପତ୍ର କଢ଼ିଟି ନିଃଶବ୍ଦରେ ଗଜୁରି ଉଠୁଛି, ଫୁଲ ପାଖୁଡ଼ାଟି ଖୋଲିଯାଉଛି, ଅଲକ୍ଷ୍ୟରେ ପବନରେ କେଶର ଉଡ଼ିଯାଉଛି, ଆଉ କେଉଁଠି ଲାଗିଯାଇ ଆରମ୍ଭ ହେଉଛି ନୂଆ ସୃଷ୍ଟି । ଭାବି ଭାବି ଏଇଆକୁ କ’ଣ ମଣିଷଧର୍ମର ଭେକ ପିନ୍ଧାଇ ଠିଆ କରିଥିଲା ଉପଭୋଗ୍ୟ କରିବାକୁ ? କିଏ ଯଦି ଦେହସୁଖକୁ ଆଣି ଧର୍ମରେ ଛନ୍ଦିଥିଲା କିଏ ଆଣିଥିଲା ରୂପରସର ଉଲ୍ଲାସକୁ । ଏଇ କ’ଣ ସେ ଯୋଗସାଧନାର ହେତୁ, ଯେ ଯେଉଁ ଉପାୟରେ ହେଉ ପଛେ ଆପଣା ଚେତନାକୁ ଚାରିପାଖେ ପରିବ୍ୟାପ୍ତ ସୃଷ୍ଟି ସହିତ ଯୋଗ କରି ଜୀବନକୁ ଅନୁଭବ କରିବା ?

 

ନା, ଏ ମଧ୍ୟ ଚିତ୍ତର ହିଁ ଏକ ଅବସ୍ଥା, ସୀମିତ, ରୂପ-ଆବଦ୍ଧ, ପୂର୍ଣ୍ଣ ସତ୍ୟ ନୁହେଁ, ସତ୍ୟକୁ ଉପଲବ୍ଧି କରିବା ପାଇଁ ଅଧା ସତ୍ୟ ଅବସ୍ଥା, ସତ୍ୟ ବୋଧହୁଏ କେବଳ ଅନୁଭବ କରିହୁଏ, ବର୍ଣ୍ଣନା କରିହୁଏ ନାହିଁ ।

 

ଆରତ ପଣ୍ଡା ଗହୀର ମଝିରେ ଅଟକି ଠିଆ ହେଲେ, ଚାରିପାଖେ ଖାଲି ଖାଁ ଖାଁ କ୍ଷେତ, ଫାଟି ଆଁ କରିଛି ମାଟି, ମଝିରେ ଅରାଏ ଦଣ୍ଡା, ସେଠି ଅଳ୍ପ ଛାଡ଼ିଛାଡ଼ିକ ଗୋଟିଏ ଗୋଟିଏ ବଡ଼ ବଡ଼ ଉଇହୁଙ୍କା, ଯେପରି କି ହୁଙ୍କାର ସଭା, ଧ୍ୟାନସ୍ଥ ହୋଇ ଅତୀତର କେତେ ଯୋଗୀ ବସିଛନ୍ତି । ମଝିରେ ଗୋଟିଏ କଣ୍ଟାବବୁରି ଗଛ, ଗୋଲ ହୋଇ ରହିଛି ପରିପୂର୍ଣ୍ଣ ଡାଳପତ୍ରରେ, କମଳା ବର୍ଣ୍ଣର ସୂର୍ଯ୍ୟାସ୍ତରେ ରଙ୍ଗ ଲୁଗା ପିନ୍ଧିଛି, ଠାଣି ଦେଖାଇ ତରୁଣୀ ହୋଇ ରୂପର ସମ୍ଭାର ଖେଳାଇ ସେ ଠିଆ ହୋଇ ରହିଛି ସେହି ଯୋଗୀ ଋଷିଙ୍କ ମେଳରେ । ସାମ୍ନରେ ସୂର୍ଯ୍ୟ ଅସ୍ତ ଯାଉଛି, ଉପର ଅଧକ ମେଘରେ ବୁଡ଼ିଛି, ଗୋଟାଏ ପ୍ରକାଣ୍ଡ ନାଲି ଗୋଲାର୍ଦ୍ଧ ଦବି ଦବି ଯାଉଛି, ଆକାଶରେ ଅପରୂପ ବର୍ଣ୍ଣଛଟା । ଫାଙ୍କା ଗହୀର ଉପରେ ନାନାବର୍ଣ୍ଣ ଢାଳିହୋଇ ପଡ଼ୁଛି । ଉଡ଼ି ଉଡ଼ି ଚାଲିଛନ୍ତି ପଲ ପଲ ଚଢ଼େଇ, କ୍ଷଣେ ଦିଶିଯାଉଛନ୍ତି, ଆର କ୍ଷଣକୁ ନାହିଁ । ଦିଗ୍‌ବଳୟରେ ତେଟାଗହଳି ଗାଁମାନଙ୍କୁ ଗାର ବାରି ହେଉଛି । ତା’ ଉପରକୁ ରଙ୍ଗ ରଙ୍ଗର ଖଣ୍ଡ ବଉଦ । ଉପୁରର ଢାଙ୍କୁଣି ଖୋଲିଗଲା । ଗୋଟା ସୁଦ୍ଧା ସୂର୍ଯ୍ୟ ଦିଶୁଛନ୍ତି, ସିଧା ଚାହୁଛନ୍ତି ତାଙ୍କୁ ହିଁ, ସାରା ଅନ୍ତର ଥରେଇ ଥରେଇ ଭେଦି ଯାଉଛି ଗୋଟିଏ ବ୍ୟକ୍ତିତ୍ୱର ସ୍ପର୍ଶ, ଭାବି ହେଉ ନାହିଁ ।

 

ଦୂରରୁ ଧୂଳି ଉଡ଼ୁଛି ଦିଶୁଛି, ଯେପରି ଗୋଟିଏ ଧୂଳିର ବଉଦ ଫାଙ୍କା ଖୋଲା କ୍ଷେତର ବିସ୍ତୃତି ଉପରେ ମାଣ୍ଟେଇ ରହିଛି ଦିଶୁଛି, ପ୍ରକାଣ୍ଡ ଅରାଏ ଆବୋରି ରହିଛି, ଅସ୍ତ ଯାଉଥିବା ସୂର୍ଯ୍ୟର କିରଣରେ କମଳା ବର୍ଣ୍ଣ, ସୁନେଲି ଓ ନାଲି ବର୍ଣ୍ଣରେ ଜୁଡ଼ୁବୁଡ଼ୁ ହୋଇ ଧୂଳିପଟଳ ଦିଶୁଛି ମାୟାକୁହୁଡ଼ି ପରି । ପାଖକୁ ଆସୁ ଆସୁ ଦିଶୁଛି, ସେହି ମାୟା କୁହୁଡ଼ିରେ ମାୟାରୂପ ପାଇ ଠିଆ ହୋଇ ରହିଛନ୍ତି ଗୋଟାଏ ଯୋଡ଼ାଏ ହୋଇ ତାଳଗଛ, ଖଜୁରିଗଛ, କେଉଁଠି ଠାଏ ଠାଏ ଗୋଟାଏ ଗୋଟାଏ ବଡ଼ ବଡ଼ ଝଙ୍କା ଆଉ କେଉଁ ଗଛ, ରଙ୍ଗଣୀ ଧୂଳି ମେଘର ଢେଉ ଆସ୍ତେ ଆସ୍ତେ ଓଲଟ ପାଲଟ ହେଉଛି ଶୂନ୍ୟେ ଶୂନ୍ୟେ । ତା’ ଉପରେ ନାନା ବର୍ଣ୍ଣରେ ଛକି ଛକି ଗାର ଗାର ନାନା ଭାବର ଛବି ଟଙ୍ଗା ହୋଇ ଅସରନ୍ତି ଅକଳନ ଆକାଶ ।

 

ଆରତ ପଣ୍ଡା ସେହି ଦୃଶ୍ୟକୁ ଚାହୁଁ ଚାହୁଁ ଆଶ୍ଚର୍ଯ୍ୟ ହେଲେ । କାହିଁକି ଏଠି ଏତେ ଧୂଳି ଉଡ଼ୁଛି ? ଗୋରୁ ବାହୁଡ଼ାଣି ଧୂଳି ଏ ନୁହେଁ, ସେ ତ ଦିଗ୍‌ବଳୟ ଆଗରେ ସରୁ ଧାଡ଼ିରେ ଟାଙ୍ଗି ହୋଇ ରହିଥାଏ ।

 

ଶାନ୍ତିରେ ମାଟିରେ ମିଶି ଶୋଇଥିଲା ଗୁଣ୍ଡା ଗୁଣ୍ଡା ଅତୀତ, ଯୁଗ ଯୁଗର ଅତୀତ, ନୂଆ ବର୍ଣ୍ଣରେ ନୂଆ ପ୍ରକାଶ ବାଗରେ ମନଲୋଭା ମାୟା ରୂପ ହୋଇ ସେ ଦିଗ ଆବୋରିଛି, ଚାଲୁ ଚାଲୁ ଆରତ ପଣ୍ଡା ସତେ ଅବା ଧ୍ୟାନସ୍ଥ ହୋଇ ପଡ଼ିଲେ ।

 

କଳ୍ପନାରେ ଭାସି ଚାଲିଗଲେ । ଏମିତି ଅତୀତରେ କେତେ ମାଡ଼ି ଆସିଥିଲେ ଧାଡ଼ି ଧାପ ଚଳାଇ ରାଜ୍ୟବିଜେତା ଆକ୍ରମଣକାରୀ ଦଳ ।

 

କଳିଙ୍ଗର ଛାତି ଉପରେ ମଗଧର ରାଜା ଅଶୋକଙ୍କର ମାରଣା ଥାଟ ? ପୋଡ଼ ଜାଳ୍ ହାଣ୍ ମାର୍ ଭସ୍ମ କର୍ ଧ୍ୱଂସ କର୍ ଏଇଆ ?

 

କି ଅବା କଳାପାହାଡ଼ର ମୁସଲମାନ୍ ସୈନ୍ୟ ?

 

ଯୁଗକୁ ଯୁଗ ଆଉ କିଏ ?

 

ନ ହେଲେ ପ୍ରେମ ଆନନ୍ଦର ମହାଭାବରେ ପାଗଳ ଚୈତନ୍ୟ ଆଉ ପ୍ରତାପରୁଦ୍ରଙ୍କ ସମେତ ବିରାଟ ଜନଗୋଷ୍ଠୀ ?

 

କି ଅବା ଏ ସେହି, ମହାତ୍ମା ଗାନ୍ଧୀଙ୍କ ସଙ୍ଗେ ସଙ୍ଗେ ଏ ଦେଶର ଜନସମୁଦ୍ର-ଭାରତ ଜନନୀର ବନ୍ଦନା ଗାଇ ଗାଇ ସ୍ୱାଧୀନତାର ଦାବୀ ଟେକି ଛାତିରେ ଛାତି ମିଶାଇଦେଇ ମାଡ଼ି ଆସୁଛନ୍ତି ଏକାଠି-ଜଣ ଜଣ ନୁହନ୍ତି, ଖଣ୍ଡ ଖଣ୍ଡ ନୁହନ୍ତି-ଏକ ଉଦ୍‌ବୁଦ୍ଧ ଭାରତ !

 

ପ୍ରାଚୀନ ଭୂଇଁର ଏଇ କାଉଁରୀ ଧୂଳି ଉହାଡ଼ରେ ଛପିରହେ ଧ୍ୱଂସ କି ନୂଆ ସୃଷ୍ଟି, ଥାଏ ମୃତ୍ୟୁର ପଟୁଆର କି ଜୀବନର, ଏ ସତେ କି ସେହି ଯୁଗ ଯୁଗର ଭାସିଲା ଛାଇ, ତା’ର କ୍ରାନ୍ତିକାରୀ ବର୍ଣ୍ଣ ବିହ୍ୱଳ କରେ; ଅଙ୍ଗେ ନ ନିଭେଇବାଯାକେ ତାତ୍ପର୍ଯ୍ୟ ବାରି ହୁଏ ନାହିଁ, ଦୂରରୁ ମାଡ଼ି ଆସିଲା ଲହଡ଼ୀ ମାଳ ମାଳ ପରି, ପଛକୁ ପଛ ଧାଡ଼ିକି ଧାଡ଼ି, ସେ ଟେକିବ କି କଚାଡ଼ିବ ଗଡ଼େଇବ ।

 

ଚାଲିଛି ପାଦ ଯୋଡ଼ିକ, ଆଗକୁ ଆଗକୁ, ଆଉ ସେହି ବାଡ଼ିର ଅଗ, କେତେ ଦେଶ ବୁଲି, କେତେ ଦିନ କେତେ ରାତି କେତେ ଋତୁ ଖରା କାକର ଭେଦି ଚାଲି ଚାଲି ଆସୁଛନ୍ତି ସତେ କି ସନ୍ଥ ଜାହାନିଆଁ ପୀର, ମକ୍‌କା ମଦିନାରୁ ବାହାରି ଏ ପୃଥ୍ୱୀର ବିରାଟ ଖଣ୍ଡେ ବୁଲି ସାରି ଶେଷରେ ଆଗରେ ହେଇ ସେ ପବିତ୍ର ତୀର୍ଥ, ପ୍ରାଚୀ ଚନ୍ଦ୍ରଭାଗାର ପୁଣ୍ୟ ଗୋଳି ହୋଇ ଚିତ୍ରୋତ୍ପଳା ମିଶି ଯାଇଛନ୍ତି ସମୁଦ୍ରରେ । ଆଗରେ ସତେ ତ ଏହି, ନାନା ବର୍ଣ୍ଣ ଆଉଟାଥାଉଟି ହୋଇ ସୂର୍ଯ୍ୟାସ୍ତ ବେଳର ସେହି ମାୟାସମୁଦ୍ର । ଏଥର ସେହି ବିଖ୍ୟାତ ବାଲିବନ୍ତ ତା ଉପରେ ବାଡ଼ି ପୋତିଦେଇ ଠିଆହୋଇ ଚାହିଁଛନ୍ତି ସନ୍ଥ ମୁକଦ୍ଦମ୍ ଜାହାନିଆଁ, ଏଇ କ’ଣ ଯାତ୍ରାର ଶେଷ-କାହିଁ ମିଶର ଆରବ ମଙ୍ଗୋଲିଆ ତିବ୍ବତ ଆଉ ଉତ୍ତରରୁ ଦକ୍ଷିଣକୁ ଭାରତ ବୁଲିସାରି ଦକ୍ଷିଣରୁ ଉତ୍ତରକୁ ଉଠୁ ଉଠୁ ଶେଷରେ ଏଇ ବାଲିକୁଦରେ ସନ୍ଧ୍ୟା, ଆଉ ଅନ୍ତରରେ ସ୍ନେହ ପୁଲକରେ ଜଳୁଛି ସୁଗନ୍ଧର ଅନିଭା ବତୀ, ତା’ର ମହକ ଖେଳାଇ ହୋଇ ପଡ଼ୁଛି ବାରବୁଲା ପବନରେ । ମୁହଁରେ ସେହି ସ୍ନେହ-ଶୀତଳ ପ୍ରଶାନ୍ତ ଅପୂର୍ବ ଠାଣି, ଆଖିରେ ସେହି ଅଭୁଲା ଚାହାଣି ଯହିଁରୁ ବାରିହୁଏ ସବୁ ଉଜାଡ଼ିଦେଇ ସବୁ ଏ ପାଇଛନ୍ତି, ଆଉ ଓଠର ବାଙ୍କରେ ସେହି ବିଜୁଳିରେଖା, ପ୍ରଶାନ୍ତ ଅନାବିଳ ଆନନ୍ଦ ଓ ବିଶ୍ୱାସର, ଯେ କହେ–

 

ମଣିଷକୁ ମୁଁ ଦେଖିଛି ସୁଖରେ ଦୁଃଖରେ, ପାହାଡ଼ରେ ମରୁଭୂମିରେ ଆଉ ଶାଗୁଆ କ୍ଷେତରେ, ତା’ର ବର୍ଣ୍ଣ ଭିନେ ଭିନେ ଦିଶେ, କିନ୍ତୁ ତା’ର ଅନ୍ତରରେ ସେହି ଏକ ଜ୍ୟୋତି, ଏକ ଆଉ ଅଖଣ୍ଡ ଏ ମଣିଷ ଜାତି, ଏକ ଈଶ୍ଵରଙ୍କ ସନ୍ତାନ, ଶାନ୍ତି ଓ ଆନନ୍ଦ ତା’ର ଜନ୍ମଗତ ଅଧିକାର, ସ୍ନେହ ଆଉ ଭାଇପଣ ।

 

ଆରତ ପଣ୍ଡା । ସେହି ବାଲିବନ୍ତ ଉପରୁ ତଳକୁ ସାମ୍ନାକୁ ଅନାଇଲେ । ଏ ବାଲିରେ ଧାଡ଼ି ଧାଡ଼ି ହୋଇ ଲଙ୍କାଆମ୍ୱ ଗଛ ଆଣ୍ଠୁଏ ଆଣ୍ଠୁଏ ଆସିଲାଣି । ସାମ୍ନାରେ ଲମ୍ୱିଛି ଭୂଇଁ । ସେହି ଭୂଇଁ ଉପରେ ଠାଆ ଠାଆ ହୋଇ ଦୁଇ ଶହ ତିନି ଶହ ଲୋକ ଖେଳାଇ ହୋଇ ପଡ଼ି ମାଟି ହାଣୁଛଛି । ପ୍ରକାଣ୍ତ ଅରାଏ ମାଡ଼ି ଗୋଟିଏ ସୁନ୍ଦର କ୍ଷେତ ଆଖି ଆଗରେ ତିଆରି ହୋଇ ଉପରକୁ ଉଠୁଛି । ଖଣ୍ଡେ ଦୂରରେ ତା ପଛକୁ ଦିଶୁଛି ତୋଟା ଗହଳି ଗାଁ ।

 

ଏଇ ତେବେ ଫୁଲଶରା ! ଚାଉଁକିନା ଆରତ ପଣ୍ଡାଙ୍କ ମନରେ ଧାରଣା ଖେଳିଗଲା । ପୁଲକ ଆନନ୍ଦରେ ସେ ଅନାଇଁ ରହିଲେ । ମାଟି ନୁହେଁ, ଜଡ଼ତା ଓ ଅନ୍ଧାର ଉହାଡ଼ରୁ ଉଖାରି ଉଖାରି ମଣିଷ ଏଠି ଏକାଠି କରୁଛନ୍ତି ଶାନ୍ତି, ଆନନ୍ଦ, ଏଠି ଜୀବନ ଝଲସୁଛି ।

 

ଅତୀତରେ ହଜି ଯାଇଥାଉ ପାଟେଳିଗାଁରେ ତାଙ୍କ ଘର । ଫୁଲଶରାରେ ଆହୁରି ବଡ଼ ଘର, ଆଉ ଏଇ ତ ତାଙ୍କ ପିଲାମାନେ, କାନ୍ଧକୁ କାନ୍ଧ ।

 

କାମ ସରି ଆସୁଥିଲା । କାମ ସନ୍ଧିରେ ସେମାନେ ବି କୁତୂହଳରେ ତାଙ୍କୁ ଦେଖୁଥିଲେ, ନିଛାଟିଆ ବାଲିବନ୍ତ ଉପରେ ଗୋଟାଳିଆ ସଳଖ ବିଚିତ୍ର ମୂର୍ତ୍ତିଟିକି । ଆଉ ଅଳ୍ପ ସମୟ ପରେ ତ, କାମ ସରିଗଲା, ସେମାନେ ତାଙ୍କ ପାଖକୁ ଆସିଲେ । ଚାହୁଁ ଚାହୁଁ ଚିହ୍ନାଚିହ୍ନି ହେଲା । ତା’ପରେ ଉଠିଲା ହର୍ଷରୋଳ ।

 

ଏ ଅଞ୍ଚଳକୁ ଆରତ ପଣ୍ଡା ଲେଉଟି ଆସିଛନ୍ତି । ପାଟେଳିଗାଁ ନ ଯାଇ ଫୁଲଶରା ଆସିଛନ୍ତି ଆଜି ପରା ଦିନରେ, କେମିତି ସେ ଜାଣିପାରିଲେ ! କିଏ ତାଙ୍କୁ ଓଟାରି ଆଣିଲା ! ଦୁଇବର୍ଷ ତଳେ ଆଜି ଦିନରେ ଆରମ୍ଭ ହୋଇଥିଲା ଏଠି ଏ ନୂଆ ଚଳଣି, ଆଜି ତା’ର ବର୍ଷିକିଆ ।

 

‘‘ମୁଁ ରବି ।’’ ‘‘ମୁଁ ଧୋବେଇ ।’’ ‘‘ମୁଁ ବଇ ।’’ ବିହ୍ୱଳ ଲାଗୁଥାଏ । ଗୋଟିକି ଗୋଟି କେତେ ପରିଚୟ । କେତେ ଗାଁର ଲୋକ ଏକାଠି ଏଠି ଠୁଳ । ନା, କେହି ଭିନେ ନୁହେଁ, ଆରତ ପଣ୍ଡା ଭାବୁଥାନ୍ତି, ଏମାନେ ପ୍ରତ୍ୟେକେ ଆଉ ସମସ୍ତେ ମୋର ଅତୀତର ସ୍ୱପ୍ନ, ଅତୀତ ଝଡ଼ି ପଡ଼ି ନାହିଁ, ସାଇତା ହୋଇ ରହିଛି, କିନ୍ତୁ ସେତେବେଳେ ସେ ଥିଲା ବିଚାରରେ ଆଉ କଳ୍ପନାରେ, ସେ ରୂପ ଘେନିଛି, ଏହି ଏତେ ଘଟରେ, ମୁହଁରେ ଆଖିରେ, ଏଇ ତ ତା’ର ପ୍ରକାଶ । ଚାରିଆଡ଼େ ସତେ କି ସମୁଦ୍ରର ଅଗଣନ ପୁଲକିତ କିଶୋର ଢେଉମାନେ ତାଙ୍କ ଚାରିପାଖେ ଖେଳି ବୁଲୁଛନ୍ତି । ଜାହାନିଆଁ ପୀର ସେ ସମୁଦ୍ରରେ ଲୀନ ହୋଇଗଲେ ।

 

ଲହଡ଼ୀ ମାଡ଼ି ଚାଲିଛି । ଏଥର ଛାଇ ଲମ୍ୱିଛି । ଏକାଠି ଏତେ ଛାଇ ପାଖକୁ ପାଖ ଗୋଳିଆ ମିଶା, ଆଉ ଏତେ ଯେଉଁ ମଣିଷ ରୂପ ସବୁ ସତେ କି ଛାଇରେ ତିଆରି । ସଞ୍ଜ ପାଖ ହେଲାଣି । ଛାଇ ଫେରୁଛି ଛାଇ ଭିତରକୁ, ବାଉଁଶ ବଣ, ତୋଟା ଗହଳି, ଘରର ଚାଳ ସବୁ ସେହି ଛାୟା ରୂପ ।

 

ରବି ଶୋଇଥିଲା, ହଠାତ୍ ନିଦରୁ ଉଠିପଡ଼ିଲା । ସମସ୍ତେ ଶୋଇଛନ୍ତି । ପଦାରେ ଗଛ ତଳେ ଶୋଇ ରହିଛନ୍ତି ଆରତ ପଣ୍ଡା । ଯେତେ କହିଲେ ଘରେ ଶୋଇଲେ ନାହିଁ, ତାଙ୍କର ଜଙ୍ଗଲଘେରା ମୁହଁ ଉପରେ ଜହ୍ନ ଆଲୁଅ ଆଉଜିଛି । ନିରେଖି ଦେଖୁଛି ଶାନ୍ତିରେ ଭାଙ୍ଗି ପଡ଼ିଯାଇଥିବା ତ୍ୟାଗ ତପସ୍ୟା ଖିନ୍ନ ଅଖଳା ମୁହଁର ଶୋଇଲା ଠାଣିକୁ । ଟିକିଏ ଚାହିଁଦେଇ ରବି ଅଟକି ରହିଲା । ତାଙ୍କ ବିଷୟରେ ସେ ବହୁତ ଶୁଣିଛି । ପାଟେଳିଗାଁର ଆରତ ପଣ୍ଡାଙ୍କ ନାଁ ଏ ଖଣ୍ଡମଣ୍ଡଳର ଲୋକଙ୍କ ସ୍ମରଣରେ ଅଭୁଲା ଇତିହାସ ଅଥଚ ଭୁଲି ହୋଇ ସେ ଅଭୁଲା ହୋଇଛନ୍ତି । ଲୋକେ ସତେ କି ଭାବନ୍ତି ଏଡ଼େ ବଡ଼ ବ୍ୟକ୍ତିତ୍ୱର ତେଜରେ ସ୍ୱାଧୀନତା ଆନ୍ଦୋଳନ ପର୍ଯ୍ୟାୟରେ ଯେ ସେତେବେଳେ ଗାଁ ଗାଁକେ ଏତେ ଉତ୍ତେଜନା ଖେଳାଇ ଦେଇଥିଲେ, ଉନ୍ମାଦନା ଆଣିଥିଲେ, ସେ ଆଉ ନାହାନ୍ତି । ସତେ ତ, ନାହା ମଙ୍ଗ ମୋଡ଼ିଦେଇ ଯେମିତି କି ବାଙ୍କ ବୁଲିଯାଇଛି । ସେତେବେଳର ସେଭଳି ଯେଉଁମାନେ ନ ମରି ରହିଗଲେ, ଅନେକେ ତହିଁରୁ ସତେ ଯେମିତି ଜୀଅନ୍ତା ଶହୀଦ, ବଞ୍ଚିଥିଲେ ବି ସେମାନଙ୍କର ବର୍ତ୍ତମାନର ସ୍ଥିତି ମଣିଷଙ୍କ ସ୍ମୃତି ଭିତରୁ ଲୋପ ହୋଇଯାଇଛି । ପଟୁଆରରେ ନାହାନ୍ତି ସେମାନେ, ନାହାନ୍ତି ଗାଦି କି ଗଦିରେ । ଇହ ଜୀବନରେ ଥିଲେ ବି କିଏ ନୀରବରେ ବାବାଜି ବଇଷମ ପରି ଜୀବନ ବିତାଇ ଚାଲିଛି, କିଏ ରୁଗ୍‌ଣ କି ସୁକୁସୁକୁ, କାହାଠୁଁ ସତେ କି କଳା ହରଣ ହୋଇଯାଇଛି । ଅବତାର ଓହ୍ଲେଇଯାଇ ସେ ଖାଲି ସଂସାରୀ ବୃଦ୍ଧିରେ ସଂସାରୀ ବୃତ୍ତି ଅନୁସରି ସାଧାରଣ ପ୍ରାଣୀ, ଦୟାର ପାତ୍ର । ଜୀବନର ବୋଝ ସମସ୍ତେ ବୁହନ୍ତି, ଯାହାର ଯେତେ ବାଟ । କିନ୍ତୁ ଜୀବନରେ ଉଲ୍ଲାସ ସମସ୍ତିଙ୍କୁ ମିଳେ ନାହିଁ, କାହାକୁ ମିଳେ କେତେ କ୍ଷଣ, କେତେ ଦିନ ।

 

ଦୀର୍ଘଶ୍ୱାସ ପକାଇ ରବି ଗାଁ ମଝିଆଡ଼କୁ ଚାହିଁଲା । ଗଛର ଅଗ ଜିକିଜିକି କରି ଭୂଇଁ ତଳେ ଛାପିଛାପିକା ଝୋଟି ପକାଇ ଅନ୍ଧାରର ଅନ୍ଧିସନ୍ଧିରେ ଆଲୁଅ ଉଛୁଳାଇ ଜହ୍ନ ପଡ଼ିଛି । ଗାଁ ଶୋଇ ରହିଛି । କେତେବେଳେ ବିଲୁଆ ଦେଖି ପକାଇ ନିଦବାଉଳାରେ ବିଳିବିଳେଇଲା ପରି କୁକୁର ଭୁକୁଛନ୍ତି । ବାଦୁଡ଼ିଙ୍କ ପକ୍ଷୀ ଫଡ଼ ଫଡ଼ ଶୁଭିଯାଉଛି । ରବି ଆପଣା ଭିତରେ ଗୋଟାଏ ଉତ୍ତେଜନା ଅନୁଭବ କରୁଛି । କିଏ ତାକୁ ଖୋଜୁଛି, କିଏ ତା’ ପାଇଁ ଝୁରୁଛି । ମନେ ପଡ଼ିଗଲା–ବୋଉ । ବାପା । ଦୁହିଁଙ୍କର ଦୁଇ ପ୍ରକାର ସ୍ନେହ, ଜଣକର ପୂର୍ଣ୍ଣ ଆତ୍ମସମର୍ପଣରେ, ଆର ଜଣକର ବିରୋଧରେ । ଉଭୟ ଥଳରେ ସ୍ନେହ ହିଁ, ଗଭୀର ସ୍ନେହ ।

 

ବାପା ବୋଉ, ଚିରନ୍ତନ ସ୍ନେହର ବନ୍ଧନ ଯାଚୁଥିବା ହାତ ଦି’ଯୋଡ଼ା, ଚିରକାଳ ଆପଣାଠିଁ ତାକୁ ମାଡ଼ି ରଖିବାକୁ ଖୋଜେ ସେ ହାତ, ଶିଥିକ ହୋଇ ଭୂଇଁରେ ଭରାଦେଇ ପଡ଼ି ରହିଥିବ ।

 

ସେମାନେ ଖୋଜୁଥିଲେ ତାହାରି ସୁଖ ପାଇଁ, ହିତ ପାଇଁ ତାକୁ ବିଭା ଦେଇ ସଂସାରୀ କରି ରଖିବାକୁ ।

 

ଗାଲରେ ହାତ ଦେଇ ଦୂରର ଜହ୍ନ ଆଲୁଅର ଗୋଳିଆ ସମୁଦ୍ରଆଡ଼କୁ ଚାହିଁ ରହୁ ରହୁ ସେ ଆପଣ ପାଖେ ଆପେ ଧରାଦେଲା । ବଡ଼ ବଡ଼ ଦୀର୍ଘଶ୍ୱାସରେ ଛାତି ଉଠିଲା ପଡ଼ିଲା । ସ୍ପଷ୍ଟ ବୁଝି ପାରିଲା, ଯାହାପାଇଁ ସେ ନିଦରୁ ଓଟରା ହୋଇ ଉତ୍ତେଜନାରେ ଝାଙ୍କି ହୋଇ ପଦାକୁ ଉଠି ଆସିଛି, ସେ ବାପା ବୋଉ ନୁହନ୍ତି, ସେ ଛବି । ଶୋଷିଲା ଚାହାଣିରେ ଦୂରକୁ ଅନାଇଁ ସେ ଛବିକୁ ଦେଖୁଥିଲା, ତା’ର ସେହି ଢେଉରେ ଆସ୍ତେ ଦୋହଲି ଦୋହଲି ଭାସିଗଲା ପରି ଚାଲି, ତା’ର ସେ ନିରୀହ ଆଖି ଯୋଡ଼ିକ, ଆପଣାଠିଁ ବିଭୋର ହେଲାପରି ସେ ଚାହାଣି, ଯେ ହଠାତ୍ ଛଳଛଳେଇ ଉଠେ କୌତୁକରେ ହସରେ, ନ ହେଲେ ଯେଉଁଠି ହଠାତ୍ ତେଜି ଉଠେ ଥମ୍ୱିଲା ତୋଫାନି ଆକାଶରେ ବିଜୁଳି, ସେତେବେଳେ ତା’ର ସ୍ଥୂଳ ରୂପ ତରଳିଯାଇ ସେ ହୁଏ ଗୋଟିଏ ମହାଭାବ ।

 

ଯୋଗୀସାହି, ପାଣସାହି ମଝିରେ ପାଟେଳିଗାଁ କୋଠରେ ସଞ୍ଜବୁଡ଼େ ସେଦିନ ଉତ୍ସବ ହେଉଥାଏ । ନିଜେ ରବି ସିନ୍ଧୁ ଚୌଧୁରୀଙ୍କ ଘରକୁ ଯାଇଥିଲା ତାଙ୍କୁ ଓ ଛବିକୁ କହି ଆସିବାକୁ । ତା’ର ସେ ଯେଉଁ ଉତ୍ସାହ, ଛାତି ଭିତରେ ସେହି ଯେଉଁ ଆନନ୍ଦର ପୁଲକ–ପୁଣି ସେ ଧକ୍ ଧକ୍ ହେଲା । ଛବି ପ୍ରତି ତା’ର ଏତେଦିନର ସଞ୍ଚିତ ଆବେଗ ପୁଣି ଆପଣା ଭିତରୁ ବାହାରି ତା’ର ଆଖିରେ ମାୟା ଅଞ୍ଜନ ବୋଳିଦେଲା । ସେହି ମୋହରେ ପୁଣି ସେ କଳ୍ପନାରେ ଦେଖିଲା ସେହି ଦୃଶ୍ୟକୁ, ତା ପଛର ପଛର କେତେ ଦୃଶ୍ୟକୁ, ଯେପରି ଆହୁରି ଆହୁରି ସେ ତା ଆଖି ଆଗରେ ଅଭିନୀତ ହୋଇଯାଉଛି ।

 

ଆଉ ଏ ଛିନ୍‌ଛାନ୍ ରାତିରେ, ଯେତେବେଳେ ସେ ତା’ର ମରମ ଭାବରେ ପୁଚୁ ପୁଚୁ, ଲାଗୁଛି ତା’ର ଜୀବନର ଆର ଫାଳକ ରହିଛି ସେପାଖେ, ଏକାଠି ନ ହେଲେ ଏ ଜୀବନର ସାର୍ଥକତା କେଉଁଠି ? ଧାତୁ ପାରାର ଗୋଟିଏ ସାନ ବଟିକା ଆଉ ଗୋଟିଏ ସାନ ବଟିକା ସହ ଏକ ହୋଇଯିବା ଆଗରୁ ବୋଧହୁଏ ଏମିତି ଲାଗିଥାଏ ତହିଁରେ କ’ଣ ପ୍ରବଣତା’ର ଆଲୋଡ଼ନ, ଆପଣା ମନକୁ ଅଧା ନିଦରେ ଅଣ୍ଡାଳିଲା ପରି ହୋଇ କ୍ଷଣକେ ସେ ଭାବିହେଲା । ଆଉ ଭାବିଲା ଏ କ’ଣ ତା’ର ବିଶିଷ୍ଟ ଦୁର୍ବଳତା, ନା ସୁସ୍ଥ ମଣିଷ ବ୍ୟକ୍ତିତ୍ୱର ଏ ଅତି ସାଧାରଣ ପ୍ରବୃତ୍ତି, ପାପ ନୁହେଁ, ପୁଣ୍ୟ ନୁହେଁ, କେବଳ ଦୈବ ଇଙ୍ଗିତ–ଏକାଠି ହୁଅ ଯୁବକ ଯୁବତୀ, ପ୍ରକୃତିର ଜୀବନଲୀଳାକୁ ପୂର୍ଣ୍ଣ କର, ସୃଷ୍ଟିକୁ ଚିର ଶ୍ୟାମଳ କର, ସତେଜ କର ।

 

ଆପଣା ସଙ୍ଗେ ଲଢ଼ି ଇଢ଼ି ସେ ପୁଣି ହାତ ଉଠାଇ ନେଇଛି ନିଃସହାୟ ଭାବରେ, ସୁଅ ସୋଡ଼ରେ ଭାସି ଚାଲିଯାଉଛି । କ୍ଷତି କ’ଣ ? ସେ ଭାବୁଛି, ସଂସାର ତ ସେଇୟା ଚାହେଁ ଆପଣାର ଏ ଦୁର୍ବଳତା ନୁହେଁ, ସ୍ଵାଭାବିକ ପରିଣତି ।

 

ଦିଶିଯାଉଛି, କୋଠର ସଭାରେ କେତେ ଲୋକ ଏକାଠି ହୋଇଥିଲେ, ସ୍ତ୍ରୀ ପୁରୁଷ । ସେଠି ବସିଥିଲା ଛବି । ଏବେ ବି ଲକ୍ଷ୍ୟ କରିପାରୁଛି, ହସିଲାବେଳେ ତା’ର ଓଠର ଭଙ୍ଗୀ, ତା’ର ଦାନ୍ତର ଜିକିଜିକି ଧାସ, ଥରେ ଝକ୍ କରି ତା’ର ଅନ୍ତର ଭିତରେ ଚହଳ ପକାଇଦେଇ ପୁଣି ସେ ପାଟି ବୁଜି ହୁଏ । ତା’ର ଆଖିରେ ଭାବ ସମୁଦ୍ରରେ ବିଚିତ୍ର ଆଲୁଅ, କଥା ନ କହି କେତେ କଥା ସେ କହେ । କାନ ତଳେ ତା’ର ଗାଲ, କପାଳ ଉପରେ ସେହି ଯେଉଁ ଚେନାକ ଯେଉଁଠି ଲହଡ଼ୀ ମାଡ଼ି ଆସିଲା ନରି ମୁଣ୍ଡବାଳ ଢେଉ ଖେଳେ । ବେକ ବୁଲାଇଲାବେଳେ ବେକର ପଛଆଡ଼ । ତା’ର ଟିକି ଟିକି ହାବଭାବ, କେତେବେଳେ ସେ ଦୁଇ ପାପୁଲିକୁ ପାଖ ପାଖ ରଖି ଆଙ୍ଗୁଠିରେ ଆଙ୍ଗୁଠି ଛନ୍ଦି କେଉଁ ପାଗଳ ମୁଦ୍ରା କରୁଛି, କେତେବେଳେ ଓଠରେ ବାଙ୍କ ଆଙ୍ଗୁଠି ଭରା ଦେଉ ଉହୁଙ୍କି ଅନାଉଛି । ନାକପୁଡ଼ା ଆସ୍ତେ ଫୁଲି ଉଠୁଛି, ଦବୁଛି । କେତେବେଳେ କଣେଇଁ କଣେଇଁ ଚାହୁଁ ଚାହୁଁ ହଠାତ୍ ଛବିର ଦୃଷ୍ଟି ତା’ ନିଜ ଦୃଷ୍ଟିରେ ଧରା ପଡ଼ିଯାଉଛି, ସେ ମୁହଁକୁ ତଳକୁ ପୋତୁଛି । କେତେବେଳେ ନିଜେ ତା’ର ଚାହାଣି ଛବିର ସଂଯତ ଦେହ ଉପରେ ଭରା ଦେଇଥିଲା, ସେ ନିଜେ ତା ଆଖିରେ ଧରା ପଡ଼ିଯାଇଛି, ଆଉ ତା ଦେହ ବାମ୍ଫେଇ ଉଠିଛି । ଚାହାଣିରେ, କାମନାରେ ସେହି ସାନ ସାନ ଦେଣନେଣ ଓଜନିଆ ବିଚାର ଆଉ ଯୁକ୍ତିରେ ଯେ ତଳକୁ ଦବି ଦବି ଯାଏ, ସେହିସବୁ ପୁଣି ତା’ ଆଗରେ ଅତି ବଡ଼ ହୋଇ ପ୍ରକଟ ହେଉଛି, ଦେହର କେଉଁ କ୍ଷୁଦ୍ର ଅଂଶ କି ଭାବର ଛଟକକୁ ଧ୍ୟାନ କରୁ କରୁ ଚେତନା ଭିତରୁ ଉଠି ଆସୁଛି ଛବିର ସମଗ୍ର ଦେହଟା, ସେହି ତା’ର ଅପୂର୍ଣ୍ଣ କାମନାର ଆର ଫାଳକ । ସେହିଆକୁ ଭାବୁ ଭାବୁ ଝୁରୁ ଝୁରୁ ଓଲଟପାଲଟ ହୋଇ ତା’ ମନରେ ଭିନେ ଭିନେ ଦୁଇ ପ୍ରକାର ଭାବ ଆସୁଛି । କେତେବେଳେ ସେ କାମନା ଆଶାରେ ତେଜି ଉଠୁଛି, ପରିଣତି ପାଉଛି, ଆସୁଛି ଅଦମ୍ୟ ଉଲ୍ଲାସ ଓ ମନବଳ, ଏ ସଂସାରର ପ୍ରତ୍ୟେକ ବସ୍ତୁ, ପ୍ରତ୍ୟେକ ଘଟନା ସେତେବେଳେ ତା’ ପ୍ରତି ଉଦାର ସ୍ନେହରେ ସାହାଯ୍ୟ ସହାନୁଭୁତିର ପ୍ରତିଶ୍ରୁତିରେ ପରିପୂର୍ଣ୍ଣ, ସବୁଠିଁ ସେ ଅପ୍ରତିହତ, କେତେବେଳେ ସେ ଖାଲି ବିରହୀ, ବିବ୍ରତ, ନିରାଶ, ଖଣ୍ଡିତ, ନିହାତି ଏକୁଟିଆ, ଯାହା ଦେଖୁଛି ସବୁ ରୁକ୍ଷ ନିଃସାର, ଖାଲି କର୍କଶ ନିପାଣିଆ ଟାଙ୍ଗି, ଅଛିଣ୍ଡା ବାଲିପଟା, ବୈଚିତ୍ର୍ୟ ନାହିଁ, ଜୀବନ ନାହିଁ, ଧଡ଼ ଧଡ଼ ଛାତି ।

 

କୁଆଡ଼ୁ ଭାସି ଆସୁଛି ଏ ସଜ ପବନ । ଏଥିରେ ନାନା ଫୁଲର ବାସ୍ନା ନୂଆ ପତ୍ରର କଅଁଳ ସ୍ପର୍ଶ । ଜହ୍ନ ଝିଲି ଝିଲି ହେଉଛି, ନଡ଼ିଆ ଗଛରେ ଆସ୍ତେ ଆସ୍ତେ ହଲୁଥିବା ବାହୁଙ୍ଗାରେ ପତ୍ର ସନ୍ଧିରେ, ଅଧେ ଛାଇ ଅଧେ ଆଲୁଅ ହୋଇ ନାନା ପ୍ରକାର ଚିତ୍ରବିଚିତ୍ର ଗଛମାନେ ଠିଆ ହୋଇଛନ୍ତି-। ଚହଳ ପକାଇ ଉଡ଼ି ଉଡ଼ି ଟେଁଟେଁଇ ଚଢ଼େଇ ଯୋଡ଼ିଏ ବୋବେଇଲେଣି । ସମସ୍ତେ ଅପେକ୍ଷା କରିଛନ୍ତି, ଚୁପ୍‌ଚାପ୍ ଠିଆ ହୋଇ ଦେଖୁଛରି ତା’ର ଖେଳ ।

 

ହଠାତ୍ ଯେମିତି ତା’ର ହୋସ୍ ପଶିଲା । ସେ ଏଠିକି କୁଆଡ଼େ ଆସିଛି ? ପିଠିଆଡ଼େ ହାତଛକି ଦେଇ ଚାରିଆଡ଼େ ଟହଲି ଟହଲି କ’ଣ ଏଠି ସେ କରୁଛି ? ଆପଣାକୁ ଆପେ କଳିବାକୁ, ଚିହ୍ନିବାକୁ ଚେଷ୍ଟା କରୁ କରୁ ମନର ଗୋଟିଏ ତଳିରୁ ଉଠିପଡ଼ି ସେ ଯେପରି କି ଆଉ ଗୋଟିଏ ତଳିକୁ ଉଠିଗଲା । ଛବିର ସୃତିର ରଙ୍ଗ ବଦଳିଗଲା, ତା’ ସଙ୍ଗେ ସଙ୍ଗେ ମନ ଭିତରର ସଙ୍ଗୀତର ପଟ୍ଟଭୂମିରେ ଆଉ ପ୍ରକାରେ ରାଗିଣୀ । ଛବି ଆଉ ସେ, ଏକ ତ, ତା’ ମନ ସ୍ୱୀକାର କରିନେଇଛି, କାମନାର ହନ୍ତସନ୍ତ ଉପରେ ଚହଟି ଉଠୁଛି ସତେ କି ଉଷାର ଆଲୁଅ । ସେଥିରେ କ୍ଲାନ୍ତି ନାହିଁ, ଅଛି ଉଦ୍ଦୀପନା, ଉତ୍ସାହ, ସେହି ମୂର୍ତ୍ତି ତା’ର ଅଟଳ ଆଶ୍ରୟ, ସତେ ଅବା ରୂପ ପାଇ ରହିଥିବା ତା’ର ଶକ୍ତି ।

 

ତା’ ସହିତ ମିଳିତ ହେବା ପାଇଁ ସଂସ୍କାରଗତ ପ୍ରଣାଳୀର ଆବଶ୍ୟକ ନାହିଁ । ସେ ମିଳନ ନିର୍ଭୀକ, ବିକାରଶୂନ୍ୟ ।

 

ଏଥର ମନେପଡ଼ିଲା, ଛବିର ବ୍ୟକ୍ତିତ୍ୱର ଗୋଟାଏ ଭାଗ ତା’ ଆଗରେ ସଂକୋଚ ସରମରେ ନଇଁପଡ଼ିଥାଏ, କିନ୍ତୁ ଆଉ ଗୋଟାଏ ଭାଗ ମୁହାଁମୁହିଁ ଆଗେଇଆସେ ନିଃସଂକୋଚରେ ନିଡ଼ରୁଆ ହୋଇ । ତା’ ସେ ଦେଖିଥିଲା । ବଜ୍ରେଶ୍ଵରଙ୍କ ଜିପରେ କଥାରେ କଥାରେ ଆଲୋଚନାବେଳେ । ଆଉ ସେଥର ଯେତେବେଳେ ପାଟେଳିଗାଁ କୋଠରେ ବି ଛବି ଆଲୋଚନାରେ ଯୋଗଦେଇ ସେଥର କହିଥିଲା–‘‘ମଣିଷ ମନକୁ ନୂଆକରି ଗଢ଼ିବାକୁ ଚାହିଲେ ତା’ ହୃଦୟର ପରିବର୍ତ୍ତନ ଓ ବିଚାରର ପରିବର୍ତ୍ତନ ଆଣିବାକୁ ଚାହିଲେ ତା’ର ଦେଖିବା ବୁଝିବା ବାଗରେ ବି ତ ପରିବର୍ତ୍ତନ ହେବ, ନା ହେବ ନାହିଁ ? ତା’ ଚଳଣି ବି ବଦଳିବ । ଆପଣା ସ୍ୱାର୍ଥକୁ ବଡ଼କରି ଚଳିଲାବେଳେ ସମାଜ ଭିତରେ ଯେଉଁଠି ଯେଉଁ ସମ୍ୱନ୍ଧ ଏବେ ରହିଛି, ଯେମିତି ପୁରୁଷ ଲୋକ ସ୍ତ୍ରୀଲୋକଙ୍କ ଭିତରେ କି ବାପ ପୁଅ, ଭାଇ ଭାଇ ଭିତରେ ଏ ସମ୍ବନ୍ଧର ଚେହେରା ବି ବଦଳିବ । ସେତେବେଳେ ଏପରି କହିହେବ ନାହିଁ ଯେ ସଂସାର କାମରେ ପୁରୁଷଟି ହୋଇ ରହିଥିବ ପୂରା ମଣିଷ, ଆଉ ସ୍ତ୍ରୀଟି ହୋଇ ରହିଥିବ ଅଧା ମଣିଷ । ଖାଲି ପାନ ଭାଙ୍ଗିବ, ଭାତ ରାନ୍ଧିବ, ଘରେ ପଡ଼ିରହିଥିବ ସବୁଥିରେ ପୁରୁଷର ଦୟାକୁ ଅନେଇଁ ତା ହାତତଳିଆ ହୋଇ । ସମ୍ପର୍କରେ ପରିବର୍ତ୍ତନ ଆସିବ, ସମାଜର ଅନୁଷ୍ଠାନମାନଙ୍କରେ ପରିବର୍ତ୍ତନ ଆସିବ, ରୀତିନୀତି ବାଗ ଢାଞ୍ଚା କେତେ କ’ଣ ବଦଳିଯିବ, ତାକୁ ସହି ଆଦରି ଚଳେଇନେଲେ ସିନା ମଣିଷ ତା’ ବିଚାରର ପରିବର୍ତ୍ତନକୁ କାମରେ ଖଟାଇପାରିବ, ନ ହେଲେ ବିଚାର ରହିଥିବ ଗୋଟାଏ ପାଖେ, ଚଳଣି ଆଗେ ଯେମିତି ଥିଲା ସେମିତି । ଗଛ ଲଗେଇ ମାଟି, ପାଣି, ଖତ ଠିକଣା ନ ରଖିଲା ଭଳି ସେ ବିଚାର ବି ଶୁଖି ଶୁଖି ମରିଯିବ, ସେମିତି ତ ସବୁ ବିଚାର ପୋଥିରେ ରହିଯାଏ, ପୋଥିକି ପୋକ କାଟେ, ନ ହେଲେ ଏତେ କାଳର ହେଲାଣି ଏ ପୃଥିବୀ; ଆଗେ କ’ଣ ଭାବିବା ଲୋକ ନ ଥିଲେ ନା ଲୋକେ ଭାବି ନାହାନ୍ତି ?’’

 

ମନେ ପଡ଼ିଗଲା ତା କଥାର ତାତ୍ପର୍ଯ୍ୟ । ସେତେବେଳେ ସେ ବିସ୍ମିତ ହୋଇ ଭାବିଥିଲା ବାଣୀର ଉତ୍ପତ୍ତି ଆଲୋକରୁ, ଯାହାଠି ଯେଉଁ ଅବସ୍ଥାରେ ଅନ୍ତରର ସେହି ନିହିତ ଆଲୋକ ତେଜି ଉଠିବ ତାଠୁଁ ବାଣୀ ବାହାରିବ, ଯେପରି ଗୀତା କି କୋରାନ୍ କି ବାଇବଲ । ସେତେବେଳେ ସେ ଭାବିଥିଲା ଯେ ଦସ୍ୟୁ ରତ୍ନାକର ଯେ ରାମାୟଣ ଲେଖିଥିଲା ସେ କଥା କେବେ କାଳ୍ପନିକ ନୁହେଁ ।

 

ଛବି ସେତେବେଳେ ଲାଗିଥିଲା ଶୁଦ୍ଧ–ଆଲୋକରୂପିଣୀ, ରବିର ମନରେ ଅପୂର୍ବ ଆନନ୍ଦ ଉଛୁଳି ପଡ଼ିଥିଲା । ସେହିଆକୁ ଭାବୁ ଭାବୁ ପୁଣି ଆସିଲା ସେହି ଅନୁଭୂତି । ତା’ର କାମନାଗତ ବିହ୍ୱଳିତା ଶାନ୍ତ ହୋଇ ତା’ ଚେତନାରେ ଛବି ଅଟଳ ହୋଇ ରହିଲା । ତା’ପରେ ଆସିଲା କରୁଣା, ସେ ତା’ର ମଙ୍ଗଳ କାମନା କରୁଛି, ମଙ୍ଗଳ କାମନାରେ ମିଶିଯାଉଛି ଆତ୍ମତ୍ୟାଗର କାମନା, ନିଜ ପାଇଁ କିଛି ସେ ଲୋଡ଼ୁ ନାହିଁ, ଛବିର ହେଉ ସବୁ ସୁଖ, ସବୁ ସାଫଲ୍ୟ, ଆପଣା ବାଟରେ ଅବିରୋଧୀ ପୂର୍ଣ୍ଣ ବିକାଶ, ନିଜେ ପଛେ ସେ ହୋଇ ରହିଥାଉ ଜହ୍ନରାତିରେ ଅଲୋଡ଼ା ଛାଇ ଟିକିଏ, ଅଦେହୀ, ଅବରଣିଆ, ଅଜଣା, ଛପିଲା ଛପିଲା ।

 

ଚିନ୍ତା ସେଜରେ ଦିଗ୍‌ବଳୟରେ ପୁଣି ସେହି ମୁହଁ, ସେହି ଦେହ । ତଥାପି ତା’ର ସେହି ନିଘା । କିନ୍ତୁ ଦେଖିବାର ବାଗ ବଦଳି ଯାଇଛି । ଟିକିଏ ଆଗରୁ ଯେଉଁ ଲାଳସା ଓ ଲୋଲୁପତା ମନରେ ପୂରିଥିଲା, ଯେପରିକି ତା’ ବିରୁଦ୍ଧରେ ପ୍ରତିକ୍ରିୟା ଆସୁଛି । ଆପଣା ଉପରେ କଠୋର ବିଚାର, କ୍ଷୋଭ ଅନୁତାପ । କରୁଣାରେ ଟୁଳୁ ଟୁଳୁ ହୋଇ ବିକଳ ହୋଇ ଚାହିଁ ରହିଛି ସେ ଦେହକୁ-। ତା’ର ଚାହାଣିରେ ଠାଣିରେ ଭଙ୍ଗୀରେ ଚେତନାର ମୋଡ଼ରେ ସତେ ଯେମିତି ସେହି ଭାବ ଯେପରି ଯେଉଁ ତରୁଣ ଅନଭିଜ୍ଞ ସ୍ୱାମୀକୁ ହଠାତ୍ ଅଭିଭୂତ କରେ, ଯେତେବେଳେ ସେ ତା’ର ପ୍ରଥମ ଥର ଅନ୍ତଃସତ୍ତ୍ୱା ଅସହାୟା ଆସନ୍ନପ୍ରସବା ସ୍ତ୍ରୀକୁ ଅନାଇଁ ମୁହଁକୁ ତଳକୁ ପୋତି ବିକଳ ହୋଇ ଭାବେ ଓ ଫଁ ଫଁ ଦୀର୍ଘଶ୍ୱାସ ଛାଡ଼େ, ଭାବୁଥାଏ ଯେ ସେ ସ୍ତ୍ରୀର ତାଠିଁ ଏତେ ସ୍ନେହ, ଏତେ ବିଶ୍ଵାସ, ଏତେ ନିର୍ଭର, ଯେତେବେଳେ ହେଲେ ଅକୁଣ୍ଠିତା ହେଇ ତାକୁ ଖୁସି କରିବାକୁ ସରଳ ମନରେ ଏଡ଼େ ଆଗ୍ରହ, ଏଡ଼େ ତତ୍ପରତା, ଏହିପରି ହେଲା ତା’ ପରିଣାମ ଯେ ଶେଷରେ ତାକୁ ଯିବାକୁ ହେଉଛି ଯମ ଦୁଆରେ ତା’ର ଅନିଶ୍ଚିତ ଭାଗ୍ୟ ପରଖିବାକୁ ! ଆଉ ଯେତେବେଳେ ସେ ନିଜକୁ କହେ ପଶୁ, ବର୍ବର, ମୂର୍ଖ, ବୈରାଗ୍ୟର ଗେରୁଆ ଢାଙ୍କି ହୋଇ ମନେ ମନେ କହି ହେଉଥାଏ ଭାଗ୍ୟ ସୁଧାରି ହେବାକୁ ।

 

ଟିକିଏ କେମିତି ଆଉ ସୁଯୋଗ ମିଳନ୍ତା ଯଦି !

 

ଥରଟିଏ !

 

ଚାଉଁକିନା ତୁଟିଯାଉଛି ସେ ଅବସ୍ଥା ।

 

ମନର ପୁଣି ନୂଆ ସ୍ଥିତି, ଚାରିପାଖ ଆଉ ପ୍ରକାରେ । ନିଦ ଭାଙ୍ଗିବାର ଅଳ୍ପସମୟ ଉତ୍ତାରୁ ନିଦନିଶା ଯେମିତି ତୁଟିଯାଏ, ଆଉ ଲାଗେ-ମନ ଭିତରେ ଯାହା ରୁଗୁ ରୁଗୁ ହେଉଥିଲା ସେ ତ ସପନ କଥା, ସତ ନୁହେଁ । ନିଜେ କ୍ଷୁବ୍‌ଧ ହେଲା ଭଳି କିଛି ତ ସେ କରି ନାହିଁ ।

 

କାହିଁକି ତେବେ ।

 

ତଥାପି ତା’ ମନ ଭିତରେ ଓଦା ଓଦା ନରମ ନରମ ଭାବ, ଆଉ ବେଦନାର ଅସ୍ପଷ୍ଟ ଝଙ୍କାରଟିଏ ତାକୁ ଆବୋରି ରହିଛି ।

 

ତା’ ବି ସଫା ହୋଇଯାଉଛି । ଅନୁଭବ କରି ହେଉଛି, ଏଇ ଜହ୍ନ, ଏଇ ସେ ପ୍ରିୟ ଗାଁ, ତା’ର କର୍ମଭୂମି, ଯେଉଁଠି ଭାବ ଘେନିଲା ରୂପ । ଅନୁଭବ କରିହେଉଛି, ଆଜି ସେହି ଶୁଭ ଆରମ୍ଭର ବର୍ଷକର ଦିନ । କେତେ ଲୋକ । କି ଉତ୍ସାହ ଆନନ୍ଦ । ହସଖୁସିରେ ଝଳି ଉଠୁଥିବା ସାନଠୁଁ ବଡ଼ଯାକେ ଏତେ ମୁହଁ ପାଖକୁ ପାଖ ହୋଇ ଦିଶିଯାଉଛି । କାହାରି ଦଣ୍ଡକର ଖିଆଲ ନୁହେଁ, ଏ ତାଙ୍କ ଚଳଣିର ନୂଆ ବାଗ, ଜୀବନର ଧାରା । କେହି ଜଣେ ତାକୁ ଗଢ଼ି ନାହିଁ, ସେ ସତେ କି ମନକୁ ଗଜା ହୋଇଛି, ବଢ଼ି ଉଠୁଛି । ଜଣେ ଯେପରି କି ଆର ଜଣକର ଅବତ’ର, ସମସ୍ତେ ଅବତାର ସେହି ଏକ ଭାବର–ଶାନ୍ତି ।

 

‘‘ସେମାନେ ମତେ ଭଲ ପାଆନ୍ତି ।’’ ବନ୍ଧଭଙ୍ଗ ନଈବଢ଼ି ପରି ଘୁ ଘୁ ହୋଇ ଉଲ୍ଲାସ ଆନନ୍ଦ ତା’ର ଚେତନା ଭିତରେ ପ୍ରବେଶ କରୁଛି । ସେ ଫିଟିଯାଉଛି ବିଛେଇ ହୋଇଯାଉଛି ।

 

ଦିଶି ଦିଶି ଯାଉଛି ଆହୁରି କେତେ ଗାଁ, କେତେ ମଣିଷ, ମଣିଷକୁ ମଣିଷ ଧାର ଲାଗି ଯାଇଛନ୍ତି ଦୁନିଆ ସାରା । ସେ ନିଜେ ଏକ ନୁହେଁ, ବହୁ ।

 

ରାତି କେତେ ହେବ ? ତିନି ନା ଦୁଇ ? ନିଘୋଡ଼ ନିଦରେ ଶୋଇଛନ୍ତି ସମସ୍ତେ । କେତେ ସଂଘର୍ଷ-ଚେତନା । କେତେ ସମସ୍ୟାର ସିଝା ଦାଗ, ଚିଆଁ ଦାଗ । ଏତେବେଳେ ସେମାନେ ଶୋଇଥିବେ ।

 

ମଣିଷର ଆକାର କି ଚେହେରା ମଣିଷ ନୁହେଁ, ଘର । କିଏ ବାମନ, କିଏ ଅସୁର ପରି, ଦେଖିଲେ ଆଖିରେ ଭ୍ରମ ଲାଗେ, ସତେ କି ସେ ଦେହଟା ଘର ନୁହେଁ, ଦେହଟା ନିଜେ ମଣିଷ । କିନ୍ତୁ ଘର ଭିତରର ମଣିଷ ବି କେବେ କେବେ ଚିହ୍ନା ପଡ଼ିଯାଏ, ରକ୍ତ ମାଂସର ଶରୀର ଉହାଡ଼ରେ ଛପିଲା ବ୍ୟକ୍ତିତ୍ୱ, କେତେବେଳେ ଲାଗେ-ଅସୁର ପରି ଚେହେରା ଭିତରେ ଦୁର୍ବଳ ଶିଶୁ ପରି ମଣିଷ, କି ବାଙ୍ଗର ପଲା ଭିତରେ କାହାଠି ଦମ୍ଭିଲା ମଣିଷ, ନିଡ଼ରୁଆ ବିଚାରମନ୍ତ । କିନ୍ତୁ କେତେଜଣ ସେହିପରି ? ଅସ୍ଥିର, ଦକଦକ, ଟଳଟଳ, ଅଶାନ୍ତ ମଣିଷ, ଜୀବନର ସୁଖଶାନ୍ତି କ’ଣ ତା’ ଚିହ୍ନିବା ଆଗରୁ ତା’ ଆୟୁଷ ସରିଯାଏ ମୁହୁର୍ତ୍ତେ ଶାନ୍ତି ଆଉ ବିଶ୍ରାମ ପାଇବା ପାଇଁ ଜୀବନଯାକ ପାରୁପର୍ଯ୍ୟନ୍ତେ ଲଢ଼ି ଲଢ଼ି । ଆପେ ଆଶଙ୍କା କରି ସେ ସଂସାରର ଭୀତି ଆଶଙ୍କା ବଢ଼ାଏ, ଆପେ ଆପଣାକୁ ମାଠି ସାଇତି ବଢ଼ାଏ ସ୍ୱାର୍ଥ, ଦ୍ୱେଷ, ଭାଗ୍ୟର ଅନିଶ୍ଚିତତା, ସେ ଘର କରିବାକୁ ଯାଇ କରେ ମଶାଣି, ତା’ର ଅତି ବୁଦ୍ଧିରେ ତିଆରି ବିଜ୍ଞାନ ଲଗା ହୁଏ ତାହାରି ବିନାଶ ପାଇଁ । ଅତି ବିଜ୍ଞତାରେ ତିଆରି ହୋଇଥିବା ସମାଜ ହୁଏ ବିଶୃଙ୍ଖଳ ବଣର ସମାଜ, ଯେଉଁଠି ଜଣକର ଆଉ ଜଣକ ସଙ୍ଗେ ସମ୍ବନ୍ଧ ଖାଦ୍ୟ-ଖାଦକର ସମ୍ବନ୍ଧ । ସ୍ୱାର୍ଥ, ନୀଚତା, କ୍ରୁରତା, ଅନୀତି ଚାଲିଛି ଏକାଠି ମିଶି ବଢ଼ି ବଢ଼ିକା ମଣିଷ ଜାତିର ଧ୍ୱଂସ ଲାଗି ପ୍ରଳୟ ହୁତାଶନ ହେବା ଲାଗି । ଚେତିବାକୁ ପଡ଼ିବ, ରୋଧିବାକୁ ପଡ଼ିବ, ମଣିଷର ଲୋଡ଼ା ଶାନ୍ତି ।

 

ଶାନ୍ତି !

 

କେତେ କଥା ସେହି ପଦକରେ !

 

ଯେତେ ଯେଉଁଠି ଯେ ଜନ୍ମ ହୋଇଛନ୍ତି ସମସ୍ତଙ୍କ ପାଟିକି ଥିବ ଆଧାର, ସମସ୍ତଙ୍କ ପାଇଁ ରହିବାକୁ ଘର ଥିବ । ସମସ୍ତଙ୍କ ପାଇଁ ସମାନ ସୁଯୋଗ, ଯେପରି ସେମାନେ ପାଠ ପଢ଼ିବେ, ମଣିଷ ହେବେ, ଶ୍ରମକୁ କାର୍ଯ୍ୟରେ ଲଗାଇବାକୁ ସୁବିଧା ପାଇବେ, ରୋଗ ହେଲେ ଚିକିତ୍ସା ପାଇବେ, ଅକାମୀ ହେଲେ ପାଇବେ ଖୋଜାଲୋଡ଼ା, ସେବା ଆଦର, ସୁସ୍ଥରେ ଆନନ୍ଦରେ ବଞ୍ଚିପାରିବେ, ମରିପାରିବେ ।

 

ଯେପରି କେହି ତାଙ୍କର ରକ୍ତ ଶୋଷିବ ନାହିଁ, କେହି ହେବ ନାହିଁ କାନ୍ଧ ଉପରେ ସବାର, କେହି ନାଲିଆଖି ଦେଖାଇବ ନାହିଁ, ନାକ ଟେକିବା ନାହିଁ, ପାତରଅନ୍ତର କରିବ ନାହିଁ, କେହି କହିବ ନାହିଁ ବେ’ ବୋଲି, ହା’ସୁ ବି କରିବ ନାହିଁ ।

 

ସ୍ନେହ ବିଶ୍ୱାସ ଦିଆଘେନା ବୁଝାମଣା ଆଉ ଦମ୍ଭିଲା ଭାଇପଣରେ ଛନ୍ଦାଛନ୍ଦି ହୋଇ ଏକ ପୃଥିବୀ, ଏକ ଘର, ଜୀବନ ସେଠି ସରଳ, ସୁନ୍ଦର, ଆଶା ଆନନ୍ଦରେ ଉଜ୍ଜ୍ୱଳ, ନିତି ନିତି ବିକାଶରେ ବୈଚିତ୍ରମୟ ।

 

ତାରି ନାଁ ଶାନ୍ତି ।

 

ହେବ କିପରି ?

 

ଶାନ୍ତି ଶାନ୍ତି ବୋଲି ମନ୍ତ୍ର ଜପିଲେ ହେବ ନାହିଁ, ଶାନ୍ତିର ଅଭିନୟ କରି । ଅଶାନ୍ତି ହିଁ ସାର ହୋଇଛି । ଅକଳନ କାଳ ଭିତରେ କେତେଥର କେଉଁଠି ହୋଇଛି ଶାନ୍ତି ପାଇଁ ଉଦ୍ୟମ, ଚିରସ୍ଥାୟୀ ହୋଇପାରି ନାହିଁ ।

 

ହେବ ତ ଦିନେ ନା ଦିନେ । ନିଶ୍ଚୟ ହେବ ।

ନ ହେଲେ ଏ ମଣିଷ ଜାତି ବଞ୍ଚିବ କିପରି ?

 

ଏ ପୃଥିବୀ ପୋଡ଼ିଜଳି ଭସ୍ମ ହେବ ଯେ !

 

ଜହ୍ନ ଅସ୍ତ ହୋଇଆସୁଛି, ଦୂରରେ ଧାଡ଼ି ଧାଡ଼ି ନଡ଼ିଆ ଗଛ ମୁଣ୍ଡ ଉପରକୁ ଓହ୍ଲେଇ ପଡ଼ିଲାଣି । ଉତ୍ତେଜିତ ହୋଇ ରବି ମନକୁ ମନ କହିଲାଗିଛି, ହେବ, ହେବ, ନିଶ୍ଚୟ ହେବ, ଖାଲି ଏ ହାତଗୋଡ଼ ଚାଲିଥିବା ଦରକାର ।

 

ସତେ ଯେପରି ଚାଲିଛି ସେ ଅନବରତ, ଉଠାଣି ଗଡ଼ାଣି ଆଲୁଅ ଅନ୍ଧାର ବାଟରେ ।

 

ପଛକୁ ଚାହୁଁଛି । ଛବି ଆସୁଛି ତା ପଛେ ପଛେ ।

 

ଆଉ ତା ମନରେ ରୁଗୁ ରୁଗୁ ନାହିଁ । ଶାନ୍ତ ହୋଇ ସେ ଫେରିଯାଇ ଶୋଇପଡ଼ିଲା ।

 

ଉଦୁଉଦିଆ ଖରାବେଳ ।

 

ପାଟେଳିଗାଁରେ ଅଗଣି ରାୟ ଖଣ୍ଡେ ଅଷ୍ଟସିଆଁ ମଇଳା ଲୁଗା ପିନ୍ଧି ମୁଣ୍ଡରେ ଓଦା ଡୋରିଆ ଗାମୁଛା ଖଣ୍ଡେ ପକାଇ ବନ୍ଧ ଉପରକୁ ଉଠିଗଲା । ତା’ ଘର ସେଠୁ ଅଳ୍ପବାଟ, ମଝିରେ ବାଉଁଶ ବୁଦା ଅରାକ ନଥିଲେ ଚାଳ ଦିଶନ୍ତା । ତା’ର କୁଆଡ଼େ ଯିବାର ନ ଥିଲା, କିନ୍ତୁ ଖାଇସାରି ଥୁଣ୍ଟା ପରି ଏକୁଟିଆ ଆପଣା ଦୁଆର ମୁହଁରେ ଘଡ଼ିଏ ବସି ବସି ବିରକ୍ତ ଲାଗିଲା । ଆଗେ ଏଇ ଝୋଲାମର ଦ୍ୱିପ୍ରହରରେ କେତେଆଡ଼ ବୁଲିବାକୁ ଥାଏ, ଲୋକେ ତାଙ୍କ କଳିମୁଣି ଖୋଲି ଦେଖାନ୍ତି, ପଇସା ଦେଇ ବୁଦ୍ଧି ନିଅନ୍ତି । ସେମିତି ଗୋଟାଏ ଗୋଟାଏ ଉତ୍ତେଜନାକୁ ବାଟ ଦେଖାଇ ଦେଖାଇ ତାକୁ ପ୍ରତି ଚାରି ଦିନେ ପାଞ୍ଚ ଦିନେ ସହରକୁ ବି ଯିବାକୁ ପଡ଼େ, ପଛେ ପଛେ ମହା ଉତ୍ସାହରେ ଆପଣ କାହାଣୀ ଖଞ୍ଜି ଖଞ୍ଜି ପକ୍ଷ ଗୋଡ଼ାଇଥାନ୍ତି, ହାକିମ ଆଗରେ କ’ଣ କହିବାକୁ ପଡ଼ିବ, ଜେରା ହେଲେ କ’ଣ କହିବାକୁ ପଡ଼ିବ, ଏହିପରି ନାନା ଗୁରୁତର ପରାମର୍ଶ । ବାଟଖର୍ଚ୍ଚ, ଜଳଖିଆ, ଭାତ, ସହରଦେଖା ସବୁ ସେହିମାନଙ୍କ ଉପରେ, ଘରକୁ ଫେରିଲାବେଳେ କୋଟ୍ ପକେଟରେ ଟଙ୍କା ଥାଏ, ପକ୍ଷ ଦେବ, ପକ୍ଷକୁ ଯାହା କତିରେ ଭେଟାଇଦେବ ସେ ବି ଦେବ, ଆର ପକ୍ଷ ବି କେବେ କେବେ ଦିଏ ।

 

କୁଆଡ଼େ ଗଲା ସେ ଦିନଗୁଡ଼ାକ ! ଅଗଣି ରାୟର ସକ ଉଠୁଥାଏ ମନେ ମନେ, ସତେ ଯେମିତି ସେଦିନ ଆଉ ଆସିବ ନାହିଁ । କଳି ଲାଗିଲେ କୁଆଡ଼ୁ କୁଆଡ଼ୁ ଲୋକ ଆସୁଛନ୍ତି ଉପରେ ପଡ଼ି କଳି ଭାଙ୍ଗିଦେଉଛନ୍ତି । ମକଦ୍ଦମା ଘଟୁ ନାହିଁ । ଲୋକ ଆସୁ ନାହାନ୍ତି ଘର ଚଳୁ ନାହିଁ ।

 

ନିଃସହାୟ ଦୃଷ୍ଟିରେ ଧୁ ଧୁ ନଈବାଲିକୁ ଅନାଇଁ ରହି ଅଗଣି ରାୟ ଶୁଣିଲା ପବନରେ ଗଛ ବୁରୁଛର ହାଉଯାଉ ଝାଇଁ ଝାଇଁ ଶବ୍ଦ, ର୍ବାକୁ ଚାହିଁଲା, ବନ୍ଧ ତାଳୁରେ ତେନ୍ତୁଳି ଗଛ ମୂଳେ କିଏ ବସିଛନ୍ତି । ତା’ର ସାଙ୍ଗ ଦରକାର । ସେହିଆଡ଼କୁ ଚାଲିଲା ।

 

ତେନ୍ତୁଳି ମୂଳେ ଗଛଦେହକୁ ଆଉଜି ବସିଛି ବୁଢ଼ା କିଣେଇଁ ଓଝା, ନଈଆଡ଼କୁ ଦୃଷ୍ଟି, ମୁଣ୍ଡ ଆଳ୍ପ ତଳକୁ ଝୁଙ୍କିଛି, ମୁଣ୍ଡବାଳ ଆଖିପତା । ଛାତିବାଳ ଝୋଟ । ବୁଢ଼ାର ଥୋଡ଼ିରେ ଚାରି ଚାରି ଆଙ୍ଗୁଳି ରୂପେଲି ରୁଢ଼ । ଅଗଣି ତା’ର ସେତେବେଳର ବିକଳ ମନରେ ବୁଢ଼ାର ଚେହେରାର ପ୍ରତି ଟିକି ଟିକି ଭାଗକୁ ବି ନିଘା କରିବାକୁ ମନ ଦେଲା । ଆଗକାଳ ହୋଇଥିଲେ ସବୁଦିନ ପରି ସେ ଭାବିଥାନ୍ତା ଏ ବୁଢ଼ାର ମୁଣ୍ଡର କଡ଼ାକର ବି ମୂଲ୍ୟ ନାହିଁ, ଟିକକ କଥାରେ ନିଆଁବାଣ ହୋଇଯାଏ, ସେତେବେଳେ ନା ବୁଦ୍ଧି ନା ବିଚାର । କିନ୍ତୁ ବର୍ତ୍ତମାନ ସେ ଦିଶୁଛି ରୁଷିଟିଏ ପରି, ନିଶ୍ଚଳ, ଧ୍ୟାନରତ-। ବୁଢ଼ାର ତା’ର ଏକା ମତ କୋଠ ବିଷୟରେ, ଏକାଠି ମିଶି ଗାଳି ଦେଇହେବ, ନ ଶୁଣନ୍ତୁ ଶ୍ରୋତା କେହି ।

 

କିନ୍ତୁ ଶ୍ରୋତା ବି ଦି’ ଜଣ ଦିଶୁଛନ୍ତି । ବିକା ମୁଦୁଲି ଖୁରୁପିରେ ବନ୍ଧ କରରୁ ଘାସ ଛେଲୁଛି ମଠେଇ ମଠେଇ, ଧନୁଆ କେଉଟ ହାତ କାମ ଧରିଛି ଖଣ୍ଡେ ସାନ ଜାଳ, ବସି ବସି ବୁଣୁଛି । ବିକା ମୁଦୁଲି ଅଗଣିରାୟର ବିବେଚନାରେ ମାଈ ନୁହେଁ କି ଗାଈ ନୁହେଁ, ଯୁଆଡ଼େ ହଲେଇଦେଲେ ଦୋହଲିଯିବ, ଉପଯୁକ୍ତ ଶ୍ରୋତା, କିନ୍ତୁ ଧନୁଆ କେଉଟ କେମିତି ଅଖାଡ଼ୁଆଟା, ଯାହା ଜିଦି ଧରିଥିବ ସେଇଆ । ଧନୁଆ କେଉଟ ସେଠି ନଥିଲେ ଅଗଣି ରାୟ ଖୁସି ହୋଇଥାନ୍ତା, କଥା କହିଲେ ହଁ ମାରିବ ନାହିଁ କି ବିଶ୍ୱାସ ରଖିବ ନାହିଁ । କିନ୍ତୁ ଏମିତି ଏ ଦୁନିଆ, ଆପଣା ମନନାଖି ଏକ ମଛାକେ ଦଳ ବି ଏଠି ଦିଶେ ନାହିଁ, ଶାନ୍ତ ସୁଧାର ବୁଝିଲାଶୁଝିଲା ଲୋକଙ୍କ ମେଳରେ ଅରଣା ଅବୁଝା ଅଖାଡ଼ୁଆ ଲୋକେ ଥାଆନ୍ତି, ଅଗଣି ରାୟ ଭାବିଲା, ତା’ର ବିରକ୍ତ ମୁହଁଟାରେ ଭ୍ରୂକୁଟୀ ଦେଖାଦେଲା । ଅଗଣି ରାୟ ସେହିଆଡ଼କୁ ଚାଲିଲା ।

 

‘‘ଆଉ ପାଞ୍ଚଘର କୋଠରେ କାଲି ମିଶିଗଲେ’’, ଧନୁଆ କେଉଟ ତାଆଡ଼କୁ ନ ଅନେଇ କହିଦେଲା । ଟିକଲ କଲା ପରି ପଚାରିଲା, ‘‘କହିଲା କିଏ କିଏ ହୋଇଥିବେ ?’’

 

ବିକା ମୁଦୁଲି ଖୁରୁପିରେ ଛେଲାଏ ମାରି କହିଲା, ‘‘ଜାଣିଚି ।’’

 

କିଣେଇଁ ଓଝା କିଛି କହିଲା ନାହିଁ, କଣ୍ଡିଆ ଉପରେ ଯେଉଁ ଓସ୍ତଗଛଟା ଠିଆ ହୋଇଛି ତା’ର ଡାହିଟାଏ ପବନରେ ଝାଙ୍କି ହେଉଛି, ଶୂନ୍ୟଭିତରେ ନାନା ଠାଣିରେ ସେ ହଲୁଛି ନାଚୁଛି, କିଣେଇଁ ଓଝାର ନିଘା ସତେ କି ସେଇଠି ଅଟକିଥାଏ, ଧୂଆଁଳିଆ ଆକାଶ ଆଗରେ ଖଣ୍ଡେ ଦୋହଲିଲା ପୁରୁଣା ଡାହି । ଧନୁଆ କେଉଟର ପ୍ରଶ୍ନ ଶୁଣି ଅଗଣିରାୟ ମୁହଁ ନେଫେଡ଼ିଲା, କହିଲା, ‘‘ପାଞ୍ଚ ହେଲେ କେତେ, ପଚାଶ ହେଲେ କେତେ ?’’

 

ବିକା ମୁଦୁଲି କହି ‘‘ସେଇଆ ।’’

 

ଅଗଣି ରାୟ ଧନୁଆ କେଉଟକୁ ପଚାରିଲା, ‘‘ତୁମେ କେବେ କୋଠରେ ମିଶୁଛ ?’’

 

ଧନୁଆ କେଉଟ ଗୁପ୍ତ ରହସ୍ୟ ଆଲୋଚନା କଲା ଭଙ୍ଗୀରେ କହିଲା, ‘‘ଜାଲଟା ତ ବୁଣା ଲାଗିଛି ଦେଖୁଚୁ ।’’

 

ଅଗଣି ରାୟର ଉତ୍ସାହ ନ ଥିଲା । ଆଉ କିଛି ନ କହି ସେ ଚୁନିହୋଇ ନଈଆଡ଼କୁ ଅନାଇଁ କିଣେଇଁ ଓଝା ପାଖରେ ବସିରହିଲା । ତା ଭଙ୍ଗୀରେ କ୍ଲାନ୍ତି ଓ ପରାଜୟର ଚିହ୍ନ ।

 

ମନେ ମନେ ଯେତେ ଇଚ୍ଛାକଲେ ସମୟ ତା’ର ହାତମୁଠାରୁ ଖସି ପଳାଉଛି, ଆପେ ତା’ର ସୃଷ୍ଟି ଗଢ଼ିଚାଲିଛି, ଅବୋଲକରା ଅକୁହାର ଦଳ ବଢ଼ି ଉଠି ମେଣ୍ଟ ବାନ୍ଧି ତା’ର ଚେର କାଟିଛନ୍ତି । ତା’ର ଆଉ କିଛି କହିବାକୁ ନାହିଁ ।

 

ପବନରେ ଭାସିଆସିଲା ମୃଦଙ୍ଗ ଶବ୍ଦ, ତା’ ସଙ୍ଗେ ସଙ୍ଗେ ରହିରହିକା ଛାନ୍ଦ ପୟାର ଗାଆଣା । କିଣେଇଁ ଓଝା ହଠାତ୍ ସିଧା ହୋଇ ବିଳିବିଳେଇଲା ।

 

‘‘ଶୁଣ, ରାବଣ ବଧ ।’’

 

‘‘ରାବଣ ବଧ ନା ସୀତା ବନବାସ କେମିତି ଜାଣିଲ ?’’

 

ମୁଣ୍ଡ ଝାଙ୍କି ଝାଙ୍କି କିଣେଇଁ ଓଝା କହିଲା, ‘‘ନା ନା, ରାବଣ ବଧ ।’’

 

ଧନୁଆ କେଉଟ କହିଲା, ‘‘ଆମ ପିଲାକାଳେ ପରା ଦେଖିଚୁ ଆପେ ସେ ଭାଡ଼ି କମ୍ପେଇ ରାବଣ ନାଚୁଥିଲେ, ଜାଣିପାରିବେ ନାଇଁ ? ସତରେ ଆଜି ସଞ୍ଜକୁ କୋଠରେ ରାବଣ ବଧ କରିବେ-।’’

 

ସେଥିକି ବି ଅଗଣି ରାୟର ଉତ୍ସାହ ନାହିଁ । ଖତେଇ ହେଲା ପରି ଶୁଖିଲା ପାଟି ରେ କହିଲା–“ହେଃ’’ ।

 

କିନ୍ତୁ କିଣେଇଁ ଓଝା କାନେଇ ରହିଲା, ସତେ କି ଏକା ଝାଙ୍କରେ ସେ ସେ ପାସୋରା ଅତୀତକୁ ହିଁ ଲେଉଟି ଚାଲିଯାଇଛି । ଝାଙ୍କ ଚାଲିଗଲା, ତା’ପରେ ସେ ବିକଳ ହୋଇ ଅସହାୟ ଭାବରେ ଆପଣାର ଦୁର୍ବଳ ବାହାଯୋଡ଼ିକୁ ହାତକୁ ଅନାଇ ଦେଖିଲା, କଚଟି ମୋଡ଼ିଲା, ପାପୁଲିକୁ ଓଲଟ ପାଲଟ କଲା, ଦେଖିଲା ଖାଲି ଶିରଦଉଡ଼ି ଆଉ ଧୁଡ଼ୁକା ଚମ, ଦୀର୍ଘ ନିଶ୍ୱାସ ପକାଇଲା । ଆଉ ସେ ଭାବିଲା, ସେତେବେଳେ ପ୍ରତାପୀ ଲଙ୍କେଶ୍ଵର ହୋଇ ରଣଭାଡ଼ି ଉପରେ ଠିଆଟା ହୋଇ ପଡ଼ୁଥିଲେ ଥାଟପଟାଳି ଲୋକଙ୍କ ଭିତରେ ଚହଳ ପଡ଼ିଯାଉଥିଲା, କିନ୍ତୁ କେତେଯୁଗର କଥା ହେଲାଣି ସେ, ତା’ପରେ କେତେ ଲୋକ ରାବଣେଶ୍ଵର ହେଇ ନାଚିଲେଣି, ତା’ର ଦିନ ସରିଛି ।

 

ତା ସଙ୍ଗେ ସଙ୍ଗେ ପୁରୁଣା ଅମଳଟା ବି ଯାଇଛି, ଏ ଯୁଗରେ ଟୋକାଏ । ହେଲେ ମୁରବି, ପୁରୁଣା ଚଳଣି ବି କୁଆଡ଼େ ଗାଧୋଇଗଲା, ବଡ଼ ସାନ ଛୁଆଁ ଅଛୁଆଁ ବୁଡ଼ିଲା, ଆପେ କି ଆପଣାର ବୋଲି କୌଣସି କଥାରେ ଟେକ ନାହିଁ, ଖାଲି ମେଣ୍ଟ, କୋଠ, ମାଇପେ ପଦାରେ ବୁଲିବା, ମିଣିପଙ୍କ ପରି କାମ କରିବା, ମାନ ଅପମାନ ନାହିଁ ।

 

ଦି’ଦିନର ଖେଳଘର ପରି କୋଠଟା ଫାଟିଥାନ୍ତା, ସେ ତାକୁ ହସରେ ଉଡ଼େଇଥାନ୍ତା ଆଉ ସେମାନଙ୍କୁ କହିଥାନ୍ତା, ‘‘ସେତେବେଳେ ସିନା ମୋ’ କଥା ଗନ୍ଧୋଉଥିଲା, ମୁଁ କହିଥିଲି କି ନାହିଁ ?’’

 

ପୁରୁଣା ଦେହଟାକୁ ଆଉ ଭରସା ବି ରହୁ ନାହିଁ, ସେ ସୁଖ ଆଉ ଦେଖିବାକୁ କପାଳରେ ନାହିଁ । ତାଙ୍କରି ବଳ ବଢ଼ୁଛି, ଯେଉଁଠି ଶୁଣିଲେ ତାଙ୍କରି କଥା ରହୁଛି, ତାଙ୍କରି ଜୟଜୟକାର, ଏ କାନ ଆଉ କେତେ ଶୁଣିବ ?

 

ଦୂରରୁ ଦିଶୁଛି କିଏ ଆସୁଛି । ଦୁର୍ବଳ, ଟଳଟଳ, ଧଡ଼ରା ଧେଡ଼, ଶୁକୁଟି ନନା । ଶୁକୁଟି ନନା ଉତ୍ତେଜିତ ଅଛନ୍ତି ।

 

‘‘କୁଆଡ଼େ ଯାଇଥିଲ ନନା ?’’ ଧନୁଆ କେଉଟ ପଚାରିଲା ।

 

‘‘ମୋ ଶିରାଧକୁ’’

 

‘‘ତମ ଶିରାଧ ?’’

 

‘‘ଆଉ କାହାର ? ହେଇ ଦେଖୁନୁ, ପୂଜାଟିଏ କରିବ କହିଥିଲା, କହିପୋଛି ଟିପେଇ ବତେଇ ସବୁ ବେବସ୍ତା ଲେଖେଇଦେଇ ଆସିଲି, ତାଲିକା ମାଫିକେ ଜିନିଷ ପଡ଼ିଥାନ୍ତା ସାତଟା ଟଙ୍କାର, ମତେ ଦେଇ ଦେଇ ଆହୁରି ଦି’ତିନି ଟଙ୍କା ଦେଇଥାନ୍ତା । ଆଜି କହୁଚି, ହେଇତି ତିନିଟା ଟଙ୍କା କାଢ଼ିଲି, ଅଢ଼େଇ ଟଙ୍କାରେ ବିଧିମତେ ପୂଜାଟିକୁ କର, ତେମେ ନିଅ ଆଠଣା । ତିନିଟା ଟଙ୍କାରେ ରାଜ୍ୟଯାକର ଦେବଦେବୀଙ୍କି ବରଣ କରି ଖୁସିକରି ବିଦା କରିବି ରେ ବାପ ! କହିଲା ତିନି ଟଙ୍କା ନୁହେଁ ତିନି ଶହ ନୂଆ ପଇସା, ନ ଅଣ୍ଟିଲେ ଆଉ ନାହିଁ ।’’

 

‘‘କାହା କଥା କହୁଛି ନନା ?’’ ଅଗଣି ରାୟ ପଚାରିଲା ।

 

‘‘ସେଇ ହଟିଆ-ହଟିଆ-ଆଉ କିଏ ? ପୂଜା ନ କରେଇବାର ଥିଲା ତ ଏତେ ତାମସା ଲଗେଲ ମତେ ଖରାରେ ଦଉଡ଼େଇଇ କାହିଁକି ?’’

 

ଅଗଣିରାୟ ବଙ୍କା ହସି ହସି କହିଲା, ତମେ ସେମିତିଆ ବୋଲି, ନ ହେଲେ ଅଣ୍ଟାଭିଡ଼ି ଠିଆହେଲେ ଦଫାକୁ ଦଫା ଲଗେଇ ଦିଅନ୍ତୁ ଯେ ବାପାକୁ ମଉସା ଡାକନ୍ତା, ତେମେ କ’ଣ ଶୁଣିବ ଆମ କଥା ?’’

 

ଶୁକୁଟି ନନା କହିଲେ, ‘‘ଥାଉ ରେ ବାପା, ଯେ ଯାହା କରିବ ସେ ତା ଫଳ ପାଇବ । ପୂଜା ମାନସିକ ଯାଚିବ କାଇଁକି ଥଟ୍ଟା କରିବ କାହିଁକି ? ନ କଲା ନ ଦେଇ ମୋର କିଛି କଳ୍ପନା ନାଇଁ, ଗ୍ରହମାନେ ଜାଣନ୍ତି, ଠାକୁରମାନେ ଜାଣନ୍ତି, ସେ ଜାଣେ, ସେମାନେ ବୁଝିବେ ।’’

 

ବିକା ମୁଦୁଲି କହିଲା ସେହି ପଦେ କଥା, ‘‘ସେଇଆ ।’’

 

ଧନୁଆ କେଉଟ କହିଲା, ‘‘ସେଇଆ ନା ଛେନାଗୁଡ଼ । ହେଇଟି, ଶୁଣ ନନା, ଚିଡ଼ ନାଇଁ ! ଠାକୁର ଦେବତାମାନେ ତମ ମାର୍ଗରେ ଆଉ ବୋଲ କରୁ ନାହାନ୍ତି । ହାତଗୋଡ଼ ଚଳେଇଲେ, ଝାଳ ବୁହାଇ କାମ କଲେ ସେମାନେ ଶୁଣୁଛନ୍ତି । ସେଇଥିପାଇଁ ପୂଜାଓଝାକୁ ଲୋକଙ୍କର ସେତେ ଆଗ ପରି ଆଗ୍ରହ ନାହିଁ, ନ ହେଲେ ମୁଁ ବି ଆଗେ କମି ମାନୁଥିଲି !’’

 

ଶୁକୁଟି ନନା କହିଲେ, ‘‘ଆରେ ଏ ପୁରରେ ସିନା ଜିତିବ, ସେପୁରରେ ତତଲା ବୈତରଣୀ ପାରିହେବ କିମିତି ?’’

ଅଗଣି ରାୟ ହସିଦେଇ କହିଲା, ‘‘ସେ ଚିନ୍ତା ସେତେବେଳେ ହେବ, ବୈତରଣୀ ଉପରେ ବି ମଣିଷ ଯିବାକୁ ପୋଲ ହୋଇଥିବ ।’’

 

କଥା ବୁଲେଇଦେଇ ଶୁକୁଟି ନନା କହିଲେ, ‘‘ଓଃ ଏ ଯେଉଁ ଖରା !’’ ସେ ବି ସେହି ଗଛମୂଳରେ ବସିପଡ଼ିଲେ । କହିଲେ, ‘‘କି ଯୋଗରେ ଆଜି ମଣିଷ ବାହାରିଥିଲା ଯେ ଫଟା ପାହୁଲା ନାଇଁ ।’’

 

ଅଗଣି ରାୟ କହିଲା, ‘‘ଆଠଣା ପଇସା ହେଉ ପଛେ, ମିଳୁଥିଲା ଆଣିଥାନ୍ତ, ନାହିଁ କଲ କାହିଁକି ? ଆର ଓଳିକି ମନକଲେ ଟାଣଟୁଣି ।’’ ବିକ ମୁଦୁଲି କହିଲା, ‘‘ସେଇଆ ।’’

 

ଶୁକୁଟି ନନା କିଛି କହିଲେ ନାହିଁ ।’’

 

ବସି ରହିଲେ ଗଛମୂଳେ ସେ ତିନି ଜଣ, ଗାଁ ପୁରୋହିତ, ଗାଁ ଟରଣି ଓ ପୁରୁଣା ଦିନର ଗାଁ ଦଳାଦଳିର ନେତା ।

 

କେତେବେଳେ ଧର୍ମ ନାଁରେ, କେତେବେଳେ ଆଇନ୍ ଓ ହକ୍ ନାଁରେ କେତେବେଳେ ଆପଣା ସ୍ୱାର୍ଥ ଲାଗି କି ଆଣ୍ଟି ଲାଗି କେତେଥର ଏ ଗାଁକୁ ଉଠେଇଛନ୍ତି ପକେଇଛନ୍ତି, କେତେ ଘର ଭାଙ୍ଗିଛି, କେତେଠି କେତେ କଳି । ଏବେ ଏଠି ସବୁ ଶାନ୍ତ, ନୂଆ ଚଳଣି, ନୂଆ ମନ । ସେମାନଙ୍କର ଆଉ ବଳ ନାହିଁ, ପଟରେ ମଣିଷ ନାହାନ୍ତି, କଥା କାଟୁ କରୁ ନାହିଁ । ଯୁଦ୍ଧରେ ଯେ ଥିଲେ ନେତା ଶାନ୍ତିରେ ସେମାନେ ଅଖ୍ୟାତ, ଅନ୍ଧାରରେ ଯେ ବଡ଼ ହୋଇଥିଲେ ଆଲୁଅରେ ସେମାନେ କିଛି ନୁହନ୍ତି । ଜାଲବୁଣା ଅଟକାଇ ରଖି ଧନୁଆ କେଉଟ ଗାଲକୁ ମୋଡ଼ିଦେଇ ତାଚ୍ଛଲ୍ୟରେ ସେମାନଙ୍କ ମୁହଁକୁ ଅନାଇ ରହିଲା । ତାଙ୍କ ବିଷୟରେ ଭାବିଲା ।

 

ସେମାନେ ସେତେବେଳେ ଦୂରକୁ ଅନାଇଁ ରହିଥିଲେ, ସେହି ଯେଉଁଠି କଣ୍ଡିଆ ଛିଣ୍ଡିପଡ଼ିଛି ଦିପୁରୁଷ ଖାଇହୋଇ ନଈବାଲି ମୁଣ୍ଡରେ, ସେହି କଣ୍ଡିଆ ଦାଢ଼େ ଠାଏ ଠାଏ ଗୋଟାଏ ଗୋଟାଏ ଗଛ, ଦ୍ୱିପ୍ରହରର ଝାଞ୍ଜିରେ ପବନରେ ଝାଙ୍କି ହେଉଛି, ତା ସେପାଖେ ଖାଲି ଫାଙ୍କା ।

 

କାହାଳ ଘୋଟିଲା । ଛାଇ ଘୋଡ଼େଇଲା । ଗଇଁଠା ପାଉଁଶ ପରି ଆକାଶ । ଗୋଟିକିଆ ଗଛ ସେପଟେ ବାଲି ଉଡ଼େଇ ଧୂମାଳ ଉଠିଲା, ଗଛଗୁଡ଼ାକ ସତେ ଯେମିତି ମୋଡ଼ିମାଡ଼ି ହୋଇ ମାଟିରେ ଲାଗିଯାଇଥାଏ ।

 

ସେତିକିବେଳେ ଖୁରୁପି ଥୋଇ ବିକା ମୁଦୁଲି ବନ୍ଧ ଉପରେ ହାତ ଦେଖାଇ ଉଲ୍ଲାସରେ ପାଟି କଇଁ–’’ ହେଇ ।’’

 

ଗୁଡ଼ିଏ ସ୍ତ୍ରୀଲୋକ ଆସୁଛନ୍ତି । କୀର୍ତ୍ତନ ଗଉଡ଼ର ବୋହୂ, ସତୁରା ପାଣର ନାତୁଣୀବୋହୂ, କେଳା ଭାରିଯା ଆଗେ ଆଗେ ଅଛନ୍ତି, ତାଙ୍କ ପଛକୁ ଆହୁରି କେତେ । ସେମାନେ ନ ଅଟକି ଚାଲିଗଲେ । ସେ ତିନିଜଣଙ୍କ ପଛେ ପଛେ ଶଶୀର ଭାଉଜ, ଘନ ପରିଡ଼ାର ପୀ, ବଲୀ, ମଲ୍ଲୀ, ସିନ୍ଧୁ ଚୌଧୁରୀର ଝିଅ ଛବି, ଚାନ୍ଦ, ରଘୁଆ ମା’, ଅଚିହ୍ନା ସ୍ତ୍ରୀଲୋକ ତିନି ଚାରିଜଣ, ଶେଷରେ ରୋହି ନାଥର ଭାରିଯା ଦୁଲ ।

 

ବିକା ମୁଦୁଲି ହସିଦେଇ ପଛରୁ ଡାକିଲା, ‘‘କୁଆଡ଼େ ?’’ ଦୁଲ କହିଲା, ‘‘ତଣ୍ଡୀକୂଳ ।’’

 

ଅଗଣି ରାୟ ଆକଟ କଲାପରି ପରିଲେ, ‘‘ଇଲୋ ବାଇଆଣି, ଉଦୁଉଦିଆ ଖରାବେଳେ ଦି’କୋଶ ବାଟ ତଣ୍ଡୀକୂଳ କୁଆଡ଼େ ଲୋ ମା’ ?’’

 

ଦୁଲ କହିଲା, ‘‘ତାଙ୍କ ଗାଁରୁ ପରା ଆମକୁ ନେବାକୁ ଆସିଛନ୍ତି । ଚାରିଜଣ ଗଲେ ଦେଖିଲ ନାଇଁ ? ଆମର ଏଠି ଯେମିତି ହେଲା ତାଙ୍କର ସେଠି ସେମିତିସବୁ ଆରମ୍ଭ କରିଛନ୍ତି ଯେ ଆମୁକୁ ଡକେଇଛନ୍ତି ।’’

 

ଅଗଣି ରାୟ ଆପତ୍ତି କରି କହିଲେ, “ଡାକିଲେ ବୋଲି ମାଇପେ ନିଜ ଘର ଛାଡ଼ି ଉଦୁଉଦିଆ ଦି’ପହରେ ଚାଲି ଚାଲି ଯିବେ ଦି’କୋଶ ବାଟ ?’’

 

ଦୁଲ ହସିଦେଲା, ‘‘କହିଲା, କାହିଁକି ଯିବେ ନାଇଁ ?’’ ସେ ଦଳଛଡ଼ା ହୋଇଯାଇଥିଲା । ପଛକୁ ନ ଅନେଇଁ ଧାଇଁ ଧାଇଁ ଚାଲିଗଲା । କିଣେଇଁ ଓଝା ତୁନିହୋଇ ବସିଥିଲା, ହଠାତ୍ ମୁଣ୍ଡ ଝାଙ୍କିଦେଇ ପାଟିକଲା, “କେମନ୍ତ ?”

 

ସେହି ତା’ର ଆକ୍ରମଣ ଆଗର ସଙ୍କେତ । କିନ୍ତୁ ସେ ସ୍ୱରରେ ଆଉ ବଳ ନ ଥିଲା । ସେ ସ୍ୱର ସେମାନଙ୍କ କାନରେ ବାଜିଲା ନାହିଁ । ହେଇ ସେମାନେ ଚାଲିଯାଉଛନ୍ତି, ଯୋଡ଼ି ଦେବଦାରୁ ଗଛ ସଳଖେ ହେଲେଣି । ପବନରେ ଲୁଗା ଟୋଲେଇଛି । ମହା ଉତ୍ସାହିରେ ଚାଲିଛନ୍ତି । ଯେମିତି ବହୁତ ପାଲ ଉଡ଼େଇ ଉଡ଼େଇ ଖଣ୍ଡେ ବୋଇତ ଚାଲିଛି ।

 

କିଣେଇଁ ଓଝା ଦୁର୍ବଳ ସ୍ୱରରେ ଖେଙ୍କିଲା, “ଦେଖୁଚ ୟାଙ୍କ କଥା କୁ ! କି କାଳ ହେଲା !” ଧକେଇ ଧକେଇ କହି ଲାଗିଲା, ‘‘ଗାଁକୁ ବାଇ ଲାଗିଲା, ଜାତି ଅଜାତି ନାଇଁ, ମାଇପେ ବାଟରେ ବୁଲିଲେ, ଅପର୍ତ୍ତିଆ ଗଲା, ମାଗୁଣିଆ ଗଲା, ଗାଁ ଲୋକଙ୍କ ବୁଦ୍ଧି ନାଶ ହେଲା, ସତ୍ୟାନାଶ ହେଲା ।

 

ଶୁକୁଟି ନନା ଚିଁ ଚିଁ ହୋଇ କହିଲେ, “ଧର୍ମ କର୍ମ ଗଲା, ଆଚାର ବୁଡ଼ିଲା, ସବୁ ଉଜୁଡ଼ିଲା, ସବୁ ଓଲଟିଲା ।

 

ଧନୁଆ କେଉଟ ଠିଆ ହୋଇପଡ଼ି କହିଲା, ‘‘କାଇଁ ତୁଚ୍ଛାଟାରେ ବସି ଗଲା ଗଲା ରଡ଼ି ଛାଡ଼ୁଚ ହେ ? କ’ଣ ବିଗିଡ଼ିଲା ? ଭାରି ତ ମଣିଷ ! ହାତରେ ଶାଗ ସିଝିବ ନାହିଁ, କଥା ଯେ ବାସ୍ତରି କାହାଣ ।’’

 

‘‘କେମନ୍ତ ?’’ କିଣେଇଁ ଓଝା ଚିହିଁକି ଉଠିଲା ।

 

ଅଗଣି ରାୟ କହିଲେ, “ଆଉ, ସେ କହୁ ।”

 

ଧନୁଆ କେଉଟି କହିଲା, ‘‘ଭଲକରି କହିବି । ତୁମ କଥା ମାନିଥିଲେ ସମସ୍ତେ ଭଲ ପିଲା, ନ ହେଲେ ଖରାପ । ତୁମର ବିଚାର ତୁମରି ସୁବିଧା ପାଇଁ, ଏବର ବିଚାର ସମସ୍ତଙ୍କ ସୁବିଧା ପାଇଁ, ସେଇଟା ତମକୁ ଅଡ଼ୁଆ । ଆଉ ଗୋଳିଆ ପାଣି ନାଇଁ କି ମାଛ ମାରିବା ଖଞ୍ଜ ପଟୁ ନାଇଁ । ତୁମେ ସବୁ ସେଇଥିପାଇଁ ଗରଗର । ତୁମେ ହେଲ ଗୋଟିଏ ଗୋଟିଏ ଜନ୍ତୁ, ଏକୁଟିଆ ବାର୍‍ହା ।’’ ସେ ଚାଲିଗଲା ।

 

ଆଗରେ ତଣ୍ଡୀକୂଳ, ଏଇ ଗହୀରଟା ଗଲେ । ତୋଟା ଗହଳି ଦିଶୁଛି । ବାଟରେ କାହାଳ ଭାଙ୍ଗିଯାଇ ଉଠିଥିଲା ଟାଣ ଖରା, ତତଲା ଅଠାଳିଥା ହୋଇ ଦେହ ଉପରେ ଢାଳି ଯାଉଥିଲା, ଖରାର ତେଜ ମଉଳିଛି, ଆଖିସିହା ହେଲାଣି । ପାଦକୁ ଧୂଳି ଆଉ କାଟୁନାହିଁ । ସେମାନେ ଚାଲିଥିଲେ ।

 

ଗହୀର ସେ ମୁଣ୍ଡେ ଶାଗୁଆ ଅରାଏ । ଝଙ୍କା ଝଙ୍କା ବଉଳଗଛ ବେଢ଼େଇ ହୋଇ ବିମାନ ପରି ସାନ ପୁରୁଣା ମନ୍ଦିରଟିଏ ଦିଶୁଛି । ଉପରେ ତ୍ରିଶୂଳ । ତା’ ସେକଡ଼ରେ ସୁନ୍ଦର ପଥର ପରି ଗାଢ଼ ଶାଗୁଆ ହୋଇ ଅରାଏ । ପାଣି । ବାଏଁ ଦିଶୁଛି ଦଣ୍ଡା ଉପରେ ଶିମୁଳୀ ଗଛଟାଏ, ନାଲି ନାଲି ଫୁଲ ଝଟକୁଛି, ତା ପଛକୁ ଗାଁଯାକେ ଆମ୍ବତୋଟା ଲାଗିଛି ।

 

ଆଗେ ଆଗେ ଚାଲିଥିଲା ଛବି । ପଛଆଡ଼ୁ ସବାରୀରେ କାହାର ବୋହୂ ଆସିଲା । ହାକୁମ୍ ଦୋଓଲୋ ହାକୁମ୍ ଦୋଓଲୋ ପାଟି କରି କରି ସବାରୀ ଗଉଡ଼ ଧାଇଁ ଧାଇଁ ଆଗକୁ ଚାଲିଗଲେ । ପଛରେ ହସ ଶୁଭୁଛି, କଥାଭାଷା ଶୁଭୁଛି, ସାଙ୍ଗର ମାଇପେ ସବାରୀ ବିଷୟରେ କଥା ପକାଇଛନ୍ତି ।

 

ଦେଉଳ କତି କତି ହେଲା । ଏଥର ଦିଶୁଛି ଠିଆ ଠିଆ କିଆ ଧାଡ଼ି ମଝିରେ ଗାଁକୁ ବାଟ ପଡ଼ିଛି । ସବାରୀ ଗାଁ ମୁଣ୍ଡରେ ହେଲାଣି । ନଡ଼ିଆ ଗଛ ଛାଇ ତଳେ ଗାଁର ବସ୍ତି ଟିକିଏ ଟିକିଏ ଦିଶୁଛି । ସବାରୀ ଦେଖି ଲୋକଗହଳି ହେଲାଣି । ତଥାପି ସେ ଦୂର ଅଛି । ବୋଝେ ପତ୍ର ଓ ଧୂଳି ଭଉଁରୀ ବୁଲେଇ ବୁଲେଇ ମାଡ଼ି ଆସୁଛି ଗୋଟିଏ ଖଣ୍ଡିଆ ଭୂତ । ସତେ କି ସେ ବି ନିଛାଟିଆ ବାଟୋଇଟିଏ ।

 

କହନ୍ତି ଏଇ ବାଟ ପଡ଼ିଛି ଫୁଲଶରାକୁ ।

 

କେତେ ବାଟ ? ଛବି ସେହି ଶୁଖିଲା ଧୂଳିଆ ବାଟକୁ ଅନାଇଁ ଟିକିଏ ଅଟକିଲା । ସେମାନେ ପଛରେ ପଡ଼ିଯାଇଛନ୍ତି । ତା’ପରେ ବୁଲିପଡ଼ି ଚାଲିଗଲା ଦେଉଳ ଆଗର ବରଗଛ ଛାଇ ତଳକୁ । କାପ୍ତାଟିଏ ବୋବାଉ ଥିଲା ଯେ ତୁନି ହୋଇଯାଇ ତା’ ମୁହଁକୁ ଅନାଇଁ ଅଳ୍ପ ଦୂରକୁ ଉଡ଼ିଗଲା । ପୋଖରୀ କୂଳରେ ଧଳା ଗାଇଟିଏ ଚରୁଛି ।

 

ଛାଇ ତଳ, ବଉଳ ଫୁଲର ମହକ, ଦେହରେ ପବନ ବାଜୁଛି । ଆଖିପତା ବୋଝ ବୋଝ ଲାଗୁଛି । ଛବି ନଇଁପଡ଼ି ବଉଳ ଫୁଲଗୁଡ଼ିଏ ଗୋଟେଇ ନେଇ ଆଞ୍ଜୁଳାରେ ଧରି ଠିଆ ହେଲା । ତା’ ମୁହଁରେ ହସଟିଏ ଫୁଟି ମାଣ୍ଟେଇ ରହିଲା । ମନେ ମନେ ସେ ଦେଖୁଥିଲା ରବିକୁ ।

 

ପଛରୁ ସେମାନଙ୍କ କଥା ଶବ୍ଦରେ ତୁନିତାନି ଭାଙ୍ଗିଗଲା ।

 

କିଏ ଜଣେ କହିଲା, ‘‘ଯିବା ପରା, ବାଟ କରରେ ଛାଇ ତଳ ଦେଖି ଅଟକି ଗଲେ ଅଟକିଯିବା ଯେ !’’

Image